Unknown

 

 

 

 

 

 

 

 

 

ସମାଜ : ପରିବର୍ତ୍ତନ ଓ ବିକାଶ

ଚିତ୍ତରଞ୍ଜନ ଦାସ

 

–‘‘ସମାଜ, -ପରିବର୍ତ୍ତନ ଓ ବିକାଶ’’ ପୁସ୍ତକଟିକୁ ମୁଁ ୧୯୬୬ ମସିହା ଆରମ୍ଭରେ ଲେଖିଥିଲି । ପ୍ରାୟ ଚାଳିଶି ବର୍ଷ ପୂର୍ବେ । ଦ୍ୱିତୀୟ ସଂସ୍କରଣଟିଏ ବାହାରିବା ଆବଶ୍ୟକ ବୋଲି ବନ୍ଧୁମାନେ ଢେର ବର୍ଷରୁ କହିଲେଣି । କିନ୍ତୁ ସେଥିରେ ଦିଆ ଯାଇଥିବା ପରିସଂଖ୍ୟାନମାନେ ସେହି ସମୟର । ଏବଂ, ତାହାକୁ ଅଦ୍ୟାବଧି କରି ଆଣିପାରିବା ସକାଶେ ମୋ’ ପାଖରେ ଅନୁକୂଳ ପରିସ୍ଥିତି ହିଁ ନଥିଲା । ତେଣୁ, କାର୍ଯ୍ୟଟି ଗଡ଼ି ଗଡ଼ି ଆସୁଥିଲା ।

 

ପ୍ରସ୍ତୁତ ଦ୍ୱିତୀୟ ସଂସ୍କରଣ ସେହି ଅପରିବର୍ତ୍ତିତ ରୂପରେ ବାହାରିଲା । ଅବଶ୍ୟ ପୂର୍ବ ସଂସ୍କରଣର କେତେକ ହିସାବଫର୍ଦ୍ଦକୁ ବାଦ୍ ଦିଆଯାଇଛି । ଏବଂ, ତତ୍କାଳୀନ ଆଲୋଚନାଟିର ଏବେ ମଧ୍ୟ ସମଗ୍ରତଃ ଖୁବ୍ ପ୍ରାସଙ୍ଗିକତା ରହିଛି ।

 

ଏହି ଅବସରରେ ପ୍ରଥମ ସଂସ୍କରଣ ପ୍ରକାଶକ ‘ଗ୍ରନ୍ଥ ମନ୍ଦିର’ର ବନ୍ଧୁ ଶ୍ରୀ ଅଭିରାମ ମହାପାତ୍ରଙ୍କୁ କୃତଜ୍ଞତା ସହିତ ସ୍ମରଣ କରୁଛି । ବନ୍ଧୁ ଶ୍ରୀ ଭାଗ୍ୟଧର ସାହୁ ଶ୍ରଦ୍ଧା ସହିତ ଏକ ଦ୍ୱିତୀୟ ସଂସ୍କରଣ ନିମନ୍ତେ ଇଚ୍ଛା କରିଛନ୍ତି । ତାଙ୍କୁ ଓ ପଥିକ ପ୍ରକାଶନୀକୁ ଧନ୍ୟବାଦ ଦେଉଛି ।

 

–ଲେଖକ

Image

 

ସୂଚୀପତ୍ର

 

ପ୍ରଥମ ଭାଗ :

 

ପ୍ରଥମ ଅଧ୍ୟାୟ

-

ଆମ ସମାଜ ଓ ସମାଜ-ଜୀବନ

 

ଦ୍ୱିତୀୟ ଅଧ୍ୟାୟ

-

ଗୋଷ୍ଠୀ ଓ ଗୋଷ୍ଠୀଜୀବନ

 

ତୃତୀୟ ଅଧ୍ୟାୟ

-

ଗାଆଁ ଓ ସହର

 

ଚତୁର୍ଥ ଅଧ୍ୟାୟ

-

ଭାରତର ଗାଆଁ

ଦ୍ୱିତୀୟ ଭାଗ :

 

ପଞ୍ଚମ ଅଧ୍ୟାୟ

-

ଗୋଷ୍ଠୀବିକାଶ ଓ ସାମୁଦାୟିକ ବିକାଶ

 

ଷଷ୍ଠ ଅଧ୍ୟାୟ

-

ଅନ୍ୟାନ୍ୟ ଦେଶରେ ସାମୁଦାୟିକ ବିକାଶଯୋଜନା

 

ସପ୍ତମ ଅଧ୍ୟାୟ

-

ଭାରତରେ ସାମୁଦାୟିକ ବିକାଶଯୋଜନା

 

ଅଷ୍ଟମ ଅଧ୍ୟାୟ

-

ଭାରତରେ ସାମୁଦାୟିକ ବିକାଶଯୋଜନା : ସମୀକ୍ଷା

ତୃତୀୟ ଭାଗ :

 

ନବମ ଅଧ୍ୟାୟ

-

ସମାଜ-ପରିବର୍ତ୍ତନ ଓ ପୁନର୍ନିର୍ମାଣ

Image

 

Unknown

ପ୍ରଥମ ଭାଗ

 

ପ୍ରଥମ ଅଧ୍ୟାୟ

ଆମ ସମାଜ ଓ ସମାଜ-ଜୀବନ

 

–୧–

 

ସମାଜ କହିଲେ ପ୍ରଧାନତଃ ମଣିଷମାନଙ୍କୁ ବୁଝାଏ । କୌଣସି ଦେଶ କହିଲେ ପ୍ରଧାନତଃ ସେହି ଦେଶର ମଣିଷମାନଙ୍କୁ ବୁଝାଏ । କୌଣସି ସହର କହିଲେ ସେହି ସହରରେ ବାସ କରୁଥିବା ମଣିଷମାନଙ୍କୁ ବୁଝାଏ । କୌଣସି ଗାଆଁ କହିଲେ ସେହି ଗାଆଁରେ ବାସ କରୁଥିବା ମଣିଷମାନଙ୍କୁ ବୁଝାଏ । ପାଦେ ଆଗକୁ ବଢ଼ିଯାଇ ମୁଁ କହିବି ଯେ କୌଣସି ଧର୍ମ କହିଲେ ପ୍ରଧାନତଃ ସେହି ଧର୍ମପଥରେ ବିଚରଣ କରୁଥିବା ମଣିଷମାନଙ୍କର ଧର୍ମଜୀବନକୁ ବୁଝାଏ ଓ କୌଣସି ସଂସ୍କୃତି କହିଲେ ସେହି ସଂସ୍କୃତିକୁ ଆପଣାର ବୋଲି କହୁଥିବା ମଣିଷମାନଙ୍କର ସାଂସ୍କୃତିକ ଜୀବନସ୍ତରକୁ ବୁଝାଏ । ମାତ୍ର ଅନେକ ସମୟରେ ଆମେ ଏହି ସତ୍ୟଟିକୁ ସ୍ୱୀକାର କରୁଥିବା ପରି ମନେହୁଏ ନାହିଁ । ଭାରତବର୍ଷର କଳ୍ପନା କଲାବେଳେ ଆମେ ନଗାଧିରାଜ ହିମାଳୟ, ପବିତ୍ର ଗଙ୍ଗାନଦୀ ଓ ଦେଶର ଚରଣକୁ ବରଣ କରି ଧୋଉଥିବା ପାରାବାରରହିଁ ଚିନ୍ତା କରିଥାଉ । ଓଡ଼ିଶାରୂପିଣୀ ସ୍ୱର୍ଣ୍ଣପ୍ରସୂ ମାଆର କଳ୍ପନା କଲାବେଳେ ମରାଳମାଳିନୀ ଚିଲିକା ଓ ପୁଣ୍ୟବନ୍ତ ମାଲ୍ୟବନ୍ତର ଐଶ୍ୱର୍ଯ୍ୟମୟ ଛବିରେ ଆମର ମନ ବୋଧ ହୋଇଯାଏ । ମଣିଷ ନିମନ୍ତେ ମୁଣ୍ଡ ଖେଳାଇବା ଲାଗି ଏହି କଳ୍ପନାବିଳାସର ସମୟ କାହିଁ ।

 

ସମାଜ ହେଉଚି ପ୍ରଧାନତଃ ମଣିଷର ସମାଜ, ତୁମ ଆମପରି ସାଧାରଣ ମଣିଷଙ୍କର ସମାଜ । ମଣିଷକୁ ଛାଡ଼ି ଦେଲେ ଦେଶ, ଜାତି, ସଭ୍ୟତା, ସଂସ୍କୃତି, ଧର୍ମ ବା କୀର୍ତ୍ତିକରଣିର କୌଣସି ମୂଲ୍ୟ ହିଁ ନାହିଁ । ଦେଶର ଗୌରବ କହିଲେ ମଣିଷର ଗୌରବକୁ ବୁଝାଇବା ଉଚିତ ଓ ସମାଜର ପ୍ରଗତି କହିଲେ ମଣିଷମାନଙ୍କ ଜୀବନର ପ୍ରଗତିକୁ ବୁଝାଇବା ଉଚିତ । ସୁଖୀ ମଣିଷର ଗଣନା ନ କଲେ ସୁଖର କି ଅର୍ଥ ରହିଚି ? ସ୍ୱାଧୀନ ମଣିଷ ବ୍ୟତିରେକେ ସ୍ୱାଧୀନତାର ବା କି ଅର୍ଥ ରହିଚି; ଶିକ୍ଷିତ ମଣିଷକୁ ବାଦ ଦେଇ ଶିକ୍ଷାର ମଧ୍ୟ କେଉଁ ତାତ୍ପର୍ଯ୍ୟ ରହିଚି ? ହଁ ବେଳେବେଳେ ଆମେ କେତେଜଣଙ୍କର ସୁଖକୁ ମଧ୍ୟ ସବୁ ମଣିଷଙ୍କର ସୁଖ ବୋଲି ଭାବିନେବାକୁ ଚେଷ୍ଟା କରିଥାଉ, କେତେଜଣଙ୍କୁ ସ୍ୱାଧୀନତା ଦେଇ ଆମେ ଦେଶଟାଯାକ ସମସ୍ତେ ସ୍ୱାଧୀନ ହୋଇଗଲେ ବୋଲି ବିଶ୍ୱାସ କରିବାକୁ ପ୍ରଶସ୍ତ ପନ୍ଥା ବୋଲି ବିଚାରିଥାଉ ଏବଂ କେତେଜଣଙ୍କ ଲାଗି ବଢ଼ିଆରୁ ବଢ଼ିଆ ଶିକ୍ଷାର ବ୍ୟବସ୍ଥା କରି ତଦ୍ଦ୍ୱାରା ସବୁ ମଣିଷ ଶିକ୍ଷାର ଆଲୋକରେ ଅବଶ୍ୟ ଉପକୃତ ହୋଇଯିବେ ବୋଲି ମାନିନେଇଥାଉ । କିନ୍ତୁ ପ୍ରକୃତରେ ସମାଜ କହିଲେ ସମାଜରେ ବାସ କରୁଥିବା ସବୁ ମଣିଷଙ୍କୁ ବୁଝାଏ । ପୃଥିବୀର ଇତିହାସରେ ଅନେକ ଯୁଗରେ ଓ ଅନେକ ଦେଶରେ ଏହି କଥାକୁ ଯଥେଷ୍ଟ ସ୍ୱୀକୃତି ଦିଆଯାଇନାହିଁ । ଆଜି ମଧ୍ୟ ପୃଥିବୀର ଅନେକ ଦେଶରେ ସ୍ଥିତି ଠିକ୍ ତାହାହିଁ ରହିଚି । କେତେକ ଦେଶରେ ଚତୁର ନେତୃତ୍ୱ କାଗଜକଲମରେ ଏହାକୁ ସ୍ୱୀକାର କରିନେଇଚି; ମାତ୍ର କାର୍ଯ୍ୟକ୍ଷେତ୍ରରେ ଏହାଠାରୁ ଯୋଜନ ଦୂରରେ ରହିଚି । ଦକ୍ଷିଣ ଆଫ୍ରିକା, ରୋଡ଼େସିଆ ଓ ଯୁକ୍ତରାଜ୍ୟ ଆମେରିକାର କେତୋଟି ରାଜ୍ୟରେ ସରକାରୀ ସହଯୋଗ ଦ୍ୱାରା ଏହି ସତ୍ୟର ଅବମାନନା କରାଯାଉଚି; ଅର୍ଥାତ୍ ଦେଶ ବା ସ୍ୱୀକୃତ ସମାଜ କହିଲେ ଯେ କଦାପି ସବୁ ମଣିଷଙ୍କୁ ବୁଝାଇବ ନାହିଁ, କେବଳ କେତଟା ଲକ୍ଷ୍ମୀମନ୍ତ ବର୍ଗକୁ ବୁଝାଇବ, ସେସବୁ ଦେଶରେ ଏହାକୁ ହିଁ ସାମାଜିକ ସତ୍ୟ ବୋଲି ମାନିନିଆଯାଉଚି । ପ୍ରାଚୀନ ଗ୍ରୀସ୍‌କୁ ଆଧୁନିକ ଗଣତନ୍ତ୍ର ବା ଲୋକଶାସନର ଆଧାର ବୋଲି କୁହାଯାଇଥାଏ । କିନ୍ତୁ ସେହି ଗ୍ରୀକ୍ ଗଣରାଜ୍ୟର ପୁରାଣ ପଣ୍ଡିତ ପ୍ଳେଟୋ ସ୍ତ୍ରୀମାନଙ୍କୁ ଓ କ୍ରୀତଦାସମାନଙ୍କୁ ନାଗରିକ ଅଧିକାର ଦେବା ବିଷୟରେ ସଫା ନାସ୍ତି କରିଦେଇଚନ୍ତି । ଗଣତନ୍ତ୍ର-ରାଜ୍ୟରେ ନାଗରିକମାନଙ୍କର ସର୍ବାଙ୍ଗସମ୍ପୂର୍ଣ୍ଣ ଜୀବନଯାପନ ଲାଗି କ୍ରୀତଦାସମାନଙ୍କର କ୍ରୀତଦାସ ହୋଇ ରହିବା ଅତ୍ୟାବଶ୍ୟକ ବୋଲି ପ୍ଳେଟୋ ବୁଝାଇ କହିବାକୁ ଚେଷ୍ଟା କରିଚନ୍ତି ।

 

ଆମ ଗାଆଁରେ କରଣସାହୀ ଅଛି, ବ୍ରାହ୍ମଣସାହୀ ଅଛି; ପାଣ, କଣ୍ଡରା ଓ ବାଉରିସାହୀ ମଧ୍ୟ ରହିଚି । କିନ୍ତୁ କରଣମାନଙ୍କର ସଂଖ୍ୟା ହେଉଚି; ସର୍ବାଧିକ, କରଣଘରର ଅଧିକାଂଶ ପିଲା ପାଠ ପଢ଼ିଚନ୍ତି ଓ ପଢ଼ୁଚନ୍ତି; କରଣ ପରିବାରରୁ ବେଶୀସଂଖ୍ୟକ ଲୋକ ବଡ଼ ବଡ଼ ଚାକିରି କରିଚନ୍ତି; ତେଣୁ ଗାଆଁ କହିଲେ ଆମ କରଣ ସାହୀର ଲୋକେ ପ୍ରଧାନତଃ କରଣସାହୀ ବୋଲି ବୁଝନ୍ତି । ଏଇଟା ସେମାନଙ୍କୁ ଏତେଦୂର ସ୍ୱାଭାବିକ ଓ ସ୍ୱତଃସିଦ୍ଧ ବୋଲି ମନେହୁଏ ଯେ ସେମାନେ ଏହିପରି ବିଶ୍ୱାସ କରିବାରେ କେଉଁଠି କୌଣସି ଗଲତି ରହିଚି ବୋଲି କଳ୍ପନା ମଧ୍ୟ କରିପାରନ୍ତି ନାହିଁ । କରଣସାହୀ ଭିତରେ ଅବସ୍ଥିତ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କୁ ସମସ୍ତ ଗାଆଁର ଠାକୁର ବୋଲି କୁହାଯାଏ; କିନ୍ତୁ ଠାକୁରଙ୍କ ଉପରେ ଏକା କରଣ ସାହୀରହିଁ ଅଧିକାର ରହିଚି । ପ୍ରତିବର୍ଷ ଖରାଦିନେ କରଣସାହୀର ପିଲାଏ ଯେଉଁ ଥିଏଟର କରନ୍ତି, ତାହାକୁ ଗାଆଁରେ ଥିଏଟର ହେଉଚି ବୋଲି ପ୍ରଚାର କରାଯାଏ । ଜିଲ୍ଲାବୋର୍ଡ଼ ବା ବ୍ଳକ୍‌ରୁ ଟଙ୍କା ଆସି କରଣସାହୀରେ ଗୋଟାଏ ପରେ ଦୁଇଟା ଓ ଦୁଇଟା ପରେ ତିନିଟା କୂଅ ଖୋଳା ହୁଏ । କିନ୍ତୁ ହୁଏତ କେଉଁ ସାହୀରେ ଆବହମାନ କାଳରୁ ଗୋଟାଏହେଲେ କୂଅ ନାହିଁ, ତେଣୁ ସେଠି ପ୍ରଥମେ କୂଅ ଖୋଳିବା ଅଧିକ ସମୀଚୀନ ହେବ, ଏକଥା କରଣ ସାହୀରେ ବାସ କରୁଥିବା ଗାଆଁ ପ୍ରତିନିଧିମାନେ ସହଜରେ ହୃଦୟଙ୍ଗମ କରିପାରନ୍ତି ନାହିଁ । ଭାରତବର୍ଷର ଅନେକ ଗାଆଁ ନିଶ୍ଚୟ ଠିକ୍ ଏହି ଛାଞ୍ଚର ହୋଇଥିବ-

 

ତଥାପି ସମାଜ କହିଲେ ସମାଜର ସବୁ ମଣିଷଙ୍କୁ ବୁଝାଏ; ଦେଶ କହିଲେ ଦେଶର ସବୁ ମଣିଷଙ୍କୁ ବୁଝାଏ ଓ ଗାଆଁ କହିଲେ ଗାଆଁର ସବୁ ମଣିଷଙ୍କୁ ବୁଝାଏ । ଆଗେ କେବଳ ରାଜାର ଇଚ୍ଛାରେ ନୁହେଁ, ରାଜାପାଇଁ ରାଜ୍ୟ ଚାଲୁଥିଲା । ରାଜାକୁ ସେହି ଯୁଗର ସାବଧାନ ପଣ୍ଡିତମାନେ ନବରୂପୀ ଦେବତା ବୋଲି କହୁଥିଲେ । ରାଜ-ଇଚ୍ଛାର ଇତିବୃତ୍ତ ବଖାଣି କାବ୍ୟ ଓ ସାହିତ୍ୟ ଲେଖା ହେଉଥିଲା; ରାଜ-ଦରବାରର ସଫଳ ଓ ଶ୍ରୀମଣ୍ଡିତ କବିକୁ ହିଁ ସମାଜର ବରିଷ୍ଠ କବି ବୋଲି କୁହାଯାଉଥିଲା । ରାଜା ଚାହିଲେ ଯୁଦ୍ଧ ହେଉଥିଲା; ରାଜା ଯାହାକୁ ରକ୍ଷା କରୁଥିଲେ, ତାହାକୁହିଁ ସାଧାରଣ ଲୋକେ ଧର୍ମ ବୋଲି କହିବାକୁ ଶିଖୁଥିଲେ । ରାଜା ହୁଏତ କେଉଁ ଦେଶର ରାଜକନ୍ୟାକୁ ବିବାହ କରିବାଲାଗି ମନ କରୁଥିଲେ । କନ୍ୟାପିତା ରାଜି ନହେଲେ ଯୁଦ୍ଧର ଭିଆଣ ହେଉଥିଲା । ଏଥିରେ ରାଜ୍ୟଗୋଟାକର ପ୍ରଜା ପାଇକ ପଦାତିକ ହୋଇ ବାହାରୁଥିଲେ; କନ୍ୟାଜୟ-ରଣରେ ରାଜପକ୍ଷର ଅନ୍ୟତମ ସାମରଥା ରୂପେ ରାଜ୍ୟର ଠାକୁର ମଧ୍ୟ ବାହାରୁଥିଲେ-। ପୁଣି ରାଜାର ଏହି ବିଜୟକୁ ରାଜ୍ୟଗୋଟାକର ବିଜୟ ବୋଲି କୁହାଯାଉଥିଲା । ସବୁଠାରୁ ଅଦ୍‌ଭୂତ କଥା ହେଉଚି, ରାଜାପରି ରାଜ୍ୟର ପ୍ରଜାକୁଳ ମଧ୍ୟ ଏହାକୁ ଏକ ଅତି ସ୍ୱାଭାବିକ ସତ୍ୟ ବୋଲି ମାନି ନେଉଥିଲା । ସବୁ ମଣିଷ ମଣିଷରେ ଗଣା ହେଉନଥିଲେ । ସାମନ୍ତ ଓ ଶ୍ରୀମନ୍ତମାନଙ୍କ ଲାଗି ଇତର ମଣିଷଗୋଷ୍ଠୀ ପ୍ରଧାନତଃ କାମରେ ଲାଗିବାକୁ ସଂସାରକୁ ଆସୁଥିଲେ-। ସେମାନଙ୍କର ଜୀବନକୁ ମଣିଷର ଜୀବନ ବୋଲି ଭାବିବାଲାଗି ସାଧାରଣ ମଣିଷଙ୍କ କଥା ଛାଡ଼ିଦିଅ, କ୍ରାନ୍ତଦର୍ଶୀ କବିମାନଙ୍କର ବି କଳ୍ପନା-ଦଉଡ଼ି ପାଉନଥିଲା ।

 

ସମାଜର ଅଧ୍ୟୟନ ଓ ପର୍ଯ୍ୟାଲୋଚନା କରିବାକୁ ଯେଉଁଦିନଠାରୁ ଏକ ବିଜ୍ଞାନ ବୋଲି ଗ୍ରହଣ କରାଯାଇଚି, ସେହିଦିନୁଁ ଆମେ ସମାଜ କହିଲେ ସମାଜରେ ବାସ କରୁଥିବା ସବୁ ମଣିଷଙ୍କୁ ବୁଝିବାକୁ ଆରମ୍ଭ କରିଚୁ । ଏହା ମାତ୍ର ଶହେ ବର୍ଷର କଥା । ଶହେବର୍ଷ ତଳେ ଇଉରୋପରେ ଯନ୍ତ୍ରଯୁଗର ଉତ୍ତେଜିତ ପର୍ବ ଚାଲିଥାଏ । ମେସିନ୍‌ର ସାହାଯ୍ୟରେ ଉତ୍ପାଦନ ବଢ଼ିଲା ଅର୍ଥାତ୍ ଯେଉଁଠି ଦଶଟା ତିଆରି ହେଉଥିଲା, ସେଠି ବର୍ତ୍ତମାନ ପଚାଶଟା ତିଆରି ହୋଇ ପାରିଲା । ଅଧିକ ଉତ୍ପାଦନ ଅର୍ଥାତ୍ ଅଧିକ ଲାଭ । ଶସ୍ତା ମଜୁରିରେ କାମ ଖଟିବାକୁ ତ ମଜୁରିଆଙ୍କର ପଲ ମହଜୁଦ ରହିଚନ୍ତି-ତେଣୁ ଆଉ ଚିନ୍ତା କଣ ? ପଣ୍ୟ ବଢ଼ାଇବାର ଏହି ନିଶାରେ ମଣିଷକୁ ମେସିନ୍ ଚଲାଇବାର ଦାସରୂପେ ବ୍ୟବହାର କରାଗଲା । ମଜୁରିଆକୁ ମଣିଷ ବୋଲି ସ୍ୱୀକାର କରି ଯନ୍ତ୍ର-ସମ୍ଭାର ଓ ଉତ୍ପାଦନ-ପ୍ରସାରର ଯୋଜନାରେ ତାର ସୁଖସମୃଦ୍ଧି ଲାଗି କିଛି ଜାଗା ରଖିବାକୁ ଆଉ କାହାରି ମନେ ରହିଲା ନାହିଁ । ଏହାରି ପ୍ରତିକାର କରିବାଲାଗି ସମାଜଶାସ୍ତ୍ରର ଉକୁ ହେଲା । ଏହାକୁ ପ୍ରତିକାର କୁହାଯାଇପାରେ, ପ୍ରତିବାଦ ବି କୁହାଯାଇପାରେ । ବିଜ୍ଞାନକୁ ସରଣୀରୂପେ ବ୍ୟବହାର କରି ଆମେ ପ୍ରକୃତି ଉପରେ କେତେପ୍ରକାରର ବିଜୟ ହାସଲ କରିପାରୁଚୁ; ଅର୍ଥାତ୍ ପ୍ରକୃତିର ନିୟମ ଗୁଡ଼ିକୁ ନାନାପ୍ରକାରେ ମୋଡ଼ି ଭାଙ୍ଗି ଆୟତ୍ତକୁ ଆଣି ଆମେ ଆମର କାମରେ ଲଗାଇପାରୁଚୁ; ବୈଜ୍ଞାନିକ କୌଶଳ ଦ୍ୱାରା କେତେ କେତେ ଯନ୍ତ୍ର ଉଦ୍ଭାବନ କରି ଆମେ ଉତ୍ପାଦନକୁ ଦଶଗୁଣ ବା ଶହେଗୁଣ କରାଇପାରୁଚୁ । ଭଗବାନଙ୍କ ଦୟାରୁ ପାଣି ବରଷୁନାହିଁ, ବୈଜ୍ଞାନିକ କେତେକ କାରଣ ହେତୁ ବରଷୁଚି । ଭଗବାନଙ୍କର ବରପୁତ୍ର ମଣିଷ ବାସ କରୁଥିବା ଏହି ପୃଥିବୀର ସେବା ଖଟିବାଲାଗି ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉ ନାହାନ୍ତି, ସେମାନେ ମଧ୍ୟ କେତେକ ବୈଜ୍ଞାନିକ ନିୟମର ନିୟନ୍ତ୍ରଣ ଦ୍ୱାରା ତିଷ୍ଠି ରହିଚନ୍ତି । ସବୁ ଘଟଣା ବା ସବୁ ପ୍ରକ୍ରିୟାର କାରଣ ଅବଶ୍ୟ ରହିଚି । ସେହି ଘଟଣା ଓ ପ୍ରକ୍ରିୟାର କାରଣ ଗୁଡ଼ିକୁ ଜାଣିପାରିଲେ ଆମେ ସେହିଗୁଡ଼ିକୁ ଆମର ଆୟତ୍ତକୁ ଆଣିପାରିବା, ଆମର କାମରେ ଲଗାଇ ପାରିବା ଓ ଆମର ଆବଶ୍ୟକତା ଅନୁସାରେ ନୂଆ ନୂଆ ଉଦ୍ଭାବନ କରିପାରିବା । ବିଜ୍ଞାନର ଇତିହାସ ହେଉଚି ପ୍ରଧାନତଃ କାରଣ ଜାଣି କୌଣସି ପ୍ରକ୍ରିୟାକୁ ଆପଣାର କାର୍ଯ୍ୟସାଧନ ଲାଗି ପ୍ରୟୋଗ କରିବାର ଇତିହାସ । ଭୌତିକ ଜଗତର କାରଣ ଜାଣି ଯଦି ବିଜ୍ଞାନୀ ମଣିଷ ଭୌତିକ ଜଗତକୁ ଆପଣାଲାଗି ଯୋଗ୍ୟତର କରି ଗଢ଼ିପାରୁଚି, ତେବେ ସାମାଜିକ ଓ ସାମୂହିକ ଜୀବନକୁ ନିୟନ୍ତ୍ରଣ କରୁଥିବା ପ୍ରକ୍ରିୟା ଗୁଡ଼ିକୁ ବିଶଦ ଅଧ୍ୟୟନ କରି ତାହାର କାରଣ ଜାଣିଲେ ଆମେ ସମାଜକୁ ବା ସୁନ୍ଦରତର ଓ ଯୋଗ୍ୟତର କରି ଗଢ଼ିନପାରିବା କାହିଁକି ? ବୈଜ୍ଞାନିକ ଉପାୟରେ ସାମାଜିକ ଜୀବନର ପର୍ଯ୍ୟବେକ୍ଷଣ କରି, ସାମାଜିକ ପ୍ରକ୍ରିୟା ଗୁଡ଼ିକୁ ଆୟତ୍ତରେ ଆଣିବାକୁ ଚେଷ୍ଟା କରି ଆମେ ଉପସ୍ଥିତ ସମାଜର ଅନେକ ଦୁର୍ଦ୍ଦଶା ଦୂର କରି ନପାରିବା କାହିଁକି ? ଏହିପରି ଏକ ଜିଜ୍ଞାସାରୁ ହିଁ ସମାଜ-ବିଜ୍ଞାନର ଆରମ୍ଭ ହୋଇଚି । ସମାଜରେ ଅଧିକରୁ ଅଧିକ ମଣିଷଙ୍କୁ ମଣିଷପରି ବଞ୍ଚିବାର ଅବସର ଦେବା ଉଦ୍ଦେଶ୍ୟରେ ହିଁ ସମାଜକୁ ବୈଜ୍ଞାନିକ ଉପାୟରେ ଅଧ୍ୟୟନ କରିବାର ରୀତି ଆରମ୍ଭ ହୋଇଚି । ଶହେ ବର୍ଷ ତଳେ ଇଉରୋପରେ ନିପୁଣତର ସାମାଜିକ ଜୀବନର ସ୍ୱପ୍ନ ଦେଖୁଥିବା ପ୍ରଥମ ସମାଜ-ଶାସ୍ତ୍ରୀମାନେ ଭୌତିକ ବିଜ୍ଞାନର ଛାଞ୍ଚରେ ହିଁ ସମାଜବିଜ୍ଞାନର କଳ୍ପନା କରିଚନ୍ତି । ଭୌତିକ ବିଜ୍ଞାନକୁ ସବୁ ଜ୍ଞାନ ଓ ଅନୁସନ୍ଧାନର ମେରିଖୁଣ୍ଟ ବୋଲି ମାନୁଥିବା ସେହି ଯୁଗରେ ସମାଜବିଜ୍ଞାନକୁ ସାମାଜିକ ଭୌତିକବିଜ୍ଞାନ (Social Physics) (୧) ବୋଲି କୁହାଯାଉଥିଲା । ସାମାଜିକ ସଂସ୍ଥା ଓ ବିଭିନ୍ନ ସଂଗଠନ ଗୁଡ଼ିକର ଅଧ୍ୟୟନ କରିବାର ବିଭାଗଟିକୁ ସାମାଜିକ ସ୍ଥିତିଶାସ୍ତ୍ର (Social Statics) ଓ ସାମାଜିକ ପରିବର୍ତ୍ତନର ଅଧ୍ୟୟନ କରିବା ବିଭାଗଟିକୁ ସାମାଜିକ ଗତିଶାସ୍ତ୍ର (Social Dynamics) କୁହାଯାଉଥିଲା । (୨)

 

ଆଗେ ସମାଜ-ଦର୍ଶନ ଲେଖା ହେଉଥିଲା; ସମାଜବିଜ୍ଞାନ ନଥିଲା । ରାମାୟଣ, ମହାଭାରତ ବା ମନୁସଂହିତାରେ ସାମାଜିକ ବିଚାର ଅବଶ୍ୟ ରହିଚି । ଦାର୍ଶନିକ ପ୍ଳେଟୋଙ୍କର ଗଣତନ୍ତ୍ର-ଶାସ୍ତ୍ରରେ ସମାଜ ବିଷୟରେ ଅନେକ କଳ୍ପନା ଓ ପରାମର୍ଶମାନ ରହିଚି; କିନ୍ତୁ ଏସବୁକୁ ଆମେ ସମାଜବିଜ୍ଞାନ ବୋଲି କହିବାନାହିଁ । ଏସବୁ ବିଚାରରେ ସବୁ ମଣିଷକୁ ମଣିଷ ବୋଲି ଗ୍ରହଣ କରାଯାଇନାହିଁ ଓ ଏକ ବୈଜ୍ଞାନିକ ବିଚାରଭୂମି ଉପରେ ସବୁ ମଣିଷଙ୍କର ଅବତାରଣା କରାଯାଇନାହିଁ । ଏ ସବୁଥିରେ ନୀତି ଅନୁସାରେ ମଣିଷ ଚଳିଚି; ମଣିଷ ଅନୁସାରେ ନୀତି ଚଳିନାହିଁ-। ମଣିଷର ସଂସାରକୁ ମଣିଷ ତିଆରି କରିନାହିଁ; ମଣିଷର ଆବଶ୍ୟକତାର ନିର୍ଦ୍ଧାରଣ କରି କୌଣସି ଜୀବନ-ବିଧାତା ମଣିଷଲାଗି ତାର ସଂସାରକୁ ତିଆରି କରି ଦେଇଚନ୍ତି । ନୀତି ନିର୍ଦ୍ଧାରିତ ହୋଇ ରହିଚି, ସମାଜ ଓ ଜୀବନ କିପରି ହେବା ଉଚିତ, ତାହାର ସୂତ୍ରଗୁଡ଼ିକ ମଧ୍ୟ ଖଞ୍ଜାହୋଇ ରହିଚି । ମଣିଷକୁ କେବଳ ସେହି ନୀତି ବା ସୂତ୍ରନିପାତ ଅନୁସାରେ ଜୀବନ ବଞ୍ଚିବାକୁ ହେବ । ତାହାହିଁ ଜୀବନ, ତାହାହିଁ ହେଉଚି ଆଦର୍ଶ ଜୀବନ । ସୂତ୍ର ମାନିବା ଅର୍ଥାତ୍ ସୁନାପୁଅ ହେବା ହେଉଚି ସୁ-ନୀତି, ସୂତ୍ରର ଲଙ୍ଘନ କରିବା ହେଉଚି ଦୁର୍ନୀତି । ଏହିପରି ଏକ ଜୀବନକଳ୍ପନାରେ ମଣିଷ ଅପେକ୍ଷା ସୂତ୍ରକୁହିଁ ମହତ୍ତର ସ୍ଥାନ ଦିଆଯାଇଚି । ଏହିପରି ଏକ ବିଚାରବ୍ୟୂହ ଭିତରେ ମଣିଷର କୌଣସି ଦାୟିତ୍ୱ ନାହିଁ । ମୋଲାଗି ସୂତ୍ର ଠିକ୍ ହୋଇ ରହିଚି, ନୀତି ଠିକ୍ ହୋଇ ରହିଚି, ମୁଁ କେବଳ ମାନିବି ଏବଂ ତାହାହିଁ ଧର୍ମ ବୋଲି ସ୍ୱୀକୃତ ହେବ । ଏଥିରେ ଦାୟିତ୍ୱ ବା ସ୍ୱାଧୀନତା ଲାଗି ସ୍ଥାନ ରଖିବାର ଖୁବ୍‌ ବେଶୀ ଆବଶ୍ୟକତା ନାହିଁ ।

 

ବିଜ୍ଞାନ ଏହି ମତଦୃଷ୍ଟିର ଠିକ୍ ଓଲଟା କଥା କହେ । ବିଜ୍ଞାନ କହେ ମଣିଷହିଁ ଏହି ସମାଜକୁ ତିଆରି କରିଚି । ବିଜ୍ଞାନ କହେ ଆପଣା ଜୀବନକୁ ତିଆରି କରିବାର ଦାୟିତ୍ୱ ପ୍ରଧାନତଃ ମଣିଷର । ଧର୍ମଶାସ୍ତ୍ର ବାଇବେଲ୍‌ରେ ଲେଖାହୋଇଚି ଯେ ଭଗବାନ ଆପଣା ପ୍ରତିକୃତିର ଅବଲମ୍ବନରେ ମଣିଷକୁ ଗଢ଼ିଚନ୍ତି । ଫ୍ରାନ୍‌ସର ଜଣେ ବିଚାରକ ମଣିଷ ଓ ସମାଜର ବିଚାର କରି କହିଚନ୍ତି ଯେ ବିଭିନ୍ନ ଯୁଗରେ ଓ ବିଭିନ୍ନ ସମାଜରେ ମଣିଷ ହିଁ ଆପଣାର ଅକଲ ଅନୁସାରେ ଭଗବାନଙ୍କର କଳ୍ପନା କରିଆସିଚି । ସେଥିଲାଗି ସମାଜ ଓ ଯୁଗର ବିଭିନ୍ନତା ଅନୁସାରେ ଆମେ ଭଗବତ୍‌କଳ୍ପନାରେ ବି ବିଭିନ୍ନତା ପାଇଥାଉ । ଆଦର୍ଶ ଜୀବନର ପ୍ରକାର ବା ପ୍ରକୃତି କିପରି ହେବା ଉଚିତ, ସେକଥା କୌଣସି ଭଗବାନ ଆଗତୁରା ଠିକ୍ କରି ଦେଇନାହାନ୍ତି ବା ଭଗବତ୍-ପ୍ରେରିତ କୌଣସି ଗ୍ରନ୍ଥରେ ତାହା ଆଗତୁରା ଲିପିବଦ୍ଧ ହୋଇ ରହିନାହିଁ । ପାପ ପୁଣ୍ୟ, ଭଲ ମନ୍ଦ, ସ୍ୱାଭାବିକ ଅସ୍ୱାଭାବିକର ବିଚାର ମଣିଷଲାଗି ଭଗବାନ ଫଇସଲା କରିଦେଇ ନାହାନ୍ତି ବା କୌଣସି ଏକ ସ୍ୱର୍ଣ୍ଣଯୁଗରେ କୌଣସି ପ୍ରବୀଣ ମହାପୁରୁଷ ସବୁଯୁଗର ମଣିଷଲାଗି ଏହିସବୁର ଚରମ ବିଚାର କରି ରଖିଦେଇ ନାହାନ୍ତି । ମଣିଷ ଆପଣା ଜୀବନର ଆହ୍ୱାନ ମାନି ଅର୍ଥାତ୍ ଆପଣା ଜୀବନଭୂମିର ଆବଶ୍ୟକତା ଗୁଡ଼ିକର ଆହ୍ୱାନ ମାନି ଏହିସବୁ ବିଚାର ସମ୍ବନ୍ଧରେ ଜିଜ୍ଞାସା କରିଚି ଓ ସେହି ଜିଜ୍ଞାସାଲବ୍‌ଧ ଉତ୍ତର ଅନୁସାରେ ଆପଣାର ବ୍ୟକ୍ତିଗତ ତଥା ସମାଜିକ ଜୀବନକୁ ଗଢ଼ିବାର ଚେଷ୍ଟା କରିଚି । ମଣିଷ-ପ୍ରବୃତ୍ତିର ସୃଷ୍ଟିଶୀଳତାକୁ ହିଁ ଯେକୌଣସି ସମାଜ-ବିଜ୍ଞାନ ସକଳ ସୃଷ୍ଟି ଓ ସକଳ ନବରଚନାର ଜନନୀ ବୋଲି ଗ୍ରହଣ କରିଥାଏ । ମଣିଷକୁ ତାର ପ୍ରଧାନତମ ଆସ୍ଥାନରୁ ବହିଷ୍କୃତ କରିଦେଇ ଯେଉଁ ବିଚାରବୃତ୍ତି ସୂତ୍ରକୁ ହିଁ ମୂଳ ନିର୍ଣ୍ଣାୟକ ବୋଲି ଦେଖାଇବାକୁ ଚେଷ୍ଟା କରେ, ମନକୁ ଯେତେ ବେଶୀ ଘେନିଲାଭଳି ଓ ସୁହାଇଲାଭଳି ବୈଜ୍ଞାନିକ ଲେପ ବୋଳିହୋଇ ଆପଣାକୁ ବହଳ କରି ରଖିଥିଲେହେଁ ଆମେ ସମାଜ-ବିଜ୍ଞାନ ଅନୁସାରେ ତାହାକୁ କେବଳ ଏକ ଯାନ୍ତ୍ରିକ ନିୟନ୍ତ୍ରଣବାଦ ବୋଲି କହିପାରିବା, ମାତ୍ର ବିଜ୍ଞାନ ବୋଲି କହିପାରିବା ନାହିଁ । ଜିଜ୍ଞାସା ହେଉଚି ସକଳ ବିଜ୍ଞାନର ଜନନୀ । ବେଦାନ୍ତ-ଦର୍ଶନରେ ମଧ୍ୟ ବ୍ରହ୍ମଜିଜ୍ଞାସାକୁ ହିଁ ଧର୍ମବିଚାରର ଆଦିସୂତ୍ର ରୂପେ ବ୍ୟବହାର କରାଯାଇଚି । ସୃଷ୍ଟିଶୀଳତା ହିଁ ଯେକୌଣସି ଯଥାର୍ଥ ବିଜ୍ଞାନର,-ବିଶେଷତଃ ସମାଜ ବିଜ୍ଞାନର ପ୍ରଧାନତମ ଆକାଙ୍‌କ୍ଷା ହୋଇ ରହିବା ଉଚିତ । ପୁରାତନ ବା ଆଧୁନିକ ଯେକୌଣସି ନିୟନ୍ତ୍ରଣବାଦ ଭିତରେ ଆମେ ମଣିଷ-ଜୀବନ ଓ ତାର ସମାଜିକ ଅଭିଯାତ୍ରାକୁ ବାନ୍ଧି ରଖିବାକୁ ବସିଲେ ତଦ୍ଦ୍ୱାରା ଅନ୍ଧବିଶ୍ୱାସକୁ ଜାରି କରି ରଖିବା ହିଁ ସାର ହେବ ।

 

ଆପଣା ଜୀବନ ଓ ଆପଣା ସମାଜକୁ କେବଳ ଗଢ଼ିବାର ଶ୍ରେୟ ମଣିଷର ନୁହେଁ,-ମଣିଷ ହିଁ ଯୁଗେ ଯୁଗେ ନାନା ଆବଶ୍ୟକତାର ଆହ୍ୱାନ ଦ୍ୱାରା ପ୍ରେରିତ ହୋଇ ଆପଣାର ଜୀବନକୁ ଓ ସମାଜକୁ ବଦଳାଇ ଆସିଚି । କୌଣସି ସମାଜ ସ୍ଥିତିଶୀଳ ନୁହେଁ, ସ୍ଥାଣୁ ନୁହେଁ,-ଠିକ୍ ଯେପରି କୌଣସି ମଣିଷର ଜୀବନ ମଧ୍ୟ ସ୍ଥାଣୁ ବା ସ୍ଥିତିଶୀଳ ନୁହେଁ । ଆଜି ଯେଉଁ ଜଳପ୍ରବାହକୁ ଆମେ ନଦୀ ବୋଲି କହୁଚୁ, କାଲି ମଧ୍ୟ ତାହାକୁ ହିଁ ନଦୀ ବୋଲି କହୁଚୁ । ଅର୍ଥାତ୍ ଆମର କାଲି ଦେଖିଥିବା ନଦୀ ଓ ଆଜି ଦେଖୁଥିବା ମଧ୍ୟରେ ଅବଶ୍ୟ ଏକ ଏକବଦ୍ଧତାର ସୂତ୍ର ରହିଚି । ତଥାପି ନଦୀ ବହିଚାଲିଚି । ନଦୀକୁ ଏକ ସତ୍ୟ ବୋଲି ଗ୍ରହଣ କଲେ ଆମକୁ ତାର ପ୍ରବାହକୁ ମଧ୍ୟ ସତ୍ୟ ବୋଲି ଗ୍ରହଣ କରିବାକୁ ହେବ । ସମାଜ ବେଳକୁ ମଧ୍ୟ ଠିକ୍ ସେହିପରି । ବର୍ତ୍ତମାନ ଆମ ସମାଜକୁ ଆମେ ଯେଉଁପରି ରୂପରେ ଦେଖିବାକୁ ପାଉଚୁ, ଆବହମାନ କାଳରୁ ଏହା କଦାପି ସେହିପରି ରହି ଆସିନାହିଁ । ନଦୀର ପ୍ରବାହ ପରି ଏହା ବହି ଚାଲିଚି, ଗୋଟିଏ ସ୍ଥିତିରୁ ଆଉଏକ ସ୍ଥିତିକୁ ପରିବର୍ତ୍ତନ ହୋଇ ଚାଲିଚି । କୌଣସି ଇତିହାସର ନିୟମ ବା କୌଣସି ଭଗବାନର ଅଙ୍କୁଶ-ନିର୍ଦ୍ଧାରଣ ମାନି ଯେ ଏହି ପରିବର୍ତ୍ତନ ହେଉଚି, ତାହା ନୁହେଁ । ମଣିଷହିଁ ସାମାଜିକ ସକଳ ପ୍ରବାହ ଓ ପରିବର୍ତ୍ତନର ଅଧୀଶ୍ୱର ହୋଇ ରହିଚି । ସମାଜର ପ୍ରଗତି ଲାଗି ଆମକୁ ଯେପରି ମଣିଷକୁ ହିଁ ଶ୍ରେୟ ଦେବାକୁ ହେବ, ସମାଜର ଦୁର୍ଦ୍ଦଶା ବା ଦୁଃସ୍ଥିତି ଲାଗି ମଧ୍ୟ ସେହି ମଣିଷକୁହିଁ ଦାୟୀ କରିବାକୁ ପଡ଼ିବ । ଆମ ସମାଜ ଭିତରେ ଆଜି ନାନାପ୍ରକାର ଦୁର୍ଗତି ପଶିଯାଇଚି; ସେଥିଲାଗି କୌଣସି ଭାଗ୍ୟକୁ ଦୋଷ ଦେବାଟାକୁ ବୈଜ୍ଞାନିକ ଆଚରଣ ବୋଲି କୁହାଯାଇ ପାରିବ ନାହିଁ । ସମଗ୍ରତଃ ମଣିଷ ହିସାବରେ ଆମେ ନିଜେ ହେଉଚୁ ଆମ ଆପଣାର ଭାଗ୍ୟଧର । ଅର୍ଥାତ୍ ସମାଜର ଅଧଃପତନ ଯେପରି ପ୍ରଧାନତଃ ଆମରି କାରଣରୁ ହୋଇଚି, ଠିକ୍ ସେହିପରି ଆମରି ଉଦ୍ୟମ ଓ ଅଭିଳାଷ ବଦଳିଲେ ସମାଜର ଅଗ୍ରଗତି ମଧ୍ୟ ସମ୍ଭବ ହୋଇପାରିବ । ହଁ, ଅନେକ ସମୟରେ ପ୍ରାକୃତିକ ଦୁର୍ବିପାକରୁ ମଧ୍ୟ ସମାଜ ଓ ସାମାଜିକ ଜୀବନରେ ଅଭାବନୀୟ ପରିବର୍ତ୍ତନମାନ ଘଟିଥାଏ । ବନ୍ୟା, ମଡ଼କ, ଭୂମିକମ୍ପ ଓ ମହାମାରୀ ହଠାତ୍ ଆକାଶରୁ ବଜ୍ର ପଡ଼ିଲାପରି ଆସି ଆମର ସଂସାରକୁ କେତେପ୍ରକାରେ ଆହତ ଓ ବ୍ୟାହତ କରିଦେଇଯାଏ । ତଥାପି ଆପଣାର ସଚେତନ ଓ ଉଦ୍ୟମଶୀଳ ବୁଦ୍ଧିଦ୍ୱାରା ମଣିଷ ପ୍ରାକୃତିକ ଦୁର୍ବିପାକ ଗୁଡ଼ିକର ବି ପ୍ରତିକାର ବିଧାନ କରାଇପାରେ । ବନ୍ୟାଜଳକୁ ସେ କୃଷିଲାଗି ଅତ୍ୟାବଶ୍ୟକ ଅନ୍ନ-ଉତ୍ପାଦନକାରୀ ଜଳରେ ପରିବର୍ତ୍ତିତ କରିଦେଇପାରେ; ଆପଣା ସାମାଜିକ ବୁଦ୍ଧି ଓ କଲ୍ୟାଣାକାଙ୍‌କ୍ଷୀ ଯୋଜନାକୁ କାମରେ ଲଗାଇ ସେ ଅସାଧ୍ୟ ବ୍ୟାଧିକୁ ମଧ୍ୟ ସାଧ୍ୟ ଓ ନିରାକୃତ କରି ଦେଇପାରେ । ପୁରାତନ କାଳରେ ମଣିଷ ପ୍ରାକୃତିକ ଶକ୍ତିଗୁଡ଼ିକ ଦ୍ୱାରା ପ୍ରଧାନତଃ ବିପର୍ଯ୍ୟସ୍ତ ହୋଇ ରହିଥିଲା । ଏଯୁଗର ବିଜ୍ଞାନୀ ମଣିଷ ପ୍ରାକୃତିକ ଶକ୍ତି ଗୁଡ଼ିକୁ ଆପଣାର ଆୟତ୍ତକୁ ଆଣି ଏହି ପୃଥିବୀରେ ଆପଣାର ଜୀବନକୁ କେଡ଼େ ଅଧିକ ସୁନ୍ଦର ଏବଂ ସମ୍ଭାବନାମୟ କରିପାରୁଚି । ହଜାରବର୍ଷ ତଳେ ମଣିଷ ଯାହାର ସ୍ୱପ୍ନ ବି ଦେଖି ପାରୁନଥିଲା, ଆଜିର ମଣିଷ ତାହାକୁ ପ୍ରତିଦିନର ଜୀବନାଚାରରେ ପରିଣତ କରି ପାରିଲାଣି । ଭାରତବର୍ଷର ଚାଷୀ ଆଜି ମଧ୍ୟ ଯାହାକୁ ଆକାଶକୁସୁମ ବୋଲି ଭାବୁଚି, ଇସ୍ରାଏଲ୍ ବା ଡେନମାର୍କର ଚାଷୀ ତାହାକୁ ଆପଣା ଜୀବନର ମାନଚିତ୍ରରେ କେଉଁଦିନୁ ସ୍ଥାନ ଦେଇ ସାରିଲାଣି । ଯୁଦ୍ଧକୁ ଅନେକେ ପ୍ରାକୃତିକ ଦୁର୍ବିପାକ ପରି ଏକ ବହିରାଗତ ଦୁର୍ବିପାକ ବୋଲି ଅନୁମାନ କରିଥାନ୍ତି-। ଦୁଷ୍ଟଗ୍ରହମାନେ ଏକଜୁଟ ହୋଇ କୌଣସି ଭୂଖଣ୍ଡକୁ କ୍ଷତିଗ୍ରସ୍ତ କରିବାକୁ ମନସ୍ଥ କଲେ କୁଆଡ଼େ ଯୁଦ୍ଧ ହୋଇଥାଏ ବୋଲି ଜ୍ୟୋତିଷ ପଣ୍ଡିତମାନେ କହିବାକୁ ଚେଷ୍ଟା କରିଥାନ୍ତି । ସମାଜବିଜ୍ଞାନ କହିବ, ମଣିଷ ଚାହିଲେ ଯୁଦ୍ଧ ହୁଏ । ଅର୍ଥାତ୍ ମଣିଷର ଆଗ୍ରହ, ବିଶ୍ୱାସ ଓ ସାମୂହିକ ଜୀବନର ସାଧନାମାନ ଯେପର୍ଯ୍ୟନ୍ତ ପ୍ରଧାନତଃ ଯୁଦ୍ଧାନୁକୂଳ ହୋଇ ରହିଥାଏ, ସେପର୍ଯ୍ୟନ୍ତ ଶାନ୍ତିର ଯେତେପ୍ରକାରେ ପୋଷାକୀ ପ୍ରଗଳ୍‌ଭତା କରୁଥିଲେ ମଧ୍ୟ ଯୁଦ୍ଧ ଲାଗିବାର ଆଶଙ୍କା ପ୍ରବଳ ହୋଇ ରହିଥାଏ । ଭଗବାନ ଇଚ୍ଛା କଲେ ଯେ ଆମ ପୃଥିବୀରୁ ଯୁଦ୍ଧ ବନ୍ଦ ହୋଇଯିବ, ଏପରି ଅନୁମାନରେ ବିଜ୍ଞାନ କୌଣସିପ୍ରକାର ଯୁକ୍ତିଯୁକ୍ତତା ଦେଖିପାରେ ନାହିଁ । କାରଣ ଅତି ପରିଷ୍କାର । ଆମର କଳ୍ପିତ ଭଗବାନ ଯଦି ପ୍ରକୃତରେ ଭଗବାନପଦବାଚ୍ୟ ହୋଇଥିବେ, ତେବେ ସେ କଦାପି ପୃଥିବୀରେ ଯୁଦ୍ଧ ଲଗାଇଦେଇ ମଣିଷ ଜୀବନକୁ ଉଚ୍ଛନ୍ନ କରିବାରେ କୌଣସି ଆନନ୍ଦ ପାଇବେ ନାହିଁ । ତେଣୁ ଯୁଦ୍ଧ ଲାଗିବାରେ ଯାହାର କୌଣସି ହାତ ନାହିଁ, ଆମେ ତା ଉପରେ ଯୁଦ୍ଧ ବନ୍ଦ କରିବାର ଅଧିକାରିତ୍ୱକୁ ସମର୍ପି ଦେଇପାରିବା କିପରି ? ବିଜ୍ଞାନର ବିଚାରକୁ ସ୍ୱୀକାର କରିବାକୁ ହେଲେ ଆମକୁ ଏକଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ, ଆମ ପୃଥିବୀର ଯାବତୀୟ ଯୁଦ୍ଧ ହେଉଚି ଏହି ମଣିଷରହିଁ ଭିଆଣ; ଯୁଦ୍ଧ ବନ୍ଦକରି ଅନ୍ୟଏକ ପାରସ୍ପରିକ ସମ୍ବନ୍ଧଭୂମି ଉପରେ ଯୁଦ୍ଧରହିତ ସାମାଜିକ ଜୀବନ ବଞ୍ଚିବାର ଚାବିକାଠି ମଧ୍ୟ ମଣିଷ ହାତରେ ଅର୍ଥାତ୍ ଆମରି ହାତରେ ରହିଚି ।

 

ମଣିଷର ଜୀବନ ପରି ମଣିଷର ସମାଜ ମଧ୍ୟ ଗତିଶୀଳ, ପରିବର୍ତ୍ତନଶୀଳ । ମଣିଷ ଆପଣାର ବାସନା ଓ ଉଦ୍ୟମ ଅନୁସାରେ ତାର ସାମାଜିକ ବାତାବରଣ ଓ ସାମୂହିକ ଜୀବନକୁ ବଦଳାଇ ଚାଲିଚି । ଯେଉଁଠି ସେ ସ୍ଥିତିକୁ ଭାଗ୍ୟର ଅନୁଗ୍ରହ ବା ଭଗବାନଙ୍କର ବରାଦ ବୋଲି ମାନିନେଉଚି, ସେଠି ତାର ସମାଜ ବଦଳିବାର ଗତି ମନ୍ଥର ହୋଇଯାଉଚି । ଯେଉଁଠି ସେ ପରିବର୍ତ୍ତନ ଓ ପ୍ରଗତି ଲାଗି ଯେତେବେଶୀ ଆଗ୍ରହ ପୋଷଣ କରୁଚି, ତାର ବିଚାରରେ ସେତିକି ବେଶୀ ବେଗର ସଞ୍ଚାର ହେଉଚି, ଅଧିକରୁ ଅଧିକ ହାସଲ କରିବାଲାଗି ତାର ଅସନ୍ତୋଷ ସେତିକି ବେଶୀ ବଢ଼ୁଚି ଓ ସେ ସେତିକି ବେଶୀ ଆପଣା ଓ ଆପଣା ସମାଜର ଭାଗ୍ୟରେ ପରିବର୍ତ୍ତନ ଘଟାଉଚି ।

 

ଯୁଗକୁ ମାନିନେଲେ ଯୁଗ ବଦଳେନାହିଁ, ଭାଗ୍ୟକୁ ମାନିନେଲେ ଭାଗ୍ୟରେ ପରିବର୍ତ୍ତନ ହୁଏନାହିଁ । ଅଳପକରେ ସନ୍ତୁଷ୍ଟ ହୋଇ ରହିଗଲେ ଅଧିକକୁ ମନ ବଳେ ନାହିଁ । ନୂତନ ଅସନ୍ତୋଷ ଯେ ଆମକୁ ଜୀବନରେ ନବନବ ସମ୍ଭାବନାର ଦ୍ୱାରୋଦ୍‌ଘାଟନ କରିବାକୁ ଶିଖାଏ, ଏହି କଥାଟି ଉପରେ ଅଳପରେ ସନ୍ତୁଷ୍ଟ ହୋଇ ସେହି ଅଳପକୁହିଁ ମାନିନେବାର ବ୍ୟକ୍ତି ବା ମନୁଷ୍ୟଗୋଷ୍ଠୀ ଅନେକ ସମୟରେ ବିଶ୍ୱାସହିଁ ସ୍ଥାପନ କରି ପାରେନାହିଁ । ଆପାତ ସତ୍ୟକୁ ସମଗ୍ର ସତ୍ୟ ବୋଲି ମାନିନେଲେ ଆମ ଜୀବନରୁ ସତ୍ୟର ସଞ୍ଚାରପଥମାନ କ୍ରମେ ନିଶ୍ଚିହ୍ନ ହୋଇଯାଏ । କୌଣସି ଗୋଟିଏ ନିୟମ, ସୂତ୍ର ବା ବ୍ୟବସ୍ଥାକୁ ଜୀବନର ସନାତନ ସମ୍ଭାବନା ବା ସନାତନ ବ୍ୟବସ୍ଥା ବୋଲି ମାନିନେଲେ ଆମର ବ୍ୟକ୍ତିଗତ ତଥା ସାମାଜିକ ଜୀବନଭୂମି ଠିକ୍ ଏକ ଆବଦ୍ଧ ଜଳାଶୟ ପରି ବଡ଼ ବିକଳ ହୋଇପଡ଼େ । ମଣିଷର କର୍ମ ସବୁ କରେ ବୋଲି ଆମ ଦେଶର ଗାଆଁ ଓ ସହରମାନଙ୍କରେ ଅନେକେ ବିଶ୍ୱାସ କରନ୍ତି । ହୁଏତ କର୍ମ ସବୁ କରେ । କିନ୍ତୁ ମଣିଷ ବି ନିଜେ ଅନେକ ପରିମାଣରେ ତାର କର୍ମକୁ ତିଆରି କରେ । ତାର ଶୁଭ ବାସନା ତାକୁ ଶୁଭକର୍ମ ଆଡ଼କୁ ପ୍ରଧାବିତ କରେ; ପୁଣି ଅଶୁଭ ଆଳସ୍ୟ, ମଳିନ ବାସନା ତାକୁ ଅଶୁଭ କର୍ମ ଭିତରେ ଜଡ଼ କରି ବାନ୍ଧିରଖେ । ତାର ପ୍ରଗତି-ବାସନା ତାକୁ ଆଗକୁ ଆଗକୁ ନେଇଯିବାର ଉତ୍‌ପ୍ରେରଣା ଦିଏ; ଅଳପକୁ ଆଦରି ରହିବାର ଭାଗ୍ୟବାଦ ଜୀବନର ସବୁଠାରୁ ବଡ଼ ପ୍ରମାଦ ହୋଇ ମଣିଷକୁ ଅକିଞ୍ଚନ ଅଳପ ଭିତରେ ଦରିଦ୍ର କରି ରଖିଥାଏ । ମଣିଷ-ବ୍ୟକ୍ତିର ଜୀବନରେ ଯାହା, ମଣିଷ- ଗୋଷ୍ଠୀର ଜୀବନରେ ମଧ୍ୟ ସେଇଆ-। ସମାଜ ଯଦି କର୍ମକୁ ଆଦରି ବସି ରହିବାର ଫିକର କରେ, ତେବେ ତାହାର ପରିବର୍ତ୍ତନ ମଧ୍ୟ ଧୀର ଓ ମନ୍ଥର ହୋଇଯାଏ । ଯେଉଁ ଜନଗୋଷ୍ଠୀ ଆଗକୁ ଆଗକୁ ସ୍ୱପ୍ନ ଦେଖିବାର ଅଭିଳାଷକୁ ଜୀବନର ଶୁଭତମ ଅଭିଳାଷ ବୋଲି ଜାଣି ଶିଖିଥାଏ, ତାହାକୁହିଁ ଅଧିକ ପରିବର୍ତ୍ତନ ଓ ପ୍ରଗତିର ସୌଭାଗ୍ୟ ମିଳେ ।

 

କିନ୍ତୁ କର୍ମବାଦୀ ବା ନିୟନ୍ତ୍ରଣବାଦୀ କେବଳ ଭାରତରେ ଜନ୍ମ ହୋଇନାହାନ୍ତି । ପୃଥିବୀର ବିଭିନ୍ନ ଦେଶରେ ସେମାନଙ୍କର ଆକଟ ଆମକୁ ଶୁଣିବାକୁ ମିଳିଚି । ଭାଗ୍ୟବାଦୀ ବା ସୂତ୍ରବାଦୀ କେବଳ ଅତୀତରେ ନଥିଲେ, ସେମାନେ ନାନା ଭେକରେ, ନାନା କାମରେ ଆମ ଆଧୁନିକ ଯୁଗରେ ମଧ୍ୟ ରହିଚନ୍ତି । ସମାଜଶାସ୍ତ୍ରର ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ସେମାନେ ଆପଣାର ନୀତି ବୟାନ କରି ଯାଇଚନ୍ତି । ଏହି ବିଚାରର ଅନ୍ୟତମ ପ୍ରତିନିଧି ସ୍ୱରୂପ ଏଠାରେ ଆମେରିକାର ଜଣେ ସମାଜଶାସ୍ତ୍ରୀ ଶ୍ରୀଯୁକ୍ତ ସମନର୍‌ଙ୍କର ଉଲ୍ଲେଖ କରାଯାଇ ପାରିବ । ଆପଣାର ଗୋଟିଏ ପ୍ରବନ୍ଧରେ ସମନର୍‌ (୧୮୪୦-୧୯୧୦) ଲେଖିଚନ୍ତି: ‘‘ଆମର ଇଚ୍ଛା ବା ଅନିଚ୍ଛା ଲାଗି କୌଣସି ଅପେକ୍ଷା ନରଖି କାଳ ଓ ସାଂସାରିକ ଜୀବନର ସ୍ରୋତ ଯେଉଁ ରାସ୍ତାରେ ଯିବା କଥା ଠିକ୍ ସେହି ରାସ୍ତାରେ ହିଁ ଚାଲିଯିବାରେ ଲାଗିଥିବ । ଆମେ ପ୍ରତ୍ୟେକେ ଆପଣା ଆପଣା କାଳର କେବଳ ଏକ କ୍ରୀଡ଼ନକ ମାତ୍ର, ଆମର କାଳହିଁ ଆମର ଜୀବନକୁ ତିଆରି କରିଚି । କୌଣସି ପରିସ୍ଥିତିରେ ମଧ୍ୟ ଆମେ ଏହି କାଳର ଆବହ ଭିତରୁ ମୁକୁଳି ପାରିବାନାହିଁ । ଆମେ ପ୍ରତ୍ୟେକେ ଏହି ପ୍ରବାହ ଭିତରେ ରହିଚୁ ଓ ଏହି ପ୍ରବାହ ସହିତ ବହିଚାଲିଚୁ । ଆମର ବିଜ୍ଞାନ କହ ବା ଦର୍ଶନ କହ, ସବୁ ଏହି କାଳର ନିୟନ୍ତ୍ରଣରୁହିଁ ନିଷ୍ପନ୍ନ ହୋଇଚି । ତେଣୁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଏହି ସ୍ରୋତକୁ ବଦଳାଇ ପାରିବାନାହିଁ । ଏହି ସ୍ରୋତର ପ୍ରବାହରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ ଏହା ଆମର ସକଳ ପ୍ରୟୋଗ ଓ ପ୍ରଚେଷ୍ଟା ସହିତ ଆମକୁ ଗର୍ଭସାତ୍ କରିଦେବ । ତେଣୁ ଅକିଞ୍ଚନ ମଣିଷ ବେଳେବେଳେ ସିଲଟ ଓ ସିଲଟଖଡ଼ି ଧରି ପୃଥିବୀରେ ଏକ ପରିବର୍ତ୍ତିତ ନୂଆ ସମାଜ ଗଢ଼ିବାର ଯେଉଁ ଯୋଜନା କଷିବସେ, ମଣିଷ ପକ୍ଷରେ ତାହାଠାରୁ ବଳି ଅଧିକ ନିର୍ବୋଧତା ଆଉ କଣ ହୋଇପାରେ ?’’ (୩)

 

ସମାଜର ଇତିହାସରେ ଶ୍ରୀଯୁକ୍ତ ସମ୍‌ନର୍‌ଙ୍କର କଥା ମିଥ୍ୟା ବୋଲି ପ୍ରମାଣିତ ହୋଇଚି-। ମଣିଷ ଆତ୍ମସମର୍ପଣ କଲାପରି ଓ କାଳର ସର୍ବନିର୍ଣ୍ଣୟକାରୀ ସ୍ରୋତ ଭିତରକୁ କେବଳ ଡେଇଁପଡ଼ିନାହିଁ ଓ ସ୍ରୋତ ସହିତ ସୁନାପୁଅ ପରି ଭାସି ଚାଲିବାକୁହିଁ ଜୀବନର ଶ୍ରେୟ ବୋଲି ମାନି ନେଇନାହିଁ । ଆମେ ସମସ୍ତେ ସମାଜକୁ ମାନିନେବାକୁହିଁ ଜୀବନର ନିରାପଦ ଧର୍ମ ବୋଲି ମାନିନେଇଥିଲେ ସମାଜ ବଦଳିଥାନ୍ତା କିପରି ? ବିଜ୍ଞାନର ଅଗ୍ରଗତି ହୋଇଥାନ୍ତା କିପରି ବା ସଭ୍ୟତାର ବିକାଶ ହୋଇଥାନ୍ତା କିପରି ? ପଛକୁ ଅନାଇ ଦେଖିଲେ ମନେହୁଏ ସତେଯେପରି ପ୍ରଧାନତଃ ସମାଜକୁ ନମାନିଥିବା ଲୋକମାନେହିଁ ସମାଜକୁ ବଦଳାଇଚନ୍ତି । ଭାରତରେ ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଗାନ୍ଧୀ ଓ ବିନୋବା ସୁନାପୁଅ ପରି ପ୍ରଚଳିତ ସମାଜକୁ ମାନି ନେଇନାହାନ୍ତି । ସେମାନେ ଅଧିକ ଉପାଦେୟ କୌଣସି ଜୀବନମୂଲ୍ୟର ଅନୁପ୍ରେରଣାରେ ପ୍ରଚଳିତ ସମାଜର ଗୁରୁଜନ–ବାକ୍ୟଗୁଡ଼ିକୁ ମାନିବାକୁ ସଫା ନାହିଁ କରିଦେଇଚନ୍ତି ଏବଂ ସେମାନଙ୍କ ସକାଶେ ଭାରତର ସମାଜ ଓ ଧର୍ମ ସ୍ଥାଣୁ ହୋଇ ମରିନଯାଇ ନାନା ନୂତନ ବ୍ୟାଖ୍ୟାରେ ଆପଣାକୁ ବିକଶିତ କରିପାରିଚି । କୋପର୍‌ନିକସ୍‌, ବ୍ରୁନୋ ଓ ଗାଲିଲିଓ ସେମାନଙ୍କ ତତ୍କାଳୀନ ସମାଜର କୁହାମାନି ଚୁପ୍‌ ହୋଇ ଯାଇଥିଲେ ଆଧୁନିକ ବିଜ୍ଞାନ ଆମ ପୃଥିବୀକୁ ଯେଉଁଠି ଆଣି ପହଞ୍ଚାଇ ପାରିଚି, ଆଜି ତାହା କଦାପି ସମ୍ଭବ ହୋଇ ନଥାନ୍ତା । କଥା ନ ମାନି ଯେଉଁମାନେ ସମାଜ ପାଖରେ, ଧର୍ମସଭାରେ ବା ରାଜଦରବାରରେ ନିର୍ଭୀକ ଭାବରେ ଆପଣାର କଥା କହିଛନ୍ତି, ସେହିମାନେହିଁ ଅନାଗତ ନୂତନ ଯୁଗର ମୂଳପତ୍ତନ ସମ୍ଭବ କରିଚନ୍ତି । ଆବହମାନ କାଳରୁ ମଣିଷ ତାର ସମାଜକୁ ବଦଳାଇ ଆସିଚି; କୌଣସି ସୃଷ୍ଟିଶୀଳ କାରିଗର ପରି ସେ ତାହାର ସମାଜକୁ କେତେପ୍ରକାର ଆଦର୍ଶ ଓ ଆକାରର ଅନୁକୃତିରେ ନୂଆକରି ଗଢ଼ିବାକୁ ନିରନ୍ତର ଚେଷ୍ଟା କରିଆସିଚି । କେତେ କ୍ଷେତ୍ରରେ ସଫଳ ହୋଇଛି, ପୁଣି କେତେ କ୍ଷେତ୍ରରେ ହୋଇନାହିଁ; ତଥାପି ଚେଷ୍ଟାର ବିରାମ ନାହିଁ । କେଉଁଠି ସବୁ ଅତ୍ୟନ୍ତ କ୍ଷିପ୍ରଗତିରେ ବଦଳି ଯାଉଚି, ପୁଣି କେଉଁଠି ସମାଜର ପରିବର୍ତ୍ତନ ଏପରି ମନ୍ଥର ଗତିରେ ଚାଲିଚି ଯେ କେଉଁଠି ପ୍ରକୃତରେ କୌଣସି ପରିବର୍ତ୍ତନ ହେଉଚି ବୋଲି ମଧ୍ୟ ମନେହେଉନାହିଁ । ସହରରେ ସବୁ ସତ୍ୱର ବଦଳିଗଲାପରି ଲାଗୁଚି, ଆମର ସଂସାର ଆଗକୁ ଦଉଡ଼ିଗଲା ପରି ମନେହେଉଚି । କିନ୍ତୁ ଗାଆଁରେ ସାମାଜିକ ବିକାଶର ଶଗଡ଼ଗାଡ଼ି ଅଧାବାଟରେ ଅଟକିଗଲା ପରି ଲାଗୁଚି । ମନେହେଉଚି ଯେପରି ଗାଡ଼ିର ବଳଦ ଆଉ ମୋଟେ ଆଗକୁ ଯିବାକୁ ମଙ୍ଗୁନାହାନ୍ତି । ତଥାପି ଗାଆଁର ସମାଜ ମଧ୍ୟ ବଦଳୁଚି । ପଚାଶବର୍ଷ ବା ପନ୍ଦରବର୍ଷ ତଳେ ଗାଆଁ ଯେପରି ଥିଲା, ବର୍ତ୍ତମାନ ତାଠାରୁ ଅନେକ ନିଆରା ହୋଇଗଲାଣି । ଗାଆଁର ରାସ୍ତା ବଦଳିଗଲାଣି, ଗାଆଁର ଚାଷବାସ ବଦଳିଗଲାଣି, ଗାଆଁ ଦେଉଳ ବଦଳିଗଲାଣି, ଗାଆଁର ମଣିଷମାନେ ମଧ୍ୟ ବଦଳିଗଲେଣି । ପୁଣି ତୁମ ଆମ ଗାଆଁ ଛାଡ଼ି ଆଦିବାସୀ ଗାଆଁକୁ ଗଲେ ହୁଏତ ଆମର ମନେହୋଇପାରେ ଯେ ପୃଥିବୀରେ ଆଉ ଯେଉଁଠି ଯାହା ବଦଳୁଥାଉ ପଛକେ, ଆଦିବାସୀ ସମାଜ କଦାପି ବଦଳୁନାହିଁ । ସେହି ସମାଜ ହୁଏତ ପାଞ୍ଚଶହ ବର୍ଷ ପୂର୍ବରୁ ଯେଉଁଠି ଥିଲା, ବର୍ତ୍ତମାନ ମଧ୍ୟ ଠିକ୍ ସେଇଠି ପଡ଼ିରହିଚି । ସେଇ ନାଚ, ସେଇ ମଦପିଆ, ସେଇ ପୁରୁଣା ସଂସ୍କାର ଓ ସାଧନମାନ ସବୁ ଯେମିତି ଥିଲା, ସେହିପରି ରହିଚି; କେଉଁଠି କିଛିହେଲେ ବଦଳିନାହିଁ । ଆମର ଏସବୁ ଅନୁମାନ ସତ୍ତ୍ୱେ ଆଦିବାସୀ-ସମାଜ ମଧ୍ୟ ବଦଳି ବଦଳି ଯାଉଚି । ସହର ଯେଡ଼େ ତ୍ୱରାରେ ବଦଳୁଚି, ସେଡ଼େ ତ୍ୱରାରେ ବଦଳୁନାହିଁ ସତ୍ୟ କିନ୍ତୁ ବଦଳିବାରେ ଲାଗିଚି ।

 

ଏହାର କାରଣ ହେଉଚି ଯେ ମଣିଷର ଜୀବନ ପରି ତାର ସମାଜ ମଧ୍ୟ କେତେବେଳେହେଲେ ସ୍ଥାଣୁ ବା ଅଚଳ ହୋଇ ରହିନାହିଁ । ମଣିଷର ଆକାଙ୍‌କ୍ଷା ଓ ଆବଶ୍ୟକତା ସହିତ ବଦଳି ଚାଲିଚି । ସମାଜର ସ୍ରୋତ ମଣିଷର ବାହାରେ ମଣିଷର ଅପେକ୍ଷା ନରଖି ବହିଯାଉନାହିଁ । ସମାଜର ମଣିଷ ହିଁ ସମାଜର ଗତି ଓ ସାମାଜିକ ପରିବର୍ତ୍ତନର ବେଗ ନିରୂପଣ କରୁଚି । ଏକ ସମାଜରେ ଜୀବନ ବଞ୍ଚି ମଣିଷ କେତେକେତେ ଆହ୍ୱାନର ସମ୍ମୁଖୀନ ହେଉଚି ଏବଂ ସେହି ଆହ୍ୱାନ ଗୁଡ଼ିକ ଅନୁସାରେ ଆପଣାର ଜୀବନାଚରଣ ଗୁଡ଼ିକୁ ଆୟତ୍ତ କରୁ କରୁ ସେ ଆପେ ବଦଳୁଚି ଓ ଆପଣା ସମାଜକୁ ମଧ୍ୟ ବଦଳାଇବାରେ ଲାଗିଚି । ତେଣୁ ସମାଜ ଓ ସାମାଜିକ ସଂଗଠନକୁ ଆମକୁ ପ୍ରଧାନତଃ ଆପେକ୍ଷିକ ଭାବରେ ବିଚାର କରି ଶିଖିବାକୁ ପଡ଼ିବ । ଆଜିର ସମାଜ ଏବଂ କାଲିର ସମାଜ ଭିତରେ ଅନେକ ସାମଞ୍ଜସ୍ୟ ଅବଶ୍ୟ ରହିଚି, କିନ୍ତୁ ଅନେକ ଭିନ୍ନତା ବା ଅସାମଞ୍ଜସ୍ୟ ମଧ୍ୟ ରହିଚି । ଦଶବର୍ଷ ତଳେ ଆମ ଗାଆଁ ଓ ବର୍ତ୍ତମାନ ଆମ ଗାଆଁ ଭିତରେ ଅନେକ ସାମଞ୍ଜସ୍ୟ ଅବଶ୍ୟ ରହିଚି, କିନ୍ତୁ ଅନେକ ଅସାମଞ୍ଜସ୍ୟ ମଧ୍ୟ ରହିଚି । ସହର, ଗାଆଁ ବା ଅରଣ୍ୟର ଗୁଡ଼ା ଯେଉଁଠାରେ ହେଉ ପଛକେ, ମଣିଷ ଯେଉଁଠି ପରସ୍ପର ସହିତ ମିଶି ଗୋଷ୍ଠୀ ବାନ୍ଧି ରହିଚି, ସେଠି ସମାଜ ଆଦୌ ଅଚଳ ପଥର ପରି ସେମିତି ପଡ଼ିରହିନାହିଁ । ସବୁଠି ପରିବର୍ତ୍ତିତ ହେବାରେ ଲାଗିଚି । ଏପରିକି ଆଦିବାସୀ ମାନଙ୍କର ସ୍ଥାନୀୟ ଓ ଅପେକ୍ଷାକୃତ ଅଧିକ ସରଳ ସମାଜରେ ମଧ୍ୟ ନାନା ଭଙ୍ଗାଗଢ଼ା ଓ ବିବର୍ତ୍ତନ ଲାଗିରହିଚି । ସେଠାରେ ମଧ୍ୟ ଜୀବନର ଆବଶ୍ୟକତା ଓ ଆହ୍ୱାନ ଅନୁସାରେ କେତେ ଜଣ ସଜଡ଼ା ହେଉଚି ଓ ପୁଣି କେତେ କଣ ବିଗିଡ଼ି ଯାଉଚି । (୪) ସ୍ୱର୍ଗରାଜ୍ୟରେ ହୁଏତ ସ୍ଥାଣୁତ୍ୱର ସମ୍ଭାବନା ଥାଇପାରେ; ଯେଉଁଠି ଭୋକ ନାହିଁ, ଅଶାନ୍ତି ନାହିଁ, ଦୁଃଖଶୋକ କିଛି ନାହିଁ, ଯେଉଁଠାରେ ଏକ ସର୍ବସମ୍ମତ ଦିବ୍ୟ ଯୋଜନା ଅନୁସାରେ ଆପଣା-କୃତ ପୁଣ୍ୟର ମିଠାଫଳ ଭୁଞ୍ଜିବାର ଯଥାଯଥ ବରାଦ ହୋଇ ରହିଚି । ହୁଏତ ସେଠାରେ ପରିବର୍ତ୍ତନର କୌଣସି ଅବକାଶ ନାହିଁ, ଭାଙ୍ଗି ବଦଳାଇ ପୁଣି ଗଢ଼ିବାର କୌଣସି ପ୍ରୟୋଜନ ନାହିଁ-। କିନ୍ତୁ ଆମର ଏହି ମଣିଷର ପୃଥିବୀର ସ୍ୱର୍ଗରାଜ୍ୟର ଅପରିବର୍ତ୍ତନୀୟ ପ୍ରସ୍ତରନ୍ୟାୟ ଚଳିଲେ ଏଠି ଜୀବନ ଦଣ୍ଡେହେଲେ ବି ସମ୍ଭବ ହେବ ନାହିଁ । ଏଠି ବଦଳିବାକୁ ପଡ଼ିବ, ବଦଳାଇବାକୁ ପଡ଼ିବ, ପୁରୁଣାକୁ ଭାଙ୍ଗି ନୂଆ ଗଢ଼ିବାକୁ ପଡ଼ିବ, ନୂତନର ସ୍ୱପ୍ନରେ ପୁରୁଣା ଘରଭିତରେ କନ୍ଦଳ ସୃଷ୍ଟି କରିବାକୁ ପଡ଼ିବ । ପୁରୁଣା ସମ୍ବନ୍ଧ ବଦଳାଇ ପରିବର୍ତ୍ତିତ ସମ୍ବନ୍ଧସୂତ୍ର ମଧ୍ୟରେ ନୂତନ ଅର୍ଥର ସନ୍ଧାନ କରିବାକୁ ପଡ଼ିବ, ପୁରୁଣା ଆୟତନକୁ ଭାଙ୍ଗି ନୂତନତର ଭୂମିଉପରେ ପାରସ୍ପରିକ ଜୀବନର ନୂଆ ମାୟା ଯୋଡ଼ିଦେବାକୁ ପଡ଼ିବ ।

 

ମଣିଷ ତାର ସମାଜକୁ ବଦଳାଉଚି, ମନ ନପାଇଲେ ଭାଙ୍ଗୁଚି ଓ ମନୋମତ ଗଢ଼ୁଚି ବୋଲି କହିଲାବେଳେ ହୁଏତ ଆମ ମନରେ ଗୋଟିଏ ମୌଳିକ ସଂଶୟ ଆସି ଉପସ୍ଥିତ ହୋଇପାରେ । ସଂଶୟଟି ହେଉଚି, ମଣିଷ ତାର ସମାଜକୁ ଗଢ଼ିଚି ନା ସମାଜ ମଣିଷକୁ ଗଢ଼ିଚି ? ଅର୍ଥାତ୍ ଆଗ ସମାଜ ନା ଆଗ ମଣିଷ ? ଆଗ ଏକ ନା ଆଗ ଅନେକ ? ମଞ୍ଜିରୁ ଗଛ ନା ଗଛରୁ ମଞ୍ଜି, ଏହି ବିବାଦ ନ୍ୟାୟଶାସ୍ତ୍ରରେ ଆଜି ମଧ୍ୟ ଚାଲିଚି, ତଥାପି ଅଡ଼ୁଆ ଛିଡ଼ିନାହିଁ । ମଣିଷ ନହେଲେ ସମାଜ ସମ୍ଭବ ହୁଅନ୍ତା କିପରି ? ମଣିଷଙ୍କୁ ବାଦ ଦେଲେ ସମାଜରେ ଆଉ ଅବଶିଷ୍ଟ ବା କଣ ରହନ୍ତା ? ସମାଜ ଓ ସାମାଜିକ ଜୀବନ କହିଲେ ସଭ୍ୟତା, ସଂସ୍କୃତି, ପାରସ୍ପରିକ ସମ୍ପର୍କ ଓ ସଂସ୍କାରର ଯେଉଁ ସଂଗଠିତ ଆୟୋଜନକୁ ବୁଝାଇଥାଏ, ତାହାକୁ ଏହି ମଣିଷହିଁ ତିଆରି କରିଚି । ସମାଜର ଦ୍ୱାହି ଦେଇ ଆମେ ଯେଉଁସବୁ ନିୟମ ପାଳନ କରୁଚୁ, ସେହି ନିୟମ ମଣିଷର ମୁଣ୍ଡରୁ ହିଁ ବାହାରିଚି । ବ୍ୟକ୍ତିହିଁ ସମଷ୍ଟିକୁ ହାଡ଼, ମାଂସ ଓ ଅବୟବ ଦେଇଚି । ଅପର ପକ୍ଷରେ ସମାଜ ନଥିଲେ ମଣିଷ ମଣିଷ ହୋଇପାରନ୍ତା ବା କିପରି ? ପରିବାର ହେଉଚି ସକଳ ସମାଜର ଏକ ଅପରିହାର୍ଯ୍ୟ ଅଙ୍ଗ ଓ କେବଳ ପରିବାରରେହିଁ ମଣିଷର ଜନ୍ମ ସମ୍ଭବ ହୁଏ । ପୁଣି ସମାଜ ନଥିଲେ ସହାୟହୀନ ମଣିଷଶିଶୁ ଜୀବିତ ରହି ପାରୁନଥାନ୍ତା । ମଣିଷଶିଶୁ ଖାଇ ଶିଖୁଚି, କଥା କହି ଶିଖୁଚି, ଆପଣାର ଗୋଡ଼ ପକାଇ ଚାଲିଶିଖୁଚି, କେବଳ ସମାଜର ଭୂମିଉପରେ ହିଁ ଏକା ସମ୍ଭବ ହେଉଚି । ମୋର ଭାଷା, ମୋର ସାହିତ୍ୟ, ମୋର ନୀତି, ମୋର ଆଚାର, ମୋର ଧର୍ମ ଓ ମୋର ବିବେକ ପ୍ରଧାନତଃ ମୁଁ ମଣିଷ ହୋଇ ବଢ଼ୁଥିବା ସମାଜର ଜଳବାୟୁରେ ହିଁ ଜୁଆ ହୋଇଚି । ଏହି ସମାଜରେ ହିଁ ମଣିଷ ଆଦର୍ଶର ସ୍ୱପ୍ନ ଦେଖୁଚି, ନାନା ବିଦ୍ୟାର ଡେଣା ଲଗାଇ କେତେ ନୂତନ ଭୁବନର ଆବିଷ୍କାର କରିପାରୁଚି । ମଣିଷର ରାଜନୀତି, ମଣିଷର ଅର୍ଥନୀତି, ମଣିଷର ଯାବତୀୟ ନୀତି ଓ ଅନୀତି ଏହି ସମାଜର ଭୂମିଉପରେ ହିଁ ସମ୍ଭବ ହେଉଚି । ଏହିସବୁ ଯୁକ୍ତି ଶୁଣିସାରିବା ପରେ ଆମେ ଆପଣାକୁ ପ୍ରଶ୍ନ ପଚାରିବା, ବ୍ୟକ୍ତି ଆଗ ନା ସମାଜ ଆଗ; ବ୍ୟକ୍ତିର ମହତ୍ତ୍ୱ ଅଧିକ ନା ସମାଜର ମହତ୍ତ୍ୱ ଅଧିକ ? କୌଣସି କୌଣସି ସମାଜ ବ୍ୟକ୍ତିକୁ ଅଧିକ ସ୍ୱୀକୃତି ଦେଇଚି, ପୁଣି ଆଉ କେଉଁଠି ସମାଜକୁ ଅଧିକ ସ୍ୱୀକୃତି ଦିଆଯାଇଚି । ଆଦିବାସୀ ସମାଜରେ ଜଣେ ସ୍ୱତନ୍ତ୍ର ବ୍ୟକ୍ତି ହିସାବରେ ମଣିଷର ଖୁବ୍‌ ବେଶୀ ସ୍ଥାନ ନାହିଁ । ଆଦିବାସୀ ସମାଜର ଯୌଥ ଜୀବନରୀତି ପ୍ରତ୍ୟେକ ମଣିଷର ବିଚାର ଓ ଜୀବନାଚାରକୁ ଏପରି ଓତଃପ୍ରୋତ ଭାବରେ ଜଡ଼ିତ କରି ରଖିଚି ଯେ ସେଠାରେ ସମୂହର ଆୟତନ ବାହାରେ ବ୍ୟକ୍ତି ଆପଣା ଅସ୍ତିତ୍ୱର କଳ୍ପନା ବି କରିପାରୁନାହିଁ । ଆଦିବାସୀ ସମାଜରେ ଧର୍ମର କଳ୍ପନା ମଧ୍ୟ ସମାଜ-କଳ୍ପନାର ବାହାରେ ନୁହେଁ । ସମାଜ ଲାଗି ଯାହା ଭଲ, ବ୍ୟକ୍ତିଲାଗି ମଧ୍ୟ ତାହାହିଁ ଭଲ, ଏହାବ୍ୟତୀତ ଅନ୍ୟପ୍ରକାରର କୌଣସି କଳ୍ପନା କରିପାରିବାକୁ ମଧ୍ୟ ଆଦିବାସୀ ମନର ଦଉଡ଼ି ପାଏନାହିଁ । ଆଧୁନିକ ଯୁଗର ଉଗ୍ର ଜାତୀୟତାବାଦ ମଧ୍ୟ ଅନେକ ସମୟରେ ବ୍ୟକ୍ତିର ସ୍ୱାର୍ଥକୁ ବୁଡ଼ାଇଦେଇ ସମଷ୍ଟି ବା ସମୂହ ସ୍ୱାର୍ଥର ସାର୍ବଭୌମ ଘୋଷଣା କରିଥାଏ । ଜର୍ମାନୀର ହିଟଲର୍ ତାଙ୍କ କାଳରେ ଠିକ୍ ଏହିପରି ବିଚାର କରୁଥିଲେ । ସେ ଦେଇଥିବା ଏକାଧିକ ଭାଷଣରୁ ଆମେ ତାହାର ସୂଚନା ପାଇପାରିବା । ‘‘ମୁଁ ଜର୍ମାନୀକୁ ମୁକ୍ତ ଦେଖିବାକୁ ଚାହେ; ତେଣୁ ଜର୍ମାନୀ ଦେଶର ମଣିଷଙ୍କୁ ମୋର ଆଜ୍ଞାବହ ଅନୁସରଣକାରୀ ରୂପେ ତିଆରି କରିବାକୁ ଇଚ୍ଛା କରେ’’,-ହିଟଲର୍‌ଙ୍କର ଏହି ଗୋଟିଏ ଉକ୍ତିରୁ ଆମେ ଉଗ୍ର ସମୂହବାଦୀ ବିଚାରର ସ୍ପଷ୍ଟ ପରିଚୟ ପାଇପାରିବା । ବଡ଼ ଦେଶ ଅନେକ ସମୟରେ ସାନ ଦେଶର ମଣିଷଙ୍କୁ ଆପଣାର କୁହା ମାନିବାକୁ ବାଧ୍ୟ କରେ, ସଂଖ୍ୟାଗରିଷ୍ଠ ଦଳ ଅନେକ ସମୟରେ ସଂଖ୍ୟାଲଘୁ ଦଳର ମଣିଷଙ୍କ ଉପରେ ଆପଣାର ଇଚ୍ଛାକୁ ନେଇ ଲଦିଦିଏ । ଆନ୍ଧ୍ର-ଓଡ଼ିଶା ସୀମାରେ ଅବସ୍ଥିତ କୌଣସି ତେଲୁଗୁ ଗାଆଁରେ ବାସ କରୁଥିବା ଓଡ଼ିଆ ପିଲାମାନେ ଯେତେବେଳେ ତେଲୁଗୁ ପଢ଼ିବାକୁ ବାଧ୍ୟ ହୁଅନ୍ତି ବା କୌଣସି ଓଡ଼ିଆ ଗାଆଁରେ ବାସ କରୁଥିବା ତେଲୁଗୁ ପିଲାମାନେ ଓଡ଼ିଆ ପଢ଼ିବାକୁ ବାଧ୍ୟ ହୁଅନ୍ତି, ସେତେବେଳେ ମଣିଷ-ବ୍ୟକ୍ତିର ହିତଅହିତ ବିଷୟରେ କୌଣସି ଅପେକ୍ଷା ନକରି ସମୂହରହିଁ ବଳାତ୍କାର ଚାଲିଥାଏ । କୌଣସି ଏକ ଗାଆଁରେ ଯେତେବେଳେ ଉଚ୍ଚ ଜାତି ସଂଖ୍ୟାଲଘୁ ନୀଚ ଜାତିକୁ ଆପଣା ମରଜି ଅନୁସାରେ ଚରାଇବାକୁ ବସେ, ସେତେବେଳେ ମଧ୍ୟ ଏହି ମଣିଷ-ବ୍ୟକ୍ତିକୁ ଅସ୍ୱୀକାର କରାଯାଇଥାଏ ।

 

ଅନ୍ୟପକ୍ଷରେ କୌଣସି କୌଣସି ସମାଜରେ ବ୍ୟକ୍ତିକୁ ସମାଜଠାରୁ ପ୍ରଧାନତର ସ୍ୱୀକୃତି ଦିଆଯାଇଥାଏ । ଗଣତନ୍ତ୍ର-ଶାସନ ବ୍ୟକ୍ତିକୁହିଁ ସାମାଜିକ ଜୀବନର ଏକକ ରୂପେ ସ୍ୱୀକାର କରେ । ଆମେରିକା ଭଳି ଏକ ଦେଶର ସମାଜରେ ବ୍ୟକ୍ତି ପ୍ରଧାନତଃ ବ୍ୟକ୍ତି ହିସାବରେହିଁ ସମ୍ମାନ ଓ ସ୍ୱୀକୃତି ପାଇଥାଏ । ଜଣେ ବିଶିଷ୍ଟ ଆମେରିକାବାସୀଙ୍କର ଭାଷାରେ ଆମେରିକାରେ କେହି ମଣିଷକୁ ତାର ଜାତି, ଧର୍ମ, ଭାଷା କଣ ବୋଲି ପ୍ରଶ୍ନ କରେନାହିଁ, ବା ଜାତି, ଧର୍ମ ଓ ଭାଷା ଦେଇ କୌଣସି ମଣିଷର ବିଚାର କରିବାକୁ ଯାଏନାହିଁ । ଆଉଏକ ବିକୃତ ଜୀବନଦୃଷ୍ଟିର ଗ୍ରାସରେ ପଡ଼ିଥିବା ଲୋକମାନେ ମଧ୍ୟ ସମାଜକୁ ଅସ୍ୱୀକାର କରି ବ୍ୟକ୍ତିକୁହିଁ ଚରମ ବୋଲି ମାନିନିଅନ୍ତି । ଆଗକାଳରେ ରାଜାମାନେ ରାଜ୍ୟର ଯେକୌଣସି ମଣିଷକୁ କେବଳ ଅଧସ୍ତନ ଅକିଞ୍ଚନ ବୋଲି ବିଚାରୁଥିଲେ । ବଡ଼ ବାବୁମାନେ ଅଧୀନସ୍ଥ ଅନ୍ୟମାନଙ୍କୁ ମଣିଷ ପରି ନଦେଖି ପ୍ରଧାନତଃ ପରିଚାରକ ବୋଲି ଦେଖନ୍ତି । ଚାରିପାଖରେ ଦାରିଦ୍ର୍ୟ ଦ୍ୱାରା ପରିବେଷ୍ଟିତ ହୋଇ ରହିଥିଲେ ମଧ୍ୟ ଯେଉଁ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି ଆପଣା ଜୀବନରେ ଦରିଦ୍ର ମଣିଷମାନଙ୍କୁ ଅସ୍ୱୀକାର କଲାପରି ଆପଣାର ଐଶ୍ୱର୍ଯ୍ୟଭୋଗ ଭିତରେ ବୁଡ଼ି ରହିଥାଏ, ସେ କୌଣସି ସମାଜକୁ ସ୍ୱୀକାର କରୁଚି ବୋଲି ଆମେ କହିପାରିବା କିପରି ? ଆମଦେଶରେ ନାନା କ୍ଷେତ୍ରରେ ଶିକ୍ଷିତ ଲୋକମାନେ ନାନା ଅଶିକ୍ଷିତ ବ୍ୟସନରେ ମାତି ରହିଥାନ୍ତି,-ସେମାନଙ୍କର ଜୀବନ ସହିତ ସେମାନଙ୍କର ଚାରିପାଖରେ ଆତଯାତ ହେଉଥିବା ସମାଜର କୌଣସିଠାରେ କୌଣସି ନାଡ଼ୀ ଲାଗିଚି ବୋଲି ସେମାନଙ୍କ ଜୀବନପ୍ରତି ଦୃଷ୍ଟିପାତ କଲେ ଆଦୌ ମନେହୁଏନାହିଁ । ଆମ ଦେଶରେ ଯେଉଁମାନେ କଳା-ବ୍ୟବସାୟ କରି ଧନୀ ହୁଅନ୍ତି, ଯେଉଁମାନେ ଅଧିକ ଲାଭ କମାଇବାର ମତଲବରେ ଯେକୌଣସି ପ୍ରକାର ସାମାଜିକ ଅସାଧୁତା କରିବାକୁ ମଧ୍ୟ ବାହାରି ପଡ଼ନ୍ତି, ସେମାନେ ସଂସାର ଓ ସମାଜ କହିଲେ କେବଳ ଆପଣାର ସ୍ୱାର୍ଥ ଓ ଫାଇଦାକୁହିଁ ବୁଝିଥାନ୍ତି । ଅନେକ ସମୟରେ ଆମ ଦେଶରେ ଦେଖାଯାଏ ଯେ ପାଠ ପଢ଼ିଲାବେଳେ ଏହି ଦେଶର ଯୁବକ ଦେଶ ବିଷୟରେ କେତେ ସ୍ୱପ୍ନ ଦେଖେ, ଦେଶକୁ ଏସା କରିଦେବ ଓ ତେସା କରିଦେବ ବୋଲି ସେ କେତେ ଜାଗାରେ କେତେ କୋଳାହଳ କରିବାକୁ ବାହାରିପଡ଼େ । ପାଠପଢ଼ା ସରେ, ବଡ଼ ଡିଗ୍ରୀ ମିଳେ, ବଡ଼ ଚାକିରି ମଧ୍ୟ ମିଳିଯାଏ । ଭଲ ଜାଗାରେ ବାହାଘର ହୁଏ, ଯୌତୁକ ଲକ୍ଷ୍ମୀରେ ନୂଆ ଘର ଭରିଯାଏ । ତାପରେ ଆଉ ଦେଶ କଥା, ସମାଜ କଥା ବା ସ୍ୱପ୍ନ ଦେଖିଥିବା କଥା ମନେରହେନାହିଁ । ଚାକିରି-ଜୀବନ କହିଲେ ତେଣିକି କେବଳ ହାକିମ ହିସାବରେ ଆପଣାରହିଁ ଅଭିବୃଦ୍ଧି କରିବାକୁ ବୁଝାଏ । ଚାକିରି-ଜୀବନରେ ସାଧାରଣ କ୍ଷେତ୍ରଲାଗି ଦାୟିତ୍ୱପୂର୍ଣ୍ଣ ଭାବରେ କିଛି କରିବାକୁହିଁ ବୁଝାଏ ନାହିଁ । ଯିଏ ବଡ଼ ହାକିମ ହୁଏ, ତାଲାଗି ଅର୍ଥାଗମର କେତେ ପ୍ରକାର ପଥ ପ୍ରଶସ୍ତ ହୋଇଯାଏ । କେତେ ଚାକର ତାଘରେ ଆସି ତାର ବ୍ୟକ୍ତିଗତ ପାରିବାରିକ ଜୀବନକୁ ସୁଗମ କରିବାର ଯୋଜନାରେ ପ୍ରଯୁକ୍ତ ହୁଅନ୍ତି । ବ୍ୟାଙ୍କ୍‍ରେ ଟଙ୍କା ଜମା ହୁଏ, ପିଲାଏ ମଧ୍ୟ ଭବିଷ୍ୟତରେ ବଡ଼ ହେବାର ଅର୍ଥାତ୍ ବହୁ ସମ୍ପଦ ଉପାର୍ଜନ କରିବାର ପାଠ ପଢ଼ନ୍ତି । ଯେତେବେଳେ ଆପଣା ସମସ୍ୟା ଗୁଡ଼ିକର ସମାଧାନ ହୋଇଯାଏ, ସେତେବେଳେ ଏହି ଦେଶର ବା ଏହି ପୃଥିବୀର କୌଣସି ସମସ୍ୟା ଥିଲାପରି ଆଉ ମନେହୁଏନାହିଁ । ମୋର ସମସ୍ୟା ଗୁଡ଼ିକର ସମାଧାନ ହୋଇଗଲା, ତେଣୁ ସଂସାରରେ ଆଉ ମଣିଷ ବି ଅଛନ୍ତି ଓ ସେମାନଙ୍କର ବି କୌଣସି ସମସ୍ୟା ରହିଚି ବୋଲି ମୁଁ ଅନୁଭବହିଁ କରିପାରେ ନାହିଁ । ସମାଜରେ ଅନ୍ୟମାନଙ୍କର ସମସ୍ୟାଗୁଡ଼ିକର କାଳେ ମୁଁ ଓ ମୋର ଆତ୍ମ-ଅଭିବୃଦ୍ଧି ଏକ କାରଣ ହୋଇଥାଇପାରେ, ଏପରି ଆଶଙ୍କା କରିବାଲାଗି ମଧ୍ୟ ସେତେବେଳେ ଆଉ ଫୁରସତ ନଥାଏ, ସମାଜକୁ ଅସ୍ୱୀକାର କରି ବ୍ୟକ୍ତିର ବାନା ଉଡ଼ିବା ଓ ବ୍ୟକ୍ତିକୁହିଁ ଅର୍ଥାତ୍ ମୋର ବ୍ୟକ୍ତିଗତ ସ୍ୱାର୍ଥସମ୍ପୂର୍ଣ୍ଣ ଜୀବନକୁହିଁ ଏକମାତ୍ର ଇପ୍‌ସିତ ବୋଲି ଗ୍ରହଣ କରିନେବାର ଇଏ ହେଉଚି ଏକ ଅନ୍ୟତମ ଦୃଷ୍ଟାନ୍ତ ।

 

ବ୍ୟକ୍ତି ଓ ସମାଜ ଭିତରେ ଏହି ଯେଉଁ ଦ୍ୱନ୍ଦ୍ୱ ଦେଶକାଳ ଭେଦରେ ବିଭିନ୍ନପ୍ରକାରେ ଲାଗିରହିଚି, ଆମେ କିପରି ସେହି ଦ୍ୱନ୍ଦ୍ୱର ସମାଧାନ କରିପାରିବା ? ପୃଥିବୀରେ ଏପରି ଅନେକେ ଅଛନ୍ତି, ଯେଉଁମାନେ ଗଛ ଦେଖିବାକୁ ଯାଇ ଜଙ୍ଗଲ ଦେଖି ବଣା ହୋଇଯାଆନ୍ତି । ପୁଣି ଆହୁରି କେତେଲୋକ ଅଛନ୍ତି ଯେଉଁମାନେ ଜଙ୍ଗଲ ଦେଖୁ ଦେଖୁ ଗଛ ବିଷୟରେ ଜଳକା ହୋଇଯାଆନ୍ତି । ଏହି ଦୁଇପକ୍ଷ ମଧ୍ୟରେ କାହାର ଅନୁମାନକୁ ଆମେ ସତ ବୋଲି କହିବା ? ଗଛରେ ଜଙ୍ଗଲ ଅନ୍ତର୍ନିହିତ ରହିଚି ଓ ଗଛର ସମ୍ମିଳିତ ସମୂହୀକୃତ ରୂପକୁ ଜଙ୍ଗଲ ବୋଲି କୁହାଯାଇଚି ବୋଲି ନବୁଝିଲା ପର୍ଯ୍ୟନ୍ତ ଆମେ କିପରି ଏକ ଓ ଅନେକର ଦ୍ୱନ୍ଦ୍ୱକୁ ତୁଟାଇ ପାରିବା ? ପିଣ୍ଡ ଓ ବ୍ରହ୍ମାଣ୍ଡ ଭିତରେ ରହିଥିବା ଗୋଚରଗତ ଦ୍ୱନ୍ଦ୍ୱକୁ ସମାଧାନ କରିବାକୁ ଯାଇ ପିଣ୍ଡ ବା ବ୍ରହ୍ମାଣ୍ଡ ଦୁଇଟି ଭିତରୁ କୌଣସି ଗୋଟାକୁ କାଟି ଫିଙ୍ଗିଦେଲେ ଆମର ସଂଶୟମୋଚନ ହୋଇପାରେ ନାହିଁ । ପିଣ୍ଡରେ ବ୍ରହ୍ମାଣ୍ଡକୁ ଦେଖିବାକୁ ହୁଏ, ପୁଣି ବ୍ରହ୍ମାଣ୍ଡରେ ପିଣ୍ଡକୁ ମଧ୍ୟ ଅନୁଭବ କରିବାକୁ ହୁଏ । ଠିକ୍ ସେହିପରି ବ୍ୟକ୍ତି ଓ ସମାଜକୁ ନେଇ ଉପୁଜୁଥିବା ଆପାତ ଦ୍ୱନ୍ଦ୍ୱକୁ କାଟିବାକୁ ହେଲେ ଆମକୁ ବ୍ୟକ୍ତି ଓ ସମାଜକୁ ପରସ୍ପରର ପରିପୂରକ କରି ଅନୁଭବ କରିବାକୁ ହେବ । ବ୍ୟକ୍ତି ସକାଶେ ସମାଜ ରହିନାହିଁ ବା ସମାଜପାଇଁ ବଳି ପଡ଼ିବା ଲାଗି ବ୍ୟକ୍ତିର ଭିଆଣ କରାଯାଇନାହିଁ । କେବଳ ସମାଜର ବିଚରଣଭୂମି ଉପରେ ହିଁ ବ୍ୟକ୍ତିର ଜୀବନ ସମ୍ଭବ ହୋଇପାରେ । ପୁଣି ବ୍ୟକ୍ତିର ବିକାଶ ଓ ଅଗ୍ରଗତି ଜରିଆରେ ହିଁ ସମାଜର ବିକାଶ ଓ ଅଗ୍ରଗତି ହୋଇପାରେ । ଯେଉଁଠାରେ ବ୍ୟକ୍ତିକୁ ପଛରେ ପକାଇଦେଇ ବା ତାକୁ ଅକିଞ୍ଚନ ଗୋଡ଼ିପଥର ପରି ବ୍ୟବହାର କରି ସମାଜନାମରେ କୌଣସି ଉଗ୍ର ସତ୍ତା ଆଗକୁ ମାଡ଼ିଯିବାକୁ ବସେ, ସେଠି ସତ୍ତାର ଦର୍ପ ବଢ଼ିବାରେ ଲାଗିଥାଏ ସତ, ମାତ୍ର ସମାଜର ବିକାଶ ହୁଏନାହିଁ । ବରଂ ସମାଜ ପଛକୁ ଫେରିଯାଉଥିବା ପରି ବର୍ବରରୁ ଆଚରଣ କରିବାକୁ ଲାଗେ । ହିଟଲରର ଶାସନ ଅମଳରେ ଜର୍ମାନୀର ସାମାନୀକ ବିକାଶ ହୋଇନଥିଲା, ଜର୍ମାନୀର ସମାଜ ଏକ ବର୍ବର ବୀଭତ୍ସ ପଛକୁ ପ୍ରମତ୍ତ ହୋଇ ଫେରିଯାଇଥିଲା ମାତ୍ର । ପୁଣି ଯେଉଁଠି ବ୍ୟକ୍ତିର ଜୟଜୟକାର ହୋଇ ସମୂହର ଆବଶ୍ୟକତାକୁ ଅସ୍ୱୀକାର କରାଯାଏ, ସେଠାରେ ବ୍ୟକ୍ତିର ନାମରେ ମାତ୍ର କେତେଜଣଙ୍କର ସାଆନ୍ତିଆ ଜୀବନକୁ ହିଁ ସମଗ୍ର ଜୀବନସାର ବୋଲି ମାନି ନିଆଯାଏ । ସମାଜର କେତେଜଣ ବ୍ୟକ୍ତି ଅନୁକୂଳ ବାତାବରଣ ଓ ଆବଶ୍ୟକ ଆରାମ ପାଇ ବ୍ରହ୍ମଦର୍ଶନ କରିବେ ବୋଲି ମସୁଧା କରି ଆହୁରି ଅନେକ ବ୍ୟକ୍ତିଙ୍କୁ ଅଜାତିଆ, ଅଛୁଆଁ ବା ଅନୁସରଣିଆ କରି ରଖିଦିଆଯାଏ । ଶାସ୍ତ୍ର ମଣିଷକୁ ଅସ୍ୱୀକାର କରେ, ମାତ୍ର କେତେଜଣଙ୍କର ସତ୍ତା ଓ ପରିଚର୍ଯ୍ୟାଲାଗି ରକ୍ଷିତ ସଂସ୍କୃତି ବଡ଼ ହୃଦୟହୀନ ଭାବରେ କେତେ କେତେ ଅମଣିଷପଣିଆକୁ ସମର୍ଥନ କରିବାକୁ ବି ଲଜ୍ଜା ବୋଧ କରେନାହିଁ । ମଣିଷତିଆରି ଧର୍ମ ଓ ଭଗବାନ ଏହିପରି ଏକ ସାଆନ୍ତିଆ ବ୍ୟବସ୍ଥାର କୁଚକ୍ର ଭିତରେ ପଡ଼ିଯାଇ ସାଆନ୍ତମାନଙ୍କର କୁଳପୁରୋହିତ ପରି କାମ କରନ୍ତି, ମାତ୍ର ସଂସାରରେ ମଣିଷପଣିଆର ପ୍ରତିଷ୍ଠା କରିବାପାଇଁ ବା ନ୍ୟାୟ ଓ ସ୍ୱାସ୍ଥ୍ୟର ରାଜ୍ୟ ବଢ଼ାଇବାପାଇଁ କୌଣସିପ୍ରକାର ପ୍ରେରଣା ଦେଇପାରନ୍ତି ନାହିଁ । ତେଣୁ ଆମକୁ ବ୍ୟକ୍ତି ଓ ସମାଜକୁ ପରସ୍ପରର ପରିପୂରକ ହିସାବରେ ଗ୍ରହଣ କରିବାକୁ ପଡ଼ିବ । ଦୁଇଟି ଭିତରୁ କୌଣସି ଅବହେଳା କରି ଅନ୍ୟଟିକୁ ଓଜନ ଦେବାର ଭ୍ରମ କଲେ ବ୍ୟକ୍ତି ଓ ସମାଜ ଉଭୟଙ୍କର ହିଁ ହାନି ହେବ । ସୁସ୍ଥ ସମାଜ ସୁସ୍ଥ ବ୍ୟକ୍ତିଲାଗି ଅନୁକୂଳ ବାତାବରଣ ଯୋଗାଇଦେବ, ଅର୍ଥାତ୍ ବ୍ୟକ୍ତିର ସ୍ୱାସ୍ଥ୍ୟ ବଢ଼ାଇବାରେ ସହଯୋଗ କରିବ । ସୁସ୍ଥ ବ୍ୟକ୍ତି ତାର ସମାଜକୁ ସର୍ବତୋଭାବେ ସୁସ୍ଥ ଓ ପରିପୂର୍ଣ୍ଣ କରିବାରେ ସହଯୋଗ କରିବ । ତେଣୁ ଅସଲ ଅର୍ଥରେ ଦେଖିଲେ ବ୍ୟକ୍ତିର ସ୍ୱାର୍ଥ ଓ ସମାଜର ସ୍ୱାର୍ଥ ଭିତରେ ମୂଳତଃ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ । ଯେଉଁ ସମାଜରେ ଏହି ଦୁଇ ସ୍ୱାର୍ଥର ମୁହଁ ଦୁଇ ବିଭିନ୍ନ ଆଡ଼କୁ ହୋଇଥାଏ, ଅର୍ଥାତ୍ ଯେଉଁଠି ବ୍ୟକ୍ତିର ଜୀବନ ଓ ସାମାଜିକ ଜୀବନ ପରସ୍ପରର ପୋଷଣ ଓ ପରିପୂରଣ କରେନାହିଁ, ସେହି ସମାଜକୁ ପ୍ରଧାନତଃ ଏକ ରୁଗ୍‌ଣ ବା ବ୍ୟାଧିତ ସମାଜ ବୋଲି କହିବାକୁ ହେବ । (୫) ପୁଣି କୌଣସି ଏକ ବ୍ୟାଧିତ ସମାଜରେ ବ୍ୟକ୍ତି ମଧ୍ୟ ବ୍ୟାଧିତ ହୋଇ ରହିବାଲାଗି ଅଧିକତର ପରିସର ଓ ପ୍ରେରଣା ପାଉଥିବ ।

 

ଏହି ଶତାବ୍ଦୀର ଆମେରିକାର ଜଣେ ସମାଜଶାସ୍ତ୍ରୀ ବ୍ୟକ୍ତି ଓ ସମାଜର ପରସ୍ପର-ପରିପୂରକତାକୁ ନିମ୍ନଲିଖିତ ପ୍ରକାରେ ବର୍ଣ୍ଣନା କରିଛନ୍ତି–‘‘ସମାଜଠାରୁ ଅଲଗା କରି ବ୍ୟକ୍ତିର ଯେଉଁ କଳ୍ପନା କରାଯାଇଥାଏ, ତାହା କେବଳ କାଳ୍ପନିକ ମାତ୍ର । ଏପରି ଏକ ସମାଜଛିନ୍ନ ବ୍ୟକ୍ତି କେହି କେବେ ଦେଖେନାହିଁ ବା ଦେଖିବ ନାହିଁ । ସେହିପରି ବ୍ୟକ୍ତିଠାରୁ ଅଲଗା କରି ସମାଜର କଳ୍ପନା କରିବାରେ ମଧ୍ୟ କୌଣସି ବାସ୍ତବିକତା ନାହିଁ । ମଣିଷର ଜୀବନ ହେଉଚି ପ୍ରକୃତ ବିଚାର୍ଯ୍ୟ ବିଷୟ, ଯାହାକୁ କି ଆମେ ବ୍ୟକ୍ତିର ଦୃଷ୍ଟିରୁ ବିଚାର କରିପାରିବା, ପୁଣି ସମାଜର ଦୃଷ୍ଟିରୁ ମଧ୍ୟ ବିଚାର କରିପାରିବା । ତଥାପି ଉଭୟ ଦିଗରୁ ଏହାର ବିଚାର କରାଯାଇ ପାରିଲେ ମଧ୍ୟ ମନୁଷ୍ୟ-ଜୀବନ ହେଉଚି ଏକାଧାରରେ ବ୍ୟକ୍ତିମୂଳକ ଓ ସାମାଜିକ । ଅନ୍ୟ ଶବ୍ଦରେ କହିବାକୁ ଗଲେ ବ୍ୟକ୍ତି ଓ ସମାଜ ପରସ୍ପରଠାରୁ ବିଚ୍ଛିନ୍ନ ଦୁଇଟି ଅଲଗା ଅଲଗା କଥାକୁ ବୁଝାନ୍ତି ନାହିଁ । ଏହି ଦୁଇଟିକୁ ଆମେ ପରସ୍ପରଠାରୁ ଛିନ୍ନ କରିପାରିବା ନାହିଁ । ମଣିଷ-ଜୀବନକୁ ମୂଳ ବିଚାର୍ଯ୍ୟ ବିଷୟ ବୋଲି ଧରିଲେ ଆମେ ସମାଜକୁ ତାହାର ସାମୂହିକ ଦିଗ ଓ ବ୍ୟକ୍ତିକୁ ତାହାର ବ୍ୟକ୍ତିବାଚକ ଦିଗ ବୋଲି ଗ୍ରହଣ କରିପାରିବା ।’’ (୬) ଏବେ ଆମେରିକାର ଆଉ ଦୁଇଜଣ ସମାଜଶାସ୍ତ୍ରୀ ଠିକ୍ ସେହି କଥାକୁ ହିଁ ପ୍ରକାଶ କରିଛନ୍ତି: ‘‘ସମାଜ ହେଉଚି ମଣିଷବ୍ୟକ୍ତିର ପରିପୂରକ । ମଣିଷକୁ ସମାଜର କେବଳ ଏକ ଏକକ ବୋଲି କହିଲେ ତାହା ଯଥେଷ୍ଟ ହେବନାହିଁ । ସମାଜ ମଣିଷକୁ ମଣିଷ କରେ, ମଣିଷ-ଶରୀରଧାରୀ ଏକ ସହାୟହୀନ ଶିଶୁକୁ ଜଣେ ପ୍ରକୃତ ମଣିଷ-ବ୍ୟକ୍ତି କରି ଗଢ଼େ । ଅପର ପକ୍ଷରେ ମଣିଷ ମଧ୍ୟ ସମାଜକୁ ଗଢ଼େ, ମଣିଷର ଉଦ୍ୟମରେ ହିଁ ସମାଜ ତିଷ୍ଠି ରହେ, ମଣିଷ ସକାଶେ ହିଁ ସମାଜ ପ୍ରସାରିତ ହୁଏ, ପରିବ୍ୟାପ୍ତ ହୁଏ । ଏହି ଦୃଷ୍ଟିରୁ ଦେଖିଲେ ଆମକୁ ମଣିଷ-ବ୍ୟକ୍ତି ଓ ମଣିଷ-ସମାଜକୁ ପରସ୍ପରଠାରୁ ଅଭିନ୍ନ ଓ ଅଚ୍ଛେଦ୍ୟ ବୋଲି ଗ୍ରହଣ କରିବାକୁ ପଡ଼େ । (୭)

 

ନିଷ୍କର୍ଷ ହେଲା, ବ୍ୟକ୍ତି ଓ ସମାଜ ପରସ୍ପରଠାରୁ ଭିନ୍ନ ନୁହନ୍ତି । ସମାଜରେ ହିଁ ମଣିଷ ନାମଧାରୀ ଏକ ପ୍ରାଣୀ ମଣିଷପଦବାଚ୍ୟ ହୁଏ । ପୁଣି ମଣିଷ ସଂସାରକୁ ବାହାରି ଆପଣା ସମାଜକୁ ନୂତନ ଅର୍ଥ ଦିଏ । ନାନା ଆବଶ୍ୟକତା, ଉଦ୍ଦେଶ୍ୟ ଓ ବାସନା ଅନୁସାରେ ସମାଜକୁ ସେ ନାନାଭାବେ ପୁଷ୍ପିତ ଓ ପ୍ରସାରିତ କରିଦିଏ । ସମାଜ ମଣିଷକୁ ତିଆରି କରେ, (ମାଆର ସ୍ତନ୍ୟ ପିଇ ଶିଶୁ ମଣିଷ ହେଲାପରି ସମାଜର ସ୍ତନ୍ୟରେ ହିଁ ମଣିଷଶିଶୁ ମଣିଷ ହୁଏ ।) ପୁଣି ମଣିଷ ଭିତର ଦେଇ ସମାଜ ଆପଣାକୁ ପ୍ରକାଶିତ କରେ, ମଣିଷଦ୍ୱାରା ସମାଜ ବଦଳେ । ପ୍ରଥମେ ସମାଜ ଆସି ମଣିଷକୁ ତିଆରି କଲା ନା ପ୍ରଥମେ ମଣିଷ ଆସି ସମାଜକୁ ଗଢ଼ିଲା, ଯେତେ ଖୋଜିଲେ ମଧ୍ୟ ଆମେ ଏହାର ଉତ୍ତର ପାଇବାନାହିଁ । ଯେତେଦିନଠାରୁ ମଣିଷ ମଣିଷପରି ବାସ କରି ଆସୁଚି, ସମାଜ ସେତେଦିନଠାରୁ ଅଛି । ସମାଜ ବିନା ମଣିଷ ମଣିଷପରି ବଢ଼ିପାରିବ କି ନାହିଁ, ଏହା ଜାଣିବାଲାଗି ଏକାଧିକ ପଣ୍ଡିତ କେତେପ୍ରକାରେ ଅନୁସନ୍ଧାନ କରିଚନ୍ତି । ସମାଜପରିଚ୍ଛିନ୍ନ ଏକ କୃତ୍ରିମ ବାତାବରଣ ସୃଷ୍ଟି କରି ସେମାନେ ପ୍ରୟୋଗଶାଳାର ପ୍ରୟୋଗ-ଜୀବକୁ ଦେଖିବାପରି ମଣିଷକୁ ନିରୀକ୍ଷଣ କରିଚନ୍ତି ଓ ସମାଜ ବ୍ୟତୀତ ଯେ ମଣିଷ କଦାପି ବଞ୍ଚି ପାରିବ ନାହିଁ, ଏହି ସିଦ୍ଧାନ୍ତରେ ଉପନୀତ ହୋଇଚନ୍ତି । ଏହି ଅତି ସାଧାରଣ ସତ୍ୟଟି ଲାଗି ହୁଏତ ଏତେ ମହାର୍ଘ ଗବେଷଣାର ପ୍ରୟୋଜନହିଁ ନଥିଲା । ମଣିଷ ଯେତେଦିନୁଁ ଆତଯାତ ହେଲାଣି, ଯେଡ଼େ ଆଦିମ ସ୍ତରର ହେଉ ପଛକେ, ମଣିଷର ସମାଜ ମଧ୍ୟ ସେହିଦିନୁଁ ଆତଯାତ ହେଲାଣି, ସମାଜଶାସ୍ତ୍ରର ମୂଳସତ୍ୟରୂପେ ଏତିକି ମାନିନେଇଥିଲେ ବିଜ୍ଞାନର କୌଣସି କ୍ଷତି ହୋଇନଥାନ୍ତା ।

 

ମଣିଷର ଜୀବନ ପଛରେ ପ୍ରଧାନତଃ କେଉଁସବୁ ପ୍ରେରଣା ବା ଉତପ୍ରେରକମାନ ରହିଚି-? ଅର୍ଥାତ୍ ସେ ଖାଦ୍ୟ ଖାଉଚି କାହିଁକି, ସେ ଘର ତିଆରି କରୁଚି କାହିଁକି, କାହିଁକି ସେ ଅନ୍ୟ ମଣିଷମାନଙ୍କ ସହିତ ଏକାଠି ମିଳିକରି ରହିବାକୁ ଯାଉଚି ? ସଂସାରକୁ ମାୟା ବୋଲି କହି ସେ କାହିଁକି ତଥାପି ସଂସାରକୁ ଓ ସାମୂହିକ ଜୀବନକୁ ସୁନ୍ଦରତର ଓ ଯୋଗ୍ୟତର କରି ତିଆରି କରିବାକୁ ଆଗଭର ହୋଇଯାଉଚି ? ବର୍ତ୍ତମାନର ସୁବ୍ୟସ୍ଥିତ ସୁଖ, ସମ୍ଭୋଗ ଓ ନିଶ୍ଚିତ ଜୀବନବାଟ ଉପରେ ଚାଲୁଥିବାବେଳେ ସେ ତଥାପି କାହିଁକି ଭବିଷ୍ୟତର ସ୍ୱପ୍ନରେ ଆକୁଳ ହୋଇପଡ଼ୁଚି ଓ ସେହି ଆକୁଳତାର ବଶବର୍ତ୍ତୀ ହୋଇ ବର୍ତ୍ତମାନର ଶାନ୍ତିଭଙ୍ଗ କରୁଚି ? ମଣିଷ ବେଳେବେଳେ ନିର୍ବୋଧ ବା ପାଗଳଙ୍କ ପରି କାହିଁକି ଗୋଟାଏ ଗୋଟାଏ ଆଦର୍ଶ ପଛରେ ଧାଉଁଚି ? ଆପେ ସୁଖରେ ରହିଥିଲେ ମଧ୍ୟ ସେ ତଥାପି କାହିଁକି ଆଉ ପାଞ୍ଚଜଣଙ୍କର ସୁଖକାମନା କରି ଆପଣାର ନିଶ୍ଚିନ୍ତ ନୀଡ଼ରେ ଜାଣିଶୁଣି ଅଶାନ୍ତି ସୃଷ୍ଟି କରୁଚି ? କେଉଁସବୁ ବାସନାଦ୍ୱାରା ପ୍ରେରିତ ହୋଇ ସେ ସମସ୍ତଙ୍କ ସହିତ ସମବେତ ହେଉଚି ଓ ସେଥିରୁ ଏତେ ଆନନ୍ଦ ପାଉଚି ? ନିଜକୁ ଓ ନିଜର ସମାଜକୁ ଜାଣିବାକୁ ହେଲେ ଆମକୁ ଏହିସବୁ ପ୍ରଶ୍ନ ଅବଶ୍ୟ ପଚାରିବାକୁ ପଡ଼ିବ ।

 

ମଣିଷର ଯେ ସ୍ୱକୀୟ କୌଣସି ଇଚ୍ଛା ବା ଉଦ୍ଦେଶ୍ୟ ଥାଇପାରେ, ଏହି ବିଚାର ମଧ୍ୟ ଆମ ଇତିହାସରେ ଆଦୌ ବେଶୀ ଦିନର ନୁହେଁ । ପାରମ୍ପରିକ, ଆଧୁନିକ ବିଜ୍ଞାନର ପୂର୍ବବର୍ତ୍ତୀ ସମାଜରେ ମଣିଷକୁ ପ୍ରଧାନତଃ କର୍ତ୍ତାର ଇଚ୍ଛାରେ ଚାଳିତ ଏକ ଯନ୍ତ୍ର ପରି କଳ୍ପନା କରାଯାଉଥିଲା । ରାବଣ ଯେ ସ୍ୱକୀୟ ଇଚ୍ଛାରେ କୌଣସି ସ୍ୱକୀୟ ବାସନାର ବଶବର୍ତ୍ତୀ ହୋଇ ସୀତାଦେବୀଙ୍କୁ ହରଣ କରିବାକୁ ଆସିଥିଲା, ଏକଥା କହିଲେ ଆମେ ପୁରାଣଗତ ପାପପୁଣ୍ୟ-ନ୍ୟାୟର ପ୍ରକ୍ଷେପ କରି ପକାଇବା । ଏହି ନ୍ୟାୟଭୂମିର ପ୍ରବୀଣ ସୂରିମାନେ କହିବେ, ରାବଣ ତ ରାବଣ ନୁହେଁ, ଭଗବାନଙ୍କର ଶାପ ନେଇ ଭଗବାନଙ୍କ ହାତରେ ମୁକ୍ତି ପାଇବାକୁ ମଞ୍ଚଭୁବନରେ ଜନ୍ମ ଗ୍ରହଣ କରିଥିବା ଜଣେ ଭକ୍ତ । ସେ ସୀତାଚୋରି କଲେ ଯାଇ ତ ଲଙ୍କାକାଣ୍ଡ ସମ୍ଭବ ହେବ ଓ ତଦ୍ଦ୍ୱାରା ସେ ଭଗବାନଙ୍କଦ୍ୱାରା ନିହତ ହୋଇ ଶାପମୋଚନର ଯୋଜନା ପୂର୍ଣ୍ଣ କରିବ ! ମନୋବିଜ୍ଞାନ କହେ ଯେ ମନୁଷ୍ୟେତର ପଶୁମାନେ ପ୍ରଧାନତଃ ସେମାନଙ୍କର ଜନ୍ମଗତ ମୂଳପ୍ରବୃତ୍ତି ଦ୍ୱାରା ପ୍ରେରିତ ହୁଅନ୍ତି । ଭୋକ କଲେ ପଶୁ ଖାଏ, ଲାଞ୍ଚ ପାଇଲେ ବା ଧମକ ଖାଇଲେ ପଶୁ ପୋଷା ମାନିଯାଏ । ଅପର ପକ୍ଷରେ ମଣିଷର ପାକସ୍ଥଳୀ ଖାଲି ହେଲେ ତାକୁ ମଧ୍ୟ ଭୋକ କରେ, କିନ୍ତୁ ପେଟର କ୍ଷୁଧା ଶାନ୍ତି କରିବାଲାଗି କିଛି ଭୋଜନ କରିବାର ବ୍ୟବସ୍ଥା କରିବାରେ ତାକୁ ସଭ୍ୟତା, ସଂସ୍କୃତି, ନୀତି ଓ ଧର୍ମ ପ୍ରଭୃତି କେତେ ଦୁଆର ପାରିହେବାକୁ ପଡ଼େ । ଭଗବାନଙ୍କର ସାର୍ବଭୌମତ୍ୱକୁ ଆହୁରି ସ୍ପଷ୍ଟକରି ଦେଖାଇବା ମତଲବରେ କେତେ ଧର୍ମକାର ମଧ୍ୟ ମଣିଷକୁ ପଶୁପ୍ରାୟ କରି ଦେଖାଇବାର ଚେଷ୍ଟା କରିଛନ୍ତି । ଏହା ମଣିଷ ଓ ତାର ପୃଥିବୀପକ୍ଷରେ ଏକ ଦୁର୍ଭାଗ୍ୟର ବିଷୟ । ପଶୁ ଯେପରି କ୍ଷୁଧା, ପରିଶ୍ରାନ୍ତି, ଭୟ ଓ ମୈଥୁନଦ୍ୱାରା ପରିଚାଳିତ ହୋଇ ଆପଣାର ଜୀବନ ବଞ୍ଚିବାକୁ ବାଧ୍ୟ ହୁଏ, ମଣିଷ ମଧ୍ୟ ସେହିପରି ସୃଷ୍ଟି ବା ସୃଷ୍ଟିକର୍ତ୍ତାଙ୍କର ଅମୁକ ଉଦ୍ଦେଶ୍ୟର ସାଧନଲାଗି ତାଙ୍କର ଅମୁକ ନିୟମର ନିୟନ୍ତ୍ରଣବିଧି ଅନୁସାରେ ହିଁ ଆପଣାର ଜୀବନ ବଞ୍ଚୁଚି, ତାହାର ନିଜର କୌଣସି ଇଚ୍ଛା ନାହିଁ, ନିଜର କୌଣସି ବେଗ ନାହିଁ ଓ ନିଜର ସ୍ୱତନ୍ତ୍ର ବାସନା ନାହିଁ, ଏପରି ସୂତ୍ର ବସାଇଦେଲେ ଧର୍ମ ବା ନିୟମବନ୍ଧର ବିଜୟ ହୁଏ; କିନ୍ତୁ ମଣିଷ ମଣିଷଧର୍ମକୁ ଅସ୍ୱୀକାର କରାଯାଏ-। ପ୍ରାଚୀନ ଧର୍ମଗୁଡ଼ିକ ପରି ଆଧୁନିକ କେତେକ ମତବାଦ ମଧ୍ୟ ମଣିଷକୁ ପ୍ରଧାନତଃ ଏକ ନିୟମବଦ୍ଧ ପଶୁପରି କଳ୍ପନା କରନ୍ତି । ପଶୁ ଓ ଯନ୍ତ୍ରର ଦକ୍ଷତା ମଣିଷର ଦକ୍ଷତାଠାରୁ ଅନେକଗୁଣ ଅଧିକ, କିନ୍ତୁ ଦକ୍ଷତାରେ ପଶୁ ବା ଯନ୍ତ୍ରକୁ ଟପିଯାଇ ମଣିଷ ମଣିଷ ହୋଇନାହିଁ । ମଣିଷର ସ୍ୱତଃସ୍ଫୂର୍ତ୍ତତା ଓ ସୃଷ୍ଟିଶୀଳତା ମଣିଷକୁ ମଣିଷପରି ପ୍ରେରିତ କରିନେଉଚି । ମଣିଷ-ଜୀବନରେ ଯେଉଁସବୁ ଉଦ୍ଦେଶ୍ୟ ରହିଚି, ତାହାକୁ ଆମେ ନାନାସ୍ତରର ଉଦ୍ଦେଶ୍ୟରୂପେ ବିଚାର କରିପାରିବା । ମୂଳସ୍ତରରେ ମଣିଷ ପଶୁଠାରୁ ଖୁବ୍ ଭିନ୍ନ ନୁହେଁ । ପଶୁପରି ମଣିଷର ମଧ୍ୟ ଦେହଯନ୍ତ୍ର ରହିଚି ଓ ସେ ଏହି ଯନ୍ତ୍ରର ଆବଶ୍ୟକତାମାନ ପୂର୍ଣ୍ଣ କରିବାକୁ ବାଧ୍ୟ ହେଉଚି । ତୈତ୍ତିରୀୟ ଉପନିଷତ୍‌ରେ ଜୀବନର ଉତ୍‌କ୍ରାନ୍ତି-ମାର୍ଗରେ ପାଞ୍ଚୋଟି ସ୍ତର ବା କୋଷର କଳ୍ପନା କରାଯାଇଚି । ଏହି କୋଷପଞ୍ଚକ ଅନ୍ନମୟ କୋଷରୁ ଆରମ୍ଭ ହୋଇ ଅମୃତମୟ କୋଷଯାଏ ପରିବ୍ୟାପ୍ତ ହୋଇଚି ଓ ଜୀବନର ବରେଣ୍ୟତମ ସ୍ତର ରୂପେ ସେହି ଗ୍ରନ୍ଥରେ ଶେଷରେ ଆନନ୍ଦମୟ କୋଷର ଅବତାରଣା କରାଯାଇଚି । ପଶୁର ଜୀବନ ଅନ୍ନମୟ-କୋଷରେ ହିଁ ସୀମାବଦ୍ଧ, ଅନ୍ନମୟ-କୋଷର ସ୍ତରରେ ମଣିଷ ପଶୁଠାରୁ ଖୁବ୍ ବେଶୀ ଭିନ୍ନ ନୁହେଁ । ପଶୁଜୀବନରେ ଆନନ୍ଦର ପ୍ରଶ୍ନ ହିଁ ଉଠୁନାହିଁ । ନିୟମଚାଳିତ ଯନ୍ତ୍ର ଆନନ୍ଦର ଅନୁଭବ କରିବା ତ ଦୂରର କଥା, ଅନୁଭବ ହିଁ କରିବାକୁ ସମର୍ଥ ହେବନାହିଁ । ପଶୁ ଓ ମଣିଷ ଭିତରେ ଜୀବନସ୍ତରର ପ୍ରଭେଦ ଦେଖାଇବାକୁ ଯାଇ କିଏ ମଣିଷକୁ ନାନା ଉଦ୍ଦେଶ୍ୟର ଅନୁଧାବନ କରିଥିବା ଏକ ପ୍ରାଣୀ ବୋଲି ଚିତ୍ରଣ କରିଛନ୍ତି । କିଏ ପୁଣି କହନ୍ତି, ଜୀବନର ସକଳ ବ୍ୟାପାର ଓ ଆଚରଣରେ ଏକ ଅନ୍ତର୍ଗତ ଅର୍ଥର ସନ୍ଧାନ କରିବାର ପ୍ରବୃତ୍ତି ହିଁ ମଣିଷକୁ ପଶୁଠାରୁ ଏତେ ଭିନ୍ନ କରିଦେଇଚି । ମନୋବୈଜ୍ଞାନିକ ମାସ୍‌ଲୋଭ ମଣିଷର ମୌଳିକ ଆବଶ୍ୟକତା ବା ଉଦ୍ଦେଶ୍ୟରୂପେ ପାଞ୍ଚସ୍ତରରେ ପାଞ୍ଚୋଟି ଲକ୍ଷ୍ୟର ନିର୍ଣ୍ଣୟ କରିଚନ୍ତି । (୮) ସେଗୁଡ଼ିକ ହେଉଚି: (କ) ଶାରୀରିକ ଆବଶ୍ୟକତାଗୁଡ଼ିକର ପୂର୍ତ୍ତି, (ଖ) ନିରାପତ୍ତା, (ଗ) ସ୍ନେହ ଓ ପ୍ରେମ, (ଘ) ସମ୍ମାନ ପାଇବାର ଇପ୍‌ସା ଓ (ଙ) ଆତ୍ମୋପଲବ୍‌ଧିର ବାସନା । ଶରୀର ଭିତରେ ପାକଯନ୍ତ୍ର ରହିଚି, ଶ୍ୱାସଯନ୍ତ୍ର ରହିଚି, ରକ୍ତସଞ୍ଚାଳନର ଚକ୍ର ଚାଲିଚି । ଏହିସବୁ ଯନ୍ତ୍ର ଓ ଚକ୍ରକୁ ଚାଲୁରଖିବା ଲାଗି ଆମର ଖାଦ୍ୟ ଦରକାର, ବାୟୁ ଦରକାର, ପାନୀୟ ମଧ୍ୟ ଦରକାର । ସ୍ଥୂଳ ଶରୀର ହେଉଚି ଆମ ପ୍ରତ୍ୟେକଙ୍କର ଜୀବନଭୂମି । ତେଣୁ ଏହି ଭୂମିର ଆବଶ୍ୟକତା ଆମକୁ ପୂରଣ କରିବାକୁ ହିଁ ପଡ଼ିବ । ଆମର ପରିବେଷ୍ଟନୀରେ ଯେତେପ୍ରକାର ଆପଦ ରହିଚି, ସେ ସବୁଥିରୁ ମଧ୍ୟ ଆପଣାକୁ ନିରାପଦ ରଖିବାକୁ ହେବ । ଆମ ଶରୀରକୁ ଶୀତ ଓ ତାପରୁ ରକ୍ଷା କରିବାକୁ ହେବ, ସେଥିପାଇଁ ପରିଚ୍ଛଦ ଦରକାର, ବାସଗୃହ ଦରକାର, ସାମାଜିକ ନିୟମବେଷ୍ଟନୀ ମଧ୍ୟ ଦରକାର । ଆଦିମଯୁଗରେ ମଣିଷ ନାନାବିଧ ଭୟରେ ଅତି ସଂତ୍ରସ୍ତ ଜୀବନ ଯାପନ କରୁଥିଲା । ଏହି ଭୟର ଭେଷଜ ଖୋଜି ସେ ଘର ତିଆରି କରି ଶିଖିଲା, ଲୁଗା ପିନ୍ଧି ଶିଖିଲା, ଅନ୍ୟ ମଣିଷଙ୍କ ସହିତ ପରିବାର ଓ ବନ୍ଧୁବିରାଦର ପରି ରହି ଶିଖିଲା । ଏହି ଭୟର ନିରାକରଣ-ପଥରେ ସେ ଭଗବାନ ଗଢ଼ିଲା, ଧର୍ମର ଥାପନା କଲା, ରାଜନୀତି, ସମାଜନୀତି ଓ ଅର୍ଥନୀତି ପ୍ରଭୃତି କେତେ ବ୍ୟଞ୍ଜନାର କେତେକେତେ ବେଢ଼ ବସାଇଦେଲା । ମଣିଷପାଖରେ ସ୍ନେହ, ପ୍ରେମକୁ ସୂତ୍ରପତ୍ତନ ଦ୍ୱାରା ବୁଝାଇଦେବାକୁ ପଡ଼ିବ ନାହିଁ । ସ୍ନେହର ଆଉ ଗୋଟିଏ ଅର୍ଥ ହଉଚି ତୈଳ । ତୈଳ ଲାଗିଲେ ଟାଣ ଜିନିଷ ନରମ ହୋଇଯାଏ, ଶୁଷ୍କ ପଦାର୍ଥ ଉଜ୍ଜଳ ହୋଇଯାଏ । ସେହିପରି ସ୍ନେହ ଓ ପ୍ରେମ ଆମ ଜୀବନରେ ସ୍ଥିତିସ୍ଥାପକତା ଆଣିଦିଅନ୍ତି, ଆମକୁ କୋମଳ, ଉଜ୍ଜଳ ଓ ପ୍ରସନ୍ନ କରିଦିଅନ୍ତି, ଆମ ଜୀବନର ଏକାକୀ ବାଟରେ ଆମକୁ କେତେ ସଖ୍ୟ ଓ ସମ୍ମିଳନର ନିର୍ଭର ଦେଇଯାଆନ୍ତି । ମଣିଷଶିଶୁର ବଢ଼ିବା ଲାଗି ସ୍ନେହ ଲୋଡ଼ାହୁଏ, ମନୁଷ୍ୟ-ପରିବାର ସମ୍ଭବ ହେବାଲାଗି ସ୍ନେହ ଲୋଡ଼ାହୁଏ, ଆପଣାର ଶୁଭତମ ବାସନାକୁ ଟାଣ କରି ସେହି ଅନୁସାରେ ଆପଣାକୁ ଏକ ଅନୁରୂପ କ୍ଷେତ୍ରରେ ପରିପୂର୍ଣ୍ଣ ଭାବେ ନିବେଦନ କରିଦେବା ଲାଗି ମଧ୍ୟ ସ୍ନେହ ଓ ପ୍ରେମର ଆଶିଷପାଶ ଦରକାର ହୁଏ । ସ୍ନେହ ଓ ପ୍ରେମ ଆମର ବୁଦ୍ଧି, ଆମର ବିବେକ ଓ ଆମର ହୃଦୟରେ ସ୍ୱାସ୍ଥ୍ୟ ଭରିଦେଇଯାଏ, ନାନା ଡୋର ଲଗାଇଦେଇ ତାହା ଆମକୁ ମହୀୟାନ୍ ଓ ବଳୀୟାନ୍ କରେ, ଦୁଇଦିନର ସଂଶୟସଙ୍କୁଳ ଜୀବନରେ ଅମରତ୍ୱର ଅଭୟ ଦେଇଯାଏ । ମଣିଷମାତ୍ରକେ ଆମେ ସମସ୍ତେ ସମ୍ମାନ କାମନା କରିଥାଉ, ଅର୍ଥାତ୍ ସମସ୍ତେ ଆମକୁ ଗୋଡ଼ିମାଟି ପରି ନଦେଖି ଆମ ମଣିଷତ୍ୱର ମୂଲ୍ୟ ଦେଇ ଦେଖନ୍ତୁ, ଏକଥା ଆମେ ସମସ୍ତେ ଚାହୁ । ସାନ ପିଲାଟି ମଧ୍ୟ ମାଆ ହାତରୁ ଗୋଡ଼ିମାଟିର ହତାଦର ଚାହେନାହିଁ । ଛାତ୍ର ଯେତେ ଅକିଞ୍ଚନ ହେଲେ ମଧ୍ୟ ଶିକ୍ଷକଙ୍କଠାରୁ ମଣିଷପରି ବ୍ୟବହାର ଚାହେ । ଅର୍ଥରେ ଦରିଦ୍ର ହୋଇ ସନ୍ତପ୍ତ ଜୀବନ ଯାପନ କରୁଥିବା ବ୍ୟକ୍ତି ତଥାପି ସମାଜର ଦଶଜଣଙ୍କଠାରୁ ମଣିଷର ସ୍ୱୀକୃତି ଚାହେ । ଯେଡ଼େ ଏକାନ୍ତରେ ବସି ସାହିତ୍ୟ-ସୃଜନ କରୁଥିଲେ ମଧ୍ୟ ସାହିତ୍ୟିକ ତାର ଅନ୍ତରତମ କାମନାଭୂମି ଉପରେ ପାଠକସହିତ ସମ୍ମିଳିତ ହେବାର ସମ୍ମାନହିଁ କାମନା କରିଥାଏ । ଜୀବନରେ ଏହିସବୁ ସ୍ୱାଭାବିକ ସମ୍ମାନଲାଭର ଅବସରରୁ ବଞ୍ଚିତ ହେଲେ ମଣିଷ ବଡ଼ ଦୟନୀୟ ଭାବରେ ଦରବାରୀ ସମ୍ମାନର ଲାଳସୀ ହେବାକୁ ପ୍ରରୋଚନା ପାଏ । ସଚ୍ଚା ସମ୍ମାନକ୍ଷେତ୍ରରେ ଉପବାସୀ ହୋଇ ରହିଲେ ଆମେ ସମସ୍ତେ ମିଛ ସମ୍ମାନରେ ଗୁରାଇ ତୁରାଇ ହୋଇ ବସିବାର ଅପବୃତ୍ତିରେ ପଡ଼ିଯାଇଥାଉ । ପଞ୍ଚମ ସ୍ତରର ଉଦ୍ଦେଶ୍ୟଟି ହେଉଛି ଆତ୍ମୋପଲବ୍‌ଧି, ଅର୍ଥାତ୍ ଆପଣାର ଅନ୍ନନିର୍ହିତ ଶକ୍ତି ଓ ସମ୍ଭାବନା ଗୁଡ଼ିକର ପରିପୂର୍ଣ୍ଣତମ ବିକାଶ । ଆଧୁନିକ ଜୀବବିଜ୍ଞାନ କହେ ଯେ ପ୍ରାୟ ସବୁ ମଣିଷ ଯେକୌଣସି ପ୍ରତିଭାଶୀଳ ବ୍ୟକ୍ତିର ସମ୍ଭାବ୍ୟ ଶକ୍ତିନେଇ ସଂସାରକୁ ଆସିଥାଆନ୍ତି । କିନ୍ତୁ ନାନା କାରଣରୁ ଏହି ଶକ୍ତିଗୁଡ଼ିକର ବିକାଶ ହୋଇ ପାରେନାହିଁ । ଏହି କାରଣମାନ ବ୍ୟକ୍ତିଗତ ହୋଇପାରେ, ସାମାଜିକ ବି ହୋଇପାରେ । ତଥାପି ଯାବତୀୟ ଅନ୍ତରାୟ ସତ୍ତ୍ୱେ ଆମେ ପ୍ରତ୍ୟେକେ ଆପଣାର ଦ୍ୱାରୋନ୍ମୋଚନ କରିବାଲାଗି ଓ ଆପଣାର ପରିପୂର୍ଣ୍ଣ ସତ୍ୟରୂପର ପରିଚୟ ପାଇବାଲାଗିହିଁ ନାନାପ୍ରକାର ପ୍ରୟାସ କରିବାରେ ଲାଗିଥାଉ । ଆପଣାକୁ ପ୍ରକାଶିତ କରିବାର କୌଣସି ନା କୌଣସି ଦ୍ୱାର ବା କ୍ଷେତ୍ର ମୁଁ ଅବଶ୍ୟ ପାଇବି-ଏହି ଆଶା ଜୀଇ ରହିଥିବାଯାଏ ଆମେ ଅପ୍ରତିହତ ଭାବରେ ଏହି ଆତ୍ମ-ଆବିଷ୍କାର ପଥରେ ପ୍ରଧାନତଃ ଶ୍ରଦ୍ଧାଦ୍ୱାରା ପ୍ରେରିତ ହୋଇ ଆଗକୁ ଯିବାରେ ଲାଗିଥାଉ । ପଥର ପ୍ରତିବନ୍ଧକଗୁଡ଼ିକ ଯେତେବେଳେ ଏହି ପ୍ରୟାସରେ ଆମକୁ ନିରାଶ ଓ ବ୍ୟର୍ଥମନୋରଥ କରିଦିଅନ୍ତି, ସେତେବେଳେ ଆମେ ବିଦ୍ରୋହୀ ହୋଇପଡ଼ୁ ଓ ନାନା ଖଳବୃତ୍ତିର ଆଚରଣ କରୁ । ତଥାପି ପଜିଟିଭ୍ ବା ନେଗେଟିଭ୍ ଯେକୌଣସି ରୀତିରେ ହେଉ ପଛକେ, ଆପଣା ଅନ୍ତର୍ନିହିତ ଶକ୍ତିର ପୂର୍ଣ୍ଣୋପଲବ୍‌ଧି ଆମ ଜୀବନର ମୂଳବୃତ୍ତି ହୋଇ ରହିଥାଏ ।

 

ଆମେରିକା ଦେଶର ଜଣେ ସମାଜଶାସ୍ତ୍ରୀ ଟମାସ୍‌ ଚାରିଟି ଇଚ୍ଛା (wishes)କୁ ମଣିଷର ମୂଳଇଚ୍ଛା ବୋଲି ବର୍ଣ୍ଣନା କରିଚନ୍ତି । ସେଗୁଡ଼ିକ ହେଉଚି:(୧) ନିରାପତ୍ତାର ଇଚ୍ଛା (୨) ନୂତନ ଅଭିଜ୍ଞତାର ଇଚ୍ଛା (୩) ସ୍ନେହ, ଅନୁକମ୍ପା ଓ ସାହାର୍ଯ୍ୟର ଇଚ୍ଛା ଏବଂ (୪) ସ୍ୱୀକାର ପାଇବାର ଇଚ୍ଛା । (୯) ନୂତନ ଅଭିଜ୍ଞତାର ଇଚ୍ଛା ମଣିଷକୁ ତାର ବ୍ୟକ୍ତିଗତ ଜୀବନର ଜଣା ପରିଧିକୁ ଡିଆଇଁ ଅଜଣାର ନାନା ବିସ୍ତାର ଭିତରକୁ ନେଇଯାଏ । ଏହି ପରିଧି-ଡିଆଁରୁ ବିଜ୍ଞାନର ଉଦ୍‌ଭବ ହୁଏ, ନୂଆ ଜ୍ଞାନ ଓ ନୂଆ ସମାଧାନର ବାଟ ଫିଟେ । ଆମ ଭିତରେ ଆମକୁ ନିରନ୍ତର ନୂତନକୁ ଜାଣିବା ଓ ଅନୁଭବ କରିବାଲାଗି ଯେଉଁ ଜିଜ୍ଞାସା ରହିଚି, ତାହା ମଣିଷମାତ୍ରକେ ସବୁରି ଭିତରେ ରହିଛି । ଏହା ମଣିଷର ଏକ ମୂଳ-ଇଚ୍ଛାପରି ରହି ମଣିଷକୁ ଇତର ଯାବତୀୟ ପ୍ରାଣୀଠାରୁ ଭିନ୍ନକରି ରଖିଚି । ଏହି ଅନୁମାନକୁ ସମାଜ-ଶାସ୍ତ୍ରରେ ଏକ ଗଭୀର ଓ ଅନ୍ତର୍ଦୃଷ୍ଟିସମ୍ପନ୍ନ ଅନୁମାନ ବୋଲି କୁହାଯାଇ ପାରିବ । ଶ୍ରୀ ଟମାସ୍‌ଙ୍କର ସିଦ୍ଧାନ୍ତ ଅନୁସାରେ ମଣିଷର ବ୍ୟକ୍ତିଗତ ତଥା ସାମାଜିକ ଆଚରଣମାନ ଉପରଲିଖିତ ଚାରୋଟି ମୂଳଇଚ୍ଛାଦ୍ୱାରା ପ୍ରଭାବିତ ହେଉଚି । ଏବର ଆମେରିକାରେ ଆଉ ଜଣେ ସମାଜଶାସ୍ତ୍ରୀ ସାମାଜିକ ଇତିହାସରୁ ଆହରଣ କରିଥିବା ଆଉ ଚାରୋଟି ମୂଳ-ଇଚ୍ଛାକୁ ଶ୍ରୀଯୁକ୍ତ ଟମାସ୍‌ଙ୍କର ଉକ୍ତ ତାଲିକା ସହିତ ଯୋଡ଼ିଦେଇଚନ୍ତି ଓ ତଦ୍ଦ୍ୱାରା ମଣିଷ ହିସାବରେ ଆମର ପ୍ରବୃତ୍ତିଚୟକୁ ପୂର୍ଣ୍ଣତର ରୂପେ ଜାଣିବାକୁ ଚେଷ୍ଟା କରିଚନ୍ତି । ଏହି ଚାରୋଟି ଇଚ୍ଛା ହେଉଚି: ସାହାଯ୍ୟ କରିବାର ଇଚ୍ଛା, ମୁକ୍ତିଲାଭ କରିବାର ଇଚ୍ଛା, ସୃଷ୍ଟି କରିବାର ଇଚ୍ଛା ଏବଂ ସମୁଚିତ ବ୍ୟବହାର ପାଇବାର ଇଚ୍ଛା । (୧୦) ରୁଷିଆର ନୈରାଜ୍ୟବାଦୀ ଦାର୍ଶନିକ କ୍ରୋପଟ୍‌କିନ୍‌ଙ୍କର (Petr Kropotkin, 1842-1921) ମତରେ ସହଯୋଗ କରିବାର ପ୍ରବୃତ୍ତି ହେଉଚି ମଣିଷର ମୂଳତମ ପ୍ରବୃତ୍ତି । କେବଳ ମଣିଷର ସମାଜରେ ନୁହେଁ, ମଣିଷର ପୂର୍ବତର ନାନା ପକ୍ଷୀ ଓ ପଶୁସ୍ତରରେ ମଧ୍ୟ ପ୍ରଧାନତଃ ସହଯୋଗ-ବୃତ୍ତି ହିଁ ଜୀବନର ଧାରଣ ଓ ବିକାଶର ପ୍ରୋତ୍ସାହକ ହୋଇ ରହିଆସିଚି ବୋଲି ସେ ମତ ଦେଇଚନ୍ତି । ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତାକରି ଜୀବନ-ଯୁଦ୍ଧରେ ଜିତିବାକୁ ଯେଉଁମାନେ ଅଗ୍ରଗତିର ଚାବିକାଠି ବୋଲି କହିଥାନ୍ତି, ସେମାନଙ୍କ ମତକୁ ଖଣ୍ଡନକରି କ୍ରୋପଟ୍‌କିନ୍ ଜୀବନ-ବିକାଶର କାହାଣୀକୁ ସହଯୋଗବୃତ୍ତିର କାହାଣୀ ରୂପେ ଦେଖାଇବାକୁ ଚେଷ୍ଟା କରିଚନ୍ତି । ପାଶ୍ଚାତ୍ୟ ସମାଜ ଓ ପାଶ୍ଚାତ୍ୟ ମଣିଷ ଅଧିକାଂଶରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଜୀବନ-ସଂଗ୍ରାମ-ଦର୍ଶନଦ୍ୱାରା ପ୍ରଭାବିତ ହୋଇଥିଲେ ହେଁ ସାମାଜିକ ବିଚାର ଓ କେତେକ ସମାଜଶାସ୍ତ୍ରୀଙ୍କ ଉପରେ କ୍ରୋପଟ୍‌କିନ୍‌ଙ୍କର ସ୍ପଷ୍ଟ ପ୍ରଭାବ ପଡ଼ିଚି ଓ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆମ ପୃଥିବୀ ତାଙ୍କର ସହଯୋଗ-ସିଦ୍ଧାନ୍ତ ବିଷୟରେ ଅଧିକରୁ ଅଧିକ ସଚେତ ହେଉଥିବାପରି ମନେହେଉଚି । ଆମେରିକାର ସମାଜଶାସ୍ତ୍ରୀ ଚାର୍ଲ୍‍ସ୍ କୁଲି (Charles Horton Cooley)ଙ୍କର ଏହି ଉକ୍ତିଟିରୁ ତାହାର ସୂଚନା ମିଳିବ–‘‘ଯେତେବେଳେ କୌଣସି ମନୁଷ୍ୟ ଆପଣାର ସଂକୀର୍ଣ୍ଣ ସ୍ୱାର୍ଥସୀମାକୁ ଡେଇଁ ବୃହତ୍ତର ଗୋଷ୍ଠୀର କଲ୍ୟାଣ ଲାଗି ପ୍ରବୃତ୍ତ ହେଉଚି ଓ ସାମୂହିକ ସ୍ୱାର୍ଥର ଆହ୍ୱାନ ମାନିବାକୁ ଆପଣାର କର୍ତ୍ତବ୍ୟ ବୋଲି ମନେ କରୁଚି, ସେତିକିବେଳେହିଁ ସେ ମଣିଷ ହିସାବରେ ଆପଣାର ସର୍ବୋତ୍ତମ ପରିଚୟ ଦେଉଚି, କାର୍ଯ୍ୟତଃ ସେତିକିବେଳେହିଁ ସେ ସର୍ବୋତ୍ତମ ସୁଖର ଅଧିକାରୀ ହୋଇପାରୁଚି ।’’ ଆମ ଭାଷାରେ ଆମେ କହିବା-ସହଯୋଗରେହିଁ ସମାଜ ଚଳୁଚି, ସହଯୋଗରେହିଁ ଗାଆଁ ଚଳୁଚି, ସହଯୋଗ ଦ୍ୱାରାହିଁ ଆମେ ଆପଣାର ସବୁଠାରୁ ଅଧିକ କଲ୍ୟାଣ ସାଧନ କରୁଚୁ । ତେଣୁ ଆମର ଗୋଷ୍ଠୀଜୀବନରେ ପରସ୍ପରକୁ ସାହାଯ୍ୟ କରିବା କେବଳ ଅବାସ୍ତବ ଧର୍ମ କଥା ନୁହେଁ, ଏହା ହେଉଚି ବ୍ୟକ୍ତିଗତ ଓ ସାମାଜିକ ଉଭୟ କ୍ଷେତ୍ରରେ ସୁଖୀ ହେବାର ସର୍ବମୂଳ କଥା ।

 

ସ୍ୱାଧୀନ ହେବାର ଇଚ୍ଛା ମଧ୍ୟ ମଣିଷର ଏକ ସ୍ୱାଭାବିକ ଇଚ୍ଛା । ସ୍ୱାଧୀନତା ହେଉଚି ଜୀବନବିକାଶର ସ୍ୱାଭାବିକତମ ସରଣୀ । ସ୍ୱାଧୀନତା କେବଳ ରାଜନୀତିକ କ୍ଷେତ୍ରରେ ଦରକାର ନୁହେଁ; ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ସବୁକ୍ଷେତ୍ରରେ ସ୍ୱାଧୀନତା ଦରକାର । ମୁଁ ଭଲକରି ଜାଣୁଚି, ପିଲାମାନଙ୍କୁ ଶାରୀରିକ ଦଣ୍ଡ ଦେଇ ତାକୁ କାକୁସ୍ଥହୃଦୟ କରି ରଖିଥିବା ଆମ ଗାଆଁ ମାଷ୍ଟ୍ରେ ଏ କଥାରେ ସହଜରେ ରାଜି ହେବେନାହିଁ । ପରମ୍ପରାର ଅଠାକାଠି ବସାଇ ସାନଜାତି ମାନଙ୍କୁ ନାନାପ୍ରକାର ଖାପଚରେ ରଖିଥିବା ସାଆନ୍ତମାନେ ଏ କଥାରେ ବଡ଼ ଅଶ୍ୱସ୍ତି ଅନୁଭବ କରିବେ । ଯାହାର ଶିକ୍ଷା ନାହିଁ, ଯାହା ଭାଗ୍ୟରେ ଧନ ନାହିଁ, କର୍ମ-କ୍ଷେତ୍ରରେ ମଣିଷ ଅପେକ୍ଷା ଭାଗ୍ୟାନୁସାରୀ ବଳଦ ସହିତ ଯାହାର ଅଧିକ ସାମଞ୍ଜସ୍ୟ ରହିଚି, ତାହାର ସ୍ୱାଧୀନତା କ’ଣ ହେବ ? ଏହି ବିଚାରକୁ ସତ୍ୟବିଚାର ବୋଲି ମାନୁଥିବା ପର୍ଯ୍ୟନ୍ତ ଆମେ ସ୍ୱାଧୀନତାକୁ କେତେକ ବଛା ବଛା ଭାଗ୍ୟବନ୍ତ ଲୋକଙ୍କର ଭୋଗ୍ୟ ଅଧିକାର ବୋଲି ମାନିନେଉଥିବା । କିନ୍ତୁ ଯୁଗ ବଦଳିବା ଅନୁସାରେ ସମାଜବିଜ୍ଞାନ ଆଜି ସ୍ୱାଧୀନତାକୁ ପ୍ରତ୍ୟେକ ମଣିଷର ଗୋଟିଏ ସ୍ୱାଭାବିକ ଇଚ୍ଛା ବୋଲି ଘୋଷଣା କଲାଣି । ପ୍ରତ୍ୟେକ ମଣିଷ କହିଲେ ଏଠି ପିଲା, ଟୋକା ଓ ବୁଢ଼ା ସଭିଙ୍କୁ ବୁଝାଉଚି; କରଣ, କାୟସ୍ଥ, ବ୍ରାହ୍ମଣ ଓ ବାଉରି ସମସ୍ତଙ୍କୁ ବୁଝାଉଚି; ଥିଲାବାଲା ଓ ନଥିଲାବାଲା ଉଭୟଙ୍କୁ ବୁଝାଉଚି । ଭାଗ୍ୟବାଦ ଅଥବା ମଝିଆଙ୍ଗୁଠି ବନାମ କାଣିଆଙ୍ଗୁଠିର ନ୍ୟାୟ ଉପରେ ଆସ୍ଥା ରଖିଥିବା ପର୍ଯ୍ୟନ୍ତ ସ୍ୱାଧୀନତା ପାଇବାକୁ ସବୁ ମଣିଷର ସ୍ୱାଭାବିକ ଇଚ୍ଛା ବୋଲି ଗ୍ରହଣ କରିବା ଆମପକ୍ଷରେ ଆଦୌ ସହଜ ହେବନାହିଁ ।

 

ସୃଷ୍ଟି କରିବାର ଇଚ୍ଛା ମଧ୍ୟ ପ୍ରତ୍ୟେକ ମଣିଷର ଗୋଟିଏ ସ୍ୱାଭାବିକ ଇଚ୍ଛା । କେବଳ କବି, ଲେଖକ ବା ନାଟ୍ୟକାର ସୃଷ୍ଟି କରେନାହିଁ । ପରିସର ପାଇଲେ ବିଲରେ କାମ କରୁଥିବା ଚାଷୀ ଓ କାରଖାନାରେ କାମ କରୁଥିବା ମଜୁରିଆ ମଧ୍ୟ ଆପଣା ଆପଣାର କ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେଇଥାଏ । ଗୋଟିଏ ସାନପିଲାକୁ ନିର୍ମଳ ଶ୍ରଦ୍ଧା ଦେଇ ସୁସ୍ଥ ଓ ସ୍ୱାଭାବିକ ଭାବରେ ମଣିଷ କରିବାରେ ମଧ୍ୟ କମ୍ ସୃଷ୍ଟିଶୀଳତା ଆବଶ୍ୟକ ହୁଏନାହିଁ । ଆମ ପୃଥିବୀରେ ସବୁ ମାଆ ସେକଥା କରିପାରନ୍ତି ନାହିଁ । ସୃଷ୍ଟିଶୀଳ ପ୍ରବୃତ୍ତିର ବିକାଶ ଲାଗି ଯେଉଁପରି ବାତାବରଣ ଦରକାର, ସେହି ବାତାବରଣରୁ ଆମ ସମାଜରେ ଅନେକଙ୍କୁ ବଞ୍ଚିତ କରି ରଖାଯାଏ । ପୁଣି ଯୁଗ ଓ ସମାଜର ଖାସ୍‌ ଗେଲବସର ପୁଅପରି ଯେଉଁମାନେ ସମାଜର ସମସ୍ତ ସୌଭାଗ୍ୟକୁ ଆବୋରି ବସନ୍ତି, ସେମାନେ ମଧ୍ୟ ସକଳ ଅନୁକୂଳତା ସତ୍ତ୍ୱେ ସୃଷ୍ଟିଶୀଳତା ଅର୍ଜନ କରି ପାରନ୍ତିନାହିଁ-। ହୁଏତ ଯେଉଁ ସମାଜ ଆପଣାକୁ ଅଧିକରୁ ଅଧିକ ରଚନାତ୍ମକ ଓ ସୃଜନଶୀଳ କରି ତିଆରି କରିପାରିବ, ସେହି ସମାଜ ହିଁ ସୃଷ୍ଟି କରିବାକୁ ମଣିଷମାତ୍ରକେ ସମସ୍ତଙ୍କର ଏକ ସ୍ୱାଭାବିକ ଇଚ୍ଛା ବୋଲି ସ୍ୱୀକାର କରିବାକୁ ଅଧିକ ସମର୍ଥ ହୋଇପାରିବ ।

 

ଶେଷ ଇଚ୍ଛାଟି ହେଉଚି ସମୁଚିତ ବ୍ୟବହାର ପାଇବାର ଇଚ୍ଛା । ଏହାକୁ ମୁଁ ନ୍ୟାୟ ପାଇବାର ଓ ସାମାଜିକ ଜୀବନକୁ ନ୍ୟାୟ ଉପରେ ପ୍ରତିଷ୍ଠିତ କରିବାର ଇଚ୍ଛାରୂପେ ବ୍ୟାଖ୍ୟା କରିବି-। ସଂସାରରେ ହୁଏତ ଅଧିକାଂଶ ମଣିଷ ଆଜି ନ୍ୟାୟ ବଦଳରେ ଅନ୍ୟାୟହିଁ ପାଉଚନ୍ତି । ଆମ ସାନଗାଆଁ ବାଗଲପୁରଠାରୁ ଆରମ୍ଭ କରି ବଡ଼ ଓ ବିଖ୍ୟାତ ଦେଶ ଆମେରିକାରେ ମଧ୍ୟ ଅନ୍ୟାୟ କେତେ ପ୍ରକାର ମୁଖା ପିନ୍ଧି ମଣିଷକୁ ମାଡ଼ିବସିଚି । ଏହି ଅନ୍ୟାୟରେ ଆମର ସାମାଜିକ ଓ ଆର୍ଥିକ ବ୍ୟବସ୍ଥା, ଆମର ମଣିଷ ପ୍ରତିକୂଳ ରାଜନୀତି, ଆମର ବିକୃତିଗ୍ରସ୍ତ ଭୟାଳୁ ମନ ଓ ଆମର ଧର୍ମ ସମସ୍ତେ ଭାଗୀ ହୋଇ ରହିଚନ୍ତି । ତଥାପି ଜଣେ ସମାଜଶାସ୍ତ୍ରୀ ନ୍ୟାୟ ପାଇବାର ଇଚ୍ଛାକୁ ମଣିଷର ଏକ ସ୍ୱାଭାବିକ ମୂଳ-ଇଚ୍ଛା ବୋଲି କହୁଥିବାବେଳେ ଆମକୁ ତାହା ହୁଏତ ଅବୈଜ୍ଞାନିକ ବା ଅବାସ୍ତବ ବୋଲି ମନେହୋଇପାରେ । କିନ୍ତୁ ଇତିହାସ କ’ଣ କହୁଚି ? ଅନ୍ୟାୟର ସବୁ ଅନ୍ଧକାର-ପରସ୍ତ ସତ୍ତ୍ୱେ ନ୍ୟାୟର ଆକାଙ୍‌କ୍ଷା ହିଁ ବାର ବାର ଆମ ପୃଥିବୀର ଶାନ୍ତି ଭଙ୍ଗକରିବାକୁ ଯାଇଚି । ଅସ୍ତ୍ର, ସାମାଜିକ ପ୍ରତିପତ୍ତି ବା ଆର୍ଥିକ ପ୍ରବଳତାର ସମ୍ମୁଖରେ ଦୁର୍ବଳ ମଣିଷ ହୁଏତ ବାଧ୍ୟହୋଇ ଅନ୍ୟାୟ ଆଗରେ ମୁଣ୍ଡ ପାତିଦେଇଚି । କିନ୍ତୁ ସେ କଦାପି ଅନ୍ୟାୟକୁ ସ୍ୱାଭାବିକ ବୋଲି ମାନିନେଇ ନାହିଁ । ନ୍ୟାୟ ଉପରେ ବିଶ୍ୱାସହିଁ ତାକୁ ଆଜିର ସକଳ ଦୁର୍ଗତି ସତ୍ତ୍ୱେ କାଲିଲାଗି ବଞ୍ଚାଇ ରଖିଚି । ଆପଣା ଭିତରେ ଥିବା ନ୍ୟାୟର ପିପାସା ତାକୁ କେତେ ଆଦର୍ଶ ଓ କେତେ ଧର୍ମକଳ୍ପନାର ଡେଣାରେ କେତେଆଡ଼େ ଉଡ଼ାଇ ନେଇଯାଇଚି । ଅମୁକ ଜାତି କେବଳ ହଳ ଧରିବାକୁ ଜନ୍ମ ହୋଇଚି ବା ସମୁକ ଜାତି କେବଳ ବେଠି ଖଟିବାକୁ ଜନ୍ମ ହୋଇଚି,-ଏହିପରି ଅନ୍ୟାୟ-ମାନଙ୍କରେ ଆମର ପାରମ୍ପରିକ ମନଟା ଜୁଆ ହୋଇ ରହିଥିଲେ ମଧ୍ୟ ଆମର ମଣିଷ-ମନଟା ତଥାପି ନ୍ୟାୟ ଚାହୁଚି, ଅପରଠାରୁ ମଣିଷର ଅନୁରୂପ ବ୍ୟବହାର ଚାହୁଚି । ଆମର ବିକଶମାନ ମଣିଷସମାଜ ଏବେ ମଣିଷର ନ୍ୟାୟକାମନାକୁ ଅଧିକରୁ ଅଧିକ ସ୍ୱାଭାବିକ ବୋଲି ଗ୍ରହଣ କରିବାକୁ ଆରମ୍ଭ କଲାଣି । ଭବିଷ୍ୟତର ଯେକୌଣସି ସୁସ୍ଥ ସମାଜରେ ମଣିଷ ମଣିଷର ସମ୍ମାନରେ ପ୍ରତିଷ୍ଠିତ ହେବ, ଅର୍ଥାତ୍ ଜାତି, ଧର୍ମ ଓ ଦେଶ ନିର୍ବିଶେଷରେ ସେ ଅବଶ୍ୟ ମନୁଷ୍ୟୋଚିତ ନ୍ୟାୟର ଅଧିକାରୀ ହେବ, ଏହିପରି ଏକ ବିଶ୍ୱାସ ଆଧୁନିକ କ୍ରମେ ଅଧିକରୁ ଅଧିକ ଚାଳିତ କରିବାକୁ ଆରମ୍ଭ କଲାଣି ।

 

ଏହିସବୁ ମୂଳ-ଇଚ୍ଛା ନେଇ ଆମେ ପ୍ରତ୍ୟେକେ ଜଣେ ଜଣେ ମଣିଷ ହିସାବରେ ସମାଜ ଭିତରେ ବିଚରଣ କରୁଚୁ । ଅର୍ଥାତ୍ ମୂଳତଃ ଆମେ ପ୍ରତ୍ୟେକେ ନିରାପତ୍ତା ଚାହୁଚୁ, ସ୍ନେହ ଓ ଅନୁକମ୍ପା ଚାହୁଚୁ, ସ୍ୱାଧୀନତା ଚାହୁଚୁ, ନ୍ୟାୟର କାମନା କରୁଚୁ, ଆପଣା ଜୀବନାର୍ଜନକୁ ମୂଳଧନ ରୂପେ ଖଟାଇ ଆମେ କିଛି ନା କିଛି ସୃଷ୍ଟି କରିବାକୁ ଇଚ୍ଛା କରୁଚୁ । ବାତାବରଣର ଆହ୍ୱାନ ଓ ବ୍ୟକ୍ତିଗତ ତଥା ସାମାଜିକ ମଣିଷର ଆବଶ୍ୟକତା, ଏଇ ଦୁଇପକ୍ଷ ମଧ୍ୟରେ ନାନା କ୍ରିୟା ଓ ପ୍ରତିକ୍ରିୟା ଫଳରେ ସମାଜ ଆପଣାକୁ ପ୍ରକାଶିତ କରି କରି ଯାଉଚି । ବେଳେବେଳେ ଆମର ସମାଜ ଆମର ମନକୁ ପାଉନାହିଁ, ଆମର ସ୍ୱାଭାବିକ ଶୁଭ-ଇଚ୍ଛା ଗୁଡ଼ିକର ପୂର୍ତ୍ତିଲାଗି ତାହା ଆମକୁ ଯଥୋପଯୁକ୍ତ ବାତାବରଣ ଯୋଗାଇ ପାରୁନାହିଁ । ଆପଣା ବାସନା ଦ୍ୱାରା ଚାଳିତ ହୋଇ ଆମେ ଆମର ସମାଜକୁ ନୂଆ ଛାଞ୍ଚରେ ଗଢ଼ିବାକୁ ବାହାରୁଚୁ, ସମାଜକୁ ବଦଳାଇବାକୁ ବାହାରୁଚୁ । ବେଳେବେଳେ ଏହିପରି ଏକ ସାହସୀ କଦମ୍‌ ପକାଇବାକୁ ଆମର ସାହସ ପାଉନାହିଁ । ତେଣୁ ଆମେ ବାଧ୍ୟ ହୋଇ ଚୁପ୍‌ ହୋଇଯାଉଚୁ, ଯାହା ଅଛି ତାହାକୁହିଁ ମାନିଯାଉଚୁ । ସମାଜ ବଦଳୁନାହିଁ, କାରଣ ଆମେ ବଦଳିବାକୁ ଭୟ କରୁଚୁ । ବେଳେବେଳେ ସାମାଜିକ ସତ୍ତାରେ ଆରୂଢ଼ ହୋଇ ବସିଥିବା ପକ୍ଷମାନେ ପରିବର୍ତ୍ତନ ଲାଗି ଆମର ସକଳ ମସୁଧାକୁ ପଣ୍ଡ କରି ଦେଉଚନ୍ତି । ତେଣୁ ସମାଜ ବଦଳି ପାରୁନାହିଁ ।

 

ଆମେ ସମସ୍ତେ ସମାଜ ଭିତରେ ବଢ଼ୁ, ତଥାପି ଆମର ସାମାଜିକ ବିକାଶ ସମାନ ଭାବରେ ହୁଏନାହିଁ । ଏଠି ସାମାଜିକ ବିକାଶ କହିଲେ ମୁଁ ପ୍ରଧାନତଃ ଆମ ସମାଜପ୍ରତି ଆମର ଦୃଷ୍ଟିକୋଣକୁ ବୁଝୁଚି । ସମାଜ ବିଷୟରେ ଆମ ଦୃଷ୍ଟିକୋଣର ବିକାଶକୁ ସମାଜଶାସ୍ତ୍ରରେ ସାମାଜିକ ‘ବୟସ’ ବୋଲି କୁହାଯାଇଚି ଏବଂ ଏହି ବୟସରେ ତିନୋଟି ସ୍ତରର ନିରୂପଣ କରାଯାଇଚି । ମୋର ଚାରିପାଖରେ ଅନ୍ୟମାନେ ଅଛନ୍ତି ଅର୍ଥାତ୍ ମୁଁ ଏକ ସମାଜ ଭିତରେ ସମସ୍ତଙ୍କ ସହିତ ରହିଚି, ଏତିକିମାତ୍ର ବିଷୟରେ ଅବହିତ ରହିବା ହେଉଚି ଏହି ବିକାଶର ପ୍ରଥମ ସ୍ତର । ଦ୍ୱିତୀୟ ସ୍ତର ସାମାଜିକ ଉପଭୋଗର ସ୍ତର ଓ ତୃତୀୟ ପରିପକ୍ୱ ସ୍ତରଟି ହେଉଚି ସାମାଜିକ ଦାୟିତ୍ୱବୋଧର ସ୍ତର । (୧୧) ଶିଶୁ ଜନ୍ମ ହେବାର ଅଳ୍ପଦିନ ପରେ ଅନ୍ୟମାନଙ୍କର ଉପସ୍ଥିତି ବିଷୟର ଅବହିତ ହୋଇପାରେ । ସେ ଅନ୍ୟମାନଙ୍କୁ ଯାଆଆସ ଓ କଥାବାର୍ତ୍ତା କରିବାର ଦେଖେ, ଅନ୍ୟମାନଙ୍କର ଦେହର ରଙ୍ଗ ଓ ଚାଲିର ଢଙ୍ଗରୁ ସେମାନଙ୍କୁ ବେଶ୍ ମନେରଖେ । ଅନେକ ଲୋକ ବୟସରେ ଯେତେ ବଡ଼ ହେଲେ ମଧ୍ୟ ଏବଂ ଯେଡ଼େ ବୃହତ୍ତର ସଂସାରରେ ଜୀବନ ବଞ୍ଚିଲେ ମଧ୍ୟ ସେହି ଅବହିତିର ସ୍ତରରେ ରହିଯାଆନ୍ତି । କଅଁଳା ବାଛୁରୀ ଦୁଆର ମଝିରେ ଡେଇଁବୁଲିବା ସମୟରେ ସେଠାରେ ରହିଥିବା ତୁଳସୀ ଚଉରା ବା ପିଜୁଳିଗଛ ବିଷୟରେ ଯେତିକି ଅବହିତ ଥାଏ, ଆମର ଏହି ପ୍ରଥମ ଶ୍ରେଣୀର ମଣିଷ ସମାଜ ବିଷୟରେ ତାଠାରୁ ଖୁବ୍‌ବେଶୀ ଅବହିତ ନଥାନ୍ତି ବୋଲି କହିଲେ ଆଦୌ ମିଛ କୁହାହେବନାହିଁ । ଖାଲି ଆଖିଦୁଇଟା ଓ କାନଦୁଇଟା ଅଛି ବୋଲି ହୁଏତ ଏମାନେ ସମାଜରେ ଥିବା ଅନ୍ୟ ମଣିଷମାନଙ୍କୁ ଦେଖି ଓ ସେମାନଙ୍କର କଥା ଶୁଣି ସେମାନଙ୍କ ବିଷୟରେ ଅବଗତ ହୁଅନ୍ତି, ନଚେତ୍ ସମାଜ ଓ ସମାଜରେ ବାସ କରୁଥିବା ମଣିଷଙ୍କ ସହିତ ଏମାନଙ୍କର ଆଉ କୌଣସି ସଂଯୋଗସୂତ୍ର ନଥାଏ । ଦ୍ୱିତୀୟଶ୍ରେଣୀର ଲୋକେ ସମାଜକୁ ମୁଖ୍ୟତଃ ଉପଭୋଗର କ୍ଷେତ୍ର ବୋଲି ବିଚାରିଥାଆନ୍ତି । ଜମିଦାର ତାର ପ୍ରଜାମାନଙ୍କୁ ସାଧାରଣତଃ ଯେଉଁପରି ଭାବରେ କଳ୍ପନା କରିଥାଏ, ବାବୁ ଭୃତ୍ୟମାନଙ୍କର ଯେପରି କଳ୍ପନା କରିଥାଏ ବା ବଡ଼ ନେତା ଜନତାର ଯେପରି କଳ୍ପନା କରିଥାଏ, ଏହି କଳ୍ପନା ଅନେକ ପରିମାଣରେ ଠିକ୍ ସେହିପରି । ସମାଜଟା ଯେପରି ଗୋଟିଏ ସଉଦା କରିବାର ଜାଗା, ଅଳପ ଦେଇ ବା ସମ୍ଭବ ହେଲେ କିଛି ନଦେଇ କେବଳ ମାରିଆଣିବାର ଜାଗା, ସମାଜର ଉପଭୋଗୀମାନେ ଠିକ୍ ସେହିପରି କଳ୍ପନା କରିଥାନ୍ତି । ଆମ ଦେଶରେ କୌଣସି ବଡ଼ ଚାକିରିଆଙ୍କୁ ପଚାର, ସେ ଅମୁକ ଅମୁକ ଜାଗାରେ ରହିବାକୁ କାହିଁକି ଚାହାନ୍ତି ବା ଅମୁକ ଜାଗାକୁ କାହିଁକି ବଦଳି ହୋଇ ଯିବାକୁ ଚାହାନ୍ତି,-ସେ ଉତ୍ତର ଦେବେ, ସେଠି ଜିନିଷ ଶସ୍ତା, ଚାକର ଶସ୍ତା, ଲୋକମାନେ ବଡ଼ ସରଳ, ସେଠି ଉପୁରି ବା ଘରୋଇ ରୋଜଗାର ବେଶୀ, ଇତ୍ୟାଦି ଇତ୍ୟାଦି । ଆମ ଦେଶର ଅଫିସରମାନେ ନିଜ ନିଜ ଅଫିସ୍‌ର ଭୃତ୍ୟ ଓ ଚପରାସୀମାନଙ୍କୁ ମଣିଷପରି ବା ସମାଜର କୌଣସି ଆବଶ୍ୟକ କାର୍ଯ୍ୟ କରିବାକୁ ନିଯୁକ୍ତ ହୋଇଥିବା କର୍ମଚାରୀ ପରି ନଦେଖି ଆପଣାର ବ୍ୟକ୍ତିଗତ ଭୃତ୍ୟ ପରି ଦେଖିଥାନ୍ତି । ଏହି ରାଜ୍ୟଗୋଟାକରେ ଯାବତୀୟ ସାଧାରଣ ଅଫିସ୍‌ରେ ନିଯୁକ୍ତ ହୋଇଥିବା ପିଅନ୍ ଓ ଚପରାସୀମାନେ ଯେପରି ସେହିମାନଙ୍କର ଘରେ ସେବା ଖଟିବାପାଇଁ ବରାଦ ହୋଇ ଆସିଚନ୍ତି ! ଅଫିସ୍‌ର କାମ ତେଣେ ଅଧା ପଡ଼ିଥାଉ ପଛକେ, ଚପରାସୀ ବାବୁଙ୍କର ବ୍ୟକ୍ତିଗତ କାମ ଖଟିବାକୁହିଁ ବାଧ୍ୟ ହୁଏ । ବ୍ରିଟିଶ୍ ଅମଳରେ ଏ ଦେଶରେ ଜେଲ୍ ଖାନାର କଏଦୀମାନେ ଜେଲ୍ ବିଭାଗର ଉଚ୍ଚ କର୍ମଚାରୀମାନଙ୍କ ଘରେ କାମ ଖଟିବାକୁ ଯାଉଥିଲେ । ଏବେ ସେହି ଜେଲ୍ ଖାନାର ନ୍ୟାୟ ଯେପରି ସାରା ଦେଶଟାଯାକ ପରିବ୍ୟାପ୍ତ ହୋଇ ଯାଇଚି । ମୋର ଚାରିପାଖରେ ରହିଥିବା ମଣିଷମାନେ ଯେପରି ବସ୍ତୁତଃ ମୋହରି କାମରେ ଲାଗିବାକୁ ତିଆରି ହୋଇ ଆସିଚନ୍ତି । ପୁଣି ମୋର ଅଧୀନରେ କାମ କରୁଥିବା ମଣିଷଙ୍କର କଥା ନକହିବାହିଁ ଭଲ । ସମାଜର ମଣିଷମାନଙ୍କୁ ଯିଏ ଉପଭୋଗର ଅର୍ଥାତ୍ ସୁଖ ଓ ଆରାମ ଭୁଞ୍ଜିବାର ସାଧନ ପରି ଦେଖେ, ସେ ଏକ ଉପଭୋଗମୂଳକ ଦୃଷ୍ଟିକୋଣ ନେଇହିଁ ସମାଜରେ ମଉକା ଖୋଜି ବୁଲୁଥାଏ । ଆମ ଦେଶର ସମାଜରେ ସମ୍ଭବତଃ ଏହି ଦ୍ୱିତୀୟ ପ୍ରକାର ଦୃଷ୍ଟିକୋଣର ମଣିଷ ଅତି ବେଶୀ ପରିମାଣରେ ଅଛନ୍ତି-। ତେଣୁ ଖଣ୍ଡେ ଚାକିରି ପାଇ ବସିଯିବାକୁ ଆମେ କୋଟିନିଧି ପାଇ ବସିଯିବାଭଳି ଏକ ବର ଦାନ ବୋଲି ମନେକରିବାରେ ଅଭ୍ୟସ୍ତ ହୋଇପଡ଼ିଚୁ । ଡାକ୍ତର ବା ଇଞ୍ଜିନିଅର୍‌ ହେବାର ସରାଗ ନେଇ ପାଠ ପଢ଼ୁଥିବା ଅନେକ ଯୁବକ ଆମ ଦେଶରେ ଡାକ୍ତରୀ ବିଦ୍ୟା ବା ଇଞ୍ଜିନିଅରିଙ୍ଗ୍‍ର କୌଶଳ ପ୍ରତି କୌଣସି ଅନ୍ତର୍ଗତ ଆଗ୍ରହ ଥାଏ ବୋଲି ସେପରି କରନ୍ତି ନାହିଁ । ବର୍ତ୍ତମାନ ଦେଶ ବା ସମାଜର ପରିସ୍ଥିତି ଦୃଷ୍ଟିରୁ ଡାକ୍ତର ବା ଇଞ୍ଜିନିଅର୍ ହେଲେ ସେମାନେ ଅଧିକ ପଇସା କମାଇବେ ଓ ଏହି ସମାଜରେ ଅଧିକ ଉପଭୋଗର ଅଧିକାରୀ ହୋଇପାରିବେ, ସେମାନଙ୍କର କର୍ମକ୍ଷେତ୍ରଗତ ନିଷ୍ପତ୍ତିକୁ ଏହିପରି ଏକ ଭୋଗକାମୀ ଇଚ୍ଛାହିଁ ନିୟନ୍ତ୍ରିତ କରିଥାଏ । ଏହି ଯୁବକମାନଙ୍କର ପିତାମାତା ମଧ୍ୟ ପ୍ରଧାନତଃ ଏହି କାରଣରୁ ଆପଣାର ପୁଅକୁ ଡାକ୍ତର ବା ଇଞ୍ଜିନିଅର୍‌ ପଦରେ ଦେଖିବାକୁ ଲାଳସୀ ହୋଇଥାନ୍ତି ଓ ଏହାକୁହିଁ ଧର୍ମ, ଅର୍ଥ, କାମ ଓ ମୋକ୍ଷର ଏକମାତ୍ର ଉପାୟ ବୋଲି ନିଶ୍ୱାସ କରି ଶିଖିଥାନ୍ତି ।

 

ସାମାଜିକ ଦୃଷ୍ଟିକୋଣର ପରିପୂର୍ଣ୍ଣତମ ବା ପରିପକ୍ୱତମ ସ୍ତର ହେଉଚି ସାମାଜିକ ଦାୟିତ୍ୱବୋଧ । ମୁଁ ଏହି ସମାଜରେ ମଣିଷ ହୋଇଚି, ମୋର ଇଚ୍ଛା ଅନିଚ୍ଛା, ଆଶା ଆକାଙ୍‌କ୍ଷା ଏବଂ ବିଚାର ବିବେକ ଏହି ସମାଜର ଫୁଲ-ପାଣିରେହିଁ ଜୀବନ ପାଇଚି, ମୋର ସାମାଜିକ କ୍ଷେତ୍ରରେହିଁ ସେଗୁଡ଼ିକର କୌଣସି ସାର୍ଥକତା ରହିଚି । ମୁଁ ଯାହା ଅର୍ଜନ କରୁଚି, ସେଥିରେ ମୋର ଯେପରି ଶ୍ରେୟ ରହିଚି, ସମାଜର ମଧ୍ୟ ତଦନୁରୂପ ଶ୍ରେୟ ରହିଚି । ସମାଜର ବିପୁଳ ବିପଣିରେ ଯେଉଁସବୁ ସମ୍ପଦ ସଂଗ୍ରହ କରିବାର ସୌଭାଗ୍ୟ ମୋତେ ମିଳିଚି, ଆପଣାର ସର୍ବଶ୍ରେଷ୍ଠ ଆଗ୍ରହ ଓ ସର୍ବଶ୍ରେଷ୍ଠ ଅର୍ଜନକୁ ସେହି ସମାଜର ଉନ୍ନତିବିଧାନରେ ନିୟୋଗ କରିବାହିଁ ମୋ ଜୀବନର ସାର୍ଥକତା ନିହିତ ରହିଚି, ଏହିପରି ଏକ ପ୍ରେରଣାଭୂମି ଉପରେ ଆପଣା ଜୀବନ ବଞ୍ଚିବାର ନାମ ହେଉଚି ସାମାଜିକ ଦାୟିତ୍ୱବୋଧ । ଏଠାରେ ଜବରଦସ୍ତିର କୌଣସି ପ୍ରଶ୍ନହିଁ ଉଠୁନାହିଁ । କାରଣ ଯେଉଁଠି ଜବରଦସ୍ତିର ଗନ୍ଧ ରହିଚି, ସେଠାରେ ଦାୟିତ୍ୱ ବା ଦାୟିତ୍ୱବୋଧର ପ୍ରଶ୍ନହିଁ ଉଠୁନାହିଁ । ଉପରର ହାକିମକୁ ଡରି ଯେତେବେଳେ ତଳେ ଥିବା କର୍ମଚାରୀ କିଛି କରୁଚି, ଉପରେ ଭାଗ୍ୟନିର୍ଣ୍ଣୟ କରୁଥିବା ମାଷ୍ଟରକୁ ଡରି ଛାତ୍ର ଯେତେବେଳେ ତାକୁ ଦିଆଯାଇଥିବା କାମଗୁଡ଼ିକୁ ସମ୍ପନ୍ନ କରୁଚି, ସେଠାରେ ଦାୟିତ୍ୱବୋଧ ବଢ଼ୁନାହିଁ, ଗୋଲାମୀ ବଢ଼ୁଚି; ସଂସାରରେ ଦାସତ୍ୱପରମ୍ପରାକୁ ଦୃଢ଼ତର କରି ରଖିବାଲାଗି ହିଁ ଅଧିକ ପ୍ରଶ୍ରୟ ଓ ପ୍ରୋତ୍ସାହନ ଦିଆଯାଉଚି । ସମାଜ ବ୍ୟତୀତ ମୁଁ ମଣିଷ ହୋଇନଥାନ୍ତି–ତେଣୁ ଜୀବନର ନାନା କର୍ମୋଦ୍ୟମ ମଧ୍ୟଦେଇ ମୋତେ ପ୍ରଧାନତଃ ଏହି କୃତଜ୍ଞତାର ଋଣ ଶୁଝିବାକୁ ପଡ଼ିବ, ଏହିପରି ଏକ ବିଶ୍ୱାସ ଉପରେ ଯିଏ ନିଜର ଜୀବନଦୃଷ୍ଟିକୁ ଆଣି ପ୍ରତିଷ୍ଠିତ କରିପାରିଚି, ସମାଜ ବିଷୟରେ ପ୍ରଧାନତଃ ତାହାରି ହିଁ ଏକ ସୁସ୍ଥ ଓ ପରିପକ୍ୱ ଦାୟିତ୍ୱବୋଧ ରହିଚି ବୋଲି କହିବାକୁ ହେବ । ଅଧ୍ୟାପକ ଭିତରେ ଯେତେବେଳେ ଦାୟିତ୍ୱବୋଧ ଆସେ, ସେତେବେଳେ ସେ ଛାତ୍ରମାନଙ୍କର ଜ୍ଞାନ ଓ ଜୀବନଦୃଷ୍ଟିରେ ଦିଗଦର୍ଶନ କରାଇବାଲାଗି ଆପଣାକୁ ଦାୟୀ ବୋଲି ବୁଝିବାକୁ ଆରମ୍ଭ କରେ । ପିତାମାତାଙ୍କ ଭିତରେ ଯେତେବେଳେ ଦାୟିତ୍ୱବୋଧ ଆସେ, ସେତେବେଳେ ସନ୍ତାନକୁ ସେମାନେ ଭଗବାନଙ୍କର ପ୍ରସନ୍ନତାକଳ୍ପେ କରିଥିବା ଆପଣା ପୁଣ୍ୟର ସମ୍ଭୋଗଫଳ ବୋଲି ନଦେଖି ତାହାର ସୁସ୍ଥ ଜୀବନଗଠନ ଦିଗରେ ଆପଣାକୁ ଦାୟୀ ବୋଲି ବୁଝିବାକୁ ଆରମ୍ଭ କରନ୍ତି । ରାଜ୍ୟର ମନ୍ତ୍ରୀ ଭିତରେ ଯେତେବେଳେ ଦାୟିତ୍ୱବୋଧ ଆସେ, ସେତେବେଳେ ଆପଣାର ପଦକୁ ସେ ଆସ୍ଥାନ ଜମାଇବାର ବା ଉଚ୍ଚାସନ କମାଇବାର ସାଧନରୂପେ ନଦେଖି ଜନଗଣର କଲ୍ୟାଣ ଓ ସୁସ୍ଥ ବିଧାନସଙ୍ଗତ ଶାସନଲାଗି ଆପଣାକୁ ଦାୟୀ ବୋଲି ବୁଝିବାକୁ ଆରମ୍ଭ କରିଥାଏ । କୌଣସି ଅଫିସ୍‌ର ବଡ଼ ବା ସାନ ଅଫିସର ଭିତରେ ଯେତେବେଳେ ଦାୟିତ୍ୱବୋଧ ଆସେ, ସେତେବେଳେ ସେ ଚାକିରି ଓ ହାକିମୀର ସୁଯୋଗରେ ଆପଣାର ଘର ବନାଇବାକୁ ସକଳ କର୍ତ୍ତବ୍ୟଧର୍ମର ସାରସର୍ବସ୍ୱ ବୋଲି ନ ଦେଖି ଏକ ସମାଜ ବା ଶାସନପାଖରେ ଆପଣାକୁ ଦାୟୀ ବୋଲି ବୁଝିବାକୁ ଆରମ୍ଭ କରେ । ଗାଆଁର ପ୍ରଧାନ ବା ସରପଞ୍ଚଙ୍କ ଭିତରେ ଯେତେବେଳେ ଦାୟିତ୍ୱବୋଧ ଆସେ, ସେତେବେଳେ ସେ ଆପଣାର ଆଗ୍ରହଗୁଡ଼ାକୁ ଆତ୍ମବୃଦ୍ଧିର ନାନା ନିନ୍ଦନୀୟ ଫନ୍ଦାରେ ନଲଗାଇ ଗାଆଁ ପାଇଁ ଅର୍ଥାତ୍ ଗାଆଁରେ ବାସ କରୁଥିବା ମଣିଷମାନଙ୍କର କଲ୍ୟାଣ ପାଇଁ ଆପଣାକୁ ଦାୟୀ ବୋଲି ବୁଝିବାକୁ ଆରମ୍ଭ କରନ୍ତି-। କିନ୍ତୁ ସତକଥା ହେଉଚି, ଯେକୌଣସି ମଣିଷ ସଂଯୋଗକ୍ରମେ ଅଧ୍ୟାପକ, ପିତାମାତା, ମନ୍ତ୍ରୀ, ଅଫିସର ବା ସରପଞ୍ଚ ହୋଇଗଲେ ତାଭିତରେ ବଳେବଳେ ଦାୟିତ୍ୱବୋଧର ଅବତରଣ ହୋଇଯାଏନାହିଁ । ଦାୟିତ୍ୱବୋଧସମ୍ପନ୍ନ ବ୍ୟକ୍ତି ଅଧ୍ୟାପକ, ପିତାମାତା, ମନ୍ତ୍ରୀ, ଅଫିସର ବା ସରପଞ୍ଚ ହେଲେ ସେମାନଙ୍କଠାରୁ ସାଧାରଣତଃ ଯାହା ଆଶା କରାଯାଏ, ସମାଜ ତାହା ପାଇବାର ସୌଭାଗ୍ୟ ଲାଭକରେ । ଦାୟିତ୍ୱବୋଧର ସ୍ତରକୁ ବିକଶିତ ହୋଇଥିବା ବ୍ୟକ୍ତି ଯେଉଁ ସମାଜରେ ଯେତେ ବେଶୀ ଥାଆନ୍ତି, ସେହି ସମାଜ ସେତେ ବେଶୀ ବିକଶିତ ଓ ବିଭବସମ୍ପନ୍ନ ହେବାର ସୁଯୋଗ ପାଏ । ଡିଗ୍ରୀ ପାଇଲେ, ନେତା ଲାଖି ନୟନାଭିରାମ ବେଶ ପିନ୍ଧିଲେ, ଇଂରେଜୀପାଠ ପଢ଼ିଲେ ବା ଅଜସ୍ର ସମ୍ପତ୍ତି ଅଥବା କ୍ଷମତାର ମାଲିକ ହୋଇ ବସିଲେ ଏହି ଦାୟିତ୍ୱବୋଧ ବଳେବଳେ ଆସିଯାଏ ନାହିଁ । ସମାଜ ବିଷୟରେ ଆମ ଯାହାର ଯେପରି ଜୀବନଗତ ଦୃଷ୍ଟିକୋଣ ରହିଚି, ଆମେ ଆପଣାର କାର୍ଯ୍ୟକ୍ଷେତ୍ରରେ ତଦନୁରୂପ କୁଶଳତା ବା ଅକୁଶଳତାର ପ୍ରମାଣ ଦେଇଥାଉ । ଆମର ଦୃଷ୍ଟିକୋଣ ପ୍ରଧାନତଃ ଅସୁସ୍ଥ ଓ ମଳିନ ହୋଇଥିଲେ ଆମରି ପ୍ରାଦୁର୍ଭାବରେ ସମାଜ ଲାଗି କରାଯାଇଥିବା ବଢ଼ିଆ ବଢ଼ିଆ ଯୋଜନା ଫସରଫାଟିଯାଏ, ସଂସ୍କୃତି ଓ ସମୃଦ୍ଧି ବିଷୟରେ ବଡ଼ ବଡ଼ କଥା ବହିର ବାଗାଡ଼ମ୍ବର ହୋଇ ରହେ ଏବଂ ପିତୁଳା ଭିତରେ ଭଗବାନଙ୍କର କଳା ବୁଡ଼ିଗଲା ପରି ଆମର ସକଳ ଧର୍ମ ଓ ସକଳ ଆଦର୍ଶ ମଧ୍ୟ ଏହି ମଳିନତା ଭିତରେ ବୁଡ଼ିଯାଏ-

 

ସାରାଂଶ ହେଉଚି, ଆମର ସମାଜ ଆମକୁ ତିନି ବିଭିନ୍ନ ଭାବରେ ଅନୁପ୍ରାଣିତ କରିପାରେ । ପ୍ରଥମତଃ ସମାଜ ବିଷୟରେ ଆମେ ମୂଳତଃ ଉଦାସୀନ ରହିପାରୁ । ସମାଜରେ ଆମରି ସହିତ ଜୀବନ ବଞ୍ଚୁଥିବା ମଣିଷମାନଙ୍କ ବିଷୟରେ ଆମଭିତରେ କୌଣସି ପ୍ରକାର ଅନୁଭୂତି ବା ସଚେତନତା ମଧ୍ୟ ରହିନପାରେ । ହୁଏତ ଯାବତୀୟ ସାମାଜିକ ପ୍ରସଙ୍ଗକୁ ଆମେ ଭାଗ୍ୟର ପ୍ରସଙ୍ଗ ବୋଲି ମାନିନେଇପାରୁ । ସମସ୍ତଙ୍କ ସହିତ ମିଳିମିଶି ରହିବାର ଅର୍ଥ ଯେ କେତେକ ପରିମାଣରେ ସମସ୍ତଙ୍କ ଲାଗି ଦାୟୀହେବାକୁ ବୁଝାଏ, ଏହି ସ୍ତରରେ ଆମେ ହୁଏତ ଏକଥାକୁ ଅନୁଭବ ହିଁ କରି ମଧ୍ୟ ନପାରୁ । ଦ୍ୱିତୀୟ ସ୍ତରଟି ହେଉଚି, ସାରା ସଂସାରଟାକୁ ଜଳକା ବୋଲି ଗ୍ରହଣ କରିନେଇ ସୃଷ୍ଟିର ଗେହ୍ଲାପୁଅ ପରି ମହାପାତ୍ରଙ୍କର ଭୂମିକାରେ ଅବତୀର୍ଣ୍ଣ ହେବାର ସ୍ତର । ଏପରି ଗେହ୍ଲାପୁଅ ପ୍ରାୟ ସବୁ ସମାଜରେ ଅଛନ୍ତି; ଆମ ଦେଶର ସମାଜରେ ସମ୍ଭବତଃ ଟିକିଏ ଅଧିକ ସଂଖ୍ୟାରେ ଅଛନ୍ତି । ଗାଆଁରେ ଅଛନ୍ତି, ସହରରେ ମଧ୍ୟ ଅଛନ୍ତି; ସରକାରୀ କ୍ଷେତ୍ରରେ ଅଛନ୍ତି, ରାଜନୀତି ଭିତରେ ମଧ୍ୟ ଅଛନ୍ତି । ସବୁ ବଡ଼ଲୋକେ ଯେ ଅବଶ୍ୟ ମହାପାତ୍ରେ ହୋଇ ବାହାରନ୍ତି ସେପରି କୌଣସି ଅନୁମାନ କରିନେବା ପଛରେ କୌଣସି ବଳିଷ୍ଠ କାରଣ ନାହିଁ । ଗରିବ ହେଲେ ଯେ ମଣିଷ ଜଳକା ହେବାକୁ ବାଧ୍ୟ ହୁଏ, ଏହା ମଧ୍ୟ କୌଣସି ସମାଜର ନିୟମ ନୁହେଁ । ମହାପାତ୍ର ବନିବା ଅର୍ଥାତ୍ ସମାଜକୁ ପଦ୍ମବନ ମନେକରି ଚତୁର ମତ୍ତହସ୍ତୀପରି ତାଭିତରେ ପ୍ରବେଶ କରିବାକୁ ଯିବା ହେଉଚି ଏକ ସ୍ୱତନ୍ତ୍ର ଜୀବନଗତ ଦୃଷ୍ଟିକୋଣ । ଏହି ଦୃଷ୍ଟିକୋଣ ସବୁପ୍ରକାର ବ୍ୟକ୍ତିଙ୍କ ଜୀବନରେ ସମ୍ଭବ ହୋଇପାରେ ।

 

ସାମାଜିକ ବିକାଶରେ ଦାୟିତ୍ୱବୋଧର ସ୍ତରକୁ ଆସିଲେ ମଣିଷର ଦୃଷ୍ଟି କିପରି ଭାବରେ ନିୟୋଜିତ ହୁଏ, ତାହାରି ବ୍ୟାଖ୍ୟା କରିବାକୁ ଯାଇ ଆମେ ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଗୋଟିଏ ଉକ୍ତି ଦ୍ୱାରା ଏହି ପ୍ରକରଣଟିକୁ ସମାପ୍ତ କରିବା; ‘‘ଆମ ଦୈନନ୍ଦିନ ଜୀବନର ପୃଷ୍ଠଭୂମି ଉପରେ ବିଚାର କଲେ ଆମେ ସମସ୍ତେ ଗୋଟିଏ କଥା ଅତି ସ୍ପଷ୍ଟଭାବରେ ଜାଣିଚୁ । ସେହି କଥାଟି ହେଉଚି ଯେ, ମଣିଷ ପ୍ରଧାନତଃ ଅନ୍ୟମାନଙ୍କ ଲାଗି ତାର ଜୀବନ ବଞ୍ଚିବାକୁ ଏହି ସଂସାରକୁ ଆସିଚି । ଯେଉଁମାନଙ୍କର ମୁହଁର ହସ ଓ ଜୀବନର ସୁଖ ଉପରେ ଆମର ସୁଖ ବି ନିର୍ଭର କରୁଚି, ପ୍ରଧାନତଃ ସେହିମାନଙ୍କ ଲାଗି ଜୀବନ ବଞ୍ଚିବାକୁ ଆମେ ପ୍ରତ୍ୟେକେ ଏହି ସଂସାରକୁ ଆସିଚୁ । ନାନା ଅନୁଭୂତି ଓ ସହାନୁଭୂତିର ସୂତ୍ରଦ୍ୱାରା ଯେଉଁ ଅଗଣିତ ଅପରିଚିତ ମଣିଷମାନଙ୍କର ଜୀବନ ସହିତ ଆମର ଜୀବନ ଗ୍ରଥିତ ଓ ସଂଲଗ୍ନ ହୋଇ ରହିଚି, ସେମାନଙ୍କ ଲାଗି ବି ଜୀବନ ବଞ୍ଚିବାକୁ ଆମେମାନେ ଏହି ସଂସାରକୁ ଆସିଚୁ । ମୋର ବହିର୍ଗତ ତଥା ଅନ୍ତର୍ଗତ ଜୀବନ କିପରି ଏହି ସଂସାରର କେତେ କେତେ ମଣିଷଙ୍କର ଶ୍ରମ ଦ୍ୱାରା ତିଆରି ହୋଇଚି, ଏହି କଥାଟିକୁ ମୁଁ ପ୍ରତ୍ୟହ ଏକାଧିକବାର ହୃଦୟଙ୍ଗମ କରିଥାଏ । ଏହି ମଣିଷଙ୍କ ଭିତରୁ କେତେ ସଂସାରରୁ ବିଦାୟ ହୋଇଗଲେଣି, ପୁଣି କେତେ ଆଜି ମଧ୍ୟ ଏହି ସଂସାରରେ ବାସ କରୁଚନ୍ତି । ସେମାନଙ୍କ ଜରିୟାରେ ଏହି ସଂସାରଠାରୁ ମୁଁ ଯାହା ସବୁ ପାଇଚି, ତାହାର ପରିଶୋଧ କରିବାକୁ ହେଲେ ଯେ ମୋତେ କେଡ଼େ ନିଷ୍ଠାପର ଭାବରେ କେତେ ବେଶୀ ଉଦ୍ୟମ କରିବାକୁ ପଡ଼ିବ, ଏ ବିଷୟରେ ମୁଁ ଅନେକ ସମୟରେ ଭାବିଚି । ମୁଁ ଅନ୍ୟ ମଣିଷମାନଙ୍କଠାରୁ ଅନେକ ବେଶୀ ନେଇଚି, ସେମାନଙ୍କ ପରିଶ୍ରମର ଫଳକୁ ଅନେକ ଗୁଣ ବେଶୀ ଭୋଗ କରିଚି । ଏହି ଋଣ ହୁଏତ ମୁଁ କେବେହେଲେ ପରିଶୋଧ କରି ପାରିବିନାହିଁ । ବେଳେବେଳେ ଆପଣା ଶକ୍ତିସୀମା ବିଷୟରେ ସଚେତ ହୋଇ ମୁଁ ଆପଣା ଭିତରେ ବଡ଼ ଅଶାନ୍ତି ଓ ବ୍ୟଥା ଅନୁଭବ କରିଚି ।’’ (୧୨)

 

–୨–

 

ମହାଭାରତରେ ମତ୍ସ୍ୟନ୍ୟାୟର ଉଲ୍ଲେଖ ଅଛି । ମାଛମାନଙ୍କର ସଂସାରରେ ବଡ଼ମାଛ ସାନମାଛକୁ ଖାଇଯାଏ । ବଞ୍ଚିରହିବା ସକାଶେ ସେଠି ନିରନ୍ତର ଏକ କ୍ରୁର ପ୍ରତିଯୋଗିତାମୂଳକ ସଂଗ୍ରାମ ଲାଗି ରହିଥାଏ । ଆମ କଳିଯୁଗରେ, ଏହି ବିଂଶ ଶତାବ୍ଦୀର ପୃଥିବୀରେ ମଧ୍ୟ ଜୀବନ ବଞ୍ଚିବା କହିଲେ ଅନେକେ ଜୀବନ-ସଂଗ୍ରାମ କରିବାକୁ ବୁଝିଥାନ୍ତି । ସଂସାର ହେଉଚି ଏକ ରଣକ୍ଷେତ୍ର । ବଞ୍ଚିରହିବାକୁ ହେଲେ ଏଠି କେବଳ ନିଷ୍ଠୁର ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସହିତ ସଂଗ୍ରାମ କରିବାକୁ ପଡ଼େନାହିଁ; ଜଣେ ମଣିଷକୁ ଅନ୍ୟାନ୍ୟ ମଣିଷଙ୍କ ସହିତ ସଂଗ୍ରାମ କରିବାକୁ ପଡ଼େ, ଗୋଟିଏ ମଣିଷଗୋଷ୍ଠୀକୁ ଆଉ ଗୋଟିଏ ମଣିଷଗୋଷ୍ଠୀ ସହିତ ସଂଗ୍ରାମ କରିବାକୁ ହୁଏ । ଗୋଟିଏ ଧର୍ମ ବା ଜାତିକୁ ଆଉ ଅନ୍ୟାନ୍ୟ ଧର୍ମ ଓ ଜାତି ସହିତ ସଂଗ୍ରାମ କରିବାକୁ ପଡ଼େ । ଯିଏ ଏହି ସଂଗ୍ରାମରେ ସବୁଠାରୁ ବଳବାନ ବୋଲି ପ୍ରମାଣିତ ହୁଏ, ସେହି ସଂସାରରେ ବଞ୍ଚିରହେ; ଅନ୍ୟମାନେ ବିଲୁପ୍ତ ହୋଇଯାଆନ୍ତି । କେବଳ ବଳବାନ୍‌ରହିଁ ଏହି ସଂସାରରେ ବଞ୍ଚିରହିବାର ବା ହୁକୁମ ଚଳାଇବାର ପର୍ଯ୍ୟାପ୍ତ ଅଧିକାର ରହିଚି । ‘ବୀରଭୋଗ୍ୟା ବସୁନ୍ଧରା’ କହିଲେ ଅନେକେ ଏପରି ଅର୍ଥ ମଧ୍ୟ କାଢ଼ିବାକୁ ଚେଷ୍ଟା କରିଥାଆନ୍ତି । ଆଧୁନିକ ଯୁଗରେ ଏହି ବିଚାରଦୃଷ୍ଟି ବିଲାତର ଶ୍ରୀ ଚାର୍ଲସ୍ ଡାର୍‌ଉଇନ୍‌ଙ୍କର ଗ୍ରନ୍ଥଗୁଡ଼ିକରୁ ଅନେକ ପ୍ରେରଣା ପାଇଚି । ୧୮୫୯ ଖ୍ରୀଷ୍ଟାବ୍ଦରେ ଡାର୍‌ଉଇନ୍ (୧୮୦୯-୧୮୮୨) ‘ଜୀବକୁଳର ଉତ୍ପତ୍ତି’ (On the Origin of Species) ନାମକ ତାଙ୍କ ପ୍ରଥମ ଗ୍ରନ୍ଥର ପ୍ରକାଶ କରିଥିଲେ ଏବଂ ଜୀବବିକାଶ ଓ ଜୀବବିବର୍ତ୍ତନର ମୂଳସୂତ୍ରରୂପେ ଜୀବନ-ସଂଗ୍ରାମକୁହିଁ ପ୍ରତିପାଦିତ କରିଥିଲେ । ସୃଷ୍ଟିର ଆଦିକାଳରୁ ଜୀବଜଗତରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଆସିଚି; ଜୀବନ-ସଂଗ୍ରାମର ଆବଶ୍ୟକତା ଦ୍ୱାରା ଅନୁପ୍ରେରିତ ହୋଇ ଅଧିକ ବଳବାନ୍ ଜୀବମାନେ କମ୍ ବଳବାନ ଜୀବଶ୍ରେଣୀଙ୍କୁ ମାଡ଼ି ଦଳି ଆଗକୁ ସଫଳ ହୋଇ ବାହାରିଯାଉଚନ୍ତି । ଅତି ପୁରାତନ କାଳରୁ ଆଜିପର୍ଯ୍ୟନ୍ତ ଜୀବନ-ସଂଗ୍ରାମରେ ପରାଭୂତ ହୋଇ କେତେକେତେ ଜୀବଶ୍ରେଣୀର ବିଲୟ ଘଟିଆସିଚି । ସବୁଠାରୁ ଅଧିକ ବଳବାନ୍ ଅର୍ଥାତ୍ ଯୋଗ୍ୟତମ ପ୍ରାଣୀମାନେ ବଞ୍ଚି ରହିଚନ୍ତି ।

 

ଜୀବବିଜ୍ଞାନ କ୍ଷେତ୍ରରେ ପ୍ରସାରିତ ହୋଇଥିବା ଡାର୍‌ଉଇନ୍‌ଙ୍କର ଏହି ବ୍ୟାଖ୍ୟାକୁ ତାଙ୍କ ଅନ୍ତେ ଇଉରୋପର କେତେକ ବିଚାରକ ସମାଜଶାସ୍ତ୍ରର କ୍ଷେତ୍ରରେ ପ୍ରୟୋଗ କରିବାକୁ ଚେଷ୍ଟା କରିଚନ୍ତି । ଖାଲି ପ୍ରାଣୀଜଗତରେ ନୁହେଁ, ମନୁଷ୍ୟର ସାମାଜିକ କ୍ଷେତ୍ରରେ ମଧ୍ୟ ଜୀବନ-ସଂଗ୍ରାମଜନିତ ପ୍ରତିଯୋଗିତା ଅହରହ ଲାଗିରହିଚି । ଜାତି ଜାତି, ଦେଶ ଦେଶ ଭିତରେ ପ୍ରତିଯୋଗିତା ଲାଗିବା ମଧ୍ୟ ଏହି ଆଧାରଭୂତ ନିୟମର ଅନ୍ତର୍ଗତ । ଗତ ଶତାବ୍ଦୀରେ ଇଉରୋପର ବିଭିନ୍ନ ଦେଶରେ ପ୍ରତିଯୋଗିତାକୁ ସବୁଠାରୁ ଅଧିକ ଫଳପ୍ରଦ ସମାଜଧର୍ମ ବୋଲି ମାନି ପୁଞ୍ଜିବାଦର ଉଦୟ ହୋଇଥିଲା । ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ସାମାଜିକ ଡାର୍‌ଉଇନ୍‌ବାଦ ପୁଞ୍ଜିବାଦକୁ ଅଧିକ ପୃଥୁଳ କରିବାଲାଗି ଅନେକ ବିଚାର ଓ ପ୍ରେରଣା ଯୋଗାଇଦେଇଥିଲା । ଏହି ବିଚାରର ଦୁଃସାହସରେ ଇଉରୋପରେ ଜାତୀୟତାବାଦର ଜୟଜୟକାର ହେଲା । ପ୍ରତ୍ୟେକ ଜାତି ଆପଣାକୁହିଁ ଯୋଗ୍ୟତମ ଅର୍ଥାତ୍ ସବୁଠାରୁ ଅଧିକ ବଳବାନ୍ ବୋଲି ବିଚାରିଲେ । ତେଣୁ ଜାତୀୟତା ନାମରେ ଇଉରୋପରେ ଆର୍ଥିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ତଣ୍ଟିକଟା ପ୍ରତିଯୋଗିତାମାନ ଚାଲିଲା । ମଣିଷ ଓ ମାନବିକତାକୁ ପଛକୁ ଠେଲିଦେଇ ଜାତିଗତ ଉଗ୍ରତା ଓ ସ୍ୱେଚ୍ଛାଚାରିତା ଆଗକୁ ବଳିଗଲା । ହାଟ ଓ ଉପନିବେଶ ଖୋଜି ଇଉରୋପୀୟ ଜାତିମାନେ ଯେତେବେଳେ ପୃଥିବୀ ତଦାରଖ କରି ବାହାରିଲେ, ସେତେବେଳେ ବଳବାନ୍ ଇଉରୋପୀୟମାନଙ୍କର ସଭ୍ୟତାହିଁ ଏକମାତ୍ର ସଭ୍ୟତା ଓ ଇଉରୋପୀୟମାନଙ୍କର ଧର୍ମକୁ ଏକମାତ୍ର ଧର୍ମ ବୋଲି ପ୍ରଚାର କରାଗଲା । ଏହି ବିଚାରର ମନ୍ଦପ୍ରେରଣାରେ ଆଫ୍ରିକା ଓ ଏସିଆର କେତେକେତେ ସଭ୍ୟତା ଓ ସମାଜକୁ ନିଷ୍ଠାପର ନିର୍ମମତାର ସହିତ ନଷ୍ଟ କରି ଦିଆଗଲା, କେତେକେତେ ଅଧିନସ୍ଥ ଜନସମାଜ ଉପରେ ଇଉରୋପର ଧର୍ମକୁ ଲଦି ଦିଆଗଲା । ଆମେରିକାର ଜଣେ ସମାଜଶାସ୍ତ୍ରୀ ଏବେ ସାମାଜ୍ର୍ୟବାଦକୁ ଏହି ସବଳତମ ଓ ଯୋଗ୍ୟତମ ଜାତିବିଷୟକ ନୀତିର ଏକ ନାମାନ୍ତର ମାତ୍ର ବୋଲି ବର୍ଣ୍ଣନା କରିଚନ୍ତି । (୧୩) ବ୍ରିଟିଶ୍ ସାମ୍ରାଜ୍ୟବାଦର ଜଣେ ବିଶ୍ୱସ୍ତ ସମର୍ଥକ ସମାଜଶାସ୍ତ୍ରୀ ଶ୍ରୀ ବେଞ୍ଜାମିନ୍ କିଡ଼୍ (Benjamin Kidd, 1858-1916) ତାଙ୍କ ମତରେ ସୁଯୋଗ୍ୟ ଓ ଶ୍ରେଷ୍ଠ ବ୍ରିଟିଶ୍ ଜାତିର ସ୍ୱେଚ୍ଛାଚାରୀ ଉପନିବେଶଶାସନକୁ ଯେପରି ଚମତ୍କାର ଯୁକ୍ତିସବୁ ଦେଇ ସମର୍ଥନ କରିବାକୁ ଚେଷ୍ଟା କରିଚନ୍ତି, ଏଠାରେ ତାହାର ଉଲ୍ଲେଖ କରାଯାଇପାରେ । ତାଙ୍କର ଗ୍ରନ୍ଥ ‘The Control of the Tropics’ (1898)ରେ ସେ ପାଶ୍ଚାତ୍ୟ ସଭ୍ୟତାର ଭବିଷ୍ୟତ ଦୃଷ୍ଟିରୁ ସାମ୍ରାଜ୍ୟବାଦକୁ ବଡ଼ ଆବଶ୍ୟକ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରିଚନ୍ତି ଏବଂ ସାମ୍ରାଜ୍ୟବାଦ ଓ ମଣିଷସମାଜର ପ୍ରଗତି ଦୃଷ୍ଟିରୁ କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟରେ ଅବସ୍ଥିତ ଭୂଭାଗଗୁଡ଼ିକ ଶ୍ୱେତାଙ୍ଗମାନଙ୍କର ଅକ୍ତିଆରରେ ରହୁବୋଲି ପରାମର୍ଶ ଦେଇଚନ୍ତି । ଉପନିବେଶର ବିଜେତା ଓ ମାଲିକମାନେ ସ୍ଥାନୀୟ ଲୋକମାନଙ୍କ ଉପରେ ଯେଉଁ ଦମନ ଓ ଶୋଷଣ ଚଳାଇଥିଲେ, ଗୋଟାଏ ଦୃଷ୍ଟିରୁ ବିଚାର କରି କିଡ଼୍ ସେ ବିଷୟରେ ବେଶ୍ ଏକ ଉଦାର ଭାବ ପୋଷଣ କରିଚନ୍ତି । ତାଙ୍କ ମତରେ ଏହି ଦମନ ଓ ଶୋଷଣ ଯେତେ ପ୍ରବଳ ହେବ, ଜୀବନ-ସଂଗ୍ରାମକୁ ସେତିକି ସଘନ କରିବାଦ୍ୱାରା ଭବିଷ୍ୟତରେ ଏକ ଦକ୍ଷତର ମାନବଜାତି ଉତ୍ପନ୍ନ କରିବାରେ ତାହା ନିଶ୍ଚୟ ସେତିକି ବେଶୀ ସାହାଯ୍ୟ କରିବ । (୧୪) ଏ ଯୁଗରେ ଏହିପରି ଉକ୍ତିମାନ ଶୁଣି ହୁଏତ ଆମକୁ ହସ ମାଡ଼ିପାରେ, କିନ୍ତୁ ସେ ଯୁଗରେ ପ୍ରତିଦ୍ୱନ୍ଦ୍ୱିତା, ସବଳ ଜାତି ଓ ଜୀବନ-ସଂଘର୍ଷର ବିଚାର କିପରି ମଣିଷର ମଞ୍ଜକୁ କାମୁଡ଼ି ରହିଥିଲା, ଏଥିରୁ ଆମେ ତାହାର ସୂଚନା ଅବଶ୍ୟ ପାଇପାରିବା ।

 

ପ୍ରତିଯୋଗିତାମୂଳକ ସାମାଜିକ ବିଚାରରୁ ଜାତୀୟତାବାଦର ଉଗ୍ର ସଂସ୍କରଣ ସମ୍ଭବ ହୋଇଚି, ଏହି ବିଚାରରୁ ଆନ୍ତର୍ଜାତିକ କ୍ଷେତ୍ରରେ ଯେଉଁ ଦ୍ୱନ୍ଦ୍ୱମାନ ଉପୁଜିଚି, ସେଇଥିରୁ ହିଁ ବିଶ୍ୱଯୁଦ୍ଧ ଉପୁଜିଚି । ପୃଥିବୀରେ କେବଳ ଆମେ ବଞ୍ଚିବା, ବଞ୍ଚିବାକୁ ହେଲେ ଅନ୍ୟମାନେ ଆମର କୃପାକାଙ୍‌କ୍ଷୀ ହୋଇ ବଞ୍ଚିବେ, ଆମରି ବ୍ୟବସ୍ଥାକୁ ସର୍ବଶ୍ରେଷ୍ଠ ବ୍ୟବସ୍ଥା ବୋଲି ସ୍ୱୀକାର କରିବେ; ତା ନହେଲେ ଯୁଦ୍ଧ ହେବ, ସଭ୍ୟତା ଓ ସଂସ୍କୃତି ଉଜୁଡ଼ି ଯାଉଥିବ,- ପ୍ରକୃତରେ କଣ ଏହାଛଡ଼ା ମଣିଷଲାଗି ଅନ୍ୟ ପନ୍ଥାହିଁ ନାହିଁ ? ଏହି ପ୍ରତିଯୋଗିତା ଫଳରେ କଣ ସମାଜ ଆଗକୁ ଯାଉଚି ? ଦେଶର ଲୋକେ ପରସ୍ପର ସହିତ ପ୍ରତିଯୋଗିତା କରି ସମସ୍ତେ ବୀର ହେବାକୁ ଚାହିଲେ କଣ ଦେଶ ଆଗକୁ ଚାଲିଯିବ ? ଆମ ଗାଆଁରେ ବି କଣ ହେଉଚି ? ଏ ସାହୀ ସେ ସାହୀ, ଏ ଜାତି ସେ ଜାତି ଭିତରେ ଗାଆଁର ସବୁ ମାମଲତ ଉପରେ ପ୍ରଭାବ ବିସ୍ତାର କରିବାର ସଂଘର୍ଷରେ ଆମ ଗାଆଁ ଆଗକୁ ଯାଉଚି ନା ସମସ୍ତେ ଏକାଠି ମିଳି ପରସ୍ପର ସହିତ ସହଯୋଗ କରି ସମସ୍ତଙ୍କର କଲ୍ୟାଣକୁହିଁ ଆପଣା କଲ୍ୟାଣର ଏକ ଆବଶ୍ୟକ ଅନୁପୂରକ ରୂପେ ଗ୍ରହଣ କରିବାରେ ଗାଆଁ ଆଗକୁ ଯାଉଚି ? କଲ୍ୟାଣର ପଥ କେଉଁଟା-ପରସ୍ପର ସହିତ ପ୍ରତିଯୋଗିତା ନା ପରସ୍ପର ସହିତ ସହଯୋଗ ? ଉଦ୍ଧାରର ବାଟ କେଉଁଟା-ଅନ୍ଧଭାବରେ ପରସ୍ପର ସହିତ ସଂଘର୍ଷ କରିବା ନା ପରସ୍ପର ସହଯୋଗ କରି ଉନ୍ନତିବିଧାନର ଚିନ୍ତା କରିବା ? ପ୍ରତିଯୋଗିତାମୂଳକ ଜୀବନ-ଦୃଷ୍ଟିର ବିରୋଧ କରି ରୁଷିଆର କ୍ରୋପଟ୍‌କିନ୍ ତାଙ୍କର ‘‘ପାରସ୍ପରିକ ସହଯୋଗ’’ ଗ୍ରନ୍ଥଟି (୧୫) ଲେଖିଥିଲେ । ମଣିଷର ସାମାଜିକ ପ୍ରବୃତ୍ତି ଓ ସହଯୋଗ-ଇଚ୍ଛା ଯେ ସକଳପ୍ରକାର ସଭ୍ୟତା ଓ ସଂସ୍କୃତି ସମ୍ଭବ କରିପାରିଚି, ଏହି ଗ୍ରନ୍ଥରେ ସେ ଏହି ସତ୍ୟର ପ୍ରତିପାଦନ କରିଥିଲେ । ଖାଲି ମଣିଷ- ସମାଜରେ ନୁହେଁ, ପଶୁ ଓ ଅନ୍ୟାନ୍ୟ ଇତର ପ୍ରାଣୀଙ୍କର ସଂସାରରେ ସହଯୋଗ ଏକ ମହତ୍ତ୍ୱପୂର୍ଣ୍ଣ ମୂଳପ୍ରବୃତ୍ତି ରୂପେ କାର୍ଯ୍ୟ କରୁଚି ବୋଲି ଶ୍ରୀ କ୍ରୋପଟ୍‌କିନ୍ ପ୍ରମାଣ କରି ଦେଖାଇ ଦେଇଥିଲେ । ଡାର୍‌ଉଇନ୍ ଓ ଡାର୍‌ଉଇନ୍‌ବାଦ ବିଷୟରେ ପରେ ଅଧିକ ଗବେଷଣା ହେବାରୁ ଜଣାପଡ଼ିଲା ଯେ ସ୍ୱୟଂ ଡାର୍‌ଉଇନ୍ ମଧ୍ୟ ପ୍ରତିଯୋଗିତା ଓ ସଂଘର୍ଷକୁ ଜୀବନ ବିକାଶର ଏକମାତ୍ର ସୂତ୍ର ବୋଲି ମାନିନଥିଲେ । ମଣିଷ ସ୍ୱଭାବତଃ ସମାଜରେ ସବୁରି ସହିତ ସହଯୋଗ କରି ରହିବାକୁ ଚାହେ ଏବଂ ସେହିହେତୁରୁ ସହଯୋଗକୁ ମଧ୍ୟ ମାନବୀୟ ସ୍ତରକୁ ଆସି ଆମକୁ ଜୀବନକୁ ଆଗେଇନେବାର ଏକ ପ୍ରଧାନ ପ୍ରବୃତ୍ତି ବୋଲି ଗ୍ରହଣ କରିବାକୁ ହେବ ବୋଲି ଡାର୍‍ଉଇନ୍ ତାଙ୍କର ଆଉଗୋଟିଏ ପୁସ୍ତକ ‘‘ମଣିଷ ଅବତୀର୍ଣ୍ଣ ହେଲା’’ (The Descent of Man)ରେ ଯଥେଷ୍ଟ ସ୍ପଷ୍ଟ ଭାବରେ ଘୋଷଣା କରିଥିଲେ । ମଣିଷ ଯହୁଁ ଯହୁଁ ଆଗକୁ ଚାଲିଚି, ଯହୁଁ ଯହୁଁ ବିଜ୍ଞାନ ଓ ଯନ୍ତ୍ରକୌଶଳର କରାମତିରୁ ପୃଥିବୀ କ୍ଷୁଦ୍ରତର ଓ ମଣିଷ ମଣିଷ ଭିତରେ ସମ୍ପର୍କ ନିକଟତର ହେବାକୁ ଯାଉଚି; ତହୁଁ ତହୁଁ ପ୍ରତିଦ୍ୱନ୍ଦ୍ୱିତା ଓ ସଂଘର୍ଷ ପରିବର୍ତ୍ତେ ସହଯୋଗ ହିଁ ଯାବତୀୟ ଜୀବନ-ନିର୍ମାଣର ପ୍ରଧାନତର ସାଧନରୂପେ ଗୃହୀତ ହେବାକୁ ଯାଉଚି । ଜାତୀୟତା-ଯୁଗର ନାନା ଅସମ୍ପୂର୍ଣ୍ଣତା ଓ ତଜ୍ଜନିତ ବିପଦକୁ ଏଡ଼ିବା ଉଦ୍ଦେଶ୍ୟରେ ପୃଥିବୀର ମଣିଷ ଆଜି ପୃଥିବୀ-ପାର୍ଲିଆମେଣ୍ଟ ଏବଂ ଆନ୍ତର୍ଜାତିକ ସଂବିଧାନର ସ୍ୱପ୍ନ ଦେଖିଲାଣି । ଅପେକ୍ଷାକୃତ ଦରିଦ୍ର ଦେଶମାନଙ୍କର ଆଶୁ ଆର୍ଥିକ ବିକାଶ ଲାଗି ଧନୀଦେଶମାନେ ଆଜି ଯଥାଶକ୍ତି ସହଯୋଗ କରିବାକୁ ବାହାରିଲେଣି । ପଚାଶବର୍ଷ ପୂର୍ବେ ଏପରି କଥା ହୁଏତ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥାନ୍ତା । ଧର୍ମ, ରାଜନୀତି, ସାହିତ୍ୟ ଓ ସଂସ୍କୃତିରେ ଆଜି ସଂଘର୍ଷ ଅପେକ୍ଷା ସହଯୋଗ ଓ ସହାବସ୍ଥାନକୁହିଁ ଏ ଯୁଗରେ ମନୁଷ୍ୟସମାଜ ଲାଗି ଅଧିକ ସହାୟକ ବୋଲି ବିଚାର କରାଗଲାଣି । ସାନ ଗାଆଁଠାରୁ ଆରମ୍ଭ କରି ସମଗ୍ର ବଡ଼ ପୃଥିବୀ ପର୍ଯ୍ୟନ୍ତ ସବୁଠାରେ ଆମେ ଅଧିକରୁ ଅଧିକ ସହଯୋଗମୂଳକ ଭାବରେ ଭାବି ଶିଖିଲେ ଓ ବଞ୍ଚି ଶିଖିଲେ ଯେ ମଣିଷ ହିସାବରେ ତିଷ୍ଠି ରହିପାରିବା, ଆଜି ଅଧିକରୁ ଅଧିକ ଲୋକ ଏକଥା ହୃଦୟଙ୍ଗମ କଲେଣି । ବଞ୍ଚିଲେ ଆମେ ସମସ୍ତେ ବଞ୍ଚିବା, ନଚେତ୍ ଆମ ସମାଜ ସହିତ ଆମେ କାଳର ପଛରେ ପଡ଼ିଯାଇ କ୍ରମେ ବିଲୁପ୍ତ ହୋଇଯିବା । ଯିଏ ଯେତିକି ବେଶୀ ସହଯୋଗ କରିପାରିବ, ବର୍ତ୍ତମାନ ପୃଥିବୀର ଜୀବନମଞ୍ଚରେ ସିଏ ବୀର ବୋଲି ସେତିକି ସାବ୍ୟସ୍ତ ହେବ ଏବଂ ଯୋଗ୍ୟତମ ମଣିଷ ହିସାବରେ କେବଳ ସେହି ବସୁନ୍ଧରାକୁ ଭୋଗ କରିବାର ଅଧିକାରୀ ହୋଇପାରିବ ।

 

କୌଣସି ଏକ ସାଧାରଣ ଲକ୍ଷ୍ୟର ପ୍ରାପ୍ତିଲାଗି ସମ୍ମିଳିତ ଭାବରେ ଉଦ୍ୟମ ଓ କାର୍ଯ୍ୟ କରିବା ହେଉଚି ସହଯୋଗ । ଆଧୁନିକ ଜୀବବିଜ୍ଞାନ କହୁଚି ସେ ସହଯୋଗ କରିବାର ପ୍ରବୃତ୍ତିକୁ ଆହାର ଓ ନିଦ୍ରାପରି ମଣିଷର ଏକ ଜନ୍ମଗତ ମୂଳପ୍ରବୃତ୍ତି ଭାବରେ ସ୍ୱୀକାର କରାଯାଇ ପାରିବ । ଯେକୌଣସି ସ୍ତରର ଯେକୌଣସି ଜୀବଧାରୀର ବଞ୍ଚିରହିବା ଲାଗି ପ୍ରତିଦ୍ୱନ୍ଦ୍ୱିତା ଯେତିକି ମହତ୍ତ୍ୱପୂର୍ଣ୍ଣ, ସହଯୋଗ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ଯଦି ସଂଗ୍ରାମ ଓ ସଂଘର୍ଷ ଜୀବସଂସାରର ଏକମାତ୍ର ନିୟାମକ ହୋଇଥାନ୍ତା, ପ୍ରାଣୀ-ଜୀବନର କ୍ରମବିକାଶ ସଙ୍ଗେ ସଙ୍ଗେ ଯଦି ସହଯୋଗବୃତ୍ତି ଅଧିକରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁନଥାନ୍ତା, ତେବେ ଜୀବସୃଷ୍ଟି ଏହି ସଂସାରରୁ କେଉଁକାଳରୁ ବିଲୁପ୍ତ ହୋଇ ସାରନ୍ତାଣି । ଜୀବବିକାଶର ପ୍ରଥମ ସ୍ତରରେ ସହଯୋଗ ଏହି ସଂସାରରେ ଏକ ଯାନ୍ତ୍ରିକ ମୂଳପ୍ରବୃତ୍ତିର ସ୍ତରରେ ରହିଥିଲା । ଶତ୍ରୁହାତରୁ ଆତ୍ମରକ୍ଷା କରିବାଲାଗି ହୁଏତ ପ୍ରାଣୀମାନେ ପରସ୍ପର ସହିତ ସହଯୋଗ କରିବାକୁ ବାଧ୍ୟ ହେଉଥିଲେ । ସେହି ସ୍ତରରୁ ଉନ୍ନୀତ ହୋଇ ସହଯୋଗ ବର୍ତ୍ତମାନ ଗଣତାନ୍ତ୍ରିକ ଜୀବନର ସମ୍ମାନିତ ସହଯୋଗର ସ୍ତରରେ ଆସି ପହଞ୍ଚିଲାଣି । ଗଣତାନ୍ତ୍ରିକ ମନୁଷ୍ୟ-ସମାଜରେ ପ୍ରତ୍ୟେକ ନାଗରିକ ମଣିଷତୁଲ୍ୟ ସମ୍ମାନର ଅଧିକାରୀ ହୋଇଚି ଏବଂ ଆପଣା ବିବେକ ଓ ବିଚାରଶକ୍ତି ଦ୍ୱାରା ପ୍ରଣୋଦିତ ହୋଇ ସେ ଆଜି ସହଯୋଗକୁ ହିଁ ମଣିଷପରି ବଞ୍ଚିରହିବାର ପ୍ରଶସ୍ତତମ ସାଧନରୂପେ ଗ୍ରହଣ କରିବା ଉଚିତ୍ ବୋଲି ବୁଝିବାକୁ ଆରମ୍ଭ କଲାଣି ।

 

‘‘ପ୍ରାଣୀ-ସଂସାରର ସକଳ ସ୍ତରରେ ସହଯୋଗ ଓ ମୂଳପ୍ରବୃତ୍ତି (Instinct) ଉଭୟକୁ ଆମେ ଜୀବନର ପ୍ରାକୃତିକ ନିୟମ ବୋଲି ମାନିନେଇପାରିବା । ପ୍ରାଣୀକୁଳର ବିବର୍ତ୍ତନ-ପଥରେ ଜୀବନ ଯେତିକି ଜଟିଳ ବା ବହୁତରମୁଖୀ ହେବାକୁ ଆରମ୍ଭ କରିଚି, ସହଯୋଗବୃତ୍ତି ସେତିକି ପରିମାଣରେ ବୃଦ୍ଧି ପାଇଚି । ସ୍ତନ୍ୟପାୟୀ ବଡ଼ବଡ଼ ପଶୁଙ୍କ ସ୍ତରରେ ଯେଉଁ ପଶୁମାନେ ସବୁଠାରୁ ଅଧିକ ସହଯୋଗ ଅବଲମ୍ବନ କରିପାରନ୍ତି, ସେହିମାନେ ହିଁ ସବୁଠାରୁ ସଫଳ ଭାବରେ ବଞ୍ଚି ରହିପାରନ୍ତି । ଜୀବନର କ୍ରମବିକାଶ ସଙ୍ଗେ ସଙ୍ଗେ ପ୍ରତିଯୋଗିତା ଯେତିକି ହ୍ରାସ ହେବାରେ ଲାଗେ ଓ ସହଯୋଗ ଯେତିକି ଯେତିକି ବୃଦ୍ଧି ପାଇବାରେ ଲାଗେ, ସେତିକି ସେତିକି ଅଧିକରୁ ଅଧିକ ସହଯୋଗ କରିପାରୁଥିବା ପ୍ରାଣୀମାନେ ହିଁ ଦକ୍ଷତର ଓ ଯୋଗ୍ୟତର ବୋଲି ସାବ୍ୟସ୍ତ ହୁଅନ୍ତି । ସଂଘର୍ଷ ଓ ପ୍ରତିଯୋଗିତା ଉପରେ ନିର୍ଭର କରୁଥିବା ପ୍ରାଣୀମାନେ ବାତାବରଣ ସହିତ ଆପଣାକୁ ଖାପ ଖୁଆଇ ନପାରି ପଡ଼ିରହନ୍ତି ।’’(୧୬) ଆଉଜଣେ ଜୀବବିଜ୍ଞାନବିତ୍‌ଙ୍କର ଭାଷାରେ କହିବାକୁ ଗଲେ, ‘‘ଅନ୍ୟ କାହାରି ଉପରେ କୌଣସି ପ୍ରକାରେ ନିର୍ଭର କରୁନଥିବା ଜଣେ ଏକାକୀ ଓ ସମ୍ବନ୍ଧହୀନ ବ୍ୟକ୍ତି ବାସ୍ତବ ଜୀବନରେ କଦାପି ଦେଖିବାକୁ ମିଳିବନାହିଁ । ପ୍ରକୃତ ପୃଥିବୀରେ ଅଧିକାଂଶ ବା ପ୍ରାୟ ଯାବତୀୟ ଜୀବଧାରୀ ଅନ୍ୟମାନଙ୍କ ସହିତ ଗୋଷ୍ଠୀବଦ୍ଧ ହୋଇ ବାସ କରନ୍ତି-। କେଉଁସ୍ଥଳରେ ଏହି ଗୋଷ୍ଠୀଜୀବନ ଅଧିକ ଦୃଢ଼ୀଭୂତ ହୋଇଥାଏ, ପୁଣି କେଉଁସ୍ଥଳରେ ଅପେକ୍ଷାକୃତ କମ୍ ଦୃଢ଼ୀଭୂତ ହୋଇଥାଏ ଏବଂ ଏହି ଗୋଷ୍ଠୀଜୀବନକୁ ରକ୍ଷା କରିବା ଲାଗି ଓ ଗୋଷ୍ଠୀଜୀବନରେ ବାସ କରିବାଲାଗି ଅଳ୍ପ ହେଉ ବା ବହୁତ ହେଉ, ଗୋଷ୍ଠୀର ଅନ୍ୟମାନଙ୍କ ସହିତ ସହଯୋଗ କରିବାକୁହିଁ ପଡ଼େ ।’’ (୧୭)

 

ଏ ଯୁଗର ଜଣେ ବହୁ-ଆଲୋଚିତ ସମାଜଶାସ୍ତ୍ରୀ ଶ୍ରୀଯୁକ୍ତ ସୋରୋକିନ୍ ତିନି ପ୍ରକାର ସାମାଜିକ ସମ୍ବନ୍ଧର ନିର୍ଣ୍ଣୟ କରିଚନ୍ତି । ପ୍ରଥମଟି ହେଉଚି, ବାଧ୍ୟତାପ୍ରଣୋଦିତ ସାମାଜିକ ସମ୍ବନ୍ଧ । ଯିଏ ଦୁର୍ବଳ, ସିଏ ବୁଝୁ ବା ନବୁଝୁ ପଛକେ, ତାକୁ ବାଧ୍ୟହୋଇ ସମାଜର କଥା ମାନିବାକୁ ହୁଏ । ସମାଜର ଶାସନ ବା ଲଗାମକୁ ହାତରେ ରଖିଥିବା ସବଳମାନେ ଜୋର କରି ତାକୁ ସମାଜର ନିୟମ ଓ ନିୟନ୍ତ୍ରଣ ଅନୁସାରେ ମନାଇନିଅନ୍ତି । ଦ୍ୱିତୀୟଟି ହେଉଚି ଚୁକ୍ତିମୂଳକ ସାମାଜିକ ସମ୍ବନ୍ଧ । ଲାଭ ଆଶାରେ ବ୍ୟବସାୟୀମାନେ ପ୍ରୟୋଜନ ଦୃଷ୍ଟିରୁ ଏକାଠି ହେଲାପରି ସମାଜରେ ଅନେକ ଲୋକ ନାନା ପ୍ରସଙ୍ଗରେ ପରସ୍ପର ସହିତ ଆସି ସମ୍ମିଳିତ ହୋଇଥାନ୍ତି । ମୋର ଲାଭ ହେବବୋଲି ମୁଁ ଅନ୍ୟମାନଙ୍କ ସହିତ ଏକଜୁଟ୍ ହୁଏ, ଅନ୍ୟମାନେ ମଧ୍ୟ ପ୍ରଧାନତଃ ବ୍ୟକ୍ତିଗତ ଲାଭର ଆଶା ରଖି କୌଣସି ଏକ ସଂଗଠନରେ ମୋ ସହିତ ଆସି ଏକତ୍ର ହୋଇଥାନ୍ତି । ଏହି କ୍ଷେତ୍ରରେ ପ୍ରତ୍ୟେକ ପକ୍ଷ ଆପଣାର ସ୍ୱାର୍ଥକୁ ହିଁ ଜଗିରହିଥାଏ; ଆପଣା ସ୍ୱାର୍ଥସାଧନ ହିଁ ଲୋଡ଼ିବାରେ ଲାଗିଥାଏ । ତୃତୀୟଟି ହେଉଚି ସହଯୋଗମୂଳକ ସାମାଜିକ ସମ୍ବନ୍ଧ । ଏହି ସମ୍ବନ୍ଧଟିକୁ ବୁଝାଇବାକୁ ଯାଇ ଆମେ ଯେକୌଣସି ପରିବାରର ଦୃଷ୍ଟାନ୍ତ ନେଇପାରିବା । ପରିବାରରେ ଆପଣାର ବ୍ୟକ୍ତିଗତ ଲାଭ ଆଶାକରିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ପ୍ରତି ଆପଣାର କର୍ତ୍ତବ୍ୟ ସମ୍ପାଦନ କରିଥାଏ । ଦାବୀ କରିବା ଆଗରୁ ଦିଏ, ଅଧିକାର ମାଡ଼ିବସିବା ଆଗରୁ କର୍ତ୍ତବ୍ୟ କରିବାକୁ ତତ୍ପର ହୁଏ । ସହଯୋଗମୂଳକ ସାମାଜିକ ସମ୍ବନ୍ଧ ରଖିଥିବା ବ୍ୟକ୍ତି ଖୁସିହୋଇ ନିଜର ଯୋଗ୍ୟତା ଓ ଦକ୍ଷତାକୁ ଆଣି ସବୁରି କାମରେ ଲଗାଏ । ଏପରି କରି ସେ ଆପଣାକୁ କୌଣସି ପ୍ରକାରେ କ୍ଷୁନ୍ନ ବା କ୍ଷତିଗ୍ରସ୍ତ ବୋଧ କରେନାହିଁ, ବରଂ ଆପଣାକୁ ସମ୍ପଦବାନ୍ ମନେକରେ । ସେ ପଦେ ପଦେ ‘ମୋର’ ଓ ‘ଅପର’ର ବାଛବିଚାର ରଖେନାହିଁ । (୧୮)

 

ଯେଉଁ ସମାଜରେ ଅଧିକଲୋକ ବାଧ୍ୟ ହୋଇ ସମାଜର ବାଟରେ ଚାଲୁଚନ୍ତି, ସେହି ସମାଜରେ କେତେ ଜଣ ସବଳ ଓ ସମ୍ପନ୍ନ ମଣିଷଙ୍କର ପିଠିଉପରେ ବସି ଭୟ ହିଁ ରାଜତ୍ୱ କରିଥାଏ-। ବଡ଼ର ମର୍‌ଜି ଅନୁସାରେ ସେଠି ଶାସନ ଚାଲେ, ଲକ୍ଷ୍ମୀ ଓ ସରସ୍ୱତୀ ଚାଲନ୍ତି । ସେହି ଭୟର ତରାଜୁରେ ଧର୍ମ ଓ ନୀତିର ମୂଲ୍ୟ ନିରୂପଣ କରାଯାଏ । ଚୁକ୍ତିମୂଳକ ସାମାଜିକ ସମ୍ବନ୍ଧ ଚାଲୁଥିବାବେଳେ ସଂସାରଟା ବିକାକିଣାର ହାଟ ପାଲଟିଯାଏ, ମଣିଷ ଓ ତାର ଜୀବନର ଯାବତୀୟ ମୂଲ୍ୟ ଅଧିକାଂଶତଃ ପଣ୍ୟରେ ପରିଣତ ହୁଏ । ଆପଣା ସ୍ୱାର୍ଥସୀମା ଓ ଲାଭସୀମାରୁ ବାହାରିଯାଇ ପାରିଲେ ଆମ ଜୀବନରେ ଯେଉଁସବୁ ସମ୍ପନ୍ନତା ମିଳିଥାଏ, ସେହି ସବୁ ସମ୍ପନ୍ନତା ଚୁକ୍ତିମୂଳକ ସମାଜ-ସମ୍ବନ୍ଧରେ ସମ୍ଭବ ହୋଇପାରେନାହିଁ । କିନ୍ତୁ ଯେତେବେଳେ ସହଯୋଗର ସମ୍ପର୍କଗତ ଆଧାର ଉପରେ ସମାଜ ଚାଲେ, ସେତେବେଳେ ସାମାଜିକ ଜୀବନ ଏକ ବୃହତ୍ତର ପାରିବାରିକ ଜୀବନପରି ମନେହୁଏ । ଏଠି ସମସ୍ତେ ଖୁସି ହୋଇ କର୍ତ୍ତବ୍ୟ କରିଯିବାକୁ ଆପଣାର ଧର୍ମ ବୋଲି ସମଝନ୍ତି । ଆପଣା ସ୍ୱାର୍ଥରେ ଅନ୍ଧ ହୋଇ କେହି ଅପରକୁ ଦଳିଦେଇ ଚାଲିଯିବାର ଫିକର କରେନାହିଁ । ଯେଉଁ ସମାଜରେ ଯେତେ ମାତ୍ରାରେ ସହଯୋଗ ସମ୍ଭବ ହୁଏ, ସେହି ସମାଜରେ ସେତିକି ପରିପୂର୍ଣ୍ଣ ଭାବରେ ଆପଣା ଜୀବନ ବଞ୍ଚିବାର ପରିସର ପାଇଥାଏ ।

 

ପୁସ୍ତକ ଟିପ୍ପଣୀ

 

୧.

Margaret W. Vine : An Introduction to Sociological Theory-Longmans Green and Company, New York, 1959, ପୃଷ୍ଠା–୩୨

୨.

ଫରାସୀ ସମାଜଶାସ୍ତ୍ରୀ Auguste Comet ସାମାଜିକ ସ୍ଥିତିଶାସ୍ତ୍ର ବା Social Staticsକୁ theorie generale de I’odre spontane des societies ଏବଂ ସାମାଜିକ ଗତିଶାସ୍ତ୍ର ବା Social Dynamicsକୁ theorie generale du progress naturel Ihumanite ବୋଲି ବ୍ୟାଖ୍ୟା କରିଚନ୍ତି ।

 

–Harry E. Barnes (ସମ୍ପାଦନା) : An Introduction to the History of Sociology-University of Chicago Press, Chicago, 1958, ପୃଷ୍ଠା–୮୬

୩.

William G. Sumner : Social Darwinism-Prentice-Hall (Spectrum Book), Englewood Cliffs, 1963, ପୃଷ୍ଠା–୧୭୯

୪.

Marthin H. Neumeyer Social Problems and the Changing Society-D. Van Nostrand Company, New York, 1953, ପୃଷ୍ଠା–୧୩

୫.

Clark E. Moustakas (ସମ୍ପାଦକ) : The Self-Explorations in Personal Growth-Harper and Brothers, New York, 1956, ପୃଷ୍ଠା–୧୩

୬.

Charles H. Cooley : Human Nature and the Social Order-Free Press, Glencoe, IIIinoi, 1956, ପୃଷ୍ଠା : ୩୬–୩୭

୭.

Jerom G. Manis and Samuel I. Clark (ସମ୍ପାଦକ) : Man and Society-The Macmillan Company, New York, 1960, ପୃଷ୍ଠା–୭୫୫

୮.

Louis P. Thorpe and Allen M. Schmuller : Personality an Interdisciplinary Approach-D Van Nostrand Company, New York, 1958, ପୃଷ୍ଠା– ୫୦

୯.

W.I. Thomas : The Unadjusted Girl-Little, Brown and Company, Boston, 1923

୧୦.

Emory S. Bogardus Fundamental of Social Psychology-Appleton-Century-Crofts, New York, 1950, ପୃଷ୍ଠା–୩୨

୧୧.

Clarence M. Case : Social Imbecility and Social Age-Sociology and Social Research, jan.-Feb., 1928, ପୃଷ୍ଠା–୨୧୮

୧୨.

Albert Einstein : What I Believe-Forum LXXXI, ପୃଷ୍ଠା–୧୯୪

୧୩.

Ashley Montagu : Darwin, Competition and Cooperation-Henry Schuman, New York, 1952, ପୃଷ୍ଠା–୭୭

୧୪.

ପୁସ୍ତକ-ଟିପ୍‍ପଣି-୨, ପୃଷ୍ଠା–୬୧୩

୧୫.

P. Kropotkin : Mutual Aid, a Factor in Evolution-Doubleday, Page and Company, New York, 1902

 

Unknown

୧୬.

Emory S. Bogardus : Sociology

 

The Macmillan Company, New York, 1955, ପୃଷ୍ଠା–୩୮୮

୧୭.

Theodosius Dobzhansky : Genetics and the Origin of Species-Columbia University Press, New York, 1951, ପୃଷ୍ଠା-: ୭୮–୭୯

୧୮.

Pitirim A. Sorokin : The Reconstruction of Humanity-Beacon Press, Boston, 1948, ପୃଷ୍ଠା–୧୪୦

Image

 

ଦ୍ୱିତୀୟ ଅଧ୍ୟାୟ

ଗୋଷ୍ଠୀ ଓ ଗୋଷ୍ଠୀ-ଜୀବନ

 

–୧–

 

ବୃହଦାରଣ୍ୟକ ଉପନିଷତ୍‌ରେ କଥା ରହିଚି ଯେ ସଂସାରର ସୃଷ୍ଟି ହେବା ପୂର୍ବରୁ କେବଳ ଅନାଦି ଅକାଳ ଶୂନ୍ୟ ପୁରୁଷ ରହିଥିଲେ । କିନ୍ତୁ ଏକା ଏକା ତାଙ୍କୁ ଆଉ ଭଲ ଲାଗିଲା ନାହିଁ । ତେଣୁ ନିର୍ଜନତା ଏଡ଼ିବାପାଇଁ ସେ ଆପଣା ଇଚ୍ଛାରେ ଦୂର ହେଲେ । (୧) ଦୁଇ ପୁଣି ନାନାଭାବେ ପ୍ରସାରିତ ହୋଇ ସ୍ଥାବର ଓ ଜଙ୍ଗମ ସଂସାରର ସୃଷ୍ଟି ହେଲା । ଏକ ଅନେକରେ ପ୍ରସାରିତ ହେଲା; ତେବେ ଯାଇ ଏକକୁ ଭଲ ଲାଗିଲା । ଏକାକୀ ମଣିଷ କେଉଁ ଇଚ୍ଛାର ବଶବର୍ତ୍ତୀ ହୋଇ ସମାଜ ବସାଇଲା ଅର୍ଥାତ୍ ପରସ୍ପର ସହିତ ଏକତ୍ର ହୋଇ ରହିବାକୁ ସୁନ୍ଦରତର ଜୀବନ ବୋଲି ବୁଝିବାକୁ ଆରମ୍ଭ କଲା, ସେକଥା ନିର୍ଣ୍ଣୟ କରି କହିବା ସମ୍ଭବ ନୁହେଁ । ସଂସାରଯାକର ମଣିଷସମାଜ ଏକାଦିନକେ ତିଆରି ହୋଇନଥିଲା, କାରଣ ତାହା କୌଣସି ଜଣକର ଆଦେଶରେ ମଧ୍ୟ ତିଆରି ହୋଇନଥିଲା । ତେଣୁ ଏହି ସମାଜ ଯେ ସବୁଠାରେ ଏକ ଇଚ୍ଛାର ବଶବର୍ତ୍ତୀ ହୋଇ ଏକ ଛାଞ୍ଚରେ ତିଆରି ହୋଇନଥିଲା, ଆମକୁ ଏକଥା ମଧ୍ୟ ମାନିବାକୁ ପଡ଼ିବ । ପୃଥିବୀର ବିଭିନ୍ନ ସ୍ଥାନରେ ଜଳବାୟୁ ଭିନ୍ନ ରକମର । ତେଣୁ ଆପଣା ଜୀବନର ଆବଶ୍ୟକତାଗୁଡ଼ିକୁ ଯେ ମଣିଷ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବ, ତାହା ମଧ୍ୟ ଅତି ସ୍ୱାଭାବିକ । ଏହି ଦୃଷ୍ଟିରୁ ବିଚାର କଲେ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ମଣିଷଜୀବନ ପରି ମଣିଷର ସମାଜ ମଧ୍ୟ ଏକ କ୍ରମବିବର୍ତ୍ତନର ପ୍ରବାହରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରେ ଉଦ୍‌ଭୂତ ହୋଇଥିଲା । ଯୁଗ ଯୁଗ ଧରି ମଣିଷ ଆପଣାର ଆବଶ୍ୟକତା ଅନୁସାରେ ନିଜ ସମାଜକୁ ବଦଳାଇ ଆସୁଚି, ସମାଜ ମଧ୍ୟ ମଣିଷର ପରିବର୍ତ୍ତିତ ଆବଶ୍ୟକତା ଅନୁସାରେ ତାଲାଗି ନୂଆ ନୂଆ ପରିସର ଯୋଗାଇଦେବାରେ ଲାଗିଚି । ବର୍ତ୍ତମାନ ଯୁଗରେ ମଧ୍ୟ ଯେ କୌଣସି ସମାଜର ଏହି ଉଦ୍‌ଭୂତ ହେବା ବନ୍ଦ ହୋଇନାହିଁ । ଅବଶ୍ୟ ଅନେକ ସମୟରେ ଆମେ ଆପଣା ସମାଜର ସଂସ୍କାର ସାମଗ୍ରୀଗୁଡ଼ାକୁ ଚିରସ୍ଥାୟୀ ବୋଲି ଭ୍ରମ କରୁଚୁ ଓ ତାହାକୁ ସବୁଦିନଲାଗି ସେହିପରି ଅପରିବର୍ତ୍ତନୀୟ ରଖିବାକୁ ଚେଷ୍ଟା କରୁଚୁ । ଏହିପରି ଏକ ମୋହରେ ପଡ଼ି ଆମେ ନୂଆକୁ ଗ୍ରହଣ କରିବାରେ ଅନେକ ସମୟରେ ନାନାବିଧ ଶ୍ଳଥତା ଦେଖାଉଚୁ, ନାନାପ୍ରକାର ଭାବପ୍ରବଣତାରେ ନୂଆର ପ୍ରତିରୋଧ କରିବାକୁ ବି ତିଆରି ହୋଇଯାଉଚୁ । ତଥାପି ସମାଜ ବଦଳି ଯାଉଚି; ଆମର ଅନିଚ୍ଛାସତ୍ତ୍ୱେ ବି ବଦଳିଯାଉଚି ଓ ଆମର ଅନିଚ୍ଛା ସତ୍ତ୍ୱେ ବି ଆମକୁ ବଦଳାଇ ଦେଉଚି ।

 

ଭଗବାନଙ୍କୁ ଏକୁଟିଆ ଭଲ ଲାଗିଲାନାହିଁ ବୋଲି ଭଗବାନ ସଂସାରର ଭିଆଣ କଲେ । ହୁଏତ ସେହିପରି ଭାବରେ ଆମେ କହିପାରିବା ଯେ ମଣିଷକୁ ଏକୁଟିଆ ଭଲ ଲାଗିଲା ନାହିଁ ବୋଲି ମଣିଷ ସମାଜର ଭିଆଣ କଲା । ତାପରେ ଗତ ବହୁଯୁଗ ଧରି ସମାଜ ଓ ମଣିଷ ପରସ୍ପରକୁ ଜନ୍ମ ଦେବାରେ ଲାଗିଚନ୍ତି, ନୂତନ ପରିସ୍ଥିତିର ଆହ୍ୱାନ ଅନୁସାରେ ପରସ୍ପରର ବିବର୍ତ୍ତନରେ ସହଯୋଗ କରି ଆସିଚନ୍ତି । ଏହି ବିବର୍ତ୍ତନ ଓ ସହଯୋଗ ଫଳରେ ଆଜି ଆମେ ଦେଖିବାକୁ ପାଇବା ଯେ ମଣିଷ ଯେତେ ଜାଗାରେ ବାସ କରୁଚି ସେଠି ସେ ସମାଜ ଭିତରେ ବାସ କରୁଚି ଓ ଯେତେ ଜାଗାରେ ମଣିଷର ସମାଜ ରହିଚି, ସେଠି ତାହା ମଣିଷକୁ କେନ୍ଦ୍ର କରି ହିଁ ରହିଚି-। ସବୁଠାରେ ମଣିଷ ଅନ୍ୟମାନଙ୍କର ମେଳରେ ହିଁ ରହିଚି । ଅନ୍ୟ ମଣିଷଙ୍କ ସହିତ ନାନାବିଧ ସମ୍ପର୍କରେ ସେ ସଂଯୁକ୍ତ ହୋଇ ରହିଚି । ଆପଣା ଜୀବନର ନାନାବିଧ ଆବଶ୍ୟକତାକୁ ଯେ ନାନା ସମୂହ ଭିତରେ ଅନ୍ୟମାନଙ୍କ ସହିତ ସମ୍ମିଳିତ ହୋଇ ହିଁ ପୂରଣ କରୁଚି । ସାନ ପରିବାରଠାରୁ ଆରମ୍ଭ କରି ବୃହତ୍ତର ପୃଥିବୀ ପର୍ଯ୍ୟନ୍ତ ଆମ ଜୀବନର ଯେଉଁ ସ୍ତରରେ ହେଉ ପଛକେ, ଆମେ ଯାହା କରୁଚୁ, ଯାହା ପାଇବାର ବା ହେବାର ଆକାଙ୍‌କ୍ଷା ରଖୁଚୁ, ଯାହା କହୁଚୁ ବା ଭାବୁଚୁ, ସେସବୁ କେବଳ କୌଣସି ନା କୌଣସି ସଂସ୍ଥା ବା ସମୂହର ଅନ୍ତର୍ଭୁକ୍ତ ସଦସ୍ୟ ହିସାବରେ ହିଁ କରୁଚୁ । ଆମେ ପ୍ରତ୍ୟେକ ନାନା ସଂସ୍ଥାର ସଦସ୍ୟ ଭାବରେ ଜୀବନର ଭରଣା କରିବାରେ ଲାଗିଛୁ । ଯିଏ କୌଣସି ପରିବାରରୂପୀ ସଂସ୍ଥାରେ ବାପ ହୋଇ ରହିଚି, ସିଏ କୌଣସି ଗ୍ରାମରୂପୀ ସଂସ୍ଥାରେ ଜଣେ ଗ୍ରାମବାସୀ ହୋଇ ରହିଚି, କୌଣସି ଦେଶରୂପୀ ସଂସ୍ଥାରେ ନାଗରିକ ମଧ୍ୟ ହୋଇ ରହିଚି । ସେ କୌଣସି ଏକ ଧର୍ମ ମାର୍ଗରେ ବିଶ୍ୱାସ କରୁଚି, ଅର୍ଥାତ୍ କୌଣସି ଏକ ଧର୍ମସଂସ୍ଥାର ଅନ୍ତର୍ଭୁକ୍ତ ହୋଇ ରହିଚି । ଆପଣା ମୁହଁର ଭାଷା ତାକୁ ସେହି ଭାଷା କହୁଥିବା ଅନ୍ୟାନ୍ୟମାନଙ୍କ ସହିତ ଗୋଟିଏ ସଂସ୍ଥାରେ ସମ୍ମିଳିତ କରି ରଖିଚି । ସେ ଯେଉଁ ପରମ୍ପରା ବା ଐତିହ୍ୟକୁ ନିଜର ବୋଲି କହୁଚି, ଆପଣା ଜୀବନରେ ଯେଉଁସବୁ ନୀତିନିୟମକୁ ମାନୁଚି ଓ ଆଉ ଯେଉଁସବୁକୁ ଅନୀତି ଓ ଅନିୟମ କହି ବର୍ଜନ କରିଆସୁଚି,-ସେଗୁଡ଼ିକ ତାକୁ ନାନାଦି ସଂସ୍ଥାରେ ଅନ୍ୟାନ୍ୟ ମଣିଷଙ୍କ ସହିତ ଏକାଠି କରି ରଖିଚି । ପରିବାର ଓ ଗାଆଁ, ହାଟ ଓ ବଜାର, ଦେଶ ଓ ଜଗତ୍‌-ନାନା ସ୍ତରରେ ଏହି ସବୁ ସଂସ୍ଥା ମଣିଷ ଜୀବନର ବିକାଶଲାଗି ନାନା ପ୍ରକାର ପରିସର ଯୋଗାଇ ଆସିଚି ।

 

ତଥାପି ସବୁ ସଂସ୍ଥା ସହିତ ମଣିଷର ସମ୍ବନ୍ଧ ସମାନ ଭାବରେ ନିବିଡ଼ ନୁହେଁ । କେଉଁଠି ଏହା ଅପେକ୍ଷାକୃତ କମ୍‌ ନିବିଡ଼, ପୁଣି କେଉଁଠି ଅଧିକ ନିବିଡ଼ । ଆପଣା ଘର ବା ଆପଣା ପରିବାରକୁ ଆମେ ଯେଡ଼େ ଆପଣାର ମନେକରୁ, ବାହାରର ଅନ୍ୟ ସଂସ୍ଥାଗୁଡ଼ିକୁ ସେଡ଼େ ଆପଣାର ବୋଲି ଅନୁଭବ କରୁନାହିଁ । ପିଲାମାନେ ଆପଣା ଶ୍ରେଣୀର ଅନ୍ୟପିଲାଙ୍କୁ ଯେଡ଼େ ନିକଟ ବୋଲି ଅନୁଭବ କରନ୍ତି, ଉପର ବା ତଳ ଶ୍ରେଣୀର ପିଲାମାନଙ୍କୁ ସେତେ ନିକଟ ବୋଲି ଅନୁଭବ କରି ପାରନ୍ତି ନାହିଁ । ସଂସାର ଗୋଟାକୁ ଆମେ ସମସ୍ତେ ଆମ ନିଜର ସଂସାର ବୋଲି କହିଥାଉ, ତଥାପି ସଂସାରରେ ଥିବା ଭିନ୍ନ ଭିନ୍ନ ଭାଷା କହୁଥିବା ଓ ବିଭିନ୍ନ ଦେଶରେ ବାସ କରୁଥିବା ମଣିଷମାନଙ୍କୁ ଆମେ ତଥାପି ବିଦେଶୀ ବୋଲି ଭାବିଥାଉ,-ଏଣେ ଆପଣାର ଭାଷା କହୁଥିବା ଓ ଆପଣା ଦେଶରେ ବାସ କରୁଥିବା ମଣିଷମାନଙ୍କୁ ଆପଣାର ବୋଲି ଅନୁଭବ କରୁ । ଏହି ଦୃଷ୍ଟିରୁ ସମାଜ–ବିଜ୍ଞାନରେ ବିଭିନ୍ନ ସଂସ୍ଥା ବା ସମୂହଗୁଡ଼ିକୁ ଦୁଇ ପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯାଇଚି । ଆମେରିକାର ସମାଜଶାସ୍ତ୍ରୀ ଚାର୍ଲ୍‌ସ୍‌ କୁଲି ଗୋଟିଏ ଶ୍ରେଣୀକୁ ପ୍ରାଥମିକ ସଂସ୍ଥା ବୋଲି କହିଚନ୍ତି । (୨) ପ୍ରାଥମିକ ସଂସ୍ଥାରେ ଏହି ସଂସ୍ଥାରେ ଅନ୍ତର୍ଭୁକ୍ତ ମଣିଷମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଓ ନିକଟ ସମ୍ପର୍କ ରହିଥାଏ । ଏହି ସଂସ୍ଥାଗୁଡ଼ିକର ଆକାର ସାଧାରଣତଃ ଖୁବ୍‌ ବଡ଼ ହୋଇ ନଥାଏ, ତେଣୁ ଏଠି ପ୍ରତ୍ୟେକେ ପ୍ରତ୍ୟେକକୁ ସେମାନଙ୍କର ନାମ ଦ୍ୱାରା ଚିହ୍ନନ୍ତି । ଏହି ସଂସ୍ଥା ଅପେକ୍ଷାକୃତ ଦୀର୍ଘକାଳସ୍ଥାୟୀ ହୋଇ ରହେ ବୋଲି ମଧ୍ୟ କୁହାଯାଇପାରେ । ଏହି ସଂସ୍ଥାରେ କୌଣସି ଏକ ଖାସ୍‌ ଉଦ୍ଦେଶ୍ୟ-ସାଧନ ଲାଗି ସଦସ୍ୟମାନେ ସମ୍ମିଳିତ ହୋଇନଥାନ୍ତି । ଜୀବନ କହିଲେ ନାନା କ୍ଷେତ୍ରରେ ପରିବ୍ୟାପ୍ତ ଯେତେ ଯେତେ ପରିଧି ଓ ଯେତେ ଯେତେ ଉଦ୍ଦେଶ୍ୟ ଓ ଆବଶ୍ୟକତାକୁ ବୁଝାଏ, ପ୍ରାଥମିକ ସଂସ୍ଥାର ପ୍ରସାରସୀମା ସେହି ସବୁ ପରିଧି ଓ ଆବଶ୍ୟକତାକୁ ଅବଶ୍ୟ ସ୍ପର୍ଶ କରି ରହିଥାଏ । ପରିବାର ହେଉଚି ପ୍ରାଥମିକ ସଂସ୍ଥାର ଏକ ଅତି ସ୍ପଷ୍ଟ ଦୃଷ୍ଟାନ୍ତ । ପରିବାର ଭିତରେ ପ୍ରତ୍ୟେକଙ୍କର ପ୍ରତ୍ୟେକଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ରହିଥାଏ । ସେଠି ପ୍ରତ୍ୟେକ ପ୍ରତ୍ୟେକଙ୍କୁ କେବଳ ଏକ ଔପଚାରିକ ସଂସ୍ଥାର ସଦସ୍ୟ ହିସାବରେ ନୁହେଁ, ସମଗ୍ରତଃ ମଣିଷ ହିସାବରେ ଚିହ୍ନିଥାନ୍ତି । ପ୍ରତ୍ୟେକେ ପ୍ରତ୍ୟେକଙ୍କର ନାମ ଜାଣିଥାନ୍ତି-ପ୍ରତ୍ୟେକେ ପ୍ରତ୍ୟେକଙ୍କ ଜୀବନର ଦୁଃଖ, ସୁଖ, ଆଶା ଆକାଙ୍‌କ୍ଷାରେ ଭାଗୀଦାର ହୋଇ ରହିଥାନ୍ତି । କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ସାଧନ ଲାଗି ପରିବାରରୂପୀ ସଂସ୍ଥାର ଉଦ୍‌ଭବ ହୋଇଚି ବୋଲି ଆମେ କହିପାରିବା ନାହିଁ । ଜୀବନ ବଞ୍ଚିବା କହିଲେ ଆମେ ପ୍ରଧାନ ବା ଅପ୍ରଧାନ ଯେତେ ଉଦ୍ଦେଶ୍ୟର ବିଚାର କରିପାରିବା, ପରିବାରର ପରିସର ଭିତରେ ସେହି ସକଳ ଉଦ୍ଦେଶ୍ୟ ଲାଗି ସ୍ଥାନ ରହିଚି । ଏହି ଦୃଷ୍ଟିରୁ ପରିବାରକୁ ଆମେ ଏକାଧାରରେ ଏକ ଆର୍ଥିକ, ସାମାଜିକ ଓ ଭାଗବତ ସମ୍ପର୍କ ସମ୍ବନ୍ଧୀୟ ସଂସ୍ଥା ବୋଲି କହିପାରିବା । କେବଳ ଏକ ଆର୍ଥିକ ସଂସ୍ଥା ହୋଇଥିଲେ ପରିବାର ହୁଏତ କେବଳ ଏକ ଦୋକାନ ବା ହୋଟେଲ୍‌ଠାରୁ ଖୁବ୍‌ ବେଶୀ ଭିନ୍ନ ହୋଇନଥାନ୍ତା । କେବଳ ଏକ ସାମାଜିକ ସଂସ୍ଥା ହୋଇଥିଲେ ପରିବାରକୁ ଆମେ ଅନାୟାସରେ ଗୋଟାଏ କ୍ଳବ୍‌ ବା ସମିତି କହି ପାରୁଥାନ୍ତେ-। କେବଳ ଧର୍ମ-ଉପଚାର ଲାଗି ପରିବାରର ଭିଆଣ ହୋଇଥିଲେ ପୂଜା ଓ ଉପାସନାର କେନ୍ଦ୍ର ମନ୍ଦିରକୁ ଆମେ ଆଦର୍ଶ ପରିବାର ବୋଲି କହୁଥାନ୍ତେ । ଶିକ୍ଷା ଦେବା ପରିବାରର ଏକମାତ୍ର ଫନ୍ଦା ହୋଇଥିଲେ ସ୍କୁଲ ଏବଂ ପରିବାର ମଧ୍ୟରେ ଆଉ କି ପାର୍ଥକ୍ୟ ରହନ୍ତା-? ବ୍ୟକ୍ତିତ୍ୱ ଗଠନ ଲାଗି ପରାମର୍ଶ ଦେବା ଓ ବାଟ ବତାଇଦେବା ପରିବାରର ଏକମାତ୍ର କାର୍ଯ୍ୟ ହୋଇଥିଲେ ଯେ କୌଣସି ମନୋବିଜ୍ଞାନିକର ବୈଠକଖାନା ବା ପ୍ରୟୋଗଶାଳା ମଧ୍ୟ ପରିବାରପଦବାଚ୍ୟ ହୋଇପାରନ୍ତା । କିନ୍ତୁ ସତକଥା ହେଉଚି ଯେ, ଆମେ ପରିବାରକୁ ଆର୍ଥିକ, ସାମାଜିକ ଓ ଭାଗବତ ସମ୍ପର୍କ ସମ୍ବନ୍ଧୀୟ ସଂସ୍ଥା ବୋଲି କହିପାରିବା; ଧର୍ମାଚରଣ, ଶିକ୍ଷା ଓ ବ୍ୟକ୍ତି ଗଠନର କ୍ଷେତ୍ର ବୋଲି ମଧ୍ୟ କହିପାରିବା । କିନ୍ତୁ ଏହାକୁ କେବଳ କ୍ଳବ୍, ହୋଟେଲ୍ ବା ସ୍କୁଲ ବୋଲି କହିପାରିବା ନାହିଁ ।

 

ଶ୍ରୀଯୁକ୍ତ କୁଲିଙ୍କର ମତରେ ପ୍ରାଥମିକ ସଂସ୍ଥାରେ ଆମେ ପରସ୍ପର ସହିତ ମୂଳତଃ ମଣିଷ ହିସାବରେ ସମ୍ମିଳିତ ହୋଇଥାଉ । ଏହି ସମ୍ମିଳିତ ହେବାରେ କୃତ୍ରିମତାର କୌଣସି ଜବରଦସ୍ତି ନଥାଏ । କୌଣସି ଏକ ଖାସ୍‌ ମତଲବ ସାଧନ କରିବାର ବ୍ୟଗ୍ରତା ବା ଉତ୍ତେଜନା ନଥାଏ । ଏଠାରେ ମଣିଷ ମଣିଷ ଭିତରେ ରହିଥିବା ସମ୍ପର୍କରେ କୌଣସି ପ୍ରକାର ପୂର୍ବନିର୍ଦ୍ଦିଷ୍ଟ ଓ ଔପଚାରିକ ସୀମା ମଧ୍ୟ ନଥାଏ । ପ୍ରାଥମିକ ସଂସ୍ଥାର ବିଚାରରେ ପ୍ରଭାବିତ ହୋଇ ଆହୁରି କେତେ ଜଣ ସମାଜଶାସ୍ତ୍ରୀ ଏହାକୁ ସମାଜର ଅନ୍ୟାନ୍ୟ ସଂସ୍ଥାଗୁଡ଼ିକଠାରୁ ପୃଥକ୍ କରି ଦେଖାଇବାକୁ ଚେଷ୍ଟା କରିଚନ୍ତି । ଏହି ଅନ୍ୟ ସଂସ୍ଥା ଗୁଡ଼ିକୁ ସେମାନେ ଔପଚାରିକ ସଂସ୍ଥା ବା Secondary Group ବୋଲି କହିଚନ୍ତି । ଔପଚାରିକ ସଂସ୍ଥାରେ ମଣିଷ ମଣିଷ ଭିତରେ ସିଧା ବା ପ୍ରତ୍ୟକ୍ଷ ସମ୍ପର୍କ ନ ଥାଏ-। ତେଣୁ ସେଠାରେ ଅନ୍ତରଙ୍ଗ ସମ୍ପର୍କ ରହିବାର ପ୍ରଶ୍ନହିଁ ଉଠୁନାହିଁ । ସେଠି ପରସ୍ପର ସହିତ କେବଳ ମାତ୍ର ପରିଚୟ ରହିଥିଲେ ହିଁ ତାହାକୁ ଯଥେଷ୍ଟ ବୋଲି ଧରିନିଆଯାଏ । ଉଦାହରଣ ସ୍ୱରୂପ, ଆମେ କୌଣସି ଏକ ବଡ଼ ଅଫିସ୍‌ର ସଂସ୍ଥାଗତ ଜୀବନର ବିଚାର କରିବା । ସେଠାକୁ ପ୍ରତିଦିନ ହୁଏତ ଶତାଧିକ ଲୋକ କାମ କରିବାକୁ ଆସନ୍ତି, ଠିକ୍ ସମୟରେ ଆସନ୍ତି, ପୁଣି ଠିକ୍ ସମୟରେ ଘରକୁ ଯାଆନ୍ତି । ଏହି ଅଫିସ୍‌ ଘରେ କାହାକୁ କଣ କାମ କରିବାକୁ ହେବ, ସେକଥା ମଧ୍ୟ ଆଗରୁ ନିର୍ଦ୍ଦିଷ୍ଟ ହୋଇ ରହିଥାଏ । ଏହି କାମ କରିବାର ବିଭାଜନ ଓ ଗୁରୁତ୍ୱ ଅନୁସାରେ ବେତନ ପାଆନ୍ତି, ଏହି ଅନୁସାରେ ସେଠି ବଡ଼ସାନର ନିର୍ଣ୍ଣୟ ମଧ୍ୟ ହୁଏ । କିରାନୀ ବାବୁପାଖରେ ମଣିଷ ହିସାବରେ ନୁହେଁ, କେବଳ କିରାନୀ ହିସାବରେ ବ୍ୟବହାର କରେ । ବାବୁ ମଧ୍ୟ ଆପଣାକୁ ବାବୁର ପାହିଆରେ ରଖି କିରାନୀ ସହିତ ତାର ଯେତିକି ସମ୍ପର୍କ, କେବଳ ସେତିକି ସମ୍ପର୍କ ରଖେ । ଔପଚାରିକ ସଂସ୍ଥା ମାନଙ୍କରେ ମଣିଷ ହିସାବରେ ମଣିଷର ସମଗ୍ର ପରିଚୟ ଦେବା ବା ମାଗିବାର କୌଣସି ପ୍ରୟୋଜନ ହୁଏନାହିଁ । କୌଣସି ଏକ ବିଶେଷ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ନେଇ ଔପଚାରିକ ସଂସ୍ଥାର ଉଦ୍‌ଭବ ହୋଇଥାଏ ଓ ସେହି ବିଶେଷ ସୀମିତ ପରିଧି ମଧ୍ୟରେ ହିଁ ଏହାର ସକଳ କାର୍ଯ୍ୟକଳାପ ଓ ଜୀବନବାଣିଜ୍ୟ ସୀମାବଦ୍ଧ ହୋଇ ରହିଥାଏ । ସଉଦା ବିକିବାଲାଗି ଦୋକାନ ବସିଥାଏ, ମନୋରଞ୍ଜନ ନ ଲାଗି ସିନେମା ବସେ, ଧର୍ମ-ଉପାର୍ଜନ ଲାଗି ମଣିଷ ମନ୍ଦିରକୁ ଯାଏ, ଫୁଟ୍‌ବଲ୍‌ ଖେଳିବା ଉଦ୍ଦେଶ୍ୟରେ ଫୁଟ୍‌ବଲ୍ କ୍ଳବ୍ ଗଢ଼ାହୁଏ, ଟଙ୍କାପଇସାର ଦେଣନେଣ ଲାଗି ବ୍ୟାଙ୍କ୍‍ର ପ୍ରୟୋଜନ ରହିଥାଏ, ରାଜନୀତିକ ପ୍ରଚାର ଲାଗି ସଭା ଡକାହୁଏ, କାଗଜପତ୍ର ଠିକ୍ ରଖିବାକୁ ଅଫିସ୍‌ଘର ବସେ, ମକଦ୍ଦମା ବିଚାର କରିବାଲାଗି ଅଦାଲତ ବସେ, ଯୁଦ୍ଧ ଲଢ଼ିବାଲାଗି ଫଉଜ ଗଢ଼ାହୁଏ, ଆଇନ୍ ତିଆରି କରିବାଲାଗି ରାଜ୍ୟ ବା ରାଷ୍ଟ୍ର ସ୍ତରରେ ପ୍ରତିନିଧି-ସଭାମାନ ବସେ । ଏହି ସବୁ ସଂସ୍ଥାରେ ସଦସ୍ୟ ହୋଇ ଆପଣା ଆପଣାର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କରୁଥିବା ବେଳେ ଆମେ ଦୋକାନଦାନ ହେଉ, ସିନେମାଘରର ଦର୍ଶକ ହେଉ, ମନ୍ଦିରରେ ଭକ୍ତ ହେଉ, ଫୁଟ୍‌ବଲ୍‌ ପଡ଼ିଆରେ ଖେଳାଳୀ ହୋଇ ବାହାରୁ, ବ୍ୟାଙ୍କ୍‍ର କର୍ମଚାରୀ ହେଉ, ସଭାରେ ନେତା ବା ବକ୍ତାର ଅବତାର ଗ୍ରହଣ କରୁ ଅଥବା ଫଉଜରେ ସିପାହୀ ବା ସେନାପତି ବି ବନିଯାଉ । କିନ୍ତୁ ମଣିଷ କହିଲେ ଆମେ ପ୍ରତ୍ୟେକେ ଯେଉଁ ସମଗ୍ର ପରିଚୟଟି ବହନ କରୁଥାଉ, ଔପଚାରିକ ସଂସ୍ଥାମାନଙ୍କରେ ସେହି ସମଗ୍ର ପରିଚୟ ଦେବାଲାଗି କୌଣସି ପ୍ରୟୋଜନ ନଥାଏ ।

 

ପ୍ରସିଦ୍ଧ ସମାଜଶାସ୍ତ୍ରୀ ମ୍ୟାକ୍‌ଆଇଭର୍ ପ୍ରାଥମିକ ସଂସ୍ଥାକୁ ଯେକୌଣସି ସାମାଜିକ ସଂଗଠନର ପ୍ରାଣକେନ୍ଦ୍ର ବୋଲି କହିଚନ୍ତି । ତାଙ୍କର କହିବା ଅନୁସାରେ ଏହିସବୁ ପ୍ରାଥମିକ ସଂସ୍ଥାମାନଙ୍କର ଅଳ୍ପସଂଖ୍ୟକ ମଣିଷ ପରସ୍ପର ସହିତ ପ୍ରତ୍ୟେକ୍ଷ ଓ ଅନ୍ତରଙ୍ଗ ସମ୍ପର୍କରେ ସମ୍ମିଳିତ ହୁଅନ୍ତି । ସେମାନେ ପରସ୍ପରର ସାଥୀ ବା ସହଚାରୀ ହିସାବରେ ପରସ୍ପରକୁ ଭେଟନ୍ତି, ପରସ୍ପରର ଆପଦ ଓ ଆବଶ୍ୟକତାବେଳେ ପରସ୍ପରର ସାହାଯ୍ୟକାରୀ ଭାବରେ ଠିଆହୁଅନ୍ତି । କୌଣସି ଏକ ସାଧାରଣ ସମସ୍ୟାକୁ ଏକାଠି ବସି ଆଲୋଚନା କରିବା ଓ ତାହାର କୌଣସି ବ୍ୟବହାରିକ ସମାଧାନ ଖୋଜି ବାହାର କରିବାଲାଗି ସେମାନେ ପରସ୍ପର ସହିତ ସମ୍ମିଳିତ ହୁଅନ୍ତି । ସମାଧାନ ବାହାର କରି ସେମାନେ ଏକାଠି ମିଶି ସେହି ସମାଧାନଟିକୁ କାର୍ଯ୍ୟକାରୀ କରିବାର ଉଦ୍ୟମ କରନ୍ତି-। ଆମର ପରିବାର ରୂପରେ ଏହି ପ୍ରାଥମିକ ସଂସ୍ଥା ଆମକୁ ସାମାଜିକ ଜୀବନର ରହସ୍ୟ ଭେଦ କରିବାଲାଗି ପ୍ରଥମ ଦୀକ୍ଷା ଦେଇଥାଏ । ଏହି ପ୍ରାଥମିକ ସଂସ୍ଥାର ଜରିଆରେ ଅନ୍ୟମାନଙ୍କ ସହିତ ଖେଳ ଓ ସଖ୍ୟର ନାନା ଅନୌପଚାରିକ ସମ୍ବନ୍ଧ ସୂତ୍ରରେ ଆବଦ୍ଧ ହୋଇ ଆମେ ଆମ ଭିତରର ସାମାଜିକ ପ୍ରେରଣାଗୁଡ଼ିକର ଆବିଷ୍କାର କରିଥାଉ ଓ ସେଗୁଡ଼ିକୁ ରଚନାତ୍ମକ ପ୍ରକାଶରୂପ ଦେବାଲାଗି ପ୍ରଥମ ଉଦ୍ୟମ କରିଥାଉ । ଏହି ପ୍ରାଥମିକ ସଂସ୍ଥାରେହିଁ ଆମ ଜୀବନର ସକଳ ନୀତି ଓ ନିୟମର ଉଦ୍‌ଭବ ହୋଇଥାଏ; ଆମ ଜୀବନର ସର୍ବଶ୍ରେଷ୍ଠ ଅନୁରକ୍ତିଗୁଡ଼ିକ ଏହିଠାରେହିଁ ପ୍ରତିପାଳିତ ଓ ପରିପୋଷିତ ହୋଇଥାଏ । ପ୍ରାଥମିକ ସଂସ୍ଥା ଭିତରେ ଆମେ ଅନ୍ୟମାନଙ୍କ ସହିତ ପ୍ରତ୍ୟକ୍ଷ ଓ ଅନ୍ତରଙ୍ଗ ସମ୍ବନ୍ଧରେ ସମ୍ମିଳିତ ହେବାର ଅବସର ପାଇଥାଉ, ଆପଣାକୁ ଏକ ସମଗ୍ର ମନୁଷ୍ୟ ଭାବରେ ଦେଖାଇ ପାରିବାର ଓ ସମଗ୍ର ମନୁଷ୍ୟ ହିସାବରେ ଅନ୍ୟମାନଙ୍କର ପରିଚୟ ପାଇବାର ସୁଯୋଗ ଲାଭ କରିଥାଉ । ତେଣୁ ପ୍ରାଥମିକ ସଂସ୍ଥା ଗୁଡ଼ିକରେ ମଣିଷ ମଣିଷ ଭିତରେ ସମ୍ପର୍କକୁ ଆମେ କଦାପି କେବଳ ଏକ ବ୍ୟବସାୟଗତ ଯାନ୍ତ୍ରିକ ସମ୍ପର୍କ ବୋଲି କହିପାରିବା ନାହିଁ । ଏହି ସମ୍ପର୍କ ଏକ ଭାବଗତ ଭୂମି ଉପରେ ପର୍ଯ୍ୟବସିତ ହୋଇ ରହିଥାଏ, ନାନା ସହ-ଅନୁଭୂତିର ସ୍ପନ୍ଦନ ଏହି ସମ୍ପର୍କକୁ ଜୀବନମୟ କରି ରଖିଥାଏ । (୩)

 

ଏହି ସମ୍ପର୍କରେ ଆମକୁ ଜର୍ମାନୀର ଜଣେ ସମାଜଶାସ୍ତ୍ରୀ ଫର୍ଡ଼ିନାଣ୍ଡ୍ ଟିଉନିସ୍ (Ferdinand Toennis, 1855-1936) ଙ୍କର ବିଚାରକୁ ମଧ୍ୟ ଜାଣିରଖିବାକୁ ହେବ । ସମାଜର ଯାବତୀୟ ସଂସ୍ଥାକୁ ଟିଉନିସ୍‌ ଦୁଇ ପ୍ରଧାନ ଭାଗରେ ବିଭକ୍ତ କରିଚନ୍ତି । ଜର୍ମାନ୍ ଭାଷାରେ ସେ ଗୋଟିକୁ Gemeinschaft ଓ ଅନ୍ୟଟିକୁ Gesellschaft ବୋଲି କହିଚନ୍ତି । ସମାଜ ବିଜ୍ଞାନରେ ଏହି ଦୁଇଟି କଳ୍ପନାକୁ ଯଥାକ୍ରମେ Community ଏବଂ Association ବୋଲି ଅନୁବାଦ କରାଯାଇଚି । (୪) ତଥାପି କେତେକ ସମାଜଶାସ୍ତ୍ରୀ ଏହି ଅନୁବାଦକୁ ଉପଯୁକ୍ତ ବୋଲି ନ ବିଚାରି ଜର୍ମାନ୍ ଭାଷାର ଶବ୍ଦ ଦୁଇଟିକୁ ଇଂରାଜୀ ବହି ଗୁଡ଼ିକରେ ଅବିକଳ ସେହିପରି ରଖିଚନ୍ତି । ଟିଉନିସ୍‌ଙ୍କର ବକ୍ତବ୍ୟ ହେଉଚି ଯେ, ଆମେ ସମସ୍ତେ ପ୍ରଧାନତଃ ଦୁଇ ଭିନ୍ନ ପ୍ରକାରର ଇଚ୍ଛା ନେଇ ସମାଜର ଦୁଇ ଭିନ୍ନ ପ୍ରକାରର ସଂସ୍ଥାରେ ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବାକୁ ଯାଇଥାଉ । ଗୋଟିଏ ଇଚ୍ଛାକୁ ସେ ସ୍ୱାଭାବିକ ଇଚ୍ଛା ଓ ଆରଟିକୁ ବୁଦ୍ଧିପ୍ରସୂତ ଇଚ୍ଛା (Wesenwille ଓ Kuerwille) ବୋଲି କହିଚନ୍ତି । ପ୍ରଥମ ଇଚ୍ଛାଟିର ମୂଳ ଉନ୍ମେଷସ୍ଥାନ ହେଉଚି ହୃଦୟା । ବୁଦ୍ଧି ଦ୍ୱିତୀୟଟିର ଜନନୀ । ମଣିଷ ସ୍ୱତଃସ୍ଫୁର୍ତ୍ତି ଭାବରେ ଯାହା କରେ, ତାହା ପଛରେ ତାର ସ୍ୱାଭାବିକ ଇଚ୍ଛାହିଁ ଉତ୍‌ପ୍ରେରକ ହୋଇ ରହିଥାଏ । କିନ୍ତୁ ଲାଭ କ୍ଷତି, ସଦର ମଫସଲର ତରାଜୁରେ ଓଜନ କରି, ମସ୍ତିଷ୍କ ଦ୍ୱାରା ପ୍ରଚାଳିତ ହୋଇ ସେ ଯାହା କରେ, ତାହା ପଛରେ ତାର ବୁଦ୍ଧିପ୍ରସୂତ ଇଚ୍ଛାହିଁ କାରଣ ରୂପେ ରହିଥାଏ । ମଣିଷ ତାର ଏହି ଦୁଇ ପ୍ରକାର ଇଚ୍ଛାକୁ ସାମାଜିକ ପ୍ରକାଶ ରୂପ ଦେବାକୁ ଯାଇ ଦୁଇ ପ୍ରକାର ସଂସ୍ଥା ବା ସମୂହର ସୃଷ୍ଟି କରିଥାଏ । ‘‘ଯେଉଁସବୁ ସଂସ୍ଥା ପଛରେ ସ୍ୱାଭାବିକ ଇଚ୍ଛାହିଁ ପ୍ରଧାନତର ପ୍ରେରଣାଶକ୍ତି ହୋଇ ରହିଥାଏ, ସେଗୁଡ଼ିକୁ ମୁଁ Gemeinschaft ବୋଲି କହିବି ଏବଂ ମୂଳତଃ ବୁଦ୍ଧିପ୍ରସୂତ ଇଚ୍ଛା ଦ୍ୱାରା ପ୍ରେରିତ ହୋଇ ମଣିଷ ଯେଉଁ ସଂସ୍ଥା ଓ ସମୂହ ଗୁଡ଼ିକର ଉଦ୍‌ଭବ କରିଥାଏ, ସେଗୁଡ଼ିକ Gesellschaft ବୋଲି କହିବି । ଯେଉଁସବୁ ପ୍ରବୃତ୍ତି ନେଇ ମଣିଷ ସମାଜର ପରସ୍ପର ସହିତ ଏକତ୍ର ହୁଏ ଓ ଏହିପରି ଏକାଠି ହେବାଦ୍ୱାରା ସେ ଯାହାସବୁ ପାଇଲାବୋଲି ଅନୁଭବ କରେ, ଉପର୍ଯ୍ୟୁକ୍ତ ଦୁଇଟି ଶବ୍ଦ ଦ୍ୱାରା ଆମେ ତାହାର ମର୍ମ ନିର୍ଣ୍ଣୟ କରିପାରିବା । ...ସମାଜର ପ୍ରାୟ ପ୍ରତ୍ୟେକ ସଂସ୍ଥା ଭିତରେ ଆମେ Gemeinschaft ଓ Gesellschaft ଉଭୟର ଉପାଦାନମାନ ପରସ୍ପର ଜଡ଼ିତ ଭାବରେ ରହିଥିବାର ଦେଖିପାରିବା ।’’ (୫)

 

ଓଡ଼ିଆ ଭାଷାରେ ଆମେ Gemeinschaft ଓ Gesellschaft କୁ ହୁଏତ ଯଥାକ୍ରମେ ଗୋଷ୍ଠୀ ଓ ସମିତି ବୋଲି ଅନୁବାଦ କରିପାରିବା । ଟିଉନିସ୍‌ଙ୍କର ମତ ଅନୁସାରେ ଗୋଷ୍ଠୀ-ଜୀବନ ହେଉଚି ସମାଜରେ ଏକତ୍ର ହୋଇ ବାସ କରିବାର ଏକ ସ୍ଥାୟୀ ଓ ସାର୍ଥକ ଉଦାହରଣ । କିନ୍ତୁ ସମିତି-ଜୀବନ ହେଉଚି କ୍ଷଣସ୍ଥାୟୀ ଓ ଅଗଭୀର । ଗୋଷ୍ଠୀକୁ ଆମେ ଏକ ଜୀବନ୍ତ ଶରୀର ପରି କଳ୍ପନା କରିପାରିବା, ମାତ୍ର ସମିତିକୁ କେବଳ ଏକ ଯାନ୍ତ୍ରିକ ସମୂହ ଏବଂ କୃତ୍ରିମ ସଂଗଠନ ବ୍ୟତୀତ ଆଉ ଅଧିକ କଣ କୁହାଯାଇ ପାରିବ ? ଗୋଷ୍ଠୀ ଭିତରେ ନାନାବିଧ ବିଭିନ୍ନତା ସତ୍ୱେ ମଣିଷମାନେ ପରସ୍ପର ସହିତ ଏକତାସୂତ୍ରରେ ଆବଦ୍ଧ ହୋଇ ରହିଥାନ୍ତି, ଅଥଚ ସମିତିମାନଙ୍କରେ ସକଳ ସାମଞ୍ଜସ୍ୟ ସତ୍ତ୍ୱେ ସେମାନେ ମୂଳତଃ ପରସ୍ପରଠାରୁ ଅଲଗା ଅଲଗା ହୋଇ ରହିଥାନ୍ତି । ସମିତିକୁ ଆମେ ସ୍ଥୂଳତଃ କେତେକ ବ୍ୟକ୍ତିଙ୍କର ଏକ କୃତ୍ରିମ ଓ କ୍ଷଣକାଳସ୍ଥାୟୀ ସମଷ୍ଟି ବୋଲି କହିପାରିବା । ଏଥିରେ ମଣିଷ ସହିତ ମଣିଷର କୌଣସି ହୃଦୟଗତ ମେଳ ନଥାଏ, କୌଣସି ପ୍ରକାରେ ପାରସ୍ପରିକ ନିକଟ ଓ ନିବିଡ଼ ସମ୍ବନ୍ଧ ନଥାଏ । ଗୋଷ୍ଠୀ ଭିତରେ ବଞ୍ଚୁଥିବା ଜୀବନକୁ ବ୍ୟକ୍ତି ଅନେକ ପରିମାଣରେ ଏକ ବ୍ରତ ପରି ଗ୍ରହଣ କରିଥାଏ, କିନ୍ତୁ ସମିତି ଭିତରେ ସାମିଲ ହେବାବେଳେ ସେ ପ୍ରଧାନତଃ ବ୍ୟବସାୟୀ ପରି ସଉଦା କରିବାର ମତଲବରେ ଆସି ପହଞ୍ଚିଥାଏ । ପାରିବାରିକ ଜୀବନକୁ ଶ୍ରୀ ଟିଉନିସ୍‌ ଗୋଷ୍ଠୀଜୀବନର ସାଧାରଣ ବୋଲି କହିଚନ୍ତି । ଗୋଷ୍ଠୀଜୀବନରେ ପ୍ରଧାନତଃ ରୂଢ଼ି, ପରମ୍ପରା, ପରସ୍ପର ସହିତ ଶାନ୍ତିସ୍ଥାପନ କରି ମିଳିମିଶି ବାସ କରିବାର ଇଚ୍ଛା ଓ ଧର୍ମବିଧାନ ମଣିଷର ସାମାଜିକ ଇଚ୍ଛା ଓ କାର୍ଯ୍ୟକଳାପକୁ ପରିଚାଳିତ କରିଥାଏ-। କିନ୍ତୁ ସମିତି ଭିତରେ ମଣିଷ ଆଇନ ଉପରେ ନିର୍ଭର କରିଥାଏ, ଜନମତକୁ ଏକ ନିର୍ଭରଯୋଗ୍ୟ ଅବଲମ୍ବନରୂପେ ମାନିବାରେ ଅଭ୍ୟସ୍ତ ହୋଇ ଯାଇଥାଏ । (୬)

 

ଗାଆଁର ପ୍ରତିବେଶୀ-ସଦ୍‌ଭାବପ୍ରଧାନ ଜୀବନକୁ ସମାଜଶାସ୍ତ୍ରରେ ଗୋଷ୍ଠୀଜୀବନ ସହିତ ସମତୁଲ କରି ବିଚାର କରାଯାଇଚି । ଶ୍ରୀଯୁକ୍ତ କୁଲି ଯାହାକୁ ପ୍ରାଥମିକ ସଂସ୍ଥା ବୋଲି ବର୍ଣ୍ଣନା କରିଥିଲେ, ତାହାକୁ ଆମେ ଶ୍ରୀ ଟିଉନିସ୍‌ଙ୍କର Gemeinschaft ବା ଗୋଷ୍ଠୀଜୀବନର ସମଧର୍ମୀରୂପେ ବିଚାର କରିପାରିବା । ଟିଉନିସ୍‌ଙ୍କର Gesellschaft ଆମର ପୂର୍ବାଲୋଚିତ ଔପଚାରିକ ସଂସ୍ଥାର ସମତୁଲ ହେବ । ଆମେରିକାର ଜଣେ ସମାଜଶାସ୍ତ୍ରୀ ଗାଆଁର ସାମୂହିକ ଜୀବନକୁ ପ୍ରାଥମିକ ସଂସ୍ଥାର ଏକ ସମ୍ପ୍ରସାରିତ ରୂପ ବୋଲି ମାନିଚନ୍ତି । (୭) ଇଂରେଜ ପଣ୍ଡିତ ସାର୍ ହେନ୍‌ରି ମେନ୍ ଗତ ଶତାବ୍ଦୀରେ ଭାରତବର୍ଷ ତଥା ଇଉରୋପର ପ୍ରାଚୀନ ଗ୍ରାମ୍ୟଜୀବନ ବିଷୟରେ ବିଶେଷ ଅଧ୍ୟୟନ କରିଥିଲେ । ଏହି ତୁଳନାତ୍ମକ ଅଧ୍ୟୟନ କରି ସେ ମାନବିକ ପାରସ୍ପରିକ ସମ୍ବନ୍ଧରେ ଦୁଇଟି ରୀତି ରହିଥିବାର ନିର୍ଣ୍ଣୟ କରିଚନ୍ତି । ଗୋଟିକୁ ସେ ସ୍ୱାଭାବିକ ରୀତି ବୋଲି କହିଚନ୍ତି । ଯେଉଁ ସମାଜରେ ଏହି ରୀତିଟି ଦେଖିବାକୁ ମିଳେ, ସେହି ସମାଜରେ ହିଁ ତାହାର ଉଦ୍‌ଭବ ହୋଇଥାଏ, ଅର୍ଥାତ ଏହା ଅନ୍ୟ କୌଣସି ସମାଜରୁ ଆମଦାନୀ ହୋଇ ଏଠାକୁ ଆସିନଥାଏ । ସ୍ୱାଭାବିକ ଜୀବନ-ପ୍ରେରଣା, ଦୀର୍ଘକାଳର ନିତ୍ୟନୈମିତ୍ତିକ ଆଚାର ଓ ଅଭ୍ୟାସ ଏବଂ ପରମ୍ପରାର ଭୂମି ଉପରେ ଏହି ରୀତି ପ୍ରତିଷ୍ଠିତ ରହିଥାଏ ଏବଂ ଏହି କାରଣରୁ ତାହା ସେହି ସମାଜରେ ବାସ କରୁଥିବା ମଣିଷମାନଙ୍କର ଜୀବନରେ ବଡ଼ ସ୍ୱାଭାବିକ ଓ ଓତଃପ୍ରୋତ ଭାବରେ ରହିଥାଏ । ଆଜିକୁ ପ୍ରାୟ ସତୁରି ବର୍ଷ ତଳେ ଭାରତବର୍ଷର ଗାଆଁ ମାନଙ୍କରେ ସେ ଯାହାସବୁ ଦେଖିବାକୁ ପାଇଥିଲେ, ତାହାରି ଉପରେ ନିଜ ବିଚାରକୁ ପର୍ଯ୍ୟବସିତ କରି ସେ କହିଚନ୍ତି ଯେ ଏହି ଗାଆଁରେ କୋର୍ଟ କଚେରୀ ନଥିଲା, ପୋଲିସ ନଥିଲେ, ଲିଖିତ କୌଣସି ଆଇନ୍‌କାନୁନ୍‌ ନଥିଲା, ତଥାପି ସମାଜ ଓ ସାମାଜିକ ଜୀବନ ବଡ଼ ସୁସଂଗଠିତ ଭାବରେ ଚାଲୁଥିଲା । ସର୍ବଜନ-ସମର୍ଥିତ ସ୍ୱତଃସ୍ଫୁର୍ତ୍ତ ସାମାଜିକ ଆଚାରମାନ ଲୋକଜୀବନର ଗଭୀର ଦେଶକୁ ଭେଦ କରି ରହିଥିଲା ଓ ତାହାକୁ ଆଧାର କରି ସମାଜ ଚାଲୁଥିଲା । ସାମାଜିକ ଜୀବନକୁ ପରିଚାଳିତ କରୁଥିବା ଅନ୍ୟ ରୀତିଟିକୁ ସେ ଔପଚାରିକ ବା କୃତ୍ରିମ ରୀତି ବୋଲି ବର୍ଣ୍ଣନା କରିଚନ୍ତି । ଏହି ଦ୍ୱିତୀୟ ରୀତି ଅନୁସାରେ ମଣିଷର ସମାଜ ଲିଖିତ ବିଧାନାବଳୀର ଅନୁସରଣ କରି ଚାଲେ, ଔପଚାରିକ ସର୍ତ୍ତ ଓ ରାଜିନାମା ଅନୁସାରେ ଜୀବନର ବ୍ୟାପାର ଚାଲିଥାଏ, –ଜୀବନକୁ ଏହି ସମାଜରେ ପ୍ରଧାନତଃ ଏକ ସ୍ୱାର୍ଥପୋଷକ ଓ ଲାଭଦାୟକ ଚୁକ୍ତି ବୋଲି ଗ୍ରହଣ କରାଯାଇଥାଏ । (୮)

 

ଫର୍ଡ଼ିନାଣ୍ଡ୍ ଟିଉନିସ୍‌ଙ୍କର ଉଲ୍ଲିଖିତ ପୁସ୍ତକଟିରେ ଭୂମିକା ଲେଖିବାକୁ ଯାଇ ସମାଜଶାସ୍ତ୍ରୀ ସୋରୋକିନ୍ କହିଚନ୍ତି ଯେ Gemeinschaft ଓ Gesellschaft ର ବିଚାର ହେଉଚି ସମାଜବିଜ୍ଞାନକୁ ଶ୍ରୀ ଟିଉନିସ୍‌ଙ୍କର ସର୍ବପ୍ରଧାନ ଅବଦାନ । ଆପଣାର ପ୍ରତ୍ୟେକ ଲେଖାରେ ଟିଉନିସ୍‌ ଏହି ଦ୍ୱିବିଧ ସଂସ୍ଥା ଜରିଆରେ ଦୁଇପ୍ରକାର ଭିନ୍ନ ମାନସିକ ଦୃଷ୍ଟି, ଜୀବନାଚରଣ ଓ ଦୁଇପ୍ରକାର ସମାଜର ଅବତାରଣା କରିବାକୁ ଚେଷ୍ଟା କରିଚନ୍ତି । ସୋରୋକିନ୍ ଆଧୁନିକ ପୁଞ୍ଜିବାଦୀ ସମାଜକୁ ପ୍ରଧାନତଃ ଏକ ଚୁକ୍ତିମୂଳକ ସମାଜ ବୋଲି କହିଚନ୍ତି । ହୃଦୟର ସମ୍ପର୍କ ଓ ସ୍ୱାଭାବିକ ଇଚ୍ଛାର ପଥରୁ ହୁଡ଼ିଯାଇ ଆମ ସମାଜ ଓ ଏ ଯୁଗର ମଣିଷ କାଳକ୍ରମେ Gesellschaftକୁ ହିଁ ସାମାଜିକ ଜୀବନର ଏକମାତ୍ର ସରଣୀ ବୋଲି ଗ୍ରହଣ କରିବାକୁ ଆରମ୍ଭ କଲାଣି । ଏକ ଚୁକ୍ତିମୂଳକ ସାମାଜିକ ଜୀବନମାର୍ଗ ଗ୍ରହଣ କରିବାଦ୍ୱାରା ପୃଥିବୀରେ ମଣିଷ ଜୀବନରେ ଯେଉଁ ସଙ୍କଟ ଆଜି ଉପସ୍ଥିତ ହୋଇଚି, ସୋରୋକିନ୍ ପୁଞ୍ଜିବାଦକୁ ସେହି ସଙ୍କଟର ଅନ୍ୟତମ ଏକ ନାମ ବୋଲି ଉଲ୍ଲେଖ କରିଚନ୍ତି ।

 

ପ୍ରସଙ୍ଗଟି ଶେଷ କରିବା ପୂର୍ବରୁ ଆମେ ପୁଣି ଚାର୍ଲସ୍ କୁଲିଙ୍କର ଆଉ ଗୋଟିଏ ଉକ୍ତିକୁ ଫେରିଆସିବା । ଆମର ସଂସ୍ଥାମାନଙ୍କରେ ଆମେ ପ୍ରାୟ ପ୍ରତ୍ୟେକେ ସହଭାବନା ଓ ଶ୍ରଦ୍ଧାଭାବ ଦ୍ୱାରା ପରିଚାଳିତ ହୋଇଥାଉ । ସଂସ୍ଥାପ୍ରତି ଆମର ବିଶ୍ୱାସ ଓ ଆସ୍ଥା ରଖିବାରେ ଆମେ କୌଣସି ତ୍ରୁଟି କରୁନାହିଁ । ପ୍ରାଥମିକ ସଂସ୍ଥା ସାଧାରଣତଃ ଆମ ପ୍ରତ୍ୟେକଙ୍କୁ ନ୍ୟାୟର ଉଦ୍ଦୀପନା ଦେଇଥାଏ ଓ ଅନ୍ୟାୟ ଆଚରଣ କରିବାରୁ ନିବୃତ୍ତ କରି ରଖେ । ଆମ ଘର, ଆମ ପରିବାର, ଜ୍ଞାତି କୁଟୁମ୍ବ ଓ ପ୍ରତିବେଶୀ ପ୍ରଭୃତି ପ୍ରାଥମିକ ସଂସ୍ଥାର ସୀମା ଭିତରେ ଆମେ ଏହି ସବୁ ଗୁଣର ଅନୁଶୀଳନ କରିଥାଉ । ଶ୍ରୀଯୁକ୍ତ କୁଲି କହିଥିଲେ ଯେ, ଏହି ସବୁ ଗୁଣ ଓ ସଦାଚରଣଗୁଡ଼ିକ ପ୍ରାଥମିକ ସଂସ୍ଥାର ବାହାରକୁ ମଧ୍ୟ ସମ୍ପ୍ରସାରିତ ହେବା ଉଚିତ । ଅର୍ଥାତ୍ ଆମ ଆପଣା ପରିବାର ଭିତରେ ଆମେ ଯେଉଁପରି ଆଚରଣ କରୁଚୁ, ବୃହତ୍ତର ସମାଜରେ ମଧ୍ୟ ଠିକ୍ ସେହିପରି ଆଚରଣ କରିବା ଉଚିତ । ପରିବାର ଭିତରେ ଯେମିତି ଆଚରଣ କରୁଚୁ, ସାରା ଗାଆଁର ପ୍ରସଙ୍ଗ ବେଳେ ମଧ୍ୟ ଆମର ସେହିପରି ଆଚରଣ କରିବା ଉଚିତ । ଆପଣା ଜାତି ବା ଦେଶର କଥା ଭାବିଲାବେଳକୁ ଆମକୁ କେଡ଼େ ଆପଣାର ଲାଗୁଚି । ଜାତିକୁ ନେଇ ଆମେ କେତେ ଗୌରବ ଓ ଗର୍ବ ଅନୁଭବ କରୁଚୁ । ଜାତି, ଦେଶ ବା ଆପଣା ପରିବାରଲାଗି ଆମେ କେଡ଼େ ସହଜରେ ଓ ସ୍ୱାଭାବିକ ଭାବରେ କେତେ ଜଣ କରିବାକୁ ତିଆରି ହୋଇଯାଉଚୁ । ଆମର ଏହି ସବୁ ଗୁଣ ଓ ଏହି ସବୁ ତତ୍ପରତାକୁ ଅଧିକ ବୃହତ୍ତ ସ୍ତରମାନଙ୍କୁ ପ୍ରସାରିତ କରିଦେଇ ପାରିଲେ ତଦ୍ଦ୍ୱାରା ସକଳ ମଣିଷ-ସଂସାରର ଅନେକ ଉନ୍ନତି ଓ ସମୃଦ୍ଧି ହୋଇପାରନ୍ତା ବୋଲି ଶ୍ରୀଯୁକ୍ତ କୁଲି ସୂଚନା ଦେଇଚନ୍ତି । ତଦ୍ଦ୍ୱାରା ଆମ ସଂସାରର ନୈତିକ ମାନ ଅନେକ ଉପରକୁ ଉଠିଯାଇପାରନ୍ତା । (୯) ଆମେ ଆପଣା ପରିବାରଲାଗି କେତେ ତ୍ୟାଗ ସ୍ୱୀକାର ନକରୁଚୁ ! ପରିବାରର କଲ୍ୟାଣ ଲାଗି କେଡ଼େ ସମର୍ପିତ ମନ ନେଇ ବିଚାର ଓ ଉଦ୍ୟମ ନକରୁଚୁ ! ଆପଣାର ପୁଅଝିଅମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ବିକାଶ ଲାଗି କେଡ଼େ ଅନୁରକ୍ତି ସହିତ ଯୋଜନା ନକରୁଚୁ ! ସେହିପରି ଭାବରେ ଆପଣାର ଶ୍ରଦ୍ଧାସୀମାକୁ ଅଧିକ ପ୍ରସାରିତ କରି ଯଦି ଆମେ ଆମ ଗାଆଁ ବା ଆଉ କୌଣସି ବୃହତ୍ତର ଗୋଷ୍ଠୀ ସକାଶେ ଆପଣାର ଯଥାଶକ୍ତି କର୍ତ୍ତବ୍ୟ କରିବାକୁ ଏକ ସ୍ୱାଭାବିକ ଓ ସମର୍ପିତ ମନ ନେଇ ବାହାରିପାରିବା, ତେବେ ତଦ୍ଦ୍ୱାରା ଗାଆଁର, କେତେ ଉନ୍ନତ୍ତିବିଧାନ ନହେବ ! ଯଦି ଠିକ୍ ଆମରି ପିଲାଙ୍କପରି ଗାଆଁର, ଦେଶର ବା ସକଳ ପୃଥିବୀର ସବୁପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନବିକାଶ ବିଷୟରେ ଆମେ ହୃଦୟର ସହିତ ବିଚାର କରିବାକୁ ଆରମ୍ଭ କରିବା, ତେବେ ଏହି ସଂସାରର ପିଲାଙ୍କ ଲାଗି ଆମେ କେଡ଼େ ଭବିଷ୍ୟତର ମୂଳଦୁଆ ପକାଇବାରେ ସାହାଯ୍ୟ ନ କରିପାରିବା ! ସମାଜର କଲ୍ୟାଣକଳ୍ପେ ସମାଜଶାସ୍ତ୍ରକୁ ସାଧନ ରୂପେ ମାନିଥିବା ଶ୍ରୀଯୁକ୍ତ କୁଲି ଆଜିକୁ ପ୍ରାୟ ପଚାଶବର୍ଷ ତଳେ ଏହି ସ୍ୱପ୍ନ ଦେଖିଥିଲେ । ସେହି ସ୍ୱପ୍ନ ସଫଳ ହେବାଲାଗି ଆଜି ମଧ୍ୟ ଅନେକ ପଥ ବାକି ରହିଚି । ଆଜି ମଧ୍ୟ ଆମ ଭିତରୁ ଅନେକଙ୍କର ଶ୍ରଦ୍ଧା, ଚେଷ୍ଟା ଓ କଲ୍ୟାଣ କରିବାର ଇଚ୍ଛା ଆମ ବ୍ୟକ୍ତିଗତ ଜୀବନ ବା ଖୁବ୍‌ହେଲେ ଆମ ଆପଣା ପରିବାରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିଚି । ଆମେ ଆମ ଦୁଃଖ, ଆମ ସମସ୍ୟାକୁହିଁ ସବୁ ଦୁଃଖ ଓ ସବୁ ସମସ୍ୟା ବୋଲି ଦେଖୁଚୁ ଏବଂ ସଂସାରର ଦୁଃଖ ଓ ସଂସାରର ସମସ୍ୟା ପ୍ରତି ଆଖି ବୁଜିଦେଉଚୁ । ଆମର ପ୍ରାଥମିକ ସଂସ୍ଥା ଭିତରେ ହିଁ ଆମ ଭିତରର ଯାବତୀୟ ମାନବୋଚିତ ଗୁଣ ବନ୍ଦୀ ହୋଇ ରହିଚି । ଘରଭିତରର ସ୍ନେହୀ ମଣିଷ ଗାଆଁର ଆୟତନକୁ ଆସି ଦ୍ୱେଷାଚରଣ କରୁଚି, ଘରଭିତରର ଶ୍ରଦ୍ଧାବାନ୍ ଉଦ୍ୟମଶୀଳ ବାପ ଗାଆଁ ବା ସେହିପରି ଯେକୌଣସି ଏକ ବୃହତ୍ତର ଗୋଷ୍ଠୀର ଆୟତନ ଭିତରକୁ ଆସି ହିଂସା କରିବାକୁ ବା ଉଦାସୀନ ରହିବାକୁ ଆପଣାର କର୍ତ୍ତବ୍ୟ ବୋଲି ମନେକରୁଚି । ବ୍ୟକ୍ତି ଓ ସମାଜକୁ ପରସ୍ପରର ପରିପୂରକ ଭାବେ ଆମେ ଗ୍ରହଣ କରି ଶିଖିନାହୁଁ । ତେଣୁ ଆମ ଜୀବନରେ ଆପଣା ଓ ପର ଭିତରେ ଏହିପରି ଏକ ଅସ୍ୱାଭାବିକ ଦ୍ୱନ୍ଦ୍ୱ ଲାଗିରହିଚି, ବ୍ୟକ୍ତି ଓ ଗୋଷ୍ଠୀର ମୁହଁ ବିପରୀତ ଆଡ଼କୁ ହୋଇ ରହିଚି । ତଦ୍ଦ୍ୱାରା ଗୋଷ୍ଠୀର ମଙ୍ଗଳ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ଗୋଷ୍ଠୀକୁ ଦୁର୍ବଳ କରିପକାଇ ଆମେ ଆମ ବ୍ୟକ୍ତିଗତ ଜୀବନର ବିକାଶ ପଥରେ ମଧ୍ୟ ଅନେକ ପ୍ରକାରର ଅନ୍ତରାୟ ସୃଷ୍ଟି କରିବାରେ ଲାଗିଚୁ । ପ୍ରାଥମିକ ସଂସ୍ଥାଗୁଡ଼ିକ ଲାଗି ଆମେ ପ୍ରତ୍ୟେକେ ଯେଉଁ ଅନୁରକ୍ତି ଦେଇପାରୁଚୁ, ସମଗ୍ର ସମାଜ ବା ସମଗ୍ର ମନୁଷ୍ୟଗୋଷ୍ଠୀର କ୍ଷେତ୍ରରେ ଆମେ ସେହି ଅନୁରକ୍ତି ଦେଇପାରିଲେ ମର ବ୍ୟକ୍ତିଗତ ତଥା ସାମୁଦାୟିକ ଜୀବନରେ ଆମେ ଯେ ଅନେକ ଅଧିକ ସାର୍ଥକତା କରିପାରନ୍ତୁ ଆମେରିକାର ସମାଜଶାସ୍ତ୍ରୀ ଶ୍ରୀ କୁଲି ଆମକୁ ଏହିପରି ଏକ ସମ୍ଭାବନାର ପଥନିର୍ଦ୍ଦେଶ ଦେଇଯାଇଛନ୍ତି ।

 

–୨–

 

ପ୍ରାଥମିକ ସଂସ୍ଥାର ଜୀବନ ହେଉଚି ଗୋଷ୍ଠୀଜୀବନ । ଆଧୁନିକ ମଣିଷ ହିସାବରେ ଆମ ଜୀବନର କାର୍ଯ୍ୟକଳାପ ପ୍ରାଥମିକ ଓ ଔପଚାରିକ ଉଭୟବିଧ ସଂସ୍ଥା ଭିତରେ ବିଚ୍ଛୁରିତ ହୋଇ ରହିଚି । କାରଣ ଆମ ପ୍ରତ୍ୟେକଙ୍କର ଜୀବନରେ ଔପଚାରିକ ଓ ଅନୌପଚାରିକ ଉଭୟ ଦିଗ ସମ୍ମିଳିତ ହୋଇ ରହିଚି । କେଉଁଠି ଆମେ ବାପା, ମାଆ, ଭାଇ, ଭଉଣୀ ହିସାବରେ ଅନ୍ୟ କେତେକଙ୍କ ପାଖରେ ଆମର ହୃଦୟ ଖୋଲିଦେଇ ବଞ୍ଚିବାକୁ ହିଁ ଆପଣାର ସ୍ୱାଭାବିକ ଜୀବନ ବୋଲି ମନେକରୁଚୁ । ପୁଣି ଆଉ କେଉଁଠି ଆମେ ଔପଚାରିକ ରୀତିରେ ହିଁ ଅନ୍ୟମଣିଷଙ୍କ ପାଖରେ ଯାଇ ପହଞ୍ଚିବାକୁ ହିଁ ଯଥେଷ୍ଟ ବିଚାରିଚୁ । କୋଉଠି ସମସ୍ତଙ୍କର ଗୋଟାସୁଦ୍ଧା ଆପଣାର ହୋଇଯିବାର ଓ ସମସ୍ତଙ୍କୁ ଆପଣାର କରିନେବାର ଅଭିଳାଷ ରଖୁଚୁ, ପୁଣି କେଉଁଠି ଚତୁରତା ଓ ସତର୍କତା ଅବଲମ୍ବନ କରି କେବଳ ଯେତିକି ଆବଶ୍ୟକ, ଅନ୍ୟମାନଙ୍କ ସହିତ ଆମେ ସେତିକି ସମ୍ବନ୍ଧ ରଖୁଚୁ । ପ୍ରାଥମିକ ସଂସ୍ଥାରେ ଆମର କର୍ତ୍ତବ୍ୟଗୁଡ଼ିକୁ ଅଧିକରୁ ଅଧିକ ପରିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବାକୁ ଆମେ ପ୍ରୟୋଜନ ଦୃଷ୍ଟିରୁହିଁ ଔପଚାରିକ ସଂସ୍ଥାରେ ଅନ୍ୟମାନଙ୍କ ସହିତ ଏକାଠି ହେଉଚୁ । ପରିବାରର ଅଧିକ ହିତ ଓ ସମ୍ପନ୍ନତା ସମ୍ଭବ କରିପାରିବା ଲାଗି ଆମେ କେଉଁ ଅଫିସରେ ଯାଇ ଚାକିରୀ କରୁଚୁ, କେଉଁ ବ୍ୟାଙ୍କରେ ଟଙ୍କା ଜମାଉଚୁ, କେଉଁ ହାଟକୁ ସଉଦା କିଣିବାକୁ ଯାଉଚୁ ବା କେଉଁ ସମିତିରେ ସଦସ୍ୟ ହେଉଚୁ ।

 

ମୋଟ ଉପରେ ଦେଖିଲେ ସଂସାରରେ ସବୁ ଜାଗାରେ ଆମର ସମ୍ବନ୍ଧ ଓ ଆମର ଅନୁରକ୍ତି ସମାନ ନୁହେଁ । କେଉଁଠି ଏହା ଅଧିକ ନିବିଡ଼ ଓ ଅଧିକ ଘନିଷ୍ଠ, ପୁଣି କେଉଁଠି ଏହା ଅପେକ୍ଷାକୃତ କମ୍ ନିବିଡ଼ ଓ କମ୍ ଘନିଷ୍ଠ, ଅଧିକ ଔପଚାରିକ ଓ ଅଧିକ ପ୍ରୟୋଜନ ପ୍ରଣୋଦିତ । ଯେଉଁଠି ପ୍ରଧାନତଃ ପ୍ରୟୋଜନ ଦୃଷ୍ଟିରୁ ଔପଚାରିକ ମନ ନେଇ ଆମେ ଅନ୍ୟମାନଙ୍କ ସହିତ ଏକ ସାଧାରଣ କ୍ଷେତ୍ରରେ ସମବେତ ହୋଇଥାଉ, ସେଠାରେ ଆମେ ଅତିବାହିତ କରୁଥିବା ଜୀବନକୁ କଦାପି ଗୋଷ୍ଠୀଜୀବନ ବୋଲି କୁହାଯାଇ ପାରିବ ନାହିଁ । ଯେଉଁ ଅଫିସ୍‌ରେ ଆମେ କାମ କରିବାକୁ ଯାଉ, ସେଠାରେ ଆମ ଭିତରୁ କିଏ ବାବୁ ହୁଏ, କିଏ କିରାନି ହୁଏ ବା କିଏ ଚପରାସୀ ବି ହୁଏ । ନିର୍ଦ୍ଧାରିତ ନିୟମ ଅନୁସାରେ ସେଠାରେ ଔପଚାରିକ ସନ୍ତର୍ପଣରେ ସମସ୍ତ କାର୍ଯ୍ୟ ନିର୍ବାହିତ ହୁଏ । କିନ୍ତୁ ସେଠାରେ ମଣିଷର ଦୁଃଖ ସୁଖର କଥା ପଡ଼େନାହିଁ, ଜଣକର ଦୁଃଖ ସୁଖରେ ଅନ୍ୟମାନେ ଭାଗନେବାକୁ ଆସନ୍ତିନାହିଁ–ବ୍ୟକ୍ତିଗତ ଭାବରେ ସେଠି ଆମେ ଆମର ପରିଚୟ ଦେବାକୁ ହୁଏତ ଆମର ଦୁର୍ବଳତା ବୋଲି ମନେକରିଥାଉ ।

 

କିନ୍ତୁ ଆପଣା ଗାଆଁରେ ବା ଆପଣାର ପ୍ରତିବେଶରେ ଆମେ ଯେଉଁ ଜୀବନ ଯାପନ କରୁ, ସମାଜଶାସ୍ତ୍ରୀମାନେ ତାହାକୁ ଗୋଷ୍ଠୀଜୀବନ ବୋଲି କହିଚନ୍ତି । ଇଂରାଜୀରେ Community ବୋଇଲେ ଯାହା ବୁଝାଏ, ଆମେ ସେହି ଅର୍ଥରେ ହିଁ ଗୋଷ୍ଠୀ ବା ସମୁଦାୟକୁ ବୁଝିବାକୁ ଚେଷ୍ଟା କରିବା । ଆମେରିକା ରବର୍ଟ ପାର୍କ (Robert F. Park) ତିନୋଟି ଦୃଷ୍ଟିକୋଣରୁ ଗୋଷ୍ଠୀଜୀବନର ବିଚାର କରିଚନ୍ତି । (୧୦) ଗୋଟିଏ ଗୋଷ୍ଠୀରେ ଯେଉଁ ମଣିଷମାନେ ବାସ କରନ୍ତି, ସେମାନେ ଜୀବନଭରଣ ଓ ଜୀବନ-ନିର୍ବାହର ନାନା ଆୟତନରେ ପରସ୍ପର ଉପରେ ନିର୍ଭର କରି ରହିଥାନ୍ତି । ସେମାନେ ଆପଣାର ନାନା ଆବଶ୍ୟକତାରେ ପରସ୍ପରକୁ ଲୋଡ଼ନ୍ତି, ପରସ୍ପରର ଅପେକ୍ଷା ରଖନ୍ତି ଓ ପରସ୍ପର ସହିତ ସମ୍ମିଳିତ ହୋଇ ହିଁ ଜୀବନର ପରିପୂର୍ଣ୍ଣତା ଓ ସମଗ୍ରତାକୁ ଅନୁଭବ କରନ୍ତି । ଅର୍ଥନୈତିକ ଜୀବନର ନାନା ଧନ୍ଦା ଓ ଫନ୍ଦାରେ ସେମାନେ ଏକାଠି ରହି ପରସ୍ପରକୁ ସାହାଯ୍ୟ କରନ୍ତି, ପରସ୍ପରର ଲାଭ ଓ କ୍ଷତିରେ ଭାଗ ନିଅନ୍ତି । ଜଣକ ଘରେ ପିଲା ଜନମ ହେଲେ ଆଉ ଜଣକ ଘରେ ବି କୋଳାହଳ ପଡ଼ିଯାଏ, ଜଣକ ଘରେ ମଡ଼ା ପଡ଼ିଲେ ଆଉ ଜଣେ ସାହାଯ୍ୟ କରିବାକୁ ଦଉଡ଼ିଆସେ । ଆର୍ଥିକ, ପାରିବାରିକ, ସାମାଜିକ ଓ ଧର୍ମଗତ ପ୍ରତ୍ୟେକ କ୍ଷେତ୍ରରେ ଜୀବନରେ ସେମାନେ ପାରସ୍ପରିକ ସହଯୋଗକୁ ମୂଳ ସୂତ୍ର ବୋଲି ଗ୍ରହଣ କରିଥାନ୍ତି । ଦ୍ୱିତୀୟତଃ, ଏହିପରି ଏକତ୍ର ବାସ କରିବାକୁ ଓ ପରସ୍ପର ସହିତ ସହଯୋଗ କରିବାକୁ ସେମାନେ ନୀତି ଓ ନୈତିକତା ବୋଲି ମାନନ୍ତି । ଆପଣାର ବ୍ୟକ୍ତିଗତ ଜୀବନକୁ ସେମାନେ ପ୍ରଧାନତଃ ସାମୁଦାୟିକ ଜୀବନର ଅଙ୍ଗ ବୋଲି ସ୍ୱୀକାର କରିନିଅନ୍ତି ଓ ସମୁଦାୟର କଲ୍ୟାଣରେ ଆପଣାର କଲ୍ୟାଣ ନିହିତ ରହିଚି ବୋଲି ବଡ଼ ସ୍ୱାଭାବିକ ଭାବରେ ବିଶ୍ୱାସ କରିଥାନ୍ତି । ତେଣୁ ଏହିପରି ଏକ ଗୋଷ୍ଠୀ ଭିତରେ ଯିଏ ଯେତେ ବେଶୀ ସମୂହସ୍ୱାର୍ଥର ପରିପୂରଣ ଲାଗି ସହଯୋଗ କରିପାରେ, ସିଏ ସ୍ୱଭାବତଃ ଆପଣାକୁ ସେତେ ବେଶୀ ସଫଳ ଓ ଧନ୍ୟ ମନେକରେ । ସାମୁଦାୟିକ ସ୍ୱାର୍ଥରୁ ଅଲଗା ହୋଇଯାଇ ଆପଣାର ସ୍ୱାର୍ଥ ସାଧନ କରିବାରେ ନୁହେଁ, ସାମୁଦାୟିକ ହିତରେ ଆପଣାର ବ୍ୟକ୍ତିଗତ ହିତକୁ ସମ୍ମିଳିତ କରିଦେବାକୁ ଓ ସେହି ଅନୁସାରେ ଆପଣା କର୍ତ୍ତବ୍ୟଗୁଡ଼ିକର ନିର୍ଦ୍ଧାରଣ କରିବାକୁ ଗୋଷ୍ଠୀଜୀବନରେ ସର୍ବ ଶ୍ରେଷ୍ଠନୀତି ବୋଲି ଗ୍ରହଣ କରାଯାଇଥାଏ । ତୃତୀୟତଃ, ଭୌଗୋଳିକ ଦୃଷ୍ଟିରୁ ଗୋଟିଏ ଗୋଷ୍ଠୀ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥାଏ । ଏହାକୁ ଅଞ୍ଚଳ ନକହି ପ୍ରତିବେଶ କହିଲେ ଅଧିକ ଠିକ୍ ହେବ । ଅନ୍ତର୍ଗତ ଜୀବନରେ ସେମାନଙ୍କର ମନ ଯେପରି ପରସ୍ପରର ହିତ ସହିତ ଗୁନ୍ଥାହୋଇ ରହିଥାଏ, ଜୀବନର ନାନାବିଧ ଆବଶ୍ୟକତାର ପୂରଣ କରିବାକୁ ଯାଇ ଯେପରି ସେମାନେ ପରସ୍ପର ଉପରେ ନିର୍ଭର କରି ରହିଥାନ୍ତି, ବାହାରୁ ଦେଲେ ମଧ୍ୟ ସେମାନେ ଭୌଗୋଳିକ ଦୃଷ୍ଟିରୁ ଗୋଟିଏ ସଂବନ୍ଧ-କ୍ଷେତ୍ରରେ ବାସ କରୁଥାନ୍ତି । ଗାଆଁ କହିଲେ ଆମେ ସାଧାରଣତଃ ଗୋଟିଏ ଭୌଗୋଳିକ ଏକକକୁ ବୁଝିଥାଉ ।

 

ନୃତତ୍ତ୍ୱବିତ୍ ରେଡ଼୍‌ଫିଲଡ଼୍ କ୍ଷୁଦ୍ରାୟତନ ମଣିଷଗୋଷ୍ଠୀ ବା ମନୁଷ୍ୟସମୁଦାୟର ଚାରୋଟି ଲକ୍ଷଣ ଦେଖାଇଚନ୍ତି । (୧୧) ପ୍ରଥମତଃ ଯେକୌଣସି ସାନ ମଣିଷଗୋଷ୍ଠୀକୁ ଆମେ ଅନ୍ୟ ଯେକୌଣସି ଗୋଷ୍ଠୀଠାରୁ ଅଲଗା କରି ଚିହ୍ନିନେଇ ପାରିବା । ଗୋଟିଏ ଗୋଷ୍ଠୀର ମଣିଷମାନଙ୍କ ଭିତରେ ଏପରି କୌଣସି ବା କେତେଗୋଟି ସାଧାରଣ ଆଚାର ବା ଲକ୍ଷଣ ଅବଶ୍ୟ ରହିଥିବ ଯାହାକି ଅନ୍ୟ କୌଣସି ଗୋଷ୍ଠୀ ଭିତରେ ପରିଲକ୍ଷିତ ହେଉନଥିବ । ସେମାନେ ଗୋଟିଏ ବୋଲିରେ କଥା କହୁଥିବେ, ସେମାନଙ୍କର ପୋଷାକରେ ବା ପୋଷାକପରିଧାନର ଭଙ୍ଗୀରେ ହୁଏତ କୌଣସି ବିଶିଷ୍ଟତା ରହିଥିବ; କୌଣସି ପର୍ବ, ଉତ୍ସବ ବା ଅନୁଷ୍ଠାନକୁ ସେମାନେ ଏକ ସ୍ୱତନ୍ତ୍ରଭାବରେ ପାଳନ କରୁଥିବେ । ଦ୍ୱିତୀୟରେ କୌଣସି ଗୋଷ୍ଠୀ ଆକାର ବା ଆୟତନରେ ଆଦୌ ଅତି ବଡ଼ ହୋଇନଥିବ । କଲିକତା ବା କାନପୁର ଭଳି ଗୋଟିଏ ବଡ଼ ସହରର ଜନସମୂହକୁ ଆମେ କଦାପି ଏକ ଗୋଷ୍ଠୀ ବୋଲି କହି ପାରିବାନାହିଁ । ଆଗରୁ ଆମେ ଜାଣିଚୁ ଯେ ଗୋଷ୍ଠୀ ହେଉଚି ପ୍ରାଥମିକ ସଂସ୍ଥାର ଅନ୍ୟତମ ରୂପ ଏବଂ ପ୍ରାଥମିକ ସଂସ୍ଥାରେ ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ପରିଚୟ ଓ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । ବହୁ ହଜାର ବା ବହୁ ଲକ୍ଷ ସଂଖ୍ୟାରେ ବାସକରୁଥିବା କୌଣସି ସହରର ଜନସମୂହ ବା ଜନବସତିରେ ବ୍ୟକ୍ତିଗତ ପରିଚୟ ଓ ପ୍ରତ୍ୟକ୍ଷ ସମ୍ପର୍କ ବା କିପରି ରହିପାରିବ ? ସେମାନେ ପରସ୍ପରର ଜୀବନରେ କିପରି ଭାଗ ନେଇପାରିବେ ? ତେଣୁ ଜୀବନରେ ଗୋଷ୍ଠୀଗତ ବିଶିଷ୍ଟତାକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ସାନସାନ ସମୁଦାୟରେ ବାସ କରିବାକୁ ପଡ଼ିବ, ଅର୍ଥାତ୍ ଗୋଷ୍ଠୀ ବା ସମୁଦାୟର ଆୟତନ ସାଧାରଣତଃ ସାନ ହିଁ ହେବ । ତୃତୀୟତଃ ଯେକୌଣସି ଗୋଷ୍ଠୀର ଜୀବନାଚାର ପ୍ରାୟ ଏକାଭଳି ହୋଇଥିବ । ଅର୍ଥାତ୍ ଗୋଟିଏ ଗୋଷ୍ଠୀ ଭିତରେ ବାସ କରୁଥିବା ମଣିଷମାନଙ୍କର ଜୀବନରେ ଅନେକ ଦୃଶ୍ୟମାନ ତଥା ଅଦୃଶ୍ୟ ସମାନତା ଓ ସାମଞ୍ଜସ୍ୟ ରହିଥିବ । ଏହି ସାମଞ୍ଜସ୍ୟଗୁଡ଼ିକର ଜରିଆରେ ହିଁ ଆମେ କୌଣସି ଏକ ନିର୍ଦ୍ଦିଷ୍ଟ ମନୁଷ୍ୟସମୂହକୁ ଗୋଷ୍ଠୀ ବା କମ୍ୟୁନିଟି ବୋଲି କହିପାରିବା । ଶ୍ରୀଯୁକ୍ତ ରେଡ଼୍‌ଫିଲଡ଼୍‌ଙ୍କର ମତରେ ଗୋଷ୍ଠୀର ଚତୁର୍ଥ ଲକ୍ଷଣଟି ହେଉଚି ଆତ୍ମନିର୍ଭରତା । ମଣିଷ ହିସାବରେ ଆମ ଜୀବନରେ ଯେତେ ଯେତେ ବିଷୟର ଆବଶ୍ୟକତା ରହିଚି, ଆମର ଗୋଷ୍ଠୀଜୀବନ ଆମକୁ ସେହି ସବୁ ଆବଶ୍ୟକତା ପୂରଣ କରିବାର ଏକ ସୁବ୍ୟବସ୍ଥିତ ମାର୍ଗ ବତାଇ ଦେଇପାରୁଥିବ । ଜୀବନକୁ ବଞ୍ଚାଇ ରଖିବାକୁ ହେଲେ, ଅନ୍ନ, ବସ୍ତ୍ର, ଶିକ୍ଷା ଓ ନିରାପତ୍ତା ପ୍ରଭୃତି ଯେଉଁ ସବୁ ବ୍ୟବସ୍ଥା ମୂଳତଃ ଦରକାର, ଆମର ଗୋଷ୍ଠୀଜୀବନ ଆମ ଲାଗି ସେହି ସବୁ ବ୍ୟବସ୍ଥାକୁ ପ୍ରଶସ୍ତ କରି ରଖିଥିବ । ଆମର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଅବସ୍ଥାରେ ଆମର ଯାହା ଯାହା ଦରକାର, ସେଗୁଡ଼ିକ ଲାଗି ଆମେ ପ୍ରଧାନତଃ ଆମ ଗୋଷ୍ଠୀ ଉପରେ ହିଁ ନିର୍ଭର କରୁଥିବା । କିନ୍ତୁ ଏସବୁ ସକାଶେ ଆମକୁ ଯଦି ଗୋଷ୍ଠୀ ବାହାରେ ଥିବା କେଉଁ ଅନୁଷ୍ଠାନ ଉପରେ ନିର୍ଭର କରିବାକୁ ପଡ଼ୁଥିବ, ତେବେ ଗୋଷ୍ଠୀର ସଂହତି କ୍ରମେ ଦୁର୍ବଳ ହୋଇଯିବାର ପ୍ରମାଦ ସବୁବେଳେ ରହିଥିବ; ଗୋଷ୍ଠୀ ପ୍ରତି ଆମର ଅନୁରକ୍ତି ମଧ୍ୟ କ୍ରମେ ଢିଲା ହୋଇ ଯାଉଥିବ ଏବଂ ଆମ ବ୍ୟକ୍ତିଗତ ସ୍ୱାର୍ଥ ଓ ଗୋଷ୍ଠୀସ୍ୱାର୍ଥ ମଧ୍ୟରେ କ୍ରମେ ନାନା ବିରୋଧ ଉପୁଜିବାର ଆଶଙ୍କା ଆସି ପହଞ୍ଚିବ ।

 

ଗୋଷ୍ଠୀ-ଜୀବନର ବିଶ୍ଳେଷଣ ଓ ଗୋଷ୍ଠୀ-ଦର୍ଶନ ପ୍ରଚାର କରିବାରେ ସମ୍ଭବତଃ ଆମେ ଆମେରିକାର ଶ୍ରୀଯୁକ୍ତ ଆର୍‌ଥର୍ ମର୍‌ଗାନ୍‌ଙ୍କର ନାମକୁ ସ୍ମରଣ କରିପାରିବା । ମର୍‌ଗାନ୍ ଭାରତବାସୀଙ୍କ ନିକଟରେ ଆଦୌ ଅପରିଚିତ ନୁହନ୍ତି । ୧୯୪୯ ମସିହାରେ ଆମ ଦେଶରେ ଗଠିତ ହୋଇଥିବା ବିଶ୍ୱବିଦ୍ୟାଳୟ କମିଶନ୍‌ର ଜଣେ ସଦସ୍ୟରୂପେ ସେ ଭାରତର ଅନେକଆଡ଼େ ବୁଲିଚନ୍ତି ଏବଂ ଭାରତୀୟ ସମାଜ ଓ ଗୋଷ୍ଠୀଜୀବନକୁ ପ୍ରତ୍ୟକ୍ଷ ଭାବରେ ଦେଖିବାର ଅବସର ପାଇଚନ୍ତି । ବର୍ତ୍ତମାନ ମଧ୍ୟ ଭାରତବର୍ଷର ଏକାଧିକ ଗୋଷ୍ଠୀଗଠନ କାର୍ଯ୍ୟକ୍ରମ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଚି । ଅଶୀ ବର୍ଷ ବୟସ ପାର ହୋଇଯାଇଥିଲେ ମଧ୍ୟ ଶ୍ରୀ ମର୍‌ଗାନ୍ ଆଜି ବି ଗୋଷ୍ଠୀଜୀବନର ସୁନ୍ଦରତର ଯୋଜନାଦିଗରେ ସକ୍ରିୟ ମନୋନିବେଶ କରିବାରେ ତତ୍ପର ରହିଚନ୍ତି-। ଗୋଷ୍ଠୀ ଓ ଗୋଷ୍ଠୀଜୀବନ ସମ୍ବନ୍ଧରେ ସେ ଏକାଧିକ ଗ୍ରନ୍ଥ ରଚନା କରିଚନ୍ତି । ତାଙ୍କ ମତରେ ଆମେ ଦୁଇଟି ଦିଗରୁ କମ୍ୟୁନିଟି ବା ଗୋଷ୍ଠୀଜୀବନର ବିଚାର କରିପାରିବା । (୧୨) ପ୍ରଥମତଃ ସ୍ଥାନୀୟ ବସତିଗତ ଦିଗରୁ ଓ ଦ୍ୱିତୀୟତଃ ସାମାଜିକ ଜୀବନର ଏକ ବିଶେଷ ଗୁଣ ରହିଥିବା ଦିଗରୁ-। ଗୋଟିଏ ଗୋଷ୍ଠୀ ସାଧାରଣତଃ ଏକ ଭୌଗୋଳିକ ଏକକ ଭାବରେ ଗୋଟିଏ ଜାଗାରେ ବାସ କରେ । ଗୋଟିଏ ଗୋଷ୍ଠୀର ମଣିଷମାନେ ଏକ ଜାଗାରେ ପରସ୍ପର ସହିତ ଏକତ୍ର ବାସ କରୁଥାନ୍ତି । ଏକାଧିକ ମଣିଷ ଯେଉଁଠି ଏକତ୍ର ହୁଅନ୍ତି ବା ଏକତ୍ର ବାସ କରନ୍ତି, ସେଠାରେ ସେହି ଏକତ୍ର ଅବସ୍ଥାନକୁ ଆମେ ସମାଜ ବୋଲି କହିପାରିବା । ପ୍ରାଥମିକ ଓ ଔପଚାରିକ ଉଭୟ ପ୍ରକାରର ସଂସ୍ଥାକୁ ଆମେ ସମାଜର ଅନ୍ତର୍ଭୁକ୍ତ କରିପାରିବା । କିନ୍ତୁ ଏହି ସମାଜରେ ଏକ ବିଶେଷ ଗୁଣ ବା ଲକ୍ଷଣ ରହିଥିଲେ ଯାଇ ତାହାକୁ କମ୍ୟୁନିଟି ବା ଗୋଷ୍ଠୀ ବୋଲି କୁହାଯାଇପାରିବ । ଏହି ଗୁଣ ବା ଲକ୍ଷଣଟି ହେଉଚି ପାରସ୍ପରିକତା; ଗୋଟିଏ ଗୋଷ୍ଠୀ ବା ସମୁଦାୟର ଲୋକେ ଏକାଠି ବାସ କରୁଥିବେ, ସେମାନଙ୍କ ଜୀବନର ନାନାବିଧ କ୍ଷେତ୍ରରେ ସେମାନେ ପରସ୍ପର ସହିତ ନିବିଡ଼ ପରସ୍ପର-ନିର୍ଭରତାର ସୂତ୍ରରେ ଆବଦ୍ଧ ହୋଇ ରହିଥିବେ । ଏହାର ଅର୍ଥ ହେଉଚି ଯେ ସେମାନେ ପରସ୍ପରକୁ ଖୁବ୍ ଭଲ ଭାବରେ ଜାଣିଥିବେ, ପରସ୍ପର ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବେ, ପରସ୍ପରପ୍ରତି ଶ୍ରଦ୍ଧା ଓ ସମ୍ମାନିତ ଦୃଷ୍ଟି ପୋଷଣ କରୁଥିବେ ଏବଂ ପରସ୍ପର ପ୍ରତି ପରସ୍ପରର ଦାୟିତ୍ୱ ମଧ୍ୟ ବୁଝୁଥିବେ । ଗୋଟିଏ ସମୁଦାୟର ସଦସ୍ୟ ହିସାବରେ ସେମାନଙ୍କ ସମ୍ମୁଖରେ ଯେତେବେଳେ ଯେଉଁ ବିପଦ ବା ସୁଯୋଗ ଆସି ପହଞ୍ଚୁଥିବ, ସେମାନେ ସମସ୍ତେ ମିଳିମିଶି ସେହି ବିପଦର ସମ୍ମୁଖୀନ ହେଉଥିବେ ଓ ସେହି ସୁଯୋଗକୁ କାର୍ଯ୍ୟରେ ଲଗାଉଥିବେ । ମୋଟଉପରେ ସେମାନେ ଆପଣାର ଗୋଷ୍ଠୀକୁ ଏକ ଅବିଭକ୍ତ ଏକକ ବୋଲି ଅନୁଭବ କରୁଥିବେ ଏବଂ ଏହି ଅନୁଭୂତି ରହିଥିଲେ ଆମେ ଯେକୌଣସି ସମୂହକୁ ଗୋଟିଏ ଗୋଷ୍ଠୀ ବା ସମୁଦାୟ ବୋଲି କହିପାରିବା । ଆମ ଶରୀରରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ରହିଚି, ତଥାପି ସକଳ ବିଭିନ୍ନତା ସତ୍ତ୍ୱେ ଏଗୁଡ଼ିକ ଏକାଠି ମିଶି ଶରୀରରୂପୀ ଏକକର ହିଁ ଉଦ୍ଦେଶ୍ୟ ସାଧନ କରୁଚନ୍ତି । ଠିକ୍ ସେହିପରି ଯେକୌଣସି ଗୋଷ୍ଠୀରେ ବିଭିନ୍ନ ବ୍ୟକ୍ତି ଅବଶ୍ୟ ରହିଚନ୍ତି ଓ ସେମାନଙ୍କର ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଜୀବନଧାରା ଓ ବ୍ୟକ୍ତିଗତ ମନ ଅବଶ୍ୟ ରହିଚି । ତଥାପି ପ୍ରତ୍ୟେକ ବ୍ୟକ୍ତିର ଜୀବନ ଭିତରେ ଆମେ ଏକ ଗୋଷ୍ଠୀଗତ ଜୀବନଧାରା ଓ ଗୋଷ୍ଠୀଗତ ମନର ପରିଚୟ ମଧ୍ୟ ସବର୍ଦା ପାଇପାରିବା । ଏକାଧିକ ବ୍ୟକ୍ତିଙ୍କୁ ପରସ୍ପର ସହିତ ଗ୍ରଥିତ ଓ ସମ୍ବନ୍ଧିତ କରି ରଖିଥିବା ସାମାଜିକ ଲକ୍ଷଣଚୟକୁ ଶ୍ରୀଯୁକ୍ତ ମର୍‌ଗାନ୍ ସାମାଜିକ ବ୍ୟକ୍ତିତ୍ୱ ବୋଲି କହିଚନ୍ତି । ତାଙ୍କ ମତରେ ଏହି ସାମାଜିକ ବ୍ୟକ୍ତିତ୍ୱକୁ ଭୂମି ରୂପେ ବିଚାର କରି ହିଁ ଆମେ କମ୍ୟୁନିଟି ବା ଗୋଷ୍ଠୀକୁ ସମାଜଜୀବନର ଏକ ବିଶେଷ ପ୍ରକରଣ ବୋଲି ଗ୍ରହଣ କରିପାରିବା ।

 

ସମାଜଶାସ୍ତ୍ରୀ ମ୍ୟାକ୍ ଆଇଭର୍ ମଧ୍ୟ ଠିକ୍ ତଦନୁରୂପ ବ୍ୟାଖ୍ୟା କରିଚନ୍ତି । (୧୩) ଯଦି କୌଣସି ଲୋକସମଷ୍ଟି ଏକତ୍ର ବାସ କରୁଥାଏ, ପରସ୍ପରକୁ ପରସ୍ପରର ସମଭାଗୀ ବୋଲି ଅନୁଭବ କରୁଥାଏ, କେବଳ କୌଣସି ବିଶେଷ ସ୍ୱାର୍ଥ ବା ପ୍ରୟୋଜନ ଦୃଷ୍ଟିରୁ ନୁହେଁ, ଜୀବନର ସମଗ୍ର କ୍ଷେତ୍ରରେ ଯେତେ ପ୍ରକାର ସ୍ୱାର୍ଥ ଓ ଯେତେ ପ୍ରକାର ଆବଶ୍ୟକତା ରହିଚି, ସେହି ସମସ୍ତ ସ୍ୱାର୍ଥ ଓ ଆବଶ୍ୟକତାର ପ୍ରଶସ୍ତ ଓ ପରିପୂର୍ଣ୍ଣ ଭୂମି ଉପରେ ପରସ୍ପରର ସମଭାଗୀ ରୂପେ ଜୀବନ ନିର୍ବାହ କରୁଥାଏ, ତେବେ ସେହି ଲୋକ ସମଷ୍ଟିକୁ ଆମେ ଏକ ଗୋଷ୍ଠୀ ବା ସମୁଦାୟ ବୋଲି କହିପାରିବା-। ଏହି ସର୍ତ୍ତଗୁଡ଼ିକୁ ପରିପୂର୍ଣ୍ଣ କରୁଥିଲେ ଯେକୌଣସି ଗୋଟିଏ ବସତି, ଗୋଟିଏ ଗାଆଁ, ଗୋଟିଏ ସହର ବା ଗୋଟିଏ ଜାତିକୁ ମଧ୍ୟ ଆମେ ଗୋଷ୍ଠୀ ବୋଲି କହିପାରିବା । ଯେଉଁ ସାମାଜିକ ଜୀବନର ଆୟତନ ଭିତରେ ମନୁଷ୍ୟ ବ୍ୟକ୍ତି ପରିପୂର୍ଣ୍ଣ ଭାବରେ ଆପଣାର ଜୀବନ ଯାପନ କରିବାର ପରିସର ପାଇଥାଏ, କମ୍ୟୁନିଟି ବା ଗୋଷ୍ଠୀ କହିଲେ ଆମର ସେହି ଆୟତନକୁ ହିଁ ବୁଝିବା ଉଚିତ । ଗୋଷ୍ଠୀ-ବିଜ୍ଞାନର ପ୍ରସିଦ୍ଧ ବିଶ୍ଳେଷକ ଶ୍ରୀ ରବର୍ଟ ପାକ୍‌ଙ୍କ ଭାଷାରେ- ‘‘ଗୋଟିଏ ଗୋଷ୍ଠୀ ବା ସମୁଦାୟରେ ବାସ କରୁଥିବା ଲୋକମାନେ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ଭିତରେ ବାସ କରୁଥାନ୍ତି । ତଥାପି କେବଳ ସେତିକି ସର୍ତ୍ତ ପୂରଣ ହୋଇଗଲେ ଅର୍ଥାତ୍ କୌଣସି ଜନସମୂହ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାସ କରୁଥିଲେ ହିଁ ଆମେ ତାହାକୁ ଏକ ଗୋଷ୍ଠୀ ବୋଲି କଦାପି କହି ପାରିବାନାହିଁ । କାରଣ ଗୋଷ୍ଠୀଜୀବନ କେବଳ ଏତିକିଠାରୁ ଅନେକ ଅଧିକ କଥାକୁ ବୁଝାଇଥାଏ । କମ୍ୟୁନିଟି କହିଲେ କେବଳ ଏକ ଜନସମଷ୍ଟିକୁ ବୁଝାଏ ନାହିଁ; ଏହା ପାରସ୍ପରିକ ଜୀବନକୁ କେନ୍ଦ୍ର କରି ଗଢ଼ିଉଠିଥିବା କେତୋଟି ଅନୁଷ୍ଠାନର ଏକତ୍ର ସମାବେଶକୁ ବୁଝାଏ । ଲୋକସମଷ୍ଟିର ଆଧାର ଉପରେ ନୁହେଁ, ଏହି ଅନୁଷ୍ଠାନ ଗୁଡ଼ିକର ଆଧାର ଉପରେ ହିଁ ଆମେ ଗୋଟିଏ ଗୋଷ୍ଠୀକୁ ସ୍ପଷ୍ଟ ଭାବରେ ଅନ୍ୟାନ୍ୟ ବହୁବିଧ ସାମାଜିକ ସମୂହଠାରୁ ପୃଥକ କରି ବିଚାର କରିପାରିବା ।’’ (୧୪) ଯେକୌଣସି ସମୂହ ଓ ଗୋଷ୍ଠୀ ମଧ୍ୟରେ ରହିଥିବା ପାର୍ଥକ୍ୟର ଆଲୋଚନା କରି ଶ୍ରୀଯୁକ୍ତ ପାର୍କ କହିଚନ୍ତି–‘‘ପ୍ରତ୍ୟେକ ପ୍ରକାରର ସମାଜକୁ ଆମେ ଗୋଷ୍ଠୀ ବୋଲି କହିପାରିବା ନାହିଁ । କୌଣସି ନା କୌଣସି ମାତ୍ରାର ଗୋଷ୍ଠୀଜୀବନ ଉପରେ ହିଁ ସମାଜର ବିକାଶ ହୋଇଥାଏ; ଗୋଷ୍ଠୀର ଆଧାର ଉପରେ ହିଁ ସମାଜ ଗଢ଼ିଉଠିଥାଏ । ଏହାହିଁ ହେଉଚି ଗୋଷ୍ଠୀର ନ୍ୟୂନତମ ପରିଚୟ । କୌଣସି ସମାଜର ଚେର ଲାଗିବାକୁ ଯେଉଁ ଆର୍ଥିକ ସଂଗଠନ ଓ ଅନ୍ୟାନ୍ୟ ଅନୁକୂଳ ବାତାବରଣ ଆବଶ୍ୟକ ହୋଇଥାଏ, ଗୋଷ୍ଠୀ ବା ସମୁଦାୟ ହିଁ ସମାଜକୁ ସେସବୁ ଯୋଗାଇ ଦେଇଥାଏ । ଗୋଷ୍ଠୀଜୀବନ ବା ସାମୁଦାୟିକ ଜୀବନ ଉପରେ ହିଁ ସାମାଜିକ ଜୀବନ ପ୍ରତିଷ୍ଠିତ ରହିଥାଏ ।’’ (୧୫)

 

ଗତ ପଚାଶବର୍ଷ ଭିତରେ ଆମେରିକା ଓ ଇଉରୋପର ବହୁ ସଂଖ୍ୟକ ସମାଜଶାସ୍ତ୍ରୀ କମ୍ୟୁନିଟି ବା ଗୋଷ୍ଠୀଜୀବନର ଆଲୋଚନା କରିଚନ୍ତି । ଏଥିମଧ୍ୟରୁ ଅଧିକାଂଶ ଆଲୋଚନାକୁ ଆମେ ଏକ ପ୍ରକାର ପରମ୍ପରାଗତ ଆଲୋଚନା ବୋଲି କହିପାରିବା । ସତେଅବା ଗୋଷ୍ଠୀ-ବିଚାରର ଏକ ସାଧାରଣ ସର୍ବମାନ୍ୟ ପରମ୍ପରାକୁ ରକ୍ଷା କଲାପରି ଏହି ସବୁ ଆଲୋଚନାରେ ପ୍ରଧାନତଃ ସ୍ଥାନୀୟ ଅଞ୍ଚଳ, ଅର୍ଥାତ୍ ପ୍ରତିବେଶ, ସହର, ନଗର, ବା ଅଞ୍ଚଳ ପ୍ରଭୃତି ଭୌଗୋଳିକ ସୀମାବୋଧକ ଆୟତନର ଆଧାର ଉପରେ କମ୍ୟୁନିଟିର ଆଲୋଚନା କରାଯାଇଚି । (୧୬) କମ୍ୟୁନିଟି ସମ୍ପର୍କରେ ଲେଖାହୋଇଥିବା ଅଧିଂକାଶ ଗ୍ରନ୍ଥରେ ଆମେ ଦେଖିବା, ଏହାର ଭୌଗୋଳିକ ଆକାର ଓ ପ୍ରଚାରକୁ ଉଖାରି ଆଲୋଚନା କରିବାରେ ଅଧିକ ପୃଷ୍ଠା ଦିଆଯାଇଚି; କିନ୍ତୁ କମ୍ୟୁନିଟି କହିଲେ ଯେ ଆମେ ମୂଳତଃ ସାମାଜିକ ଜୀବନର ଏକ ବିଶେଷ ମାନସଭଙ୍ଗୀକୁ ବୁଝିଥାଉ, ସେ କଥାର ଉଲ୍ଲେଖ କରାଯାଇଥିଲେ ମଧ୍ୟ ଆଲୋଚନାରେ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇନାହିଁ । ଗୋଷ୍ଠୀଜୀବନ କହିଲେ ଯେ ସମାଜର ମଣିଷ ମଣିଷ ଭିତରେ ଆମେ ଏକ ବିଶେଷ ସମ୍ବନ୍ଧକୁ ବୁଝିଥାଉ, ଅଧିକାଂଶ ପୁସ୍ତକରେ ଆମେ ତାହାର ଯଥେଷ୍ଟ ସୂଚନା ପାଉନାହିଁ । ଗୋଷ୍ଠୀ କହିଲେ ଗୋଟିଏ ନିର୍ଦ୍ଦିଷ୍ଟ ସାମାଜିକ ଆୟତନକୁ ବୁଝାଏ, ଏ କଥା ସତ । ଏ କଥା ମଧ୍ୟ ସତ ଯେ ଗୋଷ୍ଠୀ ସମୁଦାୟ ମଧ୍ୟରେ ବାସ କରୁଥିବା ବ୍ୟକ୍ତିମାନେ ନାନାପ୍ରକାର ଆବଶ୍ୟକତା ଓ କାର୍ଯ୍ୟକଳାପର ଜରିଆରେ ପରସ୍ପର ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି । ତଥାପି ମଣିଷଗୋଷ୍ଠୀ କହିଲେ କେବଳ ଏକ ସଂଗଠନ ବା କେବଳ ଏକ ପ୍ରୟୋଜନଗତ ଓ କର୍ମଗତ ପାରସ୍ପରିକ ସମ୍ବନ୍ଧଠାରୁ ଅନେକ ଅଧିକ ବୁଝାଇବା ଉଚିତ । ମଣିଷର ସମୁଦାୟରେ ମଣିଷ ମଣିଷ ଭିତରେ ଯେଉଁ ଏକତା ବା ଏକବଦ୍ଧତା ରହିଥାଏ, ତାହାକୁ କେବଳ ଏକ ପ୍ରୟୋଜନବାଚକ ଏକତା ବୋଲି କହିହେବନାହିଁ । ମନୁଷ୍ୟେତର ପ୍ରାଣୀଜଗତରେ ମଧ୍ୟ ସଂଗଠନ ଓ ସମ୍ବନ୍ଧସୂତ୍ରମାନ ରହିଥାଏ; ଏକତା ଓ ଏକତାବଦ୍ଧତାର ନାନା ନିଦର୍ଶନ ବି ଦେଖିବାକୁ ମିଳେ । କିନ୍ତୁ ମଣିଷ-ସମୁଦାୟରେ ରହିଥିବା ଏକବଦ୍ଧତା ଓ ପାରସ୍ପରିକତା ଏହାଠାରୁ ଅନେକ ଭିନ୍ନ ଧରଣର । ମଣିଷର ଗୋଷ୍ଠୀଜୀବନରେ ଯେଉଁ ଏକବଦ୍ଧତା ରହିଥାଏ, ତାହାକୁ ଆମେ ଏକ ମନୋଗତ, ନୈତିକ ତଥା କର୍ମଗତ ଏକବଦ୍ଧତା ବୋଲି ମଧ୍ୟ କହିପାରିବା । (୧୭)

 

କେବଳ ଅନ୍ନଗତ ବା ଶରୀରଗତ ଆବଶ୍ୟକତାଦ୍ୱାରା ବାଧ୍ୟ ହୋଇ ମଣିଷ ଯେ ଆଉ ଜଣେ ମଣିଷକୁ ଲୋଡ଼େ ଓ ସମାଜ ଭିତରେ ଏକ ଗୋଷ୍ଠୀଗତ ସମ୍ପର୍କର ଜାଲ ଭିତରେ ଅନ୍ୟମାନଙ୍କ ସହିତ ନାନା ସମ୍ବନ୍ଧସୂତ୍ରରେ ଆବଦ୍ଧ ହୋଇ ରହିବାକୁ ଚାହେ, ତା ନୁହେଁ । ମଣିଷ ମଣିଷ ଭିତରେ ରହିଥିବା ସମ୍ପର୍କ ପଛରେ ଏକ ମନୋଗତ ବା ମନୋବୈଜ୍ଞାନିକ ଆବଶ୍ୟକତା ମଧ୍ୟ ରହିଚି । ମଣିଷ ଯେଉଁଠି ଯେପରି ଭାବରେ ରହିଥାଉ ପଛକେ, ସେ ନାନା କାରଣରୁ ଅନ୍ୟମାନଙ୍କ ସହିତ ଆତ୍ମୀୟପରି ହୋଇ ରହିବାକୁ ଚାହେ । ଏହି ଅଭିଳାଷ ଦ୍ୱାରା ପ୍ରେରିତ ହୋଇ ସେ ସକଳ ପୃଥିବୀକୁ ଆପଣାର ଆତ୍ମୀୟ କରିବାର ସ୍ୱପ୍ନ ଦେଖୁଥାଏ । ଆପଣା ଚାରିପାଖରେ ଥିବା କ୍ଷୁଦ୍ର ପ୍ରତିବେଶଟି ସହିତ ସେ ନାନାବିଧ ଅନ୍ତରଙ୍ଗତା ଦ୍ୱାରା ଜଡ଼ିତ ଓ ସମୃଦ୍ଧ ହୋଇ ରହିବାକୁ ଇଚ୍ଛା କରେ । କେତେକ ସମାଜଶାସ୍ତ୍ରୀଙ୍କ ମତରେ ଏହି କାରଣରୁ ହିଁ ପାରିବାରିକ ଜୀବନ ଓ ଗୋଷ୍ଠୀଗତ ନିକଟସମ୍ପର୍କର ଜୀବନ ପ୍ରତ୍ୟେକ ଯୁଗ ଏବଂ ଜଳବାୟୁର ପ୍ରତ୍ୟେକ ସମାଜରେ ରହିଆସିଚି । ଯେତେ ବଡ଼ ମଣିଷ-ଭିଡ଼ରେ ବାସ କରୁଥିଲେ ମଧ୍ୟ ମଣିଷ ସ୍ୱଭାବତଃ ଏକ ଅର୍ଥହୀନ ଏକକ ପରି ବିସ୍ତୃତ ହୋଇ ରହିବାକୁ ଚାହେନାହିଁ । ଯେଡ଼େ ବଡ଼ ସାମାଜିକ ଯନ୍ତ୍ରର ନାନା ନିୟନ୍ତ୍ରଣ ମଧ୍ୟରେ ରହିବାକୁ ବାଧ୍ୟ ହେଉଥିଲେ ମଧ୍ୟ ମଣିଷ କେବଳ ଏକ ସାନ ଯନ୍ତ୍ର ପରି ହୋଇ ରହିବାକୁ ଇଚ୍ଛା କରେନାହିଁ । ବଡ଼ ସହର ଓ ଦୁର୍ଦମ ଭିଡ଼ ଭିତରେ ତଥାପି ସେ ଆପଣାର ଏକ ଚିହ୍ନା ପ୍ରତିବେଶ ତିଆରି କରିନିଏ, ଅନ୍ୟମାନଙ୍କ ସହିତ ଅନ୍ତରଙ୍ଗ ଭାବରେ ସମ୍ମିଳିତ ହୋଇ ବଞ୍ଚିବାକୁ ଚେଷ୍ଟାକରେ, ଅନ୍ୟମାନଙ୍କ ଲାଗି ମଧ୍ୟ ବଞ୍ଚିବାକୁ ଚେଷ୍ଟାକରେ, ଏକକୁ ଅନେକରେ ମିଶାଇ ଦେବାକୁ ଚେଷ୍ଟାକରେ, ଆପଣାର ହିତ ଓ ଦୁଃଖସୁଖକୁ ସେ ସର୍ବଜନର ହିତ ଓ ଦୁଃଖସୁଖ ସହିତ ମିଶାଇଦେବାକୁ ତତ୍ପର ରହେ । ଏହିପରି କରି ହିଁ ସେ ଆପଣାର ଜୀବନକୁ ନୂତନ ଅର୍ଥର ବ୍ୟଞ୍ଜନା ଦିଏ, ଆପଣା ଜୀବନରେ ନୂତନ ସାର୍ଥକତା ଆଣେ ଏବଂ ସବୁରି ସହିତ ମିଶି ସେ ସ୍ଥାୟିତ୍ୱ ଓ ଅମରତ୍ୱର ଆସ୍ୱାଦ ପାଏ । ତେଣୁ ଅଳ୍ପ ବା ବହୁତ ଯେଉଁ ପରିମାଣରେ ହେଉ ପଛକେ, ପ୍ରତ୍ୟେକ ସମାଜ ଓ ସମୂହରେ ଆମେ ଗୋଷ୍ଠୀଜୀବନର ଆଭାସ ପାଇବା; ଗାଆଁରେ ବେଶୀ ପାଇବା, ବଡ଼ ସହରରେ କମ୍ ପାଇବା; ଆଦିବାସୀମାନଙ୍କର ସ୍ୱୟଂସମ୍ପୂର୍ଣ୍ଣ ଗୋଷ୍ଠୀଗୁଡ଼ିକରେ ବେଶୀ ପାଇବା, ଆଧୁନିକ ଆମେରିକାର ଅଟ୍ଟାଳିକାସଙ୍କୁଳ କ୍ଷିପ୍ରଗ ସମସ୍ୟାବହୁଳ ଜଟିଳ ଜୀବନରେ କମ୍ ପାଇବା । ଏହି ଦୃଷ୍ଟିରୁ ଆମେ ମଣିଷକୁ ଅର୍ଥାତ୍ ସବୁ ଯୁଗର ଓ ସବୁ ସମାଜର ମଣିଷକୁ ପ୍ରଧାନତଃ ଗୋଷ୍ଠୀର ଜୀବ ବୋଲି କହିପାରିବା । ଆପଣା ଜୀବନକୁ ସାର୍ଥକତା ଦେବାକୁ ଯାଇ ମଣିଷ ସଚରାଚର ଗୋଷ୍ଠୀ ଓ ସମୁଦାୟର ଏକ ସ୍ୱାଭାବିକ ପରିବେଶ ଭିତରେ ରହିବାଲାଗି ସବୁଦିନ ଇଚ୍ଛାକରି ଆସିଚି ଓ ସେହି ଅନୁସାରେ କାର୍ଯ୍ୟ ମଧ୍ୟ କରିସାରିଚି । ଅତୀତରେ ଆମ ପୃଥିବୀର ମଣିଷ ସବୁ ଦେଶରେ ଓ ସବୁ ସମାଜରେ ଗୋଷ୍ଠୀକୁହିଁ ସାମାଜିକ ଜୀବନର ଏକକ ରୂପେ ଗ୍ରହଣ କରି ଆସିଥିଲା । ଆଜି ମଧ୍ୟ ଆଧୁନିକ ସଭ୍ୟତା ଓ ଅତ୍ୟାଧୁନିକ ଜୀବନର ସକଳ ଗ୍ରନ୍ଥିଳତା ସତ୍ତ୍ୱେ ପୃଥିବୀର ଅଧିକାଂଶ ସ୍ଥାନରେ ମଣିଷ ମୁଖ୍ୟତଃ ଏହି ଗୋଷ୍ଠୀରେ ହିଁ ବାସ କରୁଚି-। (୧୮)

 

ଏହି ସଂକ୍ରାନ୍ତରେ ଆମେ ପୁଣି ଶ୍ରୀ ଆର୍ଥର୍ ମର୍‌ଗାନ୍‌ଙ୍କ ପାଖକୁ ଫେରିଯିବା । ତାଙ୍କର ଉଲ୍ଲିଖିତ ଗ୍ରନ୍ଥଟିରେ ସେ ନିମ୍ନଲିଖିତ କେତୋଟି କଥା ସ୍ପଷ୍ଟ କରିଦେବାକୁ ଇଚ୍ଛା କରିଚନ୍ତି-୧।। ଏହି ପୃଥିବୀରେ କୌଣସି ମନୁଷ୍ୟ-ସମାଜ ପାରସ୍ପରିକ ବିଶ୍ୱାସ, ସଦିଚ୍ଛା ଓ ଦାୟିତ୍ୱପୂର୍ଣ୍ଣ ଭ୍ରାତୃଭାବ ବ୍ୟତୀତ କଦାପି ତିଷ୍ଠି ରହିପାରିବ ନାହିଁ । ଅଳ୍ପ ହେଉ ବା ଅଧିକ ହେଉ, ପ୍ରତ୍ୟେକ ସମାଜର ତିଷ୍ଠି ରହିବା ଏହାରି ଉପରେ ହିଁ ନିର୍ଭର କରୁଚି । ୨।। ଏହି ସବୁ ଗୁଣଗୁଡ଼ିକର ବିକାଶ ଓ ପରିପୁଷ୍ଟି ଲାଗି ଯେଉଁ ସମାଜରେ ଯେତେ ଅଧିକ ଅନୁକୂଳ ବାତାବରଣ ରହିଥିବ, ସେହି ସମାଜର ମୂଳଦୁଆ ସେତେ ଦୃଢ଼ ହେବ, ସେହି ସମାଜ ଆମର ସେତେ ବେଶୀ ହିତସାଧନ କରିପାରିବ । ୩।। ଏହିସବୁ ଗୁଣଗୁଡ଼ିକ ମଣିଷର ରକ୍ତରେ ନଥାଏ, ଅର୍ଥାତ୍ ଜନ୍ମ ହେଲାବେଳେ କୌଣସି ମଣିଷ ଏହି ସବୁ ଗୁଣଗୁଡ଼ିକୁ ନେଇ ଜନ୍ମ ହୁଏନାହିଁ । ମାତ୍ର ଜନ୍ମହେବା ପରେ ଏହି ସମାଜ ଭିତରେ ଜୀବନଯାପନ କରି ହିଁ ମଣିଷ ସେଗୁଡ଼ିକୁ ଅର୍ଜନ କରିବାର ଅବସର ପାଇଥାଏ । ସମାଜର ଯେଉଁମାନଙ୍କଠାରେ ଏହି ଗୁଣଗୁଡ଼ିକ ରହିଥାଏ, ସେମାନଙ୍କର ସଂସର୍ଗ ଓ ସାହଚର୍ଯ୍ୟରେ ଆସି ମଣିଷ ସେଗୁଡ଼ିକୁ ଶିକ୍ଷା କରେ । ୪।। ଯେଉଁପରି ସାମାଜିକ ବାତାବରଣରେ ମଣିଷ ଅନ୍ୟ ମଣିଷମାନଙ୍କ ସହିତ ଘନିଷ୍ଟ ଓ ପ୍ରତ୍ୟକ୍ଷ ସମ୍ପର୍କରେ ଆସିବାର ସୁଯୋଗ ପାଏ, ଅର୍ଥାତ୍ ଯେଉଁଠି ମଣିଷ ସାନ ଗୋଷ୍ଠୀ ବା ସମୁଦାୟ ମଧ୍ୟରେ ରହି ବଢ଼ିବାର ସୁଯୋଗ ପାଏ, ସେହିଠାରେ ହିଁ ତାର ଉପର୍ଯ୍ୟୁକ୍ତ ଗୁଣଗୁଡ଼ିକର ପରିପୂର୍ଣ୍ଣ ବିକାଶ ହୋଇପାରିବାର ଅନୁକୂଳତମ ପରିସର ମିଳିଥାଏ । (୧୯) ଆପଣାର ଗ୍ରନ୍ଥମାନଙ୍କରେ ଶ୍ରୀଯୁକ୍ତ ମର୍‌ଗାନ୍ ବାର ବାର କହିବାକୁ ଚେଷ୍ଟା କରିଚନ୍ତି ଯେ ମଣିଷରୂପେ ତଥା ସୁନ୍ଦରରୂପେ ବଞ୍ଚି ରହିବାକୁ ହେଲେ ଆମକୁ ଗୋଷ୍ଠୀଜୀବନର ମହତ୍ତ୍ୱ ଓ ଅତ୍ୟାବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ପଡ଼ିବ । ବର୍ତ୍ତମାନ ଯୁଗର ସଭ୍ୟତା ଗୋଷ୍ଠୀ-ଜୀବନର ଅନୁକୂଳ ହୋଇପାରୁନାହିଁ । ନାନା ଯନ୍ତ୍ରବତ୍ ସାମାଜିକ ବ୍ୟବସ୍ଥାରେ ଅଧିକରୁ ଅଧିକ ଔପଚାରିକ ସଂସ୍ଥାର ଫାନ୍ଦରେ ପଡ଼ିଯାଇ ଆଧୁନିକ ମଣିଷ କ୍ରମେ ଆପଣାକୁ ବଡ଼ ଏକାକୀ ଓ ଅସହାୟ ମନେ କରିବାକୁ ଆରମ୍ଭ କଲାଣି । ଅନେକ କ୍ଷେତ୍ରରେ ସାମୂହିକ ବ୍ୟବସ୍ଥା ଓ ସାମୂହିକ ଶାସନର ଯନ୍ତ୍ରପାଖରେ ଆତ୍ମସମର୍ପଣ କରି ତାହାରି ବରାଦ ଅନୁସାରେ ଆପଣାକୁ ଖାପ ଖୁଆଇନେବା ବ୍ୟତୀତ ମଣିଷ କୌଣସି ଗତ୍ୟନ୍ତର ଦେଖୁନାହିଁ । ସତର୍କବାଣୀ ଶୁଣାଇବା ପରି ଶ୍ରୀ ମର୍‌ଗାନ୍ ଆମକୁ ସାନ ଗୋଷ୍ଠୀ ଭିତରେ ରହି ମନୁଷ୍ୟ ଜୀବନର ମୂଲ୍ୟ ଓ ଅଧିକାର ଗୁଡ଼ିକୁ ବଞ୍ଚାଇ ରଖିବାକୁ ସଚେତ କରି ଦେଇଚନ୍ତି ।

 

ଆଉଜଣେ ଲେଖକଙ୍କର ମତ ହେଉଛି ମଣିଷମାନେ ଯେ ଇତିହାସର ଆଦିକାଳରୁ ଆଜିପର୍ଯ୍ୟନ୍ତ ଖଣ୍ଡଖଣ୍ଡ ହୋଇ ଭାଙ୍ଗିନଯାଇ ତିଷ୍ଠି ରହିଚି, ତାହା ପ୍ରଧାନତଃ ସାନ ସାନ ସମୁଦାୟରେ ମଣିଷ ଯାପନ କରୁଥିବା ସାମାଜିକ ଜୀବନ ଯୋଗୁଁ । ଆଦିବାସୀଙ୍କର ସାନ ସାନ ବସତି କହ, ଗାଆଁ କହ, ବା ଆଉ ଯେଉଁ ପ୍ରକାରର ଗୋଷ୍ଠୀ କହ, ଯେଉଁଠି ମଣିଷ ମଣିଷ ଭିତରେ ସିଧା ସମ୍ପର୍କ ରହିଚି ଓ ଯେଉଁଠି ମଣିଷ ମଣିଷର ସିଧା ପରିଚୟ ପାଇପାରୁଚି, ସେହି ଗୋଷ୍ଠୀର ସ୍ତରରେ ହିଁ ଯୁଗ ଯୁଗ ଧରି ମଣିଷସମାଜ ବଞ୍ଚିରହିଚି, ସେହି ଗୋଷ୍ଠୀଜୀବନ ସକାଶେ ହିଁ ମଣିଷର ସମାଜ ଫାଟିନଯାଇ ଗୋଟାହୋଇ ରହିଚି । କେତେ ଯୁଗ ଯାଇ କେତେ ଯୁଗ ଆସୁଚି, କେତେ ସଭ୍ୟତା ଭାଙ୍ଗି କେତେ ନୂଆ ସଭ୍ୟତା ତାହାର ସ୍ଥାନ ପୂର୍ଣ୍ଣ କରୁଚି, ତଥାପି ସମାଜ ଚାଲିଚି, ତଥାପି ସମାଜ ତିଷ୍ଠି ରହିଚି । ଏହି କାରଣରୁ ଆମକୁ ଏପରି ଏକ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ ଯେ, ଯେଉଁ ସଭ୍ୟତା ବିଲୁପ୍ତ ହୋଇନଯାଇ ବଞ୍ଚିରହିବାକୁ ଚାହୁଚି, ତାହାକୁ ଗୋଷ୍ଠୀଜୀବନର ଅନ୍ତତଃ କେତୋଟି ଗୁଣକୁ ସୁରକ୍ଷିତ କରିବାକୁ ପଡ଼ିବ । ମଣିଷ କେବଳ ଏକ ତାତ୍କାଳିକ ପ୍ରୟୋଜନରେ ପଡ଼ି ଗୋଷ୍ଠୀର ଅନ୍ତର୍ଭୁକ୍ତ ହେବାକୁ ଯାଏନାହିଁ । କେତେଟା କାମ ହାସଲ କରିବାକୁ ବା ଲାଭ ଉଠାଇବାକୁ ସେ ଗୋଷ୍ଠୀଜୀବନକୁ ଲୋଡ଼େନାହିଁ । ଜୀବନର ନିତ୍ୟନୈମିତ୍ତିକ ଘାତ ପ୍ରତିଘାତ ସତ୍ତ୍ୱେ ସମାହିତ ଭାବରେ ଜୀବନ ବଞ୍ଚିବାଲାଗି ଗୋଷ୍ଠୀ ବା ସମୁଦାୟର ନିର୍ଭର ମନୁଷ୍ୟ-ବ୍ୟକ୍ତିକୁ ବହୁପରିମାଣରେ ସାହାଯ୍ୟ କରିଥାଏ । ତାର ସନ୍ତାନମାନେ ବଡ଼ ହୋଇ ଯେପରି ସୁଖ ଓ ସର୍ବାଙ୍ଗୀନ ସମ୍ପନ୍ନତା ସହିତ ଜୀବନ ଯାପନ କରିପାରିବେ, ସେହି ଅନୁସାରେ ସେମାନଙ୍କର ପ୍ରତିପାଳନ କରିବାଲାଗି ସେ ଏହି ଗୋଷ୍ଠୀଠାରୁ ହିଁ ସାହାଯ୍ୟ ପାଏ । ଆଧୁନିକ ସମାଜରେ ଗୋଷ୍ଠୀଜୀବନର ସ୍ୱାଭାବିକ ସଂହତି ଓ ପାରସ୍ପରିକତା କ୍ରମେ ତୁଟି ତୁଟି ଯାଉଚି । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଆସିଥିବା ଜୀବନଗତ ଯୋଗମାନ ଛିଡ଼ି ଛିଡ଼ି ଯାଉଚି । ବ୍ୟକ୍ତି ବଡ଼ ଏକାକୀ ଓ ଅସଂଲଗ୍ନ ଭାବରେ ପଡ଼ିରହୁଚି । କିନ୍ତୁ ଯେକୌଣସି ସଭ୍ୟତା ବିଲୋପର ମୁଖରୁ ଆପଣାକୁ ବଞ୍ଚାଇ ତିଷ୍ଠି ରହିବାକୁ ହେଲେ ସାନ ସମୁଦାୟ ମଧ୍ୟରେ ରହିଥିବା ଲକ୍ଷଣ ଗୁଡ଼ିକୁ ବଞ୍ଚାଇ ରଖିବାକୁ ପଡ଼ିବ-। ସମାଜ କହିଲେ ନାନାବିଧ ସମୂହ ଓ ସମୂହଗତ ଜୀବନର ସମ୍ପର୍କକୁ ବୁଝାଇଥାଏ । ଏହି ସମ୍ପର୍କଗୁଡ଼ିକ ଭିତରେ ଗୋଷ୍ଠୀଜୀବନର ପ୍ରାଣମୟତା ବଞ୍ଚିରହିପାରିଲେ ଯାଇ ସଭ୍ୟତା ମଧ୍ୟ ବଞ୍ଚିପାରିବ । ପ୍ରତ୍ୟେକ ସଭ୍ୟତା ସମ୍ମୁଖରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ । ଯଦି ଆମେ ଏହି ସମସ୍ୟାର ସମାଧାନ କରି ନପାରିବା, ଯେଡ଼େ ବଡ଼ ବଡ଼ ସ୍ୱପ୍ନ ଓ ଉଦ୍ଦେଶ୍ୟ ପଛରେ ଧାଇଁ ଯେଡ଼େ ବଡ଼ ବଡ଼ ଉଦ୍ୟମ କଲେ ମଧ୍ୟ ଆମେ କଦାପି ଆମର ଇପ୍‌ସିତ ଆଦର୍ଶ-ରାଜ୍ୟରେ ପହଞ୍ଚି ପାରିବାନାହିଁ । ଏଣେ ନାନାପ୍ରକାରର ନୂତନ ଓ ପୁରାତନ ସ୍ୱେଚ୍ଛାଚାର ଓ ସ୍ୱାର୍ଥାନ୍ଧତା ଦ୍ୱାରା ଆମର ସମାଜ ଓ ସଭ୍ୟତା ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ । (୨୦)

 

ଗୋଷ୍ଠୀଜୀବନଠାରୁ ପ୍ରତ୍ୟେକ ମଣିଷ ସାଧାରଣତଃ କଣ ଆଶା କରିଥାଏ ? ଗୋଷ୍ଠୀ ବା ସମୁଦାୟରୁ କଣ ସବୁ ପାଇଲେ ମଣିଷ ତାହାକୁ ଆପଣାର ଗୋଷ୍ଠୀ ବା ସମୁଦାୟରୂପେ ଗ୍ରହଣ କରି ନେଇଥାଏ ? ସ୍ଥୂଳଭାବରେ କହିବାକୁ ଗଲେ କେଉଁ ପରିସ୍ଥିତିରେ ପ୍ରତ୍ୟେକ ଗ୍ରାମବାସୀ ଗାଆଁକୁ ଆପଣାର ବୋଲି ମନେକରନ୍ତି ? ସେମାନେ ଆପଣାର ଗ୍ରାମରୂପୀ ସମୁଦାୟଠାରୁ ସାଧାରଣତଃ କଣ ସବୁ ଆଶା କରିଥାନ୍ତି, ଯାହା ନପାଇଲେ କି ଗାଆଁରେ ଥାଇ ମଧ୍ୟ ସେମାନେ ଆପଣାକୁ ଅବହେଳିତ ବାହାର ମଣିଷ ବୋଲି ଅନୁଭବ କରିବାକୁ ଆରମ୍ଭ କରନ୍ତି ? କୌଣସି ଦେଶକୁ ମଧ୍ୟ ଯଦି ଏକ ସମୁଦାୟ ବୋଲି ଗ୍ରହଣ କରାଯାଏ, ତେବେ ଏହାକୁ ଆପଣାର ଦେଶବୋଲି କହିବାଲାଗି ପ୍ରତ୍ୟେକ ଦେଶବାସୀର ମନରେ କେଉଁ ସବୁ ନିର୍ଭର ପାଇବା ଆବଶ୍ୟକ ହୁଏ ? ଦେଶକୁ ଆପଣାର ବୋଲି କହିବାକୁ ହେଲେ ଦେଶର ବଡ଼ ବଡ଼ ପାହାଡ଼ ବା ଦିଗନ୍ତବିସ୍ତୃତ ଆକାଶ ମଣିଷକୁ ଖୁବ୍ ବେଶୀ ସାହାଯ୍ୟ କରିପାରନ୍ତି ନାହିଁ । ଦେଶରୂପୀ ସମୁଦାୟ ସହିତ ପ୍ରାଣଗତ, ଅନ୍ତର୍ଗତ ସମ୍ପର୍କ ରହିପାରିବା ଲାଗି ଯେତେ ବ୍ୟବସ୍ଥା ରହିବା ଦରକାର, ତାହା ରହିପାରିଲେ ଯାଇ ଦେଶର ମଣିଷ ସ୍ୱତଃ ତାହାକୁ ଆପଣାର ଦେଶବୋଲି ଅନୁଭବ କରିବାକୁ ପ୍ରବୃତ୍ତ ହୁଏ । ସ୍ଥାନୀୟ ବା ଜାତୀୟ ଯେ କୌଣସି ସ୍ତରରେ ହେଉ ପଛକେ, ମଣିଷର ଗୋଷ୍ଠୀ ବା ସମୁଦାୟ ମଣିଷକୁ ନିମ୍ନଲିଖିତ ନିର୍ଭରମାନ ଦେଇପାରିବା ଉଚିତ–

 

୧।। ଆପଣାର ଗୋଷ୍ଠୀ ଭିତରେ ପ୍ରତ୍ୟେକ ମଣିଷର ଶାରୀରିକ ଓ ଆର୍ଥିକ ଆବଶ୍ୟକତା ଗୁଡ଼ିକର ପୂରଣ ଲାଗି ପ୍ରଶସ୍ତ ପରିସର ରହିବା ଉଚିତ । ଅର୍ଥାତ୍ ଆପଣାର ଜୀବିକାନିର୍ବାହ ଲାଗି ଗୋଷ୍ଠୀ ଭିତରେ ଅବଶ୍ୟ କୌଣସି ନା କୌଣସି କାର୍ଯ୍ୟ କରିବାର ସୁଯୋଗ ମିଳିବ, ପ୍ରତ୍ୟେକ ମଣିଷର ଏହିପରି ଏକ ବିଶ୍ୱାସ ରହିବା ଉଚିତ୍ । ଯେଉଁ ଗୋଷ୍ଠୀ କାର୍ଯ୍ୟକ୍ଷମ ମଣିଷକୁ କାର୍ଯ୍ୟ ଯୋଗାଇନପାରି ତାକୁ ବେକାର ବସାଇରଖେ, ସେହି ଗୋଷ୍ଠୀ ଆପଣାର କର୍ତ୍ତବ୍ୟରେ ଅବହେଳା କରେ ବୋଲି ସ୍ୱୀକାର କରିବାକୁ ପଡ଼ିବ । ଗୋଷ୍ଠୀର ଆୟତନ ଭିତରେ ଯେତେ ପ୍ରକାର ଦ୍ରବ୍ୟର ଉତ୍ପାଦନ ହେଉଚି, ସଦସ୍ୟମାନଙ୍କର ଭୋଗ କରିବାଲାଗି ଯେଉଁସବୁ ଦ୍ରବ୍ୟ ଗୋଷ୍ଠୀ ଭିତରେ ରହିଚି, ସେଗୁଡ଼ିକ ପ୍ରତ୍ୟେକ ଗୋଷ୍ଠୀର ମଣିଷର ସାମର୍ଥ୍ୟ ଭିତରେ ରହିଥିବା ଉଚିତ । ଯଦି କୌଣସି ଗୋଷ୍ଠୀରେ ଏପରି ବ୍ୟବସ୍ଥା ରହେ ଯାହାଦ୍ୱାରା କି ବସ୍ତୁର ଉପଭୋଗ କରିବା କେବଳ କେତେଜଣଙ୍କର ସୌଭାଗ୍ୟ ହୋଇ ରହେ ଓ ଅନ୍ୟମାନେ ସେଥିରୁ ବଞ୍ଚିତ ହୋଇ ରହନ୍ତି, ତେବେ ସେହି ଗୋଷ୍ଠୀ ସମ୍ପୃକ୍ତ ସବୁ ମଣିଷଙ୍କୁ କଦାପି ଆପଣାର ସଦସ୍ୟ ବୋଲି ଦାବୀ କରି ପାରିବନାହିଁ । ଗୋଷ୍ଠୀ ବା ସମୁଦାୟର କର୍ତ୍ତବ୍ୟ, ତାହା କେବଳ କେତେ ଜଣଙ୍କର ନୁହେଁ, ସବୁ ସଦସ୍ୟଙ୍କର ଆର୍ଥିକ ସୁରକ୍ଷା ଓ ନିରାପତ୍ତା ଲାଗି ସମ୍ଭବ ସବୁପ୍ରକାର ବ୍ୟବସ୍ଥା କରିବ । କେତେଜଣଙ୍କ ଲାଗି ସକଳ ପ୍ରକାର ସୁଯୋଗ ଖଞ୍ଜିଦେଇ ଅନ୍ୟମାନଙ୍କୁ ନାନାବିଧ ଶୋଷଣ ଓ ଅନ୍ୟାୟଦ୍ୱାରା ସନ୍ତପ୍ତ ହେବାକୁ ଦେବନାହିଁ । ସଦସ୍ୟମାନଙ୍କର ସ୍ୱାସ୍ଥ୍ୟରକ୍ଷାର ଦାୟିତ୍ୱ ମଧ୍ୟ ପ୍ରଧାନତଃ ଗୋଷ୍ଠୀ ଉପରେ ରହିବ । ଗୋଷ୍ଠୀ ଭିତରେ ସମସ୍ତଙ୍କର ପର୍ଯ୍ୟାପ୍ତ ଅବସରବିନୋଦନ ଲାଗି ସକଳ ବ୍ୟବସ୍ଥା ରହିବ । କେତେକଙ୍କର ଅୟସ ଆରାମଲାଗି ଅନ୍ୟମାନଙ୍କୁ ଗଧପରି ଖଟିବାକୁ ପଡ଼ିବନାହିଁ । ସମସ୍ତେ ବାସଯୋଗ୍ୟ ଘରେ ରହିବାର ସୁଯୋଗ ପାରିବେ । ମୋଟ ଉପରେ ସୁସ୍ଥ ଓ ସୁରକ୍ଷିତ ଜୀବନ କହିଲେ ଯେଉଁସବୁ ବାହ୍ୟ ବାତାବରଣର ବ୍ୟବସ୍ଥା ରହିବାକୁ ବୁଝାଏ, ଉପଯୁକ୍ତ ଗୋଟିଏ ଗୋଷ୍ଠୀଭିତରେ ସବୁ ମଣିଷଙ୍କ ଲାଗି ସେହିସବୁ ବ୍ୟବସ୍ଥା ଅବଶ୍ୟ ରହିବ ବା ସେହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାଲାଗି ସବୁ ପ୍ରକାର ଉଦ୍ୟମ ଅବଶ୍ୟ କରାଯିବ ।

 

୨।। ଗୋଷ୍ଠୀ ଭିତରେ ଯେତେ ଲୋକ ବାସ କରୁଚନ୍ତି, ସେମାନଙ୍କର ସାମାଜିକ ଓ ମାନସିକ ବିକାଶଲାଗି ଗୋଷ୍ଠୀ ଯଥାସମ୍ଭବ ଏକ ପ୍ରଶସ୍ତ ଓ ଅନୁକୂଳ ବାତାବରଣ ଯୋଗାଇ ଦେଇ ପାରୁଥିବ । ତାହାର ଅର୍ଥ ହେଉଚି, ସବୁ ମଣିଷ ଶିକ୍ଷାର ସୁଯୋଗ ପାଇବେ । ଶିକ୍ଷା ପାଇବାର ଯୋଗ୍ୟତା ରହିଥିବା ପର୍ଯ୍ୟନ୍ତ ଆର୍ଥିକ ବା ସାମାଜିକ କାରଣରୁ କେହି ଅଧବାଟରେ ବାଧ୍ୟ ହୋଇ ଅଟକି ରହିବନାହିଁ । ଯିଏ ବିଚରା ଆଗକୁ ଯାଇ ନପାରିଲା, ତା ଭାଗ୍ୟରେ ତାହାହିଁ ଲେଖାହୋଇ ରହିଥିଲା ବୋଲି କହିବାକୁ ଅନ୍ୟାୟ ବୋଲି କୁହାଯିବ । ସାମାଜିକ ଜୀବନ ଅର୍ଥାତ୍ ସାଂସ୍କୃତିକ ଜୀବନ । ସଂସ୍କୃତି କହିଲେ ଅନେକ ଅସ୍ୱାଭାବିକ ସମାଜରେ କେବଳ କେତେଜଣଙ୍କର ସାଂସ୍କୃତିକ ବିଳାସକୁ ବୁଝାଏ । ପୂର୍ବେ ରାଜାମାନେ ଏହି ସବୁ ବିଳାସର ଅଧିକାରୀ ରହିଥିଲେ । କୌଣସି କୌଣସି ସମାଜରେ କେବଳ ଗୋଟାଏ ତଥାକଥିତ ଉଚ୍ଚ ଜାତି ବା ଅଧିକ ଧନ ଥିବା ବର୍ଗକୁ ସାଂସ୍କୃତିକ ଉପଭୋଗର ଅଧିକାର ମିଳୁଥିଲା, ହୁଏତ ଆଜି ମଧ୍ୟ ମିଳୁଚି । ଏହାକୁ ଆମେ ସୁସ୍ଥ ଗୋଷ୍ଠୀଜୀବନର ଲକ୍ଷଣ ବୋଲି କହିପାରିବା ନାହିଁ । ଅଧେ ମଣିଷକୁ ଅସ୍ୱୀକାର କରାଯାଉଥିବା ପର୍ଯ୍ୟନ୍ତ ଶିକ୍ଷା ଓ ସଂସ୍କୃତି ନାମରେ ଆମର ସକଳ ବିଳାସକୁ କେବଳ ଏକ ବିକୃତ ଗୋଷ୍ଠୀଜୀବନର ପରିଚାୟକ ବୋଲି କୁହାଯାଉଥିବ । ଯେଉଁ ଗୋଷ୍ଠୀରେ ଯେଉଁ ମଣିଷମାନେ ଶିକ୍ଷା ଓ ସଂସ୍କୃତିର ନାନା ସୁଯୋଗରୁ ବଞ୍ଚିତ ହୋଇ ରହିଚନ୍ତି, ସେହି ଗୋଷ୍ଠୀକୁ ସେହି ମଣିଷମାନେ କାହିଁକି ବା କେତେଦୂର ଆପଣାର ଗୋଷ୍ଠୀ ବୋଲି ଅନୁଭବ କରିପାରିବେ ବା କହିପାରିବେ, ସେକଥା ଆମର ବିଚାର କରି ଦେଖିବା ଉଚିତ ।

 

୩ ।। ଗୋଷ୍ଠୀ ବା ସମୁଦାୟ କହିଲେ ନ୍ୟାୟତଃ ଏକ ଗଣତାନ୍ତ୍ରିକ ସମୁଦାୟକୁ ହିଁ ବୁଝାଇଲେ । ଅର୍ଥାତ୍ ଏହି ଗୋଷ୍ଠୀର ପ୍ରତ୍ୟେକ ମଣିଷକୁ ପ୍ରଧାନତଃ ମଣିଷ ହିସାବରେ ହିଁ ଗ୍ରହଣ କରାଯିବ । ଗୋଷ୍ଠୀ ଭିତରେ ବାସ କରୁଥିବା ପ୍ରତ୍ୟେକ ମଣିଷ ଅନୁଭବ କରିବେ ଯେ ଏହି ଗୋଷ୍ଠୀ ହେଉଚି ସେମାନଙ୍କର ଗୋଷ୍ଠୀ । ଏହି ଗୋଷ୍ଠୀରେ ପ୍ରତ୍ୟେକଙ୍କର ସମାନ ଅଧିକାର ବା କର୍ତ୍ତବ୍ୟମାନ ରହିଚି । ଜୀବନର ନାନା କ୍ଷେତ୍ର ଓ କାର୍ଯ୍ୟକଳାପରେ ସେମାନେ ଗୋଷ୍ଠୀର ସଂହତିକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ଓ ବାତାବରଣ ଯୋଗାଇବାଦେବା ଗୋଷ୍ଠୀର କର୍ତ୍ତବ୍ୟ ହୋଇ ରହିବା ଉଚିତ । ଗୋଷ୍ଠୀ କାହାରି ମରଜି ବା ଅନୁଗ୍ରହରେ ଚାଲୁନାହିଁ, ଏହା ପରସ୍ପରର ସହଯୋଗରେ, ପରସ୍ପରର କଲ୍ୟାଣବିଧାନର ଲକ୍ଷ୍ୟ ବହନ କରି ଚାଲୁଚି–ଏଥିରେ ପ୍ରତ୍ୟେକଙ୍କ ଲାଗି ସହଯୋଗ କରିବାର ସ୍ୱାଧୀନତା ରହିଚି–ବ୍ୟକ୍ତିର ମନରେ ଏହିପରି ଏକ ଦୃଷ୍ଟି ଜାଗ୍ରତ କରି ରଖିବାର ଦାୟିତ୍ୱ ଗୋଷ୍ଠୀର ହିଁ ରହିବା ଉଚିତ । (୨୧)

 

ଗୋଷ୍ଠୀଜୀବନରେ ବ୍ୟକ୍ତି ଉପରେ ସମଷ୍ଟିର ସ୍ୱେଚ୍ଛାଚାର ଚାଲେନାହିଁ ବା କେତୋଟି ବର୍ଗ ଉପରେ ଗୋଟିଏ ବର୍ଗର ଏକାଧିକାର ଚାଲେନାହିଁ । ଗୋଷ୍ଠୀକୁ ପୃଷ୍ଟ କରିବା ବ୍ୟକ୍ତିର ଅବଶ୍ୟ କର୍ତ୍ତବ୍ୟ, କିନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱର ପରିପୂର୍ଣ୍ଣ ବିକାଶଲାଗି ଉପଯୁକ୍ତ ବାତାବରଣ ଯୋଗାଇଦେବା ମଧ୍ୟ ଗୋଷ୍ଠୀର କର୍ତ୍ତବ୍ୟ । ଏଠାରେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ କିମ୍ବା ଅନ୍ଧ ଭୟାର୍ତ୍ତ ଭାବରେ ମାନିନେବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । କାରଣ କମ୍ୟୁନିଟି ବା ଗୋଷ୍ଠୀ କହିଲେ କେବଳ ନାନା ବ୍ୟକ୍ତିଙ୍କର ସହଯୋଗ ସମ୍ମିଳିତ ସାଧାରଣ ଜୀବନକୁ ହିଁ ବୁଝାଇଥାଏ । କିନ୍ତୁ ସବୁ ମଣିଷ-ବ୍ୟକ୍ତିକୁ ନେଇ କୌଣସି ଜବରଦସ୍ତିର ହାଣ୍ଡିରେ ଏକାଠି ଯନ୍ତିଦେବାକୁ ଆମେ ଗୋଷ୍ଠୀଜୀବନ ବୋଲି କହି ପାରିବାନାହିଁ । ବ୍ୟକ୍ତି ଓ ବ୍ୟକ୍ତି ମଧ୍ୟରେ ଭିନ୍ନତା ଅବଶ୍ୟ ରହିଚି, ଭିନ୍ନ ସମ୍ଭାବନାମାନ ରହିଚି । ଏହି ସମ୍ଭାବନାଗୁଡ଼ିକୁ ସ୍ୱକୀୟମାର୍ଗରେ ବିକଶିତ କରିବାର ଅନ୍ୟ ନାମ ହେଉଚି ବ୍ୟକ୍ତିତ୍ୱର ନିର୍ମାଣ କରିବା । ପ୍ରତ୍ୟେକ ସୁସ୍ଥ ଓ ସ୍ୱାଭାବିକ ଗୋଷ୍ଠୀଜୀବନରେ ଏହି ବିକାଶ ବା ବ୍ୟକ୍ତିତ୍ୱ ନିର୍ମାଣ ଲାଗି ଯଥେଷ୍ଟ ପରିସର ରହିଥିବା ଉଚିତ, ବ୍ୟକ୍ତିତ୍ୱକୁ ଦବାଇଦେବାକୁ ବା ମାରିଦେବାକୁ ନୁହେଁ-ଆପଣା ବ୍ୟକ୍ତିତ୍ୱର ବିକାଶ କରିବାକୁ ଆପଣାର ପ୍ରଧାନତମ ଉଦ୍ଦେଶ୍ୟ ରୂପେ ଗ୍ରହଣ କରି ହିଁ ବ୍ୟକ୍ତି ଗୋଷ୍ଠୀର ଦ୍ୱାରସ୍ଥ ହୁଏ, ଏହି ଉଦ୍ଦେଶ୍ୟର ସାଧନ ଲାଗି ସେ ଅନ୍ୟମାନଙ୍କ ସହିତ ସହଯୋଗ କରେ-। ଏହି ସହଯୋଗ ଦ୍ୱାରା ସେ ଅନ୍ୟମାନଙ୍କର ବ୍ୟକ୍ତିତ୍ୱ-ବିକାଶରେ ସହାୟକ ହୁଏ, ଆପଣା ବ୍ୟକ୍ତିତ୍ୱର ବିକାଶ ଲାଗି ମଧ୍ୟ ଗୋଷ୍ଠୀର ଅନ୍ୟମାନଙ୍କୁ ସେ ପ୍ରଧାନତଃ ସଖା ଓ ସହାୟକ ବୋଲି ପାଇଥାଏ । ଅର୍ଥାତ୍ ଯେଉଁ ଗୋଷ୍ଠୀ ଭିତରେ ପ୍ରତ୍ୟେକ ବ୍ୟକ୍ତି ଲାଗି ବ୍ୟକ୍ତିତ୍ୱ-ବିକାଶର ଆବଶ୍ୟକତାଗୁଡ଼ିକ ଯେତେ ସୁଷମ ଓ ସୁସଂଗଠିତ ଭାବରେ ପରିପୂର୍ଣ୍ଣ ହେଉଥିବ, ସେହି ଗୋଷ୍ଠୀକୁ ଆମେ ସାଧାରଣ ଜୀବନର ସେତେ ବେଶୀ ଅନୁକୂଳ ବୋଲି କହିପାରିବା । ଅର୍ଥାତ୍ ପ୍ରତ୍ୟେକ ଗୋଷ୍ଠୀ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଥିବା ପାର୍ଥକ୍ୟ ଓ ସ୍ୱତନ୍ତ୍ରତାକୁ ଅବଶ୍ୟ ସ୍ୱୀକାର କରିବ-। ଗୋଷ୍ଠୀର ଏକବଦ୍ଧତା ଭିତରେ ତଥାପି ବ୍ୟକ୍ତିମାନେ ଆପଣାର ବିକାଶଲାଗି ପରିପୂର୍ଣ୍ଣ ସୁଯୋଗ ଓ ସ୍ୱାଧୀନତା ପାଇବେ, ଅଥଚ ପରସ୍ପରର ବା ଗୋଷ୍ଠୀ-ହିତର ବିରୋଧୀ ହେବେନାହିଁ । ଗୋଷ୍ଠୀର ବିକାଶ ଓ ବ୍ୟକ୍ତିର ବିକାଶ ପରସ୍ପରର ବିରୋଧୀପରି କାର୍ଯ୍ୟ କରିବେ ନାହିଁ, ଏହି ମାନଦଣ୍ଡ ଉପରେ ହିଁ ଗୋଷ୍ଠୀଜୀବନର ସୁସ୍ଥତା ନିର୍ଣ୍ଣୟ କରାଯାଇ ପାରିବ ।

 

ମୋଟ କଥା ହେଉଚି, କୌଣସି ଗୋଷ୍ଠୀ ଭିତରେ ଯେତେ ମଣିଷ ବାସ କରୁଚନ୍ତି, ସେମାନଙ୍କ ମଧ୍ୟରେ ଜୀବନର କେତେକ କ୍ଷେତ୍ରରେ ଅବଶ୍ୟ ମତୈକ୍ୟ ରହିବ । ଅର୍ଥାତ୍ କେତୋଟି ସ୍ୱାର୍ଥକୁ ସେମାନେ ଅବଶ୍ୟ ସାଧାରଣ ସ୍ୱାର୍ଥ ହିସାବରେ ଗ୍ରହଣ କରିବେ । ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ କୌଣସି ବିଷୟରେ ରାଜିନାମା ନରହିଲେ ଗୋଷ୍ଠୀଜୀବନରେ ଅରାଜକତାହିଁ ଉପୁଜିବ । ତଥାପି ବ୍ୟକ୍ତିର ସ୍ୱାଧୀନତା ଲାଗି ମଧ୍ୟ ଆମକୁ ସମାନ ମହତ୍ତ୍ୱ ଦେବାକୁ ପଡ଼ିବ । ସମାଜ, ସମୂହ ବା ଗୋଷ୍ଠୀର ଦ୍ୱାହି ଦେଇ ବ୍ୟକ୍ତିର ସ୍ୱାଧୀନତାକୁ ଅପହରଣ କରିନେଲେ ବା ବ୍ୟକ୍ତିର ସ୍ୱାଧୀନତାକୁ ଗୌଣ ବୋଲି ଜ୍ଞାନ କଲେ, ଆମେ କେବେହେଲେ କୌଣସି ପ୍ରକାର ସୁସ୍ଥ ଗୋଷ୍ଠୀ ଗଢ଼ିପାରିବା ନାହିଁ । କୌଣସି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହେବା ବା ନିଷ୍ପତ୍ତି କେବଳ ବ୍ୟକ୍ତିର ହିଁ ରହିବ ଓ ସେହି ନିଷ୍ପତ୍ତି କରିବାଲାଗି ତାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ । ଏହି ସ୍ୱାଧୀନତାର ଅଭାବ ରହିଲେ ସମାଜ ପ୍ରଧାନତଃ ଏକ ଉତ୍ପୀଡ଼ନରେ ହିଁ ପରିଣତ ହେବ । ଏପରି ସ୍ଥଳେ ଗୋଷ୍ଠୀଜୀବନର ପ୍ରଶ୍ନ ହିଁ ଉଠିବନାହିଁ । (୨୨) ବ୍ୟକ୍ତି ସ୍ୱାଧୀନତାର ତରାଜୁ ଉପରେ କେତେଜଣ ସମାଜଶାସ୍ତ୍ରୀ ପରିପକ୍ୱ ଗୋଷ୍ଠୀଜୀବନକୁ ଅପରିପକ୍ୱ ଗୋଷ୍ଠୀଜୀବନଠାରୁ ପୃଥକ୍ କରି ଦେଖିବାକୁ ଚେଷ୍ଟା କରିଚନ୍ତି । ଯେଉଁ ଗୋଷ୍ଠୀରେ ସଦସ୍ୟମାନେ ଆପଣା ଉପରକୁ କୌଣସି ଦାୟିତ୍ୱ ନେଉ ନଥିବେ ଓ ସକଳ ପ୍ରକାର ନିଷ୍ପତ୍ତି କରିବାର କାର୍ଯ୍ୟକୁ ନେତାମାନଙ୍କ ଉପରେ ନ୍ୟସ୍ତ କରିବାକୁ ଇଚ୍ଛା କରୁଥିବେ, ଯେଉଁଠି ବ୍ୟକ୍ତିମାନେ ନେତାମାନଙ୍କ ଦ୍ୱାରା କରାଯାଇଥିବା ନିଷ୍ପତ୍ତିକୁ ବିନା ବିଚାରରେ ମାନିନେବାକୁ ପ୍ରସ୍ତୁତ ରହିଥିବେ, ସେହି ଗୋଷ୍ଠୀକୁ ସେମାନେ ଏକ ଅପରିପକ୍ୱ ଗୋଷ୍ଠୀ ବୋଲି କହିଚନ୍ତି । ଅପରପକ୍ଷରେ ଯେଉଁ ଗୋଷ୍ଠୀର ସଦସ୍ୟମାନେ ଏକ ଗଣତାନ୍ତ୍ରିକ ଆୟତନ ଭିତରେ ରହି ଆପଣାର ଦାୟିତ୍ୱ ଆପେ ନେବାକୁ ପ୍ରସ୍ତୁତ ଅଛନ୍ତି, ଯେଉଁଠି ସେମାନେ ନିଷ୍ପତ୍ତିମାନ ଆପେ କରୁଚନ୍ତି ଏବଂ ସକଳ ପ୍ରକାର ଏକାଧୀକାରୀ ଓ ସ୍ୱେଚ୍ଛାଚାରୀ ନେତୃତ୍ୱର ପ୍ରତିରୋଧ କରିବାଲାଗି କଦାପି ପଶ୍ଚାତ୍‌ପଦ ହେଉନାହାନ୍ତି, ସେହିପରି ଗୋଷ୍ଠୀକୁ ସେମାନେ ପରିପକ୍ୱ ଗୋଷ୍ଠୀବୋଲି କହିଚନ୍ତି । (୨୩)

 

ପ୍ରଥମ ଅଧ୍ୟାୟରେ ସମାଜ ଓ ବ୍ୟକ୍ତି ମଧ୍ୟରେ ଅନେକ ସମୟରେ କଳ୍ପନା କରାଯାଉଥିବା ଆପାତବିରୋଧ ବିଷୟରେ ଆଲୋଚନା କରାଯାଇଚି । ଆମେ ଏକଥା ବୁଝିସାରିଚୁ ଯେ ସୁସ୍ଥ ସମାଜ ଓ ସୁସ୍ଥ ବ୍ୟକ୍ତି ମଧ୍ୟରେ ସାଧାରଣତଃ କୌଣସି ବିରୋଧ ରହିବା ଉଚିତ ନୁହେଁ । ଭିକ୍‌ଟର୍‌ ଫ୍ରାଙ୍କ୍‍ଲ୍‌ଙ୍କ ଭାଷାରେ ଏକ ସୁଯୋଗ୍ୟ ଓ ଯଥାର୍ଥ ଗୋଷ୍ଠୀରୂପେ ବିକଶିତ ହେବାଲାଗି ପ୍ରତ୍ୟେକ ଗୋଷ୍ଠୀ ସୁବିକଷିତ ବ୍ୟକ୍ତିର ଅପେକ୍ଷା ରଖିଥାଏ । ପୁଣି ଆପଣା ଜୀବନ ଓ ଆକାଙ୍‌କ୍ଷାର ଉପଲ୍‌ବଧି-କ୍ଷେତ୍ର ହିସାବରେ ବିକାଶକାମୀ ପ୍ରତ୍ୟେକ ବ୍ୟକ୍ତି ଗୋଷ୍ଠୀକୁ ଲୋଡ଼ିଥାଏ । (୨୪) ମନୁଷ୍ୟର ଗୋଷ୍ଠୀଜୀବନ ଏବଂ ଉଗ୍ର କ୍ଷମତାପନ୍ନ ମନୁଷ୍ୟସମୂହ ଭିତରେ ଅନେକ ପ୍ରଭେଦ ରହିଚି । ଗୋଷ୍ଠୀଜୀବନ ବ୍ୟକ୍ତିତ୍ୱର ବିକାଶ ହିଁ କାମନା କରେ, ଏହି ବିକାଶଲାଗି ଯାବତୀୟ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରେ । କାରଣ ସୁଯୋଗ୍ୟ ଓ ସୁବିକଶିତ ବ୍ୟକ୍ତିକୁ ଗୋଷ୍ଠୀ ଆପଣାର ଭୂଷଣ ବୋଲି ବିଚାରିଥାଏ । କିନ୍ତୁ ଶୃଙ୍ଖଳାହୀନ ଉଗ୍ର ଯେକୌଣସି ଜନସମୂହ ଭିତରେ ଯେଉଁମାନେ ପ୍ରଭୂତ କ୍ଷମତା ଆତ୍ମସାତ୍ କରି ବସିଥାନ୍ତି, ସେମାନେ ବ୍ୟକ୍ତିର ସ୍ୱାଧୀନତା ଓ ସ୍ୱାଧୀନ ବିକାଶକୁ ଆଦୌ ସହ୍ୟ କରିପାରନ୍ତିନାହିଁ । ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଏମାନେ ନାନା ଫିକର କରି ଦବାଇ ରଖିବାକୁ ଚେଷ୍ଟା କରନ୍ତି ।

 

ଗୋଷ୍ଠୀ ନାନାପ୍ରକାରର ହୋଇପାରେ । ନାନାପ୍ରକାରର ଉଦ୍ଦେଶ୍ୟ ବା ମତଲବ ନେଇ ଆମେ ତଦନୁରୂପ ଗୋଷ୍ଠୀମାନ ଗଢ଼ିବାଲାଗି ପ୍ରବୃତ୍ତ ହୋଇପାରୁ । ସବୁ କରଣ ଏକାଠି ହୋଇ କରଣକୁଳକୁ ଏକ ଗୋଷ୍ଠୀ ବୋଲି ଭାବିପାରନ୍ତି । ସେହିପରି ପ୍ରତ୍ୟେକ ଜାତି ବା ପ୍ରତ୍ୟେକ ପାଟକ ମଧ୍ୟ ଆପଣା ଆପଣାର ଗୋଷ୍ଠୀ ଗଢ଼ିପାରେ । ବିଭିନ୍ନ ଧର୍ମର ଅନୁଗାମୀମାନେ ଆପଣା ଆପଣାର ଧର୍ମଶରୀରକୁ କେନ୍ଦ୍ର କରି ଗୋଷ୍ଠୀ ବନାଇପାରନ୍ତି । ବିଶ୍ୱ ହିନ୍ଦୁସମାଜ ଓ ବିଶ୍ୱ ମୁସ୍‌ଲିମ୍‌-ଭ୍ରାତୃତ୍ୱ ଏହି ଦିଗରେ ଗୋଟିଏ ଗୋଟିଏ ପ୍ରଚେଷ୍ଟା ବୋଲି ମନେହୁଏ । କୌଣସି ସହରର ଓକିଲମାନେ ଏକାଠି ହୋଇ ଏକ ସମିତି ବା ସଂଗଠନ ଗଢ଼ିପାରନ୍ତି ଓ ତାହାକୁ ହିଁ ଆପଣାର ଗୋଷ୍ଠୀ ବୋଲି କହିପାରନ୍ତି । ଇଚ୍ଛା କଲେ କୌଣସି ଦେଶର ମାଷ୍ଟରମାନେ, ମିଲ୍‌ମାଲିକ ବା ମଜୁରିଆମାନେ ମଧ୍ୟ ଠିକ୍ ସେହିପରି କରିପାରନ୍ତି । କିନ୍ତୁ ଆମେ କେତେଦୂର ପର୍ଯ୍ୟନ୍ତ ଏମାନଙ୍କୁ ଗୋଟିଏ ଗୋଟିଏ ଗୋଷ୍ଠୀ ବୋଲି କହିପାରିବା ? ଗାଆଁରେ ଏକ ସ୍ୱାଭାବିକ ପରମ୍ପରା ଓ ପାରସ୍ପରିକତାକୁ ଭିତ୍ତି କରି ଯେଉଁ ପ୍ରତିବେଶୀଭାବାପନ୍ନ ଗୋଷ୍ଠୀ କାଳକ୍ରମେ ଗଢ଼ିଉଠିଚି, ଆମେ ତାହାକୁ କେତେଦୂର ଉପରଲିଖିତ ଦଳଭାବାପନ୍ନ ଗୋଷ୍ଠୀଗୁଡ଼ିକ ସହିତ ସମାନ କରି ଦେଖିପାରିବା ? ଆଗରୁ କୁହାଯାଇଚି, ବ୍ୟକ୍ତି ହେଉଚି ପ୍ରତ୍ୟେକ ଗୋଷ୍ଠୀର କେନ୍ଦ୍ରବିନ୍ଦୁ । ବ୍ୟକ୍ତିର ବିକାଶ ହେଉଚି ପ୍ରତ୍ୟେକ ଗୋଷ୍ଠୀର ସୁସ୍ଥତମ ଲକ୍ଷ୍ୟ । ଜାତି, ପାଟକ, ଧର୍ମ, ବେଉସା ଓ ଅନ୍ୟାନ୍ୟ ଯାବତୀୟ ସ୍ୱାର୍ଥ- ବ୍ୟାପାର ନେଇ ସାଧାରଣତଃ ଯେଉଁ ଗୋଷ୍ଠୀମାନ ତିଆରି ହୁଏ, ସେଗୁଡ଼ିକ ମଣିଷର ଜୀବନକୁ ବିକାଶ ଲାଗି ଉନ୍ମୁକ୍ତ କରିଦେବା ପରିବର୍ତ୍ତେ ଅଧିକାଂଶତଃ ମଣିଷକୁ ଗୋଷ୍ଠୀରୂପକ ଚାରିକାନ୍ଥ ଭିତରେ କିଳିରଖିବାର ଫିକର କରିଥାଏ ଜୀବନପ୍ରତି ଓ ଉତ୍ତରୋତ୍ତର ବିକାଶପ୍ରତି ଆଗ୍ରହ ବଢ଼ାଇବା ପରିବର୍ତ୍ତେ ଘୃଣା ଓ ଦ୍ୱେଷର ହିଁ ଅଧିକତର ପ୍ରଚାର କରିଥାଏ । କରଣ ଜାତି ଗୋଷ୍ଠୀବଦ୍ଧ ହୋଇ ସମାନ୍ତର ଭାବରେ ଗୋଷ୍ଠୀବଦ୍ଧ ହୋଇ ରହିଥିବା ବ୍ରାହ୍ମଣ ବା ଖଣ୍ଡାୟତଙ୍କ ସହିତ ଲଢ଼ିବାକୁ ତିଆରି ହୋଇଯାଆନ୍ତି । ଗୋଟାଏ ଧର୍ମର ଅତ୍ୟାଗ୍ରହୀମାନେ ଗୋଷ୍ଠୀର ଆଚ୍ଛାଦନ ତଳେ ଆଉ ଗୋଟାଏ ଧର୍ମ ସହିତ ଲଢ଼ିବାକୁ ତିଆରି ହୋଇଯାଆନ୍ତି । ଆଉଗୋଟିଏ ଗାଆଁର ସର୍ବନାଶ କରିବାଲାଗି ଗୋଟିଏ ଗୋଷ୍ଠୀବଦ୍ଧ ହୁଏ । ଜାତୀୟତାର ଦ୍ୱାହି ଦେଇ ଗଢ଼ାହେଉଥିବା ଜାତିଗୋଷ୍ଠୀକୁ ମଧ୍ୟ ଅନେକାଂଶରେ ଆମେ ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରିପାରିବା । ଅନ୍ତତଃ ଇତିହାସରେ ଆଜିଯାଏ ତାହାହିଁ ହେଉଚି । ଜାତି ଓ ଜାତୀୟତା ନାମରେ ମଣିଷକୁ ବଳି ଦିଆଯାଇଚି । ଆପଣା ଦେଶ ବା ଜାତିକୁ ଶ୍ରଦ୍ଧା କରିବା ଅପେକ୍ଷା ଅନ୍ୟ ଦେଶ ବା ଜାତିକୁ ଘୃଣା କରିବା ଉପରେ ଅଧିକ ମହତ୍ତ୍ୱ ଦିଆଯାଇଚି । ତେଣୁ ଏସବୁ ଗୋଷ୍ଠୀବଦ୍ଧତାକୁ ଆମେ ସୁସ୍ଥ ବୋଲି କହି ପାରିବାନାହିଁ ।

 

ଗାଆଁ ସ୍ତରରେ ହେଉ, ଦେଶ ବା ପୃଥିବୀ ଯେକୌଣସି ସ୍ତରରେ ହେଉ ପଛକେ, ଯେପର୍ଯ୍ୟନ୍ତ ମଣିଷର ମନୁଷ୍ୟୋଚିତ ବିକାଶକୁ ଗୋଷ୍ଠୀଜୀବନର ପ୍ରଧାନତମ ଉଦ୍ଦେଶ୍ୟରୂପେ ଗ୍ରହଣ କରାଯାଉଥିବ, ସେ ପର୍ଯ୍ୟନ୍ତ ଆମେ ଗୋଟିଏ ଗୋଷ୍ଠୀକୁ ସୁସ୍ଥ ବୋଲି କହିପାରିବା । ଏହି ଗୋଷ୍ଠୀ ଦ୍ୱାରା କେବଳ ସେଥିରେ ବାସ କରୁଥିବା ବ୍ୟକ୍ତିମାନଙ୍କର ନୁହେଁ, ସମସ୍ତ ପୃଥିବୀର ମଧ୍ୟ କଲ୍ୟାଣ ହୋଇପାରିବ । ଏହିପରି ଗୋଷ୍ଠୀର ସଂଖ୍ୟା ଓ କାର୍ଯ୍ୟକଳାପ ଯେତିକି ଅଗ୍ରଗତି କରୁଥିବ, ମଣିଷର ପଥ ଆବୋରି ରହିଥିବା ବର୍ତ୍ତମାନର ନାନାବିଧ ଅନ୍ଧାର ସେତିକି ଅପସରି ଯାଉଥିବ । ମଣିଷକୁ ମଣିଷର ସମ୍ମାନ ଓ ସନ୍ତକ ଦେଇ ଗ୍ରହଣ କରୁଥିବା ପର୍ଯ୍ୟନ୍ତ ଆମେ ଯେଉଁ ସ୍ତରରେ ଯେପରି ଗୋଷ୍ଠୀ ତିଆରି କରିବା ପଛକେ, ତଦ୍ଦ୍ୱାରା ଆମେ ସମାଜରେ ସହଯୋଗ ଓ ସମଭାବନା ବଢ଼ାଇବାରେ କେବଳ ସାହାଯ୍ୟ ହିଁ କରିବା । ମାତ୍ର ଯେଉଁଠି ଗୋଷ୍ଠୀ ଗଢ଼ିବାର ବାହାନାରେ ଆମେ ମନୁଷ୍ୟକୁ ଜାତି, ଧର୍ମ, ପନ୍ଥା, ଦେଶ ବା ବାଦର କୋଳାହଳ ଭିତରେ ବୁଡ଼ାଇଦେବାକୁ ଚାହିବା, ସେଠି ଆମର ଗୋଷ୍ଠୀଦ୍ୱାରା ସଂସାରରେ ଅଶୁଭ ହିଁ ବୃଦ୍ଧିପାଇବ, ସମସ୍ୟା ଜଟିଳତର ହେବ, ପ୍ରବଳତମ ଆଦର୍ଶର ବାନା ହାତରେ ଧରିଥିବା ସତ୍ତ୍ୱେ ଆମେ ବାଟବଣା ହୋଇ ଯାଉଥିବା-। ମାନବିକ ମୂଲ୍ୟଗୁଡ଼ିକୁ ଅର୍ଥାତ୍ ମନୁଷ୍ୟର ଯଥାର୍ଥ ଉଦୟକୁ ପଥସାର କରି ଧରିଥିବା ପର୍ଯ୍ୟନ୍ତ ଯେ କୌଣସି ସ୍ତରର ଯେ କୌଣସି ଗୋଷ୍ଠୀଜୀବନ ପୃଥିବୀରେ ସୁଖ ବଢ଼ାଇବାରେ ଓ ସନ୍ତାପ କାଟିବାରେ ଅନେକ ସହଯୋଗ କରୁଥିବ । ଆମେରିକାର ଶ୍ରୀ ବେକର୍‌ ବ୍ରୋନେଲ୍ କହିଚନ୍ତି [Baker Brownell : The Human Community, Harper and Brothers, Newyork, 1950] ଯେକୌଣସି ଆଦର୍ଶ ଗୋଷ୍ଠୀର ମାର୍ଗଦର୍ଶକ ମୂଲ୍ୟ ଓ ମାନବିକ ମୂଲ୍ୟ ମଧ୍ୟରେ କଦାପି କୌଣସି ବ୍ୟବଧାନ ବା ପ୍ରଭେଦ ପରିଲକ୍ଷିତ ହୁଏନାହିଁ । ମାନବିକତା କହିଲେ ଆମେ ଯେଉଁ ସବୁ ମୂଲ୍ୟବୋଧକୁ ବୁଝିଥାଉ, ସଂସାରରେ ଯେକୌଣସି ଯଥାର୍ଥ ମନୁଷ୍ୟଗୋଷ୍ଠୀ ସେହି ମୂଲ୍ୟବୋଧରୁ ହିଁ ପ୍ରେରଣା ପାଇଥାଏ ଏବଂ ସେହି ସବୁ ମୂଲ୍ୟବୋଧ ଅନୁସାରେ କାର୍ଯ୍ୟ କରିବାଲାଗି ହିଁ ଆପଣାକୁ ପ୍ରେରିତ କରିଥାଏ । ଆମର ପୃଥିବୀ ବର୍ତ୍ତମାନ ରାଜନୀତିକ ଓ ସାମାଜିକ ଉଭୟ ସ୍ତରରେ ଅଧିକରୁ ଅଧିକ କେନ୍ଦ୍ରୀକୃତ ହେବାକୁ ଯାଉଚି-। ରାଜସତ୍ତା ଓ ଯନ୍ତ୍ରସତ୍ତା କ୍ରମେ ପ୍ରବଳତର ହୋଇ ମଣିଷବ୍ୟକ୍ତିର ସ୍ୱାଭାବିକ ଜୀବନ ଓ ଗୋଷ୍ଠୀଗତ ସମ୍ୱନ୍ଧକୁ ଗ୍ରାସ କରିବାକୁ ବାହାରିଚି । ଆପଣା ଜୀବନ ଆପେ ନିୟନ୍ତ୍ରଣ କରିବା ଦିଗରେ ବ୍ୟକ୍ତି କ୍ରମେ ଆପଣାକୁ ଅଧିକରୁ ଅଧିକ ଅସହାୟ ମନେକରୁଚି । ତାହାର ଆତ୍ମନିୟନ୍ତ୍ରଣ-ଶକ୍ତି କ୍ରମେ ହ୍ରାସ ହୋଇଯାଉଚି । ତାହାର ସ୍ୱାଧୀନତା ମରି ମରି ଯାଉଚି । ଫଳତଃ ଗଣତନ୍ତ୍ର ବା ବ୍ୟକ୍ତିକେନ୍ଦ୍ରିତ ସହଯୋଗମୂଳକ ଶାସନ ମଧ୍ୟ କ୍ରମେ ଦୁର୍ବଳ ହେବାରେ ଲାଗିଚି । ସମାଜ ଓ ବର୍ତ୍ତମାନ ଜୀବନର ନାନାବିଧ କ୍ଷେତ୍ରରେ ଏହି ପ୍ରବଳ ପରାକ୍ରମଶାଳୀ କେନ୍ଦ୍ରୀକରଣ-ପ୍ରବୃତ୍ତିକୁ ରୋକିବା ଲାଗି ସାନ ସାନ ଗୋଷ୍ଠୀର ଜୀବନକୁ ହିଁ ସ୍ୱର୍ଗତ ଦାର୍ଶନିକ ମାର୍ଟିନ୍ ବୁବର୍ [Martin Buber : Paths in Utopia, Routledge and Kegan Paul Limited, London, 1949] ଏକମାତ୍ର ଉପାୟ ବୋଲି କହିଚନ୍ତି । ବୃହତ୍ତର ସାମୂହିକ ନିୟନ୍ତ୍ରଣ ଭିତରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବାରୁ ଆପଣାକୁ ରକ୍ଷା କରିବାକୁ ହେଲେ ମଣିଷ ସାନ ସାନ ଗୋଷ୍ଠୀରେ, ପ୍ରତ୍ୟକ୍ଷ ମାନବିକ ସମ୍ପର୍କରେ ପରସ୍ପର ସହିତ ସହଯୋଗ କରି ଶିଖୁ; ଆପଣାର ଅନ୍ତର୍ନିହିତ ସ୍ୱାଭାବିକ ମଣିଷଗୁଣଗୁଡ଼ିକୁ ସାନ ଗୋଷ୍ଠୀର ଦୈନନ୍ଦିନ ଜୀବନ ଭିତରେ ଅଧିକରୁ ଅଧିକ କାମରେ ଲଗାଇଶିଖୁ । ଏହା ଦ୍ୱାରା ହିଁ ଆଧୁନିକ ନିୟନ୍ତ୍ରଣ-ଯନ୍ତ୍ରଗୁଡ଼ିକର କବଳରୁ ସେ ଆପଣାକୁ ତଥାପି ବଞ୍ଚାଇ ରଖିପାରିବ, ଶକ୍ତିମାନ ମଣିଷ ହିସାବରେ ସେ ଏହି ଯନ୍ତ୍ରର କବଳରେ ନପଡ଼ି ଆପଣାର ହିତକଳ୍ପେ ସେ ସେଗୁଡ଼ିକୁ ଆପଣା ନିୟନ୍ତ୍ରଣରେ ରଖି ଶିଖିବ-ଶ୍ରୀ ବୁବର୍ ଏହିପରି ମତ ପୋଷଣ କରିଚନ୍ତି । ସହଯୋଗମୂଳକ ଗୋଷ୍ଠୀଜୀବନ ଭିତରେ ମଣିଷ ପ୍ରବଳ ରାଷ୍ଟ୍ରଯନ୍ତ୍ରର ଶିକାର ହେବାରୁ ଆପଣାକୁ ବଞ୍ଚାଇ ରଖିପାରିବ, ଏହାହିଁ ହେଉଚି ବୁବର୍‌ଙ୍କର ଉକ୍ତିର ସାରକଥା ।

 

ଆଗେ ଗୋଷ୍ଠୀ କହିଲେ ସାଧାରଣତଃ ବସତିକୁ ବୁଝାଉଥିଲା, ସାନ ଗାଆଁର ପାରସ୍ପରିକ ସାମାଜିକ ଜୀବନକୁ ବୁଝାଉଥିଲା । ପ୍ରତ୍ୟେକ ଗାଆଁ ଘନିଷ୍ଠ ପରିଚୟ ଓ ଜୀବନସମ୍ବନ୍ଧ ଦ୍ୱାରା ସୀମାବଦ୍ଧ ଏକ ସ୍ୱୟଂସମ୍ପୂର୍ଣ୍ଣ ପୃଥିବୀପରି ହୋଇ ରହିଥିଲା । ଯୁଗର ପରିବର୍ତ୍ତନ ଅନୁସାରେ ଗାଆଁ ବା ପ୍ରତିବେଶୀ ପରିବର୍ତ୍ତେ ଆପଣାର ଦେଶ ବା ଆପଣାର ଜାତି ସାମାଜିକ ଜୀବନର କେନ୍ଦ୍ର ବିନ୍ଦୁ ହୋଇ ରହିଲା । ଏହି ପରିବର୍ତ୍ତନରେ ବିଜ୍ଞାନର ଅବଦାନ ବୋଧହୁଏ ସବୁଠାରୁ ବେଶୀ । ବିଜ୍ଞାନର ନାନା ସାଧନ ସକାଶେ ମଣିଷ ଦୂରକୁ ମଧ୍ୟ ଚିହ୍ନିବାକୁ ଆରମ୍ଭ କଲା, ଦୂର ନିକଟତର ହୋଇଆସିଲା, ଅପରିଚିତ ଓ ରହସ୍ୟମୟ ପୃଥିବୀ କ୍ରମେ ପରିଚିତ ହୋଇ ଆସିଲା । ଆଗେ ଯେଉଁ ମଣିଷ ଗୋଟାଏ ସମାଜର ଆଚାର, ଭାଷା ଓ ଧର୍ମ ଭିତରେ ଯାପନ କରୁଥିବା ଜୀବନକୁ ଯଥେଷ୍ଟ ବୋଲି ମନେ କରୁଥିଲା, ସେ ପୃଥିବୀରେ ରହିଥିବା ବିଭିନ୍ନ ସାମାଜିକ ଆଚାର, ବିଭିନ୍ନ ଭାଷା ଓ ଧର୍ମର ପରିଚୟ ପାଇଲା । ମାନସିକ ଭୂମି ଉପରେ ଏଡ଼େ ବଡ଼ ପୃଥିବୀ ବଡ଼ ଛୋଟ ଦେଖାଗଲା । କ୍ରମେ ମଣିଷ ଆପଣା ଦେଶ, ଆପଣା ଜାତି ଓ ତା ପରେ ସମଗ୍ର ପୃଥିବୀ ଓ ସମଗ୍ର ମଣିଷଜାତିକୁ ଆପଣାର ଗୋଷ୍ଠୀ ବୋଲି ଭାବିବାକୁ ଆରମ୍ଭ କଲା । ଆଧୁନିକ ବିଜ୍ଞାନ ଓ ତାର ଅଭିନବ ସାଧନମାନ ମଣିଷର ବାହ୍ୟ ତଥା ଅନ୍ତର୍ଗତ ଜୀବନକୁ ସମଗ୍ର ପୃଥିବୀର ଭୂମି ଉପରେ ସଚଳ କରିଦେଇ ପାରିଲା । ଆଧୁନିକ ଅର୍ଥଶାସ୍ତ୍ର ଓ ଆଧୁନିକ ରାଜନୀତି ମଣିଷକୁ କ୍ରମେ ନିକଟତର କରି ଗୋଟିଏ ଆୟତନ ଭିତରେ ବାନ୍ଧି ରଖିଲା; ମଣିଷମାନେ ବାଧ୍ୟ ହୋଇ ପରସ୍ପର ନିର୍ଭରଶୀଳ ହୋଇପଡ଼ିଲେ । ଆଧୁନିକ ପୃଥିବୀରେ ହୋଇଥିବା ଏହି ତୁମୁଳ ପରିବର୍ତ୍ତନ ଫଳରେ ଏବେ ଜାତୀୟ ରାଷ୍ଟ୍ର ବଦଳରେ ଆମେ ବିଶ୍ୱରାଷ୍ଟ୍ରର ବିଚାର ଓ ପ୍ରୟୋଗ କରିବାକୁ ଆରମ୍ଭ କରିଦେଲୁଣି । ଜାତୀୟ ଭାଷା ବଦଳରେ ବିଶ୍ୱଭାଷା, ଜାତୀୟ ଶାସନ ବଦଳରେ ବିଶ୍ୱ-ପାର୍ଲିଆମେଣ୍ଟ ଏବଂ ଜାତୀୟ ସାହିତ୍ୟ ଓ ସଂସ୍କୃତି ବଦଳରେ ବିଶ୍ୱ-ସଂସ୍କୃତିର କଳ୍ପନା ଓ ଯୋଜନାମାନ କରିବାକୁ ଆରମ୍ଭ କଲୁଣି । ଆମର ଜାତୀୟ ଭାଗ୍ୟ ଅନେକ ସମୟରେ ବିଶ୍ୱ-ଭାଗ୍ୟ ଉପରେ ହିଁ ନିର୍ଭର କରିବାକୁ ଆରମ୍ଭ କଲାଣି । ତେବେ ସାନ ଗୋଷ୍ଠୀର ନିକଟସମ୍ବନ୍ଧୀୟ ଜୀବନକୁ କଣ ଆଜି ପୁରୁଣା ଓ ଅନାବଶ୍ୟକ ମଣି ଛାଡ଼ି ଆସିବାକୁ ପଡ଼ିବ ? ବିଶ୍ୱପ୍ରୀତି ଅବଶ୍ୟ ଦରକାର, ମଣିଷପ୍ରୀତି ଅବଶ୍ୟ ଦରକାର, କିନ୍ତୁ ଯେକୌଣସି ପ୍ରୀତି ଓ ଯେକୌଣସି ବାସନା ଅନୁସାରେ ଆପଣାର ଜୀବନ ବଞ୍ଚିବାକୁ ପ୍ରତ୍ୟେକ ମଣିଷଲାଗି ଏକ ଭୂମି ମଧ୍ୟ ଦରକାର । ସାମାଜିକ ଜୀବନ ଦୃଷ୍ଟିରୁ ସାନ ଗୋଷ୍ଠୀକୁ ହିଁ ଏହି ଭୂମି ବୋଲି କୁହାଯାଇ ପାରିବ । ସମସ୍ତ ପୃଥିବୀକୁ ଘର ବୋଲି ମନେକରିବା ପୂର୍ବରୁ ମଣିଷର ଆପଣାର ବୋଲି କହିପାରିବା ଲାଗି ଖଣ୍ଡେ ଘର ଥିବା ଦରକାର । ସବୁ ଦେଶକୁ ସମ୍ମାନିତ ଶ୍ରଦ୍ଧା ଦେଇପାରିବା ପୂର୍ବରୁ ମଣିଷର ସମର୍ପଣ-ଭୂମି ଆପଣାର ଏକ ଦେଶ ରହିଥିବା ଦରକାର । ସବୁ ସାହିତ୍ୟ ଲାଗି ଅନୁରକ୍ତି କର୍ଷଣ କରିବା ପୂର୍ବରୁ ଆପଣାର ବୋଲି କହିବାଲାଗି ମଧ୍ୟ ଆପଣାର ଏକ ଭାଷା ଓ ସାହିତ୍ୟ ସହିତ ହୃଦୟର ଡୋର ଲାଗିଥିବା ଦରକାର । ସେହିପରି ସମଗ୍ର ମନୁଷ୍ୟଗୋଷ୍ଠୀକୁ ଏକ ଓ ଅଭିନ୍ନ ବୋଲି ଅନୁଭବ କରିପାରିବା ଲାଗି ମଣିଷର ଦୈନନ୍ଦିନ ଜୀବନକୁ ପରିବେଷ୍ଟିତ କରି ଏକ ଗୋଷ୍ଠୀ ମଧ୍ୟ ରହିଥିବା ଦରକାର । ନହେଲେ ଏହି ବିରାଟ ବିସ୍ମରଣବହୁଳ ପୃଥିବୀରେ ମଣିଷ କାଣ୍ଡଛିଣ୍ଡା ହୋଇଯିବ, ଚେର ନଥିବା ଏକ ବୃକ୍ଷଡ଼ାଳ ପରି ସେ କେବଳ ଅନିକେତ ହୋଇ ନଷ୍ଟ ହୋଇଯିବ । ସମଗ୍ର ମଣିଷଜାତି ତିଷ୍ଠି ରହିବାକୁ ହେଲେ ଯେଉଁସବୁ ଜୀବନ-ମୂଲ୍ୟର ଅନୁଶୀଳନ ଆବଶ୍ୟକ ବୋଲି ମନୁଷ୍ୟ-ବିଦ୍ୟାର ବିଦ୍ୱାନ୍‌ମାନେ କହୁଚନ୍ତି, ଆପଣାର ଗୋଷ୍ଠୀଜୀବନର ପରିବେଷ୍ଟନୀ ଭିତରେ ସେହି ଜୀବନମୂଲ୍ୟଗୁଡ଼ିକୁ ବଞ୍ଚିବାର ଚେଷ୍ଟା କରିପାରିଲେ ଆମେ ପୃଥିବୀବ୍ୟାପୀ ମନୁଷ୍ୟଗୋଷ୍ଠୀ ଲାଗି ମଧ୍ୟ ସାର୍ଥକ ଭାବରେ ଆମର ଜୀବନ ବଞ୍ଚିପାରିବା । ପୃଥିବୀ ଗୋଟାକରେ ମଣିଷର ଜୀବନକୁ ସୁନ୍ଦରତର କରି ଗଢ଼ିବାଲାଗି ଯେଉଁସବୁ ନୂତନ ମାର୍ଗର ଓ ନୂତନ ବିଚାରର ଅନୁସରଣ କରିବା ଆବଶ୍ୟକ, ଆପଣାର ସାନ ଗୋଷ୍ଠୀଜୀବନ ମଧ୍ୟରେ ଆମେ ସେହିସବୁ ନୂତନ ମାର୍ଗର ଅନୁସରଣ କରି ଆପଣାର ସାନ ଗୋଷ୍ଠୀଟିକୁ ସୁନ୍ଦର ଓ ସମ୍ବନ୍ଧ-ରସାଳ କରିପାରିଲେ ହିଁ ଆମେ ପୃଥିବୀଯାକ ମଣିଷଙ୍କର ଜୀବନକୁ ସୁନ୍ଦରତର କରିବାର ଉଦ୍ୟମରେ ସବୁଠାରୁ ଅଧିକ ସହଯୋଗ କରିପାରିବା । ଆମେରିକା ଓ ଇଉରୋପ ପ୍ରଭୃତି ଭୂଭାଗରେ ଯେଉଁଠି ଅତ୍ୟାଧୁନିକତା ଓ ଅତି କ୍ଷିପ୍ର ପରିବର୍ତ୍ତନଜନିତ ନାନା ଜ୍ୱର ଓ ନାନା ଉତ୍ତପ୍ତତା ସବୁ ଐଶ୍ୱର୍ଯ୍ୟ ଓ ବିଭବ ସତ୍ତ୍ୱେ ମଣିଷର ଅନ୍ତର୍ଗତ ଓ ସାମାଜିକ ସମ୍ବନ୍ଧରେ ଜୀବନକୁ ନୀରସ ଓ ଅର୍ଥହୀନ କରିପକାଉଚି, ଅନେକ ସମାଜଶାସ୍ତ୍ରୀ ଓ ଚିନ୍ତାଶୀଳ ବ୍ୟକ୍ତି ସେଠି ସେହି ବିଷୟରେ ନାନା ସତର୍କବାଣୀ ଶୁଣାଇବାକୁ ଆରମ୍ଭ କଲେଣି । ସେମାନେ କହୁଚନ୍ତି, ସଭ୍ୟତା ଓ ସମ୍ପନ୍ନତାର କୌଣସି ଅବଦାନକୁ ଅସ୍ୱୀକାର ନ କରି ମଣିଷକୁ ତଥାପି ସାନ ସାନ ଗୋଷ୍ଠୀରେ, ପାରସ୍ପରିକତାର ନାନା ସ୍ୱାଭାବିକ ଆୟୋଜନରେ ମାନବିକ ଉଷ୍ଣତାକୁ ବଞ୍ଚାଇ ରଖିବାକୁ ହେବ ଏବଂ ଏ ଯୁଗର ଯନ୍ତ୍ରବହୁଳତାର ପ୍ରରୋଚନାରେ ଆପେ ଏକ ହୃଦୟହୀନ ଆଜ୍ଞାନୁସାରୀ ଯନ୍ତ୍ର ବନିଯିବାର ପ୍ରମାଦରୁ ଆପଣାକୁ ରକ୍ଷା କରିବାକୁ ହେବ । ଭାରତବର୍ଷରେ ଏହି ଗୋଷ୍ଠୀଜୀବନର ମାନବିକ ଆହ୍ୱାନର ଯଥାର୍ଥ ଜବାବ ଦେବାର ଦାୟିତ୍ୱ ଆମ ଭାରତବାସୀଙ୍କର । ଏ ଦେଶରେ ମଧ୍ୟ କ୍ରମେ ଐଶ୍ୱର୍ଯ୍ୟ ବଢ଼ିବ ଓ ସମ୍ପନ୍ନତା ବଢ଼ିବ । ଆମେ ଏହି ସମ୍ପନ୍ନତାକୁ ମାୟା ବୋଲି କହି ଜୀବନକ୍ଷେତ୍ରରୁ ଦଉଡ଼ି ପଛକୁ ପଳାଇ ଯିବା ନାହିଁ । ମଣିଷ ଭାବରେ ଏହି ସମ୍ପନ୍ନତାକୁ ଆମେ ସୁନ୍ଦରତର ମନୁଷ୍ୟ ଜୀବନ ଓ ସାର୍ଥକତର ମାନବିକ ସମ୍ବନ୍ଧ ଲାଗି ବ୍ୟବହାର କରି ଶିଖିବା । ଆମେ ଆମର ଗୋଷ୍ଠୀଜୀବନକୁ ବୁଝିବା, ଗୋଷ୍ଠୀଜୀବନ ଭିତରେ ପଶିଯାଇଥିବା ନାନା ମଳିନତାକୁ ଆମେ ଦୂର କରିବାକୁ ଚେଷ୍ଟା କରିବା ଏବଂ ଗୋଷ୍ଠୀଜୀବନକୁ ହିଁ ଏ ଯୁଗରେ ସଫଳ ମାନବିକ ଜୀବନର ଏକ ସୁସ୍ଥ ଏକକ ବୋଲି ଗ୍ରହଣ କରି ଶିଖିବା । ସମଗ୍ର ମାନବଜାତିକୁ ଗୋଟିଏ ଗୋଷ୍ଠୀ ବୋଲି ଅନୁଭବ କରି ଭବିଷ୍ୟତର ପୃଥିବୀ ଲାଗି ପ୍ରସ୍ତୁତ ହେବାକୁ ହେଲେ ଜାତି, ଦେଶ, ଧର୍ମ, ଭାଷା ବା ସଂସ୍କୃତିନାମରେ କୌଣସି ଅନ୍ଧତା ବା ଉଗ୍ରତା ଆମକୁ ଖୁବ୍‌ ବେଶୀ ସାହାଯ୍ୟ କରି ପାରିବନାହିଁ । ସମଗ୍ର ମାନବ ଜାତିର ଅବ୍ୟବଚ୍ଛିନ୍ନ ଅଙ୍ଗରୂପେ ବଞ୍ଚିଶିଖିବା ଲାଗି ସାନ ପ୍ରତିବେଶରେ ଆମର ପରିପୂର୍ଣ୍ଣ ଗୋଷ୍ଠୀଗତ ପାରସ୍ପରିକତାହିଁ ଆମର ମାର୍ଗଦର୍ଶକ ହୋଇ ରହିବ, ଆମର ଚେରକୁ ମାଟି ଛୁଆଁଇ ରଖିବ; ତେଣୁ ଆମର ଶାଖା ପ୍ରଶାଖାକୁ ପୃଥିବୀରୂପୀ ବିରାଟ ବିସ୍ତାର ଭିତରେ ପରିବ୍ୟାପ୍ତ କରିବାଲାଗି ଏହା ଆମକୁ ସମର୍ଥ ଓ ସବଳ କରାଇବ ।

 

ସମାଜଶାସ୍ତ୍ରୀମାନେ ସାନ ଗୋଷ୍ଠୀକୁ ବୃହତ୍ତର ସମାଜର ଭୂମି ବୋଲି ମାନିଚନ୍ତି । ଅତି ସଭ୍ୟଦେଶମାନେ ମଧ୍ୟ ଜଟିଳ ଯାନ୍ତ୍ରିକ ଅତିକାୟ ସଂଗଠନ-ବ୍ୟୂହ ଭିତରେ ହଜିଯିବାର ପ୍ରମାଦକୁ ହୃଦୟଙ୍ଗମ କରି ଆଧୁନିକ ପୃଷ୍ଠଭୂମି ଉପରେ ତଥାପି ଗୋଷ୍ଠୀଜୀବନର ପୁନରୁତ୍‌ଥାନ ଓ ପୁନଃସ୍ଥାପନ କରିବାର ଯୋଜନାମାନ ଆରମ୍ଭ କଲେଣି । ବଡ଼ ସଭ୍ୟ ଆମେରିକା ଓ ଇଉରୋପରେ ମଧ୍ୟ ଚିନ୍ତାଶୀଳ ମଣିଷ ଭୀମାଶୟ ବଡ଼ ସହରକୁ ନୁହେଁ, ପ୍ରତ୍ୟେକ୍ଷ ସମ୍ପର୍କ ଓ ସହଯୋଗ ଦ୍ୱାରା ଉଷ୍ଣ ହୋଇ ରହିପାରିବା ଭଳି ସାନ ଗୋଷ୍ଠୀଜୀବନକୁହିଁ ବିଂଶ ଶତାବ୍ଦୀର ଶେଷ ପାଦରେ ସବୁଠାରୁ ସୁସ୍ଥ ସାମାଜିକ ଅବଲମ୍ବନ ବୋଲି କହିଲେଣି । ଭାରତବର୍ଷରେ ନାନା ପୁରୁଣା ବାଟକୁ ଭାଙ୍ଗି ସବୁ ମଣିଷଙ୍କ ଲାଗି ନୂତନ ଏକ ସୁନ୍ଦରତର ବାଟ ତିଆରି କରିବାର ସ୍ୱପ୍ନ ଦେଖୁଥିବା ସମୟରେ ଆମେ ସେହି କଥାକୁ ଭଲକରି ଧ୍ୟାନରେ ରଖିବା । ଏହି ଦେଶରେ ସଭ୍ୟତା ଓ ସମ୍ପନ୍ନତାକୁ ବହୁଗୁଣ କରିବାର ଆକର୍ଷକ କାର୍ଯ୍ୟଯୋଜନାରେ ତଥାପି ଆମେ ଗୋଷ୍ଠୀଜୀବନକୁ ଜାତୀୟ-ଜୀବନର ଆଧାର କରି ରଖିପାରିବା କି ନାହିଁ, ଆମେ ଗମ୍ଭୀର ଭାବରେ ତାହାର ବିଚାର କରିବା । କାରଣ ଆମର ମୂଲ୍ୟବୋଧଗତ ଦୃଷ୍ଟିକୋଣ ଉପରେହିଁ ଭବିଷ୍ୟତ ଭାରତବର୍ଷର ରୂପରେଖ ଅନେକ ପରିମାଣରେ ନିର୍ଭର କରୁଚି ।

 

ପୁସ୍ତକ ଟିପ୍ପଣୀ

 

୧.

ସ ବୈ ନୈବ ରେମେ ତସ୍ମାଦେକାକୀ ନ ରମତେ ସ ଦ୍ୱିତୀୟମୈଚ୍ଛତ୍ ।। - ବୃହଦାରଣ୍ୟକ ଉପନିଷତ୍, ୧୦।୩

୨.

Charles H. Cooley : Social Organization- Free Press, Glencoe, lllinois, 1956, Chapter III.

୩.

R.M. Mac lver and Charles H. Page : Society, an Introductory Analysis – Macmillan and Company, London, 1955, ପୃଷ୍ଠା– ୨୧୮, ୨୨୧.

୪.

Ferdinand Toennis : Community and Association–Routledge and Kegan Paul, London, 1955.

୫.

ତତ୍ରୈବ : ପୃଷ୍ଠା– ୧୭

୬.

ତତ୍ରୈବ : ପୃଷ୍ଠା– ୩୯, ୭୪, ୮୭, ୧୬୫, ୨୬୭ ଓ ୨୭୦

୭.

Emory S. Bogardus : Sociology – The Macmillan Company, New York, 1955, ପୃଷ୍ଠା– ୧୩୨

୮.

Henry S. Maine : Village Communities in the East and West – John Murry, London, 1871.

୯.

Margaret W. Vine : An Introduction to Sociological Theory-Longmans, Green and Co., New York, 1959, ପୃଷ୍ଠା– ୧୬୪

୧୦.

Maurice R. Stein : The Eclipse of Community-Princeton University Press, Princeton, 1960, ପୃଷ୍ଠା– ୧୧୧

୧୧.

Robert Redfield : The Little Community-The University of Chicago Press, Chicago, 1968, ପୃଷ୍ଠା– ୪

୧୨.

Arthur E. Morgan : The Community of the Future and the Future of the Community-Hindustani Talimi Sangha, Sewagram, 1958, ପୃଷ୍ଠା : ୧୦ – ୧୧

୧୩.

R.M. Mac lver : Society, Its Structure and Changes-Richard R. Smith, New York, 1932, ପୃଷ୍ଠା :୯ –୧୦

୧୪.

Robert E. Park : Human Communities-The Free Press, Glencoe, lllinois, 1952, ପୃଷ୍ଠା– ୬୬

୧୫.

ତତ୍ରୈବ : ପୃଷ୍ଠା– ୧୮୨

୧୬.

A.B. Hollingshead : Community Research, Development and Present Condition- American Sociological Review, 13 (1948), ପୃଷ୍ଠା : ୧୩୬ – ୧୪୬

୧୭.

Amons H. Hawley : Human Ecology-The Ronald Press Company, New York, 1950, ପୃଷ୍ଠା– ୭୩

୧୮.

Newell L. Sims : The Rural Community, Ancient and Modern-Charles Scribner’s Sons, New York, 1920, ପୃଷ୍ଠା: ୧୨୦ – ୧୨୧

Unknown

୧୯.

ପୁସ୍ତକ ଟିପ୍ପଣୀ – ୧୨, ପୃଷ୍ଠା– ୧୨

୨୦.

George C. Homans : The Human Group-Harcourt, Brace and Company, New York, 1950, ପୃଷ୍ଠା :୪୫୪ – ୪୬୮

୨୧.

Hubert Bonner : Group Dynamics- The Ronald Press Company, New York, 1959, ପୃଷ୍ଠା– ୩୦୭

୨୨.

Louis Firth quoted in Bendix. R. : Social Theory and Social Action in the Sociology of Louis Firth- American Journal of Sociology, Vol.LIX, No.6, (May, 1954), ପୃଷ୍ଠା– ୫୨୬

୨୩.

Lowry Nelson Charles E. Ramsey and Coolie Verner : Community Structure and Change- The Macmillan Company, New York, 1960, ପୃଷ୍ଠା– ୧୮୪

୨୪.

UNIVERSITAS – (English Language Edition) Wissenschaftiche Verlagsgesellschaft, Stuttgart West Germany, Vol.4, No.3, ପୃଷ୍ଠା– ୩୦୫

Image

 

ତୃତୀୟ ଅଧ୍ୟାୟ

ଗାଆଁ ଓ ସହର

 

–୧–

 

ଆମେରିକାରୁ ପ୍ରକାଶିତ ହୋଇଥିବା ଓ୍ୱେବ୍‌ଷ୍ଟର୍ (Webster) ଶବ୍ଦକୋଷରେ ଗୋଷ୍ଠୀ ବା କମ୍ୟୁନିଟିର ଦୁଇପ୍ରକାର ଅଭିଧା ରହିଚି । (୧) ପ୍ରଥମ ଅର୍ଥଟି ହେଉଚି, ‘ଯେଉଁଠି ଏକ ଜନସମୂହ ଏକ ସ୍ଥାନରେ ବାସ କରୁଥାନ୍ତି ଓ ଏକ ସାମାଜିକ ଅନୁଶାସନ ଦ୍ୱାରା ଜୀବନଯାପନ କରୁଥାନ୍ତି, ତାହାକୁ ଗୋଷ୍ଠୀ ବୋଲି କୁହାଯାଏ ।’ ଦ୍ୱିତୀୟ ଅର୍ଥଟିରେ କୁହାଯାଇଚି, ‘ସର୍ବସାଧାରଣ ଉଦ୍ଦେଶ୍ୟ ଓ ଆଗ୍ରହ ନେଇ ବାସ କରୁଥିବା ଯେକୌଣସି ଜନସମୂହକୁ ଆମେ ଗୋଷ୍ଠୀ ବୋଲି କହିପାରିବା ।’ ପ୍ରଥମଟି ହେଉଚି ଗୋଷ୍ଠୀଶବ୍ଦର ଭୌଗୋଳିକ ସଂଜ୍ଞା, ଦ୍ୱିତୀୟଟି ମନୋବୈଜ୍ଞାନିକ ଓ ଆତ୍ମିକ ସମ୍ବନ୍ଧଗତ ସଂଜ୍ଞା ।

 

ଗୋଷ୍ଠୀ ବା ସମୁଦାୟର ଅର୍ଥପ୍ରବେଶ କରାଇ ସମାଜଶାସ୍ତ୍ରୀ ମ୍ୟାକ୍‌ଆଇଭର୍ କହିଚନ୍ତି, ଗୋଷ୍ଠୀ କହିଲେ ଆମେ ସ୍ଥୂଳତଃ ତିନୋଟି ସାମାଜିକ ଉପାଦାନର ଅବସ୍ଥାନକୁ ବୁଝିବା । (୨) ପ୍ରଥମ ଉପାଦାନଟି ହେଉଚି ଯେକୌଣସି କମ୍ୟୁନିଟିର ପ୍ରତ୍ୟେକ ସଦସ୍ୟଙ୍କ ଭିତରେ ଏକ ସାମୁଦାୟିକ ଭାବନା ପ୍ରଧାନ ଭାବନା ହୋଇ ରହିଥାଏ । ଆପଣାର ବ୍ୟକ୍ତିଗତ ସ୍ୱାର୍ଥ ତଥା ସାମୂହିକ ସ୍ୱାର୍ଥକୁ ଗୋଷ୍ଠୀର ସଦସ୍ୟମାନେ ଅଭିନ୍ନ ବୋଲି ମନେକରନ୍ତି ଏବଂ ସେଥିପାଇଁ ଗୋଷ୍ଠୀ ଓ ଆପଣାଭିତରେ କୌଣସିପ୍ରକାର ଭେଦ ରଖିପାରନ୍ତି ନାହିଁ । ‘ଆମ’ ଘର, ‘ଆମ’ ଗାଆଁ, ‘ଆମ’ ପ୍ରତିବେଶ କହିଲେ ‘ଆମ’ ଭିତରେ ଯେଉଁ ଭାବନା ଜାଗ୍ରତ ହୋଇଥାଏ, ତାହାହିଁ ଗୋଷ୍ଠୀ-ଭାବନା-। ଆମର ଗୋଷ୍ଠୀ ଉପରକୁ କୌଣସି ଆପଦ ଆସିଲେ ଆମେ ସମସ୍ତେ ତାହାକୁ ଆପଣାର ଆପଦ ମଣି ପ୍ରତିକାର କରିବାକୁ ତିଆର ହୋଇଯାଉ । ଏଥିଲାଗି କୌଣସି ଆଇନ୍ ବା ବଳର ପ୍ରୟୋଗ କରି ଆମକୁ ବାଧ୍ୟ କରିବା ଦରକାର ହୁଏନାହିଁ । ଏହା ଅତି ସ୍ୱାଭାବିକ ଓ ସ୍ୱତଃସ୍ପୁର୍ତ୍ତ ଭାବରେ ହୁଏ-। ଯେକୌଣସି ସାମୂହିକ ସଂସ୍ଥାର ସଦସ୍ୟ ଭିତରେ ସଂସ୍ଥା ପ୍ରତି ଅବଶ୍ୟ କେତେକ ପରିମାଣରେ ଏହି ଅଭେଦ ଭାବନା ରହିଥାଏ । କିନ୍ତୁ ଗୋଷ୍ଠୀର ବା କମ୍ୟୁନିଟିର ସଦସ୍ୟମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ପରିମାଣରେ ଥାଏ ।

 

ଦ୍ୱିତୀୟତଃ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ସାଧାରଣତଃ ଏ କଥା ମାନିନେଇଥାଏ ଯେ ଗୋଷ୍ଠୀ ଭିତରେ ତାକୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନ ବା ସୋପାନରେ ରହି ସେହି ସ୍ଥାନର ଯଥାଯୋଗ୍ୟ ଦାୟିତ୍ୱ ପୂରଣ କରିବାକୁ ହେବ । ଏହି ଅନୁଶାସନକୁ ସେ ସ୍ୱେଚ୍ଛାକ୍ରମେ ମାନିନିଏ ଓ ଆପଣାର କର୍ତ୍ତବ୍ୟ କରିବାରେ ତତ୍ପର ରହିଥାଏ । ଆପଣାର ସ୍ୱାର୍ଥ ଓ ଇଚ୍ଛାକୁ ସେ ଗୋଷ୍ଠୀ-ସ୍ୱାର୍ଥ ଓ ଗୋଷ୍ଠୀ-ଇଚ୍ଛାର ଅଧୀନ ବୋଲି ଗ୍ରହଣ କରିନିଏ; ଏକର କଲ୍ୟାଣକୁ ଅନେକଥର ଅଧୀନ ବୋଲି ଗ୍ରହଣ କରିନିଏ । ପିଲାଟିଦିନରୁ ପରିବାରରେ ଓ ସାମୂହିକ ଜୀବନରେ ସେ ସେଇଥିରେ ତାଲିମ ପାଇଥାଏ ଓ ବଡ଼ ହୋଇ ତାହାକୁହିଁ ସାମାଜିକ ଜୀବନର ଶ୍ରେୟ ବୋଲି ବିଶ୍ୱାସ କରିବାକୁ ଲାଗେ । ସେହି ଶ୍ରେୟ ଅନୁସାରେ ନିଜର କର୍ତ୍ତବ୍ୟ କରି ସେ ଆପଣାକୁ ଗୋଷ୍ଠୀର ଅନ୍ତର୍ଭୁକ୍ତ ବୋଲି ଅନୁଭବ କରେ ଓ ତଦ୍ଦ୍ୱାରା ଆପଣାକୁ ଗୌରବାନ୍ୱିତ ମନେକରେ । ତୃତୀୟତଃ, ନିଜ ଜୀବନର ନିରାପଦ ଓ ଉପଯୁକ୍ତ ନିର୍ବାହ ଲାଗି ଗୋଷ୍ଠୀ ଉପରେ ନିର୍ଭରଶୀଳ ହୋଇ ରହିବାକୁ ଗୋଷ୍ଠୀର ସଦସ୍ୟ ସମୀଚୀନ ମନେକରିଥାଏ । ଆପଣା ଜୀବନଭରଣର ନାନା ସାମଗ୍ରୀ ଲାଗି ତାକୁ ଗୋଷ୍ଠୀ ଉପରେ ନିର୍ଭର କରିବାକୁ ପଡ଼େ । କିନ୍ତୁ ଏହି ଶାରୀରିକ ଆବଶ୍ୟକତାର ସ୍ତରବ୍ୟତୀତ ମାନସିକ ସ୍ତରରେ ମଧ୍ୟ ସେ ଗୋଷ୍ଠୀ ଉପରେ ନିର୍ଭରଶୀଳ ହୋଇ ରହେ । ଗୋଷ୍ଠୀକୁ ସେ ଆପଣାର ବୃହତ୍ତର ‘ଆଶ୍ରୟ’ ବୋଲି ମନେକରେ । ଏହି ଆଶ୍ରୟ ବା ଆଳୟକୁ ସେ ଆପଣା ଜୀବନ- ପ୍ରେରଣାର ଉତ୍ସ ବୋଲି ଭାବେ । ସଂସାର ଭିତରେ ସମସ୍ୟାବହୁଳ ଜୀବନପଥରେ ଯେତେବେଳେ ସେ ଆପଣାକୁ ଅସହାୟ ଓ ଏକାକୀ ବୋଲି ଅନୁଭବ କରେ, ସେତେବେଳେ ଆପଣା ଭୟକୁ ଲଂଘନ କରିଯିବାକୁ ସେ ଆପଣା ଗୋଷ୍ଠୀରହିଁ ଆଶ୍ରୟ ନେଇଥାଏ ।

 

ଏ ପର୍ଯ୍ୟନ୍ତ ହୋଇଥିବା ଆଲୋଚନାରୁ ଆମେ ବୁଝିଲେ ଯେ ସବୁ ମନୁଷ୍ୟ-ସମୂହକୁ ଆମେ ଗୋଷ୍ଠୀ ବୋଲି କହି ପାରିବା ନାହିଁ । ସମାଜରେ, ବ୍ୟକ୍ତି ବ୍ୟକ୍ତି ଓ ବ୍ୟକ୍ତି ଏବଂ ସାମୂହିକ ଜୀବନ ମଧ୍ୟରେ ଏକ ବିଶେଷ ସମ୍ବନ୍ଧ ବା ନିର୍ଭରଶୀଳତା ସ୍ଥାପିତ ହୋଇପାରିଲେ ତେବେ ଯାଇ ଆମେ ତାହାକୁ ଗୋଷ୍ଠୀ ବୋଲି କହିପାରିବା । ଅର୍ଥାତ୍ ଗୋଷ୍ଠୀ ବା ସମୁଦାୟ କହିଲେ ସାମାଜିକ ଜୀବନରେ ଏକ ବିଶେଷ ବାତାବରଣ ରହିଥିବାକୁ ବୁଝାଇଥାଏ । କେତେକ ସମାଜଶାସ୍ତ୍ରୀ ମତ ଦେଇଚନ୍ତି ଯେ କେବଳ ଗାଆଁର ସମାଜରେ ଗୋଷ୍ଠୀର ବାତାବରଣ ସମ୍ଭବ ହୋଇପାରେ । ଅନ୍ୟପକ୍ଷରେ ସେମାନେ କହନ୍ତି ଯେ ସହରର ବାତାବରଣ ଗୋଷ୍ଠୀଜୀବନ ଲାଗି ଆଦୌ ଅନୁକୂଳ ନୁହେଁ । ସହରର ଜୀବନର ଆମେ ଅନ୍ୟ ଯେକୌଣସି ପ୍ରକାରର ସାମୂହିକ ଜୀବନ ଦେଖିବାକୁ ପାଇବା ପଛକେ, କିନ୍ତୁ ସେହି ଜୀବନକୁ ଆମେ କଦାପି ଗୋଷ୍ଠୀ ବା ସମୁଦାୟର ଜୀବନ ସହିତ ତୁଳନା କରି ପାରିବା ନାହିଁ । ‘‘ସହର ଜୀବନରେ କୌଣସି କମ୍ୟୁନିଟି ସମ୍ଭବ ହୋଇ ପାରେନାହିଁ । ତାହାର କାରଣ ହେଉଚି ଯେ ସହରର ଅଧିବାସୀମାନଙ୍କୁ ଗୋଟିଏ ଜୀବନବୃତ୍ତରେ ଏକତ୍ର କରି ରଖିବାକୁ ସେଠି ମଣିଷ ମଣିଷ ଭିତରେ କୌଣସି ସ୍ଥାୟୀ ଓ ପ୍ରାଣପୂର୍ଣ୍ଣ ବା ସ୍ୱାର୍ଥ ବା ଆଗ୍ରହ ଲାଗି କୌଣସି ଅବକାଶ ନ ଥାଏ । ସହରର ମଣିଷମାନେ କେତେ ପ୍ରକାର ସଂସ୍ଥା ଓ କେତେ ପ୍ରକାର ସଂଗଠନ ଗଢ଼ନ୍ତି, କେତେ ଅବସରରେ ଏକାଠି ହୁଅନ୍ତି । କିନ୍ତୁ ସେମାନଙ୍କର ସାମୂହିକ ମିଳିତ ଜୀବନରେ ତଥାପି ଗୋଷ୍ଠୀଜୀବନର ବାତାବରଣ ଖଣ୍ଡିତ ଓ ଅପୂର୍ଣ୍ଣ ହୋଇ ରହେ । ଗୋଷ୍ଠୀ-ଜୀବନ ସଂହତ ଓ ସଂବନ୍ଧ ରହିବା ପରିବର୍ତ୍ତେ ନାନା ଖଣ୍ଡ-ଗୋଷ୍ଠୀ ଓ ଖଣ୍ଡ- ସ୍ୱାର୍ଥରେ ବିଭକ୍ତ ହୋଇପଡ଼େ ।’’ (୩)

 

ଗୋଷ୍ଠୀ କହିଲେ ଏହି ପୁସ୍ତକରେ ଆମେ ପ୍ରଧାନତଃ ଗାଆଁର ଗୋଷ୍ଠୀ-ଜୀବନକୁ ହିଁ ବୁଝିବା । ଏବେ ସଭ୍ୟତା ଓ ଆଧୁନିକ ଜୀବନ କହିଲେ ଅନେକଙ୍କର ଆଖିଆଗରେ ଆଗ କୌଣସି ବଡ଼ ସହରର ଚିତ୍ର ଆସି ନାଚିଯାଏ । କିନ୍ତୁ ଆଜି ଏହି ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ମଧ୍ୟ ପୃଥିବୀର ଅଧିକାଂଶ ମଣିଷ ସହରରେ ନୁହେଁ, ଗାଆଁରେ ହିଁ ବାସ କରୁଚନ୍ତି । ପୃଥିବୀର ଅଧିକାଂଶ ମଣିଷ ସାନ ସାନ ଗାଆଁ ଓ ବସତି ଗଢ଼ି ଗୋଷ୍ଠୀ ଆକାରରେ ଜୀବନଯାପନ କରୁଚନ୍ତି । ବିଶ୍ୱ-ରାଷ୍ଟ୍ର-ସଂଘ ଦ୍ୱାରା ପ୍ରକାଶିତ ଏକ ପୁସ୍ତିକାର କହିବା ଅନୁସାରେ ବର୍ତ୍ତମାନ ପୃଥିବୀର ପ୍ରାୟ ତିରିଶରୁ ପଚାଶଲକ୍ଷ ପର୍ଯ୍ୟନ୍ତ ଏହିପରି ବସତିମାନ ରହିଚି । (୪) ଏମାନେ ସ୍ଥାନୀୟ ଏକତାବଦ୍ଧ ଗୋଷ୍ଠୀ ହିସାବରେ ବାସ କରୁଛନ୍ତି ଏବଂ ନାନାପ୍ରକାର ସଂହତି ଓ ସାଧାରଣ ସ୍ୱାର୍ଥର ସୂତ୍ରରେ ପରସ୍ପର ସହିତ ଛନ୍ଦାହୋଇ ରହିଚନ୍ତି । ଆମେରିକା ପରି ଏକ ସହର-ରାଜ୍ୟରେ ମଧ୍ୟ ଗାଆଁ ମାନ ରହିଚି । ଆଧୁନିକ ଇଉରୋପରେ ମଧ୍ୟ ଅନେକ ଲୋକ ଗାଆଁରେ ବାସ କରୁଚନ୍ତି । ଦକ୍ଷିଣ ଇଉରୋପର ସ୍ପେନ୍, ଇତାଲୀ, ଗ୍ରୀସ୍ ଓ ଯୁଗୋସ୍ଳାଭିଆ ପ୍ରଭୃତି ଦେଶରେ ବାସ କରୁଥିବା ଲୋକମାନଙ୍କୁ ମୁଖ୍ୟତଃ ଗ୍ରାମୀଣ ବୋଲି କୁହାଯାଇ ପାରିବ । ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ ଆମେ ବଡ଼ ବଡ଼ ଜନବହୁଳ ସହର ଦେଖିବାକୁ ପାଇବା । ତଥାପି ଏହିସବୁ ମହାଦେଶର ସାମାଜିକ ମୂଳଦୁଆ ଗ୍ରାମୀଣ ହୋଇରହିଚି ଏବଂ ଆଗାମୀ ଅନେକ ବର୍ଷ ଲାଗି ଗ୍ରାମୀଣ ହୋଇ ରହିଥିବ ।

 

ଶ୍ରୀଯୁକ୍ତ ଆର୍‌ଥର୍‌ ମର୍ଗାନ୍ କହନ୍ତି ଯେ ପୃଥିବୀପୃଷ୍ଠରେ ମଣିଷର ଆୟକୁ ଯଦି ଦଶଲକ୍ଷ ବର୍ଷ ବୋଲି ଅନୁମାନ କରାଯାଏ ତେବେ ସହରର ଆୟୁ ଦଶ ବା କୋଡ଼ିଏ ହଜାର ବର୍ଷଠାରୁ କଦାପି ଅଧିକ ହେବନାହିଁ । ଅର୍ଥାତ୍ ଏହି ଅନୁପାତରେ ଦେଖିଲେ ସହରର ବୟସ ମନୁଷ୍ୟଜାତିର ବୟସର ମାତ୍ର ୧% ହେବ । ତାଙ୍କର ମତ ଯେ ଗାଆଁରେ ବାସ କରୁଥିବା ସାନ ସାନ ଗୋଷ୍ଠୀମାନେ ହିଁ ଚିରକାଳ ସହରକୁ ମଣିଷ ଯୋଗାଇ ଆସିଛନ୍ତି । ଚିରଦିନ ଗାଆଁରୁ ଲୋକମାନେ ସହରକୁ ଯାଇଚନ୍ତି ବୋଲି ସହର ତିଷ୍ଠିରହିଚି । ଯଦି କୌଣସି କାରଣରୁ ଗାଆଁ ଛାଡ଼ି ସହରକୁ ଯାଉଥିବା ଲୋକମାନଙ୍କର ପ୍ରବାହ ବନ୍ଦ ହୋଇଯାଏ, ତେବେ ପୃଥିବୀର ସବୁ ସହର ମାତ୍ର ଚାରି ବା ପାଞ୍ଚ ପୁରୁଷ ପରେ ନଷ୍ଟ ବା ବିଲୁପ୍ତ ହୋଇଯିବ । ଗତ କେତେ ଦଶକର ଜନସୁମାରି ରିପୋର୍ଟର ଅବଧାରଣ କରି ସେ କହିଚନ୍ତି ଯେ ସହରର ଜନସଂଖ୍ୟାକୁ ଏକ ସମାବସ୍ଥାରେ ରଖିବାକୁ ହେଲେ ସହରରେ ପ୍ରତ୍ୟେକବର୍ଷ ଯେତେ ପିଲା ଜନ୍ମହେବାର କଥା, ଆମେରିକାର ସହରମାନଙ୍କରେ ତାହାର ତିନି ଚତୁର୍ଥାଂଶ ମଧ୍ୟ ଜନ୍ମ ହେଉନାହାନ୍ତି । ଏକଲକ୍ଷରୁ ଅଧିକ ମଣିଷ ବାସ କରୁଥିବା ସହରାଞ୍ଚଳରେ ଯେଉଁ ହାରରେ ଛୁଆ ଜନ୍ମ ହେଉଚନ୍ତି, ଗାଆଁରେ ଛୁଆ ହେବାର ହାର ତାହାର ଦୁଇଗୁଣରୁ ମଧ୍ୟ ଅଧିକ । (୫) ଆମେରିକାର ଆଉ ତିନିଜଣ ସମାଜଶାସ୍ତ୍ରୀ ସେମାନଙ୍କର ଏକ ବିରାଟ ଗ୍ରନ୍ଥରେ ପ୍ରାୟ ସେହିକଥାହିଁ କହିଚନ୍ତି– ‘‘ଆପଣାର ସ୍ୱାଭାବିକ ଧର୍ମ ଅନୁସାରେ ପାଣି ଯେପରି ଢିପ ଥାନରୁ ଢାଲୁ ଆଡ଼କୁ ବହିଯାଏ, ଠିକ୍ ସେହିପରି ସତେଅବା କୌଣସି ସାଧାରଣ ନିୟମ ପାଳନ କରିବାପରି ମଣିଷର ପ୍ରବାହ ଗ୍ରାମାଞ୍ଚଳରୁ ସହର ଆଡ଼କୁ ବହିବାରେ ଲାଗିଥାଏ; କୃଷିକ୍ଷେତ୍ରରୁ ଶିଳ୍ପକେନ୍ଦ୍ର ଓ ସହରର ଅନ୍ୟାନ୍ୟ ଧନ୍ଦାଆଡ଼କୁ ବହିବାରେ ଲାଗିଥାଏ । ଆବହମାନ କାଳରୁ ଗ୍ରାମାଞ୍ଚଳର ଗୋଷ୍ଠୀମାନେ ଉଦ୍‌ବୃତ୍ତ ପରିମାଣରେ ମଣିଷର ଉତ୍ପାଦନ କରି ଆସିଚନ୍ତି ଏବଂ ସହରାଞ୍ଚଳ ସେହି ଉଦ୍‌ବୃତ୍ତ ସାମଗ୍ରୀ ଦ୍ୱାରା ପ୍ରତିପାଳିତ ହୋଇଆସୁଚି । ପ୍ରକୃତରେ କହିବାକୁ ଗଲେ ମନୁଷ୍ୟଜାତିର ସମଗ୍ର ଇତିହାସରେ ଏହାକୁ ଆମେ ଏକ ଚିରନ୍ତନ ପ୍ରବୃତ୍ତି ରୂପେ ରହିଥିବାର ଲକ୍ଷ୍ୟ କରିପାରିବା ।’’ (୬)

 

ଅନେକ ବର୍ଷ ପୂର୍ବେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଗ୍ରାମଜୀବନ କିପରି ଭାବରେ ଚାଲୁଥିଲା, ଆମେ ଏଠାରେ ତାହାର ଠିକେ ଠିକେ ଆଲୋଚନା କରିବା । ଗୋଷ୍ଠୀଜୀବନ କହିଲେ ଗତ ଅଧ୍ୟାୟରେ ଆମେ ଯାହା ବୁଝିଆସିଚୁ, ପୃଥିବୀ-ସଭ୍ୟତାର ପ୍ରଥମ କାଳରେ ଗ୍ରାମଜୀବନ କହିଲେ ତାହାକୁ ହିଁ ବୁଝାଉଥିଲା । ତେଣୁ ଗ୍ରାମଜୀବନର ଉତ୍ସସନ୍ଧାନ କରିବାକୁ ଯାଇ ଆମକୁ ମନୁଷ୍ୟ-ସଭ୍ୟତାର ହିଁ ଉତ୍ସସନ୍ଧାନ କରିଯିବାକୁ ହେବ । ଯାଯାବର ଜୀବନ ଛାଡ଼ି ମଣିଷ ଯେଉଁଦିନଠାରୁ ଗୋଟିଏ ସ୍ଥାନରେ ସ୍ଥାୟୀଭାବରେ ବସତିସ୍ଥାପନ କରିବାକୁ ଆରମ୍ଭ କଲାଣି, ସେହିଦିନଠାରୁ ଗ୍ରାମଜୀବନ ଓ ଗୋଷ୍ଠୀଜୀବନର ଆରମ୍ଭ ହୋଇଚି । ପ୍ରାଚୀନ ବ୍ରିଟେନ୍‌ର ସାକ୍‌ସନ୍ ଯୁଗରେ ଗାଆଁର ସବୁ ପରିବାର ଗୋଟିଏ ଜାଗାରେ ଏକାଠି ହୋଇ ବାସ କରୁଥିଲେ । ଜନବସତିଗୁଡ଼ିକୁ ସୁରକ୍ଷିତ କରି ରଖିବା ଉଦ୍ଦେଶ୍ୟରେ ଏଗୁଡ଼ିକର ଚାରିପାଖରେ ଗୋଟିଏ ମଜବୁତ୍ ବାଡ଼ ବସାଯାଉଥିଲା । ବାଡ଼ ବୁଜିବାକୁ ପୁରାତନ ସାକ୍‌ସନ୍‌ ଭାଷାରେ Tynan ବୋଲି କୁହାଯାଉଥିଲା ଓ ବାଡ଼କୁ Tun ବା Ton ବୋଲି କୁହାଯାଉଥିଲା । ମଜାର କଥା, ଏହି Tun ବା Ton ରୁ ଆଧୁନିକ Town (ସହର) ଶବ୍ଦର ଉଦ୍‌ଭବ ହୋଇଚି ।

 

ସାକ୍‌ସନ୍‌ ଯୁଗର ଏହି ଗାଆଁଗୁଡ଼ିକ ଆପଣାର ଯାବତୀୟ ଆବଶ୍ୟକତା ଦୃଷ୍ଟିରୁ ସ୍ୱୟଂସମ୍ପୂର୍ଣ୍ଣ ଓ ସ୍ୱାବଲମ୍ବୀ ହୋଇ ରହିଥିଲା । ଅର୍ଥାତ୍ ଖାଉଟି ଜୀବନର ସକଳ ଦ୍ରବ୍ୟ ପ୍ରାୟ ଗାଆଁରେ ହିଁ ଉତ୍ପନ୍ନ ହେଉଥିଲା । ଏ ଯୁଗରେ ଚାଷଜମି ବା ଚାଷୀ କହିଲେ ଆମେ ସାଧାରଣତଃ ଯାହା ବୁଝିଥାଉ, ସେ ସବୁ ଗାଆଁରେ ସେପରି କୌଣସି ଚାଷଜମି ନଥିଲା ବା ଚାଷୀ ନଥିଲେ । ଗାଆଁର ସକଳ ଚାଷବାସ ଓ ଫସଲ ଉତ୍ପାଦନ ସମ୍ମିଳିତ ଭାବରେ ଗୋଷ୍ଠୀ ଉପରେ ନ୍ୟସ୍ତ ହୋଇ ରହିଥିଲା । ଗାଆଁର ସବୁ ଜମି ଉପରେ ସମ୍ମିଳିତ ଭାବରେ ସମସ୍ତଙ୍କର ସତ୍ତ୍ୱ ରହିଥିଲା । ଗୁଳା ପକାଇ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ପରିବାରକୁ ତିନିପଟି ଜମି ମିଳୁଥିଲା । ଫଳରେ କାହାରି ଭାଗରେ ସବୁ ଅଉଲ ଜମି ବା ଆଉ କାହାରି ଭାଗରେ ସବୁ ନୀରସ ଜମିତଳ ପଡ଼ିବାର କୌଣସି ଭୟ ନଥିଲା । ଗାଆଁର ସମସ୍ତେ ମିଶି ଗାଆଁର ସବୁ ଜମିରେ ହଳ କରି ଦେଉଥିଲେ । କୃଷକମାନଙ୍କ ବ୍ୟତୀତ ଗାଆଁରେ ଅନ୍ୟ ଧନ୍ଦା କରୁଥିବା ଲୋକେ ମଧ୍ୟ ରହିଥିଲେ । କିଏ ମହୁମାଛି ପାଳୁଥିଲା ଓ ଗାଆଁକୁ ମହୁ ଯୋଗାଉଥିଲା; କିଏ ଗାଆଁର ସବୁ ଘୁଷୁରି, ମେଣ୍ଢା, ବଳଦ, ଛେଳି ବା ଗାଈମାନଙ୍କର ଦାୟିତ୍ୱରେ ରହିଥିଲା । ଗାଆଁର ଅନ୍ୟାନ୍ୟ ଆବଶ୍ୟକତାମାନ ପୂରଣ କରିବାଲାଗି ଗୋଷ୍ଠୀ ଭିତରେ ଅନ୍ୟମାନେ ମଧ୍ୟ ମହଜୁଦ ହୋଇ ରହିଥିଲେ । ଗାଆଁର ସର୍ବସାଧାରଣ ପାଣ୍ଠିରୁ ଏମାନଙ୍କ ଭରଣପୋଷଣର ବ୍ୟବସ୍ଥା ହୋଇଥିଲା । ଗାଆଁର ଶାସନ ଓ ସୁରକ୍ଷା ଗ୍ରାମସଭା ବା Folkmoot କରୁଥିଲା । (୭)

 

ଆଗକାଳର ରୁଷିଆରେ ଗାଆଁକୁ ମିର୍ (Mir) ବୋଲି କୁହାଯାଉଥିଲା । ଗାଆଁର ଜମିଉପରେ ଗ୍ରାମବାସୀଙ୍କର ସମ୍ମିଳିତ ସତ୍ତ୍ୱ ରହିଥିଲା, କିନ୍ତୁ ବିଭିନ୍ନ ପରିବାରମାନେ ବ୍ୟକ୍ତିଗତ ଭାବରେ ସେହି ଜମିକୁ ନେଇ ଚାଷ କରୁଥିଲେ । ଗ୍ରାମର ପ୍ରମୁଖ ବା ପ୍ରଧାନଙ୍କୁ ଷ୍ଟାରୋସ୍ତା (Starosta) ବୋଲି କୁହାଯାଉଥିଲା । ଗ୍ରାମସଭା ଗୋଷ୍ଠୀଜୀବନର ଯାବତୀୟ ପ୍ରକାରର ରକ୍ଷଣାବେକ୍ଷଣ କରୁଥିଲା । ସ୍ତ୍ରୀ ଓ ପୁରୁଷ ଉଭୟେ ଏହି ସଭାରେ ଭାଗନେବାକୁ ଆସୁଥିଲେ । ମଝିରେ ମଝିରେ ଏହି ସଭାର ଏକ ବୈଠକରେ ଗାଆଁର ଆବାଦୀ ଜମିଗୁଡ଼ିକର ପୁନର୍ବଣ୍ଟନ କରି ଦିଆଯାଉଥିଲା ଏବଂ ଗୋଷ୍ଠୀର ବିଭିନ୍ନ ସମସ୍ୟା ଉପରେ ବିଚାର ହେଉଥିଲା । ୧୯୧୭ ମସିହାର ଅକ୍ଟୋବର ବିପ୍ଳବ ପର୍ଯ୍ୟନ୍ତ ରୁଷିଆର ଗାଆଁମାନ ଏହି ବିଧାନରେ ଚଳୁଥିଲା । ବିପ୍ଳବର ପ୍ରାୟ ଦଶ ବାରବର୍ଷ ପୂର୍ବରୁ ରୁଷିଆର ରାଜଶାସକ ଜାର୍ ଜମି ଉପରେ ବ୍ୟକ୍ତିଗତ ମାଲିକାନାର ପ୍ରଚଳନ କରିବା ମତଲବରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ । ଗାଆଁର ଜମିଗୁଡ଼ିକୁ କୃଷକମାନଙ୍କ ଭିତରେ ସ୍ଥାୟୀ ଭାବରେ ବାଣ୍ଟିଦେବାର ଉଦ୍ୟମ ଆରମ୍ଭ ହୋଇଥିଲା । ଏହା ଫଳରେ ଜମି ଉପରେ ଆସି ଘର କରିବାର ହୁକୁମ ଦିଆଗଲା ଏବଂ ତଦ୍ଦ୍ୱାରା ଗାଆଁର ସମସ୍ତେ ଗୋଷ୍ଠୀ ବାନ୍ଧି ଗୋଟିଏ ଥାନରେ ଘର କରି ରହିବାର ପାରମ୍ପରିକ ପ୍ରଥା କ୍ରମେ ଭାଙ୍ଗିଯିବାକୁ ଲାଗିଲା । ତାପରେ ଅକ୍ଟୋବର ବିପ୍ଳବ ଆସିଲା ଏବଂ ଏହି ସୁଯୋଗରେ ଚାଷୀମାନେ ସରକାରୀ ଜମି ଓ ସାମନ୍ତମାନଙ୍କ ହାତରେ ରହିଥିବା ଜମି ସବୁକୁ ଯାଇ ପୁଣି ଦଖଲ କରିନେଲେ । ତାପରେ ନୂଆ କମ୍ୟୁନିଷ୍ଟ ସରକାର ଗୋଷ୍ଠୀଜୀବନର ପୁରୁଣା ପଦ୍ଧତି ଅନୁସାରେ ଜମିସବୁର ପୁନର୍ବଣ୍ଟନ କରିଦେଇଥିଲେ । ଜାର୍ ସରକାର ଯେଉଁ ସବୁ ଜମିକୁ ବ୍ୟକ୍ତିଗତ ମାଲିକାନା ସୂତ୍ରରେ ଭିନ୍ନ ଭିନ୍ନ କରିଦେଇଥିଲେ, ସେଗୁଡ଼ିକୁ ପୁଣି ଗୋଷ୍ଠୀମୂଳ ଭୂବ୍ୟବସ୍ଥା ଅନୁସାରେ ପୂର୍ବାବସ୍ଥାକୁ ଫେରାଇ ନିଆଗଲା । ଦେଶର ନୂଆ ଆଇନ୍ ଅନୁସାରେ ଦେଶରେ ଥିବା ସବୁ ଜମିକୁ ରାଷ୍ଟ୍ରର ସମ୍ପତ୍ତି ବୋଲି ଘୋଷଣା କରି ଦିଆଗଲା । ତାପରେ ଜମି ଉପରେ ସକଳପ୍ରକାର ବ୍ୟକ୍ତିଗତ ମାଲିକାନାକୁ ହଟାଇ ରାଜ୍ୟସାରା କୃଷିର ସମୂହୀକରଣ କରାଗଲା । ତଥାପି ଏହି ସମୂହୀକରଣ ଦ୍ୱାରା ମଧ୍ୟ ରୁଷ୍ ଗାଆଁର ପୁରାତନ ପ୍ରଚଳିତ ସଂଗଠନରେ କୌଣସି ଆଞ୍ଚ ଆସି ନ ଥିଲା । ଉପସଂହାରରେ ଗୋଷ୍ଠୀଜୀବନକୁ ହିଁ ଆମେ ରୁଷିଆ ଗାଆଁଗୁଡ଼ିକର ମୂଳାଧାର ବୋଲି କହିବା । ସେଠି ସମସ୍ତେ ଏକାଠି ଗୋଟିଏ ଜାଗାରେ ଘର କରି ରହୁଥିଲେ, ଜମି ଉପରେ ସମସ୍ତଙ୍କର ସମ୍ମିଳିତ ସତ୍ତ୍ୱ ରହିଥିଲା ଏବଂ ଗାଆଁର ଯାବତୀୟ ଉଦ୍ୟମ ଓ ପ୍ରସଙ୍ଗରେ ପ୍ରତ୍ୟେକ ପରିବାର ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ରୁଷିଆର ‘ମିର୍’ ସମ୍ବନ୍ଧରେ ଆମେ ଏହି କେତୋଟି କଥା ଅବଶ୍ୟ ମନେରଖିବା-। (୮) ସମୂହ ଅର୍ଥରେ ରୁଷ୍ ଭାଷାରେ ‘Sobornost’ ଶବ୍ଦଟିର ବ୍ୟବହାର କରାଯାଏ । କମ୍ୟୁନିଷ୍ଟ ରୁଷର ସମୂହୀକରଣ ବ୍ୟବସ୍ଥାର ସାମାଜିକ ମୂଳ ନିରୂପଣ କରିବାକୁ ଯାଇ ଅନେକ ‘Sobornost’ର ଉଲ୍ଲେଖ କରିଥାଆନ୍ତି । ପୁରାତନ ରୁଷିଆର ପାରମ୍ପରିକ ଗାଆଁମାନଙ୍କରେ ଯେଉଁ ପାରସ୍ପରିକତା ବା ଗୋଷ୍ଠୀଭାବନା ରହିଥିଲା, ‘Sobornost’ ବୋଇଲେ ତାହାରି ଧର୍ମ ମର୍ମ ହିଁ ପ୍ରକାଶ ପାଇଥାଏ । ଏହି ସମୂହ-କଳ୍ପନା ବ୍ୟକ୍ତିର ସ୍ୱାଧୀନତାକୁ ଅପହରଣ କରି ନିଏନାହିଁ-। ଏଥିରେ ସମାଜର ପରସ୍ପର ମଧ୍ୟରେ ଶ୍ରଦ୍ଧାଭାବର ସମ୍ପର୍କ ରହିଥିବାକୁ ବୁଝାଏ । ଏଥିରେ ବ୍ୟକ୍ତିକୁ ବ୍ୟକ୍ତିଭାବରେ ସ୍ୱୀକାର କରାଯାଏ, ସମୂହଯନ୍ତ୍ରର ଇଚ୍ଛାପୂରଣ ଲାଗି ତାକୁ କେହି ଗିଳି ପକାଇବାକୁ ଆସନ୍ତି ନାହିଁ । ଇଂରାଜୀ ଭାଷାରେ କମ୍ୟୁନିଟି କହିଲେ ଆମେ ଯେଉଁ ସ୍ୱେଚ୍ଛାପ୍ରଣୋଦିତ ଗୋଷ୍ଠୀ-ଭାବନାକୁ ବୁଝିଥାଉ, ରୁଷିଆର Sobornost ଶବ୍ଦ ତାହାହିଁ ବୁଝାଇଥାଏ । (୯)

 

ପ୍ରାଚୀନ ଫିନ୍‌ଲାଣ୍ଡ ଓ ଡେନମାର୍କରେ ମଧ୍ୟ ଗାଆଁମାନଙ୍କରେ ଏହି ଗୋଷ୍ଠୀଜୀବନ ବଳବତ୍ତର ରହିଥିଲା । ଏବେ ମଧ୍ୟ ଉତ୍ତରଦେଶ ଫିନ୍‌ଲାଣ୍ଡ୍‍ରେ ସେ କାଳର କେତୋଟି ପ୍ରଥା ପ୍ରଚଳିତ ରହିଚି । ଗାଆଁରେ ଯାହାର ଫସଲ କଟା ପଛରେ ପଡ଼ିଗଲା ବା କାହା ଘରେ ଫସଲ କାଟିବା ଲାଗି ଆବଶ୍ୟକ ମଣିଷ ନାହାନ୍ତି, ଗ୍ରାମବାସୀମାନେ ଗୋଟିଏ ଦିନ ଠିକ୍‌କରି ତା ଜମିର ଫସଲ କାଟିଦେଇ ଆସନ୍ତି । ସେ ଦିନ ସେମାନେ ସେହି ଚାଷୀର ଘରେ ତା ସହିତ ଏକାଠି ବସି ଖାଆନ୍ତି; ଏହା ବ୍ୟତୀତ ମଜୁରି ଦେବାର ବା ମଜୁରି ନେବାର ଆଉ କୌଣସି ପ୍ରଶ୍ନ ନଥାଏ । ପ୍ରାଚୀନ ଡେନମାର୍କରେ ଅର୍ଥାତ ୧୭୮୪ ମସିହା ପର୍ଯ୍ୟନ୍ତ ଗାଆଁର ଜୀବନ ପ୍ରଧାନତଃ ଗୋଷ୍ଠୀଜୀବନ ହିଁ ରହିଥିଲା । ପ୍ରତ୍ୟେକ ଗାଆଁରେ ଗ୍ରାମସଭା ଥିଲା । ଗ୍ରାମସଭାର ସଭାପତି ଓ ଅନ୍ୟ ସଦସ୍ୟମାନେ କୃଷକ-ସଂସାରର ସମସ୍ତ ଜଞ୍ଜାଳର ସମାଧାନ କରିବାର ଦାୟିତ୍ୱରେ ରହିଥିଲେ । ଗାଆଁର ସବୁ ଗାଈଗୋରୁଙ୍କୁ ଏକାଠି ଜଗିବାଲାଗି ଗୋରୁ-ରଖୁଆଳ ନିଯୁକ୍ତ ହେଉଥିଲେ । ଗ୍ରାମସଭାର ନିଷ୍ପତ୍ତି ଅନୁସାରେ ଖେତର ଯାବତୀୟ କାର୍ଯ୍ୟ ଗାଆଁର ଚାଷୀମାନେ ମିଳିମିଶି କରୁଥିଲେ । ଗାଆଁରେ ଅବସ୍ଥିତ କୌଣସି ଏକ ବଡ଼ ଗଛମୂଳେ ଗ୍ରାମସଭାର ବୈଠକମାନ ବସୁଥିଲା । ଗାଆଁର ସବୁ ଫସଲକୁ ଏକାବେଳେକେ କାଟିବା ସମ୍ଭବ ହେଉନଥିଲା, ତେଣୁ ଯେଉଁ ଚାଷୀର ଆଗତୁରା ଦରକାର ହେଉଥିଲା, ସମସ୍ତଙ୍କର ଅନୁମତିକ୍ରମେ ସେ ଘର ଚଳିବା ମୁତାବକ ବୋଝେ ଦୁଇବୋଝ ଯଅ ବା ମାଣ୍ଡିଆ କାଟି ଘରକୁ ନେବାର ଅନୁମତି ପାଉଥିଲା-। ଆଉ କେତେକ ବର୍ଣ୍ଣନାରୁ ଜାଣିବାକୁ ମିଳେ ଯେ, ଚାଷକାମର ଅନୁକୂଳ ହେଲାବେଳେ ଗାଆଁର ଚାଷୀମାନେ ଉତ୍ସବ ପାଳନ କରୁଥିଲେ ଓ ଆପଣାର ଲଙ୍ଗଳ ଓ ଘୋଡ଼ାମାନଙ୍କୁ ଧରି ଶୋଭାଯାତ୍ରା କରି କ୍ଷେତକୁ ଯାଉଥିଲେ । ନାନା ଋତୁରେ ଚାଷୀ ସମାଜରେ ନାନା ପର୍ବ ପାଳିତ ହେଉଥିଲା । ବସନ୍ତଋତୁରେ ଜମିକୁ ଖତବୁହା ହେଲାବେଳେ ବା ଫସଲ କାଟି ଜମିରୁ ଘରକୁ ଆଣିବାବେଳେ ଗାଆଁସାରା ପର୍ବ ପାଳୁଥିଲେ । କେବଳ ଚାଷବାସରେ ନୁହେଁ, ଦୈନନ୍ଦିନ ଜୀବନର ନାନା କ୍ଷେତ୍ରରେ ମଧ୍ୟ ଗୋଷ୍ଠୀଭାବନା ସର୍ବପ୍ରଧାନ ନିର୍ଣ୍ଣାୟକ ହୋଇ ରହିଥିଲା । ରୋଗ ବଇରାଗ ଓ ଆପଦ ବିପଦ ବେଳେ ଗ୍ରାମବାସୀମାନେ ପରସ୍ପରକୁ ସାହାଯ୍ୟ କରୁଥିଲେ । କାହା ଘରେ ନିଆଁ ଲାଗିଲେ ସମସ୍ତେ ନିଆଁ ନିଭାଇବାକୁ ମେଳ ହୋଇ ଯାଉଥିଲେ । ଗାଆଁ ପୋଖରୀଠାରୁ ନିଆଁ ଲାଗିଥିବା ଜାଗା ପର୍ଯ୍ୟନ୍ତ ଧାଡ଼ିବାନ୍ଧି ସେମାନେ ହାତକୁ ହାତ କରି ବାଲ୍‌ଟି ବାଲ୍‌ଟି ପାଣି ନେଇ ଆସୁଥିଲେ । କିନ୍ତୁ ଘର ଚାଳଘର ହୋଇଥିବାରୁ ସହଜେ ନିଆଁ ନିଭୁନଥିଲା । ତେଣୁ ନିୟମ ଅନୁସାରେ ଗାଆଁରେ ଥିବା ଅନ୍ୟ ଚାଷୀମାନେ ଏକାଠି ହୋଇ ଆପନ୍ନ ପରିବାର ଲାଗି ନୂଆଘର ଠିଆକରି ଦେଉଥିଲେ । କିଏ କେତେ ଗଉଣି ଶସ୍ୟ ଦେଇଯାଉଥିଲା, କିଏ କାଠ ଯୋଗାଉଥିଲା, କିଏ ପୁଳାଏ ଛଣ ଆଣି ଜମା କରି ଯାଉଥିଲା ବା ଆଉ କିଏ ଦିନକଲାଗି ଆପଣାର ଶ୍ରମ ଦେଇଯାଉଥିଲା । ବେଳେ ବେଳେ ଏକାଠି କେତୋଟି ପରିବାରର ଘର ନିଆଁରେ ନଷ୍ଟ ହୋଇଯାଉଥିଲେ ସମସ୍ତ ଅଞ୍ଚଳର ଲୋକେ ଏକାଠି ମିଶି ସେମାନଙ୍କର ସହାୟତା କରିବାକୁ ଆସୁଥିଲେ । ଜୋରିମାନା ଆକାରରେ ଗ୍ରାମରୁ ଯେଉଁ ପାଣ୍ଠି ଗ୍ରାମସଭାର ହାତକୁ ଆସୁଥିଲା, ତାହା ଗ୍ରାମର ସାମୂହିକ କଲ୍ୟାଣକାର୍ଯ୍ୟରେ ବ୍ୟୟିତ ହେଉଥିଲା । ସେଇଥିରୁ ଗାଆଁ ଚାଟଶାଳୀର ଶିକ୍ଷକ ବେତନ ପାଉଥିଲେ, ଗରିବମାନଙ୍କୁ ମୁଠି ମିଳୁଥିଲା, ଗାଆଁର ସବୁ ପରିବାରର କାମରେ ଆସିବାପାଇଁ ରହିଥିବା ଷଣ୍ଢ ବା ଅଣ୍ଡିରା ଘୁଷୁରିର ଖରଚ ଚଳୁଥିଲା । (୧୦)

 

ଜର୍ମାନୀର ଚାଷୀମାନଙ୍କ ବିଷୟରେ ମଧ୍ୟ ଆମେ ଅନୁରୂପ କଥା ଜାଣିବାକୁ ପାଉ । ‘‘ଅଳପ ଜମିର ମାଲିକ ସାନଚାଷୀମାନଙ୍କୁ କୌଣସି ସାଧାରଣ କାର୍ଯ୍ୟରେ ଏକତ୍ର ହେବାଲାଗି କେବେହେଲେ କୌଣସି ଚିନ୍ତା କରିବାକୁ ପଡ଼େନାହିଁ । କାରଣ ନିତ୍ୟଦିନର ଜୀବନରେ ବହୁ କ୍ଷେତ୍ରରେ ସେମାନେ ପରସ୍ପର ସହିତ ସମ୍ମିଳିତ ହୋଇ ରହିଥାନ୍ତି । ଇତିହାସର ଗତ ହଜାରବର୍ଷ ହେଲା ସେମାନେ ଏକାଠି ରହି ଆସିଚନ୍ତି । ସେମାନଙ୍କର ପିଲାଏ ଏକାଠି ଖେଳନ୍ତି, ଗାଆଁ ପାଠଶାଳାରେ ଏକାଠି ଗୀତ ଗାଆନ୍ତି, ବିଭିନ୍ନ ଋତୁର ପର୍ବଦିନମାନଙ୍କରେ ଏକାଠି ନାଚନ୍ତି । ସେମାନଙ୍କ ଭିତରେ କାହାରିକୁ ଆଉ କାହାରି କିଛି ଅଛପା ନଥାଏ । କୃଷି ଓ ତତ୍‌ସମ୍ପର୍କୀୟ ସଂଗଠନ ମାନଙ୍କରେ ତିଷ୍ଠି ରହିବାର ସାମର୍ଥ୍ୟ ଓ ସହନଶୀଳତା ସେମାନଙ୍କ ଭିତରୁ କେଉଁମାନଙ୍କର କେତେଦୂର ରହିଚି ବା ନାହିଁ, ପରସ୍ପରର ଘନିଷ୍ଠ ସମ୍ପର୍କରେ ଆସି ସେମାନେ ସେକଥା ଭଲକରି ଜାଣିଥାନ୍ତି । ଜର୍ମାନୀର ପ୍ରାୟ ପ୍ରତ୍ୟେକ ଗାଆଁରେ ଋଣଦାତା ସହକାରୀ ସମିତିମାନ ରହିଚି । ଆମେରିକାରେ ସହକାରୀ କୃଷିକ୍ଷେତ୍ରରେ ଏହି ଗୋଷ୍ଠୀଭାବନାର ହିଁ ଅଭାବ ରହିଚି ଏବଂ ଏହି ଅଭାବ ସକାଶେ ଆମେରିକାର କୃଷି ସଂଗଠନମାନ ବଡ଼ ଅପୂର୍ଣ୍ଣ ଓ ଦୋଷଦୁଷ୍ଟ ହୋଇ ରହିଯାଉଚି । କୃଷି କ୍ଷେତ୍ରରେ ସମବାୟ ବା ସହକାରୀ ବ୍ୟବସ୍ଥାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ଗ୍ରାମାଞ୍ଚଳରେ ଗୋଷ୍ଠୀବଦ୍ଧ ପାରସ୍ପରିକତାର ପାରମ୍ପରିକ ଭୂମି ରହିଥିବା ଏକାନ୍ତ ଆବଶ୍ୟକ ।’’ (୧୧)

 

ଚୀନ୍‌ଦେଶର ଗାଆଁ ସମ୍ବନ୍ଧରେ ମଧ୍ୟ ସେହି ଏକା କଥା । ସେ ଦେଶର ଚାଷୀମାନେ କର୍ମଜୀବନର ନାନାବିଧ କ୍ଷେତ୍ରରେ ପରସ୍ପର ଉପରେ ନିର୍ଭର କରି ରହିଥାନ୍ତି । ଜମି ହଳ କରିବା, ବିହନ ବୁଣିବା, ଫସଲ କାଟିବା ଓ ବେଙ୍ଗଳା ପକାଇବା ପ୍ରଭୃତି ନାନା କାର୍ଯ୍ୟରେ ଗାଆଁର ଚାଷୀମାନେ ପରସ୍ପରକୁ ସାହାଯ୍ୟ କରିଥାଆନ୍ତି । ବିବାହ ସମୟରେ, ଶ୍ରାଦ୍ଧ ବା ସେହିପରି ଅନ୍ୟ କୌଣସି ବିଶେଷ ଅନୁଷ୍ଠାନବେଳେ ଗାଆଁର ପରିବାରମାନେ ବଡ଼ ସ୍ୱାଭାବିକ ଭାବରେ ପରସ୍ପରର ସାହାଯ୍ୟ କରିବାକୁ ଆସନ୍ତି । (୧୨)

 

ସେକାଳରେ ସେସବୁ ଦେଶରେ ଗୋଷ୍ଠୀଜୀବନ ଥିଲା, ଗାଆଁ ଥିଲା, ସମାଜର ଦୈନନ୍ଦିନ ସମ୍ପର୍କରେ ପାରସ୍ପରିକତା ଭରି ରହିଥିଲା । ବର୍ତ୍ତମାନ କାଳ ବଦଳିଗଲାଣି । ଆଗେ ସହରରେ ଯାହା ମିଳୁଥିଲା, ଏବେ ଗାଆଁରେ ମଧ୍ୟ ତାହା ମିଳିଲାଣି । ମଫସଲ ଆଉ ମଫସଲ ହୋଇ ନାହିଁ । ଗାଆଁ ଆଉ ସହରର ଦୂରତା ଅନେକାଂଶରେ ହ୍ରାସ ହୋଇଗଲାଣି । ତଥାପି ସମାଜଶାସ୍ତ୍ରୀମାନେ କହନ୍ତି ଯେ ସେ କାଳର ଗୋଷ୍ଠୀଜୀବନର ପ୍ରଭାବ ସେସବୁ ଦେଶର ବର୍ତ୍ତମାନ ସାମାଜିକ ଜୀବନରେ ମଧ୍ୟ ପରିଲକ୍ଷିତ ହୋଇପାରିବ । ଜର୍ମାନୀର ଗାଆଁରେ ଆଗେ ପାରସ୍ପରିକ ଜୀବନର ବାତାବରଣ ରହିଥିଲା, କିନ୍ତୁ ଆମେରିକାରେ ଗ୍ରାମୀଣ ସାମୂହିକ ଜୀବନର ସେପରି କୌଣସି ପରମ୍ପରାଗତ ଚେର ନାହିଁ । ତେଣୁ ଜର୍ମାନୀ ଦେଶରେ କୃଷକ ସମାଜରେ ସମବାୟ ଆନ୍ଦୋଳନ ଯେପରି ସହଜରେ ସଫଳ ହୋଇପାରୁଚି, ଆମେରିକାରେ ତାହା ହୋଇପାରୁନାହିଁ, ଏଥିପୂର୍ବରୁ ତାହାର ଉଲ୍ଲେଖ କରାଯାଇଚି । ଇଉରୋପୀୟ ଗ୍ରାମ ସମାଜ ବିଷୟରେ ଲେଖା ହୋଇଥିବା ଆଉ ଗୋଟିଏ ଗ୍ରନ୍ଥରେ କୁହାଯାଇଚି, ‘‘ଇଉରୋପରେ ପ୍ରତ୍ୟେକ ଅଞ୍ଚଳରେ କୃଷକ ପରିବାର ଓ ଗ୍ରାମୀଣ ସମୁଦାୟମାନଙ୍କରେ ଗୋଷ୍ଠୀଗତ ପାରସ୍ପରିକ ଜୀବନର ଏକ ସୁଦୃଢ଼ ପରମ୍ପରା ରହିଆସିଚି । ଏହି ପରମ୍ପରା ଫଳରେ ହିଁ ସେହି ସବୁ ଅଞ୍ଚଳର କୃଷକମାନଙ୍କ ମଧ୍ୟରେ ଏକାଠି କାମ କରିବା ଓ ଏକାଠି ଜମି ଉପରେ ମାଲିକ ହୋଇ ରହିବା ଏକ ସ୍ୱାଭାବିକ ପ୍ରବୃତ୍ତି ପରି ରହିଆସିଚି । ଯେଉଁସବୁ ଦେଶରେ ଗ୍ରାମଜୀବନରେ ଏହି ପାରସ୍ପରିକତା ଖୁବ ବେଶି ବ୍ୟାହତ ହୋଇ ପଡ଼ିନାହିଁ, ସେହିସବୁ ଦେଶରେ ହିଁ ଅତ୍ୟନ୍ତ ସହଜ ଓ ସ୍ୱତଃସ୍ଫୁର୍ତ୍ତ ଭାବରେ ସମବାୟ-ଉଦ୍ୟମର ବିକାଶ ଓ ଅଭିବୃଦ୍ଧି ସମ୍ଭବ ହୋଇପାରୁଚି । ସେସବୁ ସ୍ଥାନରେ ପେଶାଦାର ସଂଗଠକମାନଙ୍କର ସାହାଯ୍ୟ ଆଦୌ ଲୋଡ଼ା ହେଉନାହିଁ ।’’ (୧୩)

 

ବ୍ରିଟେନ୍‌ର ପୁରାତନ ସାକ୍‌ସନ୍‌ ଗାଆଁ ଗୁଡ଼ିକର ସାମାଜିକ ଜୀବନ ବର୍ଣ୍ଣନା କରିବାକୁ ଯାଇ ଆଉଜଣେ ଲେଖକ ମଧ୍ୟ ସେହି କଥା କହିଚନ୍ତି । ‘‘ଗାଆଁରେ ଦୀର୍ଘକାଳ ଏକାଠି ରହି ଓ ପରସ୍ପରର ଜୀବନରେ ଘନିଷ୍ଟ ଅଂଶ ଗ୍ରହଣ କରି ଗାଆଁ ଲୋକେ ଆପଣାକୁ ସମଗ୍ର ଗାଆଁର ସମ୍ପଦ ବୋଲି ଓ ପରସ୍ପରକୁ ଏକ ଗୋଷ୍ଠୀ ପରି ଅନୁଭବ କରୁଚନ୍ତି । ଏହି ଗୋଷ୍ଠୀଭାବନା ବିକଶିତ ହେବାଲାଗି କେତେ କେତେ ଶତାବ୍ଦୀ ଲାଗିଚି । ଗାଆଁର ଅଧିବାସୀମାନେ ଜୀବନର ନାନା ଆବଶ୍ୟକତା ପୂରଣ କରିବାଲାଗି କେତେ ଶତାବ୍ଦୀ ଧରି ପରସ୍ପର ଉପରେ ନିର୍ଭର କରି ଆସିଚନ୍ତି । ଏହି ପରସ୍ପର-ନିର୍ଭରତାରୁ ହିଁ ଗୋଷ୍ଠୀଭାବନାର ଜନ୍ମ ହୋଇଚି ।’’ (୧୪) ଇଉରୋପରେ ଗୋଷ୍ଠୀଗତ ଜୀବନ ପଦ୍ଧତିର ସମାଜ-ବୈଜ୍ଞାନିକ ଓ ମନୋବୈଜ୍ଞାନିକ ପରିଣାମମାନ ନିରୂପଣ କରିବାକୁ ଯାଇ ପୂର୍ବାଲୋଚିତ ଜଣେ ସମାଜଶାସ୍ତ୍ରୀ କହିଚନ୍ତି ଯେ ଗାଆଁରେ ଗୋଟିଏ ଗୋଷ୍ଠୀରେ ଅନ୍ତରଙ୍ଗ ସାମାଜିକ ଜୀବନ ଯାପନ କରିବା ଦ୍ୱାରା ଗାଆଁର ଲୋକମାନେ ସମ୍ମିଳିତ ଭାବରେ ଚିନ୍ତା କରିବା ଓ ସମ୍ମିଳିତ ଭାବରେ କାର୍ଯ୍ୟ କରିବାକୁ କ୍ରମେ ଅତି ସ୍ୱାଭାବିକ ବୋଲି ମନେ କରନ୍ତି । ଇଉରୋପର କୃଷକ ମାନେ ଏହାଦ୍ୱାରା ବଡ଼ ଆକାରର ସମବାୟ-ଉଦ୍ୟମମାନ ଆରମ୍ଭ କରିବାକୁ ଅଧିକ ସମର୍ଥତା ଅନୁଭବ କରନ୍ତି । ଋଣ ଦେବା ଓ ନେବା, ଉତ୍ପାଦନ, କ୍ରୟବିକ୍ରୟ ଏବଂ ଶିକ୍ଷା ପ୍ରଭୃତି ନାନା କ୍ଷେତ୍ରର ଆବଶ୍ୟକତା ଗୁଡ଼ିକୁ ସେମାନେ ସମବାୟ-ଉଦ୍ୟମ ଦ୍ୱାରା ପୂରଣ କରିବାଲାଗି ଆଗଭର ହୁଅନ୍ତି । ପ୍ରଧାନତଃ ଏହି ସରକାରୀ ଓ ସମବାୟମୂଳକ ଉଦ୍ୟମ ସକାଶେ ହିଁ ଆଜି ଇଉରୋପରେ କୃଷି ଏକ ଲାଭବାନ୍ ଧନ୍ଦା ହୋଇ ରହିଚି ଓ କୃଷିକାର୍ଯ୍ୟର ଅବଲମ୍ବନ କରି ଇଉରୋପର ଗ୍ରାମବାସୀକୁ ସନ୍ତୋଷ ମଧ୍ୟ ମିଳିପାରୁଚି । ଏହି ଦୃଷ୍ଟିରୁ ବିଚାର କଲେ ଆମେ କହିପାରିବା ପାରମ୍ପରିକ ଗ୍ରାମୀଣ ଜୀବନପ୍ରଣାଳୀର ପ୍ରଭାବ ଆଜି କେବଳ ସ୍ଥାନୀୟ ଗ୍ରାମସୀମାର ପରିଧିକୁ ଅତିକ୍ରମ କରି ନାନା ବୃହତ୍ତର କ୍ଷେତ୍ରକୁ ବହୁଧା ପ୍ରସାରିତ ହୋଇଯାଇଚି । ରୁଷିଆରେ ପରମ୍ପରାଗତ ‘ମିର୍’ ଜୀବନରେ ଯେଉଁ ପାରସ୍ପରିକତାର ଅନୁଶୀଳନ ହୋଇଆସିଚି, ତାହାହିଁ ଆଜି ସେହି ଦେଶର ଜାତୀୟ ଜୀବନରେ ପ୍ରତିଫଳିତ ହୋଇଚି । ଡେନ୍‌ମାର୍କ ଦେଶରେ ଆଜି ସେହି ପୁରାତନ କାଳର ଗ୍ରାମୀଣ ଜୀବନରୀତି ଲୁପ୍ତ ପ୍ରାୟ ହୋଇଗଲାଣି ଓ ଆପଣାର ସଂବଦ୍ଧତା ହରାଇ ବସିଲାଣି । ସଂହତ ଗ୍ରାମବସତି ଭାଙ୍ଗି ସେଠାରେ କୃଷକମାନେ ବିକ୍ଷିପ୍ତ ହୋଇ ବାସ କଲେଣି । ତଥାପି ପୁରାତନ ଗ୍ରାମ ଜୀବନର ଅଭ୍ୟାସ ଓ ପରମ୍ପରାମାନ ଆଜି ସେଠାରେ ମଧ୍ୟ ଅପ୍ରତିହତ ଶକ୍ତି ସହିତ ପ୍ରତିଷ୍ଠିତ ରହିଚି । ଡେନ୍‌ମାର୍କ ଦେଶରେ ଯେ ପୃଥିବୀରେ ସବୁଠାରୁ ବଳିଷ୍ଠ ଏକ କୃଷି–ସମବାୟ-ବ୍ୟବସ୍ଥା ବିକଶିତ ହୋଇପାରିଚି, ସେଥିଲାଗି ଆମକୁ ସେହି ଅଭ୍ୟାସ ଓ ପରମ୍ପରା ଗୁଡ଼ିକୁ ହିଁ ସବୁଠାରୁ ଅଧିକ ଶ୍ରେୟ ଦେବାକୁ ପଡ଼ିବ ।

 

ଏହି ବିଚାରକୁ ଅଧିକ ପ୍ରସାରିତ କରି ଲେଖକ ପୁଣି କହିଚନ୍ତି, ‘‘ଇଉରୋପ ଏକ ଜନବହୁଳ ମହାଦେଶ । ଏଠାରେ ମୁଣ୍ଡପିଛା ଭୂମି ପରିମାଣ ଅନେକ କମ୍ । ତେଣୁ ଏଠି ଅଧିକାଂଶତଃ ଅଳପ ଜମି ଥିବା ଚାଷୀମାନେ ସଘନ କୃଷିକାର୍ଯ୍ୟକୁ ଏକମାତ୍ର ସମୀଚୀନ ପନ୍ଥାରୂପେ ଗ୍ରହଣ କରିଚନ୍ତି । ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଏପରି କୃଷି କରିବା ପଛରେ ଅନେକ ଅସୁବିଧା ରହିଚି । କୌଣସି କୃଷକ ଇଚ୍ଛାକଲେ ତାର ବ୍ୟକ୍ତିଗତ ପ୍ରୟୋଜନ ଲାଗି କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ବହୁମୂଲ୍ୟ ସରଞ୍ଜାମମାନ କିଣିବାକୁ କଦାପି ସମର୍ଥ ହୋଇ ପାରନ୍ତାନାହିଁ । କୃଷିଜାତ ଦ୍ରବ୍ୟକୁ ହାଟରେ ନେଇ ବିକ୍ରୀ କରିବା ଓ କୃଷି ଲାଗି ଆବଶ୍ୟକ ହେଉଥିବା ସାମଗ୍ରୀମାନ କିଣିବା ବଡ଼ କଷ୍ଟସାଧ୍ୟ ହୋଇ ରହିଥାନ୍ତା ଓ ଏଥିଲାଗି ଅନେକ ସମୟରେ କ୍ଷତି ସହିବାକୁ ବି ପଡ଼ୁଥାନ୍ତା । ତଥାପି ଏହି ସବୁ ପ୍ରତିବନ୍ଧକ ସତ୍ତ୍ୱେ ଇଉରୋପର ଲକ୍ଷ ଲକ୍ଷ କୃଷକ ଆପଣାର କୃଷି ବେଉସାରେ ସଫଳତା ଅର୍ଜନ କରି ପାରିଚନ୍ତି । ଏକମାତ୍ର ସମବାୟ-ପଦ୍ଧତିଦ୍ୱାରା ହିଁ ଏହି ସଫଳତା ସମ୍ଭବ ହୋଇଚି । ସମବାୟ ହିଁ ସେମାନଙ୍କର ସଫଳତାରେ ଚାବିକାଠି ପରି କାର୍ଯ୍ୟ କରିଚି ଏବଂ ଆଗରୁ ଗ୍ରାମରେ ରହିଆସିଥିବା ଗୋଷ୍ଠୀଜୀବନ ହିଁ ଭୂମିପରି ରହି ସମବାୟ ଆନ୍ଦୋଳନକୁ ସଫଳ କରାଇଚି ।’’ (୧୫)

 

ପୃଥିବୀର ଅଧିକାଂଶ ଲୋକ ଆଜି ଗ୍ରାମରେ ବାସ କରୁଚନ୍ତି । ଆଗାମୀ ଅନେକ ବର୍ଷ ସକାଶେ ପୃଥିବୀର ଅଧିକାଂଶ ମଣିଷ ସେହି ଗ୍ରାମରେ ହିଁ ବାସ କରିବେ । ତେଣୁ ଗ୍ରାମ ଓ ଗ୍ରାମଜୀବନକୁ ଉଚିତ ଗୁରୁତ୍ୱ ଓ ଗଭୀରତା ସହିତ ବୁଝିବାରେ ଆମର କୌଣସି ତ୍ରୁଟି ରହିବା ଉଚିତ ନୁହେଁ । ସମାଜଶାସ୍ତ୍ରର ଅଧ୍ୟୟନ-କ୍ଷେତ୍ରରେ ନୃତ୍‌ଭୂବିତ୍ ରବର୍ଟ ରେଡ଼୍‌ଫିଲ୍‌ଡ଼୍‌ ବୋଧହୁଏ ଅନ୍ୟ ସମସ୍ତଙ୍କଠାରୁ ଅଧିକ ସଘନ ଭାବରେ ଗ୍ରାମଜୀବନ, କୃଷକ-ସଂସାର ଓ ଗ୍ରାମୀଣ ସଂସ୍କୃତିର ଅଧ୍ୟୟନ କରିଚନ୍ତି । (୧୬) ଗ୍ରାମ ସମାଜକୁ ସେ ଆଦିବାସୀ ବସତି ଓ ଆଧୁନିକ ସହରର ମଧ୍ୟବର୍ତ୍ତୀ ଅବସ୍ଥା ବୋଲି କହିଚନ୍ତି । ତାଙ୍କର ମତ ଯେ, ଆମେ ପୃଥିବୀର ଯେକୌଣସି ଦେଶକୁ ଯିବା ପଛକେ, ସବୁଠାରେ ଗ୍ରାମ ସମାଜରେ ଆମେ ଅନେକ ସମାନ ଲକ୍ଷଣ ଦେଖିବାକୁ ପାଇବା । ପୃଥିବୀସାରା ସବୁଠାରେ ଚାଷୀମାନେ କୃଷିକୁ ହିଁ ଜୀବନ-ନିର୍ବାହର ପ୍ରଧାନତମ ଅବଲମ୍ବନ ରୂପେ ଗ୍ରହଣ କରିଥାନ୍ତି । ମାତ୍ର ସେମାନଙ୍କ ଲାଗି କୃଷି କେବଳ ଏକ ଖାଦ୍ୟ ଓ ଅର୍ଥ ଉତ୍ପାଦନକାରୀ ଧନ୍ଦା ଭିତରେ ସୀମାବଦ୍ଧ ନଥାଏ । କୃଷି ବ୍ୟବସାୟରେ ଲାଭ କମାଇବାର ମତଲବରେ ସେମାନେ କୃଷି କରନ୍ତି ନାହିଁ । କୃଷିକୁ ସେମାନେ ଏକ ଜୀବନଫନ୍ଦା ବା ଜୀବନପଥ ପରି ଗ୍ରହଣ କରିଥାନ୍ତି (ପୃଷ୍ଠା-୨୭) । ଆଉ ଜଣେ ସମାଜଶାସ୍ତ୍ରୀଙ୍କର ମତ ଉଦ୍ଧାର କରି ସେ କହିଚନ୍ତି ଯେ, ସଂସାରଯାକର କୃଷକମାନଙ୍କ ଜୀବନ ଓ ସଂସ୍କୃତିରେ ଆମକୁ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳେ । କୃଷକମାନେ ଆପଣାର ଭୂମି ବା ଜମି ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ସୂତ୍ରରେ ବାନ୍ଧିହୋଇ ରହିଥାନ୍ତି, ଏକ ସୁସଂବଦ୍ଧ ଗ୍ରାମ ବା ଗୋଷ୍ଠୀଜୀବନ ସହିତ ସେମାନଙ୍କର ଜୀବନ ଚେର ବଡ଼ ଦୃଢ଼ ଓ ଗଭୀର ଭାବରେ ଜଡ଼ିତ ହୋଇ ରହିଥାଏ ଏବଂ ସବୁଠାରେ କୃଷକମାନେ ପରିବାରକୁ ହିଁ ସାମାଜିକ ଓ ବ୍ୟକ୍ତିଗତ ଜୀବନର ମହତ୍ତ୍ୱବିନ୍ଦୁ ରୂପେ ମାନିଥାନ୍ତି । (ପୃଷ୍ଠା-୧୦୬) ଆପଣା ଗାଆଁର ମାଟି ସହିତ ଜୀବନର ନାଡ଼ ଲାଗିଥିବ, ଆପଣାର ଘର, ପ୍ରତିବେଶୀ ସଂସାର ଓ ବଂଶାନୁକ୍ରମିକ ଜୀବନଚଳଣି ଗୁଡ଼ିକ ପ୍ରତି ଏକ ପ୍ରକାର ଭକ୍ତି ମିଶ୍ରିତ ଅନୁରାଗ ରହିଥିବ, ପରିବାର ଓ ଗୋଷ୍ଠୀର କଲ୍ୟାଣ ଲାଗି ବ୍ୟକ୍ତିଗତ ଲୋଭ ଓ ସ୍ୱାର୍ଥକୁ ଦମନ କରି ରଖିବାର ପ୍ରବୃତ୍ତି ଥିବ, ସହରଜୀବନ ପ୍ରତି ଗୋଟାଏ ପକ୍ଷରେ ସଂଶୟ ଓ ଅବିଶ୍ୱାସ ଥିବ, ଏଣେ ଆଗ୍ରହ ଓ ସରାଗ ମଧ୍ୟ ରହିଥିବ, ଆପଣାର ସାଂସାରିକ ଜୀବନକୁ ସୁବ୍ୟବସ୍ଥିତ ମାର୍ଗରେ ଚଳାଇ ନେଲାଭଳି ପ୍ରୟୋଜନ ପ୍ରଣୋଦିତ ଏକ ନୀତିମାର୍ଗକୁ ସ୍ୱୀକାର କରି ନିଆଯାଉଥିବ, -ଶ୍ରୀ ରେଡ଼୍‌ଫିଲ୍‌ଡ଼୍‌ଙ୍କର କହିବା ଅନୁସାରେ ଉତ୍ତମ ବା ଆଦର୍ଶ ଜୀବନ କହିଲେ କୃଷକ ସାଧାରଣତଃ ଏହି କେତୋଟି କଥାକୁ ହିଁ ବୁଝିଥାଏ । (ପୃଷ୍ଠା-୧୪୦)

 

ଯେକୌଣସି ଗ୍ରାମ ବା କୃଷକ ସମାଜରେ ଦୁଇ ପ୍ରକାର ପରମ୍ପରା ଲୋକଜୀବନର ପ୍ରକୃତିକୁ ନିୟନ୍ତ୍ରିତ କରିଥାଏ । ଶ୍ରୀଯୁକ୍ତ ରେଡ଼୍‌ଫିଲ୍‌ଡ଼୍‌ ଏହି ଦୁଇଟିକୁ ‘କ୍ଷୁଦ୍ର ପରମ୍ପରା’ (the little tradition) ଓ ‘ବୃହତ୍ତ ପରମ୍ପରା’ (the great tradition) ନାମରେ ଅଭିହିତ କରିଚନ୍ତି । ଏହି ଦୁଇଟିଯାକ ପରମ୍ପରା ଗ୍ରାମଜୀବନର ଯାବତୀୟ କ୍ଷେତ୍ର ଓ କାର୍ଯ୍ୟକଳାପକୁ ଭେଦକରି ରହିଥାଏ । ଗ୍ରାମ ସମାଜର ଦୈନନ୍ଦିନ ଜୀବନ ଯେଉଁ ସବୁ ଆର୍ଥିକ ଓ ସାମାଜିକ ବ୍ୟବସ୍ଥା ଅନୁସାରେ ଚଳୁଥାଏ, ତାହା ହେଉଚି ‘କ୍ଷୁଦ୍ର ପରମ୍ପରା’ । କିନ୍ତୁ ଗ୍ରାମ-ବିଦ୍ୟାଳୟ ଓ ଗ୍ରାମ-ଦେବାଳୟରେ ଯେଉଁ ପରମ୍ପରାର ଅବସ୍ଥିତି ଅନୁଭୂତି ହୋଇଥାଏ, ତାହା ହେଉଛି ‘ବୃହତ୍ତ ପରମ୍ପରା’-। ଉଦାହରଣ ସ୍ୱରୂପ, ଆମେ ଆମ ନିଜ ଗାଆଁର ଦୃଷ୍ଟାନ୍ତ ନେବା । ଏହି ଗାଆଁରେ ଚାଷ ବାସ, ଜନ୍ମ ମୃତ୍ୟୁ ସମ୍ବନ୍ଧୀୟ ସାମାଜିକ କୃତ୍ୟମାନ, ଜାତି ଜାତି ବା ପରିବାର ପରିବାର ମଧ୍ୟରେ ରହିଥିବା ସମ୍ପର୍କ ମାନ ସ୍ଥାନୀୟ ପ୍ରୟୋଜନ ଦୃଷ୍ଟିରୁ ହିଁ ନିର୍ଣ୍ଣିତ ହୋଇଥାଏ । ଏହି ଦୃଷ୍ଟିରୁ ଦେଖିଲେ ଗୋଟିଏ ଗାଆଁର କ୍ଷୁଦ୍ର ପରମ୍ପରା ଆଉ ଗୋଟିଏ ଗାଆଁର କ୍ଷୁଦ୍ର ପରମ୍ପରା ଭିତରେ ଅନେକ ଭିନ୍ନତା ମଧ୍ୟ ପରିଲକ୍ଷିତ ହୁଏ । ଗାଆଁର ସମାଜ ଚଳିବାଲାଗି ଗାଆଁର ଲୋକମାନେ ଯେଉଁ ପ୍ରୟୋଜନସିଦ୍ଧ ପରମ୍ପରାକୁ ମାନିକରି ଚଳନ୍ତି, ଆମେ ତାହାକୁ ହିଁ ଗାଆଁର କ୍ଷୁଦ୍ର ପରମ୍ପରା ବୋଲି ବୁଝିବା । ଗାଆଁର ସ୍ଥାନୀୟ ଅଥବା ତାତ୍କାଳିକ ଆବଶ୍ୟକତା ଦୃଷ୍ଟିରୁ ଏହି ପରମ୍ପରାଟି ଗଢ଼ିଉଠିଥାଏ । ତଥାପି ଗାଆଁର ଜୀବନ ବା ଗାଆଁର ସଂସ୍କୃତି ଏହି ସ୍ଥାନୀୟ ଏବଂ ସେହି ହେତୁ କ୍ଷୁଦ୍ର ପରମ୍ପରା ମଧ୍ୟରେ ଆବଦ୍ଧ ହୋଇ ରହିନଥାଏ । ଆଉ ଏକ ବୃହତ୍ତର ସଂସ୍କୃତି ଭିତରକୁ ଗ୍ରାମ୍ୟ ଜୀବନର ଚେର ମାଡ଼ି ରହିଥାଏ-। ଆମ ଗାଆଁରେ ପୁରାଣପାଠ ହୁଏ, ରାମଲୀଳା ହୁଏ, ଦୋଳ ବା ଦଶହରା ପର୍ବ ଅନୁଷ୍ଠିତ ହୁଏ । ଏଗୁଡ଼ିକର ଉତ୍ସ ଆମ ଗ୍ରାମରେ ନୁହେଁ, ଭାରତୀୟ ସମାଜ-ସଂସ୍କୃତିର ବୃହତ୍ ପରମ୍ପରା ଭିତରେ ରହିଛି । ଓଡ଼ିଶା ଠାରୁ କେରଳ ପର୍ଯ୍ୟନ୍ତ ଆମେ ଏ ଦେଶର ଯେଉଁ ଗାଆଁକୁ ଗଲେ ମଧ୍ୟ ଏହି ବୃହତ୍ ପରମ୍ପରାର ପରିଚୟ ପାଇବା । ଗ୍ରାମଜୀବନର ମୂଲ୍ୟବୋଧ ସମ୍ବନ୍ଧୀୟ ମାନଦଣ୍ଡ ଶହ ଶହ ବର୍ଷ ହେଲା ରାମାୟଣ, ମହାଭାରତ ପ୍ରଭୃତି ଗ୍ରନ୍ଥର ମୂଲ୍ୟଦଣ୍ଡ ଦ୍ୱାରା ପ୍ରଭାବିତ ହୋଇ ଆସିଚି । ଏହି ଦୁଇଟି ପରମ୍ପରାର ଏକତ୍ର-ସମ୍ମିଳନ ଭୂମି ରୂପେ ଶ୍ରୀ ରେଡ଼୍‌ଫିଲ୍‌ଡ଼୍‌ କୃଷକ-ସମାଜର ସଂସ୍କୃତିକୁ ଏକ ଅର୍ଦ୍ଧସଂସ୍କୃତି ବୋଲି କହିଚନ୍ତି । ଏହି ସଂସ୍କୃତିର ଅଧେ ଗାଆଁ ଭିତରେ ଥାଏ, ଯାହାକୁ କି ଆମେ କ୍ଷୁଦ୍ର ପରମ୍ପରା ବୋଲି ବୁଝିବା । ଆଉ ଅଧିକ ବୃହତ୍ତର ଏକ ପରମ୍ପରା ବା ସଂସ୍କୃତି ସହିତ ଗାଆଁକୁ ସଂଯୋଜିତ କରି ରଖିଥାଏ । (ପୃଷ୍ଠା-୭୦, ୬୮)

 

ଦେଶ ଓ କାଳ ଦୃଷ୍ଟିରୁ ଏକ ବୃହଦାୟତନ ପରମ୍ପରା ସହିତ ଗ୍ରାମସମାଜର ପରମ୍ପରା ସଂଯୁକ୍ତ ହୋଇ ରହିଥାଏ ବୋଲି କୌଣସି ପରିବର୍ତ୍ତନ-ଯୋଜନାକୁ ଗ୍ରାମରେ କାର୍ଯ୍ୟକାରୀ କଲାବେଳେ ଆମେ ନାନା ବିଘ୍ନ ଓ ପ୍ରତିରୋଧର ସମ୍ମୁଖୀନ ହୋଇଥାଉ । ଶ୍ରୀ ରେଡ଼୍‌ଫିଲ୍‌ଡ଼୍‌ କହିଚନ୍ତି-ଆଦିବାସୀମାନଙ୍କର ବସତିରେ ଆମେ ଯେତେବେଳେ କୌଣସି ଆଧୁନିକ ଯନ୍ତ୍ରୋଦ୍ୟୋଗର ପ୍ରବେଶ କରାଇବାକୁ ଚାହୁ, ଯେତେବେଳେ କୌଣସି ଆଦିବାସୀ ଅଞ୍ଚଳରେ ଆମେ ଏକ କାରଖାନା ବସାଇବାକୁ ଯାଉ, ସେତେବେଳେ ଆପଣାର ଆଦିମ ପରମ୍ପରାଗତ ଜୀବନ ଛାଡ଼ି କାରଖାନା ପରିବେଶର ନୂଆ ବ୍ୟବସ୍ଥା ଓ ନୂଆ ଜୀବନ ଭିତରେ ପ୍ରବେଶ କରିବାରେ ଆଦିବାସୀ ମଣିଷ ଖୁବ୍ ବେଶୀ ଦ୍ୱନ୍ଦ୍ୱ ବା ବିଘଟନର ସମ୍ମୁଖୀନ ହୁଏନାହିଁ । କିନ୍ତୁ ଜମି ଚାଷ କରୁଥିବା କୃଷକ ସହଜରେ ଏହି ଉଦ୍ୟୋଗୀକରଣକୁ ମାନିନେବାକୁ ପ୍ରସ୍ତୁତ ହୋଇ ପାରେନାହିଁ । ଅନେକ ସମୟରେ ସେ ଏହାର ପ୍ରତିରୋଧ କରେ, ଆପଣାର ଯଥାଶକ୍ତି ପ୍ରତିରୋଧ କରେ । ତାହାର କାରଣ ହେଉଚି ଯେ, ଜୀବନ-ସଭ୍ୟତାର ବିଭିନ୍ନ ଦିଗରୁ ତାହାର ବ୍ୟକ୍ତିଗତ ତଥା ସାମାଜିକ ଜୀବନ ପାରମ୍ପରିକ ଭାବରେ ଏକ ନିର୍ଦ୍ଦିଷ୍ଟ ଭୂମି ଉପରେ ପ୍ରତିଷ୍ଠିତ ହୋଇ ରହିଥାଏ । ଏହି ପ୍ରତିଷ୍ଠିତ ଜୀବନମାର୍ଗ ଉପରେ କୃଷକ ପୂର୍ଣ୍ଣ ଆସ୍ଥା ରଖିଥାଏ, ତାହାକୁ ହିଁ ଉଚିତ୍ ମାର୍ଗ ବୋଲି ଗ୍ରହଣ କରି ସେ ସେହି ଅନୁସାରେ ଆପଣାକୁ ପରିଚାଳିତ କରୁଥାଏ । ଉଦ୍ୟୋଗୀକରଣ ଦ୍ୱାରା, ଅର୍ଥାତ୍ ଗ୍ରାମସମାଜର ଜୀବନରେ ନାନା ନୂତନ ଅଦଳବଦଳର ସୂତ୍ରପାତ କରି ତା’ର ଗାଆଁରେ ବା ଗାଆଁ ପାଖରେ କାରଖାନା ବସିଲେ ତଦ୍ଦ୍ୱାରା ପାରମ୍ପରିକ ଭୂମିରେ ଭେଦିକରି ରହିଥିବା ତା’ର ପ୍ରତିଷ୍ଠିତ ଜୀବନର ଚେରଗୁଡ଼ାକ ଯେ ଦୋହଲିଯିବ ଓ ଦୁର୍ବଳ ହୋଇଯିବ, ସେହି ଆଶଙ୍କାରେହିଁ ସେ ଉଦ୍ୟୋଗୀକରଣର ବିରୋଧ କରେ, କାରଖାନାର ନୂଆ ଚାହିଦା ଅନୁସାରେ ଆପଣାକୁ ବଦଳାଇ ଦେବାକୁ ସେ ଅନିଚ୍ଛା ପ୍ରକାଶ କରେ । (ପୃଷ୍ଠା-୫୯)

 

ଆମେରିକାର ସମାଜଶାସ୍ତ୍ରୀ ଶ୍ରୀଯୁକ୍ତ ରସ୍‌ ଆପଣାର ଗୋଟିଏ ଗ୍ରନ୍ଥରେ ଗାଆଁ ଆଉ ସହରଭିତରେ ରହିଥିବା ନାନାସ୍ତରୀୟ ଆହୁରି କେତେକ ଭେଦ ଦେଖାଇଛନ୍ତି । (୧୭) ସହରବାସୀଙ୍କର ମନ ଭାରି ଚଞ୍ଚଳ କାମ କରେ, ଦଣ୍ଡକ ଭିତରେ ପୃଥିବୀଟାଯାକ କୁଦାମାରି ବୁଲି ଆସିପାରେ । ସେମାନଙ୍କୁ ଅତି ସହଜରେ ମଙ୍ଗାଇ ହୁଏ, ଫୁସୁଲାଇ ହୁଏ । ନିଜ ମତରେ ଦୀକ୍ଷିତ କରିହୁଏ । କିନ୍ତୁ ସଂସାରଯାକର ସାକ୍ଷ୍ୟ, ପ୍ରମାଣ ବା ସମର୍ଥନ ଆଣି ଗଦା କରିଦେଲେ ମଧ୍ୟ ତଥାପି ଅନେକ ସମୟରେ ଗ୍ରାମବାସୀର ହୃଦ୍‌ବୋଧ କରାଇ ହୁଏନାହିଁ । ଆମର ବକ୍ତୃତାକୁ ଘଡ଼ିଏକାଳ ଶୁଣି ମଧ୍ୟ ଆମର ମତକୁ ସମର୍ଥନ କରିବା ଦିଗରେ ତା’ ମନରେ କୌଣସି ପ୍ରତିକ୍ରିୟା ହୁଏ ନାହିଁ । ତା’ର ମନଭିତରେ କୌଣସି ନୂଆ ବିଚାରର ଚେର ଲାଗିବାକୁ ବେଶ୍ ସମୟ ଲାଗେ । କିନ୍ତୁ ସେ ଥରେ କୌଣସି କଥାକୁ ବୁଝିଗଲେ ତାହାକୁ ସତ୍ୟ ହିସାବରେ ଗ୍ରହଣ କରିନିଏ । ଥରେ ଯାହାପ୍ରତି ବା ଯାହା ବିଷୟରେ ତାର ଯେଉଁ ବିଶ୍ୱାସ ବା ଅବିଶ୍ୱାସ ହୋଇଯାଏ, ତା’ମନରେ ସେହି ବିଶ୍ୱାସ ବା ଅବିଶ୍ୱାସ ଅନେକଦିନ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହେ । ଅନ୍ୟ ପକ୍ଷରେ ସହରବାସୀମାନେ ଶୀଘ୍ର ଶୀତଳ ବି ହୋଇଯାନ୍ତି । ଯେତିକି ଶୀଘ୍ର ବୁଝନ୍ତି ସେତିକି ଶୀଘ୍ର ଭୁଲି ବି ଯାଆନ୍ତି । ଆଜି ରାଜି ହୋଇ ଯାଆନ୍ତିତ କାଲି ଅରାଜି ହୁଅନ୍ତି । ଅଧିକାଂଶ ସହରବାସୀଙ୍କର ହୁଏତ କୌଣସି ବିଷୟରେ କୌଣସି ଦୃଢ଼ ବିଶ୍ୱାସ ହିଁ ନଥାଏ, ସେମାନଙ୍କର ଜୀବନରେ କୌଣସି ଦୃଢ଼ମୂଳ ଉଦ୍ଦେଶ୍ୟ ନଥାଏ । ସେମାନଙ୍କ ମନରେ ଯେତେବେଳେ ଯେଉଁ ଖିଆଲ ଆସେ ବା ସେମାନଙ୍କର ମନ ଯେତେବେଳେ ଯେଉଁଆଡ଼କୁ ଅଣାଇ ହୋଇଯାଏ, ସେମାନେ ସେହି ଖିଆଲ ବା ଦିଗ ଅନୁସାରେ ଏପାଖ ସେପାଖ ହେଉଥାନ୍ତି ।

 

ଶ୍ରୀଯୁକ୍ତ ରସ୍‌ଙ୍କ ମତରେ ସହରବାସୀମାନେ ଅର୍ଥନୈତିକ ଜୀବନର ମୌଳିକ ଶ୍ରେୟଗୁଡ଼ିକ ଉପରେ କୌଣସି ଗୁରୁତ୍ୱ ଦିଅନ୍ତିନାହିଁ । ଅର୍ଥାଗମ ଓ ଅର୍ଥବ୍ୟୟ ବିଷୟରେ ସେମାନଙ୍କର କୌଣସି ଦୂରଦୃଷ୍ଟି ନଥାଏ । ମିତବ୍ୟୟିତାକୁ ସେମାନେ ଏକ ଆବଶ୍ୟକ ଗୁଣ ବୋଲି କଦାପି ମାନନ୍ତି ନାହିଁ । କିଏ କେତେ ଅଧିକ ଉତ୍ପାଦନ କରୁଚି ବା କାହାପାଖରେ ଅଧିକ ଉତ୍ପାଦନ କରିବାର କେତେ ସାଧନ ରହିଚି, ଗ୍ରାମାଞ୍ଚଳର ଲୋକେ ତାହାରି ଅନୁସାରେ ପରସ୍ପରର ସ୍ତର ନିର୍ଣ୍ଣୟ କରିଥାନ୍ତି । ଯେଉଁ ଚାଷୀର ବଡ଼ ଖଳା ଥାଏ, ଯାହାର ବାଡ଼ ମଜବୁତ ହୋଇ ବସିଥାଏ, ଯାହାର କିଆରୀରେ ଘାସ ଓ ବାଳୁଙ୍ଗା ନ ଥାଏ ଏବଂ ଯାହାର ଗୋରୁ ମଇଁଷି ଉତ୍ତମ ଯତ୍ନ ପାଇ ସୁପୁଷ୍ଟ ହୋଇ ରହିଥାନ୍ତି, ଗାଆଁରେ ତାହାକୁ ହିଁ ସବୁଠାରୁ ଅଧିକ କଦର ମିଳେ, ବଡ଼ ବୋଲି କୁହାଯାଏ । ମାତ୍ର ସହରରେ ଯାହା ଘରେ ଯେତେ ବେଶୀ ଖରଚ ହୁଏ, ସିଏ ଅନ୍ୟମାନଙ୍କଠାରୁ ସେତିକି ବେଶୀ ମର୍ଯ୍ୟାଦା ପାଏ, ସିଏ ସେତିକି ବଢ଼ିଆ ବୋଲି ପରିଗଣିତ ହୁଏ । ସିଏ କେତେ ଅଧିକ ଦାମର ପୋଷାକ ପିନ୍ଧୁଛି, ତାର ବୈଠକଖାନାରେ କେତେ ବଢ଼ିଆ ବଢ଼ିଆ ଓ ଦାମିକା ଆସବାବପତ୍ର ରହିଚି, କେତେ ବେଶୀ ଜାକଜକମ ଓ ଆଡ଼ମ୍ବର ସହିତ ସିଏ ଅତିଥିମାନଙ୍କର ଚର୍ଚ୍ଚା କରୁଚି, ତାହାରି ଦ୍ୱାରା ହିଁ ସହରରେ ସମସ୍ତେ ସମାଜରେ ତାହାର ସ୍ଥାନ ନିରୂପଣ କରିବାକୁ ଚେଷ୍ଟା କରନ୍ତି । ଗାଆଁ କହେ ଉତ୍ପାଦନ କର, ସଞ୍ଚୟ କର, ମାତ୍ର ସହର କହେ-ଖରଚ କର, ଅଧିକରୁ ଅଧିକ ଭୋଗ କର ।

 

ଗାଆଁକୁ ସାମୂହିକ ଜୀବନର ଆଦର୍ଶବସତି ବୋଲି ଦେଖାଇବାର ଉତ୍ସାହରେ ଶ୍ରୀଯୁକ୍ତ ରସ୍‌ କହିଛନ୍ତି ଯେ ଗ୍ରାମବାସୀ ମଣିଷ, ଚାଷଜମି, ଓ ଗୃହପାଳିତ ପଶୁଙ୍କ ମଧ୍ୟରେ ରହିଥିବା ପରସ୍ପର-ନିର୍ଭରତାକୁ ଭଲଭାବରେ ବୁଝିଥାଏ । ସିଏ ନିଜେ ବଞ୍ଚେ, ଅନ୍ୟ ସମସ୍ତଙ୍କୁ ବି ବଞ୍ଚିବାକୁ ଦିଏ; ଯେକୌଣସି ପ୍ରଗତି ଲାଗି ସେ ଦୁଇଟିଯାକକୁ ଅତ୍ୟାବଶ୍ୟକ ବୋଲି ମାନି ନେଇଥାଏ । ଗାଆଁର ଲୋକମାନଙ୍କ ଜୀବନରେ ଜାତୀୟତା ଓ ଦେଶ ପ୍ରେମର ପ୍ରେରଣା ଗଭୀର ଭାବରେ କାର୍ଯ୍ୟ କରେ ବୋଲି ସେ କହିଚନ୍ତି । ସହର, ପୃଥିବୀ ଗୋଟାକ ସହିତ ଛନ୍ଦିହୋଇ ଓ ଧନ୍ଦିହୋଇ ରହିଥାଏ । ଆପଣାର ପୂର୍ବପୁରୁଷମାନଙ୍କ ସହିତ ସହରବାସୀର କୌଣସି ଚେର ଲାଗି ରହିନଥାଏ, ତେଣୁ ଯେକୌଣସି ନୂଆକଥା ଶୁଣିବା ମାତ୍ରକେ ସେ ଭାରି ପୁଲକିତ ହୋଇଯାଏ । କିନ୍ତୁ ଗାଆଁର ଚାଷୀ ପୂର୍ବପୁରୁଷମାନଙ୍କୁ କଦାପି ପାସୋରି ଦିଏନାହିଁ । ସେମାନଙ୍କର ସକଳ କଥା ଓ କାର୍ଯ୍ୟକୁ ସେ ଭଲକରି ମନେରଖିଥାଏ ଏବଂ ସେମାନଙ୍କୁ ଆପଣାର ଆଦର୍ଶ ଓ ଅନୁକରଣୀୟ ବୋଲି ଗ୍ରହଣ କରିଥାଏ । ହୁଏତ ଏହି କାରଣରୁ ହିଁ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଗାଆଁରୁ ଆସିଥିବା ସିପାହୀ ସହରରୁ ଆସିଥିବା ସିପାହୀ ତୁଳନାରେ ଅଧିକ ସାହସର ପରିଚୟ ଦେଇଥାଏ । ‘‘ଜୀବନରେ ଅଧିକ ଅଭିଜ୍ଞ ଓ ବିଚାରଶୀଳ ହେବା । ସଙ୍ଗେ ସଙ୍ଗେ ଆମେ ଗ୍ରାମବାସୀକୁ ହିଁ ସହରବାସୀଠାରୁ ଅଧିକ ସମ୍ମାନ ପ୍ରଦର୍ଶନ କରିଥାଉ । ସହରର ପ୍ରତିବେଶରେ ପ୍ରତିପାଳିତ ହେଉଥିବା ବିଚାରକମାନେ ହୁଏତ ଆପଣାକୁ ଚାଳିଶବର୍ଷ ବୟସ ହେବାପର୍ଯ୍ୟନ୍ତ ସହରବାସୀକୁ ଗ୍ରାମବାସୀଠାରୁ ଉଚ୍ଚତ୍ତର ସମ୍ମାନ ଓ ଉଚ୍ଚତର ସ୍ୱୀକାର ଦେଇଥାନ୍ତି । କିନ୍ତୁ ସେମାନଙ୍କୁ ଷାଠିଏ ବର୍ଷ ହେବାବେଳକୁ ସେମାନେ ଆପଣାର ଅନୁମାନକୁ ସଂଶୋଧନ କରିନିଅନ୍ତି ଓ ଗ୍ରାମବାସୀକୁ ହିଁ ଉଚ୍ଚତ୍ତର ସ୍ଥାନ ଦେବାକୁ ଆରମ୍ଭ କରନ୍ତି । କୌଣସି ବିଚାରକଙ୍କର ଜୀବନରେ ଏହି ନିୟମର କୌଣସି ବ୍ୟତିକ୍ରମ ଘଟିଚି ବୋଲି ମୋତେ ଏପର୍ଯ୍ୟନ୍ତ ଜଣାନାହିଁ ।’’

 

ଶ୍ରୀଯୁକ୍ତ ରସ୍‌ଙ୍କର ଏହି ସବୁ ମତ ଶୁଣି ଗ୍ରାମ ଓ ସହରର ଅଧିବାସୀ କେତେଦୂର ଭଲ ବା ସଲ ମଣିବେ, ସେ କଥା ସହଜରେ କୁହାଯାଇ ପାରିବ ନାହିଁ । କିନ୍ତୁ ଏହିସବୁ କଥା ଲେଖିଲାବେଳେ ଯେ ରସ୍‌ ସାହେବ ତାଙ୍କ ଜୀବନରେ ଷାଠିଏର ବାଡ଼ ପାରହୋଇ ଯାଇଥିଲେ, ସେକଥା ହୁଏତ ସହଜରେ ଅନୁମାନ କରିହେବ । ଭାରତର ନୃତତ୍ତ୍ୱବିତ୍ ସ୍ୱର୍ଗତ ଶ୍ରୀଯୁକ୍ତ ମଜୁମଦାର ମଧ୍ୟ ସହର ଓ ଗାଆଁର ପ୍ରଭେଦ ଦେଖାଇଚନ୍ତି ଓ ବିଶେଷତଃ ଭାରତବର୍ଷରେ ଏମାନେ ଦୁଇଟି ଭିନ୍ନ ଭିନ୍ନ ସାମାଜିକ ଓ ମାନସିକ ପୃଥିବୀର ପ୍ରତିନିଧିତ୍ୱ କରନ୍ତି ବୋଲି ପ୍ରମାଣ କରିବାକୁ ଇଚ୍ଛା କରିଚନ୍ତି । ‘‘ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ଗ୍ରାମ ଜୀବନ ଓ ସହର ଜୀବନ ମଧ୍ୟରେ ଯେଉଁ ପ୍ରବାହଗତ ଐକ୍ୟ ରହିଚି, ଭାରତର ସହର ଓ ଗାଆଁ ଭିତରେ ଆମେ କଦାପି ସେହି ଐକ୍ୟ ଦେଖିବାକୁ ପାଇବା ନାହିଁ । ଏ ଦେଶରେ ସହର ଓ ଗ୍ରାମ୍ୟଜୀବନର ମୂଲ୍ୟବୋଧ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଠି ସହର ଓ ଗାଆଁର ଲୋକଙ୍କର ଜୀବନର ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ମାନ ରହିଚି । ସେମାନଙ୍କର ଅଭିଜ୍ଞତା-ସଂସାରରେ ମଧ୍ୟ ପ୍ରଭୂତ ଭିନ୍ନତା ରହିଚି । ଏପରିକି ସହରର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଗାଆଁମାନଙ୍କରେ ଏପର୍ଯ୍ୟନ୍ତ ମଧ୍ୟ ଏକ ଗ୍ରାମସୁଲଭ ମୂଲ୍ୟବୋଧ ସୁରକ୍ଷିତ ହୋଇ ରହିଛି ଏବଂ ସେଇଥିଲାଗି ଆମ ଦେଶର ଗାଆଁ ସବୁ ସହରରେ ପରିଣତ ହୋଇଯିବା ସମ୍ଭବ ହେଉନାହିଁ ।’’ ସେ ପୁଣି କହିଚନ୍ତି–‘‘ଗାଆଁର ଜୀବନକୁ ଯେତେବେଳେ ଆମେ ଏକ ସ୍ୱତନ୍ତ୍ର ଜୀବନ ପଥ ବୋଲି ଗ୍ରହଣ କରିବା, ସେତେବେଳେ ଗାଆଁରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବାକୁ ଯିବା ପୂର୍ବରୁ ଆମେ ଅବଶ୍ୟ ଗାଆଁର ଜୀବନ ବିଷୟରେ ସ୍ପଷ୍ଟଭାବରେ ସବୁକଥା ଜାଣିବାକୁ ଚେଷ୍ଟା କରିବା । ଗ୍ରାମଜୀବନର ମନୋଷତ, ଭାବଗତ ଓ ମୂଲ୍ୟଗତ ଜୀବନଭୂମି ସହିତ ସୁପରିଚିତ ହେବା ପରେ ଯାଇ ଆମେ ସେଥିରେ କୌଣସି ପରିବର୍ତ୍ତନ ଆଣିବାକୁ ଯିବା ।’’ (୧୮)

 

ଗ୍ରାମବାସୀ ବନାମ ସହରବାସୀଙ୍କର ଜୀବନଗତ ଲକ୍ଷଣ ନିରୂପଣ କରିବାକୁ ଯାଇ କେତେ ଲେଖକ କେତେ ପ୍ରକାରେ କହିଚନ୍ତି । ଗ୍ରାମବାସୀ ଅର୍ଥାତ୍ ଚାଷୀମାନେ ହେଉଚନ୍ତି ବ୍ୟକ୍ତିବାଦୀ, ରକ୍ଷଣଶୀଳ, ସବୁ କଥାରେ ଲାଜ କଲାପରି ପଛୁଆ ହୋଇ ରହନ୍ତି, ବାହାର ପୃଥିବୀ ଓ ବାହାରର ମଣିଷଙ୍କୁ ସାଧାରଣତଃ ସଂଶୟର ଚକ୍ଷୁରେ ଦେଖନ୍ତି । ସେମାନଙ୍କ ସ୍ୱଭାବରେ ଅଧିକାଂଶ ସମୟରେ ଭାବପ୍ରବଣତା ପ୍ରକାଶ ପାଇଥାଏ ଓ ସେମାନେ ପ୍ରଧାନତଃ ଏକ ଅନ୍ତର୍ମୁଖୀ ଜୀବନ ଯାପନ କରନ୍ତି, –ସବୁ ଲେଖକଙ୍କର ଆଲୋଚନାରୁ ସାର ବାହାର କରି ଆମେ ଗ୍ରାମବାସୀଙ୍କର ଜୀବନ ସହିତ ଏହି ସବୁ ଗୁଣ ବା ଅବଗୁଣ ଯୋଡ଼ିଦେଇ ପାରିବା । ଆହୁରି ପାଦେ ଆଗକୁ ବଢ଼ି ଜଣେ ସମାଜଶାସ୍ତ୍ରୀ ଗ୍ରାମଜୀବନର ଲକ୍ଷଣ ବିଷୟରେ କହିଚନ୍ତି ଯେ ଗ୍ରାମବାସୀମାନେ ସାଧାରଣତଃ ସଂସାରକୁ ଅନ୍ଧବିଶ୍ୱାସପୂର୍ଣ୍ଣ ଦୃଷ୍ଟିରେ ଦେଖିଥାଆନ୍ତି । ଅନେକ ସମୟରେ ନାନା ପ୍ରକାର କାଳ୍ପନିକ କ୍ଷତି ବା ଅପମାନର ଭାବନାରେ ସେମାନେ ନିମଗ୍ନ ହୋଇ ରହିଥାନ୍ତି । ସେମାନେ ସ୍ୱଭାବତଃ ନିରାଶାବାଦୀ ଓ ଭାଗ୍ୟବାଦୀ ଏବଂ ସବୁ କଥାରେ ସାଧାରଣତଃ ଏକ ଉଦାସୀନ ବୃତ୍ତି ଅବଲମ୍ବନ କରିଥାନ୍ତି । ଜିରାରୁ ଶିରା କାଢ଼ିଲାପରି ଆଉଜଣେ ସମାଜଶାସ୍ତ୍ରୀ କୃଷକମାନଙ୍କ ମଧ୍ୟରେ ମଧ୍ୟ ଶ୍ରେଣୀବିଭାଗ କରି ଦେଖାଇବାର ଆଗ୍ରହ ପ୍ରକାଶ କରିଚନ୍ତି । ତାଙ୍କର କହିବା ଅନୁସାରେ ଯେଉଁ ଚାଷୀମାନେ ପୁରୁଣା ଲଙ୍ଗଳ, କୋଡ଼ି ଓ କାଙ୍କ ଧରି ଜମିରେ କାମ କରନ୍ତି ଓ ଆଉ ଯେଉଁମାନେ କୃଷିଯନ୍ତ୍ର ସାହାଯ୍ୟରେ କୃଷି କରନ୍ତି, ସେମାନଙ୍କ ଜୀବନର ସ୍ୱଭାବ ଓ ଆଚାର ମଧ୍ୟ ପରସ୍ପରଠାରୁ ବେଶ ଭିନ୍ନ ହୋଇଯାଏ । ପ୍ରଥମଶ୍ରେଣୀୟ କୃଷକମାନଙ୍କର ଗୋଡ଼, ଜଂଘ, ଅଣ୍ଟା ଓ କାନ୍ଧ ପ୍ରଭୃତି ମଜବୁତ ହୁଏ ଏବଂ ମସ୍ତିଷ୍କର ବିକାଶ ପଛକୁ ପଡ଼ିଯାଏ । ଅପର ପକ୍ଷରେ କୃଷିଯନ୍ତ୍ର ବ୍ୟବହାର କରୁଥିବା କୃଷକର ବୁଦ୍ଧିର ଅଧିକତର ବିକାଶ ହୁଏ ଏବଂ ତାହାର ବିଚାରରେ ପରିବର୍ତ୍ତନ ଲାଗି ଅଧିକ ଅନୁକୂଳ ପରିସର ରହିଥାଏ । (୧୯)

 

ଅନେକେ କହନ୍ତି, ଗାଆଁ ଅପେକ୍ଷା ସହରରେହିଁ ଅଧିକସଂଖ୍ୟକ ଲୋକଙ୍କର ମସ୍ତିଷ୍କ-ବିକୃତି ଘଟିଥାଏ । ଗାଆଁ ଲୋକ ଓ ସହର ଲୋକଙ୍କ ମଧ୍ୟରେ କିଏ ଅଧିକ ବୁଦ୍ଧିଆ ଏ ବିଷୟରେ ସମାଜଶାସ୍ତ୍ରର ଗତ ଶହେବର୍ଷର ଇତିହାସରେ ଆମେ ବେଶ୍ କୌତୁକପୂର୍ଣ୍ଣ ସିଦ୍ଧାନ୍ତମାନ ଶୁଣିବାକୁ ପାଇଥାଉ । ଆମ ଦେଶରେ ସହରରେ ବାସ କରୁଥିବା ଲୋକେ ଗାଆଁର ଲୋକମାନଙ୍କୁ କମ୍ ବୁଦ୍ଧିଆ ବୋଲି ବଡ଼ ସ୍ୱାଭାବିକ ଭାବରେ ମାନିନେଇଥାନ୍ତି । ଓଡ଼ିଆ ଭାଷାରେ ‘ମଫସଲି’ ଶବ୍ଦ କେବଳ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରବାଚକ ଅର୍ଥକୁ ବୁଝାଏ ନାହିଁ, ଏହା ଆମର ମତ ଅନୁସାରେ ଟିକିଏ କମ୍ ବୁଦ୍ଧିଆ ଲୋକଙ୍କୁ ମଧ୍ୟ ବୁଝାଏ । ମନୋବିଜ୍ଞାନ-ଶାସ୍ତ୍ରରେ ମଣିଷର ବୁଦ୍ଧି ମାପିବା ସକାଶେ ନାନାପ୍ରକାର କାଇଦା ରହିଚି, ଅନେକ ପ୍ରକାର ପ୍ରୟୋଗମୂଳକ ମାପକାଠି ରହିଚି-। କିନ୍ତୁ ଆମେ ଯେତେବେଳେ ଆଉ ଏକ ବର୍ଗକୁ ଆମଠାରୁ ନ୍ୟୂନ ବୋଲି ଏକ ବଦ୍ଧମୂଳ ମତ ପୋଷଣ କରୁଥାଉ ଓ ସେହିପରି ଏକ ପକ୍ଷାଗ୍ରହୀ ମନ ନେଇ ସେମାନଙ୍କର ବୁଦ୍ଧି ମାପିବାକୁ ଯାଉ, ସେତେବେଳେ ଆମ ହାତରେ ରହିଥିବା ବୈଜ୍ଞାନିକ କୌଣସି ମାପକାଠି ବିଜ୍ଞାନର ନିୟମ ନମାନି ପ୍ରଧାନତଃ ଆମର ପକ୍ଷାଗ୍ରହଲାଳସାକୁ ମାନିବାକୁ ଆରମ୍ଭ କରେ । ଆମ ସମାଜରେ ବ୍ରାହ୍ମଣ ବା କରଣମାନେ ଯେତିକି ସହଜରେ ଅବର୍ଣ୍ଣ ଜାତିମାନଙ୍କୁ କମ୍ ବୁଦ୍ଧିଆ ଓ ଅଧିକ ଅପାରଗ ବୋଲି ମାନିନିଅନ୍ତି, ଠିକ୍ ସେହିପରି ଆମେରିକାର କେତେ କେତେ ଗୋରା ମନୋବୈଜ୍ଞାନିକ ସେ ଦେଶରେ ବାସ କରୁଥିବା କଳାଚମ ନିଗ୍ରୋମାନଙ୍କୁ ବୈଜ୍ଞାନିକ କାଇଦାରେ ମାପିଚୁପି ସେମାନଙ୍କୁ ଗୋରାମାନଙ୍କ ଅପେକ୍ଷା କମ୍ ବୁଦ୍ଧିଆ ବୋଲି ପ୍ରମାଣ କରି ଥୋଇଦେଇଚନ୍ତି । ଠିକ୍ ସେହିପରି ଏକ ଉତ୍ସାହର ବଶବର୍ତ୍ତୀ ହୋଇ କେତେ କେତେ ଇଉରୋପୀୟ ମନୋବୈଜ୍ଞାନିକ ଏସିଆ ଓ ଆଫ୍ରିକାର ଅଣଇଉରୋପୀୟ ମଣିଷମାନଙ୍କୁ କମ୍ ବୁଦ୍ଧିଆ ବା ବେଳେ ବେଳେ ନିର୍ବୁଦ୍ଧିଆ ବୋଲି ଦେଖାଇ ନଦେଇ ଛାଡ଼ିନାହାନ୍ତି । ଗ୍ରାମ ଓ ସହରର ତୁଳନାତ୍ମକ ସମାଜ-ବିଜ୍ଞାନ ସମ୍ବନ୍ଧରେ ଲେଖା ହୋଇଥିବା ଏକ ଗ୍ରନ୍ଥରେ ଲେଖକମାନେ ଏପରି ୬୫ଟି ମନୋବୈଜ୍ଞାନିକ ମାପନର ଉଲ୍ଲେଖ କରିଚନ୍ତି, ଯାହାଦ୍ୱାରା କି ବିଭିନ୍ନ ପଣ୍ଡିତମାନେ ଗ୍ରାମବାସୀ ଓ ସହରବାସୀଙ୍କର ତୁଳନାତ୍ମକ ବୁଦ୍ଧିମତ୍ତାକୁ ମାପିବାର ଚେଷ୍ଟା କରିଚନ୍ତି । କହିବା ବାହୁଲ୍ୟ, ପ୍ରାୟ ସକଳ ମାପନରେ ଗ୍ରାମବାସୀ ଓ କୃଷକମାନଙ୍କୁ ସହରବାସୀ ଓ କୃଷକେତର ବର୍ଗଗୁଡ଼ିକ ତୁଳନାରେ କମ୍ ବୁଦ୍ଧିମାନ ବୋଲି ପ୍ରମାଣ କରି ଦର୍ଶାଇ ଦିଆଯାଇଚି । (ପୁସ୍ତକ ଟିପ୍ପଣୀ-୬, Vol.III, ପୃଷ୍ଠା-୨୬୬-୨୮୧)

 

ଅସଲକଥା ହେଉଚି, ଯେଉଁ ମନୋବୈଜ୍ଞାନିକମାନେ ଗ୍ରାମବାସୀ ଓ କୃଷକମାନଙ୍କର ବୁଦ୍ଧି ମାପିବାର ଚେଷ୍ଟା କରିଚନ୍ତି, ସେମାନେ ସାଧାରଣତଃ ସମସ୍ତେ ସହରର ଆବହାଉଆରେ ବଢ଼ିଚନ୍ତି, ସହରବାଲାଙ୍କର ବୁଦ୍ଧି ଅଧିକ ବୋଲି ପିଲାଟିଦିନରୁ ବିଶ୍ୱାସ କରିଆସିଚନ୍ତି ଏବଂ ସହର-ଜୀବନର ଭୂମିଉପରେ ହିଁ ସେମାନେ ଆପଣା ପ୍ରୟୋଗ ଓ ମାପନର ପ୍ରଶ୍ନାବଳୀ ଓ ଅନ୍ୟାନ୍ୟ ମାଲମସଲା ତିଆରି କରିଚନ୍ତି । ସହର-ଜୀବନ ସହିତ ସମ୍ବନ୍ଧିତ ପଶୁ ଗୁଡ଼ିକର ଉତ୍ତର ଗ୍ରାମବାସୀ ଅପେକ୍ଷା ସହରବାସୀ ଅଧିକ ନିପୁଣ ଭାବରେ ଦେଇପାରିବା ଅତି ସ୍ୱାଭାବିକ । ତେଣୁ ବଡ଼ ସହରରେ ସେମାନଙ୍କଦ୍ୱାରା ବ୍ୟବହୃତ ପ୍ରଶ୍ନାବଳୀ ଗ୍ରାମବାସୀ ଓ କୃଷକମାନଙ୍କୁ କମ୍ ବୁଦ୍ଧିଆ ବା ଅଳପବୁଦ୍ଧିଆ ବୋଲି ପ୍ରମାଣ କରି ଦେଇପାରିଚି । ଏହିପରି ଏକ ସଂଶୟ ଦ୍ୱାରା ପ୍ରବୃତ୍ତ ହୋଇ ୧୯୨୯ ମସିହାରେ ଆମେରିକାର ଶ୍ରୀମତୀ ମୀରା ଶିମ୍‌ବର୍ଗ୍ (Myra E. Shimberg, ପୁସ୍ତକ ଟିପ୍ପଣୀ-୬, Voll III, ପୃଷ୍ଠା-୨୮୨-୨୮୬) ଗ୍ରାମବାସୀ ଓ ସହରବାସୀଙ୍କର ତୁଳନାତ୍ମକ ବୁଦ୍ଧିଶକ୍ତି ବିଷୟରେ ଏକ ଅଭିନବ ପ୍ରୟୋଗ ଓ ପରିମାପନ କରିଥିଲେ । ସେ ଦୁଇଟି ପ୍ରଶ୍ନାବଳୀ ତିଆରି କରିଥିଲେ । ସହରର ସାଧାରଣ ପରିବେଶରେ ଲୋକମାନେ ଯେଉଁପରି ଜୀବନର ପରିଚୟରେ ଆସନ୍ତି, ତାହାକୁ ଭିତ୍ତି କରି ପ୍ରଥମ ପ୍ରଶ୍ନାବଳୀଟି ତିଆରି ହେଲା । ଗ୍ରାମଜୀବନର ପରିଚିତ ଦୈନନ୍ଦିନ ସଂସାରକୁ ଭିତ୍ତି କରି ଦ୍ୱିତୀୟ ପ୍ରଶ୍ନାବଳୀଟି ତିଆରି ହେଲା । ଏହି ପ୍ରଶ୍ନାବଳୀ ଦୁଇଟିକୁ ଆମେ ଯଥାକ୍ରମେ ପ୍ରଶ୍ନାବଳୀ-କ ଓ ପ୍ରଶ୍ନାବଳୀ-ଖ ବୋଲି କହିବା । ଆମେରିକାର ଦଶହଜାର ସ୍କୁଲପିଲାଙ୍କୁ ଏହି ପ୍ରଶ୍ନାବଳୀ ଦୁଇଟିର ଉତ୍ତର ଲେଖିବାକୁ ଦିଆଯାଇଥିଲା । ସେଥିରୁ ପାଞ୍ଚହଜାର ଗ୍ରାମାଞ୍ଚଳରେ ଓ ଅବଶିଷ୍ଟ ପାଞ୍ଚହଜାର ସହରରେ ପାଠ ପଢ଼ୁଥିଲେ । ଉତ୍ତରଗୁଡ଼ିକର ମୂଲ୍ୟାଙ୍କନ କରିବାପରେ ଦେଖାଗଲା ଯେ ଗାଆଁ ପିଲାଏ ପ୍ରଶ୍ନାବଳୀ-କ ର ଉତ୍ତର ଦେବାରେ ସହର ପିଲାଙ୍କର ପହୁଣ୍ଡେ ପଛରେ ରହିଥିଲେ ଓ ସହରର ପିଲାଏ ପ୍ରଶ୍ନାବଳୀ-ଖ ର ଉତ୍ତର ଦେବାରେ ଗାଆଁ ପିଲାଙ୍କ ତୁଳନାରେ ପାହୁଣ୍ଡେ ପଛରେ ରହିଥିଲେ । ନିଷ୍କର୍ଷ ଏତିକି ମିଳିଲା ଯେ, ଗାଆଁ ଲୋକେ ବା ସହରର ଲୋକେ ସ୍ୱଭାବତଃ କେହି କାହାରିଠାରୁ ଅଧିକ ବା ଊଣା ବୁଦ୍ଧିମାନ୍ ନୁହନ୍ତି । ଗାଆଁ ଓ ସହରର ବାତାବରଣ ପରସ୍ପରଠାରୁ ଭିନ୍ନ ପ୍ରକୃତିର ହୋଇଥିବାରୁ ଗ୍ରାମବାସୀ ଓ ସହରବାସୀଙ୍କର ବୁଦ୍ଧିଗତ କ୍ଷେତ୍ର ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇ ରହିଥାଏ ।

 

ଗାଆଁରେ ସବୁ ସୁଖ ନିହିତ ରହିଚି ଓ ସହର ହିଁ ସବୁ ସନ୍ତାପ ଜନ୍ମାଉଚି, ଏପରି ଖେଦୋକ୍ତି ଆମ ପୃଥିବୀର କୌଣସି ସଂସ୍କୃତିରେ ଆଦୌ ବିରଳ ନୁହେଁ । ଗାଆଁର ପ୍ରକୃତି ସୁନ୍ଦର, ଗାଆଁର ବାୟୁ ନିର୍ମଳ, ଗାଆଁର ଚାଷୀ କର୍ମଠ ଓ ନିଷ୍କପଟ-ଆମ ସାହିତ୍ୟମାନଙ୍କରେ ଆମେ ଏପରି ପ୍ରଶସ୍ତି ଅନେକ ଶୁଣିଆସିଚୁ । ସହର କହିଲେ ଆମର ଗ୍ରାମମୁଗ୍‌ଧ କବିମାନେ ଅସ୍ୱାସ୍ଥ୍ୟପରିପୀଡ଼ିତ ସହରତଳି କାରଖାନାର ଧୂଆଁନଳୀ ଓ ସହରର ଧୂଳିଝଡ଼ା ହୁଏତ ଆଉ କୌଣସି କଥାର କଳ୍ପନା କରିନାହାନ୍ତି । ଅପରପକ୍ଷରେ ସହରର ସ୍ତାବକମାନେ ବି ସମାନ ପ୍ରକୋପର ସହିତ ଗାଆଁର ନିନ୍ଦାସ୍ତୂପ ଉପରେ ସହର ଜୀବନର ବିଜୟବାନା ଉଡ଼ାଇଚନ୍ତି । ଏକଥା ପାଶ୍ଚାତ୍ୟରେ ହୋଇଚି, ପ୍ରାଚ୍ୟରେ ମଧ୍ୟ ହୋଇଚି ଓ ହେଉଚି । ପ୍ରାଚୀନ ରୋମକ ସଭ୍ୟତାର ରାଜତ୍ୱକାଳରେ ସହରବାସୀମାନେ ଗାଆଁରେ ବାସ କରୁଥିବା ଲୋକଙ୍କୁ Pagan ବା ମ୍ଳେଚ୍ଛ ବୋଲି କହୁଥିଲେ । ଏବେ ଆମ ଭିତରୁ ସହରୀମାନେ ବି ସହରର ସବୁ କଥାକୁ ଆଧୁନିକ ଓ ଗାଆଁର ସବୁ କଥାକୁ ମଫସଲୀ ମରହଟ୍ଟୀ କାଳର ବୋଲି କହୁଚନ୍ତି । ଅନ୍ୟପକ୍ଷରେ ଗାଆଁର ଗୋଟାସୁଦ୍ଧା ପ୍ରଶଂସା ବଖାଣି ପ୍ରାୟ ତିରିଶବର୍ଷ ତଳେ ଆମେରିକାର ଜଣେ ସମାଜଶାସ୍ତ୍ରୀ କହିଚନ୍ତି ‘‘ଗୋରୁଗାଈ ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କର ରକ୍ଷଣାବେକ୍ଷଣ କରିବା ଠାରୁ ବଳି ଅନ୍ୟ କୌଣସି ଅଧିକ ଫଳଦାୟକ ପନ୍ଥା ନାହିଁ ଯାହାଦ୍ୱାରା କି ସାନ ସାନ ପିଲାଙ୍କ ଭିତରେ ଦାୟିତ୍ୱଜ୍ଞାନର ବିକାଶ କରାଯାଇ ପାରିବ । କୃଷିଠାରୁ ବଳି ଅନ୍ୟ କୌଣସି ଅଧିକ ଉପାଦେୟ ଧନ୍ଦା ନାହିଁ ଯାହାର ଅବଲମ୍ବନ କରିବା ଦ୍ୱାରା ମଣିଷ ସ୍ୱାଧୀନଚେତା ଓ ଆତ୍ମବିଶ୍ୱାସୀ ବନିପାରିବ ।’’ (୨୦) କିନ୍ତୁ ଏଣେ ରାଜନୀତି ବିଜ୍ଞାନର ଜଣେ ପଣ୍ଡିତ ଗାଆଁ-ସମାଜକୁ କିପରି ଆଖିରେ ଦେଖୁଚନ୍ତି ଶୁଣନ୍ତୁ । ସେ ଲେଖିଚନ୍ତି–‘‘ଗାଆଁରେ ବାସ କରୁଥିବା ଲୋକମାନେ-କୃଷକ ଓ ଶ୍ରମିକ ଉଭୟ ଶ୍ରେଣୀର ଲୋକେ-ସାଧାରଣତଃ ଅଗଣତାନ୍ତ୍ରିକ ମନୋଭାବର ପରିଚୟ ଦେଇଥାନ୍ତି । ଲୋକମତର ପ୍ରକୃତି ବିଷୟରେ କରାଯାଉଥିବା ସର୍ବେକ୍ଷଣଗୁଡ଼ିକରୁ ପ୍ରମାଣ ମିଳୁଚି ଯେ କୃଷକମାନେହିଁ ଏକଛତ୍ର ଶାସନର ପ୍ରତିନିଧିତ୍ୱ କରୁଥିବା ଫାସିଷ୍ଟ ଦଳକୁ ସବୁଠାରୁ ଅଧିକ ଶକ୍ତିଶାଳୀ ଭାବରେ ସମର୍ଥନ କରିଥିଲେ । କୃଷିଶ୍ରମିକ ଓ ଭାଗଚାଷୀମାନେ ଇତାଲି, ଫ୍ରାନସ୍‌ ଓ ଭାରତବର୍ଷରେ ସାଧାରଣତଃ କମ୍ୟୁନିଷ୍ଟ ମାନଙ୍କୁ ସମର୍ଥନ କରିଥାନ୍ତି ।’’ (୨୧)

 

ଅସଲ କଥା ହେଉଚି, ସହରରେ ସବୁ ବୁଦ୍ଧିଆଯାକ ଜନ୍ମ ହୁଅନ୍ତି ନାହିଁ ବା ଗାଆଁରେ ସବୁ ମୂର୍ଖଯାକ ଜନ୍ମ ହୁଅନ୍ତି ନାହିଁ । ସହର ବା ଗାଆଁର ଲୋକମାନେ ସ୍ୱଭାବତଃ ଅର୍ଥାତ୍ କୌଣସି ଏକ ଜନ୍ମଗତ ପ୍ରବୃତ୍ତି ଦ୍ୱାରା ଚାଳିତ ହୋଇ ଗଣତନ୍ତ୍ର ବା ଏକଛତ୍ର ଶାସନକୁ ସମର୍ଥନ କରନ୍ତିନାହିଁ । ଗ୍ରାମାଞ୍ଚଳର ବାତାବରଣ ସହରର ବାତାବରଣ ଠାରୁ ଅନେକ ଭିନ୍ନ । ମଣିଷର ବ୍ୟକ୍ତିତ୍ୱ ଓ ଜୀବନଦୃଷ୍ଟିକୁ ଏକ ନିର୍ଦ୍ଦିଷ୍ଟ ଦିନରେ ବିକଶିତ କରିବାରେ ବା ନ କରିବାରେ ବାତାବରଣର ଏକ ବିଶିଷ୍ଟ ହାତ ସବୁବେଳେ ଓ ସବୁଠାରେ ରହିଚି । ତେଣୁ ଦୁଇପ୍ରକାର ବାତାବରଣରେ ରହୁଥିବାରୁ ଗାଆଁର ଲୋକେ ସହରର ଲୋକମାନଙ୍କଠାରୁ କେତେକ କ୍ଷେତ୍ରରେ ଭିନ୍ନ ବୋଲି ପ୍ରତୀତ ହୋଇଥାନ୍ତି । କିନ୍ତୁ ମଣିଷର ମନ ସହରରେ ଯେଉଁ ଉପାଦାନରେ ଗଢ଼ାହୋଇଚି, ଗାଆଁରେ ମଧ୍ୟ ଠିକ୍ ଉପାଦାନରେ ଗଢ଼ାହୋଇଚି । ମନୁଷ୍ୟର ମନ ପୃଥିବୀର ସବୁ ଦେଶରେ ଓ ସବୁପ୍ରକାର ଜଳବାୟୁରେ ସମାନ ନିୟମର ଅନୁସରଣ କରିଥାଏ । ସହରବାସୀ ଓ ଗ୍ରାମବାସୀ ଉଭୟେ ଜନ୍ମସିଦ୍ଧ ଭାବରେ ସମାନପ୍ରକାର ମାନସିକ ପ୍ରକ୍ରିୟା ସହିତ ସଂସାରକୁ ଆସିଥାନ୍ତି । ସମାନ ମନୋବୈଜ୍ଞାନିକ ନିୟମ ଦ୍ୱାରା ନିୟନ୍ତ୍ରିତ ହୋଇ ଉଭୟଙ୍କର ଜୀବନ ବିକଶିତ ହୁଏ । କେବଳ ସହରର ଭୌତିକ ଓ ସାମାଜିକ ବାତାବରଣ ଗ୍ରାମାଞ୍ଚଳର ଭୌତିକ ଓ ସାମାଜିକ ବାତାବରଣ ଠାରୁ ଭିନ୍ନ ହୋଇଥିବାରୁ ସହରବାସୀ ଓ ଗ୍ରାମବାସୀଙ୍କର ମାନସିକ ବିକାଶର ମାର୍ଗରେ କେତେକ ପ୍ରଭେଦ ପରିଲକ୍ଷିତ ହୋଇଥାଏ । ମୋଟଉପରେ କହିବାକୁ ଗଲେ ସହରଠାରୁ ଗାଆଁର ପରିବେଷ୍ଟନୀ ଅଲଗା ହୋଇଥିବାରୁହିଁ ସହରବାସୀର ଅଭ୍ୟାସ, ଦୃଷ୍ଟିକୋଣ ଓ ଭଲମନ୍ଦ ବିଚାର କରିବାର ରୀତି ଗ୍ରାମବାସୀଠାରୁ ବେଶ୍ ପୃଥକ ଭାବରେ ବିକଶିତ ହୁଏ । (ପୁସ୍ତକ ଟିପ୍ପଣୀ-୭, ପୃଷ୍ଠା-୨୨୧, ୩୬୯)

 

ଗାଆଁର ବାତାବରଣ କହିଲେ ଆମେ ପ୍ରଧାନତଃ କଣ ବୁଝିବା ? ଅର୍ଥାତ୍ କିପରି ପ୍ରକାରର ବାତାବରଣ ଭିତରେ ଗ୍ରାମବାସୀ କୃଷକର ଜୀବନ ଲାଳିତପାଳିତ ହୋଇଥାଏ ? ‘‘ଗାଆଁର ଚାଷୀ ସହରବାସୀ ଅପେକ୍ଷା ପ୍ରକୃତିର ଅଧିକ ନିକଟବର୍ତ୍ତୀ ହୋଇ ରହିଥାଏ । ପ୍ରକୃତି କହିଲେ ମାଟି, ଉଦ୍ଭିଦ ଓ ପ୍ରାଣୀଜଗତ, ପାଣି, ନଦୀ, ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ପବନ ଓ ବର୍ଷା ପ୍ରଭୃତି ଯେଉଁ ସବୁକୁ ବୁଝାଇଥାଏ, ଗାଆଁର କୃଷକ ସେ ସବୁର ଅତି ନିକଟବର୍ତ୍ତୀ ହୋଇ ବାସ କରେ । ସହରର କୋଠାଘର ଓ ମୋଟା ପାଚେରୀମାନ ସହରବାସୀକୁ ଏହିସବୁ ସାନ୍ନିଧ୍ୟରୁ ଦୂରଛଡ଼ା କରି ରଖିଥାଏ । ସହରର କୃତ୍ରିମ ବାତାବରଣ ପ୍ରଧାନତଃ ପଥର ଓ ଲୁହା ଦେଇ ତିଆରି ହୋଇଥାଏ । ସହରବାସୀ ଘର ଭିତରେ, ଅର୍ଥାତ୍ କାରଖାନା, ଦୋକାନ, ଦସ୍ତର, ମନ୍ଦିର, ଗ୍ରନ୍ଥାଳୟ, ଥିଏଟର, ସ୍କୁଲ ବା ଆପଣାର ବାସଗୃହରେ ବା ଘରବାହାରେ, -ଅର୍ଥାତ୍ ସହରର ରାସ୍ତା, ଛକ ଓ ମଣିଷଭିତରେ ଯେଉଁଠିହେଲେ ଥାଉ ପଛକେ, ମୁକ୍ତ ପ୍ରକୃତିର ନିକଟ ସମ୍ପର୍କରେ ସେ କ୍ୱଚିତ୍ ଆସିଥାଏ । ତା’ର ଜୀବନ ସତେଅବା କୃତ୍ରିମ ସଂସ୍କୃତିର ଏକ ମୋଟା କମ୍ବଳଦ୍ୱାରା ଗୁଡ଼ାଇହୋଇ ରହିଥାଏ । ଆପଣାର ବାସଗୃହରେ ଥିଲାବେଳେ ସେ କେତେ ମୋଟା କାନ୍ଥ ଓ କେତେ ଅଟ୍ଟାଳିକା ଦ୍ୱାରା ପ୍ରକୃତିଠାରୁ ବିଚ୍ଛିନ୍ନ ହୋଇ ରହିଥାଏ । ସହର ଛାଡ଼ି ଗ୍ରାମଜଗତର ସୀମା ସ୍ପର୍ଶ କରିବାଲାଗି ତାକୁ ବେଳେବେଳେ ଅନେକ ମାଇଲ୍ ରାସ୍ତା ଅତିକ୍ରମ କରିବାକୁ ପଡ଼େ । ମୁକ୍ତ ବାୟୁ ବଦଳରେ ତାକୁ ବିଜୁଳି ପଙ୍ଖାରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼େ । ସୂର୍ଯ୍ୟକିରଣ ପରିବର୍ତ୍ତେ କେବଳ ଗ୍ୟାସ ବା ବିଜୁଳୀ ଆଲୁଅ ତା’ର ଆଖିକୁ ସ୍ୱାଗତ କରିବାକୁ ଆସେ । ମାଟି ବଦଳରେ ପକ୍‌କା ରାସ୍ତାର ପିଚୁ ତା’ର ପାଦକୁ ସ୍ପର୍ଶ କରିଥାଏ । ତା’ର ଚାରିପାଖରେ ବଡ଼ ବଡ଼ କୋଠାମାନ ଦୈତ୍ୟପରି ଠିଆ ହୋଇଥାନ୍ତି । ଉପରେ କେତେ ପ୍ରକାର ଧୂଆଁର ଏକ ମୋଟା ପରସ୍ତ ତା’ର ଆକାଶକୁ ଆଚ୍ଛନ୍ନ କରି ରଖିଥାଏ । ଉଜ୍ୱଳ ନୀଳ ଆକାଶକୁ ଦେଖିବାଲାଗି ସେ କ୍ୱଚିତ୍ ଅବସର ପାଇଥାଏ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଓ ରହସ୍ୟମାନଙ୍କୁ ସେ ପ୍ରଧାନତଃ ସିନେମା ବା ଥିଏଟର୍ ପର୍ଦ୍ଦାଉପରେ, ଖବରକାଗଜରେ ବା ପିକ୍‌ନିକ୍ କରି ବାହାରକୁ ଯାଇଥିବାବେଳେହିଁ ଦେଖିବାର ସୁଯୋଗ ପାଇଥାଏ-। କିନ୍ତୁ ଗାଆଁରେ ବାସ କରୁଥିବା କୃଷକର ବାତାବରଣ ଏହାଠାରୁ ସମ୍ପୂର୍ଣ୍ଣ ଅଲଗା । ଜମିରେ କାମ କଲାବେଳେ ସେ ଦିନମାନ ମୁକ୍ତ ପ୍ରକୃତିର କୋଳରେ ରହିଥାଏ । ଆପଣାର ସାନ ଗାଆଁରେ ପ୍ରତିବେଶୀ-ମେଳରେ ରହିଥିବାବେଳେ ମଧ୍ୟ ସେ ଠିକ୍ ସେହିପରି ଏକ ବାତାବରଣ ଭିତରେ ଥାଏ-। ପ୍ରକୃତି ଓ ତା’ମଧ୍ୟରେ କେବଳ ତା’ର ଚାଳଘରର ଟିକିକାନ୍ଥଟିର ବ୍ୟବଧାନ ରହିଥାଏ । ଘର ବାହାରେ ଥିଲାବେଳେ ସେ ଯେଉଁଠି ଥାଉ ପଛକେ, ସେ ପ୍ରକୃତିର ବିସ୍ତାର ମଧ୍ୟରେ ହିଁ ଥାଏ ।’’ (୨୨)

 

ଗ୍ରାମ ଓ ସମାଜର ବାତାବରଣଗତ ପାର୍ଥକ୍ୟ ବିଷୟରେ ସମାଜଶାସ୍ତ୍ରୀମାନେ ସାଧାରଣତଃ ନିମ୍ନଲିଖିତ ବିଷୟ ଗୁଡ଼ିକ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଥାନ୍ତି; ।।୧।। ପ୍ରଥମତଃ ଗାଆଁ କହିଲେ ଆମେ ସାଧାରଣତଃ କୃଷିକୁ ସର୍ବପ୍ରଧାନ ଅବଲମ୍ବନ ରୂପେ ଗ୍ରହଣ କରିଥିବା କୃଷକ ଓ ତା’ର ପରିବାରର ସମାହାରକୁ ବୁଝିଥାଉ । ଅନ୍ୟାନ୍ୟ ଧନ୍ଦା ଓ ବ୍ୟବସାୟ କରୁଥିବା କାରିଗର ଓ ଅନ୍ୟଲୋକେ ଅବଶ୍ୟ ଗାଆଁରେ ବାସ କରୁଥାନ୍ତି । କିନ୍ତୁ ସେହିସବୁ ଧନ୍ଦା ଓ ବ୍ୟବସାୟ ପ୍ରଧାନତଃ କୃଷି ଓ କୃଷକଜୀବନର ଆବଶ୍ୟକତା ଗୁଡ଼ିକୁ ଭିତ୍ତିକରି ଚାଲୁଥାଏ । ଅନ୍ୟପକ୍ଷରେ ସହରର ଲୋକେ ସାଧାରଣତଃ କଳକାରଖାନାମାନଙ୍କରେ କାମ କରନ୍ତି, ବାଣିଜ୍ୟ ବେପାର କରନ୍ତି, ଅଫିସ୍‌ ମାନଙ୍କରେ କାମ କରନ୍ତି । ଗୋଟିଏ କଥାରେ କହିଲେ– ସବୁ କରନ୍ତି, କିନ୍ତୁ କୃଷି କରନ୍ତିନାହିଁ । ।।୨।। ଗାଆଁରେ ଗ୍ରାମବାସୀମାନଙ୍କର ପ୍ରକୃତି ସହିତ ପ୍ରତ୍ୟକ୍ଷ ଓ ନିକଟ ସମ୍ପର୍କ ଥାଏ । ସହରବାସୀ ପ୍ରକୃତିର ରାଜ୍ୟରୁ ଦୂରବର୍ତ୍ତୀ ହୋଇ ରହିଥାନ୍ତି । ଗାଆଁର ବାତାବରଣକୁ ମୁଖ୍ୟତଃ ପ୍ରକୃତି ଯୋଗାଇ ଦେଇଥାଏ । କିନ୍ତୁ ସହରର ବାତାବରଣକୁ ମଣିଷ ଆପଣା ହାତରେ ଗଢ଼ିଥାଏ । ସହରରେ ମୁକ୍ତ ବାୟୁ ଓ ମୁକ୍ତ ଆଲୋକର ଅଭାବ ଥାଏ । ପଥର, ଲୁହା ଓ ଇଟା ବା ସିମେଣ୍ଟର ଆଧିକ୍ୟ ବଡ଼ ପ୍ରବଳ ଭାବରେ ଅନୁଭୂତ ହୁଏ । ।।୩।। ପୃଥିବୀରେ ଗାଆଁଗୁଡ଼ିକର ଆକାର ସହର ତୁଳନାରେ ସାଧାରଣତଃ ଛୋଟ ଛୋଟ । କିନ୍ତୁ ସହରଗୁଡ଼ିକର ଆକାର ତୁଳନାରେ ବଡ଼, ଏଥିରେ ଜନଗହଳି ମଧ୍ୟ ଅପେକ୍ଷାକୃତ ଅଧିକ । ସହରର ସଭ୍ୟତା ଅଧିକରୁ ଅଧିକ ବିକଶିତ ହେବା ସଙ୍ଗେସଙ୍ଗେ ସହରଗୁଡ଼ିକର ଆକାର ଯେ କ୍ରମେ ବଢ଼ି ବଢ଼ି ଯାଉଥାଏ, ହୁଏତ ଆମେ ଏପରି ଏକ ସାଧାରଣ ସିଦ୍ଧାନ୍ତରେ ମଧ୍ୟ ଉପନୀତ ହୋଇପାରିବା । ।।୪।। ଗାଆଁର ଜନଗହଳି ସହରର ଜନଗହଳି ଠାରୁ ସାଧାରଣତଃ କମ୍ । କୌଣସି ସ୍ଥାନର ଜନସଂଖ୍ୟା ଯେତିକି ବୃଦ୍ଧି ପାଉଥାଏ, ସେହିସ୍ଥାନରୁ ଗ୍ରାମଜୀବନ ଓ ଗ୍ରାମସମାଜର ଲକ୍ଷଣମାନ ସେତିକି କମିଯାଉଥିବାପରି ମନେହୁଏ । ଲୋକସଂଖ୍ୟା ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଯେକୌଣସି ସ୍ଥାନରେ ସହରର ଅନୁକୂଳ ଜୀବନ-ପରିବେଶମାନ ସାଧାରଣତଃ ସୃଷ୍ଟି ହୋଇଥାଏ । ।।୫।। ଗାଆଁରେ ଯେତେ ମଣିଷ ବାସ କରୁଥାନ୍ତି, ସେମାନଙ୍କର ପରସ୍ପର ଭିତରେ ବୈଷମ୍ୟ ଅପେକ୍ଷା ସାମ୍ୟ ହିଁ ଅଧିକ ପରିମାଣରେ ରହିଥାଏ । ସେମାନେ ଗୋଟିଏ ଗୋଷ୍ଠୀପରି ରହିଥାନ୍ତି, ଗୋଟିଏ ରୁଚିଗତ ବାୟୁମଣ୍ଡଳ ଭିତରେ ପରସ୍ପର ସହିତ ନାନାବିଧ ସମ୍ବନ୍ଧଗତ ଜୀବନ ସୂତ୍ରରେ ସମ୍ମିଳିତ ହୋଇଥାଆନ୍ତି । ମାନସିକ ଦୃଷ୍ଟିରୁ ମଧ୍ୟ ସେମାନେ ପରସ୍ପରକୁ ପରସ୍ପରର ଜୀବନର ସମଭାଗୀ ଓ ସହଚାରୀ ବୋଲି ଅନୁଭବ କରନ୍ତି-। ସହରର ସମାଜରେ ଏହାର ଠିକ୍ ଓଲଟା ଦେଖିବାକୁ ମିଳେ । ସହରର ବାସିନ୍ଦାମାନଙ୍କ ଭିତରେ ସାମଞ୍ଜସ୍ୟ ତୁଳନାରେ ଅସାମଞ୍ଜସ୍ୟ ଅଧିକ ପରିମାଣରେ ରହିଥାଏ । ଗୋଟାଏ ସହରରେ କେତେ କେତେ ପ୍ରକାର ଗୋଷ୍ଠୀ ବାସ କରୁଥାନ୍ତି ଓ ସହରରୂପୀ ସମୁଦ୍ର ଭିତରେ ଆପଣାକୁ ଗୋଟିଏ ଗୋଟିଏ ଟାପୁପରି ଅନୁଭବ କରୁଥାନ୍ତି । ସହରର ଆକୃତି ବଢ଼ିବା ସଙ୍ଗେ ସଙ୍ଗେ ଏହି ଅସାମଞ୍ଜସ୍ୟମାନ ମଧ୍ୟ ବଢ଼ିବାରେ ଲାଗିଥାଏ । ।।୬।। ଗାଆଁର ପାରସ୍ପରିକ ଜୀବନରେ ସହରପରି ଏତେ ଭେଦବିଚାର ଓ ସାମାଜିକ ତଥା ମାନସିକ ଦୂରତା ଦୃଷ୍ଟିଗୋଚର ହୁଏନାହିଁ । ଗାଆଁରେ ବିଭିନ୍ନ ଜାତି ରହିଥାନ୍ତି, ଧନୀ ଓ ଗରିବ ରହିଥାନ୍ତି, ପାଠୁଆ ଓ ଅପାଠୁଆ ରହିଥାନ୍ତି, କିନ୍ତୁ ସବୁପ୍ରକାର ଭେଦ ସତ୍ତ୍ୱେ ସେମାନେ ଆପଣାକୁ ଗୋଟିଏ ଗୋଷ୍ଠୀର ସଦସ୍ୟରୂପେ ବିଚାରନ୍ତି ଓ ଗୋଷ୍ଠୀଜୀବନର ନାନା କାର୍ଯ୍ୟକଳାପ ଜରିଆରେ ପରସ୍ପରର ଅତି ନିକଟବର୍ତ୍ତୀ ହୋଇ ରହିଥାନ୍ତି । ଜୀବନର ସମ୍ପର୍ଣ୍ଣତର ପରିଚୟ ଦେବା ଗ୍ରାମଜୀବନରେ ହିଁ ଅଧିକ ସମ୍ଭବ ହୋଇଥାଏ । କିନ୍ତୁ ସହରରେ ପରସ୍ପରର କାର୍ଯ୍ୟ ଓ କର୍ମକ୍ଷେତ୍ର, ପାହିଆ ଓ ପଦବୀ ଦେଇ ସମସ୍ତେ ପରସ୍ପରକୁ ଚିହ୍ନନ୍ତି-। ସମ୍ପୂର୍ଣ୍ଣ ମଣିଷକୁ ଚିହ୍ନିବାର ଖୁବ୍‌ କମ୍ ଅବସର ସହରରେ ମିଳେ । ତେଣୁ ସହରର ପାରସ୍ପରିକ ସମ୍ପର୍କରେ ଅଧିକ ଭେଦବିଚାର ରହିଥାଏ ଓ ଭେଦବିଚାରର ମାନଦଣ୍ଡ ଉପରେ ହିଁ ସହରରେ ମଣିଷ ଆଉଜଣେ ମଣିଷର ବିଚାର କରିଥାଏ । ।।୭।। ଗ୍ରାମଜୀବନରେ ଖୁବ୍‌ ବେଶୀ ଚଳନଶୀଳତା ଦେଖିବାକୁ ମିଳେନାହିଁ । ଅର୍ଥାତ୍ ଗାଆଁ ଲୋକେ ଆପଣାର ଘରଡ଼ିହ ବା ଗାଆଁ ଛାଡ଼ି ଅନ୍ୟ କୌଣସି ଜାଗାକୁ ବା କୌଣସି ଗାଆଁକୁ କ୍ୱଚିତ୍ ଯାଆନ୍ତି । ଯିଏ ଯେଉଁ ଧନ୍ଦା ଅବଲମ୍ବନ କରି ଜୀବନ ଆରମ୍ଭ କରିଥାଏ, ମରିବାପର୍ଯ୍ୟନ୍ତ ସେ ସାଧାରଣତଃ ସେହି ଧନ୍ଦା କରୁଥାଏ । ଆପଣାର ଧନ୍ଦାକୁ ସେ କେବଳ ଅର୍ଥାଗମର ଏକ ପନ୍ଥା ବୋଲି ନୁହେଁ ଆପଣାର ସକଳ ଅନୁରକ୍ତି ଦାବୀ କରୁଥିବା ଏକ ଜୀବନମାର୍ଗ ବୋଲି ଗ୍ରହଣ କରିଥାଏ । ଗାଆଁରେ ଯିଏ ଯୋଉ ଆର୍ଥିକ ବା ସାମାଜିକ ସ୍ତରରେ ଜନ୍ମଲାଭ କରିଥାଏ ଓ ରହିଥାଏ, ସାଧାରଣତଃ ସେ ସେହି ସ୍ତରରେ ହିଁ ଜୀଇଥିବାଯାକ ରହେ । ଏହି ସ୍ତରର ପରିବର୍ତ୍ତନ କ୍ୱଚିତ୍ ହୁଏ । କିନ୍ତୁ ସହରରେ ସବୁ ଚଳନଶୀଳ, ଅର୍ଥାତ୍ ସବୁ ଖରତର ଗତିରେ ବଦଳିବାରେ ଲାଗିଥାଏ । ସେଠି ଆପଣାର ଘରଡ଼ିହ ପ୍ରତି ମଣିଷର ସେତେ ମାୟା ନଥାଏ । ସହରର ମଣିଷ ଅଧିକ ଭ୍ରମଣ କରେ । ସହରବାସୀର ଆର୍ଥିକ ଓ ସାମାଜିକ ସ୍ତରରେ ଅନେକଥର ପରିବର୍ତ୍ତନ ଲାଗି ଅବସର ରହିଥାଏ । ।।୮।। ଗ୍ରାମବାସୀର ପରିଚୟଜଗତ ଅତି ସୀମାବଦ୍ଧ ରହିଥାଏ । ଆପଣା ପରିବାର, ଆପଣା ପ୍ରତିବେଶ, ଆପଣା ଗ୍ରାମସମାଜ ଅଥବା ଖୁବ୍ ବେଶୀ ହେଲେ ଆପଣାର ବନ୍ଧୁବାନ୍ଧବଙ୍କୁ ଛାଡ଼ିଦେଲେ ତାର ଜୀବନର ବାଟ ସାଧାରଣତଃ ଅନ୍ୟ କେଉଁଠି ପଡ଼ିବାର ସୁଯୋଗ ପାଏନାହିଁ । ତାହାର ଏହି ପରିଚୟ ଓ ସମ୍ବନ୍ଧରେ କୌଣସି ପ୍ରକାର ଜଟିଳତା ନଥାଏ । ସେ ପ୍ରଧାନତଃ ମଣିଷ ହିସାବରେ ଅନ୍ୟମାନଙ୍କୁ ଚିହ୍ନିଥାଏ, ପ୍ରଧାନତଃ ମଣିଷ ହିସାବରେ ଅନ୍ୟମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିଥାଏ । ସହରବାସୀର ସମ୍ପର୍କ ଜଗତ ଅଧିକ ପ୍ରସାରିତ । କେବଳ ଆପଣା ପ୍ରତିବେଶରେ ନୁହେଁ, ଆପଣା ସହରର ବାହାରେ ଥିବା ବୃହତ୍ତର ଜଗତ ସହିତ ମଧ୍ୟ ତାର ପ୍ରତ୍ୟକ୍ଷ ଓ ପରୋକ୍ଷ ଅନେକ ସୂତ୍ର ଲାଗିରହିଥାଏ । ବୃହତ୍ତର ପୃଥିବୀରେ ଘଟୁଥିବା ଘଟଣାବଳୀ ମଧ୍ୟ ତାର ଜୀବନ ଉପରେ ପ୍ରତିକ୍ରିୟା ପକାଇଥାଏ ଓ ସେ ସେହି ଅନୁସାରେ ଆପଣାର ଜୀବନରୀତିକୁ ଖାପଖୁଆଇବାର ଚେଷ୍ଟା କରିଥାଏ । ସହରର ରେଲଗାଡ଼ି, ସହରର ସିନେମା, ଖବରକାଗଜ ଓ ରେଡ଼ିଓ ସହରବାସୀକୁ କେତେ ଦୂରର କେତେ କେତେ ସଂସାର ସହିତ ଗଅଁଠାଇ ରଖିଥାନ୍ତି । ସହରବାସୀର ସମ୍ପର୍କ ହେଉଚି, ଅଧିକାଂଶତଃ ନେର୍ବ୍ୟକ୍ତିକ, ପ୍ରୟୋଜନ-ପ୍ରଣୋଦିତ ଓ ଅଳ୍ପକ୍ଷଣସ୍ଥାୟୀ । ଏହା ଅଧିକ ଜଟିଳ, ଅଧିକ ଅଗଭୀର ଏବଂ ଅଧିକ ଔପଚାରିକ । ଏଠି ମଣିଷ ଏକ ପରିପୂର୍ଣ୍ଣ ମଣିଷ ହିସାବରେ ନୁହେଁ, ମାତ୍ର ଏକ ‘ସଂଖ୍ୟା’ ବା ‘ଠିକଣା’ ହିସାବରେ ହିଁ ଆଉ ଜଣେ ମଣିଷର ବିଚାରରେ ସ୍ଥାନ ପାଇଥାଏ । (୨୩)

 

ମୋଟ ଉପରେ ଆମେ କହିପାରିବା ଯେ ଗ୍ରାମସମାଜ ହେଉଚି ଏକ ଅନୌପଚାରିକ ସଂସ୍ଥା । ତେଣୁ ଗ୍ରାମର ଅଧିବାସୀ ଆପଣା ଜୀବନରେ ଯେକୌଣସି ପ୍ରାଥମିକ ସଂସ୍ଥାର ଜୀବନ ବଞ୍ଚିବାର ଅନେକ ଅବସର ଏଠାରେ ପାଇଥାଏ । ଏହି ଅବସର ହିଁ ତାର ଜୀବନଦୃଷ୍ଟି, ତା’ର ସମ୍ବନ୍ଧସୂତ୍ର ଓ ତାର ମୂଲ୍ୟବୋଧର ମାନଦଣ୍ଡକୁ ଅନେକାଂଶରେ ପ୍ରଭାବିତ କରିଥାଏ । ଅନ୍ୟପକ୍ଷରେ ସହରବାସୀମାନଙ୍କର ପାରସ୍ପରିକ ସମ୍ପର୍କ ବଡ଼ ଔପଚାରିକ ଅର୍ଥାତ୍ ପ୍ରୟୋଜନପ୍ରଧାନ ମାର୍ଗରେ ବିକଶିତ ହୋଇଥାଏ । ସହରର ମଣିଷମାନେ ପରସ୍ପରର ଏତେ ପାଖରେ ଘରକରି ରହିଥାନ୍ତି, ରାସ୍ତାରେ ଗଲାବେଳେ ପରସ୍ପରର କାନ୍ଧରେ ଘସିହୋଇ ଗଲାପରି ଯାଆନ୍ତି, ତଥାପି ସେଠି ମଣିଷ ମଣିଷ ମଧ୍ୟରେ ଏକପ୍ରକାର ସାମାଜିକ ଦୂରତା ଅବଶ୍ୟ ରହିଥାଏ । ସହରରେ ମଣିଷ ସହିତ ମଣିଷର ଯେଉଁ ଭେଟ ହୁଏ, ତାହା ଅଧିକାଂଶତଃ ଅପରିଚିତ ମଣିଷ ପରସ୍ପରକୁ ଭେଟିଲାପରି ହୋଇଥାଏ । ଏହି ଭେଟ ଅତି ଅଳ୍ପ ସମୟ ପାଇଁ ହୁଏ, ଅତି ଅଳ୍ପ ସମୟ ଲାଗି ମନରେ ରହେ । ଏହି ଭେଟରେ ଅନ୍ତର୍ଗତ ଗଭୀରରେ ରହିଥିବା ମଣିଷବ୍ୟକ୍ତି ଆଉଜଣେ ମଣିଷବ୍ୟକ୍ତି ସହିତ ସ୍ୱାଭାବିକ ଭାବରେ ସମ୍ମିଳିତ ହେବାର ପ୍ରାୟ କୌଣସି ଅବସର ପାଏନାହିଁ । ଏହି ଭେଟର ସକଳ ସ୍ୱାଭାବିକତାକୁ ଏକପ୍ରକାର ଉପର ଦେଖାଣିଆ ଔପଚାରିକତା ଓ ପ୍ରୟୋଜନବାଦ ଘୋଡ଼ାଇ ରଖିଥାଏ । ଏଠି ମଣିଷଠାରୁ ମଣିଷ ବଡ଼ ତଟସ୍ଥ ଓ ଉଦାସୀନ ହୋଇ ରହିଥାଏ । ତେଣୁ ଅସଲ ମଣିଷ ସହିତ ଏଠି ଆଉଜଣେ ମଣିଷର ଆଦୌ ସାକ୍ଷାତ ହୋଇପାରେ ନାହିଁ ।

 

ପୂର୍ବାଲୋଚିତ ଜଣେ ସମାଜଶାସ୍ତ୍ରୀ ଗ୍ରାମବାସୀ କୃଷକର ମନକୁ ନିମ୍ନପ୍ରକାରେ ବିଶ୍ଳେଷିତ କରିଚନ୍ତି । ୧- କୃଷକ ହେଉଚି ସ୍ୱଭାବତଃ ରକ୍ଷଣଶୀଳ । ପୁରାତନ କାଳରୁ ଯାହା ପୁରୁଷାନୁକ୍ରମେ ଚଳିଆସୁଚି ଏବଂ ସେ ଯେଉଁସବୁ ରୀତିକୁ ଉଚିତ ବୋଲି ଶିଖି ମଣିଷ ହୋଇଚି, ତାହାକୁ ସେ ସହଜରେ ବର୍ଜନ କରିବାକୁ ଚାହେ ନାହିଁ । ଏଣୁ ଅନେକ ସମୟରେ କୌଣସି ନୂଆ ରୀତିକୁ ତା’ଉପରେ ଲଦିଦିଆଗଲେ ସେ ବିଚଳିତ ହୋଇପଡ଼େ ଓ ଆପଣା ଉପାୟରେ ତାହାର ପ୍ରତିବାଦ କରିବାକୁ ବାହାରେ । ୨- କୃଷକକୁ ପ୍ରକୃତିର ଅନୁଗ୍ରହ ଉପରେ ଖୁବ୍ ନିର୍ଭର କରିବାକୁ ପଡ଼େ । ପ୍ରକୃତି ଅପ୍ରସନ୍ନ ହେଲେ ତାକୁ ଯେ ହୁଏତ ବର୍ଷ ବର୍ଷ ଧରି ବଡ଼ ଅଭାବରେ ଜୀବନ ନିର୍ବାହ କରିବାକୁ ପଡ଼ିବ, ଆପଣା ଅଭିଜ୍ଞତାରୁ ସେ ଏହି କଥାଟି ଖୁବ୍ ଭଲକରି ଜାଣିଥାଏ । ତେଣୁ ସେ ସବୁକଥାରେ ଅନେକ ବୁଝି ବିଚାରି ପଇସା ଖରଚ କରେ ଓ ଯେତେଦୂର ସମ୍ଭବ ଆପଣାର ସମ୍ବଳକୁ ସଞ୍ଚିକରି ରଖିବାକୁ ଚାହୁଁଥାଏ । ୩-ପ୍ରକୃତି ଉପରେ ନିର୍ଭର କରୁଥିବାରୁ ଗାଆଁର କୃଷକ ପ୍ରଧାନତଃ ଭାଗ୍ୟବାଦକୁ ହିଁ ଜୀବନର ଏକମାତ୍ର ନିର୍ଣ୍ଣାୟକ ବାଦରୂପେ ସ୍ୱୀକାର କରି ନେଇଥାଏ । ୪- ଗାଆଁର ମଣିଷ ସାଧାରଣତଃ ସହରବାସୀ ଓ ବହିରାଗତ ପ୍ରାୟ ପ୍ରତ୍ୟେକ ମଣିଷକୁ ସନ୍ଦେହ ଚକ୍ଷୁରେ ଦେଖିଥାଏ । ମାଆପେଟରୁ ପରକୁ ସନ୍ଦେହ କରିବାର କୁଲକ୍ଷଣ ନେଇ ଜନ୍ମ ହୋଇଚି ବୋଲି ନୁହେଁ, ମାତ୍ର ଅଧିକାଂଶ ସମୟରେ ବହିରାଗତ ଅପରିଚିତମାନେ ତାର ସମାଜକୁ ଆସି ତାକୁ ନାନାପ୍ରକାରରେ ପ୍ରବଞ୍ଚିତ ଓ ପ୍ରତାରିତ କରିଚନ୍ତି ବୋଲି ସଂସ୍କାରବଶତଃ ସେ ଗୋଷ୍ଠୀ ବାହାରର ମଣିଷଙ୍କୁ ସନ୍ଦେହର ଚକ୍ଷୁରେ ଦେଖିଥାଏ । ୫- ଗାଆଁର ମଣିଷ ଭିତରେ ଛନ୍ଦକପଟ କମ୍ ଥାଏ । ସେ ବୁଲାଇ ମୋଡ଼ାଇ ସଜାଇ ମଠାଇ କଥା କହିପାରେନାହିଁ । ଯାହା କହିବାର କଥା, ତାହାକୁ ସେ ନିରାକରଣ ଭାବରେ ସିଧା କହିଦିଏ । ସହରବାସୀ ମଣିଷର ତୁଳନାରେ ମନର କଥା ଲୁଚାଇ ରଖିବାରେ ସେ କମ୍ ସମର୍ଥ ହୁଏ । (T. Lynn Smith : ପୁସ୍ତକ ଟିପ୍‌ପଣୀ-୧୯, ପୃଷ୍ଠା-୧୩୩) ଆମ ପୃଥିବୀର ବିଭିନ୍ନ ସ୍ଥାନରେ ବାସ କରୁଥିବା କୃଷକମାନଙ୍କର ଜୀବନ-ବିଶ୍ଳେଷଣ କରି ସମାଜଶାସ୍ତ୍ରୀ ଶ୍ରୀ ଇର୍‌ଉଇନ୍ ସାଣ୍ଡରସ୍ କୃଷକଜୀବନର ବିଶେଷ ବିଶେଷ ଲକ୍ଷଣ ବିଷୟରେ ଯେଉଁ କେତୋଟି ସିଦ୍ଧାନ୍ତରେ ପହଞ୍ଚିଛନ୍ତି, (୨୪) ସେଥିରୁ ଦୁଇଟି କଥାକୁ ମୁଁ ଏଥିରେ ଉଲ୍ଲେଖଯୋଗ୍ୟ ବୋଲି ମନେକରୁଚି । ସେ କହିଚନ୍ତି, କେତେକାଳ ଓ କେତେ ଯୁଗର କେତେ ଆଘାତ ସତ୍ତ୍ୱେ ତଥାପି ଗ୍ରାମସମାଜ ଆଜି ମଧ୍ୟ ନିଜର ବିଶିଷ୍ଟତା ରକ୍ଷା କରି ବଞ୍ଚିରହିଚି, ଏହାହିଁ ଗ୍ରାମସମାଜ ବିଷୟରେ ସବୁଠାରୁ ବଡ଼ କଥା । ପୃଥିବୀଯାକ ସବୁଠାରେ ପରିବାର ହିଁ ଗ୍ରାମସମାଜର କେନ୍ଦ୍ରବିନ୍ଦୁ ହୋଇ ରହିଚି । ଗ୍ରାମସମାଜର ସଂସାରରେ ଆଗ ପରିବାର, ତାପରେ ବ୍ୟକ୍ତି । ଦ୍ୱିତୀୟ କଥାଟି ହେଉଚି ଯେ ସାଧାରଣତଃ ସବୁଠାରେ ଗ୍ରାମସମାଜର ଜୀବନମାନ ସହରର ଜୀବନମାନ ତୁଳନାରେ ଅନେକ ତଳେ ରହିଥାଏ ।

 

–୨–

 

ମାନବ ସମାଜର ଇତିହାସରେ ସହରର ଜୀବନକାହାଣୀ ଆଦୌ ଦୀର୍ଘ ନୁହେଁ । ଇଉରୋପର ସାମାଜିକ ଇତିହାସ ଆଲୋଚନା କରି କେତେକ ଲେଖକ କହିଚନ୍ତି ଯେ ଏକାଦଶ ଶତାବ୍ଦୀର ଆଦ୍ୟଭାଗରେ ସେହି ମହାଦେଶରେ ଆର୍ଥିକ ବିକାଶର କ୍ଷେତ୍ରମାନ ପ୍ରସାରିତ ହେବାକୁ ଲାଗିଲା ଓ ତାହାର ଫଳସ୍ୱରୂପ ସହର ଓ ସହର-ସମାଜକୁ ଚଳାଇବା ଭଳି ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକର ଉଦ୍ଭବ ହୋଇଥିଲା । ମଧ୍ୟଯୁଗୀୟ ଇଉରୋପରେ ସହର କହିଲେ ସାଧାରଣତଃ ପ୍ରାଚୀରପରିବେଷ୍ଟିତ ଏକ ଗଡ଼ ବା କିଲାକୁ ବୁଝାଉଥିଲା । ଯୁଦ୍ଧ ଲାଗିଲେ ବା ବର୍ହିଶତ୍ରୁର ଆକ୍ରମଣ ବେଳେ ଚାରିପାଖର ଅଞ୍ଚଳରେ ବାସ କରୁଥିବା ଗ୍ରାମବାସୀମାନେ ଏହି କିଲାଭିତରକୁ ଆସି ଆଶ୍ରୟ ନେଉଥିଲେ । ସେହି ପ୍ରଥମ ଯୁଗରୁ ଏପର୍ଯ୍ୟନ୍ତ ସହର ଓ ସହରର ସଭ୍ୟତା ଅତ୍ୟନ୍ତ କ୍ଷିପ୍ରଗତିରେ ବଢ଼ିବାରେ ଓ ବ୍ୟାପିବାରେ ଲାଗିଆସିଚି । ଆଧୁନିକ ସଂସାର କହିଲେ ଆମେ ଅନେକେ ବିନା ସଙ୍କୋଚରେ ସହରର ସଂସାରକୁ ହିଁ ବୁଝିବାକୁ ଆରମ୍ଭ କରିଚୁ । ଏକ ହିସାବରୁ ଜଣାପଡ଼ୁଚି ଯେ ବର୍ତ୍ତମାନ ସାରା ପୃଥିବୀର ମୋଟ ଲୋକସଂଖ୍ୟା ବର୍ଷକୁ ପ୍ରାୟ ଦୁଇ ପ୍ରତିଶତ କରି ବଢ଼ୁଚି, କିନ୍ତୁ ପୃଥିବୀରେ ସହରର ଲୋକସଂଖ୍ୟା ପ୍ରତିବର୍ଷ ଚାରି ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଇବାରେ ଲାଗିଚି । ସହର ଓ ସହରସମାଜର ଏହି ପ୍ରସାରବେଗ ଲକ୍ଷ୍ୟକରି ଗଣନା ଦ୍ୱାରା ସତ୍ୟ ନିରୂପଣ କରିବାରେ ଅଭ୍ୟସ୍ତ ଆମର ମନ ହୁଏତ ଏପରି ଏକ ଆଶଙ୍କା କରିବସୁଚି- ଏହିପରି ଭାବରେ ବଢ଼ି ବଢ଼ି ସହର ଦିନେ ସାରା ପୃଥିବୀକୁ ଗ୍ରାସ କରି ପକାଇବ ନାହିଁ ତ, ଅର୍ଥାତ୍ ସମଗ୍ର ପୃଥିବୀ ଦିନେ ଗୋଟାସୁଦ୍ଧା ସହରମୟ ହୋଇ ଯିବନାହିଁ ତ ?

 

ସହରର ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ମୋଟେ ୯୭୦ ଲକ୍ଷ ଲୋକ ପୃଥିବୀର ବିଭିନ୍ନ ସହରରେ ବାସ କରୁଥିଲେ । ସହର ବୋଇଲେ ଏଠାରେ ଆମେ ୧୦,୦୦୦ ରୁ ଅଧିକ ଲୋକ ବାସ କରୁଥିବା ସ୍ଥାନମାନଙ୍କୁ ବୁଝିବା ଓ ସେତେବେଳେ ଏପରି ସ୍ଥାନ ସାରା ପୃଥିବୀରେ ମାତ୍ର ୨୫୦ ଗୋଟି ଥିଲା । ସେତେବେଳେ ପୃଥିବୀର ମୋଟ ଲୋକସଂଖ୍ୟାର ଅନୁପାତରେ ସହରବାସୀଙ୍କର ସଂଖ୍ୟା ୬ % ବା ଷୋଳଭାଗରୁ ପ୍ରାୟ ଏକଭାଗ ମାତ୍ର ଥିଲା । ୧୭୯୦ ମସିହାରେ ଯେତେବେଳେ ଯୁକ୍ତରାଜ୍ୟ ଆମେରିକାରେ ପ୍ରଥମ ଜନସୁମାରି ହୋଇଥିଲା, ସେତେବେଳେ ସେହି ଦେଶର କେବଳ ୫% ଲୋକେ ସହରାଞ୍ଚଳରେ ବାସ କରୁଥିଲେ । ସହରାଞ୍ଚଳ କହିଲେ ଜନସୁମାରିର ରିପୋର୍ଟ ଅନୁସାରେ ଆମେ କେବଳ ୨୫୦୦ ଅଧିକ ମଣିଷ ବାସ କରୁଥିବା ଜାଗାଗୁଡ଼ିକୁ ବୁଝିବା । ସେତେବେଳେ ଦେଶର କୌଣସି ସହରର ଜନସଂଖ୍ୟା ୫୦,୦୦୦କୁ ସ୍ପର୍ଶ କରିନଥିଲା । ୧୮୨୦ ମସିହାରେ ନିଆଯାଇଥିବା ଜନସୁମାରିରେ ଯାଇ ଦେଶର ବୃହତ୍ତମ ସହର ନିଉୟର୍କର ଲୋକସଂଖ୍ୟା ଏକ ଲକ୍ଷରୁ ସେପାଖକୁ ଟପିଯାଇଥିଲା । ତାହାର ଷାଠିଏ ବର୍ଷ ପରେ ଅର୍ଥାତ ୧୮୮୦ ବେଳକୁ ଏହି ଲୋକସଂଖ୍ୟା ବଢ଼ି ମାତ୍ର ଦଶଲକ୍ଷ ହୋଇଥିଲା । ପ୍ରଥମ ଜନଗଣନାର ଶହେବର୍ଷ ଉତ୍ତାରେ ଅର୍ଥାତ୍ ୧୮୯୦ ମସିହାରେ ମଧ୍ୟ ଆମେରିକା ଦେଶର କେବଳ ୩୫% ମଣିଷ ୨୫୦୦ ବା ତତୋଧିକ ମଣିଷ ବାସ କରୁଥିବା ଜାଗାମାନଙ୍କରେ ବାସ କରୁଥିଲେ । ୧୯୬୦ ମସିହାରେ ୬୦%କୁ ବୃଦ୍ଧି ପାଇଥିଲା । ଅର୍ଥାତ୍ ଆଧୁନିକ ସହର କହିଲେ ସାଧାରଣତଃ ଆମେ ଯାହା ବୁଝୁ, ତାହାର ଜନ୍ମ ଓ ପ୍ରସାର ଆଦୌ ବେଶୀଦିନର କଥା ନୁହେଁ । ଆଗକାଳର ସହର ଓ ଏଯୁଗର ସହର ମଧ୍ୟରେ ଅନେକ ପ୍ରଭେଦ ରହିଚି । ଆଗେ ରାଜ୍ୟର ରାଜା ଯେଉଁଠି ଉଆସ ତୋଳୁଥିଲେ, ଯେଉଁ ସ୍ଥାନକୁ ରାଜ୍ୟର ରାଜଧାନୀ କରୁଥିଲେ, ସେହିଠାରେ ତାଙ୍କ ଦରବାରକୁ କେନ୍ଦ୍ର କରି ଲୋକମାନେ ଅତି ଅଧିକ ସଂଖ୍ୟାରେ ଆସି ବସବାସ କରୁଥିଲେ ଏବଂ କାଳକ୍ରମେ ତାହାହିଁ ସେ ଯୁଗରେ ସହର ବୋଲି ପରିଚିତ ହେଉଥିଲା । ଆମ ଓଡ଼ିଶାର ପୂର୍ବତନ କରଦ ରାଜ୍ୟମାନଙ୍କରେ ଆଗେ ରାଜାଙ୍କର ଉଆସ ଯେଉଁଠି ଥିଲା, ସେହିଠାରେ ହିଁ ରାଜ୍ୟର ସମ୍ଭବତଃ ଏକମାତ୍ର ସହର ଗଢ଼ିଉଠୁଥିଲା । ମଜାର କଥା, ଲୋକେ ସେତେବେଳେ ସହରକୁ ଗଡ଼ ବୋଲି କହିବାରେ ଅଭ୍ୟସ୍ତ ହୋଇ ଯାଇଥିଲେ, ସତେ ଯେପରି ସହର ଭିତରେ କେବଳ ରାଜାଙ୍କର ଉଆସ ବା ଗଡ଼କୁ ଛାଡ଼ିଦେଲେ ଆଉ କୋଉଠି କିଛି ନଥିଲା ! ବର୍ତ୍ତମାନ ମଧ୍ୟ ପୂର୍ବ ଅଭ୍ୟାସର ବଶବର୍ତ୍ତୀ ହୋଇ ଅନେକ ଲୋକ ଆମ ଢେଙ୍କାନାଳ ସହରକୁ ଢେଙ୍କାନାଳ-ଗଡ଼ ବୋଲି କହୁଥିବେ । ଆଧୁନିକ ସହର କୌଣସି ରାଜାଙ୍କର ଗଡ଼ ବା ଉଆସରୁ ପ୍ରେରଣା ପାଇ ଉଦ୍ଭୂତ ହୋଇନାହିଁ । ଯନ୍ତ୍ରଶିଳ୍ପର ପ୍ରସାର ଓ ଆଧୁନିକ ଶାସନପ୍ରଣାଳୀର କ୍ରମବିକାଶ ସଙ୍ଗେ ସଙ୍ଗେ ଯନ୍ତ୍ରଶିଳ୍ପ ଓ ଶାସନଯନ୍ତ୍ରର କେନ୍ଦ୍ରଗୁଡ଼ିକ ସାଧାରଣତଃ ଆଧୁନିକ ସହରରୂପରେ ବିକଶିତ ହୋଇଆସିଚି । ୧୯୫୦ ମସିହା ବେଳକୁ ପୃଥିବୀରେ ସହର ଓ ସହରସଭ୍ୟତାର ସ୍ଥିତି ନିମ୍ନଲିଖିତ ସାରଣୀ ପ୍ରକାରେ ଥିଲାବୋଲି ହିସାବ କରାଯାଇଚି । (୨୫)

 

ପୃଥିବୀର ମୋଟ ଲୋକସଂଖ୍ୟା ବୃଦ୍ଧି ଓ ସହରାଞ୍ଚଳରେ

ଲୋକସଂଖ୍ୟା-ବୃଦ୍ଧିର ଏକ ତୁଳନା

 

 

 

 

କାଳର ଅବଧି

ଅନୁପାତ ବୃଦ୍ଧି (୧୮୦୦-୧୯୫୦)

ପୃଥିବୀର ମୋଟ ଜନସଂଖ୍ୟାରେ

ପୃଥିବୀରେ ଥିବା ସହରାଞ୍ଚଳର
ଜନସଂଖ୍ୟାରେ

 

୫୦୦୦ ଓ ତତୋଧିକ

୨୦୦୦୦ ଓ ତତୋଧିକ

ଏକଲକ୍ଷ ଓ ତତୋଧିକ

୧୮୦୦-୧୮୫୦

୨୯.୨%

୧୭୫.୪%

୧୩୨.୩%

୭୬.୩%

୧୮୫୦-୧୯୦୦

୩୭.୩%

୧୯୨.୦%

୧୯୩.୫%

୨୨୨.୨%

୧୯୦୦-୧୯୫୦

୪୯.୩%

୨୨୭.୭%

୨୩୯.୬%

୨୫୪.୧%

 

 

 

ମହାଦେଶ ଅନୁସାରେ ସହରାଞ୍ଚଳର ଆନୁମାନିକ ଜନସଂଖ୍ୟା (୨୬)

 

ମହାଦେଶ

୧୦ ଲକ୍ଷ ଓ ତତୋଧିକ ଲୋକ ବାସ କରୁଥିବା ସହର-

ଏକଲକ୍ଷ ଓ ତତୋଧିକ ଲୋକ ବାସ କରୁଥିବା ସହର-

ସମଗ୍ର ଜନସଂଖ୍ୟା ତୁଳନାରେ ଏକଲକ୍ଷ ଓ ତତୋଧିକ ଲୋକ ବାସ କରୁଥିବା ସହରଗୁଡ଼ିକର ଲୋକସଂଖ୍ୟାର ଅନୁପାତ ।

ଆଫ୍ରିକା

୨୫

୩%

ଏସିଆ

୧୦

୧୭୦

୫%

ଅଷ୍ଟ୍ରେଲିଆ

୧୦

୪୫%

ଇଉରୋପ

୧୫

୩୦୦

୨୦%

ଉତ୍ତର ଆମେରିକା

୧୫

୧୬୦

୩୦%

ଦକ୍ଷିଣ ଆମେରିକା

୩୫

୧୨%

ମୋଟ

୪୬

୭୦୦

 

ଆଗେ ସହର ନଥିଲା, ଦେଶ ବା ଅଞ୍ଚଳର ଜନସଂଖ୍ୟା ଅନୁପାତରେ ସହରମାନଙ୍କରେ ଆଦୌ ବେଶୀ ଲୋକ ବାସ କରୁନଥିଲେ । ଆଗେ କେବଳ କ୍ରୟବିକ୍ରୟର କେନ୍ଦ୍ର ଥିଲା, ବଜାର ବା ପେଣ୍ଠ ଥିଲା, ଯେଉଁଠାକୁ କି ଲୋକେ କିଛି ସମୟ ପାଇଁ କୌଣସି ଏକ ଖାସ୍ ଉଦ୍ଦେଶ୍ୟରେ ଆସୁଥିଲେ । କିନ୍ତୁ ଆପଣା ଜୀବନର ପ୍ରଧାନତର କ୍ଷେତ୍ରରେ ସେମାନେ କୌଣସି ନା କୌଣସି ପ୍ରାଥମିକ ସଂସ୍ଥା ବା ସମୁଦାୟ ସହିତ ସଂଯୁକ୍ତ ହୋଇ ରହିଥିଲେ । ଗତ ଦେଢ଼ଶହ ବର୍ଷ ଭିତରେ ଅର୍ଥାତ୍ ଶିଳ୍ପପ୍ରଧାନ ଯୁଗ ଯୁଗର ବିକାଶ ଓ ବିସ୍ତାର ବଢ଼ିବା ସଙ୍ଗେ ସଙ୍ଗେ ସହରର ଜନସଂଖ୍ୟା ଅଧିକରୁ ଅଧିକ ସ୍ଫୀତ ହେବାକୁ ଆରମ୍ଭ କରିଚି । ସହରକୁ ଏତେ ମଣିଷ ଆସିଲେ କୁଆଡ଼ୁ ? ଏହିସବୁ ମଣିଷ ସହରରେ ହିଁ ଜନ୍ମ ହୋଇଥିଲେ ହୁଏତ ତାହା ଅନେକାଂଶରେ ଏକ ସ୍ୱାଭାବିକ ବ୍ୟାପାର ହୋଇଥାନ୍ତା । କିନ୍ତୁ ଆମେ ଆଗରୁ ଦେଖିଚେ, ପୃଥିବୀର କୌଣସି ମହାଦେଶରେ ସହରର ସନ୍ତାନଉତ୍ପାଦନ ହାର ସମଗ୍ର ମହାଦେଶର ସନ୍ତାନୋତ୍ପାଦନ ହାରକୁ କେତେବେଳେ ହେଲେ ଟପି ଯାଇନାହିଁ । ବରଂ ଗ୍ରାମାଞ୍ଚଳର ତୁଳନାରେ ସହରର ଏହି ହାର ପ୍ରାୟ ନିରନ୍ତର ଏକ ନିମ୍ନତର ସ୍ତରରେ ରହିଆସିଚି । ତେଣୁ ଉତ୍ତର ହେଉଚି, ଗାଆଁର ଲୋକମାନେ ହିଁ ଗାଆଁ ଛାଡ଼ି ସହରକୁ ଯାଉଚନ୍ତି ଓ ସହରର ଗର୍ଭକୁ ବିସ୍ତାର ଦେବାରେ ଲାଗିଚନ୍ତି । ବଡ଼ ଚିରାଚରିତ ଏକ ନିୟମ ପରି ଗାଆଁର ଲୋକେ ସହର ଅଭିମୁଖରେ ସମ୍ପନ୍ନତର ଜୀବନର ସନ୍ଧାନରେ ଯାଇଚନ୍ତି । ଏକଥା ଯେ କେବଳ ଆଗକାଳରେ ଅର୍ଥାତ୍ ଶହେବର୍ଷ ତଳେ ହୋଇଚି, ସେକଥା ନୁହେଁ । ଆମେରିକା ଭଳି ସର୍ବୋତୋବିକଶିତ ଦେଶରେ ଆଜି ମଧ୍ୟ ଏହି ଘଟଣା ଘଟୁଚି । ସଭ୍ୟ ଆରାମମୟ ଜୀବନର ସମ୍ପନ୍ନତା ଦୃଷ୍ଟିରୁ ଦେଖିଲେ ସେ ଦେଶରେ ଗ୍ରାମ ଓ ସହର ମଧ୍ୟରେ ଖୁବ୍ ବେଶୀ ପାର୍ଥକ୍ୟ ନାହିଁ । ସହରରେ ଉପଲ୍‌ବଧ ସକଳ ସାମଗ୍ରୀ ସେଠି ଗ୍ରାମବାସୀର ହାତପାହାନ୍ତାକୁ ବି ଆସିଗଲାଣି । ତଥାପି ସେହି ଲକ୍ଷ୍ମୀଦେଶରେ ମଧ୍ୟ ଗାଆଁର ମଣିଷ ଗାଆଁ ଛାଡ଼ି ସହରକୁ ଚାଲିଯିବାକୁ ଆକାଙ୍‌କ୍ଷିତ ହୋଇ ରହୁଚି । ଏହାର ଅନେକ କାରଣ ରହିଚି ଓ ସେହିସବୁ କାରଣର ଆଲୋଚନା ପ୍ରସ୍ତୁତ ପୁସ୍ତକରେ ପ୍ରାସଙ୍ଗିକ ହେବବୋଲି ମନେ ହେଉନାହିଁ ।

 

କିନ୍ତୁ ଯନ୍ତ୍ରଯୁଗର ପ୍ରଥମ ପର୍ଯ୍ୟାୟରେ ଆମେରିକା ଓ ଇଉରୋପରେ କାହିଁକି ଗାଆଁ ଲୋକେ ଗାଆଁ ଛାଡ଼ି ସହରକୁ ପଳାଇଯିବାକୁ ମନ ବଳାଉଥିଲେ, ସମାଜଶାସ୍ତ୍ରୀମାନେ ତାହାର କେତେକ କାରଣ ଦେଖାଇବାକୁ ଚେଷ୍ଟା କରିଚନ୍ତି । ସହରର ଆକର୍ଷକ ରଜ୍ଜୁମାନ ବଡ଼ ଶକ୍ତିଶାଳୀ ଭାବରେ ଗାଆଁର ମଣିଷକୁ ଟାଣିବାରେ ଲାଗିଚନ୍ତି । ଗାଆଁମାନଙ୍କରେ ଗାଆଁ ପିଲା ଯେଉଁ ସ୍କୁଲରେ ପାଠ ପଢ଼ୁଚନ୍ତି, ଗାଆଁକୁ ବାହାରୁ ଯେଉଁ ଖବରକାଗଜ ଆସୁଚି, ସେ ସବୁର କମ୍ ପ୍ରଭାବ ଗ୍ରାମବାସୀର ମନଉପରେ ପଡ଼ୁନାହିଁ ଓ ସେହି ସବୁ ହିଁ ତା’ର ଆକାଙ୍‌କ୍ଷା ଓ ଅନୁରକ୍ତିଗୁଡ଼ାକୁ ସହରମୁହାଁ କରିଦେଉଚି । ଦୁଧ ଭିତରୁ ଲହୁଣିଛାଣି ନେଲାପରି ସହରର ଆକର୍ଷଣ ସ୍କୁଲ ଓ ଖବରକାଗଜ ମାଧ୍ୟମରେ ଗାଆଁ ସମାଜର ଅଧିକ ପାରୁଆ ମଣିଷଙ୍କୁ ଗାଆଁରୁ ବାହାରକରି ନେଇଯାଉଚି । ଗାଆଁରେ ରହିଥିଲେ ଯେଉଁମାନେ ଗ୍ରାମଜୀବନର ନାନାକ୍ଷେତ୍ରରେ ଆଗୁଆ ହୋଇ ବାହାରି ଥାଆନ୍ତେ, ଗ୍ରାମସମାଜକୁ ନେତୃତ୍ୱ ଦେଇଥାନ୍ତେ, ସେହିମାନେ ହିଁ ସହରର ଆକର୍ଷଣରୂପକ ବ୍ୟାଧଫାଶରେ ଧରାହୋଇ ଆଗ ଗାଆଁ ଛାଡ଼ି ଯାଉଚନ୍ତି । ଗାଆଁର ଜୀବନରେ ଏହାହିଁ ସବୁଠାରୁ ବଡ଼ ଓ ଏକ ଦୁଷ୍ଟ ସମସ୍ୟା ହୋଇ ରହିଚି । ଆମେରିକାର ପ୍ରେସିଡ଼େଣ୍ଟ୍ ଥିଓଡ଼ର୍ ରୁଜଭେଲ୍‌ଟ୍ ୧୯୦୪ ଖ୍ରୀଷ୍ଟାବ୍ଦରେ ଏହି ସମସ୍ୟାଟି ପ୍ରତି ଆମେରିକାବାସୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ଏହି ସମସ୍ୟାଟିର ସମାଧାନ କରିବାଲାଗି କୌଣସି ସହଜ ସୂତ୍ର ନାହିଁ । ଯେତେ ବଢ଼ିଆ ସମାଧାନ-ପଥ ଅବଲମ୍ବନ କଲେ ମଧ୍ୟ ହୁଏତ ଆମେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିପାରିବା ନାହିଁ । ତଥାପି ଆମେ ଏ ଦିଗରେ ଯତ୍‌କିଞ୍ଚିତ୍ ପ୍ରୟାସ କରିପାରିବା । ତାହା ହେଉଚି–ଗାଆଁର କୃଷକ ଯୁବକଯୁବତୀମାନଙ୍କୁ ଆମେ ଅଧିକତର ସାମାଜିକ ସୁଯୋଗମାନ ଦେବା, ସେମାନଙ୍କର ମନୋରଞ୍ଜନ ଓ ଅବସର ବିନୋଦନ ଲାଗି ଅଧିକତର ପରିସର ସୃଷ୍ଟି କରିବା । ଗ୍ରାମ ଜୀବନ ଓ କୃଷିଗତ ଜୀବନ ସହିତ ଆମେ ଗାଆଁରେ ଦିଆଯାଉଥିବା ଶିକ୍ଷାକୁ ଅଧିକ ସଂଯୋଜିତ କରିବାକୁ ଚେଷ୍ଟା କରିବା । ଗାଆଁର ଧର୍ମସଂସ୍ଥାମାନ ଧର୍ମମନ୍ଦିରକୁ କେନ୍ଦ୍ରକରି ଗ୍ରାମବାସୀଙ୍କର ସାମାଜିକ ଓ ସାମ୍ବନ୍ଧିକ ଜୀବନକ୍ଷେତ୍ରରେ ଅଧିକ ଦାୟିତ୍ୱସଚେତନତା ଦେଖାଇବାକୁ ପ୍ରସ୍ତୁତ ହେବ । ଦୂର ସହରର ଯେଉଁ ସବୁ ମିଛ ଆକର୍ଷଣ ଗାଆଁର ମଣିଷକୁ ଭୁଲାଇବାର ଚେଷ୍ଟା କରୁଚି, ଗ୍ରାମବାସୀମାନଙ୍କ ମନରେ ଆମେ ତାହାର ବାସ୍ତବ ଧାରଣା ଦେବାର ଚେଷ୍ଟା କରିବା । ଆପଣାର ପ୍ରତିଭା ଓ ଆପଣାର ମସ୍ତିଷ୍କକୁ ନିପୁଣତମ ଭାବରେ କାମରେ ଲଗାଇ ପାରିବାଲାଗି ଗାଆଁରେ ମଧ୍ୟ ଯେ ପ୍ରଶସ୍ତ ଓ ଉପାଦେୟ କ୍ଷେତ୍ରମାନ ରହିଚି, ଗାଆଁର ଯୁବଶକ୍ତି ଭିତରେ ଆମେ ସେହି ବିଶ୍ୱାସ ଆଣିଦେବା । (ପୁସ୍ତକ ଟିପ୍ପଣୀ-୧୬, ପୃଷ୍ଠା-୭୩-୭୪)

 

ଚୀନଦେଶରେ ଚାଷୀମାନଙ୍କ ବିଷୟରେ ପ୍ରାୟ କୋଡ଼ିଏବର୍ଷ ତଳେ ଜଣେ ଲେଖକ ଲେଖିଚନ୍ତି; ‘‘ସହରରେ କାମ କରୁଥିବା ଚୀନା ଗ୍ରାମବାସୀ ଏ ପର୍ଯ୍ୟନ୍ତ ବି ଆପଣାର ପରିବାରକୁ ଆପଣାର ଗାଆଁରେ ହିଁ ରଖିଚି ଓ ଛୁଟୀ ପାଇବା ମାତ୍ରକେ ସେ ଆପଣାର ଗାଆଁକୁ ଆପଣା କୁଟୁମ୍ବପାଖକୁ ବାହୁଡ଼ି ଆସୁଚି । କିନ୍ତୁ ସହରତଳର ଆବର୍ଜନାମୟ ବସ୍ତିଜୀବନ ତୁଳନାରେ ଗ୍ରାମ୍ୟଜୀବନ ତାକୁ ଅଧିକ ଭଲ ଲାଗୁଚି ବୋଲି ଯେ ସେ ଏପରି କରୁଚି ତାହା ନୁହେଁ, ଗ୍ରାମ୍ୟଜୀବନର ଏକ ପ୍ରାଚୀନ ପରମ୍ପରା ସହିତ ସେ ଆଜି ମଧ୍ୟ ସଂପୃକ୍ତ ହୋଇ ରହିଚି ବୋଲି ସେ ସହରରେ ତା’ର ମନକୁ ବସାଇ ପାରୁନାହିଁ । କିନ୍ତୁ ଆଜିକାଲି ଗାଆଁର ଯୁବକ ଯୁବତୀମାନେ ଅନ୍ୟପ୍ରକାର ରୀତିରେ ଭାବିବାକୁ ଆରମ୍ଭ କଲେଣି ଏବଂ ପୁରୁଣା ପରମ୍ପରା ସହିତ ସେମାନଙ୍କର କୌଣସି ଗଭୀର ଭାବଗତ ସମ୍ପର୍କ ରହିଥିବାପରି ଜଣାପଡ଼ୁନାହିଁ । ହୁଏତ ଆଉ କେତେ ବର୍ଷ ପରେ ଏପରି ଦିନ ଆସିବ ଯେତେବେଳେ କି ପୁରୁଣା ସହିତ ସେମାନଙ୍କର ଆଉ କୌଣସି ସମ୍ପର୍କ ରହିବନାହିଁ ଓ ସେମାନେ କ୍ରମେ ଯେଉଁଠାରେ କାମ କରୁଚନ୍ତି ଓ ଆପଣାର ଜୀବିକାନିର୍ବାହ କରୁଚନ୍ତି ସେହିଠାରେ ହିଁ ସ୍ଥାୟୀଭାବରେ ବାସ କରିବାକୁ ଆରମ୍ଭ କରିଦେବେ । ଚୀନର ଗ୍ରାମବାସୀ ଆଜି ସହରକୁ କାମ କରିବାକୁ ଯାଉଥିଲେ ମଧ୍ୟ ଆପଣା ଭିତରେ ସେ ଆପଣା ଗାଆଁରେ ଥିବା ଘର ଓ ଘରଡ଼ିହକୁ ଭଲପାଉଚି । ତାହାର ଏହି ଭଲପାଇବାକୁ କ୍ଷୟମୁଖରୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ଗ୍ରାମାଞ୍ଚଳର ଜୀବନ ଓ ବାତାବରଣକୁ ଅଧିକ ସୁସ୍ଥ ଓ ଆକର୍ଷଣୀୟ କରି ଗଢ଼ିବାକୁ ପଡ଼ିବ । ସହରର ଏକଚାଟିଆ ହୋଇ ରହିଥିବାପରି ଆଜି ଯେଉଁସବୁ ସୁଯୋଗ ଓ ସାମଗ୍ରୀ କେବଳ ସହରରେ ହିଁ ଉପଲବ୍‌ଧ ହେଉଚି, ସାମାଜିକ ବିଧାନକୁ ବଦଳାଇ ସେଗୁଡ଼ିକୁ ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ କରାଇବାକୁ ପଡ଼ିବ । ଗୋଟିଏ କଥାରେ କହିବାକୁ ଗଲେ ଆଧୁନିକ ସଭ୍ୟତା ଓ ସମ୍ପନ୍ନତାର ସ୍ରୋତକୁ ଆମକୁ ଗାଆଁ ଆଡ଼କୁ ମଧ୍ୟ ମୁହାଁଇବାକୁ ହେବ ।’’ (ପୁସ୍ତକ ଟିପ୍ପଣୀ-୧୨, ପୃଷ୍ଠା-୨୩୦)

 

ସାଧାରଣତଃ କେଉଁପରି ସ୍ତର ଓ ପ୍ରକାରର ଲୋକେ ଗାଆଁ ଛାଡ଼ି ସହରକୁ ଆସିଥାନ୍ତି ? ଏହି ପ୍ରଶ୍ନଟିର ଉତ୍ତର ପାଇବାଲାଗି ବିସ୍ତାରିତ ଅଧ୍ୟୟନ କରିବା ପରେ ଆମେରିକାର ସମାଜଶାସ୍ତ୍ରୀ ଶ୍ରୀ କାର୍ଲ୍‍ଜିମର୍‌ମାନ କହିଚନ୍ତି ଯେ ମଧ୍ୟସ୍ତରର ଲୋକମାନେ ପ୍ରଧାନତଃ ଅନ୍ୟକୁଆଡ଼େ ନଯାଇ କୃଷକ ହୋଇ ଗାଆଁରେ ରହିବାକୁ ହିଁ ଇଚ୍ଛା କରନ୍ତି । ନିଶ୍ଚିତ ଓ ପ୍ରତିଷ୍ଠିତ ପରମ୍ପରାଗତ ଗ୍ରାମଜୀବନକୁ ଛାଡ଼ି ସେମାନେ ସହରକୁ ଉଠିଯିବାଦ୍ୱାରା ସମ୍ମୁଖୀନ ହେବାକୁ ପଡ଼ୁଥିବା କୌଣସି ଅନିଶ୍ଚିତତା ଭିତରେ ଗୋଡ଼ ନପୂରାଇବାକୁ ନିରାପଦ ମଣିଥାନ୍ତି । କିନ୍ତୁ ସବୁଠାରୁ ଅଧିକ ଦକ୍ଷ ଓ ଗାଆଁର ଜୀବନରେ ଆପଣାକୁ ସବୁଠାରୁ ଅସମର୍ଥ ବୋଲି ମନେକରୁଥିବା ଲୋକମାନେ ହିଁ ଆଗ ସହର ଆଡ଼କୁ ଗୋଡ଼ ଖସାଇବାକୁ ଆରମ୍ଭ କରିଥାନ୍ତି । ଅଧିକ ଦକ୍ଷମାନେ ଆପଣାର ଜୀବନକୁ ଅଧିକ ଆଶା କରନ୍ତି, ସେମାନେ ଆପଣାକୁ ଅଧିକ ସଫଳ କରିବାକୁ ଆକାଙ୍‌କ୍ଷା ରଖିଥାନ୍ତି । ଗ୍ରାମର ସୀମାବଦ୍ଧ ବାତାବରଣ ସେମାନଙ୍କର ଆଶାକୁ ମେଣ୍ଟାଇ ପାରେନାହିଁ । ତେଣୁ ହାତଠାରି ଡାକିଲାପରି ସହରର ନୂତନ ବହୁତର ସମ୍ଭାବନାମୟ କ୍ଷେତ୍ର ସେମାନଙ୍କୁ ଗାଆଁର ବାହାରକୁ ଟାଣି ନେଇଯାଏ । ପୁଣି ଯେଉଁମାନେ ଗାଆଁର କୌଣସି ଉପାର୍ଜନ ପଥ ଲାଗି ସମର୍ଥ ହୋଇ ନପାରନ୍ତି, ଆପଣା ଉପରେ ଅବଲମ୍ବନ କରି କିଛି ରୋଜଗାର କରିବାଲାଗି କୌଣସି ବାଟ ପାଆନ୍ତିନାହିଁ, ଭାଗ୍ୟପରୀକ୍ଷା ଲାଗି ସେମାନେ ମଧ୍ୟ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାନ୍ତି । ଗାଆଁ ଲୋକମାନଙ୍କର ସହରକୁ ଯିବା ବନ୍ଦ କରିଦେଲେ ଆମେ ତଥାପି ପ୍ରାଚୀନ ଗ୍ରାମଗୋଷ୍ଠୀର ଅଦୂଷିତ ସରଳ ଜୀବନକୁ ହୁଏତ ବଞ୍ଚାଇ ରଖିପାରିବା ନାହିଁ । ଯନ୍ତ୍ରବିଜ୍ଞାନର ପ୍ରସାର ସଙ୍ଗେ ସଙ୍ଗେ ମଣିଷ ତା’ର ଅଧିକରୁ ଅଧିକ ଆବଶ୍ୟକତାକୁ ଯନ୍ତ୍ରଦ୍ୱାରା ପୂରଣ କରିବାକୁ ଶିଖିଲାଣି । କୃଷିକାର୍ଯ୍ୟଲାଗି ମଧ୍ୟ ଆଧୁନିକତମ ଯନ୍ତ୍ରମାନ ବ୍ୟବହୃତ ହେଲାଣି । କୃଷିଧନ୍ଦାକୁ ଆଧୁନିକ ଉତ୍ପାଦନ-ଜଗତରେ କୃଷି ଯନ୍ତ୍ରୋଦ୍ୟୋଗ (Agro-industries) ବୋଲି କୁହାଯାଉଚି । ଏହି ସାଧନ-ପରିବର୍ତ୍ତନର ଏକ ଅବଶ୍ୟମ୍ଭାବୀ ପରିଣାମ ଆମକୁ ସ୍ୱୀକାର କରିନେବାକୁ ହିଁ ପଡ଼ିବ । ଆଗେ ବଂଶଯାକ ଦିନସାରା ନିକିମା ହୋଇ ଲୋକେ ବିଲରେ ବା ଖଳାରେ ଯେତିକି କାମ କରିପାରୁଥିଲେ, ଆଜି ଯନ୍ତ୍ରର ସାହାଯ୍ୟ ନେଇ ତା’ର ଚଉଠେ ଭାଗ ଲୋକ ହୁଏତ ତା’ର ଦୁଇଗୁଣ କାମ କରିପାରୁଚନ୍ତି । ଆଗେ ସମାଜଲାଗି ଯେତେ ଅନ୍ନଗତ ଆବଶ୍ୟକତା ରହିଥିଲା, ସମସ୍ତେ ମିଶି ବିଲରୁ ତାହା ଉପୁଜାଉଥିଲେ । ଆଜି ସେତିକି ଉପୁଜାଇବା ସକାଶେ ଅତି କମ୍‌ସଂଖ୍ୟକ ଲୋକ ଆବଶ୍ୟକ ହେଉଚନ୍ତି । ଆମେରିକାରେ ଜଣେ ଚାଷୀ ଚଉଦଜଣ ଅଣଚାଷୀଙ୍କ ଲାଗି ଖାଦ୍ୟ ଉତ୍ପାଦନ କରିପାରୁଚି । ଅର୍ଥାତ୍ ସେ ଦେଶରେ ଶହେଜଣରେ ମୋଟେ ସାତଜଣ କୃଷିକାର୍ଯ୍ୟ କରୁଚନ୍ତି । ପଶ୍ଚିମ ଜର୍ମାନୀରେ ମୋଟ ଶତକଡ଼ା ଦଶଜଣ କୃଷକର ବେଉସା କରୁଚନ୍ତି ଓ ସମଗ୍ର ଦେଶକୁ ଆହାର ଯୋଗାଉଚନ୍ତି । ଗାଆଁରେ ବାସ କରୁଥିବା ଅନ୍ୟମାନେ ପାର୍ଶ୍ୱବର୍ତ୍ତୀ ସହରକୁ କାମ କରିବାକୁ ଯାଉଚନ୍ତି ବା ଦୂରସ୍ଥ ଅନ୍ୟ କୌଣସି ସହରରେ ଆପଣାର ଭାଗ୍ୟପରୀକ୍ଷା କରିବାଲାଗି ଗାଆଁ ଛାଡ଼ୁଛନ୍ତି । ଏହି ସବୁ ପରିସ୍ଥିତି ହେତୁ ଆମେରିକା ବା ଇଉରୋପର ଗାଆଁ ଆଜି ସେହି ପୁରୁଣା ଗାଆଁ ହୋଇ ରହିପାରୁନାହିଁ । ଏହାର ଗୋଷ୍ଠୀଜୀବନ ଆଉ ଗୋଷ୍ଠୀଜୀବନ ହୋଇ ରହିପାରୁନାହିଁ, ଗ୍ରାମଜୀବନର ଅନ୍ତରାତ୍ମାକୁ କଇଁଥା କରିଦେଇ ସହରର ଲୁହାକିଳା ଗାଆଁକୁ ଭେଦ କରି ରହୁଚି । ଆମ ଦେଶରେ ଏପରି ଅବସ୍ଥା ଆସିନାହିଁ, କିନ୍ତୁ ଯନ୍ତ୍ରୀକରଣ ବଢ଼ିବା ସଙ୍ଗେ ସଙ୍ଗେ ଆମ ଦେଶରେ ମଧ୍ୟ ସହରୀକରଣ ବଢ଼ିବ ଅର୍ଥାତ୍ ଗ୍ରାମଜୀବନକୁ ସୁ ଓ କୁ ଉଭୟ ମାର୍ଗରେ ପରିବର୍ତ୍ତିତ କରି ସହରର ଜଟିଳତର ଔପଚାରିକ ଜୀବନ ଚାରିଆଡ଼େ ବ୍ୟାପିଯିବ । ଗାଆଁର ଗୋଷ୍ଠୀ ଭାଙ୍ଗିଯିବ, ପାରସ୍ପରିକତାର ସମ୍ପର୍କମାନ କ୍ରମେ ଢିଲା ହୋଇଯିବ, ଜୀବନରେ ଦିଗ୍‌ଦର୍ଶନ ଓ ପ୍ରେରଣା ପାଇବାଲାଗି ଗାଆଁ ଲୋକେ ଆଉ ଆପଣା ପଡ଼ୋଶୀକୁ ଅନାଇବେ ନାହିଁ, ସେମାନେ ସହରଆଡ଼କୁ ଅପେକ୍ଷା ରଖିବେ । ଇଉରୋପ ଓ ଆମେରିକାରେ, ଯେଉଁଠି ଯନ୍ତ୍ରୀକରଣର ଆର୍ଥିକ ମାର୍ଗ ସହର ଓ ଗାଆଁ ଉଭୟର ଜୀବନକୁ ଭେଦି ସାରିଲାଣି, ଯେଉଁଠି ଆଧୁନିକତମ ଯାନବାହାନ ସାଧନମାନ ସହର ଓ ଗାଆଁର ବ୍ୟବଧାନକୁ ପ୍ରାୟ ବିଲୁପ୍ତ କରି ସାରିଲାଣି, ସେଠି କୃଷକର ଜୀବନ ଆମ ଆଗ କଳ୍ପନାର କୃଷକଜୀବନ ଓ ଗୋଷ୍ଠୀଜୀବନଠାରୁ ଅନେକ ଭିନ୍ନ ପ୍ରକାର ହୋଇସାରିଲାଣି-। ଇଉରୋପ ଓ ଆମେରିକାରେ ରହିଥିବା କୃଷକ-ଜୀବନର ଲକ୍ଷଣ ନିରୂପଣ କରିବାକୁ ଯାଇ ଶ୍ରୀ କାର୍ଲ୍ କିମର୍‍ମାନ (Carle C. Zimmerman) ନିମ୍ନଲିଖିତ କଥାଗୁଡ଼ିକ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଚନ୍ତି । ।।୧।। ଏହିସବୁ ଦେଶର କୃଷକ ପ୍ରଧାନତଃ ହାଟରେ ବା ପେଣ୍ଠରେ ବିକ୍ରି କରିବାଲାଗି ଶସ୍ୟ-ଉତ୍ପାଦନ କରେ । ।।୨।। ସାମାଜିକ ସମ୍ବନ୍ଧ ଦୃଷ୍ଟିରୁ ବିଚାରକଲେ ସେ ଆପଣା ଗାଆଁ ଓ ଆପଣା ପ୍ରତିବେଶ ଅପେକ୍ଷା ସହରର ହିଁ ଅଧିକ ନିକଟବର୍ତ୍ତୀ ହୋଇ ରହିଥାଏ । ।।୩।। ସହର ଓ ସହରଜୀବନର ମୂଲ୍ୟବୋଧ ପ୍ରତି ଆପଣାର ସମର୍ଥନ ଜଣାଇବାକୁ ସେ ଅଧିକ ବୁଦ୍ଧିମତ୍ତାର କାର୍ଯ୍ୟ ବୋଲି ବିଚାରିଥାଏ ଓ ଏପରି କରିବାଲାଗି ତାକୁ କୌଣସି ସମୟ ବି ଲାଗେନାହିଁ । ।।୪।। ଜୀବନର ମୂଲ୍ୟବୋଧ-ପରିମାଣକୁ ମାପିବାଲାଗି ସେ ସହରବାସୀଙ୍କର ମାନଦଣ୍ଡକୁ ହିଁ ବ୍ୟବହାର କରିଥାଏ । ।।୫।। ସହରବାସୀଙ୍କର ମାନସିକ ଦୃଷ୍ଟି ଓ ଅର୍ଥବିବେଚନାମାର୍ଗ ସହିତ ସେ ବେଶ୍ ସୁପରିଚିତ ଥାଏ । ।।୬।। ପାଶ୍ଚାତ୍ୟ ସହର-ସମାଜ ଆର୍ଥିକ ସମୃଦ୍ଧି କହିଲେ ସାଧାରଣତଃ ଯେଉଁସବୁ ସମ୍ପନ୍ନତାକୁ ବୁଝିଥାଏ, ସେ ମଧ୍ୟ ସେହି ସବୁ ସମ୍ପନ୍ନତାଲାଗି ବାସନା ରଖିଥାଏ । ।।୭।। ଅନ୍ୟସଭିଙ୍କ ସହିତ ସମକକ୍ଷ ହେବାକୁ ହିଁ ସେ ଜୀବନୋଦ୍ୟମର ସର୍ବୋତ୍ତମ ଆଦର୍ଶରୂପେ ଗ୍ରହଣ କରିଥାଏ ଏବଂ ସହରବାସୀର ଜୀବନମାନ ସହିତ ଆପଣା ଜୀବନମାନକୁ ସମକକ୍ଷ କରାଇବା ଲାଗି ସେ ଆପଣା ପ୍ରୟାସରେ କୌଣସି ତ୍ରୁଟି କରେ ନାହିଁ । ।।୮।। ଗ୍ରାମାଞ୍ଚଳରେ ତାର କେବଳ ବାସଗୃହ ହିଁ ଥାଏ, କିନ୍ତୁ ଜମି ବା ମାଟିସହିତ ତାର ପ୍ରକୃତରେ କୌଣସି ମାୟା ଲାଗିନଥାଏ । ଜମି ଓ ମାଟିକୁ ସେ ଆଗକାଳର କୃଷକ ପରି କୌଣସି ପ୍ରକାରେ ପବିତ୍ର ବୋଲି ମନେକରେ ନାହିଁ । ।।୯।। ବ୍ୟବସାୟୀ ସାଧାରଣତଃ ଆପଣାର ଯେକୌଣସି ଉତ୍ପାଦନ-ସାଧନାକୁ ଯେପରି ଦୃଷ୍ଟିରେ ଦେଖେ, ଇଉରୋପ ଓ ଆମେରିକାର ଆଧୁନିକ ଚାଷୀ ମଧ୍ୟ ଆପଣାର ଚାଷଜମିକୁ ସେହିପରି ଦୃଷ୍ଟିରେ ଦେଖେ । ।।୧୦।। ଜମି ଚାଷଦ୍ୱାରା ଅନୁରୂପ ଲାଭ ନପାଇଲେ ସେ ଜମିକୁ ଅନ୍ୟକୌଣସି ପ୍ରକାରେ ବ୍ୟବହାର କରିବାରେ ଆଦୌ ସଙ୍କୋଚ ଅନୁଭବ କରେନାହିଁ । ।।୧୧।। କେବଳ ଆର୍ଥିକ ସ୍ୱାର୍ଥ ଓ ଆର୍ଥିକ ଦୃଷ୍ଟିରୁ ହିଁ ସେ ଆପଣାର ଯାବତୀୟ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ । ।।୧୨।। ଆପଣାର ଅନ୍ୟାନ୍ୟ ସମ୍ପତ୍ତିକୁ ସେ ଯେପରି ଦୃଷ୍ଟିରେ ଦେଖେ, ଭୂସମ୍ପତ୍ତିକୁ ମଧ୍ୟ ଠିକ୍ ସେହି ଦୃଷ୍ଟିରେ ଦେଖେ । ଦରକାର ପଡ଼ିଲେ ଜମିକୁ ଅନ୍ୟହାତ କରିବାରେ ସେ ଆଦୌ ପଶ୍ଚାତ୍‌ପଦ ହୁଏନାହିଁ । ।।୧୩।। ଆପଣାର ଆର୍ଥିକ ସଫଳତାର ପ୍ରଚେଷ୍ଟାରେ ସେ ପରିବାର, ଜ୍ଞାତି ଓ ଗ୍ରାମଗୋଷ୍ଠୀର ଆଚାରବିଚାରକୁ ଏକପ୍ରକାର ପ୍ରତିବନ୍ଧକ ବୋଲି ଜ୍ଞାନ କରିଥାଏ । (ପୁସ୍ତକ ଟିପ୍ପଣୀ-୨୪, ପୃଷ୍ଠା-୧୪୪)

 

ସହରକୁ ଅନେକ ଅର୍ଥଶାସ୍ତ୍ରବିତ୍ ତଥା ସମାଜଶାସ୍ତ୍ରୀ ଆର୍ଥିକ ସମୃଦ୍ଧିର ଏକ ଅତିନିଶ୍ଚିତ ସନ୍ତକ ବୋଲି ଗ୍ରହଣ କରିଥାନ୍ତି । ଯେଉଁ ଦେଶରେ ସହର ଯେତେ ଅଧିକ ବିକଶିତ ହୋଇଥାଏ, ସେହି ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ସେତିକି ପରିମାଣରେ ସମ୍ଭବ ହୁଏ ବୋଲି ସେମାନେ ଅନୁମାନ କରିଥାନ୍ତି । ଏହିପରି ଅନୁମାନଦ୍ୱାରା ପରିଚାଳିତ ହୋଇ ସେମାନେ ସହରର ବୃଦ୍ଧି ଓ ବିକାଶକୁ ଆର୍ଥିକ ବିକାଶର ଏକ ଆବଶ୍ୟକ ସର୍ତ୍ତ ବୋଲି କହିବାକୁ ଚେଷ୍ଟା ବି କରିଥାନ୍ତି । କିନ୍ତୁ ସହରମାତ୍ରେ ଯେ ଦେଶର ଆର୍ଥିକ ବିକାଶରେ ପୋଷକରୂପେ କାର୍ଯ୍ୟକରେ, ଏପରି ମାନିନେବାର କୌଣସି କାରଣ ନାହିଁ । ଏପରି ଅନେକ ସହର ଥାଆନ୍ତି, ଯେଉଁମାନଙ୍କର ବୃଦ୍ଧି ଓ ବିକାଶ ଚତୁଷ୍ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଲାଗି ନୂତନ ସଞ୍ଚାଳିକାଶକ୍ତି ଉତ୍ପାଦନ କରିଥାଏ । ପୁଣି ଆହୁରି ଏପରି ସହର ବି ଥାଆନ୍ତି, ଯେଉଁମାନେ ଚାରିପାଖରେ ଅଞ୍ଚଳ ଉପରେ ମଲାଙ୍ଗ ପରି ରହିଥାନ୍ତି, ଶକ୍ତି ଯୋଗାଇବା ପରିବର୍ତ୍ତେ ଶକ୍ତି ଆତ୍ମସାତ୍ କରିବାରେ ହିଁ ଲାଗିଥାନ୍ତି । ପାରିଭାଷିକ ଶବ୍ଦରେ ଏହି ଦୁଇପ୍ରକାର ସହରକୁ ‘ଶକ୍ତି ଉତ୍ପାଦକ’ (Generative) ସହର ଏବଂ ‘ପରଜୀବୀ’ (Parasitic) ସହର ବୋଲି କୁହାଯାଇଚି । (୨୭) କୌଣସି ସହର ଆପଣାର ଚତୁଷ୍ପାର୍ଶ୍ୱର ଅଞ୍ଚଳରେ ବିକାଶ ଓ ପ୍ରଗତିଲାଗି ନାନାପ୍ରକାର ପୋଷକ ଶକ୍ତି ଉତ୍ପାଦନ କରିପାରେ । ଅପର ପକ୍ଷରେ ବିନାଶ ଓ ପଶ୍ଚାଦ୍‌ଗତିଲାଗି ମଧ୍ୟ ଆହୁରି କେତେପ୍ରକାର ପୋଷକ ଶକ୍ତି ଉତ୍ପାଦନ କରିପାରେ । ଆର୍ଥିକ ଅଭିବୃଦ୍ଧି ଓ ସାଂସ୍କୃତିକ ପରିବର୍ତ୍ତନର ଇତିହାସରେ ସହର ଏକ ମହତ୍ୱପୂର୍ଣ୍ଣ କେନ୍ଦ୍ରରୂପେ ଅନେକ ପ୍ରେରଣା ଦେଇଆସିଚି । କିନ୍ତୁ ସାମାଜିକ ବିଘଟନ ଓ ବିଶୃଙ୍ଖଳା, ଅପରାଧବୃଦ୍ଧି ଓ ଆହୁରି କେତେପ୍ରକାର ଅସାମାଜିକ ଓ ଅହିତକାରୀ ଆଚରଣର ବିକାଶଲାଗି ମଧ୍ୟ ସହର ଉର୍ବର କ୍ଷେତ୍ର ଯୋଗାଇ ଆସିଚି । ଅର୍ଥାତ୍ ଆର୍ଥିକ ପ୍ରଗତି ତଥା ଅପରାଧ ବୃଦ୍ଧି ଉଭୟ କ୍ଷେତ୍ରରେ ସହରର ଏକ ଉଲ୍ଲେଖନୀୟ ଅବଦାନ ସବୁଦିନ ରହିଚି । କୌଣସି ଏକ ଦେଶ ବା ଅଞ୍ଚଳର ଆର୍ଥିକ ବୃଦ୍ଧି ଦୃଷ୍ଟିରୁ ଯେଉଁ ସହର ଏକ ଅନୁକୂଳ ପ୍ରଭାବ ପକାଉଚି, ତାହାକୁ ହିଁ ଆମେ ଶକ୍ତି-ଉତ୍ପାଦକ ସହର ବୋଲି କହିବା । କିନ୍ତୁ ଯେଉଁ ସହର ଏହାର ଠିକ ବିପରୀତ ପ୍ରଭାବ ପକାଉଚି, ତାହାକୁ ଆମେ ଏକ ‘ପରଜୀବୀ’ ସହର ବୋଲି କହିବା ।

 

ସାମ୍ରାଜ୍ୟବାଦର ଯୁଗରେ ଉପନିବେଶମାନଙ୍କରେ ସାଧାରଣତଃ ଯେଉଁସବୁ ସହର ଗଢ଼ିଉଠିଥିଲା, ତାହାକୁ ଅନେକାଂଶରେ ପରଜୀବୀ ସହର ବୋଲି କୁହାଯାଇଚି । ଇଉରୋପର ବିଭିନ୍ନ ଜାତି ଆମେରିକାରେ ଉପନିବେଶ ସ୍ଥାପନ କଲାବେଳେ ଯେଉଁସବୁ ସହର ଗଢ଼ିଉଠିଥିଲା ଏବଂ ଦକ୍ଷିଣପୂର୍ବ ଏସିଆରେ ଉପନିବେଶର ଶାସକମାନେ ଯେଉଁସବୁ ସହରକୁ ଜନ୍ମ ଦେଇଥିଲେ, ସେଗୁଡ଼ିକୁ ଆମେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ କରିପାରିବା । ଏକଥା ସମସ୍ତଙ୍କୁ ଭଲକରି ଜଣାଅଛି ଯେ ଉପନିବେଶର ଶାସକମାନେ ଉପନିବେଶରେ ଯେଉଁସବୁ ନୂତନ କୌଶଳର ପ୍ରବେଶ କରାଇଥିଲେ, ଇଉରୋପୀୟମାନେ ସେହି ସବୁ ଦେଶରେ ଚଳାଉଥିବା ବାଣିଜ୍ୟ ଓ ବ୍ୟବସାୟରେ ଯେଉଁ ବୃଦ୍ଧିସାଧନ କରିଥିଲେ, ସେଥିରେ ଅବଶ୍ୟ ସହରର ଚାରିସୀମା ଭିତରେ ଓ ଏହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ କିଞ୍ଚିତ୍ ଆର୍ଥିକ ବୃଦ୍ଧି ସମ୍ଭବ ହୋଇଥିଲା । କିନ୍ତୁ ଏହି ସବୁ ସହରର ବୃଦ୍ଧିଦ୍ୱାରା ପରିପାର୍ଶ୍ୱବର୍ତ୍ତୀ ବୃହତ୍ତର ଅଞ୍ଚଳର ଯେଉଁ ବୃଦ୍ଧି ହେଲା, ତାହାର ପ୍ରଭାବକୁ ଅକାମୀ କରିଦେବାଭଳି ସେଠି ଆହୁରି ଅନେକ ବାଧକଶକ୍ତି ମଧ୍ୟ କାର୍ଯ୍ୟ କରୁଥିଲା । ଚତୁଷ୍ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ବଡ଼ ଅବିବେକୀ ଭାବରେ ନିଃଶେଷିତ କରିଦିଆଯାଉଥିଲା, କୃଷକ ଓ କାରିଗରମାନଙ୍କୁ ଶୋଷଣ କରିବାର କୌଶଳରେ କୌଣସି ଅବଧି ମଧ୍ୟ ନଥିଲା । ଏହା ଫଳରେ ସମଗ୍ରତଃ ସେହି ଅଞ୍ଚଳର ଅର୍ଥନୀତିରେ କୌଣସିପ୍ରକାର ବୃଦ୍ଧି ବା ବିକାଶ ହେବା ଦୂରେ ଥାଉ, ଅଞ୍ଚଳର ପାରମ୍ପରିକ ଆର୍ଥିକ ସଂଗଠନ କ୍ରମେ ଗତିହୀନ ଓ ଚଳଶକ୍ତି ରହିତ ହୋଇପଡ଼ିଥିଲା ଓ ଆର୍ଥିକ ଜୀବନର ଅଧଃପତନ ଘଟିଥିଲା ।

 

ଉପନିବେଶର ଶାସକମାନଙ୍କ ଦ୍ୱାରା ଉପନିବେଶରେ ବସା ହୋଇଥିବା ସହରଗୁଡ଼ିକ ଅବଶ୍ୟ ସହରସଭ୍ୟତାର ପ୍ରସାରଦିଗରେ ନିମିତ୍ତ ପରି କାର୍ଯ୍ୟ କରିଥିଲେ, କିନ୍ତୁ ଚତୁଷ୍ପାର୍ଶ୍ୱ ଅଞ୍ଚଳର ଆର୍ଥିକ ବୃଦ୍ଧିଲାଗି ସେଠାରେ ଯେଉଁସବୁ ସମ୍ଭାବନା ରହିଥିଲା, ତାହା ଉପରେ ପ୍ରତିକୂଳ ପ୍ରଭାବମାନ ମଧ୍ୟ ପକାଇଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳରେ ଭାରତବର୍ଷରେ ଯେତୋଟି ବଡ଼ ସହରର ପତ୍ତନ ପଡ଼ିଥିଲା, ସେଗୁଡ଼ିକରୁ ଅଧିକାଂଶଙ୍କୁ ଆମେ ପରଜୀବୀ ବୋଲି କହିପାରିବା । ଉପନିବେଶର ସ୍ଥାପନ ଫଳରେ ଉପନିବେଶ-ପୂର୍ବ-ଯୁଗର ଶାସକମାନଙ୍କୁ ଗାଦୀଚ୍ୟୁତ କରି ଦିଆଗଲା, ଦେଶର ବାଣିଜ୍ୟ ଓ ବ୍ୟବସାୟରେ ଏକଚାଟିଆ ଅଧିକାର ହାସଲ କରିବାକୁ ମତଲବ ରଖିଥିବା ଇଉରୋପୀୟ ଶାସକମାନଙ୍କର ନୀତି ଦ୍ୱାରା ଦେଶର ବଣିକ ଓ ବ୍ୟବସାୟୀ ଗୋଷ୍ଠୀ ହତବଳ ହୋଇପଡ଼ିଲେ । ଯେପରି ଅଧିକରୁ ଅଧିକ ଲାଭ ଖାଇବା ସମ୍ଭବ ହେଇ ପାରିବ, ସେହି ମତଲବରେ ଉପନିବେଶର ଶାସକମାନେ ଗ୍ରାମାଞ୍ଚଳ ସମେତ ସମଗ୍ର ଦେଶକୁ ଶୋଷଣ କରିବାକୁ ଲାଗିଲେ । (ପୁସ୍ତକ-ଟିପ୍‌ପଣି- ୨୭, ପୃଷ୍ଠା-୧୮୭, ୧୮୯, ୧୯୧)

 

ପାଶ୍ଚାତ୍ୟ ସଭ୍ୟତାକୁ ହିଁ ଆମେ ସହର ଓ ସହର-ସମାଜର ଜନନୀ ବୋଲି କହିପାରିବା-। ସହରର ପ୍ରସାର ସଙ୍ଗେ ସଙ୍ଗେ ଆଧୁନିକ ଯନ୍ତ୍ରଶିଳ୍ପ ଓ ଯନ୍ତ୍ରୀକରଣର ପ୍ରସାର ଆରମ୍ଭ ହେଲା, ପୁଣି ଯନ୍ତ୍ରୀକରଣର ପ୍ରସାର ଓ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ସହରର ପ୍ରତିଷ୍ଠା ଓ ଅବୟବ ମଧ୍ୟ ବଢ଼ିବାକୁ ଲାଗିଲା । ବର୍ତ୍ତମାନର ଏହି ପୃଥିବୀରେ ଯେତେ ଯେତେ ଦେଶ ଆର୍ଥିକ ବିକାଶର ସିଡ଼ିରେ ଏକ ଅତ୍ୟୁନ୍ନତ ସ୍ତରକୁ ଉଠିପାରିଚନ୍ତି, ସେହି ସମସ୍ତ ଦେଶରେ ହିଁ ଆମେ ବଡ଼ ବଡ଼ ସହର ଓ ଅତି ବିକଶିତ ଯନ୍ତ୍ରୀକରଣର ବ୍ୟବସ୍ଥାମାନ ଦେଖିବାକୁ ପାଇବା । କିନ୍ତୁ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କରେ, ଯେଉଁଠି ଆର୍ଥିକ କ୍ଷେତ୍ରରେ ବିକାଶ କମ୍ ହୋଇଚି, ଏକ ସମ୍ପୂର୍ଣ୍ଣ ଭିନ୍ନ କାରଣର ସମାହାର ହେତୁ ସହରଗୁଡ଼ିକର ଉଦ୍ଭବ ହୋଇଚି, ଏହି ପର୍ଯ୍ୟାୟରେ ଆମେ ବିଶେଷ କରି ଆଫ୍ରିକା ତଥା ଏସିଆର ଦକ୍ଷିଣ ଓ ଦକ୍ଷିଣ-ପୂର୍ବାଞ୍ଚଳକୁ ଅନ୍ତର୍ଭୁକ୍ତ କରିପାରିବା । ଚତୁଷ୍ପାର୍ଶ୍ୱ ଅଞ୍ଚଳର ଆର୍ଥିକ ବିକାଶ ଦ୍ୱାରା ସ୍ୱାଭାବିକ ଭାବରେ ଏହିସବୁ ସହରର ବିକାଶ ହୋଇନାହିଁ, ମାତ୍ର କୌଣସି ଏକ ଅନ୍ୟଦେଶର ଆର୍ଥିକ ବିକାଶ ଓ ବୃଦ୍ଧିର ସ୍ୱାର୍ଥ ଓ ପ୍ରୟୋଜନ ଦୃଷ୍ଟିରୁ ଏହି ସବୁ ସହରର ବିକାଶ ହୋଇଚି । ଉପନିବେଶ ଓ ଶାସକରାଜ୍ୟ ମଧ୍ୟରେ ସେତୁର କାର୍ଯ୍ୟ କରିବାଲାଗି ଏ ସବୁର ବିକାଶ ଆବଶ୍ୟକ ହୋଇଥିଲା । ଏହି ଉପନିବେଶଗୁଡ଼ିକ ଏହାମଧ୍ୟରେ ସ୍ୱାଧୀନତା ହାସଲ କରିସାରିଲେଣି, ତଥାପି ଆଜି ମଧ୍ୟ ଏହିସବୁ ଦେଶରେ ସହରଗୁଡ଼ିକର ମୁହଁ ପ୍ରଧାନତଃ ବିଦେଶଆଡ଼କୁ ହୋଇ ରହିଚି, ଆଜି ମଧ୍ୟ ଏହି ସବୁ ସହର ଦେଶର ଶିକ୍ଷିତ ଉଚ୍ଚବର୍ଗ ଏବଂ ବହିର୍ଜଗତ ମଧ୍ୟରେ ସେତୁର କାର୍ଯ୍ୟ କରୁଚି । ଜାତୀୟ ଅର୍ଥନୀତିର କେନ୍ଦ୍ରରୂପେ କାର୍ଯ୍ୟ କରିବା ଏହିସବୁ ସହର ପକ୍ଷରେ ସମ୍ପୂର୍ଣ୍ଣରୂପେ ସମ୍ଭବ ହୋଇନାହିଁ । ମୋଟଉପରେ କହିବାକୁ ଗଲେ ଆର୍ଥିକ ଦୃଷ୍ଟିରୁ ଅଳ୍ପବିକଶିତ ଦେଶଗୁଡ଼ିକରେ ସହରର ଉଦ୍ଭବ ଓ ପ୍ରସାର ମୂଳତଃ ନିମ୍ନ କାରଣଗୁଡ଼ିକ ସକାଶେ ହୋଇଚି :ଏହିସବୁ ଦେଶର ଲୋକସଂଖ୍ୟା ଅତି କ୍ଷିପ୍ରଗତିରେ ବଢ଼ିଯିବା ହେତୁ ମଣିଷ ଆଉ ଜମି ଭିତରେ ରହିଆସିଥିବା ଅନୁପାତ ଅନେକ ତଳକୁ ଖସିପଡ଼ିଚି । ଗତ ଦ୍ୱିତୀୟ ମହାଯୁଦ୍ଧ ଫଳରେ ଏଥିଭିତରୁ ଅନେକ ଦେଶର ସମାଜ ଅତି ପରିମାଣରେ ଛିନ୍‌ଛତ୍ର ଓ ବିକଳ ହୋଇପଡ଼ିଚି । ବାହାରୁ ଶରଣାର୍ଥୀମାନେ ଆସି ଏହି ସବୁ ଦେଶର ସହର ଗୁଡ଼ିକରେ ଖୁନ୍ଦିହୋଇ ଯାଇଚନ୍ତି, ସହରଜୀବନର ମୋହରେ ପ୍ରଲୁବ୍‌ଧ ହୋଇ କୃଷକଶ୍ରେଣୀ ସେହିଆଡ଼କୁ ଟାଣିହୋଇ ଯାଇଚନ୍ତି । ଅଧିକତର ଆର୍ଥିକ ସୁଯୋଗ ପାଇବାର ଆକାଙ୍‌କ୍ଷାରେ ନୁହେଁ, ମାତ୍ର ଏହିପରି ନାନା କାରଣରୁ ଏହିସବୁ ଦେଶର ଗାଆଁମାନଙ୍କରେ ବାସ କରୁଥିବା ଲୋକେ ଗାଆଁ ଛାଡ଼ି ସହରକୁ ଚାଲିଯାଇଚନ୍ତି ଓ ସେହି ହେତୁରୁ ସହରର କଳେବର ବୃଦ୍ଧି ପାଇଚି ।

 

ଏହିପରି ଭିତ୍ତିଉପରେ ବିଚାର କରି ଦେଖିଲେ ଆର୍ଥିକ ଦୃଷ୍ଟିରୁ ଅଳ୍ପବିକଶିତ ଦେଶଗୁଡ଼ିକର ଜୀବନ ଆଜି ଅତିରିକ୍ତ ପରିମାଣରେ ସହର-ନିୟନ୍ତ୍ରିତ ଓ ସହର ସଂକ୍ରାମିତ ହେବାରେ ଲାଗିଚି । ପ୍ରଧାନତଃ ଆର୍ଥିକ ଶକ୍ତିର ସଞ୍ଚାରଣ କରିବାର ପାତ୍ରରୂପେ ଇଉରୋପ ଓ ଆମେରିକାରେ ସହରଗୁଡ଼ିକର ବୃଦ୍ଧି ହୋଇଥିଲା । ତେଣୁ ଏହି ବୃଦ୍ଧିର ପରିଣାମ ଦେଶର ସମଗ୍ର ଜୀବନ ସଂଗଠନକୁ କୌଣସି ଅସ୍ୱାଭାବିକ ପ୍ରକାରେ ବିଘଟିତ କରିଦେଇ ନଥିଲା । କିନ୍ତୁ ଆର୍ଥିକ ଦୃଷ୍ଟିରୁ ଅଳ୍ପ ବିକଶିତ ଦେଶମାନଙ୍କରେ ସହରର ବିକାଶ ଓ ବିସ୍ତାର ସମ୍ଭବତଃ ଏକ ଅସୁସ୍ଥ ପ୍ରକାରେ ହୋଇଚାଲିଥିବା ପରି ମନେହେଉଚି । କୌଣସି ଦେଶରେ ଆର୍ଥିକ ବିକାଶର ପ୍ରୟୋଜନ ଅନୁସାରେ ସେହି ଦେଶରେ ସହରମାନଙ୍କରେ ଯେତେ ଲୋକ ବାସ କରିବା ଦରକାର, ଏହିସବୁ ଦେଶରେ ଆଜି ତାହାର ଅନେକଗୁଣ ଲୋକ ବାସ କରୁଚନ୍ତି । ଆର୍ଥିକ ବିକାଶର ଅନୁପାତରେ ଏହିସବୁ ଦେଶରେ ସହର ଓ ସହରସୁଲଭ ଜୀବନମାର୍ଗର ପ୍ରସାର ଅତିମାତ୍ରାରେ ବଢ଼ିବାରେ ଲାଗିଚି । (Philip M. Hauser, ପୁସ୍ତକ ଟିପ୍‌ପଣି-୨୬, ପୃଷ୍ଠା-୨୦୨) ଫଳରେ ଗ୍ରାମଗୋଷ୍ଠୀ ଭାଙ୍ଗିଯାଉଚି, କୃଷି ପଛରେ ପଡ଼ିରହୁଚି, ଗ୍ରାମସମାଜର ଓ ତେଣୁ ସମଗ୍ର ଦେଶର ଆର୍ଥିକ ଗଠନ କ୍ରମେ ଦୁର୍ବଳ ହୋଇପଡ଼ୁଚି; ତେଣେ ଅତିରିକ୍ତ ଲୋକଙ୍କ ଭିଡ଼ରେ ସହର ମଧ୍ୟ ହତଶିରୀ ହେବାରେ ଲାଗିଚି, ସହରତଳି ବସ୍ତି-ଅଞ୍ଚଳ ବଢ଼ିବାରେ ଲାଗିଚି, ଦାରିଦ୍ର୍ୟ ବଢ଼ିଚାଲିଚି ।

 

ବାହାରୁ ସହରର ବିଭବ ଦେଖି କେହି କେହି ହୁଏତ କଳ୍ପନା କରୁଥାଇ ପାରନ୍ତି ଯେ ଦେଶଟାଯାକ ଖାଲି ସହର ପାଲଟି ଯାଆନ୍ତା ତ ଦେଶର ଭାଗ୍ୟ ଓଲଟିଯାଆନ୍ତା । ସମସ୍ତେ ମଟର ଚଢ଼ନ୍ତେ, ସମସ୍ତେ କୋଠାଘରେ ରହନ୍ତେ, ସମସ୍ତେ ଭଲ ପୋଷାକ ପିନ୍ଧି ଫିଟ୍‌ଫାଟ୍ ଦିଶନ୍ତେ, ସମସ୍ତେ ମନର ସରାଗରେ ବଜାରକୁ ସଉଦା କିଣି ବାହାରନ୍ତେ, ପାର୍କରେ ବୁଲନ୍ତେ ବା ମନକଲେ ସିନେମା ଥିଏଟର୍ ବି ଦେଖନ୍ତେ । ଏକଥା ସତ ଯେ ସଂସାର ଆଗକାଳର ପାରମ୍ପରିକ ଆର୍ଥିକ ସଂଗଠନର ସରଳ ସ୍ତରକୁ କଦାପି ଫେରିଯିବନାହିଁ । ଯନ୍ତ୍ରର ପ୍ରସାର ଅବଶ୍ୟ ହେବ । ଆଜି ମଣିଷ ଯେଉଁସବୁ କାମକୁ ହାତରେ କରିବାକୁ ବାଦ୍ୟ ହେଉଚି, କ୍ରମେ ମେସିନ୍ ତାପାଇଁ ସେହି କାମ କରିଦେବାକୁ ଖଞ୍ଚାହୋଇ ରହିବ । ଯନ୍ତ୍ର ବଢ଼ିବା ସଙ୍ଗେ ସଙ୍ଗେ ଯନ୍ତ୍ରଶିଳ୍ପ ବଢ଼ିବ ଓ ଯନ୍ତ୍ରଶିଳ୍ପ ବଢ଼ିବା ସଙ୍ଗେ ସଙ୍ଗେ ସହର ମଧ୍ୟ ବଢ଼ିବ । ବିଜ୍ଞାନକୁ ଅଧିକରୁ ଅଧିକ ଆପଣା କାମରେ ଲଗାଇ ମଣିଷ ଅନେକ ପରିମାଣରେ ତାର ଶ୍ରମଜନିତ ଜୀବନ-ଅବସାଦକୁ ଦୂର କରିଦେଇ ପାରିବ, ଏହି ପୃଥିବୀରେ ଆମର ଜୀବନକୁ ଅଧିକ ସାର୍ଥକ ଓ ଅଧିକ ପରିପୂର୍ଣ୍ଣ ଭାବରେ ଉପଭୋଗ କରିବାର ସାଧନ ଓ ସମ୍ଭାବନା ଅନେକଗୁଣ ବଢ଼ିଯିବ । ଇତିହାସର ସବୁ ଯୁଗରେ କେବଳ କେତେଲୋକ ସୁଖ ଭୋଗିଚନ୍ତି, ସେମାନଙ୍କର ସମ୍ଭୋଗକୁ ପ୍ରଧାନତମ ଆବଶ୍ୟକତା ବୋଲି ମାନିନେଇ ଅନ୍ୟମାନଙ୍କର ଦୁଃଖ ଭୋଗକୁ ମଧ୍ୟ ଏକପ୍ରକାର ଅବଶ୍ୟମ୍ଭାବୀ ବୋଲି ମାନିନିଆଯାଇଚି । ବିଜ୍ଞାନର ପ୍ରସାଦରୁ ବିଂଶ ଶତାବ୍ଦୀର ମଣିଷ ଆଜି ସଂସାରର ରାମା ବାଉରିଠାରୁ ଆରମ୍ଭ କରି ରାମଚନ୍ଦ୍ରଙ୍କ ପର୍ଯ୍ୟନ୍ତ ସୁଖର ବ୍ୟବସ୍ଥା କରିଦେଇ ପାରିବାର ସାଧନମାନ ହାସଲ କଲାଣି । ଆଜିକାଲି, ବିଶେଷତଃ ଅନୁନ୍ନତ ଦେଶମାନଙ୍କରେ ସହରକୁ ହିଁ ଲକ୍ଷ୍ମୀମନ୍ତ ରାଜ୍ୟ ଓ ଲକ୍ଷ୍ମୀମନ୍ତ ସମାଜର ପ୍ରତୀକ ବୋଲି ମାନିନିଆଯାଉଚି । କାରଣ ଏହିସବୁ ଅଞ୍ଚଳରେ ଗାଆଁଗୁଡ଼ାକ ବଡ଼ ଅଲକ୍ଷଣା ହୋଇପଡ଼ିଚି । ସେଇଥିଲାଗି ଏହିସବୁ ଦେଶମାନଙ୍କରେ ହୁଏତ ଏପରି ଲୋକ ଅନେକ ଅଛନ୍ତି ଯେଉଁମାନେ କି ସହର ଗୁଡ଼ିକର ଏକତରଫା ବୃଦ୍ଧି ଓ ସମୃଦ୍ଧିରେ ସମଗ୍ର ଦେଶର ବୃଦ୍ଧି ଓ ସମୃଦ୍ଧି ନିହିତ ରହିଚି ବୋଲି କଳ୍ପନା କରୁଚନ୍ତି । କିନ୍ତୁ ଦେଶକୁ ସମୃଦ୍ଧ କରିବାକୁ ହେଲେ ସହର ଓ ଗାଆଁ ଉଭୟର ସମୃଦ୍ଧି ହେବା ଦରକାର । ଶିଳ୍ପ ଓ କାରଖାନାର ସମୃଦ୍ଧି ଯେପରି ଦରକାର, କୃଷିର ସମୃଦ୍ଧି ମଧ୍ୟ ସେହିପରି ଦରକାର । ପୃଥିବୀର ଯେଉଁ ସବୁ ଦେଶ ଆଜି ଆର୍ଥିକ ସମ୍ପନ୍ନତାର ପରାକାଷ୍ଠାରେ ପହଞ୍ଚିଚନ୍ତି, ସେହିସବୁ ଦେଶରେ ସହର ଓ ଗାଆଁ, ଶିଳ୍ପକାରଖାନା ଓ କୃଷି ଉଭୟ ଉତ୍ତରୋତ୍ତର ସମୃଦ୍ଧି ଦିଗରେ ଆଗେଇ ଚାଲିଚି । ଜର୍ମାନୀ ବା ଆମେରିକାର ଉଲ୍ଲେଖ କଲାବେଳେ ଆମେ ଅତ୍ୟୁତ୍ସାହପରବଶ ହୋଇ ସେହି ଦୁଇଦେଶରେ ରହିଥିବା ଅତ୍ୟୁନ୍ନତ ଯତ୍ନଶିଳ୍ପର କଳ୍ପନାହିଁ କରିଥାଉ । କିନ୍ତୁ ସେଠି ଶିଳ୍ପକାରଖାନାରେ ମଜବୁତ ସଂଗଠନ ପଛରେ ଏକ ଅତି ମଜବୁତ ଚାଷୀକୁଳ ମଧ୍ୟ ରହିଚି । ଆମେରିକାର ଜଣେ ଚାଷୀ ଆପଣାର ଆବଶ୍ୟକ ଖାଦ୍ୟ ଉପୁଜାଇବା ସଙ୍ଗେ ସଙ୍ଗେ ଯେଉଁ ଆଉ ଚଉଦଜଣଙ୍କ ଲାଗି ଖାଦ୍ୟ ଉତ୍ପାଦନ କରୁଚି, ସେହିମାନେ ହିଁ ଆମେରିକାର କାରଖାନା ଚଳାଉଚନ୍ତି, ଆମେରିକାର ବାଣିଜ୍ୟ ବ୍ୟବସାୟ ଚଳାଉଚନ୍ତି । ଅନ୍ୟମାନଙ୍କର ପେଟ ଭରିବାଲାଗି ଖାଦ୍ୟ ଉପୁଜାଇବା ଦୂରେଥାଉ, ଭାରତବର୍ଷ ଭଳି ଗୋଟିଏ ଦେଶର ଚାଷୀ ନିଜର ଓ ନିଜ ପରିବାରର ପେଟ ଭରିବାଲାଗି ମଧ୍ୟ ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରିପାରୁନାହିଁ । ତେବେ ସେହି ଦେଶର ଶ୍ରମିକକୁଳ କିପରି ମଜବୁତ ହୋଇ ଯନ୍ତ୍ରଶିଳ୍ପର ଅଗ୍ରଗତି ସାଧନ କରାଇବେ ? ସେହି ଶ୍ରମିକକୁଳକୁ ଖାଦ୍ୟ ଯୋଗାଇବ କିଏ ? ତେଣୁ ସହରର ଶ୍ରୀ ଓ ସମୃଦ୍ଧି ବଢ଼ାଇବାକୁ ଯାଇ ଯଦି ଆମକୁ ଗାଆଁ ଓ କୃଷିକ୍ଷେତ୍ରକୁ ଘୃଣା କରିବାକୁ ହୁଏ, ତେବେ ତାହାକୁ ଆମର ସାମାଜିକ ଓ ଆର୍ଥିକ ଭବିଷ୍ୟତ ପକ୍ଷରେ ଏକ ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ‘‘ସମାଜର ଯନ୍ତ୍ରଶିଳ୍ପ ଓ ଯନ୍ତ୍ରୋତ୍ପାଦନ ବ୍ୟବସ୍ଥା ଅଧିକରୁ ଅଧିକ ମଜବୁତ ହେବା ସଙ୍ଗେ ସଙ୍ଗେ ଅନେକ ସମୟରେ ଅତି ସହଜରେ ଆମେ କୃଷି ଓ ଗ୍ରାମ୍ୟଜୀବନର ମହତ୍ତ୍ୱକୁ କମ୍ ବୋଲି ଭାବିବାର ବା ତାହାକୁ ଭୁଲିଯିବାର ଏକ ପ୍ରବୃତ୍ତି ଦେଖାଇଥାଉ । ତଥାପି ସମଗ୍ର ସମାଜଲାଗି ଯେ କୃଷିଧନ୍ଦା ଓ କୃଷକର ଗ୍ରାମୀଣ ସମାଜ ସବୁଦିନଲାଗି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ଅପରିହାର୍ଯ୍ୟ ହୋଇ ରହିଥିବ, ଏକଥା ଭୁଲିଯିବା ଉଚିତ ନୁହେଁ । ଯେକୌଣସି ସମାଜର ଦୁଇଟିଯାକ ଭାଗ–ଗ୍ରାମାଞ୍ଚଳ ଓ ସହରାଞ୍ଚଳ–ସବୁଦିନ ପରସ୍ପର ଉପରେ ନିର୍ଭରଶୀଳ ହୋଇ ରହିଥିବେ, ପରସ୍ପରର ପରିପୂରକ ହୋଇ ରହିଥିବେ । ସହରକୁ ଛାଡ଼ି ଗ୍ରାମ ସ୍ୱୟଂସମ୍ପୂର୍ଣ୍ଣ ବା ସ୍ୱାବଲମ୍ବୀ ହୋଇପାରିବ ନାହିଁ କି ଗ୍ରାମକୁ ଛାଡ଼ି ସହର ମଧ୍ୟ ସ୍ୱାବଲମ୍ବୀ ହୋଇ ପାରିବନାହିଁ ।’’ (୨୮)

 

ସମୟ ବଦଳୁଚି, ସେହି ଅନୁସାରେ ପ୍ରତ୍ୟେକ ସମାଜରେ ବାସ କରୁଥିବା ମଣିଷର ଜୀବନଯୋଜନା ମଧ୍ୟ ବଦଳିଯାଉଚି, ମଣିଷର ଆବଶ୍ୟକତା ବଦଳି ଯାଉଚି । ଗାଆଁର ସମାଜ କହିଲେ ଆମେ ପାରମ୍ପରିକ ଅଭ୍ୟାସ ଅନୁସାରେ ଏପରି ମଣିଷଙ୍କର ଏକ ଗୋଷ୍ଠୀଗତ ଜୀବନକୁ ବୁଝିଥାଉ, ଯେଉଁମାନେ ଜୀବନରେ ଖୁବ୍‌ ବେଶୀ ଚାହାନ୍ତିନାହିଁ, ଯେଉଁମାନେ ଆପଣାର ପ୍ରତିବେଶକୁ ହିଁ ସମସ୍ତ ସଂସାର ବୋଲି ମନେକରନ୍ତି ଓ ତାହାର ଭିତରେ ଆର୍ଥିକ ତଥା ସାମାଜିକ ଦୃଷ୍ଟିରୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଜୀବନ ବାସ କରିବାକୁ ଭଲପାଆନ୍ତି । ସେମାନେ ସାଧୁ ପରିଶ୍ରମ କରନ୍ତି, ପରିଶ୍ରମର ଫଳ ପାଇ ବିଧାତାଠାରେ କୃତଜ୍ଞ ହୋଇ ରହନ୍ତି । ସହରର ଆଡ଼ମ୍ବର ବା ପ୍ରୟୋଜନ ବହୁଳ ଜଟିଳ ଜୀବନ ସେମାନଙ୍କୁ କୌଣସିପ୍ରକାରେ ଆକର୍ଷଣ କରିନଥାଏ । ଆମ ସାହିତ୍ୟରେ, ଆମ କଳ୍ପନାରେ ଆମେ ଗ୍ରାମସମାଜ ଓ ଗ୍ରାମର କୃଷକ ବିଷୟରେ ଏହିପରି ଏକ ଚିତ୍ର ଆଙ୍କିବାରେ ଭାରି ଭଲ ପାଇଥାଉ । ସବୁଦେଶର କବିତା ସାହିତ୍ୟରେ ଗ୍ରାମଜୀବନର ଏହିପରି ଏକ ଭାବୁକତାପିଚ୍ଛିକ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ହୁଏତ କୃଷକସମାଜ ଦିନେ ଏହିପରି ଥିଲା । କିନ୍ତୁ ଆଜି ଏପରି ରହିବାଟା ବଡ଼ ଅସ୍ୱାଭାବିକ ବୋଲି ମନେହେବ । ବିଜ୍ଞାନର ନାନା ସାଧନ ଦ୍ୱାରା ସମାଜ ଓ ଲୋକମନର ଚଳନଶୀଳତାରେ ଅନେକ ବୃଦ୍ଧି ଘଟିଲାଣି । ଆଗେ ଗ୍ରାମସମାଜ ହୁଏତ ଏକ ସ୍ୱୟଂସମ୍ପୂର୍ଣ୍ଣ ଅଳ୍ପସନ୍ତୁଷ୍ଟ ଟାପୁ ପରି ରହିଥିଲା । କିନ୍ତୁ କ୍ରମେ ସେପରି ରହିବା ଆୟାସସାଧ୍ୟ ହୋଇପଡ଼ିବ । ସହରର ଜୀବନସ୍ୱାଦ କିପରି, ସେକଥା କୃଷକ ମଧ୍ୟ ଜାଣିବାକୁ ପାଇଲାଣି । କୃଷକ ଘରେ ବୃହତ୍ତର ସଂସାରର ପ୍ରତିନିଧିତ୍ୱ କରୁଥିବା ଖବରକାଗଜ ଯାଇ ପହଞ୍ଚି ସାରିଲାଣି, ସବୁ ଗାଆଁରେ ରେଡ଼ିଓ ପହଞ୍ଚିବାକୁ ବି ଆଉ ଅଧିକ ବିଳମ୍ବ ହେବନାହିଁ । ତଥାପି ଗ୍ରାମର କୃଷକ ଯେ ତାର ସାନ ପୃଥିବୀର ଗବାକ୍ଷ ଖୋଲି ବାହାରକୁ ନ ଚାହିଁବ ଓ ଅଳପକର ସରଳ ଜୀବନରେ ସନ୍ତୁଷ୍ଟ ହୋଇ ରହିଥିବ, ସେକଥା ଆମେ ତାଠାରୁ ଆଶା କରିପାରିବା କିପରି ? ଆମର ରୋମାଣ୍ଟିକ୍‍ ମନ ଯଦି ତଥାପି ଆଜିର ଗାଆଁକୁ ପରମ୍ପରାଗତ ପୁରୁଣା ଗାଆଁ କରି ରଖିବାକୁ ଚାହୁଥିବ, ଆଜିର କୃଷକକୁ ଯଦି ସେକାଳର ସ୍ୱଳ୍ପସନ୍ତୁଷ୍ଟ କୃଷକ କରି ରଖିବାକୁ ଚାହୁଥିବ, ତେବେ କାଳ ଆମଆଗକୁ ଚାଲିଯିବ, ଆମେ ହିଁ ନିର୍ବୋଧ କଳ୍ପନାବିଳାସୀ ହୋଇ ପଛରେ ରହିଯିବା । ସବୁଠାରୁ ମଜାର କଥା ହେଉଚି, କୃଷକର ସରଳ ଓ ସ୍ୱାବଲମ୍ବୀ ଜୀବନର ଉଲୁଗୁଣା ଦେଇ ଯେଉଁମାନେ କବିତା କରନ୍ତି ବା ଗ୍ରାମାଦର୍ଶବାଦୀ ସିଦ୍ଧାନ୍ତମାନ ବୁଣିବସନ୍ତି, ସେମାନେ ସାଧାରଣତଃ ଗାଆଁରେ ବାସ କରୁନଥାନ୍ତି, ହୁଏତ ଆପଣାର ଗଭୀର ଅନ୍ତସ୍କରଣରେ ଗାଆଁରେ ବାସ କରିବାକୁ ମଧ୍ୟ ଚାହୁନଥାନ୍ତି । ଆମେ କବିତା ଲେଖିଲାଲୋକେ ବା ଆଦର୍ଶର ଛପର ବୁଣିବାକୁ ଜୀବନର ବ୍ୟବସାୟ ରୂପେ ଗ୍ରହଣ କରିଥିବା ଲୋକେ ସହରରେ ରହିଥିବା, ଆମେ ଆପେ କେବେହେଲେ ଗାଆଁରେ ଯାଇ କୃଷକ ହେବାକୁ ଇଚ୍ଛା କରୁନଥିବା, କିନ୍ତୁ ଏଣେ ଗ୍ରାମଜୀବନକୁ ଆଦର୍ଶ ଜୀବନ ବୋଲି ପ୍ରଚାର କରୁଥିବା, ସରଳ ଜୀବନର ସ୍ତୁତିମାନ କରୁଥିବା, ଏଥିରେ ଆମର କପଟଲାଳିତ ମନକୁ ଆଶ୍ରୟ ମିଳିଯାଏ ସତ, ମାତ୍ର ଗ୍ରାମ ଓ କୃଷକଜୀବନ ବିଷୟରେ ସତକଥା କୁହାହୁଏନାହିଁ । ଗ୍ରାମ ଓ କୃଷକର ଜୀବନ ବିଷୟରେ ଅହେତୁକ ଭାବୁକତା କେବଳ ଆମ ଦେଶରେ ହୋଇନାହିଁ ପୃଥିବୀର ପ୍ରାୟ ସବୁଦେଶରେ ହୋଇଚି । ସବୁଦେଶରେ କେତେକ ଲୋକ ଗ୍ରାମ ଓ ଗ୍ରାମସମାଜଠାରୁ ଦୂରରେ ରହି ଗ୍ରାମର ସକଳ ଜୀବନ ଓ ଉଚ୍ଚ ଚିନ୍ତନ ବିଷୟରେ କବିପଣିଆ ଦେଖାଇଚନ୍ତି । ଇଉରୋପ ଓ ଆମେରିକାରେ ମଧ୍ୟ ଏହିକଥା ଘଟିଚି । ‘‘ଆମେରିକାର ସମାଜ ଗ୍ରାମାଞ୍ଚଳରେ ଜନ୍ମଲାଭ କରିଥିଲା ଓ ବର୍ତ୍ତମାନ ଏହାର କେନ୍ଦ୍ରବିନ୍ଦୁ ଗ୍ରାମ ଛାଡ଼ି ସହରରେ ଆସି ପହଞ୍ଚିଲାଣି । ଆମେରିକାର ଚାଷୀ ଓ କୃଷିଗତ ଜୀବନ ସମ୍ବନ୍ଧରେ ଏ ଦେଶରେ କେତେ ଜାଣିଥିବା ଶୁଣିଥିବା ଲୋକେ କେତେପ୍ରକାର କଥା କହିଚନ୍ତି । ଏମାନଙ୍କ ଭିତରେ ପାଦ୍ରୀ ଓ ଧର୍ମପ୍ରଚାରକ ଅଛନ୍ତି, କବି ଓ ଦାର୍ଶନିକ ଅଛନ୍ତି, ଲେଖକ ଓ ରାଜନୀତିକ ନେତାମାନେ ମଧ୍ୟ ରହିଚନ୍ତି । ଆମେରିକାର ଚାଷୀମାନଙ୍କର ଜୀବନରେ ଏମାନେ ଯାହାକୁ ଭଲ ବୋଲି କହିଚନ୍ତି ବା ଏମାନଙ୍କୁ ଯାହା ଭଲ ଲାଗିଚି, ଗାଆଁରେ ବାସ କରୁଥିବା ଓ ସତକୁସତ ବିଲରେ କୃଷିକାର୍ଯ୍ୟ କରୁଥିବା ଚାଷୀକୁ ମଧ୍ୟ ଯେ ସେହିଗୁଡ଼ିକ ଭଲ ଲାଗିଚି, ଆମେ ହୁଏତ ଆଦୌ ଏପରି କହିପାରିବା ନାହିଁ । ଦିନଥିଲା, ଯେତେବେଳେ ଗାଆଁର ଚାଷୀମାନେ ସହରର ବିଳାସବ୍ୟସନକୁ ଘୃଣା କରୁଥିଲେ ଓ ତା’ଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଆଜି ଆମେରିକାର ଚାଷୀମାନେ ସେହିଗୁଡ଼ିକ ଲାଗି ହିଁ ଲାଳାୟିତ ଅନୁଭବ କରୁଚନ୍ତି । ସହରର ସୁନ୍ଦର ସୁନ୍ଦର ଜିନିଷକୁ ସେମାନେ ଆପଣାର ସ୍ତ୍ରୀ ଓ ଝିଅମାନଙ୍କ ଲାଗି ଆଣିଦେବାର ସ୍ୱପ୍ନ ଦେଖୁଚନ୍ତି ।’’ (୨୯)

 

ଗାଆଁର ଲୋକେ ମଧ୍ୟ ଦିନେ ସୁଖରେ ରହିବେ । ଆପଣା ଜୀବନର ବାସନା ଓ ଆବଶ୍ୟକତାକୁ ବହୁମୁଖୀ କରିବାକୁ ଯଦି ଜୀବନକୁ ଜଟିଳ କରିଦେବା ବୋଲି କୁହାଯାଏ, ତେବେ ତଥାକଥିତ ସରଳ ଜୀବନକୁ ଆମ ଗାଆଁର କୃଷକମାନେ ଯେତେ ଶୀଘ୍ର ବର୍ଜନ କରିଆସିବେ, ମନୁଷ୍ୟସମାଜ ପକ୍ଷରେ ତାହା ସେତେ ବେଶୀ ମଙ୍ଗଳକର ହେବ । ସହରରେ ସବୁ ଆରାମ ରହିବ, ସହରରେ ସବୁ ସମ୍ଭାବନାର ଫୂର୍ତ୍ତିଲାଗି ପ୍ରଶସ୍ତ ମାର୍ଗମାନ ରହିବ, ଅଥଚ ଗ୍ରାମବାସୀ ତା’ର ସ୍ୱାବଲମ୍ବୀ ସରଳ ଜୀବନକୁ ନେଇ କବିମନର ଉପମାନ ହୋଇ ରହିଥିବ; ଆମ ପୃଥିବୀରେ ଅଧିକଦିନ ପର୍ଯ୍ୟନ୍ତ ଏକଥା କଦାପି ଚଳିପାରିବନାହିଁ । ସହରକୁ ଦଳିଦେଇ ଗାଆଁ ସୁନ୍ଦର ହେବନାହିଁ କି ଗାଆଁକୁ ଦଳିଦେଇ ସହର ମଧ୍ୟ ସୁନ୍ଦର ହେବାକୁ ଚାହିବନାହିଁ । ମଣିଷର ସମାଜକୁ ମଣିଷର ଯୋଗ୍ୟ କରି ଗଢ଼ିବାଲାଗି ଗାଆଁ ଓ ସହର ଉଭୟେ ସୁନ୍ଦର ଓ ଶ୍ରୀମନ୍ତ ହେବେ । ଏହା ଯେ କେବଳ ଆବଶ୍ୟକ ତାହା ନୁହେଁ, ଏହା ସମ୍ଭବ । ଗାଆଁରେ ଚାଷ ହେବ, ଗ୍ରାମଗୋଷ୍ଠୀ ବଳିଷ୍ଠରୁ ବଳିଷ୍ଠତର ହେବ, ତଥାପି ଗ୍ରାମରେ ଆଧୁନିକ ଜୀବନୋପଯୋଗୀ ସକଳ ସାଧନ ଉପଲବ୍‌ଧ ହେବ, ତାହା ଗାଆଁ ଚାଷୀ ଲାଗି ଆଉ ଆକାଶକଇଁଆ ହୋଇ ରହିବନାହିଁ । ସହରରେ କାରଖାନା ଚାଲିବ, ଯନ୍ତ୍ରଶିଳ୍ପର ଅଭିବୃଦ୍ଧି ହେବ, ବାଣିଜ୍ୟ ବ୍ୟବସାୟ ଚାଲିବ, ତଥାପି କୌଣସି ସହର ଆପଣାର ଚତୁଷ୍ପାର୍ଶ୍ୱସ୍ଥିତ ଗ୍ରାମାଞ୍ଚଳଉପରେ ମଲାଙ୍ଗ ପରି ହୋଇ ରହିବନାହିଁ । ଅଳପ କଥାରେ କହିବାକୁ ଗଲେ, ଆଗାମୀ କାଳର ମାନବିକ ଉଦ୍ୟମ ଓ ବିଜ୍ଞାନର ସାଧନଦ୍ୱାରା ଗାଆଁ ଓ ସହର ମଧ୍ୟରେ ବର୍ତ୍ତମାନ ରହିଥିବା ବ୍ୟବଧାନ କ୍ରମେ ଅପସରିଯିବ । ଗାଆଁ ଓ ସହରର ଧନ୍ଦା ଅଲଗା ଅଲଗା ରହିବ, ତଥାପି ଜୀବନକୁ ପରିପୂର୍ଣ୍ଣ କରି ବଞ୍ଚିବା ଓ ଅନୁଭବ କରିବାପାଇଁ ଉଭୟ ସ୍ଥାନରେ ବିସ୍ତୃତ ଓ ପର୍ଯ୍ୟାପ୍ତ କ୍ଷେତ୍ର ରହିବ । ଗାଆଁରେ ରହି କେହି ଆପଣାକୁ ଅଭିଶପ୍ତ ମନେ କରିବନାହିଁ, ସହରରେ ରହି କେହି ଗାଆଁ ଉପରେ କୌଣସି ଦାମ୍ଭିକତା ଦେଖାଇବ ନାହିଁ । ଆଜି ମଣିଷର ଜୀବନକୁ କେନ୍ଦ୍ରକରି ଯେତେ ଯେଉଁଠି ଯୋଜନାମାନ ହେଉଚି, ସବୁଠି ଏହିପରି ଏକ ଭବିଷ୍ୟ ନିକଟ ହୋଇ ଆସୁଚି । ଯେଉଁ ଦେଶରେ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ବିଭିନ୍ନ କ୍ଷେତ୍ରରେ ଯେତିକି ବେଶୀ ବିକାଶ ସମ୍ଭବ ହୋଇଚି, ସେ ଦେଶରେ ଗାଆଁ ଓ ସହର ଭିତରେ ରହିଆସିଥିବା ବ୍ୟବଧାନ କ୍ରମେ ଘୁଞ୍ଚି ଘୁଞ୍ଚି ଯାଉଚି । ଡେନମାର୍କର ସହର ପରି ଡେନମାର୍କର ଗାଆଁ ମଧ୍ୟ ବାସଯୋଗ୍ୟ ହୋଇ ତିଆରି ହୋଇଚି । ସେଠି ଦେଶର ଶ୍ରମିକ ଓ କୃଷକ ଉଭୟେ ଆପଣାକୁ ଦେଶର ନିର୍ମାଣରେ ନିର୍ଣ୍ଣାୟକ ଶକ୍ତିରୂପେ ଅନୁଭବ କରୁଚନ୍ତି । କେହି କାହାରିକୁ ଈର୍ଷା କରୁନାହିଁ, କେହି କାହାରିକୁ ଦଳିଦେଇ ଆଗକୁ ଚାଲିଯିବାକୁ ଚାହୁନାହିଁ ।

 

ଶେଷ କଥା ହେଲା, ଗାଆଁ ଆଉ ସହର ପରସ୍ପରଠାରୁ ବିଲଗ ଦୁଇଟା ଅଲଗା ପୃଥିବୀ ନୁହନ୍ତି । ଏକ ମାନବଜୀବନର ଜଗତରେ ଗାଆଁ ଓ ସହରକୁ ଆମେ ପରସ୍ପରର ପରିପୂରକ ହୋଇ ରହିଥିବା ଦୁଇଟି କ୍ଷେତ୍ର ବୋଲି ବିଚାରକରି ଶିଖିବା । କୌଣସି ଦେଶର କଲ୍ୟାଣ-ଯୋଜନାରେ ଗାଆଁ ଓ ସହର ଉଭୟଲାଗି ସମାନ ସ୍ଥାନ ରହିବ, ଶିଳ୍ପ ଓ କୃଷି ସମାନ ବ୍ୟବହାର ପାଇବେ, କୃଷକ ଓ ଶ୍ରମିକଙ୍କୁ ସମାନ ସୁଯୋଗ ଦିଆଯିବ । ଇତିହାସର ଆଧୁନିକ ଯୁଗରେ ଗତ ପ୍ରାୟ ଦୁଇଶହ ବର୍ଷହେଲା ଗାଆଁ ଉପରେ ସହର ପ୍ରଧାନତଃ ମଲାଙ୍ଗପରି ରହିଆସିଚି । ଏହାଦ୍ୱାରା କେବଳ ଗାଆଁର କ୍ଷତି ହୋଇ ନାହିଁ, ସମଗ୍ର ସମାଜର କ୍ଷତି ହୋଇଚି, ଆମର ପାରସ୍ପରିକ ଜୀବନରେ ଅନେକ ଅସ୍ୱାଭାବିକତା, ଅନ୍ୟାୟ ଓ ଅସଂଗତି ପଶିଯାଇଚି, ଗାଆଁ ଆଉ ସହର ଭିତରେ କେତେପ୍ରକାର ଅସୁନ୍ଦର ଓ ଅମାନୁଷିକ ବ୍ୟବଧାନ ସୃଷ୍ଟି ହୋଇଚି । ନିର୍ଦ୍ଦିଷ୍ଟ ସଂକଳ୍ପ ଓ ସୁଚିନ୍ତିତ ଯୋଜନା ଦ୍ୱାରା ଏହି ବ୍ୟବଧାନକୁ ଦୂର କରିବାକୁ ପଡ଼ିବ । କେବଳ ଗାଆଁ ବା କେବଳ ସହରର ବପୁ ବଢ଼ାଇବା ଆମର ଉଦ୍ଦେଶ୍ୟ ନ ହୋଇ ଏହି ଉଭୟ କ୍ଷେତ୍ରରେ ଆତଯାତ ହେଉଥିବା ମଣିଷର ଜୀବନକୁ ସୁନ୍ଦର ଓ ସମ୍ଭାବନାମୟ କରି ଗଢ଼ିବା ଆମର ଉଦ୍ଦେଶ୍ୟ ହୋଇ ରହୁ । ପ୍ରଧାନତଃ ଏଇଥିଲାଗି ଆମର ସର୍ବୋତ୍ତମ ସାମାଜିକ ଉଦ୍ୟମମାନ ନିୟୋଜିତ ହୋଇରହୁ ।

 

ପୁସ୍ତକ ଟିପ୍ପଣୀ

 

୧.

Clarence King : Working with People in Small Communities–Harper and Brothers, New York, 1958, ପୃଷ୍ଠା– ୩୨

୨.

R.M. Mac lver and Charles H. Page : Society, An Introductory Analysis–Macmillan and Company, London, 1955, ପୃଷ୍ଠା– ୨୯୨

୩.

J.E. Boodin : The Social Mind, Foundations of Social Philosophy–The Macmillan Company, New York, 1939, ପୃଷ୍ଠା– ୫୮

୪.

United Nations : Social Progress Through Community Development– (ST/SOA/26), New York, 1955, ପୃଷ୍ଠା– ୫

୫.

Arthur E. Morgan : The Small Community– Harper and Brothers, New York, 1942, ପୃଷ୍ଠା– ୪, ୫

୬.

Pitirim A. Sorokin, Carle C. Zimmerman and Charles J. Galpin : A Systematic Source-book in Rural Sociology, Vol.I- The University of Minnesota Press, Minneapolis, 1930–32, ପୃଷ୍ଠା ୨୩୦ – ୨୩୧

୭.

Newell L. Sims : Elements of Rural Sociology-Thomas Y. Crowell Company, New York, 1947, ପୃଷ୍ଠା :୨୮ –୩୧

୮.

ତତ୍ରୈବ : ପୃଷ୍ଠା– ୪୪ – ୪୮

୯.

Nicolas Berdyaev : The Realm of Spirit and the Realm of Caesar-Victor Gollanez Limited, London, 1952, ପୃଷ୍ଠା– ୧୨୨

୧୦.

FAO : Agricultural Development and Rural Reform in Denmark-Rome, 1953, ପୃଷ୍ଠା :୯ –୧୧

୧୧.

E. C. Branson : Farm Life in South Germany – Rural America, January, 1925, ପୃଷ୍ଠା– ୧୧

୧୨.

Martin C. Yang : A Chinese Village– Kegan Paul, Trench, Trubner Co. Ltd.; London, 1947, ପୃଷ୍ଠା– ୨୩୫

୧୩.

Helen D. Irvine : The Making of Rural Europ- George Allen and Unwin, London, 1923, ପୃଷ୍ଠା :୧୮୮ –୧୯୦

୧୪.

H.E. Bracey : English Rural Life- Routledge and Kegan Paul, London, 1959, ପୃଷ୍ଠା– ୨୪

୧୫.

ପୁସ୍ତକ-ଟିପ୍‍ପଣି –୭, ପୃଷ୍ଠା–୪୯

୧୬.

Robert Redfield : Peasant Society and Culture- The University of Chicago Press, Chicago, 1958

୧୭.

Edward A. Ross : Principles of Sociology- Appleton-Century-Crofts, New York, 1938, ପୃଷ୍ଠା :୭୫ –୭୭

୧୮.

D.N. Majumdar : Caste and Communication in an Indian Village- Asia Publishing House, Bombay, 1962, ପୃଷ୍ଠା– ୩୨୯, ୩୪୦

୧୯.

Kenyon L. Butterfield ଓ Charles J. Galpin ଙ୍କର ଉଦ୍ଧୃତାଂଶ : Quoted in T. Lynn Smith : The Sociology of Rural Life-Harper and Brothers, New York, 1947, ପୃଷ୍ଠା– ୧୨୯

୨୦.

O.E. Baker quoted in Kimball Young : Sociology-American Book Company, New York, 1949, ପୃଷ୍ଠା– ୨୪୫

୨୧.

Seymour M. Lipset : Democracy and Working Class Authoritarianism- American Sociological Review, August, 1959, ପୃଷ୍ଠା– ୪୯୧

୨୨.

Pitirim A. Sorokin and Carle C. Zimmerman : Principles of Rural-urban Sociology-Henry Holt and Company, New York, 1929, ପୃଷ୍ଠା–୧୭

୨୩.

Lee Taylor and Arthur R. Jones, Jr. : Rural Life and Urbanized Society-Oxford University Press, New York, 1964, ପୃଷ୍ଠା– ୫୦

Unknown

୨୪.

Edmund des. Brunner, Irwin T. Sandess and Douglas Ewsminger (ସମ୍ପାଦନା) : Farmers of the World- Columbia University Press, New York, 1954, ପୃଷ୍ଠା–୩୭

୨୫.

Elgin F. Hunt : Social Science, An Introduction to the Study of Society- The Macmillan Company, New York, 1961, ପୃଷ୍ଠା– ୨୫୨, ୨୬୪

୨୬.

Bert F. Hoselitz and Wilbert E. Moore (ସମ୍ପାଦନା) : Industrialization and Society-UNESCO-Mouton, 1963, ପୃଷ୍ଠା– ୧୯୯

୨୭.

Bert F. Hoselitz : Sociological Aspects of Economic Growth- The Free Press of Glencoe, New York, 1962, Chapter 8.

୨୮.

T. Lynn Smith and others : Social Problems-Crowell Company, New York, 1955, ପୃଷ୍ଠା– ୧୭୪

୨୯.

Richard Hofstaedter : The Myth of the Happy Yeoman’-American Heritage, April, 1955.

Image

 

ଚତୁର୍ଥ ଅଧ୍ୟାୟ

ଭାରତର ଗାଆଁ

 

ଭାରତବର୍ଷ ଗାଆଁର ଦେଶ, ଗାଆଁରେ ହିଁ ଆମେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ହୃଦ୍‌ସ୍ପନ୍ଦନ ଅନୁଭବ କରିପାରିବା, ଗାଆଁ ଓ ଗ୍ରାମସମାଜ ହେଉଚି ଭାରତବର୍ଷର ପ୍ରାଣ,-ଏହିପରି ଅନେକ କଥା ଆମେ ଏହି ଦେଶରେ ଶୁଣିବାକୁ ପାଇଥାଉ । ମହାତ୍ମାଗାନ୍ଧୀ ଏହି ଦେଶକୁ ନେତୃତ୍ୱ ଦେଉଥିଲାବେଳେ ଏହି କଥା କହୁଥିଲେ, ବର୍ତ୍ତମାନ ଦେଶକୁ ରାଜନୀତିକ ଓ ଶାସନଗତ ନେତୃତ୍ୱ ଦେଉଥିବା ବଡ଼ ଓ ସାନ, ଜାତୀୟ ଓ ସ୍ଥାନୀୟ ନେତାମାନେ ମଧ୍ୟ ଠିକ୍ ଏହିପରି କଥା କହୁଚନ୍ତି । ଏହିପରି ଉଦ୍‌ଗାର ପଛରେ ସତ୍ୟ ରହିଚି, ଭାବପ୍ରବଣତା ମଧ୍ୟ ରହିଚି । ଜାତୀୟତାଯୁଗର ଅନେକ କବି ଓ ଲେଖକ ଏହି ଭାବପ୍ରବଣତାକୁ ସାହିତ୍ୟିକ ରୂପ ଦେଇ ସତ୍ୟ ବୋଲି ଦେଖାଇବାର ଚେଷ୍ଟା କରିଚନ୍ତି । ବୋଧହୁଏ ସବୁଠାରୁ ମଜାର କଥା ହେଉଚି ଯେ, ପ୍ରଧାନତଃ ସହରବାସୀ ଓ ସହରଧ୍ୟାୟୀ କବି, ଲେଖକ, କର୍ମୀ ଓ ନେତାମାନେ ସହରର ଶ୍ରୋତୃମଣ୍ଡଳୀ ଆଗରେ ଗାଆଁକୁ ଶବ୍ଦ ଓ ବିଚାରର ନାନା ଭାବୁକତାରେ ନୁଆଁଇ ଦେଖାଇବାକୁ ଚେଷ୍ଟା କରିଚନ୍ତି । କିନ୍ତୁ ଯେଉଁ ଗାଆଁର ଏତେ ପ୍ରଶଂସା ଏତେ ପ୍ରକାର ମୁଖରେ କରାଯାଇଚି, ସେହି ଗାଆଁରେ ସାରା ଜୀବନ ଲାଗି ବାସ କରିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ ମଣିଷମାନେ ହୁଏତ ପ୍ରଶଂସା ଶୁଣିବାର ଅବସର ମଧ୍ୟ ପାଇନାହାନ୍ତି ।

 

ଭାବୁକତା ଭିତରକୁ ନଯାଇ ଆମେ ଏଠାରେ ଅନ୍ତତଃ ଦୁଇଟି କଥା ସ୍ମରଣ ରଖିବା । ଭାରତୀୟ ପ୍ରାଚୀନ ସଭ୍ୟତା ହେଉଚି ପ୍ରଧାନତଃ ଗ୍ରାମୀଣ ସଭ୍ୟତା । ଏହା ପୂର୍ବରୁ ପୃଥିବୀର ଆଉ ଯେତେ ଜାଗାରେ ସଭ୍ୟତାମାନ ଗଢ଼ିଉଠିଥିଲା, ସେସବୁ ପ୍ରଧାନତଃ ସହରସଭ୍ୟତା ଥିଲା । ସିନ୍ଧୁ-ଉପତ୍ୟକାର ଦ୍ରାବିଡ଼ ସଭ୍ୟତା ଓ ଗ୍ରୀସ୍‌ର ପ୍ରାଚୀନ ସଭ୍ୟତାରେ ନଗର ହିଁ ସଭ୍ୟ-ଜୀବନ ଓ ସଭ୍ୟ-ବିଚାରର ଧ୍ୟାନବିନ୍ଦୁ ହୋଇ ରହିଥିଲା । ପ୍ରାଚୀନ ମିଶର ଓ ପ୍ରାଚୀନ ରୋମ୍‌ରେ ଗାଆଁମାନ ରହିଥିଲା, କୃଷିଜୀବୀ ବସତିମାନ ମଧ୍ୟ ଥିଲା । କିନ୍ତୁ ସେଠାରେ ସହରର ସୁଖ, ସମ୍ଭୋଗ ଓ ସମୃଦ୍ଧିକୁ ଅଧିକ ପ୍ରଶସ୍ତ ଓ ପର୍ଯ୍ୟାପ୍ତ କରି ରଖିବା ଲାଗି ସବୁ ପ୍ରକାର ସମ୍ଭବ ଉପାୟରେ ଗ୍ରାମଜୀବନ ଓ ଗ୍ରାମବାସୀମାନଙ୍କୁ ପଣ୍ୟ ବା ସାଧନରୂପେ ବ୍ୟବହାର କରାଯାଉଥିଲା । କିନ୍ତୁ ଆର୍ଯ୍ୟମାନେ ଭାରତବର୍ଷକୁ ଆସି ଯେଉଁ ସଭ୍ୟତାର ସୂତ୍ରପାତ କରିଥିଲେ, ତାହାକୁ ପ୍ରଧାନତଃ ଏକ ଗ୍ରାମସଭ୍ୟତା ବୋଲି କହିବାର ଯଥେଷ୍ଟ କାରଣ ରହିଚି । ଭାରତବର୍ଷକୁ ଆସିବା ପୂର୍ବରୁ ଆର୍ଯ୍ୟମାନେ ଯାଯାବର ଜୀବନ ଯାପନ କରୁଥିଲେ । ଭାରତ ବାହାରର ତୃଣଭୂମି ଛାଡ଼ି ଭାରତବର୍ଷର ନଦୀଧୌତ ସମତଳଭୂମିରେ ପ୍ରବେଶ କରି ସେମାନେ ହୁଏତ ପ୍ରଥମ କରି କୃଷିକୁ ଆପଣାର ପ୍ରଧାନତମ ଧନ୍ଦାରୂପେ ଗ୍ରହଣ କଲେ । କୃଷିଧନ୍ଦାରୁ ହିଁ ସ୍ଥାୟୀ ଜନବସତିର ଉଦ୍‌ଭବ ହେଲା । ଏହି ଜନବସତିର ଚେରମାନ ଦୃଢ଼ ହୋଇ ଗାଆଁର ଜନ୍ମ ହେଲା । ସେହିଦିନଠାରୁ ଆଜିପର୍ଯ୍ୟନ୍ତ ଭାରତବର୍ଷର ଗାଆଁରେ ହିଁ ଭାରତବର୍ଷର ଅଧିକ ସଂଖ୍ୟକ ଅଧିବାସୀ ବାସ କରି ଆସୁଚନ୍ତି ।

 

ଆମର ଦ୍ୱିତୀୟ କଥାଟି ହେଉଚି ଯେ ଗତ ପ୍ରାୟ କେତେ ହଜାର ବର୍ଷ ଭିତରେ ଭାରତର ରାଜନୀତିକ ଜୀବନରେ କେତେ କେତେ ପରିବର୍ତ୍ତନ ହୋଇଚି । କିନ୍ତୁ ଭାରତବର୍ଷର ଗାଆଁ ସତେଅବା ସେହି ପରିବର୍ତ୍ତନଦ୍ୱାରା କୌଣସିପ୍ରକାରେ ଆହତ ନହୋଇଥିଲାପରି ରହିଆସିଚି-। ଏହି ଦେଶ ଉପରେ ବହିଃଶତ୍ରୁର ଆକ୍ରମଣ ହୋଇଚି, ଲୁଣ୍ଠନକାରୀର ଲୁଟତରାଜ ହୋଇଚି, ଦେଶ ଭିତରେ ରାଜା ରାଜା ଓ ସାମ୍ରାଜ୍ୟ ସାମ୍ରାଜ୍ୟ ମଧ୍ୟରେ ଯୁଦ୍ଧ ଲାଗିଚି । କେତେ ମୁକୁଟ ଯାଇଚି, ପୁଣି କେତେ ମୁକୁଟର ସ୍ଥାପନା ହୋଇଚି । ଭାରତର ଗାଆଁ ଏସବୁ କଥାର ସାକ୍ଷୀ ହୋଇ ରହିଚି । ତଥାପି ଇତିହାସର ସକଳ ବିପର୍ଯ୍ୟୟ ଓ ବିଭଙ୍ଗ ସତ୍ତ୍ୱେ ଏହା ଆପଣାକୁ ବଞ୍ଚାଇ ରଖିଆସିଚି । ଏହାର ସବୁଠାରୁ ବଡ଼ କାରଣ ହେଉଚି, ଭାରତର ରାଜାମାନେ ଗାଆଁର ଜୀବନ ଉପରେ ଖୁବ୍ ବେଶୀ ହସ୍ତକ୍ଷେପ କରିନାହାନ୍ତି, ଗାଆଁର ଶାସନ ଉପରେ କେନ୍ଦ୍ରୀୟ ଶାସନର ଖୁବ ବେଶୀ ହସ୍ତକ୍ଷେପ ହୋଇନାହିଁ । ଖାଲି ହିନ୍ଦୁ ଅମଳରେ ନୁହେଁ, ମୁସଲମାନ ଅମଳରେ ମଧ୍ୟ ନବାଚ ବା ବାଦଶାହମାନେ ଗାଆଁରୁ ସେମାନଙ୍କର ପ୍ରାପ୍ୟ ଖଜଣା ଆଦାୟ କରିବା ବ୍ୟତୀତ ଗ୍ରାମବ୍ୟବସ୍ଥାର ଅନ୍ୟ କୌଣସି କ୍ଷେତ୍ର ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିନାହାନ୍ତି । ଫଳରେ, ତେଣେ ରାଜଧାନୀରେ ସାମ୍ରାଜ୍ୟ ଗଢ଼ାହୋଇଚି, ପୁରୁଣା ରାଜା ତଡ଼ା ଖାଇଚନ୍ତି, ନୂଆ ରାଜା ଆସ୍ଥାନ ମାଡ଼ି ବସିଛନ୍ତି, ଯୁଦ୍ଧ ବିଗ୍ରହ ଲାଗିରହିଚି । ତଥାପି ସେସବୁ ଘଟଣା ଭାରତବର୍ଷର ଗାଆଁକୁ ଖୁବ୍ ବେଶୀ ବ୍ୟାକୁଳ କରି ଦେଇନାହିଁ । ରାଜା ଓ ରାଜ୍ୟଶାସନର ସମ୍ମତି ପାଇଥିବା ପରି ତାହା ଅବିଚଳିତ ଭାବରେ ସମାଜର ଏକ ଲୋକାନୁଷ୍ଠାନରୂପେ ଆପଣାକୁ ବଞ୍ଚାଇ ରଖିଆସିଚି । ତେଣେ ରାଜଧାନୀରେ ବା ସହରରେ ପଗଡ଼ି ବଦଳିବା ମାତ୍ରକେ ହୁଏତ ସବୁ ବଦଳିଯାଇଚି । କିନ୍ତୁ ଗାଆଁରେ ଭଙ୍ଗାରୁଜା ଅପେକ୍ଷାକୃତ କମ୍ ହୋଇଚି, ଅପେକ୍ଷାକୃତ ଅଧିକ ଶାନ୍ତ ଏକ ବାତାବରଣ ମଧ୍ୟରେ ଗ୍ରାମସମାଜ ବିକଶିତ ହୋଇ ଆସିଚି । ସେଥିଲାଗି ଆଜି ମଧ୍ୟ ଅନେକ ଦୃଷ୍ଟିରୁ ଦେଖିଲେ ଭାରତର ଗାଆଁ ଭାରତୀୟ ସଭ୍ୟତା, ସାମାଜିକ ସଂଗଠନ ଓ ସଂସ୍କୃତି ଦୃଷ୍ଟିରୁ ଗୋଟିଏ ସଂଗ୍ରହାଳୟ ପରି ହୋଇ ରହିଚି ।

 

ପ୍ରାଚୀନ କାଳରେ ଭାରତର ଗାଆଁ କିପରି ଥିଲା, ତାହା ଜାଣିବାଲାଗି ଆମେ ଏଠାରେ ଭାରତୀୟ ପ୍ରାଚୀନ ଇତିହାସର ଗବେଷଣା-କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଜଣେ ଦୁଇଜଣ ପଣ୍ଡିତଙ୍କର ବକ୍ତବ୍ୟଗୁଡ଼ିକୁ ବିଚାର କରି ଦେଖିବା । ମହାରାଷ୍ଟ୍ରର ପଣ୍ଡିତ ସ୍ୱର୍ଗୀୟ ଆଲ୍‌ତେକର୍ ପ୍ରାଚୀନ ଭାରତୀୟ ସମାଜବ୍ୟବସ୍ଥା ସମ୍ବନ୍ଧରେ ବହୁମୂଲ୍ୟ ଅଧ୍ୟୟନମାନ କରିଚନ୍ତି; ଏହି ବିଷୟରେ ସେ ଏକାଧିକ ଗ୍ରନ୍ଥ ଲେଖିଛନ୍ତି ଓ ପ୍ରାଚୀନ ଭାରତୀୟ ଗ୍ରାମସମାଜକୁ ପୃଥିବୀ ସମକ୍ଷରେ ପରିଚିତ କରାଇ ଦେଇଚନ୍ତି । ତାଙ୍କର ଗୋଟିଏ ଗ୍ରନ୍ଥରୁ (୧) ଆମେ ଭାରତୀୟ ଗ୍ରାମ ବିଷୟରେ କେତେକ ପ୍ରୟୋଜନୀୟ କଥା ଜାଣି ରଖିବାକୁ ଚେଷ୍ଟା କରିବା । ‘‘ପ୍ରାଚୀନ ଭାରତବର୍ଷର ଜୀବନରେ ସହର ବା ନଗରର ଖୁବ୍ ବେଶୀ ମହତ୍ୱପୂର୍ଣ୍ଣ ସ୍ଥାନ ନଥିଲା । ବୈଦିକ ସ୍ତୋତ୍ରମାନଙ୍କରେ ଗ୍ରାମର ସମୃଦ୍ଧି କାମନା କରି ବହୁତର ପ୍ରାର୍ଥନାମାନ ରହିଚି, କିନ୍ତୁ ସହର ବା ନଗର ବିଷୟରେ ସାଧାରଣତଃ ଏପରି କୌଣସି ପ୍ରାର୍ଥନା କରାଯାଇନାହିଁ । ବୌଦ୍ଧଜାତକରେ ମଧ୍ୟ ଗାଆଁର ଚର୍ଚ୍ଚାମାନ ରହିଚି, କିନ୍ତୁ ସେହି ସମୟରେ ଏହି ଦେଶରେ କୌଣସି ନଗର ବା ସହର ଆଦୌ ରହିଥିଲା କି ନାହିଁ, ସେ ବିଷୟରେ କୌଣସି ଉଲ୍ଲେଖ ମଧ୍ୟ ନାହିଁ ।

 

‘‘ଗ୍ରାମର ପ୍ରମୁଖଙ୍କୁ ସେତେବେଳେ ଗ୍ରାମଣୀ ବୋଲି କୁହାଯାଉଥିଲା । ଜାତକରେ ଆମେ ଏହି ଗ୍ରାମଣୀ ଶବ୍ଦ ଓ ଅନୁଷ୍ଠାନଟିର ବହୁ ଉଲ୍ଲେଖ ଦେଖିବାକୁ ପାଇବା । କୌଟିଲ୍ୟ ତାଙ୍କର ଲିଖିତ ଅର୍ଥଶାସ୍ତ୍ରରେ ରାଜ୍ୟଶାସନ କ୍ଷେତ୍ରରେ ଗ୍ରାମଣୀର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥିବାର କହିଚନ୍ତି । ସେତେବେଳେ ଭାରତର ପ୍ରତ୍ୟେକ ଗାଆଁରେ ଏକ ଗ୍ରାମସଭା ରହିଥିଲା । ଗାଆଁର ପ୍ରତ୍ୟେକ ପରିବାରରୁ ଜଣେଲେଖାଏଁ ସଭ୍ୟ ଏହି ସଭାକୁ ସଦସ୍ୟ ହୋଇ ଆସୁଥିଲେ । ଏହିପରି ଭାବରେ କେଉଁ ଗାଆଁର ଗ୍ରାମସଭାରେ ଦୁଇଶହ ସଭ୍ୟଥିଲେ, କେଉଁଠି ପାଞ୍ଚଶହ ଓ କେଉଁଠି ଏକ ହଜାରରୁ ଅଧିକ ସଭ୍ୟ ମଧ୍ୟ ରହିଥିଲେ । ତାମିଲଭାଷୀ ଅଞ୍ଚଳରେ ନାଗରା ପିଟାହୋଇ ସଭ୍ୟମାନଙ୍କୁ ଗ୍ରାମସଭାର ଅଧିବେଶନକୁ ଆସିବାର ସୂଚନା ଦିଆଯାଉଥିଲା । ଗ୍ରାମସଭାର ସବୁ ସଭ୍ୟ ଏକାଠି ବସି ଗ୍ରାମର ଶାସନ ବ୍ୟବସ୍ଥା କରୁଥିଲେ ହୁଏତ ଅନେକ ବିଶୃଙ୍ଖଳା ଉପୁଜୁଥାନ୍ତା ଓ ବହୁ ମଣିଷରେ ମୂଷା ମରୁନଥାନ୍ତା । ତେଣୁ ସେମାନେ ଆପଣାଭିତରୁ ପ୍ରତିନିଧି ବାଛି ଗ୍ରାମ-କାଉନ୍‌ସିଲ୍ ଗଢ଼ୁଥିଲେ । ଗ୍ରାମବାସୀଙ୍କର ସାର୍ବଜନୀନ ମତାମତ ଓ ସ୍ୱୀକୃତି ଅନୁସାରେ ଏହି କାଉନ୍‌ସିଲ୍ ଗ୍ରାମର ଶାସନବିଧାନ କରୁଥିଲା । ମଧ୍ୟ-ଭାରତରେ ଏହି କାଉନ୍‌ସିଲ୍‌କୁ ପଞ୍ଚମଣ୍ଡଳୀ ଓ ବିହାରରେ ଗ୍ରାମଜନପଦ ବୋଲି କୁହାଯାଉଥିଲା । ନାଳନ୍ଦାଠାରେ ଏକାଧିକ ଗ୍ରାମକାଉନ୍‌ସିଲ୍‌ର ମୋହରମାନ ମାଟିତଳୁ ଖୋଜି ଆବିଷ୍କାର କରାଯାଇଚି । ଆମେ ଆଜିକାଲି ଗାଆଁ ପଞ୍ଚାୟତ କହିଲେ ଯାହା ବୁଝୁଚୁ, ପୁରାତନ ଯୁଗର ଗାଆଁ କାଉନ୍‌ସିଲ୍‌କୁ ତାହାର ପୂର୍ବଗାମୀ ବୋଲି କୁହାଯାଇପାରିବ ।

 

‘‘ମାନ୍ଦ୍ରାଜ ସମୀପବର୍ତ୍ତୀ ଉତ୍ତରମେରୁର୍ ଗାଆଁରୁ ଯେଉଁ ପ୍ରାଚୀନ ଶିଳାଲେଖ ମିଳିଚି, ସେଥିରୁ ଆମେ ସେହି ଗାଆଁର ଗ୍ରାମସଭା ବିଷୟରେ ଅନେକ ତଥ୍ୟ ପାଇପାରିବା । ଏହି ଗ୍ରାମସଭାରେ ପାଞ୍ଚୋଟି ଉପସମିତି କାର୍ଯ୍ୟ କରୁଥିଲେ । ଏହିସବୁ ଉପସମିତିର ସଭ୍ୟମାନେ କୌଣସି ବେତନ ନେଉନଥିଲେ ଓ ବର୍ଷକଲାଗି ଆପଣା ଆପଣାର ଦାୟିତ୍ୱରେ ରହୁଥିଲେ । ସାଧାରଣତଃ ଗୁଳା ପଡ଼ି ଏହି ସଭ୍ୟ ନିର୍ବାଚନ କରାଯାଉଥିଲା । ୩୫ ରୁ ୭୦ ବର୍ଷ ବୟସର ଯେ କୌଣସି ଗ୍ରାମବାସୀ ସଭ୍ୟପଦ ଲାଗି ଠିଆହୋଇ ପାରୁଥିଲା । ଗାଆଁର ତିରିଶଟି ଓ୍ୱାର୍ଡ଼ ଲାଗି ପ୍ରାର୍ଥୀ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ନାମକୁ ଖଣ୍ଡେ ଖଣ୍ଡେ କାଗଜରେ ଲେଖି ଗୁଳା କରି ଦିଆଯାଉଥିଲା । ସବୁ ଗୁଳାକୁ ଗୋଟିଏ ପାତ୍ରରେ ରଖି ସମସ୍ତଙ୍କ ସମ୍ମୁଖରେ ରଖାଯାଉଥିଲା ଏବଂ ଗାଆଁର କୌଣସି ଅତି ସାନ ପିଲାକୁ ଗୁଳାଉଠାଇବାକୁ କୁହାଯାଉଥିଲା । ଏପରି ସ୍ଥଳରେ ପ୍ରଚାର ବା ଦଳବନ୍ଦୀ ଲାଗି କୌଣସି ସ୍ଥାନ ହିଁ ନଥିଲା । ଏହିପରି ଭାବରେ ପ୍ରତି ଓ୍ୱାର୍ଡ଼ରୁ ଜଣେ ଜଣେ କରି ତିରିଶଜଣ ନିର୍ବାଚିତ ହୋଇ ଆସୁଥିଲେ ଓ ସେହିମାନଙ୍କୁ ନେଇ ଗାଆଁର ପାଞ୍ଚୋଟି ଉପସମିତି ଗଢ଼ାଯାଉଥିଲା । ବିଭିନ୍ନ ଉପସମିତି ହାତରେ ଗ୍ରାମଶାସନ ଓ ଗ୍ରାମବ୍ୟବସ୍ଥାର ବିଭିନ୍ନ ବିଭାଗମାନ ରହୁଥିଲା । କିଏ ଗାଆଁର ଫଳବଗିଚା ଦେଖୁଥିଲା ଓ ଆଉ କିଏ ଗାଆଁରେ ଥିବା ପୋଖରୀଗୁଡ଼ିକର ତତ୍ତ୍ୱାବଧାନ କରୁଥିଲା । ଆଉ ଗୋଟିଏ ଉପସମିତି ହୁଏତ ଗ୍ରାମବିବାଦର ମୀମାଂସା କରିଦେଉଥିଲା । ଜମିବାଡ଼ି ବ୍ୟବସ୍ଥା କରିବା ଏକ ଉପସମିତିର କାର୍ଯ୍ୟ ଥିଲା ବୋଲି ମଧ୍ୟ ସୂଚନା ମିଳୁଚି । ଆଉ କେଉଁ ଉପସମିତି ଗ୍ରାମମନ୍ଦିରର ରକ୍ଷଣାବେକ୍ଷଣ କରିବାର ଦାୟିତ୍ୱରେ ରହିଥିଲା ।

 

‘‘କେବଳ ଗ୍ରାମର ଶାସନ କରିବା ନୁହେଁ, ଗ୍ରାମରେ ନାନା ପ୍ରକାର ଆବଶ୍ୟକ କଲ୍ୟାଣମୂଳକ କାର୍ଯ୍ୟ କରିବା ମଧ୍ୟ ଗ୍ରାମସଭା ଓ କାଉନ୍‌ସିଲ୍‍ର କର୍ତ୍ତବ୍ୟ ଥିଲା । ଜଙ୍ଗଲ ସଫା କରିବା, ଅନାବାଦୀ ଭୂମିକୁ ଆବାଦଯୋଗ୍ୟ କରାଇବା ଏହି କର୍ତ୍ତବ୍ୟର ଅନ୍ତର୍ଗତ ହୋଇ ରହିଥିଲା । ଚୋଳରାଜ୍ୟରେ ଗ୍ରାମସଭାମାନେ ଜଳସେଚନ ଉଦ୍ଦେଶ୍ୟରେ ଗାଆଁରେ ପୋଖରୀମାନ ଖୋଳାଉଥିଲେ, ପୋଖରୀଗୁଡ଼ିକର ପୁନରୁଦ୍ଧାର ମଧ୍ୟ କରାଉଥିଲେ । ଗ୍ରାମସଭାର ନେତୃତ୍ୱରେ ଗ୍ରାମବାସୀମାନେ କିପରି ଗ୍ରାମରାସ୍ତାଗୁଡ଼ିକର ନିର୍ମାଣ ଓ ମରାମତି କରୁଥିଲେ, ବୌଦ୍ଧ ଜାତକରେ ତାହାର ଉଲ୍ଲେଖ ରହିଚି । ପାନୀୟଜଳ ଲାଗି ଉପଯୁକ୍ତ କୂପର ଖନନ କରାଯାଉଥିଲା । ଗ୍ରାମର ବ୍ୟବହାର ସକାଶେ ସଭାଘର ଓ ବିଶ୍ରାମଗୃହମାନ ନିର୍ମିତ ହେଉଥିଲା ।

 

‘‘ଗାଆଁରେ କାର୍ଯ୍ୟ କରୁଥିବା ଏହି ପ୍ରତିନିଧିମୂଳକ ସଂସ୍ଥାଗୁଡ଼ିକ କେବଳ ଯେ ଗ୍ରାମର ଭୌତିକ ବିକାଶ ଓ ସମୃଦ୍ଧି ଲାଗି କାର୍ଯ୍ୟ କରୁଥିଲେ, ତା ନୁହେଁ, ସେମାନେ ଗ୍ରାମସମାଜର ସାଂସ୍କୃତିକ ତଥା ବୌଦ୍ଧିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦେଉଥିଲେ । ବିଦ୍ୟାଶିକ୍ଷା ଓ ଶାସ୍ତ୍ର ଅଧ୍ୟୟନ ଲାଗି ଗାଆଁରେ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବା ମଧ୍ୟ ଏହି ସଭାଗୁଡ଼ିକର କାର୍ଯ୍ୟ ଥିଲା । ଦକ୍ଷିଣଭାରତର ଅନେକ ଗାଆଁରେ ବୈଦିକ ଅଧ୍ୟୟନ ଲାଗି ସ୍ୱତନ୍ତ୍ର ଅର୍ଥବୃତ୍ତି ଦେବାର ବ୍ୟବସ୍ଥା ବି ରହିଥିଲା । ଗାଆଁରେ କୂଅ-ପୋଖରୀ ଖୋଳାଇବା, ଭିକ୍ଷୁକନିବାସ ଓ ଚିକିତ୍ସାଳୟମାନ ଖୋଲିବା ଦିଗରେ ଗାଆଁର ଧର୍ମସଂସ୍ଥା ବା ଦେବାଳୟ ଗ୍ରାମ କାଉନ୍‌ସିଲ୍‌କୁ ଆର୍ଥିକ ସାହାଯ୍ୟ ଦେଉଥିଲା ।

 

‘‘ଗ୍ରାମସଭା, ଗ୍ରାମକାଉନ୍‌ସିଲ୍ ଓ ଉପସମିତିଗୁଡ଼ିକର ବୈଠକ ନିୟମିତ ଭାବରେ ବସୁଥିଲା । ଗାଆଁରେ ଥିବା ସଭାଗୃହ, ଦେବାଳୟର ପ୍ରାଙ୍ଗଣ ବା ସୁବିଧାନୁସାରେ କୌଣସି ବଡ଼ ବରଗଛ ତଳେ ଏହି ବୈଠକ ସବୁ ବସୁଥିଲା । ପ୍ରତ୍ୟେକ ଗୃହସ୍ଥ ଏହି ବୈଠକରେ ଯୋଗଦେବାକୁ ଆସୁଥିଲେ । ସାଧାରଣତଃ ପ୍ରତ୍ୟେକ ବୈଠକରେ ଦୁଇଶହରୁ ତିନିଶହ ସରିକି ବ୍ୟକ୍ତି ଯୋଗଦେଉଥିଲେ । ଗ୍ରାମଶାସନର ଏହିସବୁ ସଂସ୍ଥା ରାଜ୍ୟର କେନ୍ଦ୍ରୀୟ କର୍ତ୍ତୃତ୍ୱରୁ ସମ୍ପୂର୍ଣ୍ଣଭାବେ ମୁକ୍ତ ବା ସ୍ୱାଧୀନ ନଥିଲେ । ତଥାପି କେବଳ ସାଧାରଣ ପର୍ଯ୍ୟବେକ୍ଷଣ କରିବା ଓ ଆପଣାର ବୃହତ୍ତର କର୍ତ୍ତୃତ୍ୱ ଭିତରେ ରଖିବା ବ୍ୟତୀତ କେନ୍ଦ୍ରୀୟ ଶାସନ ଗ୍ରାମଶାସନରେ କୌଣସିପ୍ରକାର ହସ୍ତକ୍ଷେପ କରୁନଥିଲା । ଗ୍ରାମସଂସ୍ଥାଗୁଡ଼ିକ ହାତରେ ଅନେକ କ୍ଷମତା ରହିଥିଲା । ଗ୍ରାମଗୋଷ୍ଠୀର ସୁରକ୍ଷା ଲାଗି ଏହି ଗ୍ରାମସଂସ୍ଥାମାନେ ହିଁ ସକଳପ୍ରକାର ବ୍ୟବସ୍ଥା କରୁଥିଲେ, କେନ୍ଦ୍ର ସରକାରଙ୍କଠାରୁ ଖଜଣା ଆଦାୟ କରୁଥିଲେ । ସେମାନେ ଆପଣାର କର୍ମନିର୍ବାହ ଲାଗି ମଧ୍ୟ ସ୍ୱତନ୍ତ୍ର କର ବସାଉଥିଲେ, ଗ୍ରାମବିବାଦର ମୀମାଂସା କରୁଥିଲେ । ଦୁର୍ଭିକ୍ଷ ଓ ଅଭାବବେଳେ ସାଧାରଣ ସାହାଯ୍ୟପାଣ୍ଠିମାନ ସଂଗ୍ରହ କରୁଥିଲେ, ପ୍ରାଥମିକ ଓ ଉଚ୍ଚତ୍ତର ଶିକ୍ଷାଳୟମାନ ଚଳାଉଥିଲେ, ଗ୍ରାମର ଯାବତୀୟ ସାଂସ୍କୃତିକ ଓ ଧର୍ମଜୀବନଗତ ବ୍ୟବସ୍ଥା ଗୁଡ଼ିକର ରକ୍ଷଣାବେକ୍ଷଣ କରୁଥିଲେ । ଆଜି ଏଯୁଗରେ ମଧ୍ୟ ପୃଥିବୀର ବିଭିନ୍ନ ଦେଶରେ ସ୍ୱାୟତ୍ତଶାସନ-ସଂସ୍ଥାଗୁଡ଼ିକ ହାତରେ ଯେତେଯେତେ ଦାୟିତ୍ୱ ଓ କ୍ଷମତା ନ୍ୟସ୍ତ ହୋଇ ରହିଚି, ଆମ ଦେଶର ପ୍ରାଚୀନ ଗାଆଁର ସଂସ୍ଥାମାନଙ୍କ ହାତରେ ତାହାଠାରୁ ଅଧିକ ଦାୟିତ୍ୱ ଓ କ୍ଷମତାମାନ ରହିଥିଲା । ଗ୍ରାମ ଜୀବନ ଓ ଗ୍ରାମସମାଜର ସ୍ୱାର୍ଥଗୁଡ଼ିକୁ ସୁରକ୍ଷିତ କରି ରଖିବାରେ ଏବଂ ଗ୍ରାମର ଭୌତିକ, ନୀତିଗତ ଓ ବୌଦ୍ଧିକ ଜୀବନର ସମୃଦ୍ଧିସାଧନ କରିବାରେ ଏହି ସଂସ୍ଥାଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଓ ପ୍ରଶଂସାଯୋଗ୍ୟ ଅବଦାନମାନ ରହିଆସିଥିଲା ।’’

 

ଭାରତୀୟ-ବିଦ୍ୟାବିତ୍ ଶ୍ରୀ ରାଧାକୁମୁଦ ମୁଖାର୍ଜୀ (୨) କହିଚନ୍ତି ଯେ- ଋଗ୍‌ବେଦର ଉକ୍ତି ଅନୁସାରେ କେତୋଟି କୁଳ ବା ପରିବାର-ବସତିର ସମାହାରକୁ ଗ୍ରାମ ବୋଲି କୁହାଯାଉଥିଲା । ଅର୍ଥାତ୍ ଯେଉଁଠି କତୋଟି କୁଟୁମ୍ବ ଘର ତିଆରି କରି ଏକାଠି ବାସ କରନ୍ତି, ତାହାହିଁ ଗ୍ରାମ । ଯେଉଁଠି ଏହିପରି ଗ୍ରାମମାନ ନଥିଲା, ସେସବୁ ସ୍ଥାନ ଜଙ୍ଗଲ ଓ ଜଙ୍ଗଲର ପଶୁମାନଙ୍କଦ୍ୱାରା ପୂର୍ଣ୍ଣ ହୋଇ ରହିଥିଲା । ଧର୍ମସୂତ୍ରମାନଙ୍କରେ ଯେଉଁ ଲୋକଜୀବନର ଚିତ୍ରଣ କରାଯାଇଚି, ତାହା ସହରର ନୁହେଁ, ଗ୍ରାମର । ମନେହୁଏ, ସେତେବେଳେ ଗ୍ରାମ ତୁଳନାରେ ନଗର ବା ସହର ପ୍ରତି ଏକ ଅବଜ୍ଞାସୂଚକ ମନୋଭାବ ହୁଏତ ରହିଥିଲା । ଏକ ଧର୍ମସୂତ୍ରରେ ନଗରକୁ ଯିବା ବିଷୟରେ ବାରଣ ମଧ୍ୟ କରାଯାଇଚି । ବୌଧାୟନ ଋଷି ପାଦେ ଆଗକୁ ବଢ଼ିଯାଇ କହିଚନ୍ତି ଯେ, ଯେଉଁ ମଣିଷ ମାଟି ଧୂଳିରେ ଭରି ରହିଥିବା ସହରରେ ବାସ କରୁଚି, ସେ କଦାପି ମୋକ୍ଷ ଲାଭ କରି ପାରିବନାହିଁ । ମନୁସ୍ମୃତିରେ ମନୁ ଋଷି ଅଧିକାର ଦୃଷ୍ଟିରୁ ରାଜ୍ୟର ଶାସନରେ ଉତ୍ତରୋତ୍ତର କ୍ରମ ଅନୁସାରେ ନିମ୍ନଲିଖିତ ଏକକ ଗୁଡ଼ିକ ରହିଥିବାର ଉଲ୍ଲେଖ କରିଚନ୍ତି । (କ) ଗ୍ରାମ, ସବୁଠାରୁ କ୍ଷୁଦ୍ର ଏକକ, ଯାହାର ପ୍ରମୁଖ ବା ପ୍ରବନ୍ଧକକୁ ଗ୍ରାମଣୀ କୁହାଯାଉଥିଲା । (ଖ) ଦଶୋଟି ଗ୍ରାମର ସମୂହ, ଯାହାର ଅଧିକାରୀ ଦଶୀ ନାମରେ ପରିଚିତ ଥିଲା । (ଗ) କୋଡ଼ିଏଟି ଗାଆଁର ସମୂହ, ଯାହା ବିଂଶୀର ଶାସନାଧୀନ ଥିଲା । (ଘ) ଶହେଟି ଗାଆଁକୁ ନେଇ ଗଢ଼ାଯାଇଥିବା ଏକକର ପ୍ରମୁଖକୁ ଶତୀ, ଶତେଶ ବା ଶତଗ୍ରାମାଧିପତି କୁହାଯାଉଥିଲା । (ଙ) ଏକହଜାର ଗ୍ରାମ ଏକାଠି ମିଶାଇ ଶାସନର ଯେଉଁ ଏକକ ରହିଥିଲା, ସହସ୍ରେଶ ତାହାର ପ୍ରମୁଖ ହୋଇ ରହିଥିଲା ।

 

ଆଉ ଜଣେ ଐତିହାସିକ ଶ୍ରୀଯୁକ୍ତ ମଜୁମ୍‌ଦାର ମଧ୍ୟ ପ୍ରାଚୀନ ଭାରତରେ ରହିଥିବା ଗ୍ରାମସମାଜରେ ପ୍ରତିଷ୍ଠିତ ସ୍ୱାୟତ୍ତଶାସନର ଚର୍ଚ୍ଚା କରିଚନ୍ତି । (୩) ସେ କହିଚନ୍ତି ଯେ–କୌଣସି ରାଜ୍ୟ ବା ଦେଶରେ ସାଧାରଣତଃ ରାଷ୍ଟ୍ରୀୟ ସରକାରର ଯେତିକି କ୍ଷମତା ରହିଥାଏ, ଗ୍ରାମର ଆୟତନ ଭିତରେ ପ୍ରାଚୀନ ଭାରତର ଗ୍ରାମସଭା ହାତରେ ସେହି ସବୁ କ୍ଷମତା ଓ କର୍ତ୍ତୃତ୍ୱ ରହିଥିଲା-। ରାଜ୍ୟର ସଂବିଧାନରେ ଗ୍ରାମସଭାର ଅପରିହାର୍ଯ୍ୟ ଓ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ସର୍ବଜନସ୍ୱୀକୃତ ଥିଲା । ଗ୍ରାମସଭା ହାତରେ ସ୍ୱତନ୍ତ୍ର ସ୍ଥାବର ସମ୍ପତ୍ତି ରହିଥିଲା । ଏହା ହାତରେ ଗ୍ରାମର ସକଳ ବିବାଦର ମୀମାଂସା କରିବାଲାଗି ବିଚାରବିଭାଗୀୟ କ୍ଷମତାମାନ ରହିଥିଲା । ଗ୍ରାମସଭାର ତତ୍ତ୍ୱାବଧାନରେ ଗ୍ରାମବାସୀମାନଙ୍କର ବ୍ୟକ୍ତିଗତ ଅର୍ଥ, ଭୂମି ଓ ଶସ୍ୟ ଜମାହୋଇ ରହୁଥିଲା । ଗ୍ରାମସଭା ହାଟ ବସାଉଥିଲା, ଟିକସ ଆଦାୟ କରୁଥିଲା ଏବଂ କୌଣସି ସାର୍ବଜନୀନ କଲ୍ୟାଣକାର୍ଯ୍ୟ କରିବା ଉଦ୍ଦେଶ୍ୟରେ ବିଶେଷ ପାଣ୍ଠିମାନ ମଧ୍ୟ ସଂଗ୍ରହ କରୁଥିଲା । ଦରକାର ପଡ଼ିଲେ ଗ୍ରାମବାସୀମାନେ ସାମୂହିକ ହିତାର୍ଥେ ଗ୍ରାମସଭାକୁ ଶ୍ରମଦାନ କରିବାକୁ ବାଧ୍ୟ ହେଉଥିଲେ-। ଗାଆଁର ଅଧିବାସୀମାନଙ୍କ ଲାଗି ପାନୀୟଜଳର ବ୍ୟବସ୍ଥା କରିବା, ଗ୍ରାମତୋଟା ଗୁଡ଼ିକର ତତ୍ତ୍ୱାବଧାନ କରିବା, ଜଳସେଚନ ଓ ଯାତାୟାତମାର୍ଗର ବ୍ୟବସ୍ଥା କରିବା ପ୍ରଭୃତି କାର୍ଯ୍ୟ ଗ୍ରାମସଭାର ଦାୟିତ୍ୱରେ ରହିଥିଲା । ଏହି ଗ୍ରାମସଭା ହିଁ ଗ୍ରାମର ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ଗୁଡ଼ିକର ପରିଚାଳନା କରୁଥିଲା । ଗ୍ରାମସଭାର ପାଣ୍ଠିରୁ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଦାତବ୍ୟ ସଂସ୍ଥାଲାଗି ଅର୍ଥ ସାହାଯ୍ୟ ଦିଆଯାଉଥିଲା । ଗୋଟିଏ ଗ୍ରାମର ବହୁପ୍ରାଚୀନ ବିବରଣରୁ ଜଣାପଡ଼େ ଯେ ଆପଣା ଗାଆଁର ସ୍ୱାର୍ଥ ବିରୁଦ୍ଧରେ କୌଣସି ଗ୍ରାମବାସୀ କୌଣସିପ୍ରକାର କାର୍ଯ୍ୟ କରି ପାରିବେନାହିଁ ବୋଲି ଗ୍ରାମସଭାର ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏପରି ବିରୁଦ୍ଧାଚରଣ କଲେ ସେମାନେ ଗ୍ରାମଦ୍ରୋହୀ ବୋଲି ଘୋଷିତ ହେବେ ଏବଂ ମନ୍ଦିରଦର୍ଶନ କରିବା ପ୍ରଭୃତି ନାନାବିଧ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରି ରଖାଯିବ ବୋଲି ସତର୍କ କରି ଦିଆଯାଇଥିଲା-

 

ଗ୍ରାମସଭା ଆପଣାର କେତୋଟି ଉପସମିତି ଜରିଆରେ ଯାବତୀୟ କାର୍ଯ୍ୟ ଓ ଦାୟିତ୍ୱ ନିର୍ବାହ କରୁଥିଲା । ଉପସମିତିର ସଦସ୍ୟମାନଙ୍କୁ ମହାଜନ ବୋଲି କୁହାଯାଉଥିଲା । ମହାଜନମାନେ ନିମ୍ନଲିଖିତ ଉପସମିତିମାନଙ୍କରେ କାର୍ଯ୍ୟ କରୁଥିଲେ; ପୁଷ୍କରିଣୀ ଉପସମିତି, ଉଦ୍ୟାନ ଉପସମିତି, ବିଚାର ଓ ବିବାଦ ମୀମାଂସା ଉପସମିତି, ଚାଷଜମି ଉପସମିତି, ମନ୍ଦିର ଉପସମିତି, ସାଧୁସନ୍ଥମାନଙ୍କର ତତ୍ତ୍ୱାବଧାନ କରିବାର ଉପସମିତି ଇତ୍ୟାଦି ଇତ୍ୟାଦି । ଉପସମିତିଗୁଡ଼ିକ ଲାଗି ସଦସ୍ୟ ନିର୍ବାଚନ କରାଯିବା ସମୟରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରାଯାଉଥିଲା । ସଦସ୍ୟ ହେବାଲାଗି କେତେକ ସମ୍ପତ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତାକୁ ଆବଶ୍ୟକ ମନେକରାଯାଉଥିଲା । ଯଦି କୌଣସି ବ୍ୟକ୍ତି ଆଗରୁ ଥରେ କୌଣସି ଉପସମିତିର ସଦସ୍ୟ ରହିଥିଲେ, ମାତ୍ର ଆପଣାର ହିସାବ ଦେଇ ନଥିଲେ ବା ଅନ୍ୟକୌଣସି ଗର୍ହିତ କାର୍ଯ୍ୟ କରିଥିଲେ, ତେବେ କୁଟୁମ୍ବର ଅନ୍ୟମାନଙ୍କ ସହିତ ସେ ସଦସ୍ୟ ନିର୍ବାଚନରେ ପ୍ରାର୍ଥୀ ହେବାରୁ ବଞ୍ଚିତ ହେଉଥିଲେ । କାହାରି ନାମରେ କୌଣସି ଅବୈଧ ବା ଦୁର୍ନୀତିମୂଳକ ଆଚରଣର ଅପବାଦ ରହିଥିଲେ ସେ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ହେବାର ଅନୁମତି ପାଉନଥିଲେ । ନିୟମ ଅନୁସାରେ ବିଗତ ତିନିବର୍ଷ ହେଲା ଯେଉଁମାନେ ଗ୍ରାମର କୌଣସି ଉପସମିତିରେ ସଦସ୍ୟରୂପେ କାର୍ଯ୍ୟ କରିନାହାନ୍ତି, ସେହିମାନଙ୍କୁ ହିଁ ସଦସ୍ୟପଦଲାଗି ପ୍ରାର୍ଥୀ ହେବାକୁ ଅନୁମୋଦନ ମିଳୁଥିଲା । ଏହା ଫଳରେ ଗ୍ରାମର ପ୍ରାୟ ପ୍ରତ୍ୟେକ ସମର୍ଥ ବ୍ୟକ୍ତିକୁ ସଦସ୍ୟ ହେବାର ସୁଯୋଗ ଦିଆଯାଇ ପାରୁଥିଲା ଏବଂ ପ୍ରତ୍ୟେକ ଗ୍ରାମବାସୀ ଆପଣା ଗୋଷ୍ଠୀଜୀବନର ସୁଦକ୍ଷ ପରିଚାଳନା କରିବାରେ ତାଲିମ ନେଇପାରୁଥିଲେ । ସଦସ୍ୟ ପଦକୁ ପ୍ରାର୍ଥୀ ହେବାରେ କୌଣସି ଜାତିଗତ ନିଷେଧ ନଥିଲା । ଦୁର୍ନୀତି, ପକ୍ଷପାତ ଏବଂ ବ୍ୟକ୍ତି-ସ୍ୱାର୍ଥଗତ ତୋଷଣନୀତିକୁ ଏହି କ୍ଷେତ୍ରରେ କୌଣସି ପ୍ରଶ୍ରୟ ଦିଆଯାଉନଥିଲା । ଏହି ଦୃଷ୍ଟିରୁ ଶ୍ରୀଯୁକ୍ତ ମଜୁମଦାର ପୁରାତନ ତଥା ଆଧୁନିକ ଜଗତର ଯେକୌଣସି ପ୍ରଜାଶାସିତ ସମାଜ ତୁଳନାରେ ପ୍ରାଚୀନ ଭାରତର ଗ୍ରାମବ୍ୟବସ୍ଥା କୌଣସି ଗୁଣରେ କମ୍ ସମକକ୍ଷ ନଥିଲାବୋଲି ଦର୍ଶାଇଚନ୍ତି । ଗୋଟିଏ ପାଖରେ ଗ୍ରାମର ଏକକଠାରୁ ଆରମ୍ଭ କରି ଅନ୍ୟପାଖରେ ରାଜାର ଏକକ ପର୍ଯ୍ୟନ୍ତ ପ୍ରାଚୀନ ଭାରତବର୍ଷରେ ଯେପରି ସ୍ୱାୟତ୍ତଶାସନ ପ୍ରତିଷ୍ଠିତ ହୋଇ ରହିଥିଲା, ଶ୍ରୀ ମଜୁମଦାର ତାହାର ପ୍ରଶଂସା କରିଚନ୍ତି । ପ୍ରତିନିଧିମୂଳକ ଶାସନକୁ ମୂଳନୀତି ବୋଲି ଗ୍ରହଣ କରିଥିବାରୁ ପ୍ରାଚୀନ ଭାରତରେ ଏହା ସମ୍ଭବ ହୋଇଥିଲା ବୋଲି ସେ ମତ ଦେଇଚନ୍ତି । ସେ କହନ୍ତି ଯେ ଗ୍ରୀକ୍ ବା ରୋମାନ୍‌ମାନଙ୍କ ସମେତ କୌଣସି ପ୍ରାଚୀନ ଜାତି ପ୍ରତିନିଧିମୂଳକ ଶାସନକୁ ଆପଣାର ସମାଜରେ ଏତେଦୂର ବିକଶିତ କରି ପାରିନଥିଲେ ।

 

ଗ୍ରାମର ପ୍ରମୁଖ ବା ଗ୍ରାମଣୀ ବୈଦିକ ଯୁଗରେ ଏକ ସୁପରିଚିତ ଓ ସୁପ୍ରତିଷ୍ଠିତ ଅନୁଷ୍ଠାନରୂପେ ରହିଥିଲା । ବାଲ୍ମୀକିଋଷି ତାଙ୍କ ରାମାୟଣରେ ‘ଜନପଦ’ର ଉଲ୍ଲେଖ କରିଚନ୍ତି ଏବଂ ମହାଭାରତରେ ‘ଗ୍ରାମ-ସଂଘ’ର ଚର୍ଚ୍ଚା କରାଯାଇଚି । ବୌଦ୍ଧଜାତକରେ ଆମେ ‘ଗ୍ରାମସଭା’ ଶବ୍ଦଟି ବ୍ୟବହୃତ ହୋଇଥିବାର ଦେଖିବାକୁ ପାଇବା । ମନୁଋଷି ଗ୍ରାମପ୍ରମୁଖକୁ ‘ଗ୍ରାମିକ’ ବୋଲି ବର୍ଣ୍ଣନା କରିଚନ୍ତି । ଗାଆଁର ସମସ୍ୟା ସବୁକୁ ଦଶଗାଆଁର ଅଧିକାରୀ ଦଶୀପାଖରେ ନେଇ ଉପସ୍ଥାପିତ କରିବା ଗ୍ରାମିକର ଦାୟିତ୍ୱ ଥିଲା ବୋଲି ସେ ଉଲ୍ଲେଖ କରିଚନ୍ତି । ଆଇନତଃ ଗ୍ରାମଣୀ ରାଜ୍ୟର ରାଜାଙ୍କଦ୍ୱାରା ନିଯୁକ୍ତ ହେଉଥିଲା ଏବଂ ତାଙ୍କର ପ୍ରତିନିଧି ଭାବରେ ହିଁ ଯେ ଗ୍ରାମରେ କାର୍ଯ୍ୟ କରୁଥିଲା । କିନ୍ତୁ ତାହାବୋଲି ଏପରି ଅନୁମାନ କରିବା ଉଚିତ ହେବନାହିଁ ଯେ, ତାହାକୁ ଉପରୁ ଆଣି ଗ୍ରାମବାସୀଙ୍କ ଉପରେ ଲଦି ଦିଆଯାଉଥିଲା ଓ ଗ୍ରାମଣୀ ଆପଣା ଇଚ୍ଛାଅନୁସାରେ ଗ୍ରାମର ଶାସନ କରୁନଥିଲା । ଗ୍ରାମର ଗୁରୁଜନ ବା ‘ଗ୍ରାମବୃଦ୍ଧ’ ମାନଙ୍କର ପରାମର୍ଶ ଅନୁସାରେ ହିଁ ଗ୍ରାମ ଶାସନ କରୁଥିଲା । ବାହାର ଶତ୍ରୁର ଆକ୍ରମଣରୁ ଗ୍ରାମକୁ ରକ୍ଷା କରିବା ଗ୍ରାମଣୀର ପ୍ରଥମ ଓ ପ୍ରଧାନତମ ଦାୟିତ୍ୱ ଥିଲା । ଆଇନ୍ ଅନୁସାରେ ଗାଆଁରେ ସଂଗଠିତ ହୋଇ ରହିଥିବା ସ୍ୱୟଂସେବକ ଓ ପ୍ରହରୀମାନଙ୍କ ବାହିନୀ ଉପରେ ସେ ସଂଚାଳକ ରୂପେ କାର୍ଯ୍ୟ କରୁଥିଲା । ଦ୍ୱିତୀୟତଃ ଗ୍ରାମବାସୀଙ୍କଠାରୁ ସେ ରାଜ୍ୟର କର ଆଦାୟ କରୁଥିଲା ଏବଂ ତାହାର ବିଧିବଦ୍ଧ ହିସାବ ଓ ବିବରଣମାନ ରଖୁଥିଲା । ଗ୍ରାମବୃଦ୍ଧ ତଥା ଗ୍ରାମବାସୀମାନେ ତାହାର କାର୍ଯ୍ୟରେ ଯଥାସମ୍ଭବ ସହଯୋଗ କରୁଥିଲେ ।

 

ବୌଦ୍ଧଶାସ୍ତ୍ରମାନଙ୍କରେ ଗ୍ରାମକୁ ଗ୍ରାମ, ନିଗମ, କୁଳ ଓ ନଗରକ ପ୍ରଭୃତି ନାମଦ୍ୱାରା ବର୍ଣ୍ଣନା କରାଯାଇଚି । ଜୈନଗ୍ରନ୍ଥରେ ଘୋଷ, ଖେତ, ଖର୍ବତ, ଗ୍ରାମ, ପଲ୍ଲୀ, ପଟ୍‌ଟଣ, ସଂବାହ, ନଗର, ମାତମ୍ବ ପ୍ରଭୃତି ଶବ୍ଦ ଗ୍ରାମର ପ୍ରତିଶବ୍ଦରୂପେ ବ୍ୟବହୃତ ହୋଇଚି । ବୌଦ୍ଧଜାତକ ଅନୁସାରେ ସାଧାରଣ ଆକାରର ଏକ ଗ୍ରାମରେ ହାରାହାରି ପ୍ରାୟ ଏକ ହଜାର ପର୍ଯ୍ୟନ୍ତ ଲୋକ ବାସ କରୁଥିଲେ । ଗାଆଁର ନିବାସଗୁଡ଼ିକ ପରସ୍ପର ସହିତ ଅତି ଲଗାଲଗି ହୋଇ ତିଆରି ହେଉଥିଲା । ତେଣୁ ଅକସ୍ମାତ କୌଣସି ଗୋଟିଏ ଘରେ ନିଆଁ ଲାଗିଗଲେ ଅତି ସହଜରେ ତାହା ସମସ୍ତ ଗାଆଁରେ ବ୍ୟାପିଯିବାର ଭୟ ରହିଥିଲା । ଏହି ବସତିଗୁଡ଼ିକର ଚାରିପାଖରେ ଏକ ପାଚେରୀ ବୁଲିଥିଲା ଏବଂ ବାହାରକୁ ଯିବାଲାଗି ପାଚେରୀରେ ଯେଉଁ ଫାଟକ ଥିଲା ତାହାକୁ ଗ୍ରାମଦ୍ୱାର ବୋଲି କୁହାଯାଉଥିଲା । ପାଚେରୀ ବାହାରକୁ ଗାଆଁର ବଗିଚା ଓ ତୋଟା । ତା ସେପାଖକୁ ‘ଗ୍ରାମକ୍ଷେତ୍ର’ ଅର୍ଥାତ୍ ଚାଷଜମିମାନ ରହିଥିଲା । ଜଙ୍ଗଲ ସଫା କରି ନୂଆ ଜମିର ଆବାଦ କରାଯାଉଥିଲା । ଚାଷଜମି ସେପାଖକୁ ଗାଆଁର ଗୋଚର ରହିଥିଲା । ଗୋଚର ସମସ୍ତ ଗାଆଁର ସାଧାରଣ ସମ୍ପତ୍ତି ଥିଲା । ଏଥିରେ ରାଜା ପ୍ରଜା ସମସ୍ତଙ୍କର ଗୋରୁ ଅବାଧରେ ଚରିପାରୁଥିଲେ । ଗାଆଁର ସବୁ ଗୋରୁଙ୍କୁ ଚରାଇବାକୁ ସମସ୍ତେ ମିଶି ଯେଉଁ ବ୍ୟକ୍ତିକୁ ନିଯୁକ୍ତ କରୁଥିଲେ, ଜାତକରେ ତାହାକୁ ‘ଗୋପାଳକ’ ବୋଲି କୁହାଯାଇଚି । ଗାଆଁର ଚାଷଜମି ଉପରେ ଗ୍ରାମବାସୀଙ୍କର ବ୍ୟକ୍ତିଗତ ମାଲିକାନା ରହିଥିଲା । ଜଳସେଚନ ବ୍ୟବସ୍ଥା ସମ୍ମିଳିତ ଭାବରେ ହେଉଥିଲା ବୋଲି ଅନେକ ସୂଚନା ମିଳୁଚି । ଦକ୍ଷିଣ ଭାରତରେ ମିଳିଥିବା ଏକ ପ୍ରାଚୀନ ଲିପିକା ଅନୁସାରେ ଗାଆଁମାନଙ୍କରେ ସାଧାରଣ ସମ୍ପତ୍ତି ହିସାବରେ କେତୋଟି ତନ୍ତ ମଧ୍ୟ ରହିଥିଲା । ଯେଉଁ ତନ୍ତୀମାନେ ଏହିସବୁ ତନ୍ତରେ ଗ୍ରାମବାସୀମାନଙ୍କ ପାଇଁ ଆବଶ୍ୟକ କପଡ଼ା ବୁଣି ଦେଉଥିଲେ, ସାଧାରଣ ଗ୍ରାମପାଣ୍ଠିରୁ ସେମାନଙ୍କୁ ପାରିଶ୍ରମିକ ଦିଆଯାଉଥିଲା । ଊନବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ମଧ୍ୟ ମାନ୍ଦ୍ରାଜ ଅଞ୍ଚଳର ଗ୍ରାମମାନଙ୍କରେ ନିମ୍ନଲିଖିତ କର୍ମଚାରୀ ଓ ସେବାୟତମାନେ ରହିଥିବାର ପ୍ରମାଣ ମିଳେ--।।୧।। ଗାଆଁର ପ୍ରମୁଖ-ଗ୍ରାମର ସମଗ୍ର ରକ୍ଷଣାବେକ୍ଷଣ ଓ ତତ୍ତ୍ୱାବଧାନର ଦାୟିତ୍ୱରେ ଥିଲେ, ଖଜଣା ଆଦାୟ କରୁଥିଲେ, ଗ୍ରାମରକ୍ଷା କରୁଥିଲେ ଓ ଗ୍ରାମକଳହଗୁଡ଼ିକର ମୀମାଂସା କରୁଥିଲେ । ।।୨।। ହିସାବରକ୍ଷକ,-ଚାଷବାସର ସକଳପ୍ରକାର ହିସାବ ରଖୁଥିଲେ । ଗାଆଁର ଯାବତୀୟ କାଗଜପତ୍ର ତାଙ୍କରି ପାଖରେ ରହୁଥିଲା । ।।୩।। ଗ୍ରାମ-ଚୌକିଦାର,-ଗ୍ରାମରେ ହେଉଥିବା ଅପରାଧ ଓ ଅବୈଧ ଆଚରଣାଦି ବିଷୟରେ ଅବହିତ ରହୁଥିଲେ, ପଥିକମାନଙ୍କର ନିରାପତ୍ତା ପ୍ରତି ଦୃଷ୍ଟି ଦେଉଥିଲେ । ଗାଆଁର ଫସଲ ଯେପରି ନଷ୍ଟ ବା ଅପହୃତ ହୋଇ ନଯାଏ, ସେଥିଲାଗି ନିୟମିତ ପହରା ଦେଉଥିଲେ । ।।୪।। ସୀମାରକ୍ଷକ,-ଗାଆଁର ସରହଦ ବିଷୟରେ ସବୁପ୍ରକାର ତଥ୍ୟ ଓ ବିବରଣୀ ସଂଗ୍ରହ କରି ରଖୁଥିଲେ ଓ ଗାଆଁ ଗାଆଁ ଭିତରେ ସୀମା ବିବାଦ ଲାଗିଲେ ସେ ଆପଣା ଗାଆଁ ତରଫରୁ ସାକ୍ଷ୍ୟପ୍ରମାଣ ଦେବାକୁ ଯାଉଥିଲେ । ।।୫।। ପୁଷ୍କରିଣୀ ଓ ଜଳାଧାର ଗୁଡ଼ିକର ତତ୍ତ୍ୱାବଧାରକ, ଗ୍ରାମରେ ଜଳସେଚନ ସମ୍ବନ୍ଧୀୟ ସକଳ ବ୍ୟବସ୍ଥା କରୁଥିଲେ । ।।୬।। ପୁରୋହିତ,-ଗାଆଁ ମନ୍ଦିରରେ ପୂଜାନୁଷ୍ଠାନମାନ କରୁଥିଲେ ଓ ।।୭।। ଗ୍ରାମଶିକ୍ଷକ,-ଗାଆଁର ପିଲାମାନଙ୍କୁ ଲେଖାପଢ଼ା ଶିଖାଉଥିଲେ । ଏହି କେତେଜଣଙ୍କୁ ଛାଡ଼ି ଦେଲେ ଗାଆଁର ଜ୍ୟୋତିଷ, କମାର, ବଢ଼େଇ, ଧୋବା, ଭଣ୍ଡାରି, ବୈଦ୍ୟ, ଗୋପାଳକ, ଗାୟକ ଓ କବି ମଧ୍ୟ ରହିଥିଲେ । ଏମାନଙ୍କର ଜୀବନଭରଣ ସକାଶେ ଗ୍ରାମବାସୀମାନଙ୍କ ତରଫରୁ ଏମାନଙ୍କୁ ନିଃଶୁଳ୍‌କ ଜମି ଚାଷ କରିବାକୁ ମିଳୁଥିଲା ବା ଫସଲ ଅମଳ ସମୟରେ ଏମାନେ ପ୍ରତ୍ୟେକ ଚାଷୀର ଖଳାରୁ କିଛି କିଛି ଫସଲ ପାଉଥିଲେ । (୪)

 

ମୋଟ କଥା ହେଉଚି, ପ୍ରାଚୀନ ଭାରତର ଗାଆଁ ଗୁଡ଼ିକ ପ୍ରଧାନତଃ ଗୋଟିଏ ଗୋଟିଏ ସ୍ୱୟଂଶାସିତ ଅନୁଷ୍ଠାନ ପରି ରହିଆସିଥିଲା । ଗାଆଁର ଶାସନ ଉପରେ କେନ୍ଦ୍ରୀୟ ଶାସନ ସେପରି କୌଣସି ହସ୍ତକ୍ଷେପ କରୁନଥିଲା । ଗାଆଁର ସମୁଦାୟ ହିଁ ଆପଣା ଗାଆଁର ଶାସନ ଓ ପରିଚାଳନା କରୁଥିଲା । ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏହି ଗାଆଁ ଗୁଡ଼ିକ ସ୍ୱାବଲମ୍ବୀ ହୋଇ ରହିଥିଲେ । ଅର୍ଥାତ୍ ଖାଦ୍ୟ, ବସ୍ତ୍ର ଓ ଜୀବନଭରଣର ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଲାଗି କୌଣସି ଗାଆଁକୁ ଗାଆଁବାହାର ପୃଥିବୀ ଉପରେ ନିର୍ଭର କରିବାକୁ ପଡ଼ୁନଥିଲା । ଏସବୁ ପଦାର୍ଥ ଗାଆଁରେ ହିଁ ଉତ୍ପନ୍ନ ହେଉଥିଲା । ଆର୍ଥିକ ସ୍ୱାବଲମ୍ବନ ପ୍ରତ୍ୟେକ ଗାଆଁକୁ ଗୋଟିଏ ଗୋଟିଏ ସ୍ୱାଧୀନ ଜନବସତି ରୂପେ ପରିଣତ କରି ରଖିଥିଲା । କମ୍ୟୁନିଟି ବା ମଣିଷ-ସମୁଦାୟକୁ ଜଣେ ବୈଜ୍ଞାନିକ ସ୍ୱାଧୀନ ସମୁଦାୟ ଓ ନିର୍ଭରଶୀଳ ସମୁଦାୟ, ଏପରି ଦୁଇଟି ଶ୍ରେଣୀରେ ବିଭକ୍ତ କରିଚନ୍ତି । ନିର୍ଭରଶୀଳ ସମୁଦାୟକୁ ଆପଣା ସାମୂହିକ ଜୀବନର ନାନା ପ୍ରସଙ୍ଗରେ ବୃହତ୍ତର ଜଗତର ଆହୁରି ଅନେକ ସମୁଦାୟ ଉପରେ ନିର୍ଭର କରିବାକୁ ପଡ଼େ । ଏହି ସମୁଦାୟ ଭିତରେ ସାଧାରଣତଃ ବହୁସଂଖ୍ୟକ ଲୋକ ବାସ କରୁଥାନ୍ତି । ଏହି ସମାଜର ଜୀବନରେ ଯନ୍ତ୍ରଶିଳ୍ପ ଅନେକ ପରିମାଣରେ ବିକଶିତ ହୋଇସାରିଥାଏ । ଅପରପକ୍ଷରେ ସ୍ୱାଧୀନ ସମୁଦାୟଗୁଡ଼ିକ ଜୀବନର ଅନେକ କ୍ଷେତ୍ରରେ ସ୍ୱାବଲମ୍ବୀ ଭାବରେ ଚଳୁଥାନ୍ତି ଅର୍ଥାତ୍ ଆପଣା ଆବଶ୍ୟକତାମାନ ପୂରଣ କରିବାରେ ବାହାର ଜଗତ ଉପରେ ଖୁବ ବେଶୀ ନିର୍ଭର କରୁନଥାନ୍ତି । ଏହି ସବୁ ସମୁଦାୟରେ ଅପେକ୍ଷାକୃତ କମ୍ ଲୋକ ବାସ କରୁଥାନ୍ତି । ଏହି ସମୁଦାୟରେ ଯନ୍ତ୍ରଶିଳ୍ପର ଖୁବ ବେଶୀ ବିକାଶ ହୋଇନଥାଏ ଏବଂ ନାନା ଦୃଷ୍ଟିରୁ ଦେଖିଲେ ସ୍ୱାଧୀନ ସମୁଦାୟ ବୃହତ୍ତର ଜଗତଠାରୁ ବିଚ୍ଛିନ୍ନ ହୋଇ ରହିଥାଏ । (୫)

 

ପ୍ରାଚୀନ ଭାରତର ଗ୍ରାମସମାଜ ଓ ପାରମ୍ପରିକ ଭାରତୀୟ ସ୍ୱାୟତ୍ତଶାସନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାଲାଗି ଆମେ ଏଥର ଐତିହାସିକମାନଙ୍କୁ ଛାଡ଼ି ଅନ୍ୟମାନଙ୍କ ପାଖକୁ ଆସିବା । ଏ କଥାରେ କୌଣସି ସନ୍ଦେହ ନାହିଁ ଯେ ଭାରତୀୟ ଗ୍ରାମ ଓ ତାହାର ଜନତାନ୍ତ୍ରିକ ଶାସନ ବିଷୟରେ ଐତିହାସିକମାନେ ଅନେକ କ୍ଷେତ୍ରରେ ଅତିରଞ୍ଜନ କରି ପକାଇଚନ୍ତି । ଅନେକ ସମୟରେ ସେମାନେ ବିଷୟଟିର ବାସ୍ତବ ଗଭୀରତାକୁ ନଯାଇ ଉପରେ ବେଶ୍ ଭାବପ୍ରବଣତା ଦେଖାଇଚନ୍ତି । ଭାରତୀୟ ଗାଆଁରେ ସେକାଳର ସ୍ୱାୟତ୍ତଶାସନ ଯେଡ଼େ ଚମତ୍କାର ଭାବରେ ବିକଶିତ ହୋଇଥାଉ ପଛକେ, ଭାରତୀୟ ସମାଜର ଜାତିଭେଦ–ବ୍ୟବସ୍ଥା ତାହାର ବିକାଶରେ ନିଶ୍ଚୟ ସବୁଠାରୁ ବଡ଼ ଅନ୍ତରାୟରୂପେ ରହିଆସିଥିଲା । ଜାତିଭେଦ ଓ ଜନତାନ୍ତ୍ରିକ ଶାସନ ଯେଉଁଠି ଏକାଠି ଗୋଟିଏ ସମାଜରେ ବାସ କରିବାର ଉଦ୍ୟମ କରନ୍ତି, ସେଠାରେ ଜନତାନ୍ତ୍ରିକ ଶାସନ ପଛକୁ ହଟିଯାଏ ଏବଂ ଜାତିଭେଦର ଅସ୍ୱାଭାବିକତା ଓ ଅନ୍ୟାୟମାନ କ୍ରମେ ସବୁ ଗ୍ରାସ କରିଦେବାକୁ ବାହାରେ । ବର୍ତ୍ତମାନ ଭାରତବର୍ଷରେ ଅନେକ ସ୍ଥଳରେ ଆଜି ଏହାହିଁ ହେଉଚି, ଏହି ଦେଶର ପ୍ରାଚୀନ ଯୁଗରେ ମଧ୍ୟ ଠିକ୍ ଏହାହିଁ ଘଟିଥିବ । ପୁରାତନ ଇତିହାସରୁ ଏକଥାର ମଧ୍ୟ ସୂଚନା ମିଳିଥାଏ ଯେ ଅନେକ ସମୟରେ ଗୋଟିଏ ଗ୍ରାମଗୋଷ୍ଠୀ ଭିତରେ ବାସ କରୁଥିବା ଉଚ୍ଚଜାତି ଓ ନୀରସ ଜାତିମାନେ ଗୋଟିଏ ସଂଗଠନ ତଳେ ଏକାଠି ହୋଇ ପାରୁନଥିଲେ ଏବଂ ଏହି ଅଡ଼ୁଆର ସମାଧାନ କରିବାକୁ ଗୋଟିଏ ଗ୍ରାମରେ ଦୁଇଟି ଗ୍ରାମସଭାର ଭିଆଣ କରିବାକୁ ପଡ଼ୁଥିଲା–ଗୋଟିଏ ସବର୍ଣ୍ଣମାନଙ୍କ ପାଇଁ ଓ ଆଉ ଗୋଟିଏ ସବର୍ଣ୍ଣେତର ଜାତିମାନଙ୍କ ପାଇଁ । ଏମାନେ ପରସ୍ପର ସହିତ କୌଣସିପ୍ରକାର ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେଉନଥିଲେ, ମାତ୍ର ଜାତିଭେଦ ଓ ଉଚ୍ଚନୀଚ-ବିଚାରକୁ ମୂଳନୀତି ବୋଲି ମାନିନେଲେ ସହଅସ୍ତିତ୍ୱର ମାର୍ଗ ଅନୁସରଣ କରୁଥିଲେ । ଜାତିଭେଦ ଉପରେ ପର୍ଯ୍ୟବସିତ ହୋଇ କୌଣସି ଗାଆଁରେ ଏକାବେଳକେ ଦୁଇଟି ଗ୍ରାମସଭା ଚାଲିଲେ ଆମେ ତାହାକୁ କେତେଦୂର ଜନତାନ୍ତ୍ରିକ ଶାସନର ବିକାଶ ବୋଲି କହିବା, ତାହା ଏଠାରେ ବିଚାର କରିବାର କଥା ।

 

ଜାତୀୟତା ଓ ଜାତୀୟ ଗୌରବଗାନର କଳ୍ପୋଳିତ ଯୁଗ ପରେ ଏବେ ମଧ୍ୟ ପ୍ରାଚୀନ ଭାରତର ଗ୍ରାମ ଓ ସେତେବେଳେ ପ୍ରଚଳିତ ସ୍ୱାୟତ୍ତଶାସନ ବିଷୟରେ କେତୋଟି ଅଧ୍ୟୟନ ହୋଇଚି । ପ୍ରାଚୀନ ଭାରତରେ ଏହି ଗ୍ରାମସଭା ଓ ଗ୍ରାମପଞ୍ଚାୟତମାନେ ପ୍ରକୃତରେ କେତେ ବିସ୍ତୃତ ଭାବରେ ଥିଲେ ବା ନଥିଲେ, ଏଗୁଡ଼ିକ ଆମ ଦେଶର ରାଜନୀତିକ ପରମ୍ପରାରେ ସ୍ଥାୟୀ ଭାବରେ ରହିଆସିଥିଲେ ବା ଏକ ବ୍ୟତିକ୍ରମ ପରି ଭାରତବର୍ଷର କାଁ ଭାଁ କେତୋଟି ଜାଗାରେ ମାତ୍ର ଅଳ୍ପ କେତେବର୍ଷ ଲାଗି ଥିଲେ, ଏବେ ହୋଇଥିବା ଅଧ୍ୟୟନଗୁଡ଼ିକରେ ଏହି ବିଷୟରେ ଅନେକ ମତଭେଦ ଦେଖାଦେଇଚି । (୬) ତଥାପି ଆମେ ଏତିକି ନିଶ୍ଚିତଭାବରେ କହିପାରିବା ଯେ ପ୍ରାଚୀନ ଭାରତୀୟ ଗ୍ରାମସମାଜରେ ଗ୍ରାମସଭା ବା ଗ୍ରାମପଞ୍ଚାୟତ ଏକ ପ୍ରଧାନ ଅନୁଷ୍ଠାନରୂପେ କାର୍ଯ୍ୟକରି ଆସୁଥିଲା । ସେତେବେଳର ଗାଆଁ ଆର୍ଥିକ ଦୃଷ୍ଟିରୁ ପ୍ରଧାନତଃ ସ୍ୱାବଲମ୍ବୀ ହୋଇ ରହିଥିଲା । ବାହାର ପୃଥିବୀ ଉପରେ ସେ ଖୁବ୍ ବେଶୀ ନିର୍ଭର କରୁନଥିଲା ବା ବାହାର ପୃଥିବୀ ସହିତ ତାହାର ଖୁବ ବେଶୀ ସମ୍ପର୍କ ମଧ୍ୟ ନଥିଲା । କେନ୍ଦ୍ରର ବା ରାଜ୍ୟର ଶାସନ ଗ୍ରାମର ଶାସନ ଉପରେ ଖୁବ୍ ବେଶୀ ହସ୍ତକ୍ଷେପ କରୁନଥିଲା । କିନ୍ତୁ ଏହି ସ୍ୱତନ୍ତ୍ରତା ବା ସ୍ୱୟଂସମ୍ପୂର୍ଣ୍ଣତା ବେଶୀ ଦିନ ରହିଲାନାହିଁ । ଭାରତବର୍ଷ ଉପରେ କେତେ ବହିଃଶତ୍ରୁର କେତେ କେତେ ଆକ୍ରମଣ ହେଲା । ଏହାର ଆଘାତ କ୍ରମେ ଗ୍ରାମଉପରେ ମଧ୍ୟ ଲାଗିଲା । ଗ୍ରାମପଞ୍ଚାୟତର ସ୍ୱତନ୍ତ୍ରତା କ୍ରମେ କ୍ଷୁର୍ଣ୍ଣ ହେବାକୁ ଲାଗିଲା । ମୋଗଲ ଅମଳରେ କେନ୍ଦ୍ରସରକାର ପ୍ରଧାନତଃ ଖଜଣାଆଦାୟ ଓ ଶାନ୍ତିରକ୍ଷା ସମୟରେ ଗାଆଁ ଓ ଗ୍ରାମସଭାକୁ ଲୋଡ଼ୁଥିଲେ । ତଥାପି ଗ୍ରାମସଭାର ଅନେକ ବିଚାରବିଭାଗୀୟ କ୍ଷମତା କ୍ରମେ କାଟି ନିଆଗଲା । ତା’ପରେ ସାମନ୍ତରାଜାମାନଙ୍କ ଅମଳରେ ପଞ୍ଚାୟତ ଆହୁରି ଦୁର୍ବଳ ହୋଇପଡ଼ିଲା । ଯେତିକି ବଳ ତଥାପି ଅବଶିଷ୍ଟ ରହିଥିଲା, ବ୍ରିଟିଶ ଶାସନ ଫଳରେ ସେତକ ମଧ୍ୟ କ୍ରମେ ଲୁପ୍ତ ହୋଇଗଲା । ପୂର୍ବ ପରମ୍ପରାଗତ ସ୍ୱାୟତ୍ତଶାସନର କଙ୍କାଳମାନ ହିଁ ବାକି ରହିଲା । ଭାରତୀୟ ସାମାଜିକ ବିବର୍ତ୍ତନର ଜଣେ ଇଂରାଜୀ ଗବେଷକ କହିଚନ୍ତି ଯେ ଖ୍ରୀଷ୍ଟ ଷଷ୍ଠ ଓ ନବମ ଶତାବ୍ଦୀ ମଧ୍ୟରେ ହୁଏତ ଏକ ପର୍ଯ୍ୟାୟରେ ଭାରତବର୍ଷର ଗାଆଁରେ ଗ୍ରାମପଞ୍ଚାୟତ ଏକ ପ୍ରଭାବଶାଳୀ ଓ ଜୀବନ୍ତ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା । ମାତ୍ର ଏହା ଭାରତର ସବୁ ଅଞ୍ଚଳରେ ନୁହେଁ, କେବଳ କେତେକ ଅଞ୍ଚଳରେ ରହିଥିଲା । ସେସବୁ ଅଞ୍ଚଳର ଗାଆଁରେ ପଞ୍ଚାୟତ ଉପରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ଓ କ୍ଷମତାମାନ ନ୍ୟସ୍ତ କରାଯାଇଥିଲା । କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରେ ରହିଥିବା ତଥାକଥିତ ପଞ୍ଚାୟତଗୁଡ଼ିକୁ ଆମେ ଗାଆଁର ପୁରୁଖା ଲୋକଙ୍କର ଏକ ମାମୁଲି କମିଟି ବ୍ୟତୀତ ଅଧିକ କିଛି କହିପାରିବା ନାହିଁ । ବ୍ରିଟିଶ ଶାସନ ପ୍ରବର୍ତ୍ତନ ହେବାର ବହୁବର୍ଷ ପୂର୍ବରୁ ଭାରତବର୍ଷର ଅନେକ ଅଞ୍ଚଳରୁ ଗ୍ରାମପଞ୍ଚାୟତ ବିଲୁପ୍ତ ହୋଇଯାଇଥିଲା ।

 

ଇଂରେଜ ବଡ଼ଲାଟ ଲର୍ଡ଼ ରିପନ୍ ପ୍ରଧାନତଃ ଆପଣାର ବ୍ୟକ୍ତିଗତ ଆଗ୍ରହଦ୍ୱାରା ପ୍ରେରିତ ହୋଇ ଭାରତୀୟ ସ୍ୱାୟତ୍ତଶାସନ-ପରମ୍ପରାର ପୁନରୁଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ୧୮୮୨ ମସିହାରେ ଆପଣାର ଏକ ପ୍ରସ୍ତାବ ଦ୍ୱାରା ସେ ଭାରତର ଗାଆଁ ମାନଙ୍କରେ ସ୍ୱାୟତ୍ତଶାସନମୂଳକ ଅନୁଷ୍ଠାନମାନ ଗଢ଼ିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ରିପନ୍‌ଙ୍କ କାର୍ଯ୍ୟକଳାପରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ତାଙ୍କର ପରବର୍ତ୍ତୀମାନେ କୌଣସି ସହଯୋଗ ଦେଖାଇନଥିଲେ । ତା’ପରେ ଏ ଦିନରେ ଆଉ କୌଣସି ଉଦ୍ୟମ ବା ଅଗ୍ରଗତି ହୋଇନଥିଲା । ୧୯୧୧ ମସିହାର ଜନଗଣନା ଅନୁସାରେ ବମ୍ବେ ଓ ସଂଯୁକ୍ତ ପ୍ରଦେଶରୁ ଗ୍ରାମପଞ୍ଚାୟତର ପ୍ରାଚୀନ ସଂସ୍ଥା ସମୂଳେ ବିଲୁପ୍ତ ହୋଇଯାଇଚି ବୋଲି ଜଣାପଡ଼ିଲା । ସେତେବେଳେ ଏହି ଦୁଇଟି ପ୍ରଦେଶରେ କେବଳ ଜାତିଆଣ ପଞ୍ଚାୟତମାନ ରହିଥିଲା, ସମସ୍ତ ଗ୍ରାମର ପ୍ରତିନିଧିତ୍ୱ କରି କୌଣସି ଅନୁଷ୍ଠାନ ନଥିଲା । ୧୯୧୨ ମସିହାରେ ପଞ୍ଚାୟତ ଗୁଡ଼ିକରେ ପୁଣି ନୂତନ ଶକ୍ତି ସଞ୍ଚାର କରିବାକୁ ସରକାରୀ ଯୋଜନା ହୋଇଥିଲା, ମାତ୍ର ଗ୍ରାମବାସୀଙ୍କର ସହାନୁଭୂତିର ଅଭାବରୁ ଏହି ଯୋଜନାଟି ମଧ୍ୟ ବିଫଳ ହୋଇଗଲା ।

 

୧୯୩୫ର ଭାରତ ଶାସନ-ଆଇନ ଅନୁସାରେ ପ୍ରାଦେଶିକ ସ୍ୱତନ୍ତ୍ରତା ମିଳିଲା ଓ ଗ୍ରାମପଞ୍ଚାୟତ ପ୍ରଭୃତି ସ୍ୱାୟତ୍ତଶାସନ-ଅନୁଷ୍ଠାନଗୁଡ଼ିକୁ ପୁଣି ଗଠନ କରିବାର ମସୁଧା ହୋଇଥିଲା । କିନ୍ତୁ ଗାଆଁ ସମାଜର ସଂଗଠନଟି ଆଉ ତାହାର ପୂର୍ବଶକ୍ତି ଫେରିପାଇଲା ନାହିଁ । ଗ୍ରାମପଞ୍ଚାୟତ ଗାଆଁ ସ୍ତରରେ ସରକାରଙ୍କର ଏକ ବୋଲକରା ହୋଇ ରହିଲା । ବ୍ରିଟିଶ ଅମଳରେ ଗାଆଁ-ପଞ୍ଚାୟତର ସରପଞ୍ଚ ପ୍ରଧାନତଃ ବ୍ରିଟିଶ୍ ସରକାର ଓ ଗ୍ରାମସମାଜ ମଧ୍ୟରେ ଯୋଗସୂତ୍ର ହୋଇ ରହିଥିଲେ । ଗାଆଁ ଚୌକିଦାର ସାହାଯ୍ୟରେ ସେ ଗ୍ରାମରେ ଶାନ୍ତିରକ୍ଷା କରୁଥିଲେ । ବେଳେବେଳେ ଅବସ୍ଥା ଆପଣା ଅକ୍ତିଆରର ବାହାରକୁ ଚାଲିଗଲେ ସେ ଥାନାରେ ଯାଇ ଖବର ଦେଉଥିଲେ । ଇଂରେଜ ସରକାରଙ୍କର ଦରବାର ବସୁଥିବାବେଳେ ନାନାପ୍ରକାର କାର୍ଯ୍ୟକ୍ରମରେ ବେଠି ଖଟିବାକୁ ତାଙ୍କୁ ଗାଆଁ ଲୋକଙ୍କୁ ତିଆରି ରଖିବାକୁ ପଡ଼ୁଥିଲା । ଗାଆଁକୁ ଛାଡ଼ିଦେଲେ ଉପରେ ଅନ୍ୟ କୌଣସି ସ୍ତରରେ କୌଣସି ଲୋକପ୍ରତିନିଧିମୂଳକ ଅନୁଷ୍ଠାନ ସେତେବେଳେ ନଥିଲା । (୭)

 

ଗ୍ରାମ-ସଭା ଓ ଗ୍ରାମପଞ୍ଚାୟତ ସମେତ ଗ୍ରାମଗୋଷ୍ଠୀ କହିଲେ ଭାରତୀୟ ପାରମ୍ପରିକ ସମାଜର ଯେଉଁ ଜୀବନରୀତିକୁ ବୁଝାଇଥାଏ, ଆଗରୁ କୁହାଯାଇଚି ବ୍ରିଟିଶ ଶାସନର ପ୍ରତିଷ୍ଠା ହେବାପର୍ଯ୍ୟନ୍ତ ଭାରତବର୍ଷରେ ତାହା ଅଳ୍ପ ବହୁତ ବଞ୍ଚି ରହିଥିଲା । ବ୍ରିଟିଶ ବା ଇଉରୋପୀୟମାନେ ଭାରତକୁ ହାଟ ଓ ଉପନିବେଶ ଖୋଜି ଆସିବା ପୂର୍ବରୁ ଏହି ଦେଶକୁ ବାହାରୁ କେତେବେଳେ ଜାତି ଆସିଥିଲେ । ସିକନ୍ଦରଙ୍କ ସମୟଠାରୁ ଆରମ୍ଭ କରି ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ କେତେକେତେ ଲୁଣ୍ଠନକାରୀ ଏଦେଶକୁ ଆସିଥିଲେ । ଶକ, ହୁନ୍, ପଠାଣ, ମୋଗଲ କେତେ ଜାତି ଆସିଥିଲେ । ଆସିଲାବେଳେ ଏମାନେ ରାଜ୍ୟ ଜୟ ବା ରାଜ୍ୟ ଲୁଣ୍ଠନ କରିବାକୁ ଆସିଥିଲେ ସତ, ମାତ୍ର ସେମାନେ ଏହି ଦେଶରେ ସ୍ଥାୟୀ ବାସିନ୍ଦା ହୋଇ ରହିଗଲେ, ଏହି ଦେଶର ଜୀବନ ବସତି ସହିତ ମିଶିଗଲେ, ଏହି ଦେଶକୁ ଆପଣାର କରିନେଲେ । ଯିଏ ଯେତେ ଭେକ, ନାମ ଓ ରୂପ ନେଇ ଆସିଥିଲା ପଛକେ, ସେ କ୍ରମେ ଆପଣାକୁ ଭାରତୀୟ ବୋଲି ଚିହ୍ନି ଓ ଅନୁଭବ କରି ଶିଖିଲା । କିନ୍ତୁ ବ୍ରିଟିଶ ଔପନିବେଶିକତା ଦ୍ୱାରା ଏକ ଅନ୍ୟପ୍ରକାର ଘଟଣା ଘଟିଥିଲା । ବ୍ରିଟିଶଜାତି ଏହି ଦେଶରେ ବାଣିଜ୍ୟ କରିବାକୁ ଆସିଥିଲେ । ଆପଣାର ଅଧିକ ଶକ୍ତିବଳରେ ସେମାନେ ଭାରତଭୂଇଁରେ ଆଗ ଅନ୍ୟ ଇଉରୋପୀୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଜୟକଲେ, ତା’ପରେ ଭାରତୀୟ କ୍ଷେତ୍ରଗୁଡ଼ିକୁ ମଧ୍ୟ ଖଣ୍ଡ ଖଣ୍ଡ କରି ଦଖଲ କରିନେଲେ । କିନ୍ତୁ ଭାରତବର୍ଷକୁ ସେମାନେ ଆପଣାର ଦେଶ ବୋଲି ଆଦରି ନେଲେନାହିଁ, ଏହାକୁ ଆପଣା ସେବାକାରୀ ସାମ୍ରାଜ୍ୟର ଏକ ଅଂଶମାତ୍ର କରି ରଖିଲେ । ମୋଗଲ ବା ମୁସଲମାନ ଶାସନରେ ଶାସକ ଭାରତୀୟ ଥିଲା, କିନ୍ତୁ ବ୍ରିଟିଶ୍ ଅମଳରୁ ଏକ ବିଦେଶୀ ଶାସକ ଭାରତବର୍ଷକୁ ଏକ ଉପନିବେଶ ପରି ଶାସନ କରିବାକୁ ଲାଗିଲା । ଇଂରେଜମାନେ ଏହି ଦେଶକୁ ଆପଣାର ସ୍ଥାୟୀ ବାସସ୍ଥାନ କରିବାର କଳ୍ପନା କରିନଥିଲେ । ଅସଲ ଦେଶ ତ ଇଂଲଣ୍ଡ ବା ବିଲାତ ଥିଲା, ଇଂଲଣ୍ଡ ବା ବ୍ରିଟେନର ପତାକା ଧରି ସେମାନେ ଏହି ଦେଶକୁ ଆସିଥିଲେ । ବ୍ରିଟିଶ ସାମ୍ରାଜ୍ୟ ଓ ବ୍ରିଟିଶ ଜାତୀୟ ଅର୍ଥନୀତିର ସ୍ୱାର୍ଥକୁ କେନ୍ଦ୍ରକରି ସେମାନେ ଭାରତରେ ଆପଣାର ଶାସନନୀତି ନିର୍ଣ୍ଣୟ କରିଥିଲେ । ଇତିହାସରେ ପ୍ରଥମକରି ସେମାନେ ସମଗ୍ର ଭାରତବର୍ଷ ଲାଗି ଏକ କେନ୍ଦ୍ରୀକୃତ ସରକାରର ସ୍ଥାପନା କଲେ । ଭାରତର ଇତିହାସରେ ଆଗରୁ ଯାହା ହୋଇନଥିଲା, ତାହା ବ୍ରିଟିଶ ଅମଳରେ ହେଲା । ଭାରତର ଗାଆଁ ରାଜଶାସନର ଆକ୍ରମଣ ଲାଗି ଉନ୍ମୁକ୍ତ ହୋଇ ରହିଲା । ଗାଆଁର ଅର୍ଥନୀତି, ଗାଆଁର ପାରମ୍ପରିକ ସ୍ୱାୟତ୍ତଶାସନ ଓ ସ୍ୱୟଂସମ୍ପୂର୍ଣ୍ଣତା ବ୍ରିଟିଶ ଶାସନକୌଶଳ ଓ ଆର୍ଥିକ ସ୍ୱାର୍ଥବୁଦ୍ଧି ଦ୍ୱାରା ପରାକ୍ରାନ୍ତ ହୋଇ କ୍ରମେ ଭୁଷୁଡ଼ି ପଡ଼ିଲା । ଗ୍ରାମ-ଅନୁଷ୍ଠାନର ଦୁର୍ବଳ ଚେର ଏ ପର୍ଯ୍ୟନ୍ତ ଭାରତୀୟ ପରମ୍ପରା ସହିତ ଲାଗିକରି ରହିଥିଲା, ବ୍ରିଟିଶ ଅମଳରେ ତାହାକୁ ବଡ଼ ସୁଯୋଜିତ ଓ କ୍ରୁରଭାବରେ ଛିଡ଼ାଇ ଦିଆଗଲା ।

 

ଐତିହାସିକ ଶ୍ରୀ ରମେଶଚନ୍ଦ୍ର ଦତ୍ତ ଓଡ଼ିଶାବାସୀଙ୍କ ପାଖରେ ଅପରିଚିତ ରହିବା ଉଚିତ ନୁହେଁ । ସେ ତତ୍‌କାଳୀନ ଓଡ଼ିଶା ଡିଭିଜନ୍‌ର କମିଶନ୍‌ର ରୂପେ କାର୍ଯ୍ୟ କରିଥିଲେ । ତା’ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ଏହି ମହାସଭାର ସଭାପତି ମଧ୍ୟ ହୋଇଥିଲେ । ବ୍ରିଟିଶ ଅମଳରେ ଭାରତବର୍ଷର ଅର୍ଥନୈତିକ ଇତିହାସ ସମ୍ବଳିତ ସେ ଯେଉଁ ଗ୍ରନ୍ଥଦୁଇଟି ଲେଖିଯାଇଚନ୍ତି, ଭାରତଶାସନରେ ବ୍ରିଟିଶ୍ ନୀତିର ଉଦ୍ଦେଶ୍ୟ ଓ କୀର୍ତ୍ତିଅକୀର୍ତ୍ତିକୁ ଜାଣିବାରେ ତାହା ଆମକୁ ଅନେକ ସାହାଯ୍ୟ କରିବ । ଆପଣାର ଗ୍ରନ୍ଥରେ ସେ ବ୍ରିଟିଶ ଉଚ୍ଚ କର୍ମଚାରୀମାନଙ୍କର ନାନା ବିବରଣ ଦେଇ ବ୍ରିଟିଶନୀତି ଦ୍ୱାରା ଭାରତବର୍ଷର ଗୋଷ୍ଠୀମୂଳକ ଗ୍ରାମଜୀବନକୁ କିପରି କ୍ରମେ ନଷ୍ଟ କରି ଦିଆଯାଇଥିଲା, ତାହାର ଚର୍ଚ୍ଚା କରିଚନ୍ତି । ୧୮୧୯ ଖ୍ରୀଷ୍ଟାବ୍ଦରେ ମରହଟ୍ଟାମାନଙ୍କଠାରୁ ବିଜିତ ହୋଇ ଆସିଥିବା ଅଞ୍ଚଳଗୁଡ଼ିକ ବିଷୟରେ ଶ୍ରୀ ଏଲଫିନ୍‌ଷ୍ଟୋନ୍ ଭାରତର ଗଭର୍ଣ୍ଣର୍ ଜେନେରାଲ୍‌ଙ୍କୁ ଯେଉଁ ବିବରଣ ଦେଇଥିଲେ, ସେଥିରେ ଆମେ ଭାରତ ଗ୍ରାମଗୋଷ୍ଠୀ ବିଷୟରେ ଅନେକ କଥା ଜାଣିବାକୁ ପାଇଥାଉ । (୮) ବିବରଣରେ ଲେଖାଥିଲା; ‘‘ଏହି ଅଞ୍ଚଳଟି ଅନେକ ସାନ ଓ ବଡ଼ ଗାଆଁରେ ବିଭକ୍ତ ହୋଇ ରହିଚି । ସାଧାରଣତଃ ଗୋଟିଏ ସ୍ୱୟଂଶାସିତ ରାଷ୍ଟ୍ରଭିତରେ ଆମେ ଯେଉଁ ସବୁ ବ୍ୟବସ୍ଥା ଓ ବିଧାନମାନ ଦେଖିବାକୁ ପାଇଥାଉ, ଏହି ସବୁ ଗାଆଁରେ ସାନ ସ୍ତରରେ ସେହି ସବୁ ମହଜୁଦ ରହିଚି । ଏଠାରୁ ଯଦି ସକଳପ୍ରକାର ସରକାରୀ ବହିଃନିୟନ୍ତ୍ରଣ ହଟାଇ ନିଆଯାଏ, ତେବେ ଏହିସବୁ ଗାଆଁର ପାରମ୍ପରିକ ଶାସନ ଗ୍ରାମବାସୀମାନଙ୍କର ରକ୍ଷା କରିବାରେ ଅବଶ୍ୟ ସମର୍ଥ ହୋଇପାରିବ । ଏହିସବୁ ଗ୍ରାମର ଶାସନକୁ ଆଦର୍ଶ ଶାସନ ବୋଲି ନକହିପାରିଲେ ମଧ୍ୟ ଖରାପ ଶାସନର ସବୁପ୍ରକାର କୁପ୍ରଭାବରୁ ଆପଣାକୁ ସୁରକ୍ଷିତ କରି ରଖିବାଲାଗି ଏଥିରେ ଅନେକ ସାମଗ୍ରୀ ଓ ସାଧନ ରହିଚି ବୋଲି ଅବଶ୍ୟ କୁହାଯାଇ ପାରିବ । ଶାସନଗତ ଅବହେଳା ଓ ଦୁର୍ବଳତାକୁ ରୋକିବାକୁ ଏହି ବ୍ୟବସ୍ଥାରେ ଅନେକ ରକ୍ଷାକବଚ ରହିଚି, ସବୁପ୍ରକାର ସ୍ୱେଚ୍ଛାଚାର ଓ ଅନ୍ଧ ଶାସନ ବିରୁଦ୍ଧରେ ଏହା ନିଜକୁ ଏକ ପ୍ରତିବନ୍ଧକ ରୂପେ ଗଢ଼ିରଖିଚି । ପଟେଲ ହେଉଚି ଗାଆଁର ମୁଖିଆ । ଗାଆଁର ସୁରକ୍ଷା ଓ ବିବାଦ ମୀମାଂସାର ସମ୍ପୂର୍ଣ୍ଣ ଦାୟିତ୍ୱ ତାହାରି ଉପରେ ନ୍ୟସ୍ତ ରହିଚି । ଜିଲ୍ଲାସ୍ତରରେ କଲେକ୍ଟରର ଯେଉଁ ଦାୟିତ୍ୱମାନ ରହିଥାଏ, ଗ୍ରାମସ୍ତରରେ ପଟେଲ ଉପରେ ମଧ୍ୟ ସେହିସବୁ ଦାୟିତ୍ୱ ରହିଚି । ଜମି ନଥିବା ଲୋକଙ୍କୁ ସେ ପ୍ରତିବର୍ଷ ଚାଷଜମି ଯୋଗାଇଦିଏ, ଜମିର ଖଜଣା ଧାର୍ଯ୍ୟ କରେ, ରଇତମାନଙ୍କଠାରୁ ସରକାରଙ୍କ ଲାଗି ଖଜଣା ଆଦାୟ କରେ । ଗ୍ରାମର କୃଷି ଓ ସମଗ୍ର ଉନ୍ନତି ଦିଗରେ ଯାହାସବୁ କରିବା ସମ୍ଭବ, ତାହା କରିବାରେ ସେ କୌଣସି ତ୍ରୁଟି କରେନାହିଁ । ମୂଳତଃ ପଟେଲକୁ ଗ୍ରାମସ୍ତରରେ ଜଣେ ସରକାରୀ କର୍ମଚାରୀ ହିସାବରେ ବିଚାର କରାଗଲେ ମଧ୍ୟ ବର୍ତ୍ତମାନ ତାହାକୁ ଗ୍ରାମବାସୀ ରଇତ ମାନଙ୍କର ଜଣେ ସଚ୍ଚା ପ୍ରତିନିଧି ବୋଲି କୁହାଯାଇପାରିବ । ଗାଆଁରେ ସରକାରୀ କାନୁନ୍ ଓ ଆଦେଶଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଯେପରି ପଟେଲ୍‌ର କାର୍ଯ୍ୟ, ଲୋକସାଧାରଣଙ୍କର ଅଧିକାର ଓ ଦାୟିତ୍ୱ ବିଷୟରେ ସେମାନଙ୍କୁ ଅବଗତ କରାଇ ରଖିବା ମଧ୍ୟ ସେହିପରି ତାହାର କାର୍ଯ୍ୟ ।

 

‘‘ଅଧିକାଂଶ ରଇତ ଯେଉଁ ଜମି ଚାଷ କରୁଚନ୍ତି, ସେହି ଜମି ସେମାନଙ୍କର ସମ୍ପତ୍ତି ହୋଇ ହିଁ ରହିଚି । ତାହାର ବଦଳରେ ସେମାନେ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଟିକସ ଦେଉଚନ୍ତି । ଟିକସ ଦେଉଥିବା ପର୍ଯ୍ୟନ୍ତ ସେମାନଙ୍କୁ ଆପଣା ଜମିରୁ ବଞ୍ଚିତ କରିବାଲାଗି କାହାରି ଅଧିକାର ନାହିଁ । ମରହଟ୍ଟା ଶାସିତ ଏହି ଅଞ୍ଚଳମାନଙ୍କରେ ଅନେକ ଦୋଷ ଓ ଅନେକ ଅପୂର୍ଣ୍ଣତା ରହିଚି । କିନ୍ତୁ ଆମ ଦକ୍ଷତର ଓ ପରିପୂର୍ଣ୍ଣତର ସରକାରଙ୍କର କେତେକ ଦୋଷରୁ ଏହି ଅଞ୍ଚଳ ଆଜି ମଧ୍ୟ ମୁକ୍ତ ହୋଇ ରହିଚି । ତେଣୁ ଏହିପରି ଏକ ସ୍ଥାନୀୟ ଶାସନବ୍ୟବସ୍ଥାର ପରମ୍ପରାରେ ନିଶ୍ଚୟ ଏପରି କେତେକ ଗୁଣ ଅବଶ୍ୟ ରହିଚି, ଯାହାକି ଏହାକୁ ସେହିସବୁ ଦୋଷ ଓ ଅପୂର୍ଣ୍ଣତାରୁ ମୁକ୍ତକରି ରଖିଚି । ସମ୍ପୂର୍ଣ୍ଣ ନ୍ୟାୟ ଦେଇ ଏମାନଙ୍କର ସରକାର ଏମାନଙ୍କୁ ଶାସନ କରି ନଥିଲେ ମଧ୍ୟ ତାହା ଲୋକମାନଙ୍କୁ ଅନେକ ପରିମାଣରେ ଆପେ ଆପଣାର ଶାସନ କରିବାଲାଗି ସ୍ୱତନ୍ତ୍ରତା ଦେଇଆସିଥିଲା । ଏହାଦ୍ୱାରା ଗ୍ରାମସମାଜର ନିମ୍ନତର ବର୍ଗଗୁଡ଼ିକ ସବୁଠାରୁ ଅଧିକ ଉପକୃତ ହୋଇପାରୁଥିଲେ । କାରଣ ଏହି ନିମ୍ନତର ବର୍ଗ ହିଁ ଅଧିକାଂଶ ସମୟରେ ଯେକୌଣସି ସରକାରଙ୍କର ଅବହେଳାର ପାତ୍ର ହୋଇଥାନ୍ତି । ପଞ୍ଚାୟତ-ବ୍ୟବସ୍ଥା ଜରିଆରେ ସେମାନେ ଆପଣାଲାଗି ଯଥାସମ୍ଭବ ନ୍ୟାୟପୂର୍ଣ୍ଣ ଶାସନକୁ ଉପଲ୍‌ବଧ କରି ରଖିଥିଲେ । ତେଣୁ ଏହି ପଞ୍ଚାୟତ ବ୍ୟବସ୍ଥାକୁ ଲୁପ୍ତ କରିନଦେଇ ଏହାକୁ ସୁରକ୍ଷିତ କରି ରଖାଯାଉ ବୋଲି ମୋର ମତ । ସରକାର ଏହାଭିତରେ ପଶିଯାଇଥିବା ଦୋଷଗୁଡ଼ିକୁ ଦୂର କରିବାକୁ ଉଦ୍ୟମ କରନ୍ତୁ ଓ ଏହାକୁ ନୂତନ ଶକ୍ତିରେ କାର୍ଯ୍ୟ କରିବାର ଅବସର ଦିଅନ୍ତୁ । ଗାଆଁ ପଞ୍ଚାୟତ ହିଁ ଗାଆଁରେ ଆମ ଶାସନର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ସାଧନ ହୋଇରହୁ । ଏଥିରେ କୌଣସି ହସ୍ତକ୍ଷେପ ନ କରିବା ବା ନୂଆ ଆଇନ୍ ପାସ୍‌କରି ଏହାର ହାତଗୋଡ଼ ବାନ୍ଧି ନପକାଇବାହିଁ ଆମର ମୂଳନୀତି ହୋଇ ରହୁ ।’’ (ତତ୍ରୈବ : ପୃଷ୍ଠା–୩୫୨)

 

ଗତ ଶତାବ୍ଦୀର ପ୍ରଥମ ଭାଗରେ ଇଂରାଜୀ କମ୍ପାନୀ ସରକାର ଏଦେଶରେ ଜମିଦାରୀ ବା ରଇତଓ୍ୱାରି କେଉଁ ଜମିଜମା-ପ୍ରଥା ଚଳାଇବେ, ସେହି ବିଷୟରେ ମସୁଧା କରୁଥିଲେ । କେହି ଏ ପକ୍ଷରେ ମତ ଦେଉଥିଲେ ତ ଆଉ କେହି ସେ ପକ୍ଷରେ ମତ ଦେଉଥିଲେ । ଏହି ସମୟରେ ମାନ୍ଦ୍ରାଜର ରେଭିନିଉ ବୋର୍ଡ଼ (୧୮୧୮) ଦୁଇଟିଯାକ ବ୍ୟବସ୍ଥାର ଅଭାବମାନ ଦେଖାଇ ଏକ ମୌଜାଓ୍ୱାରୀ ବନ୍ଦୋବସ୍ତ କରିବାର ପରାମର୍ଶ ଦେଇଥିଲେ । ମଉକା ଅର୍ଥାତ୍ ଗ୍ରାମର ଗୋଷ୍ଠୀଜୀବନ ପରମ୍ପରାକ୍ରମେ ଭାରତୀୟ କୃଷକଜୀବନର ଏକକ ହୋଇ ରହି ଆସିଥିଲା । ତେଣୁ ବ୍ୟକ୍ତିଗତ ଚାଷୀକୁ ଏକକ ବୋଲି ନମାନି ଭୂବିଧାନ-କ୍ଷେତ୍ରରେ ମଧ୍ୟ ସମଗ୍ର ମଉକା ବା ଗ୍ରାମଗୋଷ୍ଠୀକୁ ଏକକ ବୋଲି ମାନିଲେ ତାହାହିଁ ଲୋକସାଧାରଣଙ୍କ ସକାଶେ ସବୁଠାରୁ ବଳି ସୁବ୍ୟବସ୍ଥା ହେବ । ବୋର୍ଡ଼ ଏହିପରି ଯୁକ୍ତି ଦର୍ଶାଇଥିଲା- ‘‘ପ୍ରତ୍ୟେକ ଗାଆଁକୁ ଆମେ ଗୋଟିଏ ଗୋଟିଏ ସାନ ରାଜ୍ୟଗୋଷ୍ଠୀ ବା କମନ୍‌ଓଏଲଥ୍ ରୂପେ କଳ୍ପନା କରିପାରିବା । ସମଗ୍ର ଭାରତବର୍ଷକୁ ଅତି ନିର୍ଭୂଲ ଭାବରେ ଏହିପରି ଅନେକ କମନ୍‌ଓଏଲଥ୍‌ର ସମାହାର ବୋଲି କୁହାଯାଇ ପାରିବ । ଦେଶରେ ଯୁଦ୍ଧ ଲାଗିଲେ ଏହି ଗ୍ରାମଗୁଡ଼ିକର ଅଧିବାସୀମାନେ ସୁରକ୍ଷାଲାଗି ପ୍ରଧାନତଃ ଆପଣା ଗାଆଁ ପ୍ରମୁଖ ଉପରେ ଅପେକ୍ଷା ରଖିଥାନ୍ତି । ରାଜ୍ୟ ଭାଙ୍ଗିଯାଏ, ଗୋଟିଏ ରାଜ୍ୟ ହୁଏତ ବହୁ ଭାଗରେ ବିଭକ୍ତ ହୋଇଯାଏ । କିନ୍ତୁ ଗ୍ରାମଗୋଷ୍ଠୀର କେବେ କୌଣସି ବିଭାଜନ ବା ବିଲୟ ଘଟେନାହିଁ । କେଉଁ ସତ୍ତା ବା ରାଜବଂଶ ହାତରେ ଦେଶର ଶାସନ ଭାର ରହିଲା ବା ନରହିଲା ଗ୍ରାମବାସୀମାନେ ତାହା ଉପରେ ଖୁବ୍‌ବେଶୀ ଗୁରୁତ୍ୱ ଦିଅନ୍ତିନାହିଁ । କାରଣ ଗାଆଁର ଚତୁଃସୀମା ଭିତରେ ଗାଆଁର ସ୍ଥାନୀୟ ଶାସନ ପୂର୍ବପରି ଅବିଚ୍ଛିନ୍ନ ଭାବରେ ଚାଲିଥାଏ । ମନୁଋଷିଙ୍କ ଅମଳରୁ ଗାଆଁରେ ସ୍ଥୂଳତଃ ଏହି ବ୍ୟବସ୍ଥା ଚଳିଆସୁଚି ।’’ ଗ୍ରାମବ୍ୟବସ୍ଥାର ପକ୍ଷ ସମର୍ଥନ କରି ବୋର୍ଡ଼ ପୁଣି ଲେଖିଥିଲା–‘‘ଯେକୌଣସି ବିବେକୀ ସରକାର ଦେଶର ପରମ୍ପରାଗତ ସଂସ୍ଥାଗୁଡ଼ିକୁ ନଷ୍ଟ କରିଦିଅନ୍ତିନାହିଁ । ଆଧୁନିକ ପ୍ରଗତିର ପ୍ରତିବନ୍ଧକ ହୋଇ ଠିଆ ନହେବାଯାଏ ସରକାର ସେଗୁଡ଼ିକର ସୁରକ୍ଷା ଓ ବିକାଶ କରାଇଥାନ୍ତି । ଏ କଥାରେ କୌଣସି ଭୁଲ ନାହିଁ ଯେ ଉପରୁ ନିଯୁକ୍ତ ହୋଇଥିବା ସରକାରୀ ତହସିଲଦାରମାନେ ଗାଆଁକୁ ଯେପରି ଚଳାଇପାରିବେ, ଗ୍ରାମବାସୀମାନେ ତାହାଠାରୁ ଅଧିକ ପାରିବେ । ପ୍ରତ୍ୟେକ ମନୁଷ୍ୟଗୋଷ୍ଠୀକୁ ଯଥାସମ୍ଭବ ଆତ୍ମଶାସନର ସୁଯୋଗ ଦେଲେ ଆମେ ମନୁଷ୍ୟସମାଜର ଅଧିକତର କଲ୍ୟାଣ କରିପାରିବା । ମାନ୍ଦ୍ରାଜର ଗଭର୍ଣ୍ଣର୍ ସାର୍ ଟମାସ୍ ମନ୍‌ରୋ ତାଙ୍କର କାର୍ଯ୍ୟକାଳ ସମୟରେ ଗ୍ରାମପଞ୍ଚାୟତଗୁଡ଼ିକର ପୁନଃସଂଗଠନ କରିଥିଲେ, ପଞ୍ଚାୟତ ହାତରେ ବିଚାର ବିଭାଗର କେତେକ ଦାୟିତ୍ୱ ନ୍ୟସ୍ତ କରିଦେଇଥିଲେ । ସେ ଚାହୁଥିଲେ ଯେ ଆଗେ ଭାରତବର୍ଷରେ ପଞ୍ଚାୟତଗୁଡ଼ିକ ଯେଉଁପରି ଜୀବନ୍ତ ସଂସ୍ଥାରୂପେ କାର୍ଯ୍ୟ କରୁଥିଲେ, ବର୍ତ୍ତମାନ ମଧ୍ୟ ସେହିପରି କାର୍ଯ୍ୟ କରନ୍ତୁ । କିନ୍ତୁ ଏହିସବୁ ଉଦ୍ୟମ ସଫଳ ହୋଇ ପାରିଲାନାହିଁ । ପୁରାତନ ଅନୁଷ୍ଠାନଗୁଡ଼ିକରୁ ଯେତେବେଳେ ଆମେ ସବୁପ୍ରକାର ପ୍ରକୃତ କ୍ଷମତାକୁ କାଢ଼ି ନେଇଯିବା, ଉପରେ ଥିବା ସରକାରଙ୍କର କର୍ତ୍ତୃତ୍ୱ ବଳରେ ସେଗୁଡ଼ିକୁ ବଞ୍ଚାଇ ରଖିବା କଦାପି ସମ୍ଭବ ହେବନାହିଁ । ଫଳରେ ଏତିକି ହେଲା ଯେ, ଗାଆଁ ଲୋକେ କ୍ରମେ ରେଭିନିଉ ଓ ପୋଲିସ ବିଭାଗର କର୍ମଚାରୀଙ୍କଦ୍ୱାରା ବ୍ୟତିବ୍ୟସ୍ତ ଓ ନିର୍ଯାତିତ ହେବାକୁ ଲାଗିଲେ । ଗ୍ରାମର ଗୋଷ୍ଠୀଜୀବନ କ୍ରମେ ହୀନବଳ ହୋଇପଡ଼ିଲା । ଭାରତରେ ବ୍ରିଟିଶ ଶାସନର ପ୍ରତିଷ୍ଠା ହେବା ପରେ ଭାରତବାସୀ ଅନେକ ପ୍ରଗତିମୂଳକ ଓ ଉନ୍ନତ୍ତିକାମୀ ପରିବର୍ତ୍ତନମାନ ଦେଖିବାର ସୌଭାଗ୍ୟ ଲାଭ କରିଚନ୍ତି । କିନ୍ତୁ କେତେକ କ୍ଷେତ୍ରରେ ସେମାନେ ଅଧୋଗତ ହୋଇଥିବାର ମଧ୍ୟ ଲକ୍ଷ୍ୟ କରିଚନ୍ତି । ପୁରାତନ କାଳରୁ ଭାରତର ପରମ୍ପରାଗତ ଭାବରେ ଚାଲିଆସୁଥିବା ସ୍ୱାୟତ୍ତଶାସନ ବ୍ୟବସ୍ଥା ବ୍ରିଟିଶ ଅମଳରେ କ୍ରମେ ବିଲୁପ୍ତ ହୋଇଯାଇଚି, ପୃଥିବୀର ଇତିହାସରେ ଭାରତରେ ଉଦ୍‌ଭୂତ ଓ ବିକଶିତ ହେବାଲାଗି ସର୍ବପ୍ରଥମ ଅବସର ପାଇଥିବା ଗ୍ରାମସମାଜ ଓ ଗୋଷ୍ଠୀଗତ ଜୀବନର ବହୁପ୍ରାଚୀନ ପରମ୍ପରା ବ୍ରିଟିଶ ଶାସନର ଆଘାତ ବାଜି କ୍ରମେ ଅନ୍ତର୍ହିତ ହୋଇଯାଇଚି । ଏହାକୁ ହିଁ ସବୁଠାରୁ ଅଧିକ ଅନୁଶୋଚନୀୟ ଓ ଦୁଃଖପୂର୍ଣ୍ଣ ପରିବର୍ତ୍ତନ ବୋଲି କୁହାଯାଇପାରିବ ।’’ (ତତ୍ରୈବ : ପୃଷ୍ଠା– ୧୪୦ – ୧୫୨)

 

ଭାରତରେ ଅସ୍ଥାୟୀ ଗଭର୍ଣ୍ଣର ଜେନେରାଲ ରୂପେ କାର୍ଯ୍ୟ କରିଥିବା ସାର୍ ଚାର୍ଲସ୍‌ ମେଟ୍‌କାଫ୍ ୧୮୩୦ ମସିହାରେ ସରକାରଙ୍କୁ ଯେଉଁ ବିବରଣୀ ଦେଇଥିଲେ, ସେଥିରେ ସେ ଭାରତର ଗ୍ରାମଗୋଷ୍ଠୀ-ପରମ୍ପରା ବିଷୟରେ ଉଚ୍ଛ୍ୱସିତ ଆଲୋଚନା କରିଥିଲେ । ‘‘ଭାରତବର୍ଷର ଗ୍ରାମସମୁଦାୟଗୁଡ଼ିକୁ ଆମେ ସାନ ସାନ ଜନତନ୍ତ୍ର ସହିତ ତୁଳନା କରିପାରିବା । ଗ୍ରାମର ଲୋକମାନେ ଆପଣାର ଜୀବନନିର୍ଭର ଲାଗି ଯାହାସବୁ ଦରକାର କରନ୍ତି, ସେସବୁ ସାଧାରଣତଃ ଗାଆଁ ଭିତରେ ହିଁ ଉତ୍ପନ୍ନ ହୁଏ । ବାହାର ଜଗତର କୌଣସି ସତ୍ତା ଏମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାଏନାହିଁ । କେତେକେତେ ଅନୁଷ୍ଠାନ ସଂସାରରେ ଆବିର୍ଭୂତ ହୋଇ ପୁଣି ସମୟ ଅନୁସାରେ ଧରାପୃଷ୍ଠରୁ ବିଦାୟ ନେଇ ଯାଆନ୍ତି, କିନ୍ତୁ ଏହି ଗ୍ରାମସମାଜର କ୍ଷୟ କଦାପି ହୁଏନାହିଁ । ଗୋଟାଏ ରାଜବଂଶ ପରେ ଆଉଗୋଟାଏ ରାଜବଂଶର ବିଳୟ ଘଟେ, ହିନ୍ଦୁ, ପଠାଣ, ମୋଗଲ, ମରହଟ୍ଟା, ଶିଖ ଓ ଇଂରେଜ ପାଳିକରିଥିବା ପରି ଗୋଟିକ ପରେ ଗୋଟିଏ କ୍ରମରେ ଦେଶ ଶାସନ କରିବାକୁ ଆସନ୍ତି । କିନ୍ତୁ ଗ୍ରାମସମୁଦାୟ ଯେପରି ଥାଏ, ଠିକ୍ ସେହିପରି ରହେ । ସଂକଟ ସମୟରେ ସେମାନେ ଅସ୍ତ୍ରଶସ୍ତ୍ର ଧରି ବହିଃଶତ୍ରୁ ସହିତ ଲଢ଼ିବାକୁ ତିଆରି ହୋଇଯାନ୍ତି । ଶତ୍ରୁ ସେନା ହୁଏତ ସେମାନଙ୍କର ଗ୍ରାମ ଦେଇ ଚାଲିଯାଏ । ଗ୍ରାମବାସୀମାନେ ଆପଣା ଗୋରୁଗାଇ ସମେତ ଗ୍ରାମର ପାଚେରୀ ଭିତରେ ଆଶ୍ରୟ ନିଅନ୍ତି ଓ ବିନା ବିରୋଧରେ ଶତ୍ରୁବାହିନୀକୁ ଚାଲିଯିବାକୁ ଦିଅନ୍ତି । ସେମାନଙ୍କ ଉପରେ ଶତ୍ରୁର ରୋଷଆଖି ପଡ଼ିଲେ ବା ଶତ୍ରୁ ସେମାନଙ୍କର ଗାଆଁକୁ ଧ୍ୱଂସ ଓ ଲୁଟପାଟ କରିବାକୁ ଆସିଲେ ସେମାନେ ହୁଏତ ଗାଆଁ ଛାଡ଼ି ଦୂରସ୍ଥ ବନ୍ଧୁବାନ୍ଧବଙ୍କ ଗାଆଁକୁ ଚାଲିଯାଆନ୍ତି । ଶତ୍ରୁର ଲୁଟତରାଜ କଟିଗଲେ ସେମାନେ ପୁଣି ଆପଣା ଗାଆଁକୁ ଫେରିଆସନ୍ତି । ଏହିପରି ଘରଛଡ଼ା ଓ ଗ୍ରାମଛଡ଼ା ହୋଇ ବର୍ଷ ବର୍ଷ, ଏପରିକି ପୁରୁଷ ପୁରୁଷ କଟିଗଲେ ମଧ୍ୟ ତଥାପି ଅବଶେଷରେ ସେମାନେ ଗାଆଁକୁ ହିଁ ଫେରିଆସନ୍ତି । ବାପ ମରିଯାଇଥିଲେ ପୁଅ ଫେରିଆସେ, ବାପ ଅମଳର ପୁରୁଣା ଡିହ ଉପରେ ନୂଆ ଘର ତିଆରି କରି ରହେ । ବାପ ଚାଷ କରିଆସିଥିବା ଜମିକୁ ସିଏ ମଧ୍ୟ ଚାଷ କରିବାକୁ ଆରମ୍ଭ କରେ ।

 

‘‘ଗୋଟିଏ ଗୋଟିଏ ସ୍ୱାଧୀନ ରାଷ୍ଟ୍ରପରି ବିକଶିତ ହୋଇଆସିଥିବା ଏହି ଗ୍ରାମ ସମୁଦାୟ ଗୁଡ଼ିକର ଏକବଦ୍ଧତା ସମ୍ଭବତଃ ଭାରତବର୍ଷର ଲୋକସମୁଦାୟକୁ ଯୁଗ ଯୁଗ ଧରି ବଞ୍ଚିରହିବାରେ ସବୁଠାରୁ ଅଧିକ ସହାୟତା କରିଚି । ସେମାନଙ୍କୁ ଯୁଗେ ଯୁଗେ କେତେ ବିପ୍ଳବ ଓ କେତେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡ଼ିଚି, ତଥାପି ସେମାନେ ଆପଣାର ଗୋଷ୍ଠୀଗତ ଭୂମି ଉପରେ ପ୍ରତିଷ୍ଠିତ ହୋଇ ରହିଚନ୍ତି । ଏହି ଗୋଷ୍ଠୀ ଭିତରେ ରହିବାକୁ ହିଁ ସେମାନେ ଜୀବନରେ ପ୍ରାଧାନତମ ସୁଖର ଆଧାର ବୋଲି ବିଶ୍ୱାସ କରିଆସିଚନ୍ତି । ଗୋଷ୍ଠୀ ଭିତରେ ରହି ସେମାନେ ସ୍ୱାଧୀନ ଓ ସ୍ୱତନ୍ତ୍ର ଜୀବନର ଆସ୍ୱାଦ ପାଇଚନ୍ତି । ତେଣୁ ମୋର ଏକାନ୍ତ ଇଚ୍ଛା ଯେ ଆମେ ଏହି ଗ୍ରାମଗୋଷ୍ଠୀ-ବ୍ୟବସ୍ଥାକୁ କୌଣସି ପ୍ରକାରେ କ୍ଷତିଗ୍ରସ୍ତ କରାଇବା ନାହିଁ । ଆମର ଯେଉଁସବୁ ବିଧାନ ବା ବ୍ୟବସ୍ଥା ଗ୍ରାମଗୋଷ୍ଠୀ ଲାଗି ବାଧକ ଓ ବିନାଶକାରୀ ପରି କାର୍ଯ୍ୟ କରିବ, ସେହି ସବୁ ବିଧାନ ବିଷୟରେ ହିଁ ମୋ’ର ସବୁଠାରୁ ଅଧିକ ତ୍ରାସ ରହିଚି ।’’ (ତତ୍ରୈବ : ପୃଷ୍ଠା– ୩୮୬ – ୩୮୭)

 

ଆପଣାର ଅନ୍ୟ ଗ୍ରନ୍ଥଟିରେ ଶ୍ରୀଯୁକ୍ତ ଦତ୍ତ ଖେଦ ପ୍ରକାଶ କରି କହିଚନ୍ତି ଯେ ଭାରତବର୍ଷର ଜନସାଧାରଣ ଓ ଗ୍ରାମସମୁଦାୟ ଗୁଡ଼ିକର ସହଯୋଗକୁ ସ୍ୱୀକାର କରି ସେଯୁଗର କୌଣସି ବ୍ରିଟିଶ୍ ପ୍ରଶାସକ ଦେଶର ପୋଲିସ୍ ଓ ସାଧାରଣ ଶାସନ ବ୍ୟବସ୍ଥାରେ ଉନ୍ନତ୍ତି ବିଧାନ କରିବାଲାଗି କୌଣସି ନିଷ୍ଠାପର ଓ ଉଲ୍ଲେଖଯୋଗ୍ୟ ପ୍ରୟାସ କରିନାହାନ୍ତି । ଭାରତବର୍ଷରେ ହିଁ ଗ୍ରାମ ସମୁଦାୟର ଆଦି ଉଦ୍‌ଭବ ହୋଇଚି ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଏହି ସ୍ୱୟଂଶାସିତ ଗୋଷ୍ଠୀଗୁଡ଼ିକ ଦେଶରେ ଶାନ୍ତି ଓ ଶୃଙ୍ଖଳା ରକ୍ଷାକରିଆସିଚନ୍ତି, ଗାଆଁର ବିବାଦକୁ ଗାଆଁରେ ଫଇସଲା କରିଦେଇଚନ୍ତି । ତେଣେ ରାଜଧାନୀରେ ଅରାଜକତା ଲାଗିରହିଥିଲେ ମଧ୍ୟ ଗ୍ରାମସମୁଦାୟର ଶୃଙ୍ଖଳା ଓ ଶାନ୍ତି କଦାପି ବ୍ୟାହତ ହୋଇନାହିଁ । ମାନ୍ଦ୍ରାଜ ପ୍ରଦେଶର ସ୍ଥିତି ବିଷୟରେ ୧୮୧୨ ମସିହାରେ ପ୍ରକାଶିତ ଏକ ରିପୋର୍ଟର ଉଲ୍ଲେଖ କରି ଶ୍ରୀଯୁକ୍ତ ଦତ୍ତ କହିଚନ୍ତି ଯେ ଏହି ଅତି ସରଳ ସ୍ୱାୟତ୍ତଶାସନ-ବ୍ୟବସ୍ଥା ଆବହମାନ କାଳରୁ ଦେଶରେ ପ୍ରବର୍ତ୍ତିତ ହୋଇ ରହିଚି । ସାମ୍ରାଜ୍ୟ ଓ ରାଜ୍ୟର ଉତ୍‌ଥାନ-ପତନ ବେଳେ ଭାରତର ଗ୍ରାମବାସୀମାନଙ୍କୁ କୌଣସି ପ୍ରକାରେ ବିଚଳିତ ହେବାକୁ ପଡ଼ିନାହିଁ । ଗ୍ରାମଗୋଷ୍ଠୀର ଐକ୍ୟବନ୍ଧ ଜୀବନ ଭିତରେ ସେମାନେ ଅପ୍ରତିହତ ରହିଚନ୍ତି । କେଉଁ ସାମ୍ରାଜ୍ୟ ଭାଙ୍ଗିଲା ବା ଗଢ଼ାହେଲା, କାହା ହାତକୁ ରାଜ୍ୟର କ୍ଷମତା ଆସିଲା, ଏ ବିଷୟରେ ସେମାନେ କୌଣସି ଉଦ୍‌ବେଗ ପ୍ରକାଶ କରିନାହାନ୍ତି । ସେମାନଙ୍କ ଗ୍ରାମସମାଜର ଆଭ୍ୟନ୍ତରୀଣ ଅର୍ଥନୀତି ଓ ପାରସ୍ପରିକ ଜୀବନବ୍ୟବସ୍ଥା ବାହାରର ସବୁପ୍ରକାର ବିଲୟ ସତ୍ତ୍ୱେ ଅକ୍ଷୁର୍ଣ୍ଣ ରହିଆସିଚି ।

 

ଶ୍ରୀଯୁକ୍ତ ଦତ୍ତ ଅତି ଦୁଃଖକରି କହିଚନ୍ତି, ‘‘ବ୍ରିଟିଶ ଅମଳର ଅତିରିକ୍ତ କେନ୍ଦ୍ରୀକୃତ ଶାସନ ଫଳରେ ହିଁ ଭାରତୀୟ ଗାଆଁରେ ବହୁ ପ୍ରାଚୀନ କାଳରୁ କାର୍ଯ୍ୟକାରୀ ହୋଇଆସିଥିବା ସ୍ୱାୟତ୍ତଶାସନ-ସଂସ୍ଥାଗୁଡ଼ିକ କ୍ରମେ ହୀନପ୍ରଭ ହୋଇ ପଡ଼ୁଚନ୍ତି ଓ ଅନେକ ସ୍ଥାନରେ ପ୍ରାୟ ଅନ୍ତର୍ହିତ ହୋଇ ସାରିଲେଣି । ଗାଆଁର ନେତାମାନଙ୍କ ଉପରେ କିଞ୍ଚିତ୍ ବିଶ୍ୱାସ ରଖି ପାରିଥିଲେ, କେତେକ ବିଶେଷ ବିଭାଗର ଶାସନରେ ସେମାନଙ୍କ ହାତରେ କିଞ୍ଚିତ୍ କ୍ଷମତା ନ୍ୟସ୍ତ କରି ପାରିଥିଲେ ଏବଂ ସଯତ୍ନ ଓ ସହାନୁଭୂତିସମ୍ପନ୍ନ ଭାବରେ ଦୁର୍ନୀତି ଓ ସତ୍ତା-ଅପଚୟର ନିରାକରଣ କରିବା ଦିଗରେ ଉଦ୍ୟତ ହୋଇଥିଲେ ଆଜି ମଧ୍ୟ ଏହି ସବୁ ଗ୍ରାମସମୁଦାୟକୁ ସମାଜର ଅନେକ ସେବା କରିବାର ସୁଯୋଗ ଦିଆଯାଇ ପାରିଥାନ୍ତା । ପ୍ରାଚୀନ ପରମ୍ପରା ଓ ସଂଗଠନଗୁଡ଼ିକୁ ଏକାବେଳେକେ ବିଲୁପ୍ତ କରିଦେଇ କୌଣସି ସଫଳ ସ୍ୱାୟତ୍ତଶାସନର ନୂତନ ବ୍ୟବସ୍ଥା କାୟମ କରିବା ଆଦୌ ସମ୍ଭବ ନୁହେଁ-। ଆଜି ବାସ କରୁଥିବା ଜନସମୂହର ପ୍ରତିନିଧିମାନେ ସରକାରୀ ଶାସନକୁ କୌଣସିପ୍ରକାରେ ସାହାଯ୍ୟ କରିପାରିବାରୁ ମଧ୍ୟ ବଞ୍ଚିତ ହୋଇ ରହିଚନ୍ତି । ବିଦେଶୀ ସରକାରଙ୍କର ଲୋକସାଧାରଣଙ୍କ ମଧ୍ୟରେ କୌଣସି ପ୍ରକାରର କୌଣସି ଭୂମି ନାହିଁ । ହିନ୍ଦୁ ଓ ମୁସଲମାନ ଶାସନ ଅମଳରେ ଶାସକମାନଙ୍କର ଲୋକସାଧାରଣଙ୍କ ସହିତ ଯେଉଁ ସମ୍ପର୍କ ରହି ଆସିଥିଲା, ବର୍ତ୍ତମାନ ବ୍ରିଟିଶ୍ ଅମଳରେ ତାହାର ଅନ୍ତ ହୋଇଗଲାଣି ।’’ (୯)

 

ଇଂରାଜ ତଥା ଅଣଇଂରାଜ ଏତେ ବ୍ୟକ୍ତିଙ୍କର ସକଳ କାମନା ଓ ଯାତନାସତ୍ତ୍ୱେ ଗ୍ରାମସମାଜ ଓ ଗ୍ରାମଗୋଷ୍ଠୀର ଆତ୍ମଶାସନ ତିଷ୍ଠି ରହି ପାରିଲା ନାହିଁ । ଅର୍ଥନୈତିକ ସ୍ୱାର୍ଥହିଁ ମାନବିକ ସଦିଚ୍ଛା ଉପରେ ଅଧିକ ଶକ୍ତିଶାଳୀ ବୋଲି ସାବ୍ୟସ୍ତ ହେଲା । ଇଂରେଜ ସରକାର ଭାରତବର୍ଷର ରାଜନୀତିକ ଶାସକ ହୋଇ ରହିଥିଲେ ସତ, କିନ୍ତୁ ଇଂଲଣ୍ଡର ଆର୍ଥିକ ଓ ବ୍ୟବସାୟଗତ ସ୍ୱାର୍ଥ ହିଁ ଏହି ରାଜନୀତିକ ଶାସନର ମୂଳନୀତିଗୁଡ଼ିକୁ ନିୟନ୍ତ୍ରଣ କରୁଥିଲା ଏବଂ ଆର୍ଥିକ ସ୍ୱାର୍ଥର ସିଦ୍ଧି ଲାଗି ଇଂରେଜ ଶାସକମାନଙ୍କୁ ଭାରତୀୟ ସମାଜର ଆର୍ଥିକ ମୂଳଦୁଆ ଭାଙ୍ଗିବାକୁ ପଡ଼ିଲା । ଭାରତର ଆର୍ଥିକ ମୂଳଦୁଆ ସେତେବେଳେ ଭାରତର ଗାଆଁରେ ହିଁ ଥିଲା । ତେଣୁ ତାହାକୁ ଭାଙ୍ଗିପାରିବା ଲାଗି ଗ୍ରାମସମାଜର ଆର୍ଥିକ ଓ ପାରସ୍ପରିକ ଜୀବନକୁ ଭୁଷୁଡ଼ାଇଦେବା ବ୍ରିଟିଶ ଶାସନ ଲାଗି ଏକ ପ୍ରୟୋଜନଗତ ଅବଶ୍ୟକର୍ତ୍ତବ୍ୟ ହୋଇ ପଡ଼ିଥିଲା । ଏସିଆ ଓ ଆଫ୍ରିକାକୁ ମୂଳତଃ ନବଜୀବନ ଦେବାଲାଗି ଇଉରୋପୀୟ ସାମ୍ରାଜ୍ୟବାଦ ଓ ପଣ୍ୟବାଦ ପୃଥିବୀ ପରିକ୍ରମା କରି ବାହାରିନଥିଲା ପୃଥିବୀ ଇତିହାସର ସେହି ପର୍ଯ୍ୟାୟଟିକୁ ବୁଝାଇ କହିବାର ଅବସର ପ୍ରସ୍ତୁତ ପୁସ୍ତକର ନାହିଁ । ମୋଟକଥା ହେଉଚି, ଆପଣାର ବିସ୍ତାରଲାଳସା ପଛରେ ଧାଇଁ ଓ ଆପଣାର ଆର୍ଥିକ ସ୍ୱାର୍ଥଗୁଡ଼ିକର ସିଦ୍ଧି ଲାଗି ଇଉରୋପୀୟ ବିଭିନ୍ନ ଦେଶରୁ ସାମ୍ରାଜ୍ୟବାଦ ଉପନିବେଶ ଖୋଜି ବାହାରିଥିଲା ।

 

ଜଣେ ଫରାସୀ ଲେଖକ ବ୍ରିଟେନ୍‌କୁ ହିଁ ଏ ଯୁଗର ନୂତନ ସାମ୍ରାଜ୍ୟବାଦର ଜନ୍ମଭୂମି ବୋଲି ବର୍ଣ୍ଣନା କରିଚନ୍ତି । (୧୦) ଏହି ଲେଖକ ସାମ୍ରାଜ୍ୟବାଦର ଚତୁର୍ବିଧ ପ୍ରକରଣର ଉଲ୍ଲେଖ କରିଚନ୍ତି; ଧର୍ମପ୍ରଚାରଗତ ସାମ୍ରାଜ୍ୟବାଦ, ସାଂସ୍କୃତିକ ସାମ୍ରାଜ୍ୟବାଦ, ସଭାଗତ ବା କ୍ଷମତା-ଆଧାରିତ ସାମ୍ରାଜ୍ୟବାଦ ଓ ଭୌତିକ ଲାଭକୁ ଅଭୀଷ୍ଟ କରି ଗ୍ରହଣ କରିଥିବା ସାମ୍ରାଜ୍ୟବାଦ । ମୋ’ର ଧର୍ମ ହେଉଚି ଏକମାତ୍ର ସଚ୍ଚା ଧର୍ମ ତେଣୁ ଭଗବାନଙ୍କର ମହିମା ବଢ଼ାଇବାକୁ ମୁଁ ମୋ’ର ଧର୍ମକୁ ନେଇ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଜବରଦସ୍ତି ମଡ଼ାଇଦେବି ଓ ଏହାକୁ ମୋର ଧର୍ମଜୀବନଗତ କର୍ତ୍ତବ୍ୟ ବୋଲି ମନେକରିବି-ଏହା ହେଉଚି ପ୍ରଥମଶ୍ରେଣୀର ସାମ୍ରାଜ୍ୟବାଦ । ଇସ୍‌ଲାମ ଓ ଖ୍ରୀଷ୍ଟିୟାନ ଧର୍ମରେ ଏହାକୁ ଖୁବ୍ ପ୍ରଶ୍ରୟ ଦିଆଯାଇଚି । ଦୁରୁତ୍ସାହୀ କେତେକ ହିନ୍ଦୁ ଓ ବୌଦ୍ଧ ମଧ୍ୟ ଏବେ ଏପରି ଧର୍ମବିସ୍ତାର ଲାଗି ଆଗ୍ରହ ପ୍ରକାଶ କରୁଚନ୍ତି । ଯେତେବେଳେ କୌଣସି ଜାତି ବା ସଭ୍ୟତା ଆପଣାକୁ ହିଁ ସଭ୍ୟ ବୋଲି ଭ୍ରମ କରି ସଂସାରଯାକ କେବଳ ବର୍ବରତାର ତମସାଚ୍ଛନ୍ନତା ଦେଖିବାକୁ ଲାଗେ ଓ ଦଳଦଳ ଧରି ମହାଦମ୍ଭରେ ଅନ୍ୟ ସମସ୍ତଙ୍କୁ ସଭ୍ୟ କରିଦେବ ବୋଲି ବାହାରେ, ସେତିକିବେଳେ ସାଂସ୍କୃତିକ ସାମ୍ରାଜ୍ୟବାଦର ରଥ ଚାଲିବାକୁ ଆରମ୍ଭ କରେ । ପାଶ୍ଚାତ୍ୟ ସଭ୍ୟତା ଏପରି କାଣ୍ଡ ଅନେକ କରିଚି । ଏହି ଅଭିଯାନରେ ବିଶ୍ୱଜୟ କରିବାକୁ ବାହାରି ପୃଥିବୀରେ କେତେପ୍ରକାର ଘୃଣା ଓ ସମସ୍ୟାକୁ ଜନ୍ମ ଦେଇଚି । କେବଳ ବୀରମାନେ ହିଁ ଏହି ବସୁନ୍ଧରାକୁ ଭୋଗ କରିବେ- ମୁଁ ବୀର, ଅଧିକ ଯଥାର୍ଥ ଭାବରେ କହିଲେ ମୋ’ର ଜାତି ହେଉଚି ବୀର ଜାତି, ତେଣୁ ପ୍ରକୃତି ବା ଭଗବାନଙ୍କର ନିୟମ ଅନୁସାରେ ମୋ’ ଜାତି ସମସ୍ତ ପୃଥିବୀକୁ ଭୋଗ କରିବ,-ଏହି ମୂଳ ଉଦ୍ଦେଶ୍ୟ ଅନୁସାରେ ସଂସାରର ଧର୍ମ, କର୍ମ, ନୀତି ଓ ମାନବିକ ସମ୍ବନ୍ଧମାନ ନିର୍ଣ୍ଣିତ ହେବ,-ଏହା ହେଉଚି କ୍ଷମତା ଉପରେ ଆଧାରିତ ହୋଇଥିବା ସାମ୍ରାଜ୍ୟବାଦ । ସାମ୍ରାଜ୍ୟର ବିସ୍ତାର ହେବ ଅର୍ଥାତ୍ ଅନ୍ୟାନ୍ୟ ଦେଶକୁ ହାଟ ଓ ପଣ୍ୟ–ଉତ୍ପାଦନକାରୀ କ୍ଷେତ୍ରରୂପେ ଲାଭ କରାଯାଇ ପାରିବ, ଦେଶର ଶିଳ୍ପଜାତ ଦ୍ରବ୍ୟକୁ ଉପନିବେଶମାନଙ୍କରେ ସହଜରେ ବିକ୍ରୀ କରାଯାଇ ପାରିବ ଏବଂ ଦେଶର ଶିଳ୍ପକୁ ଚାଲୁ ରଖିବାପାଇଁ ଉପନିବେଶରୁ ଶସ୍ତା ପଣ୍ୟସାମଗ୍ରୀ ଅଣାଯାଇ ପାରିବ ।

 

ଭୌତିକ ସାମ୍ରାଜ୍ୟବାଦର ବାଖ୍ୟା କରିବାକୁ ଲେଖକ ବ୍ରିଟିଶ୍ ଜାତିକୁ ଉଦାହରଣ ସ୍ୱରୂପ ଗ୍ରହଣ କରିଚନ୍ତି । କାରଣ ତାଙ୍କ ମତରେ ବ୍ରିଟିଶ୍ ଜାତି ହିଁ ଭୌତିକ ସାମ୍ରାଜ୍ୟବାଦର ବିଚାର ଓ ବାସନାଚୟକୁ ସବୁଠାରୁ ଅଧିକ ନଗ୍ନ ଓ ଅଶୋଧିତ ଭାବରେ ପ୍ରକାଶ କରିପାରିଚି । ଲାଭର ସନ୍ଧାନରେ ବାହାରି ବ୍ରିଟିଶ୍ ସାମ୍ରାଜ୍ୟବାଦର ସୃଷ୍ଟି ହୋଇଚି । ଏହି ସାମ୍ରାଜ୍ୟବାଦର ପ୍ରଥମ ଲକ୍ଷ୍ୟ ହେଲା ଆପଣା ଜାତୀୟତାବାଦ ଓ ଜାତୀୟ ସ୍ୱାର୍ଥର ବିସ୍ତାର । ଇଂଲଣ୍ଡର ଲାଭ ଓ ଅର୍ଥାଗମରେ ବୃଦ୍ଧି କରିବା ହେଉଚି ଏହି ଲକ୍ଷ୍ୟର ଅନ୍ତର୍ଗତ । ବ୍ରିଟେନ୍‌ରେ ଉତ୍ପାଦିକା ଶକ୍ତି ବଢ଼ାଇବା ହେଉଚି ଦ୍ୱିତୀୟ ଲକ୍ଷ୍ୟ । (ତତ୍ରୈବ : ଅଧ୍ୟାୟ –୧୬ ରୁ ୨୩)

 

ସଂକ୍ଷେପରେ କହିବାକୁ ଗଲେ ତିନୋଟି ପ୍ରଧାନ ନୀତି (ନାଁ ଦୁର୍ନୀତି ?) ଅବଲମ୍ବନ କରି ବ୍ରିଟିଶ୍ ଶାସନ ଭାରତୀୟ ଗ୍ରାମସମାଜର ମୂଳଦୁଆକୁ ଏକାବେଳେକେ ଭୁଷୁଡ଼ାଇ ପକାଇଚି । ପ୍ରଥମଟି ହେଉଚି ଜମିଦାରୀ ପ୍ରଥାର ପ୍ରବର୍ତ୍ତନ । ଯେତେପ୍ରକାର ବାସ୍ତବିକ ଆବଶ୍ୟକତା ଦ୍ୱାରା ବାଧ୍ୟ ହୋଇ ବ୍ରିଟିଶ୍ ସରକାର ଏହି ଦେଶରେ ଜମିଦାରୀ ବ୍ୟବସ୍ଥା ଚଳାଇ ଥାଆନ୍ତୁ ନା କାହିଁକି, ଏହାଦ୍ୱାରା ଭାରତୀୟ କୃଷକର ସର୍ବନାଶ ହୋଇଚି । ଜମି ଚାଷ କରୁନଥିବା ମଧ୍ୟବର୍ତ୍ତୀ ଲୋକଙ୍କ ହାତରେ ଜମିର ସ୍ୱାମୀତ୍ୱକୁ ସମର୍ପି ଦିଆଯାଇଚି । କିନ୍ତୁ ପ୍ରକୃତ କୃଷକ ଅନ୍ୟର ଜମିରେ ମଜୁରିଆ ହୋଇ ମୂଲ ଲାଗିଲାପରି କାମ କରିବାକୁ ବାଧ୍ୟ ହୋଇଚି । ଏହାଦ୍ୱାରା କୃଷିକାର୍ଯ୍ୟ ବଡ଼ କ୍ଷତିଗ୍ରସ୍ତ ହୋଇଚି । ପରର ଜମିରେ ଚାଷକରି ଭାରତର କୃଷିବିକାଶ ବିଷୟରେ ସମସ୍ତ ଉତ୍ସାହ ହରାଇବସିଚି । ଅଧିକନ୍ତୁ ଜମିଦାରୀ ପ୍ରଥା ପ୍ରଚଳିତ ହେବା ଫଳରେ ଗ୍ରାମସମାଜର ସଂହତି ଭାଙ୍ଗିଯାଇଚି, ମଣିଷ ମଣିଷ ଭିତରେ ଆର୍ଥିକ, ସାମାଜିକ ଓ ମାନସିକ ଦୂରତା ବଢ଼ିଯାଇଚି, ବର୍ଗବିଦ୍ୱେଷ ସୃଷ୍ଟି ହୋଇଚି ଓ କାଳକ୍ରମେ ଜମିରେ ଚାଷକାମ କରିବାକୁ ଏବଂ ସମଗ୍ରତଃ କୌଣସିପ୍ରକାର ଶରୀର-ଶ୍ରମ କରିବାକୁ ଅସମ୍ମାନକର ମନେ କରାଯାଇଚି । ଆଗେ କୃଷକ ଆପଣା ଜମି ଆପେ ଚାଷ କରୁଥିଲା, ଗ୍ରାମର ଅନ୍ୟମାନଙ୍କ ସହିତ ସେ ଆପଣାକୁ ସମକକ୍ଷ ମନେକରୁଥିଲା ଓ ସମୂହ-ସ୍ୱାର୍ଥ ଓ ଆପଣାର ସ୍ୱାର୍ଥ ଭିତରେ ସେ ଅନେକ ସମ୍ମିଳନ-କ୍ଷେତ୍ର ରହିଥିବାର ଅନୁଭବ କରୁଥିଲା । ମାତ୍ର ଜମିଦାରୀ ପ୍ରଥାର ପ୍ରବର୍ତ୍ତନ ଫଳରେ ଗାଆଁର ଚାଷୀକୁ ଗାଆଁ ସମାଜଠାରୁ ଜବରଦସ୍ତି ଛିଣ୍ଡାଇ ନିଆଯାଇ ତା’ର ଚୁଟିକୁ ଅଣଚାଷୀ ଅନ୍ୟ ସମାଜର କେଉଁ ଜମିଦାର ହାତରେ ଧରାଇଦିଆଗଲା । ଗାଆଁର ସମାଜ ଆଉ ଗ୍ରାମଜୀବନର ଏକକ ହୋଇ ରହିଲା ନାହିଁ । ଆପଣାର ଗୋଷ୍ଠୀ ଓ ପ୍ରତିବେଶ ଅପେକ୍ଷା ଗ୍ରାମର ଚାଷୀ ଜମିଦାର ଉପରେ ଅଧିକ ନିର୍ଭର କରିବାକୁ ବାଧ୍ୟହେଲା । ଆପଣା ସମୁଦାୟ ଉପରୁ କ୍ରମେ ତାହାର ଭରସା ତୁଟିଗଲା ଓ ଆପଣା ସମୁଦାୟ ପ୍ରତି ତା’ର ଅନୁରକ୍ତି ମଧ୍ୟ ପ୍ରୟୋଜନରେ ପଡ଼ି ହ୍ରାସ ହେବାକୁ ବାଧ୍ୟ ହେଲା । ଫଳତଃ, ବିଲରେ କମ୍ ଫଳ ଫଳିଲା, ସରକାର ତଥା ଅଣଚାଷୀ ଜମିଦାରର ଭଣ୍ଡାର ନାନାପ୍ରକାରେ ଭର୍ତ୍ତିହେବାରେ ଲାଗିଲା । ଗାଆଁର ଶିରୀ ତୁଟି ଗଲା, ଆପଣା ସମାଜ ସହିତ ଗ୍ରାମବାସୀର ନାଡ଼ କଟିଗଲା । ପରମ୍ପରାଗତ ସ୍ୱୟଂସମ୍ପୂର୍ଣ୍ଣ ଗ୍ରାମ ଏବଂ ସମୁଦାୟର ସ୍ୱତନ୍ତ୍ରମନା ଚାଷୀ ସରକାରୀ ନିୟମ ଓ ମଧ୍ୟବର୍ତ୍ତୀ ଜମିଦାରର ନାନା ନିର୍ଯ୍ୟାତନ କୌଶଳ ଦ୍ୱାରା ବଦ୍ଧ ଓ ବଶ ହୋଇ ରହିଲେ ।

 

କେବଳ କୃଷି ଉପରେ ନିର୍ଭର କରି ଭାରତର ଗାଆଁ କଦାପି ଆପଣାର ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇନଥାନ୍ତା । ସର୍ବୋପରି ଭାରତବର୍ଷର ପାଣିପାଗ ଭାରତର ଚାଷୀକୁ କୃଷି-ଅତିରିକ୍ତ ଏକ ଅନ୍ୟ କୌଣସି ଦ୍ୱିତୀୟ ବେଉସାକୁ ଅବଲମ୍ବନ କରିବାକୁ ବାଧ୍ୟ କରିଥାଏ । ଭାରତରେ ପ୍ରତ୍ୟେକ ବର୍ଷ ଯେତେ ପାଣି ବରଷେ, ତାହା ପ୍ରଧାନତଃ ବରଷକର ଚାରିପାଞ୍ଚ ମାସରେ ବରଷିଯାଏ । ବର୍ଷାଦିନରେ ଜଳଗହଳ ହୁଏ, ପୁଣି ବର୍ଷାଋତୁ ଚାଲିଗଲେ ଜଳର ଅଭାବ ହୁଏ- ତେଣୁ ବର୍ଷସାରା ଚାଷ ଉପରେ ନିର୍ଭର କରି ରହିବା ଭାରତର ଚାଷୀପକ୍ଷରେ ନିର୍ବୋଧତାର କାର୍ଯ୍ୟ ହେଉଥାନ୍ତା । ବିଶେଷ କରି ଆଗକାଳେ ଯେତେବେଳେ କୃତ୍ରିମ ଜଳସେଚନର ବ୍ୟବସ୍ଥାମାନ ଆଦୌ ପ୍ରଶସ୍ତ ନଥିଲା, ଏବଂ ସେଥିଲାଗି କୃଷିକାର୍ଯ୍ୟ ଲାଗି ପ୍ରଧାନତଃ ଇନ୍ଦ୍ରରାଜାର ଜଳଭଣ୍ଡାର ଉପରେ ଭରସା ରଖିବାକୁ ପଡ଼ିଥିଲା, ସେତେବେଳେ କୃଷିଦ୍ୱାରା ଗ୍ରାମସମାଜର ପେଟ କଦାପି ପୂରୁନଥାନ୍ତା । ସେଥିଲାଗି ପରମ୍ପରାଗତ ଭାରତୀୟ ଗ୍ରାମଗୁଡ଼ିକରେ କୃଷି ଓ ଗ୍ରାମୋଦ୍ୟୋଗ ପରସ୍ପରର ପରିପୂରକ ହୋଇ ରହିଥିଲେ । କୃଷି ସହିତ ଗ୍ରାମୋଦ୍ୟୋଗ ବା ଗୃହଶିଳ୍ପକୁ ସହ-ବ୍ୟବସାୟରୂପେ ଗ୍ରହଣ କରିଥିବାରୁ ହିଁ ଭାରତର ଗ୍ରାମବାସୀ ବେକାର ହୋଇ ବସିବାର ଅଭିଶାପରୁ ଆପଣାକୁ ବଞ୍ଚାଇ ରଖି ପାରିଥିଲା । ଏ ଦେଶର ଗ୍ରାମମାନଙ୍କରେ ଗୃହୋଦ୍ୟୋଗ କେବଳ ଏକ ଅବସର ବିନୋଦନରୂପେ ଚାଲୁନଥିଲା, ଆର୍ଥିକ ଜୀବନନିର୍ବାହର ଅନ୍ୟତମ ଅବଲମ୍ବନ ହୋଇ ରହିଥିଲା । ଭାରତର ପ୍ରାୟ ପ୍ରତ୍ୟେକ ଗାଆଁରେ କୃଷକ ଯେପରି ଥିଲେ, ଗୃହୋଦ୍ୟୋଗୀ କାରିଗରମାନେ ମଧ୍ୟ ସେହିପରି ରହିଥିଲେ । କାରିଗରମାନେ ଅନ୍ନ ଲାଗି କୃଷକକୁଳ ଉପରେ ନିର୍ଭର କରୁଥିଲେ ଏବଂ କୃଷକକୁଳ ଅନ୍ନବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ସକାଶେ କାରିଗରମାନଙ୍କ ଉପରେ ନିର୍ଭର କରି ରହିଥିଲେ । କାରିଗର ପ୍ରଧାନତଃ ଆପଣା ଗାଆଁର ଆବଶ୍ୟକତା ପୂରଣ କରିବାଲାଗି ଧନ୍ଦା କରୁଥିଲା, କିନ୍ତୁ ସେ ବାହାରର ବଜାରଲାଗି ମଧ୍ୟ ଦ୍ରବ୍ୟ ଉତ୍ପନ୍ନ କରୁଥିଲା । ଭାରତର ଗୃହଶିଳ୍ପଜାତ ପଦାର୍ଥମାନ ଖାଲି ଦେଶ ଭିତରେ ନୁହେଁ, ବିଦେଶରେ, ବିଶେଷତଃ ଇଉରୋପରେ ମଧ୍ୟ ଆଦର ଲାଭ କରିଥିଲା-

 

ଶ୍ରୀଯୁକ୍ତ ରମେଶଚନ୍ଦ୍ର ଦତ୍ତଙ୍କର ଆଲୋଚିତ ଗୋଟିଏ ଗ୍ରନ୍ଥରୁ ଆମେ ଜାଣିବାକୁ ପାଉ ଯେ ସେକାଳେ ସୂତାକଟା ଭାରତୀୟ ଜନସମୁଦାୟ ଲାଗି ଏକ ଜାତୀୟ ଶିଳ୍ପ ହୋଇ ରହିଥିଲା । ସୂତାକଟାର ଧନ୍ଦା ଅବଲମ୍ବନ କରି ଲକ୍ଷଲକ୍ଷ ସ୍ତ୍ରୀଲୋକ ସେତେବେଳେ ପରିବାରର ଆୟ ବଢ଼ାଇବାରେ ସାହାଯ୍ୟ କରୁଥିଲେ । ଲୁଗା ରଙ୍ଗ କରିବା, ଚମଡ଼ା ପାଗ କରିବା ଏବଂ କଂସା, ପିତଳ, ରୂପା ଓ ସୁନା ପ୍ରଭୂତି ଧାତୁକାମ କରିବା ସେତେବେଳେ କୋଟିକୋଟି ଗ୍ରାମବାସୀଙ୍କୁ ଅନ୍ନସଂସ୍ଥାନ ଯୋଗାଇ ରଖିଥିଲା । (ପୁସ୍ତକ ଟିପ୍ପଣୀ-୮, ପୃଷ୍ଠା-୨୫୬) ଅଷ୍ଟାଦଶ ଶତାବ୍ଦୀରେ ଅର୍ଥାତ୍ ବ୍ରିଟିଶ୍ କମ୍ପାନୀ ଏହି ଦେଶରେ ଶାସନ ଓ ବ୍ୟବସାୟ ବିସ୍ତାର କରିବାକୁ ଯାଉଥିବା ସମୟରେ ଭାରତବର୍ଷ ଏକ କୃଷିପ୍ରଧାନ ଓ ହସ୍ତଶିଳ୍ପ-ପ୍ରଧାନ ଦେଶ ହିସାବରେ ଖ୍ୟାତି ଓ ସମୃଦ୍ଧିଲାଭ କରିଥିଲା । ଭାରତର ଗାଆଁ ମାନଙ୍କରେ ଚାଲୁଥିବା ତନ୍ତସବୁ ଏସିଆ ଓ ଇଉରୋପର ଖାଉଟିବଜାରକୁ ବସ୍ତ୍ର ଯୋଗାଉଥିଲେ । ହଜାର ହଜାର ବର୍ଷରୁ ଏହି ବସ୍ତ୍ରଶିଳ୍ପ ଭାରତରେ ଚଳିଆସୁଥିଲା । ଆଜିକୁ ପ୍ରାୟ ଚାରିହଜାର ବର୍ଷ ପୂର୍ବେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୨୦୦୦ ଅବ୍ଦରେ ପ୍ରାଚୀନ ମିଶରର ମମି (Mummy) ମାନଙ୍କୁ ଭାରତୀୟ ମସ୍‌ଲିନ୍ କପଡ଼ାରେ ଗୁଡ଼ାଇକରି ରଖାଯାଉଥିବାର ଐତିହାସିକ ପ୍ରମାଣ ମିଳୁଛି । ବ୍ରିଟିଶ୍ ଶକ୍ତି ଏ ଦେଶକୁ ଆସିବା ସମୟରେ ଭାରତବର୍ଷ ପ୍ରଧାନତଃ ଏକ ଉତ୍ପାଦକ ଦେଶ ଥିଲା । ଇଷ୍ଟ୍ ଇଣ୍ଡିଆ କମ୍ପାନୀ ତଥା ବ୍ରିଟିଶ୍ ପାର୍ଲିଆମେଣ୍ଟ ସକଳପ୍ରକାର ଅଭିସନ୍ଧିମୂଳକ ଯୋଜନା କରି ଏହାକୁ ପ୍ରଧାନତଃ ଏକ ଉପଭୋକ୍ତା ଦେଶରେ ପରିଣତ କରାଇଦେଲେ, ଏ ଦେଶର ଆର୍ଥିକ ମେରୁଦଣ୍ଡକୁ ଅନେକଦିନ ଲାଗି ଭାଙ୍ଗିଦେଇଗଲେ । ଆଗେ ଭାରତର ଉତ୍ପନ୍ନ ଦ୍ରବ୍ୟମାନ ଭାରତବାସୀଙ୍କର ଆବଶ୍ୟକତା ପୂର୍ଣ୍ଣକରି ଦେଶ ବାହାରେ ବିକ୍ରୀ ହେବାକୁ ଯାଉଥିଲା । ବ୍ରିଟିଶ୍ ନୀତି ଫଳରେ ଭାରତର ଶିଳ୍ପ ଓ ଗୃହୋଦ୍ୟୋଗ ନଷ୍ଟ ହୋଇଗଲା । ଭାରତ କେବଳ କଞ୍ଚାମାଲ ଉତ୍ପାଦନ କରିବାକୁ ଏବଂ ଇଂଲଣ୍ଡଠାରୁ ଶିଳ୍ପଜାତଦ୍ରବ୍ୟ କିଣିବାକୁ ବାଧ୍ୟ ହେଲା ।

 

ଇଂଲଣ୍ଡର ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଯେତେବେଳେ ଭାରତବର୍ଷକୁ ଆସି ବେପାର ଆରମ୍ଭ କଲେ, ସେତେବେଳେ ପ୍ରଧାନତଃ ଭାରତରୁ ହିଁ ଜିନିଷ ରପ୍ତାନୀ ହୋଇ ଇଂଲଣ୍ଡ ଯାଉଥିଲା । ବିଲାତରୁ ଆମଦାନୀ ହୋଇ ଭାରତକୁ ସାଧାରଣତଃ କିଛି ଆସୁନଥିଲା କହିଲେ ଆଦୌ ଭୁଲ ହେବନାହିଁ । ଐତିହାସିକ ବିବରଣୀରୁ ଜଣାପଡ଼ୁଚି ଯେ ଭାରତରୁ ଇଂଲଣ୍ଡକୁ ଗଲାବେଳେ କମ୍ପାନୀର ଜାହାଜମାନ ପୂର୍ଣ୍ଣମାତ୍ରାରେ ବୋଝୋଇ ହୋଇ ଯାଉଥିଲେ, ମାତ୍ର ତେଣୁ ଫେରିଲାବେଳକୁ ଖାଲିଖାଲି ଫେରୁଥିଲା । କାରଣ ଇଂଲଣ୍ଡରେ ଉତ୍ପନ୍ନ ହେଉଥିବା କୌଣସି ଜିନିଷ ଭାରତ ବଜାରରେ ବିକ୍ରୀ ହୋଇ ପାରିବବୋଲି କମ୍ପାନୀଲୋକଙ୍କର ପ୍ରତ୍ୟହ ହେଉନଥିଲା । ଶ୍ରୀଯୁକ୍ତ ଓ୍ୱାରେନ୍ ହେଷ୍ଟିଙ୍ଗସ୍‌ କମ୍ପାନୀ ତରଫରୁ ଭାରତର ପ୍ରଥମ ବଡ଼ଲାଟ ହୋଇ ଆସିଥିଲେ । ଭାରତର ଲୋକ-ମନ ଓ ସ୍ୱଭାବ ସମ୍ବନ୍ଧରେ ତାଙ୍କର ଅନେକ ଜ୍ଞାନ ଥିଲା । ଭାରତୀୟ ଲୋକେ ଇଉରୋପୀୟ ଦ୍ରବ୍ୟସାମଗ୍ରୀ ପ୍ରତି କେତେଦୂର ଆକୃଷ୍ଟ ହେବେ ଓ ଭାରତର ବଜାରରେ ସେଗୁଡ଼ିକ କିପରି ଭାବରେ କଟିପାରିବ, ବିଲାତର ପାର୍ଲିଆମେଣ୍ଟରେ ତାଙ୍କୁ କରାଯାଇଥିବା ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ‘‘ଗୋଟିଏ ଦେଶ ସାଧାରଣତଃ ଦୁଇପ୍ରକାର ସାମଗ୍ରୀ ନେଇ ଆଉଗୋଟିଏ ଦେଶରେ ବାଣିଜ୍ୟ ଆରମ୍ଭ କରିପାରିବ ଆବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ବିଳାସ-ସାମଗ୍ରୀ । ଭାରତବର୍ଷର ଦରିଦ୍ର ଜନସାଧାରଣଙ୍କର ନିତ୍ୟବ୍ୟବହାର୍ଯ୍ୟ ଆବଶ୍ୟକ ଦ୍ରବ୍ୟର କୌଣସି ଅଭାବ ରହିଚି ବୋଲି ମନେହୁଏନାହିଁ । ଆପଣା ବସତି, ଭୋଜନ ଓ ବସ୍ତ୍ରକୁ ଛାଡ଼ିଦେଲେ ସେମାନେ ସାଧାରଣତଃ ଅନ୍ୟ କୌଣସି ଅଭାବ ବା ଆବଶ୍ୟକତା ଅନୁଭବ କରନ୍ତିନାହିଁ ଏବଂ ଆପଣା ଗାଆଁରେ ହିଁ ସେମାନେ ଅନାୟାସରେ ଏହିସବୁ ଆବଶ୍ୟକତାର ପୂରଣ କରିନିଅନ୍ତି ।’’

 

ଭାରତବର୍ଷର ସ୍ୱକୀୟ ଶିଳ୍ପୋଦ୍ୟୋଗକୁ ବଢ଼ାଇବାରେ ବ୍ରିଟିଶ୍ କମ୍ପାନୀର କୌଣସି ସ୍ୱାର୍ଥସାଧନ ହୋଇନଥାନ୍ତା । ରାଜନୀତିକ ଆସ୍ଥାନ କମିବା ସଙ୍ଗେ ସଙ୍ଗେ କମ୍ପାନୀର କର୍ତ୍ତାମାନେ ଆପଣା ବାଣିଜ୍ୟ ଓ ଲାଭ ବିଷୟରେ ଅଧିକ ତତ୍ପର ହେବାକୁ ଆରମ୍ଭକଲେ ଓ ଭାରତର ପରମ୍ପରାଗତ ଆର୍ଥିକ ବ୍ୟବସ୍ଥାକୁ ତଦନୁରୂପ ସଜାଡ଼ିବାରେ ଲାଗିଗଲେ । ଆଗେ ବଙ୍ଗପ୍ରଦେଶରୁ ରେଶମବସ୍ତ୍ର ବିଲାତ ଯାଉଥିଲା, ଏଣିକି ବଙ୍ଗଳାରେ କେବଳ ରେଶମଚାଷ ହେଲା, ରେଶମ ଫାକ୍ଟରିର ସଂଖ୍ୟା ହ୍ରାସ ହୋଇଗଲା । ଆଗେ ଭାରତବର୍ଷର ତନ୍ତୀ ସମସ୍ତ ଦେଶଲାଗି ଲୁଗା ବୁଣି ଦେଉଥିଲା । ନୂତନ ସୁଧାର ଫଳରେ ଭାରତରେ କପାଚାଷ ବଢ଼ିଲା କିନ୍ତୁ ବିଲାତର କାରଖାନାମାନଙ୍କରେ ଲୁଗା ବୁଣା ହୋଇ ଭାରତକୁ ଆସିଲା । ଭାରତର ବସ୍ତ୍ରଶିଳ୍ପ ଓ ତନ୍ତୀକୁଳକୁ ବୁଡ଼ାଇ ତା ଉପରେ ବିଲାତୀ ବସ୍ତ୍ରବାଣିଜ୍ୟର କନ୍ୟା ବୁହାଇଦେବା ଲାଗି ଯେଉଁସବୁ କାନୁନ୍, କଟକଣା, ଶାସ୍ତି ଓ ପ୍ରତିବନ୍ଧକର ଆବଶ୍ୟକତା ହେଲା, କମ୍ପାନୀ ସରକାର ସେସବୁକୁ ଜାରି କରିବାରେ କୌଣସି ପ୍ରକାର କୃପଣତା କରିନଥିଲେ । ଭାରତରେ କପା ଓ ରେଶମଶିଳ୍ପ କ୍ରମେ ମରି ମରି ଗଲା ଏବଂ ଅନବଧି କାଳରୁ ଯେଉଁ ଦେଶର ଅଧିବାସୀମାନେ କପା ଓ ରେଶମପ୍ରସ୍ତୁତ ଦ୍ରବ୍ୟମାନ ଏସିଆ ଓ ଇଉରୋପ ବଜାରକୁ ରପ୍ତାନୀ କରି ଆସିଥିଲେ, ସେହି ଦେଶ ଏଣିକି ଏହିସବୁ ଦ୍ରବ୍ୟକୁ ଅଧିକରୁ ଅଧିକ ପରିମାଣରେ ବିଦେଶରୁ, ଅଧିକ ସଙ୍ଗତ କରି କହିଲେ ବ୍ରିଟେନ୍‌ରୁ ଆମଦାନୀ କରିବାକୁ ଅର୍ଥାତ୍ କମ୍ପାନୀ ଦ୍ୱାରା ଧାର୍ଯ୍ୟକରି ଦିଆଯାଇଥିବା ଦାମ୍‌ଦେଇ କିଣିବାକୁ ବାଧ୍ୟ ହେଲା । ଇଂଲଣ୍ଡର ବାଣିଜ୍ୟଲକ୍ଷ୍ମୀ ଭାରତର ସ୍ୱୟଂସମ୍ପୂର୍ଣ୍ଣ ଜୀବନଭୂମିକୁ ଗ୍ରାସ କରିବାକୁ ଆସିଲେ । ୧୭୯୪ ଖ୍ରୀଷ୍ଟାବ୍ଦରେ ମୋଟେ ୧୫୬ ପାଉଣ୍ଡର କର୍ପାସପ୍ରସ୍ତୁତ ଦ୍ରବ୍ୟ ବିଲାତରୁ ପ୍ରଧାନତଃ ଭାରତର ବଜାରକୁ ରପ୍ତାନୀ ହୋଇ ଆସୁଥିଲା । ଠିକ୍ କୋଡ଼ିଏ ବର୍ଷ ପରେ ୧୮୧୩ ଖ୍ରୀଷ୍ଟାବ୍ଦରେ ଏହି ରପ୍ତାନୀ-ଦ୍ରବ୍ୟର ପରିମାଣ ବୃଦ୍ଧି ପାଇ, ୧,୦୮,୮୨୪ ପାଉଣ୍ଡ ହୋଇଯାଇଥିଲା ।

 

ଭାରତବର୍ଷର ଏହି ଶିଳ୍ପକ୍ଷେତ୍ରଗତ ବିଲୟ ବିଷୟରେ ଇଂଲଣ୍ଡର ଜଣେ ଐତିହାସିକ କହିଚନ୍ତି, ‘‘୧୮୧୩ ମସିହାର ଏକ ବିବୃତିରୁ ପ୍ରମାଣ ମିଳେ ଯେ ଏହି ସମୟ ପର୍ଯ୍ୟନ୍ତ ଭାରତ-ତିଆରି କାର୍ପାସ ତଥା ରେଶମ ଦ୍ରବ୍ୟମାନ ବିଲାତରେ ଲାଭସହିତ ବିକ୍ରୀ ହେଉଥିଲା । ରପ୍ତାନୀ ଖରଚ ସତ୍ତ୍ୱ ଏସବୁ ଦ୍ରବ୍ୟ ବିଲାତରେ ବିଲାତତିଆରି କପା ଓ ରେଶମ ଦ୍ରବ୍ୟଠାରୁ ପ୍ରାୟ ୫୦-୬୦% ଶସ୍ତାରେ ବିକ୍ରୀ ହୋଇ ପାରୁଥିଲା । ତେଣୁ ବିଲାତର ବାଣିଜ୍ୟକୁ ବଂଚାଇ ରଖିବାକୁ ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ୭୦-୮୦% ପର୍ଯ୍ୟନ୍ତ ଶୁଳ୍‌କ ଧାର୍ଯ୍ୟ କରିବା ଆବଶ୍ୟକ ହୋଇପଡ଼ିଲା ବା ସେଗୁଡ଼ିକୁ ବିଲାତରୁ ବଜାରକୁ ଆଣିବା ବିଷୟରେ ନିଷେଧମାନ ଜାରି ହୋଇଗଲା । ଏପରି ହୋଇନଥିଲେ, ଅର୍ଥାତ୍ ଭାରତୀୟ ଦ୍ରବ୍ୟ ଉପରେ ଏହିପରି ଭାବରେ ଶୁଳ୍‌କ ଓ ନିଷେଧ ଲଦି ଦିଆଯାଇ ନଥିଲେ ବିଲାତର ରେଶମ ଓ କାର୍ପାସକଳମାନ ମୂଳରୁ ଖତମ ହୋଇଥାନ୍ତେ, ଭାରତୀୟ ବସ୍ତ୍ରଶିଳ୍ପ ସହିତ ପ୍ରତିଯୋଗିତାରେ ସେମାନେ କଦାପି ଉଧାଇ ପାରିନଥାନ୍ତେ । ବାଷ୍ପଚାଳିତ କଳର ସାହାଯ୍ୟ ନେଇ ମଧ୍ୟ ସେମାନେ ତଥାପି ଭାରତୀୟ ଦ୍ରବ୍ୟସହିତ ପ୍ରତିଯୋଗିତା କରି ପାରିନଥାନ୍ତେ । ଭାରତବର୍ଷର ଉଦ୍ୟୋଗଧନ୍ଦାକୁ ଜୀବନରୁ ମାରି ଦେବାଦ୍ୱାରା ହିଁ ବିଲାତର ଲୁଗାକଳକୁ ବଞ୍ଚାଇ ରଖିବା ସମ୍ଭବ ହୋଇଚି । ଭାରତବର୍ଷ ଯଦି ଏକ ସ୍ୱାଧୀନ ଦେଶ ହୋଇଥାନ୍ତା, ତେବେ ସେ ନିଶ୍ଚୟ ଏହାର ପ୍ରତିଶୋଧ ନେଇଥାନ୍ତା ଓ ଏହି ନିର୍ମମ ପକ୍ଷପାତର ଜବାବ ଦେଇଥାନ୍ତା । ସିଏ ମଧ୍ୟ ଭାରତକୁ ପଠାଯାଉଥିବା ବିଲାତୀ ଦ୍ରବ୍ୟ ଉପରେ ସେହିପରି ଶୁଳ୍‌କ ବସାଇ ଦେଇଥାନ୍ତା ଏବଂ ତଦ୍ୱାରା ଆପଣାର ଉତ୍ପାଦନ-ଶିଳ୍ପଗୁଡ଼ିକୁ ସୁରକ୍ଷିତ କରି ରଖିପାରିଥାଆନ୍ତା । କିନ୍ତୁ ଭାରତବର୍ଷକୁ ଆତ୍ମରକ୍ଷା କରିବାର ଏହି ଅବସରଟିକକ ମଧ୍ୟ ଦିଆଯାଇନାହିଁ । ତାକୁ ବିଦେଶୀ ସତ୍ତାର କବଳ ଭିତରେ ବଡ଼ ଅସହାୟ ଭାବରେ ବଶ୍ୟତା ସ୍ୱୀକାର କରିବାକୁ ପଡ଼ିଚି । ତା ଉପରେ ବ୍ରିଟିଶ୍ ଶିଳ୍ପଜାତ ଦ୍ରବ୍ୟକୁ ଜବରଦସ୍ତି ମଡ଼ାଇ ଦିଆଯାଇଚି-। ଭାରତର ବଜାରରେ ପ୍ରବେଶ କରିବାଲାଗି ବିଲାତର ମାଲକୁ କୌଣସି ଶୁଳ୍‌କ ଦେବାକୁ ପଡ଼ିନାହିଁ । ବିଦେଶୀ କଳମାଲିକ ଓ ଉତ୍ପାଦକ ରାଜନୀତିକ ଅନ୍ୟାୟର ଅସ୍ତ୍ର ଧରି ଭାରତକୁ ପଦଦଳିତ କରି ରଖିବାରେ ଓ ଶେଷରେ ତାହାର ଶ୍ୱାସରୁଦ୍ଧ କରିଦେବାରେ ସଫଳ ହୋଇଚି । ସାଧୁ ଉପାୟରେ ସମକକ୍ଷ ଭାବରେ ଭାରତବର୍ଷର ଶିଳ୍ପୋଦ୍ୟୋଗ ସହିତ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଲାତର ଉଦ୍ୟୋଗସଂସ୍ଥା ଏପରି କଦାପି କରି ପାରିନଥାନ୍ତା ।’’ (ପୁସ୍ତକ ଟିପ୍ପଣୀ-୮, ପୃଷ୍ଠା– ୨୬୨)

 

ଆଗରୁ କହୁଯାଇଚି, ଭାରତବର୍ଷର ଗାଆଁରେ କୃଷି ଓ ଗୃହୋଦ୍ୟୋଗ ପରସ୍ପରର ପରିପୂରକ ଭାବରେ ରହିଆସିଥିଲେ ଏବଂ ଏହି ଦେଶର ଗ୍ରାମସମାଜକୁ ଆବହମାନ କାଳରୁ ଏକ ସୁଦୃଢ଼ ଜୀବନଭିତ୍ତି ଯୋଗାଇ ଆସିଥିଲେ । ଗୃହୋଦ୍ୟୋଗ ଭାଙ୍ଗିପଡ଼ିବା ସଙ୍ଗେ ସଙ୍ଗେ ଗ୍ରାମର କୃଷିସଂସ୍ଥାନ ମଧ୍ୟ ଭାଙ୍ଗିପଡ଼ିଲା, ଗ୍ରାମର ସ୍ୱୟଂସମ୍ପୂର୍ଣ୍ଣ ଅର୍ଥନୀତି ଭାଙ୍ଗିପଡ଼ିଲା । ଗ୍ରାମସମାଜର ପାରସ୍ପରିକତା ଛିନ୍ନଭିନ୍ନ ହୋଇଗଲା, ଭାରତବର୍ଷର ଆର୍ଥିକ, ସାମାଜିକ ଏବଂ ରାଜନୀତିକ ସଂଗଠନ ଉପରେ ଏହାଦ୍ୱାରା ଯେଉଁ ଆଘାତ ବାଜିଲା, ତାହା ଏକ ମରଣାନ୍ତକ ଆଘାତ ପରି କାର୍ଯ୍ୟକଲା । ତା’ପରେ ଏଦେଶରେ ବ୍ରିଟିଶ୍ ଶକ୍ତି ଓ ବ୍ରିଟିଶ୍ ଶାସନ ଯେତିକି ଦୃଢ଼ ଓ ଯେତିକି ସ୍ଥିରମୂଳ ହେବାକୁ ଲାଗିଲା, ଭାରତୀୟ ସମାଜର ଦୀନତା ଓ ଦାରିଦ୍ର୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଲା । ଭାରତବର୍ଷର ଗାଆଁ ନଷ୍ଟଭ୍ରଷ୍ଟ ହୋଇଗଲା, ଅନ୍ନବସ୍ତ୍ରବହୁଳ ଏହି ଦେଶର ବିପୁଳ ଜୀବନ କ୍ରମେ ଲକ୍ଷ୍ମୀଛଡ଼ା ହୋଇଗଲା । ସ୍ୱୟଂସମ୍ପୂର୍ଣ୍ଣ ଗ୍ରାମସମୁଦାୟମାନ କ୍ରମେ ଅଭାବ, ଅନାଟନ ଓ ଉପବାସର ସମ୍ମୁଖୀନ ହେଲେ । ଘରର ଗବାକ୍ଷ ଖୋଲିଦେଲେ ଘରଭିତରର ମଣିଷ ବୃହତ୍ତର ପୃଥିବୀର ସମ୍ପର୍କରେ ଆସିଥାଏ ବୋଲି ସାଧୂକ୍ତିମାନ ରହିଚି । କିନ୍ତୁ ଭାରତର ସ୍ୱୟଂସମ୍ପୂର୍ଣ୍ଣ ଗ୍ରାମସମାଜର ଗବାକ୍ଷଗୁଡ଼ିକ କୌଣସି ସ୍ୱାଭାବିକ ଆବଶ୍ୟକତା ସକାଶେ ନୁହେଁ, ମାତ୍ର କୌଣସି ଦୁର୍ଭାଗ୍ୟମୟ ଅନାଗତ ଯୁଗର ଅପବିଧାୟକ ଦ୍ୱାରା ବାଧ୍ୟ ହୋଇ ଖୋଲିଯାଇଥିଲା । ତଦ୍ଦ୍ୱାରା ତାହାର ସର୍ବନାଶ ହେଲା, ସେ ବହିର୍ଜଗତର ଗ୍ରାସରେ ପଡ଼ିଗଲା । ଆଗାମୀ କେତେ ଶହ ବର୍ଷଲାଗି ସେ ମଳିନ ଅସହାୟ ବେଶ ପିନ୍ଧିକରି ରହିବାକୁ ବାଧ୍ୟହେଲା ।

 

ବ୍ରିଟିଶ୍ ଅମଳର ଶିଳ୍ପନୀତି ପରେ ଶିକ୍ଷାନୀତି । ଗତ ଦୁଇଶହ ବର୍ଷଧରି ବ୍ରିଟିଶ୍ କର୍ତ୍ତାମାନେ ଏ ଦେଶରେ ଯେଉଁ ଶିକ୍ଷାନୀତି ଚଳାଇ ଆସିଥିଲେ, ସେଥିରେ ଏଦେଶର କେବଳ ଗ୍ରାମସମାଜ ନୁହେଁ, ସମଗ୍ର ସମାଜ ଅନେକ ପରିମାଣରେ ବିକଳ ଓ ବୃନ୍ତଚ୍ୟୁତ ହୋଇପଡ଼ିଚି । ଇଷ୍ଟ ଇଣ୍ଡିଆ କମ୍ପାନୀର ଡିରେକ୍ଟରମାନେ ଭାରତବର୍ଷରେ ଇଂରାଜୀଶିକ୍ଷା ଦେବାକୁ ପ୍ରଥମରେ ଆଦୌ ସମ୍ମତ ନଥିଲେ । ୧୭୯୨ ମସିହାରେ ଇଂଲଣ୍ଡରୁ କେତେଜଣ ସ୍କୁଲମାଷ୍ଟରଙ୍କୁ ଭାରତକୁ ପଠାଇବାର ଏକ ପ୍ରସ୍ତାବ ଉପରେ କମ୍ପାନୀର ଡିରେକ୍ଟରମାନେ ଅସମ୍ମତି ପ୍ରକଟ କରିଥିଲେ । ଜଣେ ଡିଟେକ୍ଟର ଆପଣାର ମନୋଭାବ ପ୍ରକାଶ କରି କହିଥିଲେ : ‘‘ଆମେରିକାରେ ସ୍କୁଲ ଓ କଲେଜ ବସାଇ ଆମେ ସେହି ମହାଦେଶରେ ଥିବା ଆମର ଔପନିବେଶିକ କର୍ତ୍ତୃତ୍ୱ ହରାଇବୁ । ଏବେ ଭାରତବର୍ଷ ବେଳକୁ ଆମେ କଦାପି ସେହି ଭୁଲର ପୁନରାବୃତ୍ତି କରିବାକୁ ଯିବାନାହିଁ । ଭାରତବାସୀଙ୍କର ଯଦି ପ୍ରକୃତରେ ଶିକ୍ଷାର କୌଣସି ଆବଶ୍ୟକତା ଥାଏ, ତେବେ ସେଥିଲାଗି ସେମାନେ ବିଲାତକୁ ଆସନ୍ତୁ ।’’ ୧୭୯୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏଡ଼େବଡ଼ ଭାରତୀୟ ସାମ୍ରାଜ୍ୟରେ କେବଳ ଦୁଇଟି ସରକାରୀ କଲେଜ ଥିଲା; କଲିକତାର ମୁସଲମାନ କଲେଜ ଓ ବନାରସର ସଂସ୍କୃତ କଲେଜ । କିନ୍ତୁ ସାଧାରଣ ଶିକ୍ଷା ପ୍ରସାରର ଉତ୍ସାହରେ ସରକାର ଏହି କଲେଜ ଦୁଇଟି ବସାଇନଥିଲେ । ସରକାରୀ କୋର୍ଟ କଚେରୀରେ ବିଲାତୀ ବିଚାରପତି ମାନଙ୍କର ଦୋଭାଷିଆ ହିସାବରେ କାର୍ଯ୍ୟ କରିବାପାଇଁ ସରକାର ମୌଲବୀ ଓ ପଣ୍ଡିତ ଦରକାର କରୁଥିଲେ । ସେହିମାନଙ୍କୁ ଆଇନଗତ ତାଲୀମ ଦେବା ପାଇଁ ପ୍ରଧାନତଃ କଲେଜ ବସିଥିଲା । ତା’ପରେ କୋଡ଼ିଏ ବର୍ଷ ବିତିଗଲା । ୧୮୧୩ ମସିହାରେ ଭାରତୀୟ ଜନସାଧାରଣଙ୍କର ଶିକ୍ଷା ବାବଦରେ ବ୍ରିଟିଶ୍ ପାର୍ଲିଆମେଣ୍ଟ ପ୍ରଥମଥର ପାଇଁ ଦଶହଜାର ପାଉଣ୍ଡ ବା ପ୍ରାୟ ଦେଢ଼ଲକ୍ଷ ଟଙ୍କା ମଞ୍ଜୁର କରିଥିଲା । ଅବଶ୍ୟ ତା’ପରେ ଦଶବର୍ଷ ପର୍ଯ୍ୟନ୍ତ ଏହି ଟଙ୍କା କୌଣସି କାମରେ ନଲାଗି ସେହିପରି ଗଚ୍ଛିତ ହୋଇ ରହିଥିଲା । (ପୁସ୍ତକ ଟିପ୍ପଣୀ–୯, ପୃଷ୍ଠା–୧୯୮)

 

ଉଲ୍ଲିଖିତ ପୁସ୍ତକରେ ଶ୍ରୀଯୁକ୍ତ ଦତ୍ତ କହିଚନ୍ତି ଯେ ୧୯୦୩ ମସିହା ବେଳକୁ ଭାରତବର୍ଷରେ ପ୍ରାୟ ତିରିଶଲକ୍ଷ ପିଲା ପ୍ରାଥମିକ ସ୍କୁଲମାନଙ୍କରେ କେବଳ ପଠନ, ଲିଖନ ଓ ଗଣିତର ହିସାବ ଶିକ୍ଷା କରୁଥିଲେ । ସେ କହନ୍ତି, ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ଏହି ଦେଶରେ ଅନେକଦିନରୁ ରହିଆସିଥିଲା । ତେଣୁ ବ୍ରିଟିଶ୍ ସରକାର ଏହି ଦେଶରେ ପ୍ରଥମ କରି ପ୍ରାଥମିକ ଶିକ୍ଷାର ପ୍ରଚଳନ କଲେ ବୋଲି କହିଲେ ଆଦୌ ଠିକ୍ ହେବନାହିଁ । ଇଉରୋପରେ ଏହାର ଅୟମାରମ୍ଭ ହେବାର ବହୁପୂର୍ବରୁ ଭାରତବର୍ଷରେ ପ୍ରାଥମିକ ଶିକ୍ଷାର ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ରହିଥିଲା । ଦେଶର ଚାରିଆଡ଼େ ପିଲାମାନେ ଦେଶରେ ପ୍ରତିଷ୍ଠିତ ରହିଥିବା ଚାଟଶାଳୀମାନଙ୍କୁ ଯାଉଥିଲେ । ବ୍ରାହ୍ମଣ ଓ ଉଚ୍ଚବର୍ଣ୍ଣର ଗୃହସ୍ଥମାନେ ଆପଣା ପିଲାମାନଙ୍କୁ ଶିକ୍ଷା ଦେବାକୁ ଆପଣାର ଧର୍ମ ବୋଲି ମାନୁଥିଲେ । ବୈଶ୍ୟଘରର ପିଲାମାନେ ଘରେ ରହି ଅକ୍ଷରଜ୍ଞାନ ହାସଲ କରୁଥିଲେ ଓ ହିସାବକିତାବ ଶିଖୁଥିଲେ । ବ୍ରିଟିଶ ସରକାର ଏହି ଆବଶ୍ୟକତାକୁ ବୁଝିଚନ୍ତି ଓ ପ୍ରାଥମିକ ଶିକ୍ଷାର ପ୍ରଣୟନ କରିଚନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଏହି ଦିଗରେ ଯଥେଷ୍ଟ ସାହାଯ୍ୟ କରିନାହାନ୍ତି । ୧୯୦୧ ମସିହରେ ସମଗ୍ର ବ୍ରିଟିଶ୍ ଭାରତରେ ଶିକ୍ଷା ବାବଦରେ ମାତ୍ର ଦଶଲକ୍ଷରୁ ଅଳ୍ପ କିଛି ଅଧିକ ପାଉଣ୍ଡ ମଞ୍ଜୁର ହୋଇଥିଲା । ଏଥିରୁ ସରକାରଙ୍କ ତରଫରୁ ୬୬୪.୦୦୦ ପାଉଣ୍ଡ ଆସିଥିଲା ଓ ସ୍ଥାନୀୟ ତଥା ସ୍ୱାୟତ୍ତ-ଶାସନ ସଂସ୍ଥାଗୁଡ଼ିକରୁ ୪୮୪,୦୦୦ ପାଉଣ୍ଡ ମିଳିଥିଲା ।

 

୧୮୨୪ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜର ଗଭର୍ଣ୍ଣର୍ ଏଲ୍‌ଫିନ୍‌ଷ୍ଟୋନ୍ ସାହେବ କମ୍ପାନୀ ପାଖରେ ଶିକ୍ଷା ସମ୍ବନ୍ଧରେ ସାତୋଟି ପ୍ରସ୍ତାବ ପେସ୍ କରିଥିଲେ : ।।୧।। ଭାରତୀୟ ସ୍କୁଲଗୁଡ଼ିକର ଅବସ୍ଥା ସୁଧାରିବା ଓ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା, ।।୨।। ସେହି ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇଦେବା, ।।୩।। ନୀଚ୍ଚ ବର୍ଣ୍ଣର ଲୋକମାନଙ୍କୁ ଶିକ୍ଷାଲାଗି ଉତ୍ସାହ ଦେବା, ।।୪।। ଇଉରୋପୀୟ ବିଜ୍ଞାନମାନ ଶିକ୍ଷାଦେବାଲାଗି ନୂଆ ସ୍କୁଲସବୁ ବସାଇବା, ।।୫।। ଭାରତୀୟ ଭାଷାମାନଙ୍କରେ ନୀତିବିଜ୍ଞାନ ଓ ପ୍ରକୃତିବିଜ୍ଞାନ ବିଷୟରେ ବହିସବୁ ଲେଖାଇବା, ।।୬।। ଇଂରାଜୀଭାଷା ଶିକ୍ଷା ଦେବାଲାଗି ନୂଆ ସ୍କୁଲ ବସାଇବା ଓ ।।୭।। ଲୋକସାଧାରଣଙ୍କୁ ଶିକ୍ଷାଦିଗରେ ଅଧିକରୁ ଅଧିକ ଉତ୍ସାହିତ କରିବା । ଏଲ୍‌ଫିନ୍‌ଷ୍ଟୋନ୍ ଆପଣା କାର୍ଯ୍ୟକାଳ ସାରି ଦେଶକୁ ବାହୁଡ଼ିଲେ, ତାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବାରେ କେହି କୌଣସି କଦମ୍ ଉଠାଇନଥିଲେ ।

 

୧୮୩୫ ମସିହାରେ ମ୍ୟାକଲେ ସାହେବଙ୍କର ଅଧିନାୟକତ୍ୱରେ ସରକାର ଏକ ଶିକ୍ଷା କମିଟି ବସାଇଲେ । ଆଧୁନିକ ଶିକ୍ଷା ଦେବାକୁ ହେଲେ ଭାରତବର୍ଷରେ ଆଧୁନିକ ଭାଷା ଅର୍ଥାତ୍ ଇଂରାଜୀକୁ ମାଧ୍ୟମରୂପେ ଗ୍ରହଣ କରିବାକୁ ପଡ଼ିବ, ମ୍ୟାକଲେ ଓ ତାଙ୍କର କମିଟି ଏହି ନିଷ୍ପତ୍ତିରେ ପହଞ୍ଚିଥିଲେ । ସେ ଦେଇଥିବା ବିବୃତ୍ତିରୁ ନିମ୍ନଲିଖିତ କେତୋଟି ଅଂଶ ଆମ ସମସ୍ତଙ୍କର ପ୍ରଣିଧାନଯୋଗ୍ୟ । ‘‘ଭାରତବାସୀ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କର ମାତୃଭାଷାରେ ଶିକ୍ଷା ପାଇବାକୁ ଅକ୍ଷମ । ତେଣୁ ସେମାନଙ୍କୁ ଶିକ୍ଷା ଦେବାଲାଗି ଆମର ଯେଉଁ କର୍ତ୍ତବ୍ୟ ରହିଚି, ତାହାକୁ ତୁଲାଇବାକୁ ହେଲେ ଆମକୁ ଅବଶ୍ୟ କୌଣସି ବିଦେଶୀ ଭାଷାର ସାହାଯ୍ୟ ନେବାକୁହିଁ ପଡ଼ିବ । ଏହି ସଂକ୍ରାନ୍ତରେ ଆମ ନିଜଭାଷା ଇଂରାଜୀର ଯେଉଁ ଅକାଟ୍ୟ ଦାବୀ ରହିଚି, ତାହାକୁ ବର୍ଣ୍ଣନା କରି କହିବା ଏଠାରେ ବାହୁଲ୍ୟମାତ୍ର ହେବ । ପାଶ୍ଚାତ୍ୟ ଜଗତର ଭାଷାଗୁଡ଼ିକ ମଧ୍ୟରେ ଏହା ପ୍ରଧାନତମ ଆସନ ଅଧିକାର କରି ରହିଚି । କେବଳ ଏତିକି କହିଲେ ଯଥେଷ୍ଟ କୁହା ହେବନାହିଁ । ଭାରତବର୍ଷର ଶାସକମାନେ ଇଂରାଜୀଭାଷାରେ କଥାବାର୍ତ୍ତା କରନ୍ତି । ସରକାରୀ କର୍ମକେନ୍ଦ୍ର ମାନଙ୍କରେ ଉଚ୍ଚବର୍ଗର ଭାରତୀୟମାନେ ମଧ୍ୟ ଇଂରେଜୀ କହନ୍ତି । ସମଗ୍ର ପ୍ରାଚ୍ୟର ସାଗରୀୟ ଭୂଖଣ୍ଡମାନଙ୍କରେ ଇଂରାଜୀଭାଷା ବାଣିଜ୍ୟ ବ୍ୟବସାୟର ମାଧ୍ୟମ ହେବାର ଅନେକ ସମ୍ଭାବନା ରହିଚି । ବର୍ତ୍ତମାନ ଜଗତରେ ଦୁଇଟି ଉଦୀୟମାନ ଜନଗୋଷ୍ଠୀଙ୍କର-ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ-ଏହି ଇଂରାଜୀ ଭାଷା ମାତୃଭାଷା ହୋଇ ରହିଚି । ଆମ ଇଂରାଜୀଭାଷାର ସାହିତ୍ୟିକ ମୂଲ୍ୟ ଦୃଷ୍ଟିରୁ ହେଉ ବା ଭାରତବର୍ଷର ବିଶେଷ ପରିସ୍ଥିତି ଦୃଷ୍ଟିରୁ ହେଉ, ଆମେ ନିଶ୍ଚୟ ଏହିପରି ଏକ ସିଦ୍ଧାନ୍ତରେ ପହଞ୍ଚି ପାରିବା ଯେ ଯାବତୀୟ ବିଦେଶୀଭାଷା ହିଁ ଭାରତୀୟମାନଙ୍କର ସବୁଠାରୁ ଅଧିକ ଉପକାର ସାଧନ କରିପାରିବ ।’’ (ପୁସ୍ତକ ଟିପ୍ପଣୀ–୮, ପୃଷ୍ଠା– ୩୪୨)

 

ସେହି ବିବରଣୀରେ ମ୍ୟାକଲେ ସାହେବ ପୁଣି ଲେଖିଥିଲେ– ‘‘ଆମପାଖରେ ଶିକ୍ଷାବ୍ୟବସ୍ଥା ଲାଗି ଯେତିକି ଧନ ରହିଚି, ତଦ୍ଦ୍ୱାରା ଏହି ଦେଶର ସମସ୍ତଙ୍କଲାଗି ଶିକ୍ଷାର ବ୍ୟବସ୍ଥା କରିପାରିବା ଆମପକ୍ଷରେ କଦାପି ସମ୍ଭବ ହେବନାହିଁ । ତେଣୁ ଆମେ କେବଳ ଏହି ଦେଶର କେତେକଙ୍କୁ ଶିକ୍ଷାଦେବାର ବନ୍ଦୋବସ୍ତ କରିବୁ । ଏହି ଶିକ୍ଷାପ୍ରାପ୍ତ ବର୍ଗ ଏକପକ୍ଷରେ ଆମର ଶାସନାଧୀନରେ ରହିଥିବା କୋଟି କୋଟି ଭାରତୀୟ ଓ ଅନ୍ୟପକ୍ଷରେ ଆମ ଶାସକଙ୍କ ମଧ୍ୟରେ ଦୋଭାଷିଆ ହୋଇ ରହିବେ । ଏହି ଶିକ୍ଷିତ ଶ୍ରେଣୀକୁ ଆମେ ଏପରି ଭାବରେ ତିଆରି କରିବୁ ଯେପରି କେବଳ ସେମାନଙ୍କର ରକ୍ତ ଭାରତୀୟ ରକ୍ତ ହୋଇ ରହିବ, ମାତ୍ର ଆପଣାର ରୁଚି, ଜୀବନଦୃଷ୍ଟି, ନୈତିକତା ଓ ବୁଦ୍ଧିଗତ ଜୀବନରେ ସେମାନେ ଗୋଟାସୁଦ୍ଧା ବିଲାତୀ ପାଲଟିଯିବେ । ଏହି ଶ୍ରେଣୀ କାଳକ୍ରମେ ଏହି ଦେଶର ସ୍ଥାନୀୟ ବୋଲିଗୁଡ଼ିକର ବିକାଶସାଧନ କରିବେ, ପାଶ୍ଚାତ୍ୟ ଭାଷାଭଣ୍ଡାରରୁ ବୈଜ୍ଞାନିକ ପାରିଭାଷିକ ଶବ୍ଦମାନ ନେଇ ସେମାନେ ଭାରତୀୟ ବୋଲିଗୁଡ଼ିକୁ ସମ୍ବଦ୍ଧ କରିବେ ଏବଂ ଏହିଦେଶର ଜନସାଧାରଣଙ୍କ ପାଖରୁ ଯାବତୀୟ ପ୍ରକାରର ଜ୍ଞାନ ବହନ କରିନେବାଲାଗି ଏହି ବୋଲିଗୁଡ଼ିକୁ ଉପଯୁକ୍ତ ମାଧ୍ୟମରୂପେ ତିଆରି କରିବେ ।’’ ମ୍ୟାକଲେଙ୍କର କଥା ଅଧେ ଫଳିଲା, ଅଧେ ଫସର ଫାଟିଗଲା । ଭାରତୀୟ ଶିକ୍ଷିତମାନଙ୍କର କେବଳ ରକ୍ତଟାକୁ ଛାଡ଼ି ଆଉ ସକଳ କ୍ଷେତ୍ରରେ ଜୀବନକୁ ବିଲାତୀ କରିଦେବେ ବୋଲି ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅବଶ୍ୟ ସଫଳ ହେଲା । କିନ୍ତୁ ଭାରତର ଅଳ୍ପସଂଖ୍ୟକ ଶିକ୍ଷିତଶ୍ରେଣୀ ବୃହତ୍ତର ଜନସାଧାରଣଙ୍କୁ ଶିକ୍ଷିତ କରିବେ ଓ ପୁଣି ଦେଶୀୟ ଭାଷାଗୁଡ଼ିକର ମାଧ୍ୟମରେ ତାହା କରିବେ ବୋଲି ତାଙ୍କର ଯେଉଁ ଅଭିଳାଷ ରହିଥିଲା ବୋଲି ସେ ଲେଖିଚନ୍ତି, ସେହି ଅଭିଳାଷ ସୁଦୂରପରାହତ ହୋଇ ରହିଲା । ଗାଆଁରୁ ଯେଉଁମାନେ ସରକାରୀ ପାଠ ପଢ଼ିବାକୁ ବାହାରକୁ ଗଲେ ସେମାନେ ପାଠସାରି ଗାଆଁର ଦର୍ପଣରେ ଆଉ ଆପଣାକୁ ଚିହ୍ନିପାରିଲେ ନାହିଁ ବା ଗ୍ରାମଗୋଷ୍ଠୀର ପରମ୍ପରାଗତ ଭୂମି ଉପରେ ଆପଣା ଜୀବନର କଳ୍ପନାମଧ୍ୟ କରି ପାରିଲେ ନାହିଁ । ମ୍ୟାକଲେଙ୍କୁ ଅନେକ ସମୟରେ ଜଣେ କୁଶଳ ଶିକ୍ଷାବିତ୍ ବୋଲି କୁହାଯାଇଥାଏ । ମଣିଷକୁ ତା’ର ସମାଜଠାରୁ ଛଡ଼ାଇନେବା କୌଣସି ଯୋଗ୍ୟ ଶିକ୍ଷାର ମତଲବ ନଥାଏ । ପ୍ରକୃତ ଶିକ୍ଷା ମଣିଷକୁ ତା’ର ସମାଜ ସହିତ ଅଧିକ ଅନ୍ତରଙ୍ଗ ଭାବରେ ବାନ୍ଧିଦିଏ, ତାକୁ ସମାଜର ଦାୟିତ୍ୱ ନେବାକୁ ଓ ସମାଜର ସଂଶୋଧନ ଓ ସମୃଦ୍ଧିସାଧନ କରିବାକୁ ଶିଖାଏ । କିନ୍ତୁ ମ୍ୟାକଲେଙ୍କର ଶିକ୍ଷାବରଣ ଭିତରେ ଏପରି ପାଞ୍ଚ ରହିଥିଲା ଯାହା ଫଳରେ ବ୍ରିଟିଶ୍ ଏ ଦେଶରୁ ଛାଡ଼ିଯିବାର ପନ୍ଦର କୋଡ଼ିଏ ବର୍ଷ ପରେ ମଧ୍ୟ ଏହିଦେଶର ଶିକ୍ଷିତ ଗ୍ରାମସମାଜକୁ ଘୃଣା କରୁଚି, ଏହି ଦେଶର ବୃହତ୍ତର ଜନଗୋଷ୍ଠୀଠାରୁ ଆପଣାକୁ ପୃଥକ ବୋଲି ଭାବୁଚି ଓ ଏହି ଦେଶର ଜନସାଧାରଣରୂପୀ ବଳଦଉପରେ ଆରୂଢ଼ କୌଣସି ଏକ ଦେବତା ହୋଇ ରହିବାକୁ ପସନ୍ଦ କରୁଚି । ଇଂରାଜୀ ଭାଷା ସକାଶେ ଯେ ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ଏପରି ଅସ୍ୱାଭାବିକତା ପଶିଗଲା ତାହା ନୁହେଁ; ଯେପରି ଅସାମାଜିକ ମାର୍ଗରେ ଏହି ଶିକ୍ଷାଦାନର ଅଭିସନ୍ଧି କରାଯାଇଥିଲା; ତାହାରିଦ୍ୱାରା ହିଁ ଅଧିକାଂଶ ପ୍ରମାଦ ଘଟିବା ଏକପ୍ରକାର ଅବଶ୍ୟମ୍ଭାବୀ ହୋଇପଡ଼ିଲା ।

 

ସାମୁଦାୟିକ ବିକାଶ-ଯୋଜନା ସମ୍ବନ୍ଧରେ ଗଭୀର ଅଧ୍ୟୟନ କରିଥିବା ଶ୍ରୀଯୁକ୍ତ ବ୍ୟାଟନ୍ ଆପଣାର ଏକ ପୁସ୍ତକରେ କହିଛନ୍ତି (୧୧) ଯେ, ସାମୁଦାୟିକ ବିକାଶଯୋଜନାକୁ ଯଥେଷ୍ଟ ପରିମାଣରେ ଓ ସନ୍ତୋଷଜନକ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ଲୋକଶିକ୍ଷା ଓ ସାଧାରଣ ଶିକ୍ଷାର ଅନେକ ପ୍ରୟୋଜନ ରହିଚି । ଶିକ୍ଷା କହିଲେ ଆମେ ସାଧାରଣତଃ ସ୍କୁଲକଥା ହିଁ ଭାବିଥାଉ । ଯେଉଁସବୁ ଦେଶରେ ଆଜି ସାମୁଦାୟିକ ବିକାଶର ଜାତୀୟ ବା ସ୍ଥାନୀୟ ଯୋଜନାମାନ ଚାଲିଚି, ସେଠି ପ୍ରାୟ ପ୍ରତ୍ୟେକ ଗାଆଁରେ ସ୍କୁଲମାନ ରହିଚି । ଅନ୍ତତଃ ପ୍ରତ୍ୟେକ ଗାଆଁର ପିଲାପାଇଁ କୌଣସି ନା କୌଣସି ସ୍କୁଲରେ ଯାଇ ପାଠ ପଢ଼ିବାର ସୁବିଧା ରହିଚି । କିନ୍ତୁ ଯେତେ ଆଶ୍ଚର୍ଯ୍ୟ ମନେହେଲେ ମଧ୍ୟ ସତକଥା ହେଉଚି ଯେ ସମାଜର ବିକାଶ ଓ ରଚନାତ୍ମକ ପରିବର୍ତ୍ତନରେ ଏହି ସବୁସ୍କୁଲ ଏପର୍ଯ୍ୟନ୍ତ ଖୁବ୍ ଫଳପ୍ରଦ ଭାବରେ ସାହାଯ୍ୟ କରି ପାରିନାହିଁ । ବରଂ ଅନେକ ସମୟରେ ଅପବାଦ ଶୁଣିବାକୁ ମିଳିଚି ଯେ, ଏହି ସ୍କୁଲଗୁଡ଼ିକ ଗ୍ରାମସମୁଦାୟର ପାରସ୍ପରିକ ଗୋଷ୍ଠୀଜୀବନକୁ ଭାଙ୍ଗିଦେବାରେ ହିଁ ଅଧିକତଃ ଏକ ନିମିତ୍ତ ପରି କାର୍ଯ୍ୟ କରିଚି । ଏହାର କାରଣ ଦର୍ଶାଇବାକୁ ଯାଇ କେଉଁପରି ପରିସ୍ଥିତିରେ ଅର୍ଥାତ୍ କିପରି ପ୍ରୟୋଜନରେ ପଡ଼ି କ୍ରାନ୍ତିମଣ୍ଡଳର ଉପନିବେଶଗୁଡ଼ିକରେ ପ୍ରଥମେ ସ୍କୁଲମାନ ବସିଥିଲା, ଶ୍ରୀ ବ୍ୟାଟନ୍ ସଂକ୍ଷେପରେ ତାହାର ଚର୍ଚ୍ଚା କରିଚନ୍ତି । ଏହିସବୁ ସ୍କୁଲ ପାଶ୍ଚାତ୍ୟ ଶାସକମାନଙ୍କ ଦ୍ୱାରା ବସିଥିଲା ଓ ସମଗ୍ରତଃ ପାଶ୍ଚାତ୍ୟ ସାମାଜିକ ରୀତିରେ ଚିନ୍ତାକରୁଥିବା ବ୍ୟକ୍ତି ବା ସଂସ୍ଥାମାନଙ୍କ ଦ୍ୱାରା ବସିଥିଲା । ଉପନିବେଶରେ ଶାସନ କରୁଥିବା ବିଦେଶୀ ସରକାର ବା ଦେଶରେ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାର କରିବାକୁ ସଂଘବଦ୍ଧ ହୋଇ ଯାଇଥିବା ମିଶନାରୀମାନେ ଏହିସବୁ ସ୍କୁଲ ବସାଇଥିଲେ । ଲୋକଙ୍କର କେଉଁଥିରେ କଲ୍ୟାଣ ହେବ, ସେବିଷୟରେ ଲୋକେ ଆପେ କଣସବୁ ଭାବୁଛନ୍ତି, ସେକଥାର ବିଚାର କରି ନୁହେଁ, ଲୋକମାନଙ୍କର ଭଲ ବିଷୟରେ ଏମାନେ ଆପେ ଯେଉଁସବୁ ମତ ପୋଷଣ କରୁଥିଲେ, ତାହାରି ଅନୁସାରେ ଓ ସେହି ମତଦ୍ୱାରା ଚାଳିତ ହୋଇ ସେମାନେ ସ୍କୁଲମାନ ବସାଇଥିଲେ ଓ ଶିକ୍ଷା ବ୍ୟବସ୍ଥାର ପ୍ରଣୟନ କରିଥିଲେ । ଆଗରୁ ଏହିସବୁ ଦେଶର ଗାଆଁରେ ପରମ୍ପରାଗତ ଏକ ଗୋଷ୍ଠୀମୂଳକ ଓ ଗୋଷ୍ଠୀଗତ ଶିକ୍ଷାବ୍ୟବସ୍ଥା ଚଳିଆସୁଥିଲା । ବିଦେଶୀ ଶାସକମାନଙ୍କର ନୂଆ ସ୍କୁଲ ସେହି ବ୍ୟବସ୍ଥାକୁ ଭାଙ୍ଗି ତାହା ଜାଗାରେ ସମ୍ପୂର୍ଣ୍ଣ ନୂତନ ଓ ସମ୍ପୂର୍ଣ୍ଣ ବିଦେଶୀ ଏକ ଛାଞ୍ଚର ରୋପଣ କରିବାର ପାଞ୍ଚ କରିଥିଲା । ଏହି ନୂତନ ପାଠଶାଳାଗୁଡ଼ିକର ଜରିଆରେ ଗାଆଁ ପିଲାଙ୍କୁ ଯେଉଁ ବିଚାର ଓ ଜୀବନମୂଲ୍ୟମାନ ବିତରିତ ହେଲା, ଅନେକ ସମୟରେ ଗ୍ରାମସମୁଦାୟର ପରମ୍ପରାଗତ ମୂଲ୍ୟ ଓ ବିଚାର ସହିତ ସେଗୁଡ଼ିକର ପ୍ରତ୍ୟକ୍ଷ ସଂଘାତ ଉପସ୍ଥିତ ହେଉଥିଲା । ମିଶନାରୀ ସ୍କୁଲମାନଙ୍କରେ ପାଶ୍ଚାତ୍ୟ ଛାଞ୍ଚର ଏକ ଧର୍ମକୁ ଏକମାତ୍ର ସଚ୍ଚା ଧର୍ମ ବୋଲି ପ୍ରଚାର କରାଗଲା । ଗ୍ରାମସମାଜରେ ଆବହମାନ କାଳରୁ ଆଚରିତ ହୋଇ ଆସୁଥିବା ଧର୍ମ ସହିତ ସ୍କୁଲକ୍ରମର କୌଣସି ଯୋଗ ରହିଲାନାହିଁ । ସ୍କୁଲମାନଙ୍କରେ ଯାହାସବୁ ବିଷୟ ପଢ଼ାଗଲା, ସେଥିରେ ଚତୁର୍ଦ୍ଦିଗର ଗୋଷ୍ଠୀଜୀବନ ସହିତ କୌଣସି ସଂଯୋଗ ନଥିଲା, ବହିରେ ଲେଖାହୋଇଥିବା ପାଠକୁ ଔପଚାରିକ ଢଙ୍ଗରେ ଆୟତ୍ତ କରିବା ବ୍ୟତୀତ କେହି ସ୍କୁଲ ଛାତ୍ରମାନଙ୍କଠାରୁ ଆଉ କିଛିହେଲେ ଦାବୀ କରୁନଥିଲା । ଯାହାସବୁ ଶିଖିଥିଲେ ଛାତ୍ରମାନେ ପାଠଶେଷରେ ଚାକିରୀ ପାଇପାରିବେ, ଆପଣାର ସାନ ଗ୍ରାମସମାଜର ବାହାରେ ଥିବା ବୃହତ୍ତର ସମାଜସଂସ୍ଥା ଭିତରେ ଯେପରି ସେମାନଙ୍କୁ କୌଣସି କାର୍ଯ୍ୟରେ ସହଜରେ ନିଯୁକ୍ତ କରି ନିଆଯିବ, ସ୍କୁଲର ପାଠ୍ୟକ୍ରମରେ ପ୍ରଧାନତଃ ସେହିସବୁ ଜ୍ଞାନ ଓ କୌଶଳ ଭରପୂର ହୋଇ ରହିଥିଲା । ମାତ୍ର ଆପଣା ଗ୍ରାମସମାଜର ଗୋଷ୍ଠୀଗତ ଜୀବନରେ ଯେପରି ସେମାନେ ଅଧିକ ଦକ୍ଷଭାବରେ ସାମିଲ ହୋଇପାରିବେ, ସେମାନଙ୍କର ପଢ଼ୁଥିବା ପାଠରେ ସେଥିଲାଗି କୌଣସି ମାଲମସଲା ନଥିଲା ।

 

ମୋଟ ଉପରେ କହିବାକୁ ଗଲେ ବ୍ରିଟିଶ୍ ଅମଳରେ ଗାଆଁମାନଙ୍କରେ ବସାଯାଇଥିବା ସ୍କୁଲ ଗ୍ରାମସମାଜର ଅନ୍ତର୍ଗତ ଏକ ପରିପୂରକ ଅଙ୍ଗ ହୋଇ ରହିନଥିଲା । ଗାଆଁକୁ ମରହଟ୍ଟୀ ବୋଲି କହି ଆପଣା ଗାଆଁ ବିଷୟରେ ଆପଣାର ଦାୟିତ୍ୱ ଏଡ଼ିବାଲାଗି ଏହିସବୁ ସ୍କୁଲ ଅନେକ ପ୍ରରୋଚନା ଦେଉଥିଲା । ଆଜିମଧ୍ୟ ସ୍ୱାଧୀନ ଭାରତର ପ୍ରାୟ କୋଡ଼ିଏ ବର୍ଷ ପୂରିବାପରେ ଗାଆଁ ଲୋକେ ସ୍କୁଲ କଲେଜକୁ ସାଧାରଣତଃ ଚାକିରୀ ପାଇବା ଲାଗି ଯୋଗ୍ୟତା ହାସଲ କରିବାର ଏକ ସ୍ଥାନ ବୋଲି ଦେଖୁଚନ୍ତି । ସ୍କୁଲ କଲେଜମାନଙ୍କରେ ଯେ ଜୀବନରୁଚି ଓ ଜୀବନମୂଲ୍ୟକୁ ଅଧିକ ମାର୍ଜିତ ଓ ଶୋଧିତ କରିବାର ଶିକ୍ଷା ଦିଆଯାଏ, ଆପଣା ସମାଜକୁ ଅଧିକ ସୁନ୍ଦର କରି ଗଢ଼ିବାର ପ୍ରେରଣା ଓ ମାର୍ଗଦର୍ଶନ ମଣିଷ ଯେ ତା’ର ଲବଧ୍‌ ଶିକ୍ଷାରୁ ମଧ୍ୟ ପାଇପାରେ, ହୁଏତ ଆଜିମଧ୍ୟ ଆମଦେଶର ଅନେକ ଲୋକେ ଏକଥା ହୃଦୟଙ୍ଗମ କରିନାହାନ୍ତି । ରାଜନୀତିକ ଓ ଅର୍ଥନୈତିକ କ୍ଷେତ୍ରରୁ ଔପନିବେଶିକ ଅମଳର ଆଘାତମାନ କ୍ରମେ ନିଭି ଆସୁଥିବାବେଳେ ଶିକ୍ଷାକ୍ଷେତ୍ରର ସେ ଯୁଗର ଦୋଷ ଓ ଅଭାବମାନ ଆଜି ମଧ୍ୟ ପ୍ରାୟ ସେହିପରି ବର୍ତ୍ତମାନ ରହିଚି ଓ କ୍ରମେ ଗ୍ରାମଜୀବନର ଅଧିକରୁ ଅଧିକ ଗଭୀରକୁ ଗ୍ରାସ କରି ଚାଲିଚି । ଶିକ୍ଷାକ୍ଷେତ୍ରରେ ମଧ୍ୟ ଆମକୁ ବିଚାରଗତ ଦାସତ୍ୱରୁ ମୁକ୍ତ ହେବାକୁ ପଡ଼ିବ ବୋଲି ବଡ଼ରୁ ସାନପର୍ଯ୍ୟନ୍ତ ସମସ୍ତେ କହୁଚନ୍ତି । ତଥାପି ଏହି ମୁକ୍ତି ସମ୍ଭବ ହେଉନାହିଁ ଓ ଦୁର୍ଦ୍ଦଶା ଅଧିକରୁ ଅଧିକ ପ୍ରସାରିତ ହେବାରେ ଲାଗିଚି । ବ୍ରିଟିଶ୍ ଶିକ୍ଷା ଆମର ରୁଚି ଓ ଆମର ଦୃଷ୍ଟିକୁ କେତେଦୂର ଦେଶଛଡ଼ା ଓ ସମାଜଛଡ଼ା କରିଦେଇ ପାରିଚି, ଏହିଥିରୁ ହିଁ ତା’ର ପ୍ରମାଣ ମିଳୁଚି ।

 

ଆପଣା ଗ୍ରନ୍ଥର (ପୁସ୍ତକ ଟିପ୍ପଣୀ-୯) ମୁଖବନ୍ଧରେ ଶ୍ରୀଯୁକ୍ତ ଦତ୍ତ କହିଚନ୍ତି, ‘‘ଇତିହାସର ବିଚାରରେ ଆଧୁନିକ ଯୁଗର ମାନବିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାରତୀୟ ସାମ୍ରାଜ୍ୟ ସବୁଠାରୁ ବଢ଼ିଆ ବୋଲି ବିବେଚିତ ହେବ । କିନ୍ତୁ ଭବିଷ୍ୟତର ଇତିହାସକାରମାନେ ଏହି ଦୁଃଖଦ କାହାଣୀର ମଧ୍ୟ ବର୍ଣ୍ଣନା କରି କହିବେ ଯେ ବ୍ରିଟିଶ୍ ସାମ୍ରାଜ୍ୟ ଭାରତବର୍ଷରେ ଶାନ୍ତିପ୍ରତିଷ୍ଠା କରିଥିଲା ସତ, କିନ୍ତୁ ସମୃଦ୍ଧି ଦେଇ ପାରିନଥିଲା । ବ୍ରିଟିଶ୍ ସାମ୍ରାଜ୍ୟର ଶାସନକାଳରେ କାରିଗରକୁଳ ସେମାନଙ୍କ ଧନ୍ଦା ହରାଇ ବସିଲେ । ଖଜଣାର ବୋଝରେ ଚାଷୀକୁଳ ସର୍ବସ୍ୱାନ୍ତ ହୋଇଗଲେ । ଦେଶରୁ ଆଦାୟ ହେଉଥିବା ଧନର ଅଧିକାଂଶ ଭାଗ ବିଲାତକୁ ଚାଲାଣ ହୋଇ ଯାଉଥିଲା । ଗୋଟିକ ପରେ ଆଉଗୋଟିଏ ଭୟଙ୍କର ଦୁର୍ଭିକ୍ଷ ଆସି କୋଟିକୋଟି ଲୋକଙ୍କର ପ୍ରାଣନାଶ ଘଟାଉଥିବା ।’’ ଯେଉଁ ଦେଶର କାରିଗର ଧନ୍ଦା ହରାଇବସେ, ଯେଉଁଠି ଚାଷୀକୁଳ ଖଜଣାର ଦାଉରେ ସର୍ବସ୍ୱାନ୍ତ ହୁଏ, ଯେଉଁଠି ଦେଶର ଧନ ବିଦେଶକୁ ବୋହିଯାଏ ଓ ଯେଉଁଠି ରକ୍ଷକ ସରକାରଙ୍କ ପରାକ୍ରମକୁ ଦୁର୍ଭିକ୍ଷର ଦାଉ ବଳିଯାଏ, ସେହି ଦେଶରେ କେବଳ ବନ୍ଧୁକ ଓ ବଳପ୍ରୟୋଗ ଦ୍ୱାରା ହିଁ ଶାନ୍ତିପ୍ରତିଷ୍ଠା ସମ୍ଭବ ହୋଇପାରେ ।

 

ବିଂଶଶତାବ୍ଦୀର ଆରମ୍ଭ ବେଳକୁ ଭାରତ ଆର୍ଥିକ ଦୃଷ୍ଟିରୁ କିପରି ଶ୍ରୀହୀନ ହୋଇ ପଡ଼ିଥିଲା, ଶ୍ରୀ ଦତ୍ତ ତାହାର ଏକ ସଂକ୍ଷିପ୍ତ ଧାରଣା ଦେବାକୁ ଚେଷ୍ଟା କରିଚନ୍ତି । ୧୮୮୨ ଖ୍ରୀଷ୍ଟାବ୍ଦରେ ଏହି ଦେଶରେ ଜଣପିଛା ହାରାହାରି ଆୟ ବର୍ଷକୁ ସତେଇଶି ଟଙ୍କା ଥିଲା । ଶତାବ୍ଦୀର ଶେଷ ହେଲାବେଳକୁ ଏହା ବୃଦ୍ଧିପାଇ ତିରିଶଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା ବୋଲି ହିସାବ କରାଯାଏ । ବିଲାତର ମୁଦ୍ରାରେ ତିରିଶଟଙ୍କା ହେଉଚି ପ୍ରାୟ ଚାଳିଶି ଶିଲିଙ୍ଗ୍ । ଭାରତର ଧନୀ ଦରିଦ୍ର ସମସ୍ତଙ୍କର ବାର୍ଷିକ ହାରାହାରି ଆୟ ଚାଳିଶି ଶିଲିଙ୍ଗ୍ ଥିବାବେଳେ ସେହି ସମୟରେ ଇଂଲଣ୍ଡରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ବୟାଳିଶ ପାଉଣ୍ଡ ବା ତାହାର ପ୍ରାୟ କୋଡ଼ିଏ ଗୁଣ ଥିଲା । ଅଧିକାଂଶ ଭାରତବାସୀ ଆପଣା ଆହାରମୁଠାକ ଯୋଗାଡ଼ କରିବା ବ୍ୟତୀତ ଅଧିକା କିଛି ଉପାର୍ଜନ କରି ପାରୁନଥିଲେ । କିନ୍ତୁ ସେମାନଙ୍କୁ ଆପଣା ଆୟର ପ୍ରାୟ ଆଠଭାଗରୁ ଭାଗେ ଟିକସରୂପେ ସରକାରଙ୍କୁ ଦେବାକୁ ପଡ଼ୁଥିଲା । ସେତେବେଳେ ବିଲାତର ଜଣେ ପ୍ରଜା ହାରାହାରି ଆପଣା ଆୟର ଏଗାରଭାଗରୁ ଭାଗେ ଖଜଣା ଦେଉଥିଲା । ଅର୍ଥାତ୍ ବିଲାତର ଜଣେ ଅଧିବାସୀ ତୁଳନାରେ ଦରିତ୍ର ଭାରତବର୍ଷର ଅଧିବାସୀକୁ ପ୍ରାୟ ୪୦% ଅଧିକ ଖଜଣା ଦେବାକୁ ପଡ଼ୁଥିଲା ।

 

ଭାରତର ପାଞ୍ଚଲକ୍ଷ ଗାଆଁରେ କୃଷିକାର୍ଯ୍ୟ କରି ଜୀବିକାନିର୍ବାହ କରୁଥିବା ଜଣେ ଗ୍ରାମବାସୀର ସାଧାରଣ ଜୀବନ ବର୍ଣ୍ଣନା କରି ଶ୍ରୀଯୁକ୍ତ ଦତ୍ତ କହିଚନ୍ତି– ‘‘ତା’ର ଚାଳଘରଟି ପ୍ରତିବର୍ଷ ଛପର ହୋଇନଥିଲା, ଶୀତ ଓ ବର୍ଷାରେ ତାକୁ ବଡ଼ ଦହଗଞ୍ଜ ହେବାକୁ ପଡ଼ୁଥିଲା । ତା’ର ପରିବାର ଛିଣ୍ଡାକନା ପିନ୍ଧୁଥିଲେ, ପିଲାଏ ଲଙ୍ଗଳା ହୋଇ ବୁଲୁଥିଲେ । ଆସବାବପତ୍ର ବୋଲି କହିବାକୁ ତା ଘରେ କିଛି ନଥିଲା । ଶୀତଦିନେ ଖଣ୍ଡେ କମ୍ବଳ ମିଳିଲେ ତାହାକୁ ହିଁ ସେ ବ୍ୟସନ ବୋଲି ମଣୁଥିଲା-। ତା ପିଲାମାନେ ଗୋରୁ ଚରାଇବାକୁ ଯାଇପାରିଲେ ବା ତାର ସ୍ତ୍ରୀ କିଞ୍ଚିତ୍ ରୋଜଗାର କଲାଭଳି କିଛି କାର୍ଯ୍ୟ କରିପାରିଲେ ସେ ଆପଣାକୁ ସୁଖୀ ବୋଲି ବିଚାରୁଥିଲା । ବର୍ଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ମୂଲିଆ ଓ ତାର ପରିବାର ଯେ ସାଧାରଣତଃ ଦିନେହେଲେ ପେଟ ପୂରାକରି ଖାଇବାକୁ ପାଉନଥିଲେ, ଏକଥା କହିଲେ ଆଦୌ କୌଣସି ଅତିଶୟୋକ୍ତି ହେବନାହିଁ । କାରଣ ଏହା ଏକ ନିରାଟ ସତକଥା । ପିଲାଦିନରୁ ସେମାନେ ଦରପେଟ ଖାଇ ମଣିଷ ହୁଅନ୍ତି । ଦୁର୍ବଳ ଓ ଅସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଥିବା ଶରୀରଧାରୀ ଏକ ଜାତି ହିସାବରେ ସେମାନେ ଆପଣାର ପରିଚୟ ଦିଅନ୍ତି । ରୋଗ ଓ ଦୁର୍ଭିକ୍ଷ ସେମାନଙ୍କର ନିତ୍ୟସାଥୀ ହୋଇ ରହିଥାଏ ।’’ (ପୁସ୍ତକ ଟିପ୍ପଣୀ–୯, ପୃଷ୍ଠା–୬୦୬)

 

ଭାରତବର୍ଷରେ ଦୁର୍ଭିକ୍ଷ ଲାଗିରହିଥିଲା, କିନ୍ତୁ ଏଣେ ଭାରତରୁ ବର୍ଷକୁ ପ୍ରାୟ ପନ୍ଦରକୋଟି ଟଙ୍କାର ଧାନ ଗହମ ବିଦେଶକୁ, ମୁଖ୍ୟତଃ ବିଲାତକୁ, ରପ୍ତାନୀ ହୋଇ ଯାଉଥିଲା । ଦୁର୍ଭିକ୍ଷର କାରଣ ଅନୁସନ୍ଧାନ କରିବାକୁ ତେଣେ ବିଲାତର ଜନସାଧାରଣଙ୍କ ପକ୍ଷରୁ କେତେ ଦାବୀ ହେଲା, କିନ୍ତୁ ଏହି ଦାବୀକୁ ସ୍ୱୀକାର କରାଗଲାନାହିଁ କି ଦୁର୍ଭିକ୍ଷର ଅନୁସନ୍ଧାନ ହେଲାନାହିଁ । ୧୮୮୮ ମସିହାରେ ଥରେ ଏକ ସରକାରୀ ତଦନ୍ତ ଅବଶ୍ୟ ହୋଇଥିଲା, କିନ୍ତୁ ତଦନ୍ତର ବିବରଣ ଅପ୍ରକାଶିତ ହିଁ ରହିଲା ଏବଂ ତାହାକୁ ଗୁପ୍ତ କରି ରଖାଗଲା । ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ରହିଥିବା ଅଭାବ ଓ ଅର୍ଦ୍ଧାଶନର ବିବରଣଦେଇ ଗ୍ରନ୍ଥଟିର ଉପସଂହାରରେ ଶ୍ରୀଯୁକ୍ତ ଦତ୍ତ ପ୍ରଶ୍ନ କରିଚନ୍ତି– ‘‘ଭାରତରେ ବ୍ରିଟିଶ ଶାସନ ବିଷୟରେ ଏହି ନିରାଶାର ବାଣୀ କଣ ଆମର ଶେଷ ମନ୍ତବ୍ୟ ହୋଇ ରହିବ ? ଭାରତର ମୃତ୍ତିକା ଏଡ଼େ ଉର୍ବର, ଲୋକମାନେ ଏଡ଼େ ଶାନ୍ତିପ୍ରିୟ, କାର୍ଯ୍ୟକୁଶଳ ଓ ପରିଶ୍ରମୀ, ଏବଂ ଏକ ସଭ୍ୟଦେଶର ଶାସକମାନେ ଭାରତର ସମୃଦ୍ଧିକାମନାହିଁ କରୁଚନ୍ତି,-ତେବେ ଏହି ଦୁର୍ଦ୍ଦଶାର ପ୍ରତିକାର-ବିଧାନ ହୋଇ ନପାରିବ କାହିଁକି ? ଜନତାର କୌଣସି ସମ୍ପର୍କରେ ନଥିବା ଓ ସେମାନଙ୍କର କଲ୍ୟାଣ କରିବାରେ ଅସମର୍ଥ ହେଉଥିବା ଏକ ଏକାଧିକାରୀ ସରକାରର ଶାସନପଦ୍ଧତି ହିଁ ଏହି ବିଫଳତା ସକାଶେ ଦାୟୀ ହୋଇ ରହିବ ।’’ ପ୍ରତିକାରସ୍ୱରୂପ ଶ୍ରୀ ଦତ୍ତ ଦୁଇଟି ପରାମର୍ଶ ଦେଇଚନ୍ତି; ।।୧।। ପ୍ରକୃତରେ ଦେଖିବାକୁ ଗଲେ କୃଷି ହେଉଚି ଭାରତବର୍ଷର ଏକମାତ୍ର ଜାତୀୟ ଧନ୍ଦା । ତେଣୁ କୃଷି ଉପରେ ଏତେ ବେଶୀ ଟିକସ ବସିବା ଉଚିତ ନୁହେଁ । କୃଷିର ପରିପୂରକ ଭାବରେ ଅନ୍ୟାନ୍ୟ ଶିଳ୍ପ ଓ ଧନ୍ଦାକୁ ବଞ୍ଚିରହିବାକୁହିଁ ପଡ଼ିବ । ତେଣେ ବିଲାତର ଶିଳ୍ପ ଓ କାରଖାନାକୁ ବଞ୍ଚାଇ ରଖିବାପାଇଁ ସରକାର ଭାରତୀୟ ଧନ୍ଦାଗୁଡ଼ିକ ଉପରେ କଟକଣା ବାନ୍ଧି ରଖିଥିବାଯାଏ ଏହା କଦାପି ହୋଇ ପାରିବନାହିଁ । ଏହି ଦେଶର ଗାଆଁମାନଙ୍କରେ ଲକ୍ଷ ଲକ୍ଷ କାରିଗର ଏହି ସବୁ ଧନ୍ଦା ସାହାଯ୍ୟରେ ଆପଣାର ଜୀବନନିର୍ବାହ କରୁଚନ୍ତି । ସରକାର ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ତାଲିମ ଦେବାର ବ୍ୟବସ୍ଥା କଲେ ଯାଇ ଧନ୍ଦାଗୁଡ଼ିକ ବଞ୍ଚିରହିବ-। ।।୨।। ଶାସନକାର୍ଯ୍ୟରେ ଅଧିକରୁ ଅଧିକ ଭାରତୀୟଙ୍କୁ ଭାଗ ନେବାର ସୁବିଧା ଦିଆଯିବ । ବର୍ତ୍ତମାନ ଯେଉଁ ସଂବିଧାନ ଅନୁସାରେ ଭାରତର ଶାସନ ଚଳୁଛି, ଦେଶର ଜନଜୀବନ ସହିତ ସେହି ସଂବିଧାନର କୌଣସି ସଂଯୋଗ ନାହିଁ । ଏହା ଲୋକସାଧାରଣଙ୍କ ସ୍ୱାର୍ଥ ରକ୍ଷା କରୁନାହିଁ ଏବଂ ଲୋକମାନଙ୍କର ଆର୍ଥିକ ସ୍ଥିତିରେ କୌଣସି ଉନ୍ନତ୍ତି ବିଧାନ କରୁନାହିଁ । ଅତୀତରେ ଏପରି ହେଉନଥିଲା । ହିନ୍ଦୁ ଓ ମୁସଲମାନ ଅମଳରେ ଏକାଧିକାରୀ ଶାସନ ଚାଲୁଥିଲା, କିନ୍ତୁ ତଥାପି ତାହା ଜନସାଧାରଣଙ୍କ ସହଯୋଗ ଉପରେ ପ୍ରତିଷ୍ଠିତ ରହିଥିଲା । ସମ୍ରାଟ ଦିଲ୍ଲୀରେ ଶାସନ କରୁଥିଲେ, ତାଙ୍କର ରାଜ୍ୟପାଳମାନେ ରାଜ୍ୟର ଶାସନ କରୁଥିଲେ, ଜମିଦାର ଓ ସର୍ଦ୍ଦାରମାନେ ସେମାନଙ୍କର ଜମିଦାରୀ ଉପରେ ଶାସନ କରୁଥିଲେ ଓ ଗ୍ରାମବାସୀମାନେ ଆପଣା ଗ୍ରାମସମାଜଗୁଡ଼ିକର ଶାସନ କରୁଥିଲେ । ସାଧାରଣ ଚାଷୀଠାରୁ ଆରମ୍ଭ କରି ସମସ୍ତ ଜନତା ଦେଶର ଶାସନରେ ପ୍ରତ୍ୟକ୍ଷ ଭାଗ ନେଉଥିଲା । ବର୍ତ୍ତମାନର ଶାସନକୁ ଏଣେ ଅଧିକରୁ ଅଧିକ କେନ୍ଦ୍ରିତ କରି ଦିଆଯାଉଚି ଓ ତେଣେ ଜନାଧାରମୂଳକ ଯାବତୀୟ ଉପାଦାନକୁ ଶାସନରୁ ବିଲୁପ୍ତ କରିଦିଆଯାଉଚି । ଏପରି କରିବାଦ୍ୱାରା ମଧ୍ୟଯୁଗର ସ୍ୱେଚ୍ଛାଚାରୀ ରାଜ୍ୟଶାସନ-ବ୍ୟବସ୍ଥାକୁହିଁ ଘଣ୍ଟ ଘୋଡ଼ାଇ ରଖାଯାଉଚି ଓ ମଧ୍ୟଯୁଗର ସ୍ୱେଚ୍ଛାଚାରୀ ଶାସନବେଳେ ମଧ୍ୟ ଲୋକମାନଙ୍କୁ ତଥାପି ଯେତିକି ସ୍ୱାୟତ୍ତଶାସନର ସୁଯୋଗ ମିଳୁଥିଲା, ବର୍ତ୍ତମାନ ତାହା ସେମାନଙ୍କଠାରୁ କାଢ଼ି ନିଆଯାଉଚି-।’’

 

ଆମେରିକାର ଅଧ୍ୟାପକ ଓ୍ୱାଲ୍‌ଟର୍‌ ନିଏଲ୍ ଉତ୍ତରପ୍ରଦେଶର ଆର୍ଥିକ ବିକାଶର ଏକ ପୁଙ୍ଖାନୁପୁଙ୍ଖ ଐତିହାସିକ ଅଧ୍ୟୟନ କରି କହିଚନ୍ତି ଯେ– ବ୍ରିଟିଶ୍ ଶାସନ ପୂର୍ବରୁ ଭାରତବର୍ଷ ଆର୍ଥିକ ଦୃଷ୍ଟିରୁ ସୁଖୀ ଓ ସମୃଦ୍ଧିମନ୍ତ ଥିଲା ବୋଲି ଯାହା ଉଲ୍ଲେଖ କରାଯାଇଥାଏ, ତାହା ପ୍ରକୃତରେ ସତ ନୁହେଁ । ଏହିପରି ମତକୁ ସେ କେବଳ କଳ୍ପନା ବୋଲି କହିଚନ୍ତି । ସେ କହନ୍ତି ଯେ-ବ୍ରିଟିଶ ଶାସନ-ପୂର୍ବ ଭାରତୀୟ ଗାଆଁମାନଙ୍କର ଆମେ ଯେଉଁ ଆଦର୍ଶ କଳ୍ପନା କରିଥାଉ, ତାହା ଆଦୌ ସତ୍ୟ ନୁହେଁ । ସେତେବେଳେ ମଧ୍ୟ ଧନୀ ଧନୀ ହୋଇ ରହିଥିଲେ, ଦରିଦ୍ର ଦାରିଦ୍ର୍ୟର ପୋଷଣ ସହୁଥିଲେ । ଅଧ୍ୟାପକ ନିଏଲ୍ କହନ୍ତି ଯେ, ପ୍ରାକ୍-ବ୍ରିଟିଶ୍ ଭାରତବର୍ଷ ଗ୍ରାମ ଓ ଗ୍ରାମସମାଜ ଉପରେ ଆଧାରିତ ଏକ ସାମାଜିକ ସଂଗଠନର ନିୟମ ଅନୁସାରେ ଚଳୁଥିଲା । ଏହି ଗ୍ରାମ ସମାଜ ଉପରେ ଆଧାରିତ ସାମାଜିକ ଜୀବନ ପ୍ରାୟ ଅପରିବର୍ତ୍ତନୀୟ ଭାବରେ ଶହ ଶହ ବର୍ଷ ଧରି ରହିଆସିଥିଲା । ଗାଆଁମାନଙ୍କରେ ଗୋଷ୍ଠୀଜୀବନ ରହିଥିଲା, ତଥାପି ତା ବୋଲି କହିବା ଠିକ୍ ହେବନାହିଁ ଯେ ଗାଆଁରେ ସମସ୍ତେ ସୁଖୀ ଥିଲେ ଓ ପରସ୍ପର ସହିତ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଥିଲେ । ତାଙ୍କ ମତରେ ସେତେବେଳେ ମଧ୍ୟ ଗ୍ରାମସମାଜର ନିମ୍ନଶ୍ରେଣୀୟ ପରିବାରସବୁ ଆଜି ଯେପରି ଅଛନ୍ତି ସେତେବେଳେ ତାହାଠାରୁ ଆଦୌ ଅଧିକ ଭଲ ଅବସ୍ଥାରେ ନଥିଲେ । ସେତେବେଳର ଗାଆଁମାନଙ୍କୁ ସ୍ଥାନୀୟ ଶାସକ ଓ ସମ୍ରାଟମାନଙ୍କର ମଧ୍ୟ ଅତ୍ୟାଚାର ସହିବାକୁ ପଡ଼ିଥିଲା । ବ୍ରିଟିଶ ଶାସନ ଭାରତକୁ ଆସି ଦେଶର ସୁନ୍ଦର ଗ୍ରାମଜୀବନକୁ ନଷ୍ଟ କରି ଦେଇଥିଲା ବୋଲି ଅଧ୍ୟାପକ ନିଏଲ୍ ସ୍ୱୀକାର କରିନାହାନ୍ତି । ତଥାପି ଉପସଂହାର ସେ କହିଚନ୍ତି ଯେ, ଅନେକ ଦିନରୁ ପ୍ରଚଳିତ ଓ ପ୍ରତିଷ୍ଠିତ ଏକ ସାମାଜିକ ସଂଗଠନ ଯେଉଁ ସ୍ତମ୍ଭଗୁଡ଼ିକ ଉପରେ ଭରାଦେଇ ଠିଆ ହୋଇଥିଲା, ବ୍ରିଟିଶ୍ ଶାସନଶକ୍ତି ସେହି ପୁରୁଣା ସ୍ତମ୍ଭଗୁଡ଼ିକୁ ଖସାଇ ଦେଇଥିଲା, ମାତ୍ର ତାହା ସ୍ଥାନରେ କୌଣସି ନୂତନ ସ୍ତମ୍ଭ ବସାଇ ନଥିଲା କିମ୍ବା ଅନ୍ୟପ୍ରକାର ଆଧାର ବା ସ୍ତମ୍ଭ ଉପରେ ଏକ ନୂତନ ସମାଜର ପ୍ରତିଷ୍ଠା କରି ପାରିନଥିଲା । ଆପଣା ଗ୍ରନ୍ଥର (୧୨) ଅନ୍ୟ ଏକ ସ୍ଥାନରେ ସେ ସ୍ୱୀକାର କରିଚନ୍ତି- ‘‘ଏ କଥାରେ କୌଣସି ସନ୍ଦେହ ନାହିଁ ଯେ ଊନବିଂଶ ଓ ବିଂଶ ଶତାବ୍ଦୀରେ ଇଉରୋପ ଓ ଆମେରିକାରେ ଆର୍ଥିକ ସମ୍ପନ୍ନତାରେ ଯେପରି ଅଭିବୃଦ୍ଧି ହୋଇଥିଲା, ଭାରତବର୍ଷରେ ଏହି କାଳ ମଧ୍ୟରେ ସେପରି ହୋଇ ନଥିଲା । ଏହି ବିଫଳତାର କାରଣ ହେଉଚି ଯେ ପୁରାତନ ସମାଜରୀତିକୁ ଭାଙ୍ଗିଦିଆଗଲା, ଏହାର ଅନ୍ତର୍ଗତ ବିଶେଷ ସଂଗଠନ ଓ ଜୀବନମୂଲ୍ୟକୁ ନଷ୍ଟ କରି ଦିଆଗଲା । କିନ୍ତୁ ତାପରେ ସେହି ଶୂନ୍ୟସ୍ଥାନ ପୂରଣ କରିବାକୁ କୌଣସି ଅଧିକ ଭଲ ଅନ୍ୟ ସଂଗଠନ ଗଢ଼ାହୋଇ ପାରିଲା ନାହିଁ । ଇଂଲଣ୍ଡ ମଧ୍ୟ ଦିନେ ତାର ଗ୍ରାମୀଣ ସମାଜକୁ ହରାଇଥିଲା, କିନ୍ତୁ ତା ବଦଳରେ ଏକ ଅତି ଉତ୍ପାଦନଶାଳୀ ଶିଳ୍ପପ୍ରଧାନ ସମାଜ ଉଦ୍‌ଜନିତ ଶୂନ୍ୟକୁ ପୂରଣ କରିଥିଲା । ମାତ୍ର ଭାରତବର୍ଷ ଗ୍ରାମସମାଜ ଓ ଗୋଷ୍ଠୀଜୀବନକୁ ହରାଇ ବସିଲା, ଅଥଚ ଏହି କ୍ଷତିର ପୂରଣ କରିବା ଭଳି ସେ କିଛି ପାଇଲା ନାହିଁ ।’’

 

ଇଂଲଣ୍ଡର ଜଣେ ଅର୍ଥନୀତିବିଶାରଦ କିନ୍ତୁ ଭିନ୍ନମତ ପୋଷଣ କରନ୍ତି ।(୧୩) ଭାରତବର୍ଷ ତାର ଆପଣାର ପୁରୁଣା ପରମ୍ପରାଗୁଡ଼ାକୁ ହୁଡ଼ି ପାରୁନାହିଁ ବୋଲି ଯେ ଭାରତର ଆର୍ଥିକ ଜୀବନ କ୍ରମେ ଅଧିକରୁ ଅଧିକ ଦୁର୍ଗତ ହେବାରେ ଲାଗିଚି ତା ନୁହେଁ, ମାତ୍ର ଭାରତବର୍ଷ ଏହିସବୁ ପରମ୍ପରାପ୍ରତି ଅଧିକରୁ ଅଧିକ ବିମୁଖ ହୋଇପଡ଼ୁଚି ବୋଲି ତାହାର ଆର୍ଥିକ ଦୁର୍ଗତି ଯାଉନାହିଁ । ସେ କହିଚନ୍ତି ଯେ, ଭାରତବର୍ଷରେ ଏପର୍ଯ୍ୟନ୍ତ ଉତ୍ପାଦନ, ବିତରଣ ଓ ଶାସନକ୍ଷେତ୍ରରେ ପ୍ରଧାନତଃ ଆଧୁନିକ ପାଶ୍ଚାତ୍ୟ ପଦ୍ଧତିର ହିଁ ରାଜସ୍ୱ ଚାଲିଚି ଏବଂ ସେଇଥିଲାଗି ଭାରତବର୍ଷ ଆପଣାର ସ୍ୱକୀୟ ପରମ୍ପରାଠାରୁ କ୍ରମେ ଅଧିକରୁ ଅଧିକ କାଣ୍ଡଛିଣ୍ଡା ହୋଇଯାଉଚି । ଶ୍ରୀଯୁକ୍ତ ଶୁମାଖର୍ ମନ୍ତବ୍ୟ ପ୍ରକାଶ କରିଚନ୍ତି, ଆଧୁନିକ ପ୍ରଣାଳୀ ଓ ପଦ୍ଧତିଗୁଡ଼ିକର ବିକାଶ ଓ ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ଜଗତ ଆପଣା ପୁରୁଣା ପରମ୍ପରାଗୁଡ଼ାକୁ ପରିତ୍ୟାଗ କରିଥିଲା, କିନ୍ତୁ ଏସିଆର ଦେଶମାନେ ଅଧିକାଂଶତଃ ଆପଣାର ପରମ୍ପରାକୁ ହଜାଇ ସାରିଲେଣି । ଏହିସବୁ ଦେଶରେ ପାଶ୍ଚାତ୍ୟ ଶକ୍ତିମାନଙ୍କର ଆଧିପତ୍ୟ ଅନେକଦିନ ସକାଶେ ଚାଲିଥିବାରୁ ଏପରି ହୋଇଚି-। କିନ୍ତୁ ଆପଣା ଦେଶରେ କୌଣସି ନୂତନ ପ୍ରଣାଳୀ ବା ପଦ୍ଧତିର ବିକାଶ ବା ପ୍ରୟୋଗ ହେବାରୁ ଯେ ସେମାନେ ପୁରୁଣାକୁ ବର୍ଜନ କରିଚନ୍ତି, ତାନୁହେଁ, – ପାଶ୍ଚାତ୍ୟ ଜଗତରେ କୌଣସି ନୂତନ ବିକାଶ ବା ପ୍ରୟୋଗ ହେବା ସଙ୍ଗେ ସଙ୍ଗେ ଏସିଆର ଉପନିବେଶଗୁଡ଼ିକ ମଧ୍ୟ ଆପଣାର ପୁରୁଣା ପରମ୍ପରାକୁ ଛିଣ୍ଡାଇ ଆଣିବାକୁ ବାଧ୍ୟ ହୋଇଚନ୍ତି ।

 

ଭାରତବର୍ଷ ଚିରଦିନ ଗାଆଁର ଦେଶ ହୋଇ ରହିଥିଲା । ଆସନ୍ତା ଅନେକବର୍ଷ ଲାଗି ମଧ୍ୟ ଏହା ଗାଆଁର ଦେଶ ହୋଇ ରହିବ । ଆଜି ଶିଳ୍ପ ଓ ଯନ୍ତ୍ରୋତ୍ପାଦନର କ୍ଷିପ୍ର ପ୍ରସାର ସତ୍ତ୍ୱେ ମଧ୍ୟ ଭାରତବର୍ଷ ସମ୍ଭବତଃ ସବୁଦିନ ସକାଶେ ଗାଆଁର ଦେଶ ହୋଇ ରହିଥିବ, ଅର୍ଥାତ୍ ଗ୍ରାମସମାଜ ଓ ଗ୍ରାମଗୋଷ୍ଠୀର ଜୀବନ ଏହି ଦେଶର ପ୍ରତିନିଧିମୂଳକ ଜୀବନ ହୋଇ ରହିଥିବି । ଭାରତର ଜନସଂଖ୍ୟାର ପ୍ରତ୍ୟେକ ଦଶଜଣରୁ ସାତଜଣ ଲୋକ ଗାଆଁରେ ବାସ କରନ୍ତି । ୧୯୫୧ ମସିହାର ଜନଗଣନା ଅନୁସାରେ ଭାରତର ମୋଟ ୩୫.୭ କୋଟି ଜନସଂଖ୍ୟାରୁ ୨୯.୫ କୋଟି ଗାଆଁରେ ବାସ କରୁଥିଲେ ଓ ୮.୨ କୋଟି ସହରରେ ବାସ କରୁଥିଲେ । ଅର୍ଥାତ୍ ସମ୍ପୂର୍ଣ୍ଣ ଲୋକସଂଖ୍ୟାର ୮୨.୭% ଗାଆଁରେ ଓ ମାତ୍ର ୧୭.୩% ସହରରେ ବାସ କରୁଥିଲେ । ବର୍ତ୍ତମାନ ମଧ୍ୟ ଗାଆଁର ଲୋକସଂଖ୍ୟା ସହରର ଲୋକସଂଖ୍ୟାର ସେହିପରି ପ୍ରାୟ ପାଞ୍ଚଗୁଣ ହୋଇ ରହିଚି । ସମସ୍ତ ସୋଭିଏଟ୍ ରାଜ୍ୟସଂଘରେ ଯେତେ ଲୋକ ବାସ କରୁଚନ୍ତି ତାର ଦେଢ଼ଗୁଣ ଲୋକ କେବଳ ଭାରତବର୍ଷର ଗାଆଁରେ ବାସ କରୁଚନ୍ତି । ଏମାନେ ଆମେରିକା ଯୁକ୍ତରାଜ୍ୟରେ ବାସ କରୁଥିବା ଲୋକସଂଖ୍ୟାର ଦୁଇଗୁଣ ହେବେ । ୧୮୮୧ ମସିହାରୁ ଆରମ୍ଭ କରି ୧୮୬୧ ମସିହା ପର୍ଯ୍ୟନ୍ତ ଭାରତର ଲୋକସଂଖ୍ୟା କିପରି ଅନୁପାତରେ ବିଭକ୍ତ ହୋଇ ରହିଚି, ନିମ୍ନରେ ଦିଆଯାଇଥିବା ତଥ୍ୟାଙ୍କନରୁ (୧୪) ଆମେ ତାହାର ଏକ ଧାରଣା କରିପାରିବା :

 

(ନିୟୁତ ପରିମାଣରେ ସଂଖ୍ୟାଗୁଡ଼ିକ ପଢ଼ାଯିବ)

 

 

୧୮୮୧

୧୯୨୧

୧୯୩୧

୧୯୪୧

୧୯୫୧

୧୯୬୧

ସମଗ୍ର ଜନସଂଖ୍ୟା

୨୫୦.୨

୩୦୫.୫

୩୩୮.୨

୩୮୮.୮

୩୬୧.୨+

୪୩୯.୨

ସହରର ଜନସଂଖ୍ୟା

୨୩.୦

୩୧.୩

୩୭.୫

୪୯.୬

୬୨.୬

୭୮.୮

ସମଗ୍ର ଜନସଂଖ୍ୟାର କେତେ ପ୍ରତିଶତ

୯.୨%

୧୦.୨%

୧୧.୮%

୧୨.୭%

୧୭.୩%

୧୭.୯୪%

ଗ୍ରାମାଞ୍ଚଳର ଜନସଂଖ୍ୟା

୨୨୭.୨

୨୭୪.୨

୩୦୦.୭

୩୩୯.୨

୨୯୮.୬

୩୬୦.୪

ସମଗ୍ର ଜନସଂଖ୍ୟାର କେତେ ପ୍ରତିଶତ

୯୦.୮%

୮୯.୮%

୮୮.୨%

୮୭.୩%

୮୨.୭%

୮୨.୦୬%

+ ପାକିସ୍ତାନକୁ ବାଦ୍ ଦେଇ ।

 

ଭାରତର ବିଭିନ୍ନ ରାଜ୍ୟରେ ବାସକରୁଥିବା ଜନସମୂହ କିପରି ଅନୁପାତରେ ସହର ଓ ଗାଆଁରେ ବିଛାଇ ହୋଇ ରହିଛନ୍ତି, ବର୍ତ୍ତମାନ ନିମ୍ନ ତଥ୍ୟାଙ୍କନରୁ (୧୫) ତାହା ଜଣାପଡ଼ିବ ।

 

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାସ କରୁଥିବା

ଜନସଂଖ୍ୟାର ତୁଳନାତ୍ମକ ଅନୁପାତ (ରାଜ୍ୟଓ୍ୱାରି)

 

ରାଜ୍ୟ

ଗ୍ରାମାଞ୍ଚଳ

ସହରାଞ୍ଚଳ

ଓଡ଼ିଶା

୯୬%

୪%

ଆସାମ

୯୫.୫%

୪.୫%

ବିହାର

୯୪%

୬%

ମଧ୍ୟପ୍ରଦେଶ

୮୬.୬%

୧୩.୪%

ଉତ୍ତର-ପ୍ରଦେଶ

୮୬.୪%

୧୩.୬%

ମାନ୍ଦ୍ରାଜ

୮୦.୧%

୧୯.୯%

ପଶ୍ଚିମବଙ୍ଗ

୭୫.୩%

୨୪.୭%

ମହାରାଷ୍ଟ୍ର

୬୮.୮%

୩୧.୨%

 

ଭାରତବର୍ଷରେ ୩,୮୦,୦୨୦ ରୁ ଅଧିକ ଏପରି ଗାଆଁ ରହିଚି, ଯେଉଁଥିରେ କି ପାଞ୍ଚଶହ ବା ତାଠାରୁ କମ୍‌ସଂଖ୍ୟକ ଲୋକ ବାସ କରୁଚନ୍ତି । ଅର୍ଥାତ୍ ସମଗ୍ର ଗ୍ରାମାଞ୍ଚଳରେ ବାସକରୁଥିବା ଜନସଂଖ୍ୟାର ୨୭% ଲୋକ (୭.୮କୋଟି) ଏହିସବୁ ଗାଆଁରେ ବାସ କରୁଚନ୍ତି । ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ଲୋକ ବାସ କରୁଥିବା ୧୦୪୨୬୮ ଟି ଗ୍ରାମ ଭାରତବର୍ଷରେ ରହିଚି ଏବଂ ଏ ସବୁ ଗାଆଁରେ ୭.୩ କୋଟି ଲୋକ ବାସ କରୁଚନ୍ତି(୨୫%) ଅର୍ଥାତ୍ ୧୦୦୦ ଜଣରୁ କମ୍ ଲୋକ ବାସ କରୁଥିବା ଗାଆଁ ମାନଙ୍କରେ ୫୨% ଲୋକ ବାସ କରୁଚନ୍ତି ।

 

ଏହିସବୁ ସଂଖ୍ୟାଙ୍କନ ଦର୍ଶାଇ ପୁଣିଥରେ ସ୍ମରଣ କରାଇଦେବା ଉଚିତ ଯେ, ଭାରତ ଆଜିମଧ୍ୟ ପ୍ରଧାନତଃ ଗାଆଁର ଦେଶ ହୋଇ ରହିଚି ଓ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଗାଆଁର ଦେଶ ହୋଇ ରହିଥିବ । ସମାଜ–ପରିବର୍ତ୍ତନର ଯେକୌଣସି ସୁସ୍ଥ ଉପାୟ ଅବଲମ୍ବନ କରାଗଲେ ମଧ୍ୟ ଆମେ ଯୁଗଯୁଗରୁ ରହିଆସିଥିବା ଏହି ଗ୍ରାମପ୍ରଧାନତାକୁ କଦାପି ଓଲଟାଇ ଦେଇ ପାରିବାନାହିଁ । ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ଭାରତବର୍ଷର ଅଧିକସଂଖ୍ୟକ ଲୋକ ସାନ ଓ ବଡ଼ ଗାଆଁ ମାନଙ୍କରେ ରହିବେ, ସାନସାନ ପ୍ରତିବେଶ ଓ ଗୋଷ୍ଠୀର ଜୀବନ ସେମାନଙ୍କ ଜୀବନର ଅଧିକାଂଶ କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବ । ଏବେ ଦରିଦ୍ର ଓ ସମସ୍ୟାବହୁଳ ଭାରତବର୍ଷ କହିଲେ ଆମେ ସାଧାରଣତଃ ଭାରତବର୍ଷର ଗ୍ରାମାଞ୍ଚଳକୁ ବୁଝିଥାଉ । ତଥାପି ଭାରତବର୍ଷର ଭାଗ୍ୟକୁ ବଦଳାଇବାକୁ ହେଲେ ଆମକୁ ଗ୍ରାମର ଭାଗ୍ୟକୁ ମଧ୍ୟ ବଦଳାଇବାକୁ ପଡ଼ିବ । ଦରିଦ୍ର ଭାରତବର୍ଷରେ ଭାରତବର୍ଷର ଗ୍ରାମାଞ୍ଚଳ ଆଜି ଅଧିକ ଦରିଦ୍ର ହୋଇ ରହିଚି । କିନ୍ତୁ ଏହି ଗ୍ରାମ ଆଗେ ଆଦୌ ଦରିଦ୍ର ନଥିଲା । ଗ୍ରାମବାସୀର ଜୀବନ ଆବଶ୍ୟକତା–ବହୁଳ ବା ସାମଗ୍ରୀବହୁଳ ନଥିଲା ସତ, କିନ୍ତୁ ଆପଣା ଜୀବନସଂସାରର ପରିଧି ଭିତରେ ସେ ଆପଣାର କର୍ମକୁଶଳତା ଓ ଉପାର୍ଜନ କ୍ଷମତା ଉପରେ ଅଧିକ ନିର୍ଭର କରି ପାରୁଥିଲା ଏବଂ ଏହି ଆତ୍ମବିଶ୍ୱାସ ତାକୁ ଅନେକ ଦୀନତାରୁ ରକ୍ଷା କରି ପାରୁଥିଲା । ଇଂଲଣ୍ଡର ଜଣେ ପର୍ଯ୍ୟବେକ୍ଷକଙ୍କ ହିସାବ ଅନୁସାରେ (William Digby : Propserous British India, London 1901) ୧୮୫୦ ମସିହାରେ ବ୍ରିଟିଶ୍ ଭାରତର ଜଣେ ଅଧିବାସୀର ହାରାହାରି ଦୈନିକ ଆୟ ୨ ପେନ୍‌ସ ଥିଲା । ୧୮୮୦ ମସିହାରେ ତାହା ତଳକୁ ଖସି ୧ ପେନ୍‌ସ ହେଲା ଓ ଶେଷରେ ୧୯୦୦ ମସିହାକୁ ଏହା ପେନ୍‌ସରେ ଆସି ପହଞ୍ଚିଲା । ପ୍ରସିଦ୍ଧ ଅର୍ଥନୀତିବିଶାରଦ ଶ୍ରୀ ଡାନିଏର୍ ଥର୍ନର କହିଚନ୍ତି (Danier Thorner : Longterm Trends in Output in India) ଯେ ୧୮୫୦ ମସିହା ତୁଳନାରେ ୧୯୦୦ ମସିହାରେ ଭାରତବାସୀଙ୍କ ଦାରିଦ୍ର୍ୟ ଅଧିକ ବଢ଼ିଯାଇଥିଲା ଏବଂ ଭାରତବାସୀର ଆର୍ଥିକ ଜୀବନମାନ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କେବଳ ତଳକୁ ହିଁ ଖସିବାରେ ଲାଗିଥିଲା ।

 

ଭାରତବର୍ଷରେ ଜଣପିଛା ହାରାହାରି ବାର୍ଷିକ ଆୟକୁ ଟ ୨୫୦ ବୋଲି ଧରାଯାଇଚି, କିନ୍ତୁ ଏହି ଆୟପରିମାଣରୁ ଆମେ ଗାଆଁଲୋକଙ୍କର ସମ୍ପନ୍ନତା ଓ ସମର୍ଥତା ବିଷୟରେ ଖୁବ୍‌ବେଶୀ ଅନୁମାନ କରି ପାରିବାନାହିଁ । କାରଣ ସହରବାସୀ ଓ ଗ୍ରାମବାସୀଙ୍କର ହାରାହାରି ଆୟ ମଧ୍ୟରେ ଏକ ଅତି ଦୀର୍ଘ ବ୍ୟବଧାନ ରହିଚି । ଗାଆଁର ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ଥରେ ଟ୧୪୦-୦୦ ଥିଲାବେଳେ ସହରରେ ମୁଣ୍ଡପିଛା ହାରାହାରି ବାର୍ଷିକ ଟ ୮୫୦-୦୦ ଥିଲା । ତେଣୁ ସମସ୍ତ ଦେଶର ତଥାକଥିତ ଜାତୀୟ ଆୟରୁ ଆମେ ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ବିଷୟରେ ସ୍ପଷ୍ଟ ଧାରଣା କରି ପାରିବାନାହିଁ । ଗତ ତିରିଶବର୍ଷର ହିସାବରୁ ଆମେ ଖୁବ୍ ଭଲକରି ଦେଖିପାରିବା ଯେ ଦରିଦ୍ର ଭାରତରେ ସହର ତୁଳନାରେ ଗାଆଁ ଆହୁରି ଅଧିକ ଦରିଦ୍ର ହୋଇ ରହିଆସିଚି । (୧୬)

 

ଭାରତରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ

 

ବର୍ଷ

ସମଗ୍ର ଭାରତ
(ଟଙ୍କାରେ)

ସହରାଞ୍ଚଳ
(ଟଙ୍କାରେ)

ଗ୍ରାମାଞ୍ଚଳ
(ଟଙ୍କାରେ)

ସହର ଓ ଗାଆଁ
ମଧ୍ୟରେ ବ୍ୟବଧାନ

୧୯୩୧-୩୨

୬୫

୧୧୬

୫୧

୩୨୩%

୧୯୩୮-୩୯

୬୬

୨୦୦

୪୭

୩୨୫%

୧୯୫୦-୫୧

୮୪୦

୮୪୦

୧୭୦

୪୦୦%

 

 

 

 

 

Unknown

୧୯୫୫-୫୬

୩୦୬

୯୦୫

୧୮୪

୩୯୪%

୧୯୬୦-୬୧

୩୩୦

୯୪୦

୨୦୦

୩୭୦%

 

ଭାରତର ଗ୍ରାମ କହିଲେ ମୁଖ୍ୟତଃ ଚାଷୀକୁଳକୁ ବୁଝାଇବ । ପୃଥିବୀର ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଆମ ଦେଶରେ ବହୁସଂଖ୍ୟକ ଲୋକ ଚାଷକୁ ହିଁ ଅବଲମ୍ବନ କରି ରହିଚନ୍ତି । ଆମ ଦେଶରେ ମୋଟ ଯେତେ ଲୋକ ଆପଣାର ଉପାର୍ଜନରେ ଜୀବନଭରଣ କରି ପାରୁଚନ୍ତି, ସେମାନଙ୍କର ପ୍ରତ୍ୟେକ ପାଞ୍ଚଜଣରୁ ଚାରିଜଣ ଲୋକ କୃଷିଉପରେ ହିଁ ନିର୍ଭର କରନ୍ତି । ଏପରିକି ଭାରତର ସହରମାନଙ୍କରେ ଯେଉଁମାନେ ବାସ କରନ୍ତି, ସେମାନଙ୍କର ପ୍ରତ୍ୟେକ ଆଠଜଣରୁ ଜଣେ ଲୋକ ମଧ୍ୟ କୃଷିଉପରେ ହିଁ ନିର୍ଭର କରିଥାଏ । ଭାରତୀୟ ଜାତୀୟଆୟର ୪୫ ରୁ ୪୮% ପର୍ଯ୍ୟନ୍ତ ଅଂଶ କୃଷି ଓ କୃଷିସମ୍ବନ୍ଧୀ ଧନ୍ଦାମାନଙ୍କରୁ ହିଁ ଆସିଥାଏ । (ପୁସ୍ତକ ଟିପ୍ପଣୀ ୧୪, ପୃଷ୍ଠା–୫୩୬) ପୃଥିବୀର ଅନ୍ୟାନ୍ୟ କେତେକ ଦେଶ ତୁଳନାରେ ଭାରତବର୍ଷରେ କେତେ ବେଶୀ ଲୋକ କୃଷି ଉପରେ ନିର୍ଭର କରନ୍ତି, ନିମ୍ନଲିଖିତ ତଥ୍ୟଟିରୁ ତାହାର ପରିଚୟ ମିଳିପାରିବ । ବିଭିନ୍ନ ଦେଶମାନଙ୍କରେ ରହିଥିବା ମୋଟ ଶ୍ରମିକକୁଳର ନିମ୍ନଲିଖିତ ପ୍ରତିଶତମାନ କୃଷିକାର୍ଯ୍ୟ କରନ୍ତି ।

 

ଦେଶ

ବର୍ଷ

ସମଗ୍ର ଶ୍ରମିକସମୂହର କେତେ ପ୍ରତିଶତ କୃଷିକାର୍ଯ୍ୟ କରନ୍ତି ।

ଗ୍ରେଟ୍ ବ୍ରିଟେନ୍

୧୯୫୦

୫%

ଯୁକ୍ତରାଜ୍ୟ ଆମେରିକା

୧୯୫୦

୧୨.୫%

କାନାଡ଼ା

୧୯୫୧

୧୯.୪%

ଜାପାନ

୧୯୫୦

୪୮.୭%

ସୋଭିଏଟ୍ ରୁଷିଆ

୧୯୩୭

୫୮%

ଭାରତବର୍ଷ

୧୯୫୧

୭୧.୯%

 

(ପୁସ୍ତକ ଟିପ୍ପଣୀ –୧୬, ପୃଷ୍ଠା-୨୦)

 

ଭାରତବର୍ଷର କୃଷକ ଓ ପୃଥିବୀର ଅନ୍ୟାନ୍ୟ ଅନେକ ଦେଶର କୃଷକ ଭିତରେ ଅନେକ ପ୍ରଭେଦ ରହିଚି । କାରଣ ଆମର ସାମାଜିକ ତଥା ପାରିବାରିକ ସଂସ୍ଥା ଓ ଅନ୍ୟ ଦେଶସବୁର ସାମାଜିକ ଓ ପାରିବାରିକ ସଂସ୍ଥା ମଧ୍ୟରେ ମଧ୍ୟ ଅନେକ ପ୍ରଭେଦ ରହିଚି । ଅନ୍ୟାନ୍ୟ ଦେଶରେ ପରିବାରର ସମସ୍ତେ ଖେତରେ ଯାଇ କାର୍ଯ୍ୟ କରନ୍ତି । ପରିବାରର ଉପାର୍ଜନରେ ଆପଣାର ସାମର୍ଥ୍ୟ ଅନୁସାରେ ପ୍ରତ୍ୟେକ ଭାଗ ନିଅନ୍ତି । କିନ୍ତୁ ଆମ ଦେଶରେ ହେଉ ବା ଗାଆଁରେ ହେଉ, ପରିବାରମାନଙ୍କରେ ମାତ୍ର କେତେକ ଉପାର୍ଜନ କରନ୍ତି, ଅନ୍ୟମାନେ ସେମାନଙ୍କ ଉପରେ ନିର୍ଭର କରି ରହନ୍ତି । ଏହାଦ୍ୱାରା ବୋଝ ବଢ଼େ ତେଣୁ ଦାରିଦ୍ର୍ୟ ମଧ୍ୟ ବଢ଼ିଯାଏ । ଏକ ହିସାବରୁ ଜଣାଯାଏ ଯେ ଭାରତରେ ଗ୍ରାମାଞ୍ଚଳର ଲୋକସଂଖ୍ୟା ୨୯.୫ କୋଟି ଥିବାବେଳେ (୧୯୫୧) ସେଥିରୁ କେବଳ ୮.୫୭ କୋଟି ଲୋକ ଅର୍ଥାତ୍ କେବଳ ୨୯% ଆପେ ଆପଣାର ଉପାର୍ଜନ କରୁଥିଲେ, ୧୨% ଘରର ଅନ୍ୟମାନଙ୍କ ଉପରେ ନିର୍ଭର କରି ରହୁଥିଲେ, ମାତ୍ର ଆପେ ମଧ୍ୟ କିଛିକିଛି ଉପାର୍ଜନ କରୁଥିଲେ ଏବଂ ୫୯% ଆପେ କୌଣସି ପ୍ରକାର ରୋଜଗାର କରୁନଥିଲେ ଏବଂ ଏଣେ ଅନ୍ୟମାନଙ୍କ ଉପରେ ସମ୍ପୂର୍ଣ୍ଣଭାବରେ ନିର୍ଭର କରୁଥିଲେ । ଆପଣାର ରୋଜଗାର ଉପରେ ନିର୍ଭର କରୁଥିବା ୮.୫୭ କୋଟି ଲୋକଙ୍କ ମଧ୍ୟରୁ ୮୦% ବା ୬.୮୭ କୋଟି ଲୋକ କୃଷିଉପରେ ହିଁ ପ୍ରଧାନତଃ ଅବଲମ୍ବନ କରି ରହିଥିଲେ । ଆଗରୁ କୁହାଯାଇଚି, ଏହି ପରନିର୍ଭରତା କେବଳ ଗ୍ରାମାଞ୍ଚଳର ଏକ ବିଶେଷ ଲକ୍ଷଣ ନୁହେଁ, ଭାରତର ସହରମାନଙ୍କରେ ମଧ୍ୟ ଆପେ ରୋଜଗାର କରୁଥିବା ଲୋକମାନଙ୍କ ତୁଳନାରେ କୌଣସି ରୋଜଗାର ନକରି ଅନ୍ୟମାନଙ୍କ ଉପରେ ନିର୍ଭର କରି ରହିଥିବା ଲୋକଙ୍କର ସଂଖ୍ୟା ଅନେକ ବେଶୀ । ତଥାପି ଗାଆଁ ଓ ସହର ମଧ୍ୟରେ ତୁଳନା କରି ଦେଖିଲେ ଗାଆଁରେ ହିଁ ଏହି ନିର୍ଭରଶୀଳତାର ପ୍ରବୃତ୍ତି ଅଧିକମାତ୍ରାରେ ରହିଚି ବୋଲି ଜଣାପଡ଼ିବ । ନିମ୍ନଲିଖିତ ତଥ୍ୟାଙ୍କନରୁ ଆମେ ସେ ବିଷୟରେ କିଞ୍ଚିତ୍ ଧାରଣା କରିପାରିବା-। ୧୯୫୧ ମସିହାରେ ହୋଇଥିବା ଭାରତର ଜନସୁମାରିରୁ ଏହି ହିସାବ ନିଆଯାଇଚି-

 

ସହର ଓ ଗ୍ରାମାଞ୍ଚଳର ତୁଳନାତ୍ମକ ଜୀବନ-ନିର୍ବାହ ରୀତି

(ଲକ୍ଷ ସଂଖ୍ୟାରେ)

 

ଜୀବନନିର୍ବାହ-ରୀତି

ଗ୍ରାମାଞ୍ଚଳ (୧)

ସହରାଞ୍ଚଳ (୨)

ମୋଟ (୩)

(୩) ତୁଳନାରେ
(୧)ର ଅନୁପାତ

(୧)

ଆପେ ଉପାର୍ଜନ କରୁଥିବା ବ୍ୟକ୍ତି

୮୭୫

୧୮୭

୧୦୬୨

୮୨%

(୨)

ଆଂଶିକ ଉପାର୍ଜନ କରୁଥିବା ନିର୍ଭରଶୀଳ ବ୍ୟକ୍ତି

୩୫୧

୨୮

୩୭୯

୯୩%

(୩)

ଉପାର୍ଜନ କରୁଥିବା ନିର୍ଭରଶୀଳ ବ୍ୟକ୍ତି

୧୭୩୯

୪୦୪

୨୧୪୩

୮୧%

(୪)

କାମକରୁଥିବା ଲୋକଙ୍କର ମୋଟ ସଂଖ୍ୟା

୧୨୦୮

୨୧୫

୧୪୨୩

୮୫%

(୫)

ମୋଟ

୨୯୪୭

୬୧୯

୩୫୬୬

୮୨.୭%

(ପୁସ୍ତକ ଟିପ୍ପଣୀ–୧୬, ପୃଷ୍ଠା–୧୯)

 

ଆପେ ଉପାର୍ଜନକ୍ଷମ ହୋଇଥାନ୍ତୁ ବା ନ ହୋଇଥାନ୍ତୁ, ଭାରତର କୃଷକ ତାହାର ପରିବାରରେ ବାସ କରୁଥିବା ଓ ଭରଣପୋଷଣ ଲାଗି ତା ଉପରେ ନିର୍ଭର କରୁଥିବା ଲୋକଙ୍କର ସଂଖ୍ୟା ସହରରେ ବା ଗାଆଁରେ ରହି ଅନ୍ୟାନ୍ୟ ଧନ୍ଦା କରୁଥିବା ଲୋକଙ୍କର ସଂଖ୍ୟାଠାରୁ ଅନେକ ଗୁଣ ଅଧିକ । ଭାରତର ନିମ୍ନଲିଖିତ କେତୋଟି ରାଜ୍ୟରେ କେତେ ପରିମାଣର ଲୋକେ କୃଷି ଉପରେ ନିର୍ଭର କରନ୍ତି ତାହା ଜାଣିଲେ ଏ ବିଷୟରେ ଆମର ଧାରଣା ଅଧିକ ପରିଷ୍କାର ହୋଇଯିବ : ବିହାର-୮୬%, ଓଡ଼ିଶା-୭୯.୩%, ମଧ୍ୟପ୍ରଦେଶ-୭୬%, ଉତ୍ତର ପ୍ରଦେଶ-୭୪.୨%, ଆସାମ-୭୩.୫%, ମାନ୍ଦ୍ରାଜ-୬୪.୯%, ମହାରାଷ୍ଟ୍ର-୬୧.୫% ଓ ପଶ୍ଚିମବଙ୍ଗ-୫୭.୨% (ପୁସ୍ତକ ଟିପ୍ପଣୀ–୧୬, ପୃଷ୍ଠା–୧୫୫)

 

ଆମ ଦେଶରେ ଗତ କେତେ ପୁରୁଷ ଧରି ଦାରିଦ୍ର୍ୟ ଘର କରି ରହିଚି । ସହରରେ ବଡ଼ ବଡ଼ କୋଠାଘର ରହିଚି, ବଡ଼ ବଡ଼ ରାସ୍ତାରେ ବଡ଼ ଲୋକ-ମାନଙ୍କର ମଟର ଗାଡ଼ି, ଚାଲୁଚି, ଅୟସ-ଆମୋଦର ବଡ଼ ବଡ଼ ଆୟୋଜନମାନ ହେଉଚି । ଦେଶର ଗେହ୍ଲାପୁଅଙ୍କ ପରି ସହରର କେତେଜଣଙ୍କ ଲାଗି କେତେପ୍ରକାର ଉପଭୋଗ କରିବାର କେତେ ଅବସରର ଭିଆଣ କରାଯାଇଚି-। ସମ୍ଭବତଃ ସେହି କାରଣରୁ ଗାଆଁମାନଙ୍କରେ ଦାରିଦ୍ର୍ୟର ଚେର ଯେତେ ଦୂରକୁ ଭେଦି ରହିଥିବାପରି ମନେହେଉଚି, ସହରରେ ସେତେ ଦୂରକୁ ଭେଦି ରହିଥିବାପରି ମନେହେଉନି-। ଗାଆଁର ପାଉଁଶଗଦା, ଦଳପୋଖରୀ, କାଦୁଅବାଟ ଓ ଗନ୍ଧିଆ ନାଳଗନ୍ଧ ଗୁଡ଼ାକ ଯେତିକି ସହଜରେ ଆମ ଇନ୍ଦ୍ରିୟଗୁଡ଼ାକ ପାଖରେ ଧରାପଡ଼ିଯାଆନ୍ତି, ଗାଆଁଲୋକଙ୍କର ଦାରିଦ୍ର୍ୟଟା ମଧ୍ୟ ଆମପାଖରେ ଠିକ୍ ସେହିପରି ଧରାପଡ଼ିଯାଏ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଥିବା ପ୍ରାଚୀନ ମୂର୍ତ୍ତିର ସଂଗ୍ରାହାଳୟରେ ଜ୍ୟେଷ୍ଠାଦେବୀଙ୍କର ମୂର୍ତ୍ତି ସଂଗୃହିତ ହୋଇ ରହିଚି । ଶ୍ରୀମତି ଜ୍ୟେଷ୍ଠାଦେବୀ ହେଉଚନ୍ତି ଦାରିଦ୍ର୍ୟର ଦେବୀ । ସେ ଦାରିଦ୍ର୍ୟ ଦୂର କରନ୍ତି ନାଁ ଦାରିଦ୍ର୍ୟର ପ୍ରତୀକମୂଳକ ପ୍ରତିନିଧିତ୍ୱ କରନ୍ତି, ମୂର୍ତ୍ତିଟିର ପରିଚୟ ପତ୍ରରେ ସେ ବିଷୟରେ କିଛି ଲେଖା ହୋଇନାହିଁ । କିନ୍ତୁ ଦେବୀଙ୍କର ନାମଟି ମୋତେ ସବୁଠାରୁ ଠିକଣା ପରି ଲାଗିଲା । ଦେବଗଣଙ୍କର କଳ୍ପନା ପ୍ରସୂତ ରାଜ୍ୟରେ ଆମ ଦେଶରେ ଯେତେ ଦେବୀ ଓ ଦେବତା ତିଆରି ହୋଇଚନ୍ତି, ତାଙ୍କ ଭିତରେ ଜ୍ୟେଷ୍ଠାଦେବୀ ଦାରିଦ୍ର୍ୟର ପ୍ରତିନିଧିତ୍ୱ ହିଁ କରନ୍ତି । ଅର୍ଥାତ୍ ଅନ୍ୟାନ୍ୟ ଯାବତୀୟ ଦେବୀଙ୍କର ଅନୁଗ୍ରହ ଅପେକ୍ଷା ଜ୍ୟେଷ୍ଠାଦେବୀଙ୍କର ପ୍ରକୋପ ହେଉଚି ବେଶୀ-ସବୁ ଗ୍ରହଙ୍କର ପ୍ରକୋପ ତୁଳନାରେ ଶନିଗ୍ରହଙ୍କର ପ୍ରକୋପ ଯେମିତି ଅଧିକ, ଠିକ୍ ସେହିପରି । ଜ୍ୟେଷ୍ଠାଦେବୀଙ୍କ ପରି ଆମଦେଶର ଲଙ୍କାମରିଚ ମଧ୍ୟ ଆମଦେଶର ଲୋକଙ୍କର ପ୍ରତୀକ । ଯେଉଁ ଦେଶରେ ଅତ୍ୟଧିକ ମଣିଷ ତରକାରୀ ରୂପେ ଲଗାଇ ବା ମଡ଼ାଇ ଖାଇବାକୁ ଲଙ୍କାମରିଚକୁ ହିଁ ସବୁଠାରୁ ପ୍ରଶସ୍ତ ଖାଦ୍ୟପ୍ରକାର ରୂପେ ବ୍ୟବହାର କରନ୍ତି, ସେ ଦେଶରେ ଦାରିଦ୍ର୍ୟକୁ ବହିପାଠ ଅନୁସାରେ ବୁଝାଇ କହିବାକୁ ପଡ଼ିବନାହିଁ । ବେଳେବେଳେ ମନେହୁଏ, ସ୍ୱୟଂ ଭଗବାନ କେବେ ଦରିଦ୍ର ଥିବାବେଳେ ହୁଏତ ଲଙ୍କାମରିଚ ସୃଷ୍ଟି କରିଥିଲେ ଏବଂ ତାଙ୍କପରେ ଭାରତବାସୀ ଅତି ନିଷ୍ଠା ସହକାରେ ସେହି ଐତିହ୍ୟଟିକୁ ରକ୍ଷାକରି ଆସୁଚନ୍ତି ।

 

ବିଶ୍ୱ-ରାଷ୍ଟ୍ରସଂଘର ଏବ ସର୍ବେକ୍ଷଣ ଅନୁପାତରେ ଭାରତବର୍ଷରେ ୪୫% ଲୋକ ଦିନକୁ ହାରାହାରି ମାତ୍ର ପଚାଶ ପଇସା ବା ତାଠାରୁ କମ୍ ରୋଜଗାର କରନ୍ତି । ୩୦% ଲୋକ ପଚାଶ ପଇସାରୁ ଏକଟଙ୍କା ମଧ୍ୟରେ ରୋଜଗାର କରନ୍ତି, ୨୪% ଲୋକ ଦିନକୁ ଟଙ୍କାକରୁ ଦେଢ଼ଟଙ୍କା ଏବଂ ମାତ୍ର ୧% ଲୋକ ଦେଢ଼ଟଙ୍କାରୁ ଅଧିକ ଉପାର୍ଜନ କରନ୍ତି । ଅର୍ଥାତ୍ ଆମଦେଶରେ ଯେଉଁମାନଙ୍କୁ ଆମେ ସାଧାରଣତଃ ଅଧିକ ରୋଜଗାର କରୁଥିବା ବଡ଼ଲୋକ ବୋଲି କହିଥାଉ, ଯେଉଁମାନଙ୍କର ଆଚାରକୁ ଦେଶାଚାର ବୋଲି କହିଥାଉ, ସେମାନେ ଆମଦେଶର ଶହେଭାଗରୁ ଭାଗେ ମଧ୍ୟ ନୁହନ୍ତି । ସାରାଦେଶର ହିସାବରୁ ଗାଆଁସ୍ତରର ହିସାବକୁ ଆସିଲେ ଆମେ ଅଧିକ ଶୋଚନୀୟ ପରିସ୍ଥିତି ଦେଖିବାକୁ ପାଇବା । ଭାରତର ଗାଆଁରେ ଏକ ସାଧାରଣ ପରିବାର ବର୍ଷକୁ (୧୯୫୦ର ହିସାବ ଅନୁସାରେ) ହାରାହାରି କେବଳ ୧୯.୮୬ ମହଣ ଖାଦ୍ୟଶସ୍ୟ ଉପୁଜାଏ, କିନ୍ତୁ ଖାଇବାରେ ତାର ବର୍ଷକୁ ହାରାହାରି ୨୬.୪ ମହଣର ଆବଶ୍ୟକତା ରହିଥାଏ । ଏତିକି ଖାଦ୍ୟଶସ୍ୟରେ ମଧ୍ୟ ଗଣପତିଙ୍କର ବାହନ ମୂଷା ତାହାର ଭାଗୀଦାର ହେବାକୁ ଆସେ । ବିଶେଷଜ୍ଞମାନେ ହିସାବ କରି କହିଚନ୍ତି ଯେ ସମଗ୍ର ଭାରତବର୍ଷରେ ବିଲ ଓ ଘର ଭିତରେ ଥିବା ଗାତ ଉଭୟ ସ୍ଥାନରେ ପ୍ରାୟ ୨୫୦ କୋଟି ମୂଷା ରହିଚନ୍ତି ଅର୍ଥାତ୍ ଏହି ହିସାବ ଅନୁସାରେ ପ୍ରତ୍ୟେକ ମଣିଷ ଅନୁପାତରେ ପାଞ୍ଚୋଟି କି ଛଅଟି ରହିଛନ୍ତି । ଏକଥା ମଧ୍ୟ ହିସାବ କରି ଜଣାଯାଇଚି ଯେ, ଜଣେ ମଣିଷ ଦିନକୁ ସାଧାରଣତଃ ଯେତିକି ଖାଦ୍ୟ ଖାଏ, ଛଅଟି ମୂଷାଙ୍କଲାଗି ମଧ୍ୟ ଦିନକୁ ସେତିକି ଖାଦ୍ୟ ଦରକାର ହୁଏ । ତାହାର ଅର୍ଥ ହେଉଚି ଯେ ପ୍ରାୟ ୪୧.୬ କୋଟି ମଣିଷ ଏ ଦେଶରେ ଯେଉଁ ଖାଦ୍ୟ ଖାଉଥାନ୍ତେ, ସେହି ଖାଦ୍ୟ ଏହିଦେଶର ମୂଷାମାନଙ୍କ ଗର୍ଭରେ ଯାଏ । ଭାରତବର୍ଷରେ ଯେତେ ଗାଈ ଅଛନ୍ତି ପୃଥିବୀରେ ଆଉ କୌଣସି ଦେଶରେ ସେତେ ଗାଈ ନାହାନ୍ତି । ସାରା ପୃଥିବୀର ୧୧୦ କୋଟି ଗାଈଗୋରୁଙ୍କ ମଧ୍ୟରୁ ଭାରତର ୨୩.୧ କୋଟି ଗାଈଗୋରୁ ରହିଚନ୍ତି ବୋଲି ଗଣନା କରି କୁହାଯାଇଚି । କିନ୍ତୁ ଭାରତର ଦୁଧିଆଳୀ ଗାଈଙ୍କ ଭିତରୁ ୯୪.୩% ଗାଈ ଦିନକୁ ଗୋଟାଏ ସେର ଦୁଧ ବି ଦିଅନ୍ତି ନାହିଁ ।

 

ଏଥିରୁ ଅତି ପରିଷ୍କାର ହୋଇଯାଇଚି ଯେ ଆପଣାର ଓ ଆପଣା ପରିବାରର ପେଟ ଭରାଇବାପାଇଁ ଭାରତର ଗ୍ରାମବାସୀକୁ କରଜ କରିବାକୁ ପଡ଼େ । ଏହି କରଜର ପରିମାଣ ଦିନକୁଦିନ ବଢ଼ୁଥାଏ, ତଥାପି ନିଅଣ୍ଟ ଯାଏନାହିଁ । ଏକାବେଳେକେ କିଛି କରଜ ଆଣି ଯଦି ସେ ତାହାକୁ କୌଣସି ଏକ ଲାଭଜନକ ବ୍ୟବସାୟରେ ଖଟାଇ ପାରୁଥାନ୍ତା, ତେବେ ହୁଏତ ତାର ଅବସ୍ଥା କ୍ରମେ ସୁଧୁରିଯାଆନ୍ତା ଓ ସିଏ କରଜରୁ ମଧ୍ୟ କ୍ରମେ ମୁକୁଳି ଯାଆନ୍ତା । କିନ୍ତୁ ଅଧାପେଟରୁ ଯେକୌଣସି ପ୍ରକାରେ ବୋଧ ଦେଇ ରଖିବାକୁ ହିଁ ସେ କରଜ ଆଣେ । ନିମ୍ନରେ ଦିଆଯାଇଥିବା ତଥ୍ୟାଙ୍କନଟିରୁ (୧୭) ଆମେ ତାହାର କିଞ୍ଚିତ୍ ଧାରଣା କରିପାରିବା ।

 

ଗ୍ରାମବାସୀ କାହିଁକି କରଜ କରେ ?

 

ପାରିବାରିକ ଖର୍ଚ୍ଚ

୫୦.୨%

ଚାଷବ୍ୟତୀତ ଅନ୍ୟକୌଣସି ବ୍ୟବସାୟ

୬.୬%

ଚାଷରେ ଖଟାଉଥିବା ମୂଳଧନ

୩୭.୧%

ଅନ୍ୟାନ୍ୟ

୬.୧%

 

ଖର୍ଚ୍ଚ କହିଲେ ଆମ ଗାଆଁମାନଙ୍କରେ ସାଧାରଣତଃ ଖାଇବାର ଖର୍ଚ୍ଚକୁ ହିଁ ବୁଝାଏ । ତାହାର ଅର୍ଥ ନୁହେଁ ଯେ ଭାରତବର୍ଷର ଚାଷୀମାନେ ପ୍ରଧାନତଃ ଖାଇବାଲାଗି ହିଁ ବଞ୍ଚି ରହିଥାନ୍ତି । ସତକଥା ହେଉଚି, ସେମାନେ ଯତ୍‌କିଞ୍ଚିତ ଉପାର୍ଜନ କରିଥାନ୍ତି, ପେଟକୁ ଆହାର ଯୋଗାଇବାରେ ହିଁ ତାହାର ଦୁଇତୃତୀୟାଂଶ ଚାଲିଯାଏ । ଜୀବନସ୍ତରର ବିକାଶ ଓ ଉପାର୍ଜନ କ୍ଷମତାର ବୃଦ୍ଧିଲାଗି ସେମାନଙ୍କ ହାତରେ ଆଉ ଖୁବ୍ ବେଶୀ ଧନ ବଳକା ରହେନାହିଁ । ଅନ୍ୟାନ୍ୟ ଉନ୍ନତ ଦେଶରେ ଏପରି ହୁଏନାହିଁ । ସେଠି ଗାଆଁ ଚାଷୀର ଜୀବନ ଯୋଜନାରେ ଖାଲି ଖାଇବା ବ୍ୟତୀତ ଅନ୍ୟାନ୍ୟ ଅନେକ ଯୋଗ୍ୟତା ହାସଲ କରିପାରିବା ଲାଗି ମଧ୍ୟ ଯଥେଷ୍ଟ ସାମର୍ଥ୍ୟ ରହିଥାଏ । ୧୯୫୦ ମସିହାରେ ଭାରତୀୟ ଗ୍ରାମବାସୀର ହାରାହାରି ଖର୍ଚ୍ଚଫର୍ଦ୍ଦ ବିଷୟରେ ନିଆଯାଇଥିବା ତଥ୍ୟରୁ ଆମେ ଏହିପରି ଏକ ଚିତ୍ର ଦେଖିବାକୁ ପାଇଥାଉ ।

 

ଗ୍ରାମବାସୀର ଖର୍ଚ୍ଚଫର୍ଦ୍ଦ

 

ଖର୍ଚ୍ଚ ପ୍ରକାର

ମୋଟ ଖର୍ଚ୍ଚର ଅନୁପାତ

ଖାଦ୍ୟସାମଗ୍ରୀ

୬୬.୩୧%

ଲୁଗାପଟା

୧୦.୫୫%

ବାହାପୁଆଣି, ପର୍ବପର୍ବାଣି, ଖଜଣା ଓ ଟିକସ,

୯.୫୪%

ପାନ, ଧୂଆଁପତ୍ର ଓ ଅନ୍ୟାନ୍ୟ ଅମଳ

୩.୩୭%

ଜାଳ ଓ ଆଲୁଅ

୩.୨୫%

ଘରକରଣା ଜିନିଷ, ବାସନ ଇତ୍ୟାଦି

୨.୭୨%

ଜୋତା ଓ ସ୍ନାତଶୌଚର ସରଞ୍ଚାମ

୧.୭୩%

ଔଷଧପତ୍ର

୧.୨୭%

ଶିକ୍ଷା ଓ ମନୋରଞ୍ଜନ

୧.୨୬%

(ପୁସ୍ତକ ଟିପ୍ପଣୀ–୧୬, ପୃଷ୍ଠା–୩୧)

 

ଭାରତବର୍ଷରେ ଚାଷୀ ଖାଇବାରେ ସବୁଠାରୁ ଅଧିକ ଖରଚ କରେ, ଶିକ୍ଷା ଓ ମନୋରଞ୍ଜନରେ ସବୁଠାରୁ କମ୍ ଖରଚ କରେ । ପେଟର ଅଗ୍ନିକୁ ଶାନ୍ତ ନକଲେ କାମ ଚଳେନାହିଁ ବୋଲି ସେ ଟଙ୍କାରେ ଦଶଅଣା ଆୟକୁ ତାହାରି ପିଛାରେ ଲଗାଇବାକୁ ବାଧ୍ୟ ହୁଏ । କିନ୍ତୁ ଶିକ୍ଷା ଓ ମନୋରଞ୍ଜନ ଅପ୍ରୟୋଜନୀୟ ବ୍ୟସନ ମନେକରି ସବାଶେଷରେ ତାହାରି କଥା ଚିନ୍ତା କରେ । ଶିକ୍ଷା ମଣିଷଜୀବନରେ ଚଳନଶୀଳତା ବଢ଼ାଏ, ଜୀବନରେ ପରିବର୍ତ୍ତନର ସମ୍ଭାବନା ବଢ଼ାଏ, ଅସନ୍ତୋଷ ବଢ଼ାଏ, ଅଧିକ କିଛି ହେବାଲାଗି ମଣିଷ ଭିତରେ ବାସନା ଓ ବିଶ୍ୱାସ ବଢ଼ାଏ, ଅଧିକ କିଛି ହେବାର ଅନ୍ୱେଷଣରେ ମଣିଷକୁ ତାହାର ପୂର୍ବସିଦ୍ଧ ଆୟତନ ଭିତରୁ ଗୋଡ଼ କଢ଼ାଇନିଏ । ମନୋରଞ୍ଜନ ଆମ ଜୀବନରେ ସରସତା ବଢ଼ାଏ, ଆତ୍ମଗ୍ଳାନିରେ କ୍ଷୀଣ ହେବାର ପ୍ରମାଦରୁ ଆପଣାକୁ ବଞ୍ଚାଇବାରେ ତାହା ଆମକୁ ଅନେକ ପରିମାଣରେ ସାହାଯ୍ୟ କରେ । ବିଧିନିର୍ଦ୍ଦିଷ୍ଟ ଭାବରେ ହେଉ ବା ଅନ୍ୟ ଯେକୌଣସି କାରଣରୁ ହେଉ, ଭାରତର ଚାଷୀ ଅଥବା ଭାରତର ଗ୍ରାମବାସୀ ଏହି ଶିକ୍ଷା ଓ ମନୋରଞ୍ଜନ ବିଷୟରେ ଖୁବ୍‌ ବେଶୀ ଭାବିବାକୁ ଅବସର ହିଁ ପାଏନାହିଁ । ଜୀବନର ମାନଚିତ୍ର ଉପରେ ଏହି ଦୁଇଟି ସାମଗ୍ରୀ ଲାଗି କୌଣସି ସ୍ଥାନ ଉଚିତ ବୋଲି ଆମ ଗାଆଁର ଅନେକ ଲୋକ କଳ୍ପନା କରି ପାରନ୍ତି ନାହିଁ ।

 

ଦିଲ୍ଲୀରେ ସ୍ଥାପିତ ହୋଇଥିବା ଏକ ସର୍ବଭାରତୀୟ ଅର୍ଦ୍ଧସରକାରୀ ସଂସ୍ଥା NCAER (National Council of Applied Economic Research) ୧୯୬୫ ମସିହାରେ ଭାରତର ବିଭିନ୍ନ ଲୋକଙ୍କର ହାରାହାରି ବାର୍ଷିକ ଆୟ ବିଷୟରେ ନିମ୍ନଲିଖିତ ତଥ୍ୟ ପରିବେଷଣ କରିଚନ୍ତି । (୧୮)

 

ରାଜ୍ୟ

ହାରାହାରି ବାର୍ଷିକ ଆୟ-ପରିମାଣ

ଦିଲ୍ଲୀ

ଟ ୮୭୧.୬୧

ମହାରାଷ୍ଟ୍ର

ଟ ୪୬୮.୫୪

ପଶ୍ଚିମବଙ୍ଗ

ଟ ୪୬୪.୬୨

ପଞ୍ଜାବ

ଟ ୪୫୧.୩୧

ଗୁଜୁରାଟ

ଟ ୩୯୩.୩୯

ମାନ୍ଦ୍ରାଜ

ଟ ୩୩୪.୦୯

ଆସାମ

ଟ ୩୩୩.୩୪

ତ୍ରିପୁରା

ଟ ୩୨୯.୮୬

ହିମାଚଳ ପ୍ରଦେଶ

ଟ ୩୨୮.୩୫

କେରଳ

ଟ ୩୧୪.୮୬

ମହୀଶୁର

ଟ ୩୦୪.୭୧

ଉତ୍ତର ପ୍ରଦେଶ

ଟ ୨୯୭.୩୫

ଜାମ୍ମୁ ଓ କାଶ୍ମୀର

ଟ ୨୮୯.୦୨

ଆନ୍ଧ୍ର ପ୍ରଦେଶ

ଟ ୨୮୭.୦୧

ମଧ୍ୟପ୍ରଦେଶ

ଟ ୨୮୫.୩୫

ଓଡ଼ିଶା

ଟ ୨୭୬.୨୨

ରାଜସ୍ଥାନ

ଟ ୨୬୭.୪୩

ବିହାର

ଟ ୨୨୦.୬୯

ସର୍ବଭାରତୀୟ

ଟ ୩୩୪.୫୦

 

ପୃଥିବୀର ଅନ୍ୟାନ୍ୟ ଦେଶର ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ-ପରିମାଣ ତୁଳନାରେ ଭାରତବର୍ଷ ଅନେକ ତଳେ ପଡ଼ିଚି । ପୁଣି ରାଜସ୍ଥାନ ଓ ପଡ଼ିଶା ବିହାରକୁ ଛାଡ଼ି ଦେଲେ ଆମ ଓଡ଼ିଶା ଭାରତବର୍ଷର ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ ତଳେ ପଡ଼ିଚି । ତଥାପି ଏହି ସର୍ବଭାରତୀୟ ହିସାବରୁ ଆମେ ଭାରତୀୟ ଗ୍ରାମାଞ୍ଚଳରେ ରାଜତ୍ୱ କରି ରହିଥିବା ଦାରୁଣ ଦାରିଦ୍ର୍ୟର କୌଣସି କଳ୍ପନା କରି ପାରିବାନାହିଁ । ଗ୍ରାମସଂସାରର ଆର୍ଥିକ ସର୍ବେକ୍ଷଣ କରିଥିବା ୧୯୬୫ରେ ପ୍ରକାଶିତ ଆଉ ଏକ ହିସାବରୁ ଆମେ ଏହାର ଆଭାସ ପାଇପାରିବା । ଏଥିରୁ (All India Rural Household Survey) ଜଣାପଡ଼ୁଚି ଯେ ଭାରତବର୍ଷରେ ୩୫ କୋଟିରୁ ଅଧିକ ଲୋକ ଜଣପିଛା ଦିନକୁ ହାରାହାରି ୬୮ ପଇସାରୁ କମ୍ ରୋଜଗାର କରନ୍ତି । ଏମାନଙ୍କ ମଧ୍ୟରୁ ଦଶକୋଟି ଲୋକ ଦିନକୁ ୪୨ ପଇସାରୁ ମଧ୍ୟ କମ୍ ରୋଜଗାର କରନ୍ତି । ଆହୁରି ନିମ୍ନ ସ୍ତରକୁ ଯାଇ ଆମେ ଦେଖିବାକୁ ପାଇବା ଯେ ଏଥିରୁ ୫ କୋଟି ମଣିଷ ଦିନକୁ ୩୨ ପଇସା ଓ ସବାତଳେ ରହିଥିବା କୋଟିଏ ଭାଗ୍ୟହୀନ ଦିନକୁ ମାତ୍ର ୨୭ ପଇସା ଲେଖାଏଁ ରୋଜଗାର କରନ୍ତି । କହିବା ବାହୁଲ୍ୟ ଏହି ହିସାବ ପ୍ରଧାନତଃ ଗ୍ରାମାଞ୍ଚଳରୁ ହିଁ ସଂଗୃହୀତ ହୋଇଚି । ୧୯୭୨ ମସିହାରେ ଭାରତର ଷାଠିଏଗୋଟି ବିଭିନ୍ନ ଜିଲ୍ଲାର ୩୨୦ଟି ସ୍ଥାନରେ ୮୬୫୫ଟି ପରିବାର ସର୍ବେକ୍ଷଣ କରି ଏହି ହିସାବ ମିଳିଚି । ସର୍ବେକ୍ଷଣର ଅଧିକାରୀ କହନ୍ତି ଯେ ଗାଆଁମାନଙ୍କରେ ଅପେକ୍ଷାକୃତ ଅଧିକ ସମ୍ପନ୍ନ ଓ ଅସମ୍ପନ୍ନ ପରିବାର ଗୁଡ଼ିକର ଆର୍ଥିକ ସ୍ଥିତି ଭିତରେ ଅତ୍ୟଧିକ ତାରତମ୍ୟ ରହିଚି । ଉପରେ ଥିବା କେବଳ ୧% ଗ୍ରାମାଞ୍ଚଳର ମୋଟ ଆୟର ୯% ଭୋଗ କରୁଚନ୍ତି, ତଳେ ଥିବା ୬୦% ଲୋକ କେବଳ ୩୧% ଓ ଉପରେ ଥିବା ପ୍ରାୟ ୪୦% ଲୋକ ୬୯% ପର୍ଯ୍ୟନ୍ତ ଉପାର୍ଜିତ ଧନ ଭୋଗ କରୁଚନ୍ତି । ଗାଆଁରେ ସବା ତଳସ୍ତରରେ ଥିବା ୫% ପରିବାରଙ୍କ ପାଖରେ କୌଣସି ଧନ ନାହିଁ, ତଳେଥିବା ୫୦%ଙ୍କ ହାତରେ ଗ୍ରାମସମ୍ପତ୍ତିର ମାତ୍ର ୭% ଧନ ରହିଚି ଏବଂ ତଳଆଡ଼ୁ କଳିବସିଲେ ଗାଆଁର ୯୫% ଲୋକଙ୍କ ହାତରେ ୬୦% ଧନ ରହିଚି । ଉପରସ୍ତରର ୧% ଲୋକେ ୧୮% ସମ୍ପତ୍ତିର ମାଲିକ ହୋଇ ରହିଚନ୍ତି । ଏହି ସର୍ବେକ୍ଷଣରୁ ଆମକୁ ସମ୍ବନ୍ଧିତ ଆଉ କେତେକ ଜ୍ଞାତବ୍ୟ ବିଷୟର ହିସାବ ମଧ୍ୟ ମିଳିଯାଉଚି, ଯାହା ସାହାଯ୍ୟରେ କି ଆମେ ଗ୍ରାମସମାଜର ଆର୍ଥିକ ଓ ସାମାଜିକ ସ୍ଥିତି ବିଷୟରେ ଅଳ୍ପବହୁତ ଧାରଣା କରିପାରିବା । ଭାରତର ଗାଆଁମାନଙ୍କରେ ଜମିରେ ଚାଷ କରୁଥିବା ଚାଷୀ ପରିବାରଙ୍କର ସଂଖ୍ୟା ହେଉଚି ମୋଟ ଚାଷୀ-ପରିବାର ସଂଖ୍ୟାର ୫୦%, ଅନ୍ୟମାନଙ୍କର ଜମିରେ ମୂଲ ଲାଗି ଚଳୁଥିବା ପରିବାରଙ୍କ ସଂଖ୍ୟା ହେଉଚି ୨୭.୩% । ଚାଷ ବ୍ୟତୀତ ଅନ୍ୟପ୍ରକାର କାମ କରି ଜୀବନଭରଣ କରୁଥିବା ମୂଲିଆଙ୍କର ସଂଖ୍ୟା ୮.୪% ଓ ଗାଆଁରେ ସାନବଡ଼ ବ୍ୟବସାୟ କରି ଚଳୁଥିବା ଲୋକଙ୍କର ସଂଖ୍ୟା ୧୦.୧%-। ଏହି ସର୍ବେକ୍ଷଣର ହିସାବ ଅନୁସାରେ ଗ୍ରାମାଞ୍ଚଳର ମୋଟ ପରିବାର-ସଂଖ୍ୟାର ୬୫% ପରିବାର ପାଖରେ ଆପଣାର ଚାଷଜମି ରହିଚି । କୃଷି ଓ ତତ୍‌ସମ୍ବନ୍ଧିତ କାର୍ଯ୍ୟମାନ ଆଜି ମଧ୍ୟ ଗ୍ରାମାଞ୍ଚଳର ମୁଖ୍ୟ ଧନ୍ଦା ହୋଇ ରହିଚି । ଏହି ଧନ୍ଦାରୁ ପ୍ରାୟ ୭୭% ଲୋକ ଜୀବିକାର୍ଜନ କରୁଚନ୍ତି । କୌଣସି କାରୁଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ଧନ୍ଦା ଉପରେ ମାତ୍ର ୧୦% ଲୋକ ନିର୍ଭର କରି ରହିଚନ୍ତି । ସର୍ବେକ୍ଷଣରୁ ଏକଥା ମଧ୍ୟ ଜଣାପଡ଼ିଚି ଯେ ୭୭% ପରିବାରରେ ଗୃହସ୍ୱାମୀ କୌଣସିପ୍ରକାର ପାଠଶାଳାରେ ପାଠ ପଢ଼ିନାହାନ୍ତି, ୩% ପରିବାରରେ ମାଇନର୍ ସ୍କୁଲରୁ ଅଧିକ ଶିକ୍ଷା ଲାଭ କରିଚନ୍ତି । (ତତ୍ରୈବ:୩.୮.୬୫) ରିଜର୍ଭ ବ୍ୟାଙ୍କ୍‍ର ଗୋଟିଏ ସର୍ବେକ୍ଷଣମୂଳକ ହିସାବରୁ ଜଣାପଡ଼ୁଚି ଭାରତବର୍ଷର ଗାଆଁମାନଙ୍କରେ ଯେତେ ପରିବାର ବାସ କରୁଚନ୍ତି, ତାହାର ୬୩% ଋଣଗ୍ରସ୍ତ ହୋଇ ରହିଚନ୍ତି । ରିଜର୍ଭ ବ୍ୟାଙ୍କ୍ ଏହି ଋଣ ପରିମାଣକୁ ୨୭୮୦ କୋଟି ଟଙ୍କା ବୋଲି ହିସାବ କରିଚନ୍ତି ଯାହାର ୮୫.୩% ଅର୍ଥାତ୍ ୨୩୮୦ କୋଟି ଗାଆଁର ଚାଷୀମାନେ ହିଁ ଋଣ କରିଚନ୍ତି । ଘର ଖରଚ ପୂରଣ କରିବାକୁ ସମୁଦାୟ ପରିମାଣ ୫୧% ଋଣ ହୋଇଚି ଓ ୪୯% ପରିବାର ଏହି କାରଣରୁ ହିଁ ଋଣଗ୍ରସ୍ତ ହୋଇଚନ୍ତି । (ତତ୍ରୈବ : ୧୯.୧୦.୬୫)

 

ଦାରିଦ୍ର୍ୟକୁ ଅନେକେ ଏକ ଆପେକ୍ଷିକ ଶବ୍ଦ ବୋଲି କହନ୍ତି । ପ୍ରେସିଡ଼େଣ୍ଟ କେନେଡ଼ିଙ୍କ ଅମଳରୁ ଯୁକ୍ତରାଜ୍ୟ ଆମେରିକାରେ ସେ ଦେଶର ଅପେକ୍ଷାକୃତ ଦରିଦ୍ରମାନଙ୍କ ଲାଗି ସରକାର କ୍ରମେ ଅଧିକ ଯୋଜନା କରି ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାକୁ ଆରମ୍ଭ କଲେଣି । କିନ୍ତୁ ଯୁକ୍ତରାଜ୍ୟର ଦାରିଦ୍ର୍ୟ ଓ ଭାରତର, ବିଶେଷତଃ ଏଦେଶର ଗ୍ରାମାଞ୍ଚଳର ଦାରିଦ୍ର୍ୟ ଭିତରେ ଆମେ କୌଣସି ତୁଳନା ହିଁ କରି ପାରିବାନାହିଁ । ସେ ଦେଶର ତଥାକଥିତ ଦାରିଦ୍ର୍ୟକୁ ଏଦେଶର ତଥାକଥିତ ଥିଲାବାଲାମାନେ ହୁଏତ ଈର୍ଷା କରିବସିବେ । ଯୁକ୍ତରାଜ୍ୟ ଆମେରିକାରେ ଏକ ସାଧାରଣ ପରିବାରରେ ମୁଣ୍ଡପିଛା ହାରାହାରି ଆୟ ହେଉଚି ୩୦୦୦ ଡୋଲାର ବା ୧୪୦୦୦ ଟଙ୍କା । ପାଞ୍ଚଗୋଟି ପରିବାର ଭିତରୁ କେବଳ ଗୋଟିଏ ପରିବାରରେ ସେଠି ଲୋକମାନେ ବର୍ଷକୁ ୩୦୦୦ ଡୋଲାରରୁ କମ୍ ରୋଜଗାର କରନ୍ତି । ସେ ଦେଶରେ କୌଣସି ଜଣେ ମଣିଷଲାଗି ମଧ୍ୟ ଖାଦ୍ୟ, କପଡ଼ା ଓ ବାସସ୍ଥାନର କୌଣସି ଅଭାବ ନାହିଁ । ସେ ଦେଶରେ କେହି ରାସ୍ତାରେ ଉପବାସୀ ହୋଇ ବୁଲିବାକୁ ବାଧ୍ୟ ହୁଏନାହିଁ । କୌଣସି ଶ୍ରମିକ କାମ ଅଭାବରୁ ବେକାର ହୋଇ ବସିଥିଲେ, ସରକାରୀ ବୀମା ବିଭାଗରୁ ତାକୁ ଅନ୍ତତଃ ୨୬ ସପ୍ତାହ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାହାଯ୍ୟମାନ ମିଳିଥାଏ । ସେ ଦେଶରେ ଯେଉଁ ତାଲୁକାଟିକୁ ସବୁଠାରୁ ଅଧିକ ଦରିଦ୍ର ବୋଲି ଘୋଷଣା କରାଯାଇଚି, ସେହି ତାଲୁକାରେ ଦଶୋଟି ମଧ୍ୟରୁ ଆଠଗୋଟି ପରିବାରରେ ଲୋକେ ଜଣପିଛା ବାର୍ଷିକ ୩୦୦୦ ଡୋଲାରରୁ କମ୍ ରୋଜଗାର କରନ୍ତି ଏବଂ ସେହି କାରଣରୁ ସେମାନଙ୍କୁ ଦରିଦ୍ର ବୋଲି ହିସାବ କରାଯାଏ । କିନ୍ତୁ ଏକ ହିସାବରୁ ଜଣାଯାଏ ଯେ ଏମାନଙ୍କ ଭିତରୁ ୫୨%ଙ୍କ ଘରେ ଟେଲିଭିଜନ ରହିଚି, ୪୬%ଙ୍କ ପାଖରେ ନିଜର ମୋଟରଗାଡ଼ି ରହିଚି ଓ ୩୭%ଙ୍କ ଘରେ ଲୁଗାଧୁଆ ମେଶିନ୍ ମଧ୍ୟ ରହିଚି । ପଶ୍ଚିମ ଜର୍ମାନୀର ମୁଦ୍ରାରେ ପରିବର୍ତ୍ତିତ କଲେ ଭାରତରେ ମୁଣ୍ଡପିଛା ବାର୍ଷିକ ଆୟ ୨୩୨ ମାର୍କ ବୋଲି କୁହାଯାଇ ପାରିବ । ସେହି ପଶ୍ଚିମ ଜର୍ମାନୀର ଜଣେ ସାଧାରଣ ନାଗରିକର ମତବାଦରେ ବର୍ଷକୁ ୨୧୦.୭୫ ମାର୍କ ଓ ଧୂଆଁ ପିଇବାରେ ୨୧୭.୦୪ ମାର୍କ ଖରଚ ହୁଏ । ତେଣୁ ଆମ ଦେଶର ଦାରିଦ୍ର୍ୟକୁ ଏକକ ବୋଲି ଧରିଲେ ସେସବୁ ଦେଶରେ ଦାରିଦ୍ର୍ୟ ରହିଚି ବୋଲି କହିବାକୁ ହିଁ ମନ ବଳୁନାହିଁ ।

 

ବ୍ରିଟିଶ ରାଜତ୍ୱ ଭାରତବର୍ଷର ଜୀବନକୁ ଆବୋରି ବସିବା ପୂର୍ବରୁ ଆମେ ଏ ଦେଶରେ ଭଲରେ ରହିଥିଲେ, ବ୍ରିଟିଶ ଶାସନ ଆସିବା ପରେ କ୍ରମେ ଆମେ ହତଶିରୀ ହୋଇପଡ଼ିଲେ ଓ ଏକ ସ୍ୱତନ୍ତ୍ର ସଂସ୍କୃତି ଓ ସଭ୍ୟତା ହିସାବରେ ଆମର ମେରୁଦଣ୍ଡ ଭାଙ୍ଗିପଡ଼ିଲା, ଏକଥା ଯେତେ ସତ ହେଲେ ମଧ୍ୟ ଏହି ଉଲୁଗୁଣାରେ ଆମର ପେଟ ପୂରିବନାହିଁ । ଆମର ସୌଭାଗ୍ୟ ଯେ, ବ୍ରିଟିଶ୍ ସରକାର ଓ ସାମ୍ରାଜ୍ୟଶକ୍ତି ଏଦେଶରୁ ଚାଲିଯିବା ପରେ ଆମେ ଖୁବ୍ ବେଶୀ ପଛକୁ ଅନାଇ ସେମାନଙ୍କୁ ଗାଳିଦେବାକୁ ହିଁ ଭବିଷ୍ୟତ ଲାଗି ଆମର ସର୍ବପ୍ରଧାନ ବର୍ତ୍ତମାନ ବୋଲି ଗ୍ରହଣ କରିନାହୁଁ । ରାଜନୀତିକ ସ୍ୱାଧୀନତା ଆସିବାମାତ୍ରକେ ଆପଣାର ଦେଶକୁ ନୂଆ ଓ ମନୋମତ କରି ଗଢ଼ିବାର ଦାୟିତ୍ୱ ଓ ଆହ୍ୱାନ ମଧ୍ୟ ଆସି ପହଞ୍ଚିଥାଏ । ଭାରତବର୍ଷର ଗାଆଁ ଆଗେ ଯେପରି ଥିଲା, ଯେଉଁସବୁ କାରଣରୁ ତାହାର ସୌଷ୍ଠବରେ ବ୍ୟାଘାତ ଆସିଲା, ଏସବୁ କଥା ଆମେ ଅବଶ୍ୟ ଜାଣିରଖିବା । ଇତିହାସର କଳାଗୁଡ଼ିକୁ ଆମେ ଅବଶ୍ୟ କଳା ବୋଲି କହିବା । କିନ୍ତୁ ସେତିକିରେ ଆମର କର୍ତ୍ତବ୍ୟ ଶେଷ ହୋଇଯିବ ନାହିଁ । ଇତିହାସ ଓ ମାଲିକମାନଙ୍କର ସବୁ ଅନ୍ୟାୟ ସତ୍ତ୍ୱେ ଆମକୁ ହିଁ ବର୍ତ୍ତମାନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ । ଅତୀତରେ ଆମର ଛାରଖାର କରି ଦିଆଯାଇଚି ବୋଲି କହି ନିନ୍ଦା ଗାଇବୁଲିଲେ ବର୍ତ୍ତମାନ ପୃଥିବୀ ଆମକୁ ହିଁ ଅଯୋଗ୍ୟ ବୋଲି ନିନ୍ଦା କରିବ । ଭାରତର ଗାଆଁକୁ ନୂଆ କରି ଗଢ଼ିବାକୁ ହେବ । କିନ୍ତୁ କୌଣସି ପ୍ରକାର ପୁନର୍ଗଠନ ବା ନୂତନ ଗଠନ ଆରମ୍ଭ କରିବାବେଳେ ଆମକୁ ଆର୍ଥିକ ସମ୍ପନ୍ନତାକୁ ହିଁ ସବୁ ସଂସ୍କାରର ପ୍ରଥମ ସୋପାନରୂପେ ମାନିନେବାକୁ ପଡ଼ିବ । ଏ ଦେଶରେ ସମସ୍ତେ ଖାଇବାକୁ ପାଇବେ, ଆପଣାର ଅନ୍ନସଂସ୍ଥାନ କରିପାରିବା ଭଳି କାମ ସମସ୍ତେ ପାଇବେ- ଯେକୌଣସି ପ୍ରକାର ଗୋଷ୍ଠୀ ଜୀବନକୁ ବଞ୍ଚାଇ ରଖିବାଲାଗି ଏତିକି ହାସଲ କରିବାକୁ ଆମେ ନିମ୍ନତମ ବୋଲି ମାନିନେବା । ତା ନହେଲେ ମନୁଷ୍ୟଙ୍କର ଗୋଷ୍ଠୀ ମନୁଷ୍ୟଯୋଗ୍ୟ ଗୋଷ୍ଠୀ ହୋଇ ପାରିବନାହିଁ । ଧର୍ମ, ଜାତୀୟତା, ଆଦର୍ଶବାଦ ବା ଅନ୍ୟ କୌଣସି ବିଚାରଗତ ଅଫିମ ଖୁଆଇ ମଣିଷକୁ ଗୋଷ୍ଠୀ ଭିତରେ ବାନ୍ଧି ରଖିହେବନାହିଁ । ପେଟ ପୂରିବାଯାଏ ମଣିଷ ହୁଏତ ଏସବୁ ଉପରେ ନିର୍ଭର କରୁଥିବ, ମାତ୍ର ପେଟ ନପୂରିବାର ଆଶଙ୍କା ଆସି ପହଞ୍ଚିଲେ ତାକୁ ଜବରଦସ୍ତି କୌଣସି ଛାଞ୍ଚ ଭିତରେ ବନ୍ଦ କରି ରଖିବା ହୁଏତ ସମ୍ଭବ ହିଁ ହେବନାହିଁ । ଭାରତୀୟ ଗ୍ରାମଜୀବନର ଦାରୁଣ ଦାରିଦ୍ର୍ୟ ଯେ ଭାରତୀୟ ଗାଆଁର ଗୋଷ୍ଠୀଜୀବନକୁ ଶୂନ୍ୟଗର୍ଭ ଓ ଅସାର କରିଦେବାରେ ଅନେକ ଷଡ଼ଯନ୍ତ୍ର କରିଚି, ଆମେ କୌଣସିପ୍ରକାର ଯୁକ୍ତି ଦେଖାଇ ଏହି ଅନୁମାନଟିକୁ ଏକାବେଳକେ କାଟିଦେଇ ପାରିବାନାହିଁ । ଜଣେ ପ୍ରଖ୍ୟାତ ନୃତତ୍ତ୍ୱବିତ୍ କହିଚନ୍ତି- ‘‘ଅତ୍ୟାବଶ୍ୟକ ଏକ ଭୌତିକ ଜୀବନଭୂମି ବ୍ୟତୀତ ଅନ୍ୟ କୌଣସି ପ୍ରକାର ଆଧାର ଉପରେ ଆମେ କଦାପି କୌଣସି ଶକ୍ତିଶାଳୀ ଓ ସୁସ୍ଥ ସଂସ୍କୃତିର ବିକାଶ କରାଇ ପାରିବାନାହିଁ । କୌଣସି ସମାଜରେ କେତେକ ଲୋକଙ୍କୁ ଦାସତ୍ୱମୟ ଜୀବନ ବଞ୍ଚିବାଲାଗି ବାଧ୍ୟକରି ରଖି ଆମେ କଦାପି ଏକ ପରିପୂର୍ଣ୍ଣ ରାଜନୀତିକ ଗୋଷ୍ଠୀର ମୂଳଦୁଆ ପକାଇ ପାରିବାନାହିଁ । ସେମାନଙ୍କ ପ୍ରତି ନୈତିକ ନ୍ୟାୟବିଚାର କରାଯାଉନାହିଁ ବୋଲି ସେମାନେ ଅନୁଭବ କରୁଥିବା ପର୍ଯ୍ୟନ୍ତ ଆମେ ସେମାନଙ୍କ ଭିତରେ କେବେହେଲେ କୌଣସି ନୈତିକ ଦାୟିତ୍ୱବୋଧର ବାତାବରଣ ସୃଷ୍ଟି କରି ପାରିବାନାହିଁ ।’’ (୧୯)

 

ଆମ ଗାଆଁକୁ ନୂତନ ଓ ମଣିଷର ବାସଯୋଗ୍ୟ କରି ଗଢ଼ିବାର ଦାୟିତ୍ୱ ଆମର, କାରଣ ଆମ ଜୀବନର ଆଦର୍ଶ ଓ ଅଭିଳାଷଗୁଡ଼ିକୁ ବାସ୍ତବ ରୂପ ଦେଇ ସେଗୁଡ଼ିକର ଅନୁଶୀଳନ କରିବାର ଦାୟିତ୍ୱ ମଧ୍ୟ ଆମର । ଦେଶ କହିଲେ କେବଳ କେତେଜଣ ପାଠପଢ଼ୁଆ, କେତେଟା ଜାତି, କେତେଟା ବ୍ୟବସାୟୀ ବା କେତେଜଣ ସହରବାସୀଙ୍କୁ ବୁଝାଏ ନାହିଁ । ଦେଶର ମଣିଷ କହିଲେ କେବଳ କେତେଜଣ ନେତା ବା ଲୋକପ୍ରତିନିଧିଙ୍କୁ ବୁଝାଏନାହିଁ, ରାଜନୀତି-କ୍ଷେତ୍ରରେ ଆପଣା ଲାଭକ୍ଷତିର ଅଡ଼ା ଧରି ସଉଦା କରି ବାହାରିଥିବା ବେପାରୀଙ୍କୁ ବୁଝାଏନାହିଁ । ଦେଶ କହିଲେ ସମସ୍ତଙ୍କୁ ବୁଝାଏ, ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ଆମ ଗାଆଁର ପରି ମଳିକ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଝାଏ । ଆମ ଦେଶରେ ଯେତେ ଯେଉଁଠି ମଣିଷ ଅଛନ୍ତି, ମଣିଷର ସ୍ୱପ୍ନ ଦେଖୁଚନ୍ତି ଓ ମଣିଷର ସଂସାର ଚଳାଇବାରେ କୌଣସି ନା କୌଣସି ପ୍ରକାର ସହଯୋଗ କରୁଚନ୍ତି, ସେମାନଙ୍କର ଜୀବନକୁ ଆମେ ଅଧିକତର ସୁନ୍ଦର କରି ଗଢ଼ିପାରିବାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ପାରିବ, ଏହି ବିଶ୍ୱାସରେ ଏବଂ ଏହି ଦାୟିତ୍ୱଟିକୁ ତୁଲାଇବାର କ୍ଷେତ୍ର ପାଇବାଲାଗି ହିଁ ଆମେ ଏ ଦେଶକୁ ରାଜନୀତିକ ସ୍ୱାଧୀନତା ଆଣିଥିଲେ । ଭାରତବର୍ଷ କହିଲେ କେବଳ ଗୋଟାଏ ଦେଶର ମାନଚିତ୍ର, ଦିଲ୍ଲୀ ସରକାର ଚାଲୁଥିବା କେତେଟା ବଡ଼ ପ୍ରାସାଦତୁଲ୍ୟ ଘର, ଗୋଟାଏ ପତାକା ବା କେତେଜଣ ପତାକାଧାରୀଙ୍କୁ ମଧ୍ୟ ବୁଝାଏ ନାହିଁ । ବିଦେଶୀ ଶାସନ ରହିଥିବା ପର୍ଯ୍ୟନ୍ତ ଆମେ ଏ ଦେଶକୁ ଆପଣାର ମନୋମତ କରି କଦାପି ଗଢ଼ିପାରି ନଥାନ୍ତେ । ଯେତେ ଉଦାର ହୋଇଥିଲେ ମଧ୍ୟ ବିଦେଶୀ ସାମ୍ରାଜ୍ୟଶକ୍ତି କେବଳ ଶାସକସୁଲଭ ଅନୁଗ୍ରହ ଦେଖାଇ କଦାପି ଏଦେଶର ଲୋକଙ୍କ ଗଢ଼ିପାରି ନଥାନ୍ତା, ଏଦେଶରେ ଯଥାର୍ଥ ମନୁଷ୍ୟବୋଧ ଜାଗ୍ରତ କରି ପାରିନଥାନ୍ତା । ତେଣୁ ରାଜନୀତିକ ସ୍ୱାଧୀନତା ଆମର ପ୍ରଥମ ଆବଶ୍ୟକତା ଅବଶ୍ୟ ଥିଲା, କିନ୍ତୁ ତା’ପରେ ଆମର କାମ ଶେଷ ହୋଇ ଗଲାନାହିଁ, ଆମର ଅସଲ କାମ ଆରମ୍ଭ ହିଁ ହେଲା । ଯିଏ ଏତିକି ବୁଝିବ, କେବଳ ସେହି ଏହି ଦେଶର ରାଜନୀତି, ଅର୍ଥନୀତି ଓ ସମାଜନୀତିରେ କୌଣସି ପୁରୁଷାର୍ଥ ଦେଖାଇପାରିବାର ଅଧିକାର ଅନୁଭବ କରିପାରିବ । ଏତିକି ବୁଝିଲେ ଯାଇ ଆମେ ଆପଣାକୁ ଭାରତବର୍ଷରୂପୀ ଏକ ମନୁଷ୍ୟଗୋଷ୍ଠୀର ମହାସମୁଦ୍ରକୁ ଯଥାର୍ଥରୂପେ ଚିହ୍ନିପାରିବା, ଏହାର ଆହ୍ୱାନଗୁଡ଼ିକୁ ଶୁଣିପାରିବା ଓ ତଦନୁସାରେ ଆମର କର୍ତ୍ତବ୍ୟ ମଧ୍ୟ କରିପାରିବା ।

 

ଗାଆଁରେ ଦୀର୍ଘ ଅନେକ ଦଶକ ଧରି ଘରକରି ରହିଥିବା ଦାରିଦ୍ର୍ୟକୁ ଘୁଞ୍ଚାଇବାକୁ ହିଁ ପଡ଼ିବ । ଏହି ଦାରିଦ୍ର୍ୟ ଏକାଦିନକେ ଚାଲିଯିବ ନାହିଁ, ତଥାପି ଏହାକୁ ଦୂର କରିବା ଉଦ୍ଦେଶ୍ୟରେ ଆମେ ଉଚିତ ଦିଗରେ ପହୁଣ୍ଡ ପକାଇବା ଅବଶ୍ୟ ଆରମ୍ଭ କରିପାରିବା । କେବଳ ସଭା ମଣ୍ଡାଇ ବା ସରକାର ଗଢ଼ି ବକ୍ତୃତା ଦେଲେ ଏହି ଦାରିଦ୍ର୍ୟ ଯିବନାହିଁ, କିନ୍ତୁ ଦାରିଦ୍ର୍ୟର ସମସ୍ୟାଟିକୁ ଠିକଣାରୂପେ ବୁଝି ସେହି ଅନୁସାରେ ବିହିତ ପ୍ରତିକାର କରିପାରିଲେ ଯାଇ ଏହା ସମ୍ଭବ ହେବ । ଦାରିଦ୍ର୍ୟ ଯିବ ଅର୍ଥ ଦେଶର-ଗାଆଁ ଆଉ ସହରର-ଉତ୍ପାଦନ ବଢ଼ିବ, କେହି କାମ ଅଭାବରୁ ବେକାର ହୋଇ ବସିବେ ନାହିଁ, ଶିକ୍ଷିତ ବା ଅଶିକ୍ଷିତ କେହି ବସିବେ ନାହିଁ, ସମସ୍ତେ କାମ ପାଇବେ ଏବଂ ଏହାକୁ ଆମର ନିମ୍ନତମ ଆର୍ଥିକ ଲକ୍ଷ୍ୟରୂପେ ଗ୍ରହଣ କରି ଆମକୁ ଉପଯୁକ୍ତ ଯୋଜନା ତିଆରି କରିବାକୁ ପଡ଼ିବ । ଦ୍ୱିତୀୟତଃ ଗ୍ରାମବାସୀର ଗ୍ରାମ ବାସଯୋଗ୍ୟ ହୋଇ ତିଆରି ହେବ । ଆଗେ ଆମ ଦେଶର ଗ୍ରାମଗୁଡ଼ିକ ଯେତେବେଶୀ ସ୍ୱୟଂସମ୍ପୂର୍ଣ୍ଣ ରହିଥାଉ ନା କାହିଁକି, ଏ ଯୁଗରେ ଗ୍ରାମକୁ ଆପଣାର ଆୟତନ-ସୀମାଗୁଡ଼ିକୁ ଭାଙ୍ଗି ବୃହତ୍ତର ଜଗତକୁ ପ୍ରସାରିତ ହୋଇଯିବାକୁ ପଡ଼ିବ-। ସାରା ସଂସାରର ଚତୁର ଧୂର୍ତ୍ତ ଲୋକମାନଙ୍କ ଦ୍ୱାରା ଶୋଷିତ ବା ପ୍ରତାରିତ ହେବାକୁ ନୁହେଁ, ବୃହତ୍ତର ଦେଶ ଓ ବୃହତ୍ତର କାଳର ଭୂମି ଉପରେ ଜ୍ଞାନ ଓ ବିଜ୍ଞାନର ସାହାଯ୍ୟ ନେଇ ଆପଣାର ଓ ଜୀବନ-ମୂଲ୍ୟଗୁଡ଼ିକୁ ପୂର୍ଣ୍ଣତର ରୂପେ ଆବିଷ୍କାର କରିବାକୁ ଓ ତଦ୍ଦ୍ୱାରା ଅଧିକତର ସମୃଦ୍ଧ ହେବାକୁ ଆମଦେଶର ଗାଆଁକୁ ସକଳପ୍ରକାର ସଂସ୍କାରଗତ ସଙ୍କୋଚ ଓ ଶୃଙ୍ଖଳା ପରିତ୍ୟାଗ କରି ସବୁରି ସହିତ ସମ୍ମିଳିତ ହେବାକୁ ପଡ଼ିବ । ବ୍ରିଟିଶ ଆସିବା ପୂର୍ବରୁ ଭାରତର ଗାଆଁ ଆତ୍ମସୀମିତ ରହିବାକୁ ହିଁ ସମ୍ପୂର୍ଣ୍ଣ ଜୀବନ ବୋଲି ମଣୁଥିଲା । ନୂଆବୋହୂ ପରି ସେ ଆପଣାର ଖଞ୍ଜାଟି ଭିତରେ ଆପଣାକୁ କେଡ଼େ ନିର୍ଭୟ ଓ ସ୍ୱୟଂନିର୍ଭରଶୀଳ ମନେକରୁଥିଲା, କିନ୍ତୁ ଦାଣ୍ଡକୁ ଆସିବାକୁ ଡରୁଥିଲା । ବୃହତ୍ତର ପରମ୍ପରାକୁ ଆମର ଗାଆଁ କେବଳ ନିଷ୍ଠାପର ଭାବରେ ବେଦବାକ୍ୟ ପରି ମାନି ନେଉଥିଲା । କିନ୍ତୁ ବୃହତ୍ତର ପରମ୍ପରାର ବିକାଶ ଓ ବିବର୍ତ୍ତନରେ ଗ୍ରାମସମାଜର ଖୁବ୍ ବେଶୀ ନିଜସ୍ୱ ଅବଦାନ ମଧ୍ୟ ନଥିଲା । ବ୍ରିଟିଶ୍ ଅମଳରେ ଗାଆଁଗୁଡ଼ିକୁ ସହରର ସ୍ୱାର୍ଥ-କାନ୍ଥରେ କେବଳ ଲଟକାଇ ଦିଆଗଲା । ସହରଲାଗି ଗାଆଁ ଚାଲିଲା, ଗାଆଁର ଅଭିଳାଷ କେବଳ ସହର ଦ୍ୱାରା ପରିପୂର୍ଣ୍ଣ ହେବ ବୋଲି ଉପରୁ ପ୍ରଚାର କରାଗଲା । ତେଣେ ସହରଗୁଡ଼ିକୁ ମଧ୍ୟ ବ୍ରିଟିଶ୍ ସାମ୍ରାଜ୍ୟବାଦ ଓ ବର୍ହିବାଣିଜ୍ୟର ସ୍ୱାର୍ଥ ସହିତ ଏକାଠି ଗୁନ୍ଥିଦିଆଗଲା । ଅର୍ଥାତ୍ ବ୍ରିଟିଶ୍ ଖଜଣାଖାନା ଭରିବାକୁ ଓ ବ୍ରିଟିଶ୍ ସାମ୍ରାଜ୍ୟର ଯୁଦ୍ଧ, ବିଗ୍ରହ ଓ ଶାସନବେଉସା ଚଳାଇବାଲାଗି ଭାରତର ଗାଆଁଗୁଡ଼ିକୁ ଯଥାସାଧ୍ୟ ବ୍ୟବହାର କରାଗଲା । ବର୍ତ୍ତମାନ ଅଠରବର୍ଷ ହେଲା ବ୍ରିଟିଶ୍ ଶାସନ ହଟିଗଲାଣି, କିନ୍ତୁ ପ୍ରଧାନତଃ ସେହିମାନଙ୍କ ମସଲାରେ ଜୁଆ ହୋଇଥିବା ମଣିଷମାନେ ଆଜି ମଧ୍ୟ ଏ ଦେଶର ନାନା ସତ୍ତାସନରେ ରହିଚନ୍ତି ଓ ସେହିପରି ଭାବିବାରେ ଲାଗିଚନ୍ତି । ସେମାନେ ଆଜିମଧ୍ୟ ଗାଆଁକୁ ସହର କରିଦେବାର ଅପକର୍ମକୁ ଏକମାତ୍ର ସମ୍ଭାବ୍ୟ କର୍ମ ବୋଲି ମନେ କରୁଚନ୍ତି । ଆଗାମୀ କାଳରେ ଭାରତର ଗାଆଁ ଆପଣାର ବିଶିଷ୍ଟ ଗୋଷ୍ଠୀଜୀବନକୁ ଅବଶ୍ୟ ବଜାୟ ରଖିବ, ମାତ୍ର ତଥାପି ସକଳ ଦେଶ ଓ ପୃଥିବୀଲାଗି ଏହାର ଗବାକ୍ଷମାନ ଖୋଲାହୋଇ ରହିବ । ଗାଆଁ ଆପଣାର ସାନ ପୃଥିବୀ ଭିତରେ ସାନ ଗୋଷ୍ଠୀ ବାନ୍ଧି ରହିବ, ତଥାପି ତାହାରି ଭିତରେ ଏହା ଆଧୁନିକ ପୃଥିବୀ ସହିତ ସବୁପ୍ରକାର ସୁସ୍ଥ ଉପାୟରେ ସଂଯୁକ୍ତ ହୋଇ ରହିବ । ଗ୍ରାମର ପୁନର୍ନିର୍ମାଣ ବା ଗ୍ରାମଜୀବନର ସାମୁଦାୟିକ ନିର୍ମାଣ ଲାଗି ଯୋଜନା କରୁଥିବା ଓ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାର ଆକାଙ୍‌କ୍ଷା ନେଇ ସତ୍ତାରୂଢ଼ ହୋଇ ବସିଥିବା ବ୍ୟକ୍ତିମାନେ ଏହିପରି ଭାବିଲେ ଗାଆଁର ସବୁଠାରୁ ଅଧିକ କଲ୍ୟାଣ କରିପାରିବେ ।

 

ଏଥିଲାଗି ପ୍ରଥମ ପରିବର୍ତ୍ତନକୁ ଆମେ ଗାଆଁର ରାସ୍ତା ଦେଇ ଆରମ୍ଭ କରିବା । ଦେଶର ବୃହତ୍ତର ଅଞ୍ଚଳକୁ ଏକାଠି ଗୁନ୍ଥି ରଖିଥିବା ସଡ଼କଗୁଡ଼ିକ ସହିତ ପ୍ରତ୍ୟେକ ଗାଆଁର ସଂଯୋଗ ରହିବ-। ଗାଆଁରୁ ସାନ ଅଥଚ ବ୍ୟବହାରଯୋଗ୍ୟ ସଡ଼କଟିଏ ବଡ଼ ସଡ଼କକୁ ଆସି ଗାଆଁକୁ ବୃହତ୍ତର ସଂସାର ସହିତ ସଂଯୁକ୍ତ କରି ରଖିଥିବ । ଗାଆଁ ଭିତରେ ଥିବା ବିଭିନ୍ନ ସାହି ବା ବସ୍ତିଗୁଡ଼ିକ ମଧ୍ୟ ପରସ୍ପର ସହିତ ସଡ଼କ ଦ୍ୱାରା ସଂଯୁକ୍ତ ହୋଇଥିବେ । ଅର୍ଥାତ୍ ଆମଗାଆଁରେ ଆଗେ ଯେପରି ବ୍ୟବସ୍ଥାକୁ ସ୍ୱାଭାବିକ ବୋଲି ମାନିନିଆ ଯାଉଥିଲା, କରଣସାହୀର ଠାକୁରମନ୍ଦିରଠାରୁ ନଈକୂଳଯାଏ ରାସ୍ତା ଫିଟାଇଦେଇ ଯେପରି ଗାଆଁରେ ସଡ଼କର ସୁବନ୍ଦୋବସ୍ତ ହୋଇଗଲା ବୋଲି ମାନିନିଆ ଯାଉଥିଲା, ଏଣିକି କୌଣସି ଗାଆଁରେ ସେପରି ହେବନାହିଁ । ବର୍ଷାଦିନ ହେଉ ବା ବରଷର ଯେଉଁଦିନ ହେଉ, ଗାଆଁକୁ ସଳଖ ଓ ଶୁଖିଲା ରାସ୍ତା ପଡ଼ିଥିବ । ଗାଆଁ ଓ ବୃହତ୍ତର ଜଗତ୍ ମଧ୍ୟରେ କୌଣସି ଭୌଗୋଳିକ ପ୍ରତିବନ୍ଧକ ନରହିଲେ ତାହା ମାନସିକ ଓ ଜୀବନଦୃଷ୍ଟିଗତ ପ୍ରତିବନ୍ଧକ ଓ ବ୍ୟବଧାନକୁ ଦୂର କରିବାରେ ଅନେକ ସାହାଯ୍ୟ କରିପାରିବ ।

 

ତାପରେ ଗାଆଁ ର ସ୍ୱାସ୍ଥ୍ୟ । ଆମ ଦେଶରେ ଜନ୍ମହେବାଟାକୁ ଯେମିତି ଶସ୍ତା ଓ ସହଜ ବୋଲି ମାନିନିଆ ଯାଇଚି, ଅନେକ ସମୟରେ ମରିବାକୁ ମଧ୍ୟ ସେହିପରି ଶସ୍ତା ବୋଲି ମାନିନିଆ ଯାଉଚି । ମଣିଷର ଜନ୍ମ ପାଇବାକୁ ଭାରତବର୍ଷର ପୁରାତନ ଶାସ୍ତ୍ରକାରମାନେ ଅହୋଭାଗ୍ୟ ବୋଲି କହିଚନ୍ତି । କିନ୍ତୁ ସେହିମାନଙ୍କର ଦେଶରେ ଓ ସେହିମାନଙ୍କର ଗାଆଁରେ ମଣିଷମାନେ ଯେତିକି ଶସ୍ତାରେ ଜନ୍ମ ହେଉଚନ୍ତି, ପ୍ରାୟ ସେତିକି ଶସ୍ତାରେ ବଡ଼ ଅଲୋଡ଼ା ଭାବରେ ମରି ବି ଯାଉଚନ୍ତି । ଗାଆଁ-ମନର ଏହି ଶଗଡ଼ଗୁଳାକୁ ବଦଳାଇବାକୁ ପଡ଼ିବ । ବକ୍ତୃତା ଦେଇ ବା ଭବିଷ୍ୟତର ଆଦର୍ଶ ସମାଜ ବିଷୟରେ ପ୍ରଚାର କରି ନୁହେଁ, ବର୍ତ୍ତମାନ ଗାଆଁମାନଙ୍କରେ ବ୍ୟାପି ରହିଥିବା ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ବଦଳାଇ ଆମକୁ ଏହା କରିବାକୁ ହେବ । ପୃଥିବୀର ଆଉ ଆଉ ଦେଶମାନଙ୍କର ଗାଆଁରେ ଯାହା ସମ୍ଭବ ହୋଇଛି, ଆମ ଦେଶରେ ମଧ୍ୟ ସେକଥା ହୋଇପାରିବ ।

 

ଗାଆଁର ଶିକ୍ଷା ଗାଆଁର କେବଳ ସର୍ବପ୍ରଧାନ ସମସ୍ୟା ନୁହେଁ, ଗାଆଁର ଅନ୍ୟ ଯେକୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ହେଲେ ଆମକୁ ସେଥିଲାଗି ଗାଆଁର ଶିକ୍ଷାକ୍ଷେତ୍ରରେ କିଛି ନା କିଛି କରିବାକୁ ପଡ଼ିବ । ଗାଆଁର ସବୁ ପିଲା ପାଠ ପଢ଼ିବେ ଏବଂ ଏହା ସମଗ୍ର ଗ୍ରାମସମାଜର ଦାୟିତ୍ୱ ହୋଇ ରହିବ । ଦେଶର ସବୁପିଲା ପାଠ ପଢ଼ିବେ, ଏହି ବିଚାର ବୋଧହୁଏ ଭାରତର ପରମ୍ପରାରେ କେବେହେଲେ ନଥିଲା । ଯଦିବା ଥିଲା, ତେବେ ହୁଏତ ତାହା ଉପରେ କେହି ଏତେ ବେଶୀ ଜୋର୍ ଦେଉନଥିଲେ । ଯେଉଁ ଦେଶର ସାଂସ୍କୃତିକ ଜଳବାୟୁରେ ଭଗବଦ୍‌ ବିଶ୍ୱାସ ଓ ଭାଗ୍ୟ ଉପରେ ବିଶ୍ୱାସକୁ ପରସ୍ପରର ସମାନ୍ତର ଲାଗି ମାନି ନିଆଯାଉଥିଲା ଏବଂ ଅନେକ ସମୟରେ ଭାଗ୍ୟର ଦାଉକୁ ଭଗବତ୍‍ନ୍ୟାୟଠାରୁ ଅଧିକ ଶକ୍ତିଶାଳୀ ବୋଲି ଗ୍ରହଣ କରାଯାଉଥିଲା, ସେହି ଦେଶରେ ସବୁ ପିଲାଙ୍କର ପାଠ ପଢ଼ିବା ଉପରେ ଯେ ଆମେ ଅଧିକ ଜୋର ଦେବାନାହିଁ, ଏହା ଆଦୌ ଅସ୍ୱାଭାବିକ ନୁହେଁ । କିନ୍ତୁ ଏଣିକି ଆମର ବିଚାରମାର୍ଗକୁ ବଦଳାଇ ଦେବାକୁ ପଡ଼ିବ । ପ୍ରତି ଗାଆଁରେ ପ୍ରତ୍ୟେକ ପିଲା ପାଠ ପଢ଼ିବାର ସୁଯୋଗ ପାଇବେ ଏବଂ ଏହି ସୁଯୋଗଟିକୁ ଯୋଗାଇଦେବା ସମସ୍ତ ଗ୍ରାମସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ ହୋଇ ରହିବ । ଅନ୍ୟ ଯେକୌଣସି ନୂତନ ବ୍ୟବସ୍ଥା ଅପେକ୍ଷା ଶିକ୍ଷାର ବ୍ୟବସ୍ଥାହିଁ ଗ୍ରାମର ଜୀବନକୁ ଦେଶ ଓ ଜଗତ୍‌ର ବୃହତ୍ତର ଜୀବନ ଭିତରକୁ ପ୍ରସାରିତ କରିନେବ ଏବଂ ଗ୍ରାମ-ଆୟତନର ଅନେକ ସଂକୀର୍ଣ୍ଣ ସୀମାକୁ ଏହା ଭାଙ୍ଗିଦେଇଯିବ । ଗାଆଁର ସବୁ ପିଲାଙ୍କୁ ଶିକ୍ଷାର ପରିସରକୁ ନଆଣିବା ପର୍ଯ୍ୟନ୍ତ ଏ ଯୁଗରେ ଆମେ କୌଣସି ପ୍ରକାରେ ଗାଆଁକୁ ଗୋଟିଏ ଗୋଷ୍ଠୀ ବା ସମୁଦାୟ ପରି ତିଆର କରି ପାରିବାନାହିଁ-। ବର୍ତ୍ତମାନ କେବଳ ଆମ ଗାଆଁମାନଙ୍କରେ ନୁହେଁ, ଆମର ସମଗ୍ର ଦେଶରେ ମଧ୍ୟ ସେହି ପୁରୁଣା ବାବୁମନର ନିର୍ଣ୍ଣୟ ଅନୁସାରେ କେବଳ କେତେଜଣ ପାଠ ପଢ଼ିବାର ସୁଯୋଗ ପାଉଚନ୍ତି, ସମସ୍ତଙ୍କ ଭାଗ୍ୟରେ ଶିକ୍ଷାର ସୁଯୋଗ ଜୁଟୁନାହିଁ । ଅନେକ ସମୟରେ ଅଯୋଗ୍ୟ ଲୋକେ ଶିକ୍ଷା–କାରଖାନାର ମାର୍କା ବାଡ଼େଇହୋଇ ଯୋଗ୍ୟସ୍ଥାନରେ ଯାଇ ବସୁଚନ୍ତି, ଅଥଚ ଯୋଗ୍ୟ ଲୋକେ ସୁଯୋଗ ଅଭାବରୁ ମୂର୍ଖ ହିଁ ରହିଯାଉଚନ୍ତି । ସହର ଅପେକ୍ଷା ଗାଆଁମାନଙ୍କରେ ହିଁ ଏହି ଅନ୍ୟାୟକୁ ଅଧିକ ପ୍ରଶ୍ରୟ ଦିଆଯାଉଚି । ଶିକ୍ଷାକ୍ଷେତ୍ରର ଅନ୍ୟାୟଗୁଡ଼ାକ ଆମର ସାରା ଦେଶଟାକୁ ଯେପରି ଗୋଟିଏ ଗୋଷ୍ଠୀ ବା ସମୁଦାୟ ପରି ସୁସ୍ଥ ଓ ସଂଘବନ୍ଧ କରି ରଖିବାରେ ନାନା ଅନ୍ତରାୟ ସୃଷ୍ଟି କରି ରଖିଚି, ଗାଆଁମାନଙ୍କରେ ମଧ୍ୟ ଏହି ଅନ୍ୟାୟ ଗ୍ରାମସମାଜରେ ନାନା ପାହାଚ ତିଆରି କରିରଖିଚି । ଯେଉଁ ପାହାଚକୁ ପ୍ରଶ୍ରୟ ଦିଏ ଓ ସ୍ୱାଭାବିକ ବୋଲି ମାନିନିଏ, ସାଧାରଣତଃ ସେହି ସମାଜ ହିଁ ମଣିଷଦ୍ୱାରା ମଣିଷର ଶୋଷଣକୁ ମଧ୍ୟ ପ୍ରଶ୍ରୟ ଦେଇଥାଏ । ଆମ ଗାଆଁମାନଙ୍କରେ ପ୍ରଧାନତଃ ଏହି କଥା ହୋଇଆସିଚି । ଏତେ ସାଧୁସନ୍ଥ ଓ ବେଦପୁରାଣର ଦେଶରେ ଆମେ ତଥାପି ଆମର ସାମାଜିକ ଜୀବନର ଅନେକ ପ୍ରକାରର ଅନ୍ୟାୟକୁ ସ୍ୱାଭାବିକ ବୋଲି ମାନିନେଇଚୁ । ଗାଆଁର ସବୁ ପିଲାଙ୍କଲାଗି ଶିକ୍ଷାର ସୁଯୋଗକୁ ପ୍ରଶସ୍ତ କରିଦେଇ ଆମେ ଏହି ପରମ୍ପରାରେ ଅନେକ ପରିବର୍ତ୍ତନ ଆଣିପାରିବା ।

 

ଯୋଜନା-ମନ୍ତ୍ରୀରୂପେ ନିଯୁକ୍ତ ହେବା ପୂର୍ବରୁ ଶ୍ରୀଯୁକ୍ତ ଅଶୋକ ମେହେଟା ଥରେ କହିଥିଲେ ଯେ, କେବଳ ଅନ୍ନଗତ ଦାରିଦ୍ର୍ୟ ଆମଦେଶର ମଞ୍ଜକୁ ଖାଇଯାଉଥିବା ଏକମାତ୍ର ଦାରିଦ୍ର୍ୟ ନୁହେଁ । ମାନସିକ, ଭାଗବତ ତଥା ଆଧ୍ୟାତ୍ମିକ ପ୍ରଭୃତି ବହୁବିଧ କ୍ଷେତ୍ରର ଦାରିଦ୍ର୍ୟ ଆଜି ଭାରତୀୟ ସମାଜକୁ ପୃଥିବୀର ଅନ୍ୟାନ୍ୟ ଦେଶର ସମାଜଠାରୁ ଅତି ଦୀନ ସ୍ତରରେ ପକାଇ ରଖିଚି-। ଗାଆଁର ଅନ୍ନ, ବସ୍ତ୍ର, ସ୍ୱାସ୍ଥ୍ୟ ଓ ଶିକ୍ଷାର ନୂତନ ଯୋଜନା କରିବା ସମୟରେ ଆମକୁ ଏହି ବହୁବିଧ ଦାରିଦ୍ର୍ୟପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ । ଏକଥା ଅବଶ୍ୟ ସତ ଯେ ଗ୍ରାମଜୀବନକୁ ସୁନ୍ଦର କରିବାର ନିମ୍ନତମ ଅତ୍ୟାବଶ୍ୟକତା ରୂପେ ଆମକୁ ପ୍ରଥମେ ଆର୍ଥିକ ବିକାଶ ଓ ଆର୍ଥିକ ନ୍ୟାୟପ୍ରତି ଦୃଷ୍ଟି ଦେବାକୁ ହେବ । କିନ୍ତୁ ତା’ ବୋଲି ଏକଥା ମାନିନେଲେ ଚଳିବନାହିଁ ଯେ ଆର୍ଥିକ ପ୍ରତିବନ୍ଧକଗୁଡ଼ିକ ହଟିଯାଇ ଆମର ଉପାର୍ଜନ ଓ ଖରଚ ବଢ଼ିବା ସଙ୍ଗେ ସଙ୍ଗେ ଆମର ଅନ୍ୟାନ୍ୟ ଦାରିଦ୍ର୍ୟ ମଧ୍ୟ ଆପେ ଆପେ ମେଣ୍ଟିଯିବ । କେତେକ କ୍ଷେତ୍ରରେ କେବଳ ଆର୍ଥିକ ସମୃଦ୍ଧି ଉପରେ ସବୁତକ ଜୋର ଦେଇ ମଣିଷସମାଜ ଅଧିକ ଦୁର୍ବଳ ହୋଇପଡ଼ିଚି । ଗତ ଶହେ ଦୁଇଶହବର୍ଷ ଭିତରେ ସଂସାରରେ ଲକ୍ଷ୍ମୀ ବଢ଼ିଚି, ସମୃଦ୍ଧି ବଢ଼ିଛି, କିନ୍ତୁ ଯୁଦ୍ଧର ଆତଙ୍କ ମଧ୍ୟ ବଢ଼ିଚି, ସଭ୍ୟ ଯାନ୍ତ୍ରିକ ସମାଜର ମଣିଷ ଆପଣାକୁ ବଡ଼ ଏକାକୀ ଅନୁଭବ କରୁଚି, ଆପଣାର ଘରକୁ ଭଳିଭଳି ଆଧୁନିକ ଦ୍ରବ୍ୟରେ ସଜାଇ ରଖିଲେ ମଧ୍ୟ ତଥାପି ତାକୁ ଆପଣାର ଘରେ ରହିଥିଲା ପରି ଲାଗୁନାହିଁ । ଭାରତବର୍ଷରେ ମଧ୍ୟ ସାନ ଗ୍ରାମଗୁଡ଼ିକଲାଗି ଯୋଜନା କଲାବେଳେ ଆମକୁ ଏସବୁ ବିଷୟପ୍ରତି ଦୃଷ୍ଟି ଦେବାକୁ ହେବ । କିପରି ଜୀବନକୁ ଆମର ଅଭିଳଷିତ ଜୀବନ ବୋଲି ଗ୍ରହଣ କରି ଆମେ ଗ୍ରାମସମୁଦାୟକୁ ନୂତନ କରି ଗଢ଼ିବାର ଚେଷ୍ଟା କରିବା ?

 

ଗ୍ରାମସମାଜ ହେଉ ବା ଅନ୍ୟ ଯେକୌଣସି ସ୍ଥାନର ସମାଜ ହେଉ, ପଛକୁ ଫେରିଯିବା ଆମ ପକ୍ଷରେ କଦାପି ସମ୍ଭବ ହେବନାହିଁ । ଆଗେ ଗ୍ରାମ ସୁଖୀଥିଲା, ସ୍ୱୟଂସର୍ବସ୍ୱ ଥିଲା, ବାହାର ସଂସାର ବିଷୟରେ ବିଶେଷ ପରୁଆ କରୁନଥିଲା, ତେଣୁ ଆମେ ସେହି ଆଗକାଳର ଅବସ୍ଥାକୁ ଫେରିଗଲେ ସବୁଠାରୁ ଭଲକାମ କରିବା, ଏପରି ବିଚାର କଲେ ଆମର ବିଚାରରେ ଅନେକ ଭ୍ରମ ରହିଯିବ । ପଛରେ ଛାଡ଼ିଆସିଥିବା ଅବସ୍ଥା ସେ ଯୁଗରେ ଯେଡ଼େ ଆଦର୍ଶସ୍ଥାନୀୟ ହେଲେ ମଧ୍ୟ ସେହି ଅବସ୍ଥାକୁ ଫେରିଯିବା କଦାପି ସମ୍ଭବ ହେବନାହିଁ । ବର୍ତ୍ତମାନର ସ୍ଥିତି ଓ ବର୍ତ୍ତମାନର ଆବଶ୍ୟକତାକୁ ଅନାଇ ଆମକୁ କାର୍ଯ୍ୟକାରୀ ଆଦର୍ଶର ନିର୍ଦ୍ଧାରଣ କରିବାକୁ ହେବ, ଜୀବନର ଇପ୍‌ସିତ ମୂଲ୍ୟମାନ ବାଛିନେବାକୁ ପଡ଼ିବ । ପୃଥିବୀର ଅନ୍ୟାନ୍ୟ ଦେଶରେ ଗାଆଁମାନେ କଣ କରିଚନ୍ତି, କେଉଁବାଟରେ ଯାଇ ଠିକିଚନ୍ତି ବା କେଉଁବାଟରେ ଯାଇ ଶିଖିଚନ୍ତି, ସେଥିରୁ ମଧ୍ୟ ଆମକୁ ଅନେକ ପାଥେୟ ସଂଗ୍ରହ କରିବାକୁ ହେବ । ଇଉରୋପ ଓ ଆମେରିକାର ମାର୍ଗଗୁଡ଼ିକ ଗାଆଁକୁ ଆଧୁନିକ ରୂପ ଦେବାକୁଯାଇ ଅନେକ ପାଇଚନ୍ତି, ହୁଏତ ଅନେକ କଥା ହରାଇଚନ୍ତି । ସେମାନଙ୍କର ଲାଭରୁ ଆମେ ଶିଖିବା, ସେମାନଙ୍କର କ୍ଷତି ଆମକୁ ସାବଧାନ କରାଇଦେବ । ଉପନିଷତ୍‌ର ବିଦ୍ୟା ଓ ଅବିଦ୍ୟାପରି ଆମେ ଉଭୟକୁ ଜାଣିରଖିବା । କିନ୍ତୁ ପୁରୁଣାକୁ ଫେରିଯିବାକୁ ବସିଲେ ଯେମିତି ଚଳିବନାହିଁ, ସେହିପରି କୌଣସି ଏକ ନମୁନାକୁ ନକଲ କଲେ ମଧ୍ୟ ଚଳିବନାହିଁ । ଆମ ଦେଶରେ ବର୍ତ୍ତମାନ ଏହି ଦୁଇଟିଯାକ ମନୋଭାବର ବ୍ୟକ୍ତି ଅନେକ ରହିଚନ୍ତି । ଏହା ହେଉଚି ଆମର ବିକାଶ ପଥରେ ଏକ ବଡ଼ ପ୍ରମାଦ । ଆମ ଦେଶର ଶିକ୍ଷିତମାନେ ମଧ୍ୟ ଏହିପରି ଏକତରଫା ମାର୍ଗକୁ ଆଦର୍ଶ ମାର୍ଗ ବୋଲି ବିଚାରୁଚନ୍ତି । କେତେକ ବ୍ୟକ୍ତି ଆମଦେଶର ଶାସ୍ତ୍ର ଓ ପୁରାଣର କଥାଗୁଡ଼ାକୁ ଇତିହାସ ବୋଲି ଧରିନେଇ ସେଇଥିରେ ଭଳିଯାଉଚନ୍ତି ଓ ଭାବଗଦ୍‌ଗଦ ଭାବରେ ସେହି ସ୍ୱର୍ଣ୍ଣବର୍ଣ୍ଣ ପୁରାତନକୁ ଫେରିଯିବାକୁ ଚାହୁଚନ୍ତି । ପୁଣି ଆଉ କେତେକ ବିଦେଶର ସମାଜକୁ ଦେଖି ଉପରେ ଉପରେ ଏପରି ଭଳି ଯାଉଚନ୍ତି ଯେ ଭାରତବର୍ଷର ଗାଆଁ ମାଟିରେ ବିଲାତ ଅଥବା ଆମେରିକାର ଗାଆଁକୁ ଗଢ଼ିଥୋଇଦେଲେ ଆମର ବିସ୍ତାର ହୋଇଯିବ ବୋଲି ଜିଦ୍ ଧରି ବସୁଚନ୍ତି । ବେଳେବେଳେ ମନେହେଉଚି, ଆମେ ଏହି ଦୁଇମାର୍ଗର ମଝିରେ ପଡ଼ି ବେଳେବେଳେ ସ୍ଥାଣୁ ହୋଇ ବସିଯାଉଚୁ, କିମ୍ବା ଗାଆଁରେ ଦିଅଁ ଗଢ଼ିବାକୁ ଯାଇ ମାଙ୍କଡ଼ ଗଢ଼ି ଥୋଉଚୁ । ଅନେକ ସମୟରେ ଆମର ଯୋଜନା ଓ କଳ୍ପନାଗୁଡ଼ିକରେ ଅଧିକ ନିଶା ଭରିଦେବା ଲାଗି ଧର୍ମଗତ ଭାବପ୍ରବଣତାର ସାହାଯ୍ୟ ମଧ୍ୟ ନିଆଯାଉଚି, ଅପର ପକ୍ଷରେ ଆଧୁନିକ ସଭ୍ୟତାର ଦ୍ୱାହି ମଧ୍ୟ ଦିଆଯାଉଚି । ଆପଣାର ଭୂମିକୁ ନବୁଝି, ଯୁଗର ଆହ୍ୱାନକୁ ନବୁଝି ଏବଂ ଏହି ଭୂମି ଉପରେ ଆଗାମୀ ଯୁଗରେ ବଞ୍ଚିବାକୁ ଯାଉଥିବା ମଣିଷମାନଙ୍କୁ ନବୁଝି ଆମେ ଅନେକ ସମୟରେ ଅଯୋଗ୍ୟ କାରିଗର ଆପଣା ହତିଆରଗୁଡ଼ାକୁ ଦୋଷ ଦେଲାଭଳି ଆମର ଦେଶକୁ ଦୋଷ ଦେବାରେ ଲାଗିଚୁ ଓ ଏ ଦେଶ ସତ୍ୟାନାଶ ଓ ଭ୍ରଷ୍ଟ ହୋଇଗଲା ବା ଏହି ପୁରାତନ-ସଂସ୍କାର-ପ୍ରପୀଡ଼ିତ ଦେଶରେ କୌଣସି ପରିବର୍ତ୍ତନ ହୋଇ ପାରିବନାହିଁ ବୋଲି ହୁରି ପକାଇବୁ । କିନ୍ତୁ ଅସଲକଥା ହେଉଚି, ଏହି ଦୁଇଟା ମଧ୍ୟରୁ କୌଣସିଟା ପ୍ରଶସ୍ତ ମାର୍ଗ ନୁହେଁ । ପୁସ୍ତକଟିର ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ଆମେ ପ୍ରଧାନତଃ ମାର୍ଗର ଅନୁସନ୍ଧାନ କରି ବାହାରିବା ।

 

ପୁସ୍ତକ ଟିପ୍ପଣୀ

 

୧.

A.S. Altekar : State and Governmant in Ancient India-Motilal Banarsidass, Delhi, 1962, Chapter XI.

୨.

ରାଧାକୁମୁଦ ମୁଖାର୍ଜୀ : ହିନ୍ଦୁ ସଭ୍ୟତା (ହିନ୍ଦୀ) – ରାଜକମଳ ପ୍ରକାଶନ, ଦିଲ୍ଲୀ, ୧୯୫୮, ପୃଷ୍ଠା–୮୧, ୧୩୭, ୧୫୭ ।

୩.

R.C. Majumdar : Ancient India- Motilal Banarsidass, 1952, ପୃଷ୍ଠା : ୪୪୯ – ୪୫୪

୪.

A.R. Desai (ସମ୍ପାଦନା) : Rural Sociology in India- The Indian Society of Agricultural Economics, Bomby, 1961, ପୃଷ୍ଠା : ୨୧୮ – ୨୨୫

୫.

Amos H. Hawley : Human Ecology- The Ronald Press Company, New York, 1950, ପୃଷ୍ଠା– ୨୩୩

୬.

Ralph H. Retzlaff : Village Government in India-Asia Publishing House, Bombay, 1962, ପୃଷ୍ଠା– ୧୬

୭.

B. Maheshwari : Studies in Panchayati Raj-Metropolitan Book Company, Delhi, 1963, ପୃଷ୍ଠା : ୪ – ୬

୮.

Romesh Dutt : The Economic History of India under early British Rule- Routledge and Kegan Paul, London, 1950, ପୃଷ୍ଠା– ୩୪୬

୯.

Romesh Dutt : The Economic History of India in the Victorian Age- Routledge and Kegan Paul, London, 1950, ପୃଷ୍ଠା– ୧୯୬

୧୦.

Rene Maunier : The Sociology of Coeonies, Vol.I, Routledge and Kegan Paul, London, 1949, ପୃଷ୍ଠା– ୩୩

୧୧.

T.R. Batten : Communities and their Development-Oxford University Press, London, 1957, ପୃଷ୍ଠା :୯୯ – ୧୦୦

୧୨.

Walter C. Neale : Economic Change in Rural India- Yale University Press, New Haven, 1962, ପୃଷ୍ଠା– ୪୫, ୧୪୩

୧୩.

E.F. Schumacher : Roots of Economic Growth- The Gandhian Institute of Studies, Varanasi, 1962, ପୃଷ୍ଠା– ୪୧

୧୪.

Manilal B. Nanavati and J.J. Anjaria : The Indian Rural Problem- The Indian Society of Agricultural Economics, Bombay, 1965, ପୃଷ୍ଠା– ୬୩

୧୫.

Census of India, Paper No. 1, Table IV, 1962, ପୃଷ୍ଠା :୧୬ – ୨୦

୧୬.

Ramavatar Lal : Community Development- Bookland Private Ltd. Calcutta, 1963, ପୃଷ୍ଠା– ୩୯

୧୭.

All India Rural Credit Survey, Vol. I, Part I, Reserve Bank of India, 1956, ପୃଷ୍ଠା– ୨୬୪

୧୮.

The Indian Express, (Daily), City Edition, New Delhi, ୪।୨।୧୯୬୫

୧୯.

Bronislaw Malinowski : The Dynamics of Culture Change- Oxford University Press, London, 1949, ପୃଷ୍ଠା– ୭୨

Image

 

Unknown

ଦ୍ୱିତୀୟ ଭାଗ

 

ପଞ୍ଚମ ଅଧ୍ୟାୟ

ଗୋଷ୍ଠୀବିକାଶ ବା ସାମୁଦାୟିକ ବିକାଶ

 

–୧–

 

ଦ୍ୱିତୀୟ ପୃଥିବୀ-ମହାଯୁଦ୍ଧ ସରୁନସରୁଣୁ ଜାପାନର ଦୁଇଟି ସହର ଉପରେ ପରମାଣୁ ବୋମାର ପରୀକ୍ଷା ହୋଇଥିଲା ଏବଂ ଆଧୁନିକ ଇତିହାସରେ ପରମାଣୁଯୁଗର ପ୍ରାରମ୍ଭ ହେଲା । କିନ୍ତୁ ଏହି ସମୟରେ ପୃଥିବୀରେ ଆଉଗୋଟିଏ ଘଟଣା ମଧ୍ୟ ଘଟିଥିଲା, ଯାହାକୁ ଅନେକ ଦୃଷ୍ଟିରୁ ପରମାଣୁ ବୋମାର ବିସ୍ଫୋରଣ ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇ ପାରିବ । ଯୁଦ୍ଧ ଓ ଯୁଦ୍ଧ-ସତର୍କତାଦ୍ୱାରା ହିଁ ମୁଖ୍ୟତଃ ପୃଥିବୀର ଭାଗ୍ୟ-ନିର୍ଣ୍ଣୟ ହୋଇଥାଏ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସ୍ୱଭାବତଃ ପରମାଣୁ ବୋମାକୁ ହିଁ ଏହି ସମରୋତ୍ତର ପର୍ଯ୍ୟାୟର ସବୁଠାରୁ ବଡ଼ ସଂଘଟନ ବୋଲି କହିବେ । ମଣିଷ ଆପଣାର ବ୍ୟକ୍ତିଗତ ତଥା ସାମୁଦାୟିକ ଜୀବନରେ ଆପଣାର ଦାୟିତ୍ୱ ଓ ଅଧିକାର ବିଷୟରେ ଯେତିକି ସଚେତ ହୁଏ, ତାର ପୃଥିବୀକୁ ମଧ୍ୟ ସେ ସେତକି ପରିମାଣରେ ବଦଳାଇବାକୁ ସମର୍ଥ ହୋଇଥାଏ । ଏହି ଦୃଷ୍ଟିରୁ ବିଚାର କଲେ ଗତ ମହାଯୁଦ୍ଧ ପରେ ଆମ ବିଶ୍ୱମାନବ ପରିବାରରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଯେଉଁ ପରିବର୍ତ୍ତନ ସଂଘଟିତ ହୋଇଚି, ପରମାଣୁ-ବୋମାକୁ ତାହାର ପ୍ରତୀକ ବୋଲି କୁହାଯାଇ ପାରିବନାହିଁ । ଗତ କୋଡ଼ିଏବର୍ଷ ଭିତରେ ସଂସାରରୁ ଉପନିବେଶବାଦର ଅବସାନ ଘଟିଚି, ମଣିଷର ଭାଗ୍ୟଦୃଷ୍ଟିରୁ ଏହି ସ୍ୱତନ୍ତ୍ରତା ହାସଲକୁ ହିଁ ଆଧୁନିକ ପରିବର୍ତ୍ତନର ଯୋଗ୍ୟତମ ପ୍ରତୀକ ବୋଲି କୁହାଯାଇ ପାରିବ-। ଯୁଦ୍ଧ ପୂର୍ବରୁ ଏସିଆ ଓ ଆଫ୍ରିକାର ଅଧିକାଂଶ ଦେଶ ସାମ୍ରାଜ୍ୟବାଦର ଶାସନ ଅଧୀନରେ ରହିଥିଲେ । ଯୁଦ୍ଧ ପରେ ସାମ୍ରାଜ୍ୟବାଦ ହଟିଗଲା, ସ୍ୱାଧୀନତାର ଯୁଗ ଆରମ୍ଭ ହେଲା । ଯୁଦ୍ଧ ପୂର୍ବରୁ ସମଗ୍ର ଆଫ୍ରିକା ମହାଦେଶରେ କେବଳ ତିନୋଟି ଦେଶ ସ୍ୱାଧୀନ ଥିଲେ, ବର୍ତ୍ତମାନ କେବଳ ତିନୋଟି ଦେଶ ବ୍ୟତୀତ ସମଗ୍ର ଆଫ୍ରିକା ସ୍ୱାଧୀନ ହୋଇ ସାରିଲାଣି । କିନ୍ତୁ ରାଜନୀତିକ ସ୍ୱାଧୀନତା ଆସିବା ପରେ ଏସବୁ ଦେଶରେ ସମସ୍ୟାର ଅନ୍ତ ହୋଇ ଗଲାନାହିଁ, ସମସ୍ୟାର ଆରମ୍ଭ ହିଁ ହେଲା । ପରାଧୀନତା ଗଲା, କିନ୍ତୁ ଆପଣା ଦେଶରେ ସୁଖୀ ସମାଜ ଓ ସୁନ୍ଦର ମଣିଷ ଗଢ଼ିବା ସମ୍ବନ୍ଧୀୟ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା ।

 

ଏଥିପୂର୍ବରୁ ଆଧୁନିକ ଯୁଗ କହିଲେ ପ୍ରଧାନତଃ ଇଉରୋପ ଓ ଆମେରିକାର ସମୃଦ୍ଧିକୁ ହିଁ ବୁଝାଉଥିଲା । ସାମ୍ରାଜ୍ୟବାଦୀ ଅର୍ଥନୀତିର ସକଳ ଅକଲ ଓ ଇନ୍ଧନ ଯୋଗାହୋଇ ଏହା ସମ୍ଭବ ହେଉଥିଲା । ସାମ୍ରାଜ୍ୟବାଦ ଗଲା, ପୃଥିବୀର ସବୁଦେଶକୁ ସମୃଦ୍ଧ କରି ଗଢ଼ିବାର ଦାୟିତ୍ୱ ପୃଥିବୀର ମଣିଷ ସମାଜ ଆଗରେ ସର୍ବପ୍ରଧାନ ସମସ୍ୟା ହୋଇ ଦଣ୍ଡାୟମାନ ହେଲା । ସ୍ୱାଧୀନତାଲାଗି ସଂଗ୍ରାମ କଲାବେଳେ ଉପନିବେଶର ନେତାମାନେ ଆପଣା ଦେଶର ଯାବତୀୟ ସମସ୍ୟା ଓ ଯାବତୀୟ ଦୀନତାଲାଗି ପ୍ରଧାନତଃ ସାମ୍ରାଜ୍ୟବାଦକୁ ହିଁ ଦୋଷ ଦେଉଥିଲେ । କିନ୍ତୁ ସାମ୍ରାଜ୍ୟବାଦ ହଟିଗଲାପରେ ବିଦେଶୀ ଶାସନକୁ ଦୋଷ ଦେବାଲାଗି ଆଉ ଖୁବ୍ ବେଶୀ ଅବସର ରହିଲାନାହିଁ । ପ୍ରତ୍ୟେକ ଦେଶର ସ୍ୱାଧୀନ ସରକାର ସ୍ୱାଧୀନତାର ପରବର୍ତ୍ତୀ ପୁନର୍ଗଠନ ଓ ନବନିର୍ମାଣର ଆହ୍ୱାନ ଗୁଡ଼ିକର ସମ୍ମୁଖୀନ ହେବାକୁ ଆରମ୍ଭ କଲେ । ଏହି ପୁନର୍ଗଠନ ଓ ନବନିର୍ମାଣର ପର୍ଯ୍ୟାୟ ହିଁ ବର୍ତ୍ତମାନ ଚାଲିଚି । କୌଣସି ଅତିରଞ୍ଜନ ନକରି ଏକଥା ମଧ୍ୟ କୁହାଯାଇ ପାରିବ ଯେ ଏହି ପୁନର୍ଗଠନ ଓ ନବନିର୍ମାଣ ଉପରେ ହିଁ ଆମ ପୃଥିବୀର ଭବିଷ୍ୟତ ନିର୍ଭର କରୁଚି ।

 

ଆଗେ ଅନେକ ମଣିଷ ଭାବୁଥିଲେ ଯେ ହାଣିକାଟି ଆମେ ସମାଜରେ ଆମର ମନୋମତ ପରିବର୍ତ୍ତନ ଆଣିପାରିବା ଓ ଆମର ମନୋମତ ଯୋଜନା ଅନୁସାରେ ସମାଜକୁ ଗଢ଼ି ଥୋଇଦେଇ ପାରିବା । ହୁଏତ ଏବେ ମଧ୍ୟ ଆମ ସଂସାରର କେତେକ ଶାସକ ଓ ଆଦର୍ଶବାଦୀ ଏକଥା ଭାବୁଛନ୍ତି । କିନ୍ତୁ ସେହି ବିଚାର ଓ ସେହି ରୀତି କ୍ରମେ ନିଷ୍ଫଳ ବୋଲି ପ୍ରମାଣିତ ହେଉଚି । ଭାଙ୍ଗିଲାବେଳେ ହୁଏତ ହଣାକଟାର କାର୍ଯ୍ୟକ୍ରମ ଆଖି ଦେଖିଲାଭଳି ଅନେକ ଫଳ ଫଳାଇଦିଏ, କିନ୍ତୁ ସମାଜ ବା ମଣିଷକୁ ଗଢ଼ିଲାବେଳେ ଏସବୁ ଖୁବ୍ ବେଶୀ ଉପକାରୀ ବୋଲି ପ୍ରମାଣିତ ହୁଏନାହିଁ । ଅରାଜକତା ବଢ଼େ, ଆତଙ୍କ ବଢ଼େ, କିନ୍ତୁ ମଣିଷର ଦୈନ୍ୟ ଯାଏନାହିଁ । ସମାଜବିଜ୍ଞାନ କହେ, କୌଣସି ଏକ ସମାଜକୁ ନବବିଧାନ ଅନୁସାରେ ଗଢ଼ିବାକୁ ହେଲେ ଆମକୁ ଆଗ ସେହି ସମାଜର ସମଗ୍ର ସ୍ଥିତିକୁ ବୁଝିବାକୁ ପଡ଼ିବ, ଆମ ସମ୍ମୁଖରେ କୌଣସି ଏକ ଆଦର୍ଶ ସଂଗଠନର ଛାଞ୍ଚ ରଖିବାକୁ ପଡ଼ିବ ଓ ସେହି ଅନୁସାରେ ଏକ ଅନୁରୂପ ପନ୍ଥା ଅବଲମ୍ବନ କରିବାକୁ ହେବ । ଏହି ତିନୋଟିଯାକ କଥାକୁ ଲୟରେ ରଖିଥିଲେ ଯାଇ ଆମେ ସମାଜ ଓ ଏଥିରେ ବାସ କରୁଥିବା ମଣିଷଲାଗି ସ୍ଥାୟୀରୂପେ କିଛି ଗଢ଼ିପାରିବା ।

 

ନାନାକାରଣରୁ ଏହିସବୁ ଦେଶକୁ, ଯେଉଁମାନେ ଗତ କୋଡ଼ିଏବର୍ଷ ଭିତରେ ରାଜନୀତିକ ସ୍ୱାଧୀନତା ଲାଭ କରିଚନ୍ତି, ବିକାଶମାନ ଦେଶବୋଲି କୁହାଯାଉଚି । ଏସବୁ ଦେଶ ହୁଏତ ଅତୀତର କେଉଁ ଏକ ଯୁଗରେ ସଭ୍ୟ ଥିଲେ, ସଂସ୍କୃତିର ଶୀର୍ଷ ସୀମାରେ ପହଞ୍ଚିଥିଲେ । ଏସବୁ ଦେଶରେ ହୁଏତ ଆର୍ଥିକ ଅଭାବ ମଧ୍ୟ ନଥିଲା । କିନ୍ତୁ ସାମ୍ରାଜ୍ୟବାଦର ଶାସନ ଓ ଆହୁରି କେତେକ ପ୍ରକାରର ଜଡ଼ତା ହେତୁ ଏସବୁ ଦେଶର ସମାଜ ସମ୍ପୂର୍ଣ୍ଣ ବିଘଟିତ ହୋଇପଡ଼ିଚି, ଅର୍ଥନୀତି ଓ ଆର୍ଥିକ ଜୀବନ ବିଧ୍ୱସ୍ତ ହୋଇଚି, ଲୋକଜୀବନ ନାନାପ୍ରକାରେ ବିକୃତ ହୋଇଯାଇଚି-। ଦାରିଦ୍ର୍ୟ, ରୋଗ, ଅଶିକ୍ଷା ହିଁ ଏହିସବୁ ଦେଶର ସର୍ବପ୍ରଧାନ ସମସ୍ୟା ଓ ସମ୍ପତ୍ତି ହୋଇ ରହିଚି । ସାମ୍ରାଜ୍ୟବାଦର ପରାକ୍ରମ ଜାରି ରହିଥିବା ସମୟରେ ସାମ୍ରାଜ୍ୟବାଦୀ ଶକ୍ତିମାନେ ଉପନିବେଶ ଅନ୍ତର୍ଗତ ଦେଶଗୁଡ଼ିକୁ ଅସଭ୍ୟ ବୋଲି କହୁଥିଲେ, କାରଣ ଆପଣାର ସଭ୍ୟତାକୁ ହିଁ ସେମାନେ ଏକମାତ୍ର ସଭ୍ୟତା ବୋଲି ମଣୁଥିଲେ । ସେମାନଙ୍କ ଆଖିରେ ସେତେବେଳେ ଧର୍ମ, ସଂସ୍କୃତି ବା ଭାଷା କହିଲେ କେବଳ ସେହିମାନଙ୍କର ଧର୍ମ, ସଂସ୍କୃତି ଓ ଭାଷାକୁ ହିଁ ବୁଝାଉଥିଲା ଏବଂ ଏହି ନ୍ୟାୟଦ୍ୱାରା ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତି ଓ ଅନ୍ୟ ଭାଷାର ଲୋକସମୂହ ଅସଭ୍ୟରୂପେ ହିଁ ସାବ୍ୟସ୍ତ ହେଉଥିଲେ । ସେତେବେଳେ ଏହି ଅସଭ୍ୟମାନଙ୍କୁ ସଭ୍ୟ ମଣିଷର ପଂକ୍ତିକୁ ଆଣିବାଲାଗି କେବଳ ଗୋଟିଏ ମାତ୍ର ଉପାୟ ଥିଲା । ତାହା ହେଉଚି, ସଂସାରଯାକର ମଣିଷଙ୍କୁ ଆପଣା ଧର୍ମ, ଆପଣା ସଂସ୍କୃତି ଓ ଆପଣା ଭାଷାରେ ଦୀକ୍ଷିତ କରାଇବା ଓ ସେଥିଲାଗି ସେମାନଙ୍କୁ ସେମାନଙ୍କର ଆପଣା ପରମ୍ପରାରୁ ଉତ୍‌ପାଟିତ କରି ଆଣିବା । ସେଥିଲାଗି ରାଜନୀତି-କ୍ଷେତ୍ରରେ ସେମାନଙ୍କୁ ପରାଧୀନ କରି ରଖିବାକୁ ହେବ, ରାଜସଭାର ଦର୍ପଦଣ୍ଡ ତଳେ ସେମାନଙ୍କ ଭିତରେ ସଦ୍ଧର୍ମ ଅର୍ଥାତ୍ ଆପଣା ଧର୍ମର ପ୍ରଚାର କରିବା, ଆପଣା ସଭ୍ୟତାର ରୀତି ଓ ପଦ୍ଧତିରେ ସେମାନଙ୍କୁ ଗୋଟାସୁଦ୍ଧା ଜୁଆଇ ରଖିବା । ଏହି ମତଲବ ସିଦ୍ଧ କରିବାକୁ ଯାଇ ଯୁଦ୍ଧ ହୋଇଚି, କେତେ କେତେ ସଂସ୍କୃତିକୁ କେତେ ସଭ୍ୟ ଅଥଚ ନୃଶଂସ ଉପାୟରେ ଛିନ୍ନଭିନ୍ନ କରିଦିଆଯାଇଚି, କେତେ ଭାଷା ଓ କେତେ ଧର୍ମକୁ ଉପହାସ କରାଯାଇଚି, କେତେ ସମାଜକୁ ବିଘଟିତ କରି ଦିଆଯାଇଚି । ଏହିସବୁ କାର୍ଯ୍ୟକ୍ରମର ମାରଫତଦାରରୂପେ ଉପନିବେଶବାଦକୁ ନିଜର କାୟା ବିସ୍ତାର କରି ରହିବାଲାଗି ସକଳପ୍ରକାର ପ୍ରଶ୍ରୟ ମଧ୍ୟ ଦିଆଯାଇଚି ।

 

ଦ୍ୱିତୀୟ ମହାଯୁଦ୍ଧ ପରେ ଏସିଆ ଓ ଆଫ୍ରିକାର ଅନେକ ଦେଶ ସ୍ୱାଧୀନ ହେଲେ । ଇଉରୋପରେ ଶୀତଳ ଯୁଦ୍ଧକୁ ଜାରି ରଖିବାଲାଗି ପରିପନ୍ଥୀ ଦୁଇପକ୍ଷ ନୂତନ ହୋଇ ସ୍ୱାଧୀନ ହୋଇଥିବା ଏହି ଦେଶଗୁଡ଼ିକ ନାନା ଆଗ୍ରହ ପ୍ରକାଶ କରି ଆପଣା ଆପଣାର ପକ୍ଷକୁ ଆଉଜାଇ ନେବାକୁ ଚାହିଲେ । ସଂଯୁକ୍ତ ରାଷ୍ଟ୍ରସଂଘରେ ବାକ୍‌ଯୁଦ୍ଧ କିଣିବାଲାଗି ନୂତନ ଏହିସବୁ ଦେଶର ଭୋଟ୍ ବି ଦରକାର ପଡ଼ିଲା । ତେଣୁ ଏହି ପରିସ୍ଥିତିରେ ସେମାନଙ୍କୁ ଅସଭ୍ୟ କହିଲେ କିପରି ଚଳିଥାନ୍ତା ? ଦ୍ୱିତୀୟ ପର୍ଯ୍ୟାୟରେ ଏମାନଙ୍କୁ ଅବିକଶିତ ଦେଶ ବୋଲି କୁହାଗଲା । ଏହାର ଅର୍ଥ ହେଉଚି ସଭ୍ୟତା ଓ ସଂସ୍କୃତିର ଅନ୍ୟାନ୍ୟ କ୍ଷେତ୍ରରେ ହୁଏତ କେଉଁ ଯୁଗରେ ଯେତେ ଆଗକୁ ଯାଇଥିଲେ ମଧ୍ୟ ଏହିସବୁ ଦେଶର ଆର୍ଥିକ ବିକାଶ ହୋଇ ପାରିନାହିଁ । ଉତ୍ତର ଇଉରୋପ ଓ ଉତ୍ତର ଆମେରିକାର ଦେଶମାନଙ୍କୁ ବିକଶିତ କୁହାଗଲେ ନ୍ୟାୟତଃ ଏହିସବୁ ଦେଶକୁ ଅବିକଶିତ ବୋଲି କହିବାକୁ ହେବ । କିନ୍ତୁ ଆପଣା ଏହି ‘ଅବିକଶିତ’ ବିଶେଷଣଟି ଲଗାଇ ନୂଆ ଏବଂ ଉଚ୍ଚାଭିଳାଷୀ ଦେଶମାନେ ହୁଏତ ଖୁବ୍ ବେଶୀ ପ୍ରସନ୍ନ ଅନୁଭବ କଲେନାହିଁ । ତେଣୁ ପାଶ୍ଚାତ୍ୟ ଅର୍ଥନୀତି-କ୍ଷେତ୍ରରେ ପଣ୍ଡିତମାନେ ସେମାନଙ୍କର ମନ ବହଲାଇବାକୁ ସେମାନଙ୍କଲାଗି ଗୋଟିଏ ନୂଆ ଶବ୍ଦ ବାହାର କଲେ, ସେମାନଙ୍କୁ ଅଳ୍ପ-ବିକଶିତ (underdeveloped) ବୋଲି କହିବାକୁ ଆରମ୍ଭ କଲେ । ତାତ୍ପର୍ଯ୍ୟ ହେଉଚି ଯେ ଏହିସବୁ ଦେଶର ଆର୍ଥିକ ବିକାଶ ପୁରାତନ ଯୁଗରେ ଆପଣା ରୀତିରେ ଏକ ସଂଗତ ରୀତିରେ ଚାଲିଥିଲା । ତା’ପରେ ଔପନିବେଶିକ ଶାସନର ଅଧୀନରେ ରହି ସେହି ବିକାଶ ଆପଣାର ସ୍ୱତନ୍ତ୍ର ଓ ସ୍ୱାଭାବିକ ମାର୍ଗକୁ ବଜାୟ ରଖି ପାରିଲାନାହିଁ-। ପରମ୍ପରାଗତ ଅର୍ଥନୀତି-ଜୀବନର ଅନେକ କଳ ଅସକ ଓ ଅନେକ ସମୟରେ ଅଚଳ ହୋଇ ପଡ଼ିରହିଲା । ଫଳରେ ଯେପରି ବିଧିରେ ଓ ଯେଉଁପରି ଗତିରେ ଏହିସବୁ ଦେଶର ଆର୍ଥିକ ହେବା ଉଚିତ ଥିଲା, ତାହା ହୋଇପାରିଲା ନାହିଁ । ପୃଥିବୀର ଆର୍ଥିକ ପ୍ରଗତି ଦୃଷ୍ଟିରୁ ଏହିସବୁ ଦେଶକୁ ଗୋଟିଏ ନାମ ଦେଇ ଗୋଟିଏ ଶ୍ରେଣୀର ଅନ୍ତର୍ଭୁକ୍ତରୂପେ ଚିହ୍ନିବାର ପ୍ରୟାସରେ ଚତୁର୍ଥ ପର୍ଯ୍ୟାୟକୁ ଆସି ଏମାନଙ୍କୁ ବିକଶମାନ (Developing) ଦେଶ ବୋଲି କୁହାଗଲା । ନିୟମତଃ ଦେଖିବାକୁ ଗଲେ ଆମେ ପୃଥିବୀର ଯେକୌଣସି ଦେଶକୁ ମଧ୍ୟ ବିକଶମାନ ଦେଶ ବୋଲି କହିପାରିବା । ଆମେରିକା ବା ପଶ୍ଚିମ ଜର୍ମାନୀର ଆର୍ଥିକ ବିକାଶ ଭାରତବର୍ଷ ତୁଳନାରେ କାହିଁ କାହିଁ ମାଡ଼ିଗଲାଣି, ତଥାପି ସେହି ଦେଶ ଦୁଇଟିର ବିକାଶ ବନ୍ଦହୋଇ ଯାଇନାହିଁ, ସେମାନଙ୍କର ଅର୍ଥନୀତି ବର୍ତ୍ତମାନ ମଧ୍ୟ ଉତ୍ତରୋତ୍ତର ବିକଶିତ ହୋଇ ଚାଲିଚି । ମାତ୍ର ଭାଷାର ବ୍ୟାକରଣରେ ଆର୍ଷ-ପ୍ରୟୋଗ ହେଲାପରି ଆନ୍ତର୍ଜାତିକ ସମ୍ବନ୍ଧର ବ୍ୟାକରଣରେ ଏବେ ବିକଶମାନ ଦେଶ କହିଲେ କେବଳ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଦେଶଗୁଡ଼ିକୁ ବୁଝାଉଚି । ଏଗୁଡ଼ିକ ଭିତରୁ ଅଧିକାଂଶ ଦେଶ ଅଳ୍ପଦିନ ହେଲା ଅର୍ଥାତ୍ ଗତ କୋଡ଼ିଏବର୍ଷ ଭିତରେ ଆପଣାର ରାଜନୀତିକ ସ୍ୱାଧୀନତା ଲାଭ କରିଚନ୍ତି । ଆର୍ଥିକ ଦୃଷ୍ଟିରୁ ଏମାନଙ୍କୁ ଦରିଦ୍ର ବୋଲିହିଁ କୁହାଯାଇ ପାରିବ । ବିଶ୍ୱସଭାରେ ଏହି ଦେଶଗୁଡ଼ିକୁ ଅନ୍ୟ ଯେକୌଣସି ଦେଶପରି ସ୍ୱୀକାର ମିଳିଲେ ମଧ୍ୟ ତଥାପି ଧନସମ୍ବଳରେ ଏମାନେ ଅନେକ ପଛରେ ପଡ଼ିଚନ୍ତି । ଏମାନଙ୍କ ଭିତରୁ ଅନେକେ ଏପର୍ଯ୍ୟନ୍ତ ଆପଣାର ଜାତୀୟ ଅର୍ଥନୀତିକୁ ଏକ ସ୍ୱତନ୍ତ୍ର ଓ ସ୍ୱାବଲମ୍ବୀ ଆଧାର ଉପରେ ପ୍ରତିଷ୍ଠିତ କରିବାଲାଗି ସମର୍ଥ ହୋଇନାହାନ୍ତି ।

 

ସାମୁଦାୟିକ ଯୋଜନା ବିଷୟରେ ଲେଖିଥିବା ଆପଣାର ଗୋଟିଏ ପୁସ୍ତକରେ (୧) ଶ୍ରୀଯୁକ୍ତ ମୁଖାର୍ଜୀ ଏହି ବିକଶମାନ ଦେଶଗୁଡ଼ିକର ଜୀବନରେ ନିମ୍ନଲିଖିତ ପ୍ରଧାନ ପ୍ରଧାନ ଲକ୍ଷଣଗୁଡ଼ିକ ରହିଥିବାର ଉଲ୍ଲେଖ କରିଚନ୍ତି-ଏହିସବୁ ଦେଶର ଅଧିବାସୀମାନେ ଦରିଦ୍ର, ସେମାନଙ୍କର ସରକାର ମଧ୍ୟ ଦରିଦ୍ର । ଅର୍ଥାତ୍ ଲୋକଙ୍କ ପାଖରେ ଜୀବନର ପରିପୂର୍ଣ୍ଣ ସଂସ୍ଥାନ ଲାଗି ଯଥେଷ୍ଟ ସମ୍ବଳ ନାହିଁ ବା ଲୋକମାନଙ୍କର ଆର୍ଥିକ ଜୀବନମାନରେ ସତ୍ୱର ପରିବର୍ତ୍ତନ ଘଟାଇ ପାରିବାଲାଗି ମଧ୍ୟ ସେମାନଙ୍କର ସରକାର ପାଖରେ ଯଥେଷ୍ଟ ସମ୍ବଳ ନାହିଁ । ରକ୍ଷିତ ଓ ରକ୍ଷକ ଉଭୟେ ବଡ଼ ନିଃସ୍ୱ ଓ ନିଅଣ୍ଟିଆ ହୋଇ ରହିଚନ୍ତି । ଏସବୁ ଦେଶରେ ଆଜିମଧ୍ୟ ସେହି ପୁରାତନ ଯୁଗର ଉତ୍ପାଦନ-ରୀତିମାନ ଅନୁସୃତ ହେଉଚି । ମୁଖ୍ୟତଃ ସେଇଥିଲାଗି ଏସବୁ ଦେଶର ଉତ୍ପାଦନ-ପରିମାଣ ଅତି ତଳସ୍ତରରେ ପଡ଼ିରହିଚି । ବଳକା ଲାଭ କମାଇବା ବା ଅର୍ଥସଞ୍ଚୟ କରିବା ତ ଦୂରର କଥା, ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକର ପୂରଣ କରିବାଭଳି ସାମଗ୍ରୀ ମଧ୍ୟ ଏ ଦେଶରେ ସମସ୍ତଙ୍କର ଭାଗ୍ୟରେ ଜୁଟି ପାରୁନାହିଁ । ଜାତୀୟ ବିକାଶଲାଗି ଏସବୁ ଦେଶରେ ଆବଶ୍ୟକ ସମ୍ବଳ ନାହିଁ । ଏଠି ସମ୍ବଳ କହିଲେ ଆମେ ଅର୍ଥ, ଶିକ୍ଷାକୌଶଳ ଓ ଶିକ୍ଷାପ୍ରାପ୍ତ ମଣିଷ ପ୍ରଭୃତି ଯାବତୀୟ କ୍ଷେତ୍ରକୁ ବୁଝିରଖିବା । ଆଗରୁ କୁହାଯାଇଚି ନୂତନ ଅର୍ଥାଗମର ପଥ ଖୋଲି ଦେବାଭଳି ନୂଆ ବ୍ୟବସାୟମାନ ଖୋଲିବାକୁ ଏସବୁ ଦେଶରେ ମୂଳଧନ ନାହିଁ, ମୂଳଧନ ସୃଷ୍ଟିହୋଇ ପାରିବାର ପ୍ରଶସ୍ତ ସମ୍ଭାବନା ମଧ୍ୟ ନାହିଁ । ଏହିସବୁ ଦେଶରେ ଏକ ଜାତୀୟ ବ୍ୟାଧିରୂପେ ବେରୋଜଗାରୀ ବ୍ୟାପୀ ରହିଚି । ଅର୍ଥାତ୍ ଅନେକ ଲୋକ କୌଣସିପ୍ରକାର କାମ ନକରି ବେକାର ହୋଇ ବସିଚନ୍ତି । ଯେଉଁମାନେ କିଛି କାମ କରୁଚନ୍ତି, ସେମାନଙ୍କ ମଧ୍ୟରୁ ବି ଅନେକେ ସବୁଦିନ କାମ ପାଉନାହାନ୍ତି । ବର୍ଷକରେ ଛଅମାସ କାମ କଲେ ଆଉ ଛଅମାସ ବେକାର ଓ ଉପାର୍ଜନହୀନ ହୋଇ ବସୁଚନ୍ତି । ଆଜି କାମ ପାଇଲେ ହୁଏତ କାଲିକୁ କାମ ପାଉନାହାନ୍ତି । କୌଣସି ଅସ୍ଥାୟୀ କାମରୁ ହାତ ଛାଡ଼ିଗଲେ ପୁଣି ନୂତନ କାମ ତଲାସରେ ସେମାନଙ୍କୁ ରାସ୍ତାରେ ବାହାରିବାକୁ ପଡ଼ୁଚି । ଏହିସବୁ ଦେଶର ଅଧିକାଂଶ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ଏହିସବୁ ଗ୍ରାମ ଓ ଗ୍ରାମଗୋଷ୍ଠୀ ସହିତ ବୃହତ୍ତର ପୃଥିବୀର ଖୁବ୍ ବେଶୀ ଯୋଗସୁତ୍ର ମଧ୍ୟ ନାହିଁ । ଏହିସବୁ ଗ୍ରାମରୁ ବାହାରି ବାହାରକୁ ଯିବାଲାଗି ଅନେକ କ୍ଷେତ୍ରରେ ରାସ୍ତା ବି ତିଆରି ହୋଇନାହିଁ । ସାଂସ୍କୃତିକ କ୍ଷେତ୍ରରେ ଏହି ଗ୍ରାମଗୁଡ଼ିକ ବାହାର ସମସ୍ତ ସଂସାରରୁ ବିଚ୍ୟୁତ ହୋଇ ଗୋଟିଏ ଗୋଟିଏ ଟାପୁପରି ହୋଇ ରହିଚି । ସଂସାରରେ କେତେ କେଉଁଠି କେତେ କଣ ବଦଳୁଚି, କେତେ ପୁରୁଣା ଯାଇ କେତେ ନୂଆ ବସୁଚି, କେତେ ପୁରୁଣା ଖୋଳ ଖସିପଡ଼ି ନୂଆ ଖୋଳ ବା ନୂଆ ସାଜ ପିନ୍ଧାଯାଉଚି । କିନ୍ତୁ ଏହିସବୁ ଗାଆଁ ମାନଙ୍କରେ ହୁଏତ ଖୁବ୍ ବେଶୀ ପରିବର୍ତ୍ତନ ହେଉନାହିଁ ବା ମନୁଷ୍ୟ ଜୀବନର ଆବଶ୍ୟକତା ଅନୁସାରେ କିଛିହେଲେ ବଦଳୁନାହିଁ । ଏହିସବୁ ଗ୍ରାମରେ ପାରମ୍ପରିକ କାଳରୁ ରହିଆସିଥିବା ସାମାଜିକ ଓ ସାମୁଦାୟିକ ଜୀବନ ମଧ୍ୟ ନାନାବିଧ କାରଣରୁ କ୍ରମେ ଭାଙ୍ଗି ଭାଙ୍ଗି ଯାଉଚି, ପ୍ରଧାନତଃ କ୍ଷୟମୁଖରେ ହିଁ ଏହାର ଗତି ହେବାରେ ଲାଗିଚି । ଏହିସବୁ ଦେଶରେ ଅତି ଅତ୍ୟଧିକ ପରିମାଣର ଲୋକ ନିରକ୍ଷର ରହିଚନ୍ତି, ଶିକ୍ଷାର ଚେର ସମାଜର ସବୁ ସ୍ତରକୁ ମାଡ଼ିପାରୁନାହିଁ । ଏବଂ ଏହି ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ସମ୍ବଳର ଅଭାବରୁ ଗ୍ରାମାଞ୍ଚଳରେ ବାସ କରୁଥିବା ଏହି ମଣିଷମାନେ ଆଧୁନିକ ବିଜ୍ଞାନ ଓ ଯନ୍ତ୍ରକୌଶଳ ଦ୍ୱାରା ଉପକୃତ ହେବାରେ ଖୁବ୍‌ବେଶୀ ସମର୍ଥ ହୋଇ ପାରୁନାହାନ୍ତି ।

 

୧୯୬୨ ମସିହାରେ ଶହେଟି ବିକଶମାନ ଦେଶର ଅଧ୍ୟୟନ କରି ଜଣେ ଅର୍ଥନୀତି-ବିଶାରଦ (୨) କହିଚନ୍ତି ଯେ ୧୮୫୦ ମସିହାରେ ଏହିସବୁ ଦେଶରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ମାତ୍ର ୯୦ ଡଲାର ବା ୪୫୦ ଥିଲା । ପରବର୍ତ୍ତୀ ଦଶବର୍ଷ ଭିତରେ ଏହି ଆୟରେ ମାତ୍ର ୩% ବୃଦ୍ଧି ହୋଇଥିଲା । କିନ୍ତୁ ଅନ୍ୟପକ୍ଷରେ ଏହିସବୁ ଦେଶର ଲୋକସଂଖ୍ୟା ଏଡ଼େ କ୍ଷିପ୍ରଗତିରେ ବୃଦ୍ଧି ପାଇଲା ଯେ ଏହି ଆୟବୃଦ୍ଧି ମୁଣ୍ଡପିଛା ମାତ୍ର ୧% ବୃଦ୍ଧିରେ ପର୍ଯ୍ୟବସିତ ହୋଇ ରହିଲା । ଅର୍ଥାତ୍ ଦଶବର୍ଷରେ ପ୍ରତ୍ୟେକ ମଣିଷର ଆୟରେ ବର୍ଷକୁ ମାତ୍ର ଏକ ଡଲାର ବା ପ୍ରାୟ ପାଞ୍ଚଟଙ୍କା ବଢ଼ିଥିଲା; ତାହାର ଅର୍ଥ ହେଉଚି ସପ୍ତାହରେ ଏହା ମାତ୍ର ଦଶପଇସା ଅଧିକ ହୋଇଥିଲା-

 

ଏହି ଦାରିଦ୍ର୍ୟ ଓ ଏହି ଅନୁନ୍ନତ ଅବସ୍ଥାରୁ ଉଦ୍ଧାର ପାଇବାକୁ ହିଁ ହେବ, ନଚେତ୍ ବିଂଶ ଶତାବ୍ଦୀର ବିକାଶଧର୍ମୀ ପୃଥିବୀରେ ଏହିସବୁ ଦେଶ ପ୍ରଧାନତଃ ପୁରାତନ କେଉଁ ଦୟନୀୟ ଯୁଗର ସ୍ମରଣ କରାଇ ଦେଉଥିବା ଏକ ସଂଗ୍ରହାଳୟ ପରି ପଡ଼ିରହିଥିବେ ଓ ବଦାନ୍ୟ ବ୍ୟକ୍ତିମାନଙ୍କର ଦୟା ହିଁ ଆକୃଷ୍ଟ କରୁଥିବେ । ଦୁଇଶହ ବର୍ଷ ପୂର୍ବେ ଏହିସବୁ ଦେଶକୁ ସାମ୍ରାଜ୍ୟବାଦ ଗ୍ରାସ କରିବାକୁ ଆରମ୍ଭ କରିଥିଲା, ଦୁଇଶହ ବର୍ଷ ପୂର୍ବେ ତଥାକଥିତ ମାଲିକ ଦେଶ ମାନଙ୍କରେ ମଧ୍ୟ ଜନସାଧାରଣ ବଡ଼ ଦରିଦ୍ର ଓ ଶୋଚନୀୟ ଅବସ୍ଥାରେ ରହିଥିଲେ । ସୁଖ ଓ ସମ୍ପନ୍ନତା କହିଲେ ସେ ଦେଶରେ ମାତ୍ର କେତେଜଣ ଭାଗ୍ୟବାନ୍ ଲୋକଙ୍କୁ ହିଁ ବୁଝାଉଥିଲା । ଅଧିକାଂଶ ମଣିଷ ଦରିଦ୍ର ଓ ଅଶିକ୍ଷିତ ଥିଲେ, ମଣିଷର ସମ୍ମାନରୁ ବଞ୍ଚିତ ହୋଇ ରହିଥିଲେ । ଆଜି ଉତ୍ତର ଇଉରୋପ ବା ଉତ୍ତର ଆମେରିକାରେ ଆମେ ଯେଉଁ ସୌଭାଗ୍ୟବନ୍ତ ସାମୂହିକ ଜୀବନ ଦେଖିବାକୁ ପାଉଚୁ, ତାହା ହେଉଚି ଗତ ଦୁଇଶହ ବର୍ଷର ଅର୍ଥନୈତିକ ତଥା ସାମାଜିକ ବିକାଶର ଫଳ । ଶିକ୍ଷାଗତ ଓ ବାସନାଗତ ବିକାଶକୁ ଏଠି ସାମାଜିକ ବିକାଶର ଅନ୍ତର୍ଭୁକ୍ତ କରାଯାଇଚି । ଆଧୁନିକ ପାଶ୍ଚାତ୍ୟ ଜଗତର ଅଧୁନାତନ ବିକାଶକୁ ସମ୍ଭବ କରିବା ପଛରେ ଶିଳ୍ପବିପ୍ଳବର ଇତିହାସ ରହିଚି । ଏଥିଲାଗି ସେସବୁ ଦେଶରେ କେତେ ହାଣକାଟ ଓ କେତେ ରକ୍ତପାତ ହୋଇଚି । ଏସିଆ ଓ ଆଫ୍ରିକାର ଉପନିବେଶଗୁଡ଼ିକୁ ଶୁଖାଇ ଏହିସବୁ ଦେଶର ଆର୍ଥିକ ଜୀବନକୁ ରସାଳ କରିବାରେ କେତେପ୍ରକାର ସୁଯୋଗ ମିଳିଚି । ତଥାପି ସେସବୁ ଦେଶର ଆର୍ଥିକ ବିକାଶର ପ୍ରଭାବ ଓ ଫାଇଦାମାନ ସର୍ବଜନର ସ୍ତରରେ ଆସି ପହଞ୍ଚି ପାରିବାକୁ ପ୍ରାୟ ଦୁଇଶହ ବର୍ଷ ଲାଗିଚି । ଏହି ସୂତ୍ରଟିର ଅନୁସରଣ କରି ବର୍ତ୍ତମାନ ବିକଶମାନ ପର୍ଯ୍ୟାୟରେ ରହିଥିବା ଦେଶଗୁଡ଼ିକରେ ବାସ କରୁଥିବା ସବୁଲୋକଙ୍କ ଲାଗି ଜୀବନର ଅତ୍ୟାବଶ୍ୟକ ସମ୍ପନ୍ନତାଗୁଡ଼ିକୁ ଉପଲବ୍‌ଧ କରାଇ ପାରିବାକୁ କଣ ସେହି ଦୁଇଶହ ବର୍ଷ ସମୟ ଲାଗିବ ବୋଲି ଆମେ କହିବା ? ଏପରି କହିବା କେତେ ଦୂର ସମୀଚୀନ ହେବ ଓ ଏପରି ଏକ ମାର୍ଗର ଅନୁସରଣ କରିବା କେତେଦୂର ସମ୍ଭବ ବା ହୋଇପାରିବ ?

 

ବିକଶମାନ ଦେଶର ସାଧାରଣ ଅଧିବାସୀ ଆପଣାର ପେଟ ପୂରାଇବାକୁ ଓ ଆପଣାର ଦେହ ଲୁଚାଇବାକୁ କୌଣସିପ୍ରକାରେ ଦୁଇଶହ ବର୍ଷ ଅପେକ୍ଷା କରି ପାରିବନାହିଁ । ଇଉରୋପର ଆର୍ଥିକ ଓ ଜନତାନ୍ତ୍ରିକ ବିକାଶ ହେଲାବେଳେ ପୃଥିବୀର ଅବସ୍ଥା ଆଜିର ତୁଳନାରେ ଅନେକ ପରିମାଣରେ ଅଧିକ ସ୍ୱାଭାବିକ ରହିଥିଲା । ସେତେବେଳେ ପୃଥିବୀର ଗୋଟିଏ ଅଞ୍ଚଳରେ ଯାହା ହେଉଥିଲା, ଅନ୍ୟ ଏକ ଅଞ୍ଚଳରେ ତାହାର ହାଉଆ ଯାଇ ଆଜିପରି ଏଡ଼େ ସହଜରେ ପହଞ୍ଚି ପାରୁନଥିଲା । ଆଧୁନିକ ବିଜ୍ଞାନ ଓ ଯନ୍ତ୍ରକୌଶଳର ବିକାଶରେ ଇଉରୋପ ହିଁ ପ୍ରଥମ ପଦକ୍ଷେପ ଗ୍ରହଣ କରିଥିଲା, ତେଣୁ ଆଉ ଏକ ପ୍ରକୃଷ୍ଟତର ଦୃଷ୍ଟାନ୍ତ ଦେଖି ଅଧିକ କ୍ଷିପ୍ରଗତିରେ ସେହି ସ୍ତରରେ ଯାଇ ପହଞ୍ଚିବାଲାଗି ଉଚ୍ଛନ୍ନ ହେବାକୁ ସେତେବେଳେ ଯଥେଷ୍ଟ କ୍ଷେତ୍ର ମଧ୍ୟ ନଥିଲା । ଇଉରୋପରେ ଯାହା ହେଉଥିଲା, ଯେତିକି ଯେପରି ମନ୍ଥର ବା ପ୍ରଖର ଗତିରେ ହେଉଥିଲା, ଇଉରୋପର ସାଧାରଣ କୃଷକ ତାହାକୁ ହିଁ ଅନେକାଂଶରେ ଏକମାତ୍ର ସ୍ୱାଭାବିକ ଓ ସମ୍ଭାବ୍ୟ ପରି ମାନିନେଉଥିଲା । ସେଥିଲାଗି ସେ ଅପେକ୍ଷା କରି ପାରୁଥିଲା । ଏସବୁ ସତ୍ତ୍ୱେ ସେଠାରେ ମଧ୍ୟ ବିପ୍ଳବ ହୋଇଚି, ରକ୍ତପାତ ହୋଇଚି, ନଥିବା ମଣିଷ ଥିବା ଓ ଭୋଗ କରୁଥିବା ମଣିଷର ଶାନ୍ତି ଓ ସଂଗତିମାନ ଭଙ୍ଗ କରିବାଲାଗି କେତେ ପ୍ରକାରେ ସଜହୋଇ ବାହାରିଚି । କିନ୍ତୁ ବର୍ତ୍ତମାନ ସେକାଳର ଅବସ୍ଥାରେ ଅନେକ ପରିବର୍ତ୍ତନ ହୋଇଗଲାଣି । ଏହାଭିତରେ କେବଳ ଇଉରୋପ ଓ ଉତ୍ତର ଆମେରିକା ବଦଳିନାହିଁ, ବିଜ୍ଞାନ ଓ ଯନ୍ତ୍ରକୌଶଳର ପ୍ରସାଦରୁ ସମଗ୍ର ପୃଥିବୀର ଚଳନଶୀଳତା ବଡ଼ ତୁମୁଳ ଭାବରେ ବଦଳିଗଲାଣି । ଶିକ୍ଷାର ପ୍ରସାଦରୁ ପୃଥିବୀର ସକଳ ଦେଶରେ ଆଗ୍ରହ ଓ ଜୀବନବାସନା ଅଧିକତର ହୋଇସାରିଲାଣି । ଇଉରୋପର ଚାଷୀ ବା ଆମେରିକାର ଶ୍ରମିକ କିପରି ଜୀବନ ଯାପନ କରୁଚି, ସେକଥା ଭାରତର ଚାଷୀପାଖରୁ ଅଜଣା ଓ ଅଛପା କରି ରଖିବାର କୌଣସି ଉପାୟ ନାହିଁ । ଖବରକାଗଜ, ରେଡ଼ିଓ, ସିନେମା ଓ ମନୋଗତ ସମ୍ପର୍କସ୍ଥାପନର ଅନ୍ୟାନ୍ୟ ଆଧୁନିକ ସାଧନମାନ ଆଜି ପୃଥିବୀକୁ ଏପରି ଛୋଟ କରିଦେଲାଣି ଯେ ପୃଥିବୀରେ ବାସ କରୁଥିବା ଯାବତୀୟ ଦେଶ, ଜାତି, ରଙ୍ଗ, ଧର୍ମ ଓ ଭାଷାର ମଣିଷମାନେ ଆଜି ଆପଣାର ମଣିଷପଣିଆ ବିଷୟରେ ସତର୍କ ହେବାକୁ ଆରମ୍ଭ କଲେଣି । ସେଠି ଯାହା ସମ୍ଭବ ହୋଇଚି, ଏଠାରେ ମଧ୍ୟ ତାହା ସମ୍ଭବ ନହେବ କାହିଁକି ? ସେଠାରେ ଯଦି ମଣିଷ ଆପେ ଆପଣାର ଭାଗ୍ୟଧର ହୋଇପାରିଚି, ତେବେ ଏଠି କାହିଁକି ନ ହୋଇ ପାରିବ ? ମଣିଷପଣିଆ କହିଲେ ଆଜି କେବଳ କୌଣସି ଧର୍ମପୁସ୍ତକ ବା ଦର୍ଶନସୂତ୍ରରେ ରହିଥିବା ସାଧୁବାକ୍ୟ ବା ଚାରୁବାକ୍ୟକୁ ବୁଝାଉନାହିଁ । ମଣିଷପଣିଆର ମୂଳଦୁଆ ଯେ ସାମାଜିକ ଜୀବନର ଅନ୍ନମୟ କୋଷରୁ ହିଁ ଅବଶ୍ୟ ପଡ଼ିବ, ସେକଥା ପୃଥିବୀର ଅଧିକରୁ ଅଧିକ ମଣିଷ କ୍ରମେ ଜାଣିସାରିଲେଣି । ଏହି ଜ୍ଞାନ ସେମାନଙ୍କର ବାସନାକୁ ସହସ୍ରଗୁଣ ବଢ଼ାଇଦେଇ ସାରିଲାଣି ଏବଂ ଏହି ବାସନାହିଁ ଏ ଯୁଗର ସବୁ ଭଙ୍ଗା ଓ ଗଢ଼ିବା ପଛରେ ରହିଥିବା ତୀବ୍ର ଅସନ୍ତୋଷର ଜନନୀରୂପେ କାର୍ଯ୍ୟ କରୁଚି । ଏହି ଅସନ୍ତୋଷର ନିଆଁକୁ ଆମେ କିପରି ଦୁଇଶହ ବର୍ଷ ଯାଏ ଶାନ୍ତ ସୁନାପୁଅ ହୋଇ ରହିବାକୁ କହି ପାରିବା ? କିପରି ଆମେ ଆତ୍ମସଚେତ ଦୀନ ମଣିଷକୁ ଆଗାମୀ ଦୁଇଶହ ବର୍ଷଯାଏ ଦୀନତା ଭିତରେ ଭୁଲାଇ ରଖିପାରିବା ?

 

ଏହି କ୍ଷେତ୍ରରେ ଆମ ସମ୍ମୁଖରେ କେବଳ ଗୋଟିଏ ମାତ୍ର ପଥ ଉନ୍ମୁକ୍ତ ରହିଚି । ଯେତେ ଶୀଘ୍ର ସମ୍ଭବ ଆମକୁ ଏହିସବୁ ଅବିକଶିତ ଦେଶକୁ ବିକଶିତ ରୂପ ଦେବାର ଯୋଜନା ତିଆରି କରି ସେହି ଅନୁସାରେ ଅଗ୍ରସର ହେବାକୁ ପଡ଼ିବ । କାରଣ କାଳ ଆଉ ଏ ବିଷୟରେ କୌଣସି ବିଳମ୍ବ ସହିବ ନାହିଁ । ଆମର ଯୋଜନା ବା ଆମର ନିଷ୍ଠାରେ ଆମେ ଠକିଗଲେ ବା ସଚେତ ଜନସାଧାରଣଙ୍କୁ ଠକାଇବାକୁ ବସିଲେ ତାହାର ଫଳ ବଡ଼ ଭୟାବହ ହୋଇପଡ଼ିବ ଓ ବଞ୍ଚିତ ମଣିଷ ଯେକୌଣସି ଉପାୟରେ ଆପଣାର ବାସନା ଅନୁସାରେ ଆପଣାର ଜୀବନକୁ ପ୍ରତିଷ୍ଠିତ କରିବାକୁ କଦାପି ପଶ୍ଚାତ୍‌ପଦ ହେବନାହିଁ । କୌଣସି ଧର୍ମ, ଦର୍ଶନ, ଗୋଷ୍ଠୀବିଚାର ବା ଜାତିବାଦ ଆଉ ମଣିଷକୁ ଅଫିମ ଖୁଆଇ ରଖିପାରିବନାହିଁ । ତେଣୁ ସମାଜକୁ ବଦଳାଇବାକୁ ପଡ଼ିବ । ଯଦି କୌଣସି ପରମ୍ପରା ଏହି ପରିବର୍ତ୍ତନର କ୍ରମରେ ଅନ୍ତରାୟ ହୋଇ ଠିଆହୋଇଚି, ତେବେ ଆମକୁ ସେହି ପରମ୍ପରାକୁ ମଧ୍ୟ ବଦଳାଇବାକୁ ପଡ଼ିବ । ଏହି ପରିବର୍ତ୍ତନର ଅତ୍ୟାବଶ୍ୟକତାକୁ ହୃଦୟଙ୍ଗମ କରି କେତେକ ସ୍ଥାନରେ ଲେଖକମାନେ ମଧ୍ୟ ବେଶ୍ ଅସ୍ଥିରତା ପ୍ରକଟ କରିଚନ୍ତି । ଆମେରିକାରୁ ପ୍ରକାଶିତ ଗୋଟିଏ ପୁସ୍ତକରେ ଆମେ ଏହିପରି ଏକ ଅସ୍ଥିରତାର ବେଶ୍ ଗନ୍ଧ ପାଇପାରିବା । ଆମର କଳ୍ପିତ ପରିବର୍ତ୍ତନଗୁଡ଼ିକର ମୁତାବକ ସମାଜର ଜନସାଧାରଣଙ୍କୁ ପ୍ରବର୍ତ୍ତାଇବାକୁ ହେବ ବା ଦରକାର ହେଲେ ବାଧ୍ୟ ବି କରିବାକୁ ପଡ଼ିବ, ଯେପରିକି ସେମାନେ ପ୍ରସ୍ତାବିତ ପରିବର୍ତ୍ତନ ଅନୁସାରେ ଆପଣା କାର୍ଯ୍ୟକଳାପଗୁଡ଼ିକୁ ବଦଳାଇ ଦେଇପାରିବେ । ସେମାନଙ୍କୁ ପ୍ରବର୍ତ୍ତାଇବା ଲାଗି ଅଥବା ବାଧ୍ୟ କରିବାଲାଗି ଆମେ କିପରି ମାର୍ଗ ବା ସାଧନମାନ ଅବଲମ୍ବନ କରିବା, ଜନସାଧାରଣଙ୍କର ମନୋଗତ ଭୂମି ଅନୁସାରେ ତାହାର ନିର୍ଣ୍ଣୟ କରିବାକୁ ପଡ଼ିବ । (Carl Becker : Progress and Power-Stanford University Press, 1936, ପୃଷ୍ଠା :୯୧-୯୨) (୩)

 

କିନ୍ତୁ ଆମେ ଗୋଟାଏ ଗୋଟାଏ ସମାଜକୁ କିପରି ବାଧ୍ୟ କରି ଆମର କାର୍ଯ୍ୟ ହାସଲ କରିପାରିବା ? ଏପରି ବାଧ୍ୟ କରିବାଦ୍ୱାରା ଆମର ମନରେ କାର୍ଯ୍ୟ ହାସଲ କରିଦେବାର ଏକ ତୃପ୍ତି ହୁଏତ ଆସିବ, କିନ୍ତୁ ଏହାଦ୍ୱାରା ଆମେ କାହାର ଦୃଷ୍ଟିରେ କି ପରିବର୍ତ୍ତନ କରିପାରିବା ? ଏହି ଶତାବ୍ଦୀରେ କେତେକ ଦେଶରେ ରାଜନୀତିକ ଦଳମାନ ରାଷ୍ଟ୍ରସଭାକୁ କରାୟତ୍ତ କରି ଆପଣାର ପରିବର୍ତ୍ତନ-ଯୋଜନାବଳୀ ଅନୁସାରେ ଜନସାଧାରଣଙ୍କୁ ବାଧ୍ୟ କରିଚନ୍ତି । ଏହି କାର୍ଯ୍ୟକ୍ରମରେ କେଉଁଠି କୌଶଳର ପ୍ରୟୋଗ ହୋଇଚି, କେଉଁଠି ନିଷ୍ଠୁରତାର ଆଚରଣ ବି କରାଯାଇଚି । କିନ୍ତୁ ଖୁବ୍‌ବେଶୀ ଫଳ ହୋଇନାହିଁ । ଦେଶରେ କୃଷି ସୁଧାର କରିବାର ଓ ଅତି କମ୍ ସମୟରେ ଏହାକୁ କରି ଦେଖାଇଦେବାର ଉତ୍ସାହରେ ରୁଷିଆ ଓ ଯୁଗୋସ୍ଳାଭିଆ ଦେଶରେ ଏପରି ହୋଇଚି । ସେହି ଦୁଇଦେଶର ସରକାର କଳ୍ପନା କରିଥିଲେ ଯେ ଆଗ ଉପରୁ ଆଇନ୍ କରି ଚାଷୀମାନଙ୍କ ଉପରେ ସାମୂହିକ କୃଷିଫାର୍ମକୁ ଜୋର୍ କରି ଲଦି ଦିଆଯିବ, ତାପରେ ଗତରେ ପଡ଼ି ଚାଷୀମାନେ ବଳେ ବଳେ ଆପଣାର ପୁରୁଣା ଜୀବନ ପ୍ରଣାଳୀକୁ ପରିତ୍ୟାଗ କରିଦେବେ ଓ ସାମୂହିକ ଜୀବନର ଆବଶ୍ୟକତା ଅନୁସାରେ ଆପଣାର ପୁରୁଣା ରୀତି ତଥା ଅଭ୍ୟାସଗୁଡ଼ିକୁ ବଦଳାଇନେବେ । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଏପରି ଫଳିଲାନାହିଁ । ଉପରୁ ସରକାରଙ୍କ ତରଫରୁ କୃଷିଫାର୍ମର ବ୍ୟବସ୍ଥାକୁ ଲଦିଦିଆଗଲା, କିନ୍ତୁ ଚାଷୀର ମନ ଆଗରୁ ଯେପରି ଥିଲା ସମଗ୍ରତଃ ଠିକ୍ ସେହିପରି ରହିଲା । (ତତ୍ରୈବ : ପୃଷ୍ଠା–୧୦୫)

 

ପୁରୁଣା ଥାନରେ ନୂଆର ଥାପନା କରିବାକୁ ଓ ଦୀନତା ପରିବର୍ତ୍ତନରେ ସବୁରିଲାଗି ମଣିଷଯୋଗ୍ୟ ସମ୍ପନ୍ନତାକୁ ସମ୍ଭବ କରାଇ ପାରିବାକୁ ଆମେ କିପରି ମାର୍ଗ ଅନୁସରଣ କରି ସଫଳତା ଅର୍ଜନ କରିପାରିବା, ଆଉ ଗୋଟିଏ ଦୃଷ୍ଟିରୁ ଆମେ ଏଠାରେ ତାହାର ଆଲୋଚନା କରିବା । ପୃଥିବୀର ବିକଶମାନ ଅଞ୍ଚଳରେ ଅବସ୍ଥିତ ଦେଶଗୁଡ଼ିକରେ କୃଷକମାନଙ୍କର ସଂଖ୍ୟା ହେଉଚି ସର୍ବାଧିକ । ଏସବୁ ଦେଶରେ ଏବେ ଯନ୍ତ୍ରଶିଳ୍ପର ବିକାଶ ହେଉଚି, ମାତ୍ର ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଏହିସବୁ ଦେଶ ଅବଶ୍ୟ କୃଷିପ୍ରଧାନ ହୋଇ ରହିବ । ଅର୍ଥାତ୍ ଏ ସବୁ ଦେଶରେ ବିକାଶ ଓ ବୃଦ୍ଧିର ଅଧିକତର ଯୋଜନା ଓ କାର୍ଯ୍ୟକ୍ରମ କୃଷିକ୍ଷେତ୍ର ଓ କୃଷକର ଜୀବନ ସହିତ ଅବଶ୍ୟ ସମ୍ବନ୍ଧିତ ହୋଇ ରହିବ । ଏକାଧିକାର ଓ ରାଜନୀତିକ କ୍ଷମତାବଳରେ ଆମେ ବିକଶମାନ ଦେଶଗୁଡ଼ିକରେ ଅଧିକ ଶୀଘ୍ର ପରିବର୍ତ୍ତନ ସମ୍ଭବ କରିପାରିବା ନା ଗଣତନ୍ତ୍ର ଓ ଲୋକନୀତିର ଧୀରତର ମାର୍ଗରେ ଗଲେ ଆମେ ଆମର କାର୍ଯ୍ୟରେ ଅଧିକ ସଫଳ ହୋଇପାରିବା, ଏବେ ଆମେରିକାର ଅର୍ଥନୀତିବିଶାରଦ ଅଧ୍ୟାପକ ମାକ୍‌ସ୍ ମିଲିକାନ୍‌ଙ୍କୁ (Max Millikan) ଏହିପରି ଏକ ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେଇ ଯାହାସବୁ କହିଚନ୍ତି, ସେକଥା ଆମ ଦେଶର ସୁସ୍ଥ ଓ ଯଥାର୍ଥ ଉନ୍ନୟନରେ ଅଧିକ ଆଗ୍ରହ ରଖିଥିବା ପ୍ରତ୍ୟେକ ବ୍ୟକ୍ତିର ପ୍ରଣିଧାନଯୋଗ୍ୟ । ‘‘କୃଷି-ଉତ୍ପାଦନରେ ପ୍ରକୃତ ବୃଦ୍ଧି ସମ୍ଭବ କରିପାରିବା ଦିଗରେ ଏକାଧିକାର ତନ୍ତ୍ରବାଦୀ ଦେଶଗୁଡ଼ିକର ସରକାର ଯେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇଚନ୍ତି, ସେକଥାକୁ ଆମେ ବିଚାରକରି ଦେଖିବା । ଅର୍ଥନୀତି ଓ ଆର୍ଥିକ ଉତ୍ପାଦନରେ କୃଷି ଏପରି ଗୋଟିଏ ବିଶେଷ କ୍ଷେତ୍ର ଯେଉଁଥିରେ କି ଅନେକସଂଖ୍ୟକ ଲୋକଙ୍କର ଉଦ୍ୟମ ଓ ଆଗ୍ରହକୁ ଏକତ୍ର ଜଡ଼ିତକରି ରଖିବାକୁ ପଡ଼େ । କୌଣସି ଦେଶରେ କୃଷିର ବିକାଶ କରିବାକୁ ହେଲେ ସେହି ଦେଶରେ ବାସ କରୁଥିବା ସବୁ କୃଷକଙ୍କୁ ଏଥିଲାଗି ଉତ୍‌ପ୍ରେରିତ ଓ କର୍ମତତ୍ପର କରିବାକୁ ପଡ଼େ । ସେମାନଙ୍କର ପ୍ରତ୍ୟେକଙ୍କ ଜୀବନରେ ଯଥେଷ୍ଟ ପ୍ରଭାବ ପକାଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ପଡ଼େ । ତା’ନହେଲେ କୃଷିରେ କୌଣସି ସ୍ଥାୟୀ ବିକାଶ ସମ୍ଭବ ହୁଏନାହିଁ । ଯେକୌଣସି ଦେଶର ଜନସଂଖ୍ୟାର ମାତ୍ର ମୁଷ୍ଟିମେୟ ଲୋକଙ୍କୁ ଆବଶ୍ୟକ ତାଲିମ ଦେଇ ଏକ ଇସ୍ପାତ୍ କାରଖାନା ବସାଯାଇପାରେ । ଉପର ମହଲରେ କୌଣସି କେନ୍ଦ୍ର-ମନ୍ତ୍ରଣାଳୟରେ କେତେଜଣ ବଡ଼ବଡ଼ ମଣିଷ ବସି ଏକ ଇସ୍ପାତ୍ କାରଖାନା ବସାଇବାର ଫଇସଲା କରିଦେଇ ପାରନ୍ତି । ବିଦେଶୀ ବିଶେଷଜ୍ଞ ବା ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କୌଣସି ବିଦେଶୀ ସଂସ୍ଥାକୁ ଠିକା ଦେଇ ଏପରି ଏକ କାରଖାନାର ପ୍ରତିଷ୍ଠା କରାଯାଇପାରେ । ଅଳ୍ପ ଲୋକଙ୍କୁ ତାଲିମ ଦେଇ ଏହି କାରଖାନା ଚଳାଯାଇପାରେ ଓ ପୋଲିସ୍‌-ରାଷ୍ଟ୍ରର କାଇଦାମାନ ପ୍ରୟୋଗକରି ସେମାନଙ୍କଠାରୁ କାମ ଆଦାୟ ମଧ୍ୟ କରାଯାଇପାରେ । କିନ୍ତୁ କୃଷି-ଉତ୍ପାଦନ କ୍ଷେତ୍ରରେ ଯେ ଆମେ କଦାପି ଏପରି ଏକ ପ୍ରଣାଳୀ ଅନୁସରଣ କରି କାମ ହାସଲ କରି ପାରିବାନାହିଁ, ଏହାର ପ୍ରମାଣସ୍ୱରୂପ ଆମପାଖରେ ନାନାବିଧି ଦୃଷ୍ଟାନ୍ତ ମହଜୁଦ ରହିଛି । କାରଣ କୃଷି-ଉତ୍ପାଦନ ବେଳକୁ କିଛି କରିବାକୁ ବସିଲେ ଦେଶର କୋଟିକୋଟି ଜନସାଧାରଣଙ୍କୁ ବଦଳାଇବାକୁ ପଡ଼େ, ସେମାନଙ୍କର ସହଯୋଗ ପାଇବାକୁ ପଡ଼େ, ଓ ନାନାପ୍ରକାରେ ନାନା ପ୍ରଭାବ ପକାଇ ସେମାନଙ୍କର ଜୀବନକୁ ସ୍ପର୍ଶ କରିବାକୁ ପଡ଼େ । ଏହି କାରଣରୁ ଏକାଧିକାରତନ୍ତ୍ରର ଶାସନ ଚାଲୁଥିବା ଦେଶମାନଙ୍କରେ ଆଜିପର୍ଯ୍ୟନ୍ତ କୃଷି-ଉତ୍ପାଦନ କ୍ଷେତ୍ରରେ ଯଥାର୍ଥ ବ୍ୟୂହପ୍ରବେଶ ସମ୍ଭବ ହୋଇ ପାରିନାହିଁ । ତେଣୁ ଯେ କୌଣସି ଦେଶର କୃଷି-ଅର୍ଥନୀତିରେ କ୍ଷିପ୍ରତର ବୃଦ୍ଧିସାଧନ କରିବାକୁ ହେଲେ ଆମକୁ ଆମର ପ୍ରଚେଷ୍ଟା ଓ ପ୍ରଣାଳୀରେ ଅନେକ ପରିମାଣରେ ବିକେନ୍ଦ୍ରୀକରଣର ପନ୍ଥା ଅବଲମ୍ବନ କରିବାକୁ ହେବ । ଇଚ୍ଛାକଲେ ଆମେ ଏହି ପନ୍ଥାକୁ ପ୍ରଜାତନ୍ତ୍ର ବା ଲୋକତନ୍ତ୍ର ବୋଲି ବି କହିପାରିବା ।’’(୪)

 

ମଣିଷ ମାରି ସମାଜର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ହେଲେ ଯୋଜନାର କୌଣସି ଆବଶ୍ୟକତା ପଡ଼େନାହିଁ, ବନ୍ଧୁକରେ କାମ ଚଳିଯାଏ । ସମାଜକୁ ବାଧ୍ୟ କରି ସମାଜରେ ପରିବର୍ତ୍ତନକୁ ଲଦିବାକୁ ହେଲେ ମାର୍ଗର ଯଥାର୍ଥତା ବା ଅଯଥାର୍ଥତା ବିଷୟରେ ଖୁବ୍‌ବେଶୀ ମୁଣ୍ଡ ଖେଳାଇବାକୁ ପଡ଼େନାହିଁ । ଯେକୌଣସି ଉପାୟରେ ରାଜନୀତିକ ଓ ରାଷ୍ଟ୍ରୀୟ କ୍ଷମତାକୁ ହାତକୁ ନେଇଆସିଲେ କାମ ଚଳିଯାଏ ଓ ତା’ପରେ ସବୁ କରିପାରିବା ବଡ଼ ସହଜ ଲାଗେ । କିନ୍ତୁ ଯେଉଁସବୁ ପରିବର୍ତ୍ତନକୁ ସମ୍ଭବ କରିବାଲାଗି ଏହିସବୁ କାଣ୍ଡ ଚାଲିଥାଏ, ସେହି ପରିବର୍ତ୍ତନ ହିଁ ସୁଦୂରପରାହତ ହୋଇ ରହେ । ମଣିଷ ବଦଳେନାହିଁ, ସେ ପ୍ରଧାନତଃ ରାଷ୍ଟ୍ର ଓ ରାଷ୍ଟ୍ରବାଦକୁ ଖୋସାମତ କରିବାର ଏକ ଯନ୍ତ୍ରରୂପେ ତିଆରି ହୁଏ । ରାଷ୍ଟ୍ରର ଅନୁଗ୍ରହରେ ହିଁ ମଣିଷର ଜୀବନ ଚାଲେ, ରାଷ୍ଟ୍ରୀୟ ରାଜନୀତି ମୁଖ୍ୟତଃ ତ୍ରାସ ଓ ତୋସାମଦର ରାଜନୀତି ହୋଇ ରହେ । ବିକଶମାନ ଦେଶଗୁଡ଼ିକ ଭିତରୁ ଆଜି ହୁଏତ ଅଧିକସଂଖ୍ୟକ ଦେଶର ସାମରିକ ବା ବେସାମରିକ ଏକାଧିକାରତନ୍ତ୍ର ଚାଲୁଚି । ଲୋକଙ୍କ ନାଆଁ ରେ ହୁଏତ ସେଠି ଆଜି ସବୁ ହେଉଚି, ତଥାପି ସବୁଲୋକଙ୍କର ସର୍ବାଙ୍ଗୀନ ବିକାଶକୁ ଯଦି ଯଥାର୍ଥ ଓ ସାମୁଦାୟିକ ବିକାଶ ବୋଲି କୁହାଯାଏ, ତେବେ ସେସବୁ ଦେଶରେ ତାହା ହେଉନାହିଁ । କେବଳ ବିକାଶମାନ ଦେଶଗୁଡ଼ିକର କ୍ଷେତ୍ରରେ ନୁହେଁ, ଯେକୌଣସି ଦେଶର ସାମୁଦାୟିକ ବିକାଶ ବିଷୟରେ ଆମେ ଏତିକି କଥା ଏକ ମୂଳସୂତ୍ର ରୂପେ ଗ୍ରହଣ କରିପାରିବା ଯେ, କେବଳ ଲୋକଶାସନ ବା ପ୍ରଜାତନ୍ତ୍ରର ଏକ ସାମାଜିକ ଓ ରାଜନୀତିକ ଜଳବାୟୁରେ ଯଥାର୍ଥ ସାମୁଦାୟିକ ବିକାଶ ସମ୍ଭବ ହୋଇପାରିବ । ତାହା ନହେଲେ କେବଳ କେତେକ ଲୋକଙ୍କର ଉଦୟ ହେବ ଓ ଅବଶିଷ୍ଟ ଲୋକେ ବଳି ପଡ଼ିବେ । ଏହି ଲୋକଶାସନ ବିଷୟରେ ଚର୍ଚ୍ଚା କରିବାଲାଗି ପରେ ଆମକୁ ଅଧିକ ଅବସର ମିଳିବ ।

 

ସଂଯୁକ୍ତ ରାଷ୍ଟ୍ରସଂଘ ଦ୍ୱାରା ପ୍ରକାଶିତ ଏକ ପୁସ୍ତିକାରେ (୫) କୁହାଯାଇଚି, ଦ୍ୱିତୀୟ ମହାଯୁଦ୍ଧର ପରଠାରୁ ଅଳ୍ପବିକଶିତ ଦେଶଗୁଡ଼ିକର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସବୁଆଡ଼େ ଉପସ୍ଥିତ ପରିସ୍ଥିତି ବିଷୟରେ ଏକ ଅସନ୍ତୋଷ-ଭାବ ବୃଦ୍ଧି ପାଇବାରେ ଲାଗିଚି । ଆଗେ ଏହି ଦେଶର ଅଧିବାସୀମାନେ ଆପଣାର ପରିସ୍ଥିତିକୁ ଭାଗ୍ୟର ନିର୍ଣ୍ଣୟ ବୋଲି ଆଦରି ନେଉଥିଲେ ଓ ସେ ବିଷୟରେ ସେମାନଙ୍କର ବା ଆଉ କାହାର କିଛି କରିବାକୁ ରହିଚି ବୋଲି ଅନୁଭବ କରୁନଥିଲେ । ଜୀବନରେ ଅର୍ଥାତ୍ କପାଳରେ ବିଧିନିର୍ଦ୍ଦିଷ୍ଟ ଭାବରେ ମେଞ୍ଚାଏ ହେଉ ବା କେଞ୍ଚାଏ ହେଉ ଯେତିକି ମିଳିଲା, ସେଇଥିରେ ଯେକୌଣସି ପ୍ରକାରେ ଜୀବନଧାରଣ କରି ଆଉ ଅଧିକ କୌଣସି ବିଷୟରେ ଉଦାସୀନ ଓ ନିରାସକ୍ତ ରହିବାହିଁ ସେମାନଙ୍କର ଜୀବନ ଦୃଷ୍ଟିଗତ ଅଭ୍ୟାସ ହୋଇ ରହିଥିଲା । ଜାତୀୟ ସ୍ୱାଧୀନତା ହାସଲ କରିବାପରେ ଓ ପାଶ୍ଚାତ୍ୟ ଜଗତର ଜୀବନମାନ ସମ୍ବନ୍ଧରେ ଅଧିକ ପରିଚୟରେ ଆସିବା ସଙ୍ଗେ ସଙ୍ଗେ ସେମାନଙ୍କର ଏହି ଦୃଷ୍ଟିକୋଣ ବଦଳିଯାଇଚି । ଏବେ ସେମାନେ ଅନ୍ୟପ୍ରକାର ଭାବିବାକୁ ଆରମ୍ଭ କଲେଣି, ଅଧିକ ଚାହିଲେଣି, ଆପଣା ଉଦ୍ୟମରେ ଆପଣା କପାଳର ପୁନର୍ଲିଖନ ମଧ୍ୟ ସମ୍ଭବ ହୋଇପାରିବ ବୋଲି ବିଶ୍ୱାସ କରିବାକୁ ଆରମ୍ଭ କଲେଣି । ପୁସ୍ତକରେ ପୁଣି କୁହାଯାଇଚି ଯେ ଏସିଆର ଅଧିକାଂଶ ଦେଶରେ ପାରସ୍ପରିକତା ଓ ଗୋଷ୍ଠୀଗତ ଜୀବନର ଏକ ଅତିଦୀର୍ଘ ପରମ୍ପରା ରହିଆସିଚି । ଏସବୁ ଦେଶରେ ଅଧିକାଂଶ ପାଖରେ ସାଧାରଣତଃ କମ୍ ଜମି ଏ ଅନ୍ୟାନ୍ୟ ସମ୍ପତ୍ତି ରହିଚି । ତେଣୁ ନିୟମତଃ ସେଠାରେ ଲୋକମାନେ ପରସ୍ପର ସହିତ ସହଯୋଗମୂଳକ ଭାବରେ ଏକତ୍ରିତ ହୋଇ ସାମୁଦାୟିକ କଲ୍ୟାଣ କରିବାଲାଗି କଦାପି ବିମୁଖ ହେବେନାହିଁ । ପରମ୍ପରାଗତ ଗୋଷ୍ଠୀଗତ ପ୍ରବୃତ୍ତିକୁ ନୂତନ ପ୍ରେରଣା ଓ ମାର୍ଗ ଯୋଗାଇପାରିଲେ ସେହିସବୁ ଦେଶରେ ସାମୂହିକ ବିକାଶଲାଗି ଅନେକ ଅବସର ସୃଷ୍ଟି କରାଯାଇ ପାରିବ ।

 

ଆଗରୁ କୁହାଯାଇଚି ଅବିକଶିତ ବା ବିକଶମାନ ଦେଶମାନଙ୍କରେ ଅଧିକସଂଖ୍ୟକ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ତେଣୁ ବିକାଶ-ଯୋଜନା କହିଲେ ଏହିସବୁ ଦେଶରେ ପ୍ରଧାନତଃ ଗ୍ରାମାଞ୍ଚଳଗୁଡ଼ିକ ଲାଗି କରାଯାଉଥିବା ବିକାଶଯୋଜନାକୁ ବୁଝାଇଥାଏ । କିନ୍ତୁ ବସ୍ତୁତଃ ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ସହରାଞ୍ଚଳଲାଗି ମଧ୍ୟ ବିକାଶଯୋଜନାମାନ ଗଢ଼ାଯାଇଚି ଓ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ କେତେକ କ୍ଷେତ୍ରରେ କିଛି ସଫଳତା ବି ମିଳିଚି । ଏବେ ସମାଜଶାସ୍ତ୍ରରେ ସହରାଞ୍ଚଳର କମ୍ୟୁନିଟି ବିଷୟରେ ମଧ୍ୟ ଆଧ୍ୟୟନ ଆରମ୍ଭ ହେଲାଣି । ଏହିପରି ସମାଜଶାସ୍ତ୍ରୀମାନଙ୍କର ବକ୍ତବ୍ୟ ହେଉଚି ଯେ, ଗ୍ରାମବାସୀର ଜୀବନପରି ସହରବାସୀର ଜୀବନରେ ମଧ୍ୟ ଗୋଷ୍ଠୀଯୋଜନା ଓ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମର ସମାନ ଆବଶ୍ୟକତା ରହିଚି । ସହରବାସୀର ଜୀବନ ଆଜି ନାନାଦୃଷ୍ଟିରୁ ନାନାପ୍ରକାରେ ବ୍ୟସ୍ତ ଓ ଅସଂବୃତ୍ତ ହୋଇ ପଡ଼ିଚି । ଏକ ନୂତନ ସୁଖସ୍ୱର୍ଗର କଳ୍ପନାରେ ଦିନେ ଯେଉଁଠି ଗ୍ରାମବାସୀମାନେ ଗାଆଁ ଭାଙ୍ଗିଦେଇ ସହରରେ ଆସି ଏକଜୁଟ୍‌ ହୋଇଥିଲେ, ସେଠି ଆଜି ସହରକୁ ଆସି ଓ ସହରରେ ବଞ୍ଚି ମଧ୍ୟ ଜୀବନଗତ ନାନା ସମସ୍ୟା ଓ ବିଘଟନର ସମ୍ମୁଖୀନ ହେବାକୁ ପଡ଼ୁଚି । ସୁନ୍ଦର ସମାଜରେ ସୁନ୍ଦର ଓ ଶୁଭବାସନାଚାଳିତ ମଣିଷ ହିସାବରେ ବଞ୍ଚିରହିବାକୁ ହେଲେ ସହରବାସୀକୁ ମଧ୍ୟ ଆପଣା ଘରକୁ ନୂତନ ଦୃଷ୍ଟିରେ ଓ ନୂତନ ରୀତିରେ ସଜାଇବାକୁ ପଡ଼ିବ, ସହର ସହିତ ସେ ନାନା ନୂତନ ଭାଗବତ ସମ୍ପର୍କସୂତ୍ରମାନ ସ୍ଥାପନ କରିଶିଖିବ, ନାନାପ୍ରକାର ନୂତନ ମୂଲ୍ୟବୋଧଦ୍ୱାରା ଅନୁପ୍ରେରିତ ହୋଇ ସେ ଆପଣା ଭିତରେ ନୂତନ ଅନୁରକ୍ତିଗୁଡ଼ିକର ବିକାଶ କରିବାକୁ ସମର୍ଥ ହେବ ଏବଂ ସର୍ବୋପରି ସହରାଞ୍ଚଳରେ ମଧ୍ୟ ଏକ ସୁସ୍ଥ ଓ ଶକ୍ତିଶାଳୀ ଜନମତ ଜାଗୃତ କରି ରଖିବାରେ ସେ ସହାୟତା କରିପାରିବ । ଏହିସବୁର ଅଭିବୃଦ୍ଧି ଲାଗି ସହରରେ ମଧ୍ୟ ଗୋଷ୍ଠୀବିକାଶ-ଯୋଜନାର ଅନେକ ଆବଶ୍ୟକତା ରହିଚି । ସହରାଞ୍ଚଳର ଗୋଷ୍ଠୀବିକାଶ-ଯୋଜନା ପ୍ରତ୍ୟକ୍ଷ ଓ ପରୋକ୍ଷ ନାନାଭାବରେ ଗ୍ରାମାଞ୍ଚଳର ଗୋଷ୍ଠୀବିକାଶ-ଯୋଜନାକୁ ସାହାଯ୍ୟ ମଧ୍ୟ କରିପାରିବ । ଶିକ୍ଷିତ ସହରବାସୀ ଆଜି ଗ୍ରାମଜୀବନ ଓ ଗ୍ରାମବାସୀର ସଂସାର ବିଷୟରେ ଜାଣିବାକୁ ବା ସମ୍ପୃକ୍ତ ରହିବାକୁ ସାଧାରଣତଃ ଖୁବ୍ ବେଶୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ସମଗ୍ର ଦେଶ ଯେ ନିଜର ଜୀବନଧାରଣ ଲାଗି ଗ୍ରାମାଞ୍ଚଳ ଉପରେ ନିର୍ଭର କରି ରହିଚି, ଅନେକ ସମୟରେ ସେମାନେ ଏକଥା ଅନୁଭବ ହିଁ କରିପାରୁନାହାନ୍ତି । ସହରାଞ୍ଚଳରେ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ଆରମ୍ଭ ହେଲେ ଏହି ଅଭାବଟିକୁ ଦୂର କରିବାରେ ଅନେକ ସହାୟତା ମିଳିପାରିବ । ସାମୁଦାୟିକ ବିକାଶ-ଯୋଜନା ସହରୀ ମନର ନାନା କ୍ଷତିକାରକ ପ୍ରବୃତ୍ତିକୁ ରୋକି ରଖିବାରେ ଅନେକ ସାହାଯ୍ୟ କରିବ । ଏକ ଅପୂର୍ଣ୍ଣ ଓ ବିକୃତ ଶିକ୍ଷା ବ୍ୟବସ୍ଥା ଫଳରେ ଗ୍ରାମବାସୀ କୃଷକ ଓ ସହରବାସୀ ଚାକିରିଆ ମଧ୍ୟରେ ଯେଉଁ ବ୍ୟବଧାନର ସୃଷ୍ଟି ହୋଇଚି, ସହରର ଗୋଷ୍ଠୀବିକାଶ-ଯୋଜନା ସେହି ବ୍ୟବଧାନ ଗୁଡ଼ିକୁ ଅନେକ ପରିମାଣରେ ଊଣା କରିଦେଇ ପାରିବ । ସହରାଞ୍ଚଳରେ ସାମୁଦାୟିକ ଯୋଜନାର କାର୍ଯ୍ୟକ୍ରମ ଚଳାଇ ଯେଉଁସବୁ ସ୍ଥାନରେ ଅଳ୍ପବହୁତ ସଫଳତା ପ୍ରାପ୍ତ ହୋଇଚି, ସେଥିମଧ୍ୟରୁ ହଙ୍ଗ୍‍କଙ୍ଗ୍‌, ଡାର୍‌-ଏସ୍‌-ସାଲମ୍ (ଟାଙ୍ଗାନିକା) ଏବଂ ଜାମେକାର ଦୃଷ୍ଟାନ୍ତ ଉଲ୍ଲେଖଯୋଗ୍ୟ । ଆଫ୍ରିକାର ସିରାଲିଓନ୍, ଏସିଆର ସିଙ୍ଗାପୁର ଏବଂ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଅବସ୍ଥିତ ବ୍ରିଟିଶଶାସିତ ଅଞ୍ଚଳରେ ମଧ୍ୟ ଏହି ଦିଗରେ କେତେକ କାର୍ଯ୍ୟ କରାଯାଇଚି । (୬)

 

ମାତ୍ର ଆହୁରି କେତେକଙ୍କର ମତରେ ସହରାଞ୍ଚଳରେ ସାମୁଦାୟିକ ବିକାଶ ଯୋଜନାର କୌଣସି କାର୍ଯ୍ୟକ୍ରମକୁ ଆମେ ସଫଳଭାବରେ ଚଳାଇ ପାରିବାନାହିଁ । କାରଣ ଏହିପରି କାର୍ଯ୍ୟଲାଗି ଯେଉଁ ଆଧାରଗତ ପୃଷ୍ଠଭୂମି ଓ ଯେଉଁପରି ଜଳବାୟୁ ରହିବା ଆବଶ୍ୟକ, ସହରର ବାତାବରଣରେ ଆମେ କେବେହେଲେ ସେପରି ଏକ ବାତାବରଣ ପାଇପାରିବାନାହିଁ । ଏହିପରି ମନ୍ତବ୍ୟ ପ୍ରକାଶ କରି ଗୋଟିଏ ସ୍ଥାନରେ କୁହାଯାଇଚି ଯେ ସମାଜ-ନିର୍ମାଣର କ୍ଷେତ୍ରରେ ସାମୁଦାୟିକ ଯୋଜନାଗତ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଲାଗି ବିଶେଷ ଭାବରେ ଉପଯୁକ୍ତ ଓ ଉପାଦେୟ ହେଲାଭଳି ଗଢ଼ାଯାଇଚି । ସହରାଞ୍ଚଳ ଲାଗି ଏହି ପ୍ରକାରର ଯୋଜନାମାନ କଦାପି ସେତେଦୂର ଉପଯୁକ୍ତ ହୋଇ ପାରିବନାହିଁ । ସହରରେ ସାମୂହିକ ଜୀବନ ଅବଶ୍ୟ ରହିଚି, ଅର୍ଥାତ୍ ସେଠାରେ ମଧ୍ୟ ମଣିଷ ନାନାପ୍ରକାର ସମୁଦାୟ ଭିତରେ ପରସ୍ପର ସହିତ ନାନାଭାବେ ଯୁକ୍ତ ଓ ସମ୍ପୃକ୍ତ ହୋଇ ବାସ କରୁଚି । କିନ୍ତୁ ସେମାନଙ୍କୁ ସମସ୍ତଙ୍କୁ ଗୋଟିଏ ସାମାଜିକ ସୂତ୍ରରେ ବାନ୍ଧି ରଖିଲାଭଳି ଯେ ସାଧାରଣ ସ୍ୱାର୍ଥମାନ ରହିଚି, ସହରବାସୀ ଏହି ବିଷୟରେ ଗ୍ରାମବାସୀ ପରି ଏତେଦୂର ସଚେତ ନଥାଏ । ସହରରେ ମଧ୍ୟ ଲୋକମାନେ ଗୋଟିଏ ଗୋଟିଏ ସାହୀ ବା ବସ୍ତିରେ ପରସ୍ପରର ସମୀପବର୍ତ୍ତୀ ହୋଇ ବାସ କରୁଥାନ୍ତି । କିନ୍ତୁ ପାରସ୍ପରିକତାକୁ ସହରବାସୀମାନେ ଗ୍ରାମବାସୀଙ୍କ ତୁଳନାରେ ଏତେଦୂର ମହତ୍ତ୍ୱ ଦିଅନ୍ତିନାହିଁ । ଅଳ୍ପ ବିକଶିତ ଦେଶମାନଙ୍କରେ ଗ୍ରାମାଞ୍ଚଳରେ ଯେଉଁ ଗ୍ରାମସବୁ ରହିଚି, ସେ ଗୁଡ଼ିକୁ ଏହି ଅର୍ଥରେ ଗୋଟିଏ ଗୋଟିଏ ଗୋଷ୍ଠୀ ବା କମ୍ୟୁନିଟି ବୋଲି ଅବଶ୍ୟ କୁହାଯାଇ ପାରିବ ।(୭) ଆମେରିକାର ଜଣେ ଅଧ୍ୟାପକ (C.P. Kixdleberger) ମଧ୍ୟ ଅନୁରୂପ ମତଦେଇ କହିଚନ୍ତି: ଯେକୌଣସି ପ୍ରକାର ମନୁଷ୍ୟ ସମୂହ ଓ ପରିସ୍ଥିତି ଭିତରେ ସାମୁଦାୟିକ ବିକାଶର କାର୍ଯ୍ୟପ୍ରଣାଳୀକୁ ଚଳାଇବା ସମ୍ଭବପର ହେବନାହିଁ । ଯେଉଁଠି ସମାଜରେ ବାସ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆମେ ଅତିରିକ୍ତ ପରିମାଣରେ ଏକ ବ୍ୟକ୍ତିବାଦୀ ସଂକୀର୍ଣ୍ଣ ଦୃଷ୍ଟିକୋଣ ଦେଖିବାକୁ ପାଇବା (ସାଧାରଣତଃ ସହରମାନଙ୍କରେ ଯାହା ଦେଖିବାକୁ ମିଳିଥାଏ), ସେଠାରେ ସାମୁଦାୟିକ ବିକାଶ-ଯୋଜନା ଚାଲୁ କରି ଆମେ ଖୁବ୍ ବେଶୀ ସଫଳତା ହାସଲ କରିପାରିବାନାହିଁ । ଏପରି କି ସେସବୁ ସ୍ଥାନରେ ଆମେ ବିକାଶ ପରିକଳ୍ପେ ଯେଉଁ ଅର୍ଥବ୍ୟୟ କରିବାକୁ ଯିବା, ଅନେକ ସମୟରେ ସେହି ଅର୍ଥର ଅପଚୟ ହୋଇଗଲାପରି ମନେହେବ । (ତତ୍ରୈବ : ପୃଷ୍ଠା–୩)

 

ମୋଟକଥା ହେଉଚି, ଗ୍ରାମ ଓ ସହରର ମାନବିକ ତଥା ସାମୂହିକ ସମ୍ବନ୍ଧଗତ ବାତାବରଣ ପରସ୍ପରଠାରୁ ପୃଥକ୍ ହୋଇଥିବାରୁ ସହରାଞ୍ଚଳରେ ସାମୁଦାୟିକ ବିକାଶ-ଯୋଜନାକୁ ଆମେ ଗ୍ରାମାଞ୍ଚଳପରି ଏତେ ବ୍ୟାପକ ଭାବରେ ଚଳାଇ ପାରିବାନାହିଁ । ଗାଆଁର ସାମୁଦାୟିକ ଜୀବନରେ ସାମୁଦାୟିକ ବିକାଶ-ଯୋଜନାମାନ ଯେଡ଼େ ସ୍ୱାଭାବିକ ଭାବରେ ଭେଦିଯାଇ ପାରିବ, ସହରର ଗ୍ରନ୍ଥିଳ ଜୀବନରେ ତାହା ସେତେ ସମ୍ଭବ ହୋଇ ପାରିବନାହିଁ । ସହରର କୌଣସି ଏକ ବିଶେଷ ଅଞ୍ଚଳରେ ବା ସହର-ଜୀବନର କୌଣସି ବିଶେଷ କ୍ଷେତ୍ରରେ ବିକାଶମୂଳକ କୌଣସି କାର୍ଯ୍ୟକ୍ରମ ନେଇ ଅନେକ କଲ୍ୟାଣକାର୍ଯ୍ୟ କରାଯାଇ ପାରିବ । ସହରବାସୀ ଏହାଦ୍ୱାରା ଅବଶ୍ୟ ଉପକୃତ ଅନୁଭବ କରିବେ । କିନ୍ତୁ ସହରରେ ଗ୍ରାମର ସମାଜପରି ଅନ୍ତରଙ୍ଗ ପାରସ୍ପରିକତାର ଅଭାବ ରହିଥିବାରୁ ଏବଂ ସହରବାସୀଙ୍କର ପାରସ୍ପରିକ ପରିଚୟ ସଚରାଚର ଔପଚାରିକ ଓ ପ୍ରୟୋଜନସିଦ୍ଧ ହୋଇଥିବାରୁ ସାମୁଦାୟିକ ଜୀବନର ଭାଗବତ ଚେରମାନ ସହରର ଜୀବନରେ ସହଜରେ ମାଡ଼ି ପାରିବନାହିଁ । ମାତ୍ର ଏକଥାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ସହରରେ ଯେଡ଼େ ଆଞ୍ଚଳିକ ବା ସ୍ଥାନୀୟ ଭାବରେ ହେଲେ ସୁଦ୍ଧା ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ଚାଲୁ କରାଗଲେ ତାହା ସହରବାସୀମାନଙ୍କୁ ପରସ୍ପରର ଅଧିକ ନିକଟବର୍ତ୍ତୀ କରାଇ ଆଣିବ ଏବଂ ସେଠି ମଣିଷ ଭିତରେ ରହିଥିବା ସମ୍ପର୍କକୁ ଅଧିକ ସ୍ୱାଭାବିକ ହେବାରେ ସାହାଯ୍ୟ କରିପାରିବ ।

 

ସଂସାର ଅନ୍ୟାନ୍ୟ ଦେଶ ସହିତ ସମକକ୍ଷ ହେବାକୁ ହେଲେ ବିକଶମାନ ଦେଶଗୁଡ଼ିକୁ ଅତି ପ୍ରଖର ଗତିରେ ଆପଣାର ବିକାଶ କରାଇବାକୁ ପଡ଼ିବ । ଏହିସବୁ ଦେଶରେ ବାସକରୁଥିବା ମଣିଷସମୂହ କଦାପି ସୁନ୍ଦରତର ଜୀବନର କିଞ୍ଚିତ୍ ସ୍ୱାଦ ପାଇବାଲାଗି ଦୁଇଶହ ବର୍ଷ ଅପେକ୍ଷା କରି ରହିପାରିବେ ନାହିଁ । ତେଣୁ ଇଉରୋପରେ ଯେପରି ସ୍ୱାଭାବିକ ବେଗରେ ବିକାଶ ହୋଇଚି, ବିକଶମାନ ଦେଶଗୁଡ଼ିକ ସେହି ବେଗରେ ଓ ସେହି ରୀତିରେ ବିକଶିତ ହେବାକୁ ଛାଡ଼ିଦେଲେ ଆଦୌ କାମ ଚଳିବନାହିଁ । ଏକଥା ସତ ଯେ ବିକାଶ କହିଲେ କେବଳ ଆର୍ଥିକ ବିକାଶକୁ ବୁଝାଇବ ନାହିଁ । ଶିକ୍ଷା, ସାମାଜିକ ଜୀବନ ଓ ସଂସ୍କୃତିର ବିକାଶ ମଧ୍ୟ କରିବାକୁ ହେବ, -ଯେପରିକି ତାହା ଏହିସବୁ ଦେଶର ସୁସ୍ଥ ପ୍ରଗତିରେ ସହଯୋଗ କରିପାରିବ, ଅନ୍ତରାୟ ହୋଇ ଠିଆ ହେବନାହିଁ । କିନ୍ତୁ ଆର୍ଥିକ ବିକାଶକୁ ହିଁ ସବୁ ବିକାଶର ମୂଳ ମାନିବାକୁ ପଡ଼ିବ । ଆଗ ଆୟ ବଢ଼ିବ, ଆଗ ପେଟ ପୂରିବ, ଭୌତିକ ଅନ୍ନମୟ ଜୀବନରେ ଯେଉଁଠି ଯେତେ ମଳିନତା ମଣିଷର ଜୀବନାଗ୍ରହ ଓ ସଂସାରକାଙ୍‌କ୍ଷାକୁ ଆଚ୍ଛନ୍ନ କରି ରଖିଚି, ସେହିସବୁ ମଳିନତାକୁ ଦୂର କରିବାଲାଗି ସବୁପ୍ରକାର ପ୍ରଚେଷ୍ଟା ଆରମ୍ଭ କରିବାକୁ ହେବ । କୌଣସି ଦେଶର ସବୁ ମଣିଷ ଖାଇବାକୁ ନପାଇବା ପର୍ଯ୍ୟନ୍ତ, ସାଧୁଭାବରେ କାମ କରି ସାଧୁଭାବରେ ଆପଣା ଜୀବନନିର୍ବାହ କରିବାର ଅବସର ନପାଇବା ପର୍ଯ୍ୟନ୍ତ ଶିକ୍ଷା, ସାମାଜିକ ଜୀବନ ଓ ସଂସ୍କୃତି କ୍ଷେତ୍ରରେ ଆମର ଯାବତୀୟ କାର୍ଯ୍ୟକ୍ରମ କେବଳ ତେଲିଆ ମୁଣ୍ଡରେ ତେଲ ଢାଳିବାରେ ହିଁ ସାହାଯ୍ୟ କରୁଥିବ । ବିଜ୍ଞାନର ସକଳ ସହାୟତାକୁ ଗ୍ରହଣ କରି ଆମକୁ ସମସ୍ତଙ୍କ ଲାଗି ଅନ୍ନସଂସ୍ଥାନ ସମ୍ଭବ କରିବାକୁ ପଡ଼ିବ । ତା’ନହେଲେ ଜ୍ଞାନ ବିଜ୍ଞାନ, କଳା ଓ କୌଶଳ ବଢ଼ିବା ସଙ୍ଗେ ସଙ୍ଗେ ମଣିଷଜୀବନର ଅସୁନ୍ଦରତା ଓ ଅସ୍ୱାଭାବିକତାଗୁଡ଼ିକ ମଧ୍ୟ ବଢ଼ିବାରେ ଲାଗିଥିବ । ଯଥାସମ୍ଭବ ଶୀଘ୍ର ଯଥାସମ୍ଭବ ଅଧିକ ବିକାଶ ସମ୍ଭବ କରିବାଲାଗି ଓ ବିକାଶର ନାନା କ୍ଷେତ୍ର ଓ ନାନା କ୍ରମରେ ସମୁଚିତ ଭାରସାମ୍ୟ ରଖିବାଲାଗି ଆମକୁ ଜାତୀୟ ସ୍ତରରେ ଏଥିସକାଶେ ଯୋଜନା ତିଆରି କରିବାକୁ ହିଁ ପଡ଼ିବ । ଏବେ ଆମ ଯୁଗକୁ ଯୋଜନାର ଯୁଗ ବୋଲି କୁହାଯାଇଚି । ସାନ ବଡ଼ ସବୁ ଦେଶ ଆଜି ଯୋଜନା କରିବାରେ ତତ୍ପର ହୋଇପଡ଼ିଚନ୍ତି । ଆମ ପାଖରେ ଆଗକୁ ଯିବାଲାଗି ଯେତେ ସାଧନମାନ ମହଜୁଦ ରହିଚି, ସେହି ଅନୁସାରେ ଆମେ ଆଗାମୀ ପାଞ୍ଚବର୍ଷ ବା ଦଶବର୍ଷ ଭିତରେ କେତେ ଆଗକୁ ଯାଇପାରିବା, ତାହାର ଏକ ଅଟକଳ ତିଆରି କରି ସେହି ଲକ୍ଷ୍ୟର ସିଦ୍ଧିଲାଗି ଅଗ୍ରସର ହେବାକୁ ମୋଟାମୋଟି ଆମେ ଯୋଜନା କରି ସେହି ଲକ୍ଷ୍ୟର ସିଦ୍ଧିଲାଗି ଅଗ୍ରସର ହେବାକୁ ମୋଟାମୋଟି ଆମେ ଯୋଜନା ବୋଲି କହିବା । ଭାରତବର୍ଷର ସବୁ ଜାତୀୟ ପ୍ରଚେଷ୍ଟା ୧୯୫୨ ମସିହା ଠାରୁ ଏହି ଯୋଜନା ଅନୁସାରେ ଚଳିଆସୁଚି ।

 

କମ୍ୟୁନିଷ୍ଟ ରୁଷିଆର ସରକାର ପ୍ରଥମେ ଯୋଜନାର ଭିଆଣ କରିଥିଲେ । ରୁଷିଆ ପରେ ଅନ୍ୟାନ୍ୟ କମ୍ୟୁନିଷ୍ଟ ଦେଶରେ ମଧ୍ୟ ଏହି ଯୋଜନାରୀତିର ଅନୁକରଣ କରାଯାଇଥିଲା । କିନ୍ତୁ ଭାରତ ହେଉଚି ସମ୍ଭବତଃ ପ୍ରଥମ ଗଣତନ୍ତ୍ରଶାସିତ ଦେଶ, ଯେଉଁଠାରେ କି ଯୋଜନାକୁ ଆର୍ଥିକ ତଥା ଜାତୀୟ ବିକାଶର ମାଧ୍ୟମରୂପେ ଗ୍ରହଣ କରାଯାଇଚି । ଇଂଲଣ୍ଡ ବା ଆମେରିକା ପ୍ରଭୃତି ଯେଉଁସବୁ ଦେଶ ଗଣତନ୍ତ୍ରର ପରମ୍ପରାରେ ବଡ଼ମୁଣ୍ଡିଆ ହୋଇ ରହିଚନ୍ତି, ସେସବୁ ଦେଶରେ ଜାତୀୟ ସ୍ତରରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମାଦ୍ୱାରା ଆବଦ୍ଧ ଯୋଜନା ନାହିଁ । ଭାରତବର୍ଷରେ ଲୋକନିର୍ବାଚିତ ସରକାର ଯୋଜନା ଗଢ଼ୁଚନ୍ତି ଓ ଯୋଜନା ଚଳାଉଚନ୍ତି । ଆମଦେଶରେ ସମ୍ପତ୍ତି, ଶିକ୍ଷା ସୁଯୋଗ ଓ ସମ୍ପନ୍ନତା ପ୍ରଭୃତି କ୍ଷେତ୍ରରେ ମଣିଷ ମଣିଷ, ଶ୍ରେଣୀ ଶ୍ରେଣୀ ଓ ଅଞ୍ଚଳ ଅଞ୍ଚଳ ଭିତରେ ଏତେବଡ଼ ଖାଇମାନ ରହିଚି ଯେ ଏସବୁର ହ୍ରାସ କରି ଦେଶରେ ଏକ ସୁଷମ ପରସ୍ପର ସହଯୋଗୀ ଓ ପରସ୍ପରପୋଷକ ସମାଜ ସ୍ଥାପନ କରିବାକୁ ହେଲେ ଆଗାମୀ ଅନେକବର୍ଷ ପର୍ଯ୍ୟନ୍ତ ସରକାରକୁ ହିଁ ଯୋଜନା ତିଆରି କରିବାକୁ ପଡ଼ିବ ଓ ଯୋଜନା ଚଳାଇବାକୁ ପଡ଼ିବ । ଗତ ଦୁଇଶହ ବର୍ଷ ହେଲା ବ୍ରିଟିଶ୍ ସରକାର ଏହି ଦେଶକୁ ଶାସନ କରୁଥିଲେ-। ସେମାନଙ୍କଠାରୁ ଆମେ ସାଧାରଣତଃ ଯେପରି ବ୍ୟବହାର ପାଇଚୁ, ସରକାର କହିଲେ ସେହି ଅନୁରୂପ କଳ୍ପନାମାନ କରିବାକୁ ଆମର ପ୍ରବୃତ୍ତି ହେବା ବଡ଼ ସ୍ୱାଭାବିକ । ସରକାର ଶାସନ କରିବେ, ସରକାର ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବେ । ଆମଦେଶର ପରମ୍ପରାରେ ରାଜା ବା ରାଜସତ୍ତାକୁ ମର୍ତ୍ତ୍ୟଧାମରେ ଦେବତାର ଇଚ୍ଛା ପୂରଣ କରୁଥିବା ଏକ ପବିତ୍ର ନିମିତ୍ତ ରୂପେ କଳ୍ପନା କରାଯାଉଥିଲା । ତେଣୁ ରାଜା ବା ସରକାର କହିଲେ ଆମେ ସାଧାରଣତଃ ଆମ ଜୀବନ ଉପରେ ମାଡ଼ି ରହିଥିବା କୌଣସି ପ୍ରବଳ ପରାକ୍ରମୀ ଶକ୍ତିର ହିଁ କଳ୍ପନା କରିଥାଉ । ସରକାର ଶାସନ କରିବେ, ସରକାର ଦେଶରେ ଶାନ୍ତିରକ୍ଷା କରିବେ, ଏଥିରେ କୌଣସି ସନ୍ଦେହ ନାହିଁ । ଶାସନ ଓ ନିୟନ୍ତ୍ରଣ କରିବା ରାଷ୍ଟ୍ରର ପରମ୍ପରାଗତ କର୍ତ୍ତବ୍ୟ ହୋଇ ରହିଆସିଚି । କିନ୍ତୁ ଏବେ ବିଶେଷତଃ ଦ୍ୱିତୀୟ ମହାଯୁଦ୍ଧ ପରେ ରାଷ୍ଟ୍ରର ଆଉଗୋଟିଏ କର୍ତ୍ତବ୍ୟ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଚି । ତାହା ହେଉଚି, ରାଷ୍ଟ୍ର ଲୋକମାନଙ୍କର କଲ୍ୟାଣସକାଶେ ମଧ୍ୟ କାର୍ଯ୍ୟ କରିବ । ଜନକଲ୍ୟାଣ-ରାଷ୍ଟ୍ର କହିଲେ ସାଧାରଣତଃ ଏହାହିଁ ବୁଝାଇଥାଏ । ପୃଥିବୀର ଅଧିକାଂଶ ଗଣତାନ୍ତ୍ରିକ ରାଷ୍ଟ୍ର ଜନକଲ୍ୟାଣକୁ ହିଁ ଆପଣାର ସର୍ବପ୍ରଧାନ କର୍ତ୍ତବ୍ୟ ବୋଲି ଘୋଷଣା କରିଥାନ୍ତି । ମଣିଷ ମଣିଷ ଭିତରେ ରହିଯାଇଥିବା ଅନ୍ୟାୟମୂଳକ ବ୍ୟବଧାନଗୁଡ଼ିକର ଯଥାସମ୍ଭବ ନିରାକରଣ କରି ଜନକଲ୍ୟାଣ ରାଷ୍ଟ୍ର ପ୍ରତ୍ୟେକ ମଣିଷକୁ ସୁନ୍ଦରତର ଭାବରେ ଜୀବନ ବଞ୍ଚିବାର ସୁଯୋଗ ଦେବ । ତାହା ନହେଲେ ବିଶେଷତଃ ଅଳ୍ପବିକଶିତ ଦେଶମାନଙ୍କରେ ମତ୍ସ୍ୟନ୍ୟାୟର ଶାସନ ହିଁ ଚାଲିବା ସାର ହେବ । ସମସ୍ତଙ୍କ ସକାଶେ ସମାନ ସୁଯୋଗ ଓ ସମାନ ଅବସରମାନ ଉପଲବ୍‌ଧ କରି ନପାରିବା ପର୍ଯ୍ୟନ୍ତ ପ୍ରତ୍ୟେକକୁ ଆପଣାର ସ୍ୱାଧୀନ ବିକାଶ କରିବାଲାଗି ଛାଡ଼ି ଦିଆଗଲେ ବଡ଼ ମାଛମାନେ ସାନମାଛଗୁଡ଼ିକୁ ଖାଇଯିବାର କୌଣସି ପ୍ରକାର ତ୍ରୁଟି କରିବେନାହିଁ । ତେଣୁ ବିକଶମାନ ଦେଶରେ ଜନକଲ୍ୟାଣ ଅର୍ଥାତ୍ କଲ୍ୟାଣ ଓ ବିକାଶ କାର୍ଯ୍ୟର ନାନା ଯୋଜନାମାନ ଗଢ଼ି ପ୍ରଗତିକୁ ନ୍ୟାୟଉପରେ ପ୍ରତିଷ୍ଠିତ କରି ରଖିବାର ଓ ସମସ୍ତଙ୍କୁ ସମାନ ଅବସର ଯୋଗାଇଦେବାର ଗୁରୁଦାୟିତ୍ୱ ଏହିସବୁ ଦେଶର ସରକାର ଉପରେ ହିଁ ନ୍ୟସ୍ତ ରହିଚି । ବିକଶମାନ ଦେଶଗୁଡ଼ିକରେ ନାନା ସାମାଜିକ ଓ ମାନବିକ ବିପ୍ଳବର ତୋରଣ ଖୋଲିଦେଇ ବର୍ତ୍ତମାନ ଯେଉଁ ପର୍ଯ୍ୟାୟ ଚାଲିଚି, ରାଷ୍ଟ୍ର ସେହି ପର୍ଯ୍ୟାୟରେ ବିପ୍ଳବର ସପକ୍ଷରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଚି । ବିକଶମାନ ଦେଶର ବିକାଶ-ଯୋଜନା କହିଲେ ଆଜି ପ୍ରଧାନତଃ ସରକାରୀ ଯୋଜନାଗୁଡ଼ିକୁ ହିଁ ବୁଝାଉଚି ।

 

ଗୋଷ୍ଠୀବିକାଶର ଯୋଜନା ଗୋଷ୍ଠୀରେ ବାସ କରୁଥିବା ସମସ୍ତଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ଚାଲିବ, ବିଭିନ୍ନ ମଣିଷର ସ୍ୱାର୍ଥକୁ ଏହା ଏକତ୍ର ଓ ପରସ୍ପର ସହଯୋଗୀ ହିସାବରେ ଗୋଷ୍ଠୀଗତ ସ୍ୱାର୍ଥରେ ବାନ୍ଧିରଖିବ । ଗୋଷ୍ଠୀ ବା ସମୁଦାୟର ସ୍ୱାର୍ଥ ସହିତ ବ୍ୟକ୍ତିର ସ୍ୱାର୍ଥ ଜଡ଼ିତ ରହିଚି, ଗୋଷ୍ଠୀର ସୁଖ ଦୁଃଖ, ଲଜ୍ଜା ଓ ଗୌରବ ସହିତ ବ୍ୟକ୍ତିର ସୁଖ ଦୁଃଖ, ଲାଜ ଓ ଗୌରବ ଗୁନ୍ଥାହୋଇ ରହିଚି, ଏହିପରି ଏକ ଭାବନାର ବାତାବରଣ ସମ୍ଭବ କରିବା ହେଉଚି ଗୋଷ୍ଠୀବିକାଶ ଯୋଜନାର ସର୍ବମୂଳ ଉଦ୍ଦେଶ୍ୟ । ଏହି ଯୋଜନା ସରକାରଙ୍କ ଦ୍ୱାରା ଚାଲିବ । ବିଶେଷକରି ବିକଶମାନ ଦେଶମାନଙ୍କରେ ସରକାର ହିଁ ସକଳପ୍ରକାର କଲ୍ୟାଣ ଓ ଉନ୍ନୟନ-କାର୍ଯ୍ୟର ଟ୍ରଷ୍ଟି ହୋଇ ରହିବେ ଓ ସାମୁଦାୟିକ ବିକାଶ ଯୋଜନାଲାଗି ଅଧିକ କ୍ଷେତ୍ର ଓ ଅବସର ଯୋଗାଇଦେବେ-। ସାମାଜିକ ଓ ଗୋଷ୍ଠୀଗତ ବିପ୍ଳବରେ ସ୍ୱୟଂ ସରକାର ଜନସାଧାରଣଙ୍କ ସହିତ ଜଣେ ଅଂଶୀଦାର ପରି ହୋଇ ରହିବେ । ପରବର୍ତ୍ତୀ ଆବଶ୍ୟକତା ହେଉଚି ଯେ ଏହି ବିକାଶ ଯୋଜନାମାନ ପ୍ରଜାତାନ୍ତ୍ରିକ ପଦ୍ଧତିରେ ବା ଲୋକନୀତିକୁ ରାଷ୍ଟ୍ରୀୟ ଜୀବନର ଆଧାର ମାନି ଚାଲିବ-। କୌଣସି ବିକାଶଯୋଜନାକୁ ସାମୁଦାୟିକ ବିକାଶଯୋଜନା କରିବାକୁ ହେଲେ ସମୁଦାୟର ସମଗ୍ର ଜୀବନକୁ ଏକକରୂପେ ମାନି ଏହାକୁ ଚଳାଇବାକୁ ପଡ଼ିବ । କେବଳ କୃଷିର ଉନ୍ନତିରେ ସବୁ ଶକ୍ତି ସାରିଦେଲେ ତଦ୍ଦ୍ୱାରା ସାମୁଦାୟିକ ଉନ୍ନୟନ ହେବା ତ ଦୂରେଥାଉ, ହୁଏତ କୃଷିରେ ମଧ୍ୟ ଇପ୍‌ସିତ ଉନ୍ନୟନ ସମ୍ଭବ ହେବନାହିଁ । କେବଳ ଶିକ୍ଷାରେ ସବୁ ଶ୍ରମ ଓ ସବୁ ହିତୈଷଣା ଶେଷ କରିଦେଲେ ସମାଜ ଯେଉଁଠି ଅଛି ହୁଏତ ସେହିଠାରେ ହିଁ ପଡ଼ିରହିବ, ଏଣେ ଶିକ୍ଷାରେ ମଧ୍ୟ ଆହୁରି କେତେପ୍ରକାର ବିକୃତି ଆସି ପଶିଯିବ । ଆଗେ ରାଜାମାନେ ଧର୍ମ କାର୍ଯ୍ୟ କରିବା ବାହାନାରେ ଲୋକମାନଙ୍କର କେତେ ଉପକାର କରିଦେଉଥିଲେ । ସଡ଼କ ତିଆରି କରି ଦେଉଥିଲେ, ପଥିକର ଶାନ୍ତି ମୋଚନଲାଗି ପାନ୍ଥଶାଳା ଗଢ଼ୁଥିଲେ, ଦୀନ ଦରିଦ୍ର ସନ୍ନ୍ୟାସୀ ଭିକାରୀମାନଙ୍କ ଲାଗି ସଦାବର୍ତ୍ତ ବସାଉଥିଲେ, ଆପଣା ଦରବାରରେ କଳା, ସାହିତ୍ୟ ଓ ସଂଗୀତଲାଗି ଆଦର ଦେଖାଇବାର କେତେ ଅବସର ସୃଷ୍ଟି କରିରଖିଥିଲେ । ଏସବୁ କରିବା ପଛରେ ନିଷ୍ଠା ଅବଶ୍ୟ ରହିଥିଲା, ଏଥିରେ ଲୋକମାନେ ଉପକୃତ ଅବଶ୍ୟ ହେଉଥିଲେ, କିନ୍ତୁ ସମାଜ ବା ସାମୁଦାୟିକ ଜୀବନର ଖୁବ୍ ବେଶୀ ଉନ୍ନୟନ ହୋଇପାରୁନଥିଲା ।

 

ଭଲ ବିହନ ଭଲ ସାର ଯୋଗାଇଦେବା କୃଷିବିଭାଗର କାମ । ଜମିଲାଗି ଉନ୍ନତ ଲଙ୍ଗଳ ଆଣିଦେବା ଓ ଉନ୍ନତ କୃଷିକାର୍ଯ୍ୟର ପ୍ରଦର୍ଶନମାନ କରିବା ମଧ୍ୟ କୃଷିବିଭାଗର କାର୍ଯ୍ୟ । କିନ୍ତୁ ସେତିକି କରିଦେଲେ କୃଷିର ଉନ୍ନତି ଆପଣାଛାଏଁ ସୁଗମ ହୋଇଯିବନାହିଁ । ଜମିରେ ଠିକ୍ ସମୟରେ ପାଣି ମାଡ଼ିବ- ଏହା ସେଚନ ବିଭାଗର କାର୍ଯ୍ୟ । କୃଷକ ଓ ତା’ର ପିଲାଏ ଅଧିକ ଶିକ୍ଷିତ ହେବେ, ଅଧିକ ଜାଣିବାକୁ ଚାହିବେ ଓ ଅଧିକ ଉପାର୍ଜନ କରିବାକୁ ଆଗ୍ରହୀ ହେବେ, ଏହା ଶିକ୍ଷା ଓ ପ୍ରସାର-ବିଭାଗର କାମ । ଗାଆଁରୁ ଅସ୍ୱାସ୍ଥ୍ୟ ଦୂର ହେବ, ରୋଗବ୍ୟାଧିର ଭୟ ଦୂର ହୋଇଯିବ, ରୋଗବଇରାଗରେ ଗ୍ରାମବାସୀ ହାତପାହାନ୍ତାରେ ଉପଯୁକ୍ତ ଚିକିତ୍ସା ପାଇପାରିବେ, ଏହା ସ୍ୱାସ୍ଥ୍ୟବିଭାଗର କାମ । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ସାଂସ୍କୃତିକ ଜୀବନ ଅଧିକ ବଳିଷ୍ଠ ଓ ଆକର୍ଷଣୀୟ ହୋଇପାରିଲେ ଗାଆଁ କୃଷକର ମନ ଆପଣା ଗାଆଁରେ ରହିବ, ସେ ଆପଣା ଧନ୍ଦାକୁ ଭଲ ପାଇବ, ଆପଣା ବେଉସାପ୍ରତି ଅନୁରକ୍ତି ରଖିବ, ଅର୍ଥାତ୍ ସବୁ ମିଶି କୃଷିର ଉନ୍ନୟନ ଅଧିକ ସମ୍ଭବ ହେବ । ଗାଆଁର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ସାଂସ୍କୃତିକ ଜୀବନ ସେହିପରି ଅବହେଳିତ ହୋଇ ପଡ଼ିଥିବ । ଗାଆଁକୁ ସବୁ ସିଆଣିଆ ମଣିଷ ଏକାଠି ଷଡ଼ଯନ୍ତ୍ର କରି ଶୋଷଣ କରିବାରେ ଲାଗିଥିବେ, ସୁନ୍ଦରତର ଓ ସମ୍ପନ୍ନତର ଜୀବନର ସ୍ୱପ୍ନ ଦେଖିବାମାତ୍ରକେ ଗାଆଁରୁ ମନ ଛାଡ଼ିଯାଉଥିବ, ଗାଆଁରେ ଦିଆଯାଉଥିବା ଶିକ୍ଷା ଓ ପଢ଼ାଯାଉଥିବା ପାଠ ଗାଆଁରୁ ସରାଗ ଛଡ଼ାଇଦେବାରେ ସବୁପ୍ରକାର ସାହାଯ୍ୟ କରୁଥିବ, କିନ୍ତୁ ଏଣେ ଭଲ ବିହନ, ଭଲ ସାର ବା ଉନ୍ନତ ଲଙ୍ଗଳ ଯୋଗାଇଦେଲେ ଯେ ଗାଆଁର କୃଷିଉନ୍ନୟନ ଅବଶ୍ୟ ହୋଇଯିବ, ଏପରି ଆଶା କରିବା ଦୁରାଶାହିଁ ହେବ । ତେଣୁ କେବଳ କୃଷିର ଉନ୍ନୟନ ନୁହେଁ, କେବଳ ମଣିଷ ବା ପଶୁଙ୍କୁ ଟୀକା ଦେଇ ରୋଗ ପ୍ରତିଶେଧ କରିବା ନୁହେଁ, କେବଳ ସ୍କୁଲଘର ତିଆରି କରିଦେବା ନୁହେଁ, ସମଗ୍ର ଗ୍ରାମ-ସମୁଦାୟକୁ ଏକକରୂପେ ଗ୍ରହଣ କରି ଜୀବନର ବିଭିନ୍ନ ଦିଗରୁ ବିକାଶ ଓ ଉନ୍ନୟନର ବ୍ୟବସ୍ଥା କରିବାକୁ ହିଁ ସାମୁଦାୟିକ ବିକାଶ ଯୋଜନା କୁହାଯାଏ । ଗୋଟିଏ ବାକ୍ୟରେ କହିବାକୁ ହେଲେ ସାମୁଦାୟିକ ଜୀବନକୁ ଅଧିକ ସୁନ୍ଦର ଓ ବଳିଷ୍ଠ କରିବାଲାଗି ଗାଆଁରେ ଯେଉଁପରି ବାତାବରଣ ସୃଷ୍ଟି ହେବା ଉଚିତ, ସେହିପରି ବାତାବରଣ ଲାଗି ସମଗ୍ରଭାବରେ ଉଦ୍ୟମ କରିବା ଓ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ସମ୍ପୃକ୍ତ ସଭିଙ୍କର ସହଯୋଗ ନେଇ ଏହି ଉଦ୍ୟମ କରିବାକୁ ଆମେ ସାମୁଦାୟିକ ବିକାଶ-ଯୋଜନା ବୋଲି କହିବା । ଏହି ବିକାଶ ଯୋଜନା ଭିତରେ ଅର୍ଥନୀତି, ସମାଜନୀତି, ଶିକ୍ଷା, ନିର୍ମାଣ କୌଶଳ, ବିଜ୍ଞାନ ଓ ସାଂସ୍କୃତିକ ଜୀବନମୂଲ୍ୟ ସବୁରିଲାଗି ସ୍ଥାନ ରହିବ-। ଗୋଟିକର ସମୃଦ୍ଧି କରିବାକୁ ଯାଇ ଆଉ ଗୋଟିକୁ ଅବହେଳିତ କରାଯିବନାହିଁ । ସର୍ବାଙ୍ଗୀନ ଭାବରେ ମଣିଷର ସାମୁଦାୟିକ ଜୀବନ କହିଲେ ଯେଉଁସବୁ କ୍ଷେତ୍ର ବା ସ୍ତରକୁ ବୁଝାଏ, ସାମୁଦାୟିକ ବିକାଶ ଯୋଜନାରେ ସେହି ସକଳ ସ୍ତରରେ କୌଣସି ନା କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରାଯିବ ।

 

ସାମୂହିକ ଜୀବନର ସମ୍ବନ୍ଧିତ ଅନ୍ୟାନ୍ୟ କ୍ଷେତ୍ରପ୍ରତି ଦୃଷ୍ଟି ନ ଦେଇ କେବଳ ଗୋଟିଏ କାର୍ଯ୍ୟକ୍ରମ ଭିତରେ ସକଳ ଉଦ୍ୟମକୁ ସୀମାବଦ୍ଧ କରି ରଖିଲେ କିପରି କୌଣସି ଉଦ୍ଦେଶ୍ୟ ସାଧିତ ହୁଏନାହିଁ ଓ ସମସ୍ୟାର ଜଳାଶୟ ଭିତରେ କିପରି କ୍ଷଣକଲାଗି କିଞ୍ଚିତ୍ ଆଲୋଡ଼ନ ସୃଷ୍ଟି କରି ଆମେ ଉଦ୍ୟମର ଖପରାଟି ଅଳ୍ପ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯାଏ, ଏ ବିଷୟରେ ଆମେ ସାମାଜିକ ଇତିହାସରୁ ଅନେକ ଉଦାହରଣ ପାଇପାରିବା । ମିଶରଦେଶର ଗାଆଁ ମାନଙ୍କରେ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟକର ବାତାବରଣର ବିକାଶ କରିବାଲାଗି ଥରେ ଏକ ବିଶେଷ ଯୋଜନା ତିଆରି ହୋଇଥିଲା ଓ ସେହି ଅନୁସାରେ ସକଳ ସନ୍ତର୍ପଣରେ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟରେ କର୍ତ୍ତୃପକ୍ଷମାନଙ୍କୁ ଖୁବ୍ ବେଶୀ ସଫଳତା ମିଳିନଥିଲା । ଏହି ଉଦ୍ୟମଟି କାହିଁକି ଆଶାନୁରୂପ ଭାବରେ ସଫଳ ହୋଇ ପାରିଲାନାହିଁ, ତାହାର ଏକ ଅଧ୍ୟୟନ ପରେ ପ୍ରକାଶିତ ହୋଇଥିଲା । ଅଧ୍ୟୟନଟିରୁ (୮) ଆମେ ଜାଣିବାକୁ ପାଉଚୁ ଯେ, ‘‘ଯେଉଁ ଦେଶର ଅଧିବାସୀମାନଙ୍କ ପାଖରେ ଖୁବ୍‌ବେଶୀ ଆର୍ଥିକ ସମ୍ବଳ ନାହିଁ, ଯେଉଁଠି ଅଧିକାଂଶ ମଣିଷ ନିରକ୍ଷର ହୋଇ ରହିଚନ୍ତି, ସେଠାରେ କୌଣସି ସ୍ୱାସ୍ଥ୍ୟ-ଉନ୍ନୟନ ଯୋଜନାକୁ ସଫଳ କରିବାକୁ ହେଲେ ସ୍ୱାସ୍ଥ୍ୟବିଭାଗର କର୍ମୀକୁ ସମାଜସେବକ, ଶିକ୍ଷାବିତ୍, କୃଷି-ଇଞ୍ଜିନିୟର୍ ଓ ଶିକ୍ଷକର ନିକଟ ସହଯୋଗ ହାସଲ କରିବାକୁ ପଡ଼ିବ । ଏହିସବୁ ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ଓ ସମ୍ବନ୍ଧୀକରଣ ସ୍ଥାପିତ ହୋଇପାରିଲେ ଯାଇ ଗ୍ରାମସ୍ତରରେ ଏମାନଙ୍କର ଉଦ୍ୟମକୁ ଏକତ୍ର ଓ ଏକୋଦ୍ଦିଷ୍ଟ କରିବା ସମ୍ଭବ ହୋଇପାରିବ । ଗ୍ରାମସ୍ୱାସ୍ଥ୍ୟରେ ଉନ୍ନତିବିଧାନ କରିବାକୁ ହେଲେ ସରକାରୀ ବିଭିନ୍ନ ବିଭାଗରେ ଆବଶ୍ୟକ ବିକେନ୍ଦ୍ରୀକରଣ କରାଇ ଗ୍ରାମସ୍ତରରେ କର୍ମୀମାନଙ୍କୁ ଅଧିକ କର୍ମସ୍ୱାତନ୍ତ୍ର୍ୟ ଦେବାକୁ ପଡ଼ିବ ଏବଂ ଗ୍ରାମସଭାର ତତ୍ତ୍ୱାବଧାନରେ ଗ୍ରାମକ୍ଷେତ୍ରରେ ବିଭିନ୍ନ ବିଭାଗର ଉଦ୍ୟମକୁ ପରସ୍ପର ସହିତ ସମ୍ବନ୍ଧିତ କରି ରଖିବାକୁ ପଡ଼ିବ ।’’

 

ପ୍ରାୟ ଚାଳିଶିବର୍ଷ ତଳେ (୧୯୨୬-୧୯୨୮) ବ୍ରିଟିଶ ସରକାରଙ୍କ ଅମଳରେ ଏକ କୃଷିବିଷୟକ ରାଜକୀୟ କମିଶନ ବସିଥିଲା । ଭାରତରେ କୃଷି ଓ କୃଷକର ଜୀବନରେ ନୂତନ ପ୍ରାଣସ୍ପନ୍ଦନ ଆଣିଦେବାକୁ ହେଲେ କେଉଁ କ୍ଷେତ୍ରରେ କଣ ସବୁ ସୁଧାର କରିବାକୁ ପଡ଼ିବ, କମିଶନ ଏହି କଥା ଅନୁସନ୍ଧାନ କରିବାକୁ ଚେଷ୍ଟା କରିଥିଲେ । ଭାରତର କୃଷି ସୁଧାର କରିବାକୁ ହେଲେ କେବଳ କୃଷି-ସମ୍ବନ୍ଧୀୟ ସୀମାବଦ୍ଧ କ୍ଷେତ୍ରରେ ନୁହେଁ, ମାତ୍ର ଗ୍ରାମଜୀବନର ସମଗ୍ର ବାତାବରଣ ଓ କୃଷକର ଜୀବନଦୃଷ୍ଟିରେ ଯେ ମୌଳିକ ପରିବର୍ତ୍ତନମାନ ଆଣିବାକୁ ପଡ଼ିବ, କମିଶନ ଏହିପରି ମନ୍ତବ୍ୟମାନ ପ୍ରକାଶ କରିଥିଲେ । କମିଶନର ପ୍ରସ୍ତାବଗୁଡ଼ିକୁ କାର୍ଯାନ୍ୱିତ କରିବାଲାଗି ତଦାନୀନ୍ତନ ସରକାରଙ୍କର କୌଣସି ଆଗ୍ରହ ନହୋଇଥାଉ ପଛକେ, ସେମାନଙ୍କର ମନ୍ତବ୍ୟଗୁଡ଼ିକ ଆଜି ଚାଳିଶବର୍ଷ ପରେ ମଧ୍ୟ ଆମଦେଶର ବର୍ତ୍ତମାନ ପରିସ୍ଥିତିରେ ଓ ସମଗ୍ରତଃ ସାମୁଦାୟିକ ବିକାଶ-ଯୋଜନାର କ୍ଷେତ୍ରରେ ଠିକ୍ ସେହିପରି ମହତ୍ତ୍ୱପୂର୍ଣ୍ଣ ହୋଇ ରହିଚି । କମିଶନ ଅତି ସ୍ପଷ୍ଟଭାବରେ ଏକଥା ସ୍ୱୀକାର କରିଥିଲେ ଯେ ଭାରତବର୍ଷରେ କୃଷିର ଉନ୍ନୟନ କରିବାକୁ ହେଲେ ଆମକୁ ମୂଳତଃ ଭାରତୀୟ ଗ୍ରାମଜୀବନର ଉନ୍ନୟନ କରିବାକୁ ହେବ । ତେଣୁ କୃଷିର ଉନ୍ନତିକଳ୍ପେ ମଧ୍ୟ ଆମକୁ ସମଗ୍ର ଗ୍ରାମଜୀବନର ଅଧ୍ୟୟନ ଓ ବିକାଶ କରିବାକୁ ପଡ଼ିବ । ‘‘ଅସଲ କଥା ହେଉଚି, ଆମକୁ ସବୁପ୍ରକାର ଆବଶ୍ୟକ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ, କେବଳ କୃଷିସଂକ୍ରାନ୍ତୀୟ ସମସ୍ୟାଗୁଡ଼ିକ ଭିତରେ ସୀମାବଦ୍ଧ ରହିଲେ ଚଳିବନାହିଁ । ଗ୍ରାମବାସୀ ଆଜି ଭାଗ୍ୟକୁ ଆଦରି ରହୁଚି, ଅଳପକରେ ସନ୍ତୁଷ୍ଟ ହୋଇଯାଉଚି, ତା’ଭିତରେ ଏକ ସୁସ୍ଥ ଆବଶ୍ୟକତା-ବୋଧ ବଢ଼ାଇବାକୁ ପଡ଼ିବ ଏବଂ ତାର ଆପଣା ଚେଷ୍ଟାରେ ସେ ଯେ ଆପଣାର ଅନେକ ଆବଶ୍ୟକତାକୁ ପୂରଣ କରିପାରିବ, ତାହାଭିତରେ ଏହି ବିଶ୍ୱାସ ଆଣିଦେବାକୁ ହେବ ।’’ ପୁଣି, ‘‘ଗ୍ରାମର କଲ୍ୟାଣ ଓ ଗ୍ରାମର ସମୃଦ୍ଧି ବଢ଼ାଇବାକୁ ହେଲେ ଯାହାସବୁ ଆବଶ୍ୟକ, କୃଷକର ମନୋଭାବରେ ପରିବର୍ତ୍ତନ ଆଣିବା ହେଉଚି ସେ ସବୁଭିତରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏକ ସୁନ୍ଦରତର ଓ ଉନ୍ନତତର ଜୀବନମାନ ସକାଶେ କୃଷକଭିତରେ ସ୍ୱତଃ ଏକ ଇଚ୍ଛା ଓ ଆଗ୍ରହ ଜନ୍ମିବ । ଏହି ଇଚ୍ଛା ନ ଜନ୍ମିବା ପର୍ଯ୍ୟନ୍ତ ଭାରତବର୍ଷର କୃଷକ ନୂତନ ବିଜ୍ଞାନ ଓ ତା’ର ମଙ୍ଗଳ ପାଇଁ କରାଯାଉଥିବା ବା ଆଇନ୍‌ଗୁଡ଼ିକରୁ କୌଣସି ଫାଇଦା ଉଠାଇ ପାରିବ ନାହିଁ । ଦେଶର ସରକାର ଓ ରାଷ୍ଟ୍ରୀୟ ପ୍ରଶାସନ ଯେତେ ଯାହା ବ୍ୟବସ୍ଥା କରିଦେଲେ ମଧ୍ୟ କୃଷକର ଜୀବନରେ ତାହାର କୌଣସି ଫଳ ଫଳିବନାହିଁ ।’’ ମୂଳ କଥାଟିକୁ ପୁଣି ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଲାପରି କମିଶନ କହିଥିଲେ ଯେ, ଗ୍ରାମାଞ୍ଚଳର ସମଗ୍ର ଭୌତିକ ଜୀବନ ଓ ବାତାବରଣର ନାନାମୁଖୀ ଉନ୍ନତି ଲାଗି ସୁଯୋଜିତ ଓ ପରସ୍ପର-ସହାୟକ ଉଦ୍ୟମ ଆରମ୍ଭ କରିଦେଇ ପାରିଲେ ତାହା କୃଷକର ମନଭିତରେ ଉନ୍ନତତର ଓ ଅଧିକ ସମ୍ପନ୍ନ ଜୀବନଲାଗି ଏକ ବଳବତୀ ଇଚ୍ଛା ନିଷ୍ପନ୍ନ କରାଇବାରେ ଶକ୍ତିଶାଳୀ ଉତ୍‌ପ୍ରେରକରୂପେ ନିଶ୍ଚୟ କାର୍ଯ୍ୟ କରିପାରିବ । ଏଥିଲାଗି କେବଳ କୃଷି ବା କୃଷକର ନୁହେଁ, ମାତ୍ର ସମଗ୍ର ଗ୍ରାମ-ଜୀବନର ସମୃଦ୍ଧିସାଧନ ଲାଗି ଏକ ବ୍ୟାପକ ନୀତି ଓ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଉଚିତ ବୋଲି କମିଶନ ହୃଦୟଙ୍ଗମ କରିଥିଲେ । ଏହି ନୀତି ବା କାର୍ଯ୍ୟକ୍ରମ ଗ୍ରାମଜୀବନର କୌଣସି କ୍ଷେତ୍ରକୁ ମଧ୍ୟ ଆପଣାର ପରିଧି ଭିତରୁ ବାଦ୍ ଦେବନାହିଁ । ଅର୍ଥାତ୍ ଏହି କାର୍ଯ୍ୟକ୍ରମ ଗ୍ରାମରେ ବାସ କରୁଥିବା ସମସ୍ତଙ୍କୁ ସ୍ପର୍ଶ କରିବ ଓ ଗ୍ରାମଜୀବନର ଯାବତୀୟ ସମସ୍ୟା ବିଷୟରେ ବାଟ ବତାଇବାକୁ ଓ ସମାଧାନ ଦେବାକୁ ସ୍ପର୍ଦ୍ଧା ରଖିଥିବା । ଶେଷରେ କମିଶନ୍ ସୂଚାଇ ଦେଇଥିଲେ ଯେ, ଏହିସବୁ ନୀତି ଓ କାର୍ଯ୍ୟକ୍ରମ ପଛରେ ଗ୍ରାମବାସୀ ଜନସାଧାରଣଙ୍କର ସହାନୁଭୂତି, ଆଗ୍ରହ ଓ ସକ୍ରିୟ ସମର୍ଥନ ମିଳିପାରିଲେ ସ୍ଥାୟୀ ପରିବର୍ତ୍ତନ ଆଣିବା ଦିଗରେ ଆମେ ଅନେକ ସଫଳତା ହାସଲ କରିପାରିବା । ଅର୍ଥାତ୍ ଏହିସବୁ ନୀତି ଓ କାର୍ଯ୍ୟକ୍ରମରେ ସରକାର ଓ ଗ୍ରାମସମୁଦାୟ ଉଭୟେ ସହାୟକ ଅଂଶୀଦାର ହୋଇ ରହିବେ । ଏକ ଉଦାସୀନ ଜନସମୁଦ୍ର ଉପରେ ସରକାରୀ ବିଶେଷଜ୍ଞ ଓ ଶାସକମାନଙ୍କର ଚିଠାଗୁଡ଼ିକୁ କେବଳ ଲଦି ଦିଆଯିବନାହିଁ ।

 

ଅର୍ଥାତ୍ ଚିରାଲୁଗାରେ ତାଳି ପକାଇବାପରି ବା ଫଟା କାନ୍ଥରେ ମାଟି ଲେସିବା ପରି କୌଣସି ସମୁଦାୟରେ ସମସ୍ୟାକୁ ବିଚ୍ଛିନ୍ନ ଭାବରେ ସମାଧାନ କରିବାକୁ ଗଲେ ଆମେ କୌଣସି ଗୋଷ୍ଠୀର ଖୁବ୍ ବେଶୀ ଉନ୍ନୟନ କରିପାରିବାନାହିଁ ବା ବିକାଶକାର୍ଯ୍ୟର ଜରିଆରେ ସାମାଜିକ ଜୀବନରେ କୌଣସି ସ୍ଥାୟୀ ପରିବର୍ତ୍ତନ ଆଣି ପାରିବାନାହିଁ । ସାର୍ଥକ ବିକାଶ ଓ ଯଥାର୍ଥ ପରିବର୍ତ୍ତନ ଲାଗି ଆମକୁ ସମଗ୍ର ଗୋଷ୍ଠୀ ଓ ତାହାର ବହୁବିଧ ସମସ୍ୟାକୁ ଏକତ୍ର ଏକକ ବୋଲି ଗ୍ରହଣ କରିବାକୁ ପଡ଼ିବ । ସାମୁଦାୟିକ ବିକାଶ-ଯୋଜନା କହିଲେ ପ୍ରଧାନତଃ ଏହି ସମଗ୍ର ଦୃଷ୍ଟିକୋଣ ଓ ସମଗ୍ର କାର୍ଯ୍ୟକ୍ରମ ଉପରେ ସବୁଠାରୁ ଅଧିକ ଜୋର୍ ଦେବାକୁ ବୁଝାଇଥାଏ । ପୂର୍ବକାଳରେ ମଧ୍ୟ ସମାଜଲାଗି କଲ୍ୟାଣକାର୍ଯ୍ୟମାନ ହେଉଥିଲା । ସମାଜ ପଚିଶିଜଣ ବା ପଚାଶଜଣ ଏକାଠି ମିଶି ଆଗେ ମଧ୍ୟ ସମାଜର କୌଣସି ତାତ୍‌କାଳିକ ଆବଶ୍ୟକତା ମେଣ୍ଟାଇବା ଉଦ୍ଦେଶ୍ୟରେ କିଛି କାର୍ଯ୍ୟ କରିପକାଉଥିଲେ । ଖ୍ରୀଷ୍ଟିଆନ୍ ମିଶନାରିମାନେ ଏସିଆ ଓ ଆଫ୍ରିକାର ଅନେକ ଦେଶରେ କେତେକେତେ ସ୍କୁଲ ଓ ଡାକ୍ତରଖାନା ଖୋଲିଚନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟର ସେବାକ୍ଷେତ୍ରରେ କେତେ କାର୍ଯ୍ୟ କରିଚନ୍ତି, ଏବେ ମଧ୍ୟ କରୁଚନ୍ତି । ଆମ ଦେଶରେ ରାମକୃଷ୍ଣ ମିଶନ ଓ ସେବାଶ୍ରମ ସଂଘର ନିଃସ୍ୱାର୍ଥପର କର୍ମୀମାନେ ସମାଜର କେତେପ୍ରକାର ଲୋକହିତକର କାର୍ଯ୍ୟ ମଧ୍ୟ କରୁଚନ୍ତି । ଏହାଦ୍ୱାରା ସମ୍ପୃକ୍ତ ସମାଜର ପ୍ରଭୂତ ଉପକାର ସାଧିତ ହେଉଚି ସତ, କିନ୍ତୁ ସମଗ୍ର ସମାଜର ବ୍ୟବସ୍ଥା ଓ ସାମୁଦାୟିକ ଜୀବନର ସ୍ଥିତି-ସ୍ତରରେ ଖୁବ୍ ବେଶୀ ସ୍ଥାୟୀ ପରିବର୍ତ୍ତନ ହୋଇପାରୁନାହିଁ । ସ୍ଥାୟୀ ପରିବର୍ତ୍ତନ କରିବାକୁ ହେଲେ ଆମକୁ ସମଗ୍ର ସମାଜକୁ ଏକକ ବୋଲି ଗ୍ରହଣ କରିବାକୁ ପଡ଼ିବ । କେବଳ ଏଇଟା ବା ସେଇଟାକୁ ନୁହେଁ, ସମାଜକୁ ଗ୍ରାସ କରି ରହିଥିବା ସକଳପ୍ରକାର ସମସ୍ୟାର ସମାଧାନ-ଉପାୟ ବାହାର କରି ସେହି ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ, ଆଧୁନିକ ସାମୁଦାୟିକ ବିକାଶ ଯୋଜନା ମୂଳତଃ ଏହି କଥାଟି ଉପରେ ଜୋର୍ ଦେଇ ଓ ଏହାରିପ୍ରତି ଆମର ଦୃଷ୍ଟି ଆକର୍ଷଣ କରି ଆରମ୍ଭ ହୋଇଚି । ନୀତି ବା କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଗ ତୁଳନାରେ ଖୁବ୍ ବେଶୀ ଅଦଳବଦଳ ହୋଇନାହିଁ, ସମସ୍ୟା, କ୍ଷେତ୍ର ତଥା ସମାଧାନର ସମଗ୍ରତା ଉପରେ ଏବେ ଯେଉଁ ଜୋର୍ ଦିଆଯାଉଚି, ସାମୁଦାୟିକ ବିକାଶ-ଯୋଜନାରେ ତାହାହିଁ ହେଉଚି ନୂଆ କଥା । ଏହାଦ୍ୱାରା ସମାଜର ବିକାଶ ବିଷୟରେ ଆମର ଦୃଷ୍ଟିକୋଣ ଏକାବେଳକେ ବଦଳିଯାଇଚି । ସରକାରୀ ବା ବେସରକାରୀ ଯେଉଁ ସଂସ୍ଥାମାନେ ଏହି କ୍ଷେତ୍ରରେ କାମ କରିଆସୁଥିଲେ ବା କରି ଆସୁଚନ୍ତି, ସେମାନଙ୍କର ଦୃଷ୍ଟିକୋଣ ଓ ନୀତିରେ ଏହାଦ୍ୱାରା ପ୍ରାୟ ଏକ ବୈପ୍ଳବିକ ପରିବର୍ତ୍ତନ ମଧ୍ୟ ଆସିଚି । (୧୦)

 

ଏହି ବିଶେଷ ଅର୍ଥରେ ସାମୁଦାୟିକ ବିକାଶ (ଇଂରାଜୀରେ ଯାହାକୁ Community Development ବୋଲି କୁହାଯାଇଚି)ର ଅଭିଧାନଟି ଆଜିକାଲି ବ୍ୟବହୃତ ହେଉଚି, ତାହାର ଶ୍ରେୟ ଆମକୁ ବ୍ରିଟିଶ ବିଶେଷଜ୍ଞମାନଙ୍କୁ ଦେବାକୁ ପଡ଼ିବ । ଆଫ୍ରିକାରେ ଥିବା ଉପନିବେଶଗୁଡ଼ିକରେ ବ୍ରିଟିଶ ସରକାର ଶିକ୍ଷାପ୍ରସାରର କୌଣସି ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମିଶନାରିମାନେ ହିଁ ପ୍ରଧାନତଃ ସେସବୁ ଦେଶରେ ସ୍କୁଲ ବସାଇ ଶିକ୍ଷାବିତରଣ କରୁଥିଲେ । ୧୯୨୨ ମସିହାରେ ଗୋଟିଏ କମିଟି ବସି ଏହି କାର୍ଯ୍ୟକ୍ରମ କେତେଦୂର ସଫଳ ବା ବିଫଳ ହେଉଚି, ତାହାର ଅଧ୍ୟୟନ କରିଥିଲେ । ସରକାର ତଥା ମିଶନାରି ସଂସ୍ଥାଗୁଡ଼ିକ ତରଫରୁ କରାଯାଉଥିବା ଶିକ୍ଷାପ୍ରସାର କାର୍ଯ୍ୟ ଆଫ୍ରିକାବାସୀର ସକଳ ଆବଶ୍ୟକତା ପୂରଣ କରିବାରେ ଯଥେଷ୍ଟ ହେଉନାହିଁ ଓ ତାହାର ସାମାଜିକ ଜୀବନରେ କୌଣସିପ୍ରକାର ପରିବର୍ତ୍ତନ ସମ୍ଭବ କରାଯାଇପାରୁନାହିଁ ବୋଲି କମିଟି ମତ ଦେଇଥିଲେ । ଆଫ୍ରିକାବାସୀର ପ୍ରକୃତ ଆବଶ୍ୟକତାଗୁଡ଼ିକ ଦୃଷ୍ଟିରୁ ଏହି ଶିକ୍ଷାକୁ ଆଦୌ ବାସ୍ତବ ବା ଉପଯୋଗୀ ବୋଲି କୁହାଯାଇ ପାରିବନାହିଁ ସେମାନେ କହିଥିଲେ । ତା’ପରେ ୧୯୨୩ ମସିହାରେ ବ୍ରିଟିଶ୍ ସରକାରଙ୍କ ତରଫରୁ ବ୍ରିଟିଶ୍ ବିଷୁବମଣ୍ଡଳୀୟ ଆଫ୍ରିକାର ଶିକ୍ଷାସମ୍ବନ୍ଧରେ ପରାମର୍ଶ ଦେବାଲାଗି ଆଉ ଗୋଟିଏ କମିଟି ବସିଲା । ଆପଣାର ପ୍ରସ୍ତାବଗୁଡ଼ିକରେ କମିଟି କହିଥିଲେ ଯେ, କେବଳ ଭଲ ଭଲ କେତୋଟି ସ୍କୁଲ ବସାଇଦେଲେ (ଏହାଦ୍ୱାରା ଶିକ୍ଷାକ୍ଷେତ୍ରରେ ଯେତେ ବେଶୀ ଉନ୍ନତି ହେଉ ନା କାହିଁକି) ଆଫ୍ରିକାରେ ଗ୍ରାମସମୁଦାୟଗୁଡ଼ିକର କୌଣସି ଉଲ୍ଲେଖଯୋଗ୍ୟ ଉନ୍ନତି ହୋଇପାରିବନାହିଁ । ଏଥିଲାଗି ସ୍କୁଲ ଓ ଔପଚାରିକ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ କୃଷିର ଉନ୍ନୟନ ଓ ଗୃହଶିଳ୍ପର ବିକାଶ କରିବାକୁ ପଡ଼ିବ-। ଲୋକମାନଙ୍କର ସ୍ୱାସ୍ଥ୍ୟୋନ୍ନତି ଲାଗି କାର୍ଯ୍ୟକ୍ରମ ରଖିବାକୁ ପଡ଼ିବ ଏବଂ ସ୍ୱାୟତ୍ତଶାସନ ଦିଗରେ ଯୋଗ୍ୟ ହେବାଲାଗି ଲୋକମାନଙ୍କୁ ଅନୁରୂପ ତାଲୀମ ଦେବାକୁ ପଡ଼ିବ । ସର୍ବୋପରି ଲୋକମାନଙ୍କୁ ସେବା ଓ ନାଗରିକତାର ଆଦର୍ଶରେ ମଧ୍ୟ ଅନୁପ୍ରାଣିତ କରିବାକୁ ପଡ଼ିବ । ଆଫ୍ରିକାର ଗ୍ରାମମାନଙ୍କରେ ବାସ କରୁଥିବା ଜନସାଧାରଣଙ୍କ ଶିକ୍ଷା ବିଷୟରେ ବ୍ରିଟିଶ୍ ଔପନିବେଶିକ ବିଭାଗ ତରଫରୁ ୧୯୩୫ ମସିହାରେ ଆଉ ଏକ ସ୍ମାରକପତ୍ର ବାହାରିଥିଲା । କେବଳ ସ୍କୁଲକୁ ହିଁ ଗୋଷ୍ଠୀ ଉନ୍ନୟନର ଏକମାତ୍ର ଶିକ୍ଷାଗତ ସାଧନରୂପେ ଗ୍ରହଣ କଲେ ଗୋଷ୍ଠୀର ଯଥେଷ୍ଟ ଉନ୍ନୟନ ସମ୍ଭବ ହେବନାହିଁ ବୋଲି ଏହି ସ୍ମାରକପତ୍ରରେ କୁହାଯାଇଥିଲା । ଏଥିରେ ସୂଚିତ କରାଇ ଦିଆଯାଇଥିଲା ଯେ, ‘‘ଲୋକସାଧାରଣଙ୍କର ସ୍ୱାସ୍ଥ୍ୟୋନ୍ନତି ନହେଲେ, ସେମାନଙ୍କର ଆର୍ଥିକ ମୂଳଦୁଆ ଦୃଢ଼ ନହେଲେ, ସେମାନଙ୍କର କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟବୃଦ୍ଧି ଓ ସାମାଜିକ ସହଯୋଗପ୍ରବୃତ୍ତି ନବଢ଼ିଲେ ସୁସ୍ଥ ସାମୁଦାୟିକ ଜୀବନର ମୂଳଦୁଆ ପକାଇବା କଦାପି ସମ୍ଭବ ହୋଇପାରିବନାହିଁ ।’’

 

୧୯୪୪ ମସିହାରେ ଏହି ବିଭାଗରୁ ‘‘ଆଫ୍ରିକା ମହାଦେଶର ସମାଜଲାଗି ଜନଶିକ୍ଷା’’ (Mass Education in African Society) ନାମରେ ଆହୁରି ଏକ ରିପୋର୍ଟ୍ ପ୍ରକାଶ ପାଇଲା । ଗୋଷ୍ଠୀର ବିକାଶ ଲାଗି କରାଯାଉଥିବା ଯାବତୀୟ କାର୍ଯ୍ୟକ୍ରମକୁ ଏଥିରେ Mass Education ବା ଜନଶିକ୍ଷା ବୋଲି କୁହାଗଲା । ରିପୋର୍ଟରେ ବିଶେଷ ଜୋର୍ ଦେଇ କୁହାଯାଇଥିଲା ଯେ, ‘‘ଆଫ୍ରିକାର ସମାଜରେ ପ୍ରକୃତ କୌଣସି ଲୋକଶାସକ ଚଳାଇବାକୁ ହେଲେ ପ୍ରଥମେ ଲୋକସାଧାରଣଙ୍କର ସୁବିବେଚିତ ସହଯୋଗ ହାସଲ କରିବାକୁ ପଡ଼ିବ । ଆଗରୁ ଚଳିଆସୁଥିବା ଶିକ୍ଷାଯୋଜନାଦ୍ୱାରା ଅବଶ୍ୟ ଅନେକ ପ୍ରଶଂସନୀୟ କାର୍ଯ୍ୟ ସାଧିତ ହୋଇଚି, କିନ୍ତୁ ଲୋକମାନଙ୍କୁ ସ୍ୱାୟତ୍ତଶାସନର ଯୋଗ୍ୟ କରିବାକୁ ହେଲେ ବିକାଶ-ଉଦ୍ୟମର ପରିସରକୁ ଆହୁରି ଅଧିକ ବଢ଼ାଇଦେବାକୁ ପଡ଼ିବ । ଯେଉଁସବୁ ନୂତନ ପ୍ରବାହ ଓ ପ୍ରଭାବଦ୍ୱାରା ଆଫ୍ରିକାବାସୀର ଜୀବନରେ ତୁମୁଳ ପରିବର୍ତ୍ତନମାନ ହୋଇଚି ଏବଂ ହେଉଚି, ତାହାକୁ ବୁଝି ତାହାର ମହତ୍ତ୍ୱକୁ ଅନୁଭବ କରିବାକୁ ହେଲେ ଆଫ୍ରିକାରେ ସାମୁଦାୟିକ ବିକାଶଲାଗି ଏକ ପନ୍ଥା ଅତିଶୀଘ୍ର ବାହାର କରିବାକୁ ପଡ଼ିବ ।’’ କେବଳ ଜନଶିକ୍ଷାଦ୍ୱାରା ଶିଶୁ, ଯୁବକ ଓ ବୟସ୍କ ସମସ୍ତଙ୍କଲାଗି ଏକ ବ୍ୟାପକ ଶିକ୍ଷାଯୋଜନା ଚଳାଇବାଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଏହି ରିପୋର୍ଟ୍‌ରେ କୁହାଯାଇଥିଲା । (୧୧) ଜନଶିକ୍ଷାର ଅଭିଧାଟିର ନିମ୍ନଲିଖିତ ଭାବରେ ବାଖ୍ୟା କରାଯାଇଥିଲା : ‘‘ଯେଉଁଠାରେ ମଣିଷ ସାନ ଗୋଷ୍ଠୀ ବା ସମୁଦାୟରେ ପରସ୍ପର ସହିତ ସମ୍ମିଳିତ ହୋଇ ବାସ କରୁଚି, ଯେଉଁଠି ଆପଣାର ଦୈନନ୍ଦିନ ଜୀବନର ନାନାବିଧ କାର୍ଯ୍ୟକଳାପର ମଧ୍ୟଦେଇ ସେ ସମୂହ-ଅନୁରକ୍ତି ଓ ସମୂହ-ସ୍ୱାର୍ଥକୁ ହୃଦୟଙ୍ଗମ କରିପାରୁଚି, ସେହିଠାରେ ହିଁ ଜଣେ ସଚ୍ଚା ନାଗରିକ ହେବାଲାଗି ସେ ଉଚିତ ଶିକ୍ଷା ପାଇପାରିବ ।... ଆମର ଯାବତୀୟ ଶିକ୍ଷାକ୍ରମରେ ଆମେ ସମଗ୍ର ଗୋଷ୍ଠୀ ବା ସମୁଦାୟକୁ ହିଁ ଗ୍ରହଣ କରିବା । ସେମାନଙ୍କର ସାମାଜିକ ଜୀବନରେ ସଂଘଟିତ ହେଉଥିବା ଅର୍ଥନୈତିକ ତଥା ସାମାଜିକ ପରିବର୍ତ୍ତନ ଗୁଡ଼ିକୁ ସର୍ବତ୍ର ଲୋକମାନେ ବୁଝିବାକୁ ସମର୍ଥ ହେବେ, ଏହି ପରିବର୍ତ୍ତନ ମଧ୍ୟରେ ସେମାନେ ଆପଣା ଆପଣାର ଭୂମିକା ଗ୍ରହଣ କରିପାରିବେ ଏବଂ ଶେଷରେ ସେମାନେ ଏବଂ ପରିବର୍ତ୍ତନର ପ୍ରବାହକୁ ସ୍ୱୟଂ ପରିଚାଳିତ କରିପାରିବେ, ସମଗ୍ର ସମୁଦାୟକୁ ଏକକରୂପେ ଗ୍ରହଣ କରିବାପଛରେ ଆମର ଏହି ଉଦ୍ଦେଶ୍ୟ ହିଁ ନିହିତ ରହିଚି ।’’ (ପୁସ୍ତକ ଟିପ୍ପଣୀ–୬, ପୃଷ୍ଠା–୧)

 

‘ଜନଶିକ୍ଷା’ର ଏହି କାର୍ଯ୍ୟକ୍ରମରେ କ୍ଳାସଭିତରେ ଔପଚାରିକ ପଦ୍ଧତିରେ ଶିକ୍ଷା ଦେବାଲାଗି ଖୁବ୍ ବେଶୀ ଅବସର ଦିଆଗଲା ନାହିଁ । ଆଧୁନିକ ଶିକ୍ଷାସାଧନ ସାହାଯ୍ୟରେ ଜନସାଧାରଣଙ୍କୁ ଅନୌପଚାରିକ ଢଙ୍ଗରେ ଶିକ୍ଷା ଦେବାର ଅଧିକ ବ୍ୟବସ୍ଥା କରାଗଲା । ଏହି କାର୍ଯ୍ୟକ୍ରମ ମଧ୍ୟରେ ସାକ୍ଷରତା-ଅଭିଯାନ, ଫିଲ୍‌ମ୍, ପୋଷ୍ଟର୍, ପ୍ରଚାରପତ୍ର, ପ୍ରଦର୍ଶନ, ସମ୍ବାଦପତ୍ର, ବହି ଓ ରେଡ଼ିଓ ଲାଗି ବିଶେଷ ସ୍ଥାନ ରହିଲା । ଦୁର୍ବଳ ରୋଗୀକୁ ବାହାରୁ ଇଞ୍ଜେକ୍‌ସନ୍ ଦେଇ ସବଳ ଓ ଶକ୍ତିମାନ କଲାପରି ଜନଶିକ୍ଷାର ଉତ୍‌ପ୍ରେରଣା ଦ୍ୱାରା ପ୍ରଥମେ ଜନସାଧାରଣଙ୍କୁ ଉତ୍‌ପ୍ରେରିତ କରିବା ହିଁ ସର୍ବମୂଳ ଲକ୍ଷ୍ୟ ହୋଇ ରହିଲା । ମାନି ନିଆଯାଉଥିଲା ଯେ ଥରେ ଅନୁପ୍ରେରିତ ହୋଇପାରିଲେ କମ୍ୟୁନିଟି ବା ଗ୍ରାମଗୋଷ୍ଠୀ ଆପଣାର ସର୍ବବିଧ ଉନ୍ନୟନ ଲାଗି ଆପେ ଆଗୁଆ ହୋଇ ବାହାରିବ ।

 

ଏହିସବୁ କାର୍ଯ୍ୟକ୍ରମକୁ ବୁଝାଇବାଲାଗି ‘ଜନଶିକ୍ଷା’ ଶବ୍ଦଟିକୁ ଖୁବ୍ ବେଶୀ ଦିନ ବ୍ୟବହାର କରାଯାଇ ନଥିଲା । ତାହାର ଏକାଧିକ କାରଣ ରହିଚି । Mass ବା ଜନତା କହିଲେ ସାଧାରଣତଃ ରାଜନୀତିକ କ୍ଷେତ୍ରର ଗନ୍ଧ ଏଥିଭିତରେ ରହିଥିଲାପରି ମନେହେଉଥିଲା । Education ବା ଶିକ୍ଷା ଶବ୍ଦଟିକୁ ଯେତେବେଳେ ଆଫ୍ରିକାର ସ୍ଥାନୀୟ ଭାଷାଗୁଡ଼ିକରେ ଅନୁବାଦ କରାଗଲା, ସେତେବେଳେ ତାହା ଲୋକମାନଙ୍କ ମନରେ ନାନାପ୍ରକାର ଭ୍ରମ ଜାତ କରାଇଲା । ତେଣୁ ଆଫ୍ରିକାର ଶାସନ ସଂକ୍ରାନ୍ତରେ କେମ୍ବ୍ରିଜ୍‌ଠାରେ ହୋଇଥିବା ଏକ ସମ୍ମିଳନୀରେ ୧୯୪୮ ମସିହାରେ ସମସ୍ତେ ‘ଜନଶିକ୍ଷା’ ବା Mass Education ପରିବର୍ତ୍ତରେ ‘ସାମୁଦାୟିକ ବିକାଶ’ ବା Community Development ଶବ୍ଦଟିକୁ ବ୍ୟବହାର କରିବାଲାଗି ସୁପାରିଶ କରିଥିଲେ । ସାମୁଦାୟିକ ବିକାଶକୁ ସମ୍ମିଳନୀ ନିମ୍ନଲିଖିତ ଶବ୍ଦରେ ବ୍ୟାଖ୍ୟା କରିଥିଲା–

 

ସମଗ୍ର କମ୍ୟୁନିଟି ବା ଗୋଷ୍ଠୀର ଜୀବନକୁ ସୁନ୍ଦରତର ଓ ଉନ୍ନତତର କରିବାଲାଗି ଯେଉଁ ଆନ୍ଦୋଳନର କଳ୍ପନା କରାଯାଉଚି, ତାହାକୁ ହିଁ ଆମେ ସାମୁଦାୟିକ ବିକାଶ ବୋଲି କହିବା । ଏହି ବିକାଶ-କାର୍ଯ୍ୟକ୍ରମରେ ଗୋଷ୍ଠୀଭିତରେ ବାସ କରୁଥିବା ଲୋକମାନେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିବେ ଏବଂ ସମ୍ଭବ ହେଲେ ପ୍ରତ୍ୟେକ ଉଦ୍ୟମରେ ସେହିମାନେ ହିଁ ଆଗୁଆ ହୋଇ ବାହାରିବେ । ଏହିପରି ଆଗୁଆ ହୋଇ ବାହାରିବାକୁ ଯଦି ସେମାନଙ୍କ ଭିତରେ ଆପଣାଛାଏ ଯଥେଷ୍ଟ ପ୍ରବୃତ୍ତି ଦେଖାନଯାଏ, ତେବେ ଏହି ପ୍ରବୃତ୍ତିକୁ ଜାଗ୍ରତ କରାଇବାଲାଗି ଉପଯୁକ୍ତ ଉପାୟମାନ ମଧ୍ୟ ଅବଲମ୍ବନ କରାଯିବ, ଯେପରିକି ସମସ୍ତେ ସକ୍ରିୟ ଓ ପୂର୍ଣ୍ଣ ଉତ୍ସାହ ସହିତ ଏହି ଆନ୍ଦୋଳନରେ ଆସି ସମ୍ମିଳିତ ହୋଇପାରିବେ । ସାମୁଦାୟିକ ବିକାଶର ଯୋଜନା ଭିତରେ ଯାବତୀୟ ପ୍ରକାର ଉନ୍ନୟନ-କାର୍ଯ୍ୟକ୍ରମ ଲାଗି ସ୍ଥାନ ରହିଚି । ଏହିସବୁ କାର୍ଯ୍ୟକ୍ରମକୁ ସରକାରୀ ତଥା ବେସରକାରୀ ଉଭୟ ସଂସ୍ଥା ଆପଣା ହାତକୁ ନେଇପାରିବେ । ମୃତ୍ତିକା-ସଂରକ୍ଷଣର ଅଧିକ ଫଳପ୍ରଦ ଉପାୟମାନ ଅବଲମ୍ବନ କରି ଏହି ଯୋଜନା କୃଷିଉନ୍ନୟନରେ ସାହାଯ୍ୟ କରିବ, କୃଷିର ଉନ୍ନତ ପ୍ରଣାଳୀମାନ ଶିଖାଇବ ଏବଂ ଗୃହପାଳିତ ପଶୁମାନଙ୍କର ଅଧିକ ଯତ୍ନ ନେବାକୁ ମଧ୍ୟ ଶିଖାଇବ । ଜନସ୍ୱାସ୍ଥ୍ୟର କ୍ଷେତ୍ରରେ ଏହା ଗ୍ରାମ ପରିବେଶକୁ ସୁସ୍ଥ ଓ ପରିଚ୍ଛନ୍ନ ରଖିବାର ଯୋଜନା ତିଆରି କରିବ, ଜଳ ସରବରାହର ବ୍ୟବସ୍ଥା କରିବ, ଶିଶୁ ଓ ପ୍ରସୂତିମାନଙ୍କ ଲାଗି ବିଶେଷ ସେବାର ଆୟୋଜନ କରିବ । ଶିକ୍ଷାପ୍ରସାର-କ୍ଷେତ୍ରରେ ସାକ୍ଷରତା ଓ ସାମାଜିକ ଶିକ୍ଷାର ପ୍ରସାର କରାଇବ, ପାଠଶାଳାମାନ ବସାଇବ । ସାମୁଦାୟିକ ବିକାଶ ସମବାୟ ଆନ୍ଦୋଳନରୁ ମଧ୍ୟ ଲାଭ ଉଠାଇବାକୁ ଚେଷ୍ଟା କରିବ ଏବଂ ସ୍ଥାନୀୟ ସ୍ୱାୟତ୍ତଶାସନମୂଳକ ସଂସ୍ଥାଗୁଡ଼ିକ ସହିତ ଘନିଷ୍ଠ ସମ୍ପର୍କ ରଖି ଏହା ଆପଣାକୁ କାର୍ଯ୍ୟକାରୀ କରାଇବ ।’’ (ପୁସ୍ତକ ଟିପ୍ପଣୀ–୬, ପୃଷ୍ଠା–୨)

 

ଆମେରିକାର ଦୁଇଜଣ ସମାଜଶାସ୍ତ୍ରୀ କହନ୍ତି (୧୨) ଯେ ଗୋଷ୍ଠୀବିକାଶର କୌଣସି ଯୋଜନା ଆରମ୍ଭ କରିବା ପୂର୍ବରୁ ଆଗ ଗୋଷ୍ଠୀଜୀବନର ବ୍ୟାଧିଗୁଡ଼ିକର ନିର୍ଣ୍ଣୟ କରିବାକୁ ପଡ଼ିବ । ଅର୍ଥାତ୍ ଗୋଷ୍ଠୀ ଭିତରେ ଯେଉଁସବୁ ସମସ୍ୟା ରହି ଗୋଷ୍ଠୀ ବିକାଶକୁ ନାନାପ୍ରକାରେ ବ୍ୟାହତ କରିରଖିଚି, ଆଗ ସେହି ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପଡ଼ିବ । ସାମୁଦାୟିକ ଜୀବନର ବ୍ୟାଧି ବା ସମସ୍ୟାଗୁଡ଼ିକୁ ସେମାନେ ଚାରି ପ୍ରଧାନଭାଗରେ ବିଭକ୍ତ କରିଚନ୍ତି । ।।୧।। ଗୋଷ୍ଠୀ-ଜୀବନର ସଂଗଠନରେ କୌଣସି ଦୁର୍ବଳତା ଥାଇପାରେ, ଯାହାଦ୍ୱାରା ଗୋଷ୍ଠୀ ଭିତରେ ବାସ କରୁଥିବା ଲୋକମାନେ ଆପଣା ବ୍ୟକ୍ତିଗତ ଓ ସାମୂହିକ ଜୀବନର ଆବଶ୍ୟକତାମାନ ମେଣ୍ଟାଇବାକୁ ଅସମର୍ଥ ହୋଇପାରନ୍ତି । ଉଦାହରଣ ସ୍ୱରୂପ, ଯଦି ସମାଜରେ କୌଣସି ମାରାତ୍ମକ ରୋଗ ବ୍ୟାପିରହିଚି ଅଥଚ ଏଣେ ଚିକିତ୍ସାର ସୁବନ୍ଦୋବସ୍ତ ନାହିଁ, ତେବେ ଆମକୁ ଏହି ଅଭାବଟିର ସମାଧାନ କରିବାକୁ ପଡ଼ିବ । ବା ଗାଆଁର ଦାଣ୍ଡରୁ ଅଳିଆ ଆବର୍ଜନା ଉଠାଇ ନେବାଲାଗି କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ, କିମ୍ବା ରାସ୍ତା ଘାଟର ସୁବିଧା କରାଇବାକୁ ଉପଯୁକ୍ତ କୌଣସି ଅନୁଷ୍ଠାନ ଗାଆଁରେ ନାହିଁ ବା ଗାଆଁ ଲୋକେ ଯେପରି ଅବସର-ବିନୋଦନର ସାଧନମାନ ଚାହୁଚନ୍ତି, ଗାଆଁରେ ତାହାର କୌଣସି ବ୍ୟବସ୍ଥା ନାହିଁ । ବିଭିନ୍ନ ଗୋଷ୍ଠୀରେ ଆମେ ସର୍ବଦା ବିଭିନ୍ନ ଦୁର୍ବଳତାମାନ ଦେଖିବାକୁ ପାଇବା । ଏହାର ଅର୍ଥ ଅବଶ୍ୟ ନୁହେଁ ଯେ ଆମେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କେବଳ ଗୋଷ୍ଠୀ-ସଂଗଠନର ଦୁର୍ବଳତାମାନ ଉଖାରିବାରେ ଲାଗିଥିବା । କାରଣ ଆମେ ଯେତେ ଉଖାରିବା, ସେତେ ବେଶୀ ଦୁର୍ବଳତା ବାହାରୁଥିବ । ତେଣୁ ଗୋଟିଏ ଦୁଇଟି ଦୁର୍ବଳତା ସ୍ପଷ୍ଟଭାବରେ ଧରାପଡ଼ିଯିବା ସଙ୍ଗେ ସଙ୍ଗେ ଆମେ ଅଧିକ ଦୁର୍ବଳତା ବାହାର କରିବାରେ କାଳକ୍ଷେପଣ ନକରି ସେଗୁଡ଼ିକର ସମାଧାନ ଉଦ୍ଦେଶ୍ୟରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ଆରମ୍ଭ କରିଦେବାକୁ ପଡ଼ିବ । ।।୨।। ହୁଏତ ଏପରି ହୋଇପାରେ ଯେ ଗୋଷ୍ଠୀର ସଙ୍ଗଠନରେ କେଉଁଠି କୌଣସି ଅଭାବ ନାହିଁ । କିନ୍ତୁ ଏହି ସଙ୍ଗଠନ-ସାଧନମାନ ଗୋଷ୍ଠୀର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାଦିଗରେ କାର୍ଯ୍ୟ କରିପାରୁନାହିଁ । ଉଦାହରଣ ସ୍ୱରୂପ ଗ୍ରାମରେ ଜନକଲ୍ୟାଣ କରିବାଲାଗି ଏକ ଚମତ୍କାର ବିଭାଗ ରହିଚି, ସେଥିରେ ତାଲୀମପ୍ରାପ୍ତ କର୍ମୀଠାରୁ ଆରମ୍ଭ କରି ଆବଶ୍ୟକ ଉପକରଣ ପର୍ଯ୍ୟନ୍ତ ସବୁ ଚମତ୍କାରଭାବେ ଖଞ୍ଜାହୋଇ ରହିଚନ୍ତି, ତଥାପି ଏହି ବିଭାଗ ହାତରେ ଏତେ କମ୍ ପାଣ୍ଠି ରହିଚି ଯେ ତାହା ଖର୍ଚ୍ଚ କଲାବେଳକୁ ପ୍ରକୃତରେ କାହାରି କାମକୁ ପାଉନାହିଁ । ବା ଗାଆଁରେ ପଞ୍ଚାୟତ ଘର ରହିଚି, ଗ୍ରନ୍ଥାଳୟ ରହିଚି, ଅଥଚ କାର୍ଯ୍ୟକର୍ତ୍ତାଙ୍କର ଅବହେଳାରୁ ତାହା କାହାରି କାମରେ ଲାଗି ପାରୁନାହିଁ । ଗୋଷ୍ଠୀର ବିଭିନ୍ନ ଅନୁଷ୍ଠାନରେ ଉପଯୁକ୍ତ ନେତୃତ୍ୱ ଓ କର୍ମତତ୍ପରତାର ଅଭାବଥିଲେ ଅନେକ ସମୟରେ ସକଳ ସଂଗଠନ ସତ୍ତ୍ୱେ ସେସବୁରୁ ଖୁବ୍ ବେଶୀ ଉପକାର ମିଳିନଥାଏ । କେଉଁ କାର୍ଯ୍ୟଟିକୁ କିପରିଭାବରେ କଲେ ତାହା ସୁରୁଖୁରୁ ଓ ସୁଚାରୁ ରୂପରେ ନିର୍ବାହିତ ହୋଇପାରିବ, ଏହି ସମ୍ବନ୍ଧରେ ସୁଚିନ୍ତିତ କୌଣସି ଯୋଜନା ନଥିଲେ ମଧ୍ୟ ସଂଗଠନ ଗୁଡ଼ିକର କାର୍ଯ୍ୟରେ ଅନେକ ଖଇଚା ରହିଯିବ । ।।୩।। ଗୋଷ୍ଠୀଜୀବନରେ ସଂକ୍ରାମକ ବ୍ୟାଧିପରି ଅନେକ ସମୟରେ ଅନେକ କ୍ଷୟକାରୀ ସମସ୍ୟା ବ୍ୟାପି ରହିଥାଏ ଓ ସେଗୁଡ଼ିକ ଗୋଷ୍ଠୀଜୀବନକୁ ବଡ଼ ଜଟିଳ ତଥା ଦୁର୍ବଳ କରିପକାଏ । ଅସାଧୁତା, ଅପରାଧ ପ୍ରଭୃତି ଦୁର୍ବୁତ୍ତି ପ୍ରବଳ ହୋଇପାରେ ବା ଉଚ୍ଚପଦ ଓ ଉଚ୍ଚ ଦାୟିତ୍ୱରେ ରହିଥିବା ବ୍ୟକ୍ତିମାନେ ଦୁର୍ନୀତିଗ୍ରସ୍ତ ବି ହୋଇପାରନ୍ତି । ଗୋଷ୍ଠୀର ସ୍ୱାସ୍ଥ୍ୟ ଅତି ନିମ୍ନସ୍ତରରେ ଥାଇପାରେ, ଲୋକମାନେ ବଡ଼ ଖରାପ ବସତିମାନଙ୍କରେ ବାସ କରୁଥାଇ ପାରନ୍ତି, ବେକାର ସମସ୍ୟା ପ୍ରବଳ ହୋଇ ରହିଥାଇପାରେ ବା ଆପଣାର ଜୀବନନିର୍ବାହ ଲାଗି ଗୋଷ୍ଠୀକୁ ଅତିରିକ୍ତ ପରିମାଣରେ ପରନିର୍ଭର ହୋଇ ରହିବାକୁ ପଡ଼ୁଥାଇପାରେ । ଏସବୁ ସମସ୍ୟା ଗୋଟି ଗୋଟି କରି ଆସେନାହିଁ, ଯେତେବେଳେ ଆସେ ପରସ୍ପର ସହିତ ଛନ୍ଦାଛନ୍ଦି ହୋଇ ଆସିଲାପରି ମନେହୁଏ । ତେଣୁ ଅନେକ ସମୟରେ ଏକ ସାଧାରଣ ଭୂମିଉପରେ ହିଁ ସେଗୁଡ଼ିକର ଉଦ୍‌ଭବ ହୋଇଥାଏ ଏବଂ ଏକତ୍ର ଭାବରେ ସେଗୁଡ଼ିକର ସମାଧାନ ବି କରିବାକୁ ପଡ଼େ । ।।୪।। ଚତୁର୍ଥ ବ୍ୟାଧିଟି ଗୋଷ୍ଠୀଜୀବନର ମନୋଗତ ସ୍ତରରେ ପରିଦୃଷ୍ଟ ହୋଇଥାଏ । ପ୍ରତ୍ୟେକ କମ୍ୟୁନିଟି ଆଗରେ ଯେକୌଣସି ସମୟରେ ପ୍ରେରଣାଗତ ଉତ୍‌ପ୍ରେରକମାନ ରହିଥାଏ, ଆପଣାର ବିଶେଷ ଆଦର୍ଶ ଓ ଦୃଷ୍ଟିକୋଣମାନ ରହିଥାଏ । ସାମୁଦାୟିକ ଜୀବନ କିପରି ହେବା ଉଚିତ, ସେହି ବିଷୟରେ ଯଦି ଲୋକମାନଙ୍କର କୌଣସି ସ୍ପଷ୍ଟ ଧାରଣା ଥାଏ, ଏହି ଲକ୍ଷ୍ୟରେ ପହଞ୍ଚିପାରିବା ସମ୍ଭବ ବୋଲି ଯଦି ସେମାନଙ୍କର ବିଶ୍ୱାସ ରହିଥାଏ, ସାମୁଦାୟିକ କାର୍ଯ୍ୟରେ ଆପଣାର ସମୟ ଓ ଶକ୍ତି ଦେବାଲାଗି ଯଦି ସଭିଙ୍କର ଉତ୍ସାହ ଥାଏ, ଯଦି ସମସ୍ତେ ସମସ୍ତଙ୍କ ସହିତ ମିଳିମିଶି କାମ କରିବାପାଇଁ ପ୍ରସ୍ତୁତ ଥାଆନ୍ତି, ତେବେ ସେହି ଗୋଷ୍ଠୀରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ମାତ୍ର ଅପର ପକ୍ଷରେ ଯଦି ଅଧିକାଂଶ ବ୍ୟକ୍ତି ଯେତିକି ଅଛି ବା ଯେତିକି ମିଳୁଚି ସେତିକିରେ ସନ୍ତୁଷ୍ଟ ହୋଇ ରହନ୍ତି, ଯଦି ପ୍ରତ୍ୟେକେ ଆପଣା ଆପଣାର ବ୍ୟକ୍ତିଗତ ଜଞ୍ଜାଳ ଭିତରେ ବୁଡ଼ିରହି କେବଳ ଆପଣା ଲାଭଲୋକସାନର ହିସାବ କରୁଥାନ୍ତି, ସାଧାରଣ ହିତ ବା ସମୂହର କଲ୍ୟାଣ ଲାଗି ଯଦି କାହାରି ଆଗ୍ରହ ନଥାଏ ବା ମୁଣ୍ଡ ବଥାଉନଥାଏ, ଯଦି ସେମାନେ ପ୍ରତ୍ୟେକ ବ୍ୟାପାର ଓ ଅବ୍ୟାପାରକୁ କପାଳର ଲିଖନ ପରି ମାନିନେଉଥାନ୍ତି, ତେବେ ସେହି ସମୁଦାୟର ସମସ୍ୟା ଗୁଡ଼ିକୁ ସମାଧାନ କରିବା କଦାପି ସମ୍ଭବ ହୋଇ ପାରିବନାହିଁ ଏବଂ ତାହାର ଜୀବନକୁ କଦାପି ସୁନ୍ଦରତର ଓ ଉନ୍ନତତର କରି ଗଢ଼ିହେବନାହିଁ । କେତେବର୍ଷ ତଳେ ଆମେରିକାର ଏକ ଅଞ୍ଚଳରେ କେତୋଟି କ୍ଷୟିଷ୍ଣୁ ସମୁଦାୟର ଅଧ୍ୟୟନ କରି ଦେଖାଯାଇଥିଲା ଯେ ସେହି ସମୁଦାୟଗୁଡ଼ିକର ମନୋବୈଜ୍ଞାନିକ ବାୟୁମଣ୍ଡଳ ଯେପରି ଅବସ୍ଥାରେ ରହିଥିଲା, ସେହିଦୃଷ୍ଟିରୁ ସେଠାରେ ଭବିଷ୍ୟତ ଉନ୍ନୟନକଳ୍ପେ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିବାହିଁ ବ୍ୟର୍ଥ ଚେଷ୍ଟା ପରି ମନେହେଉଥିଲା । ସେହି ଗୋଷ୍ଠୀଗୁଡ଼ିକୁ ଅଧ୍ୟୟନକାରୀମାନେ ‘ଆତ୍ମଘାତୀ ଗୋଷ୍ଠୀ’ ବୋଲି ନାମ ଦେଇଥିଲେ ।

 

୧୯୫୪ ମସିହାରେ ଇଂଲଣ୍ଡରେ ହୋଇଥିବା ଏକ ସମ୍ମିଳନୀରେ ବ୍ୟାଖ୍ୟା ଅନୁସାରେ ସାମୁଦାୟିକ ବିକାଶକୁ ଆମେ ସମଗ୍ର ସମାଜ-ବିକାଶର କାର୍ଯ୍ୟକ୍ରମ ଭିତରେ ଏକ ବିଶେଷ ଅଙ୍ଗ ବୋଲି କହିପାରିବା । ସାମାଜିକ ବିକାଶ କହିଲେ ‘‘ସମାଜ ତଥା ବ୍ୟକ୍ତିର ଅବିରାମ ତଥା ଉତ୍ତରୋତ୍ତର ସମୃଦ୍ଧିକୁ ଉଦ୍ଦେଶ୍ୟରୂପେ ରଖି ସେହି ଦିଗରେ ପରିବର୍ତ୍ତନ ଓ ଉନ୍ନୟନକୁ ଉଦ୍ଦିଷ୍ଟ କରି ରଖିବା’’ ବୁଝାଇଥାଏ । ସାମୁଦାୟିକ ବିକାଶର ଆର୍ଥିକ, ରାଜନୀତିକ ଓ ସାମାଜିକ ତିନୋଟିଯାକ କ୍ଷେତ୍ରରେ ଉଦ୍ଦେଶ୍ୟ ରହିଚି । ଏହାଦ୍ୱାରା ଅର୍ଥନୀତିଗତ ଜୀବନରେ ଉନ୍ନତି ସାଧିତ ହୁଏ ଏବଂ ଗୋଷ୍ଠୀରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ରାଜନୀତିକ ଦାୟିତ୍ୱବୋଧ ମଧ୍ୟ ବୃଦ୍ଧି ପାଏ । ସାମୁଦାୟିକ କରୁଥିବା ଲୋକମାନଙ୍କ ମଧ୍ୟରେ ରାଜନୀତିକ ଦାୟିତ୍ୱବୋଧ ମଧ୍ୟ ବୃଦ୍ଧି ପାଏ । ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ସମାଜର ପୁନର୍ନିମାଣ ବି କରିଥାଏ । ସମାଜରେ ଯାହାସବୁ ପୁରୁଣା ରୀତି ଓ ଛାଞ୍ଚମାନ ରହିଯାଇଥାଏ, ଉପସ୍ଥିତ ଯୁଗର ଆବଶ୍ୟକତା ଗୁଡ଼ିକର ସମ୍ମୁଖୀନ ହେବାଲାଗି ଯାହାସବୁ ସହାୟକ ନ ହୋଇ ବାଟ ଓଗାଳି ରହିଥାଏ, ସେଗୁଡ଼ିକ ଦୂରକରି ନୂତନ ସାମାଜିକ ଓ ଦୃଷ୍ଟିଗତ ବାତାବରଣ ସୃଷ୍ଟି କରିବାରେ ସାମୁଦାୟିକ ବିକାଶ-ଯୋଜନା ଅନେକ ସହାୟତା କରିଥାଏ । ନୂତନ ସମାଜର ନିର୍ମାଣରେ ଅଧିକରୁ ଅଧିକ କ୍ରିୟାଶୀଳ ଅଂଶ ଗ୍ରହଣ କରିବାଦ୍ୱାରା ଆମ ଅନୁରକ୍ତିର ପରିସର ମଧ୍ୟ କ୍ରମେ ବୃହତ୍ତର କ୍ଷେତ୍ରକୁ ବୃଦ୍ଧି ପାଇଥାଏ । ଆପଣାର ଗ୍ରାମ-ସମୁଦାୟରେ ସମୂହ କଲ୍ୟାଣର ନାନା ପ୍ରଚେଷ୍ଟାରେ ସବୁରି ସହିତ ସମ୍ମିଳିତ ହୋଇ ଆମେ ଆମ ନିଜ ଦେଶ ବା ଜାତିକୁ ଗଢ଼ିବାର କାର୍ଯ୍ୟରେ ସହଯୋଗ କରୁ । ସେଥିଲାଗି ସାମୁଦାୟିକ ବିକାଶ-ଯୋଜନାଦ୍ୱାରା ସର୍ବନିମ୍ନ ସ୍ତରରୁ ହିଁ ଜାତିନିର୍ମାଣର ମୂଳଦୁଆ ପଡ଼ିଥାଏ ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ । ଗୋଷ୍ଠୀଜୀବନର ସକଳକ୍ଷେତ୍ରରେ ସାମୁଦାୟିକ ବିକାଶ-ଯୋଜନା ଆପଣାକୁ କାର୍ଯ୍ୟକାରୀ କରାଇପାରିବା ଉଚିତ, ଅର୍ଥାତ୍ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ଯୋଜନାର କୌଣସି ନା କୌଣସି ବିଧିବଦ୍ଧ କାର୍ଯ୍ୟକ୍ରମ ରହିଥିବା ଉଚିତ । କୃଷି, ସ୍ୱାସ୍ଥ୍ୟ, ଔପଚାରିକ ଭାବରେ ସ୍କୁଲ ଜରିଆରେ ଶିକ୍ଷାଦାନ, ସାକ୍ଷରତା ପ୍ରଚାର ବୟସ୍କ ଶିକ୍ଷା ଓ ସାମାଜିକ ଶିକ୍ଷା, ଉନ୍ନତ ଏବଂ ଶିକ୍ଷାସମ୍ମତ ଘରକରଣା, ଗ୍ରାମୋଦ୍ୟୋଗ, ଗ୍ରାମପଣ୍ୟର କ୍ରୟ ବିକ୍ରୟ, ଗ୍ରାମବସତି, ସାଧାରଣ ଆରାମ ଓ ଆବଶ୍ୟକତା, ସମବାୟ ସମିତି, ଯୁବକ ଓ ନାରୀସମାଜ ଭିତରେ ସଙ୍ଗଠନ ଓ ଜାଗୃତିମୂଳକ କାର୍ଯ୍ୟ, ଅବସର-ବିନୋଦନ ଓ ଧର୍ମଜୀବନର ଆବଶ୍ୟକ ବ୍ୟବସ୍ଥା ଏହିସବୁ ପ୍ରତ୍ୟେକ କ୍ଷେତ୍ରରେ ସାମୁଦାୟିକ ବିକାଶ ଯୋଜନାର କାର୍ଯ୍ୟପରିସର ଅବଶ୍ୟ ରହିଚି । (ପୁସ୍ତକ ଟିପ୍ପଣୀ-୬, ଦ୍ୱିତୀୟ ଅଧ୍ୟାୟ) ଆଗରୁ କୁହାଯାଇଚି, କେବଳ ଗ୍ରାମାଞ୍ଚଳରେ ନୁହେଁ, ସହର ଭିତରେ ମଧ୍ୟ ଆମେ ସାମୁଦାୟିକ ବିକାଶ ଯୋଜନାର କୌଣସି ନା କୌଣସି କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବା ।

 

କିନ୍ତୁ ପ୍ରସ୍ତୁତ ପୁସ୍ତକରେ ଆମେ ପ୍ରଧାନତଃ ଗ୍ରାମଗୋଷ୍ଠୀ ଓ ସେଗୁଡ଼ିକର ବିକାଶର ଆଲୋଚନା କରିବା । ଅଳ୍ପବିକଶିତ ବା ବିକଶମାନ ଦେଶଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ ଏହି ଗ୍ରାମଗୋଷ୍ଠୀମାନଙ୍କରେ ବାସ କରୁଚନ୍ତି । ପୃଥିବୀରେ ମାନବିକ ଭବିଷ୍ୟତର ନିର୍ମାଣ ଦୃଷ୍ଟିରୁ ଏହିମାନଙ୍କର ନବନିର୍ମାଣ ଆଜି ଚିନ୍ତାଶୀଳ ପ୍ରତ୍ୟେକ ବ୍ୟକ୍ତି ଓ ସମାଜର ଦୃଷ୍ଟି ଆକର୍ଷଣ କରିବାକୁ ଆରମ୍ଭ କଲାଣି । ଆମ ପୃଥିବୀର ରାଜନୀତିକ ଶାସକମାନେ ମଧ୍ୟ ଏବେ ଏହି ଦାୟିତ୍ୱ ବିଷୟରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କହିବାକୁ ଆରମ୍ଭ କଲେଣି । ଏହିସବୁ ଗ୍ରାମସମୁଦାୟରେ ବିକାଶ ଓ ଉନ୍ନୟନର ଅନେକ ସମ୍ଭାବନା ଅନ୍ତର୍ନିହିତ ହୋଇ ରହିଚି । ଜୀବନକୁ ସୁଖୀ ଓ ସମୃଦ୍ଧ କରିବାକୁ ହେଲେ ଯେଉଁସବୁ ପ୍ରାକୃତିକ ପୁଞ୍ଜି ଆବଶ୍ୟକ, ସେଗୁଡ଼ିକ ପ୍ରାୟ ସବୁଯାକ ଏହିସବୁ ବିକଶମାନ ଅଞ୍ଚଳରେ ମହଜୁଦ ରହିଚି । କିନ୍ତୁ ଅନେକ କ୍ଷେତ୍ରରେ ସେହିସବୁ ଦେଶର ଅଧିବାସୀମାନେ ବିକାଶ ଓ ସମୃଦ୍ଧି ଲାଗି ଯଥେଷ୍ଟ ଇଚ୍ଛା ପ୍ରକଟ କରୁନାହାନ୍ତି । ଯେଉଁଠି ଇଚ୍ଛା ରହିଚି, ସେଠାରେ ହୁଏତ କାର୍ଯ୍ୟରେ ଅଗ୍ରସର ହୋଇଯିବାଲାଗି ସେମାନଙ୍କ ପାଖରେ ବିଦ୍ୟା ବା କୌଶଳଜ୍ଞାନର ଅଭାବ ରହିଚି । ବିକାଶର ଇଚ୍ଛା ନଜନ୍ମିବା ପର୍ଯ୍ୟନ୍ତ, ଆପଣା ଜୀବନର ମାନକୁ ଉପରକୁ ଉଠାଇବା ଲାଗି ଏକ ଘୋର ଅସନ୍ତୋଷ ଜାଗୃତ ନ ହୋଇପାରିବା ପର୍ଯ୍ୟନ୍ତ ଏବଂ ବିକାଶର ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଲାଗି ସେମାନଙ୍କ ପାଖରେ ଆବଶ୍ୟକ ଜ୍ଞାନ ଓ ବିଜ୍ଞାନର କୌଶଳ ପହଞ୍ଚି ନପାରିବା ପର୍ଯ୍ୟନ୍ତ ସେହି ଦେଶଗୁଡ଼ିକର ବିକାଶ କଦାପି ସମ୍ଭବ ହୋଇପାରିବ ନାହିଁ । ସେହିସବୁ ଦେଶରେ ଓ ବିଶେଷତଃ ଗ୍ରାମସମାଜରେ ଅନେକ ଲୋକ କୌଣସି କାମ ନପାଇ ବେକାର ହୋଇ ବସିଚନ୍ତି । ଅନେକ ଅବିକଶିତ ଅଞ୍ଚଳରେ ଚାଷୀ ବରଷର ପ୍ରାୟ ତିନି ବା ଚାରିମାସ ପର୍ଯ୍ୟନ୍ତ ବେକାର ହୋଇ ବସିରହିବାକୁ ବାଧ୍ୟ ହେଉଚି ଓ କିଛି ଉପାର୍ଜନ କରିପାରୁନାହିଁ । ଏହି ଅବସ୍ଥାରେ ପରିବର୍ତ୍ତନ ଆଣିବାକୁ ହେବ ଏବଂ ସାମୁଦାୟିକ ବିକାଶ-ଯୋଜନାର ଜରିଆରେ ହିଁ ଏହି ବିକାଶ କରିବାକୁ ହେବ । ତାହାର ଅର୍ଥ ହେଉଚି, ଏହିସବୁ ଅଞ୍ଚଳର ଯାବତୀୟ ବିକାଶ-କାର୍ଯ୍ୟକ୍ରମରେ ଏହି ଅଞ୍ଚଳର ଅଧିବାସୀମାନେ ମଧ୍ୟ ପ୍ରତ୍ୟେକ୍ଷ ଭାଗ ନେବେ । ଆପଣା ହାତରେ ଓ ଆପଣା ଉଦ୍ୟମରେ ସେମାନେ ଆପଣା ଭାଗ୍ୟ ନିର୍ମାଣ କରିବେ । ତେବେ ଯାଇ ସେସବୁ ଦେଶରେ ଯାହାସବୁ ଗଢ଼ାହେବ, ତାହା ସ୍ଥାୟୀ ମୂଳଦୁଆ ଉପରେ ଗଢ଼ାହୋଇ ପାରିବ ଓ ଲୋକମାନେ ସକଳ ଯତ୍ନ ସହିତ ସେଗୁଡ଼ିକର ଅଭିବୃଦ୍ଧି କରିବାରେ ଆଗ୍ରହ ଦେଖାଇବେ । କିନ୍ତୁ ଯଦି କେବଳ ବାହାରୁ ସାହାଯ୍ୟ ନେଇ ସେମାନଙ୍କ ଉପରେ ଢଳାହେବାର ବରାଦ ହୁଏ, ତେବେ କୌଣସି କଲ୍ୟାଣ-ଯୋଜନାର କୌଣସି ସ୍ଥାୟୀ ପ୍ରଭାବ ପଡ଼ି ପାରିବନାହିଁ । ତେଣୁ ଆର୍ଥିକ ଓ ସାମାଜିକ ଉଭୟ କ୍ଷେତ୍ରରେ ସେହିସବୁ ଦେଶର ଅଧିବାସୀମାନେ ହିଁ ରଚନାତ୍ମକ ମନୋଭାବ ନେଇ ସଂଗଠିତ ହେବେ ଓ ପରସ୍ପରକୁ ସାହାଯ୍ୟ କରିବା ଲାଗି ତତ୍ପର ହୋଇରହିବେ-। ବିକାଶ-କାର୍ଯ୍ୟକ୍ରମରେ ଏହାହିଁ ମୂଳନୀତି ଓ ମୂଳ ପାହାଚ ହୋଇ ରହିବ । ପରସ୍ପରକୁ ସହଯୋଗ କରିବା ହିଁ ପ୍ରତ୍ୟେକ ଉଦ୍ୟମରେ ସର୍ବପ୍ରଧାନ ଆଧାର ହୋଇ ରହିବ । ଲୋକମାନଙ୍କୁ ଆବଶ୍ୟକ ଜ୍ଞାନ ଓ କର୍ମକୌଶଳ ଯୋଗାଇଦେବା ସରକାରର କାର୍ଯ୍ୟ ହେବ । ଅଥବା କୌଣସି ବେସରକାରୀ ସଂସ୍ଥା ବା ସଂଗଠନ ମଧ୍ୟ ସରକାରଙ୍କ ପରିବର୍ତ୍ତେ ଏହି ଦାୟିତ୍ୱ ବହନ କରିପାରିବେ ।

 

ଆପଣା କାର୍ଯ୍ୟକାଳର ପ୍ରାୟ ପ୍ରଥମ ପର୍ଯ୍ୟାୟରୁ ହିଁ ବିଶ୍ୱ-ରାଷ୍ଟ୍ରସଂଘ ସାମୁଦାୟିକ ବିକାଶଯୋଜନାକୁ ବିକଶମାନ ଦେଶଗୁଡ଼ିକର ସୁସ୍ଥ ଓ ସୁଷମ ଉନ୍ନୟନଲାଗି ସର୍ବୋପାଦେୟ ମାଧ୍ୟମରୂପେ ଗ୍ରହଣ କରିଆସିଚି । କେବଳ ଯୁଦ୍ଧ ବନ୍ଦ କଲେ ବା ଶତ୍ରୁ ଶତ୍ରୁ ଭିତରେ ସାଲିସ୍ କରାଇଦେଲେ ଶାନ୍ତିସ୍ଥାପନା ହୋଇଯାଏ ନାହିଁ । ସଂସାରର ଅଧିକାଂଶ ଅଞ୍ଚଳରେ ଯେଉଁସବୁ ଦୀନତା ଓ ଦୁର୍ଭାଗ୍ୟ ମଣିଷକୁ ନାନାପ୍ରକାର କ୍ଷୋଭ ଓ ନୈରାଶ୍ୟ ଭିତରେ ବୁଡ଼ାଇ ରଖିଚି, ସେହିଗୁଡ଼ିକୁ ଦୂର କରି ମଣିଷ-ଭିତରେ ମଣିଷଯୋଗ୍ୟ ଆଶା ଓ ବିଶ୍ୱାସ, ସହଯୋଗ ଓ ସଦ୍‌ଭାବ ସଂଚାର ନକରିବା ପର୍ଯ୍ୟନ୍ତ ଆମ ପୃଥିବୀରେ ଶାନ୍ତିର ପ୍ରତିଷ୍ଠା ହୋଇ ପାରିବ କିପରି ? ତେଣୁ ବିଶ୍ୱରାଷ୍ଟ୍ରସଂଘ ନାନା ଉପାୟରେ ପୃଥିବୀରେ ଆଜିପର୍ଯ୍ୟନ୍ତ ଦୈନ୍ୟଗ୍ରସ୍ତ ହୋଇ ରହିଥିବା ଜନଗୋଷ୍ଠୀଗୁଡ଼ିକର ଉନ୍ନୟନ ଏବଂ ବିକାଶଲାଗି ନାନାପ୍ରକାର ମସୁଧା କରିଆସିଚି ଓ ଅନେକ କ୍ଷେତ୍ରରେ ବିକାଶକାର୍ଯ୍ୟରେ ଅଗ୍ରଣୀ ହୋଇ ବାହାରିଚି । ପୃଥିବୀର ନାନା ଦେଶରୁ ବିଶେଷଜ୍ଞ ଓ ଦକ୍ଷ କ୍ଷେତ୍ରଜ୍ଞମାନଙ୍କୁ ଏକାଠି ବସାଇ ବିଶ୍ୱରାଷ୍ଟ୍ରସଂଘ ସାମୁଦାୟିକ ବିକାଶଯୋଜନା ଉପରେ ଅଧିକରୁ ଅଧିକ ଅନୁସନ୍ଧାନ ଓ ଆଲୋକପାତ ସମ୍ଭବ କରାଇଚି । ପୃଥିବୀର ବିଭିନ୍ନ ଅଞ୍ଚଳର ବିକାଶସମ୍ବନ୍ଧୀ ସମସ୍ୟାଗୁଡ଼ିକ ବୁଝି, ସେଗୁଡ଼ିକର ନିଦାନ ବାହାର କରି ନିରାକରଣ ଉପାୟ ବିଷୟରେ ପରାମର୍ଶ ଦେବାଲାଗି ଏହା କେତେକେତେ ଗୋଷ୍ଠୀଚର୍ଚ୍ଚାର ଆୟୋଜନ କରିଚି । ଏହିପରି ଗୋଟିଏ ଚର୍ଚ୍ଚାଚକ୍ର ଏ ବିଷୟରେ ମତ ଦେଇଚନ୍ତି ଯେ, ‘ଅବିକଶିତ ଅଞ୍ଚଳର ଅଧିବାସୀମାନଙ୍କ ଭିତରେ ଆପଣା ସମାଜର ଯାବତୀୟ ସମସ୍ୟାର ସମାଧାନ କରିପାରିବା ଲାଗି ଆର୍ଥିକ ଶକ୍ତି ନାହିଁ, ନୂତନ ବିଜ୍ଞାନର କୌଶଳଗୁଡ଼ିକ ମଧ୍ୟ ସେମାନଙ୍କ ପାଖରେ ଅବିଦିତ ହୋଇ ରହିଚି । ସ୍ଥାନୀୟ ସାମୁଦାୟିକ ବିକାଶର ମାର୍ଗରେ ଯଦି ଏହିସବୁ ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନୟନ କରିବାକୁ ସ୍ଥିର କରାଯାଏ, ତେବେ ସ୍ଥାନୀୟ ସାମୁଦାୟିକ ଉଦ୍ୟମଗୁଡ଼ିକୁ ଉତ୍‌ପ୍ରେରଣା ଓ ଦିଗ୍‌ଦର୍ଶନ ଦେବାକୁ ସେସବୁ ଅଞ୍ଚଳରେ ସରକାରୀ ସଂସ୍ଥାମାନ ମହଜୁଦ ରହିଥିବା ଉଚିତ । ସବୁଠାରୁ ବଡ଼କଥା ହେଉଚି ସ୍ଥାନୀୟ ଗୋଷ୍ଠୀଗୁଡ଼ିକରେ ବିକାଶଲାଗି ଯେଉଁସବୁ ଉଦ୍ୟମ ହେଉଚି ଓ ସରକାରଙ୍କ ତରଫରୁ ଯେଉଁସବୁ କୌଶଳ ଓ ସାମଗ୍ରୀର ସହାୟତା ଦିଆଯାଉଚି, ଦୁହିଙ୍କ ମଧ୍ୟରେ ପରିପୂର୍ଣ୍ଣ ସହଯୋଗ ରହିଥିବା ଉଚିତ । ଏହିସବୁ ଅବିକଶିତ ଦେଶରେ ଦେଶର ସରକାରଙ୍କୁ ହିଁ ବିକାଶକାର୍ଯ୍ୟରେ ନେତୃତ୍ୱ ନେବାକୁ ହିଁ ପଡ଼ିବ ଏବଂ ଲୋକମାନଙ୍କୁ ବାଟ ଦେଖାଇବାକୁ ପଡ଼ିବ । କାରଣ ସମଗ୍ର ପରିସ୍ଥିତିକୁ ଅଧ୍ୟୟନ କରି ସେ ବିଷୟରେ କୌଣସି ପ୍ରତିବିଧାନ କରିପାରିବାଲାଗି ଏସବୁ ଦେଶରେ କେବଳ ସରକାରଙ୍କର ହିଁ ସାମର୍ଥ୍ୟ ରହିଚି । ଆପଣାର ମାର୍ଗଦର୍ଶନ ଓ ନେତୃତ୍ୱ ଦେଇ କେବଳ ସରକାର ହିଁ ସୁସମ ସାମୁଦାୟିକ ବିକାଶଲାଗି ଉପଲବ୍‌ଧ ସାଧନଗୁଡ଼ିକର ବିନିଯୋଗ କରିପାରିବେ । ବିକାଶଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ଲୋକମାନଙ୍କୁ ନାନାସମୟରେ ଯେଉଁ କଷ୍ଟ ବା ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ, କେବଳ ସରକାର ହିଁ ସବୁ ଭିତରେ ତାହାର ଯଥାସମ୍ଭବ ଏକ ସଂତୁଳିତ ବିଭାଜନ ସମ୍ଭବ କରାଇପାରିବେ-।’’

 

ଯେକୌଣସି ଦେଶରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମଲାଗି କି କି ମୌଳିକ ଉପାଦାନ ଅବଶ୍ୟ ରହିବା ଉଚିତ, ଆପଣାର ଏକ ପୁସ୍ତିକାରେ (୧୩) ବିଶ୍ୱରାଷ୍ଟ୍ରସଂଘ ତାହାର ବିଶ୍ଳେଷଣ କରିବାକୁ ଚେଷ୍ଟା କରିଚନ୍ତି : ।।୧।। ଗୋଷ୍ଠୀଜୀବନରେ ଯେଉଁ କାର୍ଯ୍ୟ ବା କାର୍ଯ୍ୟଗୁଡ଼ିକ ଲାଗି ପ୍ରକୃତ ଆବଶ୍ୟକତା ରହିଚି, ସାମୁଦାୟିକ ବିକାଶର ଯୋଜନା ସେହିଗୁଡ଼ିକୁ ହିଁ ଆପଣାର କାର୍ଯ୍ୟକ୍ରମରୂପେ ଗ୍ରହଣ କରିବ । କୌଣସି ସମୁଦାୟର ଅଧିବାସୀମାନେ ଯାହାକୁ ସେମାନଙ୍କର ସର୍ବପ୍ରଥମ ଆବଶ୍ୟକତା ବୋଲି କହିବେ, ତାହାରି ପୂରଣ ଲାଗି ହିଁ ବିକାଶ ଯୋଜନାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହେବ । ପୃଥିବୀର ବିଭିନ୍ନ ଅଳ୍ପବିକଶିତ ଅଞ୍ଚଳରେ ସମସ୍ୟାଗୁଡ଼ିକର ଅନୁସନ୍ଧାନ କରି ନିମ୍ନଲିଖିତ ସମସ୍ୟାଗୁଡ଼ିକୁ ଗ୍ରାମାଞ୍ଚଳର ସାଧାରଣ ସମସ୍ୟାବୋଲି ଗ୍ରହଣ କରାଯାଇଚି: (କ) ଲୋକମାନେ ଚାଷଲାଗି ଅଧିକ ଜମି ଚାହୁଛନ୍ତି ଓ ଅଧିକ ଉତ୍ପାଦନ କରିପାରିବା ସକାଶେ ସେମାନେ ଏହି ଜମିର ଉନ୍ନତି କରିବାକୁ ଇଚ୍ଛା କରୁଚନ୍ତି । (ଖ) କୃଷିକାମରେ ଯେଉଁମାନଙ୍କର ଖଟଣି ଦରକାର ହେଉନାହିଁ, ସେମାନଙ୍କୁ ଉପାର୍ଜନକ୍ଷମ କରିବାଲାଗି ଅନ୍ୟ ଧନ୍ଦାମାନ ଯୋଗାଇଦେବା ଆବଶ୍ୟକ ହେଉଚି । (ଗ) ଜଳସେଚନ ଲାଗି ଓ ପିଇବାଲାଗି ଜଳର ଆବଶ୍ୟକତା ରହିଚି । (ଘ) ପାଖରେ ଥିବା ସହର, ବଜାର ବା ହାଟକୁ ଯାଇପାରିବା ଲାଗି ବାରମାସିଆ ରାସ୍ତାର ଅଭାବ ରହିଚି । (ଙ) ଗାଆଁର ସ୍ୱାସ୍ଥ୍ୟରକ୍ଷା ଓ ବିଭିନ୍ନ ରୋଗର ଚିକିତ୍ସା ଲାଗି ଆବଶ୍ୟକ ବ୍ୟବସ୍ଥା କରିବାର ପ୍ରୟୋଜନ ରହିଚି । (ଚ) ସବୁ ଗାଆଁରେ ପାଠଶାଳା ବସୁ ଓ ଶିକ୍ଷାଲାଗି ଅନ୍ୟାନ୍ୟ ସୁଯୋଗ ଓ କ୍ଷେତ୍ରମାନ ମଧ୍ୟ ଉନ୍ମୁକ୍ତହୋଇ ରହୁବୋଲି ସବୁଠାରେ ଲୋକେ ଚାହୁଚନ୍ତି । ତାତ୍ପର୍ଯ୍ୟ ହେଲା ଗ୍ରାମାଞ୍ଚଳରେ ସାମୁଦାୟିକ ବିକାଶ- ଯୋଜନାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯିବାବେଳେ ଆଗ ଆମକୁ ଏହିସବୁ ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ--।।୨।। ପ୍ରତ୍ୟେକ କ୍ଷେତ୍ରରେ କୌଣସି ଖାସ୍ କାର୍ଯ୍ୟକ୍ରମ ଆରମ୍ଭ କରିଦେଇ ଅବଶ୍ୟ ସ୍ଥାନୀୟ ଉନ୍ନତି ସାଧନ କରାଯାଇ ପାରିବ । କିନ୍ତୁ ସମ୍ପୂର୍ଣ୍ଣ ଓ ସୁଷମଭାବରେ ଗୋଷ୍ଠୀଜୀବନର ବିକାଶ କରିବାକୁ ହେଲେ ଅଧିକ ସଂଘବଦ୍ଧ ଭାବରେ କାର୍ଯ୍ୟ କରିବାକୁ ହେବ ଏବଂ ବହୁମୁଖୀ ଏବଂ ବହୁପ୍ରସାରୀ କାର୍ଯ୍ୟକ୍ରମମାନ ଗ୍ରହଣ କରିବାକୁ ପଡ଼ିବ । ଗାଆଁର ଜୀବନ ଏକ ସମଗ୍ର ଜୀବନ, ଏହାର ବିଭିନ୍ନ କ୍ଷେତ୍ରକୁ ଆମେ କଦାପି ପରସ୍ପରଠାରୁ ବିଭିନ୍ନ ଭାବରେ ବିଚାର କରି ପାରିବାନାହିଁ । ତେଣୁ ଗ୍ରାମବିକାଶର ଯୋଜନାକୁ ଆମେ ଯେତେଦୂର ଅଧିକ ବହୁମୂଖୀ କରିପାରିବା, ଆମର କାର୍ଯ୍ୟପରିସର ସେତେ ପ୍ରଶସ୍ତ ହେବ ଏବଂ ଏହି କାର୍ଯ୍ୟଗୁଡ଼ିକର ସେତେ ବେଶୀ ପ୍ରଭାବ ପଡ଼ିବାର ସମ୍ଭାବନା ମଧ୍ୟ ରହିବ । ।।୩।। ସାମୁଦାୟିକ ବିକାଶ-ଯୋଜନାରେ କେବଳ ଏଇଟା ବା ସେଇଟା କରି ଥୋଇଦେଲେ କାର୍ଯ୍ୟ ଶେଷ ହୋଇ ଯିବନାହିଁ ବା କେବଳ ସାମଗ୍ରୀ ଓ ସାଧନମୂଳକ ସମ୍ପନ୍ନତା ବଢ଼ାଇଦେଲେ ଚଳିବନାହିଁ । ଲୋକମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟାଇବାକୁ ମଧ୍ୟ ସମାନ ମହତ୍ୱ ଦେଇ ଗ୍ରହଣ କରିବାକୁ ହେବ । ବିଶେଷତଃ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଏହି ଦିଗଟିପ୍ରତି ଅଧିକ ଦୃଷ୍ଟି ଦେବାକୁ ପଡ଼ିବ । ସେମାନଙ୍କର ଆପଣା ଚେଷ୍ଟାରେ ଯେ ସମାଜର ଉନ୍ନତି ହେଉଚି ଏବଂ ଏହି ଚେଷ୍ଟାର ଅଭାବରେ ବାହାରୁ ଯେତେ ସାହାଯ୍ୟ ଢଳାହେଲେ ମଧ୍ୟ ଯେ କିଛି ସମ୍ଭବ ହୋଇ ପାରନ୍ତାନାହିଁ, ଲୋକମାନେ ଯେତେବେଳେ ବଡ଼ ସ୍ୱାଭାବିକ ଭାବରେ ଏହିପରି ଅନୁଭବ କରିବାକୁ ଆରମ୍ଭ କରିବେ, ସେତେବେଳେ ସେମାନଙ୍କ ଦୃଷ୍ଟିଭଙ୍ଗୀରେ ଉନ୍ନୟନ-ଅନୁକୂଳ ପରିବର୍ତ୍ତନ ଆସିଲାଣି ବୋଲି କୁହାଯାଇପାରିବ । ଏହିପରି ଦୃଷ୍ଟିଭଙ୍ଗୀର ବିକାଶ ସଙ୍ଗେ ସଙ୍ଗେ ଲୋକମାନେ ବିକାଶ କାର୍ଯ୍ୟଗୁଡ଼ିକରେ ଅଧିକରୁ ଅଧିକ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ହେବେ ଏବଂ ସ୍ଥାନୀୟ ନେତୃତ୍ୱର ବିକାଶଲାଗି ମଧ୍ୟ ଅଧିକତର ସମ୍ଭାବନା ରହିବ । ।।୪।। ସାମାଜିକ ଜୀବନ ଓ ସାମୁଦାୟିକ ବ୍ୟବସ୍ଥାରେ ଲୋକମାନଙ୍କର ହିଁ ଅଧିକରୁ ଅଧିକ ସହଯୋଗ ଓ ସକ୍ରିୟ ଅଂଶ ଗ୍ରହଣ ସାମୁଦାୟିକ ବିକାଶର ଉଦ୍ଦେଶ୍ୟ ହୋଇ ରହିବ । ଆଗରୁ ଯେଉଁ ପାରମ୍ପରିକ ସଂସ୍ଥାମାନ ସାମୁଦାୟିକ ବ୍ୟବସ୍ଥାର ତତ୍ତ୍ୱାବଧାନ କରିଆସୁଥିଲେ, ସେଗୁଡ଼ିକୁ ନୂତନ ଦାୟିତ୍ୱମାନ ଗ୍ରହଣ କରିବାକୁ ଯୋଗ୍ୟ ହେଲାଭଳି ପୁନରୁଜ୍ଜୀବିତ କରିବାକୁ ହେବ । ଏହି ପ୍ରକ୍ରିୟାରେ ପହୁଣ୍ଡେ ପହୁଣ୍ଡେ ଆଗକୁ ଯାଇ ଶେଷରେ ଯେପରି ଗୋଷ୍ଠୀଜୀବନରେ ପରିପୂର୍ଣ୍ଣ ସ୍ୱାୟତ୍ତଶାସନ ପ୍ରତିଷ୍ଠିତ ହୋଇପାରିବ, ସେଥିପ୍ରତି ସର୍ବଦା ଧ୍ୟାନ ରଖିବାକୁ ପଡ଼ିବ । ଏହାଦ୍ୱାରା ବର୍ତ୍ତମାନ ବିଚ୍ଛିନ୍ନ ଦ୍ୱୀପପରି ପଡ଼ିରହିଥିବା ଗ୍ରାମସମାଜ ଆଧୁନିକ ରୁଚି ଓ ଶିକ୍ଷାସମ୍ପନ୍ନ ନାଗରିକତାର ବିକାଶ କରାଇବାଲାଗି ଗୋଟିଏ ପ୍ରୟୋଗଶାଳା ପରି ହୋଇ ରହିବ । ଆଜିମଧ୍ୟ ଅନେକ ଦେଶର ଗାଆଁ ମାନଙ୍କରେ ଲୋକଶାସନମୂଳକ ପରମ୍ପରାର ପ୍ରତିଷ୍ଠିତ ଅନୁଷ୍ଠାନମାନ ରହିଚି । ସୁଚିନ୍ତିତ ଭାବରେ ସେଗୁଡ଼ିକର ପୁନରୁଦ୍ଧାର କରିପାରିଲେ ସେଗୁଡ଼ିକ ଜରିଆରେ ଗ୍ରାମର ଆଧୁନିକ ବିକାଶରେ ଆମେ ଅନେକ କିଛି ହାସଲ କରିପାରିବା । ଉଦାହରଣ ସ୍ୱରୂପ ଇଉରୋପର ସୁଇଜରଲାଣ୍ଡରେ ସାନ ଓ ସ୍ଥାନୀୟ ଗ୍ରାମସମୁଦାୟମାନଙ୍କ ଉପରେ ହିଁ ସାମାଜିକ ଉନ୍ନୟନର ସକଳ ଦାୟିତ୍ୱ ନ୍ୟସ୍ତ ହୋଇ ରହିଚି । ଗ୍ରାମରେ କୌଣସି ଯୋଜନାକୁ ଚାଲୁ କରିବା ପୂର୍ବରୁ ଗ୍ରାମବାସୀମାନେ ଏକାଠି ବସି ସେଗୁଡ଼ିକର ଆଲୋଚନା କରନ୍ତି, ସେଗୁଡ଼ିକଲାଗି ଆପଣାର ସମ୍ମତି ଦିଅନ୍ତି । ଏହିସବୁ ଯୋଜନାକୁ କାର୍ଯ୍ୟରେ ପରିଣତ କରାଇବାରେ ମଧ୍ୟ ଅନେକ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥାନ୍ତି । ।।୫।। ପ୍ରଧାନତଃ ବାହାରୁ କୌଣସି ସଂସ୍ଥାର ଉଦ୍ୟମ ଓ ଉତ୍ସାହରେ କୌଣସି ଗ୍ରାମରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମ ଆରମ୍ଭ ହେବ । କିନ୍ତୁ କାଳକ୍ରମେ ଗାଆଁରୁ ନେତୃତ୍ୱ ସୃଷ୍ଟି ହୋଇ ହିଁ ଯୋଜନାର ନେତୃତ୍ୱ ଗ୍ରହଣ କରିବ ଏବଂ ତାହାହିଁ ବିକାଶଯୋଜନାର ସର୍ବଥା ଲକ୍ଷ୍ୟ ହୋଇ ରହିବା ଉଚିତ । ଗ୍ରାମବାସୀମାନଙ୍କ ମଧ୍ୟରେ କାହାଭିତରେ ଏହିପରି ନେତୃତ୍ୱ ଗ୍ରହଣ କରିପାରିବାର ଗୁଣମାନ ଅନ୍ତର୍ନିହିତ ହୋଇ ରହିଚି, ତାହାର ଠାବ କରି ତାହାର ବିକାଶଲାଗି ଉପଯୁକ୍ତ ଉତ୍ସାହ ଦେବା ଓ ତାଲୀମର ବନ୍ଦୋବସ୍ତ କରିବା ବିକାଶଯୋଜନାର ଏକ ଅତି ପ୍ରଧାନ କର୍ତ୍ତବ୍ୟ ହୋଇ ରହିବ । ଆଗରୁ କୁହାଯାଇଚି ହୁଏତ ସରକାର ଆଗତୁରା ହୋଇ ଗ୍ରାମରେ ସାମୁଦାୟିକ ଯୋଜନାମାନ ଆରମ୍ଭ କରିବେ । ହୁଏତ ପ୍ରଥମ ପର୍ଯ୍ୟାୟରେ ପ୍ରଧାନତଃ ସରକାରୀ ନେତୃତ୍ୱରେ ହିଁ ଏହି ଯୋଜନା ଚାଲିବ । କିନ୍ତୁ ତାହାର ଅର୍ଥ ନୁହେଁ ଯେ ସରକାର ବା ସରକାରୀ ସଂସ୍ଥାମାନେ ସବୁଦିନଲାଗି ଗାଆଁ ଲାଗି ଏହି ଯୋଜନାକୁ ଚଳାଉଥିବେ । ଯେତେଶୀଘ୍ର ସମ୍ଭବ ଗାଆଁ ଲୋକେ ହିଁ ଆପଣାର ଉନ୍ନୟନମାନ ଆପେ କରିବାକୁ ଓ ସେଥିଲାଗି ଯଥେଷ୍ଟ ମୁଣ୍ଡ ଖେଳାଇବାକୁ ସମର୍ଥ ହୋଇ ବାହାରିବେ । ତାହା ନହେଲେ ଗାଆଁର ପରନିର୍ଭରତା ବଢ଼ିବ ଓ ତେବେ ସାମୁଦାୟିକ ବିକାଶ ଯୋଜନାର ମୌଳିକ ଉଦ୍ଦେଶ୍ୟମାନ କଦାପି ସାଧିତହୋଇ ପାରିବନାହିଁ । ଗ୍ରାମର ନିୟମିତ କୃଷି ଓ ଅନ୍ୟାନ୍ୟ କାର୍ଯ୍ୟରେ କୌଣସି ବ୍ୟାଘାତ ନଆଣି ବିଭିନ୍ନ ସମୟରେ ଗ୍ରାମବାସୀମାନଙ୍କୁ ଯୋଗ୍ୟତାର ସହଯୋଗ ଦେବାଲାଗି ତାଲୀମ ଦିଆଯାଇ ପାରିବ । ଏହି ତାଲୀମ ସମୟରେ ସେମାନଙ୍କ ମଧ୍ୟରେ କାହାର ନେତୃତ୍ୱଯୋଗ୍ୟ ଗୁଣମାନ ରହିଚି ବା କେଉଁମାନେ ସାମୁଦାୟିକ କାର୍ଯ୍ୟରେ ବିଭିନ୍ନ ଦାୟିତ୍ୱମାନ ଗ୍ରହଣ କରି ସୁଚାରୁରୂପେ ତୁଲାଇ ପାରିବେ, ତାହାର ଠାବ କରିବାକୁ ପଡ଼ିବ । ।।୬।। ସାମୁଦାୟିକ ଯୋଜନାକୁ କାର୍ଯ୍ୟକାରୀ କରିବାଲାଗି ନାରୀ ଓ ଯୁବକସମାଜ ଯେତେଦୂର ସହଯୋଗ କରିବ, ଆମର ଯୋଜନା ସେତିକି ବେଶୀ ଶକ୍ତିଶାଳୀ ହୋଇପାରିବ । ଏହାଦ୍ୱାରା ଯୋଜନାଗୁଡ଼ିକୁ ଅଧିକ ବ୍ୟାପକ କରିବାର ଅଧିକ ଅବସର ମିଳିବ । ତେଣୁ ସାମୁଦାୟିକ ବିକାଶର ଯେକୌଣସି କାର୍ଯ୍ୟକ୍ରମରେ ଆମେ ନାରୀଜାତି ଓ ଯୁବକମାନଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ଶିଖିବା । ଅବଶ୍ୟ ଏହାଦ୍ୱାରା ପିଲା ଓ ଯୁବକମାନଙ୍କୁ ସେମାନଙ୍କର ସାଧାରଣ ଶିକ୍ଷାକ୍ଷେତ୍ର ଛାଡ଼ିଆସି ସମାଜଲାଗି କାମ କରିବାକୁ କୁହାଯିବନାହିଁ ବା ନାରୀମାନଙ୍କୁ ଘର ଉଜୁଡ଼ାଇ ଦେଇ ଗାଆଁ କାମକରିବାର ପରାମର୍ଶ ଦିଆଯିବନାହିଁ । କିନ୍ତୁ ସେମାନେ ଯେପରି ସାମୁଦାୟିକ ବିକାଶରେ ଅଧିକ ଆଗ୍ରହ ରଖିବେ ଓ ଆପଣାକୁ ପ୍ରତ୍ୟକ୍ଷଭାବରେ ଏଥିରେ ସଂପୃକ୍ତ କରାଇପାରିବେ, ସେଥିଲାଗି ସବୁମନ୍ତେ ଦୃଷ୍ଟି ଦିଆଯିବ । ବିକଶମାନ ଦେଶଗୁଡ଼ିକରେ ସ୍ତ୍ରୀମାନେ ଅତି ପଛୁଆ ହୋଇ ରହିଚନ୍ତି । ପୁଣି ଏହି ସ୍ତ୍ରୀମାନେ ହିଁ ଘରର ତତ୍ତ୍ୱାବଧାନ କରୁଚନ୍ତି ଓ ପିଲାମାନଙ୍କୁ ଅର୍ଥାତ୍ ସମାଜର ଭବିଷ୍ୟତ ନାଗରିକମାନଙ୍କୁ ମଣିଷ ବି କରୁଚନ୍ତି । ତେଣୁ ଯେତେବେଳଯାଏ ସେମାନେ ଅଶିକ୍ଷା ଓ ନାନା କୁସଂସ୍କାରମୂଳକ ଜଡ଼ତା ଭିତରେ ବୁଡ଼ିରହିଚନ୍ତି, ସେତେବେଳଯାଏ ଆମେ କେଉଁ ସମାଜର କି ଉନ୍ନୟନ କରିପାରିବା ? ସାମୁଦାୟିକ ବିକାଶକାର୍ଯ୍ୟର ଚେରକୁ ଗଭୀରଯାଏ ମଡ଼ାଇବାକୁ ହେଲେ ଓ ଏହି ବିକାଶର ପ୍ରକ୍ରିୟାକୁ ପରିବାରର ଜୀବନଭିତରେ ପହଞ୍ଚାଇବାକୁ ହେଲେ ଆମକୁ ଗାଆଁର ସ୍ତ୍ରୀସମାଜ ଭିତରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ ଏବଂ ପରିବର୍ତ୍ତନ ବିଷୟରେ ସେମାନଙ୍କ ଭିତରେ ଅନୁକୂଳ ଇଚ୍ଛା ଓ ବିଶ୍ୱାସ ଜନ୍ମାଇବାକୁ ପଡ଼ିବ । ।।୭।। ସାମୁଦାୟିକ ବିକାଶ ଯୋଜନାଗୁଡ଼ିକୁ ଫଳପ୍ରଦ କରିବାକୁ ହେଲେ ସରକାରଙ୍କଠାରୁ ସଘନ ଓ ବ୍ୟାପକ ଉଭୟ ସହାୟତା ମିଳିବା ଉଚିତ । କର୍ମୀ ତାଲିମ କରିବା, ସାମୁଦାୟିକ ବିକାଶ ଲାଗି ଜାତୀୟ ସ୍ତରରେ ଯୋଜନାମାନ ତିଆରି କରିବା, ଏବଂ ଗାଆଁର ଆବଶ୍ୟକତା ଅନୁସାରେ ଗାଆଁରେ ବିଶେଷଜ୍ଞମାନଙ୍କର ଜ୍ଞାନ ଓ ମାର୍ଗଦର୍ଶନକୁ ଉପଲବ୍‌ଧ କରାଇବାକୁ ହେଲେ ଦେଶର ସରକାରଙ୍କୁ ବିକାଶଯୋଜନାରେ ଲୋକମାନଙ୍କ ସହିତ ଅବଶ୍ୟ ଭାଗୀଦାର ହୋଇ ରହିବାକୁ ପଡ଼ିବ । ।।୮।। କିନ୍ତୁ ଜାତୀୟ ସ୍ତରରେ ସାମୁଦାୟିକ ବିକାଶଯୋଜନାକୁ ଚଳାଇବାକୁ ହେଲେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ସର୍ବଦା ଧ୍ୟାନ ଦେବାକୁ ପଡ଼ିବ: ବିକାଶ-ଯୋଜନା ସମ୍ବନ୍ଧରେ ଅବଲମ୍ବିତ ଯେଉଁ ନୀତିଗୁଡ଼ିକ ସଙ୍ଗତ ହେବ, ଏହି ଯୋଜନାଗୁଡ଼ିକୁ ସୁଦକ୍ଷ ଭାବରେ କାର୍ଯ୍ୟକାରୀ କରିପାରିବା ପାଇଁ ଦେଶର ପ୍ରଶାସନ-ବ୍ୟବସ୍ଥାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ରଖିବାକୁ ପଡ଼ିବ ଓ ଦରକାର ପଡ଼ିଲେ ଏହି ବ୍ୟବସ୍ଥାରେ ପରିବର୍ତ୍ତନମାନ କରାଇବାକୁ ପଡ଼ିବ । ସାମୁଦାୟିକ ଯୋଜନାକୁ ଚଳାଇବାଲାଗି ଯେଉଁ ବ୍ୟକ୍ତିମାନେ ନିଯୁକ୍ତ ରହିବେ, ସେମାନଙ୍କର ଉଚିତ ନିର୍ବାଚନ ଓ ତାଲୀମର ଦାୟିତ୍ୱ ଜାତୀୟ ସରକାରଙ୍କ ହାତରେ ରହିବ । ବିକାଶ ଯୋଜନାରେ ପୋଷକ ହେବାଭଳି ସ୍ଥାନୀୟ ବା ଜାତୀୟ ସ୍ତରରେ ଯେଉଁସବୁ ସାମଗ୍ରୀ ଓ ସାଧନମାନ ରହିଚି, ସରକାର ସେସବୁକୁ କାମରେ ଲଗାଇବାକୁ ପରିପୂର୍ଣ୍ଣ ଚେଷ୍ଟା କରିବେ । ସାମୁଦାୟିକ ବିକାଶକାର୍ଯ୍ୟ ବିଷୟରେ ଆବଶ୍ୟକ ଗବେଷଣା, ପ୍ରୟୋଗ, ସର୍ବେକ୍ଷଣ ଓ ମୂଲ୍ୟାଙ୍କନର ଦାୟିତ୍ୱ ମଧ୍ୟ ପ୍ରଧାନତଃ ସରକାରଙ୍କ ଉପରେ ନ୍ୟସ୍ତ ହୋଇ ରହିବ । ଆପଣା ଦେଶ, କାଳ ଓ ପାତ୍ରର ଆଧାର ଉପରେ ଜାତୀୟ ସରକାର ସାମୁଦାୟିକ ବିକାଶର ସ୍ୱତନ୍ତ୍ର ଓ ଅନୁକୂଳ ମାର୍ଗଗୁଡ଼ିକର ନିର୍ଣ୍ଣୟ କରିବେ । କୌଣସି ଗୋଟିଏ ଦେଶରେ ଏକ ବିଶେଷ କାର୍ଯ୍ୟକ୍ରମ ଖୁବ୍ ସଫଳତା ଲାଭ କରୁଚି ବୋଲି ଅନ୍ଧଭାବରେ ତାହାକୁ ଆଣି ଆପଣା ଦେଶରେ ଲଦିଦେବେନାହିଁ । ଯୋଜନା ସାଧାରଣତଃ ଦୁଇପ୍ରକାରର ରହିବ ଏବଂ ଏହାର ଦୁଇ ଉଦ୍ଦେଶ୍ୟକୁ ପରସ୍ପରର ସମ୍ବନ୍ଧିତ ଭାବରେ ବିଚାର କରାଯିବ । ପ୍ରଥମତଃ ସାମୁଦାୟିକ ବିକାଶକଳ୍ପେ ଏପରି କେତେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ, ଅଳ୍ପସମୟ ମଧ୍ୟରେ ଅର୍ଥାତ୍ ତିନିବର୍ଷ ବା ପାଞ୍ଚବର୍ଷ ଭିତରେ ଲୋକମାନେ ଯାହାର ଫଳ ପାଇପାରିବେ । ଏହାଦ୍ୱାରା ଯୋଜନାର ସଫଳତା ଓ ଉପାଦେୟତା ବିଷୟରେ ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମିବ ଓ ସେମାନେ ଆପଣା ଜୀବନରେ ଅଧିକତର ଉନ୍ନତିବିଧାନ କରିବାଲାଗି ଅଧିକ ସାହସୀ ଓ ଆଗ୍ରହୀ ହୋଇ ବାହାରିବେ । ଏହାଦ୍ୱାରା ସମାଜରେ ସ୍ଥାୟୀ ବିକାଶ ଓ ସ୍ଥାୟୀ ପ୍ରଗତିର ମୂଳଦୁଆ ପଡ଼ିପାରିବ । ଦ୍ୱିତୀୟତଃ କେତେଗୁଡ଼ିଏ ଦୀର୍ଘତର ମିଆଦର ବିକାଶ-କାର୍ଯ୍ୟକ୍ରମ ରଖିବାକୁ ପଡ଼ିବ, ଯାହାଫଳରେ କି ସମାଜରେ ମୌଳିକ ପରିବର୍ତ୍ତନମାନ ସଙ୍ଘଟିତ ହୋଇପାରିବ । ସମାଜର ପାରମ୍ପରିକ ସଂସ୍କୃତି ଓ ଲୌକିକ ବ୍ୟବସ୍ଥା ତଥା ଆର୍ଥିକ ଜୀବନର ଚଳଣିରେ ପରିବର୍ତ୍ତନ ଆଣିବାକୁ ହେଲେ ପାଞ୍ଚବର୍ଷର ଯୋଜନାରେ ଫଳ ଫଳିବନାହିଁ । ଏଥିଲାଗି ଅତ୍ୟନ୍ତ ବୁଦ୍ଧିମତ୍ତା, ସଚେତନତା ଓ ଅନ୍ତର୍ଦୁଷ୍ଟି ସହିତ ଦୀର୍ଘମିଆଦୀ ଯୋଜନାମାନ ତିଆରି କରିବାକୁ ପଡ଼ିବ ଓ ପାହାଚ ପାହାଚ କରି ସେହିଦିଗରେ ଅଗ୍ରସର ହେବାକୁ ପଡ଼ିବ । ଅଳ୍ପମିଆଦୀ କାର୍ଯ୍ୟକ୍ରମଗୁଡ଼ିକ ଦୀର୍ଘମିଆଦୀ କାର୍ଯ୍ୟକ୍ରମର ବାଧକ ନହୋଇ ପରିପୂରକ ହୋଇ ରହିବ । ସମାଜ ଓ ସାମୁଦାୟିକ ପରିସ୍ଥିତିର ଗଭୀର ଅଧ୍ୟୟନ, ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ନିଷ୍ଠାପର ପ୍ରୟୋଗ ତଥା ଅବିରାମ ଅନୁଶୀଳନ ଓ ମୂଲ୍ୟାଙ୍କନ ଦ୍ୱାରା ଦୀର୍ଘମିଆଦୀ ଯୋଜନାଗୁଡ଼ିକୁ ତିଆରି କରିବାକୁ ପଡ଼ିବ । ।।୯।। ସାଧାରଣତଃ ସବୁ ଦେଶରେ ସମାଜର ବିଭିନ୍ନ କ୍ଷେତ୍ରରେ ନାନାବିଧ ବେସରକାରୀ ଅନୁଷ୍ଠାନମାନ କାର୍ଯ୍ୟ କରୁଚନ୍ତି । କୌଣସି ଏକ ବିଶେଷ ଆଦର୍ଶ ବା ଉଦ୍ଦେଶ୍ୟକୁ କେନ୍ଦ୍ରକରି ଏମାନେ ମୁଖ୍ୟତଃ ସ୍ୱେଚ୍ଛାସେବକ ଭାବରେ କାର୍ଯ୍ୟ କରୁଥାନ୍ତି । ସାମୁଦାୟିକ ବିକାଶ କାର୍ଯ୍ୟରେ ସେମାନଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବାଲାଗି ସରକାର ସବୁପ୍ରକାର ଚେଷ୍ଟା ଅବଶ୍ୟ କରିବେ । ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତ୍ୟେକ ସ୍ତରରେ ଏହି ସହଯୋଗର ସୁଯୋଗ ନିଆଯିବ । ଏହିସବୁ ସ୍ୱେଚ୍ଛାସେବକ ଅନୁଷ୍ଠାନଗୁଡ଼ିକ ଆପଣାର ନିଃସ୍ୱାର୍ଥପର କାର୍ଯ୍ୟଦ୍ୱାରା ଲୋକମାନଙ୍କ ହୃଦୟରେ ଆପଣାଲାଗି ଅନେକ ଆସ୍ଥା ଉତ୍ପନ୍ନ କରିଥାନ୍ତି । ସରକାରୀ କର୍ମଚାରୀଙ୍କ ଦ୍ୱାରା ଯାହା ସମ୍ଭବ ନହୁଏ, ଅନେକ ସମୟରେ ସେମାନଙ୍କ ଦ୍ୱାରା ତାହା ସମ୍ଭବ ହୋଇଥାଏ । ସାମୁଦାୟିକ କାର୍ଯ୍ୟରେ ଜନସାଧାରଣଙ୍କର ସକ୍ରିୟ ସମର୍ଥନ ପାଇବାରେ ଏହି ବେସରକାରୀ ସ୍ୱେଚ୍ଛାସେବକ ସଂସ୍ଥାମାନେ ଅନେକ ଦୃଷ୍ଟିରୁ ଭାରି ସହାୟକ ହୋଇଥାନ୍ତି । ।।୧୦।। ଅର୍ଥନୈତିକ ଓ ସାମାଜିକ ପ୍ରଗତି ଲାଗି ସ୍ଥାନୀୟ ସ୍ତରରେ ଯାହା ସଫଳତା ମିଳିବ, ବୃହତ୍ତର ଜାତୀୟ କ୍ଷେତ୍ରରେ ହେଉଥିବା ପ୍ରଗତି ଓ ବିକାଶ ସହିତ ତାହା ସମାନ୍ତର ଭାବରେ ହୋଇପାରିବା ଉଚିତ । ଗାଆଁ ସ୍ତରରେ ଯେଡ଼େ ନିପୁଣ ବିକାଶସଂସ୍ଥାମାନ ରହିଲେ ମଧ୍ୟ ସେମାନେ କଦାପି ଗାଆଁର ସବୁ ଆର୍ଥିକ, ସାମାଜିକ ଓ ସଂସ୍କୃତିଗତ ସମସ୍ୟାଗୁଡ଼ିକର ସମାଧାନ କରିପାରିବେ ନାହିଁ । ପ୍ରତିବେଶୀ ଗାଆଁ, ଜିଲ୍ଲା, ରାଜ୍ୟ ବା ଦେଶଉପରେ ସେମାନଙ୍କୁ ଅନେକ କ୍ଷେତ୍ରରେ ନିର୍ଭରଶୀଳ ହୋଇ ରହିବାକୁ ପଡ଼ିବ । ଗାଆଁକୁ ବାହାର ପୃଥିବୀ ସହିତ ସଂଯୁକ୍ତ କରି ରଖିବାଲାଗି ସଡ଼କ ତିଆରି କରିବା, ମାଧ୍ୟମିକ ଓ ତଦୁତ୍ତର ଶିକ୍ଷାର ବ୍ୟବସ୍ଥା କରିବା, ଡାକ୍ତରଖାନା ଓ ଗବେଷଣାଗାର ଖୋଲିବା-ଏସବୁଲାଗି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ବିକାଶଗତ ପ୍ରଗତି ଉପରେ ଅବଶ୍ୟ ନିର୍ଭରଶୀଳ ହୋଇ ରହିବାକୁ ପଡ଼ିବ । ତେଣୁ ସାମାଜିକ ବିକାଶ ଓ କଲ୍ୟାଣ ଲାଗି ଜାତୀୟ ସ୍ତରରେ ଯେତେପ୍ରକାର ଉଦ୍ୟମ ହେଉଥିବ, ସାମୁଦାୟିକ ବିକାଶ ଯୋଜନାକୁ ତାହାସହିତ ତାଳ ମିଳାଇ ଅଗ୍ରସର ହେବାକୁ ପଡ଼ିବ । ଅର୍ଥାତ୍ ଅର୍ଥନୀତି ଓ ସମାଜକଲ୍ୟାଣ କ୍ଷେତ୍ରରେ ଜାତୀୟ ନୀତି ସହିତ ଏହାର କୌଣସି ଅସଂଗତି ରହିବନାହିଁ । ପୁଣି ଆଉ ଏକ ଦୃଷ୍ଟିରୁ ଦେଖିଲେ ଗ୍ରାମଜୀବନର ଅନେକ ସମସ୍ୟା ଭୂମିସଂସ୍କାର, ଭୂମିହୀନ ଓ ଆଶିଂକ ଭାବରେ ବେକାର ହୋଇ ବସୁଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ କାମ ଯୋଗାଇଦେବା, କୃଷିକାର୍ଯ୍ୟରେ ଯନ୍ତ୍ରର ପ୍ରସାର କରିବା, ଗାଆଁକୁ ବିଦ୍ୟୁତ୍‌ଶକ୍ତି ଆଣିବା ଗାଆଁର ବାସଗୃହ ଗୁଡ଼ିକୁ ଉନ୍ନତ ଢଙ୍ଗରେ ତିଆରି କରିବା,-ଏସବୁର ସମାଧାନ କେବଳ ଜାତୀୟ ସ୍ତରରେ ହିଁ ହୋଇପାରିବ । କେବଳ ଗୋଟିଏ ଗାଆଁରେ ସୀମାବଦ୍ଧ ନ ହୋଇ ଏହିସବୁ ଯୋଜନାକୁ ଅନେକ ଗାଆଁ ଓ ସମୁଦାୟ ବିଷୟରେ ଏକାଠି ବିଚାର କରିବାକୁ ପଡ଼ିବ ।

 

ବିଶ୍ୱରାଷ୍ଟ୍ରସଂଘଦ୍ୱାରା ପ୍ରସାରିତ ଆଉଗୋଟିଏ ପୁସ୍ତିକାରେ (୧୪) କୁହାଯାଇଚି: ‘‘ସାମୁଦାୟିକ ବିକାଶ କହିଲେ ଏକ ସମଗ୍ର କାର୍ଯ୍ୟକ୍ରମକୁ ବୁଝାଇଥାଏ । ସ୍ଥାନୀୟ ଗୋଷ୍ଠୀ ବା ସମୁଦାୟକୁ ଏହା ଏକକ ବୋଲି ଗ୍ରହଣ କରିଥାଏ । ତାହାରି ଉପରେ ମୂଳତଃ ବିଶ୍ୱାସ ରଖି ହିଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ସ୍ଥାନୀୟ ଆତ୍ମଶାସନ ଓ ଉଦ୍ୟମ ସହିତ ବାହାରର ସହାୟତାକୁ ସଂଯୁକ୍ତ କରି ଏହି କାର୍ଯ୍ୟକ୍ରମ ସମୁଦାୟର ବିକାଶ କରିବାକୁ ଚେଷ୍ଟା କରିଥାଏ । ପରିବର୍ତ୍ତନର ସର୍ବପ୍ରଧାନ ସାଧନରୂପେ ଏହା ସ୍ଥାନୀୟ ଓ ସ୍ଥାନୀୟ ନେତୃତ୍ୱକୁ ଜାଗୃତ କରିବାଲାଗି ସବୁଠାରୁ ଅଧିକ ଦୃଷ୍ଟି ରଖିଥାଏ । ଆର୍ଥିକ ଦୃଷ୍ଟିରୁ ଅବିକଶିତ ଅବସ୍ଥାରେ ରହିଥିବା ପୃଥିବୀର କୃଷିପ୍ରଧାନ ଦେଶମାନଙ୍କରେ ଗ୍ରାମସମୁଦାୟର ମୌଳିକ ଜୀବନମାନରେ ଉନ୍ନତି ସାଧନ କରିବାଲାଗି ଯାହାସବୁ କରିବା ଅତ୍ୟାବଶ୍ୟକ, ସେହି କାର୍ଯ୍ୟକ୍ରମଗୁଡ଼ିକୁ ହାତରେ ନେଇ ସାମୁଦାୟିକ ବିକାଶଯୋଜନା ଆପଣାର କାର୍ଯ୍ୟ ଆରମ୍ଭ କରିଥାଏ । କେବଳ ଅନ୍ନବସ୍ତ୍ର ଓ ବସତି-ସମସ୍ୟାର ସମାଧାନ କରିବା ମଧ୍ୟରେ ଏହି ଯୋଜନା ଆପଣାକୁ ସୀମିତ ନରଖି ଗୋଷ୍ଠୀଗତ ଜୀବନର ସାଂସ୍କୃତିକ ଓ ଅନ୍ୟାନ୍ୟ ଅନ୍ନେତର ଆବଶ୍ୟକତାଗୁଡ଼ିକର ପୂରଣ କରିବାକୁ ମଧ୍ୟ ପ୍ରୟାସ କରିଥାଏ-।’’

Unknown

 

ଅନେକେ ଭାବନ୍ତି, ସାମୁଦାୟିକ ଜୀବନରେ ପ୍ରଧାନତଃ ଭୌତିକ ସାଧନ ଓ ସାମଗ୍ରୀ ବଢ଼ାଇବା ସାମୁଦାୟିକ ବିକାଶର ମୁଖ୍ୟ କାର୍ଯ୍ୟ ନୁହେଁ । ସମୁଦାୟରେ ବାସ କରୁଥିବା ଲୋକମାନଙ୍କର ଦୃଷ୍ଟିଭଙ୍ଗୀ ଓ ଜୀବନାଚାରରେ ପରିବର୍ତ୍ତନ ନଆଣିଲେ ଆମେ କୌଣସି ସ୍ଥାୟୀ ବିକାଶଲାଗି ବେଶୀକିଛି କରିପାରିବା ନାହିଁ । ତେଣୁ ତାହାରି ଉପରେ ହିଁ ସବୁଠାରୁ ଅଧିକ ଜୋର ଦିଆଯିବା ଉଚିତ । ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ଯେଉଁସବୁ ଦୃଷ୍ଟିକୋଣ ଓ ଅଭ୍ୟାସ ପ୍ରତିବନ୍ଧକ ପରି କାର୍ଯ୍ୟ କରୁଚି, ସେଗୁଡ଼ିକୁ ହଟାଇ ଅର୍ଥାତ୍ ଲୋକମାନଙ୍କର ସେହି ଦୃଷ୍ଟିରେ ପରିବର୍ତ୍ତନ କରି ଆମକୁ ଏହିସବୁ ବିକାଶର ଅନୁକୂଳ ଦୃଷ୍ଟିକୋଣ ଓ ଅଭ୍ୟାସଗୁଡ଼ିକୁ ଜାଗୃତ କରାଇବାକୁ ପଡ଼ିବ । ସମାଜର ପରିବର୍ତ୍ତନରେ ସମାଜସ୍ଥ ଲୋକମାନେ କାତର ହୋଇ ପଡ଼ିବେ ନାହିଁ, ନୂଆର ପ୍ରତିରୋଧ କରିବେନାହିଁ, ଯେକୌଣସି କଲ୍ୟାଣକାରୀ ପରିବର୍ତ୍ତନକୁ ସ୍ୱାଗତ କରିବାଲାଗି ସେମାନଙ୍କର ଜୀବନଦୃଷ୍ଟି ସର୍ବଦା ପ୍ରସ୍ତୁତ ରହିଥିବ, ସାମାଜିକ ଜୀବନରେ ଏହିପରି ଏକ ବାତାବରଣ ସୃଷ୍ଟି କରିବା ସାମୁଦାୟିକ ବିକାଶକାର୍ଯ୍ୟର ସର୍ବପ୍ରଧାନ ଲକ୍ଷ୍ୟ ହୋଇ ରହିବା ଉଚିତ ।

 

ପ୍ରଧାନତଃ ସମାଜଶାସ୍ତ୍ରୀମାନେ ସାମୁଦାୟିକ ବିକାଶକୁ ସାମାଜିକ ପରିବର୍ତ୍ତନର ଏକ ସୁଯୋଗ୍ୟ ସାଧନ ବୋଲି ମନେ କରନ୍ତି । ସମାଜର ଆର୍ଥିକ ସମୃଦ୍ଧି ହେବା ସଙ୍ଗେ ସଙ୍ଗେ ଯଦି ପରିବର୍ତ୍ତନର ଇଚ୍ଛା ଶୀତଳ ହୋଇ ଯାଉଥାଏ, ତେବେ ସେମାନେ ତାହାକୁ ସାମୁଦାୟିକ ବିକାଶର ଏକ ସଫଳ ପ୍ରକ୍ରିୟା ବୋଲି ଗ୍ରହଣ କରନ୍ତିନାହିଁ । ସେମାନେ କହନ୍ତି, ସାମୁଦାୟିକ ବିକାଶ ମୂଳତଃ ଏକ କାର୍ଯ୍ୟକ୍ରମ ନୁହେଁ, ଯେଉଥିରୁ କି ଆମେ ଆଙ୍ଗୁଠିରେ ଗଣିପାରିବା ଭଳି ଫଳଲାଭର ପ୍ରତ୍ୟାଶା ରଖିପାରିବା । ଏହା ହେଉଚି ଏକ ଉତ୍‌ପ୍ରେରକ, ଏହା ସମାଜର ମଣିଷକୁ ପରିବର୍ତ୍ତନ ଲାଗି ପ୍ରେରଣା ଦେବ, ଆପଣାର ଭାଗ୍ୟକୁ ଆପେ ନିର୍ଣ୍ଣୟ କରିବାଲାଗି ଏହା ବିଶ୍ୱାସର ସଞ୍ଚାର କରାଇବ, ପ୍ରଗତିଲାଗି ମାନସିକ ମୂଳଦୁଆ ତିଆରି କରିଯିବ । ସମାଜବୈଜ୍ଞାନିକ ଇରଉଇନ୍ ସାଣ୍ଡରସ୍‌ଙ୍କ ଭାଷାରେ (୧୫) ‘‘ଆଦର୍ଶ ସମାଜ ଓ ସାମାଜିକ ଜୀବନ କହିଲେ ଆମେ ସାଧାରଣତଃ ଯେଉଁସବୁ ଜୀବନମୂଲ୍ୟର କଳ୍ପନା କରିଥାଉ ବାସ୍ତବ ଓ ଦୈନନ୍ଦିନ ଜୀବନରେ ସେଗୁଡ଼ିକର ଅନୁଶୀଳନ କରିପାରିବା ଲାଗି ସାମୁଦାୟିକ ବିକାଶ ଆମକୁ ଉପଯୁକ୍ତ କରି ତିଆରି କରିଥାଏ । ଗୋଷ୍ଠୀଭିତରେ ବାସ କରୁଥିବା ଅଧିକାଂଶ ବ୍ୟକ୍ତି ଯେଉଁସବୁକୁ ସଦ୍‌ଗୁଣ ଓ ସତ୍‌ଜୀବନର ଲକ୍ଷଣ ବୋଲି କହିଥାନ୍ତି, ସାମୁଦାୟିକ ବିକାଶ ଆମକୁ ସେହିଗୁଡ଼ିକ କାର୍ଯ୍ୟରେ ଅନୁଶୀଳନ କରି ଦେଖାଇବା ଶିକ୍ଷା ଦେଇଥାଏ, ସାମୁଦାୟିକ ବିକାଶ-ଯୋଜନାର ମାଧ୍ୟମରେ ଗୋଷ୍ଠୀର ହିତଲାଗି ପରସ୍ପର ସହିତ ଏକତ୍ର ସମ୍ମିତିତ ହେବାଦ୍ୱାରା ଆମର ସାମାଜିକ ବିବେକବୁଦ୍ଧି ବୃଦ୍ଧିପାଏ । ଅଧିକ ବିବେକସଙ୍ଗତ ଭାବରେ ଆମେ ଆମର ତଥା ସମଗ୍ର ସମାଜର ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ଶିଖୁ । ଆମ ମନରୁ ମୂଢ଼ ଓ ଭାବୁକତାଚ୍ଛନ୍ନ ବଦ୍ଧମୂଳ ଭ୍ରମଧାରଣାଗୁଡ଼ିକ କ୍ରମେ ଅପସରି ଯାଏ । ସାମୁଦାୟିକ ବିକାଶଦ୍ୱାରା ସମାଜର ଅଧିକରୁ ଅଧିକ ଲୋକ ଆପଣାର ହିତସମ୍ବନ୍ଧୀ ପ୍ରତ୍ୟେକ ସାମାଜିକ ପ୍ରସଙ୍ଗରେ ଅଧିକରୁ ଅଧିକ ସମ୍ପୃକ୍ତ ରହିବାକୁ ଓ ଅଧିକରୁ ଅଧିକ ଅବଗତ ରହିବାକୁ ଆଗ୍ରହ ରଖି ଶିଖନ୍ତି ।’’

 

ସମାଜର ପରିବର୍ତ୍ତନ କରିବା ଓ ସାମାଜିକ ଜୀବନମୂଲ୍ୟଗୁଡ଼ିକୁ ବାସ୍ତବ ପାରସ୍ପରିକ ଜୀବନକ୍ଷେତ୍ରରେ ବଞ୍ଚିବାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ସାମୁଦାୟିକ ବିକାଶର ଅବଶ୍ୟ ଲକ୍ଷ୍ୟ ହୋଇ ରହିବା ଉଚିତ । କିନ୍ତୁ ଏହି ପରିବର୍ତ୍ତନକୁ ଆମେ ନୂତନ ଶିକ୍ଷାଦ୍ୱାରା ଆଣିବା, ଅନ୍ୟ କୌଣସି ପ୍ରକାରେ ନୁହେଁ । ଶିକ୍ଷା କହିଲେ ଏଠି ଆମେ କେବଳ ସ୍କୁଲ କଲେଜରେ ଦିଆଯାଉଥିବା ଔପଚାରିକ ଶିକ୍ଷାକୁ ବୁଝିବାନାହିଁ । ଅନେକ ସମୟରେ ସ୍କୁଲ ଓ କଲେଜରେ ସକଳ ଆଡ଼ମ୍ବରମୟ ସନ୍ତର୍ପଣରେ ଶିକ୍ଷା ଚାଲିଥିଲେ ମଧ୍ୟ ତଥାପି ଯେ ଅସଲ ଓ ଯଥାର୍ଥ ଶିକ୍ଷାର ଅଭାବ ରହିଯାଇପାରେ, ଏହି ସତ୍ୟଟି ହୃଦୟଙ୍ଗମ କରିବାଲାଗି ଆମକୁ ପୃଥିବୀରେ ଆପଣା ଦେଶରେ ଅନେକ ଦୃଷ୍ଟାନ୍ତ ମିଳିବ । ସାମୁଦାୟିକ ବିକାଶ-ଯୋଜନା ଲୋକମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବ, ନୂତନ ଜୀବନ ଓ ନୂତନ ସମ୍ଭାବନାରେ ଶିକ୍ଷା ଦେଇ ତାହା ଆମକୁ ସାମାଜିକ ଜୀବନର ପୁରୁଣା ଓ ପାରମ୍ପରିକ ସ୍ତରରୁ କଢ଼ାଇ ଆଣିବ । ଅର୍ଥାତ୍ ସାମୁଦାୟିକ ବିକାଶ ଜରିଆରେ ଆମେ ଯେତେ ଯାହା କାର୍ଯ୍ୟକ୍ରମ ହାତକୁ ନେଉଥାଉ ନା କାହିଁକି, ଅଧିକ ସାମଗ୍ରୀ ଓ ସାଧନ ଯୋଗାଇ ଦେଇ ଗାଆଁରେ ରହିଥିବା ଅଭାବଗୁଡ଼ିକର ପୂରଣ କରିବା ଆମର ପ୍ରଧାନ ଲକ୍ଷ୍ୟ ହୋଇ ରହିବ ନାହିଁ, ମାତ୍ର ନୂତନ କୌଶଳ ଓ ନୂତନ ବିଚାରର ପ୍ରସାର କରି ମଣିଷର ମନରେ ଏକ ଯଥାର୍ଥତର ସାମାଜିକ ଜୀବନଲାଗି ଆଗ୍ରହ ସୃଷ୍ଟି କରିବା ଓ ସେହି ଆଗ୍ରହ ଅନୁସାରେ ଆପଣାର ଜୀବନଦୃଷ୍ଟିରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଆମେ ଆମର ଅସଲ କାର୍ଯ୍ୟ ବୋଲି ଗ୍ରହଣ କରିବା । ଏଣୁ ନୂତନ ସାଧନ ଓ ନୂତନ ବାତାବରଣ ସାହାଯ୍ୟରେ ନୂତନ ଜୀବନର ଅଭିଳାଷ ଜନ୍ମାଇବା ସକାଶେ ଯେଉଁ ଶିକ୍ଷା ଦିଆଯାଏ, ତାହା ହିଁ ସାମୁଦାୟିକ ବିକାଶର ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇ ରହିବା ଉଚିତ । ‘‘ସମାଜର ପରିବର୍ତ୍ତନ ହେବ ଏବଂ ଆମରି ଦ୍ୱାରା ଅର୍ଥାତ୍ ଆମରି କାର୍ଯ୍ୟଦ୍ୱାରା ହିଁ ସମାଜର ପରିବର୍ତ୍ତନ ହେବ,-ଏହିପରି ଏକ ବିଶ୍ୱାସ ଗୋଷ୍ଠୀରେ ବାସ କରୁଥିବା ଲୋକମାନଙ୍କ ଭିତରେ ଜନ୍ମାଇବା ହେଉଚି ସାମୁଦାୟିକ ବିକାଶର କାର୍ଯ୍ୟ । ସାମୁଦାୟିକ ବିକାଶ ଲୋକମାନଙ୍କୁ ଏଇଥିଲାଗି ଶିକ୍ଷା ଦେବ । ଉପଯୁକ୍ତ ମାର୍ଗରେ ନୂତନ ଜୀବନଲାଗି ଶିକ୍ଷା ପାଇପାରିଲେ ଲୋକମାନେ ଆପଣାର ଆଦର୍ଶ ସାମାଜିକ ମୂଲ୍ୟଗୁଡ଼ିକର ଭିତ୍ତି ଉପରେ ହିଁ ସାମାଜିକ ପରିବର୍ତ୍ତନର କିପରି ଧରଣରେ ଓ କେତେ ମାତ୍ରାରେ ହେବ, ସେକଥା ଆପେ ଆପେ ନିରୂପଣ କରିପାରିବେ । ଆହୁରି ଅନେକ ଅନ୍ୟାନ୍ୟ ଉପାୟରେ ମଧ୍ୟ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । କିନ୍ତୁ ଶିକ୍ଷାଗତ ମାର୍ଗ ଉପରେ ଜୋର୍ ଦେବା ହେଉଚି ସାମୁଦାୟିକ ବିକାଶ-ଯୋଜନାର ବିଶେଷତ୍ୱ । ଲକ୍ଷ୍ୟ ମହାନ୍ ଓ ଉପାଦେୟ ବା ଲାଭଦାୟକ ବୋଲି କହି ଯେକୌଣସି ଉପାୟରେ ଲକ୍ଷ୍ୟ ହାସଲ କରିବାର ପଦ୍ଧତିକୁ ସାମୁଦାୟିକ ବିକାଶ କୁହାଯିବନାହିଁ । ଲକ୍ଷ୍ୟ ଅନୁସାରେ ଆମକୁ ଉପଯୁକ୍ତ ଶିକ୍ଷାମୂଳକ ସାଧନମାନ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ । ଏହି ଶିକ୍ଷାକୁ ସମ୍ଭବ କରିବା ସକାଶେ ଆମେ ଯେତେବେଳେ ବିଶେଷ ବିଶେଷ କାର୍ଯ୍ୟକ୍ରମମାନ ଗ୍ରହଣ କରୁ ଓ ସେହି ଶିକ୍ଷା ଜରିଆରେ ସୁଯୋଜିତ ଭାବରେ ସମାଜରେ ପରିବର୍ତ୍ତନ ଆଣିବାକୁ ଅଗ୍ରସର ହେଉ, ସେତିକିବେଳେ ସାମୁଦାୟିକ ବିକାଶଯୋଜନା ସମ୍ଭବ ହୁଏ । ଶିକ୍ଷାମୂଳକ ସାଧନଦ୍ୱାରା ସଚେତନ ଉଦ୍ୟମ ସାହାଯ୍ୟରେ ସମାଜର ପରିବର୍ତ୍ତନ ହେଉଚି ସାମୁଦାୟିକ ବିକାଶ । (୧୬)

 

ଶ୍ରୀଯୁକ୍ତ ବ୍ୟାଟନ୍‌ଙ୍କ ମତରେ ‘‘ନୂତନ ଜୀବନପ୍ରଣାଳୀ ଓ ନୂତନ କୌଶଳମାନ ଶିଖିବାଲାଗି ସାମୁଦାୟିକ ବିକାଶ ଆମଭିତରେ ଅନୁରୂପ ପ୍ରେରଣା ଜାଗୃତ କରିଥାଏ । ନୂତନ ଜୀବନପ୍ରଣାଳୀ ଓ କୌଶଳମାନ ଶିଖିବାରେ ଏହା ଆମକୁ ସାହାଯ୍ୟ କରେ ଓ ଏଥିଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରେ । ସାମୁଦାୟିକ ବିକାଶର ଉଦ୍ୟମ ଦ୍ୱାରା ପ୍ରଭାବିତ ହୋଇ ଆମେ ଆମର ଅଭିଳଷିତ ପରିବର୍ତ୍ତନ ଅନୁସାରେ ଆମ ଅଭ୍ୟାସ ତଥା ଜୀବନମାର୍ଗଗୁଡ଼ିକୁ ଖାପଖୁଆଇନେବାର ପ୍ରେରଣା ପାଇଥାଉ । ସାଧନ ଓ ସମ୍ପନ୍ନତା ବଢ଼ିବା ସଙ୍ଗେ ସଙ୍ଗେ ତଥାପି ଯେପରି ସମାଜ ସହିତ ରହିଥିବା ସୂତ୍ରଟି ଛିଡ଼ିନଯାଏ, ତଥାପି ଯେପରି ସାମୁଦାୟିକ ବିକାଶ ଏଥିଲାଗି ଆମକୁ ଅନେକ ନିର୍ଭର ଯୋଗାଇ ଦେଇଥାଏ । (ପୁସ୍ତକ ଟିପ୍ପଣୀ–୧୦, ପୃଷ୍ଠା–୫)

 

ପରିଶେଷରେ ଆଉ ଦୁଇଟି ବ୍ୟାଖ୍ୟା ଦେଇ ଆମେ ସାମୁଦାୟିକ ବିକାଶର ପ୍ରକୃତ ଅର୍ଥନିରୂପଣର ଏହି ପର୍ଯ୍ୟାୟଟିକୁ ଶେଷ କରିବା । ସମାଜର ପରିବର୍ତ୍ତନ ସାମୁଦାୟିକ ବିକାଶର ଲକ୍ଷ୍ୟ ହୋଇ ରହିବ, ନୂତନ ଜୀବନମାର୍ଗ ଲାଗି ଆମକୁ ଶିକ୍ଷା ଦେଇ ଏହି ପରିବର୍ତ୍ତନ ଆସିବ ଏବଂ ଏହି ଶିକ୍ଷାଫଳରେ ଲୋକତାନ୍ତ୍ରୀକ ଉପାୟରେ ପରିବର୍ତ୍ତନ ଆଡ଼କୁ ବାଟ ଫିଟିବ । ସାମୁଦାୟିକ ବିକାଶର କ୍ଷେତ୍ରରେ ଆମେରିକାର ଜଣେ ବିଶେଷଜ୍ଞ ସାମୁଦାୟିକ ବିକାଶର ବ୍ୟାଖ୍ୟା କରିବାକୁ ଯାଇ ଆମକୁ ଛଅଟି କଥା ସୂଚାଇ ଦେଇଚନ୍ତି– ।।୧।। ସାମୁଦାୟିକ ବିକାଶ ଫଳରେ ଲୋକମାନଙ୍କ ମନରେ ସରକାରଙ୍କ ସମ୍ବନ୍ଧରେ ଏକ ନୂତନ ଧାରଣା ଜନ୍ମିଥାଏ । ଅତୀତର ଅନେକ ପର୍ଯ୍ୟାୟରେ ସରକାର କହିଲେ ସାଧାରଣତଃ ଆଇନ ତିଆରି କରି ଲୋକମାନଙ୍କୁ ଆୟତ୍ତରେ ରଖିବାକୁ ବୁଝାଉଥିଲା । ସରକାର ଆଇନ୍ ତିଆରି କରି ପ୍ରଜାମାନଙ୍କୁ ଜବତରେ ରଖିବେ, ଯୁଦ୍ଧ ସମୟରେ ସେମାନଙ୍କ ଯୁଦ୍ଧକ୍ଷେତ୍ରରେ ନିୟୋଗ କରିପାରିବେ ଓ ପ୍ରଜାମାନଙ୍କଠାରୁ ଖଜଣା ଆଦାୟ କରିବେ-ସରକାର କହିଲେ ଜନସାଧାରଣ ପ୍ରଧାନତଃ ଏହାହିଁ ବୁଝୁଥିଲେ । କିନ୍ତୁ ପ୍ରକାର ଜୀବନରେ ଉନ୍ନତି-ବିଧାନ କରାଇବା, ନୂତନ ସମ୍ପନ୍ନତା ହାସଲ କରିବା ଲାଗି ତାକୁ ନୂତନ ସାଧନ ଓ କୌଶଳ ଯୋଗାଇ ଦେବା ଓ ନୂତନ ଅବସରମାନ ସୃଷ୍ଟି କରି ରଖିବା ଯେ ସରକାରଙ୍କର କାମ, ସାମୁଦାୟିକ ବିକାଶକାର୍ଯ୍ୟ ଲୋକଙ୍କର ମନରେ ଏହି ଧାରଣାକୁ ଅଧିକ ସ୍ପଷ୍ଟ କରିଦେଉଚି । ଆଗେ ପ୍ରଜାମାନେ ସରକାରର ପ୍ରତାପଟାକୁହିଁ ଅଧିକ ଦେଖୁଥିଲେ ଓ ସରକାରଙ୍କୁ ଡରି ଦୂରରେ ରହିବାକୁ ନିରାପଦ ମଣୁଥିଲେ । ଏବେ ସେମାନେ ଆପଣାର ନାନାବିଧ ଜୀବନୋଦ୍ୟମରେ ସରକାରକୁ ସହଯୋଗୀ ଓ ସାହାଯ୍ୟକାରୀ ରୂପେ ଦେଖିବାକୁ ପାଇଲେଣି ଏବଂ ଏହି ଉପାୟରେ ସରକାର ସମ୍ବନ୍ଧରେ ସେମାନଙ୍କ ମନୋଭାବ ମଧ୍ୟ କ୍ରମେ ବଦଳିଯିବାକୁ ଲାଗିଲାଣି । ।।୨।। ସରକାର ଲୋକମାନଙ୍କ ଲାଗି ଯାହା କରିବାକୁ ଚାହୁଚନ୍ତି ତାହା ଲୋକମାନଙ୍କ ପାଖରେ ଆସି ପହଞ୍ଚି ପାରିବାଲାଗି ଆଜି ଅଧିକତର ପଥ ଉନ୍ମୁକ୍ତ ହୋଇ ରହିଚି । ସରକାରର ମତଲବକୁ ଲୋକ ସାଧାରଣ ଜାଣିବାଲାଗି ଅଧିକ ଅବସର ପାଉଚନ୍ତି ଓ ଲୋକସାଧାରଣଙ୍କର ଆକାଙ୍‌କ୍ଷାଗୁଡ଼ିକୁ ସରକାର ମଧ୍ୟ ଜାଣିପାରୁଚନ୍ତି । ସାମୁଦାୟିକ ବିକାଶଯୋଜନା ଫଳରେ ହିଁ ଏହାର ସମ୍ଭବ ହେଉଚି-। ।।୩।। ଗଣତାନ୍ତ୍ରିକ ଉପାୟରେ ଆପଣାର ସମସ୍ୟାଗୁଡ଼ିକର ସମାଧାନ କରିବାର ସୁଯୋଗ ଦେଇ ସାମୁଦାୟିକ ବିକାଶ-ଯୋଜନା ସମାଜରେ ସ୍ୱାୟତ୍ତଶାସନର ମୂଳଦୁଆକୁ ଅଧିକ ମଜବୁତ କରୁଚି । ଆପଣା ସାମାଜିକ ଜୀବନର ସୁଧାର ଓ ସଂସ୍କାର କରିବାରେ ଗ୍ରାମସମାଜର ଯେ ଅବଶ୍ୟ ଦାୟିତ୍ୱ ଓ ଅଧିକାର ରହିଚି, ଜନସାଧାରଣ ଏହି କଥାଟିର ତାତ୍ପର୍ଯ୍ୟକୁ ଅଧିକରୁ ଅଧିକ ଅନୁଭବ କରିପାରୁଚନ୍ତି । ଏହା ଫଳରେ ସ୍ଥାନୀୟ ଶାସନର ଚେର ମଜବୁତ ହେଉଚି, ଲୋକଶାସନର ସ୍ତମ୍ଭମାନ ଅଧିକ ଦମ୍ଭ ହେଉଚି । ।।୪।। ଲୋକସାଧାରଣ ପ୍ରକୃତରେ ଯେଉଁସବୁ ପରିବର୍ତ୍ତନ ଚାହୁଚନ୍ତି ଏବଂ ଯେଉଁସବୁ ପରିବର୍ତ୍ତନକୁ ଗ୍ରହଣ କରିବାଲାଗି ପ୍ରସ୍ତୁତ ଅଛନ୍ତି, ସାମୁଦାୟିକ ବିକାଶ-ଯୋଜନାରେ କେବଳ ସେହିସବୁ ପରିବର୍ତ୍ତନକୁ ଆଧାର କରି କାର୍ଯ୍ୟାନୁସରଣ ହେଉଚି । ଲୋକମାନଙ୍କର ଆବଶ୍ୟକତା ନବୁଝି ଦୟା ବା କୌଣସି ପ୍ରକାର ଖିଆଲ ଦେଖାଇ ଉପରୁ ବଦାନ୍ୟ ସରକାର କୌଣସି ପରିବର୍ତ୍ତନ ବା ବିଧାନକୁ ସେମାନଙ୍କ ଉପରେ ଲଦିଦେଉନାହାନ୍ତି । ଏହାଫଳରେ ଯେଉଁସବୁ ପରିବର୍ତ୍ତନ ହେଉଚି, ତାହା ଅପେକ୍ଷାକୃତ ଅଧିକ ସ୍ଥାୟୀଭାବରେ ହେବାର ସମ୍ଭାବନା ରହିଚି । ।।୫।। ବର୍ତ୍ତମାନର ସମସ୍ୟାଗୁଡ଼ିକୁ ସମାଧାନ କରିବାଲାଗି ଉପଯୁକ୍ତ ବାଟ ଫିଟାଇ ଦେଇ ସାମୁଦାୟିକ ବିକାଶ ଜନସାଧାରଣଙ୍କୁ ଭବିଷ୍ୟତବିଷୟରେ ଅଧିକ ଆସ୍ଥାବାନ୍ ଓ ଆଶାବାନ୍ ହେବାରେ ସାହାଯ୍ୟ କରିପାରୁଚି । ସଂସାରରେ ଅଧିକାଂଶ ନେତା ଭବିଷ୍ୟତରେ ଏସା ହୋଇଯିବ ବା ତେସା ହୋଇଯିବ ବୋଲି ପ୍ରଲୋଭନ ଦେଖାଇ ଜନସାଧାରଣଙ୍କୁ ଭୁଲାଇବାର ଫନ୍ଦା ଧରିଛନ୍ତି । ଉପସ୍ଥିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଲାଗି ଖୁବ୍ ବେଶୀ ବଳ ବା ଭରସା ଦେଇନାହାନ୍ତି । ପ୍ରଜା ବାରବାର ଭୁଲିଚି ଏବଂ ବର୍ତ୍ତମାନର ସମ୍ମୁଖୀନ ହେବାଲାଗି କୌଣସି ଦମ୍ଭ ନ ପାଇ ସେ ଭବିଷ୍ୟତ ବିଷୟରେ ମଧ୍ୟ ସାଧାରଣତଃ ଏକ ସଂଶୟବାଦୀ ଦୃଷ୍ଟିକୋଣ ପୋଷଣ କରିବାକୁ ଶିଖିଚି । ତା’ର ପିଲାମାନେ ବଡ଼ ହୋଇ ଯେ ସତରେ ଏକ ସୁନ୍ଦରତର ଓ ଉନ୍ନତତର ପୃଥିବୀରେ ବାସ କରିବେ, ଏପରି ବିଶ୍ୱାସ ତା’ ମନରୁ କ୍ରମେ ତୁଟି ତୁଟି ଯାଇଚି । ସାମୁଦାୟିକ ବିକାଶର ପ୍ରଚେଷ୍ଟା ଗ୍ରାମର ଅଧିବାସୀକୁ ଉପସ୍ଥିତ ସମସ୍ୟାଗୁଡ଼ିକର ନିରାକରଣ କରିବାଲାଗି ଉତ୍‌ପ୍ରେରକମାନ ଯୋଗାଇ ଦେଉଚି । ତା’ର ଦାଣ୍ଡରୁ ମଇଳା କିପରି ସଫା ହେବ, ତା’ର ଗାଆଁରୁ ମଶା କିପରି କମିବେ, ତା’ର ଜମିରେ କିପରି ଅଧିକ ଫସଲ ଫଳିବ ଓ ତା’ର ପିଲାଏ ପାଠ ପଢ଼ିବାଲାଗି ଗାଆଁରେ ଭଲ ସ୍କୁଲଖଣ୍ଡେ କିପରି ତିଆରି ହେବ, ସାମୁଦାୟିକ ବିକାଶର ପରିଧିଭିତରକୁ ଆସି ଗ୍ରାମବାସୀ ଏହିସବୁର ଚିନ୍ତା କରିବାକୁ ଓ ସମାଧାନର ବାଟ ବାହାର କରିବାକୁ ଅନେକ ଆଧାର ପାଇଯାଉଚି । ଏହାଦ୍ୱାରା ତା’ର ଆପଣା ଉପରେ ବିଶ୍ୱାସ ବଢ଼ୁଚି, ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆଣିପାରିବାର ବିଶ୍ୱାସ ବଢ଼ୁଚି, ଭବିଷ୍ୟତ ସମ୍ବନ୍ଧରେ ବିଶ୍ୱାସ ବଢ଼ୁଚି ଏବଂ ଜୀବନ ପ୍ରତି ମଧ୍ୟ ସେ ସମଗ୍ରତଃ ଏକ ଆସ୍ଥାମୂଳକ ଦୃଷ୍ଟିକୋଣ ପୋଷଣ କରିବାଲାଗି ଅଧିକ ଉତ୍ସାହିତ ହୋଇପାରୁଚି । ବର୍ତ୍ତମାନ ଭାଗ୍ୟକୁ ବଦଳାଇ ପାରିବାର ଅନେକ ଖିଅ ପାଇ ସେ ଆପଣା ଓ ଆପଣା ପିଲାଙ୍କର ଭବିଷ୍ୟତକୁ ଗଢ଼ିପାରିବା ଲାଗି ଅନେକ ପ୍ରୋତ୍ସାହନ ପାଇପାରୁଚି--।।୬।। ସାମୁଦାୟିକ ବିକାଶ ଫଳରେ ମଣିଷର ବ୍ୟକ୍ତିଗତ ଜୀବନରେ ତଥା ସାମାଜିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ସମ୍ଭବ ହେଉଚି, ପୁରୁଣା ଗତ ଛାଡ଼ି ଜୀବନ ନାନା ନୂତନ ମାର୍ଗରେ ଗତି କରିବାକୁ ଅଭିଳାଷୀ ହେଉଚି । କିନ୍ତୁ ତଥାପି ଏହା ଗ୍ରାମବାସୀକୁ ତା’ର ସାମାଜିକ ମୂଳଦୁଆ ଉପରୁ ହଟାଇ ନେଉନାହିଁ ବା ତା’ର ସଂସ୍କୃତି ସହିତ ଲାଗିଥିବା ଖିଅକୁ ଛିଡ଼ାଇ ଦେଉନାହିଁ । ଯେତେବେଳେ କୌଣସି ଏକାଧିକାରତନ୍ତ୍ର ମଣିଷ ଓ ସମାଜକୁ ବଦଳାଇବାଲାଗି ମସୁଧା କରି ବାହାରେ, ବଦଳାଇବାର ନାମରେ ସେ ମଣିଷକୁ ଅନେକପ୍ରକାର ବୃନ୍ତଚ୍ୟୁତ କରି ନେଇଥାଏ, ଅଧ୍ରୂବର ମିଛଲଡ଼ୁ ଦେଖାଇ ସେ ମଣିଷକୁ ଧ୍ରୂବରୁ ହଟାଇନିଏ । ପୁରୁଣା ସମାଜ ଓ ସଂସ୍କୃତି ନାରଖାର ହୋଇଯାଏ, ତାହାସହିତ ଲାଗିଥିବା ମଣିଷର ନାନାବିଧ ଜୀବନଚେର ଛିଡ଼ିଯାଏ,-ସଂସ୍କୃତି ଦୃଷ୍ଟିରୁ ମଣିଷ ସର୍ବହରା ହୋଇପଡ଼େ । ସାମୁଦାୟିକ ବିକାଶଯୋଜନା ଗ୍ରାମବାସୀକୁ ସେପରି କୌଣସି ପ୍ରକାରେ ହୀନସ୍ତା କରିବାଲାଗି କୌଣସି ଫିସାଦ କରୁନାହିଁ । ଗ୍ରାମସମାଜର ଦୃଢ଼ ଭୂମି ଉପରେ ହିଁ ସେ ଗ୍ରାମବାସୀକୁ ତା’ର ଜୀବନକୁ ସୁନ୍ଦରତର କରି ଗଢ଼ିବାର ଉଦ୍‌ବୋଧନ ଦେଉଚି । ସମାଜ ଓ ସଂସ୍କୃତିକୁ ଭାଙ୍ଗିପକାଇବାରେ ନୁହେଁ, ବର୍ତ୍ତମାନ ଜୀବନରେ ଏହାର ସାର୍ଥକତାରେ ଅଭିବୃଦ୍ଧି କରିବା ହେଉଚି ସାମୁଦାୟିକ ବିକାଶଯୋଜନାର କାର୍ଯ୍ୟ । ଏହା ଗାଆଁ ମଣିଷକୁ ସମ୍ପତ୍ତିବାନ୍ କରିବା ମତଲବରେ ଗାଆଁକୁ ଭାଙ୍ଗିଦେବାକୁ ଚାହୁନାହିଁ ବା ଗ୍ରାମସଂହତିକୁ ଉଜୁଡ଼ାଇ ଦେବାକୁ ଯାଉନାହିଁ । ଏହା ଗାଆଁର ମୂଳଦୁଆକୁ ଦୃଢ଼ତର କରିବାକୁ ଯାଉଚି । (୧୭)

 

ସାମୁଦାୟିକ ବିକାଶ ସମ୍ବନ୍ଧରେ ଆମେରିକାର ଆଉଜଣେ ବିଶେଷଜ୍ଞ କହିଚନ୍ତି ଯେ-ସ୍ୱୟଂ ମଣିଷ ହେଉଚି ସାମୁଦାୟିକ ବିକାଶର ସର୍ବପ୍ରଧାନ ପୁଞ୍ଜି ଏବଂ ଏହି ପୁଞ୍ଜିକୁ ତାହା ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିଥାଏ । ପୃଥିବୀର ନାନା ଅଞ୍ଚଳରେ ଏହି ପୁଞ୍ଜି ଅର୍ଥାତ୍ ମଣିଷ ହିଁ ସବୁଠାରୁ ଅଧିକ ଅବହେଳିତ ହୋଇ ରହିଚି । ମଣିଷ ନାମରେ କେତେଜଣ ତିଆରି ହେଉଚି, କେତେ ଧନ ସରୁଚି ଓ କେତେ ଧନ ଜମା ହେଉଚି, କିନ୍ତୁ ମଣିଷକୁ ସର୍ବପ୍ରଧାନ କେନ୍ଦ୍ର ବା ଉଦ୍ଦେଶ୍ୟ କରି ଖୁବ୍ କମ୍ ପ୍ରଚେଷ୍ଟା ଆମ ସଂସାରରେ କରାଯାଉଚି । ପୃଥିବୀର ସାମଗ୍ରୀ ଓ ସାଧନଗତ ସମ୍ପନ୍ନତା ବଢ଼ିବା ସଙ୍ଗେ ସଙ୍ଗେ ହୁଏତ ମଣିଷରୂପୀ ମୂଳଧନର ସମାନୁପାତ ବୃଦ୍ଧି ହୋଇ ପାରୁନାହିଁ । ସାମୁଦାୟିକ ବିକାଶ ଆପଣାର ସକଳ କଳ୍ପନା ଓ ଯୋଜନାରେ ଏହି ମଣିଷକୁ ହିଁ ମୂଳ କରି ଗ୍ରହଣ କରିଚି । ଦ୍ୱିତୀୟ କଥା ହେଉଚି ଯେ, ସାମୁଦାୟିକ ବିକାଶ ଗଣତନ୍ତ୍ର ଅଥବା ଲୋକଶାସନକୁ ସାମାଜିକ ଜୀବନର ନିମ୍ନତମ ସ୍ତରରୁ ଗଢ଼ିବାର ସ୍ପର୍ଦ୍ଧା ରଖି ବାହାରିଚି । ଉପରେ ପଣ୍ଡିତ ଓ ପୁଙ୍ଗବମାନେ ବସି ଆଇନ୍‌ବହି ତିଆରି କରିଦେଲେ ଲୋକଶାସନ ବଳେବଳେ ପ୍ରତିଷ୍ଠିତ ହୋଇଯାଏନାହିଁ । ସଂବିଧାନ ଗଢ଼ିଦେଲେ ପ୍ରଜାତନ୍ତ୍ର ଆପଣା ଛାଏଁ ବନିଯାଏ ନାହିଁ । ଲୋକମାନଙ୍କୁ ଏପରିକି ସମାଜର ସର୍ବନିମ୍ନ ସ୍ତରରେ ବାସ କରୁଥିବା ଲୋକମାନଙ୍କୁ ଆପଣା ଶାସନ ଓ ଆପଣା ସଂସାର ବ୍ୟବସ୍ଥାରେ ସକ୍ରିୟ ଭାଗ ନେବାର ଓ ତାହାକୁ ନିୟନ୍ତ୍ରଣ କରିବାର ଅବସର ଓ ଅଧିକାର ଦେଇପାରିଲେ ଯଥାର୍ଥ ଗଣତନ୍ତ୍ରର ନିର୍ମାଣ ସମ୍ଭବ ହୁଏ । ସମାଜର ପରିବର୍ତ୍ତନକୁ କେହି ବନ୍ଧ ଦେଇ ରୋକି ପାରିବନାହିଁ, ବା ବନ୍ଧୁକର ଭୟଦେଖାଇ ଅଟକାଇ ରଖିପାରିବନାହିଁ । ଅନ୍ୟାୟ, ଅନୀତି, ଅବିଚାର ଓ ଅବହେଳାକୁ କେହି ଘଣ୍ଟ ଘୋଡ଼ାଇ ରଖିପାରିବ ନାହିଁ । ଆମେ ନିଆଁକୁ ଯେତେ ଦବାଇକରି ରଖିବା, ତାହା ସେତେ ବେଶୀ କୁହୁଳିବାରେ ଲାଗିଥିବ-। ଅନେକ ଯୁଗରୁ ଆମର ଦେହ ସହି ଆସୁଥିବା ଅସମାନତା ଓ ଦୀନତାଗୁଡ଼ାକୁ ଆମେ ଯେତେ ଚୂନ ଧଉଳାଇ ସହନୀୟ କରି ଦେଖାଇବାର ଫନ୍ଦି କରୁଥିବା, ତଳେ ପଡ଼ିଥିବା ଦୈନ୍ୟଗ୍ରସ୍ତ ଅସମ୍ମାନିତ ମଣିଷର ଅସନ୍ତୋଷମାନ ସେତିକି ଅଧିକ ତୀବ୍ରଭାବରେ କୁହୁଳିବାରେ ଲାଗିଥିବ । ଏହି ଅସନ୍ତୋଷ ଫାଟି ସଂସାରରେ ବିଦ୍ରୋହ ହୋଇଚି, ସମାଜର ଜୀବନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆଶାରେ ଉଗ୍ର ହିଂସାତ୍ମକ ଉପାୟରେ ବି ଆଶ୍ରୟ ନିଆଯାଉଚି । କେବଳ ରୁଷିଆ ବା ଫ୍ରାନସ ଦେଶରେ ନୁହେଁ, ସବୁଦେଶର ମାଟି ଓ ଜଳବାୟୁରେ ମଧ୍ୟ ଏହା ସମ୍ଭବ ହୋଇପାରେ । ଅବିକଶିତ ଦେଶଗୁଡ଼ିକରେ ଆଜି ନାନାପ୍ରକାର ଦୈନ୍ୟ ଓ ଦୀନତା ଲୋକଜୀବନକୁ ଗ୍ରାସ କରି ରହିଚି । ନାନା ପ୍ରକାର ଅନ୍ୟାୟ ଓ ଅସମ୍ମାନକୁ ଯୁଗସମର୍ଥିତ ପରମ୍ପରା ବୋଲି ମାନିନିଆଯାଉଚି । କିନ୍ତୁ ସବୁଦିନ ଲାଗି ଯେ ସବୁଲୋକ ଏହିପରି ମାନି ନେଉଥିବେ ଓ ଆପଣାକୁ ଦୟନୀୟ ସ୍ତରରେ ପକାଇ ରଖିଥିବେ, ଏପରି ସାନ୍ତ୍ୱନା ପାଇବାର କୌଣସି କାରଣ ଆମେ ଇତିହାସରୁ ପାଇବା ନାହିଁ-। ଦାରିଦ୍ର୍ୟ, ରୋଗ, ଅଶିକ୍ଷା, ଅସମ୍ପନ୍ନତା ଓ ଅପାରଗତାକୁ ପ୍ରଶ୍ରୟ ଦେବାରେ ଲାଗିଥିଲେ ଅସନ୍ତୋଷର ଦୈତ୍ୟ ଦିନେ ସବୁ ଭାଙ୍ଗିଦେବାକୁ ବାହାରିବ, ସବୁପ୍ରକାର ହିଂସାକୁ ମଧ୍ୟ ଏହା ପରିବର୍ତ୍ତନର ସାଧନରୂପେ ଗ୍ରହଣ କରିବାକୁ ପଶ୍ଚାତ୍‌ପଦ ହେବନାହିଁ । ଏହିପରି ଏକ ଅସୁସ୍ଥ ବିପର୍ଯ୍ୟୟକୁ ରୋକିବାକୁ ହେଲେ ଆମକୁ ବେଳସୁଁ ଅନ୍ୟପନ୍ଥା ଧରିବାକୁ ପଡ଼ିବ, ଏବଂ ସାମୁଦାୟିକ ବିକାଶ ହେଉଚି ସେହିପରି ଗୋଟିଏ ପନ୍ଥା, ଯାହାଦ୍ୱାରା କି ସାମାଜିକ ବ୍ୟବସ୍ଥାରେ ଇପ୍‌ସିତ ପରିବର୍ତ୍ତନଗୁଡ଼ିକ ଅଣାଯାଇପାରିବ । ଅନ୍ୟାୟ, ଅବିଚାର, ଅସମ୍ମାନ ଓ ଅସମାନତାକୁ ହଟାଇଦେବ, ଅଥଚ ବିପ୍ଳବ ନାମରେ ମଣିଷ ମାରିବାକୁ ପଡ଼ିବ ନାହିଁ । (୧୮)

 

ଅର୍ଥନୈତିକ ବିକାଶ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମର ମୂଳସୋପାନ ହୋଇ ରହିବ । ବିକଶମାନ ଦେଶଗୁଡ଼ିକରେ ଆର୍ଥିକ ଜୀବନର ଉନ୍ନୟନକୁ ମୂଳସୂତ୍ର ରୂପେ ନଧରି ଆମେ କୌଣସିପ୍ରକାର ସାମୁଦାୟିକ ବିକାଶ ଯୋଜନା ଚଳାଇ ପାରିବାନାହିଁ । ତଥାପି କେବଳ ଆର୍ଥିକ ଉନ୍ନତିକୁ ସାମୁଦାୟିକ ବିକାଶର ଏକମାତ୍ର କାର୍ଯ୍ୟକ୍ରମ ବା ଉଦ୍ଦେଶ୍ୟ ବୋଲି ମାନିନେଲେ ଆମେ ଭାରି ଭୁଲ କରିବା । କାରଣ କେବଳ ଅର୍ଥନୈତିକ ବିକାଶ ସାମୁଦାୟିକ ବିକାଶର ଏକମାତ୍ର ଉଦ୍ଦେଶ୍ୟ ନୁହେଁ । (ପୁସ୍ତକ-ଟିପ୍‌ପଣି-୫, ପୃଷ୍ଠା-୧୦୮) ଆମକୁ ସମାଜର ସମଗ୍ର ଜୀବନଟି ଉପରେ ଅବଶ୍ୟ ଦୃଷ୍ଟି ରଖିବାକୁ ପଡ଼ିବ । ସମଗ୍ର ଜୀବନର ବିକାଶର ଅନୁକୂଳ ହୋଇ ହିଁ ଅର୍ଥନୈତିକ ବିକାଶ ସାଧିତ ହେବ, ସମାଜର ପରିବର୍ତ୍ତନ କରିବାକୁ ଯାଇ ଏହା କଦାପି ସମାଜର ସଂସ୍କୃତିଗତ ଓ ମୂଲ୍ୟଗତ ମୂଳଗୁଡ଼ିକୁ ଉତ୍ପାଟିତ କରିଦେବାର ଦୂରଭିଳାଷ ରଖିବନାହିଁ । ବ୍ରିଟିଶ ଅର୍ଥଶାସ୍ତ୍ରବିତ୍ ଶ୍ରୀଯୁକ୍ତ ଶୁମାଖର୍ ଏହି ବିଷୟରେ କହିଚନ୍ତି : ‘‘ପୁରୁଣା ପରମ୍ପରା ଗୁଡ଼ିକୁ ବିନଷ୍ଟ ନକରି ସମଗ୍ର ସମାଜକୁ ନୂତନ ରୂପ ଦେବା ଯଦି ଆମର ଧେୟ ହୋଇ ରହେ, ତେବେ କେବଳ ଆର୍ଥିକ ବିକାଶକୁ ଚରମ ଉଦ୍ଦେଶ୍ୟ ବୋଲି ମାନିନେବା ଅର୍ଥନୀତିଜ୍ଞମାନଙ୍କ ପକ୍ଷରେ ଏକ ଘୋର ଅପରାଧ ହେବ । ଆର୍ଥିକ ବିକାଶର ଗୁରୁତ୍ୱ ସିଦ୍ଧ କରିବାକୁ ଯାଇ ଆର୍ଥିକ ବିକାଶକୁ ସାମୁଦାୟିକ ବିକାଶର ସାଧ୍ୟ ଏବଂ ସାମାଜିକ, ମନୋବୈଜ୍ଞାନିକ, ନୈତିକ ତଥା ରାଜନୈତିକ ପରିବର୍ତ୍ତନକୁ କେବଳ ସାଧନ ଏବଂ ତେଣୁ କେବଳ ଗୌଣ ବୋଲି କଦାପି ମାନିନେବେନାହିଁ ।’’ ସେ ପୁଣି କହିଚନ୍ତି, ‘‘ଯୋଜନା ତିଆରି କରୁଥିବା ବ୍ୟକ୍ତିମାନଙ୍କର ଆଦର୍ଶ ଯଦି କୌଣସି ପ୍ରକାର ଉତ୍ତେଜନାରେ ପଡ଼ିଯାଇ ଜନସାଧାରଣଙ୍କର ଜୀବନାଦର୍ଶଗୁଡ଼ିକୁ ଅସ୍ୱୀକାର କରେ, ତେବେ ସାମୁଦାୟିକ ବିକାଶ ଉଦ୍ଦେଶ୍ୟରେ ସମାଜର ଅର୍ଥ ଓ ମନୁଷ୍ୟଶକ୍ତିକୁ ଠୁଳକରି କାହାକୁ କାର୍ଯ୍ୟରେ ଲଗାଇପାରିବା ଅସମ୍ଭବ ହୋଇପଡ଼ିବ । ସମାଜ ଭିତରେ ଯେଉଁ ଅର୍ଥଶକ୍ତି ଓ ଜନଶକ୍ତି ରହିଚି, କେବଳ ସମାଜ ଅର୍ଥାତ୍ ଜନସାଧାରଣଙ୍କର ସହଯୋଗରେ ହିଁ ସାମୁଦାୟିକ ବିକାଶ ଉଦ୍ଦେଶ୍ୟରେ ସେଗୁଡ଼ିକର ବିନିଯୋଗ କରିବା ସମ୍ଭବ ହୋଇପାରିବ । କିନ୍ତୁ ଯୋଜନା ତିଆରି କରୁଥିବା ଲୋକଙ୍କର ଆଦର୍ଶବାଦ ସହିତ ଲୋକସାଧାରଣଙ୍କର ଆଦର୍ଶ ଓ ଜୀବନଧାରାର ସଂଘର୍ଷ ହେଲେ ତାହା ସମ୍ଭବ ହୋଇ ପାରିବ ନାହିଁ ।’’

 

ଲୋକମାନଙ୍କୁ ଯୋଜନା ସହିତ ନେବାକୁ ହିଁ ପଡ଼ିବ, ଏହା ହେଉଚି ଶ୍ରୀ ଶୁମାଖର୍‌ଙ୍କ ମତରେ ସାମୁଦାୟିକ ବିକାଶର ଅସଲ କଷଟି । ଲୋକସାଧାରଣ ଅର୍ଥାତ୍ ଅଧିକସଂଖ୍ୟକ ଲୋକ ଯୋଜନାକାରୀମାନଙ୍କ ସହିତ ସହଯୋଗ କରୁଚନ୍ତି ଓ ସେମାନଙ୍କର ଯୋଜନାକୁ ସମର୍ଥନ କରୁଚନ୍ତି କି ନାହିଁ ଏହା ଅବଶ୍ୟ ଦେଖିବାକୁ ପଡ଼ିବ । ଯଦି ଏହି ସହଯୋଗ ଓ ସମର୍ଥନର ଅଭାବ ରହିଥାଏ, ତେବେ ଯେତେ ପରିଶ୍ରମ କଲେ ମଧ୍ୟ ଯୋଜନା କରୁଥିବା ବ୍ୟକ୍ତିମାନେ କିଛି କରିପାରିବେ ନାହିଁ ଏବଂ ଏଥିଲାଗି ଲୋକସାଧାରଣଙ୍କ ଉପରେ ମଧ୍ୟ ଦୋଷ ଢାଳି ଦିଆଯାଇ ପାରିବନାହିଁ । ଏହି ପ୍ରସଙ୍ଗରେ ଶ୍ରୀ ଶୁମାଖର୍ ଯେଉଁ ମନ୍ତବ୍ୟ ପ୍ରକାଶ କରିଚନ୍ତି, ତାହା ଆମ ସମସ୍ତଙ୍କର ମନେରଖିବା ଉଚିତ । ସେ କହିଚନ୍ତି : ‘‘କେବଳ ଅନ୍ନରେ ମଣିଷର ଜୀବନ ଭରେନାହିଁ । ଗରିବପାଖରେ ଏହି ଅନ୍ନ ମଧ୍ୟ ଯଥେଷ୍ଟ ପରିମାଣରେ ନ ଥାଏ । ତେଣୁ ଜୀବନରେ ସୁଖ, ସନ୍ତୋଷ ଓ ପରିପୂର୍ଣ୍ଣତା ଲାଗି ତାକୁ ଅନ୍ନେତର ଅନ୍ୟାନ୍ୟ ସମ୍ପଦଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼େ । ଏଗୁଡ଼ିକ ଉପରେ ନିର୍ଭର କରି ରହିବାକୁ ହୁଏତ ଧନବାନ୍ ମଣିଷର ଏତେଦୂର ଆବଶ୍ୟକତା ନଥାଏ । କାରଣ ତା’ପାଖରେ ଅନ୍ନସମ୍ବଳ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଯେତେବେଳେ ବାହାରୁ କେହି ଆସି ଦରିଦ୍ରର ଅନ୍ନେତର ଅବଲମ୍ବନଗୁଡ଼ିକୁ ଲୁଟିନେବାକୁ ବସେ, ତେବେ ତଦ୍ଦ୍ୱାରା ତାହାର ଆତ୍ମସମ୍ମାନ ଟିକକ ମଧ୍ୟ ଚାଲିଯାଏ, ଜୀବନ ବଞ୍ଚିବାର ବାସନା ଓ ଜୀବନର ବାଟରେ ଆପେ ଆପଣାକୁ ସାହାଯ୍ୟ କରିବାର ଆଗ୍ରହ ମଧ୍ୟ ମରିଯାଏ ।’’ (୧୯)

 

ସାମୁଦାୟିକ ବିକାଶ ଓ ସ୍ୱାୟତ୍ତଶାସନ ପରସ୍ପରର ସହଯୋଗୀ ଓ ପରିପୂରକ ହୋଇ ରହିବେ । ଏଣେ ଜନସାଧାରଣଙ୍କୁ ଆପଣା ସମୁଦାୟର ବିକାଶରେ ପ୍ରତ୍ୟକ୍ଷ ଭାଗ ଓ ଦାୟିତ୍ୱ ନେବାକୁ କୁହାଯିବ, ତେଣେ ସ୍ଥାନୀୟ ଶାସନରେ ସେମାନଙ୍କର ହାତ ରହିବନାହିଁ ଓ ଉପରୁ କୌଣସି କେନ୍ଦ୍ରୀୟ ସତ୍ତା ସେମାନଙ୍କୁ ଶାସନ କରୁଥିବ, ଏପରି ହେଲେ ସାମୁଦାୟିକ ବିକାଶକୁ ଆମେ ବେଶୀଦୂର ଆଗେଇନେଇ ପାରିବାନାହିଁ । ଶାସନକୁ ବିକାଶ କାର୍ଯ୍ୟର ଅନୁକୂଳ ନକଲେ ଶାସନ ଓ ବିକାଶକାର୍ଯ୍ୟ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ଉପୁଜିବ ଓ ବିକାଶ କାର୍ଯ୍ୟକୁ ନାଲିଫିତାର ଅନେକ ଦୌରାତ୍ମ୍ୟ ସହିବାକୁ ହେବ । ଇଂଲଣ୍ଡର ଶ୍ରୀ ଜେମ୍‌ସ୍ ଗ୍ରିଫିଥ୍‌ସ୍‌ଙ୍କ ଭାଷାରେ ‘‘ଲୋକମାନେ ଯେପରି ଆପଣାର ବ୍ୟବସ୍ଥା ଓ ପରିଚାଳନା ଆପେ କରିପାରିବେ ଏବଂ ଆପଣା ଆବଶ୍ୟକତାଗୁଡ଼ିକର ପୂରଣ ଆପେ କରିପାରିବେ, ଏଥିଲାଗି ଆମକୁ ଲୋକସ୍ତରରେ ଯେଉଁ ଅନୁଷ୍ଠାନମାନ ରଖିବାକୁ ପଡ଼ିବ, ତାହାକୁ ହିଁ ସ୍ଥାନୀୟ ଶାସନ କୁହାଯାଏ । ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ସ୍ଥାନୀୟ ସ୍ଥିତିରେ ଉନ୍ନତିବିଧାନ କରାଇବା ହେଉଚି ସାମୁଦାୟିକ ବିକାଶର କାର୍ଯ୍ୟ । ତେଣୁ ସ୍ଥାନୀୟ ଶାସନ ଅର୍ଥାତ୍ ସ୍ୱାୟତ୍ତଶାସନ ଏବଂ ସାମୁଦାୟିକ ବିକାଶ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ରହିଚି ଓ ଦୁହିଁଙ୍କୁ ଏକତ୍ର ଭାବରେ ହିଁ କାର୍ଯ୍ୟ କରିବାକୁ ପଡ଼ିବ ।’’ (ପୁସ୍ତକ ଟିପ୍ପଣୀ–୬, ପୃଷ୍ଠା–୪)

 

ଆହୁରି ଏକ ଗ୍ରନ୍ଥରେ (୨୦) କୁହାଯାଇଚି ଯେ ଆଫ୍ରିକାର ଯେଉଁସବୁ ଦେଶରେ (ଉଦାହରଣ ସ୍ୱରୂପ ନାଇଜିରିଆ) ସାମୁଦାୟିକ ବିକାଶଯୋଜନାମାନ ସବୁଠାରୁ ଅଧିକ ସଫଳ ହୋଇଚି, ସେହିସବୁ ଦେଶରେ ପ୍ରତିନିଧିମୂଳକ ସ୍ୱାୟତ୍ତଶାସନର ଏକ ସୁପ୍ରତିଷ୍ଠିତ ବ୍ୟବସ୍ଥା କାର୍ଯ୍ୟ କରି ଆସୁଚି । ଶାସନର ନିମ୍ନତମ ଅର୍ଥାତ୍ ସ୍ଥାନୀୟ ସ୍ତରରେ ଏହି ବ୍ୟବସ୍ଥା ସବୁଠାରୁ ଅଧିକ ସକ୍ରିୟ ଓ ଜୀବନ୍ତ ହୋଇ ରହିଚି । ଫଳରେ ସେହିସବୁ ଦେଶରେ ସାମୁଦାୟିକ ବିକାଶ ଓ ସ୍ୱାୟତ୍ତଶାସନ ମଧ୍ୟରେ ଏକ ସୁଖ ସମାବେଶ ସ୍ଥାପନ କରିବା ସମ୍ଭବ ହୋଇପାରିଚି ଏବଂ ଏହାଦ୍ୱାରା ଦୁହେଁଯାକ ଉପକୃତ ହେଉଚନ୍ତି ।

 

ଆଦର୍ଶ ବଡ଼ ହେଲେ କାମ ଆପେ ଆପେ ହାସଲ ହୋଇଯାଏ ନାହିଁ, ବିସ୍ତାରିତ ଯୋଜନାଟାଏ ତିଆରି କରିଦେଲେ ଇପ୍‌ସିତ ଫଳ ଆପେ ଆପେ ମିଳିଯାଏ ନାହିଁ । କୌଣସି ଆଦର୍ଶ ଅନୁସାରେ କାର୍ଯ୍ୟ ସମ୍ପାଦନ କରିବାକୁ ହେଲେ ତଦନୁରୂପ କର୍ମୀର ଆବଶ୍ୟକତା ସବୁବେଳେ ରହିଥାଏ । ଯୋଜନାର ଅସଲ ସ୍ୱାଦ ଯୋଜନାକୁ କାର୍ଯ୍ୟକାରୀ କରିବାରେ ହିଁ ମିଳେ । ସାମୁଦାୟିକ ବିକାଶ କାର୍ଯ୍ୟକାରୀ କରିବାକୁ ହେଲେ ଆମପାଖରେ ଉପଯୁକ୍ତ କର୍ମୀ ରହିଥିବା ଦରକାର । ସଂଯୁକ୍ତ ରାଷ୍ଟ୍ରସଂଘ ଦ୍ୱାରା ପ୍ରକାଶିତ ଏକ ପୁସ୍ତକରେ କୁହାଯାଇଚି: ‘‘ସାମୁଦାୟିକ ବିକାଶ ଯୋଜନାରେ ଗୋଟିଏ କଥା ଉପରେ କ୍ରମେ ସମସ୍ତେ ସମ୍ମତ ହେବାକୁ ଆରମ୍ଭ କଲେଣି । ସାମୁଦାୟିକ ଯୋଜନାର ଦାୟିତ୍ୱରେ ରହିଥିବା କର୍ମୀ ଗ୍ରାମସମୁଦାୟର ବ୍ୟକ୍ତି ଓ ଗୋଷ୍ଠୀମାନଙ୍କ ଉପରେ ଯେତିକି ପ୍ରଭାବ ପକାଇବ, ସେ ସେମାନଙ୍କୁ ଯେତିକି ଉଦ୍‌ବୁଦ୍ଧ କରାଇପାରିବ, ସାମୁଦାୟିକ ବିକାଶର ସଫଳତା ମୂଳତଃ ତାହାରି ଉପରେ ହିଁ ନିର୍ଭର କରୁଚି । କର୍ମୀ ଯେକୌଣସି ବିଶେଷ କ୍ଷେତ୍ରରେ ତାଲିମ ପାଇଥାଉ ପଛକେ, ତାହାର ବ୍ୟକ୍ତିଗତ ଯୋଗ୍ୟତା ଓ ବ୍ୟକ୍ତିଗତ ଜୀବନଦୃଷ୍ଟି ସାମୁଦାୟିକ ବିକାଶକାର୍ଯ୍ୟରେ ସବୁଠାରୁ ଅଧିକ ବଳିଷ୍ଠ ପ୍ରଭାବ ପକାଇପାରିବ । ଆପଣା ବ୍ୟକ୍ତିତ୍ୱବଳରେ ଯଦି ସେ ଗ୍ରାମବାସୀମାନଙ୍କୁ ବିକାଶ ଆଡ଼କୁ ଆକୃଷ୍ଟ କରିପାରିଲା, ବିକାଶକାର୍ଯ୍ୟର ମହତ୍ତ୍ୱ ବିଷୟରେ ସେ ଯଦି ସେମାନଙ୍କ ମନରେ ହୃଦବୋଧ ଜନ୍ମାଇ ପାରିଲା, ତେବେ ତାହାରିଦ୍ୱାରା ଅନେକକିଛି ସାଧିତ ହୋଇ ପାରିବ । ତାହାରି ପ୍ରେରଣା ପାଇଁ ଓ ତାହାରିଠାରୁ ସାହାଯ୍ୟ ନେଇ ଗ୍ରାମବାସୀମାନେ ଭୌତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଆପଣାର ଅନେକ ଉନ୍ନତି ସାଧନ କରିପାରିବେ, ସେମାନଙ୍କର ନୈତିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧି ହୋଇପାରିବ ଓ ସେମାନଙ୍କର ସାମାଜିକ ଜୀବନ ମଧ୍ୟ ସୁଖୀ ହୋଇପାରିବ ।’’ (ପୁସ୍ତକ ଟିପ୍ପଣୀ–୧୩, ପୃଷ୍ଠା–୯୭)

 

ଶ୍ରୀଯୁକ୍ତ ମୁଖର୍ଜୀଙ୍କ ମତରେ ସାମୁଦାୟିକ ବିକାଶ ଚାରୋଟି ମୌଳିକ ବିଶ୍ୱାସ ଉପରେ ପ୍ରତିଷ୍ଠିତ ରହିବ । (ପୁସ୍ତକ ଟିପ୍ପଣୀ–୧, ପୃଷ୍ଠା : ୩-୧୨) ଅନ୍ୟ ଭାଷାରେ କହିଲେ ଯେଉଁ ସରକାର ବା ସଂସ୍ଥା ସାମୁଦାୟିକ ବିକାଶଯୋଜନାର କାର୍ଯ୍ୟକୁ ଆପଣା ହାତକୁ ନେବେ, ସେମାନେ ଚାରୋଟି କଥାଉପରେ ଅବଶ୍ୟ ବିଶ୍ୱାସ ରଖିଥିବେ । ସାମୁଦାୟିକ ବିକାଶର କ୍ଷେତ୍ରରେ ତଳ ବା ଉପର ଯେଉଁ ସ୍ତରରେ ହେଉପଛକେ ଯିଏ କର୍ମୀ ହୋଇ ବାହାରିବ, ତାହାଭିତରେ ମଧ୍ୟ ଏହି ଚାରୋଟି ବିଶ୍ୱାସ ଦୃଢ଼ ହୋଇ ରହିଥିବ । ଏଗୁଡ଼ିକ ହେଉଚି-ଗ୍ରାମବାସୀଙ୍କର କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ, ଗଣତନ୍ତ୍ର ଉପରେ ବିଶ୍ୱାସ, ବିଜ୍ଞାନ ଓ ଆଧୁନିକ ଯନ୍ତ୍ରକୌଶଳ ଉପରେ ବିଶ୍ୱାସ ଏବଂ ସାମାଜିକ ନ୍ୟାୟ ଉପରେ ବିଶ୍ୱାସ । ଅତି ସହଜରେ ଏହି ଶବ୍ଦଗୁଡ଼ିକୁ ଶୁଣି ଭାବୁକତାରେ ହୃଦୟ ପୁଲକିତ ହୋଇ ଉଠିବାର ଅନେକ ସମ୍ଭାବନା ରହିଥିଲେ ମଧ୍ୟ ଏହି ଚାରୋଟି ବିଶ୍ୱାସଦ୍ୱାରା ସାମୁଦାୟିକ ବିକାଶକାର୍ଯ୍ୟରେ ପ୍ରବୃତ୍ତ ହେବା ଆଦୌ ସହଜ କଥା ନୁହେଁ । ଏହି ଚାରୋଟି ସତ୍ୟର ପ୍ରତିଷ୍ଠା ଲାଗି କେତେ ଦେଶରେ କେତେ ହଣାକଟା ଓ ରକ୍ତାକ୍ତ ବିପ୍ଳବ ହୋଇଚି । ବିକଶମାନ ଦେଶର ସରକାର ମାନେ ଆଜି ସାମୁଦାୟିକ ବିକାଶଯୋଜନାର ଜରିଆରେ ଏହା ହାସଲ କରିବାକୁ ଚାହୁଚନ୍ତି । ହିଂସାତ୍ମକ ବିପ୍ଳବ ଅପେକ୍ଷା ସାମୁଦାୟିକ ବିକାଶରୂପୀ ଅହିଂସାତ୍ମକ ବିପ୍ଳବରେ ଅଧିକ ଦାୟିତ୍ୱବୋଧ ଓ ତତ୍ପରତାର ପ୍ରୟୋଜନ ରହିଚି, ଅଧିକ ସାଧୁତା ଏବଂ ନିଷ୍ଠାର ପ୍ରୟୋଜନ ରହିଚି । ତେଣୁ ସାମୁଦାୟିକ ବିକାଶକୁ ଆମେ କେବଳ ଗଦ୍‌ଗଦ୍ ଭାବୁକତା ଦ୍ୱାରା ସହଜ ଓ ନରମ କରିଦେବାକୁ ଚେଷ୍ଟା କରିବାନାହିଁ । ଏହାକୁ ଆମେ ଏକ ଆହ୍ୱାନ ବୋଲି ଗ୍ରହଣ କରିବା । ଏହି ଆହ୍ୱାନର ଯୋଗ୍ୟ ଉତ୍ତର ଦେଇନପାରିଲେ ସଂସାରର କୌଣସି ସରକାରୀ ବଳ ହିଂସାତ୍ମକ ବିପ୍ଳବର ବାଟକୁ ରୋଧି ପାରିବନାହିଁ ।

 

ପ୍ରଥମେ ଗାଆଁ ଲୋକଙ୍କ ଦ୍ୱାରା ଯେ ସେମାନଙ୍କର ବିକାଶ ହୋଇପାରିବ ଆମକୁ ଅର୍ଥାତ୍ ଯେଉଁମାନେ ବାହାରୁ ସରକାରୀ ବା ବେସରକାରୀ ସ୍ତରରୁ ସାମୁଦାୟିକ ବିକାଶ ଯୋଜନାରେ ଉତ୍ସାହ ଦେଖାଉଚନ୍ତି ଅଥବା ନେତୃତ୍ୱ ଦେଉଚନ୍ତି, ସେମାନଙ୍କୁ ଏକଥା ଉପରେ ବିଶ୍ୱାସ ରଖିବାକୁ ପଡ଼ିବ । ଅନେକ ସମୟରେ ଆମେ ଗାଆଁ ଛାଡ଼ି ସହରକୁ ଆସିଥିବା ଓ ସହରର ଆୟୋଜନ ବସାଇଥିବା ଲୋକେ ଗାଆଁ ଲୋକଙ୍କୁ ସାଧାରଣତଃ ଅସମର୍ଥ ଓ ଅକିଞ୍ଚନ ବୋଲି ଭାବିଥାଉ । ସେମାନଙ୍କ ଲାଗି ଆମର ଅଧିକାଂଶ ଯୋଜନା ପ୍ରଧାନତଃ ଏହି ଦୋଷରେ ଦୂଷିତ ହୋଇ ରହିଥାଏ ।

 

ଗାଆଁ ଲୋକମାନଙ୍କ ଉପରେ ବିଶ୍ୱାସ କରିବାର ମୂଳକଥା ହେଉଚି ଗଣତନ୍ତ୍ର ଉପରେ ବିଶ୍ୱାସ କରିବା । କାରଣ ମନୁଷ୍ୟବ୍ୟକ୍ତି ଉପରେ ବିଶ୍ୱାସ ସ୍ଥାପନ କରି ହିଁ ଗଣତନ୍ତ୍ରର ଜନ୍ମ ହୋଇଚି-। ଆମେ ଯେପରି ମଣିଷ, ଗାଆଁରେ ରହୁଥିବା ଲୋକମାନେ ହିଁ ସେହିପରି ମଣିଷ ତେଣୁ ଏହି ଦେଶର ଶାସନରେ ଆମର ଯେପରି ଦାୟିତ୍ୱ ଓ ଅଧିକାରମାନ ରହିଚି, ସେମାନଙ୍କର ବି ସେହିପରି ରହିଚି, ଏପରି ବିଶ୍ୱାସ ଦୃଢ଼ ହେଲେ ଯାଇ ଗଣତନ୍ତ୍ର ସଫଳ ପ୍ରତିଷ୍ଠା ହୋଇ ପାରିବ ଏବଂ ଗଣତନ୍ତ୍ର ଦ୍ୱାରା ମଣିଷର ଯଥାର୍ଥ ଉଦୟ ହୋଇପାରିବ । ଗଣତନ୍ତ୍ରର ଭେକ ପିନ୍ଧାଇ ସୁନା ଅକ୍ଷରରେ ବଢ଼ିଆ ସଂବିଧାନଟାଏ ଗଢ଼ି ଥୋଇଦେଲେ ତାହା ହୋଇପାରିବ ନାହିଁ । ତୃତୀୟ ବିଶ୍ୱାସ ହେଉଚି ବିଜ୍ଞାନ ଓ ଆଧୁନିକ ଯନ୍ତ୍ରକୌଶଳ ଉପରେ ବିଶ୍ୱାସ । ଆଗେ ସମାଜର ସବୁ ମଣିଷଙ୍କ ଲାଗି ସୁଖୀ ଓ ସୁନ୍ଦର ଜୀବନ ସମ୍ଭବ କରିବା ଲାଗି ମଣିଷପାଖରେ ତଦନୁରୂପ ସାଧନମାନ ନଥିଲା । ତେଣୁ ଥୋକେ ସବୁ ଭୋଗ କରୁଥିଲେ ଓ ଆଉ ଥୋକେ ଜୀବନର ନିମ୍ନତମ ଆବଶ୍ୟକତା ଗୁଡ଼ିକରୁ ମଧ୍ୟ ବଞ୍ଚିତ ହୋଇ ରହିଥିଲେ । ମଣିଷ-ସମାଜର ଏହି ଅସମର୍ଥତାକୁ ଅବଶ୍ୟମ୍ଭାବୀ ବୋଲି ମାନିନେଇ ନୀତି, ଶାସ୍ତ୍ର ଓ ଧର୍ମ ମଧ୍ୟ ଗଢ଼ା ହେଉଥିଲା । ଆଧୁନିକ ବିଜ୍ଞାନ ଓ ଯନ୍ତ୍ରକୌଶଳ ବଳରେ ଆଜି ସେହି କ୍ଳିଷ୍ଟତାରୁ ପାର ହୋଇଯିବାଲାଗି ସମ୍ଭାବନା ଉନ୍ମୁକ୍ତ ହୋଇ ସାରିଲାଣି । ବିଜ୍ଞାନ ଓ ଯନ୍ତ୍ରକୌଶଳକୁ ଯଦି ଆମେ ବିବେକପୂର୍ଣ୍ଣ ଭାବରେ ବ୍ୟବହାର କରିପାରିବା, ତେବେ ତଦ୍ଦ୍ୱାରା ସଂସାରର ସବୁ ମଣିଷଙ୍କର ପେଟ ପୂରିବ, ସମସ୍ତଙ୍କର ଲାଜ ଲୁଚିବ, ସମସ୍ତେ ସୁନ୍ଦର ଘରେ ବାସ କରିବାର ସୁବିଧା ପାଇବେ, ରୋଗବଇରାଗରେ ସବୁରିଲାଗି ଆବଶ୍ୟକ ଚିକିସ୍ତାର ବ୍ୟବସ୍ଥା ହୋଇପାରିବ ଓ ସଂସାରର ସବୁ ପିଲା ଶିକ୍ଷା ପାଇପାରିବେ, ଆପଣାର ବାସନା ଓ ଅନ୍ତର୍ନିହିତ ଯୋଗ୍ୟତା ଅନୁସାରେ ଆତ୍ମବିକାଶର ଅଧିକାର ପାଇବେ । ଏହା ଯେ ବର୍ତ୍ତମାନ ସମ୍ଭବ ହେଉନାହିଁ, କେବଳ ଆମର ଅନ୍ୟାନ୍ୟ ଖଣ୍ଡାନୁରକ୍ତିମାନ ରହିଥିବାରୁ ଏହା ହେଉଚି; ଆମର ନିର୍ବୋଧତା ହେତୁ ଏହା ହେଉଚି । ସାମୁଦାୟିକ ଯୋଜନା ବିଜ୍ଞାନ ଓ ଯନ୍ତ୍ରକୌଶଳର ଆଧୁନିକ ସମର୍ଥ ସାଧନଗୁଡ଼ିକର ବିନିଯୋଗ କରିବାକୁ କୌଣସିପ୍ରକାରେ କୁଣ୍ଠିତ ହେବନାହିଁ ।

 

ସାମାଜିକ ନ୍ୟାୟ ଉପରେ ବିଶ୍ୱାସ ରଖିବା ଆଦୌ ନିରାପଦ ନୁହେଁ । କାରଣ ଏହି ବିଶ୍ୱାସରେ ନିଜକୁ ଦୀକ୍ଷିତ କରିବାକୁ ହେଲେ ଆପଣାର ଅନେକ ପ୍ରେୟ ଓ ସଂସ୍କାରର ଅନେକ ଗ୍ରନ୍ଥିରୁ ଆପଣାକୁ ମୁକ୍ତ କରିବାକୁ ହେବ । ସମାଜରେ ନ୍ୟାୟ ରହିବ, ସବୁ ମଣିଷର ସମାନ ଅଧିକାର ରହିବ, ସଂସାର ଶୋଷଣମୁକ୍ତ ହେବ, ଏ ବିଷୟରେ ପାଠ-ପଣ୍ଡିତମାନଙ୍କଠାରୁ ଆରମ୍ଭ କରି ସଭାଧୀଶମାନଙ୍କ ପର୍ଯ୍ୟନ୍ତ କେତେ ବ୍ୟକ୍ତି ଦେଶରେ କେତେ ଉଦ୍‌ଗାର କରିଯାଇଚନ୍ତି । କିନ୍ତୁ ତଥାପି ଆମର ପୃଥିବୀରେ ନ୍ୟାୟ ଅପେକ୍ଷା ଅନ୍ୟାୟଟା ହିଁ ଅଧିକ ମାତ୍ରାରେ ଆସନମାଡ଼ି ବସିଥିଲା ପରି ମନେହେଉଚି । ଯୁଗ ଆଗକୁ ଯିବା ସଙ୍ଗେ ସଙ୍ଗେ ନ୍ୟାୟର ବାସନା ଅବଶ୍ୟ ବୃଦ୍ଧି ପାଉଚି, କିନ୍ତୁ ତଥାପି ଅନ୍ୟାୟ ହଟିପାରୁନାହିଁ । ତାହାର କାରଣ ହେଉଚି ସାମାଜିକ ଅନ୍ୟାୟଗୁଡ଼ିକ ପ୍ରଧାନତଃ ଆମେ ମଣିଷମାନେ ହିଁ ଭିଆଇଚୁ ଓ ଆପଣାକୁ ଏହି ଦୋଷରୁ ମୁକ୍ତ କରିବାର ମତଲବରେ ଭଗବାନଙ୍କଠାରୁ ଆରମ୍ଭ କରି ଶାସ୍ତ୍ରବାକ୍ୟ ପର୍ଯ୍ୟନ୍ତ ସବୁରି ଊଲୁଗୁଣା ଦେଇଚୁ । ଏହିସବୁ ଅନ୍ୟାୟ ପ୍ରତିଷ୍ଠିତ ହେବାଦ୍ୱାରା ଆମଭିତରୁ ଯେଉଁମାନଙ୍କର ଲାଭ ହେଉଚି ସେମାନେ ସହଜରେ ଏହି ଲାଭର ଆସନ ଛାଡ଼ିବାକୁ ରାଜୀ ହେଉନାହାନ୍ତି । ଅନ୍ୟାୟର ଅପସାରଣଲାଗି ବିପ୍ଳବ ହେଉଚି, କେତେ ଭରସାରଖି ନିରୀହ ଜନସାଧାରଣ ଏହି ବିପ୍ଳବରେ ଯୋଗ ଦେଉଛନ୍ତି, କିନ୍ତୁ ଆଜିର ବିପ୍ଳବୀ କାଲି ଯେତେବେଳେ ଗାଦୀରେ ଯାଇ ବସୁଚି, ସିଏ ମଧ୍ୟ ଗାଦୀର ଲୋଭରେ ବା ଗାଦୀ ଛାଡ଼ିଯିବାର ଆଶଙ୍କାରେ ଅନ୍ୟାୟଗୁଡ଼ାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଚି ।

 

ସାମାଜିକ ନ୍ୟାୟଉପରେ ବିଶ୍ୱାସ ନରଖିଲେ ଓ ସେହି ଅନୁସାରେ ସାହସର ସହିତ ଅଗ୍ରସର ନ ହେଲେ ସାମୁଦାୟିକ ବିକାଶ-ଯୋଜନାର କାର୍ଯ୍ୟକ୍ରମ ଭଣ୍ଡୁର ହୋଇଯିବ, ଗଣତନ୍ତ୍ର ଭଣ୍ଡୁର ହୋଇଯିବ, ବିଜ୍ଞାନ ଓ ଆଧୁନିକ ଯନ୍ତ୍ରକୌଶଳ ଦ୍ୱାରା ସଂସାରର ସବୁ ମଣିଷଙ୍କର ଦୁଃଖ ମେଣ୍ଟିବନାହିଁ ଏବଂ ଶୋଷଣ ହିଁ ବୃଦ୍ଧି ପାଇବ । ଏ କଥା ଅନ୍ୟଦେଶ କ୍ଷେତ୍ରରେ ଯେପରି ସତ୍ୟ, ଆମ ଦେଶ ଲାଗି ମଧ୍ୟ ଠିକ ସେହିପରି ସତ୍ୟ । ଆଧୁନିକ ପୃଥିବୀରେ ଯେଉଁ ମଣିଷ ବଞ୍ଚିବାର ବାସନା ନେଇ ବାହାରିବ, ସେ ଯେଉଁ ଦେଶ, ଜାତି, ରଙ୍ଗ ବା ଧର୍ମର ହୋଇଥାଉ ପଛକେ, ସେ ମଣିଷ ହିସାବରେ ଆଗ ଆପଣା ସମାଜରେ ନ୍ୟାୟର ଦାବୀ କରିବସିବ । ନାନା ବାହାନାରେ ନ୍ୟାୟକୁ ବାଟ ନଛାଡ଼ି ଆମେ ଅନ୍ୟାୟକୁ ଦର୍ଶନଧଉଳା କରି ରଖିଥିବା ପର୍ଯ୍ୟନ୍ତ ସେ ଆମର କୌଣସି ସାମୁଦାୟିକ ବିକାଶ ଯୋଜନାରେ କଦାପି ବିଶ୍ୱାସ କରିବନାହିଁ । ପ୍ରତ୍ୟେକ ଦେଶରେ ସାଧାରଣତଃ ସରକାର ହିଁ ସାମୁଦାୟିକ ବିକାଶଯୋଜନାକୁ କାର୍ଯ୍ୟକାରୀ କରୁଚନ୍ତି । ପୁଣି ସାଧାରଣତଃ ଯେଉଁମାନଙ୍କ ହାତରେ ସରକାରୀ ସତ୍ତା ରହିଥାଏ, ସେହିମାନେହିଁ ସମାଜରେ ମଜ୍ଜାଗତ ହୋଇ ରହିଥିବା ଅନ୍ୟାୟରୁ ନାନା ପ୍ରକାର ଫାଇଦା ଉଠାଇଥାନ୍ତି ଓ ସେହି କାରଣରୁ ଅନ୍ୟାୟକୁ କାନିଘୋଡ଼ାଇ ରଖିବାର ଆବଶ୍ୟକତା ଅନୁଭବ କରିଥାନ୍ତି । ସରକାରୀ ଗାଦୀରେ ରହିଥିବା ଶ୍ରେଣୀ ସାଧାରଣତଃ ସମାଜରେ ପ୍ରଚଳିତ ରହିଥିବା ବ୍ୟବସ୍ଥାକୁ ବଜ୍ର କରିରଖିବାକୁ ଚାହେ, କୌଣସି ମୌଳିକ ପରିବର୍ତ୍ତନ ଚାହେ ନାହିଁ । ତେଣୁ ଏହି ସରକାରମାନେ କେତେଦୂର ସାମାଜିକ ନ୍ୟାୟଉପରେ ବିଶ୍ୱାସ ରଖି ସାମୁଦାୟିକ ବିକାଶ-ଯୋଜନାକୁ ଚଳାଇପାରିବେ, ତାହାକୁ ହିଁ ବିକଶମାନ ଦେଶଗୁଡ଼ିକରେ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ ବୋଲି ମାନିବାକୁ ପଡ଼ିବ ।

 

ସାମୁଦାୟିକ ବିକାଶ-ଯୋଜନା ସଙ୍ଗେ ସଙ୍ଗେ ଆମେ ପ୍ରସାରକାର୍ଯ୍ୟ ସହିତ ମଧ୍ୟ ଅଳ୍ପବହୁତ ପରିଚିତ ହେବାକୁ ଆରମ୍ଭ କରିଚୁ । ପ୍ରସାରକାର୍ଯ୍ୟ ବା ସମ୍ପ୍ରସାରଣ କାର୍ଯ୍ୟକୁ ଇଂରାଜୀରେ extension ବୋଲି କୁହାଯାଉଚି । Extension ଶବ୍ଦଟି ଏହି ବିଶେଷ ଅର୍ଥରେ ସମ୍ଭବତଃ ଆମେରିକାରେ ହିଁ ପ୍ରଥମ କରି ବ୍ୟବହୃତ ହୋଇଚି ଓ ତା’ପରେ ଆମେ ନାନାଦେଶରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମକୁ ଗ୍ରହଣ କଲାବେଳେ ଏହି ଶବ୍ଦଟିର ଯଥାସମ୍ଭବ ଅନୁବାଦ କରି ବ୍ୟବହାର କରିବାକୁ ଚେଷ୍ଟା କରିଚୁ । ଇଂରାଜୀରେ ଶବ୍ଦଟିର ଅର୍ଥ ହେଉଚି ପ୍ରସାରିତ କରିବାର କାର୍ଯ୍ୟ । ମୋ ପାଖରେ, ଯାହାଅଛି, ତାହାକୁ ମୁଁ ଅନ୍ୟମାନଙ୍କୁ ଦେବି, ଅନ୍ୟମାନଙ୍କର କଲ୍ୟାଣ ବା ଲାଭସକାଶେ ତାହାକୁ ମୁଁ ଅନ୍ୟମାନଙ୍କ ଆଡ଼କୁ ପ୍ରସାରିତ କରିଦେବି, ତଦ୍ଦ୍ୱାରା ମୋ ଜ୍ଞାନ ବିତରିତ ହୋଇ ଅନ୍ୟମାନଙ୍କର ମଧ୍ୟ ଉପକାର କରିବ । ଗାଆଁର ଚାଷୀମାନେ କୃଷିର ସେହି ପୁରୁଣା ପଦ୍ଧତିମାନଙ୍କୁ ଧରି ପଡ଼ିରହିଚନ୍ତି, ତେଣୁ ଉତ୍ପାଦନ ଭଲ ହେଉନାହିଁ ଏବଂ ଚାଷୀମାନେ ଏହାକୁ ଭାଗ୍ୟ ବୋଲି କହି ମାନିନେଉଚନ୍ତି । ମୁଁ କୃଷିରେ ବିଶେଷ ତାଲୀମ ପାଇ ଆସିଚି ବା ଅନ୍ୟଦେଶରେ ଉନ୍ନତ ଧରଣର ଚାଷ ବିଷୟରେ ଅଭିଜ୍ଞତା ଅର୍ଜନ କରିଆସିଚି-ମୁଁ ଯାଇ ଚାଷୀମାନଙ୍କୁ ସେହି ବିଷୟରେ କହିଲି ବା କୌଣସି ନୂତନ ପଦ୍ଧତିକୁ କାର୍ଯ୍ୟରେ କରି ଦେଖାଇଦେଲି । ପ୍ରଥମେ ଜଣେ ଚାଷୀ ମୋର କଥା ମାନିଲା, ଅର୍ଥାତ୍ ମୋର କହିବାରେ ବା ମୋର ପ୍ରଦର୍ଶନରେ ତାର ପ୍ରତ୍ୟୟ ଜନ୍ମିଲା ଏବଂ ସିଏ ପୁରୁଣା ପଦ୍ଧତି ଛାଡ଼ି ପ୍ରଥମଥର ଲାଗି ନୂତନ ପଦ୍ଧତି ଅବଲମ୍ବନ କରି କାର୍ଯ୍ୟ କଲା ଏବଂ ଫଳରେ ସେ ଲାଭବାନ୍ ମଧ୍ୟ ହେଲା, ଅର୍ଥାତ୍ ତା’ର ଉତ୍ପାଦନ ମଧ୍ୟ ବଢ଼ିଲା । ତା’ର ସଫଳତା ଦେଖି ଅନ୍ୟମାନେ ମଧ୍ୟ ସେହି ପଦ୍ଧତିଟି ଉପରେ ବିଶ୍ୱାସ ସ୍ଥାପନ କଲେ । ଏହା ଫଳରେ ଗାଆଁରେ କୃଷି-ଉତ୍ପାଦନ ବଢ଼ିଲା, ଗାଆଁ ଲାଭବାନ୍ ହେଲା, ଜ୍ଞାନର ଜ୍ଞାନତ୍ୱ ସାର୍ଥକ ହେଲା । ମୋର ଜ୍ଞାନକୁ ମୁଁ ଠିକ୍ ପ୍ରକାରେ ସମ୍ପ୍ରସାରିତ କରାଇ ପାରିବାରୁ ଏକଥା ସମ୍ଭବ ହେଲା ।

 

କେବଳ କୃଷି ବିଷୟରେ ନୁହେଁ । ଯେକୌଣସି କ୍ଷେତ୍ରରେ ମଧ୍ୟ ପ୍ରସାର କାର୍ଯ୍ୟ ସମ୍ଭବ ହୋଇପାରେ । ଯାହାପାଖରେ ଜ୍ଞାନ ରହିଚି, ସିଏ ଦେବାକୁ ପ୍ରସ୍ତୁତହେଲେ ଏବଂ ଉଚିତ ମାର୍ଗରେ ସେହି ଜ୍ଞାନକୁ ଅନ୍ୟଲାଗି ଦେଇ ପାରିଲେ ପ୍ରସାର କାର୍ଯ୍ୟ ସମ୍ଭବ ହୁଏ । ଅନ୍ୟପକ୍ଷରେ କେହି ଆପଣାର ଜ୍ଞାନ ଭାବକୁ ପରିପୂର୍ଣ୍ଣ କରିବାକୁ ଚାହିଲେ ଅର୍ଥାତ ନୂତନ ଜ୍ଞାନକୁ ଆପଣା କାମରେ ଲଗାଇ ଲାଭବାନ ହେବାର ବାସନା ତା’ଭିତରେ ଜାଗୃତ ହୋଇପାରିଲେ ପ୍ରସାର କାର୍ଯ୍ୟ ସମ୍ଭବ ହୁଏ । ସାମୁଦାୟିକ ବିକାଶ ଯଦି ଆମ ସମାଜ ଓ ସାମୁଦାୟିକ ଜୀବନର ନବନିର୍ମାଣରେ ସାଧ୍ୟ ବୋଲି ଗୃହୀତ ହୁଏ, ତେବେ ପ୍ରସାରକାର୍ଯ୍ୟକୁ ଏହି ସାଧ୍ୟଟିକୁ ହାସଲ କରିବାଲାଗି ଆମେ ସାଧନ ବା ଉପାୟ ବୋଲି କହିପାରିବା । ନୂତନ ସାଧନ ଯୋଗାଇଦେଇ ଆମେ ସମାଜର ଆଶୁ ପରିବର୍ତ୍ତନ ଲାଗି ଅନେକ ଅନୁକୂଳ ପରିସର ଯୋଗାଇ ଦେଇପାରିବା । ନୂତନ ସାଧନ କହିଲେ ମୂଳତଃ ନୂତନ ଜ୍ଞାନକୁ ହିଁ ବୁଝାଏ, ସେହି ସାଧନ ବିଷୟରେ ଜ୍ଞାନ, ସେହି ସାଧନଟିର ଆବଶ୍ୟକତା ବିଷୟରେ ଜ୍ଞାନ ଓ ସେହି ସାଧନଟିକୁ ଆପଣାର କାର୍ଯ୍ୟରେ ଲଗାଇ ପାରିବାର ଜ୍ଞାନ-

 

ଆମ ପୃଥିବୀରେ ସମସ୍ତେ ସବୁକଥା ଜାଣିନାହାନ୍ତି, ତେଣୁ ସମୁଦାୟ ସମାନ ସମକକ୍ଷ ଭାବରେ ନୂତନ ଯୁଗ ଓ ନୂତନ ଆବଶ୍ୟକତାଗୁଡ଼ିକର ଆହ୍ୱାନ ଶୁଣି ସେଗୁଡ଼ିକର ଜବାବ ଦେବାଲାଗି ସମର୍ଥ ହୋଇପାରନ୍ତି ନାହିଁ । ଗୋଟିଏ ସମୁଦାୟ ଆଗକୁ ବଢ଼ିଯାଏ ତ ଆଉଗୋଟିଏ ସମୁଦାୟ ପଛରେ ପଡ଼ିରହେ । ପ୍ରାୟ ଠିକ୍ ଏହି କାରଣରୁ ସହର ଆଗକୁ ବଢ଼ିଯାଏ ତ ଗାଆଁ ପଛରେ ପଡ଼ିରହେ, ଆଦିବାସୀ ସମାଜ ପଛରେ ପଡ଼ିରହେ । ପାଠୁଆ ଆଗକୁ ବଢ଼ିଯାଆନ୍ତି ତ ଅପାଠୁଆ ପଛରେ ପଡ଼ିରହନ୍ତି । କେତେକଙ୍କର ଆଗକୁ ବଢ଼ିଯିବା ଓ ଆଉ କେତେକଙ୍କର ପଛରେ ପଡ଼ିରହିବାଟାକୁ ଆମେ ଆଜିପର୍ଯ୍ୟନ୍ତ ଏକ ଅତି ସ୍ୱାଭାବିକ ବ୍ୟାପାର ବୋଲି ମାନିନେଉଥିଲୁ; ପାଞ୍ଚ ଆଙ୍ଗୁଠିକୁ ଯେପରି ପରସ୍ପର ସହିତ ଅସମାନ ମାନି ନିଆଯାଏ, ପ୍ରାୟ ଠିକ୍ ସେମିତି । ଏପରି ହେଉଥିଲା, କାରଣ ଏକ ବିଶେଷ ସାମାଜିକ ବିଚାର ଓ ସାମାଜିକ ସଂସ୍କାରକୁ ଆମେ ପାରସ୍ପରିକ ଜୀବନ ଯାତ୍ରାରେ ପଥରକଉଡ଼ି ପରି ମାନିନେଉଥିଲୁ । କିନ୍ତୁ ଆଧୁନିକ ଆବଶ୍ୟକତା ଦୃଷ୍ଟିରୁ ମଧ୍ୟ ହୋଇ ଆମର ସେହିସବୁ ବିଚାର ଓ ସେହିସବୁ ସଂସ୍କାର କ୍ରମେ ବଦଳିଯାଉଚି । ପୃଥିବୀର କେତୋଟି ଦେଶ ଆଗୁଆ ହୋଇ ମାଡ଼ିଯାଉଥିବେ, ମହୁଡ଼ମଣି ହୋଇ ସାଧାରଣ ସ୍ତରରେ ଅନେକ ଉପରେ ଝଟକୁଥିବେ ଏବଂ ଅନ୍ୟ ଦେଶଗୁଡ଼ିକ ଏଣେ ନାନା ପ୍ରକାର ଅସମ୍ମାନିତ ସ୍ତରରେ ପଡ଼ିରହିଥିବେ, ଏସବୁ ଦେଶରେ ମଣିଷମାନେ ନାନା ସାଧନ ଓ ସୁଯୋଗର ଅଭାବରୁ ମଣିଷପରି ବଞ୍ଚିରହିବାର ମଧ୍ୟ ସୁଯୋଗ ପାଉନଥିବେ, ଏପରି ଏକ ସ୍ଥିତି ବିଷୟରେ ପୃଥିବୀର ପ୍ରଗତିଶୀଳ ଲୋକେ ଆଜି ଅସନ୍ତୋଷ ପ୍ରକାଶ କରିବାକୁ ଆରମ୍ଭ କଲେଣି । ପୃଥିବୀରେ ସବୁଦେଶର ଉଦୟ ହେବ ଅର୍ଥାତ ସବୁଦେଶର ମଣିଷ ମନୁଷ୍ୟଯୋଗ୍ୟ ସୁନ୍ଦର ଜୀବନ ବଞ୍ଚିବାର ଅଧିକାର ଓ ସୁଯୋଗ ପାଇବେ, ଆଗାମୀ ପୃଥିବୀ କହିଲେ ଏବେ ଅଧିକରୁ ଅଧିକ ମଣିଷ କ୍ରମେ ଏହିପରି ଭାବିବାକୁ ଆରମ୍ଭ କଲେଣି । ଆଗୁଆ ଦେଶମାନେ ତଥାକଥିତ ପଛୁଆ ଦେଶଗୁଡ଼ିକ ପ୍ରତି ଆପଣାର କର୍ତ୍ତବ୍ୟ କ୍ରମେ ହୃଦୟଙ୍ଗମ କଲେଣି । ସେମାନଙ୍କ ଆପଣା ପାଖରେ ଯେଉଁ ଅଧିକ ଜ୍ଞାନ ଓ ଅଧିକ କୌଶଳ ରହିଚି ଓ ଯେଉଁଥିଲାଗି ସେମାନେ ମଣିଷର ସଂସାରକୁ ଅଧିକ ସମ୍ପନ୍ନ ଓ ସୁନ୍ଦର କରି ଗଢ଼ିବାକୁ ସମର୍ଥ ହୋଇପାରିଚନ୍ତି, ସେହି ଜ୍ଞାନ ଓ କୌଶଳକୁ ସେମାନେ ଅନ୍ୟାନ୍ୟ ଦେଶଲାଗି ମଧ୍ୟ ସମ୍ପ୍ରସାରିତ କରିବାକୁ ଆରମ୍ଭ କଲେଣି । ଏଥିଲାଗି କେତେପ୍ରକାରର ଆନ୍ତର୍ଜାତିକ ସଂସ୍ଥାମାନ ଗଢ଼ାହେଉଚି, ଆନ୍ତର୍ଜାତିକ ସ୍ତରରେ କେତେ ବିଚାର-ବିନିମୟ ହେଉଚି, ଉଦ୍ଦେଶ୍ୟ, ସମଗ୍ର ମନୁଷ୍ୟଜାତି ଗୋଟିଏ ସମୁଦାୟ ହିସାବରେ ବିକଶିତ ହେବ, ବଡ଼ ହାତ ସାନ ହାତକୁ ବଳ ଦେବ, ଯେପରିକି କୃଷ୍ଣ, ପୀତ ବା ଶ୍ୱେତ ସବୁ ମଣିଷ ଏକାଠି ଆପଣାର ସମଗ୍ର ଉଦୟରେ ପରସ୍ପରଦ୍ୱାରା ଉପକୃତ ହୋଇପାରିବେ । ଆନ୍ତର୍ଜାତିକ ବିକାଶର ଉଚ୍ଚାକାଙ୍‌କ୍ଷୀ ଯୋଜନାରେ ଆମେ ଏହି ଉଦ୍ୟମକୁ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ପ୍ରଶଂସାର୍ହ ପ୍ରସାର କାର୍ଯ୍ୟ ବୋଲି କହିପାରିବା ।

 

ସହରର ଜୀବନରେ ସମ୍ପନ୍ନତାର ଅଧିକତର ସାଧନ ରହିଚି, ସହରର ଗବାକ୍ଷମାନ ପୃଥିବୀର ଚତୁର୍ଦ୍ଦିଗକୁ ଅଧିକ ଉନ୍ମୋଚିତ ହୋଇ ରହିଚି । ଯେ କୌଣସି ଦେଶରେ ସହରରୁ ହିଁ ସବୁ ନୂଆ କଥା ବାହାରୁଚି, ସହରରେ ନୂଆ ଜ୍ଞାନବିଜ୍ଞାନର ଚର୍ଚ୍ଚାନୁଶୀଳନ ହେଉଚି । ସହରର ରାସ୍ତା ଅଧିକ ଚଉଡ଼ା, ସହରର କୋଠା ଅଧିକ ଉଚ୍ଚ, ସହରର ଦାଣ୍ଡରେ ଅଧିକ ଆଲୁଅ । ଶିକ୍ଷାର ସରଞ୍ଜାମ ଆଗ ସହରକୁ ଯୋଗାଇ ଦିଆଯାଉଚି, ଉନ୍ନତିକାମୀ ସକଳ ମଣିଷଗୋଷ୍ଠୀ ଆଜି ସହରଆଡ଼କୁ ଅନାଇଚନ୍ତି ଓ ସୁବିଧା ଜୁଟିଲେ ସହରକୁ ହିଁ ଦଉଡ଼ି ଯାଉଚନ୍ତି । ମାତ୍ର ଏହି ବିଚାର କ୍ରମେ ବଦଳିଯାଉଚି । ଯେତେ ଚଞ୍ଚଳ ସହର ଓ ଗାଆଁ ଭିତରେ ରହିଥିବା ଭୌତିକ ତଥା ମାନସିକ ବ୍ୟବଧାନମାନ ଦୂର ହୋଇଯିବ, ସେତେ ଚଞ୍ଚଳ ଆମ ସମାଜର ମଙ୍ଗଳ ହେବ ବୋଲି ଆମେ ବୁଝିବାକୁ ଆରମ୍ଭ କଲୁଣି । ଗ୍ରାମବିସ୍ତାରର ନୀରସ ନିଷ୍‌ପ୍ରାଣ ମରୁଭୂମି ଭିତରେ ସହରଗୁଡ଼ିକୁ ଗୋଟିଏ ଗୋଟିଏ ମରୂଦ୍ୟାନ ପରି ସଜାଇ ରଖିବାର ସ୍ପର୍ଦ୍ଧାକୁ ଏବେ ଅଧିକରୁ ଅଧିକ ମଣିଷ ଏକ କ୍ଷତିକାରକ ସ୍ପର୍ଦ୍ଧା ବୋଲି ବୁଝିଲେଣି । ଗାଆଁକୁ ହସିବା, ଗାଆଁକୁ ପଛରେ ଛାଡ଼ିଦେଇ ସହର କଦାପି ଶ୍ରୀମନ୍ତ ହୋଇପାରିବନାହିଁ । ସୁନ୍ଦର ଭାବରେ ତିଷ୍ଠି ରହିବାକୁ ହେଲେ ଗାଆଁକୁ ମଧ୍ୟ ସାଥିରେ ନେବାକୁ ହେବ । ଗାଆଁର ଆବର୍ଜନା ଓ ଅନୁନ୍ନତତାକୁ ଘୃଣାକରି ଅଛୁଆଁ ବ୍ରାହ୍ମଣ ପରି ବସିରହିଲେ ସହରଜୀବନରେ ମଧ୍ୟ କ୍ରମେ ପୋକ ଖାଇବାକୁ ଆରମ୍ଭ କରିବ । ତେଣୁ ସହରର ଧ୍ୟାନ ଗାଆଁ ଆଡ଼କୁ ପ୍ରସାରିତ ହେବ, ସହରର ଜ୍ଞାନଦ୍ୱାରା ଗାଆଁ ଲୋକେ ବି ଉପକୃତ ହେବେ, ଉନ୍ନତତର ଜୀବନ ଯାପନ ଲାଗି ସହରର ବାସନା ଗାଆଁ ଆଡ଼କୁ ମଧ୍ୟ ସଂକ୍ରମିତ ହୋଇଆସିବ, ସହରରେ ନୂଆ ଗଢ଼ିବାର ପ୍ରେରଣା ଗାଆଁକୁ ମଧ୍ୟ ପ୍ରେରଣା ଦେବ । ମୋଟ ଉପରେ ଗାଆଁ ଓ ସହର ପରସ୍ପରର ସହଚାରୀ ହୋଇ ରହିବେ, ଗାଆଁ ଓ ସହର ବିଷୟରେ ସାମାଜିକ ବିକାଶ-ଦର୍ଶନ ଏହିପରି ଚିନ୍ତା କରିବାକୁ ଆରମ୍ଭ କଲାଣି । ଗାଆଁର ବିକାଶରେ ସମ୍ପନ୍ନତର ସହର ଯେଉଁସବୁ ମାର୍ଗରେ ସାହାଯ୍ୟ କରିବା ଲାଗି ବାହରିବାକୁ ବିଚାରୁଚି, ତାହାକୁ ଆମେ ଏହିସ୍ତରରେ ଗ୍ରାମ ଉଦ୍ଦେଶ୍ୟରେ ସହରର ସମ୍ପ୍ରସାରଣ-କାର୍ଯ୍ୟ ବୋଲି କହିପାରିବା ।

 

ପାଠୁଆଙ୍କ ପାଖରେ ପାଠ ରହିଚି, ଅପାଠୁଆଙ୍କ ପାଖରେ ପାଠ ନାହିଁ । ଘରେ ଯେମିତି ଘରର ମାଆ ପାଠୁଆପିଲାକୁ ଗେହ୍ଲାକରି ଅପାଠୁଆ ପିଲାକୁ ଲାଜ ଦେବାର ପ୍ରବୃତ୍ତି ଅନେକ ସମୟରେ ଦେଖାଇଥାଏ, ପ୍ରାୟ ଠିକ୍ ସେହିପରି ଆମ ସମାଜ ପାଠୁଆମାନଙ୍କୁ ସବୁପ୍ରକାରେ ଗେହ୍ଲା କରି ରଖିଚି ଓ ଅପାଠୁଆମାନେ ହତାଦର ହିଁ ପାଉଚନ୍ତି । ପାଠୁଆଙ୍କର ପାଠ ସିନ୍ଦୂକ ଭିତରେ ରହିଥିବ, ସେହି ପାଠର ସନ୍ତକ ଦେଖାଇ ସେମାନେ ଚାକିରୀ ପାଉଥିବେ, ଶିରିପା ବାନ୍ଧୁଥିବେ,-ଅଥଚ ଏଣେ ଅପାଠୁଆର ଏକ ସମୁଦ୍ର ସେମାନଙ୍କ ଚାରିପାଖରେ ଘେରି ରହିଥିବ, ଏହାକୁ ଆମେ କଦାପି ଏକ ସଭ୍ୟ ବାତାବରଣ ବୋଲି କହିପାରିବା ନାହିଁ । ଅପାଠୁଆଙ୍କ ପ୍ରତି ପାଠୁଆଙ୍କର ମଧ୍ୟ କର୍ତ୍ତବ୍ୟ ରହିଚି । ଯାହାପାଖରେ ପାଠ ନାହିଁ, ତାହାରି ଉଦ୍ଦେଶ୍ୟରେ ପାଠ ଆପଣାକୁ ବିତରିତ ବା ପ୍ରସାରିତ କରିଦେବ, ଏକଥା ସଂସାରର ପାଠୁଆ ମାନେ କ୍ରମେ ହୃଦୟଙ୍ଗମ କଲେଣି । ଅନ୍ଧାର ଦୂରକରିବା ଯଦି ଆଲୁଅର କାର୍ଯ୍ୟ ନହୁଏ, ତେବେ ଆମେ ଆଲୁଅକୁ ଆଉ କେଉଁ ସନ୍ତକ ଦେଇ ଚିହ୍ନିବା ? ଏହି ସଂଶୟକୁ ଏବେ ଆଧୁନିକ ସମାଜ ଓ ଶିକ୍ଷାବିଚାରର ମୁଖଶାଳା ପରି ବିଚାର କରାଗଲାଣି । ପାଠୁଆ ଆପଣାର ପାଠକୁ ଅପାଠୁଆମାନଙ୍କ ଲାଗି ପ୍ରସାରିତ କରିଦେବ, ଏହାକୁ ଆମେ ଏହିସ୍ତରରେ ଏକ ପ୍ରସାର ବା ସମ୍ପ୍ରସାରଣକାର୍ଯ୍ୟ ବୋଲି ଅଭିହିତ କରିପାରିବା ।

 

କୌଣସି ଦେଶରେ ସାମୁଦାୟିକ ବିକାଶକୁ ପରିବର୍ତ୍ତନର ସାଧନ ରୂପେ ଗ୍ରହଣ କଲେ ଆମକୁ ଆମର ଯୋଜନାରେ ସମସ୍ତଙ୍କର ବିକାଶ ଓ ସମସ୍ତଙ୍କର ସୁଷମ ବିକାଶ ଲାଗି ଅବଶ୍ୟ ସ୍ଥାନ ରଖିବାକୁ ପଡ଼ିବ । ଯେଉଁମାନଙ୍କ ପାଖରେ ନୂତନ ଜ୍ଞାନର ଅଭାବ ରହିଚି, ସେମାନଙ୍କ ଆଡ଼କୁ ନୂତନ ଜ୍ଞାନକୁ ପ୍ରସାରିତ କରିଦେବାଲାଗି ଆମକୁ ସକଳ ସମ୍ଭାବନା ଖୋଜି ବାହାର କରିବାକୁ ହେବ । ସହର ଗାଆଁର ସହାୟତା କରିବ ଓ ପାଠୁଆ ଅପାଠୁଆର ସହାୟତା କରିବେ । ଗାଆଁରେ ନୂତନ ପରିବର୍ତ୍ତନ ଆଣିବାର ଏଜେଣ୍ଟରୂପେ ଆମେ ଯେଉଁ କର୍ମୀ ବା ସେବକକୁ ଉପଯୁକ୍ତ ତାଲୀମ ଦେଇ ଗାଆଁକୁ ପଠାଇବା, ତାହାରି ଜରିଆରେ ହିଁ ଗାଆଁରେ ନୂତନ ଜ୍ଞାନ, ନୂତନ ଆଗ୍ରହ ଓ ନୂତନ କର୍ମକୁଶଳତାମାନ ପ୍ରସାରିତ ହେବ । ବାହାର ବୃହତ୍ତର ପୃଥିବୀର ଯେଉଁ ଜ୍ଞାନ ଗାଆଁକୁ ଆସିପାରିଲେ ଓ ଗ୍ରାମବାସୀଙ୍କ ଦ୍ୱାରା ଗୃହୀତ ହୋଇପାରିଲେ ଗ୍ରାମବାସୀମାନେ ଏକ ନୂତନତର, ସୁନ୍ଦରତର ଓ ସମର୍ଥତର ଜୀବନ ଲାଗି ନାନା କାର୍ଯ୍ୟକ୍ରମ ଜରିଆରେ ଉଦ୍ୟତ ହୋଇପାରିବେ, ସେହି ଜ୍ଞାନ ଓ କର୍ମକୌଶଳଗୁଡ଼ିକୁ ଗାଆଁକୁ ବହନ କରି ଆଣିବା ହେଉଚି ପ୍ରସାରକର୍ମୀର କାର୍ଯ୍ୟ । ଆମ ଦେଶର ସାମୁଦାୟିକ ଯୋଜନାରେ ଗାଆଁମାନଙ୍କରେ ଏହି ଦିଗରେ ଯାହାସବୁ କାର୍ଯ୍ୟ ହେଉଚି, ତାହାକୁ ଆମେ ପ୍ରସାର କାର୍ଯ୍ୟ ବୋଲି ହିଁ କହିପାରିବା । ଗ୍ରାମସେବକ ସମେତ ଆଉ ଯେଉଁମାନେ ନୂତନ ଜ୍ଞାନ ଓ ନୂତନ କର୍ମପ୍ରଣାଳୀକୁ ନାନା ସୁକଳ୍ପିତ ଅବସରରେ ଗ୍ରାମବାସୀ ମାନଙ୍କ ଲାଗି ବହନ କରି ଆଣୁଚନ୍ତି, ସେମାନଙ୍କୁ ଆମେ ପ୍ରସାରକର୍ମୀ ବୋଲି କହିପାରିବା ।

 

ପ୍ରସାରକାର୍ଯ୍ୟର ବ୍ୟାଖ୍ୟା କରିବାକୁ ଯାଇ ଆମେରିକାର ଜଣେ ବିକାଶକାର୍ଯ୍ୟ ବିଶେଷଜ୍ଞ ଡାକ୍ତର ଡଗଲାସ୍ ଏନ୍‌ସ୍‌ମିଙ୍ଗର୍ (Douglas Ensminger) ବାରୋଟି ସଂଜ୍ଞା ନିରୂପଣ କରିଚନ୍ତି : (୨୧)

 

।।୧।। ଗାଆଁରେ ବାସ କରୁଥିବା ସବୁଲୋକଙ୍କର ଶିକ୍ଷାଲାଭକୁ ଆମେ ସମ୍ପ୍ରସାରଣ-କାର୍ଯ୍ୟ ବୋଲି କହିବା । ।।୨।। ଗାଆଁରେ ସବୁ ଲୋକଙ୍କର ଦୃଷ୍ଟିକୋଣ ବଦଳିବ, ଜ୍ଞାନର ବୃଦ୍ଧି ହେବ ଓ ସେମାନେ ନୂତନ ନୂତନ କୌଶଳମାନ ଶିକ୍ଷା କରିବେ । ।।୩।। ପ୍ରସାର-କାର୍ଯ୍ୟ ଗ୍ରାମବାସୀଙ୍କର ଏପରି ସହାୟତା କରିବ, ଯେପରି କି ସେମାନେ ଆପଣାର ସହାୟତା କରିପାରିବେ । ।।୪।। ଗାଆଁରେ ବାସ କରୁଥିବା ପୁରୁଷ ଓ ସ୍ତ୍ରୀ, ଯୁବକ ଓ ବାଳକ ବାଳିକାଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ପ୍ରସାରକାର୍ଯ୍ୟ କୁହାଯିବ । ଏହି କାର୍ଯ୍ୟଦ୍ୱାରା ସେମାନଙ୍କର ଆବଶ୍ୟକତା ଓ ଅଭାବ ଗୁଡ଼ିକର ପୂରଣ ଲାଗି ଯଥାଯୋଗ୍ୟ ଉତ୍ତର ଯୋଗାଇଦେବାର ପ୍ରଯତ୍ନ କରାଯିବ । ।।୫।। ‘କାମ ଜରିଆରେ ଶିକ୍ଷା’ ଓ ‘ଆଖିରେ ଦେଖି କୌଣସି ନୂତନ କାର୍ଯ୍ୟକ୍ରମକୁ ଉପାଦେୟ ବୋଲି ବିଶ୍ୱାସ କରିବା’–ଏସବୁ ପ୍ରସାରକାର୍ଯ୍ୟର ଅନ୍ତର୍ଗତ । ।।୬।। ଜୀବନରେ କେଉଁ କେଉଁ ଅଭାବବୋଧମାନ ରହିବା ଉଚିତ ଓ ସମ୍ପୂର୍ଣ୍ଣ ଜୀବନଯାପନ ଲାଗି ପ୍ରତ୍ୟେକ ମଣିଷ କେଉଁ କେଉଁ ସାଧନ ଓ ସାମଗ୍ରୀକୁ ଆବଶ୍ୟକ ବୋଲି ଅନୁଭବ କରିବା ଉଚିତ୍, ପ୍ରସାରକାର୍ଯ୍ୟ ଲୋକମାନଙ୍କୁ ଏହିକଥା ଶିଖାଇବାକୁ ଚେଷ୍ଟା କରିବ । ଏହିସବୁ ଆବଶ୍ୟକତା ଓ ଅଭାବର ପୂରଣ କରିବାକୁ ହେଲେ ସେମାନଙ୍କୁ କିପରି ଓ କେଉଁ ଉପାୟମାନ ବାହାର କରିବାକୁ ପଡ଼ିବ ପ୍ରସାରକାର୍ଯ୍ୟ ଲୋକମାନଙ୍କୁ ଏକଥା ମଧ୍ୟ ଶିକ୍ଷା ଦେବ । ଆପଣାର ଅଭିଳାଷ ଅନୁଯାୟୀ ଉପଯୁକ୍ତ ସମ୍ପନ୍ନତା ହାସଲ କରିବାକୁ ଉଦ୍ୟତ ହେବାଲାଗି ପ୍ରସାରକାର୍ଯ୍ୟ ଲୋକମାନଙ୍କୁ ଅନୁପ୍ରେରିତ ମଧ୍ୟ କରିବ । ।।୭।। ଗ୍ରାମର ଅଧିବାସୀମାନେ ବ୍ୟକ୍ତି ହିସାବରେ ପ୍ରତ୍ୟେକେ ଅଧିକରୁ ଅଧିକ ଉନ୍ନତ ଓ ବିକଶିତ ହୋଇ ଶିଖିବେ । ଗ୍ରାମରେ ନୂତନ ଦୃଷ୍ଟିସମ୍ପନ୍ନ ନେତୃତ୍ୱର ବିକାଶ ହେବ, ଗ୍ରାମବାସୀଙ୍କ ସମାଜ ଓ ସମଗ୍ର ସଂସାର ବିକଶିତ ହୋଇପାରିବ । ।।୮।। ଗାଆଁର ଲୋକେ ଆପଣା ପରିବାର, ଆପଣା ଗ୍ରାମ, ଆପଣା ଦେଶ ଓ ଆପଣାର ପୃଥିବୀ ସହିତ ସମ୍ମିଳିତ ହୋଇ ସମସ୍ତଙ୍କର କଲ୍ୟାଣ ଓ ସୁଖୀସଂସାର ଲାଗି ଏକତ୍ର କାର୍ଯ୍ୟ କରିପାରିବେ, ଏଥିଲାଗି ଏକ ଅନୁକୂଳ ଅବସର ଯୋଗାଇଦେବା ପ୍ରସାରକାର୍ଯ୍ୟର କର୍ତ୍ତବ୍ୟ ହୋଇ ରହିବ । ।।୯।। ପ୍ରସାରକାର୍ଯ୍ୟ ଲୋକସଂସ୍କୃତିର ବାଧକ ହେବନାହିଁ, ଲୋକସଂସ୍କୃତି ସହିତ ତାହା ଏକତାନ ହୋଇ କାର୍ଯ୍ୟ କରିବ । ।।୧୦।। ଗ୍ରାମକର୍ମୀ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଏକ ଜୀବନ୍ତ ପରସ୍ପର-ସହଯୋଗୀ ସମ୍ପର୍କ ସ୍ଥାପନ କରି ରଖିବା ହେଉଚି ପ୍ରସାରକାର୍ଯ୍ୟର ଅନ୍ୟଏକ ନାମ । ଏହି ଉଭୟପକ୍ଷ ପରସ୍ପର ପ୍ରତି ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସ ରଖିଥିବେ, ପରସ୍ପରର ଆନନ୍ଦ ଓ ନିରାନନ୍ଦରେ ଭାଗ ନେଇ ପାରୁଥିବେ ଏବଂ ଏହାରି ଫଳରେ ଯେଉଁ ମିତ୍ରତା ଓ ସଦ୍‌ଭାବନାର ଉଦ୍ଭବ ହେବ ମୁଖ୍ୟତଃ ତାହାରି ଜରିଆରେ ହିଁ ଗ୍ରାମରେ ସମ୍ପ୍ରସାରଣ-କାର୍ଯ୍ୟ ଅବିରାମ ଭାବରେ ଚାଲୁ ରହିଥିବ । ।।୧୧।। କେବଳ ଗୋଟାଏ ତରଫ ଦେଉଥିବ ଓ ଅନ୍ୟତରଫ ଗ୍ରହଣ କରୁଥିବ, ଏପରି ବିଧିକୁ ଆମେ ପ୍ରସାରକାର୍ଯ୍ୟର ଯୋଗ୍ୟବିଧି ବୋଲି କହିପାରିବା ନାହିଁ । ଏଥିରେ ଉଭୟ ପକ୍ଷରୁ ଆଦାନ ପ୍ରଦାନ ସମ୍ଭବ ହୋଇ ପାରୁଥିବ । ଗ୍ରାମକର୍ମୀ ଗ୍ରାମବାସୀଙ୍କର ଉନ୍ନୟନ ଉଦ୍ଦେଶ୍ୟରେ ବାହାରୁ ନୂତନ ଜ୍ଞାନ ଓ ବିଜ୍ଞାନର ତଥ୍ୟମାନ ବହନକରି ଆଣିବ । ପୁଣି ଗ୍ରାମବାସୀମାନେ କାର୍ଯ୍ୟକ୍ଷେତ୍ରରେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଥିବେ ଅଥଚ ଗାଆଁ ସ୍ତରରେ ଆପଣାର ସାମର୍ଥ୍ୟ ଭିତରେ ସେଗୁଡ଼ିକର ସମାଧାନ କରିପାରୁନଥିବେ, ଗ୍ରାମକର୍ମୀ ସେଗୁଡ଼ିକୁ ବିଜ୍ଞାନ-ଗବେଷଣାର ବିଭିନ୍ନ ଅନୁଷ୍ଠାନରେ ନେଇ ପହଞ୍ଚାଇ ଦେଉଥିବ, ଯେଉଁଠାରେ କି ବିଶେଷଜ୍ଞମାନେ ବୈଜ୍ଞାନିକ ସାଧନ ଖଟାଇ ସେଗୁଡ଼ିକର ସମାଧାନ ବାହାର କରିପାରିବେ । ।।୧୨।। ପ୍ରସାର କାର୍ଯ୍ୟର ଶିକ୍ଷାକ୍ରମରେ କୌଣସି ସମାପ୍ତି ନାହିଁ-। ଏହି ପ୍ରକ୍ରିୟା ନିରନ୍ତର ଚାଲିଥିବ । ଏଥିରେ ଶିଖାଇଲାବାଲା ଏବଂ ଶିଖିଲାବାଲା ଉଭୟେ ସକ୍ରିୟ ଭାବରେ ଭାଗ ନେଇପାରୁଥିବେ । ଏଥିରେ ପ୍ରତ୍ୟେକର ଅବଦାନ ରହିଥିବ ଓ ପ୍ରତ୍ୟେକ ଅପରପକ୍ଷଠାରୁ ଗ୍ରହଣ କରୁଥିବ ।

 

ପ୍ରସାରକର୍ମୀ ନାନାଭାବରେ ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବ । ଆମ ସଂସାରରେ ଏପରି ବାପମାଆ ଅଛନ୍ତି ଯେଉଁମାନେ ଆପଣା ପିଲାଙ୍କୁ ଚାଲିଶିଖିବାରେ, ଖାଇ ଶିଖିବାରେ, ଭଦ୍ର ବ୍ୟବହାର କରି ଶିଖିବାରେ ଓ ଭଲପିଲା ହେବା ଶିଖିବାରେ ଏତେ ଅତିରିକ୍ତ ମାତ୍ରାରେ ସାହାଯ୍ୟ କରନ୍ତି ଯେ ପିଲାମାନେ ବଡ଼ ହୋଇ ଗୋଟିଏ ଗୋଟିଏ କୋଢ଼ି ହୋଇ ବସନ୍ତି, ଆପଣା ଗୋଡ଼ରେ ସେମାନେ କଦାପି ଠିଆହୋଇ ଜାଣନ୍ତି ନାହିଁ ବା ସ୍ୱାଧୀନ ବିଚାର କରିବାର ଶକ୍ତି କେବେ ହେଲେ ଅର୍ଜନ କରିପାରନ୍ତି ନାହିଁ । ସଂସାରରେ ଏମାନେ ଯେଉଁଠାକୁ ଯାଆନ୍ତି, ସେଠି ନିଶ୍ଚିନ୍ତରେ ଅବଲମ୍ବନ କରି ରହିବାଭଳି ବାପାମାଆ ଖୋଜି ବୁଲୁଥାନ୍ତି । ମନୋବୈଜ୍ଞାନିକ ଦୃଷ୍ଟିରୁ ସେମାନେ ଆପଣା ଜୀବନରେ ଦୁଧଖିଆ ଅବସ୍ଥାରୁ ଖୁବ୍ ବେଶୀ ଆଗକୁ ବଢ଼ିପାରନ୍ତି ନାହିଁ । ସଂସାରରେ ଏପରି ସୁଦକ୍ଷ ମାଷ୍ଟର ମଧ୍ୟ ରହିଚନ୍ତି, ଯେଉଁମାନେ ଆପଣାର ବିଚକ୍ଷଣ କରାମତି ଦେଖାଇ ପିଲାଲାଗି ସବୁ ପାଠକୁ ବଡ଼ ସହଜ କରିଦିଅନ୍ତି, ମସ୍ତିଷ୍କରେ ଗଳିବା ଭଳି ସେମାନେ ପାଠକୁ ଗୋଳିବାଟି ମଧୁରିଆ କରି ପିଲାପାଖରେ ନେଇ ରଖିଦିଅନ୍ତି ଓ ଏପରି କରିବାଦ୍ୱାରା ସେମାନେ ପିଲାର ଭାରି ବଡ଼ ସାହାଯ୍ୟ କରିପକାଇଲେ ବୋଲି ଭାବିଥାନ୍ତି । ଏହାଦ୍ୱାରା ପିଲା ପାଠ ପିଇଯାଏ ଓ ପରୀକ୍ଷାରେ ବଡ଼ ସୁରୁଖୁରୁରେ ପାସ୍ କରେ ସତ, ମାତ୍ର ପାଠର ଘରେ ତା’ର ଖଡ଼ିଛୁଆଁ ମଧ୍ୟ ହୁଏନାହିଁ । ଆପଣା ଉପରେ ନିର୍ଭର କରି ସେ ପାଠର କୌଣସି ଅଡ଼ୁଆ ତୁଟାଇ ପାରେନାହିଁ । ପାଠକୁ ସହଜ କରି ପିଇବାର ଫନ୍ଦିରେ ପଡ଼ି ତା’ ଜୀବନର ସ୍ୱାଭାବିକ ଜିଜ୍ଞାସା ମରିଯାଏ, ଅନୁସନ୍ଧିତ୍ସା ମରିଯାଏ । ମାଷ୍ଟରର ସାହାଯ୍ୟ ରୂପୀ ଅଭିଶାପ ପାଇ ସେ ଆପଣା ଜୀବନରୁ ସକଳ ପ୍ରକାର ସାହସିକତା ହରାଇବସେ । ପରିବାର ଓ ସ୍କୁଲର ଶିକ୍ଷାକ୍ଷେତ୍ରରେ ଯାହା, ପ୍ରସାର କ୍ଷେତ୍ରରେ ମଧ୍ୟ ଠିକ୍ ସେଇଆ । ଯିଏ ପ୍ରସାରକ୍ଷେତ୍ରର କର୍ମୀ ହୋଇ ବାହାରିବ, ସିଏ ଗାଆଁ ଲୋକଙ୍କୁ ସାହାଯ୍ୟ କରିବ ସତ, ମାତ୍ର ଏହି ସାହାଯ୍ୟ ଯେପରି ଗାଆଁ ଲୋକଙ୍କୁ ପ୍ରଧାନତଃ ନିର୍ଭରଶୀଳ କରି ନପକାଏ ସେଥିଲାଗି ସେ ସର୍ବଦା ସାବଧାନ ରହିଥିବ । କର୍ମୀଠାରୁ ନୂତନ ଜ୍ଞାନ, ନୂତନ ପ୍ରଣାଳୀ ଓ ନୂତନ ମାର୍ଗର ସାହାଯ୍ୟ ପାଇ ଗ୍ରାମବାସୀମାନେ ଆପଣା ଗାଆଁକୁ ଆପେ ସମ୍ଭାଳି ଶିଖିବେ; ଆପଣା ଉପରେ ଅଧିକରୁ ଅଧିକ ନିର୍ଭର କରି ଶିଖିବେ, ଆପଣା ସମୁଦାୟକୁ ଆପେ ଗଢ଼ି ଶିଖିବେ, ଆପଣାକୁ ଆପେ ସାହାଯ୍ୟ କରି ଶିଖିବେ । ଆପଣାର ଜୀବନ କ୍ଷେତ୍ରକୁ ସେମାନେ ଅଧିକ ଅକ୍ତିଆର କରି ଶିଖିବେ, ସାମାଜିକ ଜୀବନକୁ ସମୃଦ୍ଧତର କରିବାର ପ୍ରୟୋଗଯାତ୍ରାରେ ପ୍ରସାରକର୍ମୀର ସାହାଯ୍ୟ ତଥା ସହଯୋଗ ପାଇ ସେମାନଙ୍କର ଆପଣା ଶକ୍ତିଉପରେ ବିଶ୍ୱାସ ବଢ଼ୁଥିବ ବରଂ କଦାପି ଊଣା ହେବନାହିଁ ।

 

ଆଲାହାବାଦ କୃଷି-ମହାବିଦ୍ୟାଳୟଦ୍ୱାରା ସଂକଳିତ ହୋଇଥିବା ପ୍ରସାର ପୁସ୍ତିକାରେ (୨୨) ମଧ୍ୟ ପ୍ରସାରକାର୍ଯ୍ୟକୁ ମୂଳତଃ ଏକ ଶିକ୍ଷାପ୍ରସାରର କାର୍ଯ୍ୟ ବୋଲି କୁହାଯାଇଚି । ଗାଆଁର ଚାଷୀ ଓ ତା’ର ପାରିବାରିକ ଜୀବନରେ ସାଧାରଣତଃ ଯେଉଁସବୁ ଆବଶ୍ୟକତା ଓ ଅଭାବମାନ ରହିଥାଏ, ସେ ସବୁର ପୂରଣ କରିବା ଲାଗି ପ୍ରସାରକାର୍ଯ୍ୟ କାମରେ ଲାଗିଲା ଭଳି ଓ ସମସ୍ୟାଗୁଡ଼ିକର ସମାଧାନ ବତାଇଲା ଭଳି ବ୍ୟବହାରିକ ଜ୍ଞାନ ଯୋଗାଇ ଦେଇଥାଏ । ଏଥିରେ କେବଳ ଗୋଟିଏ ତରଫରୁ ସବୁ ଅଜାଡ଼ି ଦିଆଯାଏ ନାହିଁ ବା ସବୁ ଗିଳାଇ ନାହିଁ । ପ୍ରସାରକର୍ମୀ ଚାଷୀକୁ ନୂତନ ଜ୍ଞାନ ଓ ନୂତନ ସମାଧାନମାନ ଆଣିଦିଏ ଏବଂ ଚାଷୀ ଠାରୁ ନୂତନ ସମସ୍ୟା, ନୂତନ ଅଭିଜ୍ଞତା ଓ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଲାଗି ନୂତନ ଅନ୍ତର୍ଦୃଷ୍ଟିମାନ ମଧ୍ୟ ଆହରଣ କରିଥାଏ । ପ୍ରସାରକର୍ମୀ ଉତ୍ସାହ ଦିଏ, ପ୍ରେରଣା ଦିଏ, ପୃଥିବୀଯାକର ଜ୍ଞାନକୁ ଗାଆଁକୁ ବହନକରି ଆଣେ । ଚାଷୀ ଅନୁପ୍ରେରିତ ଓ ଉତ୍ସାହିତ ହୋଇ ଆପଣା ଜୀବନକୁ ଆପେ ବଦଳାଇବାରେ ପ୍ରବୃତ୍ତ ହୁଏ, ଆପଣା ବାଟରେ ଆପେ ଗୋଡ଼ କାଢ଼ି ଚାଲିବାକୁ ଆଗଭର ହୁଏ, ଆପଣାର ଜୀବନବେଷ୍ଟନୀକୁ ଓ ଜୀବନ-ସମ୍ପନ୍ନତାକୁ ଅଧିକ ପ୍ରସାରିତ କରିବାଲାଗି ସେ କେତେପ୍ରକାର ବାଟ ପାଇଯାଏ । ପ୍ରସାରକର୍ମୀଠାରୁ ଦମ୍ଭ ପାଇ ସେ ଆପେ ଆଗକୁ ବଢ଼ିବାକୁ ସାହସୀ ହୁଏ ।

 

ପ୍ରସାରକାର୍ଯ୍ୟକୁ ଯଦି ଆମେ ଏତେପ୍ରକାରେ ମୋଡ଼ି ଭାଙ୍ଗି ଶେଷରେ ଏକ ଶିକ୍ଷାକାର୍ଯ୍ୟ ବୋଲି ହିଁ କହିବା, ତେବେ ପ୍ରସାରକାର୍ଯ୍ୟ ଓ ଶିକ୍ଷା ଭିତରେ ପାର୍ଥକ୍ୟ କଣ ରହିଲା ? ସାଧାରଣତଃ ସ୍କୁଲ କଲେଜମାନଙ୍କରେ ମାଷ୍ଟର ଓ ପିଲାର ସମ୍ବାଦର ଅବତାରଣା କରାଯାଇ ଆମ ପୃଥିବୀରେ ଯେଉଁ ଔପଚାରିକ ଶିକ୍ଷା ଦିଆଯାଇଥାଏ, ଆମେ ତାହାକୁ କେତେଦୂର ପ୍ରସାରକାର୍ଯ୍ୟ ବୋଲି କହିପାରିବା ? ସ୍କୁଲମାଷ୍ଟର ବା କଲେଜର ଅଧ୍ୟାପକକୁ କେତେଦୂର ଜଣେ ଜଣେ ପ୍ରସାରକର୍ମୀ ବୋଲି କୁହାଯାଇପାରିବ ? –ଏପରି ଏକ ସଂଶୟ ଜନ୍ମିବା ଅତି ସ୍ୱାଭାବିକ । ଏହି ସଂଶୟ ମୋଚନ କରିବାକୁ ଯାଇ ଆମେ ପୁଣିଥରେ କହିବା ଯେ, ପ୍ରସାରକାର୍ଯ୍ୟ ହେଉଚି ପ୍ରଧାନତଃ ଗୋଟିଏ ଶିକ୍ଷାକାର୍ଯ୍ୟ । ଶିକ୍ଷାର ମୂଳନୀତି ଯାହା, ପ୍ରସାରକାର୍ଯ୍ୟର ମୂଳନୀତି ମଧ୍ୟ ଅଳ୍ପବହୁତ ଠିକ୍ ସେଇଆ । ତଥାପି ସ୍କୁଲ କଲେଜରେ ମାଷ୍ଟରଆଗରେ ପିଲାକୁ ବସାଇ ଯେଉଁ ଶିକ୍ଷା ଦିଆଯାଏ, ତାହାକୁ ଯଦି ଔପଚାରିକ ଶିକ୍ଷା ବୋଲି କହିବା, ତେବେ ପ୍ରସାରକାର୍ଯ୍ୟ ଜରିଆରେ ବିଚରିତ ହେଉଥିବା ଶିକ୍ଷାକୁ ଅନୌପଚାରିକ ଶିକ୍ଷା ବୋଲି ହିଁ କୁହାଯିବ । ପ୍ରସାରକାର୍ଯ୍ୟର ଶିକ୍ଷାୟତନକୁ ଚାରିକାନ୍ଥଦିଆ ଗୋଟିଏ ଘର ବୋଲି କଳ୍ପନା କରାଯାଇ ପାରିବନାହିଁ । ପ୍ରସାର କାର୍ଯ୍ୟରେ ଶିକ୍ଷେଚ୍ଛୁମାନଙ୍କୁ କୌଣସି କ୍ଳାସ୍ ଘରେ ବସାଇ ଶିକ୍ଷା ଦିଆଯାଏ ନାହିଁ । ସ୍କୁଲକୁ ଆସିବାଲାଗି ଏଥିରେ କାହାକୁ ବାଧ୍ୟ କରାଯାଏ ନାହିଁ । ଆପଣା ଇଚ୍ଛାରେ ଆପଣା ଆବଶ୍ୟକତା ଦ୍ୱାରା ପ୍ରେରିତ ହୋଇ ଆସିଲାପରି ଗ୍ରାମବାସୀମାନେ ପ୍ରସାରକାର୍ଯ୍ୟ ଦ୍ୱାରା ଉପକୃତ ହେବାକୁ ଆସନ୍ତି । ଯାହାକୁ ଶୋଷ ହୁଏ, ଅର୍ଥାତ୍ ଯିଏ ଅଭାବ ଅନୁଭବ କରେ, କେବଳ ସେଇ ଆସେ । ସ୍କୁଲରେ ପିଲାଙ୍କର ହାଜିରା ନିଆଯାଏ; ମନ ନଥିଲେ ମଧ୍ୟ ହାଜିରାର ଭୟରେ ପିଲାଏ ଅନେକ ସମୟରେ ସ୍କୁଲଆଡ଼କୁ ମନ ବଳାଇଥାନ୍ତି-। କିନ୍ତୁ ପ୍ରସାରଶିକ୍ଷାର ବେଷ୍ଟନୀମଧ୍ୟରେ ହାଜିରା ନିଆଯିବାର କୌଣସି ଶଙ୍କା ନଥାଏ-। ତେଣୁ ଆପଣା ଆବଶ୍ୟକତା ବା ବାସନାର ତଲବରେ ହିଁ ଲୋକମାନେ ପ୍ରସାରକାର୍ଯ୍ୟର ପରିସର ଭିତରକୁ ଆସିଥାନ୍ତି । ଏଥିରେ କୌଣସି ରୁଟିନ ନଥାଏ, କୌଣସି ଧରାବନ୍ଧା ପାଠ୍ୟକ୍ରମ ନଥାଏ ବା ଅମୁକ ସମୟ ବା ଏତେଟା ମାସଭିତରେ ସେହି ପାଠ୍ୟକ୍ରମକୁ ଶେଷ କରିବାର ଅର୍ଥାତ୍ ଗଡ଼ାଇନେବାର କୌଣସି ତାଗିତା ମଧ୍ୟ ନଥାଏ । କେଉଁଠି କିଆରୀରେ ଚାଷୀ ଫସଲ ଚାଷ କରୁଚି, ଗାଆଁ ଲୋକେ ଏକାଠି ହୋଇ କେଉଁଠି କୌଣସି କାର୍ଯ୍ୟ କରୁଚନ୍ତି ବା କେଉଁଠି ଭିତରଘରେ ନୂଆବୋହୂ ରାନ୍ଧିବାଢ଼ି ବସିଚି, ନିପୁଣ ପ୍ରସାରକର୍ମୀ ଆପଣାର ଉଦ୍ଦେଶ୍ୟସାଧନ ଲାଗି ଏହିସବୁ ସ୍ଥାନ ଓ ଅବସରକୁ ଚମତ୍କାର ଗୋଟିଏ ଗୋଟିଏ ଶିକ୍ଷାବସରରେ ରୂପାନ୍ତରିତ କରି ଦେଇପାରେ । ପ୍ରସାରପାଠର କକ୍ଷାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ସ୍ୱତନ୍ତ୍ର ଭାବରେ ନାମ ଲେଖାଇବାକୁ ପଡ଼େନାହିଁ । ଗାଆଁର ସମଗ୍ର ଜନସଂଖ୍ୟାକୁ ହିଁ ପ୍ରସାରକକ୍ଷାର ଛାତ୍ରସଂଖ୍ୟା ହିସାବରେ ସୁମାରି କରାଯାଇପାରେ । ଏହିଛାତ୍ର ଶ୍ରେଣୀରେ ପୁରୁଷ, ସ୍ତ୍ରୀ ଓ ପିଲା ସମସ୍ତେ ବିନା କୌଣସି ବାଧାରେ ଅନ୍ତର୍ଭୁକ୍ତ ହୋଇପାରନ୍ତି । ଗ୍ରାମବାସୀର ଜୀବନ କ୍ଷେତ୍ରର ପରିଧି ଭିତରେ ଯେଉଁସବୁ କଥା ଲାଗି ସ୍ଥାନ ରହିଚି, ପ୍ରସାର କାର୍ଯ୍ୟର ଶିକ୍ଷାକ୍ରମ ଭିତରେ ମଧ୍ୟ ସେହିସମସ୍ତ କଥାଲାଗି ଅବଶ୍ୟ ସ୍ଥାନ ରହିଚି । ପ୍ରସାର-କାର୍ଯ୍ୟର ଶିକ୍ଷକ ଅର୍ଥାତ୍ ପ୍ରସାରକର୍ମୀ ହେଉଚି ପ୍ରତ୍ୟକ୍ଷ କାର୍ଯ୍ୟକ୍ଷେତ୍ରର କର୍ମୀ, କୌଣସି ନିର୍ଦ୍ଦିଷ୍ଟ କ୍ଳାସଘରେ ବସି ତାକୁ ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷାଦାନ କରିବାକୁ ହୁଏନାହିଁ । ଗ୍ରାମବାସୀମାନଙ୍କର ସମସ୍ୟାଗୁଡ଼ିକର ସମ୍ମୁଖୀନ ହୋଇ ସମାଧାନ ଖୋଜିବା ସକାଶେ ଯେତିକି ବିଷୟଜ୍ଞାନ ଆବଶ୍ୟକ, ପ୍ରସାରକର୍ମୀ ପାଖରେ ତାହା ଅବଶ୍ୟ ରହିଥାଏ, କିନ୍ତୁ ତାହା ସଙ୍ଗେ ସଙ୍ଗେ ସେ ଲୋକମାନଙ୍କୁ ଓ ସେମାନଙ୍କର ଜୀବନଧାରାକୁ ମଧ୍ୟ ଖୁବ୍ ଭଲଭାବରେ ବୁଝିଥାଏ । (୨୩) ଏହା ସହିତ ଏତିକି କହିରଖିବାକୁ ହେବ ଯେ, ସ୍କୁଲ କଲେଜର ପାଠରେ ପିଲାମାନଙ୍କୁ ହିଁ ପରୀକ୍ଷା ଦେବାକୁ ପଡ଼େ, ପାଠର ପରୀକ୍ଷା ନିଆଯାଇ ସେହିମାନଙ୍କର ସଫଳତା ବା ବିଫଳତା ମୀମାଂସା କରାଯାଏ । କିନ୍ତୁ ଶିକ୍ଷକଠାରୁ ସେପରି କୌଣସି ପରୀକ୍ଷା ନିଆଯାଏ ନାହିଁ । କେବଳ ପାଠ ପଢ଼ାଇଦେଲେ ତାହାର କାର୍ଯ୍ୟ ସରିଯାଏ । ପିଲାମାନେ ଫେଲ ହେଲେ ଶିକ୍ଷକକୁ ସାଧାରଣତଃ କେହି ଦୋଷ ଦେବାକୁ ଆସନ୍ତି ନାହିଁ, ପିଲାମାନେ ହିଁ ଆପଣାର ଅନୁତ୍ତୀର୍ଣ୍ଣତା ପାଇଁ ଦାୟୀ ହୋଇଥାନ୍ତି । କିନ୍ତୁ ପ୍ରସାରକ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନପ୍ରକାରର ନ୍ୟାୟରେ ପାସ୍ ଫେଲ୍‌ର ବିଚାର କରିବାକୁ ପଡ଼େ । ଏଥିରେ ଛାତ୍ର ଅର୍ଥାତ୍ ଗ୍ରାମବାସୀଙ୍କୁ କୌଣସି ପରୀକ୍ଷା ଦେବାକୁ ହୁଏନାହିଁ । ଗ୍ରାମବାସୀମାନେ ଯଦି ପ୍ରସାରକର୍ମୀର ନୂଆକଥା ବା ନୂଆ ପ୍ରଣାଳୀକୁ ଗ୍ରହଣ କରିପାରିଲେ, ତେବେ ସେଇଥିରୁ ହିଁ ପ୍ରସାରକର୍ମୀ ନିଜ ପ୍ରଚେଷ୍ଟାରେ ସଫଳ ହେଲାବୋଲି ପ୍ରମାଣିତ ହୁଏ । ମାତ୍ର କୌଣସି କାରଣରୁ ଗ୍ରାମବାସୀ ଉଦାସୀନ ରହିଲେ ଏବଂ ପ୍ରସାରକର୍ମୀର ସହାନୁଭୂତିର ସହିତ ଗ୍ରହଣ କରି ଆପଣା ସମସ୍ୟାର ସମାଧାନ ଲାଗି ତାହାର ପ୍ରୟୋଗ ନ କଲେ ପ୍ରସାରକର୍ମୀ ଫେଲ୍ ହୋଇଗଲା ବୋଲି ହିଁ ସମସ୍ତେ କହିଥାନ୍ତି । ଯେଉଁ ପାଠରେ ଓ ଶିକ୍ଷାବେଷ୍ଟନୀରେ ଛାତ୍ରର ସଫଳ ଓ ବିଫଳ ହେବାରୁ ହିଁ ଶିକ୍ଷକର ସଫଳ ଓ ବିଫଳ ହେବାର ନିର୍ଣ୍ଣୟ କରାଯାଏ, ସେହି ପାଠ ଓ ପାଠଶାଳାକୁ ପ୍ରକୃତରେ ବଡ଼ ଅଭିନବ ବୋଲି କହିବାକୁ ପଡ଼ିବ-

 

ଶିକ୍ଷାରେ ବାଧ୍ୟବାଧ୍ୟକତା ନାହିଁ, ପ୍ରସାରକାର୍ଯ୍ୟ ପ୍ରଧାନତଃ ଏକ ଶିକ୍ଷା କାର୍ଯ୍ୟ ହୋଇଥିବାରୁ ଏଥିରେ ମଧ୍ୟ ନ୍ୟାୟତଃ କୌଣସି ବାଧ୍ୟବାଧକତା ରହିବା ଉଚିତ ନୁହେଁ । ସହରର ନୂଆ କଥା, ଆମେରିକାର ନୂଆ ଲଙ୍ଗଳ ବା ଗବେଷଣାଗାରର ନୂଆ ଜ୍ଞାନକୁ ଆଣି ଗାଆଁ ଲୋକଙ୍କ ଉପରେ ଜବରଦସ୍ତି ମଡ଼ାଇଦେଲେ ପ୍ରସାରକାର୍ଯ୍ୟ ସଫଳ ହୁଏନାହିଁ । ଏହାଦ୍ୱାରା କର୍ମୀର ଖାତା ପୂରେ, ସରକାରଙ୍କ ହିସାବର ସେର ମାଣ ସବୁ ପୂରେ, କିନ୍ତୁ ମଣିଷ ବା ତା’ର ସମସ୍ୟାର କୌଣସି ସମାଧାନ ହୁଏନାହିଁ । ଦୃଷ୍ଟିରେ ପରିବର୍ତ୍ତନ ହେଲେ ଓ ଜୀବନଧାରାରେ ନୂତନ ଗତି ସୃଷ୍ଟି ହେଲେ ତାହାକୁ ହିଁ ପ୍ରସାରକର୍ମୀର ସଫଳତା ବୋଲି ଗଣନା କରାଯାଏ । ଶିକ୍ଷାର ଆଦର୍ଶକୁ ସାତଥର ମୁଖସ୍ଥ କରି ମନେ ରଖିଥିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷାଶାସକ ମାନେ ଅନେକ ସମୟରେ ଶିକ୍ଷାରେ ଆଶୁ ସଫଳତା ଆଣିବା ଲାଗି ନାନା ଅଶିକ୍ଷିତ ବ୍ୟତିକ୍ରମକୁ ହିଁ ଶିକ୍ଷା ବୋଲି ଦେଖାଇବାର ଚେଷ୍ଟା କରିଥାନ୍ତି । ଠିକ୍ ସେହିପରି ପ୍ରସାର କାର୍ଯ୍ୟକୁ ଯଥାସମ୍ଭବ କମ୍ ସମୟରେ ଯଥାସମ୍ଭବ ଅଧିକ ପ୍ରସାରିତ କରିପାରିବାକୁ ସରକାରୀ ନିର୍ଦ୍ଦେଶ ସଂସ୍ଥାମାନ ଅତ୍ୟନ୍ତ ଧୈର୍ଯ୍ୟହୀନତାର ପରିଚୟ ଦେଇଥାନ୍ତି । ଏହାଦ୍ୱାରା ପ୍ରସାର ତ ସମ୍ଭବ ହୁଏ ନାହିଁ, ହୁଏତ ପ୍ରଚାର ହିଁ ସାର ହୁଏ । ସରକାରକୁ ସତ୍ତାଧୀଶ ବୋଲି ଜ୍ଞାନ କରୁଥିବା ଜନସାଧାରଣ ସରକାରଙ୍କର କୁହାକୁ ମାନିଯାଆନ୍ତି । କିନ୍ତୁ ଯେତିକି ଶୀଘ୍ର ମାନିଥାଆନ୍ତି ପୁଣି ସେତିକି ଶୀଘ୍ର ପାସୋରିପକାନ୍ତି । କାରଣ ଏପରି ପ୍ରସାରକାର୍ଯ୍ୟ ସେମାନଙ୍କ ମନର ଚମତଳକୁ ଭେଦିନଥାଏ, ଜୀବନର ଦୃଷ୍ଟିରେ ପରିବର୍ତ୍ତନ ହେବାର ପ୍ରଶ୍ନ ବା ଉଠୁଚି କୁଆଡ଼ୁ ?

 

ବିଶେଷତଃ ଯେଉଁସବୁ ଦେଶରେ କୌଣସି ବଦାନ୍ୟ ରାଜା ବା ବଦାନ୍ୟ ଡିରେକ୍ଟର ଆପଣାର ଅଙ୍ଗୁଳିନିର୍ଦ୍ଦେଶ ଓ ଫଉଜସିପାହୀଙ୍କ ବଳରେ ଗୋଟିଏ ଦିନରେ ଦେଶଟାକୁ ବଦଳାଇ ବୀର ହୋଇ ବାହାରେ ସେଠାରେ ପ୍ରସାରକାର୍ଯ୍ୟ ନାମରେ ଅନେକ ସମୟରେ ଶୀଘ୍ର ଫଳ ପାଇବାର ଲୋଭରେ ଜବରଦସ୍ତି ମଧ୍ୟ କରାଯାଇଥାଏ । ସେଦିନ ଗୋଟାଏ ବହିରେ ପଢ଼ୁଥିଲି ଯେ ସାମୁଦାୟିକ ବିକାଶ ଯୋଜନା ଲାଗୁହେବାର ପ୍ରଥମ ପର୍ଯ୍ୟାୟରେ ମିଶର ଦେଶରେ ଶ୍ରମଦାନ ଦ୍ୱାରା ଗାଆଁର ରାସ୍ତା ତିଆରି କରାଯିବା ସମୟରେ ସରକାରୀ ପ୍ରସାରକର୍ମୀଙ୍କ ସହିତ ପୋଲିସ ବାହିନୀ ମଧ୍ୟ ନିଯୁକ୍ତ ହୋଇ ରହୁଥିଲେ । ସରକାର ଆଗରୁ ଭୟ କରି ପକାଉଥିଲେ ଯେ ପୋଲିସ ନିଯୁକ୍ତ ନରହିଲେ ଲୋକମାନଙ୍କ ମନରେ ଆଉ କୌଣସି ଭୟ ରହିବ ନାହିଁ ଏବଂ ସେମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବେନାହିଁ । ଲୋକମାନଙ୍କର ହୃଦ୍‌ବୋଧ କରାଇ ସେମାନଙ୍କୁ ଶ୍ରମଦାନର କାର୍ଯ୍ୟକ୍ରମରେ ସମ୍ମିଳିତ କରାଇବା ଅପେକ୍ଷା ମିଶରର ପ୍ରସାରକର୍ମୀ ସ୍ୱଭାବତଃ ପୋଲିସବାହିନୀର ଭୟ ଦେଖାଇ ଲୋକମାନଙ୍କୁ କାମରେ ଲଗାଇବାର ଉପାୟକୁ ଅଧିକ ସହଜ ଓ ସଫଳ ବୋଲି ଗ୍ରହଣ କରିନେଉଥିଲା । ରୁଷିଆରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ହେବାପରେ ସମସ୍ତ ଦେଶକୁ ନବଦୀକ୍ଷା ଦିଆଇବାର ଯେଉଁ ତୁମୁଳ ଅଭିଯାନ ସେଠି ଚାଲିଥିଲା, ତାହାର ସଫଳତା ଲାଗି ଅନେକ ସମୟରେ ମଣିଷର ମନକୁ ବଦଳାଇବାର ମାର୍ଗକୁ ଛାଡ଼ି ଅନ୍ୟ ମାର୍ଗର ଆଶ୍ରୟ ନିଆଯାଇଥିଲା । ନିରକ୍ଷରମାନଙ୍କୁ ପାଠ ପଢ଼ାଇବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା କ୍ଳାସ୍ ଗୁଡ଼ିକୁ ଯେଉଁମାନେ ଆସୁନଥିଲେ ବା ଯେଉଁମାନେ ଆସିବାକୁ ମନା କରିଦେଉଥିଲେ, ସେମାନଙ୍କୁ ନାନାପ୍ରକାରେ ଦଣ୍ଡ ଦିଆଯାଉଥିଲା ଓ ପ୍ରକାରାନ୍ତରେ ସରକାରୀ ବୋଲ ମାନି ସାକ୍ଷର ହେବାକୁ ବାଧ୍ୟ କରାଯାଉଥିଲା । ଅବାଧ୍ୟମାନଙ୍କୁ ଜୋରିମାନା ଦେବାକୁ ପଡ଼ୁଥିଲା, କଠିନ ପରିଶ୍ରମ କରିବାକୁ ଦିଆଯାଉଥିଲା ବା ସେମାନଙ୍କଠାରୁ ଖାଉଟିକାର୍ଡ଼ ପ୍ରତ୍ୟାହୃତ କରି ନିଆଯାଉଥିଲା । ଅନେକ ସମୟରେ ଏହିପରି ଲୋକମାନେ କୌଣସିପ୍ରକାର ଶ୍ରମିକ–ସଂଗଠନରେ ସଦସ୍ୟ ହେବାରୁ ବଞ୍ଚିତ ହୋଇ ରହୁଥିଲେ । କମ୍ୟୁନିଷ୍ଟ–ପୂର୍ବ ଚୀନଦେଶର ଜାତୀୟ ସରକାର ନିରକ୍ଷରମାନଙ୍କ ଉପରେ ଏକ ସ୍ୱତନ୍ତ୍ର ଟିକସ ବସାଇଥିଲେ । ଜାଭାର କେତୋଟି ଗାଆଁରେ ବିବାହଲାଗି ଅନୁମତି ପାଇବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିକୁ ଅକ୍ଷର–ଜ୍ଞାନର ଏକ ପରୀକ୍ଷାରେ ଆଗ ପାସ କରିବାକୁ ପଡ଼ୁଥିଲା ।

 

ଅନେକସମୟରେ ଆମେ ଗାଆଁର ଲୋକମାନଙ୍କୁ କେବଳ ଗୋଟାଏ ଗୋଟାଏ ମେସିନ୍ ପରି ମନେ କରିଥାଉ ବା ଗୋଟାଏ ଗୋଟାଏ ଫମ୍ପା ମାଠିଆ ବୋଲି ଗ୍ରହଣ କରି ନେଇଥାଉ । ତେଣୁ ଆମେ ଭାବୁ ଯେ ଆମେ ଯେପରି ଚାହିବୁ, ଫିଟ୍ ହୋଇ ରହିଥିବା ମେସିନ୍ ଆମର ଇଚ୍ଛା ମାନି ସେକଥା ଅବଶ୍ୟ କରିବ ବା ଆମେ ଯାହା ଭର୍ତ୍ତି କରିବାକୁ ଚାହିବୁ, ଫମ୍ପା ମାଠିଆ ଖିଆଲ ଅନୁସାରେ ଆପଣାକୁ ଠିକ୍ ସେହି ଅନୁସାରେ ଭରିଦେବାଲାଗି ମହଜୁଦ ହୋଇ ରହିଥିବ । ଅନେକସମୟରେ ଆମେ ଯେତେ ତୀବ୍ର ଭାବରେ ବା ଯେଡ଼େ କଠୋର ଭାବରେ ଚାହିଲେ ମଧ୍ୟ ଏକଥା ହୋଇପାରେ ନାହିଁ । କେବଳ ଭାରତବର୍ଷରେ ନୁହେଁ, ପୃଥିବୀର ସବୁ ଗାଆଁରେ ମଣିଷର ଏକ ଐତିହ୍ୟଗତ ଭୂମି ରହିଚି । ସେ କଣ ଚାହିବ ବା ନଚାହିବ, କାହାକୁ ବିଶ୍ୱାସ କରିବ ବା ନକରିବ ଏବଂ କାହାର କଥା ମାନିବ ବା ନ ମାନିବ, ଏକଥା ନିର୍ଣ୍ଣୟ କରିବା ଲାଗି ତା’ ପାଖରେ ନାନା ପରମ୍ପରାଗତ ମାନଦଣ୍ଡ ଓ କାରଣ ରହିଚି । ଭଗବାନଙ୍କର ଅଭିଶାପ ପାଇଚି ବୋଲି ଯେ ଗ୍ରାମବାସୀ ଆମର ଭଲ କଥାଗୁଡ଼ାକୁ ମଧ୍ୟ ପରତେ ରଖିପାରୁନାହିଁ ଆପଣାର ପୁରୁଣା ରୀତିକୁ ଆବୋରି ରହି ପୁରୁଣା ସନ୍ତାପମାନ ଭୋଗ କରୁଚି ତାହା ନୁହେଁ, ତାହାର ଏପରି କରିବାପଛରେ ମଧ୍ୟ କାରଣମାନ ରହିଚି । ଆମେ ଯେଉଁମାନେ ଗାଆଁ ଲାଗି ଚିନ୍ତା କରିବା ବା ଗାଆଁର ପ୍ରସାରକାର୍ଯ୍ୟରେ ନିମିତ୍ତ ହୋଇ ବାହାରିବା, ସେମାନଙ୍କୁ ଏହି କାରଣଗୁଡ଼ିକୁ ଜାଣି ରଖିବାକୁ ପଡ଼ିବ ।

 

ଗ୍ରାମବାସୀ ଚିରକାଳ ତା’ର ଜୀବନ ଉପରେ ଦୌରାତ୍ମ୍ୟ ବିସ୍ତାର କରି ରହିଥିବା ଅତିଭୌତିକ ବା ଆଧିଭୌତିକ ଶକ୍ତିଗୁଡ଼ିକୁ ଭୟକରି ଆସିଚି । ଏହି ଭୟର ଉପଶମଲାଗି କେତେ ଲୋକ-ଧର୍ମ ଓ କେତେ ପୂଜାପାର୍ବଣର ଉଦ୍‌ଭବ ହୋଇଚି । ପୂଜା ବଢ଼ିଚି, କିନ୍ତୁ ଭୟ ଯାଇନାହିଁ । ଏହି ଭୟ ଓ ଏହି ଅସହାୟତା ଗାଆଁର ଜୀବନ ଦୃଷ୍ଟିକୁ ପ୍ରଧାନତଃ ଭାଗ୍ୟବାଦୀ କରି ରଖିଚି । ସେ ସବୁ କରିବ, ସେଥିରେ କାହାର କିଛି କରିବାର ନାହିଁ । କିନ୍ତୁ ଫଳ ଫଳିବ କେବଳ ଭାଗ୍ୟର ବରାଦ ଅନୁସାରେ,-ତାର ଆପଣା କାମଦ୍ୱାରା ସେ ଆପଣାର ଉଦୟ ସମ୍ଭବ କରି ପାରିବନାହିଁ । ସେ ଜମିର ପ୍ରାଣାନ୍ତକ କାମ କରିବ, କିନ୍ତୁ ଜମିରୁ ଫସଲ ପାଇବାଟା ପାଣିପାଗରୂପୀ ଅତିଭୌତିକ କାରଣଦ୍ୱାରା ହିଁ ନିର୍ଣ୍ଣିତ ହେବ । ଦୈବର ଦୟା ହେଲେ ସେ ସବୁ ପାଇବ, ନଚେତ କିଛି ପାଇବନାହିଁ । ବିଫଳତାକୁ ଦେହସୁହା କରି ସେ ଯାହାକୁ ଅସହାୟ ଭାବରେ ଭୟ କରି ଆସିଚି, ତାହା ଉପରେ ସେ ସଂଶୟ ମଧ୍ୟ କରିଆସିଚି । ସଂଶୟର ସମାଧାନ କରିନପାରି ସେ ଆପଣାକୁ ଆହୁରି ଅଧିକ ଅସହାୟ ଅନୁଭବ କରିବାରେ ଅଭ୍ୟସ୍ତ ହୋଇପଡ଼ିଚି । ପାରମ୍ପରିକ ସମାଜରେ ଭଗବାନ ଓ ଅନ୍ୟାନ୍ୟ ଅତିପ୍ରାକୃତିକ ଶକ୍ତି ବିଷୟରେ ଗ୍ରାମବାସୀର ସାଧାରଣତଃ ଯେପରି ଦୃଷ୍ଟି ରହିଥିଲା, ଏବେ ଅଳ୍ପବହୁତ ସେହିପରି ଦୃଷ୍ଟିରେ ହିଁ ସେ ବଡ଼ ସହରର ବିଚାର କରିବାକୁ ଲାଗିଲାଣି-। ସହରର ଅନୁଗ୍ରହରେ ଯେପରି ଗ୍ରାମବାସୀର ସକଳଭାଗ୍ୟ ନିୟନ୍ତ୍ରିତ ହେଉଚି, ଜମିରେ ଆପଣା ପରିଶ୍ରମରେ ସେ ଯେଉଁ ଫସଲ ଫଳାଉଚି, କୌଣସି ସହରବାସୀ ହୁଏତ ତାର ମୂଲ୍ୟ ନିରୂପଣ କରୁଚି । ତାର ଆବଶ୍ୟକ ସାମଗ୍ରୀମାନ ସହରବାସୀର ମରଜି ଅନୁସାରେ ମହଙ୍ଗା ହେବାରେ ଲାଗିଚି । ତାର ପିଲା ସହରକୁ ପାଠପଢ଼ି ଯିବାର ବାହାନାରେ ସହରପାଖରେ ହିଁ ବିକାହୋଇ ରହିଲାପରି ରହିଯାଉଚି । ସେ ଗାଆଁରେ ଥିବା ଘରକୁ ଆସୁଚି ସତ, କିନ୍ତୁ ସହରର ଡାହାଣୀ ତାର ମନକୁ କଣ କରିଦେଉଚି କେଜାଣି ତାକୁ ଆଉ ଗାଆଁର କୌଣସି କଥା ଭଲ ଲାଗୁନାହିଁ । ତା ଜମିରେ ଆଉ ଭଲ ଫସଲ ଫଳୁନାହିଁ, ତାର ପରିଶ୍ରମରେ ଆଉ ପେଟ ପୂରୁନାହିଁ । ତା ବିଚାରରେ ଏ ଯୁଗରେ ଲକ୍ଷ୍ମୀ ଯାଇ ସହରରେ ରହିଲେଣି । ବଡ଼ ଚାକିରିଆମାନେ ସହରରେ ରହୁଚନ୍ତି, ସେଇଠି ରହି ସେମାନେ ଗାଆଁର ଶାସନ କରୁଚନ୍ତି । ବଡ଼ ପାଠ ସେହି ସହରରେ ପଢ଼ାଯାଉଚି । ସହରରେ ଆଇନ ତିଆରି ହେଉଚି, ମନ୍ତ୍ରୀମାନେ ଗାଆଁ ଅପେକ୍ଷା ସହରକୁ ହିଁ ଆଦରି ରହିଚନ୍ତି । ଯାହାର ପଇସା ହେଉଚି, ସିଏ ସହରକୁ ଯାଇ ନୂଆ ଘର ତୋଳୁଚି । ଏହିସବୁ ଆଶଙ୍କା ଓ ଅନୁମାନର ଆଧାରଉପରେ ଗାଆଁ ମଣିଷ ସହର ଆଗରେ ଆପଣାକୁ ବଡ଼ ଅସହାୟ ବୋଲି ଭାବୁଚି । ସହରରେ ପାଳିତ ହେଉଥିବା ସରକାର ତା ଲାଗି ଯେଉଁ ବିକାଶ ଯୋଜନା ତିଆରି କରୁଚି, ସେ ସେଥିଲାଗି ତାହାକୁ ପ୍ରଧାନତଃ ସଂଶୟପୂର୍ଣ୍ଣ ଚକ୍ଷୁରେ ହିଁ ଦେଖୁଚି । ସହରରୁ ନିଯୁକ୍ତ ହୋଇ ଆସୁଥିବା ପ୍ରସାରକର୍ମୀକୁ ସେ ସହଜରେ ବିଶ୍ୱାସ କରିବ କାହିଁକି ? ତେଣୁ ଗ୍ରାମବାସୀର ବିଶ୍ୱାସ ହାସଲ କରିବାକୁ ହେଲେ ଆମକୁ ଅନେକ ଧୈର୍ଯ୍ୟର ସହିତ କାମ କରିବାକୁ ପଡ଼ିବ, ଶିକ୍ଷାର ମାର୍ଗ ଉପରେ ଓ ମଣିଷର ଗ୍ରହଣଶୀଳତା ଉପରେ ଅନେକ ବିଶ୍ୱାସ ରଖିବାକୁ ପଡ଼ିବ ।

 

‘‘ଗାଆଁର ଲୋକମାନେ ଆପଣା ଜୀବନସ୍ତରରେ ଉନ୍ନତ୍ତି ବିଧାନ କରିବାଲାଗି ଆପଣା ଉଦ୍ୟମ ଉପରେ ନିର୍ଭର କରିବାରେ ସାଧାରଣତଃ ବଡ଼ ପଶ୍ଚାତପଦ ହୋଇ ରହୁଚନ୍ତି । ସେମାନଙ୍କ ମନଭିତରେ ଘର କରି ରହିଥିବା ସଂଶୟ ହିଁ ସେମାନଙ୍କର ଦୃଷ୍ଟିଗତ ପରିବର୍ତ୍ତନ ଆଣିବାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ରହିଚି । ବାହାରୁ ଗାଆଁକୁ ଆସୁଥିବା ଯେକୌଣସି ଅପରିଚିତ ନୂଆ ଲୋକକୁ ସେମାନେ ପ୍ରଧାନତଃ ବଡ଼ ସନ୍ଦେହଚକ୍ଷୁରେ ଦେଖୁଚନ୍ତି । ବାହାରର ଲୋକମାନଙ୍କ ଉପରେ ସେମାନଙ୍କର ହୁଏତ କୌଣସି ବିଶ୍ୱାସ ନାହିଁ । ସ୍ଥିର ବିବେକ ସହିତ ବିଚାର କଲେ ଆମେ ଏହି ସନ୍ଦେହ ଓ ଅବିଶ୍ୱାସ ପଛରେ ଅନେକ କାରଣ ରହିଥିବା ଲକ୍ଷ୍ୟ କରିପାରିବା । ଆଗରୁ ଅନେକବାର ସେମାନଙ୍କର ଗାଆଁକୁ ହିତୈଷୀ ଭାବରେ କେତେ ମଣିଷ ଆସିଚନ୍ତି, ସେମାନଙ୍କୁ କେତେ ଭଲ କଥାମାନ କହିଚନ୍ତି, ସେମାନଙ୍କଠାରୁ କେତେକେତେ ତ୍ୟାଗ ଦାବୀ କରି ବସିଚନ୍ତି, ଏବଂ ଶେଷରେ ସେମାନଙ୍କୁ ବୋକା ବନାଇ ଧୋକା ଦେଇ ଯାଇଚନ୍ତି । ଏହିସବୁ କର୍ମୀ, ଅମଲା, ହାକିମ ଓ ପରୋପକାରୀ ହିତୈଷୀମାନଙ୍କ ଦ୍ୱାରା ଗାଆଁ ନାନାପ୍ରକାରେ ଶୋଷିତ ହୋଇ ଆସିଚି ।’’ (୨୪)

 

ପ୍ରସାରକାର୍ଯ୍ୟ ବିଷୟରେ ଗାଆଁ ଲୋକଙ୍କ ମନରେ ସନ୍ଦେହଦୃଷ୍ଟି ରହିଥିବା ପର୍ଯ୍ୟନ୍ତ ସେଥିରୁ କୌଣସି ସ୍ଥାୟୀ ଫଳ ମିଳିବନାହିଁ । ପ୍ରସାରକର୍ମୀକୁ ଗ୍ରାମବାସୀମାନେ ପ୍ରଧାନତଃ ବାହାରୁ ଆସିଥିବା ଜଣେ ମଣିଷ ପରି ସନ୍ଦେହ କରୁଥିଲେ ଯେତେ ବିଶେଷ ଜ୍ଞାନରେ ଯେଡ଼େ ବଢ଼ିଆ ତାଲୀମ ନେଇ ଆସିଥିଲେ ମଧ୍ୟ ପ୍ରସାରକର୍ମୀ ଗାଆଁରେ ହୁଏତ କୌଣସି ସାର୍ଥକ କାର୍ଯ୍ୟ କରିପାରିବ ନାହିଁ । ପାକିସ୍ଥାନର ଯେତେବେଳେ ପ୍ରଥମେ ପ୍ରଥମେ ସାମୁଦାୟିକ ବିକାଶଯୋଜନାର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଲୋକମାନେ ଏହି କାର୍ଯ୍ୟକୁ ବଡ଼ ଅବିଶ୍ୱାସପୂର୍ଣ୍ଣ ଆଖିରେ ଦେଖୁଥିଲେ । ସରକାରୀ ବିକାଶ ବିଭାଗରୁ ନିଯୁକ୍ତ ହୋଇଥିବା ଗ୍ରାମସେବକମାନେ ଦିନରେ ଗାଆଁ ମାନଙ୍କୁ ଆସୁଥିଲେ, ନୂଆ ସାଧନ ଓ ନୂଆ ପଦ୍ଧତି ବିଷୟରେ ଲୋକମାନଙ୍କୁ ବୁଝାଇ କହୁଥିଲେ ଓ ଅନେକସମୟରେ ପ୍ରଦର୍ଶନଦ୍ୱାରା ଦେଖାଇ ମଧ୍ୟ ଦେଉଥିଲେ । କିନ୍ତୁ ସନ୍ଧ୍ୟାବେଳକୁ ସେମାନଙ୍କୁ ଗାଆଁ ଛାଡ଼ି ଚାଲିଯିବାକୁ ପଡ଼ିଥିଲା । କାରଣ ଗ୍ରାମବାସୀମାନେ ଏହି ବହିରାଗତ ସରକାରୀ କର୍ମୀମାନେ ରାତିରେ ସେମାନଙ୍କ ଗାଆଁରେ ରହନ୍ତୁ ବୋଲି ଆଦୌ ଚାହୁନଥିଲେ । ଗାଆଁ ଲୋକେ ଏମାନଙ୍କୁ ସରକାରୀ ପକ୍ଷର ଏଜେଣ୍ଟ ବୋଲି ବିଚାରୁଥିଲେ । ସେମାନେ ସନ୍ଦେହ କରୁଥିଲେ ଯେ ଖଜଣାବିଭାଗ ବା ପୋଲିସତରଫରୁ ଏମାନଙ୍କୁ ଗାଆଁ ମାନଙ୍କୁ ପଠାଯାଇଚି ଓ ଗାଆଁର ସବୁକଥା ଦେଖି ରିପୋର୍ଟ ପେସ୍ କରିବାଲାଗି ନିର୍ଦ୍ଦେଶ ଦିଆଯାଇଚି ।

 

ଇଂଲଣ୍ଡର ନୃତତ୍ତ୍ୱବିତ୍ ଶ୍ରୀମତୀ ମାର୍ଗାରେଟ୍ ରିଡ଼୍ କୌଣସି ଏକ ବିଶେଷ ଅଧ୍ୟୟନ ସଂକ୍ରାନ୍ତରେ ମଧ୍ୟ- ଆଫ୍ରିକାର ଗାଆଁ ମାନଙ୍କରେ ବୁଲୁଥିଲେ ଓ ଆବଶ୍ୟକ ବିବରଣୀମାନ ସଂଗ୍ରହ କରୁଥିଲେ । ଆଫ୍ରିକାର ସମାଜ ଅନୁନ୍ନତ, ତେଣୁ ଆଧୁନିକ ପୃଥିବୀରେ ବଞ୍ଚିରହିବାକୁ ହେଲେ ଆଫ୍ରିକାବାସୀଙ୍କୁ ଆପଣାର ସବୁ ପରମ୍ପରା ଭାଙ୍ଗିଦେଇ ଇଉରୋପଠାରୁ ନୂଆ ସଭ୍ୟତା ଓ ନୂଆ ଜୀବନରୀତି ଶିଖିବାକୁ ପଡ଼ିବ, ଏକଥା ଆଫ୍ରିକାର ଅଧିବାସୀମାନେ କାଳ କାଳ ଶୁଣିଆସିଚନ୍ତି । ଏହି ସମ୍ପର୍କରେ ମଧ୍ୟ-ଆଫ୍ରିକାର ଗୋଟିଏ ଗାଆଁରେ ଜଣେ ବୁଢ଼ୀ ଆପଣାର ପ୍ରତିକ୍ରିୟାକୁ ଯେପରି ଭାବରେ ବ୍ୟକ୍ତ କରିଥିଲା, ଶ୍ରୀମତୀ ରିଡ଼୍ ଆପଣାର ଗୋଟିଏ ପୁସ୍ତକରେ (୨୫) ତାହାର ଉଲ୍ଲେଖ କରିଛନ୍ତି : ‘‘ଇଉରୋପରେ ତୁମେସବୁ ସବୁବେଳେ ଭାବ ଯେ ତୁମ୍ଭମାନଙ୍କର ଆମକୁ ସବୁକଥା କେବଳ ଶିଖାଇବାକୁ ରହିଚି, ଆମଠାରୁ ଶିଖିବା ଭଳି ତୁମଲାଗି କୌଣସି କଥା ନାହିଁ । ଆମେ ସବୁ ଠିକ୍ ଖାଦ୍ୟ ଖାଉନାହୁଁ, ଆମର ପିଲାମାନଙ୍କୁ ଉଚିତ ପ୍ରକାରେ ପାଳନ କରି ଜାଣିନାହୁଁ, ଆମର ରୁଗ୍‌ଣ ଲୋକମାନଙ୍କୁ ଆମେ ଭୁଲ ଔଷଧମାନ ଆଣି ଦେଉଚୁ,-ତୁମେମାନେ ଆମକୁ ଚିରଦିନ ଏହିପତ୍ର କଥା କହିବାରେ ଲାଗିଚ । ଆମେ ଯାହାସବୁ କରୁଚୁ, ସବୁ ଭୁଲ ମାର୍ଗରେ କରୁଚୁ ବୋଲି ତୁମେମାନେ ଆମକୁ ଭଲୁଗୁଣା ଦେଉଚ । ତଥାପି, ଯଦି ଆମେ ଏତେଦିନଯାଏ ଖାଲି ଭୁଲକଥାଗୁଡ଼ାକ କରିଆସିଥାନ୍ତୁ, ଠିକ୍ ମାର୍ଗରେ କୌଣସି ଗୋଟିଏ ହେଲେ କଥା କରିନଥାନ୍ତୁ, ତେବେ ଆମେ କେଉଁଦିନରୁ ଏହି ପୃଥିବୀରୁ ବିଲୁପ୍ତ ହୋଇ ସାରନ୍ତୁଣି । କିନ୍ତୁ ତୁମେ ତ ନିଜ ଆଖିରେ ଦେଖୁଚ ଯେ ଆମେ ମରିଯାଇନାହୁଁ, ବର୍ତ୍ତମାନ ମଧ୍ୟ ବଞ୍ଚିରହିଚୁ ।’’

 

ପ୍ରସାରକାର୍ଯ୍ୟରେ ଅର୍ଥାତ୍ ନୂତନ ବିଚାର ଓ ନୂତନ ଜୀବନରୀତି ବିଷୟରେ ଅନୁକୂଳ ବାତାବରଣ ସୃଷ୍ଟି କରିବାର ଉଦ୍ୟମରେ ଆମେ କେତେଦୂର ପରମ୍ପରାଗତ ସମାଜ ଓ ସଂସ୍କୃତିକୁ ବିଚଳିତ କରିବା କି ନାହିଁ, ଏ ବିଷୟରେ ବର୍ତ୍ତମାନ ଦୁଇଟି ମତ ରହିଚି । ପ୍ରଥମ ମତଟି ଯେ ସାମୁଦାୟିକ ବିକାଶ ସମାଜର ପରମ୍ପରାଗତ ଅନୁଷ୍ଠାନ ଓ ଆନୁଷ୍ଠାନିକ ବ୍ୟବସ୍ଥାଗୁଡ଼ିକୁ କଦାପି ଧ୍ୱଂସକରି ଦେବନାହିଁ ଓ ଶିଳ୍ପପ୍ରଧାନ ଦେଶମାନଙ୍କରୁ ଆମଦାନୀ ହୋଇ ଆସିଥିବା ବିଦେଶୀ ସଂସ୍ଥାଗୁଡ଼ିକୁ ଅନ୍ଧଭାବରେ ତାହାର ସ୍ଥାନରେ ରୋପଣ କରିଦେବାକୁ ମନ ବଳାଇବନାହିଁ । ଯେତେଦୂର ସମ୍ଭବ ଏହା ପରମ୍ପରାଗତ ଅନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର କରିବାକୁ ଚେଷ୍ଟା କରିବ ଓ ସେଗୁଡ଼ିକରେ ନୂତନ ପ୍ରାଣର ସଞ୍ଚାର କରି ସେଗୁଡ଼ିକୁ ନୂତନ କାର୍ଯ୍ୟରେ ଲଗାଇବାର ଆଶା ରଖିଥିବ । କିନ୍ତୁ ଅନ୍ୟ ମତଟି ଏହି ମତର ପୋଷଣ କରେନାହିଁ । ଏହାର ଦୃଷ୍ଟାନ୍ତସ୍ୱରୂପ ଏଠାରେ ଆମେରିକାର ଜଣେ ବିଶେଷଜ୍ଞଙ୍କର ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ସେ କହନ୍ତି, ‘‘ଅନେକ ସମାଜ ଓ ଅନେକ ସଂସ୍କୃତି ପରିବର୍ତ୍ତନକୁ ଅତି କମ୍ ମହତ୍ତ୍ୱ ଦେଇଥାନ୍ତି ଏବଂ ପ୍ରାଚୀନ କାଳରୁ ଯାହାସବୁ ରହିଆସିଚି, ସେସବୁକୁ ସେହିପରି ନିଖୁଣ ଭାବରେ ସୁରକ୍ଷିତ କରି ରଖିବାକୁ ସମାଜର ବଡ଼ କର୍ତ୍ତବ୍ୟ ବୋଲି ଗ୍ରହଣ କରିଥାନ୍ତି । ଏହିସବୁ ସମାଜରେ ଆମେ ଯେଉଁସବୁ ଅନୁଷ୍ଠାନମାନ ପ୍ରଚଳିତ ରହିଥିବାର ଦେଖିବାକୁ ପାଉ, ସେଗୁଡ଼ିକ ଏହି ପ୍ରାଚୀନ ପରମ୍ପରାକୁ ଘଣ୍ଟ ଘୋଡ଼ାଇ ରଖିବାର ମନୋବୃତ୍ତି ନେଇ ଗଢ଼ାହୋଇଥାନ୍ତି ଓ ପରମ୍ପରାଗତ ମୂଲ୍ୟଗୁଡ଼ିକୁ ଚିରସ୍ଥାୟୀ କରି ରଖିବାଲାଗି ପ୍ରହରୀପରି କାର୍ଯ୍ୟ କରୁଥାନ୍ତି । ଆମକୁ ଏମାନଙ୍କ ବିଷୟରେ ଏକ ମୌଳିକ ସତ୍ୟ ମାନିନେବାକୁ ପଡ଼ିବ ଯେ ଆଧୁନିକ ପ୍ରସାର–ଶିକ୍ଷାକାର୍ଯ୍ୟରେ ଏହି ଅନୁଷ୍ଠାନଗୁଡ଼ିକ କଦାପି ମାଧ୍ୟମରୂପେ ବ୍ୟବହୃତ ହୋଇ ପାରିବେନାହିଁ । ପୁଣି ଅନେକ ସମାଜ ସଂସ୍କୃତି ଭିତରେ, ଗୋଷ୍ଠୀ ଗୋଷ୍ଠୀ ଭିତରେ ଏକ କର୍ତ୍ତୃତ୍ୱମୂଳକ ସମ୍ବନ୍ଧ ରହିଆସିଚି । ଗୋଟିଏ ଗୋଷ୍ଠୀ ଉପରେ ରହି ତଳେ ରହିଥିବା ଆଉଗୋଟିଏ ଗୋଷ୍ଠୀ ଉପରେ କର୍ତ୍ତୃତ୍ୱ ବିସ୍ତାର କରୁଚି ଏବଂ ତାହାକୁ ନାନାପ୍ରକାରେ ଶୋଷଣ ମଧ୍ୟ କରୁଚି । ପୁଣି ପରମ୍ପରାଗତ ଅଭ୍ୟାସ ଅନୁସାରେ ଉଭୟ ଗୋଷ୍ଠୀ ଏହାକୁ ସ୍ୱାଭାବିକ ଓ ବିଧାନସଂଗତ ବୋଲି ମାନିନେଉଚନ୍ତି । ଏହାଫଳରେ ସମାଜ ବାହାରକୁ ଗୋଟିଏ ପରି ଦିଶିଲେ ମଧ୍ୟ ଭିତରେ ନାନା ବର୍ଗ, ଶ୍ରେଣୀ ଓ ସ୍ୱାର୍ଥରେ ବିଭକ୍ତ ହୋଇ ରହିଚି । ଉପର ବର୍ଗମାନେ ସମାଜର ସ୍ୱୀକୃତି ପାଇ ସବୁପ୍ରକାର ସୁବିଧା ଭୋଗୁଚନ୍ତି ଓ ସବୁପ୍ରକାରେ ପ୍ରବଳ ହୋଇ ରହିବାର ସ୍ୱାଧୀନତା ପାଉଚନ୍ତି । ତଳେ ରହିଥିବା ଶ୍ରେଣୀମାନେ ଆପଣାର ହୀନ, ସାମର୍ଥ୍ୟବିହୀନ ସ୍ଥିତିକୁ ଭାଗ୍ୟ ବୋଲି ଗ୍ରହଣ କରିନେଉଚନ୍ତି । ଏପରି ସମାଜରେ ଯେ ଲୋକମତ ଅନୁସାରେ ସମାଜଲାଗି ଯାବତୀୟ ନିଷ୍ପତ୍ତି ଗ୍ରହଣ କରିବା ସମ୍ଭବ ହୋଇପାରିବ, ଏକଥା ଆଶା କରାଯାଇ ପାରିବ କିପରି ? ଏପରି ସମାଜରେ ଯେ ସମସ୍ତ ସମାଜର କଲ୍ୟାଣ କରିବାର ଉଦ୍ଦେଶ୍ୟରେ ସ୍ୱେଚ୍ଛାପୂର୍ବକ କୌଣସି ଅନୁଷ୍ଠାନ ଗଢ଼ାହେବା ସମ୍ଭବ ହୋଇପାରିବ, ଏକଥା ଆମେ କିପରି ଆଶା କରିବା ? ଏହି ସମାଜରେ ବିଭିନ୍ନ ଲୋକ ଏକାଠି ବସି ସାମୂହିକ ସ୍ୱାର୍ଥଦୃଷ୍ଟିରୁ ପ୍ରକୃତରେ କି କାର୍ଯ୍ୟକ୍ରମମାନ ତିଆରି କରିପାରିବେ ? ପୁଣି ଲୋକଶାସନ, ସ୍ୱେଚ୍ଛାସଂଗଠିତ ଅନୁଷ୍ଠାନ ଓ ସାମୂହିକ କଲ୍ୟାଣଲାଗି ଆପଣାର କାର୍ଯ୍ୟକ୍ରମକୁ ଆପେ ତିଆରି କରିବାର ରୀତି ବ୍ୟତୀତ ଆମେ ଆଉ କେଉଁ ଆଧାର ଉପରେ ଆମର ପ୍ରସାର କାର୍ଯ୍ୟ ଚଳାଇ ପାରିବା ? ତେଣୁ ନିଷ୍କର୍ଷ ହେଲା, ପୁରାତନ ଅନୁଷ୍ଠାନଗୁଡ଼ିକର ବ୍ୟୁହ ବର୍ତ୍ତି ରହିଥିବା ପର୍ଯ୍ୟନ୍ତ ଆମେ ଏହିସବୁ ସମାଜରେ ପ୍ରସାରକାର୍ଯ୍ୟରେ ଆଦୌ ଆଗକୁ ଯାଇ ପାରିବା ନାହିଁ । ପ୍ରସାରକାର୍ଯ୍ୟର ଅନୁକୂଳ ଏକ ଆନୁଷ୍ଠାନିକ ଭୂମି ତିଆରି କରିବାକୁ ହେଲେ ଆମକୁ ପୁରୁଣା ଜାଗାରେ ନୂଆ ଅନୁଷ୍ଠାନମାନ ତିଆରି କରିବାକୁ ହିଁ ପଡ଼ିବ ।’’ (୨୬)

 

ହଁ, ଏକଥା ସତ ଯେ, ପୁରୁଣା ସାମାଜିକ ବ୍ୟବସ୍ଥାରେ କାମ ଚଳିବନାହିଁ । ନୂତନ ସମାଜର ପ୍ରବର୍ତ୍ତନ କରିବାକୁ ହେଲେ ଏବଂ ମଣିଷ ଓ ସମାଜ ବିଷୟରେ ନୂତନ ଦୃଷ୍ଟିକୋଣ ସଞ୍ଚାର କରିବାକୁ ହେଲେ ପୁରୁଣା ସଂଗଠନକୁ ଭାଙ୍ଗି ନୂଆ ସଂଗଠନମାନ ଗଢ଼ିବାକୁ ହିଁ ପଡ଼ିବ । ତଥାପି ଅନ୍ଧଭାବରେ ପ୍ରଥମରୁ ଖାଲି ସବୁ ଭାଙ୍ଗି ବା ଓଲାରି ଦେବାକୁ ବାହାରିଲେ ହୁଏତ କେବଳ ଭାଙ୍ଗିଦେବାଟା ହିଁ ସାରହେବ । ସାମୁଦାୟିକ ବିକାଶ ଓ ପ୍ରସାରକାର୍ଯ୍ୟରେ ଗାଆଁ ସମାଜର ମଣିଷକୁ ସାଙ୍ଗରେ ନେଇ ଯିବାବୁ ପଡ଼ିବ । ତେଣୁ ସିଏ ନ ବଦଳିବା ପର୍ଯ୍ୟନ୍ତ କେବଳ ଆଗ ତାହାର ଆନୁଷ୍ଠାନିକ ଅବଲମ୍ବନ ହୋଇ ରହିଥିବା ସଂସ୍ଥାଗୁଡ଼ିକ ଭାଙ୍ଗି ପକାଇଲେ ସେ ପୁଣି କାହାର ଆଶ୍ରାରେ, କାହା ଉପରେ ଭାର ଦେଇ ଠିଆହୋଇ ପାରିବ ? ମଣିଷ ବଦଳିଗଲେ ତାର ହାତତିଆରି ସଂସ୍ଥାଗୁଡ଼ିକ ସମୟ ଅନୁସାରେ ଅପେକ୍ଷାକୃତ ଅଧିକ ସହଜରେ ବଦଳିଯିବ, କିନ୍ତୁ ଆଗ ସଂସ୍ଥାଗୁଡ଼ିକୁ ଭାଙ୍ଗିବାରେ ଅଧିକ ଉତ୍ସାହ ଦେଖାଇଲେ ତାହା ହୁଏତ ମଣିଷର ସାମାଜିକ ଆଧାରକୁ ଏପରି ଅସ୍ତବ୍ୟସ୍ତ ଓ ବିକଳ କରିପକାଇବ ଯେ ପରେ ମଣିଷ ସୁସ୍ଥଭାବରେ ବଦଳିପାରିବାର କୌଣସି ସମ୍ଭାବନା ହିଁ ହୁଏତ ରହିବ ନାହିଁ । ଏକାଧିକାରତନ୍ତ୍ରକୁ ରାଜନୀତିକ ପରିବର୍ତ୍ତନର ମାର୍ଗବୋଲି ଗ୍ରହଣ କରିଥିବା ଦେଶମାନଙ୍କରେ ସବୁ ବଳ ଖଟା ହୋଇ ଆଗ ପୁରୁଣା ଅନୁଷ୍ଠାନଗୁଡ଼ିକୁ ଭାଙ୍ଗି ଦିଆଯାଏ, ପୁରୁଣା ବ୍ୟବସ୍ଥାକୁ ଯାବତୀୟ ପ୍ରକାରେ ଉଚ୍ଛନ୍ନ କରି ଦିଆଯାଏ । ଏହାଦ୍ୱାରା ଆଶା କରାଯାଇଥାଏ ଯେ ପୁରୁଣା ସଙ୍ଗଠନଗୁଡ଼ିକ ଭାଙ୍ଗିପଡ଼ିଲେ ବିଚରା ମଣିଷ ବାଧ୍ୟ ହୋଇ ନୂଆ ସଂଗଠନଗୁଡ଼ିକର ଆଶ୍ରୟ ନେବ ଓ ଏହା ଫଳରେ ସେ ଆପେ ଆପେ ବଦଳିଯିବ । କିନ୍ତୁ ଏହା ହୋଇପାରେ ନାହିଁ । ଅକାରଣରେ ମଣିଷକୁ କାଣ୍ଡଛିଣ୍ଡା କରାଇଦେବା ହିଁ ସାର ହୁଏ ।

 

ମୋଟ କଥା ହେଲା, ଗୋଟାଏ ରାତିରେ କୌଣସି ଜାଦୁଗିରି କଲାପରି ଆମେ ସାମୁଦାୟିକ ବିକାଶ ବା ପ୍ରସାର କାର୍ଯ୍ୟରେ ସଫଳତା ହାସଲ କରି ପାରିବାନାହିଁ । କାରଣ ଏସବୁ କାର୍ଯ୍ୟକ୍ରମରେ ବଳପ୍ରୟୋଗ ବା ବାଧ୍ୟବାଧକତା ଲାଗି କୌଣସି ସ୍ଥାନ ନାହିଁ । ବଳପ୍ରୟୋଗ ଦ୍ୱାରା ଶୀଘ୍ର କୌଣସି ପରିବର୍ତ୍ତନ କରି ପକାଇଲେ ଗାଆଁର ବ୍ୟକ୍ତି ଓ ଗୋଷ୍ଠୀମାନଙ୍କ ମଧ୍ୟରେ ସାଧାରଣତଃ ନାନା ଦ୍ୱନ୍ଦ ଓ ସଂଘାତ ଆସି ଉପୁଜିବ ଅର୍ଥାତ୍ ଯେଉଁମାନଙ୍କର ହିତଲାଗି ଆମେ ଏଡ଼େ ଉତ୍ସାହରେ ପରିବର୍ତ୍ତନ ଘଟାଇବାକୁ ଯିବା, ସେହିମାନେହିଁ ଏହାଦ୍ୱାରା ଅଧିକ ଦୁର୍ବଳ ହୋଇପଡ଼ିବେ । (୨୭) ପୁଣି ଲୋକମାନେ ଯଦି ଦୁର୍ବଳ ହୋଇପଡ଼ିବେ, ପରିବର୍ତ୍ତନର ତାଡ଼ନାରେ ଯଦି ସେମାନଙ୍କ ସମାଜର ସଂହତି ଆହତ ହୋଇ ପଡ଼ିବ, ତେବେ ସାମୁଦାୟିକ ବିକାଶ କାହାଲାଗି ଆସିବ ଓ ଆପଣା ସମାଜର ଦାୟିତ୍ୱ ଆପେ ବହନ କରିବାଲାଗି ଆମେ ଆଉ କାହାଉପରେ ଭରସା ରଖିପାରିବା ?

 

କଥିତ ଅଛି ଯେ ସାଉଦୀ-ଆରବ ଦେଶର ଶାସକ ଇବ୍‌ନ୍ ସାଉଦ ଯେତେବେଳେ ପ୍ରଥମ କରି ରାଜ୍ୟରେ ଟେଲିଫୋନର ପ୍ରଚଳନ କରାଇଲେ ଦେଶର ଧର୍ମନେତାମାନେ ତାଙ୍କର ତୀବ୍ର ସମାଲୋଚନା କରିଥିଲେ । ସେମାନେ କହିଲେ ଯେ ଟେଲିଫୋନକୁ ସଇତାନ ତିଆରି କରିଚି, ତେଣୁ ଭଗବାନଙ୍କର ରାଜ୍ୟରେ ଏହାର ପ୍ରବେଶ କରାଇବା ଆଦୌ ଉଚିତ ନୁହେଁ । ସମାଲୋଚନାର ଜବାବ ଦେବାକୁ ଯାଇ ଇବନ୍‌ସାଉଦ ଟେଲିଫୋନ ଜରିଆରେ ପବିତ୍ର କୋରାନଗ୍ରନ୍ଥର କେତେପଦ ଆବୃତ୍ତି କରାଇଦେଲେ । ଏଥିରୁ ଧର୍ମନେତା ଓ ସାଧାରଣ ଜନତା ଯଥେଷ୍ଟ ପ୍ରମାଣ ପାଇଗଲେ ଯେ ଟେଲିଫୋନ ପ୍ରକୃତରେ ସଇତାନଦ୍ୱାରା ତିଆରି ହୋଇନାହିଁ ଓ ତେଣୁ ଭଗବାନଙ୍କ ରାଜ୍ୟରେ ଏଥିଲାଗି ଅବଶ୍ୟ ସ୍ଥାନ ରହିଚି । ଏପରି ଏକ ଉପାୟ ନ କରି ଯଦି ସାଉଦି-ଆରବର ଶାସକ ନାନା ଯୁକ୍ତି ଓ ଧମକ ଦେଖାଇ ଟେଲିଫୋନକୁ ଜବରଦସ୍ତି ପ୍ରବେଶ କରାଇଥାନ୍ତେ, ତେବେ ଲୋକମାନେ କେବେହେଲେ ଆପଣା ତରଫରୁ ତାହାକୁ ଏକ ଆବଶ୍ୟକ ତଥା ଉପକାରୀ ସାମଗ୍ରୀ ବୋଲି ଗ୍ରହଣ କରିନଥାନ୍ତେ । ସୁଦାନଦେଶର ଗ୍ରାମାଞ୍ଚଳ-ବିକାଶ-ଯୋଜନା ବିଷୟରେ ପ୍ରକାଶିତ ଏକ ବିବରଣୀରୁ ଜାଣିବାକୁ ମିଳେ ଯେ ଆବାହମାନ କାଳରୁ ସେ ଦେଶର ଆରବମାନେ ତମ୍ବୁରେ ବାସ କରୁଥିଲେ । ତମ୍ବୁଭିତରେ ରହିବାକୁ ହିଁ ସେମାନେ ଅତି ସ୍ୱାଭାବିକ ବୋଲି ଅନୁଭବ କରୁଥିଲେ । ବିକାଶ ଯୋଜନା ଚଳାଉଥିବା ବ୍ୟବସ୍ଥାପକମାନେ ଭାବିଲେ ଯେ ତମ୍ବୁ ବଦଳରେ ସ୍ଥାୟୀ ଘରକରି ରହିଲେ ଆରବମାନେ ଅଧିକ ଆରାମ ପାଇବେ ଏବଂ ସଭ୍ୟତା ଦୃଷ୍ଟିରୁ ବାହାରକୁ ତାହା ଅଧିକ ଉପଯୁକ୍ତ ବୋଲି ଦେଖାଯିବ । ଏହିପରି ବିଚାର କରି ସେମାନେ ମାଟିଘରମାନ ତୋଳାଇ ଦେଲେ ଓ ଆରବମାନଙ୍କୁ ତାହାରିଭିତରେ ରହିବାକୁ ବାଧ୍ୟ କଲେ । ସରକାରୀ କର୍ତ୍ତାମାନଙ୍କର ଆଦେଶ ପାଳନ କରି ଆରବମାନେ ତମ୍ବୁଛାଡ଼ି ମାଟି ଘରେ ରହିବା ଲାଗି ଗଲେ । ପରେ ଦେଖାଗଲା ଯେ ସେମାନେ ମାଟିଘର ଭିତରେ ତମ୍ବୁ ଖଟାଇ ସେଇଥିରେ ହିଁ ରହିବାକୁ ଆରମ୍ଭ କରିଚନ୍ତି ।

Unknown

 

କୌଣସି ସମୁଦାୟର ଲୋକମାନେ ଅଯୋଗ୍ୟ ବା ମୂର୍ଖ ବୋଲି ଯେ ନୂଆ ବିଚାର ବା ନୂତନ ପ୍ରଣାଳୀଗୁଡ଼ିକୁ ଗ୍ରହଣ କରିପାରନ୍ତିନାହିଁ, ତାହା ନୁହେଁ । ପୁରୁଣାକୁ ଯାବୁଡ଼ି ପଡ଼ିରହିବାକୁ ଆମେ ଗାଆଁ ଲୋକଙ୍କର ସ୍ୱଭାବ ବୋଲି କଦାପି କହିପାରିବା ନାହିଁ । ପ୍ରସାରକାର୍ଯ୍ୟରେ ଆମେ ଏପରି କୌଣସି ମାରାତ୍ମକ ସିଦ୍ଧାନ୍ତରେ ପହଞ୍ଚିବାରୁ ଆପଣାକୁ ସାବଧାନ କରି ରଖିଥିବା ପ୍ରତ୍ୟେକ ସମାଜ ଯେପରି ସାଂସ୍କୃତିକ ବାତାବରଣରେ ଅନେକ ବର୍ଷହେଲା ବାସ କରିଆସୁଚି, ସେହି ବାତାବରଣର ସ୍ୱଭାବକୁ ଭଲକରି ନ ବୁଝିଲେ ଆମେ ମଣିଷଲାଗି କେଉଁଠି କିଛିହେଲେ କରିପାରିବାନାହିଁ; ତା ନହେଲେ ପ୍ରସାରକାର୍ଯ୍ୟ ଓ ସାମୁଦାୟିକ ବିକାଶଲାଗି ସାମଗ୍ରୀ ଓ ସାଧନମାନ କୁଢ଼କୁଢ଼ ଜମା ହେଉଥିବ, କର୍ମୀମାନଙ୍କର ଫଉଚ ତାଲୀମ ପାଇ ସଜ ହୋଇ ରହିଥିବେ, ତଥାପି ମଣିଷର ସାମାଜିକ ମନ ଓ ସାଂସ୍କୃତିକ ଭୂମିକୁ ସହାନୁଭୂତି ସହିତ ବୁଝି ସେହି ଅନୁସାରେ ଆମର କାର୍ଯ୍ୟକ୍ରମ ଠିକ୍ ନକରିବା ପର୍ଯ୍ୟନ୍ତ ଆମେ କଦାପି ପ୍ରସାରକାର୍ଯ୍ୟରେ ସଫଳତା ଲାଭ କରି ପାରିବାନାହିଁ । ପ୍ରସାର କାର୍ଯ୍ୟରେ ମାନବିକ ଉପାଦାନ ହେଉଚି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ।

 

ପଶ୍ଚିମ ଆଫ୍ରିକାର ନାଇଜିରିଆ ଦେଶରେ ଏକ ଅଞ୍ଚଳରୁ ନିଦ୍ରାରୋଗ ଦୂର କରିବା ଉଦ୍ଦେଶ୍ୟରେ ୧୯୩୭ ମସିହାରେ ଏକ ସୁଚିନ୍ତିତ ଯୋଜନା ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥିର ହୋଇଥିଲା ଯେ ସତୁରି ମାଇଲ ଲମ୍ବ ଦଶମାଇଲ ଓସାରର ଏକ ବିରାଟ ଅଞ୍ଚଳରୁ ଏହି ରୋଗବାହୀ ମାଛିକୁ ନିର୍ମୂଳ କରି ଦିଆଯିବ, ଏବଂ ଆଖପାଖରେ ବାସ କରୁଥିବା ପ୍ରାୟ ଷାଠିଏ ହଜାର ମଣିଷଙ୍କୁ ଏହି ନିରାପଦ ଅଞ୍ଚଳରେ ବାସ କରିବାକୁ ଦିଆଯିବ, ଯେପରିକି ସେମାନେ ସେହି ଭୟାବହ ରୋଗରୁ ମୁକ୍ତ ହୋଇ ରହିପାରିବେ ।

 

ତା’ପରେ ଅଞ୍ଚଳଟିର ସର୍ଭେକାମ ଚାଲିଲା, ଜନସୁମାରି ନିଆଗଲା । ଲୋକମାନେ ସେଠାରେ ରହିଲେ ସେମାନଙ୍କ ଲାଗି କଣ କଣ ବନ୍ଦୋବସ୍ତ କରିଦେବା ଦରକାର ହେବ, ତାହାର ଟିକିନିଖି ହିସାବ ସଂଗ୍ରହ କରାଗଲା । କୃଷି ଓ ପାଶୁପାଳନର ବ୍ୟବସ୍ଥା କରିଦିଆଗଲା । ଜରୁରୀ ଆଇନ ପାସ କରାଯାଇ ଆପଣା ଗାଆଁ ପାଖରେ ରହିଥିବା ଜଳନାଳୀଗୁଡ଼ିକୁ ସଫା କରିବାଲାଗି ଲୋକମାନଙ୍କୁ ବାଧ୍ୟ କରାଗଲା । ଲୋକସ୍ୱାସ୍ଥ୍ୟର ଗୋଟିଏ ସମସ୍ୟା ସମାଧାନ କରିବାକୁ ଯାଇ ତତ୍‌ସମ୍ବନ୍ଧୀ ଯାବତୀୟ ବ୍ୟବସ୍ଥାମାନ ପକ୍‌କା କରିଦେବାରେ ବିଶେଷଜ୍ଞମାନେ କୌଣସି ପ୍ରକାର ତ୍ରୁଟି କରିନଥିଲେ । କିନ୍ତୁ ସବୁ ତନାଘନାରେ ଗୋଟିଏ ବଡ଼ କଥାର ଅଭାବ ରହିଯାଇଥିଲା । ସରକାରୀ ଅଫିସର୍‌ମାନେ ଅଫିସଘରେ ବସି ଆପଣାର ସବୁ କ୍ଷମତାମାନ ଖଟାଇ ଏକ ବିଶଦ୍ ଯୋଜନା ତିଆରି କରିଥିଲେ ଓ ଅତିସାବଧାନତା ସହକାରେ ବିଭିନ୍ନ ଲକ୍ଷ୍ୟମାନ ସ୍ଥିର କରି ରଖିଥିଲେ । ତା ପରେ କଠିନ ପରିଶ୍ରମକରି ସେମାନେ ଯୋଜନାଟିକୁ କାର୍ଯ୍ୟରେ ପରିଣତ କରିବାକୁ ଲାଗିପଡ଼ିଲେ । କିନ୍ତୁ ଯେଉଁ ଲୋକମାନଙ୍କ ସକାଶେ ଏଡ଼େ ଯତ୍ନରେ ଯୋଜନା ତିଆରି ହେଲା, ସେମାନେ ଖୁବ ବେଶୀ ଆଗ୍ରହ ଦେଖାଇ ଏହିସବୁ ନୂଆ ବସତିରେ ରହିବାକୁ ଆସିଲେନାହିଁ । ତାତ୍ପର୍ଯ୍ୟ ହେଉଚି ଯେ ଲୋକମାନଙ୍କ ଲାଗି ଉପକାର କରିବାକୁ ଯୋଜନା କରୁଥିବା କର୍ମକର୍ତ୍ତାମାନେ ଏକଥା ସ୍ୱତଃସିଦ୍ଧ ପରି ଧରି ନେଇଥିଲେ ଯେ ଲୋକମାନେ ମଧ୍ୟ ବିନା ଆୟାସରେ ଏହି କାର୍ଯ୍ୟମାନ ସେମାନଙ୍କର ଉପକାର ଲାଗି ହେଉଚି ବୋଲି ହୃଦୟଙ୍ଗମ କରିପାରିବେ ଓ ସରକାରଙ୍କ ବରାଦ ଅନୁସାରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ । କିନ୍ତୁ ‘ଲୋକମାନେ’ କହିଲେ ଯେ ଜଣ ଜଣ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝାଏ ଏବଂ ପ୍ରତ୍ୟେକ ବ୍ୟକ୍ତିର ଯେ ଆଶା ଓ ଆଶଙ୍କାଭରା ଆପଣାର ଏକ କ୍ଷୁଦ୍ର ପୃଥିବୀ ମଧ୍ୟ ରହିଚି, ସେକଥା ହାକିମମାନେ ହୃଦୟଙ୍ଗମ କରି ପାରିନଥିଲେ ଓ ସେହି କାରଣରୁ ସମୟ ଥାଉଁ ଲୋକମାନଙ୍କ ସହିତ ପରାମର୍ଶ କରିବାର ପ୍ରୟୋଜନ ମଧ୍ୟ ଅନୁଭବ କରିନଥିଲେ । ଏହି ନୂଆ ବସତି ବସିବାର ଦଶବରଷ ପରେ ମଧ୍ୟ ସରକାରୀ ଅଫିସର୍‌ମାନେ ସେଠାରେ ପହରା ଦେଲାପରି ରହିଥିଲେ । ସରକାରଙ୍କର ନିଘା ହଟିଗଲେ ଅନେକ ଲୋକ ସେଠା ଛାଡ଼ି ଅନ୍ୟତ୍ର ପଳାଇଯିବାର ଭୟ ସେଠାରେ ସବୁବେଳେ ରହିଥିଲା । (ପୁସ୍ତକ ଟିପ୍ପଣୀ–୧୦, ପୃଷ୍ଠା–୨୮)

 

ଭାରତବର୍ଷର କୌଣସି ଅଞ୍ଚଳରେ ସାମୁଦାୟିକ ଯୋଜନା କ୍ଷେତ୍ରରେ ଲୋକମାନେ କୌଣସିପ୍ରକାରେ ଆପଣାଘରେ ପକ୍‌କା ପାଇଖାନା କରିବାକୁ ବା ଉନ୍ନତ ଧରଣର କୂଅ ବସାଇବାକୁ ରାଜୀ ହେଲେନାହିଁ । ଅନେକ ଅନୁସନ୍ଧାନ କଲାପରେ ଜଣାପଡ଼ିଲା ଯେ ପ୍ରଧାନତଃ ଘରଭୁଆସୁଣୀମାନଙ୍କର ଆପତ୍ତି ସକାଶେ ଲୋକମାନେ ଏହି ନୂତନ ଉପାୟଟିକୁ ଗ୍ରହଣ କରିବାଲାଗି ଅରାଜୀ ହେଉଚନ୍ତି । ଯଦି ଏଣିକି ଘରଭିତରେ ପାଇଖାନା ତିଆରି ହୋଇଯିବ, ତେବେ ସେମାନେ ଆଉ ଘର ବାହାରକୁ ବାହାରିବାକୁ କୌଣସି ସୁଯୋଗ ହିଁ ପାଇବେନାହିଁ । ଝାଡ଼ାଫେରିବାଲାଗି ବାହାରକୁ ଯିବାକୁ ପଡ଼ୁଥିବାରୁ ସେମାନେ ସେହି ବାହାନାରେ ଗମ୍ଭୀରିଭିତରୁ ବାହାରି ଟିକିଏ ଖୋଲା ପବନ ପାଇବାର ଯେଉଁ ସୁବିଧାଟିକକ ପାଉଚନ୍ତି, ଘରଭିତରେ ପାଇଖାନା ବସିଲେ ସେମାନେ ସେହି ସୌଭାଗ୍ୟରୁ ବଞ୍ଚିତ ହୋଇ ରହିବେ, ଆଉ ବନ୍ଧୁବାନ୍ଧବ ମେଳରେ ବସି ଘଡ଼ିଏ କଥା ହୋଇପାରିବେ ନାହିଁ । ଏହି ଅଞ୍ଚଳରେ ଭୁଆସୁଣୀମାନେ ସାଧାରଣତଃ ଘରୁ ବାହାରି କାହାରି ଘରକୁ ଯାଉନଥିଲେ । କେବଳ ଝାଡ଼ାଫେରି ଗଲାବେଳେ ବା କୂଅକୁ ପାଣିଆଣି ଗଲାବେଳେ ଯାହା ସେମାନଙ୍କର ପରସ୍ପର ସହିତ ଦେଖାହେଉଥିଲା, ସେତିକି । ଘରେ ପାଇଖାନା ତିଆରି କରିବା ଅଧିକ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ସେମାନେ ଦିନରେ ଅନ୍ତତଃ ଥରେ ବାହାରକୁ ବାହାରିବାର ସୁଯୋଗ ପାଇବାକୁ ଅଧିକ ଆବଶ୍ୟକ ବୋଲି ମନେ କରୁଥିଲେ ।

 

୧୯୪୬ ମସିହାର କଥା । କୃଷିବିଭାଗର ଜଣେ ପ୍ରସାରକର୍ମୀ ମଧ୍ୟ ଆମେରିକାର ଏକ ରାଜ୍ୟରେ ଏକ ନୂଆ ପ୍ରକାରର ସଙ୍କର ମକା ପ୍ରଚଳିତ କରାଇବାର ଚେଷ୍ଟା କରିଥିଲେ । ପ୍ରଦର୍ଶନ କରି ସେ ଦେଖାଇ ଦେଇଥିଲେ ଯେ ଏହି ମକାର ମଞ୍ଜିଦ୍ୱାରା ତିନିଗୁଣ ଅଧିକ ଫସଲ ମିଳୁଚି । ଏକଥା ଧରିନେଇଥିଲେ ଯେ ଚାଷୀମାନେ ଅବଶ୍ୟ ତାଙ୍କର ପରାମର୍ଶ ମାନିବେ ଏବଂ ନୂଆ ମକ୍‌କାର ଚାଷ କରିବାକୁ ସମ୍ମତ ହୋଇଯିବେ । ସେମାନେ ତାଙ୍କର କଥା ଅବଶ୍ୟ ମାନିଲେ, କିନ୍ତୁ ତିନିବର୍ଷ ପରେ ସେମାନେ ପୁଣି ପୁରୁଣା ମକାକୁ ଚାଷ କରୁଥିବାର ଦେଖାଯାଇଥିଲା । ଏହାର କାରଣ କଣ ହୋଇପାରେ ? ଚାଷ କରୁଥିବା ମକାକୁ ଚାଷୀମାନେ ଆପଣାର ଖାଦ୍ୟରୂପେ ବ୍ୟବହାର କରୁଥିଲେ । ମକାକୁ ଚୁରି ଅଟା ତିଆରି କରାଯାଉଥିଲା ଏବଂ ଘରର ଘରଣୀମାନେ ସେହି ଅଟାରୁ ମଣ୍ଡାପିଠା ତିଆରି କରୁଥିଲେ । ଏହି ମଣ୍ଡାପିଠା ସେହି ଅଞ୍ଚଳରେ ଲୋକମାନଙ୍କର ସର୍ବପ୍ରଧାନ ଖାଦ୍ୟ ଥିଲା । କିନ୍ତୁ ନୂଆ ଅଟାରେ ଯେଉଁ ପିଠା ତିଆରି ହେଲା, ସେଥିରୁ ଏକ ଅଦ୍ଭୁଦ ପ୍ରକାରର ବାସନା ହେଲା, ଯାହାକି ଚାଷୀମାନଙ୍କୁ ଆଦୌ ଭଲ ଲାଗିଲାନାହିଁ । ନୂଆ ମକାରୁ ଯେ ଅଧିକ ଫସଲ ଫଳୁଚି, ଲୋକମାନେ ସେକଥା ଅବଶ୍ୟ ସ୍ୱୀକାର କରୁଥିଲେ, କିନ୍ତୁ ଖରାପ ସୁଆଦର ପିଠା ଖାଇବାକୁ ସେମାନେ ଆଦୌ ପ୍ରସ୍ତୁତ ନ ଥିଲେ । ତେଣୁ ସେମାନେ ନୂଆ ମକାର ଚାଷକୁ ଆଦୌ ଗ୍ରହଣ କରି ପାରିଲେ ନାହିଁ ।

 

ଉତ୍ତର-ପ୍ରଦେଶରେ ଉନ୍ନତ ଧରଣର ବିହନରୁ ଗହମଚାଷ କରିବାର ପ୍ରସାର କାର୍ଯ୍ୟ ମଧ୍ୟ ପ୍ରାୟ ଏହିପରି ଏକ କାରଣରୁ ସଫଳ ହୋଇପାରି ନଥିଲା । ଏଠି ଚାଷୀମାନେ ପରମ୍ପରାଗତ ଅଭ୍ୟାସ ହିସାବରେ ଏକା କିଆରୀରେ ଗହମ, ବୁଟ ଓ ସୋରିଷ ବୁଣି ଆସୁଥିଲେ । ଉନ୍ନତ୍ତ ଧରଣର ବିହନକୁ ସରକାର ଆଉ କୌଣସି ଶସ୍ୟସହିତ ଏକାଠି ଗୋଟିଏ କିଆରୀରେ ବୁଣିବାକୁ ଅନୁମତି ଦେଲେନାହିଁ । ଅନେକ ବର୍ଷର ଅଭିଜ୍ଞତା ଫଳରେ ଚାଷୀମାନେ ତିନୋଟି ଫସଲକୁ ଏକାଠି ବୁଣିବାକୁ ଲାଭଦାୟକ ବୋଲି ଜାଣିଥିଲେ । ପାଗପାଣିର ଅନିଶ୍ଚିତତା ଦୃଷ୍ଟିରୁ ଗୋଟିଏ ଫସଲ ନଷ୍ଟ ହୋଇଗଲେ ଅନ୍ତତଃ ଅନ୍ୟଦୁଇଟି ଫସଲରୁ କିଛି କିଛି ମିଳିବାର ଆଶା ଅବଶ୍ୟ ରହିଥିବ, ଏହି କାରଣରୁ ସେମାନେ ତିନୋଟିଯାକ ଫସଲକୁ ଗୋଟିଏ କିଆରୀରେ କରୁଥିଲେ । ନୂଆ ଗହମ ବିହନକୁ ଗ୍ରହଣ ନ କରିବା ପଛରେ ଆହୁରି କେତେକ କାରଣ ମଧ୍ୟ ରହିଥିଲା । ନୂଆ ଗହମର ରୁଟି ପାଟିକୁ ପାଣିଚିଆ ଲାଗୁଥିଲା, ପୁରୁଣା ଗହମପରି ସୁଆଦିଆ ଲାଗୁନଥିଲା । ଦେଶୀ ଗହମରେ ତ ବୁଟ ବା ଯଅ ମିଶି ଅଟା ପେଷା ହେଉଥିଲା । କିନ୍ତୁ ନୂଆ ଗହମରେ ସେହି ସୁଆଦ ମିଳନ୍ତା ବା କିପରି ? ନୂଆ ଗହମର ଦାନାଗୁଡ଼ାକ ବଡ଼ ବଡ଼ ହୋଇଥିବାରୁ ଚକିରେ ପେଷିଲାବେଳକୁ ସେଥିପାଇଁ ଅଧିକ ପରିଶ୍ରମ ଲାଗୁଥିଲା । ଏହି ଗହମର ଅଟାକୁ ଦଳିବା ଓ ରୁଟିକୁ ସେକିବାରେ ମଧ୍ୟ ଅଧିକ ମିହନ୍ତ ଦରକାର ହେଉଥିଲା । ନୂଆ ଗହମର କୁଟା ଗୋରୁଙ୍କ ପାଇଁ ଭଲ ଚାରା ଯୋଗାଉନଥିଲା, ଘରଛପରରେ ମଧ୍ୟ ତାହା ପୁରୁଣା ଗହମର କୁଟାପାଖରେ ହଟି ଯାଉଥିଲା; ଜାଳକୁ ମଧ୍ୟ ପାଉନଥିଲା । ଗୋଟିଏ ଗହମ ଫସଲରୁ ଚାଷୀ ଏତେ ପ୍ରକାରର ଆର୍ଥିକ ସୁବିଧା ପାଇଆସୁଥିଲା ଯେ ନୂଆ ଗହମର ବିହନକୁ ବିଲରେ ପକାଇ ସେ ଏକାବେଳେକେ ଏତେଗୁଡ଼ିଏ କ୍ଷତି ସହିବାକୁ ରାଜୀ ହେଉନଥିଲା । ଏପରି କରିବାକୁ ସେ ଏକ ପ୍ରମାଦ ବୋଲି ମନେ କରୁଥିଲା ଓ ନୂଆ ପ୍ରୟୋଗର ନାଆଁରେ ଭାଗ୍ୟ ସହିତ ଖେଳିବା ସକାଶେ ଆଦୌ ମନ କରୁନଥିଲା ।

 

ପ୍ରଶାନ୍ତ ମହାସାଗରର ଦ୍ୱୀପାଞ୍ଚଳରେ ସ୍ଥାନୀୟ ଅଧିବାସୀମାନଙ୍କର ହିତାକାଙ୍‌କ୍ଷୀ ଇଉରୋପୀୟମାନେ କଦଳୀ ଚାଷ କରିବାର ପ୍ରସ୍ତାବ ଦେଇଥିଲେ । ସେଠି ଲୋକମାନେ ସାଧାରଣତଃ ଯେଉଁ ଖାଦ୍ୟ ଖାଉଥିଲେ, ସୁସ୍ଥ ଶରୀରର ରକ୍ଷା ଲାଗି ତାହା ଆଦୌ ଯଥେଷ୍ଟ ନଥିଲା-। ତେଣୁ ଇଉରୋପୀୟମାନେ ଭାବୁଥିଲେ ଯେ କଦଳୀ ଚାଷର ପ୍ରସାର ହେଲେ ଲୋକମାନଙ୍କୁ ଗୋଟିଏ ପୁଷ୍ଟିକର ପଦାର୍ଥ ଖାଇବାକୁ ମିଳିବ ଏବଂ ତାଦ୍ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରିବ । କିନ୍ତୁ ଲୋକମାନେ କୌଣସିପ୍ରକାରେ କଦଳୀଚାଷ କରିବାଲାଗି ରାଜୀ ହେଲେ ନାହିଁ । ଏଥିରେ ଇଉରୋପୀୟମାନଙ୍କର ବିସ୍ମିତ ହେବାରହିଁ କଥା । ଅନେକ ଅନୁସନ୍ଧାନ କରିବାପରେ ଜଣାପଡ଼ିଲା ଯେ ଦ୍ୱୀପାଞ୍ଚଳର ଅଧିବାସୀମାନେ କଦଳୀକୁ ଆପଣାର ଭାଇ ବୋଲି ବିଶ୍ୱାସ କରୁଥିଲେ । ଲୌକିକ ବିଶ୍ୱାସର ପ୍ରବାଦ ଅନୁସାରେ କଦଳୀଗଛକୁ ସେମାନେ ମାଆ ବୋଲି ପୂଜା କରୁଥିଲେ । ତେଣୁ ଆପଣା ମାଉସୀପୁଅ ଭାଇକୁ ଆପଣା ଶରୀରର ପୁଷ୍ଟି ଉଦ୍ଦେଶ୍ୟରେ ଖାଇବାକୁ କୁହାଗଲେ ସେମାନେ ସେକଥା ମାନନ୍ତେ କିପରି ?

 

ଉତ୍ତର ବ୍ରହ୍ମଦେଶର ଚିନରାଜ୍ୟରେ ଥରେ ଆଞ୍ଚଳିକ ଶାସନର କର୍ତ୍ତାମାନେ ବାହାରୁ ଭଲ ବାର୍‌ହା ମଗାଇ ସ୍ଥାନୀୟ ଘୁଷୁରିର ଜାତିରେ ଉନ୍ନତିବିଧାନ କରିଥିଲେ । କିନ୍ତୁ ଏହାଫଳରେ ଯେଉଁ ଛଉଛଉକା ଘୁଷୁରି ଜନ୍ମହେଲେ, ସେଥିରେ ଲୋକମାନେ ଆଦୌ ପ୍ରସନ୍ନ ଅନୁଭବ କଲେନାହିଁ ଏବଂ ତେଣୁ ତାହା ଆଦୌ ଲୋକପ୍ରିୟ ହୋଇପାରିଲା ନାହିଁ । ମାଂସ ଖାଇବା ଉଦ୍ଦେଶ୍ୟରେ ତ ଘୁଷୁରି ପୋଷିବା କଥା ଏବଂ ସ୍ଥାନୀୟ ଅଧିବାସୀଙ୍କର ଖାଦ୍ୟ-ପରିମାଣ ବୃଦ୍ଧି କରିବାଲାଗି ତ ବାହାରୁ ବାର୍‌ହା ଅଣାଇ ଏହି ନୂଆଜାତି ଘୁଷୁରିକୁ ସମ୍ଭବ କରାଯାଇଥିଲା । ତେଣୁ ଲୋକେ ଏବିଷୟରେ କୌଣସି ଆଗ୍ରହ ଦେଖାଇଲେନାହିଁ କାହିଁକି ? କାରଣ ହେଉଚି ପ୍ରଧାନତଃ ପର୍ବଦିନମାନଙ୍କରେ ହିଁ ସେହି ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଘୁଷୁରିମାଂସ ଖାଇବାର ରୀତି ଥିଲା । ମାତ୍ର ପର୍ବର ବିଧି ଅନୁସାରେ ଘୁଷୁରିର ରଙ୍ଗ କଳା ହେବା ଉଚିତ ବୋଲି ନିୟମ ରହିଥିଲା-। ତେଣୁ ଖାଦ୍ୟଦୃଷ୍ଟିରୁ ଅଧିକ ପୁଷ୍ଟିକର ହେଲେମଧ୍ୟ ଲୋକମାନେ ଛଉଛଉକା ଘୁଷୁରିଲାଗି କୌଣସି ଆଗ୍ରହ ପ୍ରକାଶ କଲେନାହିଁ ।

 

ଚୀନଦେଶର ଚାଷୀ ସାଧାରଣତଃ ଯେଉଁ ଖାଦ୍ୟ ଖାଏ, ସେଥିରେ ଛେନାଜାତୀୟ ଖାଦ୍ୟସାରର ବଡ଼ ଅଭାବ ରହିଥାଏ । ଗୋରୁ ମାଉଁସରେ ଛେନାଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ରହିଚି, ତେଣୁ ଚୀନଦେଶର ଚାଷୀମାନେ ଗୋରୁମାଉଁସ ଖାଇଲେ ସେମାନଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ମିଳିପାରିବ ବୋଲି ଯଦି ଆମେ ଆଗ୍ରହ କରିବସିବା, ତେବେ ଆମର ଆଗ୍ରହ ହୁଏତ କେବେହେଲେ ପୂର୍ଣ୍ଣହୋଇ ପାରିବନାହିଁ । ଥରେ କୌଣସି ପାଶ୍ଚାତ୍ୟ ଦେଶର ଅଧିବାସୀ ଜୀନଦେଶର ଜଣେ ବୟସ୍କ ଚାଷୀସହିତ ମଧ୍ୟାହ୍ନଭୋଜନ କରି ବସିଥିଲେ । ଆପଣା ତରଫରୁ ସେ ଅଣ୍ଡା ଏବଂ ଗୋରୁମାଉଁସ ଆଣି ଖାଇବା ଥାନରେ ବାଢ଼ିଦେଲେ । ଚାଷୀ ଅଣ୍ଡାକୁ ଗ୍ରହଣ କଲା କିନ୍ତୁ ଗୋରୁର ମାଂସକୁ ସ୍ପର୍ଶ ମଧ୍ୟ କଲାନାହିଁ । କାରଣ ପଚାରିବାରୁ ସେ ଉତ୍ତର ଦେଲା ଯେ ପୁରୁଷ ପୁରୁଷ ଧରି ଚାଷୀ ଓ ତାହାର ଗୋରୁ ଖେତରେ ଏକାଠି କାମ କରିଆସିଚନ୍ତି । ତେଣୁ ଗୋରୁକୁ ବିକିଦେବାକୁ ବା ଗୋରୁମାରି ତାହାର ମାଂସ ଖାଇବାକୁ ଚୀନା ଚାଷୀର ହୃଦୟ କଦାପି କହିବନାହିଁ । ‘‘ଗୋରୁ ଅକର୍ମଣ୍ୟ ହୋଇପଡ଼ିଲେ ତାହାର ଶେଷ ଅବସ୍ଥାର ଦିନଗୁଡ଼ିକୁ ଆମେ ତାକୁ ଶାନ୍ତିରେ କଟାଇବାକୁ ଛାଡ଼ିଦେଉ ।’’ –ଉପସଂହାର କରି ଚାଷୀ ଏହି ଜବାବ ଦେଇଥିଲା । (୨୮) ଭାରତର କୌଣସି ହିନ୍ଦୁଗାଆଁରେ ଯେକୌଣସି ଚାଷୀ ଗୋମାଂସ ପ୍ରତି ଠିକ୍ ଏହିପରି ପ୍ରତିକ୍ରିୟା ଦେଖାଇଥାଆନ୍ତା ।

 

ପ୍ରସାର କାର୍ଯ୍ୟରେ ସବୁଠାରୁ ବଡ଼ କଥା ହେଉଚି ଯେ ପ୍ରସାରକର୍ମୀ ପ୍ରତ୍ୟେକ କାର୍ଯ୍ୟରେ ଲୋକମାନଙ୍କ ସହିତ ଏକାଠି ମିଶି କାମ କରିବ; ଉପରେ ଥାଇ କେବଳ ଆଦେଶ ବା ପରାମର୍ଶ ଦେବନାହିଁ । ଆମ ସ୍କୁଲମାନଙ୍କରେ ବଗିଚାକାମ ହେଲାବେଳେ ଯେପରି ପିଲାମାନେ କାମ କରୁଥାନ୍ତି ଓ ମାଷ୍ଟରମାନେ ଧୋବଲୁଗା ପିନ୍ଧି ଆଦେଶ ଦେଉଥାନ୍ତି ଓ ବୋଲ ବତାଉଥାନ୍ତି, ପ୍ରସାରକର୍ମୀ ସେହିପରି ମାଷ୍ଟର ହୋଇ ରହିବାକୁ ପସନ୍ଦ କଲେ ପ୍ରସାରକାର୍ଯ୍ୟ ଫସରଫାଟିଯିବ । କାରଣ ତାହାରିଠାରୁ ଆଦର୍ଶ ଦେଖି ଗାଆଁଲୋକେ ମଧ୍ୟ ସମସ୍ତେ ବାବୁହୋଇ ରହିବାକୁ ମନ ବଳାଇବେ ଓ ଅନ୍ୟକୁ କେବଳ ଉପାୟ ବତାଇଦେବାକୁ ଚାହିବେ । ଭାରତବର୍ଷର କୌଣସି ଏକ ସ୍ଥାନରେ ଥରେ ଗାଆଁରେ ଶ୍ରମଦାନ ଜରିଆରେ ରାସ୍ତା ତିଆରି ହେଉଥିଲା । ପ୍ରାୟ ହଜାରଜଣ ସରିକି ପୁରୁଷ ସ୍ତ୍ରୀ ଏହି କାମରେ ଲାଗିଥାନ୍ତି । ଧୋବ ଲୁଗା ପିନ୍ଧିଥିବା ଗ୍ରାମସେବକ ବାବୁ କାଖତଳେ ଆପଣାର ଟିପାଖାତାକୁ ଯାକିରଖି ଶ୍ରମରତ ଲୋକମାନଙ୍କର ପର୍ଯ୍ୟବେକ୍ଷଣ କରୁଥାନ୍ତି । ବାହାରୁ ପରିଦର୍ଶନ କରି ଆସିଥିବା ସରକାରୀ ପ୍ରଶାସକ ତାଙ୍କୁ ଯାଇ ପଚାରିଲେ, ‘‘ଆପଣ କିଏ-?’’ ତାଙ୍କଠାରୁ ଉତ୍ତର ମିଳିଲା, ‘‘ଆଜ୍ଞା, ମୁଁ ହେଉଚି ଆପଣଙ୍କର ପ୍ରସାରକର୍ମୀ, ଆପଣଙ୍କର ଗ୍ରାମସେବକ !’’ ‘‘ଏଠି ବର୍ତ୍ତମାନ ତୁମେ କେଉଁପ୍ରକାରର ପ୍ରସାରକାର୍ଯ୍ୟ କରୁଚ ?’’ ପୁଣି ପ୍ରଶ୍ନ ହେଲା । ପ୍ରସାରକର୍ମୀ ଉତ୍ତର ଦେଲେ, ‘‘ଆଜ୍ଞା, ମୁଁ ଲୋକମାନଙ୍କୁ ଉତ୍ସାହ ଦେଉଚି !’’ (ପୁସ୍ତକ ଟିପ୍ପଣୀ–୧୦, ପୃଷ୍ଠା–୨୦୨)

 

ପୁସ୍ତକ ଟିପ୍ପଣୀ

 

୧.

B. Mukherjee : Community Development in India-Orient Longmans, Calcutta, 1962, ପୃଷ୍ଠା–୩

୨.

Paul Hoffman : World Without Want- Harper and Row, New York, 1962

୩.

Quoted in Murray G. Ross : Community Organization-Harper and Brothers, New York, 1955, ପୃଷ୍ଠା–୭୪

୪.

American Reporter (ପାକ୍ଷିକ).

 

United States Informantion Service, New Delhi, February 2, 1966

୫.

Community Development and Economic Development [E/CN. 11/540]

 

United Nations, Bangkok, 1960, ପୃଷ୍ଠା–୬୮–୭୦

୬.

Community Development, A Handbook- His Majesty’s Stationery Office, London, 1960, ପୃଷ୍ଠା–୧୯–୨୦

୭.

H. Belshaw Quoted in Ramavatar Lal : Community Development- Bookland Private Ltd., Calcutta, 1963, ପୃଷ୍ଠା–୩

୮.

An Evaluation of Health and Sanitation in Egyptian Villages-

 

Journal of the Egyptian Public Health Association, Vol.27, Nov.3, 1952

୯.

Royal Commision on Agriculture in India (Abridged Report)- The Government Central Press, Bombay, 1928

୧୦.

T. R. Batten : Communities and their Development-Oxford University Press, London, 1957, ପୃଷ୍ଠା–୩

୧୧.

Community Development : The British Contribution- His Majesty’s Stationery Office, London, 1962, ପୃଷ୍ଠା–୩-୫

୧୨.

Edmund des. Brunner and Wilbur C. Hallenbeck American Society, Urban and Rural Patterns- Harper and Brothers, New York, 1955, Chapter 22.

୧୩.

Social Progress through Community Development [ST/SOA/26]- United Nations, New York, 1955, ପୃଷ୍ଠା–୮

୧୪.

Programme of Concerted Action in the Social Field of the United Nations and Specialized Agencies- [E/CN. 5/291]

୧୫.

Irwin T. Sanders : The Community, an Indroduction to a Social System- The Ronald Press Company, New York, 1958, ପୃଷ୍ଠା–୪୦୯

୧୬.

Lowry Nelson, Charles E. Ramsey and Coolie Verner : Community Structure and Change-The Macmillan Company, New York, 1960, ପୃଷ୍ଠା– ୩୦, ୪୦୩

୧୭.

Louis M. Miriclier Economic Development and Community Development-in Community Development Review, Department of State Agency for International Development, Washington, March, 1963, ପୃଷ୍ଠା–୨୮

୧୮.

Richard V. Bernhart : Community Development, in Community Development Review; C.D. Division, Office of the Public Services, International Co-operation Administration, Washington, Jun, 1960.

୧୯.

E.F. Schumacher : Roots of Economic Growth- The Gandhian Institute of Studies, Varanasi, 1962, ପୃଷ୍ଠା–୩୨, ୪୫

୨୦.

Ursula K. Hicks : Development from Below-The Clarendon Press, 1961, Chapter 21.

୨୧.

A Guide to Community Development

 

(Revised)-Government of India, Calcutta, 1962, ପୃଷ୍ଠା–୧୫

୨୨.

Gaon Sathi Experiment in Extension- O. U. Press, London, 1956, ପ୍ରଥମ ଅଧ୍ୟାୟ ।

୨୩.

B. Rudramoorthy : Extension in Planned Social Change-Allied Publishers Private Ltd., Bombay, 1964, ପୃଷ୍ଠା–୬

୨୪.

Anibal Buitron : C.D. in theory and Practice in Community Development Review, September, 1961 (ପୁସ୍ତକ ଟିପ୍ପଣୀ–୧୮)

୨୫.

Margaret Read : Education and Social Change in Tropical Areas-Thomas Nelson and Sons, London 1955, ପୃଷ୍ଠା–୭

୨୬.

Arthur T. Masher : Getting the Extension Process Started in a Young Extension Service in Community Development Review, (ପୁସ୍ତକ ଟିପ୍ପଣୀ–୧୮), December, 1955

୨୭.

J.B. Chitambar in ‘Extension Education in Community Development’- Directorate of Extension, Government of India, 1961, ପୃଷ୍ଠା–୧୬

୨୮.

Essentials of Rural Welfare- FAO, Rome, 1958, ପୃଷ୍ଠା–୧୬-୨, ୮

Image

 

ଷଷ୍ଠ ଅଧ୍ୟାୟ

ଅନ୍ୟାନ୍ୟ ଦେଶରେ ସାମୁଦାୟିକ ବିକାଶ ଯୋଜନା

 

ସାମୁଦାୟିକ ବିକାଶ-ଯୋଜନା ବୀଜଗଣିତର କୌଣସି ଏକ ଫର୍ମୁଲା ନୁହେଁ ଯେ ଆମେ ଏହାକୁ କୌଣସି ସ୍ଲେଟ୍ ବା କଳାପଟା ଉପରେ ଲେଖିରଖି ତାହାରି ସାହାଯ୍ୟରେ ସବୁ ଅଙ୍କ କଷିଦେଇପାରିବା । ଲୋକପ୍ରବାଦ ରହିଚି ଯେ ଯେଡ଼େ ଅପବିତ୍ର ଥାନରେ ଟିକିଏମାତ୍ର ଗଙ୍ଗାଜଳ ନେଇ ସିଞ୍ଚିଦେଲେ ସେଠାରୁ ସକଳପ୍ରକାର ଅପବିତ୍ରତା ଦୂର ହୋଇଯାଏ ଏବଂ କେବଳ ପବିତ୍ରତା ହିଁ ବିରାଜମାନ କରେ । ଅନେକ ଲୋକଙ୍କର ବିଶ୍ୱାସ ଅନୁସାରେ ଜଣେଜଣେ ଗୁଣୀ ମଣିଷଙ୍କ ପାଖରେ ଏପରି ଅମୋଘ ଓ ଅକାଟ୍ୟ ମନ୍ତ୍ରମାନ ରହିଚି, ଯାହାକୁ କି ସ୍ଥାନ, କାଳ ଓ ପାତ୍ର ନିର୍ବିଶେଷରେ ପଢ଼ିଦେବା ମାତ୍ରକେ ଉଦ୍ଦେଶ୍ୟସାଧନରେ ଆଉ କୌଣସି ବାଧା ରହିବନାହିଁ । ଗଙ୍ଗାଜଳ ବା ମନ୍ତ୍ରର ହୁଏତ ଅଲୌକିକ ଶକ୍ତି ଥାଇପାରେ, କିନ୍ତୁ ସାମୁଦାୟିକ ବିକାଶ ଯୋଜନାକୁ ଆମେ ଗଙ୍ଗାଜଳ ବା ମନ୍ତ୍ରପରି ଆଦୌ କଳ୍ପନା କରିପାରିବାନାହିଁ ବା ଗଙ୍ଗାଜଳ ଓ ମନ୍ତ୍ରପରି ବ୍ୟବହାର ମଧ୍ୟ କରିପାରିବା ନାହିଁ । ମଣିଷକୁ ନେଇ ହିଁ ସମୁଦାୟ ଗଢ଼ାହୋଇଚି, ତେଣୁ ସେହି ମଣିଷକୁ ନେଇ ହିଁ ସାମୁଦାୟିକ ବିକାଶ ଆଗକୁ ବଢ଼ିପାରିବ; ମଣିଷ ଯେତିକି ତିଆରି ହୋଇପାରିବ, ଆପଣାର ସାମୁଦାୟିକ ଜୀବନର ବିକାଶଲାଗି ସିଏ ସେତିକି ସୁସ୍ଥ ଓ ସୁଯୋଜିତ ଭାବରେ ଅଗ୍ରସର ହୋଇପାରିବ, ଏହାହିଁ ପନ୍ଥା ।

 

ମଣିଷ ମଠ ହେଲେ ତା’ର ସାମୁଦାୟିକ ବିକାଶ ମଧ୍ୟ ମଠ ହେବ; ମଣିଷ ଗୋଡ଼ କାଢ଼ି ବିକାଶର ବାଟରେ ବାହାରିଲେ ବିକାଶ ମଧ୍ୟ ଖରତର ହୋଇପାରିବ । କିନ୍ତୁ ମଣିଷ କହିଲେ ଆମେ ଶୂନ୍ୟରୁ ଖସି ପଡ଼ିଥିବା କୌଣସି ଜୀବକୁ ମଧ୍ୟ ବୁଝିବାନାହିଁ । ସଂସାରରେ ସବୁଠି ମଣିଷ ଏକ ସାମାଜିକ ଭୂମିଉପରେ ପ୍ରତିପାଳିତ ହୋଇ ରହିଚି । ତା’ର ସମାଜର ବିଶେଷ ପରମ୍ପରା ଓ ବିଶେଷ ଚଳଣୀ ଓ ଚାହାଣୀଗୁଡ଼ିକରେ ତା’ର ଜୀବନଦୃଷ୍ଟି କୁଆହୋଇ ରହିଚି । ସେ ଅଳପକରେ ସନ୍ତୁଷ୍ଟ ହୋଇଯାଉଚି ନା ଜୀବନରେ ଅଧିକରୁ ଅଧିକ ଆକାଙ୍‌କ୍ଷା କରିବାକୁ ମନ ବଳାଉଚି; ସେ ଯେତିକି ପାଉଚି, ଅଣ୍ଟି ଦେଖାଇ ତାହାକୁ ହିଁ ଭାଗ୍ୟ ବୋଲି ଗ୍ରହଣ କରିନେଉଚି ନା ଆପଣାର ଭାଗ୍ୟକୁ ସେ ଅନେକ ପରିମାଣରେ ଆପେ ଗଢ଼ିପାରିବାର ବିଶ୍ୱାସ ନେଇ ଜୀବନରେ ଅଗ୍ରସର ହେଉଚି,- ଏସବୁ କୌଣସି ଭଗବାନ୍ ବା ଅଦୃଶ୍ୟ ସତ୍ତାର ନିର୍ଦ୍ଦେଶ ବା ଖିଆଲ ଅନୁସାରେ ହୁଏନାହିଁ, ମଣିଷ ବାସ କରୁଥିବା ବିଶେଷ ସାମାଜିକ ଓ ଦୃଷ୍ଟିଗତ ଭୂମି ଅନୁସାରେ ଏହି ବିଭିନ୍ନତା ଦେଖିବାକୁ ମିଳେ । ଏଥିଲାଗି ସବୁ ମଣିଷ ସମୁଦାୟ ସମତାଳରେ ଗତି କରିପାରନ୍ତି ନାହିଁ । ସବୁ ସମାଜ ସମାନ ବାଟରେ ଯାଆନ୍ତି ନାହିଁ, କାରଣ ସବୁ ସମାଜର ଆର୍ଥିକ, ସାମାଜିକ, ରାଜନୀତିକ ତଥା ମନୋବୈଜ୍ଞାନିକ ଭୂମି କଦାପି ସମାନ ନଥାଏ; ସବୁ ସମାଜ ଆପଣାକୁ ଶିକ୍ଷା ଓ ନୂତନ ଆଗ୍ରହର ପ୍ରଭାବରେ ସମାନ ଭାବରେ ପ୍ରଭାବିତ ହେବାକୁ ଦିଅନ୍ତି ନାହିଁ ।

 

କୌଣସି ବିଶେଷ ସୂତ୍ରର ଅନୁସରଣ କରି ପ୍ରତ୍ୟେକ ଦେଶର ସାମୁଦାୟିକ ବିକାଶ ହୋଇନାହିଁ । ଯେକୌଣସି ଦେଶର ବିଶେଷ ସାମାଜିକ ଓ ମନୋବୈଜ୍ଞାନିକ ଜଳବାୟୁ ଅନୁସାରେ ସେହି ଦେଶରେ ବିକାଶର ପରିଧି ନିରୂପିତ ହୋଇଚି । ବିଭିନ୍ନ ଦେଶ ବିଭିନ୍ନ ପ୍ରକାର ନେତୃତ୍ୱ ଦ୍ୱାରା ପରିଚାଳିତ ହୋଇଚି, ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆର୍ଥିକ ଓ ରାଜନୀତିକ ଛାଞ୍ଚ ଅନୁସାରେ ସାମୂହିକ ଜୀବନର ନିୟନ୍ତ୍ରଣ ହେଉଚି । ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ଯାଇ ସାମୁଦାୟିକ ବିକାଶର ବିଚାର କରାଯାଇଚି । ତେଣୁ ବିକାଶର ମାର୍ଗ ଓ ବିକାଶର ରୀତିରେ ବିଭିନ୍ନତା ରହିବା ଅତ୍ୟନ୍ତ ସ୍ୱାଭାବିକ । କେଉଁ ଦେଶର ଜାତୀୟ ଓ ସାମାଜିକ ଜୀବନରେ ସାମୁଦାୟିକ ବିକାଶକୁ କେତେଦୂର ଗୁରୁତ୍ୱ ବା ପ୍ରାଧାନ୍ୟ ଦିଆଯାଇଚି, ସେଥିରେ ମଧ୍ୟ ଦେଶ ଦେଶ ମଧ୍ୟରେ ବିଭିନ୍ନତା ରହିବା ସ୍ୱାଭାବିକ । ତେଣୁ ଗୋଟିଏ ଦେଶରେ ଅନୁସୃତ ହେଉଥିବା ସାମୁଦାୟିକ ଯୋଜନାକୁ ଆଉ ଗୋଟିଏ ଦେଶ ଅବିକଳ ନକଲ କରିନେବାର ପ୍ରଶ୍ନ ହିଁ ଉଠୁନାହିଁ । ତଥାପି ଅନ୍ୟଦେଶରେ ସରକାର ଓ ଜନସାଧାରଣ ପରସ୍ପର ସହିତ ସହଯୋଗ କରି ଆପଣା ସାମୁଦାୟିକ ବିକାଶ ଲାଗି ଯେଉଁଭଳି ଚେଷ୍ଟାମାନ କରୁଚନ୍ତି, ତଦ୍ଦ୍ୱାରା ଆମଦେଶରେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାଲାଗି ଆମକୁ ଯେ କେବଳ ପ୍ରେରଣା ମିଳିବ, ତାହା ନୁହେଁ, ଆମର କାର୍ଯ୍ୟରେ ଆମେ ଅନେକ ଅନ୍ତର୍ଦୃଷ୍ଟି ମଧ୍ୟ ଲାଭ କରିପାରିବା । ଅନ୍ୟମାନଙ୍କର ଭୁଲରୁ ଶିଖି ଆମେ ଆପଣା ଭୁଲକୁ ଏଡ଼ିବାଲାଗି ଅନେକ ସାହାଯ୍ୟ ପାଇବା, ଅନ୍ୟମାନଙ୍କର ସଫଳତା ମଧ୍ୟ ଆମକୁ ଆମର ଯୋଜନାଯାତ୍ରା ଓ ପରିବର୍ତ୍ତନ କ୍ରମରେ ସଫଳ ଭାବରେ ଯାଇପାରିବା ଲାଗି ଅନେକ ବାଟ ବତାଇଦେବ । ସବୁଠୁଁ ବଡ଼କଥା ହେଉଚି ଯେ ସଂସାରର ଏତେଗୁଡ଼ିଏ ଦେଶରେ କୋଟି କୋଟି ମଣିଷ ଆପଣାର ଭାଗ୍ୟକୁ ଆପେ ତିଆରି କରିବାର ବିଶ୍ୱାସ ନେଇ ସମ୍ମିଳିତ ଉଦ୍ୟମମାନ କରୁଚନ୍ତି, ତେଣୁ ଆମ ଦେଶରେ ଆମର ଉଦ୍ୟମରେ ଆମେ ନିଜକୁ କଦାପି ଏକାକୀ ବୋଲି ଭାବିବା ନାହିଁ, ସମଗ୍ର ମନୁଷ୍ୟ ସମୁଦାୟର କର୍ମପ୍ରେରଣାର ସ୍ରୋତରୁ ଆମେ ନିଜକୁ କୌଣସିପ୍ରକାରେ ବିଚ୍ଛିନ୍ନ ବୋଲି ମନେ କରିବାନାହିଁ, ଏହି ଭାବନା ଆମକୁ ଅନେକ ଦମ୍ଭ ଦେଇଯିବ ।

 

‘ପ୍ରସାରକାର୍ଯ୍ୟ’ ଶବ୍ଦଟି ଆଜିକାଲି ଯେଉଁ ବିଶେଷ ଅର୍ଥରେ ବ୍ୟବହୃତ ହେଉଚି, ସମ୍ଭବତଃ ଆମେରିକା ଦେଶରେ ହିଁ ତାହା ପ୍ରଥମକରି ସେହି ଅର୍ଥରେ ବ୍ୟବହୃତ ହୋଇଥିଲା । ପ୍ରସାରକାର୍ଯ୍ୟ କହିଲେ ସାମୁଦାୟିକ ବିକାଶରେ ଆଜିକାଲି ପ୍ରଧାନତଃ ଯାହା ବୁଝାଉଚି, ଅନେକବର୍ଷ ପୂର୍ବେ ଆମେରିକାରେ ସେହି ଦୃଷ୍ଟିରୁ ଚିନ୍ତା କରାଯାଇ ଥିବାର ସୂଚନା ମଧ୍ୟ ମିଳୁଚି । କଥିତ ଅଛି, ସ୍ୱାଧୀନ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ଓ୍ୱାଶିଙ୍ଗଟନ୍ ବିଧାୟକ-ସଭାରେ ପ୍ରଦତ୍ତ ତାଙ୍କର ପ୍ରଥମ ଭାଷଣରେ ଏକ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାଲାଗି ଉଦ୍‌ବୋଧନ ଦେଇଥିଲେ । ତାହା ଦେଢ଼ଶହରୁ ଅଧିକ ବର୍ଷ ତଳର କଥା । ସେ ପ୍ରସ୍ତାବ ଦେଇଥିଲେ ଯେ ଜାତୀୟ ବିଶ୍ୱବିଦ୍ୟାଳୟରେ କୃଷି-ଅଧ୍ୟାପନା ଓ କୃଷି-ଅନୁସନ୍ଧାନ ଲାଗି ଏକ ବିଶେଷ ବିଭାଗ ରହିବ, ଯେଉଁ ବିଭାଗ ଜରିଆରେ କି କୃଷକମାନଙ୍କୁ କୃଷିସମ୍ବନ୍ଧୀୟ ନୂତନ ଜ୍ଞାନ ଓ ପ୍ରଣାଳୀମାନ ଯୋଗାଇ ଦିଆଯାଇ ପାରିବ । ସମ୍ଭବତଃ ଏହି ଉଦ୍‌ବୋଧନରୁ ପ୍ରେରଣା ନେଇ ୧୭୮୫ ଖ୍ରୀଷ୍ଟାବ୍ଦରେ ଆମେରିକାର ଫିଲାଡ଼େଲ୍‌ଫିଆ ସହରରେ କୃଷିର ଉନ୍ନୟନ ଉଦ୍ଦେଶ୍ୟରେ ଗୋଟିଏ ସମିତିର ସ୍ଥାପନା ହୋଇଥିଲା ଏବଂ ଗ୍ରାମାଞ୍ଚଳରେ ବାସ କରୁଥିବା କୃଷକମାନଙ୍କ ଲାଗି ଆବଶ୍ୟକ କୃଷି-ସମ୍ବନ୍ଧୀ ଜ୍ଞାନକୁ ପ୍ରସାରିତ କରିଦେବା ଏହି ସମିତିର ସର୍ବପ୍ରଧାନ କାର୍ଯ୍ୟରୂପେ ରଖାଯାଇଥିଲା-। ସେତେବେଳେ ପୃଥିବୀର ଅନ୍ୟ କୌଣସି ଦେଶରେ ଏହିଦିଗରେ କୌଣସି ଚିନ୍ତା ହିଁ କରାଯାଇ ନଥିଲା । ସେତେବେଳେ ଇଉରୋପରେ ଏକାଧିକ ବିଶ୍ୱବିଦ୍ୟାଳୟ ରହିଥିଲେ ସତ, ମାତ୍ର ସେଗୁଡ଼ିକ ଯେଉଁ ବିଶ୍ୱପରିଧି ପରି ପ୍ରତିନିଧିତ୍ୱ କରୁଥିଲେ, ତାହାଭିତରେ କୃଷି, କୃଷକ ବା ଗ୍ରାମାଞ୍ଚଳଲାଗି କୌଣସି ସ୍ଥାନ ହିଁ ନଥିଲା । ସେତେବେଳେ ଇଉରୋପର ଗୋଟାଏ ଦୁଇଟା ଦେଶରେ ହୁଏତ ପାର୍ଲିଆମେଣ୍ଟ ଶାସନ ଚାଲୁଥିଲା, କିନ୍ତୁ ଇଉରୋପର ଏ କଣରୁ ସେ କଣଯାଏ ପ୍ରଧାନତଃ ସାମନ୍ତବାଦ ଓ ତାହାର ଆନୁସଙ୍ଗିକ ଏକ ଅନୁରୂପ ଜଳବାୟୁ ମଧ୍ୟ ସାମାଜିକ ଜୀବନକୁ ଗୋଟାସୁଦ୍ଧା ଗ୍ରାସ କରି ରହିଥିଲା । ଏହି ଜଳବାୟୁ ମଧ୍ୟରେ ସାଧାରଣ ମଣିଷ ଓ ତାହାର ବିକାଶ କୌଣସି ଉଲ୍ଲେଖନୀୟ ସ୍ଥାନ ହିଁ ନଥିଲା ।

 

କୃଷିପ୍ରସାର-କ୍ଷେତ୍ରରେ ଆମେରିକାର ଅଗ୍ରଣୀ ହିସାବରେ ନାମ ରହିଲା ସତ ମାତ୍ର ସମାଜ–ବିକାଶର ସେହି ପ୍ରଥମ ଯୁଗରେ ସେଠି କୃଷକର ଅବସ୍ଥା କୌଣସି ପ୍ରକାରେ ଉନ୍ନତ ଥିଲାବୋଲି ଆଦୌ କୁହାଯାଇ ପାରିବନାହିଁ । ସେଠାରେ ମଧ୍ୟ ଆପଣା ଭାଗ୍ୟରେ ପରିବର୍ତ୍ତନ ଆଣିବାଲାଗି କୃଷକକୁ ସମ୍ମିଳିତ ଭାବରେ ଜାଗୃତ ହେବାକୁ ପଡ଼ିଥିଲା, ପ୍ରୟାସ କରିବାକୁ ପଡ଼ିଥିଲା ଓ ପ୍ରତିଷ୍ଠିତ ସତ୍ତାର ଶିବିର ଗୁଡ଼ିକର ଅସନ୍ତୋଷ-ବିଧାନ କରି ମଧ୍ୟ ଆପଣାର ଦାବୀଗୁଡ଼ିକୁ ଉପସ୍ଥାପିତ କରିବାକୁ ପଡ଼ିଥିଲା । ଏହାରି ଇତିହାସ ହେଉଚି ଆମେରିକାର ଉନ୍ନତିଶୀଳ କୃଷି–ଶିକ୍ଷାନୁଷ୍ଠାନ ଲାଣ୍ଡ୍‍ଗ୍ରାଣ୍ଡ୍ କଲେଜ (Land Grant College) ଗୁଡ଼ିକର ଇତିହାସ । କୃଷକ ସମୁଦାୟ ସଚେତ ହୋଇପାରିଲେ ଜାତୀୟ ନିର୍ମାଣରେ ସମୂହ ପ୍ରଚେଷ୍ଟା ମଧ୍ୟରେ ତାକୁ ମଧ୍ୟ କିପରି ସ୍ଥାନୀୟ ସ୍ୱୀକୃତି ମିଳିପାରିବ, ଏହା ହେଉଚି ତାହାରି ଇତିହାସ । କୃଷକର ଜୀବନୋନ୍ନୟନ ଲାଗି ତ କଲେଜ ବସିବା ଦୂରର କଥା, ସେତେବେଳେ ଗ୍ରାମାଞ୍ଚଳର ଆବଶ୍ୟକତା ପୂରଣ କରିପାରିବା ଭଳି ଯଥେଷ୍ଟ ସଂଖ୍ୟାରେ ସାଧାରଣ ପ୍ରାଥମିକ ସ୍କୁଲ ବି ନଥିଲା । ଔପନିବେଶିକ ଯୁଗରେ ଓ ଜାତୀୟ ସ୍ୱାଧୀନତା ହାସଲ ହେବାପରେ ପ୍ରଥମ ଯୁଗରେ ସାଧାରଣତଃ ଘରୋଇ ସ୍କୁଲମାନ ଚଳୁଥିଲା । ପଇସାବାଲା ଲୋକମାନେ ଆପଣା ପିଲାଙ୍କର ପାଠପଢ଼ିବା ସକାଶେ ନିଜଖର୍ଚ୍ଚରେ ଘରୋଇ ସ୍କୁଲମାନ ବସାଉଥିଲେ । ତେଣୁ ଏଥିରେ ପ୍ରବେଶ କରିବାର ସୌଭାଗ୍ୟ ସମସ୍ତଙ୍କର କପାଳରେ ଜୁଟୁନଥିଲା । କେବଳ ଥିଲାଘରମାନେ ଏହାଦ୍ୱାରା ଉପକୃତ ହେଉଥିଲେ । ଟ୍ରେନିଂ ସ୍କୁଲଗୁଡ଼ିକର ସ୍ଥିତି ମଧ୍ୟ ତଦ୍ରୂପ ଥିଲା । ଭବିଷ୍ୟତରେ ପାଦ୍ରୀ ହେବାକୁ ହେଲେ ଯେଉଁସବୁ ଶିକ୍ଷା ଦରକାର, ଟ୍ରେନିଂସ୍କୁଲରେ କେବଳ ସେହିସବୁଥିରେ ତାଲୀମ ଦିଆଯାଉଥିଲା । ପରେ ଆଇନଶାସ୍ତ୍ର ଓ ଚିକିତ୍ସା ବିଜ୍ଞାନର ଅଧ୍ୟାପନା ଆରମ୍ଭ ହୋଇଥିଲା । କିନ୍ତୁ କୃଷିକାର୍ଯ୍ୟ ଓ କୃଷକର ସଂସାରରେ ଉନ୍ନତିବିଧାନ କରିବାଲାଗି ଯେଉଁଭଳି ଶିକ୍ଷା ଦରକାର, ଏସବୁଲାଗି ଟ୍ରେନିଂସ୍କୁଲରେ କୌଣସି ସ୍ଥାନ ନଥିଲା । ପ୍ରଧାନତଃ ଅନୌପଚାରିକ ଭାବରେ ପୁରୁଷାନୁକ୍ରମେ ପରିବାର ମଧ୍ୟରେ ହିଁ ଏହି ସମ୍ବନ୍ଧୀୟ ଯାବତୀୟ ଶିକ୍ଷାଦାନ ସୀମାବଦ୍ଧ ହୋଇ ରହିଥିଲା ।

 

ଗ୍ରାମାଞ୍ଚଳରେ ଯେଉଁମାନଙ୍କ ପାଖରେ ଅଧିକ ଜମି ଥିଲା ଓ ଯେଉଁମାନଙ୍କୁ ଥିଲାବାଲା ବୋଲି କୁହାଯାଉଥିଲା, ସେମାନେ ଗ୍ରାମାଞ୍ଚଳର ଲୋକସାଧାରଣଙ୍କ ମଧ୍ୟରେ ସକଳପ୍ରକାର ଶିକ୍ଷାପ୍ରସାର କାର୍ଯ୍ୟକୁ ପ୍ରଧାନତଃ ଆଶଙ୍କାପୂର୍ଣ୍ଣ ଚକ୍ଷୁରେ ହିଁ ଦେଖୁଥିଲେ । ଏହାର କାରଣ ଅତି ସ୍ପଷ୍ଟ । ସେମାନେ ଭୟ କରୁଥିଲେ ଯେ ଗାଆଁଲୋକେ ପାଠ ପଢ଼ିଲେ ଗାଆଁର ଜୀବନବ୍ୟବସ୍ଥା ଭାଙ୍ଗିପଡ଼ିବ । ପାଠ ପଢ଼ିଲେ ଆଉ କେହି ଚାଷଧନ୍ଦାକୁ ମନ କରିବେ ନାହିଁ । ମୂଲିଆ ପାଠ ପଢ଼ିଲେ ମୂଲିଆ ହେବାକୁ ଇଚ୍ଛା କରିବନାହିଁ । ସହରର ନାନା ସଂକ୍ରମଣ ଆସି ଗ୍ରାମଜୀବନକୁ ବାଉଳା କରିଦେବ, ଗାଆଁର ଶାନ୍ତିଭଙ୍ଗ କରିବ । କିନ୍ତୁ ପ୍ରଧାନତଃ କୃଷକ ଓ ବିଧାନସଭାରେ କୃଷକ ପ୍ରତିନିଧିଙ୍କର ଉଦ୍ୟମ ଫଳରେ ୧୮୬୨ ଖ୍ରୀଷ୍ଟାବ୍ଦରେ ମରିଲପ୍ତ୍ ଲାଣ୍ଡ୍‍ଗ୍ରାଣ୍ଡ୍ ଆଇନ ପାସ୍ ହେଲା ଓ ତାହାରି ଅନୁସାରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ କୃଷି ଓ କୃଷିସମ୍ବନ୍ଧୀ ବିଷୟଗୁଡ଼ିକୁ କେନ୍ଦ୍ରକରି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା । ପରେ ଏହି ଅନୁଷ୍ଠାନଗୁଡ଼ିକର ସଂଖ୍ୟା ଅଧିକ ବୃଦ୍ଧି ପାଇଲା । କୃଷକମାନଙ୍କଲାଗି କୃଷିଜ୍ଞାନ ଓ କୃଷିବିଜ୍ଞାନର ପ୍ରସାର କରିବା ଏଗୁଡ଼ିକର ଏକ ପ୍ରଧାନ କାର୍ଯ୍ୟକ୍ରମ ହୋଇ ରହିଲା । ଶିକ୍ଷା, ଗବେଷଣା ଓ ପ୍ରସାରକାର୍ଯ୍ୟ,–ଏହି ତ୍ରିସୂତ୍ରୀୟ ସମଗ୍ର କ୍ରମରେ ଅନୁଷ୍ଠାନଗୁଡ଼ିକ ପରିଚାଳିତ ହେଲା । କ୍ରମେ ରାଷ୍ଟ୍ରୀୟ ସରକାରଙ୍କ ତରଫରୁ କୃଷିପ୍ରସାର ଉଦ୍ଦେଶ୍ୟରେ ଆମେରିକାର ପ୍ରତ୍ୟେକ ରାଜ୍ୟକୁ ଅର୍ଥସାହାଯ୍ୟ ମିଳିବାକୁ ଆରମ୍ଭ କଲା । ବର୍ତ୍ତମାନ ମଧ୍ୟ ଆମେରିକାରେ ଏହି ଲାଣ୍ଡ୍‍ଗ୍ରାଣ୍ଡ୍ କଲେଜଗୁଡ଼ିକ କୃଷକଜୀବନର ଶକ୍ତି କେନ୍ଦ୍ର ରୂପେ କାର୍ଯ୍ୟକରି ଆସୁଚି । କୃଷକକୁ ଆମେରିକାର ଜାତୀୟ ଜୀବନରେ ଏକ ଅପରିହାର୍ଯ୍ୟ ଅଙ୍ଗରୂପେ ସ୍ୱୀକୃତି ମିଳିପାରିଚି । (୧) ୧୮୬୨ ଖ୍ରୀଷ୍ଟାବ୍ଦରେ ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍ କୃଷି-ଅନୁଷ୍ଠାନର ସ୍ଥାପନା କରିବାକୁ ଯାଉଥିବା ଲାଣ୍ଡ୍‍ଗ୍ରାଣ୍ଡ୍ ଆଇନକୁ ସରକାରୀ ସ୍ୱୀକୃତି ଦେଇଥିଲେ । ଆମେରିକାର ବିଧାନସଭାରେ ଏହି ଆଇନ୍‌ଟିର ପ୍ରବଳ ବିରୋଧ ହୋଇଥିଲା । ଅସ୍ତ ହେବାକୁ ବସୁଥିବା ଏକ ସାମାଜିକ ପରମ୍ପରାର ପ୍ରତିନିଧିତ୍ୱ କରି ବିରୋଧୀମାନେ ପ୍ରଚଣ୍ଡ ହୋଇ କହିଥିଲେ ଯେ ଆମେରିକାରେ ଧୋବଧାଉଳିଆ କୃଷକ ଦରକାର ନାହାନ୍ତି ବା ବାବୁର ପୋଷାକ ପିନ୍ଧିଥିବା କାରିଗର ଦରକାର ନାହାନ୍ତି । ପାଠ ପଢ଼ିବାର ସୁବିଧା ଦିଆଗଲେ ଚାଷୀ ଓ କାରିଗରମାନେ ଯେ କେବଳ ଧୋବଧାଉଳିଆ ବାବୁ ହୋଇ ବସିବେ, କାମ କରିବେ ନାହିଁ, ସେମାନେ ଏହିପରି ଏକ ଆଶଙ୍କା କରୁଥିଲେ । ମାତ୍ର ସେମାନଙ୍କର ଆଶଙ୍କା ମିଥ୍ୟା ବୋଲି ପ୍ରମାଣିତ ହୋଇଚି । ଆଜି ଆମେରିକାର ଚାଷୀ ପାଠ ପଢ଼ୁଚି, ଧୋବଲୁଗା ପିନ୍ଧୁଚି ସତ, କିନ୍ତୁ ଆଧୁନିକ ବିଜ୍ଞାନର ସାହାଯ୍ୟ ନେଇ ସେ ଆପଣାକୁ ପୃଥିବୀର ଏକ ସୁଦକ୍ଷ ଓ ସମ୍ମାନିତ ଚାଷୀକୁଳ ରୂପେ ପ୍ରତିଷ୍ଠିତ କରିପାରିଚି । ଯଥାର୍ଥ ଜ୍ଞାନ ଓ ଯଥାର୍ଥ ବିଦ୍ୟା କେବଳ ଧୋବଲୁଗା ପିନ୍ଧା ଶିଖାଏ ନାହିଁ, ଏହା ଆଖିକୁ ମଧ୍ୟ ଖୋଲିଦେଇଯାଏ, ଜୀବନଦୃଷ୍ଟି ଓ ଜୀବନାଗ୍ରହରେ ଅଧିକ ବାସନାର ସଞ୍ଚାର କରେ, ମଣିଷର କର୍ମଶକ୍ତିକୁ ଜାଗୃତ କରିଦେଇଥାଏ, ମଣିଷର ସଂସାର ଓ ମଣିଷର ଭାଗ୍ୟକୁ କେତେକେତେ ନୂତନ ସମ୍ଭାବନା ଓ ସ୍ୱପ୍ନ ଦ୍ୱାରା ସଚଳ କରିଦେଇଥାଏ । ଆମେରିକାର ଚାଷୀ ପାଠ ପଢ଼ି ଓ ଆଧୁନିକ ବିଜ୍ଞାନର ସାହାଯ୍ୟ ଗ୍ରହଣ କରି ତାହାହିଁ ପ୍ରମାଣ କରିଦେଇଚି ।

 

ଆମେରିକାରେ ସାମୁଦାୟିକ ବିକାଶର ଇତିହାସରେ ଆଉ ଯେତେଯେତେ କାର୍ଯ୍ୟ ହୋଇଚି, ଟେନିସିନଦୀ ଉପତ୍ୟକା ଯୋଜନା (Tennessee Valley Authority) ତାହାର ଆଉଗୋଟିଏ ନିଦର୍ଶନ । ଟେନିସି ନଦୀର ଉପତ୍ୟକାକୁ ଆଗରୁ ଗୋଟିଏ ସମସ୍ୟା ବହୁଳ ଅଞ୍ଚଳ ବୋଲି କୁହାଯାଉଥିଲା । ଏଥିରେ ଅନ୍ତର୍ଗତ ଗ୍ରାମାଞ୍ଚଳମାନ ବଡ଼ ଅନୁନ୍ନତ ଅବସ୍ଥାରେ ପଡ଼ିରହିଥିଲା । ପ୍ରତ୍ୟେକବର୍ଷ ପ୍ରବଳ ବନ୍ୟା ଆସି ଜନଜୀବନକୁ ବିବ୍ୟସ୍ତ କରି ପକାଉଥିଲା । ଚାଷଜମିରୁ ବିଶେଷ କିଛି ଫଳ ଫଳୁନଥିଲା ଓ ଚାଷଜମିର ମାଟି ପ୍ରତ୍ୟେକବର୍ଷ ଧୋଇହୋଇ ଯାଉଥିଲା । ଲୋକମାନଙ୍କର ଆର୍ଥିକ ଜୀବନସ୍ତର ଅତି ନିମ୍ନରେ ରହିଥିଲା । ସେମାନଙ୍କର ସାମୁଦାୟିକ ଜୀବନରେ ସେପରି କୌଣସି ବଳିଷ୍ଠ ସଂଗଠନ ଓ କଲ୍ୟାଣ-ପ୍ରଚେଷ୍ଟା ବି ନଥିଲା । ଅନ୍ନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଏହି ଅଞ୍ଚଳର ସର୍ବପ୍ରଧାନ ସମସ୍ୟା ହୋଇ ରହିଥିଲା । ଆଧୁନିକ ଜୀବନ କହିଲେ ଯେଉଁସବୁ ସାଧନ ଓ ସୁଖ ସୁବିଧାକୁ ବୁଝାଏ-ଭଲ ବାସଗୃହ, ବିଜୁଳୀ ଆଲୁଅ, ଅବସର ବିନୋଦନ ପ୍ରଭୃତି,- ସେସବୁ ଆଦୌ ଯଥେଷ୍ଟ ନଥିଲା । ଏହି ଅଞ୍ଚଳରୁ କୌଣସି ଜିନିଷ ବାହାର ବଜାରକୁ ନେବାକୁ ବସିଲେ ଅତିରିକ୍ତ ସରବରାହ-ଖର୍ଚ୍ଚ ବହନ କରିବାକୁ ପଡ଼ୁଥିଲା ।

 

ସମଗ୍ର ନଦୀ-ଉପତ୍ୟକାଟିର ବିକାଶ କରିବା ବ୍ୟତୀତ ଏହିସବୁ ସମସ୍ୟାର ସମାଧାନ କରିବାଲାଗି ଆଉ ଅନ୍ୟ ଉପାୟ ନଥିଲା । ନଦୀଜଳରୁ ବିଦ୍ୟୁତଶକ୍ତି ଉତ୍ପନ୍ନ କରାଗଲେ ତାହା ସମଗ୍ର ଅଞ୍ଚଳରେ ବିତରିତ ହୋଇପାରିବ ଏବଂ ତା’ ସଙ୍ଗେ ସଙ୍ଗେ ବନ୍ୟା ନିୟନ୍ତ୍ରଣର ବାଟ ବି ମିଳିଯିବ, ମୃତ୍ତିକାକ୍ଷୟକୁ ଅଟକାଇବା ସମ୍ଭବ ହେବ । ଯେଉଁସବୁ ଜମିରେ କୃଷିରୁ କୌଣସି ଲାଭ ନମିଳୁଚି, ସେଗୁଡ଼ିକୁ ଜଙ୍ଗଲରେ ରୂପାନ୍ତରିତ କରି ଦିଆଯାଇ ପାରିବ । ନାନାପ୍ରକାର ନୂତନ ଯନ୍ତ୍ରଶିଳ୍ପର ପ୍ରତିଷ୍ଠା ହୋଇପାରିବ ଏବଂ ସରବରାହ ଲାଗି ନୂତନ ସାଧନ ଗୁଡ଼ିକର ପ୍ରବର୍ତ୍ତନ କରାଯାଇ ପାରିବ । ନଦୀର ସମଗ୍ର ଅବବାହିକାକୁ ଏକକ ରୂପେ ମାନି ଅର୍ଥାତ ସାତୋଟି ସଂପୃକ୍ତ ରାଜ୍ୟର ଅଞ୍ଚଳ ସକାଶେ ଏକାଠି ଗୋଟିଏ ସଘନ ଯୋଜନା ତିଆରି କରି ସେହି ଅନୁସାରେ ଅଗ୍ରସର ହୋଇପାରିଲେ ଲକ୍ଷ ଲକ୍ଷ ଲୋକଙ୍କର ଭାଗ୍ୟ ଓ ଭବିଷ୍ୟତର ପ୍ରଭୂତ ଉନ୍ନତି ସାଧନ ସମ୍ଭବ ହୋଇପାରିବ । ଏହିପରି ଏକ ଅନୁମାନ ଉପରେ ହିଁ ଟେନିସିନଦୀ ଉପତ୍ୟକାର ବିକାଶଯୋଜନା କାର୍ଯ୍ୟକାରୀ ହୋଇଥିଲା ।

 

୧୯୩୫ ମସିହାରେ ସରକାରୀ ସ୍ୱୀକୃତି ଦ୍ୱାରା ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ଟେନିସି ନଦୀର ଜଳକୁ ଆୟତ୍ତରେ ରଖିବା ଏହି ଯୋଜନାର ସର୍ବମୁଖ୍ୟ କାର୍ଯ୍ୟକ୍ରମ ଥିଲା । ତେଣୁ ପ୍ରଥମେ ଏକାଧିକ ସ୍ଥାନରେ ନୂତନ ନଦୀବନ୍ଧମାନ ତିଆରି ହେଲା ଏବଂ ସେଗୁଡ଼ିକ ଉପରେ ଶ୍ରମିକମାନଙ୍କ ଲାଗି ବସତି ବସାଗଲା । ଡୁବି ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ନୂଆ ସ୍ଥାନରେ ଆଣି ଥଇଥାନ କରିବାର ଯୋଜନା କରାଗଲା । ଏହି ନୂତନ ବସତିମାନଙ୍କରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣର ନାନା କାର୍ଯ୍ୟକ୍ରମ ରଖାଯାଇଥିଲା । ସ୍ଥାନୀୟ ଅଧିବାସୀଙ୍କର ସମ୍ପୂର୍ଣ୍ଣ ଅଧିବାସୀଙ୍କର ସମ୍ପୂର୍ଣ୍ଣ ଓ ସକ୍ରିୟ ସହଯୋଗରେ ହିଁ ଏହିସବୁ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନୂଆ ବସତିର ଜୀବନ ଚେର ଧରିବା ସଙ୍ଗେ ସଙ୍ଗେ ନୂଆ ସମସ୍ୟାମାନ ଆସି ପହଞ୍ଚିଲା । ଉତ୍ପନ୍ନ ବିଜୁଳୀଶକ୍ତିକୁ ଏହି ଅଞ୍ଚଳର କଲ୍ୟାଣଲାଗି ବ୍ୟବହାର କରାଯାଇ ପାରିବ ? ଅଞ୍ଚଳଟିରେ ଅବସ୍ଥିତ କାରଖାନା, ସଂସ୍ଥା ଓ ବାସଗୃହମାନଙ୍କୁ ବିଜୁଳୀଶକ୍ତି ବହନ କରି ନେବାଲାଗି ତାରଲାଇନ୍ ବସାଇବା ଦରକାର ହେବ । ଚାଷଜମିର ଉତ୍ପାଦନ ବଢ଼ାଇବାକୁ ହେଲେ ଚାଷୀମାନଙ୍କୁ ରାସାୟନିକ ସାର ଆଣି ଯୋଗାଇଦେବାକୁ ପଡ଼ିବ । ଏସବୁ କାର୍ଯ୍ୟର ସୁଚାରୁ ସାଧନ ଲାଗି ଗ୍ରାମବାସୀମାନଙ୍କୁ ସମବାୟ ଅନୁଷ୍ଠାନ ମାନଙ୍କରେ ସଂଘବଦ୍ଧ ହେବାକୁ ପଡ଼ିବ । ବନ୍ଧ ତିଆରି ଶେଷ ହୋଇଯିବା ପରେ ସେହି କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଶ୍ରମିକମାନେ ଯେପରି ବେକାର ହୋଇ ନପଡ଼ିବେ, ସେଥିଲାଗି ଅଞ୍ଚଳଟିରେ ନୂଆ ନୂଆ ଯନ୍ତ୍ରଶିଳ୍ପ ଖୋଲାଗଲା ଏବଂ କୃଷିସହିତ ସେଗୁଡ଼ିକୁ ସମ୍ବନ୍ଧିତ କରି ରଖାଗଲା । ଶିଳ୍ପ ଓ କୃଷି ପରସ୍ପରର ବାଧକ ଓ ଘାତକ ନ ହୋଇ ପରସ୍ପରର ପରିପୂରକ ଭାବରେ ରହିଲେ ।

 

ଏହି ଯୋଜନାଟିରୁ ଅନେକ ମୂଲ୍ୟବାନ୍ ଫଳ ମିଳିଲା । କୌଣସି ଏକ ଅଞ୍ଚଳର ପ୍ରାକୃତିକ ତଥା ମନୁଷ୍ୟସମ୍ପଦର କିପରି ଏକାଧାରରେ ସଦ୍‌ବ୍ୟବହାର କରାଯାଇ ପାରିବ, ଟେନିସି ନଦୀ ଯୋଜନା ତାହାର ଗୋଟିଏ ଚମତ୍କାର ଦୃଷ୍ଟାନ୍ତ ହୋଇ ରହିବ । ପାରସ୍ପରିକ କଲ୍ୟାଣ ଲାଗି ସାତୋଟି ବିଭିନ୍ନ ରାଜ୍ୟ ଏଥିରେ ସହଯୋଗ କରିଥିଲେ । କେତେ କେତେ ବୈଜ୍ଞାନିକ, ଇଞ୍ଜିନିଅର୍ ଏବଂ ପ୍ରଶାସକ ଏଥିରେ ଏକାଠି ହୋଇ ଆପଣା ଆପଣାର ଜ୍ଞାନ ଓ କୌଶଳକୁ ଏକାଠି କରି ସମସ୍ୟାଗୁଡ଼ିକର ସମାଧାନ କରିପାରିଲେ । ବିଶେଷଜ୍ଞ ଓ ଜନସାଧାରଣ ଉଭୟେ ପରସ୍ପରର ସହଯୋଗରେ ଗଣତାନ୍ତ୍ରିକ ଉପାୟରେ ବିକାଶଯୋଜନାଟିକୁ ନିର୍ମାଣ ଓ କାର୍ଯ୍ୟକାରୀ କରିବାରୁ ବିଭିନ୍ନ ସ୍ତରରେ କେତେବେଳେ କାର୍ଯ୍ୟ ହାସଲ କରିପାରିଲେ । ଏପରି ଏକ ବୃହତ୍ ଯୋଜନାକୁ କାର୍ଯ୍ୟକାରୀ କରିବାଦ୍ୱାରା କେବଳ କେତେଜଣଙ୍କର ବା କେତୋଟି ଶ୍ରେଣୀର ନୁହେଁ, ଅଞ୍ଚଳଟିରେ ବାସ କରୁଥିବା ସବୁ ଶ୍ରେଣୀର ସବୁ ଲୋକଙ୍କର ଉପକାର ସାଧିତ ହୋଇପାରିଲା । ଯୋଜନାଟିର ଜଣେ ଅଧ୍ୟକ୍ଷଙ୍କର ଭାଷାରେ କହିବାକୁ ଗଲେ- ଯଥାର୍ଥରେ ଗଣତାନ୍ତ୍ରିକ ଏକ କାର୍ଯ୍ୟପ୍ରଣାଳୀ ଅବଲମ୍ବନ କରି କିପରି ଆଧୁନିକ ବିଜ୍ଞାନ ଓ ଯନ୍ତ୍ରକୌଶଳର ସହାୟତା ନିଆଯାଇ ପାରିବ, ସବୁ ମଣିଷଙ୍କର କଲ୍ୟାଣସାଧନ କରାଯାଇ ପାରିବ ଏବଂ ସର୍ବୋପରି ମଣିଷ ବ୍ୟକ୍ତି ଲାଗି କିପରି ଅଧିକ ସ୍ୱାୟତ୍ତଶାସନ, ସନ୍ତୋଷ ଓ ସଫଳତା ମଧ୍ୟ ହାସଲ କରାଯାଇ ପାରିବ, ଟେନିସିନଦୀ ଉପତ୍ୟକା ଯୋଜନା ତାହାର ଏକ କାର୍ଯ୍ୟାନ୍ୱିତ ହୋଇ ରହିବ । (୨) କିପରି ଧରଣର ନେତୃତ୍ୱ ଫଳରେ ଏପରି ଏକ ସାହସିକ ଯୋଜନା ସଫଳ ହୋଇପାରିଲା ଓ ଜନସାଧାରଣଙ୍କର ଏକ ପ୍ରକୃତ ସମସ୍ୟାର ସମାଧାନ ଦେଖାଇପାରିଲା, ତାହାର ସୂଚନା ଦେଇ ସେ ଆଉ ଗୋଟିଏ ପୁସ୍ତକରେ କହିଛନ୍ତି, ‘‘ଯାବତୀୟ ଯୋଜନାରେ ସାମୁଦାୟିକ ବିକାଶର ନେତୃତ୍ୱ ଗ୍ରହଣ କରିଥିବା ବ୍ୟକ୍ତିର ବା ବ୍ୟକ୍ତିମାନଙ୍କର ଏକ ସମଗ୍ର ଓ କେନ୍ଦ୍ରୀୟ ଯୋଜନା ରହିବା ଉଚିତ ଓ ସେହି ଯୋଜନାର ଉଦ୍ଦେଶ୍ୟଟିକୁ ସଫଳ କରିବାଲାଗି ସେମାନେ ସବୁପ୍ରକାରେ ଚେଷ୍ଟା କରିବା ଉଚିତ । ସମୁଦାୟ ଭିତରେ ବାସ କରୁଥିବା ସବୁଲୋକଙ୍କ ଭିତରେ ଯେପରି ଏକ ବଳବାନ୍ ନୈତିକ ଉଦ୍ଦେଶ୍ୟ ଜାଗୃତ ହୋଇପାରିବ ଓ ସମସ୍ତଙ୍କର କଲ୍ୟାଣ ଲାଗି ଯେପରି ସେମାନେ ସମ୍ମିଳିତ ଭାବରେ ବାହାରି ପାରିବେ, ଏହାହିଁ ସମୁଦାୟ-ଜୀବନର ନେତୃତ୍ୱ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇ ରହିବା ଉଚିତ ଏବଂ ପ୍ରଧାନତଃ ଏଇଥି ଲାଗି ସେମାନଙ୍କର ସମଗ୍ର ଯୋଜନା ଉଦ୍ଦିଷ୍ଟ ହୋଇପାରିବା ଉଚିତ ।’’ (୩)

 

ଟେନିସିନଦୀ ଉପତ୍ୟକା-ଯୋଜନା କେବଳ ଗୋଟାଏ ନଦୀବନ୍ଧ ନିର୍ମାଣ କରିବାର ଯୋଜନା ନୁହେଁ, ନାନାଦୃଷ୍ଟିରୁ ଦେଖିଲେ ଏହା ଏକ ସାମୁଦାୟିକ ବିକାଶଯୋଜନା । ଆମ ଭାରତବର୍ଷରେ ତ କେତେ ନଦୀବନ୍ଧ ନିର୍ମାଣ କରିବାର ଯୋଜନା କାର୍ଯ୍ୟକାରୀ ହୋଇସାରିଚି । କିନ୍ତୁ ଏଥିଲାଗି ସରକାର ଟଙ୍କା ଯୋଗାଇଚି ଓ ଇଞ୍ଜିନିଅର୍‌ମାନେ ଏକାଠି ବସି ବନ୍ଧ ତିଆରି କରି ଦେଇଚନ୍ତି । ନଦୀବନ୍ଧ-ଅଞ୍ଚଳରେ ବାସ କରୁଥିବା ଓ ଏହି ବନ୍ଧଦ୍ୱାରା କ୍ଷତିଗ୍ରସ୍ତ ବା ଉପକୃତ ହେବାକୁ ଯାଉଥିବା ଗ୍ରାମସବୁଦାୟଗୁଡ଼ିକୁ ଏହି କାର୍ଯ୍ୟରେ କୌଣସି ପ୍ରକାରେ ସମ୍ପୃକ୍ତ କରାଯାଇନାହିଁ । ନଦୀବନ୍ଧ ଜରିଆରେ ସମଗ୍ର ଭାବରେ ଲୋକସମୁଦାୟକୁ ଉନ୍ନତିଶୀଳ ମାର୍ଗରେ ଗଢ଼ିପାରିବା ଲାଗି ହୁଏତ ଏସବୁ ଯୋଜନାରେ କେହି ମୁଣ୍ଡ ଖେଳାଇନାହାନ୍ତି । ଏହି ଯୋଜନାଗୁଡ଼ିକରେ ସମାଜବିଜ୍ଞାନ ବା ସମାଜବୈଜ୍ଞାନିକ ର କୌଣସି ପରାମର୍ଶ ନିଆଯାଇନାହିଁ । ତେଣୁ ଏସବୁଥିରେ ପଇସା ଖରଚ ହୋଇ ମୁଖ୍ୟତଃ ସିମେଣ୍ଟ, ମାଟି ଓ ପଥରରେ ଗୋଟାଏ ଗୋଟାଏ ବନ୍ଧ ଗଢ଼ି ଥୋଇ ଦିଆଯାଇଚି ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ ।

 

ବର୍ତ୍ତମାନ ମଧ୍ୟ ଆମେରିକାରେ ନାନାପ୍ରକାର କୃଷିପ୍ରସାର-କାର୍ଯ୍ୟ ଚାଲିଚି । ଏହି କାର୍ଯ୍ୟର ପ୍ରଧାନ ପ୍ରଧାନ ଉଦ୍ଦେଶ୍ୟ ହେଲା; ।।୧।। ଅଧିକ ସୁଦକ୍ଷ ଭାବରେ କୃଷିକାର୍ଯ୍ୟ କରାଇବା-।।୨।। କୃଷକର ଉପାର୍ଜନରେ ବୃଦ୍ଧିସାଧନ କରିବା, ।।୩।। କୃଷକର ଘର ଓ ସଂସାରରେ ଉନ୍ନତିବିଧାନ କରିବା, ।।୪।। ଜୀବନର ମାନ ବଢ଼ାଇବା, ।।୫।। ଆପଣାର ସମସ୍ୟାଗୁଡ଼ିକୁ ଉଚିତ୍ ପ୍ରକାରେ ବୁଝି ସେହି ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ସକାଶେ କୃଷକମାନଙ୍କୁ ଅନୁରୂପ ଶିକ୍ଷା ଦେବା, ।।୬।। ଗ୍ରାମାଞ୍ଚଳ ଅର୍ଥାତ୍ କୃଷକ ସମୁଦାୟରେ ନୂତନ ନେତୃତ୍ୱର ବିକାଶ କରାଇବା, ଏବଂ ।।୭।। ଜନସାଧାରଣଙ୍କୁ ସୁନାଗରିକ ହେବାର ତାଲୀମ ଦେବା-। ବିଜ୍ଞାନର ଅନୁସନ୍ଧାନ ଫଳରେ କୃଷି ବିଷୟରେ ଯେଉଁସବୁ ନୂତନ ପ୍ରଣାଳୀ ଉଦ୍‌ଭୂତ ହେବାରେ ଲାଗିଚି, ସେସବୁକୁ ନେଇ ଶୀଘ୍ରାତିଶୀଘ୍ର କୃଷକ ପାଖରେ ପହଞ୍ଚାଇଦେବା ଏବଂ ଯେତେଦୂର ସମ୍ଭବ ସୁବିବେଚିତ କମ୍ ଖରଚରେ ଭଲ କିସମର ଉତ୍ପାଦନ କରିପାରିବାରେ କୃଷକକୁ ସବୁପ୍ରକାରେ ସାହାଯ୍ୟ କରିବା, ପ୍ରଧାନତଃ ଏହି ଦୁଇଟି ଉଦ୍ଦେଶ୍ୟରେ ଏବେ ଆମେରିକାରେ କୃଷି ପ୍ରସାରକାର୍ଯ୍ୟ ଚାଲୁଚି । କୃଷକମାନଙ୍କ ପାଖରେ ନୂତନ ଜ୍ଞାନକୁ ନେଇ ପହଞ୍ଚାଇଦେବାରେ କାମ ସରି ଯାଉନାହିଁ । ଅଧିକନ୍ତୁ କୃଷକମାନେ ଯେପରି ଏହିସବୁ ଜ୍ଞାନର ପ୍ରୟୋଜନୀୟତାକୁ ବୁଝିପାରିବେ ଏବଂ ଆପଣାର ସ୍ଥାନୀୟ ସ୍ଥିତିରେ ସେଗୁଡ଼ିକର ପ୍ରୟୋଗ କରିବା ଲାଗି ପ୍ରବୃତ୍ତ ହେବେ, ସେଥିଲାଗି ସକଳ ଚେଷ୍ଟା କରାଯାଉଚି । (୪)

 

ସାମୁଦାୟିକ ବିକାଶ କହିଲେ ଆମର ବର୍ତ୍ତମାନ ପୃଥିବୀରେ ଯାହାସବୁ ବୁଝାଉଚି, ମୂଳରୁ ତାହା ସେପରି ନଥିଲା । ଏହି ଉଦ୍ୟମ ଯେପରି ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଖ୍ୟାତ ହୋଇ ସାରିଲାଣି, ପ୍ରଥମେ ସେପରି ହୋଇନଥିଲା । ବର୍ତ୍ତମାନ ଅର୍ଥାତ୍ ଦ୍ୱିତୀୟ ମହାଯୁଦ୍ଧ ପରେ ପୃଥିବୀର ମଣିଷ ସମୁଦାୟଗୁଡ଼ିକୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ଗଢ଼ିବାଲାଗି ଆନ୍ତର୍ଜାତିକ ସଂସ୍ଥାମାନ କାର୍ଯ୍ୟ କରିବାପରେ ସାମୁଦାୟିକ ବିକାଶ ଏକ ନୂତନ ମହତ୍ତ୍ୱ ଓ ନୂତନ ପରିଧି ଗ୍ରହଣ କରିଚି । ପ୍ରଥମେ ଏହା ଏପରି ଏଡ଼େବଡ଼ ସ୍ତରରେ ଚାଲୁନଥିଲା । ବିଭିନ୍ନ ଦେଶର ଶାସକମାନେ ପ୍ରଧାନତଃ ବଦାନ୍ୟତାପରବଶ ହୋଇ ଆପଣା ଦେଶର ଲୋକମାନଙ୍କ ଲାଗି ନାନାପ୍ରକାର କଲ୍ୟାଣକାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ସେସବୁ ଆଜିର ସାମୁଦାୟିକ ବିକାଶ ଯୋଜନା ପରି ଏତେଦୂର ବ୍ୟାପକ ନଥିଲା । କେଉଁଠି କୂଅ ଖୋଳା ହେଉଥିଲା ତ କେଉଁଠି ସଡ଼କ ତିଆରି ହେଉଥିଲା । କେଉଁଠାରେ ସାକ୍ଷରତା ଅଭିଯାନ ଚାଲୁଥିଲା ତ କେଉଁଠି ଦଳ ପୋଖରୀ ସଫା ହେଉଥିଲା । କିନ୍ତୁ ଜୀବନର ବହୁମୁଖୀ କ୍ଷେତ୍ରଗୁଡ଼ିକୁ ଏକସମୁଦାୟର ଆଧାର ଉପରେ ଏକକ ବୋଲି ଗ୍ରହଣ କରି ଏସବୁ କାର୍ଯ୍ୟକ୍ରମ ଚାଲୁନଥିଲା । ମୋଟଉପରେ କହିବାକୁଗଲେ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସମୁଦାୟର କୌଣସି ଏକ ନିର୍ଦ୍ଦିଷ୍ଟ ଅଥବା ତାତ୍କାଳିକ ଅଭାବର ପୂରଣ କରିବାଲାଗି ସେତେବେଳେ କାର୍ଯ୍ୟ କରାଯାଉଥିଲା । ଗୋଷ୍ଠୀର ଗୋଟିଏ ସମସ୍ୟା ଯେ ଆହୁରି ଅନେକଗୁଡ଼ିଏ ସମସ୍ୟାସହିତ ଛନ୍ଦାଛନ୍ଦି ହୋଇ ରହିଚି ଏବଂ ସେଥିଲାଗି ଯେକୌଣସି ସମସ୍ୟାର ନିରାକରଣ କରିବାକୁ ହେଲେ ଆମକୁ ଯେ ସମଗ୍ର ସମାଜର ଯାବତୀୟ ସମସ୍ୟାଗୁଡ଼ିକ ବିଷୟରେ ଏକ ସମଗ୍ର ପ୍ରତିବିଧାନ ଚେଷ୍ଟା କରିବାକୁ ପଡ଼ିବ ସେତେବେଳେ ଏକଥା ଉପରେ ଗୁରୁତ୍ୱ ଦିଆଯାଉନଥିଲା ।

 

ଗ୍ରାମାଞ୍ଚଳର କୃଷିସମସ୍ୟା କେବଳ ଏକ କୃଷିଗତ ସମସ୍ୟା ନୁହେଁ, ଶିକ୍ଷା ବା ସ୍ୱାସ୍ଥ୍ୟର ସମସ୍ୟା କେବଳ ଶିକ୍ଷାଗତ ବା ସ୍ୱାସ୍ଥ୍ୟଗତ ନୁହେଁ, ଏହିକଥା ହୃଦୟଙ୍ଗମ କରି ପ୍ରଧାନତଃ ସାମୁଦାୟିକ ବିକାଶ ଯୋଜନାର ଉଦ୍‌ଭବ ହୋଇଚି । କୃଷିକୁ ବଦଳାଇବାକୁ ହେଲେ ସମାଜକୁ ଅର୍ଥାତ ସମାଜରେ ବାସକରୁଥିବା କୃଷିରତ ମଣିଷମାନଙ୍କର ଦୃଷ୍ଟିକୋଣକୁ ବଦଳାଇବାକୁ ହେବ । ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଦୁଃସ୍ଥିତିକୁ ବଦଳାଇବାକୁ ହେଲେ ମଧ୍ୟ ସମାଜରେ ବାସ କରୁଥିବା ମଣିଷର ଦୃଷ୍ଟି ଓ ଆଗ୍ରହକୁ ବଦଳାଇବାକୁ ହେବ-ଏହି ସତ୍ୟର ମହତ୍ୱ ବୁଝିବା ସଙ୍ଗେ ସଙ୍ଗେ ବିଭିନ୍ନ ଦେଶରେ ସାମୁଦାୟିକ ବିକାଶ-ଯୋଜନାର କଳ୍ପନା କରାଯାଇଚି । ଦୃଷ୍ଟି ଓ ଆଗ୍ରହକୁ ତ ଆମେ ବାଡ଼େଇପିଟି ବଦଳାଇ ପାରିବାନାହିଁ, କେବଳ ଯଥାର୍ଥ ଶିକ୍ଷାଦ୍ୱାରା ହିଁ ବଦଳାଇ ପାରିବା । ଶିକ୍ଷା କହିଲେ ଏଠି କେବଳ ସ୍କୁଲଘରେ ଚାରିକାନ୍ଥର ଆଖିତଳେ ଚାଲୁଥିବା ମାଷ୍ଟର-ଛାତ୍ର-ଉପାଖ୍ୟାନକୁ ବୁଝାଉନାହିଁ-ସମଗ୍ର ଜୀବନର ଶିକ୍ଷାକୁ ବୁଝାଉଚି । ଏହି ଶିକ୍ଷା ଜୀବନପରି ବ୍ୟାପକ ହେବ, ମଣିଷଜୀବନର ଯାବତୀୟ କ୍ଷେତ୍ରରେ ସେ ସାମନା କରୁଥିବା ବିଭିନ୍ନ ସମସ୍ୟାଗୁଡ଼ିକ ଲାଗି ଏହି ଶିକ୍ଷା ଉପଯୁକ୍ତ ଉତ୍ତର ଯୋଗାଇ ପାରୁଥିବ । ଏହିପରି ଏକ ସମଗ୍ର ଶିକ୍ଷାଯୋଜନାର କାର୍ଯ୍ୟକ୍ରମ ନେଇ ପ୍ରଥମେ ଆମ ପୃଥିବୀରେ ସାମୁଦାୟିକ ବିକାଶର ଅୟମାରମ୍ଭ ହୋଇଥିଲା ।

 

ସମ୍ଭବତଃ ମଧ୍ୟ-ଆମେରିକାର ମେକ୍‌ସିକୋ ଦେଶରେ ହିଁ ଶିକ୍ଷାର ଏହି ସମଗ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସମଗ୍ର ଶିକ୍ଷା ଜରିଆରେ ସମାଜର ନୂଆ ରୀତି ଓ ନୂତନ ଜୀବନମାନ ସ୍ଥାପନା ଲାଗି ଅଗ୍ରସର ହୋଇଥିଲା । ସେହି ଦେଶର କ୍ଷେତ୍ରଜ୍ଞମାନେ ଦାବୀ କରନ୍ତି ଯେ ଏହି କାର୍ଯ୍ୟକ୍ରମ ୧୯୨୩ ମସିହାରେ ମଧ୍ୟ ଆରମ୍ଭ ହୋଇ ସାରିଥିଲା । ଏହି କାର୍ଯ୍ୟକ୍ରମକୁ ‘ସାଂସ୍କୃତିକ ମିଶନ୍’ (Cultural Mission)ର କାର୍ଯ୍ୟକ୍ରମ ବୋଲି କୁହାଯାଉଥିଲା ଏବଂ ଏହି ମିଶନ୍‌ର ଶିକ୍ଷାକାର୍ଯ୍ୟକ୍ରମ ‘ସମସ୍ତ ବା ଅଖଣ୍ଡ ଶିକ୍ଷା’ର କାର୍ଯ୍ୟକ୍ରମ ରୂପେ (Integral Education) ଅଭିହିତ ହେଉଥିଲା । ପ୍ରତ୍ୟେକ ମିଶନ୍‌ରେ ସାଧାରଣତଃ ପାଞ୍ଚଜଣ କର୍ମଚାରୀଙ୍କର ଗୋଟିଏ ଦଳ ରହିଥିଲା ଓ ଏମାନେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗାଆଁ ଗାଆଁ ବୁଲି ଶିକ୍ଷାର ମାଧ୍ୟମରେ ପ୍ରସାରକାର୍ଯ୍ୟ କରୁଥିଲେ । ଏହି ଦଳରେ ଦଳପତିଙ୍କ ବ୍ୟତୀତ ଗୃହ-ଅର୍ଥନୀତି ଓ ବୃହବ୍ୟବସ୍ଥା ବିଷୟରେ ଜଣେ ବିଶେଷଜ୍ଞ, ପ୍ରସୂତିକାର୍ଯ୍ୟରେ ଧାତ୍ରୀର କାର୍ଯ୍ୟ ଚଳାଇ ପାରିବାଭଳି ଜଣେ ନର୍ସ୍, ଜଣେ କୃଷି ବିଶେଷଜ୍ଞ ଏବଂ ଗ୍ରାମମାନଙ୍କରେ ଅବସରବିନୋଦନ ଓ ମନୋରଞ୍ଜନର କାର୍ଯ୍ୟକ୍ରମଗୁଡ଼ିକୁ ସଂଗଠିତ ରୂପରେ ଚାଲିବାରେ ସହାୟତା କରିବାଲାଗି ଜଣେ ବିଶେଷ ତାଲୀମପ୍ରାପ୍ତ କର୍ମୀ ମଧ୍ୟ ରହିଥିଲେ । ଏହି ମିଶନଗୁଡ଼ିକର ଜରିଆରେ ଗାଆଁର ମୁଖ୍ୟ ମୁଖ୍ୟ ସମସ୍ୟା,-ସଂସାର-ନିର୍ବାହ, ସ୍ୱାସ୍ଥ୍ୟ, କୃଷି ଓ ସାଂସ୍କୃତିକ ଜୀବନପ୍ରତି ଏକାଧାରରେ ଦୃଷ୍ଟି ଦେଇପାରିବାର ମସୁଧା କରାଯାଇଥିଲା । ମେକ୍‌ସିକୋର ଗାଆଁ ସ୍କୁଲମାନଙ୍କରେ ଯେଉଁ ସମଗ୍ର ବା ଏକୀଭୂତ ଶିକ୍ଷାର ପ୍ରବର୍ତ୍ତନ ହୋଇଥିଲା, ତଦନୁଯାୟୀ ବିଦ୍ୟାଳୟକୁ ସାମାଜିକ ପରିବର୍ତ୍ତନର ମାଧ୍ୟମ, ପାଠ ପଢ଼ୁଥିବା ପିଲାକୁ ସାମାଜିକ ପରିବର୍ତ୍ତନର ନିମିତ୍ତ ବା ଏଜେଣ୍ଟ, ଏବଂ ଶିକ୍ଷକକୁ ସାମାଜିକ ପରିବର୍ତ୍ତନର ନେତାରୂପେ ଗ୍ରହଣ କରାଯାଇଥିଲା । (୫)

 

ଚୀନ୍‌ଦେଶରେ ଦୁଇ ମହାଯୁଦ୍ଧର ମଧ୍ୟବର୍ତ୍ତୀ କାଳରେ ଏକ ଅନୁରୂପ କାର୍ଯ୍ୟକ୍ରମକୁ ‘ଜନଶିକ୍ଷା ଆନ୍ଦୋଳନ’ ବୋଲି କୁହାଯାଉଥିଲା (Mass Education Movement) । ଏହି କାର୍ଯ୍ୟକ୍ରମ ଭିତରେ ଚାରୋଟି ସୂତ୍ର ରଖାଯାଇଥିଲା; ।।୧।। ଶିକ୍ଷା, ।।୨।। ଆର୍ଥିକ ସହାୟ ବ୍ୟବସ୍ଥା-କୃଷିରେ ଉନ୍ନତିସାଧନ କରାଇବା, ଗ୍ରାମାଞ୍ଚଳରେ ସମବାୟ ସଂସ୍ଥାମାନ ଖୋଲିବା, କ୍ଷୁଦ୍ର ଶିଳ୍ପ ଓ ଗୃହ-ଶିଳ୍ପର ବିକାଶ କରାଇବା ଇତ୍ୟାଦି, ।।୩।। ସ୍ୱାସ୍ଥ୍ୟବିଷୟକ ସହାୟ ବ୍ୟବସ୍ଥା-ପ୍ରତି ଗାଆଁରେ ଅନ୍ତତଃ ନିମ୍ନତମ ଚିକିତ୍ସା ମିଳିପାରିବାର ବନ୍ଦୋବସ୍ତ କରିବା, ଗାଆଁର ଜଳନିଷ୍କାସନ ଓ ଅନ୍ୟାନ୍ୟ ପରିଷ୍କାର-ପରିଚ୍ଛନ୍ନତା ପ୍ରତି ଦୃଷ୍ଟିଦେବା, ସ୍ୱାସ୍ଥ୍ୟରକ୍ଷାଲାଗି ଆବଶ୍ୟକ ବିଭିନ୍ନ ସାଧନକୁ ଗାଆଁରେ ଆଣି ପହଞ୍ଚାଇଦେବା ଇତ୍ୟାଦି, ଏବଂ ।।୪।। ଗାଆଁରେ ସ୍ୱାୟତ୍ତଶାସନମୂଳକ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ବା ବିକାଶ କରାଇ ଗ୍ରାମବାସୀମାନଙ୍କୁ ଦାୟିତ୍ୱ ତଥା ଅଧିକାରସଚେତ ନାଗରିକ ହେବାଲାଗି ତାଲୀମ ଦେବା ।

 

ସମାଜ-ବିକାଶ ଓ ସମାଜ-ନିର୍ମାଣକୁ ଶିକ୍ଷାର ଧ୍ୟେୟ ବୋଲି ମାନି ବିଭିନ୍ନ ଦେଶରେ ତଦନୁରୂପ ସମଗ୍ର କାର୍ଯ୍ୟକ୍ରମମାନ ଚଳାଇବାର ଶ୍ରେୟ ଆମକୁ ବିଶ୍ୱରାଷ୍ଟ୍ରସଂଘର ଅଧୀନରେ କାର୍ଯ୍ୟ କରୁଥିବା ଇଉନେସ୍କୋ (UNESCO)କୁ ଦେବାକୁ ହେବ । ସମାଜ-ଉନ୍ନୟନମୂଳକ ଶିକ୍ଷାପ୍ରସାରର ଏହି କାର୍ଯ୍ୟକ୍ରମ Fundamental Education ବା ମୌଳିକ ଶିକ୍ଷା ବୋଲି ପ୍ରସିଦ୍ଧିଲାଭ କରିଚି । ହିନ୍ଦୀ ଭାଷାରେ ଏହାକୁ ସାଧାରଣତଃ ‘ଆଧାରଭୂତ ଶିକ୍ଷା’ ବୋଲି ଅନୁବାଦ କରାଯାଇଥାଏ । ଇଉନେସ୍କୋର ଏହି କାର୍ଯ୍ୟକ୍ରମ ଫଳରେ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାରେ ବିକାଶମୂଳକ ନାନାବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚି । ମେକ୍‌ସିକୋ ଦେଶରେ ଆଗରୁ ଚଳି ଆସୁଥିବା ସାଂସ୍କୃତିକ ମିଶନ୍‌ର କାର୍ଯ୍ୟରେ ଏହା ନୂତନ ପ୍ରାଣସଞ୍ଚାର କରିଦେଇଚି ଓ ଏହାକୁ ଏକ ଉନ୍ନତତର ସଂଗଠିତ ରୂପ ଦେଇପାରିଚି । ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଅବସ୍ଥିତ ହେଇଟି ଦ୍ୱୀପରେ ମଧ୍ୟ ଜନଶିକ୍ଷା ଓ ଜନସମୁଦାୟର ବିକାଶଲାଗି ଏହା ପ୍ରଶଂସାଯୋଗ୍ୟ କାର୍ଯ୍ୟ କରିପାରିଚି । ଆଧାରଭୂତ ଶିକ୍ଷାର ସମାଜ-ପରିବର୍ତ୍ତନମୂଳକ କାର୍ଯ୍ୟକ୍ରମକୁ ଆମେ ଆନ୍ତର୍ଜାତିକ ସ୍ତରରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମର ପୂର୍ବାଭାସ ବା ପୂର୍ବଗାମୀ ବୋଲି ଅବଶ୍ୟ କହିପାରିବା-। ବିଶ୍ୱ-ରାଷ୍ଟ୍ରସଂଘ ତରଫରୁ ପ୍ରକାଶିତ ଗୋଟିଏ ପୁସ୍ତିକା (୬) ଅନୁସାରେ ଯେଉଁ ଜ୍ଞାନ ଓ ଯେଉଁସବୁ କୌଶଳଦ୍ୱାରା ଜଣେ ଗ୍ରାମବାସୀ ଭଲ ଚାଷୀ, ଭଲ ବାପମାଆ, ଭଲ ଗୃହସ୍ଥ ଏବଂ ଭଲ ନାଗରିକ ହୋଇପାରିବ, ତାହାକୁ ସେହି ଜ୍ଞାନ ଓ କୌଶଳ ଆଣି ଯୋଗାଇଦେବା ହେଉଚି ଆଧାରଭୂତ ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ । ଗ୍ରାମବାସୀର ଦୈନନ୍ଦିନ ଜୀବନରେ ସେ ସାଧାରଣତଃ ଯେଉଁସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଓ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥାଏ, ସେହିସବୁ କ୍ଷେତ୍ରରେ ହିଁ ତାହାକୁ ଆବଶ୍ୟକ ଜ୍ଞାନ ଓ କୌଶଳମାନ ଶିଖାଇଦେବା ଲାଗି ଆଧାରଭୂତ ଶିକ୍ଷା ଅଭିଳାଷ ରଖିଥାଏ । ନାନାପ୍ରକାର ବିଧିରେ ଏହି ଶିକ୍ଷା ଦିଆଯାଇଥାଏ । ଏଥିଲାଗି ନାନା ବିଷୟରେ ଔପଚାରିକ ଭାବରେ ବକ୍ତୃତାମାନ ଦିଆଯାଏ, ଅନୌପଚାରିକ ଭାବରେ ଚର୍ଚ୍ଚା ଓ ଆଲୋଚନାମାନ ହୁଏ, ନୂତନ କୌଶଳ ବା ନୂତନ ପ୍ରଣାଳୀକୁ ପ୍ରଦର୍ଶନ ଦ୍ୱାରା ଦେଖାଇ ଦିଆଯାଇ ଗ୍ରାମବାସୀର ମନରେ ସେଥିଲାଗି ଯଥେଷ୍ଟ ବିଶ୍ୱାସ ସୃଷ୍ଟି କରିବାର ଚେଷ୍ଟା କରାଯାଏ, ଫିଲ୍‌ମ ଓ ସିନେମା ବା ରେଡ଼ିଓଦ୍ୱାରା ମଧ୍ୟ ଗ୍ରାମବାସୀଙ୍କୁ ନୂତନ ଜ୍ଞାନ ଓ ନୂତନ କାର୍ଯ୍ୟ କୌଶଳ ବିଷୟରେ ସଂକ୍ରାମିତ କରାଯାଇଥାଏ ।

 

ଆଧୁନିକ ସଭ୍ୟତା ଓ ଆଧୁନିକ ଜୀବନର ଅନେକ ଦୂରରେ କେତେ କେତେ ଦେଶର କେତେକେତେ ଗାଆଁରେ ଯେଉଁ କୋଟିକୋଟି ଲୋକ ଏକ ସ୍ୱଳ୍ପସୀମା ଜୀବନକୁ ଆଦରି ବିଚ୍ଛିନ୍ନ ଭାବରେ ଦିନଯାପନ କରୁଚନ୍ତି, ସେହିମାନଙ୍କ ଲାଗି ଆଧୁନିକ ସାଧନସାମଗ୍ରୀ ଓ ଆଧୁନିକ ଶିକ୍ଷାସୁଯୋଗମାନ ନେଇ ପହଞ୍ଚାଇ ପାରିବାକୁ ଆଧାରଭୂତ ଶିକ୍ଷାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଂଶଶତାବ୍ଦୀରେ ଯେତେବେଳେ ସଭ୍ୟ ମଣିଷ ତାର ଝରକା ଆକାଶମଣ୍ଡଳର ଗ୍ରହାନ୍ତର ଆଡ଼କୁ ମଧ୍ୟ ଖୋଲିବାର ଅଭିଳାଷ ରଖିଲାଣି, ଅନେକ ବିଚ୍ଛିନ୍ନ ଓ ଆଦିମ ମଣିଷ-ସମ୍ପ୍ରଦାୟରେ ଆଜି ହୁଏତ ଆପଣା ଘରେ କୌଣସି ପ୍ରକାର ଝରକା ରଖିବାର ଆବଶ୍ୟକତା ହିଁ ଅନୁଭୂତ ହୋଇନାହିଁ । ମଣିଷସମାଜ କହିଲେ ସେମାନଙ୍କୁ ମଧ୍ୟ ସାଙ୍ଗରେ ନେଇଯିବାକୁ ହେବ, ତା’ନହେଲେ ସଭ୍ୟ ସମୁଦାୟମାନଙ୍କରେ ଏଣେ ବିଭବର ପ୍ରାଚୁର୍ଯ୍ୟ ଯେତେ ଅଧିକ ପରିମାଣରେ ବଢ଼ିବାରେ ଲାଗିଥିଲେ ମଧ୍ୟ ସେମାନଙ୍କର ଦୁର୍ଦ୍ଦଶା ଓ ଦୟନୀୟ ଜୀବନଯାତ୍ରା ଆମ ସମସ୍ତଙ୍କୁ ପଛକୁ ଟାଣିବାରେ ଲାଗିଥିବ । ଆଜିର ଏହି ବିଜ୍ଞାନ ଶତାବ୍ଦୀରେ ତଥାପି କୋଟି କୋଟି ମଣିଷ ଖାଇବାକୁ ପାଉ ନଥିବେ, କୌଶଳଜ୍ଞାନର ଅଭାବରୁ ଆପଣାର କଠିନ ପରିଶ୍ରମ ସତ୍ତ୍ୱେ ତଥାପି ଯଥେଷ୍ଟ ଫଳ ଫଳାଇ ପାରୁନଥିବେ, ଏହି ପୃଥିବୀରେ ଅଧେପିଲା କୌଣସ ପ୍ରକାର ଚାଟଶାଳୀର ଦୁଆର ମାଡ଼ୁନଥିବେ ଓ ଆହୁରି କୋଟି କୋଟି ମଣିଷ ନିରକ୍ଷର ରହିଥିବେ, ଔଷଧବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ସତ୍ତ୍ୱେ ତଥାପି କୌଣସିପ୍ରକାର ଚିକିତ୍ସାର ଅଭାବରୁ ଏହି ବିଂଶଶତାବ୍ଦୀରେ ମଣିଷ ମରିବାକୁ ବାଧ୍ୟ ହେଉଥିବେ ଓ ଆମେ ସମସ୍ତେ ଏହାକୁ ଏକ ସ୍ୱାଭାବିକ ଘଟଣା ବୋଲି ଗ୍ରହଣ କରି ନେଉଥିବୁ, ଇଉନେସ୍କୋର ଆଧାରଭୂତ ଶିକ୍ଷାକ୍ରମ ଏହାରି ବିରୁଦ୍ଧରେ ଆପଣା ମାର୍ଗରେ ଏକପ୍ରକାର ବିଦ୍ରୋହ ଘୋଷଣା ହିଁ କରିଚି । ନାନାଦେଶରେ ନାନାବିଧ ନିର୍ମାଣ କ୍ଷେତ୍ରରେ ଏହା ଅଗ୍ରଣୀ ପରି କାର୍ଯ୍ୟ କରିଚି ଓ ନାନା ନୂତନ ସମ୍ଭାବନାକୁ ଉଖାରିଦେଇଚି । ଏକଥା ସତ ଯେ କୌଣସି ଦେଶର ଲୋକସମୁଦାୟ ଆପଣାର ଏକ ବଳିଷ୍ଠ ଯୋଜନା ନେଇ ଆପଣାର ଭାଗ୍ୟ ବଦଳାଇବାକୁ ନ ବାହାରିବା ପର୍ଯ୍ୟନ୍ତ ଇଉନେସ୍କୋର କର୍ମୀ ଓ ବିଶେଷଜ୍ଞମାନେ ବାହାରୁଆସି ବିଶେଷ କିଛି କରିପାରିବେନାହିଁ । ଗୋଟାଏ ଦେଶକୁ ବଦଳାଇ ଦେବାର ଠିକା ନେଇଥିବା ପରି ସେମାନେ କଦାପି ସବୁଦିନଲାଗି ସେଠାରେ ପଡ଼ି ରହିନଥିବେ । ଇଉନେସ୍କୋର କର୍ମକର୍ତ୍ତାମାନେ କଦାପି ଏପରି ଆସ୍ଫାଳନ କରିନାହାନ୍ତି । କିନ୍ତୁ ସେମାନେ ଦିଗନିର୍ଦ୍ଦେଶ କରିଦେଇଚନ୍ତି, ଆପଣା ବିକାଶ ଆପେ କରିବାଦିଗରେ ସେମାନେ ଆମର ବାସନାରେ ବେଗସଞ୍ଚାର କରିଚନ୍ତି । ସର୍ବୋପରି ସେମାନେ ବିଶ୍ୱର ରାଜନୀତି ଓ ଅନ୍ତର୍ରାଷ୍ଟ୍ରୀୟ ସମ୍ବନ୍ଧକୁ ଅଧିକ ଯୁଦ୍ଧମୂଳ ନକରି ଅଧିକ ବିକାଶମୂଳ, ଅଧିକ କଲ୍ୟାଣମୂଳ ଅର୍ଥାତ୍ ଅଧିକ ମନୁଷ୍ୟମୂଳ କରିବାରେ ସହଯୋଗ କରିଚନ୍ତି ।

 

ଆଧାରଭୂତ ଶିକ୍ଷାର କାର୍ଯ୍ୟକ୍ରମ ଯେତିକି ଯେତିକି ବହୁଦେଶ ପ୍ରସାରୀ ଓ ବହୁକ୍ଷେତ୍ରପ୍ରସାରୀ ହେବାକୁ ଲାଗିଲା, ଏହି ଅଭିଧାନଟିଦ୍ୱାରା କାର୍ଯ୍ୟକ୍ରମଟିର ସମ୍ପୂର୍ଣ୍ଣ ଓ ସମଗ୍ର ଅର୍ଥ ପ୍ରକାଶିତ ହୋଇ ପାରୁନାହିଁ ବୋଲି ସେତିକି ସେତିକି ଅଧିକ ଲୋକ ଅନୁଭବ କରିବାକୁ ଲାଗିଲେ-। ବିକାଶ ଓ ଉନ୍ନୟନକାର୍ଯ୍ୟର ନୂତନ ପରିପ୍ରେକ୍ଷା ଉପରେ ସେହି ପୁରୁଣା ଅଭିଧାନଟିକୁ ବ୍ୟବହାର କରିବାକୁ ସେମାନେ ପସନ୍ଦ କଲେନାହିଁ । ପ୍ରଧାନତଃ ସେହିମାନଙ୍କ ପ୍ରତିବାଦ ହେତୁ ‘ଆଧାରଭୂତ ଶିକ୍ଷା’ କ୍ରମେ କମ୍ ବ୍ୟବହୃତ ହେଲା ଓ ତାହାସ୍ଥାନରେ ସମସ୍ତେ ଅଧିକତର ଅବସରରେ ‘ସାମୁଦାୟିକ ବିକାଶ’ର ବ୍ୟବହାର କରିବାକୁ ଆରମ୍ଭ କଲେ । (୭) ଅର୍ଥାତ୍ ‘ଆଧାରଭୂତ ଶିକ୍ଷା’ର କାର୍ଯ୍ୟକ୍ରମ ଜରିଆରେ ସମଗ୍ର ମନୁଷ୍ୟ ସମୁଦାୟର ଉନ୍ନୟନଲାଗି ଆନ୍ତର୍ଜାତିକ ସ୍ତରରେ ଯେଉଁ ଆକାଙ୍‌କ୍ଷାର ମଞ୍ଜି ପୋତାଯାଇଥିଲା, ତାହାହିଁ ପୃଷ୍ଠଭୂମି ଓ ପରିଧିର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସାମୁଦାୟିକ ବିକାଶର ବୃକ୍ଷରୂପେ ଆବିର୍ଭୂତ ଓ ଗୃହୀତ ହେଲା ।

 

ଏହାପରେ ନାନାଦେଶରେ ଓ ନାନାନାମରେ ସାମୁଦାୟିକ ବିକାଶର ଜାତୀୟ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଚି । ବିଶେଷତଃ ବିକଶମାନ ଅଞ୍ଚଳରେ ଅବସ୍ଥିତ ପ୍ରାୟ ପ୍ରତ୍ୟେକ ଦେଶରେ ଏହି କାର୍ଯ୍ୟକ୍ରମ ଅଳ୍ପବହୁତ ଆରମ୍ଭ ହୋଇଛି । ଏହିସବୁ ଦେଶଗୁଡ଼ିକରେ କେଉଁଠି ଏକାଧିକାରତନ୍ତ୍ର ଚାଲିଚି, କେଉଁଠି ହୁଏତ ଗୋଟାଏ ରାଜନୀତିକ ଦଳର ସ୍ୱୈରତନ୍ତ୍ର ମଧ୍ୟ ଚାଲିଚି । ଯେଉଁ କେତୋଟି ଦେଶରେ ପ୍ରଜାତନ୍ତ୍ର ବା ଲୋକଶାସନକୁ ଶାସନର ମାଧ୍ୟମରୂପେ ଗ୍ରହଣ କରାଯାଇଚି, ସେଠାରେ ମଧ୍ୟ କେତେକେତେ ବିଚିତ୍ର ମୋଡ଼ ଓ ବିଚିତ୍ର ଭାଙ୍ଗରେ ଯଥାର୍ଥ ଲୋକଶାସନକୁ ଅଳପ ବା ଅଧିକ କାବୁ କରି ରଖିବାର ସୁଯୋଜିତ ଓ କୁଶଳ ପ୍ରଚେଷ୍ଟାମାନ ଲାଗିରହିଚି । କିନ୍ତୁ ତଥାପି ଏହି ସକଳଦେଶରେ ସାମୁଦାୟିକ ବିକାଶର ଯୋଜନାମାନ ଚାଲିଚି । ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ବିଷୟ ଯେ ଏଗୁଡ଼ିକରୁ ଅଧିକସଂଖ୍ୟକ ଦେଶରେ ଲୋକଭାଗ୍ୟର ଅଭିଭାବକ ରୂପେ ବସିଥିବା ଶାସକମାନେ ଗଣତନ୍ତ୍ର ବା ଲୋକଶାସନକୁ ହିଁ ଆପଣା ଶାସନ ଓ ସାମୁଦାୟିକ ବିକାଶ-ଯୋଜନାର ଚରମ ଲକ୍ଷ୍ୟ ବୋଲି ଘୋଷଣା କରୁଚନ୍ତି । ଏହି ଘୋଷଣାରେ ପ୍ରକୃତରେ କେତେଦୂର ଲବଣାଂଶ ରହିଚି, କେବଳ ଭବିଷ୍ୟତ ହିଁ ତାହାର ପ୍ରମାଣ ଦେଇପାରିବ । କିନ୍ତୁ ଆମକୁ ବର୍ତ୍ତମାନ ପରିସ୍ଥିତିରେ ଅନ୍ତତଃ ଏତିକି ସ୍ୱୀକାର କରିବାକୁ ପଡ଼ିବ ଯେ ସାମୁଦାୟିକ ବିକାଶଯୋଜନାକୁ ଏହିସବୁ ଦେଶ ଲୋକନିର୍ମାଣ ତଥା ଲୋକଜାଗରଣର ଏକ ଗ୍ରହଣଯୋଗ୍ୟ ସାଧନରୂପେ ଗ୍ରହଣ କରିସାରିଲେଣି । ହିଂସାତ୍ମକ ବିଦ୍ରୋହ, ଘୃଣା ଓ ତଥାକଥିତ ବର୍ଗସଂଘର୍ଷର ଜାତୀୟକରଣ ଦ୍ୱାରା ସମାଜର ଜୀବନରେ ପରିବର୍ତ୍ତନ ଆଣିବା ଅପେକ୍ଷା କଲ୍ୟାଣ-ଯୋଜନା ଓ ସାମୁଦାୟିକ ବିକାଶ ଜରିଆରେ ସମାଜକୁ ବଦଳାଇଦେବା ଓ ମନୁଷ୍ୟ-ସମୁଦାୟକୁ ଏକ ନୂତନ ମୂଲ୍ୟ ଅନୁସାରେ ଗଢ଼ିବା ଯେ ଏକ ଅଧିକ ଉପାଦେୟ ଓ ଅଧିକ ଫଳପ୍ରଦ ପନ୍ଥା, ସଂସାରରେ ଅଧିକରୁ ଅଧିକ ମଣିଷ (ଶାସିତ ଓ ଶାସକ ଉଭୟ ଶ୍ରେଣୀର) କ୍ରମେ ସମ୍ଭବତଃ ଏହାହିଁ ବିଶ୍ୱାସ କରିବାକୁ ଆରମ୍ଭ କଲେଣି ।

 

ଆମେ ଜାଣିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବଂ ବିଶେଷ କରି ଇଉନେସ୍କୋ ତରଫରୁ ‘ଆଧାରଭୂତ ଶିକ୍ଷା’ର କାର୍ଯ୍ୟକ୍ରମ ଚାଲିବାର କେତେବର୍ଷ ପରେ ବିଭିନ୍ନ ଦେଶରେ ସାମୁଦାୟିକ ବିକାଶର ବିଭିନ୍ନ ଜାତୀୟ ଯୋଜନାମାନ ଆରମ୍ଭ କରାଯାଇଛି । ବିଭିନ୍ନ ଦଶରେ ଏହାକୁ ବିଭିନ୍ନ ନାମରେ ଅଭିହିତ କରାଯାଇଚି । ସେଥିଭିତରୁ କେତେଗୁଡ଼ିଏ ଦେଶର ନାମ ଆମେ ଏଠାରେ ଉଲ୍ଲେଖ କରିପାରିବା : ଇରାନ-୧୯୪୬, ସିଂହଳ-୧୯୪୭, ବ୍ରହ୍ମଦେଶ-୧୯୪୮ (ଜନଶିକ୍ଷା, ପାୟାଗ୍ୟି ପାଇଲଟ୍ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ), ଭାରତ-୧୯୫୨, ପାକିସ୍ଥାନ ଓ ତାଇଓ୍ୱାନ୍-୧୯୫୩, ଆଫଗାନିସ୍ଥାନ-୧୯୫୪ (ଗ୍ରାମାଞ୍ଚଳ ବିକାଶ), ଇଣ୍ଡୋନେସିଆ, ଫିଲିପାଇନ୍ ଦ୍ୱୀପପୁଞ୍ଜ ଓ ନେପାଳ (ଗ୍ରାମ-ବିକାଶ)-୧୯୫୬, ଦକ୍ଷିଣ ଭିଏତନାମ-୧୯୫୭, ଲାଓସ୍ (ଗ୍ରାମାଞ୍ଚଳ ବିକାଶ), ଥାଇଲାଣ୍ଡ, ଦକ୍ଷିଣ କୋରିଆ ଓ ମାଳୟ-୧୯୫୮ ଏବଂ କାମ୍ବୋଡ଼ିଆ-୧୯୫୯ । ଏତଦ୍‌ବ୍ୟତୀତ ଗ୍ରୀସ୍, ଲିବିୟା, ପୋର୍ଟୋରିକୋ, ଜାମେକା, ମିଶର, କର୍ଡ଼ାନ, ଯୁଗୋସ୍ଲୋଭିଆ, ଇରାକ, ଘାନା, ଲେବାନନ୍, ନାଇଜିରିଆ, ମେକ୍‌ସିକୋ, ବଲିଭିଆ, ପେରୁ ଓ ବ୍ରାଜିଲ୍ ଦେଶମାନଙ୍କରେ ମଧ୍ୟ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମମାନ ଚାଲୁଚି ବା ଚାଲୁହେବାକୁ ଯାଉଚି । (୮)

 

ପ୍ରଧାନତଃ ଆପଣାର ସାମର୍ଥ୍ୟ ଉପରେ ନିର୍ଭର କରି ଲୋକମାନେ କିପରି ଆପଣା ଜୀବନର ବିକାଶ ସାଧନ କରିପାରିବେ, ଏହିକଥା ଦେଖାଇ ଦେବାପାଇଁ ୧୯୫୩ ମସିହା ମାର୍ଚ୍ଚମାସରେ ଦକ୍ଷିଣ କୋରିଆର ଏକ ପ୍ରୟୋଗମୂଳକ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦକ୍ଷିଣ କୋରିଆର ଗ୍ରାମବାସୀମାନେ ବର୍ଷର ଯେଉଁ ସମୟରେ ସାଧାରଣତଃ ବେକାର ବସିରହନ୍ତି, ସେହିସମୟରେ ସେମାନଙ୍କର ଶ୍ରମଦାନ ସାହାଯ୍ୟରେ ସ୍ଥାନୀୟ ଉନ୍ନୟନ-କାର୍ଯ୍ୟମାନ କରାଇବାର ଉଦ୍ୟମ ହୋଇଥିଲା । ଜଳସେଚନ, ବନ୍ୟାନିୟନ୍ତ୍ରଣ, ଅରଣ୍ୟରୋପଣ ଓ ପାନୀୟ ଜଳର ବ୍ୟବସ୍ଥା ପ୍ରଭୃତି ଯେଉଁ ଆବଶ୍ୟକତା ସମ୍ପୃକ୍ତ ସମୁଦାୟମାନେ ସବୁଠାରୁ ଜରୁରୀ ବୋଲି ଅନୁଭବ କରୁଥିଲେ, ତାହାକୁ ହିଁ ଆଧାର କରି ଶ୍ରମଦାନଯୋଜନାଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଇଉରୋପର ଗ୍ରୀସ୍‌ଦେଶରେ ମଧ୍ୟ ଆମେ ଏହିପରି ଆଉ ଗୋଟିଏ ଉଦ୍ୟମର ଦୃଷ୍ଟାନ୍ତ ପାଇଥାଉ । ସେଠାରେ ୧୯୪୮ ମସିହାରେ ଜାତୀୟ ସାମୁଦାୟିକ ବିକାଶକ୍ଷେତ୍ରରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗ୍ରୀସରେ ଗାଆଁମାନଙ୍କରେ ଅନେକଲୋକ ସାଧାରଣତଃ ବେକାର ହୋଇ ବସିଥାନ୍ତି । ସେହିମାନଙ୍କର ଶ୍ରମକୁ କାର୍ଯ୍ୟରେ ଲଗାଇ ଗ୍ରାମାଞ୍ଚଳର ଭୌତିକ ପରିବେଶରେ କୌଣସି ଉନ୍ନତିବିଧାନ କରିବାକୁ ସରକାର ମନସ୍ଥ କରିଥିଲେ । ଏହାଦ୍ୱାରା ଗ୍ରାମଜୀବନର ଉପକାର ହେବ ଏବଂ ବେକାର ଲୋକେ ଆପଣା ଶ୍ରମର ବିନିମୟରେ କିଞ୍ଚିତ୍ ଅର୍ଥୋପାର୍ଜନ ମଧ୍ୟ କରିପାରିବେ, ଏହି ଦୁଇଟି ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ ହୋଇଥିଲା । ହିସାବରୁ ଜଣାପଡ଼େ ଯେ ଏହି ଯୋଜନା ଦ୍ୱାରା ୧୯୪୮ ରୁ ୧୯୫୧ ମସିହା ଭିତରେ ପ୍ରାୟ ୫୦୦୦ କିଲୋମିଟର ନୂତନ ରାସ୍ତା ତିଆରି କରାଯାଇ ପାରିଥିଲା, ୩୦୦୦ କିଲୋମିଟରରୁ ଅଧିକ ପୁରୁଣା ରାସ୍ତାର ମରାମତି ହୋଇଥିଲା, ୫୦୦୦୦ ଏକରରୁ ଅଧିକ ନୂଆ ଜମି ତିଆରି କରାଯାଇଥିଲା ଏବଂ ଚାଷୀମାନେ ସେଥିରେ ଫସଲ ଆବାଦ କରିପାରିଲେ, ୩୦୦୦୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା, ୧୧୦ଟି ଜଳଭଣ୍ଡାର ତିଆରି ହୋଇଥିଲା ଏବଂ ଆହୁରି କେତୋଟି ସାନ ସାନ ଯୋଜନା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିଥିଲା । ୧୯୫୨ ମସିହା ବେଳକୁ ଏହି ଯୋଜନା ଭିତରେ ଦେଶର ୭୦୦ ଟି ଗାଆଁ ଅଂଶଗ୍ରହଣ କରୁଥିଲେ, ୧୨୫୪ ଟି ସାନବଡ଼ ଯୋଜନା ହାତକୁ ନିଆଯାଇଥିଲା ଏବଂ ଏଥିରେ ଦୈନିକ ମୋଟ ହାରାହାରି ୧୩୦୦୦ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଇ ପାରୁଥିଲା । ବିଧିବଦ୍ଧ ଓ ବ୍ୟାପକ ଭାବରେ ସାମୁଦାୟିକ ବିକାଶ-ଯୋଜନାର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏହିସବୁ ପ୍ରଶଂସାଯୋଗ୍ୟ କାର୍ଯ୍ୟକୁ ଆମେ ମହତ୍ତ୍ୱପୂର୍ଣ୍ଣ ପୂର୍ବସୋପାନ ବୋଲି କହିପାରିବା ।

 

ଆଫ୍ରିକାର ଫରାସୀ-ଶାସିତ ଅଞ୍ଚଳରେ ସାମୁଦାୟିକ ବିକାଶ ପରିକଳ୍ପେ ଏକ ସରକାରୀ ନୀତି ଗ୍ରହଣ କରାଯାଇଚି ଏବଂ ମୌଳିକ ବା ଜନ-ଶିକ୍ଷା (Education de base)ର ଆଧାର ଉପରେ ଏହି କାର୍ଯ୍ୟକ୍ରମକୁ ପ୍ରସାର ରୂପେ ନିଆଯାଇଚି । ନିମ୍ନଲିଖିତ ଦୁଇଟି ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଏହି ନୂତନ କାର୍ଯ୍ୟପନ୍ଥା ଗୃହୀତ ହୋଇଚି : ।।୧।। ସମାଜରେ ଅଳ୍ପସଂଖ୍ୟକ ଏପରି ଲୋକ ଓ ପରିବାର ରହିଚନ୍ତି, ଯେଉଁମାନଙ୍କର ଧନ ଅଛି, ଯେଉଁମାନେ ପାଠ ପଢ଼ିଚନ୍ତି ଓ ଆଧୁନିକ ଜଗତ ସହିତ ଯେଉଁମାନେ ସମତାଳ ହୋଇ ଚାଲିବା ବିଷୟରେ ଯଥେଷ୍ଟ ସଚେତ ରହିଚନ୍ତି । ଏମାନେ ଗାଆଁରେ ଅଛନ୍ତି, ତଥାପି ଗାଆଁ ସହିତ ଏମାନଙ୍କର ଜୀବନ ସୂତ୍ର ଲାଗିନାହିଁ । ଆପଣାର ପରିବେଶ କହିଲେ ସେମାନେ ଗାଆଁ ବାହାରେ ରହିଥିବା ସଭ୍ୟ ଓ ସମ୍ପନ୍ନ ପରିବେଶକୁ ବୁଝୁଚନ୍ତି । ଅପର ପକ୍ଷରେ ଗାଆଁର ଅଧିକସଂଖ୍ୟକ ଲୋକ ନିରକ୍ଷର ଓ ଅଶିକ୍ଷିତ ଅବସ୍ଥାରେ ରହିଚନ୍ତି, ସଂସାରର ସକଳପ୍ରକାର ଜ୍ଞାନରୁ ବଞ୍ଚିତ ହୋଇ ରହିଚନ୍ତି । ପୃଥିବୀରେ ସାମଗ୍ରୀ ଓ ସାଧନ ବଢ଼ୁଥିବା ସତ୍ତ୍ୱେ ଏମାନଙ୍କର ସଂସାରରେ ପ୍ରକୃତରେ କିଛି ବୃଦ୍ଧି ହେଉନାହିଁ । ଗାଆଁର ଏହି ଦୁଇପକ୍ଷ ଦୁଇ ବିଭିନ୍ନ ଆଡ଼କୁ ମୁହଁକରି ରହିଥିବା ପର୍ଯ୍ୟନ୍ତ ଗ୍ରାମର ସାମୁଦାୟିକ ହିତରେ ଆଉ କଣ ସମ୍ଭବ ହୋଇପାରିବ ? ଜନଶିକ୍ଷା ଦ୍ୱାରା ଆଫ୍ରିକାର ଉଲ୍ଲିଖିତ ଦେଶମାନଙ୍କରେ ଦୁଇପକ୍ଷ ମଧ୍ୟରେ ରହିଥିବା ବ୍ୟବଧାନକୁ ଯଥାସମ୍ଭବ ଦୂର କରି ଦୁହିଁଙ୍କୁ ଗ୍ରାମସମାଜର ନାନା କଲ୍ୟାଣଚିନ୍ତା ଓ କଲ୍ୟାଣକାର୍ଯ୍ୟରେ ସମ୍ମିଳିତ କରାଇବାର ଚେଷ୍ଟା କରାଯାଉଚି । ।।୨।। ଗାଆଁ ଗୁଡ଼ିକର ଆର୍ଥିକ ତଥା ସାମାଜିକ ଜୀବନମାନ ଆଜି ଅତି ନିମ୍ନସ୍ତରରେ ରହିଚି । ସରକାରୀ ବିଭାଗମାନ ଆପଣା ଆପଣାର ବିଶେଷ କ୍ଷେତ୍ରରେ ଲୋକମାନଙ୍କୁ କିଞ୍ଚିତ୍ ସାହାଯ୍ୟ କରିବାର ଚେଷ୍ଟା ଅବଶ୍ୟ କରୁଚନ୍ତି । କିନ୍ତୁ ବିଭିନ୍ନ ବିଭାଗର ସାହାଯ୍ୟକୁ ଅଧିକ ସଂଗଠିତ ଓ ସହଯୋଗମୂଳକ କରିବାଲାଗି କୌଣସି ଉଦ୍ୟମ ଆରମ୍ଭ ହୋଇନାହିଁ । ଗ୍ରାମବାସୀର ଜୀବନକୁ ଏକକ କରି ନ ଦେଖି ତାହାର ସମସ୍ୟାଗୁଡ଼ିକୁ ଅଲଗା ଅଲଗା କରି ସୁଧାରିବାର ଚେଷ୍ଟା କରାଯାଉଚି । ତଦ୍ଦ୍ୱାରା ଚିରାଲୁଗାରେ ତାଳି ପଡ଼ିବା ସମ୍ଭବ ହେଉଚି, କିନ୍ତୁ ଲାଜ ଲୁଚି ପାରୁନାହିଁ । ଏହାର ସମାଧାନ ହେଉଚି ଯେ ଗ୍ରାମବିକାଶ ଦିଗରେ ସରକାରଙ୍କ ତରଫରୁ ଯେତେପ୍ରକାର କାର୍ଯ୍ୟକ୍ରମ ଚାଲିବ, ତାହା ଗୋଟିଏ ସମଗ୍ର ବିକାଶ-କାର୍ଯ୍ୟକ୍ରମର ପରିପୂରକ ଅଙ୍ଗ ରୂପେ ଚାଲିବ । (୯)

 

ପୂର୍ବ ନାଇଜିରିଆର ଉଡ଼ି (Udi) ଠାରେ ସାମୁଦାୟିକ ବିକାଶ-କ୍ଷେତ୍ରରେ ଯେଉଁସବୁ ଉଦ୍ୟମ ହୋଇଚି, ଏଠାରେ ତାହା ଉଲ୍ଲେଖଯୋଗ୍ୟ । ସେଠି ଶାସକମାନେ ଗ୍ରାମବିକାଶ ଦିଗରେ କୌଣସି ପ୍ରୟୋଗ କରିବାକୁ ଚାହୁଥିଲେ ଏବଂ ସ୍ଥାନୀୟ ଜନନେତା ଓ କର୍ମୀମାନେ ମଧ୍ୟ ଏହିଦିଗରେ କିଛି ଉଦ୍ୟମ ଆରମ୍ଭ କରିଦେଇଥିଲେ । ଦୁଇପକ୍ଷର ଅନୁକୂଳ ସ୍ଥିତିକୁ ଏକତ୍ର କରି ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସରକାରଙ୍କ ତରଫରୁ କାର୍ଯ୍ୟ ଆରମ୍ଭ ହେଲା । ସରକାରଙ୍କ ହାତରେ ବିକାଶ କାର୍ଯ୍ୟ ବାବତରେ ଯେତେ ଅର୍ଥ ମହଜୁଦ ରହିଥିଲା, ତାହାର ବିନିଯୋଗ କରାଯାଇ ଲୋକମାନଙ୍କ ଲାଗି ପାଠଶାଳା, ଡାକ୍ତରଖାନା ଓ ମାତୃମଙ୍ଗଳ କେନ୍ଦ୍ରମାନ ଖୋଲି ଦିଆଗଲା । ଏହାଫଳରେ ଲୋକମାନେ ଉପକୃତ ଅନୁଭବ କଲେ ଏବଂ ସେମାନଙ୍କର ଜୀବନମାନରେ ମଧ୍ୟ କିଞ୍ଚିତ୍ ବୃଦ୍ଧି ହୋଇଥିଲା । କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟଟିକୁ ଆମେ ‘ସ୍ଥାନୀୟ ବିକାଶ’ର ପର୍ଯ୍ୟାୟ ବୋଲି କହିପାରିବା । କିନ୍ତୁ ଏହାପରେ ଆହୁରି ଅନେକ ଗାଆଁରେ ଗ୍ରାମବାସୀମାନେ ସେମାନଙ୍କ ଲାଗି ମଧ୍ୟ କଲ୍ୟାଣକାର୍ଯ୍ୟ ହେଉ ବୋଲି ଦାବୀକରି ବସିଲେ । ସରକାର ତରଫରୁ ଜବାବ ଦିଆଗଲା ଯେ ଗ୍ରାମବାସୀମାନେ ଆପଣା ତରଫରୁ ଶ୍ରମଦାନ ତଥା ଅର୍ଥ–ଅନୁଦାନ ଲାଗି ପ୍ରସ୍ତୁତ ନ ହେଲେ ସରକାର ସେମାନଙ୍କୁ ଏହିସବୁ ସାଧନ ଓ ସୁବିଧା ଯୋଗାଇଦେବାକୁ ପ୍ରସ୍ତୁତ ହେବେନାହିଁ । ଲୋକମାନଙ୍କର ଶ୍ରମଶକ୍ତି ଓ ଅର୍ଥଶକ୍ତି ସରକାରଙ୍କ ହାତରେ ରହିଥିବା ସୀମାବଦ୍ଧ ପାଣ୍ଠିସହିତ ମିଶିପାରିଲେ ଅନେକଗୁଣ କଲ୍ୟାଣକାର୍ଯ୍ୟ ସମ୍ଭବ ହେବ ବୋଲି ଯୁକ୍ତି ଦେଖାଯାଇଥିଲା । ଏହିଠାରୁ ହିଁ ଯୋଜନାଟିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ।

 

ଦ୍ୱିତୀୟ ପର୍ଯ୍ୟାୟଟିକୁ ଆମେ ଯଥାର୍ଥରେ ‘ସାମୁଦାୟିକ ବିକାଶ’ର ପର୍ଯ୍ୟାୟ ବୋଲି କହିପାରିବା । ଆବହମାନ କାଳରୁ ଗାଆଁମାନଙ୍କରେ ଯେଉଁ ପାରସ୍ପରିକତା ଓ ଗୋଷ୍ଠୀଭାବନା ରହିଆସିଥିଲା, ଏହି ପର୍ଯ୍ୟାୟରେ ସେହି ଭାବନା କ୍ରମେ ଜୀବନ୍ତ ଓ ସଚଳ ହେବାକୁ ଆରମ୍ଭ କଲା । ସ୍ଥାନୀୟ ସାମାଜିକ ଅନୁଷ୍ଠାନଗୁଡ଼ିକର ଜରିଆରେ ସମୁଦାୟର ବିକାଶ ଲାଗି ଅଧିକରୁ ଅଧିକ ମସୁଧାମାନ କରାଗଲା ଓ ଏହାଦ୍ୱାରା ସେହିସବୁ ଅନୁଷ୍ଠାନରେ ମଧ୍ୟ ନୂତନ ପ୍ରାଣର ସଞ୍ଚାର ହେଲା-। ଅତି ବ୍ୟାପକ ସ୍ତରରେ ଲୋକମାନେ ସାମୂହିକ ବିକାଶକାର୍ଯ୍ୟ ଲାଗି ଆପଣାର ସ୍ୱେଚ୍ଛାକୃତ ଶ୍ରମ ଦେବାକୁ ତିଆରି ହୋଇଗଲେ । ଲୋକମାନଙ୍କ ଉଦ୍ୟମରେ ଉତ୍ସାହିତ ହୋଇ ଦେଶର ଶାସନ ମଧ୍ୟ ଏହି ଦିଗରେ ଆଗଭର ହେବାକୁ କୌଣସି ତ୍ରୁଟି ଦେଖାଇଲାନାହିଁ । ଜିଲ୍ଲା ପ୍ରଶାସକମାନଙ୍କୁ ସରକାରଙ୍କ ତରଫରୁ ପ୍ରଭୂତ ପାଣ୍ଠିମାନ ମିଳିଲା ଓ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ତାହାର ବିନିଯୋଗ କରିବାଲାଗି ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଗଲା । ବହୁସଂଖ୍ୟାରେ ନୂଆ ସ୍କୁଲମାନ ବସିଲା, ମାତୃମଣ୍ଡଳ କେନ୍ଦ୍ର ସଭାଘର, ହାଟ, ସଡ଼କ ପ୍ରଭୃତି ତିଆରି ହେଲା । କିନ୍ତୁ ଏହିସବୁ ଭୌତିକ ଲାଭ ଓ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଲୋକମାନଙ୍କ ମଧ୍ୟରେ ସାମୁଦାୟିକ ହିତଲାଗି ଯେଉଁ ଇଚ୍ଛା ଓ ଉଦ୍ଦୀପନା ଜାଗୃତ ହେଲା ଏବଂ ଗୋଷ୍ଠୀଜୀବନର ଉନ୍ନୟନଲାଗି ସେମାନେ ଯେଉଁଭଳି ଉତ୍ସାହରେ ତତ୍ପର ହୋଇ ବାହାରିଲେ, ତାହାକୁ ହିଁ ଏହି ବିକାଶ-କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଲାଭ ବୋଲି କୁହାଯାଇ ପାରିବ ।

 

ଏହି ବିକାଶକ୍ରମର ଏକ ତୃତୀୟ ପର୍ଯ୍ୟାୟ ମଧ୍ୟ ଏବେ ଆରମ୍ଭ ହେଉଥିବା ପରି ମନେହେଉଚି । ଏହି ପର୍ଯ୍ୟାୟରେ ପହଞ୍ଚି ସାମୁଦାୟିକ ବିକାଶ ସ୍ୱାୟତ୍ତଶାସନର ସଂଗଠିତ ବ୍ୟବସ୍ଥା ସହିତ ଅତି ଘନିଷ୍ଟଭାବେ ସମନ୍ୱିତ ହେବାକୁ ଯାଉଚି । ଲୋକମାନେ ଆପେ ଧାର୍ଯ୍ୟ କରିଥିବା ସ୍ଥାନୀୟ ଟିକସଦ୍ୱାରା ସ୍ୱାୟତ୍ତଶାସନ ସଂସ୍ଥାମାନ ଚାଲୁଚି ଏବଂ ଏହି ସଂସ୍ଥାଗୁଡ଼ିକ ସାମୁଦାୟିକ ବିକାଶ ଯୋଜନାମାନ ପରିଚାଳିତ କରୁଚନ୍ତି । କେନ୍ଦ୍ରୀୟ ସରକାରଙ୍କ ତରଫରୁ ସହାୟତା ମିଳୁଚି ସତ, ମାତ୍ର ପ୍ରଧାନତଃ କାର୍ଯ୍ୟ ସମ୍ବନ୍ଧୀୟ ପରାମର୍ଶ ଆକାରରେ ମିଳୁଚି । ବିକାଶକର୍ମୀମାନଙ୍କର ତାଲୀମ ଲାଗି ସରକାର ତାଲୀମ କେନ୍ଦ୍ରମାନ ଚଳାଉଚନ୍ତି ଏବଂ ନୂତନ ଯନ୍ତ୍ରପାତି ଓ ଉପକରଣ କିଣିପାରିବା ଲାଗି ଚାଷୀମାନଙ୍କ ଋଣ ମଧ୍ୟ ଦେଉଚନ୍ତି । କୌଣସି ବିଶେଷ କାର୍ଯ୍ୟକ୍ରମ ଜରିଆରେ ଯୋଜନା ଚଳାଇବା ପରିବର୍ତ୍ତେ ବର୍ତ୍ତମାନ ସମଗ୍ର ଗ୍ରାମକୁ ଏକକ ଭାବେ ଗ୍ରହଣ କରି ଅଧିକ ବ୍ୟାପକ ଯୋଜନାମାନ ଆରମ୍ଭ ହେଲାଣି । ନୂତନ ଗଢ଼ଣରେ ଗ୍ରାମର ପୁନର୍ନିର୍ମାଣ କରାଇବା, ସହର ଓ ଗାଆଁଗୁଡ଼ିକର ଅର୍ଥନୈତିକ ତଥା ସାମାଜିକ ସର୍ବେକ୍ଷଣ ଓ ଅଧ୍ୟୟନର ଆୟୋଜନ କରାଇବା ପ୍ରଭୃତି କାର୍ଯ୍ୟମାନ ହାତକୁ ନିଆଗଲାଣି । ସାମାଜିକ ଜୀବନର ଆବଶ୍ୟକତା ଗୁଡ଼ିକର ବିଶ୍ଳେଷଣ କରି ସାଧାରଣ ଉନ୍ନୟନ ଦୃଷ୍ଟିରୁ ଆଗତୁରା ଯୋଜନା କରିବାର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଲାଣି । ଉଡ଼ି ବିକାଶକ୍ଷେତ୍ରରେ ଏହି ତିନୋଟିଯାକ ପର୍ଯ୍ୟାୟ ଯେକୌଣସି ବିକଶମାନ ଦେଶରେ ସାମୁଦାୟିକ ବିକାଶଯୋଜନା କ୍ରମବିବର୍ତ୍ତିତ ହୋଇ କେଉଁଦିଗରେ ଗତି କରିବ, ସେହି ବିଷୟରେ ଅନେକ ଅନ୍ତର୍ଦୁଷ୍ଟି ଯୋଗାଇ ଦେଉଚି । (ତତ୍ରୈବ : ପୃଷ୍ଠା–୩୯)

 

ଦେଶର ଗ୍ରାମପାଠଶାଳା ଜରିଆରେ କିପରି ଦେଶର ଗ୍ରାମସମୁଦାୟ ଗୁଡ଼ିକର ସୁସ୍ଥ ଓ ସର୍ବାଙ୍ଗୀନ ବିକାଶ କରାଯାଇପାରିବ, ସେ ବିଷୟରେ ଦ୍ୱୀପପୁଞ୍ଜର ଦେଶ ଫିଲିପାଇନ୍ ଏକ ଆଦର୍ଶ ଦୃଷ୍ଟାନ୍ତ ହୋଇ ରହିଥିବ । ଏହି ଦୀପପୁଞ୍ଜର ସାନ ବଡ଼ ବିଭିନ୍ନ ଦ୍ୱୀପରେ ପ୍ରାୟ ୨୦୦୦୦ କ୍ଷୁଦ୍ର ଗ୍ରାମସମୁଦାୟ ରହିଚି ଏବଂ ଏଗୁଡ଼ିକରେ ପ୍ରାୟ ୨୩୦ ଲକ୍ଷ ଲୋକ ବାସ କରୁଚନ୍ତି । ଏହି ଗ୍ରାମଗୁଡ଼ିକରେ ଯେଉଁ ନୂତନ ସ୍କୁଲଗୁଡ଼ିକର ସ୍ଥାପନା କରାଯାଇଚି ଓ ଯେଉଁଗୁଡ଼ିକୁ ଗ୍ରାମସମୁଦାୟର ସମଗ୍ର ବିକାଶରେ ଏଜେଣ୍ଟରୂପେ ବ୍ୟବହାର କରାଯାଉଚି, ସେଗୁଡ଼ିକ ବର୍ତ୍ତମାନ କମ୍ୟୁନିଟି ସ୍କୁଲ ନାମରେ ଲୋକପ୍ରିୟ ହୋଇ ସାରିଲାଣି । ଗ୍ରାମ ସ୍କୁଲଗୁଡ଼ିକ କମ୍ୟୁନିଟି ସ୍କୁଲରେ ରୂପାନ୍ତରିତ କରିବା ପଛରେ ଯେଉଁ କାରଣମାନ ରହିଚି, ବିଶ୍ୱରାଷ୍ଟ୍ର ସଂଘଦ୍ୱାରା ପ୍ରକାଶିତ ଏକ ପୁସ୍ତିକାରେ (ପୁସ୍ତକ ଟିପ୍ପଣୀ-୬, ପୃଷ୍ଠା-୮୮) ସେଗୁଡ଼ିକ ନିମ୍ନଲିଖିତ ପ୍ରକାରେ ବର୍ଣ୍ଣନା କରାଯାଇଚି: କ୍ରମେ ଏକଥା ସମସ୍ତେ ଭଲଭାବରେ ହୃଦୟଙ୍ଗମ କରିବାକୁ ଲାଗିଲେ ଯେ ସ୍କୁଲ ଜରିଆରେ ପିଲାମାନଙ୍କୁ ଯେଉଁସବୁ ଶିକ୍ଷା ଦିଆଯାଉଚି, ପିଲାମାନଙ୍କର ଜୀବନରେ ତାହାର କୌଣସି ସ୍ଥାୟୀ ପ୍ରଭାବ ପଡ଼ିପାରୁନାହିଁ । କାରଣ ପିଲାମାନେ ଘରେ ଯେଉଁପରି ବାତାବରଣରେ ରହୁଚନ୍ତି, ସେହି ବାତାବରଣ ଉପରେ ସ୍କୁଲର କୌଣସି ପ୍ରଭାବ ପଡ଼ିପାରିବାର କୌଣସି ସାଧନା ବା ସମ୍ଭାବନା ନାହିଁ । ପିଲାମାନେ ସ୍କୁଲରେ ଥିବାବେଳେ ଯାହାସବୁ ଶୁଣୁଚନ୍ତି ଓ ଯେଉଁପରି ଜୀବନ ଗଢ଼ିବାଲାଗି ପ୍ରେରଣା ପାଉଚନ୍ତି, ଘରକୁ ଯାଇ ଠିକ୍ ତାହାର ଓଲଟା ଦେଖୁଚନ୍ତି । ଅନେକାଂଶରେ ସେମାନେ ଘରର ବାତାବରଣ ସହିତ ଆପଣାକୁ ଖାପଖୁଆଇବାକୁ ଯାଇ ସ୍କୁଲରେ ଶିଖିଥିବା ପାଠ ଓ ଶିକ୍ଷାକୁ ବର୍ଜନ କରିବାକୁ ଆବଶ୍ୟକ ମଣୁଚନ୍ତି । ଶିକ୍ଷାକୁ ଅଧିକ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ଯେଉଁପରି ଉପାୟମାନ ଅବଲମ୍ବନ କରିବାକୁ ହେବ, ଏହିକଥା ଚିନ୍ତା କରୁଥିବା ବେଳେ ଫିଲିପାଇନ୍‌ର ଶିକ୍ଷାବିତ୍ ଓ ସରକାରୀ କର୍ତ୍ତାମାନେ ଯୁକ୍ତରାଜ୍ୟ ଆମେରିକାରେ ପ୍ରଚଳିତ ଥିବା ସାମୁଦାୟିକ ଶିକ୍ଷାବ୍ୟବସ୍ଥାର ଅଧ୍ୟୟନ କରିଥିଲେ ଏବଂ ୧୯୪୯ ମସିହାରେ କମ୍ୟୁନିଟି ସ୍କୁଲର ନୂତନ ମାର୍ଗକୁ ହିଁ ଜାତୀୟ ଶିକ୍ଷାର ମାର୍ଗରୂପେ ଗ୍ରହଣ କରିଥିଲେ । ଫିଲିପାଇନ୍ ଦ୍ୱୀପପୁଞ୍ଜରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସ୍କୁଲଗୁଡ଼ିକ ପଛରେ ପ୍ରଧାନତଃ ଯେଉଁ ଶିକ୍ଷାଦୃଷ୍ଟିମାନ ନିହିତ ହୋଇ ରହିଚି, ସେଗୁଡ଼ିକ ନିମ୍ନଲିଖିତ କେତୋଟି କଥାରେ ସଂକ୍ଷିପ୍ତ କରି କୁହାଯାଇ ପାରିବ: ।।୧।। ପିଲାମାନେ ସ୍କୁଲରେ ଯାଇ ପାଠପଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ବାପମାଆମାନେ ମଧ୍ୟ ଉନ୍ନତତର ଜୀବନମାର୍ଗ ଓ ଜୀବନସାଧନ ବିଷୟରେ ଶିକ୍ଷା ପାଇବେ । ।।୨।। କୌଣସି ସ୍କୁଲରେ କେତେ ବେଶୀ ପରିମାଣରେ ପାଠ ପଢ଼ାହେଲା, କେବଳ ସେଇଥିରୁ ହିଁ ଆମେ ସ୍କୁଲର ସଫଳତାକୁ ମାପି ପାରିବା ନାହିଁ, କିନ୍ତୁ ଉପଲବ୍‌ଧ ଶିକ୍ଷାକୁ ପିଲା ଓ ସେମାନଙ୍କ ବାପମାଆ ଆପଣାର ଦୈନନ୍ଦିନ ଜୀବନରେ କେତେଦୂର ଓ କିପରି ଭାବରେ ପ୍ରୟୋଗ କରୁଚନ୍ତି, ସେକଥା ଦେଖି ମଧ୍ୟ ଆମେ ସ୍କୁଲର ସଫଳତା ବା ବିଫଳତା ବିଷୟରେ ବିଚାର କରିପାରିବା । ।।୩।। କେବଳ କେତେକ ଜ୍ଞାନ ଓ କେତେଟା କୌଶଳ ଶିଖାଇଦେଲେ କମ୍ୟୁନିଟି ସ୍କୁଲର ସବୁ ଦାୟିତ୍ୱ ସମ୍ପୂର୍ଣ୍ଣ ହୋଇଯିବନାହିଁ, ପାରିବାରିକ ଓ ସାମୁଦାୟିକ ଜୀବନର ଉନ୍ନତିବିଧାନ କରିବା ମଧ୍ୟ ତାହାର ଏକ ପ୍ରଧାନ ଦାୟିତ୍ୱ ହୋଇ ରହିବ । ।।୪।। ଶିକ୍ଷାକ୍ରମରେ ବାପମାଆ, ଶିକ୍ଷକ ଓ ପିଲା ତିନିହେଁ ସମ୍ପୃକ୍ତ ରହିବେ ଏବଂ ସେଥିଲାଗି ସ୍କୁଲର ପାଠ୍ୟକ୍ରମ ତିଆରି କଲାବେଳେ ଏଥିରେ ତିନିହେଁ ଭାଗ ନେବେ ଓ ତିନିପକ୍ଷଯାକର ସ୍ୱାର୍ଥ ପ୍ରତି ଅବଶ୍ୟ ଦୃଷ୍ଟି ଦିଆଯିବ । ।।୫।। ବାହାରୁ ଆଉ କୌଣସି ବହିରୁ ରପ୍ତାନୀ ହୋଇ ଆସିଥିଲାପରି ଗୋଟାଏ ପାଠ୍ୟକ୍ରମକୁ କାହାରି ଉପରେ ଲଦି ଦିଆଯିବନାହିଁ, ମାତ୍ର ସମୁଦାୟରେ ବାସ କରୁଥିବା ଜନସାଧାରଣ ଦୈନନ୍ଦିନ ଜୀବନରେ ସାମନା କରୁଥିବା ବାସ୍ତବ ସମସ୍ୟା, ଆବଶ୍ୟକତା ଓ ହିତଗୁଡ଼ିକ ଉପରେ ଆଧାରିତ ହୋଇ ଏହାର ନିର୍ମାଣ ଓ ବିକାଶ କରାଯାଉଥିବ । କେତେକ ସାଧାରଣ ପାଠ୍ୟବିଷୟ ଓ କୌଶଳକୁ ଛାଡ଼ିଦେଲେ ଦେଶରେ ସବୁ ସ୍କୁଲର ପାଠ୍ୟକ୍ରମ କଦାପି ସମାନ ହେବନାହିଁ ଏବଂ ସ୍ଥାନୀୟ ସମସ୍ୟାଗତ ଓ ଅନ୍ୟାନ୍ୟ ବିଭିନ୍ନତା ଅନୁସାରେ ସେଗୁଡ଼ିକ ଯଥାସମ୍ଭବ ବିଭିନ୍ନ ଓ ସ୍ଥିତିସ୍ଥାପକ ଭାବରେ ତିଆରି ହୋଇଥିବ । ।।୬।। ଗଣତାନ୍ତ୍ରିକ ଜୀବନକୁ ଆଧାରଶିଳା ମାନି ଅନୁରୂପ ନୀତି ଓ ପଦ୍ଧତି ଅନୁସାରେ କମ୍ୟୁନିଟି ସ୍କୁଲଗୁଡ଼ିକ ସଂଗଠିତ ତଥା ପରିଚାଳିତ ହେଉଥିବ ।

 

ଫିଲିପାଇନ୍ ଦ୍ୱୀପପୁଞ୍ଜର କମ୍ୟୁନିଟି ସ୍କୁଲଗୁଡ଼ିକର ପ୍ରସଙ୍ଗ ପଡ଼ିଥିଲାବେଳେ ଅନେକ ସମୟରେ ଭାରତବର୍ଷରେ ଏକଦା ନିଷ୍ଠାପର ଭାବରେ ପ୍ରସାରିତ ହୋଇଥିବା ମୌଳିକ ଶିକ୍ଷା ଯୋଜନାର କଥା ମନେପଡ଼ିଯାଏ । ନାନା ପ୍ରତିକୂଳ କାରଣରୁ ଆମଦେଶରେ ମୌଳିକ ଶିକ୍ଷାର କର୍ପୂର ଉଡ଼ିଗଲା ଓ କର୍ପୂରବନ୍ଧା କନାକୁ ପାଟକନା ପରି ରଙ୍ଗାଇ ଦିଆଗଲା । ସେହିପରି କେତେକ ଅନୁକୂଳ କାରଣରୁ ସାନ ଫିଲିପାଇନ୍ ଦେଶରେ କମ୍ୟୁନିଟି ସ୍କୁଲର ବିକାଶ ଓ ଅଭିବୃଦ୍ଧି ସାଧିତହେଲା ଏବଂ ଏକ ବିକଶମାନ ସମାଜର ଉନ୍ନୟନ କ୍ରମରେ ଏହାକୁ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାର ପରିସର ମଧ୍ୟ ମିଳିଲା । ଭାରତବର୍ଷରେ ଗ୍ରାମ ତଥା ଗ୍ରାମୋତର ସ୍ତରର ଶିକ୍ଷା ଓ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମ ମଧ୍ୟରେ କିପରି ସମ୍ପର୍କ ରହିଚି, ଉଚିତ ସ୍ଥାନରେ ପରେ ତାହାର ଆଲୋଚନା କରାଯିବ । ଏଠାରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଆମ ଜାତୀୟ ଶିକ୍ଷାକୁ ସାମାଜିକ ବିକାଶ ଓ ବୃଦ୍ଧିର ଅନୁକୂଳ କରିବାକୁ ହେଲେ ଆମକୁ ମୌଳିକ ଶିକ୍ଷାନୀତିର ଅନେକ ଭଲକଥାକୁ ହୁଏତ ବାଧ୍ୟହୋଇ ପୁଣି ଗ୍ରହଣ କରିବାକୁ ପଡ଼ିବ, ତେବେ ଯାଇ ଫିଲିପାଇନ୍ ଦେଶରେ କମ୍ୟୁନିଟି ସ୍କୁଲଗୁଡ଼ିକର ଜରିଆରେ ଯେଉଁ ଲୋକୋତ୍‌ଥାନ ସମ୍ଭବ ହୋଇଚି, ଆମଦେଶର ସ୍କୁଲଗୁଡ଼ିକୁ ମଧ୍ୟ ସେହି ଲୋକାତ୍‌ଥାନ-କାର୍ଯ୍ୟରେ ବ୍ୟବହୃତ କରାଯାଇ ପାରିବ । ତେଣୁ ଫିଲିପାଇନ୍ ଦେଶର କମ୍ୟୁନିଟି ସ୍କୁଲ ବିଷୟରେ ଲିଖିତ ଏକ ବିଶେଷ ପୁସ୍ତକରୁ ବିବରଣମାନ ଆଣି ଆମର ଆଲୋଚନାରେ ଗଅଁଠାଇ ଦେଲେ ତାହା ଆଦୌ ଅବାନ୍ତର ହେବନାହିଁ-। (୧୦)

 

ଏହି ପୁସ୍ତକଟିର ଲେଖକଙ୍କର ମତରେ ଫିଲିପାଇନ୍ ଦ୍ୱୀପପୁଞ୍ଜରେ କମ୍ୟୁନିଟି ସ୍କୁଲର ବିଚାର ଆଦୌ ନୂଆକଥା ନୁହେଁ । ଅବଶ୍ୟ ଏକ ଜାତୀୟ ଆନ୍ଦୋଳନରୂପେ କେବଳ ଗତ ମହାଯୁଦ୍ଧ ପରେ ହିଁ କମ୍ୟୁନିଟି ସ୍କୁଲର ପ୍ରଥମ ପ୍ରତିଷ୍ଠା ହୋଇଥିଲା, କିନ୍ତୁ କମ୍ୟୁନିଟି ସ୍କୁଲର ବିଚାର ଏହାର ଅନେକବର୍ଷ ପୂର୍ବରୁ ଦେଶର ଜନନାୟକମାନଙ୍କର ମୁଣ୍ଡରେ ଖେଳୁଥିଲା । ଦେଶରେ ସ୍ୱାଧୀନତା-ସଂଗ୍ରାମ ଚାଲିଥିବା ବେଳେ ଫିଲିପାଇନ୍ ର ବିପ୍ଳବୀ ବୀର ରିଜାଲ୍ (Jose Rizal) କୌଣସି ଏକ ଦ୍ୱୀପରେ ନିର୍ବାସିତ ହୋଇ ରହିଥିବା ସମୟରେ ଏପରି ସ୍କୁଲ ଆରମ୍ଭ କରିଥିଲେ, ଯେଉଁଠିକି ବହିର ପ୍ରଚଳନ ହେଉନଥିଲା ଏବଂ ପିଲା ଓ ବୟସ୍କ ଉଭୟେ ସେଠାକୁ ପଢ଼ିବାଲାଗି ଆସୁଥିଲେ । ସେହି ବିଦ୍ୟାଳୟରେ ଭାଷା, ଗଣିତ, ପ୍ରକୃତି ପର୍ଯ୍ୟବେକ୍ଷଣ ଓ କେତେକ ଧନ୍ଦା ଶିକ୍ଷା ଦିଆଯାଉଥିଲା । ଶାରୀରିକ ଶ୍ରମ କରିବାରେ ଯେ କୌଣସି ଲଜ୍ଜା ରହିବା ଉଚିତ ନୁହେଁ ଏବଂ ସମାଜର ପ୍ରତ୍ୟେକ ଲୋକର ଯେ ଆପଣାକୁ ଅଧିକରୁ ଅଧିକ ଉପଯୋଗୀ କରି ତିଆରି କରିବା ଉଚିତ, ଏହାହିଁ ସେହି ଶିକ୍ଷାର ମୂଳ ଦୃଷ୍ଟି ହୋଇ ରହିଥିଲା । ରିଜାଲଙ୍କର ଏହି ସ୍କୁଲ (୧୮୯୨ ରୁ ୧୮୯୬ ପର୍ଯ୍ୟନ୍ତ ଏହି ବିଦ୍ୟାଳୟଟି ଚାଲିଥିଲା ।) ଫିଲିପାଇନ୍ ଦେଶରେ କମ୍ୟୁନିଟି ସ୍କୁଲର ସ୍ଥାପନା ଦିଗରେ ପ୍ରଥମ ଉଦ୍ୟମ ଥିଲା ବୋଲି ଅନେକ ସମୟରେ କୁହାଯାଇଥାଏ ।

 

ଦ୍ୱିତୀୟ ମହାଯୁଦ୍ଧ ପରେ ହିଁ ଜାତୀୟ ସ୍ତରରେ କମ୍ୟୁନିଟି ସ୍କୁଲଗୁଡ଼ିକର ପ୍ରତିଷ୍ଠା ଆରମ୍ଭ ହୋଇଥିଲା । ଯୁଦ୍ଧପରେ ଫିଲିପାଇନ୍ ଦେଶର ଜୀବନ ନାନାଭାବେ ବିକଳ ଓ ବିଘଟିତ ହୋଇ ପଡ଼ିଥିଲା । ଗ୍ରାମାଞ୍ଚଳର ସମାଜକୁ ପୁଣି ନୂତନ ଜୀବନର ସ୍ପନ୍ଦନ ଫେରାଇଆଣିବା ଲାଗି ଗ୍ରାମାଞ୍ଚଳର ସମଗ୍ର ଉନ୍ନତି କରିବା ଅତ୍ୟାବଶ୍ୟକ ହୋଇ ରହିଥିଲା । ଗତ କେତୋଟି ଦଶକ ମଧ୍ୟରେ ସହରଗୁଡ଼ିକ ଆଗେଇ ଯାଇଥିଲେ ଓ ଗାଆଁମାନେ ବଡ଼ ଅବହେଳିତ ଭାବରେ ପଛରେ ପଡ଼ି ରହିଥିଲେ । ଗାଆଁର ପୁନର୍ଗଠନ ନହେଲେ ଯେ ଗ୍ରାମବାସୀର ଜୀବନ ଆଦୌ ସୁଖମୟ ହୋଇପାରିବନାହିଁ, ସରକାର ସମେତ ସମସ୍ତେ ଏହିକଥା ହୃଦୟଙ୍ଗମ କରୁଥିଲେ । ଗାଆଁର ଆର୍ଥିକ ସମ୍ପନ୍ନତା ବଢ଼ିବ, ଅଭାବ ଓ ଆବଶ୍ୟକତା ଗୁଡ଼ିକର ଯଥାଶକ୍ତି ପୂରଣ ହେବ, ଗାଆଁର ସମାଜ ମଧ୍ୟ ଅଧିକ ସମ୍ପନ୍ନ ହୋଇପାରିବ, ଗାଆଁଲୋକଙ୍କର ଜୀବନାଚରଣମାନେ ଅଧିକ ସ୍ୱାସ୍ଥ୍ୟ-ଅନୁକୂଳ ହେବ ଓ ଗାଆଁରେ ଅବସର–ବିନୋଦନ ଲାଗି ଯଥେଷ୍ଟ କ୍ଷେତ୍ର ମଧ୍ୟ ରହିବ, ମୋଟଉପରେ ଗ୍ରାମ ଜୀବନକୁ ଅଧିକ ସୁନ୍ଦର ଓ ଅଧିକ ଆକର୍ଷଣୀୟ କରି ଗଢ଼ିବାକୁ ଚେଷ୍ଟା କରାଯିବ, ଏହି ବିଷୟରେ ସମସ୍ତେ ଚିନ୍ତା କରିବାକୁ ଲାଗିଲେ ।

 

Unknown

ଏତିକିବେଳେ ଫିଲିପାଇନ୍ ଦେଶ ସ୍ୱାଧୀନ ହେଲା ଏବଂ ସ୍ୱାଧୀନତା ସଙ୍ଗେ ସଙ୍ଗେ ଜାତୀୟ ଜୀବନରେ ନୂତନ ଇଚ୍ଛା ଓ ନୂତନ ପ୍ରେରଣାର ଜନ୍ମ ହେଲା । ଆଗରୁ ଏହା ଆମେରିକାର ଉପନିବେଶ ହୋଇ ରହିଥିଲା । ସେତେବେଳେ ଫିଲିପାଇନ୍ ଦେଶରେ ଶିକ୍ଷାର ବ୍ୟବସ୍ଥା କରିବା ପ୍ରଧାନତଃ ବିଦେଶୀ ଶାସକମାନଙ୍କର ଦାୟିତ୍ୱ ଥିଲା । ଫଳତଃ ଅଧିକାଂଶ କ୍ଷେତ୍ରରେ ଆମେରିକାରୁ କୌଣସି ରୀତି ବା ପଦ୍ଧତିକୁ ନକଲ କରି ମଣି ତାହାକୁ ହିଁ ଫିଲିପାଇନ୍ ଲାଗି ଉଚିତ ଶିକ୍ଷା ବ୍ୟବସ୍ଥା ବୋଲି କୁହାଯାଉଥିଲା । ସବୁଠାରୁ ଦୟନୀୟ ବିଷୟ ହେଉଚି ଯେ କୌଣସି ଶିକ୍ଷାପଦ୍ଧତି ପୁରାତନ ବୋଲି ସିଦ୍ଧ ହୋଇ ମୂଳଦେଶ ଆମେରିକାର ବର୍ଜିତ ହୋଇସାରିବାପରେ ମଧ୍ୟ ଫିଲିପାଇନ୍‌ରେ ତାହାକୁ ପୂର୍ଣ୍ଣ ଉତ୍ସାହରେ ଚାଲୁ ରଖିବାକୁ ଚେଷ୍ଟା କରାଯାଉଥିଲା । ୧୯୪୯ ମସିହାରେ ଜାତୀୟ ସରକାରଙ୍କ ତରଫରୁ ବସିଥିବା ଗୋଟିଏ କମିଟି ଗ୍ରାମାଞ୍ଚଳର ଦଶା ବିଷୟରେ ନିମ୍ନପ୍ରକାରେ ମନ୍ତବ୍ୟ ପ୍ରକାଶ କରିଥିଲା : ‘‘ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ନାନା ଅନ୍ଧବିଶ୍ୱାସରେ ବୁଡ଼ି ରହିଚନ୍ତି । ପୂର୍ବକାଳରେ ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନ ବିଷୟରେ ସେମାନଙ୍କର ଆଚାରବିଧି ଯେପରି ରହିଥିଲା ଆଧୁନିକ ଜ୍ଞାନ ଓ ବିଜ୍ଞାନ ସତ୍ତ୍ୱେ ବର୍ତ୍ତମାନ ମଧ୍ୟ ଠିକ୍ ସେହିପରି ରହିଚି । ଆଜି ମଧ୍ୟ ଗାଆଁର ଅଧିବାସୀ ମଶାରି ବ୍ୟବହାର କରୁନାହିଁ ଏବଂ ମଶା ଓ ମାଛିଙ୍କ ଦ୍ୱାରା ମେଲେରିଆ ଓ ହଇଜା ପ୍ରଭୃତି ସଂକ୍ରାମକ ରୋଗ ବ୍ୟାପିଥାଏ ବୋଲି ସେ ଆଜି ବୁଝିଲାପରି ମନେ ହେଉ ନାହିଁ । ଏବେ ମଧ୍ୟ ସେ ରୋଗର ଆରୋଗ୍ୟ ସକାଶେ ପ୍ରଧାନତଃ ଝଡ଼ାମନ୍ତ୍ର ଓ ଗୁଣିଗାରେଡ଼ୀ ଉପରେ ଆସ୍ଥା ରଖିଚି ।’’

 

ପରବର୍ତ୍ତୀ କେତେବର୍ଷ ସକାଶେ ପ୍ରାରମ୍ଭିକ ଉଦ୍ୟମ ଓ ପ୍ରୟୋଗମାନ ଚାଲିବାପରେ ୧୯୪୯ ମସିହା ଅଗଷ୍ଟ ମାସରେ କମ୍ୟୁନିଟି ସ୍କୁଲ ଯୋଜନାକୁ ସରକାରୀ ନୀତି ବୋଲି ଗ୍ରହଣ କରାଗଲା ଏବଂ ଇଲୋଇଲୋଠାରେ ଏହି ଦିଗରେ ପ୍ରଥମ ବିଧିବଦ୍ଧ ପ୍ରଚେଷ୍ଟା ମଧ୍ୟ ଆରମ୍ଭ ହୋଇଥିଲା । ୧୯୫୩ ମସିହାରେ ଶ୍ରୀଯୁକ୍ତ ରାମନ୍ ମାଗ୍‌ସେସେ ଫିଲିପାଇନ୍ ଦେଶର ରାଷ୍ଟ୍ରପତି ନିର୍ବାଚିତ ହେଲେ । ଗ୍ରାମାଞ୍ଚଳର ଅଭାବ ମୋଚନ କରିବା ଓ ଦେଶର ପ୍ରତ୍ୟେକ ମଣିଷ ଯେପରି ମଣିଷପରି ସମ୍ମାନିତ ଜୀବନ ଯାପନ କରିବାର ସୁଯୋଗ ଓ ଅଧିକାର ପାଇପାରିବ, ସେଥିଲାଗି ଆବଶ୍ୟକ କ୍ଷେତ୍ରମାନ ପ୍ରସ୍ତୁତ କରି ରଖିବା ତାଙ୍କ ଶାସନର ଅନ୍ୟତମ ପ୍ରଧାନ ନୀତି ହେଲା । ଏହା ଫଳରେ କମ୍ୟୁନିଟି ସ୍କୁଲଗୁଡ଼ିକ ଉନ୍ନତିମାର୍ଗରେ ଅଗ୍ରସର ହୋଇ ସୁପ୍ରତିଷ୍ଠିତ ହେବାଲାଗି ପରିପୂର୍ଣ୍ଣ ସୁଯୋଗ ପାଇଲେ । ଶ୍ରୀ ମାଗ୍‌ସେସେଙ୍କ ଶାସନକାଳରେ ଗୋଟିଏ ନୂତନ ଆଇନ୍ ପାସ୍ ହେଲା, ଯାହାଦ୍ୱାରା କି ଗ୍ରାମସମାଜ ଉପରେ ସ୍ଥାନୀୟ ସ୍ତରରେ କେତେକ ଶାସନକ୍ଷମତା ନ୍ୟସ୍ତ କରିଦିଆଗଲା । ଗ୍ରାମସମାଜ ଗ୍ରାମବାସୀଙ୍କଠାରୁ ଟିକସ ଆଦାୟ କରିପାରିଲା, ଏବଂ ତାହାରି ସାହାଯ୍ୟରେ ସ୍ଥାନୀୟ ବିକାଶ ଓ ନିର୍ମାଣଯୋଜନାମାନ ମଧ୍ୟ ହାତକୁ ନେଇପାରିଲା । ଚୀନଦେଶର ଜନବିକାଶ ଆନ୍ଦୋଳନଦ୍ୱାରା ଅନୁପ୍ରେରିତ ହୋଇ ଏବଂ କମ୍ୟୁନିଟି ସ୍କୁଲଗୁଡ଼ିକର ଉଦ୍‌ବୋଧନ ନେଇ ୧୯୫୨ ମସିହାରେ ଗ୍ରାମନିର୍ମାଣ ଆନ୍ଦୋଳନ (PRRM) ବୋଲି ଏକ ନୂତନ ସଂଗଠନ ପ୍ରତିଷ୍ଠିତ ହୋଇଥିଲା । ଆଜି ଆନ୍ତର୍ଜାତିକ କ୍ଷେତ୍ରରେ ଫିଲିପାଇନ୍‌ର କମ୍ୟୁନିଟି ସ୍କୁଲଗୁଡ଼ିକ ପ୍ରସିଦ୍ଧ ହୋଇ ସାରିଲାଣି । ଇଉନେସ୍କୋ ଓ ଅନ୍ୟାନ୍ୟ ଦେଶରୁ ପର୍ଯ୍ୟବେକ୍ଷକମାନେ ଏହାର କାର୍ଯ୍ୟ ଦେଖିବାଲାଗି ଫିଲିପାଇନ୍ ଆସୁଚନ୍ତି । ତାଇଓ୍ୱାନ୍, ଭିଏତ୍‌ନାମ୍, ଥାଇଲାଣ୍ଡ୍, ଇଣ୍ଡୋନେସିଆ, ପାକିସ୍ତାନ ଓ ଇରାନ୍ ପ୍ରଭୃତି ପ୍ରତିବେଶୀ ଦେଶମାନେ ଫିଲିପାଇନ୍‌ର ଏହି ସଫଳ ପ୍ରୟୋଗଟିରୁ ଆପଣାଲାଗି କିଛି ଶିଖିବାଲାଗି ଉଦ୍ୟମ କରିଚନ୍ତି । ଆଜି ଅନେକ ଦୃଷ୍ଟିରୁ କମ୍ୟୁନିଟି ସ୍କୁଲର ପଦ୍ଧତିକୁ ହିଁ ସମଗ୍ର ଫିଲିପାଇନ୍ ଦେଶର ଜାତୀୟ ଶିକ୍ଷାପଦ୍ଧତି ବୋଲି କୁହାଯାଇପାରିବ । ଏହି ପଦ୍ଧତିଟିକୁ କେବଳ ଗ୍ରାମସ୍ତରରେ ବା କେବଳ ପ୍ରାଥମିକ ଶିକ୍ଷାସ୍ତରରେ ନୁହେଁ, ସମଗ୍ର ଦେଶରେ ଓ ମାଧ୍ୟମିକ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ଚଳାଇବାଲାଗି ସରକାରୀ ଶିକ୍ଷାବିଭାଗ ଗଭୀରଭାବେ ଚିନ୍ତା କରୁଚନ୍ତି ଓ ସେହିଦିଗରେ ଆବଶ୍ୟକ ପଦକ୍ଷେପ ନେବାଲାଗି କ୍ରମେ ପ୍ରସ୍ତୁତ ହେଉଚନ୍ତି । ଶିକ୍ଷା ଜରିଆରେ ସମାଜବିକାଶ କରିବାର ଏହି ଅଭିନବ ପଦ୍ଧତି ସେ ଦେଶରେ ଜନମନର ସ୍ୱୀକୃତି ଲାଭକରିସାରିଲାଣି ଏବଂ ଏହିଥିରୁ ପ୍ରେରଣା ପାଇ ଗ୍ରାମାଞ୍ଚଳର ଅଧିବାସୀମାନେ ଆପଣା ସମସ୍ୟାଗୁଡ଼ିକୁ ବୁଝି ଆପଣା ଚେଷ୍ଟାରେ ସେଗୁଡ଼ିକର ସମାଧାନ କରିବାଲାଗି ମଧ୍ୟ ଅଧିକରୁ ଅଧିକ ପ୍ରସ୍ତୁତ ହୋଇପାରିଲେଣି । (ତତ୍ରୈବ : ତୃତୀୟ ଅଧ୍ୟାୟ)

 

ସାଧାରଣ ଢଙ୍ଗରେ ଚାଲୁଥିବା ସ୍କୁଲଗୁଡ଼ିକର ତୁଳନାରେ ଫିଲିପାଇନ୍ ଦେଶର କମ୍ୟୁନିଟି ସ୍କୁଲଗୁଡ଼ିକର କି କି ବିଶେଷତ୍ୱମାନ ରହିଚି, ଉଲ୍ଲିଖିତ ପୁସ୍ତକରେ ସେହି ବିଷୟରେ ଚଉଦଗୋଟି କଥା ପ୍ରତି ଆମର ଦୃଷ୍ଟି ଆକର୍ଷିତ କରାଯାଇଚି । ।।୧।। ଗାଆଁରେ ବାସ କରୁଥିବା ପ୍ରତ୍ୟେକ ପିଲା, ଯୁବକ ଓ ବୟସ୍କକୁ ଶିକ୍ଷାଦେବାର ଦାୟିତ୍ୱ କମ୍ୟୁନିଟି ସ୍କୁଲଉପରେ ରହିଚି । ସମାଜ ଓ ସାମୁଦାୟିକ ବିକାଶ କମ୍ୟୁନିଟି ସ୍କୁଲରୂପୀ ସମଗ୍ର ଯୋଜନାଟିର ଧ୍ୟେୟ ବୋଲି ଗ୍ରହଣ କରାଯାଉଚି । ।।୨।। ପ୍ରତ୍ୟେକ ପିଲା, ଯୁବକ ଓ ପ୍ରୌଢ଼କୁ ଜଣେ ଜଣେ ନୈପୁଣ୍ୟସମ୍ପନ୍ନ ବ୍ୟକ୍ତି ଓ ଗଣତନ୍ତ୍ର-ସମାଜରେ ଜଣେ ଜଣେ ସୁଦକ୍ଷ ନାଗରିକ ହିସାବରେ ତିଆରି କରିବା ହେଉଚି ସେହି ଶିକ୍ଷାର ଉଦ୍ଦେଶ୍ୟ । ।।୩।। ଏହି ଶିକ୍ଷା କେବଳ ସ୍କୁଲଘରେ ବା ସ୍କୁଲପିଲାଙ୍କ ଭିତରେ ସୀମାବଦ୍ଧ ହୋଇ ରହୁନାହିଁ, ସମଗ୍ର ସମୁଦାୟକୁ ହିଁ ତାହା ଆପଣାର କର୍ମାୟତନ ରୂପେ ଗ୍ରହଣ କରିନେଇଚି--।।୪।। ସ୍କୁଲରେ ଶିକ୍ଷାଦାନଲାଗି ଯେଉଁସବୁ ସାଧନ ଓ ଉପକରଣମାନ ମହଜୁଦ ରହିଚି, କେବଳ ସେହି ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପାଠ ପଢ଼ାଇବାବେଳେ ସେ ସବୁର ବ୍ୟବହାର ହେଉନାହିଁ; ମାତ୍ର ଗାଆଁର ଯେଉଁ ପିଲା, ଯୁବକ ଓ ପ୍ରୌଢ଼ମାନେ ସ୍କୁଲରେ ପାଠ ପଢ଼ିପାରୁନାହାନ୍ତି, ଏସବୁର ଜରିଆରେ ସେମାନଙ୍କଲାଗି ମଧ୍ୟ ଶିକ୍ଷାଦାନର ବ୍ୟବସ୍ଥା ରହିଚି । ।।୫।। ଗୋଟିଏ ପାଖରେ ପିଲା ଓ ଅନ୍ୟପାଖରେ ପ୍ରୌଢ଼, ଗୋଟିଏ ପାଖରେ ସ୍କୁଲ ଓ ଅନ୍ୟପାଖରେ ଗ୍ରାମସମାଜ,-ଦୁହେଁ ଦୁହିଁଙ୍କଦ୍ୱାରା ଉପକୃତ ହେଉଚନ୍ତି ଏବଂ ଦୁହେଁ ଦୁହିଁଙ୍କଉପରେ ପ୍ରଭାବ ପକାଇବାକୁ ସମର୍ଥ ହେଉଚନ୍ତି । ।।୬।। ଏହିସବୁ ଶିକ୍ଷାଦାନକ୍ରମରେ ଯଥାସମ୍ଭବ ଗାଆଁରେ ଓ ସମାଜଭିତରେ ଉପଲବ୍‌ଧ ମାନବିକ ଓ ଭୌତିକ ସାଧନ ଗୁଡ଼ିକର ଅଧିକରୁ ଅଧିକ ବିନିଯୋଗ କରାଯିବା କମ୍ୟୁନିଟି ସ୍କୁଲର ନୀତି ହୋଇ ରହିଚି । ।।୭।। ଗ୍ରାମଜୀବନର ଅଭାବ ଓ ଆବଶ୍ୟକତା, ସମସ୍ୟା ଓ କାର୍ଯ୍ୟକଳାପଗୁଡ଼ିକୁ ହିଁ ସକଳ ଶିଖିବା ଓ ଶିଖିବାର ପ୍ରକ୍ରିୟାରେ ସର୍ବପ୍ରଧାନ ବିଷୟବସ୍ତୁ ରୂପେ ଗ୍ରହଣ କରାଯାଇଚି । ।।୮।। ସ୍କୁଲ ଭିତରେ ପିଲାମାନଙ୍କୁ ବା ସ୍କୁଲ ବାହାରେ ସମାଜର ଜନସାଧାରଣଙ୍କୁ ଯେଉଁସବୁ ଶିକ୍ଷା ଦିଆଯାଉଚି, ସ୍ଥାନୀୟ ସଂସ୍କୃତି, ରୀତିରିବାଜ, ପରମ୍ପରା ଓ ଆଚାରମାର୍ଗର ପରିପୂର୍ଣ୍ଣ ସଦ୍‌ବ୍ୟବହାର କରିବା ତାହାର ନୀତି ହୋଇ ରହିଚି । ।।୯।। ଜୀବନଠାରୁ ବିଚ୍ଛିନ୍ନ ଭାବରେ କୌଣସି ଜ୍ଞାନ, କୌଶଳ ବା ଦକ୍ଷତାରେ ତାଲୀମ ଦିଆଯାଉନାହିଁ, ମାତ୍ର ବାସ୍ତବ ଜୀବନରେ ସେଗୁଡ଼ିକର କିପରି ଯଥାର୍ଥ ପ୍ରୟୋଗ ହୋଇପାରିବ, ତାହାରି ଉପରେ ଦୃଷ୍ଟି ରଖି ଏହା କରାଯାଉଚି । ।।୧୦।। ଶିକ୍ଷକର ଶିଖାଇବା ଓ ଛାତ୍ରର ଶିକ୍ଷା କରିବାର ଏହି ବିଦ୍ୟାଳୟ-କ୍ଷେତ୍ରରେ ଗଣତାନ୍ତ୍ରିକ ନୀତି ଓ ଗଣତାନ୍ତ୍ରିକ ଆଚାରକୁ ହିଁ ଭୂମିରୂପେ ଗ୍ରହଣ କରାଯାଇଚି । ଏହି ଗଣତାନ୍ତ୍ରିକ ଆଧାର ହିଁ ସ୍କୁଲର ସଂଗଠନ ଓ ପରିଚାଳନାକୁ ମଧ୍ୟ ନିୟନ୍ତ୍ରିତ କରୁଚି । ସ୍କୁଲସଂକ୍ରାନ୍ତୀୟ ଯାବତୀୟ ବ୍ୟକ୍ତିଗତ ତଥା ସାମାଜିକ ସମ୍ବନ୍ଧ ମଧ୍ୟ ଏହି ମୂଳନୀତିକୁ ମାନି ଚଳୁଚି । ।।୧୧।। କମ୍ୟୁନିଟି ସ୍କୁଲ ତଥା ସାମୁଦାୟିକ ଜୀବନରେ ସାମାଜିକ ସକଳପ୍ରକାର ଯୋଜନା ଓ କାର୍ଯ୍ୟାନୁସରଣରେ ସହଯୋଗ ଓ ସମବାୟପଦ୍ଧତିକୁ ମାର୍ଗରୂପେ ସ୍ୱୀକାର କରାଯାଇଚି । ।।୧୨।। କମ୍ୟୁନିଟି ବା ଗୋଷ୍ଠୀ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଆୟତନ ଭିତରେ ପରସ୍ପରର ନିକଟବର୍ତ୍ତୀ ହୋଇ ବାସ କରୁଥିବା ଲୋକଙ୍କୁ ବୁଝାଉନାହିଁ; କମ୍ୟୁନିଟି କହିଲେ ପ୍ରଧାନତଃ ପାରସ୍ପରିକତା ଓ ସମଭାଗିତାର ଏକ ଭାବନା ଓ ଜୀବନଦୃଷ୍ଟିକୁ ବୁଝାଉଚି । ଏହି ଭାବନାର ପରିଧି କ୍ରମେ ଗାଆଁସ୍ତରରୁ ବୃହତ୍ତର ବିଭିନ୍ନ ମାନବସ୍ତରକୁ ପ୍ରସାରିତ ହେବାରେ ଲାଗିଚି । ।।୧୩।। ସାମୁଦାୟିକ ଜୀବନର ବିକାଶ ଓ ପୁନର୍ଗଠନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଯେତେଗୁଡ଼ିଏ ସଂସ୍ଥା ଓ ସଙ୍ଗଠନ ଦେଶରେ କାର୍ଯ୍ୟ କରୁଚନ୍ତି, କମ୍ୟୁନିଟି ସ୍କୁଲ ସେହିମାନଙ୍କର କାର୍ଯ୍ୟକ୍ରମରେ ଶକ୍ତିସଂଚାରକ ରୂପେ କାର୍ଯ୍ୟ କରୁଚି, ଏହା ଜନସାଧାରଣଙ୍କ ମଧ୍ୟରେ ସେଥିଲାଗି ଅନୁକୂଳ ଇଚ୍ଛା ଓ ଉଦ୍ୟମଶୀଳତା ମଧ୍ୟ ସୃଷ୍ଟି କରୁଚି । ସମାଜବିକାଶର କାର୍ଯ୍ୟ ଲାଗି ଜନସାଧାରଣଙ୍କର ସହଯୋଗ ଓ ସଦ୍‌ଭାବ ପାଇବାରେ କମ୍ୟୁନିଟି ସ୍କୁଲ ଅନେକ ପରିମାଣରେ ସାହାଯ୍ୟ କରୁଚି । ।।୧୪।। କମ୍ୟୁନିଟି ସ୍କୁଲ୍‌ର ଉଦ୍ୟମ ଓ ମାର୍ଗଦର୍ଶନ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ସର୍ବସାଧାରଣ ଜନତା ଆପେ ଆପଣାର ସାହାଯ୍ୟ କରି ଆପଣା ସ୍ଥିତିରେ ପରିବର୍ତ୍ତନ ଆଣିବା ସକାଶେ ଆଗଭର ହୋଇ ବାହାରିପାରୁଚି । (ତତ୍ରୈବ : ପୃଷ୍ଠା-୨୯)

 

କମ୍ୟୁନିଟି ସ୍କୁଲଗୁଡ଼ିକୁ ଯେଉଁସବୁ ଗୁରୁଦାୟିତ୍ୱ ତୁଲାଇବାକୁ ପଡ଼ୁଚି, ସେହି ଦୃଷ୍ଟିରୁ ସେହି ସ୍କୁଲର ଶିକ୍ଷକକୁ ମଧ୍ୟ ଯେ ଅନୁରୂପ ପ୍ରକାରେ ଯୋଗ୍ୟ ଓ ପାରଙ୍ଗମ ହେବାକୁ ପଡ଼ିବ, ଏହା ଅତି ସ୍ୱାଭାବିକ କଥା । ଯେଉଁଠି ଛଅଟାଘଣ୍ଟା ପାଠ ପଢ଼ାଇଦେଲେ ମାଷ୍ଟରର ମାଷ୍ଟରପଣ ସିଦ୍ଧ ହୋଇଯାଏ, ସେଠାରେ ମାଷ୍ଟର ହେବାଲାଗି ଖୁବ୍ ବେଶୀ ଗୁଣ ବା ଯୋଗ୍ୟତା ହାସଲ କରିବାକୁ ପଡ଼େନାହିଁ । ପ୍ରଧାନତଃ ନେଇ ଆଣି ଥୋଇଜାଣିଲେ ସେଠାରେ ମାଷ୍ଟରବିଦ୍ୟାରେ ପାସ୍ ହୋଇଯାଏ । ପିଲାମାନଙ୍କୁ ପ୍ରଧାନତଃ ଘୁଷୁରିପଲ ପରି ଜଗିରଖିବା ଯେଉଁଠି ମାଷ୍ଟରର ସର୍ବୋତ୍ତମ କାମ ହୋଇ ରହିଚି, ସେଠାରେ ମାଷ୍ଟର ମଧ୍ୟ ଅଳ୍ପବହୁତ ଗୋଟାଏ ଘୁଷୁରିପରି ଆଚରଣ କଲେ ଚମତ୍କାର କାମ ଚଳିଯାଏ । ଫିଲିପାଇନ୍ ଦେଶର କମ୍ୟୁନିଟି ସ୍କୁଲ ଏପରି ମାଷ୍ଟରଙ୍କଦ୍ୱାରା କଦାପି ଚଳି ପାରନ୍ତାନାହିଁ । ସେଠାରେ ଏପରି ମାଷ୍ଟର ଯାଇ ହାବୁଡ଼ିଗଲେ ସେମାନେ ଅତି ଅଳ୍ପଦିନରେ ସବୁକଥାକୁ ମାଙ୍କଡ଼ କରି ଥୋଇଦିଅନ୍ତେ । ସେ ଦେଶରେ କମ୍ୟୁନିଟି ସ୍କୁଲ ସମ୍ଭବ ହେଉଚି ଓ ଆପଣା ମାର୍ଗରେ ଅଗ୍ରସର ହେବାରେ ଲାଗିଚି, ତାହାର କାରଣ ସେଠି ଯୋଗ୍ୟ ଲୋକମାନଙ୍କୁ ମଧ୍ୟ ଦାୟିତ୍ୱରେ ଆଣି ରଖାଯାଇଚି ଓ ଆପଣା ଦାୟିତ୍ୱଗୁଡ଼ିକର ଅନୁପାତରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ମଧ୍ୟ ମିଳୁଚି । ଜଣେ ବ୍ୟକ୍ତିଠାରେ ପ୍ରଧାନତଃ କେଉଁପ୍ରକାର ଦକ୍ଷତାମାନ ରହିଥିଲେ ସେ କମ୍ୟୁନିଟି ସ୍କୁଲରେ ଶିକ୍ଷକ ହେବାର ଯୋଗ୍ୟ ହୋଇପାରିବ, ସେହି ବିଷୟରେ କୁହାଯାଇଚି : ।।୧।। କମ୍ୟୁନିଟି ସ୍କୁଲର ଶିକ୍ଷକ ଗ୍ରାମାଞ୍ଚଳର ସମସ୍ୟାଗୁଡ଼ିକୁ ଭଲକରି ବୁଝୁଥିବ, ।।୨।। ସାମାଜିକ ପରିବର୍ତ୍ତନ ଦିଗରେ ଯେ ଯଥେଷ୍ଟ ପରିମାଣରେ ସଚେତ, ତତ୍ପର ଓ ଗ୍ରହଣଶୀଳ ରହିଥିବ, ।।୩।। ଫିଲିପାଇନ୍ ଦେଶରେ ପ୍ରତିଷ୍ଠିତ ରହିଥିବା ନୀତିଗତ ପରମ୍ପରାକୁ ସେ ଆଦର ଓ ଗ୍ରହଣ କରି ପାରୁଥିବ, ।।୪।। ଜାତୀୟ ଆଦର୍ଶଗୁଡ଼ିକୁ ଲୋକଜୀବନର ସ୍ତରକୁ ଅବତୀର୍ଣ୍ଣ କରାଇ ଆଣିବାଲାଗି ସେ ଆପଣାକୁ ଜଣେ ଦାୟିତ୍ୱସମ୍ପନ୍ନ ନିମିତ୍ତରୂପେ ବିଚାର କରୁଥିବ, ।।୫।। ପୋଥିଗତ କେବଳ କେତେଟା ବିଷୟକୁ ପଢ଼ାଇଦେବାରେ ସନ୍ତୁଷ୍ଟ ନରହି ସେ ଶିଶୁର ବିକାଶ ଓ ଅଭିବୃଦ୍ଧି ଉପରେ ହିଁ ଆପଣାର ସକଳ ଦୃଷ୍ଟି ଓ ଚେଷ୍ଟାକୁ ନିବଦ୍ଧ ଓ ନିୟୋଜିତ କରିପାରୁଥିବେ, ।।୬।। ଆପଣାର ଉଦ୍ୟମଦ୍ୱାରା ସେ ସ୍କୁଲ ଓ କମ୍ୟୁନିଟି ମଧ୍ୟରେ ପରିପୂର୍ଣ୍ଣ ସହଯୋଗ ସମ୍ଭବ କରାଉଥିବ, ।।୭।। ସ୍କୁଲ ତଥା ବୃହତ୍ତର ସମୁଦାୟର ଶିକ୍ଷାଲାଗି ଆବଶ୍ୟକ ପାଠ୍ୟକ୍ରମ ତିଆରି କରିବାରେ ତାହାର ଦକ୍ଷତା ରହିଥିବ, ।।୮।। ତାହାର ସକଳ କାର୍ଯ୍ୟବିଧି ଓ ଶୃଙ୍ଖଳାରେ ସେ ଗଣତନ୍ତ୍ରକୁ ହିଁ ଆଧାର ବୋଲି ମାନୁଥିବ, ।।୯।। ଶିଶୁର ବୃଦ୍ଧି ଓ ବିକାଶଲାଗି ସେ ଆପଣାକୁ ଟ୍ରଷ୍ଟ ବୋଲି ମାନୁଥିବ, ।।୧୦।। ଆପଣାର ବହୁବିଧ ଅଭିଜ୍ଞତାକୁ ଆଣି ସେ ଶିକ୍ଷାର ସମଗ୍ରକ୍ଷେତ୍ରରେ ଠୁଳ କରିପାରୁଥିବ ଏବଂ ସେହିଦୃଷ୍ଟିରୁ ସେଗୁଡ଼ିକର ଯଥାର୍ଥ ଓଜନ କରିପାରୁଥିବ, ।।୧୧।। ସମାଜର ଅଧିବାସୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେବାଲାଗି ତା’ର ଯୋଗ୍ୟତା ରହିଥିବ, ଇଚ୍ଛା ମଧ୍ୟ ରହିଥିବ, ।।୧୨।। ସ୍କୁଲ ଓ କମ୍ୟୁନିଟି ମଧ୍ୟରେ କିପରି ସମ୍ବନ୍ଧମାନ ରହିବା ଉଚିତ ଓ ସେଥିଲାଗି କିପରି ଉଦ୍ୟମମାନ କରାଯିବା ଉଚିତ, ସେବିଷୟରେ ସେ ସବୁ ଜାଣିଥିବ ଓ ସବୁ ବିଚାର କରିପାରୁଥିବ, ଏବଂ ।।୧୩।। କମ୍ୟୁନିଟି-ଜୀବନରେ ବିଭିନ୍ନ ଆକାଙ୍‌କ୍ଷାର ପୋଷଣ ଓ ବିଭିନ୍ନ କାର୍ଯ୍ୟର ସାଧନଲାଗି ସେ ଆବଶ୍ୟକ ନେତୃତ୍ୱ ଗ୍ରହଣ କରିବାଲାଗି ବି ଯୋଗ୍ୟତା ରଖିଥିବ-। (ତତ୍ରୈବ : ପୃଷ୍ଠା -୯୫)

 

ଆମେରିକାର ଜଣେ ଶିକ୍ଷାବିତ୍ ଫିଲିପାଇନ୍‌ରେ ଚାଲୁଥିବା କମ୍ୟୁନିଟି ସ୍କୁଲ ଆନ୍ଦୋଳନକୁ ଯେକୌଣସି ଆନ୍ଦୋଳନ ଅପେକ୍ଷା ଶ୍ରେଷ୍ଠତର ବୋଲି କହିଚନ୍ତି । ଗଣତନ୍ତ୍ରର ବିକାଶ କରିବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଜୀବନମାନ ବଢ଼ାଇବାଲାଗି ଏଥିରେ ଅନେକ ସମ୍ଭାବନା ରହିଚି ବୋଲି ସେ ମତ ଦେଇଚନ୍ତି । କିନ୍ତୁ ତଥାପି ଏହି ଆନ୍ଦୋଳନ ଆଗରେ ଏପର୍ଯ୍ୟନ୍ତ ମଧ୍ୟ ବହୁ ସମସ୍ୟା ରହିଚି । ପ୍ରଥମ ସମସ୍ୟା ହେଲା ଶିକ୍ଷକର ସମସ୍ୟା । ସ୍କୁଲର ଶିକ୍ଷକମାନଙ୍କଠାରୁ ଆମେ ପ୍ରକୃତରେ କେତେ ବେଶୀ କାମ ଆଦାୟ କରିପାରିବା ? ସେମାନେ ଏଣେ ସ୍କୁଲରେ ପିଲାକୁ ଔପଚାରିକ ପାଠ ପଢ଼ାଇବେ, ତେଣେ ସାମାଜିକ ଶିକ୍ଷାରେ ମଧ୍ୟ ନେତୃତ୍ୱ ଗ୍ରହଣ କରିବେ, ଏକଥା କେତେଦୂର ସମ୍ଭବ ହୋଇପାରିବ ? ଏହା କରିପାରିବାକୁ ଜଣେ ଶିକ୍ଷକପାଖରେ ପ୍ରକୃତରେ ଏତେ ସମୟ ଓ ଶକ୍ତି ରହିବ କି ? ବା ସବୁ କରିବାର ଉତ୍ସାହରେ ସେ ସବୁ ଅବହେଳା କରି ବସିବନାହିଁ ତ ? ସମାଜରେ କାର୍ଯ୍ୟ କରି କ୍ଳାନ୍ତ ହୋଇ ସ୍କୁଲକୁ ଫେରିଥିବା ଶିକ୍ଷକ ଯେ ଖୁବ୍ ବେଶୀ ସରାଗରେ ପିଲାମାନଙ୍କୁ ପଢ଼ାଇ ପାରିବନାହିଁ, ଏହା ଅତ୍ୟନ୍ତ ସ୍ୱାଭାବିକ । ତେଣୁ ଅନେକ ସମୟରେ ସମାଜର ଉନ୍ନୟନ ଅଭିଯାନରେ ଉତ୍ସାହର ସହିତ ଲାଗିପଡ଼ିଥିବାବେଳେ ଶିକ୍ଷକର ସ୍କୁଲକାମରେ ଅବହେଳା ପରିଲକ୍ଷିତ ହେଉଚି । ଅର୍ଥାତ୍ ଅତିକମ୍‌ରେ ପିଲାମାନଙ୍କର ସ୍କୁଲରେ ଯାହା ଶିଖିବା ଉଚିତ୍, ସେମାନେ ତାହା ଶିଖିପାରୁନାହାନ୍ତି । ଅଙ୍କ, ଅକ୍ଷରଜ୍ଞାନ, ପଠନ ଓ ଲିଖନ ପ୍ରଭୃତିରେ ପିଲାଏ ଅନେକ ସମୟରେ କଞ୍ଚା ରହିଯାଉଚନ୍ତି । ପିଲାଙ୍କ ବାପମାଆମାନେ ଏଥିରେ ପ୍ରତିବାଦ ମଧ୍ୟ କରୁଚନ୍ତି କାରଣ ସେମାନେ ପିଲାଙ୍କୁ ଆବଶ୍ୟକ ପାଠ ଶିଖାଇଦେବାକୁ ହିଁ ଶିକ୍ଷାର ପ୍ରଥମ ଓ ଅଧିକ ଆବଶ୍ୟକ କର୍ତ୍ତବ୍ୟ ବୋଲି ବିଚାର କରୁଚନ୍ତି । ପିଲାମାନେ ସ୍କୁଲସମୟ ନଷ୍ଟ କରି ସମାଜର କାମ କରିବାକୁ ଯାଆନ୍ତୁ ସେମାନେ ଏକଥା ପସନ୍ଦ କରୁନାହାନ୍ତି । ଆଉ ଏକ ବହିରେ ଉଲ୍ଲେଖ ଅଛି ଯେ କେତେକ କ୍ଷେତ୍ରରେ କମ୍ୟୁନିଟି ସ୍କୁଲର ଶିକ୍ଷକ ପିଲାମାନଙ୍କୁ ନେଇ ଗାଆଁଦାଣ୍ଡ ପରିଷ୍କାର କରିବାକୁ ଗଲାବେଳେ ଗାଆଁଲୋକ ପ୍ରତିବାଦ କରିଚନ୍ତି ଓ ଶିକ୍ଷକ ସ୍କୁଲଭିତରେ ରହି ଆପଣା କାମ କରିବାରେ ଅଧିକ ମନ ଦିଅନ୍ତୁ ବୋଲି ମତ ଦେଇଚନ୍ତି । ଏହି ସମସ୍ୟାଟିର ଉତ୍ତର ଖୋଜିବାକୁ ଯାଇ ଏବେ ବିଷୟଶିକ୍ଷା ଓ ସାମାଜିକ କାର୍ଯ୍ୟସକାଶେ ସ୍କୁଲରୁଟିନ୍‌ରେ ଅଲଗା ଅଲଗା ସମୟ ରଖିବାର ବ୍ୟବସ୍ଥା ହେବାକୁ ଯାଉଚି ।

 

ଆଗରୁ କୁହାଯାଇଚି, ଫିଲିପାଇନ୍‌ଦେଶରେ କମ୍ୟୁନିଟି ସ୍କୁଲଗୁଡ଼ିକର ସାମୁଦାୟିକ ବିକାଶସହିତ ଘନିଷ୍ଠ ସମ୍ପର୍କ ରହିଚି । ଡେନ୍‌ମାର୍କର ସୁପ୍ରତିଷ୍ଠିତ ଲୋକବିଦ୍ୟାଳୟଗୁଡ଼ିକ ସେ ଦେଶର ସମବାୟ ଆନ୍ଦୋଳନକୁ ସୁପୁଷ୍ଟ କରି ରଖିଥିବାପରି ଫିଲିପାଇନ୍‌ର କମ୍ୟୁନିଟି ସ୍କୁଲଗୁଡ଼ିକ ସାମୁଦାୟିକ ଯୋଜନାର ସମଗ୍ର କାର୍ଯ୍ୟକ୍ରମରେ ଏକ ବଳିଷ୍ଠ ଉତ୍‌ପ୍ରେରକରୂପେ କାର୍ଯ୍ୟ କରିଆସୁଚି-। ଏଠାରେ ଆମେ ସେହି ବିଷୟରେ ଠିକେଠିକେ ଆଲୋଚନା କରିବାକୁ ଚେଷ୍ଟା କରିବା । ଏହି ସଂକ୍ରାନ୍ତରେ ଆମକୁ ଦୁଇଟି ସ୍ଥାନୀୟ ଶବ୍ଦ ମନେ ରଖିବାକୁ ପଡ଼ିବ । ଗୋଟିଏ ହେଉଛି ‘ପୁରୋକ’ (Purok) ଓ ଅନ୍ୟଟି ହେଉଚି ‘ବାରିଓ’ (Barrio) । ଆମଦେଶରେ ପଲ୍ଲୀ ବା ସାନଗାଆଁ କହିଲେ ସାଧାରଣତଃ ଯାହା ବୁଝାଇଥାଏ, ଫିଲିପାଇନ୍ ଦେଶରେ ମୋଟାମୋଟି ତାହାକୁ ପୁରୋକ ବୋଲି କୁହାଯାଏ । ଯେଉଁଠି ତିରିଶ, ପଚାଶ ବା ତତୋଧିକ ପରିବାର ପରସ୍ପରର ସମଭାଗୀ ପ୍ରତିବେଶୀ ପରି ବାସକରନ୍ତି, ସେମାନଙ୍କର ସାଂସ୍କୃତିକ ଭୂମି ସେମାନଙ୍କ ଜୀବନର ସମସ୍ୟା, ଲକ୍ଷ୍ୟ ଓ ଆଦର୍ଶମାନ ମୋଟାମୋଟି ସମାନଥାଏ, ଏବଂ ସେଥିଲାଗି ଯେଉଁଠି ଲୋକମାନେ ଆପଣାର ସାମାଜିକ ଓ ଆର୍ଥିକ ଜୀବନର ପରସ୍ପରର ସହଯୋଗ କରିବାକୁ ବାଧ୍ୟ ହୁଅନ୍ତି, ତାହା ହେଉଚି ଗୋଟିଏ ପୁରୋକ । କେତେଗୁଡ଼ିଏ ମିଶିଲେ ଗୋଟିଏ ବାରିଓ । ଆମଦେଶରେ ଏହାକୁ ଆମେ ତାଲୁକା ବା ତହସିଲ ବୋଲି ବୁଝିବା । କମ୍ୟୁନିଟି ସ୍କୁଲର ନେତୃତ୍ୱବିଧି ଅନୁସାରେ ଗୋଟିଏ ପୁରୋକ ସହିତ ଜଣେ ବା କେତେଜଣ ଶିକ୍ଷକ ସମ୍ପୃକ୍ତ ହୋଇ ରହିଥାନ୍ତି । ବାରିଓ ସ୍ତରରେ ବାରିଓ କାଉନ୍‌ସିଲ ରହିଥାଏ । ସାଧାରଣତଃ ପୁରୋକଗୁଡ଼ିକର ସଭାପତି ଓ ବାରିଓ ଅଞ୍ଚଳର ପ୍ରଧାନ ପ୍ରଧାନ ନେତାମାନଙ୍କୁ ନେଇ ଏହି କାଉନସିଲ୍ ଗଠିତ ହୋଇଥାଏ । ଏହି ସଂଗଠନଦୁଇଟି ଜରିଆରେ ଫିଲିପାଇନ୍‌ରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ପରିଚାଳିତ ହୁଏ ।

 

୧୯୫୯ ମସିହାରେ ଫିଲିପାଇନ୍‌ର ବିଭିନ୍ନ ଗାଆଁରେ ୫୨୦୦ ବାରିଓ ପାଇଁ ପ୍ରାୟ ୯୦୦ ଜଣ ଗ୍ରାମକର୍ମୀ ରହିଥିଲେ । ଦେଶରେ ରହିଥିବା ମୋଟ ୧୨୦୦୦ ବାରିଓଲାଗି ଏହିପରି ୨୦୦୦ କର୍ମୀଙ୍କୁ ନିଯୁକ୍ତ କରିବାଲାଗି ସରକାର ଅଟକଳ କରି ରଖିଥିଲେ । କିନ୍ତୁ ଆବଶ୍ୟକତା ବଢ଼ିବା ଅନୁସାରେ ଅଟକଳ ମଧ୍ୟ ବଦଳିଗଲା । ୧୯୬୦ ମସିହାର ଆଉଗୋଟିଏ ବିବରଣ ଅନୁସାରେ ଫିଲିପାଇନ୍ ଦେଶରେ ମୋଟ ୨୦୦୦୦ ସାମୁଦାୟିକ ବିକାଶ-କର୍ମୀ ତାଲୀମ ପାଇସାରିଥିଲେ । ସରକାରୀ ସାହାଯ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ଆଠହଜାର ଆତ୍ମସାହାଯ୍ୟମୂଳକ ଯୋଜନା ଆରମ୍ଭ ହୋଇଥିଲା । ପ୍ରତ୍ୟେକବର୍ଷ ଗ୍ରାମବାସୀମାନେ ପ୍ରଧାନତଃ ଆପଣାର ଶ୍ରମ ଓ ଅର୍ଥଉପରେ ନିର୍ଭର କରି ୨୫୦ ମାଇଲ ନୂଆରାସ୍ତା ତିଆରି କରୁଥିଲେ । ଏପ୍ରିଲ ୧୯୫୬ରୁ ଜୁନ ୧୯୫୯ ଭିତରେ ୨୧୦୦୦ଟି ଆତ୍ମସାହାଯ୍ୟ-ଯୋଜନା ଚାଲୁଥିଲା । ଗାଆଁର ସଭାଘର, ମଣିଷ ପାରହୋଇ ଯିବାଭଳି ପୋଲ, ପାନୀୟଜଳର ବ୍ୟବସ୍ଥା, ରାସ୍ତା ଓ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ତିଆରି କରିବାର ଏହି ଯୋଜନାଗୁଡ଼ିକର ପ୍ରାୟ ୭୫% ୧୯୬୦ ମସିହାର ଅଧବେଳକୁ ସମ୍ପୂର୍ଣ୍ଣ ହୋଇ ଯାଇଥିଲା ବୋଲି କୁହାଯାଇଚି ।

 

ଫିଲିପାଇନ୍ ଦ୍ୱୀପପୁଞ୍ଜର କମ୍ୟୁନିଟି ସ୍କୁଲ ତଥା ସାମୁଦାୟିକ ବିକାଶ ଯୋଜନା ପ୍ରଧାନତଃ କେଉଁ ଉଦ୍ଦେଶ୍ୟକୁ ମୂଳକରି ଚାଲୁଚି, ସେହି ବିଷୟରେ ଏଠାରେ ଆମେ ଦୁଇଟି ମନ୍ତବ୍ୟର ଉଦ୍ଧାର କରିବା । ସେହି ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଗାର୍ସିଆ (Carlos P. Garcia) କହିଚନ୍ତି (୧୧) ‘‘ଲୋକସାଧାରଣ ଆପଣା ଉପରେ ନିର୍ଭର କରି ଆପଣାର ଉନ୍ନୟନ କରାଇବେ, ଏହି ନୀତି ଉପରେ ଆମର ବିକାଶଯୋଜନା ପ୍ରତିଷ୍ଠିତ ହୋଇ ରହିଚି । ଆମର ଯୋଜନା ଲୋକସାଧାରଣଙ୍କୁ ଅଧିକ ଆତ୍ମନିର୍ଭର ଓ ଅଧିକ ଦାୟିତ୍ୱସଚେତ ହେବାକୁ ଉତ୍ସାହିତ କରୁଚି । ଏହାଫଳରେ ସ୍ଥାନୀୟ ସ୍ତରରେ ଉପଯୁକ୍ତ ନେତୃତ୍ୱର ବିକାଶ ହେଉଚି, ଲୋକମାନେ ଅଧିକ ଉଦ୍ୟମଶୀଳ ହୋଇ ଶିଖୁଚନ୍ତି, ପର ଉପରେ କମ୍ ନିର୍ଭର କରୁଚନ୍ତି । ବାହାରୁ ଅନ୍ୟକୌଣସି ଅନୁଷ୍ଠାନର ମାଧ୍ୟମରେ ଅଭିଳଷିତ ପରିବର୍ତ୍ତନଗୁଡ଼ିକୁ ନେଇ ସେମାନଙ୍କ ଉପରେ ଲଦି ଦିଆନଯାଇ ଆପଣାର ପରିବର୍ତ୍ତନଲାଗି ଆପେ ମୁଣ୍ଡ ଖେଳାଇବା ସକାଶେ ସେମାନଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଉତ୍ପନ୍ନ କରାଯାଉଚି ।’’ ଅନ୍ୟ ମନ୍ତବ୍ୟଟିର ଅନୁସାରେ, (୧୨) ‘‘ଆମର କାର୍ଯ୍ୟକ୍ରମରେ କେବଳ ଯୋଜନା ଅନୁସାରେ ଏଇଟା ବା ସେଇଟାକୁ ଗଢ଼ି ଥୋଇଦେବା ଉପରେ ସବୁଠାରୁ ପ୍ରଧାନ ମହତ୍ତ୍ୱ ଦିଆଯାଉନାହିଁ । ଏହି ଯୋଜନାର ପ୍ରଭାବପଡ଼ି ଗ୍ରାମବାସୀ ପ୍ରତ୍ୟେକ ବ୍ୟକ୍ତିର ଜୀବନ ଓ ଜୀବନଦୃଷ୍ଟିରେ କେତେଦୂର କି ପରିବର୍ତ୍ତନ ଘଟୁଚି, ସମାଜର ଜଣେ ବୁଦ୍ଧିମାନ ଓ ଗ୍ରହଣଶୀଳ ସଦସ୍ୟରୂପେ ସେ ଆପଣାକୁ କେତେଦୂର ପ୍ରସ୍ତୁତ କରିପାରୁଚି, ସାମୁଦାୟିକ ଜୀବନର ନାନାବିଧ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବାକୁ ସେ କେତେଦୂର ଆପଣାର କର୍ତ୍ତବ୍ୟ ବୋଲି ଅନୁଭବ କରିପାରୁଚି, ଏହିସବୁକୁ ଆମେ ବିକାଶଯୋଜନାର ଅଧିକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟରୂପେ ଗ୍ରହଣ କରିଚୁ ।’’

 

ପ୍ରଶାନ୍ତ ମହାସାଗରର ଫିଲିପାଇନ୍‌ରୁ ବର୍ତ୍ତମାନ ଆମେ ଆମ ଗୃହପ୍ରତିବେଶରେ ଅବସ୍ଥିତ ପାକିସ୍ତାନକୁ ଫେରିଆସିବା । ପାକିସ୍ତାନର ବିକାଶ-କାର୍ଯ୍ୟକ୍ରମକୁ ଗ୍ରାମ ସାହାଯ୍ୟ କାର୍ଯ୍ୟକ୍ରମ (Village AID Programme-Village Agricultural and Industrial Development Programme) ବୋଲି କୁହାଯାଉଚି । ୧୯୬୩ ମସିହାରେ ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମର ପ୍ରବର୍ତ୍ତନ ହୋଇଥିଲା । ଗ୍ରାମାଞ୍ଚଳରେ ବାସକରୁଥିବା ବହୁସଂଖ୍ୟକ ଜନତାକୁ ସଂଗଠିତ କରି ଓ ଉପଯୁକ୍ତ ଶିକ୍ଷା ଦେଇ ଗ୍ରାମର ବିକାଶ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଉପରୁ ସାହାଯ୍ୟ ଆଣି ଢାଳିବାଦ୍ୱାରା ନୁହେଁ, ମାତ୍ର ଲୋକମାନଙ୍କୁ ପରସ୍ପର ଉପରେ ନିର୍ଭର କରି ପରସ୍ପର ସହିତ ସହଯୋଗ କରିବାକୁ ଉତ୍ସାହିତ କରି ଏହି ଉଦ୍ଦେଶ୍ୟ ସିଦ୍ଧ କରିବାର ବିଚାର କରାଯାଇଥିଲା । ପ୍ରଧାନ ପ୍ରଧାନ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରେ,-।।୧।। ଗାଆଁରେ ଆଧୁନିକ କୌଶଳ ଓ ଜ୍ଞାନର ପ୍ରବେଶ କରାଇ ଗ୍ରାମବାସୀର ଉତ୍ପାଦନ ଓ ପ୍ରକୃତ ଆୟ ବଢ଼ାଇବାକୁ ହେବ, ।।୨।। ଗ୍ରାମାଞ୍ଚଳରେ ସାମୁଦାୟିକ ହିତମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାର ହେବ, ।।୩।। ଲୋକମାନଙ୍କ ମଧ୍ୟରେ ପାରସ୍ପରିକତାର ଏକ ବାୟୁମଣ୍ଡଳ ସୃଷ୍ଟି କରିବାକୁ ହେବ । ସେମାନେ ପରସ୍ପର ସହିତ ସହଯୋଗ କରିବାକୁ ପଛାଇଯିବେ ନାହିଁ । ଆପଣାର ଉଦ୍ୟମରେ ଓ ଆପଣାର ନେତୃତ୍ୱରେ ସେମାନେ ଆପଣା ଉନ୍ନୟନର ବ୍ୟବସ୍ଥାମାନ କରିବାଲାଗି ଉତ୍ସାହିତ ଅନୁଭବ କରିବେ, ।।୪।। ଗ୍ରାମସମାଜରେ ଏକ ସମ୍ପନ୍ନତର ଓ ସୁନ୍ଦରତର ଜୀବନଲାଗି ସୃଜନଶୀଳ ବାୟୁମଣ୍ଡଳ ସୃଷ୍ଟି ହୋଇପାରିବ, ।।୫।। ସରକାରଙ୍କ ତରଫରୁ ଯେତେଗୁଡ଼ିଏ ବିଭାଗ ଗ୍ରାମସ୍ତରର ନାନା ନିର୍ମାଣକ୍ଷେତ୍ରରେ କାର୍ଯ୍ୟ କରୁଚନ୍ତି, ସେମାନଙ୍କର କାର୍ଯ୍ୟକୁ ଅଧିକ ସୁଗଠିତ ଓ ପରସ୍ପରର ଅଧିକ ପରିପୂରକ ଭାବରେ ଚଳାଇବାର ଚେଷ୍ଟା କରାଯିବ, ଏବଂ ।।୬।। ଲୋକକଲ୍ୟାଣ ଓ ସମାଜୋନ୍ନୟନକୁ ପ୍ରଧାନ ଉଦ୍ଦେଶ୍ୟବିନ୍ଦୁ କରି ସରକାରୀ ପ୍ରଶାସନ ଚାଲିବ । (ପୁସ୍ତକ ଟିପ୍ପଣୀ–୮, March, 1961)

 

ଏହା ଭିତରୁ ଆମେ ଚାରୋଟି ପ୍ରଧାନ କଥା ମନେରଖିବାକୁ ଚେଷ୍ଟା କରିବା । ପ୍ରଥମତଃ କୃଷିକାର୍ଯ୍ୟରେ ଆଧୁନିକ ପ୍ରଣାଳୀ ଓ ଯନ୍ତ୍ରପାତି ବ୍ୟବହାର କରାଯିବ ଓ ତଦ୍ଦ୍ୱାରା କୃଷି-ଉତ୍ପାଦନକୁ ବଢ଼ାଇ ଦିଆଯିବ । ସମବାୟ ଅନୁଷ୍ଠାନମାନ ଖୋଲିବ ଓ ଗ୍ରାମାଞ୍ଚଳରେ ନୂଆ ଉଦ୍ୟୋଗମାନ ଖୋଲିବାଲାଗି ବ୍ୟବସ୍ଥା କରାଯିବ । ଦ୍ୱିତୀୟତଃ ଗାଆଁମାନଙ୍କରେ ସ୍କୁଲ, ଡାକ୍ତରଖାନା, ସ୍ୱାସ୍ଥ୍ୟ-କେନ୍ଦ୍ର ଏବଂ ପାନୀୟଜଳର ଯେଉଁ ଅଭାବମାନ ରହିଚି, ସେଗୁଡ଼ିକର ପୂରଣ ଲାଗି ଯଥାସମ୍ଭବ ଉଦ୍ୟମ ହେବ । ତୃତୀୟତଃ ଲୋକମାନଙ୍କର ହିତକୁ ଆଖିଆଗରେ ରଖି ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଅଧିକ ସହଯୋଗ ପ୍ରତିଷ୍ଠା କରାଯିବ ଏବଂ ଚତୁର୍ଥତଃ ଆଗରେ ଜନକଲ୍ୟାଣ ରାଷ୍ଟ୍ରର ଆଦର୍ଶ ରଖି ସେହି ଅନୁସାରେ ଅଗ୍ରସର ହେବାକୁ ହେବ ଏବଂ ସେଥିଲାଗି ସରକାରୀ ଶାସନବିଧିରେ ଆବଶ୍ୟକ ପରିବର୍ତ୍ତନ କରିବାଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ।

 

ପାକିସ୍ତାନର ଗ୍ରାମ-ସାହାଯ୍ୟ କାର୍ଯ୍ୟକ୍ରମ ପ୍ରଧାନତଃ ତିନିଜଣ ବହୁମୁଖୀ ବିକାଶକର୍ମୀଙ୍କ ସାହାଯ୍ୟରେ ଚାଲେ । ଗ୍ରାମକର୍ମୀ ବା ଗ୍ରାମସେବକ ଗାଆଁରେ ଥାଏ, ବିକାଶକାର୍ଯ୍ୟର ମେରୁଦଣ୍ଡରୂପେ ରହିଥାଏ । ବିକାଶ ଅଫିସର ସାଧାରଣତଃ ପ୍ରାୟ ଦେଢ଼ଶହ ଗାଆଁର ଅର୍ଥାତ୍ ପ୍ରାୟ ଏକଲକ୍ଷ ଲୋକ ବାସ କରୁଥିବା ଏକ ଅଞ୍ଚଳର ଦାୟିତ୍ୱରେ ରହିଥାନ୍ତି । ଗାଆଁ-ସୁପର୍‌ଭାଇଜର୍ କହିଲେ ଗ୍ରାମସ୍ତରରେ ମୁତୟନ ଥିବା କୌଣସି ବିଶେଷ କ୍ଷେତ୍ରର ବିଶେଷଜ୍ଞଙ୍କୁ ବୁଝାଇଥାଏ । ଏହି ପର୍ଯ୍ୟାୟରେ କୃଷି, ଶିକ୍ଷା, ପଶୁପାଳନ, ସ୍ୱାସ୍ଥ୍ୟ, ସାଧାରଣ ନିର୍ମାଣକାର୍ଯ୍ୟ, ସମବାୟ ପ୍ରଭୃତି ବିଭାଗର ବିଶେଷ ତାଲୀମପ୍ରାପ୍ତ କର୍ମଚାରୀମାନେ ରହିଥାନ୍ତି । ସେମାନେ ସମସ୍ତେ ଗୋଟିଏ ଗୋଷ୍ଠୀ ହିସାବରେ ଗ୍ରାମବିକାଶ-କାର୍ଯ୍ୟରେ ବିକାଶ ଅଫିସରଙ୍କର ସହାୟତା କରନ୍ତି । ପ୍ରତ୍ୟେକ ବିକାଶାଞ୍ଚଳ ଲାଗି ଯୋଜନା ତିଆରି କରିବାରେ ସାହାଯ୍ୟ କରିବାଲାଗି ଓ ସେମାନଙ୍କର ସକ୍ରିୟ ସହଯୋଗ ପାଇପାରିବା ଲାଗି ଗୋଟିଏ ପରାମର୍ଶଦାତା କମିଟି ମଧ୍ୟ କାର୍ଯ୍ୟ କରୁଥାଏ ।

 

ଗ୍ରାମାଞ୍ଚଳର ଯୁବକମାନଙ୍କୁ ସଂଘବଦ୍ଧ କରି ସେମାନଙ୍କର ଓ ସେମାନଙ୍କ ଜରିଆରେ ସମଗ୍ର ଗ୍ରାମାଞ୍ଚଳର କଲ୍ୟାଣ କରିବା ଉଦ୍ଦେଶ୍ୟରେ ବିକାଶ-ବିଭାଗ ତରଫରୁ ପାକିସ୍ତାନର ଗାଆଁମାନଙ୍କରେ ‘ଚାନ୍ଦତାରା କ୍ଲବ୍’ ଗଢ଼ାଯାଇଚି । ୧୯୫୩ ମସିହାରୁ ନାରୀମାନଙ୍କ ମଧ୍ୟରେ ସାକ୍ଷରତା ଓ ଧନ୍ଦାଶିକ୍ଷାର ପ୍ରସାର କରିବାଲାଗି ନାରୀକର୍ମୀମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଚି । ୧୯୫୮ ମସିହାରେ ନିର୍ବାଚିତ ପ୍ରତିନିଧି-ଶାସନର ଅନ୍ତ ହୋଇ ରାଷ୍ଟ୍ରପତି ଆୟୁବ ଖାଁ ସର୍ବୋଚ୍ଚ ଶାସକ ହୋଇ ବସିବା ପରେ ପାକିସ୍ତାନର ବିକାଶକାର୍ଯ୍ୟରେ କେତେକ ପୁନର୍ସଙ୍ଗଠନ କରାଯାଇଚି-। ଗ୍ରାମ-ସାହାଯ୍ୟ କାର୍ଯ୍ୟକ୍ରମ (Village AID Programme) ସ୍ଥାନରେ ବିକାଶମୂଳକ ପ୍ରସାରକାର୍ଯ୍ୟ କରୁଥିବା ସରକାରୀ ସଂସ୍ଥାକୁ ଏବେ ଜାତୀୟ ବିକାଶ ସଂଗଠନ (National Development Organization) ବୋଲି କୁହାଯାଉଚି । ନାନାବିଧ କ୍ଷେତ୍ରରେ ପ୍ରସାରକାର୍ଯ୍ୟ ଅବଶ୍ୟ ହେଉଚି, କିନ୍ତୁ କୃଷିର ଉନ୍ନୟନ ସବୁ କାର୍ଯ୍ୟରେ ମୂଳ ଉଦ୍ଦେଶ୍ୟ ହୋଇ ରହିଚି । (ପୁସ୍ତକ ଟିପ୍ପଣୀ–୪, ପୃଷ୍ଠା–୪୨, ୪୩)

 

ଚୌଧୁରୀ ମହମ୍ମଦ ଅଲ୍ଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲାବେଳେ ଗ୍ରାମ-ସାହାଯ୍ୟ କାର୍ଯ୍ୟକ୍ରମକୁ ସରକାରଙ୍କ ତରଫରୁ ପୂର୍ଣ୍ଣ ସ୍ୱୀକୃତି ମିଳିଥିଲା । ସେହିଦିନଠାରୁ ଆରମ୍ଭ କରି ବର୍ତ୍ତମାନ ମଧ୍ୟ ଗ୍ରାମକର୍ମୀ ଗ୍ରାମ ସ୍ତରରେ ବହୁମୁଖୀ ବିକାଶକର୍ମୀ ଭାବରେ ନିଯୁକ୍ତ ହୋଇ ରହିଚି । ସରକାର ତରଫରୁ ତାକୁ ଅନୁରୂପ ତାଲୀମ ମିଳିବା ପରେ ସେ ମୋଟ ପ୍ରାୟ ପାଞ୍ଚହଜାର ଲୋକ ବାସ କରୁଥିବା ପାଞ୍ଚୋଟି ବା ସାତଗୋଟି ଗାଆଁର ଦାୟିତ୍ୱରେ ରହୁଚି । ଦେଢ଼ଲକ୍ଷ ଲୋକ ବାସ କରୁଥିବା ପ୍ରାୟ ଦୁଇଶହଟି ଗାଆଁକୁ ବିକାଶର ଏକକ କରି ତାହାକୁ ବିକାଶ-ଅଞ୍ଚଳ ବୋଲି କୁହାଯାଉଚି । ପ୍ରତ୍ୟେକ ଅଞ୍ଚଳର ଦାୟିତ୍ୱରେ ଜଣେଲେଖାଏଁ ବିକାଶ-ଅଫିସର ରହିଚନ୍ତି ଓ ତାଙ୍କର ଅଧୀନରେ ସମଗ୍ର ଅଞ୍ଚଳଲାଗି ପଶ୍ଚିମ ପାକିସ୍ତାନରେ ୩୦ ଜଣ ଓ ପୂର୍ବ ପାକିସ୍ତାନରେ ୨୦ ଜଣ ଲେଖାଏଁ ଗ୍ରାମକର୍ମୀ ରହିଚନ୍ତି । ୧୯୬୧ ମସିହାବେଳକୁ ପଶ୍ଚିମ ପାକିସ୍ତାନର ୪୫% ଓ ପୂର୍ବ ପାକିସ୍ତାନର ୩୦% ଲୋକ ବିକାଶଅଞ୍ଚଳର ଅନ୍ତର୍ଭୁକ୍ତ ହୋଇ ସାରିଥିଲେ । ସେହି ସମୟରେ କରାଯାଇଥିବା ଏକ ଅଟକଳରୁ ଜଣାଯାଏ ଯେ ୧୯୬୫ ମସିହା ଭିତରେ ପଶ୍ଚିମ ପାକିସ୍ତାନର ୧୦୦% ଓ ପୂର୍ବପାକିସ୍ତାନର ୮୦% ଗ୍ରାମବାସୀଙ୍କୁ ଏହି କାର୍ଯ୍ୟକ୍ରମର ପରିଧି ଭିତରକୁ ଆଣିବା ସରକାରଙ୍କର ଉଦ୍ଦେଶ୍ୟ ହୋଇ ରହିଥିଲା । ପ୍ରଥମ ପଞ୍ଚବର୍ଷୀୟ ଯୋଜନାରେ (୧୯୫୫-୬୦) ପାକିସ୍ତାନ ସରକାର ସାମୁଦାୟିକ ବିକାଶ ବାବତ ଅଠରକୋଟି ଟଙ୍କା ଖରଚ କରିଥିଲେ ଏବଂ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ (୧୯୬୦-୬୫) ଏହି ଦିଗରେ ଆହୁରି ୪୮ କୋଟି ଟଙ୍କା ଖରଚ କରିବାର ମସୁଧା କରାଯାଇଥିଲା ।

 

ଗ୍ରାମବିକାଶ-ଯୋଜନାରେ ଯେ ଗ୍ରାମବାସୀମାନେ ଆଦୌ ଉଦାସୀନ ରହିନାହାନ୍ତି ଓ ସରକାରଙ୍କର ଏହି ଉଦ୍ୟମରେ ଯଥାଶକ୍ତି ସାହାଯ୍ୟ ଓ ସହଯୋଗ କରିଚନ୍ତି, ନିମ୍ନଲିଖିତ ଦୃଷ୍ଟାନ୍ତରୁ ତାହାର ପ୍ରମାଣ ମିଳିପାରିବ । ଶ୍ରମଦାନ ବା ଅନ୍ୟାନ୍ୟ ସାହାଯ୍ୟଦାନ ଜରିଆରେ ପାକିସ୍ତାନର ୧୦୬ ଗୋଟି ବିଭିନ୍ନ ବିକାଶ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୧୨୭ ଲକ୍ଷ ଗ୍ରାମବାସୀ ବିକାଶକାର୍ଯ୍ୟ ଲାଗି ୨୦୮୪୦୦୦ ଡଲାର୍ ଅନୁଦାନସ୍ୱରୂପ ଦେଇଥିଲେ । ୧୯୫୯ ମସିହା ମାର୍ଚ୍ଚମାସ ସୁଦ୍ଧା ଏହି ହିସାବ କରାଯାଇଚି । ଏହାର ଅର୍ଥ ହେଉଚି ପ୍ରତ୍ୟେକ ବ୍ୟକ୍ତି ହାରାହାରି ୭୫ ପଇସା ଅନୁଦାନ ଦେଇଥିଲେ । ଏହି ଅନୁଦାନ ମଧ୍ୟରେ ୬୭% ଶ୍ରମଦାନ ଓ ୩୩% ନଗଦ ଅର୍ଥସାହାଯ୍ୟ ଜରିଆରେ ପ୍ରାପ୍ତ ହୋଇଥିଲା । (ପୁସ୍ତକ ଟିପ୍ପଣୀ–୮, ମାର୍ଚ୍ଚ, ୧୯୬୧)

 

ଜାତୀୟ ଯୋଜନା ଓ ସାମୁଦାୟିକ ବିକାଶକ୍ଷେତ୍ରରେ ପାକିସ୍ତାନ ସରକାର ନିମ୍ନଲିଖିତ ପ୍ରକାରେ ଆପଣା ଉଦ୍ଦେଶ୍ୟ ଗୁଡ଼ିକର ଘୋଷଣା କରିଚନ୍ତି : ‘‘ଜାତୀୟ ଯୋଜନା କେବଳ ସାମଗ୍ରୀର ଉତ୍ପାଦନ ଓ ସାମଗ୍ରୀର ବିତରଣ ଉପରେ ଆପଣାର ସମସ୍ତ ଦୃଷ୍ଟି ନିବଦ୍ଧ କରି ରଖିବନାହିଁ । ସାମାଜିକ କଲ୍ୟାଣ ଓ ସଭ୍ୟଜୀବନର ସାଧନମାନ ଯୋଗାଇଦେବା ମଧ୍ୟ ଏହାର ଏକ ପ୍ରଧାନ ଉଦ୍ଦେଶ୍ୟ ହୋଇ ରହିବ । ଲୋକସାଧାରଣଙ୍କର ଜୀବନମାନ କହିଲେ କେବଳ ଆର୍ଥିକ ଜୀବନମାନକୁ ବୁଝାଏନାହିଁ । ଭୌତିକ ସାଧନ ସହିତ ସାଂସ୍କୃତିକ ସାଧନମାନ ବୃଦ୍ଧି ପାଇଲେ ଯାଇ ସମଗ୍ରତଃ ଜୀବନମାନ ବୃଦ୍ଧି ପାଇବା ସମ୍ଭବ ହୋଇଥାଏ ।’’ (ପୁସ୍ତକ ଟିପ୍ପଣୀ–୬, ପୃଷ୍ଠା–୨୧୦)

 

ବର୍ତ୍ତମାନ ଆମେ ଭାରତବର୍ଷ, ପାକିସ୍ତାନ ଓ ଫିଲିପାଇନ୍ ମଧ୍ୟରେ ସାମୁଦାୟିକ ବିକାଶ ଯୋଜନାର ସଙ୍ଗଠନ ବିଷୟରେ ଏକ ତୁଳନାତ୍ମକ ଦୃଷ୍ଟିପାତ କରିବାକୁ ଚେଷ୍ଟା କରିବା । ବିକାଶ କାର୍ଯ୍ୟରେ ଆଞ୍ଚଳିକ ଏକକକୁ ଭାରତବର୍ଷରେ ବ୍ଲକ୍ (Block) କୁହାଯାଏ । ଗୋଟିଏ ଗୋଟିଏ ବ୍ଲକ୍‌ର ଆୟତନ ହେଉଚି ୨୫୦ ବର୍ଗମାଇଲ । ଏଥିରେ ସାଧାରଣତଃ ୧୦୦ଟି ଗାଆଁ ଥାଏ ଓ ୬୬୦୦୦ ଲୋକବାସ କରୁଥାନ୍ତି । ପାକିସ୍ତାନର ଗ୍ରାମ-ସାହାଯ୍ୟ କାର୍ଯ୍ୟକ୍ରମରେ ୧୬୫ଟି ଗାଆଁ ବା ୧୪୪୦୦୦ ଅଧିବାସୀଙ୍କୁ ନେଇ ଗୋଟିଏ ଗୋଟିଏ ବିକାଶଅଞ୍ଚଳ ଗଢ଼ାଯାଇଚି । ଫିଲିପାଇନ୍‌ରେ ୨୦,୦୦୦ ଅଧିବାସୀଙ୍କୁ ଏକକ ବୋଲି ଗ୍ରହଣ କରାଯାଇଚି । ପ୍ରତ୍ୟେକ ବାରିଓର ଏହି ଏକକରେ ମୋଟ ଏଗାରଜଣ ବିଭିନ୍ନ ବିକାଶକର୍ମୀ ରହିଚନ୍ତି । ଭାରତରେ ସାଧାରଣତଃ ଗୋଟିଏ ବ୍ଲକ୍‌ରେ ୧୦୦ ଗୋଟି ଗାଆଁରେ କାର୍ଯ୍ୟ କରିବାପାଇଁ ୧୦ ଜଣ ଗ୍ରାମସେବକ ଓ ଦୁଇଜଣ ଗ୍ରାମସେବିକା ରହିଚନ୍ତି । ପାକିସ୍ତାନର ଏହିପରି ଗୋଟିଏ ବିକାଶ ଅଞ୍ଚଳରେ ୨ ରୁ ୩୦ ଜଣ ପର୍ଯ୍ୟନ୍ତ ଗ୍ରାମକର୍ମୀ ଅଛନ୍ତି । ପ୍ରତ୍ୟେକ ଗ୍ରାମକର୍ମୀ ପାଞ୍ଚୋଟିରୁ ଆଠଗୋଟି ଗାଆଁରେ କାର୍ଯ୍ୟ କରୁଛନ୍ତି । ସେଥିରେ ପାଞ୍ଚରୁ ଦଶଜଣଯାଏ ନାରୀକର୍ମୀ ମଧ୍ୟ ରହିଛନ୍ତି । ଫିଲିପାଇନ୍‌ ଦ୍ୱୀପପୁଞ୍ଜରେ ଛଅଟି ବାରିଓର ଦାୟିତ୍ୱରେ ଜଣେ ବିକାଶକର୍ମୀ ରହିଛନ୍ତି ଏବଂ ବିଶେଷତଃ ମହିଳା ଓ ପିଲାମାନଙ୍କ ଭିତରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଅଠରଗୋଟି ବାରିଓ ଲାଗି ଜଣେଲେଖାଏଁ ନାରୀକର୍ମୀ ଅଛନ୍ତି ।

 

ଏସିଆ ମହାଦେଶର ପାଞ୍ଚଟି ଦେଶର ଯୋଜନାରେ ସାମୁଦାୟିକ ବିକାଶ କାର୍ଯ୍ୟଲାଗି କେତେ ପରିମାଣରେ ଅର୍ଥବ୍ୟୟର ବ୍ୟବସ୍ଥା ରହିଚି, ନିମ୍ନଲିଖିତ ତୁଳନାତ୍ମକ ତଥ୍ୟାଙ୍କନରୁ ଆମେ ସେବିଷୟରେ କିଞ୍ଚିତ୍‌ ଧାରଣା କରିପାରିବା : (୧୩)

 

ଦେଶ

କାଳ

ମୋଟ ବଜେଟର ପ୍ରତିଶତ

ମୋଟ ଜାତୀୟ ଆୟର ପ୍ରତିଶତ

ଭାରତବର୍ଷ

ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା

୪.୨

୦.୨

ଇଣ୍ଡୋନେସିଆ

ପଞ୍ଚବର୍ଷୀୟ ବିକାଶ ଯୋଜନା

୧.୬

୦.୦୨

ପାକିସ୍ତାନ

ପ୍ରଥମ ପଞ୍ଚବାର୍ଷିକ ଯୋଜନା

୨.୭

୦.୧

ଫିଲିପାଇନ୍‌

ପଞ୍ଚବର୍ଷୀୟ ଆର୍ଥିକ ଓ ସାମାଜିକ ବିକାଶ କାର୍ଯ୍ୟକ୍ରମ

୩.୧

୦.୦୪

ଦକ୍ଷିଣ ଭିଏତ୍‌ନାମ

ପଞ୍ଚବର୍ଷୀୟ ଯୋଜନା

୫.୭

୦.୨

 

ବିଶ୍ୱ-ରାଷ୍ଟ୍ରସଂଘଦ୍ୱାରା ପ୍ରକାଶିତ ଏହି ପୁସ୍ତିକାରୁ ଜାଣିବାକୁ ମିଳୁଚି ଯେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ଚାଲୁଥିବା ଫଳରେ ବିକଶମାନ ଅଞ୍ଚଳଗୁଡ଼ିକର ଆର୍ଥିକ ବିକାଶ ଲାଗି ଅନେକ ସହାୟତା ମିଳିଚି ଓ ଯଥେଷ୍ଟ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଚି, ପରମ୍ପରାଗତ କୃଷିପ୍ରଣାଳୀ ଓ ଅଭ୍ୟାସରେ ପରିବର୍ତ୍ତନ ମଧ୍ୟ ଆସିଚି । ସାମୁଦାୟିକ ବିକାଶଗୁଡ଼ିକର ଉଦ୍ୟମର ଚାଷୀମାନେ ଜମିରେ ସବୁଜସାରର ପ୍ରୟୋଗ କରିବାକୁ ପ୍ରବୃତ୍ତ ହୋଇଚନ୍ତି, କମ୍ପୋଷ୍ଟ ତିଆରି କରିବାକୁ ଆଗ୍ରହ ପ୍ରକାଶ କରିଚନ୍ତି । ଅନେକ ସମୟରେ ବିକାଶ ବିଭାଗର କର୍ମଚାରୀମାନେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ରାସାୟନିକ ସାର ବିକ୍ରୀ କରିବାରେ ମଧ୍ୟ ସମର୍ଥ ହୋଇଚନ୍ତି । କିନ୍ତୁ ତଥାପି ଏହାକୁ ଯଥେଷ୍ଟ ପରିବର୍ତ୍ତନ ବୋଲି କଦାପି କୁହାଯାଇ ପାରିବନାହିଁ । ୧୯୫୮ ମସିହାରେ ଭାରତ ସରକାର ସଂଗ୍ରହ କରିଥିବା ଏକ ହିସାବରୁ ଜଣାଯାଉଚି ଯେ ଏହି ଦେଶରେ ବିକାଶ-କ୍ଷେତ୍ରଗୁଡ଼ିକରେ ଅବସ୍ଥିତ ମୋଟ ପରିବାର ସଂଖ୍ୟାର ୪୫% ଆମୋନିଅମ୍ ସଲଫେଟ୍ ବ୍ୟବହାର କରିଚନ୍ତି, ୧୭% ସୁପର୍‌ ଫସ୍‌ଫେଟ୍ ବ୍ୟବହାର କରିଚନ୍ତି । ସବୁଠାରୁ ଅଧିକ ନୈରାଶ୍ୟର କଥା ହେଉଚି ଯେ ଏମାନଙ୍କ ଭିତରୁ ଅଧିକାଂଶ ପରିବାର କେତେଦିନ ପର୍ଯ୍ୟନ୍ତ ରାସାୟନିକ ସାର ବ୍ୟବହାର କରିବାପରେ ତାହା ପୁଣି ବନ୍ଦ କରି ଦେଇଚନ୍ତି । ପ୍ରଥମତଃ ପ୍ରାୟ ୭୫% ପରିବାର ରାସାୟନିକ ଉର୍ବରକ ପ୍ରୟୋଗ କରିବାଲାଗି କୌଣସି ଆବଶ୍ୟକତା ହିଁ ଅନୁଭବ କରିନାହାନ୍ତି । ତାହାର ପ୍ରଧାନ କାରଣ ହେଉଚି ଯେ ସେମାନେ ସେଗୁଡ଼ିକର ଉପାଦେୟତା ବିଷୟରେ କେବେହେଲେ କିଛି ଜାଣିବାକୁ ପାଇନାହାନ୍ତି ବା ଥରେ ବ୍ୟବହାର କରିବା ପରେ ଏଗୁଡ଼ିକର ବ୍ୟବହାର କରିବାଲାଗି ସେମାନଙ୍କର ଆଉ ଆଗ୍ରହ ହୋଇନାହିଁ । ହୁଏତ ଅର୍ଥାଭାବରୁ ଏପରି ହୋଇଚି ବା ସେମାନଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସମୟ ଅନୁସାରେ ସାର ଯୋଗାଇ ଦିଆଯାଇନାହିଁ, କିମ୍ବା ଏହି ସାରର ଉପକାରିତା ବିଷୟରେ କେହି ସେମାନଙ୍କର ହୃଦ୍‍ବୋଧ କରାଇ ପାରିନାହାନ୍ତି । (ତତ୍ରୈବ : ପୃଷ୍ଠା–୨୫)

 

ଫିଲିପାଇନ୍‌ରେ ସାମୁଦାୟିକ ବିକାଶ ବିଭାଗ ତରଫରୁ ରାସାୟନିକ ଉର୍ବରମାନ ଯୋଗାଇ ଦିଆଯାଇ ନଥିଲା, ମାତ୍ର ଏଗୁଡ଼ିକର ଉପାଦେୟତା ବୁଝାଇ ଦିଆହୋଇଥିଲା ଓ ଚାଷୀମାନେ ଏହାର ପ୍ରୟୋଗ କରନ୍ତୁ ବୋଲି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ହିସାବ ନେବାରୁ ଜଣାପଡ଼ିଚି ଯେ ସାମୁଦାୟିକ ବିକାଶ ଯୋଜନା ଅନ୍ତର୍ଗତ ଅଞ୍ଚଳରେ ୨୨% କୃଷକ-ପରିବାର ଏହି ସାରର ବ୍ୟବହାର କରୁଥିଲେ, ଏବଂ ସମଗ୍ର ଗ୍ରାମାଞ୍ଚଳ ଦୃଷ୍ଟିରୁ ଦେଖିଲେ ୧୬% ରୁ କମ୍‌ସଂଖ୍ୟକ ପରିବାର ଏହା ଗ୍ରହଣ କରିଥିଲେ । ଅର୍ଥାଭାବ (ସାମୁଦାୟିକ ବିକାଶ ଅଞ୍ଚଳରେ ସାର ବ୍ୟବହାର କରୁନଥିବା ପରିବାର ସଂଖ୍ୟାର ୩୪.୭%), ଏହାର ଉପାଦେୟତା ବିଷୟରେ ଜ୍ଞାନର ଅଭାବକୁ (୨୧.୬%) ସାର ବ୍ୟବହାର ନ କରୁଥିବାର ପ୍ରଧାନ କାରଣ ବୋଲି ଦର୍ଶାଯାଇଥିଲା । ୨୧.୧% ପରିବାର ସାର ବ୍ୟବହାର କରିବାକୁ ଆବଶ୍ୟକ ମଣୁନାହାନ୍ତି ଏବଂ ୧୨.୬% ସମୟ ଅନୁସାରେ ସାର ମିଳିପାରୁନାହିଁ ବୋଲି କହିଥିଲେ ।

 

ଅଧ୍ୟାୟଟି ଶେଷ କରିବା ପୂର୍ବରୁ ଆମେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ସମ୍ବନ୍ଧରେ ଗୋଟିଏ ମୂଳକଥା ଅବଶ୍ୟ ମନେରଖିବା । ପୃଥିବୀର ନାନାଦେଶରେ ଅନୁଷ୍ଠିତ ହୋଇଆସିଥିବା ବା ହେଉଥିବା ବିକାଶ କାର୍ଯ୍ୟକ୍ରମରେ ସକଳ ବିଭିନ୍ନତା ସତ୍ତ୍ୱେ ଏହାକୁ ହିଁ ସର୍ବସାମାନ୍ୟ ସାରକଥା ବୋଲି ଗ୍ରହଣ କରାଯାଇ ପାରିବ । ତାହା ହେଉଚି, କୌଣସି ସରକାର, ସିଏ ଜାତୀୟ ବା ଗଣତାନ୍ତ୍ରିକ ଯେଉଁ ଛାଞ୍ଚର ହୋଇଥାଉ ବା ନ ହୋଇଥାଉ ପଛକେ, ଦୟା କଲେ ସାମୁଦାୟିକ ବିକାଶ ସଫଳ ହୋଇଯିବ ନାହିଁ । ଲୋକମାନଙ୍କ ଜୀବନରେ ମଞ୍ଜି ପଡ଼ିଲେ ହିଁ ସେଥିରୁ ସ୍ଥାୟୀ ବିକାଶର ଗଛ ଉଠିବା ସମ୍ଭବ ହୋଇପାରିବ । ବାହାର ଲୋକେ ହୁଏତ ପ୍ରେରଣା ଯୋଗାଇ ଦେଇଯିବେ, ବାହାରୁ ସରକାର ହୁଏତ ସାଧନ ସାମଗ୍ରୀ ଓ ନୂତନ ଜ୍ଞାନ ଆଣି ଯୋଗାଇଦେବେ । କିନ୍ତୁ ଗ୍ରାମବାସୀ ଆପଣା ଉଦ୍ୟମରେ ହିଁ ଆପଣାର ଯଥାର୍ଥ ବିକାଶ କରିପାରିବେ ଏବଂ ଆସେ ଆଗ୍ରହୀ ହୋଇପାରିଲେ ଯାଇ ବିକାଶକାର୍ଯ୍ୟରେ ଏକ ସ୍ଥାୟୀ ଅନୁବନ୍ଧତାଯୁକ୍ତ ପ୍ରବାହ ଆଣିପାରିବେ ।

 

ଆମେରିକାର ଜଣେ ପୂର୍ବତନ ଓ ପ୍ରଖ୍ୟାତ ରାଷ୍ଟ୍ରପତି ଶ୍ରୀ ଉଇଡ଼୍ରୋ ଇଉଲ୍‌ସନ୍ (Widrow Wilson)ଙ୍କର ଗୋଟିଏ ଉକ୍ତି ଉଦ୍ଧାର କରି (୧୪) ଆମେ ଅଧ୍ୟାୟଟି ଶେଷ କରିବା ।

 

‘‘ଇତିହାସର ପୃଷ୍ଠା ଉପରେ ସିଂହାବଲୋକନ କରି ଦେଖିଲେ ମୁଁ ତାହାର ପ୍ରତ୍ୟେକ ପୃଷ୍ଠାରେ ସେହି ଗୋଟିଏ କଥା ଲିପିବଦ୍ଧ ହୋଇ ରହିଥିବାର ଦେଖିବାକୁ ପାଏ । ସେହି କଥାଟି ହେଉଚି ଯେ ଉପରୁ ନୁହେଁ, ତଳସ୍ତରରୁ ହିଁ ଯେକୌଣସି ଜାତିର ପୁନର୍ଜନ୍ମ ସମ୍ଭବ ହୋଇଥାଏ । ଅଖ୍ୟାତ ଜନତାର ସମୁଦ୍ର ଭିତରୁ ଯେଉଁ ପ୍ରତିଭାର ଉଦୟ ହୁଏ, କେବଳ ତାହାରିଦ୍ୱାରା ହିଁ ଜାତିର ପ୍ରାଣରେ ନୂତନ ଶକ୍ତି ଓ ବୁଦ୍ଧିର ସଞ୍ଚାର ସମ୍ଭବ ହୋଇପାରେ, କେବଳ ସେହି ପ୍ରତିଭାଦ୍ୱାରା ହିଁ ସମଗ୍ର ଜାତିର ଉଦୟ ହୁଏ । ଇତିହାସ ବିଷୟରେ ମୁଁ ଯେତିକି ଜାଣିଚି ବା ଯେତିକି ବୁଝିଚି, ଯେଉଁସବୁ ଅଭିଜ୍ଞତା ଓ ନିରୀକ୍ଷାଦ୍ୱାରା ମୋର ବିଚାରଦୃଷ୍ଟିର ମୂଳକଥା ପଡ଼ିଚି, ସେଇସବୁଥିରୁ ମୋର ବିଶ୍ୱାସ ଦୃଢ଼ ହୋଇଯାଇଚି ଯେ ସାଧାରଣ ମଣିଷଙ୍କର ଅଭିଜ୍ଞତାରୁ ହିଁ ମନୁଷ୍ୟ-ଜୀବନର ଯାବତୀୟ ଯଥାର୍ଥ ସତ୍ୟଜ୍ଞାନ ଉଦ୍‌ଭୂତ ହୋଇଥାଏ । ଜୀବନର ପ୍ରୟୋଜନୀୟତା, ଜୀବନର ପ୍ରାଣଶକ୍ତି ଓ ଜୀବନର ଫଳଦାୟକତା, ଉପର ସ୍ତରରୁ ଅଜାଡ଼ିହୋଇ ପଡ଼ିଲାପରି ଏହିସବୁ ଉପଲବ୍‌ଧି ତଳସ୍ତରକୁ ଅର୍ଥାତ୍ ସାଧାରଣ ମଣିଷ ପାଖକୁ ଆସେନାହିଁ । ଠିକ୍ ଯେପରି ଗୋଟିଏ ବଡ଼ ଗଛ ସ୍ୱାଭାବିକ ଭାବରେ ତଳୁ ଉପରକୁ ବଢ଼ି ବଢ଼ି ଯାଏ, ମାଟିରୁ ଜନ୍ମଲାଭ କରି, ବୃକ୍ଷ କାଣ୍ଡର ମଧ୍ୟଦେଇ ଶାଖା ପ୍ରଶାଖାର ପତ୍ରଗୁଚ୍ଛ ଆଡ଼କୁ ପ୍ରଲମ୍ବିତ ହୋଇଯାଏ ଓ ତା’ପରେ ଫଳ ଫଳାଇବାର ପର୍ଯ୍ୟାୟକୁ ଆସି ଆପଣାକୁ ପରିପୂର୍ଣ୍ଣ କରେ, ଗୋଟିଏ ଜାତି ବା ଗୋଟିଏ ସମୁଦାୟ ଠିକ୍ ସେହିପରି ବିକଶିତ ହୋଇଥାଏ । ପ୍ରତ୍ୟେକ ଜାତିରେ ବାସ କରୁଥିବା ସାଧାରଣ ଜନତା କଦାପି ପ୍ରସିଦ୍ଧ ହୁଅନ୍ତି ନାହିଁ, ତଥାପି ଆପଣାର ସଂଘର୍ଷଦ୍ୱାରା ସେହିମାନେ ହିଁ ଜାତିର ସକଳପ୍ରକାର ମୂଳଦୁଆକୁ ତିଆରି କରନ୍ତି । ତେଣୁ ସମାଜର ସ୍ତର ଓ ଜୀବନମାନର ଉନ୍ନୟନ ସାଧନ କରିବାରେ ସେହି ଜନସାଧାରଣଙ୍କୁ ହିଁ ସଞ୍ଚାଳିକାଶକ୍ତି ବୋଲି ସ୍ୱୀକାର କରିବାକୁ ପଡ଼ିବ । ଯେକୌଣସି ସମୁଦାୟର ଜନସାଧାରଣ ଯେତିକି ଉପରକୁ ଉଠିପାରିବେ ବା ଯେତିକି ବଡ଼ ହୋଇପାରିବେ, ସେହି ସମୁଦାୟ କେବଳ ସେତିକି ଉପରକୁ ଉଠିପାରିବ, କେବଳ ସେତିକି ବଡ଼ ହୋଇପାରିବ ।’’

 

ପୁସ୍ତକ ଟିପ୍ପଣୀ

 

୧.

Lee Taylor and Arthur R. Jones Rural Life and Urbanized Community- Oxford University Press, New York, 1964, ପୃଷ୍ଠା–୩୮୪

୨.

Edmund de S. Brunner and Wilbur U. Hallenbeck : American Society, Urban and Rural Patterns- Harper and Brothers, New York, 1955, ପୃଷ୍ଠା–୫୬୪-୫୬୮

୩.

David E. Lilienthal : TVA, Democracy on the March- Harper and Brothers, New York, 1944, ପୃଷ୍ଠା– ୧୯୮

୪.

B. Rudramoorthy : Extension in Planned Social Change- Allied Publishers Private Ltd., Bombay, 1964, ପୃଷ୍ଠା–୩୯

୫.

L. H. Hughes : Mexican Education in Progressive Education, Magazine of the American Education Fellowship, February, 1947,

୬.

International Survey of Programmes of Social Development- (ST/SOA/21)-United Nations, New York, 1955, ପୃଷ୍ଠା–୮୮

୭.

Margaret Read : Education and Social Change in Tropical Areas- Thomas Nelson and Sons, London, 1955, Introduction.

୮.

Community Development Review- International Co-Operation Administration, Washington, September, 1961.

୯.

Social Progress through Community Development-(ST/SOA/26), United Nations, New York, 1955, ପୃଷ୍ଠା–୪୪

୧୦.

Vitaliano Bernardino : The Philippine Community School- Phoenix Press Inc, Quezon City, Philippines, 1958.

୧୧.

Community Development and Social change : Training Material, Series A, Vol.4, Agency for International Development, Washington, ପୃଷ୍ଠା–୬

୧୨.

Antonio A. Perpetua Orientation and Training in C.D.- Paper delivered before the SEATO C.D. Conference, Baguio City, December 7-16, 1960

୧୩.

Community Development and Economic Development-(E/CN.11/540)-United Nations, Bangkok, 1960, ପୃଷ୍ଠା–୧୪

୧୪.

Quoted in Five C.D. Stories out of West Africa- Case Studies, Series B, Vol.I, Agency for International Development, Washington, ପୃଷ୍ଠା–୪

Image

 

ସପ୍ତମ ଅଧ୍ୟାୟ

ଭାରତରେ ସାମୁଦାୟିକ ବିକାଶ–ଯୋଜନା

 

‘‘ଯେଉଁ ଦେଶରେ ଧନୀ ଓ ଦରିଦ୍ର ମଧ୍ୟରେ ଖୁବ୍ ବେଶୀ ଅନ୍ତର ରହିବନାହିଁ, ଯେଉଁଠି ଲୋକମାନେ ସାଧାରଣତଃ ସମାନ ସୁଖ ସୁବିଧାମାନ ଉପଭୋଗ କରିପାରିବେ, ଯେଉଁଠି ଜାତିଗତ ବ୍ୟବଧାନ ରହିବନାହିଁ ଏବଂ ଯେଉଁଠି ଲୋକମାନେ ପରସ୍ପର ସହିତ ଏକତ୍ର ବାସ କରିବେ, ନିଜର ଧର୍ମ ବା ଜାତି ଯାହା ହୋଇଥାଉ ପଛକେ ସେମାନେ ଗୋଟିଏ ଦେଶର ନାଗରିକ ହିସାବରେ ପରସ୍ପର-ସହଯୋଗର ଆଧାର ଉପରେ ଜୀବନ ଅତିବାହିତ କରିବେ, ଆମେ ସେହିପରି ଗୋଟିଏ ଦେଶ ନିର୍ମାଣ କରିବାର ସ୍ୱପ୍ନ ଦେଖୁଚୁ ।’’

 

ଜବାହାରଲାଲ ନେହେରୁ (୧)

–୧–

 

ଏହି ସ୍ୱପ୍ନ କେବଳ ଭାରତବର୍ଷର ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଓ ଜନନେତା ପଣ୍ଡିତ ନେହେରୁଙ୍କର ନୁହେଁ, ଏହି ସ୍ୱପ୍ନ ଆଧୁନିକ ଯୁଗରେ ସକଳ ମାନବଜାତିର । ଏହି ଯୁଗର ଜଣେ ନାଗରିକ ହିସାବରେ ଯିଏ ଯଥେଷ୍ଟ ଆଖି ଖୋଲି ଆପଣାର ଚାରିପାଖକୁ ଅନାଇବାର ସାହସ କରିବ, ତାକୁ ଏହିପରି ଏକ ସ୍ୱପ୍ନ ଦେଖିବାକୁ ହିଁ ପଡ଼ିବ । ଆଗେ ହୁଏତ ଉଚ୍ଚାକାଙ୍‌କ୍ଷାସମ୍ପନ୍ନ ମଣିଷ ରାଜାର ସ୍ୱପ୍ନ ଦେଖୁଥିଲା, କେଉଁ ଦେଶର ରାଜକୁମାରୀକୁ ଆପଣାର ରାଣୀ କରିବାର ସ୍ୱପ୍ନ ଦେଖୁଥିଲା । ସୌନ୍ଦର୍ଯ୍ୟର ଉପାସନା କରିବାକୁ ଯାଇ କେହି ସୁନ୍ଦର ପ୍ରକୃତି, ସୁନ୍ଦର ସଜ୍ଜା ବା ସୁନ୍ଦର ଛବିର ସ୍ୱପ୍ନ ଦେଖୁଥିଲା । ସାହିତ୍ୟଘରେ ସାହିତ୍ୟିକ ହେବାକୁ ଯାଇ ହୁଏତ କେହି ବଡ଼ ଗ୍ରନ୍ଥ ଲେଖିବାର ସ୍ୱପ୍ନ ଦେଖୁଥିଲା । ଜାତି ବା ଦେଶର ମନ୍ଦିରରେ ଭକ୍ତ ହୋଇ ରହିବାକୁ ଯାଇ ଜାତିଗତ ପଶାଖେଳରେ ବାଜି ଜିତିଆଣି କେହି ଜାତିକୁ ବଡ଼ କରିବାର ସ୍ୱପ୍ନ ଦେଖୁଥିଲା । ଆଧୁନିକ ଯୁଗରେ ସେହିସବୁ ସ୍ୱପ୍ନ ପୁରୁଣା ବୋଲି ପ୍ରମାଣିତ ହେବାକୁ ବସିଲାଣି । ଏଯୁଗର ନୂଆ ସ୍ୱପ୍ନ ହେଉଚି ମଣିଷକୁ ନେଇ ସ୍ୱପ୍ନ । ସଂସାରରେ ସବୁ ମଣିଷ ସୁନ୍ଦର ହେବେ, ଅର୍ଥାତ୍ ସମ୍ମାନିତ ମଣିଷପରି ବଞ୍ଚି ରହିବାଲାଗି ମଣିଷ ଯେଉଁ ଦେଶରେ ଥାଉପଛକେ ଉପଯୁକ୍ତ ସୁଯୋଗ ଅବଶ୍ୟ ପାଇବ । ଏପରି ସ୍ଥିତି ଆଜି ମଧ୍ୟ ସଂସାରକୁ ଆସିନାହିଁ । ସଂସାରରେ ଏତେ ଧନ ଓ ଏତେ କୌଶଳ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ତଥାପି ସଂସାରର ଅଧେ ମଣିଷ ହୀନସ୍ତରରେ ପଡ଼ିରହିଚନ୍ତି । ଏହି ସ୍ଥିତିକୁ ବଦଳାଇ ଏକ ଅନ୍ୟପ୍ରକାର ମଣିଷ ଓ ଅନ୍ୟପ୍ରକାର ସାମୁଦାୟିକ ଜୀବନର ସ୍ଥାପନା କରିବା ହେଉଚି ଏ ଯୁଗର ସର୍ବଶ୍ରେଷ୍ଠ ସ୍ୱପ୍ନ । ସବୁଯୁଗର ସବୁ କ୍ଷେତ୍ରର ଯେ କୌଣସି ସ୍ୱପ୍ନଠାରୁ ଏହା ଅଧିକ ସାହସିକ । ଏହି ସ୍ୱପ୍ନରେ ସହଯୋଗ କରିପାରିଲେ ହୁଏତ ଜାତୀୟତା, ସୌନ୍ଦର୍ଯ୍ୟ-ଉପାସନା, ଧନୋପାର୍ଜନ ଏବଂ ସାହିତ୍ୟପ୍ରଭୃତି କ୍ଷେତ୍ରର ଖଣ୍ଡ ସ୍ୱପ୍ନମାନ ସାର୍ଥକ ହେବାର ସମ୍ଭାବନା ବି ରହିଥିବ ।

 

ଭାରତବର୍ଷରେ ମଧ୍ୟ ଆବହମାନ କାଳରୁ ଅନେକ ମନୀଷୀ ଓ ଅନେକ ଦ୍ରଷ୍ଟା ସବୁ ମଣିଷକୁ ସୁନ୍ଦର କରି ଗଢ଼ିବାର ସ୍ୱପ୍ନ ଦେଖିଆସିଚନ୍ତି । ଭାରତୀୟ ଯେକୌଣସି ସମ୍ରାଟର ସ୍ୱପ୍ନ ଅପେକ୍ଷା ଏହି ସ୍ୱପ୍ନ ସମ୍ଭବତଃ ଭାରତୀୟ ସାଂସ୍କୃତିକ ଓ ମାନବିକ ଆକାଙ୍‌କ୍ଷାଗୁଡ଼ିକୁ ଅଧିକ ଗୌରବାନ୍ୱିତ କରି ରଖିଆସିଚି । ସବୁ ମଣିଷ ସୁଖୀ ହେବେ, ସମସ୍ତଙ୍କର ଦୁଃଖ ନିରାକୃତ ହୋଇପାରିବ, ସମସ୍ତଙ୍କର ଜୀବନରେ ଶୁଭବାସନା ଗୁଡ଼ିକର ଅନୁଧାବନ ନିମିତ୍ତ ଯଥେଷ୍ଟ ଅବସର ରହିବ, ଏହିସ୍ୱପ୍ନ ଭାରତର ପରମ୍ପରାଗତ ସ୍ୱପ୍ନ । ତଥାପି ଆମକୁ ଏକଥା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ଏହି ଦେଶର ବାସ୍ତବିକ ଜୀବନଧାରା ସବୁସମୟରେ ଏହି ସାଂସ୍କୃତିକ ମୂଲ୍ୟଗୁଡ଼ିକ ଅନୁସାରେ ଆପଣାକୁ ଉଦ୍ଦିଷ୍ଟ କରି ରଖିବାକୁ ସମର୍ଥ ହୋଇନାହିଁ । ସନ୍ଥବାଣୀ ସବୁ ମଣିଷର ଉଦୟ ହେବାକୁ ସଂସାରଧର୍ମର ପରାକାଷ୍ଠା ବୋଲି ଘୋଷଣା କରିଚି, ତଥାପି ବାସ୍ତବ କ୍ଷେତ୍ରରେ ଆମର ସାମାଜିକ ବାସନା ଓ ସାମାଜିକ ଆଚରଣମାନ ଯେପରି ମାର୍ଗରେ ଯାଇଚି, ତଦ୍ଦ୍ୱାରା କେବଳ କେତେକ ମଣିଷଙ୍କର ହିଁ ଉଦୟ ହୋଇଚି । କେତେ ମଣିଷଙ୍କୁ ମାଟିରେ ମିଶାଇ ଦିଆହୋଇ ରାସ୍ତା ତିଆରି ହୋଇଚି ଏବଂ ତା ଉପରେ ଆଉ କେତେକଙ୍କର ବିପଣି ଚାଲିଚି । ଯୁଗେ ଯୁଗେ ଏହାର ପ୍ରତିବାଦ ହୋଇଚି, ତଥାପି ଏହାହିଁ ଯୁଗେ ଯୁଗେ ଅଧିକ ପ୍ରବଳ ହୋଇ ରହିଚି । ମଣିଷ ଭିତରେ ବ୍ରହ୍ମ ରହିଚି ବୋଲି ଆମେ ଯେତିକି ଉତ୍ସାହିତ ଓ ଭାବପ୍ରବଣ ହୋଇ କହିବାରେ ଲାଗିଚୁ, ତେଣେ ମଣିଷକୁ ଅସ୍ୱୀକାର କରି ବ୍ରହ୍ମରୂପୀ ଦାରୁକୁ ପୂଜିବାଲାଗି ଆମେ ସେତିକି ଆଗଭର ହୋଇଯାଇଚୁ । କ୍ରାନ୍ତଦର୍ଶୀ ମୁନି ଆପଣାର ଚେତନା ଭିତରେ ଅଖିଳ ବିଶ୍ୱବ୍ରହ୍ମାଣ୍ଡକୁ ଗୋଟିଏ ସତ୍ୟର ବହୁଧା ପ୍ରକାଶ ରୂପେ ପ୍ରତ୍ୟକ୍ଷ କରିଚି ଓ ଏହି ସମଭାବନାକୁ ହିଁ ଧର୍ମବିଚାରର ସାରକଥା ଘୋଷଣା କରିଚି । କିନ୍ତୁ ଏଣେ ଭାରତର ସାମାଜିକ ଓ ଦୈନନ୍ଦିନ ଜୀବନରେ ଆମେ ମଣିଷକୁ ମଣିଷଠାରୁ ଅଲଗା କରି କେତେ ଜାତି, କେତେ ସ୍ତର ଓ କେତେ ସୋପାନରେ ସଜାଇ ଦେଇଚୁ, ସମାଜ ଗଢ଼ିବାକୁ ଯାଇ ପ୍ରଧାନତଃ କେତେ ଅନ୍ୟାୟ ଓ କେତେ ବିଷମତାର ଦରବାର ବସାଇ ଦେଇଚୁ । ଏହି ଦ୍ୱନ୍ଦଟି ଭାରତୀୟ ସଂସ୍କୃତି ଓ ଭାରତୀୟ ଜୀବନର ସର୍ବପ୍ରଧାନ ଦ୍ୱନ୍ଦ୍ୱ ହୋଇଆସିଚି ଏବଂ ଏହି ଦ୍ୱନ୍ଦ୍ୱରେ ପଡ଼ି ଆମେ ଆମର ସକଳ ଧର୍ମଦର୍ଶନଗତ ଗାରିମା ସତ୍ତ୍ୱେ ବଡ଼ ହୀନଦଶାପନ୍ନ ହୋଇ ରହିଚୁ ।

 

ଭାରତୀୟ ଜୀବନଦୃଷ୍ଟିକୁ ମୂଳତଃ ମନୁଷ୍ୟମୁଖୀ କରିବାଲାଗି ସମ୍ଭବତଃ ଏଥିରେ ପାଶ୍ଚାତ୍ୟ ସଂସ୍କୃତିର ପବନ ବାଜିବା ଆବଶ୍ୟକ ଥିଲା । ପାଶ୍ଚାତ୍ୟ ଉପନିବେଶରୂପେ ଭାରତବର୍ଷ ଆପଣାର ଅନେକ ଶ୍ରୀ ହରାଇଚି ସତ୍ୟ, କିନ୍ତୁ ପାଶ୍ଚାତ୍ୟ ପୃଥିବୀ ସହିତ ସମ୍ପର୍କରେ ଆସି ଭାରତୀୟ ଆକାଙ୍‌କ୍ଷା ଆଧୁନିକ ପୃଥିବୀର ଶ୍ରେଷ୍ଠ ଆକାଙ୍‌କ୍ଷାଗୁଡ଼ିକୁ ଅନୁଭବ କରିପାରିବା ଲାଗି ଅନେକ ସୁଯୋଗ ପାଇଚି । ଊନବିଂଶ ଶତାବ୍ଦୀରେ ଶିକ୍ଷା, ଧର୍ମ, ସମାଜସଂସ୍କାର ତଥା ରାଜନୀତି କ୍ଷେତ୍ରରେ ଭାରତବର୍ଷରେ ଯେଉଁସବୁ ଆନ୍ଦୋଳନ ଅଥବା ଅନ୍ତରାଲୋଡ଼ନମାନ ହୋଇଥିଲା, ତାହା ପ୍ରଧାନତଃ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ବାଜି ହୋଇଥିଲା । ସେତେବେଳେ ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ନେତୃତ୍ୱ ଦେବାକୁ ବାହାରିଥିଲେ ସେମାନେ ପ୍ରତ୍ୟେକ ପାଶ୍ଚାତ୍ୟ ସାଂସ୍କୃତିକ ଭାବନାଦ୍ୱାରା ଅନେକ ପରିମାଣରେ ଅନୁପ୍ରାଣିତ ହୋଇଥିଲେ ଏବଂ ଆଧୁନିକ ଯୁଗପ୍ରବାହ ସହିତ ଭାରତୀୟ ପ୍ରବାହର ସମନ୍ୱୟ କରିବାକୁ ଇଚ୍ଛା କରୁଥିଲେ । ପାଶ୍ଚାତ୍ୟ ଜଗତର ଜାତୀୟତା ଆମ ଭାରତୀୟ ମାନଙ୍କ ମଧ୍ୟରେ ଗୋଟିଏ ଜାତିରୂପେ ଅନୁଭବ କରିବାର ପ୍ରଥମ ଇଚ୍ଛା ଜାଗୃତ କରିଥିଲା । ଆମେରିକା ଓ ଫ୍ରାନ୍‌ସ ଦେଶର ବିପ୍ଳବ ଆମଦେଶରେ ମଧ୍ୟ ତରୁଣମାନଙ୍କୁ ବିପ୍ଳବର ସ୍ୱପ୍ନ ଦେଖି ଶିଖାଇଥିଲା । ପାଶ୍ଚାତ୍ୟ ବିଜ୍ଞାନ ଓ ପାଶ୍ଚାତ୍ୟ ସାମାଜିକ ଦର୍ଶନମାନ ଆମଦେଶରେ ଆମର ସାମାଜିକ କଳ୍ପନାକୁ ଅଧିକ ନ୍ୟାୟସାପେକ୍ଷ ଓ ଅଧିକ ମାନବିକ କରିବାରେ ଅନେକ ସାହାଯ୍ୟ କରିଥିଲା । ଏଥିପୂର୍ବରୁ ଆମେ ଗୋଟିଏ ଦେଶୀୟ ସଂସ୍କାରକୁ ହିଁ ଏକମାତ୍ର ବୋଲି ମାନି ନେଉଥିଲୁ ଓ ଏହି ସଂସ୍କାର ପ୍ରତି ଆମର ଅନୁରକ୍ତି ଆମ ଧର୍ମ, ଆମର ଜୀବନମୂଲ୍ୟ ଓ ପରିବର୍ତ୍ତନ ଆଣିବାଲାଗି ଆମର ସକଳ ଇଚ୍ଛାକୁ ପ୍ରାୟ ଗ୍ରାସକରି ପକାଇଥିଲା । ପାଶ୍ଚାତ୍ୟ ଭାବଧାରାର ସଂସ୍ପର୍ଶରେ ଆସି ଆମର ପୁରୁଣା ପ୍ରାଚୀରମାନ ଭାଙ୍ଗିଗଲା, ଆମର ସ୍ୱପ୍ନମାନ ପୁଣି ସଚଳ ହୋଇ ଉଠିଲା ଏବଂ ଆମେ ସମାଜ ଓ ମଣିଷ କହିଲେ ନୂତନ ପ୍ରକାରେ ଭାବିବାକୁ ଆରମ୍ଭ କଲୁ । ଆମର ମୂଳଦୁଆ ଯେଉଁପରି ଭାରତୀୟ ଥିଲା, ସେହିପରି ଭାରତୀୟ ହୋଇ ରହିଲା, କିନ୍ତୁ ଆମର ଆକାଙ୍‌କ୍ଷାମାନ ନୂତନ ମାନବମୂଳ ଦୃଷ୍ଟିଦ୍ୱାରା ଉଦ୍‌ବୁଦ୍ଧ ହୋଇ ଆମ ସାମାଜିକ ଭାଗ୍ୟକୁ ନୂତନ ପ୍ରକାରେ ଗଢ଼ିବାଲାଗି ପ୍ରବୃତ୍ତ ହେବାକୁ ଲାଗିଲା ।

 

ଜାତିକୁ ନୂତନ କରି ଗଢ଼ିବାକୁ ହେଲେ ଜାତିର ରାଜନୀତିକ ସ୍ୱାଧୀନତା ହାସଲ କରିବା ଯେ ଏକ ପ୍ରଥମ ଆବଶ୍ୟକତା, ଜାଗରଣ-ପର୍ବର ନେତାମାନେ ଏକଥାସବୁଦିନ ହୃଦୟଙ୍ଗମ କରିଥିଲେ । ୧୯୪୭ ମସିହାରେ ଭାରତବର୍ଷ ସ୍ୱାଧୀନ ହେଲା ଅର୍ଥାତ ଆପଣାର ଭାଗ୍ୟକୁ ଆପଣାର ମନୋମତ କରି ଗଢ଼ିବାକୁ ସ୍ୱାଧୀନତା ପାଇଲା । କିନ୍ତୁ ସେପର୍ଯ୍ୟନ୍ତ ସମାଜ-ନିର୍ମାଣର କାର୍ଯ୍ୟମାନ ଅପେକ୍ଷା କରି ବସି ନଥିଲା । ରାଜନୀତିକ ସ୍ୱାଧୀନତାର ଆନ୍ଦୋଳନ ଚାଲିଥିବା ସମୟରେ ମଧ୍ୟ ଆମଦେଶରେ ସମାଜ ନିର୍ମାଣର ଅନେକ ଉଦ୍ୟମ ହୋଇଥିଲା । ଦେଶର ଲୋକମାନେ ଏକତ୍ର ହୋଇ ଆପଣା ସମାଜର ବିକାଶରେ ସହଯୋଗ କରିବେ, ଅର୍ଥାତ୍ ପୁରାତନ ସଂସ୍କାରମାନ ବର୍ଜନ କରି ଆପଣା ଭାଗ୍ୟକୁ ଆପେ ଗଢ଼ିବାଲାଗି ଅଗ୍ରସର ହେବେ, ଏହି ଉଦ୍ଦେଶ୍ୟରେ ଭାରତବର୍ଷରେ ଯେଉଁସବୁ ଉଦ୍ୟମ କରାଯାଇଥିଲା, ତାହାକୁ ଏ ଦେଶରେ ସାମୁଦାୟିକ ବିକାଶର ପୂର୍ବାଭାସ ବୋଲି କୁହାଯାଇ ପାରିବ । ଏହିସବୁ ଉଦ୍ୟମରୁ ଅଭିଜ୍ଞତା ଗ୍ରହଣ କରି ହିଁ ଆମଦେଶରେ ଜାତୀୟ ସ୍ତରରେ ବର୍ତ୍ତମାନ ସାମୁଦାୟିକ ବିକାଶର ଯୋଜନାମାନ ଚାଲିଚି । ତେଣୁ ଭାରତବର୍ଷରେ ସାମୁଦାୟିକ ବିକାଶର ବିଶିଷ୍ଟ ମାର୍ଗଗୁଡ଼ିକୁ ବୁଝିବାକୁ ହେଲେ ଆମକୁ ପୂର୍ବରୁ କରାଯାଇଥିବା ସେହି ଉଦ୍ୟମଗୁଡ଼ିକ ବିଷୟରେ ଠିକେଠିକେ ଜାଣିରଖିବାକୁ ପଡ଼ିବ ।

 

ଆଗରୁ ଯାହା ହୋଇଥାଉ ପଛକେ, ବ୍ରିଟିଶ୍ ଅମଳରେ ଅନ୍ନସମସ୍ୟା ହିଁ ଭାରତବର୍ଷର ସର୍ବପ୍ରଧାନ ସମସ୍ୟା ହୋଇ ରହିଥିଲା । ଭାରତର ବ୍ରିଟିଶ ଶାସନ ଯେତିକି ମଜବୁତ୍ ହେବାରେ ଲାଗିଥିଲା ଭାରତବର୍ଷର ଅନ୍ନଗତ ମୂଳଦୁଆ ସତେ ଅବା ସେତିକି ଅଧିକ ଦୁର୍ବଳ ହେବାରେ ଲାଗିଥିଲା ଏହାର ଏକାଧିକ କାରଣ ଅବଶ୍ୟ ରହିଚି । ତଥାପି ବ୍ରିଟିଶ ସାମ୍ରାଜ୍ୟର ଆର୍ଥିକ ନୀତିକୁ ଏହାର ସର୍ବପ୍ରଧାନ କାରଣ ବୋଲି କହିବାକୁ ହେବ । ଗ୍ରାମର ଆର୍ଥିକ ଚେରମାନ ଛିଡ଼ିଯିବା ଫଳରେ ଯେ ଗ୍ରାମବାସୀ କୃଷକ ଓ କାରିଗର ଦୁର୍ବଳ ହୋଇପଡ଼ିଲେ, ସେକଥା ସମସ୍ତେ ନିଶ୍ଚୟ ସ୍ୱୀକାର କରିବେ । ଊନବିଂଶ ଶତାବ୍ଦୀରେ ଦୁର୍ଭିକ୍ଷଗୁଡ଼ାକ ଯେପରି ଭାରତବାସୀର ସହଚର ହୋଇ ରହିଥିଲା । ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷର କଥା ଆମ ସମସ୍ତଙ୍କର ମନେଥିବ । ନିୟମରକ୍ଷା କଲାଭଳି ଯେପରି ଗୋଟାକୁଗୋଟା ଦୁର୍ଭିକ୍ଷ ହେବାରେ ଲାଗିଥିଲା, ଠିକ୍ ସେହିପରି ସତେ ଅବା ନିୟମରକ୍ଷା କଲାପରି ବ୍ରିଟିଶ ସରକାର ଦୁର୍ଭିକ୍ଷଗୁଡ଼ିକର କାରଣ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ଗୋଟାକୁଗୋଟା କମିଶନ ବସାଇବାରେ ବି ଲାଗିଥିଲେ । ଏହି ନିୟମର ଅନୁସରଣ କରି ୧୮୮୦, ୧୮୯୮ ଓ ୧୯୦୧ର ଦୁର୍ଭିକ୍ଷ କମିଶନମାନ ବସିଥିଲା । ଏହିସବୁ କମିଶନ ଦୁର୍ଭିକ୍ଷସ୍ଥିତିର ଅନୁସନ୍ଧାନ କରି ପ୍ରତିକାର-ବିଧାନ ଲାଗି ଯେଉଁସବୁ ପରାମର୍ଶ ଦେଉଥିଲା, ସେହି ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ହୁଏତ ତତ୍‌କାଳୀନ ସରକାରୀ ଇଚ୍ଛାରେ ବଜେଟ ଭିତରେ ନଥିଲା । ତଥାପି ଏହିସବୁ ଅନୁସନ୍ଧାନ ଦ୍ୱାରା ଦେଶର ଆର୍ଥିକ ସ୍ଥିତି ଓ କୃଷକ ବିଷୟରେ ଅନେକ ଆଲୋକପାତ ହୋଇଥିଲା । ସେହି ପରମ୍ପରାର ଅନୁସରଣ କରି ୧୯୦୩ ରେ ଜଳସେଚନ କମିଶନ ବସିଲା, ୧୯୧୫ରେ ମାକ୍‌ଲାଗାନ୍ କମିଶନ ବସିଲା ଓ ଶେଷରେ ୧୯୨୮ରେ ବ୍ୟାପକତର ଅନୁସନ୍ଧାନ କରି ଏକ ପରିପୂର୍ଣ୍ଣତର ରିପୋର୍ଟ ପେସ୍ କରିବାଲାଗି କୃଷିବିଷୟକ ରୟାଲ୍ କମିଶନ ମଧ୍ୟ ବସିଲା । ଏହି କମିଶନ ଆପଣାର ବୃହଦକାର ରିପୋର୍ଟରେ ଭାରତୀୟ କୃଷିସଂସ୍ଥାନ ବିଷୟରେ କ ଠାରୁ କ୍ଷ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ଭାରତୀୟ କୃଷି ଓ ସମୂହଭାବେ ଭାରତର ଗ୍ରାମର ସମସ୍ୟାଗୁଡ଼ିକୁ ବୁଝିବାଲାଗି ଆଜି ମଧ୍ୟ ଏହି ରିପୋର୍ଟ ଏକ ମୂଲ୍ୟବାନ୍ ନଥି ହୋଇ ରହିଚି ।

 

ଅନୁସନ୍ଧାନ ଲାଗି କମିଶନକୁ ବ୍ୟାପକ ଅଧିକାର ଦିଆଯାଇଥିଲା ସତ, କିନ୍ତୁ ତଥାପି ସରକାର ଯେପରି କୃଷକର ସଂସାରରେ ଏଠିସେଠି କେବଳ କେତେଟା ତାଳି ପକାଇ ଦେବାକୁ ଚାହୁଥିଲେ ଓ କୌଣସି ପ୍ରକାର ମୌଳିକ ପରିବର୍ତ୍ତନ ଆଣି କୃଷିଜୀବନର ପ୍ରକୃତ କୌଣସି ଉନ୍ନୟନ କରିବାକୁ ଇଚ୍ଛୁକ ନଥିଲେ । କାରଣ ଭୂମିସଂସ୍କାର ବିଷୟରେ କୌଣସି ପ୍ରକାରେ ପାଟି ଫିଟାଇବାକୁ କମିଶନକୁ କୌଣସି ଅଧିକାର ଦିଆଯାଇ ନଥିଲା । ଦେଶର ଭୂମିବ୍ୟବସ୍ଥା ବିଷୟରେ କୌଣସି ପର୍ଯ୍ୟବେକ୍ଷଣ ବା ପର୍ଯ୍ୟାଲୋଚନା ନକରି ଗ୍ରାମବାସୀର କଲ୍ୟାଣ ଓ ଉନ୍ନୟନ କରିବା ସମ୍ଭବ ବା କିପରି ହୋଇଥାନ୍ତା ? କିଏ ଜମିର ମାଲିକ ହୋଇ ରହିଚି, ଗାଆଁର ଚାଷୀମାନେ କିପରି ଅବସ୍ଥାରେ ବା କିପରି ଚୁକ୍ତି ଗୁଡ଼ିକ ଦ୍ୱାରା ଆବଦ୍ଧ ହୋଇ ଏହିସବୁ ଜମିର ଚାଷ କରୁଚନ୍ତି, ଜମିଦାର ଓ ସରକାରଙ୍କର ସହିତ ଏହି ଚାଷୀକୁଳର କିପରି ସଂପର୍କ ରହିଚି, ଜମି ବାବତରେ ଟିକସ ଦେବାର ବ୍ୟବସ୍ଥା ମଧ୍ୟ କିପରି ରହିଚି, ଏସବୁ ବିଷୟରେ କମିଶନ କୌଣସି କଥା କହିନଥିଲେ ବା ଏପରି କଥା କହିବାକୁ କମିଶନକୁ ସରକାର ଅଧିକାର ଦେଇନଥିଲେ । କୃଷିସୁଧାର କୃଷି ଉନ୍ନୟନ ବିଷୟରେ କମିଶନ ଅନେକ ପରାମର୍ଶ ଦେଇଥିଲେ । ଏହିସବୁ ପରାମର୍ଶକୁ କାର୍ଯ୍ୟକାରୀ କରିବାରେ ଯେ ଦେଶକୁ ଶାସନ କରୁଥିବା ସରକାରଙ୍କର ଅନେକ ଦାୟିତ୍ୱ ରହିଚି, ସେମାନେ ଏକଥା ମଧ୍ୟ ସ୍ପଷ୍ଟ କରି ଦେଇଥିଲେ । ‘‘ଏହି ରିପୋର୍ଟରେ ଆମେ ଯେଉଁସବୁ ପ୍ରତିକାର ବିଧାନର ପରାମର୍ଶ ଦେଇଚୁ, ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଓ ସେଦିଗରେ ଆବଶ୍ୟକ ଉଦ୍ୟମମାନ ଆରମ୍ଭ କରିବାର ଦାୟିତ୍ୱ ଯେ ମୁଖ୍ୟତଃ ସରକାରଙ୍କର, ଏକଥା କହିବାରେ ଆମର କୌଣସି ସଙ୍କୋଚ ନାହିଁ । ଆମର ମତ ଯେ ଗ୍ରାମର ସମସ୍ୟାଗୁଡ଼ିକୁ ଏଣିକି ଏକ ସମଗ୍ର ଏକକ ଭାବରେ ଗ୍ରହଣ କରିବାକୁ ହେବ ଏବଂ ଏକାସଙ୍ଗରେ ଗୋଟିଏ ସମଗ୍ର କାର୍ଯ୍ୟକ୍ରମ ଦ୍ୱାରା ସେଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ଦିଗରେ ଅନୁରୂପ ନୀତି ଅବଲମ୍ବନ କରିବା ଏବଂ ଏହି ନୀତିକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ସ୍ଥାପନ କରାଇବା ସରକାରଙ୍କର, କେବଳ ସରକାରଙ୍କର ଦାୟିତ୍ୱ ହୋଇ ରହିବ ।’’ (୨) କମିଶନ ରିପୋର୍ଟଟିକୁ ବ୍ୟାପକ ଓ ସର୍ବାଙ୍ଗସୁନ୍ଦର କରିବାରେ କୌଣସି ତ୍ରୁଟି ରଖି ନଥିଲେ, କିନ୍ତୁ ସରକାରୀ ଯନ୍ତ୍ର ଏଦିଗରେ କୌଣସି ନିର୍ଦ୍ଦିଷ୍ଟ ଓ ନିଷ୍ଠାପର ପଦକ୍ଷେପ ନେବା ଆଗରୁ ସ୍ଥିତି ବଦଳିଗଲା, ସ୍ଥିତି ହାତରୁ ଚାଲିଗଲା ।

 

ରୟାଲ୍ କମିଶନ ଆପଣାର ରିପୋର୍ଟରେ ଏପରି ଗୋଟିଏ କଥା କହିଥିଲେ ଯାହା ପରବର୍ତ୍ତୀ କାଳରେ ସାମୁଦାୟିକ ଯୋଜନାର ପର୍ଯ୍ୟାୟରେ ଏକ ମୂଳନୀତି ବୋଲି ସ୍ୱୀକୃତ ହୋଇଥିଲା । ଖାଲି କୃଷିବିଷୟକ ଉନ୍ନତ ସାଧନମାନ ଯୋଗାଇଦେଲେ କୃଷିର ଉନ୍ନତି ବଳେବଳେ ହୋଇଯିବ ନାହିଁ । ଆମକୁ କୃଷକର ଦୃଷ୍ଟିକୋଣକୁ ବଦଳାଇବାକୁ ହେବ । ଏହି ଦୃଷ୍ଟିକୋଣରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ହେଲେ ଆମକୁ ତାହାର ସମଗ୍ର ଜୀବନକୁ ଏକକରୂପେ ଗ୍ରହଣ କରିବାକୁ ହେବ । ଅର୍ଥାତ୍ ଭାରତବର୍ଷର କୃଷକ ଆପଣା ଜୀବନରେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଚି, ଯେଉଁସବୁ ସମସ୍ୟା ତାକୁ ହାତଗୋଡ଼ ବାନ୍ଧିରଖିଲା ପରି ରଖିଚନ୍ତି, ଏକାବେଳକେ ସେଗୁଡ଼ିକର ନିରାକରଣ କରିବାର ଉଦ୍ୟମ କରାଗଲେ ଯାଇ କୃଷିର ମଧ୍ୟ ଉନ୍ନତି ହୋଇପାରିବ । ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ଜୀବନ କୌଣସିଟିକୁ ବାଦ୍‌ଦେଲେ ଆମେ କୃଷକର ଜୀବନରେ ସରସତା ଆଣିପାରିବା ନାହିଁ ଓ ଆପଣାର ଜୀବନକୁ ନୀରସ ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ କୃଷକ ଆପଣା ଜୀବନରେ କଦାପି ଏକ ଆଶାବାଦୀ ଦୃଷ୍ଟିକୋଣ ପୋଷଣ କରିପାରିବନାହିଁ । ସେତେବେଳର ସରକାର ରିପୋର୍ଟ ଅନୁସାରେ ଭାରତୀୟ କୃଷକକୁଳ ପ୍ରତି ଆପଣାର ଦୃଷ୍ଟିକୋଣକୁ ଯେ ବଦଳାଇ ଦେଇଥାନ୍ତେ, ଏପରି ଆଶା କରିବା ଆମ ପକ୍ଷରେ ଅସ୍ୱାଭାବିକ ହେବ । ତେଣୁ ଏହି ରିପୋର୍ଟ, ପ୍ରଧାନତଃ ଏକ ରିପୋର୍ଟରେ ହିଁ ରହିଗଲା ।

 

ଦ୍ୱିତୀୟ ମହାଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ୍ ସରକାରଙ୍କ ତରଫରୁ ‘ଅଧିକ ଶସ୍ୟ ଉତ୍ପନ୍ନ କର’ (Grow More Food) ନାମରେ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଭାରତ ସାଧାରଣତଃ ବ୍ରହ୍ମଦେଶରୁ ହିଁ ଆପଣାର ନିଅଣ୍ଟ-ପରିମାଣର ଚାଉଳ ଆମଦାନୀ କରୁଥିଲା-। ସେତେବେଳେ ବ୍ରହ୍ମଦେଶ ଜାପାନର କବଳରେ ପଡ଼ିଯିବାରୁ ଭାରତବର୍ଷରେ ଅଧିକ ଖାଦ୍ୟଦ୍ରବ୍ୟ ଉତ୍ପନ୍ନ କରିବା ଆବଶ୍ୟକ ବୋଲି ସରକାର ବିଚାରିଥିଲେ । ନାନା କାରଣରୁ ଏହି ସରକାରୀ ଆନ୍ଦୋଳନ ସଫଳ ହୋଇପାରିଲା ନାହିଁ । ଭାରତ ସ୍ୱାଧୀନ ହେବାପରେ ଜାତୀୟ ସରକାର ଏହି ବିଫଳତାର କାରଣ ଅନୁସନ୍ଧାନ କରି କୃଷିମଙ୍ଗଳ ଉଦ୍ଦେଶ୍ୟରେ ବିହିତ ପରାମର୍ଶ ଦେବାକୁ ୧୯୫୨ ମସିହାରେ ଆଉଗୋଟିଏ କମିଟି ବସାଇଲେ । ଏହି କମିଟି ଯେଉଁସବୁ ସିଦ୍ଧାନ୍ତରେ ପହଞ୍ଚିଥିଲା, ଭାରତର ସାମୁଦାୟିକ ବିକାଶ-ଯୋଜନା ଦୃଷ୍ଟିରୁ ସେହି ସିଦ୍ଧାନ୍ତ ଗୁଡ଼ିକର ଅନେକ ମହତ୍ତ୍ୱ ରହିଚି । କମିଟି ମତ ଦେଇଥିଲେ ଯେ, ‘‘ଗ୍ରାମଜୀବନର ଆର୍ଥିକ ଦିଗଗୁଡ଼ିକ ଆମେ କଦାପି ବ୍ୟାପକତର ସାମାଜିକ ଦିଗଗୁଡ଼ିକରୁ ବିଚ୍ଛିନ୍ନ କରି ବିଚାର କରିପାରିବା ନାହିଁ । କୃଷିର ସମସ୍ୟା କେବଳ କୃଷିଗତ ଏକ ବିଶେଷ କ୍ଷେତ୍ରଭିତରେ ସୀମିତ ହୋଇ ରହିନାହିଁ, ସାମାଜିକ ନାନା ସମସ୍ୟାର ଏକ ସମଗ୍ର ବ୍ୟୂହଭିତରେ ଏହା ଛନ୍ଦି ହୋଇ ରହିଲା ପରି ରହିଚି । ଗ୍ରାମଜୀବନର ଭିନ୍ନ ଭିନ୍ନ କ୍ଷେତ୍ର ଓ ଦିଗ ପରସ୍ପର ସହିତ ସମ୍ବନ୍ଧିତ ହୋଇ ରହିଥିବାରୁ କେବଳ ଗୋଟିଏ ଗୋଟିଏ କ୍ଷେତ୍ରରେ ଉପୁଜୁଥିବା ବିଶେଷ ସମସ୍ୟାଗୁଡ଼ିକୁ ପରସ୍ପରଠାରୁ ବିଚ୍ଛିନ୍ନ ଭାବରେ ବିଚାର କରୁଥିବା ପର୍ଯ୍ୟନ୍ତ ଓ ବିଚ୍ଛିନ୍ନ ଭାବରେ ସେଗୁଡ଼ିକର ସମ୍ମୁଖୀନ ହେଉଥିବା ପର୍ଯ୍ୟନ୍ତ ଆମେ ପ୍ରକୃତରେ କୌଣସି ସମସ୍ୟାର ଏକ ସ୍ଥାୟୀ ସମାଧାନ କରିପାରିବାନାହିଁ । ଗ୍ରାମଜୀବନର ଜୀବନମାନରେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣି ଏହାକୁ ପରିପୂର୍ଣ୍ଣତର ଓ ସମୃଦ୍ଧତର କରିବାଲାଗି ଆମର ଜାତୀୟ ଆଦର୍ଶରୂପେ ଗ୍ରହଣ କରିପାରିଲେ ଯାଇ ଆମେ କୃଷି-ଉନ୍ନୟନ ଦିଗରେ ପ୍ରଥମ କଦମ୍ ଉଠାଇପାରିବା । କିନ୍ତୁ ଖାଲି ବଡ଼ ଆଦର୍ଶଟାଏ ରଖିଦେଲେ ଚଳିବନାହିଁ, ମାତ୍ର ରାଜ୍ୟର ଶାସନକଳକୁ ଏହି ଉଦ୍ଦେଶ୍ୟସାଧନ ଲାଗି ଦକ୍ଷଭାବରେ ନିୟୋଜିତ କରିବାକୁ ହେବ ତଥା ଉଦ୍ଦେଶ୍ୟଗୁଡ଼ିକର ପୂର୍ତ୍ତି ଉଦ୍ଦେଶ୍ୟରେ ବେସରକାରୀ ପ୍ରକୃଷ୍ଟ ଲୋକନେତୃତ୍ୱର ସହାୟତା ମଧ୍ୟ ଗ୍ରହଣ କରିବାକୁ ହେବ । ତେବେ ଯାଇ ଜନସାଧାରଣଙ୍କ ମଧ୍ୟରେ ଆବଶ୍ୟକ ପ୍ରେରଣା ଜାଗୃତ ହୋଇପାରିବ । ସେମାନେ ଏହି ଦିଗରେ ସକ୍ରିୟ ଆଗ୍ରହ ପ୍ରକଟ କରିବେ ଏବଂ ଗ୍ରାମାଞ୍ଚଳରେ ବାସ କରୁଥିବା କୋଟି କୋଟି ପରିବାର ଆପଣା ଭାଗ୍ୟ ପରିବର୍ତ୍ତନର ବିପୁଳ ଓ ବୈପ୍ଳବିକ କାର୍ଯ୍ୟକ୍ରମରେ ସମର୍ଥନ ଜଣାଇ ଆଗଭର ହୋଇ ଆସିବେ ।’’ (୩)

 

ଏହି କମିଟି ଆବଶ୍ୟକ କାର୍ଯ୍ୟପନ୍ଥା ହିସାବରେ : ।।୧।। କୃଷି ଓ ଗ୍ରାମଜୀବନର ଉନ୍ନତି କଳ୍ପେ ଜାତୀୟ ସମ୍ପ୍ରସାରଣ-କାର୍ଯ୍ୟର ଏକ ଆନ୍ଦୋଳନ ଆରମ୍ଭ କରାଯାଉ ଏବଂ ସାତ ଆଠ ବର୍ଷ ମଧ୍ୟରେ ଏହାକୁ ସାରା ଦେଶରେ ପ୍ରସାରିତ କରି ଦିଆଯାଉ ବୋଲି ସୁପାରିଶ କରିଥିଲା । ।।୨।। ଏହି ନୂତନ ସମ୍ପ୍ରସାରଣ ଯୋଜନାଟି ଚଳାଇବାକୁ ହେଲେ ରାଜ୍ୟ, ଜିଲ୍ଲା, ସବ୍‌ଡ଼ିଭିଜନ୍ ଓ ଗ୍ରାମସ୍ତରରେ କେଉଁ କେଉଁ ସରକାରୀ ଓ ବେସରକାରୀ ସଂସ୍ଥାମାନ କିପରି ଧାରାରେ କାର୍ଯ୍ୟ କରିବେ, ସେହି ବିଷୟରେ କମିଟି ଏକ ରୂପରେଖ ମଧ୍ୟ ତିଆରି କରିଦେଇଥିଲା । ।।୩।। ରାଜ୍ୟମାନଙ୍କରେ ସମ୍ପ୍ରସାରଣ ଯୋଜନା ଚାଲିବା ଲାଗି କେନ୍ଦ୍ର ସରକାରଙ୍କର ତରଫରୁ ଅର୍ଥ ସାହାଯ୍ୟ ମିଳିବା ଉଚିତ ବୋଲି ମଧ୍ୟ କମିଟି ମତ ଦେଇଥିଲା । ।।୪।। କମିଟି ପ୍ରସ୍ତାବ କରିଥିଲା ଯେ ଶାସନ-ସଂଗଠନର ସର୍ବନିମ୍ନ ସ୍ତରରେ ଗୋଟିଏ ତହସିଲ ବା ଗୋଟିଏ ତାଲୁକାକୁ ନେଇ ଗୋଟିଏ ଲେଖାଏଁ ବିକାଶକ୍ଷେତ୍ର ବା ବ୍ଲକ୍ ତିଆରି ହେବ । ଏହି ବ୍ଳକ୍‌ର ଦାୟିତ୍ୱରେ ଜଣେ ବିକାଶ ଅଫିସର ବା ପ୍ରସାର ଅଫିସର ରହିବେ । ତାଙ୍କ ଅଧୀନରେ କୃଷି, ପଶୁପାଳନ ଓ ସମବାୟ କ୍ଷେତ୍ରରେ ତାଲୀମପ୍ରାପ୍ତ କର୍ମଚାରୀମାନେ ରହିବେ । ଏହି ସଂସ୍ଥା ଗୋଟିଏ ଦଳପରି କାମ କରିବ ଓ ଏହାର ସଦସ୍ୟମାନେ ପ୍ରତ୍ୟେକ ଅବସରରେ ପରସ୍ପରର ପରାମର୍ଶ ନେଉଥିବେ । ଏମାନେ ଗାଆଁର ଚାଷୀମାନଙ୍କ ସହିତ ସିଧା ସମ୍ପର୍କ ରଖିବେ ଓ ସେମାନଙ୍କର ମିତ୍ର ଓ ମାର୍ଗଦର୍ଶକ ହିସାବରେ କାର୍ଯ୍ୟ କରିବେ ।

 

ବେସରକାରୀ କ୍ଷେତ୍ରରେ ମଧ୍ୟ ଭାରତର ଗ୍ରାମ-ନିର୍ମାଣ ଓ ସମାଜର ପୁନର୍ଗଠନ ଲାଗି ବିଶିଷ୍ଟ ବ୍ୟକ୍ତି ଓ ସଂସ୍ଥାମାନେ ଆଗରୁ ଅନେକ ଉଦ୍ୟମ କରିଥିଲେ । ଭାରତର ସାମୁଦାୟିକ ବିକାଶଯୋଜନା ଏହିସବୁ ଉଦ୍ୟମରୁ କମ୍ ପ୍ରେରଣା ଓ ଶିକ୍ଷା ପାଇନାହିଁ । ଯେତେ ସ୍ଥାନୀୟ ସ୍ତରରେ ହେଲେ ମଧ୍ୟ ଜାତୀୟ ସାମାଜିକ ଉନ୍ନୟନର ମହତ୍‌ଆକାଙ୍‌କ୍ଷା ପୋଷଣ କରି ଏହିସବୁ ଉଦ୍ୟମମାନ ଆରମ୍ଭ କରାଯାଇଥିଲା । ଆମେ ଏଠାରେ ଗୋଟି ଗୋଟି କରି ସେଗୁଡ଼ିକର ଆଲୋଚନା କରିବା ।

 

ଶ୍ରୀ ରବୀନ୍ଦ୍ରନାଥ ଠାକୁର ଓ ଶ୍ରୀନିକେତନ–

 

ରବୀନ୍ଦ୍ରନାଥଙ୍କୁ ଆମେ ସାଧାରଣତଃ ଜଣେ ବଡ଼ କବି ଓ ସାହିତ୍ୟିକ ବୋଲି ଜାଣିଚୁ । କିନ୍ତୁ ଭାରତୀୟ ଗ୍ରାମସାମଜର ପୁନର୍ଗଠନ-କ୍ଷେତ୍ରରେ ମଧ୍ୟ ତାଙ୍କୁ ସମସ୍ତେ ଜଣେ ଅଗ୍ରଣୀ ବୋଲି ଅବଶ୍ୟ ସ୍ୱୀକାର କରିବେ । ଅଥବା ତାଙ୍କୁ ପରିପୂର୍ଣ୍ଣ ଅର୍ଥରେ ଯଥାର୍ଥରେ ଜଣେ କବି ବା ସାହିତ୍ୟିକ ବୋଲି କୁହାଯାଇପାରିବ, କାରଣ ସେ ଲୋକନିର୍ମାଣକୁ ମଧ୍ୟ ସାହିତ୍ୟ ଓ ସୌନ୍ଦର୍ଯ୍ୟ-ସାଧନାର ଆନୁସଙ୍ଗିକ ଓ ପରିପୂରକ ବୋଲି ମାନୁଥିଲେ । ୧୯୨୨ ମସିହାରେ ଶାନ୍ତିନିକେତନର ନିକଟବର୍ତ୍ତୀ ସୁରୁଲ ଗ୍ରାମରେ ସେ ଆପଣାର ଗ୍ରାମନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଇଂରେଜ ଲୋକସଂଗଠକ ଶ୍ରୀ ଲେଓନାର୍ଡ଼ ଏଲ୍‌ମ୍‌ହର୍ଷ୍ଟଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଗ୍ରାମସେବାର ଏହି କର୍ମକେନ୍ଦ୍ର ପରବର୍ତ୍ତୀ କାଳକୁ ଶ୍ରୀନିକେତନ ନାମରେ ଖ୍ୟାତ ହୋଇ ରହିଲା ।

 

କର୍ମୀମାନଙ୍କୁ ପ୍ରଥମେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଲା । ଜାତିଭେଦ ଉପରେ ପର୍ଯ୍ୟବେସିତ ଗ୍ରାମର ସାମାଜିକ ଜୀବନ ଗ୍ରାମ-ପରିବର୍ତ୍ତନ ଦିଗରେ ସବୁଠାରୁ ବଡ଼ ଅନ୍ତରାୟ ବୋଲି ମନେହେଲା । ରବୀନ୍ଦ୍ରନାଥଙ୍କ ଭାଷାରେ କହିବାକୁ ଗଲେ, ‘‘ଭାରତବର୍ଷରେ ଆମେ ଜାତି ଜାତି ମଧ୍ୟରେ ଅଭେଦ୍ୟ ପାଚେରୀମାନ ତିଆରି କରି ରଖିବୁ । ଏହି ଜାତିଭେଦ ଆମର ସମାଜକୁ ବଡ଼ ଦୁର୍ବଳ କରି ପକାଇଚି ଏବଂ ଏହି ଦୁର୍ବଳତା ସକାଶେ ଆମର ସ୍ୱାଧୀନତା ନାନାପ୍ରକାରେ ପଙ୍ଗୁ ହୋଇ ରହିଲାପରି ରହିଚି । ଆମ ଦେଶରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏହି କାରଣରୁ ହିଁ ଯଥେଷ୍ଟ ପାରସ୍ପରିକ ଭାବନାର ବିକାଶ ହୋଇ ପାରୁନାହିଁ । ଜାତିଭେଦରୂପୀ ଗୋଟାଏ ମଣିଷ ଗଢ଼ା ବ୍ୟବସ୍ଥାକୁ ଯେକୌଣସି ପ୍ରକାରେ ବଞ୍ଚାଇ ରଖିବା ହେତୁ ଆମସମାଜରୁ ଶ୍ରଦ୍ଧାଭାବ ଓ ସମ୍ମାନଦୃଷ୍ଟି କ୍ରମେ ପଛରେ ପଡ଼ି ରହିଲାଣି । ଏହା ଫଳରେ ଆମେ ଆପଣାକୁ ନାନାଭାବେ ଅଧଃପତିତ ଓ ବ୍ୟର୍ଥମନୋରଥ ବୋଲି ଅନୁଭବ କରୁଚୁ । ଏପରି କରିବାଦ୍ୱାରା ଭାରତର ଜନସାଧାରଣ ଆପଣା ହାତରେ ଆପଣାର ପିଞ୍ଜରା ତିଆରି କରି ରଖିଚନ୍ତି-। ପରସ୍ପରର କବଳରୁ ମୁକ୍ତି ପାଇବାର ଚେଷ୍ଟା କରି ଅର୍ଥାତ୍ ଗୋଟିଏ ଜାତି ଆଉ ଗୋଟିଏ ଜାତିଠାରୁ ଦୂରରେ ରହିବାର ଚେଷ୍ଟାକରି ସେମାନେ ପରସ୍ପରକୁ କେବଳ ପାଶବଦ୍ଧ କରି ରଖିବାରେ ହିଁ ସଫଳ ହୋଇ ପାରୁଚନ୍ତି ।’’

 

ବିଶିଷ୍ଟ କାର୍ଯ୍ୟକ୍ରମ ହିସାବରେ ଶ୍ରୀନିକେତନର କର୍ମୀମାନେ ଆଖପାଖ ଗାଆଁମାନଙ୍କରେ ସମବାୟ ଗ୍ରାମସ୍ୱାସ୍ଥ୍ୟ ସମିତି ସ୍ଥାପନା କରିଥିଲେ । ତା’ପରେ ଗାଆଁର ବାଳକମାନଙ୍କୁ ସଂଗଠିତ କରି ବ୍ରତୀ-ବାଳକ ଦଳମାନ ଗଢ଼ା ଯାଇଥିଲା । ପରେ ବାଳିକାମାନଙ୍କୁ ମଧ୍ୟ ଏହି ସଂଗଠନର ଅନ୍ତର୍ଭୁକ୍ତ କରାଯାଉଥିଲା । ସଂଗଠନଭୁକ୍ତ ପିଲାମାନେ ଆପଣା ଘରେ ଶାଗସବଜି କରି ଶିଖିଲେ, ନିଆଁ ଲିଭାଇ ଶିଖିଲେ, ପ୍ରାଥମିକ ଚିକିତ୍ସାର ଉପାୟମାନ ଜାଣିଲେ । ଏହାଛଡ଼ା ନାଟକ ଅଭିନୟ କରିବା, ଗୀତ ଗାଇବା, ବିଭିନ୍ନ ପ୍ରକାରର ଖେଳ ଖେଳିବା ଓ ଗାଆଁ ଲୋକଙ୍କୁ କୁଇନାଇନ୍ ବଟିକା ଖୁଆଇବା କାମମାନ ମଧ୍ୟ ଶିଖିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମରୂପେ ଗାଆଁରେ ପ୍ରଚଳିତ ଶିଳ୍ପ ଓ ଧନ୍ଦାଗୁଡ଼ିକର ପୁନରୁଦ୍ଧାର କରିବାର ଚେଷ୍ଟା କରାଯାଇଥିଲା । ସୁରୁଲଠାରେ ତାଲୀମକେନ୍ଦ୍ର ପ୍ରତିଷ୍ଠା କରାଯାଇ ଗାଆଁର କାରିଗରମାନଙ୍କୁ ଆଧୁନିକ ଚର୍ମକଳା ଶିଖାଇ ଦିଆଗଲା । ଶେଷରେ ଗ୍ରାମର ଆବଶ୍ୟକତା ଅନୁସାରେ ଗାଆଁର ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାଲାଗି ଶ୍ରୀନିକେତନରେ ଶିକ୍ଷାସତ୍ର ଆରମ୍ଭ ହେଲା । ପିଲାମାନେ ପ୍ରତି ସପ୍ତାହରେ ସୋମବାର ଦିନ ପାଞ୍ଚଦିନର ଚାଉଳ ହାତରେ ଧରି ସତ୍ରକୁ ଆସୁଥିଲେ ଓ ପୁଣି ଶନିବାର ଦିନ ଘରକୁ ଚାଲିଯାଉଥିଲେ । ସତ୍ରର ସବୁ କାର୍ଯ୍ୟ ସେମାନଙ୍କୁ ନିଜ ହାତରେ କରିବାକୁ ପଡ଼ୁଥିଲା । ସେଠାରେ ଗୋଶାଳା, ଫଳ ଓ ପନିପରିବାର ବଗିଚା, ମୁରଗିଖାନା ସବୁ ରହିଥିଲା । ପିଲାଏ ଖେଳ ଖେଳୁଥିଲେ, ଗୀତ ଗାଉଥିଲେ, ବଢ଼େଇ କାମ ପ୍ରଭୃତି କେତେକ ଧନ୍ଦାବି ଶିଖୁଥିଲେ । ସେମାନଙ୍କର ଦୈନନ୍ଦିନ ଜୀବନ ସହିତ ସମ୍ବନ୍ଧିତ କରି ସେମାନଙ୍କୁ ଅଙ୍କ ଓ ଲିଖନପଠନ ପ୍ରଭୃତି ସାଧାରଣ ଶିକ୍ଷା ଦିଆଯାଉଥିଲା ।

 

ରବୀନ୍ଦ୍ରନାଥ ଚିରକାଳ ଦେଶର ପ୍ରଚଳିତ ହେଉଥିବା ଭଦ୍ରଲୋକୀ ଶିକ୍ଷାର ବିରୋଧ କରି ଆସିଥିଲେ । ସେତେବେଳେ ଦେଶହିତୈଷୀ ରାଜନୀତିକ ନେତାମାନେ ମଧ୍ୟ ଗ୍ରାମରେ ଶିକ୍ଷାପ୍ରସାର କରିବା ବିଷୟରେ ଭାଷଣମାନ ଦେଉଥିଲେ । କିନ୍ତୁ ସହରର ଆବଶ୍ୟକତା ପୂରଣ ହେବାପରେ ଯାହା ବାକୀ ରହିବ, ସେହି ଉଚ୍ଛିଷ୍ଟ ଗ୍ରାମ ଆଡ଼କୁ ମୋହିଁ ଦେବାକୁ ହିଁ ସେମାନେ ଯଥେଷ୍ଟ ମଣୁଥିଲେ । ରବୀନ୍ଦ୍ରନାଥ ଏହାକୁ ଅନ୍ୟାୟ ବୋଲି ଘୋଷଣା କରିଥିଲେ । ସହର ଓ ଗାଆଁ, ଧନୀ ଓ ଦରିଦ୍ର ଲାଗି ଉପଲବ୍‌ଧ ଶିକ୍ଷାରେ କୌଣସି ତାରତମ୍ୟ ରହିବା ଅନୁଚିତ୍ ବୋଲି ସେ ବିଶ୍ୱାସ କରୁଥିଲେ ଏବଂ ଶ୍ରୀନିକେତନର ଶିକ୍ଷାସତ୍ର ଜରିଆରେ ଗାଆଁର ପିଲାମାନଙ୍କ ଲାଗି ଏକ ସର୍ବାଙ୍ଗୀନ ବିକାଶମୂଳକ ସମ୍ପୂର୍ଣ୍ଣ ଶିକ୍ଷାର କାର୍ଯ୍ୟକ୍ରମ ଯୋଗାଇ ଦେବାର ଆକାଙ୍‌କ୍ଷା ରଖିଥିଲେ । ଶାନ୍ତିନିକେତନରେ ତାଙ୍କରିଦ୍ୱାରା ସ୍ଥାପିତ ବିଶ୍ୱଭାରତୀ ଯେଉଁ ଆଦର୍ଶ ଓ ଜୀବନମୂଲ୍ୟ ଗୁଡ଼ିକର ପ୍ରତିନିଧିତ୍ୱ କରୁଥିଲା, ଶ୍ରୀନିକେତନର ଆଦର୍ଶ ଓ ଆକାଙ୍‌କ୍ଷା ସେଗୁଡ଼ିକ ତୁଳନାରେ କୌଣସି ଗୁଣରେ କମ୍ ନଥିଲା । ବରଂ ରବୀନ୍ଦ୍ରନାଥ ଶ୍ରୀନିକେତନରେ ତାଙ୍କର ପ୍ରୟୋଗକୁ ନାନା ଦୃଷ୍ଟିରୁ ଶାନ୍ତିନିକେତନର ପ୍ରୟୋଗ ଅପେକ୍ଷା ଅଧିକ ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରକରୁଥିଲେ । ଗୋଟିଏ ଚିଠିରେ ସେ ଲେଖିଚନ୍ତି : ‘‘ଶାନ୍ତିନିକେତନରେ ସ୍ଥାପିତ ହୋଇଥିବା ସ୍କୁଲ ଓ କଲେଜ ଅପେକ୍ଷା ଶିକ୍ଷାସତ୍ରର ପ୍ରୟୋଗ ଭିତରେ ଅଧିକ ଶିକ୍ଷାଗତ ସମ୍ଭାବନା ପ୍ରଚ୍ଛନ୍ନ ରହିଚି ବୋଲି ମୁଁ ନିଜେ ଅନୁଭବ କରୁଚି ଓ ଏହି ସମ୍ଭାବନାଗୁଡ଼ିକୁ ମୁଁ ଅଧିକ ମହତ୍ତ୍ୱ ଦେଉଚି । ଶାନ୍ତିନିକେତନର ସ୍କୁଲ ଓ କଲେଜ ଦିନକୁଦିନ ଯେପରି ଦେଶରେ ଚାଲୁଥିଲା ଯେକୌଣସି ସାଧାରଣ ସ୍କୁଲ ଓ କଲେଜପରି ଆପଣାକୁ ଏକ ପିଞ୍ଜରାରେ ପରିଣତ କରିଦେଉଚି । ଏହିସବୁ ପିଞ୍ଜରା ପିଲାମାନଙ୍କର ମନକୁ ସାଧାରଣତଃ ଏକ ବନ୍ଦୀ ପକ୍ଷୀପରି ବିଚାର କରିଥାନ୍ତି ଏବଂ ଭୂଇଁଛଡ଼ା ବିଦେଶାଗତ ଏକ ପରୀକ୍ଷାପ୍ରଥା ଅନୁସାରେ ଘାଟି ପାର ହେବାଲାଗି ଯନ୍ତ୍ରପରି ପାଠ ଆୟତ୍ତ କରିବାରୁ ହିଁ ମଣିଷର ମୂଲ୍ୟାଙ୍କନ କରିଥାନ୍ତି । ମୋର ସ୍ୱପ୍ନକୁ ସଫଳ କରିବାପାଇଁ ଶ୍ରୀନିକେତନ ଏହାର ଉପଲବ୍‌ଧ ସକଳ ସୁବିଧା ଓ ସୁଯୋଗକୁ କାମରେ ଲଗାଇ ପାରିଲେ ମୁଁ ସତରେ କେଡ଼େ ଖୁସୀ ନ ହେବି ।’’ (୫)

 

ମୋଟକଥା ହେଉଚି, ସକଳ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଶ୍ରୀନିକେତନ ନିମ୍ନଲିଖିତ କେତୋଟି ବିଷୟକୁ ଆପଣା ପ୍ରୟୋଗର ଉଦ୍ଦେଶ୍ୟ ହିସାବରେ ଧରିଥିଲା । ଗ୍ରାମ ସମୁଦାୟରେ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନବୋଧର ବିକାଶ ହେବ, ଭାରତର ସାଂସ୍କୃତିକ ପରମ୍ପରାରେ ଯେଉଁ ସ୍ଥାୟୀ ମୂଲ୍ୟ ଓ ଅନୁଶୀଳନବିଧିମାନ ରହିଛି ଗ୍ରାମବାସୀମାନେ ସେଗୁଡ଼ିକ ବିଷୟରେ ସଚେତ ହେବେ ଓ ସେଗୁଡ଼ିକୁ ଶ୍ରଦ୍ଧାକରି ଶିଖିବେ । ଏବେ ବିଜ୍ଞାନ ଓ ବୈଜ୍ଞାନିକ ପ୍ରୟୋଗ ଫଳରେ ଯେଉଁସବୁ ନୂତନ ପ୍ରଣାଳୀ ଓ ପଦ୍ଧତିମାନ ବାହାରିଲାଣି, ଗ୍ରାମବାସୀ ସେଗୁଡ଼ିକର ପରିପୂର୍ଣ୍ଣ ସୁଯୋଗ ନେବେ ଏବଂ ତାହାରି ସାହାଯ୍ୟରେ ଆପଣାର ଭୌତିକ ଅର୍ଥନୈତିକ ଓ ସାମାଜିକ ପ୍ରଗତି ସାଧନ କରିବେ ।

 

ରବୀନ୍ଦ୍ରନାଥ ଶାନ୍ତିନିକେତନ ଅପେକ୍ଷା ଶ୍ରୀନିକେତନର ଶିକ୍ଷା ସମ୍ଭାବନା ଉପରେ ଅଧିକତର ମହତ୍ତ୍ୱ ଦେଉଥିଲେ । ଶାନ୍ତିନିକେତନ ତାଙ୍କ କବିଧର୍ମୀ ମନର ପ୍ରତୀକ ଥିଲା ଓ ଶ୍ରୀନିକେତନ ତାଙ୍କର ସମାଜଧର୍ମୀ ବା ଲୋକଧର୍ମୀ ମନର ପ୍ରତୀକ ଥିଲା । କବିଙ୍କର ଅନ୍ତରର ଇଚ୍ଛା ଯାହା ହୋଇଥାଉ ପଛକେ, କାଳର ସରଣୀରେ ଆଗକୁ ଯାଉଯାଉ ଶ୍ରୀନିକେତନ ଅପେକ୍ଷା ଶାନ୍ତିନିକେତନର ପରମ୍ପରାଟି ହିଁ ଅଧିକ ପ୍ରଖ୍ୟାତ ଓ ଅଧିକ ସ୍ୱୀକୃତ ହୋଇଚି । ରବୀନ୍ଦ୍ରନାଥଙ୍କୁ ମନେ ପକାଇଲାବେଳେ ଅନେକ ରବୀନ୍ଦ୍ର ପନ୍ଥୀ ମଧ୍ୟ କେବଳ ଶାନ୍ତିନିକେତନକୁ ମନେ ପକାଇଥାନ୍ତି, ଶ୍ରୀନିକେତନକୁ ପାସୋରି ପକାଇବା ପରି ମତି ଦେଖାଇଥାନ୍ତି । ଶାନ୍ତିନିକେତନର କର୍ମୀ ପଣ୍ଡିତମାନେ ଶ୍ରୀନିକେତନକୁ ଅନେକ ସମୟରେ ଏକ ସହୋଦର-ସଂସ୍ଥା ବୋଲି କହିବାଲାଗି ହୁଏତ ଏକପ୍ରକାର କୁଣ୍ଠା ବି ଅନୁଭବ କରନ୍ତି । ସମଗ୍ର ଭାରତବର୍ଷରେ ଜ୍ଞାନ କର୍ମଠାରୁ ବିଚ୍ୟୁତ ହୋଇ ରହିଚି, ପ୍ରତିଭା ଲୋକାୟତନର ଭୂମିକୁ ଛାଡ଼ିଯାଇଚି । ହୁଏତ ଏହି ଅସୁସ୍ଥ ହାଉଆ ଶାନ୍ତିନିକେତନ ଶ୍ରୀନିକେତନରେ ମଧ୍ୟ ବାଜିଚି ଏବଂ ଦୁହେଁ ଦୁହିଁଙ୍କଠାରୁ ବିଚ୍ଛିନ୍ନ ହୋଇ ରହିଚନ୍ତି । ସ୍ୱାଧୀନ ଭାରତରେ ଶାନ୍ତିନିକେତନକୁ ଯେତେ ପ୍ରକାରେ ବିସ୍ତୃତ ଓ ବିକଶିତ ହେବାର ଉତ୍ସାହ ଓ ପୃଷ୍ଠପୋଷକତା ମିଳିଚି, ଶ୍ରୀନିକେତନକୁ ହୁଏତ ସେତେ ମିଳିପାରିନାହିଁ । ଏହା ନ ହୋଇଥିଲେ ଆଜି କାବ୍ୟ, ସୌନ୍ଦର୍ଯ୍ୟ ଓ ସଂସ୍କୃତିର ମିଳନପୀଠ ରୂପେ ଆମେ ଶାନ୍ତିନିକେତନକୁ ଯେପରି ଏକ ପ୍ରଧାନ ପୀଠ ବୋଲି ଅନାଉଚୁ, ସାମାଜିକ ନିର୍ମାଣ ଓ ସାମୁଦାୟିକ ବିକାଶର ପ୍ରେରଣା କେନ୍ଦ୍ର ଓ ମାର୍ଗଦର୍ଶକ ରୂପେ ଶ୍ରୀନିକେତନକୁ ମଧ୍ୟ ଠିକ୍ ସେହିପରି ଭାବରେ ଅନାଉଥାନ୍ତୁ । ଭାରତୀୟ ସଂସ୍କୃତି-ଗବେଷଣାର ପୀଠରୂପେ ଶାନ୍ତିନିକେତନ ଯେପରି ଆନ୍ତର୍ଜାତିକ ଦୃଷ୍ଟି ଆକୃଷ୍ଟ କରିପାରୁଚି, ଆଧୁନିକ ଭାରତର ଗ୍ରାମ ନିର୍ମାଣ ଅଭିଯାନରେ ଶ୍ରୀନିକେତନ ମଧ୍ୟ ସେହିପରି ନାନା ଦେଶର ଦୃଷ୍ଟି ଆକର୍ଷଣ କରୁଥାନ୍ତା ।

 

ମାର୍ତ୍ତଣ୍ଡମ୍ ଗ୍ରାମବିକାଶ ଯୋଜନା-

 

କେରଳର ରାଜଧାନୀ ତିରୁଅନନ୍ତପୁରମ୍‌ଠାରେ ଦକ୍ଷିଣଠାରେ ପ୍ରାୟ ପଚିଶି ମାଇଲ ଦୂରରେ ଅବସ୍ଥିତ ମାର୍ତ୍ତଣ୍ଡମ୍‌ଠାରେ ଗ୍ରାମବିକାଶ ଲାଗି ଏକ ଯୋଜନା ଗ୍ରହଣ କରାଯାଇ କିଛି କାର୍ଯ୍ୟ ହୋଇଥିଲା । ୧୯୨୧ ମସିହାରେ ଓ୍ୱାଇ.ଏମ୍.ସି.ଏ. (Y.M.C.A.) ଓ ଦକ୍ଷିଣଭାରତର କେତୋଟି ଗୀର୍ଜା-ସଂସ୍ଥା ମିଶି ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀଯୁକ୍ତ ସ୍ପେନ୍‌ସର୍‌ ହାଚ୍ (Dr. Spencer Hatch)ଙ୍କର ଅଧିନାୟକତ୍ୱରେ ଏହା ପ୍ରାୟ ଅଠର ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା : ।।୧।। ଗ୍ରାମବାସୀଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିକାଶ । ।।୨।। ସେମାନଙ୍କର ଆର୍ଥିକ ଜୀବନରେ ଉନ୍ନତି ସାଧନ, ।।୩।। ଗ୍ରାମସମାଜର ନୈତିକ ତଥା ଆଧ୍ୟାତ୍ମିକ ଉନ୍ନୟନ ଏବଂ । ।।୪।। ସାମାଜିକ ବିକାଶ । କାର୍ଯ୍ୟକ୍ରମ ହିସାବରେ ଆମେ ନିମ୍ନଲିଖିତ କେତୋଟି ବିଷୟର ଉଲ୍ଲେଖ କରିପାରିବା : ।।୧।। ସ୍ୱାବଲମ୍ବନ ଓ ସହକାରିତା ଦ୍ୱାରା ଲୋକମାନଙ୍କୁ ଆପଣା ବିକାଶଲାଗି ଆବଶ୍ୟକ ଅର୍ଥରାଶି ସଂଗ୍ରହ କରିବାଲାଗି ଉତ୍ସାହିତ କରାଯାଇଥିଲା । ।।୨।। ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଲାଗି ପ୍ରଶସ୍ତ ଅବସର ଦିଆଯାଇ ଗ୍ରାମର ଲୋକମାନଙ୍କ ଦ୍ୱାରା ହିଁ ଯୋଜନାମାନ ନିର୍ମିତ ହୋଇଥିଲା । ।।୩।। ପ୍ରତି ଗ୍ରାମରେ ସ୍ୱେଚ୍ଛାସେବକ ଦଳମାନ ଗଢ଼ାଯାଇଥିଲା । ।।୪।। ମାର୍ତ୍ତଣ୍ଡମ୍‌ଠାରେ ଗୋଟିଏ ପ୍ରଦର୍ଶନ କେନ୍ଦ୍ର ସ୍ଥାପନ କରାଯାଇଥିଲା ଏବଂ ସେଠାରେ କୁକୁଡ଼ା ପାଳନ, ମହୁମାଛି ଚାଷ, ଉନ୍ନତ କୃଷିବିଧି, ଗୃହପାଳିତ ପଶୁଙ୍କର ବଂଶସୁଧାର ଏବଂ ସାବୁନ ତିଆରି କରିବା ପ୍ରଭୃତି କୁଟୀରଶିଳ୍ପ ବିଷୟରେ ଗ୍ରାମର ଅଧିବାସୀମାନଙ୍କୁ ପ୍ରଦର୍ଶନ ଦ୍ୱାରା ଶିକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା । କୁକୁଡ଼ା ଓ ମହୁମାଛି ପାଳିବା ଉପରେ ସର୍ବାପେକ୍ଷା ଅଧିକ ଜୋର ଦିଆଯାଇଥିଲା, କାରଣ ଏସବୁ ଧନ୍ଦା ଆରମ୍ଭ କରିବାଲାଗି ମୋଟା ମୂଳଧନର କୌଣସି ଆବଶ୍ୟକତା ନଥିଲା ଏବଂ ସଫଳ ଭାବରେ ଏହିସବୁ ଧନ୍ଦା ଆରମ୍ଭ କଲେ ଖୁବ ଶୀଘ୍ର ଆର୍ଥିକ ଲାଭ ମଧ୍ୟ ହୋଇଥିଲା । ।।୫।। ଲୋକମାନଙ୍କ ମଧ୍ୟରେ ମିତବ୍ୟୟିତାର ଅଭ୍ୟାସ ବଢ଼ାଇବା ଉପରେ ଜୋର ଦିଆଯାଉଥିଲା । ।।୬।। ସ୍ୱେଚ୍ଛାସେବକ ଦଳର ସଦସ୍ୟମାନେ ଗାଆଁକୁ ଯାଇ ଗାଆଁ ଲୋକଙ୍କ ସହିତ ଏକାଠି ରହୁଥିଲେ ଓ ଗ୍ରାମର ପରିସ୍ଥିତି ଦେଖି ତଦନୁକୂଳ କୌଣସି କାର୍ଯ୍ୟ ଆରମ୍ଭ କରିଦେଉଥିଲେ । ଗ୍ରାମ-କାର୍ଯ୍ୟ ବିଷୟରେ ଆଗରୁ ତାଲୀମ ପାଇଥିବାରୁ ସେମାନେ ଗ୍ରାମବାସୀମାନଙ୍କୁ ଆପଣା ଜୀବନୋନ୍ନୟନ-କାର୍ଯ୍ୟମାନଙ୍କରେ ଆପେ ନେତୃତ୍ୱ ନେବାଲାଗି ଉତ୍‌ପ୍ରେରିତ କରିପାରୁଥିଲେ ଏବଂ ସେମାନଙ୍କୁ ଆବଶ୍ୟକ ସହଯୋଗ ମଧ୍ୟ ଦେଉଥିଲେ । ।।୭।। ଗ୍ରାମବାସୀଙ୍କର ମନୋରଞ୍ଜନ ଲାଗି ଗାଆଁରେ କଳାତ୍ମକ ଅଭିନୟର ବ୍ୟବସ୍ଥା ହେଉଥିଲା । ଗାଆଁମାନଙ୍କରେ ବିକାଶମୂଳକ ପ୍ରଦର୍ଶନୀ ଓ ଗ୍ରାମ ଗ୍ରାମ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଉଥିଲା । ଏହା ଫଳରେ ଲୋକମାନେ ନୂତନ ପ୍ରଣାଳୀ ଓ କୌଶଳମାନ ଗ୍ରହଣ କରିବାକୁ ଉତ୍ସାହିତ ହେଉଥିଲେ । ଖାଦ୍ୟପଦାର୍ଥ-ଉତ୍ପାଦନ ବୃଦ୍ଧିରେ ଅଧିକ ମନ ଦେଉଥିଲେ । ।।୮।। ଗ୍ରୀଷ୍ମଛୁଟିମାନଙ୍କ ଗ୍ରାମବାସୀ ଓ ଶିକ୍ଷକଙ୍କର ତାଲୀମଶିବିରମାନ ଆୟୋଜିତ ହେଉଥିଲା । ତାଲୀମ ଶେଷକରି ସେମାନେ ଗ୍ରାମରେ ମଧ୍ୟ ବିକାଶ ଓ ସୁଧାର ଲାଗି ଆବଶ୍ୟକ ଉଦ୍ୟମ ଆରମ୍ଭ କରିବେ ଓ ଅନ୍ୟମାନଙ୍କୁ ଏହି ଦିଗରେ ଉତ୍ସାହ ଦେବେ, ସେମାନଙ୍କଠାରୁ ଏହା ଆଶା କରାଯାଉଥିଲା । ।।୯।। ସମବାୟ ସମିତିଗୁଡ଼ିକୁ, ବିଶେଷ କରି କୁକୁଡ଼ା-ପାଳନ ଓ ମହୁମାଛି-ଚାଷସମ୍ବନ୍ଧୀୟ ସମିତିଗୁଡ଼ିକୁ ଅଧିକ ଉତ୍ସାହ ଦିଆଯାଉଥିଲା ।

 

ମାର୍ତ୍ତଣ୍ଡମ୍ ଯୋଜନାର ପୁରୋଧା ସ୍ୱୟଂ ଡାକ୍ତର ହାଚ୍ ନିମ୍ନଲିଖିତ ପ୍ରକାରେ ଯୋଜନାଟିର ବର୍ଣ୍ଣନା କରିଚନ୍ତି । ‘‘ମାର୍ତ୍ତଣ୍ଡମ୍ ଯୋଜନାରେ ଆମେ ନିମ୍ନଲିଖିତ ମୂଳନୀତିଗୁଡ଼ିକୁ ଆମେ କାର୍ଯ୍ୟର ସ୍ତମ୍ଭରୂପେ ଗ୍ରହଣ କରିଥିଲୁ : ।।୧।। ଗାଆଁରେ ଓ ଗ୍ରାମବାସୀମାନଙ୍କ ପାଖରେ ଯାହା ମହଜୁଦ ରହିଚି, ତାହାରି ଭୂମି ଉପରେ ହିଁ ଗ୍ରାମ ପୁନର୍ଗଠନର କାର୍ଯ୍ୟ ଆରମ୍ଭ ହେବ । ଭାରତୀୟ ଗ୍ରାମଜୀବନର ଯେଉଁଠି ଯାହା ଭଲକଥା ରହିଚି, ଆମେ ସେଗୁଡ଼ିକୁ ପୁଞ୍ଜିକରି ଆମର କାର୍ଯ୍ୟ ଆରମ୍ଭ କରିବା, ସେଗୁଡ଼ିକରେ ଆହୁରି ଅନେକ ଭଲ ଜିନିଷ ଆଣି ମିଶାଇବା ଏବଂ ଏକ ସମ୍ପନ୍ନତର ଜୀବନଲାଗି ଗ୍ରାମବାସୀମାନଙ୍କର ସକଳ କାର୍ଯ୍ୟରେ ଯଥାଶକ୍ତି ସାହାଯ୍ୟ କରିବା । ।।୨।। ଗ୍ରାମ ପୁନର୍ଗଠନର କାର୍ଯ୍ୟକ୍ରମ ବାହାରୁ ଗ୍ରାମବାସୀଙ୍କ ଉପରେ ଲଦି ଦିଆଯିବନାହିଁ । ଗ୍ରାମବାସୀମାନେ ସ୍ୱୟଂ ଏହିସବୁ କାର୍ଯ୍ୟକ୍ରମ ତିଆରି କରିବେ, କାର୍ଯ୍ୟକାରୀ ମଧ୍ୟ କରିବେ । ।।୩।। ଆପଣା ଜୀବନର ସର୍ବାଙ୍ଗୀନ ଉନ୍ନତିସାଧନ ଦିଗରେ ଗ୍ରାମବାସୀମାନେ ଯେପରି ଆପେ ଆପଣାର ସାହାଯ୍ୟ କରିବାଲାଗି ଅଗ୍ରସର ହୋଇ ବାହାରିବେ, ଆମେ ପ୍ରଧାନତଃ ସେତିକିରେ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ରହିବା । ।।୪।। କେବଳ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି ବା ଆର୍ଥିକ ସ୍ତରର ଲୋକଙ୍କୁ ନୁହେଁ, ଅଞ୍ଚଳଟିରେ ବାସ କରୁଥିବା ସବୁ ଲୋକଙ୍କୁ ଆମେ ଆମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରି ରଖିବା । ଆଗରୁ ଏଠି ନାନାପ୍ରକାର ସଂକୀର୍ଣ୍ଣ ଓ ସାମ୍ପ୍ରଦାୟିକ ଅନୁଷ୍ଠାନମାନ ରହିଥିଲା । ବିଭିନ୍ନ ଧର୍ମ, ଜାତି ଓ ସ୍ତରରେ ଲୋକେ ପରସ୍ପରଠାରୁ ଅଲଗା ରହି ସଂଘବଦ୍ଧ ହେବା ଉଚିତ ମନେ କରୁଥିଲେ । ଏପରିକି ସରକାରୀ ସମବାୟ ଆନ୍ଦୋଳନ ମଧ୍ୟ ସାମ୍ପ୍ରଦାୟିକ ବିଭିନ୍ନତାକୁ ଆଧାରକରି ରହିଥିଲା । ଏହି ପରମ୍ପରାକୁ ଭାଙ୍ଗିବାଲାଗି ଆମେ ଦୃଢ଼ପଣ ହୋଇ ବାହାରିଲୁ । ଆମର ସମବାୟ ସଂସ୍ଥାମାନଙ୍କରେ ଜାତି, ଧର୍ମ ଓ ସମ୍ପନ୍ନତା ନିର୍ବିଶେଷରେ ସମସ୍ତେ ସଦସ୍ୟ ହୋଇପାରିବାର ବ୍ୟବସ୍ଥା ରଖାଗଲା । ଆମଠୁଁ ଦେଖି ସରକାରୀ ସମବାୟ ସମିତିଗୁଡ଼ିକର ନୀତିରେ ମଧ୍ୟ ପରିବର୍ତ୍ତନ ହେଲା । ।।୫।। ଗ୍ରାମରେ ଯେଉଁମାନେ ସବୁଠାରୁ ବେଶୀ ଦରିଦ୍ର ଓ ସବୁଠାରୁ ଅଧିକ ସାମର୍ଥ୍ୟହୀନ, ସେହିମାନଙ୍କ ପାଖରେ ଯାଇ ପହଞ୍ଚି ପାରିବାକୁ ଆମେ ବିଶେଷ ଧ୍ୟାନ ଦେଉଥିଲୁ । ଆଗରୁ ଅଧିକାଂଶ ଲୋକହିତୈଷଣା ସର୍ବନିମ୍ନ ସ୍ତରରେ ଯାଇ ପହଞ୍ଚିବା ପୂର୍ବରୁ ବାଟରେ ଅଟକିଯାଉଥିଲା । ଦେଶରେ ଚଳୁଥିବା ସମବାୟ ସମିତିଗୁଡ଼ିକ ମଧ୍ୟ ସମାଜର ସର୍ବନିମ୍ନ ସ୍ତରରେ ପହଞ୍ଚିପାରୁ ନଥିଲେ । ଅର୍ଥସାମର୍ଥ୍ୟ ପରିବର୍ତ୍ତେ ଚରିତ୍ରକୁ ହିଁ ଆମେ ସମବାୟ ସମିତିରେ ସଭ୍ୟ ହେବାର ମାନଦଣ୍ଡ କରି ରଖିଲୁ । ।।୬।। ଆମର ଯୋଜନା ଏକ ବହୁମୁଖୀ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିଲା । କୌଣସି ଗୋଟିଏ ପରିବାର ଆପଣାର କର୍ମକ୍ଷମତା ଅନୁସାରେ ଯେପରି ଏକାବେଳକେ ଏକାଧିକ ଧନ୍ଦା ଆଦରି ନେଇପାରିବ, ଆମେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଥିଲୁ । ତେଣୁ କୃଷିସୁଧାର ବିଷୟରେ ପ୍ରସାରକାର୍ଯ୍ୟ ଚଳାଇବା ସଙ୍ଗେ ସଙ୍ଗେ ଆମେ ଗ୍ରାମବାସୀଙ୍କୁ ନାନାବିଧ ଗୃହୋଦ୍ୟୋଗ ମଧ୍ୟ ଶିଖାଇଦେଇଥିଲୁ । ପ୍ରଧାନତଃ କୁକୁଡ଼ା ପୋଷିବା ଓ ମହୁଚାଷ କରିବାରେ ସେମାନେ ଅଧିକତର ଦେଖାଇଥିଲେ । ।।୭।। ଗୋଟାଏ ବର୍ଷରେ ଯାଦୁ କଲାପରି ଆମେ ଗ୍ରାମାଞ୍ଚଳର ଜୀବନକୁ ଯେ ବଦଳାଇ ଦେଇପାରିବୁ ନାହିଁ, ଏକଥା ଆମେ ମୂଳରୁ ସ୍ୱୀକାର କରିନେଇଥିଲୁ । ଏଠାରେ ଆମକୁ ଅନେକ ବର୍ଷ ରହି କାର୍ଯ୍ୟ କରିବାକୁ ହେବ, ତରତର ହୋଇ ଆମ କାର୍ଯ୍ୟକୁ ଅତିବିସ୍ତୃତ କରିବାର ପ୍ରଲୋଭନକୁ ସର୍ବଥା ଏଡ଼ିବାକୁ ପଡ଼ିବ, ଏ ବିଷୟରେ ଆମେ ସବୁବେଳେ ସାବଧାନ ରହିଥିଲୁ । ଭାରତବର୍ଷରେ କେତେ ଜାଗାରେ କେତେକେତେ ନିର୍ମାଣକାମ ଆରମ୍ଭ ହେଉଥିଲା, ମାତ୍ର ଅଳ୍ପଦିନ ଚାଲିବାପରେ କ୍ରମେ ମରିଯାଉଥିଲା । ଏହି ପ୍ରମାଦକୁ ମନରେ ରଖି ଆମେ ଅନ୍ୟକୁଆଡ଼େ ଆପଣାକୁ ବିକ୍ଷିପ୍ତ ନକରି ଏହି ଅଞ୍ଚଳଟି ଉପରେ ହିଁ ଆମର ସକଳ ଶକ୍ତି ଓ ଆଗ୍ରହକୁ କେନ୍ଦ୍ରିତ କରି ରଖିବାକୁ ନିଷ୍ପତ୍ତି କରିଥିଲୁ--।।୮।। ଆଧ୍ୟାତ୍ମିକତା ହିଁ ଆମର ସକଳ କାର୍ଯ୍ୟକ୍ରମର ଆଧାର ହୋଇ ରହିଥିଲା । ଭାରତୀୟ ଜୀବନର ସକଳ ସ୍ତରରେ ପରମ୍ପରାଗତ ଭାବରେ ଯେଉଁ ଆଧ୍ୟାତ୍ମିକତା ମୂଳସ୍ୱରୂପ ରହିଆସିଚି, ତାହାହିଁ ଆମକୁ ପ୍ରେରଣା ଯୋଗାଇ ଦେଇଥିଲା । ।।୯।। ଆମର ସକଳ କାର୍ଯ୍ୟକ୍ରମରେ ଆମେ ସରଳ ଜୀବନକୁ ହିଁ ଆମର ମୂଲ୍ୟାଙ୍କନ ଦର୍ପଣରୂପେ ଗ୍ରହଣ କରିଥିଲୁ । ଅଧିକରୁ ଅଧିକ ଆବଶ୍ୟକତାରେ ଆମେ ଆପଣାର ଜୀବନକୁ ଜଟିଳ ଓ ଦ୍ରବ୍ୟବହୁଳ କରି ପକାଇଥିଲେ ଗ୍ରାମର ପୁନର୍ଗଠନ ଓ ଗ୍ରାମବାସୀଙ୍କର ଯଥାର୍ଥରେ କୌଣସି ଉପକାର କରିପାରିବାଲାଗି ଆମ ପାଖରେ ଆଉ କୌଣସି ସମ୍ବଳ ବା ସାଧନ ବାକୀ ରହିନଥାନ୍ତା । ।।୧୦।। ୧୯୪୦ ମସିହା ବେଳକୁ ଆମର ପ୍ରସାର ବିଭାଗରେ ସମଗ୍ର ରାଜ୍ୟରେ ପ୍ରାୟ ତେରଶହ କର୍ମୀ କାର୍ଯ୍ୟ କରୁଥିଲେ । ଏମାନେ କୌଣସି ବେତନ ପାଉନଥିଲେ, କିନ୍ତୁ ତା’ ବୋଲି ଏମାନଙ୍କର ନିଷ୍ଠାରେ କୌଣସି ଅଭାବ ପରିଲକ୍ଷିତ ହେଉନଥିଲା । ଆପଣା ଅବସର-ସମୟର ସବୁ ମୁହୂର୍ତ୍ତ ବିନିଯୋଗ କରି ଏମାନେ ପୁନର୍ଗଠନ–ଯୋଜନାଗୁଡ଼ିକୁ ଯଥାସମ୍ଭବ ସଫଳ କରିବାରେ ସହଯୋଗ କରୁଥିଲେ । ଆପଣାର କାର୍ଯ୍ୟକୁଶଳତା ବଢ଼ାଇବା ଉଦ୍ଦେଶ୍ୟରେ ଓ କାର୍ଯ୍ୟସାଧନର ନୂତନ ପ୍ରଣାଳୀମାନ ଶିଖିବା ଉଦ୍ଦେଶ୍ୟରେ ଏହି କର୍ମୀମାନେ ଆପଣା ଖରଚରେ ଆମର ଗ୍ରୀଷ୍ମଶିବିର ଓ ନୈଶବିଦ୍ୟାଳଗୁଡ଼ିକରେ ଯୋଗଦେବାକୁ ଆସୁଥିଲେ । ।।୧୧।। ଆମର ସକଳ କାର୍ଯ୍ୟରେ ସରକାରୀ ଓ ବେସରକାରୀ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରଭୂତ ସହଯୋଗ ଓ ସବର୍ଗୀକରଣ ସମ୍ଭବ ହୋଇଥିଲା । ଆଗରୁ ସରକାରୀ କର୍ମଚାରୀ ଗାଆଁର ଦୁସ୍ଥତମ ଲୋକମାନଙ୍କ ସ୍ତରରେ ପହଞ୍ଚି ପାରୁନଥିଲେ ଓ ଦରିଦ୍ରଲୋକେ ସେମାନଙ୍କଲାଗି ସରକାରୀ ସାହାଯ୍ୟର ସକଳ ଦ୍ୱାର ବନ୍ଦ ରହିଚି ବୋଲି ଅନୁଭବ କରୁଥିଲେ । ।।୧୨।। ଆମର ସକଳ ତାଲୀମରେ ଆମେ ଶିକ୍ଷାକୁ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିଲୁ । କାରଣ ଯେକୌଣସି ଆର୍ଥିକ ବା ସାମାଜିକ ସମସ୍ୟା ଯେ ମୂଳତଃ ଏକ ଶିକ୍ଷାଗତ ସମସ୍ୟାକୁ ହିଁ ବୁଝାଏ, ଏକଥା ଆମେ ଭଲକରି ହୃଦୟଙ୍ଗମ କରୁଥିଲୁ ।’’ (ତତ୍ରୈବ : ପୃ : ୧୫–୨୬)

 

ମାର୍ତ୍ତଣ୍ଡମ୍‌ର ଚତୁଷ୍ପାର୍ଶ୍ୱବର୍ତ୍ତୀ ଚାଳିଶିଗୋଟି ଗାଆଁରେ ପ୍ରାୟ ଶହେଗୋଟି ଯୁବସଂଗଠନ କାର୍ଯ୍ୟ କରୁଥିଲା । ଶ୍ରୀଯୁକ୍ତ ହାଚ୍‌ଙ୍କର ଭାଷାରେ, ‘‘ଆଧ୍ୟାତ୍ମିକ, ମାନସିକ, ଶାରୀରିକ, ସାମାଜିକ ଓ ଆର୍ଥିକ ପ୍ରତ୍ୟେକ ଦୃଷ୍ଟିରୁ ଗ୍ରାମବାସୀଙ୍କର ଜୀବନରେ ଅଧିକ ସମ୍ପନ୍ନତା ଓ ସାମର୍ଥ୍ୟ ଉତ୍ପନ୍ନ କରିବା ଉଦ୍ଦେଶ୍ୟରେ ଏକ ସମ୍ପୂର୍ଣ୍ଣ ଉତ୍ତରୋତ୍ତର ବିକାଶର ବାତାବରଣ ସୃଷ୍ଟିକରି ରଖିବା’’ ଏହି ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ହୋଇ ରହିଥିଲା । (୬) ସୁଯୋଗ୍ୟ ଗ୍ରାମନେତା ତିଆରି କରିବାରେ ସମ୍ଭବତଃ ଏହି ଯୋଜନାର ଦାନ ସବୁଠାରୁ ଅଧିକ ସ୍ୱୀକୃତି ପାଇବ । ୧୯୨୯ ଓ ୧୯୫୦ ମସିହା ମଧ୍ୟରେ ଏହି କେନ୍ଦ୍ର ଗ୍ରାମ-ସଂଗଠନ ଲାଗି ପ୍ରାୟ ୨୦୦୦ କର୍ମୀଙ୍କୁ ତାଲୀମ ଦେଇପାରିଚି ଓ ସ୍ୱାଧୀନତା ପରେ ଏହା ସେହି ଅଞ୍ଚଳର ବିକାଶଲାଗି ଏକ ପ୍ରଧାନ ଶକ୍ତିସଞ୍ଚାରକ ହୋଇ ରହିଚି । ଅବଶ୍ୟ ଏକଥା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ଡାକ୍ତର, ସ୍ପେନ୍‌ସର୍ ହାଚ୍ ସେଠାରୁ ଚାଲିଯିବା ପରେ କାର୍ଯ୍ୟର ଗତି ଓ କାର୍ଯ୍ୟଜନିତ ଉତ୍ସାହରେ ଅନେକପ୍ରକାର ମାନ୍ଦ୍ୟ ସୃଷ୍ଟି ହୋଇଚି ।

 

ଗୁଡ୍‍ଗାଁଓ ଗ୍ରାମବିକାଶ ପ୍ରୟୋଗ–

Unknown

 

ପଞ୍ଚାବରେ ଗୁଡ୍‍ଗାଁଓ ଜିଲ୍ଲାରେ ଶ୍ରୀଯୁକ୍ତ ଏଫ୍‌.ଏଲ୍ ବ୍ରେନ୍ (F.L. Brayne) ଗ୍ରାମବିକାଶ ଦିଗରେ ଯେଉଁ କାର୍ଯ୍ୟମାନ କରିଥିଲେ, ଅନେକ ଦିଗରୁ ତାହା ଭାରତର ସାମୁଦାୟିକ ବିକାଶର କାର୍ଯ୍ୟକ୍ରମରେ ଅନ୍ୟତମ ଅଗ୍ରଣୀ ରୂପେ ସ୍ୱୀକୃତ ହୋଇ ରହିଚି । ଗୁଡ୍‍ଗାଁଓର ପ୍ରାଚୀନ ନାମ ହେଉଚି ଗୁରୁଗ୍ରାମ ଓ ଏଠାରେ ଗୁରୁ ଦ୍ରୋଣାଚାର୍ଯ୍ୟ କୌରବ ଓ ପାଣ୍ଡବମାନଙ୍କୁ ଧର୍ମଶିକ୍ଷା ଦେଇଥିଲେ ବୋଲି ପ୍ରବାଦ ରହିଛି ।

 

୧୯୨୦ ମସିହାରେ ଶ୍ରୀଯୁକ୍ତ ବ୍ରେନ୍ ଏହି ଗୁଡ୍‍ଗାଁଓ ଜିଲ୍ଲାର ଡେପୁଟି କମିଶନର ରୂପେ ନିଯୁକ୍ତ ହୋଇ ଆସିଥିଲେ । ସରକାରୀ ଅଫିସର ହେଲେ ମଧ୍ୟ ସେ ଲୋକଙ୍କର ସୁଖଦୁଃଖ ଜାଣିବାକୁ ଓ ସେମାନଙ୍କର ଦଶାରେ ଯଥାସମ୍ଭବ ଉନ୍ନତିସାଧନ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଗ୍ରାମବାସୀଙ୍କ ସହିତ ସେ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ ଓ ତାହାଫଳରେ ଜିଲ୍ଲା ଭିତରେ ସେ ଅତୀବ ଲୋକପ୍ରିୟ ହୋଇପାରିଥିଲେ । ଲୋକମାନଙ୍କ ଚକ୍ଷୁରେ ଆଦର୍ଶ ହୋଇ ରହିବାଲାଗି ଶ୍ରୀଯୁକ୍ତ ବ୍ରେନ୍ ଆପଣାର ସବୁ କାମ ଯଥାସମ୍ଭବ ନିଜ ହାତରେ କରୁଥିଲେ । ଆପଣା ହାତରେ ପାଇଖାନା ପର୍ଯ୍ୟନ୍ତ ପରିଷ୍କାର କରି ସେ ଲୋକମାନଙ୍କୁ ଶ୍ରମର ମର୍ଯ୍ୟାଦା ଦେଖାଇଦେବାକୁ ଚାହୁଥିଲେ । ଆପଣା ଜିଲ୍ଲାରେ ରହିଥିବା ଗ୍ରାମଗୁଡ଼ିକର ବିକାଶଲାଗି ସେ ଯେଉଁ କାର୍ଯ୍ୟକ୍ରମ ଚଳାଇଥିଲେ, ବର୍ତ୍ତମାନ ତାହା ‘ଗୁଡ୍‍ଗାଁଓ ଯୋଜନା’ ନାମରେ ପ୍ରସିଦ୍ଧ ହୋଇ ରହିଚି । ଗାଆଁରେ କୌଣସିପ୍ରକାର ବିକାଶମୁଖୀ ପରିବର୍ତ୍ତନ ସମ୍ଭବ ହେବା ପୂର୍ବରୁ ଗ୍ରାମବାସୀ ଆପଣା ବିଷୟରେ ଓ ଆପଣା ଗାଆଁ ବିଷୟରେ ଅଧିକ ଆଗ୍ରହ ପ୍ରକାଶ କରିବ, ଯୋଜନାଟି ଏହି ମୂଳସୂତ୍ରଟିକୁ ଯଥାସମ୍ଭବ ଏକ କାର୍ଯ୍ୟକାରୀ ରୂପ ଦେବାକୁ ଚେଷ୍ଟା କରିଥିଲା । ସ୍ୱୟଂ ଶ୍ରୀଯୁକ୍ତ ବ୍ରେନ୍‌ଙ୍କର ଭାଷାରେ, ‘‘ଆମର କାର୍ଯ୍ୟକ୍ରମଦ୍ୱାରା ଆମେ ଗ୍ରାମବାସୀକୁ ତା’ର ପୁରୁଣା ଜୀବନର ଗହ୍ୱର ଭିତରୁ ବାହାରକୁ ନେଇ ଆସିବାକୁ ଚାହୁ, ତା’ର ଜୀବନରେ ଯେ ଅନେକ ବିକାଶ ଓ ପରିବର୍ତ୍ତନ ପ୍ରକୃତରେ ସମ୍ଭବ, ଏ ବିଷୟରେ ତା ଭିତରେ ଯଥେଷ୍ଟ ବିଶ୍ୱାସ ଜନ୍ମାଇଦେବାକୁ ଚାହୁ । ଜଳବାୟୁ, ରୋଗ ଏବଂ ଶସ୍ୟମଡ଼କ ସହିତ ସଂଗ୍ରାମକରି ମନୁଷ୍ୟ ଯେ ପ୍ରକୃତରେ ବିଜୟୀ ହୋଇପାରିବ, ତାକୁ ଏହିକଥା ଦେଖାଇଦେଇ ଆମେ ତାର ଭାଗ୍ୟବତୀ ଦୃଷ୍ଟିକୋଣକୁ ମାରିଦେବାକୁ ଚାହୁ । ଯେଉଁସବୁ କୁରୀତି ଓ କୁସଂସ୍କାର ଭିତରେ ବାନ୍ଧିହୋଇ ରହିଥିବାରୁ ସେ ଆର୍ଥିକ ଦାରିଦ୍ର୍ୟ ଓ ନାନାପ୍ରକାର ରୋଗ ଓ ଅସୁସ୍ଥତା ଭୋଗ କରିବାକୁ ବାଧ୍ୟ ହେଉଚି, ସେହିସବୁ କୁରୀତି ଓ କୁସଂସ୍କାରର କବଳରୁ ତାହାକୁ ମୁକ୍ତ କରିବାକୁ ପଡ଼ିବ ଏବଂ ଜୀବନ ରହିବା ଓ କୃଷିକରିବାର ଉନ୍ନତ ମାର୍ଗମାନ ତାହାକୁ ଶିଖାଇ ଦେବାକୁ ପଡ଼ିବ । ପୁଣି ଆମେ ସମଗ୍ର ଗ୍ରାମଜୀବନକୁ ନେଇ ମଧ୍ୟ ଆମର କାର୍ଯ୍ୟ ଚଳାଇଥିଲୁ । ଉନ୍ନୟନର ଆନ୍ଦୋଳନ ହେଉଚି ଏକ ଜନଆନ୍ଦୋଳନ, ଏଥିଲାଗି ସମସ୍ୟାଗୁଡ଼ିକ ଉପରେ ସମ୍ମିଳିତ ଆକ୍ରମଣ ଚଳାଇବାକୁ ପଡ଼େ । ଜୀବନର କୌଣସି କ୍ଷେତ୍ର ଏବଂ ଆକ୍ରମଣର କୌଣସି କାଇଦାକୁ କାର୍ଯ୍ୟକ୍ରମରୁ ବାଦ୍‌ଦେଲେ ଆଦୌ କାମ ଚଳେନାହିଁ ।’’

 

ନିମ୍ନଲିଖିତ କେତୋଟି କ୍ଷେତ୍ରକୁ ଆଧାର କରି ଗୁଡ଼୍‌ଗାଁଓର ବିକାଶ ଯୋଜନା ଚାଲିଥିଲା-: ।।୧।। ଆନୁଷ୍ଠାନିକ କାର୍ଯ୍ୟ, ।।୨।। ଗ୍ରାମାଞ୍ଚଳର ସ୍ୱଚ୍ଛତା, ।।୩।। କୃଷି ଉନ୍ନୟନ, ।।୪।। ଶିକ୍ଷା, ।।୫।। ସମବାୟ, ।।୬।। ସାମାଜିକ ସଂସ୍କାର, ।।୭।। ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ସହଯୋଗ-ସ୍ଥାପନ ଓ ପ୍ରଚାର । ୧୯୨୫ ମସିହାରେ ଗ୍ରାମ-ସହାୟକମାନଙ୍କର (Village Guide) ତାଲୀମ ଲାଗି ଗୋଟିଏ ଗ୍ରାମ-ଅର୍ଥନୀତି-ବିଦ୍ୟାଳୟର ସ୍ଥାପନା ହୋଇଥିଲା । ପ୍ରଥମବର୍ଷ ଗାଆଁର ଶିକ୍ଷକମାନଙ୍କୁ ତାଲୀମ ଦେବାଲାଗି ଏଠାକୁ ଅଣାଯାଇଥିଲା । ବିଦ୍ୟାଳୟ ପାଖରେ ଗୋଟିଏ କୃଷିକ୍ଷେତ୍ର ରହିଥିଲା, ଯେଉଁଠାରେ କି ଶିକ୍ଷାର୍ଥୀମାନେ ପ୍ରାୟୋଗିକ ତାଲୀମ ପାଉଥିଲେ । ଏହି ବିଦ୍ୟାଳୟ ପାଠ୍ୟକ୍ରମରେ ସ୍କାଉଟି, ସମବାୟ, ବ୍ୟାବହାରିକ କୃଷି, ପ୍ରାଥମିକ ଚିକିତ୍ସା, ଶିଶୁକଲ୍ୟାଣ, ସାଧାରଣ ସ୍ୱାସ୍ଥ୍ୟ, ଗୃହସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଗ୍ରାମ ସ୍ୱାସ୍ଥ୍ୟ, ପଶୁପ୍ରଜନନ ଏବଂ ପ୍ରାଥମିକ ପଣୁଚିକିତ୍ସା ପ୍ରଭୃତି ବିଷୟ ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଯେଉଁମାନେ ଏହି ତାଲୀମରେ କୃତକାର୍ଯ୍ୟ ହେଉଥିଲେ, ସେମାନଙ୍କୁ ଗ୍ରାମସହାୟକରୂପେ ନିଯୁକ୍ତ କରିନିଆଯାଉଥିଲା ।

 

ଶ୍ରୀଯୁକ୍ତ ବ୍ରେନ୍ ପ୍ରତ୍ୟେକ ବିକାଶ-ଅଞ୍ଚଳ ସକାଶେ ଜଣେ ଜଣେ ଗ୍ରାମ ସହାୟକ ନିଯୁକ୍ତ କରିବାକୁ ସ୍ଥିର କରିଥିଲେ । ସେମାନଙ୍କର କର୍ତ୍ତବ୍ୟ ଥିଲା, ।।୧।। ସମବାୟ ଆନ୍ଦୋଳନର ବିକାଶ କରାଇବେ, ।।୨।। ସେମାନେ ସାଧାରଣ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରିବେ ଏବଂ ଟୀକାବାଲା ଆସିଲେ ଟୀକା ନେବାପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରି ରଖିବେ, ।।୩।। ଗାଆଁର ପରିଷ୍କାର–ପରିଚ୍ଛନ୍ନତା ଲାଗି ମଧ୍ୟ ଦୃଷ୍ଟି ଦେବେ । ଖତ ଲାଗି ଗାଡ଼ ଖୋଳାଇବେ, ଗାଆଁରେ ଥିବା ଘରମାନଙ୍କରେ ଝରକା ଓ ପବନର ଯାତାୟତ ଲାଗି ଜଳାମାନ ରଖିବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କୁ ପ୍ରବୃତ୍ତ କରାଇବେ । ।।୪।। କୃଷି ବିଷୟରେ ସେମାନେ ଚାଷୀମାନଙ୍କୁ ଉନ୍ନତ ପ୍ରଣାଳୀମାନ ଦେଖାଇଦେବେ । ଉନ୍ନତ ଲଙ୍ଗଳ ଓ ଅନ୍ୟାନ୍ୟ କୃଷି ସରଞ୍ଜାମ, ଉନ୍ନତ ବିହନ ଓ ଜଳସେଚନର ରାହଟମାନ ଆଣି ଚାଷୀମାନଙ୍କୁ ବିକ୍ରୀ କରିବାର ଦାୟିତ୍ୱରେ ରହିବେ ।

 

ଗାଆଁର ସ୍ତ୍ରୀଲୋକମାନେ ଯେପରି ଉନ୍ନତି ଘରକରଣା ଆଡ଼କୁ ଆକୃଷ୍ଟ ହେବେ, ସେଥିଲାଗି ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ତାଲୀମ-ଭବନ ଖୋଲା ହୋଇଥିଲା । ସେଠାରେ ନିରକ୍ଷରମାନଙ୍କୁ ଲେଖିବା ଓ ପଢ଼ିବା ଶିକ୍ଷା ଦିଆଯାଉଥିଲା ଏବଂ ସେଥିସହିତ ସେମାନେ ସିଲାଇ, ବୁଣାବୁଣି ପୋଷାକ ଓ ଖେଳନା ତିଆରି, ରୋଷେଇବାସ, ପ୍ରାଥମିକ ଚିକିତ୍ସା, ପଶୁପାଳନ ଓ ସାଧାରଣ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟମାନ ମଧ୍ୟ ଶିଖୁଥିଲେ । ଏକସ୍ୱାସ୍ଥ୍ୟ-ଅନୁଷ୍ଠାନ ଜରିଆରେ ଗ୍ରାମ ଗୁଡ଼ିକରେ ସ୍ୱାସ୍ଥ୍ୟର ତତ୍ତ୍ୱାବଧାନ କରାଯାଉଥିଲା । ଗାଆଁ ମାନଙ୍କରେ ଯେପରି ସ୍ୱଚ୍ଛତା ରହିବ ଓ ଲୋକମାନେ ଯେପରି ସୁସ୍ଥ ଅଭ୍ୟାସଗୁଡ଼ିକର ଅନୁଶୀଳନ କରିପାରିବେ, ସେଥିଲାଗି ନାନାପ୍ରକାର ପ୍ରଚାର କାର୍ଯ୍ୟ କରାଯାଉଥିଲା । ଶିକ୍ଷାର ଉନ୍ନତି ସକାଶେ ଔପଚାରିକ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ବଢ଼ାଇବା ସଙ୍ଗେ ସଙ୍ଗେ ସମସ୍ତ ଜିଲ୍ଲାରେ ଦେଢ଼ଶହ ପର୍ଯ୍ୟନ୍ତ ନୈଶବିଦ୍ୟାଳୟ ମଧ୍ୟ ଖୋଲାଯାଇଥିଲା । ସାମାଜିକ ସଂସ୍କାର କ୍ଷେତ୍ରରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବିଶେଷ ନଜର ଦିଆଯାଉଥିଲା : ।।୧।। ବାଲ୍ୟବିବାହ ନିବାରଣ, ।।୨।। ବାଳିକାମାନଙ୍କର ଶିକ୍ଷା ଓ ସହଶିକ୍ଷାର ପ୍ରଚଳନ, ।।୩।। ପର୍ଦା ନିବାରଣ, ।।୪।। ଉତ୍ସବାଦିରେ ହେଉଥିବା ଅପଖର୍ଚ୍ଚଗୁଡ଼ିକର ଯଥାସମ୍ଭବ ହ୍ରାସ, ।।୫।। ପାରିବାରିକ ବିବାଦ ଓ ମକଦ୍ଦମାଗୁଡ଼ିକୁ କମ୍ କରିବାର ଚେଷ୍ଟା । ଯଥାସମ୍ଭବ ଗ୍ରାମକଳହକୁ କଚେରୀକୁ ନନେଇ ସେଗୁଡ଼ିକୁ ଗାଆଁରେ ହିଁ ନିଷ୍ପତ୍ତି କରିଦେବାର ଚେଷ୍ଟା, ।।୬।। ଗାଆଁର ଲୋକମାନେ ଯେପରି କମ୍‌ରୁ କମ୍ କରଜ କରିବେ, ସେଥିଲାଗି ଆବଶ୍ୟକ ବାତାବରଣ ସୃଷ୍ଟି । (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା : ୨୭–୩୫)

 

ଗୁଡ୍‍ଗାଁଓ ଜିଲ୍ଲାରେ ଶ୍ରୀଯୁକ୍ତ ବ୍ରେନ୍ ଯେଉଁ ପ୍ରଶଂସାର୍ହ ବିକାଶକାର୍ଯ୍ୟ କରି ଦେଖାଇ ଦେଇଥିଲେ, ତାହାର ପୁରସ୍କାର ସ୍ୱରୂପ ପଞ୍ଜାବ ସରକାର ୧୯୩୩ ମସିହାରେ ତାଙ୍କୁ ସମଗ୍ର ପଞ୍ଜାବରେ ଗ୍ରାମ-ପୁନର୍ନିର୍ମାଣର କମିଶନ ରୂପେ ନିଯୁକ୍ତ କରିଦେଲେ । ସମ୍ଭବତଃ ଏହାରି ଫଳରେ ତାଙ୍କରି ଉଦ୍ୟମ ଓ ଉତ୍ସାହରେ ଗଢ଼ାହୋଇଥିବା ଗୁଡ୍‍ଗାଁଓ ଗ୍ରାମବିକାଶ ଅଟ୍ଟାଳିକା କ୍ରମେ ଧସିବାକୁ ଆରମ୍ଭ କଲା । ସମସ୍ତ ଦେଶର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମ କ୍ରମେ ଦୁର୍ବଳ ହୋଇପଡ଼ିଲା । ଗ୍ରାମସମାଜରେ ଯେ ଏହି କାର୍ଯ୍ୟକ୍ରମର କୌଣସି ସ୍ଥାୟୀ ଚେର ମାଡ଼ିନଥିଲା, ତାହା ପ୍ରମାଣିତ ହେବାକୁ ଆଉ ବେଶୀ ବେଳ ଲାଗିଲା ନାହିଁ । ଆପଣାର ସକଳ ଉଦ୍ୟମ ଏହିପରି ଏକ ବ୍ୟର୍ଥତାରେ ପରିଣତ ହେବ ବୋଲି ଶ୍ରୀଯୁକ୍ତ ବ୍ରେନ୍ ହୁଏତ ସ୍ୱୟଂ ହୃଦୟଙ୍ଗମ କରିପାରିଥିଲେ । ତାଙ୍କରି ଭାଷାରେ କହିବାକୁ ଗଲେ, ‘‘ଆଜି ପଞ୍ଜାବସାରା ଅତି ଚମତ୍କାର କାର୍ଯ୍ୟ ଚାଲୁଚି । ହୁଏତ ଗୋଟାଏ ସମ୍ପୂର୍ଣ୍ଣ ଦିନଲାଗି ପଞ୍ଜାବର ଗ୍ରାମାଞ୍ଚଳରେ ବୁଲିଆସିଲେ ମଧ୍ୟ କୌଣସି ଅଶୋଭନୀୟ ଦୃଶ୍ୟ ଆଖିରେ ପଡ଼ିବନାହିଁ ବା କୌଣସି ଦୁର୍ଗନ୍ଧ ଆସି ନାକରେ ବାଜିବନାହିଁ । ଗାଆଁ ଗାଆଁରେ ଆଜି ଏକ ନୂତନ ଜୀବନର ଦୃଷ୍ଟାନ୍ତ ଦେଖିବାକୁ ମିଳିବ । ଏହିସବୁ ଗାଆଁରେ ପ୍ରକୃତରେ ଅଭୂତ ପରିବର୍ତ୍ତନମାନ ସାଧିତ ହୋଇଚି ଏବଂ ଚତୁର୍ଦ୍ଦିଗ ଜୀବନ୍ତ ଓ ସଚଳ ହୋଇପଡ଼ିଲା ପରି ମନେହେଉଚି । ତେବେ ଆମେ ଜଣ ପ୍ରକୃତରେ ଗ୍ରାମବିକାଶ ଓ ଗ୍ରାମ ପରିବର୍ତ୍ତନ ଉଦ୍ଦେଶ୍ୟରେ କୌଣସି ଗତିସଞ୍ଚାର କରିପାରିଚୁ ? ଗୁଡ୍‍ଗାଁଓରେ ଆରମ୍ଭ ହୋଇଥିବା କାର୍ଯ୍ୟ କଣ ପ୍ରକୃତରେ ସ୍ଥାୟୀ ହୋଇ ରହିବ ଓ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ପ୍ରଭାବିତ କରିପାରିବ ? କିନ୍ତୁ ହାୟ, ତାହା କଦାପି ହୋଇପାରିବ ନାହିଁ । ଆପଣାର ଜୀବନରେ ଉନ୍ନତି ବିଧାନ କରିବାଲାଗି ସଂକଳ୍ପ ଗ୍ରହଣ କରିଥିବା ଗ୍ରାମବାସୀମାନେ ଏହି କାର୍ଯ୍ୟ କରୁନାହାନ୍ତି, ମାତ୍ର ଆପଣାର ଜିଲ୍ଲା-ଅଫିସରମାନଙ୍କୁ ପ୍ରସନ୍ନ କରି ରଖିବାଲାଗି ସଂକଳ୍ପ ନେଇ ବାହାରି ଥିବା ଗ୍ରାମବାସୀମାନେ ହିଁ ଏହି କାର୍ଯ୍ୟ କରୁଚନ୍ତି । କାର୍ଯ୍ୟ ହାସଲ କରିବାରେ ହୁଏତ ଏହା ଏକ ଚମତ୍କାର ଉତ୍‌ପ୍ରେରକ ହୋଇପାରେ; କିନ୍ତୁ ଆମେ ଯେଉଁ ଉତ୍‌ପ୍ରେରକ ଶକ୍ତିଲାଗି ଅପେକ୍ଷା କରିଚୁ ଏହା କଦାପି ସେହି ଉତ୍‌ପ୍ରେରକ ନୁହେଁ । କାରଣ ଏପରି ଭାବରେ ଉତ୍‌ପ୍ରେରକ କାର୍ଯ୍ୟ କଦାପି ସ୍ଥାୟୀ ହୋଇପାରିବନାହିଁ ।’’

 

ପ୍ରତ୍ୟେକ ଗ୍ରାମରେ ବିକାଶ-କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ କରିବାଲାଗି ଜଣେ ଜଣେ ଗ୍ରାମ-ସହାୟକ ରହିବା ଉଚିତ ବୋଲି ଶ୍ରୀଯୁକ୍ତ ବ୍ରେନ୍ ଯେଉଁ ବ୍ୟବସ୍ଥା କରିଥିଲେ ଓ ସେହି ଉଦ୍ଦେଶ୍ୟରେ ସହାୟକମାନଙ୍କୁ ଯେପରି ତାଲୀମ ଦିଆଯାଉଥିଲା, ୧୯୨୮ ମସିହାରେ ବସିଥିବା ରୟାଲ୍ କମିଶନ ତାହାର ପ୍ରଶଂସା କରିଚନ୍ତି ଏବଂ ଯେ କୌଣସି ଗ୍ରାମମଙ୍ଗଳ ଯୋଜନାରେ ଗ୍ରାମସହାୟକ ଲାଗି ଏକ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଚି ବୋଲି ଉଲ୍ଲେଖ କରିଚନ୍ତି । (ପୁସ୍ତକ ଟିପ୍ପଣୀ-୨, ପୃଷ୍ଠା–୫୦୧) ୧୯୨୯ ମସିହାରେ ୟଙ୍ଗ୍ ଇଣ୍ଡିଆରେ ଲେଖିଥିବା ଆପଣାର ଗୋଟିଏ ଲେଖାରେ ମହାତ୍ମାଗାନ୍ଧୀ ମଧ୍ୟ ଗୁଡ୍‍ଗାଁଓ ଯୋଜନା ବିଷୟରେ ଯେଉଁ ଟିପ୍‌ପଣି ଦେଇଛନ୍ତି, (୭) ସେଥିରୁ ଆମର ଯଥେଷ୍ଟ ଶିକ୍ଷା କରିବାକୁ ରହିଚି । ତାଙ୍କ ଭାଷାରେ କହିବାକୁ ଗଲେ, ‘‘ଗୁଡ୍‍ଗାଁଓରେ ଚାଲୁଥିବା ଶ୍ରୀଯୁକ୍ତ ବ୍ରେନ୍‌ଙ୍କର ଗ୍ରାମବିକାଶ ଯୋଜନା ଯେ ସଫଳ ହୋଇ ପାରିଲାନାହିଁ, ତାହାର କାରଣ ଖୋଜିବାଲାଗି ଆମକୁ ଆଦୌ ଅନେକଦୂରକୁ ଯିବାକୁ ପଡ଼ିବନାହିଁ । ଏହି ସଂସ୍କାର ଲୋକହସ୍ତରୁ ବିକଶିତ ହୋଇନଥିଲା, ଲୋକମାନଙ୍କ ଉପରେ ବାହାରୁ ଲଦି ଦିଆଯାଇଥିଲା । ଆପଣା ସରକାରୀ ପଦର ସକଳ କ୍ଷମତା ଖଟାଇ ଶ୍ରୀ ବ୍ରେନ୍ ଅଧସ୍ତନ କର୍ମଚାରୀ ତଥା ଜନସାଧାରଣଙ୍କ ଉପରେ ଚାପ ପକାଇ ବିକାଶକାର୍ଯ୍ୟ ଗୁଡ଼ିକୁ ହାସଲ କରିବାକୁ ଚାହିଥିଲେ । କିନ୍ତୁ ଜୋର ଜବରଦସ୍ତିଦ୍ୱାରା ଲୋକମାନଙ୍କ ଭିତରେ ବିଶ୍ୱାସ ଜନ୍ମାଇବାକୁ ସେ କିପରି ସମର୍ଥ ହୋଇଥାନ୍ତେ ? ଏବଂ ସଫଳତାର ଜନନୀ ଏହି ବିଶ୍ୱାସର ହିଁ ଏଠାରେ ଅଭାବ ରହିଥିଲା । ଶ୍ରୀଯୁକ୍ତ ବ୍ରେନ୍ ଭାବୁଥିଲେ ଯେ କାର୍ଯ୍ୟଗୁଡ଼ିକର ଫଳକୁ ଆଖିରେ ଦେଖିଲେ ଲୋକମାନେ ସହଜରେ ବିଶ୍ୱାସ କରିଯିବେ । ମାତ୍ର ଏପରି ଭାବରେ କୌଣସି ସଂସ୍କାର ସମ୍ଭବ ହୁଏନାହିଁ । ଯେକୌଣସି ସଂସ୍କାରକୁ ଅତି ଧୀରେ ଧୀରେ ଆଗକୁ ପାଦ ପକାଇବାକୁ ମନକଲେ ଆଦୌ କାମ ଚଳିବନାହିଁ । ଏଥିଲାଗି ଅନେକ ଧୈର୍ଯ୍ୟ ଦରକାର । କିନ୍ତୁ ଶ୍ରୀଯୁକ୍ତ ବ୍ରେନ୍ ଅଧୈର୍ଯ୍ୟ ହୋଇ ପଡ଼ିଥିଲେ ଏବଂ ଗୋଟାଏ କୁଦାରେ ଅନେକଦୂର ଡେଇଁପଡ଼ିବାକୁ ଇଚ୍ଛା କରିଥିଲେ । ତେଣୁ ସେ ସଫଳ ହୋଇପାରିଲେ ନାହିଁ ।

 

‘‘ଯେତେବେଳେ ଜଣେ ଅଫିସର୍ ସଂସ୍କାରକ ହୋଇ ବାହାରିବ, ତାକୁ ଏକଥା ସ୍ମରଣ ରଖିବାକୁ ପଡ଼ିବ ଯେ ତାହାର ଅଫିସର-ପଦ ସଂସ୍କାର ଦିଗରେ ସହାୟକ ନ ହୋଇ ବରଂ ବାଧକ ପରି କାର୍ଯ୍ୟ କରିବ । ସେ ଭୀମବଳରେ ଯେତେ ଉଦ୍ୟମ କଲେ ମଧ୍ୟ ଲୋକମାନେ ତାକୁ ଓ ତାର ମତଲବକୁ ପ୍ରଧାନତଃ ସନ୍ଦେହ ଚକ୍ଷୁରେ ହିଁ ଦେଖିବେ ଏବଂ ଏପରି କୌଣସି ମତଲବର ଅଭାବ ଦେଖିଲେ ସେମାନେ ବିପଦର ଆଶଙ୍କା କରିବସିବେ । ଏବଂ ଯାହାକିଛି କରିବାଲାଗି ଉଦ୍ୟତ ହେଲାବେଳେ ମଧ୍ୟ ସେମାନେ ପ୍ରଧାନତଃ ଅଫିସରକୁ ପ୍ରସନ୍ନ କରିବାକୁ ହିଁ କରିବେ । ...ଶ୍ରୀଯୁକ୍ତ ବ୍ରେନ୍ ବଡ଼ ସୁବିଧାରେ କାର୍ଯ୍ୟଲାଗି ଆବଶ୍ୟକ ଅର୍ଥରାଶି ପାଇଯାଉଥିଲେ । ଏହା ତାଙ୍କର କାର୍ଯ୍ୟରେ ଆଉଗୋଟିଏ ପ୍ରତିବନ୍ଧକ ହୋଇ ରହିଥିଲା । ମୋର ମତ ଯେ, ଯେକୌଣସି ସଂସ୍କାର-ଅଭିଯାନରେ ଅର୍ଥର ଆବଶ୍ୟକତା ଯେତେ କମ୍ ହୁଏ, ତାହା ସେତେ ସୁଫଳ ଦେଇଥାଏ । କିନ୍ତୁ ଆପଣା କାର୍ଯ୍ୟରେ ସଫଳତା କରିବାଲାଗି ଶ୍ରୀଯୁକ୍ତ ବ୍ରେନ୍ ଅର୍ଥଉପରେ ଅତ୍ୟଧିକ ପରିମାଣରେ ନିର୍ଭର କରୁଥିଲେ । ଆପଣାପ୍ରତି ବା ଜନସାଧାରଣଙ୍କ ପ୍ରତି ରହିଥିବା ବିଶ୍ୱାସ ଅପେକ୍ଷା ସେ ଅର୍ଥଉପରେ ଅଧିକ ନିର୍ଭର କରୁଥିଲେ । ଆପଣାର କାର୍ଯ୍ୟଲାଗି ସେ ବର୍ଷକୁ ଟ୫୦,୦୦୦ ପାଉଥିଲେ, ତଥାପି ଅର୍ଥାଭାବରୁ ବିକାଶକାର୍ଯ୍ୟ ବଡ଼ ପଛାଇଯାଉଚି ବୋଲି ଅଭିଯୋଗ କରୁଥିଲେ-। ଆଉ କେତେ ଅର୍ଥ ମିଳିଥିଲେ ତାଙ୍କର ଆକାଙ୍‌କ୍ଷା ପୂର୍ଣ୍ଣ ହୋଇଥାନ୍ତା ?’’

 

ତଥାପି ଶ୍ରୀଯୁକ୍ତ ବ୍ରେନ୍‌ଙ୍କର ଉଦ୍ୟମ ଏକାବେଳକେ ବିଫଳ ହୋଇଯାଇଚି ବୋଲି ଆମେ କଦାପି କହିପାରିବାନାହିଁ । ମୂଳତଃ କୌଣସି ନିଷ୍ଠାପର ଉଦ୍ୟମ କଦାପି ବିଫଳ ହୁଏନାହିଁ । ପରବର୍ତ୍ତୀ କାଳର ଉଦ୍ୟମଗୁଡ଼ିକୁ ଏହା ସର୍ବଥା ପ୍ରେରଣା ଯୋଗାଇ ଦେଇଥାଏ । ପରାଧୀନ ଭାରତରେ ଜଣେ ବ୍ରିଟିଶ କର୍ମଚାରୀ ଭାରତୀୟ କେତୋଟି ଗାଆଁର କଲ୍ୟାଣ ଓ ବିକାଶଲାଗି ଯଦି ଏତେକଥା କରିପାରିବେ, ତେବେ ସ୍ୱାଧୀନ ଭାରତରେ ଭାରତୀୟ ଉଚ୍ଚ କର୍ମଚାରୀ ଓ ଅଫିସରମାନେ ମନ ବଳାଇଲେ ଏହି କ୍ଷେତ୍ରରେ କଣ ଯେ କେତେ ସମ୍ଭବ କରାଇପାରିବେ ଓ ପରିବର୍ତ୍ତନର ଚକକୁ ଯେ କେତେଦୂର ଆଗକୁ ବୁଲାଇଦେଇ ପାରିବେ, ତାହା ଚିନ୍ତାକଲେ ପ୍ରକୃତରେ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ମହାତ୍ମାଗାନ୍ଧୀ ଓ ରଚନାମୂଳକ କାର୍ଯ୍ୟକ୍ରମ–

 

ମହାତ୍ମାଗାନ୍ଧୀଙ୍କୁ ଆମେ ସମସ୍ତେ ଜାତିର ଜନକ ବୋଲି କହିଥାଉ, ତଥାପି ଭାରତର ରାଜନୀତିକ ସ୍ୱାଧୀନତା-ସଂଗ୍ରାମର କର୍ଣ୍ଣଧାରରୂପେ ଆମେ ପ୍ରଧାନତଃ ଗାନ୍ଧୀଙ୍କର କଳ୍ପନା କରିଥାଉ । ଗାନ୍ଧୀ ଭାରତରେ ଜନ୍ମ ହୋଇନଥିଲେ ଭାରତ ଅବଶ୍ୟ ରାଜନୀତିକ ସ୍ୱାଧୀନତା ହାସଲ କରିଥାନ୍ତା, କିନ୍ତୁ ଆଜି ସ୍ୱାଧୀନ ଭାରତର ଆକାଙ୍‌କ୍ଷା ଓ ଯୋଜନାମାନ ଯେପରି ଏକ ବିଶିଷ୍ଟ ମାର୍ଗରେ ଗତି କରୁଚି ଓ ପୃଥିବୀରେ ନୂଆକରି ସ୍ୱାଧୀନ ହୋଇଥିବା ଦେଶଗୁଡ଼ିକର ମାର୍ଗରୁ ସ୍ପଷ୍ଟ ବାରିହୋଇ ପଡ଼ୁଚି, ଗାନ୍ଧୀର ଐତିହ୍ୟ ବ୍ୟତିରେକ ତାହା କଦାପି ହୋଇନଥାନ୍ତା । ସଂଗ୍ରାମ ଓ ବିପ୍ଳବ କହିଲେ ସାଧାରଣତଃ ଭାଙ୍ଗିଦେବାକୁ ବୁଝାଇଥାଏ । କିନ୍ତୁ ପ୍ରଧାନତଃ ଗଢ଼ିବାର ଆଗ୍ରହ ଉପରେ ଜୋର୍ ଦେଇ ଗାନ୍ଧୀ ପୃଥିବୀର ଇତିହାସରେ ଏକ ଅଭୂତପୂର୍ବ ବିପ୍ଳବ ସମ୍ଭବ କରାଇ ପାରିଥିଲେ । ପୃଥିବୀର ଅନ୍ୟାନ୍ୟ ଦେଶରେ ରାଜନୀତିକ ନେତାମାନେ ସ୍ୱାଧୀନତା ହାସଲ କରିବାରେ ଏପରି ଉତ୍ତେଜିତ ଭାବରେ ଜଡ଼ିତ ହୋଇ ରହିଥାନ୍ତି ଯେ ହୁଏତ ବାଧ୍ୟ ହୋଇ ସେମାନେ ସ୍ୱାଧୀନତା ପରେ ଦେଶକୁ ଗଢ଼ିବାର ସମସ୍ତ କଳ୍ପନା କଳ୍ପନାଠାରୁ ଦୂରରେ ରହିବାକୁ ହିଁ ନିରାପଦ ମଣିଥାନ୍ତି । ଗାନ୍ଧୀ ରାଜନୀତିକ ସ୍ୱାଧୀନତାକୁ କଦାପି ଏକ ଉଦ୍ଦେଶ୍ୟ ବୋଲି ଗ୍ରହଣ କରିନଥିଲେ । ମନୁଷ୍ୟନିର୍ମାଣ ଓ ସମାଜ ନିର୍ମାଣର ଲକ୍ଷ୍ୟସକାଶେ ରାଜନୀତିକ ସ୍ୱାଧୀନତାକୁ ସେ ଏକ ଆବଶ୍ୟକ ସାଧନ ବୋଲି ମାନିଥିଲେ । ସେଥିଲାଗି ଗାନ୍ଧୀ ନେତୃତ୍ୱ ପୃଥିବୀର ଅନ୍ୟାନ୍ୟ ରାଜନୀତିକ ନେତୃତ୍ୱ ଅପେକ୍ଷା ଏତେ ଭିନ୍ନପ୍ରକାରର ଥିଲା ।

 

ରାଜନୀତିକ ସ୍ୱାଧୀନତା ଆସିବାର ବହୁପୂର୍ବରୁ ଗାନ୍ଧୀ ପରିଚାଳିତ ନୂତନ ଆକାଙ୍‌କ୍ଷାର ଭାରତରେ ସମାଜନିର୍ମାଣର ମୂଳଦୁଆମାନ ପଡ଼ିବାକୁ ଆରମ୍ଭ କରିଥିଲା । ମହାତ୍ମାଗାନ୍ଧୀ ଲେଖିଥିବା ପ୍ରଥମ ଗ୍ରନ୍ଥ ରାଜନୀତି ବିଷୟରେ ଲେଖା ହୋଇନାହିଁ, ସାମାଜିକ ଜୀବନମୂଲ୍ୟ ଓ ସମାଜନିର୍ମାଣର ନିର୍ଦ୍ଦେଶଶିଳାଗୁଡ଼ିକ ବିଷୟରେ ଲେଖାଯାଇଚି । ଭାରତୀୟ ରାଜନୀତିରେ ପ୍ରବେଶ କରିବାର ବହୁପୂର୍ବରୁ ସେ ‘ହିନ୍ଦ୍-ସ୍ୱରାଜ୍ୟ’ ଲେଖିଚନ୍ତି । ରାଜନୀତିକ ସ୍ୱାଧୀନତା ପ୍ରାପ୍ତିଲାଗି ସଂଗ୍ରାମ କରିବା ସଙ୍ଗେ ସଙ୍ଗେ ଆମକୁ ଆପଣା ଦେଶରେ ଏକ ଆଦର୍ଶ ସମାଜର ମୂଳଦୁଆ ତିଆରି କରିବାକୁ ହେବ, ଏକସମ୍ପନ୍ନ ଓ ସୁନ୍ଦର ସାମୁଦାୟିକ ଜୀବନକୁ ଲକ୍ଷ୍ୟରୂପେ ରଖି ସେଥିଲାଗି ଏକ ଅନୁକୂଳ ବାତାବରଣ ପ୍ରସ୍ତୁତ କରିବାର ଚେଷ୍ଟା କରିବାକୁ ହେବ, ସେଥିଲାଗି ସ୍ୱାଧୀନତାକାମୀ ଆମ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ-ଗାନ୍ଧୀ ରାଜନୀତିରେ ଏହାହିଁ ସର୍ବପ୍ରଧାନ ବିଶେଷତା ହୋଇ ରହିଥିଲା । ସ୍ୱାଧୀନତା ଆନ୍ଦୋଳନର ଇତିହାସ ଏହି ବିଷୟରେ ଆମକୁ ଭୂରିଭୂରି ପ୍ରମାଣ ଯୋଗାଇଦେବ ଯେ, ଯେଉଁ ଯେଉଁ ଅଞ୍ଚଳରେ ଗାନ୍ଧୀଙ୍କର ସମାଜନିର୍ମାଣ ପରିକଳ୍ପନା ଦିଗରେ ଯେତେ ନିଷ୍ଠାପର କାର୍ଯ୍ୟ କରାହୋଇଥିଲା, ଭାରତର ସେହିସବୁ ଅଞ୍ଚଳରେ ହିଁ ରାଜନୀତିକ ସ୍ୱାଧୀନତା ଆନ୍ଦୋଳନକୁ ମଧ୍ୟ ଅଧିକ ସମର୍ଥନ ମିଳିଥିଲା ଓ ଅଧିକ ଶକ୍ତି ପ୍ରାପ୍ତ ହୋଇଥିଲା । ଅର୍ଥାତ୍ ପରାଧୀନ ଭାରତରେ ମଧ୍ୟ ଗାନ୍ଧୀପ୍ରସ୍ତୁତ ସମାଜନିର୍ମାଣ କାର୍ଯ୍ୟକ୍ରମଦ୍ୱାରା ଲୋକଶକ୍ତି ଜାଗୃତ ହୋଇ ପାରିଥିଲା । ଲୋକଶକ୍ତି ଜାଗୃତ ହୋଇପାରିଲେ ଏବଂ ତାହାକୁ ସୁସ୍ଥ ଓ ରଚନାତ୍ମକ ଭାବରେ ପରିଚାଳିତ କରିବାଲାଗି ଦେଶରେ ଉପଯୁକ୍ତ ନେତୃତ୍ୱ ମହଜୁଦ ରହିଥିଲେ ଯେ ଜାତୀୟ ଜୀବନରେ ଅନେକ ଅସାଧ୍ୟ ମଧ୍ୟ ସାଧ୍ୟ ହୋଇପାରିବ, ଗାନ୍ଧୀଙ୍କର ସକଳ ପ୍ରେରଣା ପଛରେ ଏହି ସତ୍ୟଟି ନିହିତ ହୋଇ ରହିଥିଲା ।

 

ଭାରତବର୍ଷ କହିଲେ ଭାରତର ସାଢ଼େ ପାଞ୍ଚଲକ୍ଷ ଗାଆଁକୁ ବୁଝାଏ, ଭାରତର ଜନତା କହିଲେ ଏହି ଗାଆଁ ମାନଙ୍କରେ ବାସ କରୁଥିବା ଓ ଭାରତୀୟ ଜୀବନର ବାହକ ହୋଇ ଆସିଥିବା କୃଷକକୁଳକୁ ବୁଝାଏ, ଆମ ଆଧୁନିକ ଇତିହାସରେ ଗାନ୍ଧୀ ହିଁ ଏକଥା କହିଦେବାକୁ ଆସିଥିଲେ । ଆଗରୁ ସଉକିନିଆ ସହରୀ ରାଜନୀତି ଚାଲୁଥିଲା, ବଡ଼ ବଡ଼ ଓକିଲ ଓ ଆଡ଼ଭୋକେଟମାନେ ପ୍ରଧାନତଃ ଅବସରବିନୋଦନ ପରି ରାଜନୀତି କରୁଥିଲେ । କଥା ଓ ବକ୍ତୃତାର ମହିମାରେ ସାମ୍ରାଜ୍ୟବାଦୀ ଶାସନରୂପୀ ପଥରକୁ ପାଣି କରିଦେବାର ମତଲବରେ ସେତେବେଳେ ରାଜନୀତିକ କ୍ରୀଡ଼ା ଚାଲିଥିଲା । ଗାନ୍ଧୀ ଆସି ଜନତାର ନୂତନ ବ୍ୟାଖ୍ୟା କଲେ, ଆମଲାଗି ଦେଶର ଅଭିଧା ବଦଳାଇଦେଲେ, ରାଜନୀତିର ଭିନ୍ନ ବ୍ୟାଖ୍ୟା କରିବସିଲେ, ସ୍ୱାଧୀନତା ସଂଗ୍ରାମକୁ ମାଟିଉପରକୁ ଓହ୍ଳାଇ ମଣିଲେ । ୧୯୨୨ ମସିହାରେ ଗାନ୍ଧିଜୀ ଗୋଟାଏ ବର୍ଷରେ ଭାରତଲାଗି ସ୍ୱରାଜ୍ୟ ଆଣିଦେବେ ବୋଲି କହି ଯେଉଁ ଯୋଜନା ଦେଇଥିଲେ, ତାହାକୁ ଏକ ରାଜନୀତିକ ଯୋଜନା ବୋଲି ନକହି ସମାଜନିର୍ମାଣର ଯୋଜନା ବୋଲି ହିଁ କହିବାକୁ ହେବ । ସ୍ୱାଧୀନତାଯୁଦ୍ଧର ଶେଷ ପର୍ଯ୍ୟାୟରେ ଆପଣାର କଳ୍ପନାଗୁଡ଼ିକୁ ପୁନରାୟ ପରିଯୋଜିତ କରି ସେ ଆପଣାର ରଚନାତ୍ମକ କାର୍ଯ୍ୟକ୍ରମକୁ ଦେଶଆଗରେ ଉପସ୍ଥାପିତ କରିଥିଲେ । ତୁଚ୍ଛା ରାଜନୀତିରେ ବିଶ୍ୱାସ କରୁଥିବା ନେତାମାନେ ମଧ୍ୟ ସେତେବେଳେ ରଚନାତ୍ମକ କାର୍ଯ୍ୟକ୍ରମକୁ ହିଁ ଲୋକଶକ୍ତି ଜାଗୃତ କରିବାର ଏକ ଅନ୍ୟତମ ସାଧନ ବୋଲି ମାନୁଥିଲେ ।

 

ରଚନାତ୍ମକ କାର୍ଯ୍ୟକ୍ରମ କେବଳ ଏକ କାର୍ଯ୍ୟକ୍ରମ ନୁହେଁ । ସମାଜକୁ ଯେଉଁପରି ଜୀବନମୂଲ୍ୟଗୁଡ଼ିକର ଭିତ୍ତିଉପରେ ତିଆରି କରିବାକୁ ହେବ, ଏହି କାର୍ଯ୍ୟକ୍ରମ ସେହି ଭିତ୍ତିଗୁଡ଼ିକୁ ହିଁ ଅଧିକ ସ୍ପଷ୍ଟ କରିଦେଇଥିଲା । ଭାରତବାସୀର ଦାରିଦ୍ର୍ୟ, ରୋଗଭୋଗ ଓ ଅଶିକ୍ଷାକୁ ଗାନ୍ଧୀଜୀ ଦେଶନିର୍ମାଣପଥରେ ଗୋଟିଏ ଗୋଟିଏ ଆହ୍ୱାନପରି ଅନୁଭବ କରିଥିଲେ ଏବଂ ଏହି ଆହ୍ୱାନର ଜବାବ ଦେବାଲାଗି ସେ ସ୍ୱାଧୀନତା ହାସଲ ହେବାପୂର୍ବରୁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଭାରତୀୟ ଗ୍ରାମନିର୍ମାଣର ଇତିହାସରେ ଆମେ ସମ୍ଭବତଃ ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମକୁ ପ୍ରଥମ ଜାତୀୟ କାର୍ଯ୍ୟକ୍ରମ ବୋଲି କହିପାରିବା ।

 

ଗାଆଁ କହିଲେ ଗାନ୍ଧିଜୀ ପ୍ରାୟ ହଜାରେଜଣ ଲୋକ ବାସ କରୁଥିବା ଏକ କ୍ଷୁଦ୍ର ଓ ଆଦର୍ଶ ପ୍ରତିବେଶ ଓ ତାହାର ପାରସ୍ପରିକ ଗୋଷ୍ଠୀ-ଜୀବନକୁ ବୁଝୁଥିଲେ । ସ୍ୱରାଜ୍ୟକୁ ହିଁ ସେ ଏହି ଗ୍ରାମର ଆଦର୍ଶରୂପେ ଗ୍ରହଣ କରିଥିଲେ । ‘‘ଗ୍ରାମସ୍ୱରାଜ୍ୟ କହିଲେ ମୁଁ ଏହିସବୁ କଥା ବୁଝିଥାଏ : ପ୍ରତ୍ୟେକ ଗ୍ରାମ ସ୍ୱାୟତ୍ତଶାସିତ ଗୋଟିଏ ଗୋଟିଏ ଆତ୍ମନିର୍ଭରଶୀଳ ଏକକ ହୋଇ ରହିବ । ଜୀବନଧାରଣର ଅତ୍ୟାବଶ୍ୟକ ପଦାର୍ଥ ଗୁଡ଼ିକ ଲାଗି ଏହା ବାହାରର କାହାରିଉପରେ ନିର୍ଭର କରିବନାହିଁ । ତଥାପି ଯେଉଁଠି ନିର୍ଭରଶୀଳତା ଆବଶ୍ୟକ ହେବ, ସେହିସବୁ କ୍ଷେତ୍ରରେ ଗ୍ରାମ ଅନ୍ୟଗ୍ରାମଗୁଡ଼ିକ ସହିତ ବା ବାହାର ପୃଥିବୀ ସହିତ ପରସ୍ପର-ନିର୍ଭରଶୀଳ ହୋଇ ରହିବ । ଏହାର ଅର୍ଥ ହେଉଚି ପ୍ରତ୍ୟେକ ଗ୍ରାମ ଆପଣାର ଅନ୍ନ ଓ ବସ୍ତ୍ର ବିଷୟରେ ସ୍ୱାବଲମ୍ବୀ ହେବାଲାଗି ପ୍ରଥମେ ଉଦ୍ୟମ କରିବ । ପ୍ରତ୍ୟେକ ଗ୍ରାମରେ ଗୋରୁଙ୍କ ସକାଶେ ଆବଶ୍ୟକ ଗୋଚର ରହିବ, ବୟସ୍କ ଓ ପିଲାମାନଙ୍କ ଲାଗି ଖେଳପଡ଼ିଆ ମଧ୍ୟ ରହିବ । ଏହାପରେ ଯଦି ଗ୍ରାମରେ ଉଦ୍‌ବୃତ୍ତ ଜମି ରହୁଥାଏ ତେବେ ସେଥିରେ ପ୍ରୟୋଜନୀୟ ଓ ଲାଭଦାୟକ ଅର୍ଥକାରୀ ଫସଲମାନ କରାଯିବ । ଅର୍ଥାତ୍ କୌଣସି ଗ୍ରାମରେ ଗଞ୍ଜେଇ, ଅଫିମ ବା ଧୂଆଁ ପତ୍ରର ଚାଷ ହେବନାହିଁ । ଗାଆଁର ସ୍ୱପରିଚାଳିତ ଗୋଟିଏ ନାଟ୍ୟମଞ୍ଚ ରହିବ, ସ୍କୁଲ ଓ ସଭାଘର ମଧ୍ୟ ରହିବ । ସବୁ ମଣିଷ ଯେପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ, ଗ୍ରାମବାସୀ ସମସ୍ତେ ମିଳି ଅବଶ୍ୟ ଏଥିଲାଗି ବ୍ୟବସ୍ଥା କରିବେ । ସୁରକ୍ଷିତ ପୋଖରୀ ବା କୂଅଦ୍ୱାରା ଏହି ବ୍ୟବସ୍ଥା ସମ୍ଭବ ହୋଇପାରିବ । ପନ୍ଦରବର୍ଷ ବୟସ ପର୍ଯ୍ୟନ୍ତ ଗାଆଁର ସବୁପିଲା ପାଠ ପଢ଼ିବାକୁ ବାଧ୍ୟ ହେବେ । ଯେତେଦୂର ସମ୍ଭବ ଗ୍ରାମର ସବୁ କାରବାର ସମବାୟ ପଦ୍ଧତି ଅନୁସାରେ ଚାଲିବ । ଆଜିଭଳି ସେ ସବୁ ଗାଆଁରେ କୌଣସି ଜାତିଭେଦ ରହିବ ନାହିଁ ଛୁଆଁ ଅଛୁଆଁର ହୀନବିଚାର ରହିବନାହିଁ । ଅହିଂସା ଓ ଏହାର ଅନ୍ତର୍ଗତ ସତ୍ୟାଗ୍ରହରୂପୀ ସାଧନ ଗ୍ରାମସମୁଦାୟ ହାତରେ ପ୍ରଧାନ ଅସ୍ତ୍ର ହୋଇ ରହିବ । ଗାଆଁର ଲୋକମାନେ ପାଳିକରି ଗାଆଁର ସୁରକ୍ଷା କରିବେ ଓ ଗାଆଁରେ ପହରା ଦେବେ । ପଞ୍ଚାୟତ ଗାଆଁର ଶାସନ କରିବେ ଓ ଗ୍ରାମବାସୀ ପ୍ରତ୍ୟେକ ବୟସ୍କ ପ୍ରତିବର୍ଷ ଏହି ପଞ୍ଚାୟତର ନିର୍ବାଚନ କରିବାର ଅଧିକାର ପାଇବେ । କୌଣସି ଏକ ନିର୍ଦ୍ଦିଷ୍ଟ ନିମ୍ନତମ ଯୋଗ୍ୟତାସମ୍ପନ୍ନ ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ଏହି ଅଧିକାର ପାଇବେ । ପଞ୍ଚାୟତ ହାତରେ ଗ୍ରାମଶାସନସମ୍ବନ୍ଧୀୟ ସକଳ କ୍ଷମତା ନ୍ୟସ୍ତ ହୋଇ ରହିଥିବ ।’’

 

‘‘ପ୍ରଥମେ ଆପଣା ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟର ଯଥାସମ୍ଭବ ପରିପୂର୍ଣ୍ଣ ବ୍ୟବସ୍ଥା କରିବା ପ୍ରତ୍ୟେକ ଆଦର୍ଶ ଗ୍ରାମର କର୍ତ୍ତବ୍ୟ ହୋଇ ରହିବ । ଗାଆଁରେ ଥିବା ଘରଗୁଡ଼ିକରେ ଯଥେଷ୍ଟ ଆଲୁଅ ପଡ଼ିପାରୁଥିବ, ପବନ ଗମନାଗମନଲାଗି ଯଥେଷ୍ଟ ସୁବିଧା ରହିଥିବ । ଆଖପାଖ ପାଞ୍ଚମାଇଲ ଆକ୍ରାନ୍ତରେ ମିଳୁଥିବା ସାମଗ୍ରୀ ଗୁଡ଼ିକରେ ହିଁ ଗାଆଁର ଘରଗୁଡ଼ିକ ତିଆରି ହେବ । ଘର ଆଗରେ ଦୁଆର ରହିଥିବ, ବାଡ଼ିବଗିଚା ସକାଶେ ଯଥେଷ୍ଟ ସ୍ଥାନ ଥିବ । ସେଠାରେ ଗୃହର ଆବଶ୍ୟକତା ଅନୁସାରେ ପନିପରିବାର ଚାଷ ହେଉଥିବ । ଗୋରୁଗାଈଙ୍କ ଲାଗି ଉପଯୁକ୍ତ ଗୁହାଳର ବ୍ୟବସ୍ଥା ଥିବ-। ଗାଆଁର ଦାଣ୍ଡ ଓ ରାସ୍ତାମାନ ସଫାସୁତୁରା ଥିବ, ସବୁପ୍ରକାର ଉପାୟରେ ଧୂଳି ନଉଡ଼ିବାର ବ୍ୟବସ୍ଥା କରାଯାଇଥିବ । ଗାଆଁରେ ଯଥେଷ୍ଟ ସଂଖ୍ୟାରେ କୂଅ ରହିଥିବ ଓ ଗ୍ରାମବାସୀ ସମସ୍ତେ ଏଗୁଡ଼ିକର ବ୍ୟବହାର କରିପାରୁଥିବେ । ଗାଆଁରେ ସର୍ବସାଧାରଣ ମନ୍ଦିର ବା ଉପାସନା ଗୃହ ଥିବ, ସଭାଘର ରହିଥିବ, ଗୋରୁ ଚରିବାଲାଗି ଚାରଣଭୂମି ମଧ୍ୟ ରହିଥିବ । ସମବାୟ ରୀତିରେ ଗାଆଁରେ ଉପଲବ୍‌ଧ କ୍ଷୀରରୁ କ୍ଷୀରସାମଗ୍ରୀମାନ ତିଆରି ହେଉଥିବ । ଗାଆଁରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ସୁବିଧା ରହିଥିବ ଏବଂ ଧନ୍ଦା ବା ଶିଳ୍ପଶିକ୍ଷାକୁ ଏହି ଶିକ୍ଷାର କେନ୍ଦ୍ରରୂପେ ସ୍ୱୀକାର କରାଯାଉଥିବ । ଗାଆଁ-ପଞ୍ଚାୟତ ଗାଆଁ-କଳହର ମୀମାଂସା କରି ଦେଉଥିବେ । ଗାଆଁ ଲାଗି ଆବଶ୍ୟକ ଖାଦ୍ୟଶସ୍ୟ ଗାଆଁରେ ଫଳୁଥିବ, ଗାଆଁଲାଗି ଆବଶ୍ୟକ ଫଳ ଓ ପନିପରିବା ଗାଆଁରେ ଉତ୍ପନ୍ନ ହେଉଥିବ । ଗାଆଁର କପଡ଼ା ମଧ୍ୟ ଗାଆଁରେ ତିଆରିହୋଇ ପାରୁଥିବ । ଆଦର୍ଶ ଗାଆଁ କହିଲେ ମୋଟାମୋଟି ମୁଁ ଏହିସବୁ କଥା ବୁଝିଥାଏ ।’’

ଆଧୁନିକ ସଂସାରର ଦ୍ରବ୍ୟସଂସାର ଓ କାରବାର ବିଷୟରେ ଖବର ରଖୁଥିବା ଉତ୍ସାହୀମାନେ ହୁଏତ ବଡ଼ ନିରାଶ ହେଲାପରି ଗାଆଁର ଏହି ଆଦର୍ଶ କଳ୍ପନାକୁ ଅତ୍ୟନ୍ତ ଅଳ୍ପ ଓ ଅଯଥେଷ୍ଟ ବୋଲି କହିବେ । ଗାଆଁରେ ରେଡ଼ିଓ ଦରକାର, ଗାଆଁରେ ବିଜୁଳିବତୀ ଓ ପାଣିକଳ ଦରକାର, ଗାଆଁରେ କୃଷିଯନ୍ତ୍ର ଦରକାର, ଗାଆଁ ଲୋକେ ସିନେମା ଦେଖିବା ଦରକାର,-ସେମାନେ ହୁଏତ ଏହିସବୁ କଳ୍ପନାରେ ଭାସିବାକୁ ଆରମ୍ଭ କରିବେ । ହଁ, ଗାନ୍ଧୀ ମଧ୍ୟ କହିଥାନ୍ତେ, ଗାଆଁରେ ଏସବୁ କଥା ଅବଶ୍ୟ ଦରକାର । କିନ୍ତୁ ଆଗ ସମସ୍ତଙ୍କ ଲାଗି ଅନ୍ନ ଦରକାର, ବସ୍ତ୍ର ଦରକାର, ବସତି ଦରକାର, ନିମ୍ନତମ ଶିକ୍ଷା ଦରକାର ଓ ସ୍ୱାସ୍ଥ୍ୟ ଦରକାର । ସମସ୍ତଙ୍କ ଲାଗି ଏତିକି ନିମ୍ନତମ ସାଧନର ବ୍ୟବସ୍ଥା କରିବା ପୂର୍ବରୁ ଗାଆଁର କେତେଜଣ ମହତ୍ତ୍ୱାକାଙ୍‌କ୍ଷୀ ବ୍ୟକ୍ତିବିଶେଷଙ୍କ ପାଖକୁ ରେଡ଼ିଓ, ବିଜୁଳିବତୀ ଓ ଇଂରାଜୀପାଠକୁ ବୋହି ନେଇଆସି ଗାଆଁର ଉନ୍ନୟନ କରିବାର ଅବିବେଚିତ ସଉକକୁ ଗାନ୍ଧୀଜୀ କଦାପି ବିକାଶର ଯୋଜନା ବୋଲି କହିନଥାନ୍ତେ । ସେ ଏହାକୁ ଶୋଷଣ ଜାରି ରଖିବାର ଯୋଜନା ବୋଲି କହିଥାନ୍ତେ, ଅନ୍ୟାୟ ବୋଲି କହିଥାନ୍ତେ । ସାମଗ୍ରୀ ଅପେକ୍ଷା ମଣିଷକୁ ଅର୍ଥାତ ପ୍ରତ୍ୟେକ ମଣିଷକୁ ଗାନ୍ଧୀ ସକଳ ଯୋଜନାରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରୁଥିଲେ ।

ଗାଆଁଗୁଡ଼ିକର ଉନ୍ନୟନ ଲାଗି ଗାନ୍ଧୀ ଯେଉଁ ରଚନାତ୍ମକ ଯୋଜନାରେ ଉଦ୍ଭବ କରିଥିଲେ, ଏଥିରେ ଅଠରଗୋଟି ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା । ସେହି ଅଠରଟିଯାକ କାର୍ଯ୍ୟକ୍ରମକୁ ଏକାଠି ଗୁନ୍ଥି ଦେଖିପାରିଲେ ଆମେ ସେଇଥିରୁ ଏକ ସମଗ୍ର ଗ୍ରାମ ବା ସମାଜନିର୍ମାଣର ସମ୍ପୂର୍ଣ୍ଣ ଚିତ୍ର ପାଇପାରିବା । ଗ୍ରାମସେବାକୁ ଗାନ୍ଧୀକାର୍ଯ୍ୟକ୍ରମର ଗୋଟିଏ ପର୍ଯ୍ୟାୟରେ ସମଗ୍ର ଗ୍ରାମସେବା ବୋଲି କୁହାଯାଉଥିଲା, ଗ୍ରାମର ନିର୍ମାଣକୁ ସମଗ୍ର ଗ୍ରାମନିର୍ମାଣ ବୋଲି କୁହାଯାଉଥିଲା । ନିମ୍ନଲିଖିତ ଅଠରଗୋଟି ସୂତ୍ରକୁ ଗାନ୍ଧିଜୀ ରଚନାତ୍ମକ କାର୍ଯ୍ୟକ୍ରମର ଅଙ୍ଗ ବୋଲି ମାନିଥିଲେ: ସାମ୍ପ୍ରଦାୟିକ ଏକତା, ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ଖଦୀ, ଅନ୍ୟାନ୍ୟ ଗ୍ରାମୋଦ୍ୟୋଗ, ଗ୍ରାମସ୍ୱାସ୍ଥ୍ୟ ଓ ସଫାଇ, ନଇ ତାଲୀମ, ପ୍ରୌଢ଼ ଶିକ୍ଷା, ନାରୀସଂସାର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଶିକ୍ଷା, ପ୍ରାଦେଶିକଭାଷା ରାଷ୍ଟ୍ରଭାଷା, ଆର୍ଥିକ ସମାନତା, କୃଷକ, ଶ୍ରମିକ, ଆଦିବାସୀ, କୁଷ୍ଠୀସେବା ଓ ଛାତ୍ରଗୋଷ୍ଠୀ । ପଚିଶବର୍ଷ ତଳେ ପ୍ରସ୍ତୁତ ହୋଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକର ମହତ୍ତ୍ୱ ଆଜି କୌଣସି ପ୍ରକାରେ ହ୍ରାସ ହୋଇଚି ବୋଲି ଆମେ ସହଜରେ ଦାବୀ କରିପାରିବା ନାହିଁ । ଏହିସବୁ କ୍ଷେତ୍ରରେ ସେତେବେଳେ ଯେଉଁ ସମସ୍ୟା ଓ ଅସୁସ୍ଥତାମାନ ଆମ ବିକାଶର ବାଟକୁ ଓଗାଳି ରହିଥିଲା, ଆଜି ମଧ୍ୟ ସେହି ସମସ୍ୟା ଓ ଅସୁସ୍ଥତାମାନ ଆମ ଆଗରେ ରହିଚି, ହୁଏତ ଅଧିକ ତୀବ୍ର ଓ ଅଧିକ କ୍ରୂରଭାବରେ ରହିଚି । ସେଥିରୁ ପ୍ରମାଣିତ ହେଉଚି ଯେ ଆମେ ଏପର୍ଯ୍ୟନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ କରିବାରେ ଖୁବ୍ ବେଶୀ ଆଗେଇ ପାରିନାହୁଁ ଏବଂ ଏପର୍ଯ୍ୟନ୍ତ ଆମର ଜାତୀୟ ଓ ସାମୁଦାୟିକ ଜୀବନକୁ ବଳିଷ୍ଠ ଓ ସୁସ୍ଥ କରି ଗଢ଼ିବାରେ ସମର୍ଥ ହୋଇ ପାରିନାହୁଁ । ଭାରତରେ ଆଜି ସରକାରୀ ପୋଷକତା ଓ ପ୍ରଚେଷ୍ଟାଦ୍ୱାରା ଯେଉଁ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ଚାଲୁଚି, ତାହା ଏହି ସମସ୍ୟାଗୁଡ଼ିକରୁ କେତୋଟିର ସମାଧାନକଳ୍ପେ ହିଁ ଚାଲୁଚି ।

ଆର୍ଥିକ ସମାନତା ବିଷୟରେ ଗାନ୍ଧିଜୀ ଯେଉଁ କାର୍ଯ୍ୟକ୍ରମ ରଖିଥିଲେ ଆଜି ଦେଶରେ ଲକ୍ଷ୍ମୀ ବୃଦ୍ଧି ପାଉଥିବାବେଳେ ଅନେକ ସମୟରେ ଆମେ ତାହାର ଗୁରୁତ୍ୱ ଭୁଲିଯାଉଥିଲାପରି ମନେହୁଏ । ଆର୍ଥିକ ସମାନତାକୁ ଗାନ୍ଧୀ ଯେକୌଣସି ସ୍ୱାଧୀନ ଓ ଅହିଂସ ସମାଜର ସର୍ବପ୍ରଧାନ ଚାବିକାଠି ବୋଲି ମାନୁଥିଲେ । ଅର୍ଥାତ୍ ଅସମାନତାକୁ ସେ ହିଂସା ବୋଲି ମାନୁଥିଲେ । ‘‘ସମାଜରେ ଅଳ୍ପସଂଖ୍ୟକ ଧନୀ ଅଛନ୍ତି ଯେଉଁମାନଙ୍କ ପାଖରେ କି ଜାତୀୟ ଧନ ଜମାହୋଇ ରହିଚି । ସେମାନଙ୍କୁ ସେହି ଉପର ପିଠିରୁ ତଳକୁ ଆଣିବାକୁ ହେବ । ଅନ୍ୟପକ୍ଷରେ କୋଟି କୋଟି ମଣିଷ ଅଧପେଟ ଓ ଅଧଲଙ୍ଗଳା ହୋଇ ରହିଚନ୍ତି । ସେମାନଙ୍କର ଜୀବନସ୍ତରକୁ ଉପରକୁ ଉଠାଇବାକୁ ପଡ଼ିବ । ମୁଷ୍ଟିମେୟ ଧନୀ ଓ କୋଟି କୋଟି ଦରିଦ୍ରଙ୍କ ଭିତରେ ରହିଥିବା ବ୍ୟବଧାନ ରହିଥିବା ପର୍ଯ୍ୟନ୍ତ କୌଣସି ସରକାର ପକ୍ଷରେ ଅହିଂସାକୁ ଆଧାର କରି ତିଷ୍ଠିରହିବା କଦାପି ସମ୍ଭବ ହେବନାହିଁ । ସ୍ୱାଧୀନ ଭାରତର ଦିନକପାଇଁ ମଧ୍ୟ ଦିଲ୍ଲୀର ପ୍ରାସାଦତୁଲ୍ୟ ଅଟ୍ଟାଳିକା ଓ ଦରିଦ୍ର ଶ୍ରମିକମାନଙ୍କର ଶ୍ରୀହୀନ କୁଡ଼ିଆ ପାଖପାଖ ହୋଇ କଦାପି ରହିପାରିବେ ନାହିଁ । କାରଣ ସ୍ୱାଧୀନ ଭାରତର ଧନୀର ଯେତିକି କ୍ଷମତା ରହିବ ଦରିଦ୍ରର ମଧ୍ୟ ସେତିକି କ୍ଷମତା ରହିବ । ଆପଣା ଇଚ୍ଛାରେ ଯଦି ଧନୀମାନେ ଆପଣା ପାଖରେ ଗଚ୍ଛିତ ଧନ ଓ ଧନସମ୍ପନ୍ନତାକୁ ଛାଡ଼ି ନପାରିବେ ଓ ସାଧାରଣ କଲ୍ୟାଣକାର୍ଯ୍ୟରେ ଯଦି ସେହି ଧନର ବିନିଯୋଗ ହୋଇ ନପାରିବ, ତେବେ ଏକ ହିଂସାତ୍ମକ ରକ୍ତାକ୍ତ ବିପ୍ଳବ ବ୍ୟତୀତ କୌଣସି ଗତ୍ୟନ୍ତର ରହିବନାହିଁ । ଆର୍ଥିକ ସମାନତାକୁ ଯଦି ଆମେ ପ୍ରକୃତରେ ଆମର ଉଦ୍ଦେଶ୍ୟ ବୋଲି ଗ୍ରହଣ କରିଥାଉ, ତେବେ ଆଜିଠାରୁ ହିଁ ସେଥିଲାଗି ମୂଳଦୁଆ ପକାଇବାକୁ ହେବ । ସ୍ୱରାଜ୍ୟପ୍ରାପ୍ତି ପରେ ଦେଶରେ ବଡ଼ ବଡ଼ ଆରମ୍ଭ କରାଯିବ ବୋଲି ଯେଉଁମାନେ କଳ୍ପନା କରୁଚନ୍ତି, ସେମାନେ ଅହିଂସ ସ୍ୱରାଜ୍ୟର ମୌଳିକ ପ୍ରକ୍ରିୟା ସମ୍ବନ୍ଧରେ ବାଉଳା ହୋଇ ରହିଚନ୍ତି । କୌଣସିଦିନ ଏକ ଶୁଭ ପ୍ରଭାତରେ ଆର୍ଥିକ ସମାନତା ଆକାଶରୁ ଆମ ଅଣ୍ଟିରେ ଆସି ଖସି ପଡ଼ିବନାହିଁ । ସମବେତ ସ୍ୱୟଂସକ୍ରିୟ ଉଦ୍ୟମରେ ଏହାକୁ ଇଞ୍ଚ ଇଞ୍ଚ କରି ଗଢ଼ିବାକୁ ପଡ଼ିବ ।’’

ସ୍ୱାଧୀନତା ଆସିବାର ଅଠରବର୍ଷ ପୂରିଗଲାଣି । ତଥାପି ଦିଲ୍ଲୀର ପ୍ରାସାଦ ଓ ଦରିଦ୍ରର କୁଡ଼ିଆ ଘର ଏ ଦେଶରେ ପାଖପାଖ ହୋଇ ତିଷ୍ଠିରହିଚି । ହୁଏତ ଏକଥା ଦେଖି ଦେଖି ଜାତୀୟ ନେତାମାନଙ୍କର ଆଖି ଓ ନେତୃତ୍ୱ ଏସବୁକୁ ସହିଯିବାର ପ୍ରବୃତ୍ତି ଦେଖାଗଲାଣି । ଆମର ସାମୁଦାୟିକ-କାର୍ଯ୍ୟକ୍ରମରେ ଦରିଦ୍ରକୁ ଦାରିଦ୍ର୍ୟରୁ ଉଦ୍ଧାର କରିବାଲାଗି ମୋଟା ମସୁଧାମାନ ହେଉଚି, ମୋଟା ପଇସା ବିଞ୍ଚା ହେଉଚି । ତଥାପି ହୁଏତ ଅସମାନତାଗୁଡ଼ିକ ବଢ଼ିବାରେ ଲାଗିଚି । ଅର୍ଥାତ୍ ସ୍ୱାଧୀନ ଭାରତ ବିଷୟରେ ପଚିଶିବର୍ଷ ତଳେ ଗାନ୍ଧୀ ଆମକୁ ଯେଉଁ ସତର୍କବାଣୀ ଶୁଣାଇଥିଲେ, ଆମର ସାମୁଦାୟିକ ବିକାଶଯୋଜନାରେ ସେହି ଆହ୍ୱାନର ସମ୍ମୁଖୀନ ହେବା ଆଜି ମଧ୍ୟ ବାକୀ ରହିଚି ।

ରଚନାତ୍ମକ କାର୍ଯ୍ୟକ୍ରମଦ୍ୱାରା ଆମେ ସମାଜର ଅନେକ ସୁଦୂରପ୍ରସାରୀ ପରିବର୍ତ୍ତନ କରିପାରିବା ବୋଲି ଗାନ୍ଧୀ ବିଶ୍ୱାସ କରୁଥିଲେ । ଗୋଟିଏ ସ୍ଥାନରେ ସେ ଲେଖିଚନ୍ତି : ‘‘ଆମ ଦେଶରେ ଗାଆଁସବୁ ଆଜି ଖତଗଦା ପରି ପଡ଼ିରହିଚି, କାଲି ସେଗୁଡ଼ିକ ନନ୍ଦନକାନନରେ ପରିଣତ ହେବ । ସେଥିରେ ଜୀବନର ସକଳ ସୁଖ ଓ ପରିପୂର୍ଣ୍ଣତା ଉପଲବ୍‌ଧ ହୋଇପାରିବ । ଗାଆଁ ଲୋକେ ଏପରି ଶିକ୍ଷିତ ଓ ବୁଦ୍ଧିମାନ ହୋଇଯିବେ ଯେ ସେମାନଙ୍କୁ କେହି ଠକି ପାରିବନାହିଁ କି ଶୋଷଣ କରି ପାରିବନାହିଁ ।’’ ଗଠନମୂଳକ କର୍ମୀ ହିସାବରେ ଗାଆଁକୁ ଯାଉଥିବା ବ୍ୟକ୍ତିମାନଙ୍କୁ ସେ ପରାମର୍ଶ ଦେଇ କହୁଥିଲେ ଯେ ଗାଆଁର ଆତ୍ମନିର୍ଭରତା ବଢ଼ାଇବା ହିଁ ସେମାନଙ୍କର ସକଳ କାର୍ଯ୍ୟର ମୂଳସୂତ୍ର ହେବ । ଗାଆଁକୁ ପରିଷ୍କାର ପରିଚ୍ଛନ୍ନ ଓ ସ୍ୱାବଲମ୍ବୀ କରି ଗଢ଼ିବାର କାର୍ଯ୍ୟ ଯେ ପ୍ରଧାନତଃ ଗ୍ରାମବାସୀଙ୍କର, କର୍ମୀମାନେ ଏହି କଥା ହିଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବେ । ସ୍ୱରାଜ୍ୟ ସରକାର ଆସିଲେ ଯେ ତାହା ସେମାନଙ୍କଲାଗି ସବୁକାମ କରିଦେଇଯିବ, ଗ୍ରାମବାସୀମାନେ ଯେପରି କୌଣସି ସ୍ଥିତିରେ ମଧ୍ୟ ଏଭଳି ଭାବିବାକୁ ପ୍ରବୃତ୍ତ ନହେବେ ।

ଏହିସବୁ ଗଠନମୂଳକ କାର୍ଯ୍ୟକୁ ନିଷ୍ଠାପର ଭାବରେ ଚଳାଇ ନୂତନ ସାମାଜିକ ଜୀବନ ପ୍ରତିଷ୍ଠା କରିପାରିବାକୁ କର୍ମୀ କେଉଁଠୁ ଆସିବେ ? ଏହା ସେତେବେଳେ ଯେପରି ଏକ ସମସ୍ୟା ହୋଇ ରହିଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଏକ ସମସ୍ୟା ହୋଇ ରହିଚି । ଭାରତରେ ଆଧୁନିକ ସାମୁଦାୟିକ ବିକାଶ ଦିଗରେ ପ୍ରଥମ ପ୍ରୟୋଗ କରିଥିବା ଆମେରିକାର ବିକାଶ ବିଶେଷଜ୍ଞ ଶ୍ରୀ ଆଲବର୍ଟ୍ ମାୟର୍ (Albert Mayer) ଅଭିଯୋଗ କଲାପରି କହିଚନ୍ତି ଯେ ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟ କରି ତାହାକୁ ନେଇଆଣି ଥୋଇପାରିବା କେବଳ ସନ୍ଥ ଓ ମହାପୁରୁଷଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ଗାନ୍ଧୀ ତାଙ୍କର କର୍ମୀମାନଙ୍କଠାରୁ ଅସମ୍ଭବ ଅନେକ କିଛି ଆଶା କରିଚନ୍ତି ଓ ଏପରି ଲୋକ ଏହି ସଂସାରରେ କଦାପି ଯଥେଷ୍ଟ ସଂଖ୍ୟାରେ ମିଳିପାରିବେ ନାହିଁ ବୋଲି ଶ୍ରୀଯୁକ୍ତ ମାୟର୍ ଆଶଙ୍କା ପ୍ରକାଶ କରିଚନ୍ତି । (ପୁସ୍ତକ ଟିପ୍ପଣୀ-୫, ପୃଷ୍ଠା-୫୩) ପରାଧୀନ ଭାରତରେ ସ୍ୱାଧୀନତା ପ୍ରାପ୍ତିର ସମଗ୍ର ଆହ୍ୱାନଟିର ସମ୍ମୁଖୀନ ହେବାଲାଗି ରଚନାତ୍ମକ କାର୍ଯ୍ୟକ୍ରମ ନେତା ଓ ଜନସାଧାରଣ ଉଭୟଙ୍କ ମଧ୍ୟରେ ଅନେକ ଶକ୍ତି ଜାଗୃତ କରି ପାରିଥିଲା । ସ୍ୱାଧୀନ ଭାରତରେ କାହିଁକି ତାହା କ୍ରମେ ଜାତୀୟ ଉଦ୍ୟମକ୍ଷେତ୍ରରୁ ଅପସରି ଗଲାପରି ପଛରେ ରହିଗଲା ଓ ଜାତୀୟ ବିକାଶରେ ଆପଣାର ଏକ ଯୋଗ୍ୟ ଭୂମିକା ଗ୍ରହଣ କରି ପାରିଲାନାହିଁ, ପରବର୍ତ୍ତୀ ଏକ ଅଧ୍ୟାୟରେ ଆମେ ତାହାର ଆଲୋଚନା କରିବା । ଆଦର୍ଶ ଗାଆଁ ବିଷୟରେ ଆପଣା କଳ୍ପନାର ଏକ ଚିତ୍ର ବାଢ଼ି ଗାନ୍ଧୀ ଗୋଟିଏ ଜାଗାରେ କହିଚନ୍ତି : ‘‘ମୁଁ ଏଠାରେ ଯେଉଁ ଚିତ୍ରଟି ଉପସ୍ଥାପିତ କରିଚି, ସେଥିରେ ଅନ୍ତର୍ନିହିତ ଏପରି କୌଣସି ଉପାଦାନ ନାହିଁ, ଯାହାକି ଏହି ଚିତ୍ରଟିକୁ କାର୍ଯ୍ୟାନ୍ୱିତ କରିବାର ପ୍ରୟାସକୁ ଏକ ଅସମ୍ଭବ ପ୍ରୟାସରେ ପରିଣତ କରିଦେବ । ଏହିପରି ଗୋଟିଏ ଗାଆଁକୁ ସଣ୍ଠଣା କରି ଗଢ଼ିବାରେ ହୁଏତ ଜଣେ କର୍ମୀର ସାରା ଜୀବନ ଲାଗିଯିବ । ଗଣତନ୍ତ୍ର ଓ ଗ୍ରାମଜୀବନକୁ ଶ୍ରଦ୍ଧା କରୁଥିବା ଯେକୌଣସି ବ୍ୟକ୍ତି ଗୋଟିଏ ଗାଆଁକୁ ଆପଣା କର୍ମକ୍ଷେତ୍ର ରୂପେ ବାଛିନେବ । ସେହି ଗାଆଁଟିକୁ ହିଁ ସେ ଆପଣା ଆଗ୍ରହ ଓ ଉଦ୍ୟମର ସକଳ ଆୟତନ ବୋଲି ଗ୍ରହଣ କରିବ । ତେବେ ସେ ଅନେକ ଭଲ ଫଳ ଅବଶ୍ୟ ଦେଖାଇଦେଇପାରିବ ।’’

ଇଟାଓ୍ୱା ପାଇଲଟ୍ ଯୋଜନା–

୧୯୪୮ ମସିହାରେ ଇଟାଓ୍ୱା ଜିଲ୍ଲାର ୬୪ଟି ଗାଆଁ ବିଶିଷ୍ଟ ଏକ ସମଗ୍ର ଅଞ୍ଚଳକୁ ନେଇ ଏହି ପାଇଲଟ୍ ଯୋଜନାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟର ସଫଳ ବିକାଶ ହେବା ସଙ୍ଗେ ସଙ୍ଗେ ଏହା ଜିଲ୍ଲାଟିର ମୋଟ ତିନିଶହ ଗ୍ରାମକୁ ବ୍ୟାପ୍ତ ହୋଇଥିଲା ଏବଂ ଉତ୍ତର ପ୍ରଦେଶର ଆହୁରି ଚାରୋଟି କେନ୍ଦ୍ରରେ ମଧ୍ୟ ଆରମ୍ଭ କରାଯାଇଥିଲା । ପାଇଲଟ ଯୋଜନାଟିର ପ୍ରତିଷ୍ଠାତା, କର୍ମୀ, ନେତା ତଥା ମାର୍ଗଦର୍ଶକ ସ୍ୱୟଂ ଶ୍ରୀ ଆଲ୍‍ବର୍ଟ୍ ମାୟର୍ ଏହି ଯୋଜନାର ଉଦ୍ଦେଶ୍ୟ ବିଷୟରେ ନିମ୍ନଲିଖିତ କେତୋଟି କଥାର ଉଲ୍ଲେଖ କରିଚନ୍ତି : ଭାରତବର୍ଷରେ ଗ୍ରାମବିକାଶ-କ୍ଷେତ୍ରରେ ଆଗରୁ ଯେତେଗୁଡ଼ିଏ ପ୍ରୟାସ ହୋଇଥିଲା ଓ ଯେତେଗୁଡ଼ିଏ କାର୍ଯ୍ୟକ୍ରମ ଚାଲିଥିଲା, ଇଟାଓ୍ୱା ଯୋଜନା ସେସବୁର ଉପାଦେୟ ଅଂଶଗୁଡ଼ିକ ଗ୍ରହଣ କରିବ ଓ ସେଗୁଡ଼ିକୁ ଏକ ସମଗ୍ର ରୂପ ଦେବାକୁ ଚେଷ୍ଟା କରିବ । ଲୋକମାନଙ୍କର ସମ୍ମିଳିତ ଓ ସଂଗଠିତ ଉଦ୍ୟମଦ୍ୱାରା ଗ୍ରାମସମାଜଗୁଡ଼ିକର କିପରି ଭୌତିକ, ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇପାରିବ, ପାଇଲଟ୍ ଯୋଜନା ସେଥିଲାଗି ଉପଯୁକ୍ତ କାର୍ଯ୍ୟକ୍ରମ, ପଦ୍ଧତି ଓ ଆନୁଷ୍ଠାନିକ ତଥା ଶାସନଗତ ସଂଗଠନର ରୂପରେଖ ଦେବାକୁ ଅନୁସନ୍ଧାନ ଚଳାଇବ । ଏହିସବୁ ଯୋଜନାରେ ସରକାର ତଥା ବେସରକାରୀ ସଂସ୍ଥାମାନଙ୍କର କିପରି ଭୂମିକା ରହିବ, ସରକାରୀ ସାହାଯ୍ୟ କେତେ ମିଳିବ ଓ ଜନସାଧାରଣ କେତେଦୂର ପର୍ଯ୍ୟନ୍ତ ଆପଣାର ସାମର୍ଥ୍ୟ ଉପରେ ନିର୍ଭର କରିପାରିବେ, ଆଧୁନିକ ବିଜ୍ଞାନ ଓ ଯନ୍ତ୍ରକୌଶଳକୁ କିପରି ପରିପୂର୍ଣ୍ଣ ରୂପେ ବିକାଶର ନାନା କାର୍ଯ୍ୟକ୍ରମରେ ଲଗାଯାଇ ପାରିବ, ଏସବୁ ବିଷୟରେ ସ୍ପଷ୍ଟ ମାର୍ଗନିର୍ଦ୍ଦେଶ ଓ ସୂଚନାମାନ ଦେବାକୁ ପାଇଲଟ୍ ଯୋଜନା ଆରମ୍ଭ କରାଯାଇଥିଲା । ସବୁପ୍ରକାର ଯୋଜନା ତଥା ବିକାଶକାର୍ଯ୍ୟରେ ଦେଶର ସାଂସ୍କୃତିକ ପରମ୍ପରା ଓ ସ୍ୱତନ୍ତ୍ର ଲୋକପ୍ରତିଭାକୁ କଦାପି ଅବଜ୍ଞା ପ୍ରକାଶ କରାଯିବନାହିଁ । ଏହା ସହିତ ସମରସ ହୋଇ ଏହାରି ପୃଷ୍ଠଭୂମି ଉପରେ ହିଁ ଯୋଜନା ଚାଲିବ ।

 

ଇଟାଓ୍ୱା ପାଇଲଟ୍ ଯୋଜନାରେ ନିମ୍ନଲିଖିତ ୧୯ଟି କଥା ଉପରେ ଜୋର୍ ଦିଆଯାଇଥିଲା ଏବଂ ଏହିଗୁଡ଼ିକୁ ହିଁ ନିର୍ଦ୍ଦେଶକ ପନ୍ଥାରୂପେ ଗ୍ରହଣ କରାଯାଇଥିଲା । ।।୧।। ପିଲାଙ୍କୁ ଚାମଚ ସାହାଯ୍ୟରେ କ୍ଷୀର ପିଆଇଦେଲା ପରି କୌଣସି କାର୍ଯ୍ୟ ହେବନାହିଁ । ଲୋକମାନେ ଯେପରି ଆପେ ଆପଣାର ସାହାଯ୍ୟ କରିପାରିବେ ଅର୍ଥାତ୍ ପାରସ୍ପରିକ ସହଯୋଗଦ୍ୱାରା ଆପଣାର ଭାଗ୍ୟ ପରିବର୍ତ୍ତନ କରିବାକୁ ବାହାରିବେ, ତାହାରି ଉପରେ ସର୍ବଦା ଜୋର ଦିଆଯିବ । ।।୨।। ଭୌତିକ ବିକାଶ ସହିତ ମାନବିକ ବିକାଶ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ । ।।୩।। ଯୋଜନାଗୁଡ଼ିକରେ ଲୋକମାନଙ୍କର ସକ୍ରିୟ ସାହାଯ୍ୟ ପାଇବାକୁ କୌଣସି ପ୍ରକାର ଜୋର୍ ବା ଜବରଦସ୍ତି କରାଯିବ ନାହିଁ, ଏଥିଲାଗି ସର୍ବଦା ଗଣତାନ୍ତ୍ରିକ ନୀତିଗୁଡ଼ିକର ଅନୁସରଣ କରାଯିବ । କର୍ମୀମାନେ ସବୁପ୍ରକାରେ ବୁଝାଇ ଓ ଉତ୍‌ପ୍ରେରିତ କରି ଲୋକମାନଙ୍କୁ ଯୋଜନାରେ ଆପଣାର ଉପଯୁକ୍ତ ଭାଗ ନେବାକୁ ପ୍ରବର୍ତ୍ତାଇବେ, ମାତ୍ର କୌଣସିପ୍ରକାରେ ବାଧ୍ୟ କରିବେ ନାହିଁ । ।।୪।। ଗୋଟିଏ ଜାଗାରେ ଯୋଜନାଟିଏ ଚଳାଇ ସେଥିରେ ଯାହା ଫଳ ମିଳିବ, ସେହି ଫଳ ଯେପରି ଯେକୌଣସି ସ୍ଥାନରେ ମଧ୍ୟ ସେହି ଯୋଜନାରୁ ମିଳିବାର ସମ୍ଭାବନା ରହିଥିବ-। ଅର୍ଥାତ୍ ଯେକୌଣସି ପ୍ରକାରେ ଫଳ ଦେଖାଇବାର ଆଗ୍ରହରେ କୌଣସି ଗୋଟିଏ ସ୍ଥାନରେ ଅପରିମିତ ଅର୍ଥ ଅଜାଡ଼ି ଦିଆଯିବନାହିଁ । ।।୫।। ଗୋଟିଏ ସ୍ଥାନରେ ପ୍ରକୃତରେ ଯେଉଁସବୁ ଅଭାବ ରହିଚି, ସେହି ଅଭାବ ଦୂର କରିବାଲାଗି ସ୍ଥାନୀୟ ଅଞ୍ଚଳରେ ଯେଉଁସବୁ ସାଧନସାମଗ୍ରୀ ମିଳୁଚି, ବାହାରୁ ମିଳୁଥିବା ସାଧନଗୁଡ଼ିକୁ କେବଳ ତାହାର ପରିପୂରକ ରୂପେ ଗ୍ରହଣ କରି ଯେକୌଣସି ଯୋଜନା ଆରମ୍ଭ କରାଯାଇ ପାରିବ । ।।୬।। ସକଳ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମକୁ ପରସ୍ପରଠାରୁ ବିଚ୍ଛିନ୍ନ ଭାବରେ ନୁହେଁ, ସଂଘବଦ୍ଧ ଓ ସମଗ୍ରଭାବେ ପରିଚାଳିତ କରାଯିବ । ।।୭।। ପ୍ରତ୍ୟେକ ଯୋଜନାକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯିବ । ପ୍ରଥମେ ସହଜରୁ ଆରମ୍ଭ କରି କ୍ରମେ ବହୁମୁଖୀକ ଓ ଜଟିଳ କ୍ଷେତ୍ରଗୁଡ଼ିକ ଆଡ଼କୁ ଅଗ୍ରସର ହେବାକୁ ପଡ଼ିବ-। ଦୁଃସାହସ ଦେଖାଇ ଏକାବେଳକେ ସବୁକାମକୁ ଗୋଟାଏ ଗୋଛାରେ ଆବୋରି ଧରିବାର ବୀରତ୍ୱ ଦେଖାଇଲେ ଅନେକ ସମୟରେ ପଛଘୁଞ୍ଚା ଦେବା ବ୍ୟତୀତ ଆଉ ଅନ୍ୟ ଗତି ରହିବନାହିଁ । ।।୮।। ଆର୍ଥିକ ବିକାଶକୁ ଅନ୍ୟ ସକଳ ବିକାଶର ଭୂମିରୂପେ ଗ୍ରହଣ କରାଯିବ । ବିକଶମାନ ଦେଶଗୁଡ଼ିକରେ ଆର୍ଥିକ ବିକାଶ କହିଲେ ମୂଳତଃ କୃଷିଉନ୍ନୟନ ଓ କୃଷିଉତ୍ପାଦନରେ ବୃଦ୍ଧିସାଧନକୁ ହିଁ ବୁଝାଇବ । ‘‘କୃଷିବିଷୟକ ଯେକୌଣସି ବିକାଶକାର୍ଯ୍ୟକୁ ଗାଆଁର ଚାଷୀ ଅନାୟାସରେ ବୁଝିପାରିବ, ଏହି କ୍ଷେତ୍ରରେ ଆମେ ତାକୁ ଅନେକ ଆଶୁ ଫଳ ଦେଖାଇବାକୁ ସମର୍ଥ ହୋଇପାରିବା, ଏହି ଫଳରୁ ତାର ବିକାଶକାର୍ଯ୍ୟ ଉପରେ ଉତ୍ତରୋତ୍ତର ବିଶ୍ୱାସ ଜନ୍ମିବ, ବିକାଶକର୍ମୀ ତଥା ଆପଣା ଉପରେ ମଧ୍ୟ ସେ ଅଧିକ ଆସ୍ଥା ରଖି ଶିଖିବ । ତେଣୁ ଏହି କୃଷିପ୍ରସାର- କାର୍ଯ୍ୟ ଓ କୃଷି-ବିକାଶରୁ ହିଁ ବିକାଶର କାର୍ଯ୍ୟକ୍ରମ କୃଷକ-ଜୀବନର ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରସାରିତ ହୋଇପାରିବ ।’’ (୮)

 

।।୯।। ଯୋଜନାଗୁଡ଼ିକୁ ଉଚିତ ଓ ବିଧିବଦ୍ଧଭାବେ କରାଯିବ । ଯୋଜନା ଆଗରେ ନିର୍ଦ୍ଦିଷ୍ଟ ସମୟରେ ହାସଲ କରାଯାଇ ପାରୁଥିବା ସ୍ପଷ୍ଟ ଲକ୍ଷ୍ୟମାନ ରହିଥିବ । ଅସମ୍ଭବ ଲକ୍ଷ୍ୟମାନ ରଖିଲେ ତାହା ହାସଲ ହୋଇ ପାରିବନାହିଁ ଓ ଏହାଦ୍ୱାରା ଯୋଜନାର ଅବାସ୍ତବିକତାହିଁ ପ୍ରମାଣିତ ହେବ । ।।୧୦।। ଗାଆଁର ଜନସାଧାରଣ ଏବଂ ସେମାନଙ୍କର ସେବକରୂପେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ସ୍ଥାପିତ ହୋଇ ରହିଥିବ । ‘‘ସରକାରୀ କର୍ମଚାରୀ ହିସାବରେ ଆମେ କିପରି ଦୃଷ୍ଟିକୋଣ ନେଇ ଗାଆଁରେ ବିକାଶକାର୍ଯ୍ୟ କରିବାକୁ ଯିବା, ତାହାର ଅନେକ ଗୁରୁତ୍ୱ ରହିଚି । ଆମେ ଲୋକମାନଙ୍କ ସହିତ ମିଳିମିଶି କାମ କରିବା, ଉପରେ ରହି ସେମାନଙ୍କୁ ବୋଲ ବତାଇବା ନାହିଁ, ସେମାନଙ୍କର ଗାଆଁରେ ଓ ସେମାନଙ୍କର ଜମିଉପରେ ଆପଣା ହାତରେ କାମକରି ଆମେ ସେମାନଙ୍କୁ ସୁଫଳମାନ ଦେଖାଦେଇ ପାରୁଥିବା । ଅର୍ଥାତ୍ ଆମକୁ ‘ମଇଳା ହାତର ପଦ୍ଧତି’ ଅନୁସରଣ କରିବାକୁ ହେବ, ‘ଆରାମ ଚଉକୀର ପଦ୍ଧତି’ ନୁହେଁ-।’’-।।୧୧।। ବିକାଶକାର୍ଯ୍ୟକୁ ଅଧିକ ଦକ୍ଷତାର ସହିତ କରିପାରିବା ଲାଗି ଆମକୁ ଶାସନର ଛାଞ୍ଚ ମଧ୍ୟ ବଦଳାଇବାକୁ ପଡ଼ିବ । ସରକାରୀ ବିଭିନ୍ନ ବିଭାଗ ପରସ୍ପର ସହିତ ଯଥାସମ୍ଭବ ଅଧିକ ସହଯୋଗ କରି ଶିଖିବେ, ଯେପରିକି ସେମାନେ ସମଗ୍ର ଓ ଅନୁବଦ୍ଧ ଭାବରେ ଗ୍ରାମସ୍ତରରେ ଗ୍ରାମବାସୀର ଉନ୍ନୟନରେ ଯଥାର୍ଥ ସାହାଯ୍ୟ କରିପାରିବେ । ।।୧୨।। ଗ୍ରାମରେ ପରମ୍ପରାକ୍ରମେ ପଞ୍ଚାୟତ, ସମବାୟ ସମିତି, ସ୍କୁଲ ପ୍ରଭୃତି ଯେଉଁ ଅନୁଷ୍ଠାନମାନ ଆଗରୁ କାମ କରି ଆସୁଚନ୍ତି, ସେଗୁଡ଼ିକରେ ନୂତନ ଶକ୍ତି ସଞ୍ଚାର କରାଇ ସେଗୁଡ଼ିକୁ ବିକାଶକାର୍ଯ୍ୟଲାଗି ମଣକରି ନିଆଯିବ । ଦରକାର ପଡ଼ିଲେ ବିକାଶର ଅନୁକୂଳ ନୂତନ ଅନୁଷ୍ଠାନମାନ ଗଢ଼ିଉଠିବାଲାଗି ପ୍ରୋତ୍ସାହନ ମଧ୍ୟ ଦିଆଯିବ । ।।୧୩।। ବିକାଶ-ଯୋଜନାରେ ସରକାରୀ ତଥା ବେସରକାରୀ ସଂସ୍ଥାମାନ ପରସ୍ପର ସହିତ ସମ୍ପୂର୍ଣ୍ଣରୂପେ ସହଯୋଗ କରିବେ । ଗାଆଁରେ ଥିବା ଯୋଗ୍ୟ ବ୍ୟକ୍ତି, ସ୍ୱୟଂସେବୀ କର୍ମୀ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକର ସମର୍ଥନ ଓ ସାହାଯ୍ୟ ହାସଲ କରିବା ବିକାଶଯୋଜନାର ଅଭିଳାଷ ହୋଇ ରହିବ । ।।୧୪।। ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ, ସରକାରୀ ବିଭାଗ ବା କର୍ମଚାରୀମାନେ କୌଣସି ଅବସରରେ ପରସ୍ପରର ପ୍ରତିଦ୍ୱନ୍ଦୀ ପରି କାର୍ଯ୍ୟ କରିବାକୁ ମନ ବଳାଇବେନାହିଁ । ।।୧୫।। ବିକାଶକ୍ଷେତ୍ରଗତ କୌଣସି କାର୍ଯ୍ୟରେ ସଫଳତା ମିଳିବାମାତ୍ରକେ ତାହାକୁ ସେହିଠାରୁ ବନ୍ଦ କରି ଦିଆଯିବ ନାହିଁ । ତାହାର ପରବର୍ତ୍ତୀ ସୋପାନଗୁଡ଼ିକୁ କାର୍ଯ୍ୟକାରୀ କରିବାଲାଗି ଆବଶ୍ୟକ ଧ୍ୟାନ ଦିଆଯିବ ଏବଂ ପ୍ରଥମ କାର୍ଯ୍ୟକ୍ରମଟିକୁ ଲୋକମାନେ ଯେପରି ସମ୍ପୂର୍ଣ୍ଣଭାବେ ଗ୍ରହଣ କରିନେଇ ପାରିବେ, ସେଥିଲାଗି ସମସ୍ତ ଚେଷ୍ଟା କରାଯିବ । ।।୧୬।। ବିକାଶର କାର୍ଯ୍ୟମାନ ଧୀରେ ଧୀରେ ଆଗକୁ ବଢ଼ିବ, କାରଣ ଗ୍ରାମବାସୀ ମାନଙ୍କୁ ସାଙ୍ଗରେ ନେଇ ହିଁ ଏହାକୁ ଆଗକୁ ଯିବାକୁ ହେବ । ଭିତରେ କିଛି ନବଦଳାଇ ବାହାରକୁ ସବୁ ଧୋବଫରଫର କରି ସଜାଇ ଦେଖାଇବାର କୌଣସି ମୂର୍ଖାଚରଣ କଲେ ତଦ୍ଦ୍ୱାରା ବିକାଶର ଉଦ୍ୟମ ଅତିଶୟ ବାଧାପ୍ରାପ୍ତ ହେବ । କୌଣସି ମନ୍ତ୍ରୀ ବା ହାକିମଙ୍କର ଚିତ୍ତକୁ ପ୍ରସନ୍ନ କରିବାଲାଗି ଗାଆଁକୁ ଦିନକଭିତରେ ବଢ଼ିଆ କରି ଦେଖାଇବାକୁ ଚେଷ୍ଟାକଲେ ଗ୍ରାମବାସୀ ବିକାଶକାର୍ଯ୍ୟକୁ ପ୍ରଧାନତଃ ଏକ ତୁଚ୍ଛା ଆଡ଼ମ୍ବର ବୋଲି କହିବେ । ।।୧୭।। ବିକାଶ ନାମରେ ବିକାଶ କାର୍ଯ୍ୟରେ ମନଇଚ୍ଛା ପଇସା ଖରଚ ହେବନାହିଁ । ଏହାକୁ ଠିକ୍ ଏକ ବ୍ୟବସାୟ ପରି ଚଳାଇବାକୁ ପଡ଼ିବ । ଅର୍ଥାତ୍ ଏଥିରେ ଯେତେ ଖରଚ ହେବ, ତାହାଠାରୁ ଅଧିକ ଆୟ ବା ଆଦାୟ ହେବାର ବ୍ୟବସ୍ଥା ମଧ୍ୟ ରହିଥିବ । ।।୧୮।। ଜ୍ଞାନ ଓ କୌଶଳର ପ୍ରସାରକାର୍ଯ୍ୟ ସଙ୍ଗେ ସଙ୍ଗେ ଆବଶ୍ୟକ ସେବା ଓ ସାଦନମାନ ନେଇ ଲୋକମାନଙ୍କ ପାଖରେ ପହୁଞ୍ଚାଇ ଦେବାର ସୁବ୍ୟବସ୍ଥା ରହିଥିବ । ଉଦାହରଣ ସ୍ୱରୂପ ରାସାୟନିକ ସାରର ଉପଯୋଗିତା ଓ ବ୍ୟବହାର ଜାଣିବା ସଙ୍ଗେ ସଙ୍ଗେ ଜନସାଧାରଣ ଯେପରି ପଇସା ଦେଇ ରାସାୟନିକ ସାର କିଣିବାକୁ ପାଇବେ, ସରକାରୀ ବିକାଶ-କର୍ମୀମାନେ ସେ ଦିଗରେ ଅବଶ୍ୟ ଦୃଷ୍ଟି ରଖିଥିବେ । ।।୧୯।। ଯେଉଁମାନେ ନୂତନ ଯନ୍ତ୍ରକୌଶଳର ବିଶେଷଜ୍ଞରୂପେ ବିକାଶ-ଅଞ୍ଚଳରେ କାର୍ଯ୍ୟ କରୁଚନ୍ତି, ସେମାନେ ସମାଜ-ବିଜ୍ଞାନ-କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କ ରଖି ଆପଣାର କାର୍ଯ୍ୟ କରିବେ । (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା:୫୫-୫୭)

 

ଯୋଜନାର ଫଳାଫଳ ବିଚାରକଲେ ଆମେ ଦେଖିବାକୁ ପାଇବା ଯେ କୃଷି ଉତ୍ପାଦନ ପୂର୍ବ ତୁଳନାରେ ପ୍ରାୟ ୫୦% ବୃଦ୍ଧି ପାଇଥିଲା । ଗାଆଁର ଚାଷୀମାନେ କୃଷି–ଉନ୍ନୟନର ସାଧନଗୁଡ଼ିକୁ ଯଥାସମ୍ଭବ ଆଗ୍ରହର ସହିତ କାର୍ଯ୍ୟରେ ଲଗାଇଥିବାରୁ ହିଁ ଏହି ଅଭୂତପୂର୍ବ ଉନ୍ନତି ସମ୍ଭବ ହୋଇପାରିଥିଲା । ୧୯୪୮-୪୯ ରେ ଏହି ଅଞ୍ଚଳରେ କେବଳ ୩୦ଟି ସମବାୟ ଅନୁଷ୍ଠାନ କାମ କରୁଥିଲେ । ଏଥିରେ ସର୍ବମୋଟ ୬୦୮ ଜଣ ସଦସ୍ୟ ଥିଲେ, ମୋଟ ଟ୩୦୮ ଅଂଶ-ଧନ ରହିଥିଲା ଏବଂ ଟ୧୯୫୬୬ ଋଣସୂତ୍ରରେ ଦିଆଯାଇଥିଲା । ୧୯୬୧ ମସିହା ବେଳକୁ ଏଠାରେ ୨୩,୬୨୮ ଜଣ ସଦସ୍ୟ ସମ୍ବଳିତ ୨୬୫ଟି ସମବାୟ ଅନୁଷ୍ଠାନ କାର୍ଯ୍ୟ କରୁଥିଲେ, ଟ୬୫୪୫୮୦ ଅଂଶ-ଧନ ରହିଥିଲା ଓ ଟ୨୪୧୦୮୨୨ ଋଣ ଦିଆଯାଇଥିଲା । ଗ୍ରାମଶିଳ୍ପ ଓ ଗୃହୋଦ୍ୟୋଗରେ ମଧ୍ୟ ପ୍ରଭୂତ ଉନ୍ନତି ସାଧିତ ହୋଇଥିଲା । ସମବାୟ ସମିତିଗୁଡ଼ିକର ଜରିଆରେ ଇଟା ପକାଇବା, କୃଷି ସରଞ୍ଜାମ ତିଆରି କରିବା ଏବଂ ଫଳସଂରକ୍ଷଣ କରିବା ପ୍ରଭୃତି ଧନ୍ଦାମାନ ବଡ଼ ଲାଭପ୍ରଦ ଭାବରେ ଚାଲିଥିଲା । ସାମୁଦାୟିକ ବିକାଶ ଓ ନିର୍ମାଣକ୍ଷେତ୍ରରେ ବହୁସଂଖ୍ୟକ ରାସ୍ତା, ପୋଲ, ନାଳି ଓ ସ୍କୁଲଘର ତିଆରି ହୋଇଥିଲା । ଅନୁଦାନସ୍ୱରୂପ ଗ୍ରାମବାସୀ ଏହିସବୁ କାର୍ଯ୍ୟରେ ଯୋଜନାର ପ୍ରଥମ ଦଶବର୍ଷ ମଧ୍ୟରେ ପ୍ରାୟ ଦଶଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଥିଲେ-। ଭଲ ବାସଗୃହ ତିଆରି ହେଲା, ଗ୍ରାମଜୀବନକୁ ଅଧିକ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ରାସ୍ତା, ନାଳି ପ୍ରଭୃତିକୁ ନୂଆପ୍ରକାରେ ଓ ନୂଆ ଛାଞ୍ଚରେ ତିଆରି କରାଗଲା । ଗାଆଁ ମାନଙ୍କରେ ଯୁବସଂଗଠନମାନ ଖୋଲାଯାଇଥିଲା । ପ୍ରଶାସନ-ପଦ୍ଧତିରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଥିଲା । ଯୋଜନାଗୁଡ଼ିକୁ ପ୍ରକୃଷ୍ଟରୂପେ ଚଳାଇବାକୁ ହେଲେ ଗ୍ରାମ ସ୍ତରରେ ଯେ ଜଣେ ବହୁମୁଖୀ ପ୍ରସାରକର୍ମୀ ରହିବା ନିତାନ୍ତ ଆବଶ୍ୟକ, ଏକଥା ଇଟାଓ୍ୱା ପାଇଲଟ୍ ବିକାଶ-କାର୍ଯର ଅଭିଜ୍ଞତାଦ୍ୱାରା ହିଁ ଉପଲବ୍‌ଧି କରାଯାଇଥିଲା ।

 

ଯୋଜନାଟିର ସର୍ବକ୍ଷେତ୍ରୀୟ ସଫଳତା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । କେବଳ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳରୁ ନୁହେଁ, ଏସିଆ, ଇଉରୋପ, ଆଫ୍ରିକା ଓ ଆମେରିକାର ବିଭିନ୍ନ ଦେଶରୁ ଅନେକ ବ୍ୟକ୍ତି ଯୋଜନାଟିର କାର୍ଯ୍ୟକାରୀ ପ୍ରୟୋଗକୁ ଦେଖିବାକୁ ଆସିଥିଲେ ଏବଂ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହିପରି ପ୍ରୟୋଗ କରିପାରିବାର ସମ୍ଭାବନାମାନ ଅଧ୍ୟୟନ କରିଥିଲେ । ପ୍ରଧାନତଃ ଏହି ଯୋଜନାଟିର ସଫଳତା ଦ୍ୱାରା ହିଁ ପ୍ରଚଳିତ ହୋଇ ୧୯୫୨ ମସିହାରେ ଭାରତ ଓ ଯୁକ୍ତରାଜ୍ୟ-ଆମେରିକା ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହାଫଳରେ କି ସେହି ବର୍ଷ ଗାନ୍ଧୀଜୟନ୍ତୀ ଦିନ ଆମ ଦେଶରେ ସାମୁଦାୟିକ ଯୋଜନାର ଏକ ଜାତୀୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା ଓ ସାମୁଦାୟିକ ବିକାଶକୁ ଜାତୀୟ ବିକାଶର ପ୍ରଧାନତମ ସରଣୀରୂପେ ଗ୍ରହଣ କରାଯାଇଥିଲା ।

 

ନିଲୋଖେଡ଼ିର ଅଭିଜ୍ଞତା–

 

ଦେଶ ବିଭାଜନର ଆଧାରଗତ ସର୍ତ୍ତ ଉପରେ ବ୍ରିଟିଶ ଶାସନ ଭାରତ ଛାଡ଼ିବାକୁ ସମ୍ମତ ହୋଇଥିଲା । ତେଣୁ ୧୯୪୭ ମସିହାରେ ଆମକୁ ସ୍ୱାଧୀନତା ମିଳିବା ସଙ୍ଗେ ସଙ୍ଗେ ଶରଣାର୍ଥୀ ସମସ୍ୟା ଦେଶଲାଗି ତାତ୍କାଳିକ ଏକ ଉତ୍କଟ ସମସ୍ୟାରେ ପରିଣତ ହେଲା । ପଶ୍ଚିମ ପାକିସ୍ଥାନରୁ ହଜାର ହଜାର ପରିବାର ଭାରତବର୍ଷକୁ ପଳାଇଆସିଲେ । ସେମାନଙ୍କର ଥଇଥାନ କରିବା ଅର୍ଥାତ୍ ବିଘଟିତ ଜୀବନକୁ ପୁଣି ପ୍ରତିଷ୍ଠିତ କରିପାରିବାର ସମସ୍ୟା ଆଦୌ ସହଜ ନଥିଲା । ରାଜଧାନୀ ଦିଲ୍ଲୀଠାରୁ ପ୍ରାୟ ଶହେମାଇଲ ଉତ୍ତରକୁ ପୁରାଣପ୍ରସିଦ୍ଧ କୁରୁକ୍ଷେତ୍ର ପଡ଼ିଆ ଶରଣାର୍ଥୀମାନଙ୍କର ତମ୍ବୁରେ ପୂରି ରହିଥିଲା । ଏହି ତମ୍ବୁଗୁଡ଼ିକରେ ପ୍ରାୟ ତିନିଲକ୍ଷ ଶରଣାର୍ଥୀ ବାସ କରୁଥିଲେ । ସେମାନଙ୍କର ଖାଦ୍ୟ ଓ ଚିକିତ୍ସାର ଆବଶ୍ୟକ ବ୍ୟବସ୍ଥାମାନ ସରକାରଙ୍କ ତରଫରୁ ଅବଶ୍ୟ କରାଯାଉଥିଲା । ମାତ୍ର ଏମାନେ ଭବିଷ୍ୟତରେ କୁଆଡ଼େ ଯିବେ, ଏମାନଙ୍କର ଉତ୍‌ପାଟିତ ଜୀବନରେ କୌଣସି ମାଟିରେ ପୁନରାୟ ଚେର ଧରିବାକୁ କେତେ ସମୟ ଲାଗିବ, ସେକଥା ଚିନ୍ତା କଲାବେଳକୁ ଆଗକୁ କିଛି ନଦିଶିବାପରି ଲାଗୁଥିଲା । ସେହି ଶରଣାର୍ଥୀ-ଶିବିରରେ ବିଦେଶରୁ ଇଞ୍ଜିନିୟରିଙ୍ଗ୍ ଶିକ୍ଷା ପାଇ ଆସିଥିବା ଶ୍ରୀଯୁକ୍ତ ଦେ ମଧ୍ୟ ଥିଲେ ଓ ଏହି ବିରାଟ ବିପର୍ଯ୍ୟସ୍ତ ଜନସମୂହକୁ ଗୋଟିଏ ସମୁଦାୟରୂପେ ଗଢ଼ିପାରିବାକୁ ହେଲେ କିପରି କଣ କରିବାକୁ ହେବ ସେ ସେହି ସ୍ୱପ୍ନମାନ ଦେଖୁଥିଲେ । ପ୍ରତ୍ୟେକ ଶରଣାର୍ଥୀକୁ ପ୍ରଥମେ କୌଣସି ନା କୌଣସି କାମ ଯୋଗାଇଦେବାକୁ ସେ ପ୍ରଥମ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲେ । ଏହାଦ୍ୱାରା ଶରଣାର୍ଥୀ ଉପାର୍ଜନକ୍ଷମ ହୋଇପାରିବ, ଏହାଦ୍ୱାରା ସେ ଆପଣାର ଲୁପ୍ତ ଆତ୍ମବିଶ୍ୱାସକୁ ପୁନର୍ବାର ଫେରିଆସିବ, ତେବେ ଯାଇ ନୂତନ ଆସ୍ଥାରେ ନୂତନ ଜୀବନର ମୂଳଦୁଆ ପଡ଼ିବା ସମ୍ଭବ ହୋଇପାରିବ ।

 

ଶରଣାର୍ଥୀ-ଶିବିରର ସର୍ବେକ୍ଷଣମୂଳକ ଏକ ଅଧ୍ୟୟନ କରିବାଦ୍ୱାରା ଜଣାପଡ଼ିଲା ଯେ ଲୋକମାନଙ୍କ ପାଖରେ ଆପଣା ପ୍ରୟୋଜନ ମେଣ୍ଟାଇ ପାରିବାଭଳି ଲୁଗାପଟାର ଅଭାବ ରହିଚି । ସେମାନଙ୍କୁ ଲୁଗାପଟା ତିଆରି କରିବାର କାମମାନ ଯୋଗାଇ ଦିଆଯାଇ ପାରିବ । ଲୁଗା ସଫା କରିବାକୁ ସାବୁନ ଦରକାର, ତେଣୁ ସେମାନେ ନିଶ୍ଚୟ ଅତି ଆଗ୍ରହର ସହିତ ତିଆରି କରିବା ଶିଖିବାକୁ ଆସିବେ । ଶରଣାର୍ଥୀମାନଙ୍କ ମଧ୍ୟରେ ଲୁଗାବୁଣାଳି, ଦରଜି, ବଢ଼େଇ, କମାର ପ୍ରଭୃତି କେତେପ୍ରକାର କାରିଗର ରହିଥିଲେ । ସେମାନଙ୍କୁ ନାନାବିଧ ଧନ୍ଦାରେ ଉନ୍ନତତର ତାଲୀମ ଦେବାଲାଗି ସରକାରୀ ସାହାଯ୍ୟରେ ୧୯୪୭ ମସିହା ଡିସେମ୍ବର ମାସରେ ଗୋଟିଏ ବୈଷୟିକ ତାଲୀମକେନ୍ଦ୍ର ଖୋଲା ଯାଇଥିଲା । ଶିବିରର ଆବଶ୍ୟକ ଲୁଗାପଟା ବୁଣିଦେବା ଲାଗି ତନ୍ତର ଆବଶ୍ୟକତା ପଡ଼ିଲା, ତନ୍ତ ବସାଇବା ସକାଶେ କମାରଶାଳ ଖୋଲିବା ଦରକାର ହେଲା । ଏହିପରି ନାନା ଆବଶ୍ୟକତାର ପୂରଣ କରିବାଲାଗି କୁରୁକ୍ଷେତ୍ରର କର୍ମପରିସର କ୍ରମେ ଅଧିକରୁ ଅଧିକ ପ୍ରସାରିତ ହେବାକୁ ଲାଗିଲା । ୧୯୪୮ ମସିହାର ଆରମ୍ଭ ବେଳକୁ ସେଠାରେ ଥିବା ତାଲୀମ ତଥା ଉତ୍ପାଦନ କେନ୍ଦ୍ରରେ ୭୫୦ ଜଣ ଶିକ୍ଷାର୍ଥୀ ଶିକ୍ଷା ପାଉଥିଲେ । କେନ୍ଦ୍ରଟିର ଜରିଆରେ ସୂତାକଟା, ଲୁଗାବୁଣା, ଦରଜିକାମ, ଧୋବାକାମ, ସାବୁନତିଆରି, ଲୁଗାଉପରେ ଛପାଇକାମ, ଚମଡ଼ା ପାଗକରିବା, କମାରକାମ, କାଠକାମ, କୋଲପତିଆରି, ମୋଟର ମରାମତି, ମୁର୍‌ଗୀ-ପାଳନ ଓ ପାତ୍ରନିର୍ମାଣ କାମ ପ୍ରଭୃତି ନାନା ଧନ୍ଦା ଚାଲୁହୋଇ ଯାଇଥିଲା ।

 

ସାମୁଦାୟିକ ଜୀବନର ଭିତ୍ତି ପକାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଶ୍ରମିକର ତିନୋଟି ମୌଳିକ ଅଧିକାରକୁ ସ୍ୱୀକାର କରିନିଆଗଲା : ପ୍ରତ୍ୟେକ ବ୍ୟକ୍ତିର ଜୀଇରହିବା ଲାଗି ଅଧିକାର ରହିଚି, ଜୀବନନିର୍ବାହ ସକାଶେ କାର୍ଯ୍ୟ କରିବାର ଅଧିକାର ରହିଚି ଓ ଆପଣା କାର୍ଯ୍ୟ ବଦଳରେ ସେ ଯାହା ଉପାର୍ଜନ କରିବ, ତାକୁ ପାଇବାର ଅଧିକାର ମଧ୍ୟ ରହିଚି । ଏହି ଅଧିକାରଗୁଡ଼ିକୁ କାର୍ଯ୍ୟରୂପ ଦେବାଲାଗି ‘ମଜଦୁର ମଞ୍ଜିଲ୍’ ବୋଲି ଗୋଟିଏ ନୂତନ ଯୋଜନା ଗଢ଼ାଗଲା । ଏପରି ଅନୁସାରେ ଶରଣାର୍ଥୀମାନଙ୍କର ଜୀବନରେ ଏକ ନୂତନ ଅଧ୍ୟାୟର ସୃଷ୍ଟି କରି ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ନେଇ ଗୋଟିଏ କେନ୍ଦ୍ର-ସହର ସ୍ଥାପନ କରିବା ଓ ତାହାର ଚାରିପାଖରେ ନୂଆ ଗାଆଁମାନ ବସାଇବାକୁ ସ୍ଥିର କରାଗଲା । ସହର ସହିତ ଗାଆଁର ଯାବତୀୟ ଦେଣ ନେଣ ସମ୍ପର୍କ ରହିବ, ସହର କେବଳ ଗାଆଁଗୁଡ଼ିକୁ ଶୋଷିନେବାକୁ ରହିବ ନାହିଁ, ମାତ୍ର ଗ୍ରାମସମାଜର ପ୍ରୟୋଜନ ମେଣ୍ଟାଇବା ମଧ୍ୟ ସହରର କର୍ତ୍ତବ୍ୟ ହୋଇ ରହିବ, ଏହାହିଁ ପାରସ୍ପରିକ ଜୀବନର ନୀତି ହୋଇ ରହିଲା । ଗାଆଁର କାରିଗରମାନେ ସହରରେ ତାଲୀମ ପାଇ ଗାଆଁକୁ ଫେରିଯିବେ । ଏହି ଗାଆଁ ଗୁଡ଼ିକରେ ଆନୁମାନିକ ୨୫୦୦୦ ଲୋକ ବାସ କରିବେ ।

 

ପ୍ରତ୍ୟେକ ଗାଆଁରେ ଗ୍ରାମପାଠଶାଳା ରହିବ । ଏହି ପାଠଶାଳାରେ ସାଧାରଣ ବିଷୟଗୁଡ଼ିକ ବ୍ୟତୀତ କୃଷି, ପଶୁପାଳନ ଏବଂ ଧନ୍ଦାର ଶିକ୍ଷା ମଧ୍ୟ ଦିଆଯିବ । ବୟସ୍କମାନଙ୍କୁ ସାକ୍ଷର କରିବାର ଦାୟିତ୍ୱ ମଧ୍ୟ ସ୍କୁଲ ଉପରେ ନ୍ୟସ୍ତ ହେବ । ଗାଆଁ ଓ ସହରର ନୂତନ ଯୋଜନାଟି ସକାଶେ ଦେଢ଼କୋଟି ଟଙ୍କାର ଅଟକଳ ରଖାଗଲା । ନିଲୋଖେଡ଼ି ଗ୍ରାମଗୁଡ଼ିକ ଲାଗି ସହର ବା କେନ୍ଦ୍ର ହୋଇ ରହିଲା । ସମଗ୍ର ଅଞ୍ଚଳରେ କେତେପ୍ରକାରର ନୂଆ ଧନ୍ଦା ଚାଲିଲା । ସମବାୟ ଅନୁଷ୍ଠାନମାନ ଜନ୍ମଲାଭ କଲା, ଗ୍ରାମପଞ୍ଚାୟତ ସ୍ଥାପନା ହେଲା । ନିଲୋଖେଡ଼ି ସହରରେ ବର୍ତ୍ତମାନ (୧୯୬୧) ଆଠହଜାର ଲୋକ ବାସକରୁଚନ୍ତି । ଏହି ସହରରେ କେହି ବେକାର ହୋଇ ବସିନାହାନ୍ତି । ଲୋକମାନଙ୍କର ଜୀବନ ଓ କାର୍ଯ୍ୟକଳାପମାନ ସାମୁଦାୟିକ ଭାବନାରେ ଅନୁସିକ୍ତ ହୋଇ ରହିଚି । ଗୋଷ୍ଠୀ ଗୋଷ୍ଠୀ, ଜାତି ଜାତି ଓ ଧର୍ମ ଧର୍ମ ମଧ୍ୟରେ କୌଣସି ପ୍ରକାର ବିବାଦ ନାହିଁ-। ଏହି ସାମୁଦାୟିକ ଓ ନିର୍ମାଣରେ ପ୍ରଥମେ ଯେତେ ପଇସା ଖରଚ ହୋଇଥିଲା, ବର୍ତ୍ତମାନ ଏହାର ଆୟସୀମା ଅନେକ ଦିନରୁ ଅତିକ୍ରମ କରିସାରିଲାଣି । ସମଗ୍ର ଭାରତର ସାମୁଦାୟିକ ବିକାଶ ଯୋଜନାରେ ଏହା ଏକ ପ୍ରଧାନ ତାଲୀମକେନ୍ଦ୍ର ହୋଇ ରହିଚି । (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୮୨-୯୦)

 

ଜାତୀୟ ସ୍ତରରେ ସାମୁଦାୟିକ ବିକାଶ ଯୋଜନାମାନ ଚାଲୁ କରିବାଲାଗି ପୂର୍ବଗାମୀ ଏହି ଉଦ୍ୟମ ଓ ପ୍ରୟୋଗମାନ ଅନେକ ଉତ୍‌ପ୍ରେରଣା ଯୋଗାଇ ଦେଇଚନ୍ତି । ସେହିଗୁଡ଼ିକର ଅଭିଜ୍ଞତା, ସଫଳତା ତଥା ବିଫଳତାରୁ ଶିକ୍ଷା କରି ଭାରତର ସାମୁଦାୟିକ ଯୋଜନା ଆପଣାକୁ ଏକ କାର୍ଯ୍ୟକାରୀ ରୂପ ଦେବାକୁ ସମର୍ଥ ହୋଇପାରିଚି । ଗ୍ରାମନିର୍ମାଣର ପୂର୍ବଗାମୀ ପ୍ରୟୋଗ ଗୁଡ଼ିକରୁ ଆମକୁ ସମଗ୍ରତଃ ନିମ୍ନଲିଖିତ ଦିଗ୍‌ନିର୍ଦ୍ଦେଶମାନ ମିଳିପାରିଚି ବୋଲି କୁହାଯାଇପାରିବ : (୯)

 

(୧) ଗ୍ରାମସ୍ତରରେ ସରକାରୀ ସକଳ ବିଭାଗର ପ୍ରତିନିଧିତ୍ୱ କରୁଥିବା ଜଣେ ପ୍ରସାରକର୍ମୀ ରହିବ । ସେ ଉପଯୁକ୍ତ ତାଲୀମ ପାଇଥିବ, ଗ୍ରାମରେ ରହିପାରୁଥିବ, ଗାଆଁ ଲୋକଙ୍କ ସହିତ କାମ କରିପାରୁଥିବ ଓ ଗ୍ରାମବାସୀ ସମ୍ମୁଖୀନ ହେଉଥିବ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସେମାନଙ୍କୁ ସେ ଆବଶ୍ୟକ ପରାମର୍ଶମାନ ଦେଇପାରୁଥିବ । ଅର୍ଥାତ୍ ଆପଣାର ନାନାବିଧ ସମସ୍ୟାର ସମାଧାନ ପାଇବାର ବିଶ୍ୱାସ ରଖି ଗ୍ରାମବାସୀ ତା’ପାଖକୁ ଆସିବେ ଏବଂ ସେମାନଙ୍କୁ ଆଗଭଳି ସରକାରୀ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ପାଖକୁ ଦଉଡ଼ିବାକୁ ପଡ଼ିବନାହିଁ ।

 

(୨) ଏହି ଦୃଷ୍ଟିରୁ ସରକାର ସମଗ୍ରଭାବେ ଓ ଏକ ବହୁମୁଖୀ ଆଧାର ଉପରେ ହିଁ ଗ୍ରାମବାସୀ ସେମାନଙ୍କର ସମସ୍ୟାଗୁଡ଼ିକୁ ଦେଖିବାକୁ ଆରମ୍ଭକରିବେ । ଗ୍ରାମସ୍ତରରେ ରହିଥିବା ସରକାରୀ ପ୍ରତିନିଧି ଜଣେ ବହୁମୁଖୀ ପ୍ରସାରକର୍ମୀ ହୋଇ ରହିବ ।

 

(୩) ପ୍ରଧାନତଃ ଶିକ୍ଷା ଦେବା ଅର୍ଥାତ୍ ଏକ ନୂତନ ଜୀବନପ୍ରଣାଳୀରେ ଗ୍ରାମବାସୀଙ୍କୁ ଶିକ୍ଷିତ କରାଇବାର ମନୋଭାବ ନେଇ ସରକାର ଗ୍ରାମବିକାଶର କାର୍ଯ୍ୟ କରିବେ । ଗ୍ରାମବିକାଶର ବିଭିନ୍ନ ଦାୟିତ୍ୱ ସରକାର ଓ ଗ୍ରାମବାସୀ ଉଭୟଙ୍କର ଦାୟିତ୍ୱ ହୋଇ ରହିବ, ଆଗପରି କେବଳ ସରକାରଙ୍କର ଦାୟିତ୍ୱ ହୋଇ ରହିବନାହିଁ ।

 

(୪) ଗାଆଁରେ ଯେଉଁସବୁ ସଂସ୍ଥା ଓ ସଂଗଠନମାନ ଆଗରୁ ରହିଆସିଚି ଓ ଗ୍ରାମଜୀବନର ପରିଚାଳନାରେ ଯେଉଁଗୁଡ଼ିକର କୌଣସି ନା କୌଣସି ଅବଦାନ ଅବଶ୍ୟ ରହିଚି, ସେହି ସଂଗଠନଗୁଡ଼ିକର ଜରିଆରେ ହିଁ ଗ୍ରାମବାସୀଙ୍କ ପାଖକୁ ଯିବାଲାଗି ସବୁପ୍ରକାର ଚେଷ୍ଠା କରାଯିବ । ଗାଆଁରେ ଥିବା ପୁରୁଣା ଅନୁଷ୍ଠାନଗୁଡ଼ିକର ସାହାଯ୍ୟ ନେବା ସଙ୍ଗେ ସଙ୍ଗେ ନୂଆ ଅନୁଷ୍ଠାନମାନ ଗଢ଼ିବା ମଧ୍ୟ ଆମର ଉଦ୍ଦେଶ୍ୟ ହୋଇ ରହିଥିବ ।

 

(୫) ଦେଶର ଚାରିଆଡ଼େ ବିକ୍ଷିପ୍ତଭାବରେ ଏକାବେଳକେ କୌଣସି କାର୍ଯ୍ୟକ୍ରମ ଆରମ୍ଭ ନକରି କେତୋଟି ଗାଆଁକୁ ଗୋଟିଏ ସଘନ ଅଞ୍ଚଳରୂପେ ଗ୍ରହଣ କରି ବିକାଶକାର୍ଯ୍ୟ ଆରମ୍ଭ କଲେ ଆମକୁ ଅଧିକ ସଫଳତା ମିଳିବ ।

 

(୬) ସରକାରଙ୍କର ବିଭିନ୍ନ ବିଭାଗ ଗ୍ରାମସ୍ତରରେ ଲୋକମାନଙ୍କ ଲାଗି ବିଭିନ୍ନ କାର୍ଯ୍ୟ କରୁଚନ୍ତି । ସେମାନଙ୍କର କାର୍ଯ୍ୟରେ ଅଧିକ ସବର୍ଗୀକରଣ ଓ ସଙ୍ଘବଦ୍ଧତା ଆଣିପାରିଲେ ଆମେ ଗାଆଁଲୋକଙ୍କର ଅଧିକ କଲ୍ୟାଣ ସାଧନ କରିପାରିବା ଓ ପ୍ରଶାସନ-ସମ୍ବନ୍ଧୀୟ ଅନେକ ଜଟିଳତାକୁ ମଧ୍ୟ ଦୂର କରିପାରିବା ।

 

(୭) ଯେକୌଣସି ବିକାଶ-ଯୋଜନା ବ୍ୟକ୍ତି ଓ ସମୁଦାୟ ଉଭୟର ବିକାଶ କରିବାକୁ ଆପଣାର ଉଦ୍ଦେଶ୍ୟ କରି ରଖିବ ନ୍ୟାୟତଃ ବ୍ୟକ୍ତିର ହିତ ଓ ସମୁଦାୟର ହିତ ମଧ୍ୟରେ କୌଣସି ବିରୋଧ ରହିବା ଉଚିତ ନୁହେଁ । ତଥାପି ଅନେକ ସମୟରେ ଦୂରଦୃଷ୍ଟିର ଅଭାବରୁ ଆମେ ସମାଜର ମାତ୍ର କେତେଜଣଙ୍କ ଲାଗି ଅଧିକରୁ ଅଧିକ ହିତସାଧନ କରିବାରେ ଏତେଦୂର ବାନ୍ଧି ହୋଇପଡ଼ୁ ଯେ ତଦ୍ଦ୍ୱାରା ସମାଜରେ ବାସ କରୁଥିବା ଆହୁରି ଅନେକ ଲୋକ ଅବହେଳିତ ହୋଇ ରହିଯାନ୍ତି । ତଦ୍ଦ୍ୱାରା ସମାଜର ବିକାଶ ସୁଷମ ହୋଇପାରେ ନାହିଁ ଓ ନାନା ଅନର୍ଥ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଥାଏ । ଆମର ବିକାଶକାର୍ଯ୍ୟ ବ୍ୟକ୍ତି ବା ସମାଜ କୌଣସିଟିକୁ ଯେପରି ଅବହେଳା କରାନଯାଏ, ସେଥିପ୍ରତି ସବୁପ୍ରକାର ଦୃଷ୍ଟି ଦେବାକୁ ପଡ଼ିବ ।

 

(୮) ବିକାଶକାର୍ଯ୍ୟରେ ନିୟୋଜିତ ହେଉଥିବା ସକଳସ୍ତରର ସବୁ କର୍ମୀଙ୍କଲାଗି ତାଲୀମର ବ୍ୟବସ୍ଥା ରହିବ । କେବଳ ତଳିଆମାନେ ତାଲିମ ପାଇବେ ଆଉ ଉପରର ହାକିମମାନେ ବିନା ତାଲୀମରେ ସବୁ କାର୍ଯ୍ୟ କରିପାରିବେ, ଏପରି ଦୃଷ୍ଟିକୋଣକୁ ଏକ ଅନ୍ଧବିଶ୍ୱାସ ପରି ମାନିବାକୁ ହେବ । ବିକାଶକାର୍ଯ୍ୟ ସମାଜରେ ପରିବର୍ତ୍ତନ ଆଣିବାର ଆକାଙ୍‌କ୍ଷା ରଖିଥାଏ । ଏହି ପରିବର୍ତ୍ତନ ଆଣିବାର କାର୍ଯ୍ୟକ୍ରମରେ ଯିଏ ନିମିତ୍ତ ହୋଇ କାର୍ଯ୍ୟ କରୁଚି, ତାହାକୁ ମଧ୍ୟ ପ୍ରଥମେ ଆପଣାର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଏଥିଲାଗି ଉପଯୁକ୍ତ ତାଲୀମ ଆବଶ୍ୟକ, ସୁବିହିତ ଓ ସୁଯୋଜିତ ତାଲୀମ ଆବଶ୍ୟକ ।

 

ଗ୍ରାମବିକାଶର ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ ଉଦ୍ଦେଶ୍ୟରେ ଆମେରିକା ସରକାର ଭାରତବର୍ଷକୁ ପାଞ୍ଚକୋଟି ଡଲାର ଅର୍ଥ ସାହାଯ୍ୟ ଦେବାର ଇଚ୍ଛା ପ୍ରକାଶ କରିଥିଲେ । ଏହା ୧୯୫୧ ମସିହାର ଘଟଣା । ଭାରତରେ ଥିବା ଆମେରିକାର ତତ୍କାଳୀନ ରାଜଦୂତ ଇଟାଓ୍ୱା ଓ ନିଲୋଖେଡ଼ି ଉଭୟ ସ୍ଥାନକୁ ଯାଇ ସେଠାରେ ଚାଲୁଥିବା ବିକାଶକାର୍ଯ୍ୟର ପରିଦର୍ଶନ କରିଥିଲେ । ଏହି ଦୁଇଟି ସ୍ଥାନରେ ଗ୍ରାମ ଓ ସାମୁଦାୟିକ ବିକାଶର ଯେଉଁ ପ୍ରୟୋଗମାନ ଚାଲୁଚି, ସେଗୁଡ଼ିକର ଆଧାର ଉପରେ ହିଁ ଏକ ଜାତୀୟ ବିକାଶ-କାର୍ଯ୍ୟକ୍ରମର ଚିଠା କରାଯାଇ ପାରିବ ବୋଲି ସମସ୍ତେ ଅନୁଭବ କରିଥିଲେ । ନିଲୋଖେଡ଼ିରେ ବିକାଶକାର୍ଯ୍ୟର ନେତୃତ୍ୱ ଦେଉଥିବା ଶ୍ରୀ ଦେଙ୍କୁ ଏହି ଉଦ୍ଦେଶ୍ୟରେ ଗୋଟିଏ ଯୋଜନା ପ୍ରସ୍ତୁତ କରିବାଲାଗି ଅନୁରୋଧ କରାଯାଇଥିଲା । ତାଙ୍କଦ୍ୱାରା ପ୍ରସ୍ତୁତ ଯୋଜନାଟିକୁ ସରକାର ଗ୍ରହଣ କରିନେଲେ ଏବଂ ଏହି ଯୋଜନାଟିକୁ କାର୍ଯ୍ୟକାରୀ କରିବାର ପ୍ରଥମ ସୋପାନରୂପେ ଶ୍ରୀଯୁକ୍ତ ଦେ ସାମୁଦାୟିକ ବିକାଶକ୍ଷେତ୍ରରେ ଭାରତ ସରକାରଙ୍କର ପ୍ରଶାସକ ରୂପେ ନିଯୁକ୍ତ ହେଲେ । ପରେ ଯେତେବେଳେ ଭାରତ ସରକାରଙ୍କର ବିକାଶ-କାର୍ଯ୍ୟକ୍ରମର ପରିସର ବୃଦ୍ଧିପାଇଲା ଓ ସମସ୍ତେ ଦେଶନିର୍ମାଣ-କ୍ଷେତ୍ରରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କଲେ, ସେତେବେଳେ ସାମୁଦାୟିକ ବିକାଶ ଓ ସମବାୟକୁ ନେଇ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଢ଼ାଗଲା ଓ ଶ୍ରୀଯୁକ୍ତ ଦେ ୧୯୬୬ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ଏହି ବିଭାଗର ମନ୍ତ୍ରୀ ହୋଇ ରହିଥିଲେ ।

 

ଅଳ୍ପଦିନତଳେ ଗୋଟିଏ ଭାଷଣରେ (୧୦) ଶ୍ରୀଯୁକ୍ତ ଦେ କୁରୁକ୍ଷେତ୍ରରେହିଁ ସେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମଲାଗି ପ୍ରଥମ ଅନ୍ତର୍ଦୃଷ୍ଟି ଲାଭ କରିଥିଲେ ବୋଲି କହିଚନ୍ତି । ତାଙ୍କର କବିତ୍ୱମୟ ଭାଷାରେ ସେ ଏହି ବିଷୟରେ ଯାହା କହିଚନ୍ତି, ଏଠାରେ ତାହାର ଉଦ୍ଧାର କରିବା ଆଦୌ ଅବାନ୍ତର ହେବନାହିଁ : ‘‘କୁରୁକ୍ଷେତ୍ରର ବିରାଟ ପୁଷ୍କରିଣୀଟି ବଡ଼ ଅବହେଳିତ ଭାବରେ ପଡ଼ିଥିଲା । ଅନେକଦିନରୁ ଏହାର ମରାମତି ହୋଇନଥିଲା । କୁରୁକ୍ଷେତ୍ର ତୀର୍ଥସ୍ଥାନଟି ମଧ୍ୟ ବଡ଼ ଉଜୁଡ଼ା ହୋଇ ରହିଥିଲାପରି ଦେଖାଯାଉଥିଲା । ପ୍ରାଚୀନ ମନ୍ଦିର ଗୁଡ଼ିକ ଉପରେ କେହି କୌଣସି ଦୃଷ୍ଟି ଦେଉଥିଲେ ବୋଲି ମନେ ହେଉନଥିଲା । ଅଳ୍ପଦିନପରେ ହଜାର ହଜାର ମଣିଷ ଆସି ଏଠାରେ ପହଞ୍ଚିଲେ । ପ୍ରତ୍ୟେକଦିନ ରେଳଗାଡ଼ିମାନଙ୍କରେ ଖୁନ୍ଦିହୋଇ ଆସି କେତେକେତେ ମଣିଷ ନିକଟବର୍ତ୍ତୀ ଥାନେଶ୍ୱର ଷ୍ଟେସନରେ ଓହ୍ଲାଉଥିଲେ । ଏମାନଙ୍କ ଭିତରେ ପୁରୁଷ ଥିଲେ, ସ୍ତ୍ରୀ ଲୋକ ଥିଲେ, ସାନସାନ ପିଲା ବି ରହିଥିଲେ । କେବଳ ଡବାରେ ନୁହେଁ, ରେଳଡ଼ବା ଉପରେ ଥିବା ଛାତଉପରେ ବସି ମଧ୍ୟ ମଣିଷ ଆସୁଥିଲେ । ସେମାନଙ୍କ ପାଖରେ ଆପଣାର ବୋଲି କୌଣସି ସମ୍ପତି ନଥିଲା । ଏକ ମୃତ ଅତୀତକୁ ଶ୍ମଶାନରେ ଫିଙ୍ଗିଦେଇ ଆସିଥିବା ପରି ସେମାନେ ଆସି ପହଞ୍ଚୁଥିଲେ । ଭବିଷ୍ୟତରେ ସେମାନେ କଣ କରିବେ, ସେମାନଙ୍କର ଭାଗ୍ୟରେ ଆଗକୁ କଣ ଲେଖାହୋଇ ରହିଚି ବା ନରହିଚି, ଏ ବିଷୟରେ ସେମାନେ କିଛି କଳ୍ପନା କରି ପାରୁନଥିଲେ । ଏହିପରି ତିନିଲକ୍ଷ ଲୋକଙ୍କର ଅସ୍ଥାୟୀ ଡେରା କୁରୁକ୍ଷେତ୍ର ପଡ଼ିଆରେ ପଡ଼ିଥିଲା, – କେବଳ ମାଳମାଳ ତମ୍ବୁ ଛଡ଼ା ସେଠାରେ ଆଉ କିଛିହେଲେ ଦେଖିବାକୁ ମିଳୁନଥିଲା ।

 

‘‘କିପରି କେଉଁ ଆବଶ୍ୟକତାର ତାଡ଼ନାରେ ପଡ଼ି ଯେ ମୁଁ ଏହି ଦୃଶ୍ୟ ମଧ୍ୟରେ ଆସି ପ୍ରବେଶ କଲି, ସେକଥା ମୁଁ କହିପାରିବିନାହିଁ । ମୋ ଭିତରେ ଥାଇ କିଏ ଯେପରି କହିଦେଉଥିଲା ଯେ ଏହିସବୁ ତମ୍ବୁଭିତରେ ବାସ କରୁଥିବା ମଣିଷପ୍ରାଣୀ କାଲି ହୁଏତ ଏକ ବିଲୁପ୍ତ ସାମ୍ରାଜ୍ୟର ଆଶ୍ରୟହୀନ ପ୍ରଜାଙ୍କ ପରି ବାରଦ୍ୱାର ହୋଇ ବୁଲିବାକୁ ଲାଗିବେ । ତଥାପି ଦୂର ଭବିଷ୍ୟତ ଆଡ଼କୁ ଅବଲୋକନ କରି ଯେତେବେଳେ ମୁଁ ଆଖିବୁଜି ଆପଣାଭିତରେ ନିମଗ୍ନ ହୋଇ ରହୁଥିଲି, ସେତେବେଳେ ମୁଁ ଅନୁଭବ କରୁଥିଲି ଯେ ଏହିମାନଙ୍କ ଜରିଆରେ ସତେଅବା ଏକ ନୂତନ ଭାରତବର୍ଷ ଜନ୍ମ ଲଭିବାକୁ ଯାଉଚି ।

 

ଯେଉଁ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କ ଆଗରେ ଆଉ କେଉଁଠି କୌଣସି ଆଶାର ସଂସାର ରହିଚି ବୋଲି ମନେ ହେଉନାହିଁ, ଆସନ୍ନ ଓ ଅତ୍ୟାବଶ୍ୟକ ନୂତନ ଯୁଗଲାଗି କଣ ସେମାନଙ୍କୁ ନିମିତ୍ତରୂପେ ବ୍ୟବହାର କରିବା ସମ୍ଭବ ହୋଇପାରନ୍ତା ନାହିଁ ? ସେହିମାନଙ୍କୁ ଆବଶ୍ୟକ ପ୍ରକାରେ ଗଢ଼ି ଆମେ କଣ ସେମାନଙ୍କୁ ଏକ ନୂତନ ଯୁଗର ଅଗ୍ରଗାମୀ ନିର୍ମାତାରୂପେ ରୂପାନ୍ତରିତ କରିଦେଇ ପାରନ୍ତୁନାହିଁ ? ମୁଁ ବେଶ୍ ହୃଦୟଙ୍ଗମ କରି ପାରୁଥିଲି ଯେ ବର୍ତ୍ତମାନ ଯେଡ଼େ ଦୁର୍ଗତ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏମାନେ ମଣିଷ ଓ ଏମାନଙ୍କର ବି ବଞ୍ଚିବାର ଅଧିକାର ଅବଶ୍ୟ ରହିଚି, ଏମାନଙ୍କର ବି କାମ କରିବାର ଅଧିକାର ରହିଚି ଓ ଆପଣାର ଉପାର୍ଜନକୁ ଭୋଗ କରିବାର ଅଧିକାର ରହିଚି । କିନ୍ତୁ ଆପଣାର ମାଂସପେଶୀକୁ କୌଣସିପ୍ରକାର ଉତ୍ପାଦନ କାର୍ଯ୍ୟରେ ଲଗାଇ ପାରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ସେମାନେ କିପରି ଏହି ଅଧିକାରମାନ ହାସଲ କରିପାରିବେ ?’’

 

ଶ୍ରୀଯୁକ୍ତ ଦେ’ଙ୍କ କହିବା ଅନୁସାରେ ସେ କୁରୁକ୍ଷେତ୍ରର ପବିତ୍ର ପୁଷ୍କରିଣୀତଟରେ ବସି ସମାଧାନର ଏକ ଉପାୟ ଚିନ୍ତା କରିବାକୁ ଲାଗିଲେ । ସେତେବେଳକୁ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତହୋଇ ଯାଉଥାନ୍ତି । ଏହିପରି ଚିନ୍ତାମଗ୍ନ ଭାବରେ ବସି ବସି ରାତ୍ରି ଅନେକ ହୋଇଗଲା । ସେ ସେହିପରି ବସି ଏକ ମାନବିକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଥାନ୍ତି । ‘‘କୁରୁକ୍ଷେତ୍ରର ସେହି ସଂବେଦନାପୂର୍ଣ୍ଣ ଅନୁସନ୍ଧାନ ଫଳରେ ମୋର ଦୃଷ୍ଟିସମ୍ମୁଖରେ ମୁଁ ବିଶ୍ୱାସର ତିନୋଟି ସୂତ୍ର ଦେଖିବାକୁ ପାଇଲି : ମଣିଷର ମାଂସପେଶୀ କାମରେ ଲାଗିଲେ ଏହା ଅବଶ୍ୟ ସମ୍ଭବ ହୋଇପାରିବ, ଏହିପରି କାର୍ଯ୍ୟ କରିବା ସକାଶେ ମଣିଷର ମାଂସପେଶୀକୁ ଉପଯୁକ୍ତ ତାଲୀମ ଦିଆଯାଇ ପାରିବ ଏବଂ ଏହିପରି ତାଲୀମ ଦେବାଲାଗି ଉପଯୁକ୍ତ ପରିସର ଓ ବାତାବରଣ ତିଆରି କରିବା ମଧ୍ୟ ସମ୍ଭବ ହୋଇପାରିବ ।’’

 

ଆମେରିକାର ଫୋର୍ଡ଼୍ ଫାଉଣ୍ଡେସନ୍ ତରଫରୁ ବାରଲକ୍ଷ ଡଲାର ସାହାଯ୍ୟ ପାଇ ଭାରତବର୍ଷର ରାଷ୍ଟ୍ର ଓ ରାଜ୍ୟସ୍ତରରେ ରହିଥିବା ଖାଦ୍ୟ ଓ କୃଷି ମନ୍ତ୍ରଣାଳୟର ସୌଜନ୍ୟରେ ୧୯୫୧ ମସିହାରେ ପନ୍ଦରଗୋଟି ପାଇଲଟ୍ ବିକାଶଯୋଜନାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥିର ହେଲା ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ପାଇଲଟ୍ ଯୋଜନା ଚାଲିବ ଏବଂ ପ୍ରତ୍ୟେକ ଯୋଜନାର ଅଧୀନରେ ଶହେଟି ଗ୍ରାମ ରହିବ । ଲୋକମାନେ ଯଦି ଏହିପରି ବିକାଶକାର୍ଯ୍ୟ ଦିଗରେ ଉତ୍ସାହ ଓ ସହଯୋଗ ପ୍ରକଟ କରିବେ, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ଦେଶରେ ଅଧିକ ବ୍ୟାପ୍ତ କରିବାର ବିଚାର ବି ରହିଥିଲା । ୧୯୫୨ ମସିହା ଏପ୍ରିଲ ମାସରେ ହିଁ ଏହି ପାଇଲଟ ଯୋଜନାମାନ ପ୍ରକୃତରେ କାର୍ଯ୍ୟ କରିବାକୁ ଆରମ୍ଭ କଲେ । ଠିକ୍ ଏତିକିବେଳେ ଭାରତବର୍ଷର ଯୋଜନା କମିଶନ ଦପ୍ତରରେ ସାମୁଦାୟିକ ବିକାଶଲାଗି ଏକ ସ୍ୱତନ୍ତ୍ର ବିଭାଗ ଖୋଲିଥିଲେ ଏବଂ ପ୍ରତ୍ୟେକ ଯୋଜନାରେ ୩୦୦ ଟି ଗ୍ରାମକୁ ଅନ୍ତର୍ଗତ କରି ସର୍ବମୋଟ ୫୫ଟି ଯୋଜନା ଖୋଲିବାର ନିଷ୍ପତ୍ତି ଗ୍ରହଣ କରିଥିଲେ । ସାମୁଦାୟିକ ବିକାଶର ଏହି ସଘନ ଯୋଜନା ସେହିବର୍ଷ ଗାନ୍ଧୀଜୟନ୍ତୀରୁ ଶୁଭାରମ୍ଭ ହୋଇଥିଲା ।

 

ଏଥିରୁ ଯେପରି କେହି ବୁଝିବାକୁ ଚେଷ୍ଟା ନକରନ୍ତି ଯେ, ପ୍ରଧାନତଃ ଆମେରିକାରୁ ଅର୍ଥ ଓ ପ୍ରେରଣା ପାଇ ଭାରତବର୍ଷରେ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏକଥା ସତ ଯେ, ରାଜନୀତିକ ସ୍ୱାଧୀନତା ପ୍ରାପ୍ତି ପରେ ଭାରତବର୍ଷର ନେତୃତ୍ୱ ଆପଣା ଲାଗି ନିଶ୍ଚିତ ମାର୍ଗଟିଏ ବାଛିନେବା ପୂର୍ବରୁ ବିଭିନ୍ନ ଦେଶ ଓ ବିଭିନ୍ନ ଜାତିର ଅନୁସୃତ ମାର୍ଗଗୁଡ଼ିକରୁ ଯଥାସମ୍ଭବ ଶିକ୍ଷା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତବର୍ଷର ସ୍ୱତନ୍ତ୍ର ପରିସ୍ଥିତି ଓ ସ୍ୱତନ୍ତ୍ର ଆବଶ୍ୟକତା ଉପରେ ସମ୍ପୂର୍ଣ୍ଣ ଦୃଷ୍ଟିରଖି ସାମୁଦାୟିକ ବିକାଶକୁ ଏକ ଜାତୀୟ କାର୍ଯ୍ୟକ୍ରମରୂପେ ଗ୍ରହଣ କରାଯାଇଥିଲା ।

 

ଭାରତୀୟ ଗଣରାଜ୍ୟର ସଂବିଧାନ ପ୍ରତ୍ୟେକ ଭାରତବାସୀଲାଗି ନିମ୍ନଲିଖିତ ଜୀବନମୂଲ୍ୟଗୁଡ଼ିକୁ ବଞ୍ଚିବାର ଅନୂକୁଳ ବାତାବରଣ ଯୋଗାଇ ଦେବାର ସଂକଳ୍ପ ଗ୍ରହଣ କରିଥିଲା-:-।।୧।। ନ୍ୟାୟ-ସାମାଜିକ ନ୍ୟାୟ, ଆର୍ଥିକ ନ୍ୟାୟ ଓ ରାଜନୀତିକ ନ୍ୟାୟ; ।।୨।। ସ୍ୱାଧୀନତା-ବିଚାରର ସ୍ୱାଧୀନତା, ସ୍ୱମତପ୍ରକାଶର ସ୍ୱାଧୀନତା, ଆପଣା ଧର୍ମ ଓ ଉପାସନାମାର୍ଗର ଅନୁସରଣ କରିବାର ସ୍ୱାଧୀନତା; ।।୩।। ସମାନତା-ସମ୍ମାନ ତଥା ସୁଯୋଗର ସମାନତା । ସବୁ ମିଶି ଭାରତବର୍ଷର ସଂବିଧାନ ପ୍ରତ୍ୟେକ ଭାରତବାସୀଙ୍କୁ ଗୋଟିଏ ଭ୍ରାତୃତ୍ୱର ସୂତ୍ରରେ ବାନ୍ଧିରଖିବାର ଆକାଙ୍‌କ୍ଷା ରଖିଥିଲା, ପ୍ରତ୍ୟେକ ମନୁଷ୍ୟକୁ ବ୍ୟକ୍ତି ହିସାବରେ ତା’ର ଉପଯୁକ୍ତ ସମ୍ମାନ ଦେବାକୁ ଏବଂ ଗୋଟିଏ ଜାତି ହିସାବରେ ଜାତୀୟ ଏକତାକୁ ଅକ୍ଷୁର୍ଣ୍ଣ ରଖିବାର ଅଭିଳାଷ ପୋଷଣ କରିଥିଲା । ଆମ ସଂବିଧାନର ଆଉଗୋଟିଏ ସ୍ଥାନରେ କୁହାଯାଇଚି ଯେ ପ୍ରତ୍ୟେକ ଭାରତବାସୀର କଲ୍ୟାଣ ସାଧନ କରିବା ଭାରତରାଷ୍ଟ୍ରର ଉଦ୍ଦେଶ୍ୟ ହୋଇ ରହିବ । ଏହି ଲକ୍ଷ୍ୟର ଉପଲବ୍‌ଧି ଲାଗି ଦେଶରେ ଏପରି ଏକ ସାମାଜିକ ବ୍ୟବସ୍ଥାର ପ୍ରଣୟନ ହେବ ଯେଉଁଥିରେ କି ସାମାଜିକ, ଆର୍ଥିକ ତଥା ରାଜନୀତିକ ନ୍ୟାୟ ଜାତୀୟ ଜୀବନରେ ସକଳ ସମ୍ବନ୍ଧ ଓ ସଂଗଠନ ତଥା ଅନୁଷ୍ଠାନର ମୂଳନୀତି ହୋଇ ରହିବ ।

 

ଏପରି ଏକ ସମାଜବ୍ୟବସ୍ଥା ଦିନକରେ ଗଢ଼ି ହୋଇଯିବ ନାହିଁ, ଗୋଟାଏ ବର୍ଗ ବା ଗୋଟାଏ ଦଳର ମୁଣ୍ଡକାଟ କରି ଏପରି ଏକ ନୂଆ ସମାଜର ପ୍ରତିଷ୍ଠା ଆପେଆପେ ହୋଇଯିବନାହିଁ । ସାମାଜିକ ଜୀବନରେ ନ୍ୟାୟର ପ୍ରତିଷ୍ଠା କରିବାକୁ ପୃଥିବୀରେ କେତେକେତେ ରକ୍ତାକ୍ତ ବିପ୍ଳବ ହୋଇଚି । ଧନୀ ଓ ଦରିଦ୍ର ମଧ୍ୟରେ ରହିଥିବା ଶୋଷଣାଶ୍ରିତ ବ୍ୟବଧାନମାନଙ୍କୁ ହଟାଇବାପାଇଁ କେତେ ଦେଶ କେତେ ଉଗ୍ର ହିଂସାତ୍ମକ ନୀତିର ଅନୁସରଣ କରିଚନ୍ତି । ଦେଶର ପ୍ରଜାମାତ୍ରକେ ପ୍ରତ୍ୟେକ ବ୍ୟକ୍ତିକୁ ଦେଶର ଶାସନରେ ଦାୟିତ୍ୱ ଓ ଅଧିକାର ଦେବାଲାଗି ଆମ ପୃଥିବୀରେ କେତେ ଲାଭ ଓ କ୍ଷତି କରାଇ କେତେ ଅଦଳବଦଳ ହୋଇଚି । ଏହି ପୃଷ୍ଠଭୂମି ଉପରେ ଆପଣାର ଇତିହାସ, ଆପଣା ସଂସ୍କୃତିର ଐତିହ୍ୟ, ବୃହତ୍ତର ପୃଥିବୀର ପରିସ୍ଥିତି ତଥା ଯୁଗର ଆବଶ୍ୟକତା ଦୃଷ୍ଟିରୁ ବିଚାର କରି ଭାରତବର୍ଷ ପ୍ରଜାତନ୍ତ୍ରକୁ ହିଁ ଆପଣାର ଶାସନମାର୍ଗ ଓ ଜୀବନସରଣୀ ରୂପେ ଗ୍ରହଣ କରିଥିଲା । ଏକ ବିକଶମାନ ଦେଶର ଅନୁନ୍ନତ ସ୍ତରରୁ ଏକ ମନୁଷ୍ୟୋଚିତ ସମାଜର ସୁନ୍ଦର ସ୍ତରକୁ ଉନ୍ନୀତ ହୋଇ ଯିବାଲାଗି ଆମେ ଯୋଜନାକୁ ଆମର ସାଧନରୂପେ ଗ୍ରହଣ କରିଥିଲୁ । ଆମର ସଂବିଧାନରେ ଯେଉଁସବୁ ସାମାଜିକ ଓ ଜାତୀୟ ଅଭିଳାଷକୁ ଆମର ଲକ୍ଷ୍ୟବୋଲି ଘୋଷଣା କରାଯାଇଥିଲା, ଯୋଜନାଦ୍ୱାରା ଆଗାମୀ କେତେବର୍ଷ ମଧ୍ୟରେ ସୁସ୍ଥଭାବରେ ସେହି ଲକ୍ଷ୍ୟରେ ଯାଇ ପହଞ୍ଚିବାର ଉଦ୍ୟମ ଆରମ୍ଭ କରାଯାଇଥିଲା ।

 

ସରକାରୀ ବା ଜାତୀୟ ସ୍ତରରେ ସ୍ୱାଧୀନ ଭାରତର ବୟଃକାଳ ଭିତରେ ଯେଉଁସବୁ ଉନ୍ନୟନକାର୍ଯ୍ୟ କରାଯାଇଚି, ତାହା ପ୍ରଧାନତଃ ଏହି ଯୋଜନାର ଜରିଆରେ ହିଁ ହୋଇଚି । ଯୋଜନାର ପ୍ରଥମ ପର୍ବରୁ ହିଁ ଗ୍ରାମ-ସମୁଦାୟର ସର୍ବାଙ୍ଗୀନ ବିକାଶକୁ ଯଥୋଚିତ ଗୁରୁତ୍ୱ ଦିଆହୋଇ ଆସିଚି । ହିସାବରୁ ଜଣାଯାଏ ଯେ ଭାରତ ସରକାର ଗ୍ରାମବିକାଶ ବାବତରେ ୧୯୪୩-୪୪ ଓ ୧୯୫୦-୫୧ ଭିତରେ ମୋଟେ ସାଢ଼େ ସତଷଠି କୋଟି ଟଙ୍କା ଖରଚ କରିଥିଲେ । ଏହି ଖର୍ଚ୍ଚ ବୃଦ୍ଧି ପାଇ ପ୍ରଥମ ପଞ୍ଚବର୍ଷୀୟ ଯୋଜନାକାଳରେ ୧୪୬୬ କୋଟି ଓ ଦ୍ୱିତୀୟ ପଞ୍ଚବର୍ଷୀୟ ଯୋଜନାକାଳରେ ୨୯୮୯ କୋଟି ହୋଇଥିଲା । (୧୧) ପ୍ରଥମ ପଞ୍ଚବର୍ଷୀୟ ଯୋଜନାର ଚିଠାରେ ଗ୍ରାମସାମୁଦାୟିକ ବିକାଶର ଉଦ୍ଦେଶ୍ୟଗୁଡ଼ିକୁ ନିମ୍ନଲିଖିତ ପ୍ରକାରେ ସ୍ଥିର କରାଯାଇଥିଲା : ।।୧।। ଦେଶର କୃଷି-ଉତ୍ପାଦନରେ ଉଲ୍ଲେଖଯୋଗ୍ୟ ବୃଦ୍ଧିସାଧନ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ସାଧନମାନ ଯଥାସମ୍ଭବ ଯୋଗାଇ ଦିଆଯିବ, ଗ୍ରାମାଞ୍ଚଳର ରାସ୍ତାଘାଟ, ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା ଏବଂ ଶିକ୍ଷା ବ୍ୟବସ୍ଥାରେ ସବୁପ୍ରକାର ଉନ୍ନତି ସାଧନ କରିବାର ଉଦ୍ୟମ କରାଯିବ । ।।୨।। ଗାଆଁର ସାମାଜିକ ଓ ଅର୍ଥନୈତିକ ଜୀବନରେ ସମୂଳ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସାଂସ୍କୃତିକ ପରିବର୍ତ୍ତନର ଏକ ସମଗ୍ର ଓ ଅଖଣ୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ଏହି ପରିବର୍ତ୍ତନ ଯେପରି ସୁସ୍ଥ ଓ ସୁଷମ ଭାବରେ ସମ୍ଭବ ହୋଇପାରେ, ସେଥିଲାଗି ତାହାକୁ ଉଚିତ ମାର୍ଗଦର୍ଶନ ମଧ୍ୟ ଦିଆଯିବ ।

 

ଭାରତର ପଞ୍ଚବର୍ଷୀୟ ଯୋଜନାକୁ ଜାତୀୟ ଯୋଜନାର ପ୍ରଧାନତଃ ଏକ ପ୍ରସ୍ତୁତିମୂଳକ ପର୍ଯ୍ୟାୟ ବୋଲି କହିବାକୁ ହେବ, ଜାତୀୟ ବିକାଶ ଓ ଅଭିବୃଦ୍ଧି ଦିଗରେ ଏହାକୁ ପ୍ରଥମ ପଦକ୍ଷେପ ବୋଲି କୁହାଯାଇ ପାରିବ । ଏହି ଦୃଷ୍ଟିରୁ ବିଚାର କଲେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ସହିତ ଜାତୀୟ ପୁନର୍ଗଠନର ବିପୁଳ କାର୍ଯ୍ୟକ୍ରମର ପ୍ରକୃତ ପ୍ରାରମ୍ଭ ହୋଇଥିଲା ବୋଲି ଆମେ ଅବଶ୍ୟ କହିପାରିବା । ଦ୍ୱିତୀୟ ଚିଠା ଯୋଜନାର କହିବା ଅନୁସାରେ, ବର୍ତ୍ତମାନ ଆମ ଦେଶରେ ଆର୍ଥିକ ଓ ସାମାଜିକ ଅନୁଷ୍ଠାନର ଯେଉଁସବୁ ଛାଞ୍ଚମାନ ରହିଚି, ତାହାରି ମଧ୍ୟରେ ସୀମାବଦ୍ଧ ରହି ଅଧିକତର ଫଳଲାଭ କରିବାର ଚେଷ୍ଟା କଲେ କୌଣସି ଅଳ୍ପବିକଶିତ ଦେଶର କର୍ତ୍ତବ୍ୟ ସମାପ୍ତ ହୋଇଯିବ ନାହିଁ । ଆମକୁ ଏହିସବୁ ଅନୁଷ୍ଠାନକୁ ଭାଙ୍ଗି ଓ ବଦଳାଇ ଏକ ନୂତନ ଛାଞ୍ଚରେ ଗଢ଼ିବାକୁ ପଡ଼ିବ । ଅଧିକ ପ୍ରଶସ୍ତ ଓ ଅଧିକ ଗଭୀର ସାମାଜିକ ମୂଲ୍ୟଗୁଡ଼ିକର ଉପଲବ୍‌ଧି ଲାଗି ଯେପରି ଏହିସବୁ ଅନୁଷ୍ଠାନ ପରିପୂର୍ଣ୍ଣ ଭାବରେ ସାହାଯ୍ୟ କରିପାରିବେ, ସେହି ଅନୁସାରେ ଆମକୁ ସେଗୁଡ଼ିକୁ ବଦଳାଇ ନୂଆ ଛାଞ୍ଚରେ ଗଢ଼ିବାକୁ ପଡ଼ିବ । ଏହି ପୃଷ୍ଠଭୂମି ଉପରେ ଦ୍ୱିତୀୟ ପଞ୍ଚବର୍ଷୀୟ ଯୋଜନା ନିମ୍ନଲିଖିତ କେତୋଟି କଥାକୁ ମୌଳିକ ଓ ମହତ୍ତ୍ୱପୂର୍ଣ୍ଣ ନୀତିରୂପେ ଗ୍ରହଣ କରିଥିଲା : ।।୧।। ଏହି ଯୋଜନାକୁ ଆମେ ଏକ ବୃହତ୍ ଯୋଜନାରୂପେ ତିଆରି କରିବା ଯେପରିକି ଏହାରି ସାହାଯ୍ୟରେ ଭାରତର ଅର୍ଥନୀତି ଓ ଆର୍ଥିକ ଜୀବନ ଅବିକଶିତ ଅବସ୍ଥାର ଦ୍ୱାର ପାରହୋଇଯିବ ଓ ଆମର ଦେଶ ଏକ ବିକଶିତ ଦେଶ ହିସାବରେ ଅଗ୍ରଗତି କରିବାକୁ ଆରମ୍ଭ କରିବ । ।।୨।। ଭାରତରେ ଯେଉଁମାନେ ଗାଆଁରେ ରହିଚନ୍ତି, ଆଗ ସେହିମାନଙ୍କର ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ; ଅର୍ଥାତ୍ କୃଷିର ବିକାଶ ହିଁ ଜାତୀୟ ବିକାଶକ୍ରମରେ ପ୍ରଥମ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ହୋଇ ରହିବ । ।।୩।। ଭାରତବର୍ଷରେ ଶିଳ୍ପ ଓ ଉଦ୍ୟୋଗର ବିକାଶ ଅବଶ୍ୟ ହେବ, କିନ୍ତୁ ବୃହତ୍ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ମଧ୍ୟରେ ଭାରସାମ୍ୟ ରକ୍ଷା କରିବାଲାଗି ସବୁବେଳେ ଦୃଷ୍ଟି ଦିଆଯାଉଥିବ । ଅର୍ଥାତ୍ ଆର୍ଥିକ ଅଭିବୃଦ୍ଧି ସକାଶେ ଯେଉଁସବୁ ମୌଳିକ ଓ ଭାରି ଉଦ୍ୟୋଗର ଅତ୍ୟାବଶ୍ୟକତା ରହିଚି, ସେଗୁଡ଼ିକର ବିକାଶ ନିଶ୍ଚୟ କରାଯିବ, ମାତ୍ର ତହିଁ ସଙ୍ଗେ ସଙ୍ଗେ ସମାଜକୁ ଦୃଢ଼ସୁରକ୍ଷିତ ରଖିବାପାଇଁ ଓ ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇଦେବା ପାଇଁ ପରମ୍ପରାଗତ କ୍ଷୁଦ୍ରଶିଳ୍ପ ଓ ଗୃହୋଦ୍ୟୋଗ ଗୁଡ଼ିକର ବିକାଶ ଲାଗି ମଧ୍ୟ ପ୍ରଶସ୍ତ ଅବସର ଯୋଗାଇ ଦିଆଯିବ । ।।୪।। ଆପଣାର ଯନ୍ତ୍ରଶିଳ୍ପ ଓ ଉଦ୍ୟୋଗରେ ବୃଦ୍ଧିସାଧନ କରିବା ସଙ୍ଗେ ସଙ୍ଗେ ଭାରତବର୍ଷ ଦେଶର ଜୀବନମାନ ଓ ଆବଶ୍ୟକତାର ପରିଧିକୁ ମଧ୍ୟ ବଢ଼ାଇବାର ପ୍ରୟାସ କରୁଥିବ । ।।୫।। ଜାତି ଓ ଜନତାର ବିକାଶଲାଗି ଗଣତନ୍ତ୍ରମାର୍ଗ ସହିତ ସଂଗତି ରଖୁଥିବା ଯେକୌଣସି ବିକାଶମାଧ୍ୟମକୁ ଗ୍ରହଣ କରିବାଲାଗି ଭାରତବର୍ଷ ସର୍ବଦା ପ୍ରସ୍ତୁତ ରହିଥିବ । ।।୬।। ଭାରତବାସୀ କହିଲେ ଯେତେଗୁଡ଼ିଏ ଗୋଷ୍ଠୀ ଓ ଯେତେଗୁଡ଼ିଏ ବର୍ଗକୁ ବୁଝାଏ, ଯେତେ ଧର୍ମ ଓ ଯେତେ ସମ୍ପ୍ରଦାୟକୁ ବୁଝାଏ, ସେହି ସମସ୍ତଙ୍କର ବିକାଶ କରିବା ଆମ ଯୋଜନାର ଲକ୍ଷ୍ୟ ହୋଇ ରହିବ । ବିକାଶର ମାର୍ଗରେ ଗତି କରୁଥିବାବେଳେ ଯେପରି ଆମେ ଉପାର୍ଜନ ଓ ସୁଯୋଗ ଦୃଷ୍ଟିରୁ ଅଧିକରୁ ଅଧିକ ସମତାଆଡ଼କୁ ଅଗ୍ରସର ହୋଇ ଯାଉଥିବୁ, ସେଥିପ୍ରତି ଅବଶ୍ୟ ଦୃଷ୍ଟି ଦିଆଯିବ । ।।୭।। ପ୍ରଗତିର ପ୍ରତ୍ୟେକ ସୋପାନରେ ଭାରତବର୍ଷ ତାହାର ଗ୍ରାମାଞ୍ଚଳରେ ବାସକରୁଥିବା ଲୋକମାନଙ୍କୁ ଯୋଜନା ଓ ବିକାଶକାର୍ଯ୍ୟ ସହିତ ଘନିଷ୍ଟ ଭାବରେ ସମ୍ପୃକ୍ତ ଓ ସମ୍ବନ୍ଧିତ କରି ରଖିବାକୁ ଆପଣାର ନୀତି ବୋଲି ଗ୍ରହଣ କରିବ । ଲୋକସାଧାରଣଙ୍କର ଉଦ୍ୟମ, ଶକ୍ତି ଓ ସହଯୋଗପରାୟଣତା ଯେପରି ପରିପୂର୍ଣ୍ଣ ଭାବରେ ଜାଗୃତ ହୋଇପାରିବ ଏବଂ ବିକାଶର ଯାତ୍ରାପଥରେ ଯେପରି ଏଗୁଡ଼ିକର ରଚନାତ୍ମକ ବ୍ୟବହାର ସମ୍ଭବ ହୋଇପାରିବ, ସେଥିଲାଗି ସବୁବେଳେ ଦୃଷ୍ଟି ଦିଆଯିବ । ।।୮।। ଆପଣାର ଯାବତୀୟ ଯୋଜନା ଓ ଯାବତୀୟ ନୀତିରେ ଭାରତବର୍ଷ ବ୍ୟକ୍ତିର ବିକାଶ ଓ ମାନବିକ ସ୍ୱତନ୍ତ୍ରତାର ଉତ୍ତରୋତ୍ତର ବିକାଶକୁ ଆପଣାର ଉଚ୍ଚତମ ଉଦ୍ଦେଶ୍ୟ ବୋଲି ମାନୁଥିବ ।

 

ସାମୁଦାୟିକ ବିକାଶର ଆଲୋଚନା କରି ଆମ ଦେଶର ପ୍ରଥମ ପଞ୍ଚବର୍ଷୀୟ ଯୋଜନାରେ କୁହାଯାଇଚି ଯେ, ‘‘ଗ୍ରାମାଞ୍ଚଳର ସାମାଜିକ ଓ ଆର୍ଥିକ ଜୀବନକୁ ନୂତନ ରୀତିରେ ଗଢ଼ିବାଲାଗି ଦେଶର ପଞ୍ଚବର୍ଷୀୟ ଯୋଜନା ଯେଉଁ ଉଦ୍ଦେଶ୍ୟ ରଖିଚି, ସେହି ଉଦ୍ଦେଶ୍ୟର ପରିପୂରଣ କରିବାଲାଗି ଅନୁରୂପ କାର୍ଯ୍ୟ ଆରମ୍ଭ କରିବାରେ ସାମୁଦାୟିକ ବିକାଶ ଆମର ଅନୁସୃତ ମାର୍ଗ ହୋଇ ରହିବ ଏବଂ ଗ୍ରାମ-ପ୍ରସାରକାର୍ଯ୍ୟ ଜରିଆରେ ହିଁ ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ ଅଗ୍ରସର ହେବା ।’’ ୧୯୫୨ ମସିହାରେ ଆରମ୍ଭ କରାଯାଇଥିବା ଏହି ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ପ୍ରଧାନତଃ ଚାରୋଟି ମୂଳଲକ୍ଷ୍ୟ ନେଇ ଆପଣାର କାର୍ଯ୍ୟ ଆରମ୍ଭ କରିଥିଲା-: ।।୧।। ଗ୍ରାମାଞ୍ଚଳର ଅଧିବାସୀଙ୍କ ଭିତରେ ଏକ ପ୍ରଗତିଶୀଳ ଦୃଷ୍ଟିକୋଣ ସୃଷ୍ଟି କରାଯିବ, ।।୨।। ଗ୍ରାମର ସକଳ ସାମୂହିକ କାର୍ଯ୍ୟ ଯେପରି ଅଧିକାଂଶତଃ ସହଯୋଗର ଆଧାର ଉପରେ ହୋଇପାରିବ, ସେଥିଲାଗି ଲୋକମାନଙ୍କୁ ତିଆରି କରାଯିବ, ।।୩।। ଉତ୍ପାଦନରେ ବୃଦ୍ଧିସାଧନ କରାଯିବ ଏବଂ ।।୪।। ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକ କାମ ପାଇବେ ଓ ଉତ୍ପାଦନକ୍ଷମ ହୋଇପାରିବେ ।

 

ସାମୁଦାୟିକ ବିକାଶର ଆନ୍ଦୋଳନ ନିମ୍ନ କେତେଗୁଡ଼ିଏ କଥାକୁ ମୂଳନୀତି ସ୍ୱରୂପ ଗ୍ରହଣ କରିଥିଲା : (୧୨) ।।୧।। ଯେଉଁସବୁ ସଘନ କ୍ଷେତ୍ରରେ ବିକାଶକାର୍ଯ୍ୟ ଆରମ୍ଭ ହେବ, ବିକାଶ ସହିତ ସମ୍ପର୍କ ରଖୁଥିବା ଯାବତୀୟ ସରକାରୀ ବିଭାଗ ସେହି ଅଞ୍ଚଳରେ ଗୋଟିଏ ଗୋଷ୍ଠୀପରି ପରସ୍ପର ସହଯୋଗମୂଳକ ଭାବରେ କାର୍ଯ୍ୟକରିବାକୁ ଚେଷ୍ଟା କରିବେ । ସେହି ଅଞ୍ଚଳରେ ଯେଉଁ କାର୍ଯ୍ୟକ୍ରମ ଅନୁସାରେ କାର୍ଯ୍ୟ ଚାଲୁଥିବ, ଆଗରୁ ତାହାର ଯୋଜନା ହୋଇଥିବ ଓ ସବୁ ବିଭାଗ ଏକାଠି ବସି ସେହି ଯୋଜନାଟିକୁ ତିଆରି କରିଥିବେ । ସାମୁଦାୟିକ ବିକାଶ ଓ ଜାତୀୟ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳରେ ଯାହାକିଛି କରାଯାଉଥିବ, ଗ୍ରାମଜୀବନର ସମଗ୍ର ବିକାଶସାଧନ କରିବା ସେସବୁର ଉଦ୍ଦେଶ୍ୟ ହୋଇଥିବ । ।।୨।। ଜଣେ କର୍ମୀ ଜରିଆରେ ସରକାରୀ ସକଳ ବିଭାଗ ଗ୍ରାମବାସୀ ସହିତ ସମ୍ପର୍କ ସ୍ଥାପନ କରିବେ । ଏହି କର୍ମୀକୁ ଗ୍ରାମସେବକ କୁହାଯିବ ଓ ସରକାରଙ୍କ ତରଫରୁ ସେ ଗ୍ରାମଜୀବନର ସକଳ କ୍ଷେତ୍ର ଓ ସକଳ ଆବଶ୍ୟକତାରେ ଯୋଗସୂତ୍ର ପରି ହୋଇ ରହିବ । ।।୩।। ସରକାରୀ କଳ ସାହାଯ୍ୟ ଦେବାକୁ ରହିଥିବ ଓ ବାଟ ବତାଇବାକୁ ରହିଥିବ, କିନ୍ତୁ ଆପଣା ଭାଗ୍ୟରେ ଉନ୍ନତିବିଧାନ କରିବାର ଆକାଙ୍‌କ୍ଷା କେବଳ ଗ୍ରାମବାସୀର ମନରେ ହିଁ ଉଦୟ ହେବ । ସରକାର ଅର୍ଥ ଓ ସାଧନସାମଗ୍ରୀ ଜରିଆରେ ସାହାଯ୍ୟ କରିବାଲାଗି ସର୍ବଦା ପ୍ରସ୍ତୁତ ହୋଇ ରହିଥିବେ । ।।୪।। ଗ୍ରାମାଞ୍ଚଳରେ ଉନ୍ନୟନର ଯେଉଁ ଅପରିସୀମ ସମ୍ଭାବନାମାନ ରହିଚି, ସେଗୁଡ଼ିକୁ ରଚନାତ୍ମକ ଭାବରେ କାର୍ଯ୍ୟରେ ଲଗାଇବାକୁ ସବୁପ୍ରକାର ଉଦ୍ୟମ କରାଯିବ । ଗ୍ରାମର ପ୍ରତ୍ୟେକ ପରିବାର କେବଳ ଆପଣା କାର୍ଯ୍ୟଗୁଡ଼ିକର ପୂରଣ କରିବାଲାଗି ଆପଣାର ସକଳ ସମୟ ଦେବେନାହିଁ, ମାତ୍ର ସାମୁଦାୟିକ ଜୀବନର ଉନ୍ନତି ଲାଗି ମଧ୍ୟ କିଛି ସମୟ ଦେବାକୁ ପ୍ରସ୍ତୁତ ରହିଥିବେ । ।।୫।। ସକଳ କାର୍ଯ୍ୟକ୍ରମ ଯଥାସମ୍ଭବ ସଘନ ଭାବରେ ଚାଲିବ, ଯେପରିକି ସେଥିରୁ ଅଧିକରୁ ଅଧିକ ସୁଫଳ ମିଳିପାରିବ । ଗ୍ରାମର ପ୍ରତ୍ୟେକ ପରିବାର ଗ୍ରାମରେ ଥିବା କୌଣସି ନା କୌଣସି ସଂଗଠନ ଜରିଆରେ ଗ୍ରାମର ବିକାଶ ପାଇଁ ଆପଣାର ଅବଦାନ ଲାଗି ପ୍ରସ୍ତୁତ ରହିଥିବେ । ।।୬।। ଗ୍ରାମବାସୀ ନିଜର ଜୀବନରେ ଯେଉଁସବୁ ଅଭିଜ୍ଞତା ଓ ସମସ୍ୟାର ସମ୍ମୁଖୀନ ହେଉଚି, ସେହିଗୁଡ଼ିକର ଉତ୍ତର ଦେବାକୁ ଯାଇ ହିଁ ଆମେ ତାକୁ ସାହାଯ୍ୟ କରିବାକୁ ଯିବା । ତାକୁ ଆମେ ଯାହାକିଛି ଶିଖାଇବା, ଯଥାସମ୍ଭବ ସରଳ କରି ଶିଖାଇବା । ଆମର କୌଶଳ ବା ପଦ୍ଧତି ଗୁଡ଼ିକ ଜାଣିଶୁଣି ଜଟିଳ କରିଦେବାକୁ ଚେଷ୍ଟା କରିବାନାହିଁ । ଗ୍ରାମବାସୀ ଆପେ ଯେତିକି ଯେତିକି ଅଧିକଲାଗି ଯୋଗ୍ୟ ହେଉଥିବ, ଆମେ ତାହା ସହିତ ସେତିକି ଆଗକୁ ଅଗ୍ରସର ହେଉଥିବା । ।।୭।। ଗ୍ରାମବାସୀଙ୍କର ଉତ୍ସାହକୁ ଜାଗୃତ କରି ତାହାକୁ ସ୍ଥାୟୀ କରି ରଖିବାକୁ ହେଲେ ସକଳପ୍ରକାର କାର୍ଯ୍ୟକ୍ରମ ପଛରେ ଏକ ପ୍ରଧାନ ବା ମୂଳ ଲକ୍ଷ୍ୟ ରହିବା ଉଚିତ । ଆପଣା ଜୀବନମାନକୁ ଉପରକୁ ଉଠାଇବା ଲାଗି ଅର୍ଥାତ୍ ସେମାନେ ବର୍ତ୍ତମାନ ଯେପରି ଚଳୁଚନ୍ତି, ତା’ଠାରୁ ଅଧିକ ଭଲରେ ଚଳିବାଲାଗି ଗ୍ରାମବାସୀ ଜନସାଧାରଣଙ୍କ ମନରେ ଏକ ବଳବତୀ ଆକାଙ୍‌କ୍ଷା ଜାଗୃତ କରିବାକୁ ହିଁ ଏହି ମୂଳ ଲକ୍ଷ୍ୟ ହିସାବରେ ମାନିନିଆଯିବ । ।।୮।। ଗ୍ରାମଜୀବନରେ ପ୍ରତ୍ୟେକ ସମସ୍ୟାର ସମାଧାନ ଖୋଜିବାରେ ନାନାବିଧ କ୍ଷେତ୍ରରେ ସମବାୟ ନୀତିକୁ ହିଁ ପ୍ରୟୋଗ କରିବା ଉପରେ ଜୋର ଦିଆଯିବ ।

 

ମୋଟ କଥା ହେଉଚି, ଭାରତର ପଞ୍ଚବର୍ଷୀୟ ଯୋଜନା କେବଳ ଧନ ବା ଉପାର୍ଜନ ବଢ଼ାଇବାର କାର୍ଯ୍ୟକ୍ରମ ନୁହେଁ । ବ୍ୟବସାୟୀ ମୂଳଧନ ଖଟାଇ ଯେତେବେଳେ କୌଣସି ଏକ ବ୍ୟବସାୟ ଆରମ୍ଭ କରେ, ସେତେବେଳେ ସେ ସ୍ୱଭାବତଃ ସେହି ବ୍ୟବସାୟରୁ ଆଶାନୁରୂପ ଲାଭ କମାଇବ ବୋଲି ଆଶା ରଖିଥାଏ । ଆମ ଦେଶର ସାମୁଦାୟିକ ବିକାଶ ଯୋଜନାଗୁଡ଼ିକୁ ଆମେ ଜାତୀୟ ସ୍ତରରେ ଗୋଟିଏ ଗୋଟିଏ ବ୍ୟବସାୟ ବୋଲି କହିପାରିବାନାହିଁ । ଏହା ହେଉଚି ସମାଜରେ ଆବଶ୍ୟକ ପରିବର୍ତ୍ତନ ଆଣିବାର କାର୍ଯ୍ୟକ୍ରମ । ସମାଜକୁ ସମ୍ପନ୍ନତର କରିବା ସଙ୍ଗେ ସଙ୍ଗେ ସମାଜରେ ଅଧିକ ନ୍ୟାୟ ଓ ଅଧିକ ସମତା ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ । ଏହି ଉଦ୍ଦେଶ୍ୟ ହାସଲ କରିବାକୁ ନାନାଦେଶରେ ରକ୍ତାକ୍ତ ବିପ୍ଳବମାନ ହୋଇଚି, ରାଜନୀତିକ କ୍ଷମତା ସ୍ତରରେ କେତେକେତେ ଲୁଟତରାଜ ହୋଇଚି । ଆମେ ସେ ବାଟରେ ନଯାଇ ସାମୁଦାୟିକ ବିକାଶ ମାର୍ଗରେ ଯିବାକୁ ଠିକ୍ କରିଚୁ । ଫଟାକାନ୍ଥରେ ମାଟି ନେସି ତାହାର ଫାଟଗୁଡ଼ାକୁ ଘୋଡ଼ାଇ ରଖିବା ଉଦ୍ଦେଶ୍ୟରେ ନୁହେଁ, ଯେଉଁ ସାମାଜିକ ସାମ୍ବନ୍ଧିକ ପରିବର୍ତ୍ତନର ଆକାଙ୍‌କ୍ଷା ରଖି ଅନ୍ୟାନ୍ୟ ଦେଶରେ ରକ୍ତପାତ ଓ ହିଂସାତ୍ମକ ବିପ୍ଳବ ହୋଇଚି, ସେହି ପରିବର୍ତ୍ତନକୁ ବିନାରକ୍ତପାତରେ ସମ୍ଭବ କରିବା ଉଦ୍ଦେଶ୍ୟରେ ଆମ ଦେଶରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମର ଉଦ୍‌ଭବ ହୋଇଚି । ତେଣୁ ଏହି କାର୍ଯ୍ୟକ୍ରମକୁ ଆମେ ଅବଶ୍ୟ ଏକ ବିପ୍ଳବ ବୋଲି କହିପାରିବା । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କର ଭାଷାରେ କହିବାକୁ ଗଲେ, ‘‘ଭାରତବର୍ଷର ସାମୁଦାୟିକ ବିକାଶ ଓ ଜାତୀୟ ସମ୍ପ୍ରସାରଣର କାର୍ଯ୍ୟକ୍ରମ ଆମକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ବିପ୍ଳବ ସଂଘଟିତ କରାଇବାଲାଗି ଅଭୂତପୂର୍ବ ଅବସରମାନ ଯୋଗାଇଦେଇଚି । ଦେଶର ଯେଉଁ ଗ୍ରାମାଞ୍ଚଳ ଅତୀତରେ ନାନାପ୍ରକାରେ ଅବହେଳିତ ହୋଇ ରହିଥିଲା, ବିଶେଷତଃ ସେହି ଗ୍ରାମାଞ୍ଚଳର ଜୀବନରେ ସମୂଳ ପରିବର୍ତ୍ତନ ଆଣିବାର ଅବସରମାନ ଆଣି ଯୋଗଇଦେଉଚି ।’’ ପଣ୍ଡିତ ନେହରୁ ଭାରତବର୍ଷର ସାମୁଦାୟିକ ବିକାଶଯୋଜନାକୁ ଆଧୁନିକ ପୃଥିବୀର ଘଟନାପ୍ରବାହରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି କହିଚନ୍ତି । ‘‘ଭାରତର ସାମୁଦାୟିକ ବିକାଶ-ଯୋଜନାରେ ଅନେକାନେକ ସମ୍ଭାବନା ନିହିତ ହୋଇ ରହିଚି ଏବଂ ଏହାର କଳ୍ପନା ଭିତରେ ଏକ ବୈପ୍ଳବିକ ପରିବର୍ତ୍ତନର ଇଙ୍ଗିତ ମଧ୍ୟ ରହିଚି । ମୋର ମନେହେଉଚି, ଗତ କେତେବର୍ଷ ଭିତରେ ପୃଥିବୀର କୌଣସି ଦେଶରେ ଏପରି ଏକ ବୃହତ୍ ଓ ବିପ୍ଳବାତ୍ମକ ଘଟଣା ଘଟିନାହିଁ ।’’

 

ଏହି ବିପ୍ଳବ ଯଦି ପ୍ରକୃତରେ ଆମର କାମ୍ୟ ହୋଇଥାଏ, ତେବେ ଏଥିଲାଗି ତିନୋଟି ଅବଶ୍ୟମ୍ଭାବୀ ସର୍ତ୍ତ ଉପରେ ଧ୍ୟାନ ରଖିବାକୁ ପଡ଼ିବ । ଆମ ଦେଶରେ ଦାରିଦ୍ର୍ୟ ରହିଚି, ଅନ୍ୟାୟ ରହିଚି, ନାନାପ୍ରକାର ଅମାନୁଷିକତାକୁ ଆମେ ଅନେକ ସମୟରେ ଏକ ପରମ୍ପରାଗତ ସ୍ୱାଭାବିକତା ବୋଲି ଗ୍ରହଣ କରିନେଉଚୁ । ଏଥିରେ ପରିବର୍ତ୍ତନ ଆଣିବାକୁ ହେଲେ ଆମର ଜୀବନଗତ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ହେବ । ପ୍ରଥମତଃ ଯେଉଁମାନେ ତଳେ ରହିଚନ୍ତି, କଷ୍ଟ ସହି ସହି ସେହି କଷ୍ଟକୁ ହିଁ ଆପଣାର ସ୍ୱାଭାବିକ ଭାଗ୍ୟକୋଟା ବୋଲି ମାନିନେଉଚନ୍ତି, ସେମାନେ ନୂତନ ଜୀବନର ସ୍ୱପ୍ନ ଦେଖିବେ, ନୂଆ ଆଗ୍ରହ ଓ ନୂତନ ସମ୍ଭାବନାରେ ସଚଳ ହୋଇ ଉଠିବେ ସେମାନେ ପରିସ୍ଥିତିକୁ ପୁଞ୍ଜି ରୂପେ ବ୍ୟବହାର କରି ଆପଣା ଭାଗ୍ୟକୁ ଆପେ ଗଢ଼ିବାଲାଗି ସାହସୀ ହେବେ । ଦ୍ୱିତୀୟତଃ ଯେଉଁ ତଥାକଥିତ ଭାଗ୍ୟବାନ୍‌ମାନେ ଉପରେ ରହିଚନ୍ତି ଓ ଭୋଗ କରିବାକୁ ଆପଣାର ପୂର୍ବପୁଣ୍ୟକୃତ ଭାଗ୍ୟ ବୋଲି ଧରି ନେଉଚନ୍ତି, ସେମାନଙ୍କୁ ମଧ୍ୟ ଆପଣାର ଅମାନୁଷିକ ବିଚାର ଛାଡ଼ିବାକୁ ପଡ଼ିବ, ଅର୍ଥାତ୍ ସେମାନଙ୍କୁ ମଧ୍ୟ ନିଜର ଜୀବନଦୃଷ୍ଟିକୁ ବଦଳାଇବାକୁ ପଡ଼ିବ । ଗଣତନ୍ତ୍ର ଏହି ଦେଶର ଜୀବନମାର୍ଗ ହୋଇ ରହୁ ଏବଂ ଶାନ୍ତିପୂର୍ଣ୍ଣ ବାଟରେ ଜାତୀୟ ପରିବର୍ତ୍ତନ ଓ ବିପ୍ଳବମାନ ଘଟୁବୋଲି ଯଦି ଆମେ ପ୍ରକୃତରେ ଇଚ୍ଛା କରୁଥାଉ, ତେବେ ଏକ ତାତ୍କାଳିକ ପ୍ରୟୋଜନର ଦୃଷ୍ଟିରୁ ଦେଖିଲେ ଆମ ଦେଶର ଭାଗ୍ୟବାନ ଓ ଭୋଗୀମାନଙ୍କୁ ହିଁ ପ୍ରଥମେ ଆପଣାର ଦୃଷ୍ଟିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ସେମାନେ ବଦଳିଲେ ଅନେକ କିଛି ସମ୍ଭବ ହୋଇଯିବ । ମାତ୍ର ସେମାନେ ଜାଣିଶୁଣି ଦୀର୍ଘସୂତ୍ରୀପଣ କରିବସିଲେ ଅଭିଳଷିତ ବିପ୍ଳବର ମାର୍ଗମାନ ହୁଏତ ଆମର ଆୟତ୍ତରେ ହିଁ ରହି ପାରିବନାହିଁ । ତୃତୀୟ କଥାଟି ହେଉଚି, ଆମ ଦେଶରେ ବିପ୍ଳବର ସାଧନରୂପେ ଗୃହୀତ ହୋଇଥିବା ସାମୁଦାୟିକ ବିକାଶର ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିବାର ଭାର ଏହି ଦେଶର ସରକାର ଉପରେ ଆସି ପଡ଼ିଚି । ଏହି ଦେଶର ସରକାର ଯେ ଦେଶବାସୀଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଏକ ପ୍ରତିନିଧିମୂଳକ ସରକାର, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ତଥାପି କହିବାକୁ ହେବ ଯେ ଭାରତବର୍ଷର ସରକାର ସମାଜ-ପରିବର୍ତ୍ତନର କ୍ରମରେ ନେତୃତ୍ୱ ଗ୍ରହଣ କରି ଏକ ଅସାଧାରଣ ଭୂମିକାରେ ଅବତୀର୍ଣ୍ଣ ହୋଇଚନ୍ତି । ସରକାରମାନେ ସାଧାରଣତଃ ପରିବର୍ତ୍ତନ ଚାହାନ୍ତିନାହିଁ । କାରଣ ଏକ ଭବିଷ୍ୟତର ସୁନ୍ଦର କଳ୍ପନା କରିବା ଅପେକ୍ଷା ଉପସ୍ଥିତ ପର୍ଯ୍ୟାୟରେ ଆପଣାର ଆସନକୁ ଦୃଢ଼ କରି ରଖିବା ଓ ସକଳ କାର୍ଯ୍ୟକ୍ରମରେ ତାହାକୁ ହିଁ ପ୍ରଥମ ନିର୍ଣ୍ଣାୟକ ବୋଲି ମାନିବା ସଚରାଚର ସରକାରଙ୍କର ପ୍ରଧାନତର କର୍ତ୍ତବ୍ୟ ବୋଲି ପରିଗଣିତ ହୋଇଥାଏ । ଆମ ଦେଶରେ ସରକାର ଯାହା କରିବାଲାଗି ପଣ କରି ବାହାରିଚନ୍ତି, ତାହା କରିପାରିବାକୁ ହେଲେ ଆପଣାର ଦୃଷ୍ଟିକୋଣରେ ଅନେକ ପରିବର୍ତ୍ତନ ଆଣିବା ଦରକାର ହୁଏ । ସାମୁଦାୟିକ ଯୋଜନା ମାଧ୍ୟମରେ ଆମର ଜାତୀୟ ସରକାର କେତେଦୂର ଭାରତୀୟ ସାମୁଦାୟିକ ଜୀବନରେ ଏକ ଶାନ୍ତିପୂର୍ଣ୍ଣ ବିପ୍ଳବ ସମ୍ଭବ କରିପାରିବେ, ତାହା ପ୍ରଧାନତଃ ଅର୍ଥରାଶି ବା ଅନ୍ୟାନ୍ୟ ସାଧନସାମଗ୍ରୀ ଉପରେ ନିର୍ଭର କରୁନାହିଁ, ତାହା ସରକାରୀ ନେତୃତ୍ୱର ପ୍ରକୃତି ଉପରେ ନିର୍ଭର କରୁଚି, ସରକାରୀ ଦୃଷ୍ଟିରେ ପରିବର୍ତ୍ତନ ହେବାଉପରେ ଅଧିକ ନିର୍ଭର କରୁଚି ।

 

ସମାଜର ଧନସମ୍ପତ୍ତି ଓ ସୁଖସମ୍ପନ୍ନତା ବଢ଼ାଇବାର ଠିକା ନେବା ଅପେକ୍ଷା ସାମୁଦାୟିକ ବିକାଶର ଯେ ଆହୁରି ଅନେକ ଦାୟିତ୍ୱ ରହିଚି, ଭାରତ ସରକାର ସେକଥା ଅବଶ୍ୟ ଜାଣିଚନ୍ତି । ସରକାରୀ ଯୋଜନା କମିଶନରଙ୍କ ଭାଷାରେ, (୧୩) ‘‘କେବଳ ଦେଶର ଧନ ଓ ଉତ୍ପାଦନ ବଢ଼ାଇବା ଯଦି କୌଣସି ବିକାଶକାର୍ଯ୍ୟକ୍ରମର ଏକମାତ୍ର ଉଦ୍ଦେଶ୍ୟ ହୋଇରହେ, ତେବେ ତଦ୍ଦ୍ୱାରା ଆମକୁ ଆଉଗୋଟିଏ ପ୍ରମାଦର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହାଦ୍ୱାରା ମୁଷ୍ଟିମେୟ କେତେଜଣଙ୍କ ପାଖରେ ସକଳ ଧନସାମଗ୍ରୀ ଯାଇ ଜମା ହୋଇଯାଇପାରେ ଏବଂ ଦେଶର ବହୁସଂଖ୍ୟକ ଜନସାଧାରଣ ବର୍ତ୍ତମାନ ଯେଉଁପରି ଦୀନଦରିଦ୍ର ହୋଇ ରହିଚନ୍ତି, ସେମାନଙ୍କୁ ହୁଏତ ଠିକ୍ ସେହି ପରିସ୍ଥିତିରେ ହିଁ ଚିରଦିନ ରହିବାକୁ ପଡ଼ିପାରେ । ଏପରି ହେଲେ ଆମର ସାମାଜିକ ପୁନର୍ଗଠନର କୌଣସି ଉଦ୍ଦେଶ୍ୟ ସାଧିତ ହୋଇ ପାରିବନାହିଁ । ତେଣୁ ଆମ କାର୍ଯ୍ୟକ୍ରମକୁ ସର୍ବଦା ଦୁଇଟି ଉଦ୍ଦେଶ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ । ଏହା ଏକାଧାରରେ ଦେଶର ଉତ୍ପାଦନ ବୃଦ୍ଧି କରିବାରେ ସମର୍ଥ ହେବ ଏବଂ ଜାତୀୟ ଜୀବନରୁ ଅସମାନତାମାନ ଦୂର କରିପାରୁଥିବ ।’’

 

‘‘କାର୍ଯ୍ୟକ୍ରମର ଏହି ଦୁଇଟିଯାକ ଉଦ୍ଦେଶ୍ୟକୁ ଆମେ ପରସ୍ପରଠାରୁ ବିଚ୍ଛିନ୍ନ ଭାବରେ ନୁହେଁ, ମାତ୍ର ପରସ୍ପର-ସମ୍ବନ୍ଧିତ ଭାବରେ ଦେଖିବାକୁ ଚେଷ୍ଟା କରିବା । ଗୋଟିଏ ଉଦ୍ଦେଶ୍ୟରେ କ୍ରିୟା ଓ ପ୍ରତିକ୍ରିୟାମାନ ଅବଶ୍ୟ ଅନ୍ୟଟି ଉପରେ ଯାଇ ପଡ଼ିବ । ଗୋଟିଏ ଉଦ୍ଦେଶ୍ୟର ପ୍ରାପ୍ତିରେ ଆମେ ଯେତିକି ସଫଳତା ହାସଲ କରିବା, ଆମେ ଯେତିକି ଆଗକୁ ଯାଉଥିବା, ତାହା ଅନ୍ୟଟିକୁ ମଧ୍ୟ କେତେଦୂର ଆଗେଇ ନେଇପାରିବ ଓ ଅନ୍ୟ ଉଦ୍ଦେଶ୍ୟଟି ସହିତ କେତେଦୂର ସଂଗତଭାବରେ ଗତି କରିପାରିବ, ଆମକୁ ପ୍ରତିପଦରେ ଅନେକ ଯତ୍ନର ସହିତ ସେହିକଥା ବିଚାରକରି ଦେଖିବାକୁ ହେବ । ଅବଶ୍ୟ ବିକାଶର ପ୍ରଥମ ସ୍ତରରେ ଆମେ ଯେ ଉତ୍ପାଦନ ବଢ଼ାଇବା ଉପରେ ଅଧିକ ଗୁରୁତ୍ୱ ଦେବା, ଏହା ଅତି ସ୍ୱାଭାବିକ । କାରଣ ଦେଶର ଉତ୍ପାଦନ ନ ବଢ଼ିଲେ ଜାତୀୟ ଜୀବନର କୌଣସି କ୍ଷେତ୍ରରେ କୌଣସି ଅଗ୍ରଗତି ସମ୍ଭବ ହେବନାହିଁ । ତଥାପି ଏହି ପ୍ରାଥମିକ ସ୍ତରରେ ମଧ୍ୟ କେବଳ ଆର୍ଥିକ ଉଦ୍ୟମ ଓ ଉତ୍ପାଦନ ବୃଦ୍ଧି କରିବାରେ ହିଁ ଆମର ସକଳ ଉତ୍‌ପ୍ରେରଣା ସୀମାବଦ୍ଧ ହୋଇ ରହିବା ଉଚିତ ନୁହେଁ । ଦେଶର ବର୍ତ୍ତମାନ ଆର୍ଥିକ ଓ ସାମାଜିକ ସଂଗଠନମାନ ଯେପରି ରହିଚି, ସେଥିରେ କୌଣସି ପରିବର୍ତ୍ତନ ନଆଣି ସେଗୁଡ଼ିକ ଜରିଆରେ ଆର୍ଥିକ ଉତ୍ପାଦନ ବଢ଼ାଇବାକୁ ଚେଷ୍ଟା କଲେ ହୁଏତ ଆମର ବିକାଶକାର୍ଯ୍ୟରେ ଅନେକ ପ୍ରମାଦ ଆସି ପଶିଯିବ । ଏହି ପରମ୍ପରାଗତ ସଂଗଠନଗୁଡ଼ିକୁ ନୂତନ ଛାଞ୍ଚରେ ପକାଇବା ମଧ୍ୟ ଆମର ଉଦ୍ଦେଶ୍ୟ ହୋଇ ରହିବ । ତେବେଯାଇ ସମାଜର ସବୁଲୋକଙ୍କ ଲାଗି ଆମେ ଉନ୍ନତ ଜୀବନର ସାଧନମାନ ଉପଲବ୍‌ଧ କରାଇବାରେ ସମର୍ଥ ହୋଇପାରିବା । ସମୁଦାୟର ପ୍ରତ୍ୟେକ ବ୍ୟକ୍ତି କାମ ପାଇବେ ଓ ଉପାର୍ଜନକ୍ଷମ ହୋଇପାରିବେ, ସମସ୍ତେ ଶିକ୍ଷାଲାଭ କରିବେ, ରୋଗବ୍ୟାଧି ଓ ଅନ୍ୟାନ୍ୟ ଅନେକପ୍ରକାର ଅସମର୍ଥତାରୁ ସମସ୍ତଙ୍କୁ ସୁରକ୍ଷିତ କରି ରଖାଯାଇ ପାରିବ, ଉପାର୍ଜନରେ ରହିଆସିଥିବା ବୈଷମ୍ୟମାନ ଅନେକ ପରିମାଣରେ ଊଣା ହୋଇଯିବ । ସାମାଜିକ ଜୀବନବ୍ୟବସ୍ଥାର ଯାବତୀୟ କ୍ଷେତ୍ରରେ ଅଗ୍ରଗତି କରିପାରିବା ହିଁ ଆମ ଯୋଜନା ଓ ବିକାଶ-କାର୍ଯ୍ୟକ୍ରମରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ହୋଇ ରହିବ ।’’

 

ଭାରତବର୍ଷର ତୃତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ହେଲାବେଳେ ମଧ୍ୟ ଚିଠା କରିଥିବା ବିଶେଷଜ୍ଞ ଓ ସରକାରୀ ନେତାମାନେ ସେହି କଥାଟିକୁ ଧ୍ୟାନରେ ରଖିଥିଲେ : ‘‘ସର୍ବଶେଷ କଥା ହେଉଚି, ଆର୍ଥିକ ବିକାଶ ଆମର ଚରମ ସାଧ୍ୟ ନୁହେଁ, ଏହା ଅନ୍ୟାନ୍ୟ ସାଧ୍ୟମାନ ହାସଲ କରିବାଲାଗି ଏକ ସାଧନମାତ୍ର, ଭାରତବର୍ଷରେ ଅଦୂର ଭବିଷ୍ୟତର ଯେଉଁ ସମାଜ ପ୍ରତିଷ୍ଠିତ ହେବ, ସେଥିରେ ଜାତି ବା ବର୍ଗର କୌଣସି ଭେଦ ରହିବନାହିଁ । ଦଳେ ଲୋକଙ୍କୁ ବୋକା ବନାଇ ଆଉ ଦଳେଲୋକ ସକଳ ସୁଖ ସୁବିଧାକୁ ଝାମ୍ପିନେଇ ପଳାଇବେନାହିଁ । ସମୁଦାୟ ଭିତରେ ବାସ କରୁଥିବା ସକଳ ଗୋଷ୍ଠୀ ଓ ସକଳ ଶ୍ରେଣୀ ବିକାଶ ଲାଗି ପରିପୂର୍ଣ୍ଣତମ ସୁଯୋଗ ପାଇପାରିବେ ଓ ସମସ୍ତେ ଜାତୀୟ କଲ୍ୟାଣ ଓ ଜାତୀୟ ସମୃଦ୍ଧି ହାସଲ କରିବାରେ ଉପଯୁକ୍ତ ଭାବରେ ଅଂଶ ଗ୍ରହଣ କରିପାରିବେ । ବର୍ତ୍ତମାନ ସମାଜରେ ଯେତେ ମଣିଷ ବାସ କରୁଚନ୍ତି, ସେ ସମସ୍ତଙ୍କର ଉଦ୍ୟମ ଓ ତ୍ୟାଗନିଷ୍ଠା ଦ୍ୱାରା ସେହିପରି ଏକ ସମାଜର ନିର୍ମାଣଲାଗି ବାଟ ଫିଟାଇବା ହିଁ ଆମ ବିକାଶକାର୍ଯ୍ୟର ଚରମ ଲକ୍ଷ୍ୟ ହୋଇ ରହିବ ।’’

 

ଭାରତବର୍ଷରେ ସାମୁଦାୟିକ ବିକାଶର ଇତିହାସ ହେଉଚି ବିଗତ ପ୍ରାୟ ପନ୍ଦର ବର୍ଷର ଇତିହାସ । ଏହି ପନ୍ଦରବର୍ଷ ଭିତରେ ଯୋଜନା ଆପଣାର ଅଭିଜ୍ଞତାରୁ ଅନେକ ଶିଖିଚି ଓ ସେହି ଅନୁସାରେ ଆପଣାର ବ୍ୟାବହାରିକ ରୂପକୁ ଅନେକପ୍ରକାରେ ପାଲଟାଇ ଚାଲିଚି । କୌଣସି ଗଣତାନ୍ତ୍ରିକ ଦେଶରେ ଏହାକୁ ଆମେ କୌଣସିମତେ ଏକ ଅସ୍ୱାଭାବିକ ରୀତି ବୋଲି କହିବାନାହିଁ । ସ୍ଥିତିସ୍ଥାପକତା ହେଉଚି ଗଣତନ୍ତ୍ରର କ୍ଷେତ୍ରଗତ ଏକ ପ୍ରଧାନ ଧର୍ମ । ଯଦି ମୌଳିକ ଲକ୍ଷ୍ୟଗୁଡ଼ିକ ବିଷୟରେ ଆମେ କୌଣସିପ୍ରକାର ବିଚଳିତତା ଦେଖାଉନଥିବା, ଯଦି ଆମର ଉଦ୍ୟମଭିତରେ ନିଷ୍ଠା ରହିଥିବ, ତେବେ ବିଭିନ୍ନ ପର୍ଯ୍ୟାୟର ଅଭିଜ୍ଞତା ଅନୁସାରେ ଆପଣାର କାର୍ଯ୍ୟରୀତିରେ ଆବଶ୍ୟକ ପରିବର୍ତ୍ତନମାନ କରିବାକୁ ପ୍ରସ୍ତୁତ ରହିଥିଲେ ତଦ୍ଦ୍ୱାରା କାହାରି କଦାପି କ୍ଷତି ହେବନାହିଁ । ତେଣୁ ଭାରତବର୍ଷରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମରେ ଯେଉଁ ପରିବର୍ତ୍ତନମାନ ହୋଇଚି, ତାହାକୁ ଆମେ ଏହି ଦୃଷ୍ଟିରୁ ବିଚାର କରିବା । ଭାରତରେ ଶାସନ ସର୍ବୋଚ୍ଚ ମଞ୍ଚା ଉପରେ କୌଣସି ଡିକ୍ଟେଟର୍ ବସି ଆପଣାର ହିତୈଷଣା ପ୍ରଣୋଦିତ ପାଞ୍ଚଗୁଡ଼ାକୁ ଅଧମ ପ୍ରଜାମାନଙ୍କ ଉପରେ ଲଦିବାରେ ଲାଗିଥିଲେ ହୁଏତ ଏପରି ତାତ୍କାଳିକ ପରିବର୍ତ୍ତନର ପ୍ରୟୋଜନୀୟତା ରହୁନଥାନ୍ତା । କିନ୍ତୁ ତଦ୍ଦ୍ୱାରା ହୁଏତ ଶାସନ ଶକ୍ତ ଓ ସଂଗତ ହୋଇପାରନ୍ତା, କିନ୍ତୁ ସାମୁଦାୟିକ ବିକାଶ ହୁଅନ୍ତାନାହିଁ-

 

ଆଗରୁ କୁହାଯାଇଚି, ୧୯୫୨ ମସିହା ଅକ୍ଟୋବର ଦୁଇତାରିଖ ଦିନ ଭାରତବର୍ଷରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କ୍ଷେତ୍ରରେ ୩୦୦ ଟି ଗାଆଁ ନିଆଗଲା ଓ ଏଥିରେ ମୋଟ ତିରିଶ ଜଣ ଗ୍ରାମସେବକ ରହିଲେ । ଏମାନଙ୍କ ବ୍ୟତୀତ ବିଭିନ୍ନ ବିଷୟର ବିଶେଷଜ୍ଞ ଓ ଯୋଜନାଞ୍ଚଳର ଅଫିସର ମଧ୍ୟ ନିଯୁକ୍ତ ରହିଲେ । ତିନି ବର୍ଷରେ ପ୍ରତ୍ୟେକ କ୍ଷେତ୍ରରେ ୬୫ଲକ୍ଷ ଟଙ୍କା ଖରଚ ହେବାର ବ୍ୟବସ୍ଥା ରହିଲା । ଗ୍ରାମସ୍ତରରେ ଯେତେ ଯାହା ବିକାଶକାର୍ଯ୍ୟ କରାଯିବ, ସେଥିରେ ଗ୍ରାମବାସୀଙ୍କର ଏକ ନିର୍ଦ୍ଦିଷ୍ଟ ଅନୁପାତର ଅନୁଦାନ ମଧ୍ୟ ରହିବ–ବିକାଶଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହା ଏକ ମୂଳନୀତି ରୂପେ ଗୃହୀତ ହୋଇଥିଲା । ବର୍ଷକର ଅଭିଜ୍ଞତା ପରେ ଜଣାପଡ଼ିଲା ଯେ ଏପରି ଗତି ଓ ରୀତିରେ ଅଗ୍ରସର ହେଲେ ସମଗ୍ର ଦେଶରେ ବିକାଶର ଏକ ସ୍ୱତଃସ୍ଫୁର୍ତ୍ତ ଜଳବାୟୁ ସୃଷ୍ଟି କରିବାକୁ ଅନେକଦିନ ଲାଗିବ-। ଲୋକମାନେ ମଧ୍ୟ ଆଗରୁ ଆପଣା ବିକାଶରେ ଆପେ ଭାଗ ନେବାରେ କୌଣସି ପ୍ରକାରେ ଅଭ୍ୟସ୍ତ ନଥିଲେ । ଆଗରୁ ସେମାନେ ପ୍ରଧାନତଃ ସରକାରଙ୍କ ଉପରେ ହିଁ ନିର୍ଭର କରି ରହିବାକୁ ଶିଖିଥିଲେ । ସେହି ପୂର୍ବସଂସ୍କାରକୁ ବଦଳାଇବାକୁ ହେଲା ଓ ବିକାଶଲାଗି ଗ୍ରାମସାମଜରେ ଏକ ନୂତନ ବାତାବରଣ ସୃଷ୍ଟି କରିବାକୁ ହେଲେ ଦେଶରେ ବ୍ୟାପକତର ପ୍ରସାରକାର୍ଯ୍ୟ ଚଳାଇବାର ଆବଶ୍ୟକତା ହୃଦୟଙ୍ଗମ କରାଗଲା । ଏହାରି ଫଳରେ ୧୯୫୩ ମସିହା ଅକ୍ଟୋବର ଦୁଇତାରିଖଠାରୁ ଜାତୀୟ ସମ୍ପ୍ରସାରଣ ଯୋଜନା (National Extension Service) ନାମରେ ଏକ ସଘନ କାର୍ଯ୍ୟକ୍ରମ ଆରମ୍ଭ ହେଲା ।

 

ଏହି କାର୍ଯ୍ୟଟି ଚଳାଇବାଲାଗି ପ୍ରଥମବର୍ଷ ସମଗ୍ର ଦେଶରେ ୨୫୯ଟି କ୍ଷେତ୍ର ବା ବ୍ଲକ୍ ଖୋଲାଯାଇଥିଲା । ପ୍ରତ୍ୟେକ ବ୍ଳକ୍‌ରେ ୧୦୦ଟି କରି ଗାଆଁ ରହିଲା ଓ ପ୍ରାୟ ୬୬୦୦୦ ଗ୍ରାମବାସୀ ରହିଲେ । ସ୍ଥିର ହେଲା ଯେ ଏହିସବୁ ବ୍ଲକ୍‌ଗୁଡ଼ିକ ଭିତରୁ ଯେଉଁଗୁଡ଼ିକରେ ଭଲ କାମ ହେବ, ଅର୍ଥାତ୍ ଲକ୍ଷ୍ୟ ଅନୁସାରେ ଭଲ କାମ ହେବ ଓ ଲୋକମାନଙ୍କ ତରଫରୁ ଉତ୍ସାହ ଏବଂ ସହଯୋଗ ମିଳିବ, ତିନିବର୍ଷ ପରେ ସେଗୁଡ଼ିକୁ ସାମୁଦାୟିକ ବିକାଶକ୍ଷେତ୍ରରେ ପରିଣତ କରିଦିଆଯିବ । ସେଠାରେ ଆହୁରି ତିନିବର୍ଷ ପର୍ଯ୍ୟନ୍ତ ସଫଳଭାବରେ କାର୍ଯ୍ୟ ଚାଲିବାପରେ ସେଗୁଡ଼ିକ ଏକ ତୃତୀୟ ସ୍ତର (Post-intensive)ରେ ଆସି ପହଞ୍ଚିବେ । ଅର୍ଥାତ୍ ୧୯୫୩ ମସିହାରେ ଯେଉଁପରି ସଂଗଠନ ଅନୁସାରେ ଭାରତବର୍ଷରେ ବିକାଶକାର୍ଯ୍ୟ ଚାଲିଲା ତାହାକୁ ଆମେ ତିନିସ୍ତରୀୟ ଏକ କାର୍ଯ୍ୟକ୍ରମ ରୂପେ ବୁଝିବାର ଚେଷ୍ଟା କରିବା । ପ୍ରଥମଟି ହେଉଚି ଜାତୀୟ ସମ୍ପ୍ରସାରଣ ଯୋଜନାର ସ୍ତର । ଏହାକୁ ଆମେ ବିକାଶଯୋଜନାର କ୍ରମରେ ପ୍ରସ୍ତୁତିମୂଳକ ସ୍ତର ବୋଲି କହିପାରିବା । ଏହି ସ୍ତରରେ ପ୍ରସାରକାର୍ଯ୍ୟ ଅବଶ୍ୟ ଚାଲୁଥିଲା, ମାତ୍ର ଅପେକ୍ଷାକୃତ ମନ୍ଥର ଗତିରେ ଚାଲୁଥିଲା, ମାତ୍ର ପରବର୍ତ୍ତୀ ସଘନ ବିକାଶପର୍ଯ୍ୟାୟ ଲାଗି କ୍ଷେତ୍ର ପ୍ରସ୍ତୁତ କରାଯାଉଥିଲା । ଦ୍ୱିତୀୟ ସ୍ତର ହେଉଚି ସାମୁଦାୟିକ ବିକାଶର ସଘନ ସ୍ତର ଓ ତୃତୀୟ ସ୍ତର ହେଉଚି ସଘନ-ପର ସ୍ତର । ଏହି ତୃତୀୟ ସ୍ତରକୁ ଆସି ଗ୍ରାମବାସୀ ଓ ଗ୍ରାମସଂସ୍ଥାଗୁଡ଼ିକ ବିକାଶକାର୍ଯ୍ୟଗୁଡ଼ିକର ଗତି ଓ ବେଗକୁ ଅବ୍ୟାହତ ରଖିବାଲାଗି ଦାୟୀ ହୋଇ ରହୁଥିଲେ । ସରକାରୀ କାର୍ଯ୍ୟକ୍ରମରୂପେ ଆରମ୍ଭ ହୋଇଥିବା ବିକାଶଯୋଜନା ଏହି ସ୍ତରକୁ ଆସି ଜନସାଧାରଣଙ୍କର ଏକ କାର୍ଯ୍ୟକ୍ରମରେ ପରିଣତ ହେଉଥିଲା । ପ୍ରଥମ ପଞ୍ଚବର୍ଷୀୟ ଯୋଜନାରେ ସମଗ୍ର ଦେଶରେ ୧୨୦୦ ଗୋଟି ଜାତୀୟ ସମ୍ପ୍ରସାରଣ କ୍ଷେତ୍ର ଆରମ୍ଭ କରିବାର ଲକ୍ଷ୍ୟ ସ୍ଥିର ହୋଇଥିଲା ଏବଂ ଏହାଦ୍ୱାରା ଦେଶର ସାଢ଼େ ସାତକୋଟି ଲୋକ ବିକାଶକାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ ବୋଲି ହିସାବ କରାଯାଇଥିଲା । ଦେଶର ଚାରିଆଡ଼େ ଜନସାଧାରଣ ସାମୁଦାୟିକ ବିକାଶ ଦିଗରେ ଅପ୍ରତ୍ୟାଶିତ ଉତ୍ସାହ ଦେଖାଇବାକୁ ଲାଗିଲେ । ସେମାନଙ୍କ ଆବଶ୍ୟକତାର ଜବାବ ଦେବାକୁ ଯାଇ ୧୯୫୫ ମସିହାରେ ଜାତୀୟ ବିକାଶ କାଉନ୍‌ସିଲ୍ ଦ୍ୱିତୀୟ ପଞ୍ଚବର୍ଷୀୟ ଯୋଜନାର କାର୍ଯ୍ୟକାଳ ମଧ୍ୟରେ ସମଗ୍ର ଦେଶକୁ ଜାତୀୟ ସମ୍ପ୍ରସାରଣ ଯୋଜନା ଭିତରକୁ ଆଣିବାଲାଗି ସ୍ଥିର କରିଥିଲା । ଏଗୁଡ଼ିକରୁ ଅନ୍ତତଃ ୪୦% ବ୍ଳକ୍‍କୁ ଯେ ସାମୁଦାୟିକ ବିକାଶକ୍ଷେତ୍ରର ସ୍ତରକୁ ଉନ୍ନୀତ କରି ଦିଆଯିବ, ସେତିକିବେଳେ ଏହିପରି ଗୋଟିଏ ନିଷ୍ପତ୍ତି ମଧ୍ୟ ହୋଇଥିଲା ।

 

ପ୍ରତ୍ୟେକ ଜାତୀୟ ସମ୍ପ୍ରସାରଣ ବ୍ଳକ୍‍ରେ ଦଶଜଣ ଗ୍ରାମସେବକ ରହିଲେ । ପ୍ରତ୍ୟେକ ଗ୍ରାମସେବକର କାର୍ଯ୍ୟକ୍ଷେତ୍ର ହିସାବରେ ପାଞ୍ଚରୁ ଦଶଗୋଟି ଗାଆଁକୁ ଏକକ ରୂପେ ଗ୍ରହଣ କରାଗଲା । ପରେ ପ୍ରତ୍ୟେକ ବ୍ଳକ୍‍ରେ ସ୍ତ୍ରୀଜାତି ଓ ପିଲାମାନଙ୍କ ଭିତରେ ପ୍ରସାରକାର୍ଯ୍ୟ କରିବାଲାଗି ଦୁଇଜଣ କରି ଗ୍ରାମସେବିକା ମଧ୍ୟ ନିଯୁକ୍ତ ହୋଇଥିଲେ । ବିକାଶର ସମଗ୍ର କାର୍ଯ୍ୟକ୍ରମ ଚଳାଇବା ସକାଶେ ପ୍ରତ୍ୟେକ ସମ୍ପ୍ରସାରଣ ବ୍ଲକ୍ ହାତରେ ସାଢ଼େ ଚାରିଲକ୍ଷ ଓ ସାମୁଦାୟିକ ବିକାଶକ୍ଷେତ୍ର ହାତରେ ପନ୍ଦରଲକ୍ଷ ଟଙ୍କା ପାଣ୍ଠି ରହିଲା । ଦ୍ୱିତୀୟ ପଞ୍ଚବର୍ଷୀୟ ଯୋଜନାରେ ସାମୁଦାୟିକ ବିକାଶକାର୍ଯ୍ୟ ଲାଗି ଜାତୀୟ ସ୍ତରରେ ଦୁଇଶହ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥସୀମା ମଧ୍ୟରେ ରହି ତଥାପି ଅଟକଳ ଅନୁସାରେ ବିକାଶର କାର୍ଯ୍ୟ ଚଳାଇପାରିବା ଲାଗି ପ୍ରତ୍ୟେକ ସମ୍ପ୍ରସାରଣ ବ୍ଳକ୍ ଓ ସାମୁଦାୟିକ ବିକାଶକ୍ଷେତ୍ରର ପାଣ୍ଠିକୁ କିଞ୍ଚିତ୍ କମ୍ କରାଯାଇ ଯଥାକ୍ରମ ଚାରିଲକ୍ଷ ଓ ବାରଲକ୍ଷ ଟଙ୍କା ରଖାଯାଇଥିଲା ।

 

ଦ୍ୱିତୀୟ ପଞ୍ଚବର୍ଷୀୟ ଯୋଜନା କାଳରେ ବ୍ଳକ୍‌ରେ ନିମ୍ନଲିଖିତ ପ୍ରସାର-ଅଫିସର ବା କର୍ମୀମାନେ ରହିଥିଲେ : କ୍ଷେତ୍ରବିକାଶ ଅଧିକାରୀ (B.D.O.), ସାତଜଣ ପ୍ରସାର- ଅଫିସର (କୃଷି, ପଶୁପାଳନ, ସମବାୟ, ଗ୍ରାମଶିଳ୍ପ, ଗ୍ରାମୀଣ ଇଞ୍ଜିନିଅରିଙ୍ଗ୍ ଓ ସାମାଜିକ ଶିକ୍ଷା) । ସାମାଜିକ ଶିକ୍ଷା କାର୍ଯ୍ୟରେ ଦୁଇଜଣ ଅଫିସର ରହିଥିଲେ । ଗ୍ରାମସ୍ତରରେ ଦଶଜଣ ଗ୍ରାମସେବକ କାର୍ଯ୍ୟ କରୁଥିଲେ । ଦ୍ୱିତୀୟ ସ୍ତରରେ ଅର୍ଥାତ୍ ସାମୁଦାୟିକ ବିକାଶ ବ୍ଳକ୍‌ରେ ଉପର୍ଯ୍ୟୁକ୍ତ କର୍ମୀମଣ୍ଡଳୀ ରହିବା ସଙ୍ଗେ ସଙ୍ଗେ ଦୁଇଜଣ ଅଧିକା ଗ୍ରାମସେବକ, ଦୁଇଜଣ ଷ୍ଟକ୍‌ମ୍ୟାନ୍, ଡାକ୍ତର, କମ୍ପାଉଣ୍ଡର୍ ଓ ଧାତ୍ରୀପ୍ରଭୃତି ଦଶଜଣ ଚିକିତ୍ସା ବିଭାଗୀୟ କର୍ମୀ ରହୁଥିଲେ ।

 

ସାମୁଦାୟିକ ବିକାଶ ଯୋଜନାର ଫଳସ୍ୱରୂପ ଗ୍ରାମାଞ୍ଚଳର କଣ କେତେଦୂର ବିଭାଗ ହେଉଚି, ତାହାର ଅବଧାରଣ ଓ ମୂଲ୍ୟାଙ୍କନ କରିବାଲାଗି ୧୯୫୭ ମସିହାରେ ଭାରତ ସରକାର ଏକ ସ୍ୱତନ୍ତ୍ର କମିଟି ବସାଇଲେ । ଏହି କମିଟି ସ୍ୱର୍ଗତ ଶ୍ରୀ ବଳବନ୍ତରାୟ ମେହେଟ୍ଟାଙ୍କର ଅଧ୍ୟକ୍ଷତାରେ ବସିଥିଲା । ଦେଶର ନାନା ଅଞ୍ଚଳରେ ଚାଲୁଥିବା ବିକାଶକାର୍ଯ୍ୟର ପର୍ଯ୍ୟବେକ୍ଷଣ କରି କମିଟି ଯେଉଁ ସୁପାରିଶମାନ କରିଥିଲେ, ତାହା ଭିତରୁ ଦୁଇଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ।।୧।। ଆଗରୁ ଯେପରି ତିନିସ୍ତରରେ ବିକାଶକାର୍ଯ୍ୟ ବାଣ୍ଟିହୋଇ ଚାଲୁଥିଲା, ସେ ବିଷୟରେ କମିଟି ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ପରାମର୍ଶ ଦେଇଥିଲେ ଯେ ଏଣିକି ବିକାଶକାର୍ଯ୍ୟ ପ୍ରଧାନତଃ ଦୁଇଟି ଚରଣରେ ଚାଲିବା ଉଚିତ । ସାମୁଦାୟିକ ବିକାଶର ପ୍ରଥମ ଚରଣରେ ବ୍ଲକ୍‌ରେ ପାଞ୍ଚବର୍ଷକାଳ ସଘନ କାର୍ଯ୍ୟକ୍ରମ ଚାଲିବ, ଏବଂ ଏଥିଲାଗି ବାରଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଦ୍ୱିତୀୟ ଚରଣର ପାଞ୍ଚବର୍ଷରେ ସରକାର ପ୍ରତି ବ୍ଲକ୍‌ରେ ପାଞ୍ଚଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ବିକାଶକାର୍ଯ୍ୟକୁ ଅପେକ୍ଷାକୃତ କମ୍ ସଘନ କରିଦିଆଯିବ ଏବଂ ପ୍ରଧାନତଃ ଜନସାଧାରଣଙ୍କର ଅନୁଦାନରେ ହିଁ ଅଧିକାଂଶ କାର୍ଯ୍ୟ ଚାଲିବ । ତା’ପରେ ଏକ ତୃତୀୟ ଚରଣ ଆସିବ, ଯେତେବେଳେ କି ସରକାରଙ୍କ ତରଫରୁ କେବଳ ଅତ୍ୟାବଶ୍ୟକ କର୍ମୀମାନେ ବ୍ଳକ୍ ସ୍ତରରେ ରହିବେ ଓ ଗ୍ରାମର ସଂସ୍ଥା ଓ ସଂଗଠନମାନ ଗ୍ରାମର ବିକାଶକାର୍ଯ୍ୟର ପରିଚାଳନା କରିବେ । ସରକାର ଆଂଶିକ ଅର୍ଥସାହାଯ୍ୟ ଅବଶ୍ୟ ଦେବେ, ମାତ୍ର ଗ୍ରାମସମାଜ ହିଁ ଆପଣା ଉଦ୍ୟମରେ ବିକାଶ ଲାଗି ଆବଶ୍ୟକ ଅର୍ଥର ଅଧିକ ଅଂଶ ଯୋଗାଡ଼ କରିବାକୁ ସମର୍ଥ ହେବ । ।।୨।। ଗ୍ରାମସ୍ତରରେ ସ୍ୱାୟତ୍ତଶାସନର ଅନୁଷ୍ଠାନ ଗୁଡ଼ିକୁ ବିକଶିତ କରାଇବାରେ ସବୁପ୍ରକାରେ ଧ୍ୟାନ ଦିଆଯିବ ଓ ସେଥିଲାଗି ଯାବତୀୟ ଅନୁକୂଳ ବ୍ୟବସ୍ଥା କରାଯିବ । ଏହି ଅନୁଷ୍ଠାନଗୁଡ଼ିକ ହାତରେ ଆବଶ୍ୟକ କ୍ଷମତା ଓ ଅର୍ଥବଳ ରହିବ, ଯେପରି କି ସେମାନେ ଗ୍ରାମଯୋଜନା ଓ ଗ୍ରାମବିକାଶ ସଂକ୍ରାନ୍ତୀୟ ନାନାବିଧ ଦାୟିତ୍ୱ ନିଜେ ବହନ କରିବାକୁ ସମର୍ଥ ହେବେ । (ପୁସ୍ତକ ଟିପ୍ପଣୀ–୯, ପୃଷ୍ଠା–୫୧)

 

ଭାରତ ସରକାର ଏହି ଦୁଇଟିଯାକ ସୁପାରିଶକୁ ଗ୍ରହଣ କରିଚନ୍ତି । ପ୍ରଥମ ସୁପାରିଶଟି ଅନୁସାରେ ଆଗରୁ ଜାତୀୟ ସମ୍ପ୍ରସାରଣ ଯୋଜନା ଓ ସାମୁଦାୟିକ ବିକାଶକ୍ଷେତ୍ର ଭିତରେ ରହିଥିବା ବ୍ୟବଧାନକୁ ଦୂର କରି ଦିଆଯାଇଚି । ବ୍ଳକ୍‌ର ଉଭୟ ଚରଣରେ ଆଗରୁ ରହିଥିବା କର୍ମଚାରୀ-ମଣ୍ଡଳୀ ବ୍ୟତୀତ ପଞ୍ଚାୟତ ଲାଗି ଜଣେ ପ୍ରସାର ଅଫିସର ନିଯୁକ୍ତ ହୋଇଚନ୍ତି । ଏବେ ଦେଶର କୃଷି-ଉତ୍ପାଦନ ଉପରେ ସବୁଠାରୁ ବେଶୀ ଜୋର୍ ଦିଆଯାଇଥିବାରୁ କୃଷି ସହିତ ଗାଆଁରେ କମ୍ପୋଷ୍ଟ ତିଆରି କରାଇବା ଦିଗରେ ଧ୍ୟାନ ଦେବାଲାଗି ଆଉଜଣେ ସ୍ୱତନ୍ତ୍ର ପ୍ରସାର ଅଫିସର ରଖିବାର ବ୍ୟବସ୍ଥା ମଧ୍ୟ କରାଯାଇଚି ।

 

ସାମୁଦାୟିକ ବିକାଶ ସଂଗଠନଗୁଡ଼ିକର ଜରିଆରେ ଗ୍ରାମସ୍ତରର ନିମ୍ନଲିଖିତ କ୍ଷେତ୍ରମାନଙ୍କରେ କାର୍ଯ୍ୟ କରାଯାଉଚି : ।।୧।। କୃଷି, ଏଥିରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା, ମୃତ୍ତିକା ସଂରକ୍ଷଣ, ଗ୍ରାମରେ ଅରଣ୍ୟରୋପଣ, ପଶୁପାଳନ ଓ ଦୁଗଧ୍‍ଜାତ ଦ୍ରବ୍ୟର ଉତ୍ପାଦନ ଅନ୍ତର୍ଗତ ହୋଇ ରହିଚି । ।।୨।। ସମବାୟ ସମିତିଗୁଡ଼ିକର ବିକାଶ, ।।୩।। ଗ୍ରାମ-ଶିଳ୍ପ, ।।୪।। ପ୍ରାଥମିକ ଶିକ୍ଷା,-ଗ୍ରାମସମୁଦାୟ ଯେପରି ନିଜ ଶ୍ରମ ଓ ନିଜ ଅର୍ଥରେ ସ୍କୁଲଘର ତିଆରି କରିଦିଏ, ସେଥିଲାଗି ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯିବ । ।।୫।। ଗାଆଁର ସବୁଲୋକଙ୍କ ଲାଗି ପାନୀୟ ଜଳର ବ୍ୟବସ୍ଥା, ।।୬।। ଗାଆଁକୁ ନିକଟସ୍ଥ ବଡ଼ରାସ୍ତା ସହିତ ସଂଯୁକ୍ତ କରାଇବା, ଗାଆଁ ଗାଆଁ ଓ ସାହୀ ସାହୀ ମଧ୍ୟରେ ସାନବଡ଼ ସବୁପାଗିଆ ରାସ୍ତାର ବନ୍ଦୋବସ୍ତ କରିବା, ।।୭।। ବ୍ଳକ୍ ତରଫରୁ ସାଧାରଣଙ୍କ ହିତକର ଏପରି ସବୁ କାର୍ଯ୍ୟକ୍ରମର ଆୟୋଜନ କରାଇବା ଯେଉଁଥିରେ କି ସ୍ଥାନୀୟ ଅଧିବାସୀମାନେ ସକ୍ରିୟ ଭାଗ ନେଇପାରିବେ । ଏହିସବୁ କାର୍ଯ୍ୟ ବ୍ଳକ୍‌ର ଉଦ୍ୟମରେ କରାହେବ ସତ, ମାତ୍ର ଏଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଗ୍ରାମ-ସମୁଦାୟର ଦାନ ହିଁ ସର୍ବାପେକ୍ଷା ଅଧିକ ରହିବ । ।।୮।। ଗାଆଁରେ ଅଧିକାଂଶ ଲୋକ ସାଧାରଣତଃ କାମ ଅଭାବରୁ ବେକାର ହୋଇ ବସିଥାନ୍ତି । କେହି ବରଷକର ବାରମାସ ବସିଥାନ୍ତି, କେହି ଚାରିମାସ ବସନ୍ତି । ଏହି ଅପ୍ରଯୋଜିତ ଲୋକଶକ୍ତିକୁ ଯେପରି ଯଥାସମ୍ଭବ ଭାବରେ ଗ୍ରାମର ନାନା ସାଧାରଣ କାର୍ଯ୍ୟରେ ଲଗାଯାଇପାରେ, ସେଥିଲାଗି ବ୍ଳକ୍ ଉପଯୁକ୍ତ କାର୍ଯ୍ୟକ୍ରମମାନ ତିଆରି କରିବ । (ପୁସ୍ତକ ଟିପ୍ପଣୀ–୧୧, ପୃଷ୍ଠା–୧୦୯)

 

ଆଗରୁ କୁହାଯାଇଚି ଭାରତବର୍ଷ ଆପଣାର ବିକାଶକ୍ରମରେ ଗ୍ରାମର ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଚି । ଅବଶ୍ୟ ଏକଥା ସତ ଯେ, ଏହି କ୍ଷେତ୍ରରେ ସର୍ବାଧିକ ଯେତେ ଖରଚ ହୋଇପାରନ୍ତା, ତାହା ଆଜିପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଏହା ପଛରେ ଆର୍ଥିକ, ରାଜନୀତିକ ଓ ଆନ୍ତର୍ଜାତିକ ତଥା ପରିସ୍ଥିତିଗତ ନାନା କାରଣ ରହିଚି । ତଥାପି ଗ୍ରାମାଞ୍ଚଳର ବିକାଶଲାଗି ସରକାର ଯେ ପ୍ରତିବର୍ଷ ଅଧିକରୁ ଅଧିକ ପଇସା ଖରଚ କରୁଚନ୍ତି, ହିସାବ ଦେଖିଲେ ଏକଥା ଆମ ଆଗରେ ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ । ଏପରି ନକରି ହୁଏତ ଉପାୟ ମଧ୍ୟ ନଥିଲା । କାରଣ ଭାରତ ହେଉଚି ଗୋଟିଏ ଗ୍ରାମପ୍ରଧାନ ଓ କୃଷିପ୍ରଧାନ ଦେଶ । ତେଣୁ ଏହି ଦେଶର ସମୁଦାୟ କହିଲେ ସ୍ଥୂଳତଃ ଗ୍ରାମସମୁଦାୟ ଓ କୃଷକସମୁଦାୟକୁ ହିଁ ବୁଝାଇବ ଏବଂ ସାମୁଦାୟିକ ବିକାଶ କହିଲେ ଏହି ଦେଶର ଗ୍ରାମ ଓ କୃଷିଧନ୍ଦାର ସର୍ବାଧିକ ବିକାଶ କରାଇବାକୁ ବୁଝାଇବ ।

 

ଦ୍ୱିତୀୟ ପଞ୍ଚବର୍ଷୀୟ ଯୋଜନାକାଳରୁ ସ୍ଥିର ହୋଇଥିଲା ଯେ ୧୯୬୩ ମସିହା ଅକ୍ଟୋବର ଦୁଇତାରିଖ ବେଳକୁ ଯେପରି ଭାରତବର୍ଷର ପ୍ରତ୍ୟେକ ଗାଆଁ ସାମୁଦାୟିକ ବିକାଶ ଯୋଜନାର ଅନ୍ତର୍ଭୁକ୍ତ ହୋଇସାରିଥିବ, ସେଥିଲାଗି ସବୁପ୍ରକାର ଚେଷ୍ଟା କରାଯିବ । ହିସାବ କରାଯାଇଥିଲା ଯେ ଏହି ଲକ୍ଷ୍ୟଟିର ପୂରଣ କରିବାକୁ ହେଲେ ଭାରତର ପ୍ରାୟ ସାଢ଼େ ପାଞ୍ଚଲକ୍ଷ ଗାଆଁ ଲାଗି ପଚାଶ ହଜାର ଗ୍ରାମସେବକ ଓ ଦଶହଜାର ଗ୍ରାମସେବିକା ନିଯୁକ୍ତ କରିବାକୁ ପଡ଼ିବ । ଏମାନଙ୍କ ବ୍ୟତୀତ ବ୍ଳକ୍ ଓ ଅନ୍ୟାନ୍ୟ ଉଚ୍ଚତର ସ୍ତରରେ ସାମୁଦାୟିକ କ୍ଷେତ୍ରରେ ଆହୁରି ପଚାଶହଜାର କର୍ମଚାରୀ ସେତେବେଳକୁ କାର୍ଯ୍ୟ କରୁଥିବେ । ସରକାର ଏହି ମସୁଧା ଅନୁସାରେ କାମ କରିପାରିନାହାନ୍ତି । ଏହାର ସମ୍ଭବତଃ ମୁଖ୍ୟ କାରଣ ହେଉଚି ଯେ, ୧୯୬୨ ମସିହାରେ ଭାରତବର୍ଷ ଉପରେ ଚୀନଦେଶର ଆକ୍ରମଣ ହେଲା ଏବଂ ତାପରେ ଭାରତବର୍ଷକୁ ଅବସ୍ଥାଚକ୍ର ଦ୍ୱାରା ବାଧ୍ୟ ହୋଇ ଦେଶର ସୁରକ୍ଷା ସମ୍ବନ୍ଧରେ ଅଧିକ ସଚେତ ହେବାକୁ ପଡ଼ିଲା । ଭାରତବର୍ଷର ସବୁଗ୍ରାମରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ହେଲେ ଅର୍ଥାତ୍ ଭାରତର ପ୍ରତ୍ୟେକ ଗାଆଁକୁ କୌଣସି ନା କୌଣସି ବ୍ଳକ୍‌ର ଅନ୍ତର୍ଗତ କରି ତାହାକୁ ପୁନର୍ନିର୍ମାଣ କରାଇବାକୁ ହେଲେ ଯେତେ ତାଲୀମପ୍ରାପ୍ତ କର୍ମୀ ରହିବା ଦରକାର ଓ ବିଭିନ୍ନ ବିକାଶକାର୍ଯ୍ୟରେ ଯେତେ ଅର୍ଥ ବ୍ୟୟିତ ହେବା ଦରକାର ତାହା ଆଉ ସମ୍ଭବ ହେଲାନାହିଁ ।

 

–୨–

 

ଶ୍ରୀଯୁକ୍ତ ବଳବନ୍ତରାୟ ମେହେଟ୍ଟାଙ୍କର ଅଧ୍ୟକ୍ଷତାରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରିବାଲାଗି ବସିଥିବା କମିଟି ଯେଉଁ ଦ୍ୱିତୀୟ ସୁପାରିଶଟି ଦେଇଥିବା ଆଗରୁ ଉଲ୍ଲେଖ କରାଯାଇଚି, ଏଠାରେ ଆମେ ତାହାରି ଆଲୋଚନା କରିବା । କମିଟି ଭାରତବର୍ଷର ତେରଗୋଟି ରାଜ୍ୟରେ ୫୮ଟି ବ୍ଳକ୍‌ର କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିଥିଲେ । ସେମାନେ ମନ୍ତବ୍ୟ କରି କହିଥିଲେ ଯେ ସାମୁଦାୟିକ ବିକାଶ ଯୋଜନା ଫଳରେ ଗ୍ରାମାଞ୍ଚଳ ଓ ଗ୍ରାମବାସୀ-ଜୀବନରେ ସାଧନସାମଗ୍ରୀ ଅବଶ୍ୟ ବଢ଼ିଚି । ଯେଉଁଠି ସଡ଼କ ନଥିଲା, ସେଠାରେ ସଡ଼କ ତିଆରି ହୋଇଚି; ଯେଉଁଠି ସ୍କୁଲଘର ନଥିଲା, ସେଠାରେ ନୂଆ ସ୍କୁଲଘର ତିଆରି ହୋଇଚି । କୃଷି-ଉତ୍ପାଦନ ବଢ଼ିଚି, ଉନ୍ନତ ବିହନ ଓ ରାସାୟନିକ ସାରର ବ୍ୟବହାର ମଧ୍ୟ ବଢ଼ିଚି । ଗାଆଁମାନଙ୍କୁ ରେଡ଼ିଓ ଓ ଖବରକାଗଜ ଆସିଚି, ଗାଆଁରେ ଲାଇବ୍ରେରୀ ଖୋଲାଯାଇଚି । ବାହାରୁ ଦେଖିଲେ ଗାଆଁର ଜୀବନକୁ ସମୃଦ୍ଧ ବା ସମ୍ପନ୍ନ କରିବାଲାଗି ଅନେକ କିଛି ନୂଆକଥା ତିଆରି ହୋଇଚି । କିନ୍ତୁ ଗୋଟିଏ କଥା ଆଗରୁ ଯେପରି ପୁରୁଣା ଥିଲା, ସେହିପରି ପୁରୁଣା ରହିଯାଇଚି । ସ୍ୱାଧୀନ ଭାରତବର୍ଷର ନୂଆ ଆହ୍ୱାନ ତଥା ନୂଆ ଦାୟିତ୍ୱଗୁଡ଼ିକର ସମ୍ମୁଖୀନ ହୋଇ ପାରିଲାଭଳି ଭାରତର ନୂଆ ମଣିଷ ତିଆରି ହୋଇନାହିଁ । ଅର୍ଥାତ୍ ଗ୍ରାମବାସୀର ଜୀବନଦୃଷ୍ଟିରେ କୌଣସି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ହୋଇନାହିଁ ।

 

ଗ୍ରାମବାସୀ ଆଗେ ଆପଣାର ଭାଗ୍ୟ ଉପରେ ହିଁ ନିର୍ଭର କରି ଜୀବନର ଯୋଜନା କରୁଥିଲା, ବର୍ତ୍ତମାନ ମଧ୍ୟ ସେ ଅଳ୍ପ ବହୁତେ ତାହାହିଁ କରୁଚି । ପରାଧୀନ ଭାରତରେ ବାସ କରୁଥିବାବେଳେ ସେ ସରକାରୀ କର୍ମଚାରୀମାନଙ୍କୁ କ୍ଷମତାସମ୍ପନ୍ନ ଯମଗଣ ପରି ଦେଖୁଥିଲା, ସହରର ଶିକ୍ଷିତ ଓ ସଫା କପଡ଼ା ପିନ୍ଧିଥିବା ମଣିଷକୁ ତାର ଭାଗ୍ୟନିୟନ୍ତା ପରି ଦେଖୁଥିଲା । ବର୍ତ୍ତମାନ ମଧ୍ୟ ଅବସ୍ଥା ଅଳ୍ପ ବହୁତେ ସେହିପରି ରହିଚି । ସ୍ୱାଧୀନ ଭାରତରେ ତାର ଯେ ଆପଣା ଭାଗ୍ୟକୁ ଆପେ ଗଢ଼ିବାର ବା ଆପଣା ଶାସନ ଆପେ କରିବାର କୌଣସି ଅଧିକାର ରହିଚି, ଏପର୍ଯ୍ୟନ୍ତ ସେ ତାହା ଅନୁଭବ କରିପାରୁନାହିଁ । ମୋଟଉପରେ କହିଲେ ଆଗେ ସେ ଯେପରି ଭାଗ୍ୟ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିଥିଲା, ବର୍ତ୍ତମାନ ମଧ୍ୟ ପ୍ରାୟ ସେହିପରି ନିର୍ଭରଶୀଳ ହୋଇ ରହିଚି । ମେହେଟ୍ଟା କମିଟିର ମନ୍ତବ୍ୟକୁ ଆଉଟିକିଏ ପ୍ରସାରିତ କରିଦେଇ ଆମେ ହୁଏତ କହିପାରିବା ଯେ, ଆଗେ ଉପରବାଲା ହାକିମମାନେ ଯେପରି ପ୍ରଧାନତଃ ଦୟା ବା ବଦାନ୍ୟତା ଦେଖାଇବାଲାଗି ଗ୍ରାମବାସୀ ପାଖକୁ ଯାଉଥିଲେ, ଗ୍ରାମବାସୀଙ୍କୁ ପ୍ରଧାନତଃ ଏକ ଅନୁସରଣିଆ କରି ରଖିବାର ଅଭିଳାଷ ରଖିଥିଲେ, ବର୍ତ୍ତମାନ ସ୍ୱାଧୀନ ଭାରତରେ ମଧ୍ୟ ସେମାନେ ଅଳ୍ପ ବହୁତ ତାହାହିଁ କରୁଚନ୍ତି । ସ୍ୱାଧୀନ ଭାରତର ମହତ୍ତ୍ୱାକାଙ୍‌କ୍ଷୀ ନାଗରିକ ହିସାବରେ ଯେ ଆପଣା ରାଷ୍ଟ୍ରପାଖରେ ଓ ଆପଣା ସମାଜପାଖରେ ଗ୍ରାମବାସୀର ଅନେକାନେକ ଦାୟିତ୍ୱ ଓ ଅଧିକାର ରହିଚି, ଏହି ସଚେତନତା ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳକୁ ଆସିନାହିଁ । ଯାହାର ନିଦ ଭାଙ୍ଗିବାକଥା, ତାହାର ନିଦ ଭାଙ୍ଗିନାହିଁ । ଜନସାଧାରଣଙ୍କ ଜୀବନକୁ ଅଧିକରୁ ଅଧିକ ସମ୍ପନ୍ନ ଓ ସଚେତ କରିବାଲାଗି ସ୍ୱାଧୀନ ଭାରତରେ ଯେଉଁ ପ୍ରଶାସନ ବା ଅମଲାତନ୍ତ୍ର ଆପଣାକୁ ସମର୍ପିତ କରି ରଖିବା ଉଚିତ ଥିଲା, ସେହି ପ୍ରଶାସନର ନିଦ ବି ଭାଙ୍ଗିନାହିଁ । ବ୍ରିଟିଶ ଅମଳରେ ଏହାର ଯେଉଁ ରୀତି ଥିଲା, ଅନ୍ତତଃ ଗ୍ରାମର ଶାସନକ୍ଷେତ୍ରରେ ବର୍ତ୍ତମାନ ମଧ୍ୟ ସେହି ରୀତି ବଳବତ୍ତର ରହିଚି ।

 

ମେହେଟ୍ଟା କମିଟି ଏହାକୁ ରାଷ୍ଟ୍ରର ଭବିଷ୍ୟତ୍ ଦୃଷ୍ଟିରୁ ଏକ ପ୍ରମାଦ ବୋଲି ମନେକରିଥିଲେ । ଭାରତର ୮୨% ଲୋକ ଗାଆଁରେ ବାସ କରନ୍ତି ଏବଂ ଭାରତବର୍ଷ ପ୍ରଜାତନ୍ତ୍ରକୁ ଆପଣାର ରାଜନୀତିକ ଓ ବ୍ୟବସ୍ଥାଗତ ଧେୟ ବୋଲି ଗ୍ରହଣ କରିନେଇ ସାରିଚି । ଆଗାମୀ ଅନେକ ଦଶଜଲାଗି ଏହି ପ୍ରଜାତନ୍ତ୍ରରୁ ଧ୍ୟେୟଲାଗି ସବୁମନ୍ତେ ପ୍ରସ୍ତୁତ ହେବାହିଁ ଆମର ସର୍ବପ୍ରଧାନ ଜାତୀୟ କାର୍ଯ୍ୟପନ୍ଥା ହୋଇ ରହିବ । ଗୋଟାଏ ଦୃଷ୍ଟିରୁ ଦେଖିଲେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମକୁ ମଧ୍ୟ ଆମେ ଏହି ଧ୍ୟେୟରେ ପହଞ୍ଚିବାର ଏକ ସାଧନ ରୂପେ ଗ୍ରହଣ କରିବୁ । କିନ୍ତୁ ଯେଉଁଠି ପ୍ରଜାମାନେ ପ୍ରଧାନତଃ ଭାଗ୍ୟ ଉପରେ ନିର୍ଭର କରି ଚଳନ୍ତି, ଆପଣା ଜୀବନର ବ୍ୟବସ୍ଥାଗୁଡ଼ିକୁ ହାକିମମାନଙ୍କର ଦୟା ଉପରେ ଉଜେଇଁଦିଅନ୍ତି । ସେମାନଙ୍କୁ ଡରିମରି ସେହିମାନଙ୍କର ତାଡ଼ନାରେ ହିଁ କାର୍ଯ୍ୟ କରନ୍ତି, ସେହି ଦେଶରେ ଗଣତନ୍ତ୍ର ବା ଉଧେଇପାରିବ କିପରି ?

 

ମେହେଟ୍ଟା କମିଟି ଆଶଙ୍କା ପ୍ରକାଶ କରିଥିଲେ ଯେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମକୁ ସଫଳତାର ସହିତ ଚଳାଇବାକୁ ହେଲେ ଗ୍ରାମ ଓ ଗ୍ରାମସମ୍ପର୍କୀୟ ସ୍ତରରେ ଯେପରି ବିଧିରେ ଶାସନ ଚଳିବା ଉଚିତ, ଆମ ଦେଶରେ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ସକାଶେ କମିଟି ଯେଉଁ ପରାମର୍ଶ ଦେଇଥିଲେ, ପାରିଭାଷିକ ରୀତିରେ ତାହାକୁ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବୋଲି କୁହାଯାଇଚି । ଏହାର ଅର୍ଥ ହେଉଚି ଗ୍ରାମସ୍ତରର ଶାସନ ଯଥାସମ୍ଭବ ଗ୍ରାମର ମତଦାତାମାନଙ୍କ ଉପରେ ହିଁ ନ୍ୟସ୍ତ ହୋଇ ରହିବ । ସେମାନେ ଯେତେଦୂର ସମ୍ଭବ ଆପଣା ଗ୍ରାମର ବ୍ୟବସ୍ଥା ଆପେ କରିବେ, ଆପଣା ସମାଜର ଉନ୍ନୟନ ଲାଗି ଆପେ ମୁଣ୍ଡ ଖେଳାଇବେ, ଏକାଠି ବସି ସମସ୍ୟାଗୁଡ଼ିକର ସମାଧାନ ବାହାର କରିବେ ଏବଂ ଆହ୍ୱାନ ଗୁଡ଼ିକର ସମ୍ମୁଖୀନ ହେବେ । ସେମାନଙ୍କର ଶୁଭ ବା ହିତ କରିବାକୁ ନସରପସର ହୋଇ ଉପରୁ କୌଣସି ଦୟାଳୁ ଓ ସବ୍‌ଜାନତା ସରକାର ବା ହାକିମଗୋଷ୍ଠୀ ସେମାନଙ୍କ ଉପରେ ଯୋଜନାକୁ ନେଇ ଲଦିଦେବେ ନାହିଁ । ଗ୍ରାମସ୍ତରର ଯୋଜନାମାନ ଗ୍ରାମବାସୀମାନେ ହିଁ କରିବେ । ଆପଣା ଆବଶ୍ୟକତାଗୁଡ଼ିକୁ ସେମାନେ ଆପେ ଠଉରାଇ ଶିଖିବେ ଓ ସେହି ଅନୁସାରେ ସେଗୁଡ଼ିକର ମୋଚନଲାଗି ସମ୍ମିଳିତ ଭାବରେ ତତ୍ପର ହୋଇ ମଧ୍ୟ ଶିଖିବେ ।

 

ଆଗରୁ କୁହାଯାଇଚି, ଭାରତ ସରକାର ମେହେଟ୍ଟା କମିଟିର ଏହି ପ୍ରସ୍ତାବଟିକୁ ଗ୍ରହଣ କରି ନେଇଥିଲେ ଓ ସେହି ଅନୁସାରେ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରାଯାଇଥିଲା । ଆଗରୁ ବ୍ଳକ୍‌ମାନଙ୍କରେ ବେସରକାରୀ ସଭ୍ୟମାନଙ୍କର ଯେଉଁ ସମିତି ରହି ବି.ଡି.ଓ.ଙ୍କୁ ସାମୁଦାୟିକ ବିକାଶ କାର୍ଯ୍ୟରେ ସାହାଯ୍ୟ କରୁଥିଲା, ତାହାକୁ ବ୍ଳକ୍ ପରାମର୍ଶଦାତା କମିଟି ବୋଲି କୁହାଯାଉଥିଲା । ଏଣିକି ଏହି କମିଟିକୁ ବ୍ଳକ୍ ବା କ୍ଷେତ୍ର ବିକାଶ କମିଟି ବୋଲି କୁହାଗଲା । ଆଗେ ଏହି କମିଟି କ୍ଷେତ୍ରର ବିକାଶକାର୍ଯ୍ୟ ସମ୍ବନ୍ଧରେ ସରକାରଙ୍କୁ ପରାମର୍ଶ ଦେଉଥିଲା, ଏଣିକି ତାହା କ୍ଷେତ୍ରର ଯୋଜନା ବନାଇବାଲାଗି ଦାୟୀ ହୋଇ ରହିଲା । ଅନେକ ରାଜ୍ୟରେ ଏହି କମିଟିକୁ ପଞ୍ଚାୟତ ସମିତି ବୋଲି କୁହାଗଲା, ପୁଣି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥାକୁ ‘ପଞ୍ଚାୟତୀ ରାଜ’ ବୋଲି କୁହାଗଲା ।

 

ପଞ୍ଚାୟତ ଆମ ଦେଶର ପାରମ୍ପରିକ ଗ୍ରାମ-ବ୍ୟବସ୍ଥାରେ ଏକ ପ୍ରତିଷ୍ଠିତ ଲୋକପ୍ରତିନିଧିମୂଳକ ଅନୁଷ୍ଠାନ ହୋଇ ରହିଥିଲା । ପଞ୍ଚାୟତ ଅର୍ଥାତ୍ ଗ୍ରାମବାସୀମାନଙ୍କଦ୍ୱାରା ନିର୍ବାଚିତ ଏହି ପ୍ରତିନିଧି-ସଭା ଗ୍ରାମର ଶାସନ କରୁଥିଲେ ଓ ଦିଲ୍ଲୀର ବାଦଶାହାମାନେ ଏହି ଶାସନ ଉପରେ ଖୁବ୍ ବେଶୀ ହସ୍ତକ୍ଷେପ କରୁନଥିଲେ । ପ୍ରତ୍ୟେକ ଗ୍ରାମ ଆର୍ଥିକ ଦୃଷ୍ଟିରୁ ସ୍ୱୟଂସମ୍ପୂର୍ଣ୍ଣ ହୋଇ ରହିବାର ଆକାଙ୍‌କ୍ଷା ରଖୁଥିଲା ଓ ସେହି ଅନୁପାତରେ ଆପଣାର ସମଗ୍ର ଜୀବନକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରଧାନତଃ ଆତ୍ମନିର୍ଭରଶୀଳ ବୋଲି ବିଚାରୁଥିଲା । ପଞ୍ଚାୟତ-ଶାସନକୁ ଆଧାର ବୋଲି ଗ୍ରହଣ କରି ଆସିଥିବା ଗାଆଁ ଆପଣାର ଶକ୍ତି ଓ ବିଧାୟକତ୍ୱ ବିଷୟରେ ଯଥେଷ୍ଟ ସଚେତ ରହିଥିଲା । କିନ୍ତୁ ବ୍ରିଟିଶ୍ ଅମଳରେ ପଞ୍ଚାୟତର ମେରୁଦଣ୍ଡ ଭାଙ୍ଗିଗଲା, ଗ୍ରାମ ଅର୍ଥନୀତି ଓ ସ୍ୱାବଲମ୍ବନର ମେରୁଦଣ୍ଡ ମଧ୍ୟ ଭାଙ୍ଗିଗଲା । ଏହି ସମୟରେ ହୁଏତ ଅନେକ ଗ୍ରାମରେ ପଞ୍ଚାୟତ ବଞ୍ଚିରହିଥିଲା, ମାତ୍ର ନାମକୁ ମାତ୍ର ବଞ୍ଚିରହିଥିଲା । କେତେକ ବଦାନ୍ୟ ବ୍ରିଟିଶ ଶାସକ ହୁଏତ ଅନେକ ଶୁଭେଚ୍ଛା ନେଇ ପଞ୍ଚାୟତଗୁଡ଼ିକର ପୁନରୁଦ୍‌ଭବ ଲାଗି ନୂଆ ଆଇନ୍ ଜାରି କରିଥିଲେ, କେତେକ ଗାଆଁରେ ସରକାରୀ ଉଦ୍ୟମରେ ପଞ୍ଚାୟତମାନେ ତିଆରି ବି ହୋଇଥିଲା । ମାତ୍ର ପରାଧୀନ ଦେଶରେ ସେଗୁଡ଼ିକ ଯେ ଗ୍ରାମସ୍ତରରେ ଯଥାର୍ଥ ସ୍ୱାୟତ୍ତଶାସନର ଏକକରୂପେ କାମ କରି ପାରିଥାନ୍ତେ, ଏକଥା ଭାବିବା ଆମ ପକ୍ଷରେ ନିର୍ବୋଧତା ହିଁ ହେବ । ମହାତ୍ମାଗାନ୍ଧୀ ଆପଣାର ଦେଶନିର୍ମାଣମୂଳକ ନାନା କାର୍ଯ୍ୟକ୍ରମରେ ପଞ୍ଚାୟତର ପୁନରୁଦ୍ଧାର କରିବାକୁ ଅନ୍ୟତମ ଆବଶ୍ୟକତା ବୋଲି ମାନିଥିଲେ । ତତ୍‌କାଳୀନ ପଞ୍ଚାୟତଗୁଡ଼ିକୁ ସେ ପ୍ରଧାନତଃ ଅଶିକ୍ଷିତ ଓ ପକ୍ଷସମର୍ଥକ ବୋଲି ବର୍ଣ୍ଣନା କରିଥିଲେ । ଗାଆଁର ପୁନର୍ଗଠନ ଓ ପୁନର୍ଜାଗରଣ ଲାଗି ଯେ ସୁଯୋଗ୍ୟ ପଞ୍ଚାୟତମାନ ପ୍ରତିଷ୍ଠା କରିବା ଏକାନ୍ତ ଆବଶ୍ୟକ, ସେ ଏକଥା ସ୍ୱାଧୀନତାର ଅନେକ ପୂର୍ବରୁ କହିବାକୁ ଆରମ୍ଭ କରିଥିଲେ । ଗାଆଁ ପଞ୍ଚାୟତ ଗାଆଁର ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିଗରେ ଦୃଷ୍ଟି ଦେବ, ପୁଣି ଗାଆଁ ରେ ଉପୁଜୁଥିବା ବିବାଦଗୁଡ଼ିକର ବି ମୀମାଂସା କରିବ,-ଗାନ୍ଧିଜୀ ଆପଣାର ଜାତୀୟ କାର୍ଯ୍ୟକ୍ରମରେ ଏହି କଥାଟି ଉପରେ ସବୁବେଳେ ଜୋର୍ ଦେଉଥିଲେ ।

 

ସ୍ୱାଧୀନ ଭାରତର ସଂବିଧାନ ମଧ୍ୟ ଗାଆଁରେ ପଞ୍ଚାୟତଗୁଡ଼ିକର ପୁନର୍ସ୍ଥାପନା କରି ସ୍ୱାୟତ୍ତଶାସନର ଏକକ ହିସାବରେ ସେଗୁଡ଼ିକର ବିକାଶ କରାଇବାକୁ ପରାମର୍ଶ ଦେଇଥିଲା । ସଂବିଧାନ ଦ୍ୱାରା ରାଷ୍ଟ୍ର ଓ ରାଜ୍ୟସ୍ତରରେ ଯେଉଁ ପ୍ରଜାତାନ୍ତ୍ରିକ ଛାଞ୍ଚର ଶାସନ ପ୍ରବର୍ତ୍ତିତ ହେଲା, ସେଥିଲାଗି ଯେ ଗ୍ରାମସ୍ତରରେ ମଧ୍ୟ ଏକ ଅନୁରୂପ ଆଧାର ରହିବା ଉଚିତ, ଏକଥା ସମସ୍ତେ ଅନୁଭବ କଲେ । ଏଣୁ ଗାଆଁ ମାନଙ୍କରେ ସରକାରୀ ଉଦ୍ୟମରେ ପଞ୍ଚାୟତମାନ ଗଢ଼ାହେଲା । ପ୍ରଥମ ପଞ୍ଚବର୍ଷୀୟ ଯୋଜନା ଶେଷହେଲାବେଳକୁ ଭାରତବର୍ଷରେ ଆଇନତଃ ମୋଟ ୧୨୩୬୭୦ଟି ପଞ୍ଚାୟତ କାର୍ଯ୍ୟ କରୁଥିଲା । ଦ୍ୱିତୀୟ ଯୋଜନାର ଅବଧି ଦେଶର ପ୍ରତ୍ୟେକ ଗାଆଁରେ ପଞ୍ଚାୟତ ଗଠନ କରିବାଲାଗି ଅଭିଳାଷ ରଖାଯାଇଥିଲା । ତଥାପି ସେତେବେଳେ ମଧ୍ୟ ଏହି ପଞ୍ଚାୟତଗୁଡ଼ିକ ଗ୍ରାମସମୁଦାୟର ଦାୟିତ୍ୱସମ୍ପନ୍ନ ପ୍ରତିନିଧିତ୍ୱ କରୁଥିଲେ ବୋଲି କୁହାଯାଇ ପାରିବନାହିଁ । ଏକ ସରକାରୀ ରିପୋର୍ଟ୍‍ର କହିବା ଅନୁସାରେ, ‘‘ଏକଥା ସତ ଯେ ଗତ କେତେବର୍ଷ ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ପଞ୍ଚାୟତ ଅନୁଷ୍ଠାନର ପୁନଃପ୍ରବର୍ତ୍ତନ କରିବାରେ ଅନେକ ପ୍ରଗତି ଅବଶ୍ୟ ହୋଇଚି ଏବଂ କେତେକ କ୍ଷେତ୍ରରେ ସୁସ୍ଥ ବିକାଶ ମଧ୍ୟ ଦୃଷ୍ଟିଗୋଚର ହେଉଚି । କିନ୍ତୁ ତଥାପି ଅଧିକସଂଖ୍ୟକ ପଞ୍ଚାୟତ ବଡ଼ ଦୁର୍ବଳ ହୋଇ ରହିଚନ୍ତି ଏବଂ ଏଗୁଡ଼ିକର ସ୍ଥାୟିତ୍ୱ ସମ୍ବନ୍ଧରେ ସଂଶୟ କରିବାକୁ ମଧ୍ୟ ଅନେକ କାରଣ ରହିଚି ।’’

 

ଗ୍ରାମ-ସ୍ୱାୟତ୍ତଶାସନର ଅନ୍ୟାନ୍ୟ ଅନୁଷ୍ଠାନମାନ ଏହାଠାରୁ ଆଦୌ ଭଲ ଅବସ୍ଥାରେ ନଥିଲେ । ଜିଲ୍ଲାବୋର୍ଡ଼ ଗୁଡ଼ିକ ପ୍ରାୟ ନିଷ୍କ୍ରିୟ ଓ ଅକର୍ମଣ୍ୟ ଅବସ୍ଥାରେ ପଡ଼ିରହିଥିଲେ । ଜିଲ୍ଲାର ଅର୍ଥାତ୍ ଗ୍ରାମାଞ୍ଚଳର ବିକାଶରେ ଜନସାଧାରଣଙ୍କର କୌଣସି ଦାୟିତ୍ୱ ନଥିଲା, କୌଣସି ହାତ ମଧ୍ୟ ନଥିଲା । ପ୍ରତ୍ୟେକ ବ୍ଳକ୍‌ରେ ବେସରକାରୀ ପରାମର୍ଶଦାତା କମିଟି ରହିଥିଲା, କିନ୍ତୁ କମିଟିର ସଦସ୍ୟମାନେ ଯଥେଷ୍ଟ ଆଗ୍ରହ ପ୍ରକାଶ କରି କମିଟିର ବୈଠକକୁ ଆସୁନଥିଲେ, ବିକାଶକାର୍ଯ୍ୟରେ ସେମାନଙ୍କୁ ଅଧିକରୁ ଅଧିକ ସଂପୃକ୍ତ କରିବା ଦିଗରେ ମଧ୍ୟ ସରକାରୀ ବ୍ଳକ୍‌ବିଭାଗ ତରଫରୁ କୌଣସି ଆଗ୍ରହ ଦେଖାଇବାର ଖୁବ୍ ବେଶୀ କାରଣ ନଥିଲା । ଯୋଜନା ଗଢ଼ିବାର ଦାୟିତ୍ୱ ସରକାରଙ୍କର ଥିଲା, ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ମଧ୍ୟ ବ୍ଳକ୍‌ରେ ରହିଥିବା ସରକାରୀ କର୍ମଚାରୀଙ୍କର ଥିଲା । ତେଣୁ ଉଭୟ ପକ୍ଷରୁ ହୋଇଥିବା ଏକ ପରୋକ୍ଷ ରାଜିନାମା ଓ ବୁଝାମଣା ଅନୁସାରେ ପରାମର୍ଶଦାତାମାନେ କେବଳ ପରାମର୍ଶ ହିଁ ଦେଉଥିଲେ । ବ୍ଳକ୍ ତରଫରୁ ସରକାରୀ ଅଧିକାରୀମାନେ ସେମାନଙ୍କୁ ପରାମର୍ଶଦାତା ହିସାବରେ ଡାକିଆଣି ସେମାନଙ୍କୁ ହୁଏତ ପ୍ରକାରାନ୍ତରେ କିଞ୍ଚିତ୍ ଉପକୃତ କରୁଥିବାପରି ଅନୁଭବ କରୁଥିଲେ । ଗ୍ରାମର ଯୋଜନା ଯେ ଗ୍ରାମବାସୀ ବା ସେମାନଙ୍କର ପ୍ରତିନିଧିମାନଙ୍କ ଦ୍ୱାରା ଅଧିକ ସୁଯୋଗ୍ୟ ଓ ନିପୁଣ ଭାବରେ ତିଆରି ହୋଇପାରିବ, ସରକାରୀ ବିଦ୍ୱାନ୍ ଓ ପ୍ରବୀଣମାନେ ଯେତେ ସଦ୍‌ଭାବ ରଖିଥିଲେ ମଧ୍ୟ ତଥାପି ଯେ ଗ୍ରାମର ଆବଶ୍ୟକତା ଓ ସମ୍ଭାବନାଗୁଡ଼ିକୁ ଯଥାର୍ଥ ମହତ୍ତ୍ୱ ଓ ବାସ୍ତବଦୃଷ୍ଟି ଦେଇ କଦାପି ବୁଝି ପାରିବେନାହିଁ, ସେତେବେଳେ ହୁଏତ କେହି ଏକଥା ହୃଦୟଙ୍ଗମ କରିପାରୁନଥିଲେ ।

 

Unknown

ମେହେଟ୍ଟା କମିଟି ମତଦେଇ କହିଥିଲେ ଯେ ପୂର୍ବରୁ କାର୍ଯ୍ୟକରି ଆସୁଥିବା ଜିଲ୍ଲାବୋର୍ଡ଼ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ପ୍ରକୃତରେ କୌଣସି ଆବଶ୍ୟକତା ପୂରଣ କରୁନାହାନ୍ତି । ଗ୍ରାମାଞ୍ଚଳରେ ଯେତେ ଯାହା ବିକାଶ-କାର୍ଯ୍ୟ କରାଯାଉଚି, ତାହାର ସଂଯୋଜନା ଓ ପରିଚାଳନା କରିବାଲାଗି ଜିଲ୍ଲାସ୍ତରରେ ଗୋଟିଏ ଗଣତାନ୍ତ୍ରିକ ତଥା ପ୍ରତିନିଧିମୂଳକ ଅନୁଷ୍ଠାନ ରହିବା ଏକାନ୍ତ ଆବଶ୍ୟକ ବୋଲି କମିଟି ଅନୁଭବ କରିଥିଲେ । ରାଷ୍ଟ୍ରସ୍ତରରେ ଭାରତରେ ଲୋକସଭା ରହିଚି, ରାଜ୍ୟସ୍ତରରେ ବିଧାନସଭା ରହିଚି, କିନ୍ତୁ ଜିଲ୍ଲାର ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ତରରେ ବିକାଶ ତଥା ଶାସନକ୍ଷେତ୍ରରେ ଲୋକମତ ଓ ଲୋକମନାସର ପ୍ରତିନିଧିତ୍ୱ କରିବାଭଳି କୌଣସି ସଂସ୍ଥା ନାହିଁ । ଜିଲ୍ଲାର ଶାସନ ଓ ଜିଲ୍ଲାର ଉନ୍ନୟନ କହିଲେ ଆମେ ସାଧାରଣତଃ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ହିଁ ବୁଝୁଚୁ । ଜିଲ୍ଲାସ୍ତରରେ ଲୋକମାନେ ସକଳ ଯୋଜନା ଓ ସକଳ ଦାୟିତ୍ୱରୁ ବଞ୍ଚିତ ହୋଇ ରହିଚନ୍ତି । ସରକାରୀ ମାଜିଷ୍ଟ୍ରେଟ୍‌ଙ୍କ ହାତରେ ଯେଉଁସବୁ କ୍ଷମତା ଠୁଳ ହୋଇ ରହିଚି, ତାହାକୁ କେତେକ ପରିମାଣରେ ବିକେନ୍ଦ୍ରିତ କରି ଦିଆଯାଇ ଜିଲ୍ଲାରେ ଏକ ଲୋକପ୍ରତିନିଧିମୂଳକ ସଂସ୍ଥା ରହିଲେ ଦେଶର ଗ୍ରାମାଞ୍ଚଳରେ ସ୍ୱାୟତ୍ତଶାସନ ଦୃଢ଼ତର ହୋଇ ପ୍ରତିଷ୍ଠିତ ହୋଇପାରିବ ଓ ବିକାଶ ଲାଗି ଲୋକୋଦ୍ୟମର ଅଧିକତର ସହଯୋଗ ମିଳିପାରିବ ବୋଲି ମେହେଟ୍ଟା କମିଟି ପରାମର୍ଶ ଦେଇଥିଲେ । ଏଥିରେ କେବଳ ସତ୍ତାର ବିକେନ୍ଦ୍ରୀକରଣ ହେବନାହିଁ, ସରକାରୀ ଅର୍ଥରାଶିର ମଧ୍ୟ ବିକେନ୍ଦ୍ରୀକରଣ ହେବ । ସେତେବେଳେ କେତେକ ବ୍ୟକ୍ତି ସାବଧାନ କରାଇଦେଇ କହିଥିଲେ ଯେ ଜିଲ୍ଲାସ୍ତରରେ ସରକାରୀ ଶାସନକୁ ବିକେନ୍ଦ୍ରିତ କରିରଖିଲେ ତଦ୍ଦ୍ୱାରା ଦୁର୍ନୀତି ବଢ଼ିବ, ଶାସନ ନାମରେ ଅନେକ ଅଯୋଗ୍ୟ ଓ ଅଦକ୍ଷ ବ୍ୟକ୍ତିଙ୍କର ଦୌରାତ୍ମ୍ୟ ମଧ୍ୟ ସହିବାକୁ ପଡ଼ିବ । ଉତ୍ତର ଦେଇ ମେହେଟ୍ଟା କମିଟି କହିଥିଲେ, ସ୍ଥାନୀୟ ସ୍ତରର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକରେ ଅଯୋଗ୍ୟତା ଓ ଦୁର୍ନୀତି କଦାପି ସ୍ଥାୟୀ ହୋଇ ରହିବ ନାହିଁ ଏବଂ ଏହି ସଂସ୍ଥାଗୁଡ଼ିକୁ ପ୍ରକୃତ ସ୍ୱାତନ୍ତ୍ର୍ୟ ଓ ଭୁଲ କରି ଭୁଲରୁ ଶିଖିବାର ସ୍ୱାଧୀନତା ଓ ଅବସର ଦିଆଗଲେ, ସେମାନେ ଯଥାର୍ଥ ଦକ୍ଷତାର ସହିତ ଅବଶ୍ୟ କାର୍ଯ୍ୟ କରିପାରିବେ ।

 

ଏହି ସୁପାରିଶ ଅନୁସାରେ ବ୍ଳକ୍‌କୁ ହିଁ ଯୋଜନା ତିଆରି କରିବାର ଏକକ ମାନିନିଆଗଲା । ଗ୍ରାମ, ବ୍ଳକ୍ ଓ ଜିଲ୍ଲା ଏହି ତିନୋଟି ସ୍ତରକୁ ସ୍ୱାୟତ୍ତଶାସନ ବା ପଞ୍ଚାୟତୀ ରାଜର ତିନୋଟି ପାହିଆ ପରି ସ୍ୱୀକାର କରାଗଲା । ପ୍ରଥମ ସ୍ତରରେ ଗାଆଁରେ ଗାଆଁ ଲୋକଙ୍କର ନିର୍ବାଚିତ ଗ୍ରାମ ପଞ୍ଚାୟତ ରହିବ, ବ୍ଳକ୍ ସ୍ତରରେ ଗ୍ରାମରୁ ଜଣେ ଜଣେ ପ୍ରତିନିଧି ନେଇ ପଞ୍ଚାୟତ ସମିତି ଗଠିତ ହେବ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ରହିବ । ଏହି ସୁପାରିଶ ଦ୍ୱାରା ଶାସନ ସମ୍ପର୍କୀୟ ମହଲରେ ପ୍ରଥମେ ବଡ଼ ଚହଳ ପଡ଼ିଯାଇଥିଲା । କାରଣ ଶାସନ କହିଲେ ଯେଉଁମାନେ ସାଧାରଣତଃ ଉପରଆଡ଼ୁ ତଳକୁ ବହିଆସୁଥିବା ଏକ କ୍ଷମତାମୂଳକ ବ୍ୟବସ୍ଥାକୁ ବୁଝିବାରେ ଅଭ୍ୟସ୍ତ ହୋଇ ଆସିଥିଲେ, ସେମାନେ ପ୍ରଥମେ ତଳସ୍ତରର ପ୍ରତିନିଧିତ୍ୱ ଉପରେ ଆଧାରିତ ଏକ ଜାତୀୟ ଶାସନର ବାସ୍ତବିକତାକୁ ହଜମ କରି ପାରିଲେନାହିଁ ।

 

କେତେକ ସମୀକ୍ଷକ ପଞ୍ଚାୟତୀରାଜକୁ ଗଣତନ୍ତ୍ରର ପ୍ରାଥମିକ ବିଦ୍ୟାଳୟ ବୋଲି କହିଚନ୍ତି । ଗ୍ରାମବାସୀ ଆପଣା ଗାଆଁର ଶାସନ, ବିକାଶ ଓ ବ୍ୟବସ୍ଥାରେ ସକ୍ରିୟ ଅଂଶ ଗ୍ରହଣ କରି ଆଧାରଭୂତ ପ୍ରତିନିଧି-ଶାସନର ଏହି ସ୍ତମ୍ଭଗୁଡ଼ିକ ଉପରେ ଭାରତୀୟ ଗଣରାଷ୍ଟ୍ରର ପ୍ରାସାଦକୁ ସ୍ଥାପନ କରି ରଖିପାରିବେ, ଏହି ସାହସିକ ଅଭିଳାଷ ନେଇ ପଞ୍ଚାୟତୀରାଜର ଉଦ୍ଭବ ହୋଇଚି, ଲୋକମାନଙ୍କ ହାତରେ ସ୍ଥାନୀୟ ଶାସନର ନାନା ଦାୟିତ୍ୱକୁ ଅର୍ପଣ କରି ଦିଆଯାଇଚି । ଜିଲ୍ଲା ଓ ନିମ୍ନତର ସ୍ତରରେ ଜନସାଧାରଣ ଦେଶର ସରକାରୀ ଅମଲାତନ୍ତ୍ରକୁ ଯେପରି ଅଧିକ ଅକ୍ତିଆରରେ ରଖିପାରିବେ ଓ ସେମାନଙ୍କୁ ଅଧିକ ଦକ୍ଷଭାବରେ ଜିଲ୍ଲାର ବିକାଶକାର୍ଯ୍ୟରେ ଲଗାଇପାରିବେ, ସେହି ଉଦ୍ଦେଶ୍ୟରେ ଏହାର ପ୍ରତିଷ୍ଠା ହୋଇଚି । ସାମୁଦାୟିକ ବିକାଶ-ବିଭାଗର ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ୧୯୬୧ ମସିହାରେ ଭାଷଣରେ କହିଚନ୍ତି ଯେ ପଞ୍ଚାୟତୀରାଜ କେବଳ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆସି ସେଇଠି ଅଟକି ରହିବ ନାହିଁ ଦେଶର ଜନସାଧାରଣ ଅଧିକ ଦାୟିତ୍ୱସମ୍ପନ୍ନ ଭାବରେ ସ୍ୱାୟତ୍ତଶାସନର କର୍ତ୍ତବ୍ୟମାନ ସମ୍ପନ୍ନ କରିବାରେ ଅଧିକ ଶିକ୍ଷିତ ହେବା ସଙ୍ଗେସଙ୍ଗେ ବିଭିନ୍ନ ଜିଲ୍ଲାପରିଷଦରୁ ପ୍ରତିନିଧି ନେଇ ରାଜ୍ୟପରିଷଦମାନ ଗଠିତ ହେବ ଓ ରାଜ୍ୟ ପରିଷଦର ପ୍ରତିନିଧିମାନେ ରାଷ୍ଟ୍ରସ୍ତରରେ ଜାତୀୟ ସରକାର ଗଠନ କରିବେ । ଏହି ଅଭିଳାଷକୁ ଆମେ ଆଦୌ ଏକ କ୍ଷୁଦ୍ର ଅଭିଳାଷ ବୋଲି କହି ପାରିବାନାହିଁ, କାରଣ ଏହି ବ୍ୟବସ୍ଥାଟିକୁ ଗ୍ରହଣ କଲେ ବର୍ତ୍ତମାନ ରାଜନୀତି ଓ ନିର୍ବାଚନ-ନୀତିରେ ଅନେକ ବୈପ୍ଳବିକ ପରିବର୍ତ୍ତନ ବି ସମ୍ଭବ ହୋଇପାରିବ, ପୃଥିବୀରେ ଗଣତନ୍ତ୍ର ବା ଲୋକଶାସନର ଇତିହାସରେ ଏକ ଅଭିନବ ଘଟଣା ଘଟିବ । ତିନିପାହିଆବିଶିଷ୍ଟ ପଞ୍ଚାୟତୀ-ରାଜର ଅଯଥେଷ୍ଟତା ଦର୍ଶାଇ ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ଗୋଟିଏ ପ୍ରବନ୍ଧରେ (୧୬) କହିଚନ୍ତି ଯେ, ବର୍ତ୍ତମାନ ଏହି ବ୍ୟବସ୍ଥାକୁ କେବଳ ଜିଲ୍ଲାସ୍ତର ପର୍ଯ୍ୟନ୍ତ କାୟମ କରାଯାଉଚି । ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରକୃତିର ଶାସନ-ସଂଗଠନ ରହିଚି ଓ ହୁଏତ ଆହୁରି ଅନେକ ଦିନଯାଏ ରହିଥିବ । ଏପରି ବ୍ୟବସ୍ଥାଦ୍ୱାରା ରାଜ୍ୟ ଓ ରାଷ୍ଟ୍ରସ୍ତରରେ ଶାସନ ସୌଧ କେବଳ ଏକ ବାଲିଗଦା ଉପରେ ଆଶ୍ରୟ କରି ରହିଥିବ ।

 

ରାଷ୍ଟ୍ରୀୟ ସ୍ତରରେ ଏକ ଜନମଙ୍ଗଳ ରାଷ୍ଟ୍ରର ସ୍ଥାପନା କରିବା ଯେପରି ସରକାରଙ୍କର ଉଦ୍ଦେଶ୍ୟ ବୋଲି ଘୋଷିତ ହୋଇଚି, ସେହିପରି ଗ୍ରାମପଞ୍ଚାୟତ ଗ୍ରାମର କଲ୍ୟାଣ ଓ ସର୍ବାଙ୍ଗୀନ ବିକାଶକୁ ଆପଣାର ଉଦ୍ଦେଶ୍ୟରୂପେ ଗ୍ରହଣ କରିବ । ପଣ୍ଡିତ ନେହରୁଙ୍କର ଭାଷାରେ, ‘‘ଗାଆଁରେ ବାସକରୁଥିବା ପ୍ରତ୍ୟେକ ବ୍ୟକ୍ତିର ଅଭାବ ଓ ଆବଶ୍ୟକତା-ପୂରଣ ପଞ୍ଚାୟତୀ ରାଜ ସଂସ୍ଥାଗୁଡ଼ିକର ଦାୟିତ୍ୱ ହୋଇ ରହିବ । ଗାଆଁରେ କେହି ରୋଗ ଭୋଗିବେ ନାହିଁ, କେହି କାମ ଅଭାବରୁ ବେକାର ହୋଇ ବସିବେନାହିଁ ବା ଅନ୍ୟ କୌଣସି ପ୍ରକାରେ ଅସମର୍ଥ ହୋଇ ରହିବେନାହିଁ । ପଞ୍ଚାୟତୀରାଜ ସଂସ୍ଥାମାନ ଏ ବିଷୟରେ ଗ୍ରାମବାସୀଙ୍କର ମାଆ ପରି କାର୍ଯ୍ୟ କରିବ ।’’ ପଞ୍ଚାୟତୀରାଜର ନୂତନ ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ସାମୁଦାୟିକ ବିକାଶର ସକଳ ଦାୟିତ୍ୱକୁ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ଉପରେ ସମର୍ପଣ କରିଦିଆଯାଇଚି । ସାମୁଦାୟିକ ବିକାଶର ଉଦ୍ଦେଶ୍ୟ ଯାହାସବୁ ଥିଲା, ବର୍ତ୍ତମାନ ପଞ୍ଚାୟତୀରାଜ ସେଗୁଡ଼ିକୁହିଁ ଉଦ୍ଦେଶ୍ୟରୂପେ ଗ୍ରହଣ କରିନେଇଚି । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେ ଆପଣାର ଗୋଟିଏ ପୁସ୍ତିକାରେ ଦୁଇଟି ପର୍ଯ୍ୟାୟର ସମନ୍ୱୟ କରିବାକୁ ଚେଷ୍ଟା କରି ସାମୁଦାୟିକବିକାଶକୁ ଉଦ୍ଦେଶ୍ୟ ଓ ପଞ୍ଚାୟତୀ ରାଜକୁ ମାର୍ଗବୋଲି କହିଚନ୍ତି ।

 

୧୯୬୧ ମସିହା ଜୁଲାଇ ମାସରେ ହାଇଦ୍ରାବାଦଠାରେ ବସିଥିବା ସାମୁଦାୟିକ ବିକାଶ ସମ୍ମିଳନୀରେ ନିମ୍ନଲିଖିତ ଦଶୋଟି କଥାକୁ ସଫଳ ପଞ୍ଚାୟତୀରାଜର କଷଟିରୂପେ ଗ୍ରହଣ କରାଯାଇଚି : ।।୧।। ଜାତୀୟ ଯୋଜନାରେ କୃଷି-ଉତ୍ପାଦନ ବୃଦ୍ଧିକୁ ପ୍ରଥମ ଲକ୍ଷ୍ୟ ବୋଲି ଗ୍ରହଣ କରି ପଞ୍ଚାୟତୀ-ରାଜ ଏହି କ୍ଷେତ୍ରରେ ଆଶାନୁରୂପ ସଫଳତା ଅର୍ଜନ କରିପାରୁଥିବ । ।।୨।। ଗ୍ରାମରେ କ୍ଷୁଦ୍ରଶିଳ୍ପ ଓ ଗୃହଶିଳ୍ପର ବିକାଶ ହେବ । ।।୩।। ସମବାୟ ଅନୁଷ୍ଠାନଗୁଡ଼ିକର ବିକାଶ ହେବ । ।।୪।। ସ୍ଥାନୀୟ ପୁଞ୍ଜି ଓ ସ୍ଥାନୀୟ କଞ୍ଚାମାଲର ପ୍ରକୃଷ୍ଟ ବ୍ୟବହାର କରାଯାଉଥିବ । କୌଣସି ବ୍ୟକ୍ତି ଯେପରି କାମ ଅଭାବରୁ ବେକାର ବସି ନରହିବେ ସେଥିଲାଗି ସବୁମନ୍ତେ ଦୃଷ୍ଟି ଦିଆଯିବ । ।।୫।। ପଞ୍ଚାୟତୀରାଜ ହାତରେ ଯେତେ ଅର୍ଥ ରହିଥିବ, ଯେତେ ଜଣ କର୍ମୀ ବା କର୍ମଚାରୀ ରହିଥିବେ, ଉପର ସ୍ତରରୁ ଯେଉଁସବୁ ବୈଷୟିକ ସାହାଯ୍ୟ ଓ ସୁଯୋଗ ସୁବିଧା ମିଳୁଥିବ, ସେଗୁଡ଼ିକର ପରିପୂର୍ଣ୍ଣ ଉପଯୋଗ ହେଉଥିବ । ।।୬।। ଗ୍ରାମସମୁଦାୟମାନଙ୍କରେ ଅପେକ୍ଷାକୃତ ଅସ୍ୱଚ୍ଛଳ ଅବସ୍ଥାପନ୍ନ ଗୋଷ୍ଠୀମାନଙ୍କୁ ଆବଶ୍ୟକ ସହାୟତା ଦିଆଯାଉଥିବ । ।।୭।। ପ୍ରଶାସନ ଓ କର୍ତ୍ତୃତ୍ୱକୁ କାର୍ଯ୍ୟାନ୍ୱିତ କରିବାରେ କୌଣସି କାଳକ୍ଷେପଣ ହେଉନଥିବ । ଉଦ୍ୟମରେ କୌଣସି ହେଳା ନଥିବ । ସ୍ଥାନୀୟ ବେସରକାରୀ ସଂସ୍ଥାଗୁଡ଼ିକୁ ସର୍ବୋତ୍କୃଷ୍ଟ ଭାବରେ ବିକାଶ କାର୍ଯ୍ୟରେ ବ୍ୟବହାର କରାଯାଉଥିବ । ।।୮।। ଏଥିରେ କାର୍ଯ୍ୟ କରୁଥିବା ଲୋକପ୍ରତିନିଧି ଓ ଲୋକସେବକ (ସରକାରୀ କର୍ମଚାରୀ)ଙ୍କ ସମ୍ବନ୍ଧରେ କୌଣସି ଅସମଞ୍ଜସତା ନଥିବ । ସେମାନେ ପରସ୍ପର ସହିତ ସହଯୋଗ କରି ସାଧାରଣ ଉଦ୍ଦେଶ୍ୟରେ ଦକ୍ଷଭାବରେ କାର୍ଯ୍ୟ କରି ପାରୁଥିବେ । ସେହି ଅନୁସାରେ ସେମାନଙ୍କୁ ଉପଯୁକ୍ତ ତାଲୀମ ଓ ଶିକ୍ଷା ଦିଆଯାଇଥିବ । ପ୍ରତ୍ୟେକ ପକ୍ଷର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଯଥେଷ୍ଟ ସ୍ପଷ୍ଟ କରି ନିଶ୍ଚିତ କରିଦିଆଯାଇଥିବ । ।।୯।। ସରକାରୀ ଓ ବେସରକାରୀ କର୍ମକୌଶଳ ଦିନକୁଦିନ ବୃଦ୍ଧି ପାଉଥିବ । ।।୧୦।। ଗ୍ରାମସମୁଦାୟମାନଙ୍କରେ ବାସକରୁଥିବା ଲୋକମାନଙ୍କ ମଧ୍ୟରେ ଏକତା ଓ ପରସ୍ପର–ନିର୍ଭରତା ରହିଥିବ । ସେମାନେ ପରସ୍ପର ସହିତ ସହଯୋଗ କରି ଆପଣାର ଉନ୍ନୟନ ଆପେ କରିବାକୁ ସର୍ବଦା ଉତ୍ସୁକ ରହିଥିବେ । (୧୭)

 

ମୋଟ ଉପରେ କହିବାକୁ ଗଲେ ସାମୁଦାୟିକ ବିକାଶ ଓ ଗଣତାନ୍ତ୍ରିକ ଶାସନ ଜରିଆରେ ଭାରତରେ ଯେଉଁ ସାମାଜିକ ବିପ୍ଳବ ସମ୍ଭବ କରାଇ ହିଂସାତ୍ମକ ବିପର୍ଯ୍ୟୟକୁ ଏଡ଼ିବାର ସ୍ୱପ୍ନ ଦେଖାଯାଉଚି, ଅଙ୍କୁର–ସ୍ତରରେ ପଞ୍ଚାୟତୀରାଜ ସେହି ବିପ୍ଳବର ନିମିତ୍ତ ହୋଇ ରହିବ । ଦେଶ ବଦଳୁଚି ବୋଲି ଜାଣିବାକୁ ହେଲେ ଆମ ଦେଶରେ ରହିଥିବା ଲକ୍ଷ ଲକ୍ଷ ଗାଆଁର ଜୀବନସ୍ତର ଓ ଦୃଷ୍ଟିକୋଣ ବଦଳିଯାଉଚି ବୋଲି ପ୍ରମାଣ ପାଇବାକୁ ପଡ଼ିବ । ପଞ୍ଚାୟତ ସବୁ ସଦସ୍ୟ ଗଣତନ୍ତ୍ରର ନିୟମ ଅନୁସାରେ ଗ୍ରାମବାସୀମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିବେ ବୋଲି ସାଧାରଣ ନିୟମ ରହିଥିଲେ ମଧ୍ୟ ରାଜ୍ୟ ଓ ପରିସ୍ଥିତି ବିଶେଷରେ ବିଶେଷ କେତେକ ଶ୍ରେଣୀରୁ କେତେଜଣ ସଭ୍ୟ ମନୋନୀତ କରିନେବାର ପରମ୍ପରା ବି ରହିଚି । ବିଭିନ୍ନ ରାଜ୍ୟରେ ପ୍ରତି ତିନି ବା ଚାରିବର୍ଷରେ ଗ୍ରାମପଞ୍ଚାୟତ ନିର୍ବାଚନ କରିବାର ବିଧି ରହିଚି । ଦ୍ୱିତୀୟ ପାହିଆ ଅର୍ଥାତ୍ ପଞ୍ଚାୟତ ସମିତିର ପାହିଆରେ ପ୍ରତ୍ୟେକ ପଞ୍ଚାୟତର ପ୍ରତିନିଧିମାନଙ୍କ ବ୍ୟତୀତ ସମବାୟ ଅନୁଷ୍ଠାନ ଓ ବିଧାନସଭାର ସଭ୍ୟମାନେ ମଧ୍ୟ ସଦସ୍ୟରୂପେ ନିଆ ଯାଉଛନ୍ତି । ମହିଳା, ତଫସିଲଭୁକ୍ତ ଜାତି ବା ଆଦିବାସୀମାନଙ୍କ ମଧ୍ୟରୁ ସଭ୍ୟ ମନୋନୟନ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ସରକାରଙ୍କ ତରଫରୁ ବି.ଡ଼ି.ଓ ଜଣେ ମେମ୍ବର ରହୁଚନ୍ତି ଓ ପଞ୍ଚାୟତ ସମିତିର ସେକ୍ରେଟାରି ହିସାବରେ କାର୍ଯ୍ୟ ଚଳାଉଚନ୍ତି । ଜିଲ୍ଲାସ୍ତରର ଅନ୍ୟାନ୍ୟ ସରକାରୀ ଅଫିସରମାନେ ମଧ୍ୟ ସମିତିର ବୈଠକରେ ଯୋଗ ଦେଇ ପାରିବାର ନିୟମ ରହିଛି । କେତେ ରାଜ୍ୟରେ ବିଧାନସଭାର ସଦସ୍ୟମାନେ ପଞ୍ଚାୟତ ସମିତିର ସଦସ୍ୟ ଅଛନ୍ତି, ମାତ୍ର ସେମାନଙ୍କୁ ମତଦାନର ଅଧିକାର ଦିଆଯାଇନାହିଁ । ପଞ୍ଚାୟତ ସମିତିର ଛାଞ୍ଚ ଅନୁସାରେ ଜିଲ୍ଲାପରିଷଦ ମଧ୍ୟ ସଂଗଠିତ ହୋଇଚି ।

 

ଗ୍ରାମସ୍ତରରେ ଗ୍ରାମରେ ରହିଥିବା ତିନୋଟି ସଂସ୍ଥାକୁ ପଞ୍ଚାୟତୀରାଜର ତିନୋଟି ମୌଳିକ ସଂସ୍ଥାରୂପେ ସ୍ୱୀକାର କରାଯାଇଚି । ଏହି ତିନୋଟି ସଂସ୍ଥା ହେଉଚନ୍ତି-ଗ୍ରାମପଞ୍ଚାୟତ, ଗ୍ରାମ-ବିଦ୍ୟାଳୟ ଓ ଗାଆଁର ସମବାୟ ସମିତି । ଗାଆଁର ସମଗ୍ର ଶାସନ ଗ୍ରାମ-ପଞ୍ଚାୟତ ଉପରେ ନ୍ୟସ୍ତ ରହିଚି । ଗ୍ରାମ-ବିଦ୍ୟାଳୟକୁ କେବଳ ପିଲାଙ୍କର ପାଠପଢ଼ିବା ଲାଗି ନୁହେଁ, ସମସ୍ତ ଗ୍ରାମସମୁଦାୟର ଶିକ୍ଷାଲାଗି ସାଧନରୂପେ ମାନିନେଇଚି ଏବଂ ଗାଆଁରେ ଥିବା ସମବାୟ ସମିତିକୁ ଗ୍ରାମର ଆର୍ଥିକ ଜୀବନର ଉନ୍ନାୟକ ଓ ବିଧାୟକରୂପେ କଳ୍ପନା କରାଯାଇଚି । ସମବାୟ ସମିତି କହିଲେ ଆଗରୁ ସାଧାରଣତଃ କରଜ ଦେଉଥିବା ସମିତିକୁ ହିଁ ବୁଝାଯାଉଥିଲା । କାରଣ ଭାରତବର୍ଷରେ ସ୍ଥାପିତ ହୋଇଥିବା ସମବାୟ ସମିତିମାନେ କରଜ ଦେବା ବ୍ୟତୀତ ପ୍ରାୟ ଅନ୍ୟ କୌଣସି କାର୍ଯ୍ୟ କରୁନଥିଲେ । ଏବଂ, ଅନ୍ୟପ୍ରକାର ସମବାୟ ସମିତିମାନ ଦେଶରେ ଅବଶ୍ୟ କାର୍ଯ୍ୟ କରୁଚନ୍ତି, କିନ୍ତୁ ଯେଉଁମାନେ ଏହି ସମିତିର ସଭ୍ୟ ତାଲିକାର ଅନ୍ତର୍ଭୁକ୍ତ ରହିଛନ୍ତି, କେବଳ ସେହିମାନେ ହିଁ ସମିତି ଦ୍ୱାରା ଉପକୃତ ହେଉଚନ୍ତି । ଗାଆଁର ଦରିଦ୍ରତମ ଶ୍ରେଣୀ, ହରିଜନ, ଭୂମିହୀନ ଓ ଅନ୍ୟପ୍ରକାରେ ଅସମର୍ଥ ଲୋକମାନେ ସମବାୟ ଆନ୍ଦୋଳନ ଦ୍ୱାରା ଖୁବ୍ ବେଶୀ ଉପକୃତ ହେଉନାହାନ୍ତି । ପଞ୍ଚାୟତୀରାଜର ନୂତନ ଯୋଜନା ଅନୁସାରେ ସ୍ଥିର କରାଯାଉଚି ଯେ ଦେଶରେ ଯେତୋଟି ଗ୍ରାମପଞ୍ଚାୟତ ରହିବ, ସେତୋଟି ଗ୍ରାମ-ସମବାୟ ସମିତି ମଧ୍ୟ ରହିବ । କେବଳ ଔପଚାରିକ ସଭ୍ୟମାନଙ୍କର ହିତବ୍ୟବସ୍ଥା କରିବା ନୁହେଁ, ଗାଆଁରେ ବାସ କରୁଥିବା ସବୁ ଲୋକଙ୍କର ଆର୍ଥିକ ବିକାଶ ଏହି ସମିତିର ଲକ୍ଷ୍ୟ ହୋଇ ରହିବ । ଗାଆଁରୁ ବେକାର ସମସ୍ୟା ଦୂର କରିବା, ସୁବିଧା ଅନୁସାରେ ଗାଆଁରେ କୌଣସି ନା କୌଣସି ଉଦ୍ୟୋଗ ଚଳାଇବା, ମୋଟଉପରେ କହିବାକୁ ଗଲେ ଗାଆଁର ଲୋକଶକ୍ତି ଓ ଆବଶ୍ୟକତା ଦୃଷ୍ଟିରୁ ଗାଆଁର ଆର୍ଥିକ ଯୋଜନାମାନ ତିଆରି କରି ତାହାକୁ କାର୍ଯ୍ୟକାରୀ କରିବା ଗ୍ରାମ-ସମବାୟ ସମିତିର କାର୍ଯ୍ୟ ହେବ ।

 

ଗାଆଁର ସ୍କୁଲ ଗ୍ରାମ-ପଞ୍ଚାୟତର ତତ୍ତ୍ୱାବଧାନରେ ରହିବ । ଗ୍ରାମପାଠଶାଳାର ଶିକ୍ଷକ ଗ୍ରାମବିକାଶ ସମିତିର ଅନ୍ୟତମ ସଦସ୍ୟ ହୋଇ ଅବଶ୍ୟ ରହିବେ । ପଞ୍ଚାୟତର ଆନୁକୂଲ୍ୟରେ ଓ ଗ୍ରାମଶିକ୍ଷକଙ୍କର ନେତୃତ୍ୱରେ ଗ୍ରାମରେ ସାକ୍ଷରତା ଓ ସାମାଜିକ ଶିକ୍ଷାର ବ୍ୟବସ୍ଥା ମଧ୍ୟ ହେବ । ଏକ ସରକାରୀ ପ୍ରଚାର ପୁସ୍ତିକାର ଭାଷାରେ କହିବାକୁ ଗଲେ, ‘‘ଗ୍ରାମମୟ ଭାରତର ଆର୍ଥିକ ଓ ସାମାଜିକ ସୌଧକୁ ଆମେ ଏକ ତ୍ରିଭୁଜର ଭିତ୍ତି ଉପରେ ସ୍ଥାପନ କରି ରଖିବାକୁ ଚେଷ୍ଟା କରିବା । ଗ୍ରାମର ପାଠଶାଳା ଏହି ତ୍ରିଭୁଜର ଭୂମି ହୋଇ ରହିବ, ଗ୍ରାମପଞ୍ଚାୟତ ଓ ସମବାୟ ସମିତି ତାହାର ଦୁଇଟି ବାହୁ ହୋଇ ରହିବେ । ପ୍ରତ୍ୟେକ ବାହୁ ଅନ୍ୟଟିକୁ ସମ୍ଭାଳି ରଖିବେ ତଥା ପରସ୍ପର ସହଯୋଗରେ ସେମାନେ ଗ୍ରାମସମୁଦାୟକୁ ଦୃଢ଼, ପୁଷ୍ଟ ଓ ସୁବିକଶିତ କରିବାରେ ତତ୍ପର ହୋଇ ରହିବେ । ଗାଆଁରେ ଯେତେ ଯାହା ବିକାଶକାର୍ଯ୍ୟ ହେବ, ତାହା ସମଗ୍ର ଗ୍ରାମସମାଜର କଲ୍ୟାଣଲାଗି ହେବ । ଆଗରୁ ଗାଆଁର ପାଠଶାଳା ଯେପରି ଗ୍ରାମସମାଜର ଜୀବନଠାରୁ ବିଚ୍ଛିନ୍ନପ୍ରାୟ ହୋଇ ରହିଆସିଥିଲା, ବର୍ତ୍ତମାନ ସେହି ଅବସ୍ଥାର ଅନ୍ତ ହେବ । ଏଣିକି ଏହା ଗ୍ରାମସମୁଦାୟର ଏକ ଅବିଭାଜ୍ୟ ଅଙ୍ଗ ହୋଇ ରହିବ, ଗ୍ରାମର ଜୀବନ ତଥା ଗ୍ରାମର ସମସ୍ୟାଗୁଡ଼ିକ ସହିତ ଏହା ଘନିଷ୍ଟ ସମ୍ପର୍କ ରଖିବ । ସରକାରୀ ବା ବାହାରର ଆଉ କୌଣସି ବିଭାଗଦ୍ୱାରା ବସାହୋଇଥିବା ଏକ ଅଫିସଘର ପରି ଏହା ଆପଣାକୁ ମନେକରିବନାହିଁ । ଗ୍ରାମ-ପାଠଶାଳା ଓ ଗ୍ରାମ-ଶିକ୍ଷକ ଗ୍ରାମସମାଜକୁ ନେତୃତ୍ୱ ଦେବାକୁ ସମର୍ଥ ହେବେ ।’’

 

ଯୋଜନାକୁ ଆଗେ ଲୋକସାଧାରଣଙ୍କର ସହଯୋଗରେ ଏକ ସରକାରୀ ଯୋଜନା ବୋଲି କୁହାଯାଉଥିଲା । ବର୍ତ୍ତମାନ ପଞ୍ଚାୟତୀ-ରାଜ ବ୍ୟବସ୍ଥାରେ ଯୋଜନା ଲୋକସାଧାରଣଙ୍କର ହେବ, ସେହିମାନେ ହିଁ ବିକେନ୍ଦ୍ରିତ ବିକାଶସଂଗଠନର ବିଭିନ୍ନ ସ୍ତରରେ ଆପଣାର ଆବଶ୍ୟକତା ଅନୁସାରେ ଆପଣାଲାଗି ଯୋଜନା ତିଆରି କରିବେ, ସରକାର ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ପ୍ରଧାନତଃ ସହଯୋଗ କରିବେ । ଆଦର୍ଶ ଜନମଙ୍ଗଳ ରାଷ୍ଟ୍ର କହିଲେ ସାଧାରଣତଃ ଏହାହିଁ ବୁଝିବାକୁ ପଡ଼ିବ । ତେଣୁ ପଞ୍ଚାୟତୀ-ରାଜରେ ଲୋକସାଧାରଣ ଯୋଜନା ବନାଇବେ, ଜିଲ୍ଲାସ୍ତରର ଯୋଜନାମାନ ଏକାଠି ହୋଇ ରାଜ୍ୟର ତଥା ରାଷ୍ଟ୍ରର ଯୋଜନା ତିଆରି ହେବ । ବିକାଶକ୍ଷେତ୍ରରୁ ସରକାରୀ କର୍ମଚାରୀମାନେ ହଟିଯିବେନାହିଁ, ମାତ୍ର ସରକାରଙ୍କର ପ୍ରତିନିଧିତ୍ୱ କରି ଲୋକଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସହଯୋଗ ହିଁ କରିବେ । ଗାଆଁ ସ୍ତରରେ ଗ୍ରାମସେବକ ଗ୍ରାମପଞ୍ଚାୟତର ସେକ୍ରେଟାରୀ ହୋଇ ରହିବେ, କ୍ଷେତ୍ର ବା ବ୍ଳକ୍ ସ୍ତରରେ କ୍ଷେତ୍ରବିକାଶ ଅଧିକାରୀ ପଞ୍ଚାୟତ ସମିତିର ସେକ୍ରେଟାରୀ ହୋଇ ରହିବେ ।

 

ଭାରତର ଦୁଇଟି ପଡ଼ୋଶୀ ରାଜ୍ୟରେ ପଞ୍ଚାୟତ ବା ସମଗ୍ରତଃ ସ୍ଥାନୀୟ ଶାସନର ଆଧାର ଉପରେ ଜାତୀୟ ଶାସନ ଓ ଜାତୀୟ ରାଜନୀତିକ ବ୍ୟବସ୍ଥାକୁ ପ୍ରତିଷ୍ଠିତ କରିରଖିବାଲାଗି ଗତ କେତେବର୍ଷ ଧରି ଯେଉଁ ନିର୍ଦ୍ଦିଷ୍ଟ ପ୍ରୟାସମାନ କରାଯାଇଚି, ଏଠାରେ ତାହାର ଉଲ୍ଲେଖ ଓ ଆଲୋଚନା କଲେ ସମ୍ଭବତଃ ଖୁବ୍ ବେଶୀ ଅପ୍ରାସଙ୍ଗିକ ହେବନାହିଁ । ହିମାଳୟର ସୁରକ୍ଷା ଭିତରେ ସୁରକ୍ଷିତ ନେପାଳ ରାଜ୍ୟ ଦୀର୍ଘ ଅନେକ ବର୍ଷରୁ ରାଜା ଓ ରାଣୀଙ୍କର ଦ୍ୱନ୍ଦ୍ୱଯୁଦ୍ଧ ଲାଗି ସୁବିଦିତ ହୋଇ ରହିଥିଲା । ନେପାଳ କହିଲେ ଆଗେ ସାରା ସଂସାର ରାଜା, ରାଣା ଓ ଗୁର୍ଖାଫଉଜଙ୍କ ବ୍ୟତୀତ ହୁଏତ ଆଉ କିଛି ବୁଝୁନଥିଲା । ଭାରତର ସ୍ୱାଧୀନତା ଆସିବାପରେ ନେପାଳରେ ମଧ୍ୟ ଜନଜାଗରଣ ଆରମ୍ଭ ହେଲା । ନୂଆଯୁଗର ଗନ୍ଧ ବାରି ନେପାଳର ରାଜା ଲୋକପ୍ରତିନିଧି-ଶାସନକୁ ମାନିନେଲେ ଓ ନେପାଳରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଏକ ସରକାର ପ୍ରତିଷ୍ଠିତ ହେଲା । କିନ୍ତୁ ୧୯୬୦ ମସିହାର ଶେଷଭାଗକୁ ରାଜା ଏହି ସରକାରକୁ ରଦ୍ଦ କରିଦେଲେ, ଦେଶରୁ ଗଣତନ୍ତ୍ର-ଶାସନର ଲୋପ ହେଲା ବୋଲି ଘୋଷଣା କଲେ ଏବଂ ନୂତନ ଛାଞ୍ଚରେ ଲୋକମାନଙ୍କଲାଗି ଏକ ଅଧିକ ଉପାଦେୟ ଶାସନ ପ୍ରତିଷ୍ଠା କରିବାର ଆଦେଶ ବାଢ଼ିଲେ । ଏହି ଶାସନ ବ୍ୟବସ୍ଥାକୁ ସରକାରୀ ଭାବରେ ଆଜିକାଲି ପଞ୍ଚାୟତୀ ଗଣତନ୍ତ୍ର ବୋଲି କୁହାଯାଇଚି । ନେପାଳରେ ବହୁଦିନରୁ ଗ୍ରାମସ୍ତରରେ ଯେଉଁ ପଞ୍ଚାୟତ ପରମ୍ପରା ରହିଆସିଚି, ତାହାକୁ ସୁଗଠିତ ଓ ସୁନିୟୋଜିତ କରି ଏହି ବ୍ୟବସ୍ଥା ଦ୍ୱାରା ନେପାଳର ରାଜନୀତିକ ଓ ସାମାଜିକ ବିକାଶ କରିବାର ଚେଷ୍ଟା କରାଯାଉଚି । ସୁଯୋଜିତ ଭାବରେ ନେପାଳରାଜ୍ୟର ସର୍ବାଙ୍ଗୀନ ବିକାଶ ଜାତୀୟ ପଞ୍ଚାୟତ ବ୍ୟବସ୍ଥାର ପ୍ରଧାନ ଉଦ୍ଦେଶ୍ୟ ବୋଲି ଘୋଷଣା କରାଯାଉଚି । ଏହି ବ୍ୟବସ୍ଥାଦ୍ୱାରା ସମଗ୍ର ରାଜ୍ୟରେ ସବୁପ୍ରକାରେ ଶୋଷଣମୁକ୍ତ ଏକ ସମାଜର ସ୍ଥାପନା କରିବାର ଧ୍ୟେୟ ରଖାଯାଇଚି । ନେପାଳର ଜଣେ ମନ୍ତ୍ରୀଙ୍କର କହିବା ଅନୁସାରେ, ଜାତୀୟ ପଞ୍ଚାୟତ ବ୍ୟବସ୍ଥା ଦ୍ୱାରା ଜାତୀୟ ପୁନର୍ଗଠନରେ ଲାଗିଥିବା ବିଭିନ୍ନ ଶ୍ରେଣୀଗତ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ଏକସୂତ୍ରବଦ୍ଧ କରିଦିଆଯିବ ଏବଂ ତାହାଦ୍ୱାରା ଦେଶରୁ ଶ୍ରେଣୀସଂଘର୍ଷର ଲୋପ ହେବ । ତାଙ୍କ ମତରେ ଜାତୀୟ ଏକତା ଓ ଜାତିପ୍ରୀତି ଆଜି ନେପାଳର ଅଭିଳଷିତ ଧ୍ୟେୟ ହୋଇ ରହିଚି, ଏବଂ ପଞ୍ଚାୟତୀ ବ୍ୟବସ୍ଥାଦ୍ୱାରା ଏହି ଧ୍ୟେୟକୁ ପ୍ରାପ୍ତ କରିବାର ପ୍ରୟାସ କରାଯାଉଚି ।

 

ନେପାଳର ପଞ୍ଚାୟତୀ ବ୍ୟବସ୍ଥାରେ ଚାରୋଟି ପାହିଆ ରହିଚି । ଏହାଫଳରେ ଦେଶର ଜନସାଧାରଣ ଗ୍ରାମବାସୀ ଓ ସହରବାସୀ ପରୋକ୍ଷ ମତଦାନଦ୍ୱାରା ଆପଣାର ପ୍ରତିନିଧି ନିର୍ବାଚନ କରିବାର ଅନୁମତି ପାଉଚନ୍ତି । ଗାଆଁ ଓ ସହରର ପଞ୍ଚାୟତ ଏହି ବ୍ୟବସ୍ଥାରେ ସର୍ବନିମ୍ନ ଆଧାର ହୋଇ ରହିଚି । ଦେଶର ପ୍ରତ୍ୟେକ ସାବାଳକ ଗ୍ରାମ ଓ ସହରର ପଞ୍ଚାୟତଲାଗି ପ୍ରତିନିଧି ବାଛିବାର ଅଧିକାର ପାଇଚି । ଏକ ବିଶେଷ ବ୍ୟବସ୍ଥା ଅନୁସାରେ ପଞ୍ଚାୟତର ଏକତୃତୀୟାଂଶ ସଭ୍ୟ ସଂଖ୍ୟା ପ୍ରତ୍ୟେକ ବର୍ଷ ନୂତନ କରି ନିର୍ବାଚିତ ହେବାର ପରମ୍ପରା ରହିଚି । ନିର୍ବାଚିତ ସଦସ୍ୟମାନଙ୍କ ଲାଗି ତାଲୀମର ବ୍ୟବସ୍ଥା ବି କରାଯାଇଚି । ଜିଲ୍ଲାସ୍ତରରେ ଏହି ବ୍ୟବସ୍ଥାର ଦ୍ୱିତୀୟ ପାହିଆ ରହିଚି । ପ୍ରତ୍ୟେକ ଗ୍ରାମ ଓ ସହର ପଞ୍ଚାୟତରୁ ଜଣେ କରି ସଭ୍ୟ ଜିଲ୍ଲା ପଞ୍ଚାୟତକୁ ଯାଉଚନ୍ତି । ଅବଶ୍ୟ ଜିଲ୍ଲା ପଞ୍ଚାୟତର ସଭାପତିଙ୍କୁ ଗ୍ରାମ ଓ ସହର ସ୍ତରର ପଞ୍ଚାୟତମାନେହିଁ ନିର୍ବାଚିତ କରୁଚନ୍ତି । ଗ୍ରାମ-ପଞ୍ଚାୟତର ବୈଠକ ମାସକୁ ଦୁଇଥର ଓ ଜିଲ୍ଲାର ପଞ୍ଚାୟତର ବୈଠକ ବର୍ଷକୁ ଦୁଇଥର ବସିବାର ବିଧାନ ରହିଚି । ପରବର୍ତ୍ତୀ ପାହିଆ ହେଉଚି ଅଞ୍ଚଳର ପାହିଆ । ସେଠାରେ ଆଞ୍ଚଳିକ ପଞ୍ଚାୟତ କାୟମ ରହିଚି । ସବାଉପରେ ଜାତୀୟ ପଞ୍ଚାୟତ କାର୍ଯ୍ୟ କରୁଚି । ଜାତୀୟ ପଞ୍ଚାୟତକୁ ନେପାଳରାଜ୍ୟର ବିଧାନସଭା ବୋଲି କୁହାଯାଇ ପାରିବ । ଆଞ୍ଚଳିକ ପରିଷଦଗୁଡ଼ିକ ପରୋକ୍ଷ ଭାବରେ ଯେଉଁ ପ୍ରତିନିଧିମାନଙ୍କ ନିର୍ବାଚିତ କରନ୍ତି, ସେହିମାନଙ୍କ ଦ୍ୱାରା ଜାତୀୟ ପଞ୍ଚାୟତ ଗଠିତ ହୁଏ । ଏହାଛଡ଼ା ଶ୍ରମିକ, ନାରୀ ଓ ସାମନ୍ତବର୍ଗର ପ୍ରତିନିଧିତ୍ୱ କରୁଥିବା ଅନୁଷ୍ଠାନମାନେ ମଧ୍ୟ ଏଠାକୁ ଦୁଇଜଣ କରି ପ୍ରତିନିଧି ପଠାନ୍ତି । ଖୋଦ୍ ରାଜାଙ୍କର ମନୋନୟନରେ ମଧ୍ୟ ପ୍ରତିନିଧି ଆସନ୍ତି । ନେପାଳର ନୂତନ ସଂବିଧାନ ଅନୁସାରେ ଜାତୀୟ ପଞ୍ଚାୟତରେ ସର୍ବମୋଟ ୧୦୯ ଜଣ ସଦସ୍ୟ ରହିବେ । ଏଥିରୁ ୯୦ ଜଣ ଆଞ୍ଚଳିକ ପଞ୍ଚାୟତଗୁଡ଼ିକଦ୍ୱାରା ନିର୍ବାଚିତ ହୋଇ ଆସିବେ, ୧୫ ଜଣ ବିଭିନ୍ନ ବିଶେଷ ଶ୍ରେଣୀର ପ୍ରତିନିଧିତ୍ୱ କରିବେ ଓ ଚାରିଜଣ ବିଶ୍ୱବିଦ୍ୟାଳୟର ଡିଗ୍ରୀଧାରୀମାନଙ୍କ ଭିତରୁ ଆସିବେ । ରାଜାଙ୍କଦ୍ୱାରା ମନୋନୀତ ସଭ୍ୟସଂଖ୍ୟା ଅବଶ୍ୟ ନିର୍ବାଚିତ ପ୍ରତିନିଧିସଂଖ୍ୟାର ୧୫% ରୁ ଅଧିକ ହୋଇପାରିବନାହିଁ ବୋଲି ଆଇନ୍ ରହିଚି । ସ୍ୱୟଂ ରାଜା ଏହି ଜାତୀୟ ପଞ୍ଚାୟତରେ ସଭାପତିତ୍ୱ କରିବେ, ଏବଂ ରାଜାଙ୍କୁ ପରାମର୍ଶ ଦେବା ଏହାର ସର୍ବମୋଟ କାର୍ଯ୍ୟ ହୋଇ ରହିବ । ରାଜା ଆପଣାର ପସନ୍ଦ ଅନୁସାରେ ରାଜ୍ୟର ମନ୍ତ୍ରୀମଣ୍ଡଳ ବାଛିନେବେ । ଏହି ବ୍ୟବସ୍ଥାକୁ ଆମେ କେତେକାଂଶରେ ରାଜାପରିଚାଳିତ ପ୍ରତିନିଧିବ୍ୟବସ୍ଥା ବୋଲି କହିପାରିବା ।

 

ନେପାଳର ନୂତନ ସଂବିଧାନ ସବାଉପରେ ଜଣେ ଟାଣୁଆ ରାଜା ଓ ଅନ୍ୟାନ୍ୟ ବିଭିନ୍ନ ସ୍ତରରେ ଲୋକପ୍ରତିନିଧିମୂଳକ ସଂସ୍ଥାମାନ ରହିବେ ବୋଲି ପ୍ରସ୍ତାବ ଦେଇଚି । ରାଜ୍ୟରେ ଯଥାର୍ଥ ଗଣତନ୍ତ୍ରର ବିକାଶ କରିବାଲାଗି ଏସବୁ କରାଯାଇଚି ବୋଲି କାରଣ ଦର୍ଶିତ ହୋଇଚି । ରାଜ୍ୟରେ ବର୍ତ୍ତମାନ କୌଣସି ରାଜନୀତିକ ଦଳ କାର୍ଯ୍ୟ କରୁନାହିଁ । ରାଜା ପ୍ରଧାନତଃ ଆପଣାର ଦୂରଦୃଷ୍ଟି ଓ ପରମ୍ପରାଗତ କର୍ତ୍ତୃତ୍ୱର ପ୍ରୟୋଗ କରି ରାଜ୍ୟରେ ପ୍ରଜାତନ୍ତ୍ର ଲାଗି ଏକ ଶକ୍ତିଶାଳୀ ମୂଳଦୁଆ ଗଢ଼ିବେ ବୋଲି ସାହାସୀ ହୋଇ ବାହାରିଚନ୍ତି । ନେପାଳର ବିଶେଷ ପୃଷ୍ଠଭୂମି ଓ ଐତିହ୍ୟ ଦୃଷ୍ଟିରୁ ଏହି ମାର୍ଗହିଁ ସେହି ଦେଶଲାଗି ସବୁଠାରୁ ଉପଯୁକ୍ତ ମାର୍ଗବୋଲି ରାଜାଙ୍କର ମୁଖପାତ୍ରମାନେ କହୁଚନ୍ତି ।

 

ପାକିସ୍ତାନ ହେଉଚି ଆମର ଅନ୍ୟତମ ପ୍ରତିବେଶୀ । ମୂଳତଃ ଭାରତ ଓ ପାକିସ୍ତାନ ଏକ ଉପମହାଦେଶର ଖଣ୍ଡିତ ଦୁଇଟି ଅଂଶ ହେଲେ ମଧ୍ୟ ରାଜନୀତିକ ସ୍ୱାଧୀନତା ପାଇବା ପରେ ଦୁଇ ଦେଶ ବିଭିନ୍ନ ମତିରେ ଚାଲିଥିବାପରି ଲାଗୁଚି । ଅବଶ୍ୟ ଉଭୟ ଦେଶରେ ବାସ କରୁଥିବା ଜନସାଧାରଣଙ୍କର ସମସ୍ୟା ଭିତରେ ଅନେକ ସାମଞ୍ଜସ୍ୟ ରହିଚି, ଦୁଇ ଦେଶରେ ସାମାଜିକ ଓ ସାଂସ୍କୃତିକ ପରମ୍ପରାରେ ମଧ୍ୟ ବେଶୀ କିଛି ଅନ୍ତର ନାହିଁ । ତଥାପି ଗତ ଅଠରବର୍ଷ ଭିତରେ ରାଜନୀତି ଓ ଲୋକନୀତିର କ୍ଷେତ୍ରରେ ଭାରତ ଓ ପାକିସ୍ତାନ ପରସ୍ପରଠାରୁ କ୍ରମେ ବେଶ୍ ଦୂରତର ହୋଇଯାଉଥିବା ପରି ମନେହେଉଚି । ଲୋକପ୍ରତିନିଧିମୂଳକ ଶାସନସଂସ୍ଥାଗୁଡ଼ିକର ବିକାଶ ବିଷୟରେ ଆଲୋଚନା କଲାବେଳେ ଆମେ ପାକିସ୍ତାନର ଭିନ୍ନଧର୍ମୀ ପୃଷ୍ଠଭୂମିଟିକୁ ଅବଶ୍ୟ ଧ୍ୟାନରେ ରଖିଥିବା ।

 

ପାକିସ୍ତାନର ଭିଆଣ ହେବା ପରେ ପ୍ରାୟ ଏଗାରବର୍ଷ ପର୍ଯ୍ୟନ୍ତ ସେଠାରେ ନିର୍ବାଚନମୂଳକ ପ୍ରତିନିଧିଶାସନ ଚାଲିଥିଲା । ମାତ୍ର ପ୍ରଧାନତଃ ଧର୍ମକୁ ଏକତାର ଦୃଢ଼ତମ ସୂତ୍ରବୋଲି ମାନିଥିବା ଏକ ରାଷ୍ଟ୍ରୀୟ ନେତୃତ୍ୱ ପ୍ରତିନିଧିମୂଳକ ଶାସନକୁ ସୁଦକ୍ଷ ଭାବରେ ଚଳାଇବାରେ ସମର୍ଥ ହେଲାନାହିଁ । ଅବସ୍ଥାର ଗତିଚକ୍ରରେ ପଡ଼ି ଏହି ଶାସନଛାଞ୍ଚ କ୍ରମେ ଅକର୍ମଣ୍ୟ ହୋଇପଡ଼ିଲା ଏବଂ ପରିଣାମରେ ୧୯୫୮ ମସିହା ଅକ୍ଟୋବର ମାସରେ ପାକିସ୍ତାନର ତତ୍‌କାଳୀନ ସେନାଧ୍ୟକ୍ଷ ଶ୍ରୀ ଆୟୁବ ଖାଁ ରାଜସଭା ଅଧିକାର କରି ଆପଣା ବାଟରେ ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁଶାସନ ପ୍ରତିଷ୍ଠିତ କରିବାକୁ ଉଦ୍ୟମ କଲେ । ରାଜ୍ୟକୁ ଗଣତନ୍ତ୍ର ଶାସନ ପୁଣି ଫେରାଇ ଆଣିବେ ବୋଲି ସେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହି ଗଣତନ୍ତ୍ର ଆଗରୁ ରହିଥିବା କୌଣସି ଛାଞ୍ଚର ଗଣତନ୍ତ୍ର ହେବନାହିଁ, ଜନସାଧାରଣ ଯେଉଁ ଗଣତନ୍ତ୍ରକୁ ବୁଝି ପାରିବେ ଏବଂ ଯାହାକୁ ଚଳାଇପାରିବେ, ଏହା ସେହିପରି ଗଣତନ୍ତ୍ର ହେବ । ଅବଶ୍ୟ ଏକଥା ବୁଝିବା ଅତି ସ୍ୱାଭାବିକ ଯେ ଲୋକମାନେ କିପରି ଗଣତନ୍ତ୍ରକୁ ବୁଝିପାରିବେ ଓ ଚଳାଇପାରିବେ, ସେକଥା ଲୋକମାନେ ଠିକ୍ କରିବେନାହିଁ, ଶ୍ରୀଯୁକ୍ତ ଆୟୁବ ଖାଁ ଠିକ୍ କରିବେ । ଏହି ଘଟଣାର ବରଷକ ପରେ ଆପଣାର ପ୍ରତିଶ୍ରୁତି ରକ୍ଷା କଲାପରି ସେ ପାକିସ୍ତାନରେ ମୌଳିକ ଗଣତନ୍ତ୍ରର ହୁକୁମନାମା (Basic Democracies Order) ଘୋଷଣା କରିଥିଲେ ।

 

ପାକିସ୍ତାନର ମୋଟ ଜନସଂଖ୍ୟା ହେଉଚି ପ୍ରାୟ ଦଶକୋଟି । ଏଥିରୁ ୧,୨୦,୦୦୦ ବ୍ୟକ୍ତିଙ୍କୁ ମୌଳିକ ଗଣତନ୍ତ୍ର ବ୍ୟବସ୍ଥାଦ୍ୱାରା ପ୍ରତିନିଧିରୂପେ ବଛାଯାଇଚି । ଏମାନଙ୍କୁ ପଶ୍ଚିମ ତଥା ପୂର୍ବ ପାକିସ୍ତାନ ମଧ୍ୟରେ ଅଧା ଅଧା କରି ବାଣ୍ଟିଦିଆଯାଇଚି । ଜାତୀୟ ଆସେମ୍ବ୍ଲିର ୧୫୦ ଜଣ ସଦସ୍ୟଙ୍କୁ ନିର୍ବାଚିତ କରିବାର ଅଧିକାର ଏମାନଙ୍କ ହାତରେ ରହିଚି । (୧୮)

 

ଅତ୍ୟନ୍ତ ସ୍ପଷ୍ଟ କଥା ଯେ ଭାରତର ପଞ୍ଚାୟତୀରାଜ ଓ ପାକିସ୍ତାନର ମୌଳିକ ଗଣତନ୍ତ୍ର-ବ୍ୟବସ୍ଥା ମଧ୍ୟରେ ଅନେକ ଫରକ ରହିଚି । ସମାଲୋଚକମାନେ କହନ୍ତି ଯେ ପାକିସ୍ତାନ ସରକାର ପ୍ରକୃତରେ ଲୋକଶାସନର ବିକାଶ ହେଉବୋଲି ଇଚ୍ଛା କରୁନାହାନ୍ତି ଏବଂ ଆହୁରି ଅନେକ କାଳଲାଗି ସାମରିକ ଶାସନକୁ କାୟମ ରଖିବାଲାଗି ହିଁ ମତଲବ୍ ରଖିଚନ୍ତି । ଏହି ସମାଲୋଚନାର ଜବାବ ଦେଇ ଇଂଲଣ୍ଡର ଐତିହାସିକ ଟଏନ୍‌ବୀ (Arnold Toynbee) ପାକିସ୍ତାନ ସରକାରଙ୍କର ମୌଳିକ ଗଣତନ୍ତ୍ର ପ୍ରବର୍ତ୍ତନ କରିବାର ଉଦ୍ୟମକୁ ଲୋକମାନଙ୍କୁ ଅଦୂର ଭବିଷ୍ୟତରେ ଜାତୀୟ ସ୍ତରରେ ସ୍ୱାୟତ୍ତଶାସନ ଚଳାଇ ପାରିବା ଲାଗି ଯୋଗ୍ୟ କରିବା ଉଦ୍ଦେଶ୍ୟରେ ଏକ ସାଧୁ ଓ ନିଷ୍ଠାପର ପ୍ରୟାସ ବୋଲି ବର୍ଣ୍ଣନା କରିଚନ୍ତି । ବର୍ତ୍ତମାନର ସତ୍ତାଧୀଶମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ସକାଶେ ସଭାରେ ରହିବାକୁ ସାହାଯ୍ୟ କରିବାରେ ମୌଳିକ ଗଣତନ୍ତ୍ରର ବ୍ୟବସ୍ଥା ପ୍ରଣୟନଦ୍ୱାରା ଏକ କପଟ କୌଶଳ କରାଯାଇଚି ବୋଲି ସେ ଆଦୌ ବିଶ୍ୱାସ କରୁନାହାନ୍ତି ।

 

ଏକଥା ଅବଶ୍ୟ ମାନିବାକୁ ପଡ଼ିବ ଯେ ନିର୍ବାଚନମୂଳକ ପ୍ରତିନିଧିଶାସନ ଉପରେ ମୂଳତଃ ଅବିଶ୍ୱାସ ପ୍ରକଟ କରାଯାଇ ନେପାଳ ଓ ପାକିସ୍ତାନରେ ଏସବୁ ପନ୍ଥାମାନ ଅବଲମ୍ବନ କରାଯାଇଚି । ପ୍ରତିନିଧିମୂଳକ ଲୋକଶାସନ ଉପରେ ବିଶ୍ୱାସ ନରଖିବାର ଅର୍ଥ ହେଉଚି ଶତାବ୍ଦୀରୁ ରାଜତନ୍ତ୍ର ହିଁ ରହିଥିଲା । ମଧ୍ୟବର୍ତ୍ତୀ ଲୋକପ୍ରତିନିଧି ସରକାରଙ୍କୁ ବରଖାସ୍ତ କରିଦେଇ ନେପାଳର ରାଜା ଏବେ ସେଠାରେ ରାଜତନ୍ତ୍ରର ପୁନଃପ୍ରତିଷ୍ଠା କରିଚନ୍ତି । ଲୋକନିର୍ବାଚିତ ସରକାରର ଅନେକ ସଭ୍ୟ ବର୍ତ୍ତମାନ ରାଜାଙ୍କର ବନ୍ଦୀଶାଳାରେ ଅଛନ୍ତି ଓ ଏଣେ ନୂତନମାର୍ଗରେ ରାଜ୍ୟସାରା ପଞ୍ଚାୟତୀ ଶାସନର ଆୟୋଜନମାନ କରାଯାଉଚି । ଲୋକନିର୍ବାଚିତ ସରକାର ଆପଣା କ୍ଷମତାର ଅପବ୍ୟବହାର କରୁଥିଲେ, ସେମାନେ ଦୁର୍ନୀତିଗ୍ରସ୍ତ ଥିଲେ, ପ୍ରିୟାପ୍ରିତୀ-ତୋଷଣ କରୁଥିଲେ ଏବଂ ସେମାନଙ୍କର ଶାସନକାଳରେ ଶାସନଯନ୍ତ୍ର ପ୍ରାୟ ଅଚଳ ହୋଇ ପଡ଼ିଥିଲା ବୋଲି ଅଭିଯୋଗମାନ ବାଢ଼ି ରାଜା ୧୯୬୦ ମସିହାରେ ନେପାଳକୁ ରାଜତନ୍ତ୍ରର ଯୁଗକୁ ଫେରାଇ ନେଇଥିଲେ । ତାଙ୍କର ଘୋଷଣା ଅନୁସାରେ ‘‘ପଞ୍ଚାୟତ ହେଉଚି ସକଳ ଗଣତନ୍ତ୍ରର ପ୍ରକୃତ ଭୂମି । ଲୋକମାନଙ୍କ ଉପରେ ଉପରୁ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଲଦିଦିଆଯାଇଥିଲା, ତାହା ନେପାଳ ଲାଗି ଅନୁପଯୁକ୍ତ ପ୍ରମାଣିତ ହୋଇଚି । ବର୍ତ୍ତମାନ ଆମକୁ ତଳୁ ଉପରଯାଏ ସ୍ତର ସ୍ତର କରି ଗଣତନ୍ତ୍ରର ନିର୍ମାଣ କରିବାକୁ ପଡ଼ିବ ।’’ ୧୯୬୨ ମସିହାରେ ଆପଣାର ଏକ ଭାଷଣରେ ରାଜା ପୁଣି କହିଥିଲେ, ‘‘ନେପାଳର ଜନସାଧାରଣଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଯଥେଷ୍ଟ ଶିକ୍ଷା ଓ ରାଜନୀତିକ ସଚେତନାର ପ୍ରସାର ହୋଇନାହିଁ । ତେଣୁ ଏଦେଶ ଲାଗି ଲୋକନିର୍ବାଚନମୂଳକ ପ୍ରତିନିଧିଶାସନ ଆଦୌ ଉପଯୁକ୍ତ ହେବନାହିଁ । ନେପାଳରାଜ୍ୟର ଇତିହାସ ଓ ପରମ୍ପରା ସହିତ ଏହି ପ୍ରତିନିଧିଶାସନର କୌଣସି ସମ୍ବନ୍ଧସୂତ୍ର ନାହିଁ ଓ ଲୋକମାନେ ଯାହା ଚାହୁଚନ୍ତି, ଏହି ଶାସନ ସେମାନଙ୍କୁ କଦାପି ତାହା ଦେଇପାରିବ ନାହିଁ ।’’

 

ଲୋକପ୍ରତିନିଧି-ଶାସନ ଲୋକମାନଙ୍କର ଇଚ୍ଛା ପୂରଣ କରିପାରିବ ନାହିଁ, ଅଥଚ ରତ୍ନଖଚିତ ରାଜା ମହାରାଜାମାନେ ସେକଥା କରିପାରିବେ; ଲୋକପ୍ରତିନିଧିଶାସନ ଲୋକମାନଙ୍କୁ ଗଣତନ୍ତ୍ର ଲାଗି ଶିକ୍ଷା ଦେଇ ପାରିବନାହିଁ, ମାତ୍ର ବିଗତ ଏକ ରାଜନୀତିକ ଯୁଗର ଅବଶେଷରୂପେ ରହିଥିବା ରାଜାମାନେ ପ୍ରଜାମାନଙ୍କ ଲାଗି ତାହା କରିପାରିବେ–ଏକାଳରେ ଏକଥା ଶୁଣିଲେ ପ୍ରଥମେ ହଠାତ୍ ଏକ ବିଡ଼ମ୍ବନା ପରି ମନେହେବା ଅତ୍ୟନ୍ତ ସ୍ୱାଭାବିକ । କିନ୍ତୁ କେବଳ ନେପାଳ ନୁହେଁ, ଏସିଆରେ ଆଉ କେତେକ ଦେଶରେ ମଧ୍ୟ ଶିକ୍ଷିତ ଓ ଯୁଗସଚେତନ ରାଜା ଓ ଏକାଧିକାରୀ ଶାସନମାନେ ଏପରି ପ୍ରୟାସମାନ କରୁଚନ୍ତି । ପାକିସ୍ତାନରେ ମଧ୍ୟ ଜନସାଧାରଣଙ୍କ ପ୍ରତି ଅବିଶ୍ୱାସ ହିଁ ମୌଳିକ ଗଣତନ୍ତ୍ର ବ୍ୟବସ୍ଥାର ମୂଳଗଣ୍ଠି ହୋଇ ରହିଚି । ଦେଶରେ ରାଜନୀତିକ ଦଳମାନେ ରହନ୍ତୁ ବୋଲି ଶାସକ ଆୟୁବ ଖାଁ ସ୍ୱୟଂ ଚାହାନ୍ତି ନାହିଁ । ଦେଶର ରାଜନୀତିକ ଶାସନକୁ ହସ୍ତାୟତ୍ତ କରିବା ପରେ ସେ ମଧ୍ୟ ନେପାଳର ରାଜାଙ୍କପରି ପାକିସ୍ତାନର ରାଜନୀତିକ ନେତାମାନଙ୍କୁ ‘ଦେଶଟାକୁ ଛିନ୍‌ଛତ୍ର କରିଦେଇଥିବା ଓ ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ଦେଶଟାକୁ ବିକି ଦେଇଥିବା’ ସ୍ୱାର୍ଥନ୍ୱେଷୀ ବୋଲି କହି ଗାଳି ଦେଇଥିଲେ । ଭାରତ ଓ ପାକିସ୍ତାନରେ ପ୍ରବର୍ତ୍ତିତ ହେଉଥିବା ସ୍ୱାୟତ୍ତଶାସନ ମଧ୍ୟରେ ଆମେ ନିମ୍ନଲିଖିତ ପ୍ରବୃତ୍ତିଗତ ପାର୍ଥକ୍ୟଟିକୁ ଅବଶ୍ୟ ମନେରଖିବା । ଭାରତବର୍ଷ ତାହାର ଜନସାଧାରଣଙ୍କ ଉପରେ ମୂଳତଃ ଆସ୍ଥା ରଖିଚି ଏବଂ ସେହିମାନଙ୍କର ମତ ଅନୁସାରେ ଯେପରି ଦେଶର ଶାସନ ତଥା ବିକାଶ ହୋଇପାରିବ, ସେଥିଲାଗି ତଦନୁରୂପ ପନ୍ଥାମାନ ଗ୍ରହଣ କରିବାରେ ତତ୍ପର ମଧ୍ୟ ରହିଚି । ଅପର ପକ୍ଷରେ ପାକିସ୍ତାନର କର୍ତ୍ତାମାନେ ଲୋକସାଧାରଣଙ୍କ ଉପରେ ଏବେ ମଧ୍ୟ ଆସ୍ଥା ସ୍ଥାପନ କରିପାରିନାହାନ୍ତି, ତେଣୁ ସେମାନେ ଲୋକମାନଙ୍କ ଲାଗି ପ୍ରଧାନତଃ ଅଭିଭାବକ ପରି ହୋଇ ରହିବା ବ୍ୟତୀତ ଆଉ କୌଣସି ବାଟ ରହିଚି ବୋଲି ଚିନ୍ତା ହିଁ କରିପାରୁନାହାନ୍ତି ଏବଂ ଲୋକମାନଙ୍କୁ ପ୍ରକୃତ ଦାୟିତ୍ୱ ଦେବାରେ ପ୍ରମାଦ ଗଣୁଚନ୍ତି । ତେଣୁ ସେ ଦେଶର ଗଣତନ୍ତ୍ରକୁ ସରକାରୀ ଭାବରେ ମୌଳିକ ବୋଲି କୁହାଯାଉଥିଲେ ମଧ୍ୟ ଏହା ଅତି ନିଃସନ୍ଦେହ ଭାବରେ ଅଭିଭାବକ ପ୍ରପୀଡ଼ିତ ହୋଇ ରହିଚି ।

 

‘ଏକ ନୂତନ ପ୍ରଭାତ’ର ଶୀର୍ଷକରେ ଲେଖାଯାଇଥିବା ଉଲ୍ଲିଖିତ ଏକ ପ୍ରବନ୍ଧରେ (ପୁସ୍ତକ ଟିପ୍ପଣୀ-୧୮) ପାକିସ୍ତାନରେ ଗଣତନ୍ତ୍ରର ଭାଗ୍ୟମୁଣିକୁ ବର୍ତ୍ତମାନ କର୍ମଚାରୀଙ୍କ ଦ୍ୱାରା ଭରିବାର ବ୍ୟବସ୍ଥା ହୋଇଚି ବୋଲି କୁହାଯାଇଚି । ‘‘ରାଜନୀତିକ ନେତାମାନଙ୍କୁ ବହିଷ୍କାର କରିଦିଆଯାଇଚି ଏବଂ ପ୍ରଶାସକମାନଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଚି । ପ୍ରଶାସକମାନେ ଚାହିଲେ ମୌଳିକ ଗଣତନ୍ତ୍ରର ବ୍ୟବସ୍ଥାକୁ ସଫଳ କରିପାରିବେ, ଚାହିଲେ ଚୂର୍ଣ୍ଣ ବି କରିଦେଇପାରିବେ । ସ୍କୁଲଘରେ ଯାହା, ଏକ୍ଷେତ୍ରରେ ମଧ୍ୟ ସେଇଆ । ଯଦି ସ୍କୁଲର ଶିକ୍ଷକ ନିଷ୍ଠାପର ହୋଇଥାଏ ଏବଂ ଆପଣା ଉଦ୍ୟମର ଚରମ ଶୁଭଫଳ ଉପରେ ଯଦି ତାର ପ୍ରକୃତରେ ବିଶ୍ୱାସ ଥାଏ, ତେବେ ସେ ସବୁଠାରୁ ଅମଙ୍ଗ, ସବୁଠାରୁ ଆଗ୍ରହଶୂନ୍ୟ ଏବଂ ଏପରିକି ସବୁଠାରୁ ଚଗଲା ଓ ସବୁଠାରୁ ଖରାପ ଭାବରେ ବଢ଼ିଥିବା ପିଲାମାନଙ୍କୁ ମଧ୍ୟ ଅନେକ ବାଗକୁ ଆଣିପାରିବ ଓ ସେମାନଙ୍କୁ ଶିକ୍ଷାଦେବାରେ ସଫଳ ହୋଇପାରିବ । ମୌଳିକ ଗଣତନ୍ତ୍ର-ବ୍ୟବସ୍ଥାର ଶିକ୍ଷାକ୍ରମରେ ସରକାରୀ ପ୍ରଶାସକମାନେ ହିଁ ବିଭିନ୍ନ ସ୍ତରରେ ଲୋକ ଓ ଲୋକପ୍ରତିନିଧିମାନଙ୍କର ଶିକ୍ଷକ ହୋଇ ରହିବେ ।’’ ସଂସାରର ଇତିହାସରେ ଅଧିକାଂଶ ଜାଗାରେ ଲୋକଶକ୍ତି ଓ ଲୋକଶାସନ ହିଁ ସରକାରୀ କର୍ମଚାରୀ ଓ ପ୍ରଶାସକମାନଙ୍କୁ ମଣ କରିଚି । ପାକିସ୍ତାନରେ ନୂତନ ପ୍ରଭାତ ଆଣିବାଲାଗି ଯେଉଁ ସରକାରୀ ପ୍ରଚେଷ୍ଟା ହେଉଚି, ତାହାକୁ ଏହି ରୀତିରେ ଏକ ବ୍ୟତିକ୍ରମ ବୋଲି କୁହାଯାଇ ପାରିବ ।

 

ପ୍ରତିବେଶୀ ଦୁଇ ରାଜ୍ୟରୁ ଆମେ ବର୍ତ୍ତମାନ ଆପଣା ଦେଶକୁ ବାହୁଡ଼ି ଆସିବା । ସାମୁଦାୟିକ ବିକାଶ ଓ ସମବାୟ-ବିଭାଗର ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଭାରତବର୍ଷରେ ସାମୁଦାୟିକ ବିକାଶର କାହାଣୀକୁ ଚାରୋଟି ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରିଚନ୍ତି । (୨୦) ଏହି ପର୍ଯ୍ୟାୟଗୁଡ଼ିକୁ ସେ ଯଥାକ୍ରମେ ସରକାରୀ (Official) ପରାମର୍ଶମୂଳକ (Advisory), ପ୍ରତିନିଧିମୂଳକ (Representative) ଓ ଜନାଧାରିତ (People’s) ପର୍ଯ୍ୟାୟ ବୋଲି କହିଚନ୍ତି । ପ୍ରଥମ ପର୍ଯ୍ୟାୟରେ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣତଃ ସରକାରୀ ପ୍ରଶାସନ ଅଧୀନରେ ରହିଥିଲା । କିନ୍ତୁ ଏହି ବିଧି ବେଶୀଦିନ କାମ ଦେଇ ପାରିଲାନାହିଁ । ଯେଉଁ କାର୍ଯ୍ୟକ୍ରମ ପ୍ରଧାନତଃ ଜନସାଧାରଣଙ୍କ ସକାଶେ ତିଆରି ହୋଇଚି, ତାହାକୁ କାର୍ଯ୍ୟକାରୀ କରିବାରେ ଜନସାଧାରଣ କାନ୍ଧ ନ ଲଗାଇଲେ ତାହା ଚାଲନ୍ତା ବା କିପରି ? ଏହି ଆବଶ୍ୟକତାରୁ ବିକାଶ-ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ଏଥିରେ ଲୋକମାନଙ୍କର ପ୍ରତିନିଧିମାନେ ବିକାଶ-ସଂକ୍ରାନ୍ତୀୟ ସଭାକୁ ଆସିଲେ । ସେମାନଙ୍କୁ ନେଇ ବ୍ଳକ୍ ସ୍ତରରେ ପରାମର୍ଶଦାତା କମିଟିମାନ ଗଢ଼ାଗଲା । କାର୍ଯ୍ୟକ୍ରମ ମୁଖ୍ୟତଃ ସରକାରଙ୍କର କାର୍ଯ୍ୟକ୍ରମ ରହିଲା, ତଥାପି ଲୋକପ୍ରତିନିଧିମାନେ ସେମାନଙ୍କୁ ପରାମର୍ଶମାନ ଦେବାକୁ ରହିଲେ । ସରକାର ମନକଲେ ତ ପରାମର୍ଶ ଗ୍ରହଣ କଲେ ନଚେତ୍ ନାହିଁ । ତୃତୀୟ ବା ପ୍ରତିନିଧିମୂଳକ ପର୍ଯ୍ୟାୟରେ ଲୋକପ୍ରତିନିଧିମାନଙ୍କ ଉପରେ ହିଁ ବିକାଶକାର୍ଯ୍ୟର ଦାୟିତ୍ୱକୁ ସମର୍ପି ଦିଆଗଲା । ବ୍ଳକ୍‌ର ପରାମର୍ଶଦାତା କମିଟି ବ୍ଳକ୍‌ ବିକାଶ କମିଟିକୁ ରୂପାନ୍ତରିତ ହୋଇଗଲା । ପରାମର୍ଶଦାତା କମିଟିର ସଦସ୍ୟମାନେ ପ୍ରଧାନତଃ ସରକାରୀ କର୍ତ୍ତାମାନଙ୍କ ଦ୍ୱାରା ମନୋନୀତ ହୋଇ ଆସୁଥିଲେ । ଲୋକଶାସନ ଓ ମନୋନୟନ କେତେବେଳେହେଲେ ପରସ୍ପର ସହିତ ଖାପଖାଇ ପାରନ୍ତିନାହିଁ । ଅଭିଜ୍ଞତାରୁ ବି ଜଣାପଡ଼ିଲା ଯେ ସରକାରୀ ବିକାଶ ବିଭାଗର କର୍ମଚାରୀମାନେ ସୁପରାମର୍ଶଗୁଡ଼ିକୁ କ୍ୱଚିତ୍ ଗ୍ରହଣ କରୁଥିଲେ, ମାତ୍ର ଅପରପକ୍ଷରେ ଦାୟିତ୍ୱହୀନ କୁପରାମର୍ଶଗୁଡ଼ିକୁ ସେମାନେ ମନ୍ଦପ୍ରଶାସନକୁ ଘୋଡ଼ାଇରଖିବାଲାଗି ଏକ ଆଳ ପରି ବ୍ୟବହାର କରିବାର ପ୍ରବୃତ୍ତି ମଧ୍ୟ ଦେଖାଉଥିଲେ । ଏହାରି ଫଳରେ ଦ୍ୱିତୀୟ ପର୍ଯ୍ୟାୟରେ ପରିବର୍ତ୍ତନ ଘଟାଇ ତୃତୀୟ ପର୍ଯ୍ୟାୟ ଆସିଲା । ଗ୍ରାମସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଲୋକପ୍ରତିନିଧି ଓ ସେମାନଙ୍କର ଅନୁଷ୍ଠାନଗୁଡ଼ିକ ବିକାଶର ଦାୟିତ୍ୱରେ ରହିଲେ । ସେହିମାନେ ହିଁ ଆପଣା ସମୁଦାୟଗୁଡ଼ିକର ଆବଶ୍ୟକତା ଅନୁସାରେ ଯୋଜନା ତିଆରି କଲେ, ସେଗୁଡ଼ିକୁ କାର୍ଯ୍ୟକାରୀ କରିବାଲାଗି ପ୍ରାରମ୍ଭିକ ଉଦ୍ୟମ ଓ ଆୟୋଜନମାନ କରିବା ମଧ୍ୟ ସେହିମାନଙ୍କର କାର୍ଯ୍ୟ ହୋଇ ରହିଲା । ବିକାଶର କ୍ଷେତ୍ରରେ ସରକାର ପ୍ରଧାନତଃ ସହାୟକ ଭାବରେ ରହିଲେ, ପ୍ରଧାନତଃ ସାଧନ ଓ ଜ୍ଞାନ ଯୋଗାଇଦେବାର ଦାୟିତ୍ୱରେ ରହିଲେ ।

 

ଚତୁର୍ଥ ପର୍ଯ୍ୟାୟ ହେଉଚି ଜନାଧାରିତ ପର୍ଯ୍ୟାୟ । ଗ୍ରାମର ବିକାଶ ହେଉଚି ସମସ୍ତ ଗ୍ରାମର କାର୍ଯ୍ୟ । ତେଣୁ ସବୁ ଗ୍ରାମବାସୀ ଏଥିଲାଗି ଚିନ୍ତା କରିବେ ଓ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିବେ । ଏବେ ଗ୍ରାମପଞ୍ଚାୟତ ସଙ୍ଗେ ସଙ୍ଗେ ନାନା ଗ୍ରାମରେ ଗ୍ରାମସହାୟକ ଦଳ ବୋଲି ଗୋଟିଏ ସ୍ୱେଚ୍ଛାସେବକ ଦଳ ତିଆରି ହେଉଚନ୍ତି । ଏମାନଙ୍କୁ ଗ୍ରାମବିକାଶ ସମ୍ବନ୍ଧରେ ଅନୁରୂପ ତାଲୀମ ମଧ୍ୟ ଦିଆଯାଉଚି । ଗ୍ରାମସହାୟକମାନେ ଗ୍ରାମରେ ଏକ ବିକାଶ-ବାହିନୀ ହୋଇ ରହିବେ ଏବଂ ଗ୍ରାମର ଯାବତୀୟ ବିକାଶକାର୍ଯ୍ୟରେ ଏହିମାନେ ଆଗୁଆ ହୋଇ ରହିବେ ଓ ଏକ ସକ୍ରିୟ ପାରସ୍ପରିକତାର ବାତାବରଣ ସୃଷ୍ଟି କରି ରଖିଥିବେ । ଏହାଦ୍ୱାରା ଗ୍ରାମରେ ଅନୁଷ୍ଠିତ ହେଉଥିବା ବିକାଶକାର୍ଯ୍ୟ ଆଗପରି ସରକାରଙ୍କର, ସରପଞ୍ଚ ବା ପଞ୍ଚାୟତର କାର୍ଯ୍ୟ ବୋଲି ମନେ ନହୋଇ ସମଗ୍ର ଗ୍ରାମସମୁଦାୟର ଆପଣା କାମ ବୋଲି ଅନୁଭୂତ ହେବ । ଶ୍ରୀଯୁକ୍ତ ଦେ ଙ୍କର କହିବା ଅନୁସାରେ ପଞ୍ଚାୟତୀରାଜ, ସରକାରୀ ସମାଜ ଓ ସାମୁଦାୟିକ ବିକାଶ, –ଏହି ତ୍ରିସୂତ୍ରୀୟ ବିକାଶଉଦ୍ୟମ ମାଧ୍ୟମରେ ଆମ ଦେଶରେ ସ୍ୱାଧୀନତାର ଧାରାକୁ ଲୋକସ୍ତରଯାଏ ଭେଦାଇବାର ଚେଷ୍ଟା କରାଯାଉଚି । (ପୁସ୍ତକ ଟିପ୍ପଣୀ–୧୦)

 

ଭାରତର ସାମୁଦାୟିକ ବିକାଶର କାର୍ଯ୍ୟକ୍ରମକୁ ଅନେକ ଦୃଷ୍ଟିରୁ ଆମେ ଏକ ସାହସିକ ଓ ଅଭିନବ କାର୍ଯ୍ୟକ୍ରମ ବୋଲି କହିପାରିବା । କାରଣ ଏହି କାର୍ଯ୍ୟକ୍ରମ ପଛରେ ଯେଉଁ ଆକାଙ୍‌କ୍ଷାଟି ନିହିତ ରହିଚି, ତାହାକୁ ମଧ୍ୟ ଯଥାର୍ଥରେ ଏକ ସାହସିକ ଓ ଅଭିନବ ଆକାଙ୍‌କ୍ଷା ବୋଲି କୁହାଯାଇ ପାରିବ । ଖାଲି ଭାରତବର୍ଷର ଚାରିପାଖରେ କାହିଁକି, ନୂତନ ହୋଇ ରାଜନୀତିକ ସ୍ୱାଧୀନତା ଲାଭ କରିଥିବା ବିକଶମାନ ଦେଶଗୁଡ଼ିକରେ ନେତାମାନେ ଆଜି ନାନାକାରଣରୁ ନିର୍ବାଚନମୂଳକ ଗଣତନ୍ତ୍ର ଓ ଜନାଧାରିତ ବିକାଶ ଉପରେ ଆସ୍ଥା ହରାଇ ବସୁଥିଲାପରି ମନେହେଉଚି ଏବଂ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଚି ଯେ, ସେହିସବୁ ଦେଶର ଜନସାଧାରଣ ତଥା ସଚେତନ ଶିକ୍ଷିତଶ୍ରେଣୀ ମଧ୍ୟ ଏହି ବିନାଶକାରୀ ଅନାସ୍ଥାକୁ ସମର୍ଥନ କରିନେଉଚନ୍ତି । ହୁଏତ ପ୍ରଧାନତଃ ଧୈର୍ଯ୍ୟ ହରାଇପକାଉଥିବାରୁ ଓ ଅନ୍ୟ କୌଣସି ବିକଶିତ ଦେଶର ଶକ୍ତି ଓ ସୌଭାଗ୍ୟ ସହିତ ଆପଣାର ତୁଳନା କରି ଗୋଟିଏ ଡିଆଁରେ ସେମାନଙ୍କ ପରି ହେବାର ଉଚ୍ଛନ୍ନ ସ୍ୱପ୍ନ ଦେଖୁଥିବାରୁ ସେମାନେ ଏପରି କରୁଚନ୍ତି । ଭାରତବର୍ଷ ଏପର୍ଯ୍ୟନ୍ତ ସେହି ଅନାସ୍ଥା ଆଡ଼କୁ ମନ ବଳାଇନାହିଁ । ଭାରତର ନେତା ବା ଜନତା କେହି ଏହାର ଆକର୍ଷଣରେ ଏପର୍ଯ୍ୟନ୍ତ ଭଳିନାହାନ୍ତି । ଅନେକେ କହନ୍ତି, ଭାରତବର୍ଷର ସଂସ୍କୃତିଗତ ଐତିହ୍ୟ ଭାରତବର୍ଷକୁ ଗଣତନ୍ତ୍ର ଓ କ୍ରମପରିବର୍ତ୍ତନର ମାର୍ଗରେ ଦୃଢ଼ କରି ରଖିଚି । ଯୁଗସଚେତନତା ନଥିଲେ କୌଣସି ପ୍ରକାର ପାଟଲୁଗା-ସାଇତା ପରମ୍ପରା କୌଣସି ଦେଶ ବା କୌଣସି ଜାତିକୁ ସୁସ୍ଥ ଓ ସମୁଚିତ ବାଟରେ ଯିବାରେ ଖୁବ୍ ବେଶୀ ସାହାଯ୍ୟ କରିପାରିବନାହିଁ । ଭାରତବର୍ଷ ଯେ ନାନା ରାଜନୀତିକ ବିଘଟନର ଏକ ମରୁଭୂମି ଭିତରେ ତଥାପି ଗଣତନ୍ତ୍ର ଓ ଲୋକାଧାରିତ, କୋଳାହଳରହିତ ବିପ୍ଳବର ଧାରାଟିକୁ ବଞ୍ଚାଇ ରଖିବାରେ ପ୍ରବୃତ୍ତ ହୋଇଚି ଓ ତାହାକୁ ହିଁ ଆପଣାର ସର୍ବପ୍ରଧାନ ଜାତୀୟ ଉଦ୍ୟମରୂପେ ଗ୍ରହଣ କରିଚି, ଏହା ତାହାର ଯୁଗସଚେତନତାର ପରିଚୟ ଦେଉଚି । ମୂଳତଃ ଯୁଗସଚେତନ ହୋଇଥିବାରୁ ଭାରତବର୍ଷ ଆପଣା ପରମ୍ପରାରୁ ବଳିଷ୍ଠ ପ୍ରେରଣାମାନ ଗ୍ରହଣ କରିବାକୁ ଅଧିକ ସମର୍ଥ ହୋଇପାରୁଚି ।

 

ଭାରତବର୍ଷ ଯେ ଆଜି ସାମୁଦାୟିକ ବିକାଶକୁ ସାମାଜିକ ପରିବର୍ତ୍ତନର ମାଧ୍ୟମରୂପେ ଗ୍ରହଣ କରିଚି ଏବଂ ଏହି ମାଧ୍ୟମକୁ ଅଧିକରୁ ଅଧିକ ଲୋକାଶ୍ରିତ ଓ ଲୋକଚାଳିତ କରି ରଖିବାର ଚେଷ୍ଟା କରୁଚି, ଏହାକୁ ମଧ୍ୟ ଉଲ୍ଲିଖିତ ଯୁଗସଚେତନତାର ଗୋଟିଏ ନିଦର୍ଶନ ବୋଲି କୁହାଯାଇ ପାରିବ । ଏଠାରେ ସ୍ମରଣ ରଖିବା ଉଚିତ ଯେ ସାମୁଦାୟିକ ବିକାଶ କେବଳ ଶାସନ ଗାଦିରେ ବସିଥିବା ଏକ ବିଶେଷ ରାଜନୀତିକ ଦଳର କାର୍ଯ୍ୟକ୍ରମ ନୁହେଁ । ଭାରତର ପ୍ରତ୍ୟେକ ରାଜନୀତିକ ଦଳ ଏହି କାର୍ଯ୍ୟକ୍ରମର ଉପାଦେୟତାକୁ ସ୍ୱୀକାର କରୁଚନ୍ତି । ଏହାକୁ କାର୍ଯ୍ୟକାରୀ କରିବାର ପ୍ରଣାଳୀରେ ବିଭିନ୍ନ ରାଜନୀତିକ ଦଳ ଭିତରେ ମତଭେଦ ଅବଶ୍ୟ ରହିଚି, ମତଭେଦ ରହିବା ମଧ୍ୟ ଅତି ସ୍ୱାଭାବିକ । ମାତ୍ର ମୌଳିକ ନୀତି ହିସାବରେ ସବୁ ଦଳ ଏହାକୁ ଅତୀବ ସମ୍ଭାବନାମୟ ବୋଲି ଅବଶ୍ୟ ସ୍ୱୀକାର କରୁଚନ୍ତି । ଏହିଦୃଷ୍ଟିରୁ ଆମେ ସାମୁଦାୟିକ ବିକାଶକୁ ଏକ ସରକାରୀ କାର୍ଯ୍ୟକ୍ରମ ବୋଲି ନକହି ଅବଶ୍ୟ ଆମର ଜାତୀୟ କାର୍ଯ୍ୟକ୍ରମ ବୋଲି କହିପାରିବା । ପ୍ରତିନିଧିମୂଳକ ଶାସନ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା,- ଗଣତନ୍ତ୍ର ଓ ସମାଜବାଦ,- ଏହି ଦୁଇଟି ଜୀବନମୂଲ୍ୟକୁ ଏ ଦେଶରେ ଆମେ ସମସ୍ତେ ଲୋକନିର୍ମାଣର ଆଧାରଶିଳା ରୂପେ ମାନିନେଇ ସାରିଚୁ । ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ଏହି ଦୁଇଟିକୁ ହିଁ ଆପଣା ମାର୍ଗରେ ମାର୍ଗଦର୍ଶକ ତାରାରୂପେ ଗ୍ରହଣକରିନେଇଚି ।

 

ପ୍ରଖ୍ୟାତ ଇତିହାସକାର ଶ୍ରୀଯୁକ୍ତ ଟଏନ୍‌ବୀଙ୍କ ମତରେ (୨୧), ‘‘କୃଷକକୁଳର ଜୀବନସ୍ତରକୁ ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଶିକ୍ଷିତ ଓ ସମ୍ପନ୍ନ କରିବାଲାଗି ଆଜି ରୁଷ, ଚୀନ ତଥା ଭାରତବର୍ଷରେ ଶକ୍ତିଶାଳୀ ଉଦ୍ୟମମାନ ହେବାରେ ଲାଗିଚି । କିନ୍ତୁ ଏଥିଭିତରୁ ଭାରତବର୍ଷରେ ଯେଉଁ ଉଦ୍ୟମଟି ହେଉଚି ତାହାକୁ ଆମେ ଏକ ଅସାଧାରଣ ଭାବରେ ମହତ୍ତ୍ୱପୂର୍ଣ୍ଣ ଓ ଆଗ୍ରହୋଦ୍ଦୀପକ ଉଦ୍ୟମ ବୋଲି କହିପାରିବା । କୃଷକମାନେ ସ୍ୱେଚ୍ଛାପ୍ରଣୋଦିତ ହୋଇ ଆଧୁନିକତାର ଜୀବନବ୍ୟବସ୍ଥା ମଧ୍ୟରେ ପ୍ରବେଶ କରିବେ ଓ ସେହି ଅନୁସାରେ ଆପଣାର ଜୀବନରେ ଆବଶ୍ୟକ ପରିବର୍ତ୍ତନମାନ କରାଇବାଲାଗି ପ୍ରସ୍ତୁତ ହେବେ । ସେହି ଉଦ୍ଦେଶ୍ୟରେ ସକଳ ଉପାୟରେ ପ୍ରବର୍ତ୍ତାଇ ଓ ବିଶ୍ୱାସ ଜନ୍ମାଇ ସେମାନଙ୍କର ରକ୍ଷଣଶୀଳତାଗୁଡ଼ିକୁ ଦୂର କରିଦେବାର ପ୍ରୟାସ କରାଯିବ । ଏହି ବାଟ ଅଧିକ କଠିନ ବାଟ, ଏହି ବାଟ ହେଉଚି ମନ୍ଥର ପରିବର୍ତ୍ତନର ବାଟ । ଭାରତବର୍ଷ ଏହି ବାଟଟିକୁ ଆପଣାର ବାଟ ବୋଲି ବାଛିନେଇଚି । ଏହି ବାଟରେ ଅଗ୍ରସର ହେଲେ ଯେ ଜାତୀୟ ସୁଖ ଓ ସମୃଦ୍ଧି ନିହିତ ହୋଇ ରହିଚି, ଏହିପରି ଏକ ଦୃଢ଼ବିଶ୍ୱାସକୁ ହୃଦୟ ଭିତରେ ଧରି ସୁବିବେଚିତ ଭାବରେ ଭାରତବର୍ଷ ଏହାକୁ ବାଛିନେଇଚି ।’’

 

ଏହି ବାଟ କଠିନ ବାଟ, ମନ୍ଥର ପରିବର୍ତ୍ତନର ବାଟ । ସଂସାରଯାକର ଅଧିକାଂଶ ନେତା ଓ ନେତୃତ୍ୱ ସହଜ ବାଟ ଓ ସତ୍ୱର ଫଳପ୍ରାପ୍ତିର ପ୍ରଲୋଭନ ଦେଖାଇ ଗୋଟାକ ପରେ ଗୋଟାଏ ରାଜ୍ୟକୁ ଦଉଡ଼ାଇ ନେଉଥିବାବେଳେ ଭାରତବର୍ଷକୁ ଯଦି ତଥାପି ଏହି ବାଟରେ ତିଷ୍ଠି ରହିବାକୁ ହୁଏ, ତେବେ ସେଥିଲାଗି ଅନେକ ମାର୍ଗନିଷ୍ଠା ଦରକାର, ସ୍ୱନିର୍ବାଚିତ ସାମୁଦାୟିକ ଜୀବନମୂଲ୍ୟ ଉପରେ ଦୃଢ଼ ବିଶ୍ୱାସ ମଧ୍ୟ ଦରକାର । ଏହି ନିଷ୍ଠା ଓ ଏହି ବିଶ୍ୱାସ ଅର୍ଜନ କରିବା ଆଦୌ ସହଜ ନୁହେଁ । ବିଶେଷତଃ ଯେଉଁ ଦେଶରେ ଏକ ପକ୍ଷରେ ବହୁଜନଙ୍କର ସଂସାରକୁ ଜୀବନସ୍ତରର ନାନା ଦ୍ୟୈନ୍ୟ ଓ ନାନା ଅଭାବ ଘାରିରହିଚି ଏବଂ ଅପର ପକ୍ଷରେ ଶିକ୍ଷା ଓ ସମ୍ଭୋଗରେ ସମ୍ପନ୍ନ ହୋଇ ରହିଥିବା ମୁଷ୍ଟିମେୟ ଲୋକଙ୍କ ଆଗରେ ଅଜ୍ଞାନ ଓ ଅକିଞ୍ଚନ ଜନସମୁଦ୍ରକୁ ଭୁଲାଇନେବାର ବା ବହକାଇ ନେବାର ପ୍ରଲୋଭନ ବି ସବୁବେଳେ ବଳବତ୍ତର ରହିଚି, ସେତେବେଳେ ଏକ ଜାତୀୟ ସମୁଦାୟ ହିସାବରେ ଏହି ନିଷ୍ଠା ଓ ବିଶ୍ୱାସରୁ ସ୍ଖଳିତ ବା ବିଚଳିତ ହୋଇପଡ଼ିବାଲାଗି ଆମ ଆଗରେ ଅନେକ ଆଶଙ୍କା ନିରନ୍ତର ରହିଚି ।

 

କମ୍ୟୁନିଟି ଅର୍ଥାତ୍ ସମୁଦାୟ ବା ଗୋଷ୍ଠୀ କହିଲେ ଆମେ ଏଦେଶରେ ନାନାପ୍ରକାରେ ବୁଝିବାକୁ ଆରମ୍ଭ କରିଚୁ । ଗତ ପ୍ରାୟ ଶହେବର୍ଷ ହେଲା ପରାଧୀନ ଭାରତରେ ଆପଣାର ସଂକୀର୍ଣ୍ଣ ସମ୍ପ୍ରଦାୟ ଗୁଡ଼ିକ ଲାଗି ଅଧିକରୁ ଅଧିକ ଫାଇଦା ପାଇବା ଉଦ୍ଦେଶ୍ୟରେ ଆମେ ଆପଣାକୁ ସମୁଦାୟର ସନ୍ତକ ପିନ୍ଧାଇ ବୁଲୁଥିଲୁ । ବିଭିନ୍ନ ଧର୍ମ, ବିଭିନ୍ନ ଜାତି ଓ ଉପଜାତି, ଏପରିକି ବିଭିନ୍ନ ଆର୍ଥିକ ସ୍ୱାର୍ଥର ପ୍ରତିନିଧିତ୍ୱ କରୁଥିବା ଗୋଷ୍ଠୀମାନେ ଆପଣାକୁ ଗୋଟିଏ ଗୋଟିଏ କମ୍ୟୁନିଟି ବୋଲି କହୁଥିଲେ । କାୟସ୍ଥ କମ୍ୟୁନିଟି, କରଣ କମ୍ୟୁନିଟି, ବଣିଆ କମ୍ୟୁନିଟି, ବ୍ୟାପାରୀ କମ୍ୟୁନିଟି, ହିନ୍ଦୁ କମ୍ୟୁନିଟି ବା ମାରଓ୍ୱାଡ଼ି କମ୍ୟୁନିଟି,-ଏସବୁ ଆମଲାଗି ଅତିପରିଚିତ ଶବ୍ଦ ହୋଇ ରହିଥିଲା । ଆପଣାର ସୁରକ୍ଷା ଲାଗି ଲଢ଼ୁଥିବା ସାନ ବଡ଼ ଜମିଦାରମାନେ ମଧ୍ୟ ବେଳେବେଳେ ଆପଣାକୁ ଗୋଟିଏ କମ୍ୟୁନିଟି ପରି ଦେଖାଇବାର ପ୍ରୟାସ କରୁଥିଲେ । ସ୍ୱାଧୀନ ଭାରତରେ ମଧ୍ୟ ଏହି ପ୍ରବୃତ୍ତି ନାନା ଛଳନାରେ ବଞ୍ଚିରହିବାକୁ ଚେଷ୍ଟା କରିଚି । କିନ୍ତୁ ଦେଶରେ ସାମୁଦାୟିକ ବିକାଶର ପ୍ରବର୍ତ୍ତନ ହେବାଠାରୁ ଏହାର ଅର୍ଥ କ୍ରମେ ବଦଳିବାକୁ ଆରମ୍ଭ କଲାଣି । କମ୍ୟୁନିଟି କହିଲେ ବର୍ତ୍ତମାନ ସମସ୍ତ ଗ୍ରାମସମାଜ ବା ଗ୍ରାମ ସମୁଦାୟକୁ ବୁଝାଉଚି । ଏଥିରେ ଜାତି, ଧର୍ମ ବା ଆର୍ଥିକ ସ୍ତରବିଶେଷ ଅନୁସାରେ କୌଣସି ପାତ୍ରାନ୍ତର ରଖାଯାଇନାହିଁ । (୨୨) ଗ୍ରାମସମୁଦାୟରେ ଏହିସବୁ ପାର୍ଥକ୍ୟ ଅବଶ୍ୟ ରହିଚି, ମାତ୍ର ତଥାପି ଗ୍ରାମର ସମସ୍ତଙ୍କର ବିକାଶ କରିବା ହିଁ ସାମୁଦାୟିକ ବିକାଶର ଧ୍ୟେୟ ହୋଇ ରହିଚି ।

 

ଗାଆଁ ଲୋକେ ଯୋଜନା କରି ଆପେ ଆପଣାର ବିକାଶ ସାଧନ କରିବେ, ସେମାନଙ୍କର ଏହି ଉଦ୍ୟମରେ ଦେଶର ଶାସନ ସେମାନଙ୍କୁ ପ୍ରୋତ୍ସାହନ ଦେବ, ଆବଶ୍ୟକ ଶିକ୍ଷା ଓ ତାଲୀମ ଦେବ ଏବଂ ପ୍ରୟୋଜନୀୟ ସାଧନସାମଗ୍ରୀମାନ ଆଣି ଯୋଗାଇଦେବ, ଭାରତୀୟ ଗ୍ରାମର ଇତିହାସରେ ଏପରି ଘଟଣା ଆଗରୁ କେବେହେଲେ ଘଟିନଥିଲା । ତେଣୁ କେବଳ ଭାବପ୍ରବଣ ହୋଇ ଆମେ ପୁରାତନ ସମୁଦାୟ-ସ୍ତରକୁ ଫେରିଗଲେ ଏହି ନୂତନ ଆହ୍ୱାନରେ ସମ୍ମୁଖୀନ ହୋଇ ପାରିବାନାହିଁ । ନୂତନର କୁଣ୍ଡରେ ଝାସଦେଇ ଗୋଟାସୁଦ୍ଧା ନୀଳବର୍ଣ୍ଣ ହେବାକୁ ଚେଷ୍ଟାକଲେ ଆମର ଚେର ଛିଡ଼ିଯିବ; ଯେଉଁ ଭୂଇଁଉପରେ ଭରାଦେଇ ଆମେ ଠିଆହୋଇଚୁ, ସେହି ଭୂଇଁ ଭୁଷୁଡ଼ିପଡ଼ିବ । ଆମ ଗାଆଁରେ ବାସ କରୁଥିବା ସବୁଲୋକଙ୍କ ଲାଗି ଶିକ୍ଷା, ସ୍ୱାସ୍ଥ୍ୟ, ଅନ୍ନ ଓ ଅନ୍ୟାନ୍ୟ ଜୀବନସାଧନର ବ୍ୟବସ୍ଥା କରିବାପାଇଁ ପରସ୍ପର ଅଣ୍ଟାଭିଡ଼ି ଆଧୁନିକ ଜ୍ଞାନ ଓ କୌଶଳଗୁଡ଼ିକର ସୁଯୋଗ ନେଇପାରିବାକୁ ବାହାରିବା ସକାଶେ ଆମ ଦୃଷ୍ଟିକୋଣ ଗୁଡ଼ିକରେ ଯେଉଁସବୁ ପରିବର୍ତ୍ତନ ହେବା ଉଚିତ ଓ ଆମର ଜୀବନାଗ୍ରହ ଯେଉଁପରି ଭାବରେ ବଢ଼ିବା ଉଚିତ, ତାହା ସମ୍ଭବ କରିପାରିଲେ ଯାଇ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମରୁ ଆମେ ସମୁଚିତ ଲାଭ ଉଠାଇପାରିବା ଓ ଏକ ସମୁଦାୟ ହିସାବରେ ଆଗକୁ ବଢ଼ିପାରିବା ।

 

ପୁସ୍ତକ ଟିପ୍ପଣୀ

 

୧.

Kurukshetra, A Symposium on C. D in India-Government of India, Delhi, 1961, ପୃଷ୍ଠା–୧୪୫

୨.

Royal Commission on Agriculture in India

 

(Abridged Report)-Government Central Press, Bombay, ପୃଷ୍ଠା–୬୭୨

୩.

B. Mukerjee : Community Development in India-Orient Longmans, Bombaay, 1962, ପୃଷ୍ଠା–୧୬

୪.

V.T. Krishnamachari : Community Development in India- Government of India, Delhi, 1962, ପୃଷ୍ଠା–୯

୫.

Evolution of C.D. Programme in India- Government of India, New Delhi, 1963, ପୃଷ୍ଠା–୧-୧୪

୬.

B. Rambhai : The Silent Revolution-Jiwan Prakashan, Delhi, 1959, ପୃଷ୍ଠା–୧୩

୭.

Mohandas K. Gandhi Rebuilding Our Villages- Navjivan Publishing House, Ahmedabad, 1956, ପୃଷ୍ଠା–୧୦୨

୮.

Albert Mayer and Others Pilot Project India- University of California Press, Berkley, 1958, ପୃଷ୍ଠା–୩୮

୯.

B. Rudramoorthy : Extension in Planned Social Change- Allied Publishers Private Ltd., Bombay, 1964, ପୃଷ୍ଠା–୨୯

୧୦.

The Indian Express, City Edition, New Delhi, January 25, 1966.

୧୧.

Ramavatar Lal Community Development- Bookland Private Ltd., Calcutta, 1963, ପୃଷ୍ଠା–୨୪

୧୨.

Manilal B. Nanavati and J.J. Anjaria : The Indian Rural Problem– Indian Society of Agricultural Economics, Bombay, 1965, ପୃଷ୍ଠା–୨୪୨

୧୩.

First Five Year Plan, A Summary– Planning Commission, Government of India, Delhi, 1952, ପୃଷ୍ଠା–୧

୧୪.

Fertilizer Statistics– The Fertilizer Association of India, New Delhi, 1965, ପୃଷ୍ଠା–୨୬୮

୧୫.

India 1965–Publications Division, Government of India, 1965, ପୃଷ୍ଠା–୧୭୯

୧୬.

Kurukshetra (ମାସିକ)– Publications Division, Government of India, Delhi, May, 1961, ପୃଷ୍ଠା–୬

୧୭.

B. Maheshwari Studies in Panchayati Raj– Metropolitan Book Co., Delhi, 1963, ପୃଷ୍ଠା–୨୧.

୧୮.

Md. Afzal Khan : A new Dawn, in Pakistan Quarterly, Karachi, Writer 1959, ପୃଷ୍ଠା : ୩୩–୩୫

୧୯.

Masihuzzaman : Basic Democracy and Community Development, In Community Development Review, Washington, March 1961,

୨୦.

S.K. Dey Community Development, a Bird’s-eye View- Asia Publishing House, Bombay, 1964, Preface.

୨୧.

Quoted in New India, Progress Through Democracy–Government of India, 1958, ପୃଷ୍ଠା–୧୬୪

୨୨.

A.R. Desai : Rural India in Transition– Popular Book Depot, Bombay, 1961, ପୃଷ୍ଠା–୬୫

Image

 

ଅଷ୍ଟମ ଅଧ୍ୟାୟ

ଭାରତରେ ସାମୁଦାୟିକ ବିକାଶ-ଯୋଜନା : ସମୀକ୍ଷା

 

‘‘ମନୁଷ୍ୟ ସଭ୍ୟତା ଓ ପ୍ରଗତିର ଦରବାରେ ଅନ୍ୟମାନଙ୍କ ସହିତ ଆପଣାର ଉପଯୁକ୍ତ ଆସନରେ ଯାଇ ବସିପାରିବା ପୂର୍ବରୁ ଆମକୁ ଏକ ଦୀର୍ଘ ପଥ ଚାଲିବାକୁ ହେବ ଏବଂ ଅନେକ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼ିବ । ଏବଂ ଏହି ପଥରେ ଆମକୁ ଯଥେଷ୍ଟ ବେଗର ସହିତ ଯିବାକୁ ପଡ଼ିବ, କାରଣ ଏଥିପାଇଁ ଆମହାତରେ ଅତି ଅଳ୍ପ ସମୟ ରହିଚି ଓ ପୃଥିବୀ ମଧ୍ୟ ଦିନକୁ ଦିନ ଅଧିକତର ବେଗରେ ଆଗକୁ ଯିବାରେ ଲାଗିଚି ।’’

 

ଜବାହରଲାଲ ନେହରୁ–

 

ପ୍ରାୟ ପାଞ୍ଚବର୍ଷତଳେ ଭବିଷ୍ୟତ ଭାରତର ଏକ ଚିତ୍ର ଆଙ୍କିବାକୁ ଯାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ କୁଳପତି ଓ ଭାରତୀୟ କେନ୍ଦ୍ର ସରକାରରେ ଜଣେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଚିନ୍ତାମନ୍ ଦେଶମୁଖ ଆମକୁ ନିମ୍ନଲିଖିତ କଳ୍ପନା–ସ୍ରୋତଗୁଡ଼ିକରେ (୧) ଭସାଇ ନେବାକୁ ଚେଷ୍ଟା କରିଥିଲେ : ‘‘୧୯୮୧ ମସିହା ବେଳକୁ ଭାରତବର୍ଷର ପ୍ରତ୍ୟେକ ଗାଆଁକୁ ବିଜୁଳିଶକ୍ତି ଆସିଯାଇଚି । ଖାଇବାଲାଗି ଲୋକମାନଙ୍କ ପାଖରେ ଅଧିକ ଅନ୍ନ ମହଜୁଦ ଥିବ, ପିଇବାଲାଗି ଅଧିକ କ୍ଷୀରରହିଥିବ । ଭାରତବର୍ଷରେ କୌଣସି ବ୍ୟକ୍ତି କାମ ଅଭାବରୁ ବେକାର ହୋଇ ବସିନଥିବ । ମୁଣ୍ଡପିଛା ବାର୍ଷିକ ଆୟ ସେତେବେଳକୁ ବର୍ତ୍ତମାନ ତୁଳନାରେ ଦୁଇଗୁଣରୁ ଅଧିକ ହୋଇଯାଇଥିବ । (ବର୍ତ୍ତମାନ ଟ୩୩୧/- ଅଛି, ସେତେବେଳକୁ ଟ୭୯୨/-ଙ୍କା ହୋଇଯିବ ।) ପ୍ରତି ଦୁଇଜଣରେ ଜଣେ ମଣିଷପାଖରେ ନିଜର ସାଇକେଲ ରହିଥିବ, ପ୍ରତି ସାତଶହ ଜଣରେ ଜଣକପାଖରେ ମଟରଗାଡ଼ି ଥିବ । ଜାତୀୟ ଆୟର ତିନିଭାଗରୁ ଏକଭାଗ ଶିଳ୍ପ ଓ ଉଦ୍ୟୋଗକ୍ଷେତ୍ରରୁ ଆସୁଥିବ, ଭାଗେ କୃଷିରୁ ପ୍ରାପ୍ତ ହେଉଥିବ । ଆଜି ଭାରତର ଜଣେ ମଣିଷ ହାରାହାରି ଦିନକୁ ଚଉଦ ଆଉନ୍‌ସ୍‌ ଖାଦ୍ୟଶସ୍ୟ ଖାଇବାକୁ ପାଉଚି, ସେତେବେଳକୁ ଅଠର ଆଉନ୍‌ସ୍‌ ପାଇବ । ଦେଶର ଦୁଗ୍‌ଧ-ଉତ୍ପାଦନ ଦ୍ୱିଗୁଣିତ ହୋଇଯିବ । ବର୍ତ୍ତମାନ ଦେଶରେ ଜଣପିଛା ବର୍ଷକୁ ଷୋହଳଗଜ କପଡ଼ା ଭାଗ ପଡ଼ୁଚି, ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଛତିଶିଗଜ କପଡ଼ା ପିନ୍ଧିବାକୁ ପାଇବେ ।’’ ଏହି ଚିତ୍ରଟି ବାସ୍ତବରେ ପରିଣତ ହୋଇପାରିବା ଲାଗି ମାତ୍ର ଦୁଇଟି ସର୍ତ୍ତର ପୂରଣହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ପ୍ରଥମ ସର୍ତ୍ତ ହେଉଚି ଦେଶର ସରକାର ମଜବୁତ୍ ରହିବ ଏବଂ ଦ୍ୱିତୀୟତଃ ଆବଶ୍ୟକ ଯନ୍ତ୍ରକୌଶଳ ଜାଣିଥିବା ଓ ଜାତୀୟ ଉଦ୍ୟମ ଗୁଡ଼ିକୁ ଚଳାଇବାକୁ ରହିଥିବା କାରିଗର, ବିଶେଷଜ୍ଞ ଓ ବ୍ୟବସ୍ଥାପକମାନେ ଉପଯୁକ୍ତ ସଂଖ୍ୟାରେ ମିଳିପାରୁଥିବେ । ତାଙ୍କର ହିସାବ ଅନୁସାରେ ୧୯୬୨ ମସିହାରେ ଆମ ଦେଶରେ ୫୮୦୦୦ ଡିଗ୍ରୀଧାରୀ ଇଞ୍ଜିନିୟର୍ ରହିଥିଲେ, ୧୯୮୧ ବେଳକୁ ଛଅଲକ୍ଷ ଦରକାର ହେବେ । ୧୯୬୨ ମସିହାରେ ୮୦୦୦୦ ଡାକ୍ତର ରହିଥିଲେ, ୧୯୮୧ ବେଳକୁ ପ୍ରାୟ ୨୨୦୦୦୦ ଡାକ୍ତର ଦରକାର ହେବେ । ୧୯୬୨ ରେ ଭାରତବର୍ଷରେ ଏକଲକ୍ଷ ପଚିଶିହଜାର ଶିକ୍ଷିତ ରହିଥିଲେ, ମାତ୍ର ୧୯୮୧ ମସିହା ବେଳକୁ ପ୍ରାୟ ଚାଳିଶିଲକ୍ଷ ଶିକ୍ଷକ ତାଲୀମପ୍ରାପ୍ତ ହୋଇ ବାହାରିଲେ ଆମର ଆବଶ୍ୟକତା ମେଣ୍ଟିପାରିବ ।

 

ଦେଶକୁ ଅଧିକ ସମୃଦ୍ଧ ଓ ଦେଶମଣିଷର ଜୀବନ ଓ ଭାଗ୍ୟକୁ ଅଧିକ ସମ୍ପନ୍ନ କରିବାକୁ ହେଲେ ଆମଦେଶରେ ଯେ ଇଞ୍ଜିନିୟର୍, ଡାକ୍ତର ଓ ଶିକ୍ଷକମାନଙ୍କର ସଂଖ୍ୟା ବହୁପରିମାଣରେ ବଢ଼ାଇବାକୁ ପଡ଼ିବ, ଏକଥା କେହି କଦାପି ଅସ୍ୱୀକାର କରିବନାହିଁ । କିନ୍ତୁ ଖାଲି ଏହିମାନଙ୍କର ସଂଖ୍ୟା ବଢ଼ାଇ ଭାରତବର୍ଷ ଭଳି ଏକ ଅତିକାୟ ଓ ସମସ୍ୟାଜଟିଳ ଦେଶର ଭାଗ୍ୟ ବଦଳାଇଦେବା ପ୍ରକୃତରେ ସମ୍ଭବ ହୋଇପାରୁଥିଲେ ଏ ଦେଶରେ ଆମର କାମ ଭାରି ସହଜ ହୋଇଯାଇଥାନ୍ତା । ଏହି କାର୍ଯ୍ୟ ଯେ ଆଦୌ ସହଜ ନୁହେଁ, କେବଳ ବିଶେଷଜ୍ଞ ଓ ବ୍ୟବସ୍ଥାପକମାନଙ୍କର ସଂଖ୍ୟା ବଢ଼ାଇବା ସକାଶେ ତାଲୀମ ବା ଉଚ୍ଚଶିକ୍ଷାର କେନ୍ଦ୍ରମାନ ଖୋଲିଦେଲେ ଯେ ଆମର ସମସ୍ୟା ମେଣ୍ଟିଯାଇ ପାରିବନାହିଁ, ଗତ ପ୍ରାୟ ପନ୍ଦରବର୍ଷ ହେଲା ଏହି ଦେଶକୁ ଗଢ଼ିବାର ବା ଗଢ଼ିବାଲାଗି ପ୍ରୟାସ କରିବାର ଅଭିଜ୍ଞତା ଆମକୁ ପ୍ରଧାନତଃ ଏହିପରି ଏକ ଶିକ୍ଷା ଦେଇପାରିଥିବା ଉଚିତ ।

 

ଯୋଜନାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଏହି ଦେଶର ଚାଳିଶିକୋଟି ଜନତାର ଜାତକ ବୋଲି ଥରେ କହିଥିଲେ (ତତ୍ରୈବ : ଜାନୁଆରୀ ୨୬, ୧୯୬୦ ପୃଷ୍ଠା-୫) । ପଣ୍ଡିତ ନେହରୁଙ୍କର ଭାଷାରେ ‘‘ଚନ୍ଦ୍ରମା ଓ ଅନ୍ୟାନ୍ୟ ଗ୍ରହମାନଙ୍କର ସାହାଯ୍ୟରେ ଏହି ଜାତକ ତିଆରି ହେବନାହିଁ, ମାତ୍ର ଦେଶରେ ଯେଉଁ ସମ୍ପଦ ତଥା ସମ୍ଭାବନାମାନ ରହିଚି, ଯତ୍ନସହକାରେ ସେହିଗୁଡ଼ିକୁ କାର୍ଯ୍ୟରେ ଲଗାଇ ଏବଂ ଅଗ୍ରସର ହେବାଲାଗି ଦେଶର ଅଧିବାସୀମାନଙ୍କ ଲାଗି ଅଧିକରୁ ଅଧିକ ଅନୁକୂଳ ଅବସର ଓ ସୁଯୋଗମାନ ସୃଷ୍ଟି କରି ହିଁ ଜାତିର ଏହି ଜାତକ ତିଆରି ହେବ ।’’ ଏପରି ଏକ ଜାତକ ତିଆରି କରିବାର ଉଦ୍ୟମ ଆମ ଦେଶରେ ଗତ ପନ୍ଦରବର୍ଷ ହେଲା ହେଉଚି । ପାଞ୍ଚବରଷରେ ଜାତକଟିର ଗୋଟିଏ ପରସ୍ତ ସରି ତାହାରି ଅଭିଜ୍ଞତା, ଆଶା ଓ ନିରାଶା ଉପରେ ସେହିପରି ଆଉଗୋଟିଏ ପରସ୍ତଲାଗି ଚିଠାମାନ ତିଆରି ହେଉଚି । ଏହାର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯାଉଚି । ଆମଦେଶର ସରକାର ନିୟମତଃ ଲୋକମତଦ୍ୱାରା ନିର୍ବାଚିତ ହୋଇଥିବାରୁ ଭାରତବର୍ଷର ଜାତୀୟ ଯୋଜନା ପଛରେ ଜନମତ ରହିଚି ବୋଲି ଅବଶ୍ୟ କୁହାଯାଇ ପାରିବ । କେବଳ ସରକାରୀ ମନ୍ତ୍ରୀ, ଅଫିସର ବା କର୍ମଚାରୀମାନେ ବସି ଏହି ଯୋଜନାଗୁଡ଼ିକୁ ତିଆରି କରୁନାହାନ୍ତି । ଏହି କାର୍ଯ୍ୟରେ ଆମ ଦେଶ ତଥା ବାହାର ଏକାଧିକ ଦେଶର କେତେ କେତେ ବିଦ୍ୱାନ୍ ଓ ବିଶେଷଜ୍ଞମାନଙ୍କର ପ୍ରସ୍ତାବ ଓ ପରାମର୍ଶ ମଧ୍ୟ ନିଆଯାଉଚି । ଏହିପରି ଏକ ରୀତିରେ ଆମେ ଗୋଟି ଗୋଟି ହୋଇ ତିନୋଟି ପଞ୍ଚବର୍ଷୀୟ ଯୋଜନାର କାଳ ଅତିକ୍ରମ କରି ଅଳ୍ପଦିନରେ ଚତୁର୍ଥ ଯୋଜନାରେ ଗୃହପ୍ରବେଶ କରିବାକୁ ଯାଉଚୁ ।

 

ଏହି ଯୋଜନା ଅନୁସାରେ ନଦୀବନ୍ଧ ତିଆରି ହେଉଚି, କାରଖାନାମାନ ବସୁଚି, ନୂଆ ନୂଆ କ୍ଷେତ୍ରରେ ଗବେଷଣା ଓ ନୂତନଜ୍ଞାନର ସମ୍ଭାବନାଗୁଡ଼ିକୁ ଉନ୍ମୁକ୍ତ କରିଦେବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖରଚ ହେଉଚି । ଶିକ୍ଷାର ପ୍ରସାର ଓ ସ୍ୱାସ୍ଥ୍ୟରେ ସୁଧାର ଲାଗି କେତେ ବ୍ୟାପକ କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଉଚି । ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ଏହି ଦେଶର ଲୋକଙ୍କଲାଗି ଏସବୁ ହେଉଚି । ଯୋଜନାର ସବୁ ପୀଠ ପ୍ରଧାନତଃ ଦିଲ୍ଲୀର କେନ୍ଦ୍ରତୀର୍ଥରେ ଅବସ୍ଥିତ ରହିଚି ସତ, ମାତ୍ର ଭାରତବର୍ଷର ସମାଜ ଓ ଜାତୀୟ ସମୁଦାୟ କହିଲେ ଯେଉଁ ଚାଳିଶି କୋଟିର ଅଧିକ ମଣିଷଙ୍କୁ ବୁଝାଏ, ସେହିମାନଙ୍କର ଭାଗ୍ୟ ଓ ଜୀବନମାନକୁ ବଦଳାଇବାପାଇଁ ହିଁ ଏହି ଯୋଜନା ହେଉଚି । ଗତ ପନ୍ଦରବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ କେତେଦୂର କଣ ହାସଲ କରିଚି ଓ କେତେଦୂର ବାଟ ବା ଅବାଟରେ ଯାଇଚି ଏବଂ ତଦ୍ଦ୍ୱାରା ଆମ ଦେଶରେ ମଣିଷର ଭାଗ୍ୟ କେତେଦୂର କେଉଁଦିଗରେ ବଦଳିଚି ବା ନବଦଳିଚି, ଆମେ ଏହି ଅଧ୍ୟାୟରେ ତାହାରି ଆଲୋଚନା କରିବାକୁ ଚେଷ୍ଟା କରିବା । ଗୋଟାଏ ନନ୍ଦୀବନ୍ଧ ଫେଲ୍ ମାରିଲେ ଜାତୀୟ ଧନ ନଷ୍ଟହେବ ସତ, ମାତ୍ର ଧନ ଥିଲେ ଆଉଗୋଟାଏ ନଦୀବନ୍ଧ ତିଆରି ହୋଇପାରିବ । ଗୋଟାଏ କାରଖାନାର ଉଦ୍ୟମ ବିଫଳ ହେଲେ ଧନଥିଲେ ଆଉଗୋଟିଏ କାରଖାନା ତିଆରି ହୋଇପାରିବ । କିନ୍ତୁ ସାମୁଦାୟିକ ବିକାଶ ବିଫଳ ହେଲେ ସମଗ୍ର ଦେଶ ଭୁଷୁଡ଼ିପଡ଼ିବ, ଦେଶର ସ୍ୱାଧୀନତା ଓ ଦେଶର ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡ଼ିବ । ପୁଣି ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡ଼ିଲେ ଆମେ ଭବିଷ୍ୟତ ବିଷୟରେ ଆଉ କି କଳ୍ପନା ବା କରିପାରିବା ! ସ୍ୱାଧୀନ ଭାରତର ମୂଳଦୁଆ ଭୁଷୁଡ଼ି ପଡ଼ିଲେ, ଭବିଷ୍ୟତ ବିଷୟରେ ଆମର ସକଳ ଆଶା ପଣ୍ଡ ହୋଇଗଲେ ହୁଏତ ଏପାଖର ଏହି ମହାଦେଶଟିଯାକ ମଧ୍ୟ ନାନାଭାବେ ବିପନ୍ନ ହୋଇପଡ଼ିବ । ହୁଏତ ସେଇଥିଲାଗି ବିଶ୍ୱରାଷ୍ଟ୍ରସଂଘର ଆନୁକୂଲ୍ୟରେ ଭାରତବର୍ଷର ସାମୁଦାୟିକ ବିକାଶସମ୍ବନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକୁ ତନଖି ଓ ତଉଲି ଦେଖିବାଲାଗି ନିଯୁକ୍ତ ହୋଇଥିବା କମିଟିର ସଦସ୍ୟମାନେ ଆପଣାର ରିପୋର୍ଟରେ (୨) ଏହାକୁ ସମଗ୍ର ଏସିଆରେ ଅନୁଷ୍ଠିତ ହେଉଥିବା ଏଯୁଗର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏକ ଆନ୍ଦୋଳନ ବୋଲି ବର୍ଣ୍ଣନା କରିଚନ୍ତି ।

 

ଭାରତ ସରକାର ଦେଶରେ କାର୍ଯ୍ୟକାରୀ ହେଉଥିବା ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କମିଟି ବସାଇଚନ୍ତି । ପ୍ରଥମ କମିଟି ଯୋଜନାଟି ଚାଲିବାର ଠିକ୍ ବର୍ଷକ ପରେ ବସିଥିଲା ଓ ବର୍ଷକରେ କାର୍ଯ୍ୟ କେତେଦୂର କିପରି ଅଗ୍ରସର ହେଉଥିଲା, ତାହା ଉପରେ ଆଲୋକପାତ କରିଥିଲା । ତାପରେ ପ୍ରାୟ ପ୍ରତ୍ୟେକ ଦୁଇବର୍ଷ ତିନିବର୍ଷରେ ସାନବଡ଼ କମିଶନମାନ ବସିଚି ଓ ବିକାଶକାର୍ଯ୍ୟ ବିଷୟରେ ଆପଣାର ସୁପାରିଶମାନ ଦେଇଚି । କେନ୍ଦ୍ରସରକାରଙ୍କର ପ୍ରକାଶନ-ବିଭାଗ ତରଫରୁ ମଧ୍ୟ ଇଂରାଜୀ ଓ ହିନ୍ଦୀରେ ଯେଉଁ ‘କୁରୁକ୍ଷେତ୍ର’ ପତ୍ରିକା ବାହାରୁଚି, ସେଥିରେ ବିକାଶ-ଯୋଜନାର ଉଦ୍ୟମଗୁଡ଼ିକୁ ନାନାଦିଗରୁ ଆଲୋଚନା ଓ ସମାଲୋଚନା କରିବାଲାଗି ସମସ୍ତଙ୍କୁ ଅବସର ଦିଆଯାଇଚି । ପ୍ରତ୍ୟେକବର୍ଷ ସରକାରୀ ତଥା ବେସରକାରୀ ସାନବଡ଼ ନାନା ପାହିଆର ବ୍ୟକ୍ତିଙ୍କୁ ନେଇ ଦେଶର ନାନାସ୍ଥାନରେ ସେମିନାର୍ ବା ଚର୍ଚ୍ଚାଚକ୍ରମାନ ବସୁଚି । ଏତଦ୍‌ବ୍ୟତୀତ ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଓ ସମୀକ୍ଷା କରିବାଲାଗି ଏକ ସ୍ଥାୟୀ ଅନୁଷ୍ଠାନ (PEO- Programme Evaluation Organization) ବି କାର୍ଯ୍ୟ କରୁଚି । ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଆପଣାର ଅନ୍ୱୀକ୍ଷାମାନ ପ୍ରକାଶିତ କରୁଚି । ସବୁବେଳେ ଯେ ସେଗୁଡ଼ିକ ସରକାରୀ ନୀତିଗୁଡ଼ିକର ସମର୍ଥନ କରୁଚି, ସେପରି କହିବାର କୌଣସି କାରଣ ନାହିଁ । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଚି ଯେ ସରକାର ଏହିପରି ସମୀକ୍ଷା ଓ ସମାଲୋଚନାଗୁଡ଼ିକୁ ସ୍ୱାଗତ କରୁଚନ୍ତି, ନାନା ଅବସରରେ ଏହି ଦେଶରେ ସାମୁଦାୟିକ ବିକାଶକ୍ଷେତ୍ରରେ ଯଥାସମ୍ଭବ ଏକ ବ୍ୟାପକ ଡାଏଲଗ୍‌ର ଆବଶ୍ୟକ ଜଳବାୟୁ ସୃଷ୍ଟହୋଇ ରହିବାରେ ଯଥେଷ୍ଟ ସହଯୋଗ ମଧ୍ୟ କରୁଚନ୍ତି । ଏପରି ହେଉନଥିଲେ ଗଣତନ୍ତ୍ର ଉପରେ ଆସ୍ଥାରଖି ଆପଣାର ଭାଗ୍ୟ ଖୋଜି ବାହାରିଥିବା ଭାରତବର୍ଷ ପକ୍ଷରେ ବଡ଼ ଅସ୍ୱାଭାବିକ ବ୍ୟାପାର ହେଉଥାନ୍ତା ।

 

୧୯୫୭ ମସିହାରେ ସ୍ୱର୍ଗୀୟ ଶ୍ରୀ ବଳବନ୍ତରାୟ ମେହେଟ୍ଟାଙ୍କର ଅଧ୍ୟକ୍ଷତାରେ ଭାରତ ସରକାର ଏକ କମିଟି ବସାଇଥିଲେ । ଦେଶରେ ଚାଲୁଥିବା ସାମୁଦାୟିକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ଯଥାସମ୍ଭବ ବ୍ୟାପକ ଓ ପ୍ରତ୍ୟକ୍ଷ ଅଧ୍ୟୟନ କରି ସରକାରଙ୍କୁ ଆପଣାର ପରାମର୍ଶମାନ ଦେବାଲାଗି କମିଟିକୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଥିଲା । ବିକାଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମ କେତେଦୂର ସଫଳ ହୋଇଚି ବା ନହୋଇଚି ଏବଂ ଏହା କେତେଦୂର ସନ୍ତୋଷଜନକ ଭାବରେ କାର୍ଯ୍ୟ କରୁଚି ବା ନକରୁଚି, ସେ ବିଷୟରେ କମିଟି ଆପଣାର ରିପୋର୍ଟରେ ନିମ୍ନଲିଖିତ କେତୋଟି କଥାର ଉଲ୍ଲେଖ କରିଥିଲା : (୩)

 

ପର୍ଯ୍ୟବେକ୍ଷିତ ଅଞ୍ଚଳର । ।।୧।। ପ୍ରାୟ ପ୍ରତ୍ୟେକ ଗାଆଁରେ ବିକାଶସମ୍ବନ୍ଧୀ ଗୋଟିଏ ବା ତତୋଽଧିକ କାର୍ଯ୍ୟକ୍ରମ ଚାଲୁଚି । ।।୨।। ଭୌତିକ ପରିବର୍ତ୍ତନର କ୍ଷେତ୍ରରେ, ବିଶେଷତଃ ସଡ଼କ ଓ ନାଳପ୍ରଭୃତି ନିର୍ମାଣ କରିବା ପ୍ରଭୃତି କାର୍ଯ୍ୟଦ୍ୱାରା ଏହି ଅଞ୍ଚଳ ବ୍ୟାପକଭାବରେ ଉପକୃତ ହୋଇଚି । ଏହା ଫଳରେ ଉତ୍ପାଦନ-ବୃଦ୍ଧି ଓ ସାମାଜିକ ବିକାଶର ସମ୍ଭାବନାମାନ ଅବଶ୍ୟ ଅଧିକ ହୋଇଚି । ।।୩।। କୃଷି ଓ ପଶୁପାଳନ କ୍ଷେତ୍ରରେ ଜନସାଧାରଣଙ୍କର ଉତ୍ପାଦନସମ୍ବନ୍ଧୀ ଦୃଷ୍ଟିକୋଣରେ ମଧ୍ୟ ବେଶ୍ କେତେକ ପରିବର୍ତ୍ତନ ହୋଇଚି । ଅବଶ୍ୟ ଗାଆଁରେ ରହିଥିବା କାରିଗରମାନଙ୍କର ଉତ୍ପାଦନ ଦୃଷ୍ଟିକୋଣରେ କେତେଦୂର ପରିବର୍ତ୍ତନ ଘଟିଚି, ସେବିଷୟରେ କିଛି କହିପାରିବା ସମ୍ଭବ ନୁହେଁ, ଗୃହୋଦ୍ୟୋଗ ବା ତଦନୁରୂପ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମାଞ୍ଚଳରେ ଆଦୌ ପ୍ରସାର ଲାଭ କରିନାହିଁ ଏବଂ ଯେତିକି ଆରମ୍ଭ ହୋଇଚି, ସେଥିରେ କୌଣସି ସଫଳତା ମଧ୍ୟ ମିଳିନାହିଁ । ।।୪।। ଜୀବନମାନ ଓ ଜୀବନରୀତିର ପରିବର୍ତ୍ତନ-କ୍ଷେତ୍ରରେ, ବିଶେଷତଃ ପ୍ରାଥମିକ ଶିକ୍ଷା ଓ ପାନୀୟଜଳ ଯୋଗାଇଦେବାର କ୍ଷେତ୍ରରେ ବେଶ୍ ସଫଳତା ମିଳିଚି । ମାତ୍ର ପ୍ରୌଢ଼-ସାକ୍ଷରତା ଏବଂ ବ୍ୟକ୍ତିଗତ ତଥା ପାରିବେଶିକ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ସମାନ ପରିମାଣରେ ସଫଳତା ମିଳିନାହିଁ । ।।୫।। ସାମାଜିକ ଦୃଷ୍ଟିକୋଣ ଗୁଡ଼ିକର ପରିବର୍ତ୍ତନର କ୍ଷେତ୍ରରେ, ଉଦାହରଣସ୍ୱରୂପ ଗାଆଁରେ ସଭାଘର ତିଆରି କରିବା ଓ ତାହାକୁ ଉପଯୁକ୍ତ ଅବସ୍ଥାରେ ରଖିବା, ଯୁବକ-ମଙ୍ଗଳ-ଦଳ ଓ ମହିଳା-ମହଲ ପ୍ରଭୃତି ଅନୁଷ୍ଠାନକୁ ସୁଚାରୁରୂପେ ଚଳାଇବାଦିଗରେ ସେପରି ଉଲ୍ଲେଖଯୋଗ୍ୟ କୌଣସି ସଫଳତା ମିଳିନାହିଁ ।

 

।।୬।। ଆର୍ଥିକ ଜୀବନରେ ସଂଗଠନସମ୍ବନ୍ଧୀୟ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଦିଗରେ, ଅର୍ଥାତ୍ ସମବାୟ ଅନୁଷ୍ଠାନଗୁଡ଼ିକର ଉଦ୍ଦେଶ୍ୟ ଓ କର୍ତ୍ତବ୍ୟଗୁଡ଼ିକୁ ବୁଝି ଉତ୍ପାଦନ ଓ କ୍ରୟବିକ୍ରୟର କ୍ଷେତ୍ରରେ ସେଗୁଡ଼ିକର ଯଥାର୍ଥ ବ୍ୟବହାର କରିବା ଦିଗରେ ଅସଫଳତା ମିଳିଚି ବୋଲି କୁହାଯାଇପାରିବ । ।।୭।। ରାଜନୀତିକ ଜୀବନରେ ସଂଗଠନସମ୍ବନ୍ଧୀୟ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଦିଗରୁ ବିଚାର କଲେ, ଅର୍ଥାତ୍ ପଞ୍ଚାୟତର ଜଣେ ସଦସ୍ୟ ହିସାବରେ ଗ୍ରାମବାସୀ ପଞ୍ଚାୟତର ଲକ୍ଷ୍ୟ ଓ ସେଥିରେ ଆପଣା କର୍ତ୍ତବ୍ୟ ଗୁଡ଼ିକୁ ଭଲ ଭାବରେ ବୁଝି ଯେପରି ପଞ୍ଚାୟତ ଜରିଆରେ ଗ୍ରାମବିକାଶ କାର୍ଯ୍ୟକ୍ରମର ଯୋଜନାମାନ ତିଆରି କରି ସେଗୁଡ଼ିକୁ କାର୍ଯ୍ୟକାରି କରିପାରିବେ, ସେ ଦିଗରେ ମଧ୍ୟ ପ୍ରଧାନତଃ ଅସଫଳତା ହିଁ ମିଳିଚି । ।।୮।। ରାସ୍ତା, ପୋଲ ଓ ନାଳ ପ୍ରଭୃତି ନିର୍ମାଣକାର୍ଯ୍ୟରେ ସାଧାରଣଙ୍କ ତରଫରୁ ସକ୍ରିୟ ସହଯୋଗ ଓ ସମର୍ଥନ ମିଳିବା ଦିଗରେ ସଫଳତା ମିଳିଚି । ମାତ୍ର ଗ୍ରାମସଂଗଠନ ସମ୍ବନ୍ଧୀୟ ନାନା କାର୍ଯ୍ୟକ୍ରମକୁ ଚଳାଇବାରେ ସେପରି ସମର୍ଥନ ମିଳିନାହିଁ । ।।୯।। ଗ୍ରାମବାସୀମାନଙ୍କ ମଧ୍ୟରେ ଆପଣାର ଆର୍ଥିକ ଆବଶ୍ୟକତାଗୁଡ଼ିକ ବିଷୟରେ ଯଥେଷ୍ଟ ପରିମାଣରେ ସଚେତନତା ବଢ଼ିଚି । ସାମାଜିକ ଆବଶ୍ୟକତାଗୁଡ଼ିକ ବିଷୟରେ ମଧ୍ୟ କେତେକ ପରିମାଣରେ ସଚେତନତା ବଢ଼ିଚି । କିନ୍ତୁ ଗ୍ରାମର ଓ ଆପଣା ବ୍ୟକ୍ତିଗତ ଜୀବନର ଆର୍ଥିକ ଓ ସାମାଜିକ ବିକାଶସାଧନ କରିବାଲାଗି ଗ୍ରାମବାସୀ ଯେପରି ପ୍ରଧାନତଃ ଆପଣାର ଶକ୍ତିଉପରେ ନିର୍ଭର କରି ନିରନ୍ତର ଉପଯୁକ୍ତ ଉଦ୍ୟମ କରିପାରିବେ, ସେ ଦିଗରେ ସେମାନଙ୍କୁ ଉତ୍‌ପ୍ରେରିତ କରିବା ଉଦ୍ଦେଶ୍ୟରେ ଆମେ ପ୍ରଧାନତଃ ଅସଫଳ ରହିଚୁ । ଏବେ ମଧ୍ୟ ଲୋକମାନେ ସରକାରୀ ଉଦ୍ୟମ ଓ ସରକାରୀ ସାହାଯ୍ୟ ଉପରେ ଅତିରିକ୍ତ ନିର୍ଭର କରି ରହିଚନ୍ତି । ଅଧିକାଂଶ ଗ୍ରାମବାସୀ ହିଁ ଏପରି ଅତିନିର୍ଭରଶୀଳତାର ପରିଚୟ ଦେଉଚନ୍ତି ।

 

।।୧୦।। କେବଳ ଶାସନ କରିବା ନୁହେଁ, ସାହାଯ୍ୟ କରିବା ମଧ୍ୟ ଯେ ସରକାରଙ୍କ କାମ, ବିକାଶାଞ୍ଚଳର ଗ୍ରାମବାସୀମାନେ ସାଧାରଣତଃ ଏପରି ଅନୁଭବ କରିବାକୁ ଆରମ୍ଭ କଲେଣି । ପ୍ରକୃତରେ କହିବାକୁ ଗଲେ ଜନସାଧାରଣଙ୍କୁ ସାହାଯ୍ୟ କରିବା ବିଷୟରେ ସରକାର ପ୍ରକୃତରେ କଣସବୁ କରିପାରିବେ, ଲୋକମାନେ ଏହି ବିଷୟରେ ଅତ୍ୟଧିକ ଆଶା କରିବାରେ ଲାଗିଲେଣି, ଏବଂ ସେହିସବୁ ଆଶାର ପୂରଣ କରିବାଲାଗି ବର୍ତ୍ତମାନ ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳ ହିଁ ନାହିଁ । କିନ୍ତୁ ଅପର ପକ୍ଷରେ ଆତ୍ମନିର୍ଭରଶୀଳତା ଓ ଆପଣା ତରଫରୁ କୌଣସି ଉଦ୍ୟମ କରିବାର ପ୍ରବୃତ୍ତି ଅନୁରୂପ ପରିମାଣରେ ବିକଶିତ ହୋଇ ପାରିନାହିଁ । ବ୍ୟକ୍ତିଗତ ବା ସମବାୟ କୌଣସି କ୍ଷେତ୍ରରେ ଏହା ହୋଇନାହିଁ । ତେଣୁ ସରକାର ବିକାଶକାର୍ଯ୍ୟରେ ସାହାଯ୍ୟ କରିବାଲାଗି ଯଦି ଅଧିକତର ସାଧନସାମଗ୍ରୀମାନ ଆଣି ପହୁଞ୍ଚାଇ ନପାରିବେ ଏବଂ ଲୋକସାଧାରଣ ମଧ୍ୟ ଯଦି ଅଧିକ ଉଦ୍ୟମଶୀଳତା ଓ ଆପଣାକୁ ଆପେ ସାହାଯ୍ୟ କରିବାର ମନୋବୃତ୍ତି ନଦେଖାଇବେ, ତେବେ ନିକଟ ଭବିଷ୍ୟତରେ ଭାରତର ଗ୍ରାମାଞ୍ଚଳରେ ଏପରି ଏକ ଅବସ୍ଥା ଯାତ ହେବ, ଯେଉଁଥିରୁ କି ଅନେକ ଅସୁବିଧା ଉପୁଜିବାର ନାନା ଆଶଙ୍କା ରହିଚି । ।।୧୧।। ସାମୁଦାୟିକ ବିକାଶ ଦ୍ୱାରା ଯେଉଁସବୁ ଫଳ ହାସଲ ହୋଇଚି, ଲୋକମାନଙ୍କ ମଧ୍ୟରେ ସେଗୁଡ଼ିକ ବିତରିତ ହେବାରେ ଅନେକ ଅସମଞ୍ଜସତା ରହିଯାଇଚି । ତେଣୁ ବିକାଶ-କାର୍ଯ୍ୟକ୍ରମଦ୍ୱାରା ଗ୍ରାମାଞ୍ଚଳର ସବୁଲୋକେ ନ୍ୟାୟତଃ ସମାନଭାବରେ ଉପକୃତ ହୋଇନାହାନ୍ତି । ବ୍ଳକ୍ ଭିତରେ ଗ୍ରାମସେବକ ଯେଉଁ ଗାଆଁକୁ ଆପଣାର ହେଡ଼୍‍କ୍ୱାଟର୍ କରିଚି ବା ଯେଉଁସବୁ ଗାଆଁକୁ ସେ ସମୟରେ ଯାତାୟତ କରିପାରୁଚି ଏବଂ ଯେଉଁସବୁ ଗାଆଁକୁ ଯିବାଲାଗି ଭଲ ରାସ୍ତାଘାଟର ସୁବିଧା ନାହିଁ, ଉଭୟ ମଧ୍ୟରେ ବିକାଶକାର୍ଯ୍ୟରୁ ଲାଭବାନ ହୋଇଥିବା ଦୃଷ୍ଟିରୁ ଅନେକ ଅସମାନତା ରହିଚି । ଗାଆଁ ଗାଆଁ ଭିତରେ ଚାଷୀ ଓ ଅଣଚାଷୀମାନେ ପାଇଥିବା ଉପକାର ଭିତରେ ଅସମାନତା ରହିଚି ଏବଂ ଚାଷୀମାନଙ୍କ ଭିତରେ ମଧ୍ୟ ଅଧିକ ଜମି ଥିବା ଓ ଅଧିକ ମୂଳଧନ ଖଟାଇ ପାରୁଥିବା ଚାଷୀ ଓ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ବି ଅସମାନତା ରହିଚି । ଖାଲି ଆଞ୍ଚଳିକ ବା ସାମାଜିକ ନ୍ୟାୟବିଚାର ଦୃଷ୍ଟିରୁ ନୁହେଁ, ମାତ୍ର ଦିନକୁଦିନ ଲୋକମାନେ ଯେପରି ଅଧିକରୁ ଅଧିକ ସଚେତନ ଓ ଜାଗ୍ରତ ହେଉଚନ୍ତି, ତାହାରି ଆଧାର ଉପରେ ଏହାର ରାଜନୀତିକ ପରିଣାମ ଦୃଷ୍ଟିରୁ ମଧ୍ୟ ଏହି ସ୍ଥିତିକୁ ଗମ୍ଭୀର ବୋଲି କୁହାଯାଇ ପାରିବ ।

 

।।୧୨।। ସରକାରଙ୍କ ତରଫରୁ ଯେଉଁ ଅଫିସର ବା କର୍ମଚାରୀମାନେ ବିକାଶକାର୍ଯ୍ୟ ଚଳାଉଚନ୍ତି, ସାମୁଦାୟିକ ବିକାଶର ଉଦ୍ଦେଶ୍ୟ ଓ ପ୍ରଣାଳୀ ସମ୍ବନ୍ଧରେ ବା ପଞ୍ଚବର୍ଷୀୟ ଯୋଜନା ସମ୍ବନ୍ଧରେ ସେମାନଙ୍କର ମନୋବୃତ୍ତି ଓ ଦୃଷ୍ଟିକୋଣ ଅନୁରୂପ ଓ ଯଥେଷ୍ଟ ଭାବରେ ତାଲୀମ ପାଇନାହିଁ । ।।୧୩।। ବ୍ଳକ୍ ଓ ଜିଲ୍ଲାସ୍ତରରେ ଗଠିତ ହୋଇଥିବା ପରାମର୍ଶଦାତା-କମିଟିମାନ ବିକାଶର କାର୍ଯ୍ୟକ୍ରମକୁ ଚଳାଇବାରେ ଯେପରି ସହାୟତାମାନ କରିବେ ବୋଲି ପ୍ରଥମେ କଳ୍ପନା କରାଯାଇଥିଲା, ଏପର୍ଯ୍ୟନ୍ତ ସେମାନେ ତାହା କରିପାରି ନାହାନ୍ତି ଓ ଆପଣାର ଯଥାର୍ଥ କର୍ତ୍ତବ୍ୟ-ଭୂମିକାକୁ ଯଥେଷ୍ଟ ପରିମାଣରେ ହୃଦୟଙ୍ଗମ କରିନାହାନ୍ତି । ହୁଏତ ଏହିସବୁ କମିଟିରେ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ସଦସ୍ୟରୂପେ ନିଆଯାଇନାହିଁ, ବା ହୁଏତ ପରାମର୍ଶଦାତା-କମିଟି ଦ୍ୱାରା ଯଥାସମ୍ଭବ ଉପକୃତ ହେବାକୁ ସରକାରୀ କଳ ଏବେମଧ୍ୟ ଅନିଚ୍ଛା ପ୍ରକାଶ କରୁଚି । ।।୧୪।। ସାମୁଦାୟିକ ବିକାଶର ସ୍ତର ପାର ହୋଇ ଯେତେବେଳେ କୌଣସି ବ୍ଳକ୍ ସଘନ-ପର (Post-intensive) ସ୍ତରରେ ପ୍ରବେଶ କରୁଚି, ସେତେବେଳେ ଅଞ୍ଚଳରେ ନିର୍ମିତ ହୋଇଥିବା କଲ୍ୟାଣକାର୍ଯ୍ୟ ଓ ସୁବିଧାଗୁଡ଼ିକୁ ସ୍ଥାୟୀ କରି ରଖିବା, ଲୋକମାନଙ୍କର ଦାବୀମାନ ପୂରଣ କରିବା ଓ ବ୍ଳକ୍‌କର୍ମଚାରୀମାନଙ୍କୁ କାର୍ଯ୍ୟତତ୍ପର କରି ରଖିବାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାମାନ ଉପୁଜୁଚି । ଏହିସବୁ ସମସ୍ୟାର ଆଶୁ ସମାଧାନ ବାଞ୍ଛନୀୟ । ତେବେଯାଇ ଏହିସବୁ ଅଞ୍ଚଳରେ ହୋଇଥିବା ଆର୍ଥିକ ଓ ସାମାଜିକ ବିକାଶ ଆପଣାକୁ ବଞ୍ଚାଇ ରଖିପାରିବ ଓ ସ୍ଥାୟୀଭାବରେ ପ୍ରତିଷ୍ଠିତ ହୋଇପାରିବ ।

 

ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମର ସଫଳତା ଓ ବିଫଳତା ବିଷୟରେ ଆଉ ଏକ ପୁସ୍ତକରେ (୪) ଆଲୋଚନା କରାଯାଇ କୁହାଯାଇଚି : ‘‘ଶ୍ରୀ ନେହରୁଙ୍କର ମାନସପୁତ୍ର ସାମୁଦାୟିକ ବିକାଶର ଏହି କାର୍ଯ୍ୟକ୍ରମ ଯେଉଁସବୁ କାର୍ଯ୍ୟର ସାଧନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ସେଥିରେ ତାହା ସମ୍ପୂର୍ଣ୍ଣଭାବରେ ବିଫଳ ଓ ଅକୃତକାର୍ଯ୍ୟ ହୋଇଥିବାର ଅନେକ ପ୍ରମାଣ ମିଳିଲାଣି ବୋଲି କୁହାଯାଇଚି । ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କର ଉତ୍ସାହକୁ ଜାଗୃତ କରିପାରିନାହିଁ । ଉନ୍ନତତର ଜୀବନର ଆଗ୍ରହ ପୋଷଣ କରି ସେଥିଲାଗି ଆବଶ୍ୟକ ଉଦ୍ୟମ କରିବାଦିଗରେ ଏହା ଗ୍ରାମାଞ୍ଚଳର ଜନତାଭିତରେ ଆବଶ୍ୟକ ଆକାଙ୍‌କ୍ଷା ଉପୁଜାଇ ପାରିନାହିଁ । ସରକାରୀ ମୂଲ୍ୟାଙ୍କନ ଅନୁଷ୍ଠାନ ଓ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ନାନା କମିଶନ୍‌ର ରିପୋର୍ଟଗୁଡ଼ିକୁ ମଧ୍ୟ ଏହାର ଉଲ୍ଲେଖ କରିଚନ୍ତି । ଏହି କାର୍ଯ୍ୟକ୍ରମ ଫଳରେ ଗ୍ରାମବାସୀ ଆପଣା ଶ୍ରମଦ୍ୱାରା ଆପଣା ସମସ୍ୟାଗୁଡ଼ିକର ସମାଧାନ କରିବାଲାଗି ଆଗକୁ ବାହାରିବାରେ କୌଣସି ପ୍ରେରଣା ପାଇନାହାନ୍ତି ବୋଲି ସେମାନେ କହିଚନ୍ତି ।’’

 

ଭାରତରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମର ସରକାରୀ ଉଦ୍ୟମ ବୋଇଲେ ଅନେକ ସମୟରେ କେନ୍ଦ୍ରସରକାରଙ୍କର ସାମୁଦାୟିକ ବିକାଶ ଓ ସମବାୟ ବିଭାଗର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେ’ଙ୍କୁ ବୁଝାଇଥାଏ । ନୀଲୋଖେଡ଼ିଠାରେ ସେ ପ୍ରଥମେ ସାମୁଦାୟିକ ବିକାଶର ଏକ ସଫଳ ପ୍ରୟୋଗରେ ପୁରୋଗାମୀ ଭାବରେ କାର୍ଯ୍ୟ କରିଥିଲେ । ଏହି ପ୍ରୟୋଗର ଅଭିଜ୍ଞତାକୁ ଜାତୀୟ କ୍ଷେତ୍ରରେ ପ୍ରୟୋଗ କରିବାଲାଗି ସେ ପ୍ରଥମେ ଏକ ଚିଠା ପ୍ରସ୍ତୁତ କରିଥିଲେ ଏବଂ ସେହି ଚିଠା ଅନୁସାରେ କାର୍ଯ୍ୟ ଚଳାଇବା ଲାଗି ଭାରତର ପ୍ରଥମ କମିଶନର୍ ରୂପେ ନିଯୁକ୍ତ ହୋଇଥିଲେ-। ତା’ପରେ ତାଙ୍କୁ ସେହି ବିଭାଗର ମନ୍ତ୍ରୀ ହିସାବରେ ମଧ୍ୟ ୧୯୬୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପଡ଼ିଥିଲା । ଶ୍ରୀଯୁକ୍ତ ଦେ ଭାରତୀୟ ସାମୁଦାୟିକ ବିକାଶ ବିଷୟରେ ଏକାଧିକ ପୁସ୍ତକ ଲେଖିଚନ୍ତି । ଭାରତରେ ଏହି ଉଦ୍ୟମ ଆଶାନୁରୂପ ସଫଳ ଭାବରେ ଚାଲୁନାହିଁ ବୋଲି ଯେଉଁମାନେ ଅନୁଭବ କରୁଚନ୍ତି, ସେମାନେ ଅନେକ ସମୟରେ ତଜ୍ଜନିତ ଆପଣାର ସକଳ କ୍ରୋଧକୁ ଶ୍ରୀଯୁକ୍ତ ଦେ’ଙ୍କ ଉପରେ ନେଇ ପକାଇବାର ଚେଷ୍ଟା ମଧ୍ୟ କରିଚନ୍ତି । ୧୯୫୭ ମସିହା ସେପ୍‌ଟେମ୍ବର ମାସରେ ଶ୍ରୀଯୁକ୍ତ ଦେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ସଫଳତା ବିଷୟରେ ଲୋକସଭାରେ ଯାହା କହିଥିଲେ, (୫) ଏଠାରେ ଆମେ ତାହାର ଉଦ୍ଧାର କରିବା ।

 

‘‘ସାମୁଦାୟିକ ବିକାଶକୁ କାର୍ଯ୍ୟକାରୀ କରାଉଥିବା ସରକାରୀ କଳରେ କଣସବୁ ଗଲତି ରହିଚି, ଲୋକସଂସ୍ଥା ଓ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମରେ ମଧ୍ୟ କଣସବୁ ଗଲତି ରହିଚି, ସେଗୁଡ଼ିକର ଆବିଷ୍କାର କରିବାରେ ଆମେ ଡିଷ୍ଟିଂକ୍‌ସନ୍ (କୃତିତ୍ୱ) ସହିତ ପାସ୍ କରିଯାଇଚୁ । ରାଜ୍ୟସ୍ତରରେ ଯେଉଁ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମଟିକୁ ଚଳାଉଚନ୍ତି, ଅର୍ଥାତ୍ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିକାଶ କମିଶନର୍‌, କଲେକ୍ଟର, ଏସ୍‌.ଡି.ଓ., ବି.ଡ଼ି.ଓ. ଏବଂ ଗ୍ରାମସେବକମାନଙ୍କୁ ନେଇ କାର୍ଯ୍ୟଟି ଚଳାଇବାରେ ଯେଉଁ ସମସ୍ୟା ରହିଚି, ସେହି ସମସ୍ୟାଟିର ସମ୍ମୁଖୀନ ହେବାରେ ମଧ୍ୟ ଆମେ ସେହିପରି କୃତିତ୍ୱର ସହିତ ପାସ୍ କରିପାରିଚୁ ବୋଲି ମୁଁ ଭାବୁଚି । ସମଗ୍ର ଭାବରେ ସମ୍ପୂର୍ଣ୍ଣ ସରକାରୀ ଶାସନକଳକୁ ସାମୁଦାୟିକ ବିକାଶ-କାର୍ଯ୍ୟରେ ଲଗାଇବାରେ, ଅର୍ଥାତ୍ ସରକାରୀ ବିଭିନ୍ନ ବିଭାଗକୁ ସଂଘବନ୍ଧ ଓ ସୁଯୋଜିତ ଭାବରେ କାମରେ ଲଗାଇବା ଦିଗରେ ଆମେ କେବଳ ସାଧାରଣ ଭାବରେ ପାସ୍ କରିପାରିଚୁ । ମାତ୍ର ଲୋକପ୍ରତିନିଧିମାନଙ୍କୁ ଏହି କାର୍ଯ୍ୟକ୍ରମ ଭିତରେ ସକ୍ରିୟରୂପେ ସମ୍ପୃକ୍ତ କରାଇବା କାର୍ଯ୍ୟରେ ଆମେ ଫେଲ୍ ହୋଇଯାଇଚୁ ବୋଲି ମୋର ମନେହେଉଚି ।’’

 

ପାଟଣା ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଏକ ସ୍ଥାନୀୟ ଅନୁସନ୍ଧାନରୁ (୬) ଜଣାଯାଉଚି ଯେ ଅଧୀତ ଅଞ୍ଚଳର ପାଞ୍ଚଭାଗରୁ ଭାଗେ ଲୋକ ଉନ୍ନତ ବିହନର ବ୍ୟବହାର କରିଚନ୍ତି, କୋଡ଼ିଏ ଭାଗରୁ ଭାଗେ ଲୋକ ବୈଜ୍ଞାନିକ ଯନ୍ତ୍ରପାତିର ବ୍ୟବହାର କରିଚନ୍ତି, ତିନିଭାଗରୁ ଭାଗେ ଲୋକ ରାସାୟନିକ ଉର୍ବରକ ପ୍ରୟୋଗ କରିଚନ୍ତି, ଦଶଭାଗରୁ ଭାଗେ ଗୃହସ୍ଥ କୃତ୍ରିମ ପଶୁପ୍ରଜନନର ଉପକାର ଗ୍ରହଣ କରିଚନ୍ତି ଏବଂ ରୁ ଅଧିକ ଲୋକ ପଶୁଚିକିତ୍ସା ସମ୍ବନ୍ଧୀୟ ସାହାଯ୍ୟମାନ ଗ୍ରହଣ କରିଚନ୍ତି । ଏହିସବୁ ଉନ୍ନତ ବିଧି ଓ ଉନ୍ନତ ପ୍ରୟୋଗ ବିଷୟରେ ସେମାନେ କିଛି ଜାଣିନାହାନ୍ତି ବା ଜାଣିଥିଲେ ମଧ୍ୟ ସେଗୁଡ଼ିକ ସେମାନଙ୍କୁ ମିଳିପାରିନାହିଁ, ଏହି କାରଣରୁ ହିଁ ଅଧିକାଂଶ ଲୋକ ଏସବୁରୁ ଲାଭ ଉଠାଇବାରେ ଅସମର୍ଥ ରହିଚନ୍ତି । ଏପରି ଲୋକଙ୍କର ଅନୁପାତ ହେଉଚି, ଉନ୍ନତ ବିହନ-୪୬%, ଉର୍ବରକ-୪୨%, ଓ ପଶୁଚିକିତ୍ସା ସମ୍ବନ୍ଧୀୟ ସାହାଯ୍ୟ- ୪୧% । ପଇସା ଅଭାବରୁ ଏହିସବୁ କ୍ଷେତ୍ରରେ ଯଥାକ୍ରମେ ୭%, ୯% ଓ ୧% ଲୋକ କୌଣସି ସାହାଯ୍ୟ ନେବାରୁ ବଞ୍ଚିତ ହୋଇଥିଲେ । ଏହି ଅନୁସନ୍ଧାନଟି ଅନୁଯାୟୀ, ।।୧।। ସାମୁଦାୟିକ ବିକାଶ ଜରିଆରେ ଗାଆଁରେ କୂଅ ଖୋଳା ଓ ଭଲ ସ୍କୁଲଘର ତିଆରି ପ୍ରଭୃତି କାର୍ଯ୍ୟକୁ ଗ୍ରାମରେ ବାସ କରୁଥିବା ପ୍ରତ୍ୟେକସ୍ତରର ଲୋକେ ସ୍ୱାଗତ କରୁଥିଲେ । ।।୨।। ଲୋକମାନେ ଆଗପରି ସରକାରୀ ହାକିମମାନଙ୍କ ପାଖରେ ଆପଣାର ସମସ୍ୟାଗୁଡ଼ିକୁ ନେଇ ପହଞ୍ଚାଇବାରେ ଆଉ କୌଣସି ଭୟ କରୁନଥିଲେ, ଏବଂ ।।୩।। ଲୋକମାନେ ଏଣିକି ଅପେକ୍ଷାକୃତ ଅଧିକ ସଂଖ୍ୟାରେ ଝିଅମାନଙ୍କୁ ସ୍କୁଲକୁ ପଠାଉଥିଲେ ଏବଂ ଅଳପ ବୟସରେ ବିବାହ କରିଦେବା ରୀତିର ପ୍ରଚଳନ ମଧ୍ୟ କ୍ରମେ ହ୍ରାସ ହେବାରେ ଲାଗିଥିଲା ।

 

ଯୋଜନା ଓ ବିକାଶ ସମ୍ବନ୍ଧୀୟ ଅଧ୍ୟୟନ ଓ ପରାମର୍ଶ ଲାଗି କାର୍ଯ୍ୟ କରୁଥିବା ଲକ୍ଷ୍ନୌର ଏକ ବିଶେଷ ଅନୁଷ୍ଠାନ (Planning Research and Action Institute) ସାମୁଦାୟିକ ବିକାଶ କାର୍ଯ୍ୟକ୍ରମଦ୍ୱାରା ଲୋକସାଧାରଣଙ୍କର ଦୃଷ୍ଟିକୋଣରେ ପ୍ରକୃତରେ କୌଣସି ପରିବର୍ତ୍ତନ ହେଉଚି କି ନାହିଁ, ସେକଥା ଜାଣିବାଲାଗି ଏକ ଉଦ୍ୟମ କରିଥିଲେ । ବ୍ଳକ୍ ଅଞ୍ଚଳର କେତୋଟି ଗାଆଁର ଅଧିବାସୀଙ୍କର ଦୃଷ୍ଟିକୋଣଗୁଡ଼ିକ ସହିତ ଅନୁଷ୍ଠାନ ବ୍ଳକ୍ ବାହାରେ ଅବସ୍ଥିତ ଆଉ କେତୋଟି ଗାଆଁର ଅଧିବାସୀଙ୍କର ଦୃଷ୍ଟିକୋଣର ତୁଳନା କରି ଦେଖିବାର ଚେଷ୍ଟା କରିଥିଲେ-। ସେମାନଙ୍କର ମନ୍ତବ୍ୟ ଅନୁସାରେ, ।।୧।। ବ୍ଳକ୍ ଅଞ୍ଚଳରେ ଅବସ୍ଥିତ ଚାଷୀ-ପରିବାରମାନେ ଏଣିକି ବାହାପୁଆଣି ଓ ଅନ୍ୟାନ୍ୟ ପର୍ବପର୍ବାଣିରେ କମ୍ ପଇସା ଖରଚ କରିବାକୁ ମନ କରୁଚନ୍ତି ଓ ଆପଣାର ଜମି ଓ କୃଷିଧନ୍ଦାରେ ଉନ୍ନତିସାଧନ କରିବାରେ ପଇସା ଲଗାଇବାର ପ୍ରବୃତ୍ତି ଦେଖାଉଚନ୍ତି । ।।୨।। ଆଗରୁ ଯାହାପାଖରେ ବେଶୀ ପଇସା ଥିଲା ବା ଯାହାର ଜାତି ଉଚ୍ଚ ଥିଲା ଗାଆଁର ସମସ୍ତେ ସାଧାରଣତଃ ତାହାକୁ ହିଁ ଅଧିକ ସମ୍ମାନ ଓ ଖାତିରି ଦେଖାଉଥିଲେ । ତାହାକୁ ହିଁ ସେମାନେ ବଡ଼ ବୋଲି କହୁଥିଲେ । କିନ୍ତୁ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମ ଚାଲୁରହିବା ପରେ ଏବେ ଏହିସବୁ ମାନଦଣ୍ଡରେ କ୍ରମେ ପରିବର୍ତ୍ତନର ସୂଚନା ମିଳିଲାଣି । ଯିଏ ଆପଣା ପରିଶ୍ରମ ଓ ଉଦ୍ୟମରେ ଆପଣା ଆୟରେ ବୃଦ୍ଧିସାଧନ କରିପାରୁଚି ଓ ଆପଣାର ସବୁ ପିଲାଙ୍କୁ ପାଠ ପଢ଼ିବାଲାଗି ସ୍କୁଲକୁ ପଠାଇପାରୁଚି, ଗ୍ରାମବାସୀ ତାହାକୁ ହିଁ ସାମାଜିକ ମାପକାଠିରେ ଅଧିକ ଖାତିର ଦେଖାଉଚନ୍ତି ଓ ଉଚ୍ଚତର ସ୍ଥାନ ଦେଉଚନ୍ତି ।

 

ଭାରତର ବିଭିନ୍ନ ରାଜନୀତିକ ଦଳ ଓ ବିଭିନ୍ନ ଲୋକକ୍ଷେତ୍ରରେ ନେତାମାନେ ସାମୁଦାୟିକ ବିକାଶର କାର୍ଯ୍ୟକୁ ନାନାପ୍ରକାରେ ଦେଖିଚନ୍ତି । ସେମାନଙ୍କ ଭିତରୁ ଆମେ ଦୁଇଟି ଶିବିର,-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ସର୍ବୋଦୟର ମତାମତରୁ ଏଠାରେ କେତୋଟିର ଉଲ୍ଲେଖ କରିବା । ‘କୁରୁକ୍ଷେତ୍ର’ ମାସିକ ପତ୍ରିକାରେ (ପୁସ୍ତକ ଟିପ୍ପଣୀ-୧, ଅକ୍ଟୋବର ୨, ୧୯୬୨) ଆପଣାର ଗୋଟିଏ ପ୍ରବନ୍ଧରେ କେରଳ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଅନ୍ୟତମ କମ୍ୟୁନିଷ୍ଟ ନେତା ଶ୍ରୀଯୁକ୍ତ ନମ୍ବୁଦ୍ରିପାଦ ଲେଖିଚନ୍ତି ! ‘‘ଏକ କାର୍ଯ୍ୟକ୍ରମ ଦୃଷ୍ଟିରୁ ସାମୁଦାୟିକ ବିକାଶକୁ ବ୍ୟାପକ ଓ ବହୁପ୍ରସାରୀ ବୋଲି କୁହାଯାଇପାରିବ । ଗ୍ରାମଜୀବନର ସକଳ କ୍ଷେତ୍ରକୁ ସ୍ପର୍ଶ କରିପାରିବାଭଳି ଏହି କାର୍ଯ୍ୟକ୍ରମଟି ତିଆରି ହୋଇଥିଲା । ଏଥିରେ କୃଷି-ଉତ୍ପାଦନ ବୃଦ୍ଧି କରିବାଲାଗି କୃଷକକୁ ସାହାଯ୍ୟ କରିବାର କ୍ଷେତ୍ର ଥିଲା, ଗାଆଁରେ ଚାଲୁଥିବା ଧନ୍ଦା ଓ ଉଦ୍ୟୋଗଗୁଡ଼ିକୁ ନାନା ନୂତନ ଦିଗରେ ପ୍ରସାରିତ କରି ସେଗୁଡ଼ିକୁ ଆଧୁନିକ ପ୍ରଣାଳୀରେ ଚଳାଇବାର ବିଚାର ମଧ୍ୟ ରହିଥିଲା । ଗ୍ରାମବାସୀଙ୍କ ମନରେ ଯେପରି ଏକ ସାମୁଦାୟିକ ଓ ପାରସ୍ପରିକ ମନୋଭାବ ଜାଗ୍ରତ ହୋଇପାରିବ, ଶିକ୍ଷା ଓ କୃଷିଦିଗରେ ଯେପରି ଗାଆଁ ଆଗେଇ ଯାଇପାରିବ, ସାମୁଦାୟିକ ବିକାଶ ଏଗୁଡ଼ିକୁ ଆପଣାର କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲା । ମୋଟଉପରେ ଗ୍ରାମର ସମଗ୍ର ପରିବର୍ତ୍ତନ ଘଟାଇବା ସାମୁଦାୟିକ ବିକାଶର ଉଦ୍ଦେଶ୍ୟ ଥିଲା ।

 

‘‘ଦୀର୍ଘ ଦଶବର୍ଷ ଧରି କାର୍ଯ୍ୟକ୍ରମଟି ଚାଲୁଥିଲେ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗୃତ କରିବାରେ ଏହା ଆପଣାକୁ ପ୍ରମାଣିତ କରିଚି । ଆପଣାର ଜୀବନ ଓ କର୍ମୋଦ୍ୟୋଗରେ ବ୍ୟାପକ ଉନ୍ନତି-ବିଧାନ ସମ୍ଭବ କରିବାଲାଗି ସାମୂହିକ ଉଦ୍ୟମର ପ୍ରବୃତ୍ତି ଏପର୍ଯ୍ୟନ୍ତ ଗାଆଁରେ ଜାଗୃତ ହୋଇ ପାରିନାହିଁ । ସ୍ମରଣ ରଖିବାକୁ ହେବ ଯେ ଏହାକୁ ହିଁ ସାମୁଦାୟିକ ବିକାଶର ସର୍ବପ୍ରଧାନ ଉଦ୍ଦେଶ୍ୟରୂପେ ଗ୍ରହଣ କରାଯାଇଥିଲା ।’’

 

ଶ୍ରୀଯୁକ୍ତ ନମ୍ବୁଦ୍ରିପାଦଙ୍କ ମତରେ ଏହି ଅସଫଳତା ପଛରେ ଅନେକ କାରଣ ରହିଚି । ପ୍ରଥମ କାରଣ ହେଉଚି, ଗ୍ରାମସମୁଦାୟ କହିଲେ ଆମେ ମନେମନେ ଯେଉଁପରି ଏକ କଳ୍ପନା କରିବାରେ ଅଭ୍ୟସ୍ତ ହୋଇପଡ଼ିଚୁ, ସେହି କଳ୍ପନାରେ ହିଁ ଗଲ୍‌ତି ରହିଯାଇଚି । ଆମେ କଳ୍ପନାପ୍ରବଣ ଭାବରେ ଏ କଥାକୁ ଏକ ସ୍ୱତଃସିଦ୍ଧ ପରି ଧରିନେଇଚୁ ଯେ ଗାଆଁ ହେଉଚି ଏକ ଏକତାବଦ୍ଧ ଓ ଗୋଟିଏ ପ୍ରକାରର ସାମାଜିକ ଜୀବନଉପରେ ଆଧାରିତ ରହିଥିବା ଗୋଟିଏ ସମୁଦାୟ । ଏପରି କଳ୍ପନାକୁ ସେ ଭ୍ରମ ବୋଲି କହିଚନ୍ତି । ଗାଆଁରେ ନାନା ସ୍ତରର ଲୋକ ରହିଚନ୍ତି, ନାନା ସ୍ୱାର୍ଥର ଲୋକ ମଧ୍ୟ ରହିଚନ୍ତି । ଯେଉଁସବୁ ବ୍ଳକ୍‌ରେ ସବୁଠାରୁ ଭଲକାମ ହେଉଚି ବୋଲି କୁହାଯାଉଚି, ସେଗୁଡ଼ିକରେ ମଧ୍ୟ ଉପରୁ ସରକାରଙ୍କ ପକ୍ଷରୁ ଯେଉଁ ସହାୟତାମାନ ମିଳୁଚି, ସେଗୁଡ଼ିକରୁ ଗାଆଁର କୃଷି-ମଜୁରିଆ, ଦରିଦ୍ର ଚାଷୀ ଓ କାରିଗରମାନେ ସାଧାରଣତଃ କୌଣସିପ୍ରକାରେ ଉପକୃତ ହେଉନାହାନ୍ତି । ଯେଉଁ ଅଳ୍ପସଂଖ୍ୟକ ଲୋକ ଗ୍ରାମସମାଜର ଉପରଶ୍ରେଣୀ ଗୁଡ଼ିକରେ ରହିଚନ୍ତି, ସେହିମାନେ ହିଁ ସବୁ ସାହାଯ୍ୟ ମାରିନେଉଚନ୍ତି । ଯେଉଁମାନେ ନାନା ଉପାୟରେ ଆପଣାର କଥାକୁ ନେଇ ସରକାରୀ କର୍ମଚାରୀଙ୍କର କାନପାଖରେ ପହଞ୍ଚାଇ ପାରୁଚନ୍ତି, ମୁଖ୍ୟତଃ ସେହିମାନେ ହିଁ ବ୍ଳକ୍ ତରଫରୁ ମିଳୁଥିବା ସକଳ ସୁବିଧା ଉପଭୋଗ କରୁଚନ୍ତି ।

 

ବ୍ଳକ୍-ପର୍ଯ୍ୟାୟରେ ଯାହା ହୋଇଚି, ପଞ୍ଚାୟତୀ–ରାଜର ନୂତନ ଛାଞ୍ଚଟିର ପ୍ରବର୍ତ୍ତନ ସତ୍ତ୍ୱେ ମଧ୍ୟ ଠିକ୍ ତାହାହିଁ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଚନ୍ତି । ବ୍ଳକ୍-ପର୍ଯ୍ୟାୟରେ ଯେଉଁ ଶ୍ରେଣୀର ଲୋକେ ଯାବତୀୟ ସୁବିଧା ଓ ସୁଯୋଗର ଅଧିକାରୀ ହେଉଥିଲେ, ପଞ୍ଚାୟତୀ-ରାଜର ଅନୁଷ୍ଠାନମାନଙ୍କରେ ସେହିଲୋକେ ହିଁ ପ୍ରବଳ ହୋଇ ରହିବେ ଓ ଯାବତୀୟ ସୁବିଧାକୁ ଆତ୍ମସାତ୍ କରିନେଉଥିବେ । କାରଣ ସେହିମାନଙ୍କ ପାଖରେ ହିଁ ଆବଶ୍ୟକ ଆର୍ଥିକ ଓ ସାମାଜିକ ସାଧନମାନ ରହିଚି, ଯାହାଫଳରେ କି ସେମାନେ ଗ୍ରାମର ବହୁମତ ଉପରେ ନିଜର ବାହୁଛାୟା ବିସ୍ତାର କରି ରହିପାରିବେ । ସେହିମାନଙ୍କ ହାତରେ ସାମାଜିକ ଓ ରାଜନୀତିକ କ୍ଷମତାସବୁ ବି ରହିଚି ଏବଂ ଏହିଗୁଡ଼ିକୁ ଖଟାଇ ସେମାନେ ବ୍ଳକ୍ ଓ ପଞ୍ଚାୟତ ପ୍ରଶାସନ-କ୍ଷେତ୍ରରେ ଆପଣାର ଯାବତୀୟ କାମ କରାଇନେଇପାରିବେ । ଉଚ୍ଚତର ପ୍ରଶାସନ ଅର୍ଥାତ୍ ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ସେମାନଙ୍କୁ ଏହି ସୁବିଧାମାନ ମିଳୁଥିବ । ଶେଷରେ ଆପଣାର ପରାମର୍ଶ ଦେଇ ଶ୍ରୀ ନମ୍ବୁଦ୍ରିପାଦ କହିଚନ୍ତି ଯେ ଗ୍ରାମର ଜନତା ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ଏବଂ ସେମାନେ ଯେପରି ଆପଣା ଉଦ୍ୟମରେ ଆପଣା ଭାଗ୍ୟର ଉନ୍ନୟନ କରିବାକୁ ବାହାରିବେ, ସେହି ଦିଗରେ ସେମାନଙ୍କୁ ସାହାଯ୍ୟ କରିବା, –ଏହି ଦୁଇଟି ମୂଳ ଉଦ୍ଦେଶ୍ୟ ନେଇ ଭାରତରେ ସାମୁଦାୟିକ ବିକାଶ କାର୍ଯ୍ୟର ଆରମ୍ଭ ହୋଇଥିଲା । ଗାଆଁରେ ବାସ କରୁଥିବା ଅଧିକସଂଖ୍ୟକ ଲୋକ,-ଅର୍ଥାତ୍ ଗାଆଁରେ ଯେଉଁମାନଙ୍କୁ ଆଜି ନାନାପ୍ରକାର ଦୈନ୍ୟ ଓ ଶୋଷଣର ସମ୍ମୁଖୀନ ହେବାକୁ ପଡ଼ୁଚି-ସେମାନଙ୍କୁ ଯେ ଆଉ ଧନୀଶ୍ରେଣୀର ଦୌରାତ୍ମ୍ୟ ଓ ଶୋଷଣ ସହିବାକୁ ପଡ଼ିବନାହିଁ, ଯେତେବେଳେ ସେମାନେ ଏପରି ଏକ ବିଶ୍ୱାସ ଅର୍ଜନ କରିପାରିବେ, ସେତେବେଳେ ଯାଇ ସାମୁଦାୟିକ ବିକାଶର ମୂଳ ଉଦ୍ଦେଶ୍ୟମାନ ସଫଳ ହୋଇପାରିବ ।

 

କମ୍ୟୁନିଷ୍ଟ ନେତାମାନଙ୍କୁ ହୁଏତ ବର୍ତ୍ତମାନ ଭାରତ-ସରକାରଙ୍କର ବିରୋଧୀ ବୋଲି କୁହାଯାଇପାରେ, କିନ୍ତୁ ଶ୍ରୀ ଜୟପ୍ରକାଶ ନାରାୟଣଙ୍କୁ ଆମେ ସେପରି କୌଣସି ଅପବାଦ ଦେଇପାରିବାନାହିଁ । ଶ୍ରୀଯୁକ୍ତ ନାରାୟଣ ଆନୁଷ୍ଠାନିକ ଭାବରେ ଏହି ଦେଶରେ ସାମ୍ୟବାଦ ବା ସମାଜବାଦକୁ ରାଜନୈତିକ ଉଦ୍ଦେଶ୍ୟର ମୂଳଦୁଆ କରି ଗ୍ରହଣ କରିବାର ପୁରୋଧାପରି କାର୍ଯ୍ୟ କରିଚନ୍ତି । ଆପଣା ବିଶ୍ୱାସପ୍ରତି ନିର୍ଭୟ ଭାବରେ ନିଷ୍ଠାପ୍ରକାଶ କରିବାରେ ଜୟପ୍ରକାଶ ସମ୍ଭବତଃ ଭାରତୀୟ ସାଧାରଣ କ୍ଷେତ୍ରରେ ପୁରୋଭାଗରେ ରହିଥିବେ । ଜୟପ୍ରକାଶ ବର୍ତ୍ତମାନ ସମାଜବାଦୀ ଦଳର ଔପଚାରିକ ସଭ୍ୟ ନାହାନ୍ତି, ଜନସାଧାରଣ ଓ ସାମ୍ବାଦିକମାନେ ତାଙ୍କୁ ଏବେ ସର୍ବୋଦୟ ନେତା ବୋଲି କହୁଚନ୍ତି । ଅସଲ କଥା ହେଉଚି ଶ୍ରୀଯୁକ୍ତ ଜୟପ୍ରକାଶ ପ୍ରଥମ ପର୍ଯ୍ୟାୟରେ ସମାଜବାଦକୁ ଯେତିକି ନିଷ୍ଠାର ସହିତ ଗ୍ରହଣ କରିଥିଲେ, ବର୍ତ୍ତମାନ ପର୍ଯ୍ୟାୟରେ ସର୍ବୋଦୟ-ବିଚାର ଓ ସର୍ବୋଦୟ ସମାଜ-କଳ୍ପନାକୁ ସେତିକି ନିଷ୍ଠାର ସହିତ ଗ୍ରହଣ କରୁଚନ୍ତି । ମଣିଷ ଓ ତାହାର ମାନବିକ ଉଦୟକୁ ଯଦି ସବୁ ରାଜନୀତିକ ଓ ସାମାଜିକ ବିବର୍ତ୍ତନର ମୂଳକରି ଗ୍ରହଣ କରାଯାଏ, ତେବେ ଶ୍ରୀ ଜୟପ୍ରକାଶ ହୁଏତ ସମାଜବାଦ ଓ ସର୍ବୋଦୟ ଭିତରେ କୌଣସି ମୌଳିକ ଅନ୍ତର ରହିଥିବାର ଅନୁଭବ କରୁନାହାନ୍ତି । ଭାରତରେ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମରେ ସରକାରୀ ମନ୍ତ୍ରୀ ଓ ମନ୍ତ୍ରଣାଦାୟକମାନଙ୍କୁ ଛାଡ଼ିଦେଲେ ବୋଧହୁଏ ତାଙ୍କପରି ଆଉ କେହି ଏତେଦୂର ଆଗ୍ରହ ପ୍ରକାଶ କରିନାହାନ୍ତି, ବା ଏତେ ନିଷ୍ଠା ସହକାରେ ଏହାର ବିଭିନ୍ନ ଦିଗଉପରେ ବିଚାର କରିନାହାନ୍ତି । ୧୯୬୦ ମସିହାରେ ଭାରତର ସାମୁଦାୟିକ ବିକାଶଯୋଜନା ସମ୍ବନ୍ଧରେ ସେ ଲେଖିଥିଲେ, ‘‘ସାମୁଦାୟିକ ବିକାଶର କାର୍ଯ୍ୟକ୍ରମକୁ ମୁଁ ଜାତୀୟ ବିକାଶଲାଗି ଚାଲୁଥିବା ଅନ୍ୟ ଯେକୌଣସି କାର୍ଯ୍ୟକ୍ରମର ପୁରୋଭାଗରେ ସ୍ଥାନ ଦେବି । ମୋ’ମତରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମରେ ଅନ୍ୟ ସକଳ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋଇ ରହିଚି । ଏକ ନୂତନ ସମାଜବ୍ୟବସ୍ଥା, ଏକ ନୂତନ ଜୀବନମାର୍ଗ, ଉଦ୍ୟୋଗ ଓ କୃଷିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ବେକାର ସମସ୍ୟାର ଦୂରୀକରଣ, ଦାରିଦ୍ର୍ୟ ଉପରେ ବିଜୟ, ପରିବାର-ନିୟୋଜନ ପ୍ରଭୃତି ଯାବତୀୟ କାର୍ଯ୍ୟକ୍ରମ ଏହି ସାମୁଦାୟିକ ବିକାଶର ଅନ୍ତର୍ଭୁକ୍ତ ରହିଚି । ମୁଁ ସାମୁଦାୟିକ ବିକାଶବିଭାଗର ମନ୍ତ୍ରଣାଳୟକୁ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରୁଚି ।’’ (ପୁସ୍ତକ ଟିପ୍ପଣୀ–୧, ଅକ୍ଟୋବର ୨, ୧୯୬୦)

 

କଥିତ ଅଛି ଯେ ପ୍ରାଚୀନ ଗ୍ରୀସ୍‌ର ଦାର୍ଶନିକ ପ୍ଳେଟୋ ଆପଣାର କଳ୍ପିତ ଆଦର୍ଶ ଶାସନବ୍ୟବସ୍ଥାରେ ଶିକ୍ଷାବିଭାଗୀୟ ମନ୍ତ୍ରୀକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ପ୍ରାୟ ପାଞ୍ଚବର୍ଷ ପରେ ୧୯୬୫ ମସିହାରେ ଶ୍ରୀଯୁକ୍ତ ଜୟପ୍ରକାଶ ସମଗ୍ରତଃ ବିକାଶ ଯୋଜନା ଓ ସରକାରୀ ଉଦ୍ୟମ ଦ୍ୱାରା କରାଯାଇଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ନିମ୍ନଲିଖିତ ମନ୍ତବ୍ୟ କରିଥିଲେ : ‘‘ସ୍ୱାଧୀନତା ପ୍ରାପ୍ତି ପରେ କଂଗ୍ରେସ ସରକାର କାଁ ଭାଁ ଯେଉଁସବୁ ସଂସ୍କାରର ପ୍ରବର୍ତ୍ତନ କରିଚି, ସେସବୁ କେବଳ ପୁଞ୍ଜିବାଦର ଚତୁଃସୀମା ଭିତରେ ଆବଦ୍ଧ ରହି କରାଯାଇଚି । ପ୍ରକୃତ ସମାଜବାଦ ଆଣିବା ଦିଗରେ କିଛି କରାଯାଇନାହିଁ । ଗ୍ରାମାଞ୍ଚଳରେ କିଛି କରାଯାଇନାହିଁ । ଗ୍ରାମାଞ୍ଚଳରେ ଜାଗରଣ ଆଣିବା କାର୍ଯ୍ୟରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣଭାବେ ଅସଫଳ ହୋଇଚି ।’’ ଏବେ ଆଉଏକ ଅବସରରେ ସେ କହିଚନ୍ତି (୨୫-୨-୬୬) : ‘‘ଅତି ଦୁଃଖର କଥା ଯେ ସ୍ୱାଧୀନତା ପାଇବାର ଅଠରବର୍ଷ ପରେ ମଧ୍ୟ ଦେଶରେ ସମ୍ପତ୍ତି ଓ ସମ୍ପନ୍ନତାର ନ୍ୟାୟପୂର୍ଣ୍ଣ ବିଭାଜନ ସମ୍ଭବ ହୋଇ ପାରିନାହିଁ । ଆମଦେଶର ଗତିଚକ୍ର ଯେଉଁଆଡ଼କୁ ବୁଲିବା ଉଚିତ ଥିଲା, ଏବେ ତାହାର ଠିକ୍ ଓଲଟା ଦିଗକୁ ଚାଲିବାରେ ଲାଗିଲାଣି । କାରଣ ଏବେ ଦେଶର ଦରିଦ୍ର ଶ୍ରେଣୀ ଅଧିକ ଦରିଦ୍ର ହେବାକୁ ଲାଗିଲେଣି । ଦେଶର ଚାରିଆଡ଼େ ଓ ଜାତୀୟ ଜୀବନର ଯାବତୀୟ କ୍ଷେତ୍ରରେ ଦୁର୍ନୀତିର ଚେର ମାଡ଼ିଗଲାଣି ଏବଂ ତା’ଫଳରେ ନୈତିକ ସ୍ତରରେ ଆମେ ତଳକୁ ତଳକୁ ଯିବାରେ ଲାଗିଚୁ । ଏ ଦେଶରେ ସର୍ବମୋଟ ପ୍ରାୟ ସତୁରିଲକ୍ଷ ସାଧୁ ରହିଚନ୍ତି, ହୁଏତ ସେମାନଙ୍କ ଭିତରୁ ଖୁବ୍ ବେଶୀହେଲେ ମାତ୍ର ସତୁରିହଜାର ଏପରି ଥିବେ, ଯେଉଁମାନେ କି ଭଣ୍ଡସାଧୁ ନୁହନ୍ତି । ଦେଶରେ ଏପରି ଏକ ଶିକ୍ଷାନୁଷ୍ଠାନ କ୍ୱଚିତ୍ ମିଳିବ, ଯେଉଁଠାରେ କି ଦୁର୍ନୀତି ପ୍ରବେଶ କରିନାହିଁ ।’’

Unknown

 

ଏହାର ଦୁଇଦିନ ପରେ ଆଉ ଏକ ଅବସରରେ ସେ ପୁଣି କହିଚନ୍ତି ଯେ, ସ୍ୱାଧୀନତାର ଦୀର୍ଘ ଅଠରବର୍ଷ ଅତୀତ ହୋଇ ଯାଇଥିଲେ ମଧ୍ୟ ଏବେସୁଦ୍ଧା ଆମେ ଏକ ନୂତନ ସମାଜର ଗଠନଲାଗି ଏଦେଶର ଲୋକଶକ୍ତିକୁ ନିୟୋଜିତ କରିବାରେ ସମର୍ଥ ହୋଇ ପାରିଲୁନାହିଁ । ବର୍ତ୍ତମାନ ଆମଦେଶର ପ୍ରତ୍ୟେକ ସ୍ତରରେ ଯେଉଁ ଜଡ଼ତା ଓ ପରିବର୍ତ୍ତନ ଲାଗି ଅନିଚ୍ଛୁକତା ଘର କରି ରହିଲାପରି ରହିଚି, ତାହାକୁ ଆମେ ଗୋଟିଏ ଭଙ୍ଗାଗୋଡ଼ ସହିତ ତୁଳନା କରିପାରିବା । ଏହି ଭଙ୍ଗା ଅଙ୍ଗଟି ଏବେ ପ୍ଳାଷ୍ଟର୍‌ରୁ ବାହାରିଚି, ମାତ୍ର ସ୍ୱାଭାବିକ ଶକ୍ତିରେ କାର୍ଯ୍ୟ କରିବାକୁ ସମର୍ଥ ହୋଇନାହିଁ । ତାଙ୍କ ମତରେ ସେ ଆମର ସକଳ ଦୁର୍ଗତି ଓ ଦୁସ୍ଥିତି ଲାଗି ଜନସାଧାରଣଙ୍କ ଭିତରେ ଉଦ୍ୟମର ଅଭାବକୁ ହିଁ ଦାୟୀ କରିଥିଲେ । ସେ କହିଥିଲେ ଯେ ଏବେ ଅନେକ ଲୋକ ଜର୍ମାନୀ ବା ଜାପାନଦେଶର ଜାତୀୟ ବିବର୍ତ୍ତନରେ ଅଲୌକିକ ପରିବର୍ତ୍ତନମାନ ଘଟିଥିବାର ଉଲ୍ଲେଖ କରୁଚନ୍ତି । କିନ୍ତୁ ସେସବୁ ଦେଶରେ ଏହି ଚମତ୍କାର କିପରି ଘଟିଥିଲା, ସେ ବିଷୟରେ ଆମର କିଛି ଜ୍ଞାନ ରହିଚି କି ? ସେସବୁ ଦେଶରେ କାମରେ ଲାଗିଥିବା ଲୋକଶକ୍ତି ସକାଶେ ହିଁ ତାହା ସମ୍ଭବ ହୋଇଚି । ଆମ ଦେଶର ସମାଜରେ ଏପରି ଜଡ଼ତା କିପରିଭାବରେ କେଉଁଠୁ ଆସି ପଶିଲା, ତାହାର ମୂଳ ଖୋଜିବାକୁ ଯାଇ ସେ କହିଚନ୍ତି ଯେ, ‘ବ୍ରିଟିଶ୍ ସାମ୍ରାଜ୍ୟବାଦ’ର ଏକ ସାନ ବ୍ୟାପାରଗତ କାରପଟଦାର ରୂପେ ଭାରତବର୍ଷରେ ମଧ୍ୟବିତ୍ତ ଶ୍ରେଣୀର ଉଦ୍ଭବ ହୋଇଚି । ସାଧାରଣତଃ ସବୁଦେଶରେ ଏହି ମଧ୍ୟବିତ୍ତ ଶ୍ରେଣୀ ହିଁ ଜାତୀୟ ସାମାଜିକ ବିପ୍ଳବରେ ନେତୃତ୍ୱ ଦେଇଥାଏ । କିନ୍ତୁ ଆମଦେଶରେ ତାହା ହୋଇନାହିଁ । ‘ସଇତାନର କାରଖାନାଘର’ ପରି କାର୍ଯ୍ୟ କରୁଥିବା ଆମ ଦେଶର କଲେଜମାନ ଆମ ଭିତରେ ମାନସିକ ଦାସତାକୁ ଭର୍ତ୍ତିକରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଚନ୍ତି । ୧୯୬୫ ମସିହା ଜାନୁଆରୀ ମାସରେ ଅଖିଳ ଭାରତ ସର୍ବସେବା-ସଂଘ ତରଫରୁ ଅନୁଷ୍ଠିତ ଏକ ଆଲୋଚନା-ଚକ୍ରରେ ଆମଦେଶର ପଞ୍ଚବର୍ଷୀୟ ଯୋଜନାଗୁଡ଼ିକ ବିଷୟରେ ନୈରାଶ୍ୟ ପ୍ରକଟ କରାଯାଇଚି । ଏହି ଚର୍ଚ୍ଚା-ଗୋଷ୍ଠୀର ମତରେ ଯୋଜନାଗୁଡ଼ିକ ଦ୍ୱାରା ଆମେ ଆମ ସଂବିଧାନର ଲିପିବଦ୍ଧ ହୋଇ ରହିଥିବା ଜାତୀୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ତ ଦୂରର କଥା, ସେଦିଗରେ ଆଦୌ ଅଗ୍ରସର ହୋଇ ପାରିନାହୁଁ ଏବଂ ସେହିସବୁ ଲକ୍ଷ୍ୟ କେବେ ହାସଲ ହୋଇ ପାରିବବୋଲି ଏବେ ବିଶ୍ୱାସ ମଧ୍ୟ ହେଉନାହିଁ । ଦେଶର ଯଥାସମ୍ଭବ ଅଧିକସଂଖ୍ୟକ ଲୋକ କାମ ପାଇବେ, ଦେଶର ଜନସାଧାରଣ ଜୀବନନିର୍ବାହ କରିପାରିବାଭଳି ଏକ ନିମ୍ନତମ ଉପାର୍ଜନ କରିପାରିବାର ଭରସା ରଖିପାରିବେ, ସଂବିଧାନରେ ଏହିସବୁ ଜାତୀୟ ଲକ୍ଷ୍ୟର ବୟାନ କରାଯାଇଥିଲା । ମାତ୍ର ଅଦୂର ଓ ଦୃଶ୍ୟମାନ କୌଣସି ଭବିଷ୍ୟତରେ ସେପରି କୌଣସି ସ୍ଥିତି ସମ୍ଭବ ହେବାପରି ଆଦୌ ଦେଖାଯାଉନାହିଁ । ଆମର ଯୋଜନା ଅତିରିକ୍ତ ମାତ୍ରାରେ କେନ୍ଦ୍ରାୟତ୍ତ ହୋଇ ରହିଚି ଏବଂ ସରକାରୀ ଅଫିସର୍‌ମାନେ ଅତିପରିମାଣରେ ଏହାର ଅର୍ଗଳମାନ ଜଗିକରି ବସିଚନ୍ତି,-ଯୋଜନାର ଅସଫଳତା ଲାଗି ଗୋଷ୍ଠୀ ଏହି ଦୁଇଟି କଥାକୁ ମୁଖ୍ୟତଃ ଦାୟୀ କରିଥିଲା ।

 

ସର୍ବସେବାସଂଘ ଅର୍ଥାତ୍ ସର୍ବୋଦୟବାଲାମାନେ ସମଗ୍ରତଃ ଯୋଜନାଗୁଡ଼ିକ ବିଷୟରେ ଏପରି କହୁଥିବାବେଳେ ଭାରତ ସରକାରଙ୍କର ପୂର୍ବତନ ଏହି-ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଦେ’ ସାମୁଦାୟିକ ବିକାଶକୁ ସର୍ବୋଦୟ ବୋଲି କହିଚନ୍ତି । (୭) ତାଙ୍କରି ଭାଷାରେ କହିବାକୁ ଗଲେ, ‘‘ଯେପରି ଛାଞ୍ଚ ଓ ଯେପରି ଆକାରର ହେଉ ପଛକେ, ଆମ ଦେଶରେ ଯେଉଁମାନେ ଏକ ସମାଜବାଦୀ ସମାଜର ପ୍ରତିଷ୍ଠା କରିବା ଉପରେ ବିଶ୍ୱାସ ରଖିଚନ୍ତି, ସେମାନେ ସମସ୍ତେ ସାମୁଦାୟିକ ବିକାଶକୁ ହିଁ ସର୍ବସାଧାରଣ ଲକ୍ଷ୍ୟରୂପେ ଗ୍ରହଣ କରିଚନ୍ତି । ଯୌଥ ପରିବାରକୁ ହିଁ ଆମେ ଭାରତବର୍ଷରେ ସମାଜବାଦରୂପୀ ଜୀବନ୍ତ ବିଚାରର ନମୁନା ବୋଲି କହିପାରିବା । ଭାରତୀୟ ଯୌଥପରିବାରର ପରିଧିଗୁଡ଼ିକ କ୍ରମପ୍ରସାରିତ ହୋଇ ଗାଆଁ, ବ୍ଳକ୍‌, ଜିଲ୍ଲା, ରାଜ୍ୟ ଓ ଜାତିକୁ ମଧ୍ୟ ସମ୍ଭାରି ଧରିବାକୁ ଉଦ୍ୟମ କରିବ । ଅନ୍ୟଭାଷାରେ ଏହାକୁ ହିଁ ଆମେ ସାମୁଦାୟିକ ବିକାଶ ବୋଲି କହିପାରିବା । ସାମୁଦାୟିକ ବିକାଶ ହେଉଚି ଆମର ଲକ୍ଷ୍ୟ ଏବଂ ପଞ୍ଚାୟତୀରାଜ ସେହି ଲକ୍ଷ୍ୟରେ ଯାଇ ପହଞ୍ଚିବାର ମାର୍ଗ ।’’ ପାଞ୍ଚବର୍ଷ ତଳେ ସର୍ବୋଦୟ ଶିବିରର ଅନ୍ୟତମ ନେତା ଶ୍ରୀଯୁକ୍ତ ଜୟପ୍ରକାଶ ମଧ୍ୟ ଏହି ଦେଶରେ ଗାନ୍ଧୀଙ୍କର ପୁନର୍ସ୍ଥାପନା କରାଯାଉଚି ବୋଲି କହିଥିଲେ ଏବଂ ଭାରତ ସରକାରଙ୍କର ସାମୁଦାୟିକ ବିକାଶ-ବିଭାଗର ମନ୍ତ୍ରଣାଳୟକୁ ଏହି ପୁନର୍ସ୍ଥାପନାର ଶ୍ରେୟ ଓ ସମ୍ମାନ ଦେଇଥିଲେ । (ପୁସ୍ତକ ଟିପ୍ପଣୀ–୧, ଜାନୁଆରୀ ୧୯୬୧, ପୃଷ୍ଠା–୬) କାଳକ୍ରମେ ଯେ ତାଙ୍କର ଭ୍ରମ ଦୂର ହୋଇଯାଇଚି, ଆମେ ଉପରେ ତାହାର ପରିଚୟ ପାଇପାରିଚେ । ସରକାରୀ ମନ୍ତ୍ରୀ ଯେ ସାମୁଦାୟିକ ବିକାଶକୁ ସର୍ବୋଦୟ ସହିତ ସମତୁଲ କରି ବିଚାର କରିଚନ୍ତି, ତାଙ୍କର ଏହି ଭ୍ରମ ଭାଙ୍ଗିବ କେବେ ? ଇତିହାସ ବିରୁଦ୍ଧ-ସାକ୍ଷ୍ୟ ଦେଇ କହିବ ଯେ, କୌଣସି ସରକାର ସ୍ୱଭାବତଃ ଆପଣାର ପ୍ରିୟ ଭ୍ରମଗୁଡ଼ିକୁ ଦୂର କରିବାଲାଗି କେବେହେଲେ କୌଣସି ପ୍ରୟାସ କରିନାହାନ୍ତି ।

 

ଭାରତରେ ସାମୁଦାୟିକ ବିକାଶକାର୍ଯ୍ୟର ସମୀକ୍ଷକମାନେ କହନ୍ତି ଯେ ଏହି କାର୍ଯ୍ୟଟି ଆରମ୍ଭ ହେବାର ପ୍ରଥମ ବର୍ଷେ ଦୁଇବର୍ଷ ଏହି କ୍ଷେତ୍ରର ସରକାରୀ ତଥା ବେସରକାରୀ ନେତାମାନେ କାର୍ଯ୍ୟର ଅଗ୍ରଗତି ବିଷୟରେ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରୁଥିଲେ ଓ ଏହାର ଭବିଷ୍ୟତ ବିଷୟରେ ଅତ୍ୟନ୍ତ ଆଶାବାଦୀ ହୋଇ ରହିଥିଲେ । ସେମାନେ ପ୍ରଥମରୁ ଯେତେ ଆଶା କରିନଥିଲେ, ସାମୁଦାୟିକ ବିକାଶ ତାହାଠାରୁ ଅଧିକ ଫଳଲାଭର ସୂଚନା ଦେଉଥିବାପରି ସେମାନେ ଅନୁଭବ କରିଥିଲେ । ଗାଆଁଲୋକେ ଚାରିଆଡ଼େ ଏହି କାର୍ଯ୍ୟକ୍ରମରେ ଯେପରି ଉତ୍ସାହର ସହିତ ସହଯୋଗ କରିବାକୁ ବାହାରି ପଡ଼ିଥିଲେ, ତାହା ଅନେକ ସମୟରେ ନେତାମାନଙ୍କୁ ବିସ୍ମିତ ଓ ଅଭିଭୂତ କରିପକାଉଥିଲା । ନାନାଗ୍ରାମରେ କେତେପ୍ରକାର କାର୍ଯ୍ୟକ୍ରମ ଓ ଉଦ୍ୟମ ଚାଲିଲା, ମହୁଫେଣାରେ ମହୁମାଛିର କର୍ମସରାଗ ପରି ଲୋକମାନେ ସ୍ୱେଚ୍ଛାରେ କେତେ କେତେ ସାମୂହିକ କଲ୍ୟାଣ କାର୍ଯ୍ୟମାନ କରିବାକୁ ଆଗଭର ହୋଇ ଆସିଲେ । ସମସ୍ତେ ଭାବିଲେ ଯେ ଲୋକମାନେ ଏହି କ୍ଷେତ୍ରରେ ଯେପରି ଆଗ୍ରହ ଓ ତତ୍ପରତା ଦେଖାଇଲେଣି, ସେମାନଙ୍କର ଆବଶ୍ୟକତା ଓ ଇଚ୍ଛୁକତା ଅନୁସାରେ ସେମାନଙ୍କୁ ଆବଶ୍ୟକ ସାଧନ ଓ ଉପଚାରମାନ ଯୋଗାଇଦେବା ହୁଏତ ସରକାରଙ୍କ ପକ୍ଷରେ କ୍ରମେ ଏକ ସମସ୍ୟା ହୋଇପଡ଼ିବ । ଏହି ଆଗ୍ରହମୁଖର ପର୍ଯ୍ୟାୟରେ ଅର୍ଥାତ୍ ସାମୁଦାୟିକ ବିକାଶକାର୍ଯ୍ୟ ଆରମ୍ଭ ହେବାର ପ୍ରଥମ ତିନିବର୍ଷ, ଏହାକୁ ସାଧାରଣତଃ ‘ସାମୁଦାୟିକ ବିକାଶର ଆନ୍ଦୋଳନ’ ବୋଲି କୁହାଯାଉଥିଲା । କାରଣ ଏହି କାର୍ଯ୍ୟକ୍ରମ ପଛରେ ଏହି ଦେଶର ଗ୍ରାମସଂସାର ଅନୁପ୍ରେରିତ ହୋଇ ବାହାରିଥିବା ପରି ମନେହେଉଥିଲା ।

 

ଏହି ଜୁଆରରେ ଭଟ୍ଟା ପଡ଼ିଲା କାହିଁକି ? ସ୍ୱାଧୀନତା ପରେ ଏହି ଦେଶର ଲକ୍ଷ ଲକ୍ଷ ଗ୍ରାମରେ ଯେଉଁ ପ୍ରେରଣାର ଆଲୋଡ଼ନ ହୋଇଥିଲା, ହୁଏତ ସାମୁଦାୟିକ ବିକାଶର ଜାତୀୟ ଯୋଜନାରେ ସେହି ପ୍ରେରଣା ଏକ ଆତ୍ମପ୍ରକାଶର ପଥ ପାଇଲା ବୋଲି ପ୍ରଥମେ ମନେହେଉଥିଲା-। ସ୍ୱାଧୀନତା ଫଳରେ ଦେଶର ଜନସମୁଦ୍ର ଭିତରେ ଯେଉଁ ବିଶ୍ୱାସ ଜନ୍ମଲାଭ କରିଥିଲା, ସେହି ବିଶ୍ୱାସକୁ ବହନ କରି ହୁଏତ ଭାରତର କୋଟି କୋଟି ଜନସାଧାରଣ ବିକାଶର କାର୍ଯ୍ୟକ୍ରମରେ ଆପଣାର ଯଥାର୍ଥ ଅଂଶ ଗ୍ରହଣ କରିବାକୁ ବାହାରି ଆସିଥିଲେ । କିନ୍ତୁ କାଳକ୍ରମେ ସେହି ପ୍ରେରଣା ଗଲା କୁଆଡ଼େ, କେଉଁ କଠିନ ପଥର ଉପରେ ପଡ଼ି ସେହି ବିଶ୍ୱାସ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ?

 

ଭାରତବର୍ଷ କେତୋଟି ସାମାଜିକ ସ୍ୱପ୍ନ ଓ ଆଦର୍ଶକୁ ଧ୍ରୁବତାରା ବୋଲି ମାନି ରାଜନୀତିକ ସ୍ୱାଧୀନତା ହାସଲ କରିବାର ଅଭିଳାଷ ପୋଷଣ କରିଥିଲା । ଏହି ଆଦର୍ଶଗୁଡ଼ିକୁ ଆମେ ଦୁଇଟି ଶବ୍ଦରେ ସଂକ୍ଷିପ୍ତ କରି କହିପାରିବା । ଏହା ହେଉଚି ଗଣତନ୍ତ୍ର ଓ ସମାଜବାଦ; ବ୍ୟକ୍ତି ହିସାବରେ ପ୍ରତ୍ୟେକ ମଣିଷର ବଞ୍ଚିରହିବାର ଅଧିକାର ଓ ସାମାଜିକ ନ୍ୟାୟ । ଅର୍ଥାତ୍ ଏହି ଦେଶରେ ଯେଉଁ ଶାସନ ଚାଲିବ, ତାହା ଜନସାଧାରଣଙ୍କର ମତ ଅନୁସାରେ ଚାଲିବ ଏବଂ ସମାଜର ମଞ୍ଜକୁ କାଳକାଳରୁ କାମୁଡ଼ି ଧରିଥିବା ଅନ୍ୟାୟ ଓ ଶୋଷଣଗୁଡ଼ିକୁ ଯଥାସମ୍ଭବ ଓ ଯଥାଶୀଘ୍ର ଦୂର କରିବାର ଚେଷ୍ଟା କରାଯିବ । ଏହି ଦେଶରେ ଜାତୀୟ କଲ୍ୟାଣ କହିଲେ ସବୁ ମଣିଷର କଲ୍ୟାଣକୁ ହିଁ ବୁଝାଇବ, ଜାତୀୟ ପ୍ରଗତି କହିଲେ ସବୁ ଶ୍ରେଣୀ ଓ ସବୁ ସ୍ତରରେ ବାସ କରୁଥିବା ମଣିଷଙ୍କର ଜୀବନାୟତନରେ ପ୍ରଗତିମୂଳକ ପରିବର୍ତ୍ତନକୁ ହିଁ ବୁଝାଇବ । ଆଧୁନିକ ଜଗତର ଇତିହାସରୁ ଅଭିଜ୍ଞତା ନେଇ ଆଧୁନିକ ରାଜନୀତିକ ବିଚାରରେ ମଧ୍ୟ ଗଣତନ୍ତ୍ର ଓ ସମାଜବାଦ କ୍ରମେ ଅଧିକରୁ ଅଧିକ ସମାଜବାଦୀ ହେବାକୁ ଆରମ୍ଭ କଲାଣି । ଜଗତରେ ଅନେକ ସ୍ଥାନରେ ଅବଶ୍ୟ ସାମାଜିକ ନ୍ୟାୟକୁ ବର୍ଜିତ କରି ରଖି ତଥାକଥିତ ଗଣତନ୍ତ୍ର ବା ଭୋଟଶାସନ ଚାଲୁଚି, ପୁଣି ଆଉ କେଉଁଠି ଦେଶର ଜନତାକୁ ଶୋଷଣ ଓ ଅନ୍ୟାୟରୁ ମୁକ୍ତ କରିବାର ବିକ୍ରମ ଦେଖାଇ ଦେଶକୁ ଏକାଧିକାରର ଅମୁହାଁଘରେ ନେଇ କିଳି ଦିଆଯାଇଚି । କିନ୍ତୁ ତଦ୍ଦ୍ୱାରା ଗଣତନ୍ତ୍ର ବା ସାମାଜିକ ନ୍ୟାୟ କୌଣସିଟି ସମ୍ଭବ ହୋଇ ପାରୁନାହିଁ । ସାମାଜିକ ନ୍ୟାୟର ଅଭାବରେ ଗଣତନ୍ତ୍ର ଏକ ହାସ୍ୟାସ୍ପଦ ଗୀତାଭିନୟରେ ପରିଣତ ହୋଇଯାଉଚି, ଗଣତନ୍ତ୍ରର ଅଭାବରେ ମଧ୍ୟ ସମାଜବାଦ କେବଳ ଏକ ସ୍ୱୈରାଚାରରେ ପର୍ଯ୍ୟବସିତ ରହୁଚି । ଭାରତର ଭାଗ୍ୟ ଭଲ, ଏଦେଶରେ ଆମେ ଅନେକଦିନରୁ ଦୁଇଟିଯାକର ପରସ୍ପର-ପରିପୂରକତାକୁ ବୁଝିପାରୁଚୁ ଏବଂ ଗଣତନ୍ତ୍ର ଓ ସମାଜବାଦ ଉଭୟକୁ ଆମର ଜାତୀୟ ଆଦର୍ଶ ବୋଲି ଗ୍ରହଣ କରିଚୁ ।

 

ସ୍ୱାଧୀନତା ପରଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସ ଏହି ଦେଶରେ ଶାସନ ଚଳାଉଚି । ସ୍ୱାଧୀନତା-ପ୍ରାପ୍ତିର ପ୍ରାୟ କୋଡ଼ିଏ ବର୍ଷ ପୂର୍ବରୁ ଏହି ରାଜନୀତିକ ଦଳ ସମାଜବାଦକୁ ହିଁ ଆପଣାର ଜାତୀୟ ଲକ୍ଷ୍ୟ ବୋଲି ଗ୍ରହଣ କରିଥିଲା । ୧୯୨୯ ମସିହାରେ ଲାହୋରଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ଏକ ଅଧିବେଶନରେ ସଭାପତିତ୍ୱ କରି ଶ୍ରୀଯୁକ୍ତ ଜବାହରଲାଲ ନେହରୁ କହିଥିଲେ : ‘‘ଆଜି ଆମ ପୃଥିବୀର ସବୁଦେଶରେ ସମାଜବାଦର ଦର୍ଶନ ମନୁଷ୍ୟ-ସମାଜର ସକଳ ସଂଗଠନ ଭିତରକୁ କ୍ରମେ ଭେଦିବାକୁ ଆରମ୍ଭ କଲାଣି । ଏବିଷୟରେ ଆଉ କେଉଁଠି କାହାରି କୌଣସି ମତଭେଦ ନାହିଁ । ସମାଜବାଦର ଆଦର୍ଶକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରି ଦେଖାଇଦେବାକୁ ହେଲେ କିପରି ବେଗରେ ଓ କେଉଁପରି ମାର୍ଗମାନ ଅନୁସରଣ କରି ଆଗକୁ ଯିବା ଉଚିତ, ପ୍ରତ୍ୟେକ ସ୍ଥାନରେ କେବଳ ଏହି ବିଷୟରେ ହିଁ ମତଭେଦ ରହିଚି । ଭାରତବର୍ଷ ଆପଣାର ଦାରିଦ୍ର୍ୟ ଓ ଅସମାନତାକୁ ଦୂର କରିବାକୁ ଇଚ୍ଛା କରୁଥିଲେ ଭାରତବର୍ଷକୁ ମଧ୍ୟ ଏହି ସମାଜବାଦର ପଥରେ ଅଗ୍ରସର ହେବାକୁ ପଡ଼ିବ । ଅବଶ୍ୟ ଏକଥା ସତ ଯେ ଭାରତବର୍ଷ ଏଥିଲାଗି ଆପଣାର ସ୍ୱତନ୍ତ୍ର ପରିସ୍ଥିତିକୁ ଖାପ ଖାଇଲାଭଳି ସ୍ୱକୀୟ ପ୍ରଣାଳୀମାନ ବାହାର କରିବ ଓ ଆପଣା ବିଶେଷ ପରମ୍ପରା ଓ ପ୍ରତିଭାକୁ ନଜରରେ ରଖି ଏଥିରେ କିଛି ଘଷାମଜା ମଧ୍ୟ କରିପାରିବ ।’’ ସମ୍ଭବତଃ ଭାରତର ବିଶେଷ ଭୂମିଉପରେ ସମାଜବାଦର ବିଶେଷ ପ୍ରକାର ଓ ପ୍ରକୃତି କିପରି ହେବା ଉଚିତ୍, ତାହାହିଁ ଧ୍ୟାନରେ ରଖି ଶ୍ରୀଯୁକ୍ତ ଜୟପ୍ରକାଶ ଥରେ କହିଥିଲେ ଯେ, ସମାଜବାଦକୁ ଆମେ ଦୁଇଟି ଡେଣାବିଶିଷ୍ଟ ଗୋଟିଏ ଚଢ଼େଇପରି କଳ୍ପନା କରିପାରିବା । ଏହାର ଗୋଟିଏ ଡେଣା ରାଷ୍ଟ୍ରଶକ୍ତି ଓ ଆଉଗୋଟିଏ ଡେଣା ଲୋକଶକ୍ତି । କେବଳ ଏହି ଦୁଇଟିଯାକ ଡେଣାର ସାହାଯ୍ୟ ନେଇ ହିଁ ସମାଜବାଦ ବିସ୍ତୃତ ନୀଳ ଆକାଶରେ ଉଡ଼ିବାଲାଗି ସମର୍ଥ ହୋଇପାରିବ ।

 

ସ୍ୱାଧୀନତାର ଆଠବର୍ଷ ପରେ ୧୯୫୫ ମସିହାରେ ମାନ୍ଦ୍ରାଜର ଆଭାଡ଼ିଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ହେଲା ଏବଂ ଏହିଠାରେ ହିଁ ସମାଜବାଦର ଲକ୍ଷ୍ୟକୁ ନାନା ଶବ୍ଦାଳଙ୍କାର ଦ୍ୱାରା ବିଭୂଷିତ କରାଇ ଏକ ପ୍ରସ୍ତାବ ଆକାରରେ ପ୍ରସ୍ତୁତ କରାଗଲା । ଏହାପରେ ପୁଣି ନଅବର୍ଷ ବିତିଗଲା । ୧୯୬୪ ମସିହାରେ ଭୁବନେଶ୍ୱରଠାରେ ପୁଣି ଯେଉଁ ବାର୍ଷିକ ଅଧିବେଶନ ବସିଲା, ସେଥିରେ କଂଗ୍ରେସଦଳର ସମ୍ପାଦକୀୟ ରିପୋର୍ଟରେ ଦୁଃଖପ୍ରକାଶ କରାଯାଇ କୁହାଯାଇଥିଲା : ‘‘ସମାଜବାଦକୁ ଆମେ ଆମର ଲକ୍ଷ୍ୟ ହିସାବରେ ଗ୍ରହଣ ଅବଶ୍ୟ କରିବୁ । ତଥାପି ଆମେ ସେହି ଦିନରେ ଖୁବ୍ ବେଶୀ ଅଗ୍ରସର ହୋଇପାରିନାହୁଁ । ଅଳ୍ପ କେତେଜଣ ଲୋକଙ୍କ ହାତରେ ଆର୍ଥିକ କ୍ଷମତା ପୁଞ୍ଜୀଭୂତ ହେବାରେ ଲାଗିଚି, ଏବଂ ତଦ୍ଦ୍ୱାରା ଆମର ଲକ୍ଷ୍ୟପ୍ରାପ୍ତି ଦିଗରେ ବିପଦର ସୂଚନା ମଧ୍ୟ ମିଳିଲାଣି ।’’ କଂଗ୍ରେସର ନୂଆ ସଭାପତି ଶ୍ରୀଯୁକ୍ତ କାମରାଜ ଆପଣାର ଭାଷଣରେ ଆଶା ପ୍ରକାଶ କରି କହିଥିଲେ ଯେ, ‘‘ବର୍ଗସଂଘର୍ଷର କୌଣସିପ୍ରକାର ଆବଶ୍ୟକତା ନଉପୁଜାଇ ଆମେ ଭାରତବର୍ଷରେ ଏକ ସମାଜବାଦୀ ସମାଜ ତିଆରି କରିବାକୁ ଯାଉଚୁ । ସମାଜବାଦୀ ରାଷ୍ଟ୍ରରେ ବ୍ୟକ୍ତିକୁ ତା’ର ସ୍ୱାଧୀନତା ହରାଇବାକୁ ପଡ଼େ ବୋଲି ଯେଉଁ ସାଧାରଣ ଲୋକାପବାଦ ରହିଚି, ଆମେ ଭାରତରେ ତାହା ଖଣ୍ଡନ କରିବାକୁ ଯାଉଚୁ-।’’ ସେତେବେଳେ ଦେଶସାରା ସମାଜବାଦ ବିଷୟରେ ଭାରି ଚର୍ଚ୍ଚା ହେଲା । କର୍ତ୍ତାମାନେ ଏଥର ଗୋଟାଏ କିଛି କରିବାକୁ ଯାଉଚନ୍ତି ବୋଲି ଦେଶସାରା ଗୋଟାଏ ହାଉଆ ବି ଖେଳିଗଲା । ସର୍ବୋଦୟ ପଥଯାତ୍ରୀ ସମାଜବାଦୀ ଶ୍ରୀଯୁକ୍ତ ଜୟପ୍ରକାଶ ମଧ୍ୟ ସେତେବେଳେ ଆଶାନ୍ୱିତ ହୋଇ କାମରାଜଙ୍କୁ ହିଁ ଭାରତର ସମାଜବାଦୀ ଶକ୍ତିଗୁଡ଼ିକୁ ଦୃଢ଼ୀଭୂତ ଓ ଏକଜୁଟ କରାଇପାରିବାର ଯୋଗ୍ୟତମ ବ୍ୟକ୍ତି ବୋଲି ମତ ପ୍ରକାଶ କରିଥିଲେ ।

 

ତା’ପରେ ଜୟପୁର, ଦୁର୍ଗାପୁର ଓ ଆହୁରି କେତେ ସାନବଡ଼ ପୁରରେ ସମାଜବାଦ ଉପରେ ଚର୍ଚ୍ଚା ଓ ଭାଷଣମାନ ହୋଇଯାଇଚି । ତଥାପି ହୁଏତ ରଥ ଆଗେ ଯେଉଁଠି ଥିଲା, ବର୍ତ୍ତମାନ ମଧ୍ୟ ଠିକ୍ ସେଇଠି ରହିଚି । କଂଗ୍ରେସସଂସ୍ଥା କେବଳ ନାନା ମୋଡ଼ ଓ ନାନା ଭାଙ୍ଗରେ ସମାଜବାଦ ବିଷୟରେ ବାକ୍ୟୋଦ୍‌ଗାରମାନ କରୁଚି, ମାତ୍ର ସମାଜବାଦକୁ କାର୍ଯ୍ୟକାରୀ କରି ଲୋକସାଧାରଣଙ୍କ ଲାଗି କିଛି କରିବାରେ ଖୁବ୍‌ ବେଶୀ ସମର୍ଥ ହୋଇ ପାରୁନାହିଁ । ଏଥିରେ ଖେଦ ପ୍ରକାଶ କରି ଦୁର୍ଗାପୁର ଅଧିବେଶନରେ ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା କହିଥିଲେ ଯେ, ଏପରି ମହଣ ମହଣ ଚାରୁବାକ୍ୟ କହିବା ଅପେକ୍ଷା ଚୁମୁଟାଏ ବା ପଳେହେଲେ କାମ କରି ଦେଖାଇଦେଲେ ତଦ୍ଦ୍ୱାରା ଦେଶର ଅନେକ ଲାଭ ହେବ । ତା’ପରେ ମଧ୍ୟ ଚାରୁବାକ୍ୟର ଉତ୍ସାହସ୍ରୋତ କୌଣସି ଗୁଣରେ ମାନ୍ଦା ପଡ଼ିନାହିଁ । ସାମୁଦାୟିକ ବିକାଶର ମନ୍ତ୍ରଣାଳୟରୁ ହୁଏତ ଦେଶବାସୀଙ୍କର ଜୀବନକ୍ଷେତ୍ରକୁ ମଧୁର କରି ରଖିବାଲାଗି ସବୁଠାରୁ ଅଧିକ ବାକ୍ୟର ପ୍ରସାରଣ କରାଯାଇଚି କିନ୍ତୁ ଭାଗ୍ୟ ଫେରିନାହିଁ । ସମାଜବାଦର ଚଢ଼େଇ ଉଡ଼ିବାକୁ ବି ଶିଖିପାରିନାହିଁ । ଏଥିରେ ହୁଏତ ସରକାରୀ ଶକ୍ତିର ଡେଣାଟା ବି ଏପର୍ଯ୍ୟନ୍ତ ଠିକ୍ ଲାଗି ପାରିନାହିଁ, ଲୋକଶକ୍ତି ଡେଣା ଲାଗିବା ପାଇଁ ଆହୁରି ଅନେକ ଦିନ ବାକି ରହିଚି ।

 

ଏବେ କଂଗ୍ରେସ ସଭାପତି କାମରାଜଙ୍କର କଥାମାନ ଶୁଣିଲେ ମନେହୁଏ ଯେପରି ସେ ମଧ୍ୟ ହୃଦୟଙ୍ଗମ କରିବାକୁ ଆରମ୍ଭ କଲେଣି ଯେ ଚକ ପ୍ରକୃତରେ ଯେଉଁଆଡ଼କୁ ଗଡ଼ିଯିବା ଉଚିତ ଥିଲା, ସେଆଡ଼କୁ ଗଡ଼ିନଯାଇ ଯେଉଁମାନଙ୍କର ଛାତିଉପରେ ଠିଆହୋଇ ରହିଥିଲା, ସେହିମାନଙ୍କର ଛାତିଉପରେ ହିଁ ଠିଆହୋଇ ରହିଚି । ସେ ସ୍ୱୟଂ ଯେଉଁ ଘରେ କର୍ତ୍ତା ହୋଇ ବସିଚନ୍ତି, ଆତ୍ମସମୀକ୍ଷାର ଛଳରେ ସେ ସେହି ଘର ଉଦ୍ଦେଶ୍ୟରେ ଏବେ ଅନେକ ସମୟରେ ଶ୍ଳେଷବାକ୍ୟମାନ ପ୍ରୟୋଗ କରିବାକୁ ବି ଆରମ୍ଭ କଲେଣି । ୧୯୬୫ ମସିହାରେ ଗୋଟିଏ ଭାଷଣରେ ସିଏ କହିଚନ୍ତି : ‘‘ସ୍ୱାଧୀନତା ପାଇବାରେ ଦୀର୍ଘ ସତରବର୍ଷ ପରେ ମଧ୍ୟ ଶିକ୍ଷା, ବାସଗୃହ ପ୍ରଭୃତି କ୍ଷେତ୍ରରେ ଆମ ଦେଶର ସବୁଲୋକ ସମାନ ସୁବିଧା ପାଇ ପାରିନାହାନ୍ତି । ସରକାର ସେମାନଙ୍କର ପିଲାଙ୍କପାଇଁ ଯେଉଁ ମାଗଣା ଶିକ୍ଷାର ବ୍ୟବସ୍ଥା କରିଚନ୍ତି, ଗରିବମାନଙ୍କୁ ସେଇଥିରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼ୁଚି । ଧନୀମାନେ ଆପଣା ପିଲାଙ୍କଲାଗି କନ୍‌ଭେଣ୍ଟ୍ ସ୍କୁଲମାନଙ୍କର ବରାଦ କରୁଚନ୍ତି । ଗରିବମାନେ ଆଜି ମଧ୍ୟ ମଇଳା ବସ୍ତିଭିତରେ ପଡ଼ିରହିଚନ୍ତି, ଅନେକଙ୍କ ପାଖରେ ଧୋଇ ଶୁଖାଇ ପିନ୍ଧିବାଲାଗି ହୁଏତ ଦୁଇସାର କପଡ଼ା ବି ନାହିଁ । ଏଣେ ଧନୀମାନେ ରାତିକଭିତରେ ରାଜପ୍ରସାଦ ପରି ଘରମାନ ତିଆରି କରି ଠିଆକରାଇ ଦେଉଚନ୍ତି ଓ ଦିନକୁ ଆଠଥର କରି ପୋଷାକ ବଦଳାଇବାରେ ଲାଗିଚନ୍ତି ।’’ କଂଗ୍ରେସ ସଭାପତି ଶ୍ରୀଯୁକ୍ତ କାମରାଜଙ୍କ ମତରେ, ‘‘କେବଳ ସାହସିକ ଓ ବିପ୍ଳବାତ୍ମକ ପଦକ୍ଷେପ ଦ୍ୱାରା ହିଁ ଆମେ ଆମର ଅନେକ ଆର୍ଥିକ ଓ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ କରିବାରେ ସମର୍ଥ ହୋଇପାରିବା । ଅନେକ ବର୍ଷ ହେଲା ଆମେ ପଞ୍ଚବର୍ଷୀୟ ଯୋଜନା ସାହାଯ୍ୟରେ ଆର୍ଥିକ ବିକାଶ ସାଧନ କରିବାର ମାର୍ଗକୁ ଆପଣାର ମାର୍ଗ ବୋଲି ଗ୍ରହଣ କରିଚୁ । କିନ୍ତୁ ଏହି ବିକାଶଜନିତ ଲାଭମାନ ଜନସାଧାରଣଙ୍କର ବ୍ୟାପକ ଜୀବନସ୍ତର ପର୍ଯ୍ୟନ୍ତ ଭେଦିବାଲାଗି ଆଜି ମଧ୍ୟ ଅନେକ ଦୂର ବାକୀ ରହିଚି । ମାତ୍ର ପ୍ରଧାନତଃ ସେହିମାନଙ୍କ ଲାଗି ତ ଆମର ବିକାଶ ଯୋଜନାଗୁଡ଼ିକ ତିଆରି ହୋଇଚି ଓ ଚାଲୁଚି । ଆମ ଦେଶରେ ବିଭିନ୍ନ ଲୋକଙ୍କର ଆୟରେ ଯେଉଁ ଅସମାନତାମାନ ରହିଚି, ତାହା ଦୂର କରିବାକୁ ହିଁ ପଡ଼ିବ, ସମାଜ ଓ ସାମାଜିକ ବିକାଶ କଳ୍ପେ କେବଳ ଆପଣାଲାଗି ଧନସମ୍ପତ୍ତିକୁ କୁଢ଼କରି ରଖିବାର ପ୍ରବୃତ୍ତିକୁ ମାରିଦେବାକୁ ପଡ଼ିବ । ଅଳ୍ପ କେତେଜଣଙ୍କ ହାତରେ ଯେପରି ଭାବରେ ଜାତୀୟ ଧନ ଜମାହେବାରେ ଲାଗିଚି ତାହାକୁ ବନ୍ଦ କରିବାକୁ ପଡ଼ିବ ଏବଂ ଜମିଜମା ସମ୍ବନ୍ଧରେ ତୁମୁଳ ପରିବର୍ତ୍ତନ ଆଣିବାକୁ ପଡ଼ିବ ।’’

 

ଭାରତବର୍ଷରେ ପଞ୍ଚବର୍ଷୀୟ ଯୋଜନା, ସାମୁଦାୟିକ ବିକାଶ ଓ ଅନ୍ୟାନ୍ୟ ନାନାବିଧ ଜାତୀୟ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳରେ ବାସ କରୁଥିବା ଅସମ୍ପନ୍ନ ଓ ଅସମର୍ଥ ଜନଶ୍ରେଣୀର କି ମଙ୍ଗଳ ହେଉଚି କି ନାହିଁ, ସେହି ବିଷୟରେ ଅନୁସନ୍ଧାନ କରିବାଲାଗି ସରକାରଙ୍କ ତରଫରୁ ଏକ ଅଧ୍ୟୟନ-ଗୋଷ୍ଠୀ ନିଯୁକ୍ତ କରାଯାଇଥିଲା । ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ଏହି ଗୋଷ୍ଠୀର ଅଧ୍ୟକ୍ଷ ମନୋନୀତ ହୋଇଥିଲେ । ଗୋଷ୍ଠୀ ୧୯୬୧ ମସିହାରେ ସରକାରଙ୍କ ପାଖରେ ଯେଉଁ ରିପୋର୍ଟ (୮) ପେସ୍ କରିଥିଲେ, ଏଠାରେ ଆମେ ଯଥାସମ୍ଭବ ବିଶଦ ଭାବରେ ତାହାରି ଆଲୋଚନା କରିବା । ଗାଆଁରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ଗୋଷ୍ଠୀ ନିମ୍ନଲିଖିତ ଶ୍ରେଣୀଗୁଡ଼ିକୁ ଅସମର୍ଥ ଓ ଅସମ୍ପନ୍ନ ବୋଲି ବ୍ୟାଖ୍ୟା କରିଚନ୍ତି : ।।୧।। ଯେଉଁମାନଙ୍କ ପାଖରେ ଆପଣାର କୌଣସି ଚାଷଜମି ନାହିଁ ଓ ତେଣୁ ଯେଉଁମାନେ ଅନ୍ୟମାନଙ୍କର ଜମିରେ ମୂଲ ଲାଗି ଜୀବିକାଭରଣ କରନ୍ତି । ।।୨।। ଗ୍ରାମାଞ୍ଚଳରେ ରହିଥିବା ତଫସିଲଭୁକ୍ତ ଜାତି, ବିଶେଷତଃ ଅସ୍ପୃଶ୍ୟ ଜାତିମାନେ, ଯେଉଁମାନଙ୍କୁ ଗାନ୍ଧିଜୀଙ୍କର କହିବାନୁସାରେ ଆମେସବୁ ହରିଜନ ବୋଲି କହିବାରେ ଅଭ୍ୟସ୍ତ ହୋଇଯାଇଚୁ ଏବଂ ।।୩।। ଆଦିବାସୀ-ଗୋଷ୍ଠୀର ମତରେ ପଞ୍ଚବର୍ଷୀୟ ଯୋଜନା ବା ତଦନ୍ତର୍ଗତ ସାମୁଦାୟିକ ବିକାଶଦ୍ୱାରା ଏହି ଶ୍ରେଣୀଗୁଡ଼ିକର କୌଣସି ଉଲ୍ଲେଖଯୋଗ୍ୟ କଲ୍ୟାଣ ସାଧିତ ହୋଇନାହିଁ ।

 

‘‘ଗ୍ରାମରେ ବାସ କରୁଥିବା ଅସମର୍ଥ ଶ୍ରେଣୀଗୁଡ଼ିକୁ ସାମୁଦାୟିକ ବିକାଶର ସକଳ ଫାଇଦାରୁ ବଞ୍ଚିତ କରି ରଖାଯାଇଚି । କାରଣ, ।।୧।। ଗାଆଁରେ ଯେଉଁ ଅବସ୍ଥାପନ୍ନ ଲୋକମାନେ ଉପରସ୍ତରରେ ରହିଚନ୍ତି, ସେହିମାନେ ହିଁ ସବୁଠାରୁ ଅଧିକ ତୁଣ୍ଡ ଶୁଣାଇ ଜାଣିଚନ୍ତି ଓ ଆପଣା ଆପତ୍ତି-ଅଭିଯୋଗଗୁଡ଼ିକୁ ପେସ୍ କରି ଜାଣିଚନ୍ତି । ଗ୍ରାମସମାଜରେ ସେହିମାନଙ୍କ ହାତରେ ହିଁ ସବୁଠାରୁ ଅଧିକ ରାଜନୀତିକ କ୍ଷମତା ରହିଚି । ।।୨।। ଗାଆଁର ବିଭିନ୍ନ କାର୍ଯ୍ୟକଳାପ ଓ ଉଦ୍ୟମରେ ସାଧାରଣତଃ ଯେଉଁମାନେ ନେତା ହୋଇ ଉପରକୁ ବାହାରନ୍ତି, ସେହିମାନେ ହିଁ ସଚରାଚର ସରକାରୀ କର୍ମଚାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି । ସେହିମାନଙ୍କ ସହିତ ହିଁ ସରକାରୀ କର୍ମଚାରୀମାନେ ସବୁଠାରୁ ଅଧିକ ସମ୍ପର୍କ ରଖିଚନ୍ତି ଓ ସେହିମାନଙ୍କୁ ପଚାରି ସେମାନେ ଗାଆଁରେ ସବୁକାମ କରନ୍ତି । ଏହିସବୁ ଦେଖି ଦେଖି ନ୍ୟୂନ ଓ ଅସମର୍ଥ ଶ୍ରେଣୀର ଲୋକମାନଙ୍କର ବିଶ୍ୱାସ ଆହୁରି ଦୃଢ଼ ହୋଇଯାଏ ଯେ ଆପଣାର ଅଧିକ ପ୍ରୀତିଭାଜନ ଏହି ସମ୍ପନ୍ନ ଶ୍ରେଣୀର ଲୋକମାନଙ୍କର ବିକାଶ ଓ ବୃଦ୍ଧି ପ୍ରତି ଦୃଷ୍ଟି ରଖି ହିଁ ସରକାର ବିକାଶ-କାର୍ଯ୍ୟକ୍ରମମାନ ଆରମ୍ଭ କରିଚନ୍ତି । ଗ୍ରାମନେତାମାନଙ୍କୁ ତାଲୀମ ଦେବାଲାଗି ସରକାରଙ୍କ ତରଫରୁ ଯେଉଁ ଶିବିରମାନ ଚାଲେ, ପଞ୍ଚାୟତର ସଦସ୍ୟ ଓ ସମବାୟ ସମିତିର ସଭ୍ୟମାନଙ୍କ ଲାଗି ସରକାର ବିଭିନ୍ନ ସମୟରେ ଯେଉଁ ତାଲୀମ ଗୁଡ଼ିକର ଆୟୋଜନ କରନ୍ତି, ସେଗୁଡ଼ିକ ସେମାନଙ୍କର ଏହି ବିଶ୍ୱାସକୁ ପକ୍‍କା କରିଦିଏ । ସେମାନେ ନିଃସନ୍ଦେହ ଭାବରେ ଗ୍ରହଣ କରିନିଅନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଅଧିକ ସମ୍ପନ୍ନ ବର୍ଗଗୁଡ଼ିକ ମଧ୍ୟରୁ ହିଁ ଲୋକ ସଂଗ୍ରହ କରି ସରକାର ସେମାନଙ୍କୁ ତାଲୀମ ଦେଉଚନ୍ତି ଓ ସେମାନଙ୍କୁ ହିଁ ଗାଆଁର ନୂଆ ନେତା ହିସାବରେ ଅଧିଷ୍ଠିତ କରି ରଖିବାକୁ ଚାହୁଚନ୍ତି । ।।୩।। ଗାଆଁର ସମ୍ପନ୍ନ ବା ଥିଲାବାଲା ଲୋକମାନେ ସରକାରୀ ଅଫିସରମାନଙ୍କ ସହିତ କେବଳ ଯେ ଅଧିକ ସମ୍ପର୍କ ରଖିଥାନ୍ତି ତାହା ନୁହେଁ, ଆମଦେଶର ଅଧିକାଂଶ ସରକାରୀ ହାକିମ ଓ ଅଫିସର ପ୍ରଧାନତଃ ଏହିସବୁ ପରିବାରରୁ ହିଁ ବାହାରିଥାଆନ୍ତି । ଫଳତଃ ସାଧାରଣ ଭାବରେ ଦେଖିଲେ ଏମାନେ ଗାଆଁର ସମ୍ପନ୍ନ ପରିବାରଗୁଡ଼ିକ ପ୍ରତି ଅଧିକ ସହାନୁଭୂତି ରଖିଥାନ୍ତି ।’’ (ତତ୍ରୈବ : Vol.II, ପୃଷ୍ଠା–୨୯)

 

ମହାତ୍ମା ଗାନ୍ଧୀ ଥରେ କହିଥିଲେ ଯେ, ଯେଉଁ ସମାଜ-ବ୍ୟବସ୍ଥାରେ ସବୁଠାରେ ଅସମର୍ଥ ମଣିଷ ବି ସବୁଠାରୁ ଅଧିକ ଶକ୍ତିଶାଳୀ ଓ ସମ୍ପନ୍ନ ମଣିଷ ସହିତ ସମାନ ସୁବିଧାମାନ ପାଇବାର ଅଧିକାରୀ ହୁଏ, ସେହି ସମାଜ-ବ୍ୟବସ୍ଥାକୁ ହିଁ ସେ ଗଣତନ୍ତ୍ରର ବ୍ୟବସ୍ଥା ବୋଲି ବୁଝିଥାଆନ୍ତି । ଆମଦେଶରେ ଗଣତନ୍ତ୍ରର ଶାସନ ଚାଲୁଚି, ତଥାପି ସୁବିଧା ସୁଯୋଗର ନ୍ୟାୟପୂର୍ଣ୍ଣ ବିଭାଜନ ହୋଇପାରିବନାହିଁ । ତେଲିଆମାନେ ଚତୁର ପଡ଼ି ସବୁ ତେଲକୁ ଆପଣା ମୁଣ୍ଡରେ ହିଁ ଢାଳିବାରେ ଲାଗିଚନ୍ତି । ନେତାମାନେ କଥାରେ ଏସବୁ ବିଷୟରେ କ୍ଷୋଭ ପ୍ରକାଶ କରୁଚନ୍ତି ସତ, ମାତ୍ର ନୁଖୁରା ମୁଣ୍ଡମାନ ଅଧିକରୁ ଅଧିକ ନୁଖୁରା ହେବାରେ ଲାଗିଚି । ଗତ ଦଶବର୍ଷର ଯୋଜନା ଓ ସାମୁଦାୟିକ ବିକାଶ ଧନୀକୁ ଅଧିକ ଧନୀ ଓ ଦରିଦ୍ରରୁ ଅଧିକ ଦରିଦ୍ର କରିଦେବାରେ ପକ୍‌କା ସାହାଯ୍ୟ କରିବାରେ ଲାଗିଚି । ସମବିଭାଜନ, ସାମାଜିକ ନ୍ୟାୟ ଓ ସମାଜବାଦ ଆସିବାକୁ ଆଉ ବାଟ କାହିଁ ? ସ୍ୱାଧୀନତା ପୂର୍ବରୁ ପ୍ରାସାଦବାସୀ ଧନୀ ଓ କୁଟୀରବାସୀ ଦରିଦ୍ର ଭିତରେ ବିରାଟ ବ୍ୟବଧାନମାନ ରହିଥିବା ଏକ ପରମ୍ପରାବଦ୍ଧ ଦୁର୍ଗତ ଦେଶ ହିସାବରେ ଭାରତବର୍ଷର ବିଶ୍ୱବ୍ୟାପୀ ଅପବାଦ ରହିଥିଲା । ସ୍ୱାଧୀନ ଭାରତରେ ସେହି ଦୁର୍ଗତି ଆହୁରି ବଢ଼ିଚି । କାରଣ ପଣ୍ଡିତମାନଙ୍କର ମନଖୁସିଆ ହିସାବ ଅନୁସାରେ ଜାତୀୟ ଆୟରେ ଆଶାନୁରୂପ ବୃଦ୍ଧି ହୋଇଥିଲେ ମଧ୍ୟ ଆମଦେଶରେ ଧନୀ ଓ ଦରିଦ୍ର ଭିତରେ ବ୍ୟବଧାନ ଆଜି ବି ବଢ଼ିବାରେ ଲାଗିଚି । ଲୋକଶାସନର ଭାରତୀୟ ସଂସ୍କରଣ ଏହି ନ୍ୟାୟତଃ ଦୁଇଟି ବିଭିନ୍ନ ଲୋକର ସୃଷ୍ଟି କରିଚି । ଜାତୀୟ ଜୀବନର ସବୁଠାରୁ ବଡ଼ କଳଙ୍କ ପରି ଏହି ଦ୍ୱୈତତା ଆମର ସକଳ ଉଦ୍ୟମ ଓ ଉତ୍ସାହକୁ ପ୍ରଧାନତଃ ଉପହାସ କରିବାରେ ଲାଗିଚି ।

 

ସରକାରୀ ଯୋଜନା କମିଶନର ଅଧୀନରେ କାର୍ଯ୍ୟ କରୁଥିବା ମୂଲ୍ୟାଙ୍କନ ଅନୁଷ୍ଠାନର (PEO) ଚତୁର୍ଥ ମୂଲ୍ୟାଙ୍କନ ରିପୋର୍ଟ (୧୯୫୭)ରୁ ଉଦ୍ଧାର କରି ଅଧ୍ୟୟନଗୋଷ୍ଠୀ ପୁଣି କହିଚନ୍ତି : ‘‘ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଅସମର୍ଥ ଶ୍ରେଣୀଗୁଡ଼ିକର କେତେ ପରିମାଣରେ ଉପକାର ହୋଇଚି ବା ଗ୍ରାମସମାଜରେ ଧନୀ ଓ ଦରିଦ୍ର ଭିତରେ ରହିଆସିଥିବା ବ୍ୟବଧାନଗୁଡ଼ିକ କେତେଦୂର ଦୂର ହୋଇ ପାରିଚି, ଏହି ବିଷୟରେ ଉପଲବ୍‌ଧ ତଥ୍ୟଗୁଡ଼ିକୁ ଦେଖିଲେ ଆମେ ଆଶାବାଦୀ ହେବାଲାଗି କୌଣସି କାରଣ ଦେଖିପାରୁନାହୁଁ । ସାମୁଦାୟିକ ବିକାଶର କାର୍ଯ୍ୟ ଓ ଉପକାରଗୁଡ଼ିକ ସମସ୍ତଙ୍କ ପାଖରେ ସମାନଭାବରେ ପହଞ୍ଚି ପାରିନାହିଁ ଏବଂ ଏହି କ୍ଷେତ୍ରରେ ଅନେକ ପରିମାଣରେ ପାତରଅନ୍ତର ରହିଯାଇଚି । ଯେକୌଣସି ଗାଆଁରେ ଚାଷୀ ଓ ଅଣଚାଷୀ ଭିତରେ ପାତ୍ରାନ୍ତର ରହିଚି, ଚାଷୀମାନଙ୍କ ଭିତରେ ମଧ୍ୟ ବେଶୀ ଜମି ରହିଥିବା ପଇସାବାଲା ଚାଷୀ ଓ ଅଳପ ଜମି ଥିବା ଅଳପ ପଇସାବାଲା ଚାଷୀଙ୍କ ଭିତରେ ବ୍ୟବଧାନ ରହିଯାଇଚି । ଏହାଦ୍ୱାରା ଯେ କେବଳ ସାମାଜିକ ନ୍ୟାୟ ବ୍ୟାହତ ହୋଇଚି ତା’ ନୁହେଁ, ଦେଶର ରାଜନୀତିକ ଭବିଷ୍ୟତଲାଗି ମଧ୍ୟ ଏଥିରେ ଅନେକ ପ୍ରମାଦ ନିହିତହୋଇ ରହିଚି । ଗାଆଁରେ ରାସ୍ତା ତିଆରି ହୋଇ ବଡ଼ରାସ୍ତା ସହିତ ଗାଆଁକୁ ମିଳାଇ ଦିଆଯାଇଚି, ଗାଆଁରେ ପୋଲ, ଗଳି ଓ ନାଳି କେତେକ’ଣ ତିଆରି ହୋଇଚି । କିନ୍ତୁ ଉପର ଶ୍ରେଣୀର ଥିଲାବାଲା ପରିବାରମାନେ ହିଁ ପ୍ରଧାନତଃ ଏହିସବୁ ନିର୍ମାଣକାର୍ଯ୍ୟ ଓ ସୁବିଧାଗୁଡ଼ିକର ଉପଭୋଗ କରୁଚନ୍ତି । ଏପରିକି ପାନୀୟ ଜଳ ଯୋଗାଇଦେବା ସକାଶେ ଖୋଲାଯାଇଥିବା କୂଅ ବିଷୟରେ ମଧ୍ୟ ଠିକ୍ ଏହିପରି କଥାମାନ ଦେଖିବାକୁ ମିଳୁଚି । ନିୟମତଃ ଗାଆଁରେ ତିଆରି ହୋଇଥିବା ସ୍କୁଲ, ଯୁବ-ଅନୁଷ୍ଠାନ, ମହିଳା ମହଲ ପ୍ରଭୃତିରୁ ଉପକୃତ ହେବାଲାଗି ଗ୍ରାମବାସୀ ସମସ୍ତଙ୍କର ଅଧିକାର ରହିଚି, ଏଥିରୁ କାହାରିକୁ ବାହାର କରି ରଖାଯାଇନାହିଁ । ମାତ୍ର ଗାଆଁର ଦରିଦ୍ରମାନେ ପ୍ରଧାନତଃ ଆପଣାର ପେଟପାଟଣାରେ ହିଁ ପ୍ରାୟ ସବୁ ସମୟରେ ଛନ୍ଦିହୋଇ ରହିଥିବାରୁ କାର୍ଯ୍ୟକ୍ଷେତ୍ରରେ ଏସବୁ ନୂତନ ସଂସ୍ଥାରୁ ସେମାନେ କୌଣସି ଉପକାର ଗ୍ରହଣ କରିପାରୁନାହାନ୍ତି । ଏହିସବୁ ପରିବାରର ପିଲାମାନେ ସାଧାରଣତଃ ସ୍କୁଲକୁ ଯାଉନାହାନ୍ତି ବା ଯୁବ-ଅନୁଷ୍ଠାନରେ ସାମିଲ ହୋଇ ପାରୁନାହାନ୍ତି । ଏହି ଘରର ମହିଳାମାନେ ଗ୍ରାମର ମହିଳା-ଅନୁଷ୍ଠାନରୁ ଦୂରରେ ରହିଚନ୍ତି । କେବଳ ଆର୍ଥିକ ଦାରିଦ୍ର୍ୟର କାରଣରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ପଛରେ ପଡ଼ି ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ହୀନଭାବ ବଦ୍ଧମୂଳ ହୋଇ ରହିଚି ଏବଂ ତାହାରି ଫଳରେ ସେମାନେ ବିକାଶଜନିତ ସୁଯୋଗ ସୁବିଧାରୁ ଲାଭ ଉଠାଇବାରୁ ବଞ୍ଚିତ ହୋଇ ରହିଚନ୍ତି ।’’ (ତତ୍ରୈବ : Vol. I, ପୃଷ୍ଠା–୬)

 

ଅଧ୍ୟୟନଗୋଷ୍ଠୀ ଦର୍ଶାଇଚନ୍ତି ଯେ ଗ୍ରାମରେ ଥିବା ପାଞ୍ଚଭାଗରୁ ପ୍ରାୟ ଏକଭାଗ ପରିବାର (୨୩.୯୦%) ପାଖରେ ଆପଣାର କୌଣସି ଜମି ନାହିଁ । ଚାରିଭାଗରୁ ଭାଗେ ପରିବାର ପାଖରେ ହାରାହାରି ଗୋଟିଏ ମାଣରୁ କମ୍ ଜମି ରହିଚି । ଅର୍ଥାତ୍ ଗାଆଁର ପ୍ରାୟ ଅଧେ ପାରିବାର ପାଖରେ ହାରାହାରି ମାଣକରୁ କମ୍ ଜମି ରହିଚି । ଏମାନଙ୍କ ପାଖରେ ରହିଥିବା ମୋଟ ଜମି ପରିମାଣର ମାତ୍ର ୧.୩୭% ବୋଲି ହିସାବ କରାଯାଇଚି । ପୁଣି ଶିଖଆଡ଼ୁ ଦେଖିଲେ ଗାଆଁର ଆଠଭାଗରୁ ଭାଗେ ପରିବାର ହାତରେ (୧୨.୮%) ହାରାହାରି ୧୦ ମାଣ ଲେଖାଏଁ ଜମି ରହିଚି । ଏହିସବୁ ପରିବାରହାତରେ ସର୍ବମୋଟ ଗ୍ରାମର ୨/୩ ଭାଗ ଭୂମି ରହିଚି । ସବାଉପରେ ରହିଥିବା ମାତ୍ର ୧% ପରିବାର ହାରାହାରି ୫୦ ମାଣରୁ ଅଧିକ ଭୂମି ରଖିଚନ୍ତି ଓ ଗାଆଁରେ ଥିବା ସର୍ବମୋଟ ଭୂମିର ୧୭.୫% ଉପରେ ସ୍ୱାମିତ୍ୱ କରୁଚନ୍ତି । ଓଡ଼ିଶାର ୫୦ଟି ଗାଆଁରେ ବିଭିନ୍ନ ୨୪୦ ଗୋଟି ପରିବାରର ଅଧ୍ୟୟନ କରି ମିଳିଥିବା ଏକ ତଥ୍ୟର ଉଲ୍ଲେଖ କରି ଗୋଷ୍ଠୀ କହିଚନ୍ତି ଯେ ଗ୍ରାମପରିବାର ଗୁଡ଼ିକର ୮୦% ବର୍ଷକୁ ହାରାହାରି ଏକହଜାର ଟଙ୍କାରୁ କମ୍ ଆୟ କରନ୍ତି, ୫୦% ପରିବାର ପାଞ୍ଚଶହରୁ ଓ ୧୯% ପରିବାର ଦୁଇଶହ ଟଙ୍କାରୁ କମ୍ ରୋଜଗାର କରନ୍ତି । ଦକ୍ଷିଣ ଭାରତର ଆଉଗୋଟିଏ ଅଧ୍ୟୟନରୁ ଜଣାପଡ଼େ ଯେ ସେଠାରେ ମଧ୍ୟ ୮୦% ଗ୍ରାମପରିବାର ବର୍ଷକୁ ହାରାହାରି ଏକହଜାର ଟଙ୍କାରୁ କମ୍ ଆୟ କରନ୍ତି ଓ ୪୪% ପରିବାର ୫୦୦ ଟଙ୍କାରୁ କମ୍ ପାଆନ୍ତି । (ତତ୍ରୈବ : Vol.I, ପୃଷ୍ଠା–୫, ୬) ସାରକଥା ହେଉଚି କେବଳ ଓଡ଼ିଶାରେ ନୁହେଁ ବା ମହୀଶୂରରେ ନୁହେଁ, ଭାରତର ଯେକୌଣସି ଗ୍ରାମାଞ୍ଚଳରେ ଅର୍ଥୋପାର୍ଜନ ସମ୍ବନ୍ଧରେ ଆମକୁ ପ୍ରାୟ ଏହି ଚିତ୍ର ହିଁ ଦେଖିବାକୁ ମିଳିବ ।

 

ଗାଆଁର ଦରିଦ୍ର ଓ ଅସମର୍ଥ ସ୍ତରର ଲୋକମାନେ କିପରି ଗ୍ରାମବିକାଶ ଦ୍ୱାରା ଅଧିକ ଉପକୃତ ହୋଇପାରିବେ ଓ ଗ୍ରାମବିକାଶ କାର୍ଯ୍ୟରେ ଅଧିକ ଆଗ୍ରହ ସହକାରେ ଭାଗ ନେଇପାରିବେ, ତାହାର ଉପାୟ ଦର୍ଶାଇବାକୁ ଯାଇ ଅଧ୍ୟୟନ ଗୋଷ୍ଠୀ କହିଚନ୍ତି, ‘‘ଗାଆଁରେ ବାସ କରୁଥିବା ଅସମ୍ପନ୍ନ ଲୋକମାନଙ୍କର ଆଗେ ବିକାଶ କରାଇବା ହିଁ ଗ୍ରାମପଞ୍ଚାୟତର ବିଶେଷ ଉଦ୍ଦେଶ୍ୟ ହୋଇ ରହିବା ଉଚିତ । ବିକେନ୍ଦ୍ରିତ ଗଣତନ୍ତ୍ରର ପ୍ରଶାସନ-ବ୍ୟବସ୍ଥାରେ ଗ୍ରାମସମାଜର ଉତ୍‌ଥାନ ଓ ଉନ୍ନୟନ ପ୍ରଧାନତଃ ପଞ୍ଚାୟତର ଦାୟିତ୍ୱ ହୋଇ ରହିବା ଉଚିତ, ଏବଂ ନ୍ୟାୟତଃ ଗ୍ରାମସମାଜରେ ସବୁଠାରୁ ସଂଖ୍ୟାଧିକ ହୋଇ ରହିଥିବା ଅସମ୍ପନ୍ନ ଓ ଦରିଦ୍ର ଶ୍ରେଣୀଗୁଡ଼ିକର ଉନ୍ନତିସାଧନ କରିବା ପଞ୍ଚାୟତର ବିଶେଷ ଦାୟିତ୍ୱ ହୋଇ ରହିବା ଉଚିତ ।’’ କାରଣ, ‘‘ସମୁଦାୟର ବିକାଶ ସାଧନ କରିବା ହେଉଚି ସାମୁଦାୟିକ ବିକାଶ ସଂସ୍ଥାଗୁଡ଼ିକର ପ୍ରାଥମିକ କର୍ତ୍ତବ୍ୟ । ସରକାର ତରଫରୁ କାର୍ଯ୍ୟ କରୁଥିବା ବିଭିନ୍ନ ବିକାଶମୂଳକ ବିଭାଗର ସାଧାରଣ ମାଧ୍ୟମରୂପେ କାର୍ଯ୍ୟ କରିବା ଏହାର ଦ୍ୱିତୀୟ କର୍ତ୍ତବ୍ୟ । ଦ୍ୱିତୀୟ କର୍ତ୍ତବ୍ୟଟି ପ୍ରଥମ ବା ମୂଳ କର୍ତ୍ତବ୍ୟଟିର ହୋଇ ରହିବା ଉଚିତ । ଅର୍ଥାତ୍ ଗ୍ରାମ-ସମୁଦାୟର ଆର୍ଥିକ ଓ ସାମାଜିକ ଜୀବନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାଲାଗି ନିମିତ୍ତରୂପେ କାର୍ଯ୍ୟ କରିବା ଗ୍ରାମପଞ୍ଚାୟତର ପ୍ରଥମ କର୍ତ୍ତବ୍ୟ ହୋଇ ରହିବା ଉଚିତ ।’’ (ତତ୍ରୈବ : VolI, ପୃଷ୍ଠା–୫୫, ୫୮)

 

ସମସ୍ତ ସମସ୍ୟାଟିର ଉପାୟ ବତାଇଲାପରି ଆପଣା ରିପୋର୍ଟର ପ୍ରଥମ ପୃଷ୍ଠାରେ ଗୋଷ୍ଠୀ ମତ ପ୍ରକାଶ କରି କହିଚନ୍ତି, ‘‘ଭାରତୀୟ ସମାଜ ବିଭିନ୍ନ ଦିଗ ଓ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଆଲୋଡ଼ନ ଆଣି ଏକ ବ୍ୟାପକ ଅହିଂସକ ବିପ୍ଳବ ନଘଟିବା ପର୍ଯ୍ୟନ୍ତ ଦେଶରେ ଦରିଦ୍ର ଶ୍ରେଣୀଗୁଡ଼ିକର ଉତ୍‌ଥାନ ବା କଲ୍ୟାଣ ସମ୍ଭବ ହୋଇ ପାରିବନାହିଁ ବା ସେମାନଙ୍କ ଉପରେ ହେଉଥିବା ନାନାଜାତୀୟ ଶୋଷଣରୁ ସେମାନଙ୍କୁ ମୁକ୍ତ କରାଯାଇ ପାରିବନାହିଁ । ଭାରତର ଏହି ଅଭିଳଷିତ ବିପ୍ଳବରେ ଏକ ବିଶେଷ କାର୍ଯ୍ୟକ୍ରମ ସ୍ୱରୂପ ଜାତିଭେଦ-ପ୍ରଥାକୁ ହିଁ ସମୂଳେ ଧ୍ୱସଂ କରିଦେବାକୁ ପଡ଼ିବ । ଏହା ନହେବାପର୍ଯ୍ୟନ୍ତ ଦରିଦ୍ର ଗୋଷ୍ଠୀମାନେ କଦାପି ବିକାଶର ପରିପୂର୍ଣ୍ଣ ସୁଯୋଗ ପାଇ ପାରିବେନାହିଁ । ଏହାଠାରୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଚି ଯେ ଭାରତବର୍ଷର ଆର୍ଥିକ, ସାମାଜିକ ଓ ରାଜନୀତିକ କ୍ଷମତାଧାରୀମାନଙ୍କ ମାନସିକ ଦୃଷ୍ଟିକୋଣରେ ମଧ୍ୟ ଏକ ବିପ୍ଳବ ଆଣିବାକୁ ପଡ଼ିବ । ଦେଶରେ ଯେଉଁ ଧନୀବର୍ଗ ରହିଚନ୍ତି, ଯେଉଁମାନେ ଉଚ୍ଚଜାତି ଓ ଉଚ୍ଚବର୍ଣ୍ଣ ଗୁଡ଼ିକର ପ୍ରତିନିଧିତ୍ୱ କରୁଚନ୍ତି ଏବଂ ଯେଉଁମାନଙ୍କ ହାତରେ ନାନାପ୍ରକାର କ୍ଷମତା ରହିଚି, ସେମାନେ ସେମାନଙ୍କର ହତଭାଗ୍ୟ ଲାଭ ଭଉଣୀରୂପେ ଏହିଦେଶରେ ବାସ କରୁଥିବା ଦରିଦ୍ରମାନଙ୍କର ଅବସ୍ଥାକୁ ହୃଦୟଙ୍ଗମ କରିବାଲାଗି ଅଧିକ ଇଚ୍ଛୁକତା ଦେଖାଇବେ ଏବଂ ଆବଶ୍ୟକ ତ୍ୟାଗ ସ୍ୱୀକାର କରିବାଲାଗି ମଧ୍ୟ ସମ୍ମତ ହେବେ । ଏହା ଅତ୍ୟାବଶ୍ୟକ ।’’

 

ସୁଇଡ଼େନ ଦେଶର ବିଖ୍ୟାତ ଅର୍ଥନୀତିଜ୍ଞ ଶ୍ରୀ ଗୁନାର୍ ମୁଇର୍ଡ଼ାଲ୍‌ଙ୍କ (Gunnar Myrdal) ମନ୍ତବ୍ୟ ଅନୁସାରେ ଥିବାବାଲା ଓ ନଥିଲାବାଲାଙ୍କ ଭିତରେ ବ୍ୟବଧାନ ବଢ଼ି ବଢ଼ି ଯିବା କେବଳ କୌଣସି ଗୋଟିଏ ବା କେତୋଟି ଦେଶର ସମସ୍ୟା ନୁହେଁ, ଗତ କେତେବର୍ଷ ଭିତରେ ସମଗ୍ର ପୃଥିବୀରେ ଏହି ବ୍ୟବଧାନ ନାନା କ୍ଷେତ୍ରରେ ଆତ୍ମପ୍ରକାଶ କରିବାରେ ଲାଗିଚି । ପ୍ରଥମତଃ ଆନ୍ତର୍ଜାତିକ ଆର୍ଥିକ ଓ ସାମାଜିକ ବିକାଶଦୃଷ୍ଟିରୁ ବିଚାର କଲେ ଥିଲାବାଲା ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଦିନକୁଦିନ ବଢ଼ିଚାଲିଚି । ସୁବିକଶିତ ଦେଶଗୁଡ଼ିକ ଯେତିକି ଆଗକୁ ଯାଉଚନ୍ତି, ଅଳ୍ପ ବିକଶିତ ଦେଶଗୁଡ଼ିକୁ ସେତିକି ପଛରେ ପଡ଼ିଗଲାପରି ମନେହେଉଚି । ଦ୍ୱିତୀୟତଃ ଯେକୌଣସି ଅନୁନ୍ନତ ବା ଅଳ୍ପ ବିକଶିତ ଦେଶରେ ମଧ୍ୟ ସେହି ଦେଶର ଥିଲାବାଲା ଓ ନଥିଲାବାଲା ଶ୍ରେଣୀଗୁଡ଼ିକ ମଧ୍ୟରେ ବ୍ୟବଧାନ କ୍ରମେ ବଢ଼ି ବଢ଼ି ଯାଉଚି । ପୁଣି ତୃତୀୟତଃ ଅନେକ ଦେଶରେ ପରମ୍ପରା କ୍ରମେ ଦରିଦ୍ର ହୋଇ ରହିଆସିଥିବା ଶ୍ରେଣୀଗୁଡ଼ିକର ଆର୍ଥିକ ସ୍ଥିତି ଗତ କେତେବର୍ଷ ଭିତରେ ଅତିରିକ୍ତ ଭାବରେ ଖରାପ ହୋଇଯାଇଚି । ଅପେକ୍ଷାକୃତ ଅଧିକ ସ୍ୱାବଲମ୍ବୀ ଭାବରେ ଓ ଅଳପ ଆବଶ୍ୟକତାର ପରିଧି ଭିତରେ ସେମାନେ ଯେତେବେଳେ ସାନସାନ ସ୍ଥାନୀୟ ସମୁଦାୟରେ ବାସ କରୁଥିଲେ, ସେତେବେଳେ ଜୀବନର ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକ ସମ୍ବନ୍ଧରେ ସେମାନଙ୍କର ଯେତେ ଅଭାବ ନଥିଲା, ବର୍ତ୍ତମାନ ସେମାନେ ତାହାଠାରୁ ଅଧିକ ଅଭାବର ସମ୍ମୁଖୀନ ହେଉଚନ୍ତି । ପୃଥିବୀର ଚାରିଆଡ଼େ ଆଜି ଗଣତନ୍ତ୍ର ଓ ସମାଜବାଦର ରାଜନୀତିକ ଆଡ଼ମ୍ବରମାନ ଚାଲିଚି, ଅଥଚ ସମାଜର ଯାବତୀୟ କୋଳାହଳର ତଳସ୍ତରରେ ପଡ଼ିରହିଥିବା ଦରିଦ୍ରମାନେ ଏସବୁ ସତ୍ତ୍ୱେ ତଥାପି ଦରିଦ୍ରତର ହେବାରେ ଲାଗିଚନ୍ତି । ଏହାକୁ ଆମଯୁଗର ସବୁଠାରୁ ବଡ଼ ଦ୍ୱନ୍ଦ୍ୱ ବୋଲି କୁହାଯାଇପାରିବ । ଏହାର ଅର୍ଥ ହେଉଚି ବାହାରେ ଯେତେ ଯେଉଁଠି ନ୍ୟାୟ ଓ ମାନବିକ ଅଧିକାରର ରାଜନୀତିକ ଧୂଆଁବାଣ ମରାହେଉଥିଲେ ମଧ୍ୟ ଆର୍ଥିକ କ୍ଷେତ୍ରର ଅନ୍ୟାୟ ଓ ଅମାନୁଷିକତା ଗୁଡ଼ାକରେ ଖୁବ୍ ବେଶୀ ଆଲୋଡ଼ନ ହେଉନାହିଁ । ଅକିଞ୍ଚନ ଓ ଅସମର୍ଥ ମଣିଷ ଯେଉଁ ଭାଗ୍ୟତିମିରରେ ପଡ଼ିରହିଥିଲା, ସେହି ଭାଗ୍ୟତିମିରରେ ପଡ଼ିରହିଚି । ସବୁଠାରୁ ନୃଶଂସ କଥା ହେଉଚି ଯେ ପୃଥିବୀ ସ୍ତରରେ ମଧ୍ୟ ଏହି ଅସମର୍ଥ ଲୋକମାନେହିଁ ସଂଖ୍ୟାଧିକ ହୋଇ ରହିଚନ୍ତି । ସେମାନଙ୍କୁ ଆହୁରି ବଞ୍ଚିତ ଓ ଅସମର୍ଥ କରି ରଖି ଆମର ଏହି ରାଜନୀତିକ ଯୁଗରେ ସଂସାରଯାକ ଯେଉଁ ଅସ୍ୱାଭାବିକ ଅଭିଯାନମାନ ଚାଲିଚି, ଆମ ଭାରତବର୍ଷ ମଧ୍ୟ ସେହି ତାଳରେ ତାଳି ବଜାଇବାକୁ ବାହାରିଚି ବୋଲି କେତେଦୂର କୁହାଯାଇପାରିବ? ଥିଲା ଓ ନଥିଲାବାଲାଙ୍କ ମଧ୍ୟରେ ରହିଥିବା ଖାଇକୁ ଅଧିକ ଓସାର କରିବାରେ ଆମଦେଶର ସାମୁଦାୟିକ ବିକାଶଯୋଜନା ବି ସହାୟତା କରୁଚି ବୋଲି ଆମେ କେତେଦୂର ମତ ଦେଇପାରିବା ?

 

ଭାରତରେ ସରକାରୀ କଳ ଓ କ୍ଷମତାସୀନ ରାଜନୀତିକ ଦଳକୁ ସମାଜବାଦର ପାଠରେ ମଣ କରାଇଥିବା ମଣ୍ଡିତ ନେହରୁ ଅନେକବର୍ଷ ତଳେ (୧୯୫୯) କହିଥିଲେ (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୧୪୯) ଯେ, ସମାନ ବିଭାଜନର ବ୍ୟବସ୍ଥା କରିବା ଆଗରୁ ସମାଜବାଦୀ ସମାଜ ଓ ସରକାର ହାତରେ ପ୍ରଥମେ ବିଭାଜନ ଉଦ୍ଦେଶ୍ୟରେ ଆବଶ୍ୟକ ଧନ ରହିଥିବା ଉଚିତ । ଅର୍ଥାତ୍ ଆମକୁ ବିତରିତ ବା ବିଭାଜିତ ହୋଇ ପାରିବାଭଳି ସାମଗ୍ରୀର ଉତ୍ପାଦନ ଆଗ କରିବାକୁ ହେବ । କୃଷି ଓ ଯନ୍ତ୍ରଶିଳ୍ପର ଉଭୟ କ୍ଷେତ୍ରରେ ଆମେ ଅଧିକରୁ ଅଧିକ ଉତ୍ପାଦନ କରିବାର ଧ୍ୟେୟ ନ ରଖିଲେ ପରିଣାମସ୍ୱରୂପ ଆମର ଦାରିଦ୍ର୍ୟ ବ୍ୟତୀତ ବିଭାଜନ କରିବାଲାଗି ଆମହାତରେ ଆଉ କିଛି ରହିବ ନାହିଁ । ତାହା ଫଳରେ କାହାରି କୌଣସି କଲ୍ୟାଣ ହେବନାହିଁ ବା ତାହାକୁ ସମାଜବାଦ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । ପଣ୍ଡିତ ନେହରୁଙ୍କର କଥାରେ ଖଣ୍ଡନ କରିବାଭଳି କିଛି ନାହିଁ-। କିନ୍ତୁ ଉତ୍ପାଦନ ଯଦି କେବଳ କେତେକ ଶ୍ରେଣୀର ସମ୍ପନ୍ନତାକୁ ଅଧିକରୁ ଅଧିକ ମୋଟା କରିବାରେ ଲାଗିଥାଏ ଏବଂ ଏଣେ ଜାତୀୟ ଆୟ ଓ ଜାତୀୟ ସମ୍ପନ୍ନତା ଏତେଗୁଣ ବୃଦ୍ଧି ପାଇଲାବୋଲି କହି ଆମ ନେତାମାନେ ପ୍ରସନ୍ନ ହୋଇ ବସିରହନ୍ତି, ତେବେ ସମବିଭାଜନ ହେବ ଆଉ କେବେ ଓ ଦରିଦ୍ରର ପାଳି ଆଉ କେବେ ପଡ଼ିବ ? ଗତ କେତେବର୍ଷ ଧରି ଜାତୀୟ ଆୟରେ ଯେଉଁ ବୃଦ୍ଧି ହୋଇଚି, ଅର୍ଥାତ୍, ଏ ଦେଶର କୃଷକ ଓ ଶ୍ରମିକ ଆପଣା ପରିଶ୍ରମରେ ଏହି ଦେଶରେ ଯେଉଁ ଧନ ଫଳାଇଚି, ସେହି ଧନ ପ୍ରଧାନତଃ କାହାର ଭଣ୍ଡାର ଭରିବାକୁ ଯାଇଚି ? ଜାତୀୟ ଆୟରେ ୪୨% ବୃଦ୍ଧି ହେଇଚି ବୋଲି ଘୋଷଣା ହେବାପରେ ଏହି ବୃଦ୍ଧିଦ୍ୱାରା ଜାତିର ସବୁଶ୍ରେଣୀର ଲୋକ ଅନୁରୂପ ଲାଭବାନ୍ ହୋଇଚନ୍ତି କି ନାହିଁ, ତାହାର ତଦାରଖ କରିବାକୁ ସରକାର ଶ୍ରୀଯୁକ୍ତ ମହଲାନବୀଶ୍‌ଙ୍କର ଅଧ୍ୟକ୍ଷତାରେ ଅନେକଦିନ ହେଲା ଗୋଟିଏ କମିଟି ବସାଇଚନ୍ତି । ସେହି କମିଟିର ମଧ୍ୟବର୍ତ୍ତୀକାଳୀନ ଏକ ରିପୋର୍ଟରୁ ଜଣାଯାଏ ଯେ ଯୋଜନା ଉପରେ ପର୍ଯ୍ୟବେସିତ ଆମର ଜାତୀୟ ଅର୍ଥନୀତି ଦ୍ୱାରା ଅଧିକାଂଶ ଆର୍ଥିକ କ୍ଷମତା କେବଳ କେତେଜଣଙ୍କ ହାତରେ ଅଧିକରୁ ଅଧିକ କେନ୍ଦ୍ରୀଭୂତ ହେଉଥିବା ପରି ମନେହେଉଚି ।

 

ଇଂଲଣ୍ଡର ପ୍ରସିଦ୍ଧ ଲେଖକ ଓ ସାମ୍ବାଦିକ ଶ୍ରୀଯୁକ୍ତ ସେଗଲ୍ ଭାରତବର୍ଷ ସମ୍ବନ୍ଧରେ ଲେଖିଥିବା ଆପଣାର ଗୋଟିଏ ପୁସ୍ତକରେ (୯) ଆମଦେଶରେ ଯେଉଁ ବିରାଟ ଖାଇ ଶାସିତମାନଙ୍କୁ ଶାସକମାନଙ୍କଠାରୁ ଦୂର, ବ୍ୟବହିତ ଓ ବିଚ୍ଛିନ୍ନ କରି ରଖିଚି, ସେହି ବିଷୟରେ ବିସ୍ତାରିତ ଆଲୋଚନା କରିଚନ୍ତି । ‘‘ଭାରତବର୍ଷର ସାମାଜିକ ଜୀବନକୁ ଅବଲୋକନ କଲେ ମନେହୁଏ, ଯେପରି ସେଠାରେ ଦୁଇଟି ଅଲଗା ଅଲଗା ଜନଶ୍ରେଣୀ ବାସ କରୁଚନ୍ତି : ଗୋଟିଏ ଶ୍ରେଣୀ ସର୍ବମୋଟ ଜନସଂଖ୍ୟାର ଏକଶହ ଭାଗରୁ ଭାଗେ ମଧ୍ୟ ହେବେନାହିଁ, ମାତ୍ର, ସେହିମାନଙ୍କ ହାତରେ ହିଁ ସବୁ କ୍ଷମତା ରହିଚି, ସେମାନେ ଆପଣାର ଏକ ସ୍ୱତନ୍ତ୍ର ମାର୍ଗରେ ଜୀବନ ଯାପନ କରୁଚନ୍ତି, ସେମାନଙ୍କର ଖଣ୍ଡସଂସାରରେ ଆପଣାର ଏକ ସ୍ୱତନ୍ତ୍ର ଭାଷା ରହିଚି, ଏପରିକି ସେମାନଙ୍କ ହାତରେ ଆପଣା ସ୍ୱାର୍ଥଗୁଡ଼ିକର ସମର୍ଥନ କରୁଥିବା ସମ୍ବାଦପତ୍ରମାନ ବି ରହିଚନ୍ତି । ସେମାନଙ୍କର ମନୋରଞ୍ଜନ ଓ ଅବସରବିନୋଦନ ଲାଗି ସ୍ୱତନ୍ତ୍ର ଓ ସୁରକ୍ଷିତ କ୍ଷେତ୍ରମାନ ରହିଚି, ଏକ ବିଶିଷ୍ଟ ଶ୍ରେଣୀ ହିସାବରେ ସେମାନଙ୍କର ବିଶିଷ୍ଟ ଓ ସ୍ୱତନ୍ତ୍ର ଆକାଙ୍‌କ୍ଷାମାନ ବି ରହିଚି ଏବଂ ଅପର ଶ୍ରେଶୀରେ ଭାରତର କୋଟି କୋଟି ଜନସାଧାରଣ ରହିଚନ୍ତି । ସେମାନଙ୍କର ଜୀବନକ୍ଷେତ୍ରରେ ସମ୍ପୂର୍ଣ୍ଣ ଅନ୍ୟପ୍ରକାରର ସଂଯୋଗସୂତ୍ରମାନ ରହିଚି ଓ ସମ୍ପୂର୍ଣ୍ଣ ଅନ୍ୟପ୍ରକାରର ଅନୁରକ୍ତିମାନ ବି ରହିଚି ।’’ (ତତ୍ରୈବ : ପୃଷ୍ଠା–୨୬)

 

ଜାନୁୟାରୀ ୧୯୬୩ ମସିହାରେ ଯୋଜନା କମିଶନଦ୍ୱାରା ପ୍ରକାଶିତ ଗୋଟିଏ ରିପୋର୍ଟରୁ ହିସାବ ଦେଇ ସେ କହିଚନ୍ତି, ‘‘ଭାରତର ୪୪ କୋଟି ଲୋକଙ୍କ ମଧ୍ୟରୁ ସର୍ବନିମ୍ନ ସ୍ତରରେ ରହିଥିବା ୧୦% ସମଗ୍ର ଜାତୀୟ ଆୟର ମାତ୍ର ଉପାର୍ଜନ କରୁଚନ୍ତି ଏବଂ ଜାତିକୁ ଉପଲ୍‌ବଧ ହେଉଥିବା ସାଧନସାଗ୍ରୀର ମାତ୍ର ୩% ଉପଭୋଗ କରୁଚନ୍ତି । ଟଙ୍କା ହିସାବରେ କହିବାକୁ ଗଲେ ଏମାନେ ମାସକୁ ଜଣପିଛା ହାରାହାରି ୭ ଟଙ୍କା ମାତ୍ର ରୋଜଗାର କରୁଚନ୍ତି । ତାହାର ଉପର ସ୍ତରରେ ରହିଥିବା ୧୦% ଲୋକ ମାସକୁ ଜଣପିଛା ହାରାହାରି ୧୦ ଟଙ୍କା ଲେଖାଏଁ ରୋଜଗାର କରୁଚନ୍ତି ଓ ତତ୍‌ପରବର୍ତ୍ତୀ ୧୦% ମାସକୁ ହାରାହାରି ୧୨ ଟଙ୍କାରୁ କମ୍ ରୋଜଗାର କରୁଚନ୍ତି । ଅର୍ଥାତ୍ ଭାରତରେ ପ୍ରାୟ ତେରକୋଟିରୁ ଅଧିକ ଲୋକ ମାସକୁ ଜଣପିଛା ହାରାହାରି ବାରଟଙ୍କାରୁ କମ୍ ରୋଜଗାର କରୁଚନ୍ତି । ଏହାର ଉପର ତିନିସ୍ତରରେ ରହିଥିବା ପ୍ରତି ୧୦% ଲୋକ ମାସକୁ ମୁଣ୍ଡପିଛା ହାରାହାରି ଯଥାକ୍ରମେ ପନ୍ଦର, ଅଠର ଓ ବାଇଶିଟଙ୍କାରୁ କମ୍ ରୋଜଗାର କରୁଚନ୍ତି । ଅର୍ଥାତ୍ ୬୦% ଭାରତବାସୀ ବା ଛବିଶିକୋଟିରୁ ଅଧିକ ମଣିଷ ମାସକୁ ଜଣପିଛା ହାରାହାରି ବାଇଶିଟଙ୍କାରୁ କମ୍ ରୋଜଗାର କରୁଚନ୍ତି । ବିଶେଷଜ୍ଞମାନେ ଗବେଷଣା କରି କହିଚନ୍ତି ଯେ ସାଧାରଣ ସୁସ୍ଥ ଅବସ୍ଥାର ସର୍ବନିମ୍ନ ସ୍ତରରେ ରହିପାରିବା ଲାଗି ଜଣେ ମଣିଷର ଶରୀରଲାଗି ମାସକୁ ସାଧାରଣତଃ ୩୫ ଟଙ୍କାର ଖାଦ୍ୟ ଆବଶ୍ୟକ ଏହିଅନୁସାରେ ହିସାବ କରିବସିଲେ ସୁସ୍ଥ ରହିବାଲାଗି ଅତି କମ୍‌ରେ ଯେତେ ଖାଦ୍ୟ ଦରକାର, ଭାରତବର୍ଷର ୬୦% ଲୋକ ଆପଣାର ସମସ୍ତ ଉପାର୍ଜନକୁ ଖଟାଇଲେ ମଧ୍ୟ ତାହାର କେବଳ ଦୁଇତୃତୀୟାଂଶ ହିଁ ପୂରଣ କରିପାରିବେ । କମିଶନ୍ ଆପଣାର ଉପସଂହାର କରି କହିଚନ୍ତି ଯେ, ବର୍ତ୍ତମାନ ପ୍ରଗତିର ବେଗ ଅନୁସାରେ ୨୦୦୦ ମସିହା ବେଳକୁ ମଧ୍ୟ ଜାତୀୟ ଜନସଂଖ୍ୟାର ଏକ-ତୃତୀୟାଂଶ ମଣିଷ ପେଟପୁରିବା ଭଳି ଖାଇବାକୁ ପାଇବେନାହିଁ । ଏହି ଚିତ୍ରକୁ ତଥାପି ଏକ ଆଶାବାଦୀ ଚିତ୍ର ବୋଲି କହିବାକୁ ହେବ । କାରଣ ବର୍ତ୍ତମାନ ମଧ୍ୟ ହୁ’ ହୁ’ ହୋଇ ବଢ଼ିଯାଉଥିବା ଖାଦ୍ୟଦ୍ରବ୍ୟର ଦର ସେତେବେଳକୁ ଆହୁରି ବଢ଼ିଯାଇଥିବ । ପୁଣି ଲୋକମାନେ ଆପଣାର ସକଳ ଆୟକୁ କେବଳ ପେଟର ପାଟଣା କରିବାରେ ବରବାଦ କରିଦେଇ ପାରିବେ ବା କିପରି ? କପଡ଼ା, ଜାଳେଣି କାଠ, ଘର, ଗୃହ-ସରଞ୍ଜାମ ଓ ଯାତାୟାତ ଲାଗି ମଧ୍ୟ ସେମାନଙ୍କୁ ପେଟରୁ କାଟି କିଞ୍ଚିତ୍ ଅର୍ଥ ଅବଶ୍ୟ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ବର୍ତ୍ତମାନ ଯେତିକି ଲୋକ ଅନ୍ନାଭାବ ଓ ଅନାହାର ଭୋଗୁଚନ୍ତି, ୨୦୦୦ ମସିହା ବେଳକୁ ତାହାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ଅନାହାର ଓ ଅନ୍ନକଷ୍ଟ ଭୋଗିବାକୁ ପଡ଼ିବ କି ନାହିଁ, ଜାତୀୟ ବୃଦ୍ଧି ଓ ବିକାଶର ଏହି ବେଗ ରହିଥିବା ପର୍ଯ୍ୟନ୍ତ ହୁଏତ ଆମକୁ ଏହିପରି ଏକ ପ୍ରଶ୍ନ ମଧ୍ୟ ପଚାରିବାକୁ ପଡ଼ିବ ।

 

‘‘ତରାଜୁର ଆରମୁଣ୍ଡରେ ସବା ଉପରେ ରହିଥିବା ୧୦% ଭାରତବାସୀ ବର୍ତ୍ତମାନ ଜାତୀୟ ଆୟର ତିନିଭାଗରୁ ଏକଭାଗ ଉପଭୋଗ କରୁଚନ୍ତି ଏବଂ ଦେଶରେ ଉପଲବ୍‍ଧ ସାଧନସାମଗ୍ରୀର ଏକଚତୁର୍ଥାଂଶ ସେହିମାନେ ହିଁ ବ୍ୟବହାର କରୁଚନ୍ତି । ସ୍ୱାଧୀନତା ପରେ ଭାରତବର୍ଷରେ ଯୋଜନା ଅନୁସାରେ ସବୁ କାର୍ଯ୍ୟ ଓ ସକଳ ବିଧାନ ହୋଇଚି । ତଥାପି ଯୋଜନାର ବିଗତ ବର୍ଷ ଗୁଡ଼ିକରେ ଧନୀ ଓ ଦରିଦ୍ର ମଧ୍ୟରେ ରହିଥିବା ବ୍ୟବଧାନ କମିନାହିଁ, ବରଂ ବଢ଼ିବାରେ ଯେ ଲାଗିଚି, ଏପରି କହିବାଲାଗି ଯଥେଷ୍ଟ ପ୍ରମାଣ ମଧ୍ୟ ରହିଚି । ଭାରତର ସ୍ୱାଧୀନତା ଆଜିଯାଏ ଭାରତର ଦରିଦ୍ର ଜନସାଧାରଣକୁ କେତେ ଜଣ ପ୍ରତିଶ୍ରୁତି ଦେଇ ଆସିଥିଲା । ଭାରତର ଜନତା କେତେ ଆଶା କରି ଏହି ସ୍ୱାଧୀନତାକୁ ଅନାଇ ବସିଥିଲା, କିନ୍ତୁ ଆଜି ସେହି ସ୍ୱାଧୀନତା ଧନୀ ହାତରେ ଥିବା ଏକ ପୁରସ୍କାର-ସାମଗ୍ରୀରେ ପରିଣତ ହୋଇଚି ।’’ (ତତ୍ରୈବ : ପୃଷ୍ଠା :୨୮୩–୨୮୪)

 

‘‘ଭାରତ ସରକାର ପ୍ରକୃତରେ କଣ ଚାହୁଚନ୍ତି ? କେବଳ କେତେଜଣଙ୍କର ମୁନାଫା ଓ ବଡ଼ତି ହେବାର ନୀତିକୁ ଆଧାର କରି ଦେଶରେ ଆର୍ଥିକ ଉତ୍ପାଦନ ବଢ଼ାଇବାକୁ ଓ ତଦନୁକୂଳ ଏକ ସମାଜର ପ୍ରବର୍ତ୍ତନ କରିବାକୁ ଚାହୁଚନ୍ତି ନା ଜନସାଧାରଣଙ୍କର ଆବଶ୍ୟକତାଗୁଡ଼ିକୁ ମୂଳକରି ଆର୍ଥିକ ଉତ୍ପାଦନନୀତିର ନିୟନ୍ତ୍ରଣ କରିବାକୁ ଚାହୁଚନ୍ତି ? ଭାରତ ସରକାର କେତେଦୂର ସଫଳ ଭାବରେ ଏକ ସୁସ୍ଥ ଅର୍ଥନୈତିକ ବିକାଶର ସମସ୍ୟାଗୁଡ଼ିକୁ ସମାଧାନ କରିପାରିବେ ବା ନପାରିବେ, ତାହା ଏହି ପ୍ରଶ୍ନଟିର ଉତ୍ତର ଉପରେ ହିଁ ନିର୍ଭର କରୁଚି ।’’ (୧୦) ସାମୁଦାୟିକ ବିକାଶଯୋଜନା ଗୁଡ଼ିକରୁ ଦରିଦ୍ର ଜନସାଧାରଣ କିପରି ଆଦୌ ଉପକୃତ ହୋଇ ପାରୁନାହାନ୍ତି, ତାହାରି ଉଲ୍ଲେଖ କରିବାକୁ ଯାଇ ଭାରତର ଜଣେ ସମାଜଶାସ୍ତ୍ରୀ ଶ୍ରୀ ଦେଶାଇ ଏପରି ମନ୍ତବ୍ୟ ଦେଇଚନ୍ତି । ବିଦେଶୀ ପର୍ଯ୍ୟବେକ୍ଷକ ଓ ଭାରତ ସରକାରଙ୍କ ତରଫରୁ ପ୍ରକାଶିତ ରିପୋର୍ଟମାନଙ୍କରୁ ପ୍ରମାଣ ଆଣି ସେ କହିଚନ୍ତି ଯେ ସମାଜର ନିମ୍ନତମ ଜାତିମାନେ, ଯେଉଁମାନଙ୍କ ପାଖରେ ସାଧାରଣତଃ ଆପଣାର କୌଣସି ଚାଷଜମି ନାହିଁ, ଜଳସେଚନ ଯୋଜନା ଓ ଭୂମିପୁନର୍ବଣ୍ଟନ ଦ୍ୱାରା ସେମାନେ କୌଣସିପ୍ରକାରେ ଲାଭବାନ୍ ହୋଇ ପାରିନାହାନ୍ତି । ବିକାଶ କରିବାଲାଗି ସେମାନଙ୍କ ପାଖରେ ଆପଣାର ବୋଲି କିଛି ନାହିଁ । ବିକାଶମୂଳକ କୌଣସି ଉଦ୍ୟମ କରିବାକୁ ଆର୍ଥିକ ସମ୍ବଳ ମଧ୍ୟ ନାହିଁ-। ତେଣୁ ସେମାନେ ଆର୍ଥିକ ତଥା ସାମାଜିକ ଉଭୟ କ୍ଷେତ୍ରରେ କୌଣସି ସୁବିଧାର ଉପଯୋଗ କରି ପାରୁନାହାନ୍ତି । ଗାଆଁର ଅନ୍ୟମାନଙ୍କଠାରୁ ସେମାନଙ୍କର ବ୍ୟବଧାନ କ୍ରମେ ବଢ଼ିବାରେ ଲାଗିଚି । ବିକାଶ- ଯୋଜନାଗୁଡ଼ିକ ଫଳରେ ମଧ୍ୟ ଏହି ବ୍ୟବଧାନ ଊଣା ହେବାଲାଗି କୌଣସି ଅନୁକୂଳ ଅବସ୍ଥାର ସୃଷ୍ଟି ହୋଇନାହିଁ ।

 

ସାମୁଦାୟିକ ବିକାଶର ଦ୍ୱିତୀୟ ବର୍ଷରେ ସରକାରଙ୍କଦ୍ୱାରା ପ୍ରକାଶିତ ଗୋଟିଏ ମୂଲ୍ୟାଙ୍କନ ରିପୋର୍ଟରେ କୁହାଯାଇଚି ଯେ ଗାଆଁରେ ସମବାୟ ସମିତି, ବିକାଶମଣ୍ଡଳ, ଗ୍ରାମ ପଞ୍ଚାୟତ ବା ନ୍ୟାୟପଞ୍ଚାୟତ ପ୍ରଭୃତି ଯେତେ ବିକାଶକାମୀ ସଂସ୍ଥାମାନ ଏବେ କାମ କରୁଚି, କେବଳ ବଡ଼ ଚାଷୀମାନେ ହିଁ ପ୍ରଧାନତଃ ଏଗୁଡ଼ିକର ସଦସ୍ୟ ହୋଇ ରହିଚନ୍ତି । ସାନ ଚାଷୀ ବା ଭୂମିହୀନ ମୂଲିଆମାନଙ୍କ ଲାଗି ଏହିସବୁ ସଂସ୍ଥାରେ ପ୍ରକୃତରେ କୌଣସି ସ୍ଥାନ ନାହିଁ ବା ଆଉ କେହି ମଧ୍ୟ ସେମାନଙ୍କ ସ୍ୱାର୍ଥଗୁଡ଼ିକର ପ୍ରତିନିଧିତ୍ୱ କରୁନାହାନ୍ତି । ଏହି ରିପୋର୍ଟ ଅନୁସାରେ । ।।୧।। ସାମୁଦାୟିକ ବିକାଶଦ୍ୱାରା ଗ୍ରାମରେ ଯେଉଁସବୁ ଉନ୍ନତିବିଧାନ ହେଉଚି, ବଡ଼ ଚାଷୀମାନେ ହିଁ ସେଥିରୁ ସମସ୍ତ ଲାଭ ପାଉଚନ୍ତି । ।।୨।। ଗ୍ରାମତରଫରୁ ବିକାଶକାର୍ଯ୍ୟ ସକାଶେ ଯେଉଁ ଅନୁଦାନ ସଂଗୃହୀତ ହେଉଚି, ଗ୍ରାମର ନିମ୍ନତର ଜନଶ୍ରେଣୀ ତାହାକୁ ଆପଣାଉପରେ ଏକ ବୃଥା ବୋଝ ପରି ଅନୁଭବ କରୁଚନ୍ତି । ।।୩।। ଗ୍ରାମରେ ପରିବର୍ତ୍ତନମାନ ଆଣିବାକୁ ଯେଉଁସବୁ ଅନୁଷ୍ଠାନର ସୃଷ୍ଟି ହେଉଚି, ସେଥିରେ ମଧ୍ୟ କେବଳ ଉପରସ୍ତରର ଗ୍ରାମବାସୀମାନେ ପ୍ରଭୁତ୍ୱ ବିସ୍ତାର କରି ରହିଚନ୍ତି । ତଳସ୍ତରରେ ଥିବା ଲୋକଙ୍କର ସେସବୁରେ କୌଣସି ହାତ ନାହିଁ । ।।୪।। ସାମୁଦାୟିକ ବିକାଶକାର୍ଯ୍ୟ ସୁରୁ ହେଲାବେଳେ ଗ୍ରାମାଞ୍ଚଳରେ ସେଥିଲାଗି ବେଶ୍ ଉତ୍ସାହ ରହିଥିଲା ଓ ଗ୍ରାମବାସୀମାନେ ସେଥିରୁ ଅନେକ ବଡ଼ ବଡ଼ ଫଳ ଫଳିବ ବୋଲି ଆଶାକରି ବସିଥିଲେ । ଗ୍ରାମର ନିମ୍ନସ୍ତରରେ ବାସ କରୁଥିବା ଲୋକମାନଙ୍କ ଭିତରୁ ସେହି ଉତ୍ସାହ ଓ ସେହି ଆଶା କ୍ରମେ ମରି ମରି ଯାଉଥିବାର ପ୍ରମାଣ ମିଳୁଚି । (ତତ୍ରୈବ : ପୃଷ୍ଠା– ୧୭୬) ଏହିସବୁ ତଥ୍ୟ ଦର୍ଶାଇ ଓ ସମାଜ–ବିଜ୍ଞାନର ଦୃଷ୍ଟିରୁ ବିଚାର କରି ଶ୍ରୀଯୁକ୍ତ ଦେଶାଇ ମନ୍ତବ୍ୟ କରିଚନ୍ତି ଯେ, ଭାରତର ସାମୁଦାୟିକ ବିକାଶ ଆପଣାର ଉଦ୍ଦେଶ୍ୟପ୍ରାପ୍ତି ଦିଗରେ କେବଳ ଯେ ଅସମର୍ଥ ବୋଲି ସାବ୍ୟସ୍ତ ହେଉଚି, ତା’ ନୁହେଁ, ସମଗ୍ର ଜନସାଧାରଣଙ୍କର ହିତ ଓ ବିକାଶ ଦୃଷ୍ଟିରୁ ଏହା ନାନାପ୍ରକାର ଅନିଷ୍ଟ ମଧ୍ୟ କରୁଚି । (ତତ୍ରୈବ : ପୃଷ୍ଠା–୮୦)

 

ଏପରି ହେଲା କାହିଁକି ବା ଏହି କାର୍ଯ୍ୟକ୍ରମକୁ ଏପରି ହେବାଲାଗି ଦିଆଯାଉଚି ବା କାହିଁକି ? ଯେଉଁ ସାମୁଦାୟିକ ବିକାଶଯୋଜନା ଭାରତର ଗ୍ରାମସମାଜରେ ଏକ ନୀରବ ଅଥଚ ନିଶ୍ଚିତ ବିପ୍ଳବ ଆଣିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା, ତାହାର କାର୍ଯ୍ୟକାରୀତା ଦିନକୁଦିନ ଏପରି ବଳହୀନ ହୋଇପଡ଼ୁଚି କାହିଁକି ? ସେହି ପ୍ରଥମ ପର୍ଯ୍ୟାୟରେ ଏହାକୁ କେନ୍ଦ୍ରକରି ଦେଶସାରା ଯେଉଁ ନୂତନ ଉଦ୍ୟମଶୀଳତାର ଉତ୍ସାହ ଜାଗୃତ ହୋଇଥିଲା, ସେହି ଉତ୍ସାହ ଦିନକୁଦିନ ମରିଯାଉଚି କାହିଁକି ? ଏହି ଯୋଜନାଦ୍ୱାରା ଯଦି କେବଳ କେତେକ ସମ୍ପନ୍ନ ଲୋକଙ୍କୁ ଅଧିକ ସମ୍ପନ୍ନ କରାଇବାର ଓ କେତେକ କ୍ଷମତାପନ୍ନ ଲୋକଙ୍କୁ ଅଧିକ କ୍ଷମତାପନ୍ନ କରି ରଖିବାର ଫିକର କରାଯାଉଥାଏ, ତେବେ ଆମେ ଏହାକୁ କେତେଦୂର ଏକ ଜାତୀୟ ବା ସାମୁଦାୟିକ ବିକାଶଯୋଜନା ବୋଲି କହିପାରିବା ?

 

ସାମୁଦାୟିକ ବିକାଶ କ୍ଷେତ୍ରରେ ଆମେ ଏହି ପୁସ୍ତକରେ ଇଂରେଜ ବିଶେଷଜ୍ଞ ଶ୍ରୀ ବ୍ୟାଟନ୍‌ଙ୍କର ଏକାଧିକ ମତାମତ ଉଲ୍ଲେଖ କରିସାରିଚୁ । ଆଜିକୁ ପ୍ରାୟ ଛଅବର୍ଷ ତଳେ ୧୯୬୦ ମସିହାରେ ଭାରତର ସାମୁଦାୟିକ ବିକାଶକାର୍ଯ୍ୟର ସମୀକ୍ଷା କରି ସେ ଲେଖିଥିଲେ, ‘‘ଏହି କାର୍ଯ୍ୟରେ ଭାରତବର୍ଷ ଏ ପର୍ଯ୍ୟନ୍ତ ସଫଳତା ଲାଭ କରିନାହିଁ ଓ ନିକଟଭବିଷ୍ୟତରେ ସନ୍ତୋଷ ଦେଲାଭଳି ସଫଳତା ଲାଭ କରିବବୋଲି କୌଣସି ସୂଚନା ବି ମିଳୁନାହିଁ । ଏପରି ଅସଫଳ ହେବାର କାରଣମାନ ହେଉଚି, ।।୧।। ଏହି କାର୍ଯ୍ୟକ୍ରମଟିକୁ ଏକାବେଳକେ ଏକ ଅତିରିକ୍ତ ବଡ଼ସ୍ତରରେ ଆରମ୍ଭ କରିଦିଆଯାଇଚି ଏବଂ ତରତର ହୋଇ ଏଥିରେ ଅଳ୍ପସମୟରେ ବହୁତ ଫଳ ହାସଲ କରାଯିବାର ଚେଷ୍ଟା କରାଯାଉଚି । ବିକାଶର କାର୍ଯ୍ୟମାନ ଚଳାଇବା ଲାଗି ତରତର ହୋଇ ଅତ୍ୟଧିକ ସଂଖ୍ୟାରେ ଲୋକ ନିଯୁକ୍ତ କରାଯାଇଥିବାରୁ ଗ୍ରହଣ କରାଯାଇଥିବା ଲୋକମାନଙ୍କର ଅଭିଳଷିତ କାର୍ଯ୍ୟ ସକାଶେ ଉପଯୁକ୍ତ ଯୋଗ୍ୟତା ରହିଚି କି ନାହିଁ, ସେକଥା ଉପରେ ଯଥେଷ୍ଟ ଦୃଷ୍ଟି ଦିଆଯାଇନାହିଁ । ଅଳପ ସମୟରେ ବହୁତ କାମ କରି ଦେଖାଇ ଦେବାର ତରତରରେ କ୍ଷେତ୍ରସ୍ଥ କର୍ମୀମାନଙ୍କ ଉପରେ ଅତିରିକ୍ତ କାର୍ଯ୍ୟର ବୋଝ ଲଦି ଦିଆଯାଇଚି ଏବଂ ତାହା ଫଳରେ କୌଣସି କାମକୁ ମଧ୍ୟ ସୂଚାରୁରୂପେ କରିବା ସମ୍ଭବ ହୋଇନାହିଁ । ।।୨।। ସରକାରୀ ବିଭିନ୍ନ ବିଭାଗ ପରସ୍ପରର ପରିପୂରକ ଭାବରେ କାର୍ଯ୍ୟ କରିନାହାନ୍ତି । କୃଷିବିଭାଗ, ସ୍ୱାସ୍ଥ୍ୟବିଭାଗ, ଓ ସାମୁଦାୟିକ ବିକାଶ ମଧ୍ୟରେ ଅନେକ ସମୟରେ ହାନିକାରକ ପ୍ରତିଦ୍ୱନ୍ଦ୍ୱିତା ଓ ବାଦବିବାଦ ମଧ୍ୟ ଲାଗିରହିଚି । ।।୩।। ଯେଉଁ ଅଫିସର୍‌ମାନେ ଏହି ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱରେ ରହିଚନ୍ତି, ସେମାନେ ଲୋକମାନଙ୍କୁ ଅନୁରୂପ ନୂତନ ଦୃଷ୍ଟିକୋଣ ଗୁଡ଼ିକରେ ଦୀକ୍ଷିତ କରିବାଲାଗି ଖୁବ୍‌ ବେଶୀ ଯତ୍ନଶୀଳ ହୋଇନାହାନ୍ତି । ନୂତନ କାର୍ଯ୍ୟକ୍ରମଟି ଅନୁସାରେ କର୍ମଚାରୀମାନେ ଲୋକମାନଙ୍କ ସହିତ ଏକାଠି କାର୍ଯ୍ୟ କରିବାଲାଗି ପ୍ରସ୍ତୁତ ଓ ଇଚ୍ଛୁକ ରହିବା ଆବଶ୍ୟକ । ଆଗରୁ ଧରିବାନ୍ଧିଦିଆଯାଇଥିବା କୌଣସି ଚିଠା ଅନୁସାରେ କାର୍ଯ୍ୟ ହାସଲ କରିବାର ଆଗ୍ରହ ଦେଖାଇ ଲୋକମାନଙ୍କୁ କେବଳ ବୋଲ ବତାଇବାକୁ ବାହାରିଲେ ସାମୁଦାୟିକ ବିକାଶକ୍ଷେତ୍ରରେ ଆମେ କୌଣସି ସିଦ୍ଧି ପାଇପାରିବାନାହିଁ । ମୋର ମନେହେଉଚି ଯେ ଏହି ବିଭାଗରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ଭିତରୁ ମାତ୍ର ଅଳପ କେତେଜଣ ଏପର୍ଯ୍ୟନ୍ତ ସାମୁଦାୟିକ ବିକାଶ-ଉପଯୁକ୍ତ ଦୃଷ୍ଟିକୋଣ ଓ କୌଶଳମାନ ଆୟତ୍ତ କରିପାରିଚନ୍ତି । ।।୪।। ସରକାରୀ ଦପ୍ତରର ପ୍ରତ୍ୟେକ ସ୍ତରରେ ଉପରିସ୍ଥ କର୍ମଚାରୀମାନେ ତଳେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ କେବଳ ନିର୍ଦ୍ଦେଶ ଓ ପରାମର୍ଶମାନ ଦେବା ଜାଣିଚନ୍ତି । ଏତିକି ବ୍ୟତୀତ ସେମାନଙ୍କ ମଧ୍ୟରେ ଆଉ କୌଣସି ଯୋଗସୂତ୍ର ନାହିଁ ବା ପ୍ରସାର କାର୍ଯ୍ୟର ଅନୁକୂଳ ଅନ୍ୟାନ୍ୟ କୌଣସି ସମ୍ବନ୍ଧ ସ୍ଥାପିତ ହୋଇପାରିନାହିଁ । ।।୫।। ସାଧାରଣ ଭାବରେ ଦେଖିଲେ ସରକାରୀ ପ୍ରଶାସନ ଆଗ ଅଫିସସ୍ତରରେ ସମସ୍ତ କାର୍ଯ୍ୟକ୍ରମଟିର ଟିକିନିଖି ଚିଠା ତିଆରି କରିନେବାରେ ଅଧିକ ଆଗ୍ରହ ଦେଖାଉଚି ଓ ତା’ପରେ ଲୋକମାନଙ୍କ ପାଖେ ସେହି ପ୍ରସ୍ତୁତ ଚିଠାଟିକୁ ଆଣି ବିକିଦେବାକୁ ଇଚ୍ଛା କରୁଚି । ଲୋକମାନଙ୍କ ସହିତ ଏକାଠି ବସି ସେମାନଙ୍କର ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ କଲାଭଳି ଗୋଟିଏ କାର୍ଯ୍ୟକ୍ରମ ତିଆରିକରିବାକୁ ପ୍ରଶାସନର ବେଳ ହେଉନାହିଁ ।’’ (T.R. Batten : The Trouble Sports- ପୁସ୍ତକ ଟିପ୍ପଣୀ–୧, ଅକ୍ଟୋବର ୨, ୧୯୬୦)

 

ଭାରତବର୍ଷର ସାମୁଦାୟିକ ବିକାଶ ସମ୍ବନ୍ଧରେ ସମୀକ୍ଷାମୂଳକ ଅଧ୍ୟୟନ କରିଥିବା ଆମେରିକାର ସମାଜଶାସ୍ତ୍ରୀ ଶ୍ରୀଯୁକ୍ତ ଟେଲର୍‌ (Carl C. Taylor) ମଧ୍ୟ ଆଶଙ୍କା ପ୍ରକାଶ କରିଚନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ସବୁକ୍ଷେତ୍ରରେ ଅନେକ ଉତ୍ସାହ ଉଦ୍ଦୀପିତ କରିଥିଲେ ମଧ୍ୟ କ୍ରମେ ଏହା ମ୍ଳାନ ହୋଇ ପଡ଼ିବାରେ ଲାଗିଚି ଏବଂ ଏଥିରୁ ଲୋକସାଧାରଣଙ୍କର ମନ କ୍ରମଶଃ ଛାଡ଼ିଗଲାପରି ମନେହେଉଚି । ଏହି ଘଟଣାଟିର ବିଶ୍ଳେଷଣ କରି ନିମ୍ନଲିଖିତ କେତୋଟି କଥା ପ୍ରତି ସେ ଆମର ଦୃଷ୍ଟି ଆକର୍ଷଣ କରିଚନ୍ତି : ।।୧।। ତଥାକଥିତ ଅଳ୍ପବିକଶିତ ଦେଶମାନଙ୍କରେ ବିକାଶ-କାର୍ଯ୍ୟକ୍ରମଗୁଡ଼ିକ ଚଳାଇବାରେ ଯାହା ଘଟିଚି, ଭାରତବର୍ଷରେ ମଧ୍ୟ ଠିକ୍ ତାହାହିଁ ଘଟିଚି । ଲୋକମାନେ ଯେ ଆପଣାର ସମସ୍ୟାଗୁଡ଼ିକୁ ସମାଧାନ କରିବାର ଆଗ୍ରହ ଦେଖାଇ ପ୍ରକୃତରେ ଆଗକୁ ବାହାରିପଡ଼ିବେ, କାର୍ଯ୍ୟକ୍ରମଟି ଚଳାଉଥିବା କର୍ତ୍ତାମାନେ ଏକଥା ଆଦୌ ବିଶ୍ୱାସ କରି ପାରିନାହାନ୍ତି । ଏଥିସହିତ ସେମାନଙ୍କର ମନରେ ବସାକରି ରହିଥିବା ଆଉଗୋଟିଏ ଅବିଶ୍ୱାସ ମଧ୍ୟ ବେଶ୍ ସହଯୋଗ କରିଚି । ଗାଆଁର ଲୋକମାନେ ଯେ ଆପଣାର ଆବଶ୍ୟକତାଗୁଡ଼ିକୁ ଯଥାର୍ଥ ଓ ସ୍ପଷ୍ଟଭାବରେ ଜାଣିଚନ୍ତି, ସେକଥା ସେମାନେ ବହୁକ୍ଷେତ୍ରରେ ବିଶ୍ୱାସ କରିପାରିନାହାନ୍ତି । ଥୋପ ଗିଳାଇ ମାଛକୁ ବଶ କଲାପରି କୌଣସି ପ୍ରଲୋଭନ ଦେଖାଇଲେ ଯାଇ ଲୋକମାନେ ଆପଣା ଜୀବନର ଉନ୍ନତିସାଧନ ଲାଗି ଉଦ୍ୟତ ହୋଇ ବାହାରିପାରିବେ, କର୍ତ୍ତାମାନେ ପ୍ରଧାନତଃ ଏହି ବିଶ୍ୱାସଦ୍ୱାରା ପ୍ରବୃତ୍ତ ହୋଇ ସେମାନଙ୍କ ପାଖକୁ ଯାଇଚନ୍ତି । ଭାରତବର୍ଷର ତୁଳନାରେ ଇରାକ, ଇରାନ୍, ପାକିସ୍ତାନ ଏବଂ ଆଫଗାନିସ୍ତାନ ପ୍ରଭୃତି ଦେଶରେ ଏହି ଭ୍ରମବିଶ୍ୱାସର ଅଧିକ ପରିଚୟ ମିଳିଚି, ମାତ୍ର ପୋର୍ଟୋରିକୋ, ଜାମେକା ଓ ଘାଣା ପ୍ରଭୃତି ଦେଶର ତୁଳନାରେ ଭାରତରେ ଏହାର ପ୍ରାଦୁର୍ଭାବ ଅଧିକ ପରିମାଣରେ ଅନୁଭୂତ ହୋଇଚି । ।।୨।। ଲୋକମାନଙ୍କ ଭିତରେ ଯଥେଷ୍ଟ ଉତ୍‌ପ୍ରେରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବଡ଼ ବିବେକହୀନ ଭାବରେ ଭୌତିକ ସାଧନସାମଗ୍ରୀ ଓ ଅର୍ଥରାଶିମାନ ନେଇ ଅତିରିକ୍ତ ପରିମାଣରେ ଲୋକମାନଙ୍କ ଉପରେ ଅଜାଡ଼ି ଦିଆଯାଇଚି । ଏହା ଫଳରେ ସ୍ୱଭାବତଃ ଅନେକ ନିର୍ମାଣକାର୍ଯ୍ୟ ହୋଇପାରିଚି, କିନ୍ତୁ ପ୍ରସାରକାର୍ଯ୍ୟର ପରିଧି ଓ ପରିମାଣ ହ୍ରାସ ହେବାରେ ଲାଗିଚି । ଗ୍ରାମସ୍ତରରେ ପ୍ରସାରକର୍ମୀରୂପେ କାର୍ଯ୍ୟକରୁଥିବା ଗ୍ରାମସେବକମାନେ ଗାଆଁରେ ରାସ୍ତାଘାଟ ଓ ପୋଲ ତିଆରି କରିବା ଏବଂ ନାନାପ୍ରକାର ଜିନିଷ ଆଣି ଲୋକଙ୍କୁ ଯୋଗାଇଦେବାରେ ହିଁ ଆପଣାର ଅଧିକ ସମୟ ଦେଇଚନ୍ତି । ।।୩।। ସରକାରଙ୍କ ତରଫରୁ ଦିନକୁଦିନ ଅଧିକରୁ ଅଧିକ ସାମଗ୍ରୀ ଓ ଅର୍ଥରାଶି ଯୋଗାଇ ଦିଆଯିବା ଦ୍ୱାରା ଏସବୁର ହିସାବ ରଖିବା ବା ପରିଚାଳନା କରିବାଲାଗି ବ୍ଳକ୍‌ର କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଅଫିସକାମ କରିବାକୁ ପଡ଼ିଚି । ବ୍ଳକ୍‌ସ୍ତରରେ ପ୍ରଶାସନ ସମ୍ବନ୍ଧୀୟ କାର୍ଯ୍ୟ ବଢ଼ିବାରେ ଲାଗିଚି ଓ ସାମୁଦାୟିକ ବିକାଶମୂଳକ ପ୍ରସାରକାର୍ଯ୍ୟ ମାନ୍ଦାପଡ଼ିଯାଇଚି-। (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୩୯୬)

 

ଅନେକବର୍ଷ ପର୍ଯ୍ୟନ୍ତ ଭାରତରେ ଫୋର୍ଡ଼-ପ୍ରତିଷ୍ଠାନର ସଭାପତିରୂପେ କାର୍ଯ୍ୟ କରିଥିବା ଶ୍ରୀ ଡଗ୍‌ଲାସ୍‌ ଏନ୍‌ସ୍‌ମିଙ୍ଗର୍ ଲେଖିଚନ୍ତି : ଏ ଦେଶର ଯେଉଁମାନେ ସାମୁଦାୟିକ ବିକାଶ ପରିଚାଳନା କରିବାର ଦାୟିତ୍ୱରେ ରହିଚନ୍ତି, ସେମାନେ ନିଜେ କେତେଦୂର ଏହି କାର୍ଯ୍ୟକ୍ରମଟିର ମର୍ମାର୍ଥକୁ ବୁଝିଚନ୍ତି, ତାହାର ଅନୁସନ୍ଧାନ କରିବସିଲେ ଆମେ ଜାଣିବାକୁ ପାଇବା ଯେ ହୁଏତ କେବଳ ପ୍ରାୟ ୫% ଙ୍କର ଏବିଷୟରେ ପ୍ରକୃତରେ କୌଣସି ସ୍ପଷ୍ଟ ଧାରଣା ରହିଚି, ୩୦% ଙ୍କର ଅଧାଅଧି ସ୍ପଷ୍ଟ ଧାରଣା ରହିଚି ଓ ଅବଶିଷ୍ଟ ୬୫% ଙ୍କର ଏସବୁ ବିଷୟରେ ସ୍ପଷ୍ଟକରି କିଛି ବୁଝିନାହାନ୍ତି ଏବଂ ସାମୁଦାୟିକ ବିକାଶର ଅନ୍ତର୍ନିହିତ ଉଦ୍ଦେଶ୍ୟ ଆଧାରବିଷୟରେ ସେମାନଙ୍କର ମନଭିତରେ ନାନାପ୍ରକାର ଗୋଳମାଳ ମଧ୍ୟ ରହିଚି । ଏହିପରି ଏକ ସିଦ୍ଧାନ୍ତରେ ପହଞ୍ଚିବାକୁ ଆମପାଖରେ କି ପ୍ରମାଣମାନ ରହିଚି ? ପ୍ରମାଣ ଖୋଜିବସିଲେ ଅନେକ ପ୍ରମାଣ ମିଳିବ, କିନ୍ତୁ ସେଗୁଡ଼ିକ ମଧ୍ୟରୁ ମହତ୍ତ୍ୱପୂର୍ଣ୍ଣ ପ୍ରମାଣଗୁଡ଼ିକ ହେଉଚି, ।।୧।। ଭୌତିକ ଲକ୍ଷ୍ୟଗୁଡ଼ାକ ହାସଲ କରିବା ଉପରେହିଁ ଅବିରାମ ଭାବରେ ଗୁରୁତ୍ୱ ଦିଆଯିବାରେ ଲାଗିଚି । ।।୨।। ପ୍ରଶାସନ ଓ ପରିଦର୍ଶନ ଦାୟିତ୍ୱରେ ରହିଥିବା ଅନେକ ସରକାରୀ କର୍ମଚାରୀ ଏକାବେଳେକେ ଦୁଇପ୍ରକାର କଥା କହିବାରେ ଲାଗିଚନ୍ତି । ଏକ ପକ୍ଷରେ ସେମାନେ ପ୍ରସାରକାର୍ଯ୍ୟକୁ ହିଁ ସାମୁଦାୟିକ ବିକାଶର ସର୍ବୋପଯୁକ୍ତ ମାର୍ଗ ବୋଲି କହୁଚନ୍ତି, ମାତ୍ର ଅନ୍ୟପକ୍ଷରେ ଏହିମାର୍ଗର ପ୍ରୟୋଗ କରିବାକୁ ସେମାନେ ଅଧୀର ହୋଇ ପଡ଼ୁଚନ୍ତି ଓ ସରକାରୀ କ୍ଷମତା ବଳରେ ଏଗୁଡ଼ିକୁ ନେଇ ଲୋକମାନଙ୍କ ଉପରେ ଲଦି ଦେବାଲାଗି ମଧ୍ୟ ଆଗ୍ରହ ଦେଖାଉଚନ୍ତି । ।।୩।। ହଠାତ୍ କିଛି ପରିବର୍ତ୍ତନ ସମ୍ଭବ କରିଦେବା ଉପରେ ଅତ୍ୟଧିକ ଜୋର୍ ଦିଆଯାଉଚି କିନ୍ତୁ ଉପରୁ ଚାପ ଦିଆଯାଇ ପରିବର୍ତ୍ତନ ଅଣାଗଲେ ତାହା କେତେଦୂର ପୁରାତନ ଚିନ୍ତାଧାରା ଓ କାର୍ଯ୍ୟପ୍ରଣାଳୀକୁ ଦୂର କରିଦେବାରେ ସମର୍ଥ ହେବ, ସେକଥା କେହି ବିଚାର କରୁନାହାନ୍ତି । ।।୪।। ଅନେକ ସମୟରେ ଲୋକମାନଙ୍କ ଆଗରେ ଗୋଟାଏ ପ୍ରକାର ଓ ବାସ୍ତବ ଜୀବନରେ ବ୍ୟକ୍ତିଗତ କ୍ଷେତ୍ରରେ ଆଉଗୋଟିଏ ପ୍ରକାର ବ୍ୟବହାର ଦେଖିବାକୁ ମିଳୁଚି । ଏହି ଦୁଇପ୍ରକାର ବ୍ୟବହାର ମଧ୍ୟରେ ବହୁଯୋଜନ ଅନ୍ତର ରହିଚି । ସରକାରୀ ପ୍ରଶାସନର ସଂସ୍ଥାମାନଙ୍କରେ ମାନବିକ ସମ୍ବନ୍ଧର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏହି ଦ୍ୱୈତତା ଅତିରିକ୍ତ ମାତ୍ରାରେ ପୂରିରହିଚି । ।।୫।। ଯେତେବେଳେ କୌଣସି ପରିଦର୍ଶକ ସାମୁଦାୟିକ ବିକାଶକାର୍ଯ୍ୟ ଦେଖିବାଲାଗି ଯାଉଚି, ସେତେବେଳେ ପ୍ରାୟ ସବୁସ୍ଥଳରେ ତାକୁ କେବଳ ବିକାଶର ଭୌତିକ ଓ ସାମଗ୍ରୀଗତ ସଫଳତାଗୁଡ଼ିକୁ ଦେଖାଇଦିଆଯାଉଚି । କିନ୍ତୁ ଲୋକମାନଙ୍କର ଆଗ୍ରହ ଓ ରୁଚିରେ କେତେଦୂର ଅନୁକୂଳ ବିକାଶ ସମ୍ଭବ ହୋଇଚି, ସେମାନଙ୍କର ଆତ୍ମବିଶ୍ୱାସ କେତେଦୂର ବୃଦ୍ଧି ପାଇଚି, ଗ୍ରାମସ୍ତରରେ କେଉଁପ୍ରକାର ନୂତନ ନେତୃତ୍ୱର ସୃଷ୍ଟି ହୋଇଚି, ଗ୍ରାମସମାଜକୁ ଆଗରୁ ଆବୋରି ରହିଥିବା ଜାତିଭେଦ-ବ୍ୟବସ୍ଥାରେ କେତେଦୂର ବିଘଟନ ସମ୍ଭବ ହୋଇଚି, ସେକଥା କେହି ଦେଖାଉନାହାନ୍ତି କି କହୁନାହାନ୍ତି । ଲୋକମାନେ ଆଜି ନିଜର ତଥା ନିଜ ଦେଶର ଭାଗ୍ୟକୁ ନିଜହାତରେ ଗଢ଼ିବାର ଅଧିକାର ପାଇଚନ୍ତି, ଏକଥା ଅନୁଭବ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦାୟିତ୍ୱବୋଧରେ କେତେଦୂର ବିକାଶ ହୋଇଚି ଏବଂ ଏହି ପରିବର୍ତ୍ତନକୁ ସେମାନେ କେତେଦୂର ସ୍ୱାଗତ କରୁଚନ୍ତି, ସେକଥା କହିବାକୁ ସାଧାରଣତଃ କେହି ଆଗଭର ହୋଇ ଆସୁନାହାନ୍ତି ।’’ (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୩୮୧) ଶ୍ରୀଯୁକ୍ତ ଏନ୍‌ସ୍‌ମିଙ୍ଗର୍‌, ‘‘ଆତ୍ମସନ୍ତୋଷ,–ଆମର ସବୁଠାରୁ ବଡ଼ ବିପଦ’’ ଶୀର୍ଷକରେ ଆପଣାର ଏହି ପ୍ରବନ୍ଧଟି ଲେଖିଚନ୍ତି ।

 

ପଣ୍ଡିତ ଜବାହରଲାଲ ନେହରୁ କୌଣସି ଅବସରରେ ଥରେ କହିଥିଲେ ଯେ, ଭାରତବର୍ଷରେ ଚାଲୁଥିବା ସାମୁଦାୟିକ ଯୋଜନା ଭବିଷ୍ୟତରେ ଅସଫଳ ହୋଇଯାଏ, ତେବେ ଅର୍ଥାଭାବ ସକାଶେ କଦାପି ଅସଫଳ ହେବନାହିଁ, ମାତ୍ର ଉପଯୁକ୍ତ ତାଲୀମ ପାଇଥିବା ଓ ଉପଯୁକ୍ତ ଦୃଷ୍ଟିକୋଣ ରଖି କାର୍ଯ୍ୟ କରୁଥିବା କର୍ମଚାରୀ ଓ କର୍ମୀଙ୍କର ଅଭାବ ସକାଶେ ହିଁ ଅସଫଳ ହେବ । ସାମୁଦାୟିକ ବିକାଶ-କାର୍ଯ୍ୟର ଏକାଧିକ ସମୀକ୍ଷକ, କର୍ମଚାରୀମାନଙ୍କର ଅନୁପଯୁକ୍ତତାକୁ ହିଁ ସାମୁଦାୟିକ ବିକାଶ ପରିପୂର୍ଣ୍ଣ ପ୍ରୟାସରେ ଚାଲୁନଥିବାର ଏକ ପ୍ରଧାନ କାରଣ ବୋଲି ମନେକରନ୍ତି-। ସେମାନଙ୍କ ମତରେ ଏହି କାର୍ଯ୍ୟକ୍ରମର ପରିସରକୁ ହଠାତ୍ ଏତେବଡ଼ ଆକାରରେ ବଢ଼ାଇ ଦିଆଯାଇ ଥିବାରୁ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲୀମ ଦିଆଯାଇ ପାରୁନାହିଁ ଏବଂ ସ୍ଥାନପୂରଣ କରିବାର ଉତ୍କଣ୍ଠାରେ ଅନୁପଯୁକ୍ତ ଲୋକମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିଯୁକ୍ତ କରିଦିଆଯାଉଚି । ବିଶ୍ୱ-ରାଷ୍ଟ୍ରସଂଘ ତରଫରୁ ଭାରତର ସାମୁଦାୟିକ ବିକାଶର ପର୍ଯ୍ୟବେକ୍ଷଣ କରିବାକୁ ଆସିଥିବା ଗୋଷ୍ଠୀ ଏହି ବିଷୟରେ ମନ୍ତବ୍ୟ ପ୍ରକାଶ କରି କହିଚନ୍ତି ଯେ, ଭାରତରେ ସାମୁଦାୟିକ ବିକାଶ ଓ ଜାତୀୟ ସଂପ୍ରସାରଣର କାର୍ଯ୍ୟକ୍ରମକୁ ବଡ଼ ତରତର ହୋଇ ବଢ଼ାଇଦିଆଯାଇଚି । ସେମାନଙ୍କ ମତରେ ଭାରତର ବିଭିନ୍ନ ବ୍ଳକ୍‌ରେ ପ୍ରାୟ ୨୫% ସ୍ଥାନ ଅପୂର୍ଣ୍ଣ ହୋଇ ପଡ଼ିରହିଚି । ସରକାର ଗୋଟିଏ ବ୍ଳକ୍‌ ଯେତିକି ବଡ଼ ହେବା ଉଚିତ ବୋଲି ପ୍ରଥମେ ସ୍ଥିର କରିଥିଲେ, ବର୍ତ୍ତମାନ ବ୍ଳକ୍ ଗୁଡ଼ିକର ଆକାର ତା’ଠାରୁ ୨୫% ବଡ଼ ବୋଲି ସେମାନେ କହିଚନ୍ତି । ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଯେଉଁ ପ୍ରସାରକର୍ମୀମାନେ ରହିଚନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୨୫% ଙ୍କର କାର୍ଯ୍ୟରେ ଦକ୍ଷତା ନାହିଁ ବା ସେମାନେ ଆପଣାକୁ ଅନୁପଯୁକ୍ତ ବୋଲି ପ୍ରମାଣ କରିଦେଇଚନ୍ତି-। ଏହିସବୁ ଗଲତି ସକାଶେ ପର୍ଯ୍ୟବେକ୍ଷକଗୋଷ୍ଠୀ ବ୍ଳକ୍‌ଗୁଡ଼ିକର ଆକାରକୁ ଏତେଦୂର ବଡ଼ କରିଦେବା ଏବଂ ଏଡ଼େ ତରତରରେ ସେଗୁଡ଼ିକର ସଂଖ୍ୟା ବଢ଼ାଇଦେବାରେ ସରକାରୀ ନୀତିକୁ ଦାୟୀ କରିଚନ୍ତି । (ପୁସ୍ତକ ଟିପ୍ପଣୀ–୨)

 

ଯଦି ଭାରତର ସବୁ ଗାଆଁକୁ ସାମୁଦାୟିକ ବିକାଶର କାର୍ଯ୍ୟକ୍ରମକୁ ପ୍ରସାରିତ କରିଦିଆଯାଏ, ତେବେ କେବଳ କୃଷିପ୍ରସାରର କ୍ଷେତ୍ରରେ ହଜାରେଜଣ ଚାଷୀଙ୍କଲାଗି ମାତ୍ର ଜଣେ ପ୍ରସାରକର୍ମୀ ହିସାବରେ ଦେଶରେ ୬୦୦୦୦ କୃଷିଅଭିଜ୍ଞ କର୍ମୀ ଆବଶ୍ୟକ ହେବେ । ଏହିପରି ବିକାଶକାର୍ଯ୍ୟର ପ୍ରତ୍ୟେକ କ୍ଷେତ୍ରରେ କର୍ମୀ ଓ ବିଶେଷଜ୍ଞମାନଙ୍କର ଅଭାବ ରହିଚି । ବ୍ଳକ୍ ଅଞ୍ଚଳ କହିଲେ ସାଧାରଣତଃ ଗ୍ରାମ ଓ ଆଦିବାସୀ-ଅଞ୍ଚଳକୁ ବୁଝାଏ । ଆମ ଦେଶରେ ପ୍ରଚଳିତ ରୀତିରେ ଶିକ୍ଷାପାଉଥିବା ଡାକ୍ତର ଓ ଓଭରସିଅର୍‌ମାନେ ସାଧାରଣତଃ ଗ୍ରାମାଞ୍ଚଳକୁ କାମ କରିବାକୁ ଯିବାଲାଗି ରାଜି ହେଉନାହାନ୍ତି । ପୁଣି କାରଣରୁ ହେଉ ବା ଅକାରଣରୁ ହେଉ, ଆମ ଦେଶର ଡାକ୍ତର ବା ଓଭରସିଅର୍ ବିହିତ ବେତନ ଅପେକ୍ଷା ଉପୁରି ଅଧିକ କମାଉଚି । ତେଣୁ ଆପଣାର ବେତନ ଅପେକ୍ଷା ଘରୋଇ ଟିଉସନ୍‌ରୁ ଅଧିକ କମାଉଥିବା ଆମଦେଶର ମାଷ୍ଟରପରି ଯେଉଁଠି ଉପୁରି ପାଇବାର ଅଧିକ କ୍ଷେତ୍ର ଓ ଅଧିକ ଛିଦ୍ରମାନ ରହିଚି, ସେ ସେହିପରି ସ୍ଥାନମାନଙ୍କୁ ଯିବାକୁ ଅଧିକ ପସନ୍ଦ କରୁଚି । ଆମଦେଶର ଅମଲା ପ୍ରଶାସନର ବାତାବରଣରେ ସାମୁଦାୟିକ ବିକାଶକ୍ଷେତ୍ରର ଦାୟିତ୍ୱମାନ ତାକୁ ଆକର୍ଷଣୀୟ ମନେହେବ ବା କିପରି ? ଆବଶ୍ୟକତା ଦୃଷ୍ଟିରୁ ହେଉ ବା ସ୍ୱଭାବ ଓ ରୁଚିଗତ ଭାବରେ ହେଉ, ଗାଆଁରେ ବୁଲି ପ୍ରସାର ବା ବିକାଶକାର୍ଯ୍ୟ କରିବା ଅପେକ୍ଷା ବ୍ଳକ୍ ଅଫିସରେ ବସି କାଗଜକାମ କରିବା ହୁଏତ ତାକୁ ଅଧିକ ଭଲଲାଗୁଚି । ସରକାରୀ ସବୁ ବିଭାଗପରି ନୂଆ ବିକାଶ-ବିଭାଗର ମଧ୍ୟ କାଗଜ ଓ ନଥିପତ୍ର ଉପରେ ବିଶ୍ୱାସ ଅତିରିକ୍ତ ପରିମାଣରେ ବଢ଼ିଯାଇଚି । ଉପରସ୍ତରର ହୃଦ୍‌ବୋଧ କରାଇବାକୁ ହେଲେ ତା ତଳସ୍ତରକୁ ଆଦେଶ ଦେବାକୁ ହେଲେ ଆଜିକାଲି ଯେତେ ବେଶୀ ସ୍ୱାକ୍ଷରସମ୍ବଳିତ କାଗଜପତ୍ର ତିଆରି କରାଯାଇ ପାରୁଚି, ତାହାକୁ ସେତେ ବେଶୀ କର୍ତ୍ତବ୍ୟପରାୟଣତା ବୋଲି ବିଚାର କରାଯାଉଚି । ଏକାକୀ ବି.ଡ଼ି.ଓ ତାଙ୍କର କିରାନୀ-ବାହିନୀ ସାହାଯ୍ୟରେ ଅଫିସ୍‌ର ଏହି ଗୁରୁଦାୟିତ୍ୱ ସମ୍ଭାଳିପାରୁନାହାନ୍ତି । ୧୯୫୭ ମସିହାରେ ଭାରତର ଯୋଜନା କମିଶନ ତରଫରୁ ବସିଥିବା ଗୋଟିଏ ଉଚ୍ଚସ୍ତରୀୟ କମିଟି (COPP)ର ବିବରଣ ଅନୁସାରେ ଆମେ ଜାଣିବାକୁ ପାଉଚୁ, ସେତେବେଳେ ମଧ୍ୟ ବ୍ଳକ୍‌ର ବିଶେଷଜ୍ଞ ଅର୍ଥାତ୍ ପ୍ରସାର-ଅଫିସରମାନେ ଆପଣା କର୍ମସମୟର ୩୦ ରୁ ୫୦% ଅଂଶ ବ୍ଳକ୍‌ର ହେଡ଼୍‌କ୍ୱାଟର୍‌ରେ କଟାଉଥିଲେ । ଗ୍ରାମସେବକମାନେ ମଧ୍ୟ ଆପଣା କର୍ମସମୟର ୨୫ରୁ ୪୦% ଅଂଶ ବ୍ଳକ୍ ହେଡ଼୍‌କ୍ୱାଟର୍‌ ଅଥବା ଗ୍ରାମ-ହେଡ଼୍‌କ୍ୱାଟର୍‌ରେ କଟାଉଥିଲେ । ବିଶେଷଜ୍ଞମାନଙ୍କୁ ହେଡ଼୍‌କ୍ୱାଟର୍‌ରେ ରହି ପ୍ରଶାସନସମ୍ବନ୍ଧୀୟ ଅଫିସ୍‌କାମ ବି କରିବାକୁ ପଡ଼ୁଥିଲା ଏବଂ ବିଭାଗ ତରଫରୁ ତଲବ କରାଯାଉଥିବା ରେକର୍ଡ଼ମାନ ରଖିବାରେ ଓ ରିପୋର୍ଟମାନ ଲେଖିବାରେ ଗ୍ରାମସେବକମାନଙ୍କୁ ୯୪ ଟି କର୍ମଦିବସ ଅର୍ଥାତ୍ ବର୍ଷରେ ପ୍ରାୟ ସାଢ଼େ ତିନିମାସ ସମୟ ଦେବାକୁ ହେଉଥିଲା । ଏହାର ପରିଣାମରେ ଅସଲ ବିକାଶକାର୍ଯ୍ୟରେ କିପରି କ୍ଷତି ହେଉଥିଲା, କମିଟି ସେହିବିଷୟରେ ମଧ୍ୟ କିଞ୍ଚିତ୍ ଆଲୋକପାତ କରିଚନ୍ତି । ।।୧।। ମାସକୁ ଚାରିଦିନ ବ୍ଳକ୍‌ ହେଡ଼୍‌କ୍ୱାଟରରେ କଟାଇବାକୁ ପଡ଼ୁଥିବାରୁ ଏବଂ କାଗଜପତ୍ର ପୂରଣ କରିବାଲାଗି ମାସର ଦୁଇତୃତୀୟାଂଶ ଦିନ ତାକୁ ଆପଣାର ଗାଆଁ ହେଡ଼୍‌କ୍ୱାଟରରେ ରାତିରେ ରହିବାକୁ ପଡ଼ୁଥିବାରୁ ଜଣେ ଗ୍ରାମସେବକ ଆପଣା ଅଞ୍ଚଳର ଦଶଗୋଟି ଗାଆଁରୁ ଚାରିପାଞ୍ଚୋଟି ଗାଆଁକୁ ମାସକରେ ଥରେ ମଧ୍ୟ ଯାଇପାରୁନଥିଲା । ବ୍ଳକ୍‌ସ୍ତରରେ ରହିଥିବା କୃଷି-ବିଶେଷଜ୍ଞ ପ୍ରସାର ଅଫିସର ମଧ୍ୟ ଅଞ୍ଚଳର ଅଧିକାଂଶ ଗାଆଁକୁ ବରଷକରେ କେବଳ ଥରେମାତ୍ର ଯାଇପାରୁଥିଲେ, ଦୁଇତୃତୀୟାଂଶ ଗାଆଁ ଗୁଡ଼ିକୁ ପାଦ ପକାଇବାକୁ ତାଙ୍କୁ ଆହୁରି କମ୍ ସମୟ ମିଳୁଥିଲା । ।।୨।। ବାକୀ ଗାଆଁ ବ୍ଳକ୍‌ରେ ରହିଥିବା ବିଭିନ୍ନସ୍ଥାନ ଅନେକ ସମୟରେ ଖାଲିପଡ଼ିରହିଥିଲା । କାର୍ଯ୍ୟକ୍ରମଗୁଡ଼ିକ ସୁଚାରୁରୂପେ ଚଳାଇବାକୁ ହେଲେ ଯେଉଁ କାର୍ଯ୍ୟରେ ଯେତେଜଣ କର୍ମଚାରୀ ରହିବା ଆବଶ୍ୟକ ବୋଲି ସ୍ଥିର ହୋଇଥିଲା, ସେହି ଅନୁସାରେ ସ୍ଥାନଗୁଡ଼ିକର ପୂରଣ ହୋଇ ପାରୁନଥିଲା । ଅଧୀତ ବ୍ଳକ୍‌ଗୁଡ଼ିକର ୪୦% ଭାଗରେ ବିଭିନ୍ନ ସମୟରେ ବି.ଡ଼ି.ଓ.ଙ୍କର ସ୍ଥାନ ମଧ୍ୟ ଖାଲି ପଡ଼ି ରହୁଥିଲା । ପ୍ରତ୍ୟେକ ବ୍ଳକ୍‌ରେ ହାରାହାରି ପାଞ୍ଚମାସ ପର୍ଯ୍ୟନ୍ତ ମଧ୍ୟ କୌଣସି ବି.ଡ଼ି.ଓ. ନଥାଇ କାମ ଚଳୁଥିଲା, ପାଞ୍ଚ ଦଶମାସ ପର୍ଯ୍ୟନ୍ତ ୬୦% ବ୍ଳକ୍‌ରେ କୌଣସି କୃଷି-ପ୍ରସାର-ଅଫିସର ନଥିଲେ ଅର୍ଥାତ୍ ବ୍ଳକ୍-ଆୟର ଏକଚତୁର୍ଥାଂଶ ସମୟ ବ୍ଳକ୍‌ର ଅଞ୍ଚଳ ସେମାନଙ୍କର କୌଣସି ସେବା ପାଇପାରିନଥିଲା ।

 

ବିଶ୍ୱରାଷ୍ଟ୍ରସଂଘ ଦ୍ୱାରା ପ୍ରକାଶିତ ଏକ ପୁସ୍ତିକା (୧୧) ଅନୁସାରେ ସାମୁଦାୟିକ ବିକାଶକ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମଚାରୀ ଓ କର୍ମୀର କେତୋଟି ବ୍ୟକ୍ତିଗତ ତଥା କର୍ମଗତ ଗୁଣ ଅବଶ୍ୟ ରହିଥିବା ଉଚିତ । ସାମୁଦାୟିକ ବିକାଶକାର୍ଯ୍ୟର ଉପାଦେୟତା ଉପରେ ତା’ର ଆପଣାର ମଧ୍ୟ ଯଥେଷ୍ଟ ବିଶ୍ୱାସ ରହିଥିବ । ତାହାର ଚରିତ୍ରନିଷ୍ଠା ରହିଥିବ ଅର୍ଥାତ୍ ସେ ଯାହା କହୁଥିବ, ତାହାରି ଉପରେ ପ୍ରକୃତରେ ବିଶ୍ୱାସ କରୁଥିବ ଓ ତାହାକୁ କାର୍ଯ୍ୟରେ ପରିଣତ କରିବାସକାଶେ ଯଥାଶକ୍ତି ଉଦ୍ୟମ କରିବାକୁ ମଧ୍ୟ ପ୍ରସ୍ତୁତ ଥିବ । ସେ ଲୋକମାନଙ୍କ ‘ସହିତ’ କାର୍ଯ୍ୟ କରିପାରୁଥିବ । କେବଳ ଜଣେ ଦୟାଶୀଳ ଶୁଭାକାଙ୍‌କ୍ଷୀ ହିସାବରେ ଉପରେ ଥାଇ ଲୋକମାନଙ୍କ ‘ପାଇଁ’ କାର୍ଯ୍ୟକରିବାର ଉତ୍କଣ୍ଠା ଦେଖାଉଥିଲେ ସାମୁଦାୟିକ ବିକାଶଲାଗି ତାହା ଯଥେଷ୍ଟ ହେବନାହିଁ । ଏହିପରି ଜଣେ କର୍ମୀ ଭିତରେ ସମୟଜ୍ଞାନ ଓ ମହତ୍ତ୍ୱଜ୍ଞାନ ଯଥେଷ୍ଟ ପରିମାଣରେ ରହିଥିବ । ଅର୍ଥାତ୍ ଗ୍ରାମବାସୀର ଆବଶ୍ୟକତାକୁ ସେ ଯଥେଷ୍ଟ ମହତ୍ତ୍ୱ ଦେଇ ବୁଝିପାରୁଥିବ ଏବଂ ଆବଶ୍ୟକତାଟିର ପୂରଣ ଲାଗି ସେ ଉଚିତ ସମୟରେ ଯଥାସମୟରେ ଯାଇ ପହଞ୍ଚିପାରୁଥିବ । କାର୍ଯ୍ୟ ଓ ଦାୟିତ୍ୱକୁ ଟାଳିବା ଲାଗି ଅସୁବିଧା ଦର୍ଶାଇଲେ ବା କୈଫିୟତ୍‌ମାନ ଦେବାକୁ ବସିଲେ କାମ ଚଳିବନାହିଁ । ସେ ଗ୍ରାମବାସୀଙ୍କୁ ଆବଶ୍ୟକ ସାହାଯ୍ୟ ଅବଶ୍ୟ କରିବ, ଆବଶ୍ୟକ ଶିକ୍ଷା ଅବଶ୍ୟ ଦେବ । କିନ୍ତୁ ତା’ବୋଲି ସେମାନଙ୍କୁ ପରନିର୍ଭରଶୀଳ କରି ରଖିବାଲାଗି ସେ କୌଣସି ଅବଧାନିଆ ଅପଚେଷ୍ଟା କରିବନାହିଁ । ଲୋକମାନେ ଯେପରି ଆପଣାଭିତରେ ସଂଗଠିତ ହୋଇ ଆପଣା ଭାଗ୍ୟକୁ ସଜାଡ଼ିବାର ଆଗ୍ରହରେ ଆପେ ତତ୍ପର ହୋଇପାରିବେ, ସେହିପରି ଏକ ବାତାବରଣ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ସେ ଲୋକମାନଙ୍କୁ ତା’ର ପ୍ରତ୍ୟେକ କାର୍ଯ୍ୟର ଜରିଆରେ ପ୍ରବର୍ତ୍ତାଇବାରେ ଲାଗିଥିବ ।

 

ବିଦେଶର ଆଉଜଣେ ବିଶେଷଜ୍ଞ କହିଚନ୍ତି (୧୨) ଯେ, ସାମୁଦାୟିକ ବିକାଶକ୍ଷେତ୍ରରେ କାର୍ଯ୍ୟ କରିବାଲାଗି ଉପଯୁକ୍ତ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଠାରେ ନିମ୍ନଲିଖିତ ଆବଶ୍ୟକ ବିଶେଷତାମାନେ ରହିଥିବା ଦରକାର : ।।୧।। ସେ କୌଣସି ଗାଆଁ ବା ସାନ ସହରରେ ତା’ର ବାଲ୍ୟାବସ୍ଥା କଟାଇଥିବ ଓ ଶିକ୍ଷାଗ୍ରହଣ କରିଥିବ । କୌଣସି ଅତିବଡ଼ ସହରରେ ବଢ଼ିଥିବା ବ୍ୟକ୍ତିମାନେ ସାଧାରଣତଃ ବିକାଶକାର୍ଯ୍ୟଲାଗି ଅନୁରୂପ ଦୃଷ୍ଟିକୋଣ ଅର୍ଜନ କରି ପାରନ୍ତିନାହିଁ । ।।୨।। ସେ ଯେଉଁ ଘରେ ଜନ୍ମ ହୋଇଥିବ, ସେହି ଘର ଅତିରିକ୍ତ ଧନୀ ବା ଅତିରିକ୍ତ ଦରିଦ୍ର ମଧ୍ୟ ହୋଇନଥିବ । ।।୩।। ସେ କୌଣସି ବିଶେଷ ଘରୋଇ ସ୍କୁଲରେ ପଢ଼ିନଥିବ-। ଦେଶର ଅନ୍ୟାନ୍ୟ ପିଲାମାନେ ସାଧାରଣତଃ ଯେପରି ସ୍କୁଲକୁ ପଢ଼ିବାକୁ ଯାଆନ୍ତି, ସିଏ ମଧ୍ୟ ସେହିପରି ସ୍କୁଲରେ ପାଠ ପଢ଼ିଥିବ । ।।୪।। ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଲାବେଳେ ସମାଜବିଜ୍ଞାନକୁ ସେ ଗୋଟିଏ ଅନିବାର୍ଯ୍ୟ ବିଷୟରୂପେ ନେଇଥିବ । ।।୫।। କିନ୍ତୁ ସବୁଠାରୁ ବଡ଼ ବିଶେଷତା ହେଉଚି ଯେ ଲୋକମାନେ ତାକୁ ଭଲଲାଗୁଥିବେ । ଗାଆଁର ଲୋକମାନଙ୍କ ମଧ୍ୟରେ କାମ କରିବାକୁ ଗଲାବେଳେ ସେ ସ୍ୱଭାବତଃ ଏକ ଅନୁକୂଳ ଆଗ୍ରହ ଅନୁଭବ କରିପାରୁଥିବ । ତାହାର ଶିକ୍ଷା ବା ତାଲୀମ ତାକୁ ଅଶିକ୍ଷିତମାନଙ୍କ ମେଳରେ ବସିବାଲାଗି କୌଣସିପ୍ରକାରେ ଅସ୍ୱସ୍ଥ କରୁନଥିବ ।

 

ବ୍ରିଟିଶ୍ ଅମଳରେ ଭାରତବର୍ଷକୁ ପ୍ରଧାନତଃ ଏକ ଉପନିବେଶ କରି ରଖିବା ଲାଗି ଶାସନ ଚଳୁଥିଲା, ଏହି ଦେଶର ଉନ୍ନୟନ ଓ ସାମୁଦାୟିକ ବିକାଶଲାଗି ଶାସନ ଚଳୁନଥିଲା । ସେତେବେଳେ ଦେଶର ପ୍ରଶାସନ ଦେଶଯାକ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବାଲାଗି ଦାୟୀ ହୋଇ ରହିଥିଲା, ଦେଶ ଓ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ କରିବାଲାଗି ତାହାର କୌଣସି ଦାୟିତ୍ୱ ନଥିଲା । ସମଗ୍ରତଃ କହିବାକୁ ଗଲେ ସେତେବେଳର ପ୍ରଶାସନ ଭାରତବର୍ଷର ଲୋକଜୀବନକୁ ଗିଳିକରି ରହିଥିବା ଯାବତୀୟ ପ୍ରକାର ପରନିର୍ଭରତା ଲାଗି ସମ୍ଭବତଃ ସର୍ବଶ୍ରେଷ୍ଠ ପ୍ରତୀକ ହୋଇ ରହିଥିଲା । ବ୍ରିଟିଶ୍ ଶାସନ ଯାଇ ସ୍ୱାଧୀନତା ଆସିଲା । ଔପନିବେଶିକ ଯୁଗର ଅନ୍ତ ହୋଇ ପ୍ରତିନିଧିମୂଳକ ଲୋକଶାସନର ଯୁଗ ଆସିଲା, ଯେକୌଣସି ଅବିକଶିତ ଦେଶରେ ଜନଗଣର ଭାଗ୍ୟରେ ବିକାଶ ସାଧନ କରିବା ହିଁ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ ହୋଇ ରହିବା ଉଚିତ ଏବଂ ଏହି ବିକାଶଲାଗି ଏକ ଯୋଗ୍ୟତର ମାଧ୍ୟମରୂପେ ବ୍ୟବହୃତ ହେବାଲାଗି ଦେଶର ପ୍ରଶାସନ-କଳରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନମାନ କରାଯିବା ଉଚିତ । ବ୍ରିଟିଶ୍ ଅମଳରେ ଭାରତବାସୀଙ୍କୁ କେବଳ ପ୍ରଜାପରି ଦେଖାଯାଉଥିଲା, କେବଳ ବାଧ୍ୟ ହୋଇ ରହିବାକୁ ଜନ୍ମ ହୋଇଥିବା ଯନ୍ତ୍ରସଦୃଶ ଦେଖାଯାଉଥିଲା । ମଣିଷକୁ ବୋଲ ମାନିବାର ଯନ୍ତ୍ରକରି ରଖିବାର ଚେଷ୍ଟା କରୁଥିବା ପ୍ରଶାସନକୁ ମଧ୍ୟ ଅନେକ ପରିମାଣରେ ଯନ୍ତ୍ର ପରି ଆଚରଣ କରିବାକୁ ପଡ଼େ । କିନ୍ତୁ ସ୍ୱାଧୀନ ଭାରତର ସ୍ୱାଧୀନତାକୁ ଯଥାର୍ଥ ମୂଲ୍ୟ ଦେଇ ଜୀଆଇ ରଖିବାକୁ ହେଲେ ଏହି ଦେଶରେ ମଣିଷ ତିଆରି କରିବାର ଉଦ୍ୟମ ହିଁ ଅଧିକ ହେବା ଉଚିତ ଏବଂ ଏହି ଦେଶର ପ୍ରଶାସନକୁ ମଧ୍ୟ ମଣିଷଲାଗି ଚାଲୁଥିବା ଏକ ବ୍ୟବସ୍ଥାରୂପେ କାର୍ଯ୍ୟ କରି ଶିଖିବା ଉଚିତ । ଗଣତନ୍ତ୍ରଶାସନରେ ପ୍ରଶାସନ-ବିଭାଗକୁ କେବଳ ଏକ ବୃହତ୍ତ ଅଟ୍ଟାଳିକା ଭିତରେ ଫିଟ୍ ହୋଇ ରହିଥିବା ବୃହଦାକାର ଏକ ଯନ୍ତ୍ରପରି କଳ୍ପନା କୁହାଯାଇପାରିବ ନାହିଁ । ଗଣତନ୍ତ୍ରର ଶାସନ ଗୋଟାଏ ବଢ଼ିଆ ଅଥଚ ଉଦ୍ଦେଶ୍ୟହୀନ ଓ ଉଦାସୀନ ଯନ୍ତ୍ରହେବାକୁ ଆପଣାର ଆଦର୍ଶ ବୋଲି ମାନିନେବ ନାହିଁ, ଗଣତନ୍ତ୍ରର ଆକାଙ୍‌କ୍ଷା ଅନୁସାରେ ଆପଣାର ଭାଗ୍ୟ ଓ ଆପଣାର ମାର୍ଗଗୁଡ଼ିକୁ ଗଢ଼ିବାକୁ ବସିଥିବା ଯେକୌଣସି ଦେଶରେ ମଣିଷହିଁ ପ୍ରଶାସନର ସର୍ବପ୍ରଥମ ଧ୍ୟେୟ ହୋଇ ରହିବ, ତା’ ନହେଲେ ଦେଶରେ ଏକ ନୂଆ କିସମର ଦାସତା ପଶିଯିବ, ସମୁଦାୟର ବିକାଶ ସୁଦୂରପରାହତ ରହିଯିବ ।

 

ଗଣତନ୍ତ୍ର-ଶାସନରେ ପ୍ରଶାସନର ସ୍ୱଭାବ ଓ ଚରିତ୍ର କିପରି ଅଲଗା ପ୍ରକାରର ହେବା ଉଚିତ, ଗୋଟିଏ ପୁସ୍ତକରେ (୧୩) ସେହି ବିଷୟରେ କୁହାଯାଇଚି; ‘‘ଗଣତନ୍ତ୍ର-ବ୍ୟବସ୍ଥାରେ ଏକ ସମ୍ପୂର୍ଣ୍ଣ ନୂତନ ରୀତିରେ ଓ ସଂଗଠନ ଅନୁସାରେ ଶାସନକାର୍ଯ୍ୟ ଚାଲିବା ଆବଶ୍ୟକ । ଗଣତନ୍ତ୍ରକୁ ଧ୍ୟେୟ ବୋଲି ମାନିଥିବା ଯେକୌଣସି ସମୁଦାୟ ଯେଉଁସବୁ ବିଶେଷତାକୁ ଲକ୍ଷ୍ୟ ବୋଲି ଗ୍ରହଣ କରିଚି, ଦେଶର ପ୍ରଶାସନ ସେହିସବୁ ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ସଂଗତି ରଖି ଚାଲିବା ବାଞ୍ଛନୀୟ । ଗଣତନ୍ତ୍ର ଲାଗି ନେତୃତ୍ୱ ଲୋଡ଼ା । ଉପରୁ କର୍ତ୍ତୃତ୍ୱ ଦେଖାଇ କୌଣସି ଆଦେଶକୁ ତଳସ୍ତରର ଲୋକମାନଙ୍କ ଉପରେ ମନମୁଖି ଲଦିଦେଲେ ତାହାକୁ ନେତୃତ୍ୱ ବୋଲି କୁହାଯାଇପାରିବ ନାହିଁ । ଏହାକୁ ହୁଏତ କାର୍ଯ୍ୟ ହାସଲ କରିବାର ଏକ ଦକ୍ଷତା ବୋଲି କୁହାଯାଇପାରେ । କିନ୍ତୁ ଏହାକୁ ଆମେ ଗଣତନ୍ତ୍ରର ବିଶେଷ ଆକାଙ୍‌କ୍ଷାଗୁଡ଼ିକୁ ହତ୍ୟା କରିବାର ଦକ୍ଷତା ବୋଲି ମଧ୍ୟ କହିପାରିବା । ଏହାଦ୍ୱାରା ସେହି ଆକାଙ୍‌କ୍ଷାଗୁଡ଼ିକୁ ଦବାଇ ରଖାଯାଏ, ସବୁପ୍ରକାର ନିରୁତ୍ସାହିତ କରି ସେଗୁଡ଼ିକର ବେକ ମୋଡ଼ି ଦିଆଯାଏ । ଉଚିତ ନେତୃତ୍ୱ ଦେଇ ସେଗୁଡ଼ିକୁ ଆଗକୁ ବଢ଼ାଇନେବା ପରିବର୍ତ୍ତରେ ସେଗୁଡ଼ିକୁ ନଷ୍ଟ କରି ଦିଆଯାଏ । ଏହିପରି ଏକ ‘ଦକ୍ଷତା’ର ମାର୍କା ମାରି ଆପଣାର ପ୍ରଚାର କରୁଥିବା ପ୍ରଶାସନର ସହାନୁଭୂତି-ବର୍ଜିତ ଦୃଷ୍ଟିକୋଣ ବିରୁଦ୍ଧରେ ସଂଘର୍ଷ କରିବା ଗଣତନ୍ତ୍ରଲାଗି ନିରନ୍ତର ଏକ ଅବଶ୍ୟ କର୍ତ୍ତବ୍ୟ ହୋଇ ରହିଆସିଚି ।’’

 

କହିବା ବାହୁଲ୍ୟ, ଗଣତନ୍ତ୍ର ଓ ସମାଜବାଦକୁ ଆମେ ଜାତୀୟ ଧ୍ୟେୟରୂପେ ସ୍ୱୀକାର କରିଥିଲେ ମଧ୍ୟ ଆମ ଦେଶର ପ୍ରଶାସନ ଆଜି ମଧ୍ୟ ପ୍ରଧାନତଃ ପୂର୍ବପରି ଦଶରଥଧର୍ମୀ ହୋଇ ରହିଚି । ସଂସ୍କୃତରେ କଙ୍କଡ଼ାକୁ ଦଶରଥ ବୋଲି କୁହାଯାଏ । କଙ୍କଡ଼ା ଦେହରେ ହାତ ମାରିଲେ ତାହା ଆମର ହାତକୁ ଚାପିରଖେ, ଅଟକାଇରଖେ । ସ୍ୱାଧୀନ ଦେଶ ଭାରତର ପ୍ରଶାସନ ହୁଏତ ଆମକୁ ଆଗକୁ ଯିବାକୁ ଦେବା ଅପେକ୍ଷା ଅଟକି ରହିବାରେ ହିଁ ଅଧିକ ସାହାଯ୍ୟ କରିବାରେ ଲାଗିଚି । ଏହି ପ୍ରଶାସନର ଉଚ୍ଚ ସୋପାନରେ ରହିଥିବା ହାକିମମାନଙ୍କର ଦୃଷ୍ଟିରେ ଆଜି ମଧ୍ୟ ଅନେକପ୍ରକାର କର୍ମଗତ ଓ ମନୋଗତ କୁସଂସ୍କାର ପରଳ ମଡ଼ାଇ ରହିଚି । ବ୍ରିଟିଶ୍ ଅମଳରେ ହାକିମମାନେ ଯେଉଁଭଳି କର୍ମକାଣ୍ଡ ଅନୁସାରେ ନିତ୍ୟାହ୍ନିକ ବିଧିର ଅନୁଶୀଳନ କରୁଥିଲେ, ଆଜି ଜାତୀୟ ଗଣତନ୍ତ୍ର-ଆଭରଣ ପିନ୍ଧିଥିବା ପ୍ରଶାସନ ମଧ୍ୟ ହୁଏତ ସେହି କର୍ମକାଣ୍ଡକୁ ହିଁ ଅନୁସରଣ କରି ଚଳୁଚି । ଏହି ହାକିମମାନେ ଶିକ୍ଷିତ ଅଭ୍ୟାସର ସକଳ ସନ୍ତର୍ପଣରେ ଗଣତନ୍ତ୍ର ଓ ସମାଜବାଦକୁ ସଲାମ୍ କରିବାରେ କୌଣସିପ୍ରକାର ତ୍ରୁଟି କରୁନାହାନ୍ତି, କିନ୍ତୁ ଆପଣାର କର୍ମାଚରଣରେ ଏହିଦେଶର ଶାସନ ନାମରେ ସେମାନେ ସେହିପୁରୁଣା ବୋତଲରେ ନୂଆ ମଦକୁ ହିଁ ଢାଳିବାରେ ଲାଗିଚନ୍ତି । ସେହିମାନଙ୍କର ଚତୁର ଦୋରସ୍ତ ଅପରିବର୍ତ୍ତିତ ମନର କଳାଲାଗି ବଢ଼ିଆରୁ ବଢ଼ିଆ ଯୋଜନା ଓ ବଢ଼ିଆରୁ ବଢ଼ିଆ ବିକାଶ-ବ୍ୟବସ୍ଥା ମଧ୍ୟ କଳା ହୋଇଯାଉଚି; ଯେତେ ଆଶାର ହାଉଆ ଭରାଇ କୌଣସି କାର୍ଯ୍ୟ ଆରମ୍ଭ କରାଗଲେ ମଧ୍ୟ ଶେଷରେ ନିରାଶା ହିଁ ସାର ହେଉଚି । ପ୍ରଶାସନର ଆହୁଲା ଧରି ବସିଥିବା ଅଫିସର୍‌ ମାନେ ନାଆକୁ ନେଇ ନଈଭିତରେ ବେଶ୍ ଖେଳ ଦେଖାଉଚନ୍ତି, ମାତ୍ର ନାଆ ଯାଇ ସେପାରିରେ ଲାଗିବ ବୋଲି କୌଣସି ସୂଚନା ମିଳୁନାହିଁ । ପ୍ରଶାସନ ହାତରେ ଉଦାସୀନତା ନାମକ ଯେଉଁ ସିଦ୍ଧିଦାୟକ ଫୁଲଟି ରହିଚି, ତାହାରି ଗନ୍ଧ ଲାଗି ସବୁପ୍ରକାର ଆଦର୍ଶମୂଳକ ଓ ନିର୍ମାଣକାରୀ ପ୍ରୟାସ ପ୍ରଧାନତଃ ମେଣ୍ଢାରେ ହିଁ ପରିଣତ ହୋଇଯାଉଚି ।

 

ସାମୁଦାୟିକ ବିକାଶରେ କାମ କରିବାଲାଗି ନିଯୁକ୍ତ ହୋଇଥିବା ହାକିମ ଓ ଅମଲାମାନେ ସ୍ୱର୍ଗରୁ କୌଣସି ସ୍ୱତନ୍ତ୍ର ବରାଦ ଦିଆହୋଇ ଆସିନାହାନ୍ତି । ସରକାରୀ ଅନ୍ୟାନ୍ୟ ବିଭାଗ ପରି ଏହି ବିଭାଗକୁ ମଧ୍ୟ ସମଗ୍ର ପ୍ରଶାସନ-ଯନ୍ତ୍ରର ଅନ୍ତର୍ଭୁକ୍ତ ହୋଇ ରହିବାକୁ ପଡ଼ୁଚି । ମାତ୍ର ଅପର ପକ୍ଷରେ କେବଳ ଏହିବିଭାଗକୁ ହିଁ ଦେଶର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ କୁହାଯାଇଚି । ଏହି କାର୍ଯ୍ୟ ସରକାରୀ ଅମଲାମାନଙ୍କ ଦ୍ୱାରା କ୍ୱଚିତ୍ ସମ୍ଭବ ହୋଇଚି । ଯେଉଁଠି ସମ୍ଭବ ହୋଇଚି, ସେଠି ପ୍ରଶାସନକୁ ଯୁଗପତ୍‌ ଭାବରେ ଆବଶ୍ୟକତା ଅନୁସାରେ ବଦଳିବାକୁ ହିଁ ପଡ଼ିଚି । ଭାରତବର୍ଷର କର୍ଣ୍ଣଧାରମାନେ ଯେ ଏହା ପ୍ରଥମରୁ ବୁଝିନାହାନ୍ତି, ତାହା ନୁହେଁ । ମାତ୍ର ଯେଉଁସବୁ ଅସମର୍ଥତାର କାରଣରୁ ହେଉ ପଛକେ, ସେମାନେ ଗତ ଗୋଟାଏ ପୁରୁଷ ଧରି ପ୍ରଶାସନର କର୍ମସ୍ୱଭାବ ବଦଳାଇବାକୁ କହିଆସିଥିଲେ ମଧ୍ୟ ସେଥିରେ ବିଶେଷ କୃତକାର୍ଯ୍ୟ ହୋଇ ପାରିନାହାନ୍ତି । ୧୯୬୧ ମସିହାରେ ଲିଖିତ ଗୋଟାଏ ପ୍ରବନ୍ଧରେ ପଣ୍ଡିତ ନେହରୁ ଲେଖିଥିଲେ, ‘‘ଯେଉଁମାନେ ଏହି ସାମୁଦାୟିକ ବିକାଶ ଆନ୍ଦୋଳନର ଦାୟିତ୍ୱରେ ରହିଚନ୍ତି, ସେମାନଙ୍କ ଉପରେ ଏକ ଗୁରୁଦାୟିତ୍ୱ ନ୍ୟସ୍ତ ହୋଇ ରହିଚି । ସେମାନେ ପ୍ରତ୍ୟେକ ଆପଣାକୁ ଗୋଟାଏ ବୃହଦାକାର ଯନ୍ତ୍ରରେ କେବଳ ଗୋଟିଏ ଗୋଟିଏ ପେଚ ବା ପୁର୍ଜା ବୋଲି ବିଚାରିବା ଉଚିତ ନୁହେଁ । ଯେଉଁ ଗତିଶୀଳ ଓ ବିପ୍ଳବକାରୀ ପ୍ରକ୍ରିୟାଦ୍ୱାରା ଆମେ ଗ୍ରାମମୟ ଭାରତବର୍ଷକୁ ବଦଳାଇବା ଲାଗି ବାହାରିଚୁ, ସେହି ଜୀବନୋଦ୍ଦୀପକ ପ୍ରକ୍ରିୟାରେ ସେମାନେ ଗୋଟିଏ ଗୋଟିଏ ଜୀବନ୍ତ ଅଙ୍ଗସ୍ୱରୂପ ହୋଇ ରହିବେ ।’’ (ପୁସ୍ତକ ଟିପ୍ପଣୀ –୫, ପୃଷ୍ଠା–୩୧୭) ସରକାରୀ ପ୍ରଶାସନରେ ସକଳ କ୍ଷମତା ଓ ସକଳ ଦାୟିତ୍ୱ କେବଳ ଗୋଟିଏ ବା କେତୋଟି ସ୍ଥାନରେ ଠୁଳ ହୋଇ ରହିବନାହିଁ ଏବଂ ଯଥାସମ୍ଭବ ବିତରିତ ହୋଇ ରହିବ ଅର୍ଥାତ୍ ଅଧିକରୁ ଅଧିକ ଲୋକେ ଏହି କାର୍ଯ୍ୟକ୍ରମର ସଫଳତା ସକାଶେ ଆପଣାକୁ ଦାୟୀ ବୋଲି ଅନୁଭବ କରିବେ । ଉକ୍ତ ପ୍ରବନ୍ଧଟିର ପଣ୍ଡିତ ନେହରୁ ଏପରି ଏକ ସୂଚନା ମଧ୍ୟ ଦେଇଚନ୍ତି ।

 

ନେହରୁଙ୍କର ଏହି ଭକ୍ତିକୁ ଗୁରୁବାକ୍ୟ ପରି ଲୟକରି ଦେଶସାରା ବୁଲିଆସିଲେ ଆମକୁ ହୁଏତ ହତାଶ ହିଁ ହେବାକୁ ପଡ଼ିବ । କାରଣ କ୍ଷମତାକୁ ଯଥାସମ୍ଭବ ଠୁଳ କରି ରଖିବା ଓ ଉପର ଗଣ୍ଠିର ଦୋଷ ଦେଇ ଯଥାସମ୍ଭବ ଆପଣାର ଦାୟିତ୍ୱକୁ ଏଡ଼ିଦେବା ହେଉଚି ଅମଲାତନ୍ତ୍ରର ଧର୍ମ । ଏହି ସ୍ୱଭାବମାର୍ଗଟିକୁ ଛାଡ଼ିଲେ ଅମଲାତନ୍ତ୍ର ଆଉ ଅମଲାମାନଙ୍କର ତନ୍ତ୍ର ହୋଇ ରହିବନାହିଁ । ଏହା ଲୋକତନ୍ତ୍ରର ପରିପୂରକ ଭାବରେ ଆପଣାକୁ ନିଯୁକ୍ତ କରି ରଖିଶିଖିବ । ସାମୁଦାୟିକ ବିକାଶର ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ବିକାଶକାର୍ଯ୍ୟରେ ସବୁ ଗାଡ଼ି ବେଶ୍ ବଢ଼ିଆଭାବରେ ଚାଲୁଚି ବୋଲି ସମସ୍ତେ ଅନୁଭବ କରୁଥିଲେ ଏବଂ ଖୁସି ହେଉଥିଲେ, ସେତେବେଳେ ବ୍ଳକ୍‌ସ୍ତରରେ କର୍ମୀ ଓ କର୍ମଚାରୀମାନେ ମଝିରେ ମଝିରେ ଏକାଠି ବସୁଥିଲେ ଓ ଏକାଠି ଆପଣା କାର୍ଯ୍ୟଗୁଡ଼ିକର ଚର୍ଚ୍ଚା କରୁଥିଲେ । ବାହାରୁ ଦେଖି ସମସ୍ତେ ଏହି ରୀତିଟିର ବାହା ବାହା କରୁଥିଲେ । କାରଣ ବଡ଼ ସାନ, ଉପର ତଳ ଏକାଠି ବସି କାର୍ଯ୍ୟର ପ୍ରଶାସନ ସମ୍ବନ୍ଧୀୟ ଦିଗଗୁଡ଼ିକର ଚର୍ଚ୍ଚା କରିବେ, ଭାରତରେ ଏହି ରୀତି ନୂଆ ଲାଗୁଥିଲା । କିନ୍ତୁ ଏହିସବୁ ଚର୍ଚ୍ଚାରେ ବିଚାରର ବିନିମୟ ହେଉଥିଲା ନାଁ କେବଳ ପ୍ରସାଦର ବିତରଣ କରାଯାଉଥିଲା, ଗୋଟିଏ ପୁସ୍ତକରୁ (୧୪) ଆମେ ତାହା ଉଦ୍ଧାର କରି ଦେଖିବା : ‘‘ବିକାଶକର୍ମୀମାନଙ୍କର ଚର୍ଚ୍ଚା-ଚକ୍ରମାନଙ୍କରେ, ଯେଉଁମାନେ ପ୍ରଶାସକୀୟ ଫର୍ଦ୍ଦର ସିଡ଼ି ଅନୁସାରେ ଉଚ୍ଚପଦରେ ରହିଥିଲେ, ସେହିମାନେ ହିଁ ସମସ୍ତଙ୍କଠାରୁ ଅଧିକ କଥା କହୁଥିଲେ । ଏସବୁ ସଭାରେ ଗ୍ରାମସେବକମାନେ ସାଧାରଣତଃ ଅତି କମ୍ ସଂଖ୍ୟାରେ ଉପସ୍ଥିତ ରହୁଥିଲେ ଏବଂ ଉପସ୍ଥିତ ରହୁଥିବା ଗ୍ରାମସେବକମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତେଜଣ ଚର୍ଚ୍ଚାଲୋଚନାଗୁଡ଼ିକରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ।’’ ଏହି ପୁସ୍ତକରେ ଆଉଗୋଟିଏ ସ୍ଥାନରେ କୁହାଯାଇଚି, ‘‘ହୁଏତ ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିପାରେ ଯେ ଗୋଟିଏ ବ୍ଳକ୍‌ର ବି.ଡ଼ି.ଓ ଆପଣାର ଗ୍ରାମସେବକମାନଙ୍କୁ ସମଗ୍ର ଭାରତବର୍ଷରେ ଶ୍ରେଷ୍ଠ ଗ୍ରାମସେବକବାହିନୀ କହି ଗୌରବ ଅନୁଭବ କରୁଚନ୍ତି, କିନ୍ତୁ ଏଣେ ବ୍ୟକ୍ତିଗତ ଭାବରେ ଗ୍ରାମସେବକମାନଙ୍କ ସହିତ ସେ କେବଳ ଏକ ଔପଚାରିକ ଆଇନଗତ ସମ୍ପର୍କ ହିଁ ରଖିଚନ୍ତି । ମଣିଷ ମଣିଷ, ବିଶେଷତଃ ଏକ କ୍ଷେତ୍ରରେ ଏକ ଉଦ୍ଦେଶ୍ୟଲାଗି କାର୍ଯ୍ୟ କରୁଥିବା ମଣିଷ ଓ ମଣିଷ ଭିତରେ ଯେପରି ଅନୌପଚାରିକ ସମ୍ବନ୍ଧ ରହିବା ଅତି ସ୍ୱାଭାବିକ, ଜଣେ ବି.ଡ଼ି.ଓ. ଓ ଜଣେ ଗ୍ରାମସେବକ ମଧ୍ୟରେ ସେପରି ସମ୍ବନ୍ଧ ଦେଖିବାକୁ ହିଁ ମିଳେନାହିଁ । ଉପରିସ୍ଥ ଜଣେ ହାକିମ ତଳେ କାମକରୁଥିବା ଜଣେ କର୍ମଚାରୀ ସହିତ ଯେପରି ବ୍ୟବହାର ଦେଖାଇଥାଏ, ବି.ଡ଼ି.ଓ. ଓ ଗ୍ରାମସେବକର ସମ୍ବନ୍ଧକ୍ଷେତ୍ରରେ ମଧ୍ୟ ପ୍ରାୟ ସେହି ବ୍ୟବହାର ହିଁ ପରିଦୃଷ୍ଟ ହୁଏ । ବ୍ଳକ୍‌ର କାର୍ଯ୍ୟକର୍ତ୍ତାମାନେ ଯେତେବେଳେ କୌଣସି ବିଷୟରେ ଆଲୋଚନା ପାଇଁ ଏକାଠି ହୁଅନ୍ତି, ସେତେବେଳେ ବି.ଡ଼ି.ଓ ଏବଂ ବିଶେଷଜ୍ଞ ଭାବରେ ରହିଥିବା ପ୍ରସାର-ଅଫିସରମାନେ ଗ୍ରାମସେବକମାନଙ୍କୁ କେବଳ ନିର୍ଦ୍ଦେଶମାନ ଦିଅନ୍ତି, ସେମାନଙ୍କର ଅନୁଭୂତି ବା ଅଭିଜ୍ଞତାମାନ ଶୁଣିବା ବା ସେମାନଙ୍କର ମତ ଜାଣିବାକୁ ଆଗ୍ରହ ପ୍ରକାଶ କରିବାର ପ୍ରଶ୍ନ ହିଁ ଉଠେନାହିଁ ।’’ (ତତ୍ରୈବ: ପୃଷ୍ଠା–୫୬୬) ଏହି ରୀତିରେ ମଣ ହୋଇ ରହିଥିବା ଗ୍ରାମସେବକ ମଧ୍ୟ ତୁଣ୍ଡ ନ ବଜାଇବାକୁ ହିଁ ସବୁଠାରୁ ଅଧିକ ନିରାପଦ ପନ୍ଥାରୂପେ ଗ୍ରହଣ କରିନିଏ । ଅଫିସରମାନଙ୍କ ମତଠାରୁ ଭିନ୍ନମତ ପୋଷଣ କରିବା ଆମ ପରମ୍ପରାଗତ ପ୍ରଶାସନର ପାଞ୍ଜିରେ ନାହିଁ, ଅଫିସରମାନଙ୍କ ମତରେ ପରିପୂରଣ କରିବା ଉଦ୍ଦେଶ୍ୟରେ ତଳୁ ଥାଇ ଦୁଇପଦ କହିବାଟାକୁ ଅନେକ ସମୟରେ ଧୃଷ୍ଟତା ବୋଲି ଗ୍ରହଣ କରାଯିବାର ଆଶଙ୍କା ବି ରହିଚି ।

 

‘‘ବ୍ରିଟିଶ ଭାରତରେ ପ୍ରଶାସକ ଓ ପ୍ରଶାସିତ ମଧ୍ୟରେ ଯଥାସମ୍ଭବ ଏକ ସାମାଜିକ ଦୂରତା ରକ୍ଷା କରିବା ଅବଶ୍ୟମ୍ଭାବୀ ହୋଇ ରହିଥିଲା । ବ୍ରିଟିଶ୍ ରାଜତ୍ୱ ଦୂର ହୋଇଗଲାଣି, ସରକାର ବଦଳିଗଲାଣି, କିନ୍ତୁ ସେହି ଦୂରତା ଆଜି ମଧ୍ୟ ପ୍ରାଦୁର୍ଭାବ ବିସ୍ତାର କରି ରହିଚି । ଶାସନର ପୁରୁଣା କଳ ଜାଗାରେ ଗୋଟାଏ ନୂଆ କଳର ଥାପନା କରାଯାଇଚି । ...ଏହି ନୂତନ କଳଟି ପୁରୁଣାର ପରିଚ୍ଛଦ ଛାଡ଼ି ନୂଆ ପରିଚ୍ଛଦ ପିନ୍ଧୁଚି, କିନ୍ତୁ ଇଂରାଜୀ ପୋଷାକରେ ଏହାର ରୀତି ଓ ପ୍ରକୃତି ଯେଉଁପରି ରହିଥିଲା, ଏବେ ଖଦଡ଼ ପୋଷାକରେ ମଧ୍ୟ ତାହା ଠିକ୍ ସେହିପରି ରହିଚି । ସେତେବେଳ ପରି ବର୍ତ୍ତମାନ ମଧ୍ୟ ସକଳ ଉତ୍ସବ-ଅନୁଷ୍ଠାନ ତଥା ସକଳ ଦରବାର ବିଧିରେ ସେହି ପୁରୁଣା ଜାକଜମକ ଭର୍ତ୍ତିହୋଇ ରହିଚି, ଆଡ଼ମ୍ବର ବହୁଳ ଉପଚାରର ବାର ମାରି ସାଧାରଣ ଶାସିତବର୍ଗକୁ ଜଳକା କରି ଦିଆଯାଉଚି ଓ ତାକୁ ଶାସନଠାରୁ ଦୂରଛଡ଼ା କରି ରଖିବାର ଫନ୍ଦି କରାଯାଉଚି । ସରକାରଙ୍କର କୌଣସି ଏକ ନୀତି ନିର୍ଦ୍ଧାରିତ ହେଲାବେଳେ ଅନ୍ୟ ସକଳ ଦୃଷ୍ଟିକୋଣ ଅପେକ୍ଷା ପ୍ରଶାସନ ଦୃଷ୍ଟିରୁ ଯାହା ଅଧିକ ସୁବିଧାଜନକ ହେବ, ତାହାରି ଆଧାର ଉପରେ ଫଇସଲାମାନ କରାଯାଉଚି । ଯେଉଁସବୁ ଉଦ୍ଦେଶ୍ୟର ପରିପୂରଣ କରିବାଲାଗି ଭାରତରେ ଜାତୀୟ ଉଦ୍ୟମମାନ ଚାଲୁଚି, ସେବିଷୟରେ ଶାସକ ତଥା ଶାସିତ ଉଭୟଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଉଦ୍ଦୀପନ କରାଇବା ଓ ସେହି ଅନୁସାରେ ସମ୍ମିଳିତ ଶକ୍ତିରେ କାର୍ଯ୍ୟ କରିବା,–ଏହିପରି ଏକ ବାତାବରଣ ସୃଷ୍ଟି ହେବାଦିଗରେ କୌଣସି ପ୍ରୋତ୍ସାହନ ଦେବା ପରିବର୍ତ୍ତେ ଭାରତବର୍ଷର ପ୍ରଶାସନ ବଡ଼ ବଡ଼ ଅଫିସର ଓ ହାକିମମାନଙ୍କର ସମ୍ମାନ ବଜାୟ ରଖିବାକୁ ହିଁ ଆପଣାର ଅଧିକ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ ବୋଲି ଅନୁଭବ କରୁଚି ।’’ (ପୁସ୍ତକ ଟିପ୍ପଣୀ –୯, ପୃଷ୍ଠା–୨୯୦)

 

ପୁରୁଣା ଉପନିବେଶ-ଶାସନର ଯାନ୍ତ୍ରିକ ମନୋଭାବକୁ ଗଣ୍ଠି କରି ଧରିଥିବା ପର୍ଯ୍ୟନ୍ତ ଆମର ପ୍ରଶାସକମାନେ ଦେଶମଣିଷର ବିକାଶ କରିବା ତ ଦୂରେ ଥାଉ, ଆପଣାକୁ ଦେଶ ମଣିଷଙ୍କ ସହିତ ସମବର୍ଗୀୟ ରୂପେ ହୁଏତ ଅନୁଭବ ମଧ୍ୟ କରି ପାରିବେନାହିଁ । ଏହି ଦେଶରେ ରହିଥିଲେ ମଧ୍ୟ ସେମାନେ ନିଜର ଆଗ୍ରହ, ଆକାଙ୍‌କ୍ଷା, ଉଦ୍ୟମ ଓ ଅନୁରକ୍ତି ଗୁଡ଼ିକର ସହିତ ଅନ୍ୟ ଏକ କେଉଁ ଗ୍ରହରେ ବିଚରଣ କଲାପରି ରହିଥିବେ । ଦେଶର ଜନସାଧାରଣ ସେମାନଙ୍କୁ ଆପଣାଠାରୁ ଯୋଜନ ଯୋଜନ ଦୂରରେ ରହିଥିବା ପରି ଅନୁଭବ କରିବାରେ ଲାଗିଥିବ । ଏହି ଦେଶର କାର୍ଯ୍ୟରେ ଲାଗିପାରିବାକୁ ହେଲେ ଭାରତର ସାଧାରଣ ପ୍ରଶାସନକୁ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ । ଜାତିର ଅର୍ଥନୈତିକ ଉଦ୍ଦେଶ୍ୟମାନ ପୂରଣ କରିବାଲାଗି ଯେଉଁପରି ବିକାଶମୂଳ ଦୃଷ୍ଟିକୋଣ ରହିବା ଆବଶ୍ୟକ, ଭାରତୀୟ ପ୍ରଶାସନକୁ ସେହି ଦୃଷ୍ଟିକୋଣ ଅର୍ଜନ କରିବାକୁ ପଡ଼ିବ-।’’ (୧୫) ଏପରି ଏକ ଦୃଷ୍ଟିକୋଣ ଅର୍ଜନ କରିବାକୁ ହେଲେ ପ୍ରଶାସନ-କଳରେ କିପରି ପରିବର୍ତ୍ତନମାନ ହେବା ଆବଶ୍ୟକ ? ଏହି କଥାଟିର ଆଲୋଚନା କରି ଶ୍ରୀ ଡଗ୍‌ଲାସ୍ ଏନ୍‌ସ୍‌ମିଙ୍ଗର୍ କହିଚନ୍ତି: ‘‘ସରକାରୀ ପ୍ରଶାସନର ବିଭିନ୍ନ ପାହିଆ ଗୁଡ଼ିକରେ ଠୁଳ ହୋଇ ରହିଥିବା ଦାୟିତ୍ୱଗୁଡ଼ିକୁ ଯଥାସମ୍ଭବ ବିତରିତ କରିଦେବାକୁ ପଡ଼ିବ । ଦକ୍ଷତା ଓ ପ୍ରକୃତ କାର୍ଯ୍ୟ ଉପରେ ହିଁ କର୍ମଚାରୀମାନଙ୍କର ପଦୋନ୍ନତିର ନିର୍ଣ୍ଣୟ କରାଯିବ । ରାଜନୀତି ଓ ସ୍ୱଜନପ୍ରୀତିର କୌଣସି ଆକଟକୁ ନମାନି ପ୍ରତ୍ୟେକ ସ୍ଥାନ ସକାଶେ ସବୁଠାରୁ ଅଧିକ ଯୋଗ୍ୟ ବ୍ୟକ୍ତିକୁ ନିର୍ବାଚିତ କରାଯିବ ଏବଂ ତାହାକୁ ହିଁ ସେହି ପଦରେ ନିଯୁକ୍ତ କରାଯିବ । ସଫଳ ହେବାଲାଗି ଯେଉଁମାନଙ୍କ ଭିତରେ ଯଥେଷ୍ଟ ଆକାଙ୍‌କ୍ଷା ନାହିଁ, ଚାକିରୀ କରିବା କହିଲେ ଯେଉଁମାନେ ବେତନ ପାଇ ବସିଯିବା ବୋଲି ବିଚାରୁଚନ୍ତି, ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରିଦେବାର ସ୍ୱାଧୀନତା ରହିବ । ଭାରତବର୍ଷର ବିକାଶ ଦୃଷ୍ଟିରୁ ସାମୁହିକ ବିକାଶର ଯେଉଁ ଗୁରୁତ୍ୱ ଓ ମହତ୍ତ୍ୱ ରହିଚି, ତାହାରି ଆଧାର ଉପରେ ବିଚାର କରି ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ଲାଗି ଅଧିକ ବେତନର ବ୍ୟବସ୍ଥା ରହିବ । (ପୁସ୍ତକ ଟିପ୍ପଣୀ –୫, ପୃଷ୍ଠା–୩୮୩)

Unknown

 

ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଗୋଟିଏ ପୁସ୍ତକରେ ଉପରଲିଖିତ ମନ୍ତବ୍ୟଟି ପ୍ରକଟ କରାଯାଉଥିଲା । ଏହା ପରେ ପାଞ୍ଚ ବରଷ କଟିସାରିଲାଣି । ଏହି ମନ୍ତବ୍ୟଟିକୁ ପ୍ରକାଶିତ ରୂପ ଦେଇଥିବା ସରକାର ଏଦିଗରେ କୌଣସି ଚିନ୍ତା କରିଚନ୍ତି କି ନାହିଁ, ସେକଥା କେହି କହିପାରିବନାହିଁ, ମାତ୍ର ଏହି ଦିଗରେ କୌଣସି କାର୍ଯ୍ୟପନ୍ଥା ଯେ ଗ୍ରହଣ କରାଯାଇନାହିଁ, ସେକଥା ସମ୍ପୃକ୍ତ ସମସ୍ତେ ଜାଣିଚନ୍ତି । ବିକାଶ-ବିଭାଗର କର୍ମୀମାନଙ୍କର ବେତନ ବଢ଼ିବା ତ ଦୂରର କଥା, ଏହି ବିଭାଗକୁ ସରକାରୀ ଭଣ୍ଡାରର ନଥି ଅନୁସାରେ ଏକ ଅସ୍ଥାୟୀ ବିଭାଗ ବୋଲି କୁହାଯାଇଚି ଓ ନିରାପତ୍ତାଲୋଭୀ କର୍ମଚାରୀ-ମନ ଆଜି ମଧ୍ୟ ଏହି ବିଭାଗରେ ଆପଣାକୁ ଥୟ କରି ରଖିବାକୁ ପ୍ରମାଦ ବୋଲି ମଣୁଚି ।

 

ଏହି ଅଧ୍ୟାୟରେ ଆଲୋଚିତ ଗୋଟିଏ ପୁସ୍ତକରେ (ପୁସ୍ତକ ଟିପ୍ପଣୀ–୧୪, ପୃଷ୍ଠା–୫୫୧, ୫୭୭, ୫୮୨) ଲେଖକମାନେ ପୁଣି କହିଚନ୍ତି : ‘‘ଭାରତବର୍ଷର ଗାଆଁ ଗଣ୍ଡାରେ ବାସ କରୁଥିବା କୋଟି କୋଟି ଜନସାଧାରଣଙ୍କୁ ଜାତୀୟଜୀବନର ପ୍ରାଣପ୍ରବାହ ଭିତରକୁ କିପରି ଅଣାଯାଇ ପାରିବ ? ଏହି ଦେଶରେ ଯେଉଁମାନେ ସମଗ୍ର ଭାରତକୁ ଓ ଭାରତୀୟ ଜନତାର ପ୍ରତ୍ୟେକ ବର୍ଗକୁ ଜୀବନର ପରମ୍ପରାବଦ୍ଧ ଗତଭିତରୁ ବାହାରକରି ଆଧୁନିକତାର କ୍ଷେତ୍ର ଭିତରକୁ ଆଣିବାଲାଗି ଆକାଙ୍‌କ୍ଷା ରଖୁଚନ୍ତି, ସେହିମାନଙ୍କର ସମ୍ପର୍କରେ ଆସିଲେ ଯାଇ ସାଧାରଣ ଗ୍ରାମବାସୀର ଜଡ଼ତା ଦୂର ହୋଇଯିବ ଓ ସେ ମଧ୍ୟ ଆପଣା ଜୀବନରେ ଜାତୀୟ ସ୍ୱପ୍ନ ଓ ଜାତୀୟ ଅଭିଳାଷକୁ ବହନ କରୁଥିବାପରି ଅନୁଭବ କରିପାରିବ । ଦେଶରେ ଯେଉଁ ନେତାମାନେ ଏହି ପରିବର୍ତ୍ତନ ଆଣିବାଲାଗି ଯୋଜନା ତିଆରି କରୁଚନ୍ତି ଏବଂ ସେହି ଯୋଜନା ଅନୁସାରେ ଦେଶକୁ ଉଚିତ ମାର୍ଗରେ ନେବାଲାଗି ପ୍ରୟାସ କରୁଚନ୍ତି, ସେମାନଙ୍କର ମଧ୍ୟ ଦେଶର କୋଟି କୋଟି ଲୋକଙ୍କର ମନ ସହିତ ଯୋଗସୂତ୍ର ରହିଥିବା ଉଚିତ । ଗ୍ରାମର ଜନତା ପ୍ରକୃତରେ କଣ ଭାବୁଚି, ଏବଂ କାହିଁକି ଏପରି ଭାବୁଚି, ସେମାନଙ୍କର ସେକଥା ଅବଶ୍ୟ ଜାଣିବା ଉଚିତ । ଲୋକମାନେ ସେମାନଙ୍କର ନେତାମାନଙ୍କ ସମ୍ପର୍କରେ ଆସିବା ଯେତିକି ଦରକାର, ନେତାମାନେ ମଧ୍ୟ ଲୋକମାନଙ୍କ ସମ୍ପର୍କରେ ଆସିବା ଠିକ୍ ସେତିକି ଦରକାର ।’’

 

‘‘ଏହା ଅତ୍ୟନ୍ତ ଆବଶ୍ୟକ ଯେ ଭାରତବର୍ଷର ସାମୁଦାୟିକ ବିକାଶ କାର୍ଯ୍ୟକ୍ରମରେ ଯେଉଁ କର୍ମଚାରୀମାନେ ଏହାର ପରିଚାଳନା କରୁଚନ୍ତି, ସେମାନଙ୍କର ପାରସ୍ପରିକ ସମ୍ବନ୍ଧ ପ୍ରତ୍ୟେକ ସ୍ତରରେ ପ୍ରଧାନତଃ ସହଯୋଗମୂଳକ ହେବା ଉଚିତ । ସମସ୍ତ ଦେଶରେ ପରିବ୍ୟାପ୍ତ ହୋଇଥିବା ଏହି ଜାତୀୟ-କାର୍ଯ୍ୟକ୍ରମର ପ୍ରତି କ୍ଷେତ୍ରରେ ଦୁଇ ବିଭିନ୍ନ ସ୍ତରର କର୍ମଚାରୀ ଓ କର୍ମୀମାନଙ୍କୁ ପରସ୍ପର ସହିତ ଏକତ୍ର ମିଶି କାର୍ଯ୍ୟ କରିବାକୁ ପଡ଼ୁଚି । ଗ୍ରାମଦେବତାମାନଙ୍କୁ ଗ୍ରାମସେବକମାନଙ୍କ ସହିତ, ବ୍ଳକ୍ କର୍ମଚାରୀମାନଙ୍କୁ ଗ୍ରାମସେବକମାନଙ୍କ ସହିତ ଏବଂ ବିକାଶ-ବିଭାଗର ଉଚ୍ଚତର ଅଫିସର୍‌ମାନଙ୍କୁ ବ୍ଳକ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସହିତ ଏକତ୍ର କାର୍ଯ୍ୟ କରିବାକୁ ପଡ଼ୁଚି । ଆମେ ପର୍ଯ୍ୟବେକ୍ଷଣ କରି ଜାଣିବାକୁ ପାଇଚୁ ଯେ ଭାରତୀୟ ପ୍ରଶାସନ-କ୍ଷେତ୍ରରେ ଏହିପରି ସହଯୋଗମୂଳକ ସମ୍ବନ୍ଧରେ ବଡ଼ ଅଭାବ ରହିଚି ।’’ ‘‘ବିକାଶ-କାର୍ଯ୍ୟକ୍ରମର କୌଣସି ଉଚ୍ଚତର ପାହିଆରେ ଥିବା ବ୍ୟକ୍ତି ନିମ୍ନତର ପାହିଆର କର୍ମଚାରୀମାନଙ୍କ ଉପରେ ଆପଣାର କର୍ତ୍ତୃତ୍ୱ ଓ ହାକିମୀ ଦେଖାଇବାଲାଗି ପ୍ରତି ପଦରେ ମହଜୁଦ ହୋଇ ରହିଚି । ଯିଏ ଟିକିଏ ଅଧିକ ଦରମା ପାଉଚି ବା ବିଭାଗୀୟ ସିଡ଼ିର ଉପର କାଠିରେ ବସିଚି, ତା’ଠାରୁ କମ୍ ଦରମା ପାଉଥିବା ଓ ତଳକାଠିରେ ବସିଥିବା କର୍ମଚାରୀମାନଙ୍କ ଉପରେ ସର୍ଦ୍ଦାରୀ ଦେଖାଇବାରେ ସେ ପ୍ରତ୍ୟେକ ଅବସରର ପରିପୂର୍ଣ୍ଣ ସୁଯୋଗ ନେଉଚି । ଏକ ଶାସନବ୍ୟବସ୍ଥାରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏହିପରି ଅସ୍ୱାସ୍ଥ୍ୟକର ସମ୍ବନ୍ଧମାନ ରହିଥିବା ହେତୁ ତଳ ପାହିଆରେ ଥିବା ଅଳ୍ପ ବେତନ ପାଉଥିବା ଲୋକର ମନରୁ କାମ କରିବାର ସବୁ ସରାଗ ନଷ୍ଟ ହୋଇଯାଉଚି । କାରଣ ଏପରି ଏକ ବାତାବରଣ ରହିବାଦ୍ୱାରା ବିକାଶକାର୍ଯ୍ୟରେ ତଳେ ରହିଥିବା ଓ ଅଳ୍ପବେତନ ପାଉଥିବା ଯେକୌଣସି କର୍ମଚାରୀର ମଧ୍ୟ ଯେ ସମାନ ମହତ୍ତ୍ୱ ରହିଚି, ଏହି ସତ୍ୟର ଅବମାନନା କରାଯାଏ ଏବଂ ତାହା ଫଳରେ ପ୍ରତ୍ୟେକ ଦିନର କାର୍ଯ୍ୟ ଯଥାର୍ଥ ଶକ୍ତିମତ୍ତାର ସହିତ ଚାଲିପାରିବା ଆଉ ସମ୍ଭବ ହୁଏନାହିଁ-।’’

 

ଶିକ୍ଷାଶାସ୍ତ୍ରୀମାନେ କହନ୍ତି ଯେ ଶିକ୍ଷାର କୌଣସି ଦୃଷ୍ଟିଗତ ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ଶିକ୍ଷକମାନଙ୍କୁ ତାଲୀମ ଦିଆଯାଉଥିବା ସ୍କୁଲ ଓ କଲେଜମାନଙ୍କରେ ସମ୍ବନ୍ଧଗତ ବାତାବରଣ ଓ ବ୍ୟବସ୍ଥାରେ ଅନୁରୂପ ପରିବର୍ତ୍ତନ ଆଣିବାକୁ ହେବ । ଆମ ଦେଶରେ ଯେକୌଣସି ଗ୍ରାମସେବକ ତାଲୀମକେନ୍ଦ୍ରକୁ ଯାଅ, ସେଠାରେ ସାମୁଦାୟିକ ବିକାଶରେ ଗ୍ରାମସ୍ତରରେ ନେତୃତ୍ୱ ଗ୍ରହଣ କରିବାପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ତିଆରି କରାଯାଉଚି ନାଁ ମଣିଷକୁ ଆଜ୍ଞାବହ ମେସିନ୍ କରି ତିଆରି କରାଯାଉଚି, ସେକଥା ନିକଟରେ ଥାଇ ଦେଖିବାକୁ ଚେଷ୍ଟା କର, ତେବେ ଆମ ଦେଶରେ ବିକାଶ-କାର୍ଯ୍ୟର ପୁରୋଭାଗରେ ରହିଥିବା ଯାନ୍ତ୍ରିକ ମଣିଷପଲଙ୍କୁ ଦେଖି ଆଉ ଯାହା ଲାଗୁ ପଛକେ, ଅନ୍ତତଃ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବନାହିଁ । ଆମ ଦେଶରେ ଆହୁରି ଉପର ସ୍ତରରେ ମଧ୍ୟ ବି.ଡ଼ି.ଓ. ଏବଂ ଏ.ଡ଼ି.ଏ. (ପ୍ରସାର ଅଫିସର) ମାନଙ୍କର ତାଲୀମକେନ୍ଦ୍ରମାନ ରହିଚି । ସମବାୟ-ବିଭାଗର ସାନବଡ଼ କର୍ମଚାରୀଙ୍କୁ ମଧ୍ୟ ତାଲୀମ ଦିଆଯାଉଚି । ମଣିଷର ସମ୍ମାନବୋଧ ଓ ଶକ୍ତିସଚେତନତା ଆଣିଦେବା ଯଦି ଶିକ୍ଷାର ମୂଳ ଉଦ୍ଦେଶ୍ୟ ହୁଏ, ତେବେ ଆମେ ନିଶ୍ଚିନ୍ତ ମନରେ କହିପାରିବା ଯେ ଏସବୁ ତାଲୀମକେନ୍ଦ୍ରରେ ଶିକ୍ଷା ପରିବର୍ତ୍ତେ ଦାସତ୍ୱ-ପ୍ରସାରର ଶୋଭନ ପ୍ରୟାସମାନ କରାହେଉଚି । ପ୍ରମାଣ ପାଇବାଲାଗି ଯେଉଁଦିନ ଉପରିସ୍ଥ କୌଣସି ହାକିମ ବା ମନ୍ତ୍ରୀ ତାଲୀମକେନ୍ଦ୍ରକୁ ପରିଦର୍ଶନ କରି ଆସୁଚନ୍ତି, ସେହିଦିନ ସେଠାକୁ ଯାଇ ସେହି ସଂସାରର ପରିଚାର ଗୁଡ଼ିକୁ ଦେଖିବାକୁ ଚେଷ୍ଟାକର, ତେବେ ଜାଣିପାରିବ ମଣିଷ ମନକୁ ହତ୍ୟାକରି ବା ତାହାକୁ ନାନା ଶିକ୍ଷିତ କୌଶଳଦ୍ୱାରା କାବୁ କରି ସେଠାରେ କେତେ ସଫଳଭାବରେ ଭୃତ୍ୟ-ମନୋବିଜ୍ଞାନର ଅନୁଶୀଳନ କରାଯାଉଚି !

 

ସାମୁଦାୟିକ ବିକାଶର ଯନ୍ତ୍ରସଂଗଠନରେ ଅଗରୁ ମୂଳଯାଏ ସମସ୍ତେ ଅଫିସର, କେବଳ ଗ୍ରାମସେବକ ଅଫିସର ନୁହେଁ । ସେ ହେଉଚି ଜଣେ ସେବକ । ଶାସନର କଳଘରେ ହୁଏତ ଅନେକେ ଏହାକୁ ଆହୁରି ତାଚ୍ଛିଲ୍ୟ ଦେଖାଇ କହିବେ, ସେ ହେଉଚି କେବଳ ଜଣେ ସେବକ । ପ୍ରାୟ ଆଠବର୍ଷ ତଳେ ଓଡ଼ିଶାର ଏକ ଗ୍ରାମରେ ଜଣେ ଗ୍ରାମସେବକଙ୍କ ସହିତ ହୋଇଥିବା କଥାବାର୍ତ୍ତା ମୋର ଏପର୍ଯ୍ୟନ୍ତ ମନେଅଛି । ତାଙ୍କ ବିଭାଗ ଓ ସମଗ୍ରତଃ ବିକାଶକାମର ଦୁଃଖସୁଖ ପଚାରନ୍ତେ ସେ ବଡ଼ ଅନୁପ୍ରାଣିତ ହେଲାପରି ମୁଖମୁଦ୍ରା ଦେଖାଇ କହିଲେ ଯେ ବିଭାଗରେ ସବୁ ଭଲ, କେବଳ ଗୋଟାଏ ଥାନରେ ଟିକିଏ ଗଲ୍‌ତି ରହିଯାଇଥିବାରୁ ସବୁକାମ ପ୍ରାୟ ଭଣ୍ଡୁର ହୋଇରହିଚି । ତାଙ୍କ ମତରେ ଗ୍ରାମସେବକକୁ ଗ୍ରାମସେବକ ବୋଲି ନକହି ଯଦି ଗ୍ରାମ-ଅଫିସର ବୋଲି କୁହାଯାଉଥାନ୍ତା, (ସିଏ ଇଂରାଜୀ ଉପପଦଗୁଡ଼ିକର ବ୍ୟବହାର କରି କହିଥିଲେ : ଯଦି Village Level Worker ବୋଲି କୁହାନଯାଇ Village Level Officer ବୋଲି କୁହାଯାଉଥାଆନ୍ତା) ତେବେ ବିକାଶକାର୍ଯ୍ୟ ବଡ଼ ଦକ୍ଷତାର ସହିତ ଚାଲୁଥାଆନ୍ତା । ବିକାଶର ବିଭିନ୍ନ ଡାଳରେ ବସିଥିବା ସମସ୍ତେ ଅଫିସର ବୋଲାଇବେ, ଅଥଚ ମୂଳରେ ଅର୍ଥାତ୍ ଗାଆଁରେ ରହିଥିବା ଅସଲ କର୍ମୀକୁ ଖାଲି ସେବକ ବୋଲି କୁହାଯିବ, ଏହାର ନ୍ୟାୟ ତାଙ୍କୁ ବଡ଼ ରହସ୍ୟମୟ ବୋଧ ହେଉଥିଲା । ସାମୁଦାୟିକ ବିକାଶର ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ହିଁ ଗ୍ରାମସେବକମାନେ ନିଯୁକ୍ତ ହୋଇ ରହିଚନ୍ତି । ସେମାନେ ଆପଣାକୁ ଯେତିକି ସଫଳ ବା ବିଫଳ ବୋଲି ଅନୁଭବ କରିବେ, ବିକାଶର ସମସ୍ତ କାର୍ଯ୍ୟକ୍ରମଟି ସେତିକି ପରିମାଣରେ ସଫଳ ବା ବିଫଳ ବୋଲି ପ୍ରମାଣିତ ହେବ । ଡେରାଡ଼ୁନର ହେଉଥିବା ସେମିନାର ବା ଦିଲ୍ଲୀରେ ହେଉଥିବା କାଗଜଚାଷ ଓ ବିଭାଗୀୟ ବିପୁଳତା ଆପଣା ହୁକୁମଦ୍ୱାରା ଆମକୁ ସଫଳତା ଆଣିଦେବନାହିଁ । ଅନେକ ସମୟରେ ମନେହୁଏ ଯେ ଆମଦେଶର ପଚାଶହଜାର ଗ୍ରାମସେବକ ଯେତିକି କାର୍ଯ୍ୟ କରିଚନ୍ତି ଓ ଯେତିକି ନିଷ୍ଠା ଦେଖାଇଚନ୍ତି, ତାହାର ଶ୍ରେୟ ସ୍ୱରୂପ ଆମଦେଶର ସାମୁଦାୟିକ ବିକାଶରେ ଯାହା କିଛି ଫଳ ଫଳିଚି । ଅନ୍ୟମାନେ କହିଚନ୍ତି ଅନେକ, କରିଚନ୍ତି କମ୍ । ଅନେକେ ହୁଏତ କିଛି କରିନାହାନ୍ତି, ବିଭାଗୀୟ ସ୍ଥାନପରିବର୍ତ୍ତନର ଆକସ୍ମିକତାଦ୍ୱାରା ସାମୁଦାୟିକ ବିକାଶର ସାନ ବା ବଡ଼ ଅଫିସର ରୂପରେ ଧୂମକେତୁ ପରି ଉଦୟ ହୋଇଚନ୍ତି ଓ ପୁଣି ଆଉ କେଉଁ ବିଭାଗର ଆକାଶକୁ ସୁବିଧା ପାଇବା ମାତ୍ରକେ ପ୍ରସ୍ଥାନ କରିଚନ୍ତି । ଆହୁରି କେତେକ ଅଫିସର ଗୁରୁବାକ୍ୟର ସଘନଚାଷ କରି ଆପଣାର ଅକର୍ମଣ୍ୟତାକୁ ଘୋଡ଼ାଇ ରଖିବାର ପ୍ରୟାସ ବି କରିଚନ୍ତି । କିନ୍ତୁ ଗ୍ରାମସେବକକୁ ଆମ ସରକାର ଏପରି କୌଣସି ବାସନା ବା ଲାଳସାରେ ବିପନ୍ନ ହେବାର ଅବସର ବି ଦେଇନାହାନ୍ତି । ଗ୍ରାମସେବକ ହିସାବରେ ତା’ର ଚାକିରିଜୀବନ ଆରମ୍ଭ ହୋଇଚି, ଗ୍ରାମସେବକ ଭାବରେ ହିଁ ତାକୁ କର୍ମାନ୍ତେ ଅବସର ଗ୍ରହଣ କରିବାକୁ ପଡ଼ିବ । ତେଣୁ ଜୀବନରେ କୌଣସି ପ୍ରକାର କର୍ମସନ୍ତୋଷ ଓ ପରିପୂର୍ଣ୍ଣତାବୋଧ ଲାଭ କରିବାକୁ ହେଲେ ତାକୁ ଆପଣାର ଗାଆଁ ଗୁଡ଼ିକ ଆଦରି ନେବାକୁ ହିଁ ପଡ଼ିବ । ସେଇଥିଲାଗି ନାନା ଆଡ଼ୁ ଅବହେଳିତ ହୋଇ ରହିଥିଲେ ମଧ୍ୟ ବିକାଶ-କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗ୍ରାମସେବକମାନେ ଯଥେଷ୍ଟ ବିଶ୍ୱାସ ଓ ନିଷ୍ଠାର ସହିତ ଆପଣା କର୍ତ୍ତବ୍ୟ ଓ ଦାୟିତ୍ୱରେ ପ୍ରବୃତ୍ତ ହୋଇଚନ୍ତି । ଅବଶ୍ୟ ଏବେ ସେମାନେ ମଧ୍ୟ ସେମାନଙ୍କର ଚତୁର ଗୁରୁମାନଙ୍କର ଅନୁକରଣ କରିବାକୁ ସଫଳ ବ୍ୟବସାୟ–ବୃଦ୍ଧି ବୋଲି ବୁଝିବାକୁ ଆରମ୍ଭ କଲେଣି । ଅଫିସର ପକ୍ଷରେ ସେବକର ଅନୁକରଣ କରିବା ଭୃତ୍ୟରାଜତନ୍ତ୍ରରେ ସମ୍ଭବ ହୁଅନ୍ତାନାହିଁ, ତେଣୁ ଆମ ଦେଶର ସେବକମାନେହିଁ ଅଫିସର୍‌ ମାନଙ୍କର ଅନୁକରଣ କରିବାରେ କ୍ରମେ ମଣ ହୋଇ ବାହାରୁଚନ୍ତି ।

 

ଆଧୁନିକ ଭାରତ ଉପରେ କ୍ରମେ ଘନାଇ ଆସୁଥିବା ଏକ କୋଳାହଳହୀନ ସଙ୍କଟର ଆଲୋଚନା କରି ଲିଖିତ ଏକ ପୁସ୍ତକରେ (ପୁସ୍ତକ ଟିପ୍ପଣୀ–୧୫, ପୃଷ୍ଠା–୧୫୮) ଗ୍ରାମସେବକ-ଜୀବନର ଏହି କଥାଟି ଉପରେ ଆଲୋକପାତ କରାଯାଇଚି । ଲେଖକ କହିଚନ୍ତି ଯେ, ଏକାବେଳକେ ଭାରତର ହଜାର ହଜାର ଗାଆଁରେ ବିକାଶକାର୍ଯ୍ୟ ଚଳାଇବା ଲାଗି ତରତର ହୋଇ ଅନେକ ଲୋକଙ୍କୁ ନିଯୁକ୍ତ କରିନେବାକୁ ପଡ଼ିଲା ଓ ସେମାନଙ୍କୁ ର’ ଠ’ କରି କିଞ୍ଚିତ ତାଲୀମ ଦେଇ ସେହିମାନଙ୍କୁ ହିଁ ଗ୍ରାମସେବକର ପଗଡ଼ି ପିନ୍ଧାଇ ଗ୍ରାମମାନଙ୍କୁ ପଠାଗଲା । ଆପଣାର ଅପରିପୂର୍ଣ୍ଣ ଓ ଅଯତ୍ନ-ପ୍ରଦତ୍ତ ତାଲୀମ ହେତୁ ସେମାନେ ଯଥେଷ୍ଟ ବିଶ୍ୱାସ ଓ ଆତ୍ମସମ୍ମାନ ନେଇ ଆପଣା ଆପଣା କ୍ଷେତ୍ରକୁ ଯାଇଥିଲେ ବୋଲି କହିଲେ ଆଦୌ ଠିକ୍ ହେବନାହିଁ । ବୁଦ୍ଧି ଓ ଦକ୍ଷତାର ସହିତ ସମ୍ମୁଖସ୍ଥ ସମସ୍ୟାଗୁଡ଼ିକୁ ସମ୍ଭାଳିବା ସେମାନଙ୍କ ପକ୍ଷରେ ଆଦୌ ସମ୍ଭବ ନଥିଲା । ଅଥଚ ଏହିପରି ଅ-ପାକଳ ଲୋକଙ୍କ ହାତରେ ଗାଆଁ ଗୁଡ଼ିକର ସୁଷମ ବିକାଶର ପ୍ରତ୍ୟକ୍ଷ ଦାୟିତ୍ୱ ସମର୍ପିଦିଆଗଲା-। ଏହି ଦାୟିତ୍ୱର ନାନା ଶାଖା ପ୍ରଶାଖା ରହିଥିଲା ଏବଂ ଏଗୁଡ଼ିକର ଆହ୍ୱାନ ଅନୁସାରେ ଯଥାର୍ଥ ଜବାବ ଦେବାଲାଗି ଅଧିକ ପାକଳ କର୍ମୀମାନଙ୍କର ଆବଶ୍ୟକତା ଥିଲା । ବିଡ଼ମ୍ବନାରେ ପଡ଼ି ଗ୍ରାମସେବକ ପକ୍ଷରେ ଜଣେ ସବ୍‌ଜାନ୍‌ତା କର୍ମୀ ହିସାବରେ ଆପଣାର ପରିଚୟ ଦେବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା । ସବ୍‌ଜାନ୍‌ତାର ଦୋଷ ହେଉଚି ଯେ ସେ ସବୁ ଜାଣେ, ସବୁଠାରେ ହାତ ବଜାଇପାରେ, ତଥାପି କୌଣସିଟିକୁ ନେଇଆଣି ଥୋଇପାରେ ନାହିଁ । ଫଳରେ ଗାଆଁରେ ଗ୍ରାମସେବକର କାର୍ଯ୍ୟ ଜଣେ ସୁଦକ୍ଷ ପୁରୁଷର କାର୍ଯ୍ୟକୁ ସମ୍ପନ୍ନ କରିବାଲାଗି ପଠାଯାଇଥିବା ଜଣେ ବାଳକର କାର୍ଯ୍ୟରେ ହିଁ ପର୍ଯ୍ୟବସିତ ହୋଇ ରହିଲା ।

 

‘‘ଆପଣାର ବିଭାଗରେ ଗ୍ରାମସେବକର ସ୍ଥାନ ସର୍ବନିମ୍ନରେ । ସିଡ଼ିନ୍ୟାୟରେ ନିର୍ଣ୍ଣିତ ହେଉଥିବା ଭାରତୀୟ ସମାଜରେ ଏଇଟା ଅନ୍ୟମାନଙ୍କ ଭଳି ଗ୍ରାମସେବକର ନିଜ ଆଖିରେ ମଧ୍ୟ ଜଳ ଜଳ ହୋଇ ଦିଶିଯିବା ଅତ୍ୟନ୍ତ ସ୍ୱାଭାବିକ । ସେ ଯୁଆଡ଼େ ଗଲା, ଯାହା କହିଲା ବା ଯାହା କଲା, ସବୁଥିରେ ଆଗ ତା’ର ନୁଆଁଣିଆପଣଟାହିଁ ପଦାରେ ପଡ଼ିଗଲା । ବ୍ଳକ୍ ସ୍ତରରରୁ କୌଣସି ଅଫିସର ଗାଆଁକୁ ଆସିଲେ ଗାଆଁର ବିକାଶରେ ନେତୃତ୍ୱ ଦେଉଥିବା ଗ୍ରାମସେବକ କିପରି କାକୁସ୍ଥ ଭାବରେ ‘ଯଥା ନିଯୁକ୍ତୋଽସ୍ମି ତଥା କରୋମି’ର ଭାବମୁଦ୍ରା ଅବଲମ୍ବନ କରୁଥିଲା, ଗ୍ରାମବାସୀମାନେ ଏକଥା ବେଶ୍ ଦେଖିବାକୁ ପାଉଥିଲେ । ଗ୍ରାମସେବକ ସାଧାରଣତଃ ଟୋକା-ବୟସର ଥିଲା, ଗାଆଁର ଅଭିଜ୍ଞତାପାଳକ ଚାଷୀମାନେ ତାକୁ ପିଲା ବୋଲି ଜ୍ଞାନ କରୁଥିଲେ । ତାହାରି କଥାରେ ଯେ ପୂର୍ବରୁ ଗଡ଼ିଆସୁଥିବା ସକଳ ପରମ୍ପରା ଭାଙ୍ଗି ଜମିରେ ଅଧିକ ଫଳ ଫଳିଯିବ, ସେମାନଙ୍କର ବିବେକ ସେମାନଙ୍କୁ ଏପରି ବିଶ୍ୱାସ ପୋଷଣ କରିବାକୁ କୌଣସି ପରାମର୍ଶ ଦେଉନଥିଲା । ଗାଆଁ ଧନ୍ଦା ଓ ଗାଆଁ ଫନ୍ଦା କହିଲେ ଗ୍ରାମବାସୀମାନେ ଚାଷକାମକୁ ହିଁ ବୁଝନ୍ତି । ଚାଷକାମକୁ ସେମାନେ ଆଉ ଯେପରି ଭାବରେ ଗ୍ରହଣ କରନ୍ତୁ ପଛକେ, ପିଲାଖେଳ ବୋଲି କଦାପି ଭାବନ୍ତିନାହିଁ । ଏକାବେଳକେ ହଜାରଟା କାମ ଶିଖି ହଜାରେ ଜାଗାରେ ହାତ ବୁଲାଉଥିବା ଅଳ୍ପବୟସୀ ଗ୍ରାମସେବକ ସେମାନଙ୍କର ମନରେ ହୁଏତ ଯଥେଷ୍ଟ ପ୍ରତ୍ୟୟ ଜନ୍ମାଇ ପାରିଲାନାହିଁ । ଚାଷୀର ନିଷ୍ଠା ଓ ଗ୍ରାମସେବକର ବହୁମୁଖିତା ମଧ୍ୟରେ ସେମାନେ ଯୋଜନ ଯୋଜନ ଅନ୍ତର ରହିଥିବା ଅନୁଭବ କରିଥିଲେ ।’’

 

ସାମୁଦାୟିକ ବିକାଶକାର୍ଯ୍ୟରେ ଗ୍ରାମସେବକର କେତେ ବେଶୀ ଗୁରୁତ୍ୱ ରହିଚି ଓ ସଫଳତାର ସହିତ ନିଜର କାର୍ଯ୍ୟ କରିବାକୁ ହେଲେ ତା’ର କଣସବୁ କରିବା ଉଚିତ, ସେହି ବିଷୟରେ ଆଉ ଗୋଟିଏ ପୁସ୍ତକରେ (୧୬) କୁହାଯାଇଚି, ‘‘ସାମୁଦାୟିକ ବିକାଶ-ସଂଗଠନର ବିଭିନ୍ନ ସ୍ତରରେ ଯେତେ ଲୋକ କାର୍ଯ୍ୟ କରୁଚନ୍ତି, ସେମାନଙ୍କ ତୁଳନାରେ ଗ୍ରାମସ୍ତରର କ୍ଷେତ୍ରରେ ରହିଥିବା ଗ୍ରାମସେବକକୁ ହିଁ ସକଳ କାର୍ଯ୍ୟକ୍ରମର ପିଣ୍ଡସ୍ୱରୂପ ମାନିବାକୁ ପଡ଼ିବ । ଗ୍ରାମସେବକମାନେ ଗ୍ରାମସ୍ତରରେ ଯାହା କରିପାରିବେ ବା ନପାରିବେ, ତାହାରି ଉପରେ ହିଁ ସମସ୍ତ କାର୍ଯ୍ୟକ୍ରମଟିର ସୁନାମ ବା କୁନାମ ନିର୍ଭର କରିବ । ଏହି ଦୃଷ୍ଟିରୁ ଗ୍ରାମସ୍ତରରେ ଆମକୁ ଅତି ଉଚ୍ଚଦରର ସୁନିପୁଣ କର୍ମୀମାନଙ୍କୁ ନିଯୁକ୍ତ କରି ରଖିବାର ଚେଷ୍ଟା କରିବାକୁ ହେବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଉଚ୍ଚଦରର କର୍ମୀ ପାଇବା ଆଶାରେ ଆମେ ଉଚ୍ଚସ୍ତରରେ ଔପଚାରିକ ଶିକ୍ଷା ଉପରେ ହିଁ ସବୁବେଳେ ନିର୍ଭର କରି ରହିବା । ...ନୂତନ ବିଚାର ଓ ନୂତନ ଜ୍ଞାନକୁ ବୁଝିପାରିବାଲାଗି ଯେତିକି ଶିକ୍ଷା ଦରକାର, ଗ୍ରାମସେବକ ସେତିକି ଶିକ୍ଷା ଅବଶ୍ୟ ଲାଭ କରିଥିବ । ମାତ୍ର ଶିକ୍ଷାର ଯେଉଁ ଉଚ୍ଚସ୍ତରକୁ ଉଠିଗଲେ ସର୍ବସାଧାରଣ ବୁଝି ପାରିଲାଭଳି ସରଳ ଭାଷାରେ ନୂତନ ଜ୍ଞାନ ଓ ବିଚାରକୁ ପ୍ରସାର କରି ପାରିବାର ଦକ୍ଷତା ଊଣା ହୋଇଯାଏ, ଗ୍ରାମସେବକକୁ ଏତେଦୂର ଉଚ୍ଚ ଶିକ୍ଷା ଦେଲେ ଆଦୌ ଚଳିବନାହିଁ । ସେ ଲୋକମାନଙ୍କ ସହିତ ମିଳିମିଶି ରହିପାରୁଥିବ, ତାହାର ଜୀବନସ୍ତର ଲୋକସାଧାରଣଙ୍କ ଜୀବନସ୍ତରଠାରୁ ଅତିରିକ୍ତ ପୃଥକ୍ ହୋଇନଥିବ । ମାତ୍ର, ତହିଁ ସଙ୍ଗେ ସଙ୍ଗେ ଲୋକମାନେ ସ୍ୱାସ୍ଥ୍ୟରକ୍ଷାର ଯେଉଁ ନିୟମ ପାଳନ କରନ୍ତୁ ଓ ଯେପରି ଉନ୍ନତ ଭାବରେ ରହନ୍ତୁ ବୋଲି ସେ ପ୍ରଚାର କରୁଥିବ, ତା’ର ଆପଣା ଘରେ ସେହି ସ୍ୱାସ୍ଥ୍ୟରକ୍ଷା ଓ ସେହି ଉନ୍ନତ ଜୀବନର ନିଦର୍ଶନ ମଧ୍ୟ ଦେଖିବାକୁ ମିଳୁଥିବ । ଯଦି ତାକୁ ଏକପକ୍ଷରେ ସରକାର ଓ ଅପର ପକ୍ଷରେ ଲୋକସାଧାରଣଙ୍କ ମଧ୍ୟରେ ଗୋଟିଏ ସେତୁପରି କାର୍ଯ୍ୟ କରିବାକୁ ହୁଏ, ତେବେ ତାକୁ ସରକାର ତଥା ଲୋକସାଧାରଣ ଉଭୟଙ୍କର ପ୍ରତିନିଧିତ୍ୱ କରିବାକୁ ପଡ଼ିବ ।’’ ଅର୍ଥାତ୍ କେବଳ ସରକାରଙ୍କର ପ୍ରତିନିଧି ହୋଇ ରହିଥିବା ପର୍ଯ୍ୟନ୍ତ ଲୋକମାନେ ତାହାକୁ ଆପଣାର ମାର୍ଗଦର୍ଶକ ନେତାରୂପେ ଆଦରିନେବାକୁ ରାଜୀ ହେବେନାହିଁ ।

 

ବିଶ୍ୱରାଷ୍ଟ୍ରସଂଘଦ୍ୱାରା ପ୍ରଚାରିତ ପୂର୍ବାଲୋଚିତ ଗୋଟିଏ ପୁସ୍ତକରେ (୧୭) କୁହାଯାଇଚି ଯେ ଜଣେ ଗ୍ରାମସେବକର କାର୍ଯ୍ୟରେ ଦୁଇଟି ବିଭିନ୍ନ ଦିଗ ରହିଚି : ।।୧।। ଗ୍ରାମସମୁଦାୟରେ ଉନ୍ନୟନ ଓ ପରିବର୍ତ୍ତନଲାଗି ଏକ ଅନୁରୂପ ବାତାବରଣ ତିଆରିକରି ରଖିବାଲାଗି ସେ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିବ । ।।୨।। ଗ୍ରାମସ୍ତରରେ ସେ ଜଣେ ବହୁମୁଖୀ କର୍ମୀ ହୋଇ ରହିବ ଏବଂ ଏଥିଲାଗି ତାକୁ ଗ୍ରାମ ଜୀବନ ସମ୍ବନ୍ଧୀୟ ଅନ୍ତତଃ କେତୋଟି କ୍ଷେତ୍ରରେ ଆବଶ୍ୟକ ଜ୍ଞାନ ଅର୍ଜନ କରିବାକୁ ମଧ୍ୟ ପଡ଼ିବ । ପୁସ୍ତକରେ ମନ୍ତବ୍ୟ ପ୍ରକାଶ କରାଯାଇଚି ଯେ ଭାରତବର୍ଷ ତଥା ପାକିସ୍ତାନରେ ସାଧାରଣତଃ କେବଳ ଦ୍ୱିତୀୟ କାର୍ଯ୍ୟଟି ଉପରେ ମହତ୍ୱ ଦିଆଯାଉଚି ଏବଂ ଫଳରେ ଜଣେ ଗ୍ରାମସେବକ ନ୍ୟାୟତଃ ସାମୁଦାୟିକ ବିକାଶର ଆନୁକୂଲ୍ୟରେ ଗ୍ରାମରେ ସରକାରଙ୍କର ଜଣେ ପ୍ରତିନିଧି ଭାବେ ହିଁ କାର୍ଯ୍ୟ କରୁଚି ।

 

ଭାରତରେ ସାମୁଦାୟିକ ବିକାଶକାର୍ଯ୍ୟର ସମୀକ୍ଷାମୂଳକ ପର୍ଯ୍ୟବେକ୍ଷଣ କରି ଶ୍ରୀଯୁକ୍ତ କାର୍ଲ୍‌ ଟେଲର୍ (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୧୯୭) କହିଚନ୍ତି, ‘‘ଗ୍ରାମସେବକକୁ ପ୍ରଥମତଃ ଜଣେ ସଫଳ ପ୍ରସାରକର୍ମୀ ହିସାବରେ ତିଆରି ହେବାକୁ ପଡ଼ିବ । ଏପରି ଭାବରେ ତିଆରି ହେବାଲାଗି ତାକୁ ଅନୁମତି ଓ ଅବସର ଦିଆଯିବ, ଯଥୋପଯୁକ୍ତ ସହାୟତା ମଧ୍ୟ ମିଳିବ । କାରଣ ଏହି ଗ୍ରାମସେବକ ହିଁ ଗ୍ରାମସ୍ତରରେ ଆବଶ୍ୟକ ପରିବର୍ତ୍ତନ ଏବଂ ଉନ୍ନୟନର ଏଜେଣ୍ଟ୍‍ରୂପେ କାର୍ଯ୍ୟ କରିବାଲାଗି ନିଯୁକ୍ତ ହୋଇଚି । ଅନ୍ୟ ଯେକୌଣସି ସ୍ତରରେ ତା’ର ଉପର ହାକିମ ହୋଇ ବସିଥିବା ଲୋକମାନେ ଗ୍ରାମସେବକର କାର୍ଯ୍ୟ ବିଷୟରେ ଯେତେ ଜାଣିଚନ୍ତି, ଗ୍ରାମସେବକ ନିଜେ ତାହାଠାରୁ ଯଥେଷ୍ଟ ଅଧିକ ଜାଣିଚି ବୋଲି ମୁଁ ଦୃଢ଼ଭାବରେ ବିଶ୍ୱାସ କରୁଚି । ଶାସନ ଧାଡ଼ିରେ ତାର ଉପର ସ୍ତରରେ ରହିଥିବା ଅଫିସରମାନେ ଅନେକ ସମୟରେ ଗ୍ରାମସେବକକୁ କେବଳ ଗୋଟିଏ ପାଳିଆ ହୋଇ ରହିବାକୁ ବାଧ୍ୟ କରିଚନ୍ତି । ସେମାନେ ଯେପରି ବତାଇବେ, ଗ୍ରାମସେବକ କେବଳ ତାହାହିଁ କରିବ ବୋଲି ସେମାନେ ଜିଦ୍ ଧରି ବସିଚନ୍ତି । ଉପରିସ୍ଥ ହାକିମ ତାକୁ କେବଳ ବୋଲ ବତାଇ ଦେଉଚନ୍ତି କାରଣ ଏହି ହାକିମଙ୍କ ଉପରେ ବସିଥିବା ଆଉକୌଣସି ହାକିମ ମଧ୍ୟ ସେହିପରି ଭାବରେ କୌଣସି ନିର୍ଦ୍ଦେଶକୁ ତାଙ୍କ ହାତକୁ ବଢ଼ାଇଦେଇଚନ୍ତି । କେଉଁସବୁ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେବ, କେଉଁସବୁ ଉଦ୍ଦେଶ୍ୟ ଓ ଅଟକଳ ଅନୁସାରେ କାର୍ଯ୍ୟ କରି ସମୟ ଅନୁସାରେ ଫଳ ଦେଖାଇଦେବାକୁ ପଡ଼ିବ, କେଉଁ ବାବତରେ କେତେ ପଇସା ଖରଚ ହେବ ବା ନହେବ ଏବଂ କେଉଁ ବିବରଣଟି କିପରିଭାବରେ ବନାଇବାକୁ ହେବ, ଏହି ଯାବତୀୟ ବିଷୟ ଉପର ସ୍ତରରୁ ତଳ ସ୍ତରଯାଏ ପ୍ରଧାନତଃ ନିର୍ଦ୍ଦେଶନାମା ରୂପେ ଗଡ଼ିଗଡ଼ି ଆସିବାରେ ଲାଗିଚି ।’’

 

‘‘ପ୍ରତ୍ୟେକ କାର୍ଯ୍ୟକ୍ରମରେ ପ୍ରଶାସକମାନେ ହିଁ ରାଜା ମନ୍ତ୍ରୀଙ୍କପରି କେବଳ ବୋଲ ବତାଇବାକୁ ରହିବେ ଓ ନିମ୍ନସ୍ଥ ସୋପାନରେ ସମସ୍ତେ ସେମାନଙ୍କର ବୋଲ ମାନିବାକୁ ମହଜୁଦ ରହିଥିବେ, ଏହିପରି ବିଶ୍ୱାସଦ୍ୱାରା ପ୍ରଣୋଦିତ ହୋଇ ଯେଉଁ କାର୍ଯ୍ୟ (ନା ଅକାର୍ଯ୍ୟ ?) ସମ୍ପନ୍ନ ହୁଏ, ତଦ୍ଦ୍ୱାରା ପ୍ରଶାସକବର୍ଗଙ୍କର ଗୋଟିଏ ଗୋଷ୍ଠୀପରି କାମ କରିବା ଅସମ୍ଭବ ହୋଇପଡ଼େ । ଏକ ଗଣତାନ୍ତ୍ରୀକ ଗୋଷ୍ଠୀପରି କାର୍ଯ୍ୟ କରିବା ତ ଦୂରର କଥା, ନିତିଦିନର ରୁଟିନ୍‌ଭିତରେ ମଧ୍ୟ ଯେତିକି କାମ ତୁଲାଇବା ଦରକାର, ପ୍ରଶାସନକଳ ଦ୍ୱାରା ସେତିକି ତୁଲାଇବା ବି ଅସମ୍ଭବ ହୋଇପଡ଼େ । ଅସଲ ଉନ୍ନୟନ ପ୍ରଥମେ ଭୂଇଁରେ ଚେର ଧରେ ଓ ତା’ପରେ କ୍ରମେ ଉପରଆଡ଼କୁ ମାଡ଼େ । ଆଗ ଜନସାଧାରଣଙ୍କ ମଧ୍ୟରେ ଚେର ଧରେ, ତା’ପରେ ସେମାନଙ୍କର ସେବକ ଅର୍ଥାତ୍ ସରକାରୀ କର୍ମଚାରୀମାନଙ୍କ ସ୍ତରରେ ଯାଇ ପହଞ୍ଚେ । ଗାଆଁ ସମାଜରୁ ଗ୍ରାମସେବକ, ଗ୍ରାମସେବକ ଜରିଆରେ ବ୍ଳକ୍ ଓ ବ୍ଳକ୍ ଜରିଆରେ ଜିଲ୍ଲା, -ଏହିପରି ସ୍ତର ସ୍ତର ହୋଇ ଉପରକୁ ଉଠି ଉଠି ଯାଏ । କିନ୍ତୁ ଅଫିସର୍‌ମାନଙ୍କ କର୍ତ୍ତୃତ୍ୱଦ୍ୱାରା ବିପର୍ଯ୍ୟସ୍ତ ହୋଇ ରହିବାଦ୍ୱାରା ଉନ୍ନୟନର ଏହି ସୁସ୍ଥ ସଞ୍ଚରଣମାର୍ଗଟି ମଧ୍ୟ କ୍ରମେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ଭୁଷୁଡ଼ିପଡ଼େ । ପ୍ରୟାଗ କୃଷି-ମହାବିଦ୍ୟାଳୟ ତରଫରୁ ଗ୍ରାମାଞ୍ଚଳରେ ପ୍ରସାର-କାର୍ଯ୍ୟକ୍ରମରୁ ଯେଉଁ ଅଭିଜ୍ଞତା ହୋଇଚି, ସେଥିରୁ ମଧ୍ୟ ଜଣାଯାଉଚି (୧୮) ଯେ ବିକାଶକାର୍ଯ୍ୟକ୍ରମରେ ଉପରୁ କର୍ତ୍ତୃତ୍ୱର ପ୍ରାଦୁର୍ଭାବ ଯେତେ କମ୍ ଅନୁଭୂତ ହୁଏ, ଅର୍ଥାତ୍ ବଡ଼ ଅଫିସର୍ ଓ ସାନ କର୍ମଚାରୀ-ମୂଳକ ବିଭେଦ ସଚେତନତା କର୍ମୀମାନଙ୍କୁ ଯେତେ କମ୍ ଗ୍ରାସ କରିଥାଏ, ଗ୍ରାମସାଥୀ ବା ଗ୍ରାମସେବକ ମଧ୍ୟ ଗ୍ରାମବାସୀଙ୍କ ଉପରେ ସେତେ କମ୍ ହାକିମି ଓ ସେତେ କମ୍ କର୍ତ୍ତୃତ୍ୱ ଦେଖାଇବାକୁ ପ୍ରବୃତ୍ତ ହୁଏ । ଅର୍ଥାତ୍ ଉପରୁ ସମ୍ମାନ ପାଇଲେ ସେ ଆପଣା ସ୍ତରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବା ଓ ସେମାନଙ୍କ କଥା ଶୁଣିବାଲାଗି ଅଧିକ ଅନୁପ୍ରେରିତ ହୋଇଥାଏ ।

 

ଭାରତ ସରକାରଙ୍କ ତରଫରୁ ମଧ୍ୟ ଦେଶୀ ଓ ବିଦେଶୀ ବିଶେଷଜ୍ଞମାନଙ୍କର ସାହାଯ୍ୟରେ ଆମଦେଶର ଗ୍ରାମସେବକମାନଙ୍କ ବିଷୟରେ ଏକ ମୂଲ୍ୟାଙ୍କନମୂଳକ ଅଧ୍ୟୟନ ପ୍ରସ୍ତୁତ କରାଯାଇଚି । (୧୯) ପଞ୍ଜାବ, ରାଜସ୍ଥାନ ଓ ଉତ୍ତରପ୍ରଦେଶ, –ଏହି ତିନୋଟି ରାଜ୍ୟରୁ ପନ୍ଦରଜଣ ଗ୍ରାମସେବକଙ୍କର କାର୍ଯ୍ୟ ଓ ଦୃଷ୍ଟିକୋଣର ପର୍ଯ୍ୟବେକ୍ଷଣ କରି ଏହି ଅଧ୍ୟୟନଟି କରାଯାଇଚି । ଗ୍ରାମସେବକମାନେ ପ୍ରଧାନତଃ ଯେଉଁସବୁ ଅସୁବିଧା ମଧ୍ୟରେ ରହି କାର୍ଯ୍ୟ କରୁଚନ୍ତି, ଲେଖକମାନେ ସେଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଚନ୍ତି । ସେମାନେ ସେମାନଙ୍କର କାର୍ଯ୍ୟପରିମାଣ ଓ ଗୁରୁଦାୟିତ୍ୱ ଦୃଷ୍ଟିରୁ କମ୍ ଦରମା ପାଉଚନ୍ତି, ସେମାନଙ୍କ ପାଖରେ କାର୍ଯ୍ୟ କରିବାର ଭୌତିକ ସାଧନସାମଗ୍ରୀ ଖୁବ୍‌ବେଶୀ ମହଜୁଦ ନାହିଁ, ଭବିଷ୍ୟତ ପଦୋନ୍ନତି ବିଷୟରେ ଆଶା କରିବାକୁ କିଛି ନାହିଁ ଏବଂ ବାସଘରର ଅସୁବିଧା ଦୃଷ୍ଟିରୁ ସେମାନେ ଆପଣା କେନ୍ଦ୍ରରେ ସପରିବାର ବାସ କରି ପାରୁନାହାନ୍ତି । ଗ୍ରାମସେବକ ସାଧାରଣତଃ ଦୁଇପ୍ରକାର କାର୍ଯ୍ୟ କରିବାକୁ ରହିଚି ବୋଲି ସେମାନେ କହିଚନ୍ତି । ଗ୍ରାମବାସୀମାନେ ଯେପରି ଆପଣାର ଆବଶ୍ୟକତାଗୁଡ଼ିକୁ ଜାଣି ସେଗୁଡ଼ିକର ମୋଚନଲାଗି ତତ୍ପର ହେବେ, ପ୍ରଥମତଃ ଗ୍ରାମସେବକ ସେମାନଙ୍କୁ ସେହି ଦିଗରେ ସହାୟତା କରୁଥିବ । ଦ୍ୱିତୀୟତଃ ରାଜ୍ୟ ଓ ରାଷ୍ଟ୍ରସ୍ତରରେ ଯେଉଁ ଯୋଜନା ନିର୍ମିତ ହୋଇଚି ଏବଂ ବ୍ଳକ୍‌ର ପରିଧିଭିତରେ ପ୍ରଶାସନସ୍ତରରେ ଯେଉଁସବୁ ଲକ୍ଷ୍ୟର ପ୍ରାପ୍ତିଲାଗି ଅଟକଳ କରାଯାଇଚି, ଗ୍ରାମସେବକ ସେହି ଯୋଜନା ଓ ସେହି ଲକ୍ଷ୍ୟଗୁଡ଼ିକୁ କାର୍ଯ୍ୟକାରୀ କରି ପାରୁଥିବ ।

 

ଆମଦେଶରେ ସାଧାରଣତଃ ତିନି କିସମର ଗ୍ରାମସେବକ ଅଛନ୍ତି ବୋଲି ଲେଖକମାନେ ମତ ଦେଇଚନ୍ତି । ପ୍ରଥମ କିସମର ଗ୍ରାମସେବକମାନେ ଆପଣାର ଦାୟିତ୍ୱଗୁଡ଼ିକୁ ପୂର୍ଣ୍ଣମନରେ ଗ୍ରହଣ କରିଚନ୍ତି ଓ ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ସମ୍ପନ୍ନ କରିବାକୁ ଚେଷ୍ଟା କରୁଚନ୍ତି । ଯେଉଁମାନେ ଦ୍ୱିତୀୟ କିସମରେ ଅଛନ୍ତି, ସେମାନେ ଗ୍ରାମସେବକ ହିସାବରେ ଚାକିରୀ କରୁଚନ୍ତି ସତ, ମାତ୍ର ଆପଣାର ଦାୟିତ୍ୱଗୁଡ଼ିକୁ ମଧ୍ୟ ଏପର୍ଯ୍ୟନ୍ତ ଉଚିତ ପ୍ରକାରେ ବୁଝିନାହାନ୍ତି ଏବଂ ଆପଣା କର୍ତ୍ତବ୍ୟଗୁଡ଼ିକର ପ୍ରତ୍ୟାଖ୍ୟାନ କରୁଚନ୍ତି । ଅନ୍ୟ କିଛି ନମିଳିବାରୁ ସେମାନେ ଗ୍ରାମସେବକ ହୋଇ ଅଛନ୍ତି ଏବଂ ଅଧିକ ଭଲ ସୁଯୋଗ ପାଇବାମାତ୍ରକେ ଏଠାରୁ ଚାଲିଯିବାଲାଗି ଅପେକ୍ଷା କରି ବସିଚନ୍ତି । ତୃତୀୟ ଶ୍ରେଣୀର ଗ୍ରାମସେବକମାନଙ୍କ ମଧ୍ୟରେ ନିଷ୍ଠା ରହିଚି, ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ମନରେ ଆପଣା କାର୍ଯ୍ୟଗୁଡ଼ିକ ବିଷୟରେ ଯଥେଷ୍ଟ ପରିଷ୍କାର ଧାରଣା ହୋଇନାହିଁ । ଅନ୍ଧାରରେ ବାଡ଼ି ବୁଲାଇବା ପରି ସେମାନଙ୍କର ସଂଶୟୀ ମନ ଏପର୍ଯ୍ୟନ୍ତ ଆପଣା ଦାୟିତ୍ୱଗୁଡ଼ିକୁ ସୁଚାରୁରୂପେ ତୁଲାଇ ପାରିବାର ବାଟ ଖୋଜିବୁଲୁଚି । ଏମାନେ ଆଶା ଓ ନିରାଶା ଉଭୟ ଚକ୍ରର ଆବର୍ତ୍ତନରେ ପଡ଼ି ଅନେକ ସମୟରେ ଧୃତି ହରାଇ ବସିବାର ମନୋଭାବ ଦେଖାଉଚନ୍ତି ।

 

ବିକାଶ-ସଂଗଠନ ଗ୍ରାମସେବକର କାର୍ଯ୍ୟ ସକାଶେ କେତେଦୂର ଅନୁକୂଳ କ୍ଷେତ୍ର ଯୋଗାଇ ପାରୁଚି ବା ନପାରୁଚି, ତାହାର ଆଲୋଚନା କରି ପୁସ୍ତକଟିରେ (ପୃଷ୍ଠା–୧୧୭) କୁହାଯାଇଚି, ‘‘ଗ୍ରାମସେବକମାନେ ଯେପରି ସେମାନଙ୍କଠାରୁ ପ୍ରତ୍ୟାଶିତ ଦାୟିତ୍ୱମାନଙ୍କୁ ଉଚିତରୂପେ ତୁଲାଇପାରିବେ, ସେହିପରି ଏକ ଅନୁକୂଳ ପ୍ରତ୍ୟୟ ଓ ଦିଗ୍‌ଦର୍ଶନ ପ୍ରଦାନ କରିବାର ଅଧିକାଂଶତଃ କୌଣସି ପ୍ରୟାସ କରା ଯାଉନାହିଁ । ବ୍ଳକ୍‌ସ୍ତରରେ କର୍ମଚାରୀମାନଙ୍କର ବୈଠକ ଅବଶ୍ୟ ବସୁଛି, ମାତ୍ର ପ୍ରଶାସନର ନିମ୍ନତମ ଆବଶ୍ୟକତା ଗୁଡ଼ିକର ପୂରଣ ନିମନ୍ତେ ପ୍ରଧାନତଃ କାର୍ଯ୍ୟସମ୍ୱନ୍ଧୀୟ କିଛି ଆଦେଶ ଦେବାକୁ ହିଁ ଏହି ବୈଠକଗୁଡ଼ିକୁ ଡକାଯାଉଚି । ସେହିସବୁ ଆଦେଶକୁ ଗ୍ରାମସେବକମାନେ କେତେଦୂର କାର୍ଯ୍ୟକାରୀ କରୁଚନ୍ତି କି ନାହିଁ, ତାହାର ତଦାରଖ କରିବାକୁ ହିଁ ବ୍ଳକ୍-ଅଫିସର୍‌ମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଘେରାଏ ଦୁଇଘେରା ବୁଲି ଆସୁଚନ୍ତି । ଯେପରି ଗ୍ରାମସେବକମାନେ ସେମାନଙ୍କଠାରୁ ଆଶା କରାଯାଉଥିବା କର୍ତ୍ତବ୍ୟଗୁଡ଼ିକୁ ଯଥାର୍ଥଭାବେ ସମ୍ପନ୍ନ କରିପାରିବେ, ସେମାନଙ୍କୁ ସେଥିରେ ଯଥାବିଧି ସାହାଯ୍ୟ କରିବାକୁ ନିୟମତଃ ବ୍ଳକ୍-ଅଫିସର୍ ମାନଙ୍କର ଗୋଟିଏ ବଡ଼ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଗ୍ରହଣ କରାଯାଇଚି । କିନ୍ତୁ ବ୍ଳକ୍‌-ଅଫିସର୍‌ମାନେ ଗ୍ରାମସେବକ ପ୍ରତି ସେମାନଙ୍କର ଏହି କର୍ତ୍ତବ୍ୟଟି ବିଷୟରେ ଯଥେଷ୍ଟ ଅବହିତ ଓ ସଚେତନ ରହିଚନ୍ତି ବୋଲି ଆଦୌ ଜଣା ପଡ଼ିଲାନାହିଁ । ପରିଣାମରେ ଗ୍ରାମସେବକମାନେ ଏକାଏକା ଆପଣା ପରିସ୍ଥିତିଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଚନ୍ତି ଏବଂ ଉପରୁ କୌଣସି ସାହାଯ୍ୟ ନପାଇ ଆପଣାର କର୍ତ୍ତବ୍ୟ ସମ୍ପନ୍ନ କରିବାର ଚେଷ୍ଟା କରୁଚନ୍ତି ।’’

 

ମହାତ୍ମା ଗାନ୍ଧୀ ଏପରି ଏକ ଭାରତବର୍ଷର କଳ୍ପନା କରିଥିଲେ, ଯେଉଁଠି କି ଦେଶର ‘‘ଦରିଦ୍ରତମ ବ୍ୟକ୍ତି ମଧ୍ୟ ଏହି ଦେଶକୁ ଆପଣାର ଦେଶବୋଲି ଅନୁଭବ କରିବ ଏବଂ ଏହି ଦେଶର ନିର୍ମାଣରେ ତାହାର ମଧ୍ୟ ଏକ ପ୍ରଭାବ ପକାଇଲା ଭଳି ଅଂଶ ଅବଶ୍ୟ ରହିବ ।’’ ଗୋଟାଏ ଦୃଷ୍ଟିରୁ ଦେଖିଲେ ମୂଳତଃ ଏହିପରି ଏକ ଅଭିଳାଷ ପ୍ରକଟ କରି ଭାରତରେ ସାମୁଦାୟିକ ବିକାଶ-କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗତ ତେରବର୍ଷର କାର୍ଯ୍ୟକଳାପ ଓ ତହିଁର ଫଳାଫଳ ପରେ ବର୍ତ୍ତମାନ ସେହି ଅଭିଳାଷଟିର ପୂରଣ ଦିଗରେ ଆମେ କେତେଦୂର ଅଗ୍ରସର ହୋଇପାରିଲେ ବା ନପାରିଲେ, ଏବେ ତାହାରି ବିଚାର କରିବା କଥା । ପଞ୍ଚାୟତୀରାଜର ପ୍ରବର୍ତ୍ତନ ପରେ ଭାରତର ସାମୁଦାୟିକ ବିକାଶକୁ ସରକାରୀ ସହଯୋଗରେ ଚାଲିଥିବା ଜନସାଧାରଣଙ୍କର ଏକ କାର୍ଯ୍ୟକ୍ରମ ବୋଲି କୁହାଯାଇଚି । ବର୍ତ୍ତମାନ ବିଚାର୍ଯ୍ୟ, ଏହି କାର୍ଯ୍ୟକ୍ରମଟିକୁ ଜନସାଧାରଣ କେତେଦୂର ଆପଣାର ବୋଲି ଗ୍ରହଣ କରିଚନ୍ତି ବା କରିବାକୁ ଯାଉଚନ୍ତି । କାରଣ, ଯେକୌଣସି ଦେଶରେ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ ଯେତେ ଯାହା କାର୍ଯ୍ୟକ୍ରମ ହେଉଚି, ତାହାକୁ ସମ୍ପୃକ୍ତ କ୍ଷେତ୍ରରେ ଜନସାଧାରଣ ଆପଣାର କାର୍ଯ୍ୟରୂପେ ମୂଳତଃ ସ୍ୱୀକାର କରିନେବା ଦରକାର । କେବଳ ଜାତୀୟ ସ୍ତରରେ ନୁହେଁ, ସ୍ଥାନୀୟ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଲୋକଙ୍କଦ୍ୱାରା ଗୃହୀତ ହେବା ଉଚିତ । ସେହିମାନେହିଁ ମୂଳତଃ ଏହାର ଦାୟିତ୍ୱ ଗ୍ରହଣ କରିବା ଉଚିତ । ଏହା ହୋଇପାରିଲେ ଯାଇ ସ୍ଥାନୀୟ ଗୋଷ୍ଠୀଗୁଡ଼ିକର ଅନ୍ତନିର୍ହିତ ଶକ୍ତି ଏହି କାର୍ଯ୍ୟକ୍ରମର ସମ୍ପାଦନଲାଗି ବ୍ୟବହୃତ ହୋଇପାରିବ । ସେମାନେ ଯାହାକୁ ଆପଣାର କାର୍ଯ୍ୟରୂପେ ଗ୍ରହଣ କରିବେ, କେବଳ ସେହିଗୁଡ଼ିକୁ ହିଁ ଲୋକଶକ୍ତି କାର୍ଯ୍ୟକାରୀ କରିବାର ସମୁଚିତ ବାଟ ପାଇଯାଉଥିବ ।’’

 

ସରକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ମେହେଟ୍ଟା ୧୯୬୫ ଖୀଷ୍ଟାବ୍ଦରେ କୌଣସି ଏକ ଅବସରରେ କହିଥିଲେ ଯେ ଯୋଜନାଦ୍ୱାରା ଭାରତବର୍ଷରେ ଯେଉଁ ବହୁମୁଖୀ ଅଭିବୃଦ୍ଧିର ଯୋଜନା କରାଯାଉଚି, ସେହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ଏଥିରେ ସମସ୍ତଙ୍କର ଭାଗ ରହିବ । ଏହାର ଅର୍ଥ ହେଉଚି, ସରକାର ଓ ଜନସାଧାରଣ, ଥିଲାବାଲା ଓ ନଥିଲାବାଲା ସମସ୍ତେ କାନ୍ଧକୁ କାନ୍ଧ ମିଳାଇ ଓ ଏକାଠି କାର୍ଯ୍ୟକରି ଏହି ଯୋଜନାକୁ ସଫଳ କରିବେ । ଏଥିରେ ସମସ୍ତଙ୍କର ଉଦ୍ୟମ ସମ୍ମିଳିତ ହେବ, ଏହାର ନୀତିଗୁଡ଼ିକ ପଛରେ ସମସ୍ତଙ୍କର ନିର୍ଣ୍ଣୟ ରହିବ, ସମସ୍ତଙ୍କର ସମନ୍ୱିତ ନେତୃତ୍ୱରେ ଏହା ପରିଚାଳିତ ହେବ । ସମସ୍ତେ ଏକାଠି ହୋଇ ଜାତୀୟ ନିର୍ମାଣପଥର ଅସୁବିଧା ଓ କଷ୍ଟଗୁଡ଼ିକର ସମ୍ମୁଖୀନ ହେବେ । ଦରିଦ୍ର କଷ୍ଟ ସହିବେ ଏବଂ ଏଣେ କ୍ଷମତାପନ୍ନ କେତେଜଣ ଜାତୀୟ ଭାଗ୍ୟକୁ ମାଡ଼ିବସେ ସବୁପ୍ରକାରେ ଲାଭବାନ୍ ହେବେ, ଏପରି ହେଲେ ଆମର ସବୁ ଯୋଜନା ପଣ୍ଡ ହୋଇଯିବ ।

 

ଜନସାଧାରଣ କେତେପ୍ରକାରେ ସାମୁଦାୟିକ ବିକାଶ କାର୍ଯ୍ୟରେ ସକ୍ରିୟ ଭାବରେ ସମ୍ମିଳିତ ହୋଇପାରିବେ, ବିଭିନ୍ନ ଦିଗରୁ ଆମେ ଏହାର ବିଚାର କରିପାରିବା । ।।୧।। ଗାଆଁରେ ଯେଉଁସବୁ ସଂସ୍ଥା କାର୍ଯ୍ୟ କରୁଚି, ସେଗୁଡ଼ିକର ବିଶେଷତଃ ଗ୍ରାମପଞ୍ଚାୟତର ଜରିଆରେ ସାଧାରଣଙ୍କର ସହଯୋଗ ପରିଚାଳିତ ହେଉଥିବ । ।।୨।। ଗ୍ରାମସ୍ତରରେ ଯେପରି ନୂତନ ନେତୃତ୍ୱ ଓ ଉଦ୍ୟମର ଉଦ୍‌ଭବ ହେବ, ସେଥିଲାଗି ଅନୁକୂଳ ବାତାବରଣ ପ୍ରସ୍ତୁତ ହୋଇ ରହିଥିବ । ।।୩।। ସାମୁଦାୟିକ କାର୍ଯ୍ୟ ସକାଶେ ଗାଆଁରେ ଯେତେଗୁଡ଼ିଏ ସାଧନ ଉପଲବ୍ଧ ହୋଇପାରୁଚି, ସେହିଗୁଡ଼ିକର ଯଥାର୍ଥ ଓ ସଫଳ ବିନିଯୋଗ ଲାଗି ହିଁ ପ୍ରଧାନତଃ ସରକାରୀ ଅନୁଦାନମାନ ଗ୍ରହଣ କରାଯାଉଥିବ । ।।୪।। ଗ୍ରାମବାସୀ ସମସ୍ତେ ଯଥେଷ୍ଟ ଆଗ୍ରହର ସହିତ ଶ୍ରମ, ସାମଗ୍ରୀ ଓ ନଗଦ ଧନରାଶି ଦ୍ୱାରା ସାମୁଦାୟିକ ବିକାଶ-କାର୍ଯ୍ୟରେ ସାହାଯ୍ୟ କରିବାକୁ ସମ୍ମତ ରହିଥିବେ । ।।୫।। ଗାଆଁରେ ବାସକରୁଥିବା ହରିଜନ ତଥା ଆଦିବାସୀମାନେ ମଧ୍ୟ ଗାଆଁର କାର୍ଯ୍ୟ ଲାଗି ଆଗ୍ରହ ଦେଖାଇବେ । ।।୬।। କୃଷି-ଉତ୍ପାଦନ ଓ ଉଦ୍ୟୋଗ- ଧନ୍ଦାରେ ନୂତନ କୌଶଳଗୁଡ଼ିକୁ ଗ୍ରହଣ କରିବାରେ ଗାଆଁରେ କେହି କୁଣ୍ଠିତ ହେଉନଥିବେ ଏବଂ ବ୍ଳକ୍ ତରଫରୁ ଯେଉଁସବୁ ସୁବିଧା ଓ ସାହାଯ୍ୟମାନ ମିଳୁଚି, ଗ୍ରାମବାସୀ ତାହାର ପରିପୂର୍ଣ୍ଣ ବିନିଯୋଗ କରୁଥିବେ । ।।୭।। ଗାଆଁ ଲୋକଙ୍କର ଦୃଷ୍ଟିକୋଣରେ ମଧ୍ୟ କ୍ରମଶଃ ପରିବର୍ତ୍ତନ ହେଉଚି ସୂଚନା ମିଳୁଥିବ ଏବଂ ଭବିଷ୍ୟତଲାଗି ସେମାନେ ଅଧିକରୁ ଅଧିକ ଆକାଙ୍‌କ୍ଷା ରଖିବାକୁ ଆଗ୍ରହାନ୍ୱିତ ହୋଇ ପାରୁଥିବେ । (୨୧)

 

ସାମୁଦାୟିକ ବିକାଶ କାର୍ଯ୍ୟରେ ଏବଂ ସମଗ୍ର ଭାବରେ କହିବାକୁ ଗଲେ ସାମୂହିକ ଯେକୌଣସି କାର୍ଯ୍ୟରେ ଲକ୍ଷ୍ୟଗୁଡ଼ିକ ବିଷୟରେ ସମ୍ପୃକ୍ତ ବ୍ୟକ୍ତି ବା ପକ୍ଷଗୁଡ଼ିକ ମଧ୍ୟରେ ସମ୍ପୂର୍ଣ୍ଣ ରାଜିନାମା ନରହିଲେ ମଧ୍ୟ ଏହି କାର୍ଯ୍ୟ କେଉଁ ଉଦ୍ଦେଶ୍ୟରେ ହେଉଚି, ସେଥିରେ କୌଣସିପ୍ରକାର ଅସ୍ପଷ୍ଟତା ରହିବା ଉଚିତ ନୁହେଁ । ଯେଉଁ ନେତା ବା ପୁରୋଗାମୀମାନେ ପ୍ରଥମେ କୌଣସି ସାମୁଦାୟିକ କାର୍ଯ୍ୟକ୍ରମର ଯୋଜନା ନେଇ ବାହାରିବେ, ସେମାନଙ୍କର କାର୍ଯ୍ୟଦ୍ୱାରା ଯେ କେବଳ କେତେଜଣଙ୍କର ବା କେତେକ ଶ୍ରେଣୀର କଲ୍ୟାଣ ନହୋଇ ସମସ୍ତ ସମୁଦାୟର କଲ୍ୟାଣ ସାଧିକ ହେବ, ଏହିକଥାଟିକୁ ସେମାନେ ସମସ୍ତଙ୍କ ଆଗରେ ଯଥେଷ୍ଟ ପରିଷ୍କାରରୂପେ ଉପସ୍ଥାପିତ କରିବା ଉପରେ ହିଁ ସେହି ଯୋଜନାର ସଫଳତା ବା ବିଫଳତା ବହୁପରିମାଣରେ ଅବଶ୍ୟ ନିର୍ଭର କରିବ । (୨୨) ଭାରତବର୍ଷର ସାମୁଦାୟିକ ଯୋଜନା ସରକାର ଚଳାଉଚନ୍ତି । ଏହାକୁ ଲୋକଯୋଜନାରେ ପରିଣତ କରିବାର ମାନସ ରଖି ଏହି ଯୋଜନା ଚାଲୁଚି । କିନ୍ତୁ ଲୋକମାନଙ୍କ ଆଗରେ ଏହି ଯୋଜନାର ଲକ୍ଷ୍ୟଗୁଡ଼ିକୁ ଯଥେଷ୍ଟ ପରିଷ୍କାର ଓ ସଂଗତ ଭାବରେ ଉପସ୍ଥାପିତ କରାଯାଇଚି କି ? ଭାରତର ଜନତା କହିଲେ ପ୍ରଧାନତଃ ଯେଉଁ ଅଭାବପୀଡ଼ିତ ପରମ୍ପରାଗ୍ରସ୍ତ ମନୁଷ୍ୟଜୀବମାନଙ୍କୁ ବୁଝାଏ, ସେମାନଙ୍କର ପ୍ରତ୍ୟୟ ଜନ୍ମିଲାଭଳି ଯୋଜନା ଓ ବିକାଶକାର୍ଯ୍ୟର ମତଲବକୁ ସେମାନଙ୍କ ପାଖରେ ନେଇ ପହୁଞ୍ଚାଇ ଦିଆଯାଇଚି କି ? ଉପରେ ଥାଇ ଯେଉଁ ବଗମାନେ ସବୁ ମାରିନେଇ ଯାଉଚନ୍ତି ବୋଲି ଦରିଦ୍ର ଗ୍ରାମବାସୀ ଭାବୁଚି, ସେହି ସାଆନ୍ତମାନଙ୍କର ମୁଖରୁ ମଧୁର ଭବିଷ୍ୟତ କଥାମାନ ଶୁଣି ସେ ଯେ ବିକାଶକାର୍ଯ୍ୟର ସାଧୁ ଉଦ୍ଦେଶ୍ୟ ବିଷୟରେ ଯଥେଷ୍ଟ ଆସ୍ଥା ସ୍ଥାପନ କରିବ, ଏପରି ଆଶା କରିବା ଆମପକ୍ଷରେ ଅକାରଣ ଅତ୍ୟୁତ୍ସାହର ପରିଚୟ ଦେବନାହିଁ କି ?

 

ସାମୁଦାୟିକ ବିକାଶର ଗାଡ଼ି ଯେଉଁପର୍ଯ୍ୟନ୍ତ ଆସି ଅଟକି ଯିବାପରି ମନେହେଉଥିଲା, ସରକାର ସେହିଠାରୁ ହିଁ ପଞ୍ଚାୟତୀରାଜର ନୂଆ ସୂତ୍ର ଦେଶଆଗରେ ବାଢ଼ିଚନ୍ତି । ଶ୍ରୀଯୁକ୍ତ ବଳବନ୍ତରାୟ ମେହେଟ୍ଟା କମିଟି ସାମୁଦାୟିକ ବିକାଶକ୍ଷେତ୍ରରେ ପଙ୍କୋଦ୍ଧାର କରିବା ଉଦ୍ଦେଶ୍ୟରେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ଯେଉଁ ପରାମର୍ଶ ଦେଇଥିଲେ, ସରକାର ସେହି ପରାମର୍ଶକୁ ମାନିନେଇଚନ୍ତି ଓ ତାହାରି ପରବର୍ତ୍ତୀ ପଦକ୍ଷେପ ରୂପେ ଆମ ଦେଶରେ ପଞ୍ଚାୟତୀରାଜର ସଂଗଠନ କରାଯାଇଚି । ୧୯୫୯ ମସିହାରେ ପ୍ରଥମେ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ଏହି ନୂତନ ପ୍ରୟୋଗପଥରେ ପହୁଣ୍ଡ ପକାଇଥିଲେ । ବର୍ତ୍ତମାନ ଭାରତର ଅଧିକାଂଶ ରାଜ୍ୟସରକାର ଏହାକୁ ଗ୍ରହଣ କରିସାରିଲେଣି । ପଞ୍ଚାୟତୀରାଜର ପ୍ରବର୍ତ୍ତନ ଦ୍ୱାରା ସାମୁଦାୟିକ ବିକାଶ ଆଗରେ ଆସି ପହଞ୍ଚିଥିବା ଅନେକ ପ୍ରତିବନ୍ଧକ ଦୂର ହୋଇପାରିବ ବୋଲି ସରକାରୀ ତଥା ବେସରକାରୀ ଅନେକ ବ୍ୟକ୍ତି ବିଶ୍ୱାସ କରୁଥିଲେ, ଏବେମଧ୍ୟ କରୁଚନ୍ତି । ଏପରି ବିଶ୍ୱାସ କରିବାରେ କୌଣସି ଅସ୍ୱାଭାବିକତା ମଧ୍ୟ ନାହିଁ । କାରଣ ପୃଥିବୀର ନାନାଦେଶରେ ସ୍ୱାୟତ୍ତଶାସନର ସ୍ଥାପନା ଜରିଆରେ ସମାଜର ଅନେକ ବିକାଶ ସମ୍ଭବ ହୋଇଚି । ଉଚିତ କ୍ଷେତ୍ର ପାଇଲେ ଆମଦେଶରେ ମଧ୍ୟ ସେହି ଘଟଣା ଘଟିପାରିବ । ସମ୍ଭବତଃ ଏହିପରି ବିଚାର କରି ଶ୍ରୀ ଜୟପ୍ରକାଶ ନାରାୟଣ ପଞ୍ଚାୟତୀରାଜର ସଫଳ ସ୍ଥାପନା ଓ ବିକାଶ ଉପରେ ସର୍ବୋଦୟ-ଆନ୍ଦୋଳନର ଭବିଷ୍ୟତ ମଧ୍ୟ ଅନେକ ପରିମାଣରେ ନିର୍ଭର କରୁଚି ବୋଲି କୌଣସି ଜାଗାରେ ମତ ଦେଇଚନ୍ତି ।

 

ଭାରତର ଗାଆଁ ପାଇଁ ପଞ୍ଚାୟତ କିଛି ନୂଆକଥା ନୁହେଁ । ଏହା ଆମଦେଶର ଗ୍ରାମ-ପରମ୍ପରାରେ ବହୁଦିନରୁ ରହିଆସିଚି । ଅର୍ଥାତ୍ ଗ୍ରାମସ୍ତରରେ ସ୍ୱାୟତ୍ତଶାସନ ଓ ସ୍ୱନିୟନ୍ତ୍ରିତ ବିକାଶର ଯୋଜନା ସମ୍ଭବ କରିବାଲାଗି ଆମଦେଶରେ ଯେ ଏକ ପରମ୍ପରାଗତ ଅନୁକୂଳ କ୍ଷେତ୍ର ରହିଚି, କେହି ଏକଥା ଖଣ୍ଡନ କରିବେନାହିଁ । କିନ୍ତୁ ସେତେବେଳର ଗ୍ରାମପଞ୍ଚାୟତର ଚେହେରା ଯାହା ଥିଲା, ଏବଂ ବର୍ତ୍ତମାନ ଗ୍ରାମପଞ୍ଚାୟତକୁ ଯେପରି ଚେହେରା ଦେଇ ଆମେ ସେଥିରେ ଜୀବନ୍ୟାସ କରିବାକୁ ଯାଉଚୁ, ସେହି ଉଭୟଙ୍କ ଭିତରେ ଆକାଶପାତାଳ ପ୍ରଭେଦ ରହିଚି । ସେହି ପ୍ରଭେଦଗୁଡ଼ିକୁ ଆମକୁ ଭଲକରି ଜାଣିରଖିବାକୁ ହେବ । କେବଳ ଭାରତବର୍ଷ କାହିଁକି, ଗ୍ରାମପ୍ରଧାନ ପ୍ରତ୍ୟେକ ପ୍ରାଚୀନ ସଭ୍ୟତାର ସବୁଠାରେ ସ୍ୱାୟତ୍ତଶାସନର କିଞ୍ଚିତ୍ ରୀତି ଅବଶ୍ୟ ରହିଥିଲା । କିନ୍ତୁ ତଥାପି ପ୍ରାଚୀନ ଗ୍ରାମ କହିଲେ ଆମେ ଯେଉଁ ପାରସ୍ପରିକତାର ଆଦର୍ଶ କଳ୍ପନା କରିଥାଉ, ତାହା ହୁଏତ କୌଣସି ଦେଶରେ ନଥିଲା । ଆମଦେଶରେ ମଧ୍ୟ ନଥିଲା । ପାରମ୍ପରିକ ସମାଜରେ ବ୍ୟକ୍ତିକୁ ଲୋକଜୀବନର ଏକକ ବୋଲି ସ୍ୱୀକାର କରାଯାଉନଥିଲା । ସମୁଦାୟର ହିତ ଅନୁସାରେ ବ୍ୟକ୍ତିକୁ ଦେଶର ମତକୁ ମାନିନେବାକୁ ପଡ଼ୁଥିଲା । ଏହିପରି ମନାଇନେବା ହିଁ ସେକାଳେ ପଞ୍ଚାୟତର ସର୍ବପ୍ରଧାନ ଦାୟିତ୍ୱ ଥିଲା । ମନାଇନେବାର ତନ୍ତ୍ରକୁ ଆମେ ଏଯୁଗରେ ଗଣତନ୍ତ୍ର କହିବାକୁ ଯିବାନାହିଁ । ସଚେତନ ବ୍ୟକ୍ତି ଆଧୁନିକ ସମାଜର ଏକ ଅପରିହାର୍ଯ୍ୟ ସମ୍ପଦ ରୂପେ ସ୍ୱୀକୃତ ହୋଇସାରିଲାଣି । କୌଣସି ପରମ୍ପରାଗତ ଜବରଦସ୍ତି ବା ବାଧ୍ୟବାଧକତା ହେତୁ ନୁହେଁ, ଆପଣା ବିବେକର ସହିତ ବିଚାର କରି ହିଁ ଏକ ଉଦୟମୂଳକ ପନ୍ଥା ହିସାବରେ ସମାଜର ଅନ୍ୟ ସମସ୍ତଙ୍କ ସହିତ ମିଳିତ ହେବ ଏବଂ ସବୁରି ସହିତ ମିଶି ସାମୁଦାୟିକ ଉନ୍ନୟନରେ ପ୍ରବୃତ୍ତ ହେବ, ଗଣତନ୍ତ୍ର ସମାଜବ୍ୟବସ୍ଥା କହିଲେ ଆମେ ପ୍ରଧାନତଃ ଏହାହିଁ ବୁଝିବା । ଏହିପରି ମାର୍ଗରେ ଯାଉ-ଯାଉ ସମାଜ ଯେପରି କେବଳ ବ୍ୟକ୍ତି ବା କେତେକ ସ୍ୱାର୍ଥର ଅମାରଘର ହୋଇନପଡ଼େ, ସେଥିଲାଗି ଆମଦେଶରେ ଆମେ ସମାଜବାଦୀ ବ୍ୟବସ୍ଥା ବା ସାମାଜିକ ନ୍ୟାୟକୁ ଗଣତନ୍ତ୍ରବିଧିରେ ଚେତନାବାଡ଼ି ହିସାବରେ ଗ୍ରହଣ କରିଚୁ । ଏହି ନୂତନ ପୃଷ୍ଠଭୂମିରେ ଗାଆଁର ପଞ୍ଚାୟତକୁ କିପରି ଗଢ଼ିବାକୁ ବା ସଜାଡ଼ିବାକୁ ପଡ଼ିବ ତାହାହିଁ ବିଚାର କରିବା କଥା ।

 

ଭାରତବର୍ଷର ଗାଆଁ ବିଷୟରେ ଆମ ଶିକ୍ଷିତ ମନର ସକଳ ଭାବପ୍ରବଣ ଭ୍ରମ ଦୂରକରି ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ଲେଖିଚନ୍ତି, ‘‘ଭାରତର ଆଧୁନିକ ଗାଆଁକୁ ଆମେ ଗୋଟିଏ ବହୁବିଭକ୍ତ ଘର ବୋଲି କହିପାରିବା । ପ୍ରତ୍ୟେକ ଗାଆଁରେ ନାନାପ୍ରକାର ଜାତିଗତ ଓ ଶ୍ରେଣୀଗତ ଭେଦମାନ ରହିଚି । ପରିବାର ପରିବାର ଭିତରେ ମଧ୍ୟ ମନାନ୍ତର ରହିଚି । ସମଗ୍ର ଗାଆଁରେ ଗୋଟିଏ ମନ ରହିଚି ବୋଲି ଆମେ କଦାପି କହିପାରିବା ନାହିଁ ।’’ ବର୍ତ୍ତମାନ କୌଣସି ବିଶେଷ ପରିସ୍ଥିତିରେ ଯେ ଏହିସବୁ ଭେଦ ଉପୁଜିଲା, ତାହା ନୁହେଁ । ସବୁକାଳରେ ଗାଆଁ ମାନଙ୍କରେ ଏହିସବୁ ଭେଦ ରହିଥିଲା । ଆଜିକାଲି ପରି ହୁଏତ ଏତେଦୂର ଉତ୍କଟ ହୋଇନଥିଲା । ଚୀନର ପ୍ରାଚୀନ ଗାଆଁ ଗୁଡ଼ିକର ସାମାଜିକ ମାନଚିତ୍ର ଦେବାକୁ ଯାଇ ଗୋଟିଏ ଗ୍ରନ୍ଥରେ (୨୩) ଯାହା କୁହାଯାଇଚି, ଆମ ଭାରତର ଗ୍ରାମସାମାଜିକ ପରମ୍ପରା ବିଷୟରେ ମଧ୍ୟ ଆମେ ଅଳ୍ପ ବହୁତ ତାହାହିଁ ଗ୍ରହଣ କରିନେଇପାରିବା । ‘‘ଅନେକେ ବିଶ୍ୱାସ କରନ୍ତି ଯେ ଚୀନ ଗୋଟିଏ ଗଣତାନ୍ତ୍ରିକ ଦେଶ, କିନ୍ତୁ ଚୀନର ଗଣତନ୍ତ୍ରକୁ ପ୍ରଧାନତଃ ଏକପ୍ରକାର ନାସ୍ତିମୂଳକ ଗଣତନ୍ତ୍ର ବୋଲି କୁହାଯାଇ ପାରିବ । ଏକଥା ଅବଶ୍ୟ ସତ ଯେ ଚୀନଦେଶର ଗାଆଁ ଗୁଡ଼ିକୁ ସରକାରଙ୍କୁ କେବଳ ଖଜଣାଗଣ୍ଡାକ ଦେବାକୁ ପଡ଼େ ଏବଂ ସରକାରପ୍ରତି ଆଉ କେତୋଟି କର୍ତ୍ତବ୍ୟ ତୁଲାଇବାକୁ ପଡ଼େ । ଏତିକି ବ୍ୟତୀତ ସରକାରୀ ପ୍ରଶାସନର ଗାଆଁ ଉପରେ ଆଉ କୌଣସି କର୍ତ୍ତୃତ୍ୱ ନଥାଏ ଏବଂ ଗାଆଁ ଗୁଡ଼ିକ ଆପଣାର ସ୍ୱନିର୍ବାଚିତ ସ୍ୱାଧୀନ ଜୀବନ ଯାପନ କରନ୍ତି । ଏହି ଦୃଷ୍ଟିରୁ ହୁଏତ ଆମେ ଚୀନଦେଶର ଗାଆଁ ଗୁଡ଼ିକୁ ଗୋଟିଏ ଗୋଟିଏ ସ୍ୱାୟତ୍ତଶାସିତ ଏକକ ବୋଲି କହିପାରିବା । କିନ୍ତୁ ଗ୍ରାମର ସାଧାରଣ ଜୀବନ ଉପରେ ଟିକିଏ ଅଧିକ ଗଭୀର ଭାବରେ ଦୃଷ୍ଟିପାତ କରି ଦେଖିଲେ ଆମେ ଜାଣିବାକୁ ପାଇବା ଯେ ତଥାପି ଏହିସବୁ ଗାଆଁ ଯଥାର୍ଥ ଗଣତନ୍ତ୍ର-ବ୍ୟବସ୍ଥାରୁ ଅନେକ ଦୂରରେ ରହିଚି । ଗାଆଁର ଯାବତୀୟ ପ୍ରସଙ୍ଗ ଉପରେ ଗ୍ରାମବାସୀ ଉଚ୍ଚବର୍ଗ ଗୁଡ଼ିକର ଏକଚାଟିଆ ଅଧିକାର ରହିଆସିଚି । ଉଚ୍ଚବଂଶର ଲୋକମାନେ ଓ ସରକାରୀ କର୍ମଚାରୀମାନେ ଗାଆଁରେ ବେଶ୍ ଦୌରାତ୍ମ୍ୟ ବିସ୍ତାର କରି ରହିଚନ୍ତି । ବ୍ୟକ୍ତିଗତ ଭାବରେ ଗାଆଁ ଲୋକେ ତଥା ଗାଆଁର ପରିବାରଗୁଡ଼ିକ ଗାଆଁର କୌଣସି ଯୋଜନାରେ କୌଣସି ସକ୍ରିୟ ଅଂଶ ଗ୍ରହଣ କରିନାହାନ୍ତି । ଏହିସବୁ ଯୋଜନା ଉପରେ ଯେତେବେଳେ କୌଣସି ଚର୍ଚ୍ଚା ହୋଇଚି ବା ଯେତେବେଳେ ଗାଆଁରେ ନୂଆକରି କିଛି ଚଳାଇବାର ଉଦ୍ୟମ ଆରମ୍ଭ ହୋଇଚି, ସେତେବେଳେ ସେମାନଙ୍କୁ କଦାପି କେହି ପଚାରିବାକୁ ଯାଇନାହିଁ । ଗ୍ରାମର ସାମୁଦାୟିକ ବିଷୟଗୁଡ଼ିକ ଦୃଷ୍ଟିରୁ ଗ୍ରାମବାସୀ ଅଧିକାଂଶତଃ ଅଜ୍ଞ ରହିଚନ୍ତି, କେବେହେଲେ ପାଟି ଫିଟାଇନାହାନ୍ତି ଏବଂ ଆପଣାର ଅସମର୍ଥତାକୁ ସତ୍ୟ ବୋଲି ଗ୍ରହଣ କରିନେଇ ପଛରେ ରହିଚନ୍ତି । ପ୍ରକୃତ ଗଣତନ୍ତ୍ରରେ ସାମୁଦାୟିକ ପ୍ରସଙ୍ଗମାନଙ୍କରେ ଗ୍ରାମବାସୀ ସମସ୍ତଙ୍କର ସକ୍ରିୟ ଅଂଶ ଗ୍ରହଣ କରିବାର କଥା । ଗ୍ରାମରେ ବାସକରୁଥିବା ଲୋକସାଧାରଣଙ୍କର ଆପଣା ଦୈନନ୍ଦିନ ଜୀବନକୁ ଅଧିକ ଉନ୍ନତ ଓ ସମୃଦ୍ଧ କରିବା ହିଁ ଯେକୌଣସି ଗଣତାନ୍ତ୍ରିକ ପ୍ରକ୍ରିୟାର ଉଦ୍ଦେଶ୍ୟ ହୋଇ ରହିବା ଉଚିତ ।’’

 

ଭାରତବର୍ଷରେ କାଳାନୁକ୍ରମ ଅନୁସାରେ ପଞ୍ଚାୟତଗୁଡ଼ିକ ଯେପରି ରହିଆସିଥିଲେ ଏବଂ ପଞ୍ଚାୟତୀରାଜର କଳ୍ପନାରେ ଆମେ ସେଗୁଡ଼ିକୁ ଯେପରି ହେବାକୁ ଇଚ୍ଛା କରୁଚୁ, ସେହି ସଂକ୍ରାନ୍ତରେ ଆମକୁ ଗୋଟିଏ ବଡ଼ ଭେଦ ସ୍ମରଣ ରଖିବାକୁ ହେବ । ପୁରୁଣା ପଞ୍ଚାୟତ ଜାତିଭେଦର ସାମାଜିକ ସଂଗଠନ ଭିତରେ ରହି ହିଁ କାର୍ଯ୍ୟ କରୁଥିଲେ । ଗାଆଁର ଜମିଜମା ବିଷୟରେ ସେମାନେ ଖୁବ୍ ବେଶୀ ମୁଣ୍ଡ ଖେଳାଉ ନଥିଲେ । ଗାଆଁର ବ୍ୟବସ୍ଥା ଆବହମାନ କାଳରୁ ଯେପରି ରହିଆସିଚି, ତାହାକୁ ହିଁ ନ୍ୟାୟୋଚିତ ବ୍ୟବସ୍ଥା ବୋଲି ମାନି ନିଆଯାଉଥିଲା ଓ ପଞ୍ଚାୟତ ପ୍ରଧାନତଃ ତାହାରି ସୁରକ୍ଷା ହିଁ କରୁଥିଲେ । ତେଣୁ ବାସ୍ତବକ୍ଷେତ୍ରରେ ସେମାନେ ସମ୍ପନ୍ନବର୍ଗ ଗୁଡ଼ିକର ସୁରକ୍ଷା କରୁଥିଲେ ଓ ଅସମ୍ପନ୍ନ ବର୍ଗଗୁଡ଼ିକ ପ୍ରତି ଯଥାସମ୍ଭବ କରୁଣା ଓ ସହାନୁଭୂତି ଦେଖାଇବାକୁ ଚେଷ୍ଟା କରୁଥିଲେ । ସନ୍ତୋଷ ବା ଅସନ୍ତୋଷର ପ୍ରଶ୍ନ ହିଁ ଉଠୁନଥିଲା, କାରଣ ସମ୍ପନ୍ନ ଓ ଅସମ୍ପନ୍ନ ଉଭୟ ବର୍ଗ ପ୍ରଚଳିତ ବ୍ୟବସ୍ଥାକୁ ହିଁ ଆଦର୍ଶ ବ୍ୟବସ୍ଥା ବୋଲି ମାନିନେଉଥିଲେ । ଏହି ବ୍ୟବସ୍ଥା ଅନୁସାରେ କାହାକୁ ମେଞ୍ଚାଏ ମିଳୁଥିଲା ତ କାହାକୁ କେଞ୍ଚାଏ ବି ମିଳୁଥିଲା । କିନ୍ତୁ ସମସ୍ତେ ତାହାକୁ ହିଁ ସାମାଜିକ ଭାଗ୍ୟ ବୋଲି ଗ୍ରହଣ କରୁଥିଲେ । ପଞ୍ଚାୟତୀ ରାଜର କଳ୍ପନା ଅନୁସାରେ ଏଣିକି ଗାଆଁରେ ଯେଉଁ ପଞ୍ଚାୟତ କାର୍ଯ୍ୟ କରିବ ବୋଲି ମସୁଧା ହେଉଚି, ତାହା ଗ୍ରାମର ପୁରୁଷାନୁକ୍ରମିକ ସମାଜ ବ୍ୟବସ୍ଥାକୁ ଘଣ୍ଟଘୋଡ଼ାଇ ବା ତାଳିପକାଇ ରଖିବନାହିଁ, ସେହି ବ୍ୟବସ୍ଥାକୁ ସେ ଆଧୁନିକ ମାନବିକ ଯୁଗର ଆବଶ୍ୟକତା ଅନୁସାରେ ବଦଳାଇବାରେ ଏଜେଣ୍ଟ୍ ପରି କାର୍ଯ୍ୟ କରିବ । ଜାତିଭେଦର ପରମ୍ପରାନିର୍ଦ୍ଦିଷ୍ଟ ଆଧାର ଉପରେ ନୁହେଁ, ମାନବିକ ମୂଲ୍ୟର ସାମୁଦାୟିକ ଆଧାର ଉପରେ ଗ୍ରାମର ନୂଆ ଯୋଜନା ତିଆରି ହେବ । ଅସମାନତା ବଢ଼ିବ ନାହିଁ, ହ୍ରାସ ହେବ ଏବଂ ଏହି ଦିଗରେ ପଞ୍ଚାୟତକୁ ସୁଯୋଜିତ ଭାବରେ ଅଗ୍ରସର ହେବାକୁ ପଡ଼ିବ । ଗ୍ରାମ-ପଞ୍ଚାୟତ କହିଲେ ଏଣିକି ସାଆନ୍ତସାହୀର ଦୋଳମଣ୍ଡପ ଉପରେ ବସୁଥିବା ଜାତିଆଣ-ସଭାକୁ ବୁଝାଇବ ନାହିଁ । ଏଥିରେ ସମସ୍ତ ଗ୍ରାମର ହିତ ଉପରେ ଦୃଷ୍ଟି ଦିଆଯିବ । ସମସ୍ତଙ୍କୁ କାମ ମିଳିବାର ଉଦ୍ୟମ ହେବ, ସବୁପିଲାଏ ପାଠ ପଢ଼ିବେ, ଗାଆଁ ଠାକୁରଙ୍କୁ ଗ୍ରାମବାସୀ ସମସ୍ତଙ୍କୁ ଅନୁଗ୍ରହ କରିବାର ଅବସର ଓ ଅନୁମତି ଦିଆଯିବ । ଦରକାର ପଡ଼ିଲେ ଗାଆଁର ଜମିର ପୁନର୍ବଣ୍ଟନ ମଧ୍ୟ କରିବାକୁ ପଡ଼ିବ । ଗାଆଁର ଉତ୍ପାଦନ ବୃଦ୍ଧି ହିଁ ଗାଆଁ-ଜମିଜମାର ନିର୍ଣ୍ଣାୟକ ହେବ । ପୁରୁଣା ପଞ୍ଚାୟତ ଉପରେ ଆମେ କେତେଦୂର ଏସବୁ କାର୍ଯ୍ୟ ନ୍ୟସ୍ତ କରିଦେଇ ପାରିବା ? ଗାଆଁର ସେହି ପୁରୁଣା ଜଳବାୟୁରେ ଗାଆଁକୁ ନୂତନ କରି ଗଢ଼ିବାର ମସୁଧାମାନ କେତେଦୂର ଉଧେଇ ପାରିବ ?

 

ସାମୁଦାୟିକ ବିକାଶର ଉଦ୍ଦୀପନାଦାୟକ କାର୍ଯ୍ୟକ୍ରମ ଉପରେ ଲେଖିବାକୁ ଯାଇ (ପୁସ୍ତକ ଟିପ୍ପଣୀ–୧, ସେପ୍‍ଟେମ୍ବର, ୧୯୬୨) ପଣ୍ଡିତ ନେହରୁ କେତେବର୍ଷ ତଳେ ପଞ୍ଚାୟତୀରାଜ ବିଷୟରେ କହିଥିଲେ ଯେ ଭାରତବର୍ଷର ପ୍ରତ୍ୟେକ ନାଗରିକକୁ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବା ଭଳି ଉପଯୁକ୍ତକରି ବନାଇବା ହେଉଚି ପଞ୍ଚାୟତୀ-ରାଜର ଚରମ ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ ହୋଇପାରିବା ତ ବହୁଦୂରର କଥା, ଗୋଟାଏ ଦେଶର ନାଗରିକ ହିସାବରେ ଏବଂ ଏପରିକି ଜଣେ ମଣିଷପରି ମଣିଷ ହିସାବରେ ବଞ୍ଚିପାରିବାର ଉପଯୁକ୍ତ ହେବାଲାଗି ଭାରତବର୍ଷର ହୁଏତ ଅଧିକରୁ ବେଶୀ ମଣିଷ ଏପର୍ଯ୍ୟନ୍ତ ସମର୍ଥ ହୋଇପାରିନାହାନ୍ତି । ଆଗାମୀ ଅନେକ ବର୍ଷଲାଗି ଆମର ଜାତୀୟ ଉଦ୍ୟମମାନ ଉଚିତ ପ୍ରକାରେ ନିୟୋଜିତ ହୋଇପାରିଲେ ହୁଏତ ତାହା ସମ୍ଭବ ହୋଇପାରିବ । ପଞ୍ଚାୟତୀରାଜ ଏକ ବ୍ୟବସ୍ଥାମାତ୍ର, ଏହା ଆଲ୍ଲାଦିନ୍‌ର କୁହୁକ-ପ୍ରଦୀପ ନୁହେଁ ଯେ ଛୁଆଁର ଦେବାମାତ୍ରକେ ସବୁ ଫଳ ଇଚ୍ଛାମତେ ଫଳିଯିବ । ଶ୍ରୀଯୁକ୍ତ ମୁଖାର୍ଜୀ ପଞ୍ଚାୟତୀ ରାଜର ଅସଦ୍‌ବ୍ୟବହାର ଓ ପ୍ରମାଦ ବିଷୟରେ ଆମକୁ ସୂଚାଇ ଦେବାକୁ ଚେଷ୍ଟା କରି କହିଚନ୍ତି ଯେ, (୨୪) ଏଥିରେ ନିମ୍ନଲିଖିତ ବିପଦମାନ ଅନ୍ତର୍ନିହିତ ହୋଇ ରହିଚି । ।।୧।। ଗ୍ରାମସମୁଦାୟରେ ଯେଉଁ ଉଚ୍ଚବର୍ଗ ଓ ଅପେକ୍ଷାକୃତ ଅଧିକ ଧନସମ୍ପନ୍ନ ଲୋକ ରହିଚନ୍ତି, ପଞ୍ଚାୟତୀ-ରାଜର ନେତୃତ୍ୱ ହୁଏତ ସେହିମାନଙ୍କର ହାତରେ ଯାଇ ପଡ଼ିଯାଇପାରେ । ଏହି ଶ୍ରେଣୀ ଓ ସ୍ୱାର୍ଥଗୁଡ଼ିକ ହିଁ ଆଜିଯାଏ ଗାଆଁରେ ସ୍ୱାମୀତ୍ୱ କରି ଆସିଚନ୍ତି । ଏହି ସାଆନ୍ତମାନଙ୍କ ହାତରେ ଗାଆଁର ଅଧିକାଂଶ ଜମି ରହିଚି, ଏହିମାନେ ହିଁ ଗାଆଁରେ ଉଚ୍ଚକୁଳ ଓ ଉଚ୍ଚଜାତି ଭାବରେ ସ୍ୱୀକୃତି ପାଇ ଆସିଚନ୍ତି । ପଞ୍ଚାୟତୀରାଜ କାୟମ ହେବାପରେ ଏମାନେ ଆପଣା ନ୍ୟସ୍ତସ୍ୱାର୍ଥଗୁଡ଼ିକୁ ସୁରକ୍ଷିତ କରି ରଖିବାକୁ ଚେଷ୍ଟା କରିବେ । ଆପଣା ଶ୍ରେଣୀସ୍ୱାର୍ଥଗୁଡ଼ିକୁ ଚରିତାର୍ଥ କରିବାଲାଗି ଏମାନେ ସବୁପ୍ରକାର କର୍ତ୍ତୃତ୍ୱ ବା କ୍ଷମତା ଖଟାଇବାକୁବି ଆଗଭର ହେବେ । ଏମାନଙ୍କର ଚକ୍ରାନ୍ତରୁ ରକ୍ଷା ପାଇବାକୁ ହେଲେ ଓ ପଞ୍ଚାୟତୀରାଜ ଅନୁଷ୍ଠାନଦ୍ୱାରା ଗାଆଁର କଲ୍ୟାଣସାଧନ କରିବାକୁ ହେଲେ ସାମାଜିକ ନ୍ୟାୟକୁ ହିଁ ଅଧିକ ଶକ୍ତିଶାଳୀ ଭାବରେ ମୂଳନୀତି ବୋଲି ଗ୍ରହଣ କରିବାକୁ ପଡ଼ିବ ଏବଂ ସେହି ଅନୁସାରେ କାର୍ଯ୍ୟ କରିବାକୁ ମଧ୍ୟ ପଡ଼ିବ । ଏହା ସଙ୍ଗେ ସଙ୍ଗେ ଗ୍ରାମର ଭୂସଂସ୍କାର କରିବାକୁ ପଡ଼ିବ ଏବଂ ଅପେକ୍ଷାକୃତ ଅଧିକ ଅସମର୍ଥ ଜନଶ୍ରେଣୀଗୁଡ଼ିକ ଲାଗି ବିଶେଷ ସହାୟତାର ବ୍ୟବସ୍ଥା କରିବାକୁ ହେବ । ।।୨।। ନାନା ଦଳଗତ ରାଜନୀତିର ସଂକ୍ରମଣ ଆସି ଗ୍ରାମସମୁଦାୟର ଏକତା ଓ ସଂଘବଦ୍ଧତା ଭାଙ୍ଗିଦେବ । ଗାଆଁଲୋକେ ସାନ ସାନ ଦଳରେ ବିଭକ୍ତ ହୋଇ ପରସ୍ପର ସହିତ କଳହରେ ବ୍ୟାପୃତ ରହିବେ । ।।୩।। ଗ୍ରାମସ୍ତରରେ ଯେଉଁ ନେତାମାନେ ପଞ୍ଚାୟତ ପ୍ରଭୃତି ସଂସ୍ଥାଗୁଡ଼ିକର କାର୍ଯ୍ୟକର୍ତ୍ତା ହୋଇ ବସିବେ, ପଦ ଓ ଦାୟିତ୍ୱର ଉପଯୁକ୍ତ କାର୍ଯ୍ୟ କରିବାଲାଗି ସେମାନେ ହୁଏତ ସମର୍ଥ ହୋଇପାରିବେନାହିଁ । ।।୪।। ଗାଆଁ ଭିତରେ ହୁଏତ ନାନାପ୍ରକାରର ଦୁର୍ନୀତି ପଶିଯିବ ଓ ଗ୍ରାମଶାସନର ସଂସ୍ଥାଗୁଡ଼ିକୁ ନାନାପ୍ରକାରେ ଦୂଷିତ କରି ପକାଇବ ।

 

ଶ୍ରୀଯୁକ୍ତ ମୁଖାର୍ଜୀ ଯେଉଁସବୁ ପ୍ରମାଦ ବିଷୟରେ ଆମକୁ ସତର୍କ କରିଦେଇଥିଲେ, ଗ୍ରାମପଞ୍ଚାୟତ ଓ ଗ୍ରାମସମାଜ ସେହିସବୁ ପ୍ରମାଦର ସମ୍ମୁଖୀନ ହେଲା ସତ, ମାତ୍ର ପ୍ରମାଦକୁ ଏଡ଼ିବା ଉଦ୍ଦେଶ୍ୟରେ ସେ ଯେଉଁସବୁ ଉପାୟ ବତାଇଥିଲେ, ସେସବୁକୁ କାର୍ଯ୍ୟକାରୀ କରିବା ଏପର୍ଯ୍ୟନ୍ତ ବାକୀ ରହିଚି । ଫଳରେ ପ୍ରମାଦ ଘୋରତର ହେବାରେ ଲାଗିଚି । ‘‘ନାନା ଅଧ୍ୟୟନରୁ ପ୍ରମାଣ ମିଳିଚି ଯେ ଗ୍ରାମସଭାରେ ଗାଆଁରେ ବାସ କରୁଥିବା ସକଳ ଶ୍ରେଣୀର ଲୋକଙ୍କର ପ୍ରତିନିଧିତ୍ୱ ହେଉନାହିଁ । ଅଧିକାଂଶ ସମୟରେ ହରିଜନମାନେ ଏଥିରେ ଅନୁପସ୍ଥିତ ରହୁଚନ୍ତି । ପ୍ରଧାନତଃ ଜମିବାଲାମାନେ ହିଁ ଏଥିରେ ସଭ୍ୟ ହୋଇ ବସୁଚନ୍ତି । ସେମାନେ ସାଧାରଣତଃ ଉଚ୍ଚ ବଂଶ ଓ ଉଚ୍ଚଜାତିର ହୋଇଥିବାରୁ ଗାଆଁ ଲୋକେ ସେହିମାନଙ୍କୁ ହିଁ ନେତାରୂପେ ନିର୍ବାଚିତ କରୁଚନ୍ତି ବା ଏପରି ହୁଏତ ହୋଇଚି ଯେ ଏହି ଲୋକମାନେ ଅଧିକ ଅବସ୍ଥାସମ୍ପନ୍ନ ଥିବାରୁ ଗାଆଁରେ ବିକାଶକାର୍ଯ୍ୟ ହେଲେ ସେମାନଙ୍କର ମଧ୍ୟ କିଞ୍ଚିତ୍ ଲାଭ ହୋଇପାରିବ ବୋଲି ଆଶାରଖି ଏମାନେ ଗ୍ରାମବିକାଶରେ ଅଧିକ ଆଗ୍ରହ ଦେଖାଇବାକୁ ପ୍ରୟୋଜନୀୟ ଅନୁଭବ କରିଚନ୍ତି । ଅଧିକାଂଶ ସ୍ଥାନରେ ସାଧାରଣତଃ ବୟୋବୃଦ୍ଧ ଲୋକମାନେ ହିଁ ପଞ୍ଚାୟତମାନଙ୍କରେ ସଦସ୍ୟ ହୋଇ ବସିଚନ୍ତି ଏବଂ ଭାରତୀୟ ସମାଜରେ ପାରମ୍ପରିକ ଭାବରେ ଚଳିଆସିଥିବା ନୀତିରେ ଏମାନେ ଆପଣାର କର୍ତ୍ତବ୍ୟମାନ କରିବାକୁ ଯଥେଷ୍ଟ ବୋଲି ଭାବୁଚନ୍ତି । ସରକାରଙ୍କର ପଞ୍ଚମ ମୂଲ୍ୟାଙ୍କନ ରିପୋର୍ଟ ଅନୁସାରେ କେବଳ ୧.୧% ପଞ୍ଚାୟତ-ସଦସ୍ୟଙ୍କର ବୟସ ୨୫ ବର୍ଷରୁ କମ୍ ଥିଲା ଏବଂ କେବଳ ୩୮.୯% ସଦସ୍ୟ ୨୫ ରୁ ୪୦ ଭିତରେ ଥିଲେ ।’’ (ପୁସ୍ତକ ଟିପ୍ପଣୀ–୨୧, ପୃଷ୍ଠା :୮୫–୮୬)

 

ଉତ୍ତର-ପ୍ରଦେଶରେ କୌଣସି ପଞ୍ଚାୟତ ସମିତିର କାର୍ଯ୍ୟ-ବ୍ୟବସ୍ଥାରେ ସଂଖ୍ୟାଲଘୁ ଗୋଷ୍ଠୀମାନଙ୍କର କଥାକୁ କିପରି କର୍ଣ୍ଣପାତ କରାଯାଉ ନଥିଲା, ତାହାର ଉଲ୍ଲେଖ କରି ଗୋଟିଏ ସ୍ଥାନରେ କୁହାଯାଇଚି ଯେ, ଥରେ ଶ୍ରମଦାନ ଓ ସରକାରୀ ଅନୁଦାନ ସାହାଯ୍ୟରେ ଗାଆଁରେ ଗୋଟିଏ ନାଳ ଖୋଳିବାଲାଗି ସଂଖ୍ୟାଲଘୁଦଳ ପଞ୍ଚାୟତ-ସମିତିର ପ୍ରସ୍ତାବଟିଏ ଆଣିଲେ । ଗାଆଁରେ ହଜାର ହଜାର ଏକର ଜମିରେ ଆଗରୁ ପାଣି ଜମାହୋଇ ରହୁଥିଲା, ଏହି ନାଳଟି ଖୋଳାହେଲେ ସେହିସବୁ ଜମି ପୁଣି ଆବାଦଯୋଗ୍ୟ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଥିଲା । କିନ୍ତୁ ସଂଖ୍ୟାଗରିଷ୍ଠ ଦଳ ଏହି ପ୍ରସ୍ତାବଟିର ସମର୍ଥନ କରିନଥିଲେ । କାରଣ ଏହି ନାଳଟିଦ୍ୱାରା ସଂଖ୍ୟାଲଘୁ ଦଳର ଅନ୍ତର୍ଭୁକ୍ତ ଚାଷୀମାନେ ହିଁ ଉପକୃତ ହେବାକୁ ଯାଉଥିଲେ । ଏପରି ଘଟଣା କେବଳ ଯେ ଗୋଟିଏ ପଞ୍ଚାୟତରେ ଘଟିଲା ତାହା ନୁହେଁ । ମାତ୍ର ଏହାଦ୍ୱାରା ଗ୍ରାମରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକର ଭବିଷ୍ୟତ କଲ୍ୟାଣମୟ ହେବ ବୋଲି ଆଦୌ ସୂଚନା ମିଳୁନାହିଁ । (P.N. Jain : Problem of Administrative Coordination in Panchayat Raj- ପୁସ୍ତକ ଟିପ୍ପଣୀ–୧, July, 1962)

 

ସାମୁଦାୟିକ ବିକାଶ ଓ ପଞ୍ଚାୟତୀ-ରାଜର ବ୍ୟବସ୍ଥାରେ ଗ୍ରାମ-ପଞ୍ଚାୟତ ଗ୍ରାମରେ କଲ୍ୟାଣମୁଖୀ ପରିବର୍ତ୍ତନମାନ କରିବାକୁ ସମର୍ଥ ହେବ । ରାଜନୀତି, ଦଳଗତ ସ୍ୱାର୍ଥ ବା କ୍ଷମତା ଏହାର ବ୍ୟବସାୟ ହେବନାହିଁ । ଗ୍ରାମର ସମୂହ କଲ୍ୟାଣ ଅର୍ଥାତ୍ ସାମାଜିକ ନ୍ୟାୟ ଓ ପ୍ରଜାତନ୍ତ୍ର ଉପରେ ପ୍ରତିଷ୍ଠିତ ଏକ ଜାତୀୟ ଜନଜୀବନର ଆଧାରଗତ ଏକକ ରୂପେ ଗ୍ରାମର ପୁନର୍ଗଠନ ଦିଗରେ ଏହାର ସକଳ ଧ୍ୟାନ ଉଦ୍ଦିଷ୍ଟ ହୋଇ ରହିବା ଉଚିତ । ଏଥିଲାଗି ଉପଯୁକ୍ତ କର୍ମୀ ଦରକାର । ପଞ୍ଚାୟତୀ ରାଜର ସଫଳତା ପ୍ରଧାନତଃ ଏହି ସ୍ଥାନୀୟ ନେତୃତ୍ୱର ମାନ ଉପରେ ନିର୍ଭର କରିବ । ଭଟ୍ଟଙ୍କ ଅମଳରୁ ପରମ୍ପରାକୁ ରଖିଆସିଥିବା ପୁରୁଣା ଗଢ଼ଣର ପଞ୍ଚାୟତ ଏ କାମ କରିପାରିବନାହିଁ-। କାରଣ ‘‘ଏହିସବୁ ପଞ୍ଚାୟତରେ ଯେଉଁଭଳି ଉପାଦାନମାନ କ୍ଷମତାସୀନ ହୋଇ ରହିଚନ୍ତି, ସେମାନେ ପ୍ରକୃତପକ୍ଷରେ କୌଣସିପ୍ରକାର ସାମାଜିକ, ଆର୍ଥିକ ବା ରାଜନୀତିକ ପରିବର୍ତ୍ତନ ଚାହୁନାହାନ୍ତି, ବରଂ ସେମାନେ ଏଗୁଡ଼ିକର ବିରୋଧ କରୁଚନ୍ତି ଏବଂ ଯଥାସମ୍ଭବ ପୁରୁଣା ଅନ୍ୟାୟ, ଅବହେଳା ଓ ତତ୍‌ସମ୍ବନ୍ଧୀୟ ପରମ୍ପରାଗୁଡ଼ିକୁ ସ୍ଥାୟୀ କରି ରଖିବାର ଚେଷ୍ଟା କରୁଚନ୍ତି । ପରିବର୍ତ୍ତନର ଆଶାବାଦୀ କଳ୍ପନା ନେଇ ଗ୍ରାମରେ ଯେତେ ନୂଆ ସଂସ୍ଥା ଓ ନୂତନ ଅନୁଷ୍ଠାନମାନ ଆରମ୍ଭ କରାଯାଉଚି, ଯାବତୀୟ କୌଶଳ ଅବଲମ୍ବନ କରି ଏମାନେ ହିଁ ସେଗୁଡ଼ିକରେ ଆପଣାର ଆସନ ଓ ଆଧିପତ୍ୟ ଜମାଇ ନେଉଚନ୍ତି ଏବଂ କ୍ଷମତାର ଦୁଆରବନ୍ଧରେ ବସି ପରିବର୍ତ୍ତନର ବାଟ ଉଗାଳିବାରେ ଲାଗିଚନ୍ତି । ଗ୍ରାମର ଅସମ୍ପନ୍ନ ଗୋଷ୍ଠୀଗୁଡ଼ିକ କୌଣସିପ୍ରକାର ପରିବର୍ତ୍ତନ ଆଣିବାର ଚେଷ୍ଟା କଲେ ବା ମୁକ୍ତଭାବରେ ପରିବର୍ତ୍ତନର ସମର୍ଥନ କଲେ ସେମାନଙ୍କୁ ନାନାପ୍ରକାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଚି ଏବଂ ପୁରୁଣା ନ୍ୟସ୍ତସ୍ୱାର୍ଥ ଓ ଅପରିବର୍ତ୍ତନବାଦୀଙ୍କ ହାତରୁ କ୍ଷମତା ଛଡ଼ାଇଆଣିବା ସେମାନଙ୍କର ପକ୍ଷରେ ଅସମ୍ଭବପ୍ରାୟ ହୋଇ ରହୁଚି । (୨୫)

 

ଭାରତୀୟ ଗ୍ରାମସମାଜ ବିଷୟରେ ଏକାଧିକ ବିଶେଷ ସମାଜଶାସ୍ତ୍ରମୂଳକ ଅଧ୍ୟୟନ କରିଥିବା ଶ୍ରୀଯୁକ୍ତ ଦୁବେ ଆଜିକାଲି ଗ୍ରାମପଞ୍ଚାୟତଗୁଡ଼ିକରେ ସାଧାରଣତଃ କିପରି ଧରଣର ନେତୃତ୍ୱ କାର୍ଯ୍ୟ କରୁଚି, ତାହାର ବିସ୍ତାରିତ ଆଲୋଚନା କରିଚନ୍ତି । (୨୬) ସେ କହିଚନ୍ତି, ‘‘ଗ୍ରାମପଞ୍ଚାୟତ ଓ ଅଦାଲତ ପଞ୍ଚାୟତ ପ୍ରଭୃତି ଯେଉଁ ଅନୁଷ୍ଠାନମାନ ଗାଆଁରେ ପୂର୍ବରୁ କାର୍ଯ୍ୟକରି ଆସୁଥିଲା, ସାମୁଦାୟିକ ବିକାଶଯୋଜନା ସେହିସବୁ ଅନୁଷ୍ଠାନର ସାହାଯ୍ୟ କାମନା କରିଚି । ଏହି ଅନୁଷ୍ଠାନଗୁଡ଼ିକରେ ଗାଆଁ ସ୍କୁଲ ଓ ଗ୍ରାମ ସମବାୟ ସମିତି ମଧ୍ୟ ସାମିଲ ରହିଚି । ଏହିସବୁ ସଂସ୍ଥା ଗୁଡ଼ିକରେ ଯେଉଁ ବ୍ୟକ୍ତିମାନେ ପଦସ୍ଥ ହୋଇ ରହିଥିଲେ, ସେହିମାନଙ୍କୁ ହିଁ ଗ୍ରାମନେତା ବୋଲି ମାନି ନିଆଯାଉଚି ଏବଂ ବିକାଶ-ବିଭାଗର ସରକାରୀ କର୍ମକର୍ତ୍ତାମାନେ ଏହିମାନଙ୍କ ସହିତ ମିଳିମିଶି ଗ୍ରାମର ଯେକୌଣସି କାର୍ଯ୍ୟ କରିବାପାଇଁ ବିଶେଷ ପ୍ରୟାସ କରିଚନ୍ତି । ଗ୍ରାମରେ ଆଉ ଯେଉଁ ଲୋକମାନଙ୍କର ରାଜନୀତି କ୍ଷେତ୍ରରେ ନେତା ବା ସରକାରୀ ହାକିମମାନଙ୍କ ସହିତ ଜଣାଶୁଣା ରହିଥିଲା, ସେମାନଙ୍କୁ ମଧ୍ୟ ଗ୍ରାମନେତା ବୋଲି ବିଚାର କରାଯାଇଚି ଏବଂ ବିକାଶକାର୍ଯ୍ୟ ସଂକ୍ରାନ୍ତୀୟ ନାନା ବିଷୟରେ ସେମାନଙ୍କର ପରାମର୍ଶ ଲୋଡ଼ାଯାଇଚି । ...ଏହିପରି ଭାବରେ ଗାଆଁ ଭିତରେ ଯେଉଁ କେତେଜଣଙ୍କ ସହିତ ସରକାରୀ ଅଥବା ରାଜନୀତିକ ମହଲର ଜଣାଶୁଣା ରହିଥିଲା, ସେହିମାନଙ୍କୁ ହିଁ ପରିବର୍ତ୍ତନର ସ୍ଥାନୀୟ ଏଜେଣ୍ଟ ଭାବରେ ଗ୍ରହଣ କରାଯାଇଚି । ଏହିମାନେ ଯେ ଗ୍ରାମର ନେତା, ଏପରି ଅନୁମାନ କରିନେଇ ଆମେ ପ୍ରଥମ ଭୁଲ କରିଚୁ ସହରର ଜୀବନ ଓ ସରକାରୀ ମହଲର ସମ୍ପର୍କରେ ଆସୁଥିବାରୁ ଗ୍ରାମସମାଜରେ କ୍ରମେ ଏମାନଙ୍କୁ ଏକପ୍ରକାର ବିଶେଷ ଖାତିରି ଓ ପଦସ୍ଥତା ଅବଶ୍ୟ ମିଳିବାକୁ ଆରମ୍ଭ କରିଚି । କିନ୍ତୁ ଏକଥା ମଧ୍ୟ ସତ ଯେ ଗ୍ରାମର ଜନସାଧାରଣ ଏମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିନାହାନ୍ତି । ଏମାନଙ୍କୁ କଦାପି ଆପଣା ପରିଧିଭିତରର ଲୋକ ବୋଲି ଦେଖିନାହାନ୍ତି । ଆବହମାନ କାଳରୁ ଗାଆଁର ଲୋକମାନେ ସରକାରୀ କର୍ମଚାରୀମାନଙ୍କୁ ସାଧାରଣତଃ ଯେପରି ଚକ୍ଷୁରେ ଦେଖିଆସୁଥିଲେ, ଗାଆଁ ଅନୁଷ୍ଠାନରେ ନିର୍ବାଚିତ ବ୍ୟକ୍ତିମାନଙ୍କୁ ମଧ୍ୟ ଅଳ୍ପବହୁତ ସେହିପରି ଚକ୍ଷୁରେ ଦେଖୁଚନ୍ତି ଏବଂ ଏମାନଙ୍କର ପଦକୁ ଅଧାସରକାରୀ ବୋଲି ମନେକରୁଚନ୍ତି । ଗାଆଁ ନେତାମାନଙ୍କ ମଧ୍ୟରେ ପୁଣି ଆଉ କେତେକ ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କୁ ପରମ୍ପରାଗତ ଭାବରେ ନେତା ବୋଲି କୁହାଯାଉଚି । ଏମାନେ ଗତ କେତେପୁରୁଷ ଧରି ଗାଆଁର ପ୍ରଭାବଶାଳୀ ବ୍ୟକ୍ତି ହିସାବରେ ପରିଚିତ ହୋଇ ଆସିଚନ୍ତି । ତେଣୁ ଏକଥା ଅତି ସ୍ୱାଭାବିକ ଯେ ଏହିମାନଙ୍କ ପାଖରେ ଗାଆଁର ଅଧିକ ଜମି ରହିଚି ଓ ଏମାନେ ନାନାଭାବରେ ଗ୍ରାମବାସୀଙ୍କ ଉପରେ ନିଜର ବଡ଼ପଣ ଓ ବିଶେଷ ପଦକୁ ଜାରି କରି ଆସିଚନ୍ତି । ଅର୍ଥାତ୍ ଯେଉଁମାନଙ୍କ ପାଖରେ କ୍ଷମତା ରହିଆସିଥିଲା ଓ ଯେଉଁମାନେ ଗ୍ରାମସମାଜର ଉପର ସ୍ତରରେ ରହିଥିଲେ, ସେମାନଙ୍କ ହାତରେ ହିଁ ଗ୍ରାମର ନେତୃତ୍ୱକୁ ସମର୍ପି ଦେଇ ଗୋଷ୍ଠୀଜୀବନର ସଂଚାଳନ–ପ୍ରକ୍ରିୟାରେ ଆମେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଉପାଦାନଟିକୁ ଆମର ଅବଜ୍ଞା ପ୍ରକାଶ କଲୁ । ପରମ୍ପରାକ୍ରମେ ଗାଆଁରେ ନେତା ବା ମୁଖିଆ ହୋଇ ରହିଆସିଥିବା ଲୋକଙ୍କ ସହିତ ଏକାଠି ମିଶି ଯେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ, ଏହାରି ଉପରେ ଅତିରିକ୍ତ ଜୋର୍ ଦେଇ ଆମେ ସାଧାରଣ ସ୍ତରର ଗ୍ରାମବାସୀମାନଙ୍କ ମନରେ ଏକପ୍ରକାର ଅବିଶ୍ୱାସ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କଲୁ । ସେମାନେ ଆମର କାର୍ଯ୍ୟକଳାପ ଦେଖି ଆଶଙ୍କା କରିବାକୁ ଲାଗିଲେ ଯେ ଉପରେ ଗାଆଁକୁ ବଦଳାଇବାଲାଗି କହୁଥିଲେ ମଧ୍ୟ ସରକାର ଗାଆଁର ପାରମ୍ପରିକ ସତ୍ତାଗତ ସମ୍ବନ୍ଧଗୁଡ଼ିକ ଆଗରୁ ଯେଉଁପରି ରହିଆସିଥିଲା, ସେଗୁଡ଼ିକୁ ଠିକ୍ ସେହିପରି ରଖିବାକୁ ଚାହୁଚନ୍ତି ଏବଂ ଗାଆଁରେ ସାଧାରଣତଃ ଯେଉଁମାନଙ୍କ ପାଖରେ ଅଧିକ ଭୂସମ୍ପତ୍ତି ରହିଚି, ସେହିମାନେ ଗାଆଁରେ ସ୍ୱାମୀତ୍ୱ କରିବା ନୀତିକୁ ସରକାର ମଧ୍ୟ ସମର୍ଥନ କରୁଚନ୍ତି ।’’

 

ମାସିକ ଇଂରାଜୀ ‘କୁରୁକ୍ଷେତ୍ର’ ପତ୍ରିକାରେ (ପୁସ୍ତକ ଟିପ୍ପଣୀ–୧, ଜୁଲାଇ ୧୯୬୨) ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ଲେଖିଚନ୍ତି ଯେ ସାମୁଦାୟିକ ବିକାଶର ମୁଖ୍ୟତଃ ଦୁଇଟି କାର୍ଯ୍ୟ ରହିଚି-। ଆଧୁନିକ ଜୀବନର ସାଧନମାନ–ଅର୍ଥାତ୍ ସ୍ୱାସ୍ଥ୍ୟଗତ ସୁବିଧା, ପାନୀୟ ଜଳ, ପଣୁଚିକିତ୍ସାର ସାଧନ ପ୍ରଭୃତି ଯୋଗାଇଦେବା ଏହାର ପ୍ରଥମ କାର୍ଯ୍ୟ । ଗାଆଁର ଲୋକମାନଙ୍କୁ ଅଧିକ ଉପାର୍ଜନକ୍ଷମ କରିବାଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ହେଉଚି ଦ୍ୱିତୀୟ କାର୍ଯ୍ୟ-। ଏଇଠି ଲକ୍ଷ୍ୟ କରିବା କଥା ଯେ ସାମୂହିକ ଉନ୍ନୟନଲାଗି ଗାଆଁ ଲୋକଙ୍କ ମନରେ ଆବଶ୍ୟକ ଆତ୍ମବିଶ୍ୱାସ ଜନ୍ମାଇବା ଏବଂ ଏଥିଲାଗି ସେମାନଙ୍କର ଦୃଷ୍ଟିକୋଣରେ ଆବଶ୍ୟକ ପରିବର୍ତ୍ତନମାନ ଆଣିବା,–ଏଗୁଡ଼ିକୁ ଶ୍ରୀଯୁକ୍ତ ମହତାବ ସାମୁଦାୟିକ ବିକାଶର ଉଦ୍ଦେଶ୍ୟ ବୋଲି ବିଚାରକରିନାହାନ୍ତି-। ଆଧୁନିକ ସାଧନ ଯୋଗାଇବା ଓ ଲୋକମାନଙ୍କର ଉପାର୍ଜନ-କ୍ଷମତାକୁ ବଢ଼ାଇବା ସରକାରଙ୍କର ନାନା ବିଭିନ୍ନ ବିଭାଗଦ୍ୱାରା ସମ୍ଭବ ହୋଇପାରିଥାନ୍ତା । କେବଳ ଭାରତରେ ନୁହେଁ, ସଂସାରଯାକ ଯେ ଏକ ବିଶେଷ ଆବଶ୍ୟକତାର ପୂରଣ କରିବାଲାଗି ସାମୁଦାୟିକ ବିକାଶ ଜନ୍ମଲାଭ କରିଚି, ସେକଥା ଉପରେ ଶ୍ରୀଯୁକ୍ତ ମହତାବ ଯଥେଷ୍ଟ ମହତ୍ତ୍ୱ ଦେଉନଥିଲା ପରି ମନେହେଉଚି । ପଞ୍ଚାୟତୀ-ରାଜର ସାର୍ଥକ କାର୍ଯ୍ୟକାରିତା ସମ୍ବନ୍ଧରେ କେତେକ ନିରାଶା ଓ ଆଶାର ସୂଚନା ଦେଇ ସେ ଲେଖିଚନ୍ତି :

 

‘‘ଆଜିକାଲି ପ୍ରକୃତରେ ବିକାଶକାର୍ଯ୍ୟ ଅପେକ୍ଷା ପଞ୍ଚାୟତ ଭିତରେ ଦଳଗତ ରାଜନୀତିରେ ଲିପ୍ତ ରହିବାରେ ହିଁ ଗ୍ରାମବାସୀମାନେ ଅଧିକ ମନ ଦେଉଥିବାପରି ମନେହେଉଚି । ନିର୍ବାଚନ ଉପରେ ସମସ୍ତ ଦୃଷ୍ଟି ନିବଦ୍ଧ ରହୁଚି ଓ ଏଥିରେ ଜାତିଭେଦ ଓ ଦଳଗତ ରାଜନୀତି ପରସ୍ପରସହାୟକ ଭାବରେ ଆପଣାର କାର୍ଯ୍ୟ କରିବାରେ ଲାଗିଚନ୍ତି । ଭବିଷ୍ୟତରେ ଅନ୍ତତଃ କେତେବର୍ଷ ଲାଗି ଗ୍ରାମରେ ବାସ କରୁଥିବା ଦଳିତ ଶ୍ରେଣୀ ପଞ୍ଚାୟତକୁ ନିର୍ବାଚିତ ହୋଇ ଆସିବାର କୌଣସି ଆଶା ଦିଶୁନାହିଁ, କାରଣ ସେମାନଙ୍କ ପାଖରେ ଆବଶ୍ୟକ ଶିକ୍ଷା ନାହିଁ, ନିର୍ବାଚନ ଲଢ଼ିବାଲାଗି ଆବଶ୍ୟକ ଧନ ମଧ୍ୟ ନାହିଁ । ଉଚ୍ଚ ବର୍ଗର ଲୋକମାନେ ଦଳଗତ କ୍ଷମତା ଓ ରାଜନୀତିରେ ଏପରି- ଭାବରେ ଲିପ୍ତ ହୋଇ ରହିଚନ୍ତି ଯେ ଗାଆଁରେ ବାସ କରୁଥିବା ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବାକୁ ହିଁ ସେମାନଙ୍କର ବେଳ ନାହିଁ । ଆପଣା ସଂକୀର୍ଣ୍ଣ ସ୍ୱାର୍ଥସୀମାଗୁଡ଼ିକର ପରିଧି ଡେଇଁ ବାହାରକୁ ଦେଖିପାରିବା ଲାଗି ଓ ଯାବତୀୟ ସମସ୍ୟା ବିଷୟରେ ଏକ ନିରପେକ୍ଷ ଦୃଷ୍ଟିକୋଣ ପୋଷଣ କରିବାଲାଗି ଯେଉଁ ଉଦାରତା ରହିଥିବା ଆବଶ୍ୟକ, ଦେଶର ଅପେକ୍ଷାକୃତ ସମ୍ପନ୍ନ ଓ ଉନ୍ନତ ଶ୍ରେଣୀଗୁଡ଼ିକ ମଧ୍ୟରେ ମଧ୍ୟ ସେହି ଉଦାରତା ନାହିଁ । ସମାଜର ଅସମ୍ପନ୍ନ ବର୍ଗଗୁଡ଼ିକର ସମସ୍ୟାପ୍ରତି ସେମାନଙ୍କର କୌଣସି ସହାନୁଭୂତି ନାହିଁ । ଗାଆଁ ଲୋକଙ୍କ ଭିତରେ ଏହି ଉଦାରତା ରହିବା ବୋଲି ଆମେ କିପରି ଆଶା କରିପାରିବା ? ଫଳରେ ବିକାଶକାର୍ଯ୍ୟରେ ହାନି ହିଁ ହେବାରେ ଲାଗିଚି । ଏପରି ଏକ ଅବସ୍ଥା କେତେଦିନଯାଏ ଯେ ରହିବ, କେହି ସେକଥା କହି ପାରିବନାହିଁ । ଏହା ଅଧିକକାଳ ସ୍ଥାୟୀ ହୋଇ ରହିଲେ ତଦ୍ଦ୍ୱାରା ଦେଶର ହିଁ ହାନି ହେବ । ତେଣୁ ଏହି ପରିବର୍ତ୍ତନ-କାଳକୁ ଯଥାସମ୍ଭବ ଅଳ୍ପକାଳ ସ୍ଥାୟୀ କରିବାକୁ ଚେଷ୍ଟା କରିବା ସମ୍ପୃକ୍ତ ସମସ୍ତଙ୍କର ପବିତ୍ର କର୍ତ୍ତବ୍ୟ ହୋଇ ରହିବା ଉଚିତ । ଦେଶର ରାଜନୀତିକ ଦଳମାନେ, ବିଶେଷ କରି ସରକାର ଚଳାଉଥିବା ରାଜନୀତିକ ଦଳ ପଞ୍ଚାୟତ ବା ପଞ୍ଚାୟତ ସମିତିଠାରୁ ଦୂରରେ ରହିଲେ ଏବଂ ଏହି ସଂସ୍ଥାଗୁଡ଼ିକର ପ୍ରସଙ୍ଗ ଭିତରେ ପଶିବାର ଚେଷ୍ଟା ନକଲେ ଏହା ସମ୍ଭବ ହୋଇପାରିବ ।’’

 

ଆଶାବାଦୀ ଜୟପ୍ରକାଶ ଆଉପାଦେ ଆଗକୁ ବଢ଼ିଯାଇ ଏବଂ ଆମଦେଶର ରାଜନୀତିକ ଦଳଗୁଡ଼ିକଠାରୁ ଅତ୍ୟଧିକ ଆଶା କଲାପରି କହିଚନ୍ତି ଯେ ସେମାନେ ଲୋକଶିକ୍ଷା ଅର୍ଥାତ୍ ଦଳନିରପେକ୍ଷ ରାଜନୀତିକ ଶିକ୍ଷାର ପ୍ରସାର କରିବା ଦିଗରେ ସହଯୋଗ କରିବା ଉଚିତ । ‘‘ଲୋକମାନେ ଯେପରି ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦର ବିଭିନ୍ନ ସମସ୍ୟାକୁ ବୁଝିପାରିବେ, ସେଥିଲାଗି ରାଜନୀତିକ ଦଳଗୁଡ଼ିକ ସେମାନଙ୍କୁ ସାହାଯ୍ୟ କରିବା ଉଚିତ । ଗ୍ରାମରେ ସମୁଦାୟ ଓ ପାରସ୍ପରିକତାର ସୁସ୍ଥଭାବନା ସୃଷ୍ଟି କରିବା ଦିଗରେ ମଧ୍ୟ ସେମାନେ କାର୍ଯ୍ୟ କରିବା ଉଚିତ ଏବଂ ସ୍ୱାୟତ୍ତଶାସନ ଲାଗି ଗ୍ରାମବାସୀଙ୍କ ଭିତରେ ଯେପରି ଉପଯୁକ୍ତ ଦକ୍ଷତା ଆସିପାରିବ, ସେଥିଲାଗି ମଧ୍ୟ ସେମାନେ ଚେଷ୍ଟା କରିବା ଉଚିତ ।’’ କିନ୍ତୁ ରାଜନୀତିରେ ଅଧିକ ପାକଳ ପଣ୍ଡିତ ନେହରୁ ବୋଧହୁଏ ଏ ବିଷୟରେ ଅଧିକ ନାଡ଼ୀ ଚିପିଜାଣିଥିଲେ । ସେ ଆଶଙ୍କା କରି ଥରେ ମନ୍ତବ୍ୟ ପ୍ରକାଶ କରିଥିଲେ ଯେ ଯେକୌଣସି ଅଞ୍ଚଳର ପାର୍ଲିଆମେଣ୍ଟ୍ ସଦସ୍ୟ ଓ ବିଧାନସଭା-ସଭ୍ୟମାନେ ଖୁବ୍ ସମ୍ଭବ ସେହି ଅଞ୍ଚଳର ଜିଲ୍ଲାପରିଷଦ ଓ ପଞ୍ଚାୟତ–ସମିତି ଗୁଡ଼ିକରେ ଯାଇ ସବୁ କ୍ଷମତା ମାଡ଼ିବସିବେ । କାରଣ ରାଜନୀତି-ଖେଳରେ ସେହିମାନଙ୍କର ହିଁ ଅଧିକ ଅଭିଜ୍ଞତା ରହିଚି ।

 

ମୋଟାମୋଟି ତାହାହିଁ ହୋଇଚି । ପଞ୍ଚାୟତୀରାଜର ତିନୋଟିଯାକ ସ୍ତରରେ ରାଜନୀତିକ ଚେତନା କେତେଦୂର ବ୍ୟାପ୍ତ ବା ପ୍ରସାରିତ ହୋଇଚି, ସେକଥା ପରିଷ୍କାର ଭାବରେ କହିହେବନାହିଁ, ମାତ୍ର ତଥାକଥିତ ରାଜନୀତିକ ନେତାମାନଙ୍କର ଗନ୍ଧ ବଡ଼ ଅତିରିକ୍ତ ଭାବରେ ପଶିଯାଇଚି । ଏହା ଫଳରେ ଦେଶର ରାଜନୀତିକ ଦଳର କୌଶଳମାନ ଗ୍ରାମସ୍ତରକୁ ମଧ୍ୟ ସଂକ୍ରାମିତ ହୋଇ ଆସିଚି । ଶାସନର ଚେର ଗାଆଁରେ ରହିବ ଓ ସମାଜବିକାଶର ବ୍ୟବସ୍ଥା ତଳୁ ଉପରଆଡ଼କୁ ଯିବବୋଲି ପଞ୍ଚାୟତୀ ରାଜରେ ଯେଉଁ ମୂଳ କଳ୍ପନା କରାଯାଇଥିଲା, ତାହାକୁ ମୂଳରୁ ମାରିଦେଇ ଏବେ ଉପରର ନାନା ରାଜନୀତିକ ଅପପ୍ରେରଣାମାନ ଗାଆଁ ସ୍ତରରେ ଆସି ପ୍ରବେଶକଲାଣି । ଭାରତରେ ଏପରି ଜିଲ୍ଲାପରିଷଦ ହୁଏତ କ୍ୱଚିତ୍ ମିଳିବ, ଯେଉଁଠାରେ କି ଜଣେ ରାଜନୀତିକ ବ୍ୟକ୍ତି ପରିଷଦର ଅଧ୍ୟକ୍ଷ ହୋଇ ବସିନାହାନ୍ତି ବା ଅଧ୍ୟକ୍ଷପଦ ପାଇଁ ବିଭିନ୍ନ ରାଜନୀତିକ ଦଳ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଓ ଜାଲ ଫାନ୍ଦିବାର ଖେଳ ଲାଗିନାହିଁ । ଜିଲ୍ଲାପରିଷଦର ଅଧ୍ୟକ୍ଷମାନେ ସାଧାରଣ ନିର୍ବାଚନ ବେଳେ ଆପଣା ଦଳ ତରଫରୁ ନିର୍ବାଚନ-ସଭାମାନ କରିବାକୁ ଯାଉଚନ୍ତି । ଏହା କେବଳ ଭାରତବର୍ଷରେ ସମ୍ଭବ ହୋଇପାରିବ । କିନ୍ତୁ ସେମାନଙ୍କର ମନୋଭାବ ଓ ଅସୁବିଧା ବୁଝିବାରେ କାହାରି କୌଣସି ଅସୁବିଧା ହେବା ଉଚିତ ନୁହେଁ । ଜିଲ୍ଲାର ବିକାଶ ଦିଗରେ କୌଣସି ଅସୁବିଧା ହେବା ଉଚିତ ନୁହେଁ । ଜିଲ୍ଲାର ବିକାଶ ଦିଗରେ କୌଣସି ବିଶେଷ ଉତ୍ସାହ ରଖିଚନ୍ତି ବା ନେତୃତ୍ୱ ଦେଇଚନ୍ତି ବୋଲି ଯେ ସେମାନେ ଜିଲ୍ଲାପରିଷଦର ମହୁଡ଼ମଣି ହୋଇ ବସିଚନ୍ତି ତାହା ନୁହେଁ, ଆପଣାର ରାଜନୀତିକ ଦଳଟିର ଆଶାରେ ହିଁ ସେମାନେ ଥାନପତି ହେବାର ଅନୁଗ୍ରହ ଲାଭ କରିଚନ୍ତି । ତେଣୁ ବିକାଶର ପ୍ରୟୋଜନ ଦୃଷ୍ଟିରୁ କାର୍ଯ୍ୟ କରିବା ଅପେକ୍ଷା ଆପଣା ରାଜନୀତିକ ଦଳର ବୋଲହାକ ମାନିବାରେ ଆତ୍ମୋନ୍ନତିର ଅଧିକ ସମ୍ଭାବନା ରହିଚି ବୋଲି ସେମାନେ ବେଶ୍ ଦେଖିପାରୁଚନ୍ତି ।

 

ପଞ୍ଚାୟତୀରାଜର ପ୍ରବର୍ତ୍ତନଦ୍ୱାରା ଗ୍ରାମର ବିକାଶମାର୍ଗ ଯେପରି ଭାବରେ ଖୋଲିଯିବ ବୋଲି ଆଶା କରାଯାଇଥିଲା, ଫଳରେ ତାହା ହୋଇପାରିନାହିଁ । ତାହାର ଅର୍ଥ ଅବଶ୍ୟ ନୁହେଁ ଯେ ଏହି ବିଷୟରେ ଆଶାନ୍ୱିତ ହେବାଲାଗି କେଉଁଠି କିଛି ନାହିଁ । ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ପୁରୋଗାମୀ ଭାବରେ ପଞ୍ଚାୟତୀରାଜର ପ୍ରୟୋଗ ଆରମ୍ଭ କରିଥିଲେ । ଏହି ନୂତନ ବ୍ୟବସ୍ଥା ଫଳରେ ସେହି ଦୁଇଟି ରାଜ୍ୟର ଗାଆଁ ମାନଙ୍କରେ କି ପରିବର୍ତ୍ତନମାନ ହୋଇଚି ବା ଲୋକମାନଙ୍କର ଦୃଷ୍ଟିକୋଣ କେତେଦୂର ବଦଳିଚି, ସେହି ବିଷୟରେ ଏକାଧିକ ଅଧ୍ୟୟନ ହୋଇସାରିଚି । ଗୋଟିଏ ଅଧ୍ୟୟନଗୋଷ୍ଠୀ କହିଚନ୍ତି (୨୭) ଯେ, ରାଜସ୍ଥାନରେ ବର୍ତ୍ତମାନ ୩୫୦୨ ଟି ଗ୍ରାମପଞ୍ଚାୟତ, ୨୦୨ଟି ପଞ୍ଚାୟତ ସମିତି ଓ ୨୬ଟି ଜିଲ୍ଲାପରିଷଦ କାର୍ଯ୍ୟ କରୁଚି । ସେମାନେ ପ୍ରତ୍ୟେକ ପଞ୍ଚାୟତ ସମିତିରେ ଅତୀବ ଉତ୍ସାହ ଓ ବହୁମୁଖୀ କର୍ମଠତା ଦେଖିବାକୁ ପାଇଚନ୍ତି ବୋଲି କହିଚନ୍ତି । ଆପଣା ଭାଗ୍ୟରେ ପରିବର୍ତ୍ତନ ଘଟାଇବା ଲାଗି ଆବଶ୍ୟକତା କ୍ଷମତା ସେମାନଙ୍କର ହାତକୁ ଆସିଲାଣି ବୋଲି ଲୋକମାନେ ହୃଦୟଙ୍ଗମ କରୁଚନ୍ତି । ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣଦ୍ୱାରା ଗ୍ରାମସ୍ତରର କର୍ମପ୍ରତିଭା ଓ ଉଦ୍ୟମଶୀଳତା ଲାଗି ଅନେକ ପରିମାଣରେ ବାଟ ଫିଟିଯାଇଚି । ଲୋକମାନେ ପୂର୍ଣ୍ଣମାତ୍ରାରେ ଏହି ନୂତନ ବ୍ୟବସ୍ଥାଗୁଡ଼ିକଦ୍ୱାରା ଆପଣାର କାର୍ଯ୍ୟସାଧନ କରିବାଲାଗି ପ୍ରବୃତ୍ତ ହେଲାପରି ମନେହେଉଚି । କିନ୍ତୁ ଅଧ୍ୟୟନଟିର ଅନ୍ୟ ଏକ ପାଖ ମଧ୍ୟ ରହିଚି । ଗ୍ରାମସ୍ତରର ପ୍ରଶାସନରେ ଏବେ ଦଳଗତ ରାଜନୀତି ବାହାରୁ ଆସି ପ୍ରବେଶ କରିବାକୁ ଆରମ୍ଭ କଲାଣି ଏବଂ ଗ୍ରାମରେ ନାନାପ୍ରକାର ଦଳବନ୍ଦୀ ବି ବଢ଼ିବାରେ ଲାଗିଚି । ଗୋଟିଏ ତଥାକଥିତ ଆଦର୍ଶ ବା ମଡ଼େଲ ଗାଆଁରେ ହରିଜନମାନଙ୍କ ସକାଶେ ମଡ଼େଲ ଘରମାନ ତିଆରି ହୋଇଚି ସତ, କିନ୍ତୁ ଗ୍ରାମର ନେତାମାନେ ହରିଜନମାନଙ୍କ ସହିତ ଏକାଠି ବସି ଖାଇବାଲାଗି ରାଜି ହୋଇପାରିନାହାନ୍ତି । ଆଉ ଗୋଟିଏ ଗାଆଁରେ ପଞ୍ଚାୟତ-ଘରେ ପଞ୍ଚାୟତର ବୈଠକ ବସିଥିବାବେଳେ ହରିଜନମାନେ ସେଠାରେ ପ୍ରବେଶ କରିବାର ଅଧିକାର ପାଉନାହାନ୍ତି । କିନ୍ତୁ ମହିଳାମାନେ ଏବେ ପୁରୁଷମାନଙ୍କ ଉପସ୍ଥିତିରେ ମଧ୍ୟ ଆପଣାର ମତ ପ୍ରକାଶ କରିବାକୁ ସାହସୀ ହେଲେଣି । ପର୍ଦ୍ଦା ଓ ତଦନୁରୂପ ଅନ୍ୟାନ୍ୟ ସଙ୍କୋଚ ହ୍ରାସ ହେଉଥିଲା ପରି ମନେହେଉଚି-। ସମାଜରେ ନାନାପ୍ରକାର ନୂତନ ସଂସ୍କାର କ୍ରମେ ଆପଣାର ପ୍ରଭାବ ପକାଉଥିଲାପରି ପ୍ରମାଣ ମିଳିଲାଣି ।

 

ଏହି ସମ୍ବନ୍ଧରେ ଆଉଗୋଟିଏ ରିପୋର୍ଟ୍‌ରେ କୁହାଯାଇଚି, (୨୮) ‘‘ରାଜସ୍ଥାନର ଜନସାଧାରଣଙ୍କ ଉପରେ ପଞ୍ଚାୟତୀରାଜ ବ୍ୟବସ୍ଥାର ଏକ ଶକ୍ତିଶାଳୀ ପ୍ରଭାବ ପଡ଼ୁଥିଲାପରି ମନେହେଉଚି । ଗ୍ରାମପଞ୍ଚାୟତର ସଦସ୍ୟମାନଙ୍କ ମଧ୍ୟରେ ଏବେ ଯେଉଁ ଆତ୍ମବିଶ୍ୱାସର ପ୍ରମାଣମାନ ମିଳୁଚି, ତାହାକୁ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ବୋଲି କୁହାଯାଇପାରିବ । ଆପଣାର ଉଦ୍ୟମରେ ଓ ଆପଣା ଶକ୍ତିଉପରେ ନିର୍ଭର କରି କଣ ସବୁ କରାଯାଇ ପାରିବ, ଗ୍ରାମବାସୀମାନେ ଏବେ ଏହିଦିଗରେ ହିଁ ଅଧିକ ଚିନ୍ତା କରୁଚନ୍ତି । ସରକାର କୌଣସି କାମ ଆରମ୍ଭ କଲେ ଅଥବା କୌଣସି ସାହାଯ୍ୟ ଦେଲେ ଯେ ଯାଇ କିଛି ସମ୍ଭବ ହୋଇପାରିବ ଏହିପରି ନିର୍ଭରଶୀଳତାର ମନୋଦୃଷ୍ଟିମାନ କ୍ରମେ କମିଯିବାରେ ଲାଗିଚି । ଅବଶ୍ୟ ଗ୍ରାମର ସ୍ଥାନୀୟ ସ୍ତରରେ କେତେଦୂର ନିପୁଣ, ଦୂରଦୃଷ୍ଟିସମ୍ପନ୍ନ ଓ ବିକାଶମନା ନେତୃତ୍ୱର ଉଦ୍ଭବ ହୋଇପାରିବ, ତାହାରିଉପରେ ଅନେକ କଥା ନିର୍ଭର କରୁଚି ।’’

 

ପଞ୍ଚାୟତୀରାଜର ନୂତନ ବ୍ୟବସ୍ଥା ଫଳରେ ଗ୍ରାମସ୍ତରରେ ଯେଉଁଭଳି ନେତୃତ୍ୱ ଜନ୍ମଲାଭ କରୁଚି, ତାହାର ବିଶ୍ଳେଷଣ କରି ରାଜସ୍ଥାନ ସରକାରଙ୍କର ଗୋଟିଏ ରିପୋର୍ଟ୍‌ରେ କୁହାଯାଇଚି ଯେ ଏବେ ଗ୍ରାମବାସୀମାନେ ଅପେକ୍ଷାକୃତ କମ୍ ବୟସର ଲୋକମାନଙ୍କୁ ସରପଞ୍ଚ ରୂପେ ନିର୍ବାଚନ କରିବାର ପ୍ରବୃତ୍ତି ଦେଖାଉଚନ୍ତି । ଦୁଇତୃତୀୟାଂଶ ସରପଞ୍ଚଙ୍କର ବୟସ ୩୦ରୁ ୫୦ ଓ ଛଅ ଭାଗରୁ ଭାଗେ ସରପଞ୍ଚଙ୍କର ବୟସ ୩୦ ବର୍ଷରୁ କମ୍ ବୋଲି ଜଣାଯାଇଚି । ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ବୟସର କେତେଜଣ ସରପଞ୍ଚ ଅବଶ୍ୟ ରହିଚନ୍ତି, କିନ୍ତୁ ସେମାନଙ୍କର ସଂଖ୍ୟା ଅତି ନଗଣ୍ୟ । ୮୧% ନିର୍ବାଚିତ ସରପଞ୍ଚ ପ୍ରାଥମିକରୁ ମାଇନର ଯାଏ ପାଠ ପଢ଼ିଚନ୍ତି ଏବଂ ଅବଶିଷ୍ଟ ୧୯% ମାଇନର ଅପେକ୍ଷା ଉଚ୍ଚତର ଶିକ୍ଷା ଲାଭ କରିଚନ୍ତି । ତଥାପି ଏହାକୁ ମଧ୍ୟ ଏକ ଆଶାବାଦୀ ସୂଚନା ବୋଲି କୁହାଯାଇ ପାରିବ, କାରଣ ରାଜସ୍ଥାନରେ କେବଳ ୧୪.୭% ଙ୍କୁ ଛାଡ଼ିଦେଲେ ଅବଶିଷ୍ଟ ସମସ୍ତେ ନିରକ୍ଷର ରହିଚନ୍ତି । ଧନ୍ଦାଦୃଷ୍ଟିରୁ ବିଚାର କଲେ ୮୨.୬% ସରପଞ୍ଚ ଚାଷୀଶ୍ରେଣୀରୁ ଆସିଚନ୍ତି ଓ ୧୧.୭% ଅନ୍ୟାନ୍ୟ ବ୍ୟବସାୟ କରୁଚନ୍ତି । ସାଧାରଣତଃ ଗାଆଁର ଅବସ୍ଥାପନ୍ନ ଲୋକମାନେ ହିଁ ସରପଞ୍ଚ ହୋଇ ପାରିଚନ୍ତି । ୨୦୦ ଟଙ୍କା–୫୦୦ ଟଙ୍କା ବାର୍ଷିକ ଆୟ କରୁଥିବା ସରପଞ୍ଚ ସଂଖ୍ୟା କେବଳ ୧%, ୫୦୧ ଟଙ୍କା–୧୦୦୦ ଟଙ୍କା ବାର୍ଷିକ ଆୟ କରୁଥିବା ସରପଞ୍ଚ ସଂଖ୍ୟା ୧୫%, ଟ ୧୦୦୧-୩୦୦୦ ଟଙ୍କା ବାର୍ଷିକ ଆୟ କରୁଥିବା ସରପଞ୍ଚ ସଂଖ୍ୟା ୪୧%, ୩୦୦୧ ଟଙ୍କା–୫୦୦୦ ଟଙ୍କା ବାର୍ଷିକ ଆୟ କରୁଥିବା ସରପଞ୍ଚମାନଙ୍କ ସଂଖ୍ୟା ୨୨% ଏବଂ ୫୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ବାର୍ଷିକ ଆୟ କରୁଥିବା ସରପଞ୍ଚମାନଙ୍କର ସଂଖ୍ୟା ୨୧% ବୋଲି ଜଣାଯାଇଚି । କେଉଁ ଜାତିର ଲୋକେ ପ୍ରଧାନତଃ ସରପଞ୍ଚ ପଦକୁ ନିର୍ବାଚିତ ହୋଇଚନ୍ତି, ତାହାର ସଠିକ୍ ବିବରଣ ମିଳିନଥିଲେ ମଧ୍ୟ ଅଧିକାଂଶତଃ ଉଚ୍ଚବର୍ଣ୍ଣର ଲୋକମାନେ ହିଁ ଏହି ପଦର ଅଧିକାରୀ ହୋଇଚନ୍ତି । ବ୍ୟତିକ୍ରମମାନ ଅବଶ୍ୟ ରହିଚି । ଦୃଷ୍ଟାନ୍ତସ୍ୱରୂପ ଗୋଟିଏ ଗାଆଁରେ ୧୯୬୦ ମସିହାର ନିର୍ବାଚନରେ ପଚିଶି ବର୍ଷର ଜଣେ ଭିଲ୍ ମହିଳା ମଧ୍ୟ ସରପଞ୍ଚରୂପେ ନିର୍ବାଚିତ ହୋଇଚନ୍ତି । (୨୯)

 

ଆନ୍ଧ୍ରପ୍ରଦେଶରେ ପଞ୍ଚାୟତୀରାଜର ଅଧ୍ୟୟନ କରି ମଧ୍ୟ ଗୋଟିଏ କମିଟି ପ୍ରାୟ ଅନୁରୂପ ମତ ପ୍ରକାଶ କରିଚନ୍ତି । ସେଠାରେ ମଧ୍ୟ ଅପେକ୍ଷାକୃତ ଅଳ୍ପ ବୟସର ବ୍ୟକ୍ତିମାନେ କ୍ରମେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇ ବାହାରୁଚନ୍ତି । ମାତ୍ର ଅପର ପକ୍ଷରେ ଗାଆଁର ଅଧିକ ସମ୍ପନ୍ନ ଶ୍ରେଣୀସବୁ ହିଁ ପଞ୍ଚାୟତୀରାଜର ଯୋଜନାଗୁଡ଼ିକ ଦ୍ୱାରା ସବୁଠାରୁ ଅଧିକ ଉପକୃତ ହେଉଚନ୍ତି । କମିଟି ଉପସଂହାର କଲାପରି କହିଚନ୍ତି ଯେ ଗ୍ରାମସ୍ତରରେ ଆପଣାର ଯୋଜନା ଆପେ ତିଆରି କରିବା ଏବଂ ଗ୍ରାମଭିତରେ ହିଁ ଯାହାକୁ ବା ଯେଉଁସବୁକୁ ସର୍ବପ୍ରଧାନ ଆବଶ୍ୟକତା ବୋଲି ଅନୁଭବ କରାଯାଇଚି, ତାହାରି ପୂରଣ ଦିଗରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିବାଲାଗି ରାଜ୍ୟ ଓ ରାଷ୍ଟ୍ରୀୟ ସରକାରଙ୍କ ତରଫରୁ ଯଦି ପଞ୍ଚାୟତୀ-ରାଜ ସଂସ୍ଥାମାନଙ୍କୁ ଯଥେଷ୍ଟ ଅଧିକାର ଦିଆନଯାଏ, ତେବେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା କେବଳ ଏକ କଳ୍ପନାରେ ହିଁ ପର୍ଯ୍ୟବସିତ ରହିବ । (୩୦)

 

କୌଣସି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାଦିଗରେ ପରିଲକ୍ଷିତ ହେଉଥିବା ଅଭାବଗୁଡ଼ିକ ଦର୍ଶାଇବା ପଛରେ କାହାରି ଏପରି କୌଣସି ମତଲବ ନାହିଁ ଯେ ଏହି ବ୍ୟବସ୍ଥାଟିକୁ ଉଠାଇଦିଆଯିବା ଉଚିତ । ଗଣତନ୍ତ୍ରର ଦେଶରେ ଯେଉଁ ସମୀକ୍ଷା ଓ ସମାଲୋଚନା କରିବାର ଅଧିକାର ମିଳିଥାଏ, ତାହା ଗଣତନ୍ତ୍ରକୁ ଉତ୍ପାଟିତ କରିଦେବାକୁ ନୁହେଁ, ମାତ୍ର ଗଣତନ୍ତ୍ର-ପ୍ରତିଷ୍ଠା ଓ ତଦ୍ଦ୍ୱାରା ଲୋକୋଦୟର ସମ୍ଭାବନାଗୁଡ଼ିକୁ ଅଧିକ ପ୍ରଶସ୍ତ କରିବାର ଉଦ୍ୟମକୁ ବଳିଷ୍ଠତର କରିବାକୁ ହିଁ ଏହା ହୋଇଥାଏ । ଗାଆଁ ସ୍ତରରେ ଯୋଗ୍ୟ ଓ ସଚେତନ ନେତୃତ୍ୱ ଆଜି ସନ୍ତୋଷଜନକ ଭାବରେ ସୃଷ୍ଟି ହୋଇପାରିନାହିଁ, ଭବିଷ୍ୟତରେ ଏହା ଆମରି ଉଦ୍ୟମଦ୍ୱାରା ହିଁ ସମ୍ଭବ ହୋଇପାରିବ-। ଆଜି ରାଜନୀତିକ ନେତା ଓ ନେତା ବୋଲାଉଥିବା ଅଣନେତାମାନେ ମତ୍ତ ହାତୀ ପଦ୍ମପୋଖରୀରେ ପଶିଲାପରି ଗାଆଁ ଭିତରେ ଆସି ପଶୁଚନ୍ତି । କାଲି ସେମାନେ ଲୋକସାଧାରଣଙ୍କ ହୁଏତ ଉଚିତ ରାଜନୀତିକ ଶିକ୍ଷା ଦେବାରେ ଅଗ୍ରଣୀ ହୋଇ ବାହାରିବେ । ଆମେ ଇଚ୍ଛାକଲେ ଆମ ଦେଶରେ ସବୁ ହୋଇପାରିବ । ଆଜି ଦେଶର ରାଜନୀତିକ ବାତାବରଣ ଯେପରି ଅସୁସ୍ଥ ଓ ଦୂଷିତ ହୋଇ ରହିଚି, ରାଜନୀତି କରିବା ଉଦ୍ଦେଶ୍ୟ ଭିତରେ ଆତ୍ମବୃଦ୍ଧିର କ୍ଷୁଦ୍ରତାମାନ ଯେପରି ବ୍ୟାପକ ଭାବରେ ପଶିଯାଇଚି ଓ ଏହି ବ୍ୟାଧି ଯେପରି କ୍ରମେ ଗାଆଁ ସ୍ତରରେ ମଧ୍ୟ ନାନା ଛିଦ୍ରବୁଦ୍ଧି ଲୋକଙ୍କୁ ତଥାକଥିତ ନେତା ହୋଇ ବାହାରିବାରେ ଉତ୍ସାହିତ କରିଚି, ତଦ୍ଦ୍ୱାରା ଗାଆଁର ଯୋଗ୍ୟତର ବ୍ୟକ୍ତିମାନେ ଅନ୍ତରାଳରେ ରହିବାକୁ ହିଁ ସବୁଠାରୁ ଅଧିକ ନିରାପଦ ମଣୁଚନ୍ତି । ଦଳଗତ ବଳ କଷାକଷିର ଫାନ୍ଦରେ ପଡ଼ିଯିବା ଭୟରେ ସେମାନେ ହୁଏତ ତୁଣ୍ଡ ଖୋଲିବାକୁ ବିପଦ ବୋଲି ଭାବୁଚନ୍ତି । ଗାଆଁର ଭଲ ଚାଷୀ, ଭଲ କାରୀଗର, ଭଲ ମାଷ୍ଟର ବା ଭଲ କଳାକାରମାନେ ଆଜି ଗାଆଁ ମାମଲାରେ ବେଶୀକିଛି କହିବାର ଅବସର ପାଉନାହାନ୍ତି । ଗାଆଁର ଟାଉଟରମାନେ, ଯେଉଁମାନଙ୍କୁ କି ଉପରୁ କୌଣସି ରାଜନୀତିକ ଦଳ ତରଫରୁ ଗ୍ରାମନେତାର ଆସନରେ ଅଧିଷ୍ଠିତ କରି ରଖାଯାଇଚି, ସେହିମାନେ ସବ୍‌ଜାନ୍‌ତା ପରି କୃଷି ଧନ୍ଦା, ଶିକ୍ଷା ଓ ଅନ୍ୟାନ୍ୟ ବ୍ୟାପାରରେ ସବୁପ୍ରକାର ସର୍ଦ୍ଦାରୀ ଦେଖାଉଚନ୍ତି ଓ ଗାଆଁର କୁହାଳିଆ ଓ କଉଶଳୀ ନେତା ହୋଇ ବାହାରୁଚନ୍ତି । ରାଜନୀତିକ ମତଲବଗୁଡ଼ିକ ଏହାଦ୍ୱାରା ବେଶ୍ ସାଧିତ ହେଉଚି, ମାତ୍ର ପଞ୍ଚାୟତୀରାଜର ପ୍ରହସନ ବଢ଼ୁଚି ଓ ଗ୍ରାମବାସୀଙ୍କର ଉଦାସୀନତା ଓ ବୈରାଗ୍ୟ ମଧ୍ୟ ବଢ଼ିବାରେ ଲାଗିଚି । ଗୋଟିଏ ମନ୍ତବ୍ୟରେ କୁହାଯାଇଚି ଯେ ନେତା ହିସାବରେ ଯେଉଁମାନଙ୍କ ପ୍ରତି ଗ୍ରାମବାସୀଙ୍କର ପ୍ରକୃତ ଓ ବିଶ୍ୱାସ ରହିଚି, ସେମାନେ ଆଜି ମଧ୍ୟ ଆପଣା ଆପଣା ଘରେ ଚୁପ୍ ହୋଇ ବସିଚନ୍ତି । ଗାଆଁର ଉଦ୍ଧାର ଚାବି ଏହିମାନଙ୍କ ହାତରେ ରହିଚି, ଜିପ୍‌ରେ ବୁଲୁଥିବା ରାଜନୀତିକ ପାଲାବାଲାଙ୍କ ହାତରେ ନାହିଁ । (ପୁସ୍ତକ ଟିପ୍ପଣୀ–୨୯, ପୃଷ୍ଠା–୭୪) ଏହିମାନଙ୍କୁ ଆବିଷ୍କାର କରି ବାହାରକୁ ଆଣିବାର ଏକ ଉପଯୁକ୍ତ ବାତାବରଣ ସୃଷ୍ଟି କରିପାରିଲେ ପଞ୍ଚାୟତୀରାଜରୁ ପ୍ରହସନ କମିଯିବ, ଏବଂ ଉନ୍ନୟନ ଓ ଲୋକନିର୍ମାଣର ସମ୍ଭାବନା ବୃଦ୍ଧି ପାଇବ । କିନ୍ତୁ କେବଳ ଗ୍ରାମସ୍ତରରେ ନୁହେଁ, ସମଗ୍ର ଜାତୀୟ ସ୍ତରରେ ଏହି ବାତାବରଣ ଓ ଏହି ଜଳବାୟୁ ସୃଷ୍ଟି କରାଯିବା ଆବଶ୍ୟକ ।

 

ଭାରତରେ ସାମୁଦାୟିକ ବିକାଶର ସମୀକ୍ଷାମୂଳକ ଆଲୋଚନା କରି ଶ୍ରୀଯୁକ୍ତ କାର୍ଲ୍ ଟେଲର୍ କହିଚନ୍ତି, (୩୧) ‘‘ଆଜି ଭାରତର ଗ୍ରାମଗୁଡ଼ିକ ଶତ ଓ ସହସ୍ର ସଂଖ୍ୟାରେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଚନ୍ତି । ସେମାନେ ଏବେମଧ୍ୟ ଅଳସୁଆ ବା ଉଦାସୀନ ରହିଚନ୍ତି ବୋଲି କଦାପି କୁହାଯାଇ ପାରିବନାହିଁ । ଏକଥା ହୁଏତ ସତ ହୋଇପାରେ ଯେ, ଭାରତ ଯେତେବେଳେ ସ୍ୱାଧୀନ ହେଲା, ସେତେବେଳେ ଭାରତର ଗାଆଁ ଗୁଡ଼ିକରେ ନାନାପ୍ରକାର ଭୌତିକ, ଆର୍ଥିକ, ସାଂସ୍କୃତିକ ତଥା ମନୋବୈଜ୍ଞାନିକ ଶ୍ଳଥତା ଏବଂ ଆବଦ୍ଧତାମାନ ରହିଥିଲା । କିନ୍ତୁ ମୋର ଦୃଢ଼ ବିଶ୍ୱାସ ଯେ ପରିବର୍ତ୍ତନର ଏହି ପ୍ରତିବନ୍ଧକଗୁଡ଼ିକ ଏପରି ପ୍ରଶସ୍ତ ଓ ବ୍ୟାପକଭାବରେ ଭାଙ୍ଗିଯିବାରେ ଲାଗିଚି ଯେ ସଫଳ ଭାବରେ କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡ଼ିକର ଉତ୍ସାହଜନିତ ପ୍ରତିକ୍ରିୟା ସ୍ୱରୂପ ଏହି ଯୋଜନା ଅଚିରେ ସମଗ୍ର ଦେଶରେ ବ୍ୟାପ୍ତ ହୋଇଯିବ । ସେତେବେଳେ ହୁଏତ ସରକାରୀ ପ୍ରଶାସନୀୟ ବ୍ୟବସ୍ଥାମାନ ସେଗୁଡ଼ିକ ସହିତ ସହଜରେ ତାଳ ରଖି କାର୍ଯ୍ୟ କରିପାରିବ ନାହିଁ । ବିକାଶ-ଅଞ୍ଚଳରେ ବା ବିକାଶାଞ୍ଚଳର ବାହାରେ ମଧ୍ୟ ମୁଁ ଯେତେ ଯେଉଁଠି ଯେଉଁ ଗ୍ରାମବାସୀଙ୍କର ସମ୍ପର୍କରେ ଆସିଚି, ସେମାନେ ସମସ୍ତେ ଅଧିକ ଉତ୍ପାଦନ କରିବାକୁ ଚାହାନ୍ତି, ଆପଣାର ସନ୍ତାନସନ୍ତତିମାନଙ୍କ ସକାଶେ ଅଧିକ ସୁବିଧାମାନ ଚାହାନ୍ତି, ଆପଣା ଘରେ ତଥା ଗାଆଁରେ ଅଧିକ ଭଲଭାବରେ ବଞ୍ଚିବାଲାଗି ସେମାନେ ଉନ୍ନତତର ବ୍ୟବସ୍ଥାମାନ ଚାହାନ୍ତି । ମୋର ଅତି ଦୃଢ଼ ବିଶ୍ୱାସ ଯେ, ଲୋକମାନଙ୍କ ମଧ୍ୟରେ ଉନ୍ନତିଲାଗି ଯେଉଁ ବଳବତୀ ଇଚ୍ଛା ଜାଗ୍ରତ ହେଲାଣି, ସରକାରୀ ପ୍ରଶାସକମାନଙ୍କୁ ସେହି ଇଚ୍ଛାକୁ କାର୍ଯ୍ୟରେ ଲଗାଇ ଶିଖିବାକୁ ପଡ଼ିବ । ଲୋକମାନଙ୍କୁ ସେମାନଙ୍କର ଦୂରଦୃଷ୍ଟି ବଢ଼ାଇବାକୁ କହିବା ବା ସାମୁଦାୟିକ ବିକାଶରେ ସେମାନଙ୍କୁ ଅଧିକ ଭାଗନେବାକୁ କହିବା ଅପେକ୍ଷା ଏହାକୁ ହିଁ ମୁଁ ଅଧିକ ଆବଶ୍ୟକ ବୋଲି ମନେକରୁଚି ।’’

 

ଶ୍ରୀଯୁକ୍ତ ଟେଲର୍ ଭାରତରେ ସାମୁଦାୟିକ ବିକାଶର ଆରମ୍ଭ ପର୍ଯ୍ୟାୟରେ ଏକଥା ଲେଖିଥିଲେ । ତାପରେ ଲୋକମାନଙ୍କର ସେହି ଉତ୍ସାହ ଯେ ଊଣା ହୋଇଯାଇଚି ଓ କ୍ରମେ ଏକ ଉଦାସୀନତାରେ ପର୍ଯ୍ୟବସିତ ହେବାକୁ ଯାଉଚି, ଅଧିକାଂଶ ସମୀକ୍ଷକ ଆଜି ଏହିପରି ମତ ଦେଉଚନ୍ତି । ଏପରି ହେଲା କାହିଁକି ? ସ୍ୱାଧୀନତା ପରେ ଏହି ଦେଶରେ ଜାତୀୟ ନେତୃତ୍ୱ ଓ ଜାତୀୟ ପ୍ରଶାସନ ଉପରେ ଜନସାଧାରଣ ଯେତିକି ବିଶ୍ୱାସ ଦେଖାଇ ପରିଚାଳିତ ହେବାକୁ ବାହାରିଥିଲେ, ସେହି ବିଶ୍ୱାସ କ୍ରମେ ମଉଳିଆସିଲା । କେନ୍ଦ୍ର-ସରକାରଙ୍କ ସାମୁଦାୟିକ ବିକାଶର ଦପ୍ତରରେ ଅତି ଉଚ୍ଚ ଦାୟିତ୍ୱରେ ରହି କାର୍ଯ୍ୟକରିଥିବା ଶ୍ରୀଯୁକ୍ତ ମୁଖାର୍ଜୀ ଆପଣାର ଏକ ପୁସ୍ତକରେ (୩୨) ଭାରତୀୟ ସାମୁଦାୟିକ ବିକାଶ ବିଷୟରେ ଇଚ୍ଛା ପ୍ରକାଶ କରି କହିଚନ୍ତି ଯେ ଏହାକୁ ଏକ ଜାତୀୟ ଆନ୍ଦୋଳନର ରୂପ ଦେବାଲାଗି ସବୁମନ୍ତେ ପ୍ରୟାସ କରାଯିବା ଉଚିତ । ସେ ସ୍ୱୀକାର କରିଚନ୍ତି ଯେ ଏହି ବିଭାଗରେ କାର୍ଯ୍ୟ କରୁଥିବା ଅନେକ କର୍ମୀଙ୍କ ମନରେ ଏହି କାର୍ଯ୍ୟକ୍ରମ ପ୍ରତି ଅନେକ ଅବିଶ୍ୱାସ ଓ ସଂଶୟ ରହିଯାଇଚି । ଏହାକୁ ଦୂର କରିବାକୁ ହେଲେ ସାମୁଦାୟିକ ବିକାଶକୁ ଏକ ଆଦର୍ଶବାଦୀ ଆଧାର ଦିଆଯାଉ ବୋଲି ସେ ପରାମର୍ଶ ଦେଇଚନ୍ତି । ଅର୍ଥାତ୍ ଆମର ଏହି ବୃହତ୍ ଅଳ୍ପ-ବିକଶିତ ଦେଶର ଆଶୁ ବିକାଶ ସାଧନ କରିବାକୁ ହେଲେ, ଆର୍ଥିକ, ସାମାଜିକ ଓ ଗଣତାନ୍ତ୍ରିକ ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଆଗକୁ ବଢ଼ାଇବାକୁ ହେଲେ ଯେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ବ୍ୟତୀତ ଆଉ କୌଣସି ଗଣତନ୍ତ୍ରମୂଳକ ଓ ଫଳପ୍ରଦ ପନ୍ଥା ହିଁ ନାହିଁ, ଏହିପରି ଏକ ଶକ୍ତିଶାଳୀ ପ୍ରଚାର ହେଉବୋଲି ସେ କହିଚନ୍ତି । ଲୋକମାନଙ୍କର ଉଦାସୀନତା ଦୂର କରିବା ଲାଗି ଏହାକୁ ସେ ଏକ ଉପାୟ ବୋଲି ଗ୍ରହଣ କରିଚନ୍ତି । କୌଣସି ଦେଶରେ ସରକାର ଓ ଆଦର୍ଶବାଦ ଏକାଠି ହେଲେ ଯେ ଆଦର୍ଶ ନ ବଢ଼ି ସରକାରଙ୍କର କର୍ତ୍ତୃତ୍ୱଟା ହିଁ ବଢ଼ିବାଲାଗି ଅଧିକ ପ୍ରଶସ୍ତ ପ୍ରଶ୍ରୟ ପାଏ, ଆଧୁନିକ ଇତିହାସରେ ଆମେ ଏହାର ଏକାଧିକ ଦୃଷ୍ଟାନ୍ତ ପାଇପାରିବା । ଆମ ଦେଶରେ ଜାତୀୟ ନେତୃତ୍ୱ ଓ ଜାତୀୟ ଶାସନ ଉପରେ ଲୋକସାଧାରଣଙ୍କର ଯେତିକି ଆସ୍ଥା ଦିନେ ରହିଥିଲା, ଆପଣାର ବଡ଼ ବଡ଼ ଯୋଜନା ଓ ଭଣତି ଅନୁସାରେ ସରକାର ଅନ୍ତତଃ ଚଉଠେ କମ୍ କରି ଦେଖାଇଦେବାର ଆଗ୍ରହ ଦେଖାଇଥିଲେ, ସେହି ଆସ୍ଥା ଆଜି ଭାରତବର୍ଷରେ ଅଲୌକିକ କାର୍ଯ୍ୟମାନ ସାଧନ କରିବାକୁ ସମର୍ଥ ହେଉଥାନ୍ତା ।

Unknown

 

ଶ୍ରୀଯୁକ୍ତ ଜବାହରଲାଲ ନେହରୁ କୌଣସି ଏକ ପ୍ରସଙ୍ଗରେ ଥରେ କହିଥିଲେ, ‘‘ସାମୁଦାୟିକ ବିକାଶର ଯୋଜନାମାନ କାର୍ଯ୍ୟକାରୀ ହେବାଦ୍ୱାରା ସେଥିରୁ ଯେଉଁ ଭୌତିକ ଲାଭମାନ ମିଳିବାର ଆଶା ରହିଚି, କେବଳ ସେଇଥିଲାଗି ଆମେ ଏହାକୁ ଏଡ଼େ ମହତ୍ତ୍ୱପୂର୍ଣ୍ଣ ବୋଲି ବୁଝିବାନାହିଁ । ଅଧିକ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଚି ଯେ ଏହାଦ୍ୱାରା ଆମେ ଆମର ସାମୁଦାୟିକ ଜୀବନ ଗଠନ କରିପାରିବା, ବ୍ୟକ୍ତିର ଜୀବନ ଗଠନ କରିପାରିବା । ଉନ୍ନତ ବ୍ୟକ୍ତି ଆପଣାର ଗାଆଁକୁ ନୂତନ କରି ଗଠନ କରିବ ଏବଂ ତାହାରି ଜରିଆରେ ସମଗ୍ର ଭାରତବର୍ଷ ଗଢ଼ାହେବ ।’’ ଭାରତରେ ଆର୍ଥିକ ଅର୍ଥାତ୍ ଭୌତିକ କ୍ଷେତ୍ରରେ ଅବଶ୍ୟ ସାଧନମାନ ବଢ଼ିଚି । କିନ୍ତୁ ଯେଉଁ ଦେଶରେ ଅଧେ ମଣିଷ ବି ଆଜିଯାଏ ମଣିଷପରି ଆଶା କରିବାର ସାମର୍ଥ୍ୟ ମଧ୍ୟ ଲାଭ କରିନାହାନ୍ତି, ସେହି ଦେଶରେ ମଣିଷ ଲାଗି କଣ ହୋଇଚି ? ଯେଉଁ ମଣିଷ ଅସରଣିଆ ହୋଇ ପଡ଼ିଥିଲା, ତାହାଲାଗି କଣ ହୋଇଚି ? କେବଳ ଆମ ଦେଶରେ ନୁହେଁ, ଅବିକଶିତ ଅନେକ ଦେଶରେ ହୁଏତ ଏହି ଦୁର୍ଭାଗ୍ୟ ହିଁ ଫଳିବାରେ ଲାଗିଚି । ଏସିଆ ଓ ଆଫ୍ରିକାର ଯେଉଁସବୁ ଦେଶ ନୂଆ ହୋଇ ସ୍ୱାଧୀନତା ପାଇଚନ୍ତି, ସେହି ଦେଶରେ କ୍ଷମତାସୀନ ସମ୍ପନ୍ନ ବର୍ଗମାନେ ସ୍ୱାଧୀନତାର ମିଠାଫଳ ଖାଇବାରେ ଲାଗିଚନ୍ତି । ଉପରେ ଦେଖିବାକୁ ସେମାନେ ଏତେଟା କୋଠା, ଏତେ ଲମ୍ବ ସଡ଼କ ଓ ଏତେଟା କାରଖାନା ଦେଖାଇ ଦେଉଚନ୍ତି । ଏଗୁଡ଼ିକରୁ ଲବ୍‌ଧ ଫଳ ପ୍ରଧାନତଃ ସେହିମାନେ ହିଁ ଭୋଗ କରୁଚନ୍ତି ଓ ତଳସ୍ତରରେ ପଡ଼ିଥିବା ମଣିଷ ଆହୁରି ତଳକୁ ଯିବାରେ ଲାଗୁଚି-। ସ୍ମରଣ ରଖିବାକୁ ହେବ ଯେ ଏସବୁ ଦେଶରେ ଅଧିକସଂଖ୍ୟକ ଲୋକ ହିଁ ତଳସ୍ତରରେ ରହିଚନ୍ତି ଓ ସେମାନଙ୍କ ଜୀବନର ପୂରଣଲାଗି କ୍ଷମତାସୀନ ଶ୍ରେଣୀ ଖୁବ୍ ବେଶୀ କରୁନାହାନ୍ତି । ଏପରି କ୍ଷେତ୍ରରେ ସାମୁଦାୟିକ ବିକାଶ ହେବ ବା କିପରି ? ଏପରି କ୍ଷେତ୍ରରେ ମଣିଷର ଉଦୟ ବା ହେବ କିପରି ?

 

ପୃଥିବୀର ଜଣେ ସୁବିଖ୍ୟାତ ଅର୍ଥନୀତିଜ୍ଞଙ୍କର ମତ ଅନୁସାରେ କେବଳ ଭୌତିକ ସାଧନ ବଢ଼ାଇବାରେ ମୂଳଧନ ଖଟାଇଲେ ଅବିକଶିତ ଦେଶମାନଙ୍କର ସମସ୍ୟା ମେଣ୍ଟିଯିବ ନାହିଁ । ମଣିଷ ଲାଗି ମଧ୍ୟ ମୂଳଧନ ଖଟାଇବାକୁ ହେବ । ଆପଣା ଭାଷାରେ ଏହାକୁ ସେ Investment in Human Capital ବୋଲି ବର୍ଣ୍ଣନା କରିଚନ୍ତି । (୩୩) ଏହାକୁ ବୁଝାଇବାକୁ ଯାଇ କହିଚନ୍ତି ଯେ, ।।୧।। ଲୋକମାନଙ୍କର ସ୍ୱାସ୍ଥ୍ୟରକ୍ଷା ଓ ଚିକିତ୍ସା ଲାଗି ଆବଶ୍ୟକ ସୁବିଧାମାନ ରହିବ । ଯେପରି ଗୋଟିଏ ଦେଶର ଲୋକସାଧାରଣ ଅଧିକ ଦିନ ବଞ୍ଚିପାରିବେ, ସେମାନଙ୍କର ଶରୀରରେ ଅଧିକ ଶକ୍ତି ଓ ବଳ ଆସିବ, ସେଥିଲାଗି ସାହସର ସହିତ ସକଳ ଯୋଜନା କରାଯିବ । ।।୨।। ଲୋକମାନଙ୍କୁ ଆପଣାର କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ତାଲୀମ ଦିଆଯିବ, ।।୩।। ପ୍ରତ୍ୟେକ ସ୍ତରରେ ସମସ୍ତଙ୍କ ଲାଗି ଔପଚାରିକ ଶିକ୍ଷାର ବ୍ୟବସ୍ଥା କରାଯିବ, ଏବଂ ।।୪।। ପ୍ରୌଢ଼ମାନଙ୍କ ଲାଗି ନାନାବିଧ ଅଧ୍ୟୟନ-କାର୍ଯ୍ୟକ୍ରମର ସୁବିଧା ରହିବ । ସେ ଆମକୁ ସତର୍କ କରିଦେଲାପରି କହିଚନ୍ତି ଯେ ମଣିଷ ଲାଗି ବୃହତ୍ତ ପରିମାଣର ମୂଳଧନ ନ ଖଟାଇଲେ କୌଣସି ଦେଶରେ ଆଧୁନିକ କୃଷି ଏବଂ ଆଧୁନିକ ଉଦ୍ୟୋଗଜନିତ ସମ୍ପନ୍ନତାର ଫଳ ଭୋଗ କରିବା କଦାପି ସମ୍ଭବ ହୋଇପାରିବ ନାହିଁ ।

 

ସୁଇଡ଼େନ୍‌ର ବିକାଶ-ବିଶେଷଜ୍ଞ ଶ୍ରୀ ଗୁନାର୍ ମୁଇର୍ ଡାଲ୍ ମଧ୍ୟ ତାହାହିଁ କହିଚନ୍ତି : (୩୪) ‘‘ସାଧାରଣତଃ ଦେଖିବାକୁ ମିଳୁଚି ଯେ କୃଷି ଓ ଉଦ୍ୟୋଗକ୍ଷେତ୍ରରେ ଉତ୍ପାଦନର ସ୍ତରମାନ ଶୀଘ୍ର ବୃଦ୍ଧି କରିବାର ଅତ୍ୟୁତ୍ସାହରେ ଦରିଦ୍ର ଦେଶମାନେ ମଣିଷମାନଙ୍କୁ ଅଧିକ ଉତ୍ପାଦନକ୍ଷମ କରିବାଲାଗି ମଧ୍ୟ ଯଥେଷ୍ଟ ମୂଳଧନ ଖଟାଇବାରେ ସମର୍ଥ ହେଉନାହାନ୍ତି । ମଣିଷ ଉପରେ ଯେଉଁ ମୂଳଧନ ଖଟାଯାଏ, ତାହାର ଲାଭ ତୁରନ୍ତ ମିଳିବା ସମ୍ଭବ ନୁହେଁ, କିନ୍ତୁ ତଥାପି ନଦୀବନ୍ଧ ଓ ବିଜୁଳି କାରଖାନାମାନ ବସାଇବାରେ ଯେଉଁ ମୂଳଧନମାନ ଖଟାଯାଉଚି, ତାହାର ତୁଳନାରେ ମଣିଷଲାଗି ଖଟାହେଉଥିବା ମୂଳଧନରୁ ଯେ କମ୍ ଲାଭ ମିଳିବ, ଏପରି ଭାବିବାଲାଗି କୌଣସି କାରଣ ନାହିଁ ।’’ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଚେଷ୍ଟ୍‍ର ବୋଲ୍‌ସ୍ ଏବେ ଗୋଟିଏ ପ୍ରବନ୍ଧରେ (୩୫) ଦର୍ଶାଇଚନ୍ତି ଯେ ବିକଶମାନ ଦେଶଗୁଡ଼ିକରେ ହେଉଥିବା ଆର୍ଥିକ ତଥା ରାଜନୀତିକ ବାସ୍ତବସ୍ଥିତି ସହିତ କୌଣସି ସମ୍ପର୍କ ନଥିଲାପରି ମନେହେଉଚି ଏବଂ ଏହାଦ୍ୱାରା ଅନେକ ପ୍ରମାଦ ଉପୁଜିବାର ଆଶଙ୍କା ରହିଚି । ଭୌତିକ ଓ ମାନବିକ ଆବଶ୍ୟକତାଗୁଡ଼ିକ ମଧ୍ୟରେ ଆହୁରି ଅଧିକ ଭାରସାମ୍ୟ ରଖିବାକୁ ଚେଷ୍ଟା କରାନଗଲେ ଏସବୁ ଦେଶରେ ଅଧିକ ଘନୀଭୂତ ରାଜନୀତିକ ଅଶାନ୍ତିମାନ ଅବଶ୍ୟ ଦେଖାଦେବାକୁ ଆରମ୍ଭ କରିବା । ତାଙ୍କ ମତରେ ଏହିସବୁ ଦେଶରେ ଯେଉଁମାନେ ଯୋଜନା ତିଆରି କରିଚନ୍ତି ସେମାନେ ଅସମ୍ପନ୍ନ ଓ ଦରିଦ୍ର ଜନସାଧାରଣଙ୍କର ଉନ୍ନତି ଓ କଲ୍ୟାଣଲାଗି ଯଥେଷ୍ଟ ଧ୍ୟାନ ରଖି ଯୋଜନା ତିଆରି କରିନାହାନ୍ତି । ସେମାନେ ଏହି ଦାୟିତ୍ୱକୁ ଏଡ଼ିଦେବାପରି ଭାବ ହୁଏତ ଦେଖାଇଚନ୍ତି । ବଡ଼ ବଡ଼ ଲୁହା ଓ ବିଜୁଳି କାରଖାନା ବସାଇବା, ହଜାର ହଜାର ସଂଖ୍ୟାରେ ଇଞ୍ଜିନିୟର, କୃଷି ବିଶାରଦଙ୍କୁ ତାଲୀମ ଦେବା ଏବଂ ଲମ୍ବାଚଉଡ଼ା ପୋଲ ଓ ରେଳପଥର ନିର୍ମାଣ ସଙ୍ଗେ ସଙ୍ଗେ ମଧ୍ୟ ପ୍ରତ୍ୟେକ ବିକଶମାନ ଦେଶରେ ଜନସାଧାରଣଙ୍କର ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକୁ ସୁଲଭ କରିବା ଅବଶ୍ୟ ସମ୍ଭବ ହୋଇପାରନ୍ତା । ତାଙ୍କ ମତରେ ଯେଉଁ ଦେଶରେ ମଣିଷ ବେକାର ହୋଇ ବସିଚନ୍ତି ବା ସରଞ୍ଜାମ ବେକାର ହୋଇ ପଡ଼ିଚି, ସେସବୁ ଦେଶରେ ମଣିଷର ହିଁ ଅସମ୍ମାନ କରାଯାଉଚି ଏବଂ ଜାତୀୟ ଅଭିବୃଦ୍ଧିକୁ ଅଟକାଇ ରଖାଯାଇଚି ।

 

ଯେକୌଣସି ବିକଶମାନ ଦେଶର ଉପଯୁକ୍ତ ଆର୍ଥିକ ବିକାଶ ଲାଗି ଭାରତରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଗଲ୍‌ବ୍ରେଥ୍ (J.K. Galbraith) ନିମ୍ନଲିଖିତ ତ୍ରିସୂତ୍ରୀୟ ବ୍ୟବସ୍ଥାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନିଚନ୍ତି । (୩୬) ଏହି ତିନୋଟି ସୂତ୍ର ହେଉଚି : ।।୧।। ଦେଶରେ ସୁଶାସନ ଓ ସୁଦୃଢ଼ ଶାସନ ଚାଲୁଥିବ ।।୨।। ଦେଶରେ ସମସ୍ତଙ୍କଲାଗି ସାଧାରଣ ଶିକ୍ଷା ଓ ଲୋକଶିକ୍ଷାର ଉପଯୁକ୍ତ ବ୍ୟବସ୍ଥାମାନ ରହିଥିବ ଏବଂ ।।୩।। ସାମୁଦାୟିକ ନ୍ୟାୟକୁ ଯାବତୀୟ ଜାତୀୟ ନିର୍ମାଣରେ ମୂଳନୀତି ହିସାବରେ ଗ୍ରହଣକରାଯାଇଥିବ । ତାଙ୍କ ମତରେ ଏହି ତିନୋଟି ସୂତ୍ରକୁ କାର୍ଯ୍ୟକାରୀ କରିବା ପଥରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର ନକଲାପର୍ଯ୍ୟନ୍ତ କୋଟି କୋଟି ପରିମାଣରେ ମୂଳଧନ ଖଟାଇଲେ ବା ବାହାର ଦେଶରୁ ବଢ଼ିଆ ବଢ଼ିଆ ବିଶେଷଜ୍ଞମାନଙ୍କର ସାହାଯ୍ୟ ମିଳିଲେ ମଧ୍ୟ କୌଣସି ପ୍ରଗତି ହୋଇପାରିବନାହିଁ । ବିକାଶ ହେଉଚି ଏକ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ । କେବଳ ଜନସାଧାରଣଙ୍କୁ ସାଙ୍ଗରେ ନେଇପାରିଲେ ଯାଇ ଏହି ବିକାଶ ସମ୍ଭବ ହୋଇପାରିବ, ଏବଂ ଜନସାଧାରଣଙ୍କୁ ଉପଯୁକ୍ତ ପରିମାଣରେ ଉପକୃତ କରିପାରିଲେ ଯାଇ ସେମାନଙ୍କୁ ସାଙ୍ଗରେ ନେବା ସମ୍ଭବ ହେବ ।

 

ସାମୁଦାୟିକ ବିକାଶକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ଦିଗରେ କେତେପ୍ରକାର କ୍ଷେତ୍ରରେ ସାଧାରଣତଃ କିପରି ପ୍ରତିବନ୍ଧକ ସବୁର ସମ୍ମୁଖୀନ ହେବାକୁ ପଡ଼େ, ଆମେରିକାର ଜଣେ ସମାଜଶାସ୍ତ୍ରୀ ତାହାର ଆଲୋଚନା କରି କହିଚନ୍ତି ଯେ, ଏହି କ୍ଷେତ୍ରରେ ।।୧।। କେତେକ ଦୃଷ୍ଟିକୋଣଗତ ପ୍ରତିବନ୍ଧକ ରହିଥାଇପାରେ । ସାମାଜିକ ଜୀବନ ଓ ସମୁଦାୟ ଭିତରେ ଯଦି ଲୋକମାନେ କୌଣସିପ୍ରକାର ଅସନ୍ତୋଷ ଅନୁଭବ କରୁଥାନ୍ତି (ଅସନ୍ତୋଷକୁ କେହି ବାହାରୁ ଆଣି ଗୋଟାଏ ସମାଜ ଉପରେ ଲଦିଦେଇ ପାରିବନାହିଁ ।) ତେବେ ସେମାନେ କୌଣସି ସମସ୍ୟାର ସମାଧାନ ନ ଖୋଜି ତାହା ଯେପରି ଅଛି ତାକୁ ସେହିପରି ରଖିବାକୁ ହିଁ ଅଧିକ ନିରାପଦ ବୋଲି ମନେକରିପାରନ୍ତି । ସମାଜର କୌଣସି ସମସ୍ୟାକୁ କେବଳ ଏକ ମାମୁଲି ଅପଲକ୍ଷଣ ବୋଲି ବିଚାର କରିପାରନ୍ତି । ଏହାର ଉପଶମ କରାଇବାକୁ ସେମାନେ କୌଣସି ସାମୟିକ ଉପଚାର କରିଦେଲେ ସବୁ ଠିକ୍ ହୋଇଯିବ ବୋଲି ଭାବିପାରନ୍ତି ଏବଂ ସମାଜ-ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆଣିବାକୁ ଅନାବଶ୍ୟକ ବୋଲି କହିପାରନ୍ତି । କୌଣସି ସମସ୍ୟାର ଉପଯୁକ୍ତ ସମାଧାନ କରିବାର ଚେଷ୍ଟା କଲେ ତଦ୍ଦ୍ୱାରା ସମାଜ ଆହୁରି ବିଗିଡ଼ିଯିବ ଓ ବର୍ତ୍ତମାନ ଅପେକ୍ଷା ଅଧିକ ବିଘଟଣ ଉପୁଜିବ ବୋଲି ସେମାନେ ଯୁକ୍ତି ମଧ୍ୟ ଦର୍ଶାଇପାରନ୍ତି । ଲୋକମାନେ ହୁଏତ ଭାଗ୍ୟ ଉପରେ ହିଁ ସବୁକଥା ଛାଡ଼ିଦେଇପାରନ୍ତି । କୌଣସି ଜନସମୁଦାୟରେ ଯେଉଁମାନେ ପରିବର୍ତ୍ତନ ପ୍ରତି ସହାନୁଭୂତିଶୀଳ ଦୃଷ୍ଟି ରଖିଚନ୍ତି, ସମସ୍ତ ସମାଜର କଲ୍ୟାଣ ଦୃଷ୍ଟିରୁ ବିଚାର ନକରି କେବଳ କୌଣସି ନ୍ୟସ୍ତସ୍ୱାର୍ଥକୁ ଚରିତାର୍ଥ କରିବା ମତଲବରେ ସେମାନେ ହୁଏତ ଏପରି କରିଥାଇପାରନ୍ତି । ।।୨।। କେତେକ ଅର୍ଥନୈତିକ ପ୍ରତିବନ୍ଧକ ବି ରହିଥାଇପାରେ । ଉତ୍ପାଦନର ବୃଦ୍ଧି ହେବା ଫଳରେ ଯେଉଁ ଅଧିକା ସାଧନମାନ ଉତ୍ପନ୍ନ ହେଉଚି, ଲୋକମାନେ ତାହାକୁ ସଙ୍ଗେ ସଙ୍ଗେ ଭୋଗକରି ଖତମ କରିଦେଇ ପାରନ୍ତି ଏବଂ ତାହା ଫଳରେ ଅଧିକ ବିକାଶଲାଗି ହୁଏତ କୌଣସି ମୂଳଧନ ଅବଶିଷ୍ଟ ରହିନପାରେ । ଦେଶର ଉତ୍ପାଦନବୃଦ୍ଧିର ଅନୁପାତରେ ଦେଶର ଲୋକସଂଖ୍ୟା ଅଧିକ ବଢ଼ିବାରେ ଲାଗିଥାଇପାରେ । ।।୩।। ସାମାଜିକ ବ୍ୟବସ୍ଥାକ୍ଷେତ୍ରରେ ମଧ୍ୟ ପ୍ରତିବନ୍ଧକ ଥାଇପାରେ । ପୁରୁଣା ପରମ୍ପରାକୁ ଛାଡ଼ିବାରେ ବା ନୂଆ ପରିସ୍ଥିତି ଅନୁସାରେ ସେଗୁଡ଼ିକୁ ଖାପଖୁଆଇ ନେବାରେ ଲୋକମାନେ ଅସମର୍ଥତା ଅନୁଭବ କରିପାରନ୍ତି । କର୍ମନୈପୁଣ୍ୟ ଅପେକ୍ଷା ପଦ ବା ବଂଶମର୍ଯ୍ୟାଦା ଅନୁସାରେ ସାଧନ ଓ ସୁଯୋଗର ବଣ୍ଟନ ହେଉଥାଇପାରେ । ଜନସାଧାରଣ ପ୍ରକୃତରେ କିପରି ଅବସ୍ଥା ବା ଦୁରବସ୍ଥାମାନ ଭୋଗ କରୁଚନ୍ତି, ସେହି ବିଷୟରେ ଉପରସ୍ଥ ସମ୍ପନ୍ନ ଶ୍ରେଣୀ ଉଦାସୀନତା ବି ଦେଖାଇଥାଇପାରନ୍ତି । ଜାତୀୟ ଭାବନାର ପ୍ରେରଣାଶକ୍ତିକୁ ଉତ୍ତେଜିତ ଓ ଉଗ୍ର ଜାତୀୟତାବାଦଦ୍ୱାରା ଦୂଷିତ ଓ ନକାରାତ୍ମକ ମଧ୍ୟ କରି ଦିଆଯାଉଥାଇପାରେ । (Melvin Tumin : Some Social Requirements for Effective C.D- ପୁସ୍ତକ ଟିପ୍ପଣୀ–୩୩, June, 1958)

 

କେବଳ ସାମୁଦାୟିକ ବିକାଶ କ୍ଷେତ୍ରରେ ନୁହେଁ, ସମଗ୍ରଭାବରେ ଦେଖିଲେ ମଧ୍ୟ ଭାରତବର୍ଷର ବିକାଶ ଓ ଅଗ୍ରଗତି ଯେ ଆଶାନୁରୂପ କ୍ଷିପ୍ରଗତିରେ ହୋଇପାରୁନାହିଁ, ଏଥିଲାଗି ଅନେକ ଭାରତର ଧର୍ମପରମ୍ପରାକୁ ଦାୟୀ କରିଥାଆନ୍ତି । ସେମାନେ କହନ୍ତି ଯେ ଭାରତୀୟମାନେ ଧର୍ମର କୁଣ୍ଡ ଭିତରେ ବଡ଼ ଅତିରିକ୍ତ ଭାବରେ ବୁଡ଼ି ରହିଚନ୍ତି ଓ ସେହି କୁଣ୍ଡର କାଦୁଅ ପିଇ ସେମାନେ କାଳକ୍ରମେ ବଡ଼ ମାଦୁକା ହୋଇପଡ଼ିଚନ୍ତି । ଥରେ ଜର୍ମାନୀରେ ସରକାରୀ ଧର୍ମ–ବିଭାଗର ଜଣେ ଅତ୍ୟୁଚ୍ଚ ଅଧିକାରୀଙ୍କଠାରୁ ମୁଁ ଶୁଣିଥିଲି ଯେ ଭାରତରେ ଧର୍ମାଚାରଗୁଡ଼ାକରେ ମଣିଷର ଏତେ ଶକ୍ତିର ଅପଚୟ ହୋଇଯାଉଚି ଯେ ସମାଜର ସୁଖ ପାଇବା ଉଦ୍ଦେଶ୍ୟରେ ଆପଣାର ଜୀବନକୁ ଅଧିକ ସୁନ୍ଦର ଓ ଅଧିକ ସୌଷ୍ଠବସମ୍ପନ୍ନ କରି ଗଢ଼ିବାକୁ ତାହାଠାରେ ଆଉ କୌଣସି ଶକ୍ତି ଅବଶିଷ୍ଟ ରହୁନାହିଁ । ଆମେ ପୂଜାପାର୍ବଣ, ହୋମଯଜ୍ଞ, ଜପ ଭଜନ ଓ ତୀର୍ଥପୀଠ ପ୍ରଭୃତିରେ ଆମର ଏତେ ଅର୍ଥ, ସମୟ, ଶକ୍ତି ଓ ଲୟ ଦେଇପକାଉ ଯେ ଆମର ଇହଜୀବନ ବଞ୍ଚିଲାବେଳକୁ ଆମେ ପ୍ରାୟ ଅସମର୍ଥ ବା ଦେବାଳିଆ ପରି ହୋଇପଡ଼ିଥାଉ । ଫଳରେ ଆମର କର୍ମ, ଚେଷ୍ଟା, ଇଚ୍ଛା ଓ ଜୀବନବାସନାକୁ ମଧ୍ୟ ଆମେ ସେହି ଭଗବାନଙ୍କ ନାମରେ ଉଜାଇଁ ଦେଉ । ସେଇ ଇଚ୍ଛାକଲେ ସବୁ କରିବ, ମାରିବ ସେଇ ଓ ତାରିବ ସେଇ, ଦୁଇଦିନର ଭଙ୍ଗୁର ସଂସାର-ଖେଳରେ ମୋର ଆଉ କିଛିହେଲେ କରିବାର ନାହିଁ, ଏହିପରି ଏକ କାଷ୍ଠ-ବୈରାଗ୍ୟର କବଳରେ ପଡ଼ି ଆମେ ଆପଣା ଜୀବନର ରଜ୍ଜୁକୁ ହାତକୁ ଛାଡ଼ିଦେଇଥାଉ ।

 

ଆମଦେଶରେ ଅନେକ ଲୋକ ମଧ୍ୟ ହୁଏତ ଠିକ୍ ଏହିପରି ଭାବିଥାଆନ୍ତି ଏବଂ ଭାରତରେ କିଛି ହେଉନାହିଁର ଅପବାଦକୁ ସେମାନେ ଅତି ସହଜରେ ଆମ ଦେଶର ଆଳସ୍ୟ-ପ୍ରୋତ୍ସାହକ ଧର୍ମପରମ୍ପରା ଉପରେ ଅଜାଡ଼ିଦେଇଥାନ୍ତି । କିନ୍ତୁ ବିଦେଶୀ ପର୍ଯ୍ୟଟକ ଓ ପର୍ଯ୍ୟବେକ୍ଷକମାନଙ୍କଠାରେ ଏହି ପ୍ରବୃତ୍ତି ଟିକିଏ ଅଧିକ ପରିମାଣରେ ପରିଲକ୍ଷିତ ହୋଇଥାଏ । ଗୋଟାଏ ପାଖରେ ସେମାନେ ଚାହାନ୍ତି ଯେ ଭାରତ ଏକାଧିକାରତନ୍ତ୍ରର ମାର୍ଗରେ ନଯାଉ, ଗଣତନ୍ତ୍ରର ଧୀର ଅଥଚ ନିଶ୍ଚିତ ବାଟରେ ଚାଲୁ, ମଣିଷକୁ ସାଙ୍ଗରେ ନେଇ ଏହି ଦେଶର ବିକାଶ ହେଉ, ଆଧୁନିକ ହେବାର ଓ ଧନସମ୍ପନ୍ନତା ଅର୍ଜିବାର ବାହାନାରେ ଭାରତରେ କୌଣସିପ୍ରକାର ସ୍ୱେଚ୍ଛାଚାର, ମନୁଷ୍ୟପୀଡ଼ନ ବା ଅନ୍ଧ ଆଦର୍ଶବାଦର ଦୌରାତ୍ମ୍ୟକୁ ସ୍ଥାନ ଦିଆନଯାଉ । କିନ୍ତୁ ଅପର ପକ୍ଷରେ ସେମାନେ ଏକଥା ମଧ୍ୟ ଚାହାନ୍ତି ଯେ ଗୋଟାଏ ତାଳି ମାରିଦେଇ ପୂଜାରୀ ଭଗବାନଙ୍କ ପାଖରେ ଭୋଗ ଲଗାଇଦେଲାପରି ଭାରତ ଗୋଟାଏ ଡିଆଁକେ ଇଉରୋପ ବା ଆମେରିକାପରି ଚକ୍‌ଚକ୍ ଦେଖାଯାଉ । ପାଞ୍ଚଟା ବା ଦଶଟା ବର୍ଷରେ ଭାରତର ଲୋକମାନେ ସଫା ପିନ୍ଧନ୍ତୁ ଓ ମୋଟା ଦିଶନ୍ତୁ । ଭାରତବର୍ଷ ସେମାନଙ୍କର ଅଭିଳାଷ ପୂରଣ କରି ନପାରୁଚି ବୋଲି ସେମାନେ ବଡ଼ ନିରାଶ ହୋଇପଡ଼ନ୍ତି ଏବଂ ସବୁ ଅସମର୍ଥତା ଲାଗି ସେମାନେ ଭାରତର ଧର୍ମକୁ ହିଁ ଦାୟୀ କରିଥାଆନ୍ତି । ସେମାନଙ୍କର ମନ ବୋଧ ହୋଇଯାଏ, ଆପଣା ବହିଲେଖାରେ ପଂକ୍ତି ପୂରଣ ହୋଇଯାଏ, କିନ୍ତୁ ଭାରତର ସମସ୍ୟା ସେହିପରି ଅସମାହିତ ହୋଇ ରହିଯାଏ ।

 

ଅର୍ଥନୀତି କ୍ଷେତ୍ରରେ ବିଶାରଦ ଜଣେ ଅଧ୍ୟାପକ ଭାରତରେ ଆର୍ଥିକ ବିକାଶର ଅଧ୍ୟୟନ କରିବାକୁ ଆସି ଆମର ଧର୍ମ ଆମକୁ କିପରି ପ୍ରଗତିକୁଣ୍ଠିତ କରି ରଖିଚି ସେହି ଡାଳ ଧରି ଆପଣାର ସିଦ୍ଧାନ୍ତମାନ କରିଚନ୍ତି । ଆପଣାର ପୁସ୍ତକରେ (୩୭) ସେ କହିଚନ୍ତି ଯେ ମୋଟାମୋଟିଭାବରେ ଦେଖିଲେ ହିନ୍ଦୁ ବା ଭାରତୀୟର ବ୍ୟକ୍ତିତ୍ୱ ଓ ଜୀବନଦୃଷ୍ଟି ପୁରୁଣା ପରମ୍ପରାଗୁଡ଼ିକ ଭିତରେ ହିଁ ବାନ୍ଧିହୋଇ ରହିବାକୁ ଚାହେଁ । ସେ ନୂଆକଥାରେ ସରାଗ ଦେଖାଏନାହିଁ, ନୂଆ ବାଟ ଖୋଜିବାକୁ ସେ ଆଗଭର ହୁଏନାହିଁ ବା ନୂଆ ଢଙ୍ଗରେ ଜୀବନ ଯାପନ କରିବାଲାଗି ଇଚ୍ଛା ବି ପୋଷଣ କରେନାହିଁ । ଭାରତୀୟ ବିଶ୍ୱାସ କରେ ଯେ ଭଗବାନ ସବୁ କରୁଚନ୍ତି, ମଣିଷ କିଛି କରୁନାହିଁ – ତେଣୁ ସେ ଯାହା କଲେ ମଧ୍ୟ ଭଗବାନଙ୍କ ବରାଦ ଅନୁସାରେ ହିଁ ଫଳାଫଳ ଭୋଗିବାକୁ ପଡ଼ିବ । ସେ ନିଷ୍କାମ କର୍ମ ଉପରେ ବିଶ୍ୱାସ କରେ, ଅର୍ଥାତ୍ (ଲେଖକଙ୍କ ମତରେ) ସେ ଯନ୍ତ୍ରପରି କାମ କରିଯାଏ, ମାତ୍ର କୌଣସି ଫଳ ଆଶା ରଖେନାହିଁ ବା ନିର୍ଦ୍ଦିଷ୍ଟ କୌଣସି ଫଳପ୍ରାପ୍ତିର ଯୋଜନା ରଖି ସେ କର୍ମରେ ପ୍ରବୃତ୍ତ ହୁଏନାହିଁ । ସେ କର୍ମ ଉପରେ ହିଁ ଆପଣା ଜୀବନ ବ୍ୟାପାରର ସବୁ ହାନିଲାଭ ଛାଡ଼ିଦେଇଥାଏ । ନୈତିକ ଦୃଷ୍ଟିରୁ ସେ ବଡ଼ ଉଦାସ ରହେ, ଜାତିଭେଦକୁ ସଂସାରରେ ଭଗବାନଙ୍କର ବ୍ୟବସ୍ଥା ବୋଲି ମାନେ । ବଡ଼ ଯୌଥପରିବାରରେ ରହିବାକୁ ଭଲପାଏ ଓ ଅଧିକରୁ ଅଧିକ ସନ୍ତାନ ଜନ୍ମାଇବାକୁ ସେ ଲକ୍ଷ୍ମୀଲାଭର ନିଦର୍ଶନ ବୋଲି ମାନିନିଏ । (ପୃଷ୍ଠା :୪୧-୬୧) ଲେଖକ ଯୁକ୍ତି ପ୍ରମାଣ ବାଢ଼ି କହିବାକୁ ଚେଷ୍ଟା କରିଚନ୍ତି ଯେ ଇହସଂସାର ବିଷୟରେ ଆଗ୍ରହୀ ହୋଇ ଆଧୁନିକ ଜୀବନ ଯାପନ କରିବାଦିଗରେ ଭାରତବାସୀଙ୍କ ଜୀବନପଥରେ ଯେଉଁ ପ୍ରତିବନ୍ଧକମାନ ରହିଚି, ହିନ୍ଦୁସଂସ୍କୃତିର ଅନ୍ତର୍ନାଡ଼ୀ ଭିତରେ ଯାଇ ଆମକୁ ସେଗୁଡ଼ିକର ଅଙ୍କୁରମାନ ଦେଖିବାକୁ ମିଳିପାରିବ । ହିନ୍ଦୁ ସଂସ୍କୃତି ସଂସାର କହିଲେ ମୂଳତଃ ଯାହା ବୁଝେ ଓ ଏହି ସଂସାରର ପୃଷ୍ଠଭୂମି ଉପରେ ମଣିଷର କର୍ମକର୍ତ୍ତୃତ୍ୱ ବିଷୟରେ ଯେଉଁସବୁ କଳ୍ପନା କରିଥାଏ, ସେହିଗୁଡ଼ିକରେ ହିଁ ଆମେ ଭାରତ ଆର୍ଥିକ ପ୍ରଗତିଶୀଳତା ଦିଗରେ ପଛୁଆ ହୋଇ ରହିଥିବାର ମୂଳ କାରଣମାନ ଅନୁସନ୍ଧାନ କରିପାରିବା । ଉପସଂହାର କରି ଲେଖକ କହିଚନ୍ତି ଯେ ହିନ୍ଦୁ ସଂସ୍କୃତି ଓ ହିନ୍ଦୁର ସାମାଜିକ ସଂଗଠନର ପ୍ରବଳ ବିରୋଧଶକ୍ତି ହେତୁ ଭାରତର କ୍ଷିପ୍ର ବିକାଶ ବାଧାପ୍ରାପ୍ତ ହୋଇ ରହିଚି । ଏହି ରୀତିରେ ପରିବର୍ତ୍ତନ କରିବାକୁ ହେଲେ ହିନ୍ଦୁଧର୍ମର ଅନ୍ତର୍ମୂଲ୍ୟ ଗୁଡ଼ିକର ନୂତନ ବ୍ୟାଖ୍ୟା କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଚନ୍ତି । (ପୃଷ୍ଠା–୬୨, ୬୪)

 

ଲେଖକଙ୍କର ମତରେ ଭାରତୀୟମାନଙ୍କ ଭିତରେ ବ୍ୟକ୍ତିସଚେତନାର ଗୁଣ ବିକଶିତ ହେବାଲାଗି ଖୁବ୍‌ କମ୍ ସୁଯୋଗ ଦିଆଯାଇଚି । ଗୋଷ୍ଠୀକୁ ବ୍ୟକ୍ତିଠାରୁ ବଡ଼ ବୋଲି ଘୋଷଣା କରାଯାଇଚି, ବାରଶହ ବଢ଼େଇଙ୍କର ମୂର୍ଖ ଫତୁଆକୁ ଧର୍ମପଦକୁ ମାନିନେବାକୁ ପଡ଼ିଚି । ସମାଜର ବୋଲ ମାନିବାକୁ ହିଁ ବ୍ୟକ୍ତିର ସର୍ବଶ୍ରେଷ୍ଠ ଆଚାରଧର୍ମ ବୋଲି କୁହାଯାଇଚି । ଏହା ଫଳରେ ବ୍ୟକ୍ତିର ନିର୍ଭରଶୀଳତା ବଢ଼ିଚି, ଆତ୍ମବିଶ୍ୱାସ କମିଚି । ସାଂସ୍କୃତିକ ସ୍ୱଭାବର ବଶବର୍ତ୍ତୀ ହୋଇ ସେ ଭଗବାନଙ୍କ ଉପରେ ନିର୍ଭର କରିଚି, ପିଲାଦିନେ ବାପ ମାଆ ଗୁରୁଜନଙ୍କର ନିର୍ଭର ଭିତରେ ବଢ଼ିଚି-। ସବୁଆଡ଼ୁ ବଞ୍ଚିତ ହୋଇ ସେ ଭାଗ୍ୟଉପରେ ନିର୍ଭର କରିବାକୁ ମହତ୍‌ପଥ ବୋଲି ବିଚାରିଚି ଓ ବର୍ତ୍ତମାନ ସମାଜ ତଥା ଆପଣାର ନିର୍ବାହଲାଗି ସେ ପ୍ରଧାନତଃ ସରକାର ଉପରେ ନିର୍ଭର କରି ରହିବାକୁ ହିଁ ଆପଣାର କର୍ତ୍ତବ୍ୟ ବୋଲି ମାନିନେଇଚି । ଏପରି ଅବସ୍ଥାରେ ବିକାଶର ଆଗ୍ରହ ବା ଆସିବ କୁଆଡ଼ୁ ? ବିଲାତ ଓ ଆମେରିକାର ଏକାଧିକ ସାମ୍ବାଦିକ ମଧ୍ୟ ପ୍ରାୟ ଏହିପରି ମନ୍ତବ୍ୟ ଦେଇଥାନ୍ତି । ଭାରତର ଧର୍ମପରମ୍ପରା ଭାରତ-ଭାଗ୍ୟର ଗୋଡ଼ରେ ପଥର ବାନ୍ଧିକରି ରଖିଚି ବୋଲି ସେମାନେ କହିଥାନ୍ତି । ଅନେକେ ପୁଣି ଓଲଟା ଅପବାଦ ମଧ୍ୟ ଦେଇଥାନ୍ତି । ସେମାନେ କହନ୍ତି (ପୁସ୍ତକ ଟିପ୍ପଣୀ–୯, ପୃଷ୍ଠା–୧୨୯, ୧୩୦) ଯେ ଭାରତବାସୀ କେବଳ ଆପଣାର ସ୍ୱାର୍ଥଟି ବ୍ୟତୀତ ଆଉ କିଛି ଦେଖିପାରନ୍ତିନାହିଁ । ସମାଜର ହିତଚିନ୍ତା ସେମାନଙ୍କ ପକ୍ଷରେ ସମ୍ଭବ ହୁଏନାହିଁ-। ଚାରିପାଖରେ ଏକ ସମାଜ ରହିଚି ଓ ସେହି ସମାଜପ୍ରତି ମୋର କୌଣସି କର୍ତ୍ତବ୍ୟ ମଧ୍ୟ ରହିଚି, କାରଣ ବଞ୍ଚିବାକୁ ହେଲେ ମୋତେ ଏହି ସମାଜ ସହିତ ହିଁ ବଞ୍ଚିରହିବାକୁ ହେବ,–ଭାରତୀୟମାନେ ଏପରି କ୍ୱଚିତ୍ ଭାବିଥାନ୍ତି । ଭାରତୀୟମାନଙ୍କ ଭିତରେ କୌଣସି ପ୍ରତିବେଶୀ-ଭାବନା ଦେଖିବାକୁ ମିଳେନାହିଁ । ଭାରତବର୍ଷର ବ୍ୟକ୍ତି ଆପଣାକୁ ଏକ ସମୁଦାୟର ସଭ୍ୟରୂପେ ନ ବିଚାରି କେବଳ ଏକ ବିଚ୍ଛିନ୍ନ ସ୍ୱାର୍ଥପୁଞ୍ଜିତ ଅହଂରୂପେ ବିଚାର କରିଥାଏ, ବା ଖୁବ୍‌ ବେଶୀ ହେଲେ ଆପଣାକୁ କୌଣସି ଏକ ଜାତି ବା ସଂକୀର୍ଣ୍ଣ ସମ୍ପ୍ରଦାୟର ଅନ୍ତର୍ଗତ ବୋଲି ଭାବିଥାଏ ।

 

ଆମ ଭାରତୀୟମାନଙ୍କ ଭିତରୁ ଅନେକଙ୍କୁ ହୁଏତ ଏସବୁ ଅପବାଦ ବଡ଼ ଅଶ୍ୱସ୍ତିକର ମନେହୋଇପାରେ । ଏହି ଅଶ୍ୱସ୍ତିକର ଉତ୍ତେଜନାରେ ହୁଏତ ଆମେ ବିଦେଶୀ ଲେଖକଙ୍କ ଉପରେ ବିରକ୍ତି ବି ପ୍ରକାଶ କରିପାରୁ । ଯେତେ ସତ ହେଲେ ମଧ୍ୟ ନିନ୍ଦାଗୁଡ଼ାକ କାହାକୁ କିପରି ଭଲ ଲାଗିବ ? କିନ୍ତୁ ଆମକୁ ସାନ୍ତ୍ୱନା ଦେବାକୁ ଓ ଅଧିକ ପ୍ରକୃତିସ୍ଥ ଭାବରେ ଆପଣାର ସ୍ଥିତି ବିଷୟରେ ବିଚାର କରିବାଲାଗି ଅଧିକ ଅବସର ଦେବାକୁ ଭାରତୀୟ ଧର୍ମ ଓ ସଂସ୍କୃତି ବିଷୟରେ ଅନ୍ୟ ମତ ମଧ୍ୟ ରହିଚି । ଏସବୁ ଶୁଣି, ମନେମନେ ବାହାଦୁରୀ ନେଇ, ସମାଲୋଚନା ଓ ନିନ୍ଦାକୁ ଆଖି ବୁଜିଦେଲେ ଚଳିବନାହିଁ । ଅନ୍ୟପାଖରୁ ଓ ଅନ୍ୟ ପର୍ଯ୍ୟବେକ୍ଷଣରୁ ନିନ୍ଦା ଓ ପ୍ରଶଂସା ଉଭୟ ଶୁଣି ଯଦି ଆମେ ଅଧିକ କର୍ତ୍ତବ୍ୟତତ୍ପର ହେବାକୁ ଉତ୍ସାହିତ ହୋଇପାରୁ ତେବେ ତାହାରିଦ୍ୱାରା ହିଁ ଆମର ମଙ୍ଗଳ ହେବ । ଆମେରିକାର ପ୍ରଖ୍ୟାତ ମନୋବୈଜ୍ଞାନିକ ଶ୍ରୀଯୁକ୍ତ ଗାର୍ଡ଼ନର୍ ମର୍‌ଫି ଭାରତୀୟ ସମାଜ ଓ ମଣିଷ ସମାଜର ମନୋବୈଜ୍ଞାନିକ ଅଧ୍ୟୟନ କରି ଯେଉଁ ମନ୍ତବ୍ୟମାନ ଦେଇଚନ୍ତି, (୩୮) ତାହା କେବଳ ଅଳସ ଆତ୍ମଗର୍ବଲାଗି ନୁହେଁ, ମାତ୍ର ଅଧିକ କର୍ତ୍ତବ୍ୟ-ତତ୍ପରତାଲାଗି ଆମକୁ ଉତ୍ସାହିତ କରିପାରିବା ଉଚିତ । ସେ କହିଚନ୍ତି, ‘‘ଏକଥା ଅବଶ୍ୟ ସତ ଯେ ସାଧାରଣତଃ ସବୁ ଧର୍ମରେ ଓ ବିଶେଷତଃ ଭାରତୀୟ ଧର୍ମରେ ଏପରି ଅନେକ ଉପାଦାନ ରହିଚି, ଯେଉଁଥିରୁ କି ମଣିଷକୁ ମଣିଷର ସହଯାତ୍ରୀ ଭାଇ ହିସାବରେ ସ୍ୱୀକାର କରିନେବାଲାଗି ଅନେକ ପ୍ରେରଣା ମିଳୁଚି-। ପ୍ରତ୍ୟେକ ବ୍ୟକ୍ତି ଭିତରେ ଭଗବତ୍‌ସତ୍ତାର ଅଂଶ ରହିଚି, ତେଣୁ ତାହାକୁ ବ୍ୟକ୍ତି ହିସାବରେ ଯଥାଯୋଗ୍ୟ ସମ୍ମାନ ମିଳିବା ଉଚିତ; ସମାନ ସୁବିଧା ସୁଯୋଗ ପାଇବାଲାଗି ସମାଜରେ ପ୍ରତ୍ୟେକ ଲୋକର ସମାନ ଅଧିକାର ମଧ୍ୟ ରହିଚି । ଶିକ୍ଷାଗତ, ଆର୍ଥିକ, ରାଜନୀତିକ ତଥା ସାମାଜିକ କ୍ଷେତ୍ରରେ ସବୁ ମଣିଷଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ ବୋଲି ଏହି ଧର୍ମ ବଡ଼ ସ୍ପଷ୍ଟଭାବରେ ଘୋଷଣା କରିଚି ।’’

 

ଭାରତର ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମରେ ମାନବିକ ଉପାଦାନ ଗୁଡ଼ିକର ଅନୁସନ୍ଧାନ କରିବାକୁ ଯାଇ ଶ୍ରୀମତୀ କୁସୁମ ନାୟର୍ ‘ଧୂଳିର ଫୁଲ’ ନାମରେ (୩୯) ଯେଉଁ ପୁସ୍ତକଟି ଲେଖିଚନ୍ତି, ତାହା ଏକାଧିକ କାରଣରୁ ଇଉରୋପ ଓ ଆମେରିକାରେ ଲୋକପ୍ରିୟତା ଅର୍ଜନ କରିଚି । ଶ୍ରୀମତୀ ନାୟର୍ ଭାରତର ନାନା ରାଜ୍ୟରେ କୃଷକମାନଙ୍କ ସହିତ କଥାବାର୍ତ୍ତା କରି ଉପଲବ୍‌ଧ ଉତ୍ତର ଗୁଡ଼ିକର ଆଧାର ଉପରେ ବହିଟି ଲେଖିଚନ୍ତି । ସିଏ ମଧ୍ୟ ଉପସଂହାର କଲାପରି ଗ୍ରନ୍ଥଟିର ବିଭିନ୍ନ ସ୍ଥାନରେ ସୂଚାଇ ଦେଇଚନ୍ତି ଯେ ଭାରତବର୍ଷର ସାଧାରଣ ଗ୍ରାମବାସୀ ଆଜି ମଧ୍ୟ ଅନ୍ଧବିଶ୍ୱାସରେ ବାନ୍ଧି ହୋଇ ରହିଚି ଓ ଅଳପକରେ ସନ୍ତୁଷ୍ଟ ହୋଇଯାଇଚି । ଦୁଃଖ ପ୍ରକାଶ କରି ଭାରତର ବିକାଶପଥରେ ସେ ଏହାକୁ ପ୍ରମାଦ ବୋଲି କହିଚନ୍ତି । ହୀରାକୁଦ ବନ୍ଧର ସେଚନ-ଅଞ୍ଚଳରେ ଅବସ୍ଥିତ ତିନୋଟି ଗାଆଁର ଦୃଷ୍ଟାନ୍ତ ଦେଇ ସେ କହିଚନ୍ତି ଯେ ଲୋକମାନେ ଗୋଟିଏ ଜମିରେ ଦୁଇମୁଥ ଧାନ ହୋଇପାରିବ ବୋଲି ବିଶ୍ୱାସ କରୁନାହାନ୍ତି ଏବଂ ସେହି କାରଣରୁ ହୀରାକୁଦ ପାଣିର ପୂର୍ଣ୍ଣ ବ୍ୟବହାର କରୁନାହାନ୍ତି । ଲେଖିକାଙ୍କର କହିବା ଅନୁସାରେ ଗ୍ରାମବାସୀମାନେ ଅନେକ ସମୟରେ ଏକଥା ମଧ୍ୟ ବିଶ୍ୱାସ କରୁଚନ୍ତି ଯେ, ହୀରାକୁଦ ବନ୍ଧରୁ ଯେଉଁ ପାଣି ଆସୁଚି, କେନାଲରେ ପଡ଼ିବାପୂର୍ବରୁ ସରକାର ସେଥିରୁ ସବୁ ବିଜୁଳିଶକ୍ତି ବାହାର କରିନେଉଚନ୍ତି । ଫଳରେ ପାଣିର ଶକ୍ତି କମିଯାଉଚି; ତେଣୁ ସେହି ପାଣିକୁ ଜମିରେ ମଡ଼ାଇଲେ ଫସଲର କୌଣସି ଉପକାର ହେବନାହିଁ । (ପୃଷ୍ଠା–୧୪୧) । ଶ୍ରୀମତୀ ନାୟର୍ ଆଉଥରେ ସମ୍ବଲପୁର ଜିଲ୍ଲାକୁ ବୁଲିଗଲେ ଦେଖିବେ ଯେ ସେଠାରେ ଏବେ ଡାଳୁଅଧାନ ମଧ୍ୟ ଫଳିଲାଣି, ହୀରାକୁଦ ପାଣିର ଫାଇଦା ଉଠାଇ ଲୋକମାନେ କେତେପ୍ରକାର ପନିପରିବା ଚାଷ କଲେଣି । କେନାଲର ପାଣିଦ୍ୱାରା ଉପକୃତ ହୋଇପାରିବାଲାଗି ଲୋକମାନଙ୍କୁ ଆପଣାର ଧର୍ମ ମଧ୍ୟ ଛାଡ଼ିବାକୁ ପଡ଼ିନାହିଁ । ଆଧୁନିକ ଓ ବିକାଶମୁଖୀ ହେବାଲାଗି ଅତୀତରେ ଇଉରୋପର ଲୋକଙ୍କୁ ମଧ୍ୟ ଧର୍ମ ଛାଡ଼ିବାକୁ ପଡ଼ିନାହିଁ । ଇଉରୋପର ନ୍ୟସ୍ତସ୍ୱାର୍ଥ ଅତିବିଶ୍ୱାସୀମାନେ ସେହି ମହାଦେଶର ଦରିଦ୍ର ଓ ଦଳିତ ଜନସାଧାରଣଙ୍କୁ ଇହଜୀବନ ପ୍ରତି ଉଦାସ ଓ ନିଶ୍ଚେଷ୍ଟ କରି ରଖିବାକୁ ଓ ଏଣୁ ସମାଜର ଅନ୍ୟାୟଗୁଡ଼ାକ ସତ୍ତ୍ୱେ ବର୍ତ୍ତମାନ ବ୍ୟବସ୍ଥା ବିଷୟରେ ସନ୍ତୁଷ୍ଟ ହୋଇ ରହିବାକୁ କମ୍ ପ୍ରରୋଚନା ଦେଇନାହାନ୍ତି । ତଥାପି ଇଉରୋପର ମଣିଷ ଆପଣା ପରିସ୍ଥିତିର ସମ୍ମୁଖୀନ ହୋଇଚି-। ନାନା ଜଡ଼ତାରେ ବାନ୍ଧି ରଖିବାଲାଗି ଆନୁଷ୍ଠାନିକ ଧର୍ମମାନଙ୍କରେ ନାନା ଉପାଦାନ ଅବଶ୍ୟ ରହିଚି, କିନ୍ତୁ ଜୀବନରେ ନାନାଭାବେ ଆଗକୁ ଯିବାଲାଗି ମଧ୍ୟ ପ୍ରେରଣା ରହିଚି । ପ୍ରାଚୀନ ଭାରତରେ ଧର୍ମ ଥିଲା ତଥାପି ଦୁଃଖ ଏତେ ପରିମାଣରେ ନଥିଲା । ତେଣୁ ଆମେ ବା ଆମର ସାମୁଦାୟିକ ନେତୃତ୍ୱ ଧର୍ମକୁ ଯେପରି ଭାବରେ ବ୍ୟବହାର କରିବ, ତାହାରି ଅନୁସାରେ ଆମେ ଆମ ଧର୍ମରୁ ପ୍ରେରଣା ବା ଅପପ୍ରେରଣା ମଧ୍ୟ ପାଇପାରିବା । ସାମୁଦାୟିକ ବିକାଶ ପାଇଁ ଯେତିକି ବଳିଷ୍ଠ ଓ ଲୋକସଚେତ ନେତୃତ୍ୱ ଦରକାର, ଯେତିକି ସତ୍‌ସାହସ ସତ୍‌ପ୍ରେରଣା ଦରକାର; ଏହି ଦେଶରେ ତାହା ଉପଲବ୍‌ଧ ହୋଇପାରିଲେ ଅନ୍ଧବିଶ୍ୱାସ ଓ ଜଡ଼ତାସୂଚକ ଧର୍ମାଚାରମାନ ଆପେ ଆପେ ପଛକୁ ହଟିଯିବ ଏବଂ ଅସଲ ଧର୍ମଭାବନା ଆମର ନୂତନ ନିର୍ମାଣବ୍ରତରେ ଆମସହିତ ସହଯୋଗ କରିବାକୁ ବାହାରିଆସିବ ।

 

ଆମକୁ ଠିକ୍ ଏହିକଥା ଚେତାଇ ଦେଲାପରି ଶ୍ରୀଯୁକ୍ତ କାର୍ଲ୍ ଟେଲର୍ କହିଚନ୍ତି, (ପୁସ୍ତକ ଟିପ୍ପଣୀ–୩୧, ପୃଷ୍ଠା–୫,୧୦) ‘‘ଆଜି ଗାଆଁର ଲୋକମାନେ ନିଶ୍ଚେଷ୍ଟ ଓ ନିଷ୍ପ୍ରାଣ ବୋଲି ମନେହେଉଚନ୍ତି । ଗ୍ରାମର ପ୍ରାଚୀନ ସଂସ୍ଥା ଓ ସଂଗଠନଗୁଡ଼ିକ ମୃତ ଓ ଜୀବନହୀନ ହୋଇଯାଇଥିଲାପରି ଲାଗୁଚି । ଏହାର କାରଣ ହେଉଚି ଯେ ବିଗତ ଦୀର୍ଘ ଅନେକକାଳରୁ ସେମାନଙ୍କୁ କୌଣସିପ୍ରକାର ଉନ୍ନୟନକାର୍ଯ୍ୟରେ ଅଂଶ ଗ୍ରହଣ କରିବାକୁ ଅନୁମତି ମଧ୍ୟ ଦିଆଯାଇନାହିଁ । ସେହିମାନଙ୍କ ଜୀବନ ବଦଳାଇବା ସକାଶେ ଅନ୍ୟମାନେ ଯୋଜନା କରିଚନ୍ତି, ଅନ୍ୟମାନେ ତତ୍ପରତା ଦେଖାଇଚନ୍ତି, ମାତ୍ର ସେମାନଙ୍କୁ କେହି ପଚାରିବାକୁ ଆସିନାହିଁ । ସେମାନେ ଆପଣା ଜୀବନ ଗଢ଼ିବାରେ ଯେ ଆପେ ନେତୃତ୍ୱ ଗ୍ରହଣ କରିବେ, ଏକଥା ଭାବିବାର ଅବସର ବା ଆସୁଚି କୁଆଡ଼ୁ ? ଭାରତୀୟ ଧର୍ମ ଓ ଜୀବନମୂଲ୍ୟ ଭିତରେ ମଧ୍ୟ ସାମୁଦାୟିକ ବିକାଶ ଆନ୍ଦୋଳନର ଭିତ୍ତିସ୍ତମ୍ଭମାନ ନିହିତ ହୋଇ ରହିଚି । ଭାରତୀୟ ଧର୍ମପରମ୍ପରା ଜଣେ ବ୍ୟକ୍ତି ହିସାବରେ ମନୁଷ୍ୟର ମୂଲ୍ୟକୁ ଚିରଦିନ ସ୍ୱୀକାର କରିଆସିଚି । ଗ୍ରାମରେ ବାସ କରୁଥିବା କୋଟି କୋଟି ଲୋକ ଭାରତବର୍ଷରେ ଆବହମାନ କାଳରୁ ଆପଣାର ଗ୍ରାମସମୁଦାୟକୁ ହିଁ ଅଭିଳଷିତ ଏକ ସାମାଜିକ ଏକକରୂପେ ଅନୁଭବ କରିଆସିଚନ୍ତି । ଏହିସବୁ ପରମ୍ପରା ଭିତରେ ହିଁ ସାମୁଦାୟିକ ବିକାଶର ଭାବନା ଚେର ମାନି ରହିଚି ।’’ ଆମ ଦେଶରେ ଯେଉଁ କର୍ତ୍ତାମାନେ ବା ନେତାମାନେ ଗାଆଁକୁ ହୀନଚକ୍ଷୁରେ ଦେଖନ୍ତି, ଆଧୁନିକ ସୁନ୍ଦର ଜୀବନ କହିଲେ ଯେଉଁମାନେ ମନୋରାଜ୍ୟରେ ଗାଆଁ ଛାଡ଼ି ଦଉଡ଼ି ପଳାନ୍ତି ଓ ସ୍ୱାଧିକାରପ୍ରମତ୍ତ ଭାବରେ ଗାଆଁ ଉପରେ ବାହାର ସଂସାରର ଖାପଛଡ଼ା ସୂତ୍ରଗୁଡ଼ାକୁ ଆଣି ଲଦିବାର ଦୁରାଚାର କରିବାରେ ଲାଗିଥାଆନ୍ତି, ଶ୍ରୀଯୁକ୍ତ କାର୍ଲ୍ ଟେଲର୍ ସେମାନଙ୍କର ମନନ ଲାଗି ନିଶ୍ଚୟ କିଛି ଖାଦ୍ୟ ଯୋଗାଇ ଦେଇଚନ୍ତି ।

 

୧୮୮୯ ଖ୍ରୀଷ୍ଟାବ୍ଦରେ ଭାରତରୂପୀ ଉପନିବେଶର କୃଷିସୁଧାର ବିଷୟରେ ଚିନ୍ତାକରି ବ୍ରିଟିଶ୍ ସରକାର ଜଣେ ପ୍ରବୀଣ ବିଶେଷଜ୍ଞକୁ (Dr. J.A. Voelcker)ଙ୍କୁ ବିଲାତରୁ ଡକାଇଥିଲେ । ଆପଣା ରିପୋର୍ଟ୍‌ରେ ଭାରତର କୃଷକ ବିଷୟରେ ଏହି ବିଶେଷଜ୍ଞ ଯାହା ଲେଖିଚନ୍ତି, ଆମଦେଶର କୃଷିବିଭାଗକୁ ପରିଚାଳିତ କରୁଥିବା ପାଠୁଆ ପରିଚାଳକମାନେ ସେକଥା ମନେରଖିବା ଉଚିତ । ତାଙ୍କର ରିପୋର୍ଟରେ ଲେଖାଅଛି, ‘‘ପରିସ୍ଥିତି ବା ପ୍ରକୃତି ଓ ଅନ୍ୟାନ୍ୟ ସାଧନ ସର୍ବୋତୋଭାବରେ ଅନୁକୂଳ ରହିଥିବା ପର୍ଯ୍ୟନ୍ତ ଭାରତର ରଇତ ଇଂଲଣ୍ଡର ସାଧାରଣ ଯେକୌଣସି କୃଷକର ଅବଶ୍ୟ ସମକକ୍ଷ ହୋଇପାରିବ ଏବଂ କେତେକ କ୍ଷେତ୍ରରେ କର୍ମନୈପୁଣ୍ୟରେ ଇଂଲଣ୍ଡର ଚାଷୀଠାରୁ ଆପଣାକୁ ଅଧିକ ଯୋଗ୍ୟ ବୋଲି ଦେଖାଇଦେଇପାରିବ-। ଅବସ୍ଥା ପ୍ରତିକୂଳ ହେଲେ ଭାରତର ଚାଷୀକୁ ଯେଉଁ ଦୁର୍ଦ୍ଦଶା ଭୋଗିବାକୁ ପଡ଼େ, ସେ ବିଷୟରେ କେବଳ ଏତିକି କୁହାଯାଇ ପାରିବ ଯେ, ଉନ୍ନତି ସାଧନମାନ ତା’ପାଖରେ ଯଥାରୀତିରେ ପହଞ୍ଚି ପାରୁନଥିବାରୁ ହିଁ ଭାରତର ଚାଷୀ ଅଧିକାଂଶ ସମୟରେ ଏହି ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ ହୋଇଥାଏ । ଅନ୍ୟ ଦେଶର ଚାଷୀମାନଙ୍କୁ ସାଧାରଣତଃ ଏପରି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼େନାହିଁ । ମୋ ଦେଖିବାରେ ଭାରତର ଚାଷୀ ଯେପରି ଯତ୍ନଶୀଳ ହୋଇ ଆପଣାର ଚାଷକାମ କରେ, ସେ ଯେପରି କଠିନ ପରିଶ୍ରମ କରିପାରେ, ଯେପରି ଅଧ୍ୟବସାୟର ପରିଚୟ ଦିଏ ଏବଂ ଆପଣା ବୁଦ୍ଧିର ପ୍ରୟୋଗ କରି ସେ ଯେତେପ୍ରକାର ଉପାୟ ପାଞ୍ଚିପାରେ, ତାହାଠାରୁ ଅଧିକ ପରିପୂର୍ଣ୍ଣ ଏକ ଚିତ୍ର ମୁଁ ଅନ୍ୟ କୌଣସିଠାରେ କେବେହେଲେ ଦେଖିନାହିଁ ।’’

 

ଭାରତର ଧର୍ମ କହିଲେ ଅନେକ ସମୟରେ କେତେକ ପର୍ଯ୍ୟାଲୋଚକ ଭାରତୀୟ ବିଦ୍ୟା ଏବଂ ଭାରତବର୍ଷର ଆଧ୍ୟାତ୍ମିକ ବାଣୀଗୁଡ଼ିକୁ ନ ବୁଝି ଭାରତୀୟ ସମାଜର କର୍ମବାଦ-ବ୍ୟବସ୍ଥା ଓ ତାହାର ଏକ ଅନ୍ୟତମ ସଂସ୍କରଣ ଜାତିଭେଦର ବ୍ୟବସ୍ଥାକୁ ବୁଝିଥାନ୍ତି । ଧର୍ମର ଏକ ପତନ-ପର୍ବରେ ଭାରତର ଆଧ୍ୟାତ୍ମିକତା ଓ ସାମାଜିକ ସଂସ୍କାରକୁ ଏ ଦେଶରେ ଏକାକାର କରିଦିଆଯାଇଚି । ଫଳରେ ଧର୍ମର ହାନି ହୋଇଚି ଏବଂ ସମାଜର ବହୁତର ସ୍ତରରେ ବ୍ୟାପି ରହିଥିବା ଅଶିକ୍ଷା ହେତୁ ଆମେ ଜାତିଭେଦ ବ୍ୟବସ୍ଥାଟାକୁ ହିଁ ଏ ଦେଶରେ କ୍ରମେ ଏକମାତ୍ର ଧର୍ମ ବୋଲି ଗ୍ରହଣ କରିସାରିଲୁଣି । ଦେଉଳଠାରୁ ଆରମ୍ଭ କରି ଗାଆଁ ଦାଣ୍ଡ ପର୍ଯ୍ୟନ୍ତ ଆମର ସମାଜରେ ଏପରି କୌଣସି କ୍ଷେତ୍ରନାହିଁ, ଯେଉଁଠାରେ କି ଜୀବନର ଯାବତୀୟ ଆଧ୍ୟାତ୍ମିକ ଦୃଷ୍ଟି ଓ ଆକାକ୍ଷାଂକୁ ମାରିଦେଇ ଜାତିଭେଦଟା ହିଁ ଆମର ଆଠପହରଯାକକୁ ଗ୍ରାସ କରି ନ ରହିଚି । ତଥାପି ଆମର ଧର୍ମଦୃଷ୍ଟିରେ ଆମେ ନାନା ବ୍ୟାଖ୍ୟା କରି ଆସିଚୁ ଓ ଧର୍ମର ହାନି ଅନୁସାରେ ଆମେ ଜାତିଭେଦଟାକୁ ହିଁ ଆମର ଧର୍ମସର୍ବସ୍ୱ କରି ଯାବୁଡ଼ି ରଖିବାର ଅଶୁଭ ଚେଷ୍ଟା କରିଆସିଚୁ ।

 

ଭାରତର ଜାତିଭେଦ-ବ୍ୟବସ୍ଥା କିପରି ସାମାଜିକ ଜୀବନର ସୀମିତ କ୍ଷେତ୍ରରୁ ବାହାରି କ୍ରମେ ଆମର ବୃହତ୍ତର ଧର୍ମଜୀବନକୁ କଳୁଷିତ କରିଚି, ଏଠାରେ ସେହି ବିଷୟରେ ଗୋଟିଏ ଉଦାହରଣ ଦେଲେ ଚଳିବ । ତୈତ୍ତିରୀୟ ଉପନିଷତ୍‌ରେ ଅତିଥିକୁ ଦେବତା ବୋଲି କୁହାଯାଇଚି । ଆଧ୍ୟାତ୍ମିକ ସାହିତ୍ୟର ନାନା କାହାଣୀରେ ଆମ ଦେଶର ପରମ୍ପରା ଅତିଥିଚର୍ଚ୍ଚାକୁ ହିଁ ଗୃହସ୍ଥ, ଏପରିକି ସନ୍ନ୍ୟାସୀର ବି ପରମଧର୍ମ ବୋଲି ଘୋଷଣା କରିଚି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥିସେବାକୁ ଆମେ କିପରି ଜାତିଭେଦର ଅପସାଜ ପିନ୍ଧାଇଦେଇ କଳଙ୍କିତ କରିପକାଇଚୁ, ତାହା ଜାଣିଲେ ଆପଣା ସଂସ୍କୃତି ଓ ସାଂସ୍କୃତିକ ଦୃଷ୍ଟି ବିଷୟରେ ବଡ଼ ଅଶ୍ୱସ୍ତି ଅନୁଭବ କରିବାକୁ ହୁଏ । ମନୁସଂହିତାରେ (୩।୧୧୧–୧୧୨) କୁହାଯାଇଚି ଯେ, ବ୍ରାହ୍ମଣ ଆଗ ବ୍ରାହ୍ମଣ-ଅତିଥିଙ୍କୁ ଓ ତାପରେ କ୍ଷତ୍ରିୟ ଅତିଥିଙ୍କୁ ଭୋଜନ କରାଇବ । ତାପରେ ଯଦି ବୈଶ୍ୟ ବା ଶୂଦ୍ର-ଅତିଥି ଆସି ପହଞ୍ଚିଯାଆନ୍ତି, ତେବେ ସେମାନଙ୍କୁ ସେ ଦୟାପୂର୍ବକ ନିଜ ଭୃତ୍ୟମାନଙ୍କ ସହିତ ଏକାଠି ବସାଇ ଭୋଜନ କରାଇବ । ଉପନିଷତ୍‌ରେ ଅନ୍ନକୁ ବ୍ରହ୍ମ ବୋଲି କୁହାଯାଇଚି । ମନୁସଂହିତାରେ ବ୍ରାହ୍ମଣର ଅନ୍ନକୁ ଅମୃତ, କ୍ଷତ୍ରିୟର ଅନ୍ନକୁ କ୍ଷୀର, ବୈଶ୍ୟର ଅନ୍ନକୁ କେବଳ ଅନ୍ନ ଏବଂ ଶୂଦ୍ରର ଅନ୍ନକୁ ରୁଧିର ବୋଲି ଘୋଷଣା କରାଯାଇଚି(୪।୧୪) ।

 

ଜାତିଭେଦର ଐତିହାସିକ ବା ମୂଲ୍ୟାତ୍ମକ ଅଧ୍ୟୟନ କରିବାର ସ୍ଥାନ ଏ ନୁହେଁ । ଏଠାରେ କେବଳ ଏତିକି କହିରଖିବା ଉଚିତ ଯେ ଜାତିଭେଦ ହିନ୍ଦୁଧର୍ମର ପ୍ରଧାନ ପରିଚୟ ନୁହେଁ । ହିନ୍ଦୁ ଧର୍ମ-ବିକାଶର ପ୍ରତ୍ୟେକ ପର୍ଯ୍ୟାୟରେ ଏହି ଦେଶରେ ଏପରି ସନ୍ଥ ଓ ମହାପୁରୁଷମାନେ ଜନ୍ମ ହୋଇଚନ୍ତି ଯେଉଁମାନେ କି ଧର୍ମର ବୃଦ୍ଧି କରିବାକୁ ଯାଇ ଜାତିଭେଦର ପ୍ରତ୍ୟକ୍ଷ ବିରୋଧ କରିଚନ୍ତି-। ଋଷି ଜାବାଳଙ୍କଠାରୁ ଆରମ୍ଭ କରି ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ଦେଇ ଗାନ୍ଧୀପର୍ଯ୍ୟନ୍ତ ଏହି ପରମ୍ପରା ପ୍ରସାରିତ ହୋଇ ରହିଚି । ହିନ୍ଦୁ ସମାଜରେ ଯେଉଁଦିନଠାରୁ ଧର୍ମକୁ ଗୌଣ ବୋଲି ବିଚାର କରିବା ଆରମ୍ଭ ହେଲାଣି, ସେହିଦିନଠାରୁ ଜାତିଭେଦ ଓ ତଦନ୍ତର୍ଗତ ଆଚାର ଓ ଅତିସଂସ୍କାରମାନ ଆମର ସର୍ବସ୍ୱ ହେବାକୁ ଆରମ୍ଭ କଲାଣି । ଜାତିଭେଦ ଓ କର୍ମବାଦକୁ ଜୀବନଧର୍ମର ସର୍ବସାର ବୋଲି ମାନି ଆମ ସମାଜର ଅନେକ କ୍ଷତି ହୋଇଚି । ଜାତିଭେଦ ସମାଜରେ ବାସ କରୁଥିବା ମଣିଷଙ୍କୁ ଅସମାନ ବୋଲି ଘୋଷଣା କରିଚି, ବଂଶାନୁକ୍ରମିକ ଭାବରେ କେତେକ ବର୍ଗଙ୍କୁ ଉଚ୍ଚ ଓ ଆଉ କେତେ ବର୍ଗଙ୍କୁ ନୀଚ ବୋଲି ଘୋଷଣା କରିଚି । ବଂଶାନୁକ୍ରମିକତା ଉପରେ ଅତିରିକ୍ତ ବିଶ୍ୱାସ ସ୍ଥାପନ କରି ଏହା ଜୀବନରେ ବାତାବରଣ ଓ ଶିକ୍ଷାର ପ୍ରଭାବଶାଳିତାକୁ ବଡ଼ ଗୌଣ କରି ପକାଇଚି । ବ୍ରାହ୍ମଣ ପୁଅକୁ ବ୍ରାହ୍ମଣ ଓ ଶୂଦ୍ର ପୁଅକୁ ଶୂଦ୍ର ବୋଲି ମାନିନେଇ ଏହା ଅନେକ ବ୍ରାହ୍ମଣଙ୍କୁ ଆତ୍ମସନ୍ତୁଷ୍ଟ ଓ ଅହଙ୍କାରୀ ହେବାରେ ସାହାଯ୍ୟ କରିଚି ଓ ଅନେକ ଶୂଦ୍ରଙ୍କର ଅନ୍ତର୍ନିହିତ ସମ୍ଭାବନାଗୁଡ଼ିକୁ ବିକଶିତ ହେବାକୁ ଦେଇନାହିଁ । ଏହାଫଳରେ ଆମର ସମାଜ ଅନେକ ଯୋଗ୍ୟ ଲୋକଙ୍କର ସେବାରୁ ବଞ୍ଚିତ ହୋଇଚି ଏବଂ ଏଣେ ଅନେକ ଯୋଗ୍ୟ ସ୍ଥାନରେ ଅଯୋଗ୍ୟ ଲୋକଙ୍କୁ ବସିବାର ପ୍ରଶ୍ରୟ ମଧ୍ୟ ଦିଆଯାଇଚି । ଅଯୋଗ୍ୟଲୋକେ କ୍ଷମତାର ନାନାସ୍ଥାନରେ ଆସି ବସିବାଦ୍ୱାରା କ୍ଷମତାର ଅପଚାର ମଧ୍ୟ ହୋଇଚି ଓ ଅନ୍ଧବିଶ୍ୱାସର ଗଣ୍ଠିମାନ ଆମକୁ ଅଧିକ ଜବର କରି ବାନ୍ଧିପକାଇଚନ୍ତି ।

 

ଆମ ଦେଶରେ କର୍ମ ଓ କର୍ମବାଦର ଏକାଧିକ ପ୍ରକାରେ ବ୍ୟାଖ୍ୟା କରାଯାଇଚି । କିନ୍ତୁ ଆମ ସମାଜର ଅଧିକାଂଶ ଲୋକେ ଯୁଗେ ଯୁଗେ କର୍ମବାଦ କହିଲେ ସାଧାରଣତଃ ଯାହା ବୁଝିଚନ୍ତି ଓ ଯାହା ସେମାନଙ୍କର ଜୀବନଦୃଷ୍ଟି ଓ ଜୀବନୋଦ୍ୟମକୁ ପ୍ରଚାଳିତ କରି ଆସିଚି, ଆମେ ଏଠାରେ ତାହାରି ପରିଣାମ ବିଷୟରେ ବିଚାର କରିବା । କର୍ମବାଦ ଆମର ସାମାଜିକ ଓ ଜୀବନଗତ ଦୃଷ୍ଟିକୁ କଠିନ, ହୃଦୟହୀନ ଓ ସହାନୁଭୂତିବର୍ଜିତ କରିବାରେ କାଳେକାଳେ ଭାରି ସାହାଯ୍ୟ କରିଆସିଚି । ମଣିଷର ଆପଣା ଅପକର୍ମଦ୍ୱାରା ଓ ପ୍ରାକୃତିକ ବାତାବରଣର ପ୍ରଭାବ ପଡ଼ିବାଦ୍ୱାରା ଆମ ଜୀବନରେ ଓ ସମାଜରେ ଯେତେଯେତେ ଦୁଃଖ ଓ କଷ୍ଟଭୋଗ ନିଷ୍ପନ୍ନ ହେଉଚି, କର୍ମବାଦ ଅତି କୌଶଳର ସହିତ ସେଗୁଡ଼ିକର ଆମର ଦୃଷ୍ଟିକୁ ହଟାଇ ନେଇଯାଉଚି । ସବୁପ୍ରକାର ଦୁଃଖ ଓ ଅପୂର୍ଣ୍ଣତାକୁ ଆମେ କର୍ମର ଲିଖନ ବୋଲି ମାନିନେଉଚୁ ଏବଂ ପ୍ରାକୃତିକ କାରଣରୁ ଓ ମନୁଷ୍ୟର ନାନାବିଧ ଅଜ୍ଞତା ଓ ଜଡ଼ତା ହେତୁ ସଂସାରରେ ଉପୁଜୁଥିବା ଦୁଃଖଗୁଡ଼ିକୁ ଯେ ବିଜ୍ଞାନ ଏବଂ ଅଧିକ ସୁବ୍ୟବସ୍ଥିତ ସମାଜଥାପନାଦ୍ୱାରା ଆମେ ଅନେକ ପରିମାଣରେ ଦୂର କରିପାରିବୁ, କର୍ମବାଦ ଆମର ଏହି ବିଶ୍ୱାସକୁ ମଧ୍ୟ ମାରିଦେଇଚି । ଆମେ ଭୋଗୁଥିବା ଅନେକ ଦୁଃଖର ସାମାଜିକ ଓ ଆର୍ଥିକ କାରଣମାନ ରହିଚି, ଭୌତିକ କାରଣ ମଧ୍ୟ ରହିଚି । ମଣିଷର ଚେଷ୍ଟାରେ ଏଗୁଡ଼ିକ ଦୂରହୋଇପାରିବ । କିନ୍ତୁ କର୍ମବାଦ ସ୍ୱଚେଷ୍ଟା ଉପରେ ଆମର ବିଶ୍ୱାସକୁ ନଷ୍ଟ କରିଦେଇଚି ଏବଂ ଫଳରେ ସମାଜ ଓ ଜୀବନର ପରିବର୍ତ୍ତନ ବିଷୟରେ ଆମେ ପ୍ରଧାନତଃ ଭାଗ୍ୟବାଦୀ ହୋଇ ବସିରହୁଚୁ ।

 

ଭାରତବର୍ଷ କହିଲେ କେବଳ ହିନ୍ଦୁମାନଙ୍କୁ ବୁଝାଏନାହିଁ । ହିନ୍ଦୁ ଧର୍ମ ବ୍ୟତୀତ ଏହି ଦେଶରେ ଅନ୍ୟାନ୍ୟ ଧର୍ମ ମଧ୍ୟ ରହିଚି । କିନ୍ତୁ ହିନ୍ଦୁସମାଜ–ପ୍ରସୂତ ଜାତିଭେଦ ବ୍ୟବସ୍ଥା ଭିତରେ ଯେଉଁ ଆକର୍ଷଣଶକ୍ତି ରହିଚି, ଭାରତରେ ଅନ୍ୟାନ୍ୟ ଧର୍ମାବଲମ୍ବୀ ଉଚ୍ଚବର୍ଗମାନଙ୍କୁ ମଧ୍ୟ ତାହା ବଡ଼ ପ୍ରଲୁବ୍‌ଧ କରିରଖିଚି ଏବଂ ସେମାନେ ଆପଣା ଗୋଷ୍ଠୀର ଅସମର୍ଥମାନଙ୍କୁ ଅଧିକ ଅସମର୍ଥ ଓ ନ୍ୟୂନ କରି ରଖିବାର ମତଲବରେ ଜାତିଭେଦର ଆଶ୍ରୟ ଗ୍ରହଣକରିଚନ୍ତି । ଭାରତର ଗାଆଁ ମାନଙ୍କରେ ହିନ୍ଦୁମାନେ ହିଁ ଅତ୍ୟଧିକ ସଂଖ୍ୟାରେ ବାସକରୁଚନ୍ତି । କାଳକ୍ରମେ ସମଗ୍ର ଗ୍ରାମସମାଜ ହିନ୍ଦୁ ସମାଜର ଜାତିଭେଦକୁ ମୁହଁରେ ବୋଳି ଆପଣାକୁ ଗୋଟିଏ ପ୍ରକାରର ବାନରଯୂଥରେ ପରିଣତ କରିଦେଇଚି । ଅଣହିନ୍ଦୁମାନେବି କାଳକ୍ରମେ ଜାତିଭେଦର ପ୍ରଭାବ-ପାଶରେ ଆପଣାକୁ ବାନ୍ଧିପକାଇଚନ୍ତି । (୪୦) ସାମାଜିକ ରୀତି ଓ ରିବାଜ ଭିତରେ ଗୋଟାଏ ପ୍ରକାର ଜାଦୁକରୀ ଶକ୍ତି ରହିଚି ବୋଲି ସମାଜ-ସମୀକ୍ଷକମାନେ କହିଥାନ୍ତି । ଏହି ଜାଦୁର ପାଶ ଭିତରେ ପଡ଼ିଗଲେ ଅନ୍ୟାୟର ଦଂଶନ ଆଉ ଦଂଶନ ବୋଲି ଲାଗେନାହିଁ । ନୃଶଂସତା ବା ମନୁଷ୍ୟକୃତ ସାମାଜିକ ବର୍ବରତାମାନ ଆଉ ବର୍ବରତା ପରି ଲାଗେନାହିଁ । ଏଗୁଡ଼ାକୁ ମନୁଷ୍ୟକୃତ ଅପରାଧ ବୋଲି ନମଣି ପାଶବଦ୍ଧ ସମସ୍ତେ ଭଗବାନଙ୍କର ବରାଦ ବା ଦଣ୍ଡ ବୋଲି ଗ୍ରହଣ କରିନିଅନ୍ତି ଓ ଚମତ୍କାର ଦାୟିତ୍ୱହୀନ ଭାବରେ ସମାଜର ଅଜ୍ଞତା ଓ ଅନ୍ଧାରଗୁଡ଼ାକୁ ଘଣ୍ଟ ଘୋଡ଼ାଇ ରଖିବାରେ ସହଯୋଗ କରିବାରେ ଲାଗିଯାଆନ୍ତି । (୪୧)

 

ଜାତିଭେଦ କିପରି ଥିଲା ଓ ଏହାଭିତରେ ଆଜି ମଧ୍ୟ କଣ ଉପାଦେୟତାମାନ ରହିଚି, ସେକଥାର ପକ୍ଷ ବା ବିପକ୍ଷରେ ଯୁକ୍ତି କରି ବସିବାପୂର୍ବରୁ ଆମକୁ ମନେରଖିବାକୁ ହେବ ଯେ ଭଲରେ ହେଉ କି ସଲରେ ହେଉ ଆମେ ଏହିଦେଶରେ ଗଣତନ୍ତ୍ର ଓ ସମାଜବାଦକୁ ଆମ ଜାତୀୟ ନିର୍ମାଣର ନିର୍ଦ୍ଦେଶକ ମୂଲ୍ୟରୂପେ ଗ୍ରହଣ କରିନେଇଚୁ । ଖାଲି ଆମେ ନୁହେଁ, ସକଳ ପୃଥିବୀ ଆଜି ଏହି ଦୁଇଟି ମୂଲ୍ୟକୁ ହିଁ ଆଧୁନିକ ମନୁଷ୍ୟସମାଜର କରଣୀୟ ରୂପେ ଗ୍ରହଣ କରିନେଇଚି । ଗଣତନ୍ତ୍ରରେ ଜାତିଭେଦର ସ୍ଥାନ ନାହିଁ, ସମାଜବାଦ ଭିତରେ ମଧ୍ୟ ଜାତିଭେଦ ଲାଗି କୌଣସି ରାହା ନାହିଁ । ଆମେ ଗୋଟାଏ ପାଖରେ ଗଣତନ୍ତ୍ର ଓ ସମାଜବାଦର ରାଜନୀତିକ ଲୀଳା ଦେଖାଇ ଅନ୍ୟପାଖରେ ଜାତିପ୍ରଥାର କୁଲା ଢାଉଁ ଢାଉଁ କରିପାରିବାନାହିଁ । ଏହା କରୁଥିବା ପର୍ଯ୍ୟନ୍ତ ଆମେ ଗଭୀର ଅନ୍ତର୍ଦ୍ୱନ୍ଦ୍ୱ ଓ ଆତ୍ମପ୍ରବଞ୍ଚନା ମଧ୍ୟରେ ବାନ୍ଧିହୋଇ ରହିଥିବା । ଆଜି ହେଉ ବା କାଲି ହେଉ, ଆମକୁ ଦୁଇଟିରୁ ଗୋଟିଏ ବାଛିନେବାକୁ ହିଁ ପଡ଼ିବ ।

 

ଆଧୁନିକ ଶିକ୍ଷା ଓ ଆଧୁନିକ ବୈଜ୍ଞାନିକ ଚେତନା ଆମଭିତରେ ଯେତିକି ଯେତିକି ଅଧିକ ପ୍ରବେଶ କରୁଥିବ, ମଣିଷ ହିସାବରେ ଆମର ଆତ୍ମଚେତନା ସେତିକି ଦୃଢ଼ପ୍ରତିଷ୍ଠିତ ହେବାରେ ଲାଗିଥିବ ଓ ଆମ ସମାଜର ଉଚ୍ଚ ଓ ନୀଚ ଉଭୟଶ୍ରେଣୀ ସେତିକି ସେତିକି ଆପଣାକୁ ସଂସାରକ୍ଷେତ୍ରରେ ମୂଳତଃ ମଣିଷ ଭାବରେ ପ୍ରେରିତ କରିବାଲାଗି ଅଧିକ ପ୍ରେରଣା ପାଉଥିବେ । ଆବଦ୍ଧ ସମାଜର ଆବଦ୍ଧ ପାଣିରେ ଜାତିଭେଦ ଅଧିକ ସଢ଼ିବାର ସୁବିଧା ପାଏ, ଆବଦ୍ଧ ସମାଜର ଅଧିବାସୀମାନେ ଏହି ଦୁର୍ବ୍ୟବସ୍ଥାକୁ ହିଁ ଏକମାତ୍ର ବ୍ୟବସ୍ଥା ଓ ତେଣୁ ଏକ ଈଶ୍ୱରୀୟ ବ୍ୟବସ୍ଥା ବୋଲି ବିଶ୍ୱାସ କରିବାରେ ଅଭ୍ୟସ୍ତ ହୋଇଯାଆନ୍ତି । ଏ ଯୁଗରେ ନାନା କାରଣରୁ ଆମର ଚାହିବା ବା ନଚାହିବାପ୍ରତି ଭ୍ରୂକ୍ଷେପ ନରଖି ସେହି ଆବଦ୍ଧତାମାନ ଭାଙ୍ଗିଯାଇଚି । ଆମ ସମାଜର ଆୟତନକୁ ସାରା ସଂସାରର ବିଚାରପ୍ରବାହ ସହିତ ସଂଯୁକ୍ତ କରାଇ କେତେକେତେ ଗବାକ୍ଷ ଖୋଲିଯାଉଚି । ସାମାଜିକ ଦୃଷ୍ଟିରୁ ମଧ୍ୟ ନିରାପଦ ଓ ସ୍ୱୟଂସମ୍ପୂର୍ଣ୍ଣ ହୋଇ ରହିବାକୁ ଶ୍ରେୟ ମଣୁଥିବା ଆମ ଗାଆଁର ପରିଧିଗୁଡ଼ିକ କ୍ରମେ ନାନା ବୃହତ୍ତର ବୃତ୍ତରେ ପ୍ରସାରିତ ହେବାରେ ଲାଗିଚି, ଆମ ଗ୍ରାମସମାଜର ଅସ୍ପୃଶ୍ୟତା କ୍ରମେ ଦୂଷିତ ହେବାରେ ଲାଗିଚି । ଶୁଭ ଓ ଅଶୁଭ ବା କାମ୍ୟ ଅକାମ୍ୟ ବୋଲି ବିଚାର କରିବାକୁ ବେଳନାହିଁ । ଯୁବଧର୍ମର ଆବଶ୍ୟକତାରେ ପଡ଼ି ଆମର ସଂସ୍କାରଗତ ସୀମାଗୁଡ଼ିକ ନିଭିନିଭି ଯାଉଚି । ଭାରତର ପ୍ରବୀଣ ସମାଜଶାସ୍ତ୍ରୀମାନଙ୍କୁ ନେଇ ସରକାରଙ୍କ ତରଫରୁ ମସୁରିଠାରେ ବସିଥିବା ଗୋଟିଏ ଚର୍ଚ୍ଚାଚକ୍ରରେ ଗାଆଁରେ ଏବେ ଘଟୁଥିବା ଏହି ଜାତୀୟ ପରିବର୍ତ୍ତନଗୁଡ଼ିକ ଉପରେ ଆଲୋକପାତ କରାଯାଇଚି । (ପୁସ୍ତକ ଟିପ୍ପଣୀ–୧, ଜାନୁଆରୀ ୨୬, ୧୯୬୨) । କୁହାଯାଇଚି ଯେ ଏବେ ଗ୍ରାମବାସୀମାନେ ଆପଣାର ସାମାଜିକ ମାନ ବଢ଼ାଇବାଲାଗି ସଚେତନ ପ୍ରୟାସମାନ କରିବାକୁ ଆରମ୍ଭ କଲେଣି । ଗାଆଁର ପୂର୍ବ ପରମ୍ପରା ଅନୁସାରେ ଯେଉଁମାନଙ୍କୁ ଉଚ୍ଚଜାତି ବୋଲି କୁହାହୋଇ ଆସୁଥିଲା, ସେମାନେ ଆଧୁନିକ ସାଧନ ଓ ଉଦ୍ୟମ ସାହାଯ୍ୟରେ ଆପଣା ଶକ୍ତି ଖଟାଇ ଅଧିକ ଉପାର୍ଜନ କରିବାକୁ ପ୍ରବୃତ୍ତ ହେଲେଣି । ସେମାନେ ଏବେ ବୁଝିବାକୁ ଆରମ୍ଭ କଲେଣି ଯେ କେବଳ ବଂଶାନୁକ୍ରମିକ ମର୍ଯ୍ୟାଦା ଓ ବିଶେଷ ସୁବିଧା ଉପରେ ନିର୍ଭର କରି ବସି ରହିଲେ ଓ ଆପେ କୌଣସି ଉଦ୍ୟମ ନ କଲେ ସେମାନଙ୍କର ପୂର୍ବସ୍ୱୀକୃତ ଭୋଗ-ଆସ୍ଥାନମାନ ଆଧୁନିକ ଯୁଗମାନର ଧକ୍‌କା ଖାଇ ଟଳିପଡ଼ିବ ଓ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ । ଗ୍ରାମସମାଜରେ ଯେଉଁମାନେ ପରମ୍ପରାକ୍ରମେ ଆପଣାକୁ କାଣିଆଙ୍ଗୁଠି ଅର୍ଥାତ୍ ନୀଚଜାତି ବୋଲି ମାନିନେଉଥିଲେ, ସେମାନେ ମଧ୍ୟ କ୍ରମେ ଉପରକୁ ଚାହିଁବାକୁ ଆରମ୍ଭ କଲେଣି ଏବଂ ଧନରେ ଓ ବିଦ୍ୟାରେ ଉଚ୍ଚଜାତିଙ୍କର ସମତୁଲ ହେବାକୁ ମନ ବଳାଇଲେଣି । ଉଦ୍ୟମୀ ମଣିଷ ହିସାବରେ ସେମାନେ ଏବେ ଆପଣାକୁ ସମାନର ଚକ୍ଷୁରେ ଦେଖିବାକୁ ଆରମ୍ଭ କଲେଣି ।

 

କିନ୍ତୁ ତଥାପି ଜାତିଗତ ମନୋଭାବ ଚାଲିଯାଉଥିବାପରି ମନେହେଉନାହିଁ । ପୁରୁଣା ଜାତିଭେଦ-ବ୍ୟବସ୍ଥା ହଟିହଟି ଯାଉଚି, କିନ୍ତୁ ନୂଆ କିସମର ଜାତିଭେଦ ଓ ଜାତିଗତ ସଂକୀର୍ଣ୍ଣତାମାନ କ୍ରମେ ପ୍ରବଳ ଓ ସର୍ବବ୍ୟାପୀ ହେବାରେ ଲାଗିଚି । ଗାଆଁରେ ଚେରମାଡ଼ି ରହିଥିବା ଏହି ଜାତିଭେଦ ସହର ସମେତ ଆମ ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଓହଳ ମଡ଼ାଇବାକୁ ଆରମ୍ଭ କଲାଣି । ଶିକ୍ଷିତ ଲୋକମାନେ ନାନା କାରଣରୁ ଜାତିରୂପକ ଯଷ୍ଟି ଉପରେ ନିର୍ଭର କରି ରହିବାକୁ ନିରାପଦ ମଣୁଚନ୍ତି । ଚାକିରିରେ ଜାତିଭେଦର ଦୌରାତ୍ମ୍ୟ ପଶିଗଲାଣି, ଜାତୀୟ ସାଧନକୁ ବାଣ୍ଟିକରି ଭୋଗ କରିବାରେ ଜାତିର ଶୁକ୍ରଦୃଷ୍ଟି ପଶିଗଲାଣି । ରାଜନୀତିକ ଭୋଟ-ଦିଆନିଆରେ ଜାତିଗତ ବାଛବିଚାର ଉପରେ ଅଢ଼ା ଟେକି ଦିଆଯାଇଥିବା ପରି ମନେହେଉଚି । ଯେଉଁ ରାଜନୀତିକ ଶିବିରପତିମାନେ ଦିନରାତି ଗଣତନ୍ତ୍ର ଓ ସମାଜବାଦ ନାମରେ ହଲପ ଖାଉଚନ୍ତି, ସେମାନେ ମଧ୍ୟ ପ୍ରୟୋଜନର ଅନୁରୋଧକୁ କର୍ତ୍ତବ୍ୟର ଅନୁରୋଧ ବୋଲି ମାନିନେଇ ଜାତିଭେଦର ଗଧପାଦ ଧରିବାଲାଗି ନାନା ଅବସରରେ ଆପଣାକୁ ବାଧ୍ୟ ବୋଲି ମନେକରୁଚନ୍ତି । ତେଣୁ ଜାତିଭେଦ ସକାଶେ ଆମ ଗାଆଁ ମାନଙ୍କର ବିକାଶ ହୋଇପାରୁନାହିଁ ବୋଲି ଯେଉଁମାନେ ଏଣେ ଉପରେ ପାଟି କରୁଚନ୍ତି, ନାନା ତାତ୍କାଳିକ ସ୍ୱାର୍ଥର ତାଡ଼ନାରେ ପଡ଼ି ସେହିମାନେ ହିଁ ଏହି ଦେଶରେ ଜାତିଭେଦକୁ ଓ ଜାତିଗତ ମନୋଭାବକୁ ପାଣି ଗୋଳିଆ କରି ରଖିବାର କାଦୁଅପରି ବ୍ୟବହାର କରିବାରେ ଲାଗିଚନ୍ତି । ଆମଦେଶର ତଥାକଥିତ ନେତୃତ୍ୱ ଓ ଶିକ୍ଷିତ କୁଶଳମାନ ଇଚ୍ଛା କରିଥିଲେ ଗ୍ରାମରୁ ଜାତିଭେଦ ଅନ୍ତର୍ହିତ ହୋଇସାରନ୍ତାଣି । ସାମୁଦାୟିକ ବିକାଶର ନାନା ଉଦ୍ୟମ ଭେଷଜପରି କାର୍ଯ୍ୟ କରି ଜାତିଭେଦର ବ୍ୟାଧିକୁ କେଉଁଦିନୁ ଉପଶାନ୍ତ କରିଦେଇ ସାରନ୍ତାଣି । ମାତ୍ର ଚତୁର ମଣିଷର ତୁଣୀରରେ ସ୍ୱାର୍ଥସାଧନର ଅସ୍ତ୍ରରୂପେ ବ୍ୟବହୃତ ହୋଇ ଜାତିଭେଦ ବର୍ତ୍ତମାନ ହୁଏତ ଅଧିକ ଶକ୍ତିଶାଳୀ ହେବାରେ ଲାଗିଚି । ବର୍ତ୍ତମାନ ଆମେ ଏହାକୁ କୁସଂସ୍କାରଗ୍ରସ୍ତ ଗ୍ରାମସମାଜର ହିଁ ଏକ ଅନାବଶ୍ୟକ ଅନ୍ଧବିଶ୍ୱାସ ବୋଲି କଦାପି କହିପାରିବାନାହିଁ । ସକଳପ୍ରକାରର ଚତୁର ସଂସ୍କାରର ବର୍ମ ପିନ୍ଧିଥିବା ଓ ଆମ ଦେଶରେ ସାମାଜିକ ତଥା ରାଜନୀତିକ କର୍ତ୍ତୃତ୍ୱ କରିବାକୁ ଆପଣାର ବ୍ୟବସାୟ ବୋଲି ଧରିନେଇଥିବା ନୂତନ ସାମନ୍ତମାନେ ପରମ ବିଶ୍ୱାସର ସହିତ ଜାତିଭାବନାକୁ ଏକ ଆବଶ୍ୟକ ଅସ୍ତ୍ରରୂପେ ବ୍ୟବହାର କରିବାରେ ଲାଗିଚନ୍ତି ଓ ଏହି ଦେଶର ଉଦୟପଥକୁ ବଣା କରିବାରେ ବ୍ରତୀ ହୋଇ ବାହାରିଚନ୍ତି ।

 

ଜାତିବିଚାର ଯେ ଆଧୁନିକ ଭାରତବର୍ଷରେ ଦିନକୁଦିନ ପ୍ରବଳ ହେବାରେ ଲାଗିଚି, କୌଣସି ଅବସରରେ ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ତାହାର ଚର୍ଚ୍ଚା କରିଚନ୍ତି । ଆମଦେଶରେ ସରକାର ଚଳାଇବାର ପ୍ରତିନିଧିମାନଙ୍କୁ ନର୍ବାଚିତ କରିବାଲାଗି ସାନ ବଡ଼ କ୍ଷେତ୍ରରେ କେତେପ୍ରକାର ଭୋଟ ନିଆଯାଇଚି । ନିର୍ବାଚନରେ ଭାଗ ନେଉଥିବା ଜନସାଧାରଣ ଲଢ଼ାଇରେ ଯୋଗ ଦେଇଥିବା ବିଭିନ୍ନ ରାଜନୀତିକ ଦଳର ନୀତି ଓ କାର୍ଯ୍ୟକ୍ରମକୁ ଭଲଭାବରେ ବୁଝନ୍ତୁ ଓ ତାପରେ ଆପଣାର ନିଷ୍ପତ୍ତି ଅନୁସାରେ ଭୋଟ ଦେବାକୁ ଯାଆନ୍ତୁ, ନିର୍ବାଚନମୂଳକ ଲୋକଶାସନରେ ନ୍ୟାୟତଃ ଏହିପରି ହେବା ଉଚିତ । କିନ୍ତୁ ୧୯୫୨ ମସିହାରେ ସାଧାରଣ ନିର୍ବାଚନରେ ଏହି ରୀତିରେ ୨୦% କାର୍ଯ୍ୟ ହୋଇଥିଲା ବୋଲି ଯଦି ଆମେ ଅନୁମାନ କରିବା, ତେବେ ୧୯୫୭ ମସିହାର ସାଧାରଣ ନିର୍ବାଚନରେ ମାତ୍ର ୧୦% ହୋଇଥିଲା । ୧୯୫୭ର ଭୋଟରେ ଜାତିଗତ ବିଚାର ବଡ଼ ପ୍ରବଳ ହୋଇପଡ଼ିଥିଲା । ବିଭିନ୍ନ ରାଜନୀତିକ ଦଳର ପ୍ରାର୍ଥୀମାନେ କଣ କହୁଚନ୍ତି, ସେମାନେ କିପରି କିସମର କାର୍ଯ୍ୟକ୍ରମ ଧରି ଭୋଟ ଲଢ଼ି ବାହାରିଚନ୍ତି ବା କିପରି ନୀତିସବୁରେ ବିଶ୍ୱାସ କରୁଚନ୍ତି, ଏସବୁ ଜାଣିବାକୁ ବା ଏସବୁ ନେଇ ମୁଣ୍ଡ ଖେଳାଇବାକୁ କେହି ଆବଶ୍ୟକ ମନେକରୁନାହିଁ । ପ୍ରାର୍ଥୀର ଜାତି ଦେଖି ସେମାନେ ଆପଣା ଆପଣାର ଭୋଟ ଦେଇ ଆସୁଚନ୍ତି । ୧୯୫୭ ରେ ଯାହା ହୋଇଥିଲା, ୧୯୬୨ ଓ ୧୯୬୭ ରେ ତାହାଠାରୁ କମ୍ ହେଲା ବୋଲି ଭାବିବାର କୌଣସି କାରଣ ନାହିଁ । ପୁରାତନ ଓ ନୂତନ ଉଭୟ ପ୍ରକରଣର ଜାତିବିଚାର ଆମଦେଶରେ ସାମୁଦାୟିକ ବିକାଶରେ ବିଘ୍ନ ପରି କାର୍ଯ୍ୟ କରୁଚି ।

 

ଭାରତବର୍ଷରେ ଆଉକିଛି ବଢ଼ୁ ବା ନ ବଢ଼ୁ ପଛକେ, ଲୋକସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଚି । ଆମେ ଏ ଦେଶରେ ଯାହାସବୁ ବଢ଼ୁ ବୋଲି କାମନା କରୁଚୁ, ନାନା କାରଣରୁ ସେଥିରେ ହୁଏତ କ୍ଷୟ ଘଟିବାରେ ଲାଗିଚି । କିନ୍ତୁ ଯେଉଁ ଲୋକସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଦେଶର ଖାଦ୍ୟପ୍ରମାଦ ବଢ଼ିବଢ଼ି ଚାଲିଥିବ ବୋଲି ସମସ୍ତେ କହୁଚନ୍ତି, ତାହା ଆମର ସକଳ ଅଟକଳ ଓ ଆଶାକୁ ପରାଭୂତ କରି ବଢ଼ିବାରେ ଲାଗିଚି । ସାମୁଦାୟିକ ବିକାଶର ବିଶେଷ କ୍ଷେତ୍ରରେ ନୁହେଁ, ଜାତୀୟ ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ଏହି ଜନସଂଖ୍ୟାର ଅତିରିକ୍ତ ବୃଦ୍ଧି ଆମଲାଗି ସବୁଠାରୁ ବଡ଼ ପ୍ରତିବନ୍ଧକ ରୂପେ ଠିଆହୋଇ ରହିଚି । ଆମର ରାଷ୍ଟ୍ରୀୟ ଯୋଜନା ଅନୁସାରେ ଆମର ଜାତୀୟ ସମ୍ପଦମାନ ବଢ଼ୁଥିଲେ ମଧ୍ୟ ତଥାପି ଜନସଂଖ୍ୟାର ପ୍ରବଳ ଓ ଆଶାତିରିକ୍ତ ବୃଦ୍ଧି ହେତୁ ଏ ଦେଶରେ ଆମେ ଦିନକୁଦିନ ଅଧିକ ଦରିଦ୍ର ହେବାରେ ଲାଗିଚୁ । ଜନସୁମାରିର ହିସାବ ଗୁଡ଼ିକରୁ ଜଣାପଡ଼ୁଚି ଯେ ୧୯୦୧ ମସିହାରେ ଆମଦେଶରେ ପ୍ରାୟ ଚବିଶ କୋଟି ଲୋକ ବାସକରୁଥିଲେ-। ୧୯୫୧ ବେଳକୁ ଏହି ଜନସଂଖ୍ୟା ୩୬ କୋଟି ହେଲା । ୧୯୬୧ ମସିହାର ଜନଗଣନା ଅନୁସାରେ ଆମଦେଶରେ ପ୍ରାୟ ୪୪ କୋଟି ଲୋକ ବାସ କରୁଥିଲେ । ଏହି ଦଶନ୍ଧି ପୂରୁନପୂରୁଣୁ ଆମେ ହୁଏତ ୫୦ ବା ୫୫ କୋଟି ହୋଇଯାଇଥିବୁ । ଏହି ହିସାବରୁ ଜଣାଯାଉଚି ଯେ ୧୯୫୧ ଓ ୧୯୬୧ ମସିହା ଭିତରେ ଆମଦେଶର ଲୋକସଂଖ୍ୟା ୨୧.୬୪% ବୃଦ୍ଧି ପାଇଚି । ଏହିପରି ଗତିରେ ବୃଦ୍ଧି ଲାଗିରହିଥିଲେ ୧୯୬୩ ମସିହା ବେଳକୁ ଆମଦେଶରେ ପ୍ରାୟ ୬୩ କୋଟି ମଣିଷ ହୋଇଯାଇଥିବେ । ଭାରତବର୍ଷର କ୍ଷେତ୍ରଗତ ଆୟତନ ସମଗ୍ର ପୃଥିବୀର ମୋଟେ ୨% ହୋଇଥିଲେ ହେଁ ଆମଦେଶରେ ସମଗ୍ର ପୃଥିବୀର ଲୋକସଂଖ୍ୟାର ୧୪% ଅଂଶ ବାସ କରୁଚନ୍ତି-। ଏହାହିଁ ଆମ ଜାତୀୟ ଦାରିଦ୍ର୍ୟର ଏକ ପ୍ରଧାନ କାରଣ ହୋଇ ରହିଚି ।

 

୧୯୬୧ ମସିହାର ଜନଗଣନା ପରେ ପରବର୍ତ୍ତୀ ତିନୋଟି ବର୍ଷରେ ଭାରତବର୍ଷର ଲୋକସଂଖ୍ୟାରେ ୭% ବୃଦ୍ଧି ପାଇଚି, ମାତ୍ର ଖାଦ୍ୟ-ଉତ୍ପାଦନ ଏହି କାଳଭିତରେ ୨% ରୁ ଅଧିକ ତଳକୁ ଖସିପଡ଼ିଚି । ବିଶ୍ୱବ୍ୟାଙ୍କର ଏକ ହିସାବ ଅନୁସାରେ ୧୯୭୫ ମସିହା ସୁଦ୍ଧା ଭାରତର ନିମ୍ନତମ ଏକପଞ୍ଚମାଂଶ ଲୋକ ମୁଣ୍ଡପିଛା ହାରାହାରି ମାସିକ ୨୫ ଟଙ୍କା ଉପାର୍ଜନ କରିପାରିବା ଲାଗି ଜାତୀୟ ଆୟକୁ ପ୍ରତ୍ୟେକ ବର୍ଷ ଅନ୍ତତଃ ୭% ବଢ଼ିବାକୁ ପଡ଼ିବ । କିନ୍ତୁ ତୃତୀୟ ଯୋଜନାର ପ୍ରଥମ ଦୁଇଟି ବର୍ଷ ଏହି ବୃଦ୍ଧି ବାର୍ଷିକ ମୋଟେ ୨% ହୋଇଚି ବୋଲି ଜଣାଯାଇଚି । ଜନସଂଖ୍ୟାର ବୃଦ୍ଧି ଏହାର ଏକ ପ୍ରଧାନ କାରଣ ବୋଲି କୁହାଯାଇଚି । ଏହିସବୁ ତ୍ରାସଦାୟକ ହିସାବ ଆମର ଦେଶ ଆଗରେ ଏକ ଶକ୍ତିଶାଳୀ ଆହ୍ୱାନ ଦେଇଯାଇଚି ଯେ ଜନସଂଖ୍ୟାର ବୃଦ୍ଧିରେ ଆମେ ଏହିପରି ଉତ୍ସାହ ଦେଖାଇବାରେ ଲାଗିଥିଲେ ଆମଦେଶର ସମୃଦ୍ଧି ହେବା ତ ଦୂରର କଥା, ଆମେ ଦିନକୁଦିନ ଅଧିକ ଦରିଦ୍ର ହେବାରେ ଲାଗିଥିବା । ପ୍ରତିବର୍ଷ ଭୋକ ବଢ଼ୁଥିବ ଓ ଭୋକଜନିତ ସକଳ ସମସ୍ୟା ମଧ୍ୟ ବଢ଼ୁଥିବ । କିନ୍ତୁ ଏହି ବୃଦ୍ଧିକୁ ଅଟକାଇ ପାରିବାକୁ କଦାପି ଅସମ୍ଭବ ବୋଲି କୁହାଯାଇ ପାରିବନାହିଁ । ଜାପାନ ମଧ୍ୟ ଦିନେ ଠିକ୍ ଏହିପରି ଏକ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ମାତ୍ର ଜାତୀୟ ଉଦ୍ୟମ ଫଳରେ ସେଠାରେ ୧୯୪୮ ଓ ୧୯୬୩ ମସିହା ଭିତରେ ଶିଶୁ – ଜନ୍ମର ହାର ୫୦% କମାଇ ଦିଆଯାଇ ପାରିଥିଲା । ଯଦି ଆମେ ଜାପାନ ପରି ଏଦେଶର ଜନ୍ମ-ହାରରେ ୫୦% ହ୍ରାସ ସମ୍ଭବ କରାଇ ପାରିବା, ତେବେ ତାହାଫଳରେ ଭାରତର ପ୍ରତ୍ୟେକ ପରିବାରର ଆୟରେ ବାର୍ଷିକ ହାରାହାରି ୫% ବୃଦ୍ଧି ହୋଇ ପାରିବ । ୧୯୫୦ ଓ ୧୯୬୦ ମସିହା ଭିତରେ ଏହି ଆୟରେ ହାରାହାରି ମୋଟେ ୧.୬% ବୃଦ୍ଧି ହୋଇଚି । ତୃତୀୟ ଯୋଜନାର ଶେଷରେ ଅର୍ଥାତ୍ ୧୯୬୭ ମସିହାରେ ଖାଦ୍ୟଦ୍ରବ୍ୟ ଉତ୍ପାଦନ କରିବାରେ ଆମଦେଶ ସ୍ୱାବଲମ୍ବୀ ହୋଇପାରିବ ବୋଲି ଯେଉଁ ଆଶା କରାଯାଇଥିଲା, ପ୍ରଧାନତଃ ଲୋକସଂଖ୍ୟାରେ ଅତିରିକ୍ତ ବୃଦ୍ଧି ହେତୁ ସେହି ଆଶା ବ୍ୟର୍ଥ ପ୍ରମାଣିତ ହୋଇଚି ।

 

ଲୋକସଂଖ୍ୟାରେ ଅତିରିକ୍ତ ବୃଦ୍ଧି କେବଳ ଭାରତବର୍ଷର ସମସ୍ୟା ନୁହେଁ, ପୃଥିବୀର ଅଳ୍ପବିକଶିତ ଦେଶଗୁଡ଼ିକ ଆଜି ସମଗ୍ର ଭାବରେ ଏହି ସମସ୍ୟାଟିର ସମ୍ମୁଖୀନ ହେଉଚନ୍ତି । ଅର୍ଥାତ୍ ପୃଥିବୀର ଗୋଟାଏ ଭାଗରେ ଧନସମ୍ପନ୍ନତା ବଢ଼ୁଚି ଓ ଅନ୍ୟ ବୃହତ୍ତର ଭାଗଟିର ଜନସଂଖ୍ୟା ହିଁ ବଢ଼ିବାରେ ଲାଗିଚି । ଯେଉଁଠି ବହକା ଖାଇବା ରହିଚି, ସେଠାରେ କମ୍ ମଣିଷ ଅଛନ୍ତି ଏବଂ ଯେଉଁଠି ମଣିଷଙ୍କ ପାଖରେ ଯଥେଷ୍ଟ ଖାଇବା ନାହିଁ, ସେଠାରେ ଖାଇବା ମଣିଷଙ୍କର ସଂଖ୍ୟା ବଢ଼ିବାରେ ଲାଗିଚି । ପ୍ରତ୍ୟେକ ବର୍ଷ ଏହି ପୃଥିବୀରେ ପ୍ରାୟ ସାଢ଼େ ଛଅକୋଟି ମଣିଷ ଜନ୍ମ ହେଉଚନ୍ତି ଏବଂ ଏଥିରୁ ଅଧିକାଂଶ ଭାଗ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଦରିଦ୍ର ଦେଶଗୁଡ଼ିକରେ ହିଁ ଜନ୍ମ ହେଉଚନ୍ତି । ୧୯୬୫ ମସିହା ଅଧାସୁଦ୍ଧା ଆମ ପୃଥିବୀରେ ସର୍ବମୋଟ ପ୍ରାୟ ୩୩୧ କୋଟି ମଣିଷ ଥିଲେ ବୋଲି ହିସାବ କରାଯାଇଚି । ଏହି ଗତିରେ ଆଗକୁ ବଢ଼ୁଥିଲେ ବିଂଶ ଶତାବ୍ଦୀର ମୁଣ୍ଡି ମଲାବେଳକୁ ମଣିଷଙ୍କର ସଂଖ୍ୟା ୭୦୦ କୋଟି ହୋଇସାରିଥିବ । ଏହି ଗତି-ପ୍ରତିଯୋଗିତାରେ ଦକ୍ଷିଣ ଆମେରିକା ପ୍ରଥମ ହୋଇ ଚାଲିଚି, ଆଫ୍ରିକା ଓ ଏସିଆ ତାହାର ପଛରେ ମାତ୍ର ପ୍ରାୟ ପାଖାପାଖି ହୋଇ ରହିଚନ୍ତି । ଆସନ୍ତା ୩୫ ବର୍ଷ ଭିତରେ ପୃଥିବୀର ଜନସଂଖ୍ୟାରେ ଯେତେ ବୃଦ୍ଧି ହେବ, ତାହାର ପ୍ରାୟ ଅଂଶ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଅଳ୍ପବିକଶିତ ଦେଶଗୁଡ଼ିକରେ ହେବ ବୋଲି ଆଶଙ୍କା କରାଯାଇଚି । ସୁଇଡ଼େନର ଶ୍ରୀ ଗୁନାର୍ ମୁଇର୍‌ଡ଼ାଲ୍ କହନ୍ତି ଯେ ୧୯୬୦ ମସିହାର ଭିତ୍ତି ଉପରେ ହିସାବ କଲେ ୧୯୮୦ ମସିହାକୁ ପୃଥିବୀର ଲୋକସଂଖ୍ୟାର ପ୍ରାୟ ୫୦% ବୃଦ୍ଧି ପାଇ ସାରିଥିବ । କିନ୍ତୁ ଏହି ସମୟ ଭିତରେ ଅନ୍ନରେ ଖୁବ୍ ବେଶୀ ହେଲେମଧ୍ୟ ବୃଦ୍ଧିମଧ୍ୟ କଦାପି ୧୦% ରୁ ତେଣିକି ଡେଇଁବନାହିଁ । ଏହାରି ଫଳରେ ଅଦୂରଭବିଷ୍ୟତରେ ଘୋର ଅନ୍ନାଭାବ ଘୋଟିଯିବ ବୋଲି ସେ ଆମକୁ ସତର୍କ କରି ଦେଇଚନ୍ତି । ତାଙ୍କର କହିବା ଅନୁସାରେ ଆଜିମଧ୍ୟ ଆମେରିକାର ଉଦ୍‌ବୃତ୍ତ ଖାଦ୍ୟାନ୍ନ ସାହାଯ୍ୟରୂପେ ଅନ୍ୟାନ୍ୟ ଦେଶକୁ ଯାଉନଥିଲେ ପ୍ରାୟ କୋଟିଏ ମଣିଷଙ୍କୁ ଖାଦ୍ୟାଭାବରୁ ମରିବାକୁ ପଡ଼ନ୍ତା ।

 

ସଂସାରରେ ଖାଦ୍ୟ ନାହିଁ ଓ ତେଣେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଚି । ଜୀବବିଦ୍ୟା-ବିଶାରଦ ଶ୍ରୀଯୁକ୍ତ ହକ୍‌ସ୍‌ଲେ (Julian Huxley)ଙ୍କର ମତ ହେଉଚି ଯେ ମଣିଷକୁ ମନୁଷ୍ୟୋଚିତ ଜୀବନସ୍ତରରେ ରହିବାକୁ ହେଲେ ତାହାର ସଂଖ୍ୟାବୃଦ୍ଧିରେ ମଧ୍ୟ ଏକ ସର୍ବୋଚ୍ଚ ସୀମା ରହିବା ଏକାନ୍ତ ଆବଶ୍ୟକ । କିନ୍ତୁ ଆଧୁନିକ ପୃଥିବୀରେ ମଣିଷ ସେହି ସୀମା ଟପି ଚାଲିଗଲାଣି । ମଣିଷଙ୍କର ସଂଖ୍ୟା ଅତିରିକ୍ତ ଅନୁପାତରେ ବଢ଼ିବାରେ ଲାଗିଚି । ପରିମାଣରେ ବୃଦ୍ଧିରେ ଏହି ଅତିରିକ୍ତତା ଫଳରେ ମଣିଷ ଜୀବନର ସମଗ୍ର ମାନ ତଳକୁ ଖସିବାରେ ଲାଗିଚି । ଏହି ବୃଦ୍ଧି ମଣିଷର ଭବିଷ୍ୟତକୁ ମଧ୍ୟ ବିପନ୍ନ କରିଦେବାକୁ ବସିଚି । (ପୁସ୍ତକ ଟିପ୍ପଣୀ–୩୬, ସେପ୍‍ଟେମ୍ବର–୨୪, ୧୯୬୧)

 

ଆମର ଏହି ଶିକ୍ଷାବିରଳ ଦେଶରେ ଶିକ୍ଷାଲାଗି ସବୁଠାରୁ ଅଧିକ ତତ୍ପରତା ରହିବା ଦରକାର । କିନ୍ତୁ, କହିବା ବାହୁଲ୍ୟ ଯେ ଭାରତବର୍ଷରେ ଶିକ୍ଷା ହିଁ ବୋଧହୁଏ ସବୁଠାରୁ ଅଧିକ ଅବହେଳିତ ହୋଇ ପଡ଼ିଚି । ଶିକ୍ଷାଦ୍ୱାରା ଦେଶର ଜନସାଧାରଣଙ୍କୁ ଅଧିକ ଯୋଗ୍ୟ କରିବା ଦୃଷ୍ଟିରୁ ହୁଏତ ଆମଦେଶରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ହିଁ ନିଆଯାଇ ନାହିଁ । ସାମୁଦାୟିକ ଶିକ୍ଷା ଓ ସାମୁଦାୟିକ ବିକାଶ ମଧ୍ୟରେ ଯେ ଘନିଷ୍ଟ ସମ୍ବନ୍ଧ ଅବଶ୍ୟ ରହିଚି, ଏକଥା କାହାରିକୁ ବୁଝାଇ କହିବାକୁ ପଡ଼ିବନାହିଁ । ଇଉରୋପର ବିକାଶ ଇଉରୋପରେ ସାମୁଦାୟିକ ବା ସାର୍ବଜନୀନ ଶିକ୍ଷାରୁ ଆରମ୍ଭ ହୋଇଚି ବୋଲି କହିଲେ ଆଦୌ ଅତିରଞ୍ଜନ ହେବନାହିଁ । ଇଉରୋପର ଅଧିକାଂଶ ବିକଶିତ ଦେଶରେ ଊନବିଂଶ ଶତାବ୍ଦୀର ପ୍ରଥମ ଚରଣରେ ହିଁ ସାର୍ବଜନୀନ ଅନିବାର୍ଯ୍ୟ ଶିକ୍ଷାଲାଗି ଆଇନ୍‌ର ପ୍ରଣୟନ କରାଯାଇଚି । ପାରମ୍ପରିକ ଇଉରୋପର ସମାଜ ଯେ ଗତ ଦେଢ଼ଶହ ବର୍ଷ ଭିତରେ ଆଧୁନିକ ଓ ପ୍ରଗତିକାମୀ ଏକ ସମାଜରେ ପରିଣତ ହୋଇଚି, ସାର୍ବଜନୀନ ଆନିବାର୍ଯ୍ୟ ଶିକ୍ଷାର ପ୍ରଚଳନକୁ ସେଥିଲାଗି ଅନେକ ଦୃଷ୍ଟିରୁ ଦାୟୀ କରାଯାଇ ପାରିବ-। ବଡ଼ କାରଖାନା ଓ ବଡ଼ ନଦୀବନ୍ଧ ବସିଲେ ସମାଜର ବିପ୍ଳବ ଯେତେ ଆଗେଇ ନପାରେ, ଦେଶର ସବୁପିଲା ପାଠ ପଢ଼ିବାର ବା ଦେଶର ସବୁ ମଣିଷ ସାକ୍ଷର ହେବାର ଅଧିକାର ପାଇଲେ ତାହାର ଦଶଗୁଣ ଆଗେଇ ଯାଇଥାଏ । ଭାରତବର୍ଷ ପରି ଏକ ଅଳ୍ପବିକଶିତ ଦେଶରେ ସାମାଜିକ ଓ ଦୃଷ୍ଟିଗତ ବିପ୍ଳବ ଆଣିବାକୁ ଯଦି ସର୍ବପ୍ରଧାନ କାମ୍ୟ ବୋଲି ନିଷ୍ଠାପର ଭାବରେ ଘୋଷଣା କରାଯାଉଥାଏ, ସାମାଜିକ ବିପ୍ଳବର ଶାନ୍ତିପୂର୍ଣ୍ଣ ରାସ୍ତା ହିସାବରେ ଯଦି ସାମୁଦାୟିକ ବିକାଶକୁ ଗ୍ରହଣ କରାଯାଇଥାଏ, ତେବେ ନ୍ୟାୟତଃ ଆମର କଲ୍ୟାଣମୁଖୀ ରାଷ୍ଟ୍ରର ସରକାର ଶିକ୍ଷା, ବିଶେଷତଃ ସାର୍ବଜନୀନ ଶିକ୍ଷା ଉପରେ ସବୁଠାରୁ ଅଧିକ ଜୋର୍ ଦେବା ଆବଶ୍ୟକ । ମାତ୍ର ସରକାରଙ୍କ ଘରୁ ପ୍ରକାଶ ପାଇଥିବା ହିସାବମାନ କହିଦେଉଚି ଯେ ଆମଦେଶରେ ତାହା ପ୍ରକୃତରେ ହେଉନାହିଁ ।

 

ଆଗରୁ କୁହାଯାଇଚି ଯେ ଭାରତର ଜନସଂଖ୍ୟା ୧୯୫୧ ରୁ ୧୯୬୧ ଭିତରେ ୨୧.୬୪% ବୃଦ୍ଧି ପାଇଚି । ମାତ୍ର ଏହି ଦଶୋଟି ବର୍ଷ ଭିତରେ ଦେଶର ସାକ୍ଷର ସଂଖ୍ୟାରେ କେବଳ ୬.୧% ବୃଦ୍ଧି ହୋଇଚି । ଅର୍ଥାତ୍ ଶିକ୍ଷାକ୍ଷେତ୍ରରେ ଆମେ ଏହି ଗତିରେ ଶିକ୍ଷାପ୍ରତି ଆମର ଆଗ୍ରହ ଓ ଉଦ୍ୟମକୁ ବଳବତ୍ତର ରଖିଥିଲେ ଦେଶର ସବୁ ଲୋକ ସାକ୍ଷର ହୋଇପାରିବା କସ୍ମିନ୍‌କାଳେ ସମ୍ଭବ ହେବନାହିଁ । ଓଲଟି ବର୍ଷକୁବର୍ଷ ନିରକ୍ଷରଙ୍କର ସଂଖ୍ୟା ବଢ଼ିବାରେ ଲାଗିଥିବ ଓ ଶେଷକୁ ହୁଏତ ଏକ ନିରକ୍ଷର ଜନସମୁଦ୍ର ଉପରେ ଏକ ମୁଷ୍ଟିମେୟ ଶିକ୍ଷିତ-ଗୋଷ୍ଠୀର ସ୍ୱୈରାଚାର ଏହି ଦେଶରେ ଜାରିହୋଇ ରହିବ । ଗତ କେତୋଟି ବର୍ଷର ସ୍ୱାଧୀନ ଭାରତରେ ଶିକ୍ଷାନୀତି ଓ ଶିକ୍ଷାର ପ୍ରଗତି ଯେପରି ହାବଭାବରେ ଚାଲିଚି, ସେଥିରୁ ଆମର ଜାଣତରେ ବା ଅଜାଣତରେ ହେଉ ପଛକେ, ଏହିପରି ଏକ କ୍ଷୟକାରୀ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସନ୍ଦେହ ହେଉଚି-। ୧୯୬୧ ମସିହାରେ ଜନଗଣନା ଅନୁସାରେ ଭାରତର କେବଳ ୨୪% ଲୋକଙ୍କୁ ସାକ୍ଷର ବୋଲି କୁହାଯାଇଚି । (ପୁରୁଷ–୩୪.୫% ଓ ସ୍ତ୍ରୀ ୧୩.୦%) ଆମ ଓଡ଼ିଶାରେ ଆମେ ଏହି ହାରାହାରି ଗାରରୁ ମଧ୍ୟ ନିମ୍ନସ୍ତରରେ ରହିଚୁ । (ମୋଟ ସାକ୍ଷର ହେଉଚନ୍ତି ସମଗ୍ର ଜନସଂଖ୍ୟାର ୨୧.୭%, ଏଥିରୁ ପୁରୁଷ ୩୪.୭% ଓ ସ୍ତ୍ରୀ ୮.୬%) ଭାରତର ରାଜଧାନୀକୁ ଘେରିରହିଥିବା ଉତ୍ତର ପ୍ରଦେଶରେ ମୋଟେ ୧୭.୬% ସାକ୍ଷର ରହିଚନ୍ତି । (ପୁରୁଷ ୨୭.୩% ଓ ସ୍ତ୍ରୀ ୭.୦%) ପ୍ରାଥମିକ ଶିକ୍ଷା-କ୍ଷେତ୍ରରେ ଆମଦେଶରେ ପ୍ରତିବର୍ଷ ସ୍କୁଲ ଓ ଶିକ୍ଷକମାନଙ୍କର ସଂଖ୍ୟା ଅବଶ୍ୟ ବଢ଼ୁଚି, ମାତ୍ର ଏହିଦେଶର ପ୍ରାୟ ଅଧେ ପିଲା ବର୍ତ୍ତମାନ ସ୍କୁଲକୁ ଆସିପାରୁ ନାହାନ୍ତି-। ବହୁତର ଶ୍ରେୟାକାଙ୍‌କ୍ଷା ରଖି ଲେଖାହୋଇଥିବା ଆମର ସଂବିଧାନ ଅନୁସାରେ ସ୍ୱାଧୀନତା ପାଇବାର ପନ୍ଦରବର୍ଷ ଭିତରେ ଦେଶରେ ୬ ରୁ ୧୪ ବର୍ଷ ବୟସର ଯେତେ ପିଲା (ବାଳକ ଓ ବାଳିକା) ରହିଚନ୍ତି, ସେମାନଙ୍କୁ ସ୍କୁଲକୁ ଆଣି ଶିକ୍ଷା ଦେବାର କଳ୍ପନା କରାଯାଇଥିଲା । ନିଅଣ୍ଟଘରେ ଆମେ ଏହି ଆଶାକୁ କାଟି ୧୯୬୭ ମସିହା ଭିତରେ ଦେଶର ୬ରୁ ୧୧ ବର୍ଷ ବୟସର ସବୁପିଲାଙ୍କୁ ସ୍କୁଲକୁ ଆଣିପାରିବାର ଖଣ୍ଡଯୋଜନା ତିଆରି କରୁଥିଲୁ । କିନ୍ତୁ ପ୍ରକୃତ କାର୍ଯ୍ୟଗତିରୁ ପ୍ରମାଣ ମିଳୁଚି ଯେ ଭାରତର କେବଳ ଦୁଇଟି ରାଜ୍ୟରେ ହୁଏତ କଥାନୁସାରେ କାର୍ଯ୍ୟ ହୋଇପାରିବ । ଅନ୍ୟାନ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରୁ କରୁ ସମ୍ଭବତଃ ଆହୁରି ଦୁଇଟା ବା ତିନିଟା ଯୋଜନାକାଳ ଲାଗିଯିବ । ଭାରତର ସର୍ବମୋଟ ନଅଗୋଟି ରାଜ୍ୟରେ ଅନିବାର୍ଯ୍ୟ ପ୍ରାଥମିକ ଶିକ୍ଷାର ଉଦ୍ଦେଶ୍ୟ ଘୋଷଣା କରି ଆଇନ୍ ପାସ୍ ହୋଇସାରିଲାଣି । ଅନ୍ତତଃ ଆଇନ୍‌ଟାଏ କରିଦେଇ କିଞ୍ଚିତ୍ ସାନ୍ତ୍ୱନା ପାଇବା ସକାଶେ ବି ଆମେ ଓଡ଼ିଶାରେ ଏପର୍ଯ୍ୟନ୍ତ ତିଆରି ହୋଇ ପାରିନାହୁଁ ।

 

ଅଥଚ ଏଣେ ଉଚ୍ଚତର ଶିକ୍ଷାକ୍ଷେତ୍ରରେ ବର୍ଷକୁବର୍ଷ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ପେଣ୍ଠର ସଂଖ୍ୟା ବଢ଼ିବାରେ ଲାଗିଚି । ଆମଦେଶର ଉଚ୍ଚତର ଶିକ୍ଷାପୀଠଗୁଡ଼ିକୁ ଜାତୀୟ ଅନୁଷ୍ଠାନ ବୋଲି କୁହାନଯାଇ ଉଚ୍ଚବର୍ଗମାନଙ୍କର ଖାସ୍ ଅନୁଷ୍ଠାନ ବୋଲି କହିଲେ ବୋଧହୁଏ ଅଧିକ ଯୁକ୍ତିଯୁକ୍ତ ହେବ । ପଇସା ଦେଇ ପାଠ ପଢ଼ିବାର ଭାଗ୍ୟ ଯେଉଁମାନଙ୍କର ରହିଚି, ସେହିମାନେ ଏସବୁ ତୀର୍ଥଦର୍ଶନର ସୌଭାଗ୍ୟ ପାଉଚନ୍ତି । ଦେଶର ଯୋଗ୍ୟତମ ପିଲାମାନେ ଯେ ଉଚ୍ଚକୁ ଯିବାକୁ ସୁଯୋଗ ପାଉଚନ୍ତି, ସେକଥା କହିଲେ ମିଥ୍ୟା କୁହାହେବ । ସମସ୍ତଙ୍କୁ ସମାନ ସୁଯୋଗ ଦିଆନଯିବା ପର୍ଯ୍ୟନ୍ତ ଏବଂ ଦେଶର ସବୁପିଲାଙ୍କୁ ଅନ୍ତତଃ ପ୍ରାଥମିକଶାଳାରେ ଆସି ବସିବାର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆମଦେଶରେ ପିଲାଙ୍କ ଭିତରୁ କିଏ ଯୋଗ୍ୟ ବା କିଏ ଅଯୋଗ୍ୟ ତାହା ମାପିବାଲାଗି ଆମେ କୌଣସି ବୈଜ୍ଞାନିକ ମାନଦଣ୍ଡ ହିଁ ପାଇବାନାହିଁ । ଆମଦେଶରେ ଭାଗ୍ୟବାନ୍‌କୁ ଅଧିକ ଭାଗ୍ୟବାନ୍ ଓ ଭାଗ୍ୟହୀନକୁ ସର୍ବଥା ଭାଗ୍ୟହୀନ କରି ରଖିବାକୁ ଆମ ସୌଭାଗ୍ୟଶାଳୀ ଶାସକମାନେ ସବୁପ୍ରକାର କୁଶଳ ପ୍ରୟାସ କରିବାରେ ଲାଗିଚନ୍ତି । ଅନ୍ତତଃ ଶିକ୍ଷାକ୍ଷେତ୍ରରେ ଏପରି ହେଉଚି । ତେଣୁ ବର୍ଷକୁବର୍ଷ ପୁଞ୍ଜାକୁ ପୁଞ୍ଜା ତଥାକଥିତ ବିଶ୍ୱବିଦ୍ୟାଳୟ ନାମରେ ପରୀକ୍ଷା–ପରିଚାଳନା–ପେଣ୍ଠମାନ ଖୋଳାଯାଉଚି, ସେଥିପାଇଁ ଶିକ୍ଷା-ବିଭାଗରେ ଟଙ୍କା ରହିଚି, ଅଥଚ ପ୍ରାଥମିକ ଶିକ୍ଷାଲାଗି ଟଙ୍କା ନାହିଁ । ମନେରଖିବା ଉଚିତ, ସାଧାରଣତଃ ଶିକ୍ଷିତ ସଂସ୍କାରର ପରିଭାଷା ଅନୁସାରେ ବିଶ୍ୱବିଦ୍ୟାଳୟ କହିଲେ ଗବେଷଣା ଓ ଜ୍ଞାନାନୁସନ୍ଧାନର କେନ୍ଦ୍ରଗୁଡ଼ିକୁ ହିଁ ବୁଝାଇଥାଏ । ଏକଥା ମଧ୍ୟ ମନେରଖିବା ଉଚିତ ଯେ ଭାରତବର୍ଷର ଅଧିକାଂଶ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା କରି ମହାସମାରୋହରେ ଡିଗ୍ରୀ ଦେବାକୁ ହିଁ ଆପଣାର କର୍ମାୟତନ ବୋଲି ମାନିନେଇଚନ୍ତି । ଓଡ଼ିଶାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଗତ କୋଡ଼ିଏ ବର୍ଷ ହେଲା କାର୍ଯ୍ୟ କରିବା ଦ୍ୱାରା ଆପଣାର ଜ୍ଞାନାନୁସନ୍ଧାନ ଦ୍ୱାରା ଓଡ଼ିଶାକୁ କେତେଦୂର ଉପକୃତ କରିଚି ବା ନ କରିଚି, ତାହାର ହିସାବ ନ କରିବାକୁ ନିରାପଦ ମଣି ଓଡ଼ିଶାରେ ଆହୁରି ଦୁଇଟା ବା ସଉକ ହେଲେ ତତୋଽଧିକ ବିଶ୍ୱବିଦ୍ୟାଳୟ ବସାଇବାର କଳ୍ପନା ମଧ୍ୟ କରାଯାଉଚି । ଉତ୍ତରପ୍ରଦେଶ ସମ୍ଭବତଃ ଭାରତୀୟ ଶିକ୍ଷାକ୍ଷେତ୍ରର ଏହି ନୃଶଂସ ବିରୋଧାଭାସରେ ଆମଲାଗି ବଳିଷ୍ଠତମ ଦୃଷ୍ଟାନ୍ତ ହୋଇ ରହିଥିବ । ଉତ୍ତରପ୍ରଦେଶରେ କେତେ ଲୋକ ପଢ଼ିଲେଖି ଜାଣିଚନ୍ତି ତାହାର ହିସାବ ଆମେ ଆଗରୁ ପାଇଚୁ । ଏହି ରାଜ୍ୟରେ ପ୍ରାଥମିକ ଶିକ୍ଷାର ଦଶା ଦରିଦ୍ର ଓଡ଼ିଶାଠାରୁ କୌଣସିଗୁଣରେ କମ୍ ଶ୍ରୀହୀନ ହେବନାହିଁ । ତଥାପି ଏଠି ନଅଟା ବିଶ୍ୱବିଦ୍ୟାଳୟ ଓ ୧୪୭ ଟା କଳା ଓ ବିଜ୍ଞାନର କଲେଜ ସମେତ ଗାଏମୋଟ ୨୨୪ ଟା ଉଚ୍ଚତର ଶିକ୍ଷାନୁଷ୍ଠାନ ଅଛି-। କହିବା ବାହୁଲ୍ୟ ଭାରତର ଅନ୍ୟକୌଣସି ରାଜ୍ୟରେ ଏତେଗୁଡ଼ାଏ ବିଶ୍ୱବିଦ୍ୟାଳୟ ବା ଏତେଗୁଡ଼ାଏ କଲେଜ ମଧ୍ୟ ନାହିଁ । ଭାରତରେ ଅନ୍ୟାନ୍ୟ ରାଜ୍ୟରେ ଶିକ୍ଷାକ୍ଷେତ୍ରର ଉଦ୍ୟମମାନ ଉତ୍ତରପ୍ରଦେଶକୁ ଆଦର୍ଶ ଓ ଅନୁସରଣୀୟ ରୂପେ ମାନି ନେଇଥିବାପରି ମନେହେଉଚି ।

 

କଂଗ୍ରେସ ଦଳର ସଭାପତି ଶ୍ରୀଯୁକ୍ତ କାମରାଜ ନାଡ଼ାର ଏବେ ଗୋଟିଏ ବିବୃତିରେ କହିଚନ୍ତି ଯେ ବିଶ୍ୱବିଦ୍ୟାଳୟର ସ୍ତରପର୍ଯ୍ୟନ୍ତ ଶିକ୍ଷା ନିଃଶୁଳ୍‌କ ହୋଇଯିବା ଉଚିତ । ଅର୍ଥାତ୍ ଶିକ୍ଷାଲାଗି ଯେଉଁମାନଙ୍କର ଆଗ୍ରହ ତଥା ଯୋଗ୍ୟତା ରହିଚି, ଅର୍ଥାଭାବରୁ ସେମାନଙ୍କର ବାଟ ମୂଳରୁ ବା ଅଧାରୁ ବନ୍ଦ ହୋଇଯିବା ଉଚିତ ନୁହେଁ । ଏହି ବ୍ୟବସ୍ଥାଟିକୁ କାର୍ଯ୍ୟକାରୀ କରିବାକୁ ହେଲେ ଅଜସ୍ର ଅର୍ଥର ପ୍ରୟୋଜନ ହେବ । କିନ୍ତୁ ଦୃଢ଼ସଂକଳ୍ପ ହୋଇ ଏହି ଉଦ୍ଦେଶ୍ୟଟିର ପ୍ରାପ୍ତିଲାଗି କାର୍ଯ୍ୟ ଆରମ୍ଭ ହେଲେ ଏହା କଦାପି ଅପୂରଣ ରହିବନାହିଁ ବୋଲି ସେ ମତ ଦେଇଚନ୍ତି । ମାଧ୍ୟମିକ ସ୍ତରରେ ପ୍ରତ୍ୟେକ ଛାତ୍ରକୁ ଶିକ୍ଷାସମ୍ବନ୍ଧୀୟ ସମାନ ସୁଯୋଗ ମିଳିବା ଉଚିତ ବୋଲି ସେ ଇଚ୍ଛା ପ୍ରକାଶ କରିଚନ୍ତି । ଏହାର ଅର୍ଥ ଉଚ୍ଚବର୍ଗ ପିଲାଙ୍କପାଇଁ ସହର ବା ଶୈଳନିବାସରେ ଆଦର୍ଶ ସ୍କୁଲମାନ ଖୋଲି ଏଣେ ଗାଆଁମାନଙ୍କରେ ସାଧାରଣ ପିଲାଙ୍କଲାଗି ଫଟା ଦଦରା ମାଷ୍ଟର ବା ଉପକରଣ ନଥିବା ସ୍କୁଲମାନ ବସାଇବାର ବର୍ତ୍ତମାନ ଜାତୀୟ ଶିକ୍ଷାନୀତିକୁ ସେ ନାପସନ୍ଦ କରିଚନ୍ତି-। ଅଧିକ ପ୍ରତିଭାବାନ୍ ପିଲାଙ୍କଲାଗି ଏବେ ଯେଉଁ ତଥାକଥିତ ବିଶେଷ ସ୍କୁଲମାନ ସ୍ଥାପିତ ହେଉଚି, ସେ ବିଷୟରେ ମଧ୍ୟ ଶ୍ରୀ କାମରାଜ ସଂଶୟ ପ୍ରକଟ କରିଚନ୍ତି । ଯେପର୍ଯ୍ୟନ୍ତ ସବୁ ସ୍କୁଲ୍‌ରେ ଏକ ନିର୍ଦ୍ଦିଷ୍ଟ ଶିକ୍ଷାମାନ ରଖିବାଲାଗି ଆବଶ୍ୟକ ସୁବ୍ୟବସ୍ଥାମାନ ନରହିଚି, ସେପର୍ଯ୍ୟନ୍ତ ଭଲ ସ୍କୁଲରେ ହିଁ ଯେ ଅଧିକ ପ୍ରତିଭାର ବିକାଶ ହେଉଥିବ ଓ ନଅଙ୍କିଆ ସ୍କୁଲମାନଙ୍କରେ ପ୍ରତିଭାର ଅପଚୟ ହେଉଥିବ, ଏଥିରେ କୌଣସି ସନ୍ଦେହ ନାହିଁ । ଧନୀପିଲାଙ୍କ ଲାଗି ଯେଉଁସବୁ ପବ୍ଳିକ୍ ସ୍କୁଲ (ପବ୍ଳିକ୍‌ର ଅର୍ଥ ହେଉଚି ସାଧାରଣ, କିନ୍ତୁ ଆମଦେଶର ତଥାକଥିତ ପବ୍ଲିକ୍ ସ୍କୁଲ ଅସାଧାରଣ ଘରର ପିଲାମାନଙ୍କ ଲାଗି ଅଧିକ ବ୍ୟୟର ସୁଯୋଜିତ ପରିସରମାନ ସୃଷ୍ଟି କରି ଶିକ୍ଷାଦାନର ବ୍ୟବସ୍ଥା କରିଥାଏ ।) ବସିଚି, କାମରାଜ ସେଗୁଡ଼ିକୁ ମଧ୍ୟ ସ୍ପୃହଣୀୟ ବୋଲି ମନେକରିନାହାନ୍ତି । ଦେଶରେ ରହିଥିବା ସବୁ ସ୍କୁଲର ମାନକୁ ଉନ୍ନତ କରିବାଲାଗି ସେ ପରାମର୍ଶ ଦେଇଚନ୍ତି । କଂଗ୍ରେସର ସଭାପତି ଯାହା କହିଚନ୍ତି, ତାହା ସହିତ ତାଙ୍କରି ଦଳର କୁଚକବାଜ ଅନୁସାରେ ଚାଲୁଥିବା ସରକାରର କାର୍ଯ୍ୟକଳାପର ଯେ ଅବଶ୍ୟ କୌଣସି ସମ୍ୱନ୍ଧୀକରଣ କହିବା ଆବଶ୍ୟକ, ଭାରତବର୍ଷ ପରି ଏକ ଦେଶରେ ଏପରି ସ୍ୱପ୍ନ ଦେଖିବାର କୌଣସି କାରଣ ନାହିଁ ।

 

ଆମ ଦେଶରେ ଉଚ୍ଚଶିକ୍ଷା ଲାଗି ଅପର୍ଯ୍ୟାପ୍ତ ପରିମାଣର ବ୍ୟୟରେ ଏବେ ବୈଜ୍ଞାନିକ ଶିକ୍ଷାର ଯେଉଁ ସ୍ୱତନ୍ତ୍ର ଉଚ୍ଚାନୁଷ୍ଠାନମାନ ବସୁଚି, ସେଠାରେ ଗାଆଁ ଓ ସହରଲାଗି ସମାନ ସ୍ଥାନ ନାହିଁ । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଶିକ୍ଷା-କମିଶନର ଏକ ବିବରଣ (ପୁସ୍ତକ ଟିପ୍ପଣୀ–୩୬, ଫେବୃୟାରୀ ୨୦, ୧୯୬୬) ଅନୁସାରେ ପ୍ରଧାନତଃ ସହରର ଛାତ୍ରମାନେ ହିଁ ଏଥିରୁ ଲାଭବାନ୍ ହେଉଚନ୍ତି ଓ ଗ୍ରାମାଞ୍ଚଳ ଅବହେଳିତ ହେଉଚି । ଏହା ଏକ ସର୍ବବିଦିତ କଥା ଯେ ବିଜ୍ଞାନ, ଇଞ୍ଜିନିଅରିଙ୍ଗ୍ ଓ ଚିକିତ୍ସା ଶାସ୍ତ୍ରରେ ଶିକ୍ଷାଲାଭ କରିଥିଲେ ଆମ ଦେଶରେ ଭଲ ଚାକିରି ଓ ମୋଟା ରୋଜଗାରର ଅଧିକତର ସମ୍ଭାବନା ରହିଚି । କମିଶନର ବିବରଣ ଅନୁସାରେ ପ୍ରଧାନତଃ ବ୍ୟବସାୟୀ, ସହରବାସୀ ଏବଂ ସମଗ୍ରଭାବରେ ଦେଖିଲେ ସମାଜର ସମ୍ପନ୍ନତର ଉଚ୍ଚବର୍ଗମାନଙ୍କର ପିଲାଏ ଏହିସବୁ ଶିକ୍ଷାକ୍ଷେତ୍ରରେ ଏକଚାଟିଆ ସୁଯୋଗ ଲାଭ କରୁଚନ୍ତି । ଯେଉଁ ଆର୍ଥିକସାମାଜିକ ଅଧ୍ୟୟନଦ୍ୱାରା କମିଶନ ଏପରି ଏକ ସିଦ୍ଧାନ୍ତରେ ପହଞ୍ଚିଚନ୍ତି, ସେଥିରେ ଭାରତର ୩୧୭ ଟି ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ସର୍ବେକ୍ଷଣ କରାଯାଇଚି । ଏଥିରେ ଉଚ୍ଚ ବୈଷୟିକ ଶିକ୍ଷାକେନ୍ଦ୍ର, ଇଞ୍ଜିନିଅରିଂ କଲେଜ, ମେଡ଼ିକାଲ ଓ କୃଷି କଲେଜ, ପଲିଟେକ୍‌ନିକ୍ ଓ ଅନ୍ୟାନ୍ୟ ସେହିକ୍ଷେତ୍ରୀୟ ଅନୁଷ୍ଠାନମାନ ସାମିଲ ରହିଚି । ସର୍ବମୋଟ ୭୯୬୩୧ ଜଣ ଛାତ୍ରଙ୍କଠାରୁ ବିବରଣୀ ସଂଗ୍ରହ କରାଯାଇ ଏହି ଅଧ୍ୟୟନଟିକୁ ପ୍ରସ୍ତୁତ କରାଯାଇଚି । ଚାକିରି ଦୃଷ୍ଟିରୁ ସର୍ବଶ୍ରେଷ୍ଠ ବୋଲି ବିବେଚିତ ହେଉଥିବା ଭାରତୀୟ ବୈଷୟିକ ଶିକ୍ଷାସଂସ୍ଥାନ (IIT – Indian Institute of Technology)ମାନଙ୍କରେ ପଢ଼ୁଥିବା ୮୫.୫% ଛାତ୍ର ସାନବଡ଼ ସହରରୁ ଆସିଚନ୍ତି । ଠିକ୍ ସେହିପରି ଆଞ୍ଚଳିକ ଇଞ୍ଜିନିଅରିଂ କଲେଜ ଗୁଡ଼ିକରେ ରହିଥିବା ଛାତ୍ରସଂଖ୍ୟାର ୭୫.୨%, ଇଞ୍ଜିନିଅରିଂ କଲେଜରେ ୬୪.୪% ମେଡ଼ିକାଲ କଲେଜଗୁଡ଼ିକରେ ୭୦%, ପଲିଟେକ୍‌ନିକ୍‌ରେ ୫୫.୫% ଓ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନମାନଙ୍କରେ ୬୮.୩% ଛାତ୍ର ସହରମାନଙ୍କରୁ ଆସିଚନ୍ତି । କେବଳ କୃଷିକଲେଜ ଓ ଶିଳ୍ପ-ଶିକ୍ଷା ଅନୁଷ୍ଠାନ (ITI – Industrial Training Institute) ଗୁଡ଼ିକରେ ଏହି ରୀତିରେ ଟିକିଏ ବ୍ୟତିକ୍ରମ ପରିଲକ୍ଷିତ ହେଉଚି । କୃଷିକଲେଜଗୁଡ଼ିକରେ ପଢ଼ୁଥିବା ୫୮% ଓ ଶିଳ୍ପ-ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ୬୦.୮% ଛାତ୍ର ଗ୍ରାମାଞ୍ଚଳରୁ ଆସିଚନ୍ତି । ଏଠାରେ ସ୍ମରଣ ରଖିବା ଉଚିତ ୧୯୬୧ ମସିହାର ଲୋକଗଣନା ଅନୁଯାୟୀ ଭାରତର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମଗ୍ର ଜନସଂଖ୍ୟାର ଯଥାକ୍ରମେ ୮୨.୦% ଓ ୧୮.୦% ଲୋକ ବାସ କରୁଚନ୍ତି ।

 

ଆଞ୍ଚଳିକ ଇଞ୍ଜିନିଅରିଂ କଲେଜରେ ମୋଟେ ୧୫.୪% ଛାତ୍ର ଚାଷୀଘରୁ ଆସିଚନ୍ତି, ସେହିପରି ଇଞ୍ଜିନିଅରିଂ କଲେଜରେ ୨୫.୬%, ମେଡ଼ିକାଲ କଲେଜରେ ୨୦.୩%, ପଲିଟେକ୍‌ନିକ୍‌ରେ ୨୮.୭% ଏବଂ ଅନ୍ୟାନ୍ୟ ବୈଷୟିକ ଶିକ୍ଷାକେନ୍ଦ୍ରମାନଙ୍କରେ ମୋଟେ ୧୬.୨% ଛାତ୍ର ଚାଷୀଘରୁ ଆସିଚନ୍ତି । ଭାରତୀୟ ବୈଷୟିକ ଶିକ୍ଷାସଂସ୍ଥାମାନଙ୍କରେ ୫୮.୮% ଏପରି ଛାତ୍ର ଅଛନ୍ତି ଯେଉଁମାନଙ୍କର ପିତାମାତା ମାସକୁ ଟ୫୦୦ଙ୍କାରୁ ଅଧିକ ଉପାର୍ଜନ କରୁଚନ୍ତି-। ମେଡ଼ିକାଲ କଲେଜରେ ପଢ଼ୁଥିବା ଛାତ୍ରମାନଙ୍କ ଭିତରୁ ୫୦% ଙ୍କର ପିତାମାତା ମାସକୁ ଟ ୩୦୦ଙ୍କାରୁ ଅଧିକ କମାଉଚନ୍ତି । ଆଞ୍ଚଳିକ ଇଞ୍ଜିନିଅରିଂ କଲେଜ ଓ ଇଞ୍ଜିନିଅରିଂ କଲେଜରେ ଯଥାକ୍ରମେ ୪୪.୬% ଓ ୩୧.୨% ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି କୁହାଯାଇଚି-। ଏପରି ଛାତ୍ର ଯେଉଁମାନଙ୍କର ପିତାମାତା କି ମାସିକ ଟ ୧୫୦ଙ୍କାରୁ କମ୍ ରୋଜଗାର କରୁଚନ୍ତି, ଭାରତୀୟ ବୈଷୟିକ ଶିକ୍ଷାସଂସ୍ଥାମାନଙ୍କରେ ମାତ୍ର ୭.୪%, ମେଡ଼ିକାଲ କଲେଜରେ ୨୭.୭%, ଆଞ୍ଚଳିକ ଇଞ୍ଜିନିଅରିଂ କଲେଜରେ ୨୭.୮%, ଇଞ୍ଜିନିଅରିଂ କଲେଜରେ ୪୧.୨% ଓ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନମାନଙ୍କରେ ୪୧.୨% ରହିଚନ୍ତି ।

 

ସାମୁଦାୟିକ ବିକାଶ ଏ ଦେଶରେ ଧନୀକୁ ଅଧିକ ଧନୀ ଓ ଦରିଦ୍ରକୁ ଅଧିକ ଦରିଦ୍ର କରିଦେଉଚି ବୋଲି ଯେଉଁ ସମାଲୋଚନା ହୋଇଥାଏ, ଏଥିପୂର୍ବରୁ ତାହାର ଉଲ୍ଲେଖ କରାଯାଇଚି-। ଆମଦେଶର ଶିକ୍ଷାବ୍ୟବସ୍ଥା ମଧ୍ୟ ଆମ ସମାଜରେ ସମର୍ଥ ଓ ଅସମର୍ଥ, ପାଠୁଆ ଓ ଅପାଠୁଆ, ଗ୍ରାମବାସୀ ଓ ସହରବାସୀ ନାମରେ ରହିଥିବା ଦୁଇ ଜାତିଙ୍କୁ ପରସ୍ପରଠାରୁ ଦୂରଛଡ଼ା କରିନେଇଚି । ଏହି ନୂତନ ପ୍ରକାରର ଜାତିଭେଦକୁ ଆମଦେଶର ଶିକ୍ଷାବ୍ୟବସ୍ଥା ସ୍ଥାୟୀ କରି ରଖିବାରେ ସବୁପ୍ରକାର ସାହାଯ୍ୟ କରୁଚି । ଗାନ୍ଧିଜୀ ଏହି ଦେଶଲାଗି ଯେଉଁ ଜାତୀୟ ଶିକ୍ଷାପଦ୍ଧତିର କଳ୍ପନା କରିଥିଲେ, ସେଥିରେ ଏହି ଚକ୍ରାନ୍ତ ଲାଗି କୌଣସି ସ୍ଥାନ ନଥିଲା । କିନ୍ତୁ ଶିକ୍ଷା ଓ ପବ୍ଳିକ୍ ସ୍କୁଲର ଅଭେଦ କଳ୍ପନା କରୁଥିବା ପ୍ରଶାସକୀୟ କର୍ତ୍ତାମାନେ ଲାଗିପଡ଼ି ସେହି ପଦ୍ଧତିକୁ ବିଫଳ ବୋଲି ଘୋଷଣା କରିବାର ଚେଷ୍ଟା କରୁଚନ୍ତି । ତାହାର ବଦଳରେ ଆମ ଦେଶରେ ନାନା ବର୍ଗ ଓ ନାନା ନଜରର ଲୋକଙ୍କପାଇଁ ଯେଉଁ ନାନା ବର୍ଣ୍ଣର ଶିକ୍ଷା ପ୍ରଚଳିତ ହେଉଚି, ତାହା ଆମକୁ ଆଉ ଯେଉଁପ୍ରକାରେ ଶିକ୍ଷିତ କରୁଥାଉ ବା ନଥାଉ ପଛକେ, ଏକ ସାମୁଦାୟିକ ଜୀବନ ଲାଗି ଏକାବେଳକେ ଅଯୋଗ୍ୟ କରିପକାଉଚି । ଆମର ଶିକ୍ଷାନୀତି ଓ ଶିକ୍ଷାଦୃଷ୍ଟି ଏହି ଦେଶରେ ସାମୁଦାୟିକ ବିକାଶକୁ ସଫଳ କରିବା ଦିଗରେ ବାଧକ ପରି କାର୍ଯ୍ୟ କରୁଚି । ପୁଣି ପ୍ରାଥମିକ ସ୍ତରରେ ସାର୍ବଜନୀନ ଶିକ୍ଷାକୁ ଅବହେଳିତ କରିରଖି ମାଧ୍ୟମିକ ଓ ତଦୁତ୍ତର ସ୍ତରର ଶିକ୍ଷାକୁ ନେଇ ଦେଶ ସଜାଇବାର ଓ ବାବୁ ଚଢ଼ାଇବାର ପ୍ରୟାସ ହେବାଦ୍ୱାରା ଆମଦେଶରେ ବିକାଶ କିପରି ବାଧାପ୍ରାପ୍ତ ହେଉଚି, ନିମ୍ନରେ ଆମେ ସେହି ବିଷୟରେ ହୋଇଥିବା ଏକ ଅଧ୍ୟୟନର ଉଲ୍ଲେଖ କରିବା ।

 

ଏହି ଅଧ୍ୟୟନରେ (୪୨) କୁହାଯାଇଚି ଯେ ୧୯୪୮ ମସିହାରେ ପୃଥିବୀରେ ୩୯ ଟି ଦେଶ ଏପରି ଥିଲେ, ଯେଉଁଠାରେ କି ସମସ୍ତ ଲୋକସଂଖ୍ୟାର ୧୦% ବା ଦଶଭାଗରୁ ଏକଭାଗ ପ୍ରାଥମିକ ସ୍କୁଲମାନଙ୍କ ପାଠ ପଢ଼ିବାକୁ ଯାଉଥିଲେ । ଏହାର ଦଶବର୍ଷ ପରେ ଅର୍ଥାତ୍ ୧୯୫୮ ମସିହାରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟର କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ୩୪ଟି ଦେଶ ଏହିମାନଙ୍କ ମଧ୍ୟରୁ ହିଁ ଥିଲେ । ଦେଶର ଅନ୍ତତଃ ୬% ଲୋକ ପ୍ରାଇମେରି ସ୍କୁଲମାନଙ୍କରେ ଭରତି ନହେବା ପର୍ଯ୍ୟନ୍ତ କୌଣସି ଦେଶରେ ଆର୍ଥିକ ଅଭିବୃଦ୍ଧି ଲାଗି ଏକ ନିର୍ଭରଯୋଗ୍ୟ ପଦକ୍ଷେପ ପକାଇବା ସମ୍ଭବ ହୋଇନଥିଲା । ସଂଖ୍ୟାଗତ ହିସାବ ଦେଇ ଏହି ପ୍ରବନ୍ଧରେ ଲେଖକ ଦେଖାଇବାକୁ ଚେଷ୍ଟା କରିଚନ୍ତି ଯେ ପୃଥିବୀର ତିନୋଟି ଦେଶ, –ଭାରତବର୍ଷ, ପାକିସ୍ତାନ ଓ ମିଶର – ପ୍ରାଥମିକ ସ୍ତରର ଶିକ୍ଷାକୁ ଉପଯୁକ୍ତ ଗୁରୁତ୍ୱ ନଦେଇ ମାଧ୍ୟମିକ ଓ ଉଚ୍ଚତର ଶିକ୍ଷାଲାଗି ଅଧିକତର ଉଦ୍ୟମ ଓ ଅର୍ଥବ୍ୟୟ କରିଚନ୍ତି । ଅପର ପକ୍ଷରେ ଆଉ ଚାରିଗୋଟି ଦେଶ,–ବ୍ରାଜିଲ୍, ମେକ୍‌ସିକୋ, ସ୍ପେନ୍ ଏବଂ ତାଇଓ୍ୱାନ୍‌ରେ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରାଥମିକ ଶିକ୍ଷାର ବିକାଶ ଓ ବିସ୍ତାରଲାଗି ଯଥାସମ୍ଭବ ସବୁ ଚେଷ୍ଟା କରାଯାଇଚି । ଦୁଇପକ୍ଷରୁ ତୁଳନା କରି ଲେଖକ ପ୍ରମାଣ କରିଚନ୍ତି ଯେ ବ୍ରାଜିଲ୍, ମେକ୍‌ସିକୋ, ସ୍ପେନ୍ ଓ ତାଇଓ୍ୱାନ୍‌ରେ ଭାରତବର୍ଷ, ପାକିସ୍ତାନ ଓ ମିଶର ଅପେକ୍ଷା ଆର୍ଥିକ ଅଭିବୃଦ୍ଧି ଅଧିକ ପରିମାଣରେ ହୋଇଚି । ଏହାର ପ୍ରଧାନ କାରଣ ହେଉଚି ଯେ ଶେଷୋକ୍ତ ତିନୋଟି ଦେଶ ପ୍ରାଥମିକ ଶିକ୍ଷାଉପରେ ଯଥୋପଯୁକ୍ତ ଜୋର୍ ଦେଇନାହାନ୍ତି ଓ ମାଧ୍ୟମିକ ତଥା ଉଚ୍ଚତର ଶିକ୍ଷାରେ ଅଧିକତର ଗୁରୁତ୍ୱ ଦେଇ ଆବଶ୍ୟକରୁ ଅଧିକ ଖରଚ କରିପକାଇଚନ୍ତି । ପ୍ରବନ୍ଧଟିର ଉପସଂହାରରେ ଲେଖକ କହିଚନ୍ତି ଯେ ପୃଥିବୀରେ ଅନ୍ୟ ଦେଶମାନେ ପ୍ରାଥମିକ ବିସ୍ତାରଲାଗି ଆଜିପର୍ଯ୍ୟନ୍ତ ଯେଉଁ ଗତିରେ କାର୍ଯ୍ୟ କରି ଆସିଚନ୍ତି, ଅଳ୍ପବିକଶିତ ଦେଶଗୁଡ଼ିକୁ ତାହାଠାରୁ ଅଧିକ କ୍ଷିପ୍ରଗତିରେ ଆପଣାର ପ୍ରାଥମିକ ସ୍ତରର ଶିକ୍ଷାକୁ ବିସ୍ତାରିତ କରିବାରେ ମନୋନିବେଶ କରିବାକୁ ପଡ଼ିବ । ଏହି ମନ୍ତବ୍ୟଟିକୁ ଭାରତବର୍ଷର ପୃଷ୍ଠଭୂମି ଉପରେ ବିଚାର କଲାବେଳେ ଆମେ କେବଳ ଏତିକି କହିବା ଯେ ଏହି ଦେଶର ନେତା ଓ କର୍ତ୍ତାମାନେ ଦେଶ କହିଲେ କେବଳ ଉପରେ ଥିବା କେତୋଟି ଶ୍ରେଣୀକୁ ବୁଝିଚନ୍ତି ଓ ସେହି ଶ୍ରେଣୀଗୁଡ଼ିକର ସୀମାବଦ୍ଧ ସ୍ୱାର୍ଥଦୃଷ୍ଟିରୁ ପ୍ରାଥମିକ ସ୍ତରରେ ସାର୍ବଜନୀନ ଶିକ୍ଷାକୁ ଯଥାସମ୍ଭବ ସଙ୍କୁଚିତ କରି ରଖିବାକୁ ଲାଭଜନକ ମନେକରିଚନ୍ତି ।

 

ଭାରତର ସର୍ବପ୍ରଧାନ ସମସ୍ୟାକୁ ଅନ୍ନସମସ୍ୟା ବୋଲି କୁହାଯାଏ । ଅନ୍ନସମସ୍ୟାର ଅର୍ଥ ହେଉଚି କୃଷି-ଉତ୍ପାଦନର ସମସ୍ୟା । ଭାରତ କୃଷିପ୍ରଧାନ ଦେଶ, ତଥାପି ଏହି ଦେଶରେ କୃଷକର ମଧ୍ୟ ପେଟ ପୂରେନାହିଁ । ଅନେକ ସମୟରେ ତାହାରି ଉପାର୍ଜିତ ଶସ୍ୟରେ ଅନ୍ୟ ବ୍ୟବସାୟୀ ବା ଧନୀ ଅଣଚାଷୀର ଭଣ୍ଡାର ପୂରେ ସତ, ମାତ୍ର କୃଷକର ଘର ଅନ୍ଧାର ରହିଥାଏ । ଆମ ଦେଶର ସାମୁଦାୟିକ ଯୋଜନାରେ କୃଷିକୁ ସର୍ବପ୍ରଧାନ ମହତ୍ତ୍ୱ ଦିଆଯାଇଚି, ଅର୍ଥାତ୍ କୃଷିଉତ୍ପାଦନ ବଢ଼ାଇବା ଦିଗରେ ଅପେକ୍ଷାକୃତ ଅଧିକ ପଇସା ଖରଚ କରାଯାଇଚି । ଆମଦେଶର ଗ୍ରାମସେବକମାନଙ୍କୁ ସେମାନଙ୍କ ସମୟର ୮୦% ଭାଗ କୃଷିଉନ୍ନୟନର କ୍ଷେତ୍ରରେ ବିନିଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଚି । ସାମୁଦାୟିକ ବିକାଶ ଓ କୃଷି ଅନେକ ବର୍ଷ ଧରି ଦୁଇଟି ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ରହିବାପରେ ଏବେ ଜଣେ ମନ୍ତ୍ରୀଙ୍କୁ ହିଁ ଖାଦ୍ୟ, କୃଷି, ସମବାୟ ଓ ସାମୁଦାୟିକ ବିକାଶର ଦାୟିତ୍ୱରେ ଆଣି ରଖାଯାଇଚି । ଏହାଦ୍ୱାରା ସାମୁଦାୟିକ ବିକାଶର ଜରିଆରେ ଗ୍ରାମବାସୀଙ୍କର ଦୃଷ୍ଟିକୋଣ ବଦଳାଇବାର କାର୍ଯ୍ୟଟି ଯେ ଅବହେଳିତ ହୋଇ ରହିବାର ଆଶଙ୍କା ରହିଚି, ଏହା ଜାଣି ମଧ୍ୟ କୃଷି-ଉତ୍ପାଦନ ବଢ଼ାଇବାର ଗୁରୁତ୍ୱ ଦୃଷ୍ଟିରୁ ଏହି ନୂତନ ବ୍ୟବସ୍ଥା କରାଯାଇଚି । ମନ୍ତ୍ରୀଙ୍କର ମନ୍ତ୍ରଣାଳୟଠାରୁ ଆରମ୍ଭ କରି ଗ୍ରାମର ଗ୍ରାମସେବକ ପର୍ଯ୍ୟନ୍ତ ସମସ୍ତଙ୍କୁ କାମ ଖଞ୍ଜିଦେଲେ ଯଦି କୃଷିରେ ଉନ୍ନତି ହୋଇଯାଉଥାନ୍ତା, ତେବେ ଅବଶ୍ୟ କହିବାର କିଛି ନଥିଲା-। କିନ୍ତୁ ଆମଦେଶରେ କୃଷିକ୍ଷେତ୍ରରେ ଆଶାନୁରୂପ ଉନ୍ନତି ହେଉନାହିଁ ଓ ଅଧିକାଂଶ କୃଷକଙ୍କର ଭାଗ୍ୟ ସରକାରଙ୍କର ସକଳ ଉଦ୍ୟମ ଓ ମିହନ୍ତ ସତ୍ତ୍ୱେ ମୋଟାମୋଟି ଅପରିବର୍ତ୍ତନୀୟ ରହିଚି । ଆମଦେଶର ଅଧିକାଂଶ ଚାଷୀ ହୁଏତ ବାଧ୍ୟ ହୋଇ ଉପାୟାନ୍ତରର ଅଭାବହେତୁ ହିଁ କୃଷିକାର୍ଯ୍ୟ କରୁଚନ୍ତି । ଚାଷୀ ଯାହା ଅଙ୍ଗେ ନିଭାଉଚି, ସେଥିରୁ ସେ ବେଶ୍ ଭଲକରି ଜାଣିପାରୁଚି ଯେ ଭାରତବର୍ଷରେ ତାହାରି ଧନ୍ଦା ସର୍ବପ୍ରଧାନ ଧନ୍ଦା ହୋଇଥିଲେ ମଧ୍ୟ ଏ ଦେଶର ବ୍ୟବସ୍ଥା ମୂଳତଃ ତାହାରିଲାଗି ବା ତାର ଗାଆଁ ଲାଗି ଚାଲୁନାହିଁ । ବଡ଼ ବଡ଼ ସହରକୁ ଆହୁରି ବଡ଼ କରିବାଲାଗି ବାବୁମନ ନେଇ ଦେଶର ଯୋଜନା କରୁଥିବା କ୍ଷମତାପନ୍ନମାନେ ସବୁପ୍ରକାରେ ବାଟ ଖୋଲି ଦେଉଚନ୍ତି, କିନ୍ତୁ ତା’ର ଗାଆଁରୁ ଦିନକୁଦିନ ଲକ୍ଷ୍ମୀ ଛାଡ଼ିଯିବାରେ ଲାଗିଚନ୍ତି । ତା’ର ନିଜର ମନଟା ମଧ୍ୟ ଗାଆଁରୁ ଛାଡ଼ିଛାଡ଼ି ଯାଉଚି ।

 

ଆମେ ଆଜିମଧ୍ୟ ଆମର ଆହାରଲାଗି ବିଦେଶ ଉପରେ ନିର୍ଭର କରୁଚୁ । ଆମଦେଶ ଉପାସ ରହିଲେ ଏସିଆରେ ବା ପୃଥିବୀରେ ଗଣତନ୍ତ୍ର ବିପନ୍ନ ହୋଇପଡ଼ିବ ବୋଲି ଧମକ ଦେଖାଇ ଆମେ ଗଣତନ୍ତ୍ର–ମଠର ମହନ୍ତମାନଙ୍କଠାରୁ ଚାଉଳ ଓ ଗହମ ମାଗି ବୁଲୁଚୁ । ଆମର ରାଜନୀତି ଆମକୁ ଅବଶ୍ୟ ଆଧାର ଜୁଟାଇବାରେ ସାହାଯ୍ୟ କରୁଚି, କିନ୍ତୁ ଏଣେ ଚାଷୀକୁ ଯେଉଁ ନିର୍ଭର ଓ ସାହାଯ୍ୟ ଦେଲେ ଚାଷୀ ଆପଣାଲାଗି ଓ ସମସ୍ତ ଦେଶଲାଗି ଅଧିକ ଉତ୍ପାଦନ କରିବାକୁ ଉତ୍ସାହିତ ହୋଇପାରନ୍ତା, ସେଦିଗରେ ଆମେ ବିଶେଷ କିଛି କରୁଥିବାପରି ମନେହେଉନାହିଁ । ଆମଦେଶରେ କୃଷିବିଶାରଦ କେତେ ରହିଚନ୍ତି । ସେମାନେ କୃଷିଲାଗି ପ୍ରକୃତରେ କୌଣସି ଆଗ୍ରହ ଅନୁଭବ କରୁଚନ୍ତି କି ନାହିଁ, ତାହା ଆମଦେଶରେ ସହଜରେ କୁହାଯାଇପାରିବନାହିଁ । କୃଷିଗବେଷଣାର ବଡ଼ କେନ୍ଦ୍ରମାନ ସହରରେ ରହିଚି । ଗ୍ରାମାଞ୍ଚଳରେ ରହିଥିବା କେନ୍ଦ୍ରଗୁଡ଼ିକର ତଥାକଥିତ ଅନୁସନ୍ଧାନ କାର୍ଯ୍ୟକୁ ପ୍ରତିବେଶୀ ଚାଷୀଗାଆଁମାନଙ୍କରେ ପ୍ରସାରିତ କରିବାଲାଗି ହୁଏତ ଯଥେଷ୍ଟ କାର୍ଯ୍ୟ ବା ଉଦ୍ୟମ ହେଉନାହିଁ । କୃଷିବିଭାଗରେ ମୂଳରୁ ଚୂଳଯାଏ ସମସ୍ତେ ଅଫିସର ହେବାକୁ ଭଲ ପାଉଚନ୍ତି, ଅର୍ଥାତ୍ ବୋଲ ବତାଇବାକୁ ଭଲ ପାଉଚନ୍ତି । କୃଷିପଣ୍ଡିତମାନେ ଆପଣାର ଡିଗ୍ରୀ ଲାଗି କୃଷିର ଗବେଷଣା କରୁଚନ୍ତି । କୌଣସି ଏକ ଅନୁସନ୍ଧାନଦ୍ୱାରା ଆମଦେଶର ଚାଷୀ ସମ୍ମୁଖୀନ ହେଉଥିବା ଗୋଟିଏ ସମସ୍ୟାର କେତେଦୂର କି ସମାଧାନ ହୋଇପାରିବ ଓ ଅନୁସନ୍ଧାନଲବ୍‌ଧ ଜ୍ଞାନକୁ ଚାଷୀପାଖରେ ଆଣି କିପରି ଯଥାର୍ଥ ଭାବରେ ପହୁଞ୍ଚାଇ ଦିଆଯାଇ ପାରିବ, ସେକଥା ନେଇଆଣି ଥୋଇପାରିବାକୁ ଆମ ଦେଶର କୃଷିଶାସକକୁଳ ପାଖରେ ଯଥେଷ୍ଟ ଆଗ୍ରହ ହିଁ ନାହିଁ । କୃଷି ବା କୃଷକ ଅପେକ୍ଷା ଆପଣାର ବିଭାଗଟା ହିଁ ସେମାନଙ୍କୁ ଅଧିକ ମାୟାରେ ବାନ୍ଧିରଖିଚି । ପରାମର୍ଶ ଦେବାକୁ ଆମଦେଶରେ କୃଷିବିଭାଗର ନାନାସ୍ତରରେ କେତେକେତେ ବାବୁ ରହିଚନ୍ତି, ସମସ୍ତା ମିଶି କୃଷିବିଭାଗକୁ ଭାରି ଜାକଜକମରେ ଚଳାଉଚନ୍ତି, –ଏହିସବୁ କାରବାର ଓ ଉପଚାରରୁ କେବଳ କୃଷକକୁ ହିଁ ଏକଘରକିଆ କରି ରଖାଯାଇଚି ।

 

ଭାରତୀୟ କେନ୍ଦ୍ର ସରକାରଙ୍କର ଯୋଜନାମନ୍ତ୍ରୀ ଭାରତର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଭାରତୀୟ କୃଷିଗବେଷଣା ସଂସ୍ଥାନ (Indian Agricultural Research Institute)ରେ ଭାଷଣ ଦେଇ କହିଚନ୍ତି (୪୩) ଯେ ଆମଦେଶର କୃଷିବୈଜ୍ଞାନିକଙ୍କ ସମେତ କୃଷିପ୍ରଶାସନ-ବିଭାଗ ଦେଶର କୃଷିଉନ୍ନୟନ-କ୍ଷେତ୍ରରେ କେବଳ ଏକପ୍ରକାର ଉପରଠାଉରିଆ ଭାବରେ ଆପଣାର ଭୂମିକାରେ ଅଭିନୟ କରିଚନ୍ତି । ଏହି କ୍ଷେତ୍ରରେ ଯଥାର୍ଥରୂପେ ପ୍ରବେଶ କରି ସେଥିରେ ଆବଶ୍ୟକ ପରିବର୍ତ୍ତନ ଆଣିବାରେ ନିମିତ୍ତହେବା ପରିବର୍ତ୍ତେ ସେମାନେ ବାହାରୁ ଥାଇ କେବଳ ଏହାର ବହିର୍ସୀମାକୁ ସ୍ପର୍ଶ କରିବାର ଚେଷ୍ଟାମାତ୍ର କରିଚନ୍ତି । ସ୍ୱାଧୀନତା ପରେ ଅଠରବର୍ଷ କାଳ କୃଷକର ଭାଗ୍ୟ ଉଜ୍ଜ୍ୱଳ କରିଦିଆଯିବ ବୋଲି ଆନୁଷ୍ଠାନିକ କୀର୍ତ୍ତନ ଚାଲିବାପରେ ଏ ଦେଶରେ ଯେ ଏପରି କଥା କୁହାଯାଇପାରୁଚି, ତାହାହିଁ ଚିନ୍ତା କରିବାର କଥା । ମନ୍ତ୍ରୀ ଶ୍ରୀଯୁକ୍ତ ମେହେଟ୍ଟା ଆମଦେଶର ଚାଷୀମାନଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସି ଓତଃପ୍ରୋତ ଭାବରେ ସେମାନଙ୍କର ସମସ୍ୟାଗୁଡ଼ିକୁ ବୁଝିବାଲାଗି କୃଷି ବୈଜ୍ଞାନିକମାନଙ୍କୁ ଉଦ୍‌ବୋଧନ ଦେଇଚନ୍ତି । ପ୍ରଧାନତଃ ଏକ ଜୀବନବ୍ରତର ଉତ୍ସାହ ନେଇ ଏହି କାର୍ଯ୍ୟ କରିବାକୁ ଗଲେ ଓ ଯେଉଁମାନଙ୍କ ପାଖରେ କମ୍ ଜ୍ଞାନ ଓ ଦୂରଦୃଷ୍ଟି ରହିଚି ସେମାନଙ୍କ ଉପରେ ବିଶ୍ୱାସ ରଖିଲେ ଓ ସେମାନଙ୍କୁ ଆପଣାର ବୋଲି ଅନୁଭବ କରିପାରିଲେ ଏକଥା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀମହାଶୟ ପରାମର୍ଶ ଦେଇଚନ୍ତି । ତାଙ୍କ ମତରେ ଯନ୍ତ୍ରୋଦ୍ୟୋଗ ଓ କୃଷିମଧ୍ୟରେ କ୍ଷେତ୍ରଗତ ଅନେକ ପାର୍ଥକ୍ୟ ରହିଚି । କୃଷିକ୍ଷେତ୍ରରେ ଏହି ଦେଶରେ କୋଟିକୋଟି ଲୋକଙ୍କର ଜୀବନବସତି ରହିଚି । ସେହିମାନଙ୍କ ମଧ୍ୟରେ ଉଚିତ ଆକାଙ୍‌କ୍ଷାମାନ ଜାଗୃତ କରି ଏହି ଦେଶରେ ଏକ କୃଷିବିପ୍ଳବ ଆଣିବାକୁ ହେଲେ ଦେଶର ପରିବର୍ତ୍ତନ ଓ ନବକଳେବର ଲାଗି କାର୍ଯ୍ୟ ଆରମ୍ଭ କରିଦେବାକୁ ହେବ, ଏହି ପରିବର୍ତ୍ତନର ଗତି ବଢ଼ାଇବାକୁ ହେବ ଏବଂ ଏହି କାର୍ଯ୍ୟରେ ସହଯୋଗ କରିବାରେ ଏକପ୍ରକାର ଉତ୍ସାହପ୍ରଣୋଦିତ ଉତ୍ତେଜନା ବି ଅନୁଭବ କରିବାକୁ ହେବ । ଏବେ ଚାଷୀମାନେ ଅଧିକ ରାସାୟନିକ ସାର ମାଗିବାକୁ ଆସୁଚନ୍ତି, ଭଲ ବିହନ ଖୋଜିଯାଉଚନ୍ତି ଓ ବିଜୁଳିଶକ୍ତିର ସାହାଯ୍ୟ ନେବାକୁ ଇଚ୍ଛାପ୍ରକାଶ କରୁଚନ୍ତି, – ଶ୍ରୀ ମେହେଟ୍ଟାଙ୍କର ମତରେ ପରିବର୍ତ୍ତନର ଉନ୍ମେଷ ହୋଇଥିବାର ସୂଚନା ମିଳିଲାଣି । ସେ ଉପସଂହାର କରି ବୈଜ୍ଞାନିକ ଓ କୃଷିପଣ୍ଡିତମାନଙ୍କୁ ସମ୍ବୋଧନ କରି କହିଚନ୍ତି, ‘‘ଯଦି ଆମେମାନେ ସେମାନଙ୍କ ଦାବୀର ପୂରଣ କରିପାରିବା ଏବଂ ଉତ୍ପାଦନ ବୃଦ୍ଧି କରିବାରେ ସେମାନଙ୍କୁ ସାହାଯ୍ୟ କରିପାରିବା, ତେବେ ଆମେ ଅନେକ କାମ କରିପାରିଲୁ ବୋଲି କୁହାଯାଇପାରିବ ।’’ ଅଠରବର୍ଷ ତଳେ ସ୍ୱାଧୀନତାର ସକାଳ ପହରରେ ମଧ୍ୟ ନେତା ଓ ମନ୍ତ୍ରୀମାନେ ପଣ୍ଡିତସଭାରେ ଏହିପରି ଉଦ୍‌ବୋଧନ ଦେଉଥିଲେ । ଆଜି ଏତେବର୍ଷ ପରେ ଅପରାହ୍ନର ଅଳସ ପ୍ରହରରେ କେବଳ ସେହିଗୁଡ଼ାକର ପୁନରାବୃତ୍ତି କରିବା ଅପେକ୍ଷା ନେତା ଓ ମନ୍ତ୍ରୀମାନଙ୍କର ଆହୁରି ଅନେକ ଅଧିକ କାର୍ଯ୍ୟ କରିବାକୁ ବାକି ରହିଚି । ବିଶ୍ୱସ୍ତରରେ ପ୍ରତିଷ୍ଠିତ ଖାଦ୍ୟ-କୃଷି-ଅନୁଷ୍ଠାନ (FAO)ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟରଞ୍ଜନ ସେନ୍ ଆମ ଦେଶର ଆର୍ଥିକ-ପ୍ରଗତି-କ୍ଷେତ୍ରରେ ମନ୍ଦତା ବିଷୟରେ ଥରେ କହିଚନ୍ତି ଯେ ଏହା ପଛରେ ଅବଶ୍ୟ ଏକାଧିକ କାରଣ ରହିଚି । ଦେଶର ସାମରିକ ସୁରକ୍ଷା ବାବତରେ ଅତ୍ୟଧିକ ବ୍ୟୟ କରିବାକୁ ପଡ଼ୁଚି, ପ୍ରତ୍ୟେକ ବର୍ଷ ଏହି ଦେଶରେ କୋଟିଏ ହିସାବରେ ମଣିଷ ବଢ଼ିବାରେ ଲାଗିଚନ୍ତି, ବର୍ଷା ଓ ପାଗର କ୍ରୂରତାମାନ ବି ରହିଚି । ତଥାପି ଏକଥା ନିଃସନ୍ଦେହଭାବରେ କୁହାଯାଇ ପାରିବ ଯେ କୃଷି ଉତ୍ପାଦନ କ୍ଷେତ୍ରରେ କେଉଁଠି ଉନ୍ନୟନର ଚକ ଅଟକି ଯାଇଥିବାରୁ ହିଁ ଦେଶକୁ ନାନା ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଚି । ଆମ କୃଷି-ଉତ୍ପାଦନ କ୍ଷେତ୍ରରେ ଯେତିକି ଉଦ୍ୟମ ହୋଇ ଯେତିକି ଫଳ ଫଳିପାରିବାର କଥା ତାହା ହୋଇପାରୁନାହିଁ । ଆପଣାର ହାକିମ, ଅଫିସର୍ ଓ ପରାମର୍ଶଦାତାଙ୍କର ବିରାଟ ବାହିନୀ ଖଟାଇ ସରକାର କୃଷିପ୍ରଚାର କରୁଚନ୍ତି, କୃଷିସାଧନମାନ ଅଜାଡ଼ିବାରେ ଲାଗିଚନ୍ତି, କିନ୍ତୁ ଏହାଦ୍ୱାରା ଖୁବ୍‌ବେଶୀ ଫଳ ହେବବୋଲି ସମ୍ଭବତଃ ସେମାନଙ୍କ ନିଜ ମନରେ ବି ପୂର୍ଣ୍ଣ ଭରସା ନାହିଁ । ସେଥିଲାଗି ଏହି ଦେଶର ଚାଷୀ ବା ଆପଣାର ବାହିନୀ ଅପେକ୍ଷା ସରକାର ବିଦେଶର ଅନ୍ନସାହାଯ୍ୟ ଉପରେ ଅଧିକ ଆସ୍ଥା ରଖିଚନ୍ତି ଓ ଆଶଙ୍କା କଲାମାତ୍ରକେ ଆମେରିକା ବା ଅଷ୍ଟ୍ରେଲିଆରୁ ଗହମ ମାଗିଆଣୁଚନ୍ତି । ଏହି ଦେଶରେ ସରକାର ଓ ଜନସାଧାରଣଙ୍କର ସମ୍ମିଳିତ ଉଦ୍ୟମରେ ଯେତିକି ହୋଇପାରନ୍ତା, ସେତିକି ସଫଳତା ଦେଖାଇବାଲାଗି କାଗଜ-କଲମର ଚାଷ ଓ ପରାମର୍ଶ ଓରଫ୍ ଭାଷଣ ଅପେକ୍ଷା ଆଉ ଖୁବ୍‌ବେଶୀ ନିଷ୍ଠାପର ଉଦ୍ୟମ ହୋଇନାହିଁ । ଏହା ଫଳରେ ଅନ୍ନ-ଉତ୍ପାଦନ କମିବା ସଙ୍ଗେ ସଙ୍ଗେ ଆତ୍ମବିଶ୍ୱାସ ବି କମିବାରେ ଲାଗିଚି । ବିଶ୍ୱରାଷ୍ଟ୍ରସଂଘର ଏକ ପୁସ୍ତିକାରେ କୁହାଯାଇଚି ଯେ ଭାରତବର୍ଷରେ ଯେତେ ପରିମାଣ ଜୈବ ସାରର ଆବଶ୍ୟକତା ରହିଚି, ଏହି ଦେଶରେ ବାର୍ଷିକ କୋଡ଼ିଏ ଇଞ୍ଚରୁ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କମ୍ପୋଷ୍ଟ ପ୍ରଣାଳୀରେ ତାହା ଅବଶ୍ୟ ଉପଲବ୍‌ଧ ହୋଇପାରିବ । ପ୍ରତ୍ୟେକ ଚାଷୀଙ୍କୁ ଉପଯୁକ୍ତ ଶିକ୍ଷା ଓ ପ୍ରବର୍ତ୍ତନା ମିଳିଲେ ସେମାନେ ଖୁସୀରେ ଆପଣା ଉଦ୍ୟମଦ୍ୱାରା ଆପଣାଲାଗି ଆବଶ୍ୟକ ସବୁଜସାର ତିଆରି କରିନେଇ ପାରିବେ । (ପୁସ୍ତକ ଟିପ୍ପଣୀ –୧୭, ପୃଷ୍ଠା–୨୭) ମାତ୍ର ଏକଥା ଆମ ଦେଶରେ ଏପର୍ଯ୍ୟନ୍ତ ହୋଇପାରୁନାହିଁ । ଅଥଚ ଏଣେ ଆମର କୃଷି-ଉର୍ବରକର ଅଭାବ ରହିଚି ବୋଲି ରୋଦନ କରାଯାଉଚି ଏବଂ ନୂଆ ସାରକାରଖାନା ଖୋଲିବାଲାଗି ଆନ୍ତର୍ଜାତିକ କ୍ଷେତ୍ରରୁ କରଜ ଆଣିବାର ମସୁଧା କରାଯାଉଚି ।

 

କେବଳ ଭାରତରେ ନୁହେଁ, ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ ଏହି ସମସ୍ୟା ରହିଚି ବୋଲି ବିଶ୍ୱରାଷ୍ଟ୍ରସଂଘଦ୍ୱାରା ପ୍ରଚାରିତ ଗୋଟିଏ ପୁସ୍ତିକାରେ (୪୪) କୁହାଯାଇଚି । ଏସବୁ ଅଞ୍ଚଳରେ ଯେଉଁମାନେ କୃଷିବିଶେଷଜ୍ଞ ଭାବରେ ସ୍ୱତନ୍ତ୍ର ତାଲୀମ୍ ପାଇଚନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ସହରରୁ ଆସିଚନ୍ତି ବା ସେମାନଙ୍କର ମନ ପ୍ରଧାନତଃ ସହରମୁହାଁ ହୋଇ ରହିଚି । କୃଷିବିଷୟରେ ସେମାନଙ୍କ ପାଖରେ କୌଣସି ବ୍ୟାବହାରିକ ଅଭିଜ୍ଞତା ନାହିଁ । ବହିରେ ପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେମାନେ କୃଷିବିଶାରଦ ବନିଚନ୍ତି ଓ ଆଧୁନିକ କୃଷିବିଦ୍ୟା ବିଷୟରେ ପ୍ରାୟ ଅନ୍ଧହୋଇ ରହିଥିବା ଏକ ଚାଷୀକୁଳଲାଗି ଚଷମାରୂପେ ବ୍ୟବହୃତ ହେଉଚନ୍ତି । କିନ୍ତୁ ଅସଲ ସମସ୍ୟା ହେଉଚି ଯେ, ପୋଥିବାଇଗଣରେ ସନ୍ତୁଷ୍ଟ ହୋଇ ବାହାରିଥିବା ଏହି ପଣ୍ଡିତମାନଙ୍କ ଉପରେ ବିଶ୍ୱାସ କରିବାଲାଗି ଚାଷୀର ମନ ଆଦୌ କହୁନାହିଁ ।

 

ସମୁଦ୍ରକୁ ଶଙ୍ଖେପାଣି ପରି ହେଲେ ମଧ୍ୟ ଭାରତରେ କୃଷିବିକାଶ ଓ କୃଷି ଉତ୍ପାଦନରେ ବୃଦ୍ଧି ଅବଶ୍ୟ ହୋଇଚି । କିନ୍ତୁ ଏଥିଲାଗି ସରକାର, ଯୋଜନାକାରୀ ପଣ୍ଡିତ ବା ପରାମର୍ଶଦାତା ଏବଂ କୃଷିବିଭାଗର ହାକିମମାନଙ୍କୁ ବାହାଦୂରୀ ଦିଆଯିବାର କୌଣସି କାରଣ ନାହିଁ ବୋଲି ଏବେ ଆମେରିକାର ଜଣେ କ୍ଷେତ୍ରଜ୍ଞ ଅଧ୍ୟାପକ ମତ ଦେଇଚନ୍ତି । (୪୫) ତାଙ୍କର କହିବା ଅନୁସାରେ ଭାରତର ଚାଷୀର ଅନୁକରଣ କରିବା ଭଳି କୌଣସି ଫଳପ୍ରଦ ଗବେଷଣା ଭାରତର କୃଷିଅନୁସନ୍ଧାନ କ୍ଷେତ୍ରରେ ଖୁବ୍ ବେଶୀ ହୋଇନାହିଁ । ସବୁପ୍ରକାରର ପାଣ୍ଡିତ୍ୟ ଓ ପଇସା ଖଟାଇ ଭାରତରେ କୃଷିଗବେଷଣାକେନ୍ଦ୍ରଗୁଡ଼ିକରେ ଯେଉଁ ଫଳର ପ୍ରଦର୍ଶନ ହୋଇଚି, ଉନ୍ନତ ସାଧନର ସାହାଯ୍ୟ ନେଇ ଓ ଆପଣାର ଅଭିଜ୍ଞତାଲବ୍‌ଧ ବିବେକକୁ ଖଟାଇ ଏକାଧିକ ସ୍ଥଳରେ ଭାରତର ଭଲ ଭଲ ଚାଷୀ ତାହାଠାରୁ ଅଧିକ ଭଲ ଫଳ ଦେଖାଇ ଦେଇଚନ୍ତି । ଲେଖକଙ୍କର ଭାଷାରେ କହିବାକୁ ଗଲେ, ଭାରତର ଖାଦ୍ୟାନ୍ନ-ଉତ୍ପାଦନରେ ସାଧିତ ହୋଇଥିବା ବୃଦ୍ଧି ଲାଗି ଯୋଜନାକାରୀ, ସରକାରୀ କର୍ମଚାରୀ ଓ ବିଦେଶୀ ବିଶେଷଜ୍ଞମାନେ ଆପଣାକୁ ଯେତେ ବାହାଦୂରୀ ଦିଅନ୍ତୁ ପଛକେ, ଏହି ଦେଶର କିଷାନ୍ ବା ଚାଷୀକୁ ହିଁ ଏହାର ଯଥାର୍ଥ ଶ୍ରେୟ ଦେବାକୁ ପଡ଼ିବ । ଭାରତର ଚାଷୀ ମଧ୍ୟ ଆପଣାର ପରମ୍ପରାକୁ ଦୂରକୁ ଫିଙ୍ଗିଦେଇନାହିଁ, ଆଜିମଧ୍ୟ ସେ ଆପଣା ଅଭିଜ୍ଞତାରୁ ଶିଖି ନୂଆନୂଆ କୌଶଳ ବାହାର କରୁଚି, ଆଜିମଧ୍ୟ ଏହି ଦେଶରେ ସେହି ପୂର୍ବ ଉତ୍ସାହରେ ସେ ଆପଣାର ସଂଖ୍ୟା ବଢ଼ାଇବାରେ ଲାଗିଚି । (ପୃଷ୍ଠା–୭)

 

ଧାନ ଓ ଗହମକୁ ଭାରତର ଦୁଇଟି ପ୍ରଧାନ ଖାଦ୍ୟାନ୍ନରୂପେ ମାନିନେଇ ଲେଖକ ଅନୁରୂପ ହିସାବ ଦେଇ ଆପଣାର ଅନୁମାନକୁ ସିଦ୍ଧ କରିବାର ଚେଷ୍ଟା କରିଚନ୍ତି । କଟକପାଖ ବିଦ୍ୟାଧରପୁରଠାରେ କେନ୍ଦ୍ରୀୟ ସରକାରଙ୍କ ତରଫରୁ ଯେଉଁ ଧାନଗବେଷଣାର କେନ୍ଦ୍ର ରହିଚି, ସେଠାରେ ୧୯୪୮ ଓ ୧୯୬୨ ମସିହା ଭିତରେ ଗବେଷଣାପାଇଁ ରଖାଯାଇଥିବା ଅଉଲ ଜମିରେ ଏକରପ୍ରତି ହାରାହାରି ୨୬୭୩ ପାଉଣ୍ଡ ଧାନ ଫଳିଛି । ଏହାଭିତରୁ ସର୍ବୋତ୍କୃଷ୍ଟ ପ୍ଳଟ୍‌ଗୁଡ଼ିକୁ ଯଦି ଆମେ ଅଲଗା କରି ଦେଖିବାକୁ ଚାହୁ, ତେବେ ସେଥିରେ ମଧ୍ୟ ବର୍ଷକୁ ହାରାହାରି ଏକରପ୍ରତି ୩୭୦୦ ପାଉଣ୍ଡ ଫଳିଚି । ଅଥଚ ଅପରପକ୍ଷରେ ଦକ୍ଷିଣ ଭାରତର ପଶ୍ଚିମ ଗୋଦାବରୀ ଓ ତାଞ୍ଜୋର ଜିଲ୍ଲାରେ ଧାନଫସଲ ଦୃଷ୍ଟିରୁ ସାଧାରଣ ଚାଷୀମାନଙ୍କର ଯେଉଁସବୁ ଜମିକୁ ସର୍ବୋତ୍କୃଷ୍ଟ ୧୦% ବୋଲି ବଛାଯାଇଚି, ସେଥିରେ ଯଥାକ୍ରମେ (୧୯୬୧-୬୨ରୁ ୧୯୬୩-୬୪) ଏକର ପ୍ରତି ବର୍ଷକୁ ହାରାହାରି ୪୦୦୦ ଓ ୩୯୦୦ ପାଉଣ୍ଡ ଧାନ ଫଳିଥିବାର ପ୍ରମାଣ ମିଳିଚି । ବିଦ୍ୟାଧରପୁରର ସରକାରୀ ଗବେଷଣାକେନ୍ଦ୍ରର ସବୁଠାରୁ ବଢ଼ିଆ ଜମିରେ ମଧ୍ୟ ଏହା ତୁଳନାରେ ଅନେକ କମ୍ ଫଳ ଫଳିଚି । ଏପରିକି ବିହାରର ସାହାବାଦ ଓ ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାରେ, ଯେଉଁଗୁଡ଼ିକୁ କି କେବେହେଲେ ଉତ୍କୃଷ୍ଟ ଧାନଫସଲର ଅଞ୍ଚଳ ବୋଲି କୁହାଯାଏନାହିଁ, ସର୍ବୋତ୍କୃଷ୍ଟ ବୋଲି ନିର୍ବାଚିତ ହୋଇଥିବା ୧୦% ଧାନଜମିରେ କଟକ ସରକାରୀ ଗବେଷଣା ଓ ଜ୍ଞାନକେନ୍ଦ୍ର ଅପେକ୍ଷା ୧୫% ଭଲ ଫଳ ପ୍ରଦର୍ଶିତ ହୋଇଚି ବୋଲି ଜଣାଯାଇଚି ।

 

ଗହମରେ ମଧ୍ୟ ଠିକ୍ ଏହିପରି ଅଭିଜ୍ଞତା ମିଳିଚି । ନୂଆଦିଲ୍ଲୀଠାରେ ଅବସ୍ଥିତ ଓ ଦେଶର ସର୍ବୋତ୍କୃଷ୍ଟ କୃଷିଗବେଷଣା-କେନ୍ଦ୍ର ବୋଲି ମାନ୍ୟତାପ୍ରାପ୍ତ ପୁସା ଅନୁଷ୍ଠାନରେ୧୯୪୮ ଓ ୧୯୬୨ ମସିହା ଭିତରେ ଏକର ପ୍ରତି ବର୍ଷକୁ ହାରାହାରି ୧୫୫୧ ପାଉଣ୍ଡ ଗହମ ଫଳିଚି । ବିଶେଷରୂପେ ବଛାହୋଇ ରଖାଯାଇଥିବା ସାନସାନ ଗବେଷଣାପ୍ଳଟରେ ମଧ୍ୟ ୧୯୫୨-୫୩ ଓ ୧୯୬୩-୬୪ ମଧ୍ୟରେ ଏକରପ୍ରତି ହାରାହାରି ୨୫୨୫ ପାଉଣ୍ଡ ଗହମଫସଲ ମିଳିଚି । ଅପରପକ୍ଷରେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ସାଧାରଣ ଚାଷୀମାନଙ୍କର ଗହମଜମି ମଧ୍ୟରୁ ସର୍ବୋତ୍କୃଷ୍ଟ ୧୦% ବୋଲି ନିର୍ବାଚିତ ହୋଇଥିବା ଖେତଗୁଡ଼ିକରେ (୧୯୬୧-୬୨ ରୁ ୧୯୬୩-୬୪) ବର୍ଷକୁ ହାରାହାରି ଏକର ପ୍ରତି ୨୯୪୦ ପାଉଣ୍ଡ ଗହମ ଫଳିଥିବାର ପ୍ରମାଣ ମିଳିଚି । (ପୃଷ୍ଠା–୯) ଏହିସବୁ ହିସାବରୁ ଜଣାଯାଉଚି ଯେ ବିଜ୍ଞାନ ସାହାଯ୍ୟରେ କୃଷିରେ କେତେଦୂର ଉନ୍ନତି ହୋଇପାରିବ, ସେହି କଥାର ପ୍ରଦର୍ଶନ କରିଦେବାଲାଗି ଭାରତବର୍ଷରେ ଯେଉଁ ଗବେଷଣାକେନ୍ଦ୍ରମାନ ନମୁନାରୂପେ କାର୍ଯ୍ୟ କରୁଚନ୍ତି, ଦେଶର ଯୋଗ୍ୟତମ ଚାଷୀମାନଙ୍କର ସେମାନଙ୍କଠାରୁ ବେଶୀ କିଛି ଶିକ୍ଷା କରିବାକୁ ନାହିଁ, ବରଂ ସେମାନଙ୍କୁ ଅନେକ ବିଷୟ ଶିଖାଇବାକୁ ହିଁ ରହିଚି । ଲେଖକ ପରାମର୍ଶ ଦେଇ କହିଚନ୍ତି ଯେ ଭଲଚାଷୀମାନଙ୍କର ଅଭିଜ୍ଞତା ଓ ସଫଳତାର କାରଣଗୁଡ଼ିକୁ ଗମ୍ଭୀର ଭାବରେ ଅଧ୍ୟୟନ କରି ସେହିମାନଙ୍କୁ ହିଁ ସ୍ଥାନୀୟ କ୍ଷେତ୍ରରେ ଗବେଷକରୂପେ ବ୍ୟବହାର କରିପାରିଲେ କୃଷିଉତ୍ପାଦନ ବଢ଼ାଇବା ଦିଗରେ ଆମର ପ୍ରଚେଷ୍ଟା ଅପେକ୍ଷାକୃତ ଅଧିକ ହୋଇପାରିବ । (ପୃଷ୍ଠା– ୧୩) କୃଷିର ପ୍ରସାର କରିବାଲାଗି ଗାଆଁ ସ୍ତରରେ ଯେଉଁ ପ୍ରସାରକର୍ମୀମାନେ ରହିଚନ୍ତି, ପଛୁଆ ଓ କମ୍ ସମ୍ବଳ ରହିଥିବା ଚାଷୀମାନଙ୍କୁ ସାହାଯ୍ୟ କରିବାରେ ହୁଏତ ସେମାନଙ୍କୁ ଅଧିକ ସାର୍ଥକଭାବରେ ବ୍ୟବହାର କରାଯାଇପାରିବ ।

ବିଶେଷଜ୍ଞମାନେ କହନ୍ତି ଯେ ୧୮୪୨ ମସିହା ପର୍ଯ୍ୟନ୍ତ ଭାରତବର୍ଷରେ ଏକ ସ୍ୱତନ୍ତ୍ର ଶ୍ରେଣୀ ହିସାବରେ କୌଣସି ଭୂମିହୀନ ନଥିଲେ । ୧୯୦୧ ମସିହାରେ ସେମାନଙ୍କର ସଂଖ୍ୟାକୁ ୨୦୧ ଲକ୍ଷ ବୋଲି ସୁମାରି କରାଯାଉଥିଲା ଏବଂ ୧୯୫୧ ମସିହାକୁ ଏହା ୪୪୮ ଲକ୍ଷକୁ ବୃଦ୍ଧି ପାଇସାରିଥିଲା ।

ଜାତୀୟ ସର୍ଭେର ଏକ ବିବରଣୀ (ଜୁଲାଇ, ୧୯୫୪–ମାର୍ଚ୍ଚ, ୧୯୫୫) ଅନୁସାରେ ଭାରତର ଗ୍ରାମାଞ୍ଚଳରେ ବାସ କରୁଥିବା ସାଢ଼େ ଛଅକୋଟି ପରିବାରଙ୍କ ମଧ୍ୟରୁ ଏକପଞ୍ଚମାଂଶଙ୍କ ହାତରେ କୌଣସି ଜମି ନଥିଲା, ଏକଚତୁର୍ଥାଂଶଙ୍କ ପାଖରେ ହାରାହାରି ଏକ ଏକରରୁ କମ୍ ଜମି ଥିଲା, ଅର୍ଥାତ୍ ସେମାନେ ସମସ୍ତେ ମିଶି ସର୍ବମୋଟ ଜମିର କେବଳ ୧% ଅଂଶ ଭୋଗ କରୁଥିଲେ-। ଚାରିଭାଗରୁ ତିନିଭାଗ ପରିବାରଙ୍କ ହାତରେ ହୁଏତ ଆଦୌ କୌଣସି ଜମି ନଥିଲା ବା ପାଞ୍ଚଏକରରୁ କମ୍ ଜମି ରହିଥିଲା । ଏମାନେ ସମସ୍ତେ ମିଶି ସର୍ବମୋଟ ଜମିର ମାତ୍ର ଏକଷଷ୍ଠାଂଶ ଭୋଗ କରୁଥିଲେ । ତା’ ଉପରକୁ ଆଠଭାଗରୁ ଭାଗେ ପରିବାରଙ୍କ ହାତରେ ହାରାହାରି ଦଶଏକର ଲେଖାଏଁ ଜମି ରହିଥିଲା ଏବଂ ଏମାନେ ସର୍ବମୋଟ ଜମିର ତିନିଭାଗରୁ ଦୁଇଭାଗର ମାଲିକ ଥିଲେ । ପୁଣି ସମଗ୍ର ପରିବାର ସଂଖ୍ୟାର ମାତ୍ର ୧% ପାଖରେ ହାରାହାରି ୪୦ଏକରରୁ ଅଧିକ ଜମି ରହିଥିଲା ଏବଂ ସେମାନେ ସମସ୍ତେ ମିଶି ସର୍ବମୋଟ ଜମିପରିମାଣର ପାଞ୍ଚଭାଗରୁ ଏକଭାଗ ଜମି ଭୋଗ କରୁଥିଲେ । ଏକଲକ୍ଷ ପରିବାର ହାତରେ ହାରାହାରି ଶହେ ଏକରରୁ ଅଧିକ ଏବଂ ପୁଣି ଆଉ କେତେହଜାର ପରିବାର ପାଖରେ ହାରାହାରି ୨୫୦ ଏକରରୁ ଅଧିକ ଜମି ରହିଥିଲା । ଏହାର ଅର୍ଥ ହେଉଚି ଯେ କେତେହଜାର ପରିବାର ପତ୍ୟେକ ୨୫୦ ଏକରରୁ ଅଧିକ, ଏକଲକ୍ଷ ପରିବାର ପ୍ରତ୍ୟେକେ ଶହେ ଏକରରୁ ଅଧିକ, ୧% ପରିବାର ସମଗ୍ର ଜମିପରିମାଣର ୨୦%, ଏବଂ ୧୨.୪% ପରିବାର ୬୬% ଜମି ଭୋଗ କରୁଥିଲେ । ୨୦% ପରିବାରଙ୍କ ପାଖରେ ନିଜର କୌଣସି ଜମି ନଥିଲା, ୨୫% ପରିବାର ସମଗ୍ର ଜମି ପରିମାଣର ୧% ଓ ୩୦% ପରିବାର ପ୍ରତ୍ୟେକେ ଦେଢ଼ ଏକରରୁ କମ୍ ଜମି ଭୋଗ କରୁଥିଲେ । (ପୁସ୍ତକ ଟିପ୍ପଣୀ–୨୧, ପୃଷ୍ଠା–୧୦୨)

ଭାରତରେ ଆମେରିକା ଯୁକ୍ତରାଷ୍ଟ୍ର ରାଜଦୂତ ରୂପେ କାର୍ଯ୍ୟ କରୁଥିବା ଶ୍ରୀଯୁକ୍ତ ବୋଲସ୍ ତାଙ୍କର ଏକ ପୁସ୍ତିକାରେ (୪୬) ଦର୍ଶାଇଚନ୍ତି ଯେ ଜମିଦାରୀ ଉଠିଗଲା ପରେ ଓ ଜମିଜମା ବିଷୟରେ ଆଉ କେତେକ ଆଇନଗତ କଟକଣା ଲାଗୁହେଲା ପରେ ମଧ୍ୟ ଭାରତର ୧୦% ଚାଷୀଙ୍କ ହାତରେ ଜାତୀୟ ଜମିପରିମାଣର ୫୦% ରୁ ଅଧିକ ଜମି ରହିଚି, ଏବଂ ୧% ଚାଷୀ ୨୦% ଅର୍ଥାତ୍ ପାଞ୍ଚଭାଗରୁ ଏକଭାଗ ଜମି ଭୋଗ କରୁଚନ୍ତି । ୧୯୫୮ ମସିହାରେ ଲେଖାହୋଇଥିବା ଗୋଟିଏ ପ୍ରବନ୍ଧରେ ଶ୍ରୀ ଆନ୍ନାସାହେବ ସହସ୍ରବୁଦ୍ଧେ କହିଚନ୍ତି ଯେ ଆମ ଦେଶରେ ସମଗ୍ର ଚାଷଜମିର ୬୦% ମୂଲିଆଙ୍କ ଦ୍ୱାରା ଚାଷ କରାଯାଉଚି । ଦେଶରେ ଏପରି ଜମିମାଲିକ ଅନେକ ସଂଖ୍ୟାରେ ରହିଚନ୍ତି ଯେଉଁମାନେ କି ଜମିର ଚାଷ ନିଜେ କରୁନାହାନ୍ତି । ତେଣୁ ଭୂମିର ଏହି ସ୍ଥିତିରେ ଆବଶ୍ୟକ ପରିବର୍ତ୍ତନ ଆଣିବା ପୂର୍ବରୁ କୃଷି-ଉତ୍ପାଦନରେ ଖୁବ୍ ବେଶୀ ବୃଦ୍ଧି କରାଇବା କଷ୍ଟକର ହୋଇପଡ଼ିଚି । ଭୂସଂସ୍କାର ଦିଗରେ ଭାରତ ସରକାରଙ୍କର ଉଦ୍ୟମଗୁଡ଼ିକୁ ନିଷ୍ଠାହୀନ ବୋଲି ସନ୍ଦେହ କଲାପରି ସେ କହିଚନ୍ତି ଯେ ରାଷ୍ଟ୍ରପତି ସ୍ୱାଧୀନତା ପରେ ଏହି ସମ୍ବନ୍ଧରେ ୧୨୭ ଟି ଆଇନ୍‌ରେ ସ୍ୱାକ୍ଷର କରିସାରିଲେଣି, ତଥାପି ସମସ୍ୟାଟିର ପ୍ରାୟ କୌଣସି ସମାଧାନ ହୋଇପାରିନାହିଁ । ଗୋଟିଏ ଦୃଷ୍ଟାନ୍ତ ଦେଇ ସେ ଦର୍ଶାଇଚନ୍ତି ଯେ ହାଇଦ୍ରାବାଦରେ ଜଣେ ଚାଷୀର ସର୍ବୋଚ୍ଚ ଭୂମିପରିମାଣ (Ceiling) ଧାର୍ଯ୍ୟ ହୋଇଗଲା ପରେ ସେଠାରେ ତିରିଶଲକ୍ଷ ଭୂମିହୀନ ପରିବାର ଲାଭବାନ୍ ହୋଇଥାଆନ୍ତେ ବୋଲି ହିସାବ କରାଯାଇଥିଲା । ମାତ୍ର କାର୍ଯ୍ୟକ୍ଷେତ୍ରରେ ମୋଟେ ତିନିଲକ୍ଷ ପରିବାର ଜମି ପାଇଲେ । ଏହାର କାରଣ ହେଉଚି ଯେ ଜମି ମାଲିକମାନେ ଆଇନ୍‌କୁ ଏଡ଼ିବା ମତଲବରେ ଆପଣା ଜମିକୁ ଆତ୍ମୀୟସ୍ୱଜନଙ୍କ ନାମରେ ଲେଖାଇଦେଲେ, ଜମିର କିୟଦଂଶ ବିକ୍ରୀ କରିଦେଲେ ଏବଂ ସେମାନଙ୍କର ଜମିକୁ ଚାଷ କରୁଥିବା ବ୍ୟକ୍ତିମାନଙ୍କୁ ଆପଣାର କୋଠିଆ ବା ହଳିଆ ବୋଲି ମିଛପ୍ରମାଣ ଦେଇଦେଲେ । ଏହିପରି କୌଶଳମାନ ପ୍ରୟୋଗ କରାଯିବା ଫଳରେ ସର୍ବୋଚ୍ଚ ଜମି ପରିମାଣ ଧାର୍ଯ୍ୟ କରାଯିବାର କୌଣସି ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ । (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୧୫୫)

କମ୍ୟୁନିଷ୍ଟ ଶାସିତ ଚୀନଦେଶରେ ପ୍ରତ୍ୟେକ କୃଷକ-ପରିବାର ଜମି ପାଇଚି, କିନ୍ତୁ ଏଥିଲାଗି ହଜାର ହଜାର ଲୋକଙ୍କୁ ଗୁଳି କରି ମାରିଦିଆଯାଇଚି । ଜାପାନରେ ଆମେରିକା ତରଫରୁ ରହିଥିବା ସାମରିକ ଶାସନ ଆଇନ ଜାରି କରି ଭୂମିସଂସ୍କାର କରାଇଚନ୍ତି । ଭାରତ ଅବଶ୍ୟ ଆପଣାର ସଂବିଧାନ–ସମ୍ମତ ବାଟରେ ଭୂମିର ସଂସ୍କାର କରାଇବ । କିନ୍ତୁ ଦେଶର ରାଜନୀତିକ ନେତୃତ୍ୱ ଯେତେଦୂର ସମ୍ଭବ ଏହି କର୍ତ୍ତବ୍ୟକୁ ଟାଳିଦେଇଥିବାପରି ମନେହେଉଚି । କେତେକ ରାଜ୍ୟରେ ଜଣେ ଚାଷୀପାଖରେ ସବୁଠାରୁ ଅଧିକ କେତେ ଜମି ରହିବା ଉଚିତ, ସେ ବିଷୟରେ କଣାକୁଜା ଆଇନ୍‌ମାନ ପାସ୍ ହୋଇଚି, କିନ୍ତୁ ସେଗୁଡ଼ିକୁ ହୁଏତ ଠିକ୍‌ପ୍ରକାରେ କାର୍ଯ୍ୟକାରୀ କରାଯାଇନାହିଁ । ଆମଦେଶର ଯୋଜନା କମିଶନ୍‌ଙ୍କ ସୌଜନ୍ୟରେ କାର୍ଯ୍ୟ କରୁଥିବା ଗବେଷଣା-ସମିତି ଆଜିପର୍ଯ୍ୟନ୍ତ ଭୂସଂସ୍କାର ବିଷୟରେ ୨୧ଟି ସର୍ଭେ କରିସାରିଲାଣି । ପ୍ରକୃତ ଚାଷୀ ଓ ସରକାରଙ୍କ ମଧ୍ୟରେ ମଧ୍ୟବର୍ତ୍ତୀ ମହାପାତ୍ରେ ହୋଇ ରହିଥିବା ଅନୁଷ୍ଠାନଗୁଡ଼ିକୁ ଉଠାଇଦେବା ବିଷୟରେ ଏହି ସମିତିର ନଅଗୋଟି ରିପୋର୍ଟ୍ ପ୍ରକାଶପାଇଚି । ଏବେ ପ୍ରକାଶ ପାଇଥିବା ଏହିପରି ଏକ ରିପୋର୍ଟ୍‌ରେ କୈଫିୟତ୍ ଦିଆଯାଉଚି ଯେ ରାଜ୍ୟସ୍ତରରେ ରେଭିନିଉ ବିଭାଗମାନ ଯେଉଁପରି ବ୍ୟବସ୍ଥାନୁସାରେ ଚାଲୁଚି, ତାହାରି କାରଣରୁ ଭୂସଂସ୍କାରଗୁଡ଼ିକୁ ଠିକ୍‌ମତେ କାର୍ଯ୍ୟକାରୀ କରାଯାଇପାରୁନାହିଁ । ଏଣେ ଆଗାମୀ ଚତୁର୍ଥ ପଞ୍ଚବର୍ଷୀୟ ଯୋଜନାଲାଗି କୃଷିସମ୍ବନ୍ଧୀୟ ଯେଉଁ ସରକାରୀ ଚିଠା ପ୍ରସ୍ତୁତ କରାଯାଇଚି, ସେଥିରେ ଭୂସଂସ୍କାରକୁ କାର୍ଯ୍ୟକାରୀ କରିବାରେ ହେଉଥିବା ବିଳମ୍ବ ଓ ଅସମର୍ଥତାକୁ ମଧ୍ୟ କୃଷି-ଉତ୍ପାଦନ ବୃଦ୍ଧିରେ ଯଥେଷ୍ଟ ପ୍ରଗତି ହେଉନଥିବାର ଗୋଟିଏ କାରଣ ବୋଲି ଦର୍ଶାଯାଇଚି । କହିବାକୁ ହେବ ଯେ ରିପୋର୍ଟ୍‌ ଲେଖାହେଲାବେଳେ ଏଣେ ସତ କୁହାଯାଇଚି, ମାତ୍ର ସେହି ରିପୋର୍ଟ୍‌କୁ କାର୍ଯ୍ୟକାରୀ କରାଗଲାବେଳେ ନାନାପ୍ରକାର ଅସୁବିଧା ଦେଖାଇ ସତକୁ ଘୁଞ୍ଚାଇ ବା ଲୁଚାଇ ମଧ୍ୟ ଦିଆଯାଉଚି ।

ସାମୁଦାୟିକ ବିକାଶକାର୍ଯ୍ୟ ଓ ଭୂସଂସ୍କାରର ଆବଶ୍ୟକତାକୁ ଯୋଡ଼ିବାକୁ ଚେଷ୍ଟାକରି ଆଜିକୁ ପ୍ରାୟ ସାତଆଠ ବର୍ଷ ତଳେ ଭାରତ ସରକାରଙ୍କର ପୂର୍ବତନ ବିଭାଗୀୟ ମନ୍ତ୍ରୀ କହିଥିଲେ, ‘‘ଭୂସଂସ୍କାରର ବିଧାନଗୁଡ଼ିକୁ ପ୍ରକୃତ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିନପାରିବା ପର୍ଯ୍ୟନ୍ତ ଯେ ଗାଆଁମାନଙ୍କରେ ସୁସ୍ଥ ପଞ୍ଚାୟତ ବା ସୁସ୍ଥ ସମବାୟ ସମିତିର ସ୍ଥାପନା କରିବା କଦାପି ସମ୍ଭବ ହେବନାହିଁ, ଏହି ବିଷୟରେ ମୋ ମନରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ମୁଁ ନିଜେ ଭୂସଂସ୍କାର ଦାୟିତ୍ୱରେ ନାହିଁ । ଯେଉଁ ଜନସାଧାରଣ ଏହିସବୁ ଭୂସଂସ୍କାର ଲାଗୁ ହେବାଦ୍ୱାରା ପ୍ରକୃତରେ ଉପକାର ପାଇବେ, ଭୂସଂସ୍କାରର ପ୍ରକୃତ ମର୍ମ ବିଷୟରେ ସେମାନଙ୍କୁ ଉଚିତ ଶିକ୍ଷା ଦେଇ ସେମାନଙ୍କୁ ସଚେତ ଓ ଜାଗୃତ ନ କରାଇବା ପର୍ଯ୍ୟନ୍ତ ଭୂସଂସ୍କାର ସମ୍ବନ୍ଧୀୟ ଆଇନଗୁଡ଼ିକ କଦାପି ସଫଳ ହୋଇପାରିବନାହିଁ । ଏବଂ ଏହି ଶିକ୍ଷା ଦେବାକୁ ଦୀର୍ଘକାଳ ଲାଗିବ ।’’ (ପୁସ୍ତକ ଟିପ୍ପଣୀ–୫, ପୃଷ୍ଠା–୧୨୫) ବିଧିବଦ୍ଧ ଭାବରେ ପାସ୍ ହୋଇଥିବା ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ମନ ନଦେଇ କୌଣସି ସରକାର ଯେତେବେଳେ ଲୋକମାନଙ୍କୁ ଶିକ୍ଷା ଦେବାର ଦୀର୍ଘ ମିଆଦ ମାଗିବାକୁ ଆସନ୍ତି, ସେତେବେଳେ ଏହି ଭାଗ୍ୟବାଦୀ ଦେଶରେ ସରକାରଙ୍କୁ ଛାଡ଼ି କଣ ଭାଗ୍ୟଉପରେ ହିଁ ଭରସା ରଖିବାକୁ ହେବ ? ସେହି ଏକଜାତୀୟ ସରକାରରେ ଜଣେ ମନ୍ତ୍ରୀ ଏକଥା ମୋ’ବିଭାଗର କାର୍ଯ୍ୟ ନୁହେଁ କହି ଯେତେବେଳେ କୌଣସି ବଡ଼ ସମସ୍ୟାର ଗୁରୁତ୍ୱ ଊଣା କରିଦେବାକୁ ଚାହାନ୍ତି, ସେତେବେଳେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ବା ସବୁ ମନ୍ତ୍ରୀଙ୍କୁ ଗୋଟିଏ ସୂତ୍ରରେ ଯୋଡ଼ିବାପାଇଁ ରହିଥିବା ପ୍ରଧାନମନ୍ତ୍ରୀ ବା କଣ କରୁଥାନ୍ତି ?

ଦ୍ୱିତୀୟ ମହାଯୁଦ୍ଧ ପରେ ପୃଥିବୀର ବହୁସଂଖ୍ୟକ ଦେଶରେ ଭୂସଂସ୍କାରକାର୍ଯ୍ୟକୁ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରୂପେ ଗ୍ରହଣ କରାଯାଇଚି ଓ ଉନ୍ନୟନପଥରେ ଏହାକୁ ଆବଶ୍ୟକ ପ୍ରଥମ ସୋପାନରୂପେ ସ୍ୱୀକାର କରାଯାଇଚି । ଏହା ଭିତରେ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟ ଉଭୟ ଦେଶ ଅଛନ୍ତି । ସ୍ୱାଧୀନତା ପାଇବା ପରେ ଯେଉଁସବୁ ଦେଶର ସରକାର ଏହି ବିଷୟରେ ଯେତିକି ମନୋନିବେଶ କରିଚନ୍ତି, ସେହି ଦେଶରେ ଆର୍ଥିକ ଓ ସାମାଜିକ ପରିବର୍ତ୍ତନଲାଗି ସେତିକି ବେଶୀ ବାଟ ଖୋଲିଯାଇଚି । ଏହି ପ୍ରକ୍ରିୟାର ବିଶଦ ଆଲୋଚନା କରି ବିଶ୍ୱରାଷ୍ଟ୍ରସଂଘ ତରଫରୁ ଯେଉଁ ତିନୋଟି ପୁସ୍ତିକା ପ୍ରକାଶିତ ହୋଇଚି, (୪୭) ସେହିଗୁଡ଼ିକର ଆଧାର ଉପରେ ଆମେ ଏଠାରେ ସେହି ପରିବର୍ତ୍ତନଗୁଡ଼ିକର କିଞ୍ଚିତ୍ ଆଲୋଚନା କରିବା । ସାମୁଦାୟିକ ବିକାଶ ଲାଗି ଭୂସଂସ୍କାର ଯେ କେତେଦୂର ଆବଶ୍ୟକ ଏବଂ କ୍ଷମତାପନ୍ନ ନ୍ୟସ୍ତସ୍ୱାର୍ଥମାନେ ତାହାକୁ ଟାଳିବାକୁ ଆଗ୍ରହ ଦେଖାଇଲେ ସାମୁଦାୟିକ ବିକାଶ ଯେ କିପରି ଉପହସିକ ହୋଇରହେ ଏଥିରୁ ଆମେ ତାହାରି ଆଭାସ ପାଇପାରିବା ।

ଜାପାନ–

୧୯୪୫ ମସିହା ଡିସେମ୍ବର ମାସରେ ଜାପାନରେ ଭୂସଂସ୍କାର ଦିଗରେ ଏକ ନିର୍ଦ୍ଦିଷ୍ଟ ଆଇନଗତ ପଦକ୍ଷେପ ହୋଇଥିଲା । ଏହି ଭୂସଂସ୍କାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେ ଏହାଦ୍ୱାରା ବଡ଼ବଡ଼ ଜମିମାଲିକଙ୍କୁ ବାଧ୍ୟକରି ସେମାନଙ୍କଠାରୁ ଜମି କିଣିନିଆଯିବ ଏବଂ ସେଗୁଡ଼ିକୁ ପୁଣି ଚାଷୀମାନଙ୍କୁ ବିକ୍ରିକରିଦିଆଯିବ । ଏହା ଫଳରେ ଯେଉଁମାନେ ପ୍ରକୃତରେ ଜମି ଚାଷ କରୁଚନ୍ତି, ଅଧିକାଂଶ ସ୍ଥଳରେ ସେହିମାନେ ହିଁ ଜମିର ମାଲିକ ହୋଇ ରହିବେ । ଚାଷ ନକରୁଥିବା ଅଥଚ ଜମିଉପରେ ମାଲିକାନା ରହିଥିବା ବ୍ୟକ୍ତିମାନଙ୍କୁ ହଟାଇଦିଆଯିବ । ଏହା ଫଳରେ ଜାପାନରେ କୃଷି-ଉତ୍ପାଦନ ବୃଦ୍ଧି ପାଇବ ଓ ଗ୍ରାମରେ ଗ୍ରାମବାସୀଙ୍କର ସ୍ୱାୟତ୍ତଶାସନ ପ୍ରତିଷ୍ଠିତ ହେବ । ବର୍ତ୍ତମାନ ଜାପାନର ୯୨% ଚାଷଜମି ପ୍ରକୃତ ଚାଷ କରୁଥିବା ପରିବାରମାନଙ୍କ ହାତରେ ହିଁ ରହିଚି । ଭୂସଂସ୍କାର ପ୍ରବର୍ତ୍ତନ ଫଳରେ ୧୯୫୧ ମସିହା ଅଧବେଳକୁ ୪୨ ଲକ୍ଷରୁ ଅଧିକ ଚାଷୀ ଆପଣାର ଜମି ପାଇସାରିଥିଲେ ବୋଲି ହିସାବ କରାଯାଇଚି । ଏହି ପ୍ରକ୍ରିୟାଦ୍ୱାରା ପ୍ରାୟ ୫୯ ଲକ୍ଷ ଏକର ଭୂମି ହସ୍ତାନ୍ତରିତ ହୋଇ ପ୍ରକୃତ ଚାଷୀମାନଙ୍କ ହାତକୁ ଆସିଚି । ଏଥିରେ ପ୍ରାୟ ୫୦ ଲକ୍ଷ ଏକର ଚାଷଜମି ଅର୍ଥାତ୍ ଜାପାନରେ ସର୍ବମୋଟ ଯେତେ ଚାଷଜମି ରହିଚି ତାହାର ୪୦% ଅଂଶ ଅନ୍ତର୍ଗତ ହୋଇ ରହିଚି । ଏହି ପରିବର୍ତ୍ତନ ଫଳରେ ଆଗରୁ ଜମିମାଲିକ ହୋଇ ରହିଥିବା କୌଣସି ପରିବାର ଉପରେ ଆକାଶ ଖସି ପଡ଼ିନାହିଁ, ଅଥଚ ଜାପାନର କୃଷିଉତ୍ପାଦନ ଓ ଗ୍ରାମବିକାଶରେ ପ୍ରଭୂତ ପ୍ରଗତି ସାଧିତ ହୋଇଚି ।

 

ମେକ୍‌ସିକୋ–

 

ତଥାକଥିତ ଅଳ୍ପବିକଶିତ ଦେଶଗୁଡ଼ିକ ମଧ୍ୟରେ ମେକ୍‌ସିକୋ ହୁଏତ ଭୂସଂସ୍କାର କ୍ଷେତ୍ରରେ ସବୁଠାରୁ ଅଧିକ ପ୍ରଗତିଶୀଳ ବୋଲି ପରିଗଣିତ ହେଉଥିବ । ଏବେ ସେହି ଦେଶରେ ଭୂସଂସ୍କାର ଆଇନ ପ୍ରବର୍ତ୍ତନ କରାଯିବାର ପଚାଶବର୍ଷ ପୂର୍ଣ୍ଣ ହୋଇଗଲା । ସେଠାରେ ୧୯୧୫ ମସିହାରେ ଭୂସଂସ୍କାର ଆଇନ୍ ପାସ୍ କରାଯାଇଥିଲା । ତା’ପରେ ବିଭିନ୍ନ କିସ୍ତୀରେ ଏହି ଆଇନ୍‌କୁ କାର୍ଯ୍ୟକାରୀ କରାଯାଇ ଆସିଚି । ୧୯୪୬ ଓ ୧୯୫୨ ମସିହା ଭିତରେ ସେହି ଦେଶରେ ପ୍ରାୟ ୮୫ ହଜାର ପରିବାର କୋଟିଏ ଏକର ଜମି ପାଇଚନ୍ତି ।

 

ମିଶର ବା ସଂଯୁକ୍ତ ଆରବ ଗଣରାଜ୍ୟ–

 

ମିଶରରେ ୧୯୫୨ ଖ୍ରୀଷ୍ଟାବ୍ଦରେ ଭୂସଂସ୍କାର ଦିଗରେ ପ୍ରଥମ ବିଧାନଗତ ଉଦ୍ୟମ ହୋଇଥିଲା । ଦେଶଯାକ ଯେଉଁମାନଙ୍କ ହାତରେ ଦୁଇଶହ ଫେଡ଼ାନ୍ (ଏକ ଫେଡ଼ାନ୍ = ୧.୦୩ ଏକର)ରୁ ଅଧିକ ଜମି ରହିଥିଲା, ସେମାନଙ୍କ ହାତରୁ ଅଧିକ ଜମିତଳ କାଢ଼ିନିଆଗଲା ଏବଂ ଭୂମିହୀନ ବା ଅସମର୍ଥ ଚାଷୀମାନଙ୍କ ମଧ୍ୟରେ ବାଣ୍ଟିଦିଆଗଲା । ଏହିପରି ଭାବରେ ୧୯୬୦ ମସିହା ସୁଦ୍ଧା ଦେଶର ସମଗ୍ର ଜମି ପରିମାଣର ପ୍ରାୟ ୯% ବା ପ୍ରାୟ ଚାରିଲକ୍ଷରୁ ଅଧିକ ଫେଡ଼ାନ୍ ଜମି ଦେଢ଼ଲକ୍ଷ କୃଷକ-ପରିବାରଙ୍କୁ ବାଣ୍ଟି ଦିଆଯାଇଚି । ତା’ପରେ ଭୂସଂସ୍କାରର ଦ୍ୱିତୀୟ ଚରଣରେ ଜଣେ ଚାଷୀ ହାତରେ ରହିପାରିବା ଭଳି ସର୍ବୋଚ୍ଚ ଭୂମିସୀମାକୁ ୧୦୦ ଫେଡ଼ାନ୍ କରିଦିଆଗଲା, ଏବଂ ଏହା ଫଳରେ ପୁନର୍ବିତରଣ ସକାଶେ ପୁଣି ୮ ଲକ୍ଷ ଫେଡ଼ାନ୍ ଜମି ଉପଲବ୍‌ଧ ହୋଇପାରିଲା । ମିଶରରେ ଭୂସଂସ୍କାରବିଭାଗଲାଗି ରହିଥିବା ସ୍ୱତନ୍ତ୍ର ମନ୍ତ୍ରଣାଳୟ ୧୯୫୭ ରୁ ୧୯୬୦ ମସିହା ଭିତରେ ଆପଣାର ତତ୍ତ୍ୱାବଧାନରେ ପ୍ରାୟ ଦେଢ଼ଲକ୍ଷ ଫେଡ଼ାନ୍ ଜମିର ପୁନର୍ବିତରଣ କରାଇଥିଲା । ଯେଉଁମାନେ ଏହି ବିତରିତ ଜମିସବୁ ପାଇଲେ ସେମାନଙ୍କୁ ସରକାରୀ ତତ୍ତ୍ୱାବଧାନରେ ରହିଥିବା କୃଷି-ସମବାୟ ସମିତିରେ ସଦସ୍ୟରୂପେ ଯୋଗଦେବାଲାଗି ପ୍ରବର୍ତ୍ତାଯାଇଥିଲା । ଏହି ସମିତିଗୁଡ଼ିକରୁ ସଦସ୍ୟମାନଙ୍କୁ ଋଣ, ଉନ୍ନତ ବିହନ, ଉର୍ବରକ ଓ ପଶୁଧନ ମିଳିବାର ବ୍ୟବସ୍ଥା ମଧ୍ୟ ରହିଥିଲା । ୧୯୬୦ ମସିହାର ଅଧାବେଳକୁ ସମଗ୍ର ଦେଶରେ ଏହିପରି ଭାବରେ ୩୪୨ଟି ସ୍ଥାନୀୟ ଓ ୪୪ଟି ଯୌଥ ସମବାୟ ସମିତି ସ୍ଥାପିତ ହୋଇ ସାରିଥିଲା ଏବଂ ଏଥିରେ ପ୍ରାୟ ଦେଢ଼ଲକ୍ଷ ପର୍ଯ୍ୟନ୍ତ ଚାଷୀ ସଭ୍ୟରୂପେ ରହିଥିଲେ ।

 

ଇରାକ୍–

 

୧୯୫୮ ମସିହା ପୂର୍ବରୁ ଇରାକ୍‌ଦେଶରେ ଅଧିକାଂଶ ଚାଷଜମି ବଡ଼ବଡ଼ ଜମିମାଲିକଙ୍କ ହାତରେ ରହିଥିଲା । ହିସାବ କରି ଜଣାଯାଇଚି ଯେ ୩୬୧୯ ଜଣ ଜମିମାଲିକ ଦେଶର ସର୍ବମୋଟ ପ୍ରାୟ ୫୪ ଲକ୍ଷ ହେକ୍ଟାର ଜମିଭିତରୁ ପ୍ରାୟ ୪୪ ଲକ୍ଷ ହେକ୍ଟାର କରଗତ କରି ରଖିଥିଲେ । କାହାପାଖରେ ୨୪୦ ହେକ୍ଟାର ଥିଲା, ପୁଣି ଆଉ କାହାରି ପାଖରେ ୨୪୦୦୦୦ ହେକ୍ଟାର (ଏକ ହେକ୍ଟାର = ୨.୪ ଏକର) ମଧ୍ୟ ଥିଲା । ଏଣେ ସମଗ୍ର ଦେଶରେ ୪୪ ଲକ୍ଷ ଭୂମିହୀନ ଚାଷୀ ମଧ୍ୟ ରହିଥିଲେ । ୧୯୫୮ ମସିହାରେ କୃଷିସଂସ୍କାର ଆଇନ୍ ପାସ୍ ହେଲା ଓ ଜଣେ ଜମିମାଲିକ ପାଖରେ ରହିପାରିବା ଜଳସେଚିତ ସର୍ବୋଚ୍ଚ ଭୂମିପରିମାଣକୁ ୧୦୦୦ ଡୋନମ୍ ବା ୨୫୦ ହେକ୍ଟାର ବୋଲି ଧାର୍ଯ୍ୟ କରିଦିଆଗଲା । ଏହାଫଳରେ ୧୯୬୧ ମସିହା ସୁଦ୍ଧା ୨୦୦୦୦ କୃଷକ ପରିବାର ଜମି ପାଇସାରିଥିଲେ ।

 

କିଉବା–

 

୧୯୫୯ ମସିହା ପୂର୍ବରୁ କିଉବାଦ୍ୱୀପରେ ପ୍ରାୟ ୧.୫% ଜମିମାଲିକଙ୍କ ପାଖରେ ଦେଶର ୪୬% ଜମି ରହିଥିଲା ଏବଂ ଅପରପକ୍ଷରେ ୭୦% ଜମିମାଲିକ କୃଷିଯୋଗ୍ୟ ଜମିର ୧୨% ରେ ସନ୍ତୁଷ୍ଟ ହୋଇ ରହିବାକୁ ବାଧ୍ୟ ହେଉଥିଲେ । ଭୂମିସଂସ୍କାର ଆଇନ୍‌ଦ୍ୱାରା କାହାରି ପାଖରେ ୪୦୦ ହେକ୍ଟାରରୁ ଅଧିକା ଜମି ରହିଲାନାହିଁ । ଏତଦ୍‌ବ୍ୟତୀତ ଯେଉଁସବୁ ଜମି ଚାଷ କରିବାରେ ମାଲିକମାନଙ୍କ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଇଥିଲା ବା କୃଷକମାନଙ୍କୁ ଶୋଷଣ କରି (ରଇତ ପ୍ରଥା, ଭାଗଚାଷ ପ୍ରଭୃତି ବ୍ୟବସ୍ଥା ଦ୍ୱାରା) ଯେଉଁଠି ଚାଷ ହେଉଥିଲା, ସେଗୁଡ଼ିକର ମଧ୍ୟ ପୁନର୍ବଣ୍ଟନ କରାଯାଇଥିଲା । କିଉବାରେ ଏହିପରି ଭାବରେ ପ୍ରାୟ ୬୨ ଲକ୍ଷ ହେକ୍ଟାର ଜମିର ପୁନର୍ବ୍ୟବସ୍ଥା କରାଯାଇଥିଲା । ଏଥିରୁ ୨୭ ଲକ୍ଷ ହେକ୍ଟାର ଜମିକୁ ଏକଲକ୍ଷରୁ ଅଧିକ ଦରିଦ୍ର ଚାଷୀଙ୍କ ମଧ୍ୟରେ ବାଣ୍ଟି ଦିଆଗଲା । କୌଣସି ଚାଷୀକୁ ୨୮ ହେକ୍ଟାରରୁ ଅଧିକ ଜମି ଦିଆଯାଇ ନଥିଲା । ପ୍ରାୟ ଦଶଲକ୍ଷ ହେକ୍ଟାର ଜମିକୁ ଆଖୁଚାଷର ସମବାୟ ବା ସାନସାନ ଚାଷୀ ମିଶିକରି ଗଢ଼ିଥିବା ସମବାୟ ସମିତି ହାତରେ ଅର୍ପଣ କରି ଦିଆଗଲା । ଶେଷୋକ୍ତ ସମବାୟ ସମିତିଗୁଡ଼ିକରେ ଚାଷୀମାନେ ବ୍ୟକ୍ତିଗତ ଭାବରେ ଜମିର ମାଲିକ ହୋଇ ରହିଲେ, କିନ୍ତୁ ସେମାନେ ଏକାଠି କୃଷି-କାର୍ଯ୍ୟ କରୁଥିଲେ ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ କୃଷିସାଧନ ଓ ଋଣ ପ୍ରଭୃତି ମିଳିବାର ବନ୍ଦୋବସ୍ତ ରହିଥିଲା । ଅବଶିଷ୍ଟ ୨୫ ଲକ୍ଷ ହେକ୍ଟାରକୁ ସରକାରଙ୍କ ଦ୍ୱାରା ପରିଚାଳିତ ‘ଜନତା ଫାର୍ମ’ରେ ପରିଣତ କରିବା ଉଦ୍ଦେଶ୍ୟରେ ସୁରକ୍ଷିତ ରଖାଗଲା ।

 

ପୃଥିବୀର ବିଭିନ୍ନ କାର୍ଯ୍ୟକାରୀ କରାଯାଇଥିବା ଭୂସଂସ୍କାରର ଚର୍ଚ୍ଚା କରି ପୁସ୍ତକଟିର ତୃତୀୟ ରିପୋର୍ଟ୍‍ରେ ପ୍ରଗତିଶୀଳ ଭୂସଂସ୍କାର-ବ୍ୟବସ୍ଥାଦ୍ୱାରା ଅର୍ଥାତ୍ ଜମି ଚାଷ କରୁଥିବା ବ୍ୟକ୍ତି ହାତରେ ଜମିର ମାଲିକାନା ସମର୍ପିଦେବା ଦ୍ୱାରା କୌଣସି ଦେଶରେ କୃଷି-ଉତ୍ପାଦନ ବଢ଼ିବା ଓ ସାମୁଦାୟିକ ବିକାଶର କାର୍ଯ୍ୟମାନ ଅଧିକ ସଫଳଭାବରେ ଚାଲିବା କେତେଦୂର ସମ୍ଭବ ହୁଏ ବା ନାହିଁ, ତାହାରି ବିଚାର କରାଯାଇଚି । ଏହି ଦିଗରେ କୌଣସି ଗାଣିତିକ ପ୍ରମାଣ ଯୋଗାଇ ନଥିଲେ ମଧ୍ୟ ପୁସ୍ତକଟିରେ କୁହାଯାଇଚି ଯେ ସଫଳ ଭାବରେ ଭୂସଂସ୍କାର-ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ପରେ ଚାଷୀମାନଙ୍କ ମଧ୍ୟରେ ନୂତନ ଆଶା ଓ ବିକାଶେଚ୍ଛା ଅବଶ୍ୟ ଜନ୍ମଲାଭ କରିଚି ଓ ଏହାଦ୍ୱାରା ଦେଶର ଉତ୍ପାଦନ ଓ ଉତ୍ପାଦନ-ଆଗ୍ରହ ବଢ଼ିବାରେ ଅନେକ ସହାୟତା ମିଳିଚି । ପୁସ୍ତକଟିର ମତରେ ଭୂସଂସ୍କାର ଦ୍ୱାରା ପ୍ରଥମେ କୃଷିଜୀବୀମାନଙ୍କର ଉଦାସୀନତା ଓ ଅସହାୟତାକୁ ଦୂର କରିବା ସମ୍ଭବ ହୁଏ । ଯେଉଁସବୁ ଦେଶରେ କୌଣସି ଭୂସଂସ୍କାର ନ ହୋଇଚି, ସେହିସବୁ ଦେଶରେ ସାଧାରଣତଃ ଅଳ୍ପ ଲୋକଙ୍କ ହାତରେ ଅଧିକ ଜମି ଠୁଳହୋଇ ରହିଥାଏ । ଦେଶର କୃଷିନୀତି ସମସ୍ତଙ୍କୁ ସମାନ ନ୍ୟାୟ ଦେଇପାରେ ନାହିଁ; ଭାଗଚାଷୀମାନେ ନିଜେ ଯେତେ ନପାଆନ୍ତି, ସେମାନଙ୍କୁ ତା’ଠାରୁ ଅଧିକ ଦେବାକୁ ପଡ଼େ; ସେମାନଙ୍କର ଭବିଷ୍ୟତ ବିଷୟରେ କୌଣସି ନିଶ୍ଚୟତା ମଧ୍ୟ ନଥାଏ । ଯେଉଁ ଭୂମିହୀନ ଗ୍ରାମବାସୀମାନେ ଅନ୍ୟମାନଙ୍କର ଜମିରେ ମୂଲ ଖଟି ଜୀବିକାନିର୍ବାହ କରୁଥାନ୍ତି, ସେମାନଙ୍କର ଦଶା ଅତ୍ୟନ୍ତ ଶୋଚନୀୟ ହୋଇ ରହିଥାଏ ।

 

ଯେଉଁ ଦେଶରେ ଭୂମିସଂସ୍କାରର ଅତ୍ୟନ୍ତ ଆବଶ୍ୟକତା ରହିଚି ଅଥଚ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ, ସେଠାରେ କୃଷି-ଉତ୍ପାଦନ ବଢ଼ାଇବାଲାଗି କରାଯାଉଥିବା ଜାତୀୟ ଯୋଜନାଗୁଡ଼ିକ ଆଦୌ ବେଶୀଦୂର ଆଗେଇ ପାରେନାହିଁ । ସେହିସବୁ ଦେଶରେ ସାମାଜିକ କ୍ଷେତ୍ରରେ ଅନେକ ଦ୍ୱନ୍ଦ୍ୱ ଓ ସଂଘର୍ଷ ଉପୁଜିଥାଏ । ଯେଉଁ ଅନେକସଂଖ୍ୟକ ଚାଷୀମାନଙ୍କୁ ଆଶ୍ରା କରି ଜାତୀୟ ଯୋଜନାକୁ ଠିଆ ହେବାକୁ ପଡ଼େ, ଏପରି ପରିସ୍ଥିତିରେ ସେମାନେ ଆପେ ଚାଷ କରୁଥିବା ଜମିରେ କୌଣସି ଉନ୍ନତି କରିବାଲାଗି ପ୍ରେରଣା ପାଆନ୍ତିନାହିଁ ବା କୃଷିପ୍ରଣାଳୀକୁ ଆଧୁନିକ ମାର୍ଗରେ ପରିବର୍ତ୍ତିତ କରିବାକୁ କୌଣସି ଉତ୍ସାହ ଦେଖାନ୍ତିନାହିଁ । ତେଣୁ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମକୁ ଯଥାର୍ଥରୂପେ ସଫଳ ହେବାକୁହେଲେ ଏବଂ ଜାତୀୟ ଆର୍ଥିକ ବିକାଶରେ ଏହାଦ୍ୱାରା ଯଥେଷ୍ଟ ଲାଭବାନ୍ ହେବାକୁ ହେଲେ ନ୍ୟାୟୋଚିତ ଭାବରେ ଚାଷଜମିର ପୁନର୍ବ୍ୟବସ୍ଥା କରିବାକୁ ସେହିଦେଶରେ ଏକ ଅତ୍ୟାବଶ୍ୟକତାରୂପେ ଗ୍ରହଣ କରିବାକୁ ପଡ଼ିବ । (ପୃଷ୍ଠା-୭୬) ଯେଉଁ ସମାଜରେ ଗୋଟାଏ ପାଖରେ ଅଳ୍ପକେତେକ ବ୍ୟକ୍ତି ଅନେକ ଜମିର ମାଲିକ ହୋଇ ବସିଚନ୍ତି ଓ ଅନ୍ୟପାଖରେ ଅଗଣିତ ଲୋକ ଭୂମିହୀନ ହୋଇ ବସିଚନ୍ତି ଓ ଅନ୍ୟର ଜମିରେ ମୂଲ ଖଟିବାକୁ ବାଧ୍ୟ ହେଉଚନ୍ତି, ସେଠାରେ ସାମୁଦାୟିକ ବିକାଶରୁ କେବଳ ସୀମାବଦ୍ଧ ଫଳମାନ ହିଁ ମିଳିଥାଏ । ଯେତେବେଳେ ଦେଶର ବହୁସଂଖ୍ୟକ ଚାଷୀ ଆପଣା ଜମିର ସ୍ଥାୟୀତ୍ୱ ବିଷୟରେ ନାନା ଶଙ୍କାରେ ବୁଡ଼ିରହିଥାନ୍ତି ବା ଯେତେବେଳେ ସେମାନେ ଜମିମାଲିକକୁ ଉତ୍ପାଦନର ଜ୍ୟେଷ୍ଠାଂଶ ଦେବାକୁ ବାଧ୍ୟ ହେଉଥାନ୍ତି, ସେତେବେଳେ ସାମୁଦାୟିକ ବିକାଶର ପ୍ରସାରକର୍ମୀମାନଙ୍କର କାର୍ଯ୍ୟରେ ସେମାନେ ଖୁବ୍‌ବେଶୀ ସରାଗ ବା ଆଗ୍ରହ ଦେଖାନ୍ତିନାହିଁ । ଜମିର ଭଲ ଚାଷ କରିବାକୁ, ଭଲସାରର ପ୍ରୟୋଗ କରିବାକୁ ବା ମୃତ୍ତିକାକ୍ଷୟ ନହେବା ଦିଗରେ ସାବଧାନ ରହିବାକୁ ସେମାନଙ୍କ ପାଖରେ ଯେତେ ଉପଦେଶ ଦିଆଗଲେ ମଧ୍ୟ ସେମାନେ ଏସବୁ କରିବାକୁ କୌଣସି ପ୍ରେରଣା ପାଇନଥାନ୍ତି । (ପୃଷ୍ଠା–୭୬) ଯେଉଁସବୁ ସମାଜରେ ପରିବର୍ତ୍ତନର ସମର୍ଥନଶକ୍ତିମାନ ପରିବର୍ତ୍ତନକୁ ପ୍ରତିରୋଧ କରୁଥିବା ଶକ୍ତିଗୁଡ଼ିକ ଉପରେ ବିଜୟଲାଭ କରିପାରନ୍ତି, ସେହି ସମାଜରେ ହିଁ ଭୂମିସଂସ୍କାର କରିବାର ଅତ୍ୟାବଶ୍ୟକତା ଅନୁଭବ ହୋଇଥାଏ ବୋଲି ପୁସ୍ତକରେ ମନ୍ତବ୍ୟ ପ୍ରକାଶ କରାଯାଇଚି । (ପୃଷ୍ଠା–୩୭)

 

ଭୂମିସଂସ୍କାର ସହିତ ସାମୁଦାୟିକ ବିକାଶର କେତେଦୂର ସମ୍ବନ୍ଧ ରହିଚି ବା ନାହିଁ, ତାହାରି ନିର୍ଦ୍ଧାରଣ କରିବାଲାଗି ଦକ୍ଷିଣ ଆମେରିକାର ଭେନେଜୁଏଲା ଦେଶରେ ଯେଉଁ ଅଧ୍ୟୟନ ହୋଇଥିଲା, (Paul S. Taylor : Venezuela, A Case Study of Relationships Between C.D. and Agrarian Reform, 1960), ସେଥିରେ କୁହାଯାଇଚି ଯେ, ।।୧।। ଭୂମିସଂସ୍କାର ଫଳରେ ଚାଷୀ ନିଜେ ନିଜ ଜମିର ମାଲିକ ହୁଏ ଏବଂ ଆପଣାର ଓ ଆପଣା ପରିବାରର ଭରଣପୋଷଣ ଲାଗି ଅଧିକ ବିଶ୍ୱାସର ସହିତ ସେ ସେହି ଜମିରେ ଚାଷ କରିବାଲାଗି ପ୍ରେରଣା ପାଏ । ଏହି ପ୍ରେରଣା ସବୁ ଯୁଗରେ ରହିଆସିଚି । ସାମୁଦାୟିକ ବିକାଶ ବି ମଣିଷକୁ ଚିରଦିନ ନିଜର ସମାଜ ଭିତରେ ଅଧିକ ଘନିଷ୍ଠ ଓ କର୍ମଠ ହୋଇ ରହିବାର ପ୍ରେରଣା ଦେଇଆସିଚି । ଏହାରିଦ୍ୱାରା ଅନୁପ୍ରାଣିତ ହୋଇ ସେ ସମସ୍ତଙ୍କ ସହିତ ମିଳିତ ହୋଇ ସାମୁଦାୟିକ କଲ୍ୟାଣଲାଗି କାର୍ଯ୍ୟ କରିଚି । ।।୨।। ଏହି ଦୃଷ୍ଟିରୁ ଦେଖିଲେ ଭୂମିସଂସ୍କାର ଏବଂ ସାମୁଦାୟିକ ବିକାଶ ଭିତରେ ଘନିଷ୍ଠ ପାରସ୍ପରିକ ସମ୍ପର୍କ ରହିଚି । ସେମାନେ ଯେକୌଣସି ସ୍ଥାନରେ ପରସ୍ପରର ପରିପୂରକ ଭାବେ କାର୍ଯ୍ୟ କରିପାରିବେ । ତେଣୁ ଗୋଟିଏ ବା ଅନ୍ୟଟିର ପ୍ରଶ୍ନ ଉଠୁନାହିଁ, ଗୋଟିକୁ ଅନ୍ୟଟିର ସ୍ଥାନାପନ୍ନ ହିସାବରେ ଗ୍ରହଣ କରିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । ।।୩।। ଜନସାଧାରଣଙ୍କ ଆୟରେ ଏକ ନ୍ୟାୟୋଚିତ ଭାରସାମ୍ୟ ଆଣିବାଲାଗି ଯେଉଁ ଦେଶରେ ଭୂମିସଂସ୍କାରର ଆବଶ୍ୟକତା ରହିଚି, ସେଠାରେ ତାହାକୁ ଏଡ଼ିବାର ବା ଟାଳିଦେବାର ଚେଷ୍ଟା କରାଗଲେ ତାହାଦ୍ୱାରା ସାମୁଦାୟିକ ବିକାଶକାର୍ଯ୍ୟରେ ମଧ୍ୟ ବିଘ୍ନ ଉପୁଜିଥାଏ ଏବଂ ଅନ୍ୟଭାବେ କହିଲେ ସେହି ଆବଶ୍ୟକତାର ପୂରଣ କରିପାରିଲେ ତଦ୍ଦ୍ୱାରା ସାମୁଦାୟିକ ବିକାଶ ଉଦ୍ୟମରେ ମଧ୍ୟ ଅଧିକ ଆଗ୍ରହ ଓ ଅଧିକ ବେଗ ନିଷ୍ପନ୍ନ ହୋଇଥାଏ । ଏହିକ୍ଷେତ୍ରରେ ତାଇଓ୍ୱାନ୍‌ରେ ହୋଇଥିବା ଏକ ଅନୁରୂପ ଅଧ୍ୟୟନରେ (Martin M.C. Yang and Y.I. Chang : Case Study on Interrelationship Between C.D. and Land Reform, Taiwan, 1961) ପ୍ରାୟ ସେହି କଥାମାନ କୁହାଯାଇଚି : ।।୧।। ସମାଜକଲ୍ୟାଣ ଲାଗି କରାଯାଉଥିବା ନିର୍ମାଣକାର୍ଯ୍ୟଗୁଡ଼ିକରେ ସାଧାରଣତଃ ଲୋକମାନଙ୍କ ତରଫରୁ ଯେଉଁ ସମର୍ଥନ ଓ ସହଯୋଗ ମିଳୁଥିଲା, ଭୂମିସଂସ୍କାରର ପ୍ରବର୍ତ୍ତନ ପରେ ତାହା ଅଧିକ ଓ ସକ୍ରିୟତର ହୋଇଥିଲା । ।।୨।। ବିଶେଷ କରି ଗ୍ରାମବାସୀ ସାଧାରଣ ସ୍ତରର ଲୋକମାନେ, ସାନସାନ ଚାଷୀ ଓ ମୁଲିଆମାନେ ସାମୁଦାୟିକ ବିକାଶ କାର୍ଯ୍ୟରେ ଅଧିକ ସହଯୋଗ ଦେଖାଇବାକୁ ଆରମ୍ଭ କଲେ-। ଗ୍ରାମସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର କାର୍ଯ୍ୟକ୍ରମଗୁଡ଼ିକରେ ସେମାନେ ଅଧିକ ଆଗ୍ରହ ଦେଖାଇଥିଲେ । ।।୩।। ନିଜର ଜମିକୁ ନିଜେ ଚାଷ କରୁଥିବା ଅଧିକସଂଖ୍ୟକ ଚାଷୀ କୃଷି-ପ୍ରସାର-ସହାୟତା ଗୁଡ଼ିକର ଅଧିକ ସ୍ୱାଗତ କଲେ ଏବଂ ଏହାଦ୍ୱାରା ଉପକୃତ ହେବାଲାଗି ଅଧିକ ଉତ୍ସାହର ସହିତ ପ୍ରବୃତ୍ତ ହୋଇଥିଲେ । ।।୪।। ଭୂମିସଂସ୍କାର କାର୍ଯ୍ୟକାରୀ ହେବା ପରେ ଚାଷୀମାନେ ଅଧିକସଂଖ୍ୟାରେ ସମବାୟ ସମିତି ଗୁଡ଼ିକରେ ଯୋଗଦେଲେ ଓ ସେଗୁଡ଼ିକର କାର୍ଯ୍ୟରେ ଅଧିକ ଆଗ୍ରହ ପ୍ରକାଶ କଲେ । ।।୫।। ଗୃହସୁଧାର ବିଷୟରେ ସାମୁଦାୟିକ ବିକାଶ ତରଫରୁ ଯେଉଁ ପ୍ରସାରକାର୍ଯ୍ୟ କରାଯାଉଥିଲା, ସ୍ତ୍ରୀ ଲୋକମାନେ ସେଗୁଡ଼ିକଲାଗି ଅଧିକ ଉତ୍ସାହ ଦେଖାଇଲେ । ।।୬।। ଗାଆଁର ସ୍ୱାୟତ୍ତଶାସନ-ସଂସ୍ଥାଗୁଡ଼ିକ ଅଧିକ ପ୍ରତିନିଧିମୂଳକ ଭାବରେ ଚାଲିବାକୁ ଆରମ୍ଭ କଲା । ଗ୍ରାମର ପ୍ରତ୍ୟେକ ଶ୍ରେଣୀର ଲୋକେ ଏଥିରେ ଅଧିକରୁ ଅଧିକ ଅଂଶ ଗ୍ରହଣ କଲେ ଏବଂ ସ୍ଥାନୀୟ ଶାସନ ଦିଗରେ ପ୍ରଗତିଶୀଳ ମନୋଭାବ ପ୍ରକାଶ କରିଥିଲେ ।

 

ପୃଥିବୀର ନାନାଦେଶରେ କରାଯାଇଥିବା ଏହି କ୍ଷେତ୍ରୀୟ ଅଧ୍ୟୟନଗୁଡ଼ିକୁ ବିଚାର କରି ଦେଖିଲାବେଳେ ଆମ ଦେଶରେ ବିକାଶର ଗତି ଓଲଟାଆଡ଼ୁ ଆରମ୍ଭ ହୋଇଥିଲାପରି ମନେହୁଏ । ବିଶେଷଜ୍ଞମାନେ ଭୂମିସଂସ୍କାରକୁ ଗ୍ରାମର ପ୍ରଗତିଶୀଳ ବିକାଶ ଓ ଉନ୍ନୟନଲାଗି ପ୍ରଥମ ସୋପାନରୂପେ ମାନିଚନ୍ତି । ଆମ ଦେଶରେ ଆମେ ପ୍ରଥମ ସୋପାନଟି ଉପରେ ସମ୍ଭବତଃ ସବାଶେଷରେ ପାଦ ପକାଇବାକୁ ସ୍ଥିର କରିବୁ, ବା ଯେତେଦୂର ସମ୍ଭବ, ଏହାକୁ କାର୍ଯ୍ୟକାରୀ କରିବାରେ ସେତେ ବିଳମ୍ବ କରିବାକୁ ମନସ୍ଥ କରିବୁ । ପ୍ରଥମ ସୋପାନଟିକୁ ମୂଳତଃ ଅବଜ୍ଞା କରି ଆମ ଦେଶରେ ପ୍ରସାରକାର୍ଯ୍ୟ ଚାଲିଚି । ପ୍ରସାରକାର୍ଯ୍ୟ ଓ ସାମୁଦାୟିକ ବିକାଶରେ ଜନସାଧାରଣ କାହିଁକି ଉଦାସୀନତା ଦେଖାଉଚନ୍ତି, ଗାଆଁର ବଡ଼ବଡ଼ିଆ ଓ ବଡ଼ଜାତିମାନେ କାହିଁକି ବିକାଶକାର୍ଯ୍ୟରୁ ସବୁ ଫାଇଦା ମାରିନେଉଚନ୍ତି, ତାହାର କାରଣ ଖୋଜି ବାହାର କରିବାକୁ ଆମେ ଗୋଟାକପରେ ଗୋଟାଏ କରି କମିଟି ନିଯୁକ୍ତ କରିବାରେ ଲାଗିଚୁ । କିନ୍ତୁ ଚେଇଁଶୋଇଲା ମଣିଷକୁ ଉଠାଇବାଲାଗି କମିଟିମାନେ କଣ କରିପାରିବେ ?

 

ଆଚାର୍ଯ୍ୟ ବିନୋବା ଭାବେ ଗତ ତେରବର୍ଷ ହେଲା ମୂଳତଃ ଏହି ଭୂମିସଂସ୍କାର ଓ ସାମାଜିକ ନ୍ୟାୟଲାଗି ଭୂଦାନ-ଆରୋହଣର କାର୍ଯ୍ୟ ଆରମ୍ଭ କରିଚନ୍ତି । ଆମଦେଶର କ୍ଷମତାସୀନ ବର୍ଗ ବିନୋବାଙ୍କୁ ସନ୍ଥ ବୋଲି କହି ସମ୍ମାନ କରୁଚି, ତାଙ୍କର ଯିବାଆସିବା ଲାଗି ସୁବିଧା କରିଦେଉଚି, ତାଙ୍କର ସଭାଲାଗି ଚାନ୍ଦୁଆ ଟାଣିଦେଉଚି, କିନ୍ତୁ ବିନୋବା ଭିତରେ ରହିଥିବା ବିପ୍ଳବୀକୁ ଘାଲେଇଦେବାରେ ଲାଗିଚି । ସରକାର କୌଣସି ଦେଶରେ କେବେହେଲେ କୌଣସି ସନ୍ଥଙ୍କର ଶିଷ୍ୟତ୍ୱ ଗ୍ରହଣ କରିନାହିଁ, ତେଣୁ ସନ୍ଥଙ୍କୁ ସବୁମନ୍ତେ ସମ୍ମାନ ଦେଖାଇ ସନ୍ଥବାଣୀକୁ ଯେକୌଣସି କ୍ଷମତାପନ୍ନ ସ୍ୱାର୍ଥ ଆରାମରେ ଅସ୍ୱୀକାର ମଧ୍ୟ କରିପାରେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ଆମଦେଶରେ ହୁଏତ ତାହାହିଁ ହେଉଚି ଓ ଗୋଳିଆପାଣି ରହିଥିବା ପର୍ଯ୍ୟନ୍ତ ତାହାହିଁ ହେଉଥିବ । କିନ୍ତୁ ଏହାଦ୍ୱାରା କ୍ଷମତାରେ ଥିବା କର୍ତ୍ତାଶ୍ରେଣୀର ଯାହା ଫାଇଦା ହେଉ ବା ନହେଉ ପଛକେ, ଦେଶର ଅମଙ୍ଗଳ ହିଁ ହେବ, ଜନସାଧାରଣଙ୍କ ମଧ୍ୟରେ ବର୍ଗବିଦ୍ୱେଷ ବଢ଼ିବ ଏବଂ ତଦ୍ଦ୍ୱାରା ଜାତୀୟ ସଂବଦ୍ଧତା ଅବଶ୍ୟ ବାଧାପ୍ରାପ୍ତ ହେବ । ଏପରି ପରିସ୍ଥିତିରେ ଯେତେ ପଇସା ଖରଚ କଲେ ବା ଯେତେ ସାଧନ ଆଣି ଅଜାଡ଼ିଦେଲେ ମଧ୍ୟ ସାମୁଦାୟିକ ବିକାଶ ଆଗେଇ ପାରିବ ନାହିଁ । ସାମାଜିକ ପରିବର୍ତ୍ତନର ଗତି ଦିନକୁଦିନ ଅଧିକ ବିକୃତ ଓ ଅସ୍ୱାଭାବିକ ହେବାରେ ଲାଗିଥିବ ଏବଂ ପରିବର୍ତ୍ତନର ସସମାରୋହ ପ୍ରଚାର କରି ବାହାରିଥିବା ସରକାରୀ ଯନ୍ତ୍ରହିଁ ଏହି ପରିବର୍ତ୍ତନକୁ ଅଟକାଇ ରଖୁଚି ବୋଲି ଶେଷରେ ପ୍ରମାଣିତ ହେବ ।

 

‘‘ଯେଉଁମାନଙ୍କ ପାଖରେ ଜମି ରହିଚି, ସେମାନେ ଚାଷ କରୁନାହାନ୍ତି ଓ ଯେଉଁମାନେ ଚାଷ କରୁଚନ୍ତି ସେମାନଙ୍କ ପାଖରେ ଜମି ନାହିଁ,–ଏହି ବ୍ୟବସ୍ଥାକୁ ଯେକୌଣସି ସମାଜ ପକ୍ଷରେ ଏକ ଅବ୍ୟବସ୍ଥା ବୋଲି କୁହାଯାଇ ପାରିବ’’ । ବିନୋବାଙ୍କର ଏହି ଉକ୍ତିକୁ କେବଳ ଏକ ନୀତିବାକ୍ୟ ବୋଲି ଗ୍ରହଣ ନ କରି ଆମକୁ ଏ ଦେଶରେ ଏଥିଲାଗି ଆବଶ୍ୟକ ପ୍ରକାରେ ପ୍ରସ୍ତୁତ ରହିବାକୁ ପଡ଼ିବ । କାରଣ ଆମେ ଏଥିଲାଗି ପ୍ରସ୍ତୁତ ହୋଇ ପାରିନାହୁଁ ବୋଲି ସକଳ ଆୟୋଜନ ସତ୍ତ୍ୱେ ଆମ ଦେଶରେ ସାମୁଦାୟିକ ବିକାଶ ଆଗେଇ ପାରୁନାହିଁ ଏବଂ ଗଣତନ୍ତ୍ରଶାସନ ଯଥାର୍ଥଭାବରେ ଚେର ଧରିପାରୁନାହିଁ । ଏପର୍ଯ୍ୟନ୍ତ ମଧ୍ୟ ଦେଶର କୋଟି କୋଟି ଜନସାଧାରଣ ଆମ ନେତାମାନଙ୍କର ମୁଣ୍ଡରୁ ବାହାରିଥିବା ତଥାକଥିତ ଜାତୀୟ ନିର୍ମାଣଯୋଜନାମାନଙ୍କରେ ସମ୍ପୃକ୍ତ ଥିଲାପରି ଅନୁଭବ ମଧ୍ୟ କରିପାରୁନାହାନ୍ତି । ଜାତୀୟ ଉଦ୍ୟମରେ ସେମାନଙ୍କର ଉତ୍ସାହ ଓ ସହଯୋଗ ପାଇ ପାରୁନଥିବାରୁ ହିଁ ଆମ କଳ୍ପନାର ଗଣତନ୍ତ୍ରକୁ ଚଳାଇବାଲାଗି ଆମେ ସେମାନଙ୍କଠାରୁ ପ୍ରଧାନତଃ ଭୋଟ କିଣିବାକୁ ହିଁ ବାଧ୍ୟ ହେଉଚୁ । ଭୂମିସଂସ୍କାର କ୍ଷେତ୍ରରେ ଭାରତବର୍ଷ ଅପେକ୍ଷା ଅନ୍ୟାନ୍ୟ ଦେଶମାନେ ଅନେକ ବେଶୀ ଅଗ୍ରସର ହୋଇପାରିଚନ୍ତି । ଏହା ଅତି ଦୁର୍ଭାଗ୍ୟର କଥା ।

 

କେତେ କଲେଜର କେତେ କ୍ଳାସରେ ଅଧ୍ୟାପକମାନେ ଛାତ୍ରମାନଙ୍କୁ କହିଆସିଚନ୍ତି ଯେ ଭାରତରେ କୃଷିର ସର୍ବବିଧ ଉନ୍ନତି ହୋଇ କୃଷି-ଉତ୍ପାଦନ ନ ବଢ଼ିବା ପର୍ଯ୍ୟନ୍ତ ଉଦ୍ୟୋଗୀକରଣର କୌଣସି କାର୍ଯ୍ୟକ୍ରମ କଦାପି ସଫଳ ହେବନାହିଁ । ଏକଥା ସତ । ମାତ୍ର ଏହାର ବିପରୀତ କଥାଟି ମଧ୍ୟ ସମାନଭାବରେ ସତ । ଅର୍ଥାତ୍ ଉଦ୍ୟୋଗୀକରଣର ଏକ ବ୍ୟାପକ କାର୍ଯ୍ୟକ୍ରମ ଚାଲୁ କରାନଯିବା ପର୍ଯ୍ୟନ୍ତ ଆମ ଦେଶରେ କୃଷିକ୍ଷେତ୍ରରେ ମଧ୍ୟ ଆବଶ୍ୟକ ଉନ୍ନତି ହୋଇ ପାରିବନାହିଁ । ଏପର୍ଯ୍ୟନ୍ତ ଆମେ ସହରମାନଙ୍କରେ ହିଁ ଶିଳ୍ପକାରଖାନାମାନ ଖୋଲିଚୁ, ଗୋଟିଏ ଗୋଟିଏ ଉଦ୍ୟୋଗକୁ ଗୋଟିଏ ଗୋଟିଏ ବଡ଼ ସହରରେ କେନ୍ଦ୍ରୀତ କରି ରଖିଚୁ । ଏହାଦ୍ୱାରା କୃଷିର କଲ୍ୟାଣ ହେବାର ପ୍ରଶ୍ନ ହିଁ ଉଠୁନାହିଁ । କିନ୍ତୁ ଏହାଦ୍ୱାରା ଗାଆଁ ଅଲକ୍ଷଣା ହୋଇଯାଉଚି, ଗ୍ରାମସମୁଦାୟରୁ ଲକ୍ଷ୍ମୀ ଛାଡ଼ିଯାଉଚନ୍ତି ଏବଂ ସହରରେ ସଫଳତାର ମଣ୍ଡା ଫଳୁଚି ବୋଲି ଗୋଟାଏପ୍ରକାର ବିପଜ୍ଜନକ ମନୋଗତ ଭ୍ରମ ଦେଶର ଚାରିଆଡ଼େ ସୃଷ୍ଟି ହେବାରେ ଲାଗିଚି । ଏହି ଭ୍ରମଦ୍ୱାରା ସହରର ଲୋକପ୍ରିୟତା ବଢ଼ୁଚି ସତ, ମାତ୍ର ସହରର ମଧ୍ୟ କଲ୍ୟାଣ ହେଉନାହିଁ । ଗାଆଁ ଓ ସହର ମଧ୍ୟରେ ରହିଥିବା ଖାଇ କ୍ରମଶଃ ବଢ଼ିବାରେ ଲାଗିଚି ।

 

ଆଗେ ଭାରତରେ ଗାଆଁ ମାନଙ୍କରେ କୃଷି ଓ ଗ୍ରାମୋଦ୍ୟୋଗ ପରସ୍ପରର ପରିପୂରକ ହୋଇ ରହିଥିଲେ ଏବଂ ଏହାଫଳରେ ଗ୍ରାମର ଆର୍ଥିକ ଜୀବନ ସୁଦୃଢ଼ ହୋଇ ରହିଥିଲା । ଗାଆଁରେ କେହି ବେକାର ନଥିଲା । ବ୍ରିଟିଶ ଅମଳର ନୀତି ଫଳରେ ଗ୍ରାମଶିଳ୍ପମାନ ବିନଷ୍ଟ ହୋଇଥିଲା, ତେଣୁ କୃଷିକ୍ଷେତ୍ରରୁ ମଧ୍ୟ ଲକ୍ଷ୍ମୀ ଛାଡ଼ିଗଲେ ଓ ଗ୍ରାମଜୀବନର ସଂହତି ଭାଙ୍ଗିଗଲା । ଏବେ ଗ୍ରାମର ସାମୁଦାୟିକ ବିକାଶଲାଗି ସରକାରଙ୍କ ପକ୍ଷରୁ ଅନେକ ଉଦ୍ୟମ ହେଉଚି ଏବଂ ଏହି ଉଦ୍ୟମରେ ଜନସାଧାରଣଙ୍କର ଉତ୍ସାହ ଓ ସହଯୋଗ ପାଇବାଲାଗି ଅନେକ ଚେଷ୍ଟା କରାଯାଉଚି । ଗାଆଁରେ ପାରମ୍ପରିକ ଭାବରେ ଯେଉଁ ଗୃହଶିଳ୍ପଗୁଡ଼ିକ ଚଳିଆସିଥିଲା ଓ କାଳକ୍ରମେ ଏକ ପ୍ରତିକୂଳ ରାଜକୀୟ ବ୍ୟବସ୍ଥା ଫଳରେ ଯାହାର ବିଲୟ ଘଟିଚି, ସେଗୁଡ଼ିକର ଯଥାସମ୍ଭବ ପୁନରୁଦ୍ଧାର କରିବାର କାର୍ଯ୍ୟକ୍ରମମାନ ସାମୁଦାୟିକ ବିକାଶଭିତରେ ରହିଚି । ଗାଆଁ ଯେପରି ଆଧୁନିକ ବିଜ୍ଞାନ ଓ ଯନ୍ତ୍ରକୌଶଳରୁ ଲାଭ ଉଠାଇପାରିବ, ସେହିଦୃଷ୍ଟିରୁ ଗ୍ରାମାଞ୍ଚଳରେ କ୍ଷୁଦ୍ର ଉଦ୍ୟୋଗମାନ ଆରମ୍ଭ କରିବାର ବିଚାର ମଧ୍ୟ କରାଯାଇଚି । ଏହାଦ୍ୱାରା ଗାଆଁମାନଙ୍କରେ ଯେଉଁ ଉଦ୍‌ବୃତ୍ତ ଜନଶକ୍ତି ରହିଚି ଓ ବାଧ୍ୟହୋଇ କୃଷିଧନ୍ଦା ଉପରେ ହିଁ ଲଦିହୋଇ ରହିଚି, ତାହାକୁ ଶିଳ୍ପୋଦ୍ୟୋଗ ଆଡ଼କୁ ମୁହାଁଇ ନେବାଦ୍ୱାରା ଭାରତର ବେକାର ସମସ୍ୟାରେ ଅନେକଦୂର ସମାଧାନ ହୋଇପାରିବ ବୋଲି ସମସ୍ତେ କହିଆସିଚନ୍ତି । ମାତ୍ର ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମ ଯେ ଏହି ବିଶେଷ କ୍ଷେତ୍ରଟିରେ କିଛି ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିପାରିନାହିଁ, ସେକଥା ସରକାରୀ ପକ୍ଷ ମଧ୍ୟ ସ୍ୱୀକାର କରୁଚନ୍ତି । ଅର୍ଥାଭାବ ହେତୁ ଯେ ଏପରି ହୋଇଚି ତାହା ନୁହେଁ, ଆମ ସରକାରଙ୍କର ସମଗ୍ର ଉଦ୍ୟୋଗନୀତି ଫଳରେ ଏପରି ହେଉଚି । ଆମଦେଶରେ ଅତିରିକ୍ତ ପୁଞ୍ଜିବାଲା ଯେଉଁ କେତେଜଣ ମୁଷ୍ଟିମେୟ ଶିଳ୍ପପତି ରହିଚନ୍ତି, ସେମାନେ ଆବଶ୍ୟକ ପ୍ରଭାବ ପକାଇ ସରକାରଙ୍କ ଉଦ୍ୟୋଗଗୁଡ଼ିକୁ ପ୍ରଧାନତଃ କେନ୍ଦ୍ରିତ ବା କେତୋଟି ସ୍ଥାନରେ ଠୁଳ କରି ରଖିବାଦିଗରେ ପ୍ରବର୍ତ୍ତାଇ ରଖିଚନ୍ତି ।

 

ଅର୍ଥନୀତିବିତ୍ ଶୁମାଖର୍ ଏହି ସମସ୍ୟାଟିର ଉତ୍‌ଥାପନ କରିବାକୁ ଯାଇ କହିଚନ୍ତି ଯେ ଭାରତବର୍ଷରେ ଲୋକଜୀବନର ଦୁଇଟି କ୍ଷେତ୍ର–ଗାଆଁ ଆଉ ସହର ପରସ୍ପରକୁ ବିଷାକ୍ତ କରିପକାଇବାରେ ଲାଗିଚନ୍ତି ବୋଲି ପ୍ରମାଣ ମିଳୁଚି । ସହରମାନଙ୍କରେ ଯେଉଁ ବଡ଼ଧରଣର ଆଧୁନିକ ଉଦ୍ୟୋଗମାନ ଚାଲୁଚି, ସେଗୁଡ଼ିକ ଗ୍ରାମାଞ୍ଚଳର କୃଷିବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରର ଯାବତୀୟ ଉତ୍ପାଦନସମ୍ଭାବନାକୁ ହତ୍ୟା କରିଦେବାରେ ହିଁ ପ୍ରବୃତ୍ତ ହୋଇ ରହିଚି । ସମସ୍ତେ ଗାଆଁ ଛାଡ଼ି ବଡ଼ କାରଖାନା ଥିବା ସହରଗୁଡ଼ିକୁ ପଳାଉଚନ୍ତି । ତାହାଫଳରେ ସହରଗୁଡ଼ିକର ସମସ୍ୟା ହିଁ ବଢ଼ିବାରେ ଲାଗିଚି ଏବଂ ଯେଡ଼େ କ୍ଷିପ୍ରଗତିରେ ଉଦ୍ୟୋଗୀକରଣକୁ ବଢ଼ାଇଲେ ମଧ୍ୟ ସେହି ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ବୋଲି କୌଣସି ଆଶା ଦେଖାଯାଉନାହିଁ । କେବଳ କୃଷିର ବିକାଶଦିଗରେ ଧ୍ୟାନଦେଲେ ଯଥେଷ୍ଟ ହେବନାହିଁ । ଗାଆଁରେ ଆଜି ଭାରତର ପ୍ରାୟ ୮୫% ଲୋକ ବାସ କରୁଚନ୍ତି । କୃଷିବ୍ୟତୀତ ଗାଆଁରେ ଅନ୍ୟ କୌଣସି କ୍ଷେତ୍ରରେ କୌଣସି ଉତ୍ପାଦନ ହୋଇପାରିବାର ସମ୍ଭାବନା କ୍ରମେ ଧ୍ୱଂସ ହୋଇଯାଉଚି ବୋଲି ଗ୍ରାମ କ୍ରମେ ଅଧିକରୁ ଅଧିକ ଦରିଦ୍ର ହେବାରେ ଲାଗିଚି । ଏହି ଧ୍ୱଂସ ଫଳରେ ଗାଆଁର ଲୋକଜୀବନରେ ଯେଉଁ ଶୂନ୍ୟତା ଓ ସର୍ବସ୍ୱାନ୍ତତାମାନ ଦେଖାଯାଉଚି, ତାହାର ଅନିବାର୍ଯ୍ୟ ଫଳସ୍ୱରୂପ କୃଷିକାର୍ଯ୍ୟରେ ମଧ୍ୟ ଅଧଃପତନ ଓ କ୍ଷୟ ଘଟିବାରେ ଲାଗିଚି । କେବଳ କୃଷିକାର୍ଯ୍ୟଦ୍ୱାରା ଆମେ କଦାପି ସମ୍ପୂର୍ଣ୍ଣ ମନୁଷ୍ୟ ଜୀବନକୁ ବଞ୍ଚାଇ ରଖିପାରିବା ନାହିଁ । ଯେତେବେଳେ କୃଷି ସାଙ୍ଗକୁ ବିଭିନ୍ନ ଉଦ୍ୟୋଗ ଧନ୍ଦାମାନ କାର୍ଯ୍ୟକାରୀ ହୋଇପାରିବ ଏବଂ ଯେତେବେଳେ ନିକଟବର୍ତ୍ତୀ ବର୍ଦ୍ଧିଷ୍ଣୁ ସହରଗୁଡ଼ିକର ସାଂସ୍କୃତିକ ପ୍ରଭାବମାନ ଅଧିକ ପ୍ରେରଣାସ୍ପନ୍ଦିତ କରାଇପାରିବ, କେବଳ ସେତିକିବେଳେ ଏହା ସମ୍ଭବ ହୋଇପାରିବ । (E.F. Schumacher : A New Approach to Development Programme– ପୁସ୍ତକ ଟିପ୍ପଣୀ–୧, August, 1961)

 

ଗ୍ରାମାଞ୍ଚଳର ବ୍ୟାପକ ଓ ବିକେନ୍ଦ୍ରିତ ଉଦ୍ୟୋଗୀକରଣ ଫଳରେ ଜାପାନରେ ଯେପରି କୃଷିଗତ କେତେକ ସମସ୍ୟାର ସମାଧାନ ହୋଇଯାଇଚି, ତାହା ଏଦେଶରେ ଆମଲାଗି ମଧ୍ୟ ଶିକ୍ଷଣୀୟ ହୋଇ ରହିବା ଉଚିତ । (୪୮) ଆଗେ ଜାପାନରେ ଅନେକ ଅଣଚାଷୀ ନିଜେ ଚାଷ ନକଲେ ମଧ୍ୟ ଜମିର ମାଲିକ ହୋଇ ରହିଥିଲେ । ଆପଣା ଜୀବିକାନିର୍ବାହ ଲାଗି ଅନ୍ୟ ସମ୍ବଳ ନଥିବାରୁ ସେମାନେ ଏହି ଜମି ଉପରେ ଲାଖିରହିବାକୁ ହିଁ ନିରାପଦ ମଣୁଥିଲେ । କିନ୍ତୁ ଯେତେବେଳେ ସେ ଦେଶର ଗାଆଁମାନଙ୍କରେ କୃଷିବ୍ୟତୀତ ଅନ୍ୟାନ୍ୟ ଶିଳ୍ପକ୍ଷେତ୍ରରେ ମଧ୍ୟ ସମବାୟସମିତିମାନ ସ୍ଥାପିତ ହେଲା, ସେତେବେଳେ ଅଣଚାଷୀମାନେ ଜମିଉପରୁ ଆପଣାର ଅବଲମ୍ବନ ଦୂରକରି ଏହି ଉଦ୍ୟୋଗ-ସମବାୟ ଉଦ୍ୟମଗୁଡ଼ିକରେ ଯୋଗଦେବାଲାଗି ଆକୃଷ୍ଟ ହୋଇଥିଲେ । ଏହିପରି ଏକ ନୂତନ ଉତ୍‌ପ୍ରେରଣାର ସୃଷ୍ଟି ହେବାଦ୍ୱାରା ଭୂସ୍ୱାମୀତ୍ୱରେ ଯେଉଁ ବିବର୍ତ୍ତନ ଘଟିଲା, ତାହା ଫଳରେ ପ୍ରକୃତରେ ଜମି ଚାଷ କରୁଥିବା ଗ୍ରାମବାସୀମାନେ ଜାପାନରେ ଚାଷଜମି ଗୁଡ଼ିକର ମାଲିକ ହୋଇପାରିଲେ । ଅଣଚାଷୀମାନେ ଉଦ୍ୟୋଗକ୍ଷେତ୍ରକୁ ଅପସରିଗଲେ ଓ ଉଭୟଙ୍କର ଉଦ୍ୟମଦ୍ୱାରା ସମଗ୍ର ଗ୍ରାମର ଅର୍ଥନୀତି ଉତ୍ତରୋତ୍ତର ବିକଶିତ ହେବାରେ ଲାଗିଲା-

 

ପୁନା ଗୋଖ୍‍ଲେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡାକ୍ତର ଗାଡ଼ଗିଲ୍ ଭାରତର ଉଦ୍ୟୋଗୀକରଣ ବିଷୟରେ ଲେଖିଥିବା ଆପଣାର ସୁନିଚିନ୍ତ ପ୍ରବନ୍ଧମାନଙ୍କରେ ଗ୍ରାମାଞ୍ଚଳର ଉଦ୍ୟୋଗୀକରଣ ଉପରେ ଅନେକ ଆଲୋକପାତ କରିଚନ୍ତି । ତାଙ୍କ ମତରେ ଗ୍ରାମାଞ୍ଚଳର ଉଦ୍ୟୋଗୀକରଣ କାର୍ଯ୍ୟକାରୀ କରିବା ସମୟରେ ଆମକୁ କେତୋଟି ବିଶେଷ ଉଦ୍ଦେଶ୍ୟ ଓ ନୀତି ଉପରେ ଦୃଷ୍ଟି ଦେବାକୁ ପଡ଼ିବ । ଗ୍ରାମାଞ୍ଚଳର ଏହି ଉଦ୍ୟୋଗଗୁଡ଼ିକ କୌଣସି ଗୋଟିଏ ସ୍ଥାନରେ ଠୁଳ ହୋଇ ନରହି ଯଥାସମ୍ଭବ ବିକେନ୍ଦ୍ରିତ ବା ବିଚ୍ଛୁରିତ ହୋଇ ରହିବ । ବୃହତ୍ତ ସ୍ତରରେ ନହୋଇ ଏଗୁଡ଼ିକ ଅପେକ୍ଷାକୃତ କ୍ଷୁଦ୍ର ସ୍ତରରେ ଚାଲିବ । ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ପାରବା ଏହାର ଏକ ପ୍ରଧାନ ନୀତି ହୋଇ ରହିବ । ଅବଶ୍ୟ ଏଥିଲାଗି ସୁଦକ୍ଷ ଉଦ୍ୟୋଗକୌଶଳମାନ ଗ୍ରହଣ କରାଯିବାରେ ଏବଂ ବିକାଶପ୍ରକ୍ରିୟାର ଆବଶ୍ୟକତାଗୁଡ଼ିକର ପୂରଣ କରାଯିବାରେ କୌଣସିପ୍ରକାର ତ୍ରୁଟି କରାଯିବ ନାହିଁ । ସେ ଏହି ସମ୍ବନ୍ଧରେ ପୁଣି କହିଚନ୍ତି : (୪୯) ‘‘ଗ୍ରାମୋଦ୍ୟୋଗକୁ ମୁଁ ଆର୍ଥିକ ବିକାଶର ଯୋଜନାରେ ଏକ ଅତି ପ୍ରଧାନ ଆର୍ଥିକ ଓ ସାମାଜିକ ଲକ୍ଷ୍ୟରୂପେ ଗ୍ରହଣ କରିଥାଏ । ଏହି ଲକ୍ଷ୍ୟର ପ୍ରାପ୍ତି ଲାଗି ଆମେ ଆମର ସମଗ୍ର ବିକାଶଯୋଜନାକୁ ଏବଂ ବିଶେଷତଃ ଉଦ୍ୟୋଗୀକରଣ ସମ୍ବନ୍ଧରେ ଆମର ସମସ୍ତ ଯୋଜନାକୁ ଅନୁରୂପ ଭାବରେ ତିଆରି କରିପାରିଲେ ଯାଇ ଏହି ଲକ୍ଷ୍ୟରେ ଉପନୀତ ହେବା ସମ୍ଭବ ହୋଇପାରିବ । କିନ୍ତୁ ବର୍ତ୍ତମାନ ଯେପରି ଅଧା-ଉତ୍ସାହରେ ଏଥିଲାଗି ଉଦ୍ୟମ କରାଯାଉଚି, ତଦ୍ଦ୍ୱାରା ନିକଟଭବିଷ୍ୟତରେ କୌଣସି ସ୍ଥାୟୀ ଫଳ ଫଳିଲାପରି ଆଦୌ ଦେଖାଯାଉନାହିଁ । ବର୍ତ୍ତମାନ ଗ୍ରାମାଞ୍ଚଳର ଉଦ୍ୟୋଗୀକରଣର ଉଦ୍ୟମକୁ କେବଳ ଏକ ସୀମାବଦ୍ଧ ଆୟତନ ଭିତରେ ସଂକୀର୍ଣ୍ଣ କରି ରଖାଯାଇଚି । ବଡ଼ବଡ଼ ଯନ୍ତ୍ରୋଦ୍ୟୋଗ ବିଷୟରେ ବର୍ତ୍ତମାନ ଯେପରି ନୀତି ସବୁ ଗ୍ରହଣ କରାଯାଉଚି, ତାହାର ପରିଣାମ ସ୍ୱରୂପ ଭବିଷ୍ୟତରେ ଗୋଟିଏ ପାଖରେ ଏକ ଆଧୁନିକ ଶିଳ୍ପୋଦ୍ୟୋଗ ବ୍ୟବସ୍ଥା ସହରମାନଙ୍କରେ କାୟମ ହୋଇ ରହିବ । ଦେଶର ଅଧିକ ପରିମାଣ ପୁଞ୍ଜି କେବଳ ଏଇଥିରେ ଆସି ଠୁଳ ହେବାରେ ଲାଗିଥିବ ଏବଂ ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ସକଳପ୍ରକାର ଉଦ୍ୟୋଗୀକରଣରୁ ବଞ୍ଚିତ ହୋଇ ଅତି ଦୀନ ଅବସ୍ଥାରେ ପଡ଼ିରହିଥିବ ।’’

 

ଗ୍ରାମାଞ୍ଚଳର ଉଦ୍ୟୋଗୀକରଣ ଦିଗରେ ଏକ ନିର୍ଦ୍ଦିଷ୍ଟ ନୀତି ଗ୍ରହଣ କରି ନିଷ୍ଠାପର ଭାବରେ କାର୍ଯ୍ୟ ଆରମ୍ଭ କଲେ ଗ୍ରାମାଞ୍ଚଳର ଆର୍ଥିକ ମାନଚିତ୍ର କିପରି ବଦଳିଯିବ, ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ତାହାର ଏକ ଚିତ୍ର ଦେବାକୁ ଚେଷ୍ଟା କରିଚନ୍ତି । (ପୁସ୍ତକ ଟିପ୍ପଣୀ–୧, May 1961 ପୃଷ୍ଠା–୫) ସେ କହିଚନ୍ତି ଯେ ପ୍ରତ୍ୟେକ ଗାଆଁ ବା ଅନ୍ତତଃପକ୍ଷେ କେତୋଟି ଗାଆଁକୁ ଏକାଠି କରି ଗଢ଼ାହୋଇଥିବା ପ୍ରତ୍ୟେକ ଅଞ୍ଚଳକୁ ଏକ କୃଷି-ଉଦ୍ୟୋଗ ସମୁଦାୟ ରୂପେ ବିକଶିତ କରାଯିବ । କେବଳ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପ୍ରଭୃତି କ୍ଷେତ୍ର ଭିତରେ ଗ୍ରାମର କ୍ଷୁଦ୍ରୋଦ୍ୟୋଗମାନ ସୀମିତ ହୋଇ ରହିବ ନାହିଁ । ଗ୍ରାମର ଆର୍ଥିକ ଜୀବନ କୃଷି ଓ ଉଦ୍ୟୋଗର ପରିପୂର୍ଣ୍ଣ ସମନ୍ୱୟରେ ବିକଶିତ ହେବ । (ଏପରି ଏକ) କୃଷି ଉଦ୍ୟୋଗର ଆଧାର ଉପରେ ବ୍ୟବସ୍ଥିତ ହୋଇ ରହିଥିବା ସମୁଦାୟରେ କେବଳ ଧାନ ଓ ଗହମ ପେଷାଯିବନାହିଁ, କେବଳ ଫଳ ଓ ପନିପରିବାକୁ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା ହେବନାହିଁ ବା କେବଳ କପା ବା ଆଖୁର ସମ୍ବନ୍ଧିତ ଉଦ୍ୟୋଗମାନ ବସିବନାହିଁ । ମାତ୍ର ଏହି ସମୁଦାୟର କ୍ଷେତ୍ରରେ ରେଡ଼ିଓ ତିଆରି ହେବ, ସାଇକେଲର ସରଞ୍ଜାମ, ସାନସାନ ମେସିନ୍ ଓ ବିଦ୍ୟୁତ୍‍ସରବରାହର ସରଞ୍ଜାମମାନ ବି ତିଆରି ହେବ । ସେହି ଅଞ୍ଚଳରେ ଏହିଭଳି ଯେତେ ପଦାର୍ଥର ଆବଶ୍ୟକତା ରହିଥିବ, ତାହାସବୁ ସ୍ଥାନୀୟ ଉଦ୍ୟୋଗ ଜରିଆରେ ତିଆରି ହେବ । ଗ୍ରାମାଞ୍ଚଳର ବିକାଶକୁ ଆମେ ଏହିପରି ଦିଗରେ ବିକଶିତ କରିପାରିଲେ ବର୍ତ୍ତମାନ ଗାଆଁ ଆଉ ସହର ଭିତରେ ଯେଉଁ ଖାଇ ଦିନକୁ ଦିନ ବଢ଼ିବାରେ ଲାଗିଚି, ସେଥିରେ ହ୍ରାସ ହେବା ଆରମ୍ଭ ହେବ । ଏକପାଖିଆ ଭାବରେ ବିକଶିତ ହେବାଦ୍ୱାରା ସହର ସଭ୍ୟତାରେ ଯେଉଁସବୁ ଅସ୍ୱାଭାବିକ ଓ ବ୍ୟାଧିକର ଉପାଦାନମାନ ଆସି ପଶିଯାଉଚି, ଗ୍ରାମାଞ୍ଚଳର ଉଦ୍ୟୋଗୀକରଣ ଜରିଆରେ ଆମେ ଅନେକ ପରିମାଣରେ ତାହାକୁ ରୋକିବାଲାଗି ସମର୍ଥ ହୋଇପାରିବା ।

 

ଓଡ଼ିଶାରେ ପ୍ରସ୍ତାବିତ ପଞ୍ଚାୟତ–ଉଦ୍ୟୋଗର ଯୋଜନା ଗ୍ରାମାଞ୍ଚଳର ଉଦ୍ୟୋଗୀକରଣ ଦିଗରେ ଏକ ସୁଚିନ୍ତିତ ପଦକ୍ଷେପ ବୋଲି କୁହାଯାଇ ପାରିବ ଏବଂ ଓଡ଼ିଶାରେ ସାମୁଦାୟିକ ବିକାଶକ୍ଷେତ୍ରରେ ଏହା ଅବଶ୍ୟ ଅନେକ ପ୍ରେରଣାଶକ୍ତି ସୃଷ୍ଟି କରିପାରିବ । ଗୋଟିଏ ବିବରଣ ଅନୁସାରେ (ପୁସ୍ତକ ଟିପ୍ପଣୀ–୧, ଅକ୍ଟୋବର ୨, ୧୯୬୨, ପୃଷ୍ଠା–୫୮) ଏହି ଯୋଜନା ଚାରୋଟି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଚି : ।।୧।। ଗ୍ରାମରେ ରହିଥିବା କାରିଗରୀ ଓ କଳାକୌଶଳ ଗୁଡ଼ିକର ଉନ୍ନତିବିଧାନ କରାଯିବ ଓ ଉତ୍ପାଦନକ୍ଷେତ୍ରରେ ଗ୍ରାମବାସୀମାନଙ୍କୁ ନୂଆ କାରିଗରୀ ଓ ଯନ୍ତ୍ରକୌଶଳମାନ ଶିଖାଇଦିଆଯିବ । ।।୨।। ଗ୍ରାମର ଅଧିକାଂଶ ଲୋକ ଆଜି ପ୍ରାୟ ଗୋଟିଏ ବା ଦୁଇଟି ଧନ୍ଦାକୁ ଆଦରି ରହିଚନ୍ତି । ଗ୍ରାମରେ ବିଭିନ୍ନ ପ୍ରକାର ଧନ୍ଦାମାନ ଚାଲୁ କରିବାର ପରିସର ସୃଷ୍ଟି କରାଯିବ, ଯାହା ଦ୍ୱାରା କି ଅଧିକାଂଶ ଗ୍ରାମବାସୀ କାମ ପାଇପାରିବେ ଓ ସେମାନଙ୍କୁ ଆଉ ବେକାର ହୋଇ ବସିବାକୁ ପଡ଼ିବ ନାହିଁ । ।।୩।। ଘରତିଆରି, ଘରମରାମତି, କୃଷିଯନ୍ତ୍ର ଓ ଉପକରଣ ଗୁଡ଼ିକୁ ଉଚିତ ଅବସ୍ଥାରେ ରଖିବାଲାଗି ଗାଆଁରେ ସାଧାରଣତଃ ଯେଉଁସବୁ ଜିନିଷର ପ୍ରୟୋଜନ ହୋଇଥାଏ, ସେହି ଜିନିଷଗୁଡ଼ିକୁ ଗ୍ରାମସ୍ତରରେ ତିଆରି କରିବାର ଉଦ୍ୟମ ହେବ । ।।୪।। କୃଷିଜାତ ପଦାର୍ଥକୁ ସଂରକ୍ଷିତ କରି ରଖିବାଲାଗି ଓ ସେଥିରୁ ଆହୁରି ଅନ୍ୟାନ୍ୟ ପଦାର୍ଥ ତିଆରି କରିବାଲାଗି ମଧ୍ୟ ବ୍ୟବସ୍ଥା ରହିବ, ଯେପରିକି ଚାଷୀମାନେ ଅଧିକ ନଗଦ ରୋଜଗାର କରିପାରିବେ ଓ ଏହିସବୁ କାମ ଆରମ୍ଭ ହେଲେ ପଞ୍ଚାୟତ ସମିତିର ଆୟରେ ମଧ୍ୟ ବୃଦ୍ଧି ସମ୍ଭବ ହେବ ।

 

ଏହି ଉଦ୍ୟୋଗ ଯୋଜନା ଯଦି ପ୍ରଧାନତଃ ଉଦ୍ୟୋଗର ଏକ ଯୋଜନା ହିସାବରେ ଚାଲେ, ଏ ସବୁଥିରେ ଯଦି ଅତିରିକ୍ତ ରାଜନୀତି ପଶିନଯାଏ, ଯଦି ସହକାରୀ କର୍ମଚାରୀମାନେ ଏଗୁଡ଼ିକୁ ସୁବ୍ୟବସ୍ଥିତ ଭାବରେ ଚଳାଇବାର ବାହାନାରେ ଏଗୁଡ଼ିକ ଉପରେ ବେବର୍ତ୍ତା ହୋଇ ନବସନ୍ତି, ଏବଂ ସର୍ବୋପରି ପଞ୍ଚାୟତ ସ୍ତରରେ ଯଦି ଉଚିତ ନେତୃତ୍ୱ ରହିପାରେ, ତେବେ ଏହାଦ୍ୱାରା ଓଡ଼ିଶାର ଗ୍ରାମାଞ୍ଚଳରେ ଏକ ଆର୍ଥିକ ବିପ୍ଳବ ସଂଘଟିତ ହୋଇପାରିବ ଓ ତାହା ଆହୁରି ଅନେକ ବିପ୍ଳବଲାଗି ଏକ ସ୍ୱାଭାବିକ ସିଡ଼ିପରି ଅବଶ୍ୟ କାମ କରିବ ।

 

କେତେବର୍ଷତଳେ ନାଗପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଇ ଡାକ୍ତର ଗାଡ଼ଗିଲ୍ କହିଥିଲେ ଯେ, ‘‘ରାଜନୀତିକ ସ୍ୱାଧୀନତା ପରେ ଭାରତବର୍ଷରେ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଚି ଓ ସମାଜର ସର୍ବୋଚ୍ଚ ଓ ସବୁଠାରୁ ଅଧିକ କ୍ଷମତାପନ୍ନ ଶ୍ରେଣୀଗୁଡ଼ିକ ଅନ୍ୟମାନଙ୍କ ତୁଳନାରେ ଅଧିକ ଦୁର୍ନୀତିଗ୍ରସ୍ତ ହୋଇ ରହିଛନ୍ତି ।’’ ଏଣେ ଆମ ଦେଶରେ ଲୋକସାଧାରଣଙ୍କର ଦାରିଦ୍ର୍ୟ ଓ ଦୁଃଖଭୋଗ ଯେତିକି ବଢ଼ିବାରେ ଲାଗିଚି, ଦେଶର ବଡ଼ ବଡ଼ ବ୍ୟବସାୟୀ, ସରକାରୀ ଲୋକଶାସକ ଓ ରାଜନୀତିକ କ୍ଷେତ୍ରରେ ରହିଥିବା ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କର ଜୀବନର ଆୟତନରେ ବିଳାସ ଓ ବ୍ୟସନ ସେହି ପରିମାଣରେ ବଢ଼ିବାରେ ଲାଗିଚି-। ଆଗେ ରାଜା, ମହାରାଜା ବା ନବାବମାନେ ସେମାନଙ୍କର ପ୍ରାସାଦଗତ ଜୀବନଯାତ୍ରା ଭିତରେ ରହି ଯେଉଁସବୁ ସ୍ୱପ୍ନ ଦେଖୁଥିଲେ, ଆମ ଦେଶରେ ଉତ୍ତମର୍ଣ୍ଣମାନେ ଆଜି ପ୍ରାୟ ସେହିପରି ସ୍ୱପ୍ନମାନ ଦେଖିବାରେ ଲାଗିଚନ୍ତି । କମ୍ୟୁନିଷ୍ଟ ଚୀନ୍‌ର ଦୃଷ୍ଟାନ୍ତ ଦେଇ ଡାକ୍ତର ଗାଡ଼ଗିଲ୍‌ କହିଚନ୍ତି ଯେ ଚୀନ୍‌କୁ ଆଜିକାଲି ଯେଉଁ ପର୍ଯ୍ୟଟକ ଓ ପର୍ଯ୍ୟବେକ୍ଷକମାନେ ଯାଉଚନ୍ତି, ସେମାନେ ସମସ୍ତେ ଚୀନ୍‌ଦେଶର ନେତାମାନଙ୍କର ସାଦା ଓ ସରଳ ଜୀବନର ଉଲ୍ଲେଖ କରୁଚନ୍ତି । ସେଠାରେ ଆବଶ୍ୟକତା ବଢ଼ାଇ ଗୁଡ଼ାଏ ଦ୍ରବ୍ୟର ବ୍ୟବହାର କରିବାର ନଷ୍ଟକାରକ ପ୍ରବୃତ୍ତି ଭାରତବର୍ଷ ତୁଳନାରେ ଅନେକ କମ୍ ରହିଚି, ଦେଶର ଦରିଦ୍ର ଓ ଅନୁନ୍ନତ ଶ୍ରେଣୀମାନଙ୍କର ଉନ୍ନତିକଳ୍ପେ ସେହି ଦେଶର ପ୍ରଶାସନରେ ଅନେକପ୍ରକାରର ବ୍ୟବସ୍ଥା କରାଯାଉଚି ଏବଂ ଦେଶରେ ଯେଉଁ ଲୋକମାନେ କାମ ଅଭାବରୁ ବେକାର ହୋଇ ବସିଚନ୍ତି, ସେମାନଙ୍କୁ କାମ ଦେବାଲାଗି ନିଷ୍ଠାପର ଯୋଜନାମାନ କାର୍ଯ୍ୟକାରୀ ହେଉଚି ଏବଂ ଉଦ୍ୟୋଗକୁ ବିକେନ୍ଦ୍ରିତ କରି ରଖିବାରେ ଗୁରୁତ୍ୱ ଦିଆଯାଉଚି । ଡାକ୍ତର ଗାଡ଼ଗିଲ୍ ଏହି ପ୍ରତ୍ୟେକଟି ନୀତିକୁ ଯେକୌଣସି ଦେଶପକ୍ଷରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି କହିଚନ୍ତି । (ପୁସ୍ତକ ଟିପ୍ପଣୀ–୧, ଅକ୍ଟୋବର ୨, ୧୯୬୨) ।

 

ଭାରତବର୍ଷର ପୁରାତନ ଜାତିବ୍ୟବସ୍ଥାକୁ ଅନେକେ ଅନେକପ୍ରକାରେ ଟୀକା କରିଥାଆନ୍ତି । ଏଥିଭିତରେ ସମାଜଲାଗି ଯେ ଅନେକ କ୍ଷୟକାରୀ ପ୍ରବୃତ୍ତି ରହିଥିଲା, ସେଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଜାତିଭେଦ ସମ୍ବନ୍ଧରେ ଆମକୁ ଗୋଟିଏ କଥା ମନେରଖିବାକୁ ହେବ-। ଜାତିଭେଦ–ବ୍ୟବସ୍ଥାରେ କ୍ଷମତାକୁ ଅତିକେନ୍ଦ୍ରିତ କରି ରଖିବାଲାଗି କୌଣସି ଫିକର କରାଯାଇନଥିଲା । ବ୍ରାହ୍ମଣ ସମାଜଠାରୁ ସର୍ବୋଚ୍ଚ ସମ୍ମାନ ପାଇବାର ଅଧିକାରୀ ହୋଇ ରହିଥିଲା, ମାତ୍ର ତା’ ପାଖରେ ଗୁଡ଼ାଏ ସମ୍ପତ୍ତି ନଥିଲା ବା ରାଜନୀତିକ ଶାସନକ୍ଷମତା ମଧ୍ୟ ନଥିଲା । କ୍ଷତ୍ରିୟକୁ ରାଜନୀତିକ ଶାସନଗାଦିରେ ବସିବାକୁ ଦିଆଯାଇଥିଲା ଏବଂ ବୈଶ୍ୟ ଲକ୍ଷ୍ମୀଙ୍କୁ ନେଇ କାରବାର ଚଳାଉଥିଲା । ଅର୍ଥାତ୍ ସମାଜର ବିଦ୍ୟାଗତ, ରାଜନୈତିକ ଓ ଆର୍ଥିକ ନେତୃତ୍ୱ ଗୋଟିଏ କ୍ଷେତ୍ରରେ ବା ଗୋଟିଏ ଜାତିପାଖରେ ଠୁଳ ହୋଇ ନରହି ବାଣ୍ଟିହୋଇ ରହିଥିଲା । ପୁରାତନ ମିଶରର ଶାସକ ଫାରାଓ (Pharao) ରାଜାଧିରାଜ ଥିଲା, ଦେଶର ସକଳ ସମ୍ପତ୍ତିର ମାଲିକ ଥିଲା, ସର୍ବୋଚ୍ଚ ସେନାପତି ଓ ଧର୍ମଗୁରୁ ବି ବୋଲାଉଥିଲା । ତେଣୁ ପୁରାତନ ମିଶରରେ ଗୋଟାଏ ପାଖରେ ସଭ୍ୟତାର ବିଳାସ ଚାଲିଥିଲା, ଅନ୍ୟପକ୍ଷରେ ଜନସାଧାରଣ ନାନା ଦାସତ୍ୱର ଦୀନଜୀବନ ଯାପନ କରୁଥିଲେ । କିନ୍ତୁ ଭାରତବର୍ଷର ସମାଜରେ କ୍ଷମତା ତିନିଶ୍ରେଣୀରେ ବାଣ୍ଟି ହୋଇ ରହିଥିବାରୁ ଏଠି ଯେପରି କୌଣସି ପ୍ରଜାପ୍ରପୀଡ଼ନ ଲାଗି ଖୁବ୍‌ବେଶୀ ପ୍ରଶ୍ରୟ ମିଳୁନଥିଲା । ରାଜନୀତିକ ସ୍ୱାଧୀନତା ଆସିବା ପରେ ଆମେ ନାନାକାରଣରୁ ପୁରାତନ ଜାତିଭେଦ-ବ୍ୟବସ୍ଥା ବିରୁଦ୍ଧରେ ଖଡ଼୍‌ଗଉତ୍ତୋଳନ କରିସାରିଲୁଣି, ମାତ୍ର ଆଧୁନିକ ଜାତୀୟ କ୍ଷେତ୍ରର କ୍ଷମତାରୀତି ଆମ ସମାଜରେ ଯେଉଁ ଉତ୍କଟ ବିଡ଼ମ୍ବନା ସୃଷ୍ଟି କରିଦେଇଚି, ଆମେ ସମସ୍ତେ ଆଜି ତାହାରି କବଳରେ ପଡ଼ି ଛଟପଟ ହେଉଚୁ ।

 

ଆମ ଦେଶରେ ବର୍ତ୍ତମାନ ଯେଉଁ ସ୍ୱୀକୃତ ରୀତି ଅନୁସାରେ କ୍ଷମତାର ବିବେଚନ କରାଯାଉଚି, ତଦ୍ଦ୍ୱାରା କ୍ଷମତା ବିତରିତ ହେବା ପରିବର୍ତ୍ତରେ ଅଧିକରୁ ଅଧିକ ଠୁଳ ବା କେନ୍ଦ୍ରିତ ହେବାରେ ଲାଗିଚି । ଯାହା ପାଖରେ ରାଜନୀତିକ କ୍ଷମତା ରହିଚି, ତାହାରିଲାଗି ପଇସା କମାଇବାର ଯାବତୀୟ ପନ୍ଥା ଓ ଅପନ୍ଥା ସୁଗମ ହୋଇଯାଉଚି । ଦେଶର ଧର୍ମସଭା, ସଂସ୍କୃତିମଣ୍ଡପ, ସାହିତ୍ୟଚର୍ଚ୍ଚା, ସଂଗୀତ ସମ୍ମିଳନୀ, ଶିକ୍ଷା ଓ ବିଜ୍ଞାନର ବିଚାର, ସବୁଠାରେ ତାହାରି ଲାଗି ହିଁ ସବୁଠାରୁ ଉଚ୍ଚ ପିଢ଼ା ପଡ଼ୁଚି । ସେ ନଆସିଲେ ବା ନକାଶିଲେ ଆମ ଦେଶରେ କିଛି ହେଉନାହିଁ । ତାହାରି କୃପାନୀତିର ଚାପ ପଡ଼ି ଆମଦେଶରେ ଚାରୋଟି ଜାତି ବଦଳରେ ବର୍ତ୍ତମାନ ସାଧାରଣତଃ ଦୁଇଟି ଜାତିର ଆତଯାତର ଆମ ସମାଜ ଚାଲୁଚି । ଯାହା ପାଖରେ ରାଜନୀତିକ କ୍ଷମତା ରହିଚି, ସେହି ଆଜି ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟରୂପୀ ତ୍ରିବିଧ ମୂର୍ତ୍ତିକୁ ଆତ୍ମସାତ୍ କରି ବସିଚି-। ସେଇ ବ୍ରାହ୍ମଣ ବୋଲାଉଚି, ଏବଂ ତାହାରି ଭିତରେ ବୈଶ୍ୟ ରହିଚି, କ୍ଷତ୍ରିୟ ମଧ୍ୟ ରହିଚି । ତେଣୁ ଆଜି ଆମ ଦେଶରେ ଯେକୌଣସି କ୍ଷେତ୍ରରେ କିଞ୍ଚିତ୍ ସମ୍ପନ୍ନତା ଅର୍ଜନ କରିବା ମାତ୍ରକେ ପ୍ରାୟ ସମସ୍ତେ ରାଜନୀତିର ଡିହ ଉପରେ ଯେକୌଣସି ପ୍ରକାରେ ଅରାଏ ମାଡ଼ିବସିବାକୁ ବିକଳ ହୋଇ ଧାଇଁଚନ୍ତି । କାରଣ ରାଜନୀତିକ୍ଷେତ୍ରରେ ହିଁ ସବୁ ଅଭୀଷ୍ଟସିଦ୍ଧିର ପ୍ରବଳ ସମ୍ଭାବନାମାନ ରହିଚି । ପୁଣି ଯାହାପାଖରେ ରାଜନୀତିକ କ୍ଷମତା ନାହିଁ ବା ଗୋହରିବାଟରେ ହେଲେ ମଧ୍ୟ ଯିଏ ରାଜନୀତିକ କୌଣସି ଉତ୍ତମର୍ଣ୍ଣ ପାଖରେ ଯାଇ ପହଞ୍ଚି ପାରିବାର ଭାଗ୍ୟ ହାସଲ କରିନାହିଁ, ସେ ଜାତୀୟ ନବ୍ୟନ୍ୟାୟ ଅନୁସାରେ ଶୂଦ୍ର ହୋଇ ରହୁଚି । ଗୁଣର ପ୍ରଶ୍ନ ଉଠୁନାହିଁ, ଆପଣା ଚେଷ୍ଟା ଓ ଆପଣା ନିଷ୍ଠାରେ କିଛି ହେବାର ବା କରି ଦେଖାଇଦେବାର ମଧ୍ୟ ପ୍ରଶ୍ନ ହିଁ ଉଠୁନାହିଁ । କେବଳ ରାଜନୀତିର ସଫଳ ପଇତା ପିନ୍ଧି ସମାଜରେ ସ୍ନାତକ ହୋଇ ବାହାରିପାରିଲେ ଲକ୍ଷ୍ମୀ ତଥା ସରସ୍ୱତୀ ଉଭୟଙ୍କର ଅନୁକମ୍ପା ନମିଳିବାକୁ ଆଉ କଥା ବି ରହୁନାହିଁ । କେତେକ ବ୍ୟକ୍ତି ବା କେତେକ ଶ୍ରେଣୀ ଯାହାକୁ ନୀତି ବୋଲି ଗ୍ରହଣ କରିଚନ୍ତି, ତାହାହିଁ ଆମ ଜାତୀୟ ଜୀବନର ବିକାଶଲାଗି ଦୁର୍ନୀତି ହୋଇ ରହିଚି ଓ ତାହା ଆମର ସକଳ ଜାତୀୟ ତଥା ମାନବିକ ଉଦ୍ୟମକୁ ପଣ୍ଡ କରିଦେବାରେ ଲାଗିଚି ।

 

ଭାରତର ଦେଶୀ ଓ ବିଦେଶୀ ସ୍ତାବକମାନେ ଏହି ଦେଶକୁ ଆଧ୍ୟାତ୍ମିକତାର ଦେଶ ବୋଲି କହିଆସିଚନ୍ତି । ତଥାପି ଆଗେ ମଧ୍ୟ ଏହି ଦେଶର ମଣିଷ ଧନ କମାଉଥିଲା, ଧନକୁ ମନ ବି କରୁଥିଲା । କିନ୍ତୁ ଧନକୁ ଜୀବନର ସର୍ବସାର ବୋଲି ଗ୍ରହଣ କରି ଆଧୁନିକ ବ୍ରାହ୍ମଣ ଦେଶରେ ଯେଉଁ ନୂଆ ପ୍ରୟାସର ପ୍ରବାହ ଆରମ୍ଭ କରିଦେଉଚି ଓ ଦେଶର ପୂର୍ବସିଦ୍ଧି ସକଳ ପରମ୍ପରା ଉପରେ ଯେପରି ସମ୍ପୂର୍ଣ୍ଣ ଭାବରେ ବିଜୟ ହାସଲ କରିପାରିଚି, ଭାରତର ଅତୀତରେ କୌଣସି ଯୁଗରେ ଏହା ସମ୍ଭବ ହୋଇ ନଥିଲା । ଭାରତରେ ପ୍ରଚାରିତ ପୂର୍ବ-ପରମ୍ପରା ଅନୁସାରେ ଧନ-ଉପାର୍ଜନକୁ ମୋକ୍ଷଲାଭର ଏକ ସାଧନ ବୋଲି କୁହାଯାଉଥିଲା । ଏବେ ଧନୋପାର୍ଜନର ଅଦ୍ୱୈତ ଦୃଷ୍ଟିକୁ ହିଁ ସାର୍ଥକଜୀବନର ସାଧ୍ୟ ବା ଲକ୍ଷ୍ୟରୂପେ ମାନି ନିଆଗଲାଣି । ପଇସା ସବୁ କରିପାରିବ, ପଇସା ଭୋଟ ଜିତାଇ ପାରିବ, ପଇସା ଚାକିରି ଜୁଟାଇ ପାରିବ, ପଇସାଦେଇ ପରୀକ୍ଷାରେ ପାସ୍ କରାଯାଇ ପାରିବ, ଏହିପରି ଏକ ବିଶ୍ୱାସ ଆମ ଦେଶରେ କ୍ରମେ ଅଧିକରୁ ଅଧିକ ଲୋକଙ୍କର ମନଭିତରେ ବଳବତ୍ତର ହେବାରେ ଲାଗିଚି । ଯେଉଁମାନେ କ୍ଷମତାରେ ଅଛନ୍ତି ଓ ମଣିଷ ଚରାଉଚନ୍ତି, ସେମାନେ ଏହି ଜୀବନଦୃଷ୍ଟିର ବ୍ୟାବହାରିକ ଦୃଷ୍ଟାନ୍ତ ହୋଇ ବସିଚନ୍ତି । ଯେଉଁମାନେ କ୍ଷମତାରେ ନାହାନ୍ତି, ସେମାନେ ମଧ୍ୟ ଏହାକୁ ହିଁ ସକଳ ଆଦର୍ଶର ଭିତ୍ତିକରି ନାନା ଦିବାସ୍ୱପ୍ନ ଦେଖୁଚନ୍ତି ଓ ରାତ୍ରି ବିଳାପ କରିବାରେ ଲାଗିଚନ୍ତି । ପ୍ରାଚୀନ ରୋମର ଜଣେ ଦାର୍ଶନିକ ସିସେରୋ (Cicero), ଯେଉଁ ସଂବିଧାନରେ ସବୁଠାରୁ ଅଧିକ ପଇସାବାଲା ବ୍ୟକ୍ତି ହିଁ ସବୁଠାରୁ ବଢ଼ିଆ ବ୍ୟକ୍ତି ହିସାବରେ ସମ୍ମାନ ପାଏ, ତାହାକୁ ସବୁଠାରୁ ଖରାପ ସଂବିଧାନ ବୋଲି କହିଥିଲେ । ଆମ ଦେଶର ଲିଖିତ ସଂବିଧାନରେ ଯାହା ଲେଖାହୋଇ ନରହିଥାଉ ପଛକେ, ବ୍ୟାବହାରିକ ଜାତୀୟ ଜୀବନରେ ଆମେ ଏହାକୁ ହିଁ ଆମର ସଂବିଧାନରୂପେ ଗ୍ରହଣ କରିନେଇଚୁ ।

 

ପୁରାଣରେ ସଗରପୁତ୍ରମାନଙ୍କୁ ଅଭିଶାପରୁ ମୁକ୍ତ କରିବାଲାଗି ଧରାପୃଷ୍ଠରେ ଗଙ୍ଗାବତରଣ ହୋଇଥିଲେ ବୋଲି ବର୍ଣ୍ଣନା ରହିଚି । ଗଙ୍ଗାଦେବୀ ସେତେବେଳେ ସ୍ୱର୍ଗରେ ଥିଲେ । ଭଗୀରଥଙ୍କର ଅବିଚଳ ତପୋନିଷ୍ଠାରେ ପ୍ରସନ୍ନ ହୋଇ ଯେ ମର୍ତ୍ତ୍ୟକୁ ଅବତରଣ କରିବାକୁ ରାଜିହେଲେ ସତ, ମାତ୍ର ତାଙ୍କର ଧାରାପାଦ ସହିବାକୁ ପୃଥିବୀ ଯେ ସମର୍ଥ ହୋଇ ପାରିବନାହିଁ, ଏହାହିଁ ସମସ୍ୟା ହୋଇ ରହିଲା । ଶେଷରେ ମହାଦେବ ଆସି ସମସ୍ୟାର ସମାଧାନ କଲେ । ସେ ମର୍ତ୍ତ୍ୟଉପରେ ଆସି ଠିଆହେଲେ, ଗଙ୍ଗାର ଧାର ଆସି ପ୍ରଥମେ ତାଙ୍କରି ଜଟାଉପରେ ପଡ଼ିଲା ଏବଂ ସେଠାରୁ ପାବନୀ ଧାରା ହୋଇ ବୋହିଗଲା । ସଗରପୁତ୍ର ପରିତ୍ରାଣ ପାଇଲେ, ପୃଥିବୀର କଲ୍ୟାଣ ହେଲା । ଏଡ଼େବଡ଼ ମଙ୍ଗଳସାଧନରେ ନିମିତ୍ତ ହୋଇ ବାହାରିଥିବାରୁ କୃତଜ୍ଞ ପୃଥିବୀ ମହାଦେବଙ୍କୁ ଶିବ ବୋଲି କହିଲା । କିନ୍ତୁ ଜଗତପ୍ରତି ହିତୈଷଣା ଦେଖାଇ ବାହାରିଥିବା ମହାଦେବ ମଉକା ନେଇ ଯଦି ଗଙ୍ଗାର ଜଳଧାରାକୁ ଆପଣାର ଜଟାଭିତରେ ବାନ୍ଧି ରଖିଥାନ୍ତେ ଓ ତଳକୁ ଆସିବାକୁ ଦେଇନଥାନ୍ତେ ତେବେ ଭବିଷ୍ୟତର ପୃଥିବୀ ତାଙ୍କୁ ହୁଏତ ଶିବବୋଲି କହିବାକୁ ମନ କରିନଥାନ୍ତା । ଆଧୁନିକ ଭାରତର ଚତୁର ଶିବମାନେ ସ୍ୱାଧୀନତାରୂପୀ ଅଶେଷ ସମ୍ଭାବନାର ଗଙ୍ଗାପ୍ରବାହକୁ ନିଜର ଜଟାଭିତରେ ବାନ୍ଧିରଖିଚନ୍ତି, ଲୋକସାଧାରଣଙ୍କର କଲ୍ୟାଣଲାଗି ତାହାକୁ ଲୋକସ୍ତରକୁ ବୁହାଇ ଦେଇନାହାନ୍ତି । ସେଥିଲାଗି ଆମଦେଶରେ ଏଡ଼େ ବଢ଼ିଆ ସମ୍ବିଧାନ ରହିଚି, ଏଡ଼େ ବଢ଼ିଆ ଆଇନ୍‌ମାନ ପାସ୍ ହେଉଚି, ସଂସାରର କେତେ ବନ୍ଧୁଦେଶ ଆମର ଉନ୍ନୟନ ଲାଗି କେତେକେତେ ସାଧନ ଆଣି ଏଠାରେ ଅଜାଡ଼ି ଦେଉଚନ୍ତି, ତଥାପି ସବୁ ମଙ୍ଗଳ ପ୍ରଧାନତଃ ଉଚ୍ଚାପଦସ୍ଥ ଶିବମାନଙ୍କର ଜଟାଭିତରେ ଛନ୍ଦି ହୋଇ ରହିଯାଉଚି । ଏହାକୁ ନୀତି କହ ବା ଦୁର୍ନୀତି କହ, ଏହି ନ୍ୟାୟରେ ଆଜି ଆମର ଦେଶଟାଯାକ ଚଳୁଥିବାପରି ମନେହେଉଚି ।

 

ଆପଣାର ଗୋଟିଏ ଗ୍ରନ୍ଥରେ (୫୦) ଦେଶବ୍ୟାପୀ ଦୁର୍ନୀତିର ଉତ୍ସନିରୂପଣ କରିବାର ଚେଷ୍ଟା କରି ଡାକ୍ତର ଗାଡ଼ଗିଲ୍ ଲେଖିଚନ୍ତି, ‘‘ଆମ ଦେଶରେ ଆର୍ଥିକ ଶକ୍ତି ଓ ସାଧନମାନ ଏବେ କେତେଜଣ ମୁଷ୍ଟିମେୟ ପୁଞ୍ଜିବାଦୀଙ୍କର ହାତରେ ଯାଇ ଠୁଳ ହେବାରେ ଲାଗିଚି । ଏହାକୁ ହିଁ ବର୍ତ୍ତମାନ ଆମ ଦେଶରେ ବ୍ୟାପି ରହିଥିବା ଦୁର୍ନୀତିର ଏକ ମୂଳ କାରଣ ବୋଲି ମୁଁ କହିବି । ଆମର ଦେଶ ଦରିଦ୍ର, ଆମର ଦେଶ ଜନବହୁଳ । ସମ୍ବଳ ତୁଳନାରେ ଏଠି ଅଧିକସଂଖ୍ୟକ ଲୋକ ବାସ କରୁଚନ୍ତି । ଏଠାରେ ଯଥେଷ୍ଟ ପରିମାଣରେ ସୁବିଧାସୁଯୋଗମାନ ସମସ୍ତଙ୍କ ଲାଗି ଉପଲବ୍‌ଧ ହୋଇ ପାରୁନାହିଁ । ଆପଣା ଉଦ୍ୟମ ଓ ପରିଶ୍ରମର ଫଳ ମଧ୍ୟ ସମସ୍ତଙ୍କୁ ସମାନ ଅନୁପାତରେ ମିଳୁନାହିଁ । ଏହିପରି ପରିସ୍ଥିତିରେ ଏଠି ଯେଉଁମାନଙ୍କ ହାତରେ ଅପର୍ଯ୍ୟାପ୍ତ ଅର୍ଥନୈତିକ ସାମର୍ଥ୍ୟ ଓ କ୍ଷମତାମାନ ଠୁଳ ହୋଇ ରହିଚି, ସେମାନେ ଅତି ସହଜରେ ଦେଶଟାଯାକକୁ ଦୁର୍ନୀତିଗ୍ରସ୍ତ କରିଦେଇଚନ୍ତି । ତେଣୁ ଆର୍ଥିକ କ୍ଷମତାକୁ ଆଣି କେତେକଙ୍କ ପାଖରେ ଠୁଳ କରିବାର ଏହି ନୀତିକୁ ବର୍ଜନ ନକଲେ ଆମେ କୌଣସି ଅଗ୍ରଗତି କରିପାରିବାନାହିଁ ।’’

 

ଆଇନ୍ ତିଆରି କରିଥିବା ଓ ଆଇନ୍ ଉପରେ ବିଶ୍ୱାସ କରୁଥିବା ସରକାର ମଧ୍ୟ ଦେଶରେ ଦୁର୍ନୀତି ବ୍ୟାପିରହିଚି ବୋଲି ଅବଶ୍ୟ ସ୍ୱୀକାର କରୁଚନ୍ତି । କେନ୍ଦ୍ର ସରକାରଙ୍କର ଗୃହବିଭାଗ ଏହି ଦୁର୍ନୀତିକୁ ମର୍ଦ୍ଦନ କରିବାଲାଗି ପ୍ରାୟ ବର୍ଷେକାଳ ଦଶଭୁଜ ହୋଇ ସଂଗ୍ରାମ କରିବା ପରେ ଆସନସ୍ଥ ବିଭାଗୀୟ ମନ୍ତ୍ରୀ ଥରେ ନିରସ୍ତ୍ର ହୋଇ ପଡ଼ିଲାପରି କହିଥିଲେ ଯେ ଯଥେଷ୍ଟ ପରିମାଣରେ ଦୁର୍ନୀତିର ନିରାକରଣ କରିବା ତାଙ୍କର ବିଭାଗ ପକ୍ଷରେ ସମ୍ଭବ ହୋଇନାହିଁ । ଦୁର୍ନୀତି ବିରୁଦ୍ଧରେ ଆମ ଦେଶରେ ଯଥେଷ୍ଟ ଜନମତ ଜାଗୃତ ହୋଇନଥିବାରୁ ଏପରି ହୋଇଚି ବୋଲି ସେ କାରଣ ଦର୍ଶାଇଥିଲେ । ଜନମତ ଉପରେ ଦୋଷ ଦେଇ ଆପଣାର ଅସମର୍ଥତାକୁ ମାର୍ଜନା କରିଦେବା କୌଣସି ସରକାରକୁ ଶୋଭନୀୟ ଦିଶିବା ଉଚିତ ନୁହେଁ । ସରକାର ଖୋଦ୍ ଯେଉଁ ଆଇନ୍‌ସବୁ ଗଢ଼ିଚନ୍ତି ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବାରେ ସିଏ ଅକ୍ଷମ ହୋଇ ପଡ଼ୁଚନ୍ତି ବୋଲି ଯେ ଦୁର୍ନୀତି ବିରୁଦ୍ଧରେ ଏହି ଦେଶର ଜନମତ କ୍ରମେ ଝାଉଁଳି ପଡ଼ିବରେ ଲାଗିଚି, ଏକଥା ହୃଦୟଙ୍ଗମ କରିପାରିଲେ ଯେକୌଣସି ସରକାର ଆପଣା ଦାୟିତ୍ୱର ପରିଚୟ ଦେଇପାରନ୍ତେ ଓ ତାହାହିଁ ଦୁର୍ନୀତି ବିରୁଦ୍ଧରେ ପ୍ରଥମ ନିର୍ଭରଯୋଗ୍ୟ ପଦକ୍ଷେପ ହୋଇପାରନ୍ତା । ଦୁର୍ନୀତି ଦୂରକରିବା ଦିଗରେ ଆଗୁଆ ହୋଇ ଭାରତ ସରକାର କେତେବର୍ଷ ତଳେ ଶ୍ରୀଯୁକ୍ତ ସନ୍ତାନମ୍‌ଙ୍କର ଅଧ୍ୟକ୍ଷତାରେ ଗୋଟିଏ ଦୁର୍ନୀତି-ଅନୁସନ୍ଧାନ କମିଟି ବସାଇଥିଲେ । ‘ସରକାରୀ କର୍ମଚାରୀ ତଥା ଜନସାଧାରଣଙ୍କ ମଧ୍ୟରେ ଯେପରି ଲାଞ୍ଚ, ମିଛ ଓ ଦୁର୍ନୀତି ଉଧେଇ ନପାରିଲାଭଳି ଏକ ସାମାଜିକ ବାୟୁମଣ୍ଡଳ ସୃଷ୍ଟି ହୋଇପାରିବ, ସେଥିଲାଗି ଉପାୟ ବତାଇବାକୁ’ କମିଟି ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । କମିଟିର ରିପୋର୍ଟ କେଉଁଦିନୁ ଛପା ସରିଲାଣି । କିନ୍ତୁ କମିଟିର ପରାମର୍ଶ ଅନୁସାରେ କାର୍ଯ୍ୟବିଧି ଅବଲମ୍ବନ କରିବା ଏପର୍ଯ୍ୟନ୍ତ ବାକୀ ରହିଚି । ଛପା ରିପୋର୍ଟଟିର ଭୂମିକାରେ ତତ୍କାଳୀନ ଗୃହମନ୍ତ୍ରୀ ସ୍ୱର୍ଗତ ଶ୍ରୀ ଲାଲବାହାଦୂର ଶାସ୍ତ୍ରୀ ଲେଖିଲେ ଯେ ଦୁର୍ନୀତିବିଷୟକ ସମସ୍ୟାଗୁଡ଼ିକ ଅଧିକାଂଶତଃ ସମସ୍ତଙ୍କୁ ବିଦିତ ରହିଚି । ତେଣୁ ଏଗୁଡ଼ିକୁ ଆହୁରି ଭଲକରି ଜାଣିବା ଯେତେ ବଡ଼ ସମସ୍ୟା ନୁହେଁ, ସେଗୁଡ଼ିକର ନିରାକରଣ ଲାଗି କିଛି କରିବା ହେଉଚି ତା’ଠାରୁ ଅଧିକ ବଡ଼ ଓ ଅସଲ ସମସ୍ୟା । ଭଲ ହେଲା, ରିପୋର୍ଟଟି ଦ୍ୱାରା ଆମେ ସମସ୍ତେ ସମସ୍ୟାଗୁଡ଼ିକୁ ତନ୍ନତନ୍ନ କରି ଜାଣିବାକୁ ପାଇଲୁ, କିନ୍ତୁ ସରକାର ଏସବୁ ଜାଣିବାପରେ କେତେଦୂର କଣ କଲେ ?

 

ସାମୁଦାୟିକ ବିକାଶର ଆଲୋଚନା କଲାବେଳେ ଆମେ ସାମାଜିକ ନ୍ୟାୟର ଆଲୋଚନା ମଧ୍ୟ କରିଥିଲୁ । ଆମ ଦେଶର ସଂବିଧାନରେ ଏହି ନ୍ୟାୟକୁ ମଥାଉପରେ ନେଇ ରଖାଯାଇଚି । କିନ୍ତୁ ଯେଉଁ ଜାତୀୟ ଭୂମି ଉପରେ ଆମେ ସମସ୍ତେ ଆପଣା ଆପଣା ଜୀବନର ଆଶାଭରସାଗୁଡ଼ିକୁ ନେଇ ବିବରଣ କରୁଚୁ, ସେଠାରୁ ସକଳ ନ୍ୟାୟ ଛୁଟୀ ନେଇ ଯାଇଥିଲାପରି ଲାଗୁଚି । ସାମାଜିକ ନ୍ୟାୟ ଓ ମାନବିକ ନ୍ୟାୟ ପ୍ରତିଷ୍ଠିତ ହେଲେ ତ ଆମ ଦେଶରେ କେତେବଡ଼ କଥା ସମ୍ଭବ ହୋଇଯିବ । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ନାଗରିକର ନିମ୍ନତମ ପ୍ରାପ୍ୟ ହିସାବରେ ଏହି ଦେଶରେ ଅନ୍ତତଃ ଆଇନଗତ ଶାସନ ଚାଲିବା ଦରକାର । ଆମ ଦେଶରେ ଆଇନ୍‌ର ଅଭାବ ନାହିଁ, କାମରେ ପାଦେ ଆଗେଇବା ପୂର୍ବରୁ ଆମେ ଆଇନ୍ ତିଆରି କରିବାରେ ଏଗାରପାଦ ମାଡ଼ିଆସୁଚୁ । କିନ୍ତୁ ଆମେ କୋଡ଼ୁଚୁ ଯେତେ, ମାଡ଼ୁଚୁ ତା’ଠାରୁ ବେଶୀ । ଆମ ଦେଶରେ ସରକାରୀ ଦପ୍ତରମାନଙ୍କରେ ଆଇନ୍ ଅଛି, ପୋଲିସ ବିଭାଗରେ ଆଇନ୍ ଅଛି, ସ୍କୁଲ କଲେଜ ଚଳାଇବାରେ ଓ ଚାକିରି ଦେବାରେ ବା ପାଇବାରେ ମଧ୍ୟ ଆଇନ୍ ରହିଚି । କିନ୍ତୁ ଏହିସବୁ ଆଇନ୍ କେତେଦୂର କାର୍ଯ୍ୟକାରୀ ହେଉଚି ? ସାମର୍ଥ୍ୟ ନିର୍ବିଶେଷରେ ଏହି ଦେଶର ଯେକୌଣସି ଲୋକକୁ କେତେଦୂର ତା’ ଦେଶର ଆଇନ୍‌ଗତ ସୁବିଧାମାନ ପ୍ରାପ୍ତ ହୋଇପାରୁଚି ? ହୁଏତ ଏପରି କୁହାଗଲେ ଆଦୌ ଅସ୍ୱାଭାବିକ ଶୁଭିବନାହିଁ ଯେ ଆଇନ୍‌ଗତ କଟକଣାମାନ ଅସମର୍ଥ ଲୋକକୁ ଅଧିକ ଅସମର୍ଥ କରି ରଖୁଚି ଏବଂ ପଇସା ଓ ନାନା ସମ୍ବନ୍ଧସୂତ୍ରରେ ଜୋର୍ ରହିଥିବାରୁ ସମର୍ଥମାନେ ଯେକୌଣସି ଆଇନ୍‌କୁ ଭାଙ୍ଗି ମଧ୍ୟ ଦେଇପାରୁଚନ୍ତି । ବ୍ୟାକରଣରେ ଆର୍ଷପ୍ରୟୋଗର ବିଧି ରହିଥିବା ପରି ଆମ ଦେଶରେ ନାଗରିକଶାସ୍ତ୍ରର ବ୍ୟାକରଣ ଅନୁସାରେ ଅସମର୍ଥମାନେ ହାତଗୋଡ଼ ବାନ୍ଧିବସୁଚନ୍ତି ଓ ସମର୍ଥମାନେ ଆର୍ଷପ୍ରୟୋଗର ମହା ଲାଭ ଉଠାଇବାରେ ଲାଗିଚନ୍ତି । ରାଜନୀତିକ୍ଷେତ୍ରର ବ୍ରାହ୍ମଣମାନଙ୍କୁ ନ ଧରିଲେ ଆମଦେଶରେ ଆଇନ୍‌ଗତ ନ୍ୟାୟବିଚାର ମିଳିବା ଅଧିକାଂଶ ସ୍ଥଳରେ ଆକାଶକଇଁଆ ହୋଇ ରହୁଚି ।

 

ପ୍ରତ୍ୟେକ ଅନୁଷ୍ଠାନ ଚଳିବା ଲାଗି ହିଁ ପ୍ରଧାନତଃ ଆଇନ୍ ତିଆରି ହୋଇଥାଏ । ଦେଶକୁ ଚଳାଇବାଲାଗି ସରକାର ଆଇନ୍ କରିଥାନ୍ତି, ସ୍କୁଲ ଚଳିବାଲାଗି ସ୍କୁଲର ହେଡ଼ମାଷ୍ଟର୍ ଆଇନ୍ କରିଥାନ୍ତି, କଚେରୀ ଚଳିବାଲାଗି କଚେରୀର ହାକିମ ଆଇନ୍ କରିଥାନ୍ତି । ଏହି ଆଇନ୍‌ଗୁଡ଼ିକୁ ଆମେ ମାନୁଥିବାଯାଏ ଅନୁଷ୍ଠାନ ଚଳୁଥାଏ ଓ ଏହି ଅନୁଷ୍ଠାନଦ୍ୱାରା କୌଣସି ଉଦ୍ଦେଶ୍ୟ ବି ସାଧିତ ହେଉଥାଏ । ଏକାଧିକାର ଶାସନ ଚଳୁଥିବା ଦେଶମାନଙ୍କର ଅନୁଷ୍ଠାନ ସବୁ, ପାର୍ଟି ସବୁ, ବ୍ୟକ୍ତି କିଛି ନୁହେଁ । ଆମ ଦେଶରେ ଗଣତନ୍ତ୍ରର ଶାସନ ଚଳୁଚି । ତଥାପି ଏଠି ପ୍ରତ୍ୟେକ ବ୍ୟକ୍ତିର ପ୍ରାପ୍ୟ ଅଧିକାର ମାନିନେବା ପରିବର୍ତ୍ତେ କେତେକ ବ୍ୟକ୍ତିଙ୍କର ଏକାଧିକାର ହିଁ ପ୍ରବଳ ହୋଇ ବସିଚି । କଚେରୀକୁ ହାକିମ ଆପଣାର ସମ୍ପତ୍ତି ବୋଲି ମନେକରୁଚନ୍ତି, ଥାନାକୁ ପୋଲିସପକ୍ଷ ଆପଣାର ଦେବୋତ୍ତର ବୋଲି ଭାବୁଚନ୍ତି, ସ୍କୁଲକୁ ତଥାକଥିତ ପରିଚାଳନା ସମିତି ଆପଣାର ଗୋଚର ବୋଲି ଭାବୁଚନ୍ତି ଓ ମୋଟଉପରେ ଦେଶଟାଯାକକୁ ଶାସକମାନେ ଆପଣାର ଯଜମାନୀ ଉତ୍ତରାଧିକାର ବୋଲି ଭାବୁଚନ୍ତି । ଗ୍ରାମପଞ୍ଚାୟତକୁ ଗାଆଁର ସରପଞ୍ଚ ଆପଣା କ୍ଷମତା ଓ ଆପଣା ସଫଳତାର ସିନ୍ଦୁକ ବୋଲି ମାନିବାକୁ ଆଉ କେତେବାଟ ବାକୀ ରହିଲା ? ବା ଜିଲ୍ଲାପରିଷଦକୁ ପରିଷଦର ଅଧ୍ୟକ୍ଷ ଆପଣା ଜାତି, ଆପଣା ପାଟକ ବା କିଛି ନହେଲେ ଆପଣା ରାଜନୀତିକ ଦଳର ଗାଡ଼ୀବୁହା ବଳଦ ବୋଲି ଭାବିବାରେ ଅସଙ୍ଗତି ମଧ୍ୟ କେଉଁଠି ରହିଲା ? ଆମ ଦେଶରେ ଆଧୁନିକ ଆବଶ୍ୟକତାର ସମ୍ମୁଖୀନ ହୋଇ ଆମେ ନାନାକ୍ଷେତ୍ରରେ ଯେଉଁସବୁ ଅନୁଷ୍ଠାନ ଗଢ଼ିଥିଲୁ, ଦେଶର ନବନିର୍ମାଣରେ ନିମିତ୍ତରୂପେ ବ୍ୟବହୃତ ହେବା ହିଁ ସେଗୁଡ଼ିକର ଉଦ୍ଦେଶ୍ୟ ବୋଲି ଧାର୍ଯ୍ୟ ହୋଇଥିଲା । ଏବେ ସେହି ଉଦ୍ଦେଶ୍ୟ ଉଡ଼ିଯାଉଚି ଓ ଅନୁଷ୍ଠାନର କନାଗୁଡ଼ାକ ପଡ଼ିରହିଚି ଏବଂ ଅନୁଷ୍ଠାନର ସତ୍ତାଧୀଶ କର୍ତ୍ତାମାନେ ଭଗବାନଙ୍କଠାରୁ ଭାଗ୍ୟବାନ୍‌ର ପଦବୀ ପାଇଥିଲାପରି ସେହି କନାଗୁଡ଼ାକୁ ଆପଣାର ନାନା କାର୍ଯ୍ୟରେ ଲଗାଉଚନ୍ତି । ସ୍ୱାର୍ଥସାଧନର ଚତୁର ଦୌଡ଼ରେ ବାଛବିଚାର କରିବାକୁ ବେଳ ନାହିଁ । ଏପରି କ୍ଷେତ୍ରରେ ଆମେ ଏଦେଶରେ ସାମୁଦାୟିକ ବିକାଶ ବା କଣ କରିବା ?

Unknown

 

ସାମୁଦାୟିକ ବିକାଶରେ ଦୃଷ୍ଟିକୋଣର ପରିବର୍ତ୍ତନକୁ ସମସ୍ତେ ବଡ଼ ମହତ୍ତ୍ୱପୂର୍ଣ୍ଣ ବୋଲି ସ୍ୱୀକାର କରିଚନ୍ତି । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଆଗରେ ରଖି ହିଁ ଆମେ ଆମର ଦୃଷ୍ଟିରେ ପରିବର୍ତ୍ତନ କରିପାରିବା । କିନ୍ତୁ ଉଦ୍ଦେଶ୍ୟପ୍ରତି କୌଣସି ଧ୍ୟାନ ନରଖି ଆମେ ସମସ୍ତେ ଯଦି ସୁଯୋଗ ପାଇବା ମାତ୍ରକେ ଅନୁଷ୍ଠାନଗୁଡ଼ିକୁ ପ୍ରଧାନତଃ ଆପଣାର କାର୍ଯ୍ୟସିଦ୍ଧି ଲାଗି ଲଗାଇବାରେ ମସ୍ତ ରହିଥିବା ଓ ଅନୁଷ୍ଠାନ ଭିତରେ ଆପଣାର ନିମ୍ନତମ କର୍ତ୍ତବ୍ୟ କରିବାକୁ ମଧ୍ୟ ଆପଣାର ଉଦାରହୃଦୟତା ବା ବଦାନ୍ୟତା ବୋଲି ମନେକରୁଥିବା, ତେବେ ସାମୁଦାୟିକ ବିକାଶ ଆପଣାଛାଏଁ ହୋଇଯିବ କିପରି-? ଏଦେଶରେ ଆମେ ସମସ୍ତେ ଦୁର୍ନୀତିଟାକୁ ହିଁ କ୍ରମେ ନୀତିବୋଲି ମାନିନେଉଥିବାପରି ମନେହେଉଚି । କେହି ଚତୁର ହୋଇ ମାନିନେଉଚି ବା ଆଉ କେହି ବାଧ୍ୟହୋଇ ମାନିନେଉଚି । ମାନିନନେଲେ କାମ ଚଳିବନାହିଁ ବୋଲି ଅଧିକାଂଶ ଲୋକ ନିଷ୍ଠାପର ଭାବରେ ଭାବିବାକୁ ବି ଆରମ୍ଭ କଲେଣି । ଏପରି ଏକ ଜଳବାୟୁରେ ସାମୁଦାୟିକ ବିକାଶ ବା କିପରି ହେବ ? ମନୁଷ୍ୟର ନିର୍ମାଣ ତ ଦୂରର କଥା, ସାଧନସାମଗ୍ରୀର ନିର୍ମାଣଦୃଷ୍ଟିରୁ ବିଚାରକଲେ ମଧ୍ୟ ସାମୁଦାୟିକ ବିକାଶର ଉଦ୍ୟମ ଓ ଅର୍ଥବ୍ୟୟ ଫଳରେ ଆମ ଦେଶର ଗାଆଁମାନଙ୍କରେ ଯେତିକି ଉନ୍ନୟନ ହେଉଚି, ଆମର ସାମୂହିକ ଜୀବନ ଏପରି ଦୁର୍ନୀତିଗ୍ରସ୍ତ ହୋଇନଥିଲେ ବୋଧହୁଏ ତାହାର ଦଶଗୁଣ ଅଧିକ ସମ୍ଭବ ହୋଇଥାନ୍ତା । ଯେଉଁ ଦାରିଦ୍ର୍ୟ ଆମର ମନକୁ ଦାରିଦ୍ର୍ୟଗ୍ରସ୍ତ କରାଇ ଆମକୁ ଦୁର୍ନୀତି ଆଚରଣ କରିବାର ପ୍ରରୋଚନା ଦେଉଚି, ସେହି ଦାରିଦ୍ର୍ୟ ଦୂର କରିବାରେ ଆମେ ହୁଏତ କେତେକେତେ ପହୁଣ୍ଡ ଆଗକୁ ମାଡ଼ିଯାଇପାରିଥାନ୍ତୁ । କିନ୍ତୁ ତାହା ହୋଇପାରିଲା ନାହିଁ । କେବଳ ଆପଣାପାଖରେ ନୁହେଁ, ବିଦେଶୀ ପାଖରେ ମଧ୍ୟ ଆମେ ଲୋକହସା ହେଲେ । ଭବିଷ୍ୟତରେ ଏହି ବିନାଶପଥ ଛାଡ଼ି ଅନ୍ୟପ୍ରକାରେ ଆରମ୍ଭ କରିବାଲାଗି ଏହି ଦେଶକୁ ନେତୃତ୍ୱ ଦେବ କିଏ ? ଗତ କେତେବର୍ଷର ଚକକୁ ଅନ୍ୟପ୍ରକାରେ ବୁଲାଇବାର ସାହସ କରିବ କିଏ ?

 

ଭାରତୀୟ ଅର୍ଥନୀତିର ପ୍ରବୀଣ ପଣ୍ଡିତ ଅଧ୍ୟାପକ ଜ୍ଞାନଚାନ୍ଦ ଏବେ ଲେଖିଥିବା ଗୋଟିଏ ଗ୍ରନ୍ଥରେ (୫୧) ଭାରତବର୍ଷର ସାମୁଦାୟିକ ବିକାଶଯୋଜନା ଆପଣାର ଅଭିଳଷିତ ଲକ୍ଷ୍ୟ ଦିଗରେ ଯିବାକୁ ଅସମର୍ଥ ସାବ୍ୟସ୍ତ ହୋଇଚି ବୋଲି କହିଚନ୍ତି । ତାଙ୍କର ବିଚାରମାନ ଅନେକଙ୍କୁ ଅପ୍ରିୟ ଲାଗିବା ସ୍ୱାଭାବିକ । ବିଶେଷତଃ ବର୍ତ୍ତମାନ ଭାରତର ଅବ୍ୟବସ୍ଥା ମଧ୍ୟରେ ଯେଉଁମାନେ ସୁବିଧାଜନକ ସ୍ଥାନରେ ରହିଚନ୍ତି, ସେମାନେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କର ବିଚାରକୁ ହୁଏତ ମାରାତ୍ମକ ବୋଲି କହିବେ । ସମାଜର ପରିବର୍ତ୍ତନ ଓ ସାମାଜିକ ବିପ୍ଳବର ପ୍ରସଙ୍ଗମାନ ଯେ ସମସ୍ତଙ୍କୁ ସମାନ ଭାବରେ ସୁହାଇବ ବା ମଧୁର ଲାଗିବ, ତାହାର କୌଣସି କାରଣ ନାହିଁ । ଅଧ୍ୟାୟଟିର ଶେଷଭାଗରେ ଆମେ ଏଠାରେ ବିସ୍ତୃତଭାବରେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କ ମନ୍ତବ୍ୟଗୁଡ଼ିକୁ ଜାଣିବା ଓ ତାହା ଉପରେ ବିଚାର କରିବା ।

 

‘‘ଆପଣାର ଉଦ୍ଦେଶ୍ୟପ୍ରାପ୍ତିରେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ଆଦୌ ସଫଳ ହୋଇ ପାରିନାହିଁ । ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବରେ ଏହିସବୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିନାହାନ୍ତି । ସେମାନେ ଏଥିରେ ଯଥେଷ୍ଟ ପରିମାଣରେ ଯୋଗ ଦେଇନାହାନ୍ତି ବା ସାମୁଦାୟିକ ବିକାଶ ଗ୍ରାମାଞ୍ଚଳରେ ରହିଥିବା ଅମିତ ଲୋକଶକ୍ତିର ଏକ ଅତିକ୍ଷୁଦ୍ର ଭାଗକୁ ମଧ୍ୟ କାମରେ ଲଗାଇ ପାରିନାହିଁ । ଏହି କାର୍ଯ୍ୟକ୍ରମଟିକୁ ସୁଚାରୁଭାବେ ଚଳାଇବାର ଉପଯୁକ୍ତ ଦାୟିତ୍ୱ ଗ୍ରହଣ କରିବା ସକାଶେ ସ୍ଥାନୀୟ ସ୍ତରରେ ଯୋଗ୍ୟ ନେତୃତ୍ୱର ଆବିଷ୍କାର କରାଯାଇନାହିଁ । ଗାଆଁମାନଙ୍କରେ ବିବାଦ ଓ ଦଳଗତ କଳହ ପୂର୍ବ ଅପେକ୍ଷା ଅଧିକ ବ୍ୟାପ୍ତ ଓ ତୀବ୍ର ହୋଇଗଲାଣି ଏବଂ ତାହାଫଳରେ ଗ୍ରାମର ସାମୁଦାୟିକ ଜୀବନ ନଷ୍ଟହୋଇ ଯାଉଚି । ଦେଶରେ ଏକ ସାମାଜିକ ସଚେତନତା ଜାଗୃତ କରିବାଲାଗି ହୁଏତ କୌଣସି ଚେଷ୍ଟା ହୋଇନାହିଁ ବା ହୋଇଥିଲେ ନଗଣ୍ୟ ମାତ୍ର ହୋଇଚି । ବିକାଶର କାର୍ଯ୍ୟକ୍ରମଦ୍ୱାରା ଗାଆଁର ଦରିଦ୍ର ଓ ଅସମର୍ଥ ଶ୍ରେଣୀଗୁଡ଼ିକ କୌଣସି ଉପକାର ପାଇନାହାନ୍ତି । ବିକାଶ ବିଭାଗର ଅର୍ଥବ୍ୟୟଦ୍ୱାରା ଗ୍ରାମାଞ୍ଚଳରେ ଯେଉଁ କାର୍ଯ୍ୟମାନ ହେଉଚି, ତାହା ଅଧିକ ସମ୍ପନ୍ନ ଉପରବାଲାକୁ ହିଁ ଉପକୃତ କରୁଚି । ଏହାଫଳରେ ଗାଆଁରେ ସମ୍ପନ୍ନ ଓ ଅସମ୍ପନ୍ନ ବର୍ଗଗୁଡ଼ିକ ଭିତରେ ବ୍ୟବଧାନ କ୍ରମଶଃ ବଢ଼ିବାରେ ଲାଗିଚି । ସେହି ପୁରୁଣା ଅମଲାତନ୍ତ୍ରର ଯାନ୍ତ୍ରିକ ରୀତିରେ ହିଁ ସାମୁଦାୟିକ ବିକାଶକାର୍ଯ୍ୟ ପରିଚାଳିତ ହୋଇଚି ଏବଂ ଦେଶର ପ୍ରାୟ ସକଳ ଗ୍ରାମାଞ୍ଚଳକୁ ଏହି କାର୍ଯ୍ୟକୁ ପ୍ରସାରିତ କରି ଦିଆଯାଇଥିଲେ ମଧ୍ୟ ଏହାର ପରିଚାଳନା କରୁଥିବା ଅମଲାତନ୍ତ୍ରରେ କୌଣସି ପରିବର୍ତ୍ତନ ବା ପ୍ରସାଧନ ସମ୍ଭବ ହୋଇପାରିନାହିଁ । ଆଜିମଧ୍ୟ ଏହି ଦେଶର ଅମଲାତନ୍ତ୍ର ପ୍ରଧାନତଃ ଉଦାସୀନ ରହିଚି, ଲୋକମାନଙ୍କଠାରୁ ଆପଣାକୁ ଦୂରଛଡ଼ା କରିରଖିଚି । ନେତୃତ୍ୱ ନେବାର ଯୋଗ୍ୟତା ଅର୍ଜନ କରିବା ଅପେକ୍ଷା କର୍ତ୍ତୃତ୍ୱ ଦେଖାଇବା ଉପରେ ଅଧିକ ବିଶ୍ୱାସ ରଖିଚି । ଲୋକମାନଙ୍କର ଅସଲ ଆବଶ୍ୟକତାଗୁଡ଼ିକୁ ବୁଝି ସେହି ଅନୁସାରେ କାର୍ଯ୍ୟ କରିବାଲାଗି ତାହା ଭିତରେ କୌଣସି ଅନୁଭୂତିଶୀଳତା ନାହିଁ । ଆପଣାର କାର୍ଯ୍ୟ ତୁଲାଇବାରେ ଏହା ପ୍ରଧାନତଃ ଅଦକ୍ଷତା ଓ ଅଯୋଗ୍ୟତା ହିଁ ଦେଖାଇଚି । ସାମୁଦାୟିକ ବିକାଶ-କାର୍ଯ୍ୟର ଉତ୍ତରୋତ୍ତର ପ୍ରସାରଣ ହେବା ସଙ୍ଗେସଙ୍ଗେ ଏହି ଅଦକ୍ଷତା ବଢ଼ିବାରେ ଲାଗିଚି, ଦୁର୍ନୀତି ମଧ୍ୟ ବଢ଼ିବାରେ ଲାଗିଚି । କେନ୍ଦ୍ରସ୍ତରରେ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଯଥେଷ୍ଟ ଯୋଗସୂତ୍ର ବା ସହଯୋଗଭାବାପନ୍ନ ଦୃଷ୍ଟିକୋଣ ବି ନାହିଁ । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ତଥା ଜିଲ୍ଲା, ବ୍ଳକ୍ ଓ ଗ୍ରାମସ୍ତରରେ ମଧ୍ୟ ପାରସ୍ପରିକ ସହଯୋଗ ଓ ସହକାରିତାର ଅଭାବ ରହିଚି । ପାନୀୟ ଜଳର ବ୍ୟବସ୍ଥା କରିବା, ପାଇଖାନା ତିଆରି କରିଦେବା, ଉନ୍ନତ ବିହନ ବିତରଣ କରିବା ପ୍ରଭୃତି ଅତି ମାମୁଲି କାର୍ଯ୍ୟଗୁଡ଼ିକୁ ତୁଲାଇବାରେ ମଧ୍ୟ ବିକାଶ-କାର୍ଯ୍ୟକ୍ରମ ଯଥେଷ୍ଟ ସଫଳତା ଦେଖାଇପାରିନାହିଁ ଏବଂ ବିକାଶର ବିଭିନ୍ନ ଦିଗକୁ ଏକତ୍ର ସମନ୍ୱିତ କରି ଗ୍ରାମସ୍ତରରେ କାର୍ଯ୍ୟ କରିବାକୁ ସାମୁଦାୟିକ ବିକାଶର ଯେଉଁ ମୂଳ ଉଦ୍ଦେଶ୍ୟ ରଖାଯାଇଥିଲା, ସେଦିଗରେ କୌଣସି ଉଲ୍ଲେଖଯୋଗ୍ୟ ଅଗ୍ରଗତି ହୋଇନାହିଁ ।’’ (ପୃଷ୍ଠା–୨୬୨)

 

‘‘ଫଳିଥିବା ଫଳରୁ ଅତି ସ୍ପଷ୍ଟଭାବରେ ପ୍ରମାଣ ମିଳୁଚି ଯେ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ଗୋଟାଏ ଶରୀର ଅବଶ୍ୟ ରହିଚି, ମାତ୍ର ଅବୟବବିଶିଷ୍ଟ ଏହି ଶରୀରରେ କୌଣସି ପ୍ରାଣ ନାହିଁ । ସାମୁଦାୟିକ ବିକାଶବିଭାଗର ମନ୍ତ୍ରୀ ବା ପ୍ରଶାସକମାନେ କଥାର ସାହସିକ ନାଗରା ପିଟିବୁଲିଲେ ଯେ ଏହି ଶରୀର ଭିତରେ ଜୀବନ୍ୟାସ ହୋଇଯିବ, ଏପରି ଭାବିବାଲାଗି କୌଣସି କାରଣ ନାହିଁ । ଏପର୍ଯ୍ୟନ୍ତ ସେମାନେ ଯେଡ଼େ ବଡ଼ବଡ଼ କଥା କହିଆସିଚନ୍ତି, ସେଗୁଡ଼ିକର କୌଣସି ଅର୍ଥ ନାହିଁବୋଲି ହିଁ ଅଧିକ ପ୍ରମାଣିତ ହୋଇଚି । ପୁଣି ସବୁଠାରୁ ବଳି ବଡ଼ ଦୁର୍ଭାଗ୍ୟର ବିଷୟ ହେଉଚି ଯେ ସେମାନଙ୍କର କଥା ଓ କାର୍ଯ୍ୟରେ ଏପର୍ଯ୍ୟନ୍ତ ଯୋଜନ ଯୋଜନ ଅନ୍ତର ରହିଆସିଚି । ଏହିପରି ଫମ୍ପା କଥା ଶୁଣିବାରେ ଅଭ୍ୟସ୍ତ ହୋଇ ଲୋକମାନେ ଆଉ ସେସବୁ ବିଶ୍ୱାସ ନକରିବାକୁ ହିଁ ସ୍ଥିର କଲେଣି । ହାକିମମାନେ ଯେତିକି ବଡ଼ପାଟିରେ ଓ ଯେତିକି ସାହସରେ କଥା କହୁଚନ୍ତି, ଏବେ ଜନସାଧାରଣଙ୍କ ମନରେ ସଂଶୟ ଓ ଅନାସ୍ଥା ସେତିକି ବୃଦ୍ଧି ପାଇବାରେ ଲାଗିଚି । ସାମୁଦାୟିକ ବିକାଶ କାର୍ଯ୍ୟକ୍ରମକୁ ଚଳାଇବାରେ ଯେତେଗୁଡ଼ିଏ ବିଫଳତା ମିଳିଚି ଓ ଯେତିକି ଅପକାର ହୋଇଚି, ଲୋକଙ୍କର ବିଶ୍ୱାସ ତୁଟିଯିବାକୁ ସେଥିଭିତରୁ ସବୁଠାରୁ ସାମାନ୍ୟ ଅପକାର ବୋଲି କଦାପି କୁହାଯାଇ ପାରିବନାହିଁ ।’’(ପୃଷ୍ଠା–୧୬୪)

 

ବର୍ତ୍ତମାନ ଭାରତର ଶାସକ ଓ ପ୍ରଶାସକମାନେ କାହିଁକି ଆପଣାର କହିବା କଥାଗୁଡ଼ିକ ଅନୁସାରେ କୌଣସି କାର୍ଯ୍ୟ କଲାବେଳକୁ ପଛକୁ ହଟି ଯାଉଚନ୍ତି, ଅଧ୍ୟାପକ ଜ୍ଞାନଚାନ୍ଦ ଏହି ବିରାଟ ଗ୍ରନ୍ଥଟିରେ ତାହାର ଚର୍ଚ୍ଚା କରିଚନ୍ତି, କୌଣସି ପ୍ରକାର ଚୂନ ଧଉଳାଇବାର ମତଲବ ନରଖି ଅବସ୍ଥାଗୁଡ଼ିକୁ ପରୀକ୍ଷା କରି ଦେଖିଚନ୍ତି ଓ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଚନ୍ତି: ‘‘ଆଜି ଏପରି ଲୋକମାନେ ଏହିଦେଶର ସରକାରକୁ ଚଳାଉଚନ୍ତି, ଯେଉଁମାନଙ୍କ ଭିତରୁ ଅଧିକସଂଖ୍ୟକ ବ୍ୟକ୍ତି ସମାଜବାଦ ପ୍ରତି ବିଶ୍ୱାସଘାତକତା ହିଁ କରୁଚନ୍ତି । ଆମଦେଶର ପ୍ରଶାସନ ମହାଯନ୍ତ୍ରରେ, ବିଶେଷତଃ ଉପରସ୍ତରର ସିଡ଼ିଗୁଡ଼ିକରେ ଅତି ଦକ୍ଷ ଓ ପ୍ରବୀଣ ଲୋକମାନେ ନିଯୁକ୍ତ ହୋଇ ରହିଚନ୍ତି, ମାତ୍ର ଏମାନେ ପ୍ରଧାନତଃ ଆପଣା ସ୍ୱାର୍ଥର ସିଦ୍ଧିଲାଗି କାର୍ଯ୍ୟ କରୁଚନ୍ତି । ସମାଜବାଦ, ସାମାଜିକ ନ୍ୟାୟ ଓ ଏପରିକି ଜାତୀୟ ଉଚ୍ଚତର ଉଦ୍ଦେଶ୍ୟଗୁଡ଼ିକ ପ୍ରତି ସେମାନଙ୍କର କୌଣସି ଅନୁରକ୍ତି ନାହିଁ । ଏହିଦେଶର ଅର୍ଥନୀତି ଓ ଆର୍ଥିକ ପରିଯୋଜନ-ବ୍ୟବସ୍ଥାକୁ ବଡ଼ବଡ଼ ପଇସାବାଲାମାନେ ନିଜର ଅକ୍ତିଆରରେ ରଖିଚନ୍ତି । ସମାଜବାଦକୁ ଏମାନେ ଏକ ଅଭିଶାପ ବା କାଳ ପରି ବୁଝୁଚନ୍ତି । ଦେଶରେ ରହିଥିବା ରାଜନୀତିକ ଅନୁଷ୍ଠାନ ଓ ଦଳମାନ ଆଜି ରାଜନୀତିକ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ହିଁ ଚାଲୁଚି । ଏଗୁଡ଼ିକର କାର୍ଯ୍ୟକଳାପ ପଛରେ କୌଣସି ଉଚ୍ଚ ଆଦର୍ଶର ଅନୁପ୍ରେରଣା ନାହିଁ ବା ଭବିଷ୍ୟତର କଲ୍ୟାଣ ଦୃଷ୍ଟିରୁ ନିଷ୍କାମ ଭାବରେ ଆପଣାକୁ ସମର୍ପିତ କରି ରଖିଥିବା ବ୍ୟକ୍ତିମାନେ ଏଗୁଡ଼ିକୁ ନେତୃତ୍ୱ ଦେଉନାହାନ୍ତି ।’’ (ପୃଷ୍ଠା–୬୧୨)

 

ଆମ ପିଲାମାନେ ଗାଆଁରେ ଥିବା ପ୍ରାଇମେରୀ ସ୍କୁଲରେ ଆମକୁ ସ୍ୱାସ୍ଥ୍ୟରକ୍ଷା ବୋଲି ଗୋଟାଏ ବିଷୟରେ ମଧ୍ୟ ପଢ଼ାଇ ଦିଆଯାଉଥିଲା । ଜଳର ଉପକାରିତା, ବାୟୁର ଉପକାରିତା ଓ ଆଲୋକର ଉପକାରିତା ସମ୍ବନ୍ଧରେ ଆମେ ମାଷ୍ଟରଙ୍କ ମୁହଁର ସବୁକଥାକୁ ସନ୍ତର୍ପଣ ସହିତ ଶ୍ରବଣ କରି ପଇଟେଇ ରଖୁଥିଲୁ । ସେହିଗୁଡ଼ିକୁ ଦରକାରବେଳେ କର୍ମରେ ଲଗାଇ ଆମେ ବାହାଦୁର ପିଲାଏ ପରୀକ୍ଷାରେ ପାସ୍ କରୁଥିଲୁ । ଅଥଚ ଆମେ ଯେଉଁ ଅନ୍ଧାରୁଆ ଘରେ ବସିଥିଲୁ, ଯେଉଁ ମଇଳା କୂଅପାଣି ପିଉଥିଲୁ ବା ସ୍କୁଲଘରର ଚାରିପାଖରୁ ଆସୁଥିବା ମତ୍ରପୁରୀଷସଂସେବିତ ବାୟୁର ସେବନ କରୁଥିଲୁ, ପାଠ ପଢ଼ିବା ସହିତ ସେସବୁ କଥାର କୌଣସି ସମ୍ବନ୍ଧ ଅଛି ବୋଲି ସ୍ୱୟଂ ଶିକ୍ଷକ ମଧ୍ୟ ଅନୁଭବ କରୁନଥିଲେ, ଆମେ ପିଲାଏ ବା କାହିଁକି ଅନୁଭବ କରନ୍ତୁ ? ଜାତୀୟ ନିର୍ମାଣଶାଳାରେ ଶାସନର ଛାଟ ଧରି ବସିଥିବା ଶିକ୍ଷାଦାତାମାନେ ସେହିପରି ଦେଶର ଚାଟମାନଙ୍କୁ ପାଠ ବତାଇ ଆସୁଚନ୍ତି, କଥାରେ ଆମକୁ ପରୀକ୍ଷାରେ ପାସ୍ କରାଇଦେବେ ବୋଲି ବସିଚନ୍ତି । କିନ୍ତୁ ଦେଶର ଦାରିଦ୍ର୍ୟ, ଅଶିକ୍ଷା, ଶୋଷଣ, ଅନ୍ୟାୟ ଓ ପଛୁଆପଣମାନ ଦୂର କରିବାକୁ ଯେଉଁ ଦାୟିତ୍ୱସ୍ଥ ସରକାର କଣସବୁ କରିବେ ବୋଲି ଚିଠା ତିଆରି କରିଚନ୍ତି ଓ ସେଗୁଡ଼ିକୁ କେତେଦୂର କାର୍ଯ୍ୟକାରୀ କରିପାରିଚନ୍ତି କି ନାହିଁ, ଆତ୍ମନିରୀକ୍ଷଣ ବା ଆତ୍ମସମୀକ୍ଷା ଦ୍ୱାରା ସେଗୁଡ଼ିକୁ ବୁଝି ଆଗକୁ ବାଟ କାଢ଼ିବା ଏବଂ ସେହି ବାଟରେ ଯିବାଲାଗି ପ୍ରସ୍ତୁତ ହେବା ବିଷୟରେ ସେହି ସରକାର କୌଣସି ଦାୟିତ୍ୱକୁ ହୃଦୟଙ୍ଗମ କରୁଚନ୍ତି ବୋଲି ଅନେକ ସମୟରେ ମନେ ବି ହେଉନାହିଁ । ଅସଜଡ଼ା ଖିଅକୁ ସଜାଡ଼ିବାକୁ ବା ଅବାଟରୁ ବାଟକୁ ଆସିବାର ଉପାୟ କାଢ଼ିବାକୁ ସରକାର ଗୋଟାକ ପରେ ଗୋଟାଏ କମିଟି ବସାଉଚନ୍ତି । ଅଜସ୍ର ଅର୍ଥବ୍ୟୟରେ ଏହି କମିଟିଗୁଡ଼ିକର ବିଚାରକୁ ଯଥାଶକ୍ତି ଉର୍ବର ରଖିବାକୁ ସବୁ ବ୍ୟବସ୍ଥା ହେଉଚି । କମିଟି ଦେଶ, କାଳ ଓ ପାତ୍ରର ବିଭିନ୍ନତାରେ ବଡ଼ ସାନ ନାନା ରିପୋର୍ଟ ପେଶ୍ କରିବାରେ କୌଣସି କାର୍ପଣ୍ୟ କରୁନାହାନ୍ତି । କିନ୍ତୁ ଗୋଟାଏ କମିଟିର ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେହିବିଷୟରେ ଆଉଗୋଟାଏ ତହୁଁ ବଢ଼ିଆ କମିଟି ବସାଇବାକୁ ସରକାର ଅଧିକ ନିରାପଦ ବୋଲି ଭାବୁଚନ୍ତି । କମିଟି ଉପରେ କମିଟିର ରଫୁପଡ଼ି ସରକାରୀ ଯନ୍ତ୍ରର ଦେହ ଲୁଚିବା ଦୂରେଥାଉ, ଅକର୍ମଣ୍ୟତା ଗୁଡ଼ାକ ହିଁ ଅଧିକ ପଦାରେ ପଡ଼ିଯାଇଚି । ସାମୁଦାୟିକ ବିକାଶବିଭାଗ ତରଫରୁ ସ୍ଥାୟୀଭାବରେ ଏକ ମୂଲ୍ୟାଙ୍କନ ଉପବିଭାଗ ରହିଚି । ଫି’ବର୍ଷ ଏମାନେ ଗୋଟାଏ ଗୋଟାଏ ରିପୋର୍ଟ୍ ପେଶ୍ କରୁଚନ୍ତି । କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବାଲାଗି ପାଗ ବାନ୍ଧୁ ବାନ୍ଧୁ ପରବର୍ତ୍ତୀ ବର୍ଷର ରିପୋର୍ଟ୍ ବାହାରିବା ବେଳ ପାଖେଇଆସୁଚି । ଏହିପରି ବିଧିରେ କାର୍ଯ୍ୟ ଅଟକିଯାଉଚି, ମାତ୍ର ପଣ୍ଡିତାଇ ଲାଗି ଖାଦ୍ୟ ମିଳିଯାଉଚି । ୧୯୪୯ ମସିହାରେ ଶିକ୍ଷାର ସଂସ୍କାର ଲାଗି ରାଧାକୃଷ୍ଣନ୍ କମିଶନ ବସିଥିଲା, ତାହା ପରେ ବଡ଼ସାନ ଆଡ଼ମ୍ବରରେ କେତେ କମିଟି ବସି ରିପୋର୍ଟ୍ ଲେଖୁଚି, କିନ୍ତୁ ପ୍ରଥମ କମିଶନ୍‌ର ପରାମର୍ଶଗୁଡ଼ିକୁ ଯଥାର୍ଥଭାବରେ କାର୍ଯ୍ୟକାରୀ କରାଯାଉନାହିଁ । ଦେଶର ଦରିଦ୍ର ଜନସାଧାରଣ ସାମୁଦାୟିକ ବିକାଶଦ୍ୱାରା କିଭଳି ଉପକୃତ ହେଉଚନ୍ତି କି ନାହିଁ, ସେ ବିଷୟରେ କମିଟି ବସି ରିପୋର୍ଟ ପେସ୍ କରିସାରିଚନ୍ତି । କିନ୍ତୁ ମହତ୍‌ଜନମାନେ ସେ ବିଷୟରେ କିଛି ନକରିବାକୁ ହିଁ ମହାଜନପନ୍ଥା ବୋଲି ମାନିନେଇଚନ୍ତି । ଦୁର୍ନୀତିର ଅନୁସନ୍ଧାନ କରି ପରାମର୍ଶ ବତାଇବାକୁ କମିଟି ବସି ରିପୋର୍ଟ ଦେଇଚି, ମାତ୍ର ବାଡ଼ି ଭାଙ୍ଗିଯିବାର ଭୟରେ ସାପକୁ ନମାରିବାର ପନ୍ଥାକୁ ହିଁ ସର୍ବୋଚିତ ପନ୍ଥାରୂପେ ଗ୍ରହଣ କରାଯାଇଚି ।

 

ବଡ଼ ବଡ଼ ଆଦର୍ଶକଥାର ପ୍ରଚାର କରିବା, ବଡ଼ ବଡ଼ ସ୍ୱପ୍ନ ଦେଖିବା ଓ ସେହି ବାଉଳାରେ ପ୍ରକୃତ କାମରେ କିଛି କରିବାଲାଗି ପ୍ରବୃତ୍ତ ହେବାକୁ ଭୁଲିଯିବା–ଏହି ଖୋଇକୁ କାର୍ଲ୍ ମାର୍କସ୍ ‘ନିଃସାର ନିଷ୍ଠା’ ବୋଲି କହିଚନ୍ତି । ଆମ ଦେଶରେ କହିବାର ଅଭାବ ନାହିଁ; ଯେପରି ସ୍ୱପ୍ନବିହ୍ୱଳ ହୋଇ ଆମର ନେତୃବୃନ୍ଦ ଏଦେଶରେ ଭାଷଣ ଦେଇ ବୁଲନ୍ତି, ସେଥିରୁ ସେମାନଙ୍କର ସ୍ୱପ୍ନ ଦେଖିବାର ବୃତ୍ତି ଏପର୍ଯ୍ୟନ୍ତ ଫଳବନ୍ତ ରହିଚି ବୋଲି ଅତି ସ୍ପଷ୍ଟ ହୋଇଯାଏ । କିନ୍ତୁ କାମରେ ଦେଖାନାହିଁ । ଆଇନ୍ ହେଉଚି ମାତ୍ର ଆଇନ୍‌କୁ କାର୍ଯ୍ୟକାରୀ କରିବାର ହୋସ୍ ନାହିଁ । ଅଧିବେଶନମାନଙ୍କରେ ଗୋଟାକୁଗୋଟା ପ୍ରସ୍ତାବ କରାଯାଉଚି, କିନ୍ତୁ ତା’ପରେ ସମସ୍ତେ ଯେଉଁଠୁ ଯିଏ ଆସିଥିଲେ ଠିକ୍ ସେହିସେହି ଥାନକୁ ଫେରି ଯାଉଚନ୍ତି । ସେକ୍‌ସ୍‌ପିଅର୍‌ଙ୍କ ହାମ୍‌ଲେଟ୍-ଚରିତ୍ରରେ ଆମେ ଅନେକ ସମୟରେ ଏହି ସ୍ୱଭାବ ଓ ଏହି ପ୍ରକୃତି ଦେଖିବାକୁ ପାଇଥାଉ । ହାମ୍‌ଲେଟ୍ ପାଖରେ ଦର୍ଶନକଥାର ଅଭାବ ନଥିଲା, ସ୍ୱପ୍ନ- ଯୋଜନାର ବା ଭାବୁକତାର ଅଭାବ ନଥିଲା । କିନ୍ତୁ କଥାରେ ବା ଭାବପ୍ରବଣତାର ବିବଶତା ବା ଉତ୍ତେଜନାରେ ସେ ସକଳ ଜୀବନାଗ୍ରହକୁ ଖତମ୍ କରି ଦେଉଥିଲା, ସକଳ ଦାୟିତ୍ୱବୋଧକୁ କେବଳ କଥା କହିବା ଓ ସ୍ୱପ୍ନ ଦେଖିବାର ସରାଗ ଉପରେ ବାଡ଼େଇ ଚୂନା କରିଦେଉଥିଲା । ଆମ ଦେଶରେ ଜାତିକୁ ଚଳାଇବାର ବିଭିନ୍ନ କ୍ଷେତ୍ରରେ ଯେଉଁ ନେତୃତ୍ୱ ଅଢ଼ାଧରି ବସିଚି, ସେହି ନେତୃତ୍ୱ ଭିତରେ ହାମ୍‌ଲେଟ୍‌ର ‘ନିଃସାର ନିଷ୍ଠା’ ଅତିରିକ୍ତ ମାତ୍ରାରେ ରହିଚି । କିନ୍ତୁ ସେକାଳର ହାମ୍‌ଲେଟ୍ ଓ ଭାରତବର୍ଷରେ ଏକାଳର ହାମ୍‌ଲେଟ୍‌ମାନଙ୍କ ମଧ୍ୟରେ ଗୋଟାଏ ପାର୍ଥକ୍ୟ ରହିଥିବାପରି ମନେହେଉଚି । ଆମ ଦେଶର ନେତାମାନେ ହୁଏତ ଚତୁର ଭାବରେ ବାସ୍ତବ ଦାୟିତ୍ୱଗୁଡ଼ିକୁ ଏଡ଼ିବାଲାଗି ଜାଣିଶୁଣି ହାମ୍‌ଲେଟ୍‌ ବନିଚନ୍ତି । ହାମ୍‌ଲେଟ୍ ସ୍ୱଭାବତଃ ହାମ୍‌ଲେଟ୍ ପରି ଆଚରଣ କରୁଥିଲା, ଭାରତର ନେତୃତ୍ୱ – ସେ ମନ୍ତ୍ରୀ ଆସନରେ, ସରକାରୀ ଅଫିସ୍‌ରେ, ବିଶ୍ୱବିଦ୍ୟାଳୟର କୋଠାରେ ବା ଗାଆଁ ପଞ୍ଚାୟତରେ ଯେଉଁଠି ଥାଉ ପଛକେ,–ହାମ୍‌ଲେଟ୍ ବନି ରହିବାକୁ ନିରାପଦତମ ପନ୍ଥା ବୋଲି ଜାଣି ହୁଏତ ସେହିପରି ହେବାର ଦୀକ୍ଷା ଗ୍ରହଣ କରିଚି ।

 

କଥା କହିଲାବେଳେ ଡେଣାଲଗା ଯାନଉପରେ ବସି ଉଚ୍ଚଗଗନରେ ଉଡ଼ିବୁଲୁଥିବ, ଉପଦେଶ ଦେଲାବେଳକୁ ଓ ନୀତିକଥା ପରଷିଲା ବେଳକୁ ଉତ୍ସାହରେ କୌଣସି ମର୍ଯ୍ୟାଦା ନଥିବ,– ମାତ୍ର ସେହି ଅନୁସାରେ କାର୍ଯ୍ୟ କରିବାର ବେଳ ଆସି ପହଞ୍ଚିଲେ ପରିସ୍ଥିତି ବିଷୟରେ ନାନାପ୍ରକାର ଅସୁବିଧା ଦେଖାଇ ନାନା ତ୍ରାସ ଓ ନାନା ‘ଯଦି’ ମଧ୍ୟରେ ସୁବିଧାବାଦୀଙ୍କ ପରି ଘୁଷୁରି ଘୁଷୁରି ଯିବା ବ୍ୟତୀତ ଆଉ କୌଣସି ପ୍ରକାର କାଢ଼ ବା ସାମର୍ଥ୍ୟ ନଥିବ । ଏପରି ଆଚରଣ କରୁଥିବା ବ୍ୟକ୍ତି ବା ଗୋଷ୍ଠୀର ଦୃଷ୍ଟିକୋଣକୁ ଆମେରିକାର ସ୍ୱର୍ଗତ ସମାଜସମୀକ୍ଷକ ଶ୍ରୀଯୁକ୍ତ ମିଲ୍‌ସ୍‌ (C. Wright Mills) ‘ଫଟାମାଠିଆ ମାର୍କା ବାସ୍ତବବାଦ’ (Crackpot Realism) ବୋଲି କହିଚନ୍ତି । ଭାରତବର୍ଷରେ ସ୍ୱାଧୀନତାର ସଂଗ୍ରାମ ଆରମ୍ଭହେବା ଦିନଠାରୁ ଏଦେଶର ବିବିଧ କ୍ଷେତ୍ରରେ ରହିଥିବା ନେତାମାନେ କେତେ କେତେ ଆଦର୍ଶ କଥା କହିଚନ୍ତି, କେଡ଼େ କେଡ଼େ ନୀତି ଓ ନ୍ୟାୟର ବୋଲୁଅ ମାରିଚନ୍ତି । ଅତୀତ ଭାରତର ସ୍ୱର୍ଣ୍ଣମୟ ଗୌରବଗୁଡ଼ିକର ଚିତ୍ର ଦେଖି ସେମାନେ ବ୍ରିଟିଶ୍ ଯିବାମାତ୍ରକେ ଭାରତବର୍ଷକୁ ସୁନାଛାଉଣୀ କରିଦେବେ ବୋଲି କେତେକେତେ ସ୍ୱପ୍ନ ନଦେଖିଚନ୍ତି ! ମାତ୍ର ଗତ ଅଠରବର୍ଷର କାର୍ଯ୍ୟକଳାପରେ ସେମାନେ ଅତି ସାବଧାନୀ ବାସ୍ତବବାଦୀ ପରି କେବଳ କଥାରେ ଆଦର୍ଶ କଥା କହିଚନ୍ତି, କିନ୍ତୁ ସେହି ଅନୁସାରେ କିଛି କରିବାକୁ ପଡ଼ିଲାବେଳକୁ ନାନା ଅସୁବିଧା ତ୍ରାସର ଉଲୁଗୁଣା ଦେଇ ପରମ ବିଷାଦଯୋଗରେ ଅସ୍ତ୍ରଶସ୍ତ୍ର ଛାଡ଼ି ବସିଚନ୍ତି । ଆଦର୍ଶ ଅନୁସାରେ କ୍ଷେତ୍ର ପ୍ରସ୍ତୁତ କରି ତାହାରି ପ୍ରାପ୍ତିଲାଗି ନେତୃତ୍ୱ ଦେବା ହେଉଚି ଯୋଗ୍ୟ ନେତାର କର୍ତ୍ତବ୍ୟ । ଅଫିସ୍‌ର କିରାନିମାନେ ନାନାପ୍ରକାର ଅସୁବିଧା ଓ କୈଫୟତ୍ ଦେଖାଇ ଟାଳିବାପରି ଦେଶର ନେତୃତ୍ୱ ମଧ୍ୟ ଯଦି ନାନା କୁଣ୍ଠାରେ ନିଜ ଗୋଡ଼ରେ ପଥର ବାନ୍ଧି ବସେ, ବଡ଼ କଥା କହି ବା ବଢ଼ିଆ ଆଇନ୍‌ଟାଏ ପାସ୍ କରିଦେଇ ଶୋଇବାକୁ ଯାଏ, ତେବେ ଏହି ଦେଶର ଜନସାଧାରଣ ଆଉ କୁଆଡ଼କୁ ଅନାଇବେ ?

 

ଦେଶର ଆର୍ଥିକ ଯୋଜନା ବା ତଜ୍ଜନିତ ବିକାଶ ଉପରେ ଟୀକା କରି ଶ୍ରୀଯୁକ୍ତ ବିନୋବା ଥରେ କହିଥିଲେ (୧୮.୯.୧୯୬୫) ଯେ, ଯୋଜନା କମିଶନ ଭାରତବର୍ଷର ଦରିଦ୍ରମାନଙ୍କ ପ୍ରତି ୧୯୮୫ ମସିହାରେ ନିଶ୍ଚୟ ନ୍ୟାୟବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଉଚନ୍ତି । ‘‘ଯେଉଁ ମଣିଷ ଆଜି ବୁଡ଼ିଯିବାକୁ ବସିଚି, କୋଡ଼ିଏବର୍ଷ ପରେ ତାର ଜୀବନରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲେ ସେଥିରୁ ସେ କି ସାନ୍ତ୍ୱନା ପାଇବ ? ଯଦି ତାହାକୁ ବଞ୍ଚାଇବାର କଥା, ତେବେ ଏହି ମୁହୂର୍ତ୍ତରେ ଏଇଠି ତାକୁ ବଞ୍ଚାଇବାକୁ ପଡ଼ିବ ।’’ ଆଉ ଗୋଟିଏ ଅବସରରେ (୨୧.୮.୧୯୬୫) ସେ ଦେଶର ରାଜନୀତିକ ଓ ଶାସନଗତ ନେତୃତ୍ୱ ଆଡ଼କୁ ଦୃଷ୍ଟିପାତ କରି କହିଚନ୍ତି ଯେ ବର୍ତ୍ତମାନ ଯେଉଁ ଦଳ ହାତରେ ଦେଶର ଶାସନଡ଼ୋର ରହିଚି, ଦେଶର ବଡ଼ବଡ଼ ଜୀବନ-ମରଣ ସମସ୍ୟା ବିଷୟରେ ସେ ଏପର୍ଯ୍ୟନ୍ତ ମଧ୍ୟ କୌଣସି ସ୍ଥିର ନିଷ୍ପତ୍ତିରେ ପହଞ୍ଚିପାରି ନଥିଲାପରି ମନେହେଉଚି । ତେଣୁ ଏହି ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଲାଗି ଏହା କୌଣସି ଯଥାର୍ଥବାଦୀ ଦୃଷ୍ଟିକୋଣ ଓ କର୍ମସଂକଳ୍ପ ନେଇ ଅଗ୍ରସର ହୋଇ ପାରୁନାହିଁ । ବଡ଼ବଡ଼ ରାଜନୀତିକ ନେତା ଓ ଉପରେ ରହି ଯୋଜନା ତିଆରି କରୁଥିବା ବ୍ୟକ୍ତିମାନେ ଆଜି ଜନସଂଖ୍ୟାର ଅତ୍ୟଧିକ ବୃଦ୍ଧିଉପରେ ହିଁ ସମସ୍ତ ବିଫଳତାର ଦାୟିତ୍ୱକୁ ଆଣି ଲଦିଦେବାକୁ ବାହାରିଚନ୍ତି । ଯୋଜନା ଗୁଡ଼ିକୁ ଚଳାଇବାରେ କୋଟିକୋଟି ଟଙ୍କା ଖରଚ ହୋଇଚି, ମାତ୍ର ତାହା କେବଳ ଧନୀ ଓ ଉଚ୍ଚବର୍ଗମାନଙ୍କୁ ହିଁ ଉପକୃତ କରିଚି । ତଳେ ରହିଥିବା ଦରିଦ୍ରଶ୍ରେଣୀର ସ୍ତରଯାଏ ସେହି ଅର୍ଥ କେବେହେଲେ ପହଞ୍ଚିପାରିନାହିଁ ।

 

ଏହିପରି ଏକ ତାମସିକ ଉଦାସୀନତାର ପୃଷ୍ଠଭୂମି ଉପରେ ଭାରତ ଉପରକୁ ଘୋଟିଆସୁଥିବା ସଙ୍କଟର ଆଲୋଚନା କରି ଶ୍ରୀଯୁକ୍ତ ସେଗଲ୍ (ପୁସ୍ତକ ଟିପ୍ପଣୀ–୯, ପୃଷ୍ଠା–୨୮୮, ୩୦୬) କହିଚନ୍ତି ଯେ, ଯେତେବେଳେ କେବଳ ଭାରତବର୍ଷର ଶାସକମାନଙ୍କ ଲାଗି ନୁହେଁ, ମାତ୍ର ଜନସାଧାରଣଙ୍କ ଲାଗି ମଧ୍ୟ ଏଦେଶର କିଛି ପ୍ରକୃତ କାର୍ଯ୍ୟ କରାଯାଇ ପାରିବ, ସେତେବେଳେ ଯାଇ ଭାରତର କୋଟିକୋଟି ଲୋକଙ୍କଲାଗି ଭାରତବର୍ଷ ଓ ତାହାର ସୁରକ୍ଷାର କୌଣସି ଅର୍ଥ ରହିବ । ଏକ ସଂଶୟବାଚକ ମୁଦ୍ରାରେ ସେ ପଚାରିଚନ୍ତି, ‘‘ଏବେସୁଦ୍ଧା ଯେଉଁ କୋଟିକୋଟି ଲୋକ ନୀରବରେ ଜୀବନର ନାନା କଷଣ ଭୋଗ କରୁଚନ୍ତି, ସେହିମାନଙ୍କଲାଗି ପ୍ରକୃତରେ କିଛି କାର୍ଯ୍ୟ କରିପାରିବାକୁ ଦୃଢ଼ ସଂକଳ୍ପ ନେଇ ବାହାରିଥିବା ଏକ ଭାରତୀୟ ସରକାର ଭାରତବର୍ଷରେ ସମ୍ଭବ ହେବ କି ? କିନ୍ତୁ ଯଦି ଏହା ସମ୍ଭବ ନହୁଏ, ତେବେ ଭାରତର ବିକ୍ଷୁବ୍‌ଧ ଜନସାଧାରଣ ସବୁଦିନଯାଏ ନୀରବ ରହିଥିବେ ବୋଲି ଆମେ କେତେଦୂର ବିଶ୍ୱାସ କରିପାରିବା ?

 

ଏହାର ଉତ୍ତର ପାଇବାଲାଗି ଆମକୁ କୌଣସି ଭଙ୍ଗାରୁଜା ବିପ୍ଳବର ବାନା ଧରି ଲଙ୍କାପୋଡ଼ିବାର ସ୍ଲୋଗାନ ଦେଉଥିବା ବ୍ୟକ୍ତି ପାଖକୁ ଯିବାକୁ ପଡ଼ିବନାହିଁ । ଅତି ଅଳ୍ପଦିନ ପୂର୍ବେ ବିନୋବା ଭାବେ ଆମର ଆଶଙ୍କାଗୁଡ଼ାକୁ ପ୍ରକାଶ କରିଦେଲାପରି କହିଚନ୍ତି (ପୁସ୍ତକ ଟିପ୍ପଣୀ –୪୯, ଡିସେମ୍ବର ୧, ୧୯୬୫) : ‘‘ଚୀନ୍ ଓ ରୁଷିଆର କମ୍ୟୁନିଷ୍ଟବାଦର ସଫଳ ପ୍ରତିଷ୍ଠା ହୋଇସାରିଲାଣି । ଆପଣା ବାଟରେ ଯାଇ ଆମେ ଆମ ଉଦ୍ଦେଶ୍ୟପ୍ରାପ୍ତିରେ ସଫଳ ନହେଲେ ହୁଏତ ଏହି ଦେଶକୁ ମଧ୍ୟ କମ୍ୟୁନିଷ୍ଟବାଦ ଆସିବ । ଆମ ଦେଶର ହୃଦୟକୁ କାମୁଡ଼ିଧରିଥିବା ଦାରିଦ୍ର୍ୟ ସବୁଦିନଲାଗି କମ୍ୟୁନିଷ୍ଟବାଦ ସକାଶେ ଏକ ସ୍ଥାୟୀ ନିମନ୍ତ୍ରଣ ହୋଇ ରହିଚି । ଗ୍ରାମଦାନର କଳ୍ପନା ଭିତରେ ରହିଥିବା ଶ୍ରଦ୍ଧା ଓ ପାରସ୍ପରିକ ହୃଦୟବତ୍ତାର ମାର୍ଗରେ ଯଦି ଆମେ ଦାରିଦ୍ର୍ୟର ଏହି ସମସ୍ୟାଟିର ସମାଧାନ କରିପାରିବା, ତେବେ ଭାରତଲାଗି ତାହା ସବୁଠାରୁ ବଡ଼ ଶ୍ରେୟ ହୋଇ ରହିବ । ନଚେତ ହିଂସାର ମାର୍ଗ ଅନୁସରଣ କରିବା ବ୍ୟତୀତ ଲୋକମାନଙ୍କ ଆଗରେ ଆଉ ଅନ୍ୟ ଉପାୟ ହିଁ ରହିବନାହିଁ ।’’ ଗଣତନ୍ତ୍ର ଓ ସମାଜବାଦକୁ ମଧ୍ୟ ଆମେ ଶ୍ରଦ୍ଧା ଓ ହୃଦୟବତ୍ତାର ମାର୍ଗ ଦେଇ ପ୍ରତିଷ୍ଠିତ କରିପାରିବା । କିନ୍ତୁ ସେଥିଲାଗି ସାଧୁତା ଦରକାର, ନିର୍ଭୀକ କର୍ମପ୍ରେରଣା ରହିଥିବା ଦରକାର ।

 

ଆଧୁନିକ ଆଫ୍ରିକା ଓ ତାହାର ସମସ୍ୟାଗୁଡ଼ିକ ଉପରେ ଲିଖିତ ଗୋଟିଏ ପୁସ୍ତକରେ (୫୨) ଆଫ୍ରିକାର ବର୍ତ୍ତମାନ ପରିସ୍ଥିତି ବିଷୟରେ ତିନୋଟି କଥା ସୂଚାଇ ଦିଆଯାଇଚି । ।।୧।। ଆଫ୍ରିକାର ଚାଷୀମାନଙ୍କର ଦୃଷ୍ଟିକୋଣରେ ଉଚିତ ପରିବର୍ତ୍ତନମାନ ଘଟିଲେ ଓ କୃଷିପ୍ରଣାଳୀରେ ବିଜ୍ଞାନ ଓ ଆଧୁନିକ କୌଶଳ ଗୁଡ଼ିକୁ ଗ୍ରହଣ କରାଯାଇ ପାରିଲେ ଯାଇ ଆଫ୍ରିକାର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ, ।।୨।। ଆଫ୍ରିକାର ବିଭିନ୍ନ ଦେଶରେ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ନେତୃତ୍ୱ ଦେଉଚନ୍ତି, ସେମାନେ ସାଧାରଣ ଜନତାଠାରୁ ଅତିରିକ୍ତ ଦୂରଛଡ଼ା ହୋଇ ରହିଚନ୍ତି । ଏହାରି ପରିଣାମ ସ୍ୱରୂପ ଆଫ୍ରିକାର କୃଷିଉନ୍ନୟନରେ ଅନେକ ପ୍ରତିବନ୍ଧକ ରହିଚି । ।।୩।। ଜନସାଧାରଣଙ୍କଠାରୁ ଦୂରରେ ରହିଥିବା ଏହି ଶ୍ରେଣୀ ଏପରି ଏକ ଶିକ୍ଷାବ୍ୟବସ୍ଥା ଦ୍ୱାରା ତିଆରି ହୋଇଚି, ଯାହାକି ବିଦେଶରୁ ଆମଦାନୀ ହୋଇ ଆସିଚି ଏବଂ ଆଫ୍ରିକାର ସମାଜ ଓ ପରିସ୍ଥିତି ସହିତ ଏହାର କୌଣସି ସମ୍ବନ୍ଧ ନାହିଁ ।

 

ଏହି ତିନୋଟି ମନ୍ତବ୍ୟର ବିଶ୍ଳେଷଣ କରି ଲେଖକ କହିଚନ୍ତି, ‘‘ଆପଣାର ଭୌତିକ ଜୀବନସ୍ତରକୁ ଉପରକୁ ଉଠାଇବାକୁ ହେଲେ ଚାଷୀମାନେ ନୂତନ ସାଧନମାନ ବ୍ୟବହାର କରିପାରିବାଭଳି ନୂତନ କୌଶଳମାନ ଶିଖିବା ଉଚିତ । ସହରଠାରୁ ଅନେକ ଦୂରରେ ଆଧୁନିକ ଜୀବନଠାରୁ ବିଚ୍ଛିନ୍ନ ହୋଇ ବାସକରୁଥିବା କୋଟିକୋଟି ଲୋକଙ୍କର ଜୀବନଦୃଷ୍ଟିରେ ପରିବର୍ତ୍ତନ ଘଟିଲେ ଯାଇ ତାହା ସମ୍ଭବ ହୋଇପାରିବ । ଆପଣାର ଜୀବନରେ ବିପ୍ଳବାତ୍ମକ ପରିବର୍ତ୍ତନମାନ ଆଣିବାଲାଗି ସେମାନଙ୍କୁ ଏକ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ । ଗୋଟାଏ ନୂଆ କୃଷିଯନ୍ତ୍ର ଆଣି ଥୋଇଦେଲେ ବା ଗୋଟାଏ ନୂଆ ଫସଲର ଚାଷ ବିଷୟରେ ବତାଇଦେଲେ କୃଷି ଉନ୍ନୟନ ଆପେ ଆପେ ହୋଇଯାଏନାହିଁ । ସଂସାର କହିଲେ ଜଣେ ମଣିଷ ସାଧାରଣତଃ କଣ ବୁଝୁଚି ଓ ସାମାଜିକ ପୃଷ୍ଠଭୂମି ଉପରେ ସେ ଆପଣାକୁ କିପରି ଦୃଷ୍ଟିରେ ଦେଖୁଚି, ତାହାରି ଉପରେ ହିଁ ତାହାର କୃଷିପ୍ରଣାଳୀରେ ପରିବର୍ତ୍ତନ ସଂଘଟିତ ହେବା ଅନେକ ପରିମାଣରେ ନିର୍ଭର କରିଥାଏ ।’’

 

‘‘ଶିକ୍ଷିତ ଆଫ୍ରିକାବାସୀ (କଳା ଓ ଗୋରା ଉଭୟ) ଭିତରେ ଯଥାର୍ଥ କଳ୍ପନାଶକ୍ତିର ଅଭାବ ରହିଚି ଓ ସମାଜର ସମସ୍ୟାକୁ ସେ ଯଥାର୍ଥ ଭାବରେ ଆପଣାର ସମସ୍ୟାରୂପେ ଅନୁଭବ କରି ପାରୁନାହିଁ, କୃଷିର ଉନ୍ନତି ସାଧନ କରିବା ବିଷୟରେ ବିଫଳତା ପଛରେ ହୁଏତ ତାହାହିଁ କାରଣପରି କାର୍ଯ୍ୟ କରୁଚି । ଆଗେ ଇଉରୋପୀୟ ଶାସନରେ ଯେପରି ହେଉଥିଲା, ଠିକ୍ ସେହି ରୀତିରେ ଆଜିମଧ୍ୟ ଆଫ୍ରିକାବାସୀ କୃଷିବିଶେଷଜ୍ଞ ଏକ ଯାନ୍ତ୍ରିକ ରୁଟିନ୍–ପ୍ରଣାଳୀରେ ଗ୍ରାମବାସୀମାନଙ୍କୁ କୌଣସି ଗୋଟାଏ ଜାଗାରେ ଆଣି ଏକଜୁଟ କରାଉଚି ଏବଂ ସେମାନଙ୍କ ଉପରେ ରହିଥିବା ଜଣେ ହାକିମ ପରି ହାବଭାବ ଦେଖାଇ ସେମାନଙ୍କର କର୍ତ୍ତବ୍ୟମାନ ବତାଇଦେଉଚି । ଆଫ୍ରିକାର ସମ୍ପନ୍ନ ଓ ଶିକ୍ଷିତବର୍ଗ ଲୋକସାଧାରଣ ଓ ତା’ଭିତରେ କଣସବୁ ଅନ୍ତର ରହିଚି, ସେହିଗୁଡ଼ିକୁ ଦେଖାଇ ବୁଲିବାରେ ହିଁ ସେ ଆପଣାର ସବୁଠାରୁ ଅଧିକ ଆଗ୍ରହ ଦେଖାଉଚି ଓ ତାର ଅଧିକାଂଶ ଚେଷ୍ଟା ପ୍ରଧାନତଃ ଏଇଥିରେ ନିୟୋଜିତ ହୋଇ ରହିଚି । ତେଣୁ ଆଦିମ କୃଷକମାନଙ୍କୁ ଦୟା ଦେଖାଇ ସେମାନଙ୍କର କିଛି ଉପକାର କରିବାକୁ ଯିବା ପରିବର୍ତ୍ତରେ ସେମାନଙ୍କର କଥା ଶୁଣିବାକୁ ସେ ଆପଣାର ଆତ୍ମସମ୍ମାନ ଲାଗି କ୍ଷତିକାରକ ବୋଲି ଅନୁଭବ କରୁଚି ।’’

 

ଆଫ୍ରିକାର ଶିକ୍ଷିତ ଓ କ୍ଷମତାସମ୍ପନ୍ନବର୍ଗ ଯାଉଣୁଆସୁଣୁ ସାମ୍ୟବାଦର ସ୍ଳୋଗାନ୍ ଦେବାରେ ଲାଗିଚନ୍ତି । କିନ୍ତୁ ଲେଖକ ସନ୍ଦେହ ପ୍ରକଟ କରୁଚନ୍ତି ଯେ ସେମାନେ ପ୍ରକୃତରେ କୌଣସି ପରିବର୍ତ୍ତନ ଚାହୁନାହାନ୍ତି ବା କୌଣସି ପରିବର୍ତ୍ତନରେ ବିଶ୍ୱାସ ମଧ୍ୟ କରୁନାହାନ୍ତି । କାରଣ ବର୍ତ୍ତମାନ ସ୍ଥିତିରେ ସେମାନେ ଯେଉଁ ସୁବିଧାଜନକ ସ୍ତର ଓ ସ୍ଥାନମାନଙ୍କରେ ଅଛନ୍ତି, ପରିବର୍ତ୍ତନ ଆସିଲେ ହୁଏତ ସେଗୁଡ଼ିକ ହାତରୁ ଚାଲିଯିବ ବୋଲି ସେମାନେ ଭାରି ଆଶଙ୍କା କରୁଚନ୍ତି । ଇଉରୋପୀୟ ଶାସକମାନେ ଯେତେବେଳେ ଆଫ୍ରିକାରୁ ବିଦାୟ ହୋଇଗଲେ, ସେତେବେଳେ ଆଫ୍ରିକାର ସମ୍ପନ୍ନତର ଉଚ୍ଚବର୍ଗ ହାତରେ ହିଁ ସେମାନେ ଭଣ୍ଡାରର ଚାବି ଧରାଇଦେଇ ଗଲେ । ବର୍ତ୍ତମାନ ଚଳୁଥିବା ବ୍ୟବସ୍ଥାରେ ଏହି ଉଚ୍ଚବର୍ଗମାନେ ହିଁ ଅତିରିକ୍ତ ସୁବିଧାଜନକ ସ୍ତରମାନଙ୍କରେ ରହିଚନ୍ତି, ସାମାଜିକ ସମ୍ପନ୍ନତାର ସମସ୍ତ ଚରୁଅନ୍ନ ବର୍ତ୍ତମାନ କେବଳ ସେହିମାନଙ୍କର ପତରରେ ପଡ଼ୁଚି । ତେଣୁ ଏହି ସ୍ଥିତିକୁ ଯେ ସେମାନେ ଯଥାସମ୍ଭବ ଅଧିକକାଳ ସ୍ଥାୟୀକରି ରଖିବାକୁ ସବୁପ୍ରକାର ଫନ୍ଦା କରିବେ, ତାହା ଅତ୍ୟନ୍ତ ସ୍ୱାଭାବିକ । କାରଣ ସମାଜରେ କୌଣସିପ୍ରକାରର ପରିବର୍ତ୍ତନ ଆସିବାମାତ୍ରକେ ସେମାନଙ୍କର କ୍ଷମତା ଅବଶ୍ୟ ଉଣା ହୋଇଯିବ, ସେମାନଙ୍କର ରୋଜଗାର ମାନ୍ଦା ପଡ଼ିଯିବ ଏବଂ ସେମାନଙ୍କର ବଡ଼ପଣିଆର ପରଭା ମଧ୍ୟ ମଳିନ ଦିଶିବ । ଆଫ୍ରିକାରେ ବିଭିନ୍ନ ଦେଶର ରାଜଧାନୀମାନଙ୍କରେ ଉଚ୍ଚବର୍ଗର ଏହି ସମ୍ମାନପିପାସାର ସ୍ପଷ୍ଟ ଦ୍ୟୋତକରୂପେ ଆଖିକୁ ଜଳଜଳ ହୋଇ ଦିଶିଯିବାଭଳି କେତେକେତେ ସ୍ମାରକ ତିଆରି ହେବାରେ ଲାଗିଚି । ଏସବୁଦ୍ୱାରା ଦେଶର ଆୟରେ ପଇସାଟିଏ ବଢ଼ୁନାହିଁ, ତଥାପି ପରିପୂର୍ଣ୍ଣ ଆଗ୍ରହରେ ଏସବୁ ଗଢ଼ାହୋଇ ଚାଲିଚି-। ଜଙ୍ଗଲର ଅଳିଆ ଅରମା ଭିତରେ ବାସ କରୁଥିବା କୃଷକର ଭାଗ୍ୟ ବଦଳାଇବାଲାଗି ଆପଣାର ଶକ୍ତି ଓ ଜାତୀୟ କୋଷର ଧନକୁ ବ୍ୟୟ କରିବା ଅପେକ୍ଷା ଶାସକ ଉଚ୍ଚବର୍ଗମାନେ ସେସବୁକୁ ଏହିଥିରେ ଖର୍ଚ୍ଚ କରିବାକୁ ହିଁ ଅଧିକ ଉଚିତ ମନେକରୁଚନ୍ତି ।

 

‘‘ଉଚ୍ଚବର୍ଗ ଯେ ଏହିପରି ଏକ ମାନସିକ ଦୁର୍ଦ୍ଦଶାଭିତରେ ଲଟପଟ ହେଉଚି, ଏହାର କାରଣ ଅବଶ୍ୟ ରହିଚି । ଇଉରୋପର ଉତ୍ପାଦନ-ସାମର୍ଥ୍ୟ ହାସଲ କରିବାପୂର୍ବରୁ ଅତି ସରାଗରେ ସେ ଇଉରୋପର ଭୋଗମାର୍ଗଗୁଡ଼ିକୁ ଗ୍ରହଣ କରିନେଇଚି । ଉପନିବେଶ ଶାସନ କରୁଥିବା ସମୟରେ ଇଉରୋପୀୟ କର୍ତ୍ତାମାନେ ଆଫ୍ରିକାବାସୀଙ୍କୁ ଇଉରୋପର ଶ୍ରମନିଷ୍ଠ ସମାଜ ବିଷୟରେ କୌଣସି ପରିଚୟ ଦେଇନଥିଲେ, ସେମାନେ ଆଫ୍ରିକାରେ ଇଉରୋପୀୟ ସାମନ୍ତବାଦର ଆଳସ୍ୟପରାୟଣ ସମ୍ଭ୍ରାନ୍ତ ରୂପଟାକୁ ହିଁ ଅଧିକକରି ଦେଖାଇବାରେ ଅଭ୍ୟସ୍ତ ଥିଲେ । ଆଗେ ଇଉରୋପୀୟମାନେ ଯେତିକି ବେତନ ନେଉଥିଲେ, ବର୍ତ୍ତମାନ ଆଫ୍ରିକାର ଉଚ୍ଚବର୍ଗମାନେ ମଧ୍ୟ ସେତିକି ବେତନ ନନେଲେ ଆତଙ୍କ ଗଣୁଚନ୍ତି, ଏଣେ ଆଫ୍ରିକାର ଉତ୍ପାଦନ-ସାମର୍ଥ୍ୟ ଯାଇ କେଉଁତଳେ ପଡ଼ିରହିଚି । ଏସବୁ ଦୃଷ୍ଟିରୁ ଆଫ୍ରିକାର ଜନସାଧାରଣ ଉପରେ ସେହି ମହାଦେଶର ଉଚ୍ଚବର୍ଗ ଏକ ମହାର୍ଘ ବ୍ୟସନବୋଝ ହୋଇ ରହିଚନ୍ତି ।’’

 

‘‘ଇଉରୋପୀୟ ଶାସନ ସମୟରୁ ହିଁ ଶିକ୍ଷାପ୍ରାପ୍ତ ଆଫ୍ରିକାବାସୀମାନେ ଜନସାଧାରଣଙ୍କଠାରୁ ନିଜକୁ ଭିନ୍ନ ବୋଲି ଅନୁଭବ କରି ଶିଖିଚନ୍ତି । ଆଜିମଧ୍ୟ ଆଫ୍ରିକାର ପାଠଶାଳାମାନଙ୍କରେ ସେହି ସନ୍ଦେଶର ପ୍ରଚାର ହେଉଚି । ଯେଉଁ ସବୁଥିରେ ଇଉରୋପୀୟ ସଭ୍ୟତାର ବା ସହରସୁଲଭ ଠାଣିର କୌଣସି ଗନ୍ଧ ରହିଚି, ଆଫ୍ରିକା ଓ ବିଶେଷତଃ ଗାଆଁର ଯେକୌଣସି କଥାଠାରୁ ତାହାକୁ ହିଁ ଅଧିକ ମୂଲ୍ୟ ଦିଆଯାଉଚି । ଗାଆଁର ସଂସ୍କୃତି ଓ ଗ୍ରାମଜୀବନର ମୂଲ୍ୟବୋଧଗୁଡ଼ିକ ପ୍ରତି ତାଚ୍ଛିଲ୍ୟ ପ୍ରଦର୍ଶନ କରାଯାଉଚି ଏବଂ ସର୍ବୋପରି ଚାଷକାମ ଓ ଶରୀରଶ୍ରମକୁ ହୀନଦୃଷ୍ଟିରେ ଦେଖିବା ସକାଶେ ପାଠ ପଢ଼ୁଥିବା ପିଲାମାନଙ୍କର ମୁଣ୍ଡରେ ପୋକ ପୂରାଇ ଦିଆଯାଉଚି । ପାଠ ପଢ଼ାଇବା କହିଲେ ଆଜିମଧ୍ୟ ପ୍ରଧାନତଃ କେତେଟା ବିଷୟକୁ ଘୋଷାଇ ଦୋରସ୍ତ କରି ରଖିବାକୁ ବୁଝାଉଚି । ପରୀକ୍ଷାରେ ପାସ୍ କରିବାକୁ ହିଁ ସ୍କୁଲପାଠର ବୈତରଣୀ ପହଁରିବାକୁ ପଡ଼ୁଚି ଏବଂ ପରୀକ୍ଷାରେ ପାସ୍ କରିଗଲେ ଉଚ୍ଚବର୍ଗରେ ସାମିଲ ହେବାର ଅନୁମତିପତ୍ର ମିଳିଯାଉଚି । ଏହାଫଳରେ ଆଫ୍ରିକାର ଉଚ୍ଚବର୍ଗ ଦେଶର ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରିବା ଅପେକ୍ଷା ଆପଣାର ସମ୍ମାନ ବଜାୟ ରଖିବାଉପରେ ହିଁ ଅଧିକତର ନଜର ଦେଉଚି । କୌଣସି ଲକ୍ଷ୍ୟ ବା ଉଦ୍ଦେଶ୍ୟ ବିଷୟରେ କୌଣସି ମୁଣ୍ଡ ନଖେଳାଇ ସେ ଗୋଟାଏ ନିରାସକ୍ତ ଓ ବହିରାଗତ ଯନ୍ତ୍ରପରି କେବଳ ଆଇନ୍‌ବହି ମାନିବାରେ ଓ ଅନ୍ଧଭାବରେ ଆଇନ୍ ଖଟାଇବାରେ ହିଁ ଆପଣାର ସକଳ ପ୍ରବୀଣତାକୁ ଖରଚ କରିପକାଉଚି । ଏବଂ ସବୁଠାରୁ ମାରାତ୍ମକ ବିଷୟ ହେଉଚି ଯେ, କୌଣସି ପ୍ରକାର ନୂତନ ପ୍ରବର୍ତ୍ତନ ଲାଗି ସାହସୀ ହୋଇ ଆଗକୁ ଗୋଡ଼ ପକାଇବାଲାଗି ସେ ବଡ଼ ଅଶ୍ରଦ୍ଧା ଦେଖାଉଚି ଓ ପରିବର୍ତ୍ତନର ଉଲ୍ଲେଖ କରିବାମାତ୍ରକେ ତାର ହୃତ୍‌କମ୍ପ ଜାତ ହେଉଚି ।’’

 

ପୁସ୍ତକଟିର ଲେଖକ ଆଧୁନିକ ଭାରତବର୍ଷ ସମ୍ବନ୍ଧରେ କୌଣସି ପୁସ୍ତକ ଲେଖିନାହାନ୍ତି । ତଥାପି ଉଲ୍ଲିଖିତ ଉଦ୍ଧୃତାଂଶଗୁଡ଼ିକରେ ଯେଉଁସବୁ ସ୍ଥାନରେ ଆଫ୍ରିକା ବୋଲି ଲେଖାଯାଇଚି ସେଠାରେ ଭାରତବର୍ଷକୁ ଅନୁକଳ୍ପ ରୂପେ ଗ୍ରହଣ କରିନେଲେ ଆମେ ସେହି ଅଭାବକୁ ଅବଶ୍ୟ ପୂରଣ କରିନେଇ ପାରିବା ।

 

ଐତିହାସିକ ଟଏନ୍‌ବୀଙ୍କ ମତରେ କୌଣସି ଦେଶରେ ଗୋଟିଏ ନେତୃତ୍ୱଦ୍ୱାରା ଦୁଇଟି ବିପ୍ଳବ ସାଧାରଣତଃ ସମ୍ଭବ ହୁଏନାହିଁ । ଗୋଟିଏ ଆହ୍ୱାନରେ ସମ୍ମୁଖୀନ ହୋଇ ଯେଉଁ ନେତୃତ୍ୱ ପ୍ରଥମ ପରିବର୍ତ୍ତନଟି ଭିଆଇଥାନ୍ତି, ସଫଳ ହୋଇସାରିବାପରେ ସେମାନେ ତତ୍‌ପରବର୍ତ୍ତୀ ଆହ୍ୱାନର ସମ୍ମୁଖୀନ ହେବାର କାର୍ଯ୍ୟରେ ସାଧାରଣତଃ ନେତୃତ୍ୱର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ନାହିଁ । କାରଣ ପ୍ରଥମ ପର୍ଯ୍ୟାୟଟିରେ ସଫଳ ହୋଇଯିବା ପରେ ସେମାନେ ଦ୍ୱିତୀୟ ପର୍ଯ୍ୟାୟଟିର ଆହ୍ୱାନକୁ ସଫଳଭାବରେ ବୁଝିବାକୁ, ଠଉରାଇ ପାରିବାକୁ ସମର୍ଥ ବି ହୋଇପାରନ୍ତି ନାହିଁ । କାରଣ ପ୍ରଥମ ବିପ୍ଳବଟି ପରେ ସେହିମାନଙ୍କ ହାତକୁ ହିଁ କ୍ଷମତା ଆସିଥାଏ ଓ କ୍ଷମତାରେ ବସିଥିବା ବର୍ଗ ସହଜରେ ଦ୍ୱିତୀୟ ଆବଶ୍ୟକ ବିପ୍ଳବର ନେତୃତ୍ୱ ଗ୍ରହଣ କରିପାରେ ନାହିଁ । ସାଧାରଣ ଐତିହାସିକ ରୀତିରୁ ଦେଖିଲେ ଯେଉଁମାନଙ୍କ ହାତରେ କ୍ଷମତା ରହିଥାଏ ସେମାନେ କ୍ଷମତାରେ ହିଁ ରହିବାକୁ ଚାହାନ୍ତି ଓ ସେଥିଲାଗି ଆଉ କୌଣସି ପରିବର୍ତ୍ତନ ଚାହାନ୍ତିନାହିଁ । ଟଏନ୍‌ବୀଙ୍କ ମତରେ ଏହି ରୀତି ଅନୁସାରେ କାଲିର ସୃଷ୍ଟିଶୀଳ ବିପ୍ଳବୀମାନେ ଆଜିର ରକ୍ଷଣଶୀଳ ଓ କର୍ତ୍ତୃତ୍ୱନିର୍ଭର ଶାସକବର୍ଗରେ ପରିଣତ ହୁଅନ୍ତି । ଅର୍ଥାତ୍ ଦ୍ୱିତୀୟ ବିପ୍ଳବ କରିବାଲାଗି ଆଉ ଏକ ନୂତନ ନେତୃତ୍ୱ ଆବଶ୍ୟକ ପଡ଼େ ।

 

ରାଜନୀତିକ ସ୍ୱାଧୀନତାକୁ ଆମେ ଆଧୁନିକ ଭାରତବର୍ଷର ପ୍ରଥମ ବିପ୍ଳବ ବା ସଂଗ୍ରାମ ବୋଲି କହିବା । ଦେଶର ଦାରିଦ୍ର୍ୟ ଦୂର କରିବା, ଦେଶରେ ଯଥାସମ୍ଭବ ମାନବିକ ଓ ସାମାଜିକ ନ୍ୟାୟଗୁଡ଼ିକର ପ୍ରବର୍ତ୍ତନ କରିବା ଏସବୁ ରାଜନୀତିକ ବିପ୍ଳବ ଦ୍ୱାରା ଆପଣାଛାଏଁ ହୋଇଯାଏନାହିଁ-। ଏଥିପାଇଁ ଆଉଗୋଟିଏ ବିପ୍ଳବର ଆବଶ୍ୟକତା ରହିଥାଏ । ରାଜନୀତିକ ସ୍ୱାଧୀନତା ଓ ଅର୍ଥନୈତିକ ସ୍ୱାଧୀନତା ସାଧାରଣତଃ ଗୋଟିଏ ନେତୃତ୍ୱଦ୍ୱାରା ପରିଚାଳିତ ବିପ୍ଳବଦ୍ୱାରା ଆସିନଥାଏ । କଂଗ୍ରେସ ଦେଶକୁ ରାଜନୀତିକ ସ୍ୱାଧୀନତା ଆଣିଦେଇଚି । ରାଜନୀତିକ ସ୍ୱାଧୀନତା ଆସିବା ପରେ ଗାନ୍ଧିଜୀ କଂଗ୍ରେସର କାମ ଖତମ୍ ହୋଇଗଲାବୋଲି ହୃଦୟଙ୍ଗମ କରିଥିଲେ ଏବଂ ଅନୁଷ୍ଠାନ ହିସାବରେ କଂଗ୍ରେସ ଆପଣାକୁ ଭାଙ୍ଗିଦେଉ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ଅନ୍ୟ ପ୍ରେରଣାର ବଶବର୍ତ୍ତୀ ହୋଇ କଂଗ୍ରେସ ଶାସନଗାଦିରେ ବସି ପରବର୍ତ୍ତୀ ପର୍ଯ୍ୟାୟର ବିପ୍ଳବ ଅର୍ଥାତ୍ ଅର୍ଥନୈତିକ ବିପ୍ଳବ ଆଣିବାର ନେତୃତ୍ୱ ନେବବୋଲି ମନବଳାଇଚି । ଗତ ଅଠରବର୍ଷ ଭିତରେ ଏହା କୋଡ଼ିବାଠାରୁ ଅଧିକ ମାଡ଼ିଚି, ଚାଲିବା ଅପେକ୍ଷା ଅଧିକ ଖଲେଇଚି । ଭାରତର ଅର୍ଥନୈତିକ ସ୍ୱାଧୀନତା ଓ ସାମାଜିକ ନ୍ୟାୟର ଆକାଙ୍‌କ୍ଷାକୁ ବାସ୍ତବରେ ପରିଣତ କରିବାକୁ କଣ ଆହୁରି ଏକ ନେତୃତ୍ୱ ଦରକାର ?

 

ଏପରି ସନ୍ଦେହର ଉତ୍‌ଥାନ କରିବାଦ୍ୱାରା ଏହା କୁହାଯାଉନାହିଁ ଯେ କଂଗ୍ରେସଦଳକୁ ଗାଦୀରୁ ତଡ଼ି ଆଉ କୌଣସି ରାଜନୀତିକ ଦଳ ବା ଦଳମାନେ ଗାଦୀରେ ଆସି ବସିଗଲେ ଆମଦେଶର ଦ୍ୱିତୀୟ ବିପ୍ଳବ ସଫଳ ହୋଇଯିବ । ଭାରତରେ ବିଭିନ୍ନ ରାଜନୀତିକ ଦଳ ଭିତରେ ଆଜି ସାଧାରଣତଃ ଯେଉଁ ନେତୃତ୍ୱ କାମ କରୁଚି, ତାହାର ମୂଳ ପ୍ରଧାନତଃ ରାଜନୀତିକ ସ୍ୱାଧୀନତାର ଆନ୍ଦୋଳନ ଭିତରେ ରହିଚି । ଭାରତର ଦାରିଦ୍ର୍ୟ, ମଣିଷ ଉପରେ ମଣିଷର ଅନ୍ୟାୟ, ସାମାଜିକ ଜୀବନରେ ଗଣତାନ୍ତ୍ରିକ ଦୃଷ୍ଟିକୋଣ-ଏସବୁକୁ କୌଣସି ଦଳ ପର୍ଯ୍ୟନ୍ତ ଯଥେଷ୍ଟ ଗୁରୁତ୍ୱଦେଇ ବିଚାର କରିବାକୁ ଆରମ୍ଭ କରିନାହାନ୍ତି । ଭାରତବର୍ଷର ତଥାକଥିତ ବାମପନ୍ଥୀଦଳମାନେ କାଶ୍ମୀର ସମସ୍ୟା ନେଇ ଯେତେ ଉତ୍ସାହ ଦେଖାଉଚନ୍ତି, ଭାରତ ଏଣିକି ଆଣବିକ ବୋମା ତିଆରି କରୁବୋଲି ଯେପରି ଓକିଲପ୍ରମାଣ ଦେଖାଇ କହୁଚନ୍ତି, ଭାରତର ଦାରିଦ୍ର୍ୟତା, ଭାରତରେ ମଣିଷ ଉପରେ ହେଉଥିବା ମନୁଷ୍ୟକୃତ ଅନ୍ୟାୟ ପ୍ରଭୃତି ରାଜନୀତିକ ପ୍ରଶ୍ନଗୁଡ଼ିକର ଦଂଶନ ଅନୁଭବ କରିବାକୁ ସେମାନଙ୍କ ଭିତରେ ସେତେଦୂର ଗ୍ରହଣଶୀଳତା ଆସିନାହିଁ । ରାଜନୀତିକ କ୍ଷମତାସନରେ ବସିଥିବା ଦଳକୁ ତଡ଼ିବା ସକାଶେ ସେମାନେ ଅନେକ ସମୟରେ ସେହି ଦଳର ସାଜମାନ ପିନ୍ଧି ତାହାରି କାଇଦାଗୁଡ଼ାକରେ ତାଲୀମ ନେଉଥିବାପରି ମନେହେଉଚି । ପୁଣି ଦକ୍ଷିଣପନ୍ଥୀମାନେ ଧର୍ମ, ଭାଷା, ସୁବା ଓ ସଂଘ ନେଇ ଏପରି ବ୍ୟସ୍ତ ରହିଚନ୍ତି ଯେ ଗ୍ରାମର ଦାରିଦ୍ର୍ୟ ଓ ଗ୍ରାମସମାଜର ପୁନନିର୍ମାଣ ଲାଗି ପ୍ରକୃତିସ୍ଥ ହୋଇ ଭାବିବାଲାଗି ମଧ୍ୟ ସେମାନଙ୍କ ପାଖରେ ବେଳ ନାହିଁ ? ଭାରତର ନୂତନ ନେତୃତ୍ୱ ଲାଗି ମଣିଷ ଓ ନ୍ୟାୟକୁ ମୂଳ କରି ଧରିଥିବା ନିର୍ଭୀକ ଏକ ଦୃଷ୍ଟିକୋଣ ରହିଥିବା ଦରକାର । ରାଜନୀତିକ ଉତ୍ତେଜନା ଓ ରାଜନୀତିକ ବାଗୁଡ଼ିଖେଳ ଲାଗି ଏହି ଦୃଷ୍ଟିକୋଣରେ ଖୁବ୍ ବେଶୀ ସ୍ଥାନ ନାହିଁ । ଏଥିଲାଗି ଯେଉଁ ଅନୁଭୂତିଶୀଳତା ଓ ସଂକଳ୍ପ ଆବଶ୍ୟକ, ତୁଚ୍ଛା ଜାତୀୟତା-ସ୍ତରର ଅନୁଭୂତିଶୀଳତା ଓ ସଂକଳ୍ପଠାରୁ ତାହା ସଂପୂର୍ଣ୍ଣ ନିଆରା, ସମ୍ପୂର୍ଣ୍ଣ ଅନ୍ୟଏକ ସ୍ତରର । ଏହି ନେତୃତ୍ୱ ବିଦେଶରୁ ଆସିବନାହିଁ । ଏହି ଦେଶରେ ହିଁ କାଳର ଆହ୍ୱାନ ଅନୁସାରେ ତାହା ଜନ୍ମଲାଭ କରିବ । ଏହି ଆହ୍ୱାନ ମାନି ହୁଏତ ବିଭିନ୍ନ ଦଳର ପୁରୁଣା ଡେରାଗୁଡ଼ିକ ଛାଡ଼ି ଯେଉଁମାନେ ବାହାରି ଆସିବେ, ଭାରତରେ ସେହିମାନେ ଆଗାମୀ ଦ୍ୱିତୀୟ ବିପ୍ଳବରେ ନେତୃତ୍ୱ ଗ୍ରହଣ କରିବେ ।

 

ପୁସ୍ତକ ଟିପ୍ପଣୀ

 

୧.

Kurukshestra (ମାସିକ) – Pyblications Division, Government of India, July 1962, ପୃଷ୍ଠା– ୧୫

୨.

M. J. Coldwell and M. Read : Report of a (United Nations) C.D. Evaluation Mission in India, Government of India, Delhi, 1959

୩.

Taken from A.R. Desai (ସମ୍ପାଦନା) : Rural Sociology in India –The India Society of Agricultural Economics, Bombay, 1961, ପୃଷ୍ଠା–୫୪୩

୪.

Rajeswar Dayal : Community Development Programme in India, ପୃଷ୍ଠା–୧୭୩

୫.

Kurukshetra, a Symposium on C.D. in India-Govt. of India, Delhi, 1961, ପୃଷ୍ଠା–୧୨୨

୬.

Report on Attitude Survey, Bihar Community Projects–Institute of Public Administration, Patna University, Patna, 1957, ପୃଷ୍ଠା–୫୦

୭.

S.K. Dey Community Development, a Bird’s-eye View–Asia Publishing House, Bombay, ପୃଷ୍ଠା–୭

୮.

Report of the Study Group on the Welfare of the Weaker Sections of the Village Community–Volume I and II Ministry of C.D. and Co-operation, Govt. of India, New Delhi, 1961.

୯.

Ronald Segal : The Crisis of India–Janathan Cape, London, 1965.

୧୦.

A.R. Desai : Rural India in Transition – Popular Book Depot, Bombay, 1961, ପୃଷ୍ଠା–୪୬

୧୧.

Report on the workshop of C.D.-U.N. Economic Commision for Africa, Adis Ababa, December 1959, - (E/CN.14/24)

୧୨.

Clarence King Working with People in Small Communities-Harper and Brothers, New York, 1958, ପୃଷ୍ଠା–୨୪

୧୩.

Joseph K. Hart : Community Organization-The Macmillan Company, New York, 1920, ପୃଷ୍ଠା : ୨୦୭–୨୦୮

୧୪.

Carl C. Taylor, Douglas Ensminger, Helen W. Johnson and Jean Joyce : India’s Roots of Democracy–Orient Longmans, Calcutta, 1965, ପୃଷ୍ଠା– ୧୮୦

୧୫.

John P. Lewis : Quiet Crisis in India – Asia Publishing House, Bombay, ପୃଷ୍ଠା–୩୩୪

୧୬.

Peter du Sautoy : The Organization of a C.D. Programme–Oxford University Press, London, 1962, ପୃଷ୍ଠା : ୯୨–୯୩

୧୭.

Community Development and Economic Development-(E/CN. 11/540)–United Nations, Bangkok, 1960, ପୃଷ୍ଠା–୯୦

୧୮.

Agricultural Institute, Allahabad Extension Department Pilot Project-Despatch No.2, August 1952.

୧୯.

D.C. Dubey, Dr. Willis A. Sutton and Dr. Gladys Gallup : Village Level Workers–National Institute of C.D., Government of India, Delhi, 1962

୨୦.

Max F. Millikan and W.W. Rostow : A Proposal–Harper and Brothers, New York, 1957, ପୃଷ୍ଠା : ୪୦–୪୧

୨୧.

Dr. Satchidananda in Report of the Seminar on Some Aspects of Social Planning (June, 1960) – Institute of Social Sciences, Agra.

୨୨.

C. Sower, J. Holland, K. Tiedke and W. Freeman : Community Involvement-The Free Press, Glencoe, 1957, ପୃଷ୍ଠା–୨୪୩

୨୩.

Marthin C. Yang : A Chinese Village- Kegan Paul, London, 1947, ପୃଷ୍ଠା–୨୪୧

୨୪.

B. Mukerjee : Community Development in India-Orient Longmans, Calcutta, ପୃଷ୍ଠା–୨୩୧

୨୫.

Ralph H. Retzlaff : Village Government in India-Asia Publishing House, Bombay, ପୃଷ୍ଠା–୬

୨୬.

S.C. Dube : India’s Changing Villages-Routledge and Kegan Paul, London, 1960, ପୃଷ୍ଠା : ୧୧୩–୧୬୫

୨୭.

Report of a Study Team on Democratic Decentralization in Rajasthan-AVARD, New Delhi, 1961, ପୃଷ୍ଠା–୮, ୯, ୧୮

୨୮.

Ralph H. Retzlaff : Panchayati Raj in Rajasthan-India Journal of Public Administration, Vol. VI. No.2, ପୃଷ୍ଠା :୧୪୧ –୧୫୮

୨୯.

B. Meheshwari : Studies in Panchayati Raj–Metropolitan Book Company, Delhi, ପୃଷ୍ଠା–୭୫

୩୦.

Report of a Study Team on Panchayati Raj– Andhra Pradesh- AVARD, New Delhi, 1961, ପୃଷ୍ଠା : ୩, ୨୨, ୪୪

୩୧.

Carl C. Taylor : A Critical Analysis of India’s C.D. Programme- Government of India, New Delhi, 1956

୩୨.

B. Mukherjee : The Communal System of Yugoslavia–India Institute of Public Administration, New Delhi, 1960, ପୃଷ୍ଠା–୩୭

୩୩.

Theodore W. Schultz in Community Development Review-Washington, March 1963.

୩୪.

Gunnar Myrdal in his paper read at the International Conference of Social Work, Tokyo, 1958.

୩୫.

Chester Bowles : Priority for Human Dignity, in the American Review, USIS, New Delhi, January 1966, ପୃଷ୍ଠା : ୨୦–୨୯

୩୬.

The Hindustan Times (21.7.61), New Delhi.

୩୭.

K. William Kapp Hindu Culture, Economic Development and Economic Planning in India–Asia Publishing House, Bombay, 1963.

୩୮.

Gardner Murphy : In the Minds of Men-Basic Booko, New York, 1955, ପୃଷ୍ଠା : ୨୪୩

୩୯.

Kusum Nair : Blossoms in the Dust-Gerald Duckworth London, 1962

୪୦.

S.C. Dube : India Village-Routledge and Kegan Paul, London, ପୃଷ୍ଠା–୩୫

୪୧.

J.L. and Barbara Hammond : The Bleak Age-Pelican, London, 1947, ପୃଷ୍ଠା–୩୦

୪୨.

Alexnder L. Peaslee Elementary Education as a Prerequisite for Economic Growth - International Development Review, Washington, September, 1965, ପୃଷ୍ଠା–୧୯

୪୩.

The Indian Express (ଦୈନିକ), New Delhi, February 15, 1966

୪୪.

International Survey of Programmes of Social Development-[ST/SOA/21], United Nations, New York, 1955, ପୃଷ୍ଠା–୧୬୭

୪୫.

W. David Hopper : The Mainsprings of Agricultural Growth-Dr. Rajendra Prasad Memorial Lecture to the 8th Annual Conference of the India Society of Agricultural Statistics-January 28–30, 1965

୪୬.

Chester Bowles : The Makings of a Just Society-University of Delhi, 1963, ପୃଷ୍ଠା–୫୯

୪୭.

Progress in Land Reform-First Report (1954), Second Report (1956), Third Report (1962)-United Nations, New York

୪୮.

Vasudev D. Pandya Industrial Co-Operatives in Japan-Khadi Gramodyog, Bombay, March 1962, ପୃଷ୍ଠା : ୪୦୬–୪୧୫

୪୯.

D.R. Gadgil quoted in J.P. Narayan Rural Industrialization-Bhoodan (ଇଂରାଜୀ ସାପ୍ତାହିକ), Varanasi January 1, 1966

୫୦.

D.R. Gadgil : Planning and Economic Policy in India-Asia Publishing House, Bombay, 1962, ପୃଷ୍ଠା–୨୨୯

୫୧.

Gyan Chand : Socialist Transformantion of India Economy-Allied Publishers, Bombay

୫୨.

David Hapgood Africa, From Independence to Tomorrow-Atheneum Publishers, New York.

Image

 

Unknown

ତୃତୀୟ ଭାଗ

 

ନବମ ଅଧ୍ୟାୟ

ସମାଜ-ପରିବର୍ତ୍ତନ ଓ ପୁନର୍ନିର୍ମାଣ

 

ସମାଜର ପରିବର୍ତ୍ତନ କରିବା ହେଉଚି ସାମୁଦାୟିକ ବିକାଶର ଉଦ୍ଦେଶ୍ୟ, ଏକଥା ଆମେ ଏକାଧିକବାର ଶୁର ଆସିଲେ । ସମାଜରେ ଅନେକ ପ୍ରକାରର ପରିବର୍ତ୍ତନ ହୁଏ । ଦେଶରେ ଯୁଦ୍ଧ ଲାଗିଲେ ପରିବର୍ତ୍ତନ ହୁଏ, ରାଜ୍ୟରେ ଦୁର୍ଭିକ୍ଷ ବା ମଡ଼କ ପଡ଼ିଲେ ପରିବର୍ତ୍ତନ ହୁଏ, ନଦୀରେ ଘାଇ ଭାଙ୍ଗିଲେ ମଧ୍ୟ ପରିବର୍ତ୍ତନ ହୁଏ, ଠିକ୍ ଯେମିତି ଘର ପୋଡ଼ିଗଲେ ବି ପରିବର୍ତ୍ତନ ହୁଏ, ସାପ କାମୁଡ଼ି ବଳଦ ମଲେ ଚାଷୀର ଚାଷବେଉସାରେ ମଧ୍ୟ ପରିବର୍ତ୍ତନ ହୁଏ । କିନ୍ତୁ ସାମୁଦାୟିକ ବିକାଶ ଜରିଆରେ ଆମେ ସମାଜରେ ଓ ଲୋକଜୀବନରେ ଯେଉଁପରି ପରିବର୍ତ୍ତନମାନ ଆଣିବାକୁ ବସିଚୁ, ତାହା ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ଆମର ଜାତୀୟ ଯୋଜନା ଏବଂ ସାମୁଦାୟିକ ବିକାଶ ପଛରେ ଏକ ଲକ୍ଷ୍ୟ ବା ଆଦର୍ଶ ରହିଚି । ଆମ ସାମୁଦାୟିକ ଜୀବନରେ ପ୍ରଧାନତଃ ଯେଉଁସବୁ ଅଭାବ ପରିଲକ୍ଷିତ ହେଉଚି, ସେହିଗୁଡ଼ିକର ଆଧାର ଉପରେ ଆମର ଆଦର୍ଶ ଓ ଉଦ୍ଦେଶ୍ୟକୁ ଆପାତତଃ ଆଗାମୀ କେତେବର୍ଷ ସକାଶେ ଆମ ଜାତୀୟ ଉଦ୍ୟମର ସୂତ୍ରରୂପେ ବାନ୍ଧିଦିଆଯାଉଚି । ସେହି ଆଦର୍ଶ ବା ଉଦ୍ଦେଶ୍ୟକୁ ଆମେ ଦୁଇ ପ୍ରଧାନ ଧାରାରେ ବିଭକ୍ତ କରିପାରିବା ।

 

ଭାରତର ଦାରିଦ୍ର୍ୟ ହେଉଚି ସବୁଠାରୁ ବଡ଼ ସମସ୍ୟା । ଏହି ଦାରିଦ୍ର୍ୟ ସକାଶେ ଆମ ଦେଶରେ ଖାଦ୍ୟାଭାବ ରହିଚି, ଶିକ୍ଷା ଓ ସ୍ୱାସ୍ଥ୍ୟର ଅଭାବ ରହିଚି । ଏହି ଦାରିଦ୍ର୍ୟଜନିତ ନାନାବିଧ ଅସମର୍ଥତା ଆମ ଦେଶରେ ନାନା ଅପରାଧ ଓ ଅନୈତିକତା ଭିଆଉଚି । ଦାରିଦ୍ର୍ୟ ହେତୁ ଆମ ସମାଜର ସାମୁଦାୟିକତା ଓ ପାରସ୍ପରିକତା ନଷ୍ଟ ହୋଇଯାଉଚି । ଦାରିଦ୍ର୍ୟ ହେତୁ ଆମର ଧର୍ମଭିତରେ ମଧ୍ୟ ଅନେକ ଗ୍ଳାନି ପଶିଯାଉଚି । ଆମ ଦେଶର ଭଗବାନ ଆମ ସମସ୍ତଙ୍କର ଅନ୍ନପୀଡ଼ିତ ଜୀବନଦୃଷ୍ଟିର ପ୍ରକୋପଦ୍ୱାରା ନାନାଭାବେ ସନ୍ତାପିତ ହୋଇ ରହିଚନ୍ତି । ଦାରିଦ୍ର୍ୟ ଘୁଞ୍ଚାଇବା ଅର୍ଥ ଏଥିଲାଗି ଠାକୁରଙ୍କୁ ପ୍ରାର୍ଥନା କରିବା ନୁହେଁ ବା ରାଜନୀତିକ ଘୋଡ଼ାନାଟରେ ମାତି କଥା କହିବୁଲିବା ନୁହେଁ । ଏହାର ଅର୍ଥ ହେଉଚି ବିଜ୍ଞାନ ଓ ଆଧୁନିକ ଯନ୍ତ୍ରକୌଶଳ ସାହାଯ୍ୟରେ ଦେଶର ଉତ୍ପାଦନ ବଢ଼ାଇବା, ଆମର ଜନସାଧାରଣ ଯେପରି ଏକ ଶିକ୍ଷିତ ଆସ୍ଥାର ସହିତ ଆପଣାର ଜୀବନରେ ବିଜ୍ଞାନ ଓ ବୈଜ୍ଞାନିକ କୌଶଳର ସାହାଯ୍ୟ ନେବାକୁ ପ୍ରସ୍ତୁତ ହୋଇ ବାହାରିବେ, ସେଥିଲାଗି ଉପଯୁକ୍ତ କ୍ଷେତ୍ର ଓ ବାତାବରଣ ତିଆରି କରିବା । ଆମ ପରମ୍ପରାରେ ଯେଉଁଠି ଯେତେପ୍ରକାର କର୍ମକୁଣ୍ଠତା ଭର୍ତ୍ତିହୋଇ ରହିଚି, ତାହା ଦୂରକରି କର୍ମନିଷ୍ଠାର ପ୍ରବର୍ତ୍ତନ କରିବା, ଅର୍ଥାତ୍ ଆମ ଜୀବନରୁ ଯଥାସମ୍ଭବ ପରନିର୍ଭରତାଗୁଡ଼ିକୁ ଦୂର କରି ଆତ୍ମନିର୍ଭରତା ଅର୍ଥାତ୍ ପରସ୍ପରନିର୍ଭରତା ବଢ଼ାଇବା । ଅନ୍ୟ ଯେଉଁସବୁ ଦେଶ ପ୍ରଧାନତଃ ଆମଠାରୁ ଅଧିକ ଆର୍ଥିକ ବିକାଶ କରିଚନ୍ତି, ସେମାନେ ଏହିସବୁ କଥା କରିଚନ୍ତି ।

 

ଆମ ଯୋଜନାର ଦ୍ୱିତୀୟ ଡେଣା ହେଉଚି ସାମାଜିକ ନ୍ୟାୟ ଉପରେ ପ୍ରତିଷ୍ଠିତ ଲୋକଶାସନର ପ୍ରତିଷ୍ଠା । ଆଜି ଆମ ପୃଥିବୀରେ ଲୋକଶାସନ ଓ ସାମାଜିକ ନ୍ୟାୟ ସଭ୍ୟସଭାରେ ଗୋଟାଏପ୍ରକାର ଫେଶନ୍ ପରି ଚଳିଲାଣି ସତ, ମାତ୍ର ଅଧିକାଂଶ ଦେଶରେ ଏଥିଲାଗି ଅନେକ ବାଟ ଚାଲିବାକୁ ବାକୀ ରହିଚି, ଆମ ଭାରତବର୍ଷରେ ମଧ୍ୟ ରହିଚି । ଲୋକଶାସନର ଅର୍ଥ ହେଉଚି ଲୋକମାନେ ଯାହା ଚାହିବେ, ତାହାହିଁ ହେବ । ଏହାର ଅର୍ଥ ନୁହେଁ ଯେ ନୂଆ ଯୁଗର ନୂଆଶାସନର ବାହାନାରେ ଆମେ ଏଠାରେ ଅଳ୍ପମତ ଉପରେ ବହୁମତର ଠେଙ୍ଗା ଚଳାଇଦେବା । ସାମୂହିକ କଲ୍ୟାଣ ଓ ଉଦ୍ଦେଶ୍ୟପୂରଣରେ ଅଳ୍ପମତଙ୍କର ଭିନ୍ନ ରାସ୍ତା ଯେପର୍ଯ୍ୟନ୍ତ କୌଣସି ବିଘ୍ନ ନଉପୁଜାଇଚି, ସେପର୍ଯ୍ୟନ୍ତ ସେମାନେ ଆପଣା ରୀତିରେ ଆପଣାର ବିକାଶସାଧନ କରିବାଲାଗି ଅବଶ୍ୟ ସ୍ୱାଧୀନତା ପାଇବେ । ଲୋକଶାସନର ରୀତିକୁ ଯଥାର୍ଥ ଭାବରେ ପ୍ରବର୍ତ୍ତିତ କରିବାକୁ ହେଲେ ଲୋକଶିକ୍ଷା ଉପରେ ମଧ୍ୟ ପରିପୂର୍ଣ୍ଣ ମହତ୍ତ୍ୱ ଦେବାକୁ ହେବ । ଲୋକଶାସନ ସବୁଲୋକଙ୍କର ଶାସନ ହେବ, ଦଳେଲୋକଙ୍କ ଉପରେ କେତେଟା ବର୍ଗ ବା କେତେଟା ସ୍ୱାର୍ଥର ଶାସନ ହେବନାହିଁ । ଏଇଥିରୁ ହିଁ ସାମାଜିକ ନ୍ୟାୟର ପ୍ରଶ୍ନ ଉଠୁଚି । କୌଣସି ପ୍ରକାର ପ୍ରଚଣ୍ଡପଣିଆର ଖଣ୍ଡା ବୁଲାଇ ଡେଙ୍ଗାମାନଙ୍କୁ କାଟି ଅନ୍ୟମାନଙ୍କ ସହ ସମାନ କରିଦେବାକୁ ସାମାଜିକ ନ୍ୟାୟ କୁହାଯାଏ ନାହିଁ । ମାତ୍ର ଦେଶରେ ବାସକରୁଥିବା ସବୁଲୋକଙ୍କୁ ଯଥାସମ୍ଭବ ଡେଙ୍ଗା ହେବାଲାଗି ପରିପୂର୍ଣ୍ଣ ଅବସର ଯୋଗାଇ ଦେବାକୁ ହିଁ ସାମାଜିକ ନ୍ୟାୟ କୁହାଯାଏ । ସମାନ ସୁବିଧାସୁଯୋଗ ଦେବାର ଅର୍ଥ ଦେଶର ସବୁ ପିଲାଙ୍କୁ ପାଠ ପଢ଼ିବାର ସମାନ ସୁଯୋଗ ଦେବା, ସବୁ ମଣିଷଙ୍କୁ ଦେଶର ଆଇନ୍‌ଦ୍ୱାରା ଉପକୃତ ହେବାଲାଗି ସମାନ ସୁଯୋଗ ଦେବା, ସମାଜରେ ଚଳିଆସୁଥିବା ମଣିଷକୃତ ନାନା ଅନ୍ୟାୟ ଓ ଅବ୍ୟବସ୍ଥାଗୁଡ଼ାକୁ ଦୂର କରିବାଲାଗି ଯତ୍ନପରାୟଣ ହେବା, ସବୁ ମଣିଷକୁ ମଣିଷର ସମ୍ମାନ ଦେବା, ମଣିଷର ଉପର ମଣ୍ଡନ, ଭୂଷଣ ବା ଆଡ଼ମ୍ବରଗୁଡ଼ାକରୁ ମଣିଷକୁ ନଚିହ୍ନି ତାହାର ପ୍ରକୃତ ଗୁଣ ଓ ପ୍ରକୃତ ନୈପୁଣ୍ୟଗୁଡ଼ିକରୁ ହିଁ ତାହାକୁ ଚିହ୍ନିବାର ଦୃଷ୍ଟି ଅର୍ଜନ କରିବା । ଏସବୁ ସହଜ କଥାନୁହେଁ, ମାତ୍ର ଅସମ୍ଭବ ଆଦୌ ନୁହେଁ । ଆମ ଦେଶରେ ପରିବର୍ତ୍ତନର ଗାଡ଼ିକୁ ଆମେ ପ୍ରଧାନତଃ ଏହି ଦୁଇଟି ଦିଗରେ ଦଉଡ଼ାଇ ନେବାକୁ ଚେଷ୍ଟା କରୁଚୁ । ଅନ୍ୟଦେଶରେ ରକ୍ତପାତ ଓ ପାରସ୍ପରିକ ବିଦ୍ୱେଷଦ୍ୱାରା ଯାହା ହାସଲ କରିବାର ପ୍ରୟାସ ହୋଇଚି, ଆମେ ଶାନ୍ତିପୂର୍ଣ୍ଣ ଅଥଚ ସ୍ଥିରନିଷ୍ଠ ଜାତୀୟ ଯୋଜନା ଓ ସାମୁଦାୟିକ ବିକାଶ ଜରିଆରେ ତାହା ସମ୍ଭବ କରିବାକୁ ଚେଷ୍ଟା କରୁଚୁ । ଏହି ଦେଶର ପରମ୍ପରାରେ ଯେଉଁସବୁ ସ୍ୱକୀୟ ସାଂସ୍କୃତିକ ଚେରମାନ ରହି ଆମର ଜୀବନଦୃଷ୍ଟିକୁ ପରିପୁଷ୍ଟ କରି ଆସିଚି, ସେହି ଚେରଗୁଡ଼ିକ ହିଁ ଆମକୁ ଏହିପରି ଏକ ବାଟ ବାଛିନେବାରେ ପ୍ରେରଣା ଦେଇଚି ।

 

ସମାଜ ବଦଳେ କିପରି ? ଅଭାବବୋଧ ଓ ଅସନ୍ତୋଷ ଦ୍ୱାରା ସମାଜ ବଦଳେ । ଆମର ଅନ୍ଧାରୁଆ ଅନ୍ତୁଡ଼ିଶାଳ, ମାଛିଭଣଭଣ ନଳାମୁହଁ, ଗୋରୁଗୁହାଳ ବୋଲି କୁହାଯାଉଥିବା ଗୋବରଗାଡ଼ିଆ ଓ ଆମ ଗାଆଁର ଦଳପୋଖରୀ ଆମକୁ ସୁହାଣିଆ ଲାଗୁଥିବା ପର୍ଯ୍ୟନ୍ତ ଆମେ ଏସବୁକୁ କଦାପି ବଦଳାଇ ପାରିବାନାହିଁ । ଅଳପକରେ ଚଳିଯାଉଚି ବୋଲି ସନ୍ତୋଷର ଲଡ଼ୁ ଖାଉଥିବା ପର୍ଯ୍ୟନ୍ତ ଆମେ କଦାପି ବେଶୀକୁ ମନ କରି ପାରିବାନାହିଁ । ପାଞ୍ଚଆଙ୍ଗୁଠି ସମାନ ନୁହନ୍ତି, ତେଣୁ କରଣ କରଣ ରହିବେ ଓ କଣ୍ଡରା କଣ୍ଡରା ରହିବେ, କରଣ ଓ କଣ୍ଡରା ଏକ ଭାଗ୍ୟବାଦର ଉପରୋଧ ପାଇ ଏହି କଥାକୁ ମାନି ନେଉଥିଲା ପର୍ଯ୍ୟନ୍ତ ଜାତିଭେଦ ଯେମିତି ଅଛି ସେମିତି ରହିଥିବ । ସରକାର ସବୁ କରିବେ ବା ଭଗବାନ ସବୁ କରିବେ, ମଣିଷ କେବଳ କୃତଜ୍ଞ ହୋଇ ଭୋଗ କରୁଥିବ, ଏପରି ଏକ ପକ୍ଷାଘାତକୁ ଆମେ ଆଦର୍ଶ ଜୀବନର କଷଟି ବୋଲି କହୁଥିଲା ପର୍ଯ୍ୟନ୍ତ ଭଗବାନଙ୍କ ପୃଥିବୀରେ ମନୁଷ୍ୟକୃତ ଅବ୍ୟବସ୍ଥାଗୁଡ଼ାକୁ ବଦଳାଇବାକୁ ଆମଭିତରୁ ଆମକୁ କେହି ଉଦ୍‌ବୋଧନ ଦେବନାହିଁ । ବ୍ୟକ୍ତିଗତ, ସାମାଜିକ ତଥା ଆଧ୍ୟାତ୍ମିକ ଜୀବନରେ ଆମର ଅନ୍ତର୍ଗତ ଅସନ୍ତୋଷ ଓ ଅଭାବବୋଧ ହିଁ ଆମକୁ ଆଗକୁ ବାହାର କରିନେବ ଏବଂ ଆମେ ଆଗକୁ ବାହାରିଲେ ଆମ ପାଦତଳର ଭୂଇଁ ମଧ୍ୟ ବଦଳିବାକୁ ଆରମ୍ଭ କରିବ ।

 

ଏହି ଅସନ୍ତୋଷ ଓ ଅଭାବବୋଧ ହେଉଚି ସାମାଜିକ ସମସ୍ୟାର ଜନନୀସ୍ୱରୂପ । ଏବଂ ସାମାଜିକ ସମସ୍ୟାକୁ ଆମେ ଯେପରି ଉତ୍କଟ ଓ ଅସହ୍ୟ ଭାବରେ ଅନୁଭବ କରିପାରିବା, ଆମର ସମାଜକୁ ଆମେ ସେତିକି ବଦଳାଇବାକୁ ସଜ ହୋଇପାରିବା । ଆଗେ ଆମ ଗାଆଁମାନଙ୍କରେ କୌଣସି ସମସ୍ୟା ନଥିଲା । ସମାଜର ସାଆନ୍ତମାନଙ୍କୁ ସମସ୍ତେ ମାଆପେଟରୁ ଶିଖି ଆସିଥିବାପରି ସାଆନ୍ତବୋଲି ମାନୁଥିଲେ, ଭଗବାନଙ୍କର ଜାଗିରଦାର ହିସାବରେ ସାଆନ୍ତମାନେ ଗାଆଁ ଚଳାଉଥିଲେ । କେଉଁଠିହେଲେ କୌଣସି ବ୍ୟତିକ୍ରମ ହେଉନଥିଲା, ପ୍ରତିବାଦର ପ୍ରଶ୍ନ ହିଁ ନଥିଲା, ପରିପୂର୍ଣ୍ଣ ସଂଗତି ଅନୁସାରେ କାଳ ଠିକ୍ ସତ୍ୟଯୁଗ ପରି ଗତି କରୁଥିଲା । ଯାହା ଆଗରୁ ଥିଲା, ବର୍ତ୍ତମାନ ତାହାହିଁ ରହିଆସିଚି; ତେଣୁ ତାହାକୁ ହିଁ ଏକମାତ୍ର ସମ୍ଭାବ୍ୟ ବୋଲି ମାନିନେଉଥିବା ପର୍ଯ୍ୟନ୍ତ କିଏ କାହିଁକି ପ୍ରଚଳିତ ବ୍ୟବସ୍ଥାକୁ ଉଖାରିବାକୁ ଯିବ ? ଏପରି ଗୋଟିଏ ସମାଜର ଭିତ୍ତି ଓ ବନ୍ଧାଣକୁ ଆମେ ଅବଶ୍ୟ ଦୃଢ଼ ବୋଲି କହିପାରିବା, ମାତ୍ର ମନୁଷ୍ୟର ଜୀବନଲାଗି ଖୁବ୍‌ବେଶୀ ଅନୁକୂଳ ବୋଲି ଆଦୌ କହି ପାରିବାନାହିଁ । ମଣିଷ ମେସିନ୍ ନୁହେଁ । ମଣିଷ ତାର ଚାରିପାଖର ସମାଜ ଓ ପୃଥିବୀରୁ ଖାଦ୍ୟ ନେଇ ନିଜେ ତିଆରି ହୁଏ, ମାତ୍ର ସେ ନିଜେ ମଧ୍ୟ ଆପଣାର ନାନା ଅବଦାନ ଓ ଉଦ୍ୟମଦ୍ୱାରା ଚାରିପାଖର ସମାଜ ଓ ପୃଥିବୀକୁ ତିଆରି କରେ । ସମସ୍ୟାହୀନ ସମାଜ ମଣିଷଲାଗି ନୁହେଁ, ମେସିନ୍ ଲାଗି । ସମସ୍ୟାହୀନ ବିଦ୍ୟାଳୟ ସେହି ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କର ବିକାଶ ଲାଗି ନୁହେଁ, ଦୁର୍ଦ୍ଦାନ୍ତ ଶିକ୍ଷକଲାଗି ଓ ବିଦ୍ୟାଳୟନାମରେ ଚାଲୁଥିବା ସେହି କାରଖାନାଲାଗି । ଯେଉଁ ବାପମାଆମାନେ ପିଲାର ଜୀବନରୁ ସକଳପ୍ରକାର ସମସ୍ୟାରୁ ଦୂର କରିବାର ପ୍ରମତ୍ତ ପରିଶ୍ରମ କରୁଥାନ୍ତି, ସେମାନେ ସ୍ୱୟଂ ପିଲାର ଜୀବନବିକାଶରେ ସର୍ବପ୍ରଧାନ ପ୍ରତିବନ୍ଧକ ଓ ସମସ୍ୟା ହୋଇ ରହନ୍ତି । କାରଣ ନାନା ସମସ୍ୟାର ସମ୍ମୁଖୀନ ନହେଲେ ଓ ସେଗୁଡ଼ିକର ସମ୍ମୁଖୀନ ହେବାକୁ ସୁସ୍ଥଭାବରେ ତିଆରି ନହେଲେ ପିଲାର ବିକାଶ ବଡ଼ ବ୍ୟାହତ ଓ ବିକଳ ହୋଇ ରହିଯାଏ ।

 

ଆଗକାଳର ସମାଜ ଏକ ଦୃଢ଼ ସମାଜ ଥିଲା । ଏହି ସମାଜ ଉପରେ ବାହାରର କୌଣସି ସଂକ୍ରମଣ ବାଜୁନଥିଲା । ବର୍ତ୍ତମାନ ଯଦି କୌଣସି ସମାଜ ଆପଣାକୁ ଏହିପରି ଭାବରେ ଦୃଢ଼ ଓ ବ୍ୟବସ୍ଥିତ ରଖିବାକୁ ଚାହେ ଏବଂ ବାହାରୁ କୌଣସି ସଂକ୍ରମଣ ଓ ପରିବର୍ତ୍ତନର ଡାଆଣୀ ଲାଗିବା ଭୟରେ ନାନାପ୍ରକାର ଡଉଁରିଆ ପିନ୍ଧି ବସିବାକୁ ଯାଏ, ତେବେ ତାହାର ଦୃଢ଼ତା ବିଷୟରେ ଅବଶ୍ୟ କାହାରି କିଛିହେଲେ କହିବାର ନାହିଁ, ମାତ୍ର ତାହାକୁ ଆମେ କଦାପି ଏକ ସୁସ୍ଥ ସମାଜ ବୋଲି କହିପାରିବାନାହିଁ । କାରଣ ବାହାରର ପରିସ୍ଥିତି ବଦଳିଗଲେ ମଧ୍ୟ ଏହି ସମାଜ କବାଟ କିଳି ରହିବାକୁ ଚାହେ; ସଂସାରର ସଂକ୍ରମଣ ଲାଗିବ ବୋଲି ସଂସାରଠାରୁ ଦଉଡ଼ି ପଳାଏ । କେବଳ ଦୃଢ଼ ଓ ବ୍ୟବସ୍ଥିତ ରହିବାକୁ ଆମେ କୌଣସି ସୁସ୍ଥ ସମାଜର ଏକ ଲକ୍ଷଣ ବୋଲି କହିବାନାହିଁ, କାରଣ ସମାଜର ବିକାଶ ଲାଗି ଏହା ଯଥେଷ୍ଟ ନୁହେଁ । ବିକାଶଲାଗି ସମାଜରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ଆମ ଚାରିପାଖରେ ଆମର ପୃଥିବୀଟାଯାକ ବଦଳି ବଦଳି ଯାଉଚି, ସେହି ଅନୁସାରେ ଆମକୁ ମଧ୍ୟ ତାହାରି ସହିତ ତାଳ ରଖି ବଦଳି ବଦଳି ଯିବାକୁ ପଡ଼ିବ । ଏହା ଯେକୌଣସି ସମାଜର କାମ୍ୟ ହୋଇ ରହିବା ଉଚିତ । କାରଣ ସେପରି ନହେଲେ ପୃଥିବୀ ଆଗକୁ ବାହାରିଯିବ, ଆମେ ପଛରେ ରହି କଳଙ୍କି ଲାଗିଯାଉଥିବା ଓ ନାନାପ୍ରକାର ବିଘଟନରେ ଖଣ୍ଡବିଖଣ୍ଡ ହୋଇଯିବା । ତେଣୁ ଅପରିବର୍ତ୍ତନୀୟତାଠାରୁ ସାମାଜିକ ପରିବର୍ତ୍ତନକୁ ଆମେ ଯେକୌଣସି ସମାଜଲାଗି ଏକ ସୁସ୍ଥ ଲକ୍ଷଣ ବୋଲି ଗ୍ରହଣ କରିବା । କୌଣସିପ୍ରକାରେ ନବଦଳିବାକୁ ଆଣ୍ଟ କରି ବସିଥିବା ସମାଜ ହେଉଚି ଏକ ଅସୁସ୍ଥ ସମାଜ । କାରଣ ସମାଜର ବିକାଶ କରିବାକୁ ହେଲେ ପୁରୁଣା ବ୍ୟବସ୍ଥା ଓ ବ୍ୟବସ୍ଥିତତାରେ ଆମକୁ ପରିବର୍ତ୍ତନ ଆଣିବାକୁ ହିଁ ହେବ, ସମାଜର ପୁନର୍ଗଠନ ବା ପୁନର୍ନିମାଣ କରିବାକୁ ବସିଲେ ଆମକୁ ପୁରାତନ ସାମାଜିକ ସଂଗଠନକୁ ଭାଙ୍ଗି ନୂଆ କରି ଗଢ଼ିବାକୁ ପଡ଼ିବ । (୧) ଏଥିରେ ତ୍ରସ୍ତ ହେବାର କୌଣସି କାରଣ ନାହିଁ, କାରଣ ସମାଜ ଓ ସମାଜରେ ବାସ କରୁଥିବା ଆମ ସମସ୍ତଙ୍କର ସୁସ୍ଥ ଓ ବିକାଶଶୀଳ ଜୀବନଲାଗି ଏହା ଅତ୍ୟାବଶ୍ୟକ-

 

ସଙ୍ଗଠନ, ବିଘଟନ ଓ ପୁନର୍ଗଠନ–ଏହି ତିନୋଟି ହେଉଚି ଯେକୌଣସି ବିକାଶଶୀଳ ସମାଜର ତିନୋଟି ସୁସ୍ଥ ପ୍ରକ୍ରିୟା । ସାମାଜିକ ପ୍ରଗତିର ସମଗ୍ର ଗତିଶୀଳତା କହିଲେ ଆମେ ଏହି ତିନୋଟିଯାକ ପ୍ରକ୍ରିୟାକୁ ବୁଝିରଖିବା । ସମାଜ କହିଲେ ଆଜି ଯେଉଁସବୁ ସଂଗଠନକୁ ବୁଝାଉଚି, କାଲି ସମାଜର ପୁନର୍ଗଠନ କରିବାକୁ ଗଲେ ଆମକୁ ସେଗୁଡ଼ିକ ଭାଙ୍ଗିଦେବାକୁ ପଡ଼ିବ । ସାମାଜିକ ନ୍ୟାୟ ପ୍ରତିଷ୍ଠିତ କରିବାକୁ ହେଲେ ଜାତିଭେଦର ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିଦେବାକୁ ପଡ଼ିବ, କୃଷିକ୍ଷେତ୍ରରେ ନୂତନ ଉଦ୍ୟମ ଓ ପ୍ରେରଣା ସୃଷ୍ଟି କରିବାକୁ ହେଲେ ଭୂମିଗତ ସ୍ୱତ୍ୱରେ ଆବଶ୍ୟକ ସଂସ୍କାର କରିବାକୁ ପଡ଼ିବ, ଲୋକଶାସନର ନୂତନ ପ୍ରତିଷ୍ଠା କରିବାକୁ ହେଲେ ପାଠୁଆମାନଙ୍କୁ ଅତିପାଠୁଆ କରିବାର ଷଡ଼ଯନ୍ତ୍ର ନକରି ସବୁମଣିଷଙ୍କ ଲାଗି ଅନ୍ତତଃ ନିମ୍ନତମ ଶିକ୍ଷାର ବରାଦ କରିବାକୁ ହେବ, ପଇସା ବଦଳରେ ମଣିଷକୁ ଜାତୀୟ ତଥା ସାମୁଦାୟିକ ଜୀବନର ଆସନରେ ବସାଇବାକୁ ହେଲେ ପୁରୁଣା ଶୋଷଣ ଭାଙ୍ଗି ସବୁ ମଣିଷଲାଗି ସମାନ ସୁଯୋଗ ଓ ସୁବିଧାମାନ ଉପଲବ୍‌ଧ କରାଇବାକୁ ହେବ । ଭାଙ୍ଗିବା, ବଦଳାଇବାକୁ ଆମେ ଆଖିବୁଜି ଏକ ସାମାଜିକ ବ୍ୟାଧି ବୋଲି ମାନିନେବାନାହିଁ । ନୂତନର ନିର୍ମାଣଲାଗି ପୁରୁଣା ନିର୍ମାଣଗୁଡ଼ିକୁ ଭାଙ୍ଗିବା ଯେ ଅନେକ ସମୟରେ ଆବଶ୍ୟକ ହୋଇଥାଏ, ଆମକୁ ଏପରି ବିଶ୍ୱାସ କରିଶିଖିବାକୁ ହେବ । ନୂତନ ବ୍ୟବସ୍ଥା ବସାଇବାକୁ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିବାକୁ ହେବ, ସମାଜର ସାମୁଦାୟିକ ଓ ସମ୍ବନ୍ଧଗତ ଚଳଣିରେ ଏକ ନୂତନ ଭାରସାମ୍ୟ ଆଣିବାକୁ ହେଲେ ପୁରୁଣା ଭାରସାମ୍ୟ ଆମର ନୂତନ ଆବଶ୍ୟକତା ଓ ଆକାଙ୍‌କ୍ଷାର ଦୃଷ୍ଟିରୁ ଯେ ଏଣିକି କୌଣସି କାମ ଦେବନାହିଁ, ଏହିପରି ବିଚାରକରି ପୁରୁଣାର ମାୟାକୁ ଛିଡ଼ାଇବାକୁ ପଡ଼ିବ । ଏହିପରି ରୀତିରେ ପୁରାତନ ଭାରସାମ୍ୟଗୁଡ଼ିକୁ ବାର ବାର ଭାଙ୍ଗି ନୂତନ ଭାରସାମ୍ୟ ଗୁଡ଼ିକର ସ୍ଥାପନା କରିବାକୁ ହିଁ ସମାଜଶାସ୍ତ୍ରୀମାନେ ଅଭିବୃଦ୍ଧି ବା ବିକାଶ ବୋଲି କହିଚନ୍ତି । (୨)

 

ଭାରତରେ ଆବହମାନ କାଳରୁ ସମାଜର ଆଲୋଚନା ହୋଇଆସିଚି ସତ, ମାତ୍ର ସମାଜର ପ୍ରଚଳିତ ବ୍ୟବସ୍ଥାଟିକୁ ଚାଲୁ ରଖିବାକୁ ଓ ଘଣ୍ଟ ଘୋଡ଼ାଇ ରଖିବାକୁ ହିଁ ବେଶୀ ଆଲୋଚନା ହୋଇଚି, ସମାଜର ପରିବର୍ତ୍ତନ ବିଷୟରେ ହୋଇନାହିଁ । ଯାହା ଅଛି, ତାହାକୁ ହିଁ ଜାରି ରଖିବାକୁ ଧର୍ମ ବୋଲି କୁହାଯାଇଚି, ଏବଂ ସେଗୁଡ଼ିକରେ କିଛି ବ୍ୟତିକ୍ରମ ଘଟାଇବାକୁ ଅନେକ ସମୟରେ ପାପ ବୋଲି କୁହାଯାଇଚି । ମନୁ, ପରାଶର ଓ ଅନ୍ୟାନ୍ୟ ସୂତ୍ରକାରମାନଙ୍କ ଗ୍ରନ୍ଥ ପଢ଼ିଲେ ସ୍ୱଭାବତଃ ଏହିପରି ଏକ ପ୍ରତିକ୍ରିୟା ହିଁ ହୋଇଥାଏ । ସେମାନଙ୍କର ଗ୍ରନ୍ଥରେ ଏପାଖରୁ ସେପାଖଯାଏ ପୃଷ୍ଠା ଓଲଟାଇ ଆସିଲେ ଜିରା ଭିତରେ କେତେ ଶିରା ଦେଖିବାକୁ ମିଳେ ସତ, ମାତ୍ର ସମାଜର ପରିବର୍ତ୍ତନ ସମ୍ବନ୍ଧରେ ପଦେହେଲେ ଶୁଣିବାକୁ ମିଳେନାହିଁ । ସୂତ୍ରକାରମାନେ ସାଧାରଣତଃ ସାମାଜିକ ପରିବର୍ତ୍ତନ ବିଷୟରେ କିଛି କହିବାର ଦାୟିତ୍ୱକୁ ଏଡ଼ିଦେବାର ପ୍ରବୃତ୍ତି ଦେଖାଇଥାନ୍ତି, କାରଣ ପରିବର୍ତ୍ତନ ଘଟିବାଦ୍ୱାରା ସୂତ୍ରର କର୍ତ୍ତୃତ୍ୱ ଆଉ ରହିବନାହିଁ ବୋଲି ସେମାନେ ଭୟ କରିଥାନ୍ତି । ଅବଶ୍ୟ ଆମ ଦେଶରେ ସୂତ୍ରକୁ ଭାଙ୍ଗି ସମାଜକୁ ବଦଳାଇବାର ଉଦ୍‌ବୋଧନ ଦେବା ବ୍ୟକ୍ତି କମ୍ ଜନ୍ମହୋଇନାହାନ୍ତି । ଆମଦେଶରେ ବୁଦ୍ଧଦେବ ଓ ମହାବୀର ଜନ୍ମ ହୋଇଚନ୍ତି, ଶଙ୍କରାଚାର୍ଯ୍ୟ ଓ ଶଙ୍କରଦେବ ଜନ୍ମ ହୋଇଚନ୍ତି, ଅଚ୍ୟୁତାନନ୍ଦ ଓ ଭୀମଭୋଇ ବି ଜନ୍ମ ହୋଇଚନ୍ତି । କିନ୍ତୁ ସେମାନଙ୍କୁ ମଧ୍ୟ ଗାଦୀଭିତରେ କିଳିଦେଇ ଆମେ ଆମର ସୂତ୍ରଗୁଡ଼ାକ ପାଖକୁ ଫେରିଆସିଚୁ-। ବୁଦ୍ଧଦେବଙ୍କୁ ଅବତାର ବୋଲି ମାନୁଚୁ, ମାତ୍ର ମନୁଙ୍କର ଶାସନକୁ ସବୁଠାରୁ ନିରାପଦ ଶାସନ ବୋଲି ଗ୍ରହଣ କରିଚୁ । ଏହାଫଳରେ ଆମର ସମାଜ ତଥା ସମାଜଦର୍ଶନରେ ଅନେକ କଳଙ୍କି ଲାଗିଯାଇଚି, ବହମାନ ନଦୀକୁ ଆଦର୍ଶ ଜୀବନର ପ୍ରତୀକ ବୋଲି ଗ୍ରହଣ କରାଯାଇଥିବା ଦେଶରେ ଆମେ ସମସ୍ତେ ଆବଦ୍ଧ ଜଳାଶୟମାନଙ୍କରେ ହିଁ ଆମ ସାମାଜିକ ଜୀବନଦୃଷ୍ଟିଗୁଡ଼ିକୁ ବାଡ଼ ଘେରାଇ ଓ ଆନୁଷ୍ଠାନିକ ନାନା ହେପାଜତ ଦେଇ ରଖିଚୁ ।

 

ଭାରତରେ ବର୍ତ୍ତମାନ ସମାଜର ଅଧ୍ୟୟନ କରିବାର ଅର୍ଥ ହେଉଚି ସମାଜରେ ଆବଶ୍ୟକ ପରିବର୍ତ୍ତନ ଆଣିବାଲାଗି ଉପାୟର ଅନୁସନ୍ଧାନ କରିବା ଏବଂ ସେହି ଉପାୟଗୁଡ଼ିକ ଅନୁସାରେ ଆଗକୁ ବାଟ ଚାଲିବାଲାଗି ଏକ ସମୁଦାୟ ଭାବରେ ନିଜକୁ ପ୍ରସ୍ତୁତ କରିବା । ଏହାର ଅର୍ଥ ହେଉଚି ନୂତନର ପ୍ରତିଷ୍ଠାଲାଗି ପୁରାତନକୁ ଭାଙ୍ଗିବାର ନିଷ୍ଠାପର ସାହସ ଅର୍ଜନ କରିବା, ଜଳାଶୟର ବନ୍ଧ କାଟି ବୃହତ୍ତର ପୃଥିବୀର ଜୀବନସ୍ରୋତକୁ ଆପଣାମଧ୍ୟକୁ ଆମନ୍ତ୍ରଣ କରିଆଣିବା । ନୂଆଘର ତିଆରି କଲାବେଳେ ଆମକୁ ପୁରୁଣା ଘରେ ନିଆଁ ଲଗାଇଦେବାକୁ ପଡ଼େନାହିଁ । କିନ୍ତୁ ଚାଳ ଓଲାରିବାକୁ ପଡ଼େ, ଛାତର ବୁଣାଟ ଭାଙ୍ଗିବାକୁ ପଡ଼େ, କାନ୍ଥ ବଦଳାଇବାକୁ ପଡ଼େ, କଚ୍ଚା ଚଟାଣକୁ ପକ୍‌କା କରିବାକୁ ପଡ଼େ, ଅଧିକ ପବନ ଓ ଆଲୁଅ ଆସିବା ଉଦ୍ଦେଶ୍ୟରେ ଅଧିକ ଝରକା ଲଗାଇବାକୁ ପଡ଼େ । ସମାଜରେ ବିଘଟନ ଆଣିବା ଅର୍ଥାତ୍ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିବା ବୋଲି କହିଲେ ଆମକୁ ଏହାହିଁ ବୁଝିବାକୁ ପଡ଼ିବ । କିନ୍ତୁ ଏଥିଲାଗି ଭୟ କରିବାର ବା କଣ କାରଣ ରହିଚି-? ଏଥିଲାଗି ପୁରୁଣା କାନ୍ଥ, କଣାଚାଳ ଓ ଘରଭିତରେ ରହିଥିବା ମୂଷାଗାଡ଼ଗୁଡ଼ାକର ଶାନ୍ତିଭଙ୍ଗ କରିବାଲାଗି ଆମକୁ ଖରାପ ବା କାହିଁକି ଲାଗିବ ?

 

ଆଗେ ଆମ ଦେଶରେ ସମସ୍ୟା ଅତି କମ୍ ସଂଖ୍ୟାରେ ଥିଲା, ହୁଏତ କୌଣସି ସମସ୍ୟା ହିଁ ନଥିଲା । କିନ୍ତୁ ତା’ ବୋଲି ଆମର ସାମାଜିକ ଜୀବନ ଅଧିକ ସୁସ୍ଥ ଥିଲାବୋଲି କହିଲେ ତାହା ଆଦୌ ଠିକ୍ ହେବନାହିଁ । ଅସଲ କାରଣ ହେଉଚି, ସେତେବେଳେ ଆମର ସମସ୍ୟାସଚେତନତା କମ୍ ଥିଲା । ଅର୍ଥାତ୍ ସମସ୍ୟାଗୁଡ଼ିକ ରହିଥିଲା, ମାତ୍ର ଆମେ ସେଗୁଡ଼ିକୁ ସମସ୍ୟା ବୋଲି ଅନୁଭବ କରୁନଥିଲୁ । ସେଗୁଡ଼ିକୁ ଆମେ ସ୍ୱାଭାବିକ ବୋଲି ମାନିନେଉଥିଲୁ । ଗାଆଁରେ ସ୍କୁଲ ନଥିଲା, ଗାଆଁରେ ଛୋଟଜାତିମାନେ ଡିହରେ ନଡ଼ିଆଗଛ ଲଗାଇପାରିବେ ନାହିଁ ବୋଲି ନିଷେଧ ରହିଥିଲା, ସରକାରୀ ଅଫିସର୍‌ମାନଙ୍କୁ ଦେବତାପରି ସମ୍ମାନ ମିଳୁଥିଲା ଓ ଦେବତାପରି ଭୟ କରାଯାଉଥିଲା । ଘରର ଝିଅମାନେ ସେତେବେଳେ ଆମର ଦୁର୍ଭାଗ୍ୟହେତୁ ଜନ୍ମ ହେଉଥିଲେ, ଘରକାମ କରି ସେମାନେ ଦିନେ ଆଉ କାହା ଘରେ ଛୁଆ ଜନ୍ମ କରିବାଲାଗି ବାହା ହୋଇ ଚାଲିଯାଉଥିଲେ । ସେମାନଙ୍କୁ ସ୍କୁଲକୁ ପଠାଇବା ଉଚିତ ବୋଲି କେହି ଭାବୁନଥିଲେ-। ସମାଜରେ କାହା ଘରେ ପଲାଉ ଫୋପଡ଼ା ହେଉଥିଲା, ପୁଣି କାହାକୁ ପଖାଳ ବି ମିଳୁନଥିଲା । ଏକା ଗାଆଁରେ ଦୁଇଟି ପିଲାଙ୍କ ମଧ୍ୟରେ ଗୋଟାଏ ପିଲା ଗାଆଁ ପାଠଶାଳାରୁ ଲେଉଟି ଆସୁଥିଲା, ପ୍ରତିଭା ଥିଲେ ମଧ୍ୟ ପଇସା ଅଭାବରୁ ସେ ଆଡ଼କୁ ନଯାଇ କେଉଁ ଜମିଦାର ଘରେ ଗୁମାସ୍ତା ହେବାକୁ ଯାଉଥିଲା । ପୁଣି ଆରପିଲାଟି ବାପର ପଇସା ବଳରେ ପାଞ୍ଚଥର ଫେଲ୍ ହେଲେ ମଧ୍ୟ କଲେଜଯାଏ ପହଞ୍ଚିପାରୁଥିଲା । ଆଗେ ଏଗୁଡ଼ାକୁ କେହି ସମସ୍ୟାବୋଲି ମନେ କରୁନଥିଲେ । ଉପର ଓ ତଳ ଉଭୟ ବରଡ଼ା ଏହାକୁ ହିଁ ସମାଜର ସ୍ୱାଭାବିକ ଧର୍ମ ବୋଲି ସ୍ୱୀକାର କରୁଥିଲେ । କିନ୍ତୁ ଆଜିର ମଣିଷସମାଜରେ ସେଗୁଡ଼ିକ ଗୋଟିଏ ଗୋଟିଏ ସମସ୍ୟା ହୋଇ ଠିଆହେଲାଣି । ଏହାଦ୍ୱାରା ଆମ ଭାଗ୍ୟବାଦୀ ପରମ୍ପରାବଦ୍ଧ ସମାଜରେ ମଧ୍ୟ ନାନା ନୂତନ ସମସ୍ୟାର ଉକୁ ହେଲାଣି । ଝିଅ ପାଠ ପଢ଼ି ବାହାରିଲାଣି, ମୂଲିଆମାନେ ସାଆନ୍ତଙ୍କୁ ମାନୁନାହାନ୍ତି, ଗାଆଁର ପାଠପଢ଼ୁଆ ଟୋକାଏ ଗାଆଁର ବାବାଜୀଙ୍କୁ ମାନୁନାହାନ୍ତି, ସାନଜାତିମାନେ ବଡ଼ଜାତିଙ୍କୁ ମାନୁନାହାନ୍ତି, – ଏସବୁ ସମସ୍ୟା ଆଗେ ନଥିଲା । ଏବେ ଏହିସବୁର ସମାଧାନ ହିଁ ଆମର ଆଗାମୀ ସମାଜର ନିର୍ଣ୍ଣୟ କରିବାକୁ ଯାଉଚି । ତେଣୁ ଯେଉଁମାନେ ଏଣେ ଦେଶର ପ୍ରଗତି ଚାହୁଚନ୍ତି, ଯେଉଁମାନେ ଲୋକଶାସନ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ଚାହୁଚନ୍ତି, ଅଥଚ ଅନ୍ୟପକ୍ଷରେ ସମାଜର ସମସ୍ୟାଗୁଡ଼ାକ ଅତିରିକ୍ତଭାବରେ ବଢ଼ିଯାଉଚି ଦେଖି ବ୍ୟସ୍ତ ଓ ହତୋତ୍ସାହ ହୋଇପଡ଼ୁଚନ୍ତି, ଆଜି ସେମାନଙ୍କୁ ଅଧିକ ସ୍ଥିରଭାବରେ ଆପଣା ପରିବେଶଟିକୁ ବୁଝିବାକୁ ପଡ଼ୁଛି । ଆଗେ ଆମଦେଶରେ ଭାଗ୍ୟର ରାଜତ୍ୱ ଚଳୁଥିଲା । ସବୁ ଅବ୍ୟବସ୍ଥାକୁ ଭାଗ୍ୟ ବୋଲି ମାନିନିଆଯାଉଥିଲା । କୌଣସି ସମସ୍ୟା ଓ ଅବ୍ୟବସ୍ଥା ଯେ କେବେ ମନୁଷ୍ୟକୃତ ହୋଇପାରେ, ସେକଥା କେହି କଳ୍ପନା କରୁନଥିଲେ । ତେଣୁ ପ୍ରଗତି ଶବ୍ଦଟା ମଧ୍ୟ ଆମ ଜୀବନଦୃଷ୍ଟିଗତ ଅଭିଧାନ ଭିତରେ ନଥିଲା । ସେତେବେଳେ ଲୋକଶାସନର ଆକାଙ୍‌କ୍ଷା ଜନ୍ମଲାଭ କରିନଥିଲା, ମଣିଷ ସେତେବେଳେ ସାମାଜିକ ନ୍ୟାୟର ସାହସିକ ସ୍ୱପ୍ନ ଦେଖୁନଥିଲା । ଆଜି ଏସବୁ ସମ୍ଭବ ହେଲାଣି । ତେଣୁ ବର୍ତ୍ତମାନର ସମସ୍ୟାଗୁଡ଼ିକ ସେହି ପୁରୁଣା ସାମାଜିକ ଭୂମିରେ ସମ୍ଭବ ହୋଇ ପାରିଥାନ୍ତା କିପରି ?

 

ଯଦି ଆମେ ସମସ୍ୟାକୁ ଡରୁଥାଉ, କେବେ ଏଠାରେ ଏତିକି କହିଦେବା ଉଚିତ ହେବ ଯେ ସମସ୍ୟାବିହୀନ ଏକ ସମାଜରେ ବାସ କରିବା ଆମ କାହାରି ପକ୍ଷରେ କଦାପି ସମ୍ଭବ ହେବନାହିଁ । ଗୋଟିଏ ସ୍ତରରେ ସମସ୍ୟାକୁ ସମାଧାନ କରି ଆମେ ଯେତେବେଳେ ପରିବର୍ତ୍ତିତ ନୂତନ ସ୍ତରକୁ ଆସିବା, ସେତେବେଳେ ଆମକୁ ନୂତନ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ ଓ ସେଗୁଡ଼ିକର ସମାଧାନ ଖୋଜିବାକୁ ପଡ଼ିବ । ଭାରତର ରାଜନୀତିକ ସମସ୍ୟାର ସମାଧାନ କରିବା, ଅର୍ଥାତ୍ ରାଜନୀତିକ ସ୍ୱାଧୀନତା ହାସଲ କରିବା ଯେତେବେଳେ ଆମର ସର୍ବପ୍ରଧାନ ସମସ୍ୟା ହୋଇ ରହିଥିଲା, ସେତେବେଳେ ଆମେ ଦେଶର ଆର୍ଥିକ ବିକାଶ, ଶିକ୍ଷାପ୍ରସାର, ନାଗରିକ ଅଧିକାର, ଲୋକଶାସନ ବା ସାମାଜିକ ନ୍ୟାୟ ବିଷୟରେ ଆଦୌ ମୁଣ୍ଡ ଖେଳାଉ ନଥିଲୁ-। ରାଜନୀତିକ ସ୍ୱାଧୀନତା ହାସଲ ହେବା ପରେ ବର୍ତ୍ତମାନ ଏଗୁଡ଼ିକ ହିଁ ଆମର ସମସ୍ୟାରୂପେ ଦଣ୍ଡାୟମାନ ହୋଇଚି । ଏସବୁ ଦେଖି ତ୍ରସ୍ତ ହେବାର ବା ପଛକୁ ଫେରିଯିବାର ପ୍ରଶ୍ନ ହିଁ ଉଠୁନାହିଁ । କାରଣ ଏହିଗୁଡ଼ିକର ସମ୍ମୁଖୀନ ହେବାର ସଫଳତା ଉପରେ ହିଁ ଆମର ଜାତୀୟ ପ୍ରଗତି ସମ୍ପୂର୍ଣ୍ଣରୂପେ ନିର୍ଭର କରୁଚି । କୁବେରଦେଶ ଆମେରିକା ବା ସମବାୟର ଦେଶ ଡେନ୍‌ମାର୍କ୍‌ରେ ମଧ୍ୟ ଆଜି ଅନେକ ସମସ୍ୟା ରହିଚି । ଆମଦେଶରେ ଆମେ ଆଜି ଯେଉଁସବୁ ସମସ୍ୟା ଭିତରେ ଧନ୍ଦି ହେଉଚୁ, ସେସବୁ ଦେଶ ସେଗୁଡ଼ିକୁ ପାରହୋଇ ଯାଇଚନ୍ତି ସତ, ମାତ୍ର ସେମାନଙ୍କୁ ଆଜି ତଥାପି ଏପରି ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ୁଚି, ଯେଉଁଗୁଡ଼ିକ ହୁଏତ ଆଉ କେତେ ବର୍ଷ ପରେ ଆମର ସମସ୍ୟା ହୋଇ ମଧ୍ୟ ଦଣ୍ଡାୟମାନ ହେବ ।

 

ଯେଉଁ ଦେଶ ବା ଜାତୀୟ ସମାଜର ସମସ୍ୟା-ସଚେତନତା ଯେତେ ବେଶୀ, ସମାଜଶାସ୍ତ୍ରୀମାନେ ସେହି ସମାଜକୁ ସେତିକି ବେଶୀ ପ୍ରଗତିଶୀଳ ବୋଲି ମାନିଚନ୍ତି । ଯେଉଁଠି ସାମାଜିକ ଜୀବନ ମୃତପ୍ରାୟ ହୋଇ ପଡ଼ିରହିଚି, ସେଠାରେ ଲୋକମାନେ ନିଜ ସମସ୍ୟାଗୁଡ଼ିକୁ ଆପଣା ଦେହ ଉପରେ ଦଂଶନପରି ଅନୁଭବ କରୁନାହାନ୍ତି । ଆମ ଦେଶରେ ଅଧେଲୋକଙ୍କୁ ପେଟପୂରା ଦାନା ଜୁଟୁନାହିଁ, ଅଧେପିଲା ପଢ଼ିବାକୁ ପାଉନାହାନ୍ତି, ଦେଶରେ ଏତେ ଡାକ୍ତର ଓ ଡାକ୍ତରଖାନା ଥାଉ ଥାଉ ରାସ୍ତା ଉପରେ ମଣିଷ ମରୁଚନ୍ତି, ଏହି ଦେଶର ମଣିଷସମାଜରେ ବଡ଼ମାଛମାନେ ନାନା ଚତୁର ଉପାୟରେ ସାନମାଛକୁ ବିଲୁପ୍ତ କରିବାରେ ଲାଗିଚନ୍ତି । ତଥାପି ସେଗୁଡ଼ିକ ଆମର ସମସ୍ୟା ବୋଲି ଆମର କୌଣସି ସଚେତନତା ନାହିଁ । ଷ୍ଟେସନରେ ଯେଉଁ ପିଲା ମୋର ଜୋତା ପାଲିସ୍ କରିଦେଉଚି, ମଟରଷ୍ଟାଣ୍ଡରେ ଯେଉଁ ସ୍ତ୍ରୀଲୋକ ମୋର ବୋକଚା ବୋହୁଚି, ଗଙ୍ଗାକୂଳର ତୀର୍ଥପୀଠରେ ଯେଉଁ ଭିକାରି ମୋର ଅନୁଗ୍ରହ ଭିକ୍ଷା କରୁଚି, ମୋର ସମାଜ ବିଷୟରେ ଯଥେଷ୍ଟ ସଚେତନ ହୋଇଥିଲେ ମୁଁ କଦାପି ଏଗୁଡ଼ିକୁ ଏଡ଼ାଇ ପାରନ୍ତିନାହିଁ । ଆଗେ ଆମ ସମାଜରେ ଦାରିଦ୍ର୍ୟ ଥିଲା, ବଡ଼ ସାନ ଭେଦ ରହିଥିଲା, ତଥାପି କରୁଣା ଥିଲା,-ମାତ୍ର ବର୍ତ୍ତମାନ ଦାରିଦ୍ର୍ୟ ଓ ବିଭେଦମାନ ଯେମିତି ଥିଲା, ସେମିତି ରହିଚି, ଅଥଚ ନାନା କାରଣରୁ କରୁଣାରେ ହ୍ରାସ ହୋଇଥିବାରୁ ଏହିସବୁ ପୁରୁଣା ସମସ୍ୟା ଏବେ ଅଧିକ ଉତ୍କଟ ହୋଇପଡ଼ିଚି । ଆମ ଦେଶରେ ଥୋକେ ଲୋକଙ୍କୁ ଯେଉଁପରି ପାଠ ପଢ଼ାଇ ଦିଆଯାଉଚି ଓ ଜାତୀୟ ଜୀବନର ସମସ୍ତ ସୁଯୋଗ ଯେପରି ସେହିମାନଙ୍କର ହାତପାଆନ୍ତାରେ ରହିଚି, ତଦ୍ଦ୍ୱାରା ଆମର ସମସ୍ୟା ସଚେତନତା ଆହୁରି କମିଯିବାରେ ଓ ମରିଯିବାରେ ଲାଗିଚି ।

 

ଇଉରୋପରେ ମଧ୍ୟ ଦିନେ ଠିକ୍ ଏହିପରି ଦଶା ରହିଥିଲା । ମଣିଷ ମଣିଷପ୍ରତି ସେଠାରେ ମଧ୍ୟ ଏହିପରି ଉଦାସୀନ ହୋଇ ରହିଥିଲା । ଭଗବାନଙ୍କୁ କେନ୍ଦ୍ର କରି ବୁଣା ହୋଇଥିବା ଅଳସ ଦର୍ଶନମାନ ମଣିଷକୁ ଏହିଭଳି ଉଦାସୀନ ରହିବାରେ ଅଧିକ ଅପପ୍ରେରଣା ଦେଉଥିଲା । କିନ୍ତୁ ପ୍ରାୟ ଦୁଇଶହ ବର୍ଷ ତଳେ ସେହି ଉଦାସୀନତାର ପଥର ଅପସରିବାକୁ ଆରମ୍ଭ କଲା, ଆପଣା ସମାଜ ବିଷୟରେ ମଣିଷର ମନ ଅଧିକ ସଚଳ ହେଲା । ସମାଜ ବିଷୟରେ ନୂଆ କଳ୍ପନାମାନ କରାଗଲା । ପୁରୁଣା ଭାଙ୍ଗିଲା ଓ ସାହସୀ ଶ୍ରଦ୍ଧାଶୀଳ ନେତୃତ୍ୱରେ ନୂତନର ଭିତ୍ତି ପଡ଼ିଲା । ସାମାଜିକ ଦୃଷ୍ଟିରୁ ଇଉରୋପ ବା ସମଗ୍ରତଃ ପାଶ୍ଚାତ୍ୟ ସମାଜ କାହିଁକି ଏପରି ସମସ୍ୟା ସଚେତନ ହୋଇ ବାହାରିଲା, ଗୋଟିଏ ଗ୍ରନ୍ଥରେ (୩) ତାହାର ତିନୋଟି କାରଣ ଦର୍ଶାଇ ଦିଆଯାଇଚି । ।।୧।। ଯନ୍ତ୍ରଯୁଗ ଓ ଶିଳ୍ପବିପ୍ଳବ ଫଳରେ ଯେଉଁ ନୂତନ ସହରସଭ୍ୟତାର ଅଭ୍ୟୁଦୟ ହେଲା, ପ୍ରଥମ ପର୍ଯ୍ୟାୟରେ ବଡ଼ ପୁଞ୍ଜିପତିମାନେ ହିଁ ସେଥିରୁ ଲାଭବାନ୍ ହେଉଥିଲେ । ଶ୍ରମିକମାନେ ଅନେକ ଦୁର୍ଦ୍ଦଶା ଭୋଗ କରୁଥିଲେ । ଏହାଫଳରେ ଅସନ୍ତୋଷ ବଢ଼ିଲା ଓ ସେହି ଅସନ୍ତୋଷରୁ ନୂତନ ସମସ୍ୟାଗୁଡ଼ିକ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହେବାଭଳି ଏକ ବାତାବରଣ ସୃଷ୍ଟି ହେଲା । କେବଳ ଉତ୍ପାଦନ ଓ ଲାଭ ବଢ଼ିଲେ ଯନ୍ତ୍ରଯୁଗ ଓ ଶିଳ୍ପବିପ୍ଳବ ବଳେବଳେ ସଫଳ ହୋଇଯିବନାହିଁ । ମଣିଷ ସମ୍ମୁଖୀନ ହେଉଥିବା ନୂତନ ସମସ୍ୟାଗୁଡ଼ିକର ସମାଧାନବାଟ ମଧ୍ୟ ଖୋଜିବାକୁ ହେବ, ଅଧିକରୁ ଅଧିକ ଲୋକ କ୍ରମେ ଏହିପରି ଚିନ୍ତା କରିବାକୁ ଲାଗିଲେ । ।।୨।। ଆଧୁନିକ ପୃଥିବୀରେ କ୍ରମଶଃ ବୃଦ୍ଧି ପାଉଥିବା ମାନବିକତାବାଦୀ ଦୃଷ୍ଟିକୋଣ ମଧ୍ୟ ଦୁର୍ଦ୍ଦଶାଗ୍ରସ୍ତ ମଣିଷର ସମସ୍ୟାକୁ ସମଗ୍ର ସମାଜର ସମସ୍ୟାରୂପେ ଅନୁଭବ କରିବାକୁ ଅଧିକ ଉତ୍‌ପ୍ରେରଣା ଦେଇଥିଲା । ଯେଉଁ ଯୁଗରେ ମଣିଷକୁ ହିଁ କେନ୍ଦ୍ର ଓ ସବୁଠାରୁ ଅଧିକ ମୂଲ୍ୟବାନ୍ କରି ଗ୍ରହଣ କରାଯାଏ, ସେଯୁଗରେ ମଣିଷ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସମସ୍ତଙ୍କର ସମସ୍ୟାରୂପେ ଆଖିରେ ପଡ଼ିବା ଅତି ସ୍ୱାଭାବିକ । ।।୩।। ଆଧୁନିକ ଯୁଗରେ ବିଜ୍ଞାନ ହିଁ ମଣିଷକୁ ବାଟ ଦେଖାଇଲା ଓ ତାର ସାମର୍ଥ୍ୟ ବିଷୟରେ ତାକୁ ଅନେକ ଆତ୍ମବିଶ୍ୱାସ ଦେଇଗଲା । ଆଗେ ସନ୍ଥମାନେ ଦୟା, ଦାକ୍ଷିଣ୍ୟ, ଦୁଃଖୀସେବା ଓ ବଦାନ୍ୟତା ବିଷୟରେ କେତେ ଉପଦେଶ ଦେଉଥିଲେ । କିନ୍ତୁ ଏସବୁକୁ ସମଗ୍ର ସମାଜର ଏକ ଜୀବନରୀତିରେ ପରିଣତ କରିବାଲାଗି ସେତେବେଳେ ସମାଜପାଖରେ ଯଥେଷ୍ଟ ସାଧନ ନଥିଲା । ଆଜି ବିଜ୍ଞାନ ମଣିଷକୁ ସେହି ସାଧନ ଯୋଗାଇ ଦେଇ ପାରିଚି । ଆଧୁନିକ ମଣିଷ ଭାବୁଚି ବିଜ୍ଞାନର ସାହାଯ୍ୟରେ ଯଦି ସମଗ୍ର ସମାଜ ଲାଗି ଯଥେଷ୍ଟ ଖାଦ୍ୟ ଉତ୍ପନ୍ନ କରିବା, ସବୁ ମଣିଷଙ୍କୁ ନୀରୋଗ କରିବା ବା ସବୁ ମଣିଷଙ୍କୁ ଉତ୍ତରୋତ୍ତର ଶିକ୍ଷାର ସୁଯୋଗ ଦେବା ସମ୍ଭବ ହୋଇଗଲାଣି, ତେବେ ଏହି ପୃଥିବୀରେ ପ୍ରତ୍ୟେକ ସମାଜରେ ଆମେ ତାହାକୁ କାର୍ଯ୍ୟରେ ପରିଣତ କରି ନପାରିବା କାହିଁକି ? ଯେଉଁସବୁ ସମାଜରେ ଏହା କାର୍ଯ୍ୟକାରୀ ହୋଇ ନପାରୁଚି, ସେଠାରେ ସାମାଜିକ ବ୍ୟବସ୍ଥା ବା କ୍ଷମତାବିତରଣରେ କେଉଁଠି ଗଲ୍‌ତି ରହିଯାଇଥିବାରୁ ଏପରି ହେଉଚି । ତେଣୁ ଏହି ଗଲ୍‌ତି ଗୁଡ଼ାକୁ ଦୂର କରିବାଲାଗି ଆଧୁନିକ ମଣିଷ କ୍ରମେ ଅଧିକ ସଚେତ ହୋଇ ଉଠୁଚି ।

 

ଇଉରୋପର ଏହି ସମସ୍ୟାସଚେତନତା ଆଜି ବିଶ୍ୱବ୍ୟାପୀ ହେବାରେ ଲାଗିଚି । କାରଣ ସମଗ୍ର ପୃଥିବୀରେ ଆଜି ଶିଳ୍ପବିପ୍ଳବ ପ୍ରସାରିତ ହେବାରେ ଲାଗିଚି, ମଣିଷକୁ କେନ୍ଦ୍ରରୂପେ ଦେଖୁଥିବା ମାନବିକତାର ପ୍ରତିଷ୍ଠା ହେବାରେ ଲାଗିଚି, ବିଜ୍ଞାନ ଓ ବୈଜ୍ଞାନିକ ଦୃଷ୍ଟିକୋଣ ମଧ୍ୟ ସବୁ ମହାଦେଶକୁ ପ୍ରସାରିତ ହେବାରେ ଲାଗିଚି । ଅନେକ ଦେଶରେ ସମାଜ ଏପର୍ଯ୍ୟନ୍ତ ନାନାଭାବେ ରକ୍ଷଣଶୀଳ ହୋଇ ରହିଚି, ବା ଶାସନକ୍ଷମତା ଯେଉଁମାନଙ୍କ ହାତରେ ରହିଚି, ସେମାନେ ସମସ୍ୟାଗୁଡ଼ିକର ସମାଧାନ କରିବାରେ ସମୟ ଟାଳିବାରେ ଲାଗିଚନ୍ତି,–ସେଥିଲାଗି ସେହିସବୁ ଦେଶରେ ଏପର୍ଯ୍ୟନ୍ତ ପରିବର୍ତ୍ତନର ପଥ ନାନାପ୍ରକାରେ ବାଧାପ୍ରାପ୍ତ ହୋଇ ରହିଚି । କିନ୍ତୁ ଏହି ପରିବର୍ତ୍ତନ ଅବଶ୍ୟ ହେବ । ଯେଉଁଠାରେ ସୁସ୍ଥ ଓ ବିକାଶନୁକୂଳ ନେତୃତ୍ୱ ରହିଚି, ସେଠାରେ ସୁସ୍ଥ ଉପାୟରେ ହେବ । ଯେଉଁଠାରେ ଜାତୀୟ ନେତୃତ୍ୱ ପ୍ରଧାନତଃ ପରିବର୍ତ୍ତନ ଓ ପୁନର୍ଗଠନର ପ୍ରତିବନ୍ଧକ ହୋଇ ରହିଚି, ସେଠାରେ ସେହି ନେତୃତ୍ୱର ଅପସାରଣ ଘଟାଇ ହେବ । ଏସିଆ, ଆଫ୍ରିକା ବା ଦକ୍ଷିଣ ଆମେରିକାରେ ସମ୍ପନ୍ନ ଉଚ୍ଚବର୍ଗମାନେ ଯେତେ ଇଚ୍ଛାକଲେ ମଧ୍ୟ ସମାଜର ପରିବର୍ତ୍ତନକୁ କଦାପି ସବୁଦିନଲାଗି ଅଟକାଇ ରଖି ପାରିବେନାହିଁ ।

 

ପ୍ରଧାନତଃ ତିନୋଟି ପ୍ରକାରେ ଆମେ ସାମାଜିକ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହୋଇପାରିବୁ । ସବୁ ସମସ୍ୟାରେ ଭଗବାନଙ୍କର ଇଚ୍ଛା ପ୍ରକଟ ହେଉଚି ବୋଲି ଭାବିପାରିବୁ । ଦ୍ୱିତୀୟତଃ ମଣିଷର ପ୍ରକୃତିରେ ନାନା ଦୋଷ ଓ ଅପୂର୍ଣ୍ଣତାମାନ ରହିଥିବାରୁ ସଂସାରରେ ଯାବତୀୟ ଦୁଃଖ ଓ କଷ୍ଟଭୋଗ ସଂଘଟିତ ହେଉଚି ବୋଲି କହିପାରିବୁ, ବା ତୃତୀୟତଃ ପ୍ରତ୍ୟେକ ସମସ୍ୟାର ଗୋଟିଏ ବା ତତୋଽଧିକ କାରଣ ରହିଚି ଓ ବୈଜ୍ଞାନିକ ଉପାୟରେ ଆମକୁ ସେହି କାରଣଗୁଡ଼ିକ ଖୋଜି ବାହାର କରିବାକୁ ହେବ ଏବଂ ସେହି କାରଣଗୁଡ଼ିକର ନିରାକରଣ ଲାଗି ଉପାୟ କରିବାକୁ ହେବ, ଏହିପରି ଭାବରେ ଚିନ୍ତା ମଧ୍ୟ କରିପାରିବୁ । (୪) ଯଦି ଭଗବାନଙ୍କର ଇଚ୍ଛାରୁ ସବୁ ହେଉଥାଏ, ତେବେ ସେଥିରେ ଆଉ ଆମ ମଣିଷଙ୍କର କରିବାକୁ କଣ ବା ଅଛି, ତେଣୁ ମୁଣ୍ଡପାତି ତାଙ୍କରି ଇଚ୍ଛାକୁ ମାନିନେବା ବ୍ୟତୀତ ଆମ ଆଗରେ ଆଉ ଅନ୍ୟ କୌଣସି ପ୍ରଶ୍ନ ଉଠିବନାହିଁ । ଆମଦେଶରେ ସାମାଜିକ ସମସ୍ୟାଗୁଡ଼ିକର ଏହିପରି ଏକ ସହଜ ସମାଧାନ କରିଦେବା ଲୋକ ଅନେକ ଅଛନ୍ତି; ସମସ୍ୟା ଭିଆଇଲା ଲୋକଙ୍କ ଭିତରେ ଅଛନ୍ତି, ତପସ୍ୟା ଭୋଗିଲା ଲୋକଙ୍କ ଭିତରେ ମଧ୍ୟ ଅଛନ୍ତି । ଦ୍ୱିତୀୟତଃ ମଣିଷର ସ୍ୱଭାବରେ ନାନାପ୍ରକାର ଦୋଷ ରହିଚି, ଆମେ ଉପରେ ଅସ୍ଥାୟୀଭାବରେ ଏଠିସେଠି ତାଳି ପକାଉଥିବା ପଛକେ, ମାତ୍ର ମଣିଷର ଜନ୍ମଗତ ସ୍ୱଭାବକୁ କଦାପି ବଦଳାଇ ପାରିବା ନାହିଁ, ଏପରି ବିଚାର କରୁଥିବା ପର୍ଯ୍ୟନ୍ତ ଆମ ନିଜଲାଗି ଆଉ କିଛି କରିବାର ନଥିବ ଏବଂ ଅଲୌକିକ କୌଣସି ଘଟଣା ଘଟି ମଣିଷର ସ୍ୱଭାବ ବଦଳିବା ପର୍ଯ୍ୟନ୍ତ ଆମକୁ ନିଶ୍ଚିନ୍ତ ହୋଇ ଅପେକ୍ଷା କରିବାକୁ ପଡ଼ିବ । ତୃତୀୟ ବାଟ ହେଉଚି ବୈଜ୍ଞାନିକ ଅବଧାରଣର ବାଟ । ଆମ ସମାଜରେ ଆଜି ଯେତେ ଯେତେ ସମସ୍ୟା ରହିଚି, ତାହା ପଛରେ ନାନା କାରଣ ରହିଚି । ଏହି କାରଣ ଭୌତିକ ହୋଇପାରେ, ଶରୀରଗତ ହୋଇପାରେ, ଆମ ସମାଜର ଅନୁଷ୍ଠାନ ଓ ସଂସ୍କୃତି ଭିତରୁ ଏହି କାରଣଗୁଡ଼ିକ ଜନ୍ମଲାଭ କରିଥାଇପାରେ ବା ଏସବୁ କାରଣର ଏକ ସାମାଜିକ ବା ମନୋବୈଜ୍ଞାନିକ ଭୂମି ମଧ୍ୟ ଥାଇପାରେ । ଏପରି ଭାବିବାକୁ ଆରମ୍ଭ କଲେ ଆମେ ଆମ ସମାଜର ସମସ୍ୟାଗୁଡ଼ିକଲାଗି ଆପଣାକୁ ଦାୟୀ ବୋଲି ଅନୁଭବ କରିପାରିବା, ସମସ୍ୟାଗୁଡ଼ିକର କାରଣ ବୁଝି ସେଗୁଡ଼ିକର ନିରାକରଣ ଲାଗି ଆମର ମଧ୍ୟ ପ୍ରତ୍ୟେକ ପରିସ୍ଥିତିରେ କିଛି କର୍ତ୍ତୃତ୍ୱ ଅବଶ୍ୟ ରହିଚି ବୋଲି ହୃଦୟଙ୍ଗମ କରିପାରିବା ।

 

ସମାଜର ବଦଳିବା ବା ନବଦଳିବାକୁ ମଣିଷ ଯେତେବେଳଯାଏ ଭଗବାନଙ୍କ ଉପରେ ବା ମଣିଷର ଜନ୍ମଗତ ସ୍ୱଭାବ ଉପରେ ଛାଡ଼ିଦେଇଥାଏ, ସେପର୍ଯ୍ୟନ୍ତ ପ୍ରଧାନତଃ କିଛି ନକରି ଉଦାସୀନ ରହିବାକୁ ହିଁ ସେ କର୍ତ୍ତବ୍ୟ ବୋଲି ଧରିନିଏ । ଏପରି ମଣିଷ କଦାପି ସମସ୍ୟାସଚେତନ ହୋଇ ପାରନ୍ତିନାହିଁ ବା ହେଲେ ମଧ୍ୟ ନାନାପ୍ରକାରେ ସେଗୁଡ଼ିକ ପ୍ରତି ଆପଣାର କର୍ତ୍ତବ୍ୟକୁ ଏଡ଼ିବାରେ ଲାଗିଥାନ୍ତି । ସମାଜକୁ ଏହି ମଣିଷ ତିଆରି କରିଚି, ଆପଣାର ଶୁଭ ଓ ଅଶୁଭ ବୃତ୍ତି ଓ ବାସନାଗୁଡ଼ିକର ବଶବର୍ତ୍ତୀ ହୋଇ ସେ ଆପଣାର ସମାଜକୁ ସଜାଡ଼ୁଚି ବା ବିଗାଡ଼ୁଚି, ତାହାର ଆବଶ୍ୟକତା ଅନୁସାରେ ସମାଜ ବଦଳି ଯାଉଚି ଓ ଏଯୁଗରେ ମଣିଷର ନୂତନ ଆକାଙ୍‌କ୍ଷା ଓ ଆବଶ୍ୟକତା ଅନୁସାରେ ବର୍ତ୍ତମାନର ସମାଜ ଯଥେଷ୍ଟ ଅନୁକୂଳ ପରିସର ଯୋଗାଇ ନପାରିଲେ ଏହି ସମାଜକୁ ମଧ୍ୟ ବଦଳିବାକୁ ପଡ଼ିବ, –ଏହିପରି ଦୃଷ୍ଟିରେ ସମାଜକୁ ଦେଖୁଥିଲେ ଆମେ ଆମର ସାମାଜିକ ଜୀବନରେ ସମସ୍ୟାସଚେତନ ହେବାକୁ ହିଁ ଆପଣାର ସାମାଜିକ ଧର୍ମ ବୋଲି ଗ୍ରହଣ କରିବା ଓ ସମସ୍ୟାଗୁଡ଼ିକର ନିରାକରଣଲାଗି କିଛି କରିବାକୁ ବାହାରିବା । ଏହି ଦୃଷ୍ଟିକୁ ହିଁ ବୈଜ୍ଞାନିକ କୁହାଯିବ । ଆଧୁନିକ ପୃଥିବୀରେ ଆଗକୁ ଆଖି ରଖିବାକୁ ହେଲେ ଭାରତବର୍ଷରେ ମଧ୍ୟ ଆମକୁ ଏହି ଦୃଷ୍ଟି ପୋଷଣ କରିବାକୁ ପଡ଼ିବ । ଆମ ଦେଶର ଗ୍ରାମସମାଜ ମଧ୍ୟ ଏଥିରୁ ବାଦ୍ ଯିବନାହିଁ । ସାମୁଦାୟିକ ବିକାଶର ବିଭିନ୍ନ ସ୍ତରରେ ଯେଉଁମାନେ ନେତୃତ୍ୱ ଗ୍ରହଣ କରୁଚନ୍ତି ବା କରିବେ, ସେମାନଙ୍କୁ ମଧ୍ୟ ଏହି ବୈଜ୍ଞାନିକ ଦୃଷ୍ଟି ଅର୍ଜନ କରିବାକୁ ପଡ଼ିବ । ବିଜ୍ଞାନର ସାହାଯ୍ୟରେ ସେମାନେ ସମାଜକୁ ଅଧିକରୁ ଅଧିକ ଭୀତ ଓ ନିର୍ଭରଶୀଳ କରି ରଖିବାକୁ ଚେଷ୍ଟା କରିବେନାହିଁ, ସମାଜର ଅର୍ଥାତ୍ ସମାଜରେ ବାସ କରୁଥିବା ସବୁ ମଣିଷଙ୍କର କଲ୍ୟାଣ ସାଧନ କରିବାକୁ ଚେଷ୍ଟା କରିବେ । ଏହି ଚେଷ୍ଟାରେ ଯଦି ଆମ ସମାଜର ପ୍ରାଚୀନ ପରମ୍ପରାମାନ ଅନ୍ତରାୟ ହୋଇ ରହେ, ତେବେ ଆମକୁ ସେହି ପରମ୍ପରାକୁ ନୂତନ ରୂପେ ବ୍ୟାଖ୍ୟା କରିବାକୁ ପଡ଼ିବ । ଏହି ଚେଷ୍ଟାରେ ଯଦି ଆମର ନେତୃତ୍ୱ ଅନ୍ତରାୟ ହୋଇ ରହେ, ତେବେ ଆମକୁ ତାହା ଭିତରେ ନୂତନ ଆଭିମୁଖ୍ୟ ଓ ନୂତନ ବଳିଷ୍ଠତା ଆଣିବାକୁ ପଡ଼ିବ ।

 

ଏପର୍ଯ୍ୟନ୍ତ ଏହି ଅଧ୍ୟାୟଟିରେ ଆମେ ଯେଉଁସବୁର ଆଲୋଚନା କରିଚୁ, ତାହାର ସାରକଥା ହେଉଚି ଯେ, ‘‘ବିକାଶ କହିଲେ ପରିବର୍ତ୍ତନକୁ ହିଁ ବୁଝାଇଥାଏ ଏବଂ ପରିବର୍ତ୍ତନ ଆଣିବାକୁ ଗଲେ ବର୍ତ୍ତମାନ ପରିସ୍ଥିତି ସମ୍ବନ୍ଧରେ ଗଭୀର ଅସନ୍ତୋଷ ଅନୁଭବ କରିବା ଆବଶ୍ୟକ ହୁଏ । ଯେଉଁ ସମାଜର ସବୁଲୋକେ ସବୁ ବିଷୟରେ ସନ୍ତୁଷ୍ଟ ହୋଇ ରହିଚନ୍ତି, ସେହି ସମାଜକୁ କଦାପି ଏକ ବିକଶମାନ ସମାଜ ବୋଲି କୁହାଯାଇ ପାରିବନାହିଁ । ଯେଉଁ ସମାଜର ଅଧିବାସୀମାନେ ଆପଣାର ଆବଶ୍ୟକତାଗୁଡ଼ିକୁ ଭଲଭାବରେ ବୁଝିଥାନ୍ତି ଏବଂ ସେହି ଆବଶ୍ୟକତା ଗୁଡ଼ିକର ପୂରଣଲାଗି ନିର୍ଦ୍ଦିଷ୍ଟ ପନ୍ଥାମାନ ଆବିଷ୍କାର କରି ସାରିଥାନ୍ତି, ସେହି ସମାଜକୁ ହିଁ ଯଥାର୍ଥରେ ଏକ ବିକାଶଶୀଳ ବା ବିକଶମାନ ସମାଜ ବୋଲି କୁହାଯାଇ ପାରିବ । ନୂତନ ଆବଶ୍ୟକତାବୋଧମାନ ଜାଗୃତ ହେଲେ ଯାଇ ଏକ ସନ୍ତୁଷ୍ଟ ସମାଜ ଆପଣାର କୌଣସି ପରିବର୍ତ୍ତନ ସମ୍ଭବ କରିପାରେ । ଆପଣା ଭିତରୁ ଯଦି ଏହି ବୋଧ ଜାଗୃତ ନହୁଏ, ତେବେ ବାହାର ସଂସାରସହିତ ସମ୍ପର୍କରେ ଆସିବାଦ୍ୱାରା ମଧ୍ୟ ଏହି ସମାଜ ପରିବର୍ତ୍ତନ ଲାଗି ଅନୁରୂପ ଉତ୍‌ପ୍ରେରଣା ଲାଭ କରିବାକୁ ବାଧ୍ୟ ହୋଇଥାଏ । ଏହାରି ଫଳରେ ଯେଉଁ ଅସନ୍ତୋଷ ଜାତ ହୁଏ, ତାହାରିଦ୍ୱାରା ହିଁ ପରିବର୍ତ୍ତନର ଆକାଙ୍‌କ୍ଷା କ୍ରମେ ବଳବତୀ ହେବାରେ ଲାଗେ ।’’ (୫)

 

ପରିବର୍ତ୍ତନ ଲାଗି ଉପସ୍ଥିତ ପରିସ୍ଥିତି ସମ୍ବନ୍ଧରେ ଅସନ୍ତୋଷ ଦରକାର, ସମାଜର ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ସମସ୍ୟା-ସଚେତନତା ରହିଥିବା ଦରକାର । କିନ୍ତୁ ତଥାପି ପରିବର୍ତ୍ତନ ଆପଣାଛାଏଁ ଆସିଯିବ ନାହିଁ । କେହି ଜଣେ ବ୍ୟକ୍ତି ବା କୌଣସି ଏକ ଗୋଷ୍ଠୀକୁ ନିମିତ୍ତରୂପେ ବ୍ୟବହାର କରି ଏକ ନୂତନ ବିଚାରର ଉଦ୍‌ଭବ ହେବା ମଧ୍ୟ ଦରକାର । ଯିଏ ସମାଜକୁ ବଦଳାଇ ପାରିବନାହିଁ । ଯିଏ ଅନ୍ୟାୟକୁ ମାନିନେବ, ସିଏ ଅନ୍ୟାୟକୁ ବଦଳାଇ ପାରିବନାହିଁ । ଜାତିଭେଦକୁ ମାନିନେବା ଲୋକ ଜାତିଭେଦର ବିଲୋପସାଧନରେ ସାହାଯ୍ୟ କରି ପାରିବନାହିଁ । ମଣିଷପିଲାକୁ ବୋଲକରା ମେସିନ୍ ବା ଲେଶମା ମାଟିପିଣ୍ଡୁଳା ପରି ମାନିନେଉଥିବା ଶିକ୍ଷକ ଶିକ୍ଷାରେ ପରିବର୍ତ୍ତନ ଆଣି ପାରିବନାହିଁ । ଆପଣାର କର୍ତ୍ତୃତ୍ୱ ଓ ଆସନ ବିଷୟରେ ଆତ୍ମସନ୍ତୁଷ୍ଟ ହୋଇ ବସିଥିବା ଶାସନ ଦୁର୍ନୀତି ଓ ଦୁଃଶାସନକୁ ବଦଳାଇ ପାରିବନାହିଁ, ବର୍ତ୍ତମାନ ଓ ଅତୀତର ନାନା ଅନ୍ଧବିଶ୍ୱାସ ଦ୍ୱାରା ଭବିଷ୍ୟତର ବାଟ ଓଗାଳି ରଖିଥିବା ନେତୃତ୍ୱ କେଉଁଠି କିଛି ପରିବର୍ତ୍ତନ କରି ପାରିବନାହିଁ । ଅମାନିଆ ବ୍ୟକ୍ତି ବା ଅମାନିଆ ବିଚାର ହିଁ ସମାଜର ପୁରୁଣା ସ୍ତମ୍ଭଗୁଡ଼ାକୁ ଦୋହଲାଇ ଦେଇ ପାରିବ ଏବଂ ନୂତନ ଲାଗି ବାଟ ଫିଟାଇବ । ସମାଜଶାସ୍ତ୍ରରେ ସମାଜ-ପରିବର୍ତ୍ତନ ବିଷୟରେ ଏହିପରି ଗୋଟିଏ ସିଦ୍ଧାନ୍ତ ରହିଚି । ଆପଣା ସମାଜରେ ବୁଦ୍ଧ, ଯୀଶୁଖ୍ରୀଷ୍ଟ, ଗାଲିଲିଓ ଓ ଗାନ୍ଧୀ ଅମାନିଆ ହିଁ ଥିଲେ । ଏମାନେ ଆପଣା ଆପଣାର ସମାଜକୁ ଆଦର୍ଶ ଓ ଅପରିବର୍ତ୍ତନୀୟ ବୋଲି ମାନିନେଇଥିଲେ ସଂସାରର ବିଚାର ଓ ଜୀବନପଥକୁ ବଦଳାଇବାରେ ଏମାନଙ୍କୁ କୌଣସି ଶ୍ରେୟ ମିଳିନଥାନ୍ତା ।

 

ଏହି ବିଷୟରେ ଆଉ ଗୋଟିଏ ସିଦ୍ଧାନ୍ତ ହେଉଚି ଯେ ନୂତନ ମାର୍ଗ ବା ନବୋନ୍ମେଷ (୬) (Innovation) ହିଁ ସମାଜକୁ ବଦଳାଏ । ଯେକୌଣସି ପରିବର୍ତ୍ତନ ପଛରେ ଜଣେ ପ୍ରବର୍ତ୍ତକ ବା ପରିବର୍ତ୍ତକର ଅବଦାନ ଅବଶ୍ୟ ରହିଥାଏ । ସମାଜରେ ଅନ୍ୟସମସ୍ତେ ଯେତେବେଳେ ପାରମ୍ପରିକ ଗତ ଅନୁସାରେ ସବୁକଥା କରୁଥାନ୍ତି, ସେତେବେଳେ ପରିବର୍ତ୍ତକ ପ୍ରଥମ କରି ଅନ୍ୟପ୍ରକାରେ କରିବାକୁ ଉଦ୍ୟତ ହୁଏ । ଏକଥା ସତ ଯେ ସେ ସବୁବେଳେ ସଫଳ ହୋଇ ପାରେନାହିଁ । ପରମ୍ପରାକୁ ମାନି ଚଳୁଥିବା ବହୁମତର କୋପ ତାକୁ ହୁଏତ ବିନଷ୍ଟ ବି କରିଦିଏ, ପ୍ରତିଷ୍ଠିତ ଶାସନ ତାର ମୁହଁ ବନ୍ଦ କରିଦେବାକୁ ବସେ । କିନ୍ତୁ ଏହିସକଳ ସଂଗଠିତ ପ୍ରତିରୋଧ ଓ ସଂଗଠିତ ରକ୍ଷଣଶୀଳତା ସତ୍ତ୍ୱେ ତଥାପି ଯେଉଁ ପ୍ରବର୍ତ୍ତକ ଆପଣାକୁ ବଞ୍ଚାଇ ରଖିପାରେ, ସମାଜରେ ତାହାରି ଦ୍ୱାରା ହିଁ ଯାବତୀୟ ପରିବର୍ତ୍ତନ ସଂଘଟିତ ହୁଏ । ସମାଜ ବା ସଂସ୍କୃତିରେ ଯେଉଁଠି ଯାହା ପରିବର୍ତ୍ତନ ହୁଏ, ସବୁଠାରେ ପ୍ରବର୍ତ୍ତକ ହିସାବରେ କାର୍ଯ୍ୟ କରିଥିବା କୌଣସି ବ୍ୟକ୍ତି ହିଁ ମୂଳସ୍ୱରୂପ ହୋଇ ରହିଥାଏ । ନୂତନ ବିଚାର ଓ ନୂତନ ଏକ କର୍ମମାର୍ଗ ସର୍ବପ୍ରଥମେ ଏକ ବ୍ୟକ୍ତିର ଜରିଆରେ ହିଁ ପ୍ରବର୍ତ୍ତିତ ହୋଇଥାଏ । (ପୃଷ୍ଠା-୩୯) ତେଣୁ ଯେଉଁ ସମାଜରେ ଏହିପରି ପ୍ରବର୍ତ୍ତକ ବା ପରିବର୍ତ୍ତକମାନେ ଯେତେ ଅଧିକ ସଂଖ୍ୟାରେ ସମ୍ଭବ ହୁଅନ୍ତି, ସେହି ସମାଜରେ ପରିବର୍ତ୍ତନଲାଗି ସେତେ ବେଶୀ ଅନୁକୂଳ ବାତାବରଣ ସୃଷ୍ଟିହୋଇ ରହିଥାଏ । ଅନ୍ୟପ୍ରକାରେ କହିବାକୁ ଗଲେ, ପ୍ରବର୍ତ୍ତକମାନଙ୍କର ବିକାଶଲାଗି ଯେଉଁ ସମାଜରେ ଯେତିକି ଅନୁକୂଳ ବାତାବରଣ ରହିଥାଏ, ସେହି ସମାଜ ଆବଶ୍ୟକ ପରିବର୍ତ୍ତନଗୁଡ଼ିକୁ ସେତେ ବେଶୀ ସ୍ୱାଗତ କରିଥାଏ । ଯେଉଁ ସମାଜରେ ବ୍ୟକ୍ତିର ବିକାଶଲାଗି ଯେତିକି ସ୍ୱାଧୀନତା ମିଳେ, ସେହି ସମାଜରେ ନୂତନମାର୍ଗ ତଥା ନବୋନ୍ମେଷ ଲାଗି ସେତିକି ସମ୍ଭାବନା ରହିଥାଏ । କିନ୍ତୁ ଯେଉଁ ସମାଜରେ ନାନାପ୍ରକାର ଦୃଶ୍ୟ ଓ ଅଦୃଶ୍ୟ କର୍ତ୍ତୃତ୍ୱ ମଣିଷକୁ ଖୋଜିବା ପୂର୍ବରୁ ବାଟ ବତାଇବାକୁ ରହିଥାନ୍ତି, କେତେବେଳେହେଲେ କୌଣସିପ୍ରକାରେ ଗୋଡ଼ ଖସାଇବାକୁ ବା ଭୁଲ କରିବାର ଅବସର ଦିଅନ୍ତିନାହିଁ, ସେହି ସମାଜରେ ନୂତନମାର୍ଗ ପ୍ରଶସ୍ତ ହୋଇପାରେ ନାହିଁ । ଖୋଜି ଶିଖିବା ଅପେକ୍ଷା ସେହି ସମାଜର ବ୍ୟକ୍ତିମାନେ ଅଧିକ ଡରିଶିଖନ୍ତି । ‘ମହାଜନୋ ଯେନ ଗତଃ ସ ପନ୍ଥା’–ସେହି ସମାଜର ମାର୍ଗଦର୍ଶକ-ସୂତ୍ର ହୋଇ ରହିଥାଏ ।

 

ଆଉଗୋଟିଏ ଗ୍ରନ୍ଥରେ (୭) ନୂତନ ମାର୍ଗର ତିନୋଟି ସ୍ତର ନିରୂପଣ କରିଦିଆଯାଇଚି । କେହି କେହି ନୂତନ ପ୍ରବର୍ତ୍ତକ କେବଳ କୌଣସି ଏକ ନୂତନ ଯନ୍ତ୍ରକୌଶଳର ପ୍ରବର୍ତ୍ତନ କରନ୍ତି । ଆଗରୁ ବ୍ୟବହୃତ ହେଉଥିବା ପୁରୁଣା ଯନ୍ତ୍ର ବଦଳରେ ସେମାନେ ଅଧିକ ଭଲକାମ ଦେଲାଭଳି ନୂଆ ଯନ୍ତ୍ରଟିଏ ସମାଜରେ ପ୍ରବେଶ କରାଇବାକୁ ଅଗ୍ରସର ହୁଅନ୍ତି । ଦ୍ୱିତୀୟ ଶ୍ରେଣୀର ପ୍ରବର୍ତ୍ତକ ଆମ ଦୈନନ୍ଦିନ ଜୀବନର କୌଣସି ଏକ ବିଶେଷ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି । ଏବଂ ତୃତୀୟ ଶ୍ରେଣୀର ପ୍ରବର୍ତ୍ତକ ଆମର ବିଚାର ଓ ମୂଲ୍ୟବୋଧ ଗୁଡ଼ିକରେ ପରିବର୍ତ୍ତନ ଆଣିବାକୁ ଇଚ୍ଛା କରନ୍ତି । ପ୍ରଥମ ଶ୍ରେଣୀର ପ୍ରବର୍ତ୍ତକମାନେ ଆମ ଦୈନନ୍ଦିନ ଜୀବନର କୌଣସି ଅଭ୍ୟାସ ବା ଆମର ମୂଲ୍ୟ-ପରିମାପନରେ କୌଣସି ପରିବର୍ତ୍ତନ ଆଣିବାର ମତଲବ ରଖିନାହାନ୍ତି । ତେଣୁ ସେମାନଙ୍କର ନୂତନ ଯନ୍ତ୍ର ବା ନୂତନ କୌଶଳଦ୍ୱାରା ସେମାନେ ପୂର୍ବାପେକ୍ଷା ଅଧିକ ଫଳ ଦେଖାଇ ପାରିଲେ ସେମାନଙ୍କର ନୂତନ ମାର୍ଗଟିକୁ ସମସ୍ତେ ସ୍ୱେଚ୍ଛାସହିତ ମାନିନିଅନ୍ତି । ସମାଜଭିତରେ ଉଚ୍ଚତର ଜୀବନମାନ ଲାଗି ଏକ ଆକାଙ୍‌କ୍ଷା ରହିଥିଲେ ଆପଣା ସ୍ୱଭାବ ବା ଅଭ୍ୟାସରେ ଯେଉଁ ପରିବର୍ତ୍ତନ ହେଲେ ଜୀବନମାନ ବଢ଼ିବାର ସମ୍ଭାବନା ଅଧିକ ରହିଥାଏ, ଲୋକେ ତାହାକୁ ଗ୍ରହଣ କରିନେବାରେ ମଧ୍ୟ ଆପତ୍ତି କରନ୍ତିନାହିଁ । ସମାଜରେ ଉଚ୍ଚତର ସ୍ୱୀକୃତି ପାଇବାକୁ ଇଚ୍ଛା କରୁଥିବା ଲୋକେ ବି ଏପରି ପରିବର୍ତ୍ତନକୁ ସହଜରେ ଗ୍ରହଣ କରିନିଅନ୍ତି । କିନ୍ତୁ ସମାଜର ବିଚାର ଓ ମୂଲ୍ୟବୋଧରେ କୌଣସି ନୂତନତା ପ୍ରବର୍ତ୍ତନ କରିବାକୁ ଯାଉଥିବା ପ୍ରବର୍ତ୍ତକର କାର୍ଯ୍ୟ ସେତେ ସହଜରେ ସାଧିତ ହୁଏନାହିଁ । ଏହି ପ୍ରୟାସରେ କୌଣସିପ୍ରକାର ସଫଳତା ଲାଭ କରିବାକୁ ଆଗ୍ରହ ରଖିଥିବା ପ୍ରବର୍ତ୍ତକକୁ ପ୍ରଥମେ ଆପଣାର ସକଳ ଜୀବନକୁ ମଧ୍ୟ ସେହି ନୂତନ ବିଚାର, ଦୃଷ୍ଟିକୋଣ ବା ମୂଲ୍ୟବୋଧ ଅନୁସାରେ ଅନୁସିକ୍ତ କରି ରଖିବାକୁ ପଡ଼େ । ତା ଜୀବନର କାର୍ଯ୍ୟରେ ସେ ସେହିସବୁ ବିଚାରର ଓ ମୂଲ୍ୟବୋଧର ପ୍ରତୀକ ହୋଇ ରହିଥାଏ । ତା’ନହେଲେ ସେ ସମାଜରେ କୌଣସି ନୂତନ ବିଚାରର ପ୍ରବର୍ତ୍ତନ କରିପାରେନାହିଁ ।

 

ଆମ ପୃଥିବୀର ଇତିହାସରେ ଅଧିକାଂଶତଃ ତାହାହିଁ ହୋଇଚି । ଭେକ ବଦଳିଯାଇଚି, ମନ୍ତ୍ର ବଦଳିଯାଇଚି, ଆଚାର ବଦଳିଯାଇଚି । ନୂଆ ଗୁରୁ ବା ନୂଆ ପ୍ରବର୍ତ୍ତକର ପ୍ରବର୍ତ୍ତନା ଅନୁସାରେ ମଣିଷ-ମେସିନ୍‌କୁ ନବଦୀକ୍ଷିତ ବେଶରେ ସାଜିବାକୁ ଆଦୌ ବେଶୀ ସମୟ ଲାଗିନାହିଁ । ମାତ୍ର ବିଚାର ବା ମୂଲ୍ୟବୋଧରେ ପ୍ରବର୍ତ୍ତକର ପ୍ରବର୍ତ୍ତନ ଖୁବ୍‌ବେଶୀ ସମ୍ଭବ ହୋଇନାହିଁ । ପରାଧୀନ ଭାରତକୁ ସ୍ୱାଧୀନ ଭାରତର ଅଭିଳଷିତ ମାର୍ଗରେ ଚାଲିବାଲାଗି ମୂଲ୍ୟବୋଧ ଓ ବିଚାରରେ ଅନେକ ପରିବର୍ତ୍ତନ ହେବା ଉଚିତ ଥିଲା । କିନ୍ତୁ ପତାକା ନୂଆ ହେଲା, ଜାତୀୟତା ନାମରେ ନାନାପ୍ରକାରର ଉଗ୍ରତା ଓ ସ୍ୱାଭିମାନ ଆସି ଆମର ସାମୂହିକ ଆଗ୍ରହଗୁଡ଼ିକୁ ରଙ୍ଗାଇ ରଖିଲା, ପ୍ରତୀକମାନ ବଦଳିଗଲା,–କିନ୍ତୁ ବିଚାର ଓ ମୂଲ୍ୟବୋଧରେ ଯଥେଷ୍ଟ ପରିବର୍ତ୍ତନ ହେଲାନାହିଁ । ପରାଧୀନତା ସମୟର ସଂଗ୍ରାମରେ ଝାସଦେବାକୁ ହୁଏତ କେବଳ ଗୋଟାଏପ୍ରକାର ଭାବବିହ୍ୱଳତାର ବଶବର୍ତ୍ତୀ ହେବା ଯଥେଷ୍ଟ ହେଉଥିଲା । କିନ୍ତୁ ସ୍ୱାଧୀନ ହୋଇ ଆପଣାର ସମୁଦାୟକୁ ଗଢ଼ିବାକୁ ହେଲେ କେବଳ ଭାବବିହ୍ୱଳତାରେ କାମ ଚଳେନାହିଁ, କେବଳ ଆଚାର ଓ ଉପଚାର ଗୁଡ଼ିକରେ ନୂଆକଳେବର ହୋଇ ପଡ଼ିଲେ ଯଥେଷ୍ଟ ହୁଏନାହିଁ । ଏଥିଲାଗି ନୂତନ ବିଚାର ଆବଶ୍ୟକ ହୁଏ, ନୂତନ ମୂଲ୍ୟବୋଧ ଆବଶ୍ୟକ ହୁଏ । ଜାତୀୟ କର୍ମକ୍ଷେତ୍ରର ଅନେକ ବୀର ହୁଏତ ସ୍ୱାଧୀନତା ଆସିବା ପରେ ପରେ କେବଳ ଆଚାର ଓ ପ୍ରତୀକଗୁଡ଼ିକୁ ମାନିନେଇ ଆପଣାକୁ ଗୋଟାଏ ଗୋଟାଏ ପ୍ରବର୍ତ୍ତକ ବୋଲି ମାନିବାକୁ ଆରମ୍ଭ କଲେ । ବ୍ରିଟିଶ୍ ସରକାରଙ୍କର ଶାସନକାଳରେ ଯେଉଁ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ, ସେହିମାନଙ୍କ ହାତରେ ନୂତନ ଗଠନର ରଜ୍ଜୁମାନ ଧରାଇ ଦିଆଗଲା ସତ, କିନ୍ତୁ ବିଚାର ଓ ମୂଲ୍ୟବୋଧ ବଦଳାଇବାର କି ଚେଷ୍ଟା କରାଗଲା ? ଯେଉଁମାନେ ପରାଧୀନ ଭାରତରେ ସରକାରଙ୍କର ଶୂଆ ହୋଇ ରହିଥିଲେ, ଭେକ ଓ ଆଚାର ବଦଳାଇ ସେହିମାନେ ହିଁ ଆମ ଜାତିର ନୂଆଘରେ ମଧ୍ୟ ଶୂଆ ହୋଇ ରହିଲେ । ନୂତନ ବିଚାର ଓ ନୂତନ ମୂଲ୍ୟବୋଧ ବିଷୟରେ କିଛି କମ୍ କୀର୍ତ୍ତନ ଚାଲିଲାନାହିଁ । ବଡ଼ଥାନରେ ବସିଥିବା କର୍ତ୍ତାମାନେ ବହିପାଠର କାଇଦା ଅନୁସାରେ ଏଦେଶରେ ନୂଆ କଥାମାନ କହିବାକୁ ଆରମ୍ଭ କଲେ-। ବଡ଼ ସରକାରୀ କର୍ମଚାରୀମାନେ ବି ନୂଆ ଖାମିନ୍ଦ ମାନଙ୍କଠାରୁ ନୂଆ ବଚନମାନ ଶିଖି ଅଧସ୍ତନ ସ୍ତରରେ ଅବିକଳ ତାହାକୁ ହିଁ ଉଦ୍‌ଗାର କରି ବୁଲିଲେ । କିନ୍ତୁ ଖାଲି କଥା କହିଲେ ଏବଂ ସେହି କଥାକୁ ଶହେ ପରସ୍ତ ପାଟଲୁଗା ପିନ୍ଧାଇ କହିଲେ ନୂତନ ପ୍ରବର୍ତ୍ତନ ହୁଏନାହିଁ । ଆଗରୁ କୁହାଯାଇଚି, ପ୍ରବର୍ତ୍ତକକୁ ପ୍ରଥମେ ଆପଣାକୁ ପ୍ରବର୍ତ୍ତିତ କରିବାକୁ ପଡ଼େ । ଅନ୍ୟକାହାକୁ ବିଚାରରେ ଅନୁପ୍ରେରିତ ଓ ଉଦ୍ୟମ କରିବାକୁ ହେଲେ ପ୍ରବର୍ତ୍ତନକୁ ପ୍ରଥମେ ଆପଣା ଜୀବନରେ ସେହି ବିଚାର ଓ ମୂଲ୍ୟବୋଧର ଭୂତ ଲଗାଇବାକୁ ହୁଏ । ସ୍ୱାଧୀନତା ପରେ କଣ ଘଟିଥିଲା, ତାହାର ଆଲୋଚନା କରିବା ଦୂରେଥାଉ, ମାତ୍ର ସ୍ୱାଧୀନତାର ଗୋଟିଏ ପୁରୁଷ ଗଡ଼ିଯିବାପରେ ମଧ୍ୟ ଆମ ଦେଶର ନେତୃତ୍ୱ ଓ ଆମ ସରକାରୀ ପ୍ରଶାସନରେ କୌଣସି ନୂଆ ବିଚାର ବା ମୂଲ୍ୟବୋଧର ଭୂତ ଲାଗିଚି ବୋଲି କହିବାଲାଗି କୁଣ୍ଠିତ ଲାଗେ । ହଁ, ପରାଧୀନତା ପରେ ନୂତନ-ପ୍ରାପ୍ତି-ଜନିତ ଉତ୍ସାହର ବଶବର୍ତ୍ତୀ ହୋଇ କିଛିଦିନ ଲାଗି ହୁଏତ ଭୂତ ଲାଗିଥିଲା, କିନ୍ତୁ କ୍ରମେ ବର୍ଷକୁବର୍ଷ ଗଡ଼ିଯାଉଥିବା ସଙ୍ଗେ ସଙ୍ଗେ ଏହି ଦେଶର ବିଭିନ୍ନକ୍ଷେତ୍ରୀୟ ନେତୃତ୍ୱରୁ ସେହି ଭୂତ ଅର୍ଥାତ୍ ସେହି ପ୍ରାଣୋତ୍ସାହ କ୍ରମେ ଓହ୍ଲାଇ ଯାଉଥିଲା ପରି ମନେହେଉଚି ।

 

ଗଣତନ୍ତ୍ର କହିଲେ କେବଳ କେତେଟା ଆଚାରକୁ ବୁଝାଏନାହିଁ । ଗଣତନ୍ତ୍ରର ଛାଞ୍ଚରେ ତିଆରି ହୋଇଥିବା କେବଳ ଗୋଟାଏ ସଂବିଧାନକୁ ବୁଝାଏନାହିଁ । ପାଞ୍ଚ ବରଷରେ ସବୁପ୍ରକାର ଆଦିମ ସ୍ୱଭାବର ପ୍ରଦର୍ଶନମାନ ଦେଖାଇ ଗୋଟାଏ ଭୋଟରେ ହାରିବାକୁ ବା ଜିତିବାକୁ ଗଣତନ୍ତ୍ର କହିଲେ ଆମର ଆଦିମତାଗୁଡ଼ାକ ବେଶ୍ ଜୀଇରହେ ସତ, ମାତ୍ର ଗଣତନ୍ତ୍ର କ୍ରମେ ମରିମରି ଯାଏ । ଠିକ୍ ସେହିପରି ସମାଜବାଦ ବା ସାମାଜିକ ନ୍ୟାୟ କହିଲେ ଗାଆଁପିଲାଏ ଥିଏଟର୍ କଲାପରି ସଭା, ସମିତି, ଉଦ୍‌ଘାଟନ ଓ ଅଧିବେଶନମାନଙ୍କରେ ଏହିସବୁ ବିଷୟରେ ଆବୁରାଯାବୁରା ଭାବପ୍ରବଣତା ମିଶାଇ ଶ୍ରୁତିମଧୁର ଅଥଚ ଶୂନ୍ୟଗର୍ଭ ବକ୍ତୃତାମାନ ଦେଇ ବୁଲିବାକୁ ବି ବୁଝାଏନାହିଁ । ଗଣତନ୍ତ୍ର ଓ ସମାଜବାଦ କହିଲେ ଗୋଟିଏ ଗୋଟିଏ ନୂତନ ମାର୍ଗକୁ ବୁଝାଏ, ନୂତନ ବିଚାର ଓ ନୂତନ ମୂଲ୍ୟବୋଧକୁ ବୁଝାଏ ଏବଂ ଏହି ନୂତନ ବିଚାରଲାଗି ପ୍ରବର୍ତ୍ତକ ହୋଇ ବାହାରିବାକୁ ହେଲେ ଆଗ ଆପଣାକୁ ଗଣତନ୍ତ୍ର ଓ ସମାଜବାଦରେ ରାଜୀ କରାଇବାକୁ ହୁଏ । ଆମଦେଶର ନେତୃତ୍ୱ ଓ ଶାସନ ସକଳପ୍ରକାରେ କ୍ଷମତା-ସଂଗ୍ରନ୍ଥିତ ହୋଇ ଦେଶରେ ପୁନର୍ଗଠନମାନ ଭିଆଇବାର ପ୍ରବର୍ତ୍ତକରୂପେ ବାହାରିଚି ସତ, ମାତ୍ର ଆପଣାକୁ ପ୍ରବର୍ତ୍ତିତ କରିବାର ଆବଶ୍ୟକ ବୁଦ୍ଧି ତାକୁ ଏପର୍ଯ୍ୟନ୍ତ ଦିଶିଥିବାପରି ମନେ ହେଉନାହିଁ । ଆମଦେଶର ନେତୃତ୍ୱ ଯଦି ଗଣତନ୍ତ୍ରରେ ବିଶ୍ୱାସ କରୁଥାନ୍ତା, ତେବେ ଏ ଦେଶରେ ଉତ୍ତମର୍ଣ୍ଣମାନଙ୍କର ଦରବାର ବସୁନଥାନ୍ତା, ଲୋକଶାସନକୁ ଭୋଟ ଜିତି ଶାସନ କରିବା ବୋଲି କୁହାଯାଇ ଲୋକମାନଙ୍କର ବା ଲୋକପ୍ରତିନିଧିମାନଙ୍କର ଶାସନ ବୋଲି କୁହାଯାଉଥାନ୍ତା । ସାମାଜିକ ନ୍ୟାୟର ତ ପ୍ରଶ୍ନ ହିଁ ଉଠୁନାହିଁ । ଯେତେବେଳେ ରାଜନୀତିକ ନେତା ଦେଶରେ ସର୍ବାଧିକାରୀ ବ୍ରାହ୍ମଣ ହୋଇ ବସିଚି ଓ ଆପଣାର ହିତ ଦୃଷ୍ଟିରୁ କେବଳ କେତୋଟି ଉଚ୍ଚବର୍ଗର ବଡ଼ତି ଓ ବିକାଶକୁ ଜୀଆଇରଖି ଦେଶଟାଯାକର ସୁବ୍ୟବସ୍ଥା କରିଦେଉଚି ବୋଲି ବିଚାରୁଚି, ସେତେବେଳେ ଆମେ ସାମାଜିକ ନ୍ୟାୟର ସ୍ୱପ୍ନ ବି କାହିଁକି ଦେଖିବା ? ଅସଲକଥା ହେଉଚି ଯେଉଁମାନେ ଆମଦେଶରେ ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ନୂତନ ପ୍ରବର୍ତ୍ତକ ହୋଇ ବାହାରିଚନ୍ତି, ସେମାନେ ନିଜେ ମଧ୍ୟ ଏସବୁଥିରେ ବିଶ୍ୱାସ କରୁନାହାନ୍ତି । ଏହିସବୁ ଅନୁସାରେ ଆପଣାର ଜୀବନକୁ ବଦଳାଇବା ତ ପଛର କଥା; ଏହିହେତୁରୁ ଦେଶର ପୁରୁଣା ବିଚାର, ପୁରୁଣା ମୂଲ୍ୟବୋଧ ଓ ପୁରୁଣା ତନ୍ତ୍ରସହିତ ଏମାନେ ଚମତ୍କାର ଭାବରେ ଖାପ ଖାଇ ଯାଇଚନ୍ତି ଓ ସକଳ ବାକ୍ୟବର୍ଷଣ ସତ୍ତ୍ୱେ ପ୍ରଧାନତଃ ସେହି ପୁରୁଣାଗୁଡ଼ାକୁ ସ୍ଥାୟୀ କରି ରଖିବାରେ ହିଁ ସାହାଯ୍ୟ କରୁଚନ୍ତି-

 

ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆମଗାଆଁ ବାଗଲପୁର ପର୍ଯ୍ୟନ୍ତ ବୁଲିଆସିଲେ ଆଜି କେତେ ଜାଗାରେ ନୂତନ ପ୍ରବର୍ତ୍ତକମାନଙ୍କର ଦୃଷ୍ଟାନ୍ତ ଦେଖିବାକୁ ମିଳିବ ? କଚେରୀବାଚେରୀ କଥା ତ ଛାଡ଼ିଦିଅ, ଆମଦେଶର ସ୍କୁଲ କଲେଜରେ ମଧ୍ୟ ଏହିସବୁର ଗନ୍ଧ ଦେଖିବାକୁ ମିଳିବନାହିଁ । ଦେଶର ବଡ଼ସାନ ସମସ୍ତେ ଆଇନ୍ ଉପରେ ଭରସା ରଖିପାରିବେ, ଏହାକୁ ଆମେ ଯଦି ଗଣତନ୍ତ୍ର ଶାସନର ନିମ୍ନତମ ସନ୍ତକ ବୋଲି ଗ୍ରହଣ କରିବା, ତେବେ ଆମଦେଶରେ କେଉଁଠି ଗଣତନ୍ତ୍ର ଚାଲୁଚି ବୋଲି ଆମେ କହିପାରିବା ? ଏଠାରେ ଆଇନବହି ଯଥେଷ୍ଟ ରହିଚି, ଆହୁରି ତିଆରି ହେଉଚି, କିନ୍ତୁ ଆଇନଉପରୁ ଲୋକମାନଙ୍କର ଭରସା ଦିନକୁଦିନ କମିବାରେ ଲାଗିଚି । ଆମଦେଶରେ କେତେଜଣଙ୍କୁ ନ୍ୟାୟ ମିଳୁଚି ? ମଣିଷପରି ମଣିଷ ହେବାର ସୁଯୋଗ ବା କେତେଜଣଙ୍କୁ ମିଳୁଚି ? ତେଣୁ ଆଗେ ଜନସାଧାରଣ ଠିକ୍ ଯେପରି ଭାଗ୍ୟ ଉପରେ ବିଶ୍ୱାସ କରି ରହିଥିଲେ, ପ୍ରଧାନତଃ ସେହି ଭାଗ୍ୟଉପରେ ହିଁ ବିଶ୍ୱାସ କରି ରହିଚନ୍ତି । ଏଦେଶରେ କେଉଁଠି କୌଣସି ପରିବର୍ତ୍ତନ ହୋଇଚି ବୋଲି ସେମାନେ ବିଶ୍ୱାସ ମଧ୍ୟ କରି ପାରୁନାହାନ୍ତି ।

 

ସାମୁଦାୟିକ ବିକାଶ ମଧ୍ୟ କେବଳ ବିହନ, ସାର, ସଡ଼କ ବା ସ୍କୁଲଘର ଯୋଗାଇଦେବାକୁ ଆରମ୍ଭ କରାଯାଇ ନଥିଲା । ଜନସାଧାରଣଙ୍କର ଦୃଷ୍ଟିରେ ପରିବର୍ତ୍ତନ ଆଣିବାଲାଗି ଓ ସେମାନଙ୍କୁ ଆପଣା ଉପରେ ନିର୍ଭର କରି ଆପଣାର ଭାଗ୍ୟ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବାକୁ ହୋଇଥିଲା । ଅର୍ଥାତ୍ ବିଚାର ଓ ମୂଲ୍ୟବୋଧରେ ନୂତନ ମାର୍ଗ ଦେଖାଇବା, ପରମ୍ପରାର ସକଳ ଆବଦ୍ଧତା ଭାଙ୍ଗି ବୈଜ୍ଞାନିକ ଦୃଷ୍ଟିରେ ଜୀବନ-ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଲାଗି ଜନସାଧାରଣଙ୍କୁ ଉତ୍‌ପ୍ରେରିତ କରିବାଲାଗି ଏହି ଅଭିନବ ବିପ୍ଳବର କଳ୍ପନା ହୋଇଥିଲା । ଏହି ପରିବର୍ତ୍ତନର ଆକାରଗୁଡ଼ାକ ବଦଳି ବଦଳି ପଞ୍ଚାୟତୀ-ରାଜ ପର୍ଯ୍ୟନ୍ତ ଆସିଲାଣି । କିନ୍ତୁ ବିଚାର ବା ମୂଲ୍ୟବୋଧ ବଦଳିଚି କେଉଁଠି ? ଯେଉଁମାନେ ଏହି ନୂତନ ବିଚାର ଓ ନୂତନ ମୂଲ୍ୟବୋଧର ପ୍ରସାର କରିବାଲାଗି ଏଜେଣ୍ଟ୍ ହୋଇ ରହିଚନ୍ତି, ସେମାନଙ୍କ ଭିତରେ ବା ସେମାନଙ୍କର ଶାସନଯନ୍ତ୍ରରେ ମଧ୍ୟ ଏହି ନୂତନ ବିଚାର ଓ ମୂଲ୍ୟବୋଧ କେତେଦୂର ପ୍ରବେଶ କରିପାରିଚି ? ମୂଳତଃ ସମସ୍ତେ ଉପରସ୍ତରର ହାକିମମାନଙ୍କୁ ଡରୁଚନ୍ତି, ତାଙ୍କରି ନିର୍ଦ୍ଦେଶନାମା ଅନୁସାରେ କାମ କରୁଚନ୍ତି, ଏଣେ ତଳସ୍ତରର କର୍ମଚାରୀଙ୍କ ଉପରେ ସର୍ଦ୍ଦାରି ଦେଖାଇବାରେ ଲାଗିଚନ୍ତି । ଆମଦେଶର ଯେକୌଣସି ବ୍ଳକ୍‌ରେ ରହିଥିବା ଅଫିସ୍‌ଘର ଭିତରକୁ ଯାଅ, ସେଠାରେ ଆଜି ମଧ୍ୟ ପ୍ରଧାନତଃ ତ୍ରାସ ଓ ତାଡ଼ନର ଏକ ଯାନ୍ତ୍ରିକତା ହିଁ ରାଜତ୍ୱ କରୁଚି । ଉପରୁ ଆସୁଥିବା ବୋଲଗୁଡ଼ିକୁ ତାମିଲ କରାଯାଉଚି, ପ୍ରବଳ ପ୍ରତାପରେ ତଳ ଉଦ୍ଦେଶ୍ୟରେ ନିର୍ଦ୍ଦେଶମାନ ଫିଙ୍ଗିଦିଆଯାଉଚି । ସେହି ଅଫିସ୍‌ଘର ଭିତରେ ପଶିଗଲେ ଆଉ ଯେଉଁ ଗନ୍ଧ ବାରିହେଉ ପଛକେ, ଗଣତନ୍ତ୍ର ବା ସାମାଜିକ ନ୍ୟାୟ ସେଠାରୁ ବାସନ୍ଦ ହୋଇ ରହିଥିବାପରି ମନେହେବ । ନୂତନ ପ୍ରବର୍ତ୍ତକ ଲାଗି ସେଠି କେଉଁଠି କୌଣସି ଦାୟିତ୍ୱବୋଧ ବା ସଚେତନତା ରହିଚି ବୋଲି କଦାପି ଲାଗିବନାହିଁ ।

 

ସାମୁଦାୟିକ ବିକାଶର ସବାତଳ ସିଡ଼ିରେ ଯାହାକୁ ଏକାବେଳେକେ ଅନେକ ବୋଝ ବୋହିବାର ପବନପୁତ୍ର କରି ବସାଇ ଦିଆଯାଇଚି, ସେହି ଗ୍ରାମସେବକକୁ ପଚାର ସେ କାହାର କାମ ଖଟୁଚି । ସେଇଥିରୁ ସାମୁଦାୟିକ ବିକାଶଦ୍ୱାରା କେଉଁ ନୂତନ ବିଚାର ଓ ମୂଲ୍ୟବୋଧର ପ୍ରବର୍ତ୍ତନ କରାଯାଉଚି, ତାହାର ଅନେକ ପ୍ରମାଣ ଆମକୁ ମିଳିଯିବ । ଭାବାତ୍ମକ ଭାଷାରେ ଗ୍ରାମସେବକକୁ ଆମେ ଗ୍ରାମସ୍ତରରେ ରହିଥିବା ପରିବର୍ତ୍ତନ-ଏଜେଣ୍ଟ୍ ବୋଲି କହୁଚୁ, ମାତ୍ର ଉପରେ ବିରାଜମାନ ରହିଥିବା ବିବିଧ ଜାତିର ହାକିମ ଓ କର୍ତ୍ତାମାନଙ୍କର ଅନୁସରଣ କରି ଯାହାର କର୍ମ-ଅବଧି କଟିଯାଉଚି, ତାଠାରୁ ଆମେ କିପରି ଏଡ଼େ ଏଡ଼େ ଫଳ ଆଶା କରିପାରିବା ? ଆମଦେଶରେ କେତେ ଜଣ ଗ୍ରାମସେବକ ଆତ୍ମବିଶ୍ୱାସର ସହିତ କାମ କରୁଚନ୍ତି ? ଆପଣା ବୁଦ୍ଧି ଖଟାଇ କୌଣସି ନୂତନ ପ୍ରବର୍ତ୍ତନ କରି ପାରିବାଲାଗି ଉତ୍ସାହ ଦିଆଯିବା ତ ଦୂରର କଥା, କେତେଜଣଙ୍କୁ ସେଥିଲାଗି ଅନୁମତି ଦିଆଯାଉଚି ? ଅଥଚ ଏଡ଼େବଡ଼ ବ୍ୟୂହଭିତରେ କେବଳ ଗ୍ରାମସେବକ ହିଁ ଅସଲ କର୍ମକ୍ଷେତ୍ରରେ ରହିଚି । ତାହାରି କର୍ମ ବା ଅକର୍ମ, ପାରଗତା ବା ଅପାରଗତା ଉପରେ ସାମୁଦାୟିକ ବିକାଶର ସଫଳତା ବା ବିଫଳତା ନିର୍ଭର କରୁଚି । ଯେଉଁମାନେ କର୍ମକ୍ଷେତ୍ରରେ ନାହାନ୍ତି, ଯେଉଁମାନେ ବେଶୀ ପାଠ ପଢ଼ିଚନ୍ତି ଓ ସରକାରୀ ଗେଜେଟର ତାଲିକା ଭିତରେ ଅଧିକ ଦରମା ପାଉଥିବା ଅଫିସର୍ ହିସାବରେ ଯେଉଁମାନଙ୍କର ନାଆଁ ଅଛି, ସେହିମାନେ ହିଁ ଆପଣାର ସୁବିଧା ଅନୁସାରେ ଗ୍ରାମସେବକକୁ ଡକାଇ ବୋଲ ବତାଇ ଦେଉଚନ୍ତି ବା ହୁକୁମ ଦେଉଚନ୍ତି । ଏକ ପ୍ରମତ୍ତ ଶାସନକଳର ପ୍ରମତ୍ତ ପ୍ରଭୁ ହିସାବରେ ସେମାନେ ତାହାର ଶହେପ୍ରକାରର ଟୀକା କରୁଚନ୍ତି, ଅଥଚ ତା’ କଥାକୁ ଶୁଣିବାଲାଗି ସେମାନଙ୍କ ପାଖରେ ମନ ହିଁ ନାହିଁ ।

 

ବିଚାର ଓ ମୂଲ୍ୟବୋଧର କ୍ଷେତ୍ରରେ ଏପରିଭାବରେ ନୂତନ ପ୍ରବର୍ତ୍ତନ ହୁଏନାହିଁ,–ଆଚାର ବଢ଼େ, ଉପଚାର ବଢ଼େ, ଦୁର୍ନୀତି ଓ ଦୁରୁପଯୋଗ ବି ବଢ଼ିବାର ଆଶଙ୍କା ସବୁବେଳେ ରହିଥାଏ । ଏପରି ଅଭିନୟକୁ କାର୍ଯ୍ୟ ବୋଲି କୁହାଯାଉଥିବା ପର୍ଯ୍ୟନ୍ତ କାହାରି ବିଚାର ବା ମୂଲ୍ୟବୋଧରେ କୌଣସି ପରିବର୍ତ୍ତନ ହୁଏନାହିଁ । ଏହି କାର୍ଯ୍ୟର ଜରିଆରେ ବିତରିତ ହେଉଥିବା ସାଧନସାମଗ୍ରୀଗୁଡ଼ିକ ମଧ୍ୟ ଠିକଣା ଜାଗାରେ ଯାଇ ପହଞ୍ଚିବାକୁ ବାଟ ପାଏନାହିଁ । ମଧ୍ୟବର୍ତ୍ତୀ ନାନାସ୍ତରରେ ମହାଦେବ ହୋଇ ଠିଆ ହୋଇଥିବା କର୍ତ୍ତା ଓ ଭାଗ୍ୟଶାଳୀ ବ୍ୟକ୍ତିମାନେ ଆପଣାର ଜଟାଭିତରେ କଲ୍ୟାଣଗଙ୍ଗାର ପ୍ରବାହକୁ ଅଟକାଇ ରଖିଥାନ୍ତି ଓ ତାହାକୁ ହିଁ ସାମୁଦାୟିକ ବ୍ୟବସ୍ଥା ବୋଲି କୁହାଯାଉଥାଏ । ବାଇବେଲରେ ଏହି ସମ୍ପର୍କରେ ଗୋଟିଏ ଉପକଥା ରହିଚି । ଭଗବାନ ଯୀଶୁଖ୍ରୀଷ୍ଟ ଆପଣାର ଶିଷ୍ୟମାନଙ୍କୁ ଜଗତକ୍ଷେତ୍ରରେ ଲବଣପରି କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ । ଲବଣ ଯେଉଁଥିରେ ପଡ଼େ ତାକୁ ଲୁଣିଆ କରିଦିଏ । ସେହିପରି ନୂତନ ଧର୍ମସନ୍ଦେଶ ଓ ଜୀବନମାର୍ଗର ପ୍ରେରଣା ନେଇ ଶିଷ୍ୟମାନେ ଯେତେବେଳେ ସମାଜକୁ ଯିବେ, ସମାଜର ଜନସାଧାରଣଙ୍କୁ ମଧ୍ୟ ସେହିପରି ନୂତନ ମାର୍ଗରେ ଅନୁପ୍ରେରିତ କରିଦେବେ, ଯୀଶୁଙ୍କର କଥାପଛରେ ଏହିପରି ଏକ ବ୍ୟଞ୍ଜନା ରହିଥିଲା । କିନ୍ତୁ ଅସଲ ବିପତ୍ତିଟିକୁ ଜାଣିଥିବା ପରି ସେ ପରବାକ୍ୟରେ କହିଥିଲେ, ‘‘ମାତ୍ର ଖୋଦ୍ ଲବଣପାଖରେ ମଧ୍ୟ ଯଦି କୌଣସି ଲବଣତ୍ୱ ନଥାଏ, ତେବେ ତାକୁ ଲୁଣିଆ କରିବାକୁ ପୁଣି ଲବଣ କେଉଁଠୁ ଆସିବ ?’’ ନୂତନ ମାର୍ଗର ପ୍ରବର୍ତ୍ତନକୁ ଆମେ ଲବଣ ସହିତ ତୁଳନା କରିପାରିବା । ନୂତନ ବିଚାର ଓ ମୂଲ୍ୟବୋଧର ପ୍ରବର୍ତ୍ତନକୁ ମଧ୍ୟ ଆମେ ସମାଜର ଜୀବନରେ ନୂତନ ସ୍ୱାଦର ସଞ୍ଚାର କରିବାକୁ ବାହାରିଥିବା ଲବଣରୂପେ କଳ୍ପନା କରିପାରିବା । ମାତ୍ର ଖୋଦ୍ ପ୍ରବର୍ତ୍ତକ ଭିତରେ ଯଦି ପ୍ରବର୍ତ୍ତନଲାଗି କୌଣସି ସ୍ଥାନ ନଥିବ, କେବଳ କଥାକହି ବା ଧନ ବିଞ୍ଚି ସେ କିପରି କାହାର ବିଚାରରେ ପରିବର୍ତ୍ତନ ଆଣିପାରିବ ? ସାମୁଦାୟିକ ବିକାଶ ଜରିଆରେ ଅନେକ ଧନ ବିଞ୍ଚାଯାଉଚି, ଅନେକ କଲ୍ୟାଣକାର୍ଯ୍ୟ କରାଯାଉଚି, କଚ୍ଚା ଘର ପକ୍‌କା ହୋଇଯାଉଚି ଓ କଚ୍ଚା ସଡ଼କ ମଧ୍ୟ ପକ୍‌କା ହୋଇଯାଉଚି । ମାତ୍ର କଞ୍ଚାମାନ ପକ୍‌କା ହୋଇପାରୁନାହିଁ, ପୁରୁଣା ବିଚାର ନୂଆ ହୋଇପାରୁନାହିଁ । ଲୁଣ ବିଷୟରେ ରାତିଦିନ ତୁମୁଳ ପ୍ରଚାର ଚାଲିଥିଲେ ମଧ୍ୟ ତଥାପି ସାମୁଦାୟିକ ବିକାଶଦ୍ୱାରା ସିଦ୍ଧ ହେଉଥିବା ସକଳ କାର୍ଯ୍ୟ ଅଲଣା ରହିଯାଉଚି । ତେଣୁ ଦେଶରେ କପଟାଚାର ବଢ଼ୁଚି, ପରନିର୍ଭରତା ବଢ଼ୁଚି, ମାତ୍ର ଅସଲ ପରିବର୍ତ୍ତନ ହେଉନାହିଁ, ନୂଆର ଭେକ ଲଗାଇ ପୁରୁଣା ହୁଏତ ଅଧିକ ଦୃଢ଼ ହୋଇ ବସିରହିବାର ଦମ୍ଭ କରୁଚି ।

 

ସମାଜର ପୁନନିର୍ମାଣରେ ପରିବର୍ତ୍ତନର ଏଜେଣ୍ଟ୍‌ ହୋଇ କାର୍ଯ୍ୟ କରୁଥିବା ବ୍ୟକ୍ତିର ଦ୍ୱିବିଧ କର୍ତ୍ତବ୍ୟ (୮) ରହିଚି । ପ୍ରଥମତଃ ନୂତନ ସାଧନ ଓ ସରଞ୍ଜାମ ଆଣି ସେ ଆପଣା କ୍ଷେତ୍ରରେ ଯୋଗାଇଦେବ । ଲୋକମାନଙ୍କୁ ନୂତନ କୌଶଳ ଓ ନୂତନ ପଦ୍ଧତିଗୁଡ଼ିକରେ ତାଲୀମ ଦେବ । କିନ୍ତୁ ଦ୍ୱିତୀୟତଃ ଏହି କୌଶଳ ଓ ପଦ୍ଧତିଗୁଡ଼ିକର ଉପଯୁକ୍ତ ପ୍ରୟୋଗ କରିବାଲାଗି ଲୋକସାଧାରଣଙ୍କ ମନରେ ସେ ଅନୁକୂଳ ଆଗ୍ରହ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରିବ । ଲୋକମାନେ ସବୁକଥାରେ ଓ ସବୁକାଳେ ତାହାରି ଉପରେ ନିର୍ଭର କରି ରହିଥାନ୍ତୁ, ସେ କେବେହେଲେ ଏପରି କାମନା କରୁନଥିବ । ପରିବର୍ତ୍ତନ ଲାଗି ସେ ନିଜେ ଯେଉଁସବୁକୁ ଉଦ୍ଦେଶ୍ୟ ବୋଲି ଭାବୁଚି, ତାହାକୁ ଲୋକମାନଙ୍କ ଉପରେ ଜବରଦସ୍ତି ଆଣି ଲଦିଦେବନାହିଁ । ପ୍ରଥମ କାମଟି ଅତି ସହଜରେ ହୋଇଯିବ । ସେଥିଲାଗି ଆମଦେଶରେ ପରିବର୍ତ୍ତନର ଏଜେଣ୍ଟ୍ ରୂପେ କାମ କରିବାକୁ ଯାଉଥିବା ପ୍ରସାରକର୍ମୀମାନଙ୍କୁ ଯଥେଷ୍ଟ ତାଲୀମ ମଧ୍ୟ ଦିଆଯାଉଚି । କିନ୍ତୁ ଦ୍ୱିତୀୟ କର୍ତ୍ତବ୍ୟଟି ତୁଲାଇବା ସକାଶେ ପ୍ରସାରକର୍ମୀର ଆପଣା ଦୃଷ୍ଟି ଓ ଆପଣା ମୂଲ୍ୟବୋଧରେ ଯଥେଷ୍ଟ ପରିବର୍ତ୍ତନ ହୋଇଥିବା ଦରକାର । ସେ ସମାଜରେ ଯେଉଁସବୁ ପରିବର୍ତ୍ତନ ଆଣିବାକୁ ଯାଉଚି, ତା’ ନିଜଭିତରେ ମଧ୍ୟ ସେସବୁ ପ୍ରତି ଯଥେଷ୍ଟ ଆଗ୍ରହ ଓ ବିଶ୍ୱାସ ରହିଥିବ । ଆପଣାର ଜୀବନରେ ମଧ୍ୟ ସେ ଯଥାନୁରୂପ ପରିବର୍ତ୍ତନ ସମ୍ଭବ କରିବାଲାଗି ସଚେଷ୍ଟ ରହିଥିବ । କିନ୍ତୁ ଉପରୁ ଆସୁଥିବା ହୁକୁମନାମା ଉପରେ ଅବଲମ୍ବନ କରି ରହିଥିବା ଏଜେଣ୍ଟ୍ କିପରି କଥା କହି ଆଉଜଣକୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରିପାରିବ ? ଯେଉଁ ଶାସନଯନ୍ତ୍ରରେ ଗଣତନ୍ତ୍ରର ଏତେଟିକିଏ ପରଖ ବି ପଡ଼ିନାହିଁ, ମାନବିକ ଓ ସାମାଜିକ ନ୍ୟାୟ ଅପେକ୍ଷା କ୍ଷମତାରୂଢ଼ କାଗଜ କଲମର ନ୍ୟାୟକୁ ଯେଉଁଠି ସକଳ ସମ୍ବନ୍ଧ ଓ ସକଳ କାର୍ଯ୍ୟକ୍ରମର ବିଧାୟକ ବୋଲି ମାନିନିଆଯାଇଚି, ସେହି ଶାସନଯନ୍ତ୍ର ଆଜି ନୂତନ ସଂବିଧାନ ଓ ନୂତନ ଚିଠା ଯୋଜନାର ହାଉଆ ବାଜି ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ପ୍ରବର୍ତ୍ତନ ଲାଗି ଏଜେଣ୍ଟ୍ ହୋଇ ବାହାରିବ ବୋଲି ଆମେ କିପରି ଆଶା କରିପାରିବା ?

 

ପୁସ୍ତକଟିରେ (ତତ୍ରୈବ : ପୃଷ୍ଠା–୯୩) ପୁଣି କୁହାଯାଇଚି, ‘‘ଏକଥା ଅନୁମାନ କରାଯାଇପାରେ ଯେ ପରିବର୍ତ୍ତନ-ଏଜେଣ୍ଟ୍ ହୁଏତ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ପ୍ରକୃତ ଏକ ଅଭିଳାଷ ନେଇ ତାର କାର୍ଯ୍ୟରେ ପ୍ରବୃତ୍ତ ହୋଇଚି । କିନ୍ତୁ ସେ କେଉଁ କାରଣରୁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହୁଚି ? ସେ କଣ ପ୍ରକୃତରେ ଜନସାଧାରଣଙ୍କର ଉନ୍ନତି ଓ ବିକାଶ ଇଚ୍ଛା କରୁଚି ? ଅଥବା ଯେପରି ଅନେକ ସମୟରେ ଦେଖିବାକୁ ମିଳିଥାଏ,–ଏପରି କରିବାଦ୍ୱାରା ସେ ନିଜକୁ ଅଧିକ କ୍ଷମତାସମ୍ପନ୍ନ ବୋଲି ଅନୁଭବ କରିବାର ପ୍ରେରଣା ପାଉଥିବାରୁ ବା ଆପଣାକୁ ଉଦାର, ମହାନ୍ ବା ବଦାନ୍ୟ ବୋଲି ଭାବୁଥିବାରୁ ସେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ମନ ବଳାଉଚି ?’’ ଆମ ଦେଶର ସରକାରୀ କର୍ମଚାରୀମାନେ କାହିଁକି ଦେଶର କଲ୍ୟାଣ କରୁଚନ୍ତି ? ଚାକିରୀର ଅନ୍ୟ ଯେକୌଣସି କ୍ଷେତ୍ରରେ ସେମାନେ ଯେତିକି ବାଧ୍ୟତା ସହିତ କାର୍ଯ୍ୟ କରିଥାନ୍ତେ, ସାମୁଦାୟିକ ବିକାଶକ୍ଷେତ୍ରରେ ସେମାନେ କେବଳ ସେତିକିର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଚନ୍ତି ନା ସମାଜର ପୁନର୍ନିର୍ମାଣରେ ଆପଣାକୁ ପରିବର୍ତ୍ତନର ଏଜେଣ୍ଟ୍ ବୋଲି ମନେକରୁଚନ୍ତି ? ଅଳପ ଧନ ଓ ବହୁତ ଆଶାୟୀ ପ୍ରାର୍ଥୀ ରହିଥିବା ଗୋଟିଏ ଦେଶରେ ସରକାରୀ କର୍ମଚାରୀମାନଙ୍କଠାରୁ ଆମେ କେତେଦୂର ଏତେ ବେଶୀ ଅପେକ୍ଷା ରଖିପାରିବା ? ପୁଣି, ରାଜନୀତିକ ନେତୃତ୍ୱକୁ ଯେଉଁମାନେ ଆମଦେଶରେ ଜୀବନଧନ୍ଦା ବୋଲି ମାନିଚନ୍ତି, (ସେମାନେ ଅନେକ ସ୍ଥଳରେ ଜୀବିକାନିର୍ବାହ ସକାଶେ ଅନ୍ୟକୌଣସି ଧନ୍ଦା ଶିଖିନାହାନ୍ତି, ଅର୍ଥାତ୍ ରାଜନୀତିକ ବ୍ୟାପାର ବନ୍ଦ ହୋଇଗଲେ ସେମାନେ ଯେ କର୍ମହୀନ ହୋଇପଡ଼ିବେ ଓ ବେକାର ବସିବେ, ଏପରି କହିଲେ ଏଦେଶରେ ଆଦୌ ମିଛକଥା କୁହାଯିବନାହିଁ ।) ସେମାନେ ପ୍ରଧାନତଃ ଆପଣାର ଧନ୍ଦାଲାଗି ଖଟୁଚନ୍ତି ନାଁ ଜନସାଧାରଣଙ୍କର କଲ୍ୟାଣଲାଗି ଖଟୁଚନ୍ତି ? ଆମଦେଶର ରାଜନୀତିରେ ଉଦାରତା ଓ ବଦାନ୍ୟତାକୁ ଆଜି ମଧ୍ୟ ଏକ ବଡ଼ ସହାୟକ ଗୁଣରୂପେ ମାନିନିଆଯାଉଚି, ନିଷ୍ଠା ବା ସାଧୁତାର ପରଖ କରାନଯାଇ ବଦାନ୍ୟତାର ପରଖ କରାଯାଉଚି । ତେଣୁ ଏହି କ୍ଷେତ୍ରରେ ନେତୃତ୍ୱ ଦେଉଥିବା ବ୍ୟକ୍ତିମାନେ ଜନସାଧାରଣଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବାକୁ ମନ ବଳାଇବେ ବା କାହିଁକି ? ଏପରି ସେମାନଙ୍କର ଧନ୍ଦା ଚଳିବ ବା କିପରି ? ତେଣୁ ଗଣତନ୍ତ୍ରକୁ ଯନ୍ତ୍ର ଓ ସାମାଜିକ ନ୍ୟାୟର ପ୍ରତିଷ୍ଠାକୁ ମନ୍ତ୍ର ରୂପେ ଗ୍ରହଣକରି ସେମାନେ ଆପଣାର ନେତୃତ୍ୱକୁ ସଫଳ ଓ ସୁପ୍ରତିଷ୍ଠିତ କରି ରଖିବାକୁ ପ୍ରବୃତ୍ତ ନହେବେ କାହିଁକି ? ଗଣତନ୍ତ୍ର ଓ ସାମାଜିକ ନ୍ୟାୟ କହିଲେ ଯେଉଁ ନୂତନ ଜୀବନପ୍ରେରଣା ଓ ମୂଲ୍ୟବୋଧକୁ ବୁଝାଇବା ଉଚିତ, କେବେ ଏହି ଦେଶରେ ସେଗୁଡ଼ିକର ପ୍ରକୃତ ପ୍ରତିଷ୍ଠା ହେଲେ ବର୍ତ୍ତମାନର ନେତୃତ୍ୱ ଅକାମୀ ହୋଇଯିବାର ଭୟ ମଧ୍ୟ ରହିଚି-। କୌଣସି ବ୍ୟବସାୟୀ ଧ୍ରୂବକୁ ଛାଡ଼ି ଅଧ୍ରୂବର କାଦୁଅରେ ଗୋଡ଼ ପୂରାଇବାକୁ ଯାଏନାହିଁ । ବ୍ୟବସାୟୀଦ୍ୱାରା ସମାଜର ପରିବର୍ତ୍ତନ ହୁଏନାହିଁ । ଅମଲାତନ୍ତ୍ର ଦ୍ୱାରା ଆମ ପୃଥିବୀରେ ଏପର୍ଯ୍ୟନ୍ତ ବିଚାର ଓ ମୂଲ୍ୟବୋଧକ୍ଷେତ୍ରରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇନାହିଁ,–ଆମଦେଶରେ ସେପରି ଅଘଟଣା ଘଟିବ ବୋଲି ଆମେ କାହିଁକି ଆଶା ରଖିବା ?

 

ସମାଜଶାସ୍ତ୍ରୀମାନେ କହନ୍ତି ଯେ ଯେଉଁ ସମାଜ ପ୍ରଧାନତଃ ପରମ୍ପରାଗୁଡ଼ିକୁ ମାନି ଚଳୁଥାଏ, ତାହା ଆପଣାର ଲୋକମାନଙ୍କ ମନରେ ଗଣତନ୍ତ୍ରଲାଗି ଉପଯୁକ୍ତ ପ୍ରେରଣା ସୃଷ୍ଟି କରିପାରେ ନାହିଁ । ସବୁକଥାରେ ଯିଏ ପଛକୁ ଅନାଏ, ସମାଜର ଯାବତୀୟ ପରିସ୍ଥିତିରେ ଆପଣାର କର୍ତ୍ତବ୍ୟ ନିରୂପଣ କଲାବେଳେ ଯିଏ ପ୍ରଧାନତଃ ସାନ ପିଲାଟି ପରି ଆପଣାଉପରକୁ କୌଣସି ନିଷ୍ପତ୍ତିର ଦାୟିତ୍ୱ ନନେଇ ପରମ୍ପରା ଅର୍ଥାତ୍ ପୂର୍ବପୁରୁଷଙ୍କର ଚଳଣିପାଖକୁ ଫେରିଯିବାକୁ ହିଁ ମନ ବଳାଏ, ସେ ଗଣତନ୍ତ୍ରର ଜୀବନବ୍ୟବସ୍ଥାରେ ଖୁବ୍ ବେଶୀ ସୁଖୀ ହୋଇ ପାରେନାହିଁ ଏବଂ ସେଥିଲାଗି ଗଣତନ୍ତ୍ରକୁ ଏଡ଼ିବାରେ ଲାଗିଥାଏ । ଏହି ଅଧ୍ୟାୟରେ ଆଲୋଚିତ ଗୋଟିଏ ଗ୍ରନ୍ଥରେ (ପୁସ୍ତକ ଟିପ୍ପଣୀ–୭, ପୃଷ୍ଠା–୫୯) କୁହାଯାଇଚି ଯେ ପରମ୍ପରା ଉପରେ ଭରାଦେଇ ଚାଲୁଥିବା ସମାଜ ନିରାପତ୍ତା ଚାହେ ଏବଂ ସେଇଥିସକାଶେ ପୁରୁଣା ଅନୁଷ୍ଠାନ ଓ ନୂଆ ପ୍ରବର୍ତ୍ତନ ମଧ୍ୟରେ ଲାଗିଥିବା ପ୍ରତିଯୋଗିତାରେ ଏହିସବୁ ସମାଜରେ ସାଧାରଣତଃ ପୁରୁଣା ଅନୁଷ୍ଠାନ ହିଁ ଅଧିକ ପରାକ୍ରମଶାଳୀ ବୋଲି ସାବ୍ୟସ୍ତ ହୋଇଥାଏ । ପ୍ରବର୍ତ୍ତନ ଓ ପରିବର୍ତ୍ତକମାନେ ଏପରି ସମାଜରେ ସାଧାରଣତଃ ଉଧେଇ ପାରନ୍ତିନାହିଁ । ଆମ ସମାଜକୁ ପ୍ରଧାନତଃ ଏକ ପରମ୍ପରାସାପେକ୍ଷ ସମାଜ ବୋଲି କୁହାଯାଇ ପାରିବ । ଭଗବାନଙ୍କର ନିର୍ଦ୍ଦେଶକ୍ରମେ ଯେ ଆମେ ଏପରି ହୋଇଚୁ, ତା ନୁହେଁ, ଆମର ସାମାଜିକ ଇତିହାସରେ ରହିଥିବା କେତେକ କାରଣ ହେତୁ ଆମେ ସ୍ୱଭାବତଃ ଆଗକୁ ନଅନାଇ ପଛକୁ ଅନାଇବାରେ ଅଭ୍ୟସ୍ତ ହୋଇପଡ଼ିଚୁ । ଏହି ପରମ୍ପରା ଯେ କୌଣସି ପ୍ରକାରେ ମଧ୍ୟ ବଦଳି ପାରିବନାହିଁ, ସେକଥା ନୁହେଁ । ଏଠି ମଧ୍ୟ ପରମ୍ପରା ବଦଳିଚି । ଭାରତବର୍ଷର ଧର୍ମ ଓ ସମାଜରେ କେତେ ପ୍ରବର୍ତ୍ତକ ବାହାରି ପୁରାତନ ପରମ୍ପରା ଜାଗାରେ ନୂତନ ପରମ୍ପରାର ପ୍ରତିଷ୍ଠା କରିଚନ୍ତି । କୌଣସି ସମାଜକୁ ଆମେ ଏପରି ଏକ ଅଙ୍ଗାରଖଣ୍ଡ ସହିତ ତୁଳନା କରିପାରିବା ନାହିଁ, ଯାହାକୁ ଯେତେ ଧୋଇଲେ ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ହେବନାହିଁ । ତେଣୁ ଆମର ସମାଜକୁ ପରମ୍ପରାସାପେକ୍ଷ ବୋଲି କହିଦେଇ ବସିଯିବାର ପ୍ରଶ୍ନ ହିଁ ଉଠୁନାହିଁ । ଅସଲ କଥା ହେଉଚି, ଏଦେଶରେ ନୂତନ ମାର୍ଗର ପ୍ରବର୍ତ୍ତନ କରିବାକୁ ହେଲେ ପ୍ରବର୍ତ୍ତକକୁ ମଧ୍ୟ ଅନୁରୂପ ଯୋଗ୍ୟ ହେବାକୁ ପଡ଼ିବ । ଅନ୍ୟମାନଙ୍କର ଜୀବନରେ ସେ ଯେଉଁ ପରିବର୍ତ୍ତନ ଆଣିବାକୁ ଯାଉଚି, ସେ ନିଜେ ମଧ୍ୟ ସେହି ପରିବର୍ତ୍ତନର ପ୍ରବାହକୁ ଆପଣାର ଜୀବନରେ ଆଣିପାରୁଥିବ । ଆମ ଦେଶରେ ଗଣତନ୍ତ୍ରର ନୂତନ ବିଚାର ଓ ନୂତନ ମୂଲ୍ୟବୋଧ ଜାଗୃତ କରିବାକୁ ହେଲେ ଆମଦେଶର ଅନ୍ତତଃ ପ୍ରବର୍ତ୍ତକମାନେ ସତକୁସତ ଗଣତନ୍ତ୍ରର ଜୀବନଦୃଷ୍ଟି ଅର୍ଜନ କରିଥିବେ ଓ ଆପଣାର ସମ୍ପର୍କଗତ ଜୀବନରେ ଗଣତନ୍ତ୍ରକୁ ହିଁ ଯଥାସମ୍ଭବ ପ୍ରକଟ କରିପାରୁଥିବେ ।

 

ଆମେରିକାର ଜଣେ ମନୋବୈଜ୍ଞାନିକ ଆର୍ଥିକ ଅଭିବୃଦ୍ଧି ଲାଗି ଅନୁକୂଳ ଆବଶ୍ୟକତା ବୋଧକୁ ‘ପ୍ରାପ୍ତିଲାଗି ଆବଶ୍ୟକତାବୋଧ’ (The Achievement Motive) ବୋଲି କହିଚନ୍ତି । (୯) ସମାଜରେ ଅନେକ ମଣିଷ ଯେତିକି କରୁଚନ୍ତି, ଏମାନେ ସ୍ୱଭାବତଃ ତାଠାରୁ ଅଧିକ କରିବାକୁ ଓ ଅଧିକ ଭଲକରି କରିବାକୁ ଚାହାନ୍ତି । ସମାଜର ସ୍ୱୀକୃତି ବା ସମ୍ମାନ ହାସଲ କରିବାଲାଗି ବା ଅଧିକ କ୍ଷମତା ପାଇବାଲାଗି ସେମାନେ ଏହା କରନ୍ତିନାହିଁ । ମାତ୍ର ଅଧିକ କାର୍ଯ୍ୟ ସାଧନକରି ଦେଖାଇ ପାରିବାର ଏକ ଅନ୍ତର୍ଗତ ଆବଶ୍ୟକତାରେ ପଡ଼ି ତାହା କରିଥାନ୍ତି । ଯେଉଁମାନଙ୍କଠାରେ ଅଧିକ ହାସଲ କରିବାର ଏହି ଆବଶ୍ୟକତା-ବୋଧ ରହିଥାଏ, ସେମାନେ କୌଣସି ବିଷୟକୁ ଶୀଘ୍ର ଶିଖିବାରେ ଅଧିକ ତତ୍ପରତା ଦେଖାନ୍ତି, ଆପଣା ଯୋଗ୍ୟତାର ଅଧିକରୁ ଅଧିକତର ପ୍ରମାଣ ଦେବାଲାଗି ସେମାନେ ଆପଣାର ସକଳ ଶକ୍ତି ନିୟୋଜିତ କରିବାକୁ କାର୍ଯ୍ୟ କରିଥାନ୍ତି । ମାତ୍ର ଅଧିକ କାର୍ଯ୍ୟ ହାସଲ କଲେ ଯେଉଁଠାରେ ପୁରସ୍କାର ବା ଅଧିକ ପଇସା ମିଳିବାର ପ୍ରଲୋଭନ ରହିଥାଏ, ସେଠାରେ ସ୍ୱଭାବତଃ ସେମାନଙ୍କର ଆଗ୍ରହ ଊଣା ପଡ଼ିଯାଏ । ଲେଖକଙ୍କର କହିବା ଅନୁସାରେ ଯେଉଁ ସମାଜରେ ଏପରି ମଣିଷ ଅଧିକ ସଂଖ୍ୟାରେ ରହିଥାଆନ୍ତି ଓ ଯେଉଁ ସମାଜରେ ଏହିପରି ମଣିଷଙ୍କର ବିକାଶଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇ ରହିଥାଏ, ସେହି ସମାଜରେ ଅନ୍ୟମାନଙ୍କ ତୁଳନାରେ ଆର୍ଥିକ ବିକାଶର ଅଧିକ ସମ୍ଭାବନା ଉନ୍ମୁକ୍ତ ରହିଥାଏ । ସେ କହନ୍ତି ଯେ, ସଭ୍ୟତା କହିଲେ କେବଳ ବାତାବରଣ ସହିତ ଆପଣାକୁ ଖାପ ଖୁଆଇ ଚଳିଯିବାକୁ ବୁଝାଏନାହିଁ ବା ଆପଣା ଭିତରେ ରହିଥିବା ପଶୁପ୍ରବୃତ୍ତିଗୁଡ଼ିକୁ ଦବାଇ ରଖିବାକୁ ବୁଝାଏନାହିଁ । ସମାଜରେ ଯେଉଁ ଲୋକମାନେ ଅଧିକ ଯେଉଁ ଲୋକମାନେ ଅଧିକ କିଛି ହାସଲ କରିବାର ଏକ ଅନ୍ତର୍ଗତ ଆବଶ୍ୟକତା-ବୋଧ ଦ୍ୱାରା ପ୍ରେରିତ ହେଉଥାନ୍ତି, ସେହିମାନେ ଯାହାସବୁ ସୃଷ୍ଟିକରନ୍ତି, ତାହାକୁ ହିଁ ସଭ୍ୟତା କୁହାଯାଏ । ଏହି ସମ୍ପର୍କରେ ଆଉ ଏକ ଅଧ୍ୟୟନରୁ ଜଣାପଡ଼ିଚି ଯେ ଯେଉଁ ପରିବାରରେ ମାଆମାନେ ସାଧାରଣତଃ ପିଲାମାନଙ୍କର ଆତ୍ମନିର୍ଭରଶୀଳ ହୋଇ ବଢ଼ିବାଉପରେ ଅଧିକ ଜୋର୍ ଦେଇଥାନ୍ତି, ସେହିସବୁ ପରିବାରରୁ ଅଧିକ ହାସଲ କରିବାର ଅନ୍ତର୍ଗତ ଆବଶ୍ୟକତା-ବୋଧସମ୍ପନ୍ନ ବ୍ୟକ୍ତି ଅଧିକ ସଂଖ୍ୟାରେ ବାହାରିଥାଆନ୍ତି । ମାତ୍ର ଅନ୍ୟପକ୍ଷରେ ଯେଉଁସବୁ ପରିବାରରେ ପିଲାମାନେ ଶିଶୁଅବସ୍ଥାରୁ ଆତ୍ମନିର୍ଭରତା ଶିଖନ୍ତୁ ବୋଲି ମାଆବାପ ଆଦୌ ଜୋର୍ ଦିଅନ୍ତିନାହିଁ, ବା ଆପଣା ଜୀବନରେ ଖୁବ୍ ବେଶୀ ହାସଲ କରିବାର ପ୍ରବୃତ୍ତି ମଧ୍ୟ ଦେଖାନ୍ତିନାହିଁ, ସେହିସବୁ ପରିବାରରୁ ବାହାରୁଥିବା ବ୍ୟକ୍ତି ସାଧାରଣତଃ ଅଧିକ ହାସଲ କରିବାର ଆବଶ୍ୟକତା ଅନୁଭବ କରନ୍ତିନାହିଁ, ଅଳପକରେ ସନ୍ତୁଷ୍ଟ ରହିଯାନ୍ତି ବା ସେମାନଙ୍କୁ ତତ୍ପର କରିବାକୁ ହେଲେ ନାନାପ୍ରକାର ଅନ୍ୟ ପ୍ରଲୋଭନ ଓ ଆକର୍ଷଣ ଦେବାକୁ ପଡ଼େ-

 

ଭାରତବର୍ଷର ସମାଜରେ ପିଲାମାନଙ୍କୁ ସାଧାରଣତଃ ମାଆବାପାଙ୍କର ସମ୍ପତ୍ତି ବୋଲି ବିଚାର କରାଯାଇଥାଏ । ଅନ୍ଧ ତା’ର ଲଉଡ଼ିକୁ ହାତରୁ ଛାଡ଼ିବାକୁ ନଚାହିଲା ପରି ଆମଦେଶରେ ବାପମାଆଙ୍କର ଅବଲମ୍ବନଶୀଳ ମନ ପିଲାମାନଙ୍କ ଉପରେ ହିଁ ଭରାଦେଇ ରହିଥାଏ ଓ ସେମାନଙ୍କୁ ଆତ୍ମନିର୍ଭର କରି ବଢ଼ିବାର ସାହସ କରିପାରେନାହିଁ । ଫଳରେ ଆମଦେଶର ଅଧିକାଂଶ ପିଲା ଯଥାସମ୍ଭବ କମ୍ କାମ କରିବାର ଅଳସ ଓ କ୍ଷୀଣାଗ୍ରହ ମନ ନେଇ ସଂସାରଭିତରକୁ ମଣିଷ ହୋଇ ବାହାରନ୍ତି । ହଁ, ଅନେକ ସମୟରେ ପଇସା, ସମ୍ମାନ ଓ ସ୍ୱୀକୃତି ପାଇବାର କୃତ୍ରିମ ଉତ୍‌ପ୍ରେରକମାନ ରହିଥିଲେ ଅନେକେ ବାହାଦୁରୀ ଦେଖାଇବାର ଲାଳସୀ ହୋଇଥାନ୍ତି । କିନ୍ତୁ ତାହା ସେମାନଙ୍କର ଅନ୍ତର୍ଗତ ଆବଶ୍ୟକତା-ବୋଧର କୌଣସି ପରିଚୟ ଦିଏନାହିଁ । ଆମଦେଶରେ ଅଧିକାଂଶ ଲୋକ ସ୍ୱଭାବତଃ କର୍ମପରାଙ୍‌ମୁଖ ହେବା ପଛରେ ଅବଶ୍ୟ ଏକାଧିକ କାରଣ ରହିଚି, ତଥାପି ଏହାକୁ ଆମେ ଏକ ଅନ୍ୟତମ ମୁଖ୍ୟ କାରଣରୂପେ ଗ୍ରହଣ କରିନେଇ ପାରିବା । ପ୍ରଧାନତଃ କର୍ମପରାଙ୍‌ମୁଖ ହୋଇଥିବାରୁ ବୋଧହୁଏ ଏ ଦେଶରେ ଆମକୁ ଅଧିକ କଥା ଓ ଅତିରଞ୍ଜିତ କଥା କହିବାକୁ ସରାଗ ଲାଗେ । ଆମ ଆଦର୍ଶର ଘୋଡ଼ା କେତେକୁଆଡ଼େ ଛୁଟି ଚାଲିଯାଏ, ଏଣେ ଭୂଇଁ ଉପରେ କର୍ମକ୍ଷେତ୍ରରେ ଆମେ ଯେତିକି ଅତ୍ୟାବଶ୍ୟକ କେବଳ ସେତିକି କରିବାର ପଘାରେ ବନ୍ଧାହୋଇ ପଡ଼ିଥାଉ । ଆମର କାମ ଆମକୁ ବୋଝପରି ଲାଗେ, ଆମର ଜୀବନ ମଧ୍ୟ ଅନେକ ସମୟରେ ଆମକୁ ବୋଝପରି ଲାଗେ । ଏହା ଫଳରେ ଆମେ ଆମର ନିଜ ଶକ୍ତି ଉପରେ ନିର୍ଭର ନକରିବାକୁ ହିଁ ସୁଖୀ ଜୀବନବୋଲି ଧରିନେଉ ଏବଂ ସୁଯୋଗ ପାଇବା ମାତ୍ରକେ ଆମର କର୍ମଦାୟିତ୍ୱକୁ ଆଉ କାହାରି ମୁଣ୍ଡ ଉପରେ ଲଦିଦେବାକୁ ଦଉଡ଼ିଯାଉ ।

 

କିନ୍ତୁ ଏଠାରେ ଗୋଟିଏ କଥା ସ୍ମରଣ ନରଖିଲେ ସିଦ୍ଧାନ୍ତଟିକୁ ଭୁଲବୁଝିବାର ଅନେକ ସମ୍ଭାବନା ରହିଚି । କୌଣସି ମଣିଷ ମାଆପେଟରୁ ଅଧିକ ହାସଲ କରିବାର ଆବଶ୍ୟକତା-ବୋଧ ନେଇ ଜନ୍ମ ହୋଇନଥାଏ । ପିଲାଦିନେ ଆପଣାର ସାନ ସଂସାରରେ ହିଁ ତାର ଜୀବନରେ ଏହି ବୋଧର ମୂଳଦୁଆ ପଡ଼ିଥାଏ । ତାର ଅର୍ଥ ସାମାଜିକ ବାତାବରଣ ହିଁ ତାକୁ କର୍ମତତ୍ପର ବା କର୍ମବିମୁଖ ହେବାଲାଗି ଉତ୍‌ପ୍ରେରଣା ଦେଇଥାଏ । ତେଣୁ ପିଲାଦିନେ ଯିଏ ପ୍ରଧାନତଃ କର୍ମବିମୁଖ ହୋଇ ବଢ଼ିବାକୁ ଅଧିକ ଉତ୍ସାହ ପାଇଚି, ଅଭିଶାପ ପାଇଥିବାପରି ଯେ ସିଏ ଜୀବନଯାକ କର୍ମବିମୁଖ ହୋଇ ରହିଥିବ, ସେପରି ଭାବିବାର କୌଣସି କାରଣ ନାହିଁ । କର୍ମତତ୍ପର ମଣିଷର ସମ୍ପର୍କ ଓ ସହଯୋଗ ପାଇଲେ ତା ଭିତରେ ମଧ୍ୟ କର୍ମବିମୁଖତା କମିବ ଓ କର୍ମତତ୍ପରତା ବଢ଼ିବ । ଘରେ ମାନ୍ଦା ହୋଇ ବଢ଼ିଥିବା କେତେ ପିଲା ସ୍କୁଲରେ ଅଧିକ କର୍ମତତ୍ପର କ୍ଷେତ୍ର ପାଇ ବଦଳିଯାଆନ୍ତି । ଏଠାରେ ପୁନର୍ବାର ସେହି ପ୍ରବର୍ତ୍ତକ ବା ପରିବର୍ତ୍ତକମାନଙ୍କର ପ୍ରଶ୍ନ ହିଁ ଉଠୁଚି । ପ୍ରବର୍ତ୍ତକମାନେ ଯଦି କେବଳ ବାହାରେ ନେତୃତ୍ୱ ଓ କର୍ତ୍ତୃତ୍ୱର ନିଶଦାଢ଼ି ପିନ୍ଧିଥିବେ ଓ ତେଣେ ଭିତରେ ମାନ୍ଦାହୋଇ ରହିଥିବେ, ତେବେ ସେମାନଙ୍କର ସ୍ପର୍ଶ ବାଜି ସବୁ ଦହଡ଼ ଜାଉ ଶୀତଳ ହୋଇଯିବ । ମାତ୍ର ସେମାନେ ଯଦି ପ୍ରକୃତ ପ୍ରବର୍ତ୍ତକର ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ, ତେବେ ସେମାନେ ଜନସାଧାରଣଙ୍କୁ ଅବଶ୍ୟ ଆପଣାସହିତ ଟାଣି ନେଇପାରିବେ । ସାମୁଦାୟିକ ବିକାଶର ପ୍ରଥମ ପର୍ଯ୍ୟାୟରେ ଏହି ଦେଶର ଜନସାଧାରଣ କେଡ଼େ ତତ୍ପରତା ଦେଖାଇ ସରକାରଙ୍କ ସହିତ ସହଯୋଗ କରିବାକୁ ବାହାରିନଥିଲେ ! ସ୍ୱାଧୀନତା ପରେ ବିବିଧ ନୂତନ ଉଦ୍ୟମରେ ପ୍ରବୃତ୍ତ ହେବାଲାଗି ଲୋକେ କେଡ଼େ ଉତ୍ସାହ ଦେଖାଇନଥିଲେ ! ମାତ୍ର ଆମ ନେତୃତ୍ୱ ଏତେଶୀଘ୍ର ଆପଣାର ଲବଣତ୍ୱ ହରାଇ ବସିଲା ଯେ, ସବୁ ଉତ୍ସାହ ଓ ତତ୍ପରତା ମଳିନ ହୋଇଯିବାକୁ ଆଦୌ ଅଧିକ ବିଳମ୍ବ ଲାଗିଲା ନାହିଁ । ଯାବତୀୟ କ୍ଷେତ୍ରର ଯନ୍ତ୍ରଗୁଡ଼ାକ ହୁଏତ ଆହୁରି ଅଧିକ ଆଡ଼ମ୍ବରରେ ଚାଲିଲା । କିନ୍ତୁ ପ୍ରବର୍ତ୍ତକ ମଣିଷର ଅଭାବରେ ପ୍ରବର୍ତ୍ତନର ସମ୍ଭାବନା ଊଣା ହୋଇଗଲା । ସରକାରୀ ଖରଚ ବଢ଼ିଲା, ମାତ୍ର ସମୁଦାୟର ବିକାଶରେ ବିକୃତି ପଶିଗଲା ।

 

ଭାରତର ସାମୁଦାୟିକ ବିକାଶ-କାର୍ଯ୍ୟରେ ଜନସାଧାରଣ ଏପର୍ଯ୍ୟନ୍ତ ପ୍ରଧାନତଃ ଉଦାସୀନ ରହିଚନ୍ତି ବୋଲି କୁହାଯାଇଚି । ସରକାରୀ ନେତୃତ୍ୱ ଯେ କମ୍ ଉଦାସୀନ ରହିଚି, ସେପରି ଦାବୀ କରିବାର କାରଣ ବା କଣ ରହିଚି ? ଆମ ଜାତୀୟ କ୍ଷେତ୍ରର ନାନା ବୃତ୍ତଖଣ୍ଡରେ ଯେଉଁମାନେ ସମ୍ପନ୍ନତର ହିସାବରେ ନେତୃତ୍ୱର ଦାୟିତ୍ୱରେ ରହିଚନ୍ତି, ସେମାନେ ମଧ୍ୟ କିଛି କମ୍ ଉଦାସୀନତା ଦେଖାଇନାହାନ୍ତି । ପୂର୍ବାଲୋଚିତ ଗୋଟିଏ ଗ୍ରନ୍ଥରେ (ପୁସ୍ତକ ଟିପ୍ପଣୀ–୮, ପୃଷ୍ଠା–୩୬) କୁହାଯାଇଚି ଯେ ଯେତେବେଳେ ସମାଜର ଲୋକମାନେ ବିକାଶଲାଗି ଉଦାସୀନତା ଦେଖାନ୍ତି ଏବଂ ଯେତେବେଳେ ସାନସାନ ଖଣ୍ଡରେ ବିଭକ୍ତ ହୋଇ ସମୁଦାୟର ଏକତା ଭାଙ୍ଗିଯାଏ, ସେତିକିବେଳେ ହିଁ ସମୁଦାୟର ବିକାଶ ବନ୍ଦ ହୋଇଯାଏ । ଆପଣାର ଉଦ୍ୟମରେ ବାରଂବାର ବିଫଳ ହେଲେ, ସମାଜ ଭିତରେ ସଂକୀର୍ଣ୍ଣ ସ୍ୱାର୍ଥଲାଳସା ଆସି ପଶିଗଲେ ଏବଂ ଗୋଟିଏ ସମୁଦାୟ ହିସାବରେ ଆପଣା ଉପରେ ଆପଣାର ବିଶ୍ୱାସ ତୁଟିଗଲେ ପରିଣାମରେ ଉଦାସୀନତା ଦେଖାଦେଇଥାଏ । ସମଗ୍ର ସମୁଦାୟକୁ ଛାଡ଼ି ଯେତେବେଳେ ଲୋକମାନେ ଆପଣାର ସ୍ୱାର୍ଥସାଧନ କରୁଥିବା ଓ ସମୁଦାୟ-ଜୀବନ ଉପରେ ପ୍ରଭାବ ପକାଉଥିବା ସାନ ସାନ ଦଳ ଉପରେ ଅଧିକ ଆସ୍ଥା ସ୍ଥାପନ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସମୁଦାୟର ଏକତା ଭାଙ୍ଗିଯାଏ । ସମୁଦାୟର ସମୂହ ସ୍ୱାର୍ଥକୁ ଦୃଷ୍ଟି ନଦେଇ ଯେତେବେଳେ ଲୋକମାନେ ଆପଣା ଆପଣାର ସାନ ସାନ ଦଳଦ୍ୱାରା କାର୍ଯ୍ୟ ହାସଲ କରାଇ ନେବାକୁ ଚାହାନ୍ତି ଓ ଏପରି କଲେ ଅନ୍ୟ ଦଳ ଓ ସମଗ୍ରତଃ ସମୁଦାୟର ଯେଉଁ କ୍ଷତି ହେବ, ତାହାର ବିଚାର କରନ୍ତିନାହିଁ, ସେତିକିବେଳେ ସାମୁଦାୟିକ ସ୍ୱାର୍ଥମାନ କ୍ଷତିଗ୍ରସ୍ତ ହୋଇପଡ଼େ ଓ ସମୁଦାୟ ଭାଙ୍ଗିଯିବାକୁ ବସେ ।

 

ସାମୁଦାୟିକ ବିକାଶ-କାର୍ଯ୍ୟକ୍ରମ ଚାଲୁ ହେବା ପରେ ଆମର ଗ୍ରାମସମାଜ ଭିତରେ କେତେ ବିଭକ୍ତକାରୀ ପ୍ରବୃତ୍ତି ଆସି ପଶିଗଲାଣି । ଆମେ ସମସ୍ତେ ସମୁଦାୟ ଉପରେ ଆସ୍ଥା ନରଖି ଆପଣାର କ୍ଷୁଦ୍ର ଦଳଗତ ସ୍ୱାର୍ଥଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ତଥାକଥିତ ନେତାମାନଙ୍କ ଉପରେ ଅଧିକ ନିର୍ଭର କରିବାକୁ ଆରମ୍ଭ କରିବୁ । ଏଥିରେ ଦେଶର ନେତୃତ୍ୱ ଆମକୁ ନାନାପ୍ରକାରେ ପ୍ରୋତ୍ସାହନ ଦେଇଆସିଚି । କେବଳ ରାଜନୀତି କ୍ଷେତ୍ରରେ ନୁହେଁ, ଶିକ୍ଷା, ଚାକିରି ଓ ଜୀବନର ଯାବତୀୟ ସୁଯୋଗ କ୍ଷେତ୍ରରେ ଆମେ ଆନୁଷ୍ଠାନିକ ଶୃଙ୍ଖଳା ଉପରେ ନିର୍ଭର ନକରି ଜାତି, ଗୋଷ୍ଠୀ, ଧର୍ମ ଓ ସ୍ୱାର୍ଥର ସଂକୀର୍ଣ୍ଣ ପ୍ରତିନିଧିତ୍ୱ କରୁଥିବା ନେତାମାନଙ୍କ ଉପରେ ଅଧିକ ନିର୍ଭର କରିଆସିଚୁ । ଆନୁଷ୍ଠାନିକ ଶୃଙ୍ଖଳା ମାନିଲେ କାମ ହୁଏନାହିଁ, ଅମୁକ ବାବୁଙ୍କୁ ଧରିଲେ ଯେ କାମ ହୁଏ, ଆମଦେଶର ଜନସାଧାରଣ ଏହିପରି ଏକ ବିଶ୍ୱାସରେ ମଣ ହେଉଥିବାପରି ମନେହେଉଚି । ତେଣୁ ସମୁଦାୟର ସ୍ୱାର୍ଥ ଜଗିବ କିଏ, କାହାକୁ ନେଇ ବା ସାମୁଦାୟିକ ବିକାଶ ହେବ ? ଗତ କେତେବର୍ଷ ମଧ୍ୟରେ ରାଜନୀତିକ ଦଳାଦଳି ଓ ବଳ କଷାକଷି ଯେ ଗ୍ରାମସ୍ତରରେ ଆସି ପହଞ୍ଚିଲାଣି, ଏକଥା ଆମଦେଶର ରାଜନୀତିକ ନେତାମାନେ ମଧ୍ୟ ସ୍ୱୀକାର କରୁଚନ୍ତି । ଏହାସମ୍ଭବ ହେଲା କିପରି ? ଆମର ଜାତୀୟ ନିର୍ମାଣ ଓ ଉଦ୍ୟମଗୁଡ଼ିକରେ ପ୍ରବର୍ତ୍ତକର ପଗଡ଼ି ପିନ୍ଧି ବାହାରିଥିବା ତଥାକଥିତ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିମାନଙ୍କୁ ଏଥିଲାଗି କେତେଦୂର ଦାୟୀ କରାଯାଇ ପାରିବ ? ଏହାଦ୍ୱାରା ସାମୁଦାୟିକ ବିକାଶର ମୂଳଚେରଗୁଡ଼ିକୁ କେତେଦୂର ନଷ୍ଟ କରି ଦିଆଯାଇଚି ? ଆଗେ ସକଳପ୍ରକାର ଅନୁନ୍ନତତା ଏବଂ ଅନ୍ଧବିଶ୍ୱାସ ସତ୍ତ୍ୱେ ଗାଆଁରେ ତଥାପି ଯେଉଁ ସହୃଦୟତା ଓ ସହଯୋଗୀ ମନୋଭାବ ରହିଥିଲା, ଆଜି ତାହା ଅନେକ ପରିମାଣରେ ହ୍ରାସ ହୋଇଗଲାଣି । ଆମର ପ୍ରବର୍ତ୍ତକମାନେ ଏଥିଲାଗି କେତେଦୂର ଦାୟୀ ହେବେ ?

 

ପରିବର୍ତ୍ତନ ଓ ପୁନର୍ଗଠନ ଲାଗି କେଉଁ ସମାଜ କେତେଦୂର ଅନୁକୂଳ ବା ପ୍ରତିକୂଳ ବାତାବରଣ ସୃଷ୍ଟିକରି ରଖିଥାଏ, ଅର୍ଥାତ୍ କେଉଁ ସମାଜ ଏକ ପ୍ରଗତିକାଙ୍‌କ୍ଷୀ ମନୋଭାବ ରଖି ପରିବର୍ତ୍ତନର ସ୍ୱାଗତ କରେ ଓ ପୁଣି କେଉଁ ସମାଜ ନାନା ନିରାପତ୍ତା ଦୃଷ୍ଟିରୁ ପରିବର୍ତ୍ତନକୁ ଭୟ କରେ ଓ ସେଥିଲାଗି ଆପଣା ଭିତରେ ପ୍ରତିଷ୍ଠିତ ସକଳପ୍ରକାର ରକ୍ଷଣଶୀଳତା ସହିତ ପରିବର୍ତ୍ତନର ପ୍ରତିରୋଧ କରିବାକୁ ବାହାରେ, ସେହି ଦୃଷ୍ଟିରୁ ଆମେରିକାର ଜଣେ ସମାଜଶାସ୍ତ୍ରୀ ସମାଜବ୍ୟବସ୍ଥାଗୁଡ଼ିକର ପାଞ୍ଚପ୍ରକାର ଶ୍ରେଣୀବିଭାଗ (୧୦) କରିଚନ୍ତି । ଏଠାରେ ଆମେ ତହିଁରୁ ତିନୋଟିର ଆଲୋଚନା କରିବା ଓ ଆମ ଭାରତବର୍ଷର ସମାଜବ୍ୟବସ୍ଥା, ମୁଖ୍ୟତଃ ଆମର ପାରମ୍ପରିକ ଗ୍ରାମସମାଜର ବ୍ୟବସ୍ଥା ଆବଶ୍ୟକ ପରିବର୍ତ୍ତନ ଲାଗି କିପରି ଅନୁକୂଳ ବା ପ୍ରତିକୂଳ ହୋଇ ରହିଚି ଆମେ ସେହିଦୃଷ୍ଟିରୁ ବିଚାର କରିବା । ।।୧।। ପରମ୍ପରା ଉପରେ ଆଶ୍ରିତ ସମାଜଗୁଡ଼ିକରେ ଦେଖିବାକୁ ମିଳେ ଯେ ଜନ୍ମଗତ ବା ବଂଶଗତ ଦୃଷ୍ଟିରୁ, ଏପରି କି ପଦଗତ ଦୃଷ୍ଟିରୁ ବିଚାର କରି ସେଠାରେ ମଣିଷର ଯୋଗ୍ୟତା ବା ସାମର୍ଥ୍ୟର ମୀମାଂସା ହୋଇଥାଏ । କିନ୍ତୁ ଅପର ପକ୍ଷରେ ଏପରି ବିକାଶଧର୍ମୀ ଓ ପରିବର୍ତ୍ତନଧର୍ମୀ ସମାଜ ମଧ୍ୟ ଆମ ସଂସାରରେ ରହିଚି, ଯେଉଁଠି କି ମଣିଷର କୁଳମର୍ଯ୍ୟାଦା ବା ପଦବୀ ଦ୍ୱାରା ନୁହେଁ, ସେ ଯେପରି କାର୍ଯ୍ୟମାନ ହାସଲ କରି ଦେଖାଇଦିଏ, ସେହି ଅନୁସାରେ ସମାଜରୁ ତାକୁ ସେହିପରି ସ୍ୱୀକୃତି ମିଳେ । ଆମ ସମାଜରେ ଆମେ ମଣିଷକୁ ଆଗ ତାର କୁଳ, ବଂଶ ଓ ପଦବୀ ଜରିଆରେ ଚିହ୍ନୁ ଓ ତାପରେ ତାକୁ କେଉଁ କାର୍ଯ୍ୟ କରିବାକୁ ଦିଆଯିବ, ତାହାର ମୀମାଂସା କରୁ ଓ ସେହି ଅନୁସାରେ ତାକୁ ସମ୍ମାନ ମଧ୍ୟ ଦେଇଥାଉ । ମାତ୍ର ଅନ୍ୟପ୍ରକାର ସମାଜମାନଙ୍କରେ ଯିଏ ପ୍ରଶଂସାଯୋଗ୍ୟ କାର୍ଯ୍ୟ କରି ଦେଖାଇଦିଏ, ସିଏ କେଉଁ କୁଳରେ ଜନ୍ମ ହୋଇଚି ବା ତାର ବାପ କେଉଁ କାମ କରି ପେଟ ପୋଷୁଚି, ସେକଥା ପଚାରିବା ପୂର୍ବରୁ, ତାହାକୁ ତାର କର୍ମସିଦ୍ଧିର ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ମିଳିଥାଏ । ଆମଦେଶର ଥିଲାଘରର ପିଲା ମନଖୁସୀରେ କଞ୍ଚା ଚାଉଳ ଚୋବାଏ, କିନ୍ତୁ କେବଳ ପେଟ ପୋଡ଼ିଗଲେ ହିଁ ନଥିଲାଘରର ପିଲା ସେପରି ଆଚରଣ କରେ । ଆମ ସମାଜରେ କିଏ କିପରି ସମ୍ମାନ ବା ସ୍ୱୀକୃତି ପାଇବ, ସେକଥା ଶାସ୍ତ୍ରପୁରାଣର ବାକ୍ୟ ଅନୁସାରେ ବା ସାମାଜିକ ପରମ୍ପରାର ଚଳଣି ଅନୁସାରେ ନିଶ୍ଚିତ ହୋଇ ରହିଚି । ତେଣୁ ଏଥିରେ ହେରଫେର୍ ଅଦଳବଦଳ ହେବାର ପ୍ରଶ୍ନ ହିଁ ଉଠିବନାହିଁ । ହିନ୍ଦୁ ସମାଜର ଜାତିବ୍ୟବସ୍ଥା ଏହିପରି ଏକ ସାମାଜିକ ଦର୍ଶନ ଉପରେ ଠିଆହୋଇ ରହିଚି । ଏହି ଅନୁସାରେ ବ୍ରାହ୍ମଣ ପିଲା ଅବଶ୍ୟ ପଇତା ପକାଇବ ଅର୍ଥାତ୍ ବ୍ରାହ୍ମଣ ହେବ, ଥଟାରିପିଲା ଥଟାରି କାମ କରିବ । ପାଣପିଲା ଢୋଲ ବଜାଇବ ଓ ମାଳିପିଲା ମୁକୁଟ ତିଆରି କରିବ । ଗାଆଁ ଚଉକିଆ କଣ୍ଡରାସାହୀରୁ ନିଯୁକ୍ତ ହେବ । କେହି ପ୍ରକୃତରେ ତାର କାମକୁ କରିପାରୁଚି କି ନାହିଁ, ଏହି ରୀତିଟି ଅନୁସାରେ ତାହା ଉପରେ କାହାରି ନଜର ପଡ଼େନାହିଁ । ଏତିକି ସ୍ପଷ୍ଟ ହୋଇଯିବା ଉଚିତ ଯେ ଯେଉଁଠି କୁଳ, ଜନ୍ମ ବା ପଦ ଅନୁସାରେ କର୍ମର ନିର୍ଦ୍ଧାରଣ କରାଯାଏ, ସେହି ସମାଜରେ ସାଧାରଣତଃ ଯଥେଷ୍ଟ ଚଳନଶୀଳତା ଲାଗି ସ୍ଥାନ ନଥାଏ ଏବଂ ସେହିହେତୁରୁ ସେଠାରେ ସାମାଜିକ ପରିବର୍ତ୍ତନ ଓ ପୁନର୍ନିର୍ମାଣ ନାନାପ୍ରକାରେ ବାଧାପ୍ରାପ୍ତ ହୁଏ ।

 

।।୨।। ପ୍ରତ୍ୟେକ ସମାଜରେ ନାନାପ୍ରକାର ନିୟମ ରହିଚି । ସମାଜର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ନିୟମମାନ ରହିଚି । କିନ୍ତୁ ଗୋଟିଏ ଗୋଟିଏ ସମାଜରେ ଏହି ନିୟମଗୁଡ଼ିକ ସମସ୍ତଙ୍କପ୍ରତି ପ୍ରୟୋଗ କରାଯାଏନାହିଁ । ସେହି ସମାଜରେ ଚାଷୀ ଓ ମଜୁରିଆଙ୍କ ଉପରେ ଯେଉଁ ନିୟମମାନ ଲାଗୁ ହୁଏ, ସାମନ୍ତ ଓ ସମ୍ଭ୍ରାନ୍ତମାନଙ୍କ ପ୍ରତି ସେସବୁ ଲାଗୁ ହୁଏନାହିଁ । କେତେକ ଖାସ୍ ବର୍ଗଙ୍କଲାଗି କେତେକ ଖାସ୍ କାର୍ଯ୍ୟ ନିର୍ଦ୍ଦିଷ୍ଟ ହୋଇ ରହିଥାଏ । ଚମଡ଼ାରୁ ଅନେକ ଲାଭର ସମ୍ଭାବନା ରହିଚି । ମାତ୍ର ଗାଆଁରେ ଗୋରୁ ମଲେ କେବଳ ଏକ ବିଶେଷ ସ୍ତରର ଲୋକେ ହିଁ ସେଥିରୁ ଛାଲ ଉତାରିବା କଥା ଚିନ୍ତା କରିପାରିବେ । ବାଳ କାଟିବା ହେଉଚି ଏକ ଧନ୍ଦା । ଇଚ୍ଛାକଲେ ଓ ଶିଖିଲେ ଯେକୌଣସି ଲୋକ ସେହି ଧନ୍ଦା କରିପାରିବ । ମାତ୍ର ଗାଆଁମାନଙ୍କରେ ବାଳ କାଟିବା କାମ କେବଳ ଗୋଟିଏ ପାଟକଲାଗି ନିର୍ଦ୍ଦିଷ୍ଟ ହୋଇ ରହିଥାଏ । ଆମଦେଶର ତୀର୍ଥମାନଙ୍କରେ ଯାତ୍ରୀମାନଙ୍କୁ ବୁଲାଇ ଦେଖାଇବାର କାମ ରୁଚି ଥିଲେ ଯେ କୌଣସି ବ୍ୟକ୍ତି ଶିଖିପାରିବ ଓ କରିପାରିବ । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସେକଥା ହୋଇପାରେନାହିଁ କେବଳ ପଣ୍ଡାମାନଙ୍କୁ ହିଁ ସେହି କାର୍ଯ୍ୟର ଜାଗିରି ଦିଆଯାଇଥାଏ । ନଡ଼ିଆଚାଷରେ ଅନେକ ଲାଭ ହୁଏ, ତଥାପି ଓଡ଼ିଶାରେ ସବୁ ପାଟକ ବା ସବୁ ଶ୍ରେଣୀର ମଣିଷ ନଡ଼ିଆଚାଷ କରିପାରନ୍ତି ନାହିଁ । କେରଳରେ ଅଦା ଓ ଗୋଲମରିଚ ଚାଷ କରି କେତେକ ସମ୍ପ୍ରଦାୟ ଅନେକ ଟଙ୍କା ଲାଭ କରନ୍ତି, ମାତ୍ର ଆହୁରି ଅନେକ ଜାତି ତାହା କରି ପାରନ୍ତିନାହିଁ । ଅର୍ଥାତ୍ ଏକ ସମାଜରେ ବାସ କରୁଥିଲେ ମଧ୍ୟ ଆର୍ଥିକ ଜୀବନର ନିୟମଗୁଡ଼ିକ ସମସ୍ତଙ୍କ ପ୍ରତି ସମାନଭାବରେ ଲାଗୁ ହୁଏନାହିଁ । ଅନ୍ୟ ପକ୍ଷରେ ଇଉରୋପ ବା ଆମେରିକାର ସମାଜରେ ସେପରି କୌଣସି ପ୍ରତିବନ୍ଧକ ନଥାଏ । ସମସ୍ତଙ୍କୁ ସମାନପ୍ରକାର ନିୟମ ମାନି ଚଳିବାକୁ ହୁଏ ।

 

।।୩।। ପାରମ୍ପରିକ ସମାଜରେ ସାଧାରଣତଃ କାର୍ଯ୍ୟର ବିସ୍ତୃତ ବଣ୍ଟନ ହୋଇଥାଏ । କୃଷି ଉପରେ ନିର୍ଭର କରି ରହିଥିବା ସମାଜଗୁଡ଼ିକରେ ଅଧିକାଂଶତଃ ପ୍ରତ୍ୟେକ ମଣିଷ ନାନାପ୍ରକାର କାର୍ଯ୍ୟ ଶିଖିଥାନ୍ତି ଓ କରନ୍ତି । ଗାଆଁର ଚାଷୀ କେବଳ କୃଷିସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକରେ ଆପଣାର କର୍ମପରିଧିକୁ ସୀମାବଦ୍ଧ ରଖି ନଥାଏ । ସେ ତାର ଘରକୁ ମଧ୍ୟ ଆପଣା ହାତରେ ତିଆରି କରେ, ଆପଣାର ପ୍ରୟୋଜନୀୟ କୃଷିସରଞ୍ଜାମ ମଧ୍ୟ ଯଥାସମ୍ଭବ ଆପେ ବନାଏ, ଅନେକ ସମୟରେ ଆପଣାର ଲୁଗା ବି ଆପେ ବୁଣେ, ଆପଣାର ଆବଶ୍ୟକ ଦଉଡ଼ି ଆପେ ବଳେ, ଇତ୍ୟାଦି ଇତ୍ୟାଦି । ମାତ୍ର ଆଧୁନିକ ଯନ୍ତ୍ରସଭ୍ୟତାରେ ତାହା ସମ୍ଭବ ହୋଇ ପାରୁନାହିଁ । ଯନ୍ତ୍ରର ସଭ୍ୟତା ଅର୍ଥ ବିଶେଷଜ୍ଞମାନଙ୍କର ସଭ୍ୟତା । ଏଠି ଗୋଟିଏ କାମରେ ବିଶେଷ ତାଲୀମ ନେବାକୁ ପଡ଼େ ଏବଂ ସେହି କାର୍ଯ୍ୟଭିତରେ ହିଁ ଜୀବନର ଧନ୍ଦାକୁ ସୀମିତ ରଖିବାକୁ ପଡ଼େ-। ଡେନମାର୍କ୍‌ର ଚାଷୀ କେବଳ କୃଷିକାର୍ଯ୍ୟରେ ଆପଣାକୁ ସୀମାବଦ୍ଧ ରଖୁଚି; ଯିଏ ଘରେ ଗୋରୁ ରଖି କ୍ଷୀରଉପରେ ଅବଲମ୍ବନ କରି ଜୀବିକା ନିର୍ବାହ କରୁଚି, ତାର ଚାଷକାମ କରିବାକୁ ହୁଏତ ବେଳ ନାହିଁ । ଅପରପକ୍ଷରେ ହିମାଳୟର ପାର୍ବତୀୟ ଗାଆଁମାନଙ୍କରେ ଏକ ବିଶେଷ ଭୌତିକ ଓ ସାମାଜିକ ପରିସ୍ଥିତି ରହିଥିବା ହେତୁ ବ୍ରାହ୍ମଣ ଗୃହସ୍ଥ କେବଳ ପୂଜାପାଠ ବା ଯଜମାନି କରେନାହିଁ, ତାକୁ ହଳ ଧରିବାକୁ ହୁଏ, ବେଙ୍ଗଳା ପକାଇବାକୁ ପଡ଼େ, ଆପଣା କୃଷିସରଞ୍ଜାମ ତିଆରି କରିବାକୁ ହୁଏ ଏବଂ ଘରେ କାହାରି ରୋଗବଇରାଗ ହେଲେ ବୈଦ୍ୟର କାମ ବି ଚଳାଇବାକୁ ହୁଏ । କୌଣସି ଦେଶର ଅର୍ଥନୀତି କୃଷିପ୍ରଧାନ ହୋଇ ରହିଥିବା ପର୍ଯ୍ୟନ୍ତ ବିଶେଷଜ୍ଞର ରୀତି ନଧରି ଲୋକମାନେ ସାଧାରଣତଃ ସବୁକାମରୁ ଟିକିଏ ଟିକିଏ ଶିଖିରଖିବାକୁ ଆବଶ୍ୟକ ମନେକରିଥାନ୍ତି । କିନ୍ତୁ ଫଳରେ ସେମାନେ ଏକାବେଳକେ ଅନେକ କାମ କରିପାରନ୍ତି ସତ, ମାତ୍ର କୌଣସି କାର୍ଯ୍ୟକୁ ପରିପୂର୍ଣ୍ଣରୂପେ ଶିଖି ପାରନ୍ତିନାହିଁ । ତେଣୁ ସେମାନଙ୍କର କାର୍ଯ୍ୟଦକ୍ଷତା ବେଶୀଦୂର ଆଗେଇ ପାରେନାହିଁ । କିନ୍ତୁ ଉଦ୍ୟୋଗପ୍ରଧାନ ଆଧୁନିକ ସମାଜରେ ପ୍ରତ୍ୟେକ କାର୍ଯ୍ୟକୁ ପ୍ରାୟ ଏକ ବିଶେଷଜ୍ଞର କାର୍ଯ୍ୟ ବୋଲି ଧରିନିଆଯାଏ ।

 

ଭାରତର ଗ୍ରାମସମାଜ ମଣିଷର କାମ ଅନୁସାରେ ତାକୁ ଉପଯୁକ୍ତ ମର୍ଯ୍ୟାଦା ନଦେଇ ବଂଶ ଓ ପଦବୀ ଅନୁସାରେ ତାହାର ବିଚାର କରିଥାଏ । ଏସବୁ ଆଗେ ହୁଏତ କେବଳ ଗ୍ରାମକ୍ଷେତ୍ରରେ ସୀମାବଦ୍ଧ ହୋଇ ରହିଥିଲା । କିନ୍ତୁ ଏବେ ଆମଦେଶର ଶିକ୍ଷିତମାନେ ମଧ୍ୟ ପ୍ରଧାନତଃ ଏହିପରି ଏକ ଦୃଷ୍ଟିକୋଣ ନେଇ ଆଧୁନିକ ସଂସାରରେ ପ୍ରବେଶ କରୁଚନ୍ତି । ସେଥିଲାଗି ଆମର ସ୍କୁଲ କଲେଜ, କଚେରୀ ଓ କାରଖାନାମାନଙ୍କରେ ମଧ୍ୟ ଏହି ରୋଗ କମ୍ ପରିବ୍ୟାପ୍ତ ହୋଇ ରହିନାହିଁ । ଏପରି ଦୃଷ୍ଟିଭଙ୍ଗୀ ହେତୁ ଆଧୁନିକ ଭାରତର ରାଜନୀତି ମଧ୍ୟ କେବଳ ଏକ ପୁରୁଣା ଢଙ୍ଗର ରାଜନୀତି ହୋଇ ରହିଚି । ଆମ ଦେଶର ଆର୍ଥିକ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କ ପ୍ରତି ସମାନ ନିୟମମାନ ଲାଗୁ ହେଉନାହିଁ । ଚାଷୀଉପରେ ଯେଉଁ ନିୟମ ଖଟାହେଉଚି, ଶିଳ୍ପପତିମାନଙ୍କ ଉପରେ ଖଟାହେଉନାହିଁ । ଗାଆଁରେ ଯେଉଁ ନିୟମମାନ ଜାରି କରାଯାଉଚି, ସହର ସେଥିରୁ ନାନା କୌଶଳପୂର୍ଣ୍ଣ ପ୍ରଭାବ ବଳରେ ଫାଙ୍କିଦେଇ ଚାଲିଯାଉଚି । ଖାଲି ଆର୍ଥିକ କ୍ଷେତ୍ରରେ ଏହି ପ୍ରବୃତ୍ତିଟି ସୀମାବଦ୍ଧ ନରହି ସାମାଜିକ ଜୀବନର ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଲାଣି । ଶିକ୍ଷାକ୍ଷେତ୍ରରେ ଯେଉଁ ନିୟମମାନ ରହିଚି, ତାହା ସବୁଶ୍ରେଣୀର ଲୋକଙ୍କ ଉପରେ ସମାନଭାବରେ ଲାଗୁ ହେଉନାହିଁ । ଗରିବ ମଣିଷଲାଗି ଡାକ୍ତରଖାନାର ନିୟମମାନ ବଡ଼ କୃପଣ ଓ ସଙ୍କୁଚିତ ହୋଇପଡ଼ୁଚି, କିନ୍ତୁ ଥିଲାବାଲାଲାଗି ଉଦାର ଶତହସ୍ତରେ ତାର ଦାଣ୍ଡ ବା ଘରପର୍ଯ୍ୟନ୍ତ ପ୍ରସାରିତ ହୋଇଯାଇଚି । ନାଗରିକ ଅଧିକାର କହିଲେ ଆମ ଦେଶରେ ପ୍ରଧାନତଃ କେତେକ ମଣିଷଙ୍କର ବିଶେଷାଧିକାରକୁ ହିଁ ବୁଝାଉଚି । ଅନ୍ୟମାନେ ନାଗରିକ ହୋଇ ଅବଶ୍ୟ ଅଛନ୍ତି, ମାତ୍ର ଅଧିକାରର କୋଟାତାଲିକାରେ ଏପର୍ଯ୍ୟନ୍ତ ସେମାନଙ୍କର ନମ୍ବର ଆସିନାହିଁ । ଗଣତନ୍ତ୍ର ନାମରେ ଏକ ଅଳସତନ୍ତ୍ର ସେମାନଙ୍କୁ କେବଳ ଆଶାକରି ଅପେକ୍ଷା କରିବାକୁ ଚାହୁଚି । ଆମ ଦେଶରେ କେତେପ୍ରକାର କାନୁନ୍ ତିଆରି ହେଉଚି, ମାତ୍ର ସେହି କାନୁନ୍‌ରୁ ଏହି ଦେଶର ପ୍ରତ୍ୟେକ ମଣିଷକୁ ଯେଉଁ ନ୍ୟାୟ ମିଳିବା ଉଚିତ ତାହା ମିଳିପାରୁନାହିଁ । ଆମଦେଶର କାନୁନ୍ ଓ ନ୍ୟାୟ କେବଳ କେତେକଙ୍କ ପାଖରେ ପୁରବନିତା ହୋଇ କାମ କରୁଚି, ସମସ୍ତଙ୍କ ପକ୍ଷରୁ ସତେ ଯେପରି ଖାଲି ସେହିମାନେ ହିଁ ଏହି ଦେଶ ଓ ଏହି ଦେଶର ସ୍ୱାଧୀନତାକୁ ଭୋଗ କରୁଚନ୍ତି । ଏପରି ଏକ ରାତ୍ରିନ୍ୟାୟ ଚାଲିଥିବା ପର୍ଯ୍ୟନ୍ତ ସାମୁଦାୟିକ ବିକାଶ ନାମରେ କେବଳ କେତେଜଣଙ୍କର ବା କେତୋଟି ଶ୍ରେଣୀର ବିକାଶ ହେବାହିଁ ସମ୍ଭବ ଥିଲା, ଏବଂ ଆମଦେଶରେ ପ୍ରଧାନତଃ ତାହାହିଁ ହୋଇଚି ।

 

ରକ୍ଷଣଶୀଳତା ଓ ପାରମ୍ପରିକତାର ଗୁଳା ଛାଡ଼ି ପ୍ରଗତି ଓ ପରିବର୍ତ୍ତନର ଗୁଳାକୁ ଆସିବାକୁ ହେଲେ ଆମକୁ ଏହି ସାମାଜିକ ଆଚାରରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ କରିବାକୁ ପଡ଼ିବ । ଆମଦେଶର ବିକାଶରେ ଯେଉଁମାନେ ପ୍ରବର୍ତ୍ତକର ଭୂମିକାରେ ଅବତୀର୍ଣ୍ଣ ହୋଇ ନାନାପ୍ରକାର ଦାୟିତ୍ୱ ବହନ କରିଚନ୍ତି, ସେମାନଙ୍କୁ ଏହି ପରିବର୍ତ୍ତନ ଲାଗି ବାଟ ଫିଟାଇବାକୁ ପଡ଼ିବ-। ସେମାନେ ନପାରିଲେ ଅନ୍ୟ ପ୍ରବର୍ତ୍ତକମାନଙ୍କର ପ୍ରୟୋଜନ ହେବ । ତା ନହେଲେ ସାମୁଦାୟିକ ବିକାଶ ତ ଦୂରର କଥା, ବିକାଶର ବାଟ ବି ବଣା ହୋଇଯିବ ।

 

ଆମଦେଶରେ ଉପଲବ୍‌ଧ ସକଳ ସୁଖସୁବିଧା ଓ ସମ୍ଭାବନା ପ୍ରଧାନତଃ କେତୋଟି ଶ୍ରେଣୀଙ୍କ ହାତରେ ରହିଚି । ବର୍ତ୍ତମାନ ପରିସ୍ଥିତିରେ ଆମେ ସେହିମାନଙ୍କୁ ନ୍ୟସ୍ତସ୍ୱାର୍ଥର ଶ୍ରେଣୀ ବୋଲି କହିପାରିବା । ଏହିମାନେ ଶାସନବ୍ୟୂହର ବଡ଼ ବଡ଼ ମଞ୍ଚାଉପରେ ଯାଇ ବସିଚନ୍ତି, ପ୍ରଧାନତଃ ଏହିମାନେ ହିଁ ଆପଣାକୁ ଲୋକପ୍ରତିନିଧି ହିସାବରେ ନିର୍ବାଚିତ କରାଇବାର କୌଶଳରେ ସଫଳ ହୋଇ ପାରୁଚନ୍ତି, ଏହିମାନେ ଜାତୀୟ ଉଦ୍ୟୋଗ ନାମରେ ଦେଶର ବଡ଼ ବଡ଼ ଉଦ୍ୟୋଗ ଭଣ୍ଡାରର ଚାବି ଧରି ବସିଚନ୍ତି । ଏହିମାନେ ବଡ଼ ପାଠ ପଢ଼ୁଚନ୍ତି, ବିଦେଶରେ ଏହିମାନେ ଆପଣାକୁ ଭାରତୀୟର ନମୁନା ବୋଲି ପରିଚୟ ଦେଉଚନ୍ତି, ଦେଶର ସକଳ ସ୍ତରରେ ଏହିମାନେ ନେତୃତ୍ୱର ଆସନ ଅଳଙ୍କୃତ କରି ରହିଚନ୍ତି । ଦେଶର ସମ୍ବିଧାନ ଓ ଦେଶର ଯୋଜନା ଏହିମାନଙ୍କ ମୁଣ୍ଡରୁ ବାହାରିଚି ଓ ଏମାନେ ଆଧୁନିକ ପୃଥିବୀରେ ଭାରତର ସମ୍ମାନକୁ ଯଥାସାଧ୍ୟ ବଢ଼ାଇବାର ଆକାଙ୍‌କ୍ଷାରେ ଦେଶକୁ ଅଧିକ ଜାକଜମକର ସହିତ ସଜାଇବାରେ ଲାଗିଚନ୍ତି । ପରିବର୍ତ୍ତନ ଓ ପୁନର୍ନିର୍ମାଣ କହିଲେ ଏମାନେ ଯାହା ବୁଝିବେ, ତାହା ସହଜରେ ଅନୁମାନ କରାଯାଇ ପାରିବ । ଅପର ପାଖରେ ଆମଦେଶରେ ଯେଉଁ ପ୍ରାୟ ୮୦% ଲୋକ ରହିଚନ୍ତି, ସେମାନେ ପରିବର୍ତ୍ତନ କହିଲେ କଣ ବୁଝିବେ ? ସେମାନେ କହିବେ ସମସ୍ତଙ୍କୁ କାମ ମିଳୁ, କାମ ଅନୁସାରେ ମଜୁରି ମିଳୁ, ଚାଷ କରୁଥିବା ଜମି ଖୋଦ୍ ଚାଷୀର ହୋଇ ରହୁ, ଗାଆଁ ପାଖରେ ଡାକ୍ତର ରହନ୍ତୁ, ଗାଆଁରେ ବର୍ଷଯାକ ପିଇବାପାଣି ମିଳୁ, ବିଶ୍ୱବିଦ୍ୟାଳୟର ପାଠକୁ ଆମଦେଶରେ ଯେତିକି ଗୁରୁତ୍ୱ ଦିଆଯାଉଚି, ପ୍ରାଥମିକ ସ୍ତରର ପାଠକୁ ମଧ୍ୟ ତା ଠାରୁ ଅଧିକ ନହେଲେ ବି ଅନ୍ତତଃ ସେତିକି ଗୁରୁତ୍ୱ ଦିଆଯାଉ । ପଢ଼ିଲା ବୟସରେ ଗାଆଁର ସବୁପିଲା ପଢ଼ିପାରନ୍ତୁ । ବିଶ୍ୱବିଦ୍ୟାଳୟରେ ଅଫିସରପରି ରହିଥିବା ଅଧ୍ୟାପକମାନଙ୍କର ଦକ୍ଷିଣା ବଢ଼ିବାରେ ଯେପରି ସମସ୍ତଙ୍କର ମୁଣ୍ଡ ଖେଳୁଚି, ଗାଆଁ ମାଷ୍ଟରର ଅସରଣିଆ ଜୀବନର ଶ୍ରୀ ବଢ଼ାଇବାଲାଗି ତାହାଠାରୁ ଅଧିକ ନହେଲେ ମଧ୍ୟ ଅନ୍ତତଃ ସେତିକି ମୁଣ୍ଡ ଖେଳାଯାଉ । ଦେଶରେ ଖାଲି ବାବୁମାନଙ୍କର ଶାସନ ନଚାଲି ମଣିଷମାତ୍ରେ ସମସ୍ତଙ୍କଲାଗି ମଣିଷଯୋଗ୍ୟ ଶାସନଚାଲୁ । ବଡ଼ ବଡ଼ କାରଖାନା କେତେଟାକୁ କେତେଟା ସହରରେ ବସାଇ ଦିଆନଯାଇ ଗାଆଁ ଗଣ୍ଡାରେ ସାନସାନ ଉଦ୍ୟୋଗ ଖୋଲାଯାଉ, ଆର୍ଥିକ ଜୀବନର ସବୁକ୍ଷେତ୍ରରେ ମଧ୍ୟବର୍ତ୍ତୀ ମହାପାତ୍ରମାନେ ଯେପରି ଅନ୍ୟର ଶ୍ରମୋପାର୍ଜିତ ଧନକୁ ମାରିନେଉଚନ୍ତି, ତାହାକୁ ବନ୍ଦ କରାଯାଉ, ଇତ୍ୟାଦି ଇତ୍ୟାଦି । ପରିବର୍ତ୍ତନ ସମ୍ବନ୍ଧରେ ଦୁଇପକ୍ଷର କଳ୍ପନାରେ ଭେଟ କେଉଁଠି ବା କାହିଁକି ହେବ, ସେକଥା ପାଠକମାନେ ବିଚାର କରିବେ ।

 

ଏପରି ଏକ ଦେଶରେ ଗଣତନ୍ତ୍ର ଓ ସାମାଜିକ ନ୍ୟାୟ ପ୍ରତିଷ୍ଠିତ ହେଲେ ଆଉ ଯାହା ହେଉ ବା ନହେଉ ପଛକେ, ନ୍ୟସ୍ତସ୍ୱାର୍ଥୀ ଉଚ୍ଚବର୍ଗଙ୍କ ହାତରେ ଅଢ଼ା ରହିବା ଆଉ ସମ୍ଭବ ହେବନାହିଁ । ସେମାନେ ଏକଥା ଜାଣୁଜାଣୁ ଆପଣା ହାତରୁ ଏହି ଅଢ଼ା ଯେ ଛାଡ଼ିଦେବେ, ଆଧୁନିକ କଳିଯୁଗରେ ସେକଥା ବି କେତେଦୂର କଳ୍ପନା କରାଯାଇ ପାରିବ ? ସାମନ୍ତତନ୍ତ୍ର ଭାଙ୍ଗି ପ୍ରଜାତନ୍ତ୍ର ବସାଇବାରେ ଖୋଦ୍ ସାମନ୍ତମାନେ କେଉଁଠି ନେତୃତ୍ୱ ଦେଇଥିବାର ଦୃଷ୍ଟାନ୍ତ ଇତିହାସରେ ନାହିଁ । ନ୍ୟସ୍ତସ୍ୱାର୍ଥର ବିଲୋପ କରି ସାମାଜିକ ନ୍ୟାୟ ବା ସମାଜବାଦୀ ବ୍ୟବସ୍ଥାର ସ୍ଥାପନ କରିବାରେ ନ୍ୟସ୍ତସ୍ୱାର୍ଥୀମାନେ କେଉଁଠିହେଲେ ପ୍ରବର୍ତ୍ତକ ହୋଇପାରିନାହାନ୍ତି । ସେମାନଙ୍କଠାରୁ ଏତେଗୁଡ଼ାଏ ଆଶାକରି ବସିଲେ ଆମେ ସେମାନଙ୍କର ସ୍ୱଧର୍ମ ନଷ୍ଟ କରିବାଲାଗି ପ୍ରରୋଚନା ଦେଉଥିବାପରି ହିଁ ହେବ । ରୁଷିଆରେ ଯେତେବେଳେ ୧୯୧୭ ମସିହାରେ ସାମ୍ୟବାଦୀ ସରକାର କ୍ଷମତାକୁ ଆସିଲା, ମାର୍କ୍‌ସ୍‌ବାଦୀ ଭକ୍ତମାନେ ପଣ୍ଡିତ ମାର୍କ୍‌ସ୍‌ଙ୍କର ସିଦ୍ଧାନ୍ତ ଅନୁସାରେ ବିଶ୍ୱାସ କରୁଥିଲେ ଯେ ଏହି ସାମ୍ୟବାଦୀ ରାଷ୍ଟ୍ର କାଳକ୍ରମେ ରାଷ୍ଟ୍ରଶକ୍ତିର ଉନ୍ମୂଳନ କରିବାରେ ବ୍ରତୀ ହେବ ଏବଂ ତାହାରିଫଳରେ ରୁଷିଆରେ ଦିନେ ଶାସନମୁକ୍ତ ଆଦର୍ଶ କମ୍ୟୁନିଷ୍ଟ ସମାଜର ପ୍ରତିଷ୍ଠା ହୋଇଯିବ । କିନ୍ତୁ ସେହି ବିଶ୍ୱାସ ନିଷ୍ପଳ ରହିଗଲା । ରାଷ୍ଟ୍ର ଯେ କେତେଦୂର ଶକ୍ତିଶାଳୀ ଓ ସର୍ବବ୍ୟାପୀ ହୋଇପାରେ, ଆଧୁନିକ ଇତିହାସରେ ହୁଏତ ରୁଷିଆ ହିଁ ତାହାର ପୁରୋଗାମୀ ଦୃଷ୍ଟାନ୍ତ ହୋଇ ବାହାରିଲା । ରାଷ୍ଟ୍ରହାତରେ ରୁଷିଆରେ ରାଷ୍ଟ୍ରର ଉନ୍ମୂଳନ ଯେପରି ସମ୍ଭବ ହୋଇ ପାରିଲାନାହିଁ, ଆମଦେଶରେ ମଧ୍ୟ ସେହିପରି ବର୍ଗତନ୍ତ୍ର, ସାମନ୍ତତନ୍ତ୍ର ଓ ନ୍ୟସ୍ତସ୍ୱାର୍ଥତନ୍ତ୍ର ଦ୍ୱାରା ଗଣତନ୍ତ୍ର ଏବଂ ସାମାଜିକ ନ୍ୟାୟର ପ୍ରତିଷ୍ଠା ହୋଇ ପାରିବନାହିଁ, ଗତ ଅଠର ବର୍ଷରେ ଆମକୁ ଅନ୍ତତଃ ଏତିକି ବୁଝିବାର ଅବସର ମିଳିଚି । ବ୍ରାହ୍ମଣକୁ ପଇତା କାଢ଼ି ଅବ୍ରାହ୍ମଣ ହେବାର ଅନୁରୋଧ କରିବା ଯାହା, ଏହା ସେଇଆ ।

 

ଶିକ୍ଷାକ୍ଷେତ୍ରରୁ ଗୋଟିଏ ସୁବିଦିତ ଉଦାହରଣ ନେଇ ଆମେ କଥାଟିକୁ ସ୍ପଷ୍ଟକରି ବୁଝିବାକୁ ଚେଷ୍ଟା କରିବା । ଆମଦେଶରେ ସ୍କୁଲ କଲେଜମାନଙ୍କରେ ଯେଉଁ ପରୀକ୍ଷାପ୍ରଥା ରହିଚି, ତାହାର ପରିବର୍ତ୍ତନ ହେବା ଦରକାର ବୋଲି ଆମର ଏଠି କେତେଦିନରୁ ପାଟିତୁଣ୍ଡ ଆରମ୍ଭ ହେଲାଣି । ପାଟିତୁଣ୍ଡ ହେଲେ ମଧ୍ୟ ଏହି ପରୀକ୍ଷା ତିରିଶବର୍ଷ ତଳେ ଯେପରି ଚାଲୁଥିଲା, ଏବେ ମଧ୍ୟ ଠିକ୍ ସେହିପରି ଚାଲିଚି । ଏହାଦ୍ୱାରା ପରୀକ୍ଷାସଂସ୍ଥାମାନ ଲାଭବାନ୍ ହେଉଚି, ନ୍ୟସ୍ତସ୍ୱାର୍ଥର ପ୍ରତିନିଧିତ୍ୱ କରିଥିବା ଶିକ୍ଷକମାନେ ମଧ୍ୟ ଲାଭବାନ୍ ହେଉଚନ୍ତି । ପରୀକ୍ଷାପ୍ରଥାରେ ପରିବର୍ତ୍ତନ ହେଲେ ଶିକ୍ଷକମାନଙ୍କର ଏଡ଼େବଡ଼ ଏକ ବ୍ୟବସାୟ ବନ୍ଦ ହୋଇଯିବ, ସହଜ ପ୍ରଶ୍ନୋତ୍ତର ବହିମାନ ଲେଖି ସତ୍ୱର ଧନବାନ୍ ହେବାର ପ୍ରଚଳିତ କାଇଦା ବନ୍ଦ ହୋଇଯିବ । ପୁଣି ଉପରସ୍ତରରେ ଏହି ପରୀକ୍ଷାପ୍ରଥାରେ ପରିବର୍ତ୍ତନ ହୋଇଗଲେ ବିଶ୍ୱବିଦ୍ୟାଳୟମାନେ ପ୍ରାୟ ବେକାର ଓ କର୍ମହୀନ ହୋଇପଡ଼ିବେ । କାରଣ ଭାରତର ଅଧିକାଂଶ ବିଶ୍ୱବିଦ୍ୟାଳୟଙ୍କ ପାଖରେ ପରୀକ୍ଷା ଦେଇ ପାସ୍‌ଫେଲ୍‌ କରାଇବା ବ୍ୟତୀତ ଆଉ ଉଲ୍ଲେଖଯୋଗ୍ୟ ସନ୍ତକ ବା କଣ ରହିଚି ? ଏହିସବୁ ଚଳଣିରେ ବ୍ୟାଘାତ ନପହୁଞ୍ଚାଇବାକୁ ହିଁ ପରୀକ୍ଷା ବିଷୟରେ ସ୍ଥିତି ଯଥାପୂର୍ବଂ ତଥା ପରଂ ରହିଚି । ଭାଷଣ ବେଳେ ଉତ୍ସାହ–କଥା ଦୁଇପଦ ଶୁଣାଇଦେଲେ କ୍ଷତି ବା କଣ ହେଉଚି ? ଯେଉଁଠି ପରିବର୍ତ୍ତନ ହେବାର କଥା, ସେଠି କୌଣସି ପରିବର୍ତ୍ତନ ନହେଲେ ତ କାମ ସରିଲା ! ଗତ କେତେବର୍ଷ ହେଲା ଆମଦେଶରେ ସେହିପରି ଗଣତନ୍ତ୍ର ଓ ସମାଜବାଦ ବିଷୟରେ ଉତ୍ସାହକଥା ଶୁଣାଯାଉଚି, କିନ୍ତୁ ବିପଣି ଯେଉଁପରି ଚାଲିଥିଲା ଠିକ୍ ସେହିପରି ଚାଲିଚି ।

 

ଆମର ସମାଜ ପାହାଚ ପାହାଚରେ ବିଭକ୍ତ ହୋଇ ରହିଥିବା ସମାଜ । ଭଗବାନଙ୍କର ଦ୍ୱାହି ଦେଇ ଏଠି ଅନେକ ଶତାବ୍ଦୀ ଧରି ପାହାଚଭେଦର ବ୍ୟବସ୍ଥା ଚଳିଆସିଚି । ଆମର ଧର୍ମକଳ୍ପନାକୁ ମଧ୍ୟ ବଡ଼ ଚମତ୍କାର ଭାବରେ ଏହି ପାହାଚବ୍ୟବସ୍ଥା ଗ୍ରାସ କରି ରହିଚି । ମର୍ତ୍ତ୍ୟଧାମରେ ଆମର ଆଚରିତ ସମାଜବ୍ୟବସ୍ଥା ଓ ତାହାର ପ୍ରାଣସ୍ୱରୂପ ହୋଇ ରହିଥିବା ସାମାଜିକ ଦୃଷ୍ଟି ସ୍ୱର୍ଗରାଜ୍ୟରେ ମଧ୍ୟ ଦେବତାମାନଙ୍କୁ ସୋପାନନ୍ୟାୟରେ ସଜାଇ ଦେଇଚି । ଆଧୁନିକ ଯୁଗର ପାଠ ଓ ଅନ୍ୟାୟ ଉଭୟ ମିଶି ଅଧିକ ଚତୁର ଭାବରେ ପରମ୍ପରାଗତ ଏହି ପାହାଚ-ବିଚାରକୁ ଅଧିକ ବ୍ୟାପ୍ତ କରିଦେଇଚି । ପାହାଚର ନ୍ୟାୟ ଅନୁସାରେ ଯେଉଁମାନେ ଉପର ସ୍ତରରେ ଅଛନ୍ତି, ଶାସନ, ଶିକ୍ଷା, ଅର୍ଥନୀତି, ରାଜନୀତି ବା ଆଉ ଯେଉଁସବୁ ଔପଚାରିକ ବା ଅନୌପଚାରିକ ନେତୃତ୍ୱର କ୍ଷେତ୍ରରେ ରହିଥାଆନ୍ତୁ ପଛକେ, ଆପଣା ହାତରୁ ରଜ୍ଜୁ ଛାଡ଼ିବାଲାଗି କୌଣସି ଆଗ୍ରହ ନଦେଖାଇବା ସେମାନଙ୍କ ପକ୍ଷରେ ଅତ୍ୟନ୍ତ ସ୍ୱାଭାବିକ ଏବଂ ଅଲୌକିକ ଘଟଣାମାନ ଘଟିଆସିଥିବା ଏହି ଭାରତବର୍ଷରେ ଆମେ ଏହିମାନଙ୍କୁ ହିଁ ଆମ ସମାଜ-ପରିବର୍ତ୍ତନର କାର୍ଯ୍ୟରେ ପ୍ରବର୍ତ୍ତକର ଦାୟିତ୍ୱ ଅର୍ପଣ କରିଦେଇଚୁ । କାଳକ୍ରମେ ଏମାନଙ୍କର ଉଚ୍ଚ ପାହାଚ ପରି ଏମାନଙ୍କର ଭାଷା ମଧ୍ୟ ଜନସାଧାରଣଙ୍କର ଭାଷାଠାରୁ ଅଲଗା ହୋଇଗଲାଣି । ଦେଶର ପଚାଶଭାଗରୁ କେବଳ ଏକଭାଗ ଲୋକେ ଇଂରାଜୀଭାଷା ବୁଝିପାରୁଥିବା ବେଳେ ତଥାପି ଆଜିପର୍ଯ୍ୟନ୍ତ ନାନାପ୍ରକାର ଅସୁବିଧା ଦର୍ଶାଇ ଇଂରାଜୀଭାଷା ହିଁ ସରକାରୀ ଭାଷା ହୋଇଚି ଏବଂ ନ୍ୟସ୍ତସ୍ୱାର୍ଥୀ ଉଚ୍ଚବର୍ଗମାନେ ଏହି ଭାଷାକୁ ଏଦେଶର ରାଷ୍ଟ୍ରଭାଷା କରି ରଖିବାଲାଗି ମଧ୍ୟ ପରାମର୍ଶ ଦେଇପାରୁଚନ୍ତି । ସେଥିଲାଗି ଓଡ଼ିଶାଠାରୁ ଆରମ୍ଭକରି ଆସାମ ପର୍ଯ୍ୟନ୍ତ ଶିକ୍ଷିତ ଉଚ୍ଚବର୍ଗ ଭିତରେ ଗଣାହେବାର ମହତ୍ୱାକାଙ୍‌କ୍ଷା ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଇଂରାଜୀଭାଷାର ହିଁ ସୋମ ପାନ କରିବାରେ ଲାଗିଚନ୍ତି ଓ ଏହିପରି କରି ସେମାନେ ଜନସାଧାରଣଙ୍କଠାରୁ ଆପଣାକୁ ଭିନ୍ନବୋଲି ସମଝୁଚନ୍ତି ।

 

ଆଧୁନିକ ବା ପୁରାତନ ଯେଉଁ ସମାଜରେ ସୋପାନଧର୍ମ ଚଳୁଥାଏ, ସେହି ସମାଜର ସମ୍ପନ୍ନତର ଉଚ୍ଚବର୍ଗମାନଙ୍କ ହାତକୁ ହିଁ ସାଧାରଣତଃ ରାଜନୀତିକ ଶାସନକ୍ଷମତା ଆସିଥାଏ । ସେହି କ୍ଷମତାର ଯଥାସମ୍ଭବ ପ୍ରୟୋଗ କରି ସେମାନେ ଆପଣାର ସ୍ୱାର୍ଥସାପେକ୍ଷ ମତବାଦ ଓ ଦୃଷ୍ଟିଭଙ୍ଗୀଗୁଡ଼ିକୁ ଦେଶ ବା ସମାଜଦ୍ୱାରା ଗୃହୀତ କରାଇ ନିଅନ୍ତି । ସମାଜର ଯାବତୀୟ କ୍ଷେତ୍ରରେ ଏହି ମତବାଦ ଓ ଦୃଷ୍ଟିଭଙ୍ଗୀମାନ ରାଜତ୍ୱ କରିବାରେ ଲାଗେ । ଏହିପରି ଅଫିମ ଖାଇ ଜନସାଧାରଣ ମଧ୍ୟ ଉପସ୍ଥିତି ପରିସ୍ଥିତିକୁ କ୍ରମେ ‘ନ୍ୟାୟସଙ୍ଗତ’, ‘ସ୍ୱାଭାବିକ’ ବା ‘ନୀତିସମର୍ଥିତ’ ବୋଲି ବିଚାର କରିବାକୁ ଆରମ୍ଭ କରନ୍ତି । ଫଳରେ ସମାଜର ରକ୍ଷଣଶୀଳ ପ୍ରଭାବଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାରେ ଲାଗିଥାନ୍ତି । (୧୧) ଏପରି ଅବସ୍ଥାରେ ଏମାନଙ୍କଦେଇ ପରିବର୍ତ୍ତନ ଆସିବା କିପରି ସମ୍ଭବ ହେବ ? ସୋପନଧର୍ମୀ ଯେକୌଣସି ସମାଜରେ ସମ୍ପନ୍ନତର ଓ କ୍ଷମତାସୀନ ଉଚ୍ଚବର୍ଗମାନେ ସାଧାରଣତଃ କିପରି ଭୂମିକାର ଅଭିନୟ କରିଥାନ୍ତି, ତାହାର ବିଶ୍ଳେଷଣ ଓ ଅଧ୍ୟୟନ କରି ସମାଜଶାସ୍ତ୍ରୀମାନେ ମତ ଦେଇଚନ୍ତି ଯେ, ଯେଉଁସବୁ ପରିବର୍ତ୍ତନ ଘଟିଲେ ସେମାନେ ସ୍ୱୟଂ ଆସନଚ୍ୟୁତ ହୋଇଯିବାର ଭୟ ରହିଥାଏ, ସମ୍ପନ୍ନତର ବର୍ଗମାନେ ଶାସନରଜ୍ଜୁର ସକଳ ସୁବିଧାକୁ କାର୍ଯ୍ୟରେ ଲଗାଇ ସେହିସବୁ ପରିବର୍ତ୍ତନର ପ୍ରତିରୋଧ କରୁଥାନ୍ତି । ସମାଜର ଯେଉଁ ପରିସ୍ଥିତିରେ ସେମାନେ ଶାସନର ଗାଦୀରେ ବସିବାର ସୌଭାଗ୍ୟ ଲାଭ କରିଥାନ୍ତି, ସେହି ପରିସ୍ଥିତିକୁ ଅପରିବର୍ତ୍ତନୀୟ ରଖିବାକୁ ହିଁ ସେମାନେ ଆପଣାର ସ୍ୱାର୍ଥ ବୋଲି ଭାବୁଥାନ୍ତି । ଏହି ଦୃଷ୍ଟିରୁ ବିଚାର କରି ସମାଜର ବା ଦେଶର ଆର୍ଥିକ ବିକାଶକୁ ମଧ୍ୟ ସେମାନେ ଅନେକସମୟରେ ତ୍ରାସଚକ୍ଷୁରେ ଦେଖୁଥାନ୍ତି । ସମାଜର ଆର୍ଥିକ ବିକାଶ ଘଟିଲେ ସମାଜରେ ପ୍ରତିଷ୍ଠିତ ରହିଥିବା ବ୍ୟବସ୍ଥା ଏବଂ ସମଗ୍ରତଃ ଶାସନସୀନ ଉଚ୍ଚବର୍ଗମାନଙ୍କର ନିରାପତ୍ତା ଓ କ୍ଷମତାପ୍ରତି ଯେ ଅବଶ୍ୟ ଆଞ୍ଚ ଆସିବ, ସେମାନେ ଏହିପରି ଏକ ଭୟଭାବ ପୋଷଣ କରୁଥାନ୍ତି । (୧୨)

 

ସୋପାନର ନ୍ୟାୟକୁ ଅବଲମ୍ବନ କରି ରହିଥିବା କୌଣସି ସମାଜରେ ସମ୍ପନ୍ନତର କ୍ଷମତାରୂଢ଼ ଶ୍ରେଣୀ କେବଳ ସାମୁଦାୟିକ ଆର୍ଥିକ ବିକାଶପଥରେ ପ୍ରତିବନ୍ଧକ ହୋଇ ଠିଆହୁଏନାହିଁ, ଦେଶରେ ସାର୍ବଜନୀନ ଶିକ୍ଷାବିକାଶକୁ ମଧ୍ୟ ତାହା ନାନା କୌଶଳରେ ହାତଗୋଡ଼ ବାନ୍ଧି ରଖିଥାଏ । ଅବିକଶିତ ଦେଶମାନଙ୍କରେ ଯେ ନିରକ୍ଷରତା ଓ ଅଶିକ୍ଷାର ମୂଳୋତ୍ପାଟନ କରିବାଲାଗି ସବୁପ୍ରକାର ଚେଷ୍ଟା କରାଯିବା ଉଚିତ, ଏ କଥାକୁ ସମସ୍ତେ ନିୟମତଃ ବଡ଼ ସ୍ୱାଭାବିକ ବୋଲି ମନେକରିବେ । ତଥାପି କାର୍ଯ୍ୟକ୍ଷେତ୍ରରେ ସବୁ ଦେଶରେ ଅତ୍ୟାବଶ୍ୟକତା ଥାଇ ମଧ୍ୟ ସ୍ୱଭାବତଃ ଏପରି ଘଟଣା ଦେଖିବାକୁ ମିଳେନାହିଁ । ସଂସାରରେ ଏପରି ଅନେକ ଦେଶ ରହିଚି, ଯେଉଁଠାରେ କି ନିରକ୍ଷରତାକୁ ଚିରସ୍ଥାୟୀ ରଖିବା ନୀତିକୁ ହିଁ ପ୍ରଚଳିତ ସମାଜବ୍ୟବସ୍ଥା ଓ ପରିସ୍ଥିତିକୁ ସ୍ଥାୟୀକରି ରଖିବାର ଅନ୍ୟତମ ପ୍ରଧାନ ରାଜନୀତିକ ଅସ୍ତ୍ରରୂପେ ବ୍ୟବହାର କରାଯାଉଚି-। ଆମେ ଅନେକସମୟରେ ଏହିକଥା ଭୁଲି ଯାଉଥିଲାପରି ମନେହୁଏ । କାରଣ, ଆମେ ନଜାଣିଥିଲେ ମଧ୍ୟ ଏହିସବୁ ଦେଶର ଶାସନାସନରେ ବସିଥିବା ସମ୍ଭ୍ରାନ୍ତ ବର୍ଗମାନେ ଏକଥା ଅବଶ୍ୟ ଜାଣନ୍ତି ଯେ ଶିକ୍ଷା ପ୍ରପୀଡ଼ିତ ଜନତାର ଆଖି ଫିଟାଇଦିଏ ଏବଂ ଏହିପରି ଭାବରେ ପ୍ରଚଳିତ ବ୍ୟବସ୍ଥା ବିରୁଦ୍ଧରେ ଏକ ପରୋକ୍ଷ ଆହ୍ୱାନରୂପେ ଆସି ଦଣ୍ଡାୟମାନ ହୋଇଥାଏ । ତେଣୁ ସମ୍ଭ୍ରାନ୍ତବର୍ଗ ଆଜି ସେମାନଙ୍କର ସମାଜ ଉପରେ ଯେପରି ଦଖଲ ବିସ୍ତାରକରି ରହିଚନ୍ତି, ଯେକୌଣସି ଉପାୟରେ ଆମକୁ ସେହି ଦଖଲକୁ ହୁଗୁଳା କରିଦେବାକୁ ପଡ଼ିବ । (୧୩)

 

ତେଣୁ ଭାରତବର୍ଷର ପରମ୍ପରାରେ ରକ୍ଷଣଶୀଳତା ଭରିରହିଚି ବୋଲି ଯେ ଏଠି ପରିବର୍ତ୍ତନ ଓ ପୁନର୍ନିର୍ମାଣ ଧିମେଇ ଯାଉଚି ତାହା ନୁହେଁ, ଏହି ଦେଶର ନେତୃତ୍ୱ ସ୍ୱଭାବତଃ ଏକ ରକ୍ଷଣଶୀଳ ଦୃଷ୍ଟିକୋଣ ରଖି ଚାଲୁଚି ବୋଲି ଏହା ହେଉଚି । ଏଠାରେ ପାଠୁଆ ଅପାଠୁଆ ବା ଆଧୁନିକ ବା ମରହଟ୍ଟୀ ଯୁଗର ପ୍ରଶ୍ନ ଉଠୁନାହିଁ । ଭାରତବର୍ଷରେ ଯେଉଁମାନେ ବର୍ତ୍ତମାନ ପ୍ରବର୍ତ୍ତକର ଆସନରେ ବସିଚନ୍ତି, ସେମାନେ ସମସ୍ତେ ପାଠ ପଢ଼ିଚନ୍ତି, ସେମାନଙ୍କମଧ୍ୟରୁ ଅନେକେ ବିଦେଶ ଯାଇଚନ୍ତି । ଗଣତନ୍ତ୍ର ଶାସନ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା କହିଲେ କାର୍ଯ୍ୟତଃ କଣ ବୁଝାଏ, ସେକଥା ଏମାନେ ଭଲକରି ଜାଣିଚନ୍ତି । କିନ୍ତୁ ତଥାପି ଏହିମାନେହିଁ ପରିବର୍ତ୍ତନର ଗାଡ଼ିକୁ ଅଟକାଇ ରଖିଚନ୍ତି । କୌଣସି ଆକସ୍ମିକ ଭୁଲ କରିପକାଇ ନୁହେଁ, ଆପଣାର ହିତ ଓ ନିରାପତ୍ତା ଦୃଷ୍ଟିରୁ ବିଚାର କରି ଏମାନେ ଭାବିଚନ୍ତି ନିର୍ମଳ ଅନ୍ତଃକରଣରେ ଏହିପରି ଏକ ରକ୍ଷଣଶୀଳ ବାଟ ଧରିଚନ୍ତି-। ଭାରତବର୍ଷର ଜନତା କଦାପି ତାର ନେତାମାନଙ୍କୁ ପ୍ରବଞ୍ଚିତ କରିନାହିଁ; ପୃଥିବୀରେ ହୁଏତ କୌଣସି ଦେଶର ଜନତା ନେତାମାନଙ୍କୁ ପ୍ରବଞ୍ଚିତ କରିନାହାନ୍ତି । କିନ୍ତୁ ନେତାମାନେ ଯେ ଜନତାକୁ ବାରଂବାର ପ୍ରବଞ୍ଚିତ କରି ଆପଣା ନ୍ୟସ୍ତସ୍ୱାର୍ଥର ବଜାରରେ ଜନଶକ୍ତିକୁ ବିକିଭାଙ୍ଗି ଖାଇବାକୁ ବାହାରିଚନ୍ତି ଓ ବିପ୍ଳବର ତଣ୍ଟି ଚିପି ଦେଇଚନ୍ତି, ଇତିହାସରେ ତାହାର ବହୁ ପ୍ରମାଣ ମିଳିବ । ଭାରତରେ ଆଜି ଯାହାସବୁ ହୋଇପାରୁନାହିଁ, ପ୍ରଧାନତଃ ଉପଯୁକ୍ତ ନେତୃତ୍ୱର ଅଭାବରୁ ହିଁ ହୋଇପାରୁନାହିଁ । ଲୋକମାନେ ପରିବର୍ତ୍ତନ ଚାହୁନାହାନ୍ତି କହି ଯେଉଁମାନେ ଅପବାଦ ଦେଉଚନ୍ତି, ସେହିମାନେ ହିଁ ପ୍ରକୃତରେ ପରିବର୍ତ୍ତନ ଚାହୁନାହାନ୍ତି । ଦେଶରେ କେତେକେତେ ଆଇନ୍ ପାସ୍ ହେଉଚି, ମାତ୍ର ଜନସାଧାରଣ ତଥାପି ନ୍ୟାୟଉପରେ ଆସ୍ଥା ରଖିପାରୁନାହାନ୍ତି, କାରଣ ଆଇନ୍‌କୁ କାର୍ଯ୍ୟକାରୀ କଲାବେଳକୁ ସରକାର ନାନାଭାବେ ଲୋସଡ଼ି ପଡ଼ୁଚନ୍ତି । ବରଷକୁ ହୁଏତ ଛଅପୁଞ୍ଜା କମିଟି ବା କମିଶନ ବସୁଚି । ମାତ୍ର ସେମାନଙ୍କର ରିପୋର୍ଟକୁ କାର୍ଯ୍ୟକାରୀ କରିବାରେ କୌଣସି ଆଗ୍ରହ ଦେଖାଯାଉନାହିଁ । କେବଳ ଗବେଷକମାନେ ଅଧିକ ଗବେଷଣା କରିବାଲାଗି ସେଥିରୁ ମସଲା ସଂଗ୍ରହ କରିବାକୁ ଯାଉଚନ୍ତି । ଏ ଦେଶରେ ଲୋକକଲ୍ୟାଣ ଓ ସାମୁଦାୟିକ ଉନ୍ନୟନଲାଗି କୋଟିସଂଖ୍ୟାରେ ଟଙ୍କା ସରୁଚି, ମାତ୍ର ଜନସାଧାରଣଙ୍କ ଜୀବନସ୍ତରକୁ ଆସିବାପୂର୍ବରୁ ତାହା ମଧ୍ୟବର୍ତ୍ତୀ ବର୍ଗମାନଙ୍କର କେତେ ଖୋଲରେ ବନ୍ଦ ହୋଇ ରହୁଚି । ଦେଶରେ ଜାତୀୟ ଆୟ ବଢ଼ୁଚି, ତଥାପି ଦରିଦ୍ରମାନେ ଅଧିକ ଦରିଦ୍ର ହେବାରେ ଲାଗିଚନ୍ତି ଓ ଆମଦେଶର ନେତୃତ୍ୱ ଏକଥା ଭଲକରି ଜାଣିଚି ଯେ ଆମଦେଶ କହିଲେ ପ୍ରଧାନତଃ ଏହି ଦରିଦ୍ର ଓ ଅସମର୍ଥମାନଙ୍କୁ ହିଁ ବୁଝାଉଚି-। ଏସବୁ ଦେଖି, ସରକାରୀ ଓ ବେସରକାରୀ ରିପୋର୍ଟରୁ ଏସବୁ ଜାଣି ତଥାପି ଆମେ କିପରି କହିପାରିବା ଯେ ଏ ଦେଶର ଜନସାଧାରଣ ଚାହୁନାହାନ୍ତି ବୋଲି ଏଦେଶରେ କିଛି ହେଉନାହିଁ ।

 

ଜନସାଧାରଣ ପ୍ରକୃତରେ ପରିବର୍ତ୍ତନର ପ୍ରତିରୋଧ କରନ୍ତି କି ନାହି; ସେହି ବିଷୟରେ ଟୀକା କରି ଜଣେ ଅଭିଜ୍ଞ ସମାଜଶାସ୍ତ୍ରୀ କହିଚନ୍ତି, (୧୪) ‘‘ଆଜିକାଲି ଏପରି କହିବା ପ୍ରାୟ ଅତି ସାଧାରଣ ହୋଇଗଲାଣି ଯେ ଲୋକମାନେ ପରିବର୍ତ୍ତନର ପ୍ରତିରୋଧ କରନ୍ତି । ମାତ୍ର ପ୍ରକୃତ ଘଟଣାକ୍ଷେତ୍ରରୁ ପ୍ରମାଣ ନେଇ ଆମେ ଅଧିକ ଯୁକ୍ତିର ସହିତ ଠିକ୍ ଏହାର ବିପରୀତ ଦାବୀ କରିପାରିବା ଯେ ଲୋକମାନେ ପରିବର୍ତ୍ତନର ପ୍ରତିରୋଧ କରନ୍ତିନାହିଁ, ସେମାନେ ପରିବର୍ତ୍ତନକୁ ସାଧାରଣତଃ ଗ୍ରହଣ ହିଁ କରିଥାନ୍ତି । ପୃଥିବୀର ସବୁଠାରେ ଲୋକମାନେ ଅବିରାମ ଭାବରେ ଆପଣା ଜୀବନମାର୍ଗରେ ପରିବର୍ତ୍ତନମାନ ଘଟାଇବାରେ ଲାଗିଚନ୍ତି । ଯେତେବେଳେ କୌଣସି ପରିବର୍ତ୍ତନ ଦ୍ୱାରା ସମାଜର ମୂଳସ୍ତମ୍ଭମାନ ଦୋହଲିଯିବାର ବା ଦୁର୍ବଳ ହୋଇଯିବାର ଭୟ ଥାଏ, ହୁଏତ ସେତିକିବେଳେ ଲୋକମାନେ ପରିବର୍ତ୍ତନର ବିରୋଧ କରିଥାନ୍ତି । ଯେଉଁସବୁ ପରିବର୍ତ୍ତନ ବିଷୟରେ ସେମାନଙ୍କର ହୃଦ୍‌ବୋଧ ହୋଇନଥାଏ, ସେମାନେ ସେହିଗୁଡ଼ିକର ବିରୋଧ କରନ୍ତି । ଯେତେବେଳେ ସେମାନଙ୍କ ଉପରେ ଜବରଦସ୍ତି କୌଣସି ପରିବର୍ତ୍ତନକୁ ଆଣି ଲଦି ଦିଆଯାଏ, ସେତେବେଳେ ଲୋକମାନେ ସେହିଗୁଡ଼ିକର ବିରୋଧ କରନ୍ତି ।’’ ଏହିପରି ଗୋଟିଏ ବିରୋଧର ଦୃଷ୍ଟାନ୍ତ ଆମେ ପଶ୍ଚିମ ପାକିସ୍ତାନରୁ ପାଇଥାଉ । କୌଣସି ଏକ ଯୋଜନାକୁ କାର୍ଯ୍ୟକାରୀ କରିବାର ନିଶାରେ ସେଠି ରାଜ୍ୟର ଜଣେ ମନ୍ତ୍ରୀ ଆପଣାର ହାକିମୀ ଦେଖାଇବାକୁ ବସିଲେ ଏବଂ ଇଉନିଅନ୍ ସମିତିଗୁଡ଼ିକରେ କେଉଁମାନେ ସଦସ୍ୟ ହୋଇ ରହିବେ, ସେ ବିଷୟରେ ଲୋକମାନଙ୍କ ଉପରେ ଆପଣାର ଇଚ୍ଛାକୁ ଲଦିବାକୁ ବାହାରିଲେ । ବେଶ୍ କେତୋଟି ଗ୍ରାମସମିତିର ସଭ୍ୟମାନେ ଏହି ବଳାତ୍କାରର ବିରୋଧ କରିଥିଲେ । ମନ୍ତ୍ରୀଙ୍କର ହୁକୁମ ମାନିନେବା ଅପେକ୍ଷା ସେମାନେ ସମିତିଗୁଡ଼ିକୁ ଭାଙ୍ଗିଦେବାର ନିଷ୍ପତ୍ତି ହିଁ କରିଥିଲେ । ମନେରଖିବାକୁ ହେବ ଯେ ସମ୍ପୃକ୍ତ ମନ୍ତ୍ରୀ ସେହି ଅଞ୍ଚଳରେ ସବୁଠାରୁ ବଡ଼ ଜମିଦାର ଥିଲେ । ଯେଉଁ ସଦସ୍ୟମାନେ ତାଙ୍କର ବିରୋଧାଚରଣ କଲେ ସେମାନଙ୍କର ପ୍ରତିଶୋଧ ନେବାଲାଗି ମନ୍ତ୍ରୀଙ୍କ ପାଖରେ ଯଥେଷ୍ଟ ରାଜନୀତିକ ତଥା ଆର୍ଥିକ କ୍ଷମତା ମଧ୍ୟ ରହିଥିଲା । ତଥାପି ସଦସ୍ୟମାନେ ଯାହା ଉଚିତ ମନେ କରିଥିଲେ, ତାହାହିଁ କଲେ । ଏବଂ ଆକସ୍ମିକ ଭାବରେ ହେଉ ପଛକେ, ୧୯୫୮ ମସିହାରେ ପାକିସ୍ତାନରେ ସାମରିକ ଶାସନ ଜାରି ହେଲା ଓ ତାହା ଫଳରେ ମନ୍ତ୍ରୀମହୋଦୟଙ୍କୁ ମଧ୍ୟ ପଦଚ୍ୟୁତ ହେବାକୁ ପଡ଼ିଥିଲା । ତା’ପରେ ଯାଇ ଲୋକମାନେ ଇଉନିଅନ୍ ସମିତିମାନ ଗଢ଼ିବାରେ ସମ୍ମତ ହୋଇଥିଲେ । (୧୫)

 

ଲୋକମାନେ ସେମାନଙ୍କର ମନକଥା କହିବା ଆଗରୁ ଆମେ ସେମାନଙ୍କ ତରଫରୁ ସେମାନଙ୍କର କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ ନିଜେ କିପରି କଣସବୁ ଭାବୁଚନ୍ତି, ତାହା ଜାଣିବାର କୌଣସି ଶାଳୀନତା ନଦେଖାଇ ଆମେ ନେତାହୋଇ ସେମାନଙ୍କର ସମସ୍ୟା ବିଷୟରେ ସେହିମାନଙ୍କୁ ଲେକ୍‌ଚର୍ ଦେବାରେ ଲାଗୁ । ଲୋକମାନଙ୍କ ମନଭିତରେ ଉଠୁଥିବା ଅସଲ ପ୍ରଶ୍ନଗୁଡ଼ିକ ଜାଣିବାରେ ଆମେ ଆଗ୍ରହ ରଖୁନାହିଁ ବା ସାହସ କରୁନାହିଁ । ତେଣୁ ଆମର ଗବେଷକମାନେ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିବାର ଅନୁରୂପ ପ୍ରଶ୍ନମାନ ନେଇ ଲୋକମାନଙ୍କ ପାଖକୁ ଯାଆନ୍ତି ଓ ଗୁମାସ୍ତା ଖାତାପୂରଣ କଲାପରି ଉତ୍ତରଗୁଡ଼ିକ ପୂରଣ କରିଆଣନ୍ତି । ଲୋକମାନେ ତଥାପି ଯେ ଭଦ୍ରତା ରକ୍ଷାକରି ଆମ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତି, ସେଥିଲାଗି ସେମାନଙ୍କର ବଦାନ୍ୟତାକୁ ଧନ୍ୟବାଦ ଦେବା ଉଚିତ । ଲୋକମାନଙ୍କ ସହିତ ଆମଦେଶରେ ନେତାମାନଙ୍କର କଦାପି ଏକ ସହୃଦୟ ବିଚାର ବିନିମୟ ହୋଇପାରେ ନାହିଁ । ଆମେ ସେମାନଙ୍କୁ ଅନୁନ୍ନତ ବୋଲି ମାନିନେଇ ହୁଏତ ସେମାନଙ୍କୁ ଅନୁଗ୍ରହ ଦେଖାଇବାକୁ ଯାଉ, ଆମର ଯେତିକି ଦରକାର ସେତିକି ପଚାରୁ, ଅସଲ ପ୍ରଶ୍ନଗୁଡ଼ିକୁ ଉଖାରିବାକୁ ଭୟକରୁ, କାରଣ ଆମେ ଅସଲ ପରିବର୍ତ୍ତନଗୁଡ଼ିକରେ ପ୍ରବର୍ତ୍ତକ ରୂପେ କାର୍ଯ୍ୟ କରିବାରେ ମଧ୍ୟ ପଶ୍ଚାତ୍‌ପଦ ହୋଇ ରହିଥାଉ । ଆମେରିକାର ଜଣେ ସମାଜଶାସ୍ତ୍ରୀ ମଧ୍ୟ ପ୍ରାଚ୍ୟର କେତୋଟି ଦେଶରେ ଆଧୁନିକ ପରିବର୍ତ୍ତନଜନିତ ସମସ୍ୟା ଗୁଡ଼ିକର ଅଧ୍ୟୟନ କରୁଥିଲେ । ସେଥିଲାଗି ତାଙ୍କୁ ଜନସାଧାରଣଙ୍କ ପାଖରେ କେତୋଟି ସୂତ୍ରବଦ୍ଧ ପ୍ରଶ୍ନର ଉତ୍ତର ସଂଗ୍ରହ କରିବାକୁ ପଡ଼ୁଥିଲା ଓ ସେମାନଙ୍କ ସହିତ ତଦନୁସାରେ ବାର୍ତ୍ତାଳାପ କରିବାକୁ ପଡ଼ୁଥିଲା । ଥରେ ସିରିଆଦେଶରେ ସେ ଏହିପରି ଏକ ବାର୍ତ୍ତାଳାପ କରିବାକୁ ଯାଇଥିଲେ । ‘ଏହି ବାର୍ତ୍ତାଳାପ ସମ୍ବନ୍ଧରେ ତୁମେ କଣ ଭାବୁଚ ?’ ଏହି ପ୍ରଶ୍ନଟିର ଉତ୍ତରରେ ଜଣେ ସିରିଆବାସୀ ଉତ୍ତର ଦେଇଥିଲା, ଦଶବର୍ଷ ବୟସ ନହେଉଣୁ ମୋର ପିଲାମାନେ ମୂଲଲାଗି ଯାଉଥିବାବେଳେ ତୁମେ କିପରି ବିଶ୍ୱବିଦ୍ୟାଳୟକୁ ଯାଇ ପଢ଼ିପାରୁଚ ? କେଉଁ ନ୍ୟାୟଅନୁସାରେ ଓ କାହିଁକି ଏପରି ହେଉଚି ?’’ (୧୬)

 

ଏଯୁଗର ମଣିଷସମାଜରେ ଯିଏ ପ୍ରବର୍ତ୍ତନର ଭୂମିକାରେ ଅବତୀର୍ଣ୍ଣ ହେବାକୁ ମନ କରିବ, କେବଳ ଏହି ‘କାହିଁକି’ର ଉତ୍ତର ଦେଇଦେଲେ ତାର କାମ ଚଳିବନାହିଁ । ତାକୁ ଆପଣାର ସ୍ୱାଭାବିକ ଆଗ୍ରହ ନେଇ ‘କାହିଁକି’ ଗୁଡ଼ିକର ଆବିଷ୍କାର କରିବାକୁ ପଡ଼ିବ । ଭାରତବର୍ଷରେ ଗ୍ରାମାଞ୍ଚଳରେ ବିକାଶଲାଗି ଯିଏ ଏକ ପ୍ରବର୍ତ୍ତକ ହେବାକୁ ବାହାରିବ, କେବଳ ନେତାର ଜିପ୍‌ଗାଡ଼ୀ ନେଇ ଅନୁଗ୍ରହ ଅଜାଡ଼ି ପକାଇଲେ ତାର କାମ ଚଳିବନାହିଁ, ତାକୁ ମଧ୍ୟ ‘କାହିଁକି’ ଗୁଡ଼ିକର ଆବିଷ୍କାର କରି ବାହାରିବାକୁ ପଡ଼ିବ, ତାକୁ ନାନା ଅନ୍ୟାୟର ସମର୍ଥକ ଏକ ସମାଜର ନାନା ଆଡ଼ମ୍ବର ଓ ହିତୈଷଣା ତଳେ ପୋତିହୋଇ ପଡ଼ିବାର ନ୍ୟାୟକୁ ଉଖାରି ବାହାର କରିବାକୁ ପଡ଼ିବ-। ଏହି ପ୍ରବର୍ତ୍ତକ ସରକାରୀ ଅଥବା ବେସରକାରୀ ଯାହା ହୋଇଥାଆନ୍ତୁ ପଛକେ, ଲୋକମାନଙ୍କୁ ସାଙ୍ଗରେ ଆଣିବାକୁ ହେଲେ ଏକଥା କରିବାକୁ ହିଁ ପଡ଼ିବ । ଭାରତବର୍ଷର ରାଜନୀତିକ ସ୍ୱାଧୀନତା ଆସିବା ପୂର୍ବରୁ ଆମଦେଶରେ ଅନେକ ସମୟରେ ଏହି ପ୍ରଶ୍ନ ପଚରା ଯାଉଥିଲା । ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାଲାଗି ରାଜନୀତିକ ସ୍ୱାଧୀନତାର ଆବଶ୍ୟକତା ରହିଚିବୋଲି କୁହାଯାଉଥିଲା । କିନ୍ତୁ ରାଜନୀତିକ ସ୍ୱାଧୀନତା ଆସିବା ପରେ ପ୍ରବର୍ତ୍ତନକାମୀ ବିପ୍ଳବୀ ଯେପରି ଦିନକୁଦିନ ଅଧିକରୁ ଅଧିକ ଉଦାସ ଓ ଶୀତଳ ହୋଇଯିବାକୁ ଲାଗିଚି । ଯୁଗର ପରିବର୍ତ୍ତନ ଓ ଏହିଦେଶର ପୁନର୍ନିର୍ମାଣ କରିବାକୁ ଶପଥ ନେଇଥିବା କାଲିର ଯୋଦ୍ଧା ଆଜି ଯେପରି ଆଗକୁ ପାଦ ପକାଇବାଲାଗି ଡରିବାକୁ ଆରମ୍ଭ କଲାଣି । ଡରିଲେ କୌଣସି ମାନବିକ ବିପ୍ଳବ ସମ୍ଭବ ହୁଏନାହିଁ, ଡରିଲେ କେବଳ ହିଂସାତ୍ମକ ବିପ୍ଳବଲାଗି ହିଁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳେ । ଗୋଟିଏ ଦେଶର ପୁନର୍ନିର୍ମାଣ, ଏଡ଼େବଡ଼ ଗୋଟାଏ ଜାତୀୟ ସମାଜର ଜୀବନରେ ପରିବର୍ତ୍ତନ ଏବଂ ସାମୁଦାୟିକ ବିକାଶଦ୍ୱାରା ଲୋକଜୀବନର ଉନ୍ନୟନ,–ଏସବୁକୁ ଏଯୁଗର ସର୍ବପ୍ରଧାନ ଓ ସର୍ବଥା ଆବଶ୍ୟକ ମାନବିକ ବିପ୍ଳବ କୁହାଯିବନାହିଁ ତ ଆଉ କାହାକୁ କୁହାଯିବ ? ମାତ୍ର ଶୀତଳ ହୋଇ, ବିପ୍ଳବକୁ ଡରି କେବଳ ଆପଣାର ଭୁଞ୍ଜିବାଲାଗି ପ୍ରଶସ୍ତତର ଓ ଚତୁରତର ଅବସରମାନ ସୃଷ୍ଟି କରୁଥିବା ତାମସିକ ନେତୃତ୍ୱ ଏହି ମାନବିକ ବିପ୍ଳବଲାଗି କଣ କରିପାରିବ ?

 

ଆମଦେଶରେ ଯେଉଁମାନେ ଗାଆଁକୁ ଯାଆନ୍ତି, ସେମାନେ ଗାଆଁରେ ଗୋଟାଏ ଗୋଟାଏ ନେତାବ୍ୟତୀତ ଆପଣାକୁ ଆଉ କିଛିବୋଲି ବିଚାରନ୍ତିନାହିଁ । ବାହାରୁ ନାନାପ୍ରକାର କ୍ଷମତା ଧରି ଓ ନାନା ବିଚିତ୍ର ପରିଚ୍ଛଦ ପିନ୍ଧି ଯେଉଁମାନେ ଗାଆଁକୁ ଯାଆନ୍ତି, ସେମାନେ ନେତା ହିସାବରେ ଗାଆଁବାଲାଙ୍କୁ କେବଳ ଶିଖାଇବାକୁ ଚାହାନ୍ତି, ଖାଲି ବୋଲ ବତାଇବାକୁ ଚାହାନ୍ତି । ସରକାରୀ କର୍ମଚାରୀ ତ ସେମାନଙ୍କର ପୂର୍ବ ସଂସ୍କାର ହେତୁ ଏହାବ୍ୟତୀତ ଅନ୍ୟକିଛି କରିବାକୁ ରହିଚନ୍ତି ବୋଲି କଳ୍ପନା କରି ପାରନ୍ତିନାହିଁ । ବେସରକାରୀ ନେତାମାନେ ଯେପରି ତରତରରେ ଗାଆଁବାଲାଙ୍କୁ ପଦେ ଉପଦେଶ ବା ଅନୁଗ୍ରହବଚନ ଶୁଣାଇବାକୁ ଯାଇ ପଚାଶପଦ ଖୁସାମତି ଶୁଣି ବାଟେବାଟେ ଗାଆଁରୁ ବାହାରିଆସନ୍ତି, କେବଳ ନିର୍ବୋଧ ହୋଇଥିଲେ ହିଁ ଗାଆଁ ଲୋକେ ଏମାନଙ୍କୁ ପ୍ରକୃତ ଶୁଭଚିନ୍ତକ ବୋଲି ବିଚାରନ୍ତେ । ସେହି ଗାଆଁର ପିଲା, ସେହି ଗାଆଁର ଚାଟଶାଳୀରେ ପାଠ ପଢ଼ୁଥିଲା, ପାଠ ନହେବାରୁ ଗାଆଁରେ ବସିରହିଥିଲା, ଯେତେ ଶାସିଲେ ବା ଯେତେ ଉଖାରିଲେ ମଧ୍ୟ ମୁହଁରୁ ବଚନ ବାହାରୁନଥିଲା; ମାତ୍ର କାହାରି ହାତଧରି ସେ କାଳିମାଟି ବା ରାଉରକେଲାରେ ଯଦି ଏଣୁତେଣୁ ଚାକିରିଟାଏ ପାଇଯାଉଚି, ବରଷକପରେ ଛୁଟୀରେ ଗାଆଁକୁ ଆସିଲେ ସିଏମଧ୍ୟ ଏପରି ପ୍ରତାପ ଦେଖାଉଚି ଯେପରି କି ଗାଆଁ ବାଲା ତାକୁ ମଧ୍ୟ ଗୋଟାଏ ନେତାବୋଲି ମାନିନିଅନ୍ତୁ । ଆମେ ଯେତେଯିଏ ଗାଆଁରୁ ବାହାରି ବାହାରକୁ ଯାଉଚୁ, ଗାଆଁରୁ ଆମର କିଛି ଶିଖିବାକୁ ରହିଚି ବୋଲି ଆମେ କଳ୍ପନା ହିଁ ପରିପାରୁନାହୁଁ । ଗାଆଁରେ ରହିଥିବା ଲୋକେ କେବଳ ଅନ୍ଧାରଭିତରେ ବୁଡ଼ିରହିଚନ୍ତି ଓ ସେଥିଲାଗି ଆମେ ସେମାନଙ୍କୁ କେବଳ ଶିଖାଇବା, ଆମର ସେମାନଙ୍କଠାରୁ କିଛି ଶିଖିବାକୁ ଅଛି ତାହା ଭାବିବାନାହିଁ, ଆମେ ସାଧାରଣତଃ ଏହିପରି ଭାବିଥାଉ-। ଶିକ୍ଷାଶାସ୍ତ୍ର କହେ, ଯେ ଅସଲ ଶିକ୍ଷକ ପିଲାମାନଙ୍କଠାରୁ ବି ଶିଖିବାର ମନ ରଖିଥାଏ । ଯିଏ ଶିଖେ, କେବଳ ସେହି ସବୁଠାରୁ ଅଧିକ ଯୋଗ୍ୟଭାବରେ ଶିଖାଇପାରେ । ଗାଆଁରୁ ଆମର ଅନେକ କିଛି ଶିଖିବାର ଅଛି, ଆଦିବାସୀ ସମାଜରୁ ଆମର ଅନେକକିଛି ଶିଖିବାକୁ ଅଛି । ଆମେ ଯଦି ସେଗୁଡ଼ାକ ପ୍ରତି ଆମର ଦ୍ୱାର ବନ୍ଦକରି ରଖି କେବଳ ମାରଣା ବଳଦପରି ଗାଆଁରେ ବା ଆଦିବାସୀ ସମାଜରେ ବୋଲ ବତାଇବାଲାଗି ଶିଙ୍ଗ ହଲାଇବାରେ ଲାଗିଯାଉ, ତେବେ ଗ୍ରାମ ଓ ଆଦିବାସୀ ସମାଜରେ ରହିଥିବା ମଣିଷ ଆମଠାରୁ ଅଧିକରୁ ଅଧିକ ହୁରୁଡ଼ି ଯାଉଥିବେ । ଆମେ କେବେହେଲେ ତାକୁ ଆମର ସାଥୀ ବୋଲି ପାଇ ପାରିବାନାହିଁ ଏବଂ ଏପରି ମାରଣା ପ୍ରବୃତ୍ତି ରଖିଥିଲା ପର୍ଯ୍ୟନ୍ତ ଆମେ କୌଣସି ପ୍ରସାରକାର୍ଯ୍ୟ କରିବାର ଯୋଗ୍ୟ ବି ହୋଇପାରିବା ନାହିଁ ।

 

ଶ୍ରଦ୍ଧା ହିଁ ପ୍ରସାରକାର୍ଯ୍ୟର ପରିବର୍ତ୍ତନ-ପ୍ରକ୍ରିୟାରେ ପ୍ରଧାନ ରାସାୟନିକ ଦ୍ରାବକରୂପେ କାର୍ଯ୍ୟ କରେ । କଥିତ ଅଛି, ଭାରତରେ ଖ୍ରୀଷ୍ଟିଆନ୍ ମିସନାରୀମାନେ କିପରି ଦୃଷ୍ଟି ରଖି କାର୍ଯ୍ୟ କରିବା ଉଚିତ, ସେହି ବିଷୟରେ ଥରେ ମହାତ୍ମା ଗାନ୍ଧୀ ସେମାନଙ୍କୁ ଏହିପରି ଏକ ଉପଦେଶ ଦେଇଥିଲେ । ଖ୍ରୀଷ୍ଟିଆନ୍ ଧର୍ମ ହେଉଚି ଏକମାତ୍ର ସଚ୍ଚା ଧର୍ମ, ଭାରତର ଧର୍ମଗୁଡ଼ିକର ବା ଅନ୍ୟ ଧର୍ମାବଲମ୍ବୀ ଭାରତୀୟମାନଙ୍କଠାରୁ ଆମର କୌଣସିକଥା ଶିଖିବାର ନାହିଁ, ଏପରି ଏକ ଅହଙ୍କାର ରଖି କାମକଲେ ମିସନାରୀମାନେ ଭାରତବାସୀଙ୍କୁ କେବେହେଲେ ଖ୍ରୀଷ୍ଟିଆନ୍ ଧର୍ମସନ୍ଦେଶ ଆଡ଼କୁ ଆକୃଷ୍ଟ କରିପାରିବେନାହିଁ ବୋଲି ସେ କହିଥିଲେ । ସେ ପରାମର୍ଶ ଦେଇଥିଲେ ଯେ ମିସନାରୀମାନେ ଶ୍ରଦ୍ଧାର ଦୃଷ୍ଟିଭଙ୍ଗୀ ରଖି ଆପଣାର କାର୍ଯ୍ୟ କରିବା ଉଚିତ । ତାଙ୍କ ମତରେ ଶ୍ରଦ୍ଧା କେବଳ ଶିଖାଇବାକୁ ଲଣ୍ଡଭଣ୍ଡ ହୁଏନାହିଁ, ଶିଖିବାର ମନୋବୃତ୍ତି ବି ରଖିଥାଏ । ଭାରତବର୍ଷର ଧର୍ମଜୀବନରେ ଯେତେ ପୋଷକ ଉପାଦାନ ରହିଚି, ତାହାକୁ ଶିଖିବାର ଇଚ୍ଛା ରଖିଥିଲେ ମିସନାରୀମାନେ ଭାରତବର୍ଷର ଅଧିବାସୀମାନଙ୍କୁ ମଧ୍ୟ ଖ୍ରୀଷ୍ଟିଆନ୍ ଧର୍ମପ୍ରେରଣା ଦ୍ୱାରା ଆପଣାର ଜୀବନକୁ ପୁଷ୍ଟ କରିବାଲାଗି ଯଥାର୍ଥରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବେ । ସାମୁଦାୟିକ ବିକାଶରେ ଆମେ ଏହି କଥାଟି ଅବଶ୍ୟ ମନେରଖିବା । ଏହି ସମାଜର ଯଥାର୍ଥ ପରିବର୍ତ୍ତନ ଚାହୁଥିଲେ ଓ ଏହି ଦରିଦ୍ରଭୂମିରେ କେବଳ ଅହମିକା ଓ ଅଧିକସମ୍ପନ୍ନତାର ବାଣ ମାରି ବୁଲିବାକୁ ଚାହୁନଥିଲେ ଆମକୁ ବି ଶିଖିବାର ମନୋବୃତ୍ତି ନେଇ ଗାଆଁକୁ ଯିବାକୁ ହେବ, ଆଦିବାସୀମାନଙ୍କୁ କେବଳ ଜଙ୍ଗଲର ମଣିଷ-ଜାନୁଆର ପରି ନଦେଖି ଏକ ସାଂସ୍କୃତିକ ଏକକ ଭିତରେ ବାସ କରୁଥିବା ମଣିଷ-ପ୍ରତିନିଧି ଭାବରେ ଦେଖିବାକୁ ହେବ । ଗୋଟାଏ ପାଖରୁ କେବଳ ମଡ଼ାଇଦେବାର ପ୍ରୟାସ ଲାଗିରହିଥିଲେ ଶ୍ରଦ୍ଧା ସମ୍ଭବ ହେବନାହିଁ । ଏପର୍ଯ୍ୟନ୍ତ ଆମଦେଶର ସାମୁଦାୟିକ ବିକାଶ କ୍ଷେତ୍ରରେ, ଏପରିକି ଆମର ସମଗ୍ର ଜାତୀୟ କ୍ଷେତ୍ରରେ ଆମେ କେବଳ ମଡ଼ାଇଦେବାର ପ୍ରୟାସ କରିଚୁ, ବିକାଶକୁ ଗୋଳି ପିଆଇଦେବାର ପ୍ରୟାସ କରିଚୁ । ଏଣିକି ଶ୍ରଦ୍ଧାଦ୍ୱାରା ହିଁ କାମ ନିଆଯିବା ଉଚିତ । ଶ୍ରଦ୍ଧାର ଭୂମିଉପରେ ହିଁ ସକଳ ପ୍ରବର୍ତ୍ତନର କାର୍ଯ୍ୟକ୍ରମ ଚାଲିବା ଉଚିତ । ତା’ ନହେଲେ କୌଣସି ନୂତନର ପ୍ରବର୍ତ୍ତନ କରିବାପୂର୍ବରୁ ଆମେ କେବଳ ଆମର ପ୍ରମତ୍ତତାଗୁଡ଼ାକ ଦ୍ୱାରା ସାମୁଦାୟିକ ବିକାଶ ନାମରେ ସାମୁଦାୟିକ ଜୀବନକୁ ଉଚ୍ଛନ୍ନ ଓ ଅସ୍ତବ୍ୟସ୍ତ କରିପକାଇବାର ମଧ୍ୟ ଭୟ ରହିଚି ।

 

ଭାରତବାସୀ ପୃଥିବୀର ଅନ୍ୟମାନଙ୍କ ଅପେକ୍ଷା ଅଧିକ ରକ୍ଷଣଶୀଳ ବୋଲି କହିବାର କୌଣସି କାରଣ ନାହିଁ । ନୂଆକୁ ବୁଝିବାପୂର୍ବରୁ ସାଧାରଣତଃ ସମସ୍ତେ ପୁରୁଣା ବିଚାର ଓ ଅନୁଷ୍ଠାନଗୁଡ଼ିକର ସାହାଯ୍ୟ ନେଇ ନୂଆର ପ୍ରତିରୋଧ କରିବାକୁ ବାହାରିଥାନ୍ତି । କିନ୍ତୁ ଏହା ହେଉଚି ପରିବର୍ତ୍ତନର କେବଳ ଏକ ପ୍ରଥମ ପର୍ଯ୍ୟାୟ ଓ ପରିବର୍ତ୍ତନ ଦିଗରେ ଏହା ପ୍ରଥମ ସୋପାନ । ଇଉରୋପ ଓ ଆମେରିକାର ଲୋକମାନଙ୍କୁ ଆମେ ଆମଠାରୁ ଅଧିକ ପ୍ରଗତିଶୀଳ ସ୍ତରରେ ଦେଖିଥାଉ ବୋଲି ଆମଦେଶର ଲୋକମାନଙ୍କୁ ଅସହିଷ୍ଣୁ ଭାବରେ ରକ୍ଷଣଶୀଳ ବୋଲି କହି ପକାଇଥାଉ ଓ ତା’ପରେ ଗୋଟାଏ ବିପଜ୍ଜନକ ଜିଦ୍‌ରେ ଆମଦେଶକୁ ବାଡ଼େଇପିଟି ଇଉରୋପ ବା ଆମେରିକାରେ ପରିଣତ କରିଦେବାକୁ ବାହାରିଥାଉ । ଏହି ଦେଶ ବିଷୟରେ କୌଣସି ଜ୍ଞାନ ଓ ଅନୁଭୂତି ନରଖି ଯେଉଁମାନେ ଇଉରୋପ ବା ଆମେରିକା ଯାଆନ୍ତି, ସେହିମାନେ ହିଁ ଘେରାଏ ପାଠ ପଢ଼ିଆସି ଏହିଦେଶକୁ କୌଣସି ପ୍ରଗତିଶୀଳ ଛାଞ୍ଚଭିତରେ ଢାଳିଦେବାର ପ୍ରଗଳ୍‌ଭତା କରିଥାନ୍ତି । ଏହାଦ୍ୱାରା ସେମାନେ ଇତିହାସ ବିଷୟରେ ଆପଣାର ଅଜ୍ଞତାର ପରିଚୟ ଦିଅନ୍ତି । ଆଜିକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ଅଷ୍ଟାଦଶ ଶତାବ୍ଦୀରେ ଇଉରୋପୀୟମାନେ ଆମେରିକାର ଗୋରା ଅଧିବାସୀଙ୍କ ବିଷୟରେ ଯାହାସବୁ ଲେଖିଚନ୍ତି, ସେଥିରୁ ଆମର ନିରାଶ ହେବାଲାଗି କୌଣସି କାରଣ ନାହିଁ । ସେମାନଙ୍କ ମତରେ ଆମେରିକାବାସୀଙ୍କ ଭିତରେ ‘‘ଶ୍ଳଥତା ଓ ଉଦାସୀନତା ଭର୍ତ୍ତିହୋଇ ରହିଚି । ସେମାନେ ମୋଟା ଖାଇବା ଖାଉଚନ୍ତି ଓ ଜୀବନର କଳାତ୍ମକ ବିନୋଦ ଓ ଅନ୍ୟାନ୍ୟ ବିଳାସଲାଗି ସେମାନଙ୍କ ଭିତରେ କୌଣସି ରୁଚି ନାହିଁ । ଏକ ହୀନ ସମୁଦାୟ ହିସାବରେ ସେମାନେ ପଛରେ ପଡ଼ିରହିଚନ୍ତି, ସେଦେଶରେ ଜଣେହେଲେ ବଡ଼ କବି ନାହାନ୍ତି, କଳା ବା ସାହିତ୍ୟକ୍ଷେତ୍ରରେ ଜଣେହେଲେ ପ୍ରତିଭାଶୀଳ ବ୍ୟକ୍ତି ନାହାନ୍ତି ।’’

 

ଆମେରିକା ବିଷୟରେ ଏପରି ଭାବୁଥିବା ଇଉରୋପୀୟବାସୀ ଖୋଦ୍ ଆଗେ କିପରି ଥିଲେ ସେକଥାର ଟିକିଏ ଚର୍ଚ୍ଚା କରାଯାଉ । ସେମାନେ ମଧ୍ୟ ଦିନେ ଦରିଦ୍ର ଥିଲେ । ଉପରେ ବଡ଼ଲୋକଙ୍କର କ୍ଷମତାପ୍ରକୁପିତ ଦୌରାତ୍ମ୍ୟ ଚାଲିଥିଲା ସତ, ମାତ୍ର ଜନସାଧାରଣ ନାନା ଦୈନ୍ୟ ଭିତରେ ବୁଡ଼ିରହିଥିଲେ । ଆଜି ଯେଉଁସବୁ ଆଚାରକୁ ଇଉରୋପୀୟ ସଭ୍ୟତା ବୋଲି କୁହାଯାଉଚି, ସେତେବେଳେ ଇଉରୋପରେ ସେଗୁଡ଼ିକ ଆକାଶକୁସୁମ ହୋଇ ରହିଥିଲା । ‘‘ପଞ୍ଚଦଶ ଶତାବ୍ଦୀର ଇଂଲଣ୍ଡରେ ତେଲ କମ୍ ଖରଚ ହେବବୋଲି ଲୋକମାନେ ଦିନଥାଉଁ ରନ୍ଧାବଢ଼ା ଓ ଖିଆପିଆ ଶେଷ କରି ଦେଉଥିଲେ । ‘ମଧ୍ୟାହ୍ନ’ ଭୋଜନ ସକାଳ ଦଶଟାରେ ଓ ‘ରାତ୍ରି’ଭୋଜନ ଉପରବେଳା ପାଞ୍ଚଟା ସମୟରେ ସମାପ୍ତ ହୋଇ ଯାଉଥିଲା । ମୁଣ୍ଡର ଲମ୍ବାଲମ୍ବା ଅଲରା ଓ ନୁଖୁରାବାଳ କାଳେ ଭୋଜନପାତ୍ରରେ ଆସି ପଡ଼ିଯିବ, ସେଥିଲାଗି ପୁରୁଷମାନେ ଆହାର ସମୟରେ ମୁଣ୍ଡରେ ଟୋପି ଲଗାଇ ବସୁଥିଲେ । କୌଣସି ବିଶେଷ ଭୋଜୀ ଅବସର ଲାଗି ଖାଇବାର କଣ୍ଟା (Fork) ରିଜର୍ଭ ହୋଇ ରହିଥିଲା ବା ଦରକାର ପଡ଼ିଲେ କୌଣସି ବିଶେଷ ପଦାର୍ଥ ପରଷିବା ସକାଶେ ପଦାକୁ ବାହାରୁଥିଲା । ୧୪୬୩ ମସିହା ପର୍ଯ୍ୟନ୍ତ ଖାଇବାଲାଗି ସେଗୁଡ଼ିକର ବ୍ୟବହାର ହେଉନଥିଲା । କୁଣିଆମାନେ ଆପଣାର ଖାଇବାଛୁରୀକୁ ଆପଣା ସାଙ୍ଗରେ ଧରି ଆସୁଥିଲେ, ସେଥିଲାଗି କମରପଟିରେ ଗୋଟିଏ ବିଶେଷ ଖୋଳ ବନ୍ଧାହୋଇ ରହିଥିଲା । ଆଙ୍ଗୁଠି ସାହାଯ୍ୟରେ ଖାଦ୍ୟପଦାର୍ଥ ମୁହଁପାଖକୁ ଆଣିବାକୁ ହିଁ ଭଦ୍ରତା ବୋଲି ଗଣାଯାଉଥିଲା ।’’ (୧୭) ସେହି ଚତୁର୍ଦ୍ଦଶ ଶତାବ୍ଦୀରେ ମଧ୍ୟ ଜର୍ମାନୀଦେଶରେ ପ୍ରଥମ କରି ଖାଇବାକଣ୍ଟାର ପ୍ରଚଳନ ହେଲା । ତଥାପି ପୂର୍ବର ଅଭ୍ୟାସ ହେତୁ ଲୋକମାନେ ସାଧାରଣତଃ ବିନା ହତିଆରେ ଆପଣାର ଆଙ୍ଗୁଠି ସାହାଯ୍ୟରେ ଖାଇବାକୁ ହିଁ ଅଧିକ ପସନ୍ଦ କରୁଥିଲେ । ଷୋଡ଼ଶ ଶତାବ୍ଦୀରେ ଗୀର୍ଜାରେ ଧର୍ମାପଦେଶ ଦେଲାବେଳେ ଜଣେ ପାଦ୍ରୀ ମଧ୍ୟ ଖାଇବାକଣ୍ଟାର ବ୍ୟବହାରକୁ ଈଶ୍ୱରଙ୍କର ଇଚ୍ଛାବିରୁଦ୍ଧ ବୋଲି କହି ନିନ୍ଦାବାଦ କରିଥିଲେ । ‘ଆମେ କଣ୍ଟା ସାହାଯ୍ୟରେ ଖାଦ୍ୟ ଖାଉ ବୋଲି ଇଚ୍ଛା କରୁଥିଲେ ଭଗବାନ ଆମକୁ କଦାପି ଆଙ୍ଗୁଠି ଦେଇନଥାନ୍ତେ’, ବୋଲି ସେ ଅଭିଯୋଗ କରିଥିଲେ । (ତତ୍ରୈବ : ପୃଷ୍ଠା–୩୦୪)

 

ନୂଆ ଉଦ୍‌ଭାବନ ଓ ନୂତନ ପ୍ରବର୍ତ୍ତନଲାଗି ଇଉରୋପର ଅଧିବାସୀମାନେ କମ୍ ବିରୋଧ ପ୍ରଦର୍ଶନ କରିନଥିଲେ । ଶିକ୍ଷିତମାନେ ଯେପରି କରିଥିଲେ, ଅଶିକ୍ଷିତ ଜନସାଧାରଣ ମଧ୍ୟ ସେହିପରି କରିଥିଲେ । ପଞ୍ଚଦଶ ଶତାବ୍ଦୀରେ ଜ୍ଞାନବିତରଣ କ୍ଷେତ୍ରରେ ଅଭିନବ ବିପ୍ଳବ ସୃଷ୍ଟିକରି ପ୍ରଥମେ ଛାପାକଳର ଉଦ୍‌ଭାବନ ହେଲା । ମାତ୍ର ଇଉରୋପରେ ସମସ୍ତେ ଏହାକୁ କଦାପି ସ୍ୱାଗତ କରିନଥିଲେ । ‘‘ଆଗରୁ ଯେଉଁମାନେ ହସ୍ତଲିଖିତ ପୋଥିମାନ ନକଲ କରି ଜୀବିକାର୍ଜନ କରୁଥିଲେ ସେମାନେ ପ୍ରତିବାଦ କରି କହିଲେ ଯେ ଛାପାକଳ ବାହାରିବାଦ୍ୱାରା ସେମାନଙ୍କର ଧନ୍ଦା ବନ୍ଦ ହୋଇଯିବ ଓ ସେମାନେ ଉପାସ ରହିବେ । ଛାପାକଳ ଦ୍ୱାରା ଯନ୍ତ୍ରସାହାଯ୍ୟରେ ନାନାପ୍ରକାର ବିକୃତି ଓ ଅଶୋଭନତାର ସୃଷ୍ଟିହେବାର ଯୁକ୍ତି ଦେଖାଇ ବଡ଼ଲୋକମାନେ ଏହାର ବିରୋଧ କଲେ-। ଛାପାକଳ ବାହାରିଲେ ସେମାନଙ୍କ ପାଖରେ ଅମୂଲ୍ୟ ସମ୍ପଦପରି ସଂଗୃହୀତ ହୋଇ ରହିଥିବା ପାଣ୍ଡୁଲିପି ଗୁଡ଼ିକର ଆଉ କୌଣସି ମୂଲ୍ୟ ରହିବନାହିଁ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ । ଛାପାକଳ ଜରିଆରେ ନାନା କ୍ଷତିକାରର ଓ ଧ୍ୱଂସମୂଳକ ବିଚାରର ପ୍ରସାର ଅଧିକ ସମ୍ଭବ ହୋଇଯିବ ବୋଲି ଉଦ୍‌ବେଗ ଦେଖାଇ ରାଜନୀତିକ ନେତା ଓ ପାଦ୍ରୀମାନେ ମଧ୍ୟ ଏହାର ନିନ୍ଦା କରିଥିଲେ ।’’ (ପୃଷ୍ଠା–୧୫୯) ଆଗେ ଇଂଲଣ୍ଡରେ ଆଇନ୍ ଥିଲା ଯେ, ସାମନ୍ତ ଓ ମାଲିକର ଜମିରେ ବନ୍ଧାକୋଠିଆ ହୋଇ ରହିଥିବା ଦାସ-କୃଷକ ମାଲିକର ବିନା ଅନୁମତିରେ ଆପଣା ଛୁଆଙ୍କୁ ସ୍କୁଲରେ ପାଠ ପଢ଼ାଇବା ସକାଶେ ପଠାଇ ପାରିବନାହିଁ । ମଝିରେ ଏହି ଆଇନ୍ ଉଠାଇ ଦିଆଯାଇଥିଲା । ୧୩୯୧ ମସିହାରେ ସେହି ଦେଶର ସାମନ୍ତବାଦୀ ଜମିଦାରମାନେ ରାଜାଙ୍କପାଖରେ ଦରଖାସ୍ତ କରି ସେହି ଆଇନ୍‌ଟିକୁ ପୁନର୍ବାର ଜାରି କରାଯାଉ ବୋଲି ଦାବୀ କରିଥିଲେ । କୋଠିଆର ଗୋଟାଏ ଛୁଆ ସ୍କୁଲକୁ ଯାଇ ପାଠ ପଢ଼ିଲେ ତାହା ଫଳରେ ସେମାନଙ୍କୁ ମୂଲିଆ ହରାଇବାକୁ ପଡ଼ିବବୋଲି ସେମାନେ ଅଭିଯୋଗ କରିଥିଲେ । (ପୃଷ୍ଠା–୨୩୫)

 

ନୂତନ ପ୍ରବର୍ତ୍ତନର ବିରୋଧ କରିବାକ୍ଷେତ୍ରରେ ଇଉରୋପରୁ ଆମେ ଆହୁରି କେତେକେତେ ଉଦାହରଣ ଦେଇପାରିବା । ‘‘ଯେତେବେଳେ ନୂଆହୋଇ ଦକ୍ଷିଣ ଆମେରିକାରୁ ଇଉରୋପକୁ ବିଲାତିଆଳୁ ଆସିଲା, ସେତେବେଳେ ଏହାଦ୍ୱାରା ସମାଜର ଅନେକ ଅନିଷ୍ଟ ଘଟିବ ବୋଲି ପ୍ରବଳ ବିରୋଧ କରାଯାଇଥିଲା । ସ୍ୱାସ୍ଥ୍ୟଲାଗି ହାନିକାରକ ବୋଲି କହି ବିଲାତି-ବାଇଗଣ ବିରୁଦ୍ଧରେ ବି ପ୍ରଚାର ହୋଇଥିଲା । ଯେଉଁଥର ଲଣ୍ଡନକୁ ପ୍ରଥମଥର ସକାଶେ ପାଚିଲାକଦଳୀ ଆସିଲା, ତାହାକୁ ବିକ୍ରୀ କରିପାରିବା ତ ଦୂରର କଥା, ଯାଚିଲେ ମଧ୍ୟ କେହି ନେବାକୁ ଆସିଲେନାହିଁ-। ବଡ଼ ବଡ଼ ଲୋକଙ୍କ କଥା ଛାଡ଼ିଦିଅ, ସହରତଳିର ବସ୍ତି ଅଞ୍ଚଳରେ ବାସ କରୁଥିବା ଗରିବମାନେ ମଧ୍ୟ ଆସିଲେନାହିଁ । ‘ସାର୍’ ଉପାଧି ପାଇଥିବା ଇଂଲଣ୍ଡର ଜଣେ ପ୍ରସିଦ୍ଧ ଲେଖକ (Walter Scott) କୋଇଲାକୁ ଏକ ‘ମାରାତ୍ମକ ଉଦ୍‌ଭାବନ’ ବୋଲି କହିଥିଲେ । ଇଉରୋପୀୟ ଇତିହାସର ବୀର, ଫ୍ରାନ୍‌ସର ସମ୍ରାଟ୍ ନେପୋଲିଅନ୍ ଏହାକୁ ଏକ ‘ଚରମ ବିଡ଼ମ୍ବନା’ (Une grande foile) ବୋଲି କହି ଭର୍ତ୍ସନା କରିଥିଲେ ଓ ଇଂଲଣ୍ଡର ପ୍ରସିଦ୍ଧ କବି ଲର୍ଡ଼୍ ବାଇରନ୍ ଏହି ବିଷୟରେ ବିଦ୍ରୂପ ଲେଖାମାନ ଲେଖିଥିଲେ । ଯେତେବେଳେ ଜର୍ମାନୀର ତତ୍‌କାଳୀନ ରାଜଧାନୀ ବର୍ଲିନ୍ ସହରରେ ରାସ୍ତାମାନଙ୍କରେ ପ୍ରଥମ କରି ବତୀର ବ୍ୟବସ୍ଥା କରାଗଲା, ସେତେବେଳେ ନାନାଦୃଷ୍ଟିରୁ ନାନାଲୋକେ ଏହାର ବିରୋଧ କରିଥିଲେ । ଈଶ୍ୱରବିଶ୍ୱାସର ସୂତ୍ର ଅନୁସାରେ ଏହାକୁ ଭଗବାନଙ୍କର ବିରୋଧ କରିବା ବୋଲି କୁହାଗଲା । ଯୁକ୍ତି ଦର୍ଶାଗଲା ଯେ, ଭଗବାନ ରାତ୍ରିପ୍ରହର ଲାଗି ଅନ୍ଧାରକୁ ନିଯୁକ୍ତ କରି ରଖିଚନ୍ତି । ଏହାଦ୍ୱାରା ସରକାରକୁ ଅଧିକ ଟିକସ ଦେବାକୁ ପଡ଼ିବ ବୋଲି କରଦାତାମାନେ ଏହାର ବିରୋଧ କରିଥିଲେ । ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ବିଚାର କରି କୁହାଯାଇଥିଲା ଯେ ଗ୍ୟାସ୍ ଓ ତେଲଦ୍ୱାରା ଲୋକମାନଙ୍କ ସ୍ୱାସ୍ଥ୍ୟରେ ହାନି ଘଟିବ; ଆଲୁଅରୁ ମୁହଁ ପାଇ ଲୋକମାନେ ଏଣିକି ଅନ୍ଧାର ହେବାପରେ ମଧ୍ୟ ବାହାରେ ବୁଲିବାକୁ ଉତ୍ସାହିତ ହେବେ ଏବଂ ପରିଣାମରେ ସର୍ଦ୍ଦି ଭୋଗିବେ । ରାସ୍ତାରେ ଗ୍ୟାସ୍‌ଆଲୁଅ ଜଳିବାଦ୍ୱାରା ଲୋକମାନଙ୍କ ସ୍ୱଭାବର ନୈତିକ ମାନ ବି ତଳକୁ ଖସିପଡ଼ିବ ବୋଲି ମଧ୍ୟ ଆରୋପ କରାଯାଇଥିଲା । କାରଣ ମଦୁଆମାନେ ଆଲୁଅ ତ ଅଛି, ତେଣୁ ଘରକୁ ଯିବାରେ ତରତର ହେବାଲାଗି କୌଣସି ପ୍ରୟୋଜନ ନାହିଁ ବୋଲି ଭାବିବାକୁ ଆରମ୍ଭ କରିବେ । ରାତି ଅନ୍ଧାର ଅନେକ ସମୟରେ ଲୋକମାନଙ୍କୁ ସୁନାପୁଅ ପରି ଆପଣା ଆପଣା ଘରକୁ ବାହୁଡ଼ିବା ଲାଗି ବାଧ୍ୟ କରୁଥିଲା ଏବଂ ତଦ୍ଦ୍ୱାରା ସେମାନଙ୍କୁ ଅଗଣିତ ପାପମାନ କରିବାରୁ ସୁରକ୍ଷିତ କରି ରଖୁଥିଲା । କିନ୍ତୁ ଏଣିକି ଆଲୁଅ ହେବାଦ୍ୱାରା ଲୋକମାନଙ୍କର ଭୟ ରହିବନାହିଁ ଓ ତଦ୍ଦ୍ୱାରା ଗୋପନପ୍ରଣୟମାନ ଚାଲିବାଲାଗି ବେଶ୍ ଉତ୍ସାହ ମିଳିଯିବ । ପୋଲିସ୍‍ମାନେ ମଧ୍ୟ ରାସ୍ତାରେ ବତୀ ରହିବା ବ୍ୟବସ୍ଥାର ବିରୋଧ କରିଥିଲେ । କାରଣ ସେମାନେ ଭାବୁଥିଲେ ଯେ ରାସ୍ତାର ଆଲୁଅ ଘୋଡ଼ାମାନଙ୍କୁ ଜଳକା ଓ ଚୋରମାନଙ୍କୁ ଅଧିକ ହୋସିଆର କରିଦେବ । ରାସ୍ତାରେ ଆଲୁଅ ଦେବାକୁ ହେଲେ କୋଇଲା ଏବଂ ତେଲ ବାବତରେ ଯେଉଁ ଅଧିକା ପଇସା ଖରଚ ହେବ, ସେହି ଦୃଷ୍ଟିରୁ ରାଜନୀତିକ ନେତାମାନେ ବି ତାହାର ବିରୋଧ କରୁଥିଲେ । ପୁଣି, ଦେଶଭକ୍ତମାନେ ଦୁଃଖ ଓ ଶୋଚନା ପ୍ରକାଶ କରି କହୁଥିଲେ ଯେ ଏଣିକି ବାରମାସଯାକ ସବୁଦିନ ରାସ୍ତାରେ ଆଲୁଅ ଜଳିଲେ ଜାତୀୟ ଆଲୋକସଜ୍ଜାର ଜାକଜମକ ଅନେକ କମିଯିବ ଓ ତାହା ଲୋକମାନଙ୍କୁ ଆଉ ସେତେ ପ୍ରେରଣା ଦେଇପାରିବ ନାହିଁ ।’’(୧୮)

 

ତେଣୁ ନିରାଶ ହେବାର ଆଉ କଣ ଅଛି ? ସମାଜରେ ପରିବର୍ତ୍ତନ ଆଣିବାକୁ ହେଲେ ସମାଜର ଅଧିକାଂଶ ଲୋକ ଯେଉଁ ସ୍ତରରେ ଅଛନ୍ତି, ପ୍ରବର୍ତ୍ତକମାନଙ୍କୁ ସେହି ସ୍ତରରୁ ଆରମ୍ଭ କରିବାକୁ ପଡ଼ିବ । ଦେଶଟାଯାକକୁ ନିନ୍ଦାକଲେ ଚଳିବନାହିଁ । ଉଚିତ ପ୍ରକାରର ପ୍ରବର୍ତ୍ତକ ରହିଥିଲେ ଯେକୌଣସି ସମାଜରେ ଅନେକ ପରିବର୍ତ୍ତନ ସମ୍ଭବ ହୋଇପାରିବ । ଆଗରୁ କୁହାଯାଇଚି, ପ୍ରଧାନତଃ ଅମାନିଆମାନେ ହିଁ ପରିବର୍ତ୍ତକ ହୋଇପାରିବେ । କାଳେ କ’ଣ ଘଟିବ ଓ ହାତର ଲଗାମ ଛାଡ଼ିଯିବ ବୋଲି ଭୟକରି ଯେଉଁମାନେ ପରିସ୍ଥିତିର ସମ୍ମୁଖୀନ ହେବା ପରିବର୍ତ୍ତନରେ ପରିସ୍ଥିତି ଉପରେ କେବଳ ତାଳି ପକାଇବାକୁ ବସୁଥିବେ, ସେମାନଙ୍କଦ୍ୱାରା କୌଣସି ପ୍ରବର୍ତ୍ତନ ସମ୍ଭବ ହେବନାହିଁ । ରୁଷିଆ ବା ଆମେରିକା, ଗୀତା ବା ବେଦପୁରାଣରୁ ଆଦର୍ଶ-ତିଅଣ ମାଗିଆଣି ତାହାକୁ ହିଁ ଦେଶଟାଯାକକୁ ଚଖାଇବାର ଚେଷ୍ଟା କଲେ ମଧ୍ୟ ସେମାନଙ୍କଦ୍ୱାରା ପ୍ରବର୍ତ୍ତନ ହୋଇପାରିବନାହିଁ । ଯାହାସବୁ ଅବଶ୍ୟ ବଦଳିବା ଆବଶ୍ୟକ, ତା’ଭିତରୁ ବାହାରିଗଲେ ଯାଇ ଆମେ ପ୍ରବର୍ତ୍ତନର ଭିତ୍ତି ସ୍ଥାପନ ଲାଗି ପ୍ରଥମ ପଥର ପକାଇପାରିବା । ଆମେରିକାର ଜଣେ ସମୀକ୍ଷକଙ୍କ ଭାଷାରେ, ‘‘ଯିଏ ଉପସ୍ଥିତି ସ୍ଥିତିକୁ ଘଣ୍ଟ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥିବ, ସେ କଦାପି ଅନ୍ୟ ପଥର ପ୍ରବର୍ତ୍ତନ କରି ପାରିବନାହିଁ । ସମାଜ ଭିତରେ ଯାହା ଅଛି, ବିଶ୍ୱାସୀ ଅନୁଗାମୀ ପରି କେବଳ ତାହାରି ସହିତ ଆପଣାକୁ ଖାପ ଖୁଆଇନେବାଲାଗି ଉଦ୍ୟମ କରୁଥିଲେ ଉପସ୍ଥିତ ସ୍ଥିତିଟା ହିଁ ସ୍ଥାୟୀ ହୋଇ ରହିଥିବ । ଏବଂ ଉପସ୍ଥିତ ସ୍ଥିତି ଆମର ସମାଜକୁ ଦୃଢ଼ କରି ଗଢ଼ିବା ପରିବର୍ତ୍ତରେ ତାହାକୁ ମୃତ୍ୟୁଆଡ଼କୁ ଟାଣି ନେଇଯିବ ।’’ (Herbert L. Dunn : The Dignity of Man–ପୁସ୍ତକ ଟିପ୍ପଣୀ–୧୫, March 1961) ପ୍ରବନ୍ଧଟିରେ ଲେଖକ ପୁଣି କହିଚନ୍ତି, ‘‘ଅଣୁବୃତ୍ତର କକ୍ଷଭିତରୁ ଯେଉଁ ବିଦ୍ୟୁତ୍ଅଣୁ (electron)ଟି ବିଚ୍ୟୁତ ହୋଇ ବାହାରିଯାଏ, ତାହାହିଁ ଶତାବ୍ଦୀ ଶତାବ୍ଦୀବ୍ୟାପୀ ଏକ ପ୍ରକ୍ରିୟାଦ୍ୱାରା ଧୀରେ ଧୀରେ ଇଉରାନିଅମ୍‌କୁ ସୀମାରେ ପରିଣତ କରିଦିଏ ଜୀବୋତ୍‌ପତ୍ତିର ପ୍ରକ୍ରିୟାରେ ନିୟମ ବହିର୍ଭୂତ ଜୈବ ଏକକ (Gene) ହିଁ ନବୋତ୍‌ପନ୍ନର ସମ୍ଭବ କରାଏ । ସ୍ୱୀକୃତ ସୀମା ଓ ସ୍ୱୀକୃତ ମାର୍ଗରୁ ବାହାରିଯାଇ ଯିଏ ଅନ୍ୟପ୍ରକାରେ ବିକଶିତ ହୁଏ, କେବଳ ତାହାରିଦ୍ୱାରା ହିଁ ଜୀବଜଗତରେ ପ୍ରଗତିର ସୂତ୍ରପାତ ହୁଏ, କାରଣ ଆପଣାର ପୂର୍ବ ଶ୍ରେଣୀଗତ ଜୀବସ୍ତରରୁ ଅଧିକ ସମ୍ପନ୍ନ ଓ ଉନ୍ନତ ନହୋଇଥିଲେ ନବୋତ୍‌ପନ୍ନ ପକ୍ଷରେ ସାଧାରଣତଃ ବଞ୍ଚିରହିବା ବି ସମ୍ଭବ ହୁଏନାହିଁ ।’’

 

ଶେଷ କଥାଟି ଉପରେ ଆମକୁ ସବୁଠାରୁ ଅଧିକ ଧ୍ୟାନ ରଖିବାକୁ ହେବ । ଯିଏ ସ୍ୱୀକୃତ ପଥରୁ ବାହାରିଯାଏ, ବଞ୍ଚିରହିବାକୁ ହେଲେ ତାହାକୁ ନିୟମତଃ ପଥସ୍ଥ ସାଧାରଣତଃ ଅପେକ୍ଷା ଅଧିକ ଗୁଣସମ୍ପନ୍ନ ହେବାକୁ ହୁଏ । ସମାଜଶାସ୍ତ୍ର ଓ ସମାଜ ପରିବର୍ତ୍ତନର ଚର୍ଚ୍ଚାକ୍ଷେତ୍ରରେ ଆମେ ସମ୍ଭବତଃ ଏପରି ମଧ୍ୟ କହିପାରିବା ଯେ ଅଧିକ ଗୁଣସମ୍ପନ୍ନ ହୋଇଥିବା ହେତୁ ସେ ସ୍ୱୀକୃତ ଚିରାଚରିତ ମାର୍ଗରେ ଯିବାକୁ ଅସହ୍ୟ ବୋଲି ଅନୁଭବ କରେ ଓ ଅଧିକ ସମ୍ଭାବନା-ସମ୍ପନ୍ନ ହୋଇଥିବାରୁ ହିଁ ସେ ବଞ୍ଚିରହି ସମାଜରେ ପରିବର୍ତ୍ତନ ଆଣିବାରେ ସମର୍ଥ ହୁଏ । ପ୍ରବର୍ତ୍ତକ କହିଲେ ସମାଜର ଭୂମି ଉପରେ ଏହି ନବୋତ୍‌ପନ୍ନମାନଙ୍କୁ ବୁଝିବା ଉଚିତ । ଭାରତବର୍ଷରେ ଉପସ୍ଥିତ ସ୍ଥିତିକୁ ମଣିଷର ସମ୍ମାନିତ ବିକାଶ ଦୃଷ୍ଟିରୁ ଯିଏ ଅଯଥେଷ୍ଟ ଓ ଅପରିପୂର୍ଣ୍ଣ ବୋଲି ଅନୁଭବ କରୁଚି, ଅଧିକ ଗୁଣ, ସମ୍ଭାବନା ଓ କର୍ମପ୍ରେରଣାଦ୍ୱାରା ସମ୍ପନ୍ନ ହୋଇ ତାକୁ ଏହି ଦେଶରେ ପ୍ରବର୍ତ୍ତକରୂପେ ବାହାରିବାକୁ ପଡ଼ିବ । ଆମର ଦେଶ ଏହିପରି ପ୍ରବର୍ତ୍ତକମାନଙ୍କର ନେତୃତ୍ୱକୁ ଅପେକ୍ଷା କରି ରହିଚି-

 

ନେତୃତ୍ୱର ଯୋଗ୍ୟତା ବା ଅଯୋଗ୍ୟତା ଉପରେ, ନିଷ୍ଠା ଓ ସଚେତନତା ଉପରେ ସମାଜର ପରିବର୍ତ୍ତନ ଓ ପୁନର୍ନିର୍ମାଣର ପ୍ରକୃତି ଅନେକ ପରିମାଣରେ ନିର୍ଭର କରେ । ଗୋଷ୍ଠୀ ମନୋବିଜ୍ଞାନର କ୍ଷେତ୍ରରେ ଏପର୍ଯ୍ୟନ୍ତ ଯେତେ ଯେତେ ଅଧ୍ୟୟନ ଓ ଅନୁସନ୍ଧାନ କରାଯାଇଚି, ସବୁଥିରୁ ସେହି ଗୋଟିଏ କଥାର ପ୍ରମାଣ ମିଳୁଚି ଯେ, ଭିନ୍ନ ଭିନ୍ନ ପ୍ରକୃତି ଓ ସାମର୍ଥ୍ୟବିଶିଷ୍ଟ ନେତୃତ୍ୱ ଦ୍ୱାରା ପରିଚାଳିତ ହେଲାବେଳେ ଯେକୌଣସି ଜନଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରକାରେ ଆଚରଣ କରିଥାଏ । (୧୯) ତେଣୁ ଯଥାର୍ଥରେ ନେତୃତ୍ୱ ପାଇଲେ ଏହି ଭାରତରେ ମଧ୍ୟ ସାମୁଦାୟିକ ବିକାଶକ୍ଷେତ୍ରରେ ଯେ ଅନେକ ପୁନର୍ନିର୍ମାଣ ଓ ପ୍ରଗତି ସଂଘଟିତ ହୋଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ନେତୃତ୍ୱ ଜନସାଧାରଣଙ୍କୁ କେବଳ ଅନ୍ନ ଯୋଗାଇଦେଇ ସେମାନଙ୍କର ସ୍ୱାଧୀନତାକୁ ଅପହରଣ କରି ନେବନାହିଁ ବା କେବଳ ସ୍ୱାଧୀନତାର ଭାନୁମତୀ ଧରାଇଦେଇ ଅନ୍ନରୁ ବଞ୍ଚିତ କରି ରଖିବନାହିଁ । ଆଧୁନିକ ପୃଥିବୀରେ ଯେକୌଣସି ଦେଶ ପରି ଭାରତବର୍ଷରେ ମଧ୍ୟ ଅନ୍ନ ଓ ସ୍ୱାଧୀନତା ଉଭୟ ଦରକାର । (ପୁସ୍ତକ ଟିପ୍ପଣୀ–୧୦, ଦ୍ୱାଦଶ ଅଧ୍ୟାୟ) ଏହି ନେତୃତ୍ୱର ମାର୍ଗଦର୍ଶନରେ ଜନସାଧାରଣ ସେମାନଙ୍କର ମହାନ୍ ନେତାମାନଙ୍କ ଉପରେ ନିର୍ଭର କରି ଶିଖିବେନାହିଁ, ମହାନ୍ ଆଦର୍ଶଗୁଡ଼ିକୁ ଶିଖିବେ । (୨୦) ଆମ ଭାରତବର୍ଷରେ ନେତୃତ୍ୱର ଏହି ବ୍ୟାପାରରେ ଅଧିକାଂଶତଃ ଠିକ୍ ଓଲଟା ହୋଇ ଆସିଚି । ନେତାମାନେ ଦେବତାର ଆସ୍ଥାନ ପାଇଚନ୍ତି ଓ ସେମାନେ ଯେତେବେଳେ ଯେଉଁକଥାର ଉଦ୍‌ଗାର କରିଚନ୍ତି, ତାହାହିଁ ନୀତି ବା ଆଦର୍ଶ ବୋଲି କଥିତ ହୋଇଚି । ନେତାକୁ କୌଣସି ନୀତି ବା ଆଦର୍ଶ ଅନୁସାରେ ଆପଣାକୁ ପରିଚାଳିତ କରିବାକୁ ପଡ଼ିନାହିଁ । ଗଣତନ୍ତ୍ର ଓ ସମାଜବାଦର ଆଦର୍ଶ ପ୍ରତି ଏହି ଦେଶରେ ଯେତେ ନିଷ୍ଠା ଦେଖାନଯାଇଚି, ନେତାମାନଙ୍କର ବଡ଼ପଣିଆ ଓ ବେଦାଧିକାରକୁ ଆହୁରି ଅତିରିକ୍ତ କରିବାରେ ତାହାଠାରୁ ଅଧିକ ନିଷ୍ଠା ଦେଖାଯାଇଚି । ଯେଉଁ ଦେଶର ନେତୃତ୍ୱ ଜନସାଧାରଣଙ୍କୁ ପ୍ରଧାନତଃ ନିର୍ବୋଧ ବୋଲି ଭାବୁଥାଏ, ସେମାନଙ୍କୁ ସାଙ୍ଗରେ ନେବାକୁ ଚାହୁନଥାଏ, ସେହି ଦେଶରେ ଏପରି ଅସଙ୍ଗତି ଦେଖାଯାଇଥାଏ । ଏହାଦ୍ୱାରା ନେତାମାନଙ୍କର ବଡ଼ତି ହୁଏ ସତ, ମାତ୍ର ଆଦର୍ଶ ନାମରେ ପ୍ରହସନ ବଢ଼େ, ପ୍ରଜାତନ୍ତ୍ର ନାମରେ ଆଳସ୍ୟ ବଢ଼େ ଓ ସମସ୍ୟାବହୁଳତା ନାମରେ ନାନାପ୍ରକାର ଅନ୍ୟାୟକୁ ପ୍ରଶ୍ରୟ ମଧ୍ୟ ଦିଆଯାଏ ଓ କ୍ରମେ ଏହା ସମସ୍ତଙ୍କର ଦେହସୁହା ହୋଇଯାଏ । ଦେଶର ପରିବର୍ତ୍ତନ ଓ ସାମୁଦାୟିକ ଜୀବନର ଯଥାର୍ଥ ବିକାଶଲାଗି ବର୍ତ୍ତମାନ ଭାରତବର୍ଷରେ ଯେଉଁ ନେତୃତ୍ୱର ଅପେକ୍ଷା ରହିଚି, ସେହି ନେତୃତ୍ୱ ଆଦର୍ଶବାଦୀ ନହୋଇ ଆଦର୍ଶବାନ୍ ହେବ, ବ୍ୟକ୍ତିକେନ୍ଦ୍ରିତ ନ ହୋଇ ତାହା ନୀତିବଳିଷ୍ଠ ହୋଇ ରହିବ ।

 

ଗଣତନ୍ତ୍ରର ନେତୃତ୍ୱ ଆତ୍ମକେନ୍ଦ୍ରିତ ନହୋଇ ସମୁଦାୟର କଲ୍ୟାଣଲାଗି ସଚେଷ୍ଟ ରହିବ-। ଆପଣାର କୋଠା ଉଠିଗଲେ ବା ଆପଣାର କୁଆଁରକୁ ବଡ଼ ଚାକିରିଟାଏ ମିଳିଗଲେ ଯେଉଁ ନେତା ଦେଶର ସକଳ ସମସ୍ୟାର ସମାଧାନ ହୋଇଗଲା ବୋଲି ଭାବୁଚି, ସେ ଏହି ଦେଶରୁ ଗଣତନ୍ତ୍ର ଓ ସାମାଜିକ ନ୍ୟାୟକୁ ସ୍ଥାୟୀଭାବରେ ନିର୍ବାସିତ କରି ରଖିବାର ଅଭିସନ୍ଧି କରୁଚି-। ଗଣତନ୍ତ୍ରର ମାର୍ଗରେ ସମାଜର ବିକାଶକୁ ବଢ଼ାଇବାରେ ନେତା ଯାନ୍ତ୍ରିକ ନହୋଇ ମାନବିକ ହେବ-। ଅର୍ଥାତ୍ ତା’ର ସକଳ ଯୋଜନା ଓ କଳ୍ପନାରେ ମଣିଷ ହିଁ କେନ୍ଦ୍ରସ୍ୱରୂପ ହୋଇ ରହିବ । ଜନସମୁଦାୟ ଯେଉଁସବୁ ଶୃଙ୍ଖଳାକୁ ଆଚରଣୀୟ ବୋଲି ମାନିନେଇଚି, ସମୁଦାୟର ନେତା ସେହିସବୁ ଶୃଙ୍ଖଳାକୁ ଅବଶ୍ୟ ମାନିବ । ଅନୁଗାମୀ ଜନସାଧାରଣଙ୍କ ତୁଳନାରେ ସେ ସେଗୁଡ଼ିକୁ ଅଧିକ ସୁଯୋଗ୍ୟ ଓ ଯଥାର୍ଥଭାବରେ ମାନୁଥିବ । (୨୧) ମନୋବୈଜ୍ଞାନିକ ଦୃଷ୍ଟିରୁ ବିଚାର କଲେ ଗଣତାନ୍ତ୍ରିକ ନେତୃତ୍ୱ କର୍ତ୍ତୃତ୍ୱ ଉପରେ ପ୍ରତିଷ୍ଠିତ ନହୋଇ ଜନମତ ଉପରେ ପ୍ରତିଷ୍ଠିତ ହୋଇ ରହିବ-। ଏହି ନେତୃତ୍ୱ ଜନତାଠାରୁ ଦୂରଛଡ଼ା ହୋଇ ରହିବନାହିଁ, ଏହାର ନିର୍ଣ୍ଣୟ ଓ ନିଷ୍ପତ୍ତିରେ ଜନସାଧାରଣଙ୍କର ମଧ୍ୟ ସକ୍ରିୟ ଅବଦାନମାନ ରହିଥିବ । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆଧାରସୂତ୍ର ବୋଲି ଗ୍ରହଣ କଲେ ନେତା ଓ ଅନୁଗାମୀମାନଙ୍କୁ ଅଳ୍ପବହୁତ ଗୋଟିଏ ଗୋଷ୍ଠୀପରି କାର୍ଯ୍ୟ କରିବାକୁ ପଡ଼ିବ । ପ୍ରତ୍ୟେକଙ୍କୁ ଜଣେ ଜଣେ ନେତାରୂପେ ଗ୍ରହଣ କରାଯାଇପାରୁଥିବ । ...ଜନସମୁଦାୟର ନେତୃତ୍ୱ ସାମୁଦାୟିକ ଜୀବନରେ ନିଶ୍ଚୟ ଅନେକ ପରିବର୍ତ୍ତନ ଆଣିପାରିବ । ସମୁଦାୟର ନେତା ସମୁଦାୟ ଭିତରେ ପରିବର୍ତ୍ତନର ଏଜେଣ୍ଟ୍ ବା ବାହକ ପରି କାର୍ଯ୍ୟ କରିବ । ସାମୁଦାୟିକ କ୍ଷେତ୍ରରେ ଯଥାର୍ଥ ନେତୃତ୍ୱ ଦେଉଥିବା ବ୍ୟକ୍ତି ଅନ୍ୟମାନଙ୍କର ଜୀବନଦୃଷ୍ଟିରେ ପରିବର୍ତ୍ତନ ଆଣିବାରେ ଅବଶ୍ୟ ସହାୟତା କରୁଥିବ, ମାତ୍ର ଅନ୍ୟମାନଙ୍କୁ ବଦଳାଇବା ସଙ୍ଗେ ସଙ୍ଗେ ସେ ନିଜେ ମଧ୍ୟ ବଦଳି ଯାଉଥିବ । ପରିବର୍ତ୍ତନର ପ୍ରକ୍ରିୟାରେ ଏହା ହେଉଚି ସବୁଠାରୁ ଅଧିକ କଷ୍ଟକର । ଅନ୍ୟକୁ ବଦଳାଇବା ସହଜ ହୋଇପାରେ, ମାତ୍ର ସେହି ଅନୁସାରେ ଆପଣାକୁ ବଦଳାଇବା ଆଦୌ ସହଜ ନୁହେଁ । ନେତାଭିତରେ କେତେ କମ୍ ବା କେତେ ବେଶୀ ଜ୍ଞାନ ରହିଚି, ତାହା ସହିତ ତାହାର ଦୃଷ୍ଟିକୋଣ ବଦଳିବାର ସାଧାରଣତଃ ବେଶୀକିଛି ସମ୍ବନ୍ଧ ନଥାଏ । ସବୁ ବିଷୟରେ ଅବହିତ ଓ ଅବଗତ ରହିଲେ ଯେ ନେତାର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାଲାଗି ତାହା ଯଥେଷ୍ଟ ହୋଇଯିବ, ଏହି କଥାରେ ଆଦୌ ସତ୍ୟତା ନାହିଁ । ଆପଣାର ଦୃଷ୍ଟିକୋଣ ବଦଳାଇବାପାଇଁ କେବଳ ଜ୍ଞାନ କଦାପି ଯଥେଷ୍ଟ ନୁହେଁ । ଅନ୍ୟମାନଙ୍କ ତୁଳନାରେ ଯେଉଁମାନେ କୌଣସି ଏକ ସମସ୍ୟା ବିଷୟରେ ଅଧିକ ଜାଣିଚନ୍ତି, ସେମାନେ କେବଳ ସେହି କାରଣରୁ ଯେ ଅଧିକ ସହଜରେ ଆପଣାର ଦୃଷ୍ଟିକୋଣକୁ ବଦଳାଇ ପାରିବେ, ବାସ୍ତବକ୍ଷେତ୍ରରେ ଏଥିଲାଗି କୌଣସି ପ୍ରମାଣ ମିଳେନାହିଁ । (୨୨)

 

ଦିନେ ଆମ ଜାତୀୟ ଜୀବନର ସକଳ କର୍ମୋଦ୍ୟମରେ ଗାନ୍ଧୀଙ୍କୁ ହିଁ ଏହି ଦେଶର ନେତା ବୋଲି କୁହାଯାଉଥିଲା । ସେତେବେଳେ ଖଦଡ଼ ନପିନ୍ଧୁଥିବା ଓ ଗାନ୍ଧୀବାଦୀ ନବୋଲାଉଥିବା ଅନେକ ବ୍ୟକ୍ତି ମଧ୍ୟ ଗାନ୍ଧୀଙ୍କର ନେତୃତ୍ୱକୁ ଜାତୀୟ ନେତୃତ୍ୱ ବୋଲି ମାନୁଥିଲେ । ଆଜି ଖଦଡ଼ ପିନ୍ଧୁଥିବା ଓ ଗାନ୍ଧୀର ବଚନାବୃତ୍ତି କରୁଥିବା ଅନେକ ଲୋକ ମଧ୍ୟ ଗାନ୍ଧୀ ନେତୃତ୍ୱକୁ ମାନୁନଥିବା ପରି ମନେହେଉଚି । ବର୍ତ୍ତମାନ ଆମଦେଶରେ ଅନେକ ଗାନ୍ଧୀବାଦୀ ରହିଚନ୍ତି, ଗାନ୍ଧୀନାମରେ ଅନେକ ଶୁଭକାର୍ଯ୍ୟ କରାଯାଉଚି । ମାତ୍ର ତଥାପି ଆଗେ ଯେପରି ସମସ୍ତ ଦେଶ ଗାନ୍ଧୀର କଥା ଶୁଣିବାକୁ ଓ ତାହାର ନେତୃତ୍ୱ ଗ୍ରହଣ କରିବାକୁ ଉତ୍କର୍ଣ୍ଣ ହୋଇ ରହିଥିଲା, ଆଜି ଗାନ୍ଧୀବାଦୀମାନଙ୍କ ଆଡ଼କୁ ସେପରି ଅପେକ୍ଷା କରି ରହୁନାହିଁ । ଅନେକେ ଭାବୁଚନ୍ତି ଗାନ୍ଧୀର ଯୁଗ ଚାଲିଗଲାଣି, ଏଣିକି ଆଧୁନିକ ଜଗତ ସହିତ ତାଳ ମିଶାଇ ଚାଲିବାକୁ ହେବ, ତେଣୁ ଗାନ୍ଧୀବାଦକୁ ଆଶ୍ରୟ କରି ରହିଲେ ଆମେ ଏଦେଶରେ ପଛରେ ପଡ଼ିରହିବା । ସେମାନେ ଗାନ୍ଧୀ ଓ ଗାନ୍ଧୀବାଦୀମାନଙ୍କୁ ଶ୍ରଦ୍ଧା ଅବଶ୍ୟ କରୁଚନ୍ତି, ସେମାନଙ୍କୁ ସନ୍ଥ ବୋଲି ଅବଶ୍ୟ କହୁଚନ୍ତି । କିନ୍ତୁ ଆମଦେଶର ଚିଡ଼ିଆଖାନାରେ ଯେପରି ନାନା ଧର୍ମ, ଭାଷା ଓ ବର୍ଣ୍ଣର ମଣିଷ ରହିଚନ୍ତି, ସେହିପରି ବିଭିନ୍ନ ଆଦର୍ଶବାଦର ମଣିଷ ମଧ୍ୟ ଏଦେଶରେ ରହିଥାନ୍ତୁ ଇଚ୍ଛାକରି ଗାନ୍ଧୀବାଦୀମାନଙ୍କୁ ରହିବାକୁ ଦେଇଚନ୍ତି । ଜାତୀୟ କର୍ମମାର୍ଗରେ ଗାନ୍ଧୀବାଦର କୌଣସି ପ୍ରେରଣା ଲାଗି କୌଣସି ପ୍ରୟୋଜନ ଅଛି ବୋଲି ସେମାନେ ଭାବିପାରୁନାହାନ୍ତି । କିନ୍ତୁ ଆମେ ନିଜକୁ ପଚାରିବା, ଗାନ୍ଧୀର ଯୁଗ କଣ ସତରେ ଚାଲିଗଲାଣି ? ଶରୀରରେ ବଞ୍ଚି ରହିଥିଲେ କଣ ଗାନ୍ଧୀ ବର୍ତ୍ତମାନ କେବଳ ଏକ ଅବସରପ୍ରାପ୍ତ ଜୀବନ ଯାପନ କରୁଥାନ୍ତେ ନା ସେ ବର୍ତ୍ତମାନ ଆମଦେଶର ନେତୃତ୍ୱ ସମ୍ମୁଖରେ ସର୍ବକଠୋର ଟୀକାକାର ହୋଇ ରହିଥାନ୍ତେ ? ଯେଉଁ ଦେଶରେ କାର୍ଯ୍ୟ ଅପେକ୍ଷା କଥା ଅଧିକ କୁହାଯାଉଚି, କଥାସହିତ କାମର କୌଣସି ସଂଗତି ରହୁନାହିଁ, ଯେଉଁ ଦେଶର ଯୋଜନା ଧନୀକୁ ଅଧିକ ଧନୀ ଓ ଦରିଦ୍ରକୁ ଅଧିକ ଦରିଦ୍ର କରିବାରେ ଲାଗିଚି, ଯେଉଁଠି ସାମୁଦାୟିକ ବିକାଶର ଛତ୍ରଦଣ୍ଡତଳେ ଉଚ୍ଚବର୍ଗମାନଙ୍କର ପୁଷପରବ ପାଳିତ ହେଉଚି, ସେ ଦେଶରେ ଓ ସେହି ଯୁଗରେ ଗାନ୍ଧୀବାଦୀ ପ୍ରେରଣା ଓ ନେତୃତ୍ୱର ଆବଶ୍ୟକତା ନାହିଁ ତ ଆଉ କାହାର ଆବଶ୍ୟକତା ରହିଚି ?

 

ଗାନ୍ଧୀ ଜୀଇଥିବାବେଳେ ତାଙ୍କର ପ୍ରଧାନତଃ ଦୁଇ କିସମର ଅନୁଗାମୀ ରହିଥିଲେ । ଦଳେ ଗାନ୍ଧୀ ନେତୃତ୍ୱକୁ ରାଜନୀତିକ ସ୍ୱାଧୀନତା ହାସଲ କରିବାଲାଗି ପ୍ରୟୋଜନୀୟ ବୋଲି ବୁଝି ସେହି ମତଲବରେ ଗାନ୍ଧୀର କଥା ଶୁଣୁଥିଲେ ଓ ଗାନ୍ଧୀପ୍ରଚାରିତ ଆଚାରଧର୍ମ ପାଳନ କରୁଥିଲେ । ସେମାନେ ଖଦଡ଼ ପିନ୍ଧୁଥିଲେ, ବେଳେବେଳେ ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମରେ ଲିପ୍ତ ବି ହୋଇ ପଡ଼ୁଥିଲେ କିନ୍ତୁ ସେମାନଙ୍କର ଅସଲ ମନ ଯାଇ ରାଜନୀତିକ ସ୍ୱାଧୀନତାର ତେଲଗିନା ଉପରେ ରହିଥିଲା । ରାଜନୀତିକ ସ୍ୱାଧୀନତା ହାସଲ କରିବାର ଖେଳରେ ଗାନ୍ଧୀଭେକ ଓ ଗାନ୍ଧୀକଥାକୁ ସେମାନେ କେବଳ ଏକ ପରିଚ୍ଛଦରୂପେ ପିନ୍ଧିଥିଲେ । ଅନ୍ୟଦଳଟି ଗାନ୍ଧୀବାଦକୁ ନୁହେଁ, ମାତ୍ର ଗାନ୍ଧୀମାର୍ଗକୁ ପ୍ରେରଣାର ପୁଞ୍ଜିରୂପେ ଗ୍ରହଣ କରିଥିଲେ । ସମାଜ, ମଣିଷ ଓ ଜାତୀୟତା ବିଷୟରେ ଗାନ୍ଧୀର ବିଚାରଧାରା ଅନୁସାରେ ସେମାନେ ସ୍ୱାଧୀନ ଭାରତରେ ଏକ ବିଶେଷ ଜୀବନମାର୍ଗର ପ୍ରବର୍ତ୍ତନ ହେବ ବୋଲି ବିଶ୍ୱାସ କରିଥିଲେ ଏବଂ ସେହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିଲେ ।

 

ରାଜନୀତିକ ସ୍ୱାଧୀନତା ଆସିଲା । ପ୍ରଥମ ଦଳର ଗାନ୍ଧୀ-ଅନୁରାଗୀମାନେ ଶାସନର ଆସନରେ ଯାଇ ବସିଲେ । ଅଭିଳାଷ-ପୂରଣ ହେବା ପରେ ସେମାନେ ଗାନ୍ଧୀକୁ ସାଥୀରେ ରଖିବାର କୌଣସି ପ୍ରୟୋଜନ ଅନୁଭବ କଲେନାହିଁ । ଭାରତରେ ସଂଖ୍ୟାଧିକ ମଣିଷର ଆବଶ୍ୟକତାଗୁଡ଼ିକୁ ପ୍ରାୟ ଅବହେଳା ନଚେତ୍ ଦୟା ଦେଖାଇ ଜାତୀୟ ଅଭିବୃଦ୍ଧି ସାଧିତ ହେଲା । ରାଜନୀତିକ ସ୍ୱାଧୀନତାରେ ବେପାର କରି ବାହାରିଥିବା ଏହି ପ୍ରଥମ ଦଳ ହିଁ ଲାଭବାନ୍ ହେଲେ । ଲାଭ ଓ ସିଦ୍ଧିର ଆକର୍ଷଣ ହେତୁ ଆହୁରି କେତେ ମଣିଷ ଆସି ଏହି ଶିବିର ଭିତରେ ପଶିଲେ । କିନ୍ତୁ ସେମାନଙ୍କର ସକଳ ଯୋଜନା ଓ ବିବେଚନାରେ ସାଧାରଣ ମଣିଷଲାଗି ଖୁବ୍‌ବେଶୀ ସ୍ଥାନ ରହିଲାନାହିଁ । ଏହିମାନେ ହିଁ ଗଣତନ୍ତ୍ର ଓ ସମାଜବାଦ ନାମରେ ପାଟଛତୀ ଉଡ଼ାଇଲେ, ମାତ୍ର ଏଥିରେ ଗଣ ବା ସମାଜଲାଗି ଖୁବ୍‌ବେଶୀ ଉଦ୍ୟମ କରାଗଲାନାହିଁ । ଦ୍ୱିତୀୟଦଳ ସନ୍ନ୍ୟାସ ଗ୍ରହଣ କଲେ । ଆପଣାର କଥାରେ ଓ କାର୍ଯ୍ୟକ୍ରମରେ ସେମାନେ ଜନସାଧାରଣଙ୍କ ପକ୍ଷରେ ଅବଶ୍ୟ ରହିଲେ, ସ୍ୱାଧୀନତା ପରେ ଭାରତରେ ଜନାଧାରମୂଳକ କାର୍ଯ୍ୟକ୍ରମ ଚଳାଇବାରେ ହୁଏତ ସେହିମାନେ ହିଁ ସବୁଠାରୁ ଅଧିକ ନିଷ୍ଠାର ପରିଚୟ ଦେଲେ; ମାତ୍ର ଯେଉଁଠି ସରକାର ଚଳାଉଥିବା ଅନ୍ୟ ଦଳଟି ସହିତ ସମ୍ବନ୍ଧର ପ୍ରଶ୍ନ ଉଠିଲା, ସେମାନେ ଗୋଟାସୁଦ୍ଧା ତାହାରି ହୋଇ ରହିଲେ, ସ୍ପଷ୍ଟଭାବରେ ଲୋକମାନଙ୍କର କଥା କହିଲେ ନାହିଁ । ସେହି କର୍ମପନ୍ଥାଗତ ଭ୍ରମରେ ପଡ଼ି ସେମାନେ ଅନେକ ଅନ୍ୟାୟ ସମ୍ମୁଖରେ ବି ଚୁପ୍ ରହିଲେ, ଅନେକସ୍ଥଳରେ ସରକାରୀ ଅମଲାତନ୍ତ୍ର ସହିତ ସହଯୋଗ ମଧ୍ୟ କଲେ । ଦେଶରେ ଆଜି ଏପରି ଅନେକ ଲୋକ ବାହାରିବେ ଯେଉଁମାନେ କି ସରକାର ଓ ସର୍ବୋଦୟବାଲାମାନେ ଗୋଟିଏ ଦଳର ଲୋକବୋଲି ଅତି ନିଷ୍ଠାପର ଭାବରେ ବିଶ୍ୱାସ କରୁଥିବେ । ସେମାନଙ୍କର ବିଶ୍ୱାସ ଅନ୍ୟପ୍ରକାର ହେବାଲାଗି ଗତ ଅଠରବର୍ଷ ଭିତରେ ସେପରି କୌଣସି ଉଲ୍ଲେଖଯୋଗ୍ୟ ଘଟଣା ହିଁ ଘଟିନାହିଁ ।

 

ଗାନ୍ଧୀ କେବଳ ଅହିଂସାର ପ୍ରଚାର କରିନଥିଲେ, ସତ୍ୟାଗ୍ରହକୁ ଅର୍ଥାତ୍ ଅହିଂସ ଅସହଯୋଗକୁ ମଧ୍ୟ ସେ କର୍ତ୍ତବ୍ୟସାଧନର ଏକ ଅସ୍ତ୍ରରୂପେ ଉଦ୍‌ଭାବନ କରିଥିଲେ । ରାଜନୀତିକ ସ୍ୱାଧୀନତା ପରେ ଜାତୀୟ ସରକାରର ଥାପନା ହେଲା ଓ ସେହିଦିନଠାରୁ ସତ୍ୟାଗ୍ରହକୁ ଏକ ନିଷ୍ପ୍ରୟୋଜନ ଅସ୍ତ୍ରରୂପେ ସିନ୍ଦୂକରେ ରଖିଦିଆଗଲା । ଭାରତୀୟ ରାଜନୀତିକ ମଇଦାନରେ ଅନ୍ୟ ଦଳମାନେ, ଯେଉଁମାନେ କି ରାଜନୀତିକ ଉଦ୍ଦେଶ୍ୟ ସାଧନକୁ ଜୀବନର ଏକମାତ୍ର ଆଗ୍ରହ ବୋଲି ଗ୍ରହଣ କରନ୍ତି, ବର୍ତ୍ତମାନ ସତ୍ୟାଗ୍ରହ ଓ ଅନଶନକୁ ପ୍ରଧାନତଃ ଏକ ଜିଦ୍‌ପୂରଣର ଅସ୍ତ୍ରରୂପେ ବ୍ୟବହାର କରୁଚନ୍ତି । ଅଥଚ, ଯେଉଁମାନେ ନ୍ୟାୟତଃ ସତ୍ୟାଗ୍ରହର ସର୍ବଶ୍ରେଷ୍ଠ ଉତ୍ତରାଧିକାରୀ ହୋଇପାରିଥାନ୍ତେ, ସେମାନେ ଆପଣା ହାତରୁ ରଜ୍ଜୁ ଛାଡ଼ିଦେଲେ ଓ ନେତୃତ୍ୱର ଅନେକ ଅବସର ହରାଇ ବସିଲେ । ଗୌତମ ବୁଦ୍ଧ ଗୋଟାଏ ଜାଗାରେ କହିଚନ୍ତି ଯେ, ଯେଉଁଠି ମୁହଁ ଫିଟାଇ ଆମର ସ୍ପଷ୍ଟ କଥା କହିବା ଉଚିତ, ସେଠାରେ ଯଦି ଆମେ ଚୁପ୍ ରହିଯାଉ, ତେବେ ଆମକୁ ପାପୀ ବୋଲି କହିବାକୁ ହେବ । ଅନ୍ୟାୟକୁ ଅନ୍ୟାୟ ବୋଲି କହିବା, ଦୁର୍ନୀତିକୁ ଦୁର୍ନୀତି ବୋଲି କହିବା, ଆଳସ୍ୟ ଓ ଉଦାସୀନତାକୁ ଆଳସ୍ୟ ଓ ଉଦାସୀନତା ବୋଲି କହିବାର ଏକ ସଂଗଠିତ ଆଭିମୁଖ୍ୟ ଏଦେଶରେ ରହିଥିଲେ ଏଠି ଯଥାର୍ଥ ପ୍ରବର୍ତ୍ତନଲାଗି ବହୁତର ସମ୍ଭାବନାମାନ ରହିଥାନ୍ତା । ଜାତୀୟତା ନାମରେ ଯେଉଁ ଅନ୍ଧାରଘରେ ଆଜି ସମସ୍ତେ ନୈରାଶ୍ୟ ଗଣୁଚନ୍ତି, ସତ୍ୟାଗ୍ରହର କ୍ଷେତ୍ର ଉନ୍ମୁକ୍ତ ରହିଥିଲେ ସେଠାରେ ଆଲୋକଲାଗି ଅନେକ ପ୍ରେରଣା ସଞ୍ଚାର ହୋଇପାରୁଥାନ୍ତା । ବ୍ରିଟିଶ ଅମଳରେ ଯଦି ଅନ୍ୟାୟକୁ ଅନ୍ୟାୟ ବୋଲି କୁହାଯାଇ ପାରୁଥିଲା, ଜାତୀୟ ଶାସନର ଅମଳରେ ତାହା ନହୋଇ ପାରିବ କାହିଁକି ? ସ୍ୱଦେଶୀ ବୋଲି ଅନ୍ୟାୟଗୁଡ଼ିକର ଦଂଶନ ଯେ କମ୍ ତୀବ୍ର ହୋଇଯାଏ ନାହିଁ, ସେକଥା ବୁଝାଇଦେବାକୁ ପଡ଼ିବନାହିଁ । ବର୍ତ୍ତମାନ ଦେଶ ବ୍ୟାପି ଯେଉଁ କଥା-ସରସ-ନେତୃତ୍ୱର ବିପଜ୍ଜନକ ବାନା ଉଡ଼ିବାରେ ଲାଗିଚି ଏବଂ ଅନେକ ଅନ୍ଧାରକୁ କାନି ଘୋଡ଼ାଇ ରଖାଯାଉଚି ଓ ସମୁଦାୟର ଅଧିକାଂଶ ମଣିଷଙ୍କୁ ଅବହେଳିତ କରାଯାଉଚି, ତାହାର ସମ୍ମୁଖରେ ଅନ୍ୟାୟକୁ ଅନ୍ୟାୟ ଓ ଆଳସ୍ୟକୁ ଆଳସ୍ୟ ବୋଲି କହିବାକୁ ସାହସୀ ହୋଇ ବାହାରିବାର ନେତୃତ୍ୱ ହିଁ ଭାରତବର୍ଷର ସମୁନ୍ନୟନ ଦିଗରେ ପ୍ରବର୍ତ୍ତକର ବାଟ ଫିଟାଇଦେଇ ପାରିବ । ଏବଂ ସତ୍ୟାଗ୍ରହ ଏହି ନେତୃତ୍ୱର ହାତରେ ଏକ ପ୍ରେରଣାଦାୟକ ଆୟୁଧ ହୋଇପାରିବ । କିନ୍ତୁ ଏପରି ନେତୃତ୍ୱ କେବେ ସମ୍ଭବ ହେବ ? ପ୍ରଖ୍ୟାତ ଗାନ୍ଧୀବାଦୀ ଓ ଗାନ୍ଧୀ ଶାନ୍ତିପ୍ରତିଷ୍ଠାନର ଅଧ୍ୟକ୍ଷ (ଏବେ ରାଜ୍ୟସଭାର ସଭ୍ୟ) ଶ୍ରୀଯୁକ୍ତ ରାମଚନ୍ଦ୍ରନ୍ ଅଳ୍ପଦିନତଳେ ଗୋଟିଏ ଅବସରରେ (୨୩) ପଞ୍ଚାୟତୀରାଜକୁ ନେଇ ଖେଳ ଖେଳିବାଲାଗି ଆମର କୌଣସି ଅଧିକାର ନାହିଁ ବୋଲି ଘୋଷଣା କରି ଲେଖିଚନ୍ତି, ‘‘ଗାନ୍ଧୀଙ୍କର ଭାରତବର୍ଷରେ ଆମେ ଜନତାକୁ କଦାପି ଦବାଇ ରଖିପାରିବାନାହିଁ । ଯେତେ ଅପରିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ସେମାନେ ଏ ଦେଶରେ ମାନବଜାତିର ଅସ୍ତ୍ରାଗାରରେ ରହିଥିବା ଅଜେୟତମ ଅସ୍ତ୍ର ସତ୍ୟାଗ୍ରହର ପ୍ରୟୋଗ କରିବାର ତାଲୀମ ପାଇଚନ୍ତି । ଆଜି ଆମେ ଇଚ୍ଛାକଲେ ସତ୍ୟାଗ୍ରହକୁ ହୁଏତ ହସରେ ଉଡ଼ାଇଦେବାକୁ ବି ଚେଷ୍ଟା କରିପାରିବା । ବ୍ରିଟିଶ୍ ଶକ୍ତି ମଧ୍ୟ ଦିନେ ଠିକ୍ ଏହିପରି କରୁଥିଲା । କିନ୍ତୁ ଦିନେ ନା ଦିନେ ଭାରତର ଜନସାଧାରଣ ଏହି ଅସ୍ତ୍ର ଉତ୍ତୋଳନ କରିବ ହିଁ କରିବ । ଏହି ଭାରତର ଆକାଶତଳେ ଦିନେ ଏହି ଘଟଣା ଘଟିବ ହିଁ ଘଟିବ-।’’

 

କିନ୍ତୁ କେବେ ଘଟିବ ? କେବେ ଏହି ଦେଶର ନେତୃତ୍ୱ ଜୀବନର ପ୍ରେରଣାରେ ପୁଣି ବଳୀୟାନ୍ ହୋଇ ବାହାରିବ ? ସାମୁଦାୟିକ ବିକାଶ ଓ ମାନବିକ ପ୍ରଗତିଲାଗି ଏହି ଭୂଇଁରେ ଚେର ରଖି କେବେ ଏହି ଦେଶରେ ନୂତନ ପ୍ରବର୍ତ୍ତନ ଆରମ୍ଭ ହେବ ? ସକଳପ୍ରକାର ପରିବର୍ତ୍ତନ ଓ ପୁନର୍ନିର୍ମାଣର ଆକାଙ୍‌କ୍ଷା ରଖଥିବା ଆମ ସମସ୍ତଙ୍କଲାଗି ଏହା ହେଉଚି ସର୍ବପ୍ରଧାନ ପ୍ରଶ୍ନ ଓ ସର୍ବପ୍ରଧାନ ଆହ୍ୱାନ ।

 

ପୁସ୍ତକ ଟିପ୍ପଣୀ

 

୧.

Martin H. Neumeyer Social Problem and the Changing Society- Van Nostrand Company, Princeton, 1953, ପୃଷ୍ଠା–୧୩, ୧୭.

୨.

Lewis Mumford : The Conduct of Life- Harcourt, Brace and Co., New York, 1951, ପୃଷ୍ଠା–୧୬୨

୩.

Jessie Bernard : Social Problems at Midcentury–Dryden Press, New York, 1957, ପୃଷ୍ଠା–୯୦

୪.

ତତ୍ରୈବ : ପୃଷ୍ଠା-୧୨୩

୫.

T.R. Batten : Communities and their Development–Oxford University Press, London, 1957, ପୃଷ୍ଠା–୨୨୧

୬.

H.G. Barnett Innovation, the Basis of Cultural Change– McGgraw-Hill Book Co., New York, 1953

୭.

J.A. Ponsioen The Analysis of Social Change Reconsidered– Mouton and Co., The Hague, 1963, ପୃଷ୍ଠା-: ୯୮-୯୯

୮.

Ronald Lippitt, Jeane Watson and Bruce Westley : The Dynamics of Planned Change– Harcourt, Brace and Co., New York, 1958, ପୃଷ୍ଠା–୬୩

୯.

David Mcelelland : The Achieving Society– Van Nonstrand and Co., Princeton, 1961

୧୦.

Talcott Parsons : The Social System – Routledge and Kegan Paul, London, 1964, ପୃଷ୍ଠା : ୫୮–୬୭

୧୧.

Melvin W. Tumin : Some Principles of Stratification in American Sociological Review, Vol. 18 (1953), No.4.

୧୨.

George I. Blanksten in Bert F. Hoselitz and Wibert E. Moore (ସମ୍ପାଦନା) : Industrilization and Soiety–UNESCO–Mouton, 1963, ପୃଷ୍ଠା–୧୮୦

୧୩.

William Mccord : The Springtime of Freedom– Oxford University Press, New York, 1965, ପୃଷ୍ଠା–୨୭୦

୧୪.

Edward H. Spicer (ସମ୍ପାଦନା) Human Problems in Technological Change–Russell Sage Foundation, New York, 1952, ପୃଷ୍ଠା : ୧୭–୧୮

୧୫.

Community Development Review (Washington), September 1960.

୧୬.

Daniel Lerner : The Passing of Traditional Society – Free Press of Glencoe, lllinois, 1962, ପୃଷ୍ଠା–୯୪

୧୭.

Will Durant : The Story of Civilization-Part VI – Simon and Schuster, New York, 1957, ପୃଷ୍ଠା–୧୧୩

୧୮.

S.H. Britt : Social Psychology of Modern Life- Rinehart and Co., New York, 1947, ପୃଷ୍ଠା–୨୮୮

୧୯.

Dorwin Cartwright and Alvin Zander (ସମ୍ପାଦନା) : Group Dynamic–Row, Peterson and Co., New York, 1962, ପୃଷ୍ଠା–୪୮୭

୨୦.

William Lovett quoted in R.H. Tawney : The Radical Tradition – Allen and Unwin, London, 1964, ପୃଷ୍ଠା–୧୯

୨୧.

George C. Homan : The Human Group- Harcourt, Brace and Co., New York, 1950, ପୃଷ୍ଠା–୪୨୭

୨୨.

Hubert Bonner : Group Dynamics– The Ranald Press Co., New York, 1959, ପୃଷ୍ଠା–୩୨୨, ୩୨୬,

୨୩.

Kurukshetra (ମାସିକ), Delhi, October 2, 1965, ପୃଷ୍ଠା :୪୦–୪୧

Image